Friday, June 18, 2021

Snake-bite scare / ସର୍ପାଘାତ ଭୟ


 

ବର୍ଷାଋତୁ ଆରମ୍ଭରୁ ଗ୍ରାମୀଣ ପରିବେଶରେ ସାଧାରଣ କଥୋପକଥନରେ ସର୍ପାଘାତ ଚର୍ଚ୍ଚା ଲାଗିରହେ । #ବ୍ରହ୍ମପୁର ୩୫୦ ବର୍ଷ ଧରି ଜନପଦ ରୂପେ ପ୍ରତିଷ୍ଠିତ ହୋଇଥିବା ତଥା ଦେଢ଼ ଶହ ବର୍ଷରୁ ସହରାଞ୍ଚଳ ମାନ୍ୟତା ପାଇଥିବା ସତ୍ତ୍ୱେ ସହରବାସୀ ସର୍ପାଘାତ ଭୟରୁ ନିଜକୁ ଦୂରେଇ ପାରନ୍ତି ନାହିଁ ।

 

ପ୍ରଥମତଃ, ବ୍ରହ୍ମପୁରର ସଂଖ୍ୟାଧିକ ପରିବାର ଗଞ୍ଜାମ ଓ ପଡ଼ୋଶୀ ଜିଲ୍ଲାଗୁଡ଼ିକର ଗ୍ରାମାଞ୍ଚଳରୁ ଆସି ସହରରେ ସ୍ଥାୟୀଭାବେ ବସବାସ କରିଥାନ୍ତି । ବହୁ ସଂଖ୍ୟକଙ୍କ ସଂପ୍ରସାରିତ ପରିବାର, ଅର୍ଥାତ ଜ୍ଞାତି କୁଟୁମ୍ୱ ଗ୍ରାମାଞ୍ଚଳ ବାସିନ୍ଦା । ସେମାନଙ୍କ ପ୍ରତି ଆପଦବିପଦ ସମଭାବେ ଏଠାକାର ପରିବାରବର୍ଗଙ୍କୁ ପ୍ରଭାବିତ କରେ ।

 

ଦ୍ୱିତୀୟତଃ, ବ୍ରହ୍ମପୁରର କ୍ରମବର୍ଦ୍ଧିତ ପରିସୀମା ଜଗନ୍ନାଥପୁର, ଗୁରୁଣ୍ଡି, କୁକୁଡ଼ାଖଣ୍ଡି ଓ ହଳଦିଆପଦର ଆଡ଼କୁ ସଂପ୍ରସାରିତ ହେଉଥିବା ଅବସରରେ ପାରମ୍ପରିକ ଚାଷଜମିଗୁଡ଼ିକ ସାହୀବସ୍ତିରେ ପରିଣତ ହେବାରେ ଲାଗିଛି । ଜନଶୂନ୍ୟ ଅଞ୍ଚଳ ଜନାକୀର୍ଣ୍ଣ ହେବା ସନ୍ଧି ସମୟରେ ସରିସୃପଙ୍କ ଆତଯାତ ଲାଗିରହେ । ତୃତୀୟତଃ, ସହର ମଧ୍ୟସ୍ଥ ଘଞ୍ଚ ଜନବସତିରେ ମଧ୍ୟ କିଛି ସାର୍ବଜନୀନ ଓ କିଛି ଘରୋଇ ଜମି ଅବ୍ୟବହୃତ ହୋଇ ପଡ଼ିରହିଥିବା ହେତୁ ସାପ, ବିଚ୍ଛା, ମୂଷାଙ୍କ ଆଶ୍ରୟସ୍ଥଳୀ ପାଲଟେ । ସହରର ସମଗ୍ର ଭୌଗଳିକ ପରିସୀମାକୁ ପରିଷ୍କାର ପରିଚ୍ଛନ୍ନ ଦାୟିତ୍ୱ ନେବାରେ ପୌର ନିଗମର ତୃଟିପୂର୍ଣ୍ଣ ନୀତି ନିର୍ଦ୍ଧାରଣ ଅବସ୍ଥାର ଅଧୋଗତି ପାଇଁ ଦାୟୀ ।

 

ଗଞ୍ଜାମ ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ ଗତ ୨୦୨୦ ଜାନୁୟାରୀରୁ ଡ଼ିସେମ୍ୱର ମାସ ବର୍ଷକ ମଧ୍ୟରେ ଜିଲ୍ଲାରେ ସର୍ପାଘାତରେ ୫୬ ଜଣ ପ୍ରାଣ ହରାଇଥିଲେ । ବିଶେଷଜ୍ଞଙ୍କ ମତରେ ସର୍ପାଘାତ ପରେ ତୁରନ୍ତ ବିଜ୍ଞାନସମ୍ମତ୍ତ ଚ଼ିକିତ୍ସା ଗ୍ରହଣ ନକରିବା ହେତୁ ମୃତ୍ୟୁହାର ଉଚ୍ଚ ସୀମାରେ ରହୁଛି । ସରକାରଙ୍କ ପକ୍ଷରୁ ଜିଲ୍ଲାର ସମସ୍ତ ପ୍ରାଥମିକ, ଗୋଷ୍ଠୀ, ଉପଖଣ୍ଡ ଓ ଅନ୍ୟାନ୍ୟ ଡ଼ାକ୍ତରଖାନାରେ ୨୦୨୧ ବର୍ଷାଋତୁ ଆରମ୍ଭରେ ତିନି ହଜାରରୁ ଅଧିକ ସାପ-କାମୁଡ଼ା ବିଷ-ହରଣ ଇଞ୍ଜେକସନ ମହଜୁଦ ରଖାଯାଇଥିବା ଜଣାଯାଏ । ସାପ କାମୁଡ଼ାରେ ଘରୋଇ ତୁଟୁକା ଚ଼ିକିତ୍ସାରେ ଅଟକିଯିବା ବା ଗୁଣିଗାରେଡ଼ିର ଆଶ୍ରୟ ନେବା ବିପଦ ସୃଷ୍ଟି କରୁଥିବା କୁହାଯାଏ ।

 

ସର୍ପାଘାତ ଭୟ ସମଗ୍ର ଦେଶରେ ଲାଗି ରହିଥିବା ବେଳେ କ୍ରମଶଃ କୁକୁର, ମାଙ୍କଡ଼ ଓ ବିରାଡ଼ି କାମୁଡ଼ା ତଥା ତତଜନିତ ଚ଼ିକିତ୍ସା ହାର ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଏ । ଉଦାହରଣରେ କେରଳ ରାଜ୍ୟରେ କୁକୁର କାମୁଡ଼ାର ଦୌରାତ୍ମ୍ୟ ସଂପର୍କରେ କିଛି ବର୍ଷ ପୂର୍ବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିଲା । ସରକାରଙ୍କ ପକ୍ଷରୁ ବୁଲା କୁକୁରଙ୍କୁ ନିୟନ୍ତ୍ରଣ କରିବା ନିମନ୍ତେ ମଧ୍ୟ ସ୍ୱତନ୍ତ୍ର ଅଭିଯାନ ଆୟୋଜନ କରାଯାଇଥିଲା । ତେବେ ନିକଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ କେରଳ ରାଜ୍ୟରେ ୨୦୨୦ରେ କୁକୁର କାମୁଡ଼ା ପାଇଁ ଏକ ଲକ୍ଷ ୬୦ ହଜାର ବ୍ୟକ୍ତି ଚ଼ିକିତ୍ସିତ ହୋଇଥିଲେ । ଆଶ୍ଚର୍ଯ୍ୟର ବିଷୟ ଏହିଯେ ୨୦୨୦ରେ ବିରାଡ଼ି କାମୁଡ଼ା-ଆଞ୍ଚୁଡ଼ା ପାଇଁ ମଧ୍ୟ ଦୁଇ ଲକ୍ଷ ୧୬ ହଜାର ବ୍ୟକ୍ତି ଚ଼ିକିତ୍ସିତ ହୋଇଥିଲେ । କୁକୁର କାମୁଡ଼ା ସଂପର୍କରେ ସମସ୍ତେ ଜାଣନ୍ତି ; କିନ୍ତୁ ବିରାଡ଼ି ସାଧାରଣରେ କାମୁଡ଼ି ନଥାଏ । ବିରାଡ଼ି ଆଞ୍ଚୁଡ଼ା ଜଳାତଙ୍କ ଭଳି ରୋଗ ସୃଷ୍ଟି କରିବା ସଂଭାବନା ଥିବା ହେତୁ ଲୋକେ ସଚ଼େତନ ହୋଇ ଆଣ୍ଟି-ରାବି ଇଞ୍ଜେକସନ ନେବା ପାଇଁ ଆଗଭର ହେଉଥିବା ପ୍ରକାଶ ।

 

ବ୍ରହ୍ମପୁରରେ ସାପ, ବିଚ୍ଛା, ମୂଷାଙ୍କ ବାସସ୍ଥଳୀ ବିଲୋପ କରିବା ନିମନ୍ତେ ସାର୍ବଜନୀନ ଖୋଲାସ୍ଥାନଗୁଡ଼ିକରୁ ଅଳିଆବର୍ଜନା ଉଠାଇବା ନିମନ୍ତେ ପୌରପାଳିକା ପକ୍ଷରୁ ପ୍ରାଥମିକତା ଦିଆଯିବା ଆବଶ୍ୟକ । ବିଷାକ୍ତ ଜୀବଜନ୍ତୁ କାମୁଡ଼ାରୁ ଜନସାଧାରଣଙ୍କୁ ବଞ୍ଚାଇବା ନିମନ୍ତେ ପ୍ରତିଷେଧାତ୍ମକ ପଦକ୍ଷେପ ଓ ଚ଼ିକିତ୍ସାର ସୁବିଧା ସୁଯୋଗ ସଂପର୍କରେ ଅବଗତ କରାଇବାରେ ସହରର ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ଚ଼େତନା ପ୍ରସାର ଲାଗି ସୋସିଆଲ ମିଡ଼ିଆ ଉପଯୋଗରେ ଅଭିଯାନମାନ ଆୟୋଜନ କରିବା ସମୟର ଆହ୍ୱାନ ।


(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୯ ଜୁନ ୨୦୨୧ / ପୃଷ୍ଠା :୮)


Photo by Diana Polekhina on Unsplash

Friday, June 11, 2021

Pre-Monsoon Sanitation / ପ୍ରାକ୍ ମୌସୁମୀ ପରିମଳ

 


ପ୍ରାକ୍-ମୌସୁମୀ ପରିମଳ ପ୍ରସ୍ତୁତି ବର୍ଷା ଋତୁରେ ସମ୍ଭାବ୍ୟ ଜଳାର୍ଣ୍ଣବ ପରିବେଶରେ ପ୍ରଦୂଷଣ ନିରାକରଣ ପଦକ୍ଷେପଗୁଡ଼ିକୁ ବୁଝାଇଥାଏ । #ବ୍ରହ୍ମପୁର ସହରାଞ୍ଚଳରେ ଘଞ୍ଚ ଜନବସତି ହେତୁ ସାମାନ୍ୟ ବର୍ଷାରେ ଜଳ ନିଷ୍କାସନ ନହୋଇପାରିଲେ ରାସ୍ତାଘାଟ ଜଳମଗ୍ନ ହେବା ସ୍ୱାଭାବିକ । ଏହା ପ୍ରଦୂଷଣର କାରଣ ପାଲଟେ । ଏଭଳି ପରିସ୍ଥିତିକୁ କେତେକାଂଶରେ ପ୍ରତିରୋଧ କରିବା ନିମନ୍ତେ ନାଳନର୍ଦ୍ଦମା ତଥା ଗଳିରାସ୍ତାରେ ଜମୁଥିବା ଅଳିଆଆବର୍ଜନା ସଫେଇ ପ୍ରତି ଗୁରୁତ୍ୱ ଦିଆଯାଇଥାଏ । ମୌସୁମୀବର୍ଷା ଆସିବା ପୂର୍ବରୁ ଏଥିପ୍ରତି ପୌରପାଳିକା ଧ୍ୟାନ ଦେଲେ ସେହି ବର୍ଷ ସହରରେ ବର୍ଷା ଋତୁରେ ଅପେକ୍ଷାକୃତ ପରିଷ୍କାର ପରିବେଶ ଆଶା କରାଯାଇପାରେ ।

 

ସାଧାରଣତଃ ଓଡ଼ିଶାକୁ ରଜ ସଂକ୍ରାନ୍ତି ଠିକ ପୂର୍ବରୁ ମୌସୁମୀ ବର୍ଷା ପ୍ରବେଶ କରୁଥିବା ସ୍ଥଳେ ବ୍ରହ୍ମପୁରରେ ପ୍ରାୟତଃ ଜୁନ ମଧ୍ୟଭାଗରୁ ଜୁଲାଇ ମଧ୍ୟଭାଗ ଯାଏଁ ଲଘୁଚାପ ସୃଷ୍ଟି ନହେଲେ ବର୍ଷା ହୁଏନି । ଜୁଲାଇ ମଧ୍ୟଭାଗରୁ ସେପ୍ଟେମ୍ୱର ମଧ୍ୟଭାଗ ସହରରେ ବର୍ଷା ଦିନ । ବର୍ଷାଜଳ ନିଷ୍କାସନ ଅଭାବ କାରଣରୁ ବର୍ଷଣମୁଖର ଦିବସଗୁଡ଼ିକରେ ସହରବାସୀ ନାନା ଅସୁବିଧା ଭୋଗ କରିଥାନ୍ତି । ଖାଲୁଆ ଅଞ୍ଚଳଗୁଡ଼ିକରେ ବର୍ଷା ପାଣି ଜମି ରହିବା ଫଳରେ ଅଗଷ୍ଟ ମଧ୍ୟଭାଗରୁ ମଶାଙ୍କ ଉତ୍ପାତ ଆରମ୍ଭ ହୋଇଯାଏ । ସହରବାସୀ ମାସାଧିକକାଳ ବ୍ୟତିବ୍ୟସ୍ତ ହେବାପରେ ସେପ୍ଟେମ୍ୱର ଶେଷଭାଗରେ ‘ଟିଫା’ ମେସିନ ଚାଲେ । ସେତେବେଳକୁ ତିନି ସପ୍ତାହ ଜୀବନଚକ୍ରରେ ପ୍ରଥମ ପାଳିର ମଶା ଅପସରିଯାଇ ଦ୍ୱିତୀୟ, ତୃତୀୟ ପାଳିର ରାଜତ୍ୱ ଚାଲିଥାଏ । ପୌରପାଳିକା ପକ୍ଷରୁ ବର୍ଷା ଆରମ୍ଭ ହେବା ପୂର୍ବରୁ ଖାଲୁଆ ଅଞ୍ଚଳଗୁଡ଼ିକ ସଫାସୁତୁରା କରିବା ଏବଂ ବର୍ଷା ଆରମ୍ଭ ମାତ୍ରେ ମଶା ‘ଲାର୍ଭା’ ନଷ୍ଟ କରିବା ପାଇଁ ଔଷଧ ସିଞ୍ଚନ ତଥା ଟିଫା ମେସିନରେ ‘ଫଗିଙ୍ଗ’ ଯୋଗେ ପ୍ରଥମପାଳିରୁ ମଶା ନିପାତ ଅଭିଯାନ ଆରମ୍ଭ କଲେ ସାମଗ୍ରୀକଭାବେ ପରିସ୍ଥିତି ସୁଧାରିବାରେ ସହାୟକ ହୋଇପାରନ୍ତା ।

 

ବ୍ରହ୍ମପୁରରେ ମଶାବାହିତ ମ୍ୟାଲେରିଆ, ଡ଼େଙ୍ଗୁ, ମସ୍ତିସ୍କ ଜ୍ୱର ପ୍ରତିବର୍ଷ ବର୍ଷା ଓ ଶୀତ ଋତୁରେ ଲାଗି ରହିଥାଏ । ଏହାର ଆପେକ୍ଷିକ ପ୍ରଭାବ ସହରର ପରିବେଶଗତ ପରିଚ୍ଛନ୍ନତା ଉପରେ ନିର୍ଭରଶୀଳ । ଦେଢ଼ବର୍ଷ ଧରି ମହାମାରୀ ପରିଚାଳନାରେ ପୌର କର୍ମକର୍ତ୍ତାଗଣ ସଂପୃକ୍ତ ରହିବା ଫଳରେ ଜନସ୍ୱାସ୍ଥ୍ୟରକ୍ଷାର ମୌଳିକ ଉପାଦାନ ପରିବେଶ ପରିଚ୍ଛନତାର ଗୁରୁତ୍ୱ ହ୍ରାସ ପାଇଥିବା ପରିଲକ୍ଷିତ । ‘କୋଭିଡ଼-୧୯’ର ଦ୍ୱିତୀୟ ତରଙ୍ଗ ଜୁନ ମାସ ପ୍ରଥମ ସପ୍ତାହରୁ ଅପସରି ଯାଇଥିବା ସ୍ଥଳେ ପୌରପାଳିକା ପ୍ରାକ୍-ମୌସୁମୀ ପରିବେଶ ସୁରକ୍ଷାରେ ସମୟ ଓ ସାମର୍ଥ୍ୟ ବିନିଯୋଗ କରିବା ଏକ ଉଚ଼ିତ ପଦକ୍ଷେପ ବିଚାର କରାଯାଇପାରେ ।

 

ବ୍ରହ୍ମପୁରର ବିଭିନ୍ନ ସାହୀବସ୍ତିରେ ଦୀର୍ଘଦିନଧରି ଅଳିଆ ଜମି ରହୁଥିବା ଏକ ଅସମାହିତ ସମସ୍ୟା । ଗଦାଗଦା ପଡ଼ିରହିଥିବା ଆବର୍ଜନାରେ ବର୍ଷାପାଣି ପଡ଼ିବା ଦ୍ୱାରା ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୁଏ । ମଶା ଓ ଅନ୍ୟାନ୍ୟ କୀଟପତଙ୍ଗଙ୍କ ଆଶ୍ରୟ ସ୍ଥଳୀରେ ରୂପାନ୍ତରିତ ହୁଏ ଏବଂ ସେମାନେ ସଂକ୍ରାମକ ରୋଗର ବାହକ ପାଲଟିଥାନ୍ତି । ପ୍ରାକ୍-ମୌସୁମୀ ପରିମଳ ପ୍ରସ୍ତୁତିରେ ସହରର ଜନାକୀର୍ଣ୍ଣ ଅଞ୍ଚଳରେ ପଡ଼ିରହିଥିବା ଅଳିଆ ଉଠାଇବା ନିମନ୍ତେ ସ୍ୱତନ୍ତ୍ର ଅଭିଯାନ ଆବଶ୍ୟକ । ଏଦିଗରେ ପୌରପାଳିକା ନୀତିଗତ ନିଷ୍ପତ୍ତି ଗ୍ରହଣ କରି ଲକ୍ଷ୍ୟଭିତ୍ତିକ କାର୍ଯ୍ୟକ୍ରମ ତୁରନ୍ତ ପ୍ରଯୋଜନା କଲେ ଜୁଲାଇ ମଧ୍ୟଭାଗରେ ସହରକୁ ବର୍ଷା ଆସିବା ପୂର୍ବରୁ ପରିଚ୍ଛନତାରେ ଅନ୍ତତଃପକ୍ଷେ ତିରିଶି ପ୍ରତିଶତ ଯାଏଁ ଉନ୍ନତି ସମ୍ଭବପର ହୁଅନ୍ତା ।

 

ପୁରୁଣା ସହରର ବହୁ ଗୋର୍ଜୀରାସ୍ତା ବା ବାସଗୃହ ପଛପଟ ରାସ୍ତାଗୁଡ଼ିକର ସଫେଇ ନିମନ୍ତେ ବିଧିବଦ୍ଧ ସଫେଇ କର୍ମଚାରୀ ନିଯୁକ୍ତ ହୋଇନାହାନ୍ତି । ଅତୀତରେ ଏହି ଅଣ-ଓସାରିଆ ରାସ୍ତାଗୁଡ଼ିକ ଉଠା ପାଇଖାନା ସଫେଇ କର୍ମଚାରୀଙ୍କ ଚଳପ୍ରଚଳ ଲାଗି ‘ସ୍କେଭେଞ୍ଜର ଲେନ’ ନିର୍ମିତ ହୋଇଥିଲା । ସହରବାସୀ ଅଭ୍ୟାସବଶତଃ ଘର ପାଚ଼େରୀ ବାହାରକୁ ଅଳିଆ ଫୋପାଡ଼ିଥାନ୍ତି । ଏହା ଦୀର୍ଘକାଳ ଧରି ଜମି ରହେ । ନିୟମିତ ସମୟ ବ୍ୟବଧାନରେ ସଫା ନକରାଗଲେ ପ୍ରଦୂଷଣ ମାତ୍ରା ବଢ଼ିଚାଲେ । ଏହାକୁ ରୋକିବା ନିମନ୍ତେ ସହରବାସୀ ଘରର ଅଳିଆ କିପରି ଆବର୍ଜନା ସଂଗ୍ରହକାରୀ ଗାଡ଼ିରେ ନିୟମିତ ଦେବେ ସେ ଦିଗରେ ମଧ୍ୟ ଚ଼େତନା ଜାଗ୍ରତ ଅନ୍ୟତମ ସ୍ଥାୟୀ ସମାଧାନର ରାସ୍ତା । ପୌରପାଳିକା ପକ୍ଷରୁ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ସହାୟତାରେ ଘରର ଅଳିଆ ଆବର୍ଜନା ସହରର ପ୍ରତ୍ୟେକ ପରିବାର ସଂଗ୍ରହକାରୀ ଗାଡ଼ିରେ କିପରି ଦେବା ଅଭ୍ୟାସ କରିବେ ସେ ଦିଗରେ ଅଭିଯାନ ପ୍ରଯୋଜନା ମଧ୍ୟ ସମୟର ଆହ୍ୱାନ । ବଡ଼ ବଡ଼ ସହରରେ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ପକ୍ଷରୁ ଆବର୍ଜନା ନିୟନ୍ତ୍ରଣ କ୍ଷେତ୍ରରେ ବହୁବିଧ କାର୍ଯ୍ୟକ୍ରମ ଗ୍ରହଣ କରୁଥିବା ଲକ୍ଷ୍ୟ କରାଯାଏ । ବ୍ରହ୍ମପୁର ମଧ୍ୟ ସେଥିରେ ସାମିଲ ହେଉ !


(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୨ ଜୁନ ୨୦୨୧ / ପୃଷ୍ଠା :୮)


Photo by Sandeep Vattapparambil on Unsplash

Friday, June 4, 2021

Dr (Professor) Sukumar Das / ଡ଼ାକ୍ତର (ପ୍ରଫେସର) ସୁକୁମାର ଦାସ

 

#ବ୍ରହ୍ମପୁର ମେଡ଼ିକାଲ କଲେଜର ପ୍ରଥମ ଅଧ୍ୟକ୍ଷ ଡ଼ାକ୍ତର (ପ୍ରଫେସର) ସୁକୁମାର ଦାସ ମେ’୨୦୨୧ରେ ପରିଣତ ବୟସରେ ପରଲୋକ ଗମନ କଲେ । ସେ ୧୯୬୩ ରୁ ୧୯୭୩ ଦଶ ବର୍ଷ ଧରି ଅଧ୍ୟକ୍ଷ ପଦରେ ନିଯୁକ୍ତ ଥିଲେ । ପ୍ରଫେସର ଦାସ କଟକ ସହର ବାସିନ୍ଦା, ଖ୍ରୀଷ୍ଟିଆନ ଧର୍ମାବଲମ୍ୱୀ । ଶଲ୍ୟ ଚ଼ିକିତ୍ସକ ‘ସର୍ଜନ’ ଭାବେ ତାଙ୍କରି ଖ୍ୟାତି ରହିଥିଲା । ମେଡ଼ିକାଲ କଲେଜକୁ ଶୈଶବାବସ୍ଥାରେ ଯତ୍ନ ନେବାରେ ପ୍ରଫେସର ଦାସଙ୍କ ଅବଦାନ ବ୍ରହ୍ମପୁର ପାଇଁ ଅନନ୍ୟସାଧାରଣ ।

 

ପତଳା ଶରୀର, ଆଭିଜାତ୍ୟପୂର୍ଣ୍ଣ ଠାଣି, ଶାନ୍ତ ଚେହରାରେ କାର୍ଯ୍ୟବ୍ୟସ୍ତତାର ଛାପ; ପ୍ରଫେସର ଦାସଙ୍କୁ ବ୍ରହ୍ମପୁରବାସୀ ନିଆରା ମଣିଷ ଭାବେ ଗ୍ରହଣ କରିନେଇଥିଲେ । ମେଡ଼ିକାଲ କଲେଜର ଅଧ୍ୟକ୍ଷ ଅର୍ଥ ସେ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆବଦ୍ଧ । ଅକାଳେ ସକାଳେ ମେଡ଼ିକାଲ କଲେଜର ସଭାସମିତିରେ ଯୋଗ ଦେଇ ଛୋଟିଆ ବକ୍ତବ୍ୟଟିଏ ରଖନ୍ତି । ଅତୀତରେ ପଦପଦବୀରେ ଅଧିଷ୍ଠିତ ବ୍ୟକ୍ତିମାନେ ପ୍ରାୟତଃ ସମାଜଠାରୁ ନିଜକୁ ଦୂରେଇ ରଖୁଥିଲେ । ତେବେ ସେମାନଙ୍କ ନିକଟକୁ ଗୁହାରି ନେଇ ଗଲେ, କାହାରିକୁ ଫେରାଇ ଦିଅନ୍ତି ନାହିଁ । ଊଣାଅଧିକେ ସାଧ୍ୟମତେ ସମସ୍ତଙ୍କ କଥା ବୁଝନ୍ତି । ସର୍ବୋଚ୍ଚ ଅଧିକାରୀଙ୍କ ନିକଟରେ ସମସ୍ୟା ଉପସ୍ଥାପନ କଲେ ତାହାର ନିଷ୍ପତ୍ତି ତୁରନ୍ତ ମିଳି ଯାଉଥିଲା । ଆଜିକା ଭଳି ଅଧସ୍ତନ କର୍ମଚାରୀଙ୍କ ନିକଟକୁ ପୁଣି ଠେଲି ଦିଆଯାଉ ନଥିଲା !

 

ପ୍ରଫେସର ଦାସ ଥିଲେ ଉଚ୍ଚମନା । ବ୍ରହ୍ମପୁର ମେଡ଼ିକାଲ କଲେଜ ପ୍ରଶସ୍ତ ପ୍ରାଙ୍ଗଣ ତାଙ୍କରି ଦୂରଦୃଷ୍ଟିର ପରିଚ଼ୟ ଦିଏ । ନିକଟ ଅତୀତରେ କ୍ୟାମ୍ପସ ପ୍ରତିଷ୍ଠାର ପଚାଶ ବର୍ଷପରେ ପୁରାତନ କୋଠାରାଜି ନିକଟରେ ନୂତନ କୋଠା ନିର୍ମାଣ ନିମନ୍ତେ ସ୍ଥାନର ଅଭାବ ପରିଲକ୍ଷିତ ହୋଇନଥିଲା । କୁହାଯାଏ ଯେ କଲେଜର କୋଠାବାଡ଼ି ନିର୍ମାଣ ପୂର୍ବରୁ ପ୍ରଫେସର ଦାସଙ୍କ ସମେତ ଏକ ଉଚ୍ଚକ୍ଷମତାସମ୍ପନ୍ନ ପ୍ରତିନିଧି ଦଳ ଦେଶର ବିଭିନ୍ନ ମେଡ଼ିକାଲ କଲେଜ ଓ ହସପିଟାଲ ଭ୍ରମଣକରି ଅଭିଜ୍ଞତା ସଂଗ୍ରହ କରିଥିଲେ ଏବଂ ସେହି ଜ୍ଞାନ ଏଠାକାର କ୍ୟାମ୍ପସ ପ୍ରଯୋଜନାରେ ନିୟୋଜିତ ହୋଇଥିଲା ।

 

ପ୍ରଫେସର ଦାସ ୧୯୬୩ ନଭେମ୍ୱର ୧୩ ତାରିଖ ଦିନ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ୩୦ ତାରିଖ ଦିନ ତତ୍ କାଳୀନ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବ୍ରହ୍ମପୁର ବାସିନ୍ଦା ଡ଼ାକ୍ତର ପି.ଭି. ଜଗନ୍ନାଥ ରାଓ ମେଡ଼ିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସରକାରଙ୍କ ପକ୍ଷରୁ ଅଧିଗ୍ରହଣ କରାଯାଇଥିବା ୧୬୭ ଏକର ପରିମିତ ଜମିରେ କୋଠାବାଡ଼ି ନିର୍ମାଣ କାମ ୧୯୬୬ ରୁ ଆରମ୍ଭ ହୋଇ ତିନି ବର୍ଷ ପରେ ପ୍ରଥମେ ମେଡ଼ିକାଲ କଲେଜ କୋଠାଟି ୧୯୬୯ରେ ଉଦ୍ ଘାଟିତ ହୋଇଥିଲା । ପ୍ରକାଣ୍ଡ କୋଠାକୁ ଦେଖି ବ୍ରହ୍ମପୁରବାସୀଙ୍କ ଆଖି ଝଲସି ଯାଇଥିଲା । ଏ ଯାଏଁ ସହରରେ ତାହାଠାରୁ ବଡ଼ କୋଠା ନିର୍ମିତ ହୋଇପାରି ନାହିଁ ।

 

ବ୍ରହ୍ମପୁର ମେଡ଼ିକାଲ କଲେଜ କଟକର ଶ୍ରୀରାମଚ଼ନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ୧୯୬୧ରେ ଆରମ୍ଭ ହୋଇଥିଲା । ପ୍ରଥମ ବର୍ଷ ମାତ୍ର ୪୦ ଜଣ ଛାତ୍ରଛାତ୍ରୀ ଭର୍ତ୍ତି ହୋଇଥିଲେ । ବ୍ରହ୍ମପୁରସ୍ଥିତ ଅଧୁନା ସିଟି ହସପିଟାଲ ସାମ୍ନା ପୁରାତନ ରାଜସ୍ୱ ବିଭାଗ କୋଠାକୁ ୧୯୬୨ରେ କଲେଜ ଆସିଥିଲା । କଲେଜର କାର୍ଯ୍ୟାଳୟ ବର୍ତ୍ତମାନ କ୍ୟାମ୍ପସର ସମ୍ମୁଖଭାଗରେ ଚକ୍ଷୁ ପ୍ରତିଷ୍ଠାନ କାର୍ଯ୍ୟକରୁଥିବା ଦକ୍ଷିଣାଞ୍ଚଳ ରାଜସ୍ୱ ବିଭାଗ କମିଶନରଙ୍କ ପୁରାତନ କାର୍ଯ୍ୟାଳୟ କୋଠା କିଛିକାଳ ବ୍ୟବହୃତ ହୋଇଥିଲା । ପ୍ରଫେସର ଦାସଙ୍କ ସମୟରେ ୧୯୬୬-୬୭ରେ ବ୍ରହ୍ମପୁର ମେଡ଼ିକାଲ କଲେଜର ନାମ ‘ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ’ରେ ପୁନଃନାମିତ ହୋଇଥିଲା ।

 

ବ୍ରହ୍ମପୁର ସହରରେ ଷଷ୍ଠ ଦଶକରେ ଖଲ୍ଲିକୋଟ କଲେଜ ଓ ଇଂଜିନିୟରିଂ ସ୍କୁଲ ସାଙ୍ଗକୁ ମେଡ଼ିକାଲ କଲେଜ ଛାତ୍ରଙ୍କ ଆଧିପତ୍ୟ ରହିଥିଲା । ପ୍ରଫେସର ଦାସ ଅଧ୍ୟକ୍ଷ ପଦବୀ ସମ୍ଭାଳିବା ସମୟକାଳରେ ୧୯୬୪ରେ ପୋଲିସ ବିରୋଧି ଏବଂ ୧୯୬୭ରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ର ଆନ୍ଦୋଳନରେ ମେଡ଼ିକାଲ କଲେଜର ଛାତ୍ରମାନେ ଅଂଶଗ୍ରହଣ କରିଥିଲେ । ତେବେ କଲେଜ କ୍ୟାମ୍ପସରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପ୍ରଫେସର ଦାସଙ୍କ ଛାତ୍ରବତ୍ସଳତାର ପରିଚ଼ୟ ଦେଇଥିଲା ।

 

ବ୍ରହ୍ମପୁର ରୋଟାରୀ କ୍ଳବରେ ପ୍ରଫେସର ଦାସ ସକ୍ରିୟ ରହି ଆସିଥିଲେ । ସେତେବେଳକୁ ଏଠାରେ କ୍ଳବର ମାତ୍ର ଗୋଟିଏ ଶାଖା ଥାଏ । ବ୍ରହ୍ମପୁରରୁ ବିଦାୟ ନେବାପରେ କଟକ ରୋଟାରୀ କ୍ଳବ ତଥା ରୋଟାରୀ ଜିଲ୍ଲାର ସାଂଗଠନିକ କାର୍ଯ୍ୟକଳାପରେ ସେ ବରାବର ସଂଶ୍ଳିଷ୍ଟ ରହୁଥିଲେ ।

 

ଡ଼ାକ୍ତର (ପ୍ରଫେସର) ସୁକୁମାର ଦାସ ଆମ ଗହଣରୁ ଚାଲିଯାଇଛନ୍ତି ସତ, ତେବେ ତାଙ୍କରି ହାତଗଢ଼ା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ତାଙ୍କରି ସ୍ମୃତି ବହନ କରିଚାଲିଥିବ ।


Photo by Markus Frieauff on Unsplash

Friday, May 28, 2021

Epidemic changes / ମହାମାରୀଜନିତ ପରିବର୍ତ୍ତନ

 


କୁହାଯାଏ ମହାମାରୀ, ପ୍ରାକୃତିକ ବିପର୍ଯ୍ୟୟ, ଯୁଦ୍ଧ ଭଳି ପ୍ରତିକୂଳ ଅବସ୍ଥାରେ ସମାଜର ରୀତିନୀତି ବଦଳି ଯାଏ । ‘କୋଭିଡ଼-୧୯’ ମହାମାରୀ ଆରମ୍ଭ ହେବା ବର୍ଷକ ମଧ୍ୟରେ ବିଶ୍ୱବ୍ୟାପୀ ଜନସାଧାରଣଙ୍କ ଆଚାରବିଚାରରେ ଅନେକ ପରିବର୍ତ୍ତନ ଘଟିଛି । ଏହି ପ୍ରକ୍ରିୟାରେ #ବ୍ରହ୍ମପୁର ସହରବାସୀ ମଧ୍ୟ ସାମିଲ ହେବା ସ୍ୱାଭାବିକ ।
 
ଖ୍ୟାତନାମା ଇନଫରମେସନ ଟେକନୋଲଜି ପ୍ରତିଷ୍ଠାନ ‘ଏସେଞ୍ଚର’ ପକ୍ଷରୁ ଆନ୍ତର୍ଜାତିକସ୍ତରରେ ୧୯ ଗୋଟି ରାଷ୍ଟ୍ରର ପ୍ରାୟ ଦଶ ହଜାର ବ୍ୟକ୍ତିଙ୍କ ଗହଣରେ ମହାମାରୀଜନିତ ଜୀବନଶୈଳୀ ପରିବର୍ତ୍ତନ ଅନୁଧ୍ୟାନ ପାଇଁ ଏକ ଅନଲାଇନ ସର୍ବେକ୍ଷଣ ଆୟୋଜନ କରାଯାଇଥିଲା । ଏଥିରେ ପାଞ୍ଚଶହ ଜଣ ଭାରତୀୟ ଯୋଗ ଦେଇଥିଲେ । ମେ’ ୨୦୨୧ରେ ପ୍ରକାଶିତ ବିବରଣୀରେ କୁହାଯାଇଛି ଯେ ମହାମାରୀ କାଳରେ ୯୮ ପ୍ରତିଶତ ଲୋକ ନିଜ ଜୀବନଚର୍ଯ୍ୟା ‘ଲାଇଫ ଷ୍ଟାଇଲ’ରେ ଅନ୍ତତଃପକ୍ଷେ ଗୋଟିଏ ପ୍ରଭାବଶୀଳୀ ପରିବର୍ତ୍ତନ ଲକ୍ଷ୍ୟ କରିଛନ୍ତି । ଉଲ୍ଲେଖଯୋଗ୍ୟ ବିଷୟ ଏଭଳି ପରିବର୍ତ୍ତନ ସେମାନଙ୍କ ଜୀବନଯାତ୍ରାରେ ଦୀର୍ଘସ୍ଥାୟୀ, ଅର୍ଥାତ ବହୁତ ଦିନ ଧରି ବଳବତ୍ତର ରହିବ ବୋଲି ବିଚାର କରୁଛନ୍ତି ।
 
ବ୍ରହ୍ମପୁର ଦକ୍ଷିଣ ଓଡ଼ିଶାର ବ୍ୟାବସାୟିକ, ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରଶାସନିକ ଓ ସାଂସ୍କୃତିକ ପ୍ରାଣକେନ୍ଦ୍ର । ରାଜ୍ୟର ଦକ୍ଷିଣାଞ୍ଚଳର ପ୍ରତ୍ୟେକ ଜିଲ୍ଲାରୁ ପରିବାରବର୍ଗ ଏଠାରେ ସ୍ଥାୟୀଭାବେ ବସବାସ କରିଥାନ୍ତି । ସହରରୁ ବାହାରକୁ ଯିବାଆସିବା ଲାଗି ରହିଥାଏ । ମହାମାରୀ ଓ ଲକଡ଼ାଉନଜନିତ ପରିବେଶରେ ଜନସାଧାରଣଙ୍କ ଆତଯାତରେ ବଡ଼ଧରଣର ହ୍ରାସ ତ ଯୁକ୍ତିଯୁକ୍ତ; ତେବେ ମହାମାରୀ-ପର ଅବସ୍ଥାରେ ମଧ୍ୟ ଗମନା-ଗମନ ଧାରା ବଦଳିଯିବା ଆଶାଙ୍କା କରାଯାଉଛି । ‘ଏସେଞ୍ଚର’ ବିବରଣୀରେ ଉଲ୍ଲେଖ ରହିଛି ଯେ ୫୭ ପ୍ରତିଶତ ମହାମାରୀ-ପର ଅବସ୍ଥାରେ ବ୍ୟାବସାୟିକ ଭ୍ରମଣ ‘ବିଜିନେସ ଟ୍ରାଭଲ’ ଅନ୍ତତଃପକ୍ଷେ ଅର୍ଦ୍ଧେକ ହ୍ରାସ ପାଇବା ଅନୁମାନ କରୁଛନ୍ତି ।
 
ବ୍ରିଟେନର ‘ୟୁ-ଗଭ’ ନାମକ ବାଣିଜ୍ୟ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଭାରତର ସହରାଞ୍ଚଳ ବାସିନ୍ଦାଙ୍କ ଦୈନନ୍ଦିନ ଜୀବନରେ ମହାମାରୀର ପ୍ରଭାବ ଆକଳନ ନିମନ୍ତେ ମଧ୍ୟ ଅନ୍ୟ ଏକ ସର୍ବେକ୍ଷଣ ଆୟୋଜନ କରାଯାଇଥିଲା । ସେଥିରୁ ଜଣାଯାଇଛି ଯେ ଶିକ୍ଷିତ ଓ ସ୍ୱଚ୍ଛଳବର୍ଗ ମଧ୍ୟରେ ପନିପରିବା ଖାଦ୍ୟାଭ୍ୟାସ ୬୬ ପ୍ରତିଶତ, ଦୁଗ୍ଧ ଜାତୀୟ ଖାଦ୍ୟ ୫୩ ପ୍ରତିଶତ ଓ ମଦ୍ୟପାନ ୨୯ ପ୍ରତିଶତ ବୃଦ୍ଧି ପ୍ରାପ୍ତ ହୋଇଛି । ଭାରତରେ ଅର୍ଦ୍ଧେକ ପରିବାର ଅନଲାଇନରେ କିଣାବିକା କରୁଛନ୍ତି । ଚ଼ୀନରେ ଏହି ସଂଖ୍ୟା ୫୯ ପ୍ରତିଶତ ଥିବା ସ୍ଥଳେ ବ୍ରିଟେନରେ ୩୪ ପ୍ରତିଶତରେ ସୀମିତ । ପ୍ରତି ଦଶଜଣ ସହରାଞ୍ଚଳ ବାସିନ୍ଦାଙ୍କ ମଧ୍ୟରେ ତିନିଜଣ ମଦ୍ୟପାନ କରୁଥିବା ଅନ୍ୟତମ ଚାଞ୍ଚଲ୍ୟକାରୀ ତଥ୍ୟ ।
 
ମାର୍କିନ ଗବେଷଣା ପ୍ରତିଷ୍ଠାନ ‘ପିଉ ରିସର୍ଚ୍ଚ ସେଣ୍ଟର’ର ମାନାଙ୍କରେ ଭାରତୀୟ ମୁଦ୍ରାରେ ମାସିକ ୨୧ ହଜାରରୁ ୪୨ ହଜାର ଟଙ୍କା ରୋଜଗାର କରୁଥିବା ପରିବାର ମଧ୍ୟବିତ୍ତ ଏବଂ ୪୨ ହଜାରରୁ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ରୋଜଗାର କରୁଥିବା ପରିବାର ଉଚ୍ଚ-ମଧ୍ୟବିତ୍ତ ବର୍ଗରେ ଚ଼ିହ୍ନିତ କରାଯାଇଥାଏ । ବିଶ୍ୱ ଜନସଂଖ୍ୟାର ଏକ ତୃତୀୟାଂଶ ପ୍ରାୟ ଅଢ଼େଇ ଶହ କୋଟି ଲୋକ ମହାମାରୀ ପୂର୍ବରୁ ମଧ୍ୟବିତ୍ତ ଓ ଉଚ୍ଚ-ମଧ୍ୟବିତ୍ତ ବର୍ଗରେ ଅନ୍ତର୍ଭୁକ୍ତ ରହିଥିଲେ । ତେବେ ମହାମାରୀର ବର୍ଷକ ମଧ୍ୟରେ ସେମାନଙ୍କ ମଧ୍ୟରୁ ୧୫ କୋଟି ପରିବାର ରୋଜଗାର ଅଭାବରୁ ଗରିବଶ୍ରେଣୀରେ ପହଞ୍ଚିଛନ୍ତି । ଆନ୍ତର୍ଜାତିକସ୍ତରରେ ବିଂଶ ଶତାଦ୍ଦୀର ଶେଷ ଦଶକରେ ଜଗତୀକରଣ ଓ ଆର୍ଥିକ ଉଦାରୀକରଣ ନୀତି ଲାଗୁପରେ ୨୦୨୦ରେ ସର୍ବାଧିକ ଦାରିଦ୍ର୍ୟ ବୃଦ୍ଧି ପାଇଛି ।
 
ବ୍ରହ୍ମପୁର ସହରଭିତ୍ତିକ ମହାମାରୀଜନିତ ସ୍ଥାନୀୟବାସିନ୍ଦାଙ୍କ ଜୀବନଚ଼ର୍ଯ୍ୟା ସଂପର୍କରେ ତଥ୍ୟ ଅଭାବ ପରିବେଶରେ ଆନ୍ତର୍ଜାତିକ ଓ ରାଷ୍ଟ୍ରୀୟସ୍ତରରେ ଗବେଷଣାଲବ୍ଧ ତଥ୍ୟକୁ ଭିତ୍ତିରୂପେ ଗ୍ରହଣ କରାଯାଇପାରେ । ମଧ୍ୟବିତ୍ତଙ୍କ ରୋଜଗାର ହ୍ରାସ ସହରର ବାଣିଜ୍ୟ, ବ୍ୟବସାୟ ଓ ପରିବହନ ଉପରେ ତତ୍ କ୍ଷଣାତ ପ୍ରଭାବ ପକାଇଥିବା ଲକ୍ଷ୍ୟ କରାଯାଏ । ସ୍ଥାନୀୟ ବ୍ୟବସାୟୀମାନେ ମହାମାରୀ-ପୂର୍ବ ବ୍ୟବସାୟର ୪୦ ପ୍ରତିଶତ ହରାଇଥିବା ଅଭିଯୋଗ କରୁଥିବା ବେଳେ କେତେକ ନିର୍ଦ୍ଦିଷ୍ଟ ବୃତ୍ତି ଓ ବ୍ୟବସାୟ ଏକାବାରକେ ବନ୍ଦ ହୋଇଯାଇଛି । ଏହି ପରିବର୍ତ୍ତନଗୁଡ଼ିକ ସହରର ଜନଜୀବନକୁ ଯେ ଗଭୀର ପ୍ରଭାବିତ କରିବାରେ ଲାଗିଛି ଏଥିରେ ସନ୍ଦେହ ନାହିଁ । ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ବିକଳ୍ପ ବ୍ୟବସ୍ଥା, ଯଥା: ବୃତ୍ତିଗତ ନୂତନ କାରିଗରୀକୌଶଳ ଉପଯୋଗ, ସେବା ପ୍ରଦାନ କ୍ଷେତ୍ର ସଂପ୍ରସାରଣ ଓ ଡିଜିଟାଲ ବ୍ୟବସାୟ ମଞ୍ଚରେ ସାମିଲ ହେବା ଇତ୍ୟାଦି ଗୁରୁତ୍ୱ ବହନ କରିଥାଏ । କିନ୍ତୁ ବ୍ରହ୍ମପୁର ସହରର ପାରମ୍ପରିକ ପରିବେଶରେ ପରିବର୍ତ୍ତନର ସ୍ରୋତ ପ୍ରଖର ନଥିବା ପ୍ରତୀୟମାନ ହୁଏ ।

Photo by Ibrahim Boran on Unsplash 

Friday, May 21, 2021

Wearing N 75 or double mask / ଏନ ୯୫ କିମ୍ୱା ଡ଼ବଲ ମାସ୍କ ପରିଧାନ

 


ସ୍ଥୁଳ ବିଚାରରେ ‘କୋଭିଡ଼-୧୯’ ତରଙ୍ଗ-ପରେ-ତରଙ୍ଗ କ୍ରମରେ ସଂକ୍ରମଣ ଜାରୀ ରହିବ । ବୈଜ୍ଞାନିକଙ୍କ ମତରେ ଟିକାକରଣ ଦ୍ୱାରା ଭୂତାଣୁ ପ୍ରାଦୁର୍ଭାବ ପ୍ରତିହତ ସମ୍ଭବପର । #ବ୍ରହ୍ମପୁର ସମେତ ଆମ ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି ସତ; ତେବେ ଟିକା ସଂଗ୍ରହ, ଟିକାକରଣ ସୁଯୋଗ ସୃଷ୍ଟି ଓ ଅନ୍ତତଃପକ୍ଷେ ୬୦ରୁ ୮୦ ପ୍ରତିଶତ ଜନସାଧାରଣଙ୍କୁ ଟିକାପ୍ରଦାନ ସମୟସାପେକ୍ଷ । ଅପରପକ୍ଷେ ଟିକାଗ୍ରହଣ ପରେ ମଧ୍ୟ ଭୂତାଣୁ ଦ୍ୱାରା ସଂକ୍ରମିତ ହେବା ଭୟକୁ ଏଡ଼ାଇଦିଆ ନଯାଇପାରେ । ଏହି ପରିପ୍ରେକ୍ଷୀରେ ମାସ୍କ ପରିଧାନ, ବାରମ୍ୱାର ହାତଧୁଆ ଓ ଦୁରାବସ୍ଥାନ ଦ୍ୱାରା ହିଁ ଜନସଂଖ୍ୟାକୁ ସୁରକ୍ଷିତ ରଖାଯାଇପାରିବ ବୋଲି ୨୦୨୧ ମେ’ ମଧ୍ୟଭାଗ ସୁଦ୍ଧା ସମସ୍ତେ ବିଶ୍ୱାସ କରୁଛନ୍ତି । ପୁଣି ଦ୍ୱିତୀୟ ତରଙ୍ଗରେ ଦୃତଗତିରେ ସଂକ୍ରମିତ ଭୂତାଣୁ କବଳରୁ ରକ୍ଷା ପାଇବା ପାଇଁ ଏନ ୯୫ କିମ୍ୱା ଡ଼ବଲ ମାସ୍କକୁ ଗୁରୁତ୍ୱ ଦିଆଯାଉଛି ।

 

ଗବେଷଣାରୁ ଏହା ସ୍ୱଷ୍ଟ ପ୍ରମାଣିତ ହୋଇଛି ଯେ ‘ସାର୍ସ-କୋଭ-୨’ ତଥା ଏହାର ସମସ୍ତ ପ୍ରଜାତି ‘ଭେରିଏଣ୍ଟ’ ଭୂତାଣୁ ଆକ୍ରାନ୍ତଙ୍କ ନାଶା ଓ ମୁଖରୁ କ୍ରମାଗତ ନିର୍ଗତ ହୋଇଥାଏ । ଲକ୍ଷଣଯୁକ୍ତ ଓ ଲକ୍ଷଣହୀନ ଉଭୟଙ୍କ କ୍ଷେତ୍ରରେ ସଂକ୍ରମିତ ହେବାର ଅନ୍ତତଃପକ୍ଷେ ଦୁଇ ସପ୍ତାହ ଯାଏଁ ଏହି ପ୍ରକ୍ରିୟା ଊଣା ଅଧିକରେ ଜାରୀ ରହେ । ଯଦି ସଂକ୍ରମିତ ମାସ୍କ ପିନ୍ଧିବେ, ତେବେ ଭୂତାଣୁ ବିତରଣରେ ଆକଟ ଲାଗିବ । ସେହିପରି ସୁସ୍ଥ ଜନସଂଖ୍ୟା ମାସ୍କ ପିନ୍ଧିଲେ ସଂକ୍ରମଣରୁ ମୁକ୍ତି ପାଇବେ । ସଂକ୍ରମିତଙ୍କ ଶରୀରରୁ ନିର୍ଗତ ଭୂତାଣୁର କିଛି ଅଂଶ ‘ଏରୋସେଲ’ ବାୟୁମଣ୍ଡଳରେ ଦୁଇତିନି ଘଣ୍ଟା ଯାଏଁ ଲଟକି ରହୁଥିବା ହେତୁ ସଂକ୍ରମିତ ଯେଉଁସବୁ ସ୍ଥାନରେ ବିଚ଼ରଣ କରିଥାଏ ତାହାର ଅନୁପସ୍ଥିତିରେ ଜନଶୂନ୍ୟ ପରିବେଶରେ ମଧ୍ୟ ସେଠାକାର ବାୟୁମଣ୍ଡଳରେ ସଂକ୍ରମଣ ସଂଭବପର । ମୁଖ୍ୟତଃ ବନ୍ଦ କଠୋରୀ ତଥା ମୁକ୍ତ ବାୟୁ ପ୍ରବାହିତ ନହୋଇପାରୁଥିବା ସ୍ଥାନରେ ପ୍ରଭାବ ଅଧିକ ବୋଲି କୁହାଯାଉଛି । କିନ୍ତୁ ସଂକ୍ରମିତ ଓ ସୁସ୍ଥ ଉଭୟ ମାସ୍କ ପରିଧାନ କଲେ ସଂକ୍ରମଣର ଭୟ ଦୂର ହୋଇପାରିବ । ବହୁଲୋକ ସଂକ୍ରମିତ ହେବା ତଥା ତୀବ୍ରଗତିରେ ବ୍ୟାପୁଥିବା ଭୂତାଣୁ ‘ମ୍ୟୁଟେଣ୍ଟ’ ପ୍ରବାହରେ କେବଳ ମାସ୍କ ନୁହ ବରଂ ଏନ ୯୫ କିମ୍ୱା ଦୁଇ ପରସ୍ତ ମାସ୍କ ପରିଧାନ ଜରୁରୀ ।

 

ମହାମାରୀ ପ୍ରାଦୁର୍ଭାବର ବର୍ଷକ ପରେ ସଂଖ୍ୟାଧିକ ଜନସାଧାରଣ ମାସ୍କର ଉପାଦେୟତା ସଂପର୍କରେ ସଚେତନ । ତେବେ ପ୍ରଶ୍ନ ଉଠେ ଘରୋଇ ପରିବେଶରେ ତ ଦୂରକଥା, ଘର ବାହାରେ ଆତଯାତ ସମୟରେ ମଧ୍ୟ କେତେକ କାହିଁକି ମାସ୍କ ପିନ୍ଧୁ ନାହାନ୍ତି । ମାସ୍କ ପରିଧାନରେ ଅଭ୍ୟସ୍ତ ନଥିବା, ଦେଶୀୟ ପାଣିପାଗରେ ମାସ୍କ ପରିଧାନରେ ଅସୁଖକର ଅନୁଭବ, ଅଣ-ବିଜ୍ଞାନ-ସମ୍ମତ୍ତ ଚ଼ିନ୍ତାଧାରା ସମେତ ସହରର ପ୍ରତ୍ୟେକ ବାସିନ୍ଦାଙ୍କଠାରେ ପର୍ଯ୍ୟାପ୍ତ ପରିମାଣରେ ମାସ୍କର ଅଭାବକୁ ଚାରିଗୋଟି ମୁଖ୍ୟ କାରଣ ରୂପେ ଚ଼ିହ୍ନଟ କରାଯାଇପାରେ । ରାଜ୍ୟରେ ବର୍ଷାଧିକ କାଳ ଧରି ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ପାଇଁ କୁହାଯାଉଛି ଏବଂ ଘରବାହାରେ ସାର୍ବଜନୀନ ସ୍ଥଳଗୁଡ଼ିକରେ ମାସ୍କ ନପିନ୍ଧିଲେ ଜରିମାନା ଆଦାୟ କରାଯାଉଛି । ତେବେ ମାସ୍କ ପିନ୍ଧିବା ପାଇଁ ସାଧାରଣ ଜନତାଙ୍କୁ ପ୍ରଭାବିତ କରିବା ଦିଗରେ ବଡ଼ ଧରଣର ଆୟୋଜନ ସଂଭବପର ହୋଇପାରୁ ନଥିବା ବୋଧହୁଏ ।

 

ଗଣମାଧ୍ୟମରେ ବିଜ୍ଞାପନ ପ୍ରସାରଣ କାଳରେ ସାନେନଙ୍କ ଗାଣିତିକ ସୂତ୍ର ପ୍ରାଚୁର୍ଯ୍ୟ ‘ରେଡ଼େନଡ଼ନ୍ସି’କୁ ଗୁରୁତ୍ୱ ଦିଆଯାଇଥାଏ । କୌଣସି ଦ୍ରବ୍ୟ ବିକ୍ରୀ ବଢ଼ାଇବା ନିମନ୍ତେ ଉପଭୋକ୍ତାଙ୍କ ମଧ୍ୟରେ ବିଭିନ୍ନ ମଞ୍ଚରୁ ବିଭିନ୍ନ ଆକାରରେ ପ୍ରଚାର କରାଯାଏ । ସାନେନଙ୍କ ଉପପାଦ୍ୟ ଦର୍ଶାଏ ଯେ ଅଧିକ ପରିମାଣରେ ବାର୍ତ୍ତା ପ୍ରେରିତ ହେଲେ ପ୍ରତିକୂଳ ପରିବେଶରେ କିଛି ନଷ୍ଟ ହୋଇଗଲେ ସୁଦ୍ଧା ଶେଷରେ ଗ୍ରହୀତାଙ୍କଠାରେ ବେଶ କିଛି ପରିମାଣରେ ପହଞ୍ଚି ପାରେ । ଉପଭୋକ୍ତାଙ୍କୁ ପ୍ରଭାବିତ କରିବା ଲାଗି ବାର୍ତ୍ତା ପ୍ରେରଣରେ ପ୍ରାଚୁର୍ଯ୍ୟ ଫଳବତୀ ହୋଇଥାଏ । ଠିକ ସେହି ନୀତିରେ ଜନସାଧାରଣଙ୍କଠାରେ ବ୍ୟକ୍ତିଗତସ୍ତରରେ ବିଭିନ୍ନ ଉପାୟରେ ଯଦି ବହୁ ସଂଖ୍ୟକ ମାସ୍କ ଉପଲବ୍ଧ କରାଯାଇପାରେ ତେବେ ସେମାନଙ୍କ ମାସ୍କ ପରିଧାନ ମାତ୍ରା ଅବଶ୍ୟ ବଢ଼ିବା ବିଚାର ଯୁକ୍ତିଯୁକ୍ତ ।

 

ସାର୍ବଜନୀନ ମାସ୍କ ପରିଧାନ ଅଭିଯାନ ପ୍ରଯୋଜନାରେ ମୁଖ୍ୟତଃ ଏନ ୯୫ ମାସ୍କ ବ୍ୟବହାର ନିମନ୍ତେ ସହରର ସ୍ୱେଚ୍ଛାସେବୀ, ଧାର୍ମିକ, ବୃତ୍ତିଭିତ୍ତିକ ସଂଗଠନଗୁଡ଼ିକ ପକ୍ଷରୁ ଯୋଜନାବଦ୍ଧ ଉଦ୍ୟମ କରାଯାଇପାରେ । ପ୍ରତି ସାହୀରେ କିପରି ସମସ୍ତେ ଅଧିକ ସମୟ, ଠିକ ଧରଣର, ଠିକ ଢଙ୍ଗରେ, ମାସ୍କ ପିନ୍ଧିବେ ସେଦିଗରେ ପରିବେଶ ସୃଷ୍ଟି ନିମନ୍ତେ ଜନସାଧାରଣଙ୍କ ହାତପାଆନ୍ତାରେ ପର୍ଯ୍ୟାପ୍ତ ପରିମାଣରେ ଆକର୍ଷଣୀୟ ମାସ୍କ ପହୁଞ୍ଚାଇ ଦେବାର ବ୍ୟବସ୍ଥା ଲାଗି ବିକେନ୍ଦ୍ରୀତ ଅଭିଯାନ ଆବଶ୍ୟକ । ଏହା ଜନସାଧାରଣଙ୍କ ସହଭାଗିତାରେ ଆୟୋଜନ ନହେଲେ ସର୍ବାଧିକ ସୁଫଳ ମିଳିପାରିବ ନାହିଁ । ଅର୍ଥାତ ସ୍ଥାନୀୟ ବାସିନ୍ଦାଙ୍କ ଯୋଗଦାନରେ ହିଁ ଅଭିଯାନ ପ୍ରଯୋଜନା କରିବାକୁ ପଡ଼ିବ । ପ୍ରତ୍ୟେକ ସାହୀ ପିଲାଙ୍କୁ ପ୍ରବର୍ତ୍ତାଇ ଏହି ଅଭିଯାନରେ ସାମିଲ କରିବାକୁ ପଡ଼ିବ । ଏଦିଗରେ କୌଣସି ଏକ ବଡ଼ ସ୍ୱେଚ୍ଛାସେବୀ ସଂଗଠନ ନେତୃତ୍ୱ ନେବା ଆବଶ୍ୟକ ।

 

ସହରର ଏକ ବା ଏକାଧିକ ପ୍ରତିଷ୍ଠିତ ସ୍ୱେଚ୍ଛାସେବୀ ସଂଗଠନ ସିଧାସଳଖ ଉତ୍ପାଦକମାନଙ୍କଠାରୁ ସୁଦୃଶ୍ୟ ମାସ୍କ ଆମଦାନୀ କରିବେ । ଉଦାହରଣରେ କାରଖାନାଗୁଡ଼ିକରେ ୩୦ରୁ ୪୦ ଟଙ୍କା ମୂଲ୍ୟରେ ଉଚ୍ଚମାନର ଏନ ୯୫ ମାସ୍କ ଉପଲବ୍ଧ । ତାହା ସାହୀସ୍ତରରେ ସ୍ୱେଚ୍ଛାସେବୀଙ୍କ ଜରିଆରେ ଆର୍ଥିକ ଦିଗରୁ ଅନଗ୍ରସର ପ୍ରତ୍ୟେକ ବାସିନ୍ଦାଙ୍କ ପାଇଁ ଖଣ୍ଡ ପିଛା କୋଡ଼ିଏ ଟଙ୍କା ଓ ଆର୍ଥିକ ଦିଗରୁ ସ୍ୱଚ୍ଛଳ ବ୍ୟକ୍ତିଙ୍କ ପାଇଁ ଖଣ୍ଡ ପିଚ୍ଛା ପଚ଼ାଶ ଟଙ୍କାରେ ଅନ୍ତତଃ ପକ୍ଷେ ଜଣକା ଚାରି ଖଣ୍ଡ ଲେଖା ବିତରଣ କରାଯାଇପାରିବ । ଭଲ ମାସ୍କର ବଜାର ଦର ସତୁରିରୁ ଶହେ ଟଙ୍କା ହୋଇଥିବା ହେତୁ ଘରଦୁଆରେ ଅଡ଼ିଶା-ପଡ଼ିଶା ପିଲାଙ୍କଠାରୁ ୨୦ ଟଙ୍କାରୁ ୫୦ ଟଙ୍କାରେ ମାସ୍କ କିଣିବା ପାଇଁ ଲୋକେ କୁଣ୍ଠାବୋଧ କରିବେ ନାହିଁ । ଲୋକଙ୍କ ପାଖେ ଲୋଭନୀୟ ଉଚ୍ଚମାନର ଏନ ୯୫ ମାସ୍କ ଅଧିକ ସଂଖ୍ୟାରେ ଉପଲବ୍ଧ ହେଲେ ସେମାନଙ୍କ ମାସ୍କ-ପିନ୍ଧା-ଅଭ୍ୟାସ ବୃଦ୍ଧି ପାଇବା ଆଶା କରାଯାଇପାରେ । କରୋନା ଭୂତାଣୁ ସାଧାରଣରେ ତିନି ଦିନ ଯାଏଁ ଜୀବିତ ରହୁଥିବା ହେତୁ ଦିନକୁ ଗୋଟିଏ ଏନ ୯୫ ମାସ୍କ ପରିଧାନ କରି ସେହି ଗୋଟାକୁ ତିନି ଦିନ ପରେ ପୁଣି ବ୍ୟବହାର କରିବାଲାଗି ପରାମର୍ଶ ଦିଆଯାଉଥିବା ହେତୁ ପ୍ରତ୍ୟେକଙ୍କୁ ଅନ୍ତତଃ ପକ୍ଷେ ଚାରିଗୋଟି ଏନ ୯୫ ମାସ୍କ ଆବଶ୍ୟକ ପଡ଼ିଥାଏ ।

 

ମହାମାରୀର ପ୍ରଭାବ ଟିକାକରଣ ଉପରେ ନିର୍ଭରଶୀଳ ଥିବା ହେତୁ ୨୦୨୩ ଶେଷଯାଏଁ ବହୁ ସଂଖ୍ୟକଙ୍କୁ ଟିକାକରଣ ପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିପାରେ ବୋଲି ଧରି ନିଆଯାଇପାରେ । ଅତଏବ ଆଗାମୀ ଅଢ଼େଇ ବର୍ଷ ଧରି ଊଣା ଅଧିକରେ ଆମ ମାସ୍କ ପିନ୍ଧା ଅପରିହାର୍ଯ୍ୟ । ‘କୋଭିଡ଼-୧୯’ ପୂର୍ବରୁ ବିଗତ ଦୁଇ ଦଶନ୍ଧି ଧରି ଅନ୍ୟାନ୍ୟ ସଂକ୍ରମିତ ଶ୍ୱାସରୋଗ କାରଣରୁ ହଂକଂ, ତାଇୱାନ, କୋରିଆ, ମାଲେସିଆ, ସିଙ୍ଗାପୁର ଭଳି ପୂର୍ବ-ଏସୀୟ ରାଷ୍ଟ୍ରଗୁଡ଼ିକରେ ମାସ୍କ ପରିଧାନ ବସ୍ତ୍ର–ପରିଧାନର-ପରିପାଟୀ ଅଂଶବିଶେଷରେ ପରିଣତ ହୋଇସାରିଛି । ଆମ ସହରରେ ସେହି ପରିବେଶ ପ୍ରତିବିମ୍ୱିତ ହେବା ଆବଶ୍ୟକ ଏବଂ ସେଥିଲାଗି ଆମକୁ ଯୋଜନାମାନ ପ୍ରଣୟନ କରିବା ସମୟର ଆହ୍ୱାନ ।


(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୨ ମେ’ ୨୦୨୦/ ପୃଷ୍ଠା :୮)

Photo by Evgeni Tcherkasski on Unsplash

Friday, May 14, 2021

Potagada / ପୋତାଗଡ଼



 #ବ୍ରହ୍ମପୁର ସହରଠାରୁ ୩୨ କିଲୋମିଟର ଦୂର ଭୁବନେଶ୍ୱର ଜାତୀୟ ରାଜପଥରେ ଅବସ୍ଥିତ ଗଞ୍ଜାମ ସହର ସଂଲଗ୍ନ ପୋତାଗଡ଼ ବ୍ରିଟିଶ ଶାସନର ଏକ ସ୍ମାରକୀ । ଅଢ଼େଇ ଶହ ବର୍ଷ ପୂର୍ବେ ନିର୍ମିତ ଏକ ଦୁର୍ଗର ଭଗ୍ନାବିଶେଷ ‘ପୋତାଗଡ଼’ ନାମରେ ଖ୍ୟାତ । ଦୁର୍ଗ ନିର୍ମାଣର ମାତ୍ର ପଚାଶ ବର୍ଷ ମଧ୍ୟରେ ମହାମାରୀ କାରଣରୁ ବ୍ରିଟିଶ ଶାସକଗଣ ଦୁର୍ଗ ପରିତ୍ୟାଗ କରି ବ୍ରହ୍ମପୁର ପଳାଇବାକୁ ବାଧ୍ୟ ହୋଇଥିଲେ । ଋଷିକୂଲ୍ୟା ନଦୀ କୂଳରେ ଅବସ୍ଥିତ ଏହି ଅବ୍ୟବହୃତ ଦୁର୍ଗର ଭୂତଳ ଅଂଶ ବନ୍ୟାଜଳ-ବାହିତ ବାଲି ଦ୍ୱାରା ପୋତି ହୋଇଯିବା ପରେ କାଳକ୍ରମେ ଏହାକୁ ‘ପୋତାଗଡ଼’ ନାମିତ କରାଯାଇଥିବା କୁହାଯାଏ ।

 

ପୋତାଗଡ଼ର ସଂରକ୍ଷଣ ଓ ଏହାକୁ ପର୍ଯ୍ୟଟନ ସ୍ଥଳୀରୂପେ ବିକାଶ କରିବା ନିମନ୍ତେ ଦୀର୍ଘକାଳରୁ ଦାବୀ ହୋଇଆସିଥିଲା । ମୁଖ୍ୟତଃ ଜାତୀୟସ୍ତର ପ୍ରାଚ଼ୀନ କାର୍ତ୍ତିରାଜି ସଂରକ୍ଷଣରେ ଅଗ୍ରଣୀ ‘ଇନଟାକ’ ସଂଗଠନ ପକ୍ଷରୁ ସରକାରଙ୍କ ଉପରେ ଚାପ ପକାଇବା ନିମନ୍ତେ ଉଦ୍ୟମ କରାଯାଇଥିଲା । ‘ଇନଟାକ’ର ବ୍ରହ୍ମପୁର ସଂଯୋଜକ ଆଇନଜୀବୀ ଡ଼କ୍ଟର ସୁଧାଂଶୁ ପତି ଏଦିଗରେ ଯତ୍ନବାନ ଥିଲେ । ପୋତାଗଡ଼ ଉନ୍ନୟନ ପ୍ରକଳ୍ପକୁ ନେଇ ସ୍ଥାନୀୟ ନେତୃବର୍ଗଙ୍କ ମଧ୍ୟରେ ବାଦବିବାଦ ମଧ୍ୟ ସୂତ୍ରପାତ ହୋଇଥିଲା । ତେବେ ଶେଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଭାବେ ପୋତାଗଡ଼କୁ ‘କୋଭିଡ଼-୧୯’ ଦ୍ୱିତୀୟ ତରଙ୍ଗ ପୂର୍ବରୁ ପର୍ଯ୍ୟଟନ ସ୍ଥଳୀ ଭାବେ ପ୍ରସ୍ତୁତ କରାଉଥିବା ସୂଚ଼ନା ମିଳିଥିଲା । ଏପ୍ରିଲ ୨୦୨୧ ପ୍ରଥମାର୍ଦ୍ଧରେ ପୋତାଗଡ଼ ପରିଦର୍ଶନ ନିମନ୍ତେ ପ୍ରବେଶ ଶୁଳ୍କ ବିଜ୍ଞପ୍ତି ଫଳକ ସ୍ଥାପନ କରାଯାଇଥିବା ବିବରଣୀ ସମ୍ୱାଦପତ୍ରଗୁଡ଼ିକରେ ପ୍ରକାଶିତ ହୋଇଥିଲା ।

 

ପୋତାଗଡ଼ର ଐତିହାସିକଭିତ୍ତିଭୂମିକୁ ନେଇ ବିଭିନ୍ନ ମତ ପ୍ରକାଶ ପାଇଥାଏ । ତେବେ ମାଡ୍ରାସ ପ୍ରେସିଡ଼େନ୍ସି ପ୍ରଶାସନିକ ଅଧିକାରୀ ଟି.ଜେ . ମାଲଟବୀଙ୍କ ଦ୍ୱାରା ପ୍ରସ୍ତୁତ ତଥା ୧୯୧୮ରେ ମୁଦ୍ରିତ ‘ଦି ଗଞ୍ଜାମ ଡ଼ିଷ୍ଟ୍ରୀକ୍ଟ ମ୍ୟାନୁଏଲ’କୁ ପ୍ରାମାଣିକ ଗ୍ରନ୍ଥ ଭାବେ ଗ୍ରହଣ କରାଯାଇପାରେ । ଗଞ୍ଜାମରେ ବ୍ରିଟିଶ ପ୍ରଶାସନର ଇତିହାସ ସଂପର୍କରେ ଏହା ଅନ୍ୟତମ ପ୍ରାଚ଼ୀନତମ ଦଲିଲ । ଏଥିରେ ପୃଷ୍ଠା ୩୨, ୩୩ ଓ ୩୪ରେ ପ୍ରାଚ଼ୀନ ଗଞ୍ଜାମ ବନ୍ଦର ତଥା ଦୁର୍ଗର ନିର୍ମାଣ ଓ ପତନର କାରଣ ସଂପର୍କରେ ସ୍ପଷ୍ଟ ବର୍ଣ୍ଣନା ରହିଛି ।

 

ପୋତାଗଡ଼ ଦୁର୍ଗ ନିର୍ମିତ ହେବା ବହୁପୂର୍ବରୁ ଗଞ୍ଜାମ ବଙ୍ଗୋପସାଗର କୂଳରେ ଏକ ଚଳଚଞ୍ଚଳ ବନ୍ଦର ରୂପେ ଖ୍ୟାତି ଅର୍ଜନ କରିଥିଲା । ସପ୍ତମ ଶତାଦ୍ଦୀରେ ଚ଼ୀନ ପରିବ୍ରାଜକ ହୁଏସାଂ ନିଜ ଭ୍ରମଣ ବୃତ୍ତାନ୍ତରେ କଳିଙ୍ଗ ଓ କଙ୍ଗୋଦ ସୀମାରେ ‘କଞ୍ଜୁତୋ’ ନାମରେ ଏକ ସହର ସଂପର୍କରେ ସୂଚନା ଦେଇଥିବା କେତେକ ଐତିହାସିକ ଦାବୀ କରନ୍ତି । ସେମାନଙ୍କ ମତରେ ‘କଞ୍ଜୁତୋ’ ହିଁ ପରେ ଗଞ୍ଜୁତୋ-ଗଞ୍ଜା-ଗଞ୍ଜାମରେ ରୂପାନ୍ତରିତ ହୋଇଥିଲା । ୧୭୬୭ରେ ଇଂଲିଶମାନେ ଗଞ୍ଜାମ ବନ୍ଦର ଫରାସୀଙ୍କଠାରୁ ଦଖଲ କରିବା ପରେ ମାଲଟବୀଙ୍କ ସୂଚ଼ନା ପ୍ରକାରେ ତତ୍କାଳୀନ ରେସିଡ଼େଣ୍ଟ କଟସଫୁଡ଼ ସାହେବଙ୍କ ଦ୍ୱାରା ୧୭୬୮ରେ ଦୁର୍ଗ ନିର୍ମିତ ହୋଇଥିଲା । ଇଷ୍ଟଇଣ୍ଡିଆ କମ୍ପାନୀର ବ୍ୟାବସାୟିକ ତଥା ରାଜନୀତିକ ଉଭୟ କାରବାର ଏଠାରୁ ନିୟନ୍ତ୍ରିତ ହେଉଥିଲା । ପରେ ସବ-ମାଜିଷ୍ଟ୍ରେଟ ଓ କନଜରଭେଟର-ଅଫ-ପୋର୍ଟ ଅବସ୍ଥାପିତ ହୋଇ ଟିକସ ଆଦାୟ ତଦାରଖ କରୁଥିଲେ ।

 

ମାଲଟବୀଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ପ୍ରକାରେ ଋଷିକୂଲ୍ୟାର ଗତିପଥ ବଦଳୁଥିବା ହେତୁ ବନ୍ଦରର ଅବସ୍ଥିତି ମଧ୍ୟ ପରିବର୍ତ୍ତନ ଘଟୁଥିଲା । ବଡ଼ ଜାହାଜଗୁଡ଼ିକ ବନ୍ଦରଠାରୁ ଦୁଇ ମାଇଲ ଦୂର ଗଭୀର ସମୁଦ୍ରରେ ଲଙ୍ଗର ପକାଉଥିଲେ । ଋଷିକୂଲ୍ୟା ନଦୀର ସ୍ଥିର ଜଳରେ ଛୋଟ ଜାହାଜରେ ପଣ୍ୟ ଦ୍ରବ୍ୟ ବୋଝୋଇ ହୋଇ ବଡ଼ ଜାହାଜକୁ ସ୍ଥାନାନ୍ତରିତ ହେଉଥିଲା । ଦୁର୍ଗ ସଂଲଗ୍ନ ଋଷିକୂଲ୍ୟା ନଦୀ ବକ୍ଷରେ ବନ୍ଦର କାର୍ଯ୍ୟ କରୁଥିଲା ।

 

ମାଲଟବୀ ଉଲ୍ଲେଖ କରିଛନ୍ତି ଗଞ୍ଜାମ ବନ୍ଦର ସହରରେ ୧୮୦୨ ମସିହାରୁ ଜ୍ୱରରୋଗର ପ୍ରାଦୁର୍ଭାବ ଲାଗି ରହିଥିଲା । ୧୮୧୫ ବେଳକୁ ଏହା ମହାମାରୀ ଆକାର ଧାରଣ କଲା । ସଂକ୍ରମଣ ଭୟରେ ଇଂଲିଶମାନେ ବନ୍ଦର କାରବାର ବନ୍ଦ କରି ପ୍ରଶାସନିକ କାର୍ଯ୍ୟାଳୟଗୁଡ଼ିକୁ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରିଥିଲେ । ୧୮୧୫ରେ ଗଞ୍ଜାମର ଜନସଂଖ୍ୟା ୩୦ ହଜାର ଥିବା ସ୍ଥଳେ ୧୮୧୮ରେ ଛଅ ହଜାରକୁ କମି ଆସିଥିଲା । ଅର୍ଥାତ ତିନିବର୍ଷରେ ୨୪ ହଜାର ଗଞ୍ଜାମ ଛାଡ଼ିଥିଲେ । ସେଥି ମଧ୍ୟରୁ କେତେକ ମୃତ୍ୟୁ ମୁଖରେ ପଡିଥିଲେ । ଗଞ୍ଜାମ ଦୁର୍ଗରେ ଇଂଲିଶମାନଙ୍କ ଦପ୍ତର ବନ୍ଦ ହୋଇଯିବା ହେତୁ ଏହା ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଲା ।

 

ପୋତାଗଡ଼ ଦୁର୍ଗରେ ସାହେବ ଓ ସାହେବାଣୀଙ୍କ ବସବାସ ନିମନ୍ତେ ସ୍ୱତନ୍ତ୍ର କଠୋରୀ, ଅସ୍ତ୍ରାଗାର, ଘୋଡ଼ାଶାଳ, ହାତୀଶାଳ, ଉପାସନା ଗୃହ ଓ ଦୁର୍ଗକୁ ଘେରି ଗଡ଼ଖାଇ ଇତ୍ୟାଦି ଚ଼ିହ୍ନଟ ହୋଇଥାଏ । ଦୀର୍ଘଦିନ ଧରି ଏହା ସ୍ଥାନୀୟ ପର୍ଯ୍ୟଟନ ସ୍ଥଳୀ ରୂପେ ଆଖପାଖ ଜନସାଧାରଣଙ୍କୁ ଆକୃଷ୍ଟ କରି ଆସିଥିଲା । କୋଭିଡ଼ କଟକଣା ଯୋଗୁଁ ପ୍ରବେଶ ନିମନ୍ତେ କଟକଣା ଜାରୀ ହୋଇଥିବା ସ୍ଥଳେ ଆଗକୁ ପୋତାଗଡ଼ ପରିଦର୍ଶନ ନିମନ୍ତେ ବୟସ୍କଙ୍କ ପାଇଁ ୧୦ ଟଙ୍କା ଓ ଶିଶୁଙ୍କ ପାଇଁ ୫ ଟଙ୍କା ପ୍ରବେଶ ଦେୟ ଆଦାୟ କରାଯିବ । ପାର୍କିଂ ନିମନ୍ତେ ଦୁଇ ଚକିଆ ପ୍ରତି ୧୦ ଟଙ୍କା ଓ ଚାରି ଚକିଆ ନିମନ୍ତେ ୨୦ ଟଙ୍କା ଦେବାକୁ ପଡ଼ିବ । ସେହିପରି ପୋତାଗଡ଼ର ଭିଡ଼ିଓଗ୍ରାଫି ନିମନ୍ତେ ଶହେ ଟଙ୍କା ଧାର୍ଯ୍ୟ ହୋଇଛି । ପର୍ଯ୍ୟାକ୍ରମେ ଉଦ୍ୟାନ, ଭୋଜନାଳୟ ଓ ନୌକା ବିହାର ବ୍ୟବସ୍ଥା ମଧ୍ୟ କରାଯିବା ସ୍ଥିରୀକୃତ ହୋଇଥିବା ପ୍ରକାଶ । ଫଳରେ ପୋତାଗଡ଼ ଏକ ସ୍ୱୟଂସଂପୁର୍ଣ୍ଣ ପର୍ଯ୍ୟଟନ ସ୍ଥଳୀ ରୂପେ ବିକଶିତ ହେବା ଆଶା କରାଯାଏ ।

(‘ଅନୁପମ ଭାରତ’/ ୧୫ ମେ’ ୨୦୨୦/ ପୃଷ୍ଠା :୮)

Friday, May 7, 2021

Combating the criminal environment / ଅପରାଧିକ ପରିବେଶ ମୁକାବିଲା

 

ସଂପ୍ରସାରିତ ମହାମାରୀ କାଳରେ #ବ୍ରହ୍ମପୁର ସହରରେ ଅପରାଧିକ ପରିବେଶ ସୃଷ୍ଟିର ଆଶଙ୍କାକୁ ଏଡ଼ାଇ ଦେଇ ହୁଏନାହିଁ । ‘କୋଭିଡ଼– ୧୯’ ଯୋଗୁଁ ଜନଜୀବନ ଓ ଅର୍ଥନୀତିକ ସ୍ଥିତି ପ୍ରଭାବିତ । ଏହି କାରଣରୁ ସମାଜର ବିଭିନ୍ନ ସ୍ତରରେ ବିଭ୍ରାଟ ସୃଷ୍ଟି ହେବା ସ୍ଵାଭାବିକ ଏବଂ ଅପରାଧିକ ଘଟଣାବଳୀର ସମ୍ଭାବ୍ୟ ସଂଖ୍ୟା ବୃଦ୍ଧି ପ୍ରତି ସତର୍କତା ପାଳନ ସମୟର ଆହ୍ଵାନ । ଏମିତିରେ ବ୍ରହ୍ମପୁରରେ ବନ୍ଦ ଘରୁ ଚୋରି, ନିଛାଟିଆ ଜନବସତିରେ ଡକାୟତି ତଥା ରାସ୍ତାଘାଟରୁ ସୁନା ଗହଣା, ଟଙ୍କା ଥଳି ଛଡ଼ାଇନେବା ଘଟଣା ଲାଗିରହିଥାଏ । ତେବେ ନିକଟରେ ୨୦୨୧ ଏପ୍ରିଲ ଶେଷ ସପ୍ତାହରେ ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏକାକୀ ବସବାସ କରୁଥିବା ଜଣେ ବରିଷ୍ଠ ନାଗରିକଙ୍କ ଘରେ ସନ୍ଧ୍ୟାବେଳେ କିଛି ଯୁବକ ତାଙ୍କ ଉପସ୍ଥିତିରେ ଜବରଦସ୍ତ ପଶି ଲୁଟ ସମ୍ବାଦ ସହରରେ ଆଲୋଡନ ସୃଷ୍ଟି କରିଥିଲା । ଏହି ପରିପ୍ରେକ୍ଷୀରେ ସହରବାସୀଙ୍କ ଜନଜୀବନ ସୁରକ୍ଷାର କେତେଗୋଟି ଦିଗର ବିଚାର ବିମର୍ଷ ଉପଯୋଗୀ ମନେହୁଏ ।
 
ବ୍ରହ୍ମପୁରରେ ମହାମାରୀର ପ୍ରଥମ ତରଙ୍ଗ ପ୍ରାର୍ଦୁଭାବ ୨୦୨୦ ମେ-ଜୁନ-ଜୁଲାଇ-ଅଗଷ୍ଟ ଲାଗିରହିବା ବର୍ଷକ ପରେ ୨୦୨୧ ଏପ୍ରିଲରେ ସୃଷ୍ଟ ଦ୍ଵିତୀୟ ତରଙ୍ଗ ଅନ୍ତତଃ ପକ୍ଷେ ମେ-ଜୁନ-ଜୁଲାଇ ଯାଏଁ ବଳବତ୍ତର ରହିବା ନେଇ ବିଭିନ୍ନସ୍ତରରେ ପ୍ରସ୍ତୁତି ଜାରିରହିଛି । ଟିକାକରଣ ଦ୍ୱାରା ଜନସାଧାରଣରେ ଭୂତାଣୁ ପ୍ରତିରୋଧ ଶକ୍ତି ବୃଦ୍ଧି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଥିବା ସ୍ଥଳେ ୨୦୨୧ ଅକ୍ଟୋବର ସୁଦ୍ଧା ୪୦ ପ୍ରତିଶତ ସହରବାସୀଙ୍କୁ ଟିକା ପ୍ରଦାନ ଆଶା କରାଯାଉଛି । ଅର୍ଥାତ ଦଶହରା ଯାଏଁ ସାମାଜିକସ୍ତରରେ ବିଭିନ୍ନ ସଂକ୍ରମଣ ପ୍ରତିଷେଧକ ପଦକ୍ଷେପମାନ ଗ୍ରହଣ ଅପରିହାର୍ଯ୍ୟ ହୋଇପାରେ । ଏଥିଯୋଗୁଁ ଦୈନନ୍ଦିନ ଜୀବନଜୀବିକା ବ୍ୟାହତ ହେବା ଅବସମ୍ଭାବୀ ।
 
ଯେକୌଣସି ସାମାଜିକ ଅସ୍ଥିରତା ଅପରାଧ ପ୍ରବଣତା ସୃଷ୍ଟିର କାରଣ । ଅତୀତରେ ମହାମାରୀଗୁଡ଼ିକର ସମୟସୀମା ତଥା ତତ୍ ପରବର୍ତ୍ତୀ ଅବସ୍ଥାରେ ଅପରାଧ ସଂଖ୍ୟା ବୃଦ୍ଧିର ପରିସଂଖ୍ୟାନ ଦୃଷ୍ଟିକୁ ଆସିଥାଏ । ମହାମାରୀରେ ବୃତ୍ତି ଓ ନିଯୁକ୍ତି ହରାଇବା, ଅଭାବ ଅନଟନ, ଦୂରାବସ୍ଥା ହେତୁ ମାନସିକ ଅବସାଦ ଓ ଆନୁଷ୍ଠାନିକ ସକାରାତ୍ମକ ସଂପୃକ୍ତି ଅଭାବ କାରଣରୁ ଅପରାଧିକ କାରବାର ବୃଦ୍ଧି ପାଇଥାଏ । ଏହାର ମୁକାବିଲା କରିବା ନିମନ୍ତେ ସ୍ଥାନୀୟ ପୋଲିସ ପକ୍ଷରୁ ରଣନୀତି ପ୍ରସ୍ତୁତ ହୁଏ । ମହାମାରୀଜନିତ ସଂକ୍ରମଣ ରୋକିବା ପାଇଁ ପ୍ରଶାସନିକ କଟକଣା ପାଳନ ଦିଗରେ ପୁଲିସ ଦାୟିତ୍ୱ ନିର୍ବାହ କରିଚାଲିଥିବା ସ୍ଥଳେ ସହରରେ ଅପରାଧିକ କାର୍ଯ୍ୟକଳାପ ରୋକିବା ନିମନ୍ତେ କ’ଣ ଆଗୁଆ ପଦକ୍ଷେପ ଗ୍ରହଣ କରୁଛି ତାହା ସହରବାସୀଙ୍କ ସୁରକ୍ଷାର କବଚ ସାଜିବ ।
 
ଜନବସତିରେ ଚୋରି, ଛିନତାଇ, ବଟି ଆଦାୟ ଓ ଗୁଣ୍ଡାଗର୍ଦ୍ଦି ଭଳି ଛୋଟକାଟର ଅପରାଧରେ ସାଧାରଣ ନାଗରିକ ହନ୍ତସନ୍ତ ହୋଇଥାନ୍ତି । ଅପରାଧିକ କାର୍ଯ୍ୟକଳାପରେ ପାଦ ଥୋଉଥିବା ବିଶୃଙ୍ଖଳିତ ଆଚରଣକୁ ମୂଳରୁ ସଜଡ଼ା ଯାଇ ପାରିଲେ ଜନସାଧାରଣ ଉପଦ୍ରବରୁ ମୁକ୍ତି ପାଇପାରିଥାନ୍ତି । ପୁଲିସ ପକ୍ଷରୁ ଏଦିଗରେ ଦୀର୍ଘସୂତ୍ରୀ ଯୋଜନା ପ୍ରଣୟନ ଉନ୍ନତ ସାମାଜିକ ସ୍ଥିତି ‘ପବ୍ଳିକଗୁଡ଼’ରେ ପର୍ଯ୍ୟବସିତ ।
 
ବିଶୃଙ୍ଖଳା ସୃଷ୍ଟିକାରୀ ଛୋଟମୋଟ ଅପରାଧିକ ଦମନରେ ପୋଲିସ ସ୍ଥାନୀୟ ବାସିନ୍ଦାଙ୍କ ସହଭାଗିତା ଲୋଡ଼ିବା ଅପରିହାର୍ଯ୍ୟ । ଦେଶବିଦେଶରେ ‘ସିଟିଜେନପୋଲିସିଂ’ ବା ‘କମ୍ୟୁନିଟି ପୋଲିସିଂ’ମଡ଼େଲ ଉପଯୋଗରେ ଅପରାଧ ହ୍ରାସରେ ସଫଳତା ପାଇପାରିଥିବା ବହୁ ଉଦାହରଣ ରହିଛି । ପ୍ରାଥମିକ ପର୍ଯ୍ୟାୟରେ ପ୍ରତି ପୋଲିସଫାଣ୍ଡିସ୍ତରରେ କିଛି ଯୁବ-ସ୍ୱେଚ୍ଛାସେବୀ ଓ ମୁରବୀ ସ୍ଥାନୀୟ ଉପଦେଷ୍ଟାଙ୍କୁ ନେଇ ଅଣଆନୁଷ୍ଠାନିକ ସୁରକ୍ଷା ମଣ୍ଡଳୀମାନ ଗଠନ କରାଯାଇ ଜଣେ ଅଧିକାରୀଙ୍କ ସହ ସଂଯୋଗ ସ୍ଥାପନ କରାଯାଇପାରେ । ଏହା ଅପରାଧିକ ତତ୍ତ୍ୱଙ୍କୁ ତୃଣମୂଳସ୍ତରରେ ଆକଟ କରିବାଲାଗି ପୂର୍ବପ୍ରସ୍ତୁତିରେ ସହାୟକ ହୁଅନ୍ତା ।
 
ପରିବର୍ତ୍ତିତ ପରିବେଶରେ ମୋବାଇଲ ଫୋନ ଯୋଗେ ବିସ୍ତୃତ ଜନସଂଖ୍ୟା ସଂଯୁକ୍ତ ଥିବା ହେତୁ ପ୍ରତି ସାତଜଣିଆ ମଣ୍ଡଳୀ ‘ହ୍ୱାଟସପ’ଭିଡ଼ିଓ କଲରେ ପ୍ରତି ବସ୍ତିର ଆଇନଶୃଙ୍ଖଳା ପରିସ୍ଥିତି ପ୍ରତି ସପ୍ତାହରେ ଥରେ କିମ୍ବା ଆବଶ୍ୟକ ସ୍ଥଳେ ଦିନକ ଅନ୍ତରରେ ସ୍ୱେଚ୍ଛାସେବୀ ଓ ଉପଦେଷ୍ଟାଙ୍କ ସହ ଆଲୋଚନା କରି ପୋଲିସ କାର୍ଯ୍ୟାନୁଷ୍ଠାନର ରୂପରେଖ ପ୍ରସ୍ତୁତି ଲାଗି ସୁଯୋଗ ସୃଷ୍ଟି ହୋଇପାରନ୍ତା । ମୂଳତଃ ଏଭଳି ପ୍ରୟାସରେ ପୋଲିସ ବାସ୍ତବ ସ୍ଥିତି ପରଖି ପାରନ୍ତା ।
 
ଆଧୁନିକ ଯୁଗରେ ତଥ୍ୟ ହିଁ ସମ୍ବଳ । ସହରର ଛୋଟମୋଟ ଅପରାଧ ସଂପର୍କିତ ତଥ୍ୟାବଳୀ କ୍ରମାଗତଭାବେ ଏକକ୍ରୀତ କଲେ ସାମଗ୍ରୀକସ୍ତରରେ ଆବଶ୍ୟକ ସ୍ଥଳେ ତାହା ତଦନ୍ତକୁ ଶାଣିତ କରିବା ସମ୍ଭବ । ଆଗକୁ କୃତ୍ରିମ ବୁଦ୍ଧିମତା ‘ଆରଟିଫିସିଆଲ ଇଣ୍ଟଲିଜେନ୍ସ’ ଭଳି ବୈଷୟିକ କୌଶଳ ଉପଯୋଗରେ ଜଟିଳ ଅପରାଧିକ ସମସ୍ୟା ସମାଧାନ ମଧ୍ୟ ଆଶା କରାଯାଇପାରେ । ଏଦିଗରେ ଅନ୍ତତଃ ବିଚାରବିମର୍ଷ ଭବିଷ୍ୟତର ରୂପରେଖ ଅଙ୍କନରେ ସହାୟକ ହେବା ବିଶ୍ଵାସ କରାଯାଇପାରେ ।

Photo by Ari Spada on Unsplash