Friday, March 4, 2022

Voters Statistics / ଭୋଟର ସଂଖ୍ୟା

 


#ବ୍ରହ୍ମପୁର ମହାନଗର ନିଗମ ପୌର ପରିଷଦ ନିର୍ବାଚନ ନିମନ୍ତେ ୨୦୨୨ ମାର୍ଚ୍ଚ ଶେଷ ସପ୍ତାହ ଧାର୍ଯ୍ୟ ହେବା ଅବସରରେ ସହରର ଚିଠା ଭୋଟର ତାଲିକା ମଧ୍ୟ ଚୂଡ଼ାନ୍ତ ହୋଇଛି । ଏଥିରେ ତିନିଗୋଟି ବିଷୟ ଚର୍ଚ୍ଚା ପରିସରକୁ ଆସିଥାଏ
 
ପ୍ରଥମତଃ, ବ୍ରହ୍ମପୁର ମହାନଗର ସୀମାରେ ମୋଟ ଭୋଟର ସଂଖ୍ୟା ଦୁଇ ଲକ୍ଷ ୫୫ ହଜାର । ଦ୍ୱିତୀୟତଃ, ନଅ ବର୍ଷ ପୂର୍ବେ ୨୦୧୩ ମସିହାରେ ଅନୁଷ୍ଠିତ ଗତ ନିର୍ବାଚ଼ନରେ ଅଂଶଗ୍ରହଣ କରିଥିବା ଭୋଟର ସଂଖ୍ୟା ତୁଳନାରେ ମାତ୍ର ୨୯ ହଜାର ବଢ଼ିଛି । ତୃତୀୟତଃ, ଭୁବନେଶ୍ୱର ଓ କଟକ ମହାନଗର ନିଗମ ତୁଳନାରେ ବ୍ରହ୍ମପୁରରେ ଭୋଟର ସଂଖ୍ୟା ପଛୁଆ ରହିଛି । ଭୁବନେଶ୍ୱରରେ ସାତ ଲକ୍ଷ ୨୭ ହଜାର ଓ କଟକରେ ଚାରି ଲକ୍ଷ ୪୫ ହଜାର ଭୋଟର ପଞ୍ଜୀକୃତ ହୋଇଥିବା ଜଣାଯାଏ ।
 
ବ୍ରହ୍ମପୁରରେ ଜନସଂଖ୍ୟା ଅନୁପାତରେ ଭୋଟର ସଂଖ୍ୟା ନବଢ଼ିବାର କାରଣଗୁଡ଼ିକ ତର୍ଜମା କଲାବେଳେ ପ୍ରଥମତଃ, ସହରତଳି ଅଞ୍ଚଳରେ ନୂଆକରି ଗଢ଼ି ଉଠୁଥିବା ଜନବସତିଗୁଡ଼ିକୁ ଅନ୍ତର୍ଭୁକ୍ତ ନହୋଇପାରିବାକୁ ଦାୟୀ କରାଯାଏ । ଏହା ଦୀର୍ଘ ପ୍ରଶାସନିକ ପ୍ରକ୍ରିୟା ଏବଂ ଏଥିରେ ଅବହେଳା ଘଟୁଥିବା ଅଭିଯୋଗ ହୋଇଥାଏ । ଦ୍ୱିତୀୟତଃ, ସହରର ବର୍ଦ୍ଧିତ ଜନସଂଖ୍ୟାରେ ଶିଶୁ ଓ କିଶୋର ବର୍ଗ ଭୋଟର ତାଲିକାରେ ବାଦ ପଡ଼ିଥାନ୍ତି । ମୋଟାମୋଟି ଭାବେ ଆମ ଦେଶରେ ସମକାଳର ଜନସଂଖ୍ୟାରେ ୫୦ ଭାଗ ୨୪ ବର୍ଷରୁ କମ ବୟସ ବର୍ଗର ଶିଶୁ, କିଶୋର ଓ ଯୁବକ ଅନ୍ତର୍ଭୁକ୍ତ । କେବଳ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସବର୍ଗ ଭୋଟର ତାଲିକାରେ ସ୍ଥାନ ପାଉଥିବା ସ୍ଥଳେ ୧୮ ବର୍ଷରୁ କମ ବୟସବର୍ଗ ହିସାବକୁ ଆସିନଥାନ୍ତି । ତୃତୀୟତଃ, ସାମଗ୍ରିକଭାବେ ଓଡ଼ିଶାରେ ସହରୀକରଣ ଧାରା ମନ୍ଥର ରହିଥିବା ସୁସ୍ପଷ୍ଟ । ବ୍ରହ୍ମପୁରରେ ଗତ ନଅ ବର୍ଷ ମଧ୍ୟରେ ୨୯ ହଜାର ଭୋଟର ବଢ଼ିଥିବା ସ୍ଥଳେ ସେହି ସମୟସୀମାରେ ଭୁବନେଶ୍ୱରରେ ୩୪ ହଜାର ଓ କଟକରେ ୫୦ ହଜାର ଭୋଟର ସଂଖ୍ୟା ବୃଦ୍ଧି ପାଇଛି ।
 
ବ୍ରହ୍ମପୁରକୁ ଘେରି ସହରତଳି ଅଞ୍ଚଳରେ ବିଗତ ଦୁଇ ଦଶକରେ ଗଢ଼ିଉଠିଥିବା ଜନବସତିରେ ବସବାସ କରୁଥିବା ଜନସାଧାରଣ ପୌରସେବାରୁ ବଞ୍ଚିତ ହେଉଥିବା ଉଦବେଗର ବିଷୟ । ବିଭିନ୍ନ ଗ୍ରାମପଞ୍ଚାୟତ ଅଧୀନରେ ରହିଆସିଥିବା ସହରାଞ୍ଚଳବାସୀଙ୍କ ପରିସଂଖ୍ୟାନ ସହଜରେ ମିଳି ନଥାଏ । ଫଳରେ ପ୍ରକୃତରେ କେତେ ସଂଖ୍ୟକ ସହରବାସୀ ମୌଳିକ ସେବା ନିମନ୍ତେ ହକଦାର, ତାହା ହିସାବକୁ ଆସିନଥାଏ । ସେହିପରି ନଗର ଉନ୍ନୟନ ବାବଦରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ଯୋଜନା ନିମନ୍ତେ ଅର୍ଥବରାଦ ମଧ୍ୟ ବ୍ରହ୍ମପୁର ଭାଗରେ କାଟଛାଟ ହୋଇଥାଏ । ବ୍ରହ୍ମପୁରର ନବଗଠିତ ପୌରପରିଷଦ ଏହି ଦିଗରେ ପ୍ରାଥମିକତା ଦେବା ବିଧେୟ ।
 
ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ନିମନ୍ତେ ୪୨ ଗୋଟି ୱାର୍ଡରୁ କର୍ପୋରେଟର ନିର୍ବାଚ଼ିତ ହେବେ । ଗତ ନିର୍ବାଚନରେ ୱାର୍ଡ଼ ସଂଖ୍ୟା ୪୦ ରହିଥିଲା । ଭୁବନେଶ୍ୱରରେ ୱାର୍ଡ ସଂଖ୍ୟା ୬୭ ଏବଂ କଟକରେ ୱାର୍ଡ ସଂଖ୍ୟା ୫୯ । ବ୍ରହ୍ମପୁରରେ ଚଳିତ ନିର୍ବାଚନରେ ପ୍ରତି ୱାର୍ଡ଼ରେ ହାରାହାରି ପ୍ରାୟ ପାଞ୍ଚ ହଜାର ଭୋଟର । ସେଥି ମଧ୍ୟରୁ ଅର୍ଦ୍ଧେକ ପୁରୁଷ ଏବଂ ଅନ୍ୟ ଅର୍ଦ୍ଧେକ ମହିଳା ।
 
ସହରାଞ୍ଚଳ ଭୋଟରମାନେ ନାଗରିକ ଅଧିକାର, ପୌରସେବା ଓ ଗଣତାନ୍ତ୍ରିକ ପ୍ରକ୍ରିୟା ସଂପର୍କରେ ସଚ଼େତନ ବୋଲି ବିଚାର କରାଯାଏ । ନିଗମ ନିର୍ବାଚନରେ ବିଭିନ୍ନ ରାଜନୀତିକ ଦଳର ପ୍ରତିନିଧିମାନେ ପ୍ରତିଦ୍ୱନ୍ଦିତା କରୁଥିବା ସ୍ଥଳେ ଭୋଟରମାନେ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ, ସାଂଗଠନିକ ଦକ୍ଷତା ଓ ସହଭାଗିତାକୁ ବିଚାରକୁ ନେଇ ପ୍ରାର୍ଥୀ ଚୟନ କରିବେ, ନା ଦଳୀୟ ଅନୁଗତ୍ୟକୁ ପ୍ରାଧାନ୍ୟ ଦେବେ ତାହା ନିର୍ବାଚନର ଫଳାଫଳ କହିବ । ତେବେ ପରିବର୍ତ୍ତିତ ପରିବେଶରେ ଉଭୟ ବୈଷୟିକ ପ୍ରଗତି ଓ ସରକାରୀ ନିବେଶ ଉପଯୋଗରେ ପୌରସେବାରେ ଆଗାମୀ କିଛି ବର୍ଷ ମଧ୍ୟରେ ବ୍ୟାପକ ଉନ୍ନତିର ସୁଯୋଗ ଆଶା କରାଯାଉଥିବା ସ୍ଥଳେ ନବଗଠିତ ପୌରପରିଷଦର ଭୂମିକା ଯେ ଗୁରୁତ୍ୱପୂର୍ଣ୍ଣ ଏଥିରେ ସନ୍ଦେହ ନାହିଁ । ଅବଶ୍ୟ ପୌରପରିଷଦ ଗଠନର ଦାୟିତ୍ୱ ନିର୍ବାଚନ ଅବସରରେ ଭୋଟରଙ୍କ ହାତରେ ରହିଛି । ସେମାନେ ଯେଉଁ ମାନର ପରିଷଦ ଗଠନ କରିବେ ସେହି ମାନର ସୁବିଧା ସୁଯୋଗ ପାଇବେ !

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୫ ମାର୍ଚ୍ଚ ୨୦୨୨/ ପୃଷ୍ଠା :୮)

Photo by Glen Carrie on Unsplash 



Friday, February 25, 2022

Debi Patnaik / ଦେବୀ ପଟ୍ଟନାୟକ

 

#ବ୍ରହ୍ମପୁର ସାହିତ୍ୟ ପରିସରରେ ସକ୍ରିୟ କେତେକ ଲେଖକ-ସଂଗଠକଙ୍କ ମହାମାରୀ କାଳରେ ପରଲୋକ ପରେ ମୋବାଇଲ ଫୋନ କଣ୍ଟାକ୍ଟ-ଲିଷ୍ଟରୁ ସେମାନଙ୍କ ନାମ ହଟାଇବା ଆଗରୁ ଆଉ ଜଣେ ପ୍ରଫେସର ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ନିଧନ ଏକ ଦାରୁଣ ଆଘାତ । ବ୍ରହ୍ମପୁରରେ ଓଡ଼ିଆ ଭାଷା, ସାହିତ୍ୟ, ସଂଗୀତ, ନୃତ୍ୟ ଓ ନାଟକ ଇତ୍ୟାଦି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କ୍ଷେତ୍ରରେ ଉତ୍କଳ ଆଶ୍ରମ ସ୍ଥାୟୀ ଠିକଣା । ଦେବୀ ପଟ୍ଟନାୟକ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କଳିଙ୍ଗ ସାହିତ୍ୟ ସମାଜ ସଂଗଠନରେ ସକ୍ରିୟ ରହିବା ପରେ ଗଞ୍ଜାମ କଳା ପରିଷଦ ଓ ଉତ୍କଳ ଆଶ୍ରମ ଟ୍ରଷ୍ଟର ମଧ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଶିକ୍ଷକତାରୁ ଅବ୍ୟାହତି ପରେ ଅବସର ଜୀବନଟି ପୂର୍ଣ୍ଣପ୍ରାଣରେ ଏହି ତିନି ଅନୁଷ୍ଠାନର କାର୍ଯ୍ୟକ୍ରମ ସଂପ୍ରସାରିତ କରିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଅବସର ଗ୍ରହଣର ମାତ୍ର ଦୁଇ ବର୍ଷ ମଧ୍ୟରେ ସଂସାରରୁ ବିଦାୟ ନେବେ ବୋଲି କିଏ ଜାଣିଥିଲା ? ଚ଼ିକିତ୍ସାଧୀନ ଅବସ୍ଥାରେ ହାଇଦରାବଦଠାରେ ୧୯ ଫେବୃୟାରୀ ୨୦୨୨ ପ୍ରଭାତରେ ଦେହାନ୍ତ ଘଟିଥିଲା । ତାଙ୍କରି ଅନୁପସ୍ଥିତିରେ ସହରରେ ସାଂସ୍କୃତିକ ଜାଗରଣ କ୍ଷେତ୍ରରେ କିଛିକାଳ ଶୂନ୍ୟ ସ୍ଥାନ ଅନୁଭୂତ ହେବ ।

 

ଦେବୀ ପଟ୍ଟନାୟକ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ୧୯୮୧ରେ ମାଷ୍ଟରର୍ସ ଡ଼ିଗ୍ରୀ ଶେଷ କରି ଦୁଇ ବର୍ଷପରେ ୧୯୮୩ରେ ଅଧ୍ୟାପକ ଭାବେ ନିଯୁକ୍ତି ପାଇ ୨୦୨୦ରେ ଅବସର ଗ୍ରହଣ କଲାଯାଏଁ ୩୬ ବର୍ଷ ଭଞ୍ଜବିହାରର ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକରେ ବୃତ୍ତିଗତସ୍ତରରେ ସଂପୃକ୍ତ ରହିଆସିଥିଲେ । ତେବେ ପ୍ରବୃତ୍ତିଗତ ଭାବେ ବ୍ରହ୍ମପୁରରେ ସାହିତ୍ୟ ସଂଗଠନରେ ମଧ୍ୟ ନିରବିଚ୍ଛିନ୍ନଭାବେ  ତିନି ଦଶକ ଧରି ସକ୍ରିୟ ରହିଥିଲେ । କଳିଙ୍ଗ ସାହିତ୍ୟ ସମାଜରେ ଏକବିଂଶ ଶତାଦ୍ଦୀ ଆରମ୍ଭରୁ ତାଙ୍କରି ଯୋଗଦାନ ଅନୁଷ୍ଠାନର ନେତୃତ୍ୱ କ୍ଷେତ୍ରରେ ଦେଖା ଦେଇଥିବା ଶୂନ୍ୟସ୍ଥାନ ପୂରଣ କରିଥିଲା ଏକ ପକ୍ଷରେ ପୂର୍ବରୁ ଅନୁଷ୍ଠାନର ସାଂଗଠନିକ କାର୍ଯ୍ୟରେ ଯୋଗଦାନ କରିଥିବା ନେତୃବର୍ଗ କିଛି କିଛିକାଳ କାର୍ଯ୍ୟ କରିବାପରେ ଅପସରି ଯାଇଥିବା ସ୍ଥଳେ ସଭାପତି ବସନ୍ତ କୁମାର ପାଣିଗ୍ରାହୀ ଏକାକୀ ହୋଇପଡ଼ିଥିଲେ । ଅପରପକ୍ଷରେ ୧୯୯୯ ମହାବାତ୍ୟା ଉତ୍କଳ ଆଶ୍ରମ ଓ କବିସୂର୍ଯ୍ୟ ରଙ୍ଗମଞ୍ଚ କୋଠାବାଡ଼ିର ପ୍ରଭୂତ କ୍ଷତି ପହୁଞ୍ଚାଇଥିଲା । ଉତ୍କଳ ଆଶ୍ରମ ଉପର ମହଲାରେ ଅବସ୍ଥିତ କଳିଙ୍ଗ ସାହିତ୍ୟ ସମାଜ କାର୍ଯ୍ୟାଳୟର ଛାତ ସହ ସମସ୍ତ ଆସବାବପତ୍ର ଉଡ଼ି ଯାଇଥିଲା । ଏଥିପୂର୍ବ ବାତ୍ୟାରେ ଅନୁରୂପ କ୍ଷୟକ୍ଷତି ତତ୍ କାଳୀନ ସଂପାଦକ ଦେବରାଜ ସାହୁ ସଜାଡ଼ିବା ଦାୟିତ୍ୱ ଗ୍ରହଣ କରିଥିଲେ । ମହାବାତ୍ୟା ପରେ ପ୍ରାୟ ଏକ ଭଗ୍ନ ସ୍ତୁପରୁ କଳିଙ୍ଗ ସାହିତ୍ୟ ସମାଜ ପୁଣି ଗଢ଼ିବାରେ ଦେବୀ ପଟ୍ଟନାୟକ ଓ ତାଙ୍କରି ଅନ୍ତରଙ୍ଗ ଛାତ୍ରଗୋଷ୍ଠୀଙ୍କ ଉଦ୍ୟମ ସର୍ବଜନବିଦିତ ।

 

ଦେବୀ ପଟ୍ଟନାୟକଙ୍କ ସାହିତ୍ୟ ସଂଗଠନ ସମକାଳୀନ ପ୍ରବାହରେ ପରିଚାଳିତ ହେଉଥିଲା । ଏହା ତାଙ୍କରି ପୂର୍ବ ପୀଢ଼ିର କଠୋରପନ୍ଥୀଙ୍କ ମନମୁତାବକ ନହୋଇ ପାରୁନଥିଲେହେଁ ସେମାନେ ନିଜେ ସାଂଗଠନିକ କ୍ଷେତ୍ରରୁ ଅପସରି ଯାଇଥିବା ଏବଂ ବିକଳ୍ପ ଅଭାବ ହେତୁ ସମର୍ଥନ ଜଣାଉଥିଲେ । ଦେବୀ ଓ ତାଙ୍କରି ସହକର୍ମ୍ମୀଙ୍କ ନମ୍ର ସ୍ୱଭାବ ଓ ସତୀର୍ଥଙ୍କୁ ସମ୍ମାନ ଦୁଇ ଦଶନ୍ଧି ଧରି ସଫଳତାର ଅନ୍ୟତମ କାରଣ । ଦେବୀ ପଟ୍ଟନାୟକ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସୂତ୍ରରେ ସମଗ୍ର ଦକ୍ଷିଣ ଓଡ଼ିଶା ଓ ରାଜ୍ୟସ୍ତରୀୟ ସାହିତ୍ୟ ଅନୁଷ୍ଠାନଗୁଡ଼ିକ ସଂସ୍ପର୍ଶରେ ଆସୁଥିବା ହେତୁ ତାଙ୍କରି ସାଂଗଠନିକ ଜୀବନ ପରିବ୍ୟାପ୍ତ ହୋଇପାରିଥିଲା । ବିଡ଼ମ୍ୱନାର ବିଷୟ ସବୁ ପ୍ରଚେଷ୍ଟା, ଅଭିଜ୍ଞତା ଓ ସମ୍ଭାବନା ମାତ୍ର ବର୍ଷକର ସ୍ୱାସ୍ଥ୍ୟାବସ୍ଥା ଅବନତିରେ ଉଭେଇ ଗଲା !

 

ଦେବୀ ପଟ୍ଟନାୟକ ସାହିତ୍ୟ ଅଧ୍ୟୟନର ପ୍ରାକ୍-କାଳରେ ଆଧୁନିକତା ପ୍ରତି ବିମୋହିତ ହୋଇ ପଡ଼ିଥିଲେ । ତାଙ୍କରି ପିଏଚଡ଼ି ନିବନ୍ଧର ଶୀର୍ଷକ ଥିଲା ଉତ୍ତର ଶତକର ନିଃସଙ୍ଗ ଅଭିମନ୍ୟୂ : ଓଡ଼ିଆ ଉପନ୍ୟାସରେ ନାୟକ ପରିକଳ୍ପନାତାଙ୍କରି ଗବେଷଣା ତତ୍ତ୍ୱାବଧାରକ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ନିଜ ବିଦ୍ୟାର୍ଥୀମାନଙ୍କୁ ବିଷୟ ନିର୍ବାଚନଠାରୁ ଆରମ୍ଭ କରି ଅଧ୍ୟୟନର ଆଙ୍ଗିକ, ଶୈଳୀ ଓ ଭାଷା ସମସ୍ତକ୍ଷେତ୍ରରେ ପରୀକ୍ଷା ନିରୀକ୍ଷା କରିବା ନିମନ୍ତେ ଉଦାର ଚିତ୍ତରେ ଅନୁମତି ପ୍ରଦାନ କରୁଥିଲେ । ଦେବୀ ପଟ୍ଟନାୟକଙ୍କ ଅନ୍ୟ ଏକ ପ୍ରକାଶିତ ପୁସ୍ତକର ଶୀର୍ଷକ ବିପୁଳାଚ ପୃଥ୍ୱୀ, ବିଡମ୍ୱିତ ଭାଗ୍ୟମହାମାରୀ-ପର ପରିବେଶରେ ଯୋଗାଯୋଗ କ୍ଷେତ୍ରରେ ବୈଷୟିକ ପ୍ରଗତି, ଉପଭୋକ୍ତାଙ୍କ ଆଚ଼ରଣ ପରିବର୍ତ୍ତନ ଓ ପ୍ରତିବେଶୀ ଭାଷା-ସାହିତ୍ୟ-ସଂସ୍କୃତି ସହ ପ୍ରତିଯୋଗିତାରେ ଓଡ଼ିଆ ଭାଷା ଓ ସାହିତ୍ୟ ଏକ ସଂକଟଜନକ ପରିସ୍ଥିତିର ଦ୍ୱାର ଦେଶରେ ଦଣ୍ଡାୟମାନ । ବ୍ରହ୍ମପୁର, ଗଞ୍ଜାମ ଓ ଦକ୍ଷିଣ ଓଡ଼ିଶାରେ ଏଦିଗରେ ନେତୃତ୍ୱ ନେବା ନିମନ୍ତେ କଳିଙ୍ଗ ସାହିତ୍ୟ ସମାଜରେ ଦେବୀ ପଟ୍ଟନାୟକଙ୍କ ଅନୁପସ୍ଥିତ ବହୁ ସମୟ ଯାଏଁ ସ୍ପଷ୍ଟ ବାରି ହେବ ।


(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୬ ଫେବୃୟାରୀ ୨୦୨୨/ ପୃଷ୍ଠା :୮)


Photo by Aron Visuals on Unsplash 


Friday, February 18, 2022

Hara-prasad Paricha-patnaik / ହରପ୍ରସାଦ ପରିଚ୍ଛାପଟ୍ଟନାୟକ

 


ବିଂଶ ଶତାଦ୍ଦୀ ସପ୍ତମ ଦଶକ ପୁରୋଭାଗରେ ବ୍ରହ୍ମପୁର ସହରର ସାମୟିକ ପତ୍ରିକା ଆନ୍ଦୋଳନରେ ହର ପ୍ରସାଦ ପରିଚ୍ଛାପଟ୍ଟନାୟକ ସାମିଲ ହୋଇଥିଲେ । ସେ ପ୍ରବିଟାସ ନାମକ ଇଂଲିଶ ପତ୍ରିକାର କେତୋଟି ସଂଖ୍ୟା ପ୍ରକାଶ କରିଥିଲେ । ଏହା ବ୍ରହ୍ମପୁର ପାର୍କ ଷ୍ଟ୍ରୀଟସ୍ଥିତ ଅରୁଣ ପ୍ରିଣ୍ଟିଂ ପ୍ରେସରେ ମୁଦ୍ରିତ ହେଉଥିଲା । ହରପ୍ରସାଦ ବ୍ରହ୍ମପୁରରେ ସ୍ଥାୟୀଭାବେ ବସବାସ କରିନଥିଲେ ମଧ୍ୟ ତାଙ୍କ ପରିବାରବର୍ଗ ସହରର ବାସିନ୍ଦା ଥିବା ଏବଂ ପତ୍ରିକା ମୁଦ୍ରଣ କାର୍ଯ୍ୟ ହେତୁ ଦୀର୍ଘ ସମୟ ସ୍ଥାନୀୟ ସାହିତ୍ୟକଙ୍କ ଗହଣରେ କାଟିଥିଲେ । ଭୁବନେଶ୍ୱରରେ ଏକ ଘରୋଇ ହସପିଟାଲରେ ପ୍ରାୟ ମାସେକାଳ ଚ଼ିକିତ୍ସାଧିନ ରହିବାପରେ ୧୫ ଫେବୃୟାରୀ ୨୦୨୨ରେ ତାଙ୍କରି ପରଲୋକ ଘଟିଥିଲା ।
 
ବ୍ରହ୍ମପୁରରେ ଷଷ୍ଠ ଦଶକ ଶେଷ ପାଦରେ କଳିଙ୍ଗ ସାହିତ୍ୟ ସମାଜ ଗଠିତ ହୋଇଥିଲା । ଏହାର ସ୍ଥାୟୀ ଠିକଣା ଉତ୍କଳ ଆଶ୍ରମରେ ଏକ ପାଠାଗାର ପ୍ରତ୍ୟେହ ସଂଧ୍ୟାରେ ଖୋଲୁଥିଲା ଏବଂ ସହରର ସାହିତ୍ୟ ଅନୁରାଗୀମାନଙ୍କ ମେଳନ ଜମୁଥିଲା । ବ୍ରହ୍ମପୁରରେ ଉପସ୍ଥିତି କାଳରେ ହରପ୍ରସାଦଙ୍କ ସେଠି ଦେଖା ମିଳୁଥିଲାଅନ୍ୟ ଏକ ସାହିତ୍ୟ ଆଡ୍ଡା ଥିଲା ଖଲ୍ଲିକୋଟ ମହାବିଦ୍ୟାଳୟର ସ୍ନାତକୋତ୍ତର ଇଂଲିଶ ବିଭାଗ । ସେଠି ପ୍ରଫୁଲ୍ଲ କୁମାର ମହାନ୍ତି, ଶରତ ଶତପଥି, ସତ୍ୟ ମିଶ୍ର ପ୍ରମୁଖ ଶିକ୍ଷକଙ୍କ ସମେତ ଉଭୟ ସ୍ନାତକ ଓ ସ୍ନାତକୋତ୍ତରସ୍ତରରେ ରମେଶ ପଟ୍ଟନାୟକଙ୍କ ଭଳି କେତକ ଛାତ୍ରଛାତ୍ରୀ ଓଡ଼ିଆ ସାହିତ୍ୟ ଚର୍ଚ୍ଚାରେ ମସଗୁଲ ରହୁଥିଲେ । ବିଭାଗର ପାଠଚକ୍ର ଗ୍ରନ୍ଥାଗାର ଅଧିକାଂଶ ଦିନ ସଂନ୍ଧ୍ୟା ଓ ଛୁଟି ଦିନମାନଙ୍କରେ ମଧ୍ୟ ଖୋଲୁଥିଲା । ହରପ୍ରସାଦ ସେଠି ପହଞ୍ଚୁଥିଲେ ।
 
ପ୍ରବିଟସ ମାତ୍ର ଦୁଇ ତିନିଗୋଟି ସଂଖ୍ୟା ପ୍ରକାଶ ପାଇ ବନ୍ଦ ହୋଇଯାଇଥିଲା । ଅବଶ୍ୟ ସେ ସମୟର ସବୁ ସାମୟିକ ପତ୍ରିକାର ଦଶା ସେୟା । ଚାନ୍ଦା-ଭେଦାରେ ପତ୍ରିକାଟିର କେତେଗୋଟି ସଂଖ୍ୟା ପ୍ରକାଶିତ ହୁଏ, ପୁଞ୍ଜି ସରିଗରେ ପ୍ରକାଶନ ବନ୍ଦ ହୋଇଯାଏ । ହରପ୍ରସାଦ ୧୯୭୫ରେ ସରକାରୀ ମହାବିଦ୍ୟାଳୟରେ ଇଂଲିଶ ଅଧ୍ୟାପକଭାବେ ଅବସ୍ଥାପିତ ହୋଇ ବ୍ରହ୍ମପୁର ବାହାରରେ ହିଁ ରହିଥିଲେ । ପ୍ରବିଟସ ପ୍ରକାଶନ କାଳରେ ସାହିତ୍ୟରେ ରୁଚି ରଖୁଥିବା କେତେକ ବରିଷ୍ଠ ପ୍ରଶାସକଙ୍କ ସଂସ୍ପର୍ଶରେ ଆସିଥିଲେ । ସେହି ସଂପର୍କ ଜୀବନବ୍ୟାପୀ ବଳବତ୍ତର ରହିଥିଲା ।
 
ଯୁବାବସ୍ଥାରେ ସାହିତ୍ୟ ସଂଗଠନ ଅନୁଭୂତି ବୃତ୍ତିଗତ ଜୀବନରେ ସେ ଇଂଲିଶ ଶିକ୍ଷକଭାବେ କାର୍ଯ୍ୟରତ ଥିଲେ ହେଁ ସରକାରୀସ୍ତରରେ ସାହିତ୍ୟ ସଂଗଠନଗୁଡ଼ିକରେ ଅବସ୍ଥାପିତ ହେବାକୁ ପସନ୍ଦ କରିଥିଲେ । ସେ ଦୁଇ ପର୍ଯ୍ୟାୟରେ ଓଡ଼ିଆ ସାହିତ୍ୟ ଏକାଡ଼େମୀର ସଚିବ ଏବଂ ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ସଂସ୍ଥାର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ ।
 
ଏକାଡ଼େମୀର ମୁଖପତ୍ର କୋଣାର୍କ ସହ ନିଜସ୍ୱ ଉଦ୍ୟମରେ ପ୍ରକାଶିତ ଆବର୍ତ୍ତ ଏବଂ ଭେର୍ଟେକ୍ସ ନାମରେ ଇଂଲିଶ ସାହିତ୍ୟ ପତ୍ରିକା ସମ୍ପାଦନାରେ ସଂପୃକ୍ତ ରହିଥିଲେ । ଦୈନିକ ସମ୍ୱାଦ ପ୍ରକାଶନୀର ସହଯୋଗୀ ଇଂଲିଶ ଦୈନିକ ସନ ଟାଇମ୍ସ ପ୍ରକାଶନ ସମୟରେ ମୁଖ୍ୟତଃ ସାହିତ୍ୟ ପୃଷ୍ଠା ସଂଯୋଜନା ଦାୟିତ୍ୱ ନିର୍ବାହ କରିଥିଲେ । ସରକାରୀ ଚାକିରୀରୁ ଅବସର ଗ୍ରହଣ ପରେ ସର୍ବସାଧାରଣ ଦୈନିକ ସମ୍ୱାଦପତ୍ରର ସମ୍ପାଦକ ରୂପେ ଜୀବନର ଶେଷଯାଏଁ କାର୍ଯ୍ୟରତ ଥିଲେ ।
 
ସାହିତ୍ୟ ସଂଗଠନ, ପତ୍ରିକା ସମ୍ପାଦନା ସହ ହରପ୍ରସାଦ ଆଧୁନିକ ଓଡ଼ିଆ କବି ଭାବେ ଖ୍ୟାତ । ତାଙ୍କରି ପ୍ରକାଶିତ ୨୦ ଗୋଟି ପୁସ୍ତକ ମଧ୍ୟରେ ନଅ ଗୋଟି କବିତା ସଂଙ୍କଳନ ଅନ୍ତର୍ଭୁକ୍ତ । ସେ ନଷ୍ଟ ହୋଇଯିବାର ମୋହ କବିତା ସଂକଳନ ନିମନ୍ତେ ୨୦୧୨ରେ ଓଡ଼ିଆ ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ । ସମସାମୟିକ ଓଡ଼ିଆ କବିତା ଓ ଗଳ୍ପର ଇଂଲିଶ ଅନୁବାଦ କରି ମଧ୍ୟ ପ୍ରକାଶ କରିଥିଲେ ।
 
ହରପ୍ରସାଦ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରି ବୃତ୍ତିଗତ, ପାରିବାରିକ ଓ ସାମାଜିକସ୍ତରରେ ନିଜକୁ ପ୍ରତିଷ୍ଠିତ କରିବାରେ ସଫଳ ହୋଇପାରିଥିଲେ । ତାଙ୍କରି ପତ୍ନୀ ଜଣେ ଅଧ୍ୟାପିକା ଓ ଦୁଇ ପୁଅ ଆମେରିକାରେ କର୍ମରତ । ତେବେ କାବ୍ୟ ମାନସରେ ହରପ୍ରସାଦ ଶୂନ୍ୟତାବୋଧକୁ ହିଁ ଆବୋରି ବସିଥିଲେ । ପ୍ରଥମ କବିତା ସଂକଳନ ଏକା ଏକା ସନ୍ୟାସୀ (୧୯୮୧)ରୁ ଆରମ୍ଭ କରି ୨୦୨୦ ମହାମାରୀ କାଳରେ ଫେସବୁକମଞ୍ଚରେ ତାଙ୍କରି ପୋଷ୍ଟଗୁଡ଼ିକ ଏକାକୀତ୍ୱ, ଅସଜଡ଼ା ସଂପର୍କ ଓ ନିରାଶବାଦ ପ୍ରସ୍ପୁଟିତ । ହରପ୍ରସାଦ ୧୯୫୩ରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ୬୯ ବର୍ଷ ବୟସରେ ମହାମାରୀରେ ଚାଲିଗଲେ । ତାଙ୍କରି ସୁଦୃଢ ଲୋକସଂପର୍କ ବ୍ରହ୍ମପୁରର ବରିଷ୍ଠ ସାହିତ୍ୟିକ ଗୋଷ୍ଠୀକୁ ଦୀର୍ଘକାଳ ଯାଏଁ ମର୍ମାହତ କରିବ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୯ ଫେବୃୟାରୀ ୨୦୨୨/ ପୃଷ୍ଠା :୮)

Photo by Christina Deravedisian on Unsplash 


Friday, February 11, 2022

Vande Bharat Express / ବନ୍ଦେ ଭାରତ ଏକ୍ସପ୍ରେସ

 

#ବ୍ରହ୍ମପୁର ସହରବାସୀ ମହାମାରୀ-ପର ପରିବର୍ତ୍ତିତ ପରିବେଶ ନ୍ୟୂ-ନରମାଲରେ ରେଳଯାତ୍ରା କ୍ଷେତ୍ରରେ ସାମନା କରିବାକୁ ଯାଉଥିବା କେତେକ ନୂତନ ସୁବିଧା ସୁଯୋଗ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଗୋଟିଏ ବିଚାର କରାଯାଇପାରେ । କେନ୍ଦ୍ର ଅର୍ଥମନ୍ତ୍ରୀ ପାର୍ଲାମେଣ୍ଟରେ ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ବଜେଟ ଉପସ୍ଥାପନ କରି ଦେଶରେ ୪୦୦ ଗୋଟି ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ପ୍ରଚଳନ ଘୋଷଣା କରିଛନ୍ତି । ଅର୍ଥାତ, ୨୦୨୪ରୁ ୨୦୨୬ ମଧ୍ୟରେ ସାରା ଦେଶରେ ପର୍ଯ୍ୟାୟକ୍ରମେ ଏହି ଟ୍ରେନଗୁଡ଼ିକ ଯାତ୍ରୀ ପରିବହନରେ ନିୟୋଜିତ ହେବ । ସେହିକ୍ରମରେ ଓଡ଼ିଶା ଭାଗରେ ନିର୍ଦ୍ଧାରିତ ଟ୍ରେନ ପଡ଼ିବା ସଂପର୍କରେ ରେଳମନ୍ତ୍ରୀ ଆଶ୍ୱସନା ଦେଇଛନ୍ତି ।
 
ପୂର୍ବତଟ ରେଳପଥରେ ବନ୍ଦେ ଭାରତ ଏକ୍ସପ୍ରେସ ପ୍ରଚଳନ କାଳରେ ଭୁବନେଶ୍ୱର-ବିଶାଖାପାଟଣା, ପୁରୀ-ହାୱଡ଼ା ଓ ପୁରୀ-ରାଇରକେଲା ପ୍ରାଧାନ୍ୟ ଦାବୀ କରିବା ସୁନିଶ୍ଚିତ । ଏକ୍ସପ୍ରେସଗୁଡ଼ିକ ଚେୟାର-କାର ବିଶିଷ୍ଟ ହୋଇଥିବା ହେତୁ ଅଧିକ ଦୂରତ୍ୱ ଅତିକ୍ରମ ଲାଗି ବ୍ୟବହୃତ ହେବା ସଂଭବ ନୁହଁ । ଏହି ପରିବେଶରେ ବ୍ରହ୍ମପୁରବାସୀଙ୍କ ଭୁବନେଶ୍ୱର ଓ ବିଶାଖାପାଟଣା ଯାତ୍ରା ସୁଖକର ହୋଇପାରିବା ଆଶା କରାଯାଇପାରେ । କୁହାଯାଉଛି ଦେଶରେ ରାଜଧାନୀ ଏକ୍ସପ୍ରେସ ପ୍ରଚଳନ ପରେ ବନ୍ଦେ ଭାରତ ଏକ୍ସପ୍ରେସ ରେଳଯାତ୍ରା କ୍ଷେତ୍ରରେ ଅନ୍ୟତମ ମାଇଲ ଖୁଣ୍ଟ ସାଜିବ । ତେବେ ୧୯୭୫-୭୭ ଜରୁରିକାଳୀନ ପରିସ୍ଥିତି-ପର ଅବସ୍ଥାରେ ଭୁବନେଶ୍ୱର-ମୁମ୍ୱାଇ ମଧ୍ୟରେ କୋଣାର୍କ ଏକ୍ସପ୍ରେସ ପ୍ରଚଳନ ପରେ ବ୍ରହ୍ମପୁରବାସୀ ଭୁବନେଶ୍ୱର ଓ ବିଶାଖାପାଟଣା ସ୍ୱଚ୍ଛନ୍ଦରେ ଯାତ୍ରା କରିବା ପାଇଁ ଯେଉଁ ସୁବିଧା ହାସଲ କରିଥିଲେ ତାପରେ ବନ୍ଦେ ଭାରତ ନୂତନ ଅଧ୍ୟାୟ ସୃଷ୍ଟି କରିବା ଆଶା କରାଯାଇପାରେ ।
 
ବନ୍ଦେ ଭାରତ ଏକ୍ସପ୍ରେସଗୁଡ଼ିକ ସେମି ହାଇସ୍ପିଡ଼ ଟ୍ରେନ ପର୍ଯ୍ୟାୟଭୁକ୍ତ କରାଯାଉଛି । ଘଣ୍ଟାକୁ ୧୬୦ କିଲୋମିଟର ଯାଏଁ ପଥ ଅତିକ୍ରମ କରିପାରିବ । ଫଳରେ ସାଧାରଣ ଟ୍ରେନ ତୁଳନାରେ ୨୫ରୁ ୪୫ ପ୍ରତିଶତ ଯାଏଁ ଯାତ୍ରା ସମୟ କମିଯିବ । ଅର୍ଥାତ, ବ୍ରହ୍ମପୁରରୁ ଭୁବନେଶ୍ୱର ତିନି ଘଣ୍ଟା ସ୍ଥାନରେ ଦୁଇ ଘଣ୍ଟା ଏବଂ ବିଶାଖାପାଟଣା ପାଞ୍ଚ ଘଣ୍ଟା ସ୍ଥାନରେ ତିନି ଘଣ୍ଟାରେ ପହଞ୍ଚିବା ସମ୍ଭବ ହୋଇପାରେ ।
 
ଏହି ନୂଆ ଏକ୍ସପ୍ରେସ ଟ୍ରେନ ଶକ୍ତି ଉପଯୋଗ ଓ ଯାତ୍ରା ସ୍ୱାଚ୍ଛନ୍ଦ୍ୟରେ ପରିବର୍ତ୍ତନ ଆଣିବ । ପାରମ୍ପରିକଭାବେ ରେଳବଗିଗୁଡିକ ଇସ୍ପାତରେ ତିଆରି ହେଉଥିବା ସ୍ଥଳେ ନୂଆ ରେଳବଗିଗୁଡ଼ିକ ଆଲୁମିନିୟମରେ ନିର୍ମିତ ହେବ । ଫଳରେ ବଗିଗୁଡ଼ିକର ଓଜନ ହାଲୁକା ରହିବ ଏବଂ ଯାତ୍ରାକାଳରେ କମ ଶକ୍ତି ଆବଶ୍ୟକ ପଡ଼ିବ । ଟ୍ରେନର ଗତି ବଢ଼ିପାରିବ । ସାଧାରଣଭାବେ ବଗିଗୁଡ଼ିକୁ ଏକ ଲୋକମୋଟିଭ ଇଞ୍ଜିନ ଟାଣି ନେଉଥିବା ସ୍ଥଳେ ନୂତନ ଟ୍ରେନରେ ପ୍ରତି ବଗି ଶକ୍ତି ଉପଯୋଗରେ ସ୍ୱୟଂ ଚାଳିତ ହେବ । ଇଣ୍ଟେଲିଜେଣ୍ଟ ବ୍ରେକିଂ ସିଷ୍ଟମ ଦ୍ୱାରା ଟ୍ରେନ ତତକ୍ଷଣାତ ଗତିଶୀଳ ଓ ବନ୍ଦ ହେବା ସୁବିଧା ରହିବ ।
 
ଯାତ୍ରା ସ୍ୱାଚ୍ଛନ୍ଦ୍ୟ ମଧ୍ୟରେ ଗତିଶୀଳ ଟ୍ରେନରେ କମ ଶବ୍ଦ ଓ କମ୍ପନ ଯାତ୍ରୀମାନେ ଅନୁଭବ କରିବେ । ଡ଼ୋରଗୁଡ଼ିକ ଆଟୋମେଟିକ ଓ ଶୌଚାଳୟ ଉଡ଼ାଜାହାଜରେ ଉପଲବ୍ଧ ବୟୋ-ଭେକ୍ୟୁମ ପଦ୍ଧତି ଉପଯୋଗ ହେବ । ରିଭଲଭିଂ ଚ଼େୟାର, ୱାଇଫାଇ ମନୋରଞ୍ଜନ, ସିସି ଟିଭି, ଜିପିଏସବେସଡ଼ ପାସେଞ୍ଜର ଇନଫରମେସନ ସିଷ୍ଟମର ସୁବିଧା ମିଳିବ । ପ୍ରତ୍ୟେକ ଟ୍ରେନରେ ୧୬ଗୋଟି ବଗି ଲାଗିବ । ଏଥିମଧ୍ୟରୁ ୧୪ ଗୋଟି ସାଧାରଣ ଚେୟାର କାର ଏବଂ ଦୁଇଗୋଟି ଏକଜିକ୍ୟୁଟିଉଭ କ୍ଳାସ ଚେୟାର କାର ସନ୍ନିବଶିତ ହେବ । ପ୍ରତି ଟ୍ରେନରେ ଏଗାର ଶହ ଯାଏଁ ଯାତ୍ରୀଙ୍କ ପାଇଁ ଆସନ ରହିବ ।
 
ମେକ-ଇନ-ଇଣ୍ଡିଆ କାର୍ଯ୍ୟକ୍ରମରେ ଚ଼େନ୍ନାଇସ୍ଥିତ ରେଳଡବା କାରଖାନାରେ ଶହେ କୋଟି ଟଙ୍କା ବ୍ୟୟରେ ପ୍ରଥମ ବନ୍ଦେ ଭାରତ ଟ୍ରେନ ନିର୍ମିତ ହୋଇଥିଲା । ବର୍ତ୍ତମାନ ନୂଆଦିଲ୍ଲୀ-ବାରଣସୀ ଓ ନୂଆଦିଲ୍ଲୀ-କାତ୍ରାକୁ ଦୁଇଗୋଟି ଟ୍ରେନ ଯାତ୍ରା କରୁଛି । ସରକାରଙ୍କ ପକ୍ଷରୁ ୪୪ ଗୋଟି ନୂଆ ଟ୍ରେନ ନିର୍ମାଣ ପାଇଁ ବରାଦ କରାଯାଇଛି । ଏଥିମଧ୍ୟରୁ ଚ଼େନ୍ନାଇରେ ୨୪ଗୋଟି ତଥା କପୁରତାଲା ଓ ରାଏବରେଲୀରେ ୧୦ ଗୋଟି ଲେଖା ନିର୍ମିତ ହେଉଛିପ୍ରତି ତ୍ରୟମାସରେ ଛଅ ଗୋଟି ଲେଖା ରେକ ହସ୍ତାନ୍ତର ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକ୍ରିୟା ମାର୍ଚ୍ଚ-ଏପ୍ରିଲ ୨୦୨୨ରୁ ଆରମ୍ଭ ହେବା ଆଶା କରାଯାଉଛି ।
 
ବନ୍ଦେ ଭାରତ ଏକ୍ସପ୍ରେସ ଆନ୍ତର୍ଜାତିକମାନର ରେଳଯାତ୍ରା ଭାରତରେ ଉପଲବ୍ଧ କରାଇବା ନିମନ୍ତେ ପ୍ରତିଶୃତିବଦ୍ଧ । ଅବଶ୍ୟ ଟିକଟ ଭଡ଼ା ମଧ୍ୟ ଟଙ୍କା ବଦଳରେ ଡ଼ଲାର ମୁହାଁ ହେବା ସ୍ୱାଭାବିକ ! ବନ୍ଦେ ଭାରତ ଏକ୍ସପ୍ରେସ ପୂର୍ବତଟ ରେଳପଥକୁ ଆସୁ ଆସୁ ଭୁବନେଶ୍ୱର-ବିଶାଖପାଟଣା ସଂଯୋଗ ପାଇଁ ବ୍ରହ୍ମପୁରବାସୀ ଚାହିଁ ବସିବେସ୍ଥାନୀୟ ନାଗରିକ ସଂଗଠନଗୁଡ଼ିକ ଏଦିଗରେ ଆଗୁଆ ଦରଖାସ୍ତ ଦେଲେ ଦୀର୍ଘକାଳୀନଭିତ୍ତିରେ ସୁଫଳ ମିଳିପାରିବ !

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୨ ଫେବୃୟାରୀ ୨୦୨୦/ ପୃଷ୍ଠା :୮)

Photo by Jeffrey Dungen on Unsplash 





Friday, February 4, 2022

Hot by day, Cold by night / ଦିନରେ ଗରମ, ରାତିରେ ଥଣ୍ଡା

 

ଜଳବାୟୁ ବିଜ୍ଞାନୀଙ୍କ ପୂର୍ବାନୁମାନରେ #ବ୍ରହ୍ମପୁର ସହରରେ ୨୦୨୨ ଫେବୃୟାରୀ ମାସରେ ଦିନରେ ଗରମ ସହ ରାତିର ଥଣ୍ଡା ଅନୁଭବ ସମ୍ଭାବନା ଅଧିକ । ଅବଶ୍ୟ ଏହା ରାଜ୍ୟବ୍ୟପୀ ଆକଳନର ଅଂଶବିଶେଷ । ବ୍ରହ୍ମପୁରରେ କୁମାର ପୂର୍ଣ୍ଣିମା ରାତିରେ ଶୀତର ପ୍ରଥମ ସ୍ପର୍ଶ ଅନୁଭୂତ ହୋଇ ଶିବରାତ୍ରୀରେ ଶେଷ ହୋଇଥାଏ । ଚଳିତ ଋତୁଚ଼କ୍ରରେ ୨୦ ଅକ୍ଟୋବର ୨୦୨୧ରେ କୁମାର ପୂର୍ଣ୍ଣିମା ପାଳିତ ହୋଇଥିବା ସ୍ଥଳେ ମାର୍ଚ୍ଚ ପହିଲା ୨୦୨୨ରେ ଶିବରାତ୍ରୀ ତିଥି ନିର୍ଦ୍ଧାରିତ । ଅର୍ଥାତ, ସାଧାରଣ ବିଚାରରେ ମାର୍ଚ୍ଚ ପହିଲା ଯାଏଁ ଶୀତ ଅନୁଭବ ବଳବତ୍ତର ରହିବା କଥା ।
 
ଓଡ଼ିଶାରେ ମୁଖ୍ୟତଃ ଡ଼ିସେମ୍ୱର ଓ ଜାନୁୟାରୀ ଦୁଇ ମାସରେ ଶୀତ ଅନୁଭୂତ ହୋଇଥାଏ । ହିସାବ ଅନୁଯାୟୀ ଚଳିତ ଶୀତଋତୁରେ ଖୁବ କମ ଦିନ ଥଣ୍ଡା ପଡ଼ିଥିଲା । ଡ଼ିସେମ୍ୱର ମାସ ମଧ୍ୟଭାଗ ଯାଏଁ ବ୍ରହ୍ମପୁର ଭଳି କେତେକ ଅଞ୍ଚଳରେ ଶୀତର ପ୍ରକୋପ ଆରମ୍ଭ ହୋଇ ନଥିଲା । ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଡ଼ିସେମ୍ୱରରେ ପାଞ୍ଚ ରାତି ଏବଂ ଜାନୁୟାରୀରେ ପାଞ୍ଚ ରାତି ଶୀତ ଅନୁଭବ ଲକ୍ଷ୍ୟ କରାଯାଇଥିଲା । ଅର୍ଥାତ, ୨୦୨୧-୨୨ର ଶୀତଋତୁରେ ରାଜ୍ୟସ୍ତରରେ ହାରାହାରି ମାତ୍ର ଦଶଗୋଟି ଶୀତରାତିରେ ସୀମିତ ରହିଥିଲା ।
 
ବିଶେଷଜ୍ଞମାନଙ୍କ ସୂଚ଼ନା ପ୍ରକାରେ ଡ଼ିସେମ୍ୱର ମାସରେ ୧୬ ଗୋଟି ରାତିରେ ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ଓ ଜାନୁୟାରୀ ମାସରେ ୧୧ ଗୋଟି ରାତିରେ ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ରେକର୍ଡ଼ କରାଯାଇଥିଲା । ଫେବୃୟାରୀ ମାସରେ ତାପମାତ୍ରା ହ୍ରାସ ଅର୍ଥାତ ଥଣ୍ଡା ବଢ଼ିବା ସମ୍ଭାବନା କମ । ଏହି ପୂର୍ବାନୁମାନ ଭାରତୀୟ ଜଳବାୟୁ ବିଭାଗ ନିଜ ଲଙ୍ଗ ରେଞ୍ଜ ଫୋରକାଷ୍ଟରେ ଦର୍ଶାଇଥିବା ଗଣମାଧ୍ୟମରେ ପ୍ରକାଶିତ ।
 
ପଶ୍ଚିମା ଝଡ଼ ବା ୱେଷ୍ଟର୍ଣ୍ଣ ଡ଼ିଷ୍ଟରବାନ୍ସେସ ପ୍ରଭାବରେ ଓଡ଼ିଶାରେ ୨୦୨୧-୨୨ ଶୀତ ଋତୁରେ ବାରମ୍ୱାର ବର୍ଷା ସମ୍ନା କରିବାକୁ ପଡ଼ିଥିଲା । ଏହା ଅଦିନିଆ ବର୍ଷା ପର୍ଯ୍ୟାୟଭୁକ୍ତ ହେଲେ ହେଁ ବ୍ରହ୍ମପୁରରେ କିଛି ବର୍ଷ ଅନ୍ତରରେ ଶୀତଦିନେ ଲଗାଣ ବର୍ଷା ପ୍ରାୟତଃ ଦେଖାଦିଏ । ମହାମାରୀ-ପୂର୍ବାବସ୍ଥାରେ ସାଧାରଣତଃ ଡ଼ିସେମ୍ୱର-ଜାନୁୟାରୀ ମାସରେ ବ୍ରହ୍ମପୁରରେ ନିର୍ମଳ ଆକାଶ ଆଶା କରାଯାଇ ବାହ୍ୟ ଉତ୍ସବାନୁଷ୍ଠାନ ଆଉଟଡ଼ୋର-ଇଭେଣ୍ଟମାନ ଆୟୋଜନ କରାଯାଇଥାଏ । କିନ୍ତୁ ବର୍ଷା ଆସିଲେ ଉଦ୍ୟମ ଫସର ଫାଟିଥାଏ ।
 
ୱେଷ୍ଟର୍ଣ୍ଣ ଡ଼ିଷ୍ଟରବାନ୍ସେସ ଭାରତର ପଶ୍ଚିମ ଦିଗରେ ଅବସ୍ଥିତ ମେଡ଼ିଟେରିଆନ ଅଞ୍ଚଳରୁ ସୃଷ୍ଟି ହୋଇ ଭାରତ ଆଡ଼କୁ ମୁହାଁଏ । ମୁଖ୍ୟତଃ ୟୁକ୍ରେନ ଓ ପଡ଼ୋଶୀ ଅଞ୍ଚଳରେ ମେରୁ ବାହିତ ଥଣ୍ଡା ପବନ ଅପେକ୍ଷାକୃତ ଗରମ ଓ ଆଦ୍ର ଜଳବାୟୁ ସନ୍ଧାନରେ ଉତ୍ତର ଭାରତରେ ପହଞ୍ଚି ବର୍ଷା କରାଏ । ଏହି ଜଳବାୟୁ ଓଡ଼ିଶା ସମେତ ପୂର୍ବଭାରତ, ବାଂଲାଦେଶର ଉତ୍ତରାଞ୍ଚଳ ଓ ନେପାଳର ଦକ୍ଷିଣ-ପୂର୍ବାଞ୍ଚଳରେ ମଧ୍ୟ ଅନୁଭୂତ ହୁଏ । ଅଣ-ମୌସୁମୀ ବର୍ଷା ଦ୍ୱାରା ଉତ୍ତର ଭାରତରେ ଗହମ ଚାଷ ସାଙ୍ଗକୁ ପୂର୍ବଭାରତରେ ରବି ଫସଲ ପ୍ରଭାବିତ ହୋଇଥାଏ ।
 
ୱେଷ୍ଟର୍ଣ୍ଣ ଡ଼ିଷ୍ଟରବାନ୍ସେସ ବ୍ରହ୍ମପୁରରେ ଶୀତ ଲହରି ଓ ଘନ କୁହୁଡ଼ିର କାରଣ । ଆଫଗାନସ୍ଥାନ, ପାକିସ୍ଥାନ ଓ ଉତ୍ତର-ଭାରତ ମଧ୍ୟ ଦେଇ ଏଠାରେ ପହଞ୍ଚିଲା ବେଳେ ପ୍ରାୟତଃ ଦୁର୍ବଳସେହି କାରଣରୁ ଶୀତ ଲହରି ପ୍ରଭାବ ଉତ୍ତର-ଭାରତର ବିଭିନ୍ନ ସହର ତୁଳନାରେ ବ୍ରହ୍ମପୁରରେ କ୍ଷୀଣ । ଶୀତ ଦିନେ ବ୍ରହ୍ମପୁରବାସୀ କାଁ ଭାଁ ଶୀତବସ୍ତ୍ର ପରିଧାନ କରନ୍ତି । ବିଗତ ଦୁଇ ବର୍ଷ ଧରି ମହାମାରୀଜନିତ ରାତି କଫ୍ୟୁ ଯୋଗୁଁ ଜନସାଧାରଣଙ୍କ ଚଳପ୍ରଚଳ ପ୍ରାୟ ବନ୍ଦ ରହିଥିବା ହେତୁ ତାହା ବି କମି ଯାଇଛି ।
 
ବ୍ରହ୍ମପୁରରେ ଶୀତ ଋତୁ ଶେଷ ପାଦରେ ଶ୍ରୀପଞ୍ଚମୀ ଅନ୍ୟତମ । ଶ୍ରୀପଞ୍ଚମୀରେ ଦିନରେ ଗରମ, ରାତିରେ ଥଣ୍ଡା ବେଶ ଅନୁଭୂତ ହୁଏ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୫ ଫେବୃୟାରୀ ୨୦୨୨ / ପୃଷ୍ଠା :୮)

Friday, January 28, 2022

The other Brahmapur / ଭିନ୍ନ ଏକ ବ୍ରହ୍ମପୁର

 

#ବ୍ରହ୍ମପୁର ନାମରେ ଏକାଧିକ ସହର ଓ ଗ୍ରାମ ରହିଛିଏଥି ମଧ୍ୟରେ ପଡ଼ୋଶୀ ପଶ୍ଚିମ ବଙ୍ଗ ରାଜ୍ୟର ମୁର୍ଶିଦାବାଦ ଜିଲ୍ଲାରେ ବ୍ରହ୍ମପୁର (ଇଂଲିଶ ବନାନକ୍ରମେ-ବେରହମପୋର) ଏବଂ ବଙ୍ଗଳା ଦେଶ ପାଟୁଆଖାଲି ଜିଲ୍ଲାର ବ୍ରହ୍ମପୁର (ଇଂଲିଶ ବନାନକ୍ରମେ –ବହରମପୁର) ଅନ୍ୟତମ ।
 
ପଶ୍ଚିମ ବଙ୍ଗ ମୁର୍ଶିଦାବାଦ ଜିଲ୍ଲାର ସଦର ମହକୁମା ବେରହମପୋର କୋଲକତାଠାରୁ ୨୦୦ କିଲୋମିଟର ଦୂରରେ ଅବସ୍ଥିତ । କୋଲକତା, ଆସନସୋଲ, ସିଲିଗୁଡ଼ି, ଦୁର୍ଗାପୁର, ବର୍ଦ୍ଧମାନ ଓ ମାଲଦା ପରକୁ ବେରହମପୋର ସପ୍ତମ ଜନାକୀର୍ଣ୍ଣ ସହର । ଏଠାକାର ଜନସଂଖ୍ୟା ୨୦୧୧ ଜନଗଣନା ଅନୁଯାୟୀ ତିନି ଲକ୍ଷରୁ ଉର୍ଦ୍ଧ୍ୱ । ଭାଗିରଥୀ ନଦୀର ପୂର୍ବତଟରେ ଅବସ୍ଥିତ ଏହି ପୌରପାଳିକା ଶାସିତ ସହରରେ ୯୦ ଭାଗ ବାସିନ୍ଦା ହିନ୍ଦୁ ଓ ୯ ଭାଗ ମୁସଲିମ ସଂପ୍ରଦାୟ ଅନ୍ତର୍ଭୁକ୍ତ ।
 
ଇତିହାସ ପୃଷ୍ଠାରୁ ଜଣାଯାଏ ୧୭୫୭ ଖ୍ରୀଷ୍ଟାଦ୍ଦରେ ପଲାସୀ ଯୁଦ୍ଧ ସମୟରେ ବେରହମପୋରଠାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଏକ ସେନାଛାଉଣୀ କଣ୍ଟେନମେଣ୍ଟ ପ୍ରତିଷ୍ଠା କରିଥିଲେ । ଇଷ୍ଟଇଣ୍ଡିଆ କମ୍ପାନୀର ଏହା ପ୍ରଥମ ହେଡ଼କ୍ୱାର୍ଟସଏଥିପୂର୍ବରୁ ଏଠାକାର ଜନପଦରେ ବହୁ ସଂଖ୍ୟକ ବ୍ରାହ୍ମଣ ପରିବାର ବାସ କରୁଥିବା ହେତୁ ବ୍ରହ୍ମପୁର ନାମିତ ହୋଇଥିବା ଜନଶୃତି କହେ । ବ୍ରିଟିଶ ସେନା ବାହିନୀର କଣ୍ଟେନମେଣ୍ଟ ୧୮୭୬ରେ ପୌରପାଳିକାରେ ପରିବର୍ତ୍ତିତ ହୋଇ ମୁର୍ଶିଦାବାଦ ଜିଲ୍ଲାର ସଦରମହକୁମାରେ ପରିଣତ ହୋଇଥିଲା ।
 
ଆମ ବ୍ରହ୍ମପୁର ପାଟବସ୍ତ୍ରଲାଗି ଖ୍ୟାତିଲାଭ କରିଥିବା ସ୍ଥଳେ ପଶ୍ଚିମବଙ୍ଗର ବେରହମପୋର ମୁସଲିନ ବସ୍ତ୍ର ପାଇଁ ଆନ୍ତର୍ଜାତିକସ୍ତରରେ ପ୍ରସିଦ୍ଧ । ପାରମ୍ପରିକଭାବେ ଏଠାରେ ମୁସଲିନ ବୟନ, କଂସା-ପିତ୍ତଳ ବାସନ ଓ ହାତୀଦାନ୍ତ କାମ କୁଟୀର ଶିଳ୍ପଭାବେ ପରିଗଣିତ । ବେରହମପୋର ଛେନାବଡ଼ା, ଖଜା ଓ ମନୋହରା ଭଳି ମିଷ୍ଟାନ୍ନ ନିମନ୍ତେ ଅଞ୍ଚଳିକସ୍ତରରେ ପରିଚ଼ିତ । ଇଷ୍ଟ ଇଣ୍ଡିଆ କମ୍ପାନୀର କର୍ମଚାରୀ ଓ ବସ୍ତ୍ର ବ୍ୟବସାୟୀ ସହରର ପ୍ରାଚ଼ୀନ ବାସିନ୍ଦା । ଏଠାକାର ସର୍ବପୁରାତନ କଲେଜ ୧୮୫୩ରୁ ୧୮୮୮ ମଧ୍ୟରେ ପ୍ରତିଷ୍ଠିତ ହୋଇଥିଲା ।
 
ବେରହମପୋର ପୂର୍ବ ରେଳପଥ ସିଆଲଦା-ଲାଲଗୋଲା ଲାଇନରେ ସଂଯୁକ୍ତ । ରେଳ ଷ୍ଟେସନର ନାମ ବେରହମପୋର-କୋର୍ଟଭାଗିରଥୀ ଏକ୍ସପ୍ରେସ, ହଜରଦୂରାଇ ଏକ୍ସପ୍ରେସ ଓ ଧାନୋ ଧନାୟେ ଏକ୍ସପ୍ରେସ ଇତ୍ୟାଦି ଷ୍ଟେସନ ଦେଇ ଚଳାଚଳ କରୁଥିବା ଲୋକପ୍ରିୟ ରେଳଗାଡ଼ି । ସିଆଲଦାରୁ ବେରହମପୋର-କୋର୍ଟକୁ ଏକ ନିତିଦିନିଆ ମେମୁ ପାସେଞ୍ଜର ଟ୍ରେନ ମଧ୍ୟ ଚଳାଚଳ କରିଥାଏ । ସଡ଼କପଥରେ ବେରହମପୋର ଜାତୀୟ ରାଜପଥ ୧୨ ଓ ୩୪ ଦ୍ୱାରା ସଂଯୁକ୍ତ । ଏଠାରେ ଦୁଇଗୋଟି ବସଷ୍ଟାଣ୍ଡ ରହିଛି । ସହର ମଧ୍ୟରେ ଟୁକ-ଟୁକ ବା ଟୋଟୋକାର ନାମିତ ଇ-ରିକ୍ସା ପ୍ରମୁଖ ସର୍ବସାଧାରଣ ଯାନବାହାନ ।
 
ବେରହମପୋର ବାସିନ୍ଦାମାନେ କଳାପ୍ରିୟ । ସହରରେ ନିୟମିତ ନାଟକ ଅଭିନୀତ ହୁଏ, ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକ ଆଖପାଖ ଅଞ୍ଚଳ ବାସିନ୍ଦାଙ୍କୁ ଆକର୍ଷିତ କରେ । ଏଠାରେ ନାଟକ ଓ ଚଳଚ଼ିତ୍ର ଉତ୍ସବମାନ ଆୟୋଜିତ ହୁଏ । ମୁର୍ଶିଦାବାଦ ବିଶ୍ୱବିଦ୍ୟାଳୟ, ମୁର୍ଶିଦାବାଦ ମେଡ଼ିକାଲ କଲେଜ, ମୁର୍ଶିଦାବାଦ ଇନଷ୍ଟିଟିଉଟ ଅଫ ଟେକନୋଲଜି ଇତ୍ୟାଦି ସହରକୁ ଶିକ୍ଷାକେନ୍ଦ୍ର ଭାବେ ଗଢ଼ି ତୋଳିଥାଏ । ଲେଖିକା ମହାଶ୍ୱେତା ଦେବୀ, ପ୍ରଚ୍ଛଦପଟ୍ଟ ଗାୟିକା ଶ୍ରେୟା ଘୋଷାଲ ଓ ରାଜନୀତିଜ୍ଞ ଅଧୀର ରଞ୍ଜନ ଚୌଧୁରୀ ପ୍ରମୁଖ ମୁର୍ଶିଦାବାଦ ବେରହମପୋର ବାସିନ୍ଦା । ବେରହମପୋରର ପୋଷ୍ଟାଲ ପିନ କୋଡ଼ ୭୪୨୧୦୧ ଓ ଏସଟିଡ଼ି କୋଡ଼ ୩୪୮୨ । ବେରହମପୋର ନାମରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି ।
 
ମୁର୍ଶିଦାବାଦ ଜିଲ୍ଲାରେ ବ୍ରିଟିସ, ଫ୍ରେଞ୍ଚ, ଡଚ ଓ ପର୍ତ୍ତୁଗୀଜ ସେନାବାହିନୀର ଉପସ୍ଥିତି କାଳରେ ନିର୍ମିତ କେତେକ ପୁରାତନ କୋଠାବାଡ଼ି ରହିଛି । ପର୍ଯ୍ୟଟକମାନେ ଏସବୁ ଦେଖିବାଲାଗି ବେରହମପୋର ଯାଇଥାନ୍ତି । ବ୍ରହ୍ମପୁର (ଇଂଲିଶ ବନାନରେ-ବେରମପୁର) ସହ ବେରହମପୋର ସାମଞ୍ଜସ୍ୟ ହେତୁ ଠିକଣାକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଥାଏ । ତେଣୁ ବେରମପୁର ସହ ଗଞ୍ଜାମ ଜିଲ୍ଲା ବା ଓଡ଼ିଶା ଏବଂ ବେରହମପୋର ସହ ମୁର୍ଶିଦାବାଦ ଜିଲ୍ଲା ବା ପଶ୍ଚିମ ବଙ୍ଗ ଉଲ୍ଲେଖ କରାଯାଏ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୯ ଜାନୁୟାରୀ ୨୦୨୨ / ପୃଷ୍ଠା :

Photo from : https://murshidabad.gov.in/gallery/tourist-places/#



Friday, January 21, 2022

Queue at Medical College Hospital / ମେଡ଼ିକାଲରେ କ୍ୟୂ’

 


#ବ୍ରହ୍ମପୁର ମେଡ଼ିକାଲ କଲେଜ ହସପିଟାଲ ଆଉଟଡ଼ୋରରେ ଚ଼ିକିତ୍ସା ନିମନ୍ତେ ରେଜିଷ୍ଟ୍ରେସନ ଲାଗି ଲମ୍ୱା କ୍ୟୂର ବିକଳ୍ପ ବ୍ୟବସ୍ଥା ପାଇଁ ପରୀକ୍ଷାମୂଳକଭାବେ ଉଦ୍ୟମ ଆରମ୍ଭ ହୋଇଥିବା ଆଶ୍ୱସ୍ତିର ବିଷୟ । ବ୍ରହ୍ମପୁର ସହରବାସୀ ବିଶେଷଜ୍ଞଙ୍କ ଚିକିତ୍ସା ନିମନ୍ତେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚ଼ିକିତ୍ସାଳୟ ଉପରେ ନିର୍ଭରଶୀଳ । ଅପରପକ୍ଷରେ ସମଗ୍ର ଦକ୍ଷିଣ ଓଡ଼ିଶାରେ ଏହି ପ୍ରତିଷ୍ଠାନ ଏକମାତ୍ର ରେଫରାଲ ହସପିଟାଲ । ଫଳରେ ଦୈନିକ ପ୍ରାୟ ତିନି ହଜାର ନୂଆ ରୋଗୀ ହସପିଟାଲ ଆଉଟଡୋରରେ ପହଞ୍ଚିଥାନ୍ତି ଏବଂ ସମସ୍ତଙ୍କୁ ନାମ ପଞ୍ଜିକରଣ ବା ରେଜିଷ୍ଟ୍ରେସନଲାଗି ଲମ୍ୱା ଧାଡ଼ିରେ ଛିଡ଼ା ହେବାକୁ ପଡିଥାଏ । ସହରବାସୀ କିମ୍ୱା ସହର ବାହାର ଆଗନ୍ତୁକ, ପୁରୁଷ-ମହିଳା, ଶିକ୍ଷିତ-ଅଶିକ୍ଷିତ, ଧନୀ-ଦରିଦ୍ର, ଶାନ୍ତଶିଷ୍ଟ-ଉଦ୍ଦାମ ସମସ୍ତେ କ୍ୟୂରେ ସାମିଲ ହେବାକୁ ବାଧ୍ୟ ।
 
ରୋଗୀଟିଏ ମେଡ଼ିକାଲ କଲେଜ ଆଉଟଡ଼ୋରରେ ପହଞ୍ଚିଲେ ଅନେକ ସମୟରେ ନିଜେ ରେଜିଷ୍ଟ୍ରେସନ କରିବା ସଂଭବ ହୋଇପାରିନଥାଏ । ଏଥିଲାଗି ରୋଗୀର ଜଣେ ସହାୟକ ଆବଶ୍ୟକ ପଡ଼େ । ଅସୁସ୍ଥ ଲମ୍ୱା ଧାଡ଼ିରେ ଠେଲାପେଲାରେ ଦୀର୍ଘ ସମୟ ଛିଡ଼ା ହେବା ସମସ୍ୟା ସୃଷ୍ଟି କରିଥାଏ । ଆଧୁନିକ ବୈଷୟିକ କୌଶଳ ସହାୟତାରେ ଆଉଟ ଡୋର ଚ଼ିକିତ୍ସା ଟିକଟ ପାଇଁ ଅନଲାଇନରେ ରେଜିଷ୍ଟ୍ରେସନ ପଦ୍ଧତି ସୁଲଭ । ତେବେ ଏକବିଂଶ ଶତାଦ୍ଦୀର ତୃତୀୟ ଦଶକ ଆରମ୍ଭ ଯାଏଁ ସେହି ସୁବିଧା ସୁଯୋଗ ଉପଯୋଗ ହୋଇପାରି ନଥିଲା । ମେଡ଼ିକାଲ କଲେଜ କର୍ତ୍ତୃପକ୍ଷ କିମ୍ୱା ସହରର ନାଗରିକ ସମାଜ କାହାର ଦୃଷ୍ଟି ଏଦିଗରେ ପଡ଼ିନଥିଲା । କୋଭିଡ଼-୧୯  ମହାମାରୀର ଦୁଇଟି ତରଙ୍ଗ ବାଦେ ତୃତୀୟ ବର୍ଷରେ ତୃତୀୟ ତରଙ୍ଗର ପ୍ରାଦୁର୍ଭାବ କାଳରେ ଆଉଟଡୋର ଟିକଟ ପ୍ରଦାନ ଦିଗରେ ସଂସ୍କାର ନିମନ୍ତେ କର୍ତ୍ତୃପକ୍ଷ ଅନଲାଇନ ରେଜିଷ୍ଟ୍ରେସନ ବ୍ୟବସ୍ଥା ଆରମ୍ଭ କରିଛନ୍ତି ।
 
ମେଡ଼ିକାଲ କଲେଜ ଓ ହସପିଟାଲ ପକ୍ଷରୁ ମାଇଏମକେସିଜି ଡଟ କମ ନାମରେ ଏକ ୱେବସାଇଟ ଖୋଲାଯାଇଛି । ଏଥିରେ ଆଉଟଡ଼ୋର ଚ଼ିକିତ୍ସା ଗ୍ରହଣ କରିବାକୁ ଇଚ୍ଛୁକ ବ୍ୟକ୍ତିବିଶେଷ ଅଗ୍ରୀମ ନାମ ପଞ୍ଜୀକରଣର ବ୍ୟବସ୍ଥା ରହିଛି । ଫର୍ମରେ ନାମ, ପିତା କିମ୍ୱା ସ୍ୱାମୀଙ୍କ ନାମ, ପରିଚୟ ପତ୍ର ନମ୍ୱର, ଲିଙ୍ଗ, ବୟସ, ଜନ୍ମ ବର୍ଷ, ମୋବାଇଲ ନମ୍ୱର, ଠିକଣା ଓ କେଉଁ ବିଭାଗରେ ଚ଼ିକିତ୍ସିତ ହେବାକୁ ଆଗ୍ରହୀ ଇତ୍ୟାଦି ତଥ୍ୟ ଉଲ୍ଲେଖ କରି ମେକ ଏନ ଏପଏଣ୍ଟମେଣ୍ଟ ବଟନ କ୍ଳିକ କଲେ ମୋବାଇଲରେ କନଫରମେସନ ମେସେଜ ଆସିବା ସୁବିଧା ଉପଲବ୍ଧ । ଏତାଦୃଶ ରେଜିଷ୍ଟ୍ରେସନ ଓ କନଫରମେସନ ଆଧାରରେ ରୋଗୀ ଆଉଟଡ଼ୋରରେ ପହଞ୍ଚି ରେଜିଷ୍ଟ୍ରେସନ କାଉଣ୍ଟରରୁ ଟୋକେନ ଗ୍ରହଣ କରି ନିର୍ଦ୍ଧାରିତ ସମୟରେ ଚ଼ିକିତ୍ସା ବିଭାଗକୁ ଯାଇ ଡ଼ାକ୍ତରଙ୍କ ପରାମର୍ଶ ଗ୍ରହଣ କରିପାରିବେ ।
 
ବ୍ରହ୍ମପୁର ମେଡ଼ିକାଲ କଲେଜ ଓ ହସପିଟାଲରେ ଅନଲାଇନ ଆଉଟ ପେସେଣ୍ଟ ଡିପାର୍ଟମେଣ୍ଟସ ରେଜିଷ୍ଟ୍ରେସନ ବ୍ୟବସ୍ଥା ୧୮ ଜାନୁୟାରୀ ୨୦୨୨ରେ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଛି । ପ୍ରଥମ ଦିନ ପ୍ରାୟ ଶହେ ଜଣ ରୋଗୀ ସୁବିଧା ଗ୍ରହଣ କରିଥିଲେ । ଏହି ପ୍ରଣାଳୀ ସ୍ଥାୟୀ ହୋଇପାରିଲେ ରୋଗୀମାନେ ବିନା ସହାୟକଙ୍କ ଗହଣରେ ଚ଼ିକିତ୍ସାଲାଗି ଡ଼ାକ୍ତରଙ୍କ ନିକଟରେ ପହଞ୍ଚି ପାରିବେ, ଅସୁସ୍ଥ ବରିଷ୍ଠ ନାଗରିକ ଓ ମହିଳାମାନେ ଧାଡ଼ିବାନ୍ଧି ଛିଡ଼ା ହେବା ସମସ୍ୟାରୁ ମୁକ୍ତି ପାଇପାରିବେ ଏବଂ ସର୍ବୋପରି ଅଯଥା ଭିଡ଼ ନିୟନ୍ତ୍ରଣ ସମ୍ଭବ ହୋଇପାରିବ । ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ । ପ୍ରାରମ୍ଭିକ ତୃଟିବିଚ୍ୟୁତି ଯଦି ଦେଖାଦିଏ ତାହାକୁ ସଜାଡ଼ି କିପରି ଏହି ବ୍ୟବସ୍ଥା ସ୍ଥାୟୀ ହୋଇପାରିବ ସେଦିଗରେ ଉଦ୍ୟମ କରାଯିବା ଆବଶ୍ୟକ ।
 
ମହାମାରୀ ପରିବେଶରେ ଯେଉଁ ସବୁ ସାମାଜିକ ପରିବର୍ତ୍ତନ ସଂଗଠିତ ହୋଇଛି ସେଥି ମଧ୍ୟରେ ଅନଲାଇନ ବାଣିଜ୍ୟ, ମନୋରଞ୍ଜନ, ସ୍ୱାସ୍ଥ୍ୟରକ୍ଷା, ଶିକ୍ଷା ଓ ସାମାଜିକ ସଂପୃକ୍ତି ସୋସିଆଲ ଏଙ୍ଗେଜମେଣ୍ଟ ଇତ୍ୟାଦି ପ୍ରଧାନ । ରୋଗ ଚ଼ିକିତ୍ସା କ୍ଷେତ୍ରରେ ଦୀର୍ଘକାଳରୁ ଟେଲି-ମେଡ଼ିସନ ସେବାର ପ୍ରାବଧାନ ରହିଆସିଥିଲେହେଁ ମହାମାରୀ କାଳରେ ପ୍ରକୃତ ଉପଯୋଗ ହୋଇପାରିଥିଲା । ତୃତୀୟ ତରଙ୍ଗ ଓମିକ୍ରନ ସଂକ୍ରମଣ ଅବସରରେ ମେଡ଼ିକାଲ କଲେଜ ପକ୍ଷରୁ ୭୬୫୫୦ ୫୧୬୦୨, ୭୬୫୫୦ ୫୧୬୦୩ ଏବଂ ସିଟି ହସପିଟାଲ ପକ୍ଷରୁ ୭୬୫୫୦ ୫୦୯୬୨, ୭୬୫୫୦ ୫୦୯୮୩ ଟେଲିଫୋନ ଯୋଗେ ଟେଲିମେଡ଼ିସନ ସେବା ଯୋଗାଇବା ନିମନ୍ତେ ନମ୍ୱର ଜାରୀ କରାଯାଇଛି । ବ୍ରହ୍ମପୁର ପୌର ନିଗମର କୋଭିଡ଼-୧୯ କଣ୍ଟ୍ରୋଲ ରୁମ ଟେଲିଫୋନ ନମ୍ୱର ୭୬୦୮୮ ୮୦୪୮୦ ମଧ୍ୟ ସୂଚ଼ିତ । ନିଜ ବାସଗୃହରେ ୭୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କ ଟିକାକରଣ ନିମନ୍ତେ ୭୩୨୮୦ ୯୯୩୨୪ ସହ ଯୋଗାଯୋଗ କରିବା ଲାଗି କୁହାଯାଇଛି । ମହାମାରୀର ଟେଲିମେଡ଼ିସନ ଅଭିଜ୍ଞତା ପରବର୍ତ୍ତୀକାଳରେ ଜନଜୀବନକୁ ପ୍ରଭାବିତ କରିବା ଆଶା କରାଯାଇପାରେ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୨ ଜାନୁୟାରୀ ୨୦୨୨ / ପୃଷ୍ଠା :୮)

Photo from MKCG website