Friday, January 28, 2022

The other Brahmapur / ଭିନ୍ନ ଏକ ବ୍ରହ୍ମପୁର

 

#ବ୍ରହ୍ମପୁର ନାମରେ ଏକାଧିକ ସହର ଓ ଗ୍ରାମ ରହିଛିଏଥି ମଧ୍ୟରେ ପଡ଼ୋଶୀ ପଶ୍ଚିମ ବଙ୍ଗ ରାଜ୍ୟର ମୁର୍ଶିଦାବାଦ ଜିଲ୍ଲାରେ ବ୍ରହ୍ମପୁର (ଇଂଲିଶ ବନାନକ୍ରମେ-ବେରହମପୋର) ଏବଂ ବଙ୍ଗଳା ଦେଶ ପାଟୁଆଖାଲି ଜିଲ୍ଲାର ବ୍ରହ୍ମପୁର (ଇଂଲିଶ ବନାନକ୍ରମେ –ବହରମପୁର) ଅନ୍ୟତମ ।
 
ପଶ୍ଚିମ ବଙ୍ଗ ମୁର୍ଶିଦାବାଦ ଜିଲ୍ଲାର ସଦର ମହକୁମା ବେରହମପୋର କୋଲକତାଠାରୁ ୨୦୦ କିଲୋମିଟର ଦୂରରେ ଅବସ୍ଥିତ । କୋଲକତା, ଆସନସୋଲ, ସିଲିଗୁଡ଼ି, ଦୁର୍ଗାପୁର, ବର୍ଦ୍ଧମାନ ଓ ମାଲଦା ପରକୁ ବେରହମପୋର ସପ୍ତମ ଜନାକୀର୍ଣ୍ଣ ସହର । ଏଠାକାର ଜନସଂଖ୍ୟା ୨୦୧୧ ଜନଗଣନା ଅନୁଯାୟୀ ତିନି ଲକ୍ଷରୁ ଉର୍ଦ୍ଧ୍ୱ । ଭାଗିରଥୀ ନଦୀର ପୂର୍ବତଟରେ ଅବସ୍ଥିତ ଏହି ପୌରପାଳିକା ଶାସିତ ସହରରେ ୯୦ ଭାଗ ବାସିନ୍ଦା ହିନ୍ଦୁ ଓ ୯ ଭାଗ ମୁସଲିମ ସଂପ୍ରଦାୟ ଅନ୍ତର୍ଭୁକ୍ତ ।
 
ଇତିହାସ ପୃଷ୍ଠାରୁ ଜଣାଯାଏ ୧୭୫୭ ଖ୍ରୀଷ୍ଟାଦ୍ଦରେ ପଲାସୀ ଯୁଦ୍ଧ ସମୟରେ ବେରହମପୋରଠାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଏକ ସେନାଛାଉଣୀ କଣ୍ଟେନମେଣ୍ଟ ପ୍ରତିଷ୍ଠା କରିଥିଲେ । ଇଷ୍ଟଇଣ୍ଡିଆ କମ୍ପାନୀର ଏହା ପ୍ରଥମ ହେଡ଼କ୍ୱାର୍ଟସଏଥିପୂର୍ବରୁ ଏଠାକାର ଜନପଦରେ ବହୁ ସଂଖ୍ୟକ ବ୍ରାହ୍ମଣ ପରିବାର ବାସ କରୁଥିବା ହେତୁ ବ୍ରହ୍ମପୁର ନାମିତ ହୋଇଥିବା ଜନଶୃତି କହେ । ବ୍ରିଟିଶ ସେନା ବାହିନୀର କଣ୍ଟେନମେଣ୍ଟ ୧୮୭୬ରେ ପୌରପାଳିକାରେ ପରିବର୍ତ୍ତିତ ହୋଇ ମୁର୍ଶିଦାବାଦ ଜିଲ୍ଲାର ସଦରମହକୁମାରେ ପରିଣତ ହୋଇଥିଲା ।
 
ଆମ ବ୍ରହ୍ମପୁର ପାଟବସ୍ତ୍ରଲାଗି ଖ୍ୟାତିଲାଭ କରିଥିବା ସ୍ଥଳେ ପଶ୍ଚିମବଙ୍ଗର ବେରହମପୋର ମୁସଲିନ ବସ୍ତ୍ର ପାଇଁ ଆନ୍ତର୍ଜାତିକସ୍ତରରେ ପ୍ରସିଦ୍ଧ । ପାରମ୍ପରିକଭାବେ ଏଠାରେ ମୁସଲିନ ବୟନ, କଂସା-ପିତ୍ତଳ ବାସନ ଓ ହାତୀଦାନ୍ତ କାମ କୁଟୀର ଶିଳ୍ପଭାବେ ପରିଗଣିତ । ବେରହମପୋର ଛେନାବଡ଼ା, ଖଜା ଓ ମନୋହରା ଭଳି ମିଷ୍ଟାନ୍ନ ନିମନ୍ତେ ଅଞ୍ଚଳିକସ୍ତରରେ ପରିଚ଼ିତ । ଇଷ୍ଟ ଇଣ୍ଡିଆ କମ୍ପାନୀର କର୍ମଚାରୀ ଓ ବସ୍ତ୍ର ବ୍ୟବସାୟୀ ସହରର ପ୍ରାଚ଼ୀନ ବାସିନ୍ଦା । ଏଠାକାର ସର୍ବପୁରାତନ କଲେଜ ୧୮୫୩ରୁ ୧୮୮୮ ମଧ୍ୟରେ ପ୍ରତିଷ୍ଠିତ ହୋଇଥିଲା ।
 
ବେରହମପୋର ପୂର୍ବ ରେଳପଥ ସିଆଲଦା-ଲାଲଗୋଲା ଲାଇନରେ ସଂଯୁକ୍ତ । ରେଳ ଷ୍ଟେସନର ନାମ ବେରହମପୋର-କୋର୍ଟଭାଗିରଥୀ ଏକ୍ସପ୍ରେସ, ହଜରଦୂରାଇ ଏକ୍ସପ୍ରେସ ଓ ଧାନୋ ଧନାୟେ ଏକ୍ସପ୍ରେସ ଇତ୍ୟାଦି ଷ୍ଟେସନ ଦେଇ ଚଳାଚଳ କରୁଥିବା ଲୋକପ୍ରିୟ ରେଳଗାଡ଼ି । ସିଆଲଦାରୁ ବେରହମପୋର-କୋର୍ଟକୁ ଏକ ନିତିଦିନିଆ ମେମୁ ପାସେଞ୍ଜର ଟ୍ରେନ ମଧ୍ୟ ଚଳାଚଳ କରିଥାଏ । ସଡ଼କପଥରେ ବେରହମପୋର ଜାତୀୟ ରାଜପଥ ୧୨ ଓ ୩୪ ଦ୍ୱାରା ସଂଯୁକ୍ତ । ଏଠାରେ ଦୁଇଗୋଟି ବସଷ୍ଟାଣ୍ଡ ରହିଛି । ସହର ମଧ୍ୟରେ ଟୁକ-ଟୁକ ବା ଟୋଟୋକାର ନାମିତ ଇ-ରିକ୍ସା ପ୍ରମୁଖ ସର୍ବସାଧାରଣ ଯାନବାହାନ ।
 
ବେରହମପୋର ବାସିନ୍ଦାମାନେ କଳାପ୍ରିୟ । ସହରରେ ନିୟମିତ ନାଟକ ଅଭିନୀତ ହୁଏ, ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକ ଆଖପାଖ ଅଞ୍ଚଳ ବାସିନ୍ଦାଙ୍କୁ ଆକର୍ଷିତ କରେ । ଏଠାରେ ନାଟକ ଓ ଚଳଚ଼ିତ୍ର ଉତ୍ସବମାନ ଆୟୋଜିତ ହୁଏ । ମୁର୍ଶିଦାବାଦ ବିଶ୍ୱବିଦ୍ୟାଳୟ, ମୁର୍ଶିଦାବାଦ ମେଡ଼ିକାଲ କଲେଜ, ମୁର୍ଶିଦାବାଦ ଇନଷ୍ଟିଟିଉଟ ଅଫ ଟେକନୋଲଜି ଇତ୍ୟାଦି ସହରକୁ ଶିକ୍ଷାକେନ୍ଦ୍ର ଭାବେ ଗଢ଼ି ତୋଳିଥାଏ । ଲେଖିକା ମହାଶ୍ୱେତା ଦେବୀ, ପ୍ରଚ୍ଛଦପଟ୍ଟ ଗାୟିକା ଶ୍ରେୟା ଘୋଷାଲ ଓ ରାଜନୀତିଜ୍ଞ ଅଧୀର ରଞ୍ଜନ ଚୌଧୁରୀ ପ୍ରମୁଖ ମୁର୍ଶିଦାବାଦ ବେରହମପୋର ବାସିନ୍ଦା । ବେରହମପୋରର ପୋଷ୍ଟାଲ ପିନ କୋଡ଼ ୭୪୨୧୦୧ ଓ ଏସଟିଡ଼ି କୋଡ଼ ୩୪୮୨ । ବେରହମପୋର ନାମରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି ।
 
ମୁର୍ଶିଦାବାଦ ଜିଲ୍ଲାରେ ବ୍ରିଟିସ, ଫ୍ରେଞ୍ଚ, ଡଚ ଓ ପର୍ତ୍ତୁଗୀଜ ସେନାବାହିନୀର ଉପସ୍ଥିତି କାଳରେ ନିର୍ମିତ କେତେକ ପୁରାତନ କୋଠାବାଡ଼ି ରହିଛି । ପର୍ଯ୍ୟଟକମାନେ ଏସବୁ ଦେଖିବାଲାଗି ବେରହମପୋର ଯାଇଥାନ୍ତି । ବ୍ରହ୍ମପୁର (ଇଂଲିଶ ବନାନରେ-ବେରମପୁର) ସହ ବେରହମପୋର ସାମଞ୍ଜସ୍ୟ ହେତୁ ଠିକଣାକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଥାଏ । ତେଣୁ ବେରମପୁର ସହ ଗଞ୍ଜାମ ଜିଲ୍ଲା ବା ଓଡ଼ିଶା ଏବଂ ବେରହମପୋର ସହ ମୁର୍ଶିଦାବାଦ ଜିଲ୍ଲା ବା ପଶ୍ଚିମ ବଙ୍ଗ ଉଲ୍ଲେଖ କରାଯାଏ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୯ ଜାନୁୟାରୀ ୨୦୨୨ / ପୃଷ୍ଠା :

Photo from : https://murshidabad.gov.in/gallery/tourist-places/#



Friday, January 21, 2022

Queue at Medical College Hospital / ମେଡ଼ିକାଲରେ କ୍ୟୂ’

 


#ବ୍ରହ୍ମପୁର ମେଡ଼ିକାଲ କଲେଜ ହସପିଟାଲ ଆଉଟଡ଼ୋରରେ ଚ଼ିକିତ୍ସା ନିମନ୍ତେ ରେଜିଷ୍ଟ୍ରେସନ ଲାଗି ଲମ୍ୱା କ୍ୟୂର ବିକଳ୍ପ ବ୍ୟବସ୍ଥା ପାଇଁ ପରୀକ୍ଷାମୂଳକଭାବେ ଉଦ୍ୟମ ଆରମ୍ଭ ହୋଇଥିବା ଆଶ୍ୱସ୍ତିର ବିଷୟ । ବ୍ରହ୍ମପୁର ସହରବାସୀ ବିଶେଷଜ୍ଞଙ୍କ ଚିକିତ୍ସା ନିମନ୍ତେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚ଼ିକିତ୍ସାଳୟ ଉପରେ ନିର୍ଭରଶୀଳ । ଅପରପକ୍ଷରେ ସମଗ୍ର ଦକ୍ଷିଣ ଓଡ଼ିଶାରେ ଏହି ପ୍ରତିଷ୍ଠାନ ଏକମାତ୍ର ରେଫରାଲ ହସପିଟାଲ । ଫଳରେ ଦୈନିକ ପ୍ରାୟ ତିନି ହଜାର ନୂଆ ରୋଗୀ ହସପିଟାଲ ଆଉଟଡୋରରେ ପହଞ୍ଚିଥାନ୍ତି ଏବଂ ସମସ୍ତଙ୍କୁ ନାମ ପଞ୍ଜିକରଣ ବା ରେଜିଷ୍ଟ୍ରେସନଲାଗି ଲମ୍ୱା ଧାଡ଼ିରେ ଛିଡ଼ା ହେବାକୁ ପଡିଥାଏ । ସହରବାସୀ କିମ୍ୱା ସହର ବାହାର ଆଗନ୍ତୁକ, ପୁରୁଷ-ମହିଳା, ଶିକ୍ଷିତ-ଅଶିକ୍ଷିତ, ଧନୀ-ଦରିଦ୍ର, ଶାନ୍ତଶିଷ୍ଟ-ଉଦ୍ଦାମ ସମସ୍ତେ କ୍ୟୂରେ ସାମିଲ ହେବାକୁ ବାଧ୍ୟ ।
 
ରୋଗୀଟିଏ ମେଡ଼ିକାଲ କଲେଜ ଆଉଟଡ଼ୋରରେ ପହଞ୍ଚିଲେ ଅନେକ ସମୟରେ ନିଜେ ରେଜିଷ୍ଟ୍ରେସନ କରିବା ସଂଭବ ହୋଇପାରିନଥାଏ । ଏଥିଲାଗି ରୋଗୀର ଜଣେ ସହାୟକ ଆବଶ୍ୟକ ପଡ଼େ । ଅସୁସ୍ଥ ଲମ୍ୱା ଧାଡ଼ିରେ ଠେଲାପେଲାରେ ଦୀର୍ଘ ସମୟ ଛିଡ଼ା ହେବା ସମସ୍ୟା ସୃଷ୍ଟି କରିଥାଏ । ଆଧୁନିକ ବୈଷୟିକ କୌଶଳ ସହାୟତାରେ ଆଉଟ ଡୋର ଚ଼ିକିତ୍ସା ଟିକଟ ପାଇଁ ଅନଲାଇନରେ ରେଜିଷ୍ଟ୍ରେସନ ପଦ୍ଧତି ସୁଲଭ । ତେବେ ଏକବିଂଶ ଶତାଦ୍ଦୀର ତୃତୀୟ ଦଶକ ଆରମ୍ଭ ଯାଏଁ ସେହି ସୁବିଧା ସୁଯୋଗ ଉପଯୋଗ ହୋଇପାରି ନଥିଲା । ମେଡ଼ିକାଲ କଲେଜ କର୍ତ୍ତୃପକ୍ଷ କିମ୍ୱା ସହରର ନାଗରିକ ସମାଜ କାହାର ଦୃଷ୍ଟି ଏଦିଗରେ ପଡ଼ିନଥିଲା । କୋଭିଡ଼-୧୯  ମହାମାରୀର ଦୁଇଟି ତରଙ୍ଗ ବାଦେ ତୃତୀୟ ବର୍ଷରେ ତୃତୀୟ ତରଙ୍ଗର ପ୍ରାଦୁର୍ଭାବ କାଳରେ ଆଉଟଡୋର ଟିକଟ ପ୍ରଦାନ ଦିଗରେ ସଂସ୍କାର ନିମନ୍ତେ କର୍ତ୍ତୃପକ୍ଷ ଅନଲାଇନ ରେଜିଷ୍ଟ୍ରେସନ ବ୍ୟବସ୍ଥା ଆରମ୍ଭ କରିଛନ୍ତି ।
 
ମେଡ଼ିକାଲ କଲେଜ ଓ ହସପିଟାଲ ପକ୍ଷରୁ ମାଇଏମକେସିଜି ଡଟ କମ ନାମରେ ଏକ ୱେବସାଇଟ ଖୋଲାଯାଇଛି । ଏଥିରେ ଆଉଟଡ଼ୋର ଚ଼ିକିତ୍ସା ଗ୍ରହଣ କରିବାକୁ ଇଚ୍ଛୁକ ବ୍ୟକ୍ତିବିଶେଷ ଅଗ୍ରୀମ ନାମ ପଞ୍ଜୀକରଣର ବ୍ୟବସ୍ଥା ରହିଛି । ଫର୍ମରେ ନାମ, ପିତା କିମ୍ୱା ସ୍ୱାମୀଙ୍କ ନାମ, ପରିଚୟ ପତ୍ର ନମ୍ୱର, ଲିଙ୍ଗ, ବୟସ, ଜନ୍ମ ବର୍ଷ, ମୋବାଇଲ ନମ୍ୱର, ଠିକଣା ଓ କେଉଁ ବିଭାଗରେ ଚ଼ିକିତ୍ସିତ ହେବାକୁ ଆଗ୍ରହୀ ଇତ୍ୟାଦି ତଥ୍ୟ ଉଲ୍ଲେଖ କରି ମେକ ଏନ ଏପଏଣ୍ଟମେଣ୍ଟ ବଟନ କ୍ଳିକ କଲେ ମୋବାଇଲରେ କନଫରମେସନ ମେସେଜ ଆସିବା ସୁବିଧା ଉପଲବ୍ଧ । ଏତାଦୃଶ ରେଜିଷ୍ଟ୍ରେସନ ଓ କନଫରମେସନ ଆଧାରରେ ରୋଗୀ ଆଉଟଡ଼ୋରରେ ପହଞ୍ଚି ରେଜିଷ୍ଟ୍ରେସନ କାଉଣ୍ଟରରୁ ଟୋକେନ ଗ୍ରହଣ କରି ନିର୍ଦ୍ଧାରିତ ସମୟରେ ଚ଼ିକିତ୍ସା ବିଭାଗକୁ ଯାଇ ଡ଼ାକ୍ତରଙ୍କ ପରାମର୍ଶ ଗ୍ରହଣ କରିପାରିବେ ।
 
ବ୍ରହ୍ମପୁର ମେଡ଼ିକାଲ କଲେଜ ଓ ହସପିଟାଲରେ ଅନଲାଇନ ଆଉଟ ପେସେଣ୍ଟ ଡିପାର୍ଟମେଣ୍ଟସ ରେଜିଷ୍ଟ୍ରେସନ ବ୍ୟବସ୍ଥା ୧୮ ଜାନୁୟାରୀ ୨୦୨୨ରେ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଛି । ପ୍ରଥମ ଦିନ ପ୍ରାୟ ଶହେ ଜଣ ରୋଗୀ ସୁବିଧା ଗ୍ରହଣ କରିଥିଲେ । ଏହି ପ୍ରଣାଳୀ ସ୍ଥାୟୀ ହୋଇପାରିଲେ ରୋଗୀମାନେ ବିନା ସହାୟକଙ୍କ ଗହଣରେ ଚ଼ିକିତ୍ସାଲାଗି ଡ଼ାକ୍ତରଙ୍କ ନିକଟରେ ପହଞ୍ଚି ପାରିବେ, ଅସୁସ୍ଥ ବରିଷ୍ଠ ନାଗରିକ ଓ ମହିଳାମାନେ ଧାଡ଼ିବାନ୍ଧି ଛିଡ଼ା ହେବା ସମସ୍ୟାରୁ ମୁକ୍ତି ପାଇପାରିବେ ଏବଂ ସର୍ବୋପରି ଅଯଥା ଭିଡ଼ ନିୟନ୍ତ୍ରଣ ସମ୍ଭବ ହୋଇପାରିବ । ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ । ପ୍ରାରମ୍ଭିକ ତୃଟିବିଚ୍ୟୁତି ଯଦି ଦେଖାଦିଏ ତାହାକୁ ସଜାଡ଼ି କିପରି ଏହି ବ୍ୟବସ୍ଥା ସ୍ଥାୟୀ ହୋଇପାରିବ ସେଦିଗରେ ଉଦ୍ୟମ କରାଯିବା ଆବଶ୍ୟକ ।
 
ମହାମାରୀ ପରିବେଶରେ ଯେଉଁ ସବୁ ସାମାଜିକ ପରିବର୍ତ୍ତନ ସଂଗଠିତ ହୋଇଛି ସେଥି ମଧ୍ୟରେ ଅନଲାଇନ ବାଣିଜ୍ୟ, ମନୋରଞ୍ଜନ, ସ୍ୱାସ୍ଥ୍ୟରକ୍ଷା, ଶିକ୍ଷା ଓ ସାମାଜିକ ସଂପୃକ୍ତି ସୋସିଆଲ ଏଙ୍ଗେଜମେଣ୍ଟ ଇତ୍ୟାଦି ପ୍ରଧାନ । ରୋଗ ଚ଼ିକିତ୍ସା କ୍ଷେତ୍ରରେ ଦୀର୍ଘକାଳରୁ ଟେଲି-ମେଡ଼ିସନ ସେବାର ପ୍ରାବଧାନ ରହିଆସିଥିଲେହେଁ ମହାମାରୀ କାଳରେ ପ୍ରକୃତ ଉପଯୋଗ ହୋଇପାରିଥିଲା । ତୃତୀୟ ତରଙ୍ଗ ଓମିକ୍ରନ ସଂକ୍ରମଣ ଅବସରରେ ମେଡ଼ିକାଲ କଲେଜ ପକ୍ଷରୁ ୭୬୫୫୦ ୫୧୬୦୨, ୭୬୫୫୦ ୫୧୬୦୩ ଏବଂ ସିଟି ହସପିଟାଲ ପକ୍ଷରୁ ୭୬୫୫୦ ୫୦୯୬୨, ୭୬୫୫୦ ୫୦୯୮୩ ଟେଲିଫୋନ ଯୋଗେ ଟେଲିମେଡ଼ିସନ ସେବା ଯୋଗାଇବା ନିମନ୍ତେ ନମ୍ୱର ଜାରୀ କରାଯାଇଛି । ବ୍ରହ୍ମପୁର ପୌର ନିଗମର କୋଭିଡ଼-୧୯ କଣ୍ଟ୍ରୋଲ ରୁମ ଟେଲିଫୋନ ନମ୍ୱର ୭୬୦୮୮ ୮୦୪୮୦ ମଧ୍ୟ ସୂଚ଼ିତ । ନିଜ ବାସଗୃହରେ ୭୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କ ଟିକାକରଣ ନିମନ୍ତେ ୭୩୨୮୦ ୯୯୩୨୪ ସହ ଯୋଗାଯୋଗ କରିବା ଲାଗି କୁହାଯାଇଛି । ମହାମାରୀର ଟେଲିମେଡ଼ିସନ ଅଭିଜ୍ଞତା ପରବର୍ତ୍ତୀକାଳରେ ଜନଜୀବନକୁ ପ୍ରଭାବିତ କରିବା ଆଶା କରାଯାଇପାରେ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୨ ଜାନୁୟାରୀ ୨୦୨୨ / ପୃଷ୍ଠା :୮)

Photo from MKCG website 

Friday, January 14, 2022

Air Travel / ବିମାନ ଯାତ୍ରା

 

ବିମାନ ଯାତ୍ରା ନିମନ୍ତେ #ବ୍ରହ୍ମପୁର ସହରବାସୀ ମୁଖ୍ୟତଃ ଭୁବନେଶ୍ୱର କିମ୍ୱା ବିଶାଖାପାଟଣା ବିମାନ ବନ୍ଦର ଉପରେ ନିର୍ଭର କରନ୍ତି । ବ୍ରହ୍ମପୁରରୁ ଭୁବନେଶ୍ୱର ବିମାନ ବନ୍ଦର ସଡ଼କ ପଥରେ ୧୭୩ କିଲୋମିଟର ଯାତ୍ରା କରିବା ନିମନ୍ତେ ପ୍ରାୟ ଚାରି ଘଣ୍ଟା ଲାଗିଥାଏ । ସେହିପରି ବିଶାଖାପାଟଣା ବିମାନ ବନ୍ଦର ସଡ଼କ ପଥରେ ୨୬୮ କିଲୋମିଟର ଯାତ୍ରା କରିବା ନିମନ୍ତେ ପ୍ରାୟ ପାଞ୍ଚ ଘଣ୍ଟା ଲାଗିଯାଏ । ବ୍ରହ୍ମପୁରରୁ ଭୁବନେଶ୍ୱର ତୁଳନାରେ ବିଶାଖାପାଟଣା ବିମାନ ବନ୍ଦର ଯାତ୍ରା ଲାଗି ଶହେ କିଲୋମିଟର ଅଧିକ ରାସ୍ତା ଏବଂ ଘଣ୍ଟାଏରୁ ଉର୍ଦ୍ଧ୍ୱ ଅଧିକ ସମୟ ଆବଶ୍ୟକ । ବ୍ରହ୍ମପୁରରୁ ଜାତୀୟ ରାଜପଥ ୧୬ରେ ଭୁବନେଶ୍ୱର ନିମନ୍ତେ ଉତ୍ତର ଦିଗରେ ଓ ବିଶାଖାପାଟଣା ନିମନ୍ତେ ଦକ୍ଷିଣ ଦିଗରେ ଯାତ୍ରା କରିବାକୁ ପଡ଼େ । ଉଭୟ ସହର ବ୍ରହ୍ମପୁର ସହ ରେଳପଥ ଯୋଗେ ମଧ୍ୟ ସଂଯୁକ୍ତ ।

 

ବିଶାଖାପାଟଣା ତୁଳନାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ପୁରୁଣା ଏବଂ ଅଧିକ ପରିମାଣରେ ଯାତ୍ରୀ ପରିବହନରେ ସଂପୃକ୍ତ । ଭୁବନେଶ୍ୱର ବିମାନବନ୍ଦର ୧୯୬୨ରୁ ଆରମ୍ଭ ହୋଇଥିବା ସ୍ଥଳେ ବିଶାଖାପାଟଣା ବିମାନ ବନ୍ଦର ୧୯୮୧ରୁ ସ୍ଥାପିତ ହୋଇଥିଲେ ହେଁ ୨୦୦୮ରେ ଯାତ୍ରୀ ପରିବହନ ଆରମ୍ଭ ହୋଇଥିଲା । ସର୍ବଭାରତୀୟସ୍ତରରେ ଭୁବନେଶ୍ୱରର ସ୍ଥାନ ୧୬ ରହୁଥିବା ସ୍ଥଳେ ବିଶାଖାପାଟଣାର ସ୍ଥାନ ୨୧ ନିର୍ଦ୍ଧାରିତ । ମହାମାରୀ ଅବସରରେ ୨୦୨୦ ଏପ୍ରିଲରୁ ୨୦୨୧ ମାର୍ଚ୍ଚ ବର୍ଷକ ମଧ୍ୟରେ ଭୁବନେଶ୍ୱର ବିମାନ ବନ୍ଦରରେ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଓ ବିଶାଖାପାଟଣା ବିମାନ ବନ୍ଦରରେ ୧୧ ଲକ୍ଷରୁ ଉର୍ଦ୍ଧ୍ୱ ଯାତ୍ରୀ ଆତଯାତ ହୋଇଥିଲେ । ଉଭୟ ବିମାନ ବନ୍ଦରରେ ପୂର୍ବ ବର୍ଷ ତୁଳନାରେ ପ୍ରାୟ ୬୦ ପ୍ରତିଶତ ଯାଏଁ ଯାତ୍ରୀ ପରିବହନ ହ୍ରାସ ଘଟିଥିବା ହିସାବ କରାଯାଇଥିଲା ।

 

ମହାମାରୀ-ପୂର୍ବ ଦୁଇ ଦଶକରେ ଭାରତରେ ବିମାନ ସେବା ସଂପ୍ରସାରଣ ଓ ଯାତ୍ରା ଦର ହ୍ରାସ କାରଣରୁ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଥିଲା ଭୁବନେଶ୍ୱର ବିମାନ ବନ୍ଦରରେ ୨୦୨୨ ଆରମ୍ଭରେ ଦୈନିକ ପ୍ରାୟ ବାର ହଜାର ଯାତ୍ରୀ ପରିବହନ ହେଉଥିବା ପ୍ରକାଶିତ । ଏଠାରୁ ୧୫ ଗୋଟି ସହର ସହ ସିଧାସଳଖ ବିମାନଯାତ୍ରା ସଂଯୋଗ ସ୍ଥାପିତ । କଲିକତା, ଦିଲ୍ଲୀ, ପ୍ରୟାଗରାଜ, ହାଇଦରାବାଦ, ବେଙ୍ଗାଲୁରୁ, ରାୟପୁର, ପୁଣେ, ମୁମ୍ୱାଇ, ଗୋଆ ଓ ଝାରସୁଗୁଡ଼ାରୁ ବିମାନ ଅବତରଣ କରୁଥିବା ସ୍ଥଳେ ସେହିସବୁ ସହର ସମେତ ବାରାଣସୀ, ଜୟପୁର, ଚ଼େନ୍ନାଇ, ରାଞ୍ଚି, ଲକ୍ଷ୍ମୌ, ଅହମ୍ମଦାବାଦ ଓ ସୁରାଟ ଇତ୍ୟାଦି ସହରକୁ ମଧ୍ୟ ବିମାନ ଯାତ୍ରାର ସୁବିଧା ଉପଲବ୍ଧ । ଏଠାରୁ ଏୟାର ଇଣ୍ଡିଆ, ଏଲାଏନ୍ସ ଏୟାର, ଇଣ୍ଡିଗୋ, ବିସ୍ତାରା, ଏୟାର ଏସିଆ, ବ୍ରିଟିଶ ଏୟାୱେସ ଓ ୟୁନାଇଟେଡ଼ ଏୟାରଲାଇନ୍ସ ପ୍ରଭୃତି ପରିବହନ ସଂସ୍ଥାର ବିମାନ ଚଳାଚଳ କରିଥାଏ

 

ବ୍ରହ୍ମପୁରରୁ ବିମାନ ଯାତ୍ରୀ ବିମାନ ବନ୍ଦରରେ ପହଞ୍ଚିବା ପାଇଁ ମହାମାରୀପରଠାରୁ ପ୍ରାୟତଃ ନିଜ ମଟରଗାଡ଼ି କିମ୍ୱା ଭଡ଼ା ଟ୍ୟାକ୍ସି ବ୍ୟବହାର କରିଥାନ୍ତି । ରେଳ ଚଳାଚଳରେ ନିୟମିତତା ଫେରି ନଥିବା ହେତୁ ରେଳଯାତ୍ରା ସୀମିତ । ଭୁବନେଶ୍ୱର ବିମାନ ବନ୍ଦରରେ ସକାଳ ପାଞ୍ଚଟା ବେଳେ ଗୋଆ ବିମାନ ଉଡ଼ାଣ ସମୟ ସ୍ଥିରୀକୃତ ହୋଇଥିବା ସ୍ଥଳେ ରାତି ବାରଟାରେ ପୁଣେରୁ ବିମାନ ଅବତରଣ କରେ । ଏହି କାରଣରୁ ବ୍ରହ୍ମପୁରରୁ ଭୁବନେଶ୍ୱର ତଥା ଭୁବନେଶ୍ୱରରୁ ବ୍ରହ୍ମପୁରକୁ ପ୍ରତିଦିନ ପ୍ରାୟ ଦେଢ଼ଶହ ଟ୍ୟାକ୍ସି ଦିନରାତି ଚଳାଚଳ କରିଥାଏ

 

ବ୍ରହ୍ମପୁରର ଯାତ୍ରୀଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଛାଡ଼ିବା ତଥା ଭୁବନେଶ୍ୱରରୁ ଯାତ୍ରୀଙ୍କୁ ବ୍ରହ୍ମପୁରରେ ପହୁଞ୍ଚାଇବା ବେଳେ ଗୋଟିଏ ପଟର ଟ୍ୟାକ୍ସି ବିନା ଯାତ୍ରୀରେ ଯାତ୍ରା କରୁଥିଲା । ଏଣିକି ସେହି ଖାଲି ଗାଡିରେ ଯାତ୍ରୀ ପରିବହନ ବ୍ୟବସ୍ଥା ଆରମ୍ଭ ହୋଇଛି । ମହାମାରୀ ପୂର୍ବେ ଉଭୟ ବ୍ରହ୍ମପୁର ଓ ଭୁବନେଶ୍ୱରରୁ ବିମାନଯାତ୍ରୀମାନେ ଟ୍ୟାକ୍ସି ବୁକ କଲାବେଳେ ଯିବା ଆସିବା ଉଭୟ ପଥର ଭଡ଼ା ପ୍ରାୟ ୪,୫୦୦ ଟଙ୍କା ଦେବାକୁ ପଡୁଥିଲା । ତେବେ ମହାମାରୀ ପରଠାରୁ ଏକ ପାଖିଆ ଭଡ଼ା ୨,୦୦୦ ଟଙ୍କାକୁ କମି ଆସିଛି । ଓଲା ଭଳି ଯାତ୍ରୀ ପରିବହନ କମ୍ପାନୀ ଅଢ଼େଇ ହଜାର ଟଙ୍କାରେ ଭୁବନେଶ୍ୱରୁ ବ୍ରହ୍ମପୁର ଦର ଲାଗୁ କରିବାପରେ ସ୍ଥାନୀୟ ଟ୍ୟାକ୍ସି ଅପରେଟରମାନେ ପ୍ରତିଯୋଗିତାର ସମ୍ମୁଖୀନ ହୋଇ ତଦଅନୁରୂପ ଭଡ଼ା ନିର୍ଦ୍ଧାରଣ କରିବାକୁ ବାଧ୍ୟ ହୋଇଛନ୍ତି ।

 

ବିମାନ ଯାତ୍ରା ଲୋକପ୍ରିୟ ହେବା ପରେ ରେଳଯାତ୍ରାରେ ବିମାନଯାତ୍ରା ଅନୁରୂପ ସୁବିଧା ସୁଯୋଗ ବ୍ୟବସ୍ଥା କରିବା ନିମନ୍ତେ ୨୦୧୪ରୁ ନୂତନ କେନ୍ଦ୍ର ସରକାର ଗଠନପରଠାରୁ ଉଦ୍ୟମ ଅବ୍ୟାହତ ରହିଛି ଅପରପକ୍ଷେ ରେଳଯାତ୍ରା ଅବସରରେ ଯାତ୍ରୀମାନେ ସମ୍ମୁଖୀନ ହେଉଥିବା ଭିଡ଼ ଗୁଣ୍ଡାଗର୍ଦ୍ଦି ମଧ୍ୟ ବିମାନଯାତ୍ରାରେ ପ୍ରତିବିମ୍ୱିତ ହେବାରେ ଲାଗିଲାଣି ସମ୍ୱାଦପତ୍ରରେ ପ୍ରକାଶିତ ଏକ ଖବର ଅନୁଯାୟୀ ୩୦ ଡ଼ିସେମ୍ୱର୨୦୨୧ ଦିନ ଜାମ୍ମୁ-ମୁମ୍ୱାଇ ଇଣ୍ଡିଗୋ ଏକ ଉଡ଼ାଣରେ ଦୁଇଜଣ ବିମାନଯାତ୍ରୀ ମଝି ଆକାଶରେ ପରସ୍ପର ମଧ୍ୟରେ ଗଣ୍ଡଗୋଳ କରିବା କାରଣରୁ ବିମାନ କର୍ମଚାରୀ ଦୁଇଜଣଙ୍କୁ ଅଟକ ରଖି ବିମାନ ଅବତରଣ ପରେ ସୁରକ୍ଷା କର୍ମୀଙ୍କୁ ହସ୍ତାନ୍ତର କରିଥିଲେ ଘଟଣାରୁ ପ୍ରକାଶ ଯେ ୩ଏ ୪ଏ ଆସନରେ ବସିଥିବା ଦୁଇଜଣ ଯାତ୍ରୀ ଜଣେ ଅନ୍ୟଜଣକୁ ଠେଲି ଦେବା ଅଭିଯୋଗ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା କ୍ରମଶଃ ହାତାହାତି ଯାଏଁ କଥାଗଲା ଶେଷରେ ବିମାନ କର୍ମଚାରୀ ଦିହିଁଙ୍କୁ ବଳପ୍ରୟୋଗ ପୂର୍ବକ ଅଲଗା କରି ଅଟକ ରଖିଥିଲେ ଅନୁସନ୍ଧାନପରେ ହୁଏତ ଦିହିଁଙ୍କୁ ଦୋଷୀ ସାବ୍ୟସ୍ତ କରାଗଲେ ବିମାନ ଯାତ୍ରାରେ ଅଶୋଭନୀୟ ଆଚ଼ରଣ ନିମନ୍ତେ କିଛି କାଳ ବିମାନଯାତ୍ରା ବାରଣ କରାଯିବା ପ୍ରାବଧାନ ରହିଛି ତେବେ ଏଭଳି ଘଟଣା ଆଚ଼ମ୍ୱିତ କରିଥାଏ !


(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୫ ଜାନୁୟାରୀ ୨୦୨୨ / ପୃଷ୍ଠା : ୮)


Photo by John McArthur on Unsplash

Friday, January 7, 2022

Road Accidents / ସଡ଼କ ଦୁର୍ଘଟଣା

 


#ବ୍ରହ୍ମପୁର ସହରବାସୀଙ୍କ ପାରସ୍ପରିକ କଥୋପକଥନରେ ଅଳ୍ପାଲୋଚ଼ିତ ବିଷୟ ମଧ୍ୟରେ ସଡ଼କ ଦୁର୍ଘଟଣା ଅନ୍ୟତମ । ସାଧାରଣତଃ ପରିଚ଼ିତବର୍ଗଙ୍କ ମଧ୍ୟରୁ କେହି ଦୁର୍ଘଟଣାଗ୍ରସ୍ତ ହେଲେ କିଛି ସମୟ ସେହି ବିଷୟରେ ଚର୍ଚ୍ଚା ହୋଇଥାଏ । ଦୁର୍ଘଟଣା ତଥା ଚ଼ିକିତ୍ସାର ବିଶଦ ବିବରଣୀକୁ ନେଇ ସଭିଏଁ ଟିପ୍ପଣୀ ପ୍ରଦାନ କରିଥାନ୍ତି । କିନ୍ତୁ ଦୁର୍ଘଟଣାର କାରଣ କିମ୍ୱା ନିରାକରଣ ସଂପର୍କରେ ପ୍ରାୟ ଗୁରୁତ୍ୱ ଆରୋପ କରାଯାଇନଥାଏ । ଅବଶ୍ୟ ବ୍ରହ୍ମପୁରର ଅନୁଭୂତି ଅନ୍ୟତ୍ର ମଧ୍ୟ ସମଭାବେ ପ୍ରତିଫଳିତ । ସଡ଼କ ଦୁର୍ଘଟଣାର ନିରାକରଣ ପ୍ରତି ଜନସାଧାରଣ ସଚ଼େତନ ନଥିବା ହେତୁ ଦେଶରେ ଦୁର୍ଘଟଣା ହାର ବଢ଼ି ଚାଲିଥିବା ଦେଖିବାକୁ ମିଳେ ।
 
ପରିସଂଖ୍ୟାନ ଅନୁଯାୟୀ ଗତ ୨୦୨୧ ଜାନୁୟାରୀରୁ ନଭେମ୍ୱର ୧୧ ମାସର ହିସାବରେ ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁର ଟ୍ରାଫିକ ଥାନା ଅଧୀନସ୍ଥ ଇଲାକାରେ ୪୮ ଗୋଟି, ସଦର ଥାନା ଅଧୀନରେ ୩୬ ଗୋଟି, ଗୋଳନ୍ଥରା ଥାନା ଅଧୀନରେ ୪୯ ଗୋଟି, ଗୋପାଳପୁର ଥାନା ଅଧୀନରେ ୨୪ ଗୋଟି, ଦିଗପହଣ୍ଡି ଥାନା ଅଧୀନରେ ୨୭ ଗୋଟି ଓ ଜରଡ଼ା ଥାନା ଅଧୀନରେ ୨୪ ଗୋଟି ସଡ଼କ ଦୁର୍ଘଟଣା ମାମଲା ରୁଜୁ କରାଯାଇଥିଲା । ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ଜିଲ୍ଲାରେ ଏହି ସମୟ ସୀମାରେ ୬୧୯ ଗୋଟି ଦୁର୍ଘଟଣା ଘଟିଥିବା ସ୍ଥଳେ ୨୯୮ ଗୋଟି ଜୀବନହାନୀ ଘଟିଥିଲା । ଏଥିରେ ୩୬୪ ଜଣ ଗୁରୁତର ଭାବେ ଆହତ ହୋଇ ଚ଼ିକିତ୍ସିତ ହୋଇଥିଲେ ।
 
ମଟରଯାନଜନିତ ସଡ଼କ ଦୁର୍ଘଟଣାରେ ଚାଳକ, ଯାନରେ ଉପସ୍ଥିତ ଯାତ୍ରୀ ଓ ରାସ୍ତାଘାଟରେ ଚାଳିତ ଅନ୍ୟାନ୍ୟ ଯାନ ବା ପଥଚାରୀ-ତିନିବର୍ଗର ଲୋକେ ପ୍ରଭାବିତ ହୋଇଥାନ୍ତି । ଦେଖାଯାଏ ଯାନବାହାନ ଚଳାଇବାରେ ଦକ୍ଷତା ଅଭାବ, ବେପରୁଆ ଚାଳନା ଓ ମଦ୍ୟପାନ ଇତ୍ୟାଦି ଅସାବଧାନତା ଦୁର୍ଘଟଣାର କାରଣ । ସଡ଼କ ଦୁର୍ଘଟଣା ଏଡ଼ାଇବା ଲାଗି ଆଇନ ପ୍ରଣୟନ ହୋଇଛି ଏବଂ ପୋଲିସ ପକ୍ଷରୁ ଯାଞ୍ଚରେ ଆଇନ ଖିଲାପକାରୀଙ୍କୁ ଦଣ୍ଡବିଧାନ ଏବଂ ଜରିମାନା ଆଦାୟର ବ୍ୟବସ୍ଥା ରହିଛି । ମହାମାରୀ କାଳରେ ଯାଞ୍ଚ କାର୍ଯ୍ୟାନୁଷ୍ଠାନକୁ କଡ଼ାକଡ଼ି ଭାବେ ପାଳନ କରାଯାଇଥିଲା । ତାହା ସତ୍ତ୍ୱେ ବ୍ରହ୍ମପୁର ସହର ଓ ଆଖପାଖ ଇଲାକାରେ ୨୦୨୧ରେ କୋଭିଡ଼ ସଂକ୍ରମଣର ଦ୍ୱିତୀୟ ତରଙ୍ଗ କାରଣରୁ ଦୀର୍ଘ ସମୟ ଲକଡ଼ାଉନ ଓ ସଟଡ଼ାଉନ ଜାରୀ ରହିଥିବା ଅବସରରେ ସଡ଼କ ଦୁର୍ଘଟଣାରେ ତିନିଶହ ମୁତ୍ୟୁବରଣ କରିଥିବା ତଥା ତାହାଠାରୁ କିଛି ଅଧିକ ଗୁରୁତର ଆହତ ହୋଇଥିବା ଉଦବେଗର କାରଣ । ବିଡ଼ମ୍ୱନାର ବିଷୟ ଗଞ୍ଜାମ ଜିଲ୍ଲାରେ କୋଭିଡ଼-୧୯ ପ୍ରାଦୁର୍ଭାବରେ ଦୁଇ ବର୍ଷ ମଧ୍ୟରେ ପାଞ୍ଚ ଶହ ମୃତ୍ୟୁକୁ ଏତେ ଗୁରୁତ୍ୱ ଦିଆଯାଉଥିବା ସ୍ଥଳେ ସଡ଼କ ଦୁର୍ଘଟଣା ଏଡ଼ାଇବା ପାଇଁ ସେହି ପରିମାଣରେ ଉଦ୍ୟମ ଦେଖିବାକୁ ମିଳେନା ।
 
ବ୍ରହ୍ମପୁର ସହରାଞ୍ଚଳ ତଥା ଗଞ୍ଜାମ ଜିଲ୍ଲାରେ ଯାନବାହାନ ମଧ୍ୟରେ ଦୁଇଚକିଆ ମୋପଡ଼, ମଟର ସାଇକଲ ଓ ସ୍କୁଟର ସଂଖ୍ୟା ଅଧିକଭାରତରେ ସଡ଼କ ଦୁର୍ଘଟଣାରେ ମୃତାହତଙ୍କ ମଧ୍ୟରେ ଦୁଇଚକିଆ ଯାନ ଚାଳକଙ୍କ ସଂଖ୍ୟା ଉଚ୍ଚସ୍ତରରେ ରହିଥାଏ । ବୈଧାନିକ ନିୟମ ଅନୁଯାୟୀ ଦୁଇଚକିଆ ଯାନବାହନର ଚାଳକମାନେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । କିନ୍ତୁ ବାସ୍ତବ କ୍ଷେତ୍ରରେ ଏହି ନିୟମର ଉଲଂଘନ ହୋଇଥାଏ ଏବଂ ଯାନଟି ଦୁର୍ଘଟଣାଗ୍ରସ୍ତ ହେଲେ ଚାଳକ ଗୁରୁତର ଆହତ ହୋଇଥାନ୍ତି । ହେଲମେଟ ଯାଞ୍ଚ ବାବଦରେ ସମଗ୍ର ଗଞ୍ଜାମ ଜିଲ୍ଲାରେ ପୋଲିସ ଆଇନ ଉଲଂଘନକାରୀଙ୍କ ବିରୋଧରେ ୫୩ ହଜାର ମାମଲା ଋଜୁ କରି ଆଲୋଚ୍ୟ ସମୟସୀମାରେ ଚାରି କୋଟି ୩୭ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଥିଲା । ସେହିପରି ଅନ୍ୟାନ୍ୟ ମାମଲାରେ ପ୍ରାୟ ପାଞ୍ଚ ହଜାର ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରଦ୍ଦ ହୋଇଥିବା ଜଣାଯାଏ ।
 
ଅତୀତରେ ରାସ୍ତାଘାଟ ଦୁରାବସ୍ଥା ଓ ଯାନବାହାନର ଯାନ୍ତ୍ରିକ ତୃଟି ରାସ୍ତା ଦୁର୍ଘଟଣାର ଅନ୍ୟତମ କାରଣରୂପେ ଗଣାଯାଉଥିଲା । କିନ୍ତୁ ସମକାଳରେ ସହର ଓ ସହରତଳି ଅଞ୍ଚଳରେ ରାସ୍ତାଘାଟର ଅପେକ୍ଷାକୃତ ଉନ୍ନତ ଅବସ୍ଥାରେ ପହଞ୍ଚିଛି ଏବଂ ଆଧୁନିକ କଳାକୌଶଳ ବିକାଶରେ ଯାନବାହନର ଯାନ୍ତ୍ରିକ ତୃଟିର ଭୟ ପ୍ରାୟ ନଥାଏ । ପରିବର୍ତ୍ତିତ ପରିବେଶରେ ଯାନବାହାନ ସଂଖ୍ୟା ବୃଦ୍ଧି, ଉପଯୁକ୍ତ ଚାଳନା ଦକ୍ଷତା ଅଭାବ ଏବଂ ବେପରୁଆ ଚାଳନା ମୁଖ୍ୟ ସମସ୍ୟା । ଏହି କ୍ଷେତ୍ରରେ ପୋଲିସ ଓ ପ୍ରଶାସନିକ କଟକଣା ସୁଫଳ ଦେଇପାରୁ ନଥିବା ସ୍ଥଳେ ଦୁର୍ଘଟଣାଜନିତ ବିପଦ ସଂପର୍କରେ ଯାନବାହାନ ଚାଳକମାନେ ସଚ଼େତନ ହେଲେ ଯାଇ ସମସ୍ୟାର ସମାଧାନ ଆଶା କରାଯାଇପାରେ । ଏହି ଦିଗରେ ବେସରକାରୀସ୍ତରରେ ସୃଜନାତ୍ମକ ଢଙ୍ଗରେ ପ୍ରଚାର ଅଭିଯାନ ପ୍ରଯୋଜନା ସମୟର ଆହ୍ୱାନ ।
 
ସଡ଼କ ଦୁର୍ଘଟଣାରେ ପଥଚାରୀଙ୍କ କ୍ଷତି ସମ୍ୱେଦନଶୀଳ ଘଟଣା । ନିରୀହ ପଥଚାରୀଙ୍କ କୌଣସି ଭୁଲ ନଥାଇ ଯାନବାହାନଚାଳକଙ୍କ ଭୂଲ ହେତୁ କ୍ଷତିଗ୍ରସ୍ତ ହୋଇଥାନ୍ତି । ଆଇନ ଓ ପୋଲିସର କାର୍ଯ୍ୟାନୁଷ୍ଠାନ ସଡ଼କ ଦୁର୍ଘଟଣା ରୋକିବାରେ ସର୍ବୋତ୍ତଭାବେ ସମର୍ଥ ହୋଇପାରୁନଥିବା ସ୍ଥଳେ ସାମାଜିକ ସଂଗଠନ ଓ ସ୍ୱେଚ୍ଛାସେବୀଙ୍କ ଉତ୍ସର୍ଗୀକୃତ ଉଦ୍ୟମର ବିକଳ୍ପ ନାହିଁବର୍ଷକରେ ଥରେ ଅଧେ ଔପଚାରିକଭାବେ ସଡ଼କ ସୁରକ୍ଷାର ସ୍ଳୋଗାନରେ ଅଭିଯାନ ନସାରି ଏଦିଗରେ ଲକ୍ଷ୍ୟଭିତ୍ତିକ କାର୍ଯ୍ୟକ୍ରମ ଅବଶ୍ୟ ସଫଳ ହେବ ବୋଲି ବିଶ୍ୱାସ କରାଯାଇପାରେ ।

ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୮ ଜାନୁୟାରୀ ୨୦୨୨ / ପୃଷ୍ଠା : ୮)

Friday, December 31, 2021

Devraj Sahu / ଦେବରାଜ ସାହୁ

 

#ବ୍ରହ୍ମପୁର ସହରରେ ବିଗତ ବିଂଶ ଶତାଦ୍ଦୀ ଷଷ୍ଠ ଦଶକ ଶେଷରେ ଓଡ଼ିଆ ଯୁବ ଲେଖକ ସମ୍ମିଳନୀ ଆୟୋଜନ ପରେ ସ୍ଥାନୀୟ ସାହିତ୍ୟିକ ବାତାବରଣରେ ଉଷ୍ମତା ପ୍ରକାଶ ପାଇଥିଲା । ଷଷ୍ଠ ଦଶକ ଶେଷ ଓ ସପ୍ତମ ଦଶକ ପ୍ରଥମ ଭାଗରେ ବହୁ ସାହିତ୍ୟ ଅନୁଷ୍ଠାନ ଗଠିତ ଏବଂ ବହୁ ସାମୟିକ ସାହିତ୍ୟ ପତ୍ରିକା ପ୍ରକାଶିତ ହୋଇଥିଲା । ସାହିତ୍ୟ ଅନୁଷ୍ଠାନଭାବେ କଳିଙ୍ଗ ସାହିତ୍ୟ ସମାଜ କେବଳ ତିଷ୍ଠି ରହିଛି । କିନ୍ତୁ କୌଣସିଟି ସାହିତ୍ୟ ପତ୍ରିକା ବଞ୍ଚି ପାରିଲା ନାହିଁ ।
 
ଯୁବ ଲେଖକ ସମ୍ମିଳନୀ ଏକ ରାଜ୍ୟସ୍ତରୀୟ ସାହିତ୍ୟ ଅନୁଷ୍ଠାନ ରୂପେ ଗଢ଼ି ଉଠିଥିଲା । ଏହାର ବାର୍ଷିକ ଅଧିବେଶନମାନ ରାଜ୍ୟର ବିଭିନ୍ନ ସହରରେ ବେଶ ଜାକଜମକରେ ଅନୁଷ୍ଠିତ ହେଉଥିଲା । ଏହାର ପ୍ରଭାବରେ ସଂପୃକ୍ତ ଭୌଗଳିକ ପରିବେଶରେ ସାହିତ୍ୟଭିତ୍ତିକ କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରତିଭା ସଂଶ୍ଳିଷ୍ଟ ହେଉଥିଲେ । ବ୍ରହ୍ମପୁରରେ ୧୯୭୦ ଓ ତତ୍ ପରବର୍ତ୍ତୀ ସମୟରେ ପ୍ରକାଶିତ ପତ୍ରିକାର ଲମ୍ୱା ତାଲିକା ମଧ୍ୟରେ ପ୍ରତିଭା ବିକାଶ, ଆଶା, ସଂବିତ, ଆମ କାହାଣୀ, ଚ଼େତନା, କଳା ଓ କଳଙ୍କ, ଶାଶ୍ୱତୀ, ତରଙ୍ଗ, ଶ୍ଳେଷ, ଚକ୍ର, ଚରକ, ଉବାଚ଼ ଓ ପ୍ରୋଏଟ୍ରି ଟାଇମ ଇତ୍ୟାଦିର ହିସାବ ମିଳେ । ଚରକ ସ୍ୱାସ୍ଥ୍ୟଭିତ୍ତିକ, ଶ୍ଳେଷ ହାସ୍ୟରସମୂଳକ ଓ ପ୍ରୋଏଟ୍ରି, ଟାଇମ ଇଂଲିଶ କବିତା ସଂକଳନ ଆକାରରେ ପ୍ରକାଶ ପାଉଥିଲା ।
 
ସାମୟିକ ପତ୍ରିକାଗୁଡ଼ିକ ଅନିୟମିତ ଭାବେ ପ୍ରକାଶ ପାଇଥାଏ । ଏଗୁଡ଼ିକ ଲଘୁ ପତ୍ରିକା ଆନ୍ଦୋଳନ ପର୍ଯ୍ୟାୟଭୁକ୍ତ । ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ଲିଟିଲ ମ୍ୟାଗାଜିନ ମୁଭମେଣ୍ଟ ପଶ୍ଚିମ ଭୂଖଣ୍ଡରେ ଦୀର୍ଘ ସମୟ ଧରି ପ୍ରଭାବ ବିସ୍ତାର କରିବା ପରେ ବଙ୍ଗଳା ସାହିତ୍ୟ ଦେଇ ଓଡ଼ିଶାରେ ପ୍ରବେଶ କରିଥିଲା । ପ୍ରତିଷ୍ଠିତ ସାହିତ୍ୟ ପତ୍ରିକାଗୁଡ଼ିକରେ ନବାଗତମାନଙ୍କ ରଚନା ପ୍ରକାଶର ସୁଯୋଗ ନଥିବା ହେତୁ ଲିଟିଲ ମ୍ୟାଗାଜିନ ସୃଷ୍ଟି ହୋଇଥିଲା । ନବପ୍ରତିଭାଙ୍କ ରଚନା ଶୈଳୀଠାରୁ ଆରମ୍ଭକରି ମୁଦ୍ରଣ ପରିପାଟୀ ସମସ୍ତ କ୍ଷେତ୍ରରେ ପରୀକ୍ଷା ନିରୀକ୍ଷାକୁ ଏହି ଆନ୍ଦୋଳନ ଉତ୍ସାହିତ କରୁଥିଲା । ମୋଟ ଉପରେ ଯୁବ ସାହିତ୍ୟିକମାନଙ୍କୁ ସାହିତ୍ୟ ରଚ଼ନା ଓ ପ୍ରକାଶନ କ୍ଷେତ୍ରରେ ଆଦ୍ୟ ଅଭିଜ୍ଞତା ଯୋଗାଇବାରେ ସାମୟିକ ପତ୍ରିକା ପ୍ରକାଶନ ସହାୟକ ହେଉଥିଲା ।
 
ବ୍ରହ୍ମପୁର ପୌରପାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ରୂପେ ଅବସ୍ଥାପିତ ଦେବରାଜ ସାହୁ ସେହି ସମୟରେ ଚ଼େତନା ନାମକ ଏକ ସାମୟିକ ପତ୍ରିକା ପ୍ରକାଶ କରୁଥିଲେ । ଏଥିରେ ସହରର ପ୍ରତିଷ୍ଠିତ ସାହିତ୍ୟିକଙ୍କ ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ସାହିତ୍ୟ ସୃଜନ ଦୁନିଆରେ ପାଦ ଥୋଉଥିବା ନୂତନ ଲେଖକ ଲେଖିକାମାନଙ୍କ ରଚ଼ନା ସ୍ଥାନିତ ହେଉଥିଲା । ଚ଼େତନାର ମାତ୍ର କେତେଗୋଟି ସଂଖ୍ୟା ପ୍ରକାଶ ପାଇ ବନ୍ଦ ହୋଇଯାଇଥିଲା ।
 
ଦେବରାଜ ସାହୁ ପୁରୁଣା ବ୍ରହ୍ମପୁର ବାସିନ୍ଦା । ସେ ଖଲ୍ଲିକୋଟ ମହାବିଦ୍ୟାଳୟର ଛାତ୍ର । ଗାଳ୍ପିକ ପ୍ରଫେସର ହରିହର ଦାସ ଓ ପ୍ରାବନ୍ଧିକ ପ୍ରଫେସର ସୁଦର୍ଶନ ଆଚ଼ାର୍ଯ୍ୟଙ୍କ ସହପାଠୀ । ଚ଼େତନା ସଂପାଦନାର ବହୁ ପୂର୍ବରୁ କ୍ଷୁଦ୍ରଗଳ୍ପ ରଚନାରେ ଦକ୍ଷତା ହାସଲ କରିଥିଲେ ଏବଂ ପରେ ମଧ୍ୟ ଲେଖକ ଜୀବନ ଜାରୀ ରଖିଥିଲେ । ସେ ନବମ ଦଶକରେ ଦୀର୍ଘ ଦିନ କଳିଙ୍ଗ ସାହିତ୍ୟ ସମାଜର ସମ୍ପାଦକଭାବେ ମଧ୍ୟ ସାହିତ୍ୟ ସଂଗଠନ କାର୍ଯ୍ୟରେ ସଂପୃକ୍ତ ହୋଇଥିଲେ ।
 
ଦେବରାଜ ସାହୁ ସୃଜନ ଶିଳ୍ପୀଭାବେ ଆତ୍ମଅଭିମାନୀ ତ ନିଶ୍ଚୟ, ଓଡ଼ିଆ ଭାଷା ଓ ସାହିତ୍ୟପ୍ରେମୀ । ବାର୍ଦ୍ଧକ୍ୟରେ ଦୃଷ୍ଟିଶକ୍ତି ହ୍ରାସ ପରେ ଜଣେ ସହାୟକଙ୍କୁ ନିଯୁକ୍ତ କରି ସାହିତ୍ୟ ସାଧନାରେ ଶେଷ ଜୀବନ ପର୍ଯ୍ୟନ୍ତ ଚଳଚଞ୍ଚଳ ଥିଲେ । ସର୍ବଶେଷ ଯୋଜନାରେ ପ୍ରାକ୍ତନ ପୌର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ବିନାୟକ ଆଚ଼ାର୍ଯ୍ୟଙ୍କ ପୂର୍ଣ୍ଣାଙ୍ଗ ଜୀବନୀ ଓ ଗଞ୍ଜାମ କଥିତ ଭାଷା ଶବ୍ଦକୋଷ ସଂକଳନ କାର୍ଯ୍ୟରେ ସଂପୃକ୍ତ ଥିଲେ ।
 
ବିଂଶ ଶତାଦ୍ଦୀର ଚ଼ତୁର୍ଥ ଦଶକରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ତଥା ସେଥିରେ ବ୍ରହ୍ମପୁର ସହର ଅନ୍ତର୍ଭୁକ୍ତ ହୋଇଥିଲେ ସୁଦ୍ଧା ସପ୍ତମ ଦଶକ ଶେଷ ଯାଏଁ ତିନି ଦଶନ୍ଧି ଧରି ସହରର ଓଡ଼ିଆ ନେତୃବର୍ଗଙ୍କୁ ଓଡ଼ିଆ ଭାଷାର ସୁରକ୍ଷାଲାଗି ବରାବର କାର୍ଯ୍ୟ କରିବାକୁ ପଡୁଥିଲା । ଦେବରାଜ ସାହୁ ସେହି ସ୍ୱେଚ୍ଛାସେବୀଙ୍କ ମଧ୍ୟରୁ ଜଣେ । ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନରେ ସେ ବହୁ ଦୁଃସାହାସିକ ପଦକ୍ଷେପରେ ସାମିଲ ହୋଇଥିଲେ ।
 
ଦେବରାଜ ସାହୁ ବନ୍ଧୁବତ୍ସଳ । ପରିଣତ ବୟସରେ ଦୀର୍ଘକାଳ ସେ ଗୃହାବଦ୍ଧ ଜୀବନ ଯାପନ କରୁଥିଲେ ହେଁ ଟେଲିଫୋନ ମାଧ୍ୟମରେ ପରିଚ଼ିତବର୍ଗଙ୍କ ସହ ବରାବର ସଂପର୍କ ରଖୁଥିଲେ । ୨୯ ଡ଼ିସେମ୍ୱର ୨୦୨୧ରେ ହୃଦଘାତର ଶୀକାର ହୋଇ ୮୭ ବର୍ଷ ବୟସରେ ସେ ପରଲୋକ ଗମନ କଲେ । ସହର ଏକ ଉତ୍ସର୍ଗୀକୃତ ବ୍ରହ୍ମପୁରପ୍ରେମୀଙ୍କୁ ହରାଇଲା ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧ ଜାନୁୟାରୀ ୨୦୨୨ / ପୃଷ୍ଠା : ୮)

Photo by Jason Blackeye on Unsplash 


Friday, December 24, 2021

Viral Video / ଭାଇରାଲ ଭିଡ଼ିଓ

 


#ବ୍ରହ୍ମପୁର ବାସିନ୍ଦା ୨୦୨୧ ଶେଷ ଦୁଇମାସରେ ନିଜ ସହରର ଏକ ଘଟଣାକ୍ରମ ସଂପର୍କରେ ପ୍ରଥମ ଥର ପାଇଁ ଭାଇରାଲ ଭିଡ଼ିଓ ଅନୁଭୂତି ସାମ୍ନା କରିଥିଲେ । ଇଣ୍ଟରନେଟ ମାଧ୍ୟମରେ ଭିଡ଼ିଓ ସେୟାରିଂ ଏକ ପ୍ରକ୍ରିୟା, ତେବେ ଭିଡ଼ିଓଟି ଯେତେବେଳେ ବ୍ୟାପକ ମାତ୍ରାରେ ସେୟାର ହୁଏ ତଥା ଗ୍ରହୀତାମାନେ ପୁନର୍ବାର ସେୟାରିଂ କରନ୍ତି ସେତେବେଳେ ସଂପୃକ୍ତ ଭିଡ଼ିଓକୁ ଭାଇରାଲ ଚ଼ିହ୍ନିତ ହୋଇଥାଏ । ଆନ୍ତର୍ଜାତିକସ୍ତରରେ ଗୋଟିଏ ଭିଡ଼ିଓ ଦଶ ଲକ୍ଷ ଦର୍ଶକ ଦେଖିବା ଭିଉ ସୀମାରେ ପହଞ୍ଚିଲେ ଭାଇରାଲ ମାନ୍ୟତା ଦିଆଯିବା ପ୍ରଥା ପ୍ରଚଳିତ । ତେବେ, ଓଡ଼ିଶା ବା ବ୍ରହ୍ମପୁରରେ ତାହା ଠାରୁ ଢ଼େର କମ ସଂଖ୍ୟକ ଦର୍ଶକଙ୍କୁ ନେଇ ଭାଇରାଲ ଭିଡ଼ିଓର ଗଣିତ ହିସାବ କରାଯାଇଥାଏ ।

 

ଭାରତରେ ୧୯୮୨ରେ ଉପଗ୍ରହଭିତ୍ତିକ ଟେଲିଭିଜନ ପ୍ରସାରଣ ବିସ୍ତୃତି ପରେ ପରେ ବ୍ରହ୍ମପୁରରେ ଭିଡ଼ିଓ ପ୍ଳେୟାର ବ୍ୟବହାର ଆରମ୍ଭ ହୋଇଥିଲା । ୧୯୮୩-୮୪ ବେଳକୁ ଭିଡ଼ିଓ ପ୍ରଦର୍ଶନ ଏକ ସମାନ୍ତରାଳ ଚଳଚ଼ିତ୍ର ପ୍ରେକ୍ଷାଳୟ ସଂସ୍କୃତି ପ୍ରତିଷ୍ଠା କରିଥିଲା । ପ୍ରଥମେ ବଡ଼ବଜାର ଓ ଭାପୁର ବଜାର ଆଖପାଖରେ ଭିଡ଼ିଓ ପାର୍ଲରମାନ ଛତୁ ଫୁଟିଲା ଭଳି ଖୋଲିଥିଲା । ପ୍ରତିଦିନ ମଧ୍ୟାହ୍ନରୁ ଗଭୀର ରାତ୍ରୀ ଯାଏଁ ଭିଡ଼ିଓ ମାଧ୍ୟମରେ ଚଳଚ଼ିତ୍ରମାନ ପ୍ରଦର୍ଶନର ବ୍ୟବସ୍ଥା କରାଯାଉଥିଲା । ଏଥି ପାଇଁ ରୀତିମତ ଟିକଟ ପଇସା ଦେଇ ପ୍ରତ୍ୟେକ ସୋରେ ୨୦ ରୁ ୫୦ ଜଣ ଯାଏଁ ଦର୍ଶକ ଏକତ୍ରୀତ ହେଉଥିଲେ । ମୌଳିକଭାବେ ଏହା ବେନିୟମ । ସେହି ସମୟରେ ଏକ ରାଜନୀତିକ ହତ୍ୟାକାଣ୍ଡ ଏବଂ ୧୯୮୪ରେ ବ୍ରହ୍ମପୁର ସହରକୁ ନେଇ ସ୍ୱତନ୍ତ୍ର ପୋଲିସ ଜିଲ୍ଲା ଗଠନପରେ ଭିଡ଼ିଓ ପାର୍ଲର ବ୍ୟବସାୟରେ ହଠାତ ପୂର୍ଣ୍ଣଛେଦ ପଡ଼ିଥିଲା । ଏହାପରେ ଗଞ୍ଜାମ ଓ ପଡ଼ୋଶୀ ଜିଲ୍ଲାଗୁଡ଼ିକର ଗ୍ରାମାଞ୍ଚଳରେ ଭିଡ଼ିଓ ପାର୍ଲର କିଛି ଦିନ ଚାଲିଥିଲା ।

 

ମୁଖ୍ୟତଃ ସହରରେ ୨୦୧୦ରୁ ସ୍ମାର୍ଟଫୋନ ପ୍ରଚଳନ ଏବଂ କ୍ରମଶଃ ବିଭିନ୍ନ ଆପ୍ଳିକେସନ ବ୍ୟବହାରପରେ ସୋସିଆଲ ମିଡ଼ିଆ ମାଧ୍ୟମରେ ଭିଡ଼ିଓ ସେୟାରିଂ ଧାରା ଆରମ୍ଭ ହୋଇଥିଲା । ଭାରତରେ ୨୦୦୬ରେ ଫେସବୁକ ଓ ୨୦୦୮ରେ ୟୁଟ୍ୟୁବ ପ୍ରବେଶ କରିଥିଲେ । ପଡ଼ୋଶୀ ସହରମାନଙ୍କ ସହ ତାଳ ଦେଇ ବ୍ରହ୍ମପୁରରେ ମଧ୍ୟ ଭିଡ଼ିଓର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଥିଲା । ୨୦୧୫ ବେଳକୁ ସ୍ମାର୍ଟଫୋନ ଯୋଗେ ଭିଡ଼ିଓ ସୁଟିଂ ଏବଂ ନନ-ପ୍ରଫେସନାଲ ଏଡ଼ିଟିଂ କଳା କୌଶଳର ପ୍ରସାର ପରେ ସ୍ଥାନୀୟ ଘଟଣାବଳୀକୁ ନେଇ କ୍ରମଶଃ ସୋସିଆଲ ମିଡ଼ିଆରେ ଭିଡ଼ିଓ ଆପଲୋଡ଼ ଧାରା ଜୋର ଧରିଲା । ୨୦୨୦ ବେଳକୁ ମହାମାରୀରେ ସ୍ମାର୍ଟଫୋନ ଓ ସୋସିଆଲ ମିଡ଼ିଆ ବ୍ୟବହାର ବୃଦ୍ଧି ଭିଡ଼ିଓ ଆପଲୋଡ଼, ସେୟାରିଂ ପ୍ରସାରରେ ସହାୟକ ହେବାରେ ଲାଗିଲା ।

 

ଆନ୍ତର୍ଜାତିକସ୍ତରରେ ସାଧାରଣତଃ କୌତୁହଳୋଦ୍ଦୀପକ ଭିଡ଼ିଓ ଭାଇରାଲ ହୋଇଥାଏ, ଅର୍ଥାତ ଅଧିକ ମାତ୍ରାରେ ସେୟାର ହୋଇଥାଏ । ତେବେ ମାନବିକ ଆବେଗଧର୍ମୀ ଘଟଣା ହ୍ୟୁମାନ-ଇଣ୍ଚରେଷ୍ଟ- ଷ୍ଟୋରିଜ, ବିବାଦ ଓ ରାଜନୀତିକ ଘଟଣାବଳୀ ସମ୍ୱଳିତ ଭିଡ଼ିଓ ମଧ୍ୟ ଭାଇରାଲ ହୁଏ । ଗଣମାଧ୍ୟମରେ ମୁଦ୍ରଣ, ରେଡ଼ିଓ, ଟେଲିଭିଜନ ଓ ଚଳଚ଼ିତ୍ର ତୁଳନାରେ ସୋସିଆଲ ମିଡ଼ିଆରେ ଭାଇରାଲ ଭିଡ଼ିଓ ଅଧିକ ପ୍ରଭାବଶାଳୀ । କାରଣ ଆମ ଅଲକ୍ଷ୍ୟରେ ସୋସିଆଲ ମିଡ଼ିଆ ଆମକୁ ପ୍ରଭାବିତ କରିବା ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ । ଏସଂପର୍କରେ ସମ୍ୟକ ଧାରଣା ଅନେକଙ୍କୁ ବିସ୍ମିତ କରିବ ।

 

ପ୍ରଥମତଃ, ସୋସିଆଲ ମିଡ଼ିଆରେ ଭିଡ଼ିଓ ପ୍ରଦର୍ଶନ ଆଗ୍ରହ ଉଦ୍ଦୀପକ, ରୋମାଞ୍ଚକର ଏବଂ ମାଦକତା ପୂର୍ଣ୍ଣ । ଉପଭୋକ୍ତା ବ୍ୟକ୍ତିଗତ ଭାବେ ନିଜ ପସନ୍ଦ ବିଷୟରେ ଭିଡ଼ିଓ ଦେଖିବା, ଆବଶ୍ୟକ ସ୍ଥଳେ ବାରମ୍ୱାର ଦେଖିବା ଏବଂ ଯେକୌଣସି ସମୟ ଓ ପରିବେଶରେ ଭିଡ଼ିଓ ଉପଭୋଗର ସୁବିଧା ସୁଯୋଗ ଅନ୍ୟ କୌଣସି ଗଣମାଧ୍ୟମରେ ଦୁର୍ଲଭ । ସେହି କାରଣରୁ ବ୍ରହ୍ମପୁରର ଇଣ୍ଟରନେଟ ବା ସ୍ମାର୍ଟଫୋନ ଉପଭୋକ୍ତାମାନେ ଦୈନିକ ହାରାହାରି ପାଞ୍ଚଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଅନଲାଇନରେ ଅତିବାହିତ କରନ୍ତି ଏବଂ ସେଥିମଧ୍ୟରୁ ଅଧିକାଂଶ ସମୟ ଭିଡ଼ିଓ ଦେଖାରେ କଟେ ।

 

ଦ୍ୱିତୀୟତଃ, ଉପଭୋକ୍ତାଙ୍କ ଆଗ୍ରହ ଅନୁଯାୟୀ ସୋସିଆଲ ମିଡ଼ିଆର ଭିଡ଼ିଓ ପ୍ରଦର୍ଶିତ ହୁଏ । ଅର୍ଥାତ ଜଣେ ବ୍ୟକ୍ତି ଯଦି କାର ରେସ ସଂପର୍କରେ ଗୋଟିଏ ଭିଡ଼ିଓ ଦେଖେ, ତେବେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ତାହା ପାଇଁ ଆଉ ଦଶଗୋଟି କାର ରେସର ଭିଡ଼ିଓ ଦେଖିବାଲାଗି ସଜେଇ ରଖେ । ଏହି ଅବସରରେ ମାତ୍ର ଗୋଟିଏ ଭିଡ଼ିଓ ଦେଖି ବନ୍ଦ କରିଦେବା ଅନେକଙ୍କ କ୍ଷେତ୍ରରେ ପ୍ରାୟତଃ ଅସଂଭବ । ସହରର ଏକ ନିର୍ଦ୍ଦିଷ୍ଟ ଘଟଣାକ୍ରମ ସଂପର୍କରେ ଉପଭୋକ୍ତା ଦଶ ମିନଟର ଭିଡ଼ିଓଟିଏ ଦେଖିଲେ, ଅତି କମରେ ଆଉ ଶହେ ମିନଟର ଦଶ ଗୋଟି ଭିଡ଼ିଓ ଦେଖିବା ପାଇଁ ସୋସିଆଲ ମିଡ଼ିଆ ଦର୍ଶକଙ୍କୁ ପ୍ରବର୍ତ୍ତାଏ ଏବଂ ଉପଭୋକ୍ତା ମଧ୍ୟ ଦେଖିଚାଲେ ବାରମ୍ୱାର ଗୋଟିଏ ଘଟଣା ସଂପର୍କରେ କାର୍ଯ୍ୟକ୍ରମମାନ ଦେଖିବାପରେ ଭିଡ଼ିଓ ପ୍ରଯୋଜକଙ୍କ ମତଧାରାରେ ପ୍ରାୟତଃ ଦୀକ୍ଷିତ ହୋଇପଡ଼େ । ଗଣମାଧ୍ୟମ ଭାଷାରେ ଏହାକୁ ଇକୋ-ଚେମ୍ୱର-ଇଫେକ୍ଟ କୁହାଯାଏ ।

 

ତୃତୀୟତଃ, ଭିଡ଼ିଓ ଦେଖାରେ ଦର୍ଶକ ପ୍ରଭାବିତ ହୋଇ ତାହା ସେୟାର କରେ । ଫଳରେ ସୋସିଆଲ ମିଡ଼ିଆରେ ଉପସ୍ଥିତ ତାହାର ପରିଚ଼ିତ ବର୍ଗ ମଧ୍ୟ ପ୍ରଭାବିତ ହେବା ତଥା ପୁନଃ ସେୟାରିଂ ପ୍ରକ୍ରିୟାରେ ଏକ ବିସ୍ତୃତ ଦର୍ଶକବର୍ଗକୁ ପ୍ରଭାବିତ କରିବା ସମ୍ଭାବନା ରହିଥାଏ ।

 

ଚ଼ତୁର୍ଥତଃ, ମନେ ରଖିବାକୁ ହେବ ଭାଇରାଲ ଭିଡ଼ିଓ ଅଧିକାଂଶ କ୍ଷେତ୍ରରେ ପକ୍ଷଭୁକ୍ତ ଓ ଉଦ୍ଦେଶ୍ୟ ପ୍ରଣୋଦିତ । ଫଳରେ ସ୍ଥଳବିଶେଷରେ ସତ୍ୟ ବଦଳରେ ଅସତ୍ୟ ଓ ଅର୍ଦ୍ଧସତ୍ୟ ଅନେକଙ୍କୁ ପ୍ରଭାବିତ କରିବାରେ ସମର୍ଥ ହୋଇଥାଏ । ଏହାର ଜ୍ୱଳନ୍ତ ଉଦାହରଣ ଆମେରିକାରେ ସଂଘଟିତ ସଂସଦ ଭବନ ଅଧିଗ୍ରହଣଠାରୁ ଆରମ୍ଭ କରି ଭାରତରେ ବିଭିନ୍ନ ରାଜ୍ୟରେ ସାଂପ୍ରଦାୟିକ ଦଙ୍ଗା ଇତ୍ୟାଦିକୁ ଗ୍ରହଣ କରାଯାଇପାରେ । ମୁଦ୍ରଣ ତୁଳନାରେ ଚଳଚ଼ିତ୍ର ବା ଭିଡ଼ିଓ ବହୁ ସଂଖ୍ୟକଙ୍କୁ ଆକୃଷ୍ଟ କରିପାରେ ଏବଂ ଅପେକ୍ଷାକୃତ ଭାବେ ସହଜରେ ପ୍ରଭାବିତ କରିପାରେ । କିନ୍ତୁ ଭିଡ଼ିଓ ପ୍ରାକୃତିକ ନୁହେଁ । ଏହାର ପ୍ରଯୋଜକ ଯାହା ଭିଡିଓରେ ସନ୍ନିବଶିତ କରନ୍ତି ସେହି ଦୃଶ୍ୟଗୁଡ଼ିକୁ ଆମେ ଦେଖୁ ଓ ଶୁଣୁ । ତେଣୁ ଭାଇରାଲ ଭିଡ଼ିଓ ଯୋଗେ ଅସତ୍ୟ ତଥ୍ୟ ପ୍ରସାରିତ ହେଲେ ସମାଜରେ ବିଶୃଙ୍ଖଳା ବ୍ୟାପିବାର ସମ୍ଭାବନା ଭରପୁର ରହିଥାଏ ।

 

ପଞ୍ଚମତଃ, ମନୋରଞ୍ଜନ ଦୁନିଆରେ କାଳ୍ପନିକ କାହାଣୀ ଛାଡ଼ି, ବାସ୍ତବିକତା ସଂପର୍କରେ କାର୍ଯ୍ୟକ୍ରମ ଲୋକପ୍ରିୟ ହେବାରେ ଲାଗିଛି । ଅବଶ୍ୟ ଏହି ଶୈଳୀ ଦୀର୍ଘଦିନରୁ ଚଳିଆସିଛି । ଫ୍ରେଞ୍ଚ ପ୍ରାମାଣିକ ଚଳଚ଼ିତ୍ର ଜଗତରେ ୧୯୬୦ରୁ ପ୍ରବର୍ତ୍ତିତ ସିନେମା ଭେରିଟେ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା । ଏଥିରେ ବାସ୍ତବ ଜୀବନର ଘଟଣାବଳୀ ଚ଼ିତ୍ରିତ ହୋଇଥାଏ । ପରବର୍ତ୍ତୀକାଳରେ ବାସ୍ତବ ଜୀବନର ନାଟକୀୟ ଘଟଣାବଳୀ ଭାଇରାଲ ଭିଡ଼ିଓ ଫର୍ମାଟରେ ଦର୍ଶକଙ୍କ ଆକାଂକ୍ଷିତ ବିଷୟବସ୍ତୁ ପାଲଟିଛି । ମିଡ଼ିଆ ଟ୍ରାଏଲ ଏହି ବର୍ଗରେ ଅନ୍ୟତମ ଉତ୍ପାଦ ।

 

ବ୍ରହ୍ମପୁରର ସ୍ଥାୟୀ ଜନସଂଖ୍ୟା ଯଦି ଚାରି ଲକ୍ଷ ଧରି ନିଆଯାଏ, ତେବେ ୬୦ ପ୍ରତିଶତ ଅର୍ଥାତ ପ୍ରାୟ ଅଢ଼େଇ ଲକ୍ଷ ନାଗରିକ ଇଣ୍ଟରନେଟ ଉପଭୋକ୍ତା ବା ସ୍ମାର୍ଟଫୋନ ବ୍ୟବହାର କରୁଥିବା ହିସାବ କରାଯାଇପାରେ । ସହରର କୌଣସି ଏକ ଘଟଣାକ୍ରମ ସଂପର୍କରେ ଏମାନେ ଯଦି ମାସାଧିକାଳ ହାରାହାରିଭାବେ ଦୈନିକ ଅତି କମରେ ଅଧ ଘଣ୍ଟାରୁ ଘଣ୍ଟାଏ ଭାଇରାଲ ଭିଡ଼ିଓରେ ସଂପୃକ୍ତ ରହିଥାନ୍ତି, ତେବେ ବିପୁଳ ସମୟ କେବଳ ଏଥିରେ ବିନିଯୋଗ ହୋଇନାହିଁ, ବରଂ ଜନମାନସକୁ ଆନ୍ଦୋଳିତ କରିଛି ବୋଲି କହିବାକୁ ହେବ । ଏଦିଗରେ ପାରମ୍ପରିକ ସମ୍ୱାଦ ସରବରାହ ମାଧ୍ୟମ ସମ୍ୱାଦପତ୍ର ଓ ଟେଲିଭିଜନର ପ୍ରଭାବ ହ୍ରାସ ପାଇ ଆସୁଥିବା ମନେହୁଏ । ଆଗାମୀ ଭବିଷ୍ୟତରେ ଜନମତକୁ ପ୍ରଭାବିତ କରିବାରେ ଭିଡିଓ ଓ ଅଡ଼ିଓ ଯେ ପ୍ରଭାବଶାଳୀ ତାହା ସୁସ୍ପଷ୍ଟ !


(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୫ ଡ଼ିସେମ୍ୱର ୨୦୨୧ / ପୃଷ୍ଠା : ୮)


Photo by Gian Cescon on Unsplash