Friday, April 15, 2022

Cycle-Rickshaw / ସାଇକଲ ରିକ୍ସା

 

#ବ୍ରହ୍ମପୁର ସହରୀ-ଜୀବନରେ କୋଭିଡ଼-୧୯ ମହାମାରୀ-ପର ଅବସ୍ଥାରେ କେତେକ ଉଲ୍ଲେଖନୀୟ ପରିବର୍ତ୍ତନରେ ରାସ୍ତାଘାଟରେ ସାଇକଲ ରିକ୍ସା ଚଳପ୍ରଚଳ କମି ଯାଇଥିବା ଦେଖିବାକୁ ମିଳୁଥିବା ଅନ୍ୟତମ ।
 
ବ୍ରହ୍ମପୁର ସହର ବିକଶିତ ହେବା ଆରମ୍ଭରୁ ଯାତ୍ରୀ ଓ ମାଲ ପରିବହନ ନିମନ୍ତେ ବଳଦଟଣା ଶଗଡ଼ ଓ ଘୋଡ଼ାଗାଡ଼ି ଝାଟକାର ପ୍ରଚଳନ ରହି ଆସିଥିଲା । ସାଧାରଣରେ ଉଭୟ ଯାନର ମାଲିକ ଓ ସେମାନଙ୍କ ପରିବାରବର୍ଗ ସେସବୁ ବ୍ୟବହାର କରିଆସୁଥିଲେ । ବିଂଶ ଶତାଦ୍ଦୀ ଆରମ୍ଭରୁ ରେଳଗାଡ଼ି ଓ ମଧ୍ୟଭାଗରୁ ମଟରଗାଡ଼ି ବସ ଚଳାଚଳ ଅବସରରେ ଝାଟକା ଭଡ଼ାରେ ମିଳିବା ପରେ ସର୍ବସାଧାରଣ ପରିବହନ ଯାନ ମାନ୍ୟତା ପାଇଥିଲା । ସ୍ୱାଧୀନତା ପୂର୍ବବର୍ତ୍ତୀ ଅବସ୍ଥାରେ ସାଇକଲ ରିକ୍ସାର ବ୍ୟବହାର ବ୍ରହ୍ମପୁରରେ ଆରମ୍ଭ ହୋଇଥିଲେ ହେଁ ସ୍ୱାଧୀନୋତ୍ତର ପରିବେଶରେ ହିଁ ପ୍ରସାର ଲାଭ କରିଥିଲା । ସହରର ପରିସୀମା ଓ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ବାଣିଜ୍ୟ ବ୍ୟବସାୟ, ପ୍ରଶାସନିକ କାର୍ଯ୍ୟ, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ମନୋରଞ୍ଜନ ଇତ୍ୟାଦି ସୁବିଧାସୁଯୋଗ ଗ୍ରହଣ କରିବାକୁ ଗଞ୍ଜାମ ତଥା ପଡ଼ୋଶୀ ଜିଲ୍ଲାରୁ ବହୁସଂଖ୍ୟକ ଲୋକ ଦୈନନ୍ଦିନ ଯିବାଆସିବା କରିବାରୁ ସହର ମଧ୍ୟରେ ସାଧାରଣ ପରିବହନ ବ୍ୟବସ୍ଥାର ଗୁରୁତ୍ୱ ବଢ଼ିଥିଲା ।
 
ସାଇକଲ ରିକ୍ସା ପ୍ରଥମ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଅବସ୍ଥାରେ ଦକ୍ଷିଣ-ପୂର୍ବ ରାଷ୍ଟ୍ରଗୁଡ଼ିକରେ ଲୋକପ୍ରିୟତା ହାସଲ କରିଥିଲା । ଏହି ଯାନର ବ୍ୟବହାର କୋଲକତାରେ ୧୯୩୦ରେ ଆରମ୍ଭ ହୋଇଥିବା ଇତିହାସ ପୃଷ୍ଠାରେ ଲିପିବଦ୍ଧ । ସାଇକଲ ରିକ୍ସା ଚାଳନା ସରଳ ଓ ଯାନର ମୂଲ୍ୟ ବ୍ୟୟବହୁଳ ନଥିବା ହେତୁ କୋଲକତା-ପ୍ରଭାବିତ ପୂର୍ବଭାରତର ବିଭିନ୍ନ ସହରକୁ ଖୁବ କମ ସମୟ ମଧ୍ୟରେ ସଂପ୍ରସାରିତ ହୋଇଥିଲା । ସାଇକଲ ରିକ୍ସା ପ୍ରଚଳନ କୋଲକତାରୁ କଟକ ଦେଇ ବ୍ରହ୍ମପୁରରେ ପହଞ୍ଚିଥିଲା ।
 
ଅକ୍ଟୋବର ୨୦୦୬ରେ ସମ୍ୱାଦପତ୍ରରେ ପ୍ରକାଶିତ ଏକ ବିବରଣୀରେ ଉଲ୍ଲେଖ ଥିଲା, ବ୍ରହ୍ମପୁର ସହରରେ ଏବେ ପ୍ରାୟ ୧୨ ହଜାର ରିକ୍ସା ଚାଳକ ଥିବା ଜଣା ପଡ଼ିଛି । ବ୍ରହ୍ମପୁରରେ ଅଟୋ ଦ୍ୱାରା ଲୋକମାନେ ଯାତାୟାତ କରୁଥିଲେ ମଧ୍ୟ ବିଭିନ୍ନ ଛକ ସ୍ଥାନକୁ ହିଁ ପହଞ୍ଚିପାରିଥାନ୍ତି । ତେଣୁ ନିର୍ଦ୍ଦିଷ୍ଟ ଗନ୍ତବ୍ୟସ୍ଥଳ ଓ ସାହୀ ମଧ୍ୟରୁ ଯିବା ପାଇଁ ଆଜି ବି ଲୋକମାନଙ୍କ ପ୍ରଥମ ପସନ୍ଦ ରିକ୍ସା ରହିଥିବା ବହୁ ଲୋକ ପ୍ରକାଶ କରିଛନ୍ତି ।” (ସମ୍ୱାଦ, ବ୍ରହ୍ମପୁର ସଂସ୍କରଣ / ୨୧ ଅକ୍ଟୋବର ୨୦୦୬)
 
ବ୍ରହ୍ମପୁରରେ ୨୦୦୫ରୁ ୨୦୧୫ ମଧ୍ୟରେ ଅଟୋରିକ୍ସା ଚଳାଚଳ ପ୍ରସାର ଲାଭ କରିବା ପରେ ୨୦୧୫ ବେଳକୁ ରିକ୍ସା ସଂଖ୍ୟା କମି ଆସିଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ୨୦୧୫ରୁ ୨୦୨୦ ପାଞ୍ଚ ବର୍ଷ ମଧ୍ୟରେ ଅଲୋଡ଼ା ହୋଇପଡୁଥିବା ଏହି ପରିବହନ ବ୍ୟବସ୍ଥା ୨୦୨୦ ଓ ୨୦୨୧ ଦୁଇ ବର୍ଷ ମଧ୍ୟରେ ମହାମାରୀଜନିତ ଦୀର୍ଘ ଜନପଦ ବନ୍ଦ ଲକଡ଼ାଉନ ପ୍ରଭାବରେ ଉଭେଇ ଗଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଅନୁଧ୍ୟାନରୁ ୨୦୨୨ ଆରମ୍ଭ ସୁଦ୍ଧା ସହରରେ ମାତ୍ର ପାଞ୍ଚ ଶହରୁ କମ ରିକ୍ସା ଚଳାଚଳ କରୁଥିବା ହିସାବ କରାଯାଏ ।
 
ଉଦାହରଣରେ ସହରର ଜଣେ ବଡ଼ ରିକ୍ସା ମାଲିକଙ୍କ ୯୦ ଗୋଟି ରିକ୍ସା ଅଛି । ମହାମାରୀ ପୂର୍ବରୁ ରାତି ଓ ଦିନ ଦୁଇ ବେଳାର ଭଡ଼ାରେ ଅଶୀରୁ ନବେ ପ୍ରତିଶତ ରିକ୍ସା ଭଡ଼ାରେ ଚାଳକମାନେ ନେଉଥିଲେ । ଏପ୍ରିଲ ୨୦୨୨ ସୁଦ୍ଧା କେବଳ ଦିନବେଳା ୪୦ ରୁ ୫୦ ରିକ୍ସା ଭଡ଼ାରେ ଯାଉଛି । ରାତିବେଳା ପ୍ରାୟ ଶୂନ । ଗୁରୁବାର, ସଂକ୍ରାନ୍ତି ବିଭିନ୍ନ ପର୍ବପର୍ବାଣୀରେ ଭଡ଼ା ସଂଖ୍ୟା ଆହୁରି କମିଯାଏ । ଭଡ଼ା ବାବଦରେ ଦିନ ବେଳା ୩୦ ଓ ରାତିବେଳା ୩୦ ଟଙ୍କା ଭଡ଼ା ପାଆନ୍ତି । ରିକ୍ସା ରକ୍ଷଣାବେକ୍ଷଣ ପାଇଁ ଚାରିଜଣ ନିୟୋଜିତ ଅଛନ୍ତି । ଭଡ଼ା ପଇସା କର୍ମଚାରୀଙ୍କ ପାଉଣାରେ ଯାଏ । ମାଲିକଙ୍କ ପାଇଁ ଏହା କ୍ଷତିର ବ୍ୟବସାୟ । ସହରରେ ପ୍ରାୟ ଦଶରୁ ଅଧିକ ଛୋଟ ବଡ଼ ରିକ୍ସା ମାଲିକଙ୍କ ବ୍ୟବସାୟ ଚାଲିଥିବା ଜଣାଯାଏ ।
 
ରିକ୍ସା ଚାଳନା ନିମନ୍ତେ ରିକ୍ସା ଚାଳକ ଆବଶ୍ୟକ ପଡ଼ିଥାନ୍ତି । ୨୦୦୫ ବେଳକୁ ବ୍ରହ୍ମପୁର ସହରତଳି ଗ୍ରାମାଞ୍ଚଳରୁ ରିକ୍ସା ଚାଳକମାନେ ଏହି ବୃତ୍ତିରେ ନିୟୋଜିତ ହେଉଥିଲେ । ସେହି ସମୟରେ ଭୁବନେଶ୍ୱରରେ ଅଟୋରିକ୍ସା ସଂଖ୍ୟା ବଢ଼ିବା ଏବଂ ସହର ସଂପ୍ରସାରିତ ହେବା ହେତୁ ସାଇକଲ ରିକ୍ସାର ପ୍ରଚଳନ ବନ୍ଦ ହୋଇଯାଇଥିଲା । ସେଠାକାର ରିକ୍ସା ଚାଳନାକୁ ବୃତ୍ତି କରିଥିବା ସ୍ଥାନୀୟ ଝମ୍ପୁଡ଼ି ବାସିନ୍ଦାଙ୍କ ବ୍ୟତୀତ ନୟାଗଡ଼ ଭଳି ପଡ଼ୋଶୀ ଅଞ୍ଚଳର ବହୁ ଗ୍ରାମବାସୀ ସଂପୃକ୍ତ ଥିଲେ । ଭୁବନେଶ୍ୱରରେ ନିଯୁକ୍ତି ହରାଇବା ପରେ କେତେକ ବ୍ରହ୍ମପୁର ଆସିଥିଲେକଟକ ଓ ପୁରୀରେ ରିକ୍ସା ଚାଳକମାନେ ସଂଗଠିତ ଥିବା ଏବଂ ବାହାର ଅଞ୍ଚଳର ନୂଆ ଚାଳକଙ୍କ ପ୍ରବେଶକୁ ବାରଣ କରୁଥିବା ହେତୁ ସେମାନେ ବ୍ରହ୍ମପୁର ମୁହାଁ ହୋଇଥିବା ପ୍ରକାଶିତ ବିବରଣୀରେ ଉଲ୍ଲେଖ କରାଯାଇଥିଲା ।
 
ଆନ୍ତର୍ଜାତିକସ୍ତରରେ ସାଇକଲର ଆଦର ବଢ଼ିଛି; କିନ୍ତୁ ସାଇକଲ ରିକ୍ସାର ପ୍ରଚଳନ ଲୋପ ପାଇ ଆସିଛି । ସାଇକଲ ରିକ୍ସା ଚାଳନା ମନୁଷ୍ୟର ଶ୍ରମଶକ୍ତି ଆବଶ୍ୟକ ପଡୁଥିବା ହେତୁ ଅନ୍ୟଜଣକୁ ବୋହିନେବା ଅମାନବୀୟ ବିବେଚନା କରାଯାଉଛି । ଅପରପକ୍ଷେ ପେଟ୍ରୋଲ ଇନ୍ଧନ ବ୍ୟବହାରରେ ଅଟୋରିକ୍ସା ଚଳାଚଳ ଦ୍ୱାରା ପ୍ରଦୂଷଣ ବଢୁଥିବା ତଥା ତୈଳଦର କ୍ରମାଗତଭାବେ ବୃଦ୍ଧି ପାଇ ଚାଲିଥିବା ହେତୁ ଇ-ରିକ୍ସା ବା ଇଲେକ୍ଟ୍ରିକ-ରିକ୍ସା ପ୍ରଚଳନ ଦେଶରେ ସହରାଞ୍ଚଳରେ ଲୋକପ୍ରିୟତା ହାସଲ କରିବା ଆଶା କରାଯାଏ । ବ୍ରହ୍ମପୁରରେ ଇ-ରିକ୍ସା ପରୀକ୍ଷାମୂଳକଭାବେ ବ୍ୟବହୃତ ହୋଇଥିଲେ ହେଁ ପ୍ରସାର ଲାଭ କରିପାରିନାହିଁ । ଅଗ୍ରଣୀ ବିଦ୍ୟୁତଚାଳିତ ତିନିଚକିଆ ଯାନ ନିର୍ମାତା ମହେନ୍ଦ୍ରା ଇଲେକ୍ଟିକର ପ୍ରମୁଖ କର୍ମକର୍ତ୍ତା ଚାରିବର୍ଷ ମଧ୍ୟରେ ୨୦୨୬ ସୁଦ୍ଧା ଦେଶର ୪୦ ପ୍ରତିଶତ ତିନିଚକିଆ ଇ-ରିକ୍ସା ପର୍ଯ୍ୟାୟଭୁକ୍ତ ହେବ ବୋଲି ଆକଳନ କରିଥିବା ଜଣାଯାଏ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୬ ଏପ୍ରିଲ ୨୦୨୨/ ପୃଷ୍ଠା :୮)

Photo by P.M. Digital Documentation



Friday, April 8, 2022

Multiplex / ମଲଟିପ୍ଳେକ୍ସ

 

#ବ୍ରହ୍ମପୁର ମଲ ଓ ମଲଟିପ୍ଳେକ୍ସ ସଂସ୍କୃତି ପ୍ରସାରରେ ପଛୁଆ ରହିଆସିଛି । ଜନସଂଖ୍ୟା ଆଧାରରେ ତୃତୀୟ ସ୍ତର ତ୍ରି-ଟାୟର ସହର ରୂପେ ପରିଗଣିତ ହେଉଥିବା ହେତୁ ନବ-ବିକଶିତ ବ୍ୟାବସାୟିକ ପ୍ରବାହ ପ୍ରଥମ ଓ ଦ୍ୱିତୀୟ ସ୍ତରର ସହର ତୁଳନାରେ ବିଳମ୍ୱରେ ପହଞ୍ଚେସାଧାରଣରେ ମଲ ଗଢ଼ିଉଠିବାପରେ ସେଥିରେ ମଲଟିପ୍ଳେକ୍ସ ଯୋଡ଼ି ହୋଇଥାଏ । ପାରମ୍ପରିକ ରୀତିରେ ବିକ୍ଷିପ୍ତ ଭାବେ ପ୍ରସାରିତ ଦୋକାନ-ବଜାର ମଲରେ ବହୁତଳ ପ୍ରାସାଦରେ ସଜ୍ଜିତ । ଗ୍ରାହକ ଶୀତତାପ-ନିୟନ୍ତ୍ରିତ ପରିବେଶରେ କିଣାବିକା ସହ ସଂଲଗ୍ନ ଭୋଜନାୟମାଳା ଫୁଡ଼କୋର୍ଟରେ ପରିବେଷିତ କିସମ କିସମର ଆହାର, ବିଦ୍ୟୁତଚାଳିତ ଶିଶୁଙ୍କ କ୍ରୀଡ଼ା ଉପକରଣ ଉଦ୍ୟାନ ପାର୍କ ସାଙ୍ଗକୁ ଏକାଧିକ ରୂପେଲି ପରଦା ମଲଟିପ୍ଳେକ୍ସରେ ଚଳଚ଼ିତ୍ର ଉପଭୋଗର ସୁବିଧା ସୁଯୋଗ ପାଇଥାନ୍ତି ।

 

ବ୍ରହ୍ମପୁରରେ ୨୦୨୨ ଆରମ୍ଭ ସୁଦ୍ଧା ଗୋଟିଏ ମଲ ଓ କେତେଗୋଟି ମେଗା ଷ୍ଟୋର ପ୍ରତିଷ୍ଠିତ । ମଲ ବହୁବିଧ ଦୋକାନର ସମାହାର ଥିବା ସ୍ଥଳେ ମେଗା ଷ୍ଟୋରରେ ଜଣେ ବିକ୍ରେତା ବିଭିନ୍ନ ସମଗ୍ରୀର ବିପ୍ପଣୀ ଖୋଲିଥାନ୍ତିପୁରୁଣା ବସଷ୍ଟାଣ୍ଡସ୍ଥିତ ସିଟି ମଲ ସଂଲଗ୍ନରେ ତିନି ରୂପେଲି ପରଦା ଅର୍ଥାତ ତିନିଗୋଟି ପ୍ରେକ୍ଷାଳୟ ସମ୍ପନ୍ନ ଏକ ମଲଟିପ୍ଳେକ୍ସର ନିର୍ମାଣ କାର୍ଯ୍ୟ ପ୍ରାୟ ସରି ଆସିଛି । ସେହିପରି ଗାନ୍ଧିନଗର ଛକରେ ନିର୍ମାଣଧୀନ ଅନ୍ୟ ଏକ ମଲରେ ଚାରିଗୋଟି ପ୍ରେକ୍ଷାଳୟ ବିଶିଷ୍ଟ ଏକ ମାଲଟିପ୍ଳେକ୍ସ ୨୦୨୩ ଆରମ୍ଭ ସୁଦ୍ଧା ଖୋଲିବା ନିମନ୍ତେ ତତ୍ପରତା ପ୍ରକାଶ ପାଇଥିବା ଜଣାଯାଏ । ବ୍ରହ୍ମପୁରରେ ପୂର୍ବରୁ କେବଳ ଶକ୍ତି ଓ ଶିବା ଦୁଇ ପ୍ରେକ୍ଷାଳୟ ଏକ ପ୍ରାଙ୍ଗଣରେ ପ୍ରତିଷ୍ଠିତ ହୋଇଥିବା ସ୍ଥଳେ ଗୌତମ, ରୁକ୍ମିଣୀ ଓ ପାୟଲ ଏକକ ସ୍କ୍ରୀନରେ ଚଳଚ଼ିତ୍ର ପ୍ରଦର୍ଶନ କରିଥାନ୍ତି । ମହାମାରୀ-ପର ଅବସ୍ଥାରେ ସମସ୍ତ ପାଞ୍ଚଗୋଟି ପ୍ରେକ୍ଷାଳୟ ଖୋଲିଛି ।

 

ଓଡ଼ିଶାରେ ଚଳଚ଼ିତ୍ର ପ୍ରେକ୍ଷାଳୟ ବ୍ୟବସାୟ ୨୦୨୨ ଆରମ୍ଭ ସୁଦ୍ଧା ସ୍ୱାଧୀନତା-ପୂର୍ବ ପରିବେଶକୁ ଫେରିଯାଇଛି । ବିଂଶ ଶତାଦ୍ଦୀ ଶେଷରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଏକାଦିକ୍ରମେ ଦୁଇଗୋଟି ମହାବାତ୍ୟା ପରେ ବହୁ ଚଳଚ଼ିତ୍ର ପ୍ରେକ୍ଷାଳୟ ଭାଙ୍ଗିରୁଜି ଯାଇଥିଲା । ଟେଲିଭିଜନ ପ୍ରସାରଣର ୨୦ ବର୍ଷ ଓ ଘରୋଇ ସାଟେଲାଇଟ ଚ୍ୟାନେଲ ପ୍ରଚଳନର ୧୦ ବର୍ଷ ମଧ୍ୟରେ ସାଧାରଣ ଲୋକେ ନିଜ ଘରେ ୨୪ ଘଣ୍ଟିଆ ସମ୍ୱାଦ, ଧାରାବାହିକ ଓ ଚଳଚ଼ିତ୍ର ଉପଭୋଗର ସୁଯୋଗ ପାଇବାପରେ ଅଧିକା ଅର୍ଥ ବ୍ୟୟକରି ଚଳଚ଼ିତ୍ର ପ୍ରେକ୍ଷାଳୟକୁ ଯିବା ଅଭ୍ୟାସ କ୍ରମେ ଭାଙ୍ଗି ଆସିଥିଲା । ବ୍ୟବସାୟ ଅଭାବରୁ କେତେକ ପ୍ରେକ୍ଷାଳୟ ମାଲିକ ବାତ୍ୟା-ବିଧ୍ୱଂସ୍ତ କୋଠାବାଡ଼ି ସଜାଡିବା ପାଇଁ ଆଗ୍ରହ ପ୍ରକାଶ କଲେ ନାହିଁ । ବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକରେ ଇଣ୍ଟରନେଟର ବ୍ୟାପ୍ତି, ସ୍ମାର୍ଟଫୋନର ପ୍ରବେଶ ଓ ଷ୍ଟ୍ରୀମିଂ ପ୍ଳାଟଫରମଗୁଡ଼ିକର ପ୍ରସାର ପ୍ରେକ୍ଷାଳୟ ବ୍ୟବସାୟକୁ ପୁଣି କ୍ଷତି ପହୁଞ୍ଚାଇଥିଲା । ତେବେ ଓଡ଼ିଶାରେ ମହାମାରୀ-ପୂର୍ବ ଅବସ୍ଥାରେ ପ୍ରାୟ ୧୦୦ ଗୋଟି ପ୍ରେକ୍ଷାଳୟ କେନ୍ଦ୍ର କାର୍ଯ୍ୟକ୍ଷମ ଥିବା ସ୍ଥଳେ ମହାମାରୀ ସଂକ୍ରମଣ ଭୟରେ ଦେଢ଼ ବର୍ଷ ବନ୍ଦ ରହିବାପରେ ୫୫କୁ ଆସିଯାଇଥିବା କୁହାଯାଉଛି । ଏଗୁଡ଼ିକରେ ପ୍ରାୟ ୧୨୦ଗୋଟି ସ୍କ୍ରୀନ ସଂଲଗ୍ନ ହୋଇଛି ।

 

ବିଶେଷଜ୍ଞଙ୍କ ବିଚାରରେ ମହାମାରୀ-ପର ପରିବେଶ ନ୍ୟୂ-ନରମାଲରେ ଏକକ ରୂପେଲି ପରଦା ବିଶିଷ୍ଟ ଚଳଚ଼ିତ୍ର ପ୍ରେକ୍ଷାଳୟ ବ୍ୟାବସାୟିକ ଦୃଷ୍ଟିରୁ ତିଷ୍ଠି ରହିବା ସଂଭାବନା କମ । ଆନ୍ତର୍ଜାତିକ ପ୍ରବାହ ଅନୁକରଣରେ ମଲଟିପ୍ଳେକ୍ସ-ଥିଏଟର-ଚ଼େନ ଅର୍ଥାତ ଅନ୍ତଃରାଜ୍ୟ ବା ଜାତୀୟସ୍ତରରେ ବହୁ ସହରରେ ବହୁ ଚଳଚ଼ିତ୍ର ପ୍ରେକ୍ଷାଳୟ-ଶୃଙ୍ଖଳ ବ୍ୟାବସାୟିକ ଆର୍ଥିକ ନିବେଶ ଓ ପରିଚାଳନାରେ ପର୍ଯ୍ୟବସିତ ହେବ । ଆମ ଦେଶରେ ପିଭିଆର ଓ ଆଇନକ୍ସ ଦୁଇଗୋଟି ବୃହତ ଥିଏଟର-ଚେନ । ପିଭିଆର ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଭାରତରେ ୭୩ଗୋଟି ସହରରେ ୧୮୧ଗୋଟି ପ୍ରେକ୍ଷାଳୟରେ ୮୭୧ଗୋଟି ରୂପେଲିପରଦା ଏବଂ ଆଇନକ୍ସ ପୂର୍ବାଞ୍ଚଳରେ ୭୨ଗୋଟି ସହରରେ ୧୬୦ଗୋଟି ପ୍ରେକ୍ଷାଳୟରେ ୬୭୫ ଗୋଟି ରୂପେଲି ପରଦାରେ କାର୍ଯ୍ୟକ୍ଷମ । ଏହି ଦୁଇଗୋଟି ଚ଼େନ ମିଶ୍ରଣ ହେଉଥିବା ମାର୍ଚ୍ଚ ୨୦୨୨ରେ ଘୋଷିତ ହୋଇଛି । ନୂଆ କମ୍ପାନୀ ପିଭିଆର-ଆଇନାକ୍ସ ପରବର୍ତ୍ତୀ ସାତବର୍ଷ ମଧ୍ୟରେ ଚାରି ହଜାର କୋଟି ଟଙ୍କା ବ୍ୟୟରେ ଉପଲବ୍ଧ ବ୍ୟବସ୍ଥାର ଆଧୁନୀକରଣ ସହ ବାର୍ଷିକ ଦୁଇଶହ ନୂଆ ସ୍କ୍ରୀନ ଟାୟାର-୩, ଟାୟାର-୪ ଓ ଟାୟାର-୫ ସହରରେ ନିର୍ମାଣ କରିବପ୍ରତି ସ୍କ୍ରୀନ ପିଛା ଅଢ଼େଇ କୋଟି ଟଙ୍କା ବ୍ୟୟ ହେବ ।

 

ଭାରତର ପୂର୍ବାଞ୍ଚଳରେ ଆଇନକ୍ସ ପ୍ରଭାବ ବିସ୍ତାର କରିଥିବା ହେତୁ ପ୍ରସ୍ତାବିତ ପିଭିଆର-ଆଇନକ୍ସ ସଂପ୍ରସାରଣରେ ବ୍ରହ୍ମପୁରରେ ମଲଟିପ୍ଳେକ୍ସ ନିର୍ମାଣ ନିଶ୍ଚିତ ବୋଲି ବିଶ୍ୱାସ କରାଯାଇପାରେ । ଅବଶ୍ୟ ମଲଟିପ୍ଳେକ୍ସ ମଲ ସହ ଯୋଡ଼ି ହୋଇ ରହୁଥିବା ହେତୁ ସହରରେ ବଡ଼ ମଲ ନିର୍ମାଣ ଉପରେ ମଲଟିପ୍ଳେକ୍ସ ପ୍ରତିଷ୍ଠା ନିର୍ଭର କରିବ । ଅପରପକ୍ଷରେ ମହାମାରୀ-ପର ଅବସ୍ଥାରେ ଉଭୟ ମଲ ଓ ମଲଟିପ୍ଳେକ୍ସ କ୍ଷତିର ବ୍ୟବସାୟରୂପେ ପରିଗଣିତ ହେଉଥିବା ହେତୁ ଏଦିଗରେ ନିବେଶ ବହୁ ଅଙ୍କ କଷା ଲୋଡ଼ିବ !


(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୯ ଏପ୍ରିଲ ୨୦୨୨/ ପୃଷ୍ଠା :୮)


Photo by Lennart Schneider on Unsplash 


Sunday, April 3, 2022

Remembering Godfather / ‘ଗଡ଼ଫାଦର’ ସ୍ମୃତି

 

#ବ୍ରହ୍ମପୁର କାହିଁକି ଯେକୌଣସି ସହରର ପଚାଶବର୍ଷ ପୂର୍ବର ସ୍ମୃତି ରୋମନ୍ଥନ ରୋମାଞ୍ଚକର ଅନୂଭୂତି । ବ୍ରହ୍ମପୁର ୨୦୨୨ରେ ବ୍ରହ୍ମପୁର ୧୯୭୨ର ସାମାଜିକ ଚଳେଣୀର କେତେକ ଝାପସା ଦୃଶ୍ୟାବଳୀ ସେ ସମୟରେ ଯୁବାବସ୍ଥା ବିତାଇଥିବା ସହରବାସୀଙ୍କ ମନଗହନର ଗଭୀରତମ ପ୍ରଦେଶରୁ ଉଙ୍କି ମାରିଥାଏ ।
 
ବହୁ ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ବାଦ ଦେଲେ ୧୯୭୨ରେ ବ୍ରହ୍ମପୁର ପ୍ରେକ୍ଷାଳୟରେ ହଲିଉଡ଼ ଚଳଚ଼ିତ୍ର ଗଡ଼ଫାଦର ପ୍ରଦର୍ଶିତ ହୋଇଥିଲା । ସେହି ସମୟରେ ସ୍ଥାନୀୟ ସାଂସ୍କୃତିକ ପ୍ରବାହରେ ଏକ ଇଂଲିଶ ଚଳଚ଼ିତ୍ରପ୍ରେମୀ ଗୋଷ୍ଠୀ ଅନ୍ୟତମ ବୈଶିଷ୍ଟ୍ୟସହରର ଚାରିଗୋଟି ଚଳଚ଼ିତ୍ର ପ୍ରେକ୍ଷାଳୟ ମଧ୍ୟରୁ ତିନିଗୋଟି ଏସଏସଭିଟି, ଉତ୍କଳ ଓ ବିଜୟାରେ ବରାବର ହଲିଉଡ଼ ଚଳଚ଼ିତ୍ର ପ୍ରଦର୍ଶିତ ହେଉଥାଏ । ଏସଏସଭିଟିରେ କେବଳ ଶନି ଓ ରବିବାର ମର୍ଣ୍ଣିଂ ସୋ, ବିଜୟାରେ ଶନି ଓ ରବିବାର ମର୍ଣ୍ଣିଂ ସୋ ସାଙ୍ଗକୁ ସୋମବାରରୁ ଗୁରୁବାର ଅପରାହ୍ନ ଚାରିଟାରେ ମେଟିନୀ ଏବଂ ଉତ୍କଳରେ ମର୍ଣ୍ଣିଂ ସୋରେ ଇଂଲିଶ ଚଳଚ଼ିତ୍ର ଚାଲେ । ହଲିଉଡ଼ର ହିଟ ଇଂଲିଶ ଚଳଚ଼ିତ୍ରଗୁଡ଼ିକ ସାମୟିକ ଭାବେ ଉତ୍କଳ ଓ ବିଜୟା ରେଗୁଲାର ତିନିଗୋଟି ସୋ ମେଟିନୀ, ଫାଷ୍ଟ ସୋ ଓ ସେକଣ୍ଡ ସୋରେ ଚଳାନ୍ତି । ଗଡ଼ଫାଦର ସଂଭବତଃ ଉତ୍କଳ ସିନେମାରେ ୧୯୭୨ର ମଧ୍ୟଭାଗରେ ତିନି ସୋରେ ପ୍ରଦର୍ଶିତ ହୋଇଥିଲା ।
 
ଗଡ଼ଫାଦର ସ୍ମୃତି ରୋମନ୍ଥନର ଦୁଇଗୋଟି କାରଣ ରହିଛି । ପ୍ରଥମତଃ, ଏହି ଚଳଚ଼ିତ୍ର ପ୍ରଦର୍ଶନର ପଚାଶ ବର୍ଷ ପୁରିଛି ଏବଂ ଦ୍ୱିତୀୟତଃ, ସେହି ଚଳଚ଼ିତ୍ରର କାହାଣୀ କିପରି ତତ୍ କାଳୀନ ବ୍ରହ୍ମପୁର ସାମାଜିକ ଜୀବନ ଲାଗି ପ୍ରଯୁଜ୍ୟ ଥିଲା ସେଥିପ୍ରତି ସମ୍ୟକ ଆଲୋକପାତ ।
 
ଲୋକପ୍ରିୟ ଲେଖକ ମାରିଆ ପୋଜୋଙ୍କ ୧୯୬୯ରେ ପ୍ରକାଶିତ ଗଡ଼ଫାଦର ଉପନ୍ୟାସ ଆଧାରରେ ନିର୍ମିତ ଫ୍ରାନ୍ସିସ ଫୋର୍ଡ କୋପୋଲା ନିର୍ଦ୍ଦେଶିତ ଚଳଚ଼ିତ୍ରରେ ମାରଲିନ ବ୍ରାଣ୍ଡୋ ଓ ଆଲ ପାସିନୋ ଅଭିନୟ କରିଥିଲେ । ଚଳଚ଼ିତ୍ରଟି ୨୪ ମାର୍ଚ୍ଚ ୧୯୭୨ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଶୁଭମୁକ୍ତି ପାଇବା ସପ୍ତାହକ ଆଗରୁ ୧୫ ମାର୍ଚ୍ଚ ୧୯୭୨ରେ ଭାରତରେ ମୁକ୍ତି ଲାଭ କରିଥିଲା । ପଚାଶ ବର୍ଷ ପୂର୍ବେ ହିନ୍ଦି କିମ୍ୱା ଇଂଲିଶ ଚଳଚ଼ିତ୍ର ଭାରତରେ ବଡ଼ ବଡ଼ ସହରରେ ମୁକ୍ତିଲାଭ କରିବା କିଛି ମାସ ପରେ ବ୍ରହ୍ମପୁର ଚଳଚ଼ିତ୍ର ପ୍ରେକ୍ଷାଳୟକୁ ଆସୁଥିଲା । ଚଳଚ଼ିତ୍ର ପ୍ରଦର୍ଶନ ଲାଗି ପ୍ରସ୍ତୁତ ପ୍ରିଣ୍ଟ ସଂଖ୍ୟା କମ ଥିବା ହେତୁ ବକ୍ସ ଅଫିସ ଲୋକପ୍ରିୟତା ଅନୁଯାୟୀ ବଡ଼ ସହରପରେ ଛୋଟ ସହରର ପାଳି ଆସେ । ସେହି ସମୟରେ ପୂର୍ବାଞ୍ଚଳରେ ଇଂଲିଶ ଚଳଚ଼ିତ୍ର ପ୍ରଦର୍ଶନଲାଗି କୋଲକତା ଓ କଟକ ପରକୁ ବ୍ରହ୍ମପୁରର ସ୍ଥାନ । ଗଡ଼ଫାଦର ନାମୀ ଚଳଚ଼ିତ୍ର ହୋଇଥିବା ହେତୁ କଟକରେ ପ୍ରଦର୍ଶନ କାଳରେ ଦୈନିକ ଓଡ଼ିଆ ସମ୍ୱାଦପତ୍ରରେ ବିଜ୍ଞପିତ ହୋଇଥିବା ମନେପଡ଼େ ।
 
ଗଡ଼ଫାଦର ଚଳଚ଼ିତ୍ର ବାର୍ଷିକ ଓସ୍କାର ପ୍ରତିଯୋଗିତାରେ ଶ୍ରେଷ୍ଠ ଚଳଚ଼ିତ୍ର, ଶ୍ରେଷ୍ଠ ଚ଼ିତ୍ରନାଟ୍ୟ ଓ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇ ପ୍ରଶଂସିତ ହେବାପରେ ଅତିରିକ୍ତି ଦୁଇଗୋଟି ପୂର୍ଣ୍ଣାଙ୍ଗ ଚଳଚ଼ିତ୍ର ପାର୍ଟ-୨ ଓ ପାର୍ଟ-୩ ପ୍ରସ୍ତୁତ ହୋଇଥିଲା । ଗଡ଼ଫାଦରର କାହାଣୀରେ ଅନୁପ୍ରାଣିତ ହୋଇ ବିଶ୍ୱବ୍ୟାପୀ ପ୍ରାୟ ଚାରିଶହଗୋଟି ଚଳଚ଼ିତ୍ର ନିର୍ମିତ ହୋଇଥିବା କୁହାଯାଏ । ଭାରତରେ ଫିରୋଜ ଖାନଙ୍କ ଧର୍ମାତ୍ମା ଓ ଅମିତାଭ ବଚ୍ଚନ ଅଭିନୀତ ସରକାର ସେଥି ମଧ୍ୟରେ ଅନ୍ତର୍ଭୁକ୍ତ ।
 
ଗଡ଼ଫାଦରର କାହାଣୀ ୧୯୪୦ ସମୟର ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୂୟର୍କରେ ଅବସ୍ଥାପିତ ଏକ କାଳ୍ପନିକ ଗ୍ୟାଙ୍ଗଷ୍ଟାର ଭିଟୋ କାରଲେନ୍ସର ଜୀବନ ବୃତ୍ତାନ୍ତ । ଏହି ଚଳଚ଼ିତ୍ରଟି ୧୯୭୨ରେ ବ୍ରହ୍ମପୁରରେ ପ୍ରଦର୍ଶିତ ହେବା ବେଳକୁ ସହରର ଯୁବ ସମ୍ପ୍ରଦାୟରେ ଗ୍ୟାଙ୍ଗଷ୍ଟାର ସଂସ୍କୃତି ଚର୍ଚ୍ଚିତ ବିଷୟବସ୍ତୁ । ସେତେବେଳକାର ଯୁବକୁଳର ପ୍ରାଣକେନ୍ଦ୍ର ଖଲ୍ଲିକୋଟ ମହାବିଦ୍ୟାଳୟ ବିଶୃଙ୍ଖଳିତ । ପଶ୍ଚିମବଙ୍ଗର ନକ୍ସଲବାଡ଼ି ଆନ୍ଦୋଳନ ପ୍ରଭାବରେ ସହରର କାନ୍ଥବାଡ଼ ବାମପନ୍ଥୀ ସ୍ଳୋଗାନରେ ଭର୍ତ୍ତି । ବାଂଲାଦେଶ ମୁକ୍ତି ସଂଗ୍ରାମ ଏହି ମାତ୍ର ସରିଥାଏ ଅଧ୍ୟୟନପରେ ନିଯୁକ୍ତି ଅଭାବ ସହରର ଯୁବକମାନେ ପ୍ରଥମଥର ପାଇଁ ସାମ୍ନା କରୁଥାନ୍ତି । ଅଜଣା ଭୟ ଓ ଅନିଶ୍ଚିତ ଭବିଷ୍ୟତ ସହ ଅପରିଚ଼ିତ ଯୁବପ୍ରାଣକୁ ଗଡ଼ଫାଦର ଭଳି ଚଳଚ଼ିତ୍ର ପ୍ରଭାବିତ କରିବାର ଭରପୁର ଉପାଦାନ ରହିଥିଲା । ମାରଲିନ ବ୍ରାଣ୍ଡୋଙ୍କ ସଂଳାପ ଆଇ ଏମ ଗୋଇଂ ଟୁ ମେକ ହିମ ଏନ ଅଫର ହି କେନାଟ ରିଫ୍ୟୁଜ”; ଜୀବନସହ ସାଲିସ କରିବା ନିମନ୍ତେ ଏକ ନିଆରା ମନ୍ତ୍ର ପ୍ରଦାନ କରିଥିଲା ବୋଲି କୁହାଯାଇପାରେ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୦୨ ଏପ୍ରିଲ ୨୦୨୨/ ପୃଷ୍ଠା :୮)

Photo by Jeremy Yap on Unsplash


Friday, April 1, 2022

Neelakantha Bhawan / ନୀଳକଣ୍ଠ ଭବନ

 

ଅତୀତରେ ସିନେମା ସାଙ୍ଗକୁ ସାମୟିକଭାବେ ଥିଏଟର ମଧ୍ୟ #ବ୍ରହ୍ମପୁର ସାନ୍ଧ୍ୟ ମନୋରଞ୍ଜନରେ ସାମିଲ ହେଉଥିଲା । ଅଧୂନା ପୁରୁଣାବସଷ୍ଟାଣ୍ଡ ସଂଲଗ୍ନ ସିଟି ମଲ ସାମ୍ନାରେ ନୀଳକଣ୍ଠ ଭବନ ନାମିତ ଏକ ଛୋଟ ପ୍ରେକ୍ଷାଳୟ ଚାଲୁଥିଲା । ଏଥିରେ ଦେଢ଼ରୁ ଅଢ଼େଇ ଶହ ଦର୍ଶକଙ୍କ ବସିବା ବ୍ୟବସ୍ଥା ଥିଲା । ଓଡ଼ିଶାରେ ଅନ୍ନପୂର୍ଣ୍ଣା ଥିଏଟର ଗୃପ ଖ୍ୟାତି ଲାଭ କରିଥାଏ । ସମୟକ୍ରମେ ତାହା ଦୁଇଭାଗରେ ବିଭକ୍ତ ହୋଇ ଗୋଟିଏ ଗୃପ ସ୍ଥାୟୀଭାବେ ପୁରୀ ବଡ଼ଦାଣ୍ଡରେ ବର୍ଷସାରା ନାଟକ ପରିବେଷଣ କରୁଥିବା ସ୍ଥଳେ ଅନ୍ୟ ଏକ ଗୃପ ରାଜ୍ୟର ବିଭିନ୍ନ ସହରକୁ ଯାତ୍ରାକରି ନାଟକ ପରିବେଷଣ କରୁଥିଲେ । ବିଗତ ଶତାଦ୍ଦୀର ଷଷ୍ଠ ଓ ସପ୍ତମ ଦଶକରେ ଅନ୍ନପୂର୍ଣ୍ଣା ବି ଗୃପ ବ୍ରହ୍ମପୁର ନୀଳକଣ୍ଠ ଭବନରେ ବର୍ଷର କିଛି ସମୟ ପାଇଁ ଆସୁଥିଲେରାତି ସାଢ଼େ ସାତରୁ ସାଢ଼େ ଦଶ ଯାଏଁ ନାଟକ ଚାଲେ । ସନ୍ଧ୍ୟାରୁ ନରମ ସ୍ୱରରେ ଲାଉଡ଼ସ୍ପିକରରେ ସିନେମା ଗୀତ ବଜାଯାଏ । ଟାଉନହଲରୁ ବସଷ୍ଟାଣ୍ଡ ରାସ୍ତାରେ ଯିବା ଆସିବା ବେଳେ ନୀଳକଣ୍ଠ ଭବନରେ ଥିଏଟର ଉପସ୍ଥିତି ସନ୍ଧ୍ୟାରେ ଗୀତବାଜଣାରୁ ସ୍ପଷ୍ଟ ବାରିହୁଏ ।
 
ନୀଳକଣ୍ଠ ଭବନ ସଂଲଗ୍ନ ଦୁଇ ମହଲା ବିଶିଷ୍ଟ କୋଠାରେ ଭାରତୀ ବିଳାସ ବୋଡିଂ ଓ ଲର୍ଜିଂ ହାଉସ । ଏହା ବ୍ରହ୍ମପୁର ଏକ ପୁରାତନ ହୋଟେଲ । ଉପରମହଲା ଲର୍ଜିଂରେ ଥିଏଟର କଳାକାରମାନେ ରହନ୍ତି, ତଳ ମହଲାରେ ଖିଆପିଆ କରନ୍ତି । ସେଠାରେ ଜଣେ ସ୍ଥାନୀୟ ହକର ଏକ ଛୋଟିଆ ପତ୍ରିକା ଦୋକାନ ୟୁଅର ବୁକ ସପ ସଂନ୍ଧ୍ୟାରେ ଖୋଲନ୍ତି । ବାମପନ୍ଥୀ ସାହିତ୍ୟ, ବିଶେଷକରି ସୋଭିଏତ ରୁଷର ପ୍ରପଗଣ୍ଡା ଲିଟ୍ରେଚର ମିଳୁଥିଲାସେହି ସମୟରେ କଲେଜ ପଢୁଆ ଯୁବକମାନେ ବାମପନ୍ଥୀ ଆଦର୍ଶ ପ୍ରତି ଆଗ୍ରହ ପ୍ରକାଶ କରିବା ଟ୍ରେଣ୍ଡ ଚାଲୁଥିବା ହେତୁ କେତେକ ଅନିସିନ୍ଧୁତ୍ସୁ ପତ୍ରପତ୍ରିକା କିଣିବାକୁ ସେଠି ପହଞ୍ଚନ୍ତି ଓ ଛୋଟକାଟର ଆସର ଜମେ ।
 
ନୀଳକଣ୍ଠ ଭବନରେ ଅନ୍ନପୂର୍ଣ୍ଣା ବି ଗୃପ ସାଙ୍ଗକୁ ଜନତା ଓ କଳିଙ୍ଗ ରଙ୍ଗମଞ୍ଚ, ଦିନକେତେ ସ୍ଥାନୀୟ ଉଦ୍ୟମରେ ଗଠିତ ଅନୁରୂପ ନାଟ୍ୟ ଦଳଙ୍କ ପକ୍ଷରୁ ନାଟକ ପରିବେଷିତ ହେଉଥିଲା । ସେ ସମୟରେ ଓଡ଼ିଆ ନାଟକର ଏକ ସ୍ୱତନ୍ତ୍ର ଦର୍ଶକବର୍ଗ ଥିଲେଓଡ଼ିଆ ସିନେମା ବର୍ଷରେ ଥରେ ଅଧେ ଚାଲୁଥିଲା ଏବଂ ଦକ୍ଷିଣ ଓଡ଼ିଶାର ଗାଁଗହଳିରେ ବଙ୍ଗପ୍ରଦେଶରୁ ଆଗତ ଯାତ୍ରା ସଂସ୍କୃତି ବିକଶିତ ହୋଇନଥିଲା । ଗ୍ରାମାଞ୍ଚଳରୁ ସହରରେ କାର୍ଯ୍ୟୋପଲକ୍ଷେ ପହଞ୍ଚୁଥିବା ପର୍ଯ୍ୟଟକମାନେ ବିଳମ୍ୱିତ ସଂନ୍ଧ୍ୟାରେ ପରିବେଷିତ ନାଟକ ଉପଭୋଗକୁ ପସନ୍ଦ କରୁଥିଲେ ।
 
ନୀଳକଣ୍ଠ ଭବନ ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଥିଲେ ହେଁ ମୂଳ ପ୍ରେକ୍ଷାଳୟରେ ପହଞ୍ଚିବା ପାଇଁ ଏକ ଗଳିରେ କିଛି ବାଟ ଯିବାକୁ ପଡୁଥିଲା । ପ୍ରେକ୍ଷାଳୟ ସାମନାରେ ରୁଚିପୂର୍ଣ୍ଣଭାବେ ପ୍ରଶସ୍ତ ପ୍ରାଙ୍ଗଣଟିଏ ଥିଲା । ପ୍ରେକ୍ଷାଳୟର ଛାତ ଟିଣର ଚଦର ଏବଂ କେବଳ ମଞ୍ଚଟି ସିମେଣ୍ଟ ଚଟାଣ ଦର୍ଶକଙ୍କ ପାଇଁ ଫୋଲଡ଼ିଂ ଟିଣ ଚେୟାର ପଡ଼େ । ନାଟକ ପରିବେଷଣରୁ ଆୟ ସୀମତ ଥିବା ହେତୁ ଚାକଚକ୍ୟ ପ୍ରତି ଧ୍ୟାନ ନଦିଆଯାଇ ଅଭିନୟରେ ପରାକାଷ୍ଠା ପ୍ରତିପାଦନ ପାଇଁ ଚେଷ୍ଟା କରାଯାଉଥିଲା । ପ୍ରତି ଆଠ ଦଶବର୍ଷରେ ବ୍ରହ୍ମପୁରରେ ବାତ୍ୟାର ପ୍ରକୋପହେତୁ ନୀଳକଣ୍ଠ ଭବନ ଭାଙ୍ଗିଗଲେ ପୁଣି ସଜାଡ଼ିବା କଷ୍ଟସାଧ୍ୟ ହେଉଥିଲା । ଆକର୍ଷଣୀୟ ବ୍ୟବସାୟ ଅଭାବରୁ ଅନ୍ନପୂର୍ଣ୍ଣା ଭଳି ପେଷାଦାର ନାଟକ ଦଳ ଆଉ ବ୍ରହ୍ମପୁର ଆସିଲେ ନାହିଁ । କ୍ରମଶଃ ସ୍ଥାନୀୟ ଉଦ୍ୟମରେ ପ୍ରଯୋଜିତ ନାଟକ ପରିବେଷଣ ପ୍ରକାଶମ ହଲ ଓ ଟାଉନ ହଲକୁ ଘୁଞ୍ଚିଗଲା ।
 
ଗଞ୍ଜାମ କଳା ପରିଷଦର କବିସୂର୍ଯ୍ୟ ରଙ୍ଗମଞ୍ଚ ନାଟ୍ୟକଳା ବିକାଶ ପାଇଁ ଗଢ଼ି ଉଠିଥିଲେ ହେଁ ମୂଳରୁ ସେଠି ଲୋକପ୍ରିୟ ନାଟକ ପରିବେଷିତ ହୋଇ ପାରୁ ନଥିଲା । ନିର୍ମାଣଗତ ତୃଟି ଏହାର ପ୍ରମୁଖ କାରଣ । ପ୍ରେକ୍ଷାଳୟଟି ଅତି ବଡ଼ ଶବ୍ଦ ପରିଚାଳନା ଅସଂଭବ ଅତୀତରେ ଉତ୍କଳ ଆଶ୍ରମ ବ୍ୟସ୍ତବହୁଳ ଅଞ୍ଚଳରୂପେ ପରିଗଣିତ ନହେବା ଇତ୍ୟାଦି କାରଣ ମଧ୍ୟ ବାଧକ ସାଜି ଆସିଥିଲା । ନାଟକର ଦର୍ଶକ ସୀମିତ । ଆଜି କୋଲକତା, ମୁମ୍ୱାଇରେ ନିୟମିତ ପରିବେଷିତ ନାଟକଗୁଡ଼ିକର ଦର୍ଶକ ସଂଖ୍ୟା ଦେଢ଼ରୁ ଅଢ଼େଇ ଶହ ହଜାରେ ଦର୍ଶକଙ୍କ ପ୍ରସ୍ତୁତ ପ୍ରେକ୍ଷାୟଳରେ ଦେଢ଼ ଶହ ଦର୍ଶକଙ୍କୁ ନେଇ ନାଟକ ମଞ୍ଚସ୍ଥ କରିବା ଆଶ୍ୱସ୍ତିକର
 
ବ୍ରହ୍ମପୁରରେ ନାଟକ ପରିବେଷଣର ମୁଖ୍ୟ ପ୍ରତିବନ୍ଧକ ଯୁଗୋପଯୋଗୀ ମଞ୍ଚ ଅଭାବ । ନିକଟ ଅତୀତରେ ସଂସ୍କୃତି ଭବନ ନିର୍ମାଣ ତଥା ଟାଉନ ହଲ ଓ କବିସୂର୍ଯ୍ୟ ରଙ୍ଗମଞ୍ଚର ପୂନଃନିର୍ମାଣ କରାଯାଇଛି । କିନ୍ତୁ ସେଠି ଆକାଶଛୁଆଁ ଭଡ଼ା ହେତୁ ନାଟକ ପରିବେଷଣ କେବେହେଁ ସଂଭବପର ହୋଇପାରିବ ନାହିଁ । ନୀତି ନିର୍ଦ୍ଧାରକମାନଙ୍କ ସୀମିତ ଦୃଷ୍ଟିକୋଣ ସହରକୁ ଏହି ବିପର୍ଯ୍ୟୟ ମଧ୍ୟକୁ ଠେଲି ଦେଇଛି ।

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୬ ମାର୍ଚ୍ଚ ୨୦୨୨/ ପୃଷ୍ଠା :୮)

Photo by Rob Laughter on Unsplash 


Friday, March 18, 2022

Elderly Voters in Municipal Election / ପୌର ନିର୍ବାଚ଼ନରେ ବରିଷ୍ଠ ନାଗରିକ

 


#ବ୍ରହ୍ମପୁର ପୌର ନିଗମ ନିର୍ବାଚ଼ନ ମାର୍ଚ୍ଚ ୨୦୨୨ରେ ମୋଟ ଦୁଇ ଲକ୍ଷ ୫୫ ହଜାର ଭୋଟର ଅଂଶ ଗ୍ରହଣ କରୁଥିବା ସ୍ଥଳେ ଏମାନଙ୍କ ମଧ୍ୟରେ ପ୍ରାୟ ପନ୍ଦର ପ୍ରତିଶତ ବରିଷ୍ଠ ନାଗରିକ ଅନ୍ତର୍ଭୁକ୍ତ ଥିବା ହିସାବ କରାଯାଏ । ଜନଗଣନା ଅନୁଯାୟୀ ୨୦୧୧ରେ ଓଡ଼ିଶା ରାଜ୍ୟରେ ଜନସଂଖ୍ୟାର ପ୍ରାୟ ଦଶ ପ୍ରତିଶତ ୬୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ବସବାସ କରୁଥିଲେ । କିନ୍ତୁ ସହରାଞ୍ଚଳରେ ଅବସର ଜୀବନ ଯାପନ କରୁଥିବା ବୟସ୍କମାନଙ୍କ ସଂଖ୍ୟା ଗତ ଦଶ ବର୍ଷ ମଧ୍ୟରେ କ୍ରମଶଃ ବଢୁଥିବା ଲକ୍ଷ୍ୟ କରାଯାଉଥିବା ହେତୁ ୨୦୨୨ ବେଳକୁ ଅନ୍ତତଃପକ୍ଷେ ପନ୍ଦର ପ୍ରତିଶତରେ ପହଞ୍ଚିବା ଅନୁମାନ କରାଯାଇପାରେ । ଅର୍ଥାତ, ବ୍ରହ୍ମପୁର ପୌରାଞ୍ଚଳରେ ପ୍ରାୟ ୩୫ ରୁ ୪୦ ହଜାର ଭୋଟର ବରିଷ୍ଠ ନାଗରିକ । ନଗରପାଳ ପଦବୀ ନିମନ୍ତେ ପ୍ରତ୍ୟକ୍ଷ ନିର୍ବାଚନ ହେଉଥିବା ଅବସରରେ ବରିଷ୍ଠ ନାଗରିକ ଭୋଟର ପ୍ରଭାବଶାଳୀ ଭୂମିକା ନିର୍ବାହ କରିବା ସୁନିଶ୍ଚିତ ।
 
ସହରର ଭୋଟରମାନେ ସାଧାରଣରେ ସ୍ଥାୟୀ ବାସିନ୍ଦା । ବରିଷ୍ଠ ନାଗରିକମାନେ ଦୀର୍ଘ ଦିନରୁ ବସବାସ କରି ଆସିଥାନ୍ତି ଏବଂ ପ୍ରାୟତଃ ମୃତ୍ୟୁଯାଏଁ ବାସସ୍ଥାନ ପରିବର୍ତ୍ତନ କରିବା ସଂଭାବନା କମ । ଅପରପକ୍ଷେ ୧୮ ବର୍ଷରୁ ଉର୍ଦ୍ଧ୍ୱ ଯୁବକମାନେ ଅଧ୍ୟୟନ ଶେଷରେ ଶ୍ରମନିଯୁକ୍ତି ଉଦ୍ଦେଶ୍ୟରେ ଏବଂ ୩୫ ବର୍ଷରୁ ୬୦ ବର୍ଷ ବୟସ ସୀମାର ମଧ୍ୟ-ବୟସ୍କମାନେ ବୃତ୍ତିଜନିତ ବାଧ୍ୟବାଧକତା କିମ୍ୱା ଅବସର ଜୀବନ କଟାଇବା ନିମନ୍ତେ ଅନ୍ୟ ସହରକୁ ସ୍ଥାନାନ୍ତରିତ ହେବା ସଂଭାବନା ରହିଥାଏ । ୧୮ ବର୍ଷରୁ କମ ଶିଶୁ ଓ କିଶୋର ବର୍ଗ ଭୋଟର ପର୍ଯ୍ୟାୟଭୁକ୍ତ ନୁହନ୍ତି । ଏହି ପରିପ୍ରେକ୍ଷୀରେ ଏକ ପକ୍ଷରେ ବ୍ରହ୍ମପୁର ପୌରସେବାର ସାଂପ୍ରତିକ ସ୍ଥିତି ଓ ସମ୍ଭାବ୍ୟ ଭବିଷ୍ୟତ ଦ୍ୱାରା ବରିଷ୍ଠ ନାଗରିକ ବର୍ଗ ପ୍ରଭାବିତ । ଅପରପକ୍ଷରେ ସହରର ବରିଷ୍ଠ ନାଗରିକମାନଙ୍କ ମାଲିକାନାରେ ଘରବାଡ଼ି ଥିବା ହେତୁ ପୌରପାଳିକାର ପ୍ରମୁଖ କରଦାତା । ଏହି ସବୁ କାରଣରୁ ପୌର ନିର୍ବାଚ଼ନ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ।
 
ସହରବାସୀଙ୍କ ଦୈନନ୍ଦିନ ଜୀବନରେ ପୌରସେବାର ଗୁଣବତ୍ତା ସର୍ବାପେକ୍ଷା ପ୍ରଭାବଶାଳୀ । ପରିମଳ, ରାସ୍ତାଘାଟ, ଜନସ୍ୱାସ୍ଥ୍ୟ, ବଜାରଘାଟ ସାଙ୍ଗକୁ ସାମାଜିକ ଜୀବନ ବିକାଶ ପୌର ପ୍ରଶାସନ ନିୟନ୍ତ୍ରଣାଧୀନ । ପୌର ପରିଷଦରେ ପରବର୍ତ୍ତୀ ପାଞ୍ଚ ବର୍ଷ ଯେଉଁମାନେ ପ୍ରତିନିଧିତ୍ୱ କରିବେ ସେମାନଙ୍କ କର୍ତ୍ତୃତ୍ୱରେ ପୌର ସେବା ପରିଚାଳନା ଓ ନୀତି ନିର୍ଦ୍ଧାରଣ ଦାୟିତ୍ୱ ନ୍ୟସ୍ତ ରହିବ । ନିର୍ବାଚ଼ନ ନିମନ୍ତେ କର୍ପୋରେଟର ଓ ମେୟର ପ୍ରାର୍ଥୀଗଣ ବ୍ୟକ୍ତିଗତଭାବେ ବରିଷ୍ଠ ନାଗରିକମାନଙ୍କୁ ସାକ୍ଷାତକରି ଭୋଟ ଭିକ୍ଷା କରିଥାନ୍ତି । ଏହି ଅବସରରେ ସେମାନେ ସାଧାରଣ ପୌରସେବା ବ୍ୟତୀତ ବରିଷ୍ଠ ନାଗରିକ ଅନୁକୂଳ କେତେକ ସେବା ପ୍ରଚଳନ ନିମନ୍ତେ ପରାମର୍ଶ ଦେବା ନିମନ୍ତେ ଏକ ସୁଯୋଗ ।
 
ପ୍ରଥମତଃ, ବ୍ରହ୍ମପୁରରେ ପ୍ରତ୍ୟେକ ୱାର୍ଡ଼ରେ ହାରାହାରି ଛଅ ହଜାର ଭୋଟର ଗଣିତ କରାଗଲେ ଏକ ହଜାର ଯାଏଁ ବରିଷ୍ଠ ନାଗରିକ ବସବାସ କରିଥାନ୍ତି । ବିଦେଶ ତଥା ବଡ଼ ସହରମାନଙ୍କରେ ବରିଷ୍ଠ ନାଗରିକଙ୍କ ନିମନ୍ତେ ପୌରପାଳିକା ପକ୍ଷରୁ ଡ଼େ-କେୟାର ସେଣ୍ଟର ପରିଚାଳିତ ହୋଇଥାଏ । ଏହି କେନ୍ଦ୍ରଗୁଡ଼ିକରେ ଦିନବେଳା ସ୍ଥାନୀୟ ବରିଷ୍ଠ ନାଗରିକମାନେ ଏକତ୍ରୀତ ହୋଇ ଆଳାପ ଆଲୋଚ଼ନା ସହ ବିଭିନ୍ନ ସାମାଜିକ ଓ ସାସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ସମୟ ବିତାଇଥାନ୍ତି । ଅତୀତରେ ବ୍ରହ୍ମପୁର ପୌରପାଳିକା ପକ୍ଷରୁ ବିଭିନ୍ନ ୱାର୍ଡ଼ରେ ପାଠାଗାରମାନ କାର୍ଯ୍ୟକ୍ଷମ ଥିଲା । କର୍ମଚାରୀ ଓ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ବନ୍ଦ ହୋଇଯାଇଛି । ଅନ୍ତତଃପକ୍ଷେ ସେହି ଧାରାରେ ଯଦି ପ୍ରତ୍ୟେକ ୱାର୍ଡରେ ଡ଼େ-କେୟାର ସେଣ୍ଟର ଆରମ୍ଭ କରାଯାଇ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ମାର୍ଫତରେ ପରିଚାଳନା ନିମନ୍ତେ ଉଦ୍ୟମ କରାଯାଆନ୍ତା, ତେବେ ବରିଷ୍ଠ ନାଗରିକମାନେ ଉପକୃତ ହୁଅନ୍ତେ ।
 
ଦ୍ୱିତୀୟତଃ, ସହରାଞ୍ଚଳରେ ଅଧିକାଂଶ ବରିଷ୍ଠ ନାଗରିକ ଏକାକୀ ବସବାସ କରୁଥିବା ହେତୁ ସୁରକ୍ଷା ଏକ ସମସ୍ୟାଭାବେ ମୁଣ୍ଡଟେକିବାକୁ ଯାଉଛି । ୱାର୍ଡସ୍ତରରେ ଯଦି ବରିଷ୍ଠ ନାଗରିକମାନଙ୍କ ତଥ୍ୟ ସଂଗୃହୀତ ହୋଇ ତଥା ସଂକଳିତ କରାଯାଇ ପୋଲିସ ପ୍ରଶାସନକୁ ସହଯୋଗ କରାଯାଆନ୍ତା, ତେବେ ସମସ୍ୟାର ମୁକାବିଲା ନିମନ୍ତେ ପ୍ରଶସ୍ତ କ୍ଷେତ୍ର ଉନ୍ମୁକ୍ତ ରହନ୍ତା । ଏହି ସାଂଗଠନିକ ସ୍ଥିତି ସଜାଡ଼ିବା ନିମନ୍ତେ ଡ଼େ-କେୟାର ସେଣ୍ଟରଗୁଡ଼ିକ ଭିତ୍ତିଭୂମି ସୃଷ୍ଟି କରିବତୃଣମୂଳସ୍ତରରେ ସହଭାଗୀ ପରିଚାଳନାରୁ ସୁଦୂରପ୍ରସାରୀ ଉପକାର ଆଶା କରାଯାଇପାରେ ।
 
ତୃତୀୟତଃ, ବ୍ରହ୍ମପୁରରେ ମେଡ଼ିକାଲ କଲେଜ ଓ ଜିଲ୍ଲାସ୍ତରୀୟ ଚ଼ିକିତ୍ସାଳୟ କାର୍ଯ୍ୟକ୍ଷମ ଥିବା ସ୍ଥଳେ ପୌରପାଳିକା ପକ୍ଷରୁ ଦୀର୍ଘ ଅତୀତରୁ ପ୍ରତିଷ୍ଠିତ ଚ଼ିକିତ୍ସାଳୟକୁ ବରିଷ୍ଠନାଗରିକଙ୍କ ନିମନ୍ତେ ଉତ୍ସର୍ଗ କରାଯାଇପାରନ୍ତା । ଜନସଂଖ୍ୟାରେ ବରିଷ୍ଠ ନାଗରିକମାନେ କ୍ରମାଗତ ସ୍ୱାସ୍ଥ୍ୟ ସମସ୍ୟା ସମ୍ମୁଖୀନ ହେଉଥିବା ହେତୁ ସେମାନଙ୍କ ସ୍ୱାସ୍ଥ୍ୟରକ୍ଷା ସାମାଜିକ ନିରାପତ୍ତାର ଅଂଶବିଶେଷ । ଯେକୌଣସି ସମୟରେ ସହରର ଚ଼ିକିତ୍ସାଧୀନଙ୍କ ମଧ୍ୟରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଅଧିକ ରହିଥାଏ । ସ୍ଥାନୀୟ ପରିସ୍ଥିତି ଓ ପରିବେଶକୁ ନେଇ ଜନସ୍ୱାସ୍ଥ୍ୟ ନୀତି ନିର୍ଦ୍ଧାରଣରେ ପୌରପାଳିକାର ଭୂମିକା ସର୍ବାପେକ୍ଷା ପ୍ରଭାବଶାଳୀ ।
 
ପୌର ନିର୍ବାଚ଼ନ ଅବସରରେ ବରିଷ୍ଠ ନାଗରିକ ଭୋଟର ବର୍ଗ ବରିଷ୍ଠ ନାଗରିକ ଅନୁକୂଳ ପୌରସେବା ନିମନ୍ତେ ପ୍ରାର୍ଥୀମାନଙ୍କୁ ଅବଗତ କରାଇବା ସୁଯୋଗ ହାତଛଡ଼ା କରିବା ଅନୁଚ଼ିତ ପରବର୍ତ୍ତୀ ପାଞ୍ଚ ବର୍ଷର ପୌର ପ୍ରଶାସନରେ କ୍ଷମତାସୀନ ପ୍ରତିନିଧିଙ୍କ ଭୂମିକା ସହ ବିରୋଧି ରାଜନୀତିକ ଦଳର ତତ୍ପରତା ମଧ୍ୟ ସମପରିମାଣରେ ଗୁରୁତ୍ୱପୂର୍ଣ୍ଣ । ତେଣୁ ନେତୃତ୍ୱ ନେବାପାଇଁ ଆଗ୍ରହୀ ସମସ୍ତ ପ୍ରାର୍ଥୀଙ୍କୁ ସଚ଼େତନ କରାଇବା ଆବଶ୍ୟକ । ଭୁବନେଶ୍ୱରରେ ବରିଷ୍ଠ ନାଗରିକ ସଂଗଠନଗୁଡ଼ିକ ପକ୍ଷରୁ ଏହି ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି । ବ୍ରହ୍ମପୁରବାସୀ ମଧ୍ୟ ସାମିଲ ହେବା ଉଚ଼ିତ ।

Photo by Harli Marten on Unsplash 


Friday, March 11, 2022

Memories of Gopalpur Steel Plant / ଗୋପାଳପୁର ଇସ୍ପାତ ପ୍ରକଳ୍ପ ସ୍ମୃତି

 

#ବ୍ରହ୍ମପୁର ସଂଲଗ୍ନ ଗୋପାଳପୁରଠାରେ ଶିଳ୍ପାୟନ ନିମନ୍ତେ ଏକାଧିକ ପ୍ରକଳ୍ପ ରୂପାୟନ ନିମନ୍ତେ ଉଦ୍ୟମ କରାଯାଇଛି । ତେବେ ବିଭିନ୍ନ କାରଣରୁ ଅନେକ ସମ୍ଭବ ହୋଇପାରି ନାହିଁ । ସାଧାରଣ ବିଚାରରେ ଗୋପାଳପୁରରେ ଶିଳ୍ପାୟନକୁ ମିଥ୍ୟା ରାଜନୀତିକ ପ୍ରତିଶୃତି ରୂପେ ଆକ୍ଷେପ କରାଯାଇଥାଏ । ଶିଳ୍ପ ପ୍ରତିଷ୍ଠା ଓ ନିଯୁକ୍ତି ସୁଯୋଗର ପୂର୍ବାନୁମାନରେ କ୍ଷମତାସୀନ ସରକାରୀ ରାଜନୀତିକ ଦଳ ପତିଆରା ସୃଷ୍ଟି ନିମନ୍ତେ ପରିବେଶ ଗଢ଼ି ତୋଳୁଥିଲେ ହେଁ ବହୁ ଭିନ୍ନ କାରଣରୁ ଗୋପାଳପୁରରେ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହୋଇନପାରୁଥିବା ଦୃଷ୍ଟିକୁ ଆସିଥାଏ ।
 
ସ୍ୱାଧୀନତା-ପୂର୍ବ ଅବସ୍ଥାରେ ଗୋପାଳପୁରରେ ଆଜିକାର ମୁଖ୍ୟ ପର୍ଯ୍ୟଟନ ବେଳାଭୂମି ବିଚରେ ବନ୍ଦର କାର୍ଯ୍ୟକ୍ଷମ ଥିଲା । ବିଚ଼ରୁ ସମୁଦ୍ର ଗର୍ଭକୁ ଏକ ସୁଦୀର୍ଘ ଜେଟି ନିର୍ମିତ ହୋଇଥିଲା । ଏହାକୁ ବ୍ୟବହାର କରି ଯାତ୍ରୀ ଓ ମାଲ ଷ୍ଟିମରରେ ପହଞ୍ଚିବା ପରେ ଷ୍ଟିମର ଗଭୀର ଜଳରେ ନଙ୍ଗର ପକାଇଥିବା ବଡ଼ ଜାହାଜରେ ନେଇ ଛାଡୁଥିଲାବିଚ଼ ରାସ୍ତାର ଦୁଇ ପାର୍ଶ୍ୱରେ ବଡ଼ ବଡ଼ ଗୋଦାମ ରହିଥିଲା । ମେଫେୟାର ହୋଟେଲ ଜାହାଜ ଯାତ୍ରୀଙ୍କ ବନ୍ଦରରେ ସାମୟିକ ରହେଣୀ ନିମନ୍ତେ ଜଣେ ବିଦେଶୀ ବ୍ୟବସାୟୀ ନିର୍ମାଣ କରିଥିଲେ । ଗୋପାଳପୁର ବନ୍ଦର ବନ୍ଦ ହୋଇଯିବାର ବିଭିନ୍ନ କାରଣ ଚ଼ିହ୍ନଟ କରାଯାଇଥାଏ । ତେବେ ମୁଖ୍ୟତଃ ପର୍ଯ୍ୟାପ୍ତ ରପ୍ତାନୀ ଓ ଆମଦାନୀ ଅଭାବ, ରେଳପଥର ବିକାଶପରେ ଅପେକ୍ଷାକୃତ ସରଳ ପରିବହନ ସୁବିଧା ଉପଲବ୍ଧ ହେବା ଏବଂ ପ୍ରାକୃତିକ ଭାବେ ଗୋପାଳପୁର ବଡ଼ ବନ୍ଦରରେ ଗଢ଼ି ତୋଳିବା ନିମନ୍ତେ ଅନୁପଯୁକ୍ତ ଥିବା ଇତ୍ୟାଦିକୁ ନେଇ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତ ପୋଷଣ କରିଥାନ୍ତି ।
 
ସ୍ୱାଧୀନୋତ୍ତର ଇତିହାସରେ ଗୋପାଳପୁରରେ ଟାଟା ଦ୍ୱାରା ବୃହତ ଇସ୍ପାତ କାରଖାନା ପ୍ରସ୍ତାବ ଏକ ଚର୍ଚ୍ଚିତ ଅଧ୍ୟାୟ । ଇସ୍ପାତ ପ୍ରକଳ୍ପକୁ କେନ୍ଦ୍ର କରି ବନ୍ଦର ଓ ରେଳପଥ ବିକାଶ, ଏଲ-ଏଣ୍ଡ-ଟି ଭଳି କେତେକ ନାମୀ ଶିଳ୍ପଦ୍ୟୋଗୀଙ୍କ ଦ୍ୱାରା ଆନୁସଙ୍ଗିକ ଶିଳ୍ପ ପ୍ରତିଷ୍ଠା ଏବଂ ବ୍ୟାପକ ନିଯୁକ୍ତି ସୁଯୋଗ ସଂପର୍କରେ ପ୍ରଚାରିତ ହୋଇଥିଲା । ତେବେ ଏଥି ମଧ୍ୟରୁ ବହୁ ସୁବିଧାସୁଯୋଗ ତଥ୍ୟାଶ୍ରିତ ନଥିଲା । ଉଦାହରଣରେ ଟାଟା ପକ୍ଷରୁ ଆଧୁନିକ ଇସ୍ପାତ କାରଖାନା କାର୍ଯ୍ୟକ୍ଷମ ହୋଇଥିଲେ ଏଥିରେ ବ୍ରହ୍ମପରବାସୀ ପୂର୍ବରୁ ଦେଖିଥିବା ରାଉରକେଲା ବା ଭାଇଜାଗର ଇସ୍ପାତ କାରଖାନା ଭଳି ଶ୍ରମିକ ନିଯୁକ୍ତ ହୋଇନଥାନ୍ତେକାରଣ ଅତ୍ୟାଧୁନିକ ଉଦ୍ୟୋଗ ପରିଚାଳନାରେ ବହୁ କମ ଶ୍ରମ ଶକ୍ତି ବ୍ୟବହୃତ ହୋଇଥାଏ... ଇତ୍ୟାଦି ।
 
ବିଂଶ ଶତାଦ୍ଦୀର ଶେଷ ଦଶକ ଦ୍ୱିତୀୟାର୍ଦ୍ଧରେ ଗୋପାଳପୁରଠାରେ ଇସ୍ପାତ ପ୍ରକଳ୍ପ ପ୍ରସ୍ତାବ ଉପସ୍ଥାପନ ସମୟରେ ରାଜ୍ୟ ଓ କେନ୍ଦ୍ରରେ କଂଗ୍ରେସ ଦଳ ସରକାର । ପ୍ରଧାନମନ୍ତ୍ରୀ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରି ବିଜୟୀ ହୋଇଥାନ୍ତି । କିନ୍ତୁ ତୁରନ୍ତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରରୁ କଂଗ୍ରେସ ଅପସରି ଗଲା । ଫଳରେ ରାଜନୀତିକ ଅଭିସନ୍ଧିମୂଳକ ପ୍ରତିଶୃତି ପୂରଣରେ ଆନ୍ତରିକତା ଅଭାବ ଦେଖାଗଲା ବୋଲି ଅଭିଯୋଗ ହୋଇଥାଏ । କିନ୍ତୁ ପ୍ରକୃତ କାରଣ ସଂପର୍କରେ ଖୋଦ ଶିଳ୍ପଦ୍ୟୋଗୀ ଭିନ୍ନ ମତ ଅବତରଣା କରିଥାନ୍ତି ।
 
ଦୈନିକ ସମ୍ୱାଦର ରବିବାସରୀୟ ପତ୍ରିକା ରବିବାର ୧୫ ଫେବୃୟାରୀ ୨୦୧୫ ସଂସ୍କରଣରେ ତତ୍ କାଳୀନ ଟାଟା କମ୍ପାନୀର ଗୋପାଳପୁର ପ୍ରୋଜେକ୍ଟର ଭାଇସ-ପ୍ରେସିଡ଼େଣ୍ଟ ଅରୁଣ ମିଶ୍ରଙ୍କ ସହ ଏକ ସାକ୍ଷାତକାର ପ୍ରକାଶିତ ହୋଇଥିଲା । ସେଥିରୁ ଏକାଂଶର ଅବିକଳ ଉଦ୍ଧୃତି ଗୋପାଳପୁରରେ ଟାଟାର ଇସ୍ପାତ କାରଖାନା ପ୍ରସ୍ତାବରୁ ଓହରିଯିବାର କାରଣ ସ୍ପଷ୍ଟ କରିଥାଏ
 
­୧୯୯୬ ଟାଟା-ଷ୍ଟିଲ ଗୋପାଳପୁର ପ୍ରେଜେକ୍ଟ ବିରୋଧରେ ଆନ୍ଦୋଳନ ହୋଇଥିଲା । ସେଦିନର ସେ ଆନ୍ଦୋଳନ ସମ୍ପର୍କରେ କଣ କହିବାକୁ ଚାହିଁବେ ?
-      କାହାର ଆନ୍ଦୋଳନ ?
­ବନ୍ଦନା ଶିବାଙ୍କ ଆନ୍ଦୋଳନ, ଗୋପାଳପୁରରେ ଟାଟା ଷ୍ଟିଲ ପ୍ଳାଣ୍ଟ ପ୍ରୋଜେକ୍ଟକୁ ନେଇ....
-      ଷ୍ଟିଲ-ପ୍ଲାଣ୍ଟ ପାଇଁ ପ୍ରକୃତରେ ଗୋପାଳପୁର ସୁଇଟେବଲ ନଥିଲା । ତେଣୁ ଷ୍ଟିଲ-ପ୍ଳାଣ୍ଟ ହେବାର କୌଣସି ଚାନ୍ସ ନାହିଁ । ସେଥିପାଇଁ ଷ୍ଟିଲ-ପ୍ଳାଣ୍ଟ ପାଇଁ କଳିଙ୍ଗ ନଗରରେ ଜମି ଦିଆଗଲା ଓ ଆମେ କଳିଙ୍ଗ ନଗର ଗଲୁ । ନହେଲେ ଆମେ କଳିଙ୍ଗନଗରରେ କାହିଁକି ଷ୍ଟିଲ ପ୍ଳାଣ୍ଟ କରିଲୁ, ଗୋପାଳପୁରରେ କରିଲୁ ନାହିଁ ? ଇଣ୍ଟିଗ୍ରେଟେଡ଼ ଷ୍ଟିଲ ପ୍ଲାଣ୍ଟ ପାଇଁ ଯେଉଁ ପ୍ରକାର ପାଣି ଏବଂ ଅନ୍ୟାନ୍ୟ ସୁବିଧାର ଆବଶ୍ୟକତା ଅଛି, ସେ ସବୁ ଗୋପାଳପୁରରେ ନଥିଲା ।
 
ସାକ୍ଷାତକାର ଉପକ୍ରମରେ ଲେଖାଥିଲା ଅରୁଣ ମିଶ୍ର କଳାହାଣ୍ଡି ଜିଲ୍ଲାର ବାସିନ୍ଦା । ସେ ଟାଟା ନଗରରେ ଜନ୍ମଗ୍ରହଣ କରି ଖଡ଼ଗପୁର ଆଇଆଇଟି ସାଙ୍ଗକୁ ଫ୍ରାନ୍ସ ଓ ଆଷ୍ଟେଲିଆରେ ଅଧ୍ୟୟନ କରିଥିଲେ । ସେ ଟାଟା ଷ୍ଟିଲର ସ୍ପେଶାଲ ଇକନୋମିକ ଜୋନର ପରିଚାଳନା ନିର୍ଦ୍ଦେଶକ ଭାବେ ମଧ୍ୟ ଅବସ୍ଥାପିତ ରହିଥିଲେ । ଅର୍ଥାତ, ଅରୁଣ ମିଶ୍ରଙ୍କ ସ୍ୱୀକାରୋକ୍ତି ଐତିହାସିକ ଗୁରୁତ୍ୱ ଯେ ବହନ କରେ ଏଥିରେ ସନ୍ଦେହ ନାହିଁ !

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୨ ମାର୍ଚ୍ଚ ୨୦୨୨/ ପୃଷ୍ଠା :)

Photo by Tim Mossholder on Unsplash 


Friday, March 4, 2022

Voters Statistics / ଭୋଟର ସଂଖ୍ୟା

 


#ବ୍ରହ୍ମପୁର ମହାନଗର ନିଗମ ପୌର ପରିଷଦ ନିର୍ବାଚନ ନିମନ୍ତେ ୨୦୨୨ ମାର୍ଚ୍ଚ ଶେଷ ସପ୍ତାହ ଧାର୍ଯ୍ୟ ହେବା ଅବସରରେ ସହରର ଚିଠା ଭୋଟର ତାଲିକା ମଧ୍ୟ ଚୂଡ଼ାନ୍ତ ହୋଇଛି । ଏଥିରେ ତିନିଗୋଟି ବିଷୟ ଚର୍ଚ୍ଚା ପରିସରକୁ ଆସିଥାଏ
 
ପ୍ରଥମତଃ, ବ୍ରହ୍ମପୁର ମହାନଗର ସୀମାରେ ମୋଟ ଭୋଟର ସଂଖ୍ୟା ଦୁଇ ଲକ୍ଷ ୫୫ ହଜାର । ଦ୍ୱିତୀୟତଃ, ନଅ ବର୍ଷ ପୂର୍ବେ ୨୦୧୩ ମସିହାରେ ଅନୁଷ୍ଠିତ ଗତ ନିର୍ବାଚ଼ନରେ ଅଂଶଗ୍ରହଣ କରିଥିବା ଭୋଟର ସଂଖ୍ୟା ତୁଳନାରେ ମାତ୍ର ୨୯ ହଜାର ବଢ଼ିଛି । ତୃତୀୟତଃ, ଭୁବନେଶ୍ୱର ଓ କଟକ ମହାନଗର ନିଗମ ତୁଳନାରେ ବ୍ରହ୍ମପୁରରେ ଭୋଟର ସଂଖ୍ୟା ପଛୁଆ ରହିଛି । ଭୁବନେଶ୍ୱରରେ ସାତ ଲକ୍ଷ ୨୭ ହଜାର ଓ କଟକରେ ଚାରି ଲକ୍ଷ ୪୫ ହଜାର ଭୋଟର ପଞ୍ଜୀକୃତ ହୋଇଥିବା ଜଣାଯାଏ ।
 
ବ୍ରହ୍ମପୁରରେ ଜନସଂଖ୍ୟା ଅନୁପାତରେ ଭୋଟର ସଂଖ୍ୟା ନବଢ଼ିବାର କାରଣଗୁଡ଼ିକ ତର୍ଜମା କଲାବେଳେ ପ୍ରଥମତଃ, ସହରତଳି ଅଞ୍ଚଳରେ ନୂଆକରି ଗଢ଼ି ଉଠୁଥିବା ଜନବସତିଗୁଡ଼ିକୁ ଅନ୍ତର୍ଭୁକ୍ତ ନହୋଇପାରିବାକୁ ଦାୟୀ କରାଯାଏ । ଏହା ଦୀର୍ଘ ପ୍ରଶାସନିକ ପ୍ରକ୍ରିୟା ଏବଂ ଏଥିରେ ଅବହେଳା ଘଟୁଥିବା ଅଭିଯୋଗ ହୋଇଥାଏ । ଦ୍ୱିତୀୟତଃ, ସହରର ବର୍ଦ୍ଧିତ ଜନସଂଖ୍ୟାରେ ଶିଶୁ ଓ କିଶୋର ବର୍ଗ ଭୋଟର ତାଲିକାରେ ବାଦ ପଡ଼ିଥାନ୍ତି । ମୋଟାମୋଟି ଭାବେ ଆମ ଦେଶରେ ସମକାଳର ଜନସଂଖ୍ୟାରେ ୫୦ ଭାଗ ୨୪ ବର୍ଷରୁ କମ ବୟସ ବର୍ଗର ଶିଶୁ, କିଶୋର ଓ ଯୁବକ ଅନ୍ତର୍ଭୁକ୍ତ । କେବଳ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସବର୍ଗ ଭୋଟର ତାଲିକାରେ ସ୍ଥାନ ପାଉଥିବା ସ୍ଥଳେ ୧୮ ବର୍ଷରୁ କମ ବୟସବର୍ଗ ହିସାବକୁ ଆସିନଥାନ୍ତି । ତୃତୀୟତଃ, ସାମଗ୍ରିକଭାବେ ଓଡ଼ିଶାରେ ସହରୀକରଣ ଧାରା ମନ୍ଥର ରହିଥିବା ସୁସ୍ପଷ୍ଟ । ବ୍ରହ୍ମପୁରରେ ଗତ ନଅ ବର୍ଷ ମଧ୍ୟରେ ୨୯ ହଜାର ଭୋଟର ବଢ଼ିଥିବା ସ୍ଥଳେ ସେହି ସମୟସୀମାରେ ଭୁବନେଶ୍ୱରରେ ୩୪ ହଜାର ଓ କଟକରେ ୫୦ ହଜାର ଭୋଟର ସଂଖ୍ୟା ବୃଦ୍ଧି ପାଇଛି ।
 
ବ୍ରହ୍ମପୁରକୁ ଘେରି ସହରତଳି ଅଞ୍ଚଳରେ ବିଗତ ଦୁଇ ଦଶକରେ ଗଢ଼ିଉଠିଥିବା ଜନବସତିରେ ବସବାସ କରୁଥିବା ଜନସାଧାରଣ ପୌରସେବାରୁ ବଞ୍ଚିତ ହେଉଥିବା ଉଦବେଗର ବିଷୟ । ବିଭିନ୍ନ ଗ୍ରାମପଞ୍ଚାୟତ ଅଧୀନରେ ରହିଆସିଥିବା ସହରାଞ୍ଚଳବାସୀଙ୍କ ପରିସଂଖ୍ୟାନ ସହଜରେ ମିଳି ନଥାଏ । ଫଳରେ ପ୍ରକୃତରେ କେତେ ସଂଖ୍ୟକ ସହରବାସୀ ମୌଳିକ ସେବା ନିମନ୍ତେ ହକଦାର, ତାହା ହିସାବକୁ ଆସିନଥାଏ । ସେହିପରି ନଗର ଉନ୍ନୟନ ବାବଦରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ଯୋଜନା ନିମନ୍ତେ ଅର୍ଥବରାଦ ମଧ୍ୟ ବ୍ରହ୍ମପୁର ଭାଗରେ କାଟଛାଟ ହୋଇଥାଏ । ବ୍ରହ୍ମପୁରର ନବଗଠିତ ପୌରପରିଷଦ ଏହି ଦିଗରେ ପ୍ରାଥମିକତା ଦେବା ବିଧେୟ ।
 
ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ନିମନ୍ତେ ୪୨ ଗୋଟି ୱାର୍ଡରୁ କର୍ପୋରେଟର ନିର୍ବାଚ଼ିତ ହେବେ । ଗତ ନିର୍ବାଚନରେ ୱାର୍ଡ଼ ସଂଖ୍ୟା ୪୦ ରହିଥିଲା । ଭୁବନେଶ୍ୱରରେ ୱାର୍ଡ ସଂଖ୍ୟା ୬୭ ଏବଂ କଟକରେ ୱାର୍ଡ ସଂଖ୍ୟା ୫୯ । ବ୍ରହ୍ମପୁରରେ ଚଳିତ ନିର୍ବାଚନରେ ପ୍ରତି ୱାର୍ଡ଼ରେ ହାରାହାରି ପ୍ରାୟ ପାଞ୍ଚ ହଜାର ଭୋଟର । ସେଥି ମଧ୍ୟରୁ ଅର୍ଦ୍ଧେକ ପୁରୁଷ ଏବଂ ଅନ୍ୟ ଅର୍ଦ୍ଧେକ ମହିଳା ।
 
ସହରାଞ୍ଚଳ ଭୋଟରମାନେ ନାଗରିକ ଅଧିକାର, ପୌରସେବା ଓ ଗଣତାନ୍ତ୍ରିକ ପ୍ରକ୍ରିୟା ସଂପର୍କରେ ସଚ଼େତନ ବୋଲି ବିଚାର କରାଯାଏ । ନିଗମ ନିର୍ବାଚନରେ ବିଭିନ୍ନ ରାଜନୀତିକ ଦଳର ପ୍ରତିନିଧିମାନେ ପ୍ରତିଦ୍ୱନ୍ଦିତା କରୁଥିବା ସ୍ଥଳେ ଭୋଟରମାନେ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ, ସାଂଗଠନିକ ଦକ୍ଷତା ଓ ସହଭାଗିତାକୁ ବିଚାରକୁ ନେଇ ପ୍ରାର୍ଥୀ ଚୟନ କରିବେ, ନା ଦଳୀୟ ଅନୁଗତ୍ୟକୁ ପ୍ରାଧାନ୍ୟ ଦେବେ ତାହା ନିର୍ବାଚନର ଫଳାଫଳ କହିବ । ତେବେ ପରିବର୍ତ୍ତିତ ପରିବେଶରେ ଉଭୟ ବୈଷୟିକ ପ୍ରଗତି ଓ ସରକାରୀ ନିବେଶ ଉପଯୋଗରେ ପୌରସେବାରେ ଆଗାମୀ କିଛି ବର୍ଷ ମଧ୍ୟରେ ବ୍ୟାପକ ଉନ୍ନତିର ସୁଯୋଗ ଆଶା କରାଯାଉଥିବା ସ୍ଥଳେ ନବଗଠିତ ପୌରପରିଷଦର ଭୂମିକା ଯେ ଗୁରୁତ୍ୱପୂର୍ଣ୍ଣ ଏଥିରେ ସନ୍ଦେହ ନାହିଁ । ଅବଶ୍ୟ ପୌରପରିଷଦ ଗଠନର ଦାୟିତ୍ୱ ନିର୍ବାଚନ ଅବସରରେ ଭୋଟରଙ୍କ ହାତରେ ରହିଛି । ସେମାନେ ଯେଉଁ ମାନର ପରିଷଦ ଗଠନ କରିବେ ସେହି ମାନର ସୁବିଧା ସୁଯୋଗ ପାଇବେ !

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୫ ମାର୍ଚ୍ଚ ୨୦୨୨/ ପୃଷ୍ଠା :୮)

Photo by Glen Carrie on Unsplash