ମହାତ୍ମାଗାନ୍ଧୀ ୧୯୨୧ରେ ପ୍ରଥମଥର ସ୍ୱାଧୀନତା ସଂଗ୍ରାମ ବାର୍ତ୍ତା ପ୍ରଚାର ଉଦ୍ଦେଶ୍ୟରେ ବ୍ରହ୍ମପୁରରେ ପହଞ୍ଚିଥିଲେ । ସେହି ସମୟରୁ ସ୍ୱାଧୀନତା ସଂଗ୍ରାମ କାର୍ଯ୍ୟକ୍ରମଗୁଡ଼ିକରେ ବ୍ରହ୍ମପୁର ସହର ଓ ଗଞ୍ଜାମ ଜିଲ୍ଲାର ନାରୀ ନେତ୍ରୀମାନେ ଯୋଗ ଦେବା ଆରମ୍ଭ କରିଥିଲେ । ବ୍ରହ୍ମପୁରର ସ୍ୱରାଜ ଆଶ୍ରମଠାରେ ‘ଉତ୍କଳ ମହିଳା ସମ୍ମିଳନୀ’ ୧୯୨୪ରେ ଅନୁଷ୍ଠିତ ହୋଇଥିଲା । ଏହା ସହରରେ ନାରୀଜାଗରଣର ଅନ୍ୟତମ ମାଇଲଖୁଣ୍ଟ ବିବେଚ଼ିତ । ନାରୀନେତ୍ରୀ କୁନ୍ତଳା କୁମାରୀ ସାବତ ୧୯୨୬ରେ ବ୍ରହ୍ମପୁରରେ ‘ସଂସ୍କାର ଓ ସେବାସଂଘ’ ଦ୍ୱାରା ଆୟୋଜିତ ଏକ ସଭାରେ ଯୋଗ ଦେଇ ସହରର ମହିଳାମାନଙ୍କୁ ଉଦବୋଧନ ଦେଇଥିଲେ । “କୁନ୍ତଳାକୁମାରୀଙ୍କ ଏହି ବ୍ରହ୍ମପୁର ଗସ୍ତ ଓ ଭାଷଣ ପ୍ରଭାବ ବ୍ରହ୍ମପୁର ମହିଳାମାନଙ୍କ ଉପରେ ଯଥେଷ୍ଟ ପଡ଼ିଥିଲା ଏବଂ ସେମାନଙ୍କ ମଧ୍ୟରେ ଏକ ନୂତନ ଜାଗରଣ ଦେଖାଦେଇଥିଲା ।“
ପରବର୍ତ୍ତୀ ପର୍ଯ୍ୟାୟରେ ୧୯୩୦ ମସିହାରେ ଆୟୋଜିତ ଲବଣ ସତ୍ୟାଗ୍ରହରେ ସ୍ଥାନୀୟ ମହିଳାମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ କିଶୋରମଣି ଦେବୀ ଓ କୁନ୍ଦଲତା ଦେବୀଙ୍କ ଉଦ୍ୟମରେ ସତ୍ୟାଗ୍ରହୀ ଶିବିର ‘ଉଦ୍ୟୋଗ ମନ୍ଦିର’ ପରିଚାଳନା ଏକ ଉଲ୍ଲେଖଯୋଗ୍ୟ ଘଟଣା । କିଶୋରମଣି ଦେବୀ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଶାଶୁ ତଥା ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ମାତା । “ଗାନ୍ଧିଜୀଙ୍କ ପ୍ରେରଣାରେ କୁନ୍ଦଲତା ଦେବୀ ଏତେଦୂର ଅନୁପ୍ରାଣିତ ହୋଇଥିଲେ ଯେ ଉତ୍କଳର ନାରୀନେତ୍ରୀ ସରଳା ଦେବୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଗୋବରା ସଭାରେ ନିଜର ସମସ୍ତ ଅଳଙ୍କାର ସତ୍ୟାଗ୍ରହୀ ପାଣ୍ଠିକୁ ଦାନ କରିଦେଇଥିଲେ । ଓଡ଼ିଶା କଂଗ୍ରେସ ଅଧିବେଶନ ବେଳେ ମହିଳା ସ୍ୱେଚ୍ଛାସେବିକା ବାହିନୀରେ ଯୋଗଦେଇ ସେବାଦଳ ପ୍ରଶିକ୍ଷଣ ଲାଭ କରିବାରେ ସେ ହେଉଛନ୍ତି ବ୍ରହ୍ମପୁର ଅନ୍ୟତମ ମହିଳା ।”
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ୧୯୩୬ରେ ଗଠିତ ହେବାପରେ ଭି. ଲକ୍ଷ୍ମୀବାଈ ୧୯୩୬ରେ ଓଡ଼ିଶା ବିଧାନସଭାକୁ ବ୍ରହ୍ମପୁରରୁ ପ୍ରତିନିଧି ଭାବେ ମହିଳା ସଂରକ୍ଷିତ ଆସନରୁ ନିର୍ବାଚ଼ିତ ହୋଇଥିଲେ । ପରେ ୧୯୪୬ ନିର୍ବାଚ଼ନରେ ମଧ୍ୟ ସେ ନିଜ ଆସନ ବଳବତ୍ତର ରଖି ଉପ-ବାଚ଼ସ୍ପତି ପଦବୀରେ ଅଧିଷ୍ଠିତ ହୋଇଥିଲେ । କଂଗ୍ରେସର ‘ଭାରତ ଛାଡ଼’ ଆହ୍ୱାନରେ ‘କର ବା ମର’ ମନ୍ତ୍ରରେ ବ୍ରହ୍ମପୁରରେ ଅନେକ ମହିଳା ଭି. ଲକ୍ଷ୍ମୀବାଈଙ୍କ ନେତୃତ୍ୱରେ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ ।
ପ୍ରଫେସର ଶର୍ମା ଲେଖିଥିଲେ, “ବ୍ରହ୍ମପୁର ଅଞ୍ଚଳର ସ୍ୱାଧୀନତା ସଂଗ୍ରାମର ଇତିହାସରେ ତେଲୁଗୁ ମହିଳାମାନଙ୍କ ଅବଦାନ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ । ସେତେବେଳେ ବ୍ରହ୍ମପୁର ସହରରେ ତେଲୁଗୁଭାଷୀମାନେ ବହୁଳଭାବେ ବାସ କରୁଥିଲେ ଏବଂ କଂଗ୍ରେସ କର୍ମ୍ମୀ ତଥା ନେତାମାନଙ୍କ ମଧ୍ୟରେ ଅନେକ ତେଲୁଗୁ ଥିଲେ । ଏହି ତେଲୁଗୁ ସଂଗ୍ରାମୀମାନେ ମଧ୍ୟ ନିଜ ପତ୍ନୀମାନଙ୍କୁ ସଚ଼େତନ କରାଇ ଦେଶମାତୃକା ସେବାରେ ଯୋଗଦେବା ପାଇଁ ଉତ୍ସାହ ପ୍ରଦାନ କରିଥିଲେ ।”
ସ୍ୱାଧୀନତା ଆନ୍ଦୋଳନ ତୀବ୍ର ଆକାର ଧାରଣ କରିଥିବା ବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଘନଘଟା ଦେଖା ଦେଇଥିଲା । ବ୍ରିଟିଶ ସେନା ବାହିନୀରେ ବହୁ ସଂଖ୍ୟକ ଭାରତୀୟ ଅନ୍ତର୍ଭୁକ୍ତ ଥିବା ହେତୁ “ଏହି ଆହତ ସୈନ୍ୟମାନଙ୍କୁ ରଣକ୍ଷେତ୍ରରେ ସାହାଯ୍ୟ କରିବା ପାଇଁ ବ୍ରହ୍ମପୁରର ମହିଳାମାନେ ତତ୍ପରତା ପ୍ରକାଶ କରି ରେଡ଼କ୍ରସ ମାଧ୍ୟମରେ ସମସ୍ତ ପ୍ରକାର ସହଯୋଗ କରିଥିଲେ । ସେତେବେଳେ ବ୍ରହ୍ମପୁରର କୃଷ୍ଣପ୍ରିୟା ରଥ ସାହସର ସହ ମଣିପୁର ଇମ୍ପାଲ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ସେ ତିନିମାସ ରହି ରେଡ଼କ୍ରସର ଅନ୍ୟାନ୍ୟ ସ୍ୱେଚ୍ଛାସେବୀଙ୍କ ସହ ମଣିପୁର ଜଙ୍ଗଲରେ ବୁଲି ବୁଲି କ୍ଷତବିକ୍ଷତ ସୈନ୍ୟଙ୍କୁ ରେଡ଼କ୍ରସ ଶିବିରକୁ ଆଣି ସେମାନଙ୍କ ସେବା କରିଥିଲେ ।”
(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୬ ଅଗଷ୍ଟ ୨୦୨୨/ ପୃଷ୍ଠା : ୨)





