Friday, October 20, 2023

Gate Bazar Flyover / ଗେଟ ବଜାର ଫ୍ଳାଇ-ଓଭର

 

#ବ୍ରହ୍ମପୁର ସହରରେ ପ୍ରଥମ ଫ୍ଳାଇ-ଓଭର ଗେଟ ବଜାର ଛକରେ ନିର୍ମାଣ ନିମନ୍ତେ ପ୍ରସ୍ତାବ ସର୍ବେକ୍ଷଣ ବା ସର୍ଭେ ସ୍ତରରେ ରହିଥିବା ଚର୍ଚ୍ଚିତ । ଅକ୍ଟୋବର ୨୦୨୩ ସୁଦ୍ଧା ଓଡ଼ିଶା ବ୍ରିଜ କନଷ୍ଟ୍ରକସନ କର୍ପୋରେସନପକ୍ଷରୁ ଦୁଇଗୋଟି ଆଲାନମେଣ୍ଟ ସର୍ଭେ ସରିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ପ୍ରାଥମିକ ତଥ୍ୟ ଅନୁଯାୟୀ ଫ୍ଳାଇ-ଓଭର ଆସିକା ରୋଡ଼ ନୀଳାଦ୍ରି ବିହାର ଛକରୁ ଆରମ୍ଭ ହୋଇ ସିଟି ହସପିଟାଲ ଛକରେ ଶେଷ ହେବ । ଅର୍ଥାତ, ସହରର ମଧ୍ୟକୁ ଆସିକା ରୋଡ଼ ଦେଇ ହିଞ୍ଜିଳିକାଟୁ, ଆସିକା, ଭଂଜନଗର, ଦିଗପହଣ୍ଡି, ଫୁଲବାଣୀ ଇତ୍ୟାଦି ଅଞ୍ଚଳରୁ ପହଞ୍ଚୁଥିବା ଭାରୀ ଯାନବାହାନ ତୁଳସୀ ନଗର, ରମ୍ପା ସାହି, ଗେଟ ବଜାର ଛକ ଓ ସିଟି ହସପିଟାଲ ରାସ୍ତାରେ ଭିଡ଼ ନଜମାଇ ଫ୍ଳାଇ-ଓଭର ଯୋଗେ ଷ୍ଟେଟବ୍ୟାଙ୍କ ମେନ ବ୍ରାଞ୍ଚ ଛକରେ ପହଞ୍ଚି ପାରିବେ । ମୁଖ୍ୟତଃ ଗେଟ ବଜାର ଛକରେ ପାଞ୍ଚ ଗୋଟି ରାସ୍ତା ମିଳିତ ହେଉଥିବା ଓ ଦୋକାନ ବଜାର କାରଣରୁ ଦିନ ସାରା ଟ୍ରାଫିକ ସମସ୍ୟା ଲାଗି ରହିଥାଏ । ଗହଳ ଚହଳ ଅଞ୍ଚଳରେ ଭାରୀଯାନ ପ୍ରବେଶ ହେତୁ ଟ୍ରାଫିକ ଚଳାଚଳରେ ବିଳମ୍ୱ ଓ ଦୁର୍ଘଟଣା ଘଟେ । ଗେଟ ବଜାର ଫ୍ଳାଇ-ଓଭର ନିର୍ମିତ ହେଲେ ଏହି ଦୁଇ ସମସ୍ୟାରୁ ନିସ୍ତାର ମିଳିବା ଆଶା କରାଯାଉଛି ।
 
ଗେଟ ବଜାର ଛକ ବ୍ରହ୍ମପୁରର ଅନ୍ୟତମ ପୁରାତନ ଅଞ୍ଚଳ । ବିଂଶ ଶତାଦ୍ଦୀ ପ୍ରଥମାର୍ଦ୍ଧରେ ଅଧୂନା ସିଟି ହସପିଟାଲ ରାସ୍ତାର ଦୁଇ ପାର୍ଶ୍ୱରେ କେତେକ ସରକାରୀ କୋଠା ନିର୍ମାଣ ଓ କାର୍ଯ୍ୟାଳୟ ପ୍ରତିଷ୍ଠା ପରେ ଗେଟ ବଜାର ଗଢ଼ି ଉଠିଥିଲା। ଗେଟ ବଜାରରୁ ଆଭ୍ୟନ୍ତରୀଣ ଗଞ୍ଜାମ, ଫୁଲବାଣୀ, କୋରାପୁଟ ଓ କଳାହାଣ୍ଡିକୁ ସଡ଼କ ପଥ ଲମ୍ୱି ଥିବା ସ୍ଥଳେ ଲୋଚ଼ାପଡ଼ା, ନିମଖଣ୍ଡି, ଜଗଦଳପୁର ଓ ଭାବିନୀପୁର ପ୍ରଭୃତି ଅଞ୍ଚଳକୁ ସଂଯୋଗ ରାସ୍ତା ଯୋଡ଼ି ହୋଇଥିଲା । ଫଳରେ ଜନସମାଗମ ସାଙ୍ଗକୁ ମାଲ ପରିବହନରେ ଗୁରୁତ୍ୱ ବହନ କରୁଥିଲା । ସ୍ୱାଧୀନୋତ୍ତର ଅବସ୍ଥା ଯାଏଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଟ୍ରେଜେରୀ ଓ ଜିଲ୍ଲା ଚ଼ିକିତ୍ସାଳୟ ସିଟି ହସପିଟାଲ ରୋଡ଼ରେ ହିଁ ଚାଲୁଥିଲାପରବର୍ତ୍ତୀ ପର୍ଯ୍ୟାୟରେ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ ଓ ଟ୍ରେଜେରୀ କୋର୍ଟପେଟାକୁ ସ୍ଥାନାନ୍ତରିତ ହୋଇଥିଲା ।
 
ଷ୍ଟେଟ ବ୍ୟାଙ୍କ ମେନ ବ୍ରାଞ୍ଚ ଛକରୁ ଗେଟ ବଜାର ଦେଇ ଆସିକାରୋଡ଼ ରାସ୍ତା ମୂଳତଃ ପ୍ରଶସ୍ତ ରହିଥିଲେ ହେଁ କାଳକ୍ରମେ ଦୋକାନ ବଜାର ଗଢ଼ି ଉଠିବାରୁ ସଂକୀର୍ଣ୍ଣ ହୋଇଯାଇଥିବା ଦେଖିବାକୁ ମିଳେ । ଫ୍ଲାଇ-ଓଭର ସର୍ଭେ ବେଳେ ଜଣାଯାଇଥିଲା ଯେ ଏହି ରାସ୍ତାର ପ୍ରସ୍ଥ ୧୪ ମିଟରରୁ ୧୮ ମିଟର ଯାଏଁ ରହିଛି । ଫ୍ଳାଇ-ଓଭର ନିମନ୍ତେ ୨୨ ମିଟର ଚଉଡ଼ା ବିଶିଷ୍ଟ ବ୍ରିଜ ଓ ଏପ୍ରୋଚ଼ ରୋଡ଼ ନିର୍ମାଣ କରାଗଲେ ପ୍ରାୟ ୪ ରୁ ୮ ମିଟର ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ଆବଶ୍ୟକ ପଡ଼ିପାରେ । ଅର୍ଥାତ, ରାସ୍ତାର ଦୁଇ ପାର୍ଶ୍ୱରୁ ଜବର ଦଖଲ ହଟାଇ ଅଧିକ କିଛି ଜମି ଉଚ୍ଛେଦ ହେବ । ନୀଳାଦ୍ରି ବିହାରରୁ ଆରମ୍ଭ ହେବାକୁ ଥିବା ଗେଟ ବଜାର ଫ୍ଳାଇ-ଓଭର ସିଟି ହସପିଟାଲ ଛକ ଶେଷ ଯାଏଁ  ୯୨୦ ମିଟର ବା ପ୍ରାୟ ଏକ କିଲୋମିଟର ଦୀର୍ଘ ହେବା ପ୍ରସ୍ତାବ ବିଚାରାଧୀନ ରହିଛି ।
 
ପରିବର୍ତ୍ତିତ ପରିବେଶରେ ସଡ଼କ ପଥରେ ଚଳାଚଳ ବଢ଼ି ଚାଲିଛି । ଏକ ପକ୍ଷରେ ଗ୍ରାମାଞ୍ଚଳରେ ପ୍ରତି ଦୁଇ ପରିବାର ମଧ୍ୟରୁ ଗୋଟିଏ ପରିବାର କୌଣସି ଯାନବାହନର ମାଲିକ ଥିବା ସ୍ଥଳେ ବ୍ୟବସାୟ, ଶିକ୍ଷା, ସ୍ୱାସ୍ଥ୍ୟ ତଥା ଅନ୍ୟାନ୍ୟ ସାମାଜିକ କାରଣରୁ ସହରାଞ୍ଚଳକୁ ବାରମ୍ୱାର ଆତଯାତ କରୁଛନ୍ତି । ଅପରପକ୍ଷରେ ଯାତ୍ରୀ ଓ ମାଲ ପରିବହନ ନିମନ୍ତେ ବଡ଼ ପରିବର୍ତ୍ତେ ବହୁ ସଂଖ୍ୟକ ଛୋଟ ଯାନବାହାନ ଚଳାଚଳ କରୁଛି । ଫଳରେ ଟ୍ରାଫିକ ଭାର ଅସଂଭାଳ ଅବସ୍ଥାରେ ପହଞ୍ଚୁଛି । ସହରାଞ୍ଚଳରେ ଭିଡ଼ ନିୟନ୍ତ୍ରଣ ନିମନ୍ତେ ଫ୍ଳାଇ-ଓଭର ନିର୍ମାଣ ଏକ ଦୀର୍ଘ ମିଆଦୀ ସମାଧାନ । ତେଣୁ ଫ୍ଳାଇ-ଓଭର ନିର୍ମାଣକୁ ସମସ୍ତେ ସ୍ୱାଗତ କରିବେ । ତେବେ ଫ୍ଳାଇ-ଓଭର ନିର୍ମାଣ କେତେ ସମୟ ଲାଗିବ ଓ ନିର୍ମାଣର ମାନ କଣ ରହିବ ତାହା ବିତର୍କର ବିଷୟ । ଫ୍ଳାଇ-ଓଭର ବର୍ଷ ବର୍ଷ ଧରି ନିର୍ମାଣଧୀନ ଅବସ୍ଥାରେ ରହିବା ଫଳରେ ସେହି ରାସ୍ତା ବ୍ୟବହାରକାରୀ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବା ଊଦାହରଣର ଅଭାବ ନଥାଏ ।
 
ଆସିକା ରୋଡ଼ରେ ରମ୍ପାସାହି ଓ ସିଟି ହସପିଟାଲ ରାସ୍ତାକଡ଼େ ଅନଧିକାର ବସ ରହେଣୀ ଓ ଟ୍ରାଫିକ ନିୟମକାନୁନର ଖୋଲା ଉଲଂଘନ ଲାଗି ରହିଥାଏ । ପୋଲିସ ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆକଟ କାମ କରିନଥାଏ । ସହରର ଉପକଣ୍ଠ ହଳଦିଆପଦରଠାରେ ୧୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ବସଷ୍ଟାଣ୍ଡ ୨୦୧୬ରୁ ପ୍ରସ୍ତୁତି ହୋଇ ରହିଥିଲେ ହେଁ ବ୍ୟବହୃତ ହୋଇପାରୁ ନାହିଁ । ଗେଟ ବଜାର ଫ୍ଳାଇ-ଓଭର କାମ ଆରମ୍ଭରେ ଆସିକା ରୋଡ଼ ଓ ସିଟି ହସପିଟାଲ ରୋଡ଼ରେ ଯାନବାହାନ ଚଳାଚଳ ବାରଣ ହେଲେ ଅନ୍ତତଃପକ୍ଷେ ହଳଦିଆପଦର ବସ ଟର୍ମିନାଲ ବାଧ୍ୟବାଧକତାରେ କାର୍ଯ୍ୟକାରୀ ହେବା ଆଶା କରାଯାଇପାରେ ! କିନ୍ତୁ ଯଦି ଫ୍ଳାଇ-ଓଭର ନିର୍ମାଣ କାମ ଆରମ୍ଭ ହୁଏ, ତେବେ ତାହା ୨୦୨୪ ନିର୍ବାଚନ ପର କଥା ନୁହେଁ କି !!


Image by domi yanto from Pixabay

Friday, October 13, 2023

Jaugada Fort / ଜଉଗଡ଼

 

#ବ୍ରହ୍ମପୁର ସହର ନିକଟବର୍ତ୍ତୀ ପୁରାତନ କୀର୍ତ୍ତିରାଜି ରୂପେ ଜଉଗଡ଼ ସୁବିଖ୍ୟାତ । ବ୍ରହ୍ମପୁରଠାରୁ ୩୫ କିଲୋମିଟର ତଥା ପୁରୁଷୋତ୍ତମପୁରଠାରୁ ପାଞ୍ଚ କିଲୋମିଟର ଦୂରରେ ଜଉଗଡ଼ ଅବସ୍ଥିତ । ଋଷିକୂଲ୍ୟା ନଦୀର ଉତ୍ତର ଦିଗ ତଥା ପୁରୁଷୋତ୍ତମପୁରର ପଶ୍ଚିମ ଦିଗରେ ପାଣ୍ଡିଆ ଗ୍ରାମ ନିକଟରେ ଖପିଙ୍ଗଳ ପର୍ବତରେ ଏକ ପ୍ରଚ଼ୀନ ଦୁର୍ଗ ଦେଖିବାକୁ ମିଳେ । ସେଠାରେ ତିନିଗୋଟି ଫଳକରେ ମଗଧ ସମ୍ରାଟ ଅଶୋକଙ୍କ ଅନୁଶାସନ ଲିପିବଦ୍ଧ ।
 
ଅଶୋକ ଖ୍ରୀଷ୍ଟପୂର୍ବ ତୃତୀୟ ଶତାଦ୍ଦୀରେ ରାଜତ୍ୱ କରୁଥିଲେ । ସେ ଓଡ଼ିଶା, ତତ୍କାଳୀନ କଳିଙ୍ଗ ସହ ଯୁଦ୍ଧରେ ଜୟଲାଭ କରି ଶାସନଭାର ଗ୍ରହଣ କରିଥିଲେ । କଳିଙ୍ଗ ଯୁଦ୍ଧ ଅଶୋକଙ୍କୁ ଯୁଦ୍ଧଖୋରରୁ ଶାନ୍ତିପ୍ରିୟରେ ପରିବର୍ତ୍ତିତ କରିଥିବା ଇତିହାସ ପୃଷ୍ଠାରେ ବର୍ଣ୍ଣିତ । କଳିଙ୍ଗ ଯୁଦ୍ଧ ପରବର୍ତ୍ତୀ ଅବସ୍ଥାରେ ଅଶୋକ ପ୍ରଜାମାନଙ୍କ ମଙ୍ଗଳ ସକାଶେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ । ସେ ନିଜର ଉଦାରବାଦୀ ଶାସନ ନୀତି କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ସମ୍ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଶିଳା ଗାତ୍ରରେ ଅନୁଜ୍ଞା ଖୋଦିତ କରି ପ୍ରଚାର ବ୍ୟବସ୍ଥା କରିଥିବା ଓଡ଼ିଶା ସମେତ ଉତ୍ତରପ୍ରଦେଶ, ଗୁଜରାଟ, ପାକିସ୍ତାନ, ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶରେ ବିଦ୍ୟମାନ ।
 
ଅଶୋକଙ୍କ ଶାସନକାଳରେ କଳିଙ୍ଗର ରାଜଧାନୀ ତୋଷାଳୀ ଥିଲା । ଢେଙ୍କାନାଳର ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ମତରେ ତୋଷାଳୀ ବର୍ତ୍ତମାନର ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ଅବସ୍ଥିତ ଥିଲା । ଜଉଗଡ଼ ଶିଳାଲେଖାରେ ସମାପାର ନାମ ଉଲ୍ଲେଖ ରହିଛି । ଜଉଗଡ଼ ସମୀପବର୍ତ୍ତୀ ସମା ଗ୍ରାମ କଳିଙ୍ଗର ଦ୍ୱିତୀୟ ରାଜଧାନୀ ଥିବା ସେ ଉଲ୍ଲେଖ କରିଛନ୍ତି ।
 
ଅଶୋକ ନିଜ ଧର୍ମାନୁଶାସନ ପ୍ରଚାର କରିବା ନିମନ୍ତେ ଧର୍ମ ମହାମାତ୍ର ନାମରେ ସ୍ୱତନ୍ତ୍ର ରାଜକର୍ମଚାରୀ ନିଯୁକ୍ତ କରିଥିଲେ । ସେମାନେ ଜନବସତିଗୁଡିକରେ ପ୍ରତି ଚାରିମାସରେ ଥରେ ଅନୁଶାସନଗୁଡ଼ିକୁ ଜନସାଧାରଣଙ୍କୁ ପଢ଼ି ବୁଝାଉଥିଲେ । ସମାପା ଅର୍ଥାତ ଜଉଗଡ଼ ଅଞ୍ଚଳରେ ଏହି ପ୍ରଚାର କାର୍ଯ୍ୟ ଲାଗି ଦକ୍ଷିଣାଞ୍ଚଳ ମହାମାତ୍ର କାର୍ଯ୍ୟରତ ରହିଥିବା ଜଣାଯାଏ ।
 
ଓଡ଼ିଶାରେ ଅଶୋକଙ୍କ ଶିଳାଲେଖ ଭୁବନେଶ୍ୱର ନିକଟବର୍ତ୍ତୀ ଧଉଳି ଓ ବ୍ରହ୍ମପୁର ନିକଟବର୍ତ୍ତୀ ଜଉଗଡ଼ରେ ଦେଖିବାକୁ ମିଳେ । ଏଥିରେ ୧୪ ଗୋଟି ଅନୁଜ୍ଞା ଖୋଦିତ । ଧଉଳି ଓ ଜଉଗଡ଼ର ଅନୁଜ୍ଞା ମଧ୍ୟରେ ମେଳ ଖାଏ । ତେବେ ଜଉଗଡ଼ର ୧୧ଶ, ୧୨ଶ ଓ ୧୩ଶ ଅନୁଜ୍ଞା ବଦଳରେ ଦୁଇଗୋଟି ସ୍ୱତନ୍ତ୍ର ଅନୁଜ୍ଞା ରହିଛି । ଏଥିରେ ଦକ୍ଷିଣାଞ୍ଚଳ କଳିଙ୍ଗବାସୀ ରାଜାଙ୍କୁ ଭୟ ନକରି ଧର୍ମ ଆଚ଼ରଣ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ ଯେ ସୀମାନ୍ତବାସୀ କଳିଙ୍ଗ ଯୁଦ୍ଧରେ ଅଂଶଗ୍ରହଣ କରିନଥିବା ହେତୁ ଅପରାଜିତ ରହିଥିଲେ
 
ଜଉଗଡ଼ ଶିଳାଲେଖର ଭାଷା ପାଲି ଓ ଲିପି ବ୍ରାହ୍ମୀ ବୋଲି ସମ୍ୱଲପୁରର ଇତିହାସ ଅଧ୍ୟାପକ ସ୍ୱର୍ଗତ ଡ଼କ୍ଟର ନବୀନ କୁମାର ସାହୁ ମତ ପୋଷଣ କରିଥିଲେ । କିନ୍ତୁ ବ୍ରହ୍ମପୁରର ଓଡ଼ିଆ ଭାଷାସାହିତ୍ୟ ଅଧ୍ୟାପକ ସ୍ୱର୍ଗତ ଡ଼କ୍ଟର ବେଣୀମାଧବ ପାଢ଼ୀ ଏହି ଶିଳାଲେଖର ଭାଷା ଓଡ୍ର ମାଗଧୀ ବୋଲି ସୂଚାଇ ଥିଲେ । ଲିପିରେ ଖୋଦିତ କେତେକ ଶବ୍ଦ ପ୍ରାଚ଼ୀନ ଓଡ଼ିଆ ଭାଷା ବୋଲି ଅନୁଭୂତ ହୋଇଥାଏ । ଜନସାଧାରଣଙ୍କ ମଧ୍ୟରେ ପ୍ରଚାର ଉଦ୍ଦେଶ୍ୟରେ ରଚ଼ିତ ରାଜାଦେଶ ଦେଶୀୟ ଭାଷାରେ ଲିଖିତ ଥିବା ସେ ଯୁକ୍ତି ବାଢ଼ିଥିଲେ ।
 
କେତେକ ଐତିହାସିକଙ୍କ ମତରେ ଜଉଗଡ଼ର ପ୍ରାଚ଼ୀନ ନାମ ଜଗତ ଥିଲା । ତାହା ଅପଭ୍ରଂଶରେ ଜଉଗଡ଼ରେ ପରିଣତ ହୋଇଛି । ଜଉଗଡ଼ସ୍ଥିତ ପ୍ରାଚୀନ ଦୁର୍ଗର ଚ଼ର୍ତୁଦ୍ଦିଗରେ ଆଠଗୋଟି ପ୍ରବେଶ ଦ୍ୱାର ଥିବା କୁହାଯାଏ । ନିକଟ ଅତୀତରେ ଭାରତ ସରକାରଙ୍କ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ବିଭାଗ ଦ୍ୱାରା ପରୀକ୍ଷାମୂଳକ ଖନନ କରାଯାଇଥିଲା । ସେଥିରୁ ନୂତନ ପ୍ରସ୍ତର ଯୁଗରେ ବ୍ୟବହୃତ କେତେକ ସାମଗ୍ରୀ ମିଳିଥିଲା । କଟକର ବାରବାଟୀ ଦୁର୍ଗ ଅଞ୍ଚଳରେ ୨୦୨୩ ଅକ୍ଟୋବର ମାସରୁ ପ୍ରତ୍ନତାତ୍ତ୍ୱିକ ଖନନ ଆରମ୍ଭ ହୋଇଥିବା ଗଣମାଧ୍ୟମରେ ପ୍ରକାଶିତ । ଜଉଗଡ଼ ମଧ୍ୟ ଅଧିକ ପ୍ରତ୍ନତାତ୍ତ୍ୱିକ ଅଧ୍ୟୟନ ଆବଶ୍ୟକ କରେ । ଐତିହାସିକ ତଥ୍ୟ ଅନୁଯାୟୀ ପ୍ରାଚ଼ୀନକାଳରେ ଉତ୍ତର ଭାରତରୁ ଦକ୍ଷିଣ ଭାରତ ଯାତ୍ରା କରିବା ନିମନ୍ତେ ଏକ ସୁପ୍ରଶସ୍ତ ରାସ୍ତା ଧଉଳିଗିରି ଓ ଜଉଗଡ଼ ଦେଇ ଗତି କରିଥିଲା । ଉଭୟ ଧଉଳିଗିରି ଓ ଜଉଗଡ଼ରେ ଘଞ୍ଚ ଜନବସତି ଥିଲା । ଏହି କାରଣରୁ ସମ୍ରାଟ ଅଶୋକ ଏହି ଦୁଇ ସ୍ଥାନରେ ଶିଳାଲେଖରେ ଅନୁଶାସନ ଖୋଦନ କରାଇଥିବା ଅନୁମାନ କରାଯାଇପାରେ ।

Image by DenisPet from Pixabay


Friday, October 6, 2023

Lighthouse / ବତୀଘର

 

#ବ୍ରହ୍ମପୁର ସହରବାସୀ ବତୀଘର ସହ ବେଶ ପରିଚ଼ିତ । ଊନବିଂଶ ଶତାଦ୍ଦୀ ଶେଷଭାଗ ଓ ବିଂଶ ଶତାଦ୍ଦୀ ପ୍ରଥମଭାଗରେ ବ୍ରହ୍ମପୁର ସହରଠାରୁ ପନ୍ଦର କିଲୋମିଟର ଦୂରବର୍ତ୍ତୀ ଗୋପାଳପୁରରେ ସାମୁଦ୍ରିକ ବନ୍ଦର କାର୍ଯ୍ୟକ୍ଷମ ଥିଲା । ସେହି ସମୟରୁ ସାଗରବେଳାରେ ନିର୍ମିତ ବତୀଘର ବ୍ରହ୍ମପୁର ଜନ୍ମିତଙ୍କୁ ଦେଢ଼ ଶହ ବର୍ଷ ଧରି ଶୈଶବ ଅବସ୍ଥାରୁ ପରିଚ଼ିତ କରାଇଆସିଛି । ଅନେକଙ୍କ କ୍ଷେତ୍ରରେ ଜୀବନର ପ୍ରଥମ ପର୍ଯ୍ୟଟନ ଅବସରରେ ଘନନୀଳ ସୁବିସ୍ତୀର୍ଣ୍ଣ ଜଳରାଶିର ଉତ୍ତାଙ୍ଗ ତରଙ୍ଗରୁ ଦୃଷ୍ଟି ଅପସାରିତ ହୋଇ ନାଲି ଓ ଧଳା ରଙ୍ଗର ସୁଉଚ୍ଚ ବତୀଘର ଆଡ଼କୁ ଆକର୍ଷିତ ହୋଇଥାଏ । ବ୍ରହ୍ମପୁରବାସୀଙ୍କ ବ୍ୟକ୍ତିଗତ ଜୀବନରେ ଆନନ୍ଦ ଓ ଅବସାଦର ମୂକସାକ୍ଷୀ ଗୋପାଳପୁର ବତୀଘର !
 
ନିକଟ ଇତିହାସରେ ଓଡ଼ିଶା ରାଜ୍ୟରେ ଗୋପାଳପୁରହିଁ ଏକ ମାତ୍ର ଯାତ୍ରୀବାହୀ ବନ୍ଦର ରୂପେ କାର୍ଯ୍ୟ କରୁଥିଲା । ମାସେ ଦୁଇ ମାସରେ ଥରେ ଯାତ୍ରୀମାନଙ୍କୁ ଘେନି ଜାହାଜ ତତକାଳୀନ ରେଙ୍ଗୁନ ବା ବର୍ମା, ମିଆଁମାରକୁ ଯାଉଥିଲା । ଗଞ୍ଜାମ ଜିଲ୍ଲାର ଆଭ୍ୟନ୍ତର ଅଞ୍ଚଳରୁ ଯୁବାବସ୍ଥାରେ ଘେରାଏ ରେଙ୍ଗୁନ ବୁଲିଆସିବା ଏକ ସଉକରେ ପରିଣତ ହୋଇଥିଲା । ଚାଷୀ ପରିବାରର ଯୁବକମାନେ କିଛି ଦିନ ସେଠାକାର କୃଷି କ୍ଷେତ୍ରରେ ଶ୍ରମିକଭାବେ ଅବସ୍ଥାପିତ ହୋଇ ବର୍ଷେ ଦୁଇ ବର୍ଷ ପରେ ନିଜ ଗ୍ରାମକୁ ଫେରି ଆସୁଥିଲେ । ତେବେ ଜୀବନବ୍ୟାପୀ ଗୋପାଳପୁର ବନ୍ଦରରୁ ଜାହାଜରେ ଯାତ୍ରା ଓ ରେଙ୍ଗୁନ ଅନୁଭୂତି ବସାବାନ୍ଧି ରହୁଥିଲା ।
 
ପୁରାତନ ବନ୍ଦର ଗୋପାଳପୁର ସହରରେ ଅବସ୍ଥିତ ଥିଲା । ଗୋପାଳପୁର ବେଳାଭୂମିରେ ଭଙ୍ଗା ଗୋଦାମ ଓ ବତୀଘର ବନ୍ଦରର ସ୍ମୃତି ବହନକରେ । ଜାହାଜ ଯାତ୍ରୀଙ୍କ ରହେଣୀ ଉଦ୍ଦେଶ୍ୟରେ ଜଣେ ବିଦେଶୀ ବ୍ୟବସାୟୀଙ୍କ ଦ୍ୱାରା ନିର୍ମିତ ହୋଟେଲ ପ୍ରଥମେ ଓବରାଇ ଓ ପରେ ମେ ଫେୟାର ଗୃପ କିଣିନେଇ ପୁନଃନିର୍ମାଣ କରିଛନ୍ତି । ନୂଆ ଗୋପାଳପୁର ବନ୍ଦର ୧୮ କିଲୋମିଟର ଦୂରବର୍ତ୍ତୀ ଆର୍ଯ୍ୟପଲ୍ଲୀ ବେଳାଭୂମିରେ ଗଢ଼ି ଉଠିଛି । ତେବେ ପୂର୍ବବତ ନୂତନ ଗୋପାଳପୁର ବନ୍ଦରରୁ ଯାତ୍ରୀବାହୀ ଜାହାଜ ଚଳାଚଳ କରୁନାହିଁ ।
 
ପୁରାତନ ଗୋପାଳପୁର ବନ୍ଦର ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଗୁରୁତ୍ୱ ଲାଭ କରିଥିଲା । କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବର୍ମାରୁ ଚାଉଳ ଆମଦାନୀ ବ୍ୟବସାୟ ବନ୍ଦ ଏବଂ ରାଜନୀତିକ ଅସ୍ଥିରତା ହେତୁ ଗୋପାଳପୁର ବନ୍ଦର ବନ୍ଦ ହୋଇଯାଇଥିଲା । ଉପକୂଳ ଓଡ଼ିଶାରେ ରେଳପଥ ଓ ସଡ଼କପଥର ବିକାଶ ମଧ୍ୟ ଅନ୍ୟତମ କାରଣ । ଗୋପାଳପୁର ବନ୍ଦର ଦେଇ ଆମଦାନୀ ଓ ରପ୍ତାନୀ କାରବାର ମୁଖ୍ୟତଃ ବିଶାଖାପାଟଣା ବନ୍ଦରକୁ ସ୍ଥାନାନ୍ତରିତ ହୋଇଥିଲା ।
 
ଗୋପାଳପୁର ବତୀଘରର ମୂଳ ମଞ୍ଚ ୧୮୭୧ରେ ନିର୍ମିତ ହୋଇ ୧୯୨୫ରେ ଉନ୍ନତି କରାଯାଇଥିଲା । ତେବେ ପକ୍କା ବତୀଘର ୧୯୬୭ରେ ବର୍ତ୍ତମାନର ରୂପ ଧାରଣ କରିଥିଲା । ଗୋପାଳପୁର ବ୍ୟତୀତ ଗଞ୍ଜାମ ଜିଲ୍ଲାରେ ଗଞ୍ଜାମ ବ୍ଳକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତର ପ୍ରୟାଗି ଗ୍ରାମ ନିକଟରେ ଅନ୍ୟ ଏକ ବତୀଘର ରହିଛି । ଗୋପାଳପୁର ବତୀଘରକୁ ପର୍ଯ୍ୟଟକମାନେ ଆଗ୍ରହ ସହକାରେ ପରିଦର୍ଶନ କରିଥାନ୍ତି । ସାଧାରଣତଃ ଅପରାହ୍ନରେ ପର୍ଯ୍ୟଟକମାନଙ୍କୁ ବତୀଘର ସିଡ଼ି ଚଢ଼ି ଶୀର୍ଷ ସ୍ଥଳୀ ଯିବା ପାଇଁ ଅନୁମତି ମିଳିଥାଏ । ପ୍ରତ୍ୟେହ ସନ୍ଧ୍ୟା ୫.୩୦ ଯାଏଁ ବତୀଘର ଦର୍ଶକଙ୍କ ଲାଗି ଉନ୍ମୁକ୍ତ ରହେ । ବତୀଘର ଶୀର୍ଷରୁ ଗୋପାଳପୁର ସଂଲଗ୍ନ ସମୁଦ୍ର ଓ ସ୍ଥଳଭାଗର ଶୋଭାରାଜି ସ୍ମରଣୀୟ ଅନୁଭୂତି ।
 
ଗୋପାଳପୁର ବତୀଘର କେନ୍ଦ୍ର ସରକାରଙ୍କ ଜାହାଜ ପରିବହନ ମନ୍ତ୍ରଣାଳୟ ଅଧୀନସ୍ଥ । ଗୋପାଳପୁର ସମେତ ଓଡ଼ିଶା ଉପକୂଳରେ ଅବସ୍ଥିତ ପୁରୀ, ଚନ୍ଦ୍ରଭାଗା, କେନ୍ଦ୍ରପଡ଼ା ଓ ପାରାଦ୍ୱୀପ ପାଞ୍ଚଗୋଟି ବତୀଘର ପ୍ରାଙ୍ଗଣରେ ପର୍ଯ୍ୟଟକଙ୍କ ରହିବା ନିମନ୍ତେ ସୁବିଧା ସୁଯୋଗ ସୃଷ୍ଟି ନିମନ୍ତେ ଏକ ଯୋଜନା ପ୍ରଣୟନ କରାଯାଇଛି । ଏହା ସରକାରୀ ଓ ଘରୋଇ ଉଦ୍ୟୋଗ ସହଭାଗିତା ପବ୍ଳିକ-ପ୍ରାଇଭେଟ-ପାର୍ଟନରସିପ ଢାଞ୍ଚାରେ ପରିଚାଳିତ ହେବା ସ୍ଥିରୀକୃତ ହୋଇଛି । ଏଥିଲାଗି ସ୍ଥାନୀୟ ପ୍ରଶାସନ ଓ ଉପକୂଳ ନିୟନ୍ତ୍ରଣ ଅଧିକାରୀଙ୍କଠାରୁ ଅନୁମତି ଅଣାଯାଇ ସରିଥିବା ଜଣାଯାଏ । ରାଜ୍ୟ ବତୀଘରଗୁଡିକ ମଧ୍ୟରୁ ୧୮୩୬ରେ ନିର୍ମିତ କେନ୍ଦ୍ରପଡ଼ାର ଫଲସ ପଏଣ୍ଟ ବତୀଘର ସର୍ବପ୍ରାଚୀନ କୁହାଯାଏ ।
 
ଗୋପାଳପୁର ବତୀଘର ନିକଟ ଅତୀତରେ ୧୯୯୯ର ମହାବାତ୍ୟା ଓ ୨୦୧୩ର ଫାଇଲିନ ବାତ୍ୟାର ସମ୍ମୁଖୀନ ହୋଇଥିଲା । ତେବେ ବିଶେଷ କ୍ଷୟକ୍ଷତି ଘଟିନଥିଲା । ଗୋପାଳପୁର ବତୀଘର ପୃଷ୍ଠଭୂମିରେ ଓଡ଼ିଆ ଓ ବଙ୍ଗଳାରେ ୧୯୭୫ରେ ବତୀଘରନାମକ ଏକ ଚଳଚ଼ିତ୍ର ନିର୍ମିତ ହୋଇଥିଲା । ବଙ୍ଗଳା ନିର୍ଦ୍ଦେଶକ ତପନ ସିହ୍ନାଙ୍କ ଅଦାଲତେ ଏକଟା ମେ ଚଳଚ଼ିତ୍ରରେ ମଧ୍ୟ ଗୋପାଳପୁର ବତୀଘରର ବର୍ଣ୍ଣନା ରହିଛି । ବଙ୍ଗଳା ଓ ହିନ୍ଦି ଚଳଚ଼ିତ୍ର ଅଭିନେତ୍ରୀ ତନୁଜା ୧୯୮୧ରେ ନିର୍ମିତ ଚଳଚ଼ିତ୍ରଟିରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ଚଳଚ଼ିତ୍ରଟି ୟୁଟ୍ୟୁବ ଷ୍ଟ୍ରୀମିଂ ମଞ୍ଚରେ ଉପଲବ୍ଧ ।


Image by Evgeni Tcherkasski from Pixabay


Friday, September 29, 2023

Single Screen - Multiplex / ସିଙ୍ଗଲ ସ୍କ୍ରୀନ – ମଲଟିପ୍ଳେକ୍ସ

 


#ବ୍ରହ୍ମପୁର ସହରରେ ପ୍ରଥମ ମଲଟିପ୍ଳେକ୍ସ ଆତ୍ମପ୍ରକାଶ ପରେ ଦୁଇଗୋଟି ସିଙ୍ଗଲ ସ୍କ୍ରୀନ ବନ୍ଦ ହୋଇଗଲା । ବାରାକ୍ସ ଟେଲିଫୋନ ଭବନ ରୋଡ଼ ସ୍ଥିତ ଜନତା ସିଟି ସେଣ୍ଟରରେ ୨୦୨୩ ପୂର୍ବାର୍ଦ୍ଧରେ ପିଏସଆର ସିନେମାସ ମଲଟିପ୍ଳେକ୍ସ ଚଳଚ଼ିତ୍ର ପ୍ରଦର୍ଶନ ଆରମ୍ଭ କରିବା ବେଳେ ପ୍ରେମନଗର ରୋଡ଼ ସ୍ଥିତ ଶକ୍ତି ଓ ଶିବା ଦୁଇଗୋଟି ସିଙ୍ଗଲ ସ୍କ୍ରୀନ ସିନେମା ହଲରେ ମାର୍ଚ୍ଚ ପହିଲାରୁ ଚଳଚ଼ିତ୍ର ପ୍ରଦର୍ଶନ ବନ୍ଦ ରହିଲା । ପିଏସଆର ସିନେମାସରେ ତିନିଗୋଟି ସ୍କ୍ରୀନ ଯୋଡ଼ି ହୋଇଥିବା ସ୍ଥଳେ ଶିବା ଓ ଶକ୍ତିର ଦୁଇଗୋଟି ସ୍କ୍ରୀନ ଉଭେଇଗଲା । ଫଳରେ କୋଭିଡ଼ ମହାମାରୀ-ପର ଅବସ୍ଥାରେ ବ୍ରହ୍ମପୁରରେ ପାଞ୍ଚଗୋଟି ସିଙ୍ଗଲ ସ୍କ୍ରୀନ ସିନେମା ହଲରେ ପାଞ୍ଚଗୋଟି ସ୍କ୍ରୀନ ଚାଲୁଥିବା ସ୍ଥଳେ ୨୦୨୩ ମଧ୍ୟଭାଗରେ ଗୌତମ, ରୁକ୍ମିଣୀ ଓ ପାୟଲରେ ତିନିଗୋଟି ସ୍କ୍ରୀନ ସାଙ୍ଗକୁ ପିଏସଆର ସିନେମାସରେ ତିନିଗୋଟି ସ୍କ୍ରୀନ ମୋଟ ଛଅଗୋଟି ସ୍କ୍ରୀନକୁ ବୃଦ୍ଧି ପାଇଛି ।
 
ପାରମ୍ପରିକଭାବେ ବ୍ରହ୍ମପୁର ଦକ୍ଷିଣ ଓଡ଼ିଶାର ମୁଖ୍ୟ ଚଳଚ଼ିତ୍ର ପ୍ରଦର୍ଶନ କେନ୍ଦ୍ରର ମାନ୍ୟତା ପାଇ ଆସିଛି । ଏଠାରେ ରାଜ୍ୟର ପ୍ରଥମ ଚଳଚ଼ିତ୍ର ପ୍ରେକ୍ଷାଳୟ ସ୍ଥାପିତ ହୋଇଥିଲା ଏବଂ ସହରବାସୀ ଚଳଚ଼ିତ୍ର ପ୍ରେମୀଭାବେ ପରିଚ଼ିତ । ପ୍ରଥମ ଦୁଇ ଚଳଚ଼ିତ୍ର ପ୍ରେକ୍ଷାଳୟ ଶ୍ରୀ ସୀତାରାମ ବିଳାସ ଟକିଜଜ୍ୟୋତି ପିକଚ଼ର ପ୍ୟାଲେସ ଭ୍ରାମ୍ୟମାଣ ଚଳଚ଼ିତ୍ର ପ୍ରଦର୍ଶନ, ଅର୍ଥାତ ସର୍କସ ଭଳି ତମ୍ୱୁ ଟାଣି ସିଙ୍ଗଲ ପ୍ରୋଜେକ୍ଟରରେ ଚଳଚ଼ିତ୍ର ପ୍ରଦର୍ଶନ ଆରମ୍ଭ କରି ସ୍ଥାୟୀ ଚଳଚ଼ିତ୍ର ପ୍ରେକ୍ଷାଳୟ ସ୍ଥାପନ କରିଥିଲେ । ସ୍ୱାଧୀନୋତ୍ତର ଅବସ୍ଥାରେ ବିଜୟା, ଉତ୍କଳ, ପରମ ଜ୍ୟୋତି, ଲିଙ୍ଗରାଜ, ପଦ୍ମଶ୍ରୀ, ପାୟଲ, ରୁକ୍ମିଣୀ, ଗୌତମ, ଶକ୍ତି ଓ ଶିବା ମୋଟ ୧୨ ଗୋଟି ଚଳଚ଼ିତ୍ର ପ୍ରେକ୍ଷାଳୟ କାର୍ଯ୍ୟକ୍ଷମ ହୋଇଥିଲା । ଏଥି ମଧ୍ୟରୁ ସାତ ଗୋଟି ପର୍ଯ୍ୟାୟକ୍ରମେ ବନ୍ଦ ହୋଇଯାଇଥିବା ବେଳେ ଦୁଇ ଗୋଟି ଶକ୍ତି ଓ ଶିବା ୨୦୨୩ରେ ବନ୍ଦ ହେଲା ।
 
ପ୍ରେମ ନଗର ରୋଡ଼ରେ ୧୯୮୨ରେ ଶକ୍ତି ସିନେମା ପ୍ରତିଷ୍ଠା ହୋଇଥିଲା । ପରବର୍ତ୍ତୀ ଅବସ୍ଥାରେ ଏହାର ବିସ୍ତୃତ ପ୍ରାଙ୍ଗଣରେ ଶିବା ସିନେମା ନିର୍ମାଣ କରାଗଲା । ଗୋଟିଏ ପ୍ରାଙ୍ଗଣରେ ଦୁଇଗୋଟି ସିନେମା ହଲ ଦର୍ଶକମାନଙ୍କ ଲାଗି ଏକ ନୂତନ ଅନୁଭୂତି ଆଣିଥିଲା । ତେବେ ଠିକ ସେହି ସମୟ ବେଳକୁ ବ୍ରହ୍ମପୁରରେ ଦୂରଦର୍ଶନ ସେବା ଆରମ୍ଭ ହେବା ପରେ କ୍ରମଶଃ ସହରବାସୀଙ୍କ ଚଳଚ଼ିତ୍ର ପ୍ରେକ୍ଷାଳୟ ପରିଦର୍ଶନ ଅଭ୍ୟାସରେ ପରିବର୍ତ୍ତନ ଆସିଲା । ଦଶ ବର୍ଷ ପରେ ବିଂଶ ଶତାଦ୍ଦୀ ଶେଷ ଦଶକ ଆରମ୍ଭରୁ ଉପଗ୍ରହଭିତ୍ତିକ ଘରୋଇ ଚ୍ୟାନେଲ କେବଲ ଟେଲିଭିଜନ ମାଧ୍ୟମରେ ପ୍ରସାର ଲାଭ କରିବାପରେ ପ୍ରେକ୍ଷାଳୟରେ ଚଳଚ଼ିତ୍ର ଉପଭୋଗ ପରମ୍ପରା ମାଳିନ ପଡ଼ିଯାଇଥିଲା । ତେବେ ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଆରମ୍ଭରୁ ସହରରେ ସ୍ମାର୍ଟଫୋନ ବ୍ୟବହାର ଓ ମଧ୍ୟଭାଗରୁ ଆପ ମାଧ୍ୟମରେ ପାଞ୍ଚ ଶହ ଯାଏଁ ଟେଲିଭିଜନ ଚ୍ୟାନେଲ, ଷ୍ଟ୍ରୀମିଂ ପ୍ଲାଟଫରମ ସାଙ୍ଗକୁ ଶସ୍ତା ଇଣ୍ଟରନେଟ ଡ଼ାଟା ସୁବିଧା ଚଳଚ଼ିତ୍ର ପ୍ରଦର୍ଶନର ପରିଭାଷା ବଦଳାଇ ଦେଲା । କୋଭିଡ଼ ମହାମାରୀ-ପର ଅବସ୍ଥାରେ ସହରବାସୀଙ୍କ ମଧ୍ୟରୁ ଅଧିକାଂଶ ଦୈନିକ ଅଢ଼େଇ ଘଣ୍ଟା ଯାଏଁ ସୋସିଆଲ ମିଡ଼ିଆରେ ବିତାଉଥିବା ପରିସଂଖ୍ୟାନ ଜନଜୀବନରେ ମନୋରଞ୍ଜନର ସଂଜ୍ଞାରେ ନୂତନ ଫର୍ଦ୍ଦ ଯୋଡ଼ିଛି ।
 
ରାଷ୍ଟ୍ରୀୟସ୍ତରରେ ଚଳଚ଼ିତ୍ର ପ୍ରେକ୍ଷାଳୟ ପ୍ରଦର୍ଶନ ୨୦୨୩ ମଧ୍ୟଭାଗ ସୁଦ୍ଧା ସଂପୂର୍ଣ୍ଣ ସକ୍ଷମ ହୋଇପାରିନଥିବା ଜଣାଯାଏ । ଅବଶ୍ୟ ବର୍ଷେ, ଦୁଇ ବର୍ଷ ମଧ୍ୟରେ ମହାମାରୀ-ପୂର୍ବ ଅବସ୍ଥାକୁ ଫେରିବା ଆକଳନ କରାଯାଏ । ତେବେ ସର୍ବତ୍ର ସିଙ୍ଗଲ ସ୍କ୍ରୀନ ବା ଏକକ ରୂପେଲି ପରଦା ବିଶିଷ୍ଟ ପ୍ରେକ୍ଷାଳୟର ସ୍ଥିତି ନୈରାଶ୍ୟଜନକ ରହିଆସିଛି । ମଲଟିପ୍ଳେକ୍ସରେ ଚଢ଼ା ଟିକଟ ଦର ସତ୍ତ୍ୱେ ଉନ୍ନତ ପରିବେଶ, ଖାଦ୍ୟପେୟ ଓ ଆଲୋକ-ଶବ୍ଦର ଯାଦୁକାରୀ ପ୍ରଭାବ ଦର୍ଶକଙ୍କୁ ବିମୋହିତ କରୁଛି । ବ୍ରହ୍ମପୁର ପିଏସଆର ସିନେମାସରେ ସକାଳ ୧୦ରୁ ରାତି ୯.୩୦ ଯାଏଁ ସିନେମା ସୋ ଟାଇମ ଉପଲବ୍ଧ । ଏହି ବିସ୍ତୃତ ସମୟ ସୀମା ସହରର ଯୁବବର୍ଗ ଓ ସହର ବାହାର ଆଗନ୍ତୁକଙ୍କ ପାଇଁ ଅନୁକୂଳ । ପରିବର୍ତ୍ତିତ ପରିବେଶରେ ପକେଟରେ ଗଚ୍ଛିତ ସ୍ମାର୍ଟଫୋନରେ ଅଗଣିତ ଚଳଚ଼ିତ୍ର ଉପଭୋଗର ସୁଯୋଗ ସତ୍ତ୍ୱେ ଚଳଚ଼ିତ୍ର ପ୍ରେକ୍ଷାଳୟ ପରିଦର୍ଶନ କେବଳ ଚଳଚ଼ିତ୍ର ପ୍ରଦର୍ଶନକୁ ଆଉ ବୁଝାଉ ନାହିଁ !

Image by Sabine Lange from Pixabay

Friday, September 22, 2023

Gita Mehta (Patnaik) / ଗୀତା ମେହେଟ୍ଟା (ପଟ୍ଟନାୟକ)

 


#ବ୍ରହ୍ମପୁର ସହ ପରଲୋକଗତ ଲେଖିକା ଓ ପ୍ରାମାଣିକ ଚଳଚ଼ିତ୍ର ନିର୍ମାତା ଗୀତା ମେହେଟ୍ଟା (ପଟ୍ଟନାୟକ)ଙ୍କ ସଂପର୍କ ଖୋଜି ପାଇହୁଏବ୍ରହ୍ମପୁରକେନ୍ଦ୍ରିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରେମ ଆନୁକୂଲ୍ୟରେ ମୁଖ୍ୟତଃ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ଜନଜାତି ଓ ତଫସିଲଭୁକ୍ତ ଜାତିର ଯୁବକଯୁବତୀଙ୍କୁ ବୃତ୍ତିଭିତ୍ତିକ ଓ ଧନ୍ଦାମୂଳକ ଶିକ୍ଷା ସୁଯୋଗ ସୃଷ୍ଟି ନିମନ୍ତେ ଗୀତା ମେହେଟ୍ଟାଙ୍କ ଉଦ୍ୟମରେ ଅନୁଦାନ ବ୍ୟବସ୍ଥା ୨୦୧୯ରୁ ଆରମ୍ଭ କରାଯାଇଛି । ଅନୁଷ୍ଠାନର ୨୦୨୧-୨୨ ବାର୍ଷିକ ବିବରଣୀ ଅନୁଯାୟୀ ନର୍ସିଂରେ ସ୍ନାତକ ଉପାଧି, ଜେନେରାଲ ନର୍ସିଂ ମିଡ଼-ୱାଇଫ ଏବଂ ହୋଟେଲ ମ୍ୟାନେଜମଣ୍ଟରେ ଜ୍ଞାନ ଦେବୀ ଫାଉଣ୍ଡେସନ ସହାୟତାରେ ୪୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସେମାନେ ବ୍ରହ୍ମପୁର, ବିଶାଖପାଟଣା, ବିଜୟୱାଡା, ଗୁଣ୍ଟୁର, ହାଇଦରାବାଦ ଓ ବାଙ୍ଗାଲୁରର ବିଭିନ୍ନ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରେ ନାମ ଲେଖାଇଛନ୍ତି । ଅବହେଳିତ ବର୍ଗର ଯୁବକଯୁବତୀଙ୍କୁ ତାଲିମ ଦେଇ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ଗୀତା ମେହେଟ୍ଟାଙ୍କ ବ୍ରହ୍ମପୁରର ଏକ ସ୍ୱେଚ୍ଛାସେବୀ ସଂଗଠନକୁ ଚୟନ ଓ ସ୍ଥାୟୀଜମା ଆୟୋଜନ ଯେ ଏକ ଦୀର୍ଘସୂତ୍ରୀ ସାମାଜିକ କଲ୍ୟାଣମୂଳକ ଯୋଜନା ଏଥିରେ କେହି ଦ୍ୱିମତ ହେବେ ନାହିଁ ।
 
ଗୀତା ମେହେଟ୍ଟାଙ୍କ ପିତା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ କନିଷ୍ଠ ଭ୍ରାତା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ପଟ୍ଟନାୟକଙ୍କ ପୂର୍ବ-ପୁରୁଷ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର (ରସଲକୋଣ୍ଡା)ରେ ବସବାସ କରୁଥିଲେ । ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବିଧାନସଭା ମଣ୍ଡଳୀରୁ ଲଗାତାର ନିର୍ବାଚିତ ହୋଇଆସିଛନ୍ତି । ଗୀତା ମେହେଟ୍ଟା ଦିଲ୍ଲୀରେ ଶିକ୍ଷା ସାରି ବ୍ରିଟେନର କେମ୍ୱ୍ରିଜ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ସେଠାରେ ଭାବୀ ସ୍ୱାମୀ ସୋନୀ ମେହେଟ୍ଟାଙ୍କ ସହ ସାକ୍ଷାତ ହୋଇଥିଲା । ସୋନୀ ମେହେଟ୍ଟା ପ୍ରଖ୍ୟାତ ମାର୍କିନ ପୁସ୍ତକ ପ୍ରକାଶକ ଆଲଫର୍ଡ ଏ. କୁମ୍ପ ପବ୍ଳିକେସନ ଗୃପର ମୁଖ୍ୟ ସଂପାଦକ ଭାବେ କାର୍ଯ୍ୟ କରିଥିଲେ । ଗୀତା ମେହେଟ୍ଟାଙ୍କ ନନ୍-ଫିକସନ ପୁସ୍ତକ କର୍ମ କୋଲା ୧୯୭୯ରେ ପ୍ରକାଶିତ ହେବାପରେ ଆନ୍ତର୍ଜାତିକସ୍ତରରେ ଲୋକପ୍ରିୟ ଲେଖିକାଭାବେ ଉପସ୍ଥାପିତ ହୋଇଥିଲେ । ସେ ଡଜନେରୁ ଉର୍ଦ୍ଧ୍ୱ ପ୍ରାମାଣିକ ଚଳଚିତ୍ର ବ୍ରିଟେନ, ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପର ଟେଲିଭିଜନ ନେଟୱାର୍କଗୁଡ଼ିକ ପାଇଁ ପ୍ରସ୍ତୁତ କରିଥିଲେ ।
 
କର୍ମ କୋଲାର ବିଷୟବସ୍ତୁ ମୂଳତଃ ଭାରତୀୟ ଦର୍ଶନ ଓ ସାମାଜିକ ବ୍ୟବସ୍ଥା ପ୍ରତି ବୈଦେଶିକ ଦୃଷ୍ଟିକୋଣ ଅନୁଶୀଳନରେ ପର୍ଯ୍ୟବଶିତ । ବିଂଶ ଶତାଦ୍ଦୀର ଷଷ୍ଠ ଦଶକରେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ଓ ୟୁରୋପୀୟ ଦେଶପୁଞ୍ଜରୁ ବହୁ ସଂଖ୍ୟକ ପରିବ୍ରାଜକ ପ୍ରାଚ୍ୟ ଆଧ୍ୟାତ୍ମିକତାରେ ପ୍ରଭାବିତ ହୋଇ ଭାରତରେ ପହଞ୍ଚିଥିଲେ । ଗୀତା ମେହେଟ୍ଟା ସେମାନଙ୍କ ସାକ୍ଷାତକାର ମାଧ୍ୟମରେ ସଂଗୃହୀତ ଅନୁଭୂତିକୁ କର୍ମ କୋଲା ପୁସ୍ତକରେ ବର୍ଣ୍ଣନା କରିଥିଲେ । ପୁସ୍ତକଟି ପେଙ୍ଗୁଇନ, ଭିନଟେଜ, ରେଣ୍ଡମ ହାଉସ ଭଳି ବଡ଼ ପ୍ରକାଶନ ସଂସ୍ଥା ଦ୍ୱାରା ୧୯୭୯ରୁ ୨୦୧୦ ମଧ୍ୟରେ ଆଠଗୋଟି ସଂସ୍କରଣ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଥିଲା । ସେ ରିଭର ସୂତ୍ର, ଏଟରନାଲ ଗଣେଷ, ରାଜ ଓ ସ୍ନେକସ ଏଣ୍ଡ ଲେଡର୍ସ ଅନ୍ୟ ଚାରିଗୋଟି ପୁସ୍ତକ ମଧ୍ୟ ରଚନା କରିଥିଲେ । ଏହି ପୁସ୍ତକଗୁଡ଼ିକ ୨୧ ଗୋଟି ଭାଷାରେ ଅନୁବାଦିତ ହୋଇଥିବା କୁହାଯାଏ ।
 
ସୋନୀ ମେହେଟ୍ଟା ଓ ଗୀତା ମେହେଟ୍ଟା ମୁଖ୍ୟତଃ ନ୍ୟୂୟର୍କ ବାସିନ୍ଦା । ସୋନୀ ମେହେଟ୍ଟା ୨୦୧୯ରେ ପରଲୋକ ଗମନ କଲେ । ଏହା ପରେ ପରେ ଗୀତା ମେହେଟ୍ଟା ମଧ୍ୟ ଅସୁସ୍ଥ ହୋଇପଡିଥିଲେ । ଚାରିବର୍ଷ ପରେ ୨୦୨୩ ସେପ୍ଟେମ୍ୱରରେ ତାଙ୍କରି ଦେହାନ୍ତ ଘଟିଥିଲା ।
 
ପରିଣତ ବୟସରେ ପୈତୃକ ସମ୍ପତ୍ତିର ସଦଉପଯୋଗ କଳ୍ପେ ଜନହିତକର କାର୍ଯ୍ୟ ପ୍ରଯୋଜନାରେ ତାଙ୍କରି ତତ୍ତ୍ୱାବଧାନରେ ମାତା ଜ୍ଞାନ ଦେବୀଙ୍କ ସ୍ମୃତିରେ ଜ୍ଞାନ ଦେବୀ ଫାଉଣ୍ଡେସନ ଗଠିତ ହୋଇଥିଲା । ବ୍ରହ୍ମପୁର କେନ୍ଦ୍ରୀକ ସ୍ୱେଚ୍ଛାସେବୀ ସଂଗଠନ ପ୍ରେମଦୀର୍ଘ ଚାରି ଦଶନ୍ଧି ଧରି ଜନଜାତି,  ତଫସିଲଭୁକ୍ତ ଜାତି ଓ ମତ୍ସ୍ୟଜୀବୀ ସନ୍ତାନସନ୍ତତିଙ୍କ ଶିକ୍ଷା ଲାଗି ଉଦ୍ୟମ କରି ଆସିଛି । ଅନୁଷ୍ଠାନ ଜର୍ମାନୀ, ସ୍ପେନ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ଅନୁଦାନ ଗ୍ରହଣ କରି ନିଜ କାର୍ଯ୍ୟକ୍ରମ ପରିଚାଳିତ କରୁଛିଗୀତା ମେହେଟ୍ଟାଙ୍କ ପ୍ରଚ଼େଷ୍ଟାରେ ଏଭଳି ଏକ ଅନୁଷ୍ଠାନ ଜ୍ଞାନ ଦେବୀ ଫାଉଣ୍ଡେସନରୁ ଆର୍ଥିକ ସହଯୋଗ ଅବହେଳିତ ବର୍ଗର ଭବିଷ୍ୟତ ବଂଶଧରଙ୍କୁ ଉଚ୍ଚଶିକ୍ଷା ଯୋଗାଇବାଲାଗି ସାମର୍ଥ୍ୟ ଯୋଗାଇପାରିଛି

Friday, September 15, 2023

Three Amonia Plants / ତିନିଗୋଟି ଆମୋନିଆ କାରଖାନା

 

#ବ୍ରହ୍ମପୁର ଉପକଣ୍ଠ ଚମାଖଣ୍ଡିସ୍ଥିତ ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କରେ ତିନିଗୋଟି ଆମୋନିଆ କାରଖାନା ନିର୍ମାଣ ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଛି । ବିଂଶ ଶତାଦ୍ଦୀ ଶେଷ ପାଦରେ ଛତ୍ରପୁର-ଗୋପାଳପୁର ଅଞ୍ଚଳରେ ଏକ ଇସ୍ପାତ କାରଖାନା ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ବସାଧାରଣ ଜମି ଅଧିଗ୍ରହଣ କରାଯାଇ ଟାଟା ଷ୍ଟିଲକୁ ପ୍ରଦାନ କରାଯାଇଥିଲା । ତେବେ ଆନ୍ତର୍ଜାତିକ ବଜାରରେ ଇସ୍ପାତ ଚାହିଦା ହଠାତ କମିଯାଇଥିବା ଏବଂ ବିଭିନ୍ନ ଆନୁସଙ୍ଗିକ କାରଣରୁ ଟାଟା ପକ୍ଷରୁ ଇସ୍ପାତ କାରଖାନା ନିର୍ମାଣ ପ୍ରସ୍ତାବ ପ୍ରତ୍ୟାହାର କରିନିଆଗଲା । ଅଧିଗୃହିତ ଜମିରେ ଟାଟା ଷ୍ଟିଲ ସ୍ପେଶାଲ ଇକନୋମିକ ଜୋନ ଗଠନଲାଗି ସରକାର ଅନୁମତି ଦେଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେଠାରେ ଏକ ଇଣ୍ଡଷ୍ଟ୍ରିଆଲ ପାର୍କ ଗଠନ କରାଯାଇ ଟାଟା ଷ୍ଟିଲ ଭିନ୍ନ ଅନ୍ୟ ଉଦ୍ୟୋଗୀମାନଙ୍କୁ ମଧ୍ୟ କଳକାରଖାନା ସ୍ଥାପନ ଲାଗି ସୁଯୋଗ ସୃଷ୍ଟି କରାଗଲା ।

 

ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କରେ ୨୦୨୩ ମଧ୍ୟଭାଗ ସୁଦ୍ଧା ପାଞ୍ଚଗୋଟି କାରଖାନା ଚାଲୁ ହୋଇଥିବା ସ୍ଥଳେ ଦୁଇଗୋଟି ନିର୍ମାଣଧୀନ ଅବସ୍ଥାରେ ରହିଛି । ଏଥି ମଧ୍ୟରୁ ଟାଟା କମ୍ପାନୀ ମାଲିକାନାରେ ଦୁଇଗୋଟି ଶିଳ୍ପ ଅନ୍ତର୍ଭୁକ୍ତ । ନିର୍ମାଣଧୀନ କାରଖାନା ମଧ୍ୟରେ ଦୀପକ ଫର୍ଟିଲାଇଜରସ ଏଣ୍ଡ ପେଟ୍ରୋକେମିକାଲ୍ସ କର୍ପୋରେସନ ଲିମିଟେଡଟେକନିକାଲ ଆମୋନିୟମ-ନାଇଟ୍ରେଟ ଅନ୍ୟତମ । ଅଗଷ୍ଟ-ସେପ୍ଟେମ୍ୱର ୨୦୨୩ରେ ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କରେ ଅଧିକା ଦୁଇଗୋଟି ଆମୋନିଆ କାରଖାନା ସ୍ଥାପନ ନିମନ୍ତେ ଦୁଇ ଘରୋଇ କମ୍ପାନୀ ସହ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିବା ସମ୍ୱାଦ ଗଣମାଧ୍ୟମରେ ପ୍ରକାଶ ପାଇଛି । ଅତଏବ, ନିର୍ମାଣଧୀନ ଓ ପ୍ରସ୍ତାବିତ ତିନିଗୋଟି ଆମୋନିଆ କାରଖାନା ଗୋପାଳପୁରରେ ଗଢ଼ି ଉଠିବା ନିଶ୍ଚିତ ।

 

ଆନ୍ତର୍ଜାତିକସ୍ତରରେ ଆମୋନିଆର ଚାହିଦା ରହିଛି । ଭାରତରେ ବିଶ୍ୱ ଉତ୍ପାଦନର ଆଠ ପ୍ରତିଶତ ହିସାବ କରାଯାଉଥିବା ସ୍ଥଳେ ବୈଦେଶିକ ବଜାରରୁ ମଧ୍ୟ ଆମଦାନୀ ହୋଇଥାଏ । ଆମ ଦେଶରେ ୮୦ ପ୍ରତିଶତ ଆମୋନିଆ ୟୁରିଆ ସାର ଉତ୍ପାଦନରେ ବ୍ୟବହୃତ ହୁଏ । ଏତଦ୍ ବ୍ୟତୀତ ପ୍ଳାଷ୍ଟିକ, ପରିଧାନ, କୀଟନାଶକ, ବିସ୍ପୋରକ ଉତ୍ପାଦନ ଓ ରେଫ୍ରିଜେସନ, ଜଳ ବିଶୋଧନ ଭଳି ବିଭିନ୍ନ କ୍ଷେତ୍ରରେ ମଧ୍ୟ କାର୍ଯ୍ୟରେ ଲାଗେ ।

 

ପ୍ରସ୍ତାବିତ ଦୁଇଗୋଟି ନୂତନ ଆମୋନିଆ କାରଖାନା ମଧ୍ୟରୁ ପ୍ରଥମଟି ଗୁରୁଗ୍ରାମଭିତ୍ତିକ ଏସିଏମଇ କ୍ଲିନ୍ ଏନାର୍ଜୀ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ଭୁବନେଶ୍ୱରଠାରେ ରାଜ୍ୟସରକାରଙ୍କ ପଦସ୍ଥ କର୍ମଚାରୀଙ୍କ ଉପସ୍ଥିତିରେ ଟାଟା କର୍ତ୍ତୃପକ୍ଷଙ୍କ ସହ ୨୬ ଅଗଷ୍ଟ ୨୦୨୩ରେ ବୁଝାମଣା-ପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି ଶିଳ୍ପଦ୍ୟୋଗୀ ଓଡ଼ିଶାର ପାରାଦୀପରେ ମଧ୍ୟ ଅନ୍ୟଏକ ଆମୋନିଆ କାରଖାନା ନିର୍ମାଣ ନିମନ୍ତେ ଡ଼ିସେମ୍ୱର ୨୦୨୨ରେ ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲେ । କମ୍ପାନୀର ତାମିଲନାଡୁ, କର୍ଣ୍ଣାଟକ, ଓମାନ ଓ ଇଜିପ୍ଟରେ ଆମୋନିଆ କାରଖାନା ଥିବା କୁହାଯାଉଛି । ବର୍ତ୍ତମାନ ଗୋପଳପୁର ଇଣ୍ଡଷ୍ଟ୍ରିଆଲ ପାର୍କରେ ୩୪ ଏକର ଜମିରେ ୨୭ ହଜାର କୋଟି ଟଙ୍କା ବ୍ୟୟରେ କାରଖାନା ନିର୍ମାଣ କରିବେ ।

 

ପ୍ରସ୍ତାବିତ ଦ୍ୱିତୀୟ ଆମୋନିଆ କାରଖାନା ନିମନ୍ତେ ବିକଳ୍ପ ଶକ୍ତି ଉତ୍ପାଦକ ଅଭେଦା ଗୃପ ପକ୍ଷରୁ ଭୁବନେଶ୍ୱରଠାରେ ୮ ସେପ୍ଟେମ୍ୱର ୨୦୨୩ରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କରେ ୧୨୦ ଏକର ଜମିରେ କମ୍ପାନୀ ଆମୋନିଆ କାରଖାନା ନିର୍ମାଣ କରିବ ।

 

ପ୍ରସ୍ତାବିତ ଦୁଇଗୋଟି କମ୍ପାନୀ ଗ୍ରୀନ ଆମୋନିଆ ଉତ୍ପାଦନ ବିଷୟରେ ଉଲ୍ଲେଖ କରୁଛନ୍ତି । ଏଠାରେ ଗ୍ରୀନର ଅର୍ଥ କାରଖାନା ଚଳାଇବା ନିମନ୍ତେ ପାରମ୍ପରିକ ତାପଜ ବିଦ୍ୟୁତ ବ୍ୟବହାର ବଦଳରେ ସୌର ଓ ବାୟୁ ଯୋଗେ ଉତ୍ପାଦିତ ଶକ୍ତି ବ୍ୟବହାର କରିବେ ସୋଲାର ପ୍ୟାନେଲ, ୱିଣ୍ଡ ଟରବାଇନ ଭଳି ଉତ୍ସରୁ ଶକ୍ତି ସଂଗୃହୀତ ହେବ । ପ୍ରଥମେ ବିକଳ୍ପ ଶକ୍ତି ଉତ୍ସ ଯୋଗେ ଗ୍ରୀନ ହାଇଡ୍ରୋଜନ ଉତ୍ପାଦନ ହେବ ଏବଂ ସେଥିରୁ ଗ୍ରୀନ ଆମୋନିଆ ଉତ୍ପାଦିତ ହେବ । ଏତଦ୍ୱାରା ପ୍ରଦୂଷଣ ମାତ୍ରା ହ୍ରାସ ପାଇବ ବୋଲି କୁହାଯାଉଛି ।


Image by Hands off my tags! Michael Gaida from Pixabay


Friday, September 8, 2023

Surya Narayan Patra / ସୂର୍ଯ୍ୟ ନାରାୟଣ ପାତ୍ର

 

#ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ-ଗାନ୍ଧୀନଗର ଛକ ସଂଯୋଗକାରୀ ନ୍ୟୂ-ବାରାକ୍ସ ରୋଡରେ ରାଜନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୈତୃକ ବାସଗୃହ । ତାଙ୍କରି ପିତା କାଶୀନାଥ ପାତ୍ର ଦେଶ ସ୍ୱାଧୀନତା ହାସଲ କରିବା କିଛି ବର୍ଷ ପୂର୍ବରୁ ଦିଗପହଣ୍ଡିରୁ ଆସି ସେଠାରେ ସ୍ଥାୟୀ ଭାବେ ବସବାସ ଆରମ୍ଭ କରିଥିଲେ । ବାରାକ୍ସ ଗ୍ରାଉଣ୍ଡ ସଂଲଗ୍ନ ଏହି ଏକ ପାଖିଆ ସାହିରେ ପୁରୁଣା ବସଷ୍ଟାଣ୍ଡ ପଟେ ଜ୍ୟୋତି ସିନେମା ହଲ ଓ ତାକୁ ଲାଗି ପଣ୍ଡା ଇଂଜିନିୟରିଂ ୱାର୍କ୍ସ ଥିଲା । ସିନେମା ହଲ ବର୍ତ୍ତମାନ ଏକ ହୋଟେଲରେ ପରିବର୍ତ୍ତିତ ହୋଇଛି । ଗାନ୍ଧି ନଗର ସଂପ୍ରସାରିତ ହେବା ପୂର୍ବରୁ ନ୍ୟୂ-ବାରାକ୍ସ ରୋଡ଼ଟି ଅପେକ୍ଷାକୃତ ଭାବେ କମ ଗହଳଚହଳ ଅନୁଭୂତ ହେଉଥିଲା ।
 
କାଶୀ ପାତ୍ର କଂଗ୍ରସ କର୍ମୀ । ଖଦୀ ହାଫ ସାର୍ଟ, ଧୋତି ପିନ୍ଧି ସାଇକଲରେ ବୁଲୁଥାନ୍ତି । ଫାୟାର ଷ୍ଟେସନ ରୋଡ଼ରେ ବ୍ରହ୍ମପୁର ପୌରପାଳିକା ପକ୍ଷରୁ ଦୋକାନ ଗୃହ ନିର୍ମାଣ କରି ଭଡ଼ା ଦିଆଯିବା ବେଳେ ସେଥିରୁ ଗୋଟିଏ ନେଇ ଖଦୀ ଦୋକାନ ଓ ସମାଜ ସମ୍ୱାଦପତ୍ର ଏଜେନ୍ସି ଚଳାଉଥିଲେ । ବ୍ରହ୍ମପୁରରେ ଖଦୀ ଓ ସମ୍ୱାଦପତ୍ର ପ୍ରସାର ଜୀବନବ୍ୟାପୀ ବୃତ୍ତି ପାଲଟିଥିଲା । ଦେଶ ସ୍ୱାଧୀନତା ହାସଲ କଲାବେଳେ ସମ୍ୱାଦପତ୍ର ସଂଖ୍ୟା ଓ ପ୍ରସାର କମ । ସେହି କାରଣରୁ ଅନ୍ୟାନ୍ୟ ଓଡ଼ିଆ ଓ ଇଂଲିଶ ସମ୍ୱାଦପତ୍ର ତଥା ପତ୍ରପତ୍ରିକା ମଧ୍ୟ ତାଙ୍କୁହିଁ ବ୍ରହ୍ମପୁରରେ ବିତରଣ ଦାୟିତ୍ୱ ଦେଉଥିଲେକାଶୀ ପାତ୍ର ଶାନ୍ତ ଓ ଅମାୟିକ ସ୍ୱଭାବର ବ୍ୟକ୍ତି । ସୂର୍ଯ୍ୟ ପାତ୍ର ତାଙ୍କରି ଏକ ମାତ୍ର ପୁତ୍ର ।
 
ସୂର୍ଯ୍ୟ ପାତ୍ରଙ୍କ ଶୈଶବ, କିଶୋର ଓ ଯୁବାବସ୍ଥା ବ୍ରହ୍ମପୁରରେ କଟିଥିଲା । ୧୯୯୦ରେ ମୋହନା ନିର୍ବାଚନ ମଣ୍ଡଳୀରୁ ଜନତା ଦଳ ଟିକଟରେ ବିଧାୟକଭାବେ ନିର୍ବାଚିତ ହୋଇ ବିଜୁ ପଟ୍ଟନାୟକ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିଲେ । ସେହି ସମୟରୁ ଭୁବନେଶ୍ୱରରେ ସରକାରୀ ବାସଭବନରେ ବସବାସ ଆରମ୍ଭ କରିଥିଲେ । ଲଗାତାର ସାତ ଥର ବିଧାୟକ ନିର୍ବାଚିତ ହୋଇ ୧୫ ବର୍ଷ କାଳ ମନ୍ତ୍ରୀ ପଦବୀରେ ଅବସ୍ଥାପିତ ହେବା ଅବସରରେ ବ୍ରହ୍ମପୁର ସହର ଜୀବନରୁ ଅପସରି ଯାଇଥିଲେ । କିଛି ସମୟ ମଧ୍ୟରେ ନ୍ୟୂ-ବାରାକ୍ସ ରୋଡ଼ ବାସଭବନରେ ବସବାସ କରୁଥିବା ପିତାମାତାଙ୍କୁ ମଧ୍ୟ ଭୁବନେଶ୍ୱର ନେଇ ଯାଇଥିଲେ । ନ୍ୟୂ-ବାରାକ୍ସ ରୋଡ଼ ବାସଭବନ ସୂର୍ଯ୍ୟ ପାତ୍ରଙ୍କ ଦଳୀୟ ରାଜନୀତିକ କାର୍ଯ୍ୟରେ ବ୍ୟବହୃତ ହୋଇଚାଲିଥିଲା
 
ସୂର୍ଯ୍ୟ ପାତ୍ର ୧୯୮୪ରେ ଜନତା ପାର୍ଟି ଓ ୧୯୮୯ରେ ଜନତା ଦଳ ପକ୍ଷରୁ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳରୁ ପ୍ରାର୍ଥୀ ହୋଇଥିଲେ । ସେଠୁ ହିଁ ତାଙ୍କରି ସକ୍ରିୟ ରାଜନୀତିକ ଜୀବନ ଆରମ୍ଭ ଲୋକସଭା ନିର୍ବାଚନ ନ୍ୟୂ-ବାରାକ୍ସ ରୋଡ଼ ବାସଭବନରୁ ପରିଚାଳିତ ହୋଇଥିଲା । କିନ୍ତୁ ୧୯୯୦ରେ ମୋହନା ବିଧାନସଭା ନିର୍ବାଚନରେ ବିଧାୟକ ଭାବେ ନିର୍ବାଚ଼ିତ ହେବା ପରେ ତାଙ୍କରି ରାଜନୀତିକ କାର୍ଯ୍ୟକଳାପ ମୋହନା ଓ ଦିଗପହଣ୍ଡିକୁ ସ୍ଥାନାନ୍ତରିତ ହେଲା ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ମୋହନା ଏକ ବିଧାନସଭା ମଣ୍ଡଳୀ ଏବଂ ୨୦୦୯ ଯାଏଁ ଦିଗପହଣ୍ଡି ମୋହନା ବିଧାନସଭା ମଣ୍ଡଳୀର ଅଂଶବିଶେଷ ପରିଗଣିତ ହେଉଥିଲା । ଦିଗପହଣ୍ଡି ୨୦୦୯ ବିଧାନସଭା ନିର୍ବାଚନ ଅବସରରେ ଏକ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀରୂପେ ଗଢି ଉଠିବା ଅବସରରେ ସୂର୍ଯ୍ୟ ପାତ୍ର ମୋହନା ବଦଳରେ ଦିଗପହଣ୍ଡିକୁ ରାଜନୀତିକ କର୍ମଭୂମି ଭାବେ ବାଛି ନେଇଥିଲେ ।
 
ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବା ପୂର୍ବରୁ ୧୯୭୯ରେ ବ୍ରହ୍ମପୁର ପୌରପାଳିକାର କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ଏଥି ପୂର୍ବରୁ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟ ଭାବେ ଚର୍ଚ୍ଚାରେ ରହିଥିଲେ । ଖଲ୍ଲିକୋଟ କଲେଜରେ ବିଜ୍ଞାନ ସ୍ନାତକ ଶ୍ରେଣୀର ଛାତ୍ରାବସ୍ଥାରେ ନାଟ୍ୟ ସଂସଦର ସଂପାଦକ ଭାବେ ନିର୍ବାଚିତ ହୋଇଥିଲେ । ଖଲ୍ଲିକୋଟ କଲେଜ ଛାତ୍ର ଜୀବନରେ ବ୍ରହ୍ମପୁରରେ ଛାତ୍ର ଆନ୍ଦୋଳନ ଲାଗି ରହୁଥିଲା । ଦରଦାମ ବିରୋଧି ଆନ୍ଦୋଳନ, ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆନ୍ଦୋଳନରେ ସେ ସକ୍ରିୟ ଥିଲେ । ଖଲ୍ଲିକୋଟ କଲେଜରୁ ବିଜ୍ଞାନ ଓ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରୁ ଆଇନ ସ୍ନାତକ ଉପାଧି ହାସଲ ପରେ ବ୍ରହ୍ମପୁର ଅଦାଲତରେ ଆଇନଜୀବୀ ହିସାବରେ ଜୀବନ ଆରମ୍ଭ କରିଥିଲେହେଁ ବାପାଙ୍କ ସମ୍ୱାଦପତ୍ର ଏଜେନ୍ସି ଓ ନିଜ ଗଭୀର ନଳକୂପ ଖନନକୁ ବ୍ୟବସାୟ ଭାବେ ଗ୍ରହଣ କରିଥିଲେ । କିଛି ସମୟ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ରାଜନୀତି ବିଜ୍ଞାନ ଶ୍ରେଣୀରେ ନାମ ଲେଖାଇଥିଲେ ।
 
ସୂର୍ଯ୍ୟ ପାତ୍ର ୧୯୬୫ରୁ ୧୯୯୦ ଯାଏଁ ୨୫ ବର୍ଷ ଧରି ବ୍ରହ୍ମପୁର ସାମାଜିକ ଓ ସାଂସ୍କୃତିକ ଜୀବନରେ ଏକ ଲୋକପ୍ରିୟ ଚେହରା । ବଡ଼ି ସକାଳୁ ହକରମାନଙ୍କ ମଧ୍ୟରେ ସମ୍ୱାଦପତ୍ର ବଣ୍ଟନ ତଦାରଖ କରିବା ପାଇଁ ରେଳ ଷ୍ଟେସନରେ ପହଞ୍ଚିବାଠୁ ସନ୍ଧ୍ୟାରେ ଅଦାଲତରୁ ଫେରିବା ପରେ ଗିରିଜା ହୋଟେଲରେ ଦୋସା ଖାଇ ସାମନା ଟ୍ରାଫିକ ଆଇଲ୍ୟାଣ୍ଡ କଡ଼େ ସହୋଦରଙ୍କ ସହ ଆଳାପ ଆଲୋଚନା ଏବଂ ସପତ୍ନୀକ ସେକେଣ୍ଡ ସୋ ସିନେମା ଦେଖା ବ୍ରହ୍ମପୁରୀ ମୌଳିକ ସହରୀ ଜୀବନରେ ମସଗୁଲ ଥିବା ଦେଖିବାକୁ ମିଳୁଥିଲା । ଗଭୀର କୂପ ଖନନ ବ୍ୟବସାୟ ଅବସରରେ ଏକ ନାଲି ରଙ୍ଗର ମାରୁତି ୮୦୦ ବ୍ୟବହାର ଆରମ୍ଭ କରିବା ଯାଏଁ ସ୍କୁଟର ମାରି ସହର ବୁଲୁଥିଲେ । ସମସାମୟିକ ରାଜନୀତିକ କର୍ମୀଙ୍କ ମଧ୍ୟରେ ସେ ପଦପଦବୀ ଅଧିଗ୍ରହଣ ଓ ଅର୍ଥ ଉପାର୍ଜନରେ ଅଗ୍ରଣୀ ରହି ଆସିଥିଲେ । ସୌହାଦ୍ଦ୍ୟପୂର୍ଣ୍ଣ ସମୀକରଣ ତାଙ୍କ ଜୀବନରେ ସଫଳତାର ରହସ୍ୟ ମନେହୁଏ ।
 
ପରିବର୍ତ୍ତିତ ପରିବେଶରେ ବର୍ଦ୍ଧିତ ଜୀବଦ୍ଦଶାରେ ସୂର୍ଯ୍ୟ ପାତ୍ର ଅପେକ୍ଷାକୃତ କମ ବୟସରେ ପରଲୋକ ଗମନ କଲେ । ତାଙ୍କରି ସମୟର ସହରର ବହୁ ସହଧ୍ୟାୟୀ, ରାଜନୀତିକ, ବ୍ୟାବସାୟିକ ଓ ସାମାଜିକ ସହଯୋଗୀଙ୍କ ପାଇଁ ସ୍ମୃତିପଟରେ ରହିଗଲେ ।

Image by 41330 from Pixabay