Friday, March 31, 2023

Utkal Sammilini at Brahmapur  / ବ୍ରହ୍ମପୁରରେ ଉତ୍କଳ ସମ୍ମିଳନୀ

 

ଭାରତର ସ୍ୱାଧୀନତା ପୂର୍ବାବସ୍ଥାରେ ଇଂଲିଶ ଶାସନ କାଳରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଉତ୍କଳ ସମ୍ମିଳନୀ ପୁରୋଧା ସାଜିଥିଲା । ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ୧୯୦୩ ମସିହା ଏପ୍ରିଲ ମାସରେ ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ କାଳ ସଂଗ୍ରାମ ପରେ ୧୯୩୬ ମସିହା ଏପ୍ରିଲ ପହିଲାରେ ଭାଷାଭିତ୍ତିରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ରାଷ୍ଟ୍ରୀୟ ରାଜନୈତିକ ମାନଚ଼ିତ୍ରରେ ଆତ୍ମପ୍ରକାଶ କରିଥିଲା ।
 
ମହୁରି ରାଜ୍ୟ ରାଜଧାନୀ ରୂପେ ଷଷ୍ଠଦଶ ଶତାଦ୍ଦୀ ଶେଷଭାଗରେ ବ୍ରହ୍ମପୁର ବିକଶିତ ହେବା ପରେ ମୁଖ୍ୟତଃ ରାଜକର୍ମଚାରୀ, କୃଷକ-ସୈନିକ, ଗଢ଼ି ଉଠୁଥିବା ମନ୍ଦିର-ମଠରେ ନିଯୁକ୍ତ ପୂଜକ-ପଣ୍ଡିତ ଏବଂ ଅନ୍ୟାନ୍ୟ ବୃତ୍ତିଧାରୀ ସଂପ୍ରଦାୟ ଏଠାକାର ସ୍ଥାୟୀ ବାସିନ୍ଦା ଥିଲେ । ଉଲ୍ଲେଖଯୋଗ୍ୟ ବିଷୟ ଏହିଯେ ନବ-ପ୍ରତିଷ୍ଠିତ ରାଜନଅରକୁ ଘେରି ଜନବସତି ସୃଷ୍ଟି ଅବସରରେ ମୂଳରୁ ପଡ଼ୋଶୀ ଗ୍ରାମାଞ୍ଚଳରୁ ଧାତୁ ଓ ବସ୍ତ୍ର କାରିଗର ତଥା ବ୍ୟବସାୟୀମାନେ ଆକୃଷ୍ଟ ହୋଇଥିଲେ । ବ୍ରହ୍ମପୁର ପଡ଼ୋଶୀ ଅଞ୍ଚଳ ଅବିଭକ୍ତ ଗଞ୍ଜାମ, ପୁରୀ ଓ ଶ୍ରୀକାକୁଲମ ଜିଲ୍ଲାରୁ ବହୁ ପରିବାର କ୍ରମବିକଶିତ ବାଣିଜ୍ୟ ପେଣ୍ଠରେ ପହଞ୍ଚି  ସ୍ଥାୟୀଭାବେ ବସବାସ ଆରମ୍ଭ କରିଥିଲେ । ମହୁରି ରାଜବାଟୀ ନିର୍ମାଣର ମାତ୍ର ଦଶ ବର୍ଷ ମଧ୍ୟରେ ସୁଦୂର ଦାକ୍ଷିଣାତ୍ୟ ରାଜମହେନ୍ଦ୍ରୀରୁ ଦେବାଙ୍ଗ ସଂପ୍ରଦାୟର ବହୁ ସଂଖ୍ୟକ ବୁଣାକାର ବ୍ରହ୍ମପୁରରେ ପହଞ୍ଚି ଏକ ପ୍ରଭାବଶାଳୀ ସଂପ୍ରଦାୟର ମାନ୍ୟତା ଲାଭ କରିଥିଲେ । ସେମାନଙ୍କ ଦ୍ୱାରା ପ୍ରସ୍ତୁତ ପାଟ ବସ୍ତ୍ର ଓ ପାଳିତ ଧର୍ମ-ଉତ୍ସବ ଦ୍ୱି-ବାର୍ଷିକ ଠାକୁରାଣୀ ଯାତ୍ରା ବ୍ରହ୍ମପୁର ସହରର ଦୁଇ ମୌଳିକ ବିଭବଭାବେ ପରିଗଣିତ ହେଲା ।
 
ରାଜନୀତିକ ଘଟଣାକ୍ରମରେ ୧୮୫୦ରେ ବ୍ରହ୍ମପୁର ସମେତ ସମଗ୍ର ମହୁରି ରାଜ୍ୟର ପ୍ରତ୍ୟକ୍ଷ ଶାସନଭାର ଇଂଲିଶ ପ୍ରଶାସନ ଗ୍ରହଣ କଲେ । ବ୍ରହ୍ମପୁର ମାଡ୍ରାସ ପ୍ରେସିଡ଼େନ୍ସି ଅଧିନରେ ଶାସିତ ହେଲା । ମହୁରି ଶାସନର ପତନ ପରେ ସ୍ୱଳ୍ପ କାଳ ଲାଗି ଫରାସୀ ଶାସନ ଏବଂ ଇଂଲିଶ ପ୍ରଶାସନର ଆଗମନ ସନ୍ଧି-କାଳରେ ରାଜନୀତିକ ଅସ୍ଥିରତା ଓ ଅନାବୃଷ୍ଟି କାରଣରୁ ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲାର ବହୁ କୃଷକ ପରିବାର ମାଳ ଅଞ୍ଚଳକୁ ପଳାୟନ କରିଥିଲେ । ଇଂଲିଶ ପ୍ରଶାସକଗଣ ଶାସନ ଭାର ଗ୍ରହଣ କରିବା ପରେ ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳରେ ବହୁ ଚାଷ ଜମି ପଡ଼ିଆ ପଡ଼ିଥିବା ଦେଖି ଭୂ-ରାଜସ୍ୱ ଆଦାୟ ବୃଦ୍ଧି ଉଦ୍ଦେଶ୍ୟରେ ପଡ଼ୋଶୀ ଦାକ୍ଷିଣାତ୍ୟ ଅଞ୍ଚଳଗୁଡ଼ିକରୁ ଚାଷୀମାନଙ୍କୁ ଅବିଭକ୍ତ ଗଞ୍ଜାମ ଆଗମନକୁ ପ୍ରୋତ୍ସାହିତ କରିଥିଲେ । ଫଳରେ ବ୍ରହ୍ମପୁର ଊନବିଂଶ ଶତାଦ୍ଦୀ ଶେଷାର୍ଦ୍ଧରୁ ଏକ ଦ୍ୱି-ଭାଷୀ ସହର ରୂପେ ବିକଶିତ ହୋଇଥିଲା ।
 
ବ୍ରହ୍ମପୁର ସମେତ ଅବିଭକ୍ତ ଗଞ୍ଜାମ ଓ କୋରାପୁଟ ଜିଲ୍ଲାକୁ ମାଡ୍ରାସ ପ୍ରେସିଡ଼େନ୍ସି ଶାସନରୁ ମୁକ୍ତ କରି ଭାଷାଭିତ୍ତିରେ ବିହାର ଓ ବଙ୍ଗଳା ଅଧୀନରେ ଶାସିତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ ଊନବିଂଶ ଶତାଦ୍ଦୀ ଶେଷ ଭାଗରୁ ବ୍ରହ୍ମପୁରରେ ବିଧିବଦ୍ଧ ଉଦ୍ୟମ ଆରମ୍ଭ ହୋଇଥିଲା । ବ୍ରହ୍ମପୁରର ଉଇଲିୟମ ମହାନ୍ତି ଉତ୍କଳ ହିତବାଦିନୀ ସଭା ମାଧ୍ୟମରେ ସ୍ଥାନୀୟ ଭାଷାପ୍ରେମୀଙ୍କୁ ଏକତ୍ରୀତ କରିବା ସଙ୍ଗେ ପୁରୀ, କଟକ, ବାଲେଶ୍ୱର ଓ ସମ୍ୱଲପୁରର ଆନ୍ଦୋଳନକାରୀଙ୍କ ସହ ଯୋଡ଼ି ହୋଇଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦାବୀ ବିପକ୍ଷରେ କେନ୍ଦ୍ରୀୟସ୍ତରରେ ଅବସ୍ଥାପିତ ଜଣେ ପଦସ୍ଥ ଇଂଲିଶ ପ୍ରଶାସକ ପ୍ରତିକୂଳ ମନ୍ତବ୍ୟ ଦେବାପରେ ୧୯୦୨ରେ ଗଞ୍ଜାମବାସୀ ବଡ଼ଲାଟଙ୍କୁ ପ୍ରତିବାଦ ପତ୍ର ପ୍ରେରଣ କଲେ ଏବଂ ଖଲ୍ଲିକୋଟ ରାଜାଙ୍କ ପୃଷ୍ଠପୋଷକତାରେ ରମ୍ଭାଠାରେ ଏକ ସମ୍ମିଳନୀ ଆୟୋଜନ କରାଗଲା । ଏଥିରେ ପ୍ରାକୃତିକ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଓଡ଼ିଆ ନେତୃବର୍ଗ ଯୋଗଦେଇଥିଲେଓଡ଼ିଆ ଆନ୍ଦୋଳନକୁ ତ୍ୱରାନ୍ୱିତ କରିବା ନିମନ୍ତେ ପରବର୍ତ୍ତୀ ସମ୍ମିଳନୀ ବ୍ରହ୍ମପୁରଠାରେ ଆୟୋଜନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।
 
ବ୍ରହ୍ମପୁରରେ ୧୯୦୩ ଏପ୍ରିଲରେ ଅନୁଷ୍ଠିତ ସମ୍ମିଳନୀ ଉତ୍କଳ ସମ୍ମିଳନୀ ନାମିତ ହୋଇଥିଲା । ଉତ୍କଳ ସମ୍ମିଳନୀର ଦ୍ୱିତୀୟ ଅଧିବେଶନ ୧୯୦୪ରେ କଟକ, ତୃତୀୟ ଅଧିବେଶନ ୧୯୦୬ରେ ବାଲେଶ୍ୱରରେ ଅନୁଷ୍ଠିତ ହେବାପରେ ଚ଼ତୁର୍ଥ ଅଧିବେଶନ ପୁଣି ବ୍ରହ୍ମପୁରରେ ୨୬ ଓ ୨୭ ଡ଼ିସେମ୍ୱର ୧୯୦୬ରେ ଅନୁଷ୍ଠିତ ହୋଇଥିଲା । ଉତ୍କଳ ସମ୍ମିଳନୀ ଆୟୋଜନରେ ବ୍ରହ୍ମପୁର ଓଡ଼ିଆ-ପ୍ରାଣ ନେତୃବର୍ଗଙ୍କ ଯୋଗଦାନ ସ୍ମରଣୀୟ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଚାରି ଦଶନ୍ଧି ପରେ ରାଜ୍ୟ ରାଜନୀତିକ ଅସ୍ଥିରତା ଓ ଉପାନ୍ତ ଅଞ୍ଚଳ ପ୍ରତି ପ୍ରଶାସନିକ ଉଦାସନୀତାରେ ମ୍ରିୟମାଣ ହୋଇ ଓଡ଼ିଶାରେ ବିଚ୍ଛିନ୍ନତା ମନୋଭାବ ଉଦ୍ରେକ କାଳରେ ପୁଣି ଥରେ ବ୍ରହ୍ମପୁର ଉତ୍କଳ ଆଶ୍ରମଠାରେ ଓଡ଼ିଶା ବିକାଶ ସମ୍ମିଳନୀ ୧୯୭୫ରେ ଆୟୋଜନ କରାଯାଇଥିଲା । ସେଠାରେ ଉପସ୍ଥାପିତ ଓଡ଼ିଆ ସ୍ୱାଭିମାନର ପ୍ରଶ୍ନ ଦୁଇ ଦଶନ୍ଧିପରେ ଏକ ଆଞ୍ଚଳିକ ରାଜନୀତିକ ଦଳ ଗଠନରେ ପର୍ଯ୍ୟବସିତ ହୋଇଥିବା କୁହାଯାଇପାରେ । ଏହି ଘଟଣାକ୍ରମ ପରବର୍ତ୍ତୀ ଅଧ୍ୟାୟରେ ଆଲୋଚ଼ିତ ହେବ ।


Photo by amlan nayak on Unsplash

Friday, March 24, 2023

Death rate in road accidents / ସଡ଼କ ଦୁର୍ଘଟଣା ମୃତ୍ୟୁହାର

 



ଗଞ୍ଜାମ ଜିଲ୍ଲାରେ ସଡ଼କ ଦୁର୍ଘଟଣାଜନିତ ବାର୍ଷିକ ମୃତ୍ୟୁହାର ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରୁଥିବା ତଥ୍ୟ #ବ୍ରହ୍ମପୁର ସହରବାସୀଙ୍କ ନିମନ୍ତେ ଏକ ଦୁଃସମ୍ୱାଦ । ସରକାରୀସ୍ତରରେ ପ୍ରସ୍ତୁତ ବାର୍ଷିକ ବିବରଣୀ ଅନୁଯାୟୀ ୨୦୨୨ରେ ଗଞ୍ଜାମ ଜିଲ୍ଲାରେ ୪୧୪ ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଏହି ସଂଖ୍ୟା ପୂର୍ବବର୍ଷ ୨୦୨୧ ତୁଳନାରେ ୧୦ ପ୍ରତିଶତ ବୃଦ୍ଧି ପାଇଥିଲା । ହିସାବରେ ୨୦୨୧ରେ ୩୭୭, ୨୦୨୦ରେ ୩୬୩ ଏବଂ ୨୦୧୯ରେ ୩୮୫ ଜଣଙ୍କ ମୃତ୍ୟୁ ଘଟିଥିଲା ।
 
ଗଞ୍ଜାମ ଜିଲ୍ଲାରେ ସଡ଼କ ଦୁର୍ଘଟଣା ମଧ୍ୟ କ୍ରମାଗତ ବୃଦ୍ଧି ପାଇଚାଲିଥିବା ଲକ୍ଷ୍ୟ କରାଯାଏ । ୨୦୧୯ରେ ୭୩୩ ଗୋଟି ଦୁର୍ଘଟଣା ଘଟିଥିବା ସ୍ଥଳେ ୨୦୨୦ରେ ୬୧୬, ୨୦୨୧ରେ ୭୩୧ ଏବଂ ୨୦୨୨ରେ ୮୩୧ ଗୋଟି ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଥିଲା । ଗଞ୍ଜାମ ଜିଲ୍ଲାରେ ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ବୃଦ୍ଧିରେ ବ୍ରହ୍ମପୁର ସହରବାସୀ ସିଧାସଳଖ ଭାବେ ପ୍ରଭାବିତ । ଏକ ପକ୍ଷରେ ବ୍ରହ୍ମପୁର ସହରବାସୀଙ୍କ ମଧ୍ୟରୁ ଅଧିକାଂଶ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରୁ ଆସି ସ୍ଥାୟୀ ଭାବେ ବସବାସ କରୁଥିବା ହେତୁ ପାରିବାରିକ, ବୃତ୍ତିଗତ ଓ ବ୍ୟାବସାୟିକ କାର୍ଯ୍ୟରେ ବାରମ୍ୱାର ସଡ଼କପଥରେ ଜିଲ୍ଲା ମଧ୍ୟରେ ଯାନବାହାନ ଯୋଗେ ଚଳପ୍ରଚଳ ହୋଇଥାନ୍ତି । ତେଣୁ ବର୍ଦ୍ଧିତ ଦୁର୍ଘଟଣା ଓ ମୃତ୍ୟୁହାର ଚ଼ିନ୍ତାର କାରଣ । ଅପରପକ୍ଷେ ଗ୍ରାମାଞ୍ଚଳରେ ଅବସ୍ଥାପିତ ପରିବାର ସଦସ୍ୟ ଓ ବନ୍ଧୁ ପରିଜନ ଦୁର୍ଘଟଣାଗ୍ରସ୍ତ ହେଲେ ସହରବାସୀମାନେ ମଧ୍ୟ ପରୋକ୍ଷରେ ଦୁରବସ୍ଥାର ଶୀକାର ହୋଇଥାନ୍ତି ।
 
ଗଞ୍ଜାମ ଜିଲ୍ଲା ସମଗ୍ର ରାଜ୍ୟରେ ସଡ଼କ ଦୁର୍ଘଟଣା ମୃତ୍ୟୁ ହାରରେ ଆଗୁଆ ରହୁଥିବା ଅନ୍ତରାଳେ ରାଜ୍ୟସ୍ତରରେ ଏହି ଜିଲ୍ଲା ସର୍ବାପେକ୍ଷା ଜନବହୁଳ ଥିବା ପ୍ରମୁଖ କାରଣଭାବେ ଚ଼ିହ୍ନଟ ହୋଇଥାଏ । ଅନ୍ୟାନ୍ୟ କାରଣ ମଧ୍ୟରେ ଯାନବାହାନ, ମୁଖ୍ୟତଃ ଦୁଇ ଚକିଆ ଯାନର ସଂଖ୍ୟା ବୃଦ୍ଧି, ବେପରୁଆ ଗାଡ଼ି ଚାଳନା, ଅଣ-ଲାଇସେନ୍ସପ୍ରାପ୍ତ ଅନଭିଜ୍ଞ ଅଣ-ତାଲିମସମ୍ପନ୍ନ ଯାନବାହାନ ଚାଳକଙ୍କୁ ଦାୟୀ କରାଯାଇଥାଏ । ଦୁଇ ଚ଼କିଆ ଗାଡ଼ି ଚାଳକମାନଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ କରାଯାଇଥିବା ତଥା ପୋଲିସ ପକ୍ଷରୁ ରୀତିମତ ଯାଞ୍ଚ କରାଯାଇ ଜରିମାନା ଆଦାୟ କରାଯାଉଥିବା ସତ୍ତ୍ୱେ ବ୍ୟାପକ ଅବମାନନା ଦେଖିବାକୁ ମିଳେ । ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଆଇନ ଉଲଂଘନ ହାର ଅଧିକ ।
 
ସଡ଼କ ଦୁର୍ଘଟଣା ସଂପର୍କରେ ସରକାରୀ ହିସାବ ପ୍ରକାଶ କାଳରେ ବ୍ରହ୍ମପୁରରୁ ପ୍ରକାଶିତ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକର ସ୍ଥାନୀୟ ସଂସ୍କରଣରେ ରୀତିମତ ଢଙ୍ଗରେ ଚର୍ଚ୍ଚିତ ହୋଇଥାଏ । ଟେଲିଭିଜନ ଓ ସୋସିଆଲ ମିଡ଼ିଆରେ ପ୍ରାୟତଃ ସ୍ଥାନ ପାଇନଥାଏ । ପୋଲିସ ପ୍ରଶାସନ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ସଭା ସମିତି ଆୟୋଜନ କରାଯାଇଥାଏ । ତେବେ ଏତାଦୃଶ କ୍ଷଣିକ ଉନ୍ମାଦନା ଅବିଳମ୍ୱେ ଉଭେଇ ଯାଏ । କ୍ରମବର୍ଦ୍ଧିଷ୍ଣୁ ସଡ଼କ ଦୁର୍ଘଟଣାର ଶୀକାର ହୋଇ ବହୁ ସଂଖ୍ୟକ ବ୍ରହ୍ମପୁରବାସୀ ଆହତ ହେଉଥିବା, ସ୍ଥଳବିଶେଷରେ ପଥଚାରୀଙ୍କ କ୍ଷତି ପହଞ୍ଚାଉଥିବା ଅର୍ଥନୀତି ଉଦବେଗଜନକ ସ୍ଥିତିରେ ପହଞ୍ଚିଥିବା ସତ୍ତ୍ୱେ ନାଗରିକ ସମାଜଗୁଡ଼ିକପକ୍ଷରୁ ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ବ୍ୟାପକ ଚ଼େତନା ପ୍ରସାର ଉଦ୍ୟମରୁ କ୍ଷାନ୍ତ ରହୁଥିବା କ୍ଷୋଭର ବିଷୟ ।
 
ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପରାମର୍ଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମରେ ସଡ଼କ ଦୁର୍ଘଟଣାହାର ହ୍ରାସ ନିମନ୍ତେ ଏକ କାର୍ଯ୍ୟକ୍ରମ ଖସଡ଼ା ଆକସନ ପ୍ଳାନ ପ୍ରସ୍ତୁତ ହୋଇଥିବା ଜଣାଯାଏ । ଏପ୍ରିଲ ୨୦୨୩ଠାରୁ ପ୍ରଚାର ଅଭିଯାନ ଆୟୋଜନ କାର୍ଯ୍ୟକ୍ରମର ଅଂଶବିଶେଷ । ଏତଦ୍ ବ୍ୟତୀତ ଦୀର୍ଘ ସୂତ୍ରୀ କାର୍ଯ୍ୟକ୍ରମରେ ଦୁର୍ଘଟଣାପ୍ରବଣ ସଡ଼କ ପାର୍ଶ୍ୱରେ ସୂଚ଼ନାଫଳକ ଓ ଆଲୋକ ବ୍ୟବସ୍ଥା, ଓଭରବ୍ରିଜ ନିର୍ମାଣ, ମୁଖ୍ୟ ରାସ୍ତାଗୁଡ଼ିକରେ ଆମ୍ୱୁଲାନ୍ସ ସେବା ଓ ଟ୍ରକ ଟର୍ମିନାଲ ନିର୍ମାଣ ଇତ୍ୟାଦି ନିମନ୍ତେ ପ୍ରସ୍ତାବ ରଖାଯାଇଛି । ବ୍ରହ୍ମପୁର ସରକାରୀ ମେଡ଼ିକାଲ କଲେଜ ହସପିଟାଲରେ ଏକ ଟ୍ରମା କେୟାର କେନ୍ଦ୍ର କାର୍ଯ୍ୟ କରୁଛି । ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ ତୁରନ୍ତ ଚ଼ିକିତ୍ସା ସହାୟତା ଯୋଗାଇ ନଦିଆଗଲେ ଆକ୍ରାନ୍ତଙ୍କ ମୃତ୍ୟୁ ସଂଭାବନା ବଢ଼ିଥାଏ । ଏହି ଦୃଷ୍ଟିରୁ ଭଞ୍ଜନଗର ଓ ଖଲ୍ଲିକୋଟଠାରେ ସ୍ଥାନୀୟ ଚ଼ିକିତ୍ସାଳୟ ଅଧୀନରେ ଅଧିକା ଦୁଇଗୋଟି ଟ୍ରମା କେୟାର କେନ୍ଦ୍ର ସ୍ଥାପନ କରିବା ନିମନ୍ତେ ମତ ପ୍ରକାଶ ପାଇଛି ।
 
ସଡ଼କ ଦୁର୍ଘଟଣା ରୋକିବା ନିମନ୍ତେ ପ୍ରଚାର ଅଭିଯାନ ଗୁରୁତ୍ୱ ବହନ କରେ । ତେବେ ଯୁବ ସଂପ୍ରଦାୟ ଗାଡ଼ି ଚାଳନାରେ ସଂପୃକ୍ତ ରହୁଥିବା ଏବଂ ଏମାନେ ସମକାଳରେ ସୋସିଆଲ ମିଡ଼ିଆ ଭିନ୍ନ ଅନ୍ୟତ୍ର ମନୋନିବେଶ କରୁନଥିବା କାରଣରୁ ସେମାନଙ୍କ ନିକଟରେ କିପରି ବାର୍ତ୍ତା ପହଞ୍ଚିପାରିବ ଓ ପ୍ରଭାବିତ କରିବ, ସେ ଦିଗରେ ସୃଜନାତ୍ମକ ପଦକ୍ଷେପ ଜରୁରୀ । ଉଦାହରଣରେ, ବ୍ରହ୍ମପୁର ଓ ଗଞ୍ଜାମ ସର୍ଟ-ଭିଡ଼ିଓ କ୍ଷେତ୍ରରେ ନାମ କମେଇଥିବା ଅବସରରେ ସ୍ଥାନୀୟ କଳାକାରମାନଙ୍କ ସହାୟତାରେ ଅସଂଖ୍ୟ ଦୁଇ ଚାରି ମିନିଟର ସର୍ଟ-ଭିଡ଼ିଓ ପ୍ରସ୍ତୁତିକୁ ଅଭିଯାନପକ୍ଷରୁ ଉତ୍ସାହିତ କରାଯାଇପାରେ ।
 
ସେହିପରି ବ୍ରହ୍ମପୁରରେ ସରକାରୀ ମେଡ଼ିକାଲ କଲେଜ ଚ଼ିକିତ୍ସାଳୟ ବ୍ୟତୀତ ଶୀତଳାପଲ୍ଲୀରେ ଘରୋଇ ଉଦ୍ୟୋଗରେ ଏକ ବୃହତ ଚ଼ିକିତ୍ସାଳୟ କାର୍ଯ୍ୟଆରମ୍ଭ କରିବାକୁ ପ୍ରସ୍ତୁତ ହେଉଥିବା ହେତୁ ପ୍ରଶାସନ ପକ୍ଷରୁ ସେଠାରେ ଟ୍ରମା କେୟାର ୟୁନିଟ ସ୍ଥାପନ ନିମନ୍ତେ ଚାପ ପକାଇଯାଇପାରିଲେ ସଡ଼କ ଦୁର୍ଘଟଣାରେ ଆହତ ବହୁ ବ୍ରହ୍ମପୁରବାସୀ ଉପକୃତ ହୋଇପାରିବେ । କଥା ହେଲା, ସରକାରୀ କାର୍ଯ୍ୟଧାରାକୁ ବାଦ ଦେଇ ବେସରକାରୀସ୍ତରରେ ମଧ୍ୟ ଉଦ୍ୟମ ହେଲେଯାଇ ସୁଫଳ ମିଳିବ !

Friday, March 17, 2023

Casuarina Clusters / ଝାଉଁବଣ

 

#ବ୍ରହ୍ମପୁର ସହର ସଂଲଗ୍ନ ଗୋପାଳପୁର ବେଳାଭୂମି ଏକଦା ପର୍ଯ୍ୟଟନ ଦୃଷ୍ଟିରୁ ବାଲିକୁଦା, ଝାଉଁବଣ ଓ ଶାନ୍ତ ପରିବେଶ ନିମନ୍ତେ ଖ୍ୟାତି ଲାଭ କରିଥିଲା । ଝାଉଁବଣ ଉତ୍ତର ଦିଗରେ ଛତ୍ରପୁର ଏବଂ ଦକ୍ଷିଣ ଦିଗରେ ସୁନାପୁର ବେଳାଭୂମିକୁ ଆଚ୍ଛାଦିତ କରି ରଖିଥିଲା । ପରବର୍ତ୍ତୀ ଅବସ୍ଥାରେ ୧୯୭୦ ବେଳକୁ ଗୋପାଳପୁରଠାରୁ ପାଞ୍ଚ କିଲୋମିଟର ଦୂର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଭଞ୍ଜବିହାର ନିର୍ମିତ ହେବାପରେ ସେଠାରେ ମଧ୍ୟ ବ୍ୟାପକ ଝାଉଁ ଗଛ ରୋପଣ କରାଯାଇଥିଲା । ପରବର୍ତ୍ତୀ ତିନି ଦଶନ୍ଧି ଧରି ଝାଉଁବଣ ଭଞ୍ଜବିହାରର ଅନ୍ୟତମ ଆକର୍ଷଣ ରୂପେ ପରିଗଣିତ ହେଉଥିଲା । ତେବେ ୧୯୯୯ର ମହାବାତ୍ୟାରେ ଭଞ୍ଜବିହାରରେ ବ୍ୟାପକ ବୃକ୍ଷହାନୀ ଘଟିଥିଲା । ପୁନଃ ବନୀକରଣ ଅବସରରେ ଝାଉଁଚାରା ରୋପଣକୁ ଗୁରୁତ୍ୱ ଦିଆଗଲା ନାହିଁ । ତା ବଦଳରେ ଶୀଘ୍ର ବଢୁଥିବା ବିଦେଶୀ ଅନାବନା ଗଛ ରୋପଣ ପ୍ରାଧାନ୍ୟ ଲାଭ କରିଥିଲା । ଏହି ଦିଗରେ ନିଜସ୍ୱ ଐତିହ୍ୟକୁ ବଞ୍ଚାଇ ରଖିବାଲାଗି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବନୀକରଣରେ ସଂପୃକ୍ତ ବନ ବିଭାଗକୁ ତାଗିଦ କରିପାରିଲେ ନାହିଁ । ଫଳରେ କ୍ରମଶଃ ଭଞ୍ଜବିହାରରୁ ଝାଉଁବଣର ଅସ୍ତିତ୍ୱ ହଜିଗଲା ୨୦୧୨ରେ ଫାଇଲିନ ବାତ୍ୟାରେ ଅନୁରୂପ କାରଣରୁ ଭଞ୍ଜବିହାରରୁ ଝାଉଁବଣ ପ୍ରାୟତଃ ଲୋପ ପାଇଗଲା ।
 
କୁହାଯାଏ ଯେ ୧୮୫୦ରେ ବ୍ରହ୍ମପୁର ସମେତ ମହୁରି ରାଜ୍ୟ ଇଂଲିଶ ଶାସନାଧୀନ ହେବାପରେ ଫେଡ୍ରେରିକ ମିଂଚନ ନାମକ ଜଣେ ବିଦେଶୀ ଶିଳ୍ପପତି ଆସିକାରେ ଚିନି କଳ ସ୍ଥାପନ କଲେ । ସେଥିଲାଗି କଞ୍ଚାମାଲ ସଂଗ୍ରହ ଉଦ୍ଦେଶ୍ୟରେ ଗଞ୍ଜାମର ଚାଷୀମାନଙ୍କୁ ଆଖୁଚାଷ କରିବା ଏବଂ ରପ୍ତାନୀ ଲାଗି ଗୋପାଳପୁର ବନ୍ଦର ବିକାଶ କ୍ଷେତ୍ରରେ ଉଦ୍ୟମ କରିଥିଲେ । ବାତ୍ୟା ପ୍ରପୀଡ଼ିତ ଗଞ୍ଜାମ ଉପକୂଳ, ମୁଖ୍ୟତଃ ଗୋପାଳପୁର ବନ୍ଦର ତଟବର୍ତ୍ତୀ ଅଞ୍ଚଳରେ ମୃତ୍ତିକାକ୍ଷୟ ରୋକିବା ଦିଗରେ ସେ ବ୍ୟାପକ ବନୀକରଣ ଆୟୋଜନ କରି ଝାଉଁବଣ ସୃଷ୍ଟି କରିଥିଲେ । ୧୮୬୫-୬୬ରେ ନଅଙ୍କ ଦୁର୍ଭିକ୍ଷ କାଳରେ ଅନାବୃଷ୍ଟି ଯୋଗୁଁ ପାରମ୍ପରିକ ଶସ୍ୟ ଉତ୍ପାଦନ ସଂଭବ ନହେବା କାରଣରୁ ବେଳାଭୂମିରେ ଝାଉଁବଣ ଉପକୂଳବାସୀଙ୍କୁ ସାମାନ୍ୟ ରୋଜଗାର ଯୋଗାଇବାରେ ସମର୍ଥ ହୋଇଥିଲା । ଝାଉଁ ଆଷ୍ଟ୍ରେଲିଆର ଗଛ । ଝାଉଁ ଗଛ ବିଶେଷ ପାଣି ଆବଶ୍ୟକ କରେ ନାହିଁ ଏବଂ ଖୁବ କମ ସମୟରେ ବଢ଼ିଯାଏ । ଝାଉଁକାଠ ସେ ସମୟ ଜାଳେଣୀ ସାଙ୍ଗକୁ ଗୃହନିର୍ମାଣ ଭଳି ବହୁବିଧ କାର୍ଯ୍ୟରେ ଉପଯୋଗ ହେଉଥିବା ହେତୁ ଗଞ୍ଜାମ ଉପକୂଳ ଅଞ୍ଚଳରେ ବ୍ୟାପକ ଚାଷ ସଂଭବ ହୋଇଥିଲା । ବିଗତ ଶତାଦ୍ଦୀର ଷଷ୍ଠ ଦଶକ ପରବର୍ତ୍ତୀ ଅବସ୍ଥାରେ କାଠ ଜାଳେଣି କ୍ରମଶଃ ଅପସରି ଯିବା ଏବଂ ବାରମ୍ୱାର ବାତ୍ୟା ପରେ ଝାଉଁଗଛ ପୁନଃରୋପଣ ନିମନ୍ତେ ଗୁରୁତ୍ୱ ନଦିଆଯିବା କାରଣରୁ ଝାଉଁବଣର ଚାହିଦା କମିଗଲା ।
 
ବ୍ରହ୍ମପୁରରୁ ପନ୍ଦର କିଲୋମିଟର ପୂର୍ବ ଦିଗରେ ସମୁଦ୍ରବେଳା ଓ ପାଞ୍ଚ କିଲୋମିଟର ପଶ୍ଚିମ ଦିଗରେ କେରାଣ୍ଡିମାଳ ପାର୍ବତ୍ୟାଞ୍ଚଳ । ବେଳାଭୂମିରେ ଝାଉଁ ଓ ପାର୍ବତ୍ୟାଞ୍ଚଳରେ ବାଉଁଶ ଗଛ ବେଶ ବଢ଼ିଥାଏ । ଏଥିପ୍ରତି ଗୁରୁତ୍ୱ ଦିଆଯାଉନଥିବା ଦୁର୍ଭାଗ୍ୟର ବିଷୟ ।
 
କେରାଣ୍ଡିମାଳ ପାଦଦେଶରେ ମହୁଡ଼ାଠାରେ ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ କରିଥିବା ଗ୍ରାମ ବିକାଶ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଦିନା କେତେ ବାଉଁଶ ଚାଷର ଉପାଦେୟତା ପ୍ରଚାର କରାଯାଇଥିଲା । ବାଉଁଶ ଉପଯୋଗରେ ପ୍ଳାଇଉଡ଼ ତିଆରି ଲାଗି ଯନ୍ତ୍ରପାତି ମଧ୍ୟ ସ୍ଥାପିତ ହୋଇଥିଲା । ତେବେ ବିଦେଶୀ ଅନୁଦାନ ସରିଯିବାପରେ ସେଭଳି ଯୋଜନାଗୁଡ଼ିକର ବସ୍ତାନି ବନ୍ଧାଯାଇଥିଲା । ବାଉଁଶ ଭଳି ଝାଉଁ ଗଛରୁ ମଧ୍ୟ ବେଶ ସହଜରେ ପ୍ଳାଇଉଡ଼ ତିଆରି ସଂଭବ ।
 
ବ୍ରହ୍ମପୁର ସହର ପ୍ରତିଷ୍ଠା କାଳରୁ ଠାକୁରାଣୀ ଯାତ୍ରା ପରମ୍ପରା ସଂଶ୍ଳିଷ୍ଟ । ଝାଉଁଗଛକୁ ଏଠାରେ ଚାବୁକ କାଠ ମଧ୍ୟ କହନ୍ତି । ସହରର ଅଧିଷ୍ଠାତ୍ରୀ ଦେବୀ ଯାତ୍ରା ଅବସରରେ ବଡ଼ବଜାର ଦେଶୀବେହରା ସାହୀ ଆଗମନ କାଳରେ ଅସ୍ଥାୟୀ ମନ୍ଦିର ଝାଉଁ, ବାଉଁଶ ଓ ନଡ଼ିଆ ବାହୁଙ୍ଗାରେ ନିର୍ମିତ ହୁଏ । ଏହି ସବୁ ସାମଗ୍ରୀ ସ୍ଥାନୀୟ ଉତ୍ପାଦନ ।
 
ଶେଷରେ, ଭଞ୍ଜବିହାରରେ ଝାଉଁବଣକୁ ନେଇ ଶିକ୍ଷାୟତନରେ ଅଧ୍ୟୟନ ଓ ଗବେଷଣାରତ ବହୁ ଛାତ୍ରଛାତ୍ରୀ ଦୀର୍ଘ ପଚାଶ ବର୍ଷରୁ ଉର୍ଦ୍ଧ୍ୱ ସମୟଧରି କବିତା ରଚନା କରିଆସିଛନ୍ତି । ଝାଉଁବଣ, ଜହ୍ନରାତି ଓ ଅପହଞ୍ଚ ପ୍ରେମିକ-ପ୍ରେମିକା ଅନେକ କବିତାର ବିଷୟବସ୍ତୁ । ସେଗୁଡ଼ିକୁ କେହି ସଂକଳନ କଲେ ଭଲ ହୁଅନ୍ତା ନି  !

Photo by Rick Whittle on Unsplash 


Friday, March 10, 2023

Gopalpur- Sambalpur Rail Line / ଗୋପାଳପୁର-ସମ୍ୱଲପୁର ରେଳପଥ

 


ଗୋପାଳପୁର-ସମ୍ୱଲପୁର ରେଳପଥ #ବ୍ରହ୍ମପୁର ସହରବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ନଅ ଦଶନ୍ଧି ପୁରିବାକୁ ବସିଥିବା ସତ୍ତ୍ୱେ ଦକ୍ଷିଣାଞ୍ଚଳ ସହ ପଞ୍ଚିମାଞ୍ଚଳ ରେଳପଥ ଯୋଗେ ସଂଯୁକ୍ତ ହୋଇନପାରିଥିବା ହେତୁ ଗମନାଗମନ, ପରିବହନ ଓ ସାମାଜିକ ସଂହତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ ହୋଇପାରୁନାହିଁ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରସ୍ତରରେ ରାଜନୀତିକ ଇଚ୍ଛାଶକ୍ତି ଅଭାବକୁ ଏହି ଅବହେଳା ନିମନ୍ତେ ଦାୟୀ କରାଯାଏ ।
 
ବ୍ୟବସ୍ଥାଗତ ଅନୁଶୀଳନ କଲେ ସୁଲଭ ଗମନାଗମନ ପଥ ଅଭାବ କାରଣରୁ ବ୍ରହ୍ମପୁରବାସୀ ଆନ୍ଧ୍ର ପ୍ରଦେଶ ଓ ସମ୍ୱଲପୁରବାସୀ ଛତିଶଗଡ଼ର ବିଭିନ୍ନ ଭିତ୍ତିଭୂମି ଉପରେ ଭରସା କରିଥାନ୍ତି । କିନ୍ତୁ ନିଜ ରାଜ୍ୟ ଅନ୍ତର୍ଗତ ଦୁଇ ଅଞ୍ଚଳ ମଧ୍ୟରେ ପାରସ୍ପରିକ ନିର୍ଭରଶୀଳତା କମ । ବ୍ରହ୍ମପୁର ହେଉ ବା ସମ୍ୱଲପୁର, ମୁଖ୍ୟତଃ ସରକାରୀ କର୍ମନିଯୁକ୍ତି ବାଧ୍ୟବାଧକତାରେ ପଶ୍ଚିମ କିମ୍ୱା ଦକ୍ଷିଣାଞ୍ଚଳରେ ଅସ୍ଥାୟୀ ଭାବେ କିଛି କାଳ ଅବସ୍ଥାପିତ ହୋଇଥାନ୍ତି । ଦୁଇ ଅଞ୍ଚଳ ମଧ୍ୟରେ ବୈବାହିକ ସଂପର୍କ ପ୍ରାୟ ନାହିଁ କହିଲେ ଚଳେ । ବ୍ରହ୍ମପୁର ସହରବାସୀ ସମ୍ୱଲପୁରୀ ସାମାଜିକ-ସାଂସ୍କୃତିକ-ଚଳେଣୀ ସଂପର୍କରେ ଯେତିକି ପରିମାଣରେ ଅଜ୍ଞ, ସମ୍ୱଲପୁରବାସୀ ମଧ୍ୟ ବ୍ରହ୍ମପୁରୀ ଆଚାର-ବ୍ୟବହାର ସଂପର୍କରେ ସେତିକି ପରିମାଣରେ ଅପରିଚ଼ିତ । ଦୁଇ ସାଂସ୍କୃତିକ ପରିଧିରେ ବ୍ୟବଧାନ ସତ୍ତ୍ୱେ ବ୍ରହ୍ମପୁରବାସୀ ସମ୍ୱଲପୁରକୁ ସମର୍ଥନ କରୁଥିବା ଏବଂ ସଂବଲପୁରବାସୀ ବ୍ରହ୍ମପୁରକୁ ସମର୍ଥନ କରୁଥିବା ଉଦାହରଣର ଅଭାବ ନଥାଏ । ସମ୍ୱଲପୁରୀ ପରିବାରବର୍ଗ ବ୍ରହ୍ମପୁରରେ ବସବାସ କାଳରେ କେବେହେଁ ସାଂସ୍କୃତିକ-ତାରତମ୍ୟଗତ-ଭେଦଭାବର ଶୀକାର ହୁଅନ୍ତି ନାହିଁ ।
 
ଓଡ଼ିଶାର ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳ ମଧ୍ୟରେ ରେଳପଥ ସଂଯୋଗ ସ୍ଥାପିତ ହୋଇପାରିଲେ ଉଭୟ ଅଞ୍ଚଳବାସୀ ବାଣିଜ୍ୟ, କର୍ମ-ନିଯୁକ୍ତି ଦୃଷ୍ଟିରୁ ଉପକୃତ ହେବା ସଙ୍ଗେ ସାମାଜିକ, ସାଂସ୍କୃତିକ ସମତା ସ୍ଥାପିତ ହୋଇପାରିବ । କେନ୍ଦ୍ରସରକାରଙ୍କ ନୀତିନିୟମରେ ଏକବିଂଶ ଶତାଦ୍ଦୀ ଆରମ୍ଭରୁ ଯୋଗାଯୋଗ ବିକାଶ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଅବସରରେ ସଡ଼କ, ରେଳ, ସାମୁଦ୍ରିକ ଓ ଆକାଶପଥରେ ବିଭିନ୍ନ ଅଞ୍ଚଳ ଯୋଡ଼ିବାକୁ ପ୍ରଚ଼େଷ୍ଟା ଚାଲିଛି । ଦୀର୍ଘ ଦିନରୁ ପ୍ରସ୍ତାବ ସ୍ତରରେ ଅଟକି ରହିଥିବା ଗୋପାଳପୁର-ସମ୍ୱଲପୁର ରେଳପଥ ନିର୍ମାଣ ନିମନ୍ତେ କେନ୍ଦ୍ର ସରକାରଙ୍କ ୨୦୨୩-୨୪ ରେଳ ବଜେଟରେ ଦଶ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ଜଣାଯାଏ । ଏହି ଅର୍ଥ ବ୍ୟୟରେ ଗୋପାଳପୁର-ସମ୍ୱଲପୁର ରେଳପଥ ନିର୍ମାଣ ନିମନ୍ତେ ଜମି ଚ଼ିହ୍ନଟ ପ୍ରକ୍ରିୟା ଆୟୋଜନ ବାବଦରେ ଖର୍ଚ୍ଚ କରାଯାଇ ଚୂଡ଼ାନ୍ତ ପ୍ରକଳ୍ପ ରିପୋର୍ଟ ଡ଼ିଟେଲ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରାଯିବା ସ୍ଥିରୀକୃତ ହୋଇଛି ।
 
ଗୋପାଳପୁର-ସମ୍ୱଲପୁର ରେଳପଥ ରାଜ୍ୟର ଚାରିଗୋଟି ଲୋକସଭା ନିର୍ବାଚ଼ନ ମଣ୍ଡଳୀ ମଧ୍ୟ ଦେଇ ଗତି କରିବ । ଏଥିରେ ଗଞ୍ଜାମ, କନ୍ଧମାଳ, ବୌଦ ଓ ସମ୍ୱଲପୁର ଜିଲ୍ଲା ସାମିଲ ହେବ । ପ୍ରସ୍ତାବିତ ରେଳପଥରେ ୧୬ ଗୋଟି ଷ୍ଟେସନ ନିର୍ମାଣ କରାଯିବ । ଏହାର ଦୈର୍ଘ୍ୟ ୨୪୦ କିଲୋମିଟର ବ୍ୟାପିବ ।
 
ଗୋପାଳପୁର-ସମ୍ୱଲପୁର ରେଳପଥ ପ୍ରକଳ୍ପ ନିମନ୍ତେ ଜମି ଚ଼ିହ୍ନଟ ଲାଗି ୨୦୨୦ରେ ଆକାଶ ମାର୍ଗରୁ ସର୍ଭେ କାମ ଆୟୋଜନ କରାଯାଇଥିଲା । ଏହି ରିପୋର୍ଟକୁ ନୀତି ଆୟୋଗର ମଞ୍ଜୁରି ମିଳିବା ପରେ ରେଳବାଇ ବୋର୍ଡ ନିର୍ଦ୍ଦେଶକ୍ରମେ ୨୦୨୩ରେ ଜମି ଚ଼ିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବା ପ୍ରକାଶ । ଓଡ଼ିଶା ସରକାରଙ୍କ ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ଼ (ଓଆରଆଇଡ଼ିଏଲ)ଙ୍କୁ ଜମି ଚ଼ିହ୍ନଟ ପ୍ରକ୍ରିୟା ଦାୟିତ୍ୱ ପ୍ରଦାନ କରାଯାଇଛି । ଗୋପାଳପୁର-ଜଗନ୍ନାଥପୁର ମଧ୍ୟଭାଗରେ ଭଞ୍ଜବିହାର ସଂଲଗ୍ନ ମାଣ୍ଡିଆପଲ୍ଲୀଠାରେ ଜମି ଚ଼ିହ୍ନଟ ଅଭିଯାନର ସ୍ମାରକୀ ହିସାବରେ ଏକ ଇଟା-ସିମେଣ୍ଟ ନିର୍ମିତ ଖୁଣ୍ଟ ସ୍ଥାପନ କରାଯାଇଥିବା ଦେଖିବାକୁ ମିଳିଛି । ଏଥିରେ ଇଂଲିଶ ଭାଷାରେ ଓଆରଆଇଡ଼ିଲ ଲେଖା ଯାଇଛି ।
 
କୁହାଯାଉଛି, ପ୍ରାଥମିକଭାବେ ଗୋପାଳପୁର ବନ୍ଦରଠାରୁ ଜଗନ୍ନାଥପୁର ରେଳଷ୍ଟେସନ ପର୍ଯ୍ୟନ୍ତ ନୂତନ ରେଳ ଲାଇନ ନିର୍ମାଣକଳ୍ପେ ସର୍ଭେ କରାଯାଇ ଅଧିଗ୍ରହଣ ନିମନ୍ତେ ଜମି ଚ଼ିହ୍ନଟ ହେବ । ପରବର୍ତ୍ତୀ ପର୍ଯ୍ୟାୟରେ ଜଗନ୍ନାଥପୁରରୁ ଆସିକା-ଭଞ୍ଜନଗର-ଫୁଲବାଣୀ-ବୌଦ-ରେଢାଖୋଲ ମଧ୍ୟ ଦେଇ ସମ୍ୱଲପୁର ଯାଏଁ ଜମି ଚ଼ିହ୍ନଟ କରାଯିବ । ଅବଶ୍ୟ ଜମି ଚ଼ିହ୍ନଟ ବାଦେ ଅଧିଗ୍ରହଣ, ନିର୍ମାଣ, ମାଲବାହୀ ରେଳ ଚଳାଚଳ ଓ ଶେଷରେ ଯାତ୍ରୀବାହୀ ରେଳ ଚଳାଚଳ ଏକ ସୁଦୀର୍ଘ ପଥ । ଏମଧ୍ୟରେ କେତେଥର ଝୁଣ୍ଟିବାକୁ ପଡ଼ିପାରେ ! ତେବେ ଦକ୍ଷିଣାଞ୍ଚଳ ସହ ପଶ୍ଚିମାଞ୍ଚଳ ରେଳପଥ ସଂଯୋଗ ପ୍ରସ୍ତାବ କାର୍ଯ୍ୟକାରିତାରେ ପ୍ରାଥମିକ ପଦକ୍ଷେପ ଉଭୟ ଅଞ୍ଚଳବାସୀଙ୍କୁ ସାନ୍ତ୍ୱନା ଦେବା ନିଶ୍ଚିତ । ଏଥିସହ ପ୍ରସ୍ତାବିତ ରେଳପଥ ଯୋଗେ ଆଭ୍ୟନ୍ତରୀଣ ଗଞ୍ଜାମ ସହ ସଂଯୋଗ ସ୍ଥାପନର ପ୍ରତିଶୃତି ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କୁ ଆନନ୍ଦିତ କରିବ ନିଶ୍ଚୟ !


Photo by Dan Dennis on Unsplash


Friday, March 3, 2023

Rangeilunda / ରଙ୍ଗେଇଲୁଣ୍ଡା

 


#ବ୍ରହ୍ମପୁର ସହର ପୂର୍ବ-ଉପକଣ୍ଠ ଗୋପାଳପୁର ରାସ୍ତା ମଧ୍ୟଭାଗରେ ରଙ୍ଗେଇଲୁଣ୍ଡା ଗ୍ରାମ ଅବସ୍ଥିତ । ଗ୍ରାମ ସଂଲଗ୍ନ ପଶ୍ଚିମ ଦିଗରେ ବିସ୍ତୀର୍ଣ୍ଣ ସମତଳ ଜମିରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏକ ବିମାନ ଅବତରଣ ପଡ଼ିଆ ଏୟାର ଷ୍ଟ୍ରିପ ନିର୍ମିତ ଗୋପାଳପୁର ବନ୍ଦର ଓ ବ୍ରହ୍ମପୁର ଦକ୍ଷିଣ ଓଡ଼ିଶାର ପ୍ରଶାସନିକ ତଥା ବାଣିଜ୍ୟ କେନ୍ଦ୍ରରୂପେ ଗଢ଼ି ଉଠିଥିବା ହେତୁ ଯୁଦ୍ଧ ଅବସରରେ ପ୍ରତିରକ୍ଷା କାରଣରୁ ରଙ୍ଗେଇଲୁଣ୍ଡା ବିମାନ ଅବତରଣ ପଡ଼ିଆର ଆବଶ୍ୟକତା ଅନୁଭୂତ ହୋଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରେ ଇଂଲିଶ ପ୍ରଶାସନ ପକ୍ଷରୁ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଏହିଭଳି ବ୍ୟୋମଯାନ ଚଳାଚଳ ନିମନ୍ତେ ଭିତ୍ତିଭୂମି ସୃଷ୍ଟି କରାଯାଇଥିଲା । ଭୁବନେଶ୍ୱର ବିମାନ ବନ୍ଦର ନିର୍ମିତ ହେବା ଯାଏଁ ରଙ୍ଗେଇଲୁଣ୍ଡା ସହ ଅନ୍ୟାନ୍ୟ ବିମାନ ଅବତରଣ ପଡ଼ିଆର ଗୁରୁତ୍ୱ ରହି ଆସିଥିଲା ।
 
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ୧୯୬୮ରେ ପ୍ରତିଷ୍ଠା ହେବାପରେ ଏହାର କ୍ୟାମ୍ପସ ନିମନ୍ତେ ରଙ୍ଗେଇଲୁଣ୍ଡା ବିମାନ ଅବତରଣ ପଡ଼ିଆ ସଂଲଗ୍ନ ଅଞ୍ଚଳ ଚ଼ିହ୍ନଟ କରାଗଲା । ପଡ଼ିଆର ପୂର୍ବଭାଗରେ ପ୍ରଶାସନିକ, ଶିକ୍ଷାଦାନ, ମହିଳା ଛାତ୍ରାବାସ ଓ କର୍ମଚାରୀ କ୍ୱାଟର୍ସ ତଥା ପଶ୍ଚିମ ଭାଗରେ ପୁରୁଷ ଛାତ୍ରାବାସମାନ ନିର୍ମିତ ହେଲା । ପଡ଼ିଆକୁ ଲାଗି ବିଶ୍ୱବିଦ୍ୟାଳୟ ଖେଳ ପଡ଼ିଆ ଅବସ୍ଥିତ । ଏହି ଘଟଣାକ୍ରମ ଅନୁଶୀଳନ କଲେ ମନେ ହୁଏ ଷଷ୍ଠ ଦଶକ ଶେଷ ସୁଦ୍ଧା ରାଜ୍ୟର ରାଜନୀତିକ ନେତୃବର୍ଗ କିମ୍ୱା ପ୍ରଶାସନିକ ଅଧିକାରୀମାନେ ଦେଶରେ ବିମାନ ଯୋଗାଯୋଗର ସମ୍ଭାବ୍ୟ ଭବିଷ୍ୟତକୁ ବୋଧେ ଠିକ ପରଖି ପାରିନଥିଲେ । ଦିନେ ଭାରତରେ ଆକାଶ ମାର୍ଗରେ ଯାତ୍ରୀ ପରିବହନ ବିକଶିତ ହେବ ଏବଂ ଏଥିନିମନ୍ତେ ବିମାନ ବନ୍ଦରମାନ ପ୍ରତିଷ୍ଠା ଆବଶ୍ୟକ ପଡ଼ିବ ଆକଳନ କରିପାରି ନଥିଲେ । ନଚ଼େତ ବିମାନ ଅବତରଣ ପଡ଼ିଆର ମାତ୍ର କେତେଫୁଟ ଦୂରରେ ଏକ ପାର୍ଶ୍ୱରେ ପ୍ରଶାସନିକ ଭବନ ଓ ଅପର ପାର୍ଶ୍ୱରେ ଏକାଧିକ ପୁରୁଷ ଛାତ୍ରାବାସ ନିର୍ମାଣଲାଗି ମାନଚ଼ିତ୍ର ଆଙ୍କି ନଥାନ୍ତେ । ସେ ଯାହା ହେଉ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ନିର୍ମାଣର ଅର୍ଦ୍ଧ-ଶତାଦ୍ଦୀର ଇତିହାସରେ ମୂଳ ରଙ୍ଗେଇଲୁଣ୍ଡା ଅପସରି ଯାଇ ଭଞ୍ଜ ବିହାର ନାମକରଣ ଲୋକାଦୃତ ହୋଇଛି । କେବଳ ବିମାନ ଅବତରଣ ପଡ଼ିଆର ନାମ ରଙ୍ଗେଇଲୁଣ୍ଡା ରହିଛି ।
 
ରଙ୍ଗେଇଲୁଣ୍ଡା ବାମ ପାର୍ଶ୍ୱ ଗୋଳାବନ୍ଧରେ ସପ୍ତମ ଦଶକରେ ଏୟାର ଡ଼ିଫେନ୍ସ ଗାଇଡ଼େଡ଼ ମିସାଇଲ ପ୍ରତିରକ୍ଷା ଶିକ୍ଷାନୁଷ୍ଠାନ ସ୍ଥାପିତ ହେଲା । ପୂର୍ବରୁ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ଭଳି ବିଶିଷ୍ଟ ବ୍ୟକ୍ତି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଲେ କ୍ଷୁଦ୍ର ବିମାନ ଯୋଗେ ରଙ୍ଗେଇଲୁଣ୍ଡା ବିମାନ ଅବତରଣ ପଡ଼ିଆରେ ଓହ୍ଲାଉଥିଲେ । ପ୍ରତିରକ୍ଷା ଶିକ୍ଷାନୁଷ୍ଠାନ କାର୍ଯ୍ୟ ଆରମ୍ଭ କରିବା ପରେ ପଦସ୍ଥ ସେନା କର୍ମଚାରୀମାନେ ମଧ୍ୟ ବେଳେ ବେଳେ ବିମାନ ଅବତରଣ ପଡ଼ିଆ ବ୍ୟବହାର କଲେ । ବିଗତ ଶତାଦ୍ଦୀ ଶେଷ ଦଶକ ଶେଷ ଭାଗରେ ଗୋପାଳପୁରଠାରେ ପ୍ରସ୍ତାବିତ ଇସ୍ପାତ କାରଖାନା ନିମନ୍ତେ ସରକାରଙ୍କ ପକ୍ଷରୁ ଜମି ଅଧିଗ୍ରହଣ ଓ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧର ଦୀର୍ଘ ଆନ୍ଦୋଳନ ଅବସରରେ ଭିତ୍ତିଭୂମି ତଦାରଖ କରିବା ନିମନ୍ତେ ଟାଟା କମ୍ପାନୀର ପଦସ୍ଥ କର୍ମଚାରୀମାନଙ୍କ ବିମାନ ମଧ୍ୟ ରଙ୍ଗେଇଲୁଣ୍ଡାରେ କେତେଦିନ ଦେଖିବାକୁ ମିଳିଥିଲା । ତେବେ ଇସ୍ପାତ କାରଖାନା ପ୍ରତିଷ୍ଠା ପ୍ରସ୍ତାବ ପ୍ରତ୍ୟାହୃତ ହେବାପରେ ରଙ୍ଗେଇଲୁଣ୍ଡା ବିମାନ ଅବତରଣ ପଡ଼ିଆରେ ପୂର୍ବବତ୍ ନୀରବତା ରାଜୁତି କଲା ।
 
ବ୍ରହ୍ମପୁରରେ କିଛି ଦିନରୁ ବିମାନ ବନ୍ଦର ପ୍ରତିଷ୍ଠା ନିମନ୍ତେ ଦାବୀ ଜୋର ଧରିଛି । ରଙ୍ଗେଇଲୁଣ୍ଡା ବିମାନ ଅବତରଣ ପଡ଼ିଆକୁ ଘେରି ବିଶ୍ୱବିଦ୍ୟାଳୟ କୋଠାବାଡ଼ି ନିର୍ମିତ ହୋଇଥିବା ହେତୁ ଏହାର ବ୍ୟାପକ ସଂପ୍ରସାରଣ ଅସଂଭବ । ବିକଳ୍ପ ସ୍ଥାନରେ ଅପେକ୍ଷାକୃତ ବଡ଼ ଅଞ୍ଚଳ ଚ଼ିହ୍ନଟ ନିମନ୍ତେ ସର୍ବେକ୍ଷଣ ଫଳବତୀ ନହେବା ପରେ ରଙ୍ଗେଇଲୁଣ୍ଡା ବିମାନ ଅବତରଣ ପଡ଼ିଆକୁ ସାଧ୍ୟମତେ ସଂପ୍ରସାରଣ ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଥିବା ଜଣାଯାଏ । ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁଯାୟୀ ବର୍ତ୍ତମାନ ରଙ୍ଗେଇଲୁଣ୍ଡା ବିମାନ ଅବତରଣ ପଡ଼ିଆର ଦୈର୍ଘ୍ୟ ୯୭୫ ମିଟର ଓ ପ୍ରସ୍ଥ ୧୫୦ ମିଟର ରହିଥିବା ସ୍ଥଳେ ଏହାର ଦୈର୍ଘ୍ୟ ୧୨୫୦ ମିଟର ଓ ପ୍ରସ୍ଥ ୮୫୦ ମିଟରକୁ ବୃଦ୍ଧି କରାଯିବା ନିମନ୍ତେ ପ୍ରସ୍ତାବ ରଖାଯାଇଛି । ଏଥି ନିମନ୍ତେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା କିଛି ଜମି ସାଙ୍ଗକୁ କରାପଲ୍ଲୀ, ରାମଚନ୍ଦ୍ରପୁର ଓ ରଙ୍ଗେଇଲୁଣ୍ଡା ମୌଜାର ସରକାରୀ ଓ ଘରୋଇ ଜମି ଅଧିଗ୍ରହଣ କରାଯିବା ନିମନ୍ତେ ପ୍ରସ୍ତୁତି ଚାଲିଥିବା ପ୍ରକାଶ ।
 
ରଙ୍ଗେଇଲୁଣ୍ଡା ବିମାନ ଅବତରଣ ପଡ଼ିଆର ରକ୍ଷଣାବେକ୍ଷଣ କାର୍ଯ୍ୟ ନିୟମିତ ଭାବେ ସମ୍ପନ୍ନ ହୋଇଥାଏ । ସାଧାରଣତଃ ମାର୍ଚ୍ଚ ମାସରେ ଆର୍ଥିକ ବର୍ଷ ପୁରିବା ପୂର୍ବରୁ ପଡ଼ିଆକୁ ଘେରି ରହିଥିବା ପାଚେରୀ ମରାମତ ଓ ରଙ୍ଗ ଦେବା ତଥା ରନୱେ ମଧ୍ୟଭାଗରେ ପିଚୁ ଢ଼ାଳିବା କାମ ହାତକୁ ନିଆଯାଇଥାଏ । ସେହିକ୍ରମରେ ୨୦୨୩ ଫେବୃୟାରୀ ମାସରେ କାମ ଚାଲିଥିବା ଦେଖିବାକୁ ମିଳିଥିଲା
 
କୁହାଯାଉଛି, ରଙ୍ଗେଇଲୁଣ୍ଡାରୁ ନଅ ଆସନ ବିଶିଷ୍ଟ ବିମାନ ଭୁବନେଶ୍ୱରକୁ ଉଡ଼ିବ । ଏଥି ପୂର୍ବରୁ ୨୦୧୧ରେ ମଧ୍ୟ ଏକ ଛଅ ଆସନ ବିଶିଷ୍ଟ ଅନିୟମିତ ଅନ-ସେଡ୍ୟୁଲଡ଼ ଯାତ୍ରୀ ବିମାନ ପରିବହନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ସଂଭବତଃ, ଭଡ଼ା ଯାତ୍ରୀ ପିଛା ତିନି ହଜାର ନିର୍ଦ୍ଧାରଣ ଏବଂ ଅନ୍ତତଃପକ୍ଷେ ଚାରିଜଣ ଯାତ୍ରୀ ହେଲେ ଉଡ଼ାଣର ବ୍ୟବସ୍ଥା କରାଯିବା ନିମନ୍ତେ ସ୍ଥିରୀକୃତ ହୋଇଥିଲା । କିନ୍ତୁ ଆଗ୍ରହୀ ଯାତ୍ରୀ ଅଭାବରୁ ନିୟମିତ ଉଡ଼ାଣ ଅଟକି ଯାଇଥିଲାଅବଶ୍ୟ ଇତିମଧ୍ୟରେ ବାର ବର୍ଷ ମଧ୍ୟରେ ପରିସ୍ଥିତି ବଦଳିଥିବା ଆଶା କରାଯାଇପାରେ !
 
ନନ-ସିଡ୍ୟୁଲଡ଼ ବିମାନ ସେବା ପାଇଁ କୌଣସି ବିଧିବଦ୍ଧ ସମୟ ସାରଣୀ ଟାଇମ ଟେବୁଲ ରହିବ ନାହିଁ । ଅର୍ଥାତ, ଆବଶ୍ୟକ ସଂଖ୍ୟକ ଯାତ୍ରୀ ଯୋଗାଡ଼ ହୋଇପାରିଲେ ବିମାନ ଉଡ଼ାଣ ସଂଭବ ହେବ । ଆଧୁନିକ ଡ଼ିଜିଟାଲ ମଞ୍ଚ ଉପଯୋଗରେ ଯାତ୍ରୀ ଚ଼ିହ୍ନଟ ଓ ଟିକଟ ବିକ୍ରୀ ପ୍ରକ୍ରିୟା ସରଳ ଓ ସୁବିଧାଜନକ ହୋଇପାରୁଥିବାରୁ ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ବିମାନ ସେବା ନିମନ୍ତେ ବାର ବର୍ଷ ତଳର ଅଭିଜ୍ଞତାର ଏଥରକ ପୁନରାବୃତ୍ତି ନହୋଇପାରେ !


Photo by Greg Rosenke on Unsplash 


Friday, February 24, 2023

Summer of 2023 Ahead / ଗ୍ରୀଷ୍ମଋତୁ ୨୦୨୩ ଆକଳନ

 

ପାରମ୍ପରିକଭାବେ #ବ୍ରହ୍ମପୁର ସହରରେ ଶିବରାତ୍ରୀଠାରୁ ଗ୍ରୀଷ୍ମର ପ୍ରକୋପ ଅନୁଭୂତ ହୁଏ ଏବଂ ଶାରଦୀୟ ଉତ୍ସବ କୁମାର ପୂର୍ଣ୍ଣିମା ଯାଏଁ ବଳବତ୍ତର ରହେ । ସ୍ୱାଭାବିକଭାବେ ଫେବୃୟାରୀ ୨୦୨୩ ମଧ୍ୟ ଭାଗରୁ ରାଜ୍ୟବ୍ୟାପୀ ଦିନ ଓ ରାତି ଉଭୟ ତାପମାତ୍ରା ବୃଦ୍ଧି ଲକ୍ଷ୍ୟ କରାଯାଇଥିଲା । ଗ୍ରୀଷ୍ମର ପ୍ରଥମ ଅନୁଭବ ଜନଜୀବନରେ ଚର୍ଚ୍ଚିତ ହୋଇଥାଏ । ଗଣମାଧ୍ୟମରେ ସମ୍ୱାଦ ପାଲଟେ । ଆଗକୁ ଗ୍ରୀଷ୍ମ ଋତୁ କିପରି ରହିବ ତାହା ଜାଣିବା ନିମନ୍ତେ ଉତ୍ସୁକତା ପ୍ରକାଶ ପାଇଥାଏ ।

 

ମକର ସଂକ୍ରାନ୍ତି ଜାନୁୟାରୀ ମଧ୍ୟଭାଗରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ହେତୁ ତାପମାତ୍ରା ବୃଦ୍ଧି ପାଏ । ବ୍ରହ୍ମପୁର ପୂର୍ବଦିଗରେ ସମୁଦ୍ର ପତ୍ତନଠାରୁ ସିଧା ସଳଖ ଦଶ କିଲୋମିଟରରୁ କମ ଦୂରତ୍ୱ ଏବଂ ପଶ୍ଚିମ ଦିଗରେ କେରାଣ୍ଡିମାଳ ପାର୍ବତ୍ୟାଞ୍ଚଳ ପାଦଦେଶରେ ଅବସ୍ଥିତ ଥିବା ହେତୁ ଏଠାକାର ଗ୍ରୀଷ୍ମକାଳୀନ ପାଣିପାଗ ଅନ୍ୟ ସହରଗୁଡ଼ିକଠାରୁ ଭିନ୍ନ । ସହରବାସୀ ପ୍ରାୟତଃ ଦ୍ୱୀପାଞ୍ଚଳ ଜଳବାୟୁ ଆଇଲ୍ୟାଣ୍ଡ ୱେଦର ଅନୁଭବ କରିଥାନ୍ତି । ଗ୍ରୀଷ୍ମଋତୁରେ ପ୍ରଭାତରୁ ମଧ୍ୟାହ୍ନ ଯାଏଁ ପ୍ରବଳ ଖରା ସାଙ୍ଗକୁ ସମୟାନ୍ତେ ଅପରାହ୍ନରେ ଅଧ ଘଣ୍ଟାରୁ ଘଣ୍ଟାଏ ଯାଏଁ ମୂଷଳ ଧାରାରେ ବୃଷ୍ଟି ହୁଏ । ଉଭୟ ସମୁଦ୍ର ତରଙ୍ଗ ଓ ବର୍ଷା କାରଣରୁ ବାୟୁମଣ୍ଡଳରେ ଜଳକଣା ବୃଦ୍ଧି ପାଇ ଆଦ୍ରତା ବଢ଼େ ଏବଂ ଗରମ ସାଙ୍ଗକୁ ଶରୀରରୁ ଝାଳ ବହେ । ଗୁଳଗୁଳି ଲାଗି ରହେ ।

 

ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନ କ୍ଳାଇମେଟ ଚେଞ୍ଜ ପ୍ରଭାବରେ ୨୦୨୨ ଗ୍ରୀଷ୍ମଋତୁରେ ୟୁରୋପ, ବ୍ରିଟେନ ଓ ଉତ୍ତର-ଆମେରିକାରେ ସର୍ବକାଳୀନ ତାପମାତ୍ରା ବୃଦ୍ଧି ଉଦବେଗର କାରଣ ପାଲଟିଥିଲା । ଏଯାଏଁ ଜଳବାୟୁ ପରିବର୍ତ୍ତନଜନିତ ଆଚ଼ରଣ ଆକସ୍ମିକ ଘଟଣାସ୍ତରରେ ରହିଛି । ବୈଜ୍ଞାନିକମାନେ ଦୀର୍ଘ ଅବଧି ପୂର୍ବାନୁମାନ କରିବା ସାମର୍ଥ୍ୟ ହାସଲ କରିପାରି ନାହାନ୍ତି । ଅତଏବ, ଗ୍ରୀଷ୍ମ ଋତୁର ପାରମ୍ପରିକ ପ୍ରଭାବ ବ୍ରହ୍ମପୁର କାହିଁକି, ଯେ କୌଣସି ସହରରେ କେଉଁ ରୂପରେ ଅନୁଭୂତ ହେବ ସେଥିନେଇ ଆଶଙ୍କା ଲାଗି ରହୁଛି ।

 

ଦ୍ୱିତୀୟତଃ, ଗ୍ରୀଷ୍ମ ବ୍ରହ୍ମପୁରବାସୀଙ୍କ ପାଇଁ ଆମ୍ୱଋତୁ । ସହରରେ ଦୋଳ ପୂର୍ଣ୍ଣିମାରୁ କଞ୍ଚା ଆମ୍ୱ ଏବଂ ବିଷୁବ ସଂକ୍ରାନ୍ତିଠାରୁ ପାଚ଼ିଲା ଆମ୍ୱ ପସରା ଖୋଲିଯାଏ । ବ୍ରହ୍ମପୁରକୁ ଘେରି ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ଆମ୍ୱ ତୋଟା ବା ବଗିଚା ସାଙ୍ଗକୁ ପଡ଼ୋଶୀ ଗଜପତି, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ବ୍ୟାପକ ଆମ୍ୱଚାଷ ହୁଏ । ବ୍ରହ୍ମପୁର ଆମ୍ୱ କିଣାବିକା ପାଇଁ ଏକ ବଡ଼ ବଜାର । ଆନ୍ଧ୍ରପ୍ରଦେଶ ସମେତ ଅନ୍ୟାନ୍ୟ ଦାକ୍ଷିଣାତ୍ୟ ରାଜ୍ୟଗୁଡ଼ିକରୁ ବ୍ରହ୍ମପୁର ବଜାରକୁ ଆମ୍ୱ ଆମଦାନୀ ହୁଏ ଏବଂ ରାଜ୍ୟର ବିଭିନ୍ନ ସହରକୁ ରପ୍ତାନୀ ହୁଏ ।

 

ପ୍ରାକ୍ ଓ ପୂର୍ବ ଗ୍ରୀଷ୍ମଋତୁର ପାଣିପାଗ ସହ ଆମ୍ୱ ଅମଳ ଅଙ୍ଗାଙ୍ଗୀଭାବେ ଜଡ଼ିତ । ପାଣିପାଗ ବିଜ୍ଞାନୀଙ୍କ ସୂଚ଼ନା ଅନୁଯାୟୀ ସମଗ୍ର ଓଡ଼ିଶାରେ ୨୦୨୩ର ପାଣିପାଗ ଆମ୍ୱ ଫସଲ ନିମନ୍ତେ ଅନୁକୂଳ ରହିଥିଲା । ମୁଖ୍ୟତଃ ବର୍ଷା ନହେବା ଏବଂ କମ ସଂଖ୍ୟକ ସକାଳରେ କୁହୁଡ଼ି ପଡ଼ିବା ଯୋଗୁଁ ଆମ୍ୱବଉଳ ମଉଳି ଯିବାରୁ ବର୍ତ୍ତିଯାଇଥିଲା । ଫଳରେ ସାଧାରଣ ତୁଳନାରେ ୨୦୨୩ରେ ଦୁଇ ଗୁଣ ଆମ୍ୱ ଫସଲ ଆଶା କରାଯାଇପାରେ । ହିସାବ ଅନୁଯାୟୀ ରାଜ୍ୟରେ ପ୍ରାୟ ଦୁଇ ଲକ୍ଷ ହେକ୍ଟର ଜମିରେ ଆମ୍ୱ ଚାଷ ହୁଏ । ହେକ୍ଟର ପିଛା ୪ ରୁ ୫ ଟନ ଅମଳ ହେଉଥିବା ସ୍ଥଳେ ୨୦୨୩ରେ ୫ ରୁ ୧୦ ଟନ ଯାଏଁ ଅମଳ ଆକଳନ କରାଯାଉଛି । କୁହାଯାଏ ଯେ ଗୋଟିଏ ବର୍ଷ ବ୍ୟବଧାନରେ ଆମ୍ୱ ଅମଳ ଭଲ ହୁଏ । ୨୦୨୦ ଓ ୨୦୨୨ରେ ଆମ୍ୱ ଅମଳ ଆଶାନୁରୂପକ ହୋଇନଥିଲା । ୨୦୨୧ରେ ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଥିଲା । ତେଣୁ ୨୦୧୯ ପରକୁ ୨୦୨୩ରେ ପ୍ରଚୁର ଆମ୍ୱ ଅମଳ ଆଶା କରାଯାଇପାରେ ।

 

ତୃତୀୟତଃ, ବର୍ଷକ ବ୍ୟବଧାନରେ ବ୍ରହ୍ମପୁରରେ ଠାକୁରାଣୀ ଯାତ୍ରା ଆୟୋଜିତ ହୁଏ । ଅତଏବ ପ୍ରଚୁର ଆମ୍ୱ ସହ ଯାକଜମକରେ ଠାକୁରାଣୀ ଯାତ୍ରା ସହରବାସୀକୁ ଆମୋଦିତ କରିବ । ଗତ ପାଳି ୨୦୨୧ରେ କୋଭିଡ଼-୧୯ ମହାମାରୀଜନିତ କଟକଣା ଯୋଗୁଁ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ନିରାଡ଼ମ୍ୱର ଭାବେ ପାଳିତ ହୋଇଥିଲା । ପରମ୍ପରାକ୍ରମେ ଶିବରାତ୍ରୀ ପାଳନର ଦୁଇ ସପ୍ତାହରେ ଯାତ୍ରା ଆୟୋଜନ ନିମନ୍ତେ ତିଥି ନିର୍ଦ୍ଧାରିତ ହୋଇଥାଏ । ବ୍ରହ୍ମପୁରରେ ବସତି ସ୍ଥାପନ କରିଥିବା ଅନ୍ୟତମ ପୁରାତନ ଦେବାଙ୍ଗ ସଂପ୍ରଦାୟ ବୁଣାକାରଙ୍କ ପକ୍ଷରୁ ଯାତ୍ରା ଆୟୋଜନ କରାଯାଇଥାଏ । ସଂପ୍ରଦାୟର ମୁଖ୍ୟ କୁଳ-ପୁରୋହିତଙ୍କ ପରାମର୍ଶକ୍ରମେ ତିଥି ନିର୍ଦ୍ଧାରଣ କରି ବିଭିନ୍ନ ବସ୍ତିରେ ବସବାସ କରୁଥିବା ଦେବାଙ୍ଗ ସଂପ୍ରଦାୟ ପରିବାରବର୍ଗଙ୍କ ପ୍ରତିନିଧି ଓ ସହରର ମାନ୍ୟଗଣ୍ୟଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଯାତ୍ରା ତିଥି ଘୋଷଣା କରିଥାନ୍ତି । ଗ୍ରୀଷ୍ମଋତୁ ୨୦୨୩ରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ଅଧିକ ଡ଼ିଜିଟାଲ ବିଭବ ସଂଯୋଗ ଓ ପାଚ଼ିଲା ଆମ୍ୱର ଅନ-ଲାଇନ କିଣାବିକା ବିକଶିତ ହେବା ଆକଳନ କରାଯାଇପାରେ ।


Photo by Anton Zaharchenko on Unsplash 

Friday, February 17, 2023

Four Decades of PREM / ଚାଳିଶି ବର୍ଷରେ ‘ପ୍ରେମ୍’

 

#ବ୍ରହ୍ମପୁର ସହର-କେନ୍ଦ୍ରୀକ ଦୁଇଗୋଟି ଗ୍ରାମ୍ୟ ଉନ୍ନୟନ ସଂଗଠନ ପ୍ରେମ୍ଗ୍ରାମ ବିକାଶ ଓଡ଼ିଶାରେ ବିଂଶ ଶତାଦ୍ଦୀର ଶେଷ ଦୁଇ ଦଶକ ଓ ଏକବିଂଶ ଶତାଦ୍ଦୀର ପ୍ରଥମ ଦଶକରେ ଆୟୋଜିତ ସ୍ୱେଚ୍ଛାସେବୀ ଆନ୍ଦୋଳନରେ ନେତୃତ୍ୱ ଗ୍ରହଣ କରିଥିଲେ । ସହରର ପଶ୍ଚିମ-ଉପକଣ୍ଠ ମହୁଡ଼ାରେ ସ୍ଥାପିତ ଗ୍ରାମ ବିକାଶ ୧୯୭୬ରେ ସାଂଗଠିନକ ପଞ୍ଜୀକୃତ ହୋଇଥିବା ସ୍ଥଳେ ପ୍ରେମ୍ ୧୯୮୨ରେ ପଞ୍ଜୀକୃତ ହୋଇଥିଲାପ୍ରେମ୍ର କାର୍ଯ୍ୟାଳୟ ଗୋସାଇଁ ନୂଆଗାଁ, ଗିରିରୋଡ଼, ଅଯୋଧ୍ୟା ନଗରରେ କିଛି କାଳ ସ୍ଥାପିତ ହୋଇ ବ୍ରହ୍ମପୁରର ପୂର୍ବ-ଉପକଣ୍ଠ ଜଗନ୍ନାଥପୁର ଓ ଭଞ୍ଜବିହାର ସଂଲଗ୍ନ ମାଣ୍ଡିଆପଲ୍ଲୀ ସ୍ଥାୟୀ କାର୍ଯ୍ୟାଳୟ ୧୯୯୨ରେ ନିର୍ମାଣ ପରେ ସ୍ଥାନାନ୍ତରିତ ହୋଇଥିଲା । ଗ୍ରାମ ବିକାଶର କାର୍ଯ୍ୟାଳୟ ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ୱରକୁ ଘୁଞ୍ଚି ଯାଇଛି ।

 

ବିଂଶ ଶତାଦ୍ଦୀର ସପ୍ତମ ଦଶକରେ ସାମାଜିକ ପରିବର୍ତ୍ତନ ଲକ୍ଷ୍ୟରେ ପୂର୍ବ-ଭାରତରେ ନକସଲପନ୍ଥୀ, ଉତ୍ତର-ଭାରତରେ ଜୟପ୍ରକାଶ ନାରାୟଣ ସମେତ ଦକ୍ଷିଣ ଭାରତରେ ସ୍ୱେଚ୍ଛାସେବୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା । ଦଶକର ମଧ୍ୟଭାଗରେ ଦୁଇ ବର୍ଷ ଧରି ରାଷ୍ଟ୍ରବ୍ୟାପୀ ଜରୁରୀ ପରିସ୍ଥିତି ଜାରି ରାଜନୈତିକ ପୃଷ୍ଟଭୂମିକୁ ଦୋହଲାଇ ଦେଇଥିଲା । ଏହି ସମସ୍ତ ପ୍ରଚ଼େଷ୍ଟାରେ ମୁଖ୍ୟତଃ ଗରିବୀ ହଟାଓ ସ୍ଳୋଗାନ କାର୍ଯ୍ୟକାରୀ କରିବା ନିମନ୍ତେ ଭିନ୍ନ ଭିନ୍ନ ପନ୍ଥା ଅନୁସରଣ କରାଯାଇଥିଲା । ନକସଲପନ୍ଥୀ ଓ ଜୟପ୍ରକାଶ ନାରାୟଣ ଆନ୍ଦୋଳନରେ ରାଜନୀତିକ ପଟ୍ଟପରିବର୍ତ୍ତନ ଓ ପ୍ରଶାସନିକ ସଂସ୍କାରକୁ ଗୁରୁତ୍ୱ ଦିଆଯାଇଥିବା ସ୍ଥଳେ ସ୍ୱେଚ୍ଛାସେବୀ ଆନ୍ଦୋଳନରେ ତୃଣମୂଳସ୍ତରରେ ଅପେକ୍ଷାକୃତ ଅବହେଳିତ ଅଞ୍ଚଳଗୁଡ଼ିକରେ ବିକାଶ କାର୍ଯ୍ୟକ୍ରମ ରୂପାୟନକୁ ପ୍ରାଥମିକତା ଦିଆଯାଇଥିଲା । ସ୍ୱେଚ୍ଛାସେବୀ ବିକାଶ ମଡ଼େଲରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ପର୍ଯ୍ୟାୟରେ ଆନ୍ତର୍ଜାତିକସ୍ତରରେ ଗଢ଼ିଉଠିଥିବା ବଦାନ୍ୟ ସଂସ୍ଥାଗୁଡ଼ିକରୁ ଅନୁଦାନ ସଂଗ୍ରହ କରାଯାଇ ସ୍ୱାଧୀନ ଓ ସୃଜନଶୀଳ ଶୈଳୀରେ ଭାରତର ଗ୍ରାମାଞ୍ଚଳରେ ଅତ୍ୟାଧୁନିକ ବିକାଶ କାର୍ଯ୍ୟକ୍ରମ ପରୀକ୍ଷାମୂଳକଭାବେ ଉପଯୋଗ କରାଯାଉଥିଲା ।

 

ପ୍ରେମ୍ ବା ପିଉପଲସ ରୁରାଲ ଏଜୁକେସନ ମୁଭମେଣ୍ଟର ଉଦ୍ୟୋକ୍ତା ଜାକୋବ ଥୁଣ୍ଡିଲ ଓ ଚାକୋ ପାରଭାନୀ ଏବଂ ଗ୍ରାମ ବିକାଶର ଜୋମାଡ଼ିଏଥ ଓ ଆନ୍ଥିଆ ମାଡ଼ିଏଥ ସପ୍ତମ ଦଶକର ଶେଷଭାଗରେ ବ୍ରହ୍ମପୁର ସହରରୁ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟ ଆରମ୍ଭ କରିଥିଲେ । ଏମାନେ ସମସ୍ତେ କେରଳ ନିବାସୀ । ଜାକୋବ ଓ ଚାକୋ ଖ୍ରୀଷ୍ଟିଆନ ପାଦ୍ରୀଭାବେ କିଛି କାଳ କାର୍ଯ୍ୟକରି ସେଥିରୁ ଅବ୍ୟାହତି ନେଇ ସ୍ୱାଧୀନଭାବେ ସ୍ୱେଚ୍ଛାସେବୀ ସଂଗଠନ ଗଠନ କରିଥିଲେ । ଜୋଚ଼େନ୍ନାଇର ଲଏଲା କଲେଜର ଛାତ୍ର ନେତାଭାବେ ଓଡ଼ିଶାର ରାଜନଗର ବାତ୍ୟା-ପ୍ରପୀଡ଼ିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ବୃତ୍ତିଗତ ସ୍ୱେଚ୍ଛାସେବୀ ଭାବେ ତତ୍କାଳୀନ ସମବାୟ ନେତା ରାମନାଥ ଦାସଙ୍କ ପ୍ରେରଣାରେ ଗ୍ରାମ୍ୟ ଅର୍ଥନୀତି ସୁଦୃଢ ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ପ୍ରଣୟନ ଲାଗି ବ୍ରହ୍ମପୁରରେ ପହଞ୍ଚିଥିଲେ । ଆନ୍ଥିଆ ଜୋଙ୍କ ଧର୍ମପତ୍ନୀ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନୁଭୂତି ସମ୍ପନ୍ନ ।

 

ବ୍ରହ୍ମପୁରରେ ପ୍ରାୟୋଜିତ ସ୍ୱେଚ୍ଛାସେବୀ ସଂଗଠନର କାର୍ଯ୍ୟଧାରା ଏହି ଅଞ୍ଚଳରେ ଏକ ନୂତନ ପରମ୍ପରା ଆରମ୍ଭ କରିଥିଲାସଂଯୋଗବଶତଃ ପ୍ରେମ୍ଗ୍ରାମ ବିକାଶ ପରବର୍ତ୍ତୀ ତିନି ଦଶକ ଧରି ସମଗ୍ର ରାଜ୍ୟରେ ଦୁଇ ବୃହତ ସ୍ୱେଚ୍ଛାସେବୀ ସଂଗଠନର ମାନ୍ୟତା ପାଇଥିଲେଏକବିଂଶ ଶତାଦ୍ଦୀର ପ୍ରଥମ ଦଶକ ଶେଷଭାଗରେ ଯୁକ୍ତରାଷ୍ଟ୍ର ଆମେରିକାରେ ସୃଷ୍ଟି ହୋଇଥିବା ଆର୍ଥିକ ମାନ୍ଦାବସ୍ଥା ଏବଂ ଭାରତ କ୍ରମଶଃ ଏକ ବିକଶିତ ରାଷ୍ଟ୍ର ରୂପେ ମୁଣ୍ଡ ଟେକିବା ଅବସରରେ ଦ୍ୱିତୀୟ ଦଶକ ଆରମ୍ଭରୁ ବୈଦେଶିକ ସହାୟତା ହଠାତ ବନ୍ଦ ହୋଇଗଲା । ମଧ୍ୟଭାଗରେ କେନ୍ଦ୍ର ସରକାର ପରିବର୍ତ୍ତନ ପରେ ବୈଦେଶିକ ଅନୁଦାନ ସଂଗ୍ରହକୁ ନିରୁତ୍ସାହିତ କରାଗଲା ଏବଂ ସ୍ୱଦେଶୀ ନୀତି ଅନୁସୃତ ହେଲା । ଏହି ଅବସରରେ ଉଭୟ ପ୍ରେମ୍ଗ୍ରାମ ବିକାଶର କାର୍ଯ୍ୟଧାରା ଅନୁଦାନ ଅଭାବରୁ ପ୍ରଭାବିତ ହୋଇଥିଲା ।

 

ପ୍ରେମ୍ ମୁଖ୍ୟତଃ ଅନଗ୍ରସରବର୍ଗଙ୍କ ବହୁମୁଖୀ ବିକାଶ ନିମନ୍ତେ ଶିକ୍ଷାର ପ୍ରସାରକୁ ପ୍ରାଥମିକତା ଦେଇଥାଏ । ବିଂଶ ଶତାଦ୍ଦୀ ସପ୍ତମ ଦଶକ ଶେଷଭାଗରେ ତତ୍କାଳୀନ ଅବିଭକ୍ତ ଗଞ୍ଜାମ ଜିଲ୍ଲାର ମୋହନା ଅଞ୍ଚଳରେ ମାତ୍ର ୧୫ ଗୋଟି ଗ୍ରାମରେ ୧୪ ରୁ ୪୦ ବର୍ଷ ବୟସ୍କଙ୍କ ମଧ୍ୟରେ ପ୍ରୌଢ଼ଶିକ୍ଷାରୁ ଆରମ୍ଭ ହୋଇଥିବା ବିକାଶର ଯାତ୍ରା ୨୦୨୩ ବେଳକୁ ଆଦିବାସୀ ଛାତ୍ରଛାତ୍ରୀଙ୍କ ଇଂଲିଶ ମାଧ୍ୟମ ମାଧ୍ୟମିକ ଶିକ୍ଷା, ନର୍ସିଂ, ହସପିଟାଲିଟି ଭଳି ବୈଷୟିକ ତାଲିମ ଓ ସ୍ୱାବଲମ୍ୱୀ ଆଦର୍ଶ ଗ୍ରାମ ପରିକଳ୍ପନାରେ ପ୍ରବର୍ତ୍ତିତ ପ୍ରେମ୍ ପକ୍ଷରୁ ମୋହନାରେ ଆରମ୍ଭ ହୋଇଥିବା ବିକାଶ ପର୍ବର ଚାରି ଦଶନ୍ଧିର ସ୍ମୃତି ଚାରଣ ନିମନ୍ତେ ୧୯ ଫେବୃୟାରୀ ୨୦୨୩ରେ ଏକ ଉତ୍ସବ ଆୟୋଜନ କରାଯାଉଛି ।

 

ପ୍ରେମ୍ଗ୍ରାମ ବିକାଶର ବିକାଶ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସହର ତଥା ଗଞ୍ଜାମ ଜିଲ୍ଲାର ବହୁସଂଖ୍ୟକ ଯୁବକ ଯୁବତୀ ସାମିଲ ହୋଇଥିଲେ । ଏହା ସ୍ଥାନୀୟ ସାମାଜିକ, ରାଜନୀତିକ ଓ ସାଂସ୍କୃତିକ ପରିବେଶକୁ ନିଶ୍ଚିତଭାବେ ପ୍ରଭାବିତ କରିଛି । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ପ୍ରାୟୋଜିତ ବିକାଶ ପ୍ରକ୍ରିୟାରେ କିପରି ସାମାଜିକ ପରିବର୍ତ୍ତନ ସମ୍ଭବପର ତାହାର ପ୍ରତ୍ୟକ୍ଷ ଅନୁଭୂତି ବିକାଶକର୍ମୀମାନେ ସାଉଁଟି ପାରିଛନ୍ତି । ବିକଳ୍ପ ସାମାଜିକ ବିକାଶଧାରାରେ ସ୍ୱେଚ୍ଛାସେବୀ ଆନ୍ଦୋଳନ ଯେ ଦୀର୍ଘକାଳ ଯାଏଁ ଏହି ଅଞ୍ଚଳରେ ଜନମାନସକୁ ପ୍ରଭାବିତ କରିବ ସେଥିରେ ସନ୍ଦେହ ନାହିଁ ।


ପ୍ରେମ ପକ୍ଷରୁ କନ୍ଧମାଳରେ ୨୦୧୭-୧୮ରେ ରୂପାୟିତ ପ୍ରୌଢ଼ଶିକ୍ଷା କାର୍ଯ୍ୟକ୍ରମ ବର୍ଣ୍ଣିତ ୫ ମିନଟର ୟୁଟ୍ୟୁବ ଭିଡ଼ିଓ ଦେଖିବା ନିମନ୍ତେ ନିମ୍ନ ଲିଙ୍କରେ କ୍ଳିକ କରନ୍ତୁ :

 

https://www.youtube.com/watch?v=DBAI5obB-_w



Photo by Aaron Burden on Unsplash