Friday, November 26, 2021

Municipal Corporation Boarders / ପୌର ନିଗମ ସୀମା ନିର୍ଦ୍ଧାରଣ

 


#ବ୍ରହ୍ମପୁର ପୌର ନିଗମ ସୀମା ନିର୍ଦ୍ଧାରଣ ୨୦୦୮ରେ ନିଗମ ଘୋଷଣା ପରଠାରୁ ବିବାଦରେ ଛନ୍ଦି ହୋଇଆସିଛି । ରାଜ୍ୟ ସରକାରଙ୍କ ଦ୍ୱାରା ୩୦ ଡ଼ିସେମ୍ୱର ୨୦୦୮ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ବ୍ରହ୍ମପୁର ପୌର ପରିଷଦ ପୌର ନିଗମରେ ପରିଣତ ହୋଇଥିଲା । ନଗର ଉନ୍ନୟନ ବିଭାଗ କମିଶନର ତଥା ସଚ଼ିବ ଡ଼କ୍ଟର ଅରୁଣ ପଣ୍ଡା ରାଜ୍ୟପାଳଙ୍କ ଆଦେଶ ମୁତାବକ ଓଡ଼ିଶା ମ୍ୟୁନିସିପାଲ କର୍ପୋରେସନ ଆଇନ ୨୦୦୩ ଉପଧାରା (୨) ଧାରା ୩ ଅନୁଯାୟୀ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚ଼ିତ କରିଥିଲେ ।
 
ଡ଼କ୍ଟର ଅରୁଣ ପଣ୍ଡା ନଗର ଉନ୍ନୟନ ସଚ଼ିବ ପଦରେ ଅଧିଷ୍ଠିତ ହେବା ଆଗରୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଭାବେ ବ୍ରହ୍ମପୁରରେ କିଛି କାଳ କାର୍ଯ୍ୟ କରିଥିଲେ । ପୌର ନିଗମ ଘୋଷଣା ବେଳକୁ ଶିବ ଶଙ୍କର ଦାସ ପୌର ପରିଷଦ ଅଧ୍ୟକ୍ଷ ଓ ଭୀମ ମାନସେଠ ପୌର ନିର୍ବାହୀ ଅଧିକାରୀଭାବେ ଦାୟିତ୍ୱ ତୁଲାଉଥିଲେ । ସେହିପରି ଡ଼ାକ୍ତର ରମେଶ ଚ଼ନ୍ଦ୍ର ଚ୍ୟାଉପଟ୍ଟନାୟକ ବ୍ରହ୍ମପୁର ବିଧାୟକ, ଭି. କାର୍ତ୍ତିକେୟ ପାଣ୍ଡିୟାନ ଗଞ୍ଜାମ ଜିଲ୍ଲାପାଳ ଏବଂ ବିଡ଼ିଏ ଅଧ୍ୟକ୍ଷ ଭାବେ ଶରତ ପଟ୍ଟନାୟକ ଅଧିଷ୍ଠିତ ଥିଲେ ।
 
ବିଜ୍ଞପ୍ତି ଅନୁଯାୟୀ ମହାନଗର ସୀମାରେ ୧୫ ଗୋଟି ପଞ୍ଚାୟତର ୨୪ ଗୋଟି ଗ୍ରାମ ଥିବା କୁହାଯାଇଥିଲା । ଉତ୍ତରରେ ଆମ୍ୱପୁଆ, ରତ୍ନପୁର, ଜଗଦଳପୁର, ନିମଖଣ୍ଡି, ଲୋଚାପଡ଼ା, ଭାବିନୀପୁର, ବଡ଼ଗୁମୁଳା, ପଲ୍ଲୀଗୁମୁଳା, ସାନ କୁଶସ୍ଥଳୀ ଓ ନରେନ୍ଦ୍ରପୁର; ଦକ୍ଷିଣରେ ଆରୁଆପଲ୍ଲୀ, ଗଉଞ୍ଜୁ, ବ୍ରହ୍ମାପଲ୍ଲୀ, ଖଜୁରିଆ, ଫୁଲଟା ଓ ହଳଦିଆପଦର; ପୂର୍ବରେ ରଘୁନାଥପୁର, ପଥରା, ଡୁରା, ମାଣ୍ଡିଆପଲ୍ଲୀ ଓ ଆରୁଆପଲ୍ଲୀ ଏବଂ ପଶ୍ଚିମ ଦିଗରେ ଦେନ୍ଦାଳିଆ, ଲାଠି, ସୁକୁଣ୍ଡା, ଚନ୍ଦନିଆ ପାହାଡ଼ ଓ ଆମ୍ୱଗଡ଼ ଇତ୍ୟାଦି ଥିବା ସୂଚ଼ିତ ହୋଇଥିଲା
 
ବିଜ୍ଞପ୍ତି ପ୍ରକାଶପରେ ଏହି ସବୁ ଗ୍ରାମଗୁଡ଼ିକ ପ୍ରଥମେ ଅନ୍ତଃସୀମା ବୋଲି ଧରି ନିଆଯାଇଥିଲା । କିନ୍ତୁ ତୁରନ୍ତ ତାହା ବର୍ହିସୀମା ବୋଲି ସ୍ପଷ୍ଟୀକରଣ ମିଳିଥିଲା । ଏହି ସଂପର୍କରେ ଅନୁପମ ଭାରତ ୨୦୦୯ ଜାନୁୟାରୀ ପହିଲା ସଂସ୍କରଣରେ ନିମ୍ନମତେ ସମ୍ୱାଦ ପ୍ରକାଶ ପାଇଥିଲା :
 
ଏହି ବିବାଦୀୟ ପରିସ୍ଥିତି ସଂପର୍କରେ ବିଧାୟକ ଡ଼ାକ୍ତର ରମେଶ ଚ଼ନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ବର୍ତ୍ତମାନ କେବଳ ବ୍ରହ୍ମପୁର ପୌରାଞ୍ଚଳକୁ ନେଇ ମହାନଗର ନିଗମ ଗଠିତ ହୋଇଛି ବୋଲି ସେ କହିଥିଲେ । ଏହା ସରକାରୀ ବିଜ୍ଞପ୍ତିରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି । ବିଜ୍ଞପ୍ତିରେ ଯେଉଁ ନୂତନ ଗ୍ରାମଗୁଡ଼ିକ ଉଲ୍ଲେଖ କରାଯାଇଛି ତାହା ମିଶ୍ରିତ ଗ୍ରାମ ନୁହେଁ ବରଂ ମହାନଗର ନିଗମର ଚ଼ତୁଃପାର୍ଶ୍ୱ ସୀମା ବୋଲି ଡ଼ାକ୍ତର ପଟ୍ଟନାୟକ କହିଛନ୍ତି ।
 
ବ୍ରହ୍ମପୁର ସହରର ଜନସଂଖ୍ୟା ୨୦୦୧ ଜନଗଣନା ଅନୁଯାୟୀ ୩ ଲକ୍ଷ ୭ ହଜାର ୭୯୨ ହିସାବ କରାଯାଇଥିଲା । ଓଡ଼ିଶା ମ୍ୟୁନସିପାଲ କର୍ପୋରେସନ ଆଇନ ୨୦୦୩ ଉପଧାରା (୧) ଧାରା ୩ ଅନୁଯାୟୀ ଯେକୌଣସି ସହରର ଜନସଂଖ୍ୟା ତିନି ଲକ୍ଷରୁ ଅଧିକ ହେଲେ ତାହାକୁ ମହାନଗର ନିଗମ ଭାବେ ଘୋଷଣା କରାଯିବା ପ୍ରାବଧାନ ରହିଲାଏଥିପୂର୍ବରୁ ୨୦୦୧ ପୌର ପରିଷଦ ବୈଠକରେ ବ୍ରହ୍ମପୁରକୁ ପୌର ନିଗମରେ ରୂପାନ୍ତରିତ କରିବା ନିମନ୍ତେ ବିଧିବଦ୍ଧ ପ୍ରସ୍ତାବ ଗ୍ରହଣ କରାଯାଇ ରାଜ୍ୟ ସରକାରଙ୍କୁ ପ୍ରେରଣ କରାଯାଇଥିବା ଅନୁପମ ଭାରତ ତା ୧୫.୦୨.୨୦୦୫ ସଂସ୍କରଣରେ ପ୍ରକାଶ ପାଇଥିଲା ।
 
ବ୍ରହ୍ମପୁର ପୌର ନିଗମ ଗଠନ ବେଳକୁ ସହରର ୱାର୍ଡ଼ ସଂଖ୍ୟା ୩୭ ଥିଲା । ସାଧାରଣତଃ ପୌର ନିର୍ବାଚନ ପୂର୍ବରୁ ୱାର୍ଡ଼ଗୁଡ଼ିକର ଭୋଟର ସଂଖ୍ୟା ବିଚାରକୁ ନେଇ ସୀମା ପୁନଃନିର୍ଦ୍ଧାରଣ କରାଯାଇଥାଏ । ୨୦୨୨ରେ ପ୍ରସ୍ତାବିତ ପୌର ନିର୍ବାଚନ ପୂର୍ବରୁ ଏଥିନେଇ ପୂର୍ବପ୍ରସ୍ତୁତିରେ ୱାର୍ଡ଼ ସଂଖ୍ୟା ୨୦୧୩ ନିର୍ବାଚନ ବେଳେ ନିର୍ଦ୍ଧାରିତ ୪୦ରୁ ଦୁଇ ବଢ଼ି ମାତ୍ର ୪୨ରେ ସୀମାବଦ୍ଧ ରହିବା ସ୍ପଷ୍ଟ ହୋଇଥିବା ୨୦୨୧ ନଭେମ୍ୱର ଶେଷ ସୁଦ୍ଧା ସୂଚ଼ନା ମିଳିଥିଲା ।
 
୨୦୧୧ର ଜନଗଣନା ଅନୁଯାୟୀ ବ୍ରହ୍ମପୁରରେ ଭୋଟରସଂଖ୍ୟା ୩ ଲକ୍ଷ ୫୬ ହଜାର ୫୯୮ ରହିଥିଲା ଅର୍ଥାତ ୨୦୦୧ରୁ ୨୦୧୧ ଦଶ ବର୍ଷ ମଧ୍ୟରେ ସହରର ଭୋଟର ସଂଖ୍ୟା ମାତ୍ର ୫୦ ହଜାର ବଢ଼ିଥିଲା । ୨୦୨୧ରେ ତ ଜନଗଣନା ମହାମାରୀ ହେତୁ ସଂଭବ ହୋଇପାରିନାହିଁ । ଏହି ଦଶ ବର୍ଷ ମଧ୍ୟରେ ଯଦି ଆଉ ୫୦ରୁ ୭୦ ହଜାର ବଢ଼ିଥାଏ, ତେବେ ବ୍ରହ୍ମପୁରର ମୋଟ ଭୋଟର ସଂଖ୍ୟା ଚାରି ଲକ୍ଷରୁ କିଛି ଅଧିକ ହୋଇଥିବା ଆକଳନ କରାଯାଇପାରେ । କିନ୍ତୁ ପୌର ନିଗମର ସୀମା ଯଦି ବଢ଼ି ସହରତଳି ଅଞ୍ଚଳ ସାମିଲ ହୋଇଥାନ୍ତା, ତେବେ ଭୋଟର ସଂଖ୍ୟା ଆଉ ଲକ୍ଷେରୁ ଦୁଇ ଲକ୍ଷ ବଢ଼ିବା ସଂଭବ ହୋଇପାରନ୍ତା ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ନଭେମ୍ୱର ୨୦୨୧ / ପୃଷ୍ଠା : ୮)

Friday, November 19, 2021

Memories of Football Tournaments / ସ୍ମୃତିରେ ଫୁଟବଲ ଟୁର୍ଣ୍ଣାମେଣ୍ଟ


 

ଏକଦା #ବ୍ରହ୍ମପୁର ଫୁଟବଲ ଟୁର୍ଣ୍ଣାମେଣ୍ଟ ନିମନ୍ତେ ପ୍ରସିଦ୍ଧି ଲାଭ କରିଥିଲା । ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ବିଗତ ଶତାଦ୍ଦୀର ଷଷ୍ଠ, ସପ୍ତମ ଓ ଅଷ୍ଟମ ଦଶକରେ ସହରରେ ନିୟମିତ ବାର୍ଷିକଭିତ୍ତିରେ ଫୁଟବଲ ମ୍ୟାଚ଼ମାନ ଆୟୋଜିତ ହୋଇଆସିଥିଲା । ଏଥିରେ ରାଜ୍ୟର ବିଭିନ୍ନ ସହର ସମେତ ପଡ଼ୋଶୀ ପଶ୍ଚିମବଙ୍ଗ, ବିହାର ଓ ଆନ୍ଧ୍ରପ୍ରଦେଶର ଫୁଟବଲ ଟିମ ଅଂଶଗ୍ରହଣ କରୁଥିଲେ । ଅଷ୍ଟମ ଦଶକରେ ଅନିୟମିତଭାବେ ୧୯୮୩, ୮୪, ୮୫ ଓ ୮୭ରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ପରେ କ୍ରମଶଃ ଏହି ପରମ୍ପରାର ଅନ୍ତ ଘଟିଥିଲା ।

 

ଦୈନିକ ଆଶାରେ ୨୭ ନଭେମ୍ୱର ୧୯୯୦ରେ ପ୍ରକାଶିତ ବ୍ରହ୍ମପୁର ଡ଼ାଏରୀରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ନିମ୍ନମତେ ବର୍ଣ୍ଣନା କରାଯାଇଥିଲା :

 

ବ୍ରହ୍ମପୁରବାସୀଙ୍କ ପାଇଁ ଫୟାଜ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଏକ ବିଶିଷ୍ଟ ଅନୁଭୂତି । ଦିନଥିଲା ପ୍ରାୟତଃ ପ୍ରତିବର୍ଷ ବସନ୍ତ ଋତୁରେ ଖଲ୍ଲିକୋଟ କଲେଜ ଖେଳ ପଡ଼ିଆରେ ମାସେ କାଳ ଚାଲୁଥିଲା ଫୁଟବଲ ମ୍ୟାଚ଼ । କଲେଜ ରୋଡ଼ ରାସ୍ତା କଡ଼େ କଡ଼େ କୃଷ୍ଣଚୂଡ଼ା ଗଛରେ ଯେତେବେଳେ ନାଲି ନାଲି ଫୁଲ ଫୁଟି ଉଠୁଥିଲା, ସ୍କୁଲ ପିଲାଏ ଧରିନେଉଥିଲେ ଯେ ଫୁଟବଲ ମ୍ୟାଚ଼ର ସମୟ ଆସି ପହଞ୍ଚିଗଲା ।

 

ପଡ଼ିଆର ପଶ୍ଚିମ ଭାଗର ଫୁଟବଲ କୋର୍ଟକୁ ଧରି ଆୟତନରେ ପ୍ରାୟ ଅର୍ଦ୍ଧେକ ଅଞ୍ଚଳରେ ଟିଣ ଘେରା ଯାଉଥିଲା । କୋର୍ଟ ଚ଼ର୍ତୁଦ୍ଦିଗରେ ଝାଉଁକାଠରେ ତିଆରି ହେଉଥିଲା ଏକ ଅଦଭୁତ ଧରଣର ଧାଡ଼ିକିଆ ଗ୍ୟାଲେରୀ । ଯାହାକି ଦେଶର ଅନ୍ୟ କେଉଁ ଖେଳ ପଡ଼ିଆରେ ଦେଖିବାକୁ ମିଳେନା । କିଛି ଦର୍ଶକ ସେଠି ବସୁଥିଲେ ଏବଂ ପଛରେ ଆଉ କେତେକ ଛିଡ଼ା ହୋଇ ଖେଳ ଉପଭୋଗ କରୁଥିଲେ । ନାଁ ତାର ଥିଲା ଗ୍ରୀନ ଷ୍ଟାଣ୍ଡ

 

କଲେଜର ଅର୍ଦ୍ଧନିର୍ମିତ ଗ୍ୟାଲେରୀ ବ୍ୟବହୃତ ହେଉଥିଲା ଏବଂ ଚେୟାର ବ୍ୟବସ୍ଥା ବି ହେଉଥିଲା । ଗ୍ରୀନଷ୍ଟାଣ୍ଡ, ଗ୍ୟାଲେରୀ ଓ ଚେୟାର ପାଇଁ ଟିକଟ ପଇସା ଦେଇ ଫୁଟବଲ ଖେଳ ଦେଖିବାରେ ଯେତିକି ଆନନ୍ଦ, ତାଠାରୁ ଅଧିକ ରୋମାଞ୍ଚକର ଥିଲା ଗ୍ରାଉଣ୍ଡ ଚାରିପଟର ବଡ଼ ବଡ଼ ଗଛରେ ଚଢ଼ି ଘଣ୍ଟାକର ଖେଳ ଉପଭୋଗ କରିବାର ଅନୁଭୂତି ।

 

ବ୍ରହ୍ମପୁର ଫୁଟବଲ ଟୁର୍ଣ୍ଣାମେଣ୍ଟ ଘେନି ଆସୁଥିଲା ଏକ ଉତ୍ସବମୁଖର ପରିବେଶ । ସହରର ଓକିଲ, ଅଧ୍ୟାପକଙ୍କଠାରୁ ଆରମ୍ଭ କରି ମାଂସବାଲା, ରିକ୍ସାବାଲା ଯାଏଁ ସଭିଏଁ ଏହି ମୌଳିକ ସାଂସ୍କୃତିକ ମହୋତ୍ସବରେ ସାମିଲ ହେଉଥିଲେ । ପୁରୁଣା ବନ୍ଧୁଙ୍କ ସହ ଦେଖା ହେଉଥିଲା । ନୂଆ ଅମଳକରା ସିଝା ଭଜା ଚିନାବାଦାମ ପୁଡ଼ିଆ ସହ ଜମି ଉଠୁଥିଲା ଆନ୍ତରିକତାର ଆଳାପ ଆଲୋଚ଼ନା ।

 

XX ‘ଫୟାଜ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ’ ‘ଗଞ୍ଜାମ ଜିଲ୍ଲା ଏଥେଲେଟିକ ଏସୋସିଏସନ ଆନୁକୂଲ୍ୟରେ ଆୟୋଜିତ ହୋଇଥାଏ । ଦେଶ ସ୍ୱାଧୀନ ହେବାପରେ ୧୯୪୯ ମସିହାରେ ଗଞ୍ଜାମ ଜିଲ୍ଲା ଏଥେଲେଟିକ ଏସୋସିଏସନ ଗଠିତ ହୋଇଥିଲା । ସେହି ସମୟରେ ସହରର ବିଶିଷ୍ଟ ଚ଼ିକିତ୍ସକ ଡ଼ାକ୍ତର ଫିରୋଜ ଅଲ୍ଲୀ ଏହି ସଂଘ ଗଠନରେ ଅନ୍ୟତମ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଡ଼ାକ୍ତର ଅଲ୍ଲୀଙ୍କ ଉଦ୍ୟମ ଓ ପୃଷ୍ଠପୋଷକତାରେ ତାଙ୍କରି ପିତାଙ୍କ ସ୍ମୃତିରେ ୧୯୫୦ ମସିହାରେ ଆରମ୍ଭ ହୁଏ ଅଲ-ଇଣ୍ଡିଆ ଫୟାଜ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ

 

ବ୍ରହ୍ମପୁରରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କେବଳ ସହର କାହିଁକି ଆଖପାଖ ଅଞ୍ଚଳରେ ମଧ୍ୟ କ୍ରୀଡ଼ା ସଂସ୍କୃତି ପ୍ରସାରରେ ସହାୟକ ହେଉଥିଲା । ସହରରେ ବିଛୁରିତ ଖେଳପଡ଼ିଆଗୁଡ଼ିକରେ ତ ବର୍ଷସାରା ପିଲାଏ ଫୁଟବଲ ଖେଳୁଥିଲେ । ସାହୀ ସାହୀ ମଧ୍ୟରେ ମ୍ୟାଚ଼ ଆୟୋଜନ, ଫୁଟବଲ ଚର୍ଚ୍ଚାରେ କିଶୋର ଓ ଯୁବ ପୀଢ଼ି ନିମଜ୍ଜି ଯାଉଥିଲେ ।

 

ଏଠାକାର ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ବନ୍ଦର ମୁଖ୍ୟକାରଣ ଆର୍ଥିକ ଦୁରାବସ୍ଥା । ଆୟୋଜକମାନଙ୍କ ମତରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ନିମନ୍ତେ ଆବଶ୍ୟକ ଅର୍ଥ ଟିକଟ ବିକ୍ରୀରୁ ଭରଣା ହୋଇପାରୁ ନଥିଲା । ଖଲ୍ଲିକୋଟ କଲେଜ ଗ୍ରାଉଣ୍ଡର ଅର୍ଦ୍ଧେକ ଅଞ୍ଚଳକୁ ଟିଣ ଘେରାଇବାରେ ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା । ତେବେ ୧୯୮୮ରୁ ବ୍ରହ୍ମପୁର ଷ୍ଟାଡ଼ିଏମ ଉଦଘାଟିତ ହେବା ପରେ ପୁରୁଣା ସମସ୍ୟାକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା ! କିନ୍ତୁ ଆଗ୍ରହ ଅଭାବରୁ ଟୁର୍ଣ୍ଣାମେଣ୍ଟ ଆୟୋଜନ ସମ୍ଭବ ହୋଇପାରୁ ନାହିଁ ।

 

ଫିରୋଜ ଅଲ୍ଲୀ କହୁଥିଲେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ବେଳେ ଆୟୋଜନରେ ମୋଟ ପାଞ୍ଚ ହଜାର ଟଙ୍କା ଖର୍ଚ୍ଚ ହେଉଥିଲା । ବର୍ତ୍ତମାନ ତାହା  ପନ୍ଦରରୁ ପଚ଼ିଶି ଲକ୍ଷକୁ ବୃଦ୍ଧି ପାଇପାରେ । ତେବେ ଆଜିକାଲି ବଡ଼ ଉତ୍ସବାନୁଷ୍ଠାନ ଆୟୋଜନ ଲାଗି ବୃତ୍ତିଭିତ୍ତିକ ବ୍ୟାବସାୟିକ ସଂସ୍ଥା ଇଭେଣ୍ଟ ମେନେଜର୍ସଙ୍କ ସୁବିଧା ମିଳିଲାଣି । ଫୁଟବଲ ଭଳି ଖେଳ ବିପୁଳ ଦର୍ଶକଙ୍କୁ ଆକର୍ଷିତ କରୁଥିବା ହେତୁ ବିଜ୍ଞାପକମାନେ ଉତ୍ସବଗୁଡ଼ିକର ପ୍ରାୟୋଜକ ହେବାକୁ ଆଗେଇ ଆସୁଛନ୍ତି । ପୁଣି ଥରେ ବ୍ରହ୍ମପୁରରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରାଯାଇ ପାରିବକି ? ଏଦିଗରେ ବିଚାରବିମର୍ଷ ହେଲେ କେମିତି ହୁଅନ୍ତା ?


ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୦ ନଭେମ୍ୱର ୨୦୨୧ / ପୃଷ୍ଠା : ୮)


Photo by Wesley Tingey on Unsplash

Sunday, November 14, 2021

Horse-drawn Carriage / ଘୋଡ଼ାଗାଡ଼ି ‘ଝାଟକା’

 


#ବ୍ରହ୍ମପୁର ସହରର ରାସ୍ତାଘାଟରେ ସ୍ୱାଧୀନୋତ୍ତର ଅବସ୍ଥାରେ ସାଇକଲ ରିକ୍ସାର ପ୍ରଚଳନ ପୂର୍ବରୁ ଘୋଡ଼ାଟଣା ଝାଟକା ସାଧାରଣ ପରିବହନ ରୂପେ ବ୍ୟବହୃତ ହୋଇଆସିଥିଲା । ଷଷ୍ଠ ଓ ସପ୍ତମ ଦଶକରେ ସହରରେ ଉଭୟ ଝାଟକା ଓ ରିକ୍ସା ଯାତ୍ରୀ ଓ ମାଲ ପରିବହନରେ ନିୟୋଜିତ ଥିଲେଏହି କୋଡ଼ିଏ ବର୍ଷ ମଧ୍ୟରେ ବ୍ରହ୍ମପୁରରେ ଜନସଂଖ୍ୟା ଓ ଆୟତନ ବୃଦ୍ଧି ସଙ୍ଗେ ଝାଟକା ସଂଖ୍ୟା କମିଲା ଓ ରିକ୍ସା ସଂଖ୍ୟା ବଢ଼ିଚାଲିଲା । ଅଷ୍ଟମ ଦଶକରୁ ଝାଟକାର ଅସ୍ତିତ୍ୱ ପ୍ରାୟ ହଜି ଯାଇଥିଲା ।

 

ପୂର୍ବ-ଏସୀୟ ରାଷ୍ଟ୍ରଗୁଡ଼ିକରେ ସାଇକଲ ରିକ୍ସା ପ୍ରଚଳନ ପରେ ପରେ କୋଲକତାରେ ଏହି ଯାନ ୧୯୩୦ରେ ଆସି ପହଞ୍ଚି କ୍ରମଶଃ ସାରା ଭାରତକୁ ବ୍ୟାପିଥିଲା । ଏଥିପୂର୍ବରୁ ସର୍ବତ୍ର ଘୋଡ଼ାଗାଡ଼ି ସାଧାରଣ ପରିବହନର ସ୍ଥାନ ଅଧିକାର କରିଥିଲାଉତ୍ତର ଭାରତରେ ଏହାକୁ ଟାଙ୍ଗା କୁହାଯାଉଥିବା ସ୍ଥଳେ ଦକ୍ଷିଣ ଭାରତରେ ଝାଟକା ନାମିତ । କର୍ଣ୍ଣାଟକ, ତେଲଙ୍ଗନା, ଆନ୍ଧ୍ର ପ୍ରଦେଶରେ ଘୋଡ଼ାଗାଡ଼ିର ଆକାର ପ୍ରକାର ସମାନ ବ୍ରହ୍ମପୁରରେ ଦାକ୍ଷିଣାତ୍ୟ ଝାଟକାର ଆକାର ପ୍ରଭାବିତ ହୋଇଥିଲେହେଁ ଦେଖିବାକୁ ଅପେକ୍ଷାକୃତ ସୁନ୍ଦର ଓ ପ୍ରଶସ୍ତ । ଏଠାକାର ସାଇକଲ ରିକ୍ସାର ଆକାର ଯେପରି ପୁରୀ, କଟକ ବା ବିଶାଖପାଟଣା, ହାଇଦରାବାଦ ରିକ୍ସା ତୁଳନାରେ ସୁନ୍ଦର ଓ ଫର୍ଚ୍ଚା, ତାହା ଝାଟକାର ଆକାରରେ ମଧ୍ୟ ପ୍ରତିଫଳିତ ହେଉଥିଲା । ସଂଭବତଃ ବ୍ରହ୍ମପୁର ସମତଳ ଅଞ୍ଚଳରେ ଗଢ଼ି ଉଠିଥିବା ହେତୁ ରାସ୍ତାଘାଟରେ ଯାନବାହାନ ସ୍ୱଚ୍ଛନ୍ଦରେ ଚଳାଚଳ ନିମନ୍ତେ ଅସୁବିଧା ନଥାଏ ।

 

ଝାଟକା ଗୋଟିଏ ଘୋଡ଼ା ଟାଣେ । ଏହାର ଚକଗୁଡ଼ିକ ବଡ଼ । ଘୋଡ଼ା ପଛପଟେ ଚାଳକ ବସେ ଏବଂ ତାପଛରେ ଯାତ୍ରୀ ବା ମାଲ ପରିବହନ ପାଇଁ ସ୍ଥାନ ଥାଏ । ଯାତ୍ରୀମାନେ ଝାଟକାର ପଛପଟୁ ଗାଡ଼ିରେ ଚଢ଼ନ୍ତି । ଝାଟକାରେ ସାଧାରଣତଃ ନଡ଼ା ଉପରେ ପଟି ପଡିଥାଏ । ତାହା ଉପରେ ଯାତ୍ରୀ ବସନ୍ତି । ଦୁଇ ଚକ ମଧ୍ୟରେ ଝାଟକାର ନିମ୍ନଭାଗରେ ଘୋଡ଼ାର ଆହାର ଘାସ ରଖିବା ନିମନ୍ତେ ସୁବିଧା ଥାଏ । ଝାଟକାରେ ତିନି ଜଣ ଯାତ୍ରୀ ସ୍ୱଚ୍ଛଳରେ ବସି ଯାତ୍ରା କରିପାରନ୍ତି । ମାଲପରିବହନ କ୍ଷମତା ପ୍ରାୟ ୭୫ କିଲୋଗ୍ରାମରୁ କୁଇଣ୍ଟାଲ ଯାଏଁ ବଢ଼େ ।

 

ବ୍ରହ୍ମପୁର ସହର ଜନ୍ମକାଳରୁ ଦକ୍ଷିଣ ଭାରତ ସହ ରାଜନୀତିକ, ବ୍ୟାବସାୟିକ ଓ ସାମାଜିକସ୍ତରରେ ଅଙ୍ଗାଙ୍ଗୀଭାବେ ଜଡ଼ିତ ହୋଇ ରହିଥିବା ହେତୁ ଏଠାରେ ଝାଟକାର ପ୍ରଚଳନ ଜନବସତି ସ୍ଥାପନ ପରେ ପରେ ଆରମ୍ଭ ହୋଇଯାଇଥିବା ଅନୁମାନ କରାଯାଏ । ପ୍ରାଥମିକ ଅବସ୍ଥାରେ ହାଇଦରାବାଦ ନିଜାମଙ୍କ ଶାସନକାଳରୁ  ଆନ୍ଧ୍ରଭାଷାଭାଷୀ  ସାହୁକାରମାନେ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ଚାଷଜମି ଅଧିଗ୍ରହଣ କରି ବ୍ରହ୍ମପୁରରେ ବସବାସ ଆରମ୍ଭ କରିଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜର ବ୍ୟକ୍ତିଗତ ଝାଟକା ରଖୁଥିଲେ । ଏହାକୁ ବ୍ୟବହାର କରି ନିଜ ସମ୍ପତ୍ତି ପରିଦର୍ଶନ କରୁଥିଲେ । ପରବର୍ତ୍ତୀ ଅବସ୍ଥାରେ ଗୋପାଳପୁର ବନ୍ଦର ଗଢ଼ି ଉଠିବା ପରେ ରପ୍ତାନୀ ଓ ଆମଦାନୀରେ ସଂପୃକ୍ତ ବ୍ୟବସାୟୀଗଣ ବଡ଼ବଜାରରେ ସ୍ଥାପିତ ଦୋକାନରୁ ଗୋପାଳପୁର ନିୟମିତ ଝାଟକା ଯୋଗେ ଯାଆସ କରୁଥିଲେ । ଶେଷ ଅବସ୍ଥାରେ ଊନବିଂଶ ଶତାଦ୍ଦୀ ଶେଷାର୍ଦ୍ଧରେ ବ୍ୟକ୍ତିଗତ ପ୍ରାଇଭେଟ ସହ ସାର୍ବଜନୀନ ପବ୍ଲିକ ଝାଟକା ପ୍ରଚଳିତ ହୋଇଥିଲା ।

 

ରେଳଷ୍ଟେସନ ଓ ବସଷ୍ଟାଣ୍ଡରେ ଦୁଇଗୋଟି ବଡ଼ ଝାଟକା ଷ୍ଟାଣ୍ଡ ଥିଲା । ଏଥିରେ ବହୁ ସଂଖ୍ୟାରେ ଝାଟକା ରହେ । ଗ୍ରାହକ ବରାଦ କଲେ ଝାଟକା ଭଡ଼ାରେ ଯାଏ । ବଡ଼ବଜାର, ସାନବଜାର, ଭିକ୍ଟୋରିଆ ମାର୍କେଟ, ଭାପୁର ବଜାର, କୋର୍ଟପେଟା କଚ଼େରୀ ଭଳି ଛକ ସ୍ଥାନଗୁଡ଼ିକରେ ମଧ୍ୟ ଝାଟକା ଷ୍ଟାଣ୍ଡ ରହିଥିଲା । ବ୍ରହ୍ମପୁରରେ ପାଇପଯୋଗେ ଜଳଯୋଗାଣ ଆରମ୍ଭ ପରେ ପୌର ପାଳିକା ପକ୍ଷରୁ ନିର୍ମିତ ସର୍ବସାଧାରଣ ବ୍ୟବହାରଯୋଗ୍ୟ ଷ୍ଟାଣ୍ଡପୋଷ୍ଟଗୁଡ଼ିକ ପାର୍ଶ୍ୱରେ ଝାଟକା ଘୋଡ଼ା ଓ ଅନ୍ୟାନ୍ୟ ପଶୁଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ବଡ଼ ବଡ଼ ପାଣିକୁଣ୍ଡର ବ୍ୟବସ୍ଥା କରାଯାଇଥିଲା । ଭାପୁର ବଜାର ଓ ବଡ଼ ବଜାର ଦେଶୀ ବେହେରା ସାହୀଠାରେ ଅଧୂନା ତ୍ରିନାଥ ମନ୍ଦିର ଗଢ଼ି ଉଠିଥିବା ସ୍ଥାନରେ ଚୂନ ନିର୍ମିତ ପାଣିକୁଣ୍ଡ ଅଷ୍ଟମ ଦଶକ ଯାଏଁ ରହିଥିଲା ।

 

ଝାଟକା ଚାଳନା ଏକ କୌଳିକ ବୃତ୍ତିରୂପେ ପରିଗଣିତ ହେଉଥିଲା । ସହରର ଓକିଲମାନେ ପ୍ରାୟତଃ କୋର୍ଟ କଚ଼େରୀରୁ ଦୂରରେ ବସବାସ କରୁଥିବା ହେତୁ ଝାଟକାରେ ଯିବା ଆସିବା କରୁଥିଲେ । ଘରୋଇ ଡ଼ାକ୍ତରମାନେ ଝାଟକାରେ ରୋଗୀଙ୍କ ଘରକୁ ପରିଦର୍ଶନରେ ଆସିବା ପ୍ରଚଳିତ ଥିଲା । ସର୍ବସାଧାରଣ ବ୍ୟବହାରଯୋଗ୍ୟ ଝାଟକା ଦର ମୂଲଚାଲରେ ସ୍ଥିର କରାଯାଉଥିଲା । ବହୁ ସମୟରେ ଦରକୁ ନେଇ ଉପଭୋକ୍ତାମାନେ ଅସନ୍ତୋଷ ପ୍ରକାଶ କରୁଥିଲେ । ସାଇକଲ ରିକ୍ସାର ପ୍ରଚଳନପରେ ଏହାର ଭଡ଼ା ଝାଟକାଠାରୁ କମ ରହିବା ହେତୁ ଉପଭୋକ୍ତା ରିକ୍ସାକୁ ପସନ୍ଦ କଲେ । ଗ୍ରାମାଞ୍ଚଳରୁ ବହୁ ସଂଖ୍ୟକ ସହରରେ କର୍ମ ନିଯୁକ୍ତି ପାଇଁ ପହଞ୍ଚୁଥିବା ହେତୁ ରିକ୍ସା ଚାଳନା ଏକ ସହଜ କର୍ମନିଯୁକ୍ତି ରୂପେ ପ୍ରବର୍ତ୍ତିତ ହେଲା । ଫଳରେ ରିକ୍ସା ସଂଖ୍ୟା ବଢ଼ିଲା ଏବଂ ଝାଟକା ଲୋକପ୍ରିୟତା ହରାଇ ବସିଲା । ରିକ୍ସାଠାରୁ ଝାଟକା ଅଧିକ ମାଲ ପରିବହନ କରିପାରୁଥିବା କାରଣରୁ ଝାଟକା ଦିନକେତେ ବ୍ରହ୍ମପୁରରେ ମାଲ ପରିବହନରେ ନିୟୋଜିତ ହେଲା । କିନ୍ତୁ ପଟ୍ଟାରିକ୍ସାର ପ୍ରଚଳନପରେ ମାଲ ପରିବହନ କ୍ଷେତ୍ରରେ ମଧ୍ୟ ପ୍ରତିଯୋଗିତାର ସାମ୍ନା କରିପାରିଲା ନାହିଁ । ବ୍ରହ୍ମପୁରରେ ଝାଟକା ଇତିହାସ ପାଲଟିଗଲା ।


Photo by Kelly Forrister on Unsplash



Friday, November 5, 2021

Andhra Mahila Samiti / ଆନ୍ଧ୍ର ମହିଳା ସମିତି

 


#ବ୍ରହ୍ମପୁର ଗିରି ମାର୍କେଟ ସଂଲଗ୍ନ ଆନ୍ଧ୍ର ମହିଳା ସମିତିର ପୁରାତନ କୋଠାଟି ୨୦୨୧ ବର୍ଷା ଋତୁରେ ଭୁଷୁଡ଼ି ଭାଙ୍ଗିରୁଜି ଯାଇଥିଲା । ପ୍ରକାଶମ ହଲ ପଛପଟେ ଅବସ୍ଥିତ ଆନ୍ଧ୍ର ମହିଳା ସମାଜ ପ୍ରାଙ୍ଗଣରେ ଦୁଇଗୋଟି କୋଠା ଥିଲା । ପୁରୁଣା କୋଠାଟିର ନିର୍ମାଣ କାର୍ଯ୍ୟ ୧୯୧୫ରେ ସରି ଉଦଘାଟିତ ହୋଇଥିଲା । ଅର୍ଥାତ ଭୁଷୁଡ଼ି ଯାଇଥିବା କୋଠାଟି ୧୦୬ ବର୍ଷର ଐତିହ୍ୟ ବହନ କରୁଥିଲା । ଅବଶ୍ୟ ମହିଳା ସମିତି ପାଇଁ ନୂଆ କୋଠା ନିର୍ମାଣ ସରିବା ପରେ ପୁରୁଣା କୋଠାଟି ପ୍ରାୟତଃ ଅବ୍ୟବହୃତ ଅବସ୍ଥାକୁ ଆସିଯାଇଥିଲା ।
 
କୁହାଯାଏ ଯେ ଆନ୍ଧ୍ର ମହିଳା ସମିତି ଗଠନ ପରେ ସ୍ଥାୟୀ କାର୍ଯ୍ୟାଳୟ ସ୍ଥାପନ ଉଦ୍ଦେଶ୍ୟରେ ୧୯୦୯ରୁ ଉଦ୍ୟମ ଆରମ୍ଭ ହୋଇଥିଲା । ବ୍ରହ୍ମପୁର ପୌରପାଳିକାଠାରୁ ଜମି ଅଧିଗ୍ରହଣ ପରେ ସ୍ଥାନୀୟ ତେଲୁଗୁ ମହିଳା ନେତ୍ରୀମାନେ ଦାନ ସଂଗ୍ରହ କରି ନିର୍ମାଣ କାର୍ଯ୍ୟକୁ ଆଗାଇଥିଲେ ଏବଂ ଏହି ପ୍ରକ୍ରିୟା ପ୍ରାୟ ପାଞ୍ଚ ଛଅ ବର୍ଷ ଧରି ଚାଲିଥିଲା
 
ପ୍ରକାଶମ ହଲ ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜର ପ୍ରେକ୍ଷାଳୟ । ବ୍ରହ୍ମପୁରରେ ଆନ୍ଧ୍ର ଭାଷା, ସାହିତ୍ୟ ଓ ସଂସ୍କୃତିର ସଂରକ୍ଷଣ ଉଦ୍ଦେଶ୍ୟରେ ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜ ୧୯୦୯ରେ ସଂଗଠିତ ହୋଇଥିଲା । ଠିକ ସେହି ସମୟରେ ହିଁ ଆନ୍ଧ୍ର ମହିଳା ସମାଜ ଅନୁରୂପ ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିଲା । ଏଠାରେ ସପ୍ତାହରେ ଥରେ ସଦସ୍ୟାମାନେ ବୈଠକରେ ଏକତ୍ରୀତ ହୋଇ ଆଲୋଚ଼ନା କରିଥାନ୍ତି । ଆନ୍ଧ୍ର ମହିଳା ସମାଜ ଆନୁକୂଲ୍ୟରେ ଏକ ପାଠାଗାର ଚାଲୁଥିଲା ଏବଂ ସପ୍ତାହରେ ଦୁଇଦିନ ପ୍ରତି ମଙ୍ଗଳ ଓ ଗୁରୁବାର ଦିନ ବ୍ୟବହାର ପାଇଁ ଖୋଲାଯାଉଥିଲା ।
 
ବ୍ରହ୍ମପୁରରେ ୧୯୮୨ରେ ଦୂରଦର୍ଶନ ଏବଂ ୧୯୯୨ରେ ଘରୋଇ କେବଲ ଟେଲିଭିଜନ ସଂସ୍କୃତି ପ୍ରବେଶ ପୂର୍ବାବସ୍ଥା ଯାଏଁ ଆନ୍ଧ୍ର ମହିଳା ସମାଜର କାର୍ଯ୍ୟକ୍ରମ ଚଳଚଞ୍ଚଳ ରହିଆସିଥିଲା । ସହରରେ ଆନ୍ଧ୍ର ଭାଷାଭାଷୀ ମହିଳାଙ୍କ ନିମନ୍ତେ ମୁଖ୍ୟତଃ ଏସ.ଏସ.ଭି.ଟି ଟକିଜରେ ଆନ୍ଧ୍ର ଚଳଚ଼ିତ୍ର ପ୍ରଦର୍ଶନ ବ୍ୟତୀତ ମନୋରଞ୍ଜନର ଅନ୍ୟ କୌଣସି ସୁବିଧା ନଥିବା ହେତୁ ଶିକ୍ଷିତାମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂପୃକ୍ତ ରହୁଥିଲେ । ବିଗତ ଶତାଦ୍ଦୀର ଷଷ୍ଠ, ସପ୍ତମ ଓ ଅଷ୍ଟମ ଦଶକରେ ଆନ୍ଧ୍ର ସମ୍ୱାଦପତ୍ର ଓ ପତ୍ରପତ୍ରିକା ସର୍ବାପେକ୍ଷା ଲୋକପ୍ରିୟତା ହାସଲ କରିଥିଲା । ଆନ୍ଧ୍ର ଭାଷାଭାଷୀମାନଙ୍କ  ମଧ୍ୟରେ ଆନ୍ଧ୍ର ସାହିତ୍ୟର ବ୍ୟାପକ ପ୍ରଭାବ ଅନୁଭୂତ ହେଉଥିଲା । ଏହି ଅବସରରେ ଆନ୍ଧ୍ର ମହିଳା ସମାଜର ପାଠାଗାର ଏବଂ ଏଥିସଂଲଗ୍ନ ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜର ଗ୍ରନ୍ଥାଗାରର ଗୁରୁତ୍ୱ ବୃଦ୍ଧି ପାଇଥିଲା । ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜର ପାଠାଗାର ପ୍ରତିଦିନ ସଂଧ୍ୟାରେ ଖୋଲାଯାଉଥିଲେହେଁ ସେଠାକୁ ମହିଳାମାନେ ପ୍ରବେଶ କରୁନଥିଲେ । କିନ୍ତୁ ଗ୍ରନ୍ଥାଗାରରୁ ପୁସ୍ତକ ସଂଗ୍ରହରେ ବାରଣ ନଥିଲା ।
 
ଆନ୍ଧ୍ର ମହିଳା ସମାଜ ପକ୍ଷରୁ ଉତ୍ସାବାନୁଷ୍ଠାନରେ ଆନ୍ଧ୍ର ପ୍ରଦେଶରୁ ଖ୍ୟାତନାମା ବକ୍ତାମାନେ ଯୋଗ ଦେଉଥିଲେ । ଏହାର ରୌପ୍ୟ ଜୟନ୍ତୀ ୧୯୩୧, ସୁବର୍ଣ୍ଣ ଜୟନ୍ତୀ ୧୯୫୯ ଏବଂ ପ୍ଳାଟିନମ ଜୁବୁଲୀ ୧୯୭୨ରେ ପାଳିତ ହୋଇଥିଲା । ସମାଜ ପକ୍ଷରୁ ନାଟକ ମଞ୍ଚସ୍ଥ ଏବଂ କବି ସମ୍ମିଳନୀ ଆୟୋଜନ ପରମ୍ପରା ରହିଥିଲା । ଶ୍ରୀକୃଷ୍ଣ ତୁଳାଭରମ ନାମକ ଏକ ନାଟକ ପ୍ରଦର୍ଶନ ସହରର ଆନ୍ଧ୍ରଭାଷାଭାଷୀଙ୍କ ମଧ୍ୟରେ ଏକ ଗୌରବଜ୍ଜଳ ଅନୁଭୂତି । ଏଥିଲାଗି ସମାଜ ପ୍ରାଙ୍ଗଣରେ ଏକ ମୁକ୍ତାକାଶ ରଙ୍ଗମଞ୍ଚ ନିର୍ମିତ ହୋଇଥିଲା । ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ସମାଜ ପକ୍ଷରୁ ଟେଇଲରିଂ, ଏମ୍ୱ୍ରଡ଼ରି ଓ ସଙ୍ଗୀତ ଶିକ୍ଷାର ବ୍ୟବସ୍ଥା କରାଯାଉଥିଲା ।
 
ବ୍ରହ୍ମପୁରରେ ଟେଲିଭିଜନ ସଂସ୍କୃତି ପ୍ରବେଶପରେ ଓଡ଼ିଆ ଭଳି ଆନ୍ଧ୍ର ଭାଷାଭାଷୀଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଶୀଥିଳ ପଡ଼ିଯାଇଥିବା ଲକ୍ଷ୍ୟ କରାଯାଏ । ମହାମାରୀ-ପର ଅବସ୍ଥାରେ ସହରବାସୀଙ୍କ ମଧ୍ୟରୁ ଅର୍ଦ୍ଧେକ ଦୈନିକ ହାରାହାରି ପାଞ୍ଚ ଘଣ୍ଟା ଯାଏଁ ମୋବାଇଲ ଫୋନରେ ସମୟ ବିତାଉଥିବା ହେତୁ କ୍ରମଶଃ ପାରସ୍ପରିକ ଯୋଗାଯୋଗଠାରୁ ଆରମ୍ଭ କରି ସାମାଜିକ ଓ ସାଂସ୍କୃତିକ ସଂପୃକ୍ତି ମୋବାଇଲ ଫୋନ ପରଦାରୁ ସ୍ଥାନାନ୍ତରିତ ହେବାରେ ଲାଗିଛି । ମୋବାଇଲ ଇଣ୍ଟରନେଟ ପରକୁ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ, ଆଗୁମେଣ୍ଟଡ଼ ରିଆଲିଟି ଓ ଇମେରସିଉଭ ଟେକନୋଲଜି ସମୃଦ୍ଧ ମେଟାଭର୍ସ ପହଞ୍ଚୁଥିବା ଅବସରରେ ଭର୍ଚୁଆଲ ପରିବେଶ ଜନସମାଜରେ ଆଦୃତ ହେବା ସୁନିଶ୍ଚିତ । ଏହି ପରିପେକ୍ଷୀରେ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ନିଜ ସ୍ଥାନ ଭର୍ଚୁଆଲ ଜଗତରେ ଖୋଜିବାହାର କରିବା ସମୟ ଉପନୀତ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୬ ନଭେମ୍ୱର ୨୦୨୧ / ପୃଷ୍ଠା : ୮)

Photograph : odishabytes.com

Friday, October 29, 2021

Sub-Urban Areas / ସହରତଳି ଅଞ୍ଚଳ

 


#ବ୍ରହ୍ମପୁର ସହରତଳି ଅଞ୍ଚଳ ମଧ୍ୟରେ ୧୮ଗୋଟି ଗ୍ରାମପଞ୍ଚାୟତ ଚର୍ଚ୍ଚାର ପରିସରକୁ ଆସିଥାଏ । ବ୍ରହ୍ମପୁରର ପରିସୀମା ବଢ଼ିଚାଲିଥିବା ଅବସରରେ ସଂଲଗ୍ନ ଗ୍ରାମାଞ୍ଚଳରେ ଜନସାଧାରଣ ଘରଦ୍ୱାର ନିର୍ମାଣ କରି ବସବାସ ଆରମ୍ଭ କରିଆସିଛନ୍ତି । ତେବେ ପ୍ରଶାସନିକ ଦୃଷ୍ଟିରୁ ସେହି ଅଞ୍ଚଳଗୁଡ଼ିକ ବିଭିନ୍ନ ଗ୍ରାମପଞ୍ଚାୟତ ଅଧୀନରେ ରହିଥିବା ହେତୁ ସହରତଳି ଅଞ୍ଚଳବାସୀ ବ୍ରହ୍ମପୁର ପୌରପାଳିକାର ସେବା ପାଇପାରିନଥାନ୍ତି । ସହରତଳି ଅଞ୍ଚଳଗୁଡ଼ିକୁ ପୌରପାଳିକା ଅନ୍ତର୍ଭୁକ୍ତ କରିବା ପାଇଁ ଦାବୀ ଉତ୍ ଥାପନ ଏବଂ ସମୟାନ୍ତେ କିଛି ଅଞ୍ଚଳକୁ ପୌରପାଳିକା ପରିସରଭୁକ୍ତ କରାଯିବା ଏକ କ୍ରମାଗତ ପ୍ରକ୍ରିୟା ।
 
ବ୍ରହ୍ମପୁର ମହାନଗର ନିଗମ ୨୦୦୮ରେ ଗଠିତ ହେବା ସମୟରେ ସହରର ଜନସଂଖ୍ୟା ନିର୍ଦ୍ଧାରିତ ସୀମାରେ ପହୁଞ୍ଚାଇବା ନିମନ୍ତେ ସହରତଳି ଅଞ୍ଚଳର ୧୮ଗୋଟି ଗ୍ରାମପଞ୍ଚାୟତକୁ ପୌରପାଳିକା ଅଧୀନକୁ ଅଣାଯିବା ପ୍ରସ୍ତାବ ରହିଥିଲା । ଏତଦ୍ୱାରା ସହରତଳି ଅଞ୍ଚଳରେ ଅବାଧରେ ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ନିର୍ମାଣ, ଆଲୋକ ଓ ନର୍ଦ୍ଦମା ବ୍ୟବସ୍ଥା ତଥା ଜନ ସ୍ୱାସ୍ଥ୍ୟସେବା ଇତ୍ୟାଦି ଉପଲବ୍ଧ ହୋଇପାରିବତେବେ ଦୀର୍ଘ ୧୪ ବର୍ଷ ଧରି ତାହା ସଂଭବ ହୋଇନାହିଁପ୍ରଶାସନିକସ୍ତରରେ ଏଥିଲାଗି ଉଦ୍ୟମ ଅବ୍ୟାହତ ରହିଥିବା କୁହାଯାଉଛି ।
 
ସାଧାରଣତଃ ପୌର ନିର୍ବାଚ଼ନକାଳରେ ସହରର ୱାର୍ଡଗୁଡ଼ିକର ସୀମା ପୁନଃନିର୍ଦ୍ଧାରିତ ହୋଇଥାଏ । ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୦୧ ଜନଗଣନା ଆଧାରରେ ୨୦୦୩ରେ ଅନୁଷ୍ଠିତ ବ୍ରହ୍ମପୁର ପୌର ନିର୍ବାଚନରେ ୨୭ ଗୋଟି ୱାର୍ଡକୁ ପରିସରଭୁକ୍ତ କରାଯାଇଥିଲା । ୨୦୦୮ ନିର୍ବାଚନରେ ୱାର୍ଡ ସଂଖ୍ୟା ୩୭ ଓ ୨୦୧୩ରେ ୪୦ରେ ପହଞ୍ଚିଥିଲା । ପରବର୍ତ୍ତୀ ନିର୍ବାଚନ ୨୦୧୮ରେ ଅନୁଷ୍ଠିତ ହୋଇପାରି ନଥିଲା ଏବଂ ୨୦୨୨ରେ ଆୟୋଜନ ନିମନ୍ତେ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି ।
 
ଅସମର୍ଥିତ ସୂତ୍ର ଆକଳନ ଅନୁଯାୟୀ ବ୍ରହ୍ମପୁର ସହରର ଜନସଂଖ୍ୟା ପାଞ୍ଚ ଲକ୍ଷରେ ପହଞ୍ଚିଛି । ସହରତଳି ଅଞ୍ଚଳରେ ଅଧିକା ପ୍ରାୟ ଅଢ଼େଇ ଲକ୍ଷ ଜନସାଧାରଣ ବସବାସ କରୁଥିବା ହିସାବ କରାଯାଏ । ସହରଗୁଡ଼ିକର ପରିସୀମା ସର୍ବଦା କ୍ରମବର୍ଦ୍ଧିଷ୍ଣୁ । ବ୍ରହ୍ମପୁର ପୌରପାଳିକା ୧୮୬୭ରେ ଗଠିତ ହେବା ବେଳକୁ ସହରାଞ୍ଚଳ କେବଳ ବଡ଼ବଜାର, ସାନବଜାର ଓ ପୁରୁଣା ବ୍ରହ୍ମପୁର ମଧ୍ୟରେ ସୀମିତ ଥିବା ଜଣାଯାଏ । ଏପରିକି ଭାପୁର ବଜାର ଏକ ଆଦର୍ଶ ବଜାରରୂପେ ପୌରପାଳିକା ଗଠିତ ହେବାପରେ ଆରମ୍ଭ ହୋଇଥିଲା
 
ସହରତଳି ଅଞ୍ଚଳରେ ବିଭିନ୍ନ ଶ୍ରେଣୀର ପରିବାର ବସବାସ କରିଥାନ୍ତି । ପ୍ରଥମତଃ, ଯେଉଁ ପରିବାରଗୁଡ଼ିକ ଗ୍ରାମାଞ୍ଚଳରୁ ସହରାଞ୍ଚଳରେ ସ୍ଥାୟୀ ଭାବେ ବସବାସ କରିବା ପାଇଁ ପହଞ୍ଚିଥାନ୍ତି, ସେମାନେ ସହରତଳି ଅଞ୍ଚଳରେ ହିଁ ଥଇଥାନ ହୋଇଥାନ୍ତି । ଦ୍ୱିତୀୟତଃ, ଭଡ଼ାଟିଆମାନଙ୍କୁ ସହରତଳି ଅଞ୍ଚଳରେ ସୁବିଧା ଓ ଶସ୍ତାରେ ବାସଗୃହ ମିଳିଯାଏ । ତୃତୀୟତଃ, ସହର ମଧ୍ୟଭାଗରେ ବସବାସ କରୁଥିବା ପରିବାରରେ ସଦସ୍ୟ ସଂଖ୍ୟା ବଢ଼ିଲେ କିମ୍ୱା ଆର୍ଥିକ ଦୃଷ୍ଟିରୁ ଆବଶ୍ୟକ ପଡ଼ିଲେ ସହରତଳି ଅଞ୍ଚଳକୁ ସ୍ଥାନାନ୍ତରିତ ହେବା ନିମନ୍ତେ ବାଧ୍ୟ ହୋଇଥାନ୍ତି ।
 
ସହରାଞ୍ଚଳ ଓ ସହରତଳି ଅଞ୍ଚଳରେ ବସବାସ କରୁଥିବା ପରିବାରବର୍ଗଙ୍କ ଦୈନନ୍ଦିନ ଜୀବନଚ଼ର୍ଯ୍ୟା ବହୁ ଦିଗରୁ ଭିନ୍ନ । ସହରାଞ୍ଚଳରେ ସଂକୁଚିତ ପରିବେଶରେ ଜୀବନଯାତ୍ରା ସହରତଳି ଅଞ୍ଚଳରେ ପ୍ରଶସ୍ତ ପରିବେଶ ଉପଲବ୍ଧ । ଅବଶ୍ୟ ବିଭିନ୍ନ ସହରାଞ୍ଚଳ ସେବା ଯଥା ବଜାରହାଟ, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ମନୋରଞ୍ଜନ ଇତ୍ୟାଦି ନିମନ୍ତେ ଦୂରଦୂରାନ୍ତ ଅଞ୍ଚଳକୁ ଯିବାକୁ ପଡ଼ିଥାଏ । ଏଥିଲାଗି ଯାନବାହାନ ବ୍ୟବହାର ସହରତଳି ଅଞ୍ଚଳରେ ଅଧିକ । ସହରାଞ୍ଚଳ ତୁଳନାରେ ନୂଆକରି ଗଢ଼ି ଉଠୁଥିବା ସହରତଳି ଅଞ୍ଚଳର ବାସିନ୍ଦାମାନଙ୍କ ଗୋଷ୍ଠୀଗତ ଜୀବନ ସୁଦୃଢ଼ । ଚୋରିହାରିରୁ ସୁରକ୍ଷାଠାରୁ ଆରମ୍ଭ କରି ପ୍ରାକୃତିକ ବିପର୍ଯ୍ୟୟ ଓ ପୌରସେବା ପାଇବା ନିମନ୍ତେ ସଂଗ୍ରାମ ନିମନ୍ତେ ସହରତଳି ବାସିନ୍ଦାମାନଙ୍କୁ ଏକଯୁଟ ହେବାକୁ ପଡିଥାଏ ।
 
ମହାମାରୀରେ ସଂଘଠିତ ବିଭିନ୍ନ ସାମାଜିକ ପରିବର୍ତ୍ତନ ସହରତଳି ଅଞ୍ଚଳ ବାସିନ୍ଦାଙ୍କ ପାଇଁ ବହୁ ସମସ୍ୟା ସମାଧାନ କରିବାରେ ସକ୍ଷମ ହୋଇଥିବା ଲକ୍ଷ୍ୟ କରାଯାଏ । ଭିଡ଼ିଓ କଲ ଯୋଗେ ଆଳାପ ଆଲୋଚନା, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଠାରୁ ଆରମ୍ଭ କରି ଅନଲାଇନରେ କିଣାବିକା, ଏପରିକି ସହରାଞ୍ଚଳର ହୋଟେଲ ରେଷ୍ଟୁରାଣ୍ଟରୁ ଖାଦ୍ୟ ଅର୍ଡର ଯାଏଁ ପୂର୍ବରୁ ଦୂର୍ଲଭ ବହୁ ସୁବିଧା ସୁଯୋଗ ଉପଭୋଗର ସୁବିଧା ମିଳିପାରୁଛି ବୋଲି କହିବାକୁ ହେବ । ଏହିଭଳି ଉଦାହରଣରୁ ସହର ଓ ସହରତଳି ଅଞ୍ଚଳ ମଧ୍ୟରେ ଭୌଗଳିକ ତାରତମ୍ୟ କ୍ରମେ ଲୋପ ପାଇ ଆସୁଥିବା ବୋଧ ହୋଇଥାଏ ।

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ /  ୩୦ ଅକ୍ଟୋବର ୨୦୨୧ / ପୃଷ୍ଠା : ୮)

Photo by Anu Balla on Unsplash



Friday, October 22, 2021

Ancient Poet Rama Dash / ଆଦିକବି ରାମ ଦାଶ

 


#ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ରାସ୍ତାରେ ଅବସ୍ଥିତ ଡୁରା ଗ୍ରାମବାସୀ ଭକ୍ତକବି ରାମ ଦାଶ ଅଷ୍ଟାଦଶ ଶତାଦ୍ଦୀରେ ସାହିତ୍ୟ ସାଧନା ନିମନ୍ତେ ସହରର ଆଦିକବି ମାନ୍ୟତା ହକଦାର । ସେ ନିଜ ଗ୍ରାମରେ ଏକ ସଂସ୍କୃତ ପାଠଶାଳା ପ୍ରତିଷ୍ଠାକରି ଶିକ୍ଷକତା ଏବଂ ସ୍ଥାନୀୟ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସାହିତ୍ୟ ଚର୍ଚ୍ଚା କରୁଥିଲେ । ତାଙ୍କରି ମୁଦ୍ରିତ ରଚନାବଳୀ ମଧ୍ୟରେ ଦାର୍ଢ଼୍ୟତାଭକ୍ତି ରସାମୃତ, ଶ୍ରୀ ଶିବରାତ୍ରୀ ମହାତ୍ମ୍ୟ, ଶ୍ରୀ ଜନ୍ମାଷ୍ଟମୀ ମହାତ୍ମ୍ୟ, ଶ୍ରୀ ସୋମନାଥ ବ୍ରତବିଧି ଓ ଗୁଣ୍ଡିଚା ବସନ୍ତ ଇତ୍ୟାଦି ପ୍ରଧାନ । ସେ ନିଜ ପରିଚୟ ଉଲ୍ଲେଖ କରି ଲେଖିଥିଲେ, ମହୁରି ରାଜ୍ୟେ ଡୁରା ଗ୍ରାମ । ସେ ଗ୍ରାମେ ଅଟେ ମୋବିଶ୍ରାମ । ଶ୍ରୀଗୁରୁ ଗଦାଧର ଦାସ । ସେ ପାଦ ପଦ୍ମେ ମୋର ଆଶ । ପିତା ମୋ ଲଛମନ ଦାସ । ମୁହିଁ ଅଟଇ ତାଙ୍କରି ଶିଷ୍ୟ । ରାମ ଦାଶଙ୍କ ପିତା ଲଛମନ ଦାଶ ସାହିତ୍ୟ ଅନୁରାଗୀ ଥିବା ଏବଂ ତାଳପତ୍ର ପୋଥି ନିଜ ହସ୍ତାକ୍ଷରରେ ନକଲ କରୁଥିବା ଜଣାଯାଏ । ରାମ ଦାଶ ପିତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପୁରାଣ ସାହିତ୍ୟ ରଚନା ବ୍ରତୀ ହୋଇଥିବା ବିଶ୍ୱାସ କରାଯାଏ ।
 
ରାମ ଦାଶଙ୍କ ଦାର୍ଢ଼୍ୟତାଭକ୍ତି ରସାମୃତ ସର୍ବାପେକ୍ଷା ଲୋକପ୍ରିୟ ରଚନା । ଏହା ଦୁଇଭାଗରେ ବିଭକ୍ତ । ପ୍ରଥମ ଭାଗରେ ପଚ଼ିଶ ଜଣ ଓ ଦ୍ୱିତୀୟ ଭାଗରେ ପବିଶ ଜଣ ଭକ୍ତଙ୍କ ଜୀବନ ଚରିତ୍ର ବର୍ଣ୍ଣନା କରାଯାଇଛି । ପ୍ରଥମ ଭାଗରେ ରାଜା ବଳି, ରାଜା ହରିଶ୍ଚନ୍ଦ୍ର, ରାଜା କର୍ଣ୍ଣ, ବନ୍ଧୁ ମହାନ୍ତି, ଜଗନ୍ନାଥ ଦାସ ଓ ବଳରାମ ଦାସ ପ୍ରମୁଖ ସ୍ଥାନ ପାଇଥିବା ସ୍ଥଳେ ଦ୍ୱିତୀୟ ଭାଗରେ ଭକ୍ତ ସାଲବେଗ, ଦାସିଆ ବାଉରୀ, ମୋଚ଼ିରାମ ଦାସ ଓ ମୀରା ବାଇ ପ୍ରମୁଖ ସ୍ଥାନିତ । କବି ସୂଚାଇଛନ୍ତି, ପ୍ରଥମ ପ୍ରବନ୍ଧ ପଚ଼ିଶ, ଅଧ୍ୟାୟରେ ହୋଇଥିଲା ଶେଷ । ତହୁଁ ବତିଶ ସମ୍ୱତ୍ସର, ଉତ୍ତାରୁ ସାଧୁମାନଙ୍କର, କୃପାରୁ ପୁଣି ପଞ୍ଚବିଂଶ, ଅଧ୍ୟାୟ ଦାର୍ଢ଼୍ୟ ଭକ୍ତିରସଶ୍ରୀ ଦିବ୍ୟ ସିଂହ ଦେବଙ୍କର, ସମ୍ପୂର୍ଣ୍ଣ ତେଇଶି ଅଙ୍କର, ଆଷାଢ଼ ଶୁକ୍ଳ ହରିଦାସେ । ଶ୍ରୀ ମୁକ୍ତେଶ୍ୱର ପାଶେ ।ଦୁଇ ପ୍ରବନ୍ଧ ମିଶିବାରେ । ସମ୍ପୁର୍ଣ୍ଣ ପଞ୍ଚାଶ ଅଧ୍ୟାୟ ।
 
ଆଲୋଚ଼କମାନଙ୍କ ମତରେ ଦୃଢ଼ତାରୁ ଦାର୍ଢ଼୍ୟ ନାମକରଣ କରାଯାଇଥିଲା । ଦୃଢ ବିଶ୍ୱାସ, ନିଷ୍କାମ ଭକ୍ତି, ଅକୁଣ୍ଠିତ ଦାନ ଓ ସାଧୁ ଅତିଥି ସେବା ଦ୍ୱାରା ଭଗବତ ପ୍ରାପ୍ତି ହୋଇଥାଏ ବୋଲି କବିଙ୍କ ଉପଲବ୍ଧିପ୍ରଥମ ଭାଗ ୧୭୭୦ ଅକ୍ଟୋବର ଏବଂ ଦ୍ୱିତୀୟ ଭାଗ ୧୭୯୮ ଜୁଲାଇ ମାସରେ ଲେଖା ଶେଷ ହୋଇଥିବା ନିର୍ଦ୍ଧାରଣ କରାଯାଇଥାଏ ।

ଦାର୍ଢ଼୍ୟତାଭକ୍ତି ରସାମୃତ ବ୍ୟତୀତ ଶ୍ରୀ ଶିବରାତ୍ରୀ ମହାତ୍ମ୍ୟ ୧୭୭୭ରେ ରଚ଼ିତ ହୋଇଥିବା ଜଣାଯାଏ । ବାୟୁ ପୁରାଣ ଆଧାରରେ ନବାକ୍ଷରୀ ବୃତ୍ତରେ ଦ୍ୱାଦଶ ଅଧ୍ୟାୟ ବିଶିଷ୍ଟ ଗ୍ରନ୍ଥଟି ମଧ୍ୟ ଲୋକାଦୃତ । ସେହିପରି ତ୍ରୟୋଦଶ ଅଧ୍ୟାୟ ବିଶିଷ୍ଟ ଶ୍ରୀ ଜନ୍ମାଷ୍ଟମୀ ମହାତ୍ମ୍ୟ ଓ କ୍ଷୁଦ୍ରକାୟ ଶ୍ରୀ ସୋମନାଥ ବ୍ରତ ବିଧି । ଶ୍ରୀ ଜଗନ୍ନାଥଙ୍କ ଗୁଣ୍ଡିଚା ଯାତ୍ରାର ବିବରଣୀ ଶ୍ରୀ ଗୁଣ୍ଡିଚା ବସନ୍ତ ପଦ୍ୟ ଆକାରରେ ବର୍ଣ୍ଣନା କରାଯାଇଛି ।
 
ରାମ ଦାଶଙ୍କ ସାଧନା ପୀଠ ଡୁରା ଗ୍ରାମର ଶ୍ରୀମୁକ୍ତେଶ୍ୱର ମନ୍ଦିର ବ୍ରହ୍ମପୁର ସହରର ପରମ୍ପରା ପ୍ରେମୀଙ୍କୁ ଆକର୍ଷିତ କରେ । ପ୍ରାବନ୍ଧିକ ଦାର୍ଢ଼୍ୟତାଭକ୍ତି ରସାମୃତର ଦ୍ୱିତୀୟ ଭାଗ ଆଷାଢ ମାସ ବଡ଼ ଏକାଦଶୀ ଦିନ ସମାପ୍ତ କରିଥିବା ହେତୁ ଏହି ଦିବସରେ ରାମ ଦାଶଙ୍କ ସ୍ମୃତି ଚାରଣ କରାଯାଏ ।
 
ଅଷ୍ଟାଦଶ ଶତାଦ୍ଦୀ ମଧ୍ୟଭାଗରେ ଭକ୍ତକବି ରାମ ଦାଶଙ୍କ ସାହିତ୍ୟ ରଚନା ବେଳକୁ ଅଧୂନା ବଡ଼ବଜାରଠାରେ ମହୁରି ରାଜବାଟୀକୁ କେନ୍ଦ୍ର କରି ନବଗଠିତ ବ୍ରହ୍ମପୁର ଶହେ ବର୍ଷ ପୂରଣ କରିସାରିଥାଏ । ଏହି ସମୟରେ ମହୁରି ରାଜ୍ୟ ଇଂଲିଶ ଶାସନାଧୀନ ହୋଇଥିଲା । ବ୍ରହ୍ମପୁର ସହ ସତ୍ୟନାରାୟଣପୁର, ଭାପୁର, ଗୋଲାପଲ୍ଲୀ, ଗୋଇଲୁଣ୍ଡି, କମାପଲ୍ଲୀ, ବୈଦ୍ୟନାଥପୁର, ଲାଞ୍ଜିପଲ୍ଲୀ, ଖୋଡ଼ାସିଙ୍ଗି, ଗୋଷାଣୀ ନୂଆଗାଁ, ହଳଦିଆ ପଦର ଇତ୍ୟାଦି ଅଲଗା ଅଲଗା ଗ୍ରାମ ରୂପେ ଗଢ଼ି ଉଠିଥାଏ । ସାମାନ୍ୟ ଦୂରରେ ଡୁରା, ଲୋଚାପଡ଼ା, ନିମଖଣ୍ଡି, ଜଗଦଳପୁର, ରତ୍ନପୁର, ଲାଠୀ, ବାଇଗଣ ବାଡ଼ି ଇତ୍ୟାଦି ଗ୍ରାମ ରହିଥିଲା । କ୍ରମଶଃ ଗ୍ରାମାଞ୍ଚଳଗୁଡ଼ିକ ବ୍ରହ୍ମପୁରର ଅଂଶବିଶେଷ ଭାବେ ଚ଼ିହ୍ନିତ ହେବାରେ ଲାଗିଲା । ଏହି ଅଞ୍ଚଳରେ ବହୁ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କ ଅବଦାନ ଚ଼ିହ୍ନଟ କରାଯାଇପାରେ ।
(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ /  ୨୩ ଅକ୍ଟୋବର ୨୦୨୧ / ପୃଷ୍ଠା : ୮)

Photo by Gary Ellis on Unsplash

Friday, October 15, 2021

Between Dasahara and Kumar Purnima / ଦଶହରାରୁ କୁମାର ପୂର୍ଣ୍ଣିମା

 


ପାରମ୍ପରିକଭାବେ ଦଶହରାରୁ କୁମାର ପୂର୍ଣ୍ଣିମା ସପ୍ତାହକ #ବ୍ରହ୍ମପୁର ସହରବାସୀଙ୍କ ପାଇଁ ଅବସର ବେଳ । ସହରଟି ଏକ ବ୍ୟାବସାୟିକ ପେଣ୍ଠଭାବେ ଗଢ଼ି ଉଠିଥିବା ହେତୁ ଏଠାରେ ବ୍ୟବସାୟୀ ପରିବାରଙ୍କ ଆଧିପତ୍ୟ । ଦଶହରାରେ ଛୋଟବଡ଼ ସବୁ ଦୋକାନ ଘର ସଜାଡ଼ିବା, ଚୂନ ଢଉଳା, ଆସବାବପତ୍ର ରଙ୍ଗ ମାରିବା ଇତ୍ୟାଦି ବାର୍ଷିକ କାର୍ଯ୍ୟସୂଚ଼ୀରେ ଅନ୍ତର୍ଭୁକ୍ତ । ମହାଳୟା ଶ୍ରାଦ୍ଧ ପରେ ବିଭିନ୍ନ ମାଙ୍ଗଳିକ ଉତ୍ସବାନୁଷ୍ଠାନଲାଗି କିଣାବିକା ଆରମ୍ଭ ହୋଇଯାଉଥିବା କାରଣରୁ ଦଶହରାକୁ ବାଣିଜ୍ୟିକ ନୂଆବର୍ଷର ମାନ୍ୟତା ମିଳିଥାଏ । ଦଶହରା ପୂର୍ବରୁ ପୋଷାକ ପରିଚ୍ଛେଦ ଇତ୍ୟାଦି ପୁରୁଣା ଷ୍ଟକ ରିହାତି ଦରରେ ବିକ୍ରୀ ସରିଥାଏ । ଦଶହରାରୁ କିସମ କିସମର ନୂଆ ଷ୍ଟକ ଯୋଗେ ଗ୍ରାହକଙ୍କୁ ଆକର୍ଷିତ କରିବା ଉଦ୍ୟମ ଆରମ୍ଭ ହୁଏ ।
 
ଦଶହରା ପୂର୍ବଦିନ ଯାଏଁ ଦୋକାନବଜାର ସରଗରମ ହୋଇ ଉଠୁଥିବା ସ୍ଥଳେ ଦଶହରାରୁ କୁମାର ପୂର୍ଣ୍ଣିମା ସମୟ ସୀମାରେ ହଠାତ କିଣାବିକା ସାମୟିକଭାବେ ମାନ୍ଦା ପଡ଼ିଥାଏ । ବାଣିଜ୍ୟ ବ୍ୟବସାୟ ସହ ସଂପୃକ୍ତଙ୍କୁ ବାଦ ଦେଲେ ଦ୍ୱିତୀୟ ବୃହତ୍ତମ ଗୋଷ୍ଠୀ ରୂପେ ବିଗତ ଶତାଦ୍ଦୀରେ ଗ୍ରାମାଞ୍ଚଳରୁ ସହରରେ ସ୍ଥାୟୀଭାବେ ବସବାସ କରିବା ପାଇଁ ପହଞ୍ଚିଥିବା ପରିବାରବର୍ଗଙ୍କୁ ବୁଝାଏ। ଗଞ୍ଜାମର ଗାଁଗହଳରେ ଖରିଫ ଫସଲଲାଗି ଦଶହରା ସୁଦ୍ଧା ବିଲବାଡ଼ କାମ ପ୍ରାୟ ସରିଆସିଥାଏ । ଚ଼ାଷୀ ମାର୍ଗଶୀରର ଅମଳ ପାଇଁ ଅପେକ୍ଷାରେ ରହେ । ତେଣୁ ଦଶହରା ଆଗ ପଛ କିଛି ଦିନ ଚ଼ାଷୀ ପ୍ରାୟ ଆଳସ୍ୟରେ କଟାଇଥାଏ । ଗ୍ରାମାଞ୍ଚଳରେ ଅନୁଭୂତି ସହରରେ ବସବାସ କରୁଥିବା ପରିବାରବର୍ଗଙ୍କଠାରେ ପ୍ରତିବିମ୍ୱିତ ହୁଏ ।
 
ବ୍ରହ୍ମପୁରର ତୃତୀୟ ବୃହତ୍ତମ ବର୍ଗ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛୁଟୀ ହେତୁ ଦଶହରାରୁ କୁମାର ପୂର୍ଣ୍ଣିମା ଫୁରସତରେ କଟାନ୍ତି । ସହର ବାହାରେ ଅବସ୍ଥାପିତ ଯୁବବର୍ଗ ଦଶହରାରେ ଘରକୁ ଫେରୁଥିବାରୁ ପୁରୁଣାବନ୍ଧୁଙ୍କ ଆସର ଜମେ । ଏକବିଂଶ ଶତାଦ୍ଦୀ ପ୍ରଥମ ଦଶକରୁ ମୋବାଇଲ ଫୋନ ଓ ଦ୍ୱିତୀୟ ଦଶକରୁ ସୋସିଆଲ ମିଡ଼ିଆର ପ୍ରସାର ଘଟିବା ପରଠୁ ଭର୍ଚୁଆଲ ପରିବେଶ ବ୍ୟକ୍ତିଗତସ୍ତରରେ ଦେଖାସାକ୍ଷାତର ଗୁରୁତ୍ୱ କମାଇ ଦେଇଛି । ପୁଣି କୋଭିଡ଼-୧୯ ମହାମାରୀ ଦୂରବସ୍ଥାନକୁ ବାଧ୍ୟବାଧକତାରେ ପରିଣତ କରିଛି । କିନ୍ତୁ ତାପୂର୍ବରୁ ବନ୍ଧୁମିଳନଲାଗି ଦଶହରା, ମକର ସଂକ୍ରାନ୍ତି ଓ ଠାକୁରାଣୀ ଯାତ୍ରା ଭଳି ପର୍ବ-ପାର୍ବଣହିଁ ବ୍ରହ୍ମପୁରରେ ଅନୁକୂଳ ପରିବେଶ ସୃଷ୍ଟି କରିଆସିଥିଲା ।
 
ସ୍ୱାଧୀନୋତ୍ତର ଅବସ୍ଥାରୁ ବିଂଶ ଶତାଦ୍ଦୀର ଶେଷ ଯାଏଁ ସିନେମା ବ୍ରହ୍ମପୁରବାସୀଙ୍କ ମନୋରଞ୍ଜନର ପ୍ରମୁଖ ମାଧ୍ୟମ ପାଲଟିଥିଲା । ଷଷ୍ଠ ଓ ସପ୍ତମ ଦଶକରେ ଦଶହରାରୁ କୁମାରପୂର୍ଣ୍ଣିମା ମଧ୍ୟରେ ନୂଆ ଚଳଚ଼ିତ୍ର ତ ଖେଳୁଥିଲା, ତାସାଙ୍ଗକୁ ମର୍ଣ୍ଣିଂ ସୋ, ନୁନ ସୋରେ ଲୋକପ୍ରିୟ ହିନ୍ଦି ଚଳଚ଼ିତ୍ରଗୁଡ଼ିକ ପୁନଃପ୍ରଦର୍ଶିତ ହେବା ପ୍ରଥା ପ୍ରଚଳିତ ଥିଲା । ବେଳେ ବେଳେ ବଙ୍ଗଳା ଚଳଚ଼ିତ୍ର ମଧ୍ୟ ପ୍ରଦର୍ଶିତ ହେଉଥିଲା । ଚଳଚ଼ିତ୍ରପ୍ରେମୀ ଭୁଲି ଆସୁଥିବା ବିଗତ ଦିନର ଚଳଚ଼ିତ୍ର ପୁନଃ ଉପଭୋଗର ସୁଯୋଗ ପାଉଥିଲେ । ତତ୍ ପରବର୍ତ୍ତୀ ପର୍ଯ୍ୟାୟରେ ଟେଲିଭିଜନ, ଭିଡ଼ିଓ ଓ ଓଟିଟି ପ୍ଲାଟଫର୍ମ ବିକଶିତ ହେବା ପରେ ପୁରୁଣା ଚଳଚ଼ିତ୍ର ଦର୍ଶକ ମହଲରେ ଲୋକପ୍ରିୟତା ବଜାୟ ରଖିଛି ।
 
ଦଶହରାରୁ କୁମାର ପୂର୍ଣ୍ଣିମା ବ୍ରହ୍ମପୁର ସହରରେ ତାସ ଖେଳର ଆସର ଜମେ । ଗୋପାଳପୁର ବନ୍ଦର, ବ୍ରହ୍ମପୁର ରେଳଷ୍ଟେସନ ଉପରେ ଦକ୍ଷିଣ ଓଡ଼ିଶାର ଶ୍ରମିକ ଦେଶାନ୍ତର ଯାତ୍ରା ନିମନ୍ତେ ନିର୍ଭରଶୀଳ । ଊନବିଂଶ ଶତାଦ୍ଦୀ ଶେଷଭାଗରୁ ବ୍ରହ୍ମପୁର ଶ୍ରମିକ ଚାଲାଣ କେନ୍ଦ୍ର ରୂପେ ପ୍ରସିଦ୍ଧି ଲାଭ କରିଆସିଥିଲା । ଯାତ୍ରା ପୂର୍ବରୁ ଓ ଯାତ୍ରା ପରେ ବହୁ ସଂଖ୍ୟକ ଆଗନ୍ତୁକ ସହରରେ ପହଞ୍ଚୁଥିବା ତଥା ଏଠାକାର ବଜାର ପଡ଼ୋଶୀ ଅଞ୍ଚଳର ବ୍ୟବସାୟୀ ଓ ଉପଭୋକ୍ତାଙ୍କୁ ଆକର୍ଷିତ କରୁଥିବା ହେତୁ ଏଠାରେ ଦୀର୍ଘ ଅତୀତରୁ ପ୍ରାୟୋଜିତ ଜୁଆ ଅର୍ଗାନାଇଜଡ଼ ଗେମ୍ୱଲିଂର ଇତିହାସ ରହିଆସିଛି । ଯଦିଓ ସ୍ଥାନୀୟ ବାସିନ୍ଦାଙ୍କ ଜୁଆ ଖେଳରେ ଅଂଶଗ୍ରହଣ ନଗଣ୍ୟ, ତେବେ ଅପବାଦ ସହରବାସୀଙ୍କୁ ମୁଣ୍ଡାଇବାକୁ ପଡ଼ିଥାଏ ।
 
ଦଶହରାରୁ କୁମାର ପୂର୍ଣ୍ଣିମା ମଧ୍ୟରେ ଲଘୁଚାପଜନିତ ଭୟ ନରହିଲେ ପାଣିପାଗ ଶାନ୍ତ, ସ୍ନିଗ୍ଧ ଓ ଆମୋଦଦାୟକ । ସାଧାରଣତଃ କୁମାର ପୂର୍ଣ୍ଣିମା ସନ୍ଧ୍ୟାରୁ ସହରରେ ଶୀତର ପ୍ରଥମ ସ୍ପର୍ଶ ମିଳିଥାଏ । ତେବେ ଲଘୁଚାପ କାରଣରୁ ବର୍ଷା ହେଲେ ଶୀତ ଆଗୁଆ ଚାଲିଆସେ ।

(Photo by Ganapathy Kumar on Unsplash)