Friday, August 21, 2020

Festival calendar this year / ଚଳିତ ବର୍ଷର ଶାରଦୀୟ ପାର୍ବଣ ଋତୁ



ଚଳିତ ବର୍ଷ ଗଣେଶ ପୂଜା ଅବସରରେ ବ୍ରହ୍ମପୁରରେ ଉତ୍ସାବାନୁଷ୍ଠାନ ଜମିବନି । ଏକପକ୍ଷରେ ସ୍କୁଲ କଲେଜ ବନ୍ଦ ରହିଥିବା ସ୍ଥଳେ ଅପରପକ୍ଷେ ବିଭିନ୍ନ ସାହୀରେ ସାର୍ବଜନୀନ ଗଣେଶ ପୂଜା ମଣ୍ଡପ ଆୟୋଜନ ମଧ୍ୟ ସଂଭବ ହୋଇପାରୁ ନାହିଁ । କୋଭିଡ଼-୧୯ସଂକ୍ରମଣ ପ୍ରତିରୋଧ ନିମନ୍ତେ ଜନଗହଳି ନିୟନ୍ତ୍ରଣ କରାଯାଉଛି । ମଣ୍ଡପ ଆୟୋଜନରେ ବହୁବ୍ୟକ୍ତି ସଂପୃକ୍ତ ହେବା ତଥା ପୂଜାର୍ଚ୍ଚନାରେ ବହୁବ୍ୟକ୍ତିଙ୍କ ସମାଗମ ପ୍ରଥା ହେତୁ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ନିଷେଧାଦେଶ ଲାଗୁ ହୋଇଛି ।
 
ଦୋଳପୂର୍ଣ୍ଣିମା ଓ ହୋଲି ପରେ ପରେ ମହାମାରୀଜନିତ କଟକଣା ଆରମ୍ଭ ହେବା ପରଠୁ ସହରରେ ଦଣ୍ଡଯାତ୍ରା, ବିଷୁବ ସଂକ୍ରାନ୍ତି, ଇଦ, ରଥଯାତ୍ରା, ଗହ୍ମା ପର୍ବ ପରକୁ ଏବର୍ଷ ଗଣେଶ ପୂଜା କେବଳ ବିଧିବିଧାନରେ ସୀମିତ ରହିବ । ପରବର୍ତ୍ତୀ ପର୍ଯ୍ୟାୟରେ ଦୁର୍ଗାପୂଜା (୨୫ ଅକ୍ଟୋବର), କୁମାର ପୂର୍ଣ୍ଣିମା (୩୧ ଅକ୍ଟୋବର), ଦୀପାବଳୀ (୧୪ ନଭେମ୍ୱର) ଉତ୍ସବ ମହାମାରୀଜନିତ ଦୃଢ଼ କଟକଣା ଥାଉ କିମ୍ୱା ନଥାଉ ପୂର୍ବବର୍ଷମାନଙ୍କ ଭଳି ସ୍ୱାଭାବିକ ରୀତିରେ ପାଳନ ସଂଭବପର ନହେବା ଆଶଙ୍କା ଦୃଢ଼ୀଭୂତ ହେବାରେ ଲାଗିଛି ।
 
ଗଣେଶ ପୂଜାରୁ ଓଡ଼ିଆ ଶାରଦୀୟ ପାର୍ବଣ ଋତୁ ଆରମ୍ଭ ହୋଇ ଦୀପାବଳି ଯାଏଁ ଲମ୍ୱି ଥାଏ । ପଡ଼ୋଶୀ ପଶ୍ଚିମ ବଙ୍ଗରେ ମଧ୍ୟ ସେହି ଏକା ପରମ୍ପରା । କୋଲକତାରେ ସାର୍ବଜନୀନ ଦୂର୍ଗାପୂଜାକୁ ସର୍ବାପେକ୍ଷା ପ୍ରାଧାନ୍ୟ ଦିଆଯାଏ । ମହାମାରୀରେ ପଶ୍ଚିମ ବଙ୍ଗ ସମଦଶା ଭୋଗୁଥିବା ହେତୁ ଦୁର୍ଗାମେଢ଼ କିପରି ଆୟୋଜନ ହେବ ସେ ସଂପର୍କରେ ବ୍ୟପକ ବିଚାର ବିମର୍ଷ ଚାଲିଛି ।
 
ସମ୍ୱାଦପତ୍ରରେ ପ୍ରକାଶିତ ବିବରଣୀ ଅନୁଯାୟୀ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ ଜନଗହଳି ଏଡ଼ାଇବା ପାଇଁ ସେଠାକାର ତିନିଗୋଟି ପ୍ରସିଦ୍ଧ ମଣ୍ଡପର ପୂଜା କମିଟୀ ଦର୍ଶକମାନଙ୍କ ନିମନ୍ତେ ଡ୍ରାଇଭ-ଇନ ଦର୍ଶନ ପଦ୍ଧତି ପ୍ରଚଳନ କରିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ଦକ୍ଷିଣ କୋଲକତାର ବାଦାମତଲା, ୬୬ ପଲ୍ଲୀ ଓ ନେପାଳ ଭଟ୍ଟାଚାର୍ଯ୍ୟ ଷ୍ଟ୍ରୀଟରେ ଜାକଜମକରେ ମଣ୍ଡପ ସାଜସଜ୍ଜା କରାଯାଇଥାଏ ଏବଂ ବହୁ ସଂଖ୍ୟକ ଦର୍ଶକ ସମବେତ ହୋଇଥାନ୍ତି । ଏହି ତିନିଗୋଟି ପୂଜାମଣ୍ଡପ ଦେଖିବା ନିମନ୍ତେ ଚଳିତ ବର୍ଷ ଦର୍ଶକମାନଙ୍କୁ କେବଳ କାରରେ ବସି ଦେବୀ ଦର୍ଶନ ଓ ସାଜସଜ୍ଜା ଉପଭୋଗ କରିବା ନମନ୍ତେ ପ୍ରାବଧାନ ପ୍ରସ୍ତାବ ବିଚାର କରାଯାଉଛି ।
 
କୌଣସି ପୂଜା ମଣ୍ଡପରେ କୌଣସି ମଟରଗାଡ଼ି ଅଟକିବ ନାହିଁ କିମ୍ୱା ଦର୍ଶକ ଗାଡ଼ିରୁ ଓହ୍ଲାଇ ପାରିବେ ନାହିଁ । ଏକ କିଲୋମିଟର ବ୍ୟାପୀ ଅଞ୍ଚଳରେ ଦର୍ଶକ ଗୋଟିଏ ପରେ ଗୋଟିଏ ମଣ୍ଡପ ଉପଭୋଗ କରିବା ନିମନ୍ତେ ରାସ୍ତାର ନକ୍ସା ପ୍ରସ୍ତୁତ ହେବ । ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସାସଠାରେ ଅବସ୍ଥାପିତ ଜଣେ ବଙ୍ଗ ଭଦ୍ରବ୍ୟକ୍ତି ମହାମାରୀ କାଳରେ ବିନା ଭିଡ଼ରେ ପୂଜାତ୍ସୋବ ଆୟୋଜନ ଲାଗି ଏହି ପରାମର୍ଶ ଦେଇଥିବା ଜଣାଯାଏ ।
 
କୋଲକତା ପୂଜା ମଣ୍ଡପଗୁଡ଼ିକରେ ମୃଣ୍ମୟୀ ମୂର୍ତ୍ତି ନିମନ୍ତେ ସାଜସଜ୍ଜା ସାଙ୍ଗକୁ ମଣ୍ଡପ ପାର୍ଶ୍ୱରେ ବିଷୟଭିତ୍ତିକ ସାଜସଜ୍ଜା ନିମନ୍ତେ ଖ୍ୟାତ । ଚଳିତ ବର୍ଷ ପ୍ରସିଦ୍ଧ ବଙ୍ଗଳା ଚଳଚ଼ିତ୍ର ନିର୍ଦ୍ଦେଶକ ସତ୍ୟଜିତ ରାୟଙ୍କ ଜନ୍ମ ଶତବର୍ଷକୀ ପଡୁଥିବା ହେତୁ ଆଲୋଚ୍ୟ ତିନିଗୋଟି ମଣ୍ଡପରେ ରାୟଙ୍କ ତିନିଗୋଟି ଅଭୁଲା ଚଳଚ଼ିତ୍ର ପଥେର ପଞ୍ଚୋଲି, ଅପରାଜିତଅପୁର ସଂସାର ବିଷୟବସ୍ତୁକୁ ନେଇ ସାଜସଜ୍ଜା ଆୟୋଜନ କରାଯିବ ।
 
ଓଡ଼ିଶାରେ କଟକର ଦୁର୍ଗାମେଢ଼ ପ୍ରସିଦ୍ଧ । ସେଠି ମୃଣ୍ମୟ ମୂର୍ତ୍ତି ନିର୍ମାଣ ଲାଗି ନଦୀପଠାରୁ ମାଟି ଆଣିବା ଶୁଭଦେବା ନିମନ୍ତେ ପ୍ରଶାସନିକ ଅନୁମତି ଦିଆଯାଇଥିଲା । ଅର୍ଥାତ ମୂର୍ତ୍ତିଗଠନ କାର୍ଯ୍ୟ ଜାରୀ ରହିଛି । ମଣ୍ଡପ ଆୟୋଜନ ଓ ପ୍ରଦର୍ଶନ ପଦ୍ଧତି ସଂପର୍କରେ ସ୍ଥାନୀୟ ତଥା ରାଜ୍ୟର ସଂକ୍ରମଣ ସ୍ଥିତିକୁ ବିଚାରକୁ ନେଇ ନିଷ୍ପତ୍ତି ଗ୍ରହଣ ସମ୍ଭବପର । କେତେକ ଗାଣିତିକ ମଡ଼େଲ ଅନୁଯାୟୀ ଦେଶ ତଥା ରାଜ୍ୟରେ ସେପ୍ଟେମ୍ୱର ତୃତୀୟ ସପ୍ତାହ ସୁଦ୍ଧା ସଂକ୍ରମଣ ହାର ବୃଦ୍ଧି ଶୀର୍ଷରେ ପହଞ୍ଚି ଅକ୍ଟୋବର ମଧ୍ୟଭାଗ ବେଳକୁ ସୁଧାର ଆସିବା ଆକଳନ କରାଯାଉଥିବା ସ୍ଥଳେ ଅକ୍ଟୋବର ତୃତୀୟ ସପ୍ତାହରେ ଦୁର୍ଗାପୂଜା ଆୟୋଜନର ଭବିଷ୍ୟତ ଅସ୍ପଷ୍ଟ ।
 
ବ୍ରହ୍ମପୁରରେ ସାର୍ବଜନୀନ ଗଣେଶ ପୂଜା, ଦୁର୍ଗାପୂଜା ଓ କାଳୀ ପୂଜା ନିମନ୍ତେ ମୃଣ୍ମୟ ମୂର୍ତ୍ତି ଗଠନରେ ସ୍ଥାନୀୟ ଶିଳ୍ପୀଙ୍କ ସହ କଟକରୁ ଆସୁଥିବା ଶିଳ୍ପୀମାନେ ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି । କାରିଗରମାନଙ୍କ ସୃଜନ ଗଣେଶ ପୂଜାଠାରୁ କାଳୀପୂଜା ମଧ୍ୟରେ ସୀମିତ ରହିଥାଏ । ତେବେ ଚଳିତ ବର୍ଷ ପ୍ରତିକୂଳ ପରିବେଶରେ କାର୍ଯ୍ୟଭାର ଯଥେଷ୍ଟ କମିଯିବା ସ୍ୱାଭାବିକ । ଆନ୍ତର୍ଜାତିକସ୍ତରରେ କୋଭିଡ଼-୧୯ ଗତ ଆଠମାସର ଅଭିଜ୍ଞତା ଅନୁଧ୍ୟାନ କଲେ ସଂକ୍ରମଣରେ ତରଙ୍ଗ ପରେ ତରଙ୍ଗର ଆଶଙ୍କା ଶହେ ବର୍ଷ ତଳର ଦୁଇ ବର୍ଷିଆ ସ୍ପାନିସ ଫ୍ଳୁର ଇତିହାସର ପୁନରାବୃତ୍ତି ଆଡ଼କୁ ବିଶ୍ୱାସ ଢଳୁଛି । ଅର୍ଥାତ ଫିକା ପାର୍ବଣ ଋତୁର ଅଶଙ୍କା କେବଳ ଚଳିତ ବର୍ଷ କାହିଁକି ଆସନ୍ତା ବର୍ଷକୁ ମଧ୍ୟ ସଂପ୍ରସାରିତ ହେବା ଭୟ ଏଡ଼ାଇ ଦେଇ ହେଉ ନାହିଁ ।

(ଅନୁପମ ଭାରତ / ୨୨ ଅଗଷ୍ଟ ୨୦୨୦/ ପୃଷ୍ଠା : ୨)

Friday, August 14, 2020

Berhampur in the early phase of independence movement / ବ୍ରହ୍ମପୁରରେ ସ୍ୱାଧୀନତା ସଂଗ୍ରାମର ଆଦିପର୍ବ



ଭାରତରେ ଇଂଲିଶ ସରକାରଙ୍କ ଶାସନ ବିରୋଧ ଆନ୍ଦୋଳନରେ ୧୮୮୫ରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠା ସର୍ବାପେକ୍ଷା ତାତ୍ପର୍ଯ୍ୟପୂର୍ଣ୍ଣ ଅଧ୍ୟାୟ । ପ୍ରାଥମିକ ଅବସ୍ଥାରେ ଦେଶର ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ବର୍ଗର ନେତୃସ୍ଥାନୀୟ ବ୍ୟକ୍ତିଙ୍କୁ ଏକତ୍ରୀତ କରାଇ ଭାରତୀୟ ସାମାଜିକ ଓ ସାସ୍କୃତିକ ଅଭିବୃଦ୍ଧି ଲକ୍ଷ୍ୟରେ ଗଠିତ ଏହି ଅନୁଷ୍ଠାନିକ ଉଦ୍ୟମରେ ମୂଳରୁ ବ୍ରହ୍ମପୁର ଯୋଡ଼ି ରହିଆସିଥିଲା । କଂଗ୍ରେସର ବାର୍ଷିକ ଅଧିବେଶନଗୁଡ଼ିକରେ ଏଠାକାର ପ୍ରତିନିଧିମାନେ ଯୋଗ ଦେଉଥିଲେ ଏବଂ ବିଦେଶୀ ଶାସନ ବିରୋଧୀ ବାର୍ତ୍ତା ଆଞ୍ଚଳିକସ୍ତରରେ ପ୍ରଚାର କରି ସ୍ୱାଧୀନତା ଆନ୍ଦୋଳନର ପ୍ରାକ୍-ପ୍ରସ୍ତୁତି ଚଳାଉଥିଲେ ।
 
ନାଗପୁରଠାରେ ୧୯୨୦ରେ କଂଗ୍ରେସ ଅଧିବେଶନରେ ମହାତ୍ମାଗାନ୍ଧୀ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିଲେ ଏବଂ ତତ୍ ପରବର୍ତ୍ତୀ ଅବସ୍ଥାରେ ସ୍ୱାଧୀନତା ସଂଗ୍ରାମ ତ୍ୱରାନ୍ୱିତ ହୋଇଥିଲା । ନାଗପୁର ଅଧିବେଶନରେ ଗଞ୍ଜାମରୁ ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ ଏବଂ ସେଠାରୁ ଫେରି ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ଗଠନ କରିଥିଲେ । ଶ୍ରୀବତ୍ସ ପଣ୍ଡାଙ୍କ ସଭାପତିତ୍ୱରେ ଜିଲ୍ଲାର ନେତୃବର୍ଗ ବହୁ ସଂଖ୍ୟାରେ କଂଗ୍ରେସରେ ଯୋଗ ଦେଇଥିଲେ । ଆଞ୍ଚଳିକ ସ୍ତରରେ ଗୋପବନ୍ଧୁ ଦାସଙ୍କ ନେତୃତ୍ୱରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ଗଠିତ ହୋଇଥିଲା ।
 
ସେହି ସମୟ ବେଳକୁ ବ୍ରହ୍ମପୁରରେ ଓଡ଼ିଆ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଥାଏ । ବ୍ରହ୍ମପୁର ସମେତ ପ୍ରାକୃତିକ ଓଡ଼ିଶାର ବହୁ ଅଞ୍ଚଳ ମାଡ୍ରାସ ପ୍ରଦେଶରେ ସାମିଲ ହୋଇ ଅବହେଳିତ ପଡ଼ି ରହିଥିବା ହେତୁ ତାହାର ପ୍ରତିକାରରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ନିମନ୍ତେ ଦାବୀ ଜୋର ଧରିଥାଏ । ବ୍ରହ୍ମପୁରରେ ୧୯୦୨ରେ ଆୟୋଜିତ ଗଞ୍ଜାମ ସମ୍ମିଳନୀ ଏବଂ କଟକରେ ୧୯୦୩ରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀ ଏହି ଦିଗରେ ଓଡ଼ିଆ ଭାଷାଭାଷୀ ଜନସାଧାରଣଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥାଏ ।
 
ଶଶିଭୂଷଣ ରଥଙ୍କ ଦ୍ୱାରା ୧୯୧୩ରୁ ବ୍ରହ୍ମପୁରରୁ ସାପ୍ତାହିକ ଆଶା ପ୍ରକାଶନ ଏକ ବିଶିଷ୍ଟ ଘଟଣା । ଇଂଲଣ୍ଡରୁ ବାରିଷ୍ଟର ଡ଼ିଗ୍ରୀ ଧରି ଭି.ଭି.ଗିରି ୧୯୧୬ରେ ବ୍ରହ୍ମପୁରରେ ଓକିଲାତିରେ ଯୋଗ ଦେଇଥିବା ସ୍ଥଳେ  କଲିକତାରୁ ଆଇନ ଅଧ୍ୟୟନ ସାରି ବିଶ୍ୱନାଥ ଦାସ ୧୯୧୮ରେ ବ୍ରହ୍ମପୁରରେ ଓକିଲାତି ଆରମ୍ଭ କରିଥିଲେ । ଦିହେଁ ରୟତ ସଂଘ ଗଠନ କରି ଆଞ୍ଚଳିକ ଚାଷୀମାନଙ୍କ ସ୍ୱାର୍ଥ ସଂରକ୍ଷଣ ନିମନ୍ତେ ଉଦ୍ୟମ ଚଳାଇଥିଲେ । ଜିଲ୍ଲା କଂଗ୍ରେସ କମିଟି ଗଠନ ହେବାପରେ ସଭିଏଁ କଂଗ୍ରେସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
 
ଭାରତରେ କ୍ରମବର୍ଦ୍ଧମାନ ସ୍ୱାଧୀନତା ସଂଗ୍ରାମକୁ ଶାନ୍ତ କରିବା ଉଦ୍ଦେଶ୍ୟରେ ୧୯୧୯ରେ ପ୍ରଦେଶିକ ବ୍ୟବସ୍ଥାପକ ସଭା ଗଠନ ନିମନ୍ତେ ଇଂଲିଶ ସରକାର ଆଇନ ପ୍ରଣୟନ କରିଥିଲେ ଏବଂ ପ୍ରଥମ ନିର୍ବାଚ଼ନ ୧୯୨୦ରେ ଅନୁଷ୍ଠିତ ହୋଇଥିଲା । ମାଡ୍ରାସ ବିଧାନ ପରିଷଦକୁ ବ୍ରହ୍ମପୁରରୁ ୧୯୨୦ରେ ଶଶିଭୂଷଣ ରଥ, ବିଶ୍ୱନାଥ ଦାଶ ଓ ଏ. ପର୍ଶୁରାମ ପାତ୍ର ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ଅବସ୍ଥାରେ ୧୯୨୩, ୧୯୨୬ ଓ ୧୯୩୦ରେ ଅନୁଷ୍ଠିତ ନିର୍ବାଚ଼ନଗୁଡ଼ିକରେ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ମାନଧାତା ଗୋରାଚ଼ାନ୍ଦ ପଟ୍ଟନାୟକ ଓ ଶ୍ରୀନିବାସ ରାଜମଣି ପ୍ରମୁଖ ନିର୍ବାଚ଼ିତ ହୋଇଥିଲେ ।
 
ମାଡ୍ରାସ ବିଧାନ ପରିଷଦକୁ ୧୯୩୦ ନିର୍ବାଚନରେ ବ୍ରହ୍ମପୁରରୁ ପ୍ରତିନିଧିତ୍ୱ କରୁଥିବା ଏ. ପର୍ଶୁରାମ ପାତ୍ର ମାଡ୍ରାସ ପ୍ରଦେଶର ଶିକ୍ଷାମନ୍ତ୍ରୀ ରୂପେ ଦାୟିତ୍ୱ ନିର୍ବାହ କରିଥିଲେ । ତାଙ୍କରି କାର୍ଯ୍ୟକାଳ ମଧ୍ୟରେ ବିଶାଖପାଟଣାରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଉଲ୍ଲେଖନୀୟ ଅବଦାନ । ଇଂଲିଶ ସରକାରଙ୍କ ଦ୍ୱାରା ଜାତୀୟସ୍ତରରେ କେନ୍ଦ୍ରୀୟ ବିଧାନ ପରିଷଦ ପୁର୍ନଗଠନ ଅବସରରେ ୧୯୩୪ରେ ଆୟୋଜିତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭି.ଭି.ଗିରି ଗଞ୍ଜାମ-ବିଶାଖାପାଟଣା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ । ତେବେ କଂଗ୍ରେସର ବହୁ ନେତା ଇଂଲିଶ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ନିର୍ବାଚ଼ନରେ ଅଂଶଗ୍ରହଣକୁ ବିରୋଧ କରୁଥିଲେ ।
 
ବ୍ରହ୍ମପୁରର ରାଜନୀତିକ ନେତୃବର୍ଗ କଂଗ୍ରେସ କାର୍ଯ୍ୟକ୍ରମରେ ସାମିଲ ହୋଇ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ହେଁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନରୁ ଓହରିଯାଇ ନଥିଲେ । କଲିକତାରେ ୧୯୨୮ରେ ଆୟୋଜିତ ସର୍ବଦଳୀୟ ସମ୍ମିଳନୀରେ ବିଶ୍ୱନାଥ ଦାସ, ନିରଞ୍ଜନ ପଟ୍ଟନାୟକ ଓ ଲିଙ୍ଗରାଜ ପାଣିଗ୍ରାହୀ ପ୍ରମୁଖ ସ୍ୱତନ୍ତ୍ର ସିନ୍ଧୁ ପ୍ରଦେଶ  ଓ କର୍ଣ୍ଣାଟକ ଗଠନ ସଂକ୍ରାନ୍ତରେ ଆଲୋଚ଼ନା ହୋଇଥିଲେ ହେଁ ଓଡ଼ିଶା ସଂପର୍କରେ ଆଲୋଚ଼ନା ନିମନ୍ତେ ସମ୍ମିଳନୀରେ ଅଧକ୍ଷତା କରୁଥିବା ପଣ୍ଡିତ ମୋତିଲାଲ ନେହୁରୁ ଅନୁମତି ଦେଇ ନଥିବାରୁ ପ୍ରତିବାଦ କରିଥିଲେ । ଶଶିଭୂଷଣ ରଥ କଲିକତାରେ ବସବାସ କରୁଥିବା ବହୁ ସଂଖ୍ୟକ ଓଡିଆଙ୍କୁ ଏକତ୍ରୀତ କରାଇ ସମ୍ମିଳନୀ ମଣ୍ଡପକୁ ଘେରାଉ କଲେ । ଏହି ପରିସ୍ଥିତିରେ ଜବହାରଲାଲ ନେହୁରୁ ଓ ସୁଭାଷ ଚନ୍ଦ୍ର ବୋଷ ଓଡ଼ିଆଙ୍କୁ ବୁଝାଇ ସୁଝାଇ ଶାନ୍ତ କରିଥିଲେ ଏବଂ ଶେଷରେ ସମ୍ମିଳନୀରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମସ୍ୟା ଆଲୋଚ଼ିତ ହୋଇଥିଲା ।

(ଅନୁପମ ଭାରତ / ୧୫ ଅଗଷ୍ଟ ୨୦୨୦/ ପୃଷ୍ଠା : ୨)

Photo by Vivek Doshi on Unsplash

Friday, August 7, 2020

Berhampur in the Freedom Struggle / ସ୍ୱାଧୀନତା ସଂଗ୍ରାମରେ ବ୍ରହ୍ମପୁର



ଭାରତରେ ୧୯୨୦ରୁ କଂଗ୍ରେସ ପ୍ରବର୍ତ୍ତିତ ସ୍ୱାଧୀନତା ସଂଗ୍ରାମ ବହୁ ପୂର୍ବରୁ ବ୍ରହ୍ମପୁରରେ ଇଂଲିଶ ଶାସନ ପ୍ରତିରୋଧରେ ବିଦ୍ରୋହର ଦୃଷ୍ଟାନ୍ତ ଇତିହାସ ପୃଷ୍ଠାରେ ଦେଖିବାକୁ ମିଳେ । ଗଜପତି ପୁରୁଷୋତ୍ତମ ଦେବଙ୍କ ଦ୍ୱାରା ପଞ୍ଚଦଶ ଶତାଦ୍ଦୀର ଶେଷ ଭାଗରେ ମହୁରି ରାଜ୍ୟ ପ୍ରତିଷ୍ଠିତ ହୋଇଥିଲା । ମହୁରି ରାଜବାଟୀ କେରାଣ୍ଡିମାଳ ପାଦଦେଶରେ ସହରତଳି ମହୁଡ଼ାରୁ ୧୬୬୨ ରୁ ୧୬୭୨ ମଧ୍ୟରେ ଅଧୁନା #ବ୍ରହ୍ମପୁର ବଡ଼ବଜାର ଛକ ଅଞ୍ଚଳକୁ ସ୍ଥାନାନ୍ତରିତ ହୋଇଥିଲା । ରାଜବାଟୀର ଚର୍ତୁଦିଗରେ ମଠ ମନ୍ଦିର ସାଙ୍ଗକୁ ଜନବସତି ଗଢ଼ି ବ୍ରହ୍ମପୁର ସହରର କ୍ରମବିକାଶ ଘଟିଥିଲା

ମହୁରି ରାଜ୍ୟ ୧୫୭୧ରୁ ୧୬୬୭ ଯାଏଁ ଗୋଲକୋଣ୍ଡା ମୁସଲମାନ, ୧୬୬୭ ରୁ ୧୭୫୩ ଯାଏଁ ହାଇଦରାବାଦ ନିଜାମ, ୧୭୫୩ ରୁ ୧୭୫୯ ଯାଏଁ ଫରାସୀ ଶାସନ ଏବଂ ତତ୍ ପରେ ଇଂଲିଶ ଶାସନାଧିନ ରହିଥିଲା । ମହୁରି ରାଜପରିବାର ଇଂଲିଶ ଶାସକମାନଙ୍କୁ ନିର୍ଦ୍ଧାରିତ କର ଦେଇ ରାଜ୍ୟ ଶାସନ କରୁଥିଲେ । ତେବେ କର ପ୍ରଦାନରେ ବାରମ୍ୱାର ଅନିୟମିତତା ହେତୁ ୧୮୫୦ରେ ମହୁରି ରାଜ୍ୟକୁ ସରକାର ବାଜ୍ୟାପ୍ତ କରି ନିଜେ ଶାସନଭାର ଗ୍ରହଣ କରିଥିଲେ ।

ମହୁରି ରାଜପରିବାରରେ କନ୍ଦଳ ଅବସରରେ ଇଂଲିଶ ଶାସକମାନଙ୍କ ନୀତିନିର୍ଦ୍ଧାରଣକୁ କେନ୍ଦ୍ର କରି ଅଷ୍ଟାଦଶ ଶତାଦ୍ଦୀର ଶେଷ ଭାଗରେ ବ୍ରହ୍ମପୁରରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା । ମହୁରି ରାଜ୍ୟର ପାଇକମାନେ ଇଂଲିଶ ଶାସକଙ୍କ ବିରୁଦ୍ଧରେ ୧୭୮୯, ୧୮୧୦ ଓ ୧୮୩୦ ବେଳକୁ କିଛି କାଳ ବିଦ୍ରୋହ କରିଥିଲେ । ଏହାର ପ୍ରତିକାର ନିମନ୍ତେ ମହୁରି ରାଜ୍ୟରେ ଇଂଲିଶ ଶାସକଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ସୈନ୍ୟ ଛାଉଣୀ ଅବସ୍ଥାପନ କରାଯାଇଥିଲା ।

ଜାତୀୟସ୍ତରରେ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ପୂର୍ବରୁ ୧୮୮୫ରେ ବମ୍ୱେଠାରେ ଅନୁଷ୍ଠିତ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନରେ ବ୍ରହ୍ମପୁର ବାସିନ୍ଦା ଜଣେ ତାମିଲ ଓକିଲ ଯୋଗ ଦେଇଥିଲେ । ୧୮୮୬ରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନରେ ବ୍ରହ୍ମପୁର ଜଣେ ତେଲୁଗୁ ଆଇନଜୀବୀ ଓ ଜଣେ ମୁସଲମାନ ନେତା ଯୋଗ ଦେଇଥିବା ଜଣାଯାଏ୧୯୨୦ ରୁ ୧୯୨୨ ମଧ୍ୟରେ ଅସହଯୋଗ ଆନ୍ଦୋଳନର ପ୍ରଥମ ପାଦରେ ବ୍ରହ୍ମପୁରରେ ତନାଘନା ଦେଖା ଦେଇଥିଲା । ମହାତ୍ମାଗାନ୍ଧୀ ୧୯୨୧ରେ ପ୍ରଥମ ଥର ଏବଂ ୧୯୨୭ରେ ଦ୍ୱିତୀୟ ଥର ଆନ୍ଦୋଳନର ବାର୍ତ୍ତା ପ୍ରଚାର ନିମନ୍ତେ ପହଞ୍ଚିଥିଲେ । ସେହିପରି ୧୯୩୬ରେ ଜବହରଲାଲ ନେହୁରୁ ଏବଂ ୧୯୩୭ରେ ସୁଭାଷଚନ୍ଦ୍ର ବୋଷ ବ୍ରହ୍ମପୁର ଗସ୍ତରେ ଆସିଥିଲେ ।

ଦକ୍ଷିଣ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମ ଆୟୋଜନରେ ବ୍ରହ୍ମପୁର କେନ୍ଦ୍ରସ୍ଥଳ ରୂପେ ପରିଗଣିତ ହେଉଥିଲା । ଉତ୍ତରରେ କଟକ, କଲିକତା ଓ  ଦକ୍ଷିଣରେ ହାଇଦରାବାଦ, ମାଡ୍ରାସ ସହ ରେଳ ଯୋଗାଯୋଗର ସୁବିଧାଥିବା ହେତୁ ଜାତୀୟସ୍ତରର ନେତୃବର୍ଗ ସହରରେ ପହଞ୍ଚି ପାରୁଥିଲେ । ବ୍ରହ୍ମପୁରରେ ଟାଉନହଲ, ବାରାକ୍ସ ଗ୍ରାଉଣ୍ଡ ଓ ସେଣ୍ଟ୍ରାଲ ଜେଲ ସ୍ୱାଧୀନତା ସଂଗ୍ରାମର ମୂକ ସାକ୍ଷୀ ।

ଖଲ୍ଲିକୋଟ କଲେଜ ଠାରୁ ପେଟ୍ରୋଲ ପମ୍ପ ଛକ ଯାଏଁ କଲ୍ୟାଣ ମଣ୍ଡପ, ଗେଷ୍ଟ ହାଉସକୁ ନେଇ ତତକାଳୀନ ଟାଉନ ହଲର ପରିସୀମା ବ୍ୟାପ୍ତ ଥିଲା । ପ୍ରାୟ ଦେଢ଼ ଶହ ଶ୍ରୋତା, ଦର୍ଶକଙ୍କ ପାଇଁ ନିର୍ମିତ ଏହି ପ୍ରେକ୍ଷାଳୟକୁ ଘେରି ଏକ ପାର୍କ ଓ ପାଠାଗାର ଚାଲୁଥିଲା । ଖଲ୍ଲିକୋଟ ମହାରାଜାଙ୍କ ଶାସନର ହୀରକ ଜୟନ୍ତୀ ଅବସରରେ ଦାନସୂତ୍ରରେ ଅର୍ପିତ ଏହି ସମ୍ପତ୍ତି ପୌରପାଳିକା ପରିଚାଳନା କରୁଥିଲେ । ବିଂଶ ଶତାଦ୍ଦୀର ଶେଷ ଦଶକର ଉତ୍ତରାର୍ଦ୍ଧ ଯାଏଁ ସ୍ୱଳ୍ପ ବ୍ୟୟରେ ସଭାସମିତି ଆୟୋଜନ ନିମନ୍ତେ ଟାଉନହଲ ହିଁ ଏକ ପ୍ରକୃଷ୍ଟ କ୍ଷେତ୍ର ପରିଗଣିତ ହେଉଥିଲା । ସହରରେ ସଂଗଠିତ ସମସ୍ତ ଆନ୍ଦୋଳନର ଯୋଜନା ପ୍ରଣୟନ ଟାଉନହଲରେ ହିଁ କେନ୍ଦ୍ରୀଭୂତ ଥିବା ସ୍ଥଳେ ଏହାର ନବୀକରଣ ଓ ବହୁମୂଲ୍ୟ ଭଡ଼ା କାରଣରୁ ବର୍ତ୍ତମାନ ଦୁଇ ଦଶନ୍ଧି ଧରି ରାଜନୀତିଠାରୁ ଆରମ୍ଭ କରି ସାହିତ୍ୟ, ସଂସ୍କୃତି, ନାଟକ ଯାଏଁ ସମସ୍ତ ଆୟୋଜନକୁ ଦୂରେଇ ଦେଇଛି ।

ସେହିପରି ସହରର କେନ୍ଦ୍ରସ୍ଥଳ ବାରାକ୍ସ ଗ୍ରାଉଣ୍ଡରେ ମହାତ୍ମା ଗାନ୍ଧୀ, ଜବହରଲାଲ ନେହୁରୁ ଉଦବୋଧନ ଦେଇଥିବା ସ୍ମୃତିସ୍ଥଳ ବର୍ତ୍ତମାନ ସ୍ପୋର୍ଟ ହେଷ୍ଟେଲ ନାମରେ ଦୁଇ ଡ଼ଜନ ଛାତ୍ରଛାତ୍ରୀଙ୍କ ରହଣୀ ଓ ଅଭ୍ୟାସ ପାଇଁ ବ୍ୟବହୃତ ହେଉଛି । ଉଭୟ ଟାଉନ ହଲ ଓ ଷ୍ଟଡ଼ିୟମ ସାର୍ବଜନୀନ କାର୍ଯ୍ୟକ୍ରମ ନିମନ୍ତେ ବର୍ଷରେ ଥରେ ଅଧେ ଖୋଲୁଛି । ଜନନାୟକମାନଙ୍କ ଅପରିଣାମଦର୍ଶୀ ସୀମିତ ଦୃଷ୍ଟିକୋଣ ଜାତୀୟ ସମ୍ପତ୍ତିଗୁଡ଼ିକୁ କିପରି ଛାରଖାର କରିପକାଏ ଏହି ଦୁଇ ଅନୁଷ୍ଠାନ ତାହା ପ୍ରମାଣିତ କରିଥାଏ । ଏତେ ବଡ଼ ଟାଉନହଲ ଗଢ଼ି ତାହାକୁ ଟାଉନହଲରୂପେ ବ୍ୟବହାରରୁ ଦୂରେଇ ନେବା ତଥା ସହରର କେନ୍ଦ୍ର ସ୍ଥଳରେ ଷ୍ଟାଡ଼ିୟମ ଗଢ଼ି ତାକୁ ତାଲାମାରି ବନ୍ଦ ରଖିବାରେ ଜନହିତ ସାବ୍ୟସ୍ତ ହୋଇପାରୁନାହିଁ ।

ସହରର ସ୍ୱାଧୀନତା ସଂଗ୍ରାମରେ ଲିପ୍ତ ଅନ୍ୟ ଦୁଇ କର୍ମକ୍ଷେତ୍ର ଉତ୍କଳ ଆଶ୍ରମ ଓ ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜର ଦଶା ପ୍ରାୟ ସେହି ଦିଗରେ ମୁହାଁଇଛି । ବର୍ତ୍ତମାନ ବ୍ରହ୍ମପୁରରେ ବିକଳ୍ପ ଚିନ୍ତନ ନିମନ୍ତେ ମିଳନ ସ୍ଥଳ ଅଭାବ । ହୁଏତ ଭବିଷ୍ୟତରେ ସହରରେ କୌଣସି ଗଣସଂଗ୍ରାମର କଣ୍ଠରୋଧ କରିବା ନିମନ୍ତେ ଏହି ଧରଣ ନବୀକରଣ ଷଡ଼ଯନ୍ତ୍ର ପ୍ରତୀୟମାନ ହୋଇଥାଏ !

ବ୍ରହ୍ମପୁର କେନ୍ଦ୍ରୀୟ ଜେଲରେ ଓଡ଼ିଶାର ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଊଣାଅଧିକେ କିଛି କିଛି ଦିନ କାଟିଛନ୍ତି । ଏପରିକି ରାଜ୍ୟବାହାର ବିଭିନ୍ନ ଅଞ୍ଚଳରୁ ରାଜବନ୍ଦୀମାନଙ୍କୁ ଦଣ୍ଡାଦେଶ ଭୋଗ କରିବା ନିମନ୍ତେ ଏଠାକୁ ପଠାଯାଉଥିଲା । ୧୯୪୨ ଭାରତଛାଡ଼ ଆନ୍ଦୋଳନର ଅନ୍ୟତମ ଶହୀଦ ଲକ୍ଷ୍ମଣ ନାୟକଙ୍କୁ ବ୍ରହ୍ମପୁର କେନ୍ଦ୍ରୀୟ ଜେଲରେ ଫାଶୀ ଦିଆଯାଇଥିଲା । ଭାରତର ସ୍ୱାଧୀନତା ସଂଗ୍ରାମରେ ବ୍ରହ୍ମପୁରର ଯୋଗଦାନର ତାହା ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ।

(ଅନୁପମ ଭାରତ / ୦୮ ଅଗଷ୍ଟ ୨୦୨୦/ ପୃଷ୍ଠା : ୨)

Virtual Rakhi / ଭର୍ଚୁଆଲ ରାକ୍ଷୀ



ମହାମାରୀ ପ୍ରଭାବରେ ଗୁରୁତ୍ୱ ହରାଉଥିବା ହିନ୍ଦୁ ଧାର୍ମିକ ଓ ସାମାଜିକ ଉତ୍ସବାନୁଷ୍ଠାନଗୁଡ଼ିକ ମଧ୍ୟରେ ୨୦୨୦ର ରାକ୍ଷୀପୂର୍ଣ୍ଣିମା ସାମିଲ ହେବ । #ବ୍ରହ୍ମପୁରରେ ଗହ୍ମାପୂର୍ଣ୍ଣିମା ପାଳନ ଦେବାଳୟଗୁଡ଼ିକରେ ପୂଜାର୍ଚ୍ଚନା ସାଙ୍ଗକୁ ପାରିବାରିକସ୍ତରରେ ତିନିଗୋଟି ବୈଶିଷ୍ଟ୍ୟ ଯୋଡ଼ି ହୋଇ ଥାଏ – ଗହ୍ମା ଡିଆଁ, ରାକ୍ଷୀ ବନ୍ଧନ ଏବଂ ଘରେ ଘରେ ପିଠିପଣାର ଆସର ।

ସହରରେ ଅତୀତରେ ପ୍ରାୟ ଅର୍ଦ୍ଧେକ ଜନସଂଖ୍ୟା ତେଲୁଗୁ ଭାଷାଭାଷୀ ସମୃଦ୍ଧ ଥିଲା । ଐତିହାସିକ ସତ୍ୟନାରାୟଣ ରାଜଗୁରୁ ଭାରତୀୟ ଜନସୁମାରୀରୁ ତଥ୍ୟ ଉଦ୍ଧାର କରି ଗଞ୍ଜାମ ଐତିହ୍ୟ ପ୍ରବନ୍ଧରେ ବ୍ରହ୍ମପୁରରେ ପ୍ରତି ଦଶ ହଜାର ଲୋକସଂଖ୍ୟାରେ ୧୯୨୧ରେ ଓଡ଼ିଆମାନଙ୍କ ସଂଖ୍ୟା ୫,୦୭୬ ଥିବା ସ୍ଥଳେ ତେଲୁଗୁ ଭାଷା ଭାଷୀଙ୍କ ସଂଖ୍ୟା ୪,୫୪୮ ଉଲ୍ଲେଖ କରିଛନ୍ତି । ଏହି କାରଣରୁ ଏଠାକାର ଧାର୍ମିକ ଓ ସାମାଜିକ ଜୀବନରେ ଦକ୍ଷିଣାତ୍ୟ ପ୍ରଭାବ ସ୍ୱଷ୍ଟ ବାରି ହୁଏ ।

ବ୍ରହ୍ମପୁରରେ ପାରମ୍ପରିକ ଭାବେ ତେଲୁଗୁ ସଂସ୍କୃତି ବାହକ ଗହ୍ମାଡ଼ିଆଁ ଲାଞ୍ଜିପଲ୍ଲୀ, କମାପଲ୍ଲୀ, ବିଜିପୁର, ଗୋଲାପଲ୍ଲୀ, ଭାପୁର, ସାନବଜାର, ବଡ଼ବଜାର, ପୁରୁଣା ବ୍ରହ୍ମପୁର ଠାରୁ ହରିଡ଼ାଖଣ୍ଡି ଯାଏଁ ସର୍ବତ୍ର ପାଳିତ ହେଉଥିଲା । ସହରର ମୁଖ୍ୟ ରାସ୍ତକଡ଼ ଖୋଲା ସ୍ଥାନମାନଙ୍କରେ ପଥର ଓ ଘାସ ଚେକିରେ ନିର୍ମିତ ଅସ୍ଥାୟୀ କ୍ରମସୁଉଚ୍ଚ ରାମ୍ପ ଉପରେ କ୍ରୀଡ଼ାବିତମାନେ ଦୌଡ଼ି ଲମ୍ପପ୍ରଦାନ ପୂର୍ବକ ଅନ୍ୟୂନ ୧୨ ରୁ ୧୫ ଫୁଟ ଉଚ୍ଚରେ ବାଉଁଶଭାଡ଼ିରେ ଲଟକା ଯାଇଥିବା ନଡ଼ିଆ ବା ମକାକୁ ଛୁଇଁବାକୁ ଚେଷ୍ଟା କରନ୍ତି ।

ଏହି ଖେଳରେ ପ୍ରତିଯୋଗୀମାନଙ୍କ ଉଭୟ ହାଇ-ଜମ୍ପ ଓ ଲଙ୍ଗ-ଜମ୍ପର ପରାକାଷ୍ଠା ପ୍ରତିପାଦିତ ହୁଏ । ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥାଏ । ଆଡ଼ମ୍ୱର ସହକାରେ ପାଳିତ ଗହ୍ମା ଡିଆଁରେ ଚାଙ୍ଗୁ ବାଦ୍ୟ ବାଦନର ମଧ୍ୟ ବ୍ୟବସ୍ଥା ରହୁଥିଲା । ତେବେ ସମୟକ୍ରମେ ସ୍ୱାଧୀନୋତ୍ତର ଅବସ୍ଥାରେ ବ୍ରହ୍ମପୁରରେ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରୁ ପରିବାର ବର୍ଗ ଏଠାରେ ସ୍ଥାୟୀଭାବେ ବସବାସ ଆରମ୍ଭ କରିବା ପରେ ଓଡ଼ିଆ ଭାଷାଭାଷୀଙ୍କ ସଂଖ୍ୟାବୃଦ୍ଧି ଅବସରରେ ଗହ୍ମାଡ଼ିଆଁ କ୍ରୀଡ଼ା ଆୟୋଜନ ଆଙ୍ଗୁଠି ଗଣତି ସଂଖ୍ୟାକୁ ହ୍ରାସ ପାଇଥିବା ଲକ୍ଷ୍ୟ କରାଯାଏ ।

ବ୍ରହ୍ମପୁରରେ ରାକ୍ଷୀ ବନ୍ଧନ ବିଗତ ଅର୍ଦ୍ଧ ଶତାଦ୍ଦୀର ପରମ୍ପରା । ବିଗତ ଶତାଦ୍ଦୀର ପଞ୍ଚମ ଓ ଷଷ୍ଠ ଦଶକରେ ହିନ୍ଦି ଚଳଚ଼ିତ୍ର ସହରର ସାମାଜିକ ଜୀବନକୁ ପ୍ରଭାବିତ କରିଥିବା ଅବସରରେ ସପ୍ତମ ଦଶକ ବେଳକୁ ଉତ୍ତର-ଭାରତରେ ପ୍ରସିଦ୍ଧ ରାକ୍ଷୀବନ୍ଧନ ଯୁବବର୍ଗଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଥିଲା । ରାକ୍ଷୀବନ୍ଧନ ଭ୍ରାତା ଓ ଭଗନୀଙ୍କ ସୌହାଦ୍ଦ୍ୟପୂର୍ଣ୍ଣ ଦୃଶ୍ୟାବଳୀକୁ ନେଇ ଚିତ୍ରିତ ଅଗଣିତ ହିନ୍ଦି ଚଳଚିତ୍ର ଗୀତ, ଟେଲିଭିଜନ ସିରିଆଲ ସାଙ୍ଗକୁ ଦୋକାନବଜାରରେ ରାକ୍ଷୀର ପସରା ରାକ୍ଷୀ ପରମ୍ପରା ପ୍ରସାରରେ ସହାୟକ ହୋଇଥିଲା ।

ଗହ୍ମାପୂର୍ଣ୍ଣିମା ଓଡ଼ିଶାର ଗ୍ରାମାଞ୍ଚଳରେ ଏକ କୃଷିଭିତ୍ତିକ ପର୍ବ । ଭଗବାନ ବଳଭଦ୍ରଙ୍କ ଜନ୍ମଦିନରେ ଲଙ୍ଗଳ ଓ ବଳଦଙ୍କୁ ବନ୍ଦାପନା କରାଯାଏ । ପାରମ୍ପରିକ ଭାବେ ପିଠାପଣା ହୁଏ । ସହରରେ ରାକ୍ଷୀବନ୍ଧନ ଲୋକାଦୃତ ହେବା ପରେ ପରେ ମିଷ୍ଟାନ୍ନ ଦୋକାନଗୁଡ଼ିକର ବ୍ୟବସାୟ ବଢ଼ିଥିଲା । କ୍ୟାଲେଣ୍ଡରରେ ରାକ୍ଷୀର ତାରିଖକୁ ବିଶେଷକରି ଶିଶୁ ଓ କିଶୋରବର୍ଗ ଅପେକ୍ଷା କରିବସୁଥିଲେ ।

ମହାମାରୀ ପ୍ରଭାବରେ ଏଥରକ ବ୍ରହ୍ମପୁରରେ ଗହ୍ମାଡିଆଁ ଆୟୋଜନର ପ୍ରଶ୍ନ ନାହିଁ । କିନ୍ତୁ ରାକ୍ଷୀବନ୍ଧନ ପାରିବାରିକ ପରିବେଶରେ ପାଳିତ ହେଉଥିବା ହେତୁ ବାରଣ ନାହିଁ । ଅଗଷ୍ଟ ପହିଲାରେ ଅନଲକ ୩.୦ପରେ ତିନି ଦିନ ସହରର ଦୋକାନ ବଜାରରେ ସୀମିତ ମାତ୍ରାରେ ରାକ୍ଷୀ ବିକ୍ରୀର ସୁଯୋଗ ସୃଷ୍ଟି ହୋଇପାରେ । ତେବେ ଦୂରସଂପର୍କୀୟମାନଙ୍କୁ ଚଳିତ ବର୍ଷ ଗମନାଗମନ ଓ ଦୂରାବସ୍ଥାନ କଟକଣା କାରଣରୁ ଭର୍ଚୁଆଲ ପରିବେଶରେ ସୀମିତ ରହିବାକୁ ପଡ଼ିବ । ଭିଡ଼ିଓ କଲ ଓ ୟୁଟ୍ୟୁବ ପୁରୁଣା ହିନ୍ଦି ଚଳଚ଼ିତ୍ର ଗୀତରେ ରାକ୍ଷୀ ଉତ୍ସବ ପାଳନର ଏକ ନୂତନ ପରମ୍ପରାର ଅୟମାରମ୍ଭ ହେବ !

(‘ଅନୁପମ ଭାରତ / ୦୧ ଅଗଷ୍ଟ ୨୦୨୦/ ପୃଷ୍ଠା : ୨)


Friday, July 24, 2020

Life in Pandemic / ମହାମାରୀରେ ବିପନ୍ନ ଜୀବନ



ମହାମାରୀରେ ଜୀବନ, ଜୀବନଯାତ୍ରା ଓ ଜୀବିକା ବିଶ୍ୱବ୍ୟାପୀ ବିପନ୍ନ ହୋଇପଡ଼ିଛି । ସେଥିରୁ #ବ୍ରହ୍ମପୁର ବି ବାଦ ପଡ଼ିନାହିଁ । ବୈଜ୍ଞାନିକ ଅନୁସନ୍ଧାନରୁ ଜଣାଯାଏ ଯେ ସାର୍ସ-କରୋନା-୨ ଭୂତାଣୁ ଖୁବ କମ ସମୟ ମଧ୍ୟରେ ବହୁ ଲୋକଙ୍କୁ ସଂକ୍ରମିତ କରିପାରେ ଏବଂ ଖୁବ ଶୀଘ୍ର ସ୍ୱାସ୍ଥ୍ୟାବସ୍ଥାରେ ବ୍ୟାପକ ଅବନତି ଘଟାଇ ପାରେ । ଆମ ରାଜ୍ୟରେ ରୋଗାକ୍ରାନ୍ତଙ୍କ ମଧ୍ୟରେ ମୃତ୍ୟୁହାର ପ୍ରାୟ ଏକ ପ୍ରତିଶତରେ ସୀମିତ ରହୁଥିଲେ ହେଁ ଚ଼ିକିତ୍ସା ନିମନ୍ତେ ନିର୍ଦ୍ଦିଷ୍ଟ ଔଷଧ ଓ ପ୍ରତିଷେଧକ ଅଭାବ ଜନସମାଜରେ ଆତଙ୍କ ଖେଳାଇ ଦେଇଛି ।

ଭୂତାଣୁ ସଂକ୍ରମଣ ଭୟରେ ଜୀବନ ବିପନ୍ନ ହୋଇପଡ଼ିଥିବା ସ୍ଥଳେ ଭୂତାଣୁ ପ୍ରସାର ରୋକିବା ନିମନ୍ତେ ଜନପଦ ବନ୍ଦ ଲକଡ଼ାଉନ-ସଟଡ଼ାଉନ ମାସ ମାସ ଧରି ବଳବତ୍ତର ରହିବା ହେତୁ ଜୀବିକାର୍ଜନ ଏବଂ ତାହାରି ପ୍ରଭାବରେ ଜୀବନଯାତ୍ରା ମଧ୍ୟ ବିପନ୍ନ ହୋଇପଡୁଛି । ଜୁଲାଇ ମାସ ମଧ୍ୟଭାଗ ସୁଦ୍ଧା ରାଜ୍ୟର ମୋଟ ସଂକ୍ରମିତଙ୍କ ମଧ୍ୟରୁ ଏକ ତୃତୀୟାଂଶ ଗଞ୍ଜାମ ଜିଲ୍ଲା ଭାଗରେ ପଡୁଥିବା ସ୍ଥଳେ ୬୦ ପ୍ରତିଶତ ରୋଗାକ୍ରାନ୍ତ ସୁସ୍ଥ ହୋଇଥିବା, ୩୯ ପ୍ରତିଶତ ଚିକିତ୍ସାଧୀନ ତଥା ଏକ ପ୍ରତିଶତ ମୃତ ହିସାବ କରାଯାଇଥିଲା । ବ୍ରହ୍ମପୁର ସହରରେ ବିଚ୍ଛୁରିତ ଭାବେ ବିଭିନ୍ନ ସାହୀରୁ ହଜାରେ ପଜିଟିଉଭ ଚ଼ିହ୍ନଟ ହୋଇଥିଲେ । ଏହି ପରିବେଶରେ କେହି ସଂକ୍ରମିତ ହେଲେ ଚିକିତ୍ସା ନିମନ୍ତେ ସୁବିଧା ସୁଯୋଗର ବିଶଦ ବିବରଣୀ ଗୁରୁତ୍ୱ ବହନ କରିଥାଏ ।

ମହାମାରୀରେ ସାଧାରଣ ରୋଗ ଚିକିତ୍ସା ନିମନ୍ତେ ହସପିଟାଲକୁ ଯିବା ପାଇଁ ବାରଣ କରାଯାଇ ଆସୁଛି । ତେବେ ଦୀର୍ଘ ଦିନ ଧରି ଜରୁରୀ ପରିସ୍ଥିତିରେ ସୁଧାର ନ ଆସିଥିବା ସ୍ଥଳେ ହସପିଟାଲଗୁଡ଼ିକ ପକ୍ଷରୁ ଟେଲି ମେଡ଼ିସିନ ସେବା ଆରମ୍ଭ କରାଯାଇଛି । ଏହି ପଦ୍ଧତିରେ ରୋଗୀମାନେ ଡ଼ାକ୍ତରଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା ହୋଇ ଚ଼ିକିତ୍ସା ସଂପର୍କୀତ ପରାମର୍ଶ ଗ୍ରହଣ କରିପାରିବେ । ବ୍ରହ୍ମପୁର ମେଡ଼ିକାଲ କଲେଜ ପକ୍ଷରୁ ଏହି ସେବା ନିମନ୍ତେ ଛଅ ଗୋଟି ଟେଲିଫୋନ ନମ୍ୱର ଜାରୀ କରାଯାଇଛି : ୭୦୬୪୫ ୮୮୦୭୦, ୮୨୬୦୭ ୨୭୧୭୧, ୭୮୧୫୦ ୭୦୦୯୮, ୭୮୧୫୦ ୭୪୧୪୪, ୭୮୧୫୦ ୬୩୪୩୬ ଓ ୭୮୧୫୦ ୭୬୬୧୩ । ଏହି ସେବା ସକାଳ ୯ ରୁ ସନ୍ଧ୍ୟା ୫ ଯାଏଁ ଉପଲବ୍ଧ ।

ଭୁବନେଶ୍ୱର ଏମସ ପକ୍ଷରୁ ବିଭିନ୍ନ ବିଭାଗରେ ଡ଼ାକ୍ତରମାନଙ୍କ ସହ ଟେଲିଫୋନରେ ଯୋଗାଯୋଗ କରିବା ନିମନ୍ତେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ମେଡ଼ିସନ : ୮୨୮୦୩ ୪୬୬୨୧, ସର୍ଜରୀ : ୮୨୮୦୩ ୪୬୬୨୬, ସ୍ତ୍ରୀରୋଗ : ୮୨୮୦୩ ୪୬୬୪୨, ଶିଶୁରୋଗ : ୮୨୮୦୩ ୪୬୬୫୭, ଚର୍ମ : ୮୨୮୦୩ ୪୬୬୦୮, ନାସା-ଗଳା-କର୍ଣ୍ଣ : ୮୨୮୦୩ ୪୬୬୧୩, ହୃଦରୋଗ : ୮୨୮୦୩ ୪୬୬୮୬, ଅସ୍ଥିଶଲ୍ୟ : ୮୨୮୦୩ ୪୬୬୪୮, ଶ୍ୱାସ : ୮୨୮୦୩ ୪୬୬୬୩, ମୁତ୍ରରୋଗ : ୮୨୮୦୩ ୪୬୬୭୫, ମାନସିକ ରୋଗ : ୮୨୮୦୩ ୪୬୬୬୦ ଓ କୋଭିଡ଼-୧୯ ସଂପର୍କରେ ୮୨୮୦୩ ୪୬୬୧୬ ନମ୍ୱର କାର୍ଯ୍ୟକ୍ଷମ ଥିବା ଜଣାଯାଏ ।

କୋଭିଡ଼-୧୯ ପରିଚାଳନା ସଂପର୍କୀତ ଗଞ୍ଜାମ ଜିଲ୍ଲା ସ୍ତରରେ ହେଲପ ଲାଇନ ୯୪୩୭୫ ୬୩୮୦୦ ଏବଂ ଉପଖଣ୍ଡ ସବ-ଡିଭିଜନାଲସ୍ତରରେ ହେଲପଲାଇନ ୮୨୬୦୬ ୬୫୭୫୫ ସମର୍ପିତ । ବ୍ରହ୍ମପୁର ପୌର ନିଗମର ହେଲପଲାଇନ ୦୬୮୦-୨୨୫୦୨୯୦ । ବ୍ରହ୍ମପୁର ପୋଲିସ ଏସ.ପି.ଙ୍କୁ ୯୪୩୮୯ ୧୬୬୭୦, ଟାଉନ ଥାନା ପୋଲିସ ୯୪୩୮୯ ୧୬୬୮୨ ଓ ଟ୍ରାଫିକ ପୋଲିସ ୯୪୩୮୯ ୧୬୬୮୪ ଟେଲିଫୋନ ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରାଯାଇପାରିବ । ସହର ସୀମା ଅତିକ୍ରମ କରି ଅନ୍ୟତ୍ର ଯିବା ଆସିବା ନିମନ୍ତେ ଇ-ପାସ ନିମନ୍ତେ ପୋଲିସ ସହ ୧୦୦ ନମ୍ୱରରେ ଯୋଗାଯୋଗ ସ୍ଥାପନ ଆବଶ୍ୟକସେହିପରି ଚ଼ିକିତ୍ସା ସଂପର୍କୀତ ଘରୋଇ ଚ଼ିକିତ୍ସାଳୟ ବିରୋଧରେ ଅଭିଯୋଗ ମଧ୍ୟ ୧୦୦ ମାଧ୍ୟମରେ ପୋଲିସର ଦୃଷ୍ଟିକୁ ଆଣିବାଲାଗି ସରକାରୀଭାବେ କୁହାଯାଇଛି ।

କୋଭିଡ଼-୧୯ ଚ଼ିକିତ୍ସା ସଂପର୍କରେ ରାଜ୍ୟସ୍ତରୀୟ କଲସେଣ୍ଟର ୧୦୪, ଜାତୀୟସ୍ତରୀୟ କଲସେଣ୍ଟର ୧୦୭୫, ସିଟି ହସପିଟାଲ ୮୨୬୦୯ ୩୪୫୦୪, ଶୀତଳାପଲ୍ଲୀ ସ୍ଥିତ ଟାଟା ମେଡ଼ିକାଲ ହସପିଟାଲ ୭୦୦୮୩ ୦୧୯୯୫, ୯୪୩୭୨ ୫୯୮୧୩ ଏବଂ ଗଞ୍ଜାମ ଜିଲ୍ଲାସ୍ତରୀୟ କଲସେଣ୍ଟର ୮୧୧୮୦ ୬୬୩୭୦ କାର୍ଯ୍ୟ କରୁଥିବା ଜଣାଯାଏ । କୌଣସି ବ୍ୟକ୍ତି କରୋନା ଭୂତାଣୁ ସଂକ୍ରମିତ ହେବା ଅନୁଭବ କଲେ କିମ୍ୱା ଲକ୍ଷଣ ପ୍ରକାଶ ପାଇଲେ ଏହି ଟେଲିଫୋନ ନମ୍ୱରଗୁଡ଼ିକ ସହ ସଂପର୍କ ସ୍ଥାପନ କରି ଚ଼ିକିତ୍ସାର ବ୍ୟବସ୍ଥା କରିପାରିବେ ।

ଉପର ଲିଖିତ ଟେଲିଫୋନ ନମ୍ୱରଗୁଡ଼ିକ ମୁଖ୍ୟତଃ ସୋସିଆଲ ମିଡ଼ିଆରୁ ସଂକଳିତ ହୋଇଥିବା ସ୍ଥଳେ ତୃଟି ରହି ଯାଇଥାଇପାରେ କିମ୍ୱା ପରବର୍ତ୍ତୀ କାଳରେ ନମ୍ୱର ବଦଳି ଯାଇଥାଇପାରେ । ଆବଶ୍ୟକସ୍ଥଳେ ପାଠକମାନେ ସଂଶୋଧନ କରିନେବା ଉଚିତ । ଏହି ଭଳି ଟେଲିଫୋନ ନମ୍ୱରଗୁଡ଼ିକ ଜରୁରୀ ପରିସ୍ଥିତିରେ ବ୍ୟବହାର ସଂଭାବନା ଥିବା ହେତୁ ପୂର୍ବରୁ ସଜାଡ଼ି ରଖିଲେ ଠିକ୍ ସମୟରେ କାର୍ଯ୍ୟରେ ଆସିପାରେ ।

ବ୍ରହ୍ମପୁରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିର ବହୁ କାରଣ ଚ଼ିହ୍ନଟ କରାଯାଇପାରେ । ପ୍ରଥମତଃ, ସାର୍ସ-କରୋନା-୨ ଭୂତାଣୁ ସଂକ୍ରମଣର ପ୍ରତିରୋଧ କରିବା ନିମନ୍ତେ ଯେଉଁ ମାତ୍ରାରେ ସାବଧାନତା ଆବଶ୍ୟକ ତାହା ହୁଏତ ନଗରବାସୀଙ୍କ ପକ୍ଷେ ସଂଭବପର ହୋଇପାରିଲା ନାହିଁ । ସମସ୍ତେ କରୋନା ସଂପର୍କରେ ଅବଗତ, କିନ୍ତୁ ଗୁରୁତ୍ୱ ଉପଲବ୍ଧି କରିପାରିଲେ ନାହିଁ । ମନୁଷ୍ୟ କେଶର ୧/୮୦ ପରିମିତ ଏହି ଭୂତାଣୁ ଅଦୃଶ୍ୟ ଏବଂ ଶ୍ୱାସ, କଥାବାର୍ତ୍ତାରେ ଯେ ବ୍ୟାପିପାରେ ତାହା ଅବୁଝା ରହିଗଲା । ଭିଡ଼କୁ ନଯିବା, ବ୍ୟକ୍ତିବ୍ୟକ୍ତିଙ୍କ ମଧ୍ୟରେ ଶାରୀରିକ ଦୂରତ୍ୱରକ୍ଷା ଓ ମାସ୍କ ପିନ୍ଧିବା ଭଳି ଅଭ୍ୟାସ ଏଯାଏଁ ଦୈନନ୍ଦିନ ଜୀବନରେ ପ୍ରତିଫଳିତ ହୋଇପାରିନି । ବର୍ଷେ ଦେଢ଼ ବର୍ଷ ଯାଏଁ ଗୃହାବଦ୍ଧ ଅବସ୍ଥାରେ ଚଳିବାକୁ ଅନେକେ କଳ୍ପନା ହିଁ କରିପାରୁ ନାହାନ୍ତି ।

ଦ୍ୱିତୀୟତଃ, ବ୍ରହ୍ମପୁର ଏକ ଜନାକୀର୍ଣ୍ଣ ସହର । ଏଠାକାର ବାସଗୃହ ଗୁଡ଼ିକ ସଂକୀର୍ଣ୍ଣ ଏବଂ ବ୍ୟକ୍ତିପିଛା ଆୟତନ ଅଧିକାଂଶ କ୍ଷେତ୍ରରେ ଦୂରାବସ୍ଥାନ ଲାଗି ଅନୁପଯୁକ୍ତ । ଏହି କାରଣରୁ ଶୋଇବା, ନିତ୍ୟକର୍ମ ଓ ଖାଇବା ସମୟତକ ବାଦେ ଅଧିକାଂଶ ପରିବାରର ପୁରୁଷ ସଦସ୍ୟମାନେ ଅନ୍ୟ ସମୟ ବାହାରେ କଟାଇଥାନ୍ତି । ହଠାତ ଏହି ଅଭ୍ୟାସ ବଦଳାଇବା କିମ୍ୱା ବାସଗୃହର ଆୟତନ ବୃଦ୍ଧି କରିବା ସଂଭବପର ହୋଇପାରୁ ନାହିଁ ।

ତୃତୀୟତଃ, ଗ୍ରାମାଞ୍ଚଳରୁ ପରିବାରବର୍ଗ ସହରରେ ପହଞ୍ଚି ସ୍ଥାୟୀଭାବେ ବସବାସ କରିବା ଫଳରେ ବ୍ରହ୍ମପୁର ଗଢ଼ି ଉଠିଛି । ବିଶେଷ କରି ସହରର ଦୁଇ ତୃତୀୟାଂଶ ଅଞ୍ଚଳ ସ୍ୱାଧୀନୋତ୍ତର ଅବସ୍ଥାରେ ଗ୍ରାମାଞ୍ଚଳର ଆଗନ୍ତୁକ ସମୃଦ୍ଧ । ସହରବାସୀଙ୍କ ଗଞ୍ଜାମ ଗ୍ରାମାଞ୍ଚଳ ସହ ଘନିଷ୍ଠ ସଂପର୍କ ରହି ଆସିଛି । ପ୍ରବାସୀ ଶ୍ରମିକମାନେ ଗଞ୍ଜାମ ଗ୍ରାମାଞ୍ଚଳକୁ ଫେରିବା ପରେ ସହରବାସୀ ବହୁ ସଂଖ୍ୟାରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଆଶଙ୍କା କରାଯାଉଛି ।

ଚ଼ତୁର୍ଥତଃ, ଲକ ଡ଼ାଉନ-ସଟଡ଼ାଉନ ଅବ୍ୟବହିତ ପୂର୍ବରୁ ଜିନିଷପତ୍ର କିଣାବିକା ପାଇଁ ଦୋକାନ ବଜାରରେ ଭିଡ଼ ଅନେକଙ୍କ ପାଇଁ ସଂକ୍ରମଣର କ୍ଷେତ୍ର ପ୍ରସ୍ତୁତ କରିଥିଲା । ଲକଡାଉନ-ସଟଡାଉନରେ ସ୍ୱାଭାବିକ ଜୀବନଯାତ୍ରା ନିମନ୍ତେ ସମସ୍ତ ସୁବିଧାସୁଯୋଗ ଉପଲବ୍ଧ ଥିଲେ ହେଁ ଅପରିଣାମଦର୍ଶୀ ମାନସିକତା ବିପଦର କାରଣ ପାଲଟିଗଲାଦୁଇ ତିନିମାସ ଗୃହାବଦ୍ଧ ରହିବାପରେ ଦଶକୋଡ଼ିଏ ମିନଟ ଭିଡ଼ରେ ପହଞ୍ଚିଲେ ସଂକ୍ରମଣର ଆଶଙ୍କା ଟାଳି ହୁଏ ନାହିଁ ।

ପଞ୍ଚମତଃ, ଦୀର୍ଘକାଳ ଲକଡାଉନ-ସଟଡାଉନରେ ଗୃହାବଦ୍ଧ ରହିବା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ନିଜକୁ ସୁହାଇଲା ଭଳି ସ୍ୱତନ୍ତ୍ର ଦୈନିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଅପରିହାର୍ଯ୍ୟ । କିଛି ପଢ଼ାଲେଖା, ନୂଆ କାମ ଶିଖିବା ଭର୍ଚୁଆଲ ସାଧନ ଉପଯୋଗରେ ସଂଭବପର ଏବଂ ସେହିଭଳି ସୁବିଧାସୁଯୋଗ ବହୁ ସହରବାସୀଙ୍କ ହାତପାଆନ୍ତାରେ ଉପଲବ୍ଧ । ଅବସର ସମୟର ସଦବିନିଯୋଗ ନ ହୋଇପାରିଲେ ବ୍ୟକ୍ତି ମାନସିକସ୍ତରରେ ଭରାକ୍ରାନ୍ତ ହୋଇପଡ଼େ । ବିରକ୍ତିରୁ ବିରତି ପାଇଁ ଘରବାହାରକୁ ଯାଇ ସ୍ଥଳ ବିଶେଷରେ ଭୂତାଣକୁ ଘରକୁ ନେଇ ଆସିବା ସାର ହୁଏ ।

ମହାମାରୀରେ ବିପନ୍ନଙ୍କ ତାଲିକାରେ ବରିଷ୍ଠ ନାଗରିକମାନେ ସର୍ବାଗ୍ରେ ସ୍ଥାନିତ । ଜୁଲାଇ ୨୧ ତାରିଖର ପରିସଂଖ୍ୟାନ ଅନୁଯାୟୀ ଓଡ଼ିଶାରେ କୋଭିଡ଼ଜନିତ ମୃତକଙ୍କ ହାରାହାରି ବୟସ ୬୦ ବର୍ଷ ରହିଥିଲା । ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ଛଅ ହଜାର ଛୁଉଁଥିବା ସ୍ଥଳେ ସେମାନଙ୍କ ମଧ୍ୟରେ ୬୦ ବର୍ଷରୁ ଉର୍ଦ୍ଧ୍ୱଙ୍କ ସଂଖ୍ୟା ପ୍ରାୟ ଏକ ହଜାର । ଏହି ପରିବେଶରେ ବ୍ରହ୍ମପୁରରେ ଭେକ୍ସିନ ନ ପହଞ୍ଚିବା ଯାଏଁ ବରିଷ୍ଠ ନାଗରିକମାନେ ଘରେ ରହିବା, ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିବା ବେଳେ ମାସ୍କ ପିନ୍ଧିବା, ଯେଉଁମାନେ ମାସ୍କ ପିନ୍ଧି ନଥାନ୍ତି ସେମାନଙ୍କ ସହ ସଂପର୍କ ନ ରଖିବା, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଛଅ ଫୁଟ ବ୍ୟବଧାନ ଏବଂ ପରିବାରର ଯେଉଁମାନେ ବାହାରକୁ ଯାଉଛନ୍ତି ସେମାନଙ୍କ ସହ ଚଳପ୍ରଚ଼ଳ ବେଳେ ମଧ୍ୟ ମାସ୍କ ପରିଧାନକୁ ଗୁରୁତ୍ୱ ଦେବା ଭଳି କେତେକ ଅଭ୍ୟାସ ହିଁ ଏକ ମାତ୍ର ବିକଳ୍ପ ବିଚାର କରାଯାଏ ।

Sunday, July 19, 2020

Epidemic experience / ମହାମାରୀ ଅନୁଭୂତି




#ବ୍ରହ୍ମପୁର ସହର ଇତିହାସ ପୃଷ୍ଠାରେ ମହାମାରୀ ଅନୁଭୂତି ଖୋଜି ପାଇହୁଏନା । ଶହେ ବର୍ଷ ପୂର୍ବେ ୧୯୧୮-୧୯ରେ ସ୍ପାନିଶ ଫ୍ଳୁ ବିଶ୍ୱ ମହାମାରୀ ରୂପ ନେଇଥିଲେ ହେଁ ଏଠାରେ ରୋଗର ପ୍ରଭାବ ସଂପର୍କରେ ବିବରଣୀ ବିରଳ । ଗଞ୍ଜାମ ଜିଲ୍ଲା ସଂପର୍କରେ ଉପଲବ୍ଧ ପୁରାତନ ମୁଦ୍ରିତ ଦଲିଲ ଦି ଗଞ୍ଜାମ ଡ଼ିଷ୍ଟିକ୍ଟ ମ୍ୟାନୁଏଲ ୧୯୧୮ରେ ପ୍ରକାଶିତ ହୋଇଥିଲା । ଏଣୁ ଏଥିରେ ମହାମାରୀ ସଂପର୍କରେ ଉଲ୍ଲେଖ ନରହିବା ସ୍ୱାଭାବିକ । ମାଡ୍ରାସ ପ୍ରେସିଡ଼େନ୍ସିରେ ଅବସ୍ଥାପିତ ସରକାରୀ କର୍ମଚ଼ାରୀ ଟି.ଜେ. ମାଲଟବୀ ମାନୁଏଲଟି ପ୍ରସ୍ତୁତ କରିଥିଲେ ।

ପ୍ରଥମ ବିଶ୍ୱଯୁଦ୍ଧ ଶେଷ ଅବସ୍ଥାରେ ସଂଘଟିତ ସ୍ପାନିଶ ଫ୍ଳୁ ସଂପର୍କରେ ସଠିକ ତଥ୍ୟାବଳୀ ଅଭାବ । କାରଣ ସେହି ସମୟରେ ଆନ୍ତର୍ଜାତିକସ୍ତରରେ ଘଟଣାବଳୀ ନିୟନ୍ତ୍ରଣ ନିମନ୍ତେ ସୁବିଧାସୁଯୋଗ ସୃଷ୍ଟି ହୋଇପାରିନଥିଲା । ତେବେ ବିଭିନ୍ନ ବିବରଣୀ ଅନୁଯାୟୀ ସ୍ପାନିଶ ଫ୍ଲୁରେ ସମଗ୍ର ବିଶ୍ୱର ପ୍ରାୟ ୫୦ କୋଟି ଆକ୍ରାନ୍ତ ହୋଇ ପାଞ୍ଚରୁ ଦଶ କୋଟି ପ୍ରାଣ ହରାଇଥିଲେ । ଭାରତରେ ମୁଖ୍ୟତଃ ବମ୍ୱେ, ମାଡ୍ରାସ ବନ୍ଦରସହରଗୁଡ଼ିକରୁ ସଂକ୍ରମଣ ବ୍ୟାପୀ ଦେଢ଼ କୋଟିରୁ ଦୁଇ କୋଟି ଯାଏଁ ମୃତ୍ୟୁମୁଖରେ ପଡ଼ିଥିଲେ ।

ମାଲଟବୀଙ୍କ ମ୍ୟାନୁଏଲରେ ଗଞ୍ଜାମ ମହାମାରୀ ଉଲ୍ଲେଖ ରହିଛି । ଇଂରେଜମାନେ ୧୭୬୮ରେ ଗଞ୍ଜାମଠାରେ ଦୁର୍ଗ ନିର୍ମାଣ କରିଥିଲେ । ଋଷିକୂଲ୍ୟା ନଦୀ ମୁହାଣରେ ଏହାର ଧ୍ୱଂସାବଶେଷ ବର୍ତ୍ତମାନ ସୁଦ୍ଧା ପୋତାଗଡ଼ ନାମରେ ଖ୍ୟାତ । ଗଞ୍ଜାମ ସହର ଗଞ୍ଜାମ ଜିଲ୍ଲାର ସଦର ମହକୁମାରେ ପରିଣତ ହୋଇଥିଲା । ୧୮୧୫ରେ ଗଞ୍ଜାମ ସହରରେ ଜ୍ୱର ଓ ତରଳ ଝାଡ଼ା ମହାମାରୀ ଆକାର ଧାରଣ କରିବାପରେ ଜୀବନରକ୍ଷା ନିମନ୍ତେ ସେଠାକାର ବାସିନ୍ଦାମାନେ ସହର ପରିତ୍ୟାଗ କରିଥିଲେ । ଏହି ଅବସରରେ ଇଂରେଜ ପ୍ରଶାସନ ମଧ୍ୟ ସଦର ମହକୁମାକୁ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରିଥିଲେ । ଗଞ୍ଜାମରେ ୧୮୧୫ ବେଳକୁ ୩୦ ହଜାର ବସବାସ କରୁଥିବା ସ୍ଥଳେ ୧୮୧୮ରେ ଛଅ ହଜାରକୁ ହ୍ରାସ ପାଇଥିଲା ।

ମାଡ୍ରାସ ପ୍ରେସିଡ଼େନ୍ସିରେ ଗଞ୍ଜାମ ଏକ ପରିଷ୍କାର ଓ ସୁନ୍ଦର ସହର ଥିଲା । ସେଠାରେ ମହାମାରୀ ବ୍ୟାପିବାର କାରଣ ସଂପର୍କରେ ସବିଶେଷ ତଥ୍ୟ ଉଦ୍ ଘାଟିତ ନ ହୋଇପାରିଥିଲେ ହେଁ ୧୮୦୨ରୁ ସହରର ପରିମଳ ବ୍ୟବସ୍ଥା, ବିଶେଷ କରି ଜଳଯୋଗାଣ ଓ ବର୍ଜ୍ୟଜଳ ନିଷ୍କାସନ କ୍ଷେତ୍ରରେ କ୍ରମାଗତ ଅବନତିକୁ ଦାୟୀ କରାଯାଇଥାଏ । ମହାମାରୀ-ପର ଅବସ୍ଥାରେ ଲୋକାଲ ଫଣ୍ଡ ବୋର୍ଡ଼ ଆନୁକୂଲ୍ୟରେ ଗଞ୍ଜାମ ସହରରେ ନାଳ ନର୍ଦ୍ଦମା ନିର୍ମାଣ ନିମନ୍ତେ ପ୍ରାଥମିକତା ଦିଆଯାଇଥିବା ମାଲଟବୀ ଉଲ୍ଲେଖ କରିଛନ୍ତି ।

ଐତିହାସିକ ଡ଼କ୍ଟର ଦଣ୍ଡପାଣି ବେହରାଙ୍କ ବିବରଣୀ ଅନୁଯାୟୀ ଗଞ୍ଜାମ ସହରରେ ମହାମାରୀ ବ୍ୟାପିବାବେଳକୁ ବ୍ରହ୍ମପୁରରେ ମହୁରିରାଜ୍ୟ ଶାସନକୁ ନେଇ ଅରାଜକତା ଲାଗି ରହିଥିଲା । ୧୭୯୧ରୁ ବ୍ରହ୍ମପୁର ସମେତ ମହୁରି ରାଜ୍ୟକୁ ଗଞ୍ଜାମ ପ୍ରଶାସନ ଅଧୀନରେ ରଖାଯାଇଥିଲା । ୧୭୯୧ ରୁ ୧୮୧୦ ଯାଏଁ ମହୁରି ରାଣୀ ଏବଂ ୧୮୧୦ ରୁ ୧୮୧୬ ଯାଏଁ ଜଣେ ଦକ୍ଷିଣ ଭାରତୀୟଙ୍କୁ ରାଜସ୍ୱ ଆଦାୟ ନିମନ୍ତେ ଇଂରେଜ ପ୍ରଶାସନ ନିଯୁକ୍ତି ଦେଇଥିଲେ । ସରକାରୀ ନିଷ୍ପତିକୁ ବିରୋଧ କରି ସୁରସିଂ ମାର୍ଥାଙ୍କ ନେତୃତ୍ୱରେ ବିଦ୍ରୋହ ଆରମ୍ଭ ହୋଇଥିଲା । ବିଶୃଙ୍ଖଳା ଦମନ କରିବା ନିମନ୍ତେ ୧୮୧୬ ନଭେମ୍ୱରରେ ମହୁରି ରାଜ୍ୟ ପରିଚାଳନା ଭାର ଜଣେ କଲେକ୍ଟର ଗ୍ରହଣ କରିଥିଲେ । ଏହି ସମୟରେ ଗଞ୍ଜାମ ସହର ମହାମାରୀ ଆକ୍ରାନ୍ତ ହେବା ପରେ ଇଂରେଜ ପ୍ରଶାସନିକ କାର୍ଯ୍ୟାଳୟ ଓ ସୈନ୍ୟମାନଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରିବା ଅବସରରେ ବହୁ ସଂଖ୍ୟକ ଗଞ୍ଜାମ ସହରବାସୀ ମଧ୍ୟ ବ୍ରହ୍ମପୁରରେ ପହଞ୍ଚି ସ୍ଥାୟୀଭାବେ ବସବାସ ଆରମ୍ଭ କରିଥିଲେ । ଗଞ୍ଜାମ ମହାମାରୀ ବେଳର ବ୍ରହ୍ମପୁରର ମୂକସାକ୍ଷୀଭାବେ ସୁରସିଂ ମାର୍ଥାଙ୍କ ସ୍ମୃତିରେ ଆଜିକାର ମାର୍ଥା ପେଟା, ସୈନ୍ୟ ଛାଉଣୀ ବାରକ୍ସ ଓ ବାସସ୍ଥଳୀ ମିଲଟରୀ ଲାଇନ୍ସ, କଣ୍ଟେନମେଣ୍ଟ ରୋଡ଼କୁ ଚ଼ିହ୍ନଟ କରାଯାଇପାରେ

ଗଞ୍ଜାମ ମହାମାରୀର ପ୍ରାୟ ଶହେ ବର୍ଷ ପରେ ସଂଘଟିତ ୧୯୧୮-୧୯ରେ ସ୍ପାନିଶ ଫ୍ଳୁ ବ୍ରହ୍ମପୁରକୁ ବ୍ୟାପୀଥିଲା କି ନାହିଁ ତାହାର ବିବରଣୀ ଅସ୍ପଷ୍ଟ । ସେତେବେଳକୁ ଅନ୍ୟାନ୍ୟ ପତ୍ରପତ୍ରିକାଗୁଡ଼ିକ ମଧ୍ୟରେ ବ୍ରହ୍ମପୁରରୁ ସପ୍ତାହିକ ଆଶା ଓ କଟକରୁ ଉତ୍କଳ ଦୀପିକା ନିୟମିତ ପ୍ରକାଶିତ ହେଉଥିଲା । ସେଥିରେ କଣ ଉଲ୍ଲେଖ ରହିଛି ତାହା ଗବେଷଣାସାପେକ୍ଷ । ଉତ୍କଳ ଦୀପିକାର ପୁରାତନ ସଂଖ୍ୟାଗୁଡ଼ିକ ଭୁବନେଶ୍ୱର ଅଭିଲେଖାଗାର, ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରନ୍ଥାଗାର ଓ କଟକ ଶ୍ରୀରାମଚ଼ନ୍ଦ୍ର ଭବନ ଗ୍ରନ୍ଥାଗାରରେ ଉପଲବ୍ଧ ।

ନିକଟ ଅତୀତରେ ୨୦୦୩ର ସାର୍ସ ଓ ୨୦୦୯ର ସ୍ୱାଇନ ଫ୍ଳୁର ପ୍ରଭାବ ବ୍ରହ୍ମପୁରରେ ଅନୁଭୂତ ହୋଇନଥିଲା । ୧୯୯୫ରେ ସୁରତରେ ମହାମାରୀ ଦେଖା ଦେବା ପରେ ବହୁ ସଂଖ୍ୟକ ପ୍ରବାସୀ ଶ୍ରମିକ ଗଞ୍ଜାମ ଜିଲ୍ଲାକୁ ଫେରିବା ଅବସରରେ ସଂକ୍ରମଣ ଆଶଙ୍କା କରାଯାଇଥିଲା । ତେବେ ସେଭଳି ଅଘଟଣ ଘଟିନଥିଲା । ଏପରିକି ଏଡ଼ସ ସଂକ୍ରମଣ ମଧ୍ୟ ବ୍ରହ୍ମପୁରରେ ପ୍ରତିଫଳିତ ହୋଇପାରି ନଥିଲା । ମାଳ ଅଞ୍ଚଳ ସହ ସଂପର୍କ ହେତୁ ବ୍ରହ୍ମପୁରବାସୀଙ୍କୁ ବ୍ରେନ ମ୍ୟାଲେରିଆ ସଂକ୍ରମଣର ଭୟ ଲାଗି ରହିଥାଏ । ବିଂଶ ଶତାଦ୍ଦୀର ଶେଷ ଦୁଇ ଦଶକରେ ଏହାର ବହୁଳ ପ୍ରଭାବ ଅନୁଭୂତ ହୋଇଥିଲା ।

ମୋଟାମୋଟି ଭାବେ କୋଭିଡ଼-୧୯ ମହାମାରୀ ବ୍ରହ୍ମପୁର ପାଇଁ ଏକ ନୂଆ ଅନୁଭୂତି । ସହରବାସୀ ମାସ୍କ, ପିପିଇ ସୁଟ, ଲକଡ଼ାଉନର ଚ଼ିତ୍ର ପତ୍ରପତ୍ରିକା ପୃଷ୍ଠା ଓ ଟେଲିଭିଜନ ପର୍ଦ୍ଦାରେ ଦେଖୁଥିଲେ । ସେଭଳି ଅନୁଭୂତି ଯେ ଦିନେ ସେମାନଙ୍କ ଜୀବନର ଅଂଶବିଶେଷ ପାଲଟିଯିବ କେବେ ସ୍ୱପ୍ନରେ ସୁଦ୍ଧା କଳ୍ପନା କରିନଥିଲେ !

(ଅନୁପମ ଭାରତ / ୧୧ ଜୁଲାଇ ୨୦୨୦/ ପୃଷ୍ଠା : ୨)




Friday, July 17, 2020

Blurred future in the pandemic / ମହାମାରୀରେ ଅସ୍ପଷ୍ଟ ଭବିଷ୍ୟତ




କୋଭିଡ଼-୧୯ ସଂକ୍ରମଣରୁ ରକ୍ଷାପାଇବା ପାଇଁ ପ୍ରତିଷେଧକ ଟୀକା ଭେକ୍ସିନହିଁ ଏକମାତ୍ର ସ୍ଥାୟୀ ବିକଳ୍ପ ବୋଲି ଚିକିତ୍ସକମାନେ ଧରିନେଇଥିବାସ୍ଥଳେ ତାହାର ପ୍ରତୀକ୍ଷାରେ ସମଗ୍ର ବିଶ୍ୱବାସୀ । ପୂର୍ବରୁ କୌଣସି ଭୂତାଣୁ ପ୍ରତିରୋଧକ ଭେକ୍ସିନ ଉଦ୍ଭାବନ ଓ ସଫଳ ପରୀକ୍ଷଣ ପାଇଁ ଦଶରୁ କୋଡ଼ିଏ ବର୍ଷ ଯାଏଁ ଲାଗି ଯାଉଥିଲା । ଏକବିଂଶ ଶତାଦ୍ଦୀ ସୁଦ୍ଧା ଗବେଷଣା କ୍ଷେତ୍ରରେ ବ୍ୟାପକ ଉନ୍ନତି ଓ ବହୁସଂଖ୍ୟକ ଗବେଷକଙ୍କ ସଂପୃକ୍ତି ହେତୁ ଅତିକମରେ ଦୁଇବର୍ଷ ମଧ୍ୟରେ ସାର୍ସ-କରୋନା -୨ ଭୂତାଣୁ ସଂକ୍ରମଣ ପ୍ରତିଷେଧକ ଭେକ୍ସିନ ଉତ୍ପାଦନ ସମ୍ଭବପର ବୋଲି ମୂଳରୁ ବୈଜ୍ଞାନିକମାନେ ଆଶ୍ୱସନା ଦେଇ ଆସିଥିଲେ । କୋଭିଡ଼-୧୯ ସଂକ୍ରମଣ ଆରମ୍ଭରୁ ଗତ ଛଅ ମାସ ମଧ୍ୟରେ ଭେକ୍ସିନ ଉଦ୍ଭାବନ ନେଇ ଆମେ ବହୁ ଚାଞ୍ଚଲ୍ୟକର ସମ୍ୱାଦ ଶୁଣି ଆସିଛେ । କିନ୍ତୁ ପରେ ସବୁ ଗୁଜବ ପ୍ରମାଣିତ ହୋଇଛି ।

ସମ୍ୱାଦପତ୍ରରେ ପ୍ରକାଶିତ ବିବରଣୀ ଅନୁଯାୟୀ ୧୦ ଜୁଲାଇ ୨୦୨୦ରେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ବୈଠକରେ ବିଜ୍ଞାନ ଓ କାରିଗରୀବିଦ୍ୟା ପାର୍ଲାମେଣ୍ଟରୀ ପ୍ୟାନେଲ ସମ୍ମୁଖରେ ଦେଶର ସର୍ବୋଚ୍ଚ ବୈଜ୍ଞାନିକ ପ୍ରତିଷ୍ଠାନଗୁଡ଼ିକର କର୍ମକର୍ତ୍ତାଗଣ ସାର୍ସ-କରୋନା-୨ ଭୂତାଣୁର ପ୍ରତିଷେଧକ ଭେକ୍ସିନ ଦେଶବାସୀଙ୍କ ପାଇଁ ଅତିକମରେ ୧୨ ମାସ ପରେ ଉପଲବ୍ଧ ସଂଭବପର ବୋଲି ତଥ୍ୟ ଉପସ୍ଥାପନ କରିଥିଲେ । ଅବଶ୍ୟ ଏହି ସମୟସୀମା ସୁଚ଼ାଋରୂପେ ଗବେଷଣା ସମାହିତ ହେବା ଉପରେ ନିର୍ଭରଶୀଳ । ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆଙ୍କ ପକ୍ଷରୁ ପାଞ୍ଚଗୋଟି ଭାରତୀୟ ଔଷଧ ନିର୍ମାତାଙ୍କୁ ପରୀକ୍ଷାଗାରରେ ସଫଳତା ଯାଞ୍ଚ ପରେ ଭେକ୍ସିନ ମନୁଷ୍ୟ ଶରୀରରେ ପରୀକ୍ଷଣ ନିମନ୍ତେ ଅନୁମତି ପ୍ରଦାନ କରାଯାଇଛି ।

ସାଧାରଣ ଜ୍ଞାନରେ ଭୂତାଣୁ ପ୍ରତିଷେଧକ ଭେକ୍ସିନଗୁଡ଼ିକ ମନୁଷ୍ୟ ଶରୀରରେ ପରୀକ୍ଷା ତିନିଗୋଟି ପର୍ଯ୍ୟାୟରେ କରାଯାଇଥାଏ । ଭାରତରେ ଜୁଲାଇ ପ୍ରଥମାର୍ଦ୍ଧରେ ଦୁଇଗୋଟି ଭେକ୍ସିନର ମନୁଷ୍ୟ ଶରୀରରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇଛି । ଅପରପକ୍ଷେ ଋଷ ପରୀକ୍ଷା ସାରିଥିବା ଦାବୀ କରୁଥିବା ସ୍ଥଳେ ଚୀନ, ଜର୍ମାନୀ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଔଷଧ ନିର୍ମାତାମାନେ କରୋନା ଭୂତାଣୁ ପ୍ରତିଷେଧକ ଭେକ୍ସିନର ତୃତୀୟ ପର୍ଯ୍ୟାୟ ମନୁଷ୍ୟ ଶରୀରରେ ପରୀକ୍ଷା ଜୁଲାଇରୁ ଆରମ୍ଭ କରୁଛନ୍ତି । ସେମାନଙ୍କ ଟୀକା ୨୦୨୦ ବର୍ଷ ଶେଷ କିମ୍ୱା ୨୦୨୧ ବର୍ଷ ଆରମ୍ଭରେ ସର୍ବସାଧାରଣ ବ୍ୟବହାରଯୋଗ୍ୟ ହେବା ଆଶା କରାଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ହିସାବରେ ଆନ୍ତର୍ଜାତିକସ୍ତରରେ ୨୧ଗୋଟି ଭେକ୍ସିନ ମନୁଷ୍ୟ ଶରୀରରେ ପରୀକ୍ଷଣ ନିମନ୍ତେ ଆଗୁଆ ରହିଛି ।

ଭାରତୀୟ ବଜାରରେ ଭେକ୍ସିନ ପାଇଁ ଯଦି ପାର୍ଲାମେଣ୍ଟରୀ ପ୍ୟାନେଲ ସମ୍ମୁଖରେ ଉପସ୍ଥାପିତ ତଥ୍ୟକୁ ଆପାତତଃ ଗ୍ରହଣ କରିନେବା, ତେବେ ଆଗାମୀ ବର୍ଷ ବର୍ଷା ଋତୁ ଜୁଲାଇ ୨୦୨୧ ଯାଏଁ ଅପେକ୍ଷା କରିବାକୁ ପଡ଼ିବ । ପ୍ୟାନେଲକୁ ଆହୁରି କୁହାଯାଇଛି ଯେ ଭେକ୍ସିନର ବ୍ୟାବସାୟିକ ଉତ୍ପାଦନ ଆରମ୍ଭ ପରେ ପ୍ରଥମେ ସମ୍ୱେଦନଶୀଳ ଗୋଷ୍ଠୀ ଭନରେବଲ ଗୃପ ସଦସ୍ୟମାନଙ୍କଠାରେ ପ୍ରୟୋଗ କରାଯିବ । ଅର୍ଥାତ ବୟସ୍କ, ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ବ୍ୟାଧିଗ୍ରସ୍ତ ପ୍ରଥମେ ଭେକ୍ସିନ ପାଇବେ । ତତ୍ପରେ ଦୁଇ ତିନିମାସ ପରେ ୨୦୨୧ ଦଶହରା ବେଳକୁ ସର୍ବସାଧାରଣଙ୍କ ବ୍ୟବହାରଲାଗି ହୁଏତ ଉପଲବ୍ଧ ହେବ ।

ବିଶ୍ୱବ୍ୟାପୀ କୋଭିଡ଼-୧୯ ସଂକ୍ରମଣ ବିଗତ ଛଅ ମାସର ଇତିହାସରୁ ଜଣାଯାଏ ଯେ ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଭୂତାଣୁ ସଂକ୍ରମଣ ଦେଖା ଦେବାମାତ୍ରେ ସାମୂହିକସ୍ତରରେ ଜନପଦ ବନ୍ଦ ଲକଡ଼ାଉନସଟଡ଼ାଉନ ଜାରୀ କରାଯାଇ ଭୂତାଣୁର ବସ୍ତି-ଗ୍ରାମ-ସହର-ପାର ଗତିକୁ ନିୟନ୍ତ୍ରଣ କରାଯାଏ । ତତ୍ ସଙ୍ଗେ ଆକ୍ରାନ୍ତକୁ ଖୋଜି ବାହାର କରିବା, ପୃଥକବାସରେ ରଖିବା ତଥା ଚ଼ିକିତ୍ସା କରି ସଂକ୍ରମଣ ରୋକିବା ନିମନ୍ତେ ଉଦ୍ୟମ ଅବ୍ୟାହତ ରହେ । ଫଳରେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଭୂତାଣୁ ସଂକ୍ରମଣ ଶିଖର ସ୍ଥଳରେ ପହଞ୍ଚିବା ପରେ ହଠାତ ହ୍ରାସ ପାଏ ।

ଏହି ତତ୍ତ୍ୱକୁ ବିଚାରକୁ ନେଲେ ଦିଲ୍ଲୀ, ମୁମ୍ୱାଇ, ଚ଼େନ୍ନାଇ ଭଳି ବ୍ରହ୍ମପୁରରେ ମଧ୍ୟ ଜୁଲାଇ ମାସ ସାରା ସଂକ୍ରମଣ ବଢ଼ି ଚାଲିଥିବାରୁ ନିକଟ ଭବିଷ୍ୟତରେ ଆୟତ୍ତାଧୀନ ହେବା ଆଶା କରାଯାଇପାରେ । ଅବଶ୍ୟ ମହାମାରୀରେ ଭବିଷ୍ୟତ ସଦାସର୍ବଦା ଅସ୍ପଷ୍ଟ । କେଉଁ ଘଟଣାକ୍ରମ ହେତୁ କେଉଁ ଦିଗରେ ସଂକ୍ରମଣ ଗତି କରିବ ତାହାର ସଠିକ ଆକଳନ ଅସଂଭବ । ଉଦାହରଣରେ ମେ ଶେଷ ଜୁନ ଆରମ୍ଭରେ ପ୍ରବାସୀ ଶ୍ରମିକ ଘରମୁହାଁ ନ ହୋଇଥିଲେ #ବ୍ରହ୍ମପୁର ସହରରେ ସଂକ୍ରମଣର ହାର ହୁଏତ ଆଜିର ସୀମାରେ ପହଞ୍ଚି ନଥାନ୍ତା । ସେହିପରି ଚ଼ିହ୍ନଟ ହୋଇଥିବା କରୋନା ପଜିଟିଭଙ୍କ ତୁଳନାରେ ଚ଼ିହ୍ନଟ ନ ହୋଇଥିବାଙ୍କ ସଂଖ୍ୟା ଯଦି ଅଧିକ ରହିଥିବ ତେବେ ବି ହିସାବ ଗୋଳମାଳ ହୋଇଯିବା ସମ୍ଭବ ।

ଭାରତର ବିସ୍ତୃତ ଭୌଗଳିକ ପରିସୀମାରେ ଭୂତାଣୁ ସଂକ୍ରମଣ ହାର ଶୀର୍ଷରେ ଏକ ସମୟରେ ନ ପହଞ୍ଚି ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ସମୟରେ ପହଞ୍ଚିବା ସଂଭବପର ବୋଲି କୁହାଯାଉଛି । ଜୁଲାଇ ମାସରେ ପ୍ରକାଶିତ ବିଭିନ୍ନ ମଡ଼େଲ ମଧ୍ୟରେ ଟାଇମ୍ସ ଫେକ୍ଟ – ଇଣ୍ଡିଆ ଆଉଟବ୍ରେକ ପକ୍ଷରୁ ପ୍ରସ୍ତୁତ ପରିସଂଖ୍ୟାନ ମଡ଼େଲରେ ଦର୍ଶାଯାଇଛି ଯେ ସର୍ବଭାରତୀୟସ୍ତରରେ ଅଗଷ୍ଟ ତୃତୀୟ ସପ୍ତାହରେ ସଂକ୍ରମଣ ଶୀର୍ଷସ୍ଥାନରେ ପହଞ୍ଚି ଅକ୍ଟୋବର ମଧ୍ୟଭାଗ ବେଳକୁ ପରିସ୍ଥିତିରେ ସୁଧାର ଆସିବ । ଅବଶ୍ୟ ବିଶେଷଜ୍ଞମାନେ ମଡ଼େଲଗୁଡ଼ିକୁ ମାର୍ଗଦର୍ଶକ ଭାବେ ଗ୍ରହଣ କରୁଥିବା ସ୍ଥଳେ କୌଣସିଟିକୁ ପୂର୍ଣ୍ଣବିଶ୍ୱାସକୁ ନେଇନଥାନ୍ତି ।

ସାର୍ସ-କରୋନା-୨ ଭୂତାଣୁ ପ୍ରତିଷେଧକ ଭେକ୍ସିନ ଉଦ୍ଭାବନ ପରେ ବ୍ରହ୍ମପୁରବାସୀ ଅନେକ ପ୍ରଶ୍ନର ସମ୍ମୁଖୀନ ହେବେ । ଭାରତ ଆଗରୁ ବିଦେଶରେ ଭେକ୍ସିନ ଉପଲବ୍ଧ ହେଲେ ଏଠାକାର ଲୋକେ ତାହା ପାଇପାରିବେ କି ? ଦେଶରେ ଭେକ୍ସିନ ପ୍ରଦାନ କେବଳ ସରକାରୀ ଚ଼ିକିତ୍ସାଳୟରେ ସୀମିତ ରହିବ ନା ବ୍ୟାବସାୟିକସ୍ତରରେ ସମସ୍ତଙ୍କ ପାଇଁ ଘରୋଇ କ୍ଳିନକ, ଔଷଧ ଦୋକାନଗୁଡ଼ିକରେ ମିଳିବ ? ଭେକ୍ସିନ ନୂତନଭାବେ ପ୍ରସ୍ତୁତ ହେଉଥିବା ହେତୁ ଯଦି କିଛି ପାର୍ଶ୍ୱପ୍ରତିକ୍ରିୟା ହୁଏ ସେହି ଅବସରରେ ଉପଭୋକ୍ତାଙ୍କ ଅବସ୍ଥା କିଏ ବୁଝିବ ? ଇତ୍ୟାଦି ।

କୋଭିଡ଼-୧୯ ଭେକ୍ସିନକୁ ନେଇ ଅନ୍ୟ ଦୁଇଗୋଟି ପ୍ରଶ୍ନ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିଥାଏ । ପ୍ରଥମତଃ, ଏକ ବୃହତ ଜନସଂଖ୍ୟା କୌଣସି ଭେକ୍ସିନ ଗ୍ରହଣ କରିବା ଏବଂ ଏତଦ୍ୱାରା ସେମାନଙ୍କ ଶରୀରରେ ସଂକ୍ରମଣ ପ୍ରତିରୋଧକ କ୍ଷମତା ବଢ଼ିବା ପ୍ରମାଣିତ ନ ହେବା ଯାଏଁ କୌଣସି ଉତ୍ପାଦ ବିଶ୍ୱାସଯୋଗ୍ୟ ହୋଇପାରି ନଥାଏ । ଏଡ଼ସ୍, ସାର୍ସ, ଇବୋଲାର ଭେକ୍ସିନ ତ ଏଯାଏଁ ପ୍ରସ୍ତୁତ ହୋଇପାରି ନାହିଁ । ଅନ୍ୟାନ୍ୟ କାରଣ ମଧ୍ୟରେ କୁହାଯାଉଛି ଯେ କେତେକ କ୍ଷେତ୍ରରେ ଭୂତାଣୁଗୁଡ଼ିକ କ୍ରମାଗତଭାବେ ନିଜ ଆଙ୍ଗିକ ପରିବର୍ତ୍ତନ କରି ଚାଲିଥିବା ହେତୁ ପ୍ରତିଷେଧକ ଉଦ୍ଭାବନ ସମ୍ଭବପର ହୋଇପାରୁ ନାହିଁ ।

ଦ୍ୱିତୀୟତଃ, ଭେକ୍ସିନକୁ ନେଇ ସର୍ବସାଧାରଣରେ ଉତ୍ସୁକତା ଲାଗି ରହିଥିବା ସ୍ଥଳେ ଯଦି ଦେଢ଼ବର୍ଷ ପରେ ବ୍ରହ୍ମପୁରରେ ଏହି ସୁବିଧା ସୁଯୋଗ ପହଞ୍ଚିବା ସମୟ ବେଳକୁ ମହାମାରୀର ପ୍ରକୋପ ହ୍ରାସ ପାଇ ଆସିଥାଏ ତେବେ ଏହାର ଗୁରୁତ୍ୱ କେତେ ରହିବ ତାହା ସମୟ କହିବ । ଶହେ ବର୍ଷ ପୂର୍ବେ ୧୯୧୮-୧୯ରେ ସ୍ୱାନିଶ ଫ୍ଲୁ ସଂକ୍ରମଣରେ ସମଗ୍ର ବିଶ୍ୱର ପାଞ୍ଚରୁ ଦଶ କୋଟି ଓ ଭାରତରେ ଦେଢ଼ରୁ ଦୁଇ କୋଟି ଲୋକ ପ୍ରାଣ ହରାଇଥିଲେ । ସଂକ୍ରମଣ ସମୟରେ ଭେକ୍ସିନ ପ୍ରସ୍ତୁତ ହୋଇପାରି ନଥିଲା । ପରେ ମିଳିଲା । ବର୍ତ୍ତମାନ ସୁଦ୍ଧା ଫ୍ଲୁ ସମ୍ୱନ୍ଧୀୟ ରୋଗରେ ଭାରତରେ ବାର୍ଷିକ ଲକ୍ଷାଧିକ ଆକ୍ରାନ୍ତ ହେଉଛନ୍ତି । କିନ୍ତୁ କେତେ ଜଣ ଫ୍ଲୁ ଭେକ୍ସିନ ନେଉଛନ୍ତି ? କିଛି କାଳ ପରେ କୋଭିଡ଼-୧୯ ଏକ ସାଧାରଣ ରୋଗ ରୂପେ ଧରି ନିଆଯିବା ଏବଂ ଏହାର ଭେକ୍ସିନ ପ୍ରତି ଜନସାଧାରଣ ଯତ୍ନବାନ ନ ହେବା ଆଶଙ୍କାକୁ ତ ଏଡ଼ାଇ ଦେଇ ହେବ ନାହିଁ !



(‘ଅନୁପମ ଭାରତ / ୧୮ ଜୁଲାଇ ୨୦୨୦/ ପୃଷ୍ଠା :)