Friday, July 14, 2023

Fear of Mosquitos / ମଶା ଭୟ

 

ବର୍ଷାଋତୁ ଆରମ୍ଭରୁ #ବ୍ରହ୍ମପୁର ସହର ଜନଜୀବନରେ ମଶା ଭୟ ମାଡ଼ି ବସେ ଓ ଶୀତଋତୁ ଶେଷ ଯାଏଁ ବଳବତ୍ତର ରହେ । ଏଠାରେ ମାର୍ଚ୍ଚ, ଏପ୍ରିଲ, ମେ, ଜୁନ, ଜୁଲାଇ ଓ ଅଗଷ୍ଟ ଛଅ ମାସ ଗ୍ରୀଷ୍ମ ଅନୁଭୂତ ହେବା ଭଳି ଅଗଷ୍ଟ, ସେପ୍ଟେମ୍ୱର, ଅକ୍ଟୋବର, ନଭେମ୍ୱର, ଡ଼ିସେମ୍ୱର ଓ ଜାନୁୟାରୀ ଛଅ ମାସ ମଶା ଭୟ ଲାଗି ରହେ । ମଶା ବଂଶ ବୃଦ୍ଧି ରୋକିବା ସ୍ଥାନୀୟ ପୌରପ୍ରଶାସନର ଦାୟିତ୍ୱ । ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏଥିରେ ଯୋଗ ଦେଇଥାଏ ।

 

ଆମ ରାଜ୍ୟରେ କେବଳ ବ୍ରହ୍ମପୁର କାହିଁକି ଅନ୍ୟାନ୍ୟ ସହରାଞ୍ଚଳରେ ମଧ୍ୟ ମଶା ପ୍ରାଦୁର୍ଭାବ ଏକ ଅଣାୟତ୍ତ ସମସ୍ୟା । ପ୍ରତିବର୍ଷ ଡ଼ିସେମ୍ୱର ମାସରେ ପ୍ରବଳ ମଶା ଦ୍ୱାରା ସହରବାସୀ ଅତିଷ୍ଠ ହୋଇପଡ଼ିବା ପରେ ମଶା ଗଣମାଧ୍ୟମରେ ଶିରୋନାମା ପାଲଟେ । ବିରୋଧି ରାଜନୀତିକ ଦଳଗୁଡ଼ିକପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୁଏ । ପୌର ପ୍ରଶାସନ ପକ୍ଷରୁ ମଶାବଂଶ ନିପାତ ନିମନ୍ତେ ଆଶ୍ୱସନା ପ୍ରଦାନ କରାଯାଏ । ପ୍ରାକୃତିକ ଋତୁଚ଼କ୍ର ପ୍ରଭାବରେ ମଶାଙ୍କ ସଂଖ୍ୟା କମି ଆସିଲେ ଆଲୋଚ଼ନା ସମାଲୋଚନା ଉଭେଇ ଯାଏ ।

 

ତେବେ ମଶା ରାଜ୍ୟର ସହରୀ ଜୀବନଯାତ୍ରାରେ ଏକ କଳଙ୍କ ଏବଂ ମଶାବାହିତ ରୋଗ ଦ୍ୱାରା ଧନଜୀବନ ହାନୀ ଘଟେ । ଏକବିଂଶ ଶତାଦ୍ଦୀ ତୃତୀୟଦଶକ ଚ଼ନ୍ଦ୍ରାୟନ ଓ କୃତ୍ରିମ ବୁଦ୍ଧିମତ୍ତାର ଯୁଗରେ ମଶା ନିୟନ୍ତ୍ରଣରେ ବିଫଳତା ସଭ୍ୟସମାଜରେ ଗ୍ରହଣଯୋଗ୍ୟ ନୁହେଁ । ଆଞ୍ଚଳିକସ୍ତରରେ ବାରମ୍ୱାର ବିଫଳତା ପ୍ରମାଣିତ ହେଉଥିବା ହେତୁ ରାଜ୍ୟସ୍ତରରେ ଅଭିଯାନ ଆୟୋଜନର ଆବଶ୍ୟକତା ଅନୁଭୂତ ହେଉଛି ।

 

ମଶାର ଜୀବନଚ଼କ୍ର ପୁରୁଷ ମଶାଙ୍କ କ୍ଷେତ୍ରରେ ସପ୍ତାହେ ଓ ମାଈ ମଶାଙ୍କ କ୍ଷେତ୍ରରେ ୧୦୦ ଦିନରୁ ପାଞ୍ଚ-ଛଅ ମାସ ଯାଏଁ ପରିବ୍ୟାପ୍ତ । ସହରାଞ୍ଚଳ ଜନବସତିରେ ଉପଲବ୍ଧ ଆବଦ୍ଧ ଜଳରେ ମଶା ଜନ୍ମ ନିଅନ୍ତି ଓ ମାଈ ମଶା ପୁରୁଷ ମଶା ସହ ସଂଗମପରେ ପ୍ରାଣୀ ରକ୍ତ ଖୋଜି ବୁଲେ । ମାଈ ମଶା ମନୁଷ୍ୟଙ୍କୁ କାମୁଡ଼ି ରକ୍ତ ଶୋଷି ସେହି ରକ୍ତରେ ଅଣ୍ଡାଗୁଡ଼ିକୁ ପରିପକ୍ୱ କରି ପୁଣି ଆବଦ୍ଧ ଜଳରେ ଅଣ୍ଡା ଦିଏ । ଅଣ୍ଡାରୁ ଲାର୍ଭା ଓ ପୂର୍ଣ୍ଣାଙ୍ଗ ମଶା ସୃଷ୍ଟି ହୋଇଥାନ୍ତି ।

 

ମଶା ନିୟନ୍ତ୍ରଣ ନିମନ୍ତେ ସହରାଞ୍ଚଳ ଜନବସତି ଘରେ ବାହାରେ ଆବଦ୍ଧ ଜଳ ନିରାକରଣ ନିମନ୍ତେ ପରିଷ୍କାର ପରିଷ୍କୃତ ରଖିବାକୁ ପଡ଼ିଥାଏ । ଏହା ପୌର ପ୍ରଶାସନର କାର୍ଯ୍ୟ । ଏଦିଗରେ ଗୁରୁତ୍ୱ ନ ଦିଆଯାଇପାରୁଥିବା ହେତୁ ସମସ୍ୟାର ସମାଧାନ ହୋଇପାରେ ନାହିଁ । ନିକଟ ଅତୀତର ଅନୁଭୂତିରୁ ଜଣାଯାଏ ଯେ କୋଭିଡ଼-୧୯ ମହାମାରୀ ଅବସରରେ ବ୍ରହ୍ମପୁର ପୌର ପ୍ରଶାସନ କୋଭିଡ଼ ସଂକ୍ରମଣ ନିୟନ୍ତ୍ରଣ କାର୍ଯ୍ୟରେ ବ୍ୟସ୍ତ ରହିବା ଫଳରେ ପାରିପାର୍ଶ୍ୱିକ ପରିବେଶ ସଫାସୁତୁରା ରଖିବା ନିମନ୍ତେ ଯାହା କିଛି କାମ ହେଉଥିଲା ତାହା ବି ଦୁଇ ବର୍ଷ ପାଇଁ ବନ୍ଦ ହୋଇଗଲା । ଫଳରେ ୨୦୨୨-୨୩ ବର୍ଷା ଓ ଶୀତ ଋତୁରେ ମଶା ଉପଦ୍ରବ ଅଣାୟତ୍ତ ପରିସ୍ଥିତିରେ ପହଞ୍ଚିଥିଲା ।

 

ଜନବସତିର ପରିବେଷ୍ଟନୀ ସଫା ସୁତୁରା ରଖା ନଯାଇ ପାରିଲେ ଆବଦ୍ଧ ଜଳରେ ମଶାବଂଶ ବୃଦ୍ଧି ପାଏ । ପ୍ରଥମ ପଦକ୍ଷେପ ଗ୍ରହଣରେ ବିଫଳତା ପରେ ଦ୍ୱିତୀୟ ପଦକ୍ଷେପରେ ମଶାଙ୍କୁ ମାରିବା ପାଇଁ ମଶା ନିପାତ ଧୂଆଁ ଫଗିଂର ସାହାଯ୍ୟ ନିଆଯାଏ । କିରୋସିନିରେ ମାଲାଥିଆନ ଓ ପାଇରୋଥନ ନାମକ ରସାୟନ ସମିଶ୍ରଣରେ ପଂଗିଂ କରାଯାଏ । ଏଥି ନିମନ୍ତେ ୧୯୯୦ରେ ବ୍ରହ୍ମପୁର ପୌର ପ୍ରଶାସନ ପକ୍ଷରୁ ଏକ ଟିଫା ମେସିନ କିଣାଯାଇଥିଲା । ଏହା ଗଟରଗାଡ଼ିରେ ବୁଲେ । ପରବର୍ତ୍ତୀ ପର୍ଯ୍ୟାୟରେ ୪୦ ଗୋଟି ହ୍ୟାଣ୍ଡ ହିଟ ଫଗିଂ ମେସିନ ଓ ପାଞ୍ଚ ଗୋଟି ମିନି ଫଗିଂ ମେସିନ କିଣାଯାଇଛି । ଫଗିଂ ପାଇଁ ବ୍ୟବହୃତ ରସାୟନ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୌର ସଂସ୍ଥାକୁ ଯୋଗାଇ ଦିଆଯାଉଥିଲା । ଗତ ୨୦୨୨-୨୩ରେ ଜନସ୍ୱାସ୍ଥ୍ୟ ବିଭାଗ ନିକଟରେ ରସାୟନ ନଥିବା ହେତୁ ପୌର ସଂସ୍ଥା ଡ଼ିସେମ୍ୱର ଯାଏଁ ଫଗିଂ କାର୍ଯ୍ୟକ୍ରମ ଆୟୋଜନ କରିପାରିନଥିଲା । ଜନସାଧାରଣରେ ତୀବ୍ର ଅସନ୍ତୋଷ ପରେ ୪୨ ଗୋଟି ୱାର୍ଡ ପାଇଁ ଖୋଲା ବଜାରରୁ ୫୦ ଲିଟର ରସାୟନ କିଣି ନାମକୁ ମାତ୍ର ଫଗିଂର ବ୍ୟବସ୍ଥା କରିଥିଲେ ।

 

ବର୍ତ୍ତମାନ ବ୍ରହ୍ମପୁରରେ ଅଗଷ୍ଟ ୨୩ରୁ ଜାନୁୟାରୀ ୨୪ ଛଅ ମାସ ମଶା ଉପଦ୍ରବ ସମ୍ମୁଖୀନ ହେବା ନିମନ୍ତେ ଯୋଜନା ପ୍ରସ୍ତୁତିର ସମୟ ଉପନୀତ । ଅଳିଆ ଆବର୍ଜନା ନିଷ୍କାସନ ନିମନ୍ତେ ସ୍ୱତନ୍ତ୍ର ଅଭିଯାନ ସହ ବର୍ଷା ପରେ ପରେ ମଶା ବଂଶ ମୂଳରୁ ନିପାତ ନିମନ୍ତେ ଫଗିଂର ସହାୟତା ନିଆଗଲେ କେତେକାଂଶରେ ମଶା ନିୟନ୍ତ୍ରଣ ସଂଭବ ହେବା ଆଶା କରାଯାଇପାରେ । ଫଗିଂ ମେସିନ ଚଳାଇବା ନିମନ୍ତେ କର୍ମଚାରୀଙ୍କୁ ତାଲିମ ଦେବା ଅପରିହାର୍ଯ୍ୟ । ଏ ଦିଗରେ ସତର୍କତା ଗ୍ରହଣ ନ କରାଗଲେ ଅସଲ ସମୟରେ ଫଗିଂ ହୋଇପାରିବ ନାହିଁ ।

 

ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ରହ୍ମପୁର ସହରାଞ୍ଚଳରେ ଅବସ୍ଥିତ ଜଳାଶୟଗୁଡ଼ିକରେ ଗପି ଓ ଗୁମ୍ୱସିଆ ମାଛ ଜୁନ ମାସରେ ଛଡ଼ା ଯାଇଥିବା କୁହାଯାଉଛି । ଏହି ମାଛ ମଶା ଲାର୍ଭାଗୁଡ଼ିକୁ ଖାଇଯାଆନ୍ତି । ତେବେ ମାଛର ଜୀବନକାଳ ମାତ୍ର ଦୁଇ ମାସ । ତେଣୁ ଅଗଷ୍ଟ ମାସ ସୁଦ୍ଧା ପ୍ରାଥମିକ ପଦକ୍ଷେପରେ ସଫଳତା ମିଳିଲେ ପୁନରାବୃତ୍ତି ଆବଶ୍ୟକ ପଡ଼ିବ ।

 

ବ୍ରହ୍ମପୁର ପୌରଞ୍ଚଳରେ ମଶା ନିୟନ୍ତ୍ରଣ ନିମନ୍ତେ ଆଗୁଆ ପଦକ୍ଷେପ ଜରୁରୀ । ଏହି ଦିଗରେ ଜନସାଧାରଣ, ନାଗରିକ ସମାଜ ଓ ପୌର ପ୍ରଶାସନ ତତ୍ପରତା ପ୍ରକାଶ କରିବା ବିଧେୟ ।

 

ମଶାଙ୍କ ଜୀବନଚକ୍ର ବର୍ଣ୍ଣିତ ୟୁଟ୍ୟୁବ ଭିଡ଼ିଓ (୪.୩୫ ମିନଟ)

 

https://youtu.be/-IifzvIqGSM


Photo by Nathan Cima on Unsplash


Friday, July 7, 2023

Gopabandhu Bhavan / ଗୋପବନ୍ଧୁ ଭବନ

 

#ବ୍ରହ୍ମପୁର ସହ ଦୈନିକ ଓଡ଼ିଆ ସମ୍ୱାଦପତ୍ର ସମାଜର ଆତ୍ମପ୍ରକାଶ କରିବା ପୂର୍ବରୁ ସଂପର୍କ ରହି ଆସିଛି । ଶଶିଭୂଷଣ ରଥ ୧୯୧୩ରେ ସାପ୍ତାହିକ ଆଶା ବ୍ରହ୍ମପୁରରୁ ସାନବଜାର ଭେଙ୍କେଟେଶ୍ୱର ମନ୍ଦିର ନିକଟସ୍ଥ ଏକ ଭଡ଼ାଘରେ ମୁଦ୍ରଣ ଯନ୍ତ୍ର ସ୍ଥାପନ କରି ପ୍ରକାଶନ ଆରମ୍ଭ କରିଥିଲେ । ପତ୍ରିକାର ଲେଖକମାନଙ୍କ ମଧ୍ୟରେ ଗୋପବନ୍ଧୁ ଦାସ ଅତ୍ୟତମ । ତାଙ୍କରି ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଅବସ୍ଥାପିତ ଶିକ୍ଷକ ମଣ୍ଡଳୀ ପଞ୍ଚସଖା ନାମରେ ଖ୍ୟାତ । ସେମାନେ ମଧ୍ୟ ସାପ୍ତାହିକ ଆଶାରେ ଲେଖାଲେଖି କରୁଥାନ୍ତି । ସାକ୍ଷୀଗୋପାଳରୁ ଆଶା ପାଇଁ ପାଣ୍ଡୁଲିପି ବ୍ରହ୍ମପୁରରେ ତୁରନ୍ତ ପହୁଞ୍ଚାଇବା ନିମନ୍ତେ ରେଳଗାଡ଼ି କର୍ମଚାରୀଙ୍କ ସହାୟତା ଗ୍ରହଣ କରାଯାଉଥିଲା । କୁହାଯାଏ ଯେ ସତ୍ୟବାଦୀରୁ ରେଳଗାଡ଼ି ଗାର୍ଡଙ୍କ ପାଖେ ଆଶା ପାଇଁ ଲେଖା ପହଞ୍ଚିବା ବିଳମ୍ୱ ହେଲେ ଥରେ ଅଧେ ସାକ୍ଷୀଗୋପାଳ ଷ୍ଟେସନରେ କିଛି ସମୟ ରେଳଗାଡ଼ି ଅଟକାଇ ଅପେକ୍ଷା କରାଯାଉଥିଲା ।
 
ଗୋପବନ୍ଧୁ ଦାସ ସତ୍ୟବାଦୀ ନାମରେ ଏକ ମାସିକ ସାହିତ୍ୟ ପତ୍ରିକା ୧୯୧୫ ପ୍ରକାଶନ ଆରମ୍ଭ କରିଥିଲେ । ଏହା ବ୍ରହ୍ମପୁର ଆଶା ପ୍ରେସରେ ପ୍ରଥମ ଦୁଇ ବର୍ଷ ମୁଦ୍ରିତ ହୋଇଥିଲା । ପରେ ପୁରୀକୁ ମୁଦ୍ରଣ କାର୍ଯ୍ୟ  ସ୍ଥାନାନ୍ତରିତ ହୋଇଥିଲା । ମାସିକ ସତ୍ୟବାଦୀର ସଫଳତାରେ ଉତ୍ସାହିତ ହୋଇ ଗୋପବନ୍ଧୁ ଦାସ ୧୯୧୯ରେ ସାପ୍ତାହିକ ସମ୍ୱାଦପତ୍ର ସମାଜ ପ୍ରକାଶନ ଆରମ୍ଭ କରିଥିଲେ । ସମାଜ ସତ୍ୟବାଦୀ ଓ ପୁରୀରେ ମୁଦ୍ରିତ ହୋଇ କଟକରେ ପହଞ୍ଚିଥିଲା । ଏହାହିଁ ଇତିହାସ ପୃଷ୍ଠାରେ ସମାଜ ପ୍ରକାଶନ ସହ ବ୍ରହ୍ମପୁରର ସଂପୃକ୍ତି ।
 
ଗୋପବନ୍ଧୁ ଦାସଙ୍କ ଦ୍ୱାରା ସମାଜ ପ୍ରତିଷ୍ଠିତ ହୋଇଥିଲେହେଁ ଗୋପବନ୍ଧୁ ଦାସଙ୍କ ଦ୍ୱାରା ନିଯୁକ୍ତ ପରିଚାଳକ ରାଧାନାଥ ରଥଙ୍କ ତତ୍ତ୍ୱାବଧାନରେ ସମାଜର ଉତ୍ତୋରୋତ୍ତର ଉନ୍ନତି ସାଧିତ ହୋଇଥିଲା । ରାଧାନାଥ ରଥଙ୍କ ବ୍ରହ୍ମପୁର ନେତୃବର୍ଗଙ୍କ ସହ ଗଭୀର ସଂପର୍କ ରହିଥିଲା । ପାର୍କସାହି ନିବାସୀ କବିରାଜ କାମାକ୍ଷୀ ପ୍ରସାଦ ଶର୍ମା ଓ ଟାଉନହଲ ରୋଡ଼ ନିବାସୀ ଏଡ଼ଭୋକେଟ ବସନ୍ତ କୁମାର ପାଣିଗ୍ରାହୀ ସେମାନଙ୍କ ମଧ୍ୟରେ ଦୁଇ ଘନିଷ୍ଠ ସହଯୋଗୀ । ଗଞ୍ଜାମର ଦୁଇ ପ୍ରମୁଖ ବ୍ୟକ୍ତିତ୍ୱ ବିଶ୍ୱନାଥ ଦାସ ଓ କିଶୋର ଚନ୍ଦ୍ର ତ୍ରିପାଠୀ ସମାଜର ପ୍ରକାଶକ ଲୋକସେବକ ମଣ୍ଡଳର ପ୍ରମୁଖ କର୍ମକର୍ତ୍ତା ରହିଆସିଥିଲେ । ପୂର୍ବତନ ମନ୍ତ୍ରୀ ଓ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପରିବାର ସମାଜର ଏଜେଣ୍ଟ ଏବଂ ପୂର୍ବତନ ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡା ସମାଜର ସ୍ୱତନ୍ତ୍ର ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ । ସମକାଳରେ ବ୍ରହ୍ମପୁରର ସଂଗଠକ ରାଜେନ୍ଦ୍ର ଜେନା ଲୋକ ସେବକ ମଣ୍ଡଳର ଅବସ୍ଥାପିତ ତିନିଜଣ ଓଡ଼ିଆ ଆଜୀବନ ସଭ୍ୟଙ୍କ ମଧ୍ୟରୁ ଜଣେ । ପ୍ରକାଶ ଥାଉ ସର୍ବଭାରତୀୟସ୍ତରରେ କାର୍ଯ୍ୟରତ ଲୋକସେବକ ମଣ୍ଡଳରେ ବର୍ତ୍ତମାନ ମୋଟ ଆଜୀବନ ସଭ୍ୟ ସଂଖ୍ୟା ମାତ୍ର ଆଠ ।
 
ରାଜ୍ୟ ସରକାରଙ୍କ ପକ୍ଷରୁ ସାର୍ବଜନୀନ ଅନୁଷ୍ଠାନଗୁଡ଼ିକୁ ବିନାମୂଲ୍ୟ ବା ଅଳ୍ପମୂଲ୍ୟରେ ସରକାରୀ ଜମି ପ୍ରଦାନ ନୀତି ରହିଛି । ସେହି ଧାରାରେ ବ୍ରହ୍ମପୁର କରପୋରେସେନ ରୋଡ଼ଠାରେ ଲୋକସେବକ ମଣ୍ଡଳକୁ ଗତ ଶତାଦ୍ଦୀ ସପ୍ତମ ଦଶକ ବେଳକୁ ଏକ ବଡ଼ ଜମି ପ୍ଲଟ ପ୍ରଦାନ କରାଯାଇଥିଲା । ଅବଶ୍ୟ ସେ ସମୟରେ କରପୋରେସନ ରୋଡ଼ ଏକ ଅବହେଳିତ ଅଞ୍ଚଳ ବିବେଚ଼ିତ ହେଉଥିଲା । ଭଲ ରାସ୍ତା ନଥିଲା । ଛତରାବନ୍ଧରେ ପୌରପାଳିକା ପକ୍ଷରୁ ଆବର୍ଜନା ଠୁଳ କରାଯାଉଥିଲା ଏବଂ ଲୋକସେବକ ମଣ୍ଡଳ ପାଇଥିବା ଜମିଟି ଝମ୍ପୁଡ଼ିବାସୀଙ୍କ ଜବରଦଖଲ କବଜାରେ ଥିଲା । ଦୀର୍ଘ ପ୍ରଚେଷ୍ଟାରେ ଉକ୍ତ ଜମିକୁ ଜବରଦଖଲ ମୁକ୍ତ କରାଯାଇ ସୁଉଚ୍ଚ ପାଚ଼େରୀ ନିର୍ମାଣ ସଂଭବ ହୋଇଥିଲା ।
 
ଅବଶ୍ୟ ଇତ୍ୟଅବସରରେ କରପୋରେସନ ରୋଡ଼ ସହରର ଅନ୍ୟତମ ଅଭିଜାତ୍ୟପୂର୍ଣ୍ଣ ଠିକଣାରେ ପରିଣତ ହୋଇଛି । ତାମେୟା ବନ୍ଧ ପୋତି ବିଜୁ ପଟ୍ଟନାୟକ ପାର୍କ ନିର୍ମାଣ ପରେ ଛତରାବନ୍ଧ ପୋତି ଗଞ୍ଜାମ ହାଟ ମଲ ନିର୍ମାଣଧୀନ । ଲୋକସେବକ ମଣ୍ଡଳପକ୍ଷରୁ କରପୋରେସନ ରୋଡ଼ ଜମିରେ ଗୋପବନ୍ଧୁ ଭବନ ନାମିତ ଦ୍ୱିତଳ କୋଠା ନିର୍ମାଣ ନିମନ୍ତେ ଜୁଲାଇ ପହିଲା ୨୦୨୩ରେ ଠିକାଦାର ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା । ଲୋକସେବକ ମଣ୍ଡଳ କରପୋରେସନ ରୋଡ଼ରେ ଜମି ପାଇବା ଦିନୁ ଗୋପବନ୍ଧୁ ଭବନ ନିର୍ମାଣ ଓ ବ୍ରହ୍ମପୁରରୁ ସମାଜର ସଂସ୍କରଣ ମୁଦ୍ରଣର ଯେଉଁମାନେ ସ୍ୱପ୍ନ ଦେଖିଥିଲେ ଇତିମଧ୍ୟରେ ମରିହଜି ଗଲେଣି ।
 
ବ୍ରହ୍ମପୁରରେ ଗୋପବନ୍ଧୁ ଭବନ ନିର୍ମାଣ ପରେ ଗିରି ରୋଡ଼ରେ ଭଡା ଘରେ ଚାଲୁଥିବା ସମାଜ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରିତ ହେବା ନିଶ୍ଚିତ । ଲୋକସେବକ ମଣ୍ଡଳର ରିଲିଫ ରାଜ୍ୟରେ ସକ୍ରିୟ ଏଠାରେ ଦକ୍ଷିଣ ଓଡ଼ିଶା ଶାଖା କାର୍ଯ୍ୟାଳୟ ସ୍ଥାପିତ ହେବା ଆଶା କରାଯାଇପାରେ । ଗୋପବନ୍ଧୁ ଦାସ ସମାଜସମ୍ୱାଦପତ୍ର ପ୍ରକାଶନର ମୂଳ ଉଦ୍ଦେଶ୍ୟ ଜନସାଧାରଣଙ୍କ ଦୁଃଖ ଦୁର୍ଦ୍ଦଶା ସର୍ବସାଧାରଣରେ ପ୍ରକାଶନରେ ପର୍ଯ୍ୟବଶିତ ରହିଥିଲା । ଆଜି ବ୍ରହ୍ମପୁର ଜନସାଧାରଣଙ୍କ ସାମୂହିକ ସମସ୍ୟା ବିଚାରବିମର୍ଷ ନିମନ୍ତେ ଦଶ-କୋଡ଼ିଏ ଜଣଙ୍କୁ ଏକାଠି କରି ସଭାସମିତି କରିବା ପାଇଁ ସ୍ଥାନ ଅଭାବ ।  ଯେଉଁ ସବୁ ସଭାଗୃହ ରହିଛି ସେଗୁଡ଼ିକୁ ବ୍ୟବହାର କରିବା ନିମନ୍ତେ ଉଚ୍ଚ ଦରରେ ଭଡ଼ା ଦେବାକୁ ପଡ଼ିଥାଏ । ବ୍ୟବସ୍ଥା ବିରୋଧରେ ଜନତାଙ୍କୁ ଏକଜୁଟ କରିବା ସଂଗ୍ରାମୀଙ୍କ ପାଖେ ପଇସା କୁଆଡୁ ଆସିବ ? ରାଜନୀତିକ ନେତୃବର୍ଗ କିମ୍ୱା ଧନଶାଳୀଙ୍କ ଠାରେ ଅର୍ଥ ପାଇଁ ଦ୍ୱାରସ୍ଥ ହେଲେ ସେ ନିଜ ଲାଭ କଥା ପ୍ରଥମେ ଉଠାଇବେ । ଏହି ପରିବେଶରେ ପ୍ରସ୍ତାବିତ ଗୋପବନ୍ଧୁ ଭବନରେ ଯଦି ୫୦ ଜଣ ବସିବା ଭଳି ଏକ ସଭାଗୃହ ସନ୍ନିବଶିତ କରାଯାଇ ଦାତବ୍ୟ ସୂତ୍ରରେ ସାମାଜିକ ଓ ସାଂସ୍କୃତିକ ସଂଗଠନଗୁଡ଼ିକୁ ଯୋଗାଇ ଦିଆଯାଇପାରନ୍ତା, ତେବେ ସ୍ଥାନୀୟ ଜନଜୀବନର ସୁରକ୍ଷା ଦିଗରେ ସହରବାସୀଙ୍କ ସାଙ୍ଗଠନିକ ଉଦ୍ୟମ ପ୍ରୋତ୍ସାହିତ ହୋଇପାରିବ । ଗୋପବନ୍ଧୁ ଭବନ ବ୍ରହ୍ମପୁର ସହରବାସୀଙ୍କ ନିମନ୍ତେ ଅନ୍ୟତମ ପ୍ରଣକେନ୍ଦ୍ର ରୂପେ ଗଢ଼ି ଉଠିବଏଦିଗରେ ବାବୁ ରାଜେନ୍ଦ୍ର ଜେନା ଯତ୍ନବାନ ହେବା ଆଶା କରାଯାଇପାରେ ।

Photo by Sam Moghadam Khamseh on Unsplash 


Sunday, July 2, 2023

Electricity Crisis / ବିଦ୍ୟୁତ ସମସ୍ୟା

 

#ବ୍ରହ୍ମପୁର ସହରରେ ୨୦୨୩ ଜୁନ ମାସରେ ପ୍ରାୟ ୨୦ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ହିଟ ୱେବ ଭଳି ପରିସ୍ଥିତି ଲାଗିରହିବା ଏବଂ ଦିନ କେତେ ଉତ୍ତାପ ୪୦ ଡ଼ିଗ୍ରୀ ଡ଼େଇଁବା ଫଳରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲା । ଅବଶ୍ୟ ଏହି ପାଣିପାଗ ଓଡ଼ିଶା ବ୍ୟାପୀ ଅନୁଭୂତ । ଏହି ଅବସରରେ ବିଦ୍ୟୁତ ଯୋଗାଣ ବାରମ୍ୱାର ବ୍ୟାହତ ହେବା ହେତୁ ଜନଅସନ୍ତୋଷ ମଧ୍ୟ ଦେଖା ଦେଇଥିଲା । ବିଦ୍ୟୁତ ସମସ୍ୟାରେ ଅତିଷ୍ଠ ହୋଇ ଦିନେ ରାତିରେ ଲାଞ୍ଜିପଲ୍ଲୀବାସୀ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ମାସସାରା ସଂବାଦପତ୍ର ପୃଷ୍ଠା, ଟେଲିଭିଜନପର୍ଦ୍ଦା ଓ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜାରୀ ରହିଥିଲା । ସାରା ରାଜ୍ୟରେ ଦେଢ଼ ବର୍ଷରୁ ଦୁଇ ବର୍ଷ ପୂର୍ବେ ଦକ୍ଷିଣ, ଉତ୍ତର ଓ ପଶ୍ଚିମାଂଶରେ ବିଦ୍ୟୁତ ବିତରଣ ଦାୟିତ୍ୱ ଗ୍ରହଣ କରିଥିବା ଟାଟା ପାୱାର ସମେତ ରାଜ୍ୟ ସରକାର ଆକ୍ରୋଶର ଶୀକାର ହୋଇଥିଲେ । ଜୁନ ଶେଷ ସପ୍ତାହରେ ମୌସୁମୀ ବର୍ଷା ତିନିଦିନ ଲାଗି ପହଞ୍ଚିବାପରେ ଅବସ୍ଥା ସାମାନ୍ୟ ଶାନ୍ତ ପଡ଼ିଥିଲା ।
 
ସାରା ଦେଶରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗଣରେ କ୍ରମାଗତ ବିଦ୍ୟୁତ ବ୍ୟବହାର ବୃଦ୍ଧି ବାଧକ ସାଜିଥାଏ । କେନ୍ଦ୍ର ଶକ୍ତିମନ୍ତ୍ରୀ ନୂଆଦିଲ୍ଲୀରେ ୨୨ ଜୁନରେ ସଭାକରି କହିଥିଲେ ଯେ ବିଗତ ଆର୍ଥିକ ବର୍ଷ ୨୦୨୨-୨୩ରେ ବିଦ୍ୟୁତ ଚାହିଦା ଆଠ ପ୍ରତିଶତ ବୃଦ୍ଧି ଘଟିଥିବା ସ୍ଥଳେ ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ର ପ୍ରଥମ ତ୍ରୟମାସରେ ଦଶ ପ୍ରତିଶତ ବୃଦ୍ଧି ପରିଲକ୍ଷିତ । କେନ୍ଦ୍ର ସରକାରଙ୍କ ବିଦ୍ୟୁତ ସଂସ୍କାର କାର୍ଯ୍ୟକ୍ରମ ଉଲ୍ଲେଖ କରି ସେ ସୂଚ଼ାଇଥିଲେ ଯେ ୨୦୧୪ରେ ଗ୍ରାମାଞ୍ଚଳରେ ବିଦ୍ୟୁତ ଯୋଗାଣ ହାରାହାରି ଦୈନିକ ୧୨.୫ ଘଣ୍ଟାରୁ ୨୦୨୩ରେ ୨୦.୫୩ ଘଣ୍ଟାକୁ ବୃଦ୍ଧି ପାଇଛି । ସହରାଞ୍ଚଳରେ ୨୩.୭୮ ଘଣ୍ଟାରେ ପହଞ୍ଚିଛି ।
 
ଓଡ଼ିଶା ରାଜ୍ୟରେ ୨୦୦୦ ବେଳକୁ ସାଧାରଣରେ ଦୈନିକ ୧୮ ଶହରୁ ୧୯ ଶହ ଏବଂ ପିକ ଆୱାରରେ ୨୧ ଶହ ମେଗାୱାଟ ବିଦ୍ୟୁତ ଆବଶ୍ୟକ ପଡୁଥିବା ସ୍ଥଳେ ୨୦୨୩ରେ ସାଧାରଣଭାବେ ୪୭ ଶହ ଏବଂ ପିକ ଆୱାରରେ ୫୪ ଶହରୁ ୫୬ ଶହ ମେଗାୱାଟ ଯାଏଁ ବିଦ୍ୟୁତ ଆବଶ୍ୟକ ପଡୁଛି । ଏହି ବର୍ଦ୍ଧିତ ବିଦ୍ୟୁତ ଉତ୍ପାଦନ ଏବଂ ବିତରଣ ନିମନ୍ତେ ଭିତ୍ତିଭୂମିର ଅଭାବ । ଫଳରେ ରାଜ୍ୟରେ ବିଦ୍ୟୁତ ଉପଭୋକ୍ତା ସଠିକ ସେବା ପାଇବାରେ ବିଫଳ ହେଉଛନ୍ତି ।
 
ଉଦାହରଣରେ ଜୁନମାସ କଥା ଧରାଯାଉ । ଏନଟିପିସି ବରପାଲିରେ ଜୁନ ମଧ୍ୟ ଭାଗରେ ୮୦୦ ମେଗାୱାଟ କ୍ଷମତା ବିଶିଷ୍ଟ ଏକ ୟୁନିଟରୁ ବିଦ୍ୟୁତ ଶକ୍ତି ଯୋଗାଣ ବନ୍ଦ ହୋଇଯିବା ଏବଂ ଦୁଇମାସ ଯାଏଁ ଅନୁରୂପ ପରିସ୍ଥିତି ଲାଗି ରହିବା ଅନୁମାନ ହେବା ଫଳରେ ରାଜ୍ୟ ଶକ୍ତି ସଂକଟ ସମ୍ମୁଖୀନ ହୋଇଥିଲା । ଆଗକୁ ରଥଯାତ୍ରା ହେତୁ କେନ୍ଦ୍ର ବିଦ୍ୟୁତ ମନ୍ତ୍ରଣାଳୟ ଅଧୀନସ୍ଥ ବିଦ୍ୟୁତ ପ୍ରାଧିକରଣକୁ ଅଗଷ୍ଟ ୧୫ ଯାଏଁ ଦୈନିକ ୪୫୦ ମେଗାୱାଟ ବିଦ୍ୟୁତ ଅଣଆବଣ୍ଟିତ କେନ୍ଦ୍ରୀୟ ପୁଲରୁ ଯୋଗାଇ ଦେବା ନିମନ୍ତେ ଅନୁରୋଧ କରାଯାଇଥିଲା । ସେମାନେ ତୁରନ୍ତ ୧୬ ଜୁନରୁ ୨୬ ଜୁନ ଦଶ ଦିନ ୪୦୦ ମେଗାୱାଟ ବିଦ୍ୟୁତ ଯୋଗାଣ ପାଇଁ ରାଜି ହୋଇଥିଲେ । ଅବଶ୍ୟ ଏହିଭଳି ସାମୟିକ ବିଦ୍ୟୁତ ଅଭାବ ଓ କେନ୍ଦ୍ରୀୟ ପୁଲରୁ ଭରଣା ସବୁବେଳେ ସର୍ବତ୍ର ଲାଗିରହିଥାଏ ।
 
ବିଦ୍ୟୁତ ସରବରାହର ଭିତ୍ତିଭୂମି ସଜାଡ଼ି ନଯାଇ ପାରିଲେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସଂଭବପର ନୁହେଁ । ଓଡ଼ିଶାରେ ଭିତ୍ତିଭୂମିର ଅଭାବ ଲାଗି ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ୧୯୯୪-୯୫ରେ ବିଶ୍ୱବ୍ୟାଙ୍କରୁ ଋଣ କରି ବିଦ୍ୟୁତ ସେବାର ସଂସ୍କାର ଲାଗି ଉଦ୍ୟମ ହୋଇଥିଲା । କିନ୍ତୁ ୨୮ ବର୍ଷର ସଂସ୍କାର କାର୍ଯ୍ୟକ୍ରମ ଫଳପ୍ରଦ ହୋଇପାରିଲା ନାହିଁ । ସରକାର ବାଧ୍ୟବାଧକତାରେ ରାଜ୍ୟର ବିଦ୍ୟୁତ ବିତରଣ ଦାୟିତ୍ୱ ଟାଟା ପାୱାର ଭଳି ଏକ ଘରୋଇ ସଂସ୍ଥାକୁ ଟେକିଦେଲେ । ଏହି ନୂତନ ବ୍ୟବସ୍ଥାରେ ରାଜ୍ୟ ସରକାର ଅର୍ଦ୍ଧେକ ଭାଗୀଦାର । ଭିତ୍ତିଭୂମି ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କୁ ହିଁ ପୁନର୍ବାର ଋଣ କରି ଅର୍ଥ ବିନିଯୋଗ କରିବାକୁ ପଡ଼ିବ । କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟର ସୁପାରିଶ ଆଧାରରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ୧୨ ଗୋଟି ରାଜ୍ୟକୁ ୬୬ ହଜାର ୪୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଓଡ଼ିଶା ପାଇଁ ଦୁଇ ହଜାର ୭୦୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ସ୍ଥଳେ ସେହି ଅର୍ଥ ବ୍ୟୟରେ ବିଦ୍ୟୁତ ବିତରଣ ଭିତ୍ତିଭୂମିକୁ ସଜାଡ଼ିବାକୁ ପୁନର୍ବାର ଉଦ୍ୟମ କରାଯିବ ।
 
ମୋଟାମୋଟି ସମସ୍ୟା ହେଲା ବ୍ରହ୍ମପୁର ଭଳି ବାତ୍ୟାପ୍ରବଣ ସହରରେ ପ୍ରଥମତଃ, ବିଦ୍ୟୁତ ବିତରଣ ଭିତ୍ତିଭୂମି ଦୁର୍ବଳ ଥିବା ଏବଂ ଦ୍ୱିତୀୟତଃ, ଜନସାଧାରଣରେ ହୁ ହୁ ବିଦ୍ୟୁତ ବ୍ୟବହାର ବୃଦ୍ଧି ପାଉଥିବା ହେତୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହେଉଛି । ଋଣ ଅର୍ଥରେ ଭିତ୍ତିଭୂମି ସଜାଡ଼ିବା ନିମନ୍ତେ କାର୍ଯ୍ୟକ୍ରମ ତ ଗ୍ରହଣ କରାଯିବ, ବିଦ୍ୟୁତ ବ୍ୟବହାର କିପରି କମିବ-ସେ ସଂପର୍କରେ ମଧ୍ୟ ବିଚାର କରିବା ସମୟ ଉପନୀତ । ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନ ରୋକିବା ନିମନ୍ତେ ତାପଜ ବିଦ୍ୟୁତ ଉତ୍ପାଦନକୁ ନିରୁତ୍ସାହିତ କରାଯାଉଛି । କିନ୍ତୁ ଆମ ଦେଶରେ ତାପଜ ବିଦ୍ୟୁତ ଉତ୍ପାଦନ ପ୍ରମୁଖ ସ୍ଥାନ ଅଧିକାର କରିଥାଏ । ଖୁବ କମ ସମୟରେ ଆମକୁ ଏଥିରୁ କ୍ଷାନ୍ତ ରହିବାକୁ ପଡ଼ିବ । ଏଦିଗରେ ସହରବାସୀ ନିଜ ଉତ୍ତରଦାୟିତ୍ୱ ସଂପର୍କରେ ସଚ଼େତନ ହେବା ଆବଶ୍ୟକ ।

Photo by Marcus on Unsplash 


Friday, June 23, 2023

Demographics / ଜନସଂଖ୍ୟା

 

#ବ୍ରହ୍ମପୁର ସହରରେ ୨୦୧୧ ଜନଗଣନା ଅନୁଯାୟୀ ମୋଟ ପ୍ରାୟ ତିନି ଲକ୍ଷ ୫୫ ହଜାର ବ୍ୟକ୍ତି ବସବାସ କରୁଥିଲେ । ଏମାନଙ୍କ ମଧ୍ୟରେ ଏକ ଲକ୍ଷ ୮୫ ହଜାର ପୁରୁଷ ଓ ଏକ ଲକ୍ଷ ୭୦ ହଜାର ମହିଳା ଅନ୍ତର୍ଭୁକ୍ତ । ଜନ୍ମରୁ ଛଅ ବର୍ଷ ଯାଏଁ ଶିଶୁଙ୍କ ସଂଖ୍ୟା ଆଠ ପ୍ରତିଶତ । ପ୍ରତି ଏକ ହଜାର ପୁରୁଷଙ୍କ ମଧ୍ୟରେ ୯୧୭ ଜଣ ମହିଳା । ଜନସଂଖ୍ୟା ଦୃଷ୍ଟିରୁ ଓଡ଼ିଶା ପ୍ରଦେଶରେ ବ୍ରହ୍ମପୁର ଚ଼ତୁର୍ଥ ଜନବହୁଳ ସହର ଏବଂ ସର୍ବଭାରତୀୟସ୍ତରରେ ୧୨୬ ସ୍ଥାନ ଅଧିକାର କରିଥାଏ । ଏଠାରେ ମୋଟାମୋଟି ଭାବେ ୯୬ ପ୍ରତିଶତ ହିନ୍ଦୁ, ଦୁଇ ପ୍ରତିଶତ ମୁସଲମାନ ଏବଂ ଏକ ପ୍ରତିଶତ ଖ୍ରୀଷ୍ଟିଆନ । ସହରବାସୀଙ୍କ ମଧ୍ୟରୁ ଅଧିକାଂଶ ସାକ୍ଷର । ପୁରୁଷମାନଙ୍କ କ୍ଷେତ୍ରରେ ୯୩ ପ୍ରତିଶତ, ମହିଳାମାନଙ୍କ କ୍ଷେତ୍ରରେ ୮୫ ପ୍ରତିଶତ ଏବଂ ମୋଟ ଜନସଂଖ୍ୟାର ୯୦ ପ୍ରତିଶତ ସାକ୍ଷରତା ହିସାବ କରାଯାଇଥିଲା ।
 
ବ୍ରହ୍ମପୁର ପୌରାଞ୍ଚଳରେ ୧୯୭୧ରେ ଏକ ଲକ୍ଷ ୧୭ ହଜାର, ୧୯୮୧ରେ ଏକ ଲକ୍ଷ ୬୨ ହଜାର, ୧୯୯୧ରେ ଦୁଇ ଲକ୍ଷ ୧୦ ହଜାର ଏବଂ ୨୦୦୧ରେ ତିନି ଲକ୍ଷ ୭ ହଜାର ବ୍ୟକ୍ତି ବସବାସ କରୁଥିଲେ । ଦଶନ୍ଧି ଜନସଂଖ୍ୟା ବୃଦ୍ଧି ହାର ୧୯୭୧ରୁ ୧୯୮୧ ମଧ୍ୟରେ ୩୮ ପ୍ରତିଶତ, ୧୯୮୧ରୁ ୧୯୯୧ ମଧ୍ୟରେ ୨୯ ପ୍ରତିଶତ ଏବଂ ୧୯୯୧ରୁ ୨୦୦୧ ମଧ୍ୟରେ ୪୬ ପ୍ରତିଶତ ହିସାବ କରାଯାଇଛି । ଅର୍ଥାତ, ୧୯୯୧ରୁ ୨୦୦୧ ମଧ୍ୟରେ ବ୍ରହ୍ମପୁର ଜନସଂଖ୍ୟା ଦୃତ ହାରରେ ବୃଦ୍ଧି ପାଇଥିଲା । ଏହି ସମୟସୀମାରେ ସହରତଳି ଅଞ୍ଚଳରେ ବହୁ ସଂଖ୍ୟକ ବସତି ସ୍ଥାପିତ ହୋଇଥିଲା । ସହରର ମଧ୍ୟଭାଗରେ ବସବାସ କରୁଥିବା ପରିବାରବର୍ଗରେ ସଦସ୍ୟ ସଂଖ୍ୟା ବୃଦ୍ଧି ହେତୁ କେତେକ ସହରତଳି ଅଞ୍ଚଳରେ ନୂତନ ବାସଗୃହ ନିର୍ମାଣ କରିଥିବା ସ୍ଥଳେ ବର୍ହିଆଗତ ପରିବାରବର୍ଗ ମଧ୍ୟ ବସବାସ ଆରମ୍ଭ କରିଥିଲେ । ୧୯୭୧ରୁ ୧୯୮୧ ମଧ୍ୟରେ ସହରାଞ୍ଚଳରେ ଅବସ୍ଥିତ ପଡ଼ିଆ ଜମିରେ କୋଠାବାଡ଼ି ନିର୍ମିତ ହେବା ଫଳରେ ୪୦ ପ୍ରତିଶତ ଯାଏଁ ଜନସଂଖ୍ୟା ବୃଦ୍ଧି ପାଇଥିଲା । ଦଶ ବର୍ଷ ପରେ ପୁଣି ୧୯୯୧ରୁ ୨୦୦୧ ମଧ୍ୟରେ ସହରତଳି ଅଞ୍ଚଳରେ ବିକାଶ ପରେ ଜନସଂଖ୍ୟା ପ୍ରାୟ ୫୦ ପ୍ରତିଶତ ଯାଏଁ ବୃଦ୍ଧି ପାଇଥିଲା ।  
 
ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୨୧ ସୁଦ୍ଧା ସହରର ଜନସଂଖ୍ୟା ପାଞ୍ଚ ଲକ୍ଷ ୮୫ ହଜାରରେ ପହଞ୍ଚିବା ପୂର୍ବାନୁମାନ କରାଯାଇଥିଲା । ପାରମ୍ପରିକ ଭାବେ ୨୦୧୧ ପରେ ୨୦୨୧ରେ ସର୍ବଭାରତୀୟସ୍ତରରେ ଜନଗଣନା ଆୟୋଜନ କରାଯିବା କଥା । କିନ୍ତୁ କୋଭିଡ଼-୧୯ ମହାମାରୀ ପ୍ରାଦୁର୍ଭାବ ହେତୁ ନିର୍ଦ୍ଧାରିତ ସମୟରେ ଜନଗଣନା ସଂଭବ ହୋଇପାରିଲା ନାହିଁ । ଅନ୍ୟ କେତେକ ସୂତ୍ରରୁ ପ୍ରକାଶ ଯେ ୨୦୨୩ ସୁଦ୍ଧା ବ୍ରହ୍ମପୁରର ଜନସଂଖ୍ୟା ଚାରି ଲକ୍ଷ ୯୦ ହଜାରରେ ପହଞ୍ଚିଛି ।
 
ବ୍ରହ୍ମପୁରରେ ପୁରୁଷମାନଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା କ୍ରମାଗତଭାବେ ହ୍ରାସ ପାଇ ଆସିଛି । ଜନଗଣନା ତଥ୍ୟ ଅନୁଯାୟୀ ୧୯୭୧ରେ ସହରରେ ଏକ ହଜାର ପୁରୁଷଙ୍କ କ୍ଷେତ୍ରରେ ୯୩୧ ମହିଳା, ୧୯୮୧ରେ ୯୨୪ ଓ ୧୯୯୧ରେ ୯୨୨ ଥିବା ସ୍ଥଳେ ୨୦୦୧ରେ ୯୧୯ରେ ପହଞ୍ଚିଥିଲା । ୨୦୧୧ ଜନଗଣନାରେ ଆହୁରି ଦୁଇ ସଂଖ୍ୟା ହ୍ରାସ ପାଇଥିଲା ।
 
ଜନ୍ମରୁ ଛଅ ବର୍ଷ ବୟସର ପ୍ରତି ଏକ ହଜାର ବାଳକଙ୍କ କ୍ଷେତ୍ରରେ ମାତ୍ର ୮୯୮ ଜଣ ବାଳିକା ୨୦୧୧ ଜନଗଣନାରେ ହିସାବ କରାଯାଇଥିଲା । ଅର୍ଥାତ, ବୟସ୍କଙ୍କ କ୍ଷେତ୍ରରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ପ୍ରତି ହଜାରେ ଜନସଂଖ୍ୟାରେ ୮୩ ପ୍ରଭେଦ ରହୁଥିବା ସ୍ଥଳେ ଶିଶୁମାନଙ୍କ କ୍ଷେତ୍ରରେ ୧୦୨ଯାଏଁ ପ୍ରଭେଦ ରହୁଛି । ଅର୍ଥାତ, ଏକବିଂଶ ଶତାଦ୍ଦୀରେ ଜନ୍ମ ନେଇଥିବା ବଂଶଧର ୨୦୨୫ରୁ ୨୦୩୫ ମଧ୍ୟରେ ବିବାହଯୋଗ୍ୟ ବୟସରେ ପହଞ୍ଚିବା ବେଳକୁ ହଜାରେ ବରପାତ୍ରଙ୍କ ପାଇଁ ଶହେ କନ୍ୟା ଅଭାବ ପଡ଼ିବେ ଅବଶ୍ୟ ସାଧାରଣରେ ବିବାହ ନିମନ୍ତେ ବାସସ୍ଥାନ ଭିନ୍ନ ଅନ୍ୟତ୍ର ଜନ୍ମିତ କନ୍ୟା ଚୟନ କରାଯିବା ପରମ୍ପରା ଚଳି ଆସିଥିବା ହେତୁ ଏହି ସମସ୍ୟା ହଠାତ ଗୁରୁତର ବୋଧ ନହୋଇପାରେ । କିନ୍ତୁ ବ୍ରହ୍ମପୁରରେ ପରିଲକ୍ଷିତ ପରିସ୍ଥିତି ଅନ୍ୟତ୍ର ପ୍ରତିଫଳିତ ହେଉଥିଲେ, କିମ୍ୱା ଅଧିକ ମାତ୍ରାରେ ଦୃଷ୍ଟିଗୋଚର ହେଲେ ବିବାହଯୋଗ୍ୟ କନ୍ୟା ସନ୍ଧାନ କଷ୍ଟକର । ଚୀନ ଭଳି ଜନବହୁଳ ରାଷ୍ଟ୍ରରେ ଦୀର୍ଘ ଅତୀତରୁ ଏହିଭଳି ଜଟିଳ ସମସ୍ୟା ଲାଗି ରହିଛି । କମ ବୟସରେ ବୃତ୍ତିଗତ କ୍ଷେତ୍ରରେ ସଫଳତା ହାସଲ କିମ୍ୱା ବିପୁଳ ପୈତୃକ ସମ୍ପତ୍ତି ବିନା ବିବାହ ଆୟୋଜନ ସଂକଟପୂର୍ଣ୍ଣ ହେବା ସମ୍ଭାବନା ସୁସ୍ପଷ୍ଟ । ଜନସଂଖ୍ୟାରେ ଭାରତ ଚୀନକୁ ଟପି ଯାଉଛି ସତ, କିନ୍ତୁ ଯୁବକୁଳରେ ଦଶ ପ୍ରତିଶତରୁ ଅଧିକ ଅବିବାହିତ ଜୀବନ ଭଳି ସମସ୍ୟାକୁ ମଧ୍ୟ ଆମନ୍ତ୍ରଣ କରୁଛି ବୋଲି କହିବାକୁ ହେବ !

Photo by Austris Augusts on Unsplash 


Friday, June 16, 2023

Summer :The Tourism Season  / ପର୍ଯ୍ୟଟନ ଋତୁ

 

ପାରମ୍ପରିକ ଭାବେ ବହୁ ଅଞ୍ଚଳ ଭଳି #ବ୍ରହ୍ମପୁର ସହରରେ ଗ୍ରୀଷ୍ମପର୍ଯ୍ୟଟନ ଋତୁ । ବାଣିଜ୍ୟପେଣ୍ଠ ବାଦେ ବ୍ରହ୍ମପୁର ଶିକ୍ଷା ଓ ଅଦାଲତୀ କାରବାର କେନ୍ଦ୍ରଭାବେ ଗଢ଼ି ଉଠିଥିବା ହେତୁ ଗ୍ରୀଷ୍ମ ଅବକାଶ ଗୁରୁତ୍ୱ ବହନ କରି ଆସିଥିଲାପଡ଼ୋଶୀ ଅଞ୍ଚଳରୁ ଛାତ୍ରମାନେ ସହରରେ ପହଞ୍ଚି ହଷ୍ଟେଲ ସମେତ ବହୁ ସଂଖ୍ୟାରେ ମେସ କରି ରହୁଥିଲେ । ଗ୍ରୀଷ୍ମ ଋତୁରେ ଶିକ୍ଷାନୁଷ୍ଠାନ ବନ୍ଦ ହେଲେ ସେମାନେ ଘରକୁ ଫେରୁଥିଲେ । ଅଦାଲତରେ ନିଯୁକ୍ତ କର୍ମଚାରୀ ଓ ଓକିଲମାନଙ୍କ ପାଇଁ ଗ୍ରୀଷ୍ମ ଋତୁରେ ହିଁ କିଛି ସମୟ ମହକିଲଙ୍କ ଭିଡ଼ରୁ ଅପସରି ଯିବା ପାଇଁ ସୁଯୋଗ ମିଳୁଥିଲା । ଅପରପକ୍ଷେ ଊନବିଂଶ ଶତାଦ୍ଦୀ ନଅଙ୍କ ଦୁର୍ଭିକ୍ଷ ପରଠାରୁ ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳରେ ଦେଶାନ୍ତର ଶ୍ରମ ସଂସ୍ଥାନ ପ୍ରଥା କ୍ରମବିକଶିତ ହୋଇଥିବା ହେତୁ ଗ୍ରୀଷ୍ମ ଋତୁରେ ସହର ବାହାରେ ବସବାସ କରୁଥିବା ପରିବରବର୍ଗ ଛୁଟୀ କଟାଇବା ନିମନ୍ତେ ଜନ୍ମମାଟିକୁ ଫେରୁଥିଲେ । ଗ୍ରୀଷ୍ମ ଋତୁ ଆରମ୍ଭରେ ତାରାତାରିଣୀଙ୍କ ଚୈତ୍ର ଯାତ୍ରା, ଦଣ୍ଡ ଯାତ୍ରା ଓ ବର୍ଷକ ଅନ୍ତରରେ ଠାକୁରାଣୀ ଯାତ୍ରାରେ ଯୋଗ ଦେବା ନିମନ୍ତେ ମଧ୍ୟ ସହର କୋଳାହଳମୟ ହୋଇପଡ଼ିଥାଏ । ଦୀର୍ଘକାଳ ଧରି ପର୍ଯ୍ୟଟନ ଯୁବବର୍ଗଙ୍କ ଲାଗି ଏକ୍ସକାରସନ ଓ ବୟସ୍କଙ୍କ ଲାଗି ତୀର୍ଥଯାତ୍ରାରେ ସୀମିତ ରହିଥିଲା ।
 
ଆଧୁନିକ ପର୍ଯ୍ୟଟନ ନଗର ସଭ୍ୟତାର ଅଂଶବିଶେଷ । ଅତୀତରେ ବ୍ରହ୍ମପୁରବାସୀ କୋଲକତା ପର୍ଯ୍ୟଟକଙ୍କ ଭିଡ଼ ଗୋପାଳପୁର ଓ ପୁରୀରେ ଦେଖୁଥିଲେ । ସମୟକ୍ରମେ ପରିସ୍ଥିତିରେ ପରିବର୍ତ୍ତନ ଘଟିଛି । ବ୍ରହ୍ମପୁରବାସୀ ଭାରତର ବିଭିନ୍ନ ଅଞ୍ଚଳ ସମେତ ବିଦେଶ ପର୍ଯ୍ୟଟନରେ ଯାଉଛନ୍ତି । ସହରରେ ବହୁ ଟୁର ଅପରେଟର ଯାତ୍ରା ଓ ରହେଣୀ ବନ୍ଦୋବସ୍ତ ନିମନ୍ତେ ଆକର୍ଷଣୀୟ ପ୍ୟାକେଜମାନ ବିକ୍ରୀ କରୁଛନ୍ତି । ଗ୍ରୀଷ୍ମ ଋତୁରେ ବ୍ରହ୍ମପୁରର ଗରମ ଓ ଗୁଳୁଗୁଳିରୁ ନିସ୍ତାର ନିମନ୍ତେ ଅପେକ୍ଷାକୃତ ଥଣ୍ଡା ଅଞ୍ଚଳ ପରିଭ୍ରମଣ ନିକଟ ଅତୀତରୁ ଲୋକପ୍ରିୟତା ହାସଲ କରିଛି । ସୋସିଆଲ ମିଡ଼ିଆର ପରିବ୍ୟାପ୍ତି ପରେ ସାଧାରଣ ଜୀବନରେ ବାର୍ଷିକ ପର୍ଯ୍ୟଟନ ଏକ ଅଙ୍ଗ ଭାବେ ପରିଗଣିତ ହେବାରେ ଲାଗିଲାଣି ।
 
ପର୍ଯ୍ୟଟନ ସଉକ ବିକଶିତ ହେବାପରେ ଏହାର ବ୍ୟାବସାୟିକ ଦିଗ ଗୁରୁତ୍ୱ ହାସଲ କରିଛି । ଆଧୁନିକ ପର୍ଯ୍ୟଟକ ଖର୍ଚ୍ଚ କରିବା ମତଲବରେ ଘରୁ ବାହାରୁଥିବା ହେତୁ ହୋଟେଲ, ରେଷ୍ଟୁରାଣ୍ଟ, ଯାନବାହାନ, ମନୋରଞ୍ଜନ ବିଭିନ୍ନ ସ୍ତରରେ କିପରି ଆୟ ବୃଦ୍ଧି ହୋଇପାରିବ ସେ ଦିଗରେ ବ୍ୟବସାୟିକସ୍ତରରେ ଉଦ୍ୟମ ହୋଇଥାଏ । ବିଜ୍ଞାପନ ଓ ସୋସିଆଲ ମିଡ଼ିଆର ପ୍ରହେଳିକା ଜାଲରେ ପର୍ଯ୍ୟଟକ ସପ୍ତାହକ ଛୁଟି କଟାଇବା ଲାଗି ମାସେ ଦୁଇ ମାସର ଘରଖର୍ଚ୍ଚ ବ୍ୟୟ କରିବାକୁ ପଛାଇ ନଥାଏ । ବ୍ରହ୍ମପୁରର ଦୋକାନ ବଜାର ଆଞ୍ଚଳିକ ପର୍ଯ୍ୟଟକ-ଆଶ୍ରିତ । ପୋଷାକ, ଅଳଙ୍କାର ଓ ମନୋହରି ସାମଗ୍ରୀ ବିକ୍ରୀବଟାର ଏକ ପ୍ରମୁଖ ଅଂଶ ସହର ବାହାର କ୍ରେତାମାନଙ୍କ ଉପରେ ନିର୍ଭରଶୀଳ । ବ୍ରହ୍ମପୁର ଜନପଦ ଆରମ୍ଭ ହେବା ଶହେ ବର୍ଷ ପରେ ପାଟ ବୁଣାକାରଙ୍କ ଆଗମନ ଓ ପାଟବସ୍ତ୍ର ବିକ୍ରୀରେ ପ୍ରସିଦ୍ଧି ପରେ କଂସା-ପିତ୍ତଳ, ସୁନା-ରୂପା ଅଳଙ୍କାର ବ୍ୟବସାୟ ଲାଗି ମୂଳଦୁଆ ପକାଇଥିଲା । ସେହି ପ୍ରଭାବ ଆଜି ସୁଦ୍ଧା ବଳବତ୍ତର ରହିଛି ।
 
ବ୍ରହ୍ମପୁରରେ ବର୍ହିଃଆଗତ ପର୍ଯ୍ୟଟକ ସଂଖ୍ୟା ୨୦୧୯ରେ ପ୍ରାୟ ସାତ ଲକ୍ଷ ଚାଳିଶି ହଜାର ହିସାବ କରାଯାଇଥିଲା । ସେଥି ମଧ୍ୟରେ ୬୫୦ ଯାଏଁ ବିଦେଶୀ ପର୍ଯ୍ୟଟକ ଥିଲେ । କୋଭିଡ଼ ମହାମାରୀ ପରେ ୨୦୨୧ରେ ମୋଟ ପର୍ଯ୍ୟଟକ ସଂଖ୍ୟା ପ୍ରାୟ ଏକ ଲକ୍ଷ ୮୦ ହଜାର ଏବଂ ବିଦେଶୀ ପର୍ଯ୍ୟଟନ ନଥିବା କୁହାଯାଉଛି । ବ୍ରହ୍ମପୁରରେ ପହଞ୍ଚୁଥିବା ପର୍ଯ୍ୟଟକମାନେ ରମ୍ଭାସ୍ଥିତ ଚିଲିକା, ତପ୍ତପାଣିର ଉଷ୍ମ-ପ୍ରସ୍ରବଣ ସମେତ ଗଞ୍ଜାମ ଜିଲ୍ଲାର ୨୨ ଗୋଟି ମାନ୍ୟତାପ୍ରାପ୍ତ ପର୍ଯ୍ୟଟନ ସ୍ଥଳୀକୁ ପରିଦର୍ଶନରେ ଯାଇଥାନ୍ତି ।
 
ସେହିପରି ବ୍ରହ୍ମପୁର ସଂଲଗ୍ନ ଗୋପାଳପୁର ବେଳାଭୂମିକୁ ୨୦୧୯ରେ ପ୍ରାୟ ଚାରି ଲକ୍ଷ ୪୦ ହଜାର ଏବଂ ଦୁଇ ହଜାର ବିଦେଶୀ ପର୍ଯ୍ୟଟକ ଆସିଥିବା ହିସାବ କରାଯାଇଥିବା ସ୍ଥଳେ ମହାମାରୀ ପରେ ୨୦୨୧ରେ ମୋଟ ପ୍ରାୟ ଏକ ଲକ୍ଷ ୩୪ ହଜାର ଏବଂ ସେମାନଙ୍କ ମଧ୍ୟରେ ମାତ୍ର ଦଶ ଜଣ ବିଦେଶୀ ପର୍ଯ୍ୟଟକ ଥିବା ପ୍ରକାଶ
 
ବ୍ରହ୍ମପୁରରୁ ଅନ୍ୟତ୍ର ଯାଉଥିବା ପର୍ଯ୍ୟଟକ ସଂଖ୍ୟା ମହାମାରୀ-ପୂର୍ବ ୨୦୧୯ ତୁଳନାରେ ୨୦୨୦ ଓ ୨୦୨୧ରେ ନରମି ଯାଇଥିଲେ ସୁଦ୍ଧା ୨୦୨୨ରେ ସାମାନ୍ୟ ସୁଧାରିଥିଲା । ତେବେ ୨୦୨୩ ଗ୍ରୀଷ୍ମ ଋତୁରେ ପୂର୍ଣ୍ଣ ବିକଶିତ ଅବସ୍ଥାରେ ପହଞ୍ଚିଥିବା ପରିଲକ୍ଷିତଅତୀତରେ କୁହାଯାଉଥିଲା ବଡ଼ ସହରର ପରିବାରବର୍ଗ ବର୍ଷ ସାରା ପ୍ରତି ମାସରେ ଅର୍ଥ ସଞ୍ଚୟ କରି ବର୍ଷରେ ଥରେ ପର୍ଯ୍ୟଟନରେ ବାହାରୁଥିଲେ । ସେହି ପ୍ରଥା ହୁଏତ ବ୍ରହ୍ମପୁରରେ ପହଞ୍ଚି ସାରିଲାଣି !

Photo by Ali Maah on Unsplash 


Friday, June 9, 2023

Bird Census  / ବିହଙ୍ଗ ଗଣନା

 

#ବ୍ରହ୍ମପୁର ସହରାଞ୍ଚଳରେ ୮୮ ପ୍ରକାର ବିହଙ୍ଗ ବା ପକ୍ଷୀ ବସବାସ କରୁଥିବା ଜଣାଯାଏପକ୍ଷୀ ଗଣନା ନିମନ୍ତେ ୨୦୧୯ରୁ ୨୦୨୨ ମଧ୍ୟରେ ଆୟୋଜିତ ଏକ ଅଧ୍ୟୟନରୁ ପ୍ରକାଶ ଯେ ପ୍ରଥମ ବଳୟ ସହର ମଧ୍ୟସ୍ଥ ଜନବସତିରେ କାଉ, ବଣି, ପାରା, ଓରିଏଣ୍ଚାଲ ମ୍ୟାଗପାଇ ରବିନ ଓ କୋଇଲି ଭଳି ପକ୍ଷୀ ଦେଖିବାକୁ ମିଳନ୍ତି । ଦ୍ୱିତୀୟ ବଳୟ ସହରକୁ ଘେରି ରହିଥିବା ଚାଷ ଜମି ଗେଣ୍ଡାଳିଆ ଏସିଆନ ଓପେନବିଲ, କପୋତ ଲାଫିଙ୍ଗ ଡୋଭ, ଟେଣ୍ଟେଇ ରେଡ଼-ୱାଟଲେଡ଼ ଲପୱିଙ୍ଗ ପ୍ରଭୃତିଙ୍କ ଚ଼ରାଭୁମି । ସେହିପରି ତୃତୀୟ ବଳୟ ସହର ମଧ୍ୟରେ ଥିବା ଉଦ୍ୟାନରାଜି ଓ ଜଙ୍ଗଲ ଅଞ୍ଚଳରେ ହଳଦୀ ବସନ୍ତ ଓରିଓଲ, ବୁଲବୁଲ, କୋଚ଼ିଲାଖାଇ ଗ୍ରେ ହର୍ଣ୍ଣବିଲ, ନୀଳକଣ୍ଠ ଇଣ୍ଡିଆନ ରୋଲର, ପାଇଡ଼ ବୁସଚାଟ, ଟ୍ରାଇକଲର ମୁନିଆ ଓ ବ୍ଳୁ ରକ ଥ୍ରସ ପ୍ରଜାତିର ପକ୍ଷୀ ବସବାସ କରନ୍ତି । ସହର ଓ ସହରତଳି ଅଞ୍ଚଳରେ ଦଣ୍ଡାୟମାନ ସୁଉଚ୍ଚ ବୃକ୍ଷରାଜି, ଯଥା ବର, ଓସ୍ତ, ଜାମୁକୋଳି, ଆମ୍ୱ, ପଣସ ଓ ସବୁଜ ବଳୟ ସୃଷ୍ଟି କରିବା ନିମନ୍ତେ ରୋପଣ କରାଯାଉଥିବା ଅନ୍ୟ ଉଚ୍ଚତା ବିଶିଷ୍ଟ ଗଛଗୁଡ଼ିକରେ ପକ୍ଷୀମାନେ ଆଶ୍ରୟ ନେଇଥାନ୍ତି ।
 
ଅଧ୍ୟୟନରୁ ଜଣାଯାଇଛି ଯେ ସହରରେ ଅବସ୍ଥିତ ବେଡ଼ା ବନ୍ଧ, ବିଜିପୁର ବନ୍ଧ, ଲାଞ୍ଜିପଲ୍ଲୀ ବନ୍ଧ ଭଳି ଜଳାଶୟଗୁଡ଼ିକରେ ଶୀତଋତୁରେ ବାହାର ଅଞ୍ଚଳରୁ ପକ୍ଷୀ ଆସି କିଛି ସମୟ କଟାଇ ପୁଣି ଫେରିଯାଆନ୍ତି । ରାମଲିଙ୍ଗ ବନ୍ଧ ନବୀକରଣ ହେବା ପୂର୍ବରୁ ପେଲିକାନ ପକ୍ଷୀ ଆସିଥିବା ଠାବ କରାଯାଇଥିଲା । ଆନ୍ତର୍ଜାତିକସ୍ତରରେ ବିହଙ୍ଗ ସଂରକ୍ଷଣ ନିମନ୍ତେ ପ୍ରଚଳିତ ରେଡ଼ ଡାଟା ବୁକରେ ଉଲ୍ଲେଖଥିବା ନାଈକ ଶୁଆ ଆଲେକଜାଣ୍ଡ୍ରିନ ପାରାକୀଟ ରେଳଷ୍ଟେସନ, ଲଞ୍ଜିପଲ୍ଲୀ, ମେଡ଼ିକାଲ କ୍ୟାମ୍ପସ ଅଞ୍ଚଳରେ ସାମୟିକଭାବେ ଦେଖାଯାଆନ୍ତି । ସେହିପରି ଅନ୍ୟ ଏକ ପ୍ରଜାତିର ସଂକଟାପନ୍ନ ସାପ ପକ୍ଷୀ ଓରିଏଣ୍ଟାଲ ଡ଼ାର୍ଟର ଓ ବ୍ଳାକ ହେଡ଼େଡ଼ ଆଇବିସ କେତେକ ଜଳାଶୟ ନିକଟବର୍ତ୍ତୀ ସନ୍ତସନ୍ତିଆ ଜାଗାରେ ଠାବ କରାଯାଇଥାଏ । ରାତ୍ରୀଚରଙ୍କ ମଧ୍ୟରେ ଦୁଇ ପ୍ରଜାତିର ପେଚା-ଲକ୍ଷ୍ମୀଙ୍କ ପେଚା ବାର୍ଣ୍ଣ ଆଉଲ ଓ ଜଙ୍ଗଲୀ ପେଚା ଜଙ୍ଗଲ ଆଉଲେଟ ସ୍ଥାନୀୟ ବାସିନ୍ଦା ।
 
ବ୍ରହ୍ମପୁରରେ ବିହଙ୍ଗ ଅଧ୍ୟୟନ ଏକ ନିଆରା ଋଚ଼ି । ଏ ଦିଗରେ ଖୁବ କମ ସଂଖ୍ୟକ ଧ୍ୟାନ ଦେଇଥାନ୍ତି । କୋଲକତା ବିଶ୍ୱବିଦ୍ୟାଳୟର ଜଣେ ଗବେଷକ ରାଜେଶ ଲେଙ୍କା ବ୍ରହ୍ମପୁର ସହରରୁ ଦୁଇ ବର୍ଷ ତଥ୍ୟ ସଂଗ୍ରହପରେ ଗଣମାଧ୍ୟମରେ ଏକ ଲଘୁ ପ୍ରବନ୍ଧ ପ୍ରକାଶ କରିଥିଲେ । ସେ ଏଠାରେ ୪୩ ଗୋଟି ବିହଙ୍ଗ ପରିବାରର ୮୮ ପ୍ରକାରର ପକ୍ଷୀ ଗଣନା କରିଥିଲେ । ସହରାଞ୍ଚଳର ଜନବସତି, କୃଷି ଜମି, ଜଙ୍ଗଲ ଜମି ଓ ଆର୍ଦ୍ର ଭୂମି ଚାରି ଭାଗରେ ବିଭକ୍ତ କରି ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ପକ୍ଷୀଙ୍କ ଗତିବିଧି ପ୍ରତି ଧ୍ୟାନ ଦେଇଥିଲେ । ବିଗତ କିଛି ବର୍ଷରୁ ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ପକ୍ଷୀ ଗଣନା କରାଯାଇଥାଏ । ବ୍ରହ୍ମପୁର ବନଖଣ୍ଡରେ ୨୦୨୩ରେ ଆୟୋଜିତ ପକ୍ଷୀ ଗଣନା ଅନୁଯାୟୀ ବ୍ରହ୍ମପୁର ସମେତ ଛଅଗୋଟି ସଂରକ୍ଷିତ ଜଙ୍ଗଲ ଓ ୫୪ କିଲୋମିଟର ବ୍ୟାପୀ ସମୁଦ୍ର ଉପକୂଳରେ ୧୨୩ ପ୍ରଜାତିର ପ୍ରାୟ ୩୪,୫୦୦ ପକ୍ଷୀ ଦେଖିବାକୁ ମିଳିଥିବା ପ୍ରକାଶ । ବାହୁଦା ନଦୀ ବେକୱାଟରରେ ଅଧିକ ସଂଖ୍ୟକ ପକ୍ଷୀ ବସବାସ କରନ୍ତିବନଖଣ୍ଡରେ ମୟୁରଙ୍କ ସଂଖ୍ୟା ଦୁଇ ହଜାର ।
 
ଆଧୁନିକ ସଭ୍ୟତାରେ ବିହଙ୍ଗ ଅବଲୋକନ ବାର୍ଡ ୱାଚ଼ ଏକ ସଂଭ୍ରାନ୍ତ ଋଚ଼ି । ମୁଖ୍ୟତଃ ସହରାଞ୍ଚଳରେ ଯୁବବର୍ଗଙ୍କ ମଧ୍ୟରେ ପରିବେଶ ସଂରକ୍ଷଣ ଓ ଜଳବାୟୁ ପରିବର୍ତ୍ତନ ଦିଗରେ ଆଗ୍ରହ ପ୍ରକାଶ ପାଉଥିବା ସ୍ଥଳେ ବାର୍ଡ଼ ୱାଚ ଭଳି ଋଚ଼ି ଲୋକପ୍ରିୟତା ହାସଲ କରୁଥିବା ଲକ୍ଷ୍ୟ କରାଯାଇପାରେ । ବାର୍ଡ ଫୋଟୋଗ୍ରାଫି ବା ପକ୍ଷୀଙ୍କ ଆଲୋକଚ଼ିତ୍ର ଉତ୍ତୋଳନ ଦିଗରେ ମଧ୍ୟ କେତେକ ଆଗ୍ରହ ପ୍ରକାଶ କରିଥାନ୍ତି । ପ୍ରାକୃତିକ ସନ୍ତୁଳନ ରକ୍ଷାରେ ପକ୍ଷୀ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଉଦାହରଣରେ ଶୁଆଙ୍କ ଆଚ଼ରଣ ଧରାଯାଉ । ଶୁଆ ଯେତିକି ଖାଏ, ତାହାଠାରୁ ଅଧିକ ଖାଦ୍ୟ ଏଣେ ତେଣେ ଫୋପାଡ଼େ । ତେବେ ଫୋପଡ଼ା ଯାଉଥିବା ଖାଦ୍ୟ ପିମ୍ପୁଡ଼ି ଓ ଅନ୍ୟାନ୍ୟ ଛୋଟ କୀଟପତଙ୍ଗଙ୍କ ଖାଦ୍ୟ ପାଲଟେ । ସେମାନଙ୍କ ପିଜୁଳି ଭଳି ବଡ଼ ଫଳ ସଂଗ୍ରହ କିମ୍ୱା ଭାଙ୍ଗିବା ସାମର୍ଥ୍ୟ ନଥିଲେହେଁ ଶୁଆର ଆଚ଼ରଣରୁ ସୁସ୍ୱାଦୁ ଓ ପୁଷ୍ଟିକର ଖାଦ୍ୟ ପାଇପାରନ୍ତି ।
 
ପକ୍ଷୀଙ୍କ ସୁରକ୍ଷା ଲାଗି ମାନସିକତା ସୃଷ୍ଟି ଗୁରୁତ୍ୱପୂର୍ଣ୍ଣ । ବହୁ ସଂଖ୍ୟକ ସହରବାସୀ ପକ୍ଷୀଙ୍କ ସଂପର୍କରେ ଅଧିକ ତଥ୍ୟ ଜାଣିପାରିଲେ ଏଠାରେ ପକ୍ଷୀଙ୍କ ସୁରକ୍ଷା ବଢ଼ିବ । ବ୍ରହ୍ମପୁରରେ ଉପଲବ୍ଧ ୮୮ ଗୋଟି ପକ୍ଷୀଙ୍କ ତାଲିକା ପ୍ରସ୍ତୁତକରି ସମୟକ୍ରମେ ଗୁଗୁଲ ସର୍ଚ୍ଚ ଉପଯୋଗରେ ସେମାନଙ୍କ ଜୀବନ ଚକ୍ର ସଂପର୍କରେ ଅବଗତ ହେବାକୁ ଅଭିଯାନର ପ୍ରଥମ ସୋପାନ ଭାବେ ଧରାଯାଇପାରେ !

Photo by Sonika Agarwal on Unsplash 


Friday, June 2, 2023

Division of Ganjam District  / ଗଞ୍ଜାମ ଜିଲ୍ଲା ବିଭକ୍ତିକରଣ

 


ପ୍ରଶାସନିକ କ୍ଷେତ୍ରରେ ବିଭିନ୍ନ ସ୍ତରରେ ବିଭିନ୍ନ ସୀମା ନିର୍ଦ୍ଧାରଣ ସତ୍ତ୍ୱେ #ବ୍ରହ୍ମପୁର ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଓ ଶ୍ରୀକାକୁଲମ ଜିଲ୍ଲାର ସହର-କେନ୍ଦ୍ର ସିଟି-ସେଣ୍ଟର ବିବେଚ଼ିତ । ଦକ୍ଷିଣ ଓଡ଼ିଶାରେ ବ୍ରଟିଶ ଶାସନ ପ୍ରତିଷ୍ଠିତ ହେବାପରେ ୧୭୬୬ରେ ଗଞ୍ଜାମ ବନ୍ଦର ସହରରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ସ୍ଥାପନ ଏବଂ ଜିଲ୍ଲାର ସୀମା ନିର୍ଦ୍ଧାରଣ ହୋଇଥିଲା । ଏହି ଅଞ୍ଚଳରେ ପାରଳାଖେମୁଣ୍ଡି, ଘୁମୁସର ଓ ମହୁରି ତିନିଗୋଟି ବଡ଼ ଜମିଦାରୀ ରାଜ୍ୟ ଥିଲା
 
ବ୍ରିଟିଶ ଶାସନର ପ୍ରାଥମିକ ପର୍ଯ୍ୟାୟ ୧୭୬୬ରୁ ୧୮୧୫ ଚାରି ଦଶନ୍ଧି ଧରି ଗଞ୍ଜାମ ଜିଲ୍ଲାର ଶାସନ କାର୍ଯ୍ୟ ବନ୍ଦର ସହର ଗଞ୍ଜାମରୁ ପରିଚାଳିତ ହେଉଥିଲା । କୁହାଯାଏ ଯେ ସହରର ଜନସଂଖ୍ୟା ୩୦ ହଜାର ଯାଏଁ ବଢ଼ିଥିଲା ଏବଂ ଗଞ୍ଜାମ ଜିଲ୍ଲାରେ ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ଜନପଦର ମାନ୍ୟତା ପାଉଥିଲା । ତେବେ ୧୮୧୫ରେ ମହାମାରୀରେ ପ୍ରାୟ ୨୪ ହଜାର ଲୋକ ପ୍ରାଣ ହରାଇବା ପରେ ଜିଲ୍ଲା ସଦର ମହକୁମା ନିକଟସ୍ଥ ସୀତାରାମପଲ୍ଲୀ ବା ଛତ୍ରପୁରକୁ ସ୍ଥାନାନ୍ତରିତ ହୋଇଥିଲା ।
 
ପ୍ରକୃତରେ ବ୍ରିଟିଶ ପ୍ରଶାସକମାନେ ବ୍ରହ୍ମପୁରକୁ ଜିଲ୍ଲା ସଦର ମହକୁମା ରୂପେ ବାଛିଥିଲେ । କିନ୍ତୁ ମହୁରି ରାଜା ନିଜ ରାଜଧାନୀରେ ବ୍ରିଟିଶ କର୍ମଚାରୀ ଓ ସେନା ଉପସ୍ଥିତିରେ ବିପଦ ମଣି ବିରୋଧ କରିଥିଲେ । ଫଳରେ ଗଞ୍ଜାମ ସହରରୁ ଅନତିଦୂର ଛତ୍ରପୁରରେହିଁ ଗଞ୍ଜାମ ଜିଲ୍ଲାର ସଦର ମହକୁମା ସ୍ଥାପିତ ହେଲା ଏବଂ କେତେକ ସରକାରୀ କାର୍ଯ୍ୟାଳୟ କ୍ରମଶଃ ବ୍ରହ୍ମପୁରରେ ଗଢ଼ି ଉଠିଲା । ଐତିହାସିକ ତଥ୍ୟ ଅନୁଯାୟୀ ୧୮୭୧ ଜନଗଣନାରେ ବ୍ରହ୍ମପୁର ସହରର ଜନସଂଖ୍ୟା ୨୨ ହଜାର ଗଣିତ କରାଯାଇଥିଲା । ଅର୍ଥାତ, ୬୬ ବର୍ଷ ପୂର୍ବେ ବ୍ରହ୍ମପୁର ତୁଳନାରେ ବନ୍ଦର ସହର ଗଞ୍ଜାମର ଜନସଂଖ୍ୟା ଢ଼େର ଅଧିକ ଥିଲା ।
 
କାଳକ୍ରମେ ବ୍ରହ୍ମପୁରରେ ଗଞ୍ଜାମ ଜିଲ୍ଲା ଅଦାଲତ ସାଙ୍ଗକୁ ୧୮୬୫ରେ ନଅଙ୍କ ଦୁର୍ଭିକ୍ଷ ପରେ ଆଧୁନିକ ଇଂଲିଶ ଶିକ୍ଷା ପ୍ରସାର କାଳରେ ଶିକ୍ଷାନୁଷ୍ଠାନମାନ ପ୍ରତିଷ୍ଠା, ଗୋପାଳପୁର ବନ୍ଦର, ରେଳପଥ ସଂଯୋଗ ଫଳରେ ପ୍ରାଚ଼ୀନ ବାଣିଜ୍ୟ ପେଣ୍ଠଟିର ଦୃତ ବିକାଶ ସମ୍ଭବ ହୋଇଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ୧୯୩୬ରେ ଗଠିତ ହେବାପରେ ପ୍ରଶାସନିକସ୍ତରରେ ବ୍ରହ୍ମପୁରର ଗୁରୁତ୍ୱ ବଢ଼ିବା ସଙ୍ଗେ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରୁ ପରିବାରବର୍ଗ ବ୍ରହ୍ମପୁରରେ ସ୍ଥାୟୀଭାବେ ବସବାସ କରିବାକୁ ଲାଗିଲେ । ବ୍ରହ୍ମପୁର ସହର ଅଦାଲତ, ଶିକ୍ଷା, ସ୍ୱାସ୍ଥ୍ୟ ସେବା, ପରିବହନ, ବାଣିଜ୍ୟ, ପ୍ରକାଶନ ଶିଳ୍ପ, ମନୋରଞ୍ଜନ ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାବାସୀଙ୍କୁ ଏକାଠି ବାନ୍ଧି ରଖିଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଓ ସ୍ୱାଧୀନତା ଆନ୍ଦୋଳନରେ ଗଞ୍ଜାମ ଜିଲ୍ଲା ପାଇଁ ବ୍ରହ୍ମପୁର ହିଁ ଯୋଗସୂତ୍ରର କେନ୍ଦ୍ରବିନ୍ଦୁ ସାଜିଥିଲା ।
 
ସ୍ୱାଧୀନୋତ୍ତର ଭାରତରେ ପ୍ରଶାସନିକ ବିକେନ୍ଦ୍ରୀକରଣକୁ ଗୁରୁତ୍ୱ ଦିଆଗଲା । ନୂତନ ରାଜ୍ୟ ଓ ନୂତନ ଜିଲ୍ଲା ଗଠନ ଆଞ୍ଚଳିକ ସ୍ୱାଭିମାନରେ ପର୍ଯ୍ୟବଶିତ ହେଲାଗଞ୍ଜାମ ଜିଲ୍ଲା ଦୁଇ ଭାଗରେ ବିଭକ୍ତ ହେବାପରେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାକୁ ତିନିଭାଗ ଏବଂ ଗଜପତି ଜିଲ୍ଲାକୁ ଦୁଇଭାଗ କରିବା ନିମନ୍ତେ ଦାବୀ ଶୁଣାଯାଉଛି ।
 
ମୁଖ୍ୟତଃ, ସାମାଜିକ ଗଣମାଧ୍ୟମରେ ପ୍ରସାରିତ ବିବରଣୀ ଅନୁଯାୟୀ ଗଞ୍ଜାମ ଜିଲ୍ଲାକୁ ତିନିଗୋଟି ସ୍ୱତନ୍ତ୍ର ଜିଲ୍ଲା (୧) ଗଞ୍ଜାମ ଜିଲ୍ଲା ବା ବ୍ରହ୍ମପୁର ଜିଲ୍ଲା, (୨) ଋଷିକୂଲ୍ୟା ଜିଲ୍ଲା ବା କବିସୂର୍ଯ୍ୟ ଜିଲ୍ଲା ଓ (୩) ଘୁମୁସର ଜିଲ୍ଲା ବା ଭଞ୍ଜ ଜିଲ୍ଲା ଗଠନ ଚର୍ଚ୍ଚା କରାଯାଉଛି । ପ୍ରଥମତଃ, ମୌଳିକ ଗଞ୍ଜାମ ବା ବ୍ରହ୍ମପୁର ଜିଲ୍ଲାରେ ଗଞ୍ଜାମ, ଛତ୍ରପୁର, ରଙ୍ଗେଇଲୁଣ୍ଡା, କୁକୁଡ଼ାଖଣ୍ଡି, ଦିଗପହଣ୍ଡି, ସାନଖେମୁଣ୍ଡି, ଚିକିଟି ଓ ପାତ୍ରପୁର ବ୍ଳକ ସମିଶ୍ରଣରେ ବ୍ରହ୍ମପୁର ସହର ସଦର ମହକୁମା ରଖିବା ପ୍ରସ୍ତାବ ଉପସ୍ଥାପିତଦ୍ୱିତୀୟତଃ, ଋଷିକୂଲ୍ୟା ବା  କବିସୂର୍ଯ୍ୟ ଜିଲ୍ଲାରେ ଆସିକା, ଧରାକୋଟ, ଶେରଗଡ଼, ପୋଲସରା, କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର, ହିଞ୍ଜିଳିକାଟୁ, ବେଗୁନିଆପଡ଼ା ଓ ଖଲ୍ଲିକୋଟ ବ୍ଳକ ସମିଶ୍ରଣରେ ଆସିକା ସଦର ମହକୁମା ରଖିବାକୁ କୁହାଯାଉଛିତୃତୀୟତଃ, ଘୁମୁସର ବା ଭଞ୍ଜ ଜିଲ୍ଲାରେ ଭଞ୍ଜନଗର, ବେଲଗୁଣ୍ଠା, ସୋରଡ଼ା, ବୁଗୁଡ଼ା ଓ ଜଗନ୍ନାଥ ପ୍ରସାଦ ବ୍ଳକ ସମିଶ୍ରଣରେ ଭଞ୍ଜନଗର ସଦର ମହକୁମା ରଖାଯାଇପାରେ ବୋଲି ମତ ପ୍ରକାଶ ପାଉଛି
 
ଗଞ୍ଜାମ ଜିଲ୍ଲା ବିଭକ୍ତିକରଣ ପ୍ରସ୍ତାବବଳୀ ଅସମର୍ଥିତ । ଏଥିରେ ବହୁ ବାଦବିବାଦର ଅବକାଶ ରହିଛି ।

Photo by Sandro Schuh on Unsplash