Friday, March 15, 2024

Visakhapatnam-Bhubaneswar Vande Bharat / ବିଶାଖାପାଟଣା-ଭୁବନେଶ୍ୱର ବନ୍ଦେ-ଭାରତ

 


#ବ୍ରହ୍ମପୁର ଷ୍ଟେସନରୁ ରେଳଯାତ୍ରା ସୁପରଫାଷ୍ଟ ଯାଏଁ ହିଁ ସମ୍ଭବ ଥିଲା । ବ୍ରହ୍ମପୁର ଷ୍ଟେସନ ଦେଇ ଶତାଦ୍ଦୀ ଯାଉ ନଥିଲା ଏବଂ ହାୱାଡା-ବାଙ୍ଗାଲୁର ଦୂରନ୍ତ-ଏକ୍ସପ୍ରେସ ଯାଉଥିଲେ ବି ଅଟକୁନଥିଲା । ପ୍ରଥମ ଥର ପାଇଁ ସହରବାସୀ ୧୭ ଫେବୃୟାରୀ ୨୦୨୪ରୁ ଭୁବନେଶ୍ୱର କିମ୍ୱା ବିଶାଖାପାଟଣା ଯାତ୍ରା ନିମନ୍ତେ ବନ୍ଦେ-ଭାରତ ଏକ୍ସପ୍ରେସ ଯାତ୍ରା କରିବା ସୁଯୋଗ ପାଇବେ । ବିଶାଖାପାଟଣା – ଭୁବନେଶ୍ୱର ବନ୍ଦେ-ଭାରତ ଏକ୍ସପ୍ରେସ ସାତଗୋଟି ଷ୍ଟେସନରେ ଅଟକିବ ବିଶାଖାପାଟଣା ଛାଡ଼ିବା ପରେ ବିଜୟନଗରମ, ଶ୍ରୀକାକୁଲମ, ପାଲାସା, ଇଛାପୁରମ, ବ୍ରହ୍ମପୁର, ବାଲୁଗାଁ, ଖୋର୍ଦ୍ଦା ରୋଡ଼ରେ ଅଟକି ଭୁବନେଶ୍ୱର ପହଞ୍ଚିବ । ଏଥି ମଧ୍ୟରେ ବ୍ରହ୍ମପୁରଠାରୁ ଛୋଟ ଏକାଧିକ ଷ୍ଟେସନ ରହିଛି । ବନ୍ଦେ-ଭାରତରେ ବ୍ରହ୍ମପୁର ଯାତ୍ରୀ ଭୁବନେଶ୍ୱର ପଟେ ତିନିଗୋଟି ଏବଂ ବିଶାଖାପାଟଣା ପଟେ ତିନିଗୋଟି ଷ୍ଟେସନରେ ଓହ୍ଲାଇ ପାରିବେ ।
 
ଭାରତୀୟ ରେଳପଥ ପକ୍ଷରୁ ଜାତୀୟସ୍ତରରେ ଫେବୃୟାରୀ ୨୦୧୯ରେ ପ୍ରଥମ ବନ୍ଦେ-ଭାରତ ଏକ୍ସପ୍ରେସ ଆରମ୍ଭ ହୋଇଥିଲା । ଓଡ଼ିଶାରେ ପ୍ରଥମ ବନ୍ଦେ-ଭାରତ ପୁରୀ-ହାୱାଡା ମେ ୨୦୨୩ ଓ ଦ୍ୱିତୀୟ ବନ୍ଦେ-ଭାରତ ପୁରୀ-ରାଉରକେଲା ସେପ୍ଟେମ୍ୱର ୨୦୨୩ରେ ଚାଲୁ କରାଯାଇଥିଲା । ଉଭୟ ଟ୍ରେନ ଭୁବନେଶ୍ୱର ଦେଇ ଯାତାୟତ କରୁଥିଲା । ଅତ୍ୟାଧୁନିକ ବନ୍ଦେ-ଭାରତ ଏକ୍ସପ୍ରେସ ଟ୍ରେନ ଗୁଡ଼ିକ ୮୦୦ କିଲୋମିଟର ଦୂର କିମ୍ୱା ସାଧାରଣ ଟ୍ରେନରେ ଦଶ ଘଣ୍ଟାରୁ କମ ଯାତ୍ରା ସମୟ ଲାଗୁଥିବା ଷ୍ଟେସନ ଗୁଡ଼ିକ ମଧ୍ୟରେ ଚଳାଯାଇଥାଏ । ଏଥିରେ ଆଠରୁ ୧୬ ଯାଏଁ ଶୀତତାପ ନିୟନ୍ତ୍ରିତ ବଗି ସନ୍ନିବଶିତ ଏବଂ ଚ଼େନ୍ନାଇ ରେଳ କାରଖାନାରେ ନିର୍ମିତ । ପୂର୍ଣ୍ଣ ୧୬ ଗୋଟି ବଗି ବିଶିଷ୍ଟ ଗୋଟିଏ ବନ୍ଦେ-ଭାରତ ଟ୍ରେନ ନିର୍ମାଣ ଲାଗି ୧୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ ।
 
ବିଶାଖାପାଟଣାରୁ ଭୁବନେଶ୍ୱରଗାମୀ ବନ୍ଦେ-ଭାରତ ସୁପରଫାଷ୍ଟ ଏକ୍ସପ୍ରେସ ବ୍ରହ୍ମପୁରରେ ସନ୍ଧ୍ୟା ସାତଟାରେ ଲାଗି ଭୁବନେଶ୍ୱରରେ ରାତି ୯.୩୦ରେ ପହଞ୍ଚିବ । ଭୁବନେଶ୍ୱରରୁ ବିଶାଖାପାଟଣାଗାମୀ ଟ୍ରେନଟି ବ୍ରହ୍ମପୁରରେ ସକାଳ ସାତଟାରେ ଲାଗି ବିଶାଖାପାଟଣାରେ ମଧ୍ୟାହ୍ନ ୧୧ଟାରେ ପହଞ୍ଚିବ । ବିଶାଖାପାଟଣାରୁ ବନ୍ଦେ-ଭାରତ ଅପରାହ୍ନ ୩.୩୦ ଓ ଭୁବନେଶ୍ୱରରୁ ସକାଳ ୫.୧୫ରେ ଛାଡ଼ିବ ।
 
ଗେରୁଆ-ଧୂସର ରଙ୍ଗର ବିଶାଖାପଟଣା-ଭୁବନେଶ୍ୱର ବନ୍ଦେ-ଭାରତରେ ଆଠଗୋଟି ବଗି ରହିବ । ଏଥିରେ ଏକଜୁକ୍ୟୁଟିଭ ଓ ଏସି ଚ଼େୟାର କାର ଦୁଇ ଭିନ୍ନ ଶ୍ରେଣୀର ବଗି ଅନ୍ତର୍ଭୁକ୍ତ । ଏକଜୁକ୍ୟୁଟିଭ କ୍ଳାସ ପ୍ରତ୍ୟେକ ବଗିରେ ୫୨ ଗୋଟି ସିଟ ବିଶିଷ୍ଟ । ପ୍ରତି ଧାଡ଼ିରେ ଦୁଇଗୋଟି ଲେଖା ଚାରିଗୋଟି ସିଟ ରହିବ । ଏସି ଚେୟାର କାର ବଗି ୭୮ ଗୋଟି ସିଟ ବିଶିଷ୍ଟ । ପ୍ରତ୍ୟେକ ଧାଡ଼ିରେ ଦୁଇ ଓ ତିନି ମୋଟ ପାଞ୍ଚଗୋଟି ସିଟ ରହିବ । ସର୍ବ ପ୍ରଥମ ଓ ଶେଷ ଏସି ଚେୟାର କାର ସିଟ ସଂଖ୍ୟା ୪୪ରେ ସୀମିତ ।
 
ବିଶାଖାପାଟଣା-ଭୁବନେଶ୍ୱର ବନ୍ଦେ-ଭାରତ ଏକ୍ସପ୍ରେସ ୪୪୪ କିଲୋମିଟର ଅତିକ୍ରମ କରିବାକୁ ୫ ଘଣ୍ଟା ୪୫ ମିନଟ ନେବ । ଟ୍ରେନର ହାରାହାରି ଗତି ୮୧ କିଲୋମିଟର ରହିବା ବେଳେ ସର୍ବାଧିକ ୧୩୦ କିଲୋମିଟର ଯାଏଁ ବୃଦ୍ଧି ପାଇପାରିବ । ଟ୍ରେନଟି ଛୋଟବଡ଼ ମୋଟ ୬୬ ଗୋଟି ଷ୍ଟେସନ ଦେଇ ଗତି କରିବ । ଏହା ସପ୍ତାହରେ ୬ ଦିନ ଚାଲିବ । ସୋମବାର ଦିନ ବିଶାଖାପାଟଣା-ଭୁବନେଶ୍ୱର କିମ୍ୱା ଭୁବନେଶ୍ୱର-ବିଶାଖାପାଟଣା ବନ୍ଦେ-ଭାରତ ଚଳାଚଳ କରିବ ନାହିଁ । ବ୍ରହ୍ମପୁରରୁ ଭୁବନେଶ୍ୱର ପାଇଁ ଟିକଟ ଦର ଏସି ଚ଼େୟାର କାର ୭୭୦ ଟଙ୍କା ଓ ଏକଜୁକ୍ୟୁଟିଭ କ୍ଳାସ ୧୩୨୦ ଟଙ୍କା ତଥା ବ୍ରହ୍ମପୁରରୁ ବିଶାଖାପାଟଣା ପାଇଁ ଏସି ଚ଼େୟାର କାର ୮୬୦ ଟଙ୍କା ଓ ଏକଜୁକ୍ୟୁଟିଭ କ୍ଳାସ ୧୬୦୦ ଟଙ୍କା ରହିବ ।
 
ବ୍ରହ୍ମପୁରରୁ ଭୁବନେଶ୍ୱର ଓ ବିଶାଖାପାଟଣାକୁ ଶୀତତାପ ନିୟନ୍ତ୍ରିତ ବଗି ଚଳାଇବା ନିମନ୍ତେ ତିନି ଦଶକ ଧରି ଦାବୀ ରହିଥିଲା । ସହରବାସୀ ଉଭୟ ସହରକୁ ବୃତ୍ତିଗତ, ବ୍ୟାବସାୟିକ, ସ୍ୱାସ୍ଥ୍ୟ ସେବା, ବିମାନ ଯାତ୍ରା ଓ ପାରିବାରିକ କାର୍ଯ୍ୟରେ ବାରମ୍ୱାର ଯିବା-ଆସିବା କରୁଥିବା ହେତୁ ଆରାମଦାୟକ ଯାତ୍ରାର ସୁଯୋଗ ଆବଶ୍ୟକତା ରହି ଆସିଥିଲା । ଏକଦା ଇଣ୍ଟରସିଟି ଏକ୍ସପ୍ରେସରେ ଶୀତତାପ ନିୟନ୍ତ୍ରିତ ବଗି ଲାଗି ଥିଲେହେଁ ବ୍ରହ୍ମପୁରରୁ ଭୁବନେଶ୍ୱର ଯାତ୍ରା ଅବେଳରେ ନିର୍ଦ୍ଧାରିତ ହୋଇଥିବା ହେତୁ ଆବଶ୍ୟକୀୟ ଯାତ୍ରୀ ସଂଖ୍ୟା କାରଣରୁ ବନ୍ଦ ହୋଇଯାଇଥିଲା । ବନ୍ଦେ-ଭାରତ କ୍ଷେତ୍ରରେ ମଧ୍ୟ ସନ୍ଧ୍ୟା ସାତରେ ବ୍ରହ୍ମପୁରରୁ ବାହାରି ରାତି ସାଢ଼େ ନଅରେ ଭୁବନେଶ୍ୱର ପହଞ୍ଚିବା ଭୁବନେଶ୍ୱର ବାସିନ୍ଦାଙ୍କୁ ସୁହାଇପାରେ, କିନ୍ତୁ ବ୍ରହ୍ମପୁର ବାସିନ୍ଦାଙ୍କୁ ହୋଟେଲରେ ଭଡ଼ା ଦେଇ ଶୋଇବା ହିଁ ସାର ହେବ । ତେଣୁ ଟ୍ରେନ ଯାତ୍ରା ବଦଳରେ ଦୁଇଜଣ ଯାତ୍ରୀ ଏକାଠି ହେଲେ ସକାଳୁଆ ଦୁଇ ହଜାର ଟଙ୍କିଆ ୱାନ-ୱେ ଟାକ୍ସି ଫେରକୁ ପସନ୍ଦ କରିବେ । ସେହିପରି ବ୍ରହ୍ମପୁର ବାସିନ୍ଦାମାନେ ବଡ଼ି ସକାଳୁ ସାଢ଼େ ଚାରିରେ ଭୁବନେଶ୍ୱର ଷ୍ଟେସନ ପହଞ୍ଚିବା କଠିନ ବୋଧ ହୋଇପାରେ । ମୋଟାମୋଟି ଭାବେ ଅଧିକାଂଶ ବ୍ରହ୍ମପୁର ବାସିନ୍ଦାଙ୍କ ପାଇଁ ବନ୍ଦେ-ଭାରତ ସମୟ ନିର୍ଘଣ୍ଟ ପସନ୍ଦଯୋଗ୍ୟ ହୋଇନପାରେ !

Image from : https://commons.wikimedia.org/wiki/File:Bramhapur_Railway_Station


Friday, March 8, 2024

Town Bus Service / ଟାଉନ ବସ ସେବା

 


#ବ୍ରହ୍ମପୁର ସହରରେ ସଂଭବତଃ ପଞ୍ଚମ ଥର ପାଇଁ ଟାଉନବସ ସେବା ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ମୋ ବସ ଯୋଜନାରେ କ୍ୟାପିଟାଲ ରିଜନ ଆର୍ବାନ ଟ୍ରାନ୍ସପୋର୍ଟ କ୍ରୁଟ ପରିଚାଳନାରେ ପ୍ରାଥମିକ ପର୍ଯ୍ୟାୟରେ ସହରରେ ଚାରିଗୋଟି ରୁଟରେ ନିୟମିତ ବ୍ୟବଧାନରେ ଟାଉନବସ ସେବା ଉପଲବ୍ଧ ହେବ । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ବ୍ରହ୍ମପୁରରେ ୨୦୧୪ରୁ ସିଟିବସ ସେବା ଗଞ୍ଜାମ ଆର୍ବାନ ଟ୍ରାନ୍ସପୋର୍ଟ ସର୍ଭିସ ଲିମିଟେଡ଼ ଗଟସଲ ପକ୍ଷରୁ ବଳବତ୍ତର ରହିଛି । ତେବେ ଏହି ଯୋଜନାରେ ବ୍ୟବହୃତ ବସଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଯିବା ପରେ ଅଳ୍ପ କିଛି ବସ ଚଳାଚଳ କରୁଛି । ପ୍ରଚଳିତ ଢ଼ାଞ୍ଚାରେ କେବଳ ସହର ମଧ୍ୟରେ ବସ ଚଳାଚଳ ବ୍ୟବସ୍ଥା ନାହିଁ । ମୁଖ୍ୟତଃ ବ୍ରହ୍ମପୁର ସହର ଉପକଣ୍ଠରେ ଥିବା ଅଞ୍ଚଳକୁ ସଂଯୋଗ ସବ-ଆର୍ବାନ ଟ୍ରାନ୍ସପୋର୍ଟ ହିସାବରେ କାର୍ଯ୍ୟ କରୁଛି । ବସଗୁଡ଼ିକ ସହର ମଧ୍ୟ ଦେଇ ଯିବା ଆସିବା ଅବସରରେ ଆସିକା ରୋଡ଼ ଫାଷ୍ଟଗେଟରୁ ନୂଆ ବସଷ୍ଟାଣ୍ଡ ଓ ପୁରୁଣା ବସଷ୍ଟାଣ୍ଡରୁ ଗୋପାଳପୁର ଜଙ୍କସନ ରୁଟରେ ସହରବାସୀ ଗମନାଗମନ ସୁବିଧା ପାଆନ୍ତି । ପ୍ରସ୍ତାବିତ ମୋ ବସ ଯୋଜନାରେ ୧୫ ଗୋଟି ବସ କେବଳ ବ୍ରହ୍ମପୁର ସହର ମଧ୍ୟରେ ଚାରିଗୋଟି ରୁଟରେ ଚଳାଚଳ କରିବ । ବସ୍ତୁତଃ ମୋ ବସଯୋଗେ ବ୍ରହ୍ମପୁରବାସୀ ଟାଉନବସ ସେବା ପାଇପାରିବା ନେଇ ଆଶାବାଦୀ ।
 
ସ୍ୱାଧୀନୋତ୍ତର ଅବସ୍ଥାରେ ବସ ପରିବହନ କ୍ଷେତ୍ରରେ ବ୍ରହ୍ମପୁର ନେତୃତ୍ୱ ନେଇ ଆସିଛି । ରାଜ୍ୟର ସର୍ବ ବୃହତ ସଡ଼କ ଯାତ୍ରୀ ପରିବହନ ସଂସ୍ଥା ଓଡ଼ିଶା ରୋଡ଼ ଟ୍ରାନ୍ସପୋର୍ଟ ଓଆରଟି ବ୍ରହ୍ମପୁରରୁ ଆରମ୍ଭ ହୋଇଥିଲା । ବସ ଚଳାଚଳ ଆଦ୍ୟପର୍ବରୁ ଘରୋଇ ଉଦ୍ୟୋଗୀ ଯାତ୍ରୀ ପରିବହନରେ ସାମିଲ ହୋଇଥିବା ସ୍ଥଳେ ଦୁଇ ଥର ଟାଉନବସ ପ୍ରଚଳନ ନିମନ୍ତେ ଉଦ୍ୟମ କରି ବିଫଳ ହୋଇଥିଲେ । ବ୍ରହ୍ମପୁର ପୌରପାଳିକା ପକ୍ଷରୁ ଦୁଇ-ତିନିଗୋଟି ବସ କିଣାଯାଇ ୧୯୯୪-୯୫ର ଆରମ୍ଭ ହୋଇଥିବା ଟାଉନବସ ସେବା ଅଳ୍ପ ସମୟ ମଧ୍ୟରେ ବନ୍ଦ ହୋଇଯାଇଥିଲା ।
 
ତିନି ଥର ଉଦ୍ୟମ ବିଫଳ ହେବା ପରେ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପ୍ରୋତ୍ସାହନରେ ଗଞ୍ଜାମ ଆର୍ବନ ଟ୍ରାନ୍ସପୋର୍ଟ ସର୍ଭିସ ଲିମିଟେଡ଼ ଗଟସଲ ଗଠିତ ହୋଇ ଫେବୃୟାରୀ ୨୦୧୪ରେ ସିଟିବସ ସେବା ଆରମ୍ଭ ହୋଇଥିଲା । ତେବେ ଏହାର ଆୟୋଜନ ନିମନ୍ତେ ସ୍ଥାନୀୟ ପ୍ରଶାସନକୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ୩୨ ଗୋଟି ବସ ପହଞ୍ଚିବା ପରେ ଏହାକୁ ଚଳାଇବା ପାଇଁ ସରକାରୀ ନୀତିନିୟମରେ ଅସନ୍ତୁଷ୍ଟ ହୋଇ କେହି ଘରୋଇ ବସ ଅପରେଟର ରାଜି ହେଲେ ନାହିଁ । ପ୍ରଶାସନ ନିର୍ଦ୍ଦେଶରେ ଓଡ଼ିଶା ଷ୍ଟେଟ ରୋଡ଼ ଟ୍ରାନ୍ସପୋର୍ଟ କରପୋରେସନ ଓଏସଆରଟିସି ୨୬ ଗୋଟି ବସ ପ୍ରଥମେ ବର୍ଷେ ପରେ ଅଧିକା ଛଅ ମାସ ମୋଟ ୧୮ ମାସ ଚଳାଇ କ୍ଷତି କାରଣରୁ ସିଟି ବସ ଚଳାଚଳ ଦାୟିତ୍ୱରୁ ଓହରି ଯାଇଥିଲା । ତତ୍ ପରବର୍ତ୍ତୀ ଅବସ୍ଥାରେ ଅଗଷ୍ଟ ୨୦୧୫ରେ ଜଣେ ଘରୋଇ ଟ୍ରାନ୍ସପୋର୍ଟ ଅପରେଟର ବ୍ରହ୍ମପୁର ସିଟି ବସ ଚଳାଚଳ ଦାୟିତ୍ୱ ଗ୍ରହଣ କରିଥିଲେ । କୋଭିଡ଼ ମହାମାରୀ ସମୟରେ ଦୀର୍ଘ ସମୟ ଲକଡ଼ାଉନ କାରଣରୁ ପରିବହନ ସେବା ଭାଙ୍ଗି ପଡ଼ିଥିବା ସ୍ଥଳେ ସିଟି ବସ ସେବା ଅବ୍ୟବସ୍ଥିତ ଭାବେ ଲଟକି ରହିଛି ।
 
ମୋ ବସ ଯୋଜନାରେ ପ୍ରାଥମିକ ପର୍ଯ୍ୟାୟରେ ବ୍ରହ୍ମପୁରରେ ଟାଉନବସ ସେବା ପ୍ରଚଳନ ନିମନ୍ତେ ୧୫ ଗୋଟି ବସ ଯୋଗାଇ ଦିଆଯାଇଛି । ଏଥି ମଧ୍ୟରୁ ୧୦ ଗୋଟି ପାରମ୍ପରିକ ଡିଜେଲ ଚାଳିତ ଓ ପାଞ୍ଚଗୋଟି ଇ-ବସ । ଇ-ବସଗୁଡ଼ିକ ଶୀତତାପ ନିୟନ୍ତ୍ରିତ । ସମସ୍ତ ବସ ଦୀର୍ଘ ଅତୀତରୁ ନିର୍ମିତ ହୋଇ ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଥିବା ହଳଦିଆ ପଦର ବସ ଟର୍ମିନାସରେ ରହୁଛି । ମୋ ବସଗୁଡ଼ିକ କେବଳ ସହର ମଧ୍ୟରେ ଚଳାଚଳ କରିବା ନିମନ୍ତେ ସ୍ଥିର କରାଯାଇଥିବା ଏବଂ ଚାରିଗୋଟି ରୁଟ ପାଇଁ ୧୫ ଗୋଟି ବସ ନିୟୋଜନ କରାଯାଉଥିବା ହେତୁ ବ୍ରହ୍ମପୁରରେ ଟାଉନବସ ସେବା କ୍ଷେତ୍ରରେ ଗତ ଚାରିଗୋଟି ଉଦ୍ୟମରେ ଦେଖା ଦେଇଥିବା ଭୂଲଭଟକା ସଜଡ଼ା ଯାଇ ପାରିବା ଆଶା କରାଯାଇପାରେ । ଅତୀତରେ ମୁଖ୍ୟତଃ ଯାତ୍ରୀ ଅଭାବରୁ ବସ ସେବା କ୍ଷତିଗ୍ରସ୍ତ ହୋଇଥିଲା । କୁହାଯାଏ ଯେ ଓଏସଆରଟିସି ୧୮ ମାସ ବ୍ରହ୍ମପୁରରେ ସିଟିବସ ଚଳାଇବା ଲାଗି ୧୪ ଲକ୍ଷ ଟଙ୍କା କ୍ଷତି ସହିଥିଲା । ଟାଉନବସ ଲାଗି ଯାତ୍ରୀଙ୍କ ଅଭାବ ନାହିଁ । ତେବେ ଟାଉନବସ ସେବା ନିଶ୍ଚିତ ହେଲେ ଏବଂ ନିର୍ଦ୍ଧାରିତ ସମୟରେ ବସ ଚଳାଚଳ କଲେ ଯାତ୍ରୀ ଆକୃଷ୍ଟ ହେବେ । ଏହି ସମସ୍ୟାର ସମାଧାନ ନିମନ୍ତେ ପର୍ଯ୍ୟାପ୍ତ ପରିମାଣରେ ବସ ଚଳାଚଳ କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ ।
 
ତେବେ ବ୍ରହ୍ମପୁରର ଅଣଓସାରିଆ ରାସ୍ତାଘାଟରେ ମୋ ବସ ଯୋଜନାରେ ପହଞ୍ଚିଥିବା ବଡ଼ ଆକାରର ବସଗୁଡ଼ିକ ଚଳାଚଳରେ ସମସ୍ୟା ଉପୁଜିବ ନାହିଁ ତ ! ଟ୍ରାଏଲ ରନରେ ହଳଦିଆପଦର ଠାରୁ ଅନ୍ଧପସରା ରୋଡ଼ ଦେଇ ଫାଷ୍ଟ ଗେଟ ଯାଏଁ ଅଣଓସାରିଆ ରାସ୍ତା ସାଙ୍ଗକୁ ରାସ୍ତାକଡ଼ର ଗଛଗୁଡ଼ିକ ସମସ୍ୟା ଉପୁଜାଇଥିବା ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଗଟସଲ ଉଦ୍ୟମରେ ବ୍ରହ୍ମପୁରରେ ଟାଉନବସ ସେବା ଆୟୋଜନ କାଳରେ ୨୦୧୬ରେ ସହର ମଧ୍ୟରେ ଅଧିକ ବସ ଚଳାଚଳ ନିମନ୍ତେ ମିନିବସ ଯୋଗାଣ ନିମନ୍ତେ ସରକାରଙ୍କୁ ଅନୁରୋଧ କରାଯାଇଥିବା ପ୍ରସ୍ତାବ ଚର୍ଚ୍ଚିତ ହୋଇଥିଲା । ମୋ ବସ ସେବା ସହରର ମଧ୍ୟଭାଗକୁ ସଂପ୍ରସାରିତ କରିବା ଅବସରରେ ଅପେକ୍ଷାକୃତ ଛୋଟ ଇ-ବସ ଚଳାଚଳକୁ ପ୍ରାଥମିକତା ଦେବା ଆବଶ୍ୟକ । ଫଳରେ ବ୍ରହ୍ମପୁରରେ ଟାଉନସ ସେବା ସ୍ୱାବଲମ୍ୱୀ ସ୍ତରରେ ପହଞ୍ଚି ପାରିବ ।

Image by lukaszfenisz from Pixabay


Friday, March 1, 2024

Mahatma Gandhi Stadium / ମହାତ୍ମା ଗାନ୍ଧୀ ଷ୍ଟାଡ଼ିୟମ

 


#ବ୍ରହ୍ମପୁର ସହର କେନ୍ଦ୍ରସ୍ଥଳରେ ଅବସ୍ଥିତ ବାରାକ୍ସ ଗ୍ରାଉଣ୍ଡରେ ବ୍ରହ୍ମପୁର ଷ୍ଟାଡ଼ିୟମ ନିର୍ମିତ ହୋଇଥିଲା । ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଷ୍ଟାଡ଼ିୟମର ନବୀକରଣ ୨୦୧୯ରୁ ଆରମ୍ଭ ହୋଇ ୨୦୨୪ରେ ଶେଷ ହୋଇଛି । ୨୭ ଫେବୃୟାରୀ ୨୦୨୪ରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରି ବ୍ରହ୍ମପୁର ଷ୍ଟାଡ଼ିୟମକୁ ମହାତ୍ମା ଗାନ୍ଧୀ ଷ୍ଟାଡ଼ିୟମ ନାମିତ କରାଗଲା ବୋଲି ଘୋଷଣା କରିଥିଲେ ।

 

ଇଂଲିଶ ଶାସନ ଅବସରରେ କିଛି କାଳ ସେନା ଛାଉଣୀ ବାରାକ୍ସ ତଥା ପରେ ସ୍ଥାନୀୟ ସେନାବାହିନୀର ଅଭ୍ୟାସ କାର୍ଯ୍ୟରେ ବ୍ୟବହୃତ ପ୍ରାୟ ୫୦ ଏକର ପରିମିତ ଅଞ୍ଚଳ ବାରାକ୍ସ ଗ୍ରାଉଣ୍ଡ ରୂପେ ଖ୍ୟାତ ଥିଲା । ସହର ମଧ୍ୟରେ ଏକ ବଡ଼ ଖୋଲା ପଡ଼ିଆ ଥିବା ହେତୁ ବଡ଼ ନେତାମାନେ ଆସିଲେ ସଭାସମିତି ତଥା ପ୍ରଦର୍ଶନୀ, ସର୍କସ ଭଳି କାର୍ଯ୍ୟରେ ବ୍ୟବହୃତ ହେଉଥିଲା ।

 

ସ୍ୱାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀ ୧୯୨୧ ଓ ୧୯୭୭ରେ ଦୁଇଥର ବ୍ରହ୍ମପୁର ଆସିଥିଲେ । ପ୍ରଥମ ଥର ୧୯୨୧ରେ ବାରାକ୍ସ ଗ୍ରାଉଣ୍ଡରେ ଏକ ବିଶାଳ ଜନସଭାରେ ଉଦବୋଧନ ଦେଇଥିଲେ । ମହାତ୍ମା ଗାନ୍ଧୀଙ୍କ ପରିଦର୍ଶନ ସ୍ମୃତିରେ ବାରାକ୍ସ ଗ୍ରାଉଣ୍ଡରେ ନିର୍ମିତ ବ୍ରହ୍ମପୁର ଷ୍ଟାଡ଼ିୟମକୁ ସରକାର ମହାତ୍ମା ଗାନ୍ଧୀ ଷ୍ଟାଡ଼ିୟମ ନାମକରଣ କରିଛନ୍ତି ।

 

ବ୍ରହ୍ମପୁର ବାରାକ୍ସ ଗ୍ରାଉଣ୍ଡ ଓ ସଂଲଗ୍ନ ଅଞ୍ଚଳରେ କଂଗ୍ରେସ ଦଳର ଜାତୀୟ ଅଧିବେଶନ ଆୟୋଜନ କରାଯାଇଥିଲା । ଜବହାରଲାଲ ନେହୁରୁ ୧୯୩୬ରେ ବ୍ରହ୍ମପୁର ଗସ୍ତ କାଳରେ ବାରାକ୍ସ ଗ୍ରାଉଣ୍ଡରେ ଜନସଭାରେ ଉଦବୋଧନ ଦେଇଥିଲେ । ବିଜୁ ପଟ୍ଟନାୟକଙ୍କ ସମେତ ବହୁ ନେତୃବର୍ଗ ବାରାକ୍ସ ଗ୍ରାଉଣ୍ଡରେ ଆୟୋଜିତ ଜନସଭାଗୁଡ଼ିକରେ ବିଭିନ୍ନ ସମୟରେ ଯୋଗ ଦେଇଛନ୍ତି ।

 

ବାରାକ୍ସ ଗ୍ରାଉଣ୍ଡ ସରକାରୀ ଜମି ହୋଇଥିବା ହେତୁ ୨୦୧୭ରେ କ୍ରୀଡ଼ା ବିଭାଗ ଅଧୀନକୁ ଆସିଥିଲା । ଏଥି ପୂର୍ବରୁ ସ୍ଥାନୀୟ ପ୍ରଶାସନ ତଦାରଖ କରୁଥିବା ସ୍ଥଳେ ଏନସିସି ବା ସମର ଶିକ୍ଷାର୍ଥୀ ବାହିନୀ ଅଭ୍ୟାସ ନିମନ୍ତେ ବ୍ୟବହୃତ ହେଉଥିଲା । ଏନସିସି କର୍ତ୍ତୃପକ୍ଷ ବାରାକ୍ସ ଗ୍ରାଉଣ୍ଡ ଚର୍ତୁଦିଗରେ ସୁଉଚ୍ଚ ତାରବାଡ଼ ଦେଇ ବୋମା ପ୍ରତିରୋଧକ ଏକ ଗୋଲାକାର ଘରରେ ତାଲିମ ବନ୍ଧୁକ ରଖୁଥିଲେ । ଏନସିସି କ୍ୟାଡ଼େଟମାନଙ୍କୁ ଏଠାରେ ବନ୍ଧୁକ ଚାଳନା ଅଭ୍ୟାସ କରାଯାଉଥିଲା । ସ୍ୱାଧୀନତା ଓ ଗଣତନ୍ତ୍ର ଦିବସ ପ୍ୟାରେଡ଼ ନିୟମିତ ଅନୁଷ୍ଠିତ ହେଉଥିଲା । ଦୈନନ୍ଦିନ ସଂଧ୍ୟାରେ ଦଳ ଦଳ କିଶୋର ଓ ଯୁବକ ଖେଳକୁଦ କରୁଥିଲେ । ବୟସ୍କମାନେ ପ୍ରାତଃ ଓ ସନ୍ଧ୍ୟା ଭ୍ରମଣରେ ଏକତ୍ରୀତ ହେଉଥିଲେ । ଏନସିସି ପକ୍ଷରୁ ବାରାକ୍ସ ଗ୍ରାଉଣ୍ଡରେ ତାହାର କର୍ମଚାରୀଙ୍କ ପାଇଁ କିଛି କ୍ୱାର୍ଟର୍ସ ମଧ୍ୟ ନିର୍ମାଣ କରିଥିଲା । ଏହାର ଉଛେଦ ନିମନ୍ତେ ରାଜ୍ୟ ସରକାର ଓ ଏନସିସି କର୍ତ୍ତୃପକ୍ଷଙ୍କ ମଧ୍ୟରେ ଦୀର୍ଘ ଦିନ ବିବାଦ ଲାଗି ରହିଥିଲା । ଶେଷରେ ୨୦୧୪ରେ ଏନସିସିକୁ ଅନ୍ୟତ୍ର ଜମି ଦେଇ ବାରାକ୍ସ ଗ୍ରାଉଣ୍ଡରୁ ବିଦା କରାଯାଇଥିଲା ।

 

ବ୍ରହ୍ମପୁର ଷ୍ଟାଡ଼ିୟମ ନବୀକରଣ ଯୋଜନାରେ ଏକ ନୂଆ ଭାରୋତ୍ତୋଳନ ଏକାଡ଼େମୀ ଓ ସନ୍ତରଣାଗାର ନିର୍ମାଣ ସହ ଗ୍ୟାଲେରି ଓ ବାସ୍କେଟବଲ କୋର୍ଟ ମରାମତ କରାଯାଇଛି । ମୂଳ ଷ୍ଟାଡ଼ିୟମ ଗ୍ରାଉଣ୍ଡରେ କ୍ରିକେଟ ଉପଯୋଗୀ ଟର୍ଫ ପିଚ଼ ନିର୍ମିତ ହୋଇଛି । ଖେଳାଳୀମାନେ ରହିବା ପାଇଁ ୨୦୦ ଶଯ୍ୟା ବିଶିଷ୍ଟ ଏକ ସ୍ପୋର୍ଟ୍ସ ହଷ୍ଟେଲ ମଧ୍ୟ ସନ୍ନିବଶିତ ହୋଇଛି ।

 

ବ୍ରହ୍ମପୁର ବିଂଶ ଶତାଦ୍ଦୀର ଷଷ୍ଠ ଦଶକରୁ ରାଜ୍ୟରେ ଭାରୋତ୍ତୋଳନ କ୍ଷେତ୍ରରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ଏଠାରୁ ବିଜୟ ଶତପଥୀ ଓ ରବି କୁମାରଙ୍କ ଭଳି ଭାରୋତ୍ତୋଳନକାରୀ ଜାତୀୟସ୍ତରରେ ଅର୍ଜ୍ଜୁନ ପୁରସ୍କାର ବିଜେତା ଭାବେ ପ୍ରସିଦ୍ଧ । କୁହାଯାଉଛି ଯେ ମହାତ୍ମା ଗାନ୍ଧୀ ଷ୍ଟାଡ଼ିୟମ ସଂଲଗ୍ନ ସ୍ପୋର୍ଟସ କମ୍ପ୍ଳେକ୍ସ ପରିସରରେ ନିର୍ମିତ ଭାରୋତ୍ତୋଳନ ପ୍ରଶିକ୍ଷଣ କେନ୍ଦ୍ର ଦେଶର ସର୍ବବୃହତ । ଏଠାରେ ୩୦ ଗୋଟି ଭାରୋତ୍ତୋଳନ ପ୍ଳାଟଫର୍ମ ରହିଛି । ଏଥି ମଧ୍ୟରୁ ୨୯ ଗୋଟି ପ୍ଲାଟଫର୍ମରେ ଖେଳାଳିମାନେ ଅଭ୍ୟାସ କରିବେ ଏବଂ ଗୋଟିଏ ପ୍ଳାଟଫର୍ମ ପ୍ରତିଯୋଗିତା ପାଇଁ ବ୍ୟବହୃତ ହେବ । ଶିକ୍ଷାର୍ଥୀମାନଙ୍କୁ ତାଲିମ ଦେବା ନିମନ୍ତେ ଦଶ ଜଣ କୋଚ଼ ନିଯୁକ୍ତ ହେବେ ।

 

ଏଣିକି ନବୀକରଣ ପରେ ମହାତ୍ମା ଗାନ୍ଧୀ ଷ୍ଟଡ଼ିୟମ, ବ୍ରହ୍ମପୁର ୭୬୦୦୦୧ ଏକ ନୂଆ ଠିକଣା ।

Image by Stuart cardy from Pixabay


Friday, February 23, 2024

Bianca Geetmala / ବିନାକା ଗୀତମାଳା

 

ବିଂଶ ଶତାଦ୍ଦୀର ପଞ୍ଚମ ଓ ଷଷ୍ଠ ଦଶକରେ #ବ୍ରହ୍ମପୁର ରାମଲିଙ୍ଗ ବନ୍ଧ ସମ୍ମୁଖ ଗାନ୍ଧୀ ପାର୍କରେ ବୁଧବାର ସଂଧ୍ୟା ୮ରୁ ୯ ବହୁ ଲୋକ ଏକତ୍ରୀତ ହୋଇ ବିନାକା ଗୀତମାଳା ଶୁଣିବା କେତେକଙ୍କ ଅଭ୍ୟାସରେ ପରିଣତ ହୋଇଥିବା ଦେଖିବାକୁ ମିଳୁଥିଲା । ହାଇସ୍କୁଲ ଉଚ୍ଚ ଶ୍ରେଣୀର ଛାତ୍ରଙ୍କଠାରୁ ଆରମ୍ଭ କରି ଅବସରପ୍ରାପ୍ତ ବରିଷ୍ଠ ପାର୍କ ରେଡ଼ିଓରୁ ଲାଉଡ଼ସ୍ପିକର ଯୋଗେ ରେଡ଼ିଓ ସିଲୋନରୁ ପ୍ରସାରିତ ସମସାମୟିକ ହିନ୍ଦି ଚଳଚ଼ିତ୍ର ଗୀତ ଉପଭୋଗ କରୁଥିଲେ । କାର୍ଯ୍ୟକ୍ରମର ଉଦଘୋଷକ ଅମୀନ ସୟାନୀଙ୍କ ଯାଦୁକାରୀ ଉପସ୍ଥାପନା କିଶୋରଙ୍କଠାରୁ ବୃଦ୍ଧ ଯାଏଁ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦୀର୍ଘକାଳ ବାନ୍ଧି ରଖିଥିଲା । ଅମୀନ ସୟାନୀଙ୍କ ୯୧ ବର୍ଷ ବୟସରେ ୧୬ ଫେବୃୟାରୀ ୨୦୨୪ରେ ମୁମ୍ୱାଇ ବାସଭବନରେ ପରଲୋକ ଘଟିଥିବା ଅବସରରେ ତାଙ୍କୁ ନେଇ ବିଗତ ଦିନର ସ୍ମୃତି ମନେପଡ଼େ ।
 
ଭାରତରେ ୧୯୨୭ରୁ ରେଡ଼ିଓ ପ୍ରସାରଣ ଆରମ୍ଭ ହୋଇଥିଲେ ହେଁ ସ୍ୱାଧୀନୋତ୍ତର ଅବସ୍ଥାରେ ଅଧିକ ସଂଖ୍ୟକ ରେଡ଼ିଓ ଷ୍ଟେସନ ସ୍ଥାପନ ଓ ଅଧିକ ସଂଖ୍ୟକ ପରିବାରଠାରେ ରେଡ଼ିଓ ସେଟ ଉପଲବ୍ଧ ହୋଇଥିଲା । ଟ୍ରାଞ୍ଜିଷ୍ଟର ରେଡ଼ିଓ ପ୍ରଚଳନ ହେବା ପୂର୍ବରୁ ଦୋକାନ ବଜାର, ହୋଟେଲ ଓ ପାର୍କରେ ଏମ୍ପ୍ଳିଫାୟର ଯୋଗେ ଉଚ୍ଚସ୍ୱରରେ ରେଡ଼ିଓ ବାଜୁଥିଲା । ଲୋକେ ମୁଖ୍ୟତଃ ସମ୍ୱାଦ ଓ ହିନ୍ଦି ସିନେମା ଗୀତ ଶୁଣିବା ନିମନ୍ତେ ସାମୂହିକ ପ୍ରସାରଣ ସ୍ଥଳ ଗୁଡ଼ିକରେ ନିର୍ଦ୍ଦିଷ୍ଟ ସମୟରେ ଭିଡ଼ ଜମାଉଥିଲେ । ସେହିକ୍ରମରେ ଗାନ୍ଧୀ ପାର୍କ ରେଡ଼ିଓ ଶ୍ରୋତାଙ୍କୁ ଆକୃଷ୍ଟ କରିବା ସ୍ୱାଭାବିକ ।
 
ଅମୀନ ସୟାନୀ ମାତ୍ର ୨୦ ବର୍ଷ ବୟସରେ ବିନାକା ଟପ ଟୁଥପେଷ୍ଟ ପ୍ରାୟୋଜିତ ବିନାକା ଗୀତମାଳା ୧୯୫୨ରେ ଆରମ୍ଭ କରି ଦୀର୍ଘ ୪୨ ବର୍ଷ କାଳ ୧୯୮୮ ଯାଏଁ ରେଡ଼ିଓ ସିଲୋନରୁ ପ୍ରସାରଣରେ ସଂପୃକ୍ତ ଥିଲେ । ବଲିଉଡ଼ ଚଳଚ଼ିତ୍ରର ଗୀତ ଆଧାରିତ ଏହି କାର୍ଯ୍ୟକ୍ରମ ପ୍ରଥମେ ବୁଧବାର ୮ରୁ ୮.୩୦ ଅଧ ଘଣ୍ଟା ଏବଂ ପରେ ୮ରୁ ୯ ଘଣ୍ଟାଏ ପ୍ରସାରିତ ହେଉଥିଲା । ଅମୀନ ସୟାନୀ ମୁମ୍ୱାଇର ନିଜ ଷ୍ଟୁଡ଼ିଓରେ କାର୍ଯ୍ୟକ୍ରମ ରେକର୍ଡ କରି ମାଗ୍ନେଟିକ ଟେପ ଆକାରରେ ସିଲୋନ ବା ଶ୍ରୀଲଙ୍କାର ରାଜଧାନୀ କଲମ୍ୱୋକୁ ବିମାନ ଯୋଗେ ପ୍ରତି ସପ୍ତାହରେ ପଠାଉଥିଲେ । ବିନାକା ଗୀତମାଳା ପଞ୍ଚମ ଓ ଷଷ୍ଠ ଦଶକରେ ସର୍ବାଧିକ ଲୋକପ୍ରିୟତା ହାସଲ କରିଥିଲା । ଅଷ୍ଟମ ଦଶକରେ ଦେଶବ୍ୟାପୀ ଦୂରଦର୍ଶନ ଯୋଗେ ଟେଲିଭିଜନ ପ୍ରସାରଣ ଆରମ୍ଭ ହେବା ପରେ ରେଡ଼ିଓର କାଟତି କମି ଆସିଥିଲା ।
 
ସେହି ସମୟ ସୀମାରେ ଘରୋଇ ଏଫ.ଏମ୍ ରେଡ଼ିଓ ଷ୍ଟେସନ ନଥିଲା ଏବଂ ରେଡ଼ିଓ କ୍ଷେତ୍ରରେ ସରକାରୀ ପରିଚାଳନାଧୀନ ଅଲ-ଇଣ୍ଡିଆ-ରେଡ଼ିଓ ଆକାଶବାଣୀର ଏକଚାଟିଆ ରାଜୁତି ଚାଲିଥିଲା । ୧୯୫୨ ସାଧାରଣ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରି କେନ୍ଦ୍ରରେ ସରକାର ଗଠନ ପରେ ବାଳକୃଷ୍ଣ ବିଶ୍ୱନାଥ କେଶକର ୧୯୫୨ରୁ ୧୯୬୨ ଯାଏଁ ଦଶ ବର୍ଷ ସୂଚ଼ନା ଓ ପ୍ରସାରଣ ବିଭାଗୀୟ ମନ୍ତ୍ରୀଭାବେ ଅବସ୍ଥାପିତ ହୋଇଥିଲେ । ସେ ହିନ୍ଦି ଚଳଚ଼ିତ୍ର ସଂଗୀତ ବିରୋଧୀ ଥିଲେ । ତାଙ୍କ ନିର୍ଦ୍ଦେଶରେ ଅଲ ଇଣ୍ଡିଆ ରେଡ଼ିଓ ନିଜ ପ୍ରସାରିତ କାର୍ଯ୍ୟକ୍ରମର ମାତ୍ର ୧୦ ପ୍ରତିଶତ ସମୟ ଚଳଚ଼ିତ୍ର ସଂଗୀତ ପ୍ରସାରଣ ନୀତି ନିର୍ଦ୍ଧାରଣ କରିଥିଲା । ଏହି ଅବସରରେ ରେଡ଼ିଓ ସିଲୋନ ହିନ୍ଦି କାର୍ଯ୍ୟକ୍ରମ ସହ ବିଜ୍ଞାପନ ପ୍ରସାରଣ କରି ପର୍ଯ୍ୟାପ୍ତ ପରିମାଣରେ ରାଜସ୍ୱ ଆୟ କରିପାରିଥିଲା । ରେଡ଼ିଓ ସିଲୋନ ଉଚ୍ଚଶକ୍ତି ସମ୍ପନ୍ନ ଟ୍ରାନ୍ସମିଟର ଯୋଗେ ସର୍ଟୱେବରେ ପ୍ରସାରିତ ହୋଇ ଭାରତର କୋଣ ଅନୁକୋଣରେ ର୍ନିବିଘ୍ନରେ ପହଞ୍ଚି ପାରୁଥିଲା । ସେହି ସମୟରେ ମିଡ଼ିୟମ ୱେବରେ ପ୍ରସାରିତ କଟକ ଆକାଶବାଣୀର କାର୍ଯ୍ୟକ୍ରମ ବ୍ରହ୍ମପୁରରେ ଭଲ ଶୁଣାଯାଉନଥିଲା !
 
ବିନାକା ଗୀତମାଳା ରିକେଟ ବେଙ୍କିସେର କମ୍ପାନୀର ବିନାକା ଟପ ଟୁଥପେଷ୍ଟର ବିଜ୍ଞାପନ କରୁଥିଲା । ଅମୀନ ସୟାନୀ ମୁମ୍ୱାଇ ବାସିନ୍ଦା । ତାଙ୍କ ପିତା ମୁସଲମାନ ଓ ମାତା ହିନ୍ଦୁ ଧର୍ମବଲାମ୍ୱୀ ଥିଲେ । ଅମୀନ ସୟାନୀ ହିନ୍ଦି ଓ ଉର୍ଦ୍ଦୁ ମିଶା ହିନ୍ଦୁସ୍ତାନୀ ଭାଷାରେ ଅତ୍ୟନ୍ତ ମନଗୁଗ୍ଧକର ଭାବଭଙ୍ଗୀରେ ବିନାକା ଗୀତମାଳା ଉପସ୍ଥାପନା କରୁଥିଲେ । ସାଧାରଣରେ ଯୁବବୟସର ପିଲାଏ ହିନ୍ଦି ଚ଼ଳଚ଼ିତ୍ର ପ୍ରେମୀ ହୋଇଥିବା ହେତୁ ବିନାକା ଗୀତମାଳା ଶୁଣିବା ସାପ୍ତାହିକ କାର୍ଯ୍ୟସୂଚ଼ୀ ପାଲଟିଯାଇଥିଲା । ରେଡ଼ିଓ ସେଟ ଉପଲବ୍ଧ ଥିବା ପରିବାରବର୍ଗରେ ବିନାକା ଗୀତମାଳା ପୁରା ପରିବାର ଏକତ୍ର ଶୁଣୁଥିଲେ । ଅମୀନ ସୟାନୀ ତିନି ପିଢ଼ୀ ଭାରତୀୟଙ୍କ ଲୋକପ୍ରିୟ ରେଡ଼ିଓ ଉପସ୍ଥାପକ ହିସାବରେ ପରିଚ଼ିତ । ଏକବିଂଶ ଶତାଦ୍ଦୀ ତୃତୀୟ ଦଶକ ଆରମ୍ଭରେ ଅନଲାଇନରେ ବ୍ୟକ୍ତିଗତ ଶ୍ରୋତାର ଋଚି ଅନୁଯାୟୀ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଆଲଗୋରିଥିମ ବଲିଉଡ଼ ଚଳଚ଼ିତ୍ର ଷ୍ଟ୍ରୀମିଂ ମଞ୍ଚରେ ପରିବେଷଣ କରୁଥିବା ବେଳେ ଅମୀନ ସାୟାନୀ ପୁରୁଣା ପୀଢ଼ିଙ୍କ ସ୍ମୃତିର ସମ୍ପଦ ।

Image by G.C. from Pixabay


Friday, February 16, 2024

Transparency in Sanitation Auditing / ପରିମଳ ତନଖିରେ ସ୍ୱଚ୍ଛତା

 

#ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରର ପରିମଳ ବ୍ୟବସ୍ଥାରେ ସୁଧାର ନିମନ୍ତେ କ୍ରମାଗତ ଦାବୀ ହୋଇଥାଏ । ଅବଶ୍ୟ ଏହି ଧରଣର ଅସନ୍ତୋଷ ପ୍ରତ୍ୟେକ ସହରରେ ଲାଗି ରହିଥାଏ । ପୌରପାଳିକାଗୁଡ଼ିକ ପକ୍ଷରୁ ପରିମଳ ରକ୍ଷା ନିମନ୍ତେ ସଂପୃକ୍ତ ଅଞ୍ଚଳରେ ଆଦାୟ ହେଉଥିବା ଟିକସ ଅର୍ଥର ସିଂହ ଭାଗ ବିନିଯୋଗ କରିଥାନ୍ତି ଏବଂ ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଥାଏ । ତେବେ କାର୍ଯ୍ୟକ୍ଷେତ୍ରରେ ତାହା ଆଶା ଅନୁରୂପ ସେବା ପ୍ରଦାନରେ ବିଫଳ ହେଉଥିବାର ତିନି ମୁଖ୍ୟ କାରଣ ମଧ୍ୟରେ ପରିମଳ ତନଖି ନିମନ୍ତେ ସ୍ୱଚ୍ଛ ବ୍ୟବସ୍ଥା ଲାଗୁ ନ ହେବା, ପରିମଳ ତନଖିର ତଥ୍ୟ ସର୍ବସାଧାରଣରେ ପ୍ରକାଶିତ ନ ହେବା ଏବଂ ପରିମଳ ତନଖିରେ ଉପଭୋକ୍ତାଙ୍କୁ ସାମିଲ କରାନଯିବା ଗୁରୁତ୍ୱ ବହନ କରେ
 
ବ୍ରହ୍ମପୁର ମହାନଗର ନିଗମର ୪୨ ଗୋଟି ୱାର୍ଡ ସଫେଇ କାର୍ଯ୍ୟକ୍ରମ ପାଇଁ ବାର୍ଷିକ ବଜେଟ ପ୍ରାୟ ୩୦ କୋଟି ଟଙ୍କା । ଇତି ମଧ୍ୟରେ ସହରର ସମସ୍ତ ୱାର୍ଡର ସଫେଇ ଘରୋଇକରଣ କରାଯାଇଛି । ସହରାଞ୍ଚଳକୁ ପାଞ୍ଚଗୋଟି ଜୋନରେ ବିଭକ୍ତ କରାଯାଇ ତିନିଗୋଟି ବେସରକାରୀ ସଂସ୍ଥାକୁ ପରିଚାଳନାଭାର ବଣ୍ଟନ ହୋଇଛି । ଗତ ୨୬ ଜାନୁୟାରୀ ୨୦୨୪ରୁ ପରିମଳ ବ୍ୟବସ୍ଥାରେ ସଂସ୍କାର ଅଣାଯିବା ନିମନ୍ତେ ଅଧିକ ସଂଖ୍ୟକ ସଫେଇ କର୍ମଚାରୀ ଓ ଅଳିଆ ବୁହା ଗାଡ଼ି ନିୟୋଜନ ନିମନ୍ତେ ନୀତିଗତ ନିଷ୍ପତି ନିଆଯାଇଛି । ପୂର୍ବରୁ ୯୮୬ ଜଣ ସଫେଇ କର୍ମଚାରୀ ଓ ୫୩ ଗୋଟି ଅଳିଆବୁହା ଗାଡ଼ି ଥିବା ସ୍ଥଳେ ଏଣିକି ୧୩୩୬ ଜଣ ସଫେଇ କର୍ମଚାରୀ ଓ ୧୩୨ ଗୋଟି ଅଳିଆବୁହା ଗାଡ଼ି ନିୟୋଜନ କରିବାଲାଗି ସ୍ଥିର ହୋଇଛି । ଅର୍ଥାତ, ସହରରେ ଅଧିକ ୩୫୦ ଜଣ ସଫେଇ କର୍ମଚାରୀ ଓ ୭୯ ଗୋଟି ଅଳିଆବୁହା ଗାଡ଼ି ବ୍ୟବହୃତ ହେବ । ଏହି ଅତିରିକ୍ତ କର୍ମଚାରୀ ଓ ଆବର୍ଜନା ନିଷ୍କାସନ ବାହନ ବ୍ୟବସ୍ଥାରେ ଉନ୍ନତି ଆଣିବା ଆଶା କରାଯିବା ସ୍ୱାଭାବିକ ।
 
ତେବେ ଦୁଃଖର କଥା ସ୍ୱଚ୍ଛ ତନଖି ଅଭାବରୁ ନୂତନ ବ୍ୟବସ୍ଥା ପ୍ରତି ଉପଭୋକ୍ତା ଅଭିମତ ପ୍ରଦାନ ପୂର୍ବରୁ କର୍ପୋରେଟରମାନେ ଅସନ୍ତୋଷ ବ୍ୟକ୍ତ କରିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି । ଫେବୃୟାରୀ ୨୦୨୪ ଦ୍ୱିତୀୟ ସପ୍ତାହରେ ସହରର ବିଭିନ୍ନ ୱାର୍ଡରେ ନିୟୋଜିତ ବର୍ଦ୍ଧିତ ମାନବ ସମ୍ୱଳ ଓ ସାଜସରଞ୍ଜାମର ହିସାବ ସାର୍ବଜନୀନ କରିବା ନିମନ୍ତେ ମହାନଗର ନିଗମ କାର୍ଯ୍ୟାଳୟରେ କେତେକ କର୍ପୋରେଟର ପହଞ୍ଚି ଅଧିକାରୀଙ୍କ ସହ ଯୁକ୍ତିତର୍କ କରିଥିବା କୁହାଯାଉଛି । ଅଶାନ୍ତ ବାତାବରଣରେ ପ୍ରଭାବିତ ହୋଇ କର୍ତ୍ତୃପକ୍ଷ ସଫେଇ ଠିକା ନେଇଥିବା ଏକ ଘରୋଇ ସଂସ୍ଥାଠାରୁ କୈଫିୟତ ତଲବ କରିଥିବା ମଧ୍ୟ ପ୍ରକାଶ ପାଇଛି ।
 
ପୌରପାଳିକା ଗୁଡ଼ିକର ପରିମଳ ଘରୋଇକରଣ ହେବା ପରେ ବ୍ୟବସ୍ଥାର ତଦାରଖରେ ସ୍ୱଚ୍ଛତା ଅଣାଯିବା କଥା । ପୂର୍ବରୁ ପୌରପାଳିକା ନିଯୁକ୍ତ କର୍ମଚାରୀମାନଙ୍କ କାର୍ଯ୍ୟ ବୁଝିବା ସକାଶେ କର୍ମଚାରୀ ନିଯୁକ୍ତ ହେଉଥିଲେ । ଉପଭୋକ୍ତାମାନେ ସୁବିଧା ଅସୁବିଧା ସେମାନଙ୍କ ନଜରକୁ ଆଣୁଥିଲେ ଏବଂ ତୃଣମୂଳ ସ୍ତରରେ ଆବଶ୍ୟକତା ଅନୁଯାୟୀ ସଫେଇ କାମ ସମାପନ ହେଉଥିଲା । ତେବେ ଘରୋଇକରଣପରେ ସହରବାସୀ ଆଖପାଖରେ ଅଳିଆ ଆବର୍ଜନା ନିଷ୍କାସନ ନିମନ୍ତେ କାହାକୁ କହିବେ ବୁଝିପାରୁ ନାହାନ୍ତି । ମହାନଗର ନିଗମ ୱେବସାଇଟ ଅଭିଯୋଗ ସାର୍ବଜନୀନ ଦୃଶ୍ୟମାନ ନୁହେଁ । ଅବସ୍ଥା ଅସଂଭାଳ ହେଲେ ସ୍ଥାନୀୟ କର୍ପୋରେଟରଙ୍କ ଉପରେ ରାଗ ସୁଝାଇ ଚୁପ ରହନ୍ତି ।
 
ପୌରପାଳିକା ପରିମଳ ତନଖି ବ୍ୟବସ୍ଥାରେ ସଂସ୍କାର ଲୋଡ଼ା । ଆଧୁନିକ ପ୍ରଯୁକ୍ତି କୌଶଳ ଉପଯୋଗରେ ଯେକୌଣସି ନାଗରିକ ଯେକୌଣସି ସମୟରେ ଆଖ ପାଖର ଆବର୍ଜନା ସଂପର୍କରେ ସାର୍ବଜନୀନ ମଞ୍ଚରେ ଚ଼ିତ୍ର ସହ ଅଭିଯୋଗ କଲେ ତାହାର ସମାଧାନ ସଂପର୍କରେ କର୍ତ୍ତୃପକ୍ଷଙ୍କ ମନ୍ତବ୍ୟ ମଧ୍ୟ ସର୍ବସାଧାରଣରେ ପ୍ରକାଶ ସୁବିଧା ସୁଯୋଗ ଉପଲବ୍ଧ । ପୌରପାଳିକାଗୁଡ଼ିକ ଏହି ଭଳି ସ୍ୱଚ୍ଛ ବ୍ୟବସ୍ଥା ତୁରନ୍ତ ଆରମ୍ଭ କରିବା ଉଚ଼ିତ । ଟିକସ ପଇସାରେ ପରିମଳ ବ୍ୟବସ୍ଥା ଚାଲୁଥିବା ସ୍ଥଳେ ଟିକସ ଦାତାଙ୍କ ଅଭାବ ଅଭିଯୋଗକୁ ପ୍ରାଥମିକତା ଦେବା କଥା । ଉପଭୋକ୍ତା ଟିକସ ଦେଉଛନ୍ତି ଏବଂ ଘରୋଇ କର୍ମଚାରୀ ସଫେଇ କରୁଛନ୍ତି । ପୌର କର୍ମଚାରୀମାନେ ପରିମଳ ବ୍ୟବସ୍ଥାରେ ତୃଟିକୁ ସୁଧାରିବା ନିମନ୍ତେ ଗୋପନ ବଦଳରେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେଲେ ବହୁ ସମସ୍ୟା ସମାଧାନ ସଂଭବ ।
 
ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ନିମନ୍ତେ କର୍ପୋରେଟରମାନେ ମହାନଗର ନିଗମରେ ପହଞ୍ଚି ପରିମଳ ତନଖିରେ ସ୍ୱଚ୍ଛତା ଦାବୀ କରିଥିବା ବେଳେ ବିଏମସି କମିଶନର ଓ ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଭାବେ ଦୁଇ ଜଣ ନୂତନ ଅଧିକାରୀ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ନୂତନ ବିଏମସି କମିଶନର ପୂର୍ବରୁ ଛଅ ବର୍ଷ ଧରି କୁକୁଡ଼ାଖଣ୍ଡି ତହସିଲଦାର ଭାବେ ନିଯୁକ୍ତ ଥିଲେ । ନୂତନ ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପୂର୍ବରୁ ରାଉରକେଲା ମହାନଗର ନିଗମର ଡ଼େପୁଟି କମିଶନର ଥିଲେ । ଅର୍ଥାତ, ଦୁଇ ଅଧିକାରୀ ସହରାଞ୍ଚଳ ପ୍ରଶାସନ ସଂପର୍କରେ ଅଭିଜ୍ଞ । ବ୍ରହ୍ମପୁର ମହାନଗର ନିଗମ କିପରି ସ୍ଥାନୀୟ ନାଗରିକଙ୍କ ସୁବିଧା ଅସୁବିଧା ପ୍ରତି ଧ୍ୟାନ ଦେଇପାରିବ ସେହି ଦିଗରେ ସ୍ୱଚ୍ଛତା ଆଣିପାରିଲେ ଜନସାଧାରଣ ଉପକୃତ ହୋଇପାରନ୍ତେ ।


Image by Lutz Peter from Pixabay


Friday, February 9, 2024

Bhubaneswar Airport / ଭୁବନେଶ୍ୱର ବିମାନ ବନ୍ଦର

 

#ବ୍ରହ୍ମପୁର ସହରବାସୀ ବିମାନଯାତ୍ରା ଲାଗି ମୁଖ୍ୟତଃ ଭୁବନେଶ୍ୱର ଓ ବିଶାଖାପଟଣା ବିମାନ ବନ୍ଦର ଉପରେ ନିର୍ଭରଶୀଳ । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏକ ବିବରଣୀ ଅନୁଯାୟୀ ଡ଼ିସେମ୍ୱର ୨୦୨୩ରେ ଚାରି ଲକ୍ଷ ଯାତ୍ରୀ ହିସାବ କରାଯାଇଥିଲା । ଏଠାରୁ ବର୍ଷକୁ ପ୍ରାୟ ୪୧ ଲକ୍ଷ ଯାତ୍ରୀ ଯାତାୟତ କରୁଛନ୍ତି ଏବଂ ୩୦ ପ୍ରତିଶତ ହାରରେ ବିମାନଯାତ୍ରୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିମାନ ଯାତ୍ରୀମାନଙ୍କ ସ୍ୱଚ୍ଛନ୍ଦ ଯାତ୍ରା ଆୟୋଜନ ଲାଗି ଭୁବନେଶ୍ୱର ବିମାନ ବନ୍ଦରରେ ମାର୍ଚ୍ଚ ୨୦୨୪ରୁ କେତେକ ସୁବିଧା ସୁଯୋଗ ସୃଷ୍ଟି ଉଦ୍ଦେଶ୍ୟରେ ପଦକ୍ଷେପମାନ ଗ୍ରହଣ କରାଯାଇଥିବା ପ୍ରକାଶ ।
 
ଫେବୃୟାରୀ ୨୦୨୪ ପ୍ରଥମ ସପ୍ତାହରେ ଟର୍ମିନାଲ-୧ ଓ ଟର୍ମିନାଲ-୨ ସଂଯୋଗ ନିମନ୍ତେ ଏକ ଲିଙ୍କ ବିଲଡିଂ ଉଦଘାଟିତ ହୋଇଥିଲା । ଏଣିକି ଟର୍ମିନାଲ-୧ ଦେଶ ମଧ୍ୟରେ ବିଭିନ୍ନ ସହରକୁ ବିମାନ ଯାତ୍ରୀଙ୍କ ବ୍ୟବହାରରେ ଲାଗିବା ସ୍ଥଳେ ଟର୍ମିନାଲ-୨ ବିଦେଶ ଯାତ୍ରୀଙ୍କ ଲାଗି ସଂରକ୍ଷିତ ରହିବ । ଟର୍ମିନାଲ-୨ର ପ୍ରଶସ୍ତ ଭିତ୍ତିଭୂମିରେ ଥରକେ ୨୮୫ରୁ ୩୧୫ ଜଣ ଯାତ୍ରୀ ଅବତରଣ-ପର ପ୍ରକ୍ରିୟା ସାରିବାରେ ସମର୍ଥ ହେବେ ବୋଲି କୁହାଯାଉଛି । ମୋଟ ପ୍ରାୟ ଚାରି ହଜାର ବର୍ଗଫୁଟ କୋଠା ନିର୍ମାଣ ନିମନ୍ତେ ୮୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ ଦୁଇ ଗୋଟି ଲଗେଜ ବେଲଟ ଓ ୧୨ ଗୋଟି ଇମିଗ୍ରେସନ କାଉଣ୍ଟର ବ୍ୟବସ୍ଥା ରହିଛି । ଏହି ଟର୍ମିନାଲ ନିର୍ମାଣ କାର୍ଯ୍ୟ ୨୦୧୮ରୁ ଆରମ୍ଭ ହୋଇଥିଲା । କିନ୍ତୁ ଥରେ ନିର୍ମାଣଧୀନ ଅବସ୍ଥାରେ କୋଠାର କିଛି ଅଂଶ ଭୁଷୁଡ଼ି ପଡ଼ିବା ଓ କୋଭିଡ଼ ମହାମାରୀ କାରଣରୁ ନିର୍ମାଣ କାର୍ଯ୍ୟ ସାମୟିକ ବନ୍ଦ ରହିଥିଲା ।
 
ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ମାର୍ଚ୍ଚ ୨୦୨୪ ସୁଦ୍ଧା ଯାତ୍ରୀମାନେ ତିନି ଗୋଟି ନୂଆ ପ୍ରବେଶ ପଥ ଓ ୧୮ ଗୋଟି ଚ଼େକିଂ ପଏଣ୍ଟର ସୁବିଧା ପାଇବେ । ତଦ୍ଅନୁଯାୟୀ ପାର୍କିଂ ବ୍ୟବସ୍ଥାର ମଧ୍ୟ ସଂପ୍ରସାରଣ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଥିବା ଜଣାଯାଏ ।
 
ଭୁବନେଶ୍ୱର ବିମାନ ବନ୍ଦରକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବିମାନ ଉଡ଼ାଣ ଆରମ୍ଭ ତଥା କେତେକ ନିର୍ଦ୍ଦିଷ୍ଟ ଆନ୍ତର୍ଜାତିକ ରୁଟ ଖୋଲିବା ପରେ ଯାତ୍ରୀ ସଂଖ୍ୟା ବଢ଼ିବା ସ୍ୱାଭାବିକ । ତେବେ ଉଭୟ କ୍ଷେତ୍ର ବ୍ୟାବସାୟିକ ଦୃଷ୍ଟିରୁ ସ୍ୱାବଲମ୍ୱୀ ହୋଇପାରୁଛି କି, ତାହା ଏକ ବଡ଼ ପ୍ରଶ୍ନ । ସରକାରୀ ପ୍ରୋତ୍ସାହନରେ ଦୀର୍ଘକାଳ ରାଜ୍ୟ ମଧ୍ୟରେ କିମ୍ୱା ଆନ୍ତର୍ଜାତିକ ରୁଟରେ ବିମାନ ସେବା ଚଳାଇବା ସଂଭବ ନୁହେଁ । ରାଜ୍ୟ ମଧ୍ୟରେ ବିଭିନ୍ନ ଅଞ୍ଚଳକୁ ସଂଯୋଗ କରୁଥିବା ବିମାନ ସେବା ଯାତ୍ରୀ ଅନୁକୂଳ ହେବା ଆବଶ୍ୟକ ଉଦାହରଣରେ ବ୍ରହ୍ମପୁର ଉପକଣ୍ଠ ରଙ୍ଗେଇଲୁଣ୍ଡାରୁ ସପ୍ତାହରେ ଦୁଇ ଦିନ ଭୁବନେଶ୍ୱର ବିମାନ ଯାତ୍ରା ଯାତ୍ରୀ ଅନୁକୂଳ ସାବ୍ୟସ୍ତ ହୋଇପାରୁ ନାହିଁ । ବିମାନ ଯାତ୍ରା ଭଡ଼ା ଏକ ହଜାର ଟଙ୍କାରେ ସୀମିତ ରହିଲେ ମଧ୍ୟ ଆଶାନୁରୂପ ଯାତ୍ରୀ ହୋଇପାରୁନାହାନ୍ତି । ବ୍ରହ୍ମପୁର ସହରରୁ ରଙ୍ଗେଇଲୁଣ୍ଡା ଟ୍ୟାକ୍ସି ଭଡ଼ା ୭୫୦ ଟଙ୍କା ଆଉ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସହର ମଧ୍ୟକୁ ଟ୍ୟାକ୍ସି ଭଡ଼ା ୨୫୦ ଟଙ୍କା – ଏହି ଦୁଇ ଭଡ଼ା ମଧ୍ୟ ବିମାନ ଯାତ୍ରୀକୁ ବହନ କରିବାକୁ ପଡ଼ିଥାଏ । ବିମାନ ଯାତ୍ରା ଲାଗି ତିନିରୁ ଚାରି ଦିନ ଅପେକ୍ଷା ଅନ୍ୟ ଏକ ପ୍ରତିବନ୍ଧକ । ସେହିପରି ଆନ୍ତର୍ଜାତିକ ରୁଟରେ ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନକୁ ଗୁରୁତ୍ୱ ଦିଆଯାଏ । କିନ୍ତୁ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ନିମନ୍ତେ ରାଜ୍ୟରେ କିମ୍ୱା ଆନ୍ତର୍ଜାତିକ ସ୍ତରରେ ଉଦ୍ୟମ ଫଳବତୀ ହୋଇପାରୁ ନଥିବା ଅନୁଭୂତ ହୁଏ । ଭୁବନେଶ୍ୱର ବିମାନ ବନ୍ଦରର ସଂପ୍ରସାରଣ ସହ ଏହି ସମସ୍ୟା ଗୁଡ଼ିକ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ମନେହୁଏ ।


Image by Gala Amarando from Pixabay


Friday, February 2, 2024

Locked Stadium / Locked Stadium

 

#ବ୍ରହ୍ମପୁର ସମେତ ସମଗ୍ର ମହୁରି ରାଜ୍ୟ ଶାସନ ଭାର ୧୮୫୦ରେ ଇଂଲିଶ ସରକାରଙ୍କ ହାତକୁ ଯିବା ପରେ ସ୍ଥାୟୀ ସରକାରୀ ସୈନ୍ୟ ଛାଉଣୀକୁ ତତ୍କାଳୀନ ସହର ଉପକଣ୍ଠରେ ଏକ ବାରାକ୍ସ ସ୍ଥାପନ କରାଯାଇ ଥାଇଥାନ କରାଯାଇଥିଲା । ମିଲଟାରୀ ଲାଇନରେ ସୈନ୍ୟମାନେ ବସବାସ କରୁଥିଲେ ଏବଂ ଅନତିଦୂର ବାରାକ୍ସ ଗ୍ରାଉଣ୍ଡରେ ଅଭ୍ୟାସ କରୁଥିଲେ । ମିଲଟାରୀ ଲାଇନକୁ ବାରାକ୍ସ ଯୋଡୁଥିବା ରାସ୍ତାକୁ କ୍ୟାଣ୍ଟନମେଣ୍ଟ ରୋଡ଼ କୁହାଯାଉଥିଲା । ବ୍ରହ୍ମପୁର ପୌରପାଳିକା ୧୮୬୭ରେ ସ୍ଥାପନ ପରେ କ୍ୟାଣ୍ଟନମେଣ୍ଟ ରୋଡ଼ର ପଶ୍ଚିମ ପାର୍ଶ୍ୱରେ ଭାପୁର ବଜାର ନିର୍ମାଣ କରିଥିଲେ । ଏହି ଅଞ୍ଚଳରେ ମୁସଲମାନ ବସ୍ତି ଖାଜା ସାହି ନିଜାମ ଶାସନ ଅମଳରୁ ଗଢ଼ି ଉଠିଥିଲା । ବାରାକ୍ସକୁ ଲାଗି ରୋମାନ କ୍ୟାଥଲିକ ଓ ସେଣ୍ଟ ଷ୍ଟିଫେନ୍ସ ଚର୍ଚ୍ଚ ଏବଂ ବର୍ତ୍ତମାନ ସିଟି ହସପିଟାଲ ଚାଲୁଥିବା କୋଠାବାଡ଼ିରେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସକ୍ରିୟ ଥିଲା । ବାରାକ୍ସ ସଂଲଗ୍ନ ବିସ୍ତୃତ ପଡ଼ିଆରେ ଡ଼ାକଘର ଓ ଅଗ୍ନିଶମ କେନ୍ଦ୍ର ତଥା ସ୍ୱାଧୀନୋତ୍ତର ଅବସ୍ଥାରେ ବସଷ୍ଟାଣ୍ଡ ସ୍ଥାପିତ ହୋଇଥିଲା । ମିଲଟାରୀ ଲାଇନ ଓ ବାରାକ୍ସ ମଧ୍ୟରେ ମହୁରି ରାଜ୍ୟ ସେନାବାହିନୀର ଅଂଶବିଶେଷ ଦଳପତିମାନଙ୍କ ବସ୍ତି ମଧ୍ୟ ଗଢ଼ି ଉଠିଥିଲା ।
 
ବ୍ରହ୍ମପୁର ଷ୍ଟାଡ଼ିୟମ ବାରାକ୍ସ ଗ୍ରାଉଣ୍ଡରେ ନିର୍ମାଣ ଏକ ଭୂଲ ନିଷ୍ପତ୍ତି । ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏକ ବିସ୍ତୃତ ପ୍ରାଙ୍ଗଣକୁ ଖୋଲାରେ ଛାଡ଼ି ଦେବା କିମ୍ୱା ବୃକ୍ଷ ରୋପଣ କରି ପାର୍କ ସ୍ଥାପନ ଉଚ଼ିତ ହୋଇଥାନ୍ତା । ସେହିପରି ଷ୍ଟାଡ଼ିୟମ ନିର୍ମାଣ କାଳରେ ଦୁଇ ପାର୍ଶ୍ୱରେ ଥିବା ଦଶ ଫୁଟର ପୌରପାଳିକା ରାସ୍ତା ଯାଏଁ କମ୍ପାଉଣ୍ଡ ମାଡ଼ି ଯିବାରୁ ଷ୍ଟାଡ଼ିୟମ ଅଞ୍ଚଳରେ ଯାନବାହନ ଚଳାଚଳ ଓ ପାର୍କିଂ ବ୍ୟବସ୍ଥା ଷ୍ଟାଡ଼ିୟମରେ ଉତ୍ସବାନୁଷ୍ଠାନ କାଳରେ ବିପର୍ଯ୍ୟସ୍ତ ହୋଇପଡ଼େ । ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ବାରାକ୍ସ ଗ୍ରାଉଣ୍ଡ ପିଲାଙ୍କ ଖେଳକୁଦ ଓ ବୟସ୍କଙ୍କ ବ୍ୟାୟାମ ପାଇଁ ସକାଳେ ସଞ୍ଜରେ ବ୍ୟବହୃତ ହେଉଥିଲା । ସେହି ଅଞ୍ଚଳକୁ ପ୍ରାଚ଼ୀର ଦ୍ୱାରା ଅବଦ୍ଧ କରି ବିଭିନ୍ନ ପ୍ରଶାସନିକ କାରଣ ଦର୍ଶାଇ ସର୍ବସାଧାରଣଙ୍କ ପ୍ରବେଶ ବାରଣ କରିବା ସହରବାସୀଙ୍କ ସ୍ୱାର୍ଥର ପରିପନ୍ଥୀ । ଷ୍ଟାଡ଼ିୟମ ନିର୍ମାଣ ଦିନୁ ଏହି ସବୁ ସମସ୍ୟାର ସମାଧାନ ନିମନ୍ତେ ଦାବୀକୁ ଅଣଦେଖା କରାଯାଇ ଆସିଛି ।
 
ବ୍ରହ୍ମପୁର ଷ୍ଟାଡ଼ିୟମ ଉନ୍ନତିକରଣ ନିମନ୍ତେ ବାରମ୍ୱାର ବନ୍ଦ ରହୁଛି । ଗତ ୨୦୧୯ରୁ ୩୮ କୋଟି ଟଙ୍କା ବ୍ୟୟରେ ସଦ୍ୟତମ ପୁନଃନିର୍ମାଣ କାର୍ଯ୍ୟ ଚାଲିଛି । ଫଳରେ ପ୍ରାୟ ପାଞ୍ଚ ବର୍ଷ ଧରି ଷ୍ଟାଡ଼ିୟମ ଫାଟକ ଖେଳାଳି ଓ ସର୍ବସାଧାରଣ, ଉଭୟଙ୍କ ପାଇଁ ବାରଣ । ପୁନଃନିର୍ମାଣ କାର୍ଯ୍ୟ ୨୦୧୯ ସେପ୍ଟେମ୍ୱରରେ ଆରମ୍ଭ ହୋଇ ୨୦୨୧ ଜାନୁୟାରୀରେ ସରିବା ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ତିନି ବର୍ଷ ବିଳମ୍ୱ ହେଲାଣି । କୁହାଯାଉଛି ଯେ କୋଭିଡ଼ ମହାମାରୀ ଓ ନିର୍ମାଣ ନକ୍ସା ବାରମ୍ୱାର ପରିବର୍ତ୍ତନ ହେଉଥିବା ହେତୁ ନିର୍ମାଣ କାର୍ଯ୍ୟ ସରିପାରୁ ନାହିଁ । କ୍ରୀଡ଼ାବିତମାନେ ଅଭିଯୋଗ କରୁଛନ୍ତି ଷ୍ଟାଡ଼ିୟମରେ ଦର୍ଶକ ବସିବା କ୍ଷମତା ବୃଦ୍ଧି କିମ୍ୱା ଫ୍ଳଡ଼ ଲାଇଟ ବ୍ୟବସ୍ଥା କରାଯାଇନାହିଁ । ଅର୍ଥାତ, ନିକଟ ଭବିଷ୍ୟତରେ ବ୍ରହ୍ମପୁର ଷ୍ଟାଡ଼ିୟମ ଖୋଲିବା ପରେ ପୁଣି ଥରେ ରୂପାନ୍ତରଣ ଲାଗି ବନ୍ଦ ରହିପାରେ !


Image by Michal Jarmoluk from Pixabay