Friday, February 16, 2024

Transparency in Sanitation Auditing / ପରିମଳ ତନଖିରେ ସ୍ୱଚ୍ଛତା

 

#ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରର ପରିମଳ ବ୍ୟବସ୍ଥାରେ ସୁଧାର ନିମନ୍ତେ କ୍ରମାଗତ ଦାବୀ ହୋଇଥାଏ । ଅବଶ୍ୟ ଏହି ଧରଣର ଅସନ୍ତୋଷ ପ୍ରତ୍ୟେକ ସହରରେ ଲାଗି ରହିଥାଏ । ପୌରପାଳିକାଗୁଡ଼ିକ ପକ୍ଷରୁ ପରିମଳ ରକ୍ଷା ନିମନ୍ତେ ସଂପୃକ୍ତ ଅଞ୍ଚଳରେ ଆଦାୟ ହେଉଥିବା ଟିକସ ଅର୍ଥର ସିଂହ ଭାଗ ବିନିଯୋଗ କରିଥାନ୍ତି ଏବଂ ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଥାଏ । ତେବେ କାର୍ଯ୍ୟକ୍ଷେତ୍ରରେ ତାହା ଆଶା ଅନୁରୂପ ସେବା ପ୍ରଦାନରେ ବିଫଳ ହେଉଥିବାର ତିନି ମୁଖ୍ୟ କାରଣ ମଧ୍ୟରେ ପରିମଳ ତନଖି ନିମନ୍ତେ ସ୍ୱଚ୍ଛ ବ୍ୟବସ୍ଥା ଲାଗୁ ନ ହେବା, ପରିମଳ ତନଖିର ତଥ୍ୟ ସର୍ବସାଧାରଣରେ ପ୍ରକାଶିତ ନ ହେବା ଏବଂ ପରିମଳ ତନଖିରେ ଉପଭୋକ୍ତାଙ୍କୁ ସାମିଲ କରାନଯିବା ଗୁରୁତ୍ୱ ବହନ କରେ
 
ବ୍ରହ୍ମପୁର ମହାନଗର ନିଗମର ୪୨ ଗୋଟି ୱାର୍ଡ ସଫେଇ କାର୍ଯ୍ୟକ୍ରମ ପାଇଁ ବାର୍ଷିକ ବଜେଟ ପ୍ରାୟ ୩୦ କୋଟି ଟଙ୍କା । ଇତି ମଧ୍ୟରେ ସହରର ସମସ୍ତ ୱାର୍ଡର ସଫେଇ ଘରୋଇକରଣ କରାଯାଇଛି । ସହରାଞ୍ଚଳକୁ ପାଞ୍ଚଗୋଟି ଜୋନରେ ବିଭକ୍ତ କରାଯାଇ ତିନିଗୋଟି ବେସରକାରୀ ସଂସ୍ଥାକୁ ପରିଚାଳନାଭାର ବଣ୍ଟନ ହୋଇଛି । ଗତ ୨୬ ଜାନୁୟାରୀ ୨୦୨୪ରୁ ପରିମଳ ବ୍ୟବସ୍ଥାରେ ସଂସ୍କାର ଅଣାଯିବା ନିମନ୍ତେ ଅଧିକ ସଂଖ୍ୟକ ସଫେଇ କର୍ମଚାରୀ ଓ ଅଳିଆ ବୁହା ଗାଡ଼ି ନିୟୋଜନ ନିମନ୍ତେ ନୀତିଗତ ନିଷ୍ପତି ନିଆଯାଇଛି । ପୂର୍ବରୁ ୯୮୬ ଜଣ ସଫେଇ କର୍ମଚାରୀ ଓ ୫୩ ଗୋଟି ଅଳିଆବୁହା ଗାଡ଼ି ଥିବା ସ୍ଥଳେ ଏଣିକି ୧୩୩୬ ଜଣ ସଫେଇ କର୍ମଚାରୀ ଓ ୧୩୨ ଗୋଟି ଅଳିଆବୁହା ଗାଡ଼ି ନିୟୋଜନ କରିବାଲାଗି ସ୍ଥିର ହୋଇଛି । ଅର୍ଥାତ, ସହରରେ ଅଧିକ ୩୫୦ ଜଣ ସଫେଇ କର୍ମଚାରୀ ଓ ୭୯ ଗୋଟି ଅଳିଆବୁହା ଗାଡ଼ି ବ୍ୟବହୃତ ହେବ । ଏହି ଅତିରିକ୍ତ କର୍ମଚାରୀ ଓ ଆବର୍ଜନା ନିଷ୍କାସନ ବାହନ ବ୍ୟବସ୍ଥାରେ ଉନ୍ନତି ଆଣିବା ଆଶା କରାଯିବା ସ୍ୱାଭାବିକ ।
 
ତେବେ ଦୁଃଖର କଥା ସ୍ୱଚ୍ଛ ତନଖି ଅଭାବରୁ ନୂତନ ବ୍ୟବସ୍ଥା ପ୍ରତି ଉପଭୋକ୍ତା ଅଭିମତ ପ୍ରଦାନ ପୂର୍ବରୁ କର୍ପୋରେଟରମାନେ ଅସନ୍ତୋଷ ବ୍ୟକ୍ତ କରିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି । ଫେବୃୟାରୀ ୨୦୨୪ ଦ୍ୱିତୀୟ ସପ୍ତାହରେ ସହରର ବିଭିନ୍ନ ୱାର୍ଡରେ ନିୟୋଜିତ ବର୍ଦ୍ଧିତ ମାନବ ସମ୍ୱଳ ଓ ସାଜସରଞ୍ଜାମର ହିସାବ ସାର୍ବଜନୀନ କରିବା ନିମନ୍ତେ ମହାନଗର ନିଗମ କାର୍ଯ୍ୟାଳୟରେ କେତେକ କର୍ପୋରେଟର ପହଞ୍ଚି ଅଧିକାରୀଙ୍କ ସହ ଯୁକ୍ତିତର୍କ କରିଥିବା କୁହାଯାଉଛି । ଅଶାନ୍ତ ବାତାବରଣରେ ପ୍ରଭାବିତ ହୋଇ କର୍ତ୍ତୃପକ୍ଷ ସଫେଇ ଠିକା ନେଇଥିବା ଏକ ଘରୋଇ ସଂସ୍ଥାଠାରୁ କୈଫିୟତ ତଲବ କରିଥିବା ମଧ୍ୟ ପ୍ରକାଶ ପାଇଛି ।
 
ପୌରପାଳିକା ଗୁଡ଼ିକର ପରିମଳ ଘରୋଇକରଣ ହେବା ପରେ ବ୍ୟବସ୍ଥାର ତଦାରଖରେ ସ୍ୱଚ୍ଛତା ଅଣାଯିବା କଥା । ପୂର୍ବରୁ ପୌରପାଳିକା ନିଯୁକ୍ତ କର୍ମଚାରୀମାନଙ୍କ କାର୍ଯ୍ୟ ବୁଝିବା ସକାଶେ କର୍ମଚାରୀ ନିଯୁକ୍ତ ହେଉଥିଲେ । ଉପଭୋକ୍ତାମାନେ ସୁବିଧା ଅସୁବିଧା ସେମାନଙ୍କ ନଜରକୁ ଆଣୁଥିଲେ ଏବଂ ତୃଣମୂଳ ସ୍ତରରେ ଆବଶ୍ୟକତା ଅନୁଯାୟୀ ସଫେଇ କାମ ସମାପନ ହେଉଥିଲା । ତେବେ ଘରୋଇକରଣପରେ ସହରବାସୀ ଆଖପାଖରେ ଅଳିଆ ଆବର୍ଜନା ନିଷ୍କାସନ ନିମନ୍ତେ କାହାକୁ କହିବେ ବୁଝିପାରୁ ନାହାନ୍ତି । ମହାନଗର ନିଗମ ୱେବସାଇଟ ଅଭିଯୋଗ ସାର୍ବଜନୀନ ଦୃଶ୍ୟମାନ ନୁହେଁ । ଅବସ୍ଥା ଅସଂଭାଳ ହେଲେ ସ୍ଥାନୀୟ କର୍ପୋରେଟରଙ୍କ ଉପରେ ରାଗ ସୁଝାଇ ଚୁପ ରହନ୍ତି ।
 
ପୌରପାଳିକା ପରିମଳ ତନଖି ବ୍ୟବସ୍ଥାରେ ସଂସ୍କାର ଲୋଡ଼ା । ଆଧୁନିକ ପ୍ରଯୁକ୍ତି କୌଶଳ ଉପଯୋଗରେ ଯେକୌଣସି ନାଗରିକ ଯେକୌଣସି ସମୟରେ ଆଖ ପାଖର ଆବର୍ଜନା ସଂପର୍କରେ ସାର୍ବଜନୀନ ମଞ୍ଚରେ ଚ଼ିତ୍ର ସହ ଅଭିଯୋଗ କଲେ ତାହାର ସମାଧାନ ସଂପର୍କରେ କର୍ତ୍ତୃପକ୍ଷଙ୍କ ମନ୍ତବ୍ୟ ମଧ୍ୟ ସର୍ବସାଧାରଣରେ ପ୍ରକାଶ ସୁବିଧା ସୁଯୋଗ ଉପଲବ୍ଧ । ପୌରପାଳିକାଗୁଡ଼ିକ ଏହି ଭଳି ସ୍ୱଚ୍ଛ ବ୍ୟବସ୍ଥା ତୁରନ୍ତ ଆରମ୍ଭ କରିବା ଉଚ଼ିତ । ଟିକସ ପଇସାରେ ପରିମଳ ବ୍ୟବସ୍ଥା ଚାଲୁଥିବା ସ୍ଥଳେ ଟିକସ ଦାତାଙ୍କ ଅଭାବ ଅଭିଯୋଗକୁ ପ୍ରାଥମିକତା ଦେବା କଥା । ଉପଭୋକ୍ତା ଟିକସ ଦେଉଛନ୍ତି ଏବଂ ଘରୋଇ କର୍ମଚାରୀ ସଫେଇ କରୁଛନ୍ତି । ପୌର କର୍ମଚାରୀମାନେ ପରିମଳ ବ୍ୟବସ୍ଥାରେ ତୃଟିକୁ ସୁଧାରିବା ନିମନ୍ତେ ଗୋପନ ବଦଳରେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେଲେ ବହୁ ସମସ୍ୟା ସମାଧାନ ସଂଭବ ।
 
ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ନିମନ୍ତେ କର୍ପୋରେଟରମାନେ ମହାନଗର ନିଗମରେ ପହଞ୍ଚି ପରିମଳ ତନଖିରେ ସ୍ୱଚ୍ଛତା ଦାବୀ କରିଥିବା ବେଳେ ବିଏମସି କମିଶନର ଓ ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଭାବେ ଦୁଇ ଜଣ ନୂତନ ଅଧିକାରୀ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ନୂତନ ବିଏମସି କମିଶନର ପୂର୍ବରୁ ଛଅ ବର୍ଷ ଧରି କୁକୁଡ଼ାଖଣ୍ଡି ତହସିଲଦାର ଭାବେ ନିଯୁକ୍ତ ଥିଲେ । ନୂତନ ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପୂର୍ବରୁ ରାଉରକେଲା ମହାନଗର ନିଗମର ଡ଼େପୁଟି କମିଶନର ଥିଲେ । ଅର୍ଥାତ, ଦୁଇ ଅଧିକାରୀ ସହରାଞ୍ଚଳ ପ୍ରଶାସନ ସଂପର୍କରେ ଅଭିଜ୍ଞ । ବ୍ରହ୍ମପୁର ମହାନଗର ନିଗମ କିପରି ସ୍ଥାନୀୟ ନାଗରିକଙ୍କ ସୁବିଧା ଅସୁବିଧା ପ୍ରତି ଧ୍ୟାନ ଦେଇପାରିବ ସେହି ଦିଗରେ ସ୍ୱଚ୍ଛତା ଆଣିପାରିଲେ ଜନସାଧାରଣ ଉପକୃତ ହୋଇପାରନ୍ତେ ।


Image by Lutz Peter from Pixabay


Friday, February 9, 2024

Bhubaneswar Airport / ଭୁବନେଶ୍ୱର ବିମାନ ବନ୍ଦର

 

#ବ୍ରହ୍ମପୁର ସହରବାସୀ ବିମାନଯାତ୍ରା ଲାଗି ମୁଖ୍ୟତଃ ଭୁବନେଶ୍ୱର ଓ ବିଶାଖାପଟଣା ବିମାନ ବନ୍ଦର ଉପରେ ନିର୍ଭରଶୀଳ । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏକ ବିବରଣୀ ଅନୁଯାୟୀ ଡ଼ିସେମ୍ୱର ୨୦୨୩ରେ ଚାରି ଲକ୍ଷ ଯାତ୍ରୀ ହିସାବ କରାଯାଇଥିଲା । ଏଠାରୁ ବର୍ଷକୁ ପ୍ରାୟ ୪୧ ଲକ୍ଷ ଯାତ୍ରୀ ଯାତାୟତ କରୁଛନ୍ତି ଏବଂ ୩୦ ପ୍ରତିଶତ ହାରରେ ବିମାନଯାତ୍ରୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିମାନ ଯାତ୍ରୀମାନଙ୍କ ସ୍ୱଚ୍ଛନ୍ଦ ଯାତ୍ରା ଆୟୋଜନ ଲାଗି ଭୁବନେଶ୍ୱର ବିମାନ ବନ୍ଦରରେ ମାର୍ଚ୍ଚ ୨୦୨୪ରୁ କେତେକ ସୁବିଧା ସୁଯୋଗ ସୃଷ୍ଟି ଉଦ୍ଦେଶ୍ୟରେ ପଦକ୍ଷେପମାନ ଗ୍ରହଣ କରାଯାଇଥିବା ପ୍ରକାଶ ।
 
ଫେବୃୟାରୀ ୨୦୨୪ ପ୍ରଥମ ସପ୍ତାହରେ ଟର୍ମିନାଲ-୧ ଓ ଟର୍ମିନାଲ-୨ ସଂଯୋଗ ନିମନ୍ତେ ଏକ ଲିଙ୍କ ବିଲଡିଂ ଉଦଘାଟିତ ହୋଇଥିଲା । ଏଣିକି ଟର୍ମିନାଲ-୧ ଦେଶ ମଧ୍ୟରେ ବିଭିନ୍ନ ସହରକୁ ବିମାନ ଯାତ୍ରୀଙ୍କ ବ୍ୟବହାରରେ ଲାଗିବା ସ୍ଥଳେ ଟର୍ମିନାଲ-୨ ବିଦେଶ ଯାତ୍ରୀଙ୍କ ଲାଗି ସଂରକ୍ଷିତ ରହିବ । ଟର୍ମିନାଲ-୨ର ପ୍ରଶସ୍ତ ଭିତ୍ତିଭୂମିରେ ଥରକେ ୨୮୫ରୁ ୩୧୫ ଜଣ ଯାତ୍ରୀ ଅବତରଣ-ପର ପ୍ରକ୍ରିୟା ସାରିବାରେ ସମର୍ଥ ହେବେ ବୋଲି କୁହାଯାଉଛି । ମୋଟ ପ୍ରାୟ ଚାରି ହଜାର ବର୍ଗଫୁଟ କୋଠା ନିର୍ମାଣ ନିମନ୍ତେ ୮୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ ଦୁଇ ଗୋଟି ଲଗେଜ ବେଲଟ ଓ ୧୨ ଗୋଟି ଇମିଗ୍ରେସନ କାଉଣ୍ଟର ବ୍ୟବସ୍ଥା ରହିଛି । ଏହି ଟର୍ମିନାଲ ନିର୍ମାଣ କାର୍ଯ୍ୟ ୨୦୧୮ରୁ ଆରମ୍ଭ ହୋଇଥିଲା । କିନ୍ତୁ ଥରେ ନିର୍ମାଣଧୀନ ଅବସ୍ଥାରେ କୋଠାର କିଛି ଅଂଶ ଭୁଷୁଡ଼ି ପଡ଼ିବା ଓ କୋଭିଡ଼ ମହାମାରୀ କାରଣରୁ ନିର୍ମାଣ କାର୍ଯ୍ୟ ସାମୟିକ ବନ୍ଦ ରହିଥିଲା ।
 
ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ମାର୍ଚ୍ଚ ୨୦୨୪ ସୁଦ୍ଧା ଯାତ୍ରୀମାନେ ତିନି ଗୋଟି ନୂଆ ପ୍ରବେଶ ପଥ ଓ ୧୮ ଗୋଟି ଚ଼େକିଂ ପଏଣ୍ଟର ସୁବିଧା ପାଇବେ । ତଦ୍ଅନୁଯାୟୀ ପାର୍କିଂ ବ୍ୟବସ୍ଥାର ମଧ୍ୟ ସଂପ୍ରସାରଣ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଥିବା ଜଣାଯାଏ ।
 
ଭୁବନେଶ୍ୱର ବିମାନ ବନ୍ଦରକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବିମାନ ଉଡ଼ାଣ ଆରମ୍ଭ ତଥା କେତେକ ନିର୍ଦ୍ଦିଷ୍ଟ ଆନ୍ତର୍ଜାତିକ ରୁଟ ଖୋଲିବା ପରେ ଯାତ୍ରୀ ସଂଖ୍ୟା ବଢ଼ିବା ସ୍ୱାଭାବିକ । ତେବେ ଉଭୟ କ୍ଷେତ୍ର ବ୍ୟାବସାୟିକ ଦୃଷ୍ଟିରୁ ସ୍ୱାବଲମ୍ୱୀ ହୋଇପାରୁଛି କି, ତାହା ଏକ ବଡ଼ ପ୍ରଶ୍ନ । ସରକାରୀ ପ୍ରୋତ୍ସାହନରେ ଦୀର୍ଘକାଳ ରାଜ୍ୟ ମଧ୍ୟରେ କିମ୍ୱା ଆନ୍ତର୍ଜାତିକ ରୁଟରେ ବିମାନ ସେବା ଚଳାଇବା ସଂଭବ ନୁହେଁ । ରାଜ୍ୟ ମଧ୍ୟରେ ବିଭିନ୍ନ ଅଞ୍ଚଳକୁ ସଂଯୋଗ କରୁଥିବା ବିମାନ ସେବା ଯାତ୍ରୀ ଅନୁକୂଳ ହେବା ଆବଶ୍ୟକ ଉଦାହରଣରେ ବ୍ରହ୍ମପୁର ଉପକଣ୍ଠ ରଙ୍ଗେଇଲୁଣ୍ଡାରୁ ସପ୍ତାହରେ ଦୁଇ ଦିନ ଭୁବନେଶ୍ୱର ବିମାନ ଯାତ୍ରା ଯାତ୍ରୀ ଅନୁକୂଳ ସାବ୍ୟସ୍ତ ହୋଇପାରୁ ନାହିଁ । ବିମାନ ଯାତ୍ରା ଭଡ଼ା ଏକ ହଜାର ଟଙ୍କାରେ ସୀମିତ ରହିଲେ ମଧ୍ୟ ଆଶାନୁରୂପ ଯାତ୍ରୀ ହୋଇପାରୁନାହାନ୍ତି । ବ୍ରହ୍ମପୁର ସହରରୁ ରଙ୍ଗେଇଲୁଣ୍ଡା ଟ୍ୟାକ୍ସି ଭଡ଼ା ୭୫୦ ଟଙ୍କା ଆଉ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସହର ମଧ୍ୟକୁ ଟ୍ୟାକ୍ସି ଭଡ଼ା ୨୫୦ ଟଙ୍କା – ଏହି ଦୁଇ ଭଡ଼ା ମଧ୍ୟ ବିମାନ ଯାତ୍ରୀକୁ ବହନ କରିବାକୁ ପଡ଼ିଥାଏ । ବିମାନ ଯାତ୍ରା ଲାଗି ତିନିରୁ ଚାରି ଦିନ ଅପେକ୍ଷା ଅନ୍ୟ ଏକ ପ୍ରତିବନ୍ଧକ । ସେହିପରି ଆନ୍ତର୍ଜାତିକ ରୁଟରେ ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନକୁ ଗୁରୁତ୍ୱ ଦିଆଯାଏ । କିନ୍ତୁ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ନିମନ୍ତେ ରାଜ୍ୟରେ କିମ୍ୱା ଆନ୍ତର୍ଜାତିକ ସ୍ତରରେ ଉଦ୍ୟମ ଫଳବତୀ ହୋଇପାରୁ ନଥିବା ଅନୁଭୂତ ହୁଏ । ଭୁବନେଶ୍ୱର ବିମାନ ବନ୍ଦରର ସଂପ୍ରସାରଣ ସହ ଏହି ସମସ୍ୟା ଗୁଡ଼ିକ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ମନେହୁଏ ।


Image by Gala Amarando from Pixabay


Friday, February 2, 2024

Locked Stadium / Locked Stadium

 

#ବ୍ରହ୍ମପୁର ସମେତ ସମଗ୍ର ମହୁରି ରାଜ୍ୟ ଶାସନ ଭାର ୧୮୫୦ରେ ଇଂଲିଶ ସରକାରଙ୍କ ହାତକୁ ଯିବା ପରେ ସ୍ଥାୟୀ ସରକାରୀ ସୈନ୍ୟ ଛାଉଣୀକୁ ତତ୍କାଳୀନ ସହର ଉପକଣ୍ଠରେ ଏକ ବାରାକ୍ସ ସ୍ଥାପନ କରାଯାଇ ଥାଇଥାନ କରାଯାଇଥିଲା । ମିଲଟାରୀ ଲାଇନରେ ସୈନ୍ୟମାନେ ବସବାସ କରୁଥିଲେ ଏବଂ ଅନତିଦୂର ବାରାକ୍ସ ଗ୍ରାଉଣ୍ଡରେ ଅଭ୍ୟାସ କରୁଥିଲେ । ମିଲଟାରୀ ଲାଇନକୁ ବାରାକ୍ସ ଯୋଡୁଥିବା ରାସ୍ତାକୁ କ୍ୟାଣ୍ଟନମେଣ୍ଟ ରୋଡ଼ କୁହାଯାଉଥିଲା । ବ୍ରହ୍ମପୁର ପୌରପାଳିକା ୧୮୬୭ରେ ସ୍ଥାପନ ପରେ କ୍ୟାଣ୍ଟନମେଣ୍ଟ ରୋଡ଼ର ପଶ୍ଚିମ ପାର୍ଶ୍ୱରେ ଭାପୁର ବଜାର ନିର୍ମାଣ କରିଥିଲେ । ଏହି ଅଞ୍ଚଳରେ ମୁସଲମାନ ବସ୍ତି ଖାଜା ସାହି ନିଜାମ ଶାସନ ଅମଳରୁ ଗଢ଼ି ଉଠିଥିଲା । ବାରାକ୍ସକୁ ଲାଗି ରୋମାନ କ୍ୟାଥଲିକ ଓ ସେଣ୍ଟ ଷ୍ଟିଫେନ୍ସ ଚର୍ଚ୍ଚ ଏବଂ ବର୍ତ୍ତମାନ ସିଟି ହସପିଟାଲ ଚାଲୁଥିବା କୋଠାବାଡ଼ିରେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସକ୍ରିୟ ଥିଲା । ବାରାକ୍ସ ସଂଲଗ୍ନ ବିସ୍ତୃତ ପଡ଼ିଆରେ ଡ଼ାକଘର ଓ ଅଗ୍ନିଶମ କେନ୍ଦ୍ର ତଥା ସ୍ୱାଧୀନୋତ୍ତର ଅବସ୍ଥାରେ ବସଷ୍ଟାଣ୍ଡ ସ୍ଥାପିତ ହୋଇଥିଲା । ମିଲଟାରୀ ଲାଇନ ଓ ବାରାକ୍ସ ମଧ୍ୟରେ ମହୁରି ରାଜ୍ୟ ସେନାବାହିନୀର ଅଂଶବିଶେଷ ଦଳପତିମାନଙ୍କ ବସ୍ତି ମଧ୍ୟ ଗଢ଼ି ଉଠିଥିଲା ।
 
ବ୍ରହ୍ମପୁର ଷ୍ଟାଡ଼ିୟମ ବାରାକ୍ସ ଗ୍ରାଉଣ୍ଡରେ ନିର୍ମାଣ ଏକ ଭୂଲ ନିଷ୍ପତ୍ତି । ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏକ ବିସ୍ତୃତ ପ୍ରାଙ୍ଗଣକୁ ଖୋଲାରେ ଛାଡ଼ି ଦେବା କିମ୍ୱା ବୃକ୍ଷ ରୋପଣ କରି ପାର୍କ ସ୍ଥାପନ ଉଚ଼ିତ ହୋଇଥାନ୍ତା । ସେହିପରି ଷ୍ଟାଡ଼ିୟମ ନିର୍ମାଣ କାଳରେ ଦୁଇ ପାର୍ଶ୍ୱରେ ଥିବା ଦଶ ଫୁଟର ପୌରପାଳିକା ରାସ୍ତା ଯାଏଁ କମ୍ପାଉଣ୍ଡ ମାଡ଼ି ଯିବାରୁ ଷ୍ଟାଡ଼ିୟମ ଅଞ୍ଚଳରେ ଯାନବାହନ ଚଳାଚଳ ଓ ପାର୍କିଂ ବ୍ୟବସ୍ଥା ଷ୍ଟାଡ଼ିୟମରେ ଉତ୍ସବାନୁଷ୍ଠାନ କାଳରେ ବିପର୍ଯ୍ୟସ୍ତ ହୋଇପଡ଼େ । ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ବାରାକ୍ସ ଗ୍ରାଉଣ୍ଡ ପିଲାଙ୍କ ଖେଳକୁଦ ଓ ବୟସ୍କଙ୍କ ବ୍ୟାୟାମ ପାଇଁ ସକାଳେ ସଞ୍ଜରେ ବ୍ୟବହୃତ ହେଉଥିଲା । ସେହି ଅଞ୍ଚଳକୁ ପ୍ରାଚ଼ୀର ଦ୍ୱାରା ଅବଦ୍ଧ କରି ବିଭିନ୍ନ ପ୍ରଶାସନିକ କାରଣ ଦର୍ଶାଇ ସର୍ବସାଧାରଣଙ୍କ ପ୍ରବେଶ ବାରଣ କରିବା ସହରବାସୀଙ୍କ ସ୍ୱାର୍ଥର ପରିପନ୍ଥୀ । ଷ୍ଟାଡ଼ିୟମ ନିର୍ମାଣ ଦିନୁ ଏହି ସବୁ ସମସ୍ୟାର ସମାଧାନ ନିମନ୍ତେ ଦାବୀକୁ ଅଣଦେଖା କରାଯାଇ ଆସିଛି ।
 
ବ୍ରହ୍ମପୁର ଷ୍ଟାଡ଼ିୟମ ଉନ୍ନତିକରଣ ନିମନ୍ତେ ବାରମ୍ୱାର ବନ୍ଦ ରହୁଛି । ଗତ ୨୦୧୯ରୁ ୩୮ କୋଟି ଟଙ୍କା ବ୍ୟୟରେ ସଦ୍ୟତମ ପୁନଃନିର୍ମାଣ କାର୍ଯ୍ୟ ଚାଲିଛି । ଫଳରେ ପ୍ରାୟ ପାଞ୍ଚ ବର୍ଷ ଧରି ଷ୍ଟାଡ଼ିୟମ ଫାଟକ ଖେଳାଳି ଓ ସର୍ବସାଧାରଣ, ଉଭୟଙ୍କ ପାଇଁ ବାରଣ । ପୁନଃନିର୍ମାଣ କାର୍ଯ୍ୟ ୨୦୧୯ ସେପ୍ଟେମ୍ୱରରେ ଆରମ୍ଭ ହୋଇ ୨୦୨୧ ଜାନୁୟାରୀରେ ସରିବା ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ତିନି ବର୍ଷ ବିଳମ୍ୱ ହେଲାଣି । କୁହାଯାଉଛି ଯେ କୋଭିଡ଼ ମହାମାରୀ ଓ ନିର୍ମାଣ ନକ୍ସା ବାରମ୍ୱାର ପରିବର୍ତ୍ତନ ହେଉଥିବା ହେତୁ ନିର୍ମାଣ କାର୍ଯ୍ୟ ସରିପାରୁ ନାହିଁ । କ୍ରୀଡ଼ାବିତମାନେ ଅଭିଯୋଗ କରୁଛନ୍ତି ଷ୍ଟାଡ଼ିୟମରେ ଦର୍ଶକ ବସିବା କ୍ଷମତା ବୃଦ୍ଧି କିମ୍ୱା ଫ୍ଳଡ଼ ଲାଇଟ ବ୍ୟବସ୍ଥା କରାଯାଇନାହିଁ । ଅର୍ଥାତ, ନିକଟ ଭବିଷ୍ୟତରେ ବ୍ରହ୍ମପୁର ଷ୍ଟାଡ଼ିୟମ ଖୋଲିବା ପରେ ପୁଣି ଥରେ ରୂପାନ୍ତରଣ ଲାଗି ବନ୍ଦ ରହିପାରେ !


Image by Michal Jarmoluk from Pixabay


Friday, January 26, 2024

Night Market / ରାତ୍ରୀ ବଜାର

 

#ବ୍ରହ୍ମପୁର ୧୯୮୪ରେ ଏକ ସ୍ୱତନ୍ତ୍ର ପୋଲିସ ଜିଲ୍ଲାରେ ପରିଣତ ହେବା ପୂର୍ବରୁ ସହରର ଜନଜୀବନରେ ରାତ୍ରୀ ବଜାରର କାଟତି ଥିଲା । କେତେକ ଗହଳିଆ ଛକ, ମୁଖ୍ୟତଃ ବଡ଼ ବଜାର ଛକରେ ବିଳମ୍ୱିତ ରାତି ଯାଏଁ ଜଳଖିଆ ବଜାରରେ ଭିଡ଼ ଜମୁଥିଲା । ସହରରେ ୧୯୬୪ ଛାତ୍ର ଆନ୍ଦୋଳନ ପରଠାରୁ କ୍ରମଶଃ ସୃଷ୍ଟି ହୋଇଥିବା ଅଶାନ୍ତ ପରିବେଶ ସଂଭାଳିବା ପାଇଁ ଗଞ୍ଜାମ ପୋଲିସ ଜିଲ୍ଲା ପ୍ରଶାସନକୁ ଦୁଇ ଭାଗ କରି ସ୍ୱତନ୍ତ୍ର ବ୍ରହ୍ମପୁର ପୋଲିସ ଜିଲ୍ଲା ଗଠନପରେ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରାଯାଇଥିଲା ସେଥି ମଧ୍ୟରେ ରାତି ଦଶ ସୁଦ୍ଧା ଦୋକାନ ବଜାର ବନ୍ଦ ଓ ସାର୍ବଜନୀନ ସ୍ଥାନଗୁଡ଼ିକରେ ଜନ ସମାଗମ ବାରଣ କରାଗଲା । ଫଳରେ ବ୍ରହ୍ମପୁରର ରାତ୍ରୀ ବଜାର କ୍ରମଶଃ ସାଂଧ୍ୟ ବଜାରରେ ପରିବର୍ତ୍ତିତ ହୋଇଥିଲା ।

 

ଦେଶ ବିଦେଶରେ ରାତ୍ରୀ ବଜାର କେତେକ ସହରର ଆକର୍ଷଣ । ବ୍ରହ୍ମପୁର ପ୍ରାୟ ନଅ ଦଶକ ଧରି ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଶାସିତ ହୋଇଥିବା ହେତୁ ମାଡ୍ରାସ ନଗରୀର ଜୀବନଶୈଳୀରେ ପ୍ରଭାବିତ ହେବା ସ୍ୱାଭାବିକ । ମାଡ୍ରାସର ଟି-ନଗର ରାତ୍ରୀ ବଜାର ଦୀର୍ଘ ଅତୀତରୁ ଖ୍ୟାତ । ଏଠାରେ ଖାଦ୍ୟପେୟ ସାଙ୍ଗକୁ କପଡ଼ା ଓ ଗହଣା ମଧ୍ୟ ବିକ୍ରୀ ହୁଏ । ଦେଶରେ ଅନ୍ୟାନ୍ୟ ରାତ୍ରୀ ବଜାର ମଧ୍ୟରେ ମୁମ୍ୱାଇର ଗିରଗାଓଁ ଚୌପାଟୀ ଓ କ୍ରାଫୋର୍ଡ ମାର୍କେଟ, ଗୋଆର ଅଞ୍ଜୁନା ଫ୍ଳିଆ ମାର୍କେଟ, ହାଇଦରାବାଦର ଚାରମିନାର ବଜାର ତଥା ଦିଲ୍ଲୀର ସରୋଜିନୀ ନଗର ମାର୍କେଟ ଉଲ୍ଲେଖନୀୟ । ତେବେ ବ୍ରହ୍ମପୁରରେ ରାତ୍ରୀ ବଜାର କେବଳ ଅସ୍ଥାୟୀ ଜଳଖିଆ ଦୋକାନ ଦେଖିବାକୁ ମିଳୁଥିଲା ।

 

ବ୍ରହ୍ମପୁରର ପାଣିପାଗ  ସହରବାସୀଙ୍କ ଗଭୀର ରାତ୍ରୀ ଯାଏଁ ଉଜାଗର ଅଭ୍ୟାସ ସୃଷ୍ଟି କରିଥିଲା । ସହରରେ ମାର୍ଚ୍ଚରୁ ଅକ୍ଟୋବର ଆଠ ମାସ ଗରମ ଅନୁଭୂତ ହୁଏ । ବାୟୁମଣ୍ଡଳରେ ଆଦ୍ରତା ହେତୁ ଝାଳ ବହେ । ତେଣୁ ଗଭୀର ରାତ୍ରୀ ପୂର୍ବରୁ ନିଦ୍ରା ଯିବା ସଂଭବ ହୁଏ ନାହିଁ । ଏଥି ସହ ସାଧାରଣ ନାଗରିକ ବସବାସ କରୁଥିବା ଘରକୁ ଘର ଲାଗି ରହିଥିବା ଧାଡ଼ି ସାହିରେ ଚ଼ର୍ତୁଦିଗରୁ କବାଟ ଝରକାର ସୁବିଧା ନଥିବା ହେତୁ ବାୟୁ ଚଳାଚଳରେ ସମସ୍ୟା କାରଣରୁ ଅଧିକ ଗରମ ଅନୁଭୂତ ହୁଏ । ବୟସ୍କମାନେ ବାରଣ୍ଡାରେ ବସିବା ସହ ଯୁବକୁଳ ଆଖପାଖ ଅଞ୍ଚଳ ବୁଲାଚଲା କରିବାରେ ରାତିରେ କିଛି ସମୟ ଅତିବାହିତ କରନ୍ତି । କେବଳ ଛାତ୍ରଛାତ୍ରୀ ଅଧ୍ୟୟନରତ ଥାନ୍ତି ।

 

ବ୍ରହ୍ମପୁରରେ ୧୯୨୮ରୁ ସ୍ଥାୟୀ ପ୍ରେକ୍ଷାଳୟରେ ଚଳଚ଼ିତ୍ର ପ୍ରଦର୍ଶନ ଆରମ୍ଭ ହୋଇଥିଲା । ଦୈନିକ ଅନ୍ତତଃପକ୍ଷେ ତିନିଗୋଟି ଶୋ ହୁଏ । ମ୍ୟାଟନୀ, ଫାଷ୍ଟ ଶୋ ଓ ସେକଣ୍ଡ ଶୋଅତୀତରେ ଚଳଚ଼ିତ୍ରଗୁଡ଼ିକର ଅବଧି ତିନି ଘଣ୍ଟା ରହୁଥିବା ହେତୁ ଅପରାହ୍ନ ୩ରୁ ମ୍ୟାଟନୀ, ସଂଧ୍ୟା ୬ରୁ ଫାଷ୍ଟ ଶୋ ଓ ରାତ୍ରି ୯ରୁ ସେକେଣ୍ଡ ଶୋର ବ୍ୟବସ୍ଥା ରହୁଥିଲା । ସେକେଣ୍ଡ ଶୋ ମଧ୍ୟରାତ୍ରୀରେ ସରୁଥିଲା । ସହରର ଜନାକୀର୍ଣ୍ଣ ଅଞ୍ଚଳରେ ସେକେଣ୍ଡ ଶୋ ସରିବା ଯାଏଁ ରାସ୍ତାଘାଟରେ ଗହଳଚ଼ହଳ ଲାଗି ରହୁଥିଲା । ଛକ ଗୁଡ଼ିକରେ ସାଧାରଣ ପରିବହନ ସାଇକଲ ରିକ୍ସା ମିଳିଯାଉଥିଲା । ସେକେଣ୍ଡ ଶୋ ସରିବା ପରେ ରାତ୍ରୀ ବଜାର ବନ୍ଦ ହେଉଥିଲା ।

 

ବ୍ରହ୍ମପୁର ରାତ୍ରୀ ବଜାରରେ ଦକ୍ଷିଣ ଭାରତୀୟ ଜଳଖିଆ ଇଡ଼ଲି, ଉପମା, ଚକୁଳି, ଗାରି, ଭାଜି, ହାଲୁଆ ଇତ୍ୟାଦିର କାଟତି ଥିଲା । ଅଷ୍ଟମ ଦଶକ ଶେଷରେ ରାସ୍ତାକଡ଼ ଖାଦ୍ୟ ବଜାରରେ ଆମିଷ ଓ ଚାଇନିଜ ଅନ୍ତର୍ଭୁକ୍ତ ହେଲା । ସ୍ଥାନୀୟ ବାସିନ୍ଦାଙ୍କ ସହ ପର୍ଯ୍ୟଟକ କମ ଖର୍ଚ୍ଚରେ ସୁସ୍ୱାଦୁ ଭଳି-କି-ଭଳି ଗରମ ଖାଦ୍ୟ ପାଇଁ ରାତ୍ରୀ ବଜାରକୁ ପସନ୍ଦ କରୁଥିଲେ । ଚର୍ତୁଦ୍ଦିଗରୁ କାଚ଼ ବାଡ଼ରେ ଆବଦ୍ଧ ଟ୍ରଲି ରାତ୍ରୀ ବଜାରର ଦୃଷ୍ଟି ଆକର୍ଷଣକାରୀ ବିପ୍ପଣୀ । ଏଥିରେ ମୁଖ୍ୟତଃ ଖାରମପୁଷା (ସେଉ), ନରମ ଓ ଟାଣ ପକୋଡ଼ି, ଉଲ୍ଲିଗାରି (ପିଆଜ ବରା), ମସଲା ଗାରି (ମସଲା ବରା), ଶୁଖୁଲା ଆଳୁଦମ, ଭଜା ଆପଡାଲୁ (ପାମ୍ପଡ଼), ବୁନ୍ଦି, ହାଲୁଆ ଇତ୍ୟାଦି ବିକ୍ରୀ ହୁଏ । ଦୋକାନୀ ଟ୍ରଲି ଛାତରେ ଏକ ପିତ୍ତଳ ଘଣ୍ଟି ରଖିଥାଏ । ଗରାଖ ନିମନ୍ତ୍ରଣ ଲାଗି ବେଳେ ବେଳେ ଘଣ୍ଟି ବଜାଏ । କେହି କେହି ଏହାକୁ ମିଶା ପେଡ଼ି ନାମିତ କରିଥିଲେ । ମିଶା ପେଡ଼ିରେ ବିକ୍ରୀ ଖାଦ୍ୟ ପଦାର୍ଥ ପ୍ରତିଦିନ ତିଆରି ହୁଏ । ମିଶା ପେଡ଼ି ଭିତରେ ଏକ ପେଟ୍ରୋମାକ୍ସ ଲଣ୍ଠନ ଜଳୁଥିବା ହେତୁ ଖାଦ୍ୟ ସାମଗ୍ରୀ ସାମାନ୍ୟ ଗରମ ମଧ୍ୟ ରହେଦୋକାନୀ କାହାଳି ପତ୍ର (ଜଙ୍ଗଲରୁ ସଂଗୃହୀତ ହଳଦିଆ-ପାଉଁଶିଆ ରଙ୍ଗର ଏକ ଟାଣ ଶୁଖିଲା ପତ୍ର) କିମ୍ୱା କଞ୍ଚା ଶିଆଳିପତ୍ରରେ ଖାଦ୍ୟ ପରଷେ । କେତେକ କାଚ଼ ପେଡ଼ି ବିଭିନ୍ନ ସାହି ସନ୍ଧ୍ୟାରେ ବୁଲି ବିକେ । ଉତ୍କଳ, ଏସଏସଭିଟି, ବିଜୟା ଓ ଜ୍ୟୋତି ସିନେମା ସମ୍ମୁଖରେ ମଧ୍ୟ କାଚ଼ ପେଡ଼ି ଦେଖିବାକୁ ମିଳୁଥିଲା । ଜଳଖିଆ ପାଇଁ ସ୍ଥାୟୀ ଦୋକାନ ସଂଖ୍ୟା ବଢି ଯିବାରୁ ଅସ୍ଥାୟୀ ଦୋକାନ ସଂଖ୍ୟା କମି ଆସିଲା ।  ବିଗତ ଚାରି ଦଶକ ଧରି ବ୍ରହ୍ମପୁର ରାତ୍ରୀ ବଜାର କ୍ରମଶଃ ସାଂଧ୍ୟ ବଜାରରେ ପରିଣତ ହୋଇଛି ।

Image by Sharon Ang from Pixabay


Friday, January 19, 2024

Palm-beach Hotel / ପାମ ବିଚ଼ ହୋଟେଲ

 

#ବ୍ରହ୍ମପୁର ସହରବାସୀଙ୍କ ଚର୍ଚ୍ଚାରେ ବିଗତ ଶହେ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଗୋପାଳପୁର ପାମ ବିଚ଼ ହୋଟେଲ ଏକ ସଂଭ୍ରାନ୍ତ ଠିକଣା । ପୁରାତନ ଗୋପାଳପୁର ସାମୁଦ୍ରିକ ବନ୍ଦର ପୂର୍ଣ୍ଣ କାର୍ଯ୍ୟକ୍ଷମ ଥିବା ଅବସରରେ ପ୍ରଥମ ବିଶ୍ୱଯୁଦ୍ଧ କାଳରେ ପାମ ବିଚ଼ ହୋଟେଲ ଆରମ୍ଭ ହୋଇଥିଲା । ମୁଖ୍ୟତଃ ରେଙ୍ଗୁନ ଯାତ୍ରୀ ଓ ରେଙ୍ଗୁନରୁ ରପ୍ତାନୀ ଓ ଆମଦାନୀରେ ସଂପୃକ୍ତ ବ୍ୟବସାୟୀଙ୍କ ସାମୟିକ ରହଣୀ ସ୍ଥଳୀ ପାଲଟିଥିଲା । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ସ୍ନିଗ୍ନୋର ମାଗଲିଓନି ନାମକ ଜଣେ ଇଟାଲୀ ନାଗରିକ ପାମ ବିଚ଼ ହୋଟେଲ ନିର୍ମାଣ ଓ ପରିଚାଳନା କରୁଥିଲେ । କୁହାଯାଏ ଓଡ଼ିଶାରେ ଏହା ସର୍ବପୁରାତନ ହୋଟେଲ ଏବଂ ସାରା ଦେଶରେ ପ୍ରଥମ ବିଚ଼ ରିସୋର୍ଟ ।
 
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ରେଙ୍ଗୁନରେ ରାଜନୀତିକ ଅସ୍ଥିରତା କାରଣରୁ ଆମଦାନୀ-ରପ୍ତାନୀ ତଥା ଦେଶାନ୍ତର ଶ୍ରମିକ ପ୍ରଥା ବାଧାପ୍ରାପ୍ତ ହେବା ପରେ ଜାହାଜ ଚଳାଚଳ ବନ୍ଦ ହୋଇ ଯାଇଥିଲା । ଫଳରେ ଗୋପାଳପୁର ବନ୍ଦର ଶୂନଶାନ ହୋଇ ପଡ଼ିଲା । ପାମ ବିଚ଼ ହୋଟେଲକୁ ମାଲିକ ବିକ୍ରୀ କରିଦେବା ନିମନ୍ତେ ମନସ୍ଥ ହୋଇଥିଲେ । ସିମଲା ଓ କୋଲକତାରେ ହୋଟେଲ ଚଳାଉଥିବା ଇଷ୍ଟ ଇଣ୍ଡିଆ ହୋଟେଲସର ମାଲିକ ଏମ୍.ଏସ୍. ଓବରାଇ ତିନି ଲକ୍ଷ ଟଙ୍କାରେ ୧୯୪୭ରେ ସିଗ୍ନୋର ମାଗଲିଓନିଙ୍କଠାରୁ କିଣି ନେଲେ । ଓବରାଇଙ୍କ ମାଲିକାନାରେ ପାମ ବିଚ଼ ହୋଟେଲର ପ୍ରତିପତ୍ତି ବଢ଼ିଥିଲା । କୋଲକତାର ସଂଭ୍ରାନ୍ତ ପରିବାରବର୍ଗ, ମୁଖ୍ୟତଃ ନବବିବାହିତମାନେ ମଧୁଚ଼ନ୍ଦ୍ରିକା ଯାପନ ନିମନ୍ତେ ହୋଟେଲର ଅତିଥି ହେବାକୁ ଲାଗିଲେ । ସୋଭିଏତ ୟୁନିୟନ ବିଭାଜିତ ହେବା ପୂର୍ବରୁ ବହୁ ଋଷୀୟ ପର୍ଯ୍ୟଟକ ମଧ୍ୟ ଆସୁଥିଲେ । ତେବେ ୧୯୯୯ର ମହାବାତ୍ୟାରେ ସମୁଦ୍ରତଟ ହୋଟେଲଟିର ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଓବରାଇ ଗୃପ ୨୦୦୨ରୁ ପାମବିଚ଼ ହୋଟେଲ ବନ୍ଦ କରିଦେବାକୁ ନିଷ୍ପତ୍ତି ନେଇଥିଲେ । ଦିନ କେତେ ହୋଟେଲ ଲିଜରେ ଚଳାଇବା ନିମନ୍ତେ ଉଦ୍ୟମ ହୋଇଥିଲା, କିନ୍ତୁ ତାହା ସଫଳ ହେଲା ନାହିଁ । ଶେଷରେ ୨୦୧୧ରେ ଓଡ଼ିଶାର ଅନ୍ୟତମ ବୃହତ ହୋଟେଲ ବର୍ଗ ମେ-ଫେୟାର ଗୃପ ଦଶ କୋଟି ଟଙ୍କାରେ ଇଷ୍ଟ ଇଣ୍ଡିଆ ହୋଟେଲଠାରୁ କିଣି ନେଇଥିଲେ ।
 
ଇଟାଲୀର ସିସିଲି ଅଧିବାସୀ ସିଗ୍ନୋର ମାଗଲିଓନି ଗୋପାଳପୁରଠାରେ ପାମ ବିଚ ହୋଟେଲ ସ୍ଥାପନ କରିଥିବା ସ୍ଥଳେ କିଛି ବର୍ଷ ପୂର୍ବରୁ ଦୁଇଜଣ ଇଟାଲୀ ହୋଟେଲ ବ୍ୟବସାୟୀ ସିମଲାରେ ସିସିଲଗ୍ରାଣ୍ଡ ନାମରେ ଦୁଇଗୋଟି ହୋଟେଲ ଆରମ୍ଭ କରିଥିଲେ । ଓବରାଇ ସିମଲା ଓ କୋଲକତା ପରେ ଗୋପାଳପୁରରେ ହୋଟେଲ କିଣିଥିଲେ । ପାମବିଚ଼ ହୋଟେଲ ୧୨ ଏକର ପରିମିତ ଜମିରେ ଅବସ୍ଥିତ । ଏହାର ମୌଳିକ ସ୍ଥାପତ୍ୟ ଭୂ-ମଧ୍ୟସାଗରୀୟ ଛାପ ବହନ କରେ । ଅତୀତରେ ପାମ ବିଚ଼ ହୋଟେଲର ପରିବେଶ, ଧଳା ଆସବାବପତ୍ର, ଶାନ୍ତ ବିସ୍ତୀର୍ଣ୍ଣ ପ୍ରାଙ୍ଗଣ ବିଦେଶର ଭ୍ରମ ସୃଷ୍ଟି କରୁଥିଲା । ହୋଟେଲର ମାଲିକନା ଦୁଇ ଥର ପରିବର୍ତ୍ତିତ ହୋଇଥିଲେହେଁ ମୌଳିକ ଆଙ୍ଗିକକୁ ସୁରକ୍ଷିତ ରଖିବା ନିମନ୍ତେ ଉଦ୍ୟମ କରାଯାଇଥିବା କୁହାଯାଏ ।
 
ପାମ ବିଚ଼ ହୋଟେଲ ମେ-ଫେୟାର ପାମ ବିଚ଼ ରିସର୍ଟରେ ପରିବର୍ତ୍ତିତ ହେବା ପରେ ବ୍ୟାପକ ସଂପ୍ରସାରଣ ସଂଭବ ହୋଇଛି । ମୋଟ ୧୪୧ ଗୋଟି କଠୋରୀ ବିଶିଷ୍ଟ ହୋଟେଲରେ ପର୍ଯ୍ୟଟନ ଋତୁରେ ଭଡ଼ା ହାରାହାରି ଦୈନିକ ୧୨ରୁ ୧୬ ହଜାର ହିସାବ କରାଯାଏ । ପର୍ଯ୍ୟଟନ ଅଭିବୃଦ୍ଧିରେ ହୋଟେଲ କଠୋରୀ ସଂଖ୍ୟା ବୃଦ୍ଧି ମୁଖ୍ୟ ଭିତ୍ତିଭୂମି । କଠୋରୀ ନିର୍ମିତ ହେବାପରେ ପର୍ଯ୍ୟଟକ ଖୋଜାରେ ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦିଆଯାଏ । ପାରିପାର୍ଶ୍ୱିକ ପରିବେଶ ପର୍ଯ୍ୟଟନ ଉପଯୋଗୀ ସୁବିଧା ସୁଯୋଗ ସୃଷ୍ଟି ନିମନ୍ତେ ଯତ୍ନ ନିଆଯାଏ । ଗୋପାଳପୁରକୁ ଉଚ୍ଚବର୍ଗର ପର୍ଯ୍ୟଟକ ଆଗମନରେ ଗୋପାଳପୁର ସମେତ ବ୍ରହ୍ମପୁରରେ ବ୍ୟାବସାୟିକ ଉନ୍ନତି ଆଶା କରାଯାଇପାରେ । ଗୋପାଳପୁର ବନ୍ଦର ସହରରୁ ପର୍ଯ୍ୟଟନ ସହର ରୂପାନ୍ତରଣରେ ପାମ ବିଚ଼ ହୋଟେଲପ୍ରମୁଖ ଭୂମିକା ଗ୍ରହଣ କରିଆସିଛି ।

Image by Quang Nguyen vinh from Pixabay


Friday, January 12, 2024

Swachh Survekshan 2023 / ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩

 

ଜାତୀୟସ୍ତରରେ ସ୍ୱଚ୍ଛ ସର୍ବେକ୍ଷଣ ବିବରଣୀ ୨୦୨୩ରେ #ବ୍ରହ୍ମପୁର ପୌର ନିଗମର ସ୍ଥିତି ପଛୁଆ ରହିଥିବା ହେତୁ ଗଣମାଧ୍ୟମରେ ସମାଲୋଚ଼ିତ ହୋଇଥିଲା । କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ୨୦୧୬ରୁ ଦେଶବ୍ୟାପୀ ବାର୍ଷିକ ସହରାଞ୍ଚଳ ସ୍ୱଚ୍ଛ ସର୍ବେକ୍ଷଣ ଆୟୋଜିତ ହୋଇଥାଏ । ପ୍ରକାଶିତ ୨୦୨୩ ବିବରଣୀରେ ଏକ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ବର୍ଗରେ ସ୍ୱଚ୍ଛତା ସମୀକ୍ଷାରେ ବ୍ରହ୍ମପୁରର ସ୍ଥାନ ୧୧୧ ନିର୍ଦ୍ଧାରିତ ହୋଇଛି । ରାଜ୍ୟସ୍ତରରେ ଚ଼ତୁର୍ଥ ସ୍ଥାନ ଅଧିକାର କରିଛି । ସମାଲୋଚକମାନଙ୍କ ଯୁକ୍ତି ହେଲା ୨୦୧୯ରେ ସ୍ୱଚ୍ଛ ସର୍ବେକ୍ଷଣ ରିପୋର୍ଟରେ ରାଜ୍ୟସ୍ତରରେ ବ୍ରହ୍ମପୁର ପ୍ରଥମ ସ୍ଥାନ ଅଧିକାର କରିଥିଲା । ୨୦୨୦ ଓ ୨୦୨୧ରେ ମଧ୍ୟ ପ୍ରଥମ ସ୍ଥାନ ବଜାୟ ରହିଥିଲା । ଜାତୀୟସ୍ତରରେ ବ୍ରହ୍ମପୁର ୨୦୨୦ରେ ୮୯ତମ ସ୍ଥାନ ଓ ୨୦୨୧ରେ ୫୬ ତମ ସ୍ଥାନରେ ପହଞ୍ଚିଥିଲା । କିନ୍ତୁ ୨୦୨୨ରେ ରାଜ୍ୟସ୍ତରରେ ଚ଼ତୁର୍ଥ ସ୍ଥାନକୁ ଖସି ଆସିଥିଲା । ତେଣୁ ସହରର ପରିମଳ ବ୍ୟବସ୍ଥା ସୁଚାରୁରୂପେ ପରିଚାଳନା ହୋଇପାରୁ ନାହିଁ ।
 
ସମାଜତତ୍ତ୍ୱବିତମାନେ ସହରାଞ୍ଚଳ ସ୍ୱଚ୍ଛ ସର୍ବେକ୍ଷଣ ପଦ୍ଧତି ତୃଟିପୂର୍ଣ୍ଣ ବିବେଚ଼ନା କରିଥାନ୍ତି । ସେମାନଙ୍କ ମତରେ ସ୍ୱଚ୍ଛତା ପରିମାପରେ ଉପଭୋକ୍ତାଙ୍କ ସନ୍ତୁଷ୍ଟି ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ । ପୌର ନିଗମର ମୂଳ ଉଦ୍ଦେଶ୍ୟ ନାଗରିକଙ୍କୁ ସେବା ଯୋଗାଇବା । ପ୍ରତ୍ୟେକ ପୌର ନିଗମର ସେବା କ୍ଷେତ୍ରରେ ସଂପୃକ୍ତ ସହରାଞ୍ଚଳର ନାଗରିକଗଣ କେତେଦୂର ଉପକୃତ ହେଉଛନ୍ତି ବା ସନ୍ତୋଷ ପ୍ରକଟ କରୁଛନ୍ତି ତାହା ହିଁ ସ୍ୱଚ୍ଛତାର ପରିମାପ । ତେବେ ପୌର ନିଗମର ସ୍ୱଚ୍ଛତା କାର୍ଯ୍ୟକ୍ରମ କେତେଦୂର ଉପଭୋକ୍ତା-କେନ୍ଦ୍ରୀକ ହୋଇପାରୁଛି, ତାହା ମପା ଯାଇ ନପାରିଲେ ଆଳଙ୍କରିକ ପରିସଂଖ୍ୟାନରେ ପ୍ରତିଫଳିତ ହୋଇନଥାଏ । ସହରର ସାଧାରଣ ନାଗରିକଟିଏ ଯଦି ପରିମଳ ସଂକ୍ରାନ୍ତୀୟ କୌଣସି ସମସ୍ୟା ବା ଅବହେଳାର ଶୀକାର ହେଉଛି, ତାହା ସର୍ବସାଧାରଣରେ ପ୍ରକାଶ କରିବାର ସୁଯୋଗ ପାଇବା ଏବଂ ପୌର ନିଗମ କର୍ତ୍ତୃପକ୍ଷ କଣ ସମାଧାନ କରିପାରୁଛନ୍ତି ତାହା ସାର୍ବଜନୀନସ୍ତରରେ ଘୋଷିତ ହେଲେ ସହରର ସ୍ୱଚ୍ଛତା କ୍ଷେତ୍ରରେ ଗୁଣାତ୍ମକ ବିକାଶ ସଂଭବ । ଆଧୁନିକ ପ୍ରଯୁକ୍ତି କୌଶଳ ପ୍ରୟୋଗରେ ସାଧାରଣ ସୋସିଆଲ ମିଡ଼ିଆ ଉପଯୋଗରେ ଏହି ଭଳି ଦ୍ୱିପାକ୍ଷିକ ମଞ୍ଚ ପ୍ରସ୍ତୁତି ସଂଭବ ଥିବା ସ୍ଥଳେ ଅଣଦେଖା କରାଯାଇଥାଏ । ପୌର ନିଗମ ୱେବସାଇଟରେ ନାଗରିକ ଅଭିଯୋଗ ଦରଜ କଲେ ତାହା ସାର୍ବଜନୀନ ଦୃଶ୍ୟମାନ ହୋଇପାରି ନଥାଏ କିମ୍ୱା ସମାଧାନର ପ୍ରତ୍ୟୁତ୍ତର ମିଳିନଥାଏ ।
 
କେତେକ ଗଣମାଧ୍ୟମ ରିପୋର୍ଟରେ ବ୍ରହ୍ମପୁର ପୌର ନିଗମର ସ୍ୱଚ୍ଛତା ପରିମାପରେ ର୍ୟାଙ୍କ ହ୍ରାସ ନିମନ୍ତେ ପରିମଳ ସଜାଡ଼ିବା ଲାଗି ଠିକା ଘରୋଇ ସଂସ୍ଥା ପଦ୍ଧତିକୁ ତୃଟିପୂର୍ଣ୍ଣ ଦର୍ଶାଇଥିଲେ । ଦେଶବ୍ୟାପୀ ପୌର ସେବା ଘରୋଇକରଣ ଜାରୀ ରହିଛି ଏବଂ ବିଭିନ୍ନ କାରଣରୁ ଭବିଷ୍ୟତରେ ମଧ୍ୟ ସଂପ୍ରସାରିତ ହେବ । ପ୍ରଶ୍ନ ଉଠେ, ସହରର ପରିମଳ ବ୍ୟବସ୍ଥା ଘରୋଇକରଣପରେ ଆବର୍ଜନା ନିଷ୍କାସନ ଓ ପ୍ରକ୍ରିୟାକରଣ ଦିଗରେ କାର୍ଯ୍ୟଦକ୍ଷତାରେ କିପରି ଗୁଣାତ୍ମକ ଅଭିବୃଦ୍ଧି ସଂଭବପର । ସାଧାରଣ ବିଚାରରେ ଉପଭୋକ୍ତାଙ୍କ ସମୀକ୍ଷା ପ୍ରତି ପୌର ନିଗମ କର୍ତ୍ତୃପକ୍ଷ ପ୍ରାଥମିକତା ଦେବାକୁ ପଡ଼ିବ । ଉଦାହରଣରେ କୌଣସି ଅଞ୍ଚଳରେ ଆବର୍ଜନା ଠୁଳ କରିବା ପରେ ତାହା ପ୍ରକ୍ରିୟାକରଣ ସ୍ଥଳୀକୁ ସ୍ଥାନାନ୍ତରିତ କରିବା ପରିବର୍ତ୍ତେ ନିଆଁ ଲଗାଇ ଦିଆଯାଉଛି । ଏକଥା ସଂପୃକ୍ତ ଅଞ୍ଚଳର ଜନସାଧାରଣ ଜାଣନ୍ତି । ସେମାନେ ପୌରନିଗମକୁ ଜଣାଇଲେ ଯଦି ସଙ୍ଗେ ସଙ୍ଗେ ସରଜମିନ ତଦନ୍ତ କରି ଦୋଷୀକୁ ଖୋଜା ଯାଆନ୍ତା, ତେବେ ଦିନ କେତେଟାରେ ସମସ୍ୟାର ସ୍ଥାୟୀ ସମାଧାନ ସଂଭବପର ହୁଅନ୍ତା । ତଥ୍ୟ ସାର୍ବଜନୀନ ମଞ୍ଚରେ ସ୍ଥାନୀତ ହେଲେ ଅସାଧୁ ଠିକାଦାର ବା କର୍ମଚାରୀ କେହି ଖସିଯାଇପାରନ୍ତେ ନାହିଁ । ଏହି ଭଳି ବହୁ ନାଗରିକ ସମସ୍ୟା ଉପଲବ୍ଧ ପ୍ରଯୁକ୍ତି କୌଶଳ ଉପଯୋଗରେ ସଂଭବ । କିନ୍ତୁ ଏ ଦିଗରେ କିଏ ଦୃଷ୍ଟି ଦେଉଛି ?
 
ବଡ଼ ସହରଗୁଡ଼ିକରେ ସ୍ଥାନୀୟ ସ୍ୱଚ୍ଛତା ପ୍ରତି ନାଗରିକ ସମାଜ ଗୁଡ଼ିକ ତତ୍ପର । ରାଜ୍ୟସ୍ତରୀୟ ଓ ଜାତୀୟ ସ୍ୱଚ୍ଛ ସର୍ବେକ୍ଷଣ ଭଳି ଉତ୍ସାହୀ ସହରବାସୀ ସାମୟିକଭାବେ ଲିଖିତ ଆକାରରେ ବେସରକାରୀ ସ୍ୱଚ୍ଛତା ରିପୋର୍ଟ ପ୍ରସ୍ତୁତ କରନ୍ତି । ସ୍ଥାନୀୟ ଗଣମାଧ୍ୟମରେ ତାହା ଚର୍ଚ୍ଚା ହୁଏ । ଅବଶ୍ୟକସ୍ଥଳେ ନ୍ୟାୟିକ ପଦକ୍ଷେପ ମଧ୍ୟ ନିଆଯାଏ । ହୁଏତ ବ୍ରହ୍ମପୁର ସେହି ସ୍ତରର ନାଗରିକ ସଂପୃକ୍ତି ସିଟିଜେନ ଏଙ୍ଗେଜମେଣ୍ଟରେ ପହଞ୍ଚିବା ନିମନ୍ତେ ଆହୁରି ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବ !


Image by Andreas Lischka from Pixabay


Friday, January 5, 2024

Early Guests in Chilika / ଚିଲିକାରେ ଆଗୁଆ ଅତିଥି

 

#ବ୍ରହ୍ମପୁର ନିକଟବର୍ତ୍ତୀ ଚ଼ିଲିକା ହ୍ରଦରେ ପ୍ରତିବର୍ଷ ଜାନୁୟାରୀ ପ୍ରଥମ ସପ୍ତାହରେ ପକ୍ଷୀଗଣନା କାର୍ଯ୍ୟକ୍ରମ ସରକାରୀସ୍ତରରେ ଆୟୋଜିତ ହୁଏ । ଚଳିତ ୨୦୨୪ର ବାର୍ଷିକ ପକ୍ଷୀଗଣନା ୪ ଜାନୁୟାରୀରେ ସମ୍ପନ୍ନ ହୋଇଥିଲା । ଏଥିଲାଗି ୨୧ ଗୋଟି ଦଳରେ ୧୩୦ ଜଣ ଗଣନାକାରୀଙ୍କୁ ସାମିଲ କରାଯାଇଥିଲା । ବଡ଼ି ସକାଳ ୬ରୁ ମଧ୍ୟାହ୍ନ ୧୨ ଯାଏଁ ପରିବ୍ୟାପ୍ତ ପକ୍ଷୀଗଣନାରେ ପ୍ରାୟ ୧୧ ଲକ୍ଷ ୩୮ ହଜାର ପକ୍ଷୀଙ୍କୁ ଠାବ କରାଯାଇଥିଲା । ଏମାନଙ୍କ ମଧ୍ୟରେ ସ୍ଥାନୀୟ ବାସିନ୍ଦା ଓ ବିଦେଶାଗତ ପକ୍ଷୀ ସାମିଲ । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ସ୍ଥାନୀୟ ବାସିନ୍ଦା ପକ୍ଷୀଙ୍କ ସଂଖ୍ୟା ୭୯ ପ୍ରଜାତିର ପ୍ରାୟ ୩୯ ହଜାର ଥିବା ସ୍ଥଳେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ୧୦୮ ପ୍ରଜାତିର ପ୍ରାୟ ଏଗାର ଲକ୍ଷ । ଶୀତ ଋତୁରେ ଚିଲିକାକୁ ସୁଦୂର ସାଇବେରିଆ, କାଜଗିସ୍ଥାନ, ବୈକାଲ ହ୍ରଦ, କାସ୍ପିଆନ ସାଗର, ଉତ୍ତର ୟୁରୋସିଆ ତଥା ରୁଷର ଆଭ୍ୟନ୍ତରୀଣ ଅଞ୍ଚଳରୁ ଦେଶାନ୍ତରୀ ପକ୍ଷୀ ଚିଲିକା ଆସିଥାନ୍ତି । କୁହାଯାଏ ଯେ ଉତ୍ତର ଗୋଲାର୍ଦ୍ଧରେ ପ୍ରବଳ ଶୀତ ଓ ଆହାର ଅଭାବରୁ ପକ୍ଷୀମାନେ ହଜାର ହଜାର କିଲୋମିଟର ଅତିକ୍ରମ କରି ଅପେକ୍ଷାକୃତ ଉଷ୍ମ ଓ ମତ୍ସ୍ୟ ସମ୍ପଦ ଭରପୁର ଚିଲିକା ହ୍ରଦରେ ଋତୁଭିତ୍ତିକ ଅତିଥି ସାଜିଥାନ୍ତି ।
 
ଚିଲିକାରେ ଏକ, ଦୁଇ, ତିନି ହିସାବ କରି ପକ୍ଷୀ ଗଣନା ହୁଏନି । ସ୍ୱତନ୍ତ୍ର ଦୂରବୀକ୍ଷଣ ଯନ୍ତ୍ର ବାଇନାକୂଲରଭଳି ଯନ୍ତ୍ରର ପରିଧିରେ ଯେତିକି ସଂଖ୍ୟକ ପକ୍ଷୀ ଦେଖିବାକୁ ମିଳନ୍ତି ତାହାର ଗଣନା ସଂପ୍ରସାରିତ ଅଞ୍ଚଳ ହିସାବକୁ ନେଇ ସଂଖ୍ୟା ନିର୍ଦ୍ଧାରଣ କରାଯାଇଥାଏ । ଏହା ପକ୍ଷୀ ସଂଖ୍ୟା ଆକଳନ ନିମନ୍ତେ ସ୍ୱୀକୃତି ପ୍ରାପ୍ତ ବୈଜ୍ଞାନିକ ଧାରା । ଏହି ଯନ୍ତ୍ର ବ୍ୟବହାର ସଂପର୍କରେ ପକ୍ଷୀଗଣନାକାରୀଙ୍କୁ ପୂର୍ବରୁ ତାଲିମ ପ୍ରଦାନ କରାଯାଏ ।
 
ଚିଲିକା ପକ୍ଷୀ ଗଣନାରେ ୨୦୨୩ ତୁଳନାରେ ୨୦୨୪ରେ ପ୍ରାୟ ପାଞ୍ଚ ହଜାର ୮୦୦ ବଢ଼ିଥିବା ଜଣାଯାଇଛି । ଅନ୍ୟ ଏକ ଉଲ୍ଲେଖଯୋଗ୍ୟ ବିଷୟ ଏହିଯେ ବିଗତ କିଛି ବର୍ଷ ଧରି ବିଦେଶାଗତ ପକ୍ଷୀମାନେ ଅତୀତ ତୁଳନାରେ ସଅଳ ଆସି ଚିଲିକାରେ ପହଞ୍ଚୁଛନ୍ତି । ଉଦାହରଣରେ ୭ ଅକ୍ଟୋବର ୨୦୨୩ରେ ଚିଲିକାର ନଳବଣ ଅଞ୍ଚଳରେ ପ୍ରାୟ ୫୦ ଗୋଟି ଦେଶାନ୍ତରୀ ପକ୍ଷୀ ଠାବ କରାଯାଇଥିଲା । ପୂର୍ବ ବର୍ଷ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ବିଦେଶୀ ପକ୍ଷୀ ଆସିଥିଲେ । ବିଶେଷଜ୍ଞମାନେ ଏହି ପରିବର୍ତ୍ତନ ପଛରେ ଉତ୍ତର ଗୋଲାର୍ଦ୍ଧରେ ସଅଳ ଶୀତ ପଡୁଥିବା, ଖାଦ୍ୟ ଅଭାବ ଦେଖାଦେଉଥିବା ତଥା ଚଳିତ ବର୍ଷ ଉତ୍ତରାଖଣ୍ଡ ଓ ସିକିମରେ ବନ୍ୟା ବିତ୍ପାତ ଭଳି କାରଣକୁ ଦାୟୀ କରିଥାନ୍ତି । ଆଶ୍ଚର୍ଯ୍ୟର ବିଷୟ ଦେଶାନ୍ତରୀ ପକ୍ଷୀଙ୍କ ପ୍ରଥମ ଦଳ ଚିଲିକା ପହଞ୍ଚିଲା ବେଳକୁ ଏଠାକାର ତାପମାତ୍ରା ୩୩ରୁ ୩୫ ଡ଼ିଗ୍ରୀ ସେଣ୍ଟିଗ୍ରେଡ଼ ମାପ କରାଯାଉଥିଲା । ସାଧାରଣରେ ମାର୍ଚ୍ଚ ମାସ ସୁଦ୍ଧା ହ୍ରଦର ତାପମାତ୍ରା ୪୦ ଡ଼ିଗ୍ରୀ ସେଣ୍ଟିଗ୍ରେଡ଼ରେ ଛୁଇଁବା ବେଳକୁ ଦେଶାନ୍ତରୀ ପକ୍ଷୀମାନେ ଚିଲିକାରୁ ନିଜ ବାସସ୍ଥଳ ଅଭିମୁଖେ ଫେରିଯାଇଥାନ୍ତି । ବିଦେଶାଗତ ପକ୍ଷୀ ଗରମ ସହି ପାରନ୍ତି ନାହିଁ ।
 
ଶୀତଋତୁରେ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ମଧ୍ୟରୁ ପଲେ ଦି ପଲ ଋଷିକୂଲ୍ୟା ମୁହାଣ, ସୁରଳ, ସୁମାଣ୍ଡି ଓ ସୋନପୁର ବେଳାଭୂମିରେ ପହଞ୍ଚନ୍ତି । ଚଳିତ ବର୍ଷ ୧୦ ଜାନୁୟାରୀ ୨୦୨୪ରୁ ତିନି ଦିନ ବ୍ୟାପୀ ବ୍ରହ୍ମପୁର ବନଖଣ୍ଡରେ ପକ୍ଷୀ ଗଣନା କରାଯିବ ।
 
ଚିଲିକା ହ୍ରଦରେ ଅକ୍ଟୋବରରୁ ମାର୍ଚ୍ଚ ଯାଏଁ ଛଅ ମାସ ପ୍ରାୟ ଏଗାର ଲକ୍ଷ ବିଦେଶାଗତ ପକ୍ଷୀ ଅବସ୍ଥାନ କରୁଥିବା ଘଟଣାକ୍ରମକୁ ଏକ ଲୋଭନୀୟ ପର୍ଯ୍ୟଟନ ବିଭବ ଭାବେ ଗ୍ରହଣ କରାଯାଇପାରେ । ତେବେ ତଦ୍ଅନୁରୂପ ପର୍ଯ୍ୟଟକଙ୍କ ଭିଡ଼ ଜମି ପାରୁନଥିବା କ୍ଷୋଭର ବିଷୟ । ହୁଏତ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସଂପର୍କରେ ଆବଶ୍ୟକୀୟ ପ୍ରଚାରପ୍ରସାର ହୋଇପାରୁନାହିଁ, ପର୍ଯ୍ୟଟନ ବିକାଶଲାଗି ସମକାଳରେ ଆଦୃତ ପନ୍ଥା ପ୍ରଯୋଜନା କରାଯାଇପାରୁ ନାହିଁ କିମ୍ୱା ପର୍ଯ୍ୟଟନର ଉନ୍ନତି ଲାଗି ସ୍ଥାନୀୟ ବ୍ୟବସାୟୀ ଓ ଜନସାଧାରଣଙ୍କ ଉଚ଼ିତ ଭାଗିଦାରୀ ଆୟୋଜନ କରାଯାଇ ପାରୁନାହିଁ । ପ୍ରାୟ ଏଗାର ଶହ ବର୍ଗ କିଲୋମିଟର ପ୍ରସାରିତ ଚିଲିକା ହ୍ରଦ ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଅଂଶବିଶେଷ । ତେବେ ପୁରୀ ଓ ଭୁବନେଶ୍ୱର ବାଦେ ବ୍ରହ୍ମପୁର ନିକଟତମ ବଡ଼ ସହର ହୋଇଥିବା ହେତୁ ଚିଲିକା ପର୍ଯ୍ୟଟନରେ ବ୍ରହ୍ମପୁରର ଯୋଗଦାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।


Image by Bishnu Sarangi from Pixabay