Friday, July 15, 2022

Rain and Mosquito / ବର୍ଷା ଓ ମଶା


 #ବ୍ରହ୍ମପୁର ଡ଼ାଏରୀ ସ୍ତମ୍ଭରେ ସାଧାରଣତଃ ସହରବାସୀ ମଶା ଉପଦ୍ରବରେ ଅତିଷ୍ଠ ହୋଇପଡ଼ିବା ଅବସରରେ ଶୀତ ଋତୁରେ ମଶା ନିବାରଣ ସଂପର୍କରେ ଆଲୋଚ଼ନା ହୋଇଥାଏ । ବିଗତ ୨୦୨୦ ଡ଼ିସେମ୍ୱର ୧୧ ତାରିଖରେ ‘ମଶାଙ୍କ ପ୍ରାଦୁର୍ଭାବ’ ଶୀର୍ଷକ ରଚନାରେ ଯୁକ୍ତରାଷ୍ଟ୍ର ଆମେରିକାର ବୈଜ୍ଞାନିକମାନଙ୍କ ମଶାକାମୁଡ଼ା ଗବେଷଣା ସଂପର୍କରେ ତଥ୍ୟାବଳୀ ପ୍ରଦାନ କରାଯାଇଥିଲା । ମଶାମାନେ ମନୁଷ୍ୟର ନିଶ୍ୱାସ ପ୍ରଶ୍ୱାସରେ ନିର୍ଗତ ଅଙ୍ଗରାକାମ୍ଳ ବାୟୁ ଗନ୍ଧ ଓ ଶରୀରର ଉତ୍ତାପ ତଥା ସେମାନଙ୍କ ଶକ୍ତିଶାଳୀ ଚକ୍ଷୁଯୁଗଳରେ ୧୬ ରୁ ୩୨ ଫୁଟ ଦୂରରୁ ଦେଖିପାରିବା ଶକ୍ତି ଅବଲମ୍ୱନରେ ଶୀକାର ପାଖରେ ପହଞ୍ଚିଥାନ୍ତି । ଜାପାନର ବୈଜ୍ଞାନିକଙ୍କ ଉଦ୍ଭାବନରେ ‘ଓ’ ବର୍ଗ ରକ୍ତଧାରୀ ବ୍ୟକ୍ତିବିଶେଷ ତଥା ଶରୀରରେ ୟୁରିକ ଏସିଡ଼, ଲେକ୍ସିକ ଏସିଡ଼ ଓ ଆମୋନିଆ ପରିମାଣ ଅଧିକ ରହୁଥିବା ବ୍ୟକ୍ତିବିଶେଷଆଡ଼କୁ ମଶା ଆକର୍ଷିତ ହୋଇଥାନ୍ତି । ଅନ୍ୟ ଏକ ବୈଦେଶିକ ଅନୁସନ୍ଧାନରୁ ଜଣାଯାଇଥିଲା ଯେ ମଶାମାନେ କଳା, ଗାଢ଼ନୀଳ ଓ ନାଲିରଙ୍ଗକୁ ପସନ୍ଦ କରନ୍ତି ।

 

ସେହିପରି ୨୦୨୧ ଡ଼ିସେମ୍ୱର ୩ ତାରିଖରେ ପ୍ରକାଶିତ ‘ମଶା ନିୟନ୍ତ୍ରଣ’ ରଚନାରେ ମଶାର ଜୀବନଚ଼କ୍ର ବର୍ଣ୍ଣନା କରାଯାଇଥିଲା । ମଶା ଜୀବନରେ ଚାରିଗୋଟି ଅବସ୍ଥା ଦେଇ ଗତି କରିଥାଏ – ଡିମ୍ୱ, ଲାର୍ଭା, ପ୍ୟୁପା ଓ ପ୍ରାପ୍ତ-ବୟସ୍କ ମଶା । ଡ଼ିମ୍ୱ, ଲାର୍ଭା ଓ ପ୍ୟୁପା ଆବଦ୍ଧ ଜଳ ମଧ୍ୟରେ କଟିବା ପରେ ପ୍ରାପ୍ତ-ବୟସ୍କ ମଶା ଉଡ଼ି ବୁଲେ । ମାଈ ମଶା ସକାଳ ଓ ସନ୍ଧ୍ୟାରେ କାମୁଡ଼େ । ଦିନର ଗରମ ସମୟରେ ଥଣ୍ଡା ଅନ୍ଧାରୁଆ ସ୍ଥାନ ଖୋଜି ବିଶ୍ରାମ ନିଏ । କିନ୍ତୁ କେତେକ ପ୍ରଜାତିର ମଶା ଦିନ ତମାମ କାମୁଡ଼ନ୍ତି । ବିଶ୍ୱବ୍ୟାପୀ ପ୍ରାୟ ତିନି ହଜାର ପ୍ରଜାତିର ମଶା ଦେଖାଯାଆନ୍ତି ।

 

କୁହାଯାଏ ଯେ ମଶାମାନେ ଜନ୍ମ ନେବା ପରେ ଅଣ୍ଡିରା ମଶା ୫ ରୁ ୭ ଦିନ ଏବଂ ମାଈ ମଶା ତିନି ସପ୍ତାହ ଯାଏଁ ବଞ୍ଚନ୍ତି । ମାଈ ମଶା ମନୁଷ୍ୟ ଓ ଅନ୍ୟାନ୍ୟ ପ୍ରାଣୀଙ୍କୁ କାମୁଡ଼ି ରକ୍ତ ଶୋଷେ । ଏହାପରେ ସେ ଦୁଇ ତିନି ଦିନ ବିଶ୍ରାମ ନିଏ । ଏହି ଅବସରରେ ରକ୍ତ ହଜମ ହୋଇ ଅଣ୍ଡା ପ୍ରସ୍ତୁତ ହୁଏ ଏବଂ ମଶା ସ୍ଥିର ଜଳରେ ଅଣ୍ଡା ଦିଏ । ଅଣ୍ଡା ଦେବା ପରେ ପୁଣି ଶୀକାର ସନ୍ଧାନରେ ବାହାରିପଡ଼େ । ମାଈ ମଶା ଜୀବନ କାଳ ମଧ୍ୟରେ ପ୍ରାୟ ପାଞ୍ଚ ଥର ଅଣ୍ଡା ଦିଏ ଏବଂ ପ୍ରତ୍ୟେକଥର ପ୍ରାୟ ଶହେ ଅଣ୍ଡା ହିସାବ କରାଯାଏ । ଅତଏବ ପ୍ରତ୍ୟେକ ମାଈ ମଶା ସୌଜନ୍ୟରେ ପାଞ୍ଚ ଶହ ସନ୍ତାନ ଏବଂ ସେମାନଙ୍କ ବଂଶବୃଦ୍ଧିରେ ପାଞ୍ଚ ଶହ ଗୁଣନ ପାଞ୍ଚ ଶହ ଗଣନା କରାଯାଇପାରେ ।

 

ଏହିଭଳି ପରିସଂଖ୍ୟାନରୁ ମଶାବଂଶକୁ ମୂଳରୁ ନିପାତ କରିବା ସର୍ବୋତ୍ତମ ପନ୍ଥା ବିଚାର କରାଯାଏ । ବିଗତ ଦୁଇ ବର୍ଷ ଡ଼ିସେମ୍ୱର ମାସରେ ଏହି ସ୍ତମ୍ଭରେ ମଶା ଉପଦ୍ରବ ଆଲୋଚ଼ନା ବଦଳରେ ଛଅମାସ ଆଗରୁ ୨୦୨୨ ଜୁଲାଇରେ ଚର୍ଚ୍ଚାର ଗୁରୁତ୍ୱ ବର୍ଷା ଋତୁ ଆରମ୍ଭରୁ ମଶା ନିବାରଣ ପାଇଁ ଯୋଜନାବଦ୍ଧ ଉଦ୍ୟମ ଆବଶ୍ୟକତା ସଂପର୍କରେ ସହରବାସୀଙ୍କ ଦୃଷ୍ଟି ଆକର୍ଷଣରେ ଅଭିପ୍ରେତ ।

 

ମଶା ବଂଶ ବୃଦ୍ଧିକୁ ରୋକିବାକୁ ହେଲେ ବର୍ଷା ପରେ ପରେ ଘର ବାହାରେ ଅଳିଆ ଆବର୍ଜନା, ଯଥା : ଫୋପଡ଼ା ଯାଇଥିବା ପ୍ଳାଷ୍ଟିକ ପାତ୍ର, ପଇଡ଼, ଭଙ୍ଗା ଆସବାବପତ୍ରରେ କିପରି ବର୍ଷା ପାଣି ଜମି ରହିବ ନାହିଁ ସେ ଦିଗରେ ଉଦ୍ୟମ ଆବଶ୍ୟକ । ସହରରେ ଅଳିଆ ଆବର୍ଜନା ନିଷ୍କାସନ ପୌରନିଗମର କାର୍ଯ୍ୟ । କିନ୍ତୁ ଅନେକ ସମୟରେ ତାହା ସଂଭବ ହୋଇପାରେ ନାହିଁ ।

 

ରାଜ୍ୟରେ ମୌସୁମୀ ବର୍ଷା ପ୍ରବେଶ ସମୟରେ ବ୍ରହ୍ମପୁରରେ ଜୁନ ଦ୍ୱିତୀୟ ସପ୍ତାହରେ ଅସରାଏ ବର୍ଷା ହେତୁ ସମଗ୍ର ସହର ଜଳାର୍ଣ୍ଣବ ହୋଇ ପଡ଼ିଥିଲା । ସେହି ବର୍ଷା ପାଣି ଜମି ରହିବା ହେତୁ ଜୁଲାଇ ପ୍ରଥମ ସପ୍ତାହରୁ ଋତୁକେନ୍ଦ୍ରୀକ ପ୍ରଥମ ପୀଢ଼ିର ମଶା ଦେଖା ଦେଇଛନ୍ତି । ଏମାନଙ୍କୁ ବଂଶବିସ୍ତାର କରିବାକୁ ନଦେବା ଅଭିଯାନରେ ପୌରନିଗମ ପକ୍ଷରୁ ରାସ୍ତାଘାଟ, ଖୋଲାସ୍ଥାନ ପରିଷ୍କାର ରଖିବା ସହ ମଶାମରା ଧୂଆଁ ଛାଡ଼ିବା ଆବଶ୍ୟକ । ମଶା ଉପଦ୍ରବ ଡ଼ିସେମ୍ୱର ମାସରେ ଚ଼ରମ ସୀମାରେ ପହଞ୍ଚିବା ଆଗରୁ ମୂଳରୁ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଫଳବତୀ ହେବା ଆଶା କରାଯାଏ ।

 

ବିକଳ୍ପ ବ୍ୟବସ୍ଥାରେ ନାଗରିକ ସମାଜ, ଯଥା : ସାହୀ ବାସିନ୍ଦା, କିଶୋର-ଯୁବକ-ମହିଳା ଗୋଷ୍ଠୀ ନିଜେ ବସବାସ କରୁଥିବା ଅଞ୍ଚଳରେ କିପରି ଅଳିଆ ଆବର୍ଜନାରେ ସ୍ଥିର ଜଳ ଗଚ୍ଛିତ ରହିବ ନାହିଁ ସେ ଦିଗରେ ଉଦ୍ୟମ କରିପାରିବେ । ସପ୍ତାହରେ ଥରେ ରବିବାର ସକାଳ ବେଳା ଘଣ୍ଟାଏ ଦୁଇ ଘଣ୍ଟାର ଶ୍ରମଦାନରେ ଆଖପାଖ ଅଞ୍ଚଳରେ ଇତଃସ୍ତତଃ ଭାବେ ପଡ଼ିଥିବା ପ୍ଳାଷ୍ଟିକ ଗ୍ଳାସରେ ଜମିଥିବା ପାଣିକୁ ଗୋଟିଏ ବାଡ଼ିରେ ଓଲଟାଇ ଦେଲେ ସ୍ଥିର ଜଳ ଖଲାସ ହୋଇଯିବ । ଖାଲଗୁଡ଼ିକରେ ପାଣି ଜମି ଥିଲେ ଓ ତାହା ପୋତିବା ସଂଭବ ନଥିଲେ ସାମାନ୍ୟ ଫିନାଇଲ ପକାଇ ପାରିଲେ ସୁଫଳ ମିଳିପାରେ । ଏହି କାର୍ଯ୍ୟକ୍ରମ କ୍ରମାଗତଭାବେ ଚାଲିବା ଆବଶ୍ୟକ ।

 

ଏହିଭଳି ପ୍ରସ୍ତାବ ଅସହଜ, ଅସଙ୍ଗତ ଓ ଅବାସ୍ତବ ମନେହେଲେହେଁ ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମାଲ’ରେ ପ୍ରାସଙ୍ଗିକ । ପ୍ରଦୂଷଣ ଓ ସଂକ୍ରମଣ ନାଗରିକଙ୍କ ଜୀବନ ଓ ଅର୍ଥନୀତିକୁ ପ୍ରଭାବିତ କରୁଥିବା ହେତୁ ସ୍ଥିତାବସ୍ଥାକୁ ବିଚାରକୁ ନେଇ ପ୍ରତ୍ୟେକ ନାଗରିକଙ୍କ ଅବଦାନ ତଥା ପଦକ୍ଷେପ ଗ୍ରହଣ ଜରୁରୀ ।

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୬ ଜୁଲାଇ ୨୦୨୨/ ପୃଷ୍ଠା : ୨)

Photo by reza shayestehpour on Unsplash 

Friday, July 8, 2022

Palur Bangala / ପାଲୁର ବଙ୍ଗଳା

 

#ବ୍ରହ୍ମପୁର ସହରର ପରିସୀମା ଓ ଜନସଂଖ୍ୟା ସ୍ୱାଧୀନୋତ୍ତର ଅବସ୍ଥାରେ ଦୃତ ଗତିରେ ବୃଦ୍ଧିପ୍ରାପ୍ତ ହୋଇଛି । ବିଗତ ୫୦ ରୁ ୭୦ ବର୍ଷ ମଧ୍ୟରେ କ୍ରମବିକଶିତ ଜନବସତି ମଧ୍ୟରେ ବ୍ରିଟିଶ ଅମଳର ଜମିଦାରୀ ମାଲିକାନାରେ ଥିବା ଭୂସମ୍ପତ୍ତି ପ୍ରମୁଖ ସ୍ଥାନ ଅଧିକାର କରିଥାଏ । ପାଲୁର ଜମିଦାରଙ୍କ ଗୋଟିଏ ବଙ୍ଗଳା ବ୍ରହ୍ମପୁରରେ ଥିଲା । ଏକ ସାଧାରଣ କୋଠା ସଂଲଗ୍ନ ବିସ୍ତୀର୍ଣ୍ଣ ପ୍ରାଙ୍ଗଣ । ସ୍ୱାଧୀନୋତ୍ତର ଅବସ୍ଥାରେ ତାହା ଘରବାଡ଼ି ପ୍ଲଟ କରି ବିକ୍ରୀ କରିଦିଆଯାଇଥିଲା । ଗଞ୍ଜାମ ଓ ପଡ଼ୋଶୀ ଜିଲ୍ଲାଗୁଡ଼ିକରୁ ବ୍ରହ୍ମପୁରରେ ସ୍ଥାୟୀଭାବେ ବସବାସ କରିବା ପାଇଁ ଗ୍ରାମାଞ୍ଚଳରୁ ପହଞ୍ଚୁଥିବା ପରିବାରବର୍ଗ ସେଠି ଘରଦ୍ୱାର ନିର୍ମାଣ କରି ବସବାସ କରିବାକୁ ଲାଗିଲେ । ପାଲୁର ବଙ୍ଗଳା ପଶ୍ଚିମ ସୀମାରେ ଚିକିଟି ରାଜପରିବାର ଜମିରେ ଚନ୍ଦ୍ରପ୍ରଭା ସାହୀ ଏବଂ ସେଠାରୁ ଗୋଲାପଲ୍ଲୀ ସାହୀ ଯାଏଁ ବିସ୍ତୀର୍ଣ୍ଣ ଇଲାକାରେ ବଡ଼ଖେମୁଣ୍ଡି ରାଜପରିବାରଙ୍କ ସତ୍ତ୍ୱାଧୀନ ଅଞ୍ଚଳ ବିକ୍ରୀ ହୋଇ ଘରବାଡ଼ି ନିର୍ମାଣ ପରେ ବଡ଼ଖେମୁଣ୍ଡି ସାହୀ ଗଢ଼ିଉଠିଥିଲା । ପାଲୁର ବଙ୍ଗଳା ଓ ବଡ଼ଖେମୁଣ୍ଡି ସାହୀ ଏବଂ ତତ୍ ସଂଲଗ୍ନ ଅଞ୍ଚଳ ଅଧୂନା ସହରର ଅନ୍ୟତମ ଘଞ୍ଚ ଜନବସତି ।
 
କୁହାଯାଏ ଯେ ପୁରୀ ଗଜପତି ପୁରୁଷୋତ୍ତମ ଦେବ ୧୪୭୯ ରୁ ୧୫୦୪ ମଧ୍ୟରେ ରାଜତ୍ୱ କରୁଥିଲେ । ତାଙ୍କରି ଶାସନକାଳରେ ଗଞ୍ଜାମର ଜମିଦାରମାନେ ସତ୍ତ୍ୱ ହାସଲ କରିଥିଲେ । ବିଂଶ ଶତାଦ୍ଦୀ ଆରମ୍ଭ ବେଳକୁ ବ୍ରିଟିଶ ଶାସିତ ଗଞ୍ଜାମ ସବ୍ଡ଼ିଭିଜନରେ ଅଠରଗୋଟି ଜମିଦାରୀ ରହିଥିଲା । ସେଥିମଧ୍ୟରୁ ନଅଗୋଟିରୁ ଉର୍ଦ୍ଧ୍ୱ ଜମିଦାରଙ୍କ ପକ୍ଷରୁ ବ୍ରହ୍ମପୁରରେ ବାସସ୍ଥାନ ବଙ୍ଗଳାମାନ ନିର୍ମିତ ହୋଇଥିଲା । ପାଲୁର, ବଡ଼ଖେମୁଣ୍ଡି ସାଙ୍ଗକୁ ଖଲ୍ଲିକୋଟ-ଆଠଗଡ଼, ବଡ଼ଗଡ଼, ଶେରଗଡ଼, ଚିକିଟି, ସୁରଙ୍ଗୀ, ଜରଡ଼ା ଓ ଧରାକୋଟ ଜମିଦାର ଶାସକ ପରିବାରବର୍ଗ ଅସ୍ଥାୟୀ ଭାବେ ବ୍ରହ୍ମପୁରରେ ବସବାସ କରିବା ଆରମ୍ଭ କରିଦେଇଥିଲେ ।
 
ମହୁରିର ରାଜଧାନୀ ବ୍ରହ୍ମପୁରର ଅଧୂନା ବଡ଼ବଜାର ଅଞ୍ଚଳରେ ପଞ୍ଚଦଶ ଶତାଦ୍ଦୀର ଶେଷାର୍ଦ୍ଧରେ ନବନିର୍ମିତ ରାଜପ୍ରସାଦକୁ ନେଇ ଗଢ଼ି ଉଠିଥିଲା । ମହୁରି ଶାସକ ଧାର୍ଯ୍ୟ ରାଜସ୍ୱ ନଦେଇପାରିବା ହେତୁ ୧୮୫୧ରେ ବ୍ରିଟିଶ ସରକାର ବ୍ରହ୍ମପୁର ସମେତ ସମଗ୍ର ମହୁରି ଅଞ୍ଚଳକୁ ଅକ୍ତିଆରକୁ ନେଇଯାଇଥିଲେ । କ୍ରମଶଃ ବ୍ରହ୍ମପୁରରେ ସରକାରଙ୍କ ପକ୍ଷରୁ କୋର୍ଟକଚ଼େରୀ ସ୍ଥାପନ, ପଡ଼ୋଶୀ ଅଞ୍ଚଳ ସହ ରାସ୍ତା ସଂଯୋଗ, ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ସ୍ଥାପନ ତଥା ସର୍ବୋପରି ବାଣିଜ୍ୟ ବ୍ୟବସାୟ ପେଣ୍ଠରେ ପରିଣତ ହେବାପରେ ପଡ଼ୋଶୀ ଜମିଦାରୀର ଶାସକଗଣ ବ୍ରହ୍ମପୁରରେ ଆବାସ ନିର୍ମାଣ ନିମନ୍ତେ ଯତ୍ନବାନ ହୋଇଥିଲେ । ବ୍ରିଟିଶ ଶାସନ ପ୍ରାକକାଳରେ ଭୂ-ବନ୍ଦୋବସ୍ତ ଆୟୋଜନ ଏଥିଲାଗି ସହାୟକ ହୋଇଥିଲା ।
 
ବିଂଶ ଶତାଦ୍ଦୀ ଆରମ୍ଭ ସୁଦ୍ଧା ବ୍ୟାବସାୟିକ-ବ୍ରହ୍ମପୁର ବଡ଼ବଜାର, ସାନବଜାର ଠାରୁ ଭାପୁର ବଜାରକୁ ସଂପ୍ରସାରିତ ହୋଇଥିଲା । ମିଲଟାରୀ ଲାଇନ୍ସରେ ସେନାକର୍ମଚାରୀଙ୍କ ବାସସ୍ଥଳୀପରେ ଗେଟବଜାର ଅଞ୍ଚଳରେ ସରକାରୀ କାର୍ଯ୍ୟାଳୟ ଏବଂ ବିଜିପୁର ନିକଟରେ ଚ଼ିକିତ୍ସାଳୟ ଓ ବୈଦ୍ୟନାଥପୁରରେ କୋର୍ଟକଚ଼େରୀ କାର୍ଯ୍ୟ କରୁଥିଲା । ଗେଟବଜାରରୁ କୋର୍ଟପେଟା ଅଞ୍ଚଳରେ ଗଞ୍ଜାମ ଜମିଦାରମାନଙ୍କ ବଙ୍ଗଳାମାନ ସ୍ଥାପିତ ହୋଇଥିଲା । ମୁଖ୍ୟତଃ ଊନବିଂଶ ଶତାଦ୍ଦୀର ଶେଷ ଓ ବିଂଶ ଶତାଦ୍ଦୀର ପ୍ରଥମ ଭାଗରେ ଜମିଦାରୀ ବଙ୍ଗଳାଗୁଡ଼ିକର କୋଠାବାଡ଼ି ନିର୍ମାଣ ହୋଇଥିବା ଅନୁମାନ କରାଯାଏ ।
 
ବ୍ରହ୍ମପୁର ସହରର କ୍ରମବିକାଶରେ ଗଞ୍ଜାମ ଜମିଦାରୀ ବଙ୍ଗଳାସମୂହର ପ୍ରମୁଖ ଯୋଗଦାନ ରହିଆସିଛି । ପ୍ରଥମ ପର୍ଯ୍ୟାୟରେ ବ୍ରିଟିଶ ଶାସନାଧୀନ ଅବସ୍ଥାରେ ବଙ୍ଗଳାଗୁଡ଼ିକ ସ୍ଥାପନ ଫଳରେ ସହରର ବସବାସଯୋଗ୍ୟ ପରିସୀମା ବଢ଼ିଥିବା ସ୍ଥଳେ ସ୍ୱାଧୀନୋତ୍ତର ଅବସ୍ଥାରେ ବଙ୍ଗଳାର ଜମି ସର୍ବସାଧାରଣଙ୍କୁ ଘରବାଡ଼ି ନିର୍ମାଣ ନିମନ୍ତେ ସୁଯୋଗ ପ୍ରଦାନ ସହରର ଜନସଂଖ୍ୟା ବୃଦ୍ଧିରେ ସହାୟକ ହୋଇଥିଲା । ଅପରପକ୍ଷେ ବ୍ରହ୍ମପୁରର ସହରୀ ସଂସ୍କୃତି ଗଞ୍ଜାମର ଗ୍ରାମାଞ୍ଚଳରେ ପ୍ରସାରରେ ଜମିଦାରୀ ବଙ୍ଗଳାଗୁଡ଼ିକରେ ପହଞ୍ଚୁଥିବା ଅତିଥି ଗ୍ରାମବାସୀଙ୍କ ଅନୁଭୂତି ସଂଗ୍ରହ ମଧ୍ୟ ଅନ୍ୟ ଏକ ଉଲ୍ଲେଖଯୋଗ୍ୟ ବିଭବ ବିଚାର କରାଯାଇପାରେ !

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୯ ଜୁଲାଇ ୨୦୨୨/ ପୃଷ୍ଠା : ୨)

Friday, July 1, 2022

Shri Bada Jagannath / ଶ୍ରୀ ବଡ଼ ଜଗନ୍ନାଥ

 



#ବ୍ରହ୍ମପୁର ସହରରେ ଏକାଧିକ ଜଗନ୍ନାଥ ମନ୍ଦିର ବିଦ୍ୟମାନ । ସେଗୁଡିକ ମଧ୍ୟରେ ବଡ଼ବଜାର ସଂଲଗ୍ନ ଖାସ୍ପା ସାହୀର ଜଗନ୍ନାଥ ମନ୍ଦିର ସର୍ବ ପୁରାତନ । ଏହି ମନ୍ଦିରର ଅନ୍ୟତମ ପୂଜକ ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ବାଣିଜ୍ୟ ପ୍ରଫେସର ଜଗନ୍ନାଥ ପଣ୍ଡାଙ୍କ ଭାଷାରେ “ବ୍ରହ୍ମପୁରରେ ଯେଉଁ କେତୋଟି ଜଗନ୍ନାଥ ମନ୍ଦିର ଦେଖିବାକୁ ମିଳେ ତନ୍ମଧ୍ୟରୁ ଖାସ୍ପା ସାହୀରେ ଅଧିଷ୍ଠିତ ଥିବା ବଡ଼ ଜଗନ୍ନାଥ ମନ୍ଦିର ହେଉଛି ପ୍ରାଚ଼ୀନତମ ।

 

ଏହି ମନ୍ଦିର ଅଷ୍ଟାଦଶ ଶତାଦ୍ଦୀର ପ୍ରଥମ ଭାଗରେ ‘ନାଇନା’ ନାମଧ୍ୟେୟ ଜଣେ ତେଲୁଗୁ ବିତ୍ତଶାଳୀ ବ୍ୟବସାୟୀଙ୍କ ଦ୍ୱାରା ନିର୍ମିତ ହୋଇଥିବା କଥା ଲୋକଙ୍କ ମୁଖରୁ ଶୁଣିବାକୁ ମିଳିଥାଏ । ପୂର୍ବେ ବ୍ରହ୍ମପୁରରେ ‘ଆଇନା’ ଓ  ‘ନାଇନା’ ନାମଧ୍ୟେୟ ଲବ୍ଧପ୍ରତିଷ୍ଠିତ ବ୍ୟବସାୟୀ ଦୁଇଭାଇ ଥିଲେ । ବ୍ରହ୍ମପୁର ଜନସାଧାରଣଙ୍କ ସୁବିଧା ପାଇଁ ପୁରୁଣା ବ୍ରହ୍ମପୁରରେ ‘ଆଇନା ବନ୍ଧ’ ପୋଖରୀ ‘ଆଇନା’ ନାମକ ଭାଇ ଖୋଳାଇଥିଲେ । ‘ନାଇନା’ ନାମକ ବିଷ୍ଣୁଭକ୍ତ ଭାଇ ସର୍ବସାଧାରଣଙ୍କ ପୂଜାର୍ଚ୍ଚନା ପାଇଁ ଖାସ୍ପା ସାହୀରେ ‘ବଡ଼ ଜଗନ୍ନାଥ ମନ୍ଦିର’ ନିର୍ମାଣ କରାଇଥିବା ପ୍ରବାଦ ଆଜି ପର୍ଯ୍ୟନ୍ତ ପ୍ରଚଳିତ ହୋଇ ରହିଛି । ମହୁରି ରାଜବଂଶର ତତ୍ କାଳୀନ ରାଜାମାନଙ୍କ ଦାନ ଖଇରାତ ଓ ସର୍ବସାଧାରଣଙ୍କ ସହଯୋଗରେ ପ୍ରାୟ ବାର ଏକର ଜମିରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତି, ଯାନିଯାତ୍ରା ଓ ପର୍ବପର୍ବାଣୀ ସୁରୁଖୁରରେ ଚଳି ଆସୁଛି ।”

 

‘ବ୍ରହ୍ମପୁର ସହରର ଐତିହାସିକ ଭିତ୍ତିଭୂମି’ ଶୀର୍ଷକ ଗ୍ରନ୍ଥରେ ସଂକଳିତ ପ୍ରଫେସର ପଣ୍ଡାଙ୍କ ରଚନାରେ ଉଲ୍ଲେଖ ଥିଲା, “ମନ୍ଦିରର ଅଧିଷ୍ଠିତ ଦେବତା ହେଉଛନ୍ତି ସ୍ୱୟଂ ଶ୍ରୀ ଜଗନ୍ନାଥ । ଏଠାରେ ଶ୍ରୀ ଜଗନ୍ନାଥଙ୍କ ଗୋଟିଏ ମାତ୍ର ମୂର୍ତ୍ତି ପୂଜିତ ହୁଅନ୍ତି । କେତେକ ଏହାକୁ ଦଧିବାମନ ଓ ପତିତପାବନ ବୋଲି ମଧ୍ୟ କହନ୍ତି । ବିଗ୍ରହ ମଧ୍ୟରେ ନିର୍ମାଣବେଳେ ଶାଳଗ୍ରାମ ଶିଳା ରଖାଯାଇଥିବା କଥା ଶୁଣିବାକୁ ମିଳେ । ଏହିପରି ଲାବଣ୍ୟମୟ ବିଗ୍ରହ ଗଞ୍ଜାମରେ କ୍ୱଚ଼ିତ ମନ୍ଦିରରେ ଦେଖିବାକୁ ମିଳନ୍ତି । ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ଦଧିବାମନଙ୍କୁ ଶାଳଗ୍ରାମଙ୍କ ମୂର୍ତ୍ତିବିଶେଷ ବୋଲି କୁହାଯାଏ । ସେ ହୋଇପାରନ୍ତି ଭକ୍ତ ଓ ପତିତଙ୍କ ପତିତପାବନ ଓ ତର୍କକାରଙ୍କ ଦଧିବାମନ । କିନ୍ତୁ ସେ ଜଗନ୍ନାଥ ବୋଲି ବ୍ରହ୍ମପୁରରେ ସାର୍ବଜନବିଦିତ ଓ ପୂଜିତ । ଏହାହିଁ ଲୋକ ବିଶ୍ୱାସ । ଶ୍ରୀ ଜଗନ୍ନାଥଙ୍କ ବ୍ୟତୀତ ମହାଲକ୍ଷ୍ମୀ, ଗଣେଶ, ରଘୁନାଥ ଓ ମଦନମୋହନଙ୍କ ମୂର୍ତ୍ତି ଜଗନ୍ନାଥଙ୍କ ସିଂହାସନରେ ଏକତ୍ର ପୂଜିତ ହେଉଥିବା ଦେଖିବାକୁ ମିଳେ ।”

ଶ୍ରୀ ବଡ଼ ଜଗନ୍ନାଥଙ୍କ ରଥଯାତ୍ରା ଜାକଜମକରେ ପାଳନ କରାଯାଏ । “ଶ୍ରୀ ଜଗନ୍ନାଥ ରଥରେ ବିଜେ କରି ଖାସ୍ପା ସାହୀର ଶ୍ରୀ ମନ୍ଦିରରୁ ବାହାରି ବ୍ରହ୍ମପୁର ହନୁମାନ ବଜାରସ୍ଥ ହନୁମାନ ମନ୍ଦିର ନିକଟସ୍ଥ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ଏବଂ ନବ ଦିନ ଯାତ୍ରା ପରେ ମନ୍ଦିରକୁ ଫେରି ଆସନ୍ତି । ... ରଥଯାତ୍ରାର ପ୍ରଥମ ଦିନରେ ମହୁରି ରାଜବାଟୀରୁ ରାଜାଙ୍କ ବିଜେ ପରେ ଶ୍ରୀ ଜୀଉଙ୍କ ପହଣ୍ଡି ବିଜେ ହୁଏ । ରାଜା ହେଉଛନ୍ତି ପ୍ରଭୁଙ୍କ ପ୍ରଥମ ସେବକ । ସେ ରଥର ଛେରା ପହଁରା କାର୍ଯ୍ୟ ସଂପାଦନା କଲାପରେ ରଥଟଣା କାମ ଆରମ୍ଭ ହୋଇଥାଏ । ... ରଥଯାତ୍ରାର ଅଂଶ ବିଶେଷ ହେଉଛି ହେରା ପଞ୍ଚମୀ । ଏହି ହେରା ପଞ୍ଚମୀ ଦିନ ମନ୍ଦିର ନିକଟସ୍ଥ ଗୌଡ଼ ସାହୀରେ ବସବାସ କରୁଥିବା ଗୌଡ଼ ସଂପ୍ରଦାୟର ଭକ୍ତବୃନ୍ଦ ଶ୍ରୀମନ୍ଦିରରୁ ମହାଲକ୍ଷ୍ମୀଙ୍କୁ ବିମାନରେ ବିଜେ କରାଇ, ବାଣ ଫୁଟାଇ, ଘଣ୍ଟା ବଜାଇ, କୀର୍ତ୍ତନ ସହ ଗୁଣ୍ଡିଚା ମନ୍ଦିରକୁ ବିଜେ କରାନ୍ତି । ଗୁଣ୍ଡିଚା ମନ୍ଦିରରେ ବଚ଼ନିକା ପରେ ବାଟରେ ରଥ ଭାଙ୍ଗି ମହାଲକ୍ଷ୍ମୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି ।” ଏହି ଦେବନୀତି ବହୁବର୍ଷ ଧରି ପାଳିତ ହୋଇଆସୁଛି ।

 

ବ୍ରହ୍ମପୁର ୧୬୬୨ ରୁ ୧୬୭୨ ମଧ୍ୟରେ ଅଧୂନା ବଡ଼ବଜାରସ୍ଥିତ ମହୁରି ରାଜପ୍ରସାଦ ନିର୍ମାଣପରେ ଜନବସତିକୁ ନେଇ ଗଢ଼ିଉଠିଥିଲା । ମହୁରି ରାଜ୍ୟ ୧୪୬୮ ରୁ ୧୪୯୭ ମଧ୍ୟରେ ପୁରୀ ଗଜପତି ରାଜା ପୁରୁଷୋତ୍ତମ ଦେବଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ଆଖପାଖରେ ବହୁସଂଖ୍ୟକ ମନ୍ଦିର, ମଠକୁ କେନ୍ଦ୍ର କରି ଜନବସତିର ନାମକରଣ ‘ବ୍ରହ୍ମପୁର’ କରାଯାଇଥିବା ଯୁକ୍ତି ବଢ଼ା ଯାଏ । ତେବେ ପଞ୍ଚଦଶ ଶତାଦ୍ଦୀରୁ ଅଷ୍ଟାଦଶ ଶତାଦ୍ଦୀ ଯାଏଁ ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ୱ ସମୟଧରି ବ୍ରହ୍ମପୁରରେ ଜଗନ୍ନାଥ ମନ୍ଦିର ନିର୍ମିତ ହୋଇନଥିବା ତଥ୍ୟ ବିସ୍ମୟ ସୃଷ୍ଟି କରିଥାଏ । କାରଣ ଶ୍ରୀ ବଡ଼ ଜଗନ୍ନାଥଙ୍କ ରଥରେ ମହୁରି ରାଜା ଛେରା ପହଁରା କରିବା ପ୍ରଥା ବର୍ତ୍ତମାନ ଯାଏଁ ପ୍ରଚଳିତ ଥିବା ହେତୁ ବ୍ରହ୍ମପୁରରେ ତାହାକୁ ହିଁ ସର୍ବପ୍ରଚ଼ୀନ ଜଗନ୍ନାଥ ମନ୍ଦିର ବିଶ୍ୱାସ କରିବା ଯୁକ୍ତିଯୁକ୍ତ ।

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨ ଜୁଲାଇ ୨୦୨୨/ ପୃଷ୍ଠା : ୨)

Friday, June 24, 2022

New Water Supply Company ‘WATCO’ / ଜଳଯୋଗାଣ ପାଇଁ ନୂଆ କମ୍ପାନୀ ‘ୱାଟକୋ’

 

#ବ୍ରହ୍ମପୁରରେ ଜଳଯୋଗାଣ ବ୍ୟବସ୍ଥା ସ୍ଥାନୀୟ ପୌରପାଳିକା ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ସ୍ଥଳେ ପରବର୍ତ୍ତୀ ସମୟରେ ତାହା ରାଜ୍ୟ ସରକାରଙ୍କ ଜନସ୍ୱାସ୍ଥ୍ୟ ବିଭାଗ ଅଧୀନକୁ ଯାଇଥିଲା । ଜୁନ ପହିଲା ୨୦୨୨ରୁ ସହରର ଜଳଯୋଗାଣ ଦାୟିତ୍ୱ ଓଡ଼ିଶା ଜଳ ନିଗମ ‘ୱାଟର କରପୋରେସନ ଅଫ ଓଡ଼ିଶା’, ସଂକ୍ଷେପରେ ‘ୱାଟକୋ’କୁ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିବା ପ୍ରକାଶ ।

 

‘ୱାଟକୋ’ ଓଡ଼ିଶା ସରକାରଙ୍କ ଦ୍ୱାରା ଗଠିତ ଏକ ଅଣ-ଲାଭଦାୟକ ‘ନନ-ପ୍ରଫିଟ’ କମ୍ପାନୀ । ଏହା ୨୦୧୫ରୁ କାର୍ଯ୍ୟ ଆରମ୍ଭ କରିଛି ଏବଂ ଭୁବନେଶ୍ୱର ସତ୍ୟନଗରଠାରେ ମୁଖ୍ୟକାର୍ଯ୍ୟାଳୟ ଅବସ୍ଥାପିତ । ରାଜ୍ୟ ସରକାରଙ୍କ ଗୃହନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗର ପ୍ରମୁଖ ଶାସନ ସଚ଼ିବ ଏହାର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଭାବେ ଜଣେ ବରିଷ୍ଠ ଇଞ୍ଜିନିୟର ଦାୟିତ୍ୱ ତୁଲାଉଛନ୍ତି । ରାଜ୍ୟର ସହରାଞ୍ଚଳରେ ଜଳଯୋଗାଣ ଓ ନାଳନର୍ଦ୍ଦମା ‘ସୁଏରେଜ’ ପରିଚାଳନା ସଂସ୍ଥାର କାର୍ଯ୍ୟକ୍ଷେତ୍ର । ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା ଓ ବ୍ରହ୍ମପୁର ଇତ୍ୟାଦି ୧୭ଗୋଟି ସହରାଞ୍ଚଳରେ କାର୍ଯ୍ୟକାରୀ ହେବାପରେ ପର୍ଯ୍ୟାୟକ୍ରମେ ରାଜ୍ୟର ୧୧୪ ଗୋଟି ସହରାଞ୍ଚଳକୁ ସଂପ୍ରସାରିତ ହେବା ଯୋଜନା ରହିଛି ।

 

ଜଳଯୋଗାଣ ଓ ଆବର୍ଜନା ନିଷ୍କାସନ ମୌଳିକ ପୌରସେବା ଅନ୍ତର୍ଭୁକ୍ତ । ସ୍ଥାନୀୟସ୍ତରରେ ଏହାର ସୁପରିଚାଳନା ସଂଭବପର ନହୋଇପାରିବା ହେତୁ ସରକାର ବିକଳ୍ପ ବ୍ୟବସ୍ଥା ଚ଼ିନ୍ତା କରିଥିଲେ । ବ୍ରହ୍ମପୁରର ଜଳଯୋଗାଣ ‘ୱାଟକୋ’ ମାର୍ଫତରେ ନ୍ୟସ୍ତ ହେବାପରେ ରାଜ୍ୟସ୍ତରରେ ପ୍ରଣୀତ ନୀତି ଏଠାରେ ପାଳନ କରାଯିବା ଆଶା କରାଯାଏ । ଦେଢ଼ ବର୍ଷ ମଧ୍ୟରେ ସହରରେ ବସବାସ କରୁଥିବା ପ୍ରତ୍ୟେକ ପରିବାରଙ୍କ ପାଇଁ ବାସଗୃହରେ ପାଣି ୨୦୨୩ ସୁଦ୍ଧା ଯୋଗାଇ ଦିଆଯିବା ନିମନ୍ତେ ଉଦ୍ୟମ କରାଯିବ ବୋଲି କୁହାଯାଉଛି । ଏଥି ସହ ପ୍ରତିଟି ଯୋଗାଣ ‘କନେକସନ’ରେ ମିଟର ବସାଇ ବାଧ୍ୟତାମୂଳକ ଜଳ କର ଆଦାୟ ମଧ୍ୟ ସେହି ସମୟସୀମାରେ ଆରମ୍ଭ କରାଯିବା ସୁସ୍ପଷ୍ଟ ।

 

ବ୍ରହ୍ମପୁରରେ ଜଳଯୋଗାଣ ବ୍ୟବସ୍ଥାରେ ପାରମ୍ପରିକଭାବେ କେତେଗୋଟି ମୁଖ୍ୟ ସମସ୍ୟା ଲାଗି ରହିଥାଏ । ପ୍ରଥମତଃ, ସହରକୁ ପର୍ଯ୍ୟାପ୍ତ ପରିମାଣରେ ଜଳଯୋଗାଣ, ମୁଖ୍ୟତଃ ଗ୍ରୀଷ୍ମଋତୁରେ ସଂଭବ ହୋଇପାରି ନଥାଏ । ଦ୍ୱିତୀୟତଃ, ଅପେକ୍ଷାକୃତ ଉଚ୍ଚ ଅଞ୍ଚଳଗୁଡ଼ିକରେ ଜଳଯୋଗାଣରେ ଅସୁବିଧା ଉପୁଜିଥାଏ । ତୃତୀୟତଃ, ସହରର ପୁରାତନ ଅଞ୍ଚଳଗୁଡ଼ିକରେ ଦୀର୍ଘଦିନରୁ ଜଳଯୋଗାଣ ବ୍ୟବସ୍ଥା ଆରମ୍ଭ ହୋଇଥିବା ହେତୁ ବିଛା ଯାଇଥିବା ପାଇପଗୁଡ଼ିକ ପୁରୁଣା ହେବା ତଥା ରକ୍ଷଣାବେକ୍ଷଣ ଅଭାବରୁ ଲିକ ହୋଇ ବହୁ ଜଳ ନଷ୍ଟ ହେବା ସହ ସମଗ୍ର ଅଞ୍ଚଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଥାଏ । ଚ଼ତୁର୍ଥତଃ, ଆବଶ୍ୟକୀୟ ମାନର ଜଳ ବିଶୋଧନ ପ୍ରକ୍ରିୟା ନିୟମିତ ଲାଗୁ କରାଯାଇ ନପାରୁଥିବା ହେତୁ ପ୍ରଦୂଷିତ  ଜଳ ଯୋଗାଣ ଅଭିଯୋଗ ଆସିଥାଏ । ପଞ୍ଚମତଃ, ବ୍ୟକ୍ତିଗତ ହେଉ ବା ସାର୍ବଜନୀନସ୍ତରରେ ଜଳଯୋଗାଣ ସଂପର୍କରେ ଅଭାବ ଅଭିଯୋଗ ସମାଧାନ ଦିଗରେ ସୁସଂହତ ବ୍ୟବସ୍ଥାର ଅଭାବ ରହିଥାଏ ।

 

ଏହି ସବୁ ସମସ୍ୟାକୁ ‘ୱାଟକୋ’ ସମାଧାନ କରିବାକୁ କେତେଦୂର ସମର୍ଥ ହେବ ତାହା ସମୟ କହିବ । ସହରରେ ଉତ୍କଟ ଜଳ ସମସ୍ୟା ଲାଗି ରହିଥିବା ହେତୁ ଉଭୟ ପୌରପାଳିକା ଓ ଜନସ୍ୱାସ୍ଥ୍ୟ ବିଭାଗ ଜଳକର ଆଦାୟ ନିମନ୍ତେ କଠୋର ପଦକ୍ଷେପ ଗ୍ରହଣ କରିପାରିନଥିଲେ । ଫଳତଃ ସହରର ବହୁ ଉପଭୋକ୍ତା ଜଳକର ତାଲିକାରେ ଅନିଚ୍ଛାକୃତ ଭାବେ ଖିଲାପୀ ରହିଥିବା ସ୍ୱାଭାବିକ । ସେମାନଙ୍କ ସମସ୍ୟାକୁ ଯୁକ୍ତିଯୁକ୍ତ ନୀତିରେ ସମାଧାନ କରିବା ‘ୱାଟକୋ’ ନିମନ୍ତେ ଏକ ଆହ୍ୱାନ । ଉପଭୋକ୍ତା-ଅନୁକୂଳ ଏକକାଳୀନ ଜଳକର ସମସ୍ୟା ସମାଧାନ ନିମନ୍ତେ ସ୍ଥାନୀୟ ‘ୱାଟକୋ’ ପ୍ରଶାସନ ରାସ୍ତା ବାହର କରିବା ଏବଂ ନିଗମ ପକ୍ଷରୁ ସର୍ବକ୍ଷମା ବା ଏକକାଳୀନ ଦେୟ ‘ୱାନ-ଟାଇମ-ସେଟଲମେଣ୍ଟ’ ଯୋଜନା ଲାଗୁ କରାଗଲେ ଅଯଥା ଜଟିଳ ପରିସ୍ଥିତିକୁ ଏଡ଼ାଇ ଦେଇ ହେବ ।

 

‘ୱାଟକୋ’ ଏକ ସ୍ୱୟଂଶାସିତ ସଂସ୍ଥାରୂପେ ଗଢ଼ି ଉଠୁଥିବା ହେତୁ ବିଭିନ୍ନ ସମସ୍ୟା ସମାଧାନର ସୂତ୍ର ଅମଳାତାନ୍ତ୍ରିକ ନାଲିଫିତା ତଳେ ଚାପି ହୋଇ ରହିନଯାଇ ତୁରନ୍ତ ସମାଧାନର ରାସ୍ତା ଉନ୍ମୁକ୍ତ ରହିବ ବୋଲି ବିଶ୍ୱାସ । ଆଧୁନିକ ବୈଷୟିକ କୌଶଳ ଅବଲମ୍ୱନରେ ଜଳଯୋଗାଣ, ଜଳର ମାନ ନିର୍ଦ୍ଧାରଣ ଓ ଉପଭୋକ୍ତାଙ୍କ ଅଭାବ ଅଭିଯୋଗ ସମାଧାନ ଦିଗରେ ସ୍ୱଚ୍ଛତା ଅବଲମ୍ୱନ ଲାଗି ନୂତନ କମ୍ପାନୀ ପଦକ୍ଷେପ ନେବା ଆଶା କରାଯାଇପାରେ ।


(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୫ ଜୁନ ୨୦୨୨/ ପୃଷ୍ଠା : ୨)


Photo by Patrick Pahlke on Unsplash 


Saturday, June 18, 2022

Garbage Processing Project / ଆବର୍ଜନା ପ୍ରକ୍ରିୟାକରଣ ପ୍ରକଳ୍ପ


 #ବ୍ରହ୍ମପୁର ସହରରେ ସ୍ୱଚ୍ଛ ପରିବେଶ ସୃଷ୍ଟି ଉଦ୍ୟମରେ ସହରତଳି ମହୁଡ଼ାଠାରେ ଏକ ଆବର୍ଜନା ପ୍ରକ୍ରିୟାକରଣ ପ୍ରକଳ୍ପ ନିର୍ମାଣ ଏକ ଉଲ୍ଲେଖନୀୟ ଘଟଣା । ଯେକୌଣସି ସହରରେ ଘଞ୍ଚ ଜନବସତି ହେତୁ ବିପୁଳ ପରିମାଣରେ ଆବର୍ଜନା ସୃଷ୍ଟି ହୁଏ । ହିସାବ ଅନୁଯାୟୀ ୨୦୨୨ ଆରମ୍ଭରେ ବ୍ରହ୍ମପୁରରେ ଦୈନିକ ପ୍ରାୟ ୧୪୦ ମେଟ୍ରିକ ଟନ ଆବର୍ଜନା ମହାନଗର ନିଗମ ଦ୍ୱାରା ସାହୀବସ୍ତି ରାସ୍ତାଘାଟରୁ ସଂଗୃହୀତ ହେଉଥିଲା । ସେଗୁଡ଼ିକୁ ସହରତଳି ଅଞ୍ଚଳରେ ଅବସ୍ଥିତ ଚନ୍ଦନିଆ ପାହାଡ଼ ନିକଟରେ ଫୋପାଡ଼ିବା ବ୍ୟବସ୍ଥା ରହିଥିଲା । କିନ୍ତୁ ସମୟକ୍ରମେ ଆବର୍ଜନା ପରିମାଣ ବୃଦ୍ଧି ଘଟିବା ହେତୁ ତାହାର ପ୍ରକ୍ରିୟାକରଣ ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଥିଲା । ତତକାଳୀନ ପୌର ପରିଷଦ ପକ୍ଷରୁ ୨୦୦୮ରେ ବିଧିବଦ୍ଧ ପ୍ରସ୍ତାବ ଗ୍ରହଣ କରାଯାଇ ଆବର୍ଜନା ପ୍ରକ୍ରିୟାକରଣ ନିମନ୍ତେ ପ୍ରକଳ୍ପ ଅନୁମୋଦନ ହୋଇଥିଲେ ସୁଦ୍ଧା ଏହାର ରୂପାୟନ ଲାଗି ଦୀର୍ଘ ୧୪ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା ।

 

ଘଟଣାକ୍ରମେ ପୌର ପରିଷଦର ୨୦୦୮ ନିଷ୍ପତି କାର୍ଯ୍ୟକାରୀ କରିବା ନିମନ୍ତେ ପୂର୍ଣ୍ଣାଙ୍ଗ ପ୍ରକଳ୍ପ ବିବରଣୀ ପ୍ରସ୍ତୁତ ହୋଇ ୨୦୧୩ରେ ଟେଣ୍ଡର କରାଯାଇ ୨୦୧୪ରେ ବରୋଦାର ଏକ କମ୍ପାନୀକୁ କାର୍ଯ୍ୟ ଆଦେଶ ପ୍ରଦାନ କରାଯାଇଥିଲା । ପ୍ରକଳ୍ପ ନିର୍ମାଣ ଆରମ୍ଭ ହେବାପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ଫଳରେ ୧୫ ମାସରେ ସରିବାକୁ ଥିବା ନିର୍ମାଣ କାର୍ଯ୍ୟ ଅଟକି ରହିଲା । ହାଇକୋର୍ଟରେ ମକଦ୍ଦମା ପହଞ୍ଚିବା ପରେ ନିର୍ମାଣକୁ ରହିତାଦେଶ ଜାରି କରିଥିଲେ । ଏହି ପରିସ୍ଥିତିରେ କାର୍ଯ୍ୟାଦେଶ ପାଇଥିବା କମ୍ପାନୀ ମଧ୍ୟ ପ୍ରକଳ୍ପ ନିର୍ମାଣ ଦାୟିତ୍ୱରୁ ଓହରି ଯାଇଥିଲା । ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇ ଯାଇଥିଲା । ତେବେ ପୁନର୍ବାର ୨୦୧୮ରେ ରାଜ୍ୟ ସରକାରଙ୍କ ଅନୁମୋଦନକ୍ରମେ ୨୦୧୯ରୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ୨୦୨୨ ଏପ୍ରିଲରେ ସରିଥିଲା ।

 

ପ୍ରଚଳିତ ବ୍ୟବସ୍ଥାରେ ବ୍ରହ୍ମପୁର ମହାନଗର ନିଗମ ଅଧୀନସ୍ଥ ପ୍ରତ୍ୟେକ ପରିବାରର ଆବର୍ଜନା ଛୋଟିଆ ଗାଡ଼ି ବୁଲାଇ ସଂଗ୍ରହ କରାଯାଇ ନୂଆ ବସଷ୍ଟାଣ୍ଡ ଓ ଆମ୍ୱ ବଜାରଠାରେ ଡ଼ମ୍ପିଂୟାର୍ଡରେ ଗଚ୍ଛିତ ରଖାଯାଏ । ସେଠାରୁ ଆବର୍ଜନା ବଡ଼ ଗାଡିରେ ମହୁଡ଼ା ପ୍ରକଳ୍ପକୁ ଚାଲାଣ କରାଯାଇ ପ୍ରକ୍ରିୟାକରଣ କାର୍ଯ୍ୟ ସମାହିତ ହୋଇଥାଏ । ଡମ୍ପିଂୟାର୍ଡରୁ ମହୁଡାକୁ ବୋହିନେବା ଓ ପ୍ରକ୍ରିୟାକରଣ କାର୍ଯ୍ୟଭାର ଭୁବନେଶ୍ୱର, ଔରଙ୍ଗାବାଦ ଓ ପୁନେର ତିନିଗୋଟି ବୈଷୟିକ ଉଦ୍ୟୋଗର ମିଳିତ ଉଦ୍ୟମରେ ଗଠିତ ସଂସ୍ଥା ଜରିଆରେ ପରିଚାଳିତ ।

 

ମହୁଡ଼ା ଆବର୍ଜନା ପ୍ରକ୍ରିୟାକରଣ ପ୍ରକଳ୍ପ ୩୩ ଏକର ପରିମିତ ଅଞ୍ଚଳରେ ଅବସ୍ଥିତ ଏବଂ ଏହାର ନିର୍ମାଣ ଖର୍ଚ୍ଚ ୪୬ କୋଟି ଟଙ୍କା । ଏଠାରେ କଠିନ ବର୍ଜ୍ୟବସ୍ତୁକୁ ଯାନ୍ତ୍ରିକ ଉପାୟରେ ଅଲଗା କରାଯାଇ ଏକ ରକମ ମେଟାଲ ପ୍ରସ୍ତୁତ ସୁବିଧା ଉପଲବ୍ଧ । ତାହା ବିଭିନ୍ନ କାମରେ ଲାଗିବା କୁହାଯାଉଛି । ପ୍ରକଳ୍ପରେ ପ୍ରତିଦିନ ୩୦୦ ମେଟ୍ରିକ ଟନ ପ୍ରକ୍ରିୟାକରଣ କ୍ଷମତା ରହିଛି । ତେବେ ବର୍ତ୍ତମାନ ପ୍ରାୟ ଅର୍ଦ୍ଧେକ କ୍ଷମତା ଉପଯୋଗରେ ଆବର୍ଜନା ପ୍ରକ୍ରିୟାକରଣ କରାଯାଉଛି ।

 

ଆଧୁନିକ ଆବର୍ଜନା ପ୍ରକ୍ରିୟାକରଣ ପ୍ରକଳ୍ପ ପ୍ରଭାବରେ କ୍ରମଶଃ ବ୍ରହ୍ମପୁର ରାସ୍ତାଘାଟକୁ ଆବର୍ଜନା ମୁକ୍ତ କରିବା ଲକ୍ଷ୍ୟ ଅଭିନନ୍ଦନୀୟ । ମହାନଗର ନିଗମ ପକ୍ଷରୁ ପ୍ରକ୍ରିୟାକରଣ ବାବଦରେ ମେଟ୍ରିକ ଟନ ଆବର୍ଜନା ପିଚ୍ଛା ୧୦୫୦ ଟଙ୍କା ପରିଚାଳନା କରୁଥିବା କମ୍ପାନୀକୁ ଦିଆଯିବା ବ୍ୟବସ୍ଥା ରହିଥିବା ପ୍ରକାଶ । ଏହା ସହରବାସୀଙ୍କଠାରୁ ଆଦାୟ ଟିକସରୁ ଭରଣା କରାଯିବା ସୁସ୍ପଷ୍ଟ । ତେବେ ଆବର୍ଜନା ସଂଗ୍ରହ ଓ ସହରକୁ ଆବର୍ଜନା ମୁକ୍ତ ରଖିବାରେ ପୌର ପ୍ରଶାସନଠାରେ ନାଗରିକମାନେ ଆପତ୍ତି ଅଭିଯୋଗ ଦାଖଲ କରିବା ନିମନ୍ତେ ସ୍ୱଚ୍ଛ ଓ ଉତ୍ତରଦାୟୀ ବ୍ୟବସ୍ଥା ମଧ୍ୟ ସୃଷ୍ଟି କରାଯିବା ଆବଶ୍ୟକ । ସାମୟିକ ଭାବେ ତୃତୀୟପକ୍ଷ ଓ ନାଗରିକ ସମାଜ ଆବର୍ଜନା ସଂଗ୍ରହ ଓ ପ୍ରକ୍ରିୟାକରଣ କାର୍ଯ୍ୟର ସମୀକ୍ଷା କରିବା ନିମନ୍ତେ ପ୍ରାବଧାନ ରଖାଗଲେ ଭୂଲଭଟ୍ଟକା ସୁଧାରିବାଲାଗି ପଥ ଉନ୍ମୁକ୍ତ ରହିବ । ସହରବାସୀ, ମୁଖ୍ୟତଃ ବିଦ୍ୟାଳୟ ଯାଉଥିବା ଶିଶୁ ଓ କିଶୋରବର୍ଗଙ୍କୁ ଆବର୍ଜନା ପ୍ରକ୍ରିୟାକରଣ ସଂପର୍କରେ ସଚ଼େତନ କରାଇଲେ ତଥା ପ୍ରକ୍ରିୟାକରଣ ପ୍ରକଳ୍ପ ବୁଲାଇ ଦେଖାଇବା କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିଲେ ଭବିଷ୍ୟତରେ ସେମାନେ ସହରର ସ୍ୱଚ୍ଛତାସେନାରେ ପରିଣତ ହେବା ଆଶା ରଖାଯାଇପାରିବ ।

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୮ ଜୁନ ୨୦୨୨/ ପୃଷ୍ଠା : ୨)

Photo by Antoine GIRET on Unsplash 


Friday, June 10, 2022

Multi-Storied-Parking-Lot / ମଲଟି-ଷ୍ଟୋରିଡ଼-ପାର୍କିଂ-ଲଟ

 

#ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡଠାରେ ଏକ ‘ମଲଟି-ଷ୍ଟୋରିଡ଼-ପାର୍କିଂ-ଲଟ’ ନିର୍ମାଣ ନିମନ୍ତେ ପ୍ରସ୍ତାବ ଜୁନ ୨୦୨୨ ପ୍ରଥମ ସପ୍ତାହରେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ‘ବିଡିଏ’ର ସାଧାରଣ ପରିଷଦ ବୈଠକରେ ଆଲୋଚ଼ିତ ହୋଇଥିଲା । ପୁରୁଣା ବସଷ୍ଟାଣ୍ଡ ସଂଲଗ୍ନ ପୂର୍ବଦିଗରେ ଗଢ଼ିଉଠୁଥିବା ମଲ କମ୍ପ୍ଳେକ୍ସ ଓ ପଶ୍ଚିମ ଦିଗରେ ଦୋକାନ-ବଜାର ହେତୁ ସହରବାସୀଙ୍କ ଯାନବାହନ ରଖିବା ସମସ୍ୟାର ସମାଧାନ ଦିଗରେ ଉଦ୍ୟମ ଆରମ୍ଭ ନିମନ୍ତେ ସ୍ଥିର ହୋଇଥିବା ପ୍ରକାଶ । ଏଥି ନିମନ୍ତେ ବ୍ରହ୍ମପୁର ପୌର ନିଗମ ଜମି ଯୋଗାଇ ଦେବ ଏବଂ ‘ବିଡିଏ’ ଦଶ କୋଟି ଟଙ୍କା ବ୍ୟୟରେ କାର ଓ ହାଲକା ଯାନବାହାନ ପାର୍କିଂ ନିମନ୍ତେ ଏକ ବହୁତଳ ପାର୍କିଂ-ଗ୍ୟାରେଜ ନିର୍ମାଣ କରିବ । ଏଥିରେ ପ୍ରାୟ ଦୁଇ ଶହ ଯାନବାହାନ ପାର୍କିଂର ବ୍ୟବସ୍ଥା ରହିବ ।
 
ସମ୍ୱାଦପତ୍ରରେ ପ୍ରକାଶିତ ବିବରଣୀ ଅନୁଯାୟୀ ଭୁବନେଶ୍ୱର ସଂଲଗ୍ନ ନନ୍ଦନକାନନ ଚିଡିଆଖାନାଠାରେ ଏକ ବହୁତଳ ପାର୍କିଂ-ଲଟ ନିର୍ମିତ ହୋଇଛି ଏବଂ ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ତରେ ସେହି ନକ୍ସା ଅନୁସରଣ କରାଯିବ । ତେବେ ନନ୍ଦନକାନନ ପ୍ରକଳ୍ପ ରୂପାୟନର ବହୁ ପୂର୍ବରୁ ବ୍ରହ୍ମପୁରରେ ବହୁତଳ ପାର୍କିଂ-ଲଟ ନିର୍ମାଣ ନିମନ୍ତେ ଜନସାଧାରଣରେ ଆଲୋଚ଼ିତ ହୋଇଆସିଛି । ଉଦାହରଣରେ ୨୦୧୧ ମସିହାରେ ବ୍ରହ୍ମପୁର ପୌର ନିଗମ ପକ୍ଷରୁ ପୁରୁଣା ବସଷ୍ଟାଣ୍ଡଠାରେ ଏକ ସପିଂମଲ ନିର୍ମାଣ ନିମନ୍ତେ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା । ସେହି ଅବସରରେ ‘ବ୍ରହ୍ମପୁର ଡ଼ାଏରୀ’ରେ ୧୧ ଜୁନ ୨୦୧୧, ଅର୍ଥାତ ଠିକ୍ ଏଗାର ବର୍ଷ ପୂର୍ବେ ‘ପୁରୁଣା ବସଷ୍ଟାଣ୍ଡରେ ମଲଟି-ଷ୍ଟୋରିଡ଼-ପାର୍କିଂ-ଲଟ ପ୍ରସ୍ତାବ’ ଶୀର୍ଷକ ରଚନା ପ୍ରକାଶିତ ହୋଇଥିଲା । ଏଥିରେ ଉଲ୍ଲେଖ ଥିଲା :
 
“କ୍ରମବର୍ଦ୍ଧିଷ୍ଣୁ ବ୍ରହ୍ମପୁର ସହରରେ ପାର୍କିଂ ସମସ୍ୟା ଉତ୍କଟରୁ ଉତ୍କଟର ହେବାରେ ଲାଗିଛି । ପର୍ଯ୍ୟାୟକ୍ରମେ ସହରର ଉପକଣ୍ଠ ଅଞ୍ଚଳରେ ଶିକ୍ଷାନୁଷ୍ଠାନ ସାଙ୍ଗକୁ ବିଭିନ୍ନ କାର୍ଯ୍ୟାଳୟ ଖୋଲିଛି ଏବଂ ଭବିଷ୍ୟତରେ ଆହୁରି ଅଧିକ ଖୋଲିବ । ଏସବୁ ଅଞ୍ଚଳକୁ ଯିବା ଆସିବା ପାଇଁ ଆନୁଷ୍ଠାନିକ ପରିବହନ ସାଙ୍ଗକୁ ଟାଉନ ବସ ସେବା ଅପରିହାର୍ଯ୍ୟ । ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ଦୁଇ ଓ ଚାରି ଚକିଆ ବ୍ୟକ୍ତିଗତ ପରିବହନ ବଦଳରେ ସାମୂହିକ ପରିବହନକୁ ପ୍ରାଧାନ୍ୟ ଦିଆଯାଉଛି । କାରଣ ଏହାଫଳରେ ଇନ୍ଧନ ବ୍ୟବହାର ଓ ପ୍ରଦୂଷଣ କମିବ । ଏଭଳି ପରିସ୍ଥିତିରେ ସହରର ମଧ୍ୟସ୍ଥଳୀରେ ଥିବା ପୁରୁଣା ବସଷ୍ଟାଣ୍ଡରେ ଯଦି ଆମେ ‘ମଲ’ ଗଢ଼ିବା ତେବେ ଭବିଷ୍ୟତ ବଂଶଧର ଆମକୁ କ୍ଷମା ଦେବେ ନାହିଁ । ପୌର ନିଗମ ହାତରେ ପୁରୁଣା ବସଷ୍ଟାଣ୍ଡ ବ୍ୟତୀତ ସହରର ମଧ୍ୟସ୍ଥଳରେ ଆଉ କେଉଁଠି ବିସ୍ତୀର୍ଣ୍ଣ ଅଞ୍ଚଳ ନାହିଁ । ଥରେ ଏହା ବ୍ୟବସାୟୀଙ୍କ ହାତକୁ ଚାଲିଗଲେ ପୁଣି ଫେରି ପାଇବାର ପ୍ରଶ୍ନ ନାହିଁ ।
 
ପୁରୁଣା ବସଷ୍ଟାଣ୍ଡର ଆଧୁନୀକରଣ ହେଉ । ଏହାକୁ ବିଦେଶୀ ଢ଼ାଞ୍ଚାରେ ‘ମଲଟି-ଷ୍ଟୋରିଡ଼-ପାର୍କିଂ-ଲଟ’ରେ ପରିଣତ କରାଯାଉ । ଅର୍ଥାତ, ବହୁତଳ ବିଶିଷ୍ଟ ଯାନବାହାନ ରଖିବା ସ୍ଥାନ ସୃଷ୍ଟି କରାଯାଇ ‘ପ୍ରାଇଭେଟ-ପବ୍ଳିକ-ପାର୍ଟନରସିପ’ଧାରାରେ ଘରୋଇ ପୁଞ୍ଜି ବିନିଯୋଗ କରାଯାଇ ଜନସାଧାରଣଙ୍କଠାରୁ ଭଡ଼ା ଆଦାୟରେ ନିର୍ମାଣ ଖର୍ଚ୍ଚ ଭରଣା କରାଯାଉ । ସବା ତଳେ ଅଟୋ ଓ ଟ୍ୟାକ୍ସି, ପ୍ରଥମ ମହଲାରେ ଟାଉନବସ, ଦ୍ୱିତୀୟ ମହଲାରେ ଦୁଇଚକିଆ, ତୃତୀୟ ମହଲାରେ ଚାରି ଚକିଆ ଯାନବାହନ ଓ ଚ଼ତୁର୍ଥ ମହଲାରେ ‘ରୁଫ-ଟପ ପାର୍କ-ଫାଉଣ୍ଟେନ-ଫୁଡ଼-କୋର୍ଟ’ ଗଢ଼ାଯାଉ । ଏହାଫଳରେ ଖଲ୍ଲିକୋଟ କଲେଜଠାରୁ ଗିରିଜା ଛକ ଯାଏଁ ଅଞ୍ଚଳରେ ପାର୍କିଂ ସମସ୍ୟାର ସମାଧାନ ହୋଇପାରିବ, ରାସ୍ତାକଡ଼ର ଠିଆ କ୍ୟାଣ୍ଟିନଗୁଡ଼ିକୁ ଉଚ୍ଛେଦ କରି ଦୋକାନୀଙ୍କୁ ଥାଇଥାନର ବ୍ୟବସ୍ଥା ସମ୍ଭବପର ହେବ ଏବଂ ସର୍ବୋପରି ସହରର ମଧ୍ୟସ୍ଥଳରୁ ଟାଉନବସ ଭଳି ସାମୂହିକ ପରିବହନ ଚଳାଚଳ ପାଇଁ ସୁଯୋଗ ଉନ୍ମୁକ୍ତ ରହିବ ।
 
‘ବ୍ରହ୍ମପୁର ଡ଼େଭଲାପମେଣ୍ଟ ଅଥାରିଟି’ ମାଲିକାନାରେ ଥିବା ବିବଦମାନ ଗଜପତି ପ୍ଳାଜାକୁ ମଧ୍ୟ ଅନ୍ୟ ଏକ ‘ମଲଟି-ଷ୍ଟୋରିଡ଼-ପାର୍କିଂ-ଲଟ’ରେ ପରିଣତ କରାଯାଇପାରିଲେ ତଥା ପ୍ରସ୍ତାବିତ ରାମଲିଙ୍ଗମ ବନ୍ଧର ‘ସ୍କାଇ-ୱାକ-ପାର୍କିଂ-ଲଟ’କୁ ବିଚାରକୁ ନେଲେ ସହରର ଜନାକୀର୍ଣ୍ଣ ମଧ୍ୟ ଭାଗରେ ତିନି ତିନି ଗୋଟି ‘ପାର୍କିଂ-ଲଟ’ ଦୀର୍ଘ ଭବିଷ୍ୟତ ପାଇଁ ବ୍ରହ୍ମପୁର ଟ୍ରାଫିକ ସମସ୍ୟା ସମାଧାନରେ ସହାୟକ ହୋଇପାରିବ ।
 
ବିଦେଶରେ ‘ମଲଟି-ଷ୍ଟୋରିଡ଼-ପାର୍କିଂ-ଲଟ’ ସବୁ ବଡ଼ ସହରରେ ଦେଖିବାକୁ ମିଳେ । ଆମ ଦେଶରେ ମୁମ୍ୱାଇ, ଚେନ୍ନାଇରେ ମଧ୍ୟ ଏଭଳି ବ୍ୟବସ୍ଥା ଆରମ୍ଭ ହୋଇଛି । ଭବିଷ୍ୟତକୁ ଆଖି ରଖି ବ୍ରହ୍ମପୁରବାସୀ ପାଦେ ଆଗେଇବାକୁ ପଡ଼ିବ ।”

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୧ ଜୁନ ୨୦୨୨/ ପୃଷ୍ଠା : ୨)

Friday, June 3, 2022

Hot June / ଜୁନ ମାସର ଗରମ

 

ପାଣିପାଗ ଏଣିକି #ବ୍ରହ୍ମପୁର ସହରବାସୀଙ୍କ ଦୈନନ୍ଦିନ ଚର୍ଚ୍ଚାର ବିଷୟବସ୍ତୁ । ମାତ୍ର କୋଡ଼ିଏ-ପଚ଼ିଶି ବର୍ଷ ପୂର୍ବେ ବିଂଶ ଶତାଦ୍ଦୀ ଶେଷ ସୁଦ୍ଧା ମହାବାତ୍ୟା ପହଞ୍ଚିବା ଦଶ-ବାର ଘଣ୍ଟା ଆଗରୁ ବିପତ୍ତି ଖବର ମିଳିବା ମୁସ୍କିଲ ଥିଲା । କିନ୍ତୁ ଏକବିଂଶ ଶତାଦ୍ଦୀ ତୃତୀୟ ଦଶକ ଆରମ୍ଭରେ ସୁଦୂର ଫିଲିପାଇନ୍ସ, ଥାଇଲ୍ୟାଣ୍ଡ ବା ଅଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ସଂଲଗ୍ନ ଭାରତ ମହାସାଗରରେ ଲଘୁଚାପ ଦାନା ବାନ୍ଧିବା ଢ଼େର ଆଗରୁ ବ୍ରହ୍ମପୁରବାସୀ ସମ୍ଭାବ୍ୟ ବାତ୍ୟା ଆକଳନରେ ସପ୍ତାହରୁ ଦୁଇ ସପ୍ତାହ ଟେଲିଭିଜନରୁ ସୋସିଆଲ ମିଡ଼ିଆ ଯାଏଁ ଆଲୋଚ଼ନାରେ ସଂପୃକ୍ତ ରହୁଛନ୍ତି ।
 
ବିଗତ ୧୯୯୯ ମହାବାତ୍ୟା ବେଳକୁ ଦେଶର ପାଣିପାଗ ଆକଳନ ନିମନ୍ତେ ବିଭାଗ ଥିଲା ସତ, କିନ୍ତୁ ଆବଶ୍ୟକୀୟ ସାଜସରଞ୍ଜାମ ଅଭାବ  ରହିଥିଲା । ମହାବାତ୍ୟା ଦିନ ଅପରାହ୍ନ ଦୁଇଟାରୁ ପ୍ରବଳ ବର୍ଷା ଆରମ୍ଭ ହୋଇ ସନ୍ଧ୍ୟା ପାଞ୍ଚରୁ ସାତ ଯାଏଁ ଥମି ଯାଇଥିଲା । ଯିଏ ଯେଉଁଠିଥିଲେ ସଅଳ ଘରକୁ ଫେରିବାପରେ ରାତି ଆଠ-ନଅରୁ ପବନ ସହ ବର୍ଷା ଆରମ୍ଭ ହୋଇଗଲା । ସହରବାସୀ ଟେଲିଭିଜନରେ ବାତ୍ୟା ଖବର ପାଇବା ବେଳକୁ ବିଦ୍ୟୁତ ସରବରାହ ବନ୍ଦ ହେତୁ ଟେଲିଭିଜନ ପ୍ରସାରଣ ବନ୍ଦ ହୋଇଯାଇଥିଲା । ଆଲମିରାରେ ସାଇତା ପୁରୁଣା ଟ୍ରାଞ୍ଜିଷ୍ଟର ଖୋଜି ବ୍ରହ୍ମପୁର ଆକାଶବାଣୀ ଖୋଲିବା ପରେ ରାତି ଦଶ ବେଳକୁ ଗେଟବଜାର-ଲୋଚାପଡ଼ା ଗଡ଼ାଣିରାସ୍ତାରେ ଅବସ୍ଥିତ ଆକାଶବାଣୀ କେନ୍ଦ୍ର କୋଠାରେ ପାଣି ପଶିଯିବା ଫଳରେ ପ୍ରସାରଣ ବନ୍ଦ । ରାତି ଏଗାରରୁ ତିନିଟା ଚାରିଟା ଯାଏଁ ସହରରେ ମହାବାତ୍ୟା ତାଣ୍ଡବ ରଚାଇଲା । ବ୍ରହ୍ମପୁରବାସୀ ବାତ୍ୟା-ପର ଆଲୋଚ଼ନା କଲେ ସିନା ବାତ୍ୟା-ପୂର୍ବ ଆଲୋଚ଼ନାର ସୁଯୋଗ ପାଇପାରି ନଥିଲେ ।
 
ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଆରମ୍ଭରୁ ଭାରତର ପାଣିପାଗ ଆକଳନ କ୍ଷେତ୍ରରେ ଅତ୍ୟାଧୁନିକ ବିଭିନ୍ନ କିସମର ରାଡ଼ାର ଓ ଉପଗ୍ରହ ସେବା ଭଳି ସାଜସରଞ୍ଜାମ ସାଙ୍ଗକୁ ତତକ୍ଷଣାତ ସମ୍ୱାଦ ପରିବେଷଣ ନିମନ୍ତେ ଅନଲାଇନ ସେବାର ସୁବିଧା ହାସଲ ହୋଇପାରିଲା । ତେଣୁ ମୌସୁମୀ ଋତୁ ପହଞ୍ଚିବା ପୂର୍ବରୁ ସମ୍ଭାବ୍ୟ ବର୍ଷାର ପରିମାଣ ଏବଂ ତାହାର ପ୍ରଭାବରେ ଅର୍ଥନୀତିକ ଧାରା ଆକଳନ ସାଧାରଣ କଥୋପକଥନର ଅଂଶ ବିଶେଷ ପାଲଟିଯାଇଛି ।
 
ପାରମ୍ପରିକଭାବେ ଜୁନମାସ ଆରମ୍ଭରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ ପହଞ୍ଚିଲେ ଜୁନ ୧୦ ରୁ ୧୫ ସୁଦ୍ଧା ରଜ ସଂକ୍ରାନ୍ତି ବେଳକୁ ଓଡ଼ିଶାରେ ପହଞ୍ଚିଥାଏ । ଇଣ୍ଡିଆନ ମେଟୋରୋଲୋଜିକାଲ ଡିପାର୍ଟମେଣ୍ଟ ‘ଆଇଏମଡ଼ି’ର ୨୦୨୨ ଜୁନରୁ ସେପ୍ଟେମ୍ୱର ମୌସୁମୀ ଋତୁ ପାଇଁ ଆକଳନରେ ସମଗ୍ର ଦେଶରେ ବର୍ଷାର ପରିମାଣ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ, ଅର୍ଥାତ ସ୍ୱାଭାବିକ ବା ଉତ୍ତମ ବର୍ଷା ହେବ । ତେବେ ଓଡ଼ିଶା ରାଜ୍ୟରେ ୨୦୨୨ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ଗ୍ରୀଷ୍ମ ଋତୁରେ ପ୍ରାକ୍-ମୌସୁମୀ ବର୍ଷାର ପରିମାଣ ସ୍ୱାଭାବିକ ବର୍ଷାଠାରୁ ୨୯ ପ୍ରତିଶତ କମ ରହିଥିବା ରେକର୍ଡ କରାଯାଇଥିଲା । ଏହା ଏକ ନିଅଣ୍ଟିଆ ପରିସ୍ଥିତି ଏବଂ ସେହି ତାଲିକାରେ ବ୍ରହ୍ମପୁର ମଧ୍ୟ ସାମିଲ ହୋଇଥିଲା ।
 
ସ୍ଥାନୀୟ ପାଣିପାଗ ବିଶେଷଜ୍ଞଙ୍କ ବିଶ୍ଳେଷଣରେ “ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ ଦ୍ୱିତୀୟ ସପ୍ତାହ ବେଳକୁ ବ୍ରହ୍ମପୁରରେ ପହଞ୍ଚୁଥିଲେ ମଧ୍ୟ ଜୁନ ମାସରେ ଆଶାନୁରୂପ ବର୍ଷା ହୁଏ ନାହିଁ । ଜୁଲାଇ ମାସରେ ବୃଷ୍ଟିପାତର ପ୍ରାବଲ୍ୟ ବୃଦ୍ଧି ପାଏ । ଜୁଲାଇ ଓ ଅଗଷ୍ଟ ମାସରେ ବର୍ଷାର ପ୍ରାଚୁର୍ଯ୍ୟ ଦିନଗୁଡ଼ିକରେ ଦୈନିକ ହାରାହାରି ୩୦ ରୁ ୪୦ ମିଲିମିଟର ଯାଏଁ ବର୍ଷା ହୋଇଥାଏ ।
 
ବ୍ରହ୍ମପୁରରେ ବାର୍ଷିକ ପ୍ରାୟ ୨୦୦ ସେଣ୍ଟିମିଟର ବର୍ଷା ରେକର୍ଡ଼ କରାଯାଏ । ଅଗଷ୍ଟ-ସେପ୍ଟେମ୍ୱର ମାସରେ ମୌସୁମୀକାଳୀନ ଲଘୁଚାପ ଓ ନଭେମ୍ୱର-ଡ଼ିସେମ୍ୱର ମାସରେ କ୍ରାନ୍ତୀୟ ଲଘୁଚାପ ଯୋଗୁଁ ସହରରେ ଲଗାଣ ବର୍ଷା ଦେଖିବାକୁ ମିଳିଥାଏ । ଜୁନରୁ ସେପ୍ଟେମ୍ୱର ମାସ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓ ଅକ୍ଟୋବରରୁ ଡିସେମ୍ୱର ମାସ ମଧ୍ୟରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ହୋଇଥାଏ ।”
 
ଆପାତତଃ ବ୍ରହ୍ମପୁରବାସୀଙ୍କ ପାଇଁ ଜୁନମାସ ଗୁଳଗୁଳିର ବେଳ । “ବର୍ଷାରହିତ ସମୟରେ ଆକାଶ ମେଘାଚ୍ଛନ୍ନ ହୋଇପଡୁଥିବା କାରଣରୁ ଭୂମିସ୍ଥ ଉତ୍ତାପ ପୁନଃ-ବିକୀରଣ ହେତୁ ଦିନସାରା ଗୁଳଗୁଳି ଅନୁଭୂତ ହୁଏ । ଫଳରେ ସହରବାସୀ ବର୍ଷାଋତୁ ଥଣ୍ଡାର ମଜା ନେଇପାରନ୍ତି ନାହିଁ ।” ଜୁନମାସର ଗରମ ବ୍ରହ୍ମପୁରର ଅନ୍ୟତମ ବୈଶିଷ୍ଟ୍ୟ !
 
ବିଗତ ଶତାଦ୍ଦୀ ସପ୍ତମ ଦଶକର ବଲିଉଡ଼ ଚଳଚ଼ିତ୍ର ‘ଜୱାବ’ରେ ମେହମ୍ମୁଦ ଓ ଅରୁଣା ଇରାନୀଙ୍କୁ ନେଇ ଚ଼ିତ୍ରିତ ଜୁନ ମାସର ଗରମ ବର୍ଣ୍ଣିତ ହିନ୍ଦି ଗୀତ ‘ୟୁଟ୍ୟୁବ’ ଭିଡ଼ିଓ ଦେଖିବା ପାଇଁ ନିମ୍ନ ଲିଙ୍କରେ କ୍ଳିକ କରନ୍ତୁ :
 
https://www.youtube.com/watch?v=E__m3cnFg48

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୪ ଜୁନ ୨୦୨୨/ ପୃଷ୍ଠା : ୨)