Friday, July 16, 2021

Ganjam and Berhampur Town / ଗଞ୍ଜାମ ଓ ବ୍ରହ୍ମପୁର ସହର

 


ମହୁରି ରାଜବାଟୀକୁ କେନ୍ଦ୍ରକରି ଗଢ଼ି ଉଠିଥିବା ଜନବସତି #ବ୍ରହ୍ମପୁର ନାମିତ ହେବା ସମୟରେ ମହୁରି ରାଜ୍ୟ ମୋଗଲ ଅଧୀନରେ ହାଇଦରାବାଦ ନିଜାମଙ୍କ ଶାସନାଧୀନ ଥିଲା । ଐତିହାସିକ ତଥ୍ୟ ଅନୁଯାୟୀ ମହୁରି ରାଜ୍ୟ ୧୬୬୭ରୁ ୧୭୫୩ ପର୍ଯ୍ୟନ୍ତ ମୋଗଲ, ୧୭୫୩ ରୁ ସ୍ୱଳ୍ପକାଳ ଫରାସୀ ଏବଂ ପରେ ବ୍ରିଟିସ ଶାସନାଧୀନ ହୋଇଥିଲା । ମହୁରି ରାଜ୍ୟ ରାଜଧାନୀଭାବେ ବ୍ରହ୍ମପୁର ସହର କ୍ରମବିକଶିତ ହୋଇଥିବା ସ୍ଥଳେ ଏହା ଗଞ୍ଜାମ ଜିଲ୍ଲାର ସଦର ମହକୁମା ନ ହୋଇପାରିବା ପଛରେ ଏକ ବିଶିଷ୍ଟ ଘଟଣା ରହିଛି ।
 
ଦକ୍ଷିଣ ଓଡ଼ିଶାକୁ ଇଷ୍ଟଇଣ୍ଡିଆ କମ୍ପାନୀର ପ୍ରବେଶ ପରେ ୧୭୬୭ରେ ଗଞ୍ଜାମ ବନ୍ଦରରେ ପ୍ରଥମ ରେସିଡ଼ାଣ୍ଟ ଏଡ଼ୱାର୍ଡ କୋଟସ ଫୋର୍ଡ ନାମକ ଜଣେ ଇଂଲିଶ ଇଞ୍ଜିନିୟରଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା କାର୍ଯ୍ୟ ଆରମ୍ଭ କରିଥିଲା । ବ୍ରହ୍ମପୁର ମହୁରି ରାଜ୍ୟର ରାଜଧାନୀ ଥିବା ହେତୁ ବ୍ରହ୍ମପୁର ବଦଳରେ ଗଞ୍ଜାମରେ ମହୁରି ରାଜ୍ୟ ବଦଳରେ ନୂତନ ପ୍ରଶାସନିକ ଢ଼ାଞ୍ଚାରେ ଗଞ୍ଜାମ ଜିଲ୍ଲାର ମାନଚ଼ିତ୍ର ଅଙ୍କନ କରି ସଦର ମହକୁମା ସ୍ଥାପନ ଯୁକ୍ତିଯୁକ୍ତ ମନେହୁଏ । ମହୁରି ରାଜପରିବାର ବ୍ରିଟିସ ଶାସନାଧୀନ ହୋଇଥିଲେହେଁ ବରାବର ପ୍ରତିରୋଧ କରୁଥାନ୍ତି । ଫଳରେ ଦୁଇ ସହର ମଧ୍ୟରେ ଏକରକମ ଛକାପଞ୍ଜା ପରିସ୍ଥିତି ଲାଗି ରହିଥାଏ ।
 
ନୌବାଣିଜ୍ୟ ସମୃଦ୍ଧ ଗଞ୍ଜାମ ସହର ନବ ପ୍ରତିଷ୍ଠିତ ଗଞ୍ଜାମ ଜିଲ୍ଲାର ସଦର ମହକୁମା ରୂପେ ବିକଶିତ ହେବା ଅବସରରେ ବାଣିଜ୍ୟ କାରବାର ସାଙ୍ଗକୁ ପ୍ରଶାସନିକ ଦପ୍ତର, ସୈନ୍ୟ ଛାଉଣୀ ଇତ୍ୟାଦି ଉପସ୍ଥିତିରେ ଜନସଂଖ୍ୟା ଦୃତଗତିରେ ବୃଦ୍ଧି ପାଇବାକୁ ଲାଗିଲା । ଦୁଃଭାଗ୍ୟକ୍ରମେ ଜନସଂଖ୍ୟା ବୃଦ୍ଧି ସଙ୍ଗେ ସେଠାକାର ପରିମଳ ବ୍ୟବସ୍ଥାରେ ସୁଧାର ସଂଭବ ନ ହୋଇପାରିବା ହେତୁ ୧୮୧୫ରେ ମହାମାରୀ ବ୍ୟାପିଲା ଏବଂ ବହୁ ସଂଖ୍ୟକ ମୃତ୍ୟୁ ବରଣ କଲେ । ଫଳରେ ବ୍ରିଟିସ ପ୍ରଶାସନ ବାଧ୍ୟବାଧକତାରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ବଦଳାଇ ସେନାବାହିନୀ ପୁର୍ନବାସ ଆୟୋଜନରେ ଲାଗି ପଡ଼ିଥିଲେ ।
 
ଗଞ୍ଜାମ ସହର ପରେ ଜିଲ୍ଲାରେ ବ୍ରହ୍ମପୁର ଦ୍ୱିତୀୟ ବୃହତ ସହର ରୂପେ ଗଢ଼ି ଉଠିଥିବା ହେତୁ ସ୍ୱାଭାବିକଭାବେ ବ୍ରିଟିସ ପ୍ରଶାସନ ଗଞ୍ଜାମ ଜିଲ୍ଲାର ସଦର ମହକୁମା ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରିବା ନିମନ୍ତେ ଯୋଜନା କରିଥିଲେ । କିନ୍ତୁ ବ୍ରହ୍ମପୁରରେ ବ୍ରିଟିସ ଶାସକଙ୍କ ଉପସ୍ଥିତି ସେମାନଙ୍କ ଉତ୍ପାତର କାରଣ ସାଜିବା ଆଶଙ୍କାରେ ମହୁରି ରାଜା ଆପତ୍ତି ଉଠାଇଥିଲେ । ବ୍ରହ୍ମପୁରକୁ ସେ ନିଜର ବ୍ୟକ୍ତିଗତ ସମ୍ପତ୍ତି ଦାବୀ କରିଥିଲେ । ଅନ୍ୟ ଉପାୟ ନପାଇ ଗଞ୍ଜାମ ସହରରୁ କିଛି ଦୂରରେ ଅବସ୍ଥିତ ସୀତାରାମପଲ୍ଲୀକୁ ଜିଲ୍ଲା ସଦର ମହକୁମା ଘୁଞ୍ଚାଇ ଅଣାଯାଇଥିଲାପରବର୍ତ୍ତୀ କାଳରେ ଏହା ଛତ୍ରପୁର ନାମିତ ହେଲା ।
 
ବ୍ରିଟିସ ଶାସନାଧୀନ ମହୁରି ରାଜାଙ୍କ କର ପ୍ରଦାନ ସଂପର୍କୀତ ବିବାଦ ଲାଗି ରହିଥାଏ । ଗଞ୍ଜାମ ଜିଲ୍ଲା ସଦର ମହକୁମା ସ୍ଥାନାନ୍ତର ଘଟଣାର ମାତ୍ର ୨୦ ବର୍ଷପରେ ୧୮୩୫ରେ ବକେୟା କର ବାବଦରେ ଅର୍ଥ ପ୍ରଦାନ ନକରିପାରିବା ହେତୁ ବ୍ରହ୍ମପୁର ସହରକୁ ବ୍ରିଟିସ ପ୍ରଶାସନ କ୍ରୟ କରିନେଲେ । ଫଳରେ ବ୍ରହ୍ମପୁରରେ ସେମାନଙ୍କ ପକ୍ଷରୁ ପ୍ରଶାସନିକ ଦପ୍ତରମାନ ସ୍ଥାପନ କରିବାରେ ଆଉ ପ୍ରତିରୋଧ ରହିଲା ନାହିଁ । କାଳକ୍ରମେ କେତେକ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ବ୍ରହ୍ମପୁରକୁ ସ୍ଥାନାନ୍ତରିତ ହେଲା ।
 
ବ୍ରହ୍ମପୁର ପୌରପାଳିକା ୧୮୬୭ରେ ପ୍ରତିଷ୍ଠିତ ହୋଇଥିଲା । ୧୮୭୧ରେ ଜନଗଣନା ଅନୁଯାୟୀ ସହରର ଜନସଂଖ୍ୟା ପ୍ରାୟ ୨୨ ହଜାର ଥିଲା । କିନ୍ତୁ ଷାଠିଏ ବର୍ଷ ପୂର୍ବେ ୧୮୧୫ରେ ଗଞ୍ଜାମ ସହରରେ ମହାମାରୀ ବେଳେ ଜନସଂଖ୍ୟା ତିରିଶି ହଜାର ଥିବା କୁହାଯାଏ । ଐତିହାସିକଙ୍କ ମତରେ ଗଞ୍ଜାମ ମହାମାରୀରେ ଚ଼ବିଶି ହଜାର ଯାଏଁ ଜନସଂଖ୍ୟା ପରବର୍ତ୍ତୀ ତିନି ବର୍ଷ ମଧ୍ୟରେ ଗଞ୍ଜାମ ସହର ଛାଡ଼ିଥିଲେ । ରେକର୍ଡ଼ ଅନୁଯାୟୀ ୧୯୧୮ ସୁଦ୍ଧା ଗଞ୍ଜାମ ସହରର ଜନସଂଖ୍ୟା ଛଅ ହଜାରକୁ ହ୍ରାସ ପାଇଥିଲା ।
 
ବ୍ରିଟିସ ପ୍ରଶାସକ ଟି.ଜେ.ମାଲଟବୀଙ୍କ ଦ୍ୱାରା ପ୍ରସ୍ତୁତ ତଥା ୧୯୧୮ରେ ପ୍ରକାଶିତ ଗଞ୍ଜାମ ଡ଼ିଷ୍ଟ୍ରୀକ୍ଟ ମାନୁଏଲରେ ଉଲ୍ଲେଖ ରହିଛି ଯେ ୧୮୧୫ ଗଞ୍ଜାମ ମହାମାରୀର ପ୍ରକୃତ କାରଣ ଓ ବିବରଣୀ ରହସ୍ୟାବୃତ । ମହାମାରୀ ପରେ ପ୍ରଶାସନ ପକ୍ଷରୁ ଏକ କମିଟି ଗଠନ ହୋଇ ତଦନ୍ତ କରାଯାଇଥିଲା ଏବଂ କମିଟିଙ୍କ ପରାମର୍ଶକ୍ରମେ ଲୋକାଲ ଫଣ୍ଡ ଅର୍ଥରେ ନାଳନର୍ଦ୍ଦମା ନିର୍ମାଣ ଓ ଜଳଉତ୍ସର ଉନ୍ନତି ଲାଗି ପଦକ୍ଷେପମାନ ଗ୍ରହଣ କରାଯାଇଥିଲା । ପରିମଳ କାରଣରୁ ଗଞ୍ଜାମ ସହରର ପତନ ହୋଇଥିବା ହେତୁ ବ୍ରହ୍ମପୁରରେ ପୌରପାଳିକା ପ୍ରତିଷ୍ଠା ପରେ ପରିମଳ ଓ ଜଳଉତ୍ସ ଦିଗରେ ବିହିତ ଧ୍ୟାନ ଦିଆ ଯାଇଥିଲା ଏବଂ ଏହି ପ୍ରକ୍ରିୟା ସ୍ୱାଧୀନୋତ୍ତର ଅବସ୍ଥାଯାଏଁ ବଳବତ୍ତର ରହିଥିବା ଲକ୍ଷ୍ୟ କରାଯାଏ । ଏପରିକି ମାଡ୍ରାସ ପ୍ରେସିଡ଼େନ୍ସିରେ ପରିମଳ ଦୃଷ୍ଟିରୁ ବ୍ରହ୍ମପୁର ପୌରପାଳିକା ଉତ୍କର୍ଷ ମାନ୍ୟତା ପାଇଥିବା ଜଣାଯାଏ ।

(Photo by Raimond Klavins on Unsplash)

Friday, July 9, 2021

Dilip Kumar / ଦିଲ୍ଲୀପ କୁମାର

 

ଦିଲ୍ଲୀପ କୁମାର ୯୮ ବର୍ଷ ବୟସରେ ୭ ଜୁଲାଇ ୨୦୨୧ରେ ମୃତ୍ୟୁ ବରଣ କଲେ । ସେହି ସମୟ ବେଳକୁ #ବ୍ରହ୍ମପୁର ସହରରେ ତାଙ୍କରି ପ୍ରଶଂସକଙ୍କ ମଧ୍ୟରୁ ବହୁ ସଂଖ୍ୟକ ଆରପାରିକୁ ଚାଲିଯାଇଛନ୍ତି । ବଲିଉଡ଼ ଚଳଚ଼ିତ୍ର ଜଗତରେ ଦିଲ୍ଲୀପ କୁମାରଙ୍କ ଗତ ଶତାଦ୍ଦୀର ଷଷ୍ଠ ଓ ସପ୍ତମ ଦଶକରେ ଆଧିପତ୍ୟ ଜାହିର କାଳରେ ତତ୍ କାଳୀନ ଚଳଚ଼ିତ୍ର ଦର୍ଶକଙ୍କ ବୟସ ହାରାହାରି ୨୦ ବର୍ଷ ଧରିନେଲେ ସେମାନଙ୍କ ଜନ୍ମକାଳ ୧୯୩୫ ରୁ ୧୯୫୫ ମସିହା । ଅର୍ଥାତ ସହରବାସୀଙ୍କ ମଧ୍ୟରେ ୬୫ ରୁ ୮୫ ବର୍ଷ ବୟସ୍କଙ୍କ ମଧ୍ୟରୁ ଏକାଂଶ ରୂପେଲି ପରଦାରେ ଏକଦା ସେହି ଲୋକପ୍ରିୟ ନାୟକଙ୍କ ଯାଦୁକାରୀ ଅଭିନୟରେ ମୁଗ୍ଧ ହେବା ଅଭିଜ୍ଞତାର ଅଧିକାରୀ ।
 
ସ୍ୱାଧୀନୋତ୍ତର ବ୍ରହ୍ମପୁରରେ ୧୯୪୭ ରୁ ୧୯୮୨ ଯାଏଁ ୩୫ ବର୍ଷ ଧରି ବମ୍ୱେ ଓ ମାଡ୍ରାସର ଚଳଚ଼ିତ୍ର ପ୍ରଦର୍ଶନ ମନୋରଞ୍ଜନର ପ୍ରମୁଖ ମଞ୍ଚ ପାଲଟିଥିଲା । କ୍ରମାନ୍ୱୟରେ ପ୍ରତିଷ୍ଠିତ ଏସଏସଭିଟି, ଜ୍ୟୋତି, ବିଜୟା ଓ ଉତ୍କଳ ସପ୍ତାହର ପ୍ରତିଦିନ ତିନିଗୋଟି ସୋ ଏବଂ ଶନି ଓ ରବିବାର ଦିନ ୧୦ଟାରେ ମର୍ଣ୍ଣିଂ ସୋ ସାଙ୍ଗକୁ ସ୍ଥଳବିଶେଷରେ ମଧ୍ୟାହ୍ନ ୧୨ଟାରେ ନୁନ ସୋ ମଧ୍ୟ ଆୟୋଜନ କରୁଥିଲେ । ମୂଳସ୍ରୋତର ହିନ୍ଦି ଓ ତେଲୁଗୁ ଚଳଚ଼ିତ୍ରଗୁଡ଼ିକ ମ୍ୟାଟିନି, ସାନ୍ଧ୍ୟ ଓ ରାତି ସୋରେ ଖେଳୁଥିବା ସ୍ଥଳେ ହଲିଉଡ଼ ଇଂଲିଶ ଚଳଚ଼ିତ୍ର ମର୍ଣ୍ଣିଂ ସୋରେ ଚାଲୁଥିଲା । ଅଷ୍ଟମ ଓ ନବମ ଦଶକରେ ଦ୍ୱିତୀୟ ଶ୍ରେଣୀର ହିନ୍ଦି ଚଳଚ଼ିତ୍ର ନୁନ ସୋରେ ପ୍ରଦର୍ଶିତ ହେଉଥିଲା । ବ୍ରହ୍ମପୁରରେ ଚଳଚ଼ିତ୍ର ଦେଖାର ମୋହରେ କେବଳ ସହର କାହିଁକି ସମଗ୍ର ଗଞ୍ଜାମ ଜିଲ୍ଲା ତଥା ପଡ଼ୋଶୀ ଜିଲ୍ଲାର ଯୁବ ଦର୍ଶକବର୍ଗ ଆକୃଷ୍ଟ ହୋଇ ପଡୁଥିଲେ ।
 
ଦିଲ୍ଲୀପ କୁମାରଙ୍କ ଜନ୍ମ ୧୯୨୨ରେ ଏବଂ ସେ ୨୨ ବର୍ଷ ବୟସରେ ୧୯୪୪ରେ ଜୁଆର ଭଟ୍ଟା ନାମକ ହିନ୍ଦି ଚଳଚ଼ିତ୍ରରେ ଅଭିନୟ ଜଗତରେ ପାଦ ଥୋଇଥିଲେ । ତେବେ ୧୯୫୩ରେ ନୟା ଦୌର, ୧୯୫୫ରେ ଦେବଦାସ ଓ ୧୯୫୮ରେ ମଧୁମତୀ ଭଳି ଚଳଚ଼ିତ୍ରରେ ସୁପରଷ୍ଟାର ସ୍ତରକୁ ଉନ୍ନୀତ ହୋଇଥିଲେ । ୧୯୬୦ରେ ମୋଗଲ-ଇ-ଆଜାମ ଓ ୧୯୬୧ରେ ଗଙ୍ଗା ଯମୁନା ତାଙ୍କରି ଲୋକପ୍ରିୟତାକୁ ପରିବ୍ୟାପ୍ତ କରିଥିଲା । ଏସବୁ ଚଳଚ଼ିତ୍ର ବ୍ରହ୍ମପୁରରେ ବେଶ ଆଦୃତ ହୋଇଥିଲା । ସେ ସମୟରେ ଗୋଟିଏ ହିଟ ଚଳଚ଼ିତ୍ର ତିନି ରୁ ଚାରି ସପ୍ତାହ ଯାଏଁ ଚାଲେ । ମୁମ୍ୱାଇ ଭଳି ବଡ଼ ସହରରେ ତ ଅଧିକାଂଶ ୨୫ ସପ୍ତାହ ସିଲଭର ଜୁବୁଲି ପାଳନ କରୁଥିଲା । ଅନ୍ୟତ୍ର ଭଳି ବ୍ରହ୍ମପୁରରେ ମଧ୍ୟ ପ୍ରଶଂସକମାନେ ଗୋଟିଏ ଚଳଚ଼ିତ୍ରକୁ ବାରମ୍ୱାର ଦେଖିବାରେ ପଛଘୁଞ୍ଜା ଦେଉନଥିଲେ ।
 
ଦିଲ୍ଲୀପ କୁମାରଙ୍କ ଅଭିନୟର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୁଏ ୧୯୬୪ରେ ନିର୍ମିତ ଲିଡ଼ର ଚଳଚ଼ିତ୍ରରୁ । ଏହା ପରକୁ ୧୯୬୬ରେ ଦିଲ ଦିୟା ଦର୍ଦ ଲିଆ, ୧୯୬୭ରେ ରାମ ଔର ଶ୍ୟାମ, ୧୯୬୮ରେ ଆଦମୀ ଓ ୧୯୭୦ରେ ଗୋପୀ ମୁକ୍ତିଲାଭ କରିଥିଲାଅଷ୍ଟମ ଦଶକରେ ରୋମାଣ୍ଟିକ ରାଜେଶ ଖାନ୍ନା ଓ ଏଙ୍ଗ୍ରି-ୟଙ୍ଗ-ମ୍ୟାନ ଅମିତାଭ ବଚ୍ଚନଙ୍କ ଆବିର୍ଭାବପରେ ଟ୍ରାଜେଡ଼ି-କିଙ୍ଗ ଦିଲ୍ଲୀପ କୁମାରଙ୍କ ଯୁଗର ଅବସାନ ଘଟିଥିଲା । ତୃତୀୟ ପର୍ଯ୍ୟାୟରେ ସେ ଚ଼ରିତ୍ର ଅଭିନେତା ଭାବେ ୧୯୮୧ରେ କ୍ରାନ୍ତି, ୧୯୮୨ରେ ବିଧାତାଶକ୍ତି, ୧୯୮୪ରେ ମଶାଲ, ୧୯୯୧ରେ ସୌଦାଗର ଓ ୧୯୯୮ରେ କିଲା ପ୍ରଭୃତି ଚଳଚ଼ିତ୍ରରେ ଅଭିନୟ କରିଥିଲେ ।
 
ଦିଲ୍ଲୀପ କୁମାରଙ୍କ ବଲିଉଡ଼ରେ ପ୍ରାୟ ୬୫ ଗୋଟି ଚଳଚ଼ିତ୍ର ମଧ୍ୟରୁ ଅଧିକାଂଶ ବ୍ରହ୍ମପୁର ରୁପେଲି ପରଦାରେ ଦୀର୍ଘ ୫୦ ବର୍ଷ ଧରି ପ୍ରଦର୍ଶିତ ହୋଇ ଆସିଥିଲା । ପରବର୍ତ୍ତୀକାଳରେ ଟେଲିଭିଜନ, ଭିଡ଼ିଓ ଓ ଓଭର-ଦି-ଟପ ମଞ୍ଚରେ ମଧ୍ୟ ତାଙ୍କରି ଅଭିନୟ ଜୀବନ୍ତ ରହିଛି । ଏହି ପରିପ୍ରେକ୍ଷୀରେ ସମଗ୍ର ଭାରତ ସମେତ ବ୍ରହ୍ମପୁର ଚଳଚ଼ିତ୍ର ଦର୍ଶକ ପୀଢ଼ି ପର ପୀଢ଼ି ପ୍ରଭାବିତ ହେବା ସ୍ୱାଭାବିକ । ଦିଲ୍ଲୀପ କୁମାରଙ୍କ ଅଭିନୟରେ ସ୍ୱତନ୍ତ୍ରତା ରହିଥିଲା । ତାଙ୍କରି ସଂଳାପ ଉଚ୍ଚାରଣ ପ୍ରଶଂସକଙ୍କ ମଧ୍ୟରେ କରତାଳିରେ ପ୍ରତିଧ୍ୱନିତ ହେଉଥିଲା । ବ୍ରହ୍ମପୁରରେ ବିଜୟା ଟକିଜ ଓ ଉତ୍କଳ ସିନେମାରେ ବଡ଼ ପରଦାରେ କଳାଧଳାଠାରୁ ଆରମ୍ଭ କରି ରଂଗୀନ ପର୍ଦ୍ଦାରେ ପଚାଶ ବର୍ଷ ପୂର୍ବର ଦିଲ୍ଲୀପ କୁମାରଙ୍କ ସ୍ମୃତି କ୍ରମଶଃ ଇତିହାସ ପାଲଟି ଗଲାଣି । ବର୍ତ୍ତମାନ ତାଙ୍କରି ଅଭିନୀତ ଡ଼ଜନେରୁ ଉର୍ଦ୍ଧ୍ୱ ଚଳଚ଼ିତ୍ର ୟୁଟ୍ୟୁବରେ ଉପଲବ୍ଧ ।
 
ଅଧିକାଂଶ ଚଳଚ଼ିତ୍ରରେ ଦିଲ୍ଲୀପ କୁମାରଙ୍କ ଚ଼ରିତ୍ର ଦେଶର ସାଧାରଣ ସଚ୍ଚୋଟ ନାଗରିକର ନ୍ୟାର୍ଯ୍ୟ ଦାବୀ ହାସଲ ନିମନ୍ତେ ଅହରହ ସଂଘର୍ଷର କାହାଣୀ ଉପସ୍ଥାପିତ କରୁଥିଲା । ଗୋପୀ ଚଳଚ଼ିତ୍ରରେ ତାଙ୍କରି ଗୋଟିଏ ସଂଳାପ ଥିଲା, ଐସା କଳିକାଳ ଆୟେଗା, ଧରମ-ଭି-ହୋଗା, କରମ-ଭି-ହୋଗା, ଲେକିନ ଶରମ-ନାହିଁ-ହୋଗା !”

( ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୦ ଜୁଲାଇ ୨୦୨୧ / ପୃଷ୍ଠା :୮)

Friday, July 2, 2021

Berhampur Big Bazar / ବଡ଼ ବଜାର

 


#ବ୍ରହ୍ମପୁର ବଡ଼ ବଜାରରେ ପାରମ୍ପରିକଭାବେ ପାଟ, ସୁନାଗହଣା ସାଙ୍ଗକୁ ପାଇକାରୀ ଖାଦ୍ୟସାମଗ୍ରୀ ଓ ପନିପରିବା କାରବାର ହୋଇଥାଏ । କେରାଣ୍ଡିମାଳ ପାଦ ଦେଶରେ ପ୍ରତିଷ୍ଠିତ କଙ୍କିଆ ମହୁରିଗଡ଼ ପରିତ୍ୟାଗ କରି ଅଧୂନା ବଡ଼ ବଜାରଠାରେ ନବ ନିର୍ମିତ ରାଜପ୍ରସାଦରେ ସପ୍ତଦଶ ଶତାଦ୍ଦୀ ଦ୍ୱିତୀୟାର୍ଦ୍ଧରୁ ରାଜପରିବାର ବସବାସ କରିବାପରେ ଉଆସକୁ ଘେରି ଜନବସତି ଗଢ଼ି ଉଠିଥିଲା । ରାଜପ୍ରସାଦ ନିର୍ମାଣର ଅଳ୍ପ ସମୟ ମଧ୍ୟରେ ରାଜକୃପା ଲାଭକରି ଆନ୍ଧ୍ରପ୍ରଦେଶ ରାଜମହେନ୍ଦ୍ରୀ ଅଞ୍ଚଳରୁ ଦେବାଙ୍ଗ ସଂପ୍ରଦାୟର ବୁଣାକାର ପରିବାରବର୍ଗ ଏହା ସମୀପରେ ବସବାସ ଆରମ୍ଭ କରିଥିଲେ । ଜନଶୃତି ଅନୁଯାୟୀ ବର୍ହିଃଆଗତ ଦେବାଙ୍ଗମାନେ ପ୍ରଥମେ ଡ଼େରା ପକାଇ ବା ତମ୍ୱୁ ଟାଣି କିଛି କାଳ ବସବାସ କରିଥିବା ହେତୁ ସେମାନଙ୍କୁ ଡ଼େରା ସଂପ୍ରଦାୟ ନାମିତ କରାଯାଇଥାଏ । ବର୍ତ୍ତମାନ ସୁଦ୍ଧା ନିଶ୍ଚିହ୍ନ ରାଜପ୍ରସାଦର ସମୀପବର୍ତ୍ତୀ ବସ୍ତି ଦେଶୀବେହରା ସାହୀ ନାମିତ । ସେଠାରେ ଡ଼େରା ସଂପ୍ରଦାୟ ମୁଖ୍ୟ ସେନାପତିଙ୍କ ବାସଗୃହ ରହିଛି ଏବଂ ପ୍ରତି ବର୍ଷକ ଅନ୍ତରରେ ତାଙ୍କରି ବାସଗୃହ ସାମ୍ନାରେ ପ୍ରସିଦ୍ଧ ଠାକୁରାଣୀ ଯାତ୍ରାର ଅସ୍ଥାୟୀ ମନ୍ଦିର ନିର୍ମିତ ହୁଏ ।
 
ଦେବାଙ୍ଗ ସଂପ୍ରଦାୟର ବୁଣାକାରମାନେ ପାଟବସ୍ତ୍ର ବୟନକରି ବିକ୍ରୀବଟା ଆୟୋଜନ କରୁଥିଲେ । ପାଟବସ୍ତ୍ର ଉପକୂଳ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଆଦୃତ ହେବା ହେତୁ କ୍ରମଶଃ ସେମାନଙ୍କ ବାସସ୍ଥଳୀ ଛୋଟମୋଟ ବଜାରରେ ପରିଣତ ହେବାରେ ଲାଗିଲା । ରାଜପରିବାରଙ୍କ ସ୍ଥାନାନ୍ତର ସହ ସେମାନଙ୍କ ସେନାବାହିନୀ ମଧ୍ୟ ନୂତନ ଉଆସର କିଛି ଦୂରରେ ବସତି ସ୍ଥାପନ କରି ଆଖପାଖ ଜମିରେ ଚାଷ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସେହି ଅଞ୍ଚଳ ବର୍ତ୍ତମାନ ପୁରୁଣା ବ୍ରହ୍ମପୁର ନାମିତ । କ୍ରମଶଃ ପଡ଼ୋଶୀ ଗ୍ରାମାଞ୍ଚଳରୁ ପିତ୍ତଳ କଂସାବାସନ ନିର୍ମାତାଙ୍କ ସହ କ୍ରମବର୍ଦ୍ଧିଷ୍ଣୁ ଜନବସତି ଓ ବଜାରଘାଟର ଚାହିଦା ମେଣ୍ଟାଇବା ନିମନ୍ତେ ଅନ୍ୟାନ୍ୟ ବର୍ଗର କାରିଗର ପହଞ୍ଚିଲେ । ବଡ଼ ବଜାର ପାଟ ଦୋକାନ ସାଙ୍ଗକୁ ପିତ୍ତଳ କଂସାବାସନ ବଜାରରେ ପରିଣତ ହେଲା । ପରବର୍ତ୍ତୀ ପର୍ଯ୍ୟାୟରେ ଖାଦ୍ୟ, ପରିବା ଓ ଆମିଷ ବଜାର ମଧ୍ୟ ଗଢ଼ି ଉଠିଲା । ଏଥିରେ ବହୁ ବ୍ୟବସାୟୀ ନିୟୋଜିତ ହୋଇ ଗୁଜୁରାଣ ମେଣ୍ଟାଇଲେ ।
 
ପରବର୍ତ୍ତୀ ପର୍ଯ୍ୟାୟରେ ଊନବିଂଶ ଶତାଦ୍ଦୀରେ ଗୋପାଳପୁର ବନ୍ଦର କାରବାର ବୃଦ୍ଧି ଫଳରେ ବଡ଼ ବଜାର ଗୁରୁତ୍ୱ ବଢ଼ିଗଲା । ଦକ୍ଷିଣ ଓଡ଼ିଶା ମାଳାଞ୍ଚଳର ଜଙ୍ଗଲଜାତ ଦ୍ରବ୍ୟ ରପ୍ତାନୀ ଓ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଆମଦାନୀ ଲାଗି ବଡ଼ ବଜାରରେ ରାଜ୍ୟବାହାରର ବଡ଼ ବ୍ୟବସାୟୀମାନେ ଆସ୍ଥାନ ଜମାଇଲେ । ସ୍ଥାନୀୟ ଚାହିଦାକୁ ହୃଦୟଙ୍ଗମ କରି ଦକ୍ଷିଣଭାରତୀୟ ବ୍ୟବସାୟୀମାନେ ସୁନାରୂପା ଓ ବସ୍ତ୍ର ବଜାର ଆରମ୍ଭ କଲେ । ବିଂଶ ଶତାଦ୍ଦୀ ଆରମ୍ଭରୁ ରେଳପଥ ସହ ସଂଯୋଗ ପରେ ବ୍ରହ୍ମପୁର ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶର ଅନ୍ୟତମ ବ୍ୟବସାୟ କେନ୍ଦ୍ର ରୂପେ ଗଢ଼ି ଉଠିଲା । ବ୍ରହ୍ମପୁରରୁ ବିଶାଖାପାଟଣା ୨୮୦, ରାୟପୁର ୫୬୦ ଓ କଟକ ବଜାର ୧୯୦ କିଲୋମିଟର ପରିଧିରେ ବଡ଼ ବଜାର ମୁଖ୍ୟତଃ ପାଇକାରୀ ବଜାରର ଖ୍ୟାତି ଅର୍ଜନ କଲା ।
 
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନପରେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ପ୍ରଶାସନିକ କେନ୍ଦ୍ରରୂପେ ଚ଼ିହ୍ନିତ ହେବା ଏବଂ ସ୍ୱାଧୀନୋତ୍ତର ଅବସ୍ଥାରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ସୁବିଧା ହେତୁ ଗ୍ରାମାଞ୍ଚଳରୁ ପରିବାରବର୍ଗ ସହରରେ ସ୍ଥାୟୀଭାବେ ବସବାସ ଫଳରେ ଜନସଂଖ୍ୟା ବୃଦ୍ଧି ବଡ଼ ବଜାରର ଆକାର ଓ କାରବାର ବୃଦ୍ଧିରେ ପର୍ଯ୍ୟବସିତ ହେଲା । ଏକବିଂଶ ଶତାଦ୍ଦୀ ଆରମ୍ଭ ସୁଦ୍ଧା ବଡ଼ ବଜାର କଟକର ମାଲଗୋଦାମ ପରେ ଅନ୍ୟତମ ସର୍ବାପେକ୍ଷା ଜନାକୀର୍ଣ୍ଣ ବଜାର । ପ୍ରବଳ ଜନଗହଳି ହେତୁ ଦୀର୍ଘ ଦିନରୁ ବ୍ରହ୍ମପୁର ବଡ଼ ବଜାରରେ ଦିନବେଳା ସାମଗ୍ରୀ ପରିବହନ ଯାନବାହାନର ପ୍ରବେଶ ନିଷିଦ୍ଧ କରାଯାଇଛି । ଫଳରେ ରାତିବେଳା ସାମଗ୍ରୀ ବୋଝାଇବା ଓ ଓହ୍ଲାଇବା ପାଇକାରୀ ବ୍ୟବସାୟୀଙ୍କ ନିମନ୍ତେ ଏକ ଅସମାହିତ ସମସ୍ୟାରେ ପରିଣତ ହୋଇ ରହିଛି । ବର୍ତ୍ତମାନ ମହାମାରୀପରେ ଦୁରବସ୍ଥାନ ନୀତି ପାଳନ ମୋଟରୁ ସଂଭବ ହୋଇପାରୁ ନାହିଁ ।
 
ଏହି ପରିପ୍ରେକ୍ଷୀରେ ସହରାଞ୍ଚଳର ଭିତ୍ତିଭୂମି ପ୍ରସ୍ତୁତି, ଟ୍ରାଫିକ ନିୟନ୍ତ୍ରଣ ଓ ଜନସ୍ୱାସ୍ଥ୍ୟ ସମସ୍ୟା ସମାଧାନରେ ପ୍ରାଥମିକ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର, ସମ୍ୱଲପୁର ଓ ବ୍ରହ୍ମପୁର ଭଳି ବଡ଼ ସହରମାନଙ୍କରେ ସହର ଉପାନ୍ତରେ ପ୍ରଶସ୍ତ ମଣ୍ଡି ନିର୍ମାଣଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏହି ଘଟଣାକ୍ରମରେ କୋଭିଡ଼-୧୯ ଦ୍ୱିତୀୟ ତରଙ୍ଗ ଆରମ୍ଭ ପୂର୍ବରୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ବ୍ୟବସାୟୀଙ୍କ ସହ ଏକ ବୈଠକ ଆୟୋଜନ ହୋଇଥିଲା । ଦ୍ୱିତୀୟ ତରଙ୍ଗ ନରମି ଯିବାପରେ ସେଦିଗରେ ପୁନଃତତ୍ପରତା ଆଶା କରାଯାଉଛି ।
 
ବ୍ରହ୍ମପୁର ବଡ଼ ବଜାରରୁ ପାଇକାରୀ ବ୍ୟବସାୟ ଉଠାଇ ନିଆଯାଇ ନବ ପ୍ରତିଷ୍ଠିତ ହଳଦିଆପଦର ବସଷ୍ଟାଣ୍ଡରୁ ୨/୩ କିଲୋମିଟର ଦୂରବର୍ତ୍ତୀ ଏକ ଖୋଲା ସରକାରୀ ଜମିରେ ମଣ୍ଡି ନିର୍ମାଣଲାଗି ବିଚାର କରାଯାଉଥିବା ପ୍ରକାଶ । ସ୍ଥାନୀୟ ବ୍ୟବସାୟୀ ସଂଘର ପ୍ରତିନିଧିମାନେ ପ୍ରସ୍ତାବିତ ସ୍ଥାନ ପରିଦର୍ଶନର କାର୍ଯ୍ୟକ୍ରମ ମହାମାରୀ କାରଣରୁ ସ୍ଥଗିତ ରଖାଯାଇଥିବା ସ୍ଥଳେ ନିକଟ ଭବିଷ୍ୟତରେ କାର୍ଯ୍ୟକାରୀ ହେବା ସଂଭବ ।
 
ସହର ମଧ୍ୟରୁ ପାଇକାରୀ ବଜାର ସହରତଳି ଅଞ୍ଚଳରୁ ଉଠାଇ ନେବା ଏବଂ ଆବଶ୍ୟକୀୟ ସୁବିଧାସୁଯୋଗ ସହ ନୂତନ ଢଙ୍ଗରେ ବଜାର ଗଢ଼ି ତୋଳିବା କାର୍ଯ୍ୟ ଦେଶର ବଡ଼ ବଡ଼ ସହରରେ କାର୍ଯ୍ୟକାରୀ ହୋଇଛି । ବ୍ରହ୍ମପୁର ଆଜି ନହେଲେ କାଲି ଯେ ସେହି ରାସ୍ତାରେ ଯିବ, ଏଥିରେ ସନ୍ଦେହ ନାହିଁ । ତେବେ ଏଭଳି ପ୍ରସ୍ତାବକୁ ସ୍ଥାନୀୟ ବ୍ୟବସାୟୀମାନେ କେତେଦୂର ଗ୍ରହଣ କରିବେ ତାହା ଏକ ବଡ଼ ପ୍ରଶ୍ନ ପାରମ୍ପରିକ ବ୍ରହ୍ମପୁର ବଜାର ବ୍ୟବସାୟୀଗଣ ଅତୀତରେ ସ୍ଥାନାନ୍ତରଣକୁ ବିରୋଧ କରିଆସିଛନ୍ତି । ପୁରୁଣା ବସଷ୍ଟାଣ୍ଡ ବହୁ ଦିନର ଚେଷ୍ଟାରେ ନୂଆ ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ ହେଲା; କିନ୍ତୁ ହଳଦିଆପଦର ବସଷ୍ଟାଣ୍ଡ ପ୍ରସ୍ତୁତ ହୋଇସାରିଥିବା ସତ୍ତ୍ୱେ ପୂର୍ଣ୍ଣ କାର୍ଯ୍ୟକ୍ଷମ ଅବସ୍ଥାକୁ ଆସିପାରୁ ନାହିଁ । ଏହି ଅଭିଜ୍ଞତା ବଡ଼ ବଜାର ପାଇକାରୀ ଖାଦ୍ୟ ସାମଗ୍ରୀ ଓ ପରିବା ବଜାର  ସ୍ଥାନାନ୍ତରଣକ୍ଷେତ୍ରରେ କିଭଳି ପ୍ରଭାବ ପକାଇବ ତାହା ସମୟ କହିବ !

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୩ ଜୁଲାଇ ୨୦୨୧ / ପୃଷ୍ଠା :୮)

Photo by Jason Leung on Unsplash

Monday, June 28, 2021

Rest of the Pandemic / ମହାମାରୀର ଅବଶିଷ୍ଟାଂଶ


#ବ୍ରହ୍ମପୁର ସହରରେ କୋଭିଡ଼-୧୯ ମହାମାରୀ ଦ୍ୱିତୀୟ ତରଙ୍ଗର ପ୍ରାଦୁର୍ଭାବ ୨୦୨୧ ଜୁଲାଇ ମଧ୍ୟଭାଗ ସୁଦ୍ଧା ଅପସରି ଯିବା ସୁସ୍ପଷ୍ଟ । ପୂର୍ବବର୍ତ୍ତୀ ଚାରି ସପ୍ତାହ ଧରି କ୍ରମାଗତଭାବେ ସଂକ୍ରମଣ ହାର ହ୍ରାସଜନିତ ତଥ୍ୟ ଏବଂ ଗାଣତିକ ମଡ଼େଲ ତାହାହିଁ ସୂଚ଼ିତ କରିଥାଏ । ଏହି ପରିବେଶରେ ଜନସାଧାରଣଙ୍କ ମନରେ ମହାମାରୀର ପରବର୍ତ୍ତୀ ଗତିପ୍ରକୃତି ସଂପର୍କରେ ପ୍ରଶ୍ନ ଉଠିବା ସ୍ୱାଭାବିକ ।

 

ଚିକିତ୍ସା ଶାସ୍ତ୍ର ଅନୁଯାୟୀ ଭୂତାଣୁ ସଂକ୍ରମଣ ପ୍ରତିହତ କରିବା ନିମନ୍ତେ ଦୁଇଗୋଟି ଦିଗପ୍ରତି ଗୁରୁତ୍ୱ ପ୍ରଦାନ କରାଯାଇଥାଏ । ଏକରେ ସଂକ୍ରମିତଙ୍କ ଶରୀରରେ ଭୂତାଣୁ ପ୍ରତିରୋଧକ ଆଣ୍ଟିବଡ଼ି ସୃଷ୍ଟି ଏବଂ ଦୁଇରେ ଟିକାକରଣ ଦ୍ୱାରା ଶରୀରରେ ଭୂତାଣୁ ପ୍ରତିରୋଧକ ଅଣ୍ଟିବଡ଼ି ସୃଷ୍ଟି ଫଳରେ ସାମୂହିକ ପ୍ରତିରୋଧ ହାର୍ଡ-ଇମ୍ୟୁନିଟି ସଂଭବ କୋଭିଡ଼-୧୯ ସଂକ୍ରମଣ ରୋକିବା ନିମନ୍ତେ ଆମେ ଟିକାକରଣକୁ ଆଦରି ନେଇଛୁ । ଭାରତ ସରକାରଙ୍କ ପକ୍ଷରୁ ଦୃଢୋକ୍ତି ପ୍ରକାଶ ପାଉଛି ଯେ ୨୦୨୧ ଶେଷ ସୁଦ୍ଧା ଦେଶର ୧୩୭ କୋଟି ଜନସଂଖ୍ୟାର ୬୩ ପ୍ରତିଶତ ପ୍ରାପ୍ତ ବୟସ୍କ ନାଗରିକଙ୍କୁ ଟିକାକରଣ ସଂଭବ । ଏହି ସମୟସୀମା ବିଶ୍ୱାସକୁ ନେଲେ କିମ୍ୱା ଅଧିକ ତିନିରୁ ଛଅ ମାସ ଯୋଗକଲେ ଦ୍ୱିତୀୟ ତରଙ୍ଗ ଶେଷ ପରେ ପ୍ରାୟ ବର୍ଷକ ଯାଏଁ ଆଂଶିକ ଜନସଂଖ୍ୟା ଟିକାକରଣରେ ସମସ୍ତଙ୍କୁ ମହାମାରୀ ସହ ସଂଘର୍ଷ କରିବାକୁ ପଡ଼ିବା ନିଶ୍ଚିତ ।

 

ବ୍ୟକ୍ତିବିଶେଷସ୍ତରରେ ଟିକାକରଣ ସଂପର୍କରେ କୁହାଯାଉଛି ଯେ ପ୍ରଥମ ଡ଼ୋଜ ଟିକା ନେବା ତିନି ସପ୍ତାହ ପରେ ଶରୀରରେ ୭୦ ପ୍ରତିଶତ ଭୂତାଣୁ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ । ଦ୍ୱିତୀୟ ଡ଼ୋଜ ଟିକା ନେବାର ଦୁଇ ସପ୍ତାହ ପରେ ଶରୀରରେ ପ୍ରାୟ ୯୦ ପ୍ରତିଶତ ଯାଏଁ ପ୍ରତିରୋଧକ ଶକ୍ତି ଆଶା କରାଯାଇପାରେ । ତେବେ କେତେକଙ୍କ ଶରୀରରେ ଆବଶ୍ୟକମତେ ଆଣ୍ଟିବଡ଼ି ସୃଷ୍ଟି ହୋଇନପାରେ । ଦ୍ୱିତୀୟତଃ, ଟିକା ନେବା ଦ୍ୱାରା ସଂକ୍ରମିତ ହେବାକୁ ଏଡ଼ାଇ ଦେଇ ହୁଏନା । ଦ୍ୱିତୀୟ ତରଙ୍ଗ କାଳରେ ବିଭିନ୍ନ ଅନୁଧ୍ୟାନରୁ ଜଣାଯାଇଛି ଯେ ଦୁଇ ଡ଼ୋଜ ଟିକା ନେଇଥିବା ବ୍ୟକ୍ତି ସଂକ୍ରମିତ ହେଲେ ଗୁରୁତରଭାବେ ଅସୁସ୍ଥତା ଏବଂ ମୃତ୍ୟୁହାର କମିଯାଉଛି । ତୃତୀୟତଃ, ଭବିଷ୍ୟତରେ ଭୂତାଣୁ ରୂପାନ୍ତରିତ ହୋଇ ବ୍ୟାପିବା ଅବସରରେ ମୌଳିକ ଭୂତାଣୁ ନିମନ୍ତେ ବିକଶିତ ଟିକା କେତେଦୂର ପ୍ରଭାବଶାଳୀ ହୋଇପାରିବ ସେ ସଂପର୍କରେ ମଧ୍ୟ ସନ୍ଦେହ ଉପୁଜିଛି ।

 

ଅତୀତ ଅଭିଜ୍ଞତାରୁ ଜଣାଯାଇଛି ଯେ ଭୂତାଣୁ ସଂକ୍ରମଣ ମହାମାରୀ ଅର୍ଥାତ ବିଶ୍ୱବ୍ୟାପୀ ପ୍ରଭାବ ବିସ୍ତାର କରିବାପରେ କ୍ରମଶଃ ତାହାର ପ୍ରାଦୁର୍ଭାବ ନରମିଯାଇ ଆଞ୍ଚଳିକସ୍ତରରେ ଅନୁଭୂତ ହେବ । ପାଣ୍ଡାମିକରୁ ଏଣ୍ଡାମିକରେ ରୂପାନ୍ତରିତ ହେବ । ଅର୍ଥାତ ଯେଉଁ ଅଞ୍ଚଳରେ ଯେକୌଣସି କାରଣରୁ ବହୁ ସଂଖ୍ୟକଙ୍କୁ ଟିକାକରଣ ହୋଇପାରିବ ନାହିଁ କିମ୍ୱା ଜନସାଧାରଣଙ୍କ ଜୀବନଚର୍ଯ୍ୟାରେ ଦୁରାବସ୍ଥାନ ନୀତି ପାଳିତ ହେବ ନାହିଁ ସେଠାରେ ସଂକ୍ରମଣ ବୃଦ୍ଧି ପାଇବ । ଏଭଳି ସଂକ୍ରମଣ ଅନ୍ୟତ୍ର ମଧ୍ୟ ବ୍ୟାପି ପାରେ । କେଉଁଠି କୋଭିଡ଼-୧୯ ମହାମାରୀର କେତୋଟି ତରଙ୍ଗ ଅନୁଭୂତ ହେବ ତାହା ପାରିପାର୍ଶ୍ୱିକ ପରିସ୍ଥିତି ଉପରେ ନିର୍ଭରଶୀଳ । ଭାରତରେ ଦ୍ୱିତୀୟ ତରଙ୍ଗ ସରିବା ବେଳକୁ ବ୍ରିଟେନ, ଯୁକ୍ତରାଷ୍ଟ୍ର ଆମେରିକା, ଜର୍ମାନ ଇତ୍ୟାଦି ରାଷ୍ଟ୍ରରେ ପୁନଃସଂକ୍ରମଣ ଆଶଙ୍କାକୁ ନେଇ ସେଠାକାର ଜନସାଧାରଣ ବିବ୍ରତ ଥିବା ସମ୍ୱାଦମାନ ପ୍ରକାଶ ପାଉଛି ।

 

ବିଶେଷଜ୍ଞମାନଙ୍କ ମତରେ ଟିକାକରଣ ସଂଖ୍ୟା, ଭୂତାଣୁର ଭବିଷ୍ୟତ ରୂପାନ୍ତର ଓ ଜନସାଧାରଣଙ୍କ ଆଚ଼ରଣ ଉପରେ ସଂକ୍ରମଣ ବୃଦ୍ଧି ବା ହ୍ରାସ ନିର୍ଭର କରିବ । ଟିକାକରଣ ନିମନ୍ତେ ସରକାରୀସ୍ତରରେ ଉଦ୍ୟମ ଅବ୍ୟାହତ ଥିବା, ଭୂତାଣୁର ରୂପାନ୍ତରିକରଣ ତୁରନ୍ତ ଚ଼ିହ୍ନଟ କରି ପ୍ରତିରୋଧାତ୍ମକ ପଦକ୍ଷେପ ପ୍ରଯୋଜନା ନିମନ୍ତେ ବୈଜ୍ଞାନିକମାନେ ଗବେଷଣାରେ ସଂପୃକ୍ତ ଥିବା ଅବସରରେ ବ୍ୟକ୍ତିଗତସ୍ତରରେ ପ୍ରତ୍ୟେକ ନାଗରିକ କିପରି କୋଭିଡ଼ ପ୍ରତିରୋଧ ଆଚ଼ରଣ କୋଭିଡ଼ ଏପ୍ରୋପ୍ରିଏଟ ବିହେଭିଅର ଅଭ୍ୟାସ ବଜାୟ ରଖିବେ ତାହା ନିଜକୁ ସଂକ୍ରମଣମୁକ୍ତ ରଖିବା ସହ ନିଜ ପରିବାର ଓ ସମାଜକୁ ସୁରକ୍ଷିତ କରିବାରେ ସହାୟକ ହେବ ବୋଲି ପରାମର୍ଶ ଦିଆଯାଉଛି ।

 

ମହାମାରୀର ପ୍ରଥମ ତରଙ୍ଗ ପରେ ଟିକାକରଣ ସଂଭବ ହୋଇ ନପାରିବା, ଭୂତାଣୁର ରୂପାନ୍ତର ଓ ଜନସାଧାରଣ କୋଭିଡ଼ ପ୍ରତିରୋଧାତ୍ମକ ଆଚ଼ରଣରୁ ଦୂରେଇଯିବା ଫଳରେ ଦ୍ୱିତୀୟ ତରଙ୍ଗ ବ୍ୟାପିଥିବା କାରଣ ରୂପେ ଚ଼ିହ୍ନଟ କରାଯାଏ । ପ୍ରଥମ ତରଙ୍ଗ ୨୦୨୦ ସେପ୍ଟେମ୍ୱର ଆଡ଼କୁ ଶେଷ ହେବା ତିନିମାସ ପରେ ଟିକା ଉଦ୍ଭାବିତ ହେଲା । ଟିକାକରଣ ତୁରନ୍ତ ଲାଗୁ କରାଗଲେ ସୁଦ୍ଧା ପର୍ଯ୍ୟାପ୍ତ ସଂଖ୍ୟକ ଟିକା ସଂଗ୍ରହ ଓ ଟିକାକରଣର ଉପାଦେୟତା ସଂପର୍କରେ ବିବାଦରେ ତିନିମାସ ବିତିଯିବାପରେ ମାର୍ଚ୍ଚ ୨୦୨୧ରୁ ୬୦ ବର୍ଷରୁ ଉର୍ଦ୍ଧ୍ୱଙ୍କୁ ଟିକାକରଣ ଆରମ୍ଭ ବେଳକୁ ଛଅମାସ ଗଡ଼ିଗଲା । ସାଧାରଣ ନାଗରିକ ଛଅମାସର ମୁକ୍ତ ପରିବେଶରେ ହୁଏତ ଅତୀତ ଅଭିଜ୍ଞତାକୁ ଏକ ଦୁଃସ୍ୱପ୍ନ ଭାବି ଟାଳି ଦେଇଥିଲେ । ତିନିଦିଗରୁ ଢ଼ିଲାପଣ ପୁନଃସଂକ୍ରମଣର କାରଣ ସାଜିଲା । ବ୍ରହ୍ମପୁରରେ ଦ୍ୱିତୀୟ ତରଙ୍ଗ ବ୍ୟାପକ ନହେଲେ ସୁଦ୍ଧା ତୀବ୍ରତାରେ ସହରବାସୀଙ୍କୁ ଆବାକ କରିଦେଲା । ଅତଏବ ପ୍ରଥମ ତରଙ୍ଗ ଶେଷ ବେଳର ପରିସ୍ଥିତି ଦ୍ୱିତୀୟ ତରଙ୍ଗ ଶେଷବେଳୁ ସଂପୂର୍ଣ୍ଣ ପରିବର୍ତ୍ତିତ ହୋଇ ସାରିଥିବା ଅନୁଭବ କରାଯାଇପାରେ । ଜନସାଧାରଣ ସଂକ୍ରମଣ ସଂପର୍କରେ ସଚ଼େତନ ଓ ନିଜ ତଥା ପରିବାରକୁ ସଂକ୍ରମଣରୁ ରକ୍ଷା କରିବା ନିମନ୍ତେ ଯଥାସାଧ୍ୟ ଉଦ୍ୟମ ନିମନ୍ତେ ବଦ୍ଧପରିକର ବୋଲି କହିବାକୁ ହେବ ।

 

ଦ୍ୱିତୀୟ ତରଙ୍ଗ ପ୍ରକୋପ ହ୍ରାସପରେ ବିଭିନ୍ନ ସରକାରୀ କଟକଣା ପର୍ଯ୍ୟାୟକ୍ରମେ ହଟିଯିବାପରେ ନିଜକୁ ସଂକ୍ରମଣମୁକ୍ତ ରଖିବା ପାଇଁ ସହରର ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ବଢ଼ିଯିବ । ଘରବାହାରକୁ ଯିବା ବେଳେ ବା ବସବାସ କରୁଥିବା ପରିବାର ସଦସ୍ୟଙ୍କ ବ୍ୟତୀତ ଅନ୍ୟମାନଙ୍କୁ ସାକ୍ଷାତ ଅବସରରେ ମାସ୍କ ପିନ୍ଧିବା, ମାସ୍କକୁ ନିୟମିତ ସଫା କରିବା, ବାରମ୍ୱାର ହାତ ଧୋଇବା, ଗହଳିକୁ ଏଡ଼ାଇବା, ଗହଳିରେ ବାଧ୍ୟବାଧକତାରେ ପହଞ୍ଚିଲେ ଖୁବ କମ ସମୟ ମଧ୍ୟରେ କାମସାରି ଫେରିବା, ଘର ଭିତର ବଦଳରେ ଘର ବାହାର ପରିବେଶରେ ଦେଖାସାକ୍ଷାତକୁ ଅଗ୍ରାଧିକାର ଦେବା ଓ ପନ୍ଦର ମିନଟ ଯାଏଁ ଅନ୍ୟର ନିକଟତର ନହେବା ଇତ୍ୟାଦି ଆଚ଼ରଣକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ । ମହାମାରୀର ଅବଶିଷ୍ଟାଂଶ ଅତିକମରେ ୨୦୨୩ ଶେଷଯାଏଁ ଆଶଙ୍କା, ଆକଳନ ଓ ସାବଧାନତାରେ ଯେ କଟିବ ଏଥିରେ ସନ୍ଦେହ ନାହିଁ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୬ ଜୁନ ୨୦୨୧ / ପୃଷ୍ଠା :୮)


Photo by Thula Na on Unsplash

Friday, June 18, 2021

Snake-bite scare / ସର୍ପାଘାତ ଭୟ


 

ବର୍ଷାଋତୁ ଆରମ୍ଭରୁ ଗ୍ରାମୀଣ ପରିବେଶରେ ସାଧାରଣ କଥୋପକଥନରେ ସର୍ପାଘାତ ଚର୍ଚ୍ଚା ଲାଗିରହେ । #ବ୍ରହ୍ମପୁର ୩୫୦ ବର୍ଷ ଧରି ଜନପଦ ରୂପେ ପ୍ରତିଷ୍ଠିତ ହୋଇଥିବା ତଥା ଦେଢ଼ ଶହ ବର୍ଷରୁ ସହରାଞ୍ଚଳ ମାନ୍ୟତା ପାଇଥିବା ସତ୍ତ୍ୱେ ସହରବାସୀ ସର୍ପାଘାତ ଭୟରୁ ନିଜକୁ ଦୂରେଇ ପାରନ୍ତି ନାହିଁ ।

 

ପ୍ରଥମତଃ, ବ୍ରହ୍ମପୁରର ସଂଖ୍ୟାଧିକ ପରିବାର ଗଞ୍ଜାମ ଓ ପଡ଼ୋଶୀ ଜିଲ୍ଲାଗୁଡ଼ିକର ଗ୍ରାମାଞ୍ଚଳରୁ ଆସି ସହରରେ ସ୍ଥାୟୀଭାବେ ବସବାସ କରିଥାନ୍ତି । ବହୁ ସଂଖ୍ୟକଙ୍କ ସଂପ୍ରସାରିତ ପରିବାର, ଅର୍ଥାତ ଜ୍ଞାତି କୁଟୁମ୍ୱ ଗ୍ରାମାଞ୍ଚଳ ବାସିନ୍ଦା । ସେମାନଙ୍କ ପ୍ରତି ଆପଦବିପଦ ସମଭାବେ ଏଠାକାର ପରିବାରବର୍ଗଙ୍କୁ ପ୍ରଭାବିତ କରେ ।

 

ଦ୍ୱିତୀୟତଃ, ବ୍ରହ୍ମପୁରର କ୍ରମବର୍ଦ୍ଧିତ ପରିସୀମା ଜଗନ୍ନାଥପୁର, ଗୁରୁଣ୍ଡି, କୁକୁଡ଼ାଖଣ୍ଡି ଓ ହଳଦିଆପଦର ଆଡ଼କୁ ସଂପ୍ରସାରିତ ହେଉଥିବା ଅବସରରେ ପାରମ୍ପରିକ ଚାଷଜମିଗୁଡ଼ିକ ସାହୀବସ୍ତିରେ ପରିଣତ ହେବାରେ ଲାଗିଛି । ଜନଶୂନ୍ୟ ଅଞ୍ଚଳ ଜନାକୀର୍ଣ୍ଣ ହେବା ସନ୍ଧି ସମୟରେ ସରିସୃପଙ୍କ ଆତଯାତ ଲାଗିରହେ । ତୃତୀୟତଃ, ସହର ମଧ୍ୟସ୍ଥ ଘଞ୍ଚ ଜନବସତିରେ ମଧ୍ୟ କିଛି ସାର୍ବଜନୀନ ଓ କିଛି ଘରୋଇ ଜମି ଅବ୍ୟବହୃତ ହୋଇ ପଡ଼ିରହିଥିବା ହେତୁ ସାପ, ବିଚ୍ଛା, ମୂଷାଙ୍କ ଆଶ୍ରୟସ୍ଥଳୀ ପାଲଟେ । ସହରର ସମଗ୍ର ଭୌଗଳିକ ପରିସୀମାକୁ ପରିଷ୍କାର ପରିଚ୍ଛନ୍ନ ଦାୟିତ୍ୱ ନେବାରେ ପୌର ନିଗମର ତୃଟିପୂର୍ଣ୍ଣ ନୀତି ନିର୍ଦ୍ଧାରଣ ଅବସ୍ଥାର ଅଧୋଗତି ପାଇଁ ଦାୟୀ ।

 

ଗଞ୍ଜାମ ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ ଗତ ୨୦୨୦ ଜାନୁୟାରୀରୁ ଡ଼ିସେମ୍ୱର ମାସ ବର୍ଷକ ମଧ୍ୟରେ ଜିଲ୍ଲାରେ ସର୍ପାଘାତରେ ୫୬ ଜଣ ପ୍ରାଣ ହରାଇଥିଲେ । ବିଶେଷଜ୍ଞଙ୍କ ମତରେ ସର୍ପାଘାତ ପରେ ତୁରନ୍ତ ବିଜ୍ଞାନସମ୍ମତ୍ତ ଚ଼ିକିତ୍ସା ଗ୍ରହଣ ନକରିବା ହେତୁ ମୃତ୍ୟୁହାର ଉଚ୍ଚ ସୀମାରେ ରହୁଛି । ସରକାରଙ୍କ ପକ୍ଷରୁ ଜିଲ୍ଲାର ସମସ୍ତ ପ୍ରାଥମିକ, ଗୋଷ୍ଠୀ, ଉପଖଣ୍ଡ ଓ ଅନ୍ୟାନ୍ୟ ଡ଼ାକ୍ତରଖାନାରେ ୨୦୨୧ ବର୍ଷାଋତୁ ଆରମ୍ଭରେ ତିନି ହଜାରରୁ ଅଧିକ ସାପ-କାମୁଡ଼ା ବିଷ-ହରଣ ଇଞ୍ଜେକସନ ମହଜୁଦ ରଖାଯାଇଥିବା ଜଣାଯାଏ । ସାପ କାମୁଡ଼ାରେ ଘରୋଇ ତୁଟୁକା ଚ଼ିକିତ୍ସାରେ ଅଟକିଯିବା ବା ଗୁଣିଗାରେଡ଼ିର ଆଶ୍ରୟ ନେବା ବିପଦ ସୃଷ୍ଟି କରୁଥିବା କୁହାଯାଏ ।

 

ସର୍ପାଘାତ ଭୟ ସମଗ୍ର ଦେଶରେ ଲାଗି ରହିଥିବା ବେଳେ କ୍ରମଶଃ କୁକୁର, ମାଙ୍କଡ଼ ଓ ବିରାଡ଼ି କାମୁଡ଼ା ତଥା ତତଜନିତ ଚ଼ିକିତ୍ସା ହାର ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଏ । ଉଦାହରଣରେ କେରଳ ରାଜ୍ୟରେ କୁକୁର କାମୁଡ଼ାର ଦୌରାତ୍ମ୍ୟ ସଂପର୍କରେ କିଛି ବର୍ଷ ପୂର୍ବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିଲା । ସରକାରଙ୍କ ପକ୍ଷରୁ ବୁଲା କୁକୁରଙ୍କୁ ନିୟନ୍ତ୍ରଣ କରିବା ନିମନ୍ତେ ମଧ୍ୟ ସ୍ୱତନ୍ତ୍ର ଅଭିଯାନ ଆୟୋଜନ କରାଯାଇଥିଲା । ତେବେ ନିକଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ କେରଳ ରାଜ୍ୟରେ ୨୦୨୦ରେ କୁକୁର କାମୁଡ଼ା ପାଇଁ ଏକ ଲକ୍ଷ ୬୦ ହଜାର ବ୍ୟକ୍ତି ଚ଼ିକିତ୍ସିତ ହୋଇଥିଲେ । ଆଶ୍ଚର୍ଯ୍ୟର ବିଷୟ ଏହିଯେ ୨୦୨୦ରେ ବିରାଡ଼ି କାମୁଡ଼ା-ଆଞ୍ଚୁଡ଼ା ପାଇଁ ମଧ୍ୟ ଦୁଇ ଲକ୍ଷ ୧୬ ହଜାର ବ୍ୟକ୍ତି ଚ଼ିକିତ୍ସିତ ହୋଇଥିଲେ । କୁକୁର କାମୁଡ଼ା ସଂପର୍କରେ ସମସ୍ତେ ଜାଣନ୍ତି ; କିନ୍ତୁ ବିରାଡ଼ି ସାଧାରଣରେ କାମୁଡ଼ି ନଥାଏ । ବିରାଡ଼ି ଆଞ୍ଚୁଡ଼ା ଜଳାତଙ୍କ ଭଳି ରୋଗ ସୃଷ୍ଟି କରିବା ସଂଭାବନା ଥିବା ହେତୁ ଲୋକେ ସଚ଼େତନ ହୋଇ ଆଣ୍ଟି-ରାବି ଇଞ୍ଜେକସନ ନେବା ପାଇଁ ଆଗଭର ହେଉଥିବା ପ୍ରକାଶ ।

 

ବ୍ରହ୍ମପୁରରେ ସାପ, ବିଚ୍ଛା, ମୂଷାଙ୍କ ବାସସ୍ଥଳୀ ବିଲୋପ କରିବା ନିମନ୍ତେ ସାର୍ବଜନୀନ ଖୋଲାସ୍ଥାନଗୁଡ଼ିକରୁ ଅଳିଆବର୍ଜନା ଉଠାଇବା ନିମନ୍ତେ ପୌରପାଳିକା ପକ୍ଷରୁ ପ୍ରାଥମିକତା ଦିଆଯିବା ଆବଶ୍ୟକ । ବିଷାକ୍ତ ଜୀବଜନ୍ତୁ କାମୁଡ଼ାରୁ ଜନସାଧାରଣଙ୍କୁ ବଞ୍ଚାଇବା ନିମନ୍ତେ ପ୍ରତିଷେଧାତ୍ମକ ପଦକ୍ଷେପ ଓ ଚ଼ିକିତ୍ସାର ସୁବିଧା ସୁଯୋଗ ସଂପର୍କରେ ଅବଗତ କରାଇବାରେ ସହରର ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ଚ଼େତନା ପ୍ରସାର ଲାଗି ସୋସିଆଲ ମିଡ଼ିଆ ଉପଯୋଗରେ ଅଭିଯାନମାନ ଆୟୋଜନ କରିବା ସମୟର ଆହ୍ୱାନ ।


(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୯ ଜୁନ ୨୦୨୧ / ପୃଷ୍ଠା :୮)


Photo by Diana Polekhina on Unsplash

Friday, June 11, 2021

Pre-Monsoon Sanitation / ପ୍ରାକ୍ ମୌସୁମୀ ପରିମଳ

 


ପ୍ରାକ୍-ମୌସୁମୀ ପରିମଳ ପ୍ରସ୍ତୁତି ବର୍ଷା ଋତୁରେ ସମ୍ଭାବ୍ୟ ଜଳାର୍ଣ୍ଣବ ପରିବେଶରେ ପ୍ରଦୂଷଣ ନିରାକରଣ ପଦକ୍ଷେପଗୁଡ଼ିକୁ ବୁଝାଇଥାଏ । #ବ୍ରହ୍ମପୁର ସହରାଞ୍ଚଳରେ ଘଞ୍ଚ ଜନବସତି ହେତୁ ସାମାନ୍ୟ ବର୍ଷାରେ ଜଳ ନିଷ୍କାସନ ନହୋଇପାରିଲେ ରାସ୍ତାଘାଟ ଜଳମଗ୍ନ ହେବା ସ୍ୱାଭାବିକ । ଏହା ପ୍ରଦୂଷଣର କାରଣ ପାଲଟେ । ଏଭଳି ପରିସ୍ଥିତିକୁ କେତେକାଂଶରେ ପ୍ରତିରୋଧ କରିବା ନିମନ୍ତେ ନାଳନର୍ଦ୍ଦମା ତଥା ଗଳିରାସ୍ତାରେ ଜମୁଥିବା ଅଳିଆଆବର୍ଜନା ସଫେଇ ପ୍ରତି ଗୁରୁତ୍ୱ ଦିଆଯାଇଥାଏ । ମୌସୁମୀବର୍ଷା ଆସିବା ପୂର୍ବରୁ ଏଥିପ୍ରତି ପୌରପାଳିକା ଧ୍ୟାନ ଦେଲେ ସେହି ବର୍ଷ ସହରରେ ବର୍ଷା ଋତୁରେ ଅପେକ୍ଷାକୃତ ପରିଷ୍କାର ପରିବେଶ ଆଶା କରାଯାଇପାରେ ।

 

ସାଧାରଣତଃ ଓଡ଼ିଶାକୁ ରଜ ସଂକ୍ରାନ୍ତି ଠିକ ପୂର୍ବରୁ ମୌସୁମୀ ବର୍ଷା ପ୍ରବେଶ କରୁଥିବା ସ୍ଥଳେ ବ୍ରହ୍ମପୁରରେ ପ୍ରାୟତଃ ଜୁନ ମଧ୍ୟଭାଗରୁ ଜୁଲାଇ ମଧ୍ୟଭାଗ ଯାଏଁ ଲଘୁଚାପ ସୃଷ୍ଟି ନହେଲେ ବର୍ଷା ହୁଏନି । ଜୁଲାଇ ମଧ୍ୟଭାଗରୁ ସେପ୍ଟେମ୍ୱର ମଧ୍ୟଭାଗ ସହରରେ ବର୍ଷା ଦିନ । ବର୍ଷାଜଳ ନିଷ୍କାସନ ଅଭାବ କାରଣରୁ ବର୍ଷଣମୁଖର ଦିବସଗୁଡ଼ିକରେ ସହରବାସୀ ନାନା ଅସୁବିଧା ଭୋଗ କରିଥାନ୍ତି । ଖାଲୁଆ ଅଞ୍ଚଳଗୁଡ଼ିକରେ ବର୍ଷା ପାଣି ଜମି ରହିବା ଫଳରେ ଅଗଷ୍ଟ ମଧ୍ୟଭାଗରୁ ମଶାଙ୍କ ଉତ୍ପାତ ଆରମ୍ଭ ହୋଇଯାଏ । ସହରବାସୀ ମାସାଧିକକାଳ ବ୍ୟତିବ୍ୟସ୍ତ ହେବାପରେ ସେପ୍ଟେମ୍ୱର ଶେଷଭାଗରେ ଟିଫା ମେସିନ ଚାଲେ । ସେତେବେଳକୁ ତିନି ସପ୍ତାହ ଜୀବନଚକ୍ରରେ ପ୍ରଥମ ପାଳିର ମଶା ଅପସରିଯାଇ ଦ୍ୱିତୀୟ, ତୃତୀୟ ପାଳିର ରାଜତ୍ୱ ଚାଲିଥାଏ । ପୌରପାଳିକା ପକ୍ଷରୁ ବର୍ଷା ଆରମ୍ଭ ହେବା ପୂର୍ବରୁ ଖାଲୁଆ ଅଞ୍ଚଳଗୁଡ଼ିକ ସଫାସୁତୁରା କରିବା ଏବଂ ବର୍ଷା ଆରମ୍ଭ ମାତ୍ରେ ମଶା ଲାର୍ଭା ନଷ୍ଟ କରିବା ପାଇଁ ଔଷଧ ସିଞ୍ଚନ ତଥା ଟିଫା ମେସିନରେ ଫଗିଙ୍ଗ ଯୋଗେ ପ୍ରଥମପାଳିରୁ ମଶା ନିପାତ ଅଭିଯାନ ଆରମ୍ଭ କଲେ ସାମଗ୍ରୀକଭାବେ ପରିସ୍ଥିତି ସୁଧାରିବାରେ ସହାୟକ ହୋଇପାରନ୍ତା ।

 

ବ୍ରହ୍ମପୁରରେ ମଶାବାହିତ ମ୍ୟାଲେରିଆ, ଡ଼େଙ୍ଗୁ, ମସ୍ତିସ୍କ ଜ୍ୱର ପ୍ରତିବର୍ଷ ବର୍ଷା ଓ ଶୀତ ଋତୁରେ ଲାଗି ରହିଥାଏ । ଏହାର ଆପେକ୍ଷିକ ପ୍ରଭାବ ସହରର ପରିବେଶଗତ ପରିଚ୍ଛନ୍ନତା ଉପରେ ନିର୍ଭରଶୀଳଦେଢ଼ବର୍ଷ ଧରି ମହାମାରୀ ପରିଚାଳନାରେ ପୌର କର୍ମକର୍ତ୍ତାଗଣ ସଂପୃକ୍ତ ରହିବା ଫଳରେ ଜନସ୍ୱାସ୍ଥ୍ୟରକ୍ଷାର ମୌଳିକ ଉପାଦାନ ପରିବେଶ ପରିଚ୍ଛନତାର ଗୁରୁତ୍ୱ ହ୍ରାସ ପାଇଥିବା ପରିଲକ୍ଷିତ । କୋଭିଡ଼-୧୯ର ଦ୍ୱିତୀୟ ତରଙ୍ଗ ଜୁନ ମାସ ପ୍ରଥମ ସପ୍ତାହରୁ ଅପସରି ଯାଇଥିବା ସ୍ଥଳେ ପୌରପାଳିକା ପ୍ରାକ୍-ମୌସୁମୀ ପରିବେଶ ସୁରକ୍ଷାରେ ସମୟ ଓ ସାମର୍ଥ୍ୟ ବିନିଯୋଗ କରିବା ଏକ ଉଚ଼ିତ ପଦକ୍ଷେପ ବିଚାର କରାଯାଇପାରେ ।

 

ବ୍ରହ୍ମପୁରର ବିଭିନ୍ନ ସାହୀବସ୍ତିରେ ଦୀର୍ଘଦିନଧରି ଅଳିଆ ଜମି ରହୁଥିବା ଏକ ଅସମାହିତ ସମସ୍ୟା । ଗଦାଗଦା ପଡ଼ିରହିଥିବା ଆବର୍ଜନାରେ ବର୍ଷାପାଣି ପଡ଼ିବା ଦ୍ୱାରା ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୁଏ । ମଶା ଓ ଅନ୍ୟାନ୍ୟ କୀଟପତଙ୍ଗଙ୍କ ଆଶ୍ରୟ ସ୍ଥଳୀରେ ରୂପାନ୍ତରିତ ହୁଏ ଏବଂ ସେମାନେ ସଂକ୍ରାମକ ରୋଗର ବାହକ ପାଲଟିଥାନ୍ତି । ପ୍ରାକ୍-ମୌସୁମୀ ପରିମଳ ପ୍ରସ୍ତୁତିରେ ସହରର ଜନାକୀର୍ଣ୍ଣ ଅଞ୍ଚଳରେ ପଡ଼ିରହିଥିବା ଅଳିଆ ଉଠାଇବା ନିମନ୍ତେ ସ୍ୱତନ୍ତ୍ର ଅଭିଯାନ ଆବଶ୍ୟକ । ଏଦିଗରେ ପୌରପାଳିକା ନୀତିଗତ ନିଷ୍ପତ୍ତି ଗ୍ରହଣ କରି ଲକ୍ଷ୍ୟଭିତ୍ତିକ କାର୍ଯ୍ୟକ୍ରମ ତୁରନ୍ତ ପ୍ରଯୋଜନା କଲେ ଜୁଲାଇ ମଧ୍ୟଭାଗରେ ସହରକୁ ବର୍ଷା ଆସିବା ପୂର୍ବରୁ ପରିଚ୍ଛନତାରେ ଅନ୍ତତଃପକ୍ଷେ ତିରିଶି ପ୍ରତିଶତ ଯାଏଁ ଉନ୍ନତି ସମ୍ଭବପର ହୁଅନ୍ତା ।

 

ପୁରୁଣା ସହରର ବହୁ ଗୋର୍ଜୀରାସ୍ତା ବା ବାସଗୃହ ପଛପଟ ରାସ୍ତାଗୁଡ଼ିକର ସଫେଇ ନିମନ୍ତେ ବିଧିବଦ୍ଧ ସଫେଇ କର୍ମଚାରୀ ନିଯୁକ୍ତ ହୋଇନାହାନ୍ତି । ଅତୀତରେ ଏହି ଅଣ-ଓସାରିଆ ରାସ୍ତାଗୁଡ଼ିକ ଉଠା ପାଇଖାନା ସଫେଇ କର୍ମଚାରୀଙ୍କ ଚଳପ୍ରଚଳ ଲାଗି ସ୍କେଭେଞ୍ଜର ଲେନ ନିର୍ମିତ ହୋଇଥିଲା । ସହରବାସୀ ଅଭ୍ୟାସବଶତଃ ଘର ପାଚ଼େରୀ ବାହାରକୁ ଅଳିଆ ଫୋପାଡ଼ିଥାନ୍ତି । ଏହା ଦୀର୍ଘକାଳ ଧରି ଜମି ରହେ । ନିୟମିତ ସମୟ ବ୍ୟବଧାନରେ ସଫା ନକରାଗଲେ ପ୍ରଦୂଷଣ ମାତ୍ରା ବଢ଼ିଚାଲେ । ଏହାକୁ ରୋକିବା ନିମନ୍ତେ ସହରବାସୀ ଘରର ଅଳିଆ କିପରି ଆବର୍ଜନା ସଂଗ୍ରହକାରୀ ଗାଡ଼ିରେ ନିୟମିତ ଦେବେ ସେ ଦିଗରେ ମଧ୍ୟ ଚ଼େତନା ଜାଗ୍ରତ ଅନ୍ୟତମ ସ୍ଥାୟୀ ସମାଧାନର ରାସ୍ତା । ପୌରପାଳିକା ପକ୍ଷରୁ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ସହାୟତାରେ ଘରର ଅଳିଆ ଆବର୍ଜନା ସହରର ପ୍ରତ୍ୟେକ ପରିବାର ସଂଗ୍ରହକାରୀ ଗାଡ଼ିରେ କିପରି ଦେବା ଅଭ୍ୟାସ କରିବେ ସେ ଦିଗରେ ଅଭିଯାନ ପ୍ରଯୋଜନା ମଧ୍ୟ ସମୟର ଆହ୍ୱାନ । ବଡ଼ ବଡ଼ ସହରରେ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ପକ୍ଷରୁ ଆବର୍ଜନା ନିୟନ୍ତ୍ରଣ କ୍ଷେତ୍ରରେ ବହୁବିଧ କାର୍ଯ୍ୟକ୍ରମ ଗ୍ରହଣ କରୁଥିବା ଲକ୍ଷ୍ୟ କରାଯାଏ । ବ୍ରହ୍ମପୁର ମଧ୍ୟ ସେଥିରେ ସାମିଲ ହେଉ !


(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୨ ଜୁନ ୨୦୨୧ / ପୃଷ୍ଠା :୮)


Photo by Sandeep Vattapparambil on Unsplash

Friday, June 4, 2021

Dr (Professor) Sukumar Das / ଡ଼ାକ୍ତର (ପ୍ରଫେସର) ସୁକୁମାର ଦାସ

 

#ବ୍ରହ୍ମପୁର ମେଡ଼ିକାଲ କଲେଜର ପ୍ରଥମ ଅଧ୍ୟକ୍ଷ ଡ଼ାକ୍ତର (ପ୍ରଫେସର) ସୁକୁମାର ଦାସ ମେ୨୦୨୧ରେ ପରିଣତ ବୟସରେ ପରଲୋକ ଗମନ କଲେ । ସେ ୧୯୬୩ ରୁ ୧୯୭୩ ଦଶ ବର୍ଷ ଧରି ଅଧ୍ୟକ୍ଷ ପଦରେ ନିଯୁକ୍ତ ଥିଲେ । ପ୍ରଫେସର ଦାସ କଟକ ସହର ବାସିନ୍ଦା, ଖ୍ରୀଷ୍ଟିଆନ ଧର୍ମାବଲମ୍ୱୀ । ଶଲ୍ୟ ଚ଼ିକିତ୍ସକ ସର୍ଜନ ଭାବେ ତାଙ୍କରି ଖ୍ୟାତି ରହିଥିଲା । ମେଡ଼ିକାଲ କଲେଜକୁ ଶୈଶବାବସ୍ଥାରେ ଯତ୍ନ ନେବାରେ ପ୍ରଫେସର ଦାସଙ୍କ ଅବଦାନ ବ୍ରହ୍ମପୁର ପାଇଁ ଅନନ୍ୟସାଧାରଣ ।

 

ପତଳା ଶରୀର, ଆଭିଜାତ୍ୟପୂର୍ଣ୍ଣ ଠାଣି, ଶାନ୍ତ ଚେହରାରେ କାର୍ଯ୍ୟବ୍ୟସ୍ତତାର ଛାପ; ପ୍ରଫେସର ଦାସଙ୍କୁ ବ୍ରହ୍ମପୁରବାସୀ ନିଆରା ମଣିଷ ଭାବେ ଗ୍ରହଣ କରିନେଇଥିଲେ । ମେଡ଼ିକାଲ କଲେଜର ଅଧ୍ୟକ୍ଷ ଅର୍ଥ ସେ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆବଦ୍ଧ । ଅକାଳେ ସକାଳେ ମେଡ଼ିକାଲ କଲେଜର ସଭାସମିତିରେ ଯୋଗ ଦେଇ ଛୋଟିଆ ବକ୍ତବ୍ୟଟିଏ ରଖନ୍ତି । ଅତୀତରେ ପଦପଦବୀରେ ଅଧିଷ୍ଠିତ ବ୍ୟକ୍ତିମାନେ ପ୍ରାୟତଃ ସମାଜଠାରୁ ନିଜକୁ ଦୂରେଇ ରଖୁଥିଲେତେବେ ସେମାନଙ୍କ ନିକଟକୁ ଗୁହାରି ନେଇ ଗଲେ, କାହାରିକୁ ଫେରାଇ ଦିଅନ୍ତି ନାହିଁ । ଊଣାଅଧିକେ ସାଧ୍ୟମତେ ସମସ୍ତଙ୍କ କଥା ବୁଝନ୍ତି । ସର୍ବୋଚ୍ଚ ଅଧିକାରୀଙ୍କ ନିକଟରେ ସମସ୍ୟା ଉପସ୍ଥାପନ କଲେ ତାହାର ନିଷ୍ପତ୍ତି ତୁରନ୍ତ ମିଳି ଯାଉଥିଲା । ଆଜିକା ଭଳି ଅଧସ୍ତନ କର୍ମଚାରୀଙ୍କ ନିକଟକୁ ପୁଣି ଠେଲି ଦିଆଯାଉ ନଥିଲା !

 

ପ୍ରଫେସର ଦାସ ଥିଲେ ଉଚ୍ଚମନା । ବ୍ରହ୍ମପୁର ମେଡ଼ିକାଲ କଲେଜ ପ୍ରଶସ୍ତ ପ୍ରାଙ୍ଗଣ ତାଙ୍କରି ଦୂରଦୃଷ୍ଟିର ପରିଚ଼ୟ ଦିଏ । ନିକଟ ଅତୀତରେ କ୍ୟାମ୍ପସ ପ୍ରତିଷ୍ଠାର ପଚାଶ ବର୍ଷପରେ ପୁରାତନ କୋଠାରାଜି ନିକଟରେ ନୂତନ କୋଠା ନିର୍ମାଣ ନିମନ୍ତେ ସ୍ଥାନର ଅଭାବ ପରିଲକ୍ଷିତ ହୋଇନଥିଲା । କୁହାଯାଏ ଯେ କଲେଜର କୋଠାବାଡ଼ି ନିର୍ମାଣ ପୂର୍ବରୁ ପ୍ରଫେସର ଦାସଙ୍କ ସମେତ ଏକ ଉଚ୍ଚକ୍ଷମତାସମ୍ପନ୍ନ ପ୍ରତିନିଧି ଦଳ ଦେଶର ବିଭିନ୍ନ ମେଡ଼ିକାଲ କଲେଜ ଓ ହସପିଟାଲ ଭ୍ରମଣକରି ଅଭିଜ୍ଞତା ସଂଗ୍ରହ କରିଥିଲେ ଏବଂ ସେହି ଜ୍ଞାନ ଏଠାକାର କ୍ୟାମ୍ପସ ପ୍ରଯୋଜନାରେ ନିୟୋଜିତ ହୋଇଥିଲା ।

 

ପ୍ରଫେସର ଦାସ ୧୯୬୩ ନଭେମ୍ୱର ୧୩ ତାରିଖ ଦିନ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ୩୦ ତାରିଖ ଦିନ ତତ୍ କାଳୀନ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବ୍ରହ୍ମପୁର ବାସିନ୍ଦା ଡ଼ାକ୍ତର ପି.ଭି. ଜଗନ୍ନାଥ ରାଓ ମେଡ଼ିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସରକାରଙ୍କ ପକ୍ଷରୁ ଅଧିଗ୍ରହଣ କରାଯାଇଥିବା ୧୬୭ ଏକର ପରିମିତ ଜମିରେ କୋଠାବାଡ଼ି ନିର୍ମାଣ କାମ ୧୯୬୬ ରୁ ଆରମ୍ଭ ହୋଇ ତିନି ବର୍ଷ ପରେ ପ୍ରଥମେ ମେଡ଼ିକାଲ କଲେଜ କୋଠାଟି ୧୯୬୯ରେ ଉଦ୍ ଘାଟିତ ହୋଇଥିଲା । ପ୍ରକାଣ୍ଡ କୋଠାକୁ ଦେଖି ବ୍ରହ୍ମପୁରବାସୀଙ୍କ ଆଖି ଝଲସି ଯାଇଥିଲା । ଏ ଯାଏଁ ସହରରେ ତାହାଠାରୁ ବଡ଼ କୋଠା ନିର୍ମିତ ହୋଇପାରି ନାହିଁ ।

 

ବ୍ରହ୍ମପୁର ମେଡ଼ିକାଲ କଲେଜ କଟକର ଶ୍ରୀରାମଚ଼ନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ୧୯୬୧ରେ ଆରମ୍ଭ ହୋଇଥିଲା । ପ୍ରଥମ ବର୍ଷ ମାତ୍ର ୪୦ ଜଣ ଛାତ୍ରଛାତ୍ରୀ ଭର୍ତ୍ତି ହୋଇଥିଲେ । ବ୍ରହ୍ମପୁରସ୍ଥିତ ଅଧୁନା ସିଟି ହସପିଟାଲ ସାମ୍ନା ପୁରାତନ ରାଜସ୍ୱ ବିଭାଗ କୋଠାକୁ ୧୯୬୨ରେ କଲେଜ ଆସିଥିଲା । କଲେଜର କାର୍ଯ୍ୟାଳୟ ବର୍ତ୍ତମାନ କ୍ୟାମ୍ପସର ସମ୍ମୁଖଭାଗରେ ଚକ୍ଷୁ ପ୍ରତିଷ୍ଠାନ କାର୍ଯ୍ୟକରୁଥିବା ଦକ୍ଷିଣାଞ୍ଚଳ ରାଜସ୍ୱ ବିଭାଗ କମିଶନରଙ୍କ ପୁରାତନ କାର୍ଯ୍ୟାଳୟ କୋଠା କିଛିକାଳ ବ୍ୟବହୃତ ହୋଇଥିଲା । ପ୍ରଫେସର ଦାସଙ୍କ ସମୟରେ ୧୯୬୬-୬୭ରେ ବ୍ରହ୍ମପୁର ମେଡ଼ିକାଲ କଲେଜର ନାମ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରେ ପୁନଃନାମିତ ହୋଇଥିଲା ।

 

ବ୍ରହ୍ମପୁର ସହରରେ ଷଷ୍ଠ ଦଶକରେ ଖଲ୍ଲିକୋଟ କଲେଜ ଓ ଇଂଜିନିୟରିଂ ସ୍କୁଲ ସାଙ୍ଗକୁ ମେଡ଼ିକାଲ କଲେଜ ଛାତ୍ରଙ୍କ ଆଧିପତ୍ୟ ରହିଥିଲା । ପ୍ରଫେସର ଦାସ ଅଧ୍ୟକ୍ଷ ପଦବୀ ସମ୍ଭାଳିବା ସମୟକାଳରେ ୧୯୬୪ରେ ପୋଲିସ ବିରୋଧି ଏବଂ ୧୯୬୭ରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ର ଆନ୍ଦୋଳନରେ ମେଡ଼ିକାଲ କଲେଜର ଛାତ୍ରମାନେ ଅଂଶଗ୍ରହଣ କରିଥିଲେ । ତେବେ କଲେଜ କ୍ୟାମ୍ପସରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପ୍ରଫେସର ଦାସଙ୍କ ଛାତ୍ରବତ୍ସଳତାର ପରିଚ଼ୟ ଦେଇଥିଲା ।

 

ବ୍ରହ୍ମପୁର ରୋଟାରୀ କ୍ଳବରେ ପ୍ରଫେସର ଦାସ ସକ୍ରିୟ ରହି ଆସିଥିଲେ ସେତେବେଳକୁ ଏଠାରେ କ୍ଳବର ମାତ୍ର ଗୋଟିଏ ଶାଖା ଥାଏ । ବ୍ରହ୍ମପୁରରୁ ବିଦାୟ ନେବାପରେ କଟକ ରୋଟାରୀ କ୍ଳବ ତଥା ରୋଟାରୀ ଜିଲ୍ଲାର ସାଂଗଠନିକ କାର୍ଯ୍ୟକଳାପରେ ସେ ବରାବର ସଂଶ୍ଳିଷ୍ଟ ରହୁଥିଲେ ।

 

ଡ଼ାକ୍ତର (ପ୍ରଫେସର) ସୁକୁମାର ଦାସ ଆମ ଗହଣରୁ ଚାଲିଯାଇଛନ୍ତି ସତ, ତେବେ ତାଙ୍କରି ହାତଗଢ଼ା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ତାଙ୍କରି ସ୍ମୃତି ବହନ କରିଚାଲିଥିବ ।


Photo by Markus Frieauff on Unsplash