Friday, May 26, 2023

Dolphins in Rushikulya River / ଋଷିକୂଲ୍ୟା ମୁହାଣରେ ଡ଼ଲଫିନ

 

#ବ୍ରହ୍ମପୁର ସନ୍ନିକଟ ଋଷିକୂଲ୍ୟା ମୁହାଣ ଗଞ୍ଜାମ ବ୍ଳକ ଅନ୍ତର୍ଗତ ପୁରୁଣା ବନ୍ଧଠାରେ ଏପ୍ରିଲ  ୨୦୨୩ରେ ଡ଼ଲଫିନ ଦେଖିବାକୁ ମିଳିଥିବା ସ୍ଥାନୀୟ ଲୋକମୁଖରୁ ଶୁଣିବାକୁ ମିଳେ । ଗଣମାଧ୍ୟମରେ ପ୍ରସାରିତ ବିବରଣୀ ଅନୁଯାୟୀ ଦିନେ ପୂର୍ବାହ୍ନରେ ପ୍ରାୟ ୧୫ ଗୋଟି ଡ଼ଲଫିନ ବଟେଶ୍ୱର ବେଳାଭୂମିରେ କ୍ରୀଡ଼ାରତ ଥିବା ଅଞ୍ଚଳବାସୀ ଦେଖିଥିଲେ । ସ୍ଥାନୀୟ ରାଜସ୍ୱ ବିଭାଗ ଅଧିକାରୀ ଏହି ଦୃଶ୍ୟ କ୍ୟାମରାରେ ଚ଼ିତ୍ରିତ କରିଥିବା ପ୍ରକାଶ । ବନଖଣ୍ଡ ଅଧିକାରୀ ଏହାକୁ ବଟଲ-ନୋଜ ପ୍ରଜାତିର ଡ଼ଲଫିନ ରୂପେ ଚ଼ିହ୍ନଟ କରିଥିଲେ । କିଛି ବର୍ଷ ପୂର୍ବେ ଡ଼ଲଫିନ ଗଣନା ଅବସରରେ ଋଷିକୂଲ୍ୟା ମୁହାଣରେ ୩୦ରୁ ଉର୍ଦ୍ଧ୍ୱ ଡ଼ଲଫିନଙ୍କୁ ଠାବ କରାଯାଇଥିଲା ।
 
ଡ଼ଲଫିନ ଏକ ସ୍ତନ୍ୟପାୟୀ ପ୍ରାଣୀ । ଏହା ନଦୀ ଜଳ ଓ ସମୁଦ୍ର ଉଭୟରେ ବସବାସ କରେ । ବିଭିନ୍ନ ପ୍ରଜାତିର ଡ଼ଲଫିନ ପାଞ୍ଚ ଫୁଟରୁ ୩୧ ଫୁଟ ଦୈର୍ଘ୍ୟ ଏବଂ ୫୦ କିଲୋଗ୍ରାମରୁ ୧୦ ଟନ ଯାଏଁ ଓଜନ ହିସାବ କରାଯାଏ । ମହିଳା ଡ଼ଲଫିନ ତୁଳନାରେ ପୁରୁଷ ଡ଼ଲଫିନର ଶରୀର ବଡ଼ । ଡ଼ଲଫିନ ଜଳରେ ଘଣ୍ଟା ପ୍ରତି ୩୦ କିଲୋମିଟର ବେଗରେ ଗତି କରିପାରେ ଏବଂ ୩୦ ଫୁଟ ଯାଏଁ ଉପରକୁ ଲମ୍ପ ପ୍ରଦାନ କରିପାରେ । ଏମାନେ ମୁଖ୍ୟତଃ ଉଷ୍ମ ଜଳସ୍ରୋତରେ ବସବାସ କରିବାକୁ ପସନ୍ଦ କରନ୍ତି । ମାଛ ଡ଼ଲଫିନର ଆହାର ଏବଂ ଦ୍ରୁତ ଗତିଶୀଳ ମାଛ ଶୀକାର କରିବା ନିମନ୍ତେ ଡ଼ଲଫିନର ସ୍ୱତନ୍ତ୍ର ଦାନ୍ତ ସାହାଯ୍ୟ କରିଥାଏ । ଓଡ଼ିଶାରେ ଋଷିକୂଲ୍ୟା ନଦୀ ମୁହାଣ ଓ ଚ଼ିଲିକାରେ ଡ଼ଲଫିନ ଦେଖିବାକୁ ମିଳନ୍ତି । ଋଷିକୂଲ୍ୟା ଅବବାହିକାରେ ଡ଼ଲଫିନ ଭୂଆସୁଣୀ ନାମରେ ମଧ୍ୟ ପରିଚ଼ିତ । ଏଠାରେ ଡ଼ଲଫିନକୁ ଶୀକାର କରାଯାଏନାହିଁ । କିନ୍ତୁ ଜାପାନ, ପେରୁ ଓ ସୋଲାମନ ଦ୍ୱୀପପୁଞ୍ଜ ଭଳି ଅଞ୍ଚଳରେ ଡ଼ଲଫିନ ଶୀକାର ପ୍ରଚଳିତ ।
 
ଡ଼ଲଫିନଙ୍କ ଜୀବନଯାତ୍ରା ସଂପର୍କରେ ରୋଚ଼କ ତଥ୍ୟାବଳୀ ଉପଲବ୍ଧ । ଅତୀବ ପ୍ରାଚ଼ୀନ କାଳରୁ ଡ଼ଲଫିନ ବସବାସ କରିଆସୁଛନ୍ତି । ସେମାନେ ଗୋଷ୍ଠୀବଦ୍ଧ ଜୀବନ ଯାପନ କରନ୍ତି । ଗୋଟିଏ ଡ଼ଲଫିନ ଗୋଷ୍ଠୀରେ ଦଶ ପନ୍ଦରରୁ ହଜାରେ ଯାଏଁ ଡ଼ଲଫିନ ଏକତ୍ର ରହନ୍ତି । ସେମାନେ ପରସ୍ପରକୁ ସାହାଯ୍ୟ କରନ୍ତି । ଉଦାହରଣରେ ଗୋଟିଏ ଡ଼ଲଫିନ କୌଣସି କାରଣରୁ ଆହତ ହେଲେ, ଅନ୍ୟମାନେ ତାହାର ସେବା ଶୁଶୃଷା ପ୍ରତି ଧ୍ୟାନ ଦିଅନ୍ତି । ତାକୁ କିଛି ସମୟଲାଗି ବେଳାଭୂମିକୁ ଆଣି ସହଜରେ ଶ୍ୱାସ ପ୍ରଶ୍ୱାସ ନେବାର ଅବକାଶ ସୃଷ୍ଟି କରନ୍ତି ।
 
ଡ଼ଲଫିନମାନେ ନିଜ ନିଜ ମଧ୍ୟରେ ବାର୍ତ୍ତା ବିନିମୟ କରିବା ଜଣାଯାଏ । ସେମାନେ ହ୍ୱିସିଲ ବଜାଇବା ଭଳି ରାବନ୍ତି । ପ୍ରାପ୍ତବୟସ୍କ ଡ଼ଲଫିନମାନେ କନିଷ୍ଠମାନଙ୍କୁ ଜୀବନଚର୍ଯ୍ୟା ବିଷୟରେ ଶିକ୍ଷା ପ୍ରଦାନ କରନ୍ତି । ମୁଖ୍ୟତଃ ମାଆ ଡ଼ଲଫିନ ନିଜ କନ୍ୟାମାନଙ୍କୁ ଆତ୍ମରକ୍ଷାର ସୂତ୍ର ଶିଖାଏ । ଅପରପକ୍ଷେ ଡ଼ଲଫିନମାନେ ନିଜ ନିଜ ମଧ୍ୟରେ ଲଢ଼ନ୍ତି । ତେଣୁ ବୟସ୍କ ଡ଼ଲଫିନମାନଙ୍କ ଶରୀରରେ କ୍ଷତ ଦାଗମାନ ଦେଖିବାକୁ ମିଳେ । ଋଷିକୂଲ୍ୟା ମୁହାଣରେ ଦେଖାଦେଉଥିବା ବଟଲ-ନୋଜ ପ୍ରଜାତିର ବୟସ୍କ ଡ଼ଲଫିନ ସ୍ଥଳବିଶେଷରେ ଶିଶୁ ଡ଼ଲଫିନକୁ ଖାଇଯାଉଥିବା କୁହାଯାଏ ।
 
ହିନ୍ଦୁ ଓ ଗ୍ରୀକ ପୁରାଣରେ ଡ଼ଲଫିନର ବର୍ଣ୍ଣନା ରହିଛି । ଗଙ୍ଗା ଦେବୀଙ୍କ ବାହନ ମକରା ଗଙ୍ଗା ନଦୀର ଡ଼ଲଫିନକୁ ବୁଝାଏ । ସମକାଳରେ ଡ଼ଲଫିନ ପର୍ଯ୍ୟଟନ ଆକର୍ଷଣରୂପେ ପରିଚ଼ିତ । ଦେଶର ବିଭିନ୍ନ ଅଞ୍ଚଳରେ ଡ଼ଲଫିନ ବସବାସ କରୁଥିଲେହେଁ ଆମ ଚ଼ିଲିକା ସହ ପଶ୍ଚିମବଙ୍ଗର ସୁନ୍ଦରବନ ଜାତୀୟ ଉଦ୍ୟାନ, ଆସାମରେ ବ୍ରହ୍ମପୁତ୍ର, ଲୋହିତ ଓ ଦିବୃ ନଦୀର ସଙ୍ଗମ ଦିବୃ ସାଇଖୋୱା ଜାତୀୟ ଉଦ୍ୟାନ, ଉତ୍ତର ପ୍ରଦେଶର ଚମ୍ୱଲ, ମହାରାଷ୍ଟ୍ରରେ ମୁମ୍ୱାଇଠାରୁ ୨୨୭ କିଲୋମିଟର ଦୂରବର୍ତ୍ତୀ ଦାପୋଲି, ଗୋଆର ସିନକ୍ୱାରିୟମ, କେରଳର ଚେରାଇ ଓ ଲକ୍ଷାଦ୍ୱୀପ ଡ଼ଲଫିନ ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ।

Photo by sylvie charron on Unsplash 


Friday, May 19, 2023

Electricity Consumers Interest / ବିଦ୍ୟୁତ ଉପଭୋକ୍ତାଙ୍କ ସ୍ୱାର୍ଥରକ୍ଷା

 

ରାଜ୍ୟରେ ସର୍ବତ୍ର ଭଳି #ବ୍ରହ୍ମପୁର ସହରରେ ମଧ୍ୟ ବିଦ୍ୟୁତ ଯୋଗାଣରେ ଅବ୍ୟବସ୍ଥା ଲାଗି ରହିଥାଏ । ସେଥି ମଧ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ମୁଖ୍ୟ ସମସ୍ୟା । ଏହାର କାରଣ ଓ ନିରାକରଣ ସଂପର୍କର ଗଣମାଧ୍ୟମ ପକ୍ଷରୁ ରାଜ୍ୟ ଶକ୍ତି ମନ୍ତ୍ରୀଙ୍କୁ ନିକଟ ଅତୀତରେ ପଚ଼ରାଯାଇଥିଲା । ସେ ଦୁଇଗୋଟି କାରଣ ସୂଚାଇଥିଲେ । ପ୍ରଥମତଃ, ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ ସରବହାର ନିମନ୍ତେ ଭିତ୍ତିଭୂମି ଅଭାବ । ଗ୍ରାହକ ସଂଖ୍ୟା ବୃଦ୍ଧି ଓ ବିଦ୍ୟୁତ ବ୍ୟବହାର ପରିମାଣ ବୃଦ୍ଧିକୁ ପରିଚାଳନା ନିମନ୍ତେ ପର୍ଯ୍ୟାପ୍ତ ଟ୍ରାନ୍ସଫର୍ମର ବ୍ୟବସ୍ଥାର ଅଭାବ ରହିଛି । ସେହିପରି ବିଦ୍ୟୁତ ପରିବହନ ନିମନ୍ତେ ଯେତିକି ଦୂରତ୍ୱରେ ସବ-ଷ୍ଟେସନ ରହିବା ଆବଶ୍ୟକ, ତାହା ବି ନାହିଁ । ଦ୍ୱିତୀୟତଃ, ରାଜ୍ୟରେ ବିଦ୍ୟୁତ ବ୍ୟବହାର ପରିମାଣ ବଢ଼ିଚାଲିଛି । ହିସାବ ଅନୁଯାୟୀ ୨୦୦୦ ମସିହାରେ ୧୮ ଶହରୁ ୧୯ ଶହ ମେଗାୱାଟ ବିଦ୍ୟୁତ ଆବଶ୍ୟକ ପଡୁଥିବା ସ୍ଥଳେ ତାହା ୩୪ ଶହ ମେଗାୱାଟକୁ ବୃଦ୍ଧି ପାଇଛି । ପିକ୍ ଆୱାର ଆବଶ୍ୟକତା ବିଗତ ୨୦ରୁ ୨୨ ବର୍ଷ ମଧ୍ୟରେ ୨୧ ଶହ ମେଗାୱାଟରୁ ବଢ଼ି ୪୬ ଶହ ମେଗାୱାଟରେ ପହଞ୍ଚିଲାଣି । ଏହି ଦୁଇ କାରଣକୁ ସଜାଡ଼ିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଚାଲିଥିବା ଏବଂ ପର୍ଯ୍ୟାପ୍ତ ବ୍ୟୟ ବରାଦ ହୋଇଥିବା ଜଣାଯାଏ । ଏହି କ୍ରମରେ ୨୦୨୫ ସୁଦ୍ଧା ଅବସ୍ଥା ସୁଧୁରିଯିବା ଆଶା କରାଯାଏ ।
 
ବିଦ୍ୟୁତ ଉତ୍ପାଦନରେ ବର୍ତ୍ତମାନ ଓଡ଼ିଶା ବଳକା ରାଜ୍ୟ । ଅତୀତରେ କୁହାଯାଉଥିଲା ୨୦୦୦ ମସିହା ବେଳକୁ ବିଦ୍ୟୁତ ଉତ୍ପାଦନ ବୃଦ୍ଧିରେ ଅନ୍ତତଃପକ୍ଷେ ସହରାଞ୍ଚଳରେ ବିଦ୍ୟୁତ ଯୋଗାଣ ସମସ୍ୟା ସମାଧାନ ସଂଭବ । କିନ୍ତୁ ବିଗତ ଦୁଇ ଦଶନ୍ଧିରେ ବିତରଣଜନିତ ସମସ୍ୟା ସ୍ଥିତାବସ୍ଥାରେ ପରିବର୍ତ୍ତନ ଆଣିପାରିଲା ନାହିଁ । ଶକ୍ତି ମନ୍ତ୍ରୀଙ୍କ କୈଫୟତ ବ୍ରହ୍ମପୁର ଭଳି ପୁରାତନ ସହରରେ ଭିନ୍ନ ରୂପ ଧାରଣ କରିଥାଏ । ଏଠାରେ ଟ୍ରାନ୍ସଫରମର ଓ ସବ-ଷ୍ଟେସନ ବ୍ୟବସ୍ଥା ଥିଲେ ହେଁ ଏଗୁଡ଼ିକର ତୃଟିପୂର୍ଣ୍ଣ ରକ୍ଷଣାବେକ୍ଷଣ ବିତରଣ ପ୍ରକ୍ରିୟାରେ ଅନ୍ତରାୟ ସାଜିଥାଏ ।
 
ନିରପେକ୍ଷଭାବେ ଆଲୋଚ଼ନା କଲେ ଏଥିଲାଗି ଦୁଇଗୋଟି କାରଣ ନଜରକୁ ଆସେ । ପ୍ରଥମତଃ, ବ୍ରହ୍ମପୁର ଏକ ବାତ୍ୟାପ୍ରବଣ ସହର । ପ୍ରତି ଆଠ, ଦଶ ବର୍ଷରେ ଥରେ ଘଣ୍ଟାକୁ ଦୁଇ ଶହରୁ ଅଧିକ କିଲୋମିଟର ବେଗରେ ପବନ ବହି ବିଦ୍ୟୁତ ଯୋଗାଣ ବ୍ୟବସ୍ଥାକୁ ଧୂଳିସାତ କରିପକାଏ । ବାତ୍ୟା ପରେ ଜରୁରି ଭିତ୍ତିରେ ଦଶରୁ ପନ୍ଦର ଦିନ ମଧ୍ୟରେ ବିଜୁଳି ତାର ସଜାଡ଼ି ଅସ୍ଥାୟୀ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଆରମ୍ଭ ହୁଏ । ତେବେ ଅସ୍ଥାୟୀ ରକ୍ଷଣାବେକ୍ଷଣ କ୍ୱଚ଼ିତ ସ୍ଥାୟୀ ରକ୍ଷାଣବେକ୍ଷଣ ସ୍ତରରେ ପହଞ୍ଚେ । ଫଳରେ ବ୍ରହ୍ମପୁରର ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ସର୍ବଦା ଦୁର୍ବଳ ରହିଥାଏ । ଦ୍ୱିତୀୟତଃ, ପରିଚାଳନାଗତ ଅପାରଗତା ହେତୁ ବିଦ୍ୟୁତ ବିତରଣ ବ୍ୟବସ୍ଥା କେବଳ ତୃଟିପୂର୍ଣ୍ଣ ନୁହେଁ, ଭୁଷୁଡ଼ି ଯିବାକୁ ବସିଥିଲା । ରାଜ୍ୟ ସରକାର ବାଧ୍ୟବାଧକତାରେ ବିଦ୍ୟୁତ ବିତରଣ ପରିଚାଳନା ଦାୟିତ୍ୱ ଏକ ଘରୋଇ କମ୍ପାନୀକୁ ଟେକିଦେବାକୁ ବାଧ୍ୟ ହେଲେ ।
 
ଶକ୍ତି ମନ୍ତ୍ରୀଙ୍କ ସାର୍ଟିଫିକେଟରେ ଟାଟା ପାୱାର ଗୋଟିଏ ପ୍ରତିଷ୍ଠିତ ସଂସ୍ଥା ଏବଂ ଅନ୍ୟ କମ୍ପାନୀଗୁଡ଼ିକ ଅପେକ୍ଷା ବିଦ୍ୟୁତ କ୍ଷେତ୍ରରେ ଟାଟା ପାୱାରର ପ୍ରଦର୍ଶନ ଭଲ । ଏହି ପରିପ୍ରେକ୍ଷୀରେ ତତ୍ତ୍ୱବିତମାନଙ୍କ ମତ ଟାଟା ପାୱାର ବ୍ରହ୍ମପୁର ଭଳି ସହରରେ ବିଫଳ ପ୍ରମାଣିତ ପୁରୁଣା ବ୍ୟବସ୍ଥାକୁ ଅନୁସରଣ କରିବା ଛାଡ଼ି ବିଜ୍ଞାନ-ସମ୍ମତ୍ତ ବିଦ୍ୟୁତ ପରିବହନ ନିମନ୍ତେ ଉଦ୍ୟମ କରୁ । ପ୍ରଥମତଃ, ସହର ସାରା ରାସ୍ତାଘାଟରେ ଯେଉଁଭଳି ବିପଦପୂର୍ଣ୍ଣ ଭାବେ ମାଳ ମାଳ ତାର ଓହଳି ରହିଛି, ସେଥିରେ ସଂସ୍କାର ଆଣୁ । ପ୍ରତି ଘରଦ୍ୱାରରେ ମିଟର ସ୍ଥାପନ ବାହାନାରେ ଅନୁଚ୍ଚ ଜୀବନ୍ତ ତାର ଅପସାରଣକୁ ପ୍ରାଥମିକତା ଦେଉ । ସାଉଥକୋ ଓ ତାହାର ସହଯୋଗୀ ବିତରକଗୁଡ଼ିକ ରାଜ୍ୟସାରା ପ୍ରତି ବିଦ୍ୟୁତ ଉପଭୋକ୍ତାକୁ ଚୋରଭଳି ସଜାଇ ଘରଦ୍ୱାରରେ ମିଟର ବସାଇ ଆଠ ହଜାର କୋଟି ଟଙ୍କା ବକେୟା ବିଦ୍ୟୁତ ବିଲ ଆଦାୟ ନ କରିପାରି ଯଦି ସତ୍ତା ହରାଇଲେ, ଟାଟା ପାୱାର ପୂର୍ବ ପ୍ରଚଳିତ ବ୍ୟବସ୍ଥାକୁ ବଦଳାଇବାକୁ ଚେଷ୍ଟା କରୁ । ସହର ପୁଣି ଏକ ବାତ୍ୟାର ସମ୍ମୁଖୀନ ହେବା ପୂର୍ବରୁ ଅନ୍ତତଃପକ୍ଷେ ରାସ୍ତାଘାଟ ଓ ଗୃହ ଦ୍ୱାରରେ ପ୍ରତିଷେଧକ ବ୍ୟବସ୍ଥା ପ୍ରଣୟନ ପାଇଁ ବିଚାର ବିମର୍ଷ କରୁ ।
 
ଦ୍ୱିତୀୟତଃ, ବ୍ରହ୍ମପୁର ଭଳି ସହରରେ ଘରୋଇ ଉପଭୋକ୍ତାଙ୍କ ବିଦ୍ୟୁତ ବ୍ୟବସ୍ଥା ସଜାଡ଼ିବା ନିମନ୍ତେ ବିଶେଷଜ୍ଞ ଅଭାବ ଏକ ବଡ଼ ସମସ୍ୟା । ତୃଟିପୂର୍ଣ୍ଣ ବିଦ୍ୟୁତ ବ୍ୟବସ୍ଥା ହେତୁ ଉପଭୋକ୍ତା ଅକାରଣେ ବିଦ୍ୟୁତ ଅପଚ଼ୟ କାରଣରୁ ଖର୍ଚ୍ଚାନ୍ତ ହୁଏ ଏବଂ ବିପଦପୂର୍ଣ୍ଣ ବ୍ୟବସ୍ଥାରେ ପରିବାରକୁ ନେଇ ବସବାସ କରେଟାଟା ପାୱାର ନିଜ କର୍ପୋରେଟ ସୋସିଆଲ ରେସପନସିବିଲିଟି କାର୍ଯ୍ୟକ୍ରମରେ ବ୍ରହ୍ମପୁରରେ ବିଦ୍ୟୁତ ବିଶେଷଜ୍ଞ ଓ ତାଲିମପ୍ରାପ୍ତ କର୍ମଚାରୀ ନିଯୁକ୍ତ କରି ଉପଭୋକ୍ତାଙ୍କ ଗୃହରେ ବିଦ୍ୟୁତ ବ୍ୟବସ୍ଥା ସଜାଡ଼ିବାରେ ସହାୟତା ନିମନ୍ତେ ସୁଯୋଗ ସୃଷ୍ଟି କରୁ । ଏହା ଫଳରେ ଉପଭୋକ୍ତା ସହଜରେ ବିଶେଷଜ୍ଞଙ୍କ ପରାମର୍ଶ, ଆଧୁନିକ ସାଜ-ସରଞ୍ଜାମ ବ୍ୟବହାର, ଶକ୍ତି ଅପଚ଼ୟ ରୋକିବା ସଙ୍ଗେ ବିଦ୍ୟୁତ ଦୁର୍ଘଟଣାକୁ ଏଡ଼ାଇଦେଇପାରିବେ । ଏତଦ୍ୱାରା ଉପଭୋକ୍ତାଙ୍କ ସ୍ୱାର୍ଥରକ୍ଷା ହେବ ।

Photo by Heri Susilo on Unsplash 


Thursday, May 11, 2023

Trouble by French Soldiers / ଫରାସୀ ସେନାବାହିନୀ ଉପଦ୍ରବ

 

#ବ୍ରହ୍ମପୁର ସହରରେ ଫରାସୀ ଶାସନ ଏକ ଲୁକ୍କାୟିତ ଅଧ୍ୟାୟ । ଏହା ସଂପର୍କରେ ପ୍ରାୟତଃ ଚର୍ଚ୍ଚା ହୋଇନଥାଏ । ଏହି କାରଣରୁ ବ୍ରହ୍ମପୁର ଜନଜୀବନ ସଂପର୍କରେ ଋଚ଼ି ରଖୁଥିବା ବହୁ ବ୍ୟକ୍ତି ଅଜ୍ଞ ରହିବା ସ୍ୱାଭାବିକ ।
 
ଐତିହାସିକ ତଥ୍ୟ ଅନୁଯାୟୀ ବ୍ରହ୍ମପୁର ସମେତ ଦକ୍ଷିଣ ଓଡ଼ିଶା ୧୭୫୩ରୁ ୧୭୫୯ ଛଅ ବର୍ଷ କାଳ ଫରାସୀ ଶାସନାଧୀନ ରହିଥିଲା । ଏଥିପୂର୍ବରୁ ବ୍ରହ୍ମପୁର ତଥା ମହୁରି ରାଜ୍ୟ ୧୫୭୧ରୁ ୧୬୬୭ ପର୍ଯ୍ୟନ୍ତ ଗୋଲକୋଣ୍ଡା ଏବଂ ୧୬୬୭ରୁ ୧୭୫୩ ପର୍ଯ୍ୟନ୍ତ ମୋଗଲ ବା ହାଇଦରାବାଦ ନିଜାମଙ୍କ ଅଧୀନରେ ଶାସିତ ହେଉଥିଲା । ହାଇଦରାବାଦ ନିଜାମଙ୍କ ଉତ୍ତର ସରକାରରେ ମହୁରି ରାଜ୍ୟ ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଅନ୍ତର୍ଭୁକ୍ତ ଥିଲା । ୧୭୫୩ରେ ନିଜାମ ଫରାସୀ ସେନାବାହିନୀକୁ ଏକ ଚୁକ୍ତି ବଳରେ ଉତ୍ତର ସରକାର ଅର୍ପଣ କରିଥିଲେ । ଫଳରେ ମହୁରି ରାଜ୍ୟରେ ଫରାସୀ ଶାସନ ସୂତ୍ରପାତ ହୋଇଥିଲା । ମହୁରି ରାଜ୍ୟ ଫରାସୀମାନଙ୍କ ସହିତ ଉତ୍ତମ ସଂପର୍କ ସ୍ଥାପନ କରିଥିଲେ । ତେବେ ୧୭୫୯ରେ ମହୁରି ଓ ଫରାସୀ ସେନାଙ୍କ ସଂପର୍କରେ ତିକ୍ତ ହୋଇପଡ଼ିଥିଲା ।
 
ଜଣେ ଫରାସୀ ପ୍ରଶାସକ ଗଞ୍ଜାମରେ ଅବସ୍ଥାପିତ ହୋଇଥାନ୍ତି । ବିଜୟନଗରମ ରାଜା ଆନନ୍ଦରାଜୁଙ୍କ ବିରୋଧରେ ଯୁଦ୍ଧ ନିମନ୍ତେ ଫରାସୀ ପ୍ରଶାସକ ମହୁରି ରାଜା ନାରାୟଣ ଦେବଙ୍କ ସହାୟତା ଲୋଡ଼ିଥିଲେ । ନାରାୟଣ ଦେବ ଏଥିରେ ସହମତ ହୋଇଥିଲେହେଁ ଆନ୍ତରିକତାର ସହ ଯୁଦ୍ଧରେ ଯୋଗ ଦେଇନଥିଲେ । ଫରାସୀ ସେନାବାହିନୀ ୧୭୫୯ ଜୁଲାଇ ମାସରେ ଗଞ୍ଜାମରେ ପହଞ୍ଚିଥିଲେ । ସେମାନଙ୍କ ରହିବା, ଖାଇବା ବ୍ୟବସ୍ଥା ମହୁରି ରାଜା ନକରିପାରିବା ହେତୁ ସେନାବାହିନୀ ଅତିଷ୍ଠ ହୋଇପଡ଼ିଥିଲେ । ସେମାନେ ମହୁରି ରାଜଧାନୀ ବ୍ରହ୍ମପୁରରେ ପଶି ଘରଦ୍ୱାର ଲୁଟ କରିଥିଲେ । ନାରାୟଣ ଦେବ ଏହାର ଦୃଢ ପ୍ରତିରୋଧ କରିବା ସହ ପଡ଼ୋଶୀ ରାଜାମାନଙ୍କଠାରୁ ସହାୟତା ଏକତ୍ରୀତକରି ଫରାସୀ ସୈନ୍ୟଙ୍କୁ ବ୍ରହ୍ମପୁରରୁ ବିତାଡ଼ିତ କରିଥିଲେ ।
 
ଏହି ଘଟଣାପରେ ମହୁରି ସହ ଫରାସୀ ପ୍ରଶାସକଙ୍କ ସୁସଂପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ନାରାୟଣ ଦେବ ଇଷ୍ଟ ଇଣ୍ଡିଆ କମ୍ପାନୀର କର୍ଣ୍ଣେଲ କ୍ଳାଇବଙ୍କୁ ପତ୍ର ଲେଖି ଫରାସୀ ସେନାବାହିନୀଙ୍କୁ ହଟାଇବା ଲାଗି ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ । କର୍ଣ୍ଣେଲ କ୍ଲାଇବ ଏଥିରେ ରାଜି ହୋଇ ଇଂଲିଶ ସେନା ପ୍ରେରଣ କରିଥିଲେ । ହାର୍ଡୱିକ ନାମକ ଏକ ଜାହାଜରେ ଇଂଲିଶ ସେନା ହୁଗୁଳି ବନ୍ଦରରୁ ସମୁଦ୍ର ପଥରେ ଗଞ୍ଜାମ ବନ୍ଦର ପହଞ୍ଚି ଫରାସୀ ସେନାଙ୍କ ସହ ଯୁଦ୍ଧ କଲେ । ୧୭୫୯ ଶେଷ ବେଳକୁ ଫରାସୀ ସେନା ପରାସ୍ତ ହୋଇ ଗଞ୍ଜାମ ଛାଡ଼ି ପଳାୟନ କରିଥିଲେ ।
 
ପରବର୍ତ୍ତୀ କାଳରେ ଗଞ୍ଜାମ ଇଂଲିଶ ଶାସନାଧୀନ ହୋଇଥିଲା । ୧୭୯୧ରେ ବ୍ରହ୍ମପୁର ସମେତ ମହୁରି ରାଜ୍ୟକୁ ଗଞ୍ଜାମ ପ୍ରଶାସନ ଅଧୀନରେ ରଖାଯାଇଥିଲା ଏବଂ ୧୮୫୦ ଅକ୍ଟୋବର ୭ ତାରିଖ ଦିନ ମହୁରି ରାଜ୍ୟକୁ ଇଂଲିଶ ସରକାର ବାଜ୍ୟାପ୍ତ କରିଦେଇଥିଲେ ।
 
ଫରାସୀମାନେ ଷୋଡ଼ଶ ଶତାଦ୍ଦୀରେ ମୁଖ୍ୟତଃ ବାଣିଜ୍ୟ ବ୍ୟବସାୟ ଉଦ୍ଦେଶ୍ୟରେ ଭାରତରେ ପହଞ୍ଚିଥିଲେ । ସପ୍ତଦଶ ଶତାଦ୍ଦୀରେ ସେମାନେ ଓଡ଼ିଶାର ଉତ୍ତର ଉପକୂଳ ବାଲେଶ୍ୱରଠାରେ ଏକ କ୍ଷୁଦ୍ର ବ୍ୟାବସାୟିକ କେନ୍ଦ୍ର ଲଜ ପ୍ରତିଷ୍ଠା କରିଥିଲେ । ଏଠାରେ ମୁଖ୍ୟତଃ ଧାନ, ଚାଉଳ, ମାଛ, ଶୁଖୁଆ, ବସ୍ତ୍ର ଓ କଳକବଜା ଆମଦାନୀ-ରପ୍ତାନୀ ବ୍ୟବସାୟ ଚାଲିଥିଲା । ବ୍ରିଟିଶ ଇଣ୍ଟ ଇଣ୍ଟିଆ କମ୍ପାନୀ ସହ ଫ୍ରେଞ୍ଚ ଇଷ୍ଟ ଇଣ୍ଡିଆ କମ୍ପାନୀର ସଂଘର୍ଷ ଲାଗି ରହିଥିଲା । ପ୍ରଥମ ଅବସ୍ଥାରେ ଫରାସୀ ରାଜ ପରିବାର ଭାରତରେ ଫ୍ରେଞ୍ଚ ଇଷ୍ଟ ଇଣ୍ଡିଆ କମ୍ପାନୀର ପ୍ରଭୁତ୍ୱ ବିସ୍ତାର ନୀତିକୁ ପ୍ରୋତ୍ସାହିତ କରୁଥିବା ସ୍ଥଳେ ପରବର୍ତ୍ତୀ ପର୍ଯ୍ୟାୟରେ ୧୭୬୯ରେ ଓହରି ଯାଇଥିଲେ । ଫଳରେ ଫରାସୀମାନେ ଭାରତରେ କେବଳ ବାଣିଜ୍ୟ ବ୍ୟବସାୟରେ ନିଜ କାର୍ଯ୍ୟଧାରା ସୀମିତ ରଖିଲେ । ପଣ୍ଡିଚେରୀ, ଚନ୍ଦରନଗର, କରାଇକେଲ, ମାହେ, ୟେନାମ, ମଛଲିପଟ୍ଟନମ, କାଲିକଟ ଓ ସୁରାଟ ପ୍ରଭୃତି ଅଞ୍ଚଳରେ ଭାରତ ସ୍ୱାଧୀନତା ପ୍ରାପ୍ତି ଯାଏଁ ଫରାସୀ ଉପନିବେଶମାନ ବଳବତ୍ତର ରହିଥିବା ଜଣାଯାଏ ।

Photo by Jason Leung on Unsplash 


Friday, May 5, 2023

Tap Water User Fees / ଜଳ କର

 

ଓଡ଼ିଶା ପ୍ରଦେଶରେ ପାଇପ ଯୋଗେ ଜଳଯୋଗାଣ ବ୍ୟବସ୍ଥା ପ୍ରବର୍ତ୍ତନରେ #ବ୍ରହ୍ମପୁର ଅନ୍ୟତମ ପୁରାତନ ସହର । ପ୍ରଥମ ପର୍ଯ୍ୟାୟରେ ଜଳଯୋଗାଣ ପରିଚାଳନା ଦାୟିତ୍ୱ ସ୍ଥାନୀୟ ପୌରପାଳିକା କର୍ତ୍ତୃତ୍ୱାଧୀନ ଥିବା ସ୍ଥଳେ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ସଂସ୍ଥା ପବ୍ଳିକ ହେଲଥ ଇଞ୍ଜିନିୟରିଂ ଡ଼ିଭିଜନ–ପିଏଚଇଡିକୁ ହସ୍ତାନ୍ତର ହୋଇଥିଲା । ତୃତୀୟ ପର୍ଯ୍ୟାୟରେ ସମଗ୍ର ରାଜ୍ୟରେ ସହରାଞ୍ଚଳ ଜଳଯୋଗାଣ ପରିଚାଳନା ନିମନ୍ତେ ୱାଟର କରପୋରେସନ ଅଫ ଓଡ଼ିଶା ୱାଟକୋ ଗଠିତ ହୋଇ ୨୦୨୨ ମେ ମାସରୁ ଦାୟିତ୍ୱ ଗ୍ରହଣ କରିଛି । ୱାଟକୋ ଅଧୀନରେ ବ୍ରହ୍ମପୁରରେ ପାଇପଯୋଗେ ଜଳଯୋଗାଣ ୨୦୨୨ ମେରୁ ୨୦୨୩ ମେ ଏକ ବର୍ଷ ପୂର୍ତ୍ତୀ ହୋଇଛି ।
 
କର୍ପୋରେଟ ଢ଼ାଞ୍ଚାରେ ନବଗଠିତ ୱାଟକୋ ସହରରେ ଉପଭୋକ୍ତାଙ୍କଠାରୁ ବାର୍ଷିକ ଜଳ କର ଓ ବକେୟା ଜଳ କର ଆଦାୟକୁ ପ୍ରାଥମିକତା ଦେଇଥିଲା । ସମ୍ୱାଦପତ୍ରରେ ପ୍ରକାଶିତ ବିବରଣୀ ଅନୁଯାୟୀ ବର୍ଷକ ମଧ୍ୟରେ ବାର୍ଷିକ ଜଳ କର ଓ ବକେୟା ବାବଦରେ ପ୍ରାୟ ୧୧ କୋଟି ଟଙ୍କା ଆଦାୟ ହୋଇଛି । ରାଜ୍ୟସ୍ତରରେ ଜଳ କର ଆଦାୟରେ ବ୍ରହ୍ମପୁର ଅନ୍ୟତମ ଅଗ୍ରଣୀ ସହରରୂପେ ପରିଗଣିତ ହେଉଥିବା କୁହାଯାଉଛି ।
 
ଏହା ଏକ ସୁସମ୍ୱାଦ ଏବଂ ବ୍ରହ୍ମପୁର ସହରବାସୀଙ୍କ ଉଦାରତା ଅବଶ୍ୟ ପ୍ରଶଂସନୀୟ । ପୂର୍ବବର୍ତ୍ତୀ ବର୍ଷଗୁଡ଼ିକରେ, ମୁଖ୍ୟତଃ ପିଏଚ଼ଇଡ଼ି ଅଧୀନରେ ଜଳଯୋଗାଣ ପରିଚାଳନାରେ ଆଶାଅନୁରୂପ ଜଳ କର ଆଦାୟ ହୋଇପାରୁନଥିଲା । ଏହାର ବିଭିନ୍ନ କାରଣ ଚ଼ିହ୍ନଟ କରାଯାଇପାରେ । ପ୍ରଥମତଃ, ବିଂଶ ଶତାଦ୍ଦୀ ଶେଷ ଦଶନ୍ଧି ବେଳକୁ ସହରକୁ ପର୍ଯ୍ୟାପ୍ତ ପରିମାଣରେ ଜଳଯୋଗାଣ ସଂଭବ ହୋଇପାରୁନଥିଲା । ଉତ୍କଟ ଜଳ ସମସ୍ୟା ଲାଗିରହିଥିଲା । ଗ୍ରୀଷ୍ମଋତୁ ପହଞ୍ଚୁ ପହଞ୍ଚୁ ସାହି ସାହିରେ ଖାଲି ଗରା ବାଲଟି ଧରି ଉତ୍ୟକ୍ତ ଜନତାଙ୍କ ରାସ୍ତାରୋକ ସମ୍ୱାଦ ଦେହସୁହା ହୋଇପଡ଼ିଥିଲା । ବର୍ଷସାରା ସହରର ଉଚ୍ଚ ଅଞ୍ଚଳଗୁଡ଼ିକରେ ପାଇପ ପାଣି ନିୟମିତ ଯୋଗାଣ ସ୍ୱପ୍ନରେ ଆବଦ୍ଧ ରହୁଥିଲା । କାଁ ଭାଁ ଘଣ୍ଟାଏ, ଅଧ ଘଣ୍ଟା ଜନସାଧାରଣ ପାଇପଯୋଗେ ପାଣି ପାଉଥିଲେ । ସରକାରୀସ୍ତରରେ ବହୁ ଜଳଯୋଗାଣ ଯୋଜନା ଘୋଷଣା ଓ କ୍ରମଶଃ ପ୍ରତ୍ୟାହାର ସ୍ଥାନୀୟ ଜନଜୀବନରେ ଆଶା ଉଦୟ ଓ ଅସ୍ତରେ ପର୍ଯ୍ୟବସିତ ହେଉଥିଲା । ଏହି ପରିପ୍ରେକ୍ଷୀରେ ପିଏଚ଼ଇଡ଼ିଜଳ କର ନିମନ୍ତେ ଉପଭୋକ୍ତାଙ୍କ ଉପରେ ଚାପ ପକାଇବାରୁ ନିବୃତ୍ତ ରହିବା ସ୍ୱାଭାବିକ ।
 
ଦ୍ୱିତୀୟତଃ, ବ୍ରହ୍ମପୁରରେ ଜଳ କର ଆଦାୟ ନିମନ୍ତେ ପିଏଚ଼ଇଡ଼ିର ବ୍ୟବସ୍ଥା ପର୍ଯ୍ୟାପ୍ତ ନଥିଲା । ୱାଟକୋ ଦାୟିତ୍ୱ ଗ୍ରହଣ କରିବା ସଙ୍ଗେ ସଙ୍ଗେ ମେମାସରୁ ଅଗଷ୍ଟ ମାସ ମଧ୍ୟରେ ୬୭ ଜଣ ଜଳସାଥିଙ୍କୁ ନିଯୁକ୍ତ କରିଥିଲା । ସେମାନେ ଉପଭୋକ୍ତାଙ୍କ ଘରକୁ ଘର ବୁଲି ଜଳ କର ଆଦାୟ କଲେ । ପ୍ରତ୍ୟେକ ଜଳସାଥି ନିଜଦ୍ୱାରା ସଂଗୃହୀତ ଜଳ କର ଅନୁପାତରେ ପ୍ରୋତ୍ସାହନ ରାଶି କମିଶନ ପାଇବା ବ୍ୟବସ୍ଥା ହେତୁ ଆନ୍ତରିକତା ଦେଖାଇଲେ । ବହୁଦିନରୁ ପଡ଼ି ରହିଥିବା ବକେୟା ଜଳ କର ମୋଟା ଅଙ୍କରେ ଆଦାୟ ହେଉଥିବାରୁ ଜଳସାଥିଙ୍କ ମଧ୍ୟରେ ଦେଖାଦେଇଥିବା ଉତ୍ସାହ ପରବର୍ତ୍ତୀ ପର୍ଯ୍ୟାୟରେ କେଉଁସ୍ଥିତିରେ ପହଞ୍ଚିବ ତାହା ପରକଥା !
 
ତୃତୀୟତଃ, କୁହାଯାଉଛି ଯେ ବ୍ରହ୍ମପୁରର ୨୮ ହଜାର ପୁରୁଣା ଘରୋଇ ଓ ଆନୁଷ୍ଠାନିକ ଉପଭୋକ୍ତାଙ୍କଠାରେ ୬୦ କୋଟି ଟଙ୍କା ଜଳ କର ବକେୟା ପଡ଼ିରହିଛି । ଏହାର ଆଦାୟ ଲାଗି ୨୦୨୩ ମେ ମାସରୁ ଉଦ୍ୟମ କରାଯିବ । ସ୍ଥୁଳ ହିସାବରେ ଜଳଯୋଗାଣରେ ଅନିୟମିତତା ଓ ଜଳ କର ଆଦାୟ ନିମନ୍ତେ ଭିତ୍ତିଭୂମି ଅଭାବ ହେତୁ ଅବହେଳାରେ ପଡ଼ି ରହିଥିବା ବକେୟାରେ ତତ୍କାଳୀନ ମାସିକ ସଂଯୋଗ ମୂଲ୍ୟ କନେକସନ ଫି ସାଙ୍ଗକୁ ବିଳମ୍ୱ ଦେୟ ପାଇଁ ଜରିମାନା ମଧ୍ୟ ଲାଗୁ କରାଯାଉଛି । ଯେଉଁ ସହରରେ ଜଳଯୋଗାଣରେ ଅବ୍ୟବସ୍ଥା ନିମନ୍ତେ ରାସ୍ତା ଘାଟରେ ବିକ୍ଷୋଭ ହେଉଥିଲା ଏବଂ ଜଳଯୋଗାଣ ଲାଗି ବିକଳ୍ପ ବ୍ୟବସ୍ଥା ନପାଇ ଟ୍ରେନ ଟ୍ୟାଙ୍କର ଯୋଗେ ପାଣି ଆମଦାନୀ କରାଯାଉଥିଲା, ସେହି ବର୍ଷଗୁଡ଼ିକ ଲାଗି ନିୟମିତ ସଂଯୋଗ ଦେୟ ସାଙ୍ଗକୁ ଜରିମାନା ଆଦାୟ ଅସଂଗତ ବୋଧ ହୋଇଥାଏ ।
 
ନିୟମାନୁଯାୟୀ ଜଳଯୋଗାଣ ସଂଯୋଗ ଲାଗି ଉପଭୋକ୍ତାଙ୍କଠାରୁ ବକେୟା କର ଆଦାୟ ଅବସରରେ ପାରମ୍ପରିକଭାବେ ଏକ-କାଳୀନ ଦେୟ ଲାଗି ରିହାତି ବ୍ୟବସ୍ଥା ମଧ୍ୟ ଲାଗୁ କରାଯାଇଥାଏ । ବିଦ୍ୟୁତ ବିତରଣ ଦାୟିତ୍ୱ ଏକ ଘରୋଇ କମ୍ପାନୀ ଗ୍ରହଣପରେ ପୁରାତନ ଦେୟ ସଂଗ୍ରହଲାଗି ୩୦ ପ୍ରତିଶତ ଯାଏଁ ରିହାତି ବ୍ୟବସ୍ଥା କରିଥିଲେ । ୱାଟକୋ ପକ୍ଷରୁ ସରକାରୀ ପ୍ରତିଷ୍ଠାନଗୁଡ଼ିକଠାରୁ ଜଳ କର ଆଦାୟରେ ରିହାତି ବ୍ୟବସ୍ଥା ଲାଗୁ କରାଯିବା ବିଚାର କରାଯାଉଥିବା ସ୍ଥଳେ ସାଧାରଣ ଉପଭୋକ୍ତଙ୍କୁ ରିହାତିରୁ ବଞ୍ଚିତ ନକରାଯାଉ । ଯଦି ୬୦ କୋଟି ଟଙ୍କା ବକେୟା ବ୍ରହ୍ମପୁରରେ ପଡ଼ିରହିଛି । ତାହାର ଆଦାୟରେ ଉପଭୋକ୍ତାମାନେ ପ୍ରାୟ ୨୦ କୋଟି ଟଙ୍କା ରିହାତି ପାଇବା ଆଶା କରିବା ସମୀଚୀନ ।
 
ବ୍ରହ୍ମପୁରରେ ୨୮ ହଜାର ପୁରାତନ ପାଇପ ଜଳ ଉପଭୋକ୍ତା ଥିଲେ । ଦୀର୍ଘ କାଳ ଧରି ନୂଆ ସଂଯୋଗ ଦିଆଯାଉନଥିଲା । ତେବେ ବର୍ତ୍ତମାନ ତାହାଠାରୁ ଅଧିକ ସଂଖ୍ୟକ ୩୧ ହଜାର ନୂଆ ସଂଯୋଗ ସହ ମୋଟ ଉପଭୋକ୍ତା ସଂଖ୍ୟା ୫୯ ହଜାରରେ ପହଞ୍ଚିଛି । କୁହାଯାଉଛି ଯେ ବ୍ରହ୍ମପୁରକୁ ୬୭ ମିଲିୟନ ଲିଟର ଜଳ ଆବଶ୍ୟକ ପଡୁଥିବା ସ୍ଥଳେ ନବପ୍ରତିଷ୍ଠିତ ଜାନିବାଲି ପ୍ରକଳ୍ପରୁ ୮୦ ମିଲିୟନ ଲିଟର ଜଳ ଉତ୍ତୋଳନର ବ୍ୟବସ୍ଥା ରହିଛି । ପ୍ରତ୍ୟେକ ଜଳ ସଂଯୋଗ ୱାଟର କନେକସନପିଚ୍ଛା ମାସିକ ୧୫୫ ଟଙ୍କା କର ଧାର୍ଯ୍ୟ ହୋଇଛି । ପାଇପ ଜଳ ସଂଯୋଗ ନିୟମିତକରଣ ଓ ପ୍ରତିବର୍ଷ ଜଳ କର ଆଦାୟ ସ୍ୱାଗତଯୋଗ୍ୟ । କିନ୍ତୁ ଏହି କ୍ଷେତ୍ରରେ ଉପଭୋକ୍ତଙ୍କ ସ୍ୱାର୍ଥକୁ ଅବହେଳା ନକରାଯାଉ !

Photo by Luis Tosta on Unsplash 


Friday, April 28, 2023

Development of Temple / ଠାକୁରାଣୀ ମନ୍ଦିର ଉନ୍ନୟନ

 

#ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଭିଡ଼ରେ ବଡ଼ ଠାକୁରାଣୀ ମନ୍ଦିର ପରିସର ଉନ୍ନୟନ ପ୍ରକଳ୍ପ ଚର୍ଚ୍ଚା ହଜିଯାଇଥିବା ମନେହୁଏ ! ଉତ୍ସବ ଋତୁରେ ଯାତ୍ରାର କିମ୍ୱଦନ୍ତୀ, ଇତିହାସ, ରୀତିନୀତି, ରଥ, କଳାକୁଞ୍ଜ ଓ ବେଶ ଗଣମାଧ୍ୟମରେ ପ୍ରମୁଖ ପ୍ରସଙ୍ଗ । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୧୪ରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରାକୁ ରାଜ୍ୟସ୍ତରୀୟ ମହୋତ୍ସବ ମାନ୍ୟତା ଦିଆଯାଇଥିଲା । ପୂର୍ବରୁ କଟକର ବାଲିଯାତ୍ରା, ଭୁବନେଶ୍ୱରର ମୁକ୍ତେଶ୍ୱର ମହୋତ୍ସବ, କୋଣାର୍କ ମହୋତ୍ସବ, ବରଗଡ଼ର ଧନୁଯାତ୍ରା ଓ କୋରାପୁଟର ପରବ ରାଜ୍ୟସ୍ତରୀୟ ମହୋତ୍ସବ ମାନ୍ୟତା ପାଇଥିବା ସ୍ଥଳେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଷଷ୍ଠ ମହୋତ୍ସବଭାବେ ସେହି ତାଲିକାରେ ଯୋଡ଼ି ହୋଇଥିଲା । ଏହି ଅବସରରେ ବଡ଼ ଠାକୁରାଣୀ ମନ୍ଦିର ସୌନ୍ଦର୍ଯ୍ୟକରଣ ବାବଦରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ କୋଟି ପନ୍ଦର ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା । ଏଥି ନିମନ୍ତେ ପ୍ରସ୍ତୁତ ଏକ ଯୋଜନା କାର୍ଯ୍ୟକାରୀ କରିବା ଦାୟିତ୍ୱ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ ଓଟିଡ଼ିସି ଗ୍ରହଣ କରିଥିଲା । ତେବେ ବିଭିନ୍ନ କାରଣରୁ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ

 

କୁହାଯାଏ ଯେ ବଡ଼ ଠାକୁରାଣୀ ମନ୍ଦିର ସଂଲଗ୍ନ ୫୫୪ ଡେସିମିଲି ଜମିରେ ଏକ ଫୁଲ ବଗିଚା ରହିଛି । ବ୍ରହ୍ମପୁରର ସମସ୍ତ ଠାକୁରାଣୀ ମନ୍ଦିର ବେଢାରେ ଅନ୍ତତଃପକ୍ଷେ ମନ୍ଦାର ଓ ଟଗର ଗଛ ଦେଖିବାକୁ ମିଳେ । ଏଠାକାର ଫୁଲ ବର୍ଷତମାମ ପୂଜା ଅର୍ଚ୍ଚନାରେ ବ୍ୟବହୃତ ହୁଏ । ଏହି ବଗିଚାରେ ଏକ ଜନ ସେବା କେନ୍ଦ୍ର ନିର୍ମାଣ କରାଯିବା ବିଚାର କରାଯାଉଛି । ସେଠାରେ ଏକ ଗଭୀର ନଳକୂପ, ଶୌଚାଳୟ ଇତ୍ୟାଦି ସଂଲଗ୍ନ ହେବ । ଏତଦ୍ ବ୍ୟତୀତ ସୁଦୃଶ୍ୟ ପ୍ରବେଶଦ୍ୱାର, ଯାନବାହାନ ରଖିବା ପାଇଁ ପାର୍କିଂ ୟାର୍ଡ, ବିଦ୍ୟୁତ ଆଲୋକ ସଜ୍ଜା ଇତ୍ୟାଦି କାର୍ଯ୍ୟ ହାତକୁ ନିଆଯିବ ।

 

ବଡ଼ ଠାକୁରାଣୀ ମନ୍ଦିର ପରିସର ଉନ୍ନୟନ ପ୍ରକଳ୍ପ ନିମନ୍ତେ ଏକ ପୂର୍ଣ୍ଣାଙ୍ଗ ବିବରଣୀ ଡ଼ିଟେଲ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ ହୋଇଥିଲା । ମନ୍ଦିରନ୍ୟାସ ଟେମ୍ପଲ ଟ୍ରଷ୍ଟି ଓ ଦେବୋତ୍ତର ବିଭାଗ ଏଣ୍ଡୋମେଣ୍ଟ ଡ଼ିପାର୍ଟମେଣ୍ଟ ପକ୍ଷରୁ ମନ୍ଦିର ପ୍ରାଙ୍ଗଣ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମକୁ ୨୦୧୬ରେ ହସ୍ତାନ୍ତର କରାଯାଇଥିଲା । ତେବେ ଜାଗା ଖାଲି କରିବାରେ ବିବାଦ ଓ ମାଲିମକଦ୍ଦମା ହେତୁ ନିର୍ମାଣ କାମ ଆରମ୍ଭ ହୋଇପାରିନଥିଲା । ଶେଷରେ ୨୦୨୦ରେ ସାମୟିକଭାବେ ଏହି ପ୍ରକଳ୍ପ ସ୍ଥଗିତ ରଖାଯିବା ଘୋଷିତ ହୋଇଥିଲା ।

 

ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଥାନୀୟ ପ୍ରଶାସନ ବ୍ରହ୍ମପୁର ପୌର ନିଗମ ବିଇଏମସି ଓ ବ୍ରହ୍ମପୁର ଉନ୍ନୟନ ପ୍ରାଧିକରଣ ବିଡ଼ିଏ ସହାୟତାରେ ବଡ଼ ଠାକୁରାଣୀ ମନ୍ଦିର ଉନ୍ନୟନ ନିମନ୍ତେ ଅଣ୍ଟା ଭିଡ଼ିଲା । ଏଥିନିମନ୍ତେ ୨୦୨୨ ଜୁନ ଓ ଡ଼ିସେମ୍ୱର ମାସରେ ଦୁଇଗୋଟି ବୈଠକ ଆୟୋଜିତ ହୋଇଥିଲା । ପୌର ନିଗମ ଉନ୍ନୟନ ରୂପରେଖ ପ୍ରସ୍ତୁତି ନିମନ୍ତେ ଭୁବନେଶ୍ୱରର ଏକ ସ୍ଥପତିଙ୍କୁ ନିଯୁକ୍ତି କରିଥିବା ଏବଂ ଉନ୍ନୟନ କାର୍ଯ୍ୟ ପର୍ଯ୍ୟାୟକ୍ରମେ ରୂପାୟନ ନିମନ୍ତେ ସ୍ଥରୀକୃତ ହୋଇଥିବା କୁହାଯାଏ । ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ତାରାତାରିଣୀ ମନ୍ଦିର ନିର୍ମାଣ ଦାୟିତ୍ୱ ବହନ କରିଥିବା ଶିଳ୍ପୀମାନେ ଅଂଶଗ୍ରହଣ କରିବା ଶୁଣିବାକୁ ମିଳେ ।

 

ବ୍ରହ୍ମପୁର ବଡ଼ ଠାକୁରାଣୀ ମନ୍ଦିରର କେତେକ ପୁନଃ ନିର୍ମାଣ କାର୍ଯ୍ୟ ବିଗତ ଶତାଦ୍ଦୀ ଅଷ୍ଟମ-ନବମ ଦଶକରେ ମନ୍ଦିର ନ୍ୟାସ ଉଦ୍ୟମରେ ସମାହିତ ହୋଇଥିଲା । ଏଥି ମଧ୍ୟରେ ମନ୍ଦିର ଓ ବେଢ଼ାରେ ମାର୍ବଲ ଚଟାଣ ଓ ମଣ୍ଡପ ଅନ୍ତର୍ଭୁକ୍ତ । ଏହି ସମସ୍ତ ପୁନଃନିର୍ମାଣ କାର୍ଯ୍ୟ ମନ୍ଦିର ପରିସର ମଧ୍ୟରେ ଆବଦ୍ଧ ରହିଥିଲା । ପୂର୍ବରୁ ମନ୍ଦିର ମଧ୍ୟରେ ଭକ୍ତମାନେ ଦୀପ ପ୍ରଜ୍ୱଳନ କରୁଥିଲେ । ପରେ ଏହି ବ୍ୟବସ୍ଥା ମନ୍ଦିର ସମ୍ମୁଖ ଭାଗକୁ ସ୍ଥାନାନ୍ତରିତ କରାଯାଇଥିଲା । ପୁରୁଷ ଓ ମହିଳା ଭକ୍ତଙ୍କ ଦର୍ଶନ ନିମନ୍ତେ ବାଡ଼ ଷ୍ଟିଲ ରେଲିଂ ବ୍ୟବସ୍ଥା ମଧ୍ୟ ସେହି ଅବସରରେ ଆରମ୍ଭ ହୋଇଥିଲା ।

 

କିମ୍ୱଦନ୍ତୀ ଅନୁଯାୟୀ ମହୁରି ରାଜବାଟୀର ଚ଼ର୍ତୁଦିଗରେ ଜନବସତି ଗଢ଼ି ଉଠିବା ଏବଂ ଅଷ୍ଟାଦଶ ଶତାଦ୍ଦୀ ଶେଷଭାଗରେ ଦାକ୍ଷିଣାତ୍ୟରୁ ବୁଣାକାର ସଂପ୍ରଦାୟ ସ୍ଥାୟୀଭାବେ ବସବାସ ଆରମ୍ଭ କରିବା ବେଳକୁ ବ୍ରହ୍ମପୁରର ସୀମା ହୁଏତ ବଡ଼ ଠାକୁରାଣୀ ମନ୍ଦିର ଯାଏଁ ସୀମିତ ରହିଥିଲା । ମହୁରି ରାଜବାଟୀ ସଂଲଗ୍ନ ଇଲାକାରେ ଗଢ଼ିଉଠିଥିବା ବସ୍ତି ବାସିନ୍ଦାଙ୍କୁ ଏକ ଜଙ୍ଗଲିଆ ରାସ୍ତା ଦେଇ ଗାଁ ମୁଣ୍ଡ ବଡ଼ ଠାକୁରାଣୀଙ୍କ ପୀଠରେ ପହଞ୍ଚିବାକୁ ପଡୁଥିଲା । ଦେବାଙ୍ଗ ସମ୍ପ୍ରଦାୟ ବ୍ରହ୍ମପୁରରେ ପହଞ୍ଚିବା ପୂର୍ବରୁ ଠାକୁରାଣୀ ନିଶ୍ଚିତ ଭାବେ ପୂଜିତ ହେଉଥିଲେକିନ୍ତୁ ସେମାନଙ୍କ ନେତୃତ୍ୱରେ ମନ୍ଦିର ନିର୍ମିତ ହୋଇଥିଲା କି ତାହାର ପ୍ରାମାଣିକ ତଥ୍ୟ ଖୋଜି ବାହାର କରାଯାଇ ପାରି ନାହିଁ । ତେବେ ଡ଼େରା ବା ପାଟରାମାନେ ବ୍ରହ୍ମପୁରରେ ପହଞ୍ଚିବା ପରେ ପାଟବସ୍ତ୍ର ବ୍ୟବସାୟରେ ବେଶ ଲାଭବାନ ହୋଇଥିଲେ ଏବଂ ବୁଣାକାର ପରିବାର ସଂଖ୍ୟା ବୃଦ୍ଧି ପାଇ ୧୮ ଗୋଟି ସାହିକୁ ସଂପ୍ରସାରିତ ହୋଇଥିଲା । ସେହିମାନେ ହିଁ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଠାକୁରାଣୀ ଯାତ୍ରା ଆରମ୍ଭ କରିଥିଲେ । ତେଣୁ ବଡ଼ ଠାକୁରାଣୀ ମନ୍ଦିର ସାର୍ବଜନୀନ ଉଦ୍ୟମରେ ବିକଶିତ ହୋଇଥିବା ଯୁକ୍ତିଯୁକ୍ତ ବିଚାର କରାଯାଇପାରେ ।


Photo by : Laxmi Bej





Friday, April 21, 2023

Some other aspects of Yatra / ଠାକୁରାଣୀ ଯାତ୍ରାର କେତେକ ଦିଗ

 

#ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ଧାର୍ମିକ ରୀତିନୀତି ସହ ସାଂସ୍କୃତିକ, ସାମାଜିକ ଓ ଅର୍ଥନୀତିକ ଦିଗଗୁଡ଼ିକ ଯୋଡ଼ିହୋଇ ରହିଥାଏ । କିମ୍ୱଦନ୍ତୀ ପ୍ରକାରେ ଯଦି ମହୁରି ରାଜା ନାରାୟଣ ଦେବଙ୍କ ପୁତ୍ର ହରିହର ନରେନ୍ଦ୍ର ଦେବଙ୍କ ରାଜତ୍ୱ ସମୟରେ ଦାକ୍ଷିଣାତ୍ୟ ରାଜମହେନ୍ଦ୍ରୀରୁ ବୁଣାକାର ଦେବାଙ୍ଗ ସଂପ୍ରଦାୟ ବ୍ରହ୍ମପୁର ପହଞ୍ଚି ବସତି ସ୍ଥାପନ କରିଥିଲେ ଏବଂ ସେମାନଙ୍କ ଉଦ୍ୟମରେ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଥିଲା, ତେବେ ଊନବିଂଶ ଶତାଦ୍ଦୀରେ ଶହେ ବର୍ଷ ଧରି ସୀମିତ ସଂଖ୍ୟକ ବ୍ରହ୍ମପୁର ନିବାସୀ ଯାତ୍ରାରେ ସାମିଲ ହେଉଥିଲେ ବୋଲି କହିବାକୁ ହେବ । ସହରର ଜନସଂଖ୍ୟା ଓ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ସହ ସମତାଳରେ ଠାକୁରାଣୀ ଯାତ୍ରା ଯାକଜମକରେ ପାଳିତ ହୋଇଥିବା ସୁସ୍ପଷ୍ଟ

 

ଅଷ୍ଟାଦଶ ଶତାଦ୍ଦୀ ଶେଷଭାଗରେ ରାଜମହେନ୍ଦ୍ରୀରୁ ଆଗନ୍ତୁକ ବୁଣାକାରମାନେ ବ୍ରହ୍ମପୁରରେ ଡ଼େରା ଓ ପାଟରା ନାମରେ ମଧ୍ୟ ପରିଚ଼ିତ । ସେମାନେ ବ୍ରହ୍ମପୁରରେ ପହଞ୍ଚିବା ବେଳକୁ ମହୁରି ରାଜଧାନୀ ଶହେ ବର୍ଷର ଜନପଦ । ଅଧୁନା ବଡ଼ ବଜାର କେନ୍ଦ୍ରସ୍ଥଳରେ ରାଜବାଟୀ ଏବଂ ଏହାକୁ ଘେରି ବସତି ସ୍ଥାପନ ହୋଇଥିବା ସ୍ଥଳେ ବଡ଼ ଠାକୁରାଣୀ ମନ୍ଦିର ଗ୍ରାମ ଶେଷରେ ବିଦ୍ୟମାନ ଥିଲା ବୋଲି ଅନୁମାନ କରାଯାଇପାରେ । ହୁଏତ ସେଠାରେ ସ୍ଥାୟୀ ପୂଜକ ନିଯୁକ୍ତ ହୋଇନଥିଲେ । କିମ୍ୱଦନ୍ତୀ କହେ ଯେ ଦେଶୀବେହେରା ଠାକୁରାଣୀଙ୍କୁ ପୂଜା-ଅର୍ଚ୍ଚନା ଅବସରରେ ଦିବ୍ୟ-ଅନୁଭବ ପରେ ରାସ୍ତାରେ ଯାହାକୁ ପ୍ରଥମେ ଦେଖିବେ ସେ ପୂଜକ ହେବ ବୋଲି ଶୂନ୍ୟବାଣୀ ଶୁଣିଥିଲେ ଦେଶୀବେହେରା ଠାକୁରାଣୀ ପୀଠରୁ ବାହାରିବା ପରେ ପ୍ରଥମେ ଜଣେ ଭଣ୍ଡାରୀ ସଂପ୍ରଦାୟର ବ୍ୟକ୍ତିଙ୍କୁ ଦେଖିଥିଲେ । ସେହିଦିନୁ ବ୍ରହ୍ମପୁର ଠାକୁରାଣୀ ମନ୍ଦିରରେ ଭଣ୍ଡାରୀ ସଂପ୍ରଦାୟର ପୂଜକ ନିଯୁକ୍ତ ହୋଇ ଆସିଛନ୍ତି । ଏହି ପ୍ରଥା ଗଞ୍ଜାମର ବିଭିନ୍ନ ଗ୍ରାମାଞ୍ଚଳରେ ମଧ୍ୟ ପ୍ରଚଳିତ । ପ୍ରଶ୍ନ ଉଠେ, ଏହି ପ୍ରଥା ପୂର୍ବରୁ ପ୍ରଚଳିତ ଥିଲା ନା ପାଟରା ସଂପ୍ରଦାୟଙ୍କ ପୂଜକ ନିଯୁକ୍ତି ପରେ ଅନ୍ୟତ୍ର ଅନୁକରଣ କରାଗଲା ?

 

ବ୍ରହ୍ମପୁର ସହର ପଡ଼ୋଶୀ ଗଞ୍ଜାମ ଓ ଶ୍ରୀକାକୁଲମ ଜିଲ୍ଲାର ବହୁ ଗ୍ରାମରେ ଠାକୁରାଣୀ ମନ୍ଦିର ରହିଛି । ଅଧିକାଂଶ ମନ୍ଦିରରେ ବର୍ଷକରେ ଥରେ ଯାତ୍ରା ଅନୁଷ୍ଠିତ ହେଉଥିବା ସ୍ଥଳେ କେତେକ ମନ୍ଦିରରେ କିଛି ବର୍ଷ ଅନ୍ତରରେ ଯାତ୍ରା ପାଳିତ ହୁଏ । ଉଦାହରଣରେ ଇଚ୍ଛାପୁରରେ ପ୍ରତି ଦଶ ବର୍ଷରେ ଥରେ ଠାକୁରାଣୀ ଯାତ୍ରା ଆୟୋଜିତ ହୁଏ । ଚଳିତ ୨୦୨୩ ଏପ୍ରିଲ ମାସରେ ଠାକୁରାଣୀ ଯାତ୍ରା ପାଳିତ ହୋଇଥିଲା । ତେବେ ପ୍ରଶ୍ନ ଉଠେ, ଦେବାଙ୍ଗ ସଂପ୍ରଦାୟ ଦ୍ୱାରା ବ୍ରହ୍ମପୁରରେ ଠାକୁରାଣୀ ଯାତ୍ରା ପ୍ରଚଳନ ସ୍ଥାନୀୟ ସଂସ୍କୃତିର ପରିପ୍ରକାଶ ନା ଦାକ୍ଷିଣାତ୍ୟ ବିଧିବିଧାନ ପାଳନ ?

 

ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଆଡ଼ମ୍ୱର ସହ ରଥ ଓ କଳାକୁଞ୍ଜ ସଂପର୍କ ନିବିଡ଼ଠାକୁରାଣୀ ଯାତ୍ରାର ଅନ୍ୟାନ୍ୟ ପୁରାତନ ରଥ ମଧ୍ୟରେ ଶଙ୍କରପୁର ସାହିର ରାମଚ଼ନ୍ଦ୍ର ରଥ ଅନ୍ୟତମ । ପୂର୍ବେ ଏହି ରଥରେ ଚକ ଲାଗୁଥିଲା ଏବଂ ରଥ ଟଣା ହୋଇ ବଡ଼ବଜାରକୁ ଅଣାଯାଉଥିଲା । କିନ୍ତୁ ବର୍ତ୍ତମାନ ଶଙ୍କରପୁର ସାହିରେ ହିଁ ପ୍ରଦର୍ଶିତ ହେଉଛି । ଅପରପକ୍ଷେ ଜେନାସାହିର ବୀର ଲକ୍ଷ୍ମଣ ରଥ ଆଜି ଯାଏଁ ବଡ଼ ବଜାରରେ ପ୍ରଦର୍ଶିତ ହେବା ପାଇଁ ଅଣାଯାଉଛି । ଏହି ରଥଟି ୧୯୦୫ ମସିହାରୁ ନିୟମିତ ଭାବେ ପ୍ରସ୍ତୁତ ହେଉଥିବା ଜଣାଯାଇଥାଏ । ବୀର ଲକ୍ଷ୍ମଣ ରଥର ମୂର୍ତ୍ତି ସାମଗ୍ରୀ ସବୁ ଜେନା ସାହିର ଶ୍ରୀ ବୃନ୍ଦାବନ ଚ଼ନ୍ଦ୍ର ଯୁଗଳ ମହାପ୍ରଭୁଙ୍କ ମନ୍ଦିରରେ ସାଇତି ରଖାଯାଇ ପ୍ରତିଥର ଯାତ୍ରାରେ ପ୍ରଦର୍ଶିତ ହୋଇଥାଏ । ଏହାକୁ ମରାମତ କରି ପ୍ରଦର୍ଶନଯୋଗ୍ୟ କରିବା ପାଇଁ ୧୦ରୁ ୧୨ ଦିନ ସମୟ ଲାଗିଥାଏ ।

 

କଳାକୁଞ୍ଜ ନିର୍ମାଣ ପରମ୍ପରା ୧୯୬୩ ଓ ୧୯୬୫ ଠାକୁରାଣୀ ଯାତ୍ରାରେ ପ୍ରସାରିତ ହୋଇଥିବା ଲକ୍ଷ୍ୟ କରାଯାଏ । ୧୯୬୭ ମସିହା ଠାକୁରାଣୀ ଯାତ୍ରାରେ ବହୁ ସଂଖ୍ୟକ କଳାକୁଞ୍ଜ ନିର୍ମିତ ହୋଇଥିଲା । ଏହି କଳାକୁଞ୍ଜ ନିର୍ମାଣ ପାଇଁ କଟକରୁ ଶିଳ୍ପୀ ଆସୁଥିଲେ । ବର୍ତ୍ତମାନ କଳାକୁଞ୍ଜଗୁଡ଼ିକ ସ୍ଥାନୀୟ ଶିଳ୍ପୀ ନିର୍ମାଣ କରୁଥିବା ବେଳେ କିଛି ସଂଖ୍ୟକ ବାହାର ସହରର ଶିଳ୍ପୀଙ୍କୁ ମଧ୍ୟ ନିମନ୍ତ୍ରିତ କରାଯାଇଥାଏ ।

 

ବ୍ରହ୍ମପୁରରେ ୧୯୩୪ରେ ପ୍ରତିଷ୍ଠିତ ବ୍ରହ୍ମପୁର ଇଲେକ୍ଟ୍ରିକ ସପ୍ଳାଇ କରପୋରେସନ ଲିମିଟେଡ଼ ଦ୍ୱାରା ବିଦ୍ୟୁତ ଆଲୋକ ବ୍ୟବସ୍ଥା ଏବଂ ଆଞ୍ଚଳିକ ଗଣମାଧ୍ୟମର ପ୍ରଚଳନ ମଧ୍ୟ ଠାକୁରାଣୀ ଯାତ୍ରାର ଆଡ଼ମ୍ୱର ପରିପ୍ରକାଶରେ ସହାୟକ ହୋଇଛି । ବିଦ୍ୟୁତ ଆଲୋକର ସୁବିଧା ମିଳିବା ପରେ ପ୍ରତ୍ୟେହ ସନ୍ଧ୍ୟାରେ ଘଟ ପରିକ୍ରମା ଓ ମଧ୍ୟ ରାତ୍ରୀ ଯାଏଁ ଜନସାଧାରଣଙ୍କ ଯାତ୍ରାରେ ଯୋଗଦାନ ସୁଗମ ହୋଇପାରିଥିଲା । ରଥ ଓ ରାସ୍ତାଘାଟରେ ରଙ୍ଗବେରଙ୍ଗୀ ଆଲୋକ ସଜ୍ଜା ଉତ୍ସବମୁଖର ପରିବେଶ ସୃଷ୍ଟିରେ ସହାୟତା ଦେଇଥିଲା । ସେହିପରି ବିଂଶ ଶତାଦ୍ଦୀର ନବମ ଦଶକରୁ ବ୍ରହ୍ମପୁରରୁ ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନ ଏବଂ ଶେଷ ଦଶକରୁ ଆଞ୍ଚଳିକ ଟେଲିଭିଜନ ପ୍ରସାରଣ ସେବା ଠାକୁରାଣୀ ଯାତ୍ରା ସଂପର୍କରେ ବ୍ୟାପକ ଚର୍ଚ୍ଚା ତଥା ପ୍ରଚାର ପ୍ରସାରର ସୁଯୋଗ ସୃଷ୍ଟି କରିଥିଲା ।

 

ବ୍ରହ୍ମପୁରର ଜନସଂଖ୍ୟା ୨୦୨୩ ସୁଦ୍ଧା ପ୍ରାୟ ପାଞ୍ଚ ଲକ୍ଷ ଆକଳନ କରାଯାଉଥିବା ଏବଂ ପଡ଼ୋଶୀ ଅଞ୍ଚଳଗୁଡ଼ିକ ସହ ସଡ଼କପଥରେ ଯାନବାହନ ଚଳାଚଳ ସଂଯୁକ୍ତ ହେବା ପରିବେଶ ମଧ୍ୟ ଯାତ୍ରାରେ ଯୋଗଦେବା ଲାଗି ବହୁ ସଂଖ୍ୟକ ଜନସାଧାରଣଙ୍କୁ ଉତ୍ସାହିତ କରୁଥିବା ବିଚାର କରାଯାଇପାରେ । ଆରମ୍ଭରୁ ଯାତ୍ରା ଆୟୋଜନକୁ ସ୍ଥାନୀୟ ବ୍ୟବସାୟୀମାନେ ପ୍ରୋତ୍ସାହନ ଯୋଗାଇ ଆସିଛନ୍ତି । ଅତୀତରେ ଦକ୍ଷିଣ ଓଡ଼ିଶାର ମୁଖ୍ୟ ଫସଲ ଧାନ ଅମଳ ଓ ବିକ୍ରୀବଟା ପରେ ଗ୍ରୀଷ୍ମ ଋତୁରେ ବ୍ରହ୍ମପୁର ବଡ଼ ବଜାରରେ ଗ୍ରାମାଞ୍ଚଳବାସୀ ପହଞ୍ଚି ଜିନିସପତ୍ର କିଣାବିକା କରୁଥିଲେ । ବର୍ତ୍ତମାନ ସୁଦ୍ଧା ସର୍ବତ୍ର ଉତ୍ସବ ଆୟୋଜନ ସହ ସାମଗ୍ରୀ ବିକ୍ରୟ ପରମ୍ପରା ସଂପୃକ୍ତସ୍ୱର୍ଣ୍ଣ, ବସ୍ତ୍ର ଓ ସୌଖିନ ଘରକରଣା ବଜାର ଭାବେ ଦକ୍ଷିଣ ଓଡ଼ିଶାରେ ବ୍ରହ୍ମପୁରର ଗୁରୁତ୍ୱ ବଜାୟ ରହିଆସିଛି । ବ୍ରହ୍ମପୁରରେ ଆଡ଼ମ୍ୱରପୂର୍ଣ୍ଣ ଠାକୁରାଣୀ ଯାତ୍ରା ଆୟୋଜନରେ ସାଂସ୍କୃତିକ ଓ ସାମାଜିକ ଦିଗଗୁଡ଼ିକ ସହ ଅର୍ଥନୀତିକ ଦିଗଟି ମଧ୍ୟ ଗୁରୁତ୍ୱ ବହନ କରେ ।


Photo by Paulo Infante on Unsplash 


Friday, April 14, 2023

Bada Bazar Mahuri Royal Palace / ବଡ଼ବଜାର ମହୁରି ରାଜବାଟୀ

 

#ବ୍ରହ୍ମପୁର ସହରର ଉତ୍ପତ୍ତି ଓ କ୍ରମବିକାଶ ସଂପର୍କରେ ବ୍ରିଟିଶ ଶାସନରେ ଗଞ୍ଜାମର ତତ୍କାଳୀନ ଉପ-ଜିଲ୍ଲାପାଳ ଆର.ବାୟାର୍ଡଙ୍କ ୧୮୨୩ରେ ବର୍ଣ୍ଣିତ ବିବରଣୀ ଗଞ୍ଜାମ ଡ଼ିଷ୍ଟ୍ରିକ୍ଟ ରେକର୍ଡସ, ଭାଗ ୩୮୯୭ ପୃ. ୪୧୧ରେ ଉପଲବ୍ଧ । ଡବ୍ଳ୍ୟୁ. ଡବ୍ଳ୍ୟୁ. ହଣ୍ଟର ୧୮୮୫ରେ ଲଣ୍ଡନରୁ ପ୍ରକାଶିତ ଇମ୍ପରିଆଲ ଗେଜେଟିୟର ଅଫ ଇଣ୍ଡିଆ, ପଞ୍ଚମ ଭାଗ, ପୃଷ୍ଠା ୧୯୯ ଏବଂ ଟି.ଜେ. ମାଲଟବୀ ୧୯୧୮ରେ ମାଡ୍ରାସରୁ ପ୍ରକାଶିତ ଗଞ୍ଜାମ ଡ଼ିଷ୍ଟ୍ରିକ୍ଟ ମାନ୍ୟୁଆଲରେ ତଥ୍ୟ ରହିଛି । ସେହିପରି ୧୯୩୨ରେ ବ୍ରହ୍ମପୁରରୁ ପ୍ରକାଶିତ ଏମ.ଭି.ଆପ୍ପାରାଓଙ୍କ ହିଷ୍ଟରି ଅଫ ହରିଡ଼ାଖଣ୍ଡି : ମଠ ଏଣ୍ଡ ମହନ୍ତସ ପୁସ୍ତକରେ ମଧ୍ୟ ବର୍ଣ୍ଣିତ । ବ୍ରହ୍ମପୁରରୁ ୧୯୯୪ରେ ପ୍ରକାଶିତ ବ୍ରହ୍ମପୁର ସହରର ଐତିହାସିକ ଭିତ୍ତିଭୂମି ସଂକଳନରେ ଡ଼କ୍ଟର ଦଣ୍ଡପାଣି ବେହେରା ବ୍ରହ୍ମପୁରର ଐତିହାସିକ ପୃଷ୍ଠଭୂମି ଶୀର୍ଷକ ରଚନାରେ ଉପରୋକ୍ତ ଗ୍ରନ୍ଥ ତାଲିକା ଉଲ୍ଲେଖ କରିଥିଲେ । ଡ଼କ୍ଟର ବେହେରା ଜଣେ ଇତିହାସ ଅଧ୍ୟାପକ । ସେ ଭଞ୍ଜନଗର, ବଡ଼ଖେମୁଣ୍ଡି ଇତ୍ୟାଦି ମହାବିଦ୍ୟାଳୟରେ ଅଧ୍ୟାପନା କରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରଶାସକ ଭାବେ ଅବସର ଗ୍ରହଣ କରିଥିଲେ । ଗଞ୍ଜାମର ଆଞ୍ଚଳିକ ଇତିହାସ ସଂକଳନରେ ଆଗ୍ରହ ପ୍ରକାଶ କରୁଥିଲେ । ସେ ଲେଖିଥିଲେ :
 
ଓଡ଼ିଶାର ଗଜପତି ରାଜା ପୁରୁଷୋତ୍ତମ ଦେବଙ୍କ ଅନୁମତିକ୍ରମେ ଜଣେ ସ୍ଥାନୀୟ ମୁଖିଆ ପଞ୍ଚଦଶ ଶତାଦ୍ଦୀରେ ମହୁରି ରାଜ୍ୟ ସ୍ଥାପନ କରିଥିଲେ । ଗଞ୍ଜାମ ସବକଲେକ୍ଟର ବାୟାର୍ଡ ସାହେବଙ୍କ ଦ୍ୱାରା ନଭେମ୍ୱର ୧୦ ତାରିଖ ୧୮୨୩ ଖ୍ରୀଷ୍ଟାଦ୍ଦରେ ଲିପିବଦ୍ଧ ଗଞ୍ଜାମ ଜିଲ୍ଲା ରେକର୍ଡସ ବିବରଣୀ ଅନୁକ୍ରମେ ମହୁରି ରାଜ୍ୟ ୧୪୬୮ରୁ ୧୪୯୭ ଖ୍ରୀଷ୍ଟାଦ୍ଧର ମଧ୍ୟରେ ସ୍ଥାପିତ ହେଲା । ପରେ ପରେ ଷଷ୍ଠଦଶ ଶତାଦ୍ଦୀ ପ୍ରାରମ୍ଭରେ ହିଁ ମହୁରି ରାଜବାଟୀର ଚ଼ତୁଃପାର୍ଶ୍ୱରେ ଜନବସତି ପ୍ରତିଷ୍ଠା ଆରମ୍ଭ ହେଲା (ପୃ. ୨୪୭)
 
ମହୁରି ଥିଲା ଏକ ପୁରାତନ ରାଜ୍ୟ । ପାରଳାଖେମୁଣ୍ଡି ଓ ଘୁମୁସର ସହ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଜମିଦାରୀ ରାଜ୍ୟ ଥିଲା । ଆକାରରେ ଏହା ଥିଲା ୩୦୦ ବର୍ଗ ମାଇଲ । ଏହାର ମଧ୍ୟଭାଗରେ ଠିଆ  ହୋଇଥିବା ମହୁରି ଅବା କେରାଣ୍ଡିମାଳ ପର୍ବତର ବିସ୍ତୃତି ଥିଲା ୨୦ ବର୍ଗ ମାଇଲ । ... ଏହାର ପ୍ରଥମ ରାଜ୍ୟ ମହକୁମା ଥିଲା କେରାଣ୍ଡିମାଳ ପାଦ ଦେଶସ୍ଥ ମହୁରି ଗଡ଼ ଅବା ଅଧୁନା ମହୁଡ଼ା ଗ୍ରାମ । ସେଠାରେ ଏକ ପ୍ରସ୍ତର ଦୁର୍ଗ ଥିଲା । ସେଠାରେ ରାଜପରିବାର ଅବସ୍ଥାନ କରୁଥିଲେ । ତାର ସମୀପରେ ଶିରକୁଟ ଦୁର୍ଗ ଥାଏ । ସେଠାରେ ରାଜା ବେଳେବେଳେ ଆଶ୍ରୟ ନେଉଥାନ୍ତି ପରେ ରାଜ୍ୟ ମହକୁମା ସେଠାରୁ ଆଠ ମାଇଲ ଦୂରରେ ସମତଳ ଭାଗରେ ନୂତନ ନିର୍ମିତ ହୋଇଥିବା ବ୍ରହ୍ମପୁରକୁ ୧୬୬୨ରୁ ୧୬୭୨ ସାଲ ମଧ୍ୟରେ ଘୁଞ୍ଚାଇ ଅଣାଗଲା । ତତ୍ ପରେ ବ୍ରହ୍ମପୁର ଏହାର ରାଜଧାନୀ ଭାବେ କାର୍ଯ୍ୟକଲା । (ପୃ. ୨୫୦-୨୫୧)
 
ରାଜନୈତିକ ଦୃଷ୍ଟିରୁ ବ୍ରହ୍ମପୁର ବହୁ ଶାସନାଧୀନ ଥିଲା । ଏହି ସହର ତଥା ସମଗ୍ର ଦକ୍ଷିଣ ଓଡ଼ିଶା ୧୫୭୧ରୁ ୧୬୬୭ ଖ୍ରୀଷ୍ଟାଦ୍ଦ ପର୍ଯ୍ୟନ୍ତ ଗୋଲକୋଣ୍ଡି ମୁସଲମାନ ଶାସନାଧୀନରେ, ୧୬୬୭ରୁ ୧୭୫୩ ପର୍ଯ୍ୟନ୍ତ ମୋଗଲ ଅବା ହାଇଦରାବାଦ ନିଜାମଙ୍କର ଶାସନ ଅଧୀନରେ, ୧୭୫୩ରୁ ସ୍ୱଳ୍ପ ସମୟ ନିମନ୍ତେ ଫରାସୀ ଶାସନ ଅଧୀନରେ ଏବଂ ୧୭୭୬ରୁ ୧୯୩୬ ପର୍ଯ୍ୟନ୍ତ ବ୍ରିଟିଶ ଶାସନାଧୀନ ମାନ୍ଦ୍ରାଜ ପ୍ରେସିଡ଼େନ୍ସି ଅଧୀନରେ ରହିଆସିଥିଲା । (ପୃ. ୨୪୮)
 
ଅତଏବ, ମହୁରି ରାଜ୍ୟ ପଞ୍ଚଦଶ ଶତାଦ୍ଦୀ ଦ୍ୱିତୀୟାର୍ଦ୍ଧରେ ପ୍ରତିଷ୍ଠିତ ହେବା ଦୁଇ ଶହ ବର୍ଷ ପରେ ସପ୍ତଦଶ ଶତାଦ୍ଦୀ ଦ୍ୱିତୀୟାର୍ଦ୍ଧରେ ବ୍ରହ୍ମପୁରକୁ ମହୁରି ରାଜବାଟୀ ସ୍ଥାନାନ୍ତରିତ ହୋଇଥିଲା । ନୂତନ ରାଜବାଟୀ ପ୍ରତିଷ୍ଠାର ଶହେ ବର୍ଷ ପରେ ହରିହର ନରେନ୍ଦ୍ର ଦେବ ୧୭୭୦ ମସିହାରେ ମାତ୍ର ୧୨ ବର୍ଷ ବୟସରେ ରାଜସିଂହାସନ ଆରୋହଣ କରିଥିଲେ ଏବଂ ୧୭୮୨ ଡ଼ିସେମ୍ୱର ୧୦ ତାରିଖରେ ହତ୍ୟାର ଶୀକାର ହୋଇଥିଲେ । ହରିହର ନରେନ୍ଦ୍ର ଦେବଙ୍କ ରାଜତ୍ୱ ସମୟରେ ସେ ଦାକ୍ଷିଣାତ୍ୟ ରାଜମହେନ୍ଦ୍ରୀ ଭ୍ରମଣରେ ଯାଇଥିବା ଏବଂ ରାଜକୃପା ଲାଭ କରି ସେଠାକାର ପାଟ ବୁଣାକାରମାନେ ବ୍ରହ୍ମପୁର ପହଞ୍ଚି ମହୁରି ରାଜବାଟୀ ଆଖପାଖ ଅଞ୍ଚଳରେ ବସତି ସ୍ଥାପନ କରିଥିବା କିମ୍ୱଦନ୍ତୀ ପ୍ରଚଳିତ । ବ୍ରହ୍ମପୁରରେ ବୁଣାକାର ଦେବାଙ୍ଗ ସମ୍ପ୍ରଦାୟର ବହୁ ସଂଖ୍ୟକ ପରିବାର ବସବାସ କରି ୧୮ ଗୋଟି ସାହିକୁ ସଂପ୍ରସାରିତ ହୋଇଥିଲେସେମାନଙ୍କ ଦ୍ୱାରା ଉତ୍ପାଦିତ ପାଟବସ୍ତ୍ର କ୍ରମଶଃ ବ୍ରହ୍ମପୁରର ପରିଚିତି ହାସଲ କରିଥିଲାମହୁରି ରାଜବାଟୀ ସଂଲଗ୍ନ ଅଞ୍ଚଳରେ ବଜାର ଗଢ଼ି ଉଠିଥିଲା ଏବଂ ପାଟବସ୍ତ୍ର ଉତ୍ପାଦନ ଓ ବିକ୍ରୀର କେନ୍ଦ୍ରସ୍ଥଳ ବିବେଚିତ ହୋଇଥିଲା । ଏହିକ୍ରମରେ ଅଷ୍ଟାଦଶ ଶତାଦ୍ଦୀ ଶେଷଭାଗରେ ଦେବାଙ୍ଗ ସମ୍ପ୍ରଦାୟର ଆଗମନ ପରେ ସେମାନଙ୍କ ଦ୍ୱାରା ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଧାର୍ମିକ ନୀତି ପ୍ରଚଳିତ ହୋଇଥିବା ଅନୁମାନ କରାଯାଏ ।


Photo by Saj Shafique on Unsplash