Friday, August 13, 2021

Freedom Fighters in Jail / କାରାଗାରରେ ସ୍ୱାଧୀନତା ସଂଗ୍ରାମୀ

 


ବିଂଶ ଶତାଦ୍ଦୀରେ ୧୯୩୦ ଲବଣ ସତ୍ୟାଗ୍ରହଠାରୁ ଆରମ୍ଭ କରି ୧୯୪୭ ସ୍ୱାଧୀନତା ପ୍ରାପ୍ତି ଯାଏଁ #ବ୍ରହ୍ମପୁର ଜେଲ ରାଜ୍ୟର ବିଭିନ୍ନ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀମାନଙ୍କ ମିଳନସ୍ଥଳ ପାଲଟିଥିଲା କହିଲେ ଭୁଲ ହେବ ନାହିଁ । ବ୍ରିଟିଶ ଶାସନ କାଳରେ କଟକ, ବ୍ରହ୍ମପୁର ଓ ପୁରୀ ବୃହତ କାରାଗାର ମାନ୍ୟତା ପାଉଥିବା ଏବଂ ରେଳ ଯୋଗାଯୋଗ ବ୍ୟବସ୍ଥା ଥିବା ହେତୁ ସ୍ୱାଧୀନତା ସଂଗ୍ରାମର ନେତୃସ୍ଥାନୀୟ ବ୍ୟକ୍ତିବିଶେଷଙ୍କୁ ଏହି ତିନି ଜେଲରେ ଅଟକ ରଖାଯାଉଥିଲା ।
 
ସେତେବେଳେ ରାଜନୀତିକ ବନ୍ଦୀମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଉଥିଲା । ଯେଉଁ ବନ୍ଦୀମାନଙ୍କ ବିରୁଦ୍ଧରେ ପୋଲିସ ପକ୍ଷରୁ କୋର୍ଟରେ ଅଭିଯୋଗ ଦାଖଲ କରାଯାଉଥିଲା, ସେମାନେ ପ୍ରଥମ ପର୍ଯ୍ୟାୟର ଏବଂ ଯେଉଁମାନଙ୍କ ବିରୁଦ୍ଧରେ କୌଣସି ନିର୍ଦ୍ଦିଷ୍ଟ ଅଭିଯୋଗ ଦାଖଲ ହୋଇପାରୁ ନଥିଲା, ସେମାନେ ଦ୍ୱିତୀୟ ପର୍ଯ୍ୟାୟ ଅନ୍ତର୍ଭୁକ୍ତ ହେଉଥିଲେ । ଦ୍ୱିତୀୟ ପର୍ଯ୍ୟାୟର ବନ୍ଦୀମାନଙ୍କୁ ବ୍ରିଟିଶ ସରକାରଙ୍କ ପକ୍ଷରୁ ନିରାପତ୍ତା ଦୃଷ୍ଟିରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟକ ରଖାଯାଉଥିଲା । ସେମାନେ ‘ସିକ୍ୟୁରିଟି ପ୍ରିଜନର’ ଭାବେ ପରିଚ଼ିତ ହେଉଥିଲେ ।
 
ସିକ୍ୟୁରିଟି ପ୍ରିଜନରମାନଙ୍କୁ ଜେଲରେ ଅନ୍ୟ ବନ୍ଦୀମାନଙ୍କଠାରୁ ସାମାନ୍ୟ ଅଧିକ ସୁବିଧା ଯୋଗାଇ ଦିଆଯାଉଥିଲା । ଶୋଇବା ପାଇଁ ଖଟ, ଶେଜ, ମଶାରୀ, ଲୁଗାପଟା, ତେଲ, ସାବୁନ, ବ୍ଲେଡ଼ ଇତ୍ୟାଦି ସମେତ ଖାଦ୍ୟ ସାମଗ୍ରୀ ରାସନ ମିଳୁଥିଲା । ସେମାନଙ୍କୁ ନିଜେ ରୋଷାଇ କରି ଖାଇବା କିମ୍ୱା ଅନ୍ୟ କଏଦୀମାନଙ୍କ ପାଇଁ ରନ୍ଧାଯାଉଥିବା ଖାଦ୍ୟ ଗ୍ରହଣର ସୁଯୋଗ ରହିଥିଲା । ଦୁଇ ଭିନ୍ନ ରାଜନୀତିକ ବନ୍ଦୀଙ୍କୁ ଭିନ୍ନ ଭିନ୍ନ ଖୁଆଡ଼ରେ ରଖାଯାଉଥିଲା । ସନ୍ଧ୍ୟା ଛଅଟା ପରେ ସମସ୍ତେ ନିଜ ନିଜ କଠୋରୀ ଭିତରେ ଆବଦ୍ଧ ରହୁଥିଲେ ଏବଂ ବାହାରୁ ତାଲା ପଡୁଥିଲା ।
 
ଜେଲରେ ବନ୍ଦୀ ସ୍ୱାଧୀନତା ସଂଗ୍ରାମୀଙ୍କ ଅନୁଭୂତି ରୋମାଞ୍ଚକର । ବ୍ରହ୍ମପୁରରେ ପ୍ରତି କିଛି ବର୍ଷ ଅନ୍ତରରେ ଲଘୁଚାପଜନିତ ବାତ୍ୟା ଲାଗି ରହିଥାଏ । ୧୯୪୩ରେ ଆଗତ ବାତ୍ୟା ୩୬ ଘଣ୍ଟା ଧରି ବଳବତ୍ତର ରହିଥିଲା । ସେତେବେଳକୁ ସ୍ଥାନୀୟ ଜେଲରେ ପ୍ରାୟ ଦୁଇ ଶହ ସାଧାରଣ ବନ୍ଦୀ ଓ ଦେଢ଼ ଶହ ରାଜନୀତିକ ବନ୍ଦୀ ବସବାସ କରୁଥାନ୍ତି । ପ୍ରବଳ ବର୍ଷା, ପବନ ଯୋଗୁଁ ଜେଲର ଦୈନନ୍ଦିନ କାର୍ଯ୍ୟସୂଚୀରେ ବାଧା ପହଞ୍ଚିଲା । ରନ୍ଧାବଢ଼ା କିମ୍ୱା ବିକଳ୍ପ ଖାଦ୍ୟର ବ୍ୟବସ୍ଥା ହୋଇପାରିଲା ନାହିଁ । ତିନିଦିନ ଭୋକରେ କାଟିବା ପରେ ବାତ୍ୟା ଟିକିଏ ଥମିବା ଅବସରରେ ପ୍ରବଳ ପବନରେ ଭାଙ୍ଗିପଡ଼ିଥିବା ଆସବାବପତ୍ରରୁ ଲୁହାଛଡ଼ ଇତ୍ୟାଦି ସଂଗ୍ରହ କରି କେତେକ ସିକ୍ୟୁରିଟି ପ୍ରିଜନର ଅବ୍ୟବସ୍ଥାର ପ୍ରତିବାଦ କରି ଜେଲ ପାଚେରୀ ତାଡ଼ିବାକୁ ଉଦ୍ୟମ କଲେ । ପୋଲିସ ବନ୍ଧୁକର ଭୟ କାମ ଦେଲାନି । ଶେଷରେ ଜେଲ ସୁପରିଟେଣ୍ଡଣ୍ଟ ନିଜେ ପହଞ୍ଚି କଏଦୀଙ୍କୁ ବୁଝାସୁଝା କରି ଭଙ୍ଗାରୁଜାରୁ ନିବୃତ୍ତ କରାଇଲେ । ଅବଶ୍ୟ ଦୁଇ ଦିନ ପରେ ସାତଜଣଙ୍କୁ ବିଶୃଙ୍ଖଳା ଅଭିଯୋଗରେ ପାଞ୍ଚ ମାସ ଲେଖା ସଶ୍ରମ କାରାଦଣ୍ଡ ଶାସ୍ତି ଦିଆଯାଇଥିଲା ।
 
ସ୍ୱାଧୀନୋତ୍ତର ଅବସ୍ଥାରେ ବ୍ରହ୍ମପୁର ଗାନ୍ଧୀନଗର ନିବାସୀ ଜଗନ୍ନାଥ ମିଶ୍ର ଜଣେ ସ୍ୱାଧୀନତା ସଂଗ୍ରାମୀ । ଖଦୀ ଆନ୍ଦୋଳନରେ ଅଂଶ ଗ୍ରହଣ ହେତୁ ୧୯୪୨ରେ ଗିରଫ ହୋଇ ପ୍ରଥମେ ପୁରୀ ଓ ପରେ ବ୍ରହ୍ମପୁର ଜେଲରେ ରହିଥିଲେ । ଶେଷ ଜୀବନରେ ଟେଲିଫୋନ ଭବନ ସାମ୍ନା ଧରାକୋଟ ବଙ୍ଗଳା ମାର୍କେଟ କମ୍ପ୍ଳେକ୍ସରେ ଏକ ଆର୍ୟୁବେଦ ଔଷଧ ଦୋକାନ ଖୋଲି ଅବସର ଜୀବନ ଯାପନ କରୁଥିଲେ । ସେ ନିଜ ଜେଲ ଅନୁଭୂତିରେ ଲେଖିଛନ୍ତି ଯେ ଜେଲରେ ରାଜନୀତିକ ବନ୍ଦୀମାନେ ଦିନ ବେଳା ନିଜ ନିଜ କାର୍ଯ୍ୟରେ ବ୍ୟାପୃତ ରହୁଥିଲେ । କିଏ ବହି ପଢ଼ିଲାଣିତ କିଏ ନୂଆ ଭାଷା ଶିଖୁଥିଲା ବା ସାହିତ୍ୟ ରଚନାରେ ସମୟ କାଟୁଥିଲା । ବନ୍ଦୀମାନେ ‘ବୈଜୟନ୍ତୀ’ ନାମରେ ଏକ ହାତଲେଖା ପତ୍ରିକା ପ୍ରସ୍ତୁତ କରିଥିଲେ । ସଭା ସମିତି ହୁଏ, ଏପରିକି ଥରେ ଏକ ନାଟକ ମଧ୍ୟ ମଞ୍ଚସ୍ଥ ହୋଇଥିଲା । ଗଣେଶ ପୂଜା, ଦଶହରା ପାଳିତ ହେଉଥିଲା ଇତ୍ୟାଦି ।
 
୧୯୪୩ ମାର୍ଚ୍ଚ ୨୯ ତାରିଖ ଦିନ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦିଆଯାଇଥିଲା । ଜଗନ୍ନାଥ ମିଶ୍ରଙ୍କ ଭାଷାରେ, “ଫାଶୀ ଦିଆଯିବା ପୂର୍ବଦିନ ସେ କାହାରିକି ଦେଖା କରିବାକୁ ସୁବିଧା ଦିଆଗଲା । ଲକ୍ଷ୍ମଣ ନାୟକଙ୍କ କହିବା ଅନୁଯାୟୀ ସଦାଶିବ ତ୍ରିପାଠୀ ଲକ୍ଷ୍ମଣ ନାୟକଙ୍କ ସେଲକୁ ଯାଇ ତାଙ୍କ ସହ କଥାବାର୍ତ୍ତା କଲେ । ସଦାଶିବ ତ୍ରିପାଠୀ ପଚାରିଲେ, ‘ଲକ୍ଷ୍ମଣ ତୋର ପିଲାଛୁଆଙ୍କ ପାଇଁ କଣ କହିବୁ କି ?’ ସେ (ଲକ୍ଷ୍ମଣ ନାୟକ) ଉତ୍ତର ଦେଲେ ‘ସେ କଥା ଆପଣମାନେ ବୁଝିବେ । ’ ସଦାଶିବ ବାବୁ କହିଲେ, ‘ଆଉ କଣ କହୁଛୁ ?’ ଲକ୍ଷ୍ମଣ ନାୟକ କହିଲେ, ‘ଦୁଃଖ ହେଉଛି, ମୁଁ ସ୍ୱାଧୀନ ଭାରତ ଦେଖି ପାରିବି ନାହିଁ ।’ ତା’ ପରଦିନ ଭୋର ଚାରିଟା ବେଳୁ ଆରମ୍ଭ ହୋଇଗଲା ଫାଶୀ କାର୍ଯ୍ୟକ୍ରମ । ଆମେ ରହୁଥିବା ସ୍ଥାନରୁ ଲକ୍ଷ୍ମଣ ନାୟକ ସେଲ ଓ ଫାଶୀ ଦେବା ସ୍ଥାନ ଖୁବ ନିକଟ ଥିଲା । ଅତଏବ ପ୍ରାୟ ଏକ ଘଣ୍ଟାରୁ ବେଶୀ ସମୟ ଜେଲ ଫାଟକର ଲୁହା ଦରବାଜା ବାରମ୍ୱାର ଫିଟିବା ଓ ବନ୍ଦହେବାର ଶବ୍ଦ ଆମ୍ଭମାନଙ୍କ ପ୍ରାଣରେ ଭୀଷଣ ଆଘାତ ଦେଉଥିଲା । ତାପରେ ତାଙ୍କୁ ଫାଶୀ ଦିଆଗଲା । ସେହି ସମୟରେ ନବ ବାବୁ ଭୋ ଭୋ କାନ୍ଦୁଥିଲେ । ଆମେ ଛଅଜଣ ତାଙ୍କ ପାଖରେ ଥିଲୁ । ସେହିଦିନ ଜେଲର ସମସ୍ତ ରାଜନୈତିକ ବନ୍ଦୀ ଅନଶନ କରିଥିଲେ ।”
 
ଉଲ୍ଲେଖଯୋଗ୍ୟ ଲକ୍ଷ୍ମଣ ନାୟକ ଓ ସଦାଶିବ ତ୍ରିପାଠୀ ଉଭୟ କୋରାପୁଟ ଜିଲ୍ଲା ବାସିନ୍ଦା । ସଦାଶିବ ତ୍ରିପାଠୀ ଓ ନବ ବାବୁ (ନବକୃଷ୍ଣ ଚୌଧୂରୀ) ସ୍ୱାଧୀନ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ପଦ ଅଳଂକୃତ କରିଥିଲେ ଏବଂ ଜଗନ୍ନାଥ ମିଶ୍ର କୋଦଳା ବିଧାନସଭା ଆସନରୁ ଥରେ ବିଧାୟକ ଭାବେ ନିର୍ବାଚ଼ିତ ହୋଇଥିଲେ ।

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୪ ଅଗଷ୍ଟ ୨୦୨୧ / ପୃଷ୍ଠା :୮)

Photo by Ivan Aleksic on Unsplash

Friday, August 6, 2021

National Freedom Movement / ଜାତୀୟ ସ୍ୱାଧୀନତା ସଂଗ୍ରାମ

 


ସର୍ବଭାରତୀୟସ୍ତରରେ ବ୍ରିଟିଶ ବିରୋଧୀ ସ୍ୱାଧୀନତା ସଂଗ୍ରାମ ଊନବିଂଶ ଶତାଦ୍ଦୀ ଶେଷଭାଗରୁ ବିକଶିତ ହେବା ବେଳକୁ #ବ୍ରହ୍ମପୁର ସହରରେ ଓଡ଼ିଆ ଭାଷାଭାଷୀଙ୍କ ସ୍ୱାର୍ଥ ସଂରକ୍ଷଣ ଲାଗି ଆନ୍ଦୋଳନ ଦାନା ବାନ୍ଧି ସାରିଥାଏ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହ ସ୍ୱାଧୀନ ଭାରତ ଗଠନଲାଗି ବ୍ରିଟିଶ ବିରୋଧୀ ଆନ୍ଦୋଳନ ବ୍ରହ୍ମପୁରର ସ୍ୱତନ୍ତ୍ର୍ୟ ।
 
ଆନ୍ଦୋଳନ ପୃଷ୍ଠଭୂମି ପ୍ରାଥମିକଭାବେ ଆଲୋଚ଼ନା, ସାଧାରଣ ସଭା, ଦରଖାସ୍ତ ମାଧ୍ୟମରେ ସ୍ଥାନୀୟ ଦାବୀଗୁଡ଼ିକ ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ ‘ପିଟିସନ’ ପ୍ରସ୍ତୁତି, ପ୍ରଚାରପତ୍ର ବଣ୍ଟନ ଓ ପତ୍ରପତ୍ରିକା ପ୍ରକାଶନରେ ସୀମିତ ରହୁଥିଲା । ବ୍ରହ୍ମପୁରରେ ୧୮୭୨ରେ ୱିଲିୟମ ମହନ୍ତିଙ୍କ ଦ୍ୱାରା ‘ଗଞ୍ଜାମ-ଉତ୍କଳ-ହିତବାଦିନୀ ସମାଜ’ ଗଠିତ ହୋଇ ୧୮୭୬ରେ ସାପ୍ତାହିକ ‘ସ୍ୱଦେଶୀ’ ଓ ‘ଗଞ୍ଜାମ ନିଉଜ’ ପତ୍ରିକା ପ୍ରକାଶନ ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କୁ ରାଜନୀତିକ ଓ ଜାତୀୟବାଦୀ ଚେତନାରେ ଉଦବୁଦ୍ଧ କରାଇବା ନିମନ୍ତେ ଉଦ୍ୟମ ହୋଇଥିଲା । ୧୯୧୩ରୁ ଶଶିଭୂଷଣ ରଥଙ୍କ ଦ୍ୱାରା ପ୍ରକାଶିତ ସାପ୍ତାହିକ ‘ଆଶା’, ୧୯୨୮ରେ ‘ଦୈନିକ ଆଶା’ ସମେତ ୧୯୩୧ରେ ‘ନିଉ ଓଡ଼ିଶା’ ଓ ‘ଇଷ୍ଟକୋଷ୍ଟ’ ଭଳି ସମ୍ୱାଦପତ୍ର ପ୍ରକାଶନ ସ୍ଥାନୀୟ ଆନ୍ଦୋଳନାତ୍ମକ ବାତାବରଣକୁ ଶାଣିତ କରିଥିଲା । ସେହିପରି ୧୯୦୫ରେ ନିରଞ୍ଜନ ପଟ୍ଟନାୟକ ଓ ଚନ୍ଦ୍ରପାଣି ପ୍ରଧାନଙ୍କ ଦ୍ୱାରା ରଚ଼ିତ ‘ଦି ଓଡ଼ିଆ ମୁଭମେଣ୍ଟ’ ପୁସ୍ତକ ପ୍ରକାଶନ ଆନ୍ଦୋଳନର ବୌଦ୍ଧିକ ପରିବେଶରେ ଆଲୋଡ଼ନ ସୃଷ୍ଟି କରିଥିଲା ।
 
ୱିଲିୟମ ମହାନ୍ତି ହିଲପାଟଣା ଅଞ୍ଚଳର ବାସିନ୍ଦା । ଶଶିଭୂଷଣ ରଥ ଅଧୂନା ସବରେଜିଷ୍ଟାର କାର୍ଯ୍ୟାଳୟ ନିକଟରେ ସ୍ଥାପିତ କାର୍ଯ୍ୟାଳୟରୁ ‘ଆଶା’ ପ୍ରକାଶ କରୁଥିଲେ । ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡସ୍ଥିତ ଟ୍ରାଫିକ ପୋଲିସ କାର୍ଯ୍ୟାଳୟ ନିକଟରେ ଶଶିଭୂଷଣ ରଥଙ୍କ ଆବକ୍ଷ ପ୍ରତିମୂର୍ତ୍ତି ସ୍ଥାପିତ । ନିରଞ୍ଜନ ପଟ୍ଟନାୟକ ଗାନ୍ଧିବାଦୀ, କଂଗ୍ରେସ ନେତା । ସେ ‘ସମ୍ୱାଦ’ ସମ୍ପାଦକ ଡ଼କ୍ଟର ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଜା-ଶ୍ୱଶୁର । ‘ଓଡ଼ିଆ ମୁଭମେଣ୍ଟ’ ପୁସ୍ତକ ଦୁଃଷ୍ପାପ୍ୟ ହୋଇଯାଇଥିଲା । ବର୍ଷୀଆନ କଂଗ୍ରେସ ନେତା ତଥା ମୂଳ ବ୍ରହ୍ମପୁର ନିବାସୀ ଅଧ୍ୟାପକ କୈଳାସ ଆଚାର୍ଯ୍ୟ ୨୦ ବର୍ଷ ତଳେ ତାହାର ପୁନଃ ମୁଦ୍ରଣ କରିଥିଲେ ।
 
ଭାରତୀୟ ଜାତୀୟ କଂଗ୍ରେସ ଗଠନର ଆଦ୍ୟାବସ୍ଥାରେ ମୁମ୍ୱାଇରେ ୧୮୮୫ ପ୍ରଥମ ଅଧିବେଶନ ଓ କଲିକତାରେ ୧୮୮୬ ଦ୍ୱିତୀୟ ଅଧିବେଶନରେ ବ୍ରହ୍ମପରର ପ୍ରତିନିଧି ଯୋଗ ଦେଇ ଫେରିବାପରେ ସାଧାରଣ ସଭା ମାଧ୍ୟମରେ ଦେଶବ୍ୟାପୀ ଆନ୍ଦୋଳନ ସଂପର୍କରେ ସହରବାସୀଙ୍କୁ ଅବଗତ କରାଉଥିଲେ । ମୁଖ୍ୟତଃ ସ୍ଥାନୀୟ ଜିଲ୍ଲା ଅଦାଲତର ଓକିଲ ଓ ପୌରପାଳିକାର ସଦସ୍ୟମାନେ ଏହି କ୍ଷେତ୍ରରେ ନେତୃତ୍ୱ ନେଉଥିଲେ । ତତ୍କାଳୀନ କଂଗ୍ରେସ କାର୍ଯ୍ୟକାରିଣୀରେ ବ୍ରହ୍ମପୁରର ଗୁରୁତ୍ୱ ରହିଥିବା ଲକ୍ଷ୍ୟ କରାଯାଏ । କଂଗ୍ରେସର ଏକ ସ୍ୱତନ୍ତ୍ର ଅଧିବେଶନ ୧୯୨୦ରେ ବ୍ରହ୍ମପୁରରେ ଆୟୋଜନ କରିବା ନିମନ୍ତେ ପ୍ରସ୍ତାବ ଗୃହୀତ ହୋଇଥିଲା । କିନ୍ତୁ ତାହା ସଂଭବ ହୋଇପାରି ନଥିଲା ।
 
କଂଗ୍ରେସ ପକ୍ଷରୁ ୧୯୨୧ ଅସହଯୋଗ ଆନ୍ଦୋଳନ ଆରମ୍ଭ କାଳରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା । ବଡ଼ ଡାକଘର ସାମ୍ନା ଅଧୂନା ‘ରାଧା ହୋଟେଲ’ ପରିସରରେ ଏକ ପୁରାତନ କୋଠାକୁ ‘ସ୍ୱରାଜ ଆଶ୍ରମ’ ନାମିତ କରି ଜିଲ୍ଲା କମିଟି ଓ ଅସହଯୋଗ ଆନ୍ଦୋଳନର କାର୍ଯ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା । ସେଠାରେ ‘ନ୍ୟାସନାଲ ଲଜ’ ନାମରେ ଏକ ପାନ୍ଥଶାଳା ମଧ୍ୟ ଚାଲୁଥାଏ । ବର୍ହିଆଗତ ସ୍ୱାଧୀନତା ସଂଗ୍ରାମୀମାନେ ଏହି ଲଜରେ ଭଡ଼ା ଦେଇ ରହୁଥାନ୍ତି । ଗତ ଶତାଦ୍ଦୀର ସପ୍ତମ ଦଶକ ଶେଷ ଯାଏଁ ‘ନ୍ୟାସନାଲ ଲଜ’ର ସ୍ମୃତି ରହିଥିଲା । ଧାଡ଼ିଏ ଖପର ଚାଳ ଏକ ବଖୁରିଆ କଠୋରୀ ସହ କମନ ବାଥ ଓ ଟଏଲେଟର ବ୍ୟବସ୍ଥା । ସ୍ୱାଧୀନୋତ୍ତର ଅବସ୍ଥାରେ ସେଠାରେ ଏକ ଖଦୀ ଦୋକାନ ମଧ୍ୟ ଚାଲିଥିଲା ।
 
ମହାତ୍ମାଗାନ୍ଧୀ ୧୯୨୧ ମାର୍ଚ୍ଚ ଓ ୧୯୨୭ ଡ଼ିସେମ୍ୱର ଦୁଇଥର ବ୍ରହ୍ମପୁର ପରିଦର୍ଶନରେ ଆସି ଅସହଯୋଗ ଆନ୍ଦୋଳନର ବାର୍ତ୍ତା ପ୍ରଚାର କରିଥିଲେ । ଫଳତଃ ୧୯୩୦-୩୧ରେ ଲବଣ ସତ୍ୟାଗ୍ରହରେ ବ୍ରହ୍ମପୁରର ଆନ୍ଦୋଳନକାରୀମାନଙ୍କ ସକ୍ରିୟ ଅଂଶ ଗ୍ରହଣ ଉଲ୍ଲେଖଯୋଗ୍ୟ । ସହରର ପ୍ରମୁଖ କଂଗ୍ରେସ ନେତା ବିଶ୍ୱନାଥ ଦାସ ଓ ଭି.ଭି.ଗିରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜମିଦାରୀରେ ଚାଷ ଜମିର ସତ୍ତ୍ୱ ଦାବୀ କରି ଚାଷୀ ଆନ୍ଦୋଳନର ନେତୃତ୍ୱ ନେଉଥାନ୍ତି । ୧୯୩୪ରେ ଖଲ୍ଲିକୋଟ ଜମିଦାରୀ ଅନ୍ତର୍ଗତ କୋଦଳା ଅଞ୍ଚଳରେ ଏକ ବିକ୍ଷୋଭ ଅବସରରେ ଭଡ଼ାଟିଆ ଗୁଣ୍ଡାମାନଙ୍କ ଆକ୍ରମଣର ଶୀକାର ହୋଇଥିଲେ । ଏହାର ପ୍ରତିବାଦରେ ବ୍ରହ୍ମପୁରରେ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ସହରର ମୁଖ୍ୟରାସ୍ତା ପରିକ୍ରମା କରି ଶୋଭାଯାତ୍ରା ବଡ଼ବଜାର ଅଞ୍ଚଳରେ ପହଞ୍ଚିବା ପରେ ପୋଲିସ ପକ୍ଷରୁ ଶୋଭାଯାତ୍ରା ଅଂଶଗ୍ରହଣକାରୀଙ୍କ ଉପରେ ଲାଠି ଓ ଗୁଳି ଚାଳନା ହୋଇଥିଲା । ପୋଲିସ ଗୁଳିରେ ଶ୍ୟାମବାବୁ ନାମକ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଶୋଭାଯାତ୍ରାକାରୀଙ୍କୁ ଗିରଫ କରାଯାଇ ଦଣ୍ଡବିଧାନରେ ତପ୍ତପାଣି ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା । ବ୍ରହ୍ମପୁରରେ ଜାତୀୟ ସ୍ୱାଧୀନତା ସଂଗ୍ରାମରେ ଏହା ଏକ କଳଙ୍କିତ ଅଧ୍ୟାୟ । ବ୍ରହ୍ମପୁରରୁ ୧୯୮୫ରେ ପ୍ରକାଶିତ ମାଗୁଣି ଦାସ ସଂକଳିତ ‘ଗଞ୍ଜାମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନୀ’ ସ୍ମରଣିକାରେ ଏହି ଘଟଣାର ବିଶଦ ବିବରଣୀ ବର୍ଣ୍ଣନା କରାଯାଇଛି ।

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୭ ଅଗଷ୍ଟ ୨୦୨୧ / ପୃଷ୍ଠା :୮)


Friday, July 30, 2021

Mahuri Paika Mutiny / ମହୁରି ପାଇକ ବିଦ୍ରୋହ

 

ଅଗଷ୍ଟ ମାସରେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ସ୍ମୃତି ସାଉଁଟାଯାଏ । #ବ୍ରହ୍ମପୁର ସହରରେ ବ୍ରିଟିଶ ବିରୋଧୀ ସ୍ୱାଧୀନତା ସଂଗ୍ରାମକୁ ଦୁଇ ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ । ପ୍ରଥମ ପର୍ଯ୍ୟାୟରେ ଅଷ୍ଟାଦଶ ଓ ଊନବିଂଶ ଶତାଦ୍ଦୀରେ ମହୁରି ରାଜତ୍ୱକାଳରେ ସ୍ଥାନୀୟ ପାଇକ ବିଦ୍ରୋହ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ବିଂଶ ଶତାଦ୍ଦୀର ଜାତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ । ଦେଶ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ହୀରକ ଜୟନ୍ତୀ ପାଳନ ଦିଗକୁ ମୁହାଁଉଥିବା ବେଳେ ସହରରେ ସ୍ୱାଧୀନତା ସଂଗ୍ରାମର ପ୍ରତ୍ୟକ୍ଷ ଅଭିଜ୍ଞତା ହାତଗଣତି ବରିଷ୍ଠ ନାଗରିକଙ୍କ ମଧ୍ୟରେ ସୀମିତ । ଏହି ପରିବେଶରେ ଇତିହାସର ପୁନଃଆଲୋଚ଼ନା ଗୁରୁତ୍ୱ ବହନ କରେ ।
 
ମହୁରି ରାଜ୍ୟ ୧୭୬୭ରେ ଇଣ୍ଟ ଇଣ୍ଡିଆ କମ୍ପାନୀ ଶାସନକୁ ଆସିବା ପୂର୍ବରୁ ୧୭୫୩ରୁ ୧୭୫୯ ଛଅବର୍ଷ ଫରାସୀ ଶାସନାଧୀନ ରହିଥିଲା । ଫରାସୀ ସୈନ୍ୟ ଦଳ ମହୁରି ରାଜ୍ୟରେ ପହଞ୍ଚିବା ପରେ ସେମାନଙ୍କ ଥଇଥାନ ମହୁରି ରାଜା କରିପାରିଲେ ନାହିଁ । ଫଳରେ ସେମାନେ ବ୍ରହ୍ମପୁରରେ ବ୍ୟାପକ ଲୁଟତରାଜ କରିଥିଲେ । ସ୍ଥାନୀୟ ବାସିନ୍ଦା ଏହାର ପ୍ରତିରୋଧ କରି ଫରାସୀ ଶାସନର ବିରୋଧ କରିଥିଲେ । ବ୍ରିଟିଶ ଶାସକ ମହୁରି ରାଜ୍ୟରେ ପହଞ୍ଚିବା ପରେ ବିଭିନ୍ନ କାରଣରୁ ବିରୋଧର ନେତୃତ୍ୱ ମହୁରି ପାଇକମାନଙ୍କ ଦ୍ୱାରା ୧୮୬୬ରେ ସଂଘଠିତ ନ’ଅଙ୍କ ଦୁର୍ଭିକ୍ଷ ଯାଏଁ ଦୀର୍ଘ ଶହେ ବର୍ଷ ଧରି ଜାରୀ ରହିଥିଲା । ବ୍ରହ୍ମପୁରରେ ବ୍ରିଟିଶ ବିରୋଧୀ ଏହି ଅଭିଯାନକୁ ସ୍ୱାଧୀନତା ସଂଗ୍ରାମର ଆଦି ପର୍ବ ଭାବେ ଗ୍ରହଣ କରାଯାଇପାରେ ।
 
ମହୁରି ରାଜ୍ୟରେ ବ୍ରିଟିଶ ଶାସନ ପ୍ରବର୍ତ୍ତିତ ହେବା ବେଳକୁ ମହୁରି ରାଜାଙ୍କ ନିକଟରେ ୨,୮୫୦ ଜଣ ପାଇକ ପଞ୍ଜୀକୃତ ଥିଲେ । ଏମାନଙ୍କୁ ଆବଶ୍ୟକମତେ ରାଜା ଦୈନିକ ମଜୁରୀ ଦେଇ ନିୟୋଜିତ କରୁଥିଲେ । ପଡ଼ୋଶୀ ରାଜ୍ୟମାନଙ୍କରୁ ମଧ୍ୟ ପାଇକ ସଂଗ୍ରହ ବିଧି ପ୍ରଚଳିତ ଥିଲା । ମହୁରି ରାଜ୍ୟରେ ବ୍ରିଟିଶ ଶାସନ ଲାଗୁ ପରଠୁ ଅଶାନ୍ତ ପରିବେଶ ଲାଗି ରହିଥିଲା । ଇଣ୍ଟ ଇଣ୍ଡିଆ କମ୍ପାନୀ ପକ୍ଷରୁ ଧାର୍ଯ୍ୟ କର ରାଜା ଠିକ ସମୟରେ ଦଖଲ କରିପାରୁ ନଥିଲେ, ରାଜ ପରିବାରରେ ଶାସନ କ୍ଷମତା ଅକ୍ତିଆର କରିବାକୁ ନେଇ ଦ୍ୱନ୍ଦ ଲାଗି ରହିଥିଲା ଏବଂ ଜନସାଧାରଣ ବ୍ରିଟିଶ ପ୍ରଶାସନଙ୍କ ନୀତି ଉପରେ ଅସନ୍ତୁଷ୍ଟ ଥିଲେ । ଫଳରେ ବାରମ୍ୱାର ଛୋଟବଡ଼ ବିଶୃଙ୍ଖଳା ସୃଷ୍ଟି ହେଉଥିଲା ଏବଂ ମୁଖ୍ୟତଃ ପାଇକ ସର୍ଦ୍ଦାରମାନେ ଏହାର ନେତୃତ୍ୱ ନେଉଥିଲେ ।
 
ମହୁରି ରାଜାଙ୍କ ପକ୍ଷରୁ ଗୋପୀ ମାର୍ଥାଙ୍କୁ ୧୭୮୧ରେ ଦିୱାନ ନିଯୁକ୍ତି ଦିଆଯାଇଥିଲା । ତେବେ ସେ କର ଆଦାୟରେ ବିଫଳ ରହିବାରୁ ବର୍ଷକ ପରେ ବ୍ରିଟିଶ ପ୍ରଶାସନ ନିର୍ଦ୍ଦେଶରେ ବରଖାସ୍ତ କରିଥିବାରୁ ସେ ସରକାରଙ୍କ ବିରୋଧରେ ବିଦ୍ରୋହ କରିଥିଲେ । ଏହି ସମୟରେ କର ଆଦାୟକୁ କେନ୍ଦ୍ର କରି ବ୍ରହ୍ମପୁର ରାଜପ୍ରସାଦକୁ କିଛି ଦିନ ବ୍ରିଟିଶ ପ୍ରଶାସନ ପକ୍ଷରୁ ଦଖଲ ଏବଂ ସମଗ୍ର ରାଜ୍ୟରେ ଫଳନ୍ତା ଫସଲକୁ ବାଜ୍ୟାପ୍ତ କରିଦେଇଥିଲେ । କର ଆଦାୟ ନିମନ୍ତେ କରସୁଜିଲାଲା ନାମକ ଜଣେ ରାଜପରିବାର ବାହାର ବ୍ୟକ୍ତିଙ୍କୁ ବ୍ରିଟିଶ ପ୍ରଶାସନ ଦାୟିତ୍ୱ ଅର୍ପଣ କରିଥିଲେ । ଏଥିରେ ରାଜପରିବାର ସଦସ୍ୟ ଓ ପାଇକମାନେ ଉତକ୍ଷିପ୍ତ ହୋଇ ବିଦ୍ରୋହ କରିଥିଲେ । ସୁରସିଂ ମାର୍ଥା ୧୭୮୯ରେ କରସୁଜଲାଲାଙ୍କୁ ହତ୍ୟା କରିଥିଲେ ।
 
ବ୍ରିଟିଶ ପ୍ରଶାସନ ମହୁରି ରାଜ୍ୟ ଦଖଲ ପରେ ମହୁରି ରାଜା ନାରାୟଣ ଦେବ ଓ ହରିହର ନରେନ୍ଦ୍ର ଦେବଙ୍କ ଶାସନ ସୀମା ଅଳ୍ପ କାଳ । ସେମାନଙ୍କ ମୃତ୍ୟୁ ପରେ ନରେନ୍ଦ୍ର ଦେବ ନିଃସନ୍ତାନ ଥିବା ହେତୁ ସାବତ ଭାଇମାନେ ରାଜଗାଦୀ ଦାବୀ କରିଥିଲେ । କିନ୍ତୁ ବ୍ରିଟିଶ ପ୍ରଶାସନ ରାଣୀ କୃଷ୍ଣପ୍ରିୟା ଦେବୀଙ୍କୁ ଶାସନଭାର ଅର୍ପଣ କରିବା ଫଳରେ ସାବତ ଭାଇ ସାନ ଦେଓ ଓ ମଝିଆ ଦେଓ ପାଇକମାନଙ୍କ ସହାୟତାରେ ବିଦ୍ରୋହ ଦୀର୍ଘ ସମୟ ଧରି ଚାଲିଥିଲା । କରସୁଜିଲାଲାଙ୍କ ମୃତ୍ୟୁ ପରେ ତାଙ୍କରି କନିଷ୍ଠ ଭ୍ରାତା ନସରଭାନଜୀ ଏବଂ ପରେ ବଦାମ ଚ଼େଲମାୟାଙ୍କୁ ବ୍ରିଟିଶ ପ୍ରଶାସନ ରାଜ୍ୟରୁ କର ଆଦାୟ ନିମନ୍ତେ ନିଯୁକ୍ତ କରିଥିବାରୁ ଜନଅସନ୍ତୋଷ ବ୍ୟାପିଥିଲା । ସୁରସିଂ ମାର୍ଥାଙ୍କ ମୃତ୍ୟୁପରେ ତାଙ୍କରି ପୁତୁରା ଲକ୍ଷ୍ମଣ ବିଷୋୟୀ ଘୁମୁସର ରାଜାଙ୍କ ସହଯୋଗରେ ଦୀର୍ଘ ୧୫ ବର୍ଷ ଧରି ବିଦ୍ରୋହ ଚଳାଇଥିଲେ । ଶେଷରେ ତାଙ୍କୁ ଆଜୀବନ ଦ୍ୱୀପାନ୍ତର ଦଣ୍ଡିତ କରାଯାଇଥିଲା ।
 
ଏତାଦୃଶଭାବେ ୧୮୫୦ ଅକ୍ଟୋବର ୭ ତାରିଖ ଦିନ ବ୍ରହ୍ମପୁର ସମେତ ସମଗ୍ର ମହୁରି ରାଜ୍ୟକୁ ବ୍ରିଟିଶ ପ୍ରଶାସନ ବାଜ୍ୟାପ୍ତ କରି ମାତ୍ର ୧୦୦ ଟଙ୍କାରେ କ୍ରୟ କରିଥିବା ଘୋଷଣା କରିଥିଲେ । ମହୁରି ରାଜ୍ୟ ମାଡ୍ରାସ ପ୍ରେସିଡ଼େନ୍ସି ଅଧୀନରେ ‘ବ୍ରହ୍ମପୁର ରେଭନ୍ୟୁ ତାଲୁକ’ ଭାବେ ଘୋଷିତ ହେବା ପରବର୍ତ୍ତୀ ପ୍ରାୟ ୫୦ ବର୍ଷ ବିଦ୍ରୋହ ପ୍ରଶମିତ ହୋଇ ବିଂଶ ଶତାଦ୍ଦୀ ଆରମ୍ଭରେ ପୁଣି ସ୍ୱାଧୀନତା ସଂଗ୍ରାମରୂପେ ଉଜ୍ୱୀବିତ ହୋଇଥିଲା ।

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୩୧ ଜୁଲାଇ ୨୦୨୧ / ପୃଷ୍ଠା :୮)

Photo by Lou Levit on Unsplash

Friday, July 23, 2021

Berhampur Silk / ବ୍ରହ୍ମପୁରୀ ପାଟ

 


#ବ୍ରହ୍ମପୁର ପାଟବସ୍ତ୍ର ନିମନ୍ତେ ଖ୍ୟାତ । ସପ୍ତଦଶ ଶତାଦ୍ଦୀର ଦ୍ୱିତୀୟାର୍ଦ୍ଧରେ ମହୁରି ରାଜ୍ୟର ରାଜଧାନୀ ରୂପେ ବ୍ରହ୍ମପୁର ବିକଶିତ ହେବା ପ୍ରାୟ ଶହେ ବର୍ଷ ପରେ ଅଷ୍ଟାଦଶ ଶତାଦ୍ଦୀ ଶେଷ ଭାଗରେ ପାଟବୁଣା କାର୍ଯ୍ୟ ଆରମ୍ଭ ହୋଇଥିବା ଇତିହାସ ପୃଷ୍ଠାରୁ ପ୍ରମାଣ ମିଳେ । ଏହି ଘଟଣାକ୍ରମ ନାଟକୀୟ ।
 
କୁହାଯାଏ ଯେ ମହୁରି ରାଜସିଂହାସନ ହରିହର ନରେନ୍ଦ୍ର ଦେବ ପିତା ନାରାୟଣ ଦେବଙ୍କ ମୃତ୍ୟୁପରେ ୧୭୭୦ ଫେବୃୟାରୀ ମାସରେ ଆରୋହଣ କରିଥିଲେ । ସେତେବେଳକୁ ତାଙ୍କରି ବୟସ ମାତ୍ର ୧୨ ବର୍ଷ । ସେହି ସମୟରେ ମହୁରି ରାଜପରିବାରରେ କନ୍ଦଳ ଲାଗି ରହିଥିଲା ଏବଂ ୨୪ ବର୍ଷ ବୟସରେ ୧୭୮୨ ଡ଼ିସେମ୍ୱର ମାସରେ ନରେନ୍ଦ୍ର ଦେବଙ୍କୁ ହତ୍ୟା କରାଯାଇଥିଲା ।
 
ବାରବର୍ଷ ରାଜତ୍ୱ ସମୟସୀମାରେ ନରେନ୍ଦ୍ର ଦେବ ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀ ଭ୍ରମଣରେ ଯାଇଥିଲେ । ସେଠାରେ ସ୍ଥାନୀୟ ଦେବାଙ୍ଗ ସମ୍ପ୍ରଦାୟର ବୁଣାକାରମାନେ ରାଜାଙ୍କୁ ସାକ୍ଷାତ କରି ସାଢ଼େ ପାଞ୍ଚ ମିଟର ଦୀର୍ଘ ଏକ ପାଟବସ୍ତ୍ର ଉପହାର ଦେଇଥିଲେ । ଉକ୍ତ ବସ୍ତ୍ରଟି ରାଜାଙ୍କ ହାତମୁଠାରେ ରହିଗଲା । ମହୁରି ରାଜା ଏଥିରେ ପ୍ରଭାବିତ ହୋଇ କିଛି ବୁଣାକାର ପରିବାରକୁ ନିଜ ରାଜ୍ୟରେ ଥଇଥାନ କରିବାର ପ୍ରତିଶୃତି ଦେଇଥିଲେ ।
 
ଦେବାଙ୍ଗ ସମ୍ପ୍ରଦାୟର ବୁଣାକାରମାନେ ଆନ୍ଧ୍ରପ୍ରଦେଶ ଗୋଦାବରୀ ଅବବାହିକାର ମୂଳ ବାସିନ୍ଦା । ସେମାନେ ଆନ୍ଧ୍ରପ୍ରଦେଶର ଅନ୍ୟାନ୍ୟ ଅଞ୍ଚଳ ସମେତ ତାମିଲନାଡୁ ଓ କର୍ଣ୍ଣାଟକରେ ମଧ୍ୟ ବସବାସ କରନ୍ତି । ମୁଖ୍ୟତଃ ପାଟବସ୍ତ୍ର ବୟନରେ ପାରଙ୍ଗମ ଥିଲେ । ଦେବଙ୍କ ଅଙ୍ଗବସ୍ତ୍ର ବୟନ କରୁଥିବା ହେତୁ ‘ଦେବାଙ୍ଗ’ ନାମିତ କରାଯାଇଥିବା ବିଚାର କରାଯାଏ ।
 
ରାଜକୃପା ଲାଭ କରି ବେଶ କିଛି ସଂଖ୍ୟକ ଦେବାଙ୍ଗ ପରିବାର ବ୍ରହ୍ମପୁର ପହଞ୍ଚିବାପରେ ଅଧୂନା ବଡ଼ବଜାରରେ ପୂର୍ବରୁ ପ୍ରତିଷ୍ଠିତ ରାଜଉଆସ ସଂଲଗ୍ନ ଅଞ୍ଚଳରେ ବସବାସ ଆରମ୍ଭ କରିଥିଲେ । ସଙ୍ଗେ ସଙ୍ଗେ ଗୃହ ନିର୍ମାଣ ସଂଭବପର ନହୋଇ ପାରିବା ହେତୁ କିଛି କାଳ ସେମାନେ ‘ଡ଼େରା’ ବା ‘ତମ୍ୱୁ’ ଟାଣି ରହିବାରୁ ସେମାନଙ୍କୁ ସ୍ଥାନୀୟ ଲୋକେ ‘ଡ଼େରା’ ନାମିତ କରିଥିବା ଅନୁମାନ କରାଯାଏ । ଅନ୍ୟପକ୍ଷରେ ‘ଡ଼ୋର’ ବା ସୂତା ବୟନରେ ସଂପୃକ୍ତ ଥିବା ହେତୁ ସେମାନଙ୍କୁ ‘ଡ଼େରା’ ନାମିତ କରିବା ମଧ୍ୟ ଯଥାର୍ଥ ।
 
ଅଷ୍ଟାଦଶ ଶତାଦ୍ଦୀ ଶେଷ ଭାଗରୁ ବିଂଶ ଶତାଦ୍ଦୀ ପ୍ରଥମ ଭାଗ ଯାଏଁ ସମଗ୍ର ଦକ୍ଷିଣ ଓଡ଼ିଶାରେ ବ୍ରହ୍ମପୁର ପାଟ ବସ୍ତ୍ର ପ୍ରସିଦ୍ଧି ଲାଭ କରିଥିଲା । ମହୁରି ରାଜଉଆସ ସମୀପରେ ବସ୍ତିମାନ ଗଢ଼ି ଡ଼େରା ପରିବାରବର୍ଗ ତନ୍ତ ଚାଳନା ସାଙ୍ଗକୁ ପାଟବସ୍ତ୍ର ବିକ୍ରୀବଟା ମଧ୍ୟ ଆରମ୍ଭ କରିଥିଲେ । ଫଳରେ ଏକ ବଜାର ଅଞ୍ଚଳ ସୃଷ୍ଟି ହୋଇଥିଲା । ବଡ଼ବଜାରର କେନ୍ଦ୍ର ‘ଦେଶୀ ବେହେରା ସାହୀ’ ଡ଼େରାମାନଙ୍କ ମୁଖ୍ୟ ବସ୍ତି । ବଡ଼ବଜାର ଓ ସାନବଜାରରେ ଡ଼େରା ପରିବାର ସଂଖ୍ୟା ବୃଦ୍ଧି ଫଳରେ ପ୍ରାୟ ୧୮ ଗୋଟି ବସ୍ତି ସୃଷ୍ଟି ହୋଇ ପ୍ରତ୍ୟେକ ବସ୍ତିରେ ଜଣେ ସେନାପତି ନିଯୁକ୍ତ ହୋଇଥିବା ପ୍ରମାଣ ମିଳେ ।
 
ବ୍ରହ୍ମପୁରରେ ପାଟବସ୍ତ୍ର ବୟନ ନିମନ୍ତେ କଞ୍ଚାମାଲ ପାଟସୂତା ଆଖପାଖ ଅଞ୍ଚଳରେ ମିଳେ ନାହିଁ । ପାଟସୂତା ପାଟପୋକର ଖୋସାରୁ ସଂଗୃହୀତ ହୁଏ । ପାଟପୋକ ତୁତଗଛ ଖାଇ ବଞ୍ଚେ ଏବଂ ତୁତ ଫସଲ ଥଣ୍ଡା ଓ ଶୁଷ୍କ ଜଳବାୟୁରେ ଚାଷ କରାଯାଏ । ବ୍ରହ୍ମପୁରର ଡ଼େରାମାନେ ପାଟସୂତା ବେଙ୍ଗାଲୁରୁ-ମହୀଶୂରରୁ ଆମଦାନୀ କରନ୍ତି । ମୂଳ ସୂତାକୁ ଏଠାରେ ରଙ୍ଗ କରାଯାଇ ପାଟ ବସ୍ତ୍ର ବୁଣାଯାଏ । ସାଧାରଣତଃ ମହିଳାମାନଙ୍କ ଶାଢ଼ୀ ଏବଂ ପୁରୁଷମାନଙ୍କ ବ୍ୟବହାର ନିମନ୍ତେ ଜଥା ଓ ଉତ୍ତରୀୟ ବ୍ରହ୍ମପୁରୀପାଟ ବୟନ ଶିଳ୍ପର ମୁଖ୍ୟ ଉତ୍ପାଦ । ଏଠାକାର କୁମ୍ଭ ଡ଼ିଜାଇନ ରାଜ୍ୟର କଟକୀ ଓ ସମ୍ୱଲପୁରୀ ପାଟବସ୍ତ୍ରଠାରୁ ସ୍ୱତନ୍ତ୍ରତା ଦାବୀ କରିଥାଏ ।
 
ବଡ଼ବଜାର ଓ ସାନବଜାର ଅଞ୍ଚଳରେ ପାଟତନ୍ତ ଓ ବଜାର ସୃଷ୍ଟିପରେ କ୍ରମଶଃ କଂସା ପିତ୍ତଳ ବାସନ ଏବଂ ସୁନା ବ୍ୟବସାୟୀ ଯୋଗ ଦେଇଥିଲେ । ଉନବିଂଶ ଶତାଦ୍ଦୀ ଶେଷଭାଗରୁ ଗୋପାଳପୁର ବନ୍ଦର ଯୋଗେ କଳତନ୍ତ ବସ୍ତ୍ର ସମେତ ଅନ୍ୟାନ୍ୟ ଦ୍ରବ୍ୟ ଆମଦାନୀ-ରପ୍ତାନୀ ପରେ ବଡ଼ବଜାର ସମଗ୍ର ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ନିମନ୍ତେ ବ୍ୟବସାୟ ପେଣ୍ଠରେ ପରିଣତ ହୋଇଥିଲା । ତେବେ ପାଟ ବୟନଶିଳ୍ପ ହିଁ ବ୍ରହ୍ମପୁର ବ୍ୟାବସାୟିକ ପରିବେଶର ମୂଳଦୁଆ ପକାଇଥିବା ସୁସ୍ପଷ୍ଟ ।
 
ପାରମ୍ପରିକ ଭାବେ ପାଟ ବା ସିଲକ ସୌଖୀନ ବସ୍ତ୍ର ଭାବେ ପରିଚ଼ିତ । ଧାର୍ମିକ, ରାଜନୀତିକ ଓ ସାମାଜିକ କ୍ଷେତ୍ରରେ ଏହାର ଗୁରୁତ୍ୱ ଦୀର୍ଘ ଅତୀତରୁ ବଳବତ୍ତର ରହିଆସିଛି । ଚୀନରେ ଖ୍ରୀଷ୍ଟପୂର୍ବ ଅଢ଼େଇ ହଜାର ବର୍ଷ ପୂର୍ବରୁ ପାଟ ବସ୍ତ୍ର ବ୍ୟବହାର ଆରମ୍ଭ ହୋଇଥିବା ପ୍ରମାଣ ମିଳେ । ଚୀନ ଓ ଭାରତରେ ପ୍ରଚଳିତ ପାଟବସ୍ତ୍ର ବୟନ କଳା କ୍ରମଶଃ ପଶ୍ଚିମ ଭୂଖଣ୍ଡକୁ ସଂପ୍ରସାରିତ ହୋଇଥିଲା । କିମ୍ୱଦନ୍ତୀ ଅନୁଯାୟୀ ଗ୍ରୀକ ବୀର ଆଲକଜେଣ୍ଡାର ଭାରତ ଆକ୍ରମଣ କାଳରେ କିଛି ପାଟ ବୁଣାକାରଙ୍କୁ ବନ୍ଦୀକରି ଗ୍ରୀସ ନେଇ ୟୁରୋପରେ ପାଟବୁଣା ଆରମ୍ଭ କରିଥିଲେ । ସମକାଳରେ ଫ୍ରାନ୍ସ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ସର୍ବାଧିକ ପ୍ରାୟ ୪୦ ପ୍ରତିଶତ ପାଟବସ୍ତ୍ର ବ୍ୟବହାର ହୋଇଥାଏ ।

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୪ ଜୁଲାଇ ୨୦୨୧ / ପୃଷ୍ଠା :୮)

Photo by Odd Fellow on Unsplash

Friday, July 16, 2021

Ganjam and Berhampur Town / ଗଞ୍ଜାମ ଓ ବ୍ରହ୍ମପୁର ସହର

 


ମହୁରି ରାଜବାଟୀକୁ କେନ୍ଦ୍ରକରି ଗଢ଼ି ଉଠିଥିବା ଜନବସତି #ବ୍ରହ୍ମପୁର ନାମିତ ହେବା ସମୟରେ ମହୁରି ରାଜ୍ୟ ମୋଗଲ ଅଧୀନରେ ହାଇଦରାବାଦ ନିଜାମଙ୍କ ଶାସନାଧୀନ ଥିଲା । ଐତିହାସିକ ତଥ୍ୟ ଅନୁଯାୟୀ ମହୁରି ରାଜ୍ୟ ୧୬୬୭ରୁ ୧୭୫୩ ପର୍ଯ୍ୟନ୍ତ ମୋଗଲ, ୧୭୫୩ ରୁ ସ୍ୱଳ୍ପକାଳ ଫରାସୀ ଏବଂ ପରେ ବ୍ରିଟିସ ଶାସନାଧୀନ ହୋଇଥିଲା । ମହୁରି ରାଜ୍ୟ ରାଜଧାନୀଭାବେ ବ୍ରହ୍ମପୁର ସହର କ୍ରମବିକଶିତ ହୋଇଥିବା ସ୍ଥଳେ ଏହା ଗଞ୍ଜାମ ଜିଲ୍ଲାର ସଦର ମହକୁମା ନ ହୋଇପାରିବା ପଛରେ ଏକ ବିଶିଷ୍ଟ ଘଟଣା ରହିଛି ।
 
ଦକ୍ଷିଣ ଓଡ଼ିଶାକୁ ଇଷ୍ଟଇଣ୍ଡିଆ କମ୍ପାନୀର ପ୍ରବେଶ ପରେ ୧୭୬୭ରେ ଗଞ୍ଜାମ ବନ୍ଦରରେ ପ୍ରଥମ ରେସିଡ଼ାଣ୍ଟ ଏଡ଼ୱାର୍ଡ କୋଟସ ଫୋର୍ଡ ନାମକ ଜଣେ ଇଂଲିଶ ଇଞ୍ଜିନିୟରଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା କାର୍ଯ୍ୟ ଆରମ୍ଭ କରିଥିଲା । ବ୍ରହ୍ମପୁର ମହୁରି ରାଜ୍ୟର ରାଜଧାନୀ ଥିବା ହେତୁ ବ୍ରହ୍ମପୁର ବଦଳରେ ଗଞ୍ଜାମରେ ମହୁରି ରାଜ୍ୟ ବଦଳରେ ନୂତନ ପ୍ରଶାସନିକ ଢ଼ାଞ୍ଚାରେ ଗଞ୍ଜାମ ଜିଲ୍ଲାର ମାନଚ଼ିତ୍ର ଅଙ୍କନ କରି ସଦର ମହକୁମା ସ୍ଥାପନ ଯୁକ୍ତିଯୁକ୍ତ ମନେହୁଏ । ମହୁରି ରାଜପରିବାର ବ୍ରିଟିସ ଶାସନାଧୀନ ହୋଇଥିଲେହେଁ ବରାବର ପ୍ରତିରୋଧ କରୁଥାନ୍ତି । ଫଳରେ ଦୁଇ ସହର ମଧ୍ୟରେ ଏକରକମ ଛକାପଞ୍ଜା ପରିସ୍ଥିତି ଲାଗି ରହିଥାଏ ।
 
ନୌବାଣିଜ୍ୟ ସମୃଦ୍ଧ ଗଞ୍ଜାମ ସହର ନବ ପ୍ରତିଷ୍ଠିତ ଗଞ୍ଜାମ ଜିଲ୍ଲାର ସଦର ମହକୁମା ରୂପେ ବିକଶିତ ହେବା ଅବସରରେ ବାଣିଜ୍ୟ କାରବାର ସାଙ୍ଗକୁ ପ୍ରଶାସନିକ ଦପ୍ତର, ସୈନ୍ୟ ଛାଉଣୀ ଇତ୍ୟାଦି ଉପସ୍ଥିତିରେ ଜନସଂଖ୍ୟା ଦୃତଗତିରେ ବୃଦ୍ଧି ପାଇବାକୁ ଲାଗିଲା । ଦୁଃଭାଗ୍ୟକ୍ରମେ ଜନସଂଖ୍ୟା ବୃଦ୍ଧି ସଙ୍ଗେ ସେଠାକାର ପରିମଳ ବ୍ୟବସ୍ଥାରେ ସୁଧାର ସଂଭବ ନ ହୋଇପାରିବା ହେତୁ ୧୮୧୫ରେ ମହାମାରୀ ବ୍ୟାପିଲା ଏବଂ ବହୁ ସଂଖ୍ୟକ ମୃତ୍ୟୁ ବରଣ କଲେ । ଫଳରେ ବ୍ରିଟିସ ପ୍ରଶାସନ ବାଧ୍ୟବାଧକତାରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ବଦଳାଇ ସେନାବାହିନୀ ପୁର୍ନବାସ ଆୟୋଜନରେ ଲାଗି ପଡ଼ିଥିଲେ ।
 
ଗଞ୍ଜାମ ସହର ପରେ ଜିଲ୍ଲାରେ ବ୍ରହ୍ମପୁର ଦ୍ୱିତୀୟ ବୃହତ ସହର ରୂପେ ଗଢ଼ି ଉଠିଥିବା ହେତୁ ସ୍ୱାଭାବିକଭାବେ ବ୍ରିଟିସ ପ୍ରଶାସନ ଗଞ୍ଜାମ ଜିଲ୍ଲାର ସଦର ମହକୁମା ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରିବା ନିମନ୍ତେ ଯୋଜନା କରିଥିଲେ । କିନ୍ତୁ ବ୍ରହ୍ମପୁରରେ ବ୍ରିଟିସ ଶାସକଙ୍କ ଉପସ୍ଥିତି ସେମାନଙ୍କ ଉତ୍ପାତର କାରଣ ସାଜିବା ଆଶଙ୍କାରେ ମହୁରି ରାଜା ଆପତ୍ତି ଉଠାଇଥିଲେ । ବ୍ରହ୍ମପୁରକୁ ସେ ନିଜର ବ୍ୟକ୍ତିଗତ ସମ୍ପତ୍ତି ଦାବୀ କରିଥିଲେ । ଅନ୍ୟ ଉପାୟ ନପାଇ ଗଞ୍ଜାମ ସହରରୁ କିଛି ଦୂରରେ ଅବସ୍ଥିତ ସୀତାରାମପଲ୍ଲୀକୁ ଜିଲ୍ଲା ସଦର ମହକୁମା ଘୁଞ୍ଚାଇ ଅଣାଯାଇଥିଲା । ପରବର୍ତ୍ତୀ କାଳରେ ଏହା ଛତ୍ରପୁର ନାମିତ ହେଲା ।
 
ବ୍ରିଟିସ ଶାସନାଧୀନ ମହୁରି ରାଜାଙ୍କ କର ପ୍ରଦାନ ସଂପର୍କୀତ ବିବାଦ ଲାଗି ରହିଥାଏ । ଗଞ୍ଜାମ ଜିଲ୍ଲା ସଦର ମହକୁମା ସ୍ଥାନାନ୍ତର ଘଟଣାର ମାତ୍ର ୨୦ ବର୍ଷପରେ ୧୮୩୫ରେ ବକେୟା କର ବାବଦରେ ଅର୍ଥ ପ୍ରଦାନ ନକରିପାରିବା ହେତୁ ବ୍ରହ୍ମପୁର ସହରକୁ ବ୍ରିଟିସ ପ୍ରଶାସନ କ୍ରୟ କରିନେଲେ । ଫଳରେ ବ୍ରହ୍ମପୁରରେ ସେମାନଙ୍କ ପକ୍ଷରୁ ପ୍ରଶାସନିକ ଦପ୍ତରମାନ ସ୍ଥାପନ କରିବାରେ ଆଉ ପ୍ରତିରୋଧ ରହିଲା ନାହିଁ । କାଳକ୍ରମେ କେତେକ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ବ୍ରହ୍ମପୁରକୁ ସ୍ଥାନାନ୍ତରିତ ହେଲା ।
 
ବ୍ରହ୍ମପୁର ପୌରପାଳିକା ୧୮୬୭ରେ ପ୍ରତିଷ୍ଠିତ ହୋଇଥିଲା । ୧୮୭୧ରେ ଜନଗଣନା ଅନୁଯାୟୀ ସହରର ଜନସଂଖ୍ୟା ପ୍ରାୟ ୨୨ ହଜାର ଥିଲା । କିନ୍ତୁ ଷାଠିଏ ବର୍ଷ ପୂର୍ବେ ୧୮୧୫ରେ ଗଞ୍ଜାମ ସହରରେ ମହାମାରୀ ବେଳେ ଜନସଂଖ୍ୟା ତିରିଶି ହଜାର ଥିବା କୁହାଯାଏ । ଐତିହାସିକଙ୍କ ମତରେ ଗଞ୍ଜାମ ମହାମାରୀରେ ଚ଼ବିଶି ହଜାର ଯାଏଁ ଜନସଂଖ୍ୟା ପରବର୍ତ୍ତୀ ତିନି ବର୍ଷ ମଧ୍ୟରେ ଗଞ୍ଜାମ ସହର ଛାଡ଼ିଥିଲେ । ରେକର୍ଡ଼ ଅନୁଯାୟୀ ୧୯୧୮ ସୁଦ୍ଧା ଗଞ୍ଜାମ ସହରର ଜନସଂଖ୍ୟା ଛଅ ହଜାରକୁ ହ୍ରାସ ପାଇଥିଲା ।
 
ବ୍ରିଟିସ ପ୍ରଶାସକ ଟି.ଜେ.ମାଲଟବୀଙ୍କ ଦ୍ୱାରା ପ୍ରସ୍ତୁତ ତଥା ୧୯୧୮ରେ ପ୍ରକାଶିତ ଗଞ୍ଜାମ ଡ଼ିଷ୍ଟ୍ରୀକ୍ଟ ମାନୁଏଲରେ ଉଲ୍ଲେଖ ରହିଛି ଯେ ୧୮୧୫ ଗଞ୍ଜାମ ମହାମାରୀର ପ୍ରକୃତ କାରଣ ଓ ବିବରଣୀ ରହସ୍ୟାବୃତ । ମହାମାରୀ ପରେ ପ୍ରଶାସନ ପକ୍ଷରୁ ଏକ କମିଟି ଗଠନ ହୋଇ ତଦନ୍ତ କରାଯାଇଥିଲା ଏବଂ କମିଟିଙ୍କ ପରାମର୍ଶକ୍ରମେ ଲୋକାଲ ଫଣ୍ଡ ଅର୍ଥରେ ନାଳନର୍ଦ୍ଦମା ନିର୍ମାଣ ଓ ଜଳଉତ୍ସର ଉନ୍ନତି ଲାଗି ପଦକ୍ଷେପମାନ ଗ୍ରହଣ କରାଯାଇଥିଲା । ପରିମଳ କାରଣରୁ ଗଞ୍ଜାମ ସହରର ପତନ ହୋଇଥିବା ହେତୁ ବ୍ରହ୍ମପୁରରେ ପୌରପାଳିକା ପ୍ରତିଷ୍ଠା ପରେ ପରିମଳ ଓ ଜଳଉତ୍ସ ଦିଗରେ ବିହିତ ଧ୍ୟାନ ଦିଆ ଯାଇଥିଲା ଏବଂ ଏହି ପ୍ରକ୍ରିୟା ସ୍ୱାଧୀନୋତ୍ତର ଅବସ୍ଥାଯାଏଁ ବଳବତ୍ତର ରହିଥିବା ଲକ୍ଷ୍ୟ କରାଯାଏ । ଏପରିକି ମାଡ୍ରାସ ପ୍ରେସିଡ଼େନ୍ସିରେ ପରିମଳ ଦୃଷ୍ଟିରୁ ବ୍ରହ୍ମପୁର ପୌରପାଳିକା ଉତ୍କର୍ଷ ମାନ୍ୟତା ପାଇଥିବା ଜଣାଯାଏ ।

(Photo by Raimond Klavins on Unsplash)

Friday, July 9, 2021

Dilip Kumar / ଦିଲ୍ଲୀପ କୁମାର

 

ଦିଲ୍ଲୀପ କୁମାର ୯୮ ବର୍ଷ ବୟସରେ ୭ ଜୁଲାଇ ୨୦୨୧ରେ ମୃତ୍ୟୁ ବରଣ କଲେ । ସେହି ସମୟ ବେଳକୁ #ବ୍ରହ୍ମପୁର ସହରରେ ତାଙ୍କରି ପ୍ରଶଂସକଙ୍କ ମଧ୍ୟରୁ ବହୁ ସଂଖ୍ୟକ ଆରପାରିକୁ ଚାଲିଯାଇଛନ୍ତି । ବଲିଉଡ଼ ଚଳଚ଼ିତ୍ର ଜଗତରେ ଦିଲ୍ଲୀପ କୁମାରଙ୍କ ଗତ ଶତାଦ୍ଦୀର ଷଷ୍ଠ ଓ ସପ୍ତମ ଦଶକରେ ଆଧିପତ୍ୟ ଜାହିର କାଳରେ ତତ୍ କାଳୀନ ଚଳଚ଼ିତ୍ର ଦର୍ଶକଙ୍କ ବୟସ ହାରାହାରି ୨୦ ବର୍ଷ ଧରିନେଲେ ସେମାନଙ୍କ ଜନ୍ମକାଳ ୧୯୩୫ ରୁ ୧୯୫୫ ମସିହା । ଅର୍ଥାତ ସହରବାସୀଙ୍କ ମଧ୍ୟରେ ୬୫ ରୁ ୮୫ ବର୍ଷ ବୟସ୍କଙ୍କ ମଧ୍ୟରୁ ଏକାଂଶ ରୂପେଲି ପରଦାରେ ଏକଦା ସେହି ଲୋକପ୍ରିୟ ନାୟକଙ୍କ ଯାଦୁକାରୀ ଅଭିନୟରେ ମୁଗ୍ଧ ହେବା ଅଭିଜ୍ଞତାର ଅଧିକାରୀ ।
 
ସ୍ୱାଧୀନୋତ୍ତର ବ୍ରହ୍ମପୁରରେ ୧୯୪୭ ରୁ ୧୯୮୨ ଯାଏଁ ୩୫ ବର୍ଷ ଧରି ବମ୍ୱେ ଓ ମାଡ୍ରାସର ଚଳଚ଼ିତ୍ର ପ୍ରଦର୍ଶନ ମନୋରଞ୍ଜନର ପ୍ରମୁଖ ମଞ୍ଚ ପାଲଟିଥିଲା । କ୍ରମାନ୍ୱୟରେ ପ୍ରତିଷ୍ଠିତ ଏସଏସଭିଟି, ଜ୍ୟୋତି, ବିଜୟା ଓ ଉତ୍କଳ ସପ୍ତାହର ପ୍ରତିଦିନ ତିନିଗୋଟି ସୋ’ ଏବଂ ଶନି ଓ ରବିବାର ଦିନ ୧୦ଟାରେ ମର୍ଣ୍ଣିଂ ସୋ’ ସାଙ୍ଗକୁ ସ୍ଥଳବିଶେଷରେ ମଧ୍ୟାହ୍ନ ୧୨ଟାରେ ନୁନ ସୋ’ ମଧ୍ୟ ଆୟୋଜନ କରୁଥିଲେ । ମୂଳସ୍ରୋତର ହିନ୍ଦି ଓ ତେଲୁଗୁ ଚଳଚ଼ିତ୍ରଗୁଡ଼ିକ ମ୍ୟାଟିନି, ସାନ୍ଧ୍ୟ ଓ ରାତି ସୋ’ରେ ଖେଳୁଥିବା ସ୍ଥଳେ ହଲିଉଡ଼ ଇଂଲିଶ ଚଳଚ଼ିତ୍ର ମର୍ଣ୍ଣିଂ ସୋ’ରେ ଚାଲୁଥିଲା । ଅଷ୍ଟମ ଓ ନବମ ଦଶକରେ ଦ୍ୱିତୀୟ ଶ୍ରେଣୀର ହିନ୍ଦି ଚଳଚ଼ିତ୍ର ନୁନ ସୋ’ରେ ପ୍ରଦର୍ଶିତ ହେଉଥିଲା । ବ୍ରହ୍ମପୁରରେ ଚଳଚ଼ିତ୍ର ଦେଖାର ମୋହରେ କେବଳ ସହର କାହିଁକି ସମଗ୍ର ଗଞ୍ଜାମ ଜିଲ୍ଲା ତଥା ପଡ଼ୋଶୀ ଜିଲ୍ଲାର ଯୁବ ଦର୍ଶକବର୍ଗ ଆକୃଷ୍ଟ ହୋଇ ପଡୁଥିଲେ ।
 
ଦିଲ୍ଲୀପ କୁମାରଙ୍କ ଜନ୍ମ ୧୯୨୨ରେ ଏବଂ ସେ ୨୨ ବର୍ଷ ବୟସରେ ୧୯୪୪ରେ ‘ଜୁଆର ଭଟ୍ଟା’ ନାମକ ହିନ୍ଦି ଚଳଚ଼ିତ୍ରରେ ଅଭିନୟ ଜଗତରେ ପାଦ ଥୋଇଥିଲେ । ତେବେ ୧୯୫୩ରେ ‘ନୟା ଦୌର’, ୧୯୫୫ରେ ‘ଦେବଦାସ’ ଓ ୧୯୫୮ରେ ‘ମଧୁମତୀ’ ଭଳି ଚଳଚ଼ିତ୍ରରେ ସୁପରଷ୍ଟାର ସ୍ତରକୁ ଉନ୍ନୀତ ହୋଇଥିଲେ । ୧୯୬୦ରେ ‘ମୋଗଲ-ଇ-ଆଜାମ’ ଓ ୧୯୬୧ରେ ‘ଗଙ୍ଗା ଯମୁନା’ ତାଙ୍କରି ଲୋକପ୍ରିୟତାକୁ ପରିବ୍ୟାପ୍ତ କରିଥିଲା । ଏସବୁ ଚଳଚ଼ିତ୍ର ବ୍ରହ୍ମପୁରରେ ବେଶ ଆଦୃତ ହୋଇଥିଲା । ସେ ସମୟରେ ଗୋଟିଏ ହିଟ ଚଳଚ଼ିତ୍ର ତିନି ରୁ ଚାରି ସପ୍ତାହ ଯାଏଁ ଚାଲେ । ମୁମ୍ୱାଇ ଭଳି ବଡ଼ ସହରରେ ତ ଅଧିକାଂଶ ୨୫ ସପ୍ତାହ ‘ସିଲଭର ଜୁବୁଲି’ ପାଳନ କରୁଥିଲା । ଅନ୍ୟତ୍ର ଭଳି ବ୍ରହ୍ମପୁରରେ ମଧ୍ୟ ପ୍ରଶଂସକମାନେ ଗୋଟିଏ ଚଳଚ଼ିତ୍ରକୁ ବାରମ୍ୱାର ଦେଖିବାରେ ପଛଘୁଞ୍ଜା ଦେଉନଥିଲେ ।
 
ଦିଲ୍ଲୀପ କୁମାରଙ୍କ ଅଭିନୟର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୁଏ ୧୯୬୪ରେ ନିର୍ମିତ ‘ଲିଡ଼ର’ ଚଳଚ଼ିତ୍ରରୁ । ଏହା ପରକୁ ୧୯୬୬ରେ ‘ଦିଲ ଦିୟା ଦର୍ଦ ଲିଆ’, ୧୯୬୭ରେ ‘ରାମ ଔର ଶ୍ୟାମ’, ୧୯୬୮ରେ ‘ଆଦମୀ’ ଓ ୧୯୭୦ରେ ‘ଗୋପୀ’ ମୁକ୍ତିଲାଭ କରିଥିଲା । ଅଷ୍ଟମ ଦଶକରେ ରୋମାଣ୍ଟିକ ରାଜେଶ ଖାନ୍ନା ଓ ଏଙ୍ଗ୍ରି-ୟଙ୍ଗ-ମ୍ୟାନ ଅମିତାଭ ବଚ୍ଚନଙ୍କ ଆବିର୍ଭାବପରେ ଟ୍ରାଜେଡ଼ି-କିଙ୍ଗ ଦିଲ୍ଲୀପ କୁମାରଙ୍କ ଯୁଗର ଅବସାନ ଘଟିଥିଲା । ତୃତୀୟ ପର୍ଯ୍ୟାୟରେ ସେ ଚ଼ରିତ୍ର ଅଭିନେତା ଭାବେ ୧୯୮୧ରେ ‘କ୍ରାନ୍ତି’, ୧୯୮୨ରେ ‘ବିଧାତା’ ଓ ‘ଶକ୍ତି’, ୧୯୮୪ରେ ‘ମଶାଲ’, ୧୯୯୧ରେ ‘ସୌଦାଗର’ ଓ ୧୯୯୮ରେ ‘କିଲା’ ପ୍ରଭୃତି ଚଳଚ଼ିତ୍ରରେ ଅଭିନୟ କରିଥିଲେ ।
 
ଦିଲ୍ଲୀପ କୁମାରଙ୍କ ବଲିଉଡ଼ରେ ପ୍ରାୟ ୬୫ ଗୋଟି ଚଳଚ଼ିତ୍ର ମଧ୍ୟରୁ ଅଧିକାଂଶ ବ୍ରହ୍ମପୁର ରୁପେଲି ପରଦାରେ ଦୀର୍ଘ ୫୦ ବର୍ଷ ଧରି ପ୍ରଦର୍ଶିତ ହୋଇ ଆସିଥିଲା । ପରବର୍ତ୍ତୀକାଳରେ ଟେଲିଭିଜନ, ଭିଡ଼ିଓ ଓ ଓଭର-ଦି-ଟପ ମଞ୍ଚରେ ମଧ୍ୟ ତାଙ୍କରି ଅଭିନୟ ଜୀବନ୍ତ ରହିଛି । ଏହି ପରିପ୍ରେକ୍ଷୀରେ ସମଗ୍ର ଭାରତ ସମେତ ବ୍ରହ୍ମପୁର ଚଳଚ଼ିତ୍ର ଦର୍ଶକ ପୀଢ଼ି ପର ପୀଢ଼ି ପ୍ରଭାବିତ ହେବା ସ୍ୱାଭାବିକ । ଦିଲ୍ଲୀପ କୁମାରଙ୍କ ଅଭିନୟରେ ସ୍ୱତନ୍ତ୍ରତା ରହିଥିଲା । ତାଙ୍କରି ସଂଳାପ ଉଚ୍ଚାରଣ ପ୍ରଶଂସକଙ୍କ ମଧ୍ୟରେ କରତାଳିରେ ପ୍ରତିଧ୍ୱନିତ ହେଉଥିଲା । ବ୍ରହ୍ମପୁରରେ ବିଜୟା ଟକିଜ ଓ ଉତ୍କଳ ସିନେମାରେ ବଡ଼ ପରଦାରେ କଳାଧଳାଠାରୁ ଆରମ୍ଭ କରି ରଂଗୀନ ପର୍ଦ୍ଦାରେ ପଚାଶ ବର୍ଷ ପୂର୍ବର ଦିଲ୍ଲୀପ କୁମାରଙ୍କ ସ୍ମୃତି କ୍ରମଶଃ ଇତିହାସ ପାଲଟି ଗଲାଣି । ବର୍ତ୍ତମାନ ତାଙ୍କରି ଅଭିନୀତ ଡ଼ଜନେରୁ ଉର୍ଦ୍ଧ୍ୱ ଚଳଚ଼ିତ୍ର ‘ୟୁଟ୍ୟୁବ’ରେ ଉପଲବ୍ଧ ।
 
ଅଧିକାଂଶ ଚଳଚ଼ିତ୍ରରେ ଦିଲ୍ଲୀପ କୁମାରଙ୍କ ଚ଼ରିତ୍ର ଦେଶର ସାଧାରଣ ସଚ୍ଚୋଟ ନାଗରିକର ନ୍ୟାର୍ଯ୍ୟ ଦାବୀ ହାସଲ ନିମନ୍ତେ ଅହରହ ସଂଘର୍ଷର କାହାଣୀ ଉପସ୍ଥାପିତ କରୁଥିଲା । ‘ଗୋପୀ’ ଚଳଚ଼ିତ୍ରରେ ତାଙ୍କରି ଗୋଟିଏ ସଂଳାପ ଥିଲା, “ଐସା କଳିକାଳ ଆୟେଗା, ଧରମ-ଭି-ହୋଗା, କରମ-ଭି-ହୋଗା, ଲେକିନ ଶରମ-ନାହିଁ-ହୋଗା !”

( ‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୦ ଜୁଲାଇ ୨୦୨୧ / ପୃଷ୍ଠା :୮)

Friday, July 2, 2021

Berhampur Big Bazar / ବଡ଼ ବଜାର

 


#ବ୍ରହ୍ମପୁର ବଡ଼ ବଜାରରେ ପାରମ୍ପରିକଭାବେ ପାଟ, ସୁନାଗହଣା ସାଙ୍ଗକୁ ପାଇକାରୀ ଖାଦ୍ୟସାମଗ୍ରୀ ଓ ପନିପରିବା କାରବାର ହୋଇଥାଏ । କେରାଣ୍ଡିମାଳ ପାଦ ଦେଶରେ ପ୍ରତିଷ୍ଠିତ କଙ୍କିଆ ମହୁରିଗଡ଼ ପରିତ୍ୟାଗ କରି ଅଧୂନା ବଡ଼ ବଜାରଠାରେ ନବ ନିର୍ମିତ ରାଜପ୍ରସାଦରେ ସପ୍ତଦଶ ଶତାଦ୍ଦୀ ଦ୍ୱିତୀୟାର୍ଦ୍ଧରୁ ରାଜପରିବାର ବସବାସ କରିବାପରେ ଉଆସକୁ ଘେରି ଜନବସତି ଗଢ଼ି ଉଠିଥିଲା । ରାଜପ୍ରସାଦ ନିର୍ମାଣର ଅଳ୍ପ ସମୟ ମଧ୍ୟରେ ରାଜକୃପା ଲାଭକରି ଆନ୍ଧ୍ରପ୍ରଦେଶ ରାଜମହେନ୍ଦ୍ରୀ ଅଞ୍ଚଳରୁ ‘ଦେବାଙ୍ଗ’ ସଂପ୍ରଦାୟର ବୁଣାକାର ପରିବାରବର୍ଗ ଏହା ସମୀପରେ ବସବାସ ଆରମ୍ଭ କରିଥିଲେ । ଜନଶୃତି ଅନୁଯାୟୀ ବର୍ହିଃଆଗତ ଦେବାଙ୍ଗମାନେ ପ୍ରଥମେ ଡ଼େରା ପକାଇ ବା ତମ୍ୱୁ ଟାଣି କିଛି କାଳ ବସବାସ କରିଥିବା ହେତୁ ସେମାନଙ୍କୁ ‘ଡ଼େରା’ ସଂପ୍ରଦାୟ ନାମିତ କରାଯାଇଥାଏ । ବର୍ତ୍ତମାନ ସୁଦ୍ଧା ନିଶ୍ଚିହ୍ନ ରାଜପ୍ରସାଦର ସମୀପବର୍ତ୍ତୀ ବସ୍ତି ‘ଦେଶୀବେହରା ସାହୀ’ ନାମିତ । ସେଠାରେ ଡ଼େରା ସଂପ୍ରଦାୟ ମୁଖ୍ୟ ସେନାପତିଙ୍କ ବାସଗୃହ ରହିଛି ଏବଂ ପ୍ରତି ବର୍ଷକ ଅନ୍ତରରେ ତାଙ୍କରି ବାସଗୃହ ସାମ୍ନାରେ ପ୍ରସିଦ୍ଧ ଠାକୁରାଣୀ ଯାତ୍ରାର ଅସ୍ଥାୟୀ ମନ୍ଦିର ନିର୍ମିତ ହୁଏ ।
 
ଦେବାଙ୍ଗ ସଂପ୍ରଦାୟର ବୁଣାକାରମାନେ ପାଟବସ୍ତ୍ର ବୟନକରି ବିକ୍ରୀବଟା ଆୟୋଜନ କରୁଥିଲେ । ପାଟବସ୍ତ୍ର ଉପକୂଳ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଆଦୃତ ହେବା ହେତୁ କ୍ରମଶଃ ସେମାନଙ୍କ ବାସସ୍ଥଳୀ ଛୋଟମୋଟ ବଜାରରେ ପରିଣତ ହେବାରେ ଲାଗିଲା । ରାଜପରିବାରଙ୍କ ସ୍ଥାନାନ୍ତର ସହ ସେମାନଙ୍କ ସେନାବାହିନୀ ମଧ୍ୟ ନୂତନ ଉଆସର କିଛି ଦୂରରେ ବସତି ସ୍ଥାପନ କରି ଆଖପାଖ ଜମିରେ ଚାଷ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସେହି ଅଞ୍ଚଳ ବର୍ତ୍ତମାନ ପୁରୁଣା ବ୍ରହ୍ମପୁର ନାମିତ । କ୍ରମଶଃ ପଡ଼ୋଶୀ ଗ୍ରାମାଞ୍ଚଳରୁ ପିତ୍ତଳ କଂସାବାସନ ନିର୍ମାତାଙ୍କ ସହ କ୍ରମବର୍ଦ୍ଧିଷ୍ଣୁ ଜନବସତି ଓ ବଜାରଘାଟର ଚାହିଦା ମେଣ୍ଟାଇବା ନିମନ୍ତେ ଅନ୍ୟାନ୍ୟ ବର୍ଗର କାରିଗର ପହଞ୍ଚିଲେ । ବଡ଼ ବଜାର ପାଟ ଦୋକାନ ସାଙ୍ଗକୁ ପିତ୍ତଳ କଂସାବାସନ ବଜାରରେ ପରିଣତ ହେଲା । ପରବର୍ତ୍ତୀ ପର୍ଯ୍ୟାୟରେ ଖାଦ୍ୟ, ପରିବା ଓ ଆମିଷ ବଜାର ମଧ୍ୟ ଗଢ଼ି ଉଠିଲା । ଏଥିରେ ବହୁ ବ୍ୟବସାୟୀ ନିୟୋଜିତ ହୋଇ ଗୁଜୁରାଣ ମେଣ୍ଟାଇଲେ ।
 
ପରବର୍ତ୍ତୀ ପର୍ଯ୍ୟାୟରେ ଊନବିଂଶ ଶତାଦ୍ଦୀରେ ଗୋପାଳପୁର ବନ୍ଦର କାରବାର ବୃଦ୍ଧି ଫଳରେ ବଡ଼ ବଜାର ଗୁରୁତ୍ୱ ବଢ଼ିଗଲା । ଦକ୍ଷିଣ ଓଡ଼ିଶା ମାଳାଞ୍ଚଳର ଜଙ୍ଗଲଜାତ ଦ୍ରବ୍ୟ ରପ୍ତାନୀ ଓ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଆମଦାନୀ ଲାଗି ବଡ଼ ବଜାରରେ ରାଜ୍ୟବାହାରର ବଡ଼ ବ୍ୟବସାୟୀମାନେ ଆସ୍ଥାନ ଜମାଇଲେ । ସ୍ଥାନୀୟ ଚାହିଦାକୁ ହୃଦୟଙ୍ଗମ କରି ଦକ୍ଷିଣଭାରତୀୟ ବ୍ୟବସାୟୀମାନେ ସୁନାରୂପା ଓ ବସ୍ତ୍ର ବଜାର ଆରମ୍ଭ କଲେ । ବିଂଶ ଶତାଦ୍ଦୀ ଆରମ୍ଭରୁ ରେଳପଥ ସହ ସଂଯୋଗ ପରେ ବ୍ରହ୍ମପୁର ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶର ଅନ୍ୟତମ ବ୍ୟବସାୟ କେନ୍ଦ୍ର ରୂପେ ଗଢ଼ି ଉଠିଲା । ବ୍ରହ୍ମପୁରରୁ ବିଶାଖାପାଟଣା ୨୮୦, ରାୟପୁର ୫୬୦ ଓ କଟକ ବଜାର ୧୯୦ କିଲୋମିଟର ପରିଧିରେ ବଡ଼ ବଜାର ମୁଖ୍ୟତଃ ପାଇକାରୀ ବଜାରର ଖ୍ୟାତି ଅର୍ଜନ କଲା ।
 
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନପରେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ପ୍ରଶାସନିକ କେନ୍ଦ୍ରରୂପେ ଚ଼ିହ୍ନିତ ହେବା ଏବଂ ସ୍ୱାଧୀନୋତ୍ତର ଅବସ୍ଥାରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ସୁବିଧା ହେତୁ ଗ୍ରାମାଞ୍ଚଳରୁ ପରିବାରବର୍ଗ ସହରରେ ସ୍ଥାୟୀଭାବେ ବସବାସ ଫଳରେ ଜନସଂଖ୍ୟା ବୃଦ୍ଧି ବଡ଼ ବଜାରର ଆକାର ଓ କାରବାର ବୃଦ୍ଧିରେ ପର୍ଯ୍ୟବସିତ ହେଲା । ଏକବିଂଶ ଶତାଦ୍ଦୀ ଆରମ୍ଭ ସୁଦ୍ଧା ବଡ଼ ବଜାର କଟକର ମାଲଗୋଦାମ ପରେ ଅନ୍ୟତମ ସର୍ବାପେକ୍ଷା ଜନାକୀର୍ଣ୍ଣ ବଜାର । ପ୍ରବଳ ଜନଗହଳି ହେତୁ ଦୀର୍ଘ ଦିନରୁ ବ୍ରହ୍ମପୁର ବଡ଼ ବଜାରରେ ଦିନବେଳା ସାମଗ୍ରୀ ପରିବହନ ଯାନବାହାନର ପ୍ରବେଶ ନିଷିଦ୍ଧ କରାଯାଇଛି । ଫଳରେ ରାତିବେଳା ସାମଗ୍ରୀ ବୋଝାଇବା ଓ ଓହ୍ଲାଇବା ପାଇକାରୀ ବ୍ୟବସାୟୀଙ୍କ ନିମନ୍ତେ ଏକ ଅସମାହିତ ସମସ୍ୟାରେ ପରିଣତ ହୋଇ ରହିଛି । ବର୍ତ୍ତମାନ ମହାମାରୀପରେ ଦୁରବସ୍ଥାନ ନୀତି ପାଳନ ମୋଟରୁ ସଂଭବ ହୋଇପାରୁ ନାହିଁ ।
 
ଏହି ପରିପ୍ରେକ୍ଷୀରେ ସହରାଞ୍ଚଳର ଭିତ୍ତିଭୂମି ପ୍ରସ୍ତୁତି, ଟ୍ରାଫିକ ନିୟନ୍ତ୍ରଣ ଓ ଜନସ୍ୱାସ୍ଥ୍ୟ ସମସ୍ୟା ସମାଧାନରେ ପ୍ରାଥମିକ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର, ସମ୍ୱଲପୁର ଓ ବ୍ରହ୍ମପୁର ଭଳି ବଡ଼ ସହରମାନଙ୍କରେ ସହର ଉପାନ୍ତରେ ପ୍ରଶସ୍ତ ମଣ୍ଡି ନିର୍ମାଣଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏହି ଘଟଣାକ୍ରମରେ ‘କୋଭିଡ଼-୧୯’ ଦ୍ୱିତୀୟ ତରଙ୍ଗ ଆରମ୍ଭ ପୂର୍ବରୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ବ୍ୟବସାୟୀଙ୍କ ସହ ଏକ ବୈଠକ ଆୟୋଜନ ହୋଇଥିଲା । ଦ୍ୱିତୀୟ ତରଙ୍ଗ ନରମି ଯିବାପରେ ସେଦିଗରେ ପୁନଃତତ୍ପରତା ଆଶା କରାଯାଉଛି ।
 
ବ୍ରହ୍ମପୁର ବଡ଼ ବଜାରରୁ ପାଇକାରୀ ବ୍ୟବସାୟ ଉଠାଇ ନିଆଯାଇ ନବ ପ୍ରତିଷ୍ଠିତ ହଳଦିଆପଦର ବସଷ୍ଟାଣ୍ଡରୁ ୨/୩ କିଲୋମିଟର ଦୂରବର୍ତ୍ତୀ ଏକ ଖୋଲା ସରକାରୀ ଜମିରେ ମଣ୍ଡି ନିର୍ମାଣଲାଗି ବିଚାର କରାଯାଉଥିବା ପ୍ରକାଶ । ସ୍ଥାନୀୟ ବ୍ୟବସାୟୀ ସଂଘର ପ୍ରତିନିଧିମାନେ ପ୍ରସ୍ତାବିତ ସ୍ଥାନ ପରିଦର୍ଶନର କାର୍ଯ୍ୟକ୍ରମ ମହାମାରୀ କାରଣରୁ ସ୍ଥଗିତ ରଖାଯାଇଥିବା ସ୍ଥଳେ ନିକଟ ଭବିଷ୍ୟତରେ କାର୍ଯ୍ୟକାରୀ ହେବା ସଂଭବ ।
 
ସହର ମଧ୍ୟରୁ ପାଇକାରୀ ବଜାର ସହରତଳି ଅଞ୍ଚଳରୁ ଉଠାଇ ନେବା ଏବଂ ଆବଶ୍ୟକୀୟ ସୁବିଧାସୁଯୋଗ ସହ ନୂତନ ଢଙ୍ଗରେ ବଜାର ଗଢ଼ି ତୋଳିବା କାର୍ଯ୍ୟ ଦେଶର ବଡ଼ ବଡ଼ ସହରରେ କାର୍ଯ୍ୟକାରୀ ହୋଇଛି । ବ୍ରହ୍ମପୁର ଆଜି ନହେଲେ କାଲି ଯେ ସେହି ରାସ୍ତାରେ ଯିବ, ଏଥିରେ ସନ୍ଦେହ ନାହିଁ । ତେବେ ଏଭଳି ପ୍ରସ୍ତାବକୁ ସ୍ଥାନୀୟ ବ୍ୟବସାୟୀମାନେ କେତେଦୂର ଗ୍ରହଣ କରିବେ ତାହା ଏକ ବଡ଼ ପ୍ରଶ୍ନ । ପାରମ୍ପରିକ ବ୍ରହ୍ମପୁର ବଜାର ବ୍ୟବସାୟୀଗଣ ଅତୀତରେ ସ୍ଥାନାନ୍ତରଣକୁ ବିରୋଧ କରିଆସିଛନ୍ତି । ପୁରୁଣା ବସଷ୍ଟାଣ୍ଡ ବହୁ ଦିନର ଚେଷ୍ଟାରେ ନୂଆ ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ ହେଲା; କିନ୍ତୁ ହଳଦିଆପଦର ବସଷ୍ଟାଣ୍ଡ ପ୍ରସ୍ତୁତ ହୋଇସାରିଥିବା ସତ୍ତ୍ୱେ ପୂର୍ଣ୍ଣ କାର୍ଯ୍ୟକ୍ଷମ ଅବସ୍ଥାକୁ ଆସିପାରୁ ନାହିଁ । ଏହି ଅଭିଜ୍ଞତା ବଡ଼ ବଜାର ପାଇକାରୀ ଖାଦ୍ୟ ସାମଗ୍ରୀ ଓ ପରିବା ବଜାର  ସ୍ଥାନାନ୍ତରଣକ୍ଷେତ୍ରରେ କିଭଳି ପ୍ରଭାବ ପକାଇବ ତାହା ସମୟ କହିବ !

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୩ ଜୁଲାଇ ୨୦୨୧ / ପୃଷ୍ଠା :୮)

Photo by Jason Leung on Unsplash