Friday, November 17, 2023

Ring Road & Janibili Barrage / ରିଂ-ରୋଡ଼ ଓ ଜାନିବିଲି ଜଳଭଣ୍ଡାର

 



#ବ୍ରହ୍ମପୁର ରିଂ-ରୋଡ଼ ସ୍ୱପ୍ନ ଦୁଇ ଜାତୀୟ ରାଜପଥ ବାଇପାସକୁ ୧୨ କିଲୋମିଟର ସଂଯୋଗ ରାସ୍ତା ନିର୍ମାଣରେ ତ୍ରି-କୋଣ ବଳୟ ସୃଷ୍ଟିରେ ପର୍ଯ୍ୟବଶିତ । ବ୍ରହ୍ମପୁର ସହର ଦେଇ ମାଡ୍ରାସ-କଲିକତା ପାଞ୍ଚ ନମ୍ୱର ଜାତୀୟ ରାଜପଥ ହଳଦିଆପଦରରୁ ଗୋସାଣି ନୂଆଗାଁ, ବିଜିପୁର, ହିଲପାଟଣା, କମାପଲ୍ଲୀ, ଲାଞ୍ଜିପଲ୍ଲୀ ଦେଇ ଜଗନାଥପୁରରେ ପହଞ୍ଚୁଥିଲା । ଏହି ରାସ୍ତାରେ ଗୋଷାଣୀ ନୂଆଁଗାଁ ଓ ଜଗନ୍ନାଥପୁରଠାରେ ଦୁଇ ବାର ରେଳପଥ ଅତିକ୍ରମ କରିବାକୁ ପଡୁଥିଲା । ହଳଦିଆପଦରରୁ ଜଗନ୍ନାଥପୁର ବାଇପାସ ରାସ୍ତା ନିର୍ମିତ ହେବାପରେ ସହର ମଧ୍ୟକୁ ଭାରୀ ଯାନବାହନ ଭିଡ଼ ଓ ରେଳ ଲେଭଲକ୍ରସିଂ ଝମେଲା ତୁଟିଲା । ପାଞ୍ଚ ନମ୍ୱର ଜାତୀୟ ରାଜପଥ ୧୬ ନମ୍ୱର ଜାତୀୟ ରାଜପଥରେ ପୁନଃନାମିତ ହୋଇଛି ଏବଂ ବ୍ରହ୍ମପୁର ସହରାଞ୍ଚଳରେ ବାସଉପଯୋଗୀ ଜମିବାଡ଼ି ସୀମାକୁ ରାଜପଥ ଯାଏଁ ବଢ଼ାଇ ଦେଇଛି ।
 
ପରବର୍ତ୍ତୀ ପର୍ଯ୍ୟାୟରେ ସହରର ଦ୍ୱିତୀୟ ରାଜପଥ ଭାବେ ୨୧୭ ନମ୍ୱର ଗୋପାଳପୁର-ରାୟପୁର ରାଜପଥ ଆତ୍ମପ୍ରକାଶ କରିବା ଫଳରେ ଜଗନ୍ନାଥପୁର, ଲାଞ୍ଜିପଲ୍ଲୀ, କମାପଲ୍ଲୀ, ଗିରିରୋଡ଼, ଗେଟବଜାରରୁ ଫାଷ୍ଟ ଗେଟ ଯାଏଁ ଆସିକା ରୋଡ଼ ଦେଇ ଗତି କରିଥିଲାଏହା ୫୯ ନମ୍ୱର ରାଜପଥ ରୂପେ ପୁନଃନାମିତ ହୋଇଛି । ସହରାଞ୍ଚଳରେ ଭିଡ଼ କମାଇବା ଉଦ୍ଦେଶ୍ୟରେ ଜାତୀୟ ରାଜପଥ ପ୍ରାଧୀକରଣ ପ୍ରଚ଼େଷ୍ଟାରେ ପ୍ରାୟ ୧୪ କିଲୋମିଟର ଜଗନ୍ନାଥପୁର ସଂଲଗ୍ନ ରଘୁନାଥପରୁ-ରତ୍ନପୁର ବାଇପାସ ରାସ୍ତା ନିର୍ମାଣ ନିମନ୍ତେ ୨୦୨୧ ଏପ୍ରିଲ ମାସରେ ୧୯୭ କୋଟି ଟଙ୍କା ଅର୍ଥ ମଞ୍ଜୁର ହୋଇଥିଲା ।
 
ହଳଦିଆପଦରରୁ ଜଗନ୍ନାଥପୁର ଜାତୀୟ ରାଜପଥ କାର୍ଯ୍ୟକ୍ଷମ ଥିବା ଓ ଜଗନ୍ନାଥପୁରରୁ ରତ୍ନପୁର ରାଜପଥ ନିର୍ମାଣଧୀନ ଥିବା ଅବସ୍ଥାରେ ଓଡ଼ିଶା ରାଜ୍ୟ ସରକାରଙ୍କ ଉଦ୍ୟମରେ ରତ୍ନପୁରରୁ ହଳଦିଆପଦର ସଂଯୋଗ ରାସ୍ତା ନିର୍ମାଣ ନିମନ୍ତେ ନଭେମ୍ୱର ୨୦୨୩ରେ ୧୫୬ କୋଟି ଟଙ୍କା ମଞ୍ଜୁର ଲାଗି କ୍ୟାବିନେଟ ନିଷ୍ପତ୍ତି ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ଏହି ତିନିଗୋଟି ରାସ୍ତା ସଂଯୋଗରେ ବ୍ରହ୍ମପୁର ରିଂ-ରୋଡ଼ ସୃଷ୍ଟି ହେବପରବର୍ତ୍ତୀ ପର୍ଯ୍ୟାୟରେ ହଳଦିଆପଦରଠାରୁ ରଙ୍ଗିପୁର, ଗଉଞ୍ଜୁ, ମାଣ୍ଡିଆପଲ୍ଲୀ ଦେଇ ୧୭ କିଲୋମିଟର ରାସ୍ତା ନିର୍ମାଣ ପ୍ରସ୍ତାବ ରହିଛି । ପୂର୍ଣ୍ଣାଙ୍ଗ ରିଂ-ରୋଡ଼ର ଦୈର୍ଘ୍ୟ ୪୬ କିଲୋମିଟର ଯାଏଁ ଲମ୍ୱିବ । ଏହି ରିଂ-ରୋଡ଼ ନିର୍ମାଣ ପ୍ରକଳ୍ପ ୨୦୧୩ରେ ଶୁଭ ଦିଆଯାଇଥିଲା ।
 
ବ୍ରହ୍ମପୁର ସହରକୁ ଜଳଯୋଗାଣ ସହ ସଂଲଗ୍ନ ଗ୍ରାମାଞ୍ଚଳରେ ଚାଷ ଜମି ଜଳସେଚ଼ନ ନିମନ୍ତେ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ଜାନିବିଲିଠାରେ ଋଷିକୂଲ୍ୟା ନଦୀ ଶଯ୍ୟାରେ ବ୍ୟାରେଜ ନିର୍ମାଣ ନିମନ୍ତେ ନଭେମ୍ୱର ୨୦୨୩ ଓଡ଼ିଶା ରାଜ୍ୟ ସରକାରଙ୍କ ମନ୍ତ୍ରୀମଣ୍ଡଳ ବୈଠକରେ କ୍ୟାବିନେଟ ମଞ୍ଜୁରି ମଧ୍ୟ ଦିଆଯାଇଥିବା ପ୍ରକାଶ । ଏଥିଲାଗି ୮୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବ୍ରହ୍ମପୁର ମହାନଗର ନିଗମରେ ଦୈନିକ ଅଧିକ ୬ କୋଟି ୭୫ ଲକ୍ଷ ଲିଟର ପିଇବା ପାଣି ଉପଲବ୍ଧ ହେବ । ଉଲ୍ଲେଖଯୋଗ୍ୟ ବିଷୟ ଏହିଯେ ଋଷିକୂଲ୍ୟା ନଦୀର ୮୦ ପ୍ରତିଶତ ଜଳ ସମୁଦ୍ରରେ ବିଲୀନ ହେଉଥିବା ହେତୁ ତାହାର ସଦ୍ ଉପଯୋଗ ନିମନ୍ତେ ସୋରଡ଼ା ବ୍ଳକର ପିପଳପଙ୍କାରେ ଏକ ଡ୍ୟାମ ଓ କଂସାରିଗଣ୍ଡରେ ଅନ୍ୟ ଏକ ବ୍ୟାରେଜ ନିର୍ମାଣ ନିମନ୍ତେ ପ୍ରଶାସନିକ ଅନୁମତି ମିଳିଛି ।
 
ରିଂ-ରୋଡ଼ ଓ ଜଳଭଣ୍ଡାର ନିର୍ମାଣ ନିମନ୍ତେ କ୍ୟାବିନେଟ ମଞ୍ଜୁରୀ ମିଳିବାପରେ ଏହି ଦୁଇ କାର୍ଯ୍ୟ ଦୁଇ ବର୍ଷ ମଧ୍ୟରେ ସମାପ୍ତ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ରିଂ-ରୋଡ଼ ନିର୍ମାଣ ଲାଗି ଜମି ଅଧିଗ୍ରହଣ ନଭେମ୍ୱର ୨୦୨୩ ସୁଦ୍ଧା ୭୦ ଭାଗ ସରିଥିବା ଏବଂ ଦୁଇ ଗୋଟି ଇଞ୍ଜିନିୟରିଂ ସଂସ୍ଥାର ଟେଣ୍ଡର ଗୃହୀତ ହୋଇଥିବା କୁହାଯାଉଛି । ଜାନିବିଲି ବ୍ୟାରେଜ ନିର୍ମାଣ ପରେ ପରବର୍ତ୍ତୀ ପାଞ୍ଚ ବର୍ଷ ତାହାର ରକ୍ଷଣାବେକ୍ଷଣ ଖର୍ଚ୍ଚ ପାଇଁ ମଧ୍ୟ କ୍ୟାବିନେଟ ଅନୁମୋଦିତ ହୋଇଥିବା ପ୍ରକାଶ ।


ମାନଚ଼ିତ୍ର ଫୋଟ : ଦି ନ୍ୟୂ-ଇଣ୍ଡିଆନ ଏକ୍ସପ୍ରେସ (ଓଡ଼ିଶା ସଂସ୍କରଣ) ତା ୧୯.୦୧.୨୦୧୮


Friday, November 10, 2023

Gopalpur Planetarium / ଗୋପାଳପୁର ପ୍ଳାନେଟାରିୟମ

 

#ବ୍ରହ୍ମପୁର ପର୍ଯ୍ୟଟନ ମାନଚ଼ିତ୍ରରେ ଗୋପାଳପୁର ପ୍ରମୁଖ ସ୍ଥାନ ଅଧିକାର କରିଥାଏ । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ବ୍ରିଟିଶ ଶାସନ କାଳରେ ଗୋପାଳପୁର ବନ୍ଦର ଓ ବାଣିଜ୍ୟ ପେଣ୍ଠ ଭାବେ ଗଢ଼ି ଉଠିଥିବା ସ୍ଥଳେ ସ୍ୱାଧୀନୋତ୍ତର ଅବସ୍ଥାରେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଲା । ଗୋପାଳପୁର ବନ୍ଦର ମୁଖ୍ୟତଃ ଆଧୁନିକ ମିଆଁମାର ବା ରେଙ୍ଗୁନ ବନ୍ଦର ସହ ଜଳପଥରେ ସଂଯୋଗ ସ୍ଥାପିତ ହୋଇଥିଲା । ଗୋପାଳପୁର ଓ ରେଙ୍ଗୁନ ଉଭୟ ବ୍ରିଟିଶ ଉପନିବେଶ ଥିବା ହେତୁ ବାଣିଜ୍ୟ ବ୍ୟବସାୟ ତଥା ଶ୍ରମ ନିଯୁକ୍ତି ଲାଗି ଦେଶାନ୍ତର ଯାତ୍ରାରେ କୌଣସି କଟକଣା ନଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ଅବସରରେ ପ୍ରତିପକ୍ଷ ଜାପାନ ବିମାନ ବାହିନୀ ପକ୍ଷରୁ ବ୍ରିଟିଶ ଶାସନାଧୀନ ରେଙ୍ଗୁନ ବନ୍ଦରରେ ବୋମାମାଡ଼ ହେବାପରେ ଗୋପାଳପୁରକୁ ଜାହାଜ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ସପ୍ତାହକ ମଧ୍ୟରେ ରେଙ୍ଗୁନରୁ ଗୋପାଳପୁରକୁ ଆସୁଥିବା ଏକ ଜାହାଜକୁ ଲକ୍ଷ୍ୟ କରି ମଧ୍ୟ ବୋମା କ୍ଷେପଣ କରାଯାଇଥିଲା । ଏହି ଘଟଣା ୧୯୪୧ ଡ଼ିସେମ୍ୱର ମାସର କଥା ।
 
ଗୋପାଳପୁର ବନ୍ଦର ବନ୍ଦ ହୋଇଯିବାପରେ ସହରଟି ଏକରକମ ଶୂନଶାନ ପରିବେଶକୁ ଚାଲିଯାଇଥିଲା । ବିଂଶ ଶତାଦ୍ଦୀ ଆରମ୍ଭରୁ ଓଡ଼ିଶା ଉପକୂଳରେ ବେଙ୍ଗାଲ ନାଗପୁର ରେଳୱେ କାର୍ଯ୍ୟକ୍ଷମ ହେବାପରେ ରେଳ ଚଳାଚଳ କାର୍ଯ୍ୟରେ ନିଯୁକ୍ତ ଏଙ୍ଗ୍ଳୋ-ଇଣ୍ଡିଆନ ସଂପ୍ରଦାୟର ବହୁ ବ୍ୟକ୍ତି ଖୋର୍ଦ୍ଧାରୋଡ଼ ରେଳ ଡ଼ିଭିଜନରେ ଅବସ୍ଥାପିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ କେତେକ ପରିବାର କର୍ମନିଯୁକ୍ତିରୁ ଅବସର ଗ୍ରହଣପରେ ଗୋପାଳପୁର ସମୁଦ୍ର ବେଳାରେ ସ୍ଥାୟୀଭାବେ ବସବାସ କରିବା ନିମନ୍ତେ ବାଛି ନେଇଥିଲେ । ବ୍ରିଟିଶ ଶାସନ ଆରମ୍ଭକାଳରୁ ଖ୍ରୀଷ୍ଟ ଧର୍ମ ପ୍ରଚାରକମାନେ, ମୁଖ୍ୟତଃ ରୋମାନ କ୍ୟାଥଲିକ ସଂପ୍ରଦାୟ ଗୋପାଳପୁରରେ ଆସ୍ଥାନ ଜମାଇଥିଲେ । ବନ୍ଦର ଯାତ୍ରୀଙ୍କ ବ୍ୟବହାର ନିମନ୍ତେ ନିର୍ମିତ ଏକ ହୋଟେଲ ବନ୍ଦର ବନ୍ଦ ହେବା ପରେ ଗୋପାଳପୁର ପରିଦର୍ଶକଙ୍କ ରହେଣୀ ନିମନ୍ତେ ବ୍ୟବହୃତ ହେଲା । ଏହି ଅବସରରେ ଓବରାଇ ଗୃପ ପକ୍ଷରୁ ପାମବିଚ ହୋଟେଲ ପ୍ରତିଷ୍ଠା ପରେ ଗୋପାଳପୁର ଏକ ପର୍ଯ୍ୟଟନସ୍ଥଳୀ ରୂପେ ବିକଶିତ ହେବାରେ ଲାଗିଲା । ଓବରାଇ ଗୃପର ଅନ୍ୟତମ ହୋଟେଲ କୋଲକତା ଗ୍ରାଣ୍ଡ ଲୋକପ୍ରିୟତା ହାସଲ କରିଥିବା ହେତୁ ମହାନଗର କୋଲକତାବାସୀ ଶାନ୍ତ-ସମୁଦ୍ର-ସୈକତ ଗୋପାଳପୁରରେ ଛୁଟି କଟାଇବାକୁ ପସନ୍ଦ କଲେ । ହାବଡ଼ା ସହ ବ୍ରହ୍ମପୁର ରେଳ ସଂଯୋଗ ଓ ଦୃତ ଗତି ଟ୍ରେନ ଚଳାଚଳ ପର୍ଯ୍ୟଟନ ବିକାଶରେ ସହାୟକ ହୋଇଥିଲା ।
 
ଜଗତୀକରଣ ଓ ଅର୍ଥନୀତିକ ଉଦାରୀକରଣ ପ୍ରଭାବରେ ଏକବିଂଶ ଶତାଦ୍ଦୀ ଆରମ୍ଭରୁ ପର୍ଯ୍ୟଟନ ଶିଳ୍ପର ଉନ୍ନତି ନିମନ୍ତେ ସରକାରୀସ୍ତରରେ ନୀତି ନିର୍ଦ୍ଧାରିତ ହେବା ପରେ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀ ଭଳି ଗୋପାଳପୁର ପର୍ଯ୍ୟଟନ ବିକାଶ ନିମନ୍ତେ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି । ତେବେ ସମସ୍ୟା ହେଲା ଗୋପାଳପୁରକୁ ଏକ ମନୋମୁଗ୍ଧକର ପର୍ଯ୍ୟଟନ ସ୍ଥଳୀ ରୂପେ ଗଢ଼ି ତୋଳିବା ନିମନ୍ତେ ବହୁ ଉପାଦାନ ଥିଲେହେଁ ଏଦିଗରେ କୌଣସି ସାମଗ୍ରିକ ରୂପରେଖ ପ୍ରସ୍ତୁତ ହୋଇପାରିନାହିଁ । ଅର୍ଥାତ, ବିଗତ କୋଡ଼ିଏ ପଚିଶି ବର୍ଷରେ ଗୋପାଳପୁରକୁ ପର୍ଯ୍ୟଟନ ଉପଯୋଗୀ ସହରରୂପେ ଗଠନ ନିମନ୍ତେ ଅର୍ଥ ନିବେଶ ହୋଇଥିଲେହେଁ ପୂର୍ଣ୍ଣାଙ୍ଗ ଉନ୍ନୟନ ବିବରଣୀ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପ୍ରସ୍ତୁତ ହୋଇ ନପାରିଥିବା ହେତୁ ବିଭିନ୍ନ ସମୟରେ ବିଭିନ୍ନ ସରକାରୀ ଅଧିକାରୀଙ୍କ ମନମୁତାବକ ଗୁଡ଼ାଏ ସିମେଣ୍ଟ-କଂକ୍ରିଟ ନିର୍ମାଣରେ ଅର୍ଥଶ୍ରାଦ୍ଧ ହେଉଛି । ସ୍ୱାବଲମ୍ୱୀ ବ୍ୟବସ୍ଥା ଅଭାବରୁ ବିଚ୍ଛୁରିତ ଭାବେ ଗଢ଼ି ଉଠୁଥିବା ଭିତ୍ତିଭୂମିଗୁଡ଼ିକର ରକ୍ଷଣାବେକ୍ଷଣ ମଧ୍ୟ ହୋଇପାରୁ ନାହିଁ । ପର୍ଯ୍ୟଟନ ବିକାଶ ଏକ ସୃଜନ ପ୍ରକ୍ରିୟା ଏବଂ ଏଦିଗରେ ସଫଳତା ପାଇବା ନିମନ୍ତେ ଦୀର୍ଘ ସୂତ୍ରୀ ଯୋଜନା ପ୍ରଣୟନ ଆବଶ୍ୟକ, ଏକଥା ବୁଝିବାକୁ ଆହୁରି ବହୁଦିନ ଲାଗିଯିବ ।
 
ଗୋପାଳପୁର ପର୍ଯ୍ୟଟନକୁ ଆକର୍ଷଣୀୟ କରିବା ଉଦ୍ଦେଶ୍ୟରେ ଏକ ପ୍ଳାନେଟାରିୟମ ନିର୍ମାଣ ନିମନ୍ତେ ୨୦୦୭ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ଗୋପାଳପୁର ଉପକଣ୍ଠ ବିକ୍ରମପୁରଠାରେ ୧୦ ଏକର ଜମିରେ ୧୨ କୋଟି ଟଙ୍କା ବ୍ୟୟରେ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ରାଜ୍ୟ ସରକାରଙ୍କ କର୍ତ୍ତୃତ୍ୱାଧୀନ ଇଡ଼କୋ ଏହାର ନିର୍ମାଣ କାର୍ଯ୍ୟ ତଦାରଖ କରୁଛି ଏବଂ ଭୁବନେଶ୍ୱରସ୍ଥିତ ଏକ ଠିକା ସଂସ୍ଥା ଦାୟିତ୍ୱ ନେଇଛି । ତେବେ ୧୯ ବର୍ଷ ଧରି ପ୍ରକଳ୍ପଟି ନିର୍ମାଣାଧୀନ ଅବସ୍ଥାରେ ରହିଥିବା ହେତୁ ସମାଲୋଚ଼ନାର ପ୍ରସଙ୍ଗ ପାଲଟିଛି । କୁହାଯାଏ ଯେ ଓଡ଼ିଶାର ପ୍ରଥମ ପ୍ଳାନେଟାରିୟମ ଭୁବନେଶ୍ୱରଠାରେ ୧୯୮୦ରେ ଆରମ୍ଭ ହୋଇଥିଲା । ଇତି ମଧ୍ୟରେ ୨୦୧୭ରେ ସମ୍ୱଲପୁରଠାରେ ରାଜ୍ୟର ଦ୍ୱିତୀୟ ପ୍ଳାନେଟାରିୟମ ଉଦଘାଟିତ ହୋଇସାରିଛି । ଗୋପାଳପୁର ପ୍ଳାନେଟାରିୟମ ପରିସରରେ ଛଅ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ଏକ ସାଇନ୍ସ ପାର୍କ ନିର୍ମାଣ ନିମନ୍ତେ ମଧ୍ୟ ଘୋଷଣା କରାଯାଇଛି । ତେବେ ଏସବୁ କାମ ସରିବାକୁ କେତେ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ତାହା ସ୍ପଷ୍ଟ ହୋଇପାରୁନାହିଁ !

Image by rajta from Pixabay


Friday, November 3, 2023

Influenza Vaccine / ଇନଫ୍ଳୁଏଞ୍ଜା ଭାକସିନ

 

#ବ୍ରହ୍ମପୁର ସମେତ ଓଡ଼ିଶା ଓ ପଶ୍ଚିମବଙ୍ଗର ଉପକୂଳ ଅଞ୍ଚଳରେ ବର୍ଷରେ ଆଠମାସ ଇନଫ୍ଳୁଏଞ୍ଜାର ପ୍ରାଦୁର୍ଭାବ ଲାଗି ରହେ । ମୌସୁମୀ ବର୍ଷା ଆଗମନରେ ଜୁଲାଇ ମାସରୁ ଶୀତ ଶେଷ ଫେବୃୟାରୀ ମାସ ଯାଏଁ ଏକାଧିକ ଲହରରେ ଜନସାଧାରଣ ଜ୍ୱରକାଶରେ ସଂକ୍ରମିତ ହୋଇଥାନ୍ତି । କେବଳ ଗ୍ରୀଷ୍ମଋତୁରେ ଚାରିମାସ ଇନଫ୍ଳୁଏଞ୍ଜା ଦେଖା ଦେଲେ ହେଁ ଅପେକ୍ଷାକୃତଭାବେ କମ ପ୍ରଭାବଶାଳୀ ଅନୁଭୂତ ହୁଏ । ଜ୍ୱରକାଶରେ ଶିଶୁଙ୍କଠାରୁ ଆରମ୍ଭ କରି ବାର୍ଦ୍ଧକ୍ୟଗ୍ରସ୍ତଙ୍କ ଯାଏଁ ସମସ୍ତେ ଆକ୍ରାନ୍ତ ହୁଅନ୍ତି । ଏଥିରୁ ସହଜରେ ନିସ୍ତାର ମିଳେ ନାହିଁ । କମ ରୋଗ ପ୍ରତିରୋଧକ ଶକ୍ତି ସମ୍ପନ୍ନ ବ୍ୟକ୍ତିବିଶେଷ ବର୍ଷକ ମଧ୍ୟରେ ବାରମ୍ୱାର ପୀଡ଼ିତ ହୋଇଥାନ୍ତି ।
 
ଇନଫ୍ଳୁଏଞ୍ଜା ଭୂତାଣୁ କ୍ରମାଗତଭାବେ ରୂପାନ୍ତରିତ ମ୍ୟୁଟେସନହୋଇଥାଏ । ତେଣୁ ରୋଗର ଲକ୍ଷଣ ସମୟାନ୍ତେ ଭିନ୍ନ ଦେଖାଯାଏ । ଓଡ଼ିଶା ବିଶେଷଜ୍ଞମାନଙ୍କ ମତରେ ୨୦୨୩ରେ ଇନଫ୍ଳୁଏଞ୍ଜା ଏ ଓ ବି ଭୂତାଣୁରେ ପରିବର୍ତ୍ତନ ଆସିଛି । ଫଳରେ ଜ୍ୱର ଛାଡ଼ି ଯିବା ପରେ କାଶ ଦୀର୍ଘ ଦିନ ଧରି ଲାଗି ରହୁଛି । କୁହାଯାଉଛି ଯେ କେତେକ ବ୍ୟକ୍ତି ଭାଇରସ ଆକ୍ରାନ୍ତ ହେବାପରେ ବ୍ୟାକ୍ଟେରିଆ ସଂକ୍ରମିତ ହୋଇଥାନ୍ତି । ସେମାନଙ୍କ କ୍ଷେତ୍ରରେ ଦୀର୍ଘକାଳୀନ ପ୍ରଭାବ ଲକ୍ଷ୍ୟ କରାଯାଇଥାଏ ।
 
ଇନଫ୍ଳୁଏଞ୍ଜା ସଂକ୍ରମଣ ଶହେ ବର୍ଷର ପୁରାତନ ଜଣାଶୁଣା ରୋଗ । ଏହାର ଉପଚାର ଲାଗି ଔଷଧ ସାଙ୍ଗକୁ ପ୍ରତିଷେଧକ ଟୀକା ମଧ୍ୟ ଉପଲବ୍ଧ । ତେବେ ଆମ ବ୍ରହ୍ମପୁରରେ ଇନଫ୍ଳୁଏଞ୍ଜା ଭାକସିନ ଜନାଦୃତି ଲାଭ କରିପାରି ନାହିଁ । ବିକଶିତ ରାଷ୍ଟ୍ରଗୁଡିକରେ କୋଭିଡ଼ ମହାମାରୀ ପୂର୍ବରୁ ଇନଫ୍ଳୁଏଞ୍ଜା ଭାକସିନ ମୁଖ୍ୟତଃ ଚ଼ିକିତ୍ସକ, ଚିକିତ୍ସାକର୍ମୀ ଓ ବାର୍ଦ୍ଧକ୍ୟଗ୍ରସ୍ତ ଗ୍ରହଣ କରୁଥିଲେ । ମହାମାରୀ-ପର ଅବସ୍ଥାରେ ଭାରତର ବଡ଼ ସହରଗୁଡ଼ିକରେ ଇନଫ୍ଳୁଏଞ୍ଜା ଭାକସିନର ଆଦର ବଢ଼ିଛି । କୁହାଯାଉଛି ଯେ ମହାମାରୀପରେ ଜ୍ୱରକାଶ ପ୍ରତି ଜନସାଧାରଣରେ ଭୟ ସୃଷ୍ଟି ହୋଇଛି, ଇନଫ୍ଳୁଏଞ୍ଜା ସଂପର୍କରେ ସଚ଼େତନ ହୋଇଛନ୍ତି ଓ ଭାକସିନ ଗ୍ରହଣକୁ ସ୍ୱାସ୍ଥ୍ୟରକ୍ଷାର ଏକ ଅଙ୍ଗ ରୂପେ ଗ୍ରହଣ କରିନେଇଛନ୍ତି । ପୂର୍ବରୁ ବିଭିନ୍ନ ପ୍ରତିଷେଧକ ଟୀକାର କାର୍ଯ୍ୟକାରିତା ଓ ପାର୍ଶ୍ୱ–ପ୍ରତିକ୍ରିୟା ସଂପର୍କରେ ପ୍ରଶ୍ନ ଉଠୁଥିଲା, କିନ୍ତୁ କ୍ରମଶଃ ସକାରାତ୍ମକ ମନୋଭାବ ପ୍ରସାରିତ ହୋଇଛି ।
 
ଇନଫ୍ଳୁଏଞ୍ଜା ଭାକସିନ ବର୍ଷକରେ ଥରେ ନେବାକୁ ପଡ଼େ । ଇନଫ୍ଳୁଏଞ୍ଜା ଭାକସିନ ସହ ନିମୋନିଆ ଭାକସିନ ମଧ୍ୟ ଲୋକପ୍ରିୟ । ନିମୋନିଆ ଭାକସିନ ପାଞ୍ଚ ବର୍ଷରେ ଥରେ ନିଆଯାଏ । ଓଡ଼ିଶାରେ ୨୦୨୩ ବର୍ଷରେ ଇନଫ୍ଳୁଏଞ୍ଜା ବ୍ୟାପିଥିଲେ ହେଁ ନିମୋନିଆ ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଛି ବୋଲି ଚ଼ିକିତ୍ସକମାନେ କହନ୍ତି । ଆମ ଦେଶରେ ଶିଶୁ ରୋଗ ପ୍ରତିଷେଧକ ବ୍ୟବସ୍ଥା କଡ଼ାକଡ଼ି ପାଳନ କରାଯାଉଥିଲେହେଁ ପ୍ରାପ୍ତ ବୟସ୍କଙ୍କ ପ୍ରତିଷେଧକ ବ୍ୟବସ୍ଥା ପ୍ରସାର ଲାଭ କରିପାରି ନାହିଁ ।
 
ମହାମାରୀ-ପର ଅବସ୍ଥାରେ ବଡ଼ ସହରଗୁଡ଼ିକରେ ଇନଫ୍ଳୁଏଞ୍ଜା, ନିମୋନିଆ ସାଙ୍ଗକୁ ହେପାଟାଇଟିସ ଓ ଟାଇଫଏଡ଼ ଭାକସିନ ପ୍ରତି ସ୍ୱଚ୍ଛଳ ପରିବାରବର୍ଗରେ ଆଗ୍ରହ ବଢୁଥିବା ପରିଲକ୍ଷିତ । ପ୍ରଥମେ ୬୦ ବର୍ଷରୁ ଉର୍ଦ୍ଧ୍ୱ ଓ ଜଟିଳ ରୋଗାକ୍ରାନ୍ତଙ୍କ ଭାକସିନ ପ୍ରଦାନ କରାଯାଉଥିବା ସ୍ଥଳେ କ୍ରମଶଃ ସୁସ୍ଥ ଓ ଯୁବବର୍ଗ ଭାକସିନ ନେବା ନିମନ୍ତେ ଆଗେଇ ଆସୁଛନ୍ତି । ଏଣିକି ସୁଧୀମଣ୍ଡଳୀରେ ଜ୍ୱରକାଶ ଆକ୍ରାନ୍ତଙ୍କ ଚଳପ୍ରଚଳ ଶିଷ୍ଟାଚାର ବିରୋଧୀ ରୂପେ ପରିଗଣିତ । ଥରେ ଇନଫ୍ଳୁଏଞ୍ଜା ଆକ୍ରାନ୍ତ ହେଲେ ଅନ୍ତତଃପକ୍ଷେ ସପ୍ତାହେ କାର୍ଯ୍ୟକ୍ଷେତ୍ରରେ ସ୍ୱାଭାବିକ ଅଂଶଗ୍ରହଣ କରିପାରୁନଥିବା ହେତୁ ବର୍ଷରେ ଇନଫ୍ଳୁଏଞ୍ଜା ପାଇଁ ସପ୍ତାହେ-ଦୁଇ ସପ୍ତାହ ସ୍ୱାଭାବିକ ଜନଜୀବନରୁ ଦୂରେଇ ରହିବା ଲାଗି ଅଧିକାଂଶ ଅମଙ୍ଗ । ଏହି କାରଣରୁ ପ୍ରତିଷେଧକ ବ୍ୟବସ୍ଥା ଗୁରୁତ୍ୱ ଲାଭ କରୁଛି । କୋଲକତାର ଚ଼ିକିତ୍ସକମାନେ କହୁଛନ୍ତି ଡ଼େଙ୍ଗୁ ଜ୍ୱରର ଭାକସିନ ସଂପର୍କରେ ବହୁ ବ୍ୟକ୍ତି ପଚରାଉଚୁରା କରୁଛନ୍ତି । କିନ୍ତୁ ଡ଼େଙ୍ଗୁ ପ୍ରତିଷେଧକ ଏଯାଏଁ ପ୍ରସ୍ତୁତ ହୋଇପାରିନାହିଁ । ବଡ଼ ସହରର ଭାକସିନ ଧାରା କ୍ରମଶଃ ବ୍ରହ୍ମପୁରରେ ମଧ୍ୟ ପ୍ରତିଫଳିତ ହେବା ସ୍ୱାଭାବିକ ବିଚାର କରାଯାଇପାରେ ।

Image by MasterTux from Pixabay


Friday, October 27, 2023

Sustainable Cities / ସହର ବିକାଶରେ କୃତ୍ରିମ ବୁଦ୍ଧିମତ୍ତା

 

ଦେଶରେ ଜନସଂଖ୍ୟା ଦୃଷ୍ଟିରୁ #ବ୍ରହ୍ମପୁର ଭଳି ତୃତୀୟସ୍ତରର ଟାୟର-୩ ସହରଗୁଡ଼ିକରେ ବିଭିନ୍ନ ପୌରସେବା ଯୋଗାଇ ଦେବା ନିମନ୍ତେ ସୂଚନା ପ୍ରଦ୍ୟୋଗୀକି ବୈଷୟିକ କୌଶଳ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବା ବିଶେଷଜ୍ଞମାନେ ଆଶା କରନ୍ତି । ଉଦାହରଣରେ ସହର ସଫାସୁତୁରା ରଖିବାରେ ସଫେଇ କର୍ମଚାରୀମାନଙ୍କୁ ନିୟନ୍ତ୍ରିତ କରିବା ଓ ସର୍ବସାଧାରଣ ସ୍ଥାନଗୁଡ଼ିକରେ ଆବର୍ଜନା ଫିଙ୍ଗାଫୋପଡ଼ାକୁ ଆକଟ କରିବାଠାରୁ ଆରମ୍ଭ କରି ଆବର୍ଜନା ପ୍ରକ୍ରିୟାକରଣ ଭଳି ଯାବତୀୟ କାର୍ଯ୍ୟ କୃତ୍ରିମ ବୁଦ୍ଧିମତ୍ତା ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଉପଯୋଗରେ ଗୁଣାତ୍ମକ ପରିବର୍ତ୍ତନ ଆଣିଦେଇପାରିବ । ଅନ୍ୟ ଏକ ଉଦାହରଣରେ ସହରର ବହୁ ଅଞ୍ଚଳରେ ପୌରପ୍ରଶାସନ ପକ୍ଷରୁ ସଫେଇ ନିମନ୍ତେ କର୍ମଚାରୀ ନିଯୁକ୍ତ ହୋଇନଥାନ୍ତି ଏବଂ ସମୟନ୍ତେ ସେହି ଅଞ୍ଚଳଗୁଡ଼ିକ ସଫେଇ ନିମନ୍ତେ ମଧ୍ୟ ବିଧିବଦ୍ଧ ଉଦ୍ୟମ ହୋଇନଥାଏ । ଫଳରେ ସହରର ସାମଗ୍ରିକ ପରିଛନ୍ନତା ବ୍ୟାହତ ହୁଏଦୂଷିତ ପରିବେଶରେ ରୋଗ ବ୍ୟାପୀ ଜନସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟିକରେଏହିଭଳି ଅଞ୍ଚଳଗୁଡ଼ିକ ଚ଼ିହ୍ନଟ କରିବା ଏବଂ ସଫେଇ ସ୍ଥିତି ପରଖିବାରେ ସ୍ୱଚ୍ଛତା ଅବଲମ୍ୱନ ନିମନ୍ତେ ବୈଷୟିକ କୌଶଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

 

କେନ୍ଦ୍ର ସରକାରଙ୍କ ଅର୍ଥମନ୍ତ୍ରୀ ୨୦୨୩ ବଜେଟ ଅଭିଭାଷଣରେ କୃତ୍ରିମ ବୁଦ୍ଧିମତ୍ତା ଦିଗରେ ଗବେଷଣା ନିମନ୍ତେ ଦେଶରେ ତିନିଗୋଟି ପ୍ରମୁଖ ଶିକ୍ଷାନୁଷ୍ଠାନ ଚ଼ିହ୍ନଟ କରିବା ଘୋଷଣା କରିଥିଲେ । ଏଠାରେ ସ୍ୱାସ୍ଥ୍ୟ, କୃଷି ଓ ସ୍ୱାବଲମ୍ୱୀ ସହର ଉନ୍ନୟନ ଦିଗରେ କୃତ୍ରିମ ବୁଦ୍ଧିମତ୍ତା ଉପଯୋଗ ନିମନ୍ତେ ଗବେଷଣା କରାଯିବା ସ୍ଥିରୀକୃତ ହୋଇଥିଲା । ଦେଶବ୍ୟାପୀ ସହରାଞ୍ଚଳରେ ପୌରସେବାରେ ଜନସାଧାରଣ ସନ୍ତୁଷ୍ଟ ନଥାନ୍ତି । ବିକଶିତ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତରେ ନାଗରିକ ସେବା ଯୋଗାଇ ଦେବାରେ ଆମେ ପଛରେ ରହିଛୁ । ଏହାର ଦୁଇ ମୁଖ୍ୟ କାରଣ ହେଲା ପୌରସେବା ପରିଚାଳନାରେ ସ୍ୱଚ୍ଛତା ଅଭାବ ଓ ପୁରୁଣା କାଳିଆ ପରିଚାଳନା ପଦ୍ଧତି । ପର୍ଯ୍ୟାପ୍ତ ଅନୁଦାନ ବିନିଯୋଗ ସତ୍ତ୍ୱେ ପାରମ୍ପରିକ ରୀତିରେ ସହରାଞ୍ଚଳ ବିକାଶରେ ସଫଳତା ମିଳିପାରୁ ନଥିବା ହେତୁ ସେ ଦିଗରେ ପ୍ରଦ୍ୟୋଗୀକି ଜ୍ଞାନକୌଶଳ ଉପଯୋଗ ଅପରିହାର୍ଯ୍ୟ ହୋଇପଡ଼ିଛି ।

 

କେନ୍ଦ୍ର ସରକାରଙ୍କ ପକ୍ଷରୁ ଡ଼ିଜିଟାଲ ଇଣ୍ଡିଆ ଯୋଜନାରେ ୧୪,୯୦୦ କୋଟି ଟଙ୍କା ନିବେଶ ନିମନ୍ତେ ଗତ ଅଗଷ୍ଟ ୨୦୨୩ରେ କ୍ୟାବିନେଟ ମଞ୍ଜୁର କରାଯାଇଥିଲା ।  ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ସମେତ ଇନଫରମେସନ ଟେକନୋଲୋଜି ସିକ୍ୟୁରିଟି ଏଣ୍ଡ ଏଜୁକେସନ ଏୱାରନେସ, ଇଣ୍ଡିଆନ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ  ଓ ବହୁମୁଖୀ ଭାରତୀୟ ଭାଷା ଅନୁବାଦ ପ୍ରକଳ୍ପ ଭାଷୀନି ଭଳି ଯୋଜନାରେ ଏହି ଅର୍ଥ ବ୍ୟୟ ହେବ । ଭାରତରେ ବର୍ତ୍ତମାନ ୧୦ ଗୋଟି ଭାଷାରେ କମ୍ପ୍ୟୁଟରଭିତ୍ତିକ ଅନୁବାଦ ସୁବିଧା ଉପଲବ୍ଧ । ତାହା ୨୨ ଗୋଟି ଭାରତୀୟ ଭାଷାକୁ ସଂପ୍ରସାରିତ ହେବ । ଏହାର ଅର୍ଥ କମ୍ପ୍ୟୁଟରଭିତ୍ତିକ କୌଣସି କାର୍ଯ୍ୟ ନିମନ୍ତେ ଇଂରାଜୀ ଭାଷା ଜ୍ଞାନ ଆବଶ୍ୟକ ପଡ଼ିବ ନାହିଁ, ଓଡ଼ିଆ ଭାଷାରେ ମଧ୍ୟ ସମସ୍ତ କାର୍ଯ୍ୟ ତୁଲାଇ ହେବ । ସର୍ବୋପରି ଓଡ଼ିଆ ଲେଖିବା ବଦଳରେ ଓଡ଼ିଆ ଭାଷା କହି ମଧ୍ୟ ବିଭିନ୍ନ କାର୍ଯ୍ୟ ସାଧନ ସଂଭବ ।

 

ବ୍ରହ୍ମପୁର ଭଳି ସହରରେ କୃତ୍ରିମ ବୁଦ୍ଧିମତ୍ତା ଉପଯୋଗରେ ପୌରସେବା ଆୟୋଜନ କଠିନ ବିଜ୍ଞାନ ପ୍ରତୀୟମାନ ହେଉଥିଲେହେଁ ବହୁ କାରିଗରୀ କୌଶଳ ୨୦୨୩ ସୁଦ୍ଧା ଉପଲବ୍ଧ । ଏଦିଗରେ କର୍ତ୍ତୃପକ୍ଷ କିମ୍ୱା ନିର୍ବାଚିତ ପ୍ରତିନିଧି ଆଗ୍ରହ ପ୍ରକାଶ କରୁନଥିବା ହେତୁ ଉପଯୋଗ ହୋଇପାରୁନାହିଁ ।

 

ଅତ୍ୟାଧୁନିକ ପ୍ରଦ୍ୟୋଗୀକି ବିକାଶ ଅବସରରେ ଜନସାଧାରଣ ଅସାଧୁ ବ୍ୟକ୍ତିଙ୍କ ଦ୍ୱାରା ଠକାମୀର ଶୀକାର ହେଉଥିବା ମଧ୍ୟ ଏକ କ୍ରମବିକଶିତ ସମସ୍ୟା । ରାଜ୍ୟ ପୋଲିସ ପକ୍ଷରୁ ଏଦିଗରେ ଜନସଚ଼େତନ ସୃଷ୍ଟି ନିମନ୍ତେ ୨୦୨୩ ଶାରଦୀୟ ପୂଜା ପୂର୍ବରୁ ଏକ ପ୍ରଚାର ଅଭିଯାନ ଆୟୋଜନ କରାଯାଇଥିଲା । ତେବେ ବ୍ରହ୍ମପୁରରେ ସାଇବର ଠକାମୀର ଶୀକାର ହେଉଥିବା ପୀଡ଼ିତଙ୍କ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇପାରିନାହିଁ । ଅବଶ୍ୟ ଏହି ସ୍ଥିତି ସର୍ବତ୍ର ସମାନ । କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ ଦୁଇ ଲକ୍ଷ ୬୫ ହଜାର ନାଗରିକଙ୍କୁ ଇନଫରମେସନ ଟେକନୋଲଜି ସୁରକ୍ଷା କର୍ମୀ ଭାବେ ତାଲିମ ଦେବା ନିମନ୍ତେ ଅର୍ଥ ବରାଦ ହୋଇଛି । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ସେହିପରି ଇନଫରମେସନ ଟେକନୋଲୋଜି ଜରୁରୀ ପରିସ୍ଥିତିକୁ ମୁକାବିଲା କରିବା ନିମନ୍ତେ ଇଣ୍ଡିଆନ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ ଗଠନ ମଧ୍ୟ ବିଭିନ୍ନ ବଡ଼ଧରଣର ବିପଦର ମୁକାବିଲା କରିବା ନିମନ୍ତେ ଭିତ୍ତିଭୂମି ସୃଷ୍ଟି କରିପାରିବ ।

 

ବ୍ରହ୍ମପୁର ଭଳି ସହରରେ ସ୍ଥାନୀୟ ନାଗରିକ ଦୈନିକ ଅନ୍ୟୂନ ଅଢ଼େଇ ଘଣ୍ଟା ସୋସିଆଲ ମିଡ଼ିଆରେ ୨୦୨୩ ସୁଦ୍ଧା ବିତାଇଥାନ୍ତି । ଏଣିକି ପ୍ରାୟ ସମସ୍ତେ ସ୍ମାର୍ଟଫୋନ ଯୋଗେ ଇଣ୍ଟରନେଟ ମଞ୍ଚଗୁଡ଼ିକରେ ପହଞ୍ଚୁଛନ୍ତି ପାରସ୍ପରିକ ଯୋଗାଯୋଗ, ଇ-ବାଣିଜ୍ୟ, ମନୋରଞ୍ଜନ, ସମ୍ୱାଦ ଆହରଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ପରେ ପୌରସେବାରେ ଇନଫରମେସନ ଟେକନୋଲୋଜିର ବ୍ୟବହାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ଏହି କ୍ଷେତ୍ରରେ ସହରବାସୀଙ୍କ ଆଗ୍ରହ ବହୁ ପୌର ସମସ୍ୟା ସମାଧାନରେ ସହାୟକ ହୋଇପାରିବ ।


Image by Gerd Altmann from Pixabay


Friday, October 20, 2023

Gate Bazar Flyover / ଗେଟ ବଜାର ଫ୍ଳାଇ-ଓଭର

 

#ବ୍ରହ୍ମପୁର ସହରରେ ପ୍ରଥମ ଫ୍ଳାଇ-ଓଭର ଗେଟ ବଜାର ଛକରେ ନିର୍ମାଣ ନିମନ୍ତେ ପ୍ରସ୍ତାବ ସର୍ବେକ୍ଷଣ ବା ସର୍ଭେ ସ୍ତରରେ ରହିଥିବା ଚର୍ଚ୍ଚିତ । ଅକ୍ଟୋବର ୨୦୨୩ ସୁଦ୍ଧା ଓଡ଼ିଶା ବ୍ରିଜ କନଷ୍ଟ୍ରକସନ କର୍ପୋରେସନପକ୍ଷରୁ ଦୁଇଗୋଟି ଆଲାନମେଣ୍ଟ ସର୍ଭେ ସରିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ପ୍ରାଥମିକ ତଥ୍ୟ ଅନୁଯାୟୀ ଫ୍ଳାଇ-ଓଭର ଆସିକା ରୋଡ଼ ନୀଳାଦ୍ରି ବିହାର ଛକରୁ ଆରମ୍ଭ ହୋଇ ସିଟି ହସପିଟାଲ ଛକରେ ଶେଷ ହେବ । ଅର୍ଥାତ, ସହରର ମଧ୍ୟକୁ ଆସିକା ରୋଡ଼ ଦେଇ ହିଞ୍ଜିଳିକାଟୁ, ଆସିକା, ଭଂଜନଗର, ଦିଗପହଣ୍ଡି, ଫୁଲବାଣୀ ଇତ୍ୟାଦି ଅଞ୍ଚଳରୁ ପହଞ୍ଚୁଥିବା ଭାରୀ ଯାନବାହାନ ତୁଳସୀ ନଗର, ରମ୍ପା ସାହି, ଗେଟ ବଜାର ଛକ ଓ ସିଟି ହସପିଟାଲ ରାସ୍ତାରେ ଭିଡ଼ ନଜମାଇ ଫ୍ଳାଇ-ଓଭର ଯୋଗେ ଷ୍ଟେଟବ୍ୟାଙ୍କ ମେନ ବ୍ରାଞ୍ଚ ଛକରେ ପହଞ୍ଚି ପାରିବେ । ମୁଖ୍ୟତଃ ଗେଟ ବଜାର ଛକରେ ପାଞ୍ଚ ଗୋଟି ରାସ୍ତା ମିଳିତ ହେଉଥିବା ଓ ଦୋକାନ ବଜାର କାରଣରୁ ଦିନ ସାରା ଟ୍ରାଫିକ ସମସ୍ୟା ଲାଗି ରହିଥାଏ । ଗହଳ ଚହଳ ଅଞ୍ଚଳରେ ଭାରୀଯାନ ପ୍ରବେଶ ହେତୁ ଟ୍ରାଫିକ ଚଳାଚଳରେ ବିଳମ୍ୱ ଓ ଦୁର୍ଘଟଣା ଘଟେ । ଗେଟ ବଜାର ଫ୍ଳାଇ-ଓଭର ନିର୍ମିତ ହେଲେ ଏହି ଦୁଇ ସମସ୍ୟାରୁ ନିସ୍ତାର ମିଳିବା ଆଶା କରାଯାଉଛି ।
 
ଗେଟ ବଜାର ଛକ ବ୍ରହ୍ମପୁରର ଅନ୍ୟତମ ପୁରାତନ ଅଞ୍ଚଳ । ବିଂଶ ଶତାଦ୍ଦୀ ପ୍ରଥମାର୍ଦ୍ଧରେ ଅଧୂନା ସିଟି ହସପିଟାଲ ରାସ୍ତାର ଦୁଇ ପାର୍ଶ୍ୱରେ କେତେକ ସରକାରୀ କୋଠା ନିର୍ମାଣ ଓ କାର୍ଯ୍ୟାଳୟ ପ୍ରତିଷ୍ଠା ପରେ ଗେଟ ବଜାର ଗଢ଼ି ଉଠିଥିଲା। ଗେଟ ବଜାରରୁ ଆଭ୍ୟନ୍ତରୀଣ ଗଞ୍ଜାମ, ଫୁଲବାଣୀ, କୋରାପୁଟ ଓ କଳାହାଣ୍ଡିକୁ ସଡ଼କ ପଥ ଲମ୍ୱି ଥିବା ସ୍ଥଳେ ଲୋଚ଼ାପଡ଼ା, ନିମଖଣ୍ଡି, ଜଗଦଳପୁର ଓ ଭାବିନୀପୁର ପ୍ରଭୃତି ଅଞ୍ଚଳକୁ ସଂଯୋଗ ରାସ୍ତା ଯୋଡ଼ି ହୋଇଥିଲା । ଫଳରେ ଜନସମାଗମ ସାଙ୍ଗକୁ ମାଲ ପରିବହନରେ ଗୁରୁତ୍ୱ ବହନ କରୁଥିଲା । ସ୍ୱାଧୀନୋତ୍ତର ଅବସ୍ଥା ଯାଏଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଟ୍ରେଜେରୀ ଓ ଜିଲ୍ଲା ଚ଼ିକିତ୍ସାଳୟ ସିଟି ହସପିଟାଲ ରୋଡ଼ରେ ହିଁ ଚାଲୁଥିଲାପରବର୍ତ୍ତୀ ପର୍ଯ୍ୟାୟରେ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ ଓ ଟ୍ରେଜେରୀ କୋର୍ଟପେଟାକୁ ସ୍ଥାନାନ୍ତରିତ ହୋଇଥିଲା ।
 
ଷ୍ଟେଟ ବ୍ୟାଙ୍କ ମେନ ବ୍ରାଞ୍ଚ ଛକରୁ ଗେଟ ବଜାର ଦେଇ ଆସିକାରୋଡ଼ ରାସ୍ତା ମୂଳତଃ ପ୍ରଶସ୍ତ ରହିଥିଲେ ହେଁ କାଳକ୍ରମେ ଦୋକାନ ବଜାର ଗଢ଼ି ଉଠିବାରୁ ସଂକୀର୍ଣ୍ଣ ହୋଇଯାଇଥିବା ଦେଖିବାକୁ ମିଳେ । ଫ୍ଲାଇ-ଓଭର ସର୍ଭେ ବେଳେ ଜଣାଯାଇଥିଲା ଯେ ଏହି ରାସ୍ତାର ପ୍ରସ୍ଥ ୧୪ ମିଟରରୁ ୧୮ ମିଟର ଯାଏଁ ରହିଛି । ଫ୍ଳାଇ-ଓଭର ନିମନ୍ତେ ୨୨ ମିଟର ଚଉଡ଼ା ବିଶିଷ୍ଟ ବ୍ରିଜ ଓ ଏପ୍ରୋଚ଼ ରୋଡ଼ ନିର୍ମାଣ କରାଗଲେ ପ୍ରାୟ ୪ ରୁ ୮ ମିଟର ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ଆବଶ୍ୟକ ପଡ଼ିପାରେ । ଅର୍ଥାତ, ରାସ୍ତାର ଦୁଇ ପାର୍ଶ୍ୱରୁ ଜବର ଦଖଲ ହଟାଇ ଅଧିକ କିଛି ଜମି ଉଚ୍ଛେଦ ହେବ । ନୀଳାଦ୍ରି ବିହାରରୁ ଆରମ୍ଭ ହେବାକୁ ଥିବା ଗେଟ ବଜାର ଫ୍ଳାଇ-ଓଭର ସିଟି ହସପିଟାଲ ଛକ ଶେଷ ଯାଏଁ  ୯୨୦ ମିଟର ବା ପ୍ରାୟ ଏକ କିଲୋମିଟର ଦୀର୍ଘ ହେବା ପ୍ରସ୍ତାବ ବିଚାରାଧୀନ ରହିଛି ।
 
ପରିବର୍ତ୍ତିତ ପରିବେଶରେ ସଡ଼କ ପଥରେ ଚଳାଚଳ ବଢ଼ି ଚାଲିଛି । ଏକ ପକ୍ଷରେ ଗ୍ରାମାଞ୍ଚଳରେ ପ୍ରତି ଦୁଇ ପରିବାର ମଧ୍ୟରୁ ଗୋଟିଏ ପରିବାର କୌଣସି ଯାନବାହନର ମାଲିକ ଥିବା ସ୍ଥଳେ ବ୍ୟବସାୟ, ଶିକ୍ଷା, ସ୍ୱାସ୍ଥ୍ୟ ତଥା ଅନ୍ୟାନ୍ୟ ସାମାଜିକ କାରଣରୁ ସହରାଞ୍ଚଳକୁ ବାରମ୍ୱାର ଆତଯାତ କରୁଛନ୍ତି । ଅପରପକ୍ଷରେ ଯାତ୍ରୀ ଓ ମାଲ ପରିବହନ ନିମନ୍ତେ ବଡ଼ ପରିବର୍ତ୍ତେ ବହୁ ସଂଖ୍ୟକ ଛୋଟ ଯାନବାହାନ ଚଳାଚଳ କରୁଛି । ଫଳରେ ଟ୍ରାଫିକ ଭାର ଅସଂଭାଳ ଅବସ୍ଥାରେ ପହଞ୍ଚୁଛି । ସହରାଞ୍ଚଳରେ ଭିଡ଼ ନିୟନ୍ତ୍ରଣ ନିମନ୍ତେ ଫ୍ଳାଇ-ଓଭର ନିର୍ମାଣ ଏକ ଦୀର୍ଘ ମିଆଦୀ ସମାଧାନ । ତେଣୁ ଫ୍ଳାଇ-ଓଭର ନିର୍ମାଣକୁ ସମସ୍ତେ ସ୍ୱାଗତ କରିବେ । ତେବେ ଫ୍ଳାଇ-ଓଭର ନିର୍ମାଣ କେତେ ସମୟ ଲାଗିବ ଓ ନିର୍ମାଣର ମାନ କଣ ରହିବ ତାହା ବିତର୍କର ବିଷୟ । ଫ୍ଳାଇ-ଓଭର ବର୍ଷ ବର୍ଷ ଧରି ନିର୍ମାଣଧୀନ ଅବସ୍ଥାରେ ରହିବା ଫଳରେ ସେହି ରାସ୍ତା ବ୍ୟବହାରକାରୀ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବା ଊଦାହରଣର ଅଭାବ ନଥାଏ ।
 
ଆସିକା ରୋଡ଼ରେ ରମ୍ପାସାହି ଓ ସିଟି ହସପିଟାଲ ରାସ୍ତାକଡ଼େ ଅନଧିକାର ବସ ରହେଣୀ ଓ ଟ୍ରାଫିକ ନିୟମକାନୁନର ଖୋଲା ଉଲଂଘନ ଲାଗି ରହିଥାଏ । ପୋଲିସ ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆକଟ କାମ କରିନଥାଏ । ସହରର ଉପକଣ୍ଠ ହଳଦିଆପଦରଠାରେ ୧୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ବସଷ୍ଟାଣ୍ଡ ୨୦୧୬ରୁ ପ୍ରସ୍ତୁତି ହୋଇ ରହିଥିଲେ ହେଁ ବ୍ୟବହୃତ ହୋଇପାରୁ ନାହିଁ । ଗେଟ ବଜାର ଫ୍ଳାଇ-ଓଭର କାମ ଆରମ୍ଭରେ ଆସିକା ରୋଡ଼ ଓ ସିଟି ହସପିଟାଲ ରୋଡ଼ରେ ଯାନବାହାନ ଚଳାଚଳ ବାରଣ ହେଲେ ଅନ୍ତତଃପକ୍ଷେ ହଳଦିଆପଦର ବସ ଟର୍ମିନାଲ ବାଧ୍ୟବାଧକତାରେ କାର୍ଯ୍ୟକାରୀ ହେବା ଆଶା କରାଯାଇପାରେ ! କିନ୍ତୁ ଯଦି ଫ୍ଳାଇ-ଓଭର ନିର୍ମାଣ କାମ ଆରମ୍ଭ ହୁଏ, ତେବେ ତାହା ୨୦୨୪ ନିର୍ବାଚନ ପର କଥା ନୁହେଁ କି !!


Image by domi yanto from Pixabay

Friday, October 13, 2023

Jaugada Fort / ଜଉଗଡ଼

 

#ବ୍ରହ୍ମପୁର ସହର ନିକଟବର୍ତ୍ତୀ ପୁରାତନ କୀର୍ତ୍ତିରାଜି ରୂପେ ଜଉଗଡ଼ ସୁବିଖ୍ୟାତ । ବ୍ରହ୍ମପୁରଠାରୁ ୩୫ କିଲୋମିଟର ତଥା ପୁରୁଷୋତ୍ତମପୁରଠାରୁ ପାଞ୍ଚ କିଲୋମିଟର ଦୂରରେ ଜଉଗଡ଼ ଅବସ୍ଥିତ । ଋଷିକୂଲ୍ୟା ନଦୀର ଉତ୍ତର ଦିଗ ତଥା ପୁରୁଷୋତ୍ତମପୁରର ପଶ୍ଚିମ ଦିଗରେ ପାଣ୍ଡିଆ ଗ୍ରାମ ନିକଟରେ ଖପିଙ୍ଗଳ ପର୍ବତରେ ଏକ ପ୍ରଚ଼ୀନ ଦୁର୍ଗ ଦେଖିବାକୁ ମିଳେ । ସେଠାରେ ତିନିଗୋଟି ଫଳକରେ ମଗଧ ସମ୍ରାଟ ଅଶୋକଙ୍କ ଅନୁଶାସନ ଲିପିବଦ୍ଧ ।
 
ଅଶୋକ ଖ୍ରୀଷ୍ଟପୂର୍ବ ତୃତୀୟ ଶତାଦ୍ଦୀରେ ରାଜତ୍ୱ କରୁଥିଲେ । ସେ ଓଡ଼ିଶା, ତତ୍କାଳୀନ କଳିଙ୍ଗ ସହ ଯୁଦ୍ଧରେ ଜୟଲାଭ କରି ଶାସନଭାର ଗ୍ରହଣ କରିଥିଲେ । କଳିଙ୍ଗ ଯୁଦ୍ଧ ଅଶୋକଙ୍କୁ ଯୁଦ୍ଧଖୋରରୁ ଶାନ୍ତିପ୍ରିୟରେ ପରିବର୍ତ୍ତିତ କରିଥିବା ଇତିହାସ ପୃଷ୍ଠାରେ ବର୍ଣ୍ଣିତ । କଳିଙ୍ଗ ଯୁଦ୍ଧ ପରବର୍ତ୍ତୀ ଅବସ୍ଥାରେ ଅଶୋକ ପ୍ରଜାମାନଙ୍କ ମଙ୍ଗଳ ସକାଶେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ । ସେ ନିଜର ଉଦାରବାଦୀ ଶାସନ ନୀତି କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ସମ୍ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଶିଳା ଗାତ୍ରରେ ଅନୁଜ୍ଞା ଖୋଦିତ କରି ପ୍ରଚାର ବ୍ୟବସ୍ଥା କରିଥିବା ଓଡ଼ିଶା ସମେତ ଉତ୍ତରପ୍ରଦେଶ, ଗୁଜରାଟ, ପାକିସ୍ତାନ, ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶରେ ବିଦ୍ୟମାନ ।
 
ଅଶୋକଙ୍କ ଶାସନକାଳରେ କଳିଙ୍ଗର ରାଜଧାନୀ ତୋଷାଳୀ ଥିଲା । ଢେଙ୍କାନାଳର ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ମତରେ ତୋଷାଳୀ ବର୍ତ୍ତମାନର ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ଅବସ୍ଥିତ ଥିଲା । ଜଉଗଡ଼ ଶିଳାଲେଖାରେ ସମାପାର ନାମ ଉଲ୍ଲେଖ ରହିଛି । ଜଉଗଡ଼ ସମୀପବର୍ତ୍ତୀ ସମା ଗ୍ରାମ କଳିଙ୍ଗର ଦ୍ୱିତୀୟ ରାଜଧାନୀ ଥିବା ସେ ଉଲ୍ଲେଖ କରିଛନ୍ତି ।
 
ଅଶୋକ ନିଜ ଧର୍ମାନୁଶାସନ ପ୍ରଚାର କରିବା ନିମନ୍ତେ ଧର୍ମ ମହାମାତ୍ର ନାମରେ ସ୍ୱତନ୍ତ୍ର ରାଜକର୍ମଚାରୀ ନିଯୁକ୍ତ କରିଥିଲେ । ସେମାନେ ଜନବସତିଗୁଡିକରେ ପ୍ରତି ଚାରିମାସରେ ଥରେ ଅନୁଶାସନଗୁଡ଼ିକୁ ଜନସାଧାରଣଙ୍କୁ ପଢ଼ି ବୁଝାଉଥିଲେ । ସମାପା ଅର୍ଥାତ ଜଉଗଡ଼ ଅଞ୍ଚଳରେ ଏହି ପ୍ରଚାର କାର୍ଯ୍ୟ ଲାଗି ଦକ୍ଷିଣାଞ୍ଚଳ ମହାମାତ୍ର କାର୍ଯ୍ୟରତ ରହିଥିବା ଜଣାଯାଏ ।
 
ଓଡ଼ିଶାରେ ଅଶୋକଙ୍କ ଶିଳାଲେଖ ଭୁବନେଶ୍ୱର ନିକଟବର୍ତ୍ତୀ ଧଉଳି ଓ ବ୍ରହ୍ମପୁର ନିକଟବର୍ତ୍ତୀ ଜଉଗଡ଼ରେ ଦେଖିବାକୁ ମିଳେ । ଏଥିରେ ୧୪ ଗୋଟି ଅନୁଜ୍ଞା ଖୋଦିତ । ଧଉଳି ଓ ଜଉଗଡ଼ର ଅନୁଜ୍ଞା ମଧ୍ୟରେ ମେଳ ଖାଏ । ତେବେ ଜଉଗଡ଼ର ୧୧ଶ, ୧୨ଶ ଓ ୧୩ଶ ଅନୁଜ୍ଞା ବଦଳରେ ଦୁଇଗୋଟି ସ୍ୱତନ୍ତ୍ର ଅନୁଜ୍ଞା ରହିଛି । ଏଥିରେ ଦକ୍ଷିଣାଞ୍ଚଳ କଳିଙ୍ଗବାସୀ ରାଜାଙ୍କୁ ଭୟ ନକରି ଧର୍ମ ଆଚ଼ରଣ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ ଯେ ସୀମାନ୍ତବାସୀ କଳିଙ୍ଗ ଯୁଦ୍ଧରେ ଅଂଶଗ୍ରହଣ କରିନଥିବା ହେତୁ ଅପରାଜିତ ରହିଥିଲେ
 
ଜଉଗଡ଼ ଶିଳାଲେଖର ଭାଷା ପାଲି ଓ ଲିପି ବ୍ରାହ୍ମୀ ବୋଲି ସମ୍ୱଲପୁରର ଇତିହାସ ଅଧ୍ୟାପକ ସ୍ୱର୍ଗତ ଡ଼କ୍ଟର ନବୀନ କୁମାର ସାହୁ ମତ ପୋଷଣ କରିଥିଲେ । କିନ୍ତୁ ବ୍ରହ୍ମପୁରର ଓଡ଼ିଆ ଭାଷାସାହିତ୍ୟ ଅଧ୍ୟାପକ ସ୍ୱର୍ଗତ ଡ଼କ୍ଟର ବେଣୀମାଧବ ପାଢ଼ୀ ଏହି ଶିଳାଲେଖର ଭାଷା ଓଡ୍ର ମାଗଧୀ ବୋଲି ସୂଚାଇ ଥିଲେ । ଲିପିରେ ଖୋଦିତ କେତେକ ଶବ୍ଦ ପ୍ରାଚ଼ୀନ ଓଡ଼ିଆ ଭାଷା ବୋଲି ଅନୁଭୂତ ହୋଇଥାଏ । ଜନସାଧାରଣଙ୍କ ମଧ୍ୟରେ ପ୍ରଚାର ଉଦ୍ଦେଶ୍ୟରେ ରଚ଼ିତ ରାଜାଦେଶ ଦେଶୀୟ ଭାଷାରେ ଲିଖିତ ଥିବା ସେ ଯୁକ୍ତି ବାଢ଼ିଥିଲେ ।
 
କେତେକ ଐତିହାସିକଙ୍କ ମତରେ ଜଉଗଡ଼ର ପ୍ରାଚ଼ୀନ ନାମ ଜଗତ ଥିଲା । ତାହା ଅପଭ୍ରଂଶରେ ଜଉଗଡ଼ରେ ପରିଣତ ହୋଇଛି । ଜଉଗଡ଼ସ୍ଥିତ ପ୍ରାଚୀନ ଦୁର୍ଗର ଚ଼ର୍ତୁଦ୍ଦିଗରେ ଆଠଗୋଟି ପ୍ରବେଶ ଦ୍ୱାର ଥିବା କୁହାଯାଏ । ନିକଟ ଅତୀତରେ ଭାରତ ସରକାରଙ୍କ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ବିଭାଗ ଦ୍ୱାରା ପରୀକ୍ଷାମୂଳକ ଖନନ କରାଯାଇଥିଲା । ସେଥିରୁ ନୂତନ ପ୍ରସ୍ତର ଯୁଗରେ ବ୍ୟବହୃତ କେତେକ ସାମଗ୍ରୀ ମିଳିଥିଲା । କଟକର ବାରବାଟୀ ଦୁର୍ଗ ଅଞ୍ଚଳରେ ୨୦୨୩ ଅକ୍ଟୋବର ମାସରୁ ପ୍ରତ୍ନତାତ୍ତ୍ୱିକ ଖନନ ଆରମ୍ଭ ହୋଇଥିବା ଗଣମାଧ୍ୟମରେ ପ୍ରକାଶିତ । ଜଉଗଡ଼ ମଧ୍ୟ ଅଧିକ ପ୍ରତ୍ନତାତ୍ତ୍ୱିକ ଅଧ୍ୟୟନ ଆବଶ୍ୟକ କରେ । ଐତିହାସିକ ତଥ୍ୟ ଅନୁଯାୟୀ ପ୍ରାଚ଼ୀନକାଳରେ ଉତ୍ତର ଭାରତରୁ ଦକ୍ଷିଣ ଭାରତ ଯାତ୍ରା କରିବା ନିମନ୍ତେ ଏକ ସୁପ୍ରଶସ୍ତ ରାସ୍ତା ଧଉଳିଗିରି ଓ ଜଉଗଡ଼ ଦେଇ ଗତି କରିଥିଲା । ଉଭୟ ଧଉଳିଗିରି ଓ ଜଉଗଡ଼ରେ ଘଞ୍ଚ ଜନବସତି ଥିଲା । ଏହି କାରଣରୁ ସମ୍ରାଟ ଅଶୋକ ଏହି ଦୁଇ ସ୍ଥାନରେ ଶିଳାଲେଖରେ ଅନୁଶାସନ ଖୋଦନ କରାଇଥିବା ଅନୁମାନ କରାଯାଇପାରେ ।

Image by DenisPet from Pixabay


Friday, October 6, 2023

Lighthouse / ବତୀଘର

 

#ବ୍ରହ୍ମପୁର ସହରବାସୀ ବତୀଘର ସହ ବେଶ ପରିଚ଼ିତ । ଊନବିଂଶ ଶତାଦ୍ଦୀ ଶେଷଭାଗ ଓ ବିଂଶ ଶତାଦ୍ଦୀ ପ୍ରଥମଭାଗରେ ବ୍ରହ୍ମପୁର ସହରଠାରୁ ପନ୍ଦର କିଲୋମିଟର ଦୂରବର୍ତ୍ତୀ ଗୋପାଳପୁରରେ ସାମୁଦ୍ରିକ ବନ୍ଦର କାର୍ଯ୍ୟକ୍ଷମ ଥିଲା । ସେହି ସମୟରୁ ସାଗରବେଳାରେ ନିର୍ମିତ ବତୀଘର ବ୍ରହ୍ମପୁର ଜନ୍ମିତଙ୍କୁ ଦେଢ଼ ଶହ ବର୍ଷ ଧରି ଶୈଶବ ଅବସ୍ଥାରୁ ପରିଚ଼ିତ କରାଇଆସିଛି । ଅନେକଙ୍କ କ୍ଷେତ୍ରରେ ଜୀବନର ପ୍ରଥମ ପର୍ଯ୍ୟଟନ ଅବସରରେ ଘନନୀଳ ସୁବିସ୍ତୀର୍ଣ୍ଣ ଜଳରାଶିର ଉତ୍ତାଙ୍ଗ ତରଙ୍ଗରୁ ଦୃଷ୍ଟି ଅପସାରିତ ହୋଇ ନାଲି ଓ ଧଳା ରଙ୍ଗର ସୁଉଚ୍ଚ ବତୀଘର ଆଡ଼କୁ ଆକର୍ଷିତ ହୋଇଥାଏ । ବ୍ରହ୍ମପୁରବାସୀଙ୍କ ବ୍ୟକ୍ତିଗତ ଜୀବନରେ ଆନନ୍ଦ ଓ ଅବସାଦର ମୂକସାକ୍ଷୀ ଗୋପାଳପୁର ବତୀଘର !
 
ନିକଟ ଇତିହାସରେ ଓଡ଼ିଶା ରାଜ୍ୟରେ ଗୋପାଳପୁରହିଁ ଏକ ମାତ୍ର ଯାତ୍ରୀବାହୀ ବନ୍ଦର ରୂପେ କାର୍ଯ୍ୟ କରୁଥିଲା । ମାସେ ଦୁଇ ମାସରେ ଥରେ ଯାତ୍ରୀମାନଙ୍କୁ ଘେନି ଜାହାଜ ତତକାଳୀନ ରେଙ୍ଗୁନ ବା ବର୍ମା, ମିଆଁମାରକୁ ଯାଉଥିଲା । ଗଞ୍ଜାମ ଜିଲ୍ଲାର ଆଭ୍ୟନ୍ତର ଅଞ୍ଚଳରୁ ଯୁବାବସ୍ଥାରେ ଘେରାଏ ରେଙ୍ଗୁନ ବୁଲିଆସିବା ଏକ ସଉକରେ ପରିଣତ ହୋଇଥିଲା । ଚାଷୀ ପରିବାରର ଯୁବକମାନେ କିଛି ଦିନ ସେଠାକାର କୃଷି କ୍ଷେତ୍ରରେ ଶ୍ରମିକଭାବେ ଅବସ୍ଥାପିତ ହୋଇ ବର୍ଷେ ଦୁଇ ବର୍ଷ ପରେ ନିଜ ଗ୍ରାମକୁ ଫେରି ଆସୁଥିଲେ । ତେବେ ଜୀବନବ୍ୟାପୀ ଗୋପାଳପୁର ବନ୍ଦରରୁ ଜାହାଜରେ ଯାତ୍ରା ଓ ରେଙ୍ଗୁନ ଅନୁଭୂତି ବସାବାନ୍ଧି ରହୁଥିଲା ।
 
ପୁରାତନ ବନ୍ଦର ଗୋପାଳପୁର ସହରରେ ଅବସ୍ଥିତ ଥିଲା । ଗୋପାଳପୁର ବେଳାଭୂମିରେ ଭଙ୍ଗା ଗୋଦାମ ଓ ବତୀଘର ବନ୍ଦରର ସ୍ମୃତି ବହନକରେ । ଜାହାଜ ଯାତ୍ରୀଙ୍କ ରହେଣୀ ଉଦ୍ଦେଶ୍ୟରେ ଜଣେ ବିଦେଶୀ ବ୍ୟବସାୟୀଙ୍କ ଦ୍ୱାରା ନିର୍ମିତ ହୋଟେଲ ପ୍ରଥମେ ଓବରାଇ ଓ ପରେ ମେ ଫେୟାର ଗୃପ କିଣିନେଇ ପୁନଃନିର୍ମାଣ କରିଛନ୍ତି । ନୂଆ ଗୋପାଳପୁର ବନ୍ଦର ୧୮ କିଲୋମିଟର ଦୂରବର୍ତ୍ତୀ ଆର୍ଯ୍ୟପଲ୍ଲୀ ବେଳାଭୂମିରେ ଗଢ଼ି ଉଠିଛି । ତେବେ ପୂର୍ବବତ ନୂତନ ଗୋପାଳପୁର ବନ୍ଦରରୁ ଯାତ୍ରୀବାହୀ ଜାହାଜ ଚଳାଚଳ କରୁନାହିଁ ।
 
ପୁରାତନ ଗୋପାଳପୁର ବନ୍ଦର ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଗୁରୁତ୍ୱ ଲାଭ କରିଥିଲା । କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବର୍ମାରୁ ଚାଉଳ ଆମଦାନୀ ବ୍ୟବସାୟ ବନ୍ଦ ଏବଂ ରାଜନୀତିକ ଅସ୍ଥିରତା ହେତୁ ଗୋପାଳପୁର ବନ୍ଦର ବନ୍ଦ ହୋଇଯାଇଥିଲା । ଉପକୂଳ ଓଡ଼ିଶାରେ ରେଳପଥ ଓ ସଡ଼କପଥର ବିକାଶ ମଧ୍ୟ ଅନ୍ୟତମ କାରଣ । ଗୋପାଳପୁର ବନ୍ଦର ଦେଇ ଆମଦାନୀ ଓ ରପ୍ତାନୀ କାରବାର ମୁଖ୍ୟତଃ ବିଶାଖାପାଟଣା ବନ୍ଦରକୁ ସ୍ଥାନାନ୍ତରିତ ହୋଇଥିଲା ।
 
ଗୋପାଳପୁର ବତୀଘରର ମୂଳ ମଞ୍ଚ ୧୮୭୧ରେ ନିର୍ମିତ ହୋଇ ୧୯୨୫ରେ ଉନ୍ନତି କରାଯାଇଥିଲା । ତେବେ ପକ୍କା ବତୀଘର ୧୯୬୭ରେ ବର୍ତ୍ତମାନର ରୂପ ଧାରଣ କରିଥିଲା । ଗୋପାଳପୁର ବ୍ୟତୀତ ଗଞ୍ଜାମ ଜିଲ୍ଲାରେ ଗଞ୍ଜାମ ବ୍ଳକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତର ପ୍ରୟାଗି ଗ୍ରାମ ନିକଟରେ ଅନ୍ୟ ଏକ ବତୀଘର ରହିଛି । ଗୋପାଳପୁର ବତୀଘରକୁ ପର୍ଯ୍ୟଟକମାନେ ଆଗ୍ରହ ସହକାରେ ପରିଦର୍ଶନ କରିଥାନ୍ତି । ସାଧାରଣତଃ ଅପରାହ୍ନରେ ପର୍ଯ୍ୟଟକମାନଙ୍କୁ ବତୀଘର ସିଡ଼ି ଚଢ଼ି ଶୀର୍ଷ ସ୍ଥଳୀ ଯିବା ପାଇଁ ଅନୁମତି ମିଳିଥାଏ । ପ୍ରତ୍ୟେହ ସନ୍ଧ୍ୟା ୫.୩୦ ଯାଏଁ ବତୀଘର ଦର୍ଶକଙ୍କ ଲାଗି ଉନ୍ମୁକ୍ତ ରହେ । ବତୀଘର ଶୀର୍ଷରୁ ଗୋପାଳପୁର ସଂଲଗ୍ନ ସମୁଦ୍ର ଓ ସ୍ଥଳଭାଗର ଶୋଭାରାଜି ସ୍ମରଣୀୟ ଅନୁଭୂତି ।
 
ଗୋପାଳପୁର ବତୀଘର କେନ୍ଦ୍ର ସରକାରଙ୍କ ଜାହାଜ ପରିବହନ ମନ୍ତ୍ରଣାଳୟ ଅଧୀନସ୍ଥ । ଗୋପାଳପୁର ସମେତ ଓଡ଼ିଶା ଉପକୂଳରେ ଅବସ୍ଥିତ ପୁରୀ, ଚନ୍ଦ୍ରଭାଗା, କେନ୍ଦ୍ରପଡ଼ା ଓ ପାରାଦ୍ୱୀପ ପାଞ୍ଚଗୋଟି ବତୀଘର ପ୍ରାଙ୍ଗଣରେ ପର୍ଯ୍ୟଟକଙ୍କ ରହିବା ନିମନ୍ତେ ସୁବିଧା ସୁଯୋଗ ସୃଷ୍ଟି ନିମନ୍ତେ ଏକ ଯୋଜନା ପ୍ରଣୟନ କରାଯାଇଛି । ଏହା ସରକାରୀ ଓ ଘରୋଇ ଉଦ୍ୟୋଗ ସହଭାଗିତା ପବ୍ଳିକ-ପ୍ରାଇଭେଟ-ପାର୍ଟନରସିପ ଢାଞ୍ଚାରେ ପରିଚାଳିତ ହେବା ସ୍ଥିରୀକୃତ ହୋଇଛି । ଏଥିଲାଗି ସ୍ଥାନୀୟ ପ୍ରଶାସନ ଓ ଉପକୂଳ ନିୟନ୍ତ୍ରଣ ଅଧିକାରୀଙ୍କଠାରୁ ଅନୁମତି ଅଣାଯାଇ ସରିଥିବା ଜଣାଯାଏ । ରାଜ୍ୟ ବତୀଘରଗୁଡିକ ମଧ୍ୟରୁ ୧୮୩୬ରେ ନିର୍ମିତ କେନ୍ଦ୍ରପଡ଼ାର ଫଲସ ପଏଣ୍ଟ ବତୀଘର ସର୍ବପ୍ରାଚୀନ କୁହାଯାଏ ।
 
ଗୋପାଳପୁର ବତୀଘର ନିକଟ ଅତୀତରେ ୧୯୯୯ର ମହାବାତ୍ୟା ଓ ୨୦୧୩ର ଫାଇଲିନ ବାତ୍ୟାର ସମ୍ମୁଖୀନ ହୋଇଥିଲା । ତେବେ ବିଶେଷ କ୍ଷୟକ୍ଷତି ଘଟିନଥିଲା । ଗୋପାଳପୁର ବତୀଘର ପୃଷ୍ଠଭୂମିରେ ଓଡ଼ିଆ ଓ ବଙ୍ଗଳାରେ ୧୯୭୫ରେ ବତୀଘରନାମକ ଏକ ଚଳଚ଼ିତ୍ର ନିର୍ମିତ ହୋଇଥିଲା । ବଙ୍ଗଳା ନିର୍ଦ୍ଦେଶକ ତପନ ସିହ୍ନାଙ୍କ ଅଦାଲତେ ଏକଟା ମେ ଚଳଚ଼ିତ୍ରରେ ମଧ୍ୟ ଗୋପାଳପୁର ବତୀଘରର ବର୍ଣ୍ଣନା ରହିଛି । ବଙ୍ଗଳା ଓ ହିନ୍ଦି ଚଳଚ଼ିତ୍ର ଅଭିନେତ୍ରୀ ତନୁଜା ୧୯୮୧ରେ ନିର୍ମିତ ଚଳଚ଼ିତ୍ରଟିରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ଚଳଚ଼ିତ୍ରଟି ୟୁଟ୍ୟୁବ ଷ୍ଟ୍ରୀମିଂ ମଞ୍ଚରେ ଉପଲବ୍ଧ ।


Image by Evgeni Tcherkasski from Pixabay