Friday, May 27, 2022

Berhampur @ 350 Years / ବ୍ରହ୍ମପୁର ସହର ପ୍ରତିଷ୍ଠାର ୩୫୦ ବାର୍ଷିକୀ

 



#ବ୍ରହ୍ମପୁର ସହର ପ୍ରତିଷ୍ଠାର ୩୫୦ତମ  ବାର୍ଷିକୀ ୨୦୨୨ରେ ପାଳନ କରାଯିବା ଯଥାର୍ଥ ବିଚାର କରାଯାଏ । ବ୍ରହ୍ମପୁର ସହରର କ୍ରମବିକାଶ ସଂପର୍କରେ ସ୍ଥାନୀୟ ଐତିହାସିକ ଡ଼କ୍ଟର ଦଣ୍ଡପାଣି ବେହରାଙ୍କ ୧୯୯୪ରେ ପ୍ରକାଶିତ ‘ବ୍ରହ୍ମପୁରର ଐତିହାସିକ ପୃଷ୍ଠଭୂମି’ ପ୍ରବନ୍ଧଟି ତଥ୍ୟାଶ୍ରିତ । ସେ ଗଞ୍ଜାମ ରେକର୍ଡସ, ଭଲ୍ୟୁମ ୭୩୮ରେ ଗଞ୍ଜାମ ରେସିଡ଼େଣ୍ଟ ୧୨ ଅକ୍ଟୋବର ୧୭୯୧ରେ ସରକାରଙ୍କୁ ଲେଖିଥିବା ପତ୍ରରେ ପ୍ରଦତ୍ତ ତଥ୍ୟାବଳୀକୁ ଉଦ୍ଧାର କରି ସୂଚ଼ିତ କରିଥିଲେ, “ମହୁରି ଥିଲା ଏକ ପୁରାତନ ରାଜ୍ୟ । ପାରଳାଖେମୁଣ୍ଡି ଓ ଘୁମୁସର ପରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଜମିଦାରୀ ରାଜ୍ୟ ଥିଲା । ଆକାରରେ ଏହା ଥିଲା ୩୦୦ ବର୍ଗ ମାଇଲ । ଏହାର ମଧ୍ୟଭାଗରେ ଠିଆ ହୋଇଥିବା ମହୁରି ଅବା କେରାଣ୍ଡିମାଳ ପର୍ବତର ବିସ୍ତୃତି ଥିଲା ୨୦ ମାଇଲ । ଓଡ଼ିଶାର ଗଜପତି ରାଜା ପୁରୁଷୋତ୍ତମ ଦେବଙ୍କ ଦ୍ୱାରା ଏହି ରାଜ୍ୟ ପ୍ରତିଷ୍ଠିତ । ଏହାର ପ୍ରଥମ ରାଜ୍ୟ ମହକୁମା ଥିଲା କେରାଣ୍ଡିମାଳର ପାଦ ଦେଶସ୍ଥ ମହୁରିଗଡ଼ ଅବା ଅଧୁନା ମହୁଡ଼ା ଗ୍ରାମଠାରେ ଏକ ଦୃଢ ପ୍ରସ୍ତର ଦୁର୍ଗ ଥିଲା । ସେଠାରେ ରାଜପରିବାର ଅବସ୍ଥାନ କରୁଥିଲେ । ତା’ର ସମୀପରେ ଶିରକୁଟ ଦୁର୍ଗ ଥାଏ । ସେଠାରେ ରାଜା ବେଳେବେଳେ ଆଶ୍ରୟ ନେଉଥାନ୍ତି । ପରେ ପରେ ରାଜ୍ୟ ମହକୁମା ସେଠାରୁ ଆଠ ମାଇଲ ଦୂରରେ ସମତଳ ଭାଗରେ ନୂତନ ନିର୍ମିତ ହୋଇଥିବା ବ୍ରହ୍ମପୁରକୁ ୧୬୬୨ରୁ ୧୬୭୨ ସାଲ ମଧ୍ୟରେ ଘୁଞ୍ଚାଇ ଅଣାଗଲା । ତତ୍ ପରେ ପରେ ବ୍ରହ୍ମପୁର ଏହାର ରାଜଧାନୀ ଭାବେ କାର୍ଯ୍ୟକଲା ।”

ବ୍ରିଟିଶ ପ୍ରଶାସକ ଟି.ଜେ. ମାଲଟବୀଙ୍କ ଦ୍ୱାରା ସଂକଳିତ ୧୯୩୨ରେ ମାନ୍ଦ୍ରାଜରୁ ପ୍ରକାଶିତ ‘ଗଞ୍ଜାମ ଡ଼ିଷ୍ଟ୍ରିକ୍ଟ ମାନ୍ୟୁୟଲ’ର ପୃଷ୍ଠା ୪୭ରୁ ଉଦ୍ଧାର କରି ଅନ୍ୟତ୍ର ସେ ଉଲ୍ଲେଖ କରିଛନ୍ତି, “୧୬୭୨ ଖ୍ରୀଷ୍ଟାଦ୍ଦରେ ହରିଡ଼ାଖଣ୍ଡିଠାରେ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ସ୍ୱାମୀ ମନ୍ଦିର ନିର୍ମାଣ ହୋଇଥିଲା । ଏହି ମନ୍ଦିର ପ୍ରତିଷ୍ଠା ହେଲା ସ୍ଥାନୀୟ ଇତିହାସରେ ଏକ ବିଶିଷ୍ଟ ଘଟଣା । ଏହି ମନ୍ଦିର ପ୍ରତିଷ୍ଠା ପରେ ହରିଡ଼ାଖଣ୍ଡି ଓ ରାଜବାଟୀ ମଧ୍ୟରେ ସ୍ୱଳ୍ପ ସମୟ ବ୍ୟବଧାନ ମଧ୍ୟରେ ବହୁ ମଠ ଓ ମନ୍ଦିର ପ୍ରତିଷ୍ଠିତ ହେଲା । ନୃସିଂହନାଥ, ଜଗନ୍ନାଥ, ଶିବ, ବିଷ୍ଣୁ, ଠାକୁରାଣୀ ଓ ଗ୍ରାମଦେବୀ ଆଦି ଦେବଦେବୀଙ୍କର ପୂଜା ଆରାଧନା ନିମନ୍ତେ ମଠ ମନ୍ଦିରମାନ ଦୂରଦୂରାନ୍ତରୁ ଅସଂଖ୍ୟ ଭକ୍ତ, ସାଧକ, ସାଧୁ ସନ୍ଥମାନଙ୍କ ଅନବରତ ଆଗମନରେ ସଂପୃକ୍ତ ଜନବସତି ଅଞ୍ଚଳମାନ ସତତ ମୁଖରିତ ହୋଇଉଠିଲା । ଏଭଳି ନୂଆକରି ଗଢ଼ି ଉଠୁଥିବା ଜନବସତି ସମୂହ ଓ ତତ୍ ସହିତ ପ୍ରତିଷ୍ଠିତ ମଠମନ୍ଦିର ମାଳିନୀକୁ ନାମକରଣ କରାଗଲା ‘ବ୍ରହ୍ମପୁର’ ଅବା ‘ଦେବତାମାନଙ୍କ ନିବାସ ସ୍ଥଳ’ ଅବା ‘ବ୍ରହ୍ମସ୍ଥାନ’ ।” ଡ଼କ୍ଟର ବେହରା ଏମ. ଭି. ଆପ୍ପାରାଓଙ୍କ ୧୯୩୨ରେ ବ୍ରହ୍ମପୁରରୁ ପ୍ରକାଶିତ ‘ହିଷ୍ଟ୍ରୀ ଅଫ ହରିଡ଼ାଖଣ୍ଡି : ମଠ ଏଣ୍ଡ ମହନ୍ତସ’ ପୁସ୍ତକର ତଥ୍ୟାବଳୀକୁ ମଧ୍ୟ ଗୁରୁତ୍ୱ ଦେଇଥିବା ପ୍ରବନ୍ଧରେ ଉଲ୍ଲେଖ କରିଥିଲେ ।

ଅତଏବ, ମହୁରି ରାଜପ୍ରସାଦକୁ ଘେରି ଗଢ଼ିଉଠିଥିବା ମଠ, ମନ୍ଦିରମୟ ଜନବସତିକୁ ବ୍ରହ୍ମପୁର ନାମକରଣ ଯୁକ୍ତି ଗ୍ରହଣ କଲେ ୧୬୭୨ରେ ମହୁରି ରାଜପ୍ରସାଦ ନିର୍ମାଣ ସରିଥିବା ଏବଂ ହରିଡ଼ାଖଣ୍ଡିଠାରେ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିର ପ୍ରତିଷ୍ଠା ତାରିଖକୁ ବ୍ରହ୍ମପୁର ସହରର ଜନ୍ମକାଳ ନିର୍ଣ୍ଣୟ କରାଯିବା ସମୀଚ଼ୀନ । ଅର୍ଥାତ, ୨୦୨୨ରେ ବ୍ରହ୍ମପୁର ସହର ପ୍ରତିଷ୍ଠାର ୩୫୦ ଜନ୍ମବାର୍ଷିକୀ ପାଳନର ସୁଯୋଗ ଉପଲବ୍ଧ । ଏହି ଉତ୍ସବ ପାଳନରେ ବ୍ରହ୍ମପୁର ମହାନଗର ନିଗମ ଅଗ୍ରଣୀ ଭୂମିକା ନିର୍ବାହ କରିବା ନିମନ୍ତେ ପ୍ରସ୍ତାବ ଉପସ୍ଥାପନ କରାଯାଇପାରେ । ବ୍ରହ୍ମପୁର ପୌରପାଳିକା ୧୮୬୭ରେ ପ୍ରତିଷ୍ଠିତ ହୋଇଥିବା ଏବଂ ପୌର ପ୍ରଶାସନ ନିମନ୍ତେ ଖ୍ୟାତି ଲାଭ କରିଥିବା ହେତୁ ୩୧ ଅଗଷ୍ଟରେ ୨୦୨୨ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ବ୍ରହ୍ମପୁର ସହର ପ୍ରତିଷ୍ଠାର ୩୫୦ ତମ ବାର୍ଷିକୀ ପାଳନ ନିମନ୍ତେ ନୀତିଗତ ନିଷ୍ପତ୍ତି ଅନ୍ତତଃ ତିନିମାସ ପୂର୍ବରୁ ବିଧିବଦ୍ଧଭାବେ ଗ୍ରହଣକରି ପୂର୍ବପ୍ରସ୍ତୁତି ଆରମ୍ଭ କରାଯାଇପାରେ ।

ବ୍ରହ୍ମପୁର ସହର ପ୍ରତିଷ୍ଠାର ୩୫୦ ଜନ୍ମ ବାର୍ଷିକୀ ପାଳନ ଅବସରରେ (୧) ସପ୍ତାହ ବ୍ୟାପୀ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚବିଦ୍ୟାଳୟ, ମହାବିଦ୍ୟାଳୟ, ବୈଷୟିକ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ବୁଦ୍ଧିଜୀବୀଙ୍କ ପାଠଚକ୍ର ଓ ସାଧାରଣ ସଭା ଆୟୋଜନ, (୨) ବ୍ରହ୍ମପୁର ସହରର ଐତିହାସିକ ଭିତ୍ତିଭୂମି ଚ଼ିତ୍ରାଙ୍କନ ସମ୍ୱଳିତ ଏକ ଦୃଶ୍ୟ-ଶ୍ରାବ୍ୟ ପ୍ରାମାଣିକ ଇତିହାସ ‘ଅଡ଼ିଓ-ଭିଜୁଆଲ ହିଷ୍ଟ୍ରୀ ଡ଼କ୍ୟୁମେଣ୍ଟେସନ’ ପ୍ରଯୋଜନା, (୩) ପ୍ରଦର୍ଶନୀ ଫୁଟବଲ ପ୍ରତିଯୋଗିତା, (୪) ସହରର କଳାକାରମାନଙ୍କ ଗହଣରେ ସଂଗୀତ ସନ୍ଧ୍ୟା ଓ (୫) ସ୍ମାରକୀ ପାଠ୍ୟ, ଦୃଶ୍ୟ-ଶ୍ରାବ୍ୟ ଉପାଦାନ ସଂବଳିତ ସ୍ୱତନ୍ତ୍ର ୱେବସାଇଟ ପ୍ରକାଶନ ଭଳି ଆଧୁନିକ ଯୁଗଋଚିର କାର୍ଯ୍ୟକ୍ରମ ସୃଜନ ପ୍ରତି ଦୃଷ୍ଟି ଦିଆଯାଇପାରେ । ଏହି ସବୁ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ସହରର ବିଭିନ୍ନ ସ୍ୱେଚ୍ଛାସେବୀ ବିଭିନ୍ନ ସଂଗଠନଗୁଡ଼ିକୁ ଦାୟିତ୍ୱ ପ୍ରଦାନ କରି ଏକ ମହୋତ୍ସବର ପରିକଳ୍ପନା କରାଯାଇପାରେ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୮ ମେ ୨୦୨୨/ ପୃଷ୍ଠା : ୨)


Photo by Andy Makely on Unsplash 

Friday, May 20, 2022

A Chapter from Ganjam District History / ଗଞ୍ଜାମ ଇତିହାସର ଏକ ଅଳ୍ପ-ଆଲୋଚ଼ିତ ଅଧ୍ୟାୟ

 

#ବ୍ରହ୍ମପୁର ସହର ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ରୂପେ ସ୍ୱୀକୃତ । ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲା ସହ ସୁଦୂର ଗଜପତି, ରାୟଗଡ଼, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ବସବାସ କରୁଥିବା ପରିବରବର୍ଗ ମଧ୍ୟରୁ ଏକାଂଶଙ୍କ ଭାବଗତ ସଂପର୍କର ସୂତ୍ର ଖୋଜିବା ପାଇଁ ଇତିହାସ ପୃଷ୍ଠାରେ ପହଞ୍ଚିବାକୁ ପଡ଼େ । ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁ ଗଞ୍ଜାମ ଐତିହ୍ୟ ପ୍ରବନ୍ଧରେ ଅଷ୍ଟାଦଶ ଶତାଦ୍ଦୀ ଶେଷ ଭାଗ ଓ ଊନବିଂଶ ଶତାଦ୍ଦୀ ଆଦ୍ୟଭାଗରେ ଗଞ୍ଜାମ ଜିଲ୍ଲାର ରାଜନୀତିକ ରୂପରେଖ ବର୍ଣ୍ଣନା କରିଥିଲେ ।
 
ସେ ଗଞ୍ଜାମ ଡ଼ିଷ୍ଟ୍ରିକ୍ଟ ମ୍ୟାନୁଆଲରେ ବ୍ରିଟିସ ପ୍ରଶାସକ ମାଲଟବିଙ୍କ ରିପୋର୍ଟ ଉଦ୍ଧାର କରି ସୂଚାଇଛନ୍ତି ଯେ ଗଞ୍ଜାମ ଅଞ୍ଚଳରୁ ଫରାସୀ ଶାସନ ୧୭୫୯ରେ ହଟିଯିବା ଏବଂ ୧୭୬୭ରେ ଇଂଲିଶ ଶାସନ ଲାଗୁହେବା ମଧ୍ୟବର୍ତ୍ତୀ ଆଠ ବର୍ଷ କାଳ ବିଜୟନଗରମର ସୀତାରାମରାଜୁଙ୍କ ଅଧୀନରେ ରହିଥିଲା । ରାଜଗୁରୁଙ୍କ ଭାଷାରେ, ସୀତାରାମରାଜୁଙ୍କ ଅତ୍ୟାଚାର ସମ୍ଭାଳି ନପାରି ଗଞ୍ଜାମର ଓଡ଼ିଆ କୃଷକମାନେ ତାଙ୍କ ଜମି ଓ ଘରଦ୍ୱାର ଛାଡ଼ି ଅନ୍ୟାନ୍ୟ ଅଞ୍ଚଳକୁ ପଳାୟନ କଲେ । ଜମି ପଡ଼ିଆ ରହିବାରୁ ସମଗ୍ର ଜିଲ୍ଲାରେ ଫସଲ ଅଭାବ ହେଲା ଓ ଦୁର୍ଭିକ୍ଷ ଦେଖାଦେଲା । ଲୋକସଂଖ୍ୟା ମଧ୍ୟ ଯଥେଷ୍ଟ କମିଗଲା । ଅତଏବ ଏଭଳି ଦୁର୍ଦ୍ଦିନରେ ଗଞ୍ଜାମ ଜିଲ୍ଲାରୁ ଦେଶାନ୍ତର ଗମନ କରିଥିବା ପରିବାରବର୍ଗ ପଡ଼ୋଶୀ ଅଞ୍ଚଳଗୁଡ଼ିକରେ ସ୍ଥାୟୀଭାବେ ବସବାସ କରିଥିଲେ ଏବଂ ସେମାନଙ୍କ ମୂଳ-ବାସସ୍ଥଳୀ ସହ ଭାବଗତ ସଂପର୍କ ରହିବା ସ୍ୱାଭାବିକ ।
 
ରାଜଗୁରୁ ପୁଣି ଲେଖିଛନ୍ତି, ମାନ୍ଦ୍ରାଜ ସରକାରଙ୍କ ନିର୍ଦ୍ଦେଶକ୍ରମେ ବିଜୟନଗର ଓ ପାର୍ଶ୍ୱବର୍ତ୍ତୀ ଆନ୍ଧ୍ର ଅଞ୍ଚଳରୁ ଭୂମିହୀନ ଚାଷୀଙ୍କୁ ଡ଼ାକିଆଣି ଗଞ୍ଜାମରେ କୋହଳ ସିସ୍ତୁ କିମ୍ୱା ବିନା ସିସ୍ତୁ (କର)ରେ ଜମିଚାଷ କରିବାକୁ ଦିଆଗଲା । ସେତେବେଳେ କମ୍ପାନୀ ସରକାର ଓ ଜମିଦାରମାନଙ୍କ କଚ଼େରୀରେ ଅଧିକାଂଶ ତେଲୁଗୁ କର୍ମଚାରୀମାନେହିଁ ନିଯୁକ୍ତି ଲାଭ କଲେ ।
 
ଏହା ବ୍ୟତୀତ ଆନ୍ଧ୍ର ଜିଲ୍ଲାମାନଙ୍କରୁ ତେଲୁଗୁଭାଷୀ ସିପାହୀମାନଙ୍କୁ ନିଯୁକ୍ତ କରି ଖୁର୍ଦ୍ଧାର ପାଇକ ବିଦ୍ରୋହ ଦମନ କରାଗଲା । ଏହି ପରିପ୍ରେକ୍ଷୀରେ ବିଚାରକଲେ, ଇଂରାଜୀମାନଙ୍କୁ ସାହାଯ୍ୟ କରିଥିବା ତେଲୁଗୁମାନଙ୍କ ସଂଖ୍ୟା ଗଞ୍ଜାମ ତଥା ଦକ୍ଷିଣ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରେ ଯଥେଷ୍ଟ ବୃଦ୍ଧି ଲାଭ କଲା । ଓଡ଼ିଆମାନେ ଇଂରାଜୀ ସର୍କାରଙ୍କ ଶତୃ ଶ୍ରେଣୀରେ ଅନ୍ତର୍ଭୁକ୍ତ ହେଲେ ।
 
ଇଂରାଜୀଙ୍କ ରାଜତ୍ୱର ଅଳ୍ପକାଳ ପରେ, ଅର୍ଥାତ ୧୭୮୯ଠାରୁ ୧୭୯୨ ପର୍ଯ୍ୟନ୍ତ ଗଞ୍ଜାମରେ ଭୀଷଣ ଦୁର୍ଭିକ୍ଷ ଦେଖା ଦେଲା । ଏହା ପଞ୍ଚମାଣିଆ କନ୍ତାର ବୋଲି କୁହାଗଲା । ତାପରେ ଭପର୍ଯ୍ୟୁପରି ଦ୍ୱିତୀୟ ଓ ତୃତୀୟ ଦୁର୍ଭିକ୍ଷ ୧୮୩୬ ପର୍ଯ୍ୟନ୍ତ ଲାଗି ରହିବାରୁ ସ୍ଥାନୀୟ ଓଡ଼ିଆମାନେ ଗତ୍ୟନ୍ତର ନଦେଖି ପରିବାର ସଙ୍ଗେ କଳାହାଣ୍ଡି, ଜୟପୁର ପ୍ରଭୃତି ଅଞ୍ଚଳକୁ ପଳାୟନ କଲେ । ସେମାନଙ୍କ ଶୂନ୍ୟ ଗ୍ରାମଗୁଡ଼ିକ ପରବର୍ତ୍ତୀ କାଳରେ ଦକ୍ଷିଣରୁ ଆସିଥିବା ତେଲୁଗୁମାନଙ୍କର ଅଧିକାରଭୁକ୍ତ ହେଲା ।
 
ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରୁ ପଡ଼ୋଶୀ ଜିଲ୍ଲାଗୁଡ଼ିକୁ ସ୍ଥାନୀୟ ଅଧିବାସୀଙ୍କ ଦେଶାନ୍ତର ପ୍ରଶାସନିକ ଉତ୍ପୀଡ଼ନ, ପ୍ରାକୃତିକ ଦୁର୍ବିପାକ ସାଙ୍ଗକୁ ଅଣ-ଜଳସେଚ଼ିତ ଚାଷ ଜମିରେ କୃଷିକାର୍ଯ୍ୟରେ ବିଫଳ ତଥା ଗ୍ରାମ୍ୟ-ସାହୁକାରଙ୍କଠାରେ ଋଣଗ୍ରସ୍ତ ହୋଇ ସର୍ବସ୍ୱାନ୍ତ ଅବସ୍ଥାରେ ପଳାୟନ ମଧ୍ୟ ଅନ୍ୟ ଏକ କାରଣ । ମାନବସଭ୍ୟତାରେ ଦେଶାନ୍ତର ପ୍ରାକୃତିକ ଏବଂ ଏତଦ୍ୱାରା ଅର୍ଥନୀତିକ ଅଭିବୃଦ୍ଧିରେ ଅନୁକୂଳ ପ୍ରଭାବ ପଡ଼ିଥାଏ । ଗଞ୍ଜାମ ଗ୍ରାମାଞ୍ଚଳରୁ ଅଷ୍ଟାଦଶ ଶତାଦ୍ଦୀ ଶେଷ ଭାଗରୁ ଆରମ୍ଭ ହୋଇଥିବା ଦେଶାନ୍ତର ଆଜିସୁଦ୍ଧା ବଳବତ୍ତର । ବ୍ରହ୍ମପୁର ସହର ଅଢ଼େଇ ଶହ ବର୍ଷର ଏହି ପ୍ରକ୍ରିୟାର ମୁକସାକ୍ଷୀ ବୋଲି କୁହାଯାଇପାରେ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୧ ମେ ୨୦୨୨/ ପୃଷ୍ଠା : ୨)

Photo by Oleksandr Sushko on Unsplash 


Friday, May 13, 2022

Re-constructed Taratarini Temple / ତାରାତାରିଣୀ ମନ୍ଦିର ପୁନଃନିର୍ମାଣ

 

ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରାଚ଼ୀନ ଶକ୍ତିପୀଠ ତାରାତାରିଣୀ ମନ୍ଦିର ପୁନଃନିର୍ମାଣ ପରେ ପ୍ରତିଷ୍ଠା #ବ୍ରହ୍ମପୁର ସହରବାସୀଙ୍କ ମଧ୍ୟରେ ଉନ୍ମାଦନା ଭରି ଦେଇଛି । ସମକାଳରେ ବୃହତ ସ୍ଥାପତ୍ୟରାଜି ସ୍ଥାନୀୟ ଜନମାନସକୁ ଗର୍ବିତ କରିଥାଏ । ସୁରମ୍ୟ ମନ୍ଦିର ନିର୍ମାଣ ସାଙ୍ଗକୁ ପର୍ଯ୍ୟଟନ ବିକାଶର ବିଭିନ୍ନ ବିଭବ ସଂଯୋଗ ଗଞ୍ଜାମ ଜିଲ୍ଲାବାସୀଙ୍କୁ ମୋହିତ କରିବା ସ୍ୱାଭାବିକ । ଉଲ୍ଲେଖଯୋଗ୍ୟ ବିଷୟ ଏହିଯେ ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟରେ ସ୍ଥାନୀୟ ଜନସାଧାରଣ ୨୦୦୨ ରୁ ୨୦୨୨ ଦୁଇ ଦଶନ୍ଧି ଧରି ସଂପୃକ୍ତ ରହି ଆସିଥିଲେ ।
 
ମନ୍ଦିର ପୁନଃନିର୍ମାଣ ଆୟୋଜକ ତାରାତାରିଣୀ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ୨୦୦୬ ମସିହାରେ ପ୍ରକାଶିତ ମଙ୍ଗଳକାରିଣୀ ମା ତାରାତାରିଣୀ ପୁସ୍ତିକାର ଉପକ୍ରମ ଅଧ୍ୟାୟରେ ଏହି ଅଭିଯାନର ପ୍ରାରମ୍ଭିକ ପର୍ଯ୍ୟାୟର ଧାରାବିବରଣୀ ଲିପିବଦ୍ଧ । ସେଥିରେ ଲେଖାଅଛି :
 
ତାରାତାରିଣୀ ପୀଠଟି ଐତିହାସିକ ବିଭବ ସମ୍ପନ୍ନ, ଆଞ୍ଚଳିକ ଜନସାଧାରଣଙ୍କ ଧର୍ମଭାବନା ସହ ସଂପୃକ୍ତ, ସହରାଞ୍ଚଳଠାରୁ ଅନତି ଦୂରରେ ସଡ଼କ ପଥ ସହ ଯୋଗାଯୋଗ ସଂଯୁକ୍ତ, ମନୋରମ ପ୍ରାକୃତିକ ପରିବେଶ ମଧ୍ୟରେ ନଦୀକୂଳରେ ଅବସ୍ଥିତ ହୋଇଥିବା ଅବସରରେ ଏକ ପାରମ୍ପରିକ ଧାର୍ମିକ ପୀଠ ରୂପେ ହିଁ ଗଢ଼ି ଉଠିଥିଲା । ତେବେ ଆଧୁନିକ ପର୍ଯ୍ୟଟନ କେନ୍ଦ୍ର ରୂପେ ଏହାର ଉନ୍ନତି ବିଧାନ ଲାଗି ଏଯାଏଁ କୌଣସି ସୁଚ଼ିନ୍ତିତ ପଦକ୍ଷେପ ଗ୍ରହଣ କରାଯାଇପାରିନଥିଲା । ପର୍ବତ ଶୀର୍ଷରେ ଏକ ଛୋଟ ମନ୍ଦିର, ମନ୍ଦିରରେ ପହଞ୍ଚିବା ପାଇଁ ପଥର ପାହାଚ଼ ଓ ପିଚୁରାସ୍ତା ଏବଂ ପର୍ବତ ପାଦଦେଶରେ ଏକ ସିଂହଦ୍ୱାର ନିର୍ମିତ ହୋଇଥିଲା । ପର୍ଯ୍ୟଟନ ସୁବିଧାସୁଯୋଗ ଜଳ ଯୋଗାଣ, ବିଦ୍ୟୁତ ସଂଯୋଗ, ଏକ ଛୋଟିଆ ଗ୍ରାମ୍ୟ ବଜାର ଓ ସରକାରୀ ଅତିଥିଶାଳା ମଧ୍ୟରେ ସୀମିତ ଥିଲା ।
 
ବ୍ରହ୍ମପୁରରେ କେତେକ ବୁଦ୍ଧିଜୀବୀଙ୍କ ଉଦ୍ୟମରେ ଗଠିତ ବ୍ରହ୍ମପୁର ପୁସ୍ତକ ମେଳା ସମିତି ନାମକ ଏକ ସଂଗଠନ ଜରିଆରେ ପ୍ରତିବର୍ଷ ପୁସ୍ତକମେଳା ଆୟୋଜନ ହୋଇଥାଏ । ପାରମ୍ପରିକଭାବେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଏହାର ସଭାପତି ଓ ଗଞ୍ଜାମ ଜିଲ୍ଲାପାଳ ଉପ-ସଭାପତି ପଦବୀ ଗ୍ରହଣ କରିଥାନ୍ତି । ପୁସ୍ତକମେଳା ଫେବୃୟାରୀ ମାସରେ ଅନୁଷ୍ଠିତ ହେଉଥିବା ହେତୁ ପ୍ରାୟତଃ ନଭେମ୍ୱର, ଡ଼ିସେମ୍ୱର, ଜାନୁୟାରୀ ତିନିମାସ ଧରି ଏହାର ପ୍ରସ୍ତୁତି ବୈଠକମାନ ଆୟୋଜିତ ହୋଇଥାଏ । ଷଷ୍ଠ ବ୍ରହ୍ମପୁର ପୁସ୍ତକମେଳା ଆୟୋଜନ ବେଳକୁ ଡ଼କ୍ଟର ଅରୁଣ କୁମାର ପଣ୍ଡା ନୂତନ କରି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଭାବେ ଯୋଗଦେଇଥାନ୍ତି ଏବଂ ପୁସ୍ତକମେଳା ସମିତିର ସଭାପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଥାନ୍ତି । ୨୦୦୨ ମସିହା ଡ଼ିସେମ୍ୱର ମାସରେ ତାଙ୍କରି ଆବାସିକ କାର୍ଯ୍ୟାଳୟରେ ପୁସ୍ତକମେଳା ଆୟୋଜନ ତଦାରଖ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ସରିବାପରେ ଡ଼କ୍ଟର ପଣ୍ଡା ନିକଟ ଅତୀତରେ ମା ତାରାତାରିଣୀଙ୍କ ପୀଠ ଦର୍ଶନରେ ଯାଇଥିବା ଅଭିଜ୍ଞତା ବର୍ଣ୍ଣନା କଲେ । ସେତେବେଳକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାରାତାରିଣୀ ପୀଠରେ ଯାତ୍ରୀଙ୍କ ଲାଗି ସୁବିଧା ସୁଯୋଗ ସୃଷ୍ଟି ନିମନ୍ତେ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୩୫ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରିଥାନ୍ତି । ମୁଖ୍ୟମନ୍ତ୍ରୀ ହିଞ୍ଜିଳିକାଟୁର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ହେତୁ ତାରାତାରିଣୀ ପୀଠ ତାଙ୍କରି ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଥାଏ । ଡ଼କ୍ଟର ପଣ୍ଡା ନିଜର ଚ଼ିନ୍ତା ପ୍ରକଟକରି କହିଲେ ତାରାତାରିଣୀଙ୍କ ପୀଠ ବହୁ ପୁରାତନ, ଜନମାନସରେ ଆଦୃତ, ପ୍ରାକୃତିକ ପରିବେଶରେ ଅବସ୍ଥିତ ତଥା ସାଧାରଣ ଭିତ୍ତିଭୂମି ସମୃଦ୍ଧ ହୋଇଥିବା ହେତୁ ଏହାକୁ ଏକ ଲୋକପ୍ରିୟ ପର୍ଯ୍ୟଟନ ପୀଠ ରୂପେ ଗଢ଼ି ତୋଳାଯାଇପାରେ । ମୁଖ୍ୟମନ୍ତ୍ରୀଙ୍କ ଅନୁଦାନକୁ ପାଥେୟ କରି ଜନସାଧାରଣଙ୍କ ପ୍ରଚେଷ୍ଟାରେ ଯଦି ବେସରକାରୀସ୍ତରରେ ଆଉ କିଛି ଅର୍ଥ ସଂଗୃହୀତ ହୋଇପାରନ୍ତା, ତେବେ ତାରାତାରିଣୀ ମନ୍ଦିର ପୁନଃନିର୍ମାଣ ସାଙ୍ଗକୁ ପର୍ବତକୁ ଏକ ମନୋରମ ପର୍ଯ୍ୟଟନ ସ୍ଥଳୀରେ ରୂପାନ୍ତରିତ କରିହୁଅନ୍ତା । ଡ଼କ୍ଟର ପଣ୍ଡାଙ୍କ ଏହି ପ୍ରସ୍ତାବ ଶୁଣିବା କ୍ଷଣି ସେଠାରେ ଉପସ୍ଥିତ ବ୍ରହ୍ମପୁର ପୁସ୍ତକ ମେଳା ସମିତି ଓ ନିମନ୍ତ୍ରିତ ଉତ୍କଳ ପରିଷଦର ସଦସ୍ୟଗଣ ଏଭଳି ଉଦ୍ୟମ ଅଭିନନ୍ଦନୀୟ, ଅତ୍ୟନ୍ତ ଯୁଗୋପଯୋଗୀ ଓ ତୁରନ୍ତ ଆରମ୍ଭ କରାଯାଉ ବୋଲି ଦୃଢମତ ପୋଷଣ କରିଥିଲେ ।
 
ଏହି ପ୍ରସ୍ତାବ ସଂପର୍କରେ ୨୦୦୩ ମସିହା ଜାନୁୟାରୀ ୨୦ ତାରିଖ ଦିନ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ସଭାକକ୍ଷରେ ଆୟୋଜିତ ଏକ ବୈଠକରେ ଏବଂ ୨୦୦୩ ମସିହା ଫେବୃୟାରୀ ୭ ତାରିଖ ଓ ୨୮ ତାରିଖରେ ଗୀତାଭବନଠାରେ ଆୟୋଜିତ ବୈଠକମାନଙ୍କରେ ବିସ୍ତୃତଭାବେ ବିଚାରବିମର୍ଷ କରାଯିବାପରେ ମୁଖ୍ୟତଃ ତିନିଗୋଟି ପ୍ରସ୍ତାବ ଗୃହୀତ ହୋଇଥିଲା । ପ୍ରଥମତଃ, ପ୍ରସିଦ୍ଧ ତାରାତାରିଣୀ ପୀଠର ଉନ୍ନୟନକୁ ମୂଳଲକ୍ଷ୍ୟ ରଖି ତାରାତାରିଣୀ ଉନ୍ନୟନ ପରିଷଦ ନାମରେ ଏକ ଅନୁଷ୍ଠାନ ଗଠନ କରାଯିବ, ଦ୍ୱିତୀୟତଃ, ଏହି ଅନୁଷ୍ଠାନ ତାରାତାରିଣୀ ପୀଠ ପରିଚାଳନା କରିଆସୁଥିବା ନ୍ୟାସ ସଂସ୍ଥାର ପୂର୍ଣ୍ଣ ସହଯୋଗକ୍ରମେ ପୀଠର ଉନ୍ନତି ନିମନ୍ତେ କାର୍ଯ୍ୟକ୍ରମମାନ ଗ୍ରହଣ କରିବ ଏବଂ ତୃତୀୟତଃ, ତାରାତାରିଣୀ ମନ୍ଦିରର ପୁନଃନିର୍ମାଣ ନିମନ୍ତେ ପାଞ୍ଚ କୋଟି ଟଙ୍କା ବ୍ୟୟ ବରାଦ ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯିବ ।
 
ଏହି କୋଡ଼ିଏ ବର୍ଷରେ ଋଷିକୂଲ୍ୟା ନଦୀସ୍ରୋତରେ ବିପୁଳ ଜଳ ପ୍ରବାହିତ ହୋଇଯାଇଛି । ମନ୍ଦିର ପୁନଃନିର୍ମାଣ ସ୍ୱପ୍ନ ଯେ ବାସ୍ତବ ରୂପ ପାଇଛି ତାହା ଆନନ୍ଦର ବିଷୟ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୪ ମେ ୨୦୨୨/ ପୃଷ୍ଠା : ୨)

Photo from:  http://www.taratarini.nic.in


Friday, May 6, 2022

Taratarini Pitha / ତାରାତାରିଣୀ ପୀଠ

 


ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର #ବ୍ରହ୍ମପୁର ସହରଠାରୁ ୩୦ କିଲୋମିଟର ଦୂରରେ ଋଷିକୂଲ୍ୟା ନଦୀତଟରେ ତାରାତାରିଣୀ ପୀଠର ଅବସ୍ଥିତି । ବ୍ରହ୍ମପୁରରୁ ୧୬ ନମ୍ୱର ଜାତୀୟ ରାଜପଥରେ ଉତ୍ତର ଦିଗକୁ ଯାତ୍ରାକଲାବେଳେ ଜଗନ୍ନାଥପୁରଠାରୁ ପୁରୁଷୋତ୍ତମପୁରକୁ ଏକ ରାସ୍ତା ଲମ୍ୱି ଯାଇଛି । ତାରାତାରିଣୀ ପୀଠସ୍ଥିତ ପର୍ବତ ପାଦଦେଶରୁ ତିନି କିଲୋମିଟର ଶାଖା ରାସ୍ତାଟିଏ ଜଗନ୍ନାଥପୁର-ପୁରୁଷୋତ୍ତମପୁର ରାସ୍ତା ସହ ସଂଯୁକ୍ତ ସେଠାରେ ଏକ ସୁଉଚ୍ଚ ତୋରଣ ପର୍ଯ୍ୟଟକମାନଙ୍କୁ ତାରାତାରିଣୀ ପୀଠ ପରିଦର୍ଶନ ନିମନ୍ତେ ସ୍ୱାଗତ ଜଣାଇଥାଏ ।
 
ତାରାତାରିଣୀ ମନ୍ଦିରଟି ସମୁଦ୍ରପତ୍ତନଠାରୁ ପ୍ରାୟ ସାତଶହ ଫୁଟ ଉଚ୍ଚରେ ଅବସ୍ଥିତ । ମନ୍ଦିରରେ ପହଞ୍ଚିବା ପାଇଁ ଗତ ଶତାଦ୍ଦୀ ପ୍ରାରମ୍ଭରେ ପାହାଚ ନିର୍ମିତ ହୋଇଥିବାବେଳେ, ୧୯୬୬ ମସିହାରେ ମଟରଗାଡ଼ି ଚଳାଚଳଯୋଗ୍ୟ ପିଚୁ ରାସ୍ତାଟିଏ ନିର୍ମିତ ହୋଇଥିଲା । ପର୍ବତ ପାଦଦେଶରେ ଏକ ପ୍ରବେଶ ଦ୍ୱାର ରହିଛି ଏବଂ ସେଠାରୁ ୯୯୯ଗୋଟି ପାହାଚ଼ ଅତିକ୍ରମ କଲାପରେ ମନ୍ଦିରରେ ପହଞ୍ଚିହୁଏ । ପ୍ରାୟ ନଅ ଫୁଟ ଓସାରର ପାହାଚ଼ ରାସ୍ତାର ଦୁଇ ପାର୍ଶ୍ୱରେ ବଡ଼ ବଡ଼ ଗଛ ଛାୟା ପ୍ରଦାନ କରୁଥିବା ବେଳେ ରାତିରେ ବିଦ୍ୟୁତ ଆଲୋକର ମଧ୍ୟ ବ୍ୟବସ୍ଥା ରହିଛି । ବହୁକାଳରୁ ଏହି ପର୍ବତରେ ମାଙ୍କଡ଼ ଦଳମାନେ ବସବାସ କରିଆସୁଛନ୍ତି । ପାହାଡ଼ ରାସ୍ତାରେ ଗଲାବେଳେ ଅନେକ ସମୟରେ ଏମାନଙ୍କ ପ୍ରାଦୁର୍ଭାବର ଶିକାର ହେବାକୁ ପଡ଼ିଥାଏ ।
 
ମନ୍ଦିର ପୁନଃନିର୍ମାଣ ପୂର୍ବରୁ ୨୦୦୬ରେ ପ୍ରକାଶିତ ତାରାତାରିଣୀ ପୀଠ ପରିଚ଼ିତି ଶୀର୍ଷକ ରଚନାରେ ତତ୍କାଳୀନ ମନ୍ଦିର ପରିବେଶ ସଂପର୍କରେ ନିମ୍ନମତେ ବର୍ଣ୍ଣନା କରାଯାଇଥିଲା :
 
ପାହାଚ଼ ରାସ୍ତାଟି ପର୍ବତ ଶିଖରରେ ପହଞ୍ଚିଥିବାବେଳେ ଦୁଇ ପାର୍ଶ୍ୱରେ ଦୁଇଗୋଟି ସିଂହ ମୂର୍ତ୍ତି ରହିଛି । ତାପରେ ଦେଖିବାକୁ ମିଳେ ନିକଟ ଅତୀତରେ ନିର୍ମିତ ହୋଇଥିବା ନୃତ୍ୟ ଭଙ୍ଗୀରେ ଶିବପାର୍ବତୀଙ୍କ ଏକ ଯୁଗଳ ମୂର୍ତ୍ତି । ଏହାର ଉଚ୍ଚତା ପ୍ରାୟ ସାତ ଫୁଟ ଏବଂ ଏହାକୁ ବୃତ୍ତାକାର ଲୁହା ପିଞ୍ଜରା ମଧ୍ୟରେ ସୁରକ୍ଷିତ ରଖାଯାଇଛି । ମନ୍ଦିରର ପ୍ରବେଶପଥ ଜଗମୋହନ ଦ୍ୱାର ଦେଶରେ ଦୁଇଗୋଟି ଚତୁର୍ଭୁଜା ଜ୍ୱାଳାମୁଖୀ ମୂର୍ତ୍ତି ରହିଛି । ଜଗମୋହନ ଛାତ ଉପରେ ଆଶୀର୍ବାଦ ମୁଦ୍ରାରେ ଶିବପାର୍ବତୀ ଭାସ୍କର୍ଯ୍ୟ ମଧ୍ୟ ଦେଖିବାକୁ ମିଳେ । ଏଠାରେ ଅନେକ କଂସାପିତ୍ତଳ ଘଣ୍ଟା ଝୁଲାଯାଏ । ଭକ୍ତମାନେ ଦେବୀ ଦର୍ଶନ ପାଇଁ ଗର୍ଭଗୃହକୁ ଯିବା ପୂର୍ବରୁ ଘଣ୍ଟା ବଜାଇଥାନ୍ତି । ପ୍ରଥମ ଜଗମୋହନକୁ ଲାଗି ୨୨ ଫୁଟ ଉଚ୍ଚର ପୁରାତନ ଜଗମୋହନ ଓ ଏହାକୁ ଲାଗି ରହିଛି ଗର୍ଭଗୃହ ।
 
ଗର୍ଭଗୃହ ମନ୍ଦିରଟି ପ୍ରାୟ ଶତାଧିକ ବର୍ଷ ପୁରାତନ ବୋଲି ଅନୁମାନ କରାଯାଏ । ଏହା ପୀଢ଼ ଶୈଳୀରେ ନିର୍ମିତ ଏବଂ ଏହା ଦେହରେ ଛିନ୍ନମସ୍ତା, ଭୁବନେଶ୍ୱରୀ ଭଳି ଦୁର୍ଗାଙ୍କ ବିଭିନ୍ନ ରୂପ ଖୋଦିତ । ଗର୍ଭଗୃହର ପୂଜାପୀଠରେ ପାଞ୍ଚଗୋଟି ପିତୁଳା ରହିଛି । ସେଥିରୁ ଦୁଇଗୋଟିକୁ ବିଗ୍ରହ ଆକାର ଦିଆଯାଇଛିଏହି ଦୁଇ ବିଗ୍ରହ ମଧ୍ୟରେ ଅଷ୍ଟଧାତୁ ନିର୍ମିତ କୀରଟଯୁକ୍ତ ଦୁଇଗୋଟି ଦେବୀ ମସ୍ତକ ଶୋଭାପାଉଛି । ସେଠାରେ ଅଷ୍ଟଧାତୁ ନିର୍ମିତ ଚାରି ଫୁଟ ଉଚ୍ଚତା ବିଶିଷ୍ଟ ଚର୍ତୁହସ୍ତଯୁକ୍ତ ଦେବୀଙ୍କ ପୂର୍ଣ୍ଣାବୟବ ମୂର୍ତ୍ତି ମଧ୍ୟ ରହିଛି । ଏହା ସଂକଟତାରିଣୀ ନାମରେ ପରିଚିତ ଏବଂ ଅଳ୍ପଦିନ ପୂର୍ବେ ସ୍ଥାପିତ ହୋଇଛନ୍ତି । ଗର୍ଭଗୃହ ପୂଜାପୀଠରେ ଏକ ବୁଦ୍ଧମୂର୍ତ୍ତି ମଧ୍ୟ ପୂଜାପାଇଆସୁଛନ୍ତି ।
 
ତାରାତାରିଣୀ ପୀଠରେ ପୁରାତନ ମନ୍ଦିରଟି ଗତକିଛି ବର୍ଷ ମଧ୍ୟରେ ବହୁ ପରିବର୍ତ୍ତନ କରାଯାଇଛି । ତେଣୁ ପାରମ୍ପରିକ ମନ୍ଦିର ନିର୍ମାଣ ଶୈଳୀର ସୂଚ଼ନା ଆଉ ମିଳିପାରୁ ନାହିଁ । (ତାରାତାରିଣୀ ପୀଠ ପରିଚ଼ିତି  ପ୍ରବନ୍ଧ ୨୦୦୬ରେ ତାରାତାରିଣୀ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ପ୍ରକାଶିତ ମଙ୍ଗଳକାରିଣୀ ମା ତାରାତାରିଣୀ ପୁସ୍ତକରେ ସ୍ଥାନିତ ଏବଂ ବ୍ରହ୍ମପୁର ଆକାଶବାଣୀ ପକ୍ଷରୁ ୬ ମାର୍ଚ୍ଚ ୨୦୦୪ରୁ ୩୦ ମାର୍ଚ୍ଚ ୨୦୦୪ ପଚ଼ିଶି ଦିବସ ବ୍ୟାପୀ ପ୍ରାୟୋଜିତ କାର୍ଯ୍ୟକ୍ରମରେ ପ୍ରସାରିତ)
 
ମା ତାରାତାରିଣୀ ଗଞ୍ଜାମ ଓ ପଡ଼ୋଶୀ ଜିଲ୍ଲାଗୁଡ଼ିକରେ ବସବାସ କରିଆସୁଥିବା ଅଧିକାଂଶ ପରିବାରଙ୍କ ଇଷ୍ଟଦେବୀ । ତେଣୁ ସ୍ଥାନୀୟ ଜନଜୀବନରେ ଏହି ଶକ୍ତିପୀଠର ସଂଯୋଗ ଦୀର୍ଘ ଅତୀତରୁ ସ୍ଥାପିତ । ଜନଶୃତିରେ ବିଂଶ ଶତାଦ୍ଦୀ ଆରମ୍ଭ ବେଳକୁ ତାରାତାରିଣୀ ତୀର୍ଥଯାତ୍ରା କଠିନ ଥିବା ଜଣାଯାଏ । ପର୍ବତ ଚ଼ଢ଼ି ମନ୍ଦିରରେ ପହଞ୍ଚିବା ନିମନ୍ତେ ଏକାଧିକ ପାଦଚଲା ରାସ୍ତା ହିଁ ବ୍ୟବହୃତ ହେଉଥିଲା । ଚୈତ୍ର ମାସରେ ଶିଶୁମାନଙ୍କ ମୁଣ୍ଡନ ମାନସିକ ପାଳନ ଅବସରରେ ମୁଖ୍ୟତଃ ମଙ୍ଗଳବାର ଗୁଡ଼ିକରେ ବ୍ୟାପକ ଜନସମାଗମ ଘଟୁଥିଲା । ତତ୍କାଳୀନ ପରିବେଶ ବର୍ଣ୍ଣନାରେ ସୀମିତ ସାହିତ୍ୟ ଉପଲବ୍ଧ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୭ ମେ ୨୦୨୨/ ପୃଷ୍ଠା : ୨)

Photo from:  http://www.taratarini.nic.in


Friday, April 29, 2022

Town Hall / ଟାଉନ ହଲ

 


#ବ୍ରହ୍ମପୁର ଡ଼ାଇମଣ୍ଡ ଜୁବୁଲୀ ଟାଉନହଲ ଖଲ୍ଲିକୋଟ ଓ ଆଠଗଡ଼ ମହାରାଜାଙ୍କ ଦ୍ୱାରା ସମର୍ପିତ ପୁରାତନ କୋଠାରେ ସ୍ଥାପିତ ଫଳକ ଅନୁଯାୟୀ ଏହା ୨୭ ଫେବୃୟାରୀ ୧୯୦୫ରେ ମାଡ୍ରାସ ଗଭର୍ଣ୍ଣରଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା ଏବଂ ୨୫ ଫେବୃୟାରୀ ୧୮୯୮ରେ ତତକାଳୀନ ମାଡ୍ରାସ ଗଭର୍ଣ୍ଣର ନିର୍ମାଣକାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଅନ୍ୟ ଏକ ଫଳକରେ ଟାଉନହଲର ନବୀକରଣ, ମୁଖ୍ୟତଃ ବାଲକୋନୀ ଭାଙ୍ଗି ପ୍ରେକ୍ଷାଳୟରେ ଦର୍ଶକ ଆସନ ବଦଳାଇବା କାର୍ଯ୍ୟ ୩୦ ଏପ୍ରିଲ ୧୯୮୫ରେ ସରିଥିବା ଉଲ୍ଲେଖ କରାଯାଇଥାଏ । ପରବର୍ତ୍ତୀ ପର୍ଯ୍ୟାୟରେ ଶହେ ବର୍ଷ ପୁରୁଣା କୋଠାଟିକୁ ସଂପୂର୍ଣ୍ଣ ଭାଙ୍ଗି ଦେଇ ନୂଆ କୋଠାଟିଏ ନିର୍ମିତ ହୋଇଛି ।
 
ନବନିର୍ମିତ ଟାଉନହଲର ଭଡ଼ା ଅଧିକ ଥିବା ହେତୁ ବର୍ଷସାରା ଅବ୍ୟବହୃତ ହୋଇପଡ଼ିରହିଥାଏ । ବ୍ରହ୍ମପୁର ସହରରେ ସାଂସ୍କୃତିକ ଜାଗରଣ ନିମନ୍ତେ ଖଲ୍ଲିକୋଟ ରାଜପରିବାର ଯେଉଁ ମହତ ଆକାଂକ୍ଷା ନେଇ ସହରର କେନ୍ଦ୍ର ସ୍ଥଳରେ ଅବସ୍ଥିତ ମୂଲ୍ୟବାନ ଜମି ସାଙ୍ଗକୁ କୋଠା ନିର୍ମାଣକରି ପୌରପାଳିକାଙ୍କୁ ପରିଚାଳନା ନିମନ୍ତେ ପ୍ରଦାନ କରିଥିଲେ, ତାହା ସାଧିତ ହୋଇପାରି ନାହିଁ । ଟାଉନ ହଲର ଚାରିକଡ଼େ ପୌରପାଳିକା ପକ୍ଷରୁ ଦୋକାନ ଗୃହ ନିର୍ମାଣ କରାଯାଇ ଜନହିତରେ ଉତ୍ସର୍ଗୀକୃତ ଦାନର ଅପବ୍ୟବହାର କରାଯାଉଛି । ଅତୀତରେ ଖଲ୍ଲିକୋଟ କଲେଜଠାରୁ କଲ୍ୟାଣମଣ୍ଡପ, ଗେଷ୍ଟହାଉସ ଓ ଟାଉନହଲକୁ ଲାଗି ମୁକ୍ତ ପ୍ରାଙ୍ଗଣରେ ଝାଉଁଗଛ ସଜ୍ଜିତ ଏକ ପାର୍କ ବିଦ୍ୟମାନ ଥିଲା । ସମଗ୍ର ଅଞ୍ଚଳ ବର୍ତ୍ତମାନ କଂକ୍ରିଟ ଜଙ୍ଗଲ ।
 
ଗଣତାନ୍ତ୍ରିକ ଶାସନ ପଦ୍ଧତିରେ ଟାଉନହଲର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଜନସାଧାରଣଙ୍କ ସ୍ୱାର୍ଥରକ୍ଷା ଲାଗି ସରକାରୀ ଓ ପ୍ରଶାସନିକ ତୃଟିବିଚ୍ୟୁତି ସର୍ବସାଧାରଣରେ ସମାଲୋଚ଼ନା, ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ମାଧ୍ୟମରେ ଜନଜୀବନରେ ବୌଦ୍ଧିକ ବିକାଶ ଓ ମନୋରଞ୍ଜନ ତଥା ଜରୁରି ପରିସ୍ଥିତିରେ ସ୍ଥାନୀୟ ବାସିନ୍ଦାଙ୍କ ନିମନ୍ତେ ସହାୟତା କେନ୍ଦ୍ର ରୂପେ ଟାଉନହଲ ପ୍ରାଙ୍ଗଣ କାର୍ଯ୍ୟ କରିଥାଏ । ବ୍ରହ୍ମପୁରରେ ଟାଉନହଲରେ ସେଭଳି କାର୍ଯ୍ୟକ୍ରମ ସଂଭବ ହୋଇପାରୁ ନାହିଁ । ହାତଗଣତି ସରକାରୀ ଓ ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନର ଉତ୍ସବାନୁଷ୍ଠାନ ଆୟୋଜନରେ ସୀମିତ ରହୁଛି ।
 
ବ୍ରହ୍ମପୁର ଡ଼ାଏମଣ୍ଡ ଜୁବୁଲୀ ଟାଉନ ହଲ ୧୯୦୫ ମସିହାରୁ ଉପଲବ୍ଧ । ତେବେ ଆଶ୍ଚର୍ଯ୍ୟଜନକଭାବେ ସେ ସମୟରେ ମଧ୍ୟ ବହୁଳଭାବେ ବ୍ୟବହୃତ ନହୋଇପାରିଥିବା ପ୍ରମାଣ ଇତିହାସ ପୃଷ୍ଠାରୁ ମିଳେ । ଡ଼କ୍ଟର ସୀତାରାମ ମହାପାତ୍ର ଖଲ୍ଲିକୋଟ ମହାବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପନା କରିଥିଲେ । ସେ ସହରର ସାଂସ୍କୃତିକ ଆନ୍ଦୋଳନରେ ବିଗତ ଶତାଦ୍ଦୀର ଷଷ୍ଠ ଦଶକରୁ ଚାଳିଶି ବର୍ଷ ଧରି ସଂପୃକ୍ତ ରହିଆସିଥିଲେ । ଓଡ଼ିଆ ଜାତୀୟ ଆନ୍ଦୋଳନର ଐତିହାସିକ ପୀଠ : ଉତ୍କଳ ଆଶ୍ରମ ଶୀର୍ଷକ ପ୍ରବନ୍ଧରେ ସେ ଲେଖିଥିଲେ :
 
୧୯୧୬ ସାଲ ପର୍ଯ୍ୟନ୍ତ ଗଞ୍ଜାମର ଓଡ଼ିଆମାନେ ଏକାଠି ବସି କୌଣସି ଜାତୀୟ ବିଷୟ ଆଲୋଚ଼ନା କରିବା ସକାଶେ ବ୍ରହ୍ମପୁର ସହରରେ ଖଣ୍ଡେ ସାଧାରଣ ସ୍ଥାନର ଅଭାବ ଅନୁଭବ କରିଥିଲେ । କେବଳ ଅସ୍ଥାୟୀ ବ୍ୟବସ୍ଥା କରାଯାଉଥିଲା କେତେବେଳେ ପଞ୍ଚୁ ଦେଉଳ ଆଗରେ ଥିବା ସେତେବେଳର ପାୱଲସ ସାହେବଙ୍କ ବଙ୍ଗଳା ତ ଅନ୍ୟ କେତେବେଳେ ଟାଉନ ହଲ ସାମନାରେ ଥିବା ସେହି ସମୟର ସୁରଙ୍ଗୀ ରାଜାଙ୍କ ବଙ୍ଗଳା ଏବଂ ବଡ଼ଖେମୁଣ୍ଡି ରାଜାଙ୍କ ବଙ୍ଗଳା । ଏହିଭଳି ବିଭିନ୍ନ ସ୍ଥାନରେ ଓଡ଼ିଆମାନେ ଆଲୋଚ଼ନା ସଭା ଏବଂ ବନ୍ଧୁମିଳନ ଆୟୋଜନ କରୁଥିଲେ । କିନ୍ତୁ ୧୯୧୬ ସାଲରେ ବ୍ରହ୍ମପୁରର କେତେଜଣ ଉତ୍ସାହୀ ଓଡ଼ିଆ ଯୁବକ ଗଞ୍ଜାମର ତତକାଳୀନ କେତେକ ରାଜାଙ୍କ ସହିତ ମଶି ଏକ ସ୍ଥାୟୀ ଗୃହ ନିର୍ମାଣ ସକାଶେ ଉଦ୍ୟମ କଲେ । ସୁଖର କଥା ସ୍ଥାୟୀ ଗୃହ ନିର୍ମାଣ ନିମନ୍ତେ ଶେରଗଡ଼ ରାଜା କ୍ରୟସୂତ୍ରରେ କିଛି ଜମି ଦେଲେ ଏବଂ ବଡ଼ଖେମୁଣ୍ଡି ରାଜା କୃପାମୟ ଅନଙ୍ଗଭୀମ କେଶରୀ ଦେବଙ୍କ ଆର୍ଥିକ ସାହାଯ୍ୟ ବଳରେ ତା ୨୬-୨-୧୯୨୦ ସାଲରେ ତତକାଳୀନ ଗଞ୍ଜାମ କଲେକ୍ଟର ସି.ଭି. କାଟରାଲଙ୍କ ଦ୍ୱାରା ସ୍ଥାୟୀ ଗୃହର ଭିତ୍ତିପ୍ରସ୍ତର ସ୍ଥାପିତ ହେଲା ଏବଂ ତା ୨୨-୧-୧୯୨୫ ସାଲରେ ମାନ୍ଦ୍ରାଜ ଗଭର୍ଣ୍ଣର ଭି. ଗେଶ୍ଚେନଙ୍କ ଦ୍ୱାରା ସ୍ଥାୟୀ ଗୃହ ଉତ୍କଳ ଆଶ୍ରମ ଉନ୍ମୋଚିତ ହୋଇଥିଲା
 
ପ୍ରଶ୍ନଉଠେ, ୧୯୦୫ ମସିହାରୁ ଟାଉନହଲର ସୁବିଧା ମିଳିବା ଦଶବର୍ଷ ପରେ ସହରର ନେତୃସ୍ଥାନୀୟ ଓଡ଼ିଆଙ୍କ ଉଦ୍ୟମରେ ଚାନ୍ଦା ଭେଦା ସଂଗୃହୀତ ହୋଇ କୋଡ଼ିଏ ବର୍ଷ ପରେ ଅନ୍ୟ ଏକ ସଭାଗୃହ ନିର୍ମାଣରେ କାହିଁକି ତତ୍ପରତା ପ୍ରକାଶ ପାଇଥିଲା ? ଶହେ ବର୍ଷ ପରେ ଉତ୍କଳ ଆଶ୍ରମ ମଧ୍ୟ ଟାଉନ ହଲର ଦୁଃସ୍ଥିତିର ପରିସରଭୁକ୍ତ ହେବାରେ ଲାଗିଛି କି ?

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୩୦ ଏପ୍ରିଲ ୨୦୨୨/ ପୃଷ୍ଠା : )

Tuesday, April 26, 2022

Ganjam Kala Parisad / ଗଞ୍ଜାମ କଳା ପରିଷଦ

 




ଗଞ୍ଜାମ କଳା ପରିଷଦ #ବ୍ରହ୍ମପୁର ସହରର ଅନ୍ୟତମ ପୁରାତନ ସାଂସ୍କୃତିକ ଅନୁଷ୍ଠାନ । ଏହାର ବାର୍ଷିକ ଉତ୍ସବ ବିଷୁବ ସଂକ୍ରାନ୍ତି ଅବସରରେ ଏକାଧିକ ଦିବସ ଧରି ନୃତ୍ୟ, ସଂଗୀତ, ନାଟକାଦି କାର୍ଯ୍ୟକ୍ରମ ମାଧ୍ୟମରେ ଆୟୋଜିତ ହୋଇଥାଏ ।  ଅନୁଷ୍ଠାନର ସଭାପତି କୃଷ୍ଣ ଚ଼ରଣ ସିଂହଙ୍କ ଅଧ୍ୟକ୍ଷତାରେ ତିନି ସଂଧ୍ୟା ବ୍ୟାପୀ ୬୫ ତମ ବାର୍ଷିକ ଉତ୍ସବ ବିଷୁବ ସଂକ୍ରାନ୍ତି ୨୦୨୨ରେ ଅନୁଷ୍ଠିତ ହୋଇଥିଲା ।

 

ମହାମାରୀଜନିତ ନିୟମାବଳୀ ପାଳନରେ ଦୁଇ ବର୍ଷ ଧରି ସହରରେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ ବାରଣ ସାଙ୍ଗକୁ ଦୈନନ୍ଦିନ କାର୍ଯ୍ୟଧାରା ବନ୍ଦ ରହି ଆସିଥିଲା । ଏହି କାରଣରୁ ଗଞ୍ଜାମ କଳା ପରିଷଦର କାର୍ଯ୍ୟସୂଚ଼ୀ ପ୍ରଭାବିତ ହେବା ସ୍ୱାଭାବିକ ତେବେ ଏଥି ପୂର୍ବରୁ ବହୁ ବର୍ଷ ଧରି ଏହାର ପରିଚାଳନାଧିନ କବିସୂର୍ଯ୍ୟ ରଙ୍ଗମଞ୍ଚ ପୁନଃନିର୍ମାଣ ହେତୁ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ କରିବା ପ୍ରାୟତଃ ସଂଭବ ହୋଇପାରୁନଥିଲା । ଫଳରେ ଅନୁଷ୍ଠାନର କାର୍ଯ୍ୟଧାରା ଶିଥିଳ ହୋଇପଡିଆସିଥିଲା । ମଞ୍ଚର ନିର୍ମାଣ କାର୍ଯ୍ୟ ୨୦୨୨ ସୁଦ୍ଧା ସରିଥିଲେ ସୁଦ୍ଧା ସେଥିରେ ଆବଶ୍ୟକୀୟ ସୁବିଧାସୁଯୋଗ ସଂଲଗ୍ନ ନହୋଇଥିବା ହେତୁ କର୍ମକର୍ତ୍ତା ଓ କଳାକାରମାନେ ଅସନ୍ତୁଷ୍ଟ । ପରିବର୍ତ୍ତିତ ପରିବେଶରେ ଏହି ସମସ୍ୟାର ସମାଧାନର ରାସ୍ତା ଅସ୍ପଷ୍ଟ ।

 

ଗଞ୍ଜାମ କଳା ପରିଷଦ ୧୯୫୮ରେ ଆତ୍ମପ୍ରକାଶ କରିଥିଲା । ସ୍ୱର୍ଗତ ବସନ୍ତ କୁମାର ପାଣିଗ୍ରାହୀ ଏହି ଅନୁଷ୍ଠାନର ୧୯୫୮ରୁ ୧୯୮୩ ଯାଏଁ ସମ୍ପାଦକ ଓ ୧୯୮୪ରୁ ମୃତ୍ୟୁର କିଛି ସମୟ ପୂର୍ବ ଯାଏଁ ସଭାପତି ରହି ଆସିଥିଲେ । ସେ ନିଜ ଆତ୍ମଜୀବନୀ ବିସ୍ମୃତିର ସ୍ମୃତିପୁସ୍ତକରେ ଗଞ୍ଜାମ କଳା ପରିଷଦ ଗଠନର ଇତିହାସ ବର୍ଣ୍ଣନା କରିଛନ୍ତି ।

 

ରାଜ୍ୟସ୍ତରରେ ୧୯୫୨ରେ ଓଡ଼ିଶା ସଙ୍ଗୀତ ନାଟକ ନୃତ୍ୟ କଳା ପରିଷଦ ଗଠିତ ହେବାପରେ ବ୍ରହ୍ମପୁରଠାରେ ଗଞ୍ଜାମ ଜିଲ୍ଲା ଶାଖା ଆରମ୍ଭ ହୋଇଥିଲା । ସେ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ରୁଚ଼ି ରଖୁଥିବା କେତେକ ନେତୃସ୍ଥାନୀୟ ବ୍ୟକ୍ତି ଏକତ୍ରୀତ ହୋଇ ପ୍ରାୟ ଅବ୍ୟବହୃତ ଅବସ୍ଥାରେ ପଡିରହିଥିବା ଉତ୍କଳ ଆଶ୍ରମ କୋଠାରେ କାର୍ଯ୍ୟାଳୟ ସ୍ଥାପନ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କ ପୃଷ୍ଠପୋଷକତାରେ ୧୯୫୮ରେ ଗଞ୍ଜାମ କଳା ପରିଷଦ ସଂଗଠିତ ହୋଇଥିଲା । ନୃତ୍ୟ, ସଂଗୀତ ଓ ଅଭିନୟରେ ରୁଚି ରଖୁଥିବା ବର୍ହିଆଗତ କେତେକ ସରକାରୀ କର୍ମଚାରୀଙ୍କ ପରିବାରର ସନ୍ତାନମାନଙ୍କୁ ନେଇ ୧୯୫୪ରୁ ନେତାଜୀ ଷ୍ଟୁଡ଼େଣ୍ଟସ କ୍ଳବ ନାମରେ ଏକ ସୌଖୀନ ସାଂସ୍କୃତିକ ସଂଗଠନ ସହ ସଂପୃକ୍ତ ନବପ୍ରତିଭା ଗଞ୍ଜାମ କଳା ପରିଷଦରେ ଯୋଗ ଦେଇଥିଲେ । କ୍ରମଶଃ ଦୈନନ୍ଦିନଭିତ୍ତିରେ ନୃତ୍ୟ-ସଂଗୀତ ଅଭ୍ୟାସ ସାଙ୍ଗକୁ ସାମୟିକ ଭାବେ ନାଟକ ମଞ୍ଚସ୍ଥ ଅନୁଷ୍ଠାନର କାର୍ଯ୍ୟପରିସରଭୁକ୍ତ ହୋଇଥିଲା । ଦୀର୍ଘକାଳ ଧରି ସନ୍ଧ୍ୟା ଚାରିରୁ ଛଅ ଯାଏଁ ବାଳିକାମାନଙ୍କ ନୃତ୍ୟଶିକ୍ଷା, ସାତରୁ ନଅ ଯାଏଁ ଯୁବ କଳାକାରଙ୍କ ସଂଗୀତ ଚର୍ଚ୍ଚା ଏବଂ ଆବଶ୍ୟକମତେ ରାତି ଆଠରୁ ଦଶ ଯାଏଁ ନାଟକ ପୂର୍ବାଭିନୟ ଚାଲିଥିଲା । ୧୯୭୨ରୁ କଳିଙ୍ଗ ସାହିତ୍ୟ ସମାଜ ସୌଜନ୍ୟରେ ଏକ ପାଠାଗାର କାର୍ଯ୍ୟ ଆରମ୍ଭ ଓ ବୌଦ୍ଧିକ ସମାବେଶମାନ ଆୟୋଜନ ପରେ ଉତ୍କଳ ଆଶ୍ରମ ପ୍ରାଙ୍ଗଣ ସହରର ସଂସ୍କୃତି-ମନସ୍କଙ୍କ ବିଚରଣସ୍ଥଳୀ ରୂପେ ପରିଣତ ହୋଇପାରିଥିଲା । ଦିନ କେତେ ଚାଋକଳାର ବିକାଶକଳ୍ପେ କୋମଳମତିଙ୍କ ନିମନ୍ତେ ଚ଼ିତ୍ରାଙ୍କନ ଶିକ୍ଷା ଓ ଚ଼ିତ୍ର ପ୍ରଦର୍ଶନୀ ଭଳି କାର୍ଯ୍ୟକ୍ରମମାନ ମଧ୍ୟ ହାତକୁ ନିଆଯାଇଥିଲା ।

 

ଗଞ୍ଜାମ କଳା ପରିଷଦ ପକ୍ଷରୁ କବିସୂର୍ଯ୍ୟ ରଙ୍ଗମଞ୍ଚନିର୍ମାଣ ଏକ ନାଟକୀୟ ଘଟଣାକ୍ରମରେ ମୂଳଦୁଆ ପଡ଼ିଥିଲା । ଗଞ୍ଜାମ ଜିଲ୍ଲା ରେଡ଼କ୍ରସ ପକ୍ଷରୁ ଅର୍ଥ ସଂଗ୍ରହ ନିମନ୍ତେ ୧୯୬୦ରେ ଏକ ବଡ଼ଧରଣର ସଂଗୀତ-ନୃତ୍ୟ ଉତ୍ସବ ଆୟୋଜନ କରାଯାଇଥିଲା । ମୁମ୍ୱାଇ ଚଳଚ଼ିତ୍ର ଜଗତରୁ ସଂଗୀତଜ୍ଞ ଶ୍ୟାମଲ ମିତ୍ର, ଗାୟକ ମାନ୍ନା ଦେ ଓ ନବଗତା ନୃତ୍ୟଶିଳ୍ପୀ ୱାହିଦା ରେହମାନ ଅଂଶଗ୍ରହଣ କରିଥିଲେ । ଖଲ୍ଲିକୋଟ କଲେଜ ଖେଳ ପଡ଼ିଆରେ ଏକ ଅସ୍ଥାୟୀ ମୁକ୍ତ ମଞ୍ଚ ନିର୍ମାଣ କରାଯାଇ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଖଲ୍ଲିକୋଟ କଲେଜ କର୍ତ୍ତୃପକ୍ଷଙ୍କ ସହ ଚୁକ୍ତି ପ୍ରକାରେ ଉତ୍ସବ ସରିବାପରେ ମଞ୍ଚକୁ ଭାଙ୍ଗି ଦେଇ ଖେଳପଡ଼ିଆ ସଫା କରିବା ସର୍ତ୍ତ ରହିଥିଲା । ମଞ୍ଚ ଭଙ୍ଗା ବେଳେ ପ୍ରଶ୍ନ ଉଠିଲା ଏଥିରେ ବ୍ୟବହୃତ ଇଟାପଥରକୁ କଣ କରାଯିବ ବା କେଉଁଠି ଫୋପଡ଼ା ଯିବ । ଏହାକୁ ଏକ ସୁଯୋଗ ରୂପେ ଗ୍ରହଣ କରି ଗଞ୍ଜାମ କଳା ପରିଷଦ ପକ୍ଷରୁ ଉତ୍କଳ ଆଶ୍ରମ କର୍ମକର୍ତ୍ତାଙ୍କ ଅନୁମତିକ୍ରମେ ଉତ୍କଳ ଆଶ୍ରମ କୋଠା ପାର୍ଶ୍ୱର ଖୋଲା ଅବ୍ୟବହୃତ ଜମିରେ ଏକ ମୁକ୍ତ ରଙ୍ଗମଞ୍ଚ ନିର୍ମାଣ କରାଗଲା । ଏଥିଲାଗି ସହରବାସୀଙ୍କଠାରୁ ପଚ଼ିଶି ହଜାର ଟଙ୍କା ଦାନ ସଂଗୃହୀତ ହୋଇଥିବା ସ୍ଥଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଦଶ ହଜାର ଟଙ୍କା ଅନୁଦାନ ମିଳିଥିଲା । ମୋଟ ପଞ୍ଚତିରିଶି ହଜାର ଟଙ୍କା ବ୍ୟୟରେ କବିସୂର୍ଯ୍ୟ ରଙ୍ଗମଞ୍ଚ ନିର୍ମିତ ହୋଇଥିଲା । ସେହି କୋଠାହିଁ  ଆଜି ଗଞ୍ଜାମ କଳା ପରିଷଦର ପରିଚ଼ିତି ।


(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୩ ଏପ୍ରିଲ ୨୦୨୨/ ପୃଷ୍ଠା :)


Photo by Ricky Singh on Unsplash 



Friday, April 15, 2022

Cycle-Rickshaw / ସାଇକଲ ରିକ୍ସା

 

#ବ୍ରହ୍ମପୁର ସହରୀ-ଜୀବନରେ କୋଭିଡ଼-୧୯ ମହାମାରୀ-ପର ଅବସ୍ଥାରେ କେତେକ ଉଲ୍ଲେଖନୀୟ ପରିବର୍ତ୍ତନରେ ରାସ୍ତାଘାଟରେ ସାଇକଲ ରିକ୍ସା ଚଳପ୍ରଚଳ କମି ଯାଇଥିବା ଦେଖିବାକୁ ମିଳୁଥିବା ଅନ୍ୟତମ ।
 
ବ୍ରହ୍ମପୁର ସହର ବିକଶିତ ହେବା ଆରମ୍ଭରୁ ଯାତ୍ରୀ ଓ ମାଲ ପରିବହନ ନିମନ୍ତେ ବଳଦଟଣା ଶଗଡ଼ ଓ ଘୋଡ଼ାଗାଡ଼ି ଝାଟକାର ପ୍ରଚଳନ ରହି ଆସିଥିଲା । ସାଧାରଣରେ ଉଭୟ ଯାନର ମାଲିକ ଓ ସେମାନଙ୍କ ପରିବାରବର୍ଗ ସେସବୁ ବ୍ୟବହାର କରିଆସୁଥିଲେ । ବିଂଶ ଶତାଦ୍ଦୀ ଆରମ୍ଭରୁ ରେଳଗାଡ଼ି ଓ ମଧ୍ୟଭାଗରୁ ମଟରଗାଡ଼ି ବସ ଚଳାଚଳ ଅବସରରେ ଝାଟକା ଭଡ଼ାରେ ମିଳିବା ପରେ ସର୍ବସାଧାରଣ ପରିବହନ ଯାନ ମାନ୍ୟତା ପାଇଥିଲା । ସ୍ୱାଧୀନତା ପୂର୍ବବର୍ତ୍ତୀ ଅବସ୍ଥାରେ ସାଇକଲ ରିକ୍ସାର ବ୍ୟବହାର ବ୍ରହ୍ମପୁରରେ ଆରମ୍ଭ ହୋଇଥିଲେ ହେଁ ସ୍ୱାଧୀନୋତ୍ତର ପରିବେଶରେ ହିଁ ପ୍ରସାର ଲାଭ କରିଥିଲା । ସହରର ପରିସୀମା ଓ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ବାଣିଜ୍ୟ ବ୍ୟବସାୟ, ପ୍ରଶାସନିକ କାର୍ଯ୍ୟ, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ମନୋରଞ୍ଜନ ଇତ୍ୟାଦି ସୁବିଧାସୁଯୋଗ ଗ୍ରହଣ କରିବାକୁ ଗଞ୍ଜାମ ତଥା ପଡ଼ୋଶୀ ଜିଲ୍ଲାରୁ ବହୁସଂଖ୍ୟକ ଲୋକ ଦୈନନ୍ଦିନ ଯିବାଆସିବା କରିବାରୁ ସହର ମଧ୍ୟରେ ସାଧାରଣ ପରିବହନ ବ୍ୟବସ୍ଥାର ଗୁରୁତ୍ୱ ବଢ଼ିଥିଲା ।
 
ସାଇକଲ ରିକ୍ସା ପ୍ରଥମ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଅବସ୍ଥାରେ ଦକ୍ଷିଣ-ପୂର୍ବ ରାଷ୍ଟ୍ରଗୁଡ଼ିକରେ ଲୋକପ୍ରିୟତା ହାସଲ କରିଥିଲା । ଏହି ଯାନର ବ୍ୟବହାର କୋଲକତାରେ ୧୯୩୦ରେ ଆରମ୍ଭ ହୋଇଥିବା ଇତିହାସ ପୃଷ୍ଠାରେ ଲିପିବଦ୍ଧ । ସାଇକଲ ରିକ୍ସା ଚାଳନା ସରଳ ଓ ଯାନର ମୂଲ୍ୟ ବ୍ୟୟବହୁଳ ନଥିବା ହେତୁ କୋଲକତା-ପ୍ରଭାବିତ ପୂର୍ବଭାରତର ବିଭିନ୍ନ ସହରକୁ ଖୁବ କମ ସମୟ ମଧ୍ୟରେ ସଂପ୍ରସାରିତ ହୋଇଥିଲା । ସାଇକଲ ରିକ୍ସା ପ୍ରଚଳନ କୋଲକତାରୁ କଟକ ଦେଇ ବ୍ରହ୍ମପୁରରେ ପହଞ୍ଚିଥିଲା ।
 
ଅକ୍ଟୋବର ୨୦୦୬ରେ ସମ୍ୱାଦପତ୍ରରେ ପ୍ରକାଶିତ ଏକ ବିବରଣୀରେ ଉଲ୍ଲେଖ ଥିଲା, ବ୍ରହ୍ମପୁର ସହରରେ ଏବେ ପ୍ରାୟ ୧୨ ହଜାର ରିକ୍ସା ଚାଳକ ଥିବା ଜଣା ପଡ଼ିଛି । ବ୍ରହ୍ମପୁରରେ ଅଟୋ ଦ୍ୱାରା ଲୋକମାନେ ଯାତାୟାତ କରୁଥିଲେ ମଧ୍ୟ ବିଭିନ୍ନ ଛକ ସ୍ଥାନକୁ ହିଁ ପହଞ୍ଚିପାରିଥାନ୍ତି । ତେଣୁ ନିର୍ଦ୍ଦିଷ୍ଟ ଗନ୍ତବ୍ୟସ୍ଥଳ ଓ ସାହୀ ମଧ୍ୟରୁ ଯିବା ପାଇଁ ଆଜି ବି ଲୋକମାନଙ୍କ ପ୍ରଥମ ପସନ୍ଦ ରିକ୍ସା ରହିଥିବା ବହୁ ଲୋକ ପ୍ରକାଶ କରିଛନ୍ତି ।” (ସମ୍ୱାଦ, ବ୍ରହ୍ମପୁର ସଂସ୍କରଣ / ୨୧ ଅକ୍ଟୋବର ୨୦୦୬)
 
ବ୍ରହ୍ମପୁରରେ ୨୦୦୫ରୁ ୨୦୧୫ ମଧ୍ୟରେ ଅଟୋରିକ୍ସା ଚଳାଚଳ ପ୍ରସାର ଲାଭ କରିବା ପରେ ୨୦୧୫ ବେଳକୁ ରିକ୍ସା ସଂଖ୍ୟା କମି ଆସିଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ୨୦୧୫ରୁ ୨୦୨୦ ପାଞ୍ଚ ବର୍ଷ ମଧ୍ୟରେ ଅଲୋଡ଼ା ହୋଇପଡୁଥିବା ଏହି ପରିବହନ ବ୍ୟବସ୍ଥା ୨୦୨୦ ଓ ୨୦୨୧ ଦୁଇ ବର୍ଷ ମଧ୍ୟରେ ମହାମାରୀଜନିତ ଦୀର୍ଘ ଜନପଦ ବନ୍ଦ ଲକଡ଼ାଉନ ପ୍ରଭାବରେ ଉଭେଇ ଗଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଅନୁଧ୍ୟାନରୁ ୨୦୨୨ ଆରମ୍ଭ ସୁଦ୍ଧା ସହରରେ ମାତ୍ର ପାଞ୍ଚ ଶହରୁ କମ ରିକ୍ସା ଚଳାଚଳ କରୁଥିବା ହିସାବ କରାଯାଏ ।
 
ଉଦାହରଣରେ ସହରର ଜଣେ ବଡ଼ ରିକ୍ସା ମାଲିକଙ୍କ ୯୦ ଗୋଟି ରିକ୍ସା ଅଛି । ମହାମାରୀ ପୂର୍ବରୁ ରାତି ଓ ଦିନ ଦୁଇ ବେଳାର ଭଡ଼ାରେ ଅଶୀରୁ ନବେ ପ୍ରତିଶତ ରିକ୍ସା ଭଡ଼ାରେ ଚାଳକମାନେ ନେଉଥିଲେ । ଏପ୍ରିଲ ୨୦୨୨ ସୁଦ୍ଧା କେବଳ ଦିନବେଳା ୪୦ ରୁ ୫୦ ରିକ୍ସା ଭଡ଼ାରେ ଯାଉଛି । ରାତିବେଳା ପ୍ରାୟ ଶୂନ । ଗୁରୁବାର, ସଂକ୍ରାନ୍ତି ବିଭିନ୍ନ ପର୍ବପର୍ବାଣୀରେ ଭଡ଼ା ସଂଖ୍ୟା ଆହୁରି କମିଯାଏ । ଭଡ଼ା ବାବଦରେ ଦିନ ବେଳା ୩୦ ଓ ରାତିବେଳା ୩୦ ଟଙ୍କା ଭଡ଼ା ପାଆନ୍ତି । ରିକ୍ସା ରକ୍ଷଣାବେକ୍ଷଣ ପାଇଁ ଚାରିଜଣ ନିୟୋଜିତ ଅଛନ୍ତି । ଭଡ଼ା ପଇସା କର୍ମଚାରୀଙ୍କ ପାଉଣାରେ ଯାଏ । ମାଲିକଙ୍କ ପାଇଁ ଏହା କ୍ଷତିର ବ୍ୟବସାୟ । ସହରରେ ପ୍ରାୟ ଦଶରୁ ଅଧିକ ଛୋଟ ବଡ଼ ରିକ୍ସା ମାଲିକଙ୍କ ବ୍ୟବସାୟ ଚାଲିଥିବା ଜଣାଯାଏ ।
 
ରିକ୍ସା ଚାଳନା ନିମନ୍ତେ ରିକ୍ସା ଚାଳକ ଆବଶ୍ୟକ ପଡ଼ିଥାନ୍ତି । ୨୦୦୫ ବେଳକୁ ବ୍ରହ୍ମପୁର ସହରତଳି ଗ୍ରାମାଞ୍ଚଳରୁ ରିକ୍ସା ଚାଳକମାନେ ଏହି ବୃତ୍ତିରେ ନିୟୋଜିତ ହେଉଥିଲେ । ସେହି ସମୟରେ ଭୁବନେଶ୍ୱରରେ ଅଟୋରିକ୍ସା ସଂଖ୍ୟା ବଢ଼ିବା ଏବଂ ସହର ସଂପ୍ରସାରିତ ହେବା ହେତୁ ସାଇକଲ ରିକ୍ସାର ପ୍ରଚଳନ ବନ୍ଦ ହୋଇଯାଇଥିଲା । ସେଠାକାର ରିକ୍ସା ଚାଳନାକୁ ବୃତ୍ତି କରିଥିବା ସ୍ଥାନୀୟ ଝମ୍ପୁଡ଼ି ବାସିନ୍ଦାଙ୍କ ବ୍ୟତୀତ ନୟାଗଡ଼ ଭଳି ପଡ଼ୋଶୀ ଅଞ୍ଚଳର ବହୁ ଗ୍ରାମବାସୀ ସଂପୃକ୍ତ ଥିଲେ । ଭୁବନେଶ୍ୱରରେ ନିଯୁକ୍ତି ହରାଇବା ପରେ କେତେକ ବ୍ରହ୍ମପୁର ଆସିଥିଲେକଟକ ଓ ପୁରୀରେ ରିକ୍ସା ଚାଳକମାନେ ସଂଗଠିତ ଥିବା ଏବଂ ବାହାର ଅଞ୍ଚଳର ନୂଆ ଚାଳକଙ୍କ ପ୍ରବେଶକୁ ବାରଣ କରୁଥିବା ହେତୁ ସେମାନେ ବ୍ରହ୍ମପୁର ମୁହାଁ ହୋଇଥିବା ପ୍ରକାଶିତ ବିବରଣୀରେ ଉଲ୍ଲେଖ କରାଯାଇଥିଲା ।
 
ଆନ୍ତର୍ଜାତିକସ୍ତରରେ ସାଇକଲର ଆଦର ବଢ଼ିଛି; କିନ୍ତୁ ସାଇକଲ ରିକ୍ସାର ପ୍ରଚଳନ ଲୋପ ପାଇ ଆସିଛି । ସାଇକଲ ରିକ୍ସା ଚାଳନା ମନୁଷ୍ୟର ଶ୍ରମଶକ୍ତି ଆବଶ୍ୟକ ପଡୁଥିବା ହେତୁ ଅନ୍ୟଜଣକୁ ବୋହିନେବା ଅମାନବୀୟ ବିବେଚନା କରାଯାଉଛି । ଅପରପକ୍ଷେ ପେଟ୍ରୋଲ ଇନ୍ଧନ ବ୍ୟବହାରରେ ଅଟୋରିକ୍ସା ଚଳାଚଳ ଦ୍ୱାରା ପ୍ରଦୂଷଣ ବଢୁଥିବା ତଥା ତୈଳଦର କ୍ରମାଗତଭାବେ ବୃଦ୍ଧି ପାଇ ଚାଲିଥିବା ହେତୁ ଇ-ରିକ୍ସା ବା ଇଲେକ୍ଟ୍ରିକ-ରିକ୍ସା ପ୍ରଚଳନ ଦେଶରେ ସହରାଞ୍ଚଳରେ ଲୋକପ୍ରିୟତା ହାସଲ କରିବା ଆଶା କରାଯାଏ । ବ୍ରହ୍ମପୁରରେ ଇ-ରିକ୍ସା ପରୀକ୍ଷାମୂଳକଭାବେ ବ୍ୟବହୃତ ହୋଇଥିଲେ ହେଁ ପ୍ରସାର ଲାଭ କରିପାରିନାହିଁ । ଅଗ୍ରଣୀ ବିଦ୍ୟୁତଚାଳିତ ତିନିଚକିଆ ଯାନ ନିର୍ମାତା ମହେନ୍ଦ୍ରା ଇଲେକ୍ଟିକର ପ୍ରମୁଖ କର୍ମକର୍ତ୍ତା ଚାରିବର୍ଷ ମଧ୍ୟରେ ୨୦୨୬ ସୁଦ୍ଧା ଦେଶର ୪୦ ପ୍ରତିଶତ ତିନିଚକିଆ ଇ-ରିକ୍ସା ପର୍ଯ୍ୟାୟଭୁକ୍ତ ହେବ ବୋଲି ଆକଳନ କରିଥିବା ଜଣାଯାଏ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୬ ଏପ୍ରିଲ ୨୦୨୨/ ପୃଷ୍ଠା :୮)

Photo by P.M. Digital Documentation