Friday, April 30, 2021
Manoj Das / ମନୋଜ ଦାସ
Friday, April 23, 2021
Mango Market / ଆମ୍ୱ ବଜାର
(‘ଅନୁପମ ଭାରତ’ ବ୍ରହ୍ମପୁର ସଂସ୍କରଣ / ୨୪ ଏପ୍ରିଲ ୨୦୨୧/ ପୃଷ୍ଠା : ୮)
Friday, April 16, 2021
'Thakurani Yatra' Experience / ଠାକୁରାଣୀ ଯାତ୍ରା ଅନୁଭୂତି
ଅବଶ୍ୟ ଯାତ୍ରା କହିଲେ ଭିଡ଼, ଭିଡ଼ର ଅର୍ଥ ସଂକ୍ରମଣ ବୃଦ୍ଧି ଏବଂ ଟିକାକରଣ ଦ୍ୱାରା ସାମୂହିକ ପ୍ରତିରୋଧକ ଶକ୍ତି ସୃଷ୍ଟି ଯାଏଁ ଭୂତାଣୁ ସଂକ୍ରମଣ ଭୟକୁ ଯେ ଏଡ଼ାଇ ଦେଇ ହେବ ନାହିଁ, ଏକଥା ତଥ୍ୟାଭିଜ୍ଞମାନେ ବୁଝିଥିଲେ । ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଭିଡ଼ର ପରିଭାଷା । ଯାତ୍ରା ପାଳନର ଶେଷ ସପ୍ତାହକ ପ୍ରତ୍ୟେହ ସନ୍ଧ୍ୟାରୁ ଗଭୀର ରାତି ଯାଏଁ ବଡ଼ବଜାର ଓ ସଂଲଗ୍ନ ଇଲାକାରେ ସହର ଓ ସହରତଳି ଅଞ୍ଚଳରୁ ପଚାଶ ହଜାରରୁ ଲକ୍ଷେ ଲୋକ ସମବେତ ହୁଅନ୍ତି । ଦେବୀ ଦର୍ଶନ ସହ ରଥ-କଳାକୁଞ୍ଜ-ଆଲୋକସଜ୍ଜା ବନ୍ଧୁପରିଜନଙ୍କସହ ଉପଭୋଗ କରନ୍ତି । ଭଳିକି ଭଳି ଖାଦ୍ୟ ଚାଖନ୍ତି, ପ୍ରଦର୍ଶନୀ-ସର୍କସ-ସିନେମା ହଲରେ ପହଞ୍ଚନ୍ତି । ଦିନସାରା ଛୋଡ଼-ଗାଜିଆ ଠାରୁ ବାଘନାଚ଼ ଯାଏଁ ବେଶଧାରୀଙ୍କ ଗହଳଚହଳ ସହରସାରା ଗଳିକନ୍ଦିରେ ଲାଗି ରହିଥାଏ । ବାପଘରକୁ ବିବାହିତା ଝିଅ ସପରିବାରେ ଫେରେ, ଆଖପାଖ ଗ୍ରାମାଞ୍ଚଳରୁ ସଂପର୍କୀୟ ଯାତ୍ରା ଦେଖିବା ପାଇଁ କୁଣିଆ ହୁଅନ୍ତି । କିନ୍ତୁ ସମ୍ଭାବ୍ୟ ମହାମାରୀ-ପର ଅବସ୍ଥାରେ ଏହି ରୀତିନୀତି କେତେଦୂର ପାଳନୀୟ ହେବ ତାହା ଅସ୍ପଷ୍ଟ ରହିଥିଲା ।
ମହାମାରୀର ଗତିପ୍ରକୃତି ଅନିଶ୍ଚିତ । ‘କୋଭିଡ଼-୧୯’ ସୃଷ୍ଟିକାରୀ ‘ସାର୍ସ-କୋଭ-୨’ ଭୂତାଣୁ ନୂତନ ପ୍ରଜାତିର ହୋଇଥିବା ହେତୁ ବିଶ୍ୱବ୍ୟାପୀ ବୈଜ୍ଞାନିକ ଓ ଚ଼ିକିତ୍ସକମାନେ ଅନଭିଜ୍ଞ ଥିଲେ ଏବଂ ପର୍ଯ୍ୟାୟକ୍ରମେ ରୋଗର ପ୍ରଭାବ ସଂପର୍କରେ ନୂଆ ନୂଆ ତଥ୍ୟ ଉଦ୍ଭାବନ କରି ଚାଲିଛନ୍ତି । ଜନସ୍ୱାସ୍ଥ୍ୟ ଓ ପରିସଂଖ୍ୟାନ ବିଶେଷଜ୍ଞମାନଙ୍କ ମହାମାରୀର ସମ୍ଭାବ୍ୟ ରୂପରେଖ ଗୋଟିଏ ସହ ଅନ୍ୟଟିର ମେଳ ଖାଏନି । ଏତାଦୃଶ ସଂକ୍ରମଣ କ୍ରମବର୍ଦ୍ଧମାନ ବିଜ୍ଞାନ ‘ଇଭଲଭିଂ ସାଇନ୍ସ’ ପର୍ଯ୍ୟାୟଭୁକ୍ତ ହେଉଥିବା ହେତୁ ଏହାର ମୁକାବିଲା ନିମନ୍ତେ ଅବସ୍ଥାକୁ ଦେଖି ବ୍ୟବସ୍ଥା ପ୍ରସ୍ତୁତ ହୋଇ ଚାଲିଛି ।
ମହାମାରୀ କାଳରେ ସର୍ବସାଧାରଣରେ ନବେ ପ୍ରତିଶତ ଗୁଜବ ତ ଉଡିବୁଲେ, ତେବେ ଦଶ ପ୍ରତିଶତ ନିର୍ଭରଯୋଗ୍ୟ ତଥ୍ୟ ମଧ୍ୟ ସର୍ବୋତ୍ତଭାବେ ଗ୍ରହଣଯୋଗ୍ୟ ହୋଇପାରେନା । ମାଧ୍ୟମିକ ଶ୍ରେଣୀରେ ବୀଜଗଣିତରେ ‘ମନେକର ଏକ୍ସର ଭେଲ୍ୱୁ ଜିରୋ ହେଲା ତ ୱାଇର ଭେଲ୍ୱୁ କ’ଣ’ ନୀତିରେ ସଂକ୍ରମଣକୁ ସାମ୍ନା କରିବାକୁ ପଡ଼େ । ମହାରାଷ୍ଟ୍ର, କେରଳ ଓ ଦିଲ୍ଲୀ ସାଙ୍ଗକୁ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ଓ ୟୁରେପୀୟ ରାଷ୍ଟ୍ରପୁଞ୍ଜରେ ‘କୋଭିଡ଼-୧୯’ର ପ୍ରାଦୁର୍ଭାବ ଜାରୀ ରହିଥିବା ସତ୍ତ୍ୱେ ବିଗତ କିଛି ମାସରୁ ବ୍ରହ୍ମପୁରରେ ସଂକ୍ରମଣର ଖବର ଗୁରୁତ୍ୱ ଲାଭ ନକରିବା କାରଣରୁ ଏଠାରେ ପ୍ରାକୃତିକ ସାମୂହିକ ପ୍ରତିରୋଧକ ଶକ୍ତି ‘ହେର୍ଡ ଇମ୍ୟୁନିଟି’ ସୃଷ୍ଟି ହୋଇସାରିଲାଣି ବୋଲି ଏକରକମ ଧାରଣା ସହରବାସୀଙ୍କ ମନରେ ବସାବାନ୍ଧି ସାରିଥିଲା ।
ଟିକାକୁ ନେଇ ଅନିଶ୍ଚିତତା ଡ଼ିସେମ୍ୱର ଶେଷ ସପ୍ତାହରେ ଦୂର ହୋଇଥିଲା । ଜାନୁୟାରୀ ମଧ୍ୟଭାଗରୁ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ଓ ସୁରକ୍ଷାକର୍ମୀ, ମାର୍ଚ୍ଚ ପହିଲାରୁ ବୟଜ୍ୟୋଷ୍ଠ ଓ ଏପ୍ରିଲ ପହିଲାରୁ ୪୫ ବର୍ଷୋତ୍ତରଙ୍କ ଟିକାକରଣ ଭୂତାଣୁ ପ୍ରତିରୋଧର ଆଶା ସଞ୍ଚାର କଲା । ତେବେ ଦେଶବାସୀଙ୍କୁ ଟିକାକରଣ ସରିବା ନିମନ୍ତେ ୨୦୨୨ ଶେଷ ଯାଏଁ ଅପେକ୍ଷା ଏବଂ ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ସାଙ୍ଗକୁ ମହାରାଷ୍ଟ୍ରର ତଥାକଥିତ ଡବଲ-ମ୍ୟୁଟେଣ୍ଟ ଭୂତାଣୁ ଭୟ ତଥା ଦେଶବ୍ୟାପୀ ଦ୍ୱିତୀୟ ତରଙ୍ଗର ବିବରଣୀ ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଠାକୁରାଣୀଯାତ୍ରା ଆୟୋଜନକୁ ନେଇ ସଂଶୟ ସୃଷ୍ଟି ଦୂର କରିପାରିନଥିଲା ।
ଠାକୁରାଣୀ ଯାତ୍ରା ପାଳନବେଳକୁ ‘କୋଭିଡ଼-୧୯’ ମହାମାରୀ ବିପଦପୂର୍ଣ୍ଣ ଅବସ୍ଥା ‘କ୍ରିଟିକାଲ ପଏଣ୍ଟ’ରେ ପହଞ୍ଚିଥିବା ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚ଼ିତ କରାଯାଇଥିଲା । ଦୈନିକ ବିଶ୍ୱବ୍ୟାପୀ ୪୪ ଲକ୍ଷ ନୂତନ ସଂକ୍ରମଣ ସାଙ୍ଗକୁ ଭାରତରେ ଦେଢ଼-ଲକ୍ଷରୁ ଦୁଇ ଲକ୍ଷ, ଓଡ଼ିଶାରେ ଦୁଇରୁ ତିନି ହଜାର, ବ୍ରହ୍ମପୁରରେ କୋଡ଼ିଏରୁ ପଚିଶି ସଂକ୍ରମଣ ତଥା ନାଇଟ କର୍ଫୁଜାରୀ ଏବଂ ସମ୍ଭାବ୍ୟ ଭୟାବହତା ବିଚାରକୁ ନେଇ ବିନା ଭିଡ଼ରେ ଯେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ୨୦୨୧ ପାଳିତ ହେଲା ତାହା ସହରର ଇତିହାସରେ ଏକ ଉଲ୍ଲେଖନୀୟ ଫର୍ଦ୍ଦ ।
Friday, April 9, 2021
'Asha' and 'Dainik Asha' / 'ଆଶା' ଓ 'ଦୈନିକ ଆଶା'
#ବ୍ରହ୍ମପୁର ସହରର ଇତିହାସରେ ବିଷୁବ ସଂକ୍ରାନ୍ତି ତିଥିରେ ‘ଆଶା’ ସମ୍ୱାଦପତ୍ର ପ୍ରକାଶନ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ‘ଦୈନିକ ଆଶା’ ଓଡ଼ିଆ ଭାଷାରେ ପ୍ରଥମ ଦୈନିକ ସମ୍ୱାଦପତ୍ର । ୧୯୧୩ ମସିହାରେ ଆତ୍ମପ୍ରକାଶ କରିଥିବା ସାପ୍ତାହିକ ‘ଆଶା’ ପନ୍ଦର ବର୍ଷ ପରେ ୧୯୨୮ରେ ଦୈନିକ ସମ୍ୱାଦପତ୍ରରେ ରୂପାନ୍ତରିତ ହୋଇ ୧୯୫୨ ଯାଏଁ ପ୍ରକାଶନ ଜାରୀ ରଖିଥିଲା । ମୂଳ ‘ଆଶା’ ଓ ‘ଦୈନିକ ଆଶା’ର ପ୍ରତିଷ୍ଠାତା ସମ୍ପାଦକ ଶଶିଭୂଷଣ ରଥ ।
ସ୍ୱାଧୀନୋତ୍ତର ଗଞ୍ଜାମର ଅନ୍ୟତମ ରାଜନୀତିଜ୍ଞ ବୃନ୍ଦାବନ ନାୟକଙ୍କ ଉଦ୍ୟମରେ ୧୯୮୨ରେ ‘ଦୈନିକ ଆଶା’ ପୁନଃସଂସ୍ଥାପିତ ହୋଇଥିଲା । ଗଞ୍ଜାମ ଜନ୍ମିତ ବର୍ଷିଆନ ସାମ୍ୱାଦିକ ଶ୍ରୀହର୍ଷ ମିଶ୍ର ଏହାର ସମ୍ପାଦନା ଦାୟିତ୍ୱ ଗ୍ରହଣ କରିଥିଲେ ।
ଶ୍ରୀହର୍ଷ ମିଶ୍ର ଛାତ୍ରାବସ୍ଥାରେ ପାରଳାଖେମୁଣ୍ଡି ମହାରାଜା ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କାଳରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ଜେଲ ଦଣ୍ଡ ଆଦେଶ ପାଇଥିଲେ । ବାଳବନ୍ଦୀ ହିସାବରେ ତାଙ୍କୁ ରାଜ୍ୟବାହାର ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଯୁବାବସ୍ଥାରେ ସେ ଜେଲରୁ ମୁକୁଳିବା ବେଳକୁ ଓଡ଼ିଶା ଫେରିବା ପାଇଁ ବାଟଖର୍ଚ୍ଚ ବାବଦରେ କିଛି ଟଙ୍କା ତତ୍ କାଳୀନ ‘ସମାଜ’ର ସମ୍ପାଦକ ରାଧାନାଥ ରଥ ଶ୍ରୀହର୍ଷ ମିଶ୍ରଙ୍କ ନିକଟକୁ ଜେଲ ଠିକଣାରେ ପଠାଇଥିଲେ । ଶ୍ରୀହର୍ଷ ମିଶ୍ର ଗଞ୍ଜାମ ଫେରିବାପରେ ରାଧାନାଥ ରଥଙ୍କୁ ଦେଖା କରିବା ନିମନ୍ତେ କଟକ ଯାଇଥିଲେ । ରାଧାନାଥ ରଥ ଶ୍ରୀହର୍ଷ ମିଶ୍ରଙ୍କୁ ‘ସମାଜ’ରେ ସହ-ସମ୍ପାଦକଭାବେ ଯୋଗ ଦେବାକୁ କହିଥିଲେ । ଶ୍ରୀହର୍ଷ ମିଶ୍ରଙ୍କ ପାଠ ପଢ଼ାରେ ତ ଡ଼ୋର ବନ୍ଧା ସରିଥିଲା, ସ୍ୱାଧୀନତା ସଂଗ୍ରାମ ଛଡ଼ା ଅନ୍ୟ କୌଣସି ସଂପୃକ୍ତି ନଥିବା ହେତୁ ସେ ‘ସମାଜ’ରେ ରହିଗଲେ । ଦୀର୍ଘକାଳ ଧରି କଟକରେ ସାମ୍ୱାଦିକତା ଅବସରରେ ‘ସମାଜ’ ଓ ‘ପ୍ରଜାତନ୍ତ୍ର’ର ସମ୍ପାଦକ ରୂପେ କାର୍ଯ୍ୟକରି ବୃନ୍ଦାବନ ନାୟକଙ୍କ ନିମନ୍ତ୍ରଣକ୍ରମେ ବ୍ରହ୍ମପୁରରେ ନବପ୍ରତିଷ୍ଠିତ ‘ଦୈନିକ ଆଶା’ର ସମ୍ପାଦକ ଭାବେ ଯୋଗ ଦେଇଥିଲେ ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ତତ୍ କାଳୀନ ସିଣ୍ଡିକେଟ ସଦସ୍ୟ ତଥା ରାଜନୀତିଜ୍ଞ ରାମ ଚନ୍ଦ୍ର ରଥଙ୍କ ଉଦ୍ୟମକ୍ରମେ ଓଡ଼ିଶାରେ ପ୍ରଥମ କରି ସାମ୍ୱାଦିକତା ଶିକ୍ଷା ନିମନ୍ତେ ବର୍ଷିକିଆ ଡ଼ିଗ୍ରୀ କୋର୍ସ ୧୯୭୪ରେ ପ୍ରବର୍ତ୍ତିତ ହୋଇଥିଲା । ସାମ୍ୱାଦିକତା ଅଧ୍ୟୟନ କରି ଉର୍ତ୍ତୀର୍ଣ୍ଣ ହୋଇଥିବା ଦଳେ ସ୍ଥାନୀୟ ଯୁବକ ‘ଦୈନିକ ଆଶା’ ସମ୍ପାଦନା ବିଭାଗରେ ଯୋଗ ଦେଇଥିଲେ । ପ୍ରତିଷ୍ଠିତ ସାମ୍ୱାଦିକ ଶ୍ରୀନିବାସ ଆୟଙ୍ଗାର ଓ ଅଭିଜ୍ଞ ମୁଦ୍ରଣଶିଳ୍ପ ପରାମର୍ଶଦାତା ତାରା ପ୍ରସାଦ ପାଢ଼ୀଙ୍କ ଦିଗଦର୍ଶନରେ ପ୍ରଶିକ୍ଷିତ ଯୁବ ସାମ୍ୱାଦିକମାନଙ୍କ ଉଦ୍ୟମରେ ସ୍ଥାନୀୟ ସମ୍ୱାଦ ପରିବେଷଣ କ୍ଷେତ୍ରରେ ‘ଦୈନିକ ଆଶା’ ଓଡ଼ିଆ ସାମ୍ୱାଦିକତାରେ ଏକ ନୂତନ ଯୁଗର ଅୟମାରମ୍ଭ କରିଥିଲା ।
ସେତେବେଳକୁ କଟକରୁ ସମାଜ, ପ୍ରଜାତନ୍ତ୍ର, ମାତୃଭୂମି ତଥା ଭୁବନେଶ୍ୱରରୁ ଧରିତ୍ରୀ, ସ୍ୱରାଜ୍ୟ, ପ୍ରଗତିବାଦୀ ସହ ଅନ୍ୟ କେତେକ ଦୈନିକ ସମ୍ୱାଦପତ୍ର ପ୍ରକାଶିତ ହେଉଥାଏ । କଟକରେ କଟକ ସହରର ଖବର ପ୍ରତିଦିନ ସନ୍ଧ୍ୟାରେ ସମ୍ୱାଦପତ୍ରରୁ ପଢ଼ିବାର ଅନୁଭୂତି ବ୍ରହ୍ମପୁରରେ ମିଳିବାପରେ ସ୍ଥାନୀୟ ପାଠକ ଉତ୍ସାହିତ ହୋଇପଡ଼ିଥିଲେ । ଗଞ୍ଜାମର ଅନ୍ୟାନ୍ୟ ସହରରେ ତତ୍ ପରବର୍ତ୍ତୀ ପ୍ରଭାତରେ ପହଞ୍ଚୁଥିବା ‘ଦୈନିକ ଆଶା’ ପୃଷ୍ଠାରେ ସ୍ଥାନୀୟ ସମ୍ୱାଦ ପ୍ରକାଶନ ସାମାଜିକ, ସାଂସ୍କୃତିକ ଓ ରାଜନୀତିକ ଜନଜୀବନରେ ଏକ ନୂତନ ସମୀକରଣ ସୃଷ୍ଟି କରିଥିଲା । ସୁଦୂର କଟକ, ଭୁବନେଶ୍ୱର, କୋଲକତାରୁ ପ୍ରକାଶିତ ସମ୍ୱାଦପତ୍ରରେ ନିଜ ଗ୍ରାମର ନାମ କେବେ ଦେଖିନଥିବା ଜନସାଧାରଣଙ୍କ ପାଇଁ ସ୍ଥାନୀୟ ସମ୍ୱାଦ ପ୍ରକାଶନର ପାଠକୀୟ ଅନୁଭୂତି ‘ଦୈନିକ ଆଶା’ର ଲୋକପ୍ରିୟତାର ମୂଳ ପୁଞ୍ଜି ପାଲଟିଥିଲା ।
ତେବେ ସମୟର ଗତି ବିଚ଼ିତ୍ର । ‘ଦୈନିକ ଆଶା’ ପୁନଃସଂସ୍ଥାପନାର ଦୁଇ ବର୍ଷ ପୁରୁ ପୁରୁ ବୃନ୍ଦାବନ ନାୟକ ଓ ଶ୍ରୀହର୍ଷ ମିଶ୍ରଙ୍କ ଅକସ୍ମାତ ପରଲୋକ ଘଟିଲା । ସମ୍ୱାଦପତ୍ର ପରିଚାଳନା ସହ ସଂପୃକ୍ତ ଅନ୍ୟ ନେତୃସ୍ଥାନୀୟ ବ୍ୟକ୍ତିମାନେ ମଧ୍ୟ ବିଭିନ୍ନ କାରଣରୁ ଦାୟିତ୍ୱରୁ ଅପସରିଗଲେ । ‘ଦୈନିକ ଆଶା’ର ସ୍ଥାନୀୟ ସାମ୍ୱାଦିକତାର ସଫଳତାରେ ଉଦବୁଦ୍ଧ ‘ସମ୍ୱାଦ’ ୧୯୮୯ରେ ବ୍ରହ୍ମପୁର ସଂସ୍କରଣ ଆରମ୍ଭ ହେଲା । ବ୍ରହ୍ମପୁର ଭାପୁର ବଜାର ପ୍ରଥମ ମିଲଟରୀ ଲାଇନ୍ସ ମୂଳ ଅଧିବାସୀ ପ୍ରସାଦ ରାଓଙ୍କ ନେତୃତ୍ୱରେ ସ୍ଥାନୀୟ ମୁଦ୍ରାକର କାଳିଚ଼ରଣ ପଣ୍ଡାଙ୍କ ଲକି ଅଫସେଟରେ ମୁଦ୍ରିତ ‘ସମ୍ୱାଦ’କୁ କ୍ରମଶଃ ‘ଦୈନିକ ଆଶା’ର ଲୋକପ୍ରିୟତା ଅପସାରିତ ହୋଇଥିଲା । ୧୯୯୮ର ମହାବାତ୍ୟାରେ ‘ଦୈନିକ ଆଶା’ର ମୁଦ୍ରଣଶାଳା ବ୍ୟାପକ କ୍ଷୟକ୍ଷତି ସମ୍ମୁଖୀନ ହେବାପରେ ଏହାର ପ୍ରକାଶନ ଅନିୟମିତ ହୋଇପଡ଼ିଥିଲା ।
ବିଂଶ ଶତାଦ୍ଦୀ ଶେଷ ଦଶକ ଦ୍ୱିତୀୟର୍ଦ୍ଧରେ ‘ଅନୁପମ ଭାରତ’ ପ୍ରକାଶନ ପରେ ଏକବିଂଶ ଶତାଦ୍ଦୀ ଆରମ୍ଭରୁ ‘ଧରିତ୍ରୀ’, ‘ସମାଜ’, ‘ଓଡ଼ିଶା ଭାସ୍କର’, ‘ପ୍ରତିଦିନ’, ‘ପ୍ରମେୟ’, ‘ନିତିଦିନ’ ଓ ‘ସକାଳ’ ଭଳି ଦଶଗୋଟି ଦୈନିକ ଓଡ଼ିଆ ସମ୍ୱାଦପତ୍ରର ବ୍ରହ୍ମପୁର ସଂସ୍କରଣ ପ୍ରକାଶିତ ହେଉଛି । ତେବେ ଏତେ ସମ୍ୱାଦପତ୍ରର ଭିଡ଼ରେ ସାଧାରଣ ନାଗରିକଟିଏ ଯେ ଚ଼ଳନ୍ତି ଘଟଣା ପ୍ରବାହ ଜାଣିବା ପାଇଁ ମୋବାଇଲ ଫୋନ ପରଦାରେ ‘ଫେସବୁକ’ ବା ଟେଲିଭିଜନ ‘ଆପ’କୁ ଖୋଜୁଛି, ତା’ପର ଦିନ ସକାଳ ଯାଏଁ ଅପେକ୍ଷା କରିବାକୁ ତର ସହୁ ନାହିଁ ଏବଂ ନିଜର ବ୍ୟକ୍ତିଗତ ଅଭାବ ଅଭିଯୋଗ ଦରଜ କରିବା ନିମନ୍ତେ ସମ୍ୱାଦପତ୍ରର ଦଶରୁ କୋଡ଼ିଏ ପୃଷ୍ଠାରେ ସ୍ଥାନ ଖଣ୍ଡେ ପାଇପାରୁ ନାହିଁ – ୨୦୨୧ରେ ବିଷୁବ ସଂକ୍ରାନ୍ତି ପାଳନ ବେଳକୁ ଏହିଭଳି ଘଟଣାକ୍ରମ ହୁଏତ ସ୍ଥାନୀୟ ସାମ୍ୱାଦିକତାରେ ଏକ ବଡ଼ ଧରଣର ପରିବର୍ତ୍ତନର ଆଭାସ ଦିଏ !
Friday, April 2, 2021
Jalal Adeni / ଜଲାଲ ଆଦେନୀ
Friday, March 26, 2021
Memories of Gandhi Birth Centenary / ଗାନ୍ଧୀ ଜନ୍ମଶତବାର୍ଷକୀ ସ୍ମୃତି
ମହାତ୍ମା ଗାନ୍ଧୀଙ୍କ ପ୍ରଥମ #ବ୍ରହ୍ମପୁର ଗସ୍ତର ଶତବାର୍ଷକୀ ୨୯ ମାର୍ଚ୍ଚ ୨୦୨୧ରେ ଆୟୋଜନ ଅବସରରେ ସହରରେ ଗାନ୍ଧୀଙ୍କ ଜନ୍ମଶତବାର୍ଷକୀ ପାଳନର ସ୍ମୃତି ମନେ ପଡ଼ିଥାଏ । ବିଂଶ ଶତାଦ୍ଦୀର ଷଷ୍ଠ ଓ ସପ୍ତମ ଦଶକରେ ବ୍ରହ୍ମପୁରରେ ‘ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ’ର ଏକ ଶାଖା କାର୍ଯ୍ୟାଳୟ ସକ୍ରିୟ ଥିଲା । ସରକାରୀସ୍ତରରେ ୧୯୬୮-୬୯ ଗାନ୍ଧୀ ଶତବାର୍ଷିକୀ ପାଳନ ନିମନ୍ତେ ବ୍ୟାପକ କାର୍ଯ୍ୟକ୍ରମ ତଥା ଶିକ୍ଷାନୁଷ୍ଠାନ, ସାଂସ୍କୃତିକ ଓ ସାମାଜିକ ସଂଗଠନମାନଙ୍କ ଦ୍ୱାରା ବର୍ଷବ୍ୟାପୀ ଉତ୍ସବାନୁଷ୍ଠାନ ଅନୁଷ୍ଠିତ ହୋଇଥିଲେ ହେଁ ସବୁସ୍ତରରେ ‘ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ’ ସାମିଲ ହୋଇଥିଲା ।
ବ୍ରହ୍ମପୁରର ଦଳୁଆ
ସାହୀର ଏକ ଦୁଇ ମହଲା କୋଠା ଭଡ଼ା ଘରରେ ‘ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ’ କାର୍ଯ୍ୟକରୁଥାଏ । ଜନ୍ମ ଶତବାର୍ଷକୀ ପାଳନର କିଛି କାଳ ପରେ କାର୍ଯ୍ୟାଳୟଟି
ଖ୍ରୀଷ୍ଟିଆନ ହସପିଟାଲ ଛକସ୍ଥିତ ଅନ୍ୟ ଏକ ଦୁଇ ମହଲା କୋଠାର ଉପର ମହଲାକୁ ସ୍ଥାନାନ୍ତରିତ ହୋଇଥିଲା
। ଉଭୟ ସ୍ଥାନରେ ଅନ୍ୟୂନ କୋଡ଼ିଏ ଜଣ ବସିବା ଭଳି ପାଠନାଗାରର ବ୍ୟବସ୍ଥା ଥିଲା । କେତେକ ସମ୍ୱାଦପତ୍ର,
ପତ୍ରପତ୍ରିକା ସାଙ୍ଗକୁ ଗାନ୍ଧୀ ସାହିତ୍ୟ ପାଠର ସୁବିଧା ମିଳୁଥିଲା । ବିଭିନ୍ନ ମହାପୁରୁଷଙ୍କ
ଜୟନ୍ତୀ, ଶ୍ରାଦ୍ଧୋତ୍ସବ ଏବଂ ଯୁବନେତୃତ୍ୱ ଶିବିରମାନ ପଠନାଗାର କକ୍ଷରେ ଅନୁଷ୍ଠିତ ହେଉଥିଲା ।
ସେହି ସମୟ ବେଳକୁ ବ୍ରହ୍ମପୁରରେ ଅନ୍ୟତ୍ର ଏଭଳି ଉତ୍ସବାନୁଷ୍ଠାନ ଆୟୋଜନର ସୁବିଧା ନଥାଏ ।
ବ୍ରହ୍ମପୁର ‘ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ’ରେ
ସଭାସମିତିର ବିବରଣୀ ‘ସମାଜ’ ଓ ‘ପ୍ରଜାତନ୍ତ୍ର’ରେ ନିୟମିତ ପ୍ରକାଶ ପାଏ । ସେତେବେଳକୁ ଦୈନିକ
ସମ୍ୱାଦପତ୍ରଗୁଡ଼ିକର ଆଞ୍ଚଳିକ ସଂସ୍କରଣ ନଥାଏ । ଅର୍ଥାତ ଆଠ ପୃଷ୍ଠାର ସମ୍ୱାଦପତ୍ରରେ ଯେଉଁ
ସମ୍ୱାଦ ପ୍ରକାଶ ପାଏ ତାହା ସାରା ଓଡ଼ିଶାର ପାଠକ ପଢୁଥିଲେ । ଏହି କାରଣରୁ ରାଜ୍ୟସ୍ତରରେ
ବ୍ରହ୍ମପୁର ‘ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ’
ବେଶ ସୁନାମ ଅର୍ଜନ କରିଥାଏ ।
ବ୍ରହ୍ମପୁର
କାର୍ଯ୍ୟାଳୟରେ ଶ୍ରୀବତ୍ସ ନାୟକ ସଂଯୋଜକଭାବେ ଦାୟିତ୍ୱ ନିର୍ବାହ କରୁଥାନ୍ତି । ସେତେବେଳକୁ
ତାଙ୍କରି ବୟସ ୪୦ ରୁ ୫୦ । ଖାଦୀ ଧୋତି କୁର୍ତ୍ତା ପରିହିତ ବଳିଷ୍ଠ ଚେହରା, ଆଖିରେ ଚ଼ଷମା ଓ
ପଟେ ମୋଟା ନିଶ, ବେଶ୍ ଗାନ୍ଧୀବାଦୀର ପରିଚୟ । ‘ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ’ର ସଭାସମିତିରେ ‘ସମାଜ’ର
ପ୍ରତିନିଧି କୃପାସିନ୍ଧୁ ଦାସ ଓ ‘ପ୍ରଜାତନ୍ତ୍ର’ର ପ୍ରତିନିଧି ରାମାନୁଜ ପଟ୍ଟନାୟକଙ୍କୁ ବରାବର ଦେଖିବାକୁ ମିଳେ । ଦିହେଁ ମଧ୍ୟ ଖଦଡ଼
ଧୋତି, କୁର୍ତ୍ତା ପରିହିତ । କୃପାସିନ୍ଧୁ ଦାସ ସାଇକଲ ଚଢ଼ନ୍ତି, ରାମାନୁଜ ପଟ୍ଟନାୟକ ପାଦରେ
ଚାଲି ବୁଲନ୍ତି । ଶ୍ରୀନିବାସ ଆୟଙ୍ଗାର ‘ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆ’, ‘ଅମୃତ ବଜାର ପତ୍ରିକା’ ଓ ‘କଳିଙ୍ଗ’ର ପ୍ରତିନିଧି । ସେ ଚିକିଟି ରାଜପୁରୋହିତ ଦକ୍ଷିଣ
ଭାରତୀୟ ବଂଶଜ । ପେଣ୍ଟ ସାର୍ଟ ପିନ୍ଧି ଲାମ୍ୱ୍ରେଟା ସ୍କୁଟରରେ ବୁଲୁଥିଲେ ।
ଶ୍ରୀବତ୍ସ ନାୟକ
ଢ଼େଙ୍କାନାଳ ଜିଲ୍ଲା ବାସିନ୍ଦା । ସପ୍ତମ ଦଶକ ଶେଷ ବେଳକୁ ‘ଗାନ୍ଧୀ
ଶାନ୍ତି ପ୍ରତିଷ୍ଠାନ’ର ବ୍ରହ୍ମପୁର ଶାଖା ବନ୍ଦ ହୋଇଯିବା ପରେ ସେ
ଢେଙ୍କାନାଳ ଫେରି ସକ୍ରିୟ ରାଜନୀତିରେ ଯୋଗ ଦେଇ କିଛି କାଳ ବିଧାୟକ ହୋଇଥିଲେ । ସେ ଭାରୀ
ମେଳାପୀ ଓ ସ୍ନେହୀ ଚରିତ୍ର । ବ୍ରହ୍ମପୁରରେ ୧୯୬୪ ରୁ ୧୯୭୨ ଯାଏଁ ଆଠ ବର୍ଷ ଛାତ୍ର ରାଜନୀତି
ବାରମ୍ୱାର ବିସ୍ପୋରକ ପରିବେଶ ସୃଷ୍ଟି କରିଥିବା ଅବସରରେ ଶ୍ରୀବତ୍ସ ନାୟକ ଛାତ୍ରନେତାମାନଙ୍କ ସହ
ଯୋଗସୂତ୍ର ସ୍ଥାପନ କରି ଯଥାସଂଭବ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଉଦ୍ୟମ କରୁଥିଲେ ।
ଗାନ୍ଧୀ ଜନ୍ମ
ଶତବାର୍ଷକୀରେ କେନ୍ଦ୍ର ସରକାରଙ୍କ ପବ୍ଳିକେସନ ଡିଭିଜନ ପକ୍ଷରୁ ସମଗ୍ର ଗାନ୍ଧୀ ରଚନାବଳୀ ଶହେ
ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଥିଲା, ଫିଲ୍ମସ ଡ଼ିଭିଜନ ଆନୁକୁଲ୍ୟରେ ବହୁ ପ୍ରାମାଣିକ ଚ଼ିତ୍ର
ପ୍ରସ୍ତୁତ ହୋଇ ଚଳଚ଼ିତ୍ର ପ୍ରେକ୍ଷାଳୟମାନଙ୍କରେ ପ୍ରଦର୍ଶିତ ହୋଇଥିଲା ଏବଂ ଫିଲଡ଼ ପବ୍ଳିସିଟି
ପକ୍ଷରୁ ଗାନ୍ଧୀଙ୍କ ଫୋଟୋଚିତ୍ର ସମ୍ୱଳିତ ପ୍ରଦର୍ଶନୀମାନ ବିଭିନ୍ନ ପ୍ରାନ୍ତରେ ଆୟୋଜିତ
ହୋଇଥିଲା । ଅସ୍ପୃଶ୍ୟତା ନିବାରଣ, ସାଂପ୍ରଦାୟିକ ସଦଭାବ, ନାରୀ ଶିକ୍ଷା, ନିଶା ନିବାରଣ ଓ ଖଦୀ-ଗ୍ରାମଦ୍ୟୋଗ
ପ୍ରସାର ଭଳି ପ୍ରସଙ୍ଗମାନ ବିଭିନ୍ନସ୍ତରରେ ଗୁରୁତ୍ୱ ଆରୋପ କରାଯାଇଥିଲା ।
ବିଡ଼ମ୍ୱନାର ବିଷୟ
ଏହିଯେ ଗାନ୍ଧୀ ଶତବାର୍ଷିକୀ ପାଳନ-ପର ତିନି ବର୍ଷ ୧୯୬୯ ରୁ ୭୨ ବ୍ରହ୍ମପୁରର ଯୁବମାନସ ଅଶାନ୍ତ
ହୋଇପଡ଼ିଥିଲା । ଅଗ୍ରଣୀ ଖଲ୍ଲିକୋଟ ମହାବିଦ୍ୟାଳୟରେ ଅନବରତ ଛାତ୍ର ଅଶାନ୍ତି, ପରୀକ୍ଷାରେ ଅସତଉପାୟ
ଅବଲମ୍ୱନ ଅଭିଯୋଗ ସାଙ୍ଗକୁ ନବପ୍ରତିଷ୍ଠିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପରୀକ୍ଷା
ପରିଚାଳନାରେ ବିଶୃଙ୍ଖଳା ଆଞ୍ଚଳିକ ଶିକ୍ଷା ପରିବେଶକୁ କଳୁଷିତ କରିପକାଇଥିଲା । ସେହି ସମୟରେ
ପଡ଼ୋଶୀ ପଶ୍ଚିମବଙ୍ଗରେ ନକ୍ସଲ ଆନ୍ଦୋଳନ ସାଙ୍ଗକୁ ଉତ୍କଟ ବେକାରୀ ଓ ଯୁବ ଅଶାନ୍ତି ଦେଖା
ଦେଇଥାଏ । ଓଡ଼ିଶା ରାଜ୍ୟ ରାଜନୀତିରେ ଅସ୍ଥିରତା ଲାଗି ରହିଥାଏ । ଗାନ୍ଧୀ ଐତିହ୍ୟ ଏ ଧରଣର
ବିଶୃଙ୍ଖଳାକୁ କେତେଦୂର ଆୟତ୍ତ କରିଥିଲା ନା ସମକାଳୀନ ଯୁବମାନସକୁ ପ୍ରଭାବିତ କରିବାରେ ବିଫଳ
ହୋଇଥିଲା, ତାହା ବିତର୍କର ବିଷୟ !
(‘ଅନୁପମ ଭାରତ’ ବ୍ରହ୍ମପୁର ସଂସ୍କରଣ / ୨୭ ମାର୍ଚ୍ଚ ୨୦୨୧/ ପୃଷ୍ଠା : ୮)
Illustration : "gandhiji in honolulu" by Brian Glanz is licensed under CC BY 2.0
Friday, March 19, 2021
Organising the Yatra / ଯାତ୍ରା ଆୟୋଜନ ଚର୍ଚ୍ଚା
#ବ୍ରହ୍ମପୁର ଦ୍ୱି-ବାର୍ଷିକ ଠାକୁରାଣୀ ଯାତ୍ରା ୨୦୨୧ ଆୟୋଜନ ନିମନ୍ତେ ମାର୍ଚ୍ଚ ୧୯ ଶୁକ୍ରବାର ରାତ୍ରୀ ପ୍ରଥମ ପ୍ରହରରେ ଦେବାଙ୍ଗ କୁଳ ଓ ଜନପଦ ସଭାରେ କାର୍ଯ୍ୟକ୍ରମ ଚୁଡ଼ାନ୍ତ କରି ଦ୍ୱିତୀୟ ପ୍ରହରରେ ବଡ଼ ଠାକୁରାଣୀ ମନ୍ଦିରକୁ ଶୋଭାଯାତ୍ରା ଏବଂ ଆଜ୍ଞାମାଳ ପ୍ରାପ୍ତି ତଥା ଶନିବାର ପ୍ରଥମ ପ୍ରହରରେ ଶୁଭଖୁଣ୍ଟ ସ୍ଥାପନ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଥିଲା । ଏ ସଂପର୍କରେ ବଡ଼ ବଜାର ସଂଲଗ୍ନ ସାହୀଗୁଡ଼ିକରେ ପୂର୍ବାହ୍ନରୁ ଡ଼େଣ୍ଡୁରା ଦିଆଯାଇ ସମସ୍ତ ପୂର୍ବପ୍ରସ୍ତୁତି ମଧ୍ୟ ସରିଥିଲା ।






