Friday, August 26, 2022

Super Mosquito / ସୁପର ମସ୍କିଟୋ

 

#ବ୍ରହ୍ମପୁର ସହରର ମଶା କାମୁଡ଼ାରେ ୨୦୨୨ ଅଗଷ୍ଟ ମାସରେ ନୂଆ ଅନୁଭୂତି ଜନସାଧାରଣରେ ଚର୍ଚ୍ଚାର ପରିସରଭୁକ୍ତ ହୋଇଛି । ଏଣିକି ମଶା କାମୁଡ଼ା ପୂର୍ବାପେକ୍ଷା ପୀଡ଼ା ଦାୟକ ଅନୁଭବ ହେଉଛି ଏବଂ ଶରୀରର ମଶା କାମୁଡ଼ା ସ୍ଥାନରେ ଯନ୍ତ୍ରଣା ଓ ଏଲାର୍ଜି ଦୀର୍ଘ ସମୟ ଯାଏଁ ଲାଗି ରହୁଛି । ଆଜିକାଲିକା ଆଧୁନିକ ନିଡ଼ିଲ ବ୍ୟବହାର ଯୋଗେ ଡ଼ାକ୍ତରୀ ଇଞ୍ଜେକସନ ଫୋଡ଼ାଠାରୁ ମଶାକାମୁଡ଼ା ଅଧିକ ବାଧୁଛି । ସହରର ଜନାକୀର୍ଣ୍ଣ ଭାପୁର ଭଳି ଅଞ୍ଚଳରେ ସ୍ପଷ୍ଟ ଦିବାଲୋକରେ ମଧ୍ୟ ମଶା କାମୁଡ଼ାଠାରୁ ନିସ୍ତାର ମିଳୁନି । ତେବେ ସ୍ଥାନୀୟ ମଶାବଂଶ ସଂପର୍କରେ ପ୍ରାମାଣିକ ତଥ୍ୟ ଅଭାବରୁ କେବଳ ମଶାକାମୁଡ଼ା ଅନୁଭୂତି ଭିନ୍ନ ଅଧିକ କିଛି ଜାଣିବା ମୁସ୍କିଲ ।
 
ସମକାଳରେ ଗଣମାଧ୍ୟମରେ ପ୍ରକାଶିତ ବିବରଣୀ ଅନୁଯାୟୀ ପଡ଼ୋଶୀ ପଶ୍ଚିମବଙ୍ଗ ଦାର୍ଜିଲିଂ ଜିଲ୍ଲାରେ ଏସୀୟ ବାଘୁଆ ମଶା ‘ଏସିଆନ ଟାଇଗର ମସ୍କିଟୋ’ ଦେଖା ଦେଇଛନ୍ତି । ଉତ୍ତର ବଙ୍ଗ ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗରେ କୀଟ ପତଙ୍ଗ ପ୍ରାଣୀ-ରସାୟନ ପରୀକ୍ଷାଗାର ‘ଇନସେକ୍ଟ ବାୟୋକେମେଷ୍ଟ୍ରୀ ଲେବରେଟରୀ’ରେ ଏହି ଧରଣର ମଶାଗୁଡ଼ିକ ସଂପର୍କରେ ଗବେଷଣା କରାଯାଇଥିଲା । ଏଥିରୁ ଜଣାଗଲା ଯେ ମଶାକାମୁଡ଼ାରୁ ବର୍ତ୍ତିବା ପାଇଁ ବଜାରରେ ଉପଲବ୍ଧ ମଶା ନିବାରକ ବାଘୁଆ ମଶାମାନଙ୍କୁ କାଟୁ ନାହିଁ । ମଶା ତଡ଼ା ଧୂପ ଓ ଲିକ୍ୱିଡ଼ ପ୍ରତି ସହନଶୀଳ ହୋଇଗଲେଣି । ମଶା ଧୂପରେ ବ୍ୟବହୃତ ପାରାଲେଥ୍ରୀନ ଓ ଲିକ୍ୱିଡ଼ରେ ବ୍ୟବହୃତ ଟ୍ରାନ୍ସଫ୍ଳୁଥେରିନ ଭଳି ବିଷ ମଶାଙ୍କୁ ତଡ଼ିପାରୁ ନାହିଁ ।
 
ବୈଜ୍ଞାନିକମାନେ ଦାର୍ଜିଲିଂ ଜିଲ୍ଲାର ଚାରିଗୋଟି ସହରରୁ ୫୦ ଗୋଟି କରି ମୋଟ ୨୦୦ ମଶା ପରୀକ୍ଷା ପାଇଁ ସଂଗ୍ରହ କରିଥିଲେ । ରାସ୍ତାଘାଟରେ ଫୋପଡ଼ା ଯାଇଥିବା ଭଙ୍ଗା ଟିଣ ଓ ପ୍ଳାଷ୍ଟିକ ପାତ୍ର, ଟାୟାର, ଫୁଲକୁଣ୍ଡ ଓ ପାଣିକୁଣ୍ଡ ଇତ୍ୟାଦିରେ ଜନ୍ମ ନେଇଥିବା ମଶା ଏଥିରେ ସାମିଲ ହୋଇଥିଲେ । ଗବେଷଣାରୁ ବୈଜ୍ଞାନିକମାନେ ଜାଣିଥିଲେ ଯେ ସାଧାରଣରେ ମଶା ନିବାରକର ମୂଳ ଉପାଦାନ ଡ଼େଲଟାମେଥ୍ରୀନ ଓ ସିନ୍ଥାଟିକ ପାଇରେଥିଏଡ଼ ଜାତୀୟ ସ୍ୱଳ୍ପ ଶକ୍ତି ସମ୍ପନ୍ନ ବିଷ ନୂତନ ପ୍ରଜାତିର ମଶାକୁ କ୍ଷତି ପହୁଞ୍ଚାଇପାରୁନାହିଁ । ଦୀର୍ଘ ବର୍ଷ ଧରି ସମାନ ଧରଣର ମଶା ତଡ଼ା ସାଧନ ବ୍ୟବହୃତ ହେବା ହେତୁ ମଶା ବଂଶରେ ବିଭାଜନ ‘ମ୍ୟୁଟେସନ’ ଘଟି ସେହିସବୁ ନିବାରକ ପ୍ରତି ସହନଶୀଳ କରି ପକାଉଛି । ଏହାକୁ ‘ନକ-ଡ଼ାଉନ-ରେଜିଷ୍ଟାନ୍ସ’ କୁହାଯାଏ । ବିଦେଶରେ ବୈଜ୍ଞାନିକମାନେ ୨୦୧୧ରୁ ସିଙ୍ଗାପୁର, ଜାପାନ, ଚୀନ, ଫ୍ରାନ୍ସ, ଇଟାଲୀ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ‘କେ-ଡ଼ି-ଆର’ ମ୍ୟୁଟେସନର ସନ୍ଧାନ ପାଇଥିଲେ । ଭାରତରେ ୨୦୨୦ରେ ବାଙ୍ଗାଲୁରୁଠାରେ ନୂଆଦିଲ୍ଲୀସ୍ଥିତ ଜାତୀୟ ମ୍ୟାଲେରିଆ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ସର୍ବେକ୍ଷଣକରି ଏହି ପ୍ରଜାତି ଠାବ କରାଯାଇଥିଲା ।
 
ଉତ୍ତର ବଙ୍ଗ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ କହୁଛନ୍ତି ଯେ ଜନବସତିରେ ମଶା ଦମନ କରିବା ନିମନ୍ତେ ଜନ୍ମ ଅବସ୍ଥାରେ ଲାର୍ଭାସ୍ତରରେ ନିପାତ କରିବାକୁ ପଡ଼ିବ । ଏହା ସର୍ବଜନ ଜ୍ଞାତ ଯେ ଆମ ବାସଗୃହ ଚ଼ତୁର୍ଦ୍ଦିଗରେ ଅଳିଆ-ଆବର୍ଜନା ପଡ଼ି ରହିଲେ ସେଥିରେ ଥିବା ଭଙ୍ଗା ଟିଣ, ପାତ୍ର ଓ ଆସବାବପତ୍ରରେ ବର୍ଷାପାଣି ଜମି ରହେ ଏବଂ ସେହି ସ୍ଥିର ଜଳରେ ମାଈ ମଶା ଅଣ୍ଡା ଦିଏ । ଜନବସତି ସଫା ସୁତୁରା ରଖିବା ପୌର ପ୍ରଶାସନ ଏବଂ ଘରଦ୍ୱାର ସଫାରଖିବା ସଂପୃକ୍ତ ପରିବାରର କର୍ତ୍ତବ୍ୟ । କିନ୍ତୁ ପରିବାର  ଲୋକେ କେବଳ ଘର ଭିତର ସଫାକରି ବର୍ଜ୍ୟବସ୍ତୁ ଘର ବାହାରେ ପକାଇଦେବା ଏବଂ ସେଗୁଡ଼ିକ ସଂଗୃହୀତ ହୋଇ ଜନବସତିର ଦୂର ସ୍ଥାନରେ ଢାଳିବା କିମ୍ୱା ପ୍ରକ୍ରିୟାକରଣ କରାଯିବା ସଂଭବ ନହୋଇ ପାରିଲେ ସମସ୍ୟା ଉପୁଜେ । ମଶା ଉପଦ୍ରବ ଯୋଗୁଁ ପରିବାରର ସଦସ୍ୟମାନେ ପ୍ରଭାବିତ ହୁଅନ୍ତି । ମଶା କାମୁଡ଼ା ଦୈନନ୍ଦିନ ଜୀବନ ବ୍ୟତିବ୍ୟସ୍ତ କରିପକାଏ, କାର୍ଯ୍ୟଦକ୍ଷତା ହ୍ରାସ କରେ ଓ ବିଭିନ୍ନ ରୋଗ ସଂକ୍ରମଣର କାରଣ ପାଲଟେ । ପରିବେଶ ପରିଷ୍କାର ରଖିବା ଦିଗରେ ଜନସାଧାରଣ ଓ ପୌର ପ୍ରଶାସନ ପକ୍ଷରୁ ମିଳିତ ଅଭିଯାନ ଆୟୋଜନ ଆବଶ୍ୟକ । କିନ୍ତୁ ଏହା ସଂଭବ ହୋଇପାରେନା ।
 
ଜନବସତି ଅପରିଷ୍କୃତ ରହିଲେ ଭଙ୍ଗା ଆସବାବପତ୍ରରେ ପାଣି ଜମି ମଶା ବଂଶ ବିସ୍ତାର ଲାଭ କରେ ଏବଂ ସଫାସୁତରା ରଖିବାରେ ଅସଫଳ ହେଲେ ପରିବାରବର୍ଗ ଘର ମଧ୍ୟରେ ମଶା ଧୂପ ବା ଲିକ୍ୱିଡ଼ ବ୍ୟବହାର କରି କିମ୍ୱା ପୌରପ୍ରଶାସନ ପକ୍ଷରୁ ବସ୍ତି, ରାସ୍ତା ଘାଟରେ ମଶାମରା ଧୂଆଁ ଛାଡ଼ି ଆୟତ୍ତ କରିଥାନ୍ତି । ବ୍ରହ୍ମପୁରରେ ଜୁନ ଦ୍ୱିତୀୟ ସପ୍ତାହରେ ଅସରାଏ ବର୍ଷାର ମାସକ ପରେ ମଶା ବଂଶ ବୃଦ୍ଧି ପାଇଥିଲା । ଜୁଲାଇ ଓ ଅଗଷ୍ଟ ମାସରେ ବର୍ଷା ଓ ଖରା ଲାଗିରହିଥିବା ହେତୁ ସୃଷ୍ଟ ଆଦ୍ର ପରିବେଶ ମଶାଙ୍କ ବଂଶ ବିସ୍ତାର ନିମନ୍ତେ ସହାୟକ ହୋଇଥିଲା । ଏହି ଅବସରରେ ମଶାଙ୍କ ସଂଖ୍ୟା ଅଧିକ ହୋଇନଥିଲେହେଁ ସଂଭବତଃ ଭିନ୍ନ ପ୍ରଜାତିର ମଶା ଶରୀରରେ ପୀଡ଼ା ଓ ଆଲାର୍ଜି ପହଞ୍ଚାଉଥିବା ଏବଂ ସାଧାରଣ ମଶା ଧୂପ ଓ ଲିକ୍ୱିଡ଼ରେ ଦୂରେଇ ଯାଉନଥିବା ସହରବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ରୋଗ ସଂକ୍ରମଣ ତ ଅଲଗା କଥା । ସେପ୍ଟେମ୍ୱର ମାସରୁ ମଶାଙ୍କ ସଂଖ୍ୟା ବୃଦ୍ଧି ସଙ୍ଗେ ସମସ୍ୟା ଉତ୍କଟ ରୂପ ଧାରଣ କରିବା ଆକଳନ କରାଯାଇପାରେ । ଏହି ସୁପର ମସ୍କିଟୋଙ୍କ କବଳରେ ସହରବାସୀ କଲବଲ । ତେଣୁ ପୌର ପ୍ରଶାସନପକ୍ଷରୁ ମଶା ଧୂଆଁ ଛାଡ଼ିବା ଭିନ୍ନ ଅନ୍ୟ ଉପାୟ ନାହିଁ !

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୭ ଅଗଷ୍ଟ ୨୦୨୨/ ପୃଷ୍ଠା : ୨)

Photo by Refat Ul Islam on Unsplash 


Friday, August 19, 2022

Giri Market / ଗିରି ମାର୍କେଟ

 

#ବ୍ରହ୍ମପୁର ସହରର ମଧ୍ୟଭାଗରେ ଅବସ୍ଥିତ ଗିରି ମାର୍କେଟ ମୁଖ୍ୟତଃ ପନିପରିବା ଓ ମାଛ-ମାଂସ ବଜାର ରୂପେ ପ୍ରସିଦ୍ଧ । ଏଠାରେ ନଡ଼ିଆ, କଦଳୀ, ଆମ୍ୱ ଓ ଅନ୍ୟାନ୍ୟ ଫଳ ମଧ୍ୟ ବିକ୍ରୀ ହୋଇଥାଏ । ଭାପୁର, ଗାନ୍ଧୀ ନଗର, ସାନ ବଜାର ଓ ଆସିକା ରୋଡ଼ ପାର୍ଶ୍ୱରେ ଗଢ଼ି ଉଠିଥିବା ଜନବସତିର ବାସିନ୍ଦା ଏଠାରେ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ସଉଦା କରିଥାନ୍ତି । ଗିରି ମାର୍କେଟ ବ୍ରହ୍ମପୁର ମହାନଗର ନିଗମ ଦ୍ୱାରା ପରିଚାଳିତ । ୧୯୭୪ରେ ତତ୍ କାଳୀନ ପୌରପାଳିକା ପକ୍ଷରୁ ଏଠାରେ ଏକ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଳେକ୍ସ ଉଦଘାଟିତ ହୋଇଥିଲା । ୧୯୯୭ରେ ଉପର ମହଲା ନିର୍ମାଣ ଆରମ୍ଭ ହୋଇ ୨୦୦୦ରେ ବ୍ୟବହାରରେ ଲାଗିଥିଲା । ଦୁଇ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଳେକ୍ସ କୋଠା ୨୦୨୧ରୁ ଅସୁରକ୍ଷିତ ଘୋଷିତ ହେବା ପରେ ଏହାକୁ ଭାଙ୍ଗି ନୂତନ କୋଠା ନିର୍ମାଣ ନିମନ୍ତେ ମହାନଗର ନିଗମ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।
 
ବ୍ରହ୍ମପୁର ସହର ଗଢ଼ି ଉଠୁଥିବା ସମୟରେ ଅଧୂନା ଗିରି ମାର୍କେଟ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଏକ ବିରାଟ ଜଳାଶୟ ‘ତାମେୟା ବନ୍ଧ’ ଆସିକା ରୋଡ଼ ବିଦ୍ୟୁତ ବିଭାଗୀୟ କାର୍ଯ୍ୟାଳୟ ଯାଏଁ ପରିବ୍ୟାପ୍ତ ଥିଲା । ତାମେୟା ବନ୍ଧହୁଡ଼ାରେ ଶନିବାର ଦିନ ସାପ୍ତାହିକ ହାଟ ପ୍ରସିଦ୍ଧି ଲାଭ କରିଥିଲା । ବିଭିନ୍ନ ଅଞ୍ଚଳରୁ ବ୍ୟବସାୟୀଗଣ ଶନିବାର ଦିନ ସକାଳୁ ସକାଳୁ ପସରା ମେଲାଇ ବସୁଥିଲେ ଏବଂ କିଣାବିକା ଅପରାହ୍ନ ବେଳକୁ ସରି ଆସୁଥିଲା । ତାମେୟା ବନ୍ଧ ପୂର୍ବଦିଗ ହୁଡ଼ାରେ ବାଉଁଶ କାରିଗର ମେଦରିମାନଙ୍କ ଏକ ବସ୍ତି ଗଢ଼ି ଉଠିଥିଲା । ବ୍ରହ୍ମପୁର ଉପକଣ୍ଠ କେରାଣ୍ଡିମାଳ ପାର୍ବତ୍ୟାଞ୍ଚଳରୁ ଆଦିବାସୀମାନେ ବାଉଁଶ ଓ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରୀ ପାଇଁ ଶନିବାର ହାଟରେ ପହଞ୍ଚୁଥିଲେ । ଅତୀତରେ ପ୍ଳାଷ୍ଟିକ ଅଭାବରେ ବାଉଁଶ ନିର୍ମିତ ଘରକରଣା ସାମଗ୍ରୀର ଆଦର ରହିଥିଲା ଏବଂ ସହରବାସୀଙ୍କ ପାଇଁ ଶନିବାର ହାଟ ବାଉଁଶଜାତ ଦ୍ରବ୍ୟ କିଣାବିକାର କେନ୍ଦ୍ରସ୍ଥଳୀ ପାଲଟିଥିଲା । ମେଦିରି ସାହୀ ପଛରେ ମୋଚ଼ି ସାହୀ ଏବଂ କିଛି ଦୂର ଆଗରେ କାମ୍ପସାହୀ । ଏହିସବୁ ଅଞ୍ଚଳରେ ଦାକ୍ଷିଣାତ୍ୟରୁ ଆଗତ ପରିବାରବର୍ଗ ପାରମ୍ପରିକ ବ୍ୟବସାୟରେ ସଂପୃକ୍ତ ରହି ଦୀର୍ଘ ଅତୀତରୁ ବସବାସ କରିଆସିଛନ୍ତି ।
 
ବ୍ରିଟିଶ ଶାସନ କାଳରେ ମହାରାଣୀ ଭିକ୍ଟୋରିଆଙ୍କ ଶାସନର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ସ୍ଥାନୀୟ ପୌରପାଳିକା ପକ୍ଷରୁ ‘ଶନିବାର ହାଟ’ଠାରେ ସମ୍ମୁଖ ଭାଗରେ ଧାଡ଼ିଏ ଦୋକାନ ଘର ଏବଂ ଆଭ୍ୟନ୍ତରୀଣ ପରିବା, ମାଛମାଂସ ମାର୍କେଟକୁ ଏକ ପ୍ରବେଶ ପଥ ୧୮୯୩ ବେଳକୁ ନିର୍ମାଣ କରାଯାଇଥିଲା । ଦୋକାନ ଘର ମଧ୍ୟରୁ କେତେକରେ କାଠକାରିଗରଙ୍କ ଶାଳ ରହିଥିଲା । ଗତ ଶତାଦ୍ଦୀ ଅଷ୍ଟମ ଦଶକରେ ନୂତନ କମ୍ପ୍ଳେକ୍ସ ନିର୍ମାଣ କାଳରେ କାମ୍ପସାହୀ ଖଲ୍ଲିକୋଟ କଲେଜିଏଟ ଟାଉନ ହାଇସ୍କୁଲ ରାସ୍ତାକୁ କାଠକାରିଗରଙ୍କ ଦୋକାନ ସ୍ଥାନାନ୍ତରିତ କରାଯାଇଥିଲା ।  ସେମାନେ ସେଠି ହିଁ ରହିଗଲେ । ଗ୍ରୀଷ୍ମଋତୁରେ ଆମ୍ୱ ବିକ୍ରୀ ପାଇଁ ଭିକ୍ଟୋରିଆ ମାର୍କେଟ ସମ୍ମୁଖରେ ଧାଡ଼ିଏ ଅସ୍ଥାୟୀ ବାଉଁଶ ଚାଞ୍ଚ ବାଡ଼ରେ ନଡ଼ା ଛପର ଦେଇ ଦୋକାନ ଗଢ଼ି ଉଠୁଥିଲା । ବର୍ଷାଋତୁ ଆରମ୍ଭରେ ସେଗୁଡ଼ିକୁ ଭାଙ୍ଗିଦିଆଯାଇ ପୁଣି ଗ୍ରୀଷ୍ମଋତୁରେ ସଜଡ଼ା ଯାଉଥିଲା । ନୂତନ କମ୍ପ୍ଳେକ୍ସ ନିର୍ମାଣ କାଳରେ ଆମ୍ୱ ବ୍ୟବସାୟୀ କିଛି ଦିନ କର୍ପୋରେସନ ରୋଡ଼, ପରେ ସେଣ୍ଟ ଷ୍ଟିଫେନ୍ସ ଚର୍ଚ୍ଚ ପ୍ରାଙ୍ଗଣ ଓ ଶେଷରେ ନୀଳକଣ୍ଠେଶ୍ୱର ମନ୍ଦିର ନିକଟରେ ପହଞ୍ଚିଛନ୍ତି ।
 
ଗିରି ମାର୍କେଟ କମ୍ପ୍ଳେକ୍ସରେ ଦୁଇ ମହଲାରେ ସମୁଦାୟ ୧୭୩ ଗୋଟି ଦୋକାନ ଘର ରହିଥିଲା । ତେବେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଶନିବାର ହାଟ, ଭିକ୍ଟୋରିଆ ମାର୍କେଟ ହେଉ ବା ଗିରି ମାର୍କେଟ ମୁଖ୍ୟତଃ ପନିପରିବା ଓ ଆମିଷ ବଜାର । ପ୍ରଥମତଃ, ଗିରି ମାର୍କେଟ ଭଙ୍ଗାଯାଇ ନୂତନ ମାର୍କେଟ କମ୍ପ୍ଳେକ୍ସ ନିର୍ମାଣ କାଳରେ ଏହି ଦୈନନ୍ଦିନ ବ୍ୟବହାର୍ଯ୍ୟ ଜିନିଷପତ୍ର ବିକ୍ରୀ ବଜାର ପ୍ରତି କେତେଟା ଦୃଷ୍ଟି ଦିଆଯିବ ତାହା ଚ଼ିନ୍ତାର ବିଷୟ ।
 
ଦ୍ୱିତୀୟତଃ, ଗିରି ମାର୍କେଟର ଉଭୟ ମହଲା ନିର୍ମାଣ ପାଇଁ ଦୀର୍ଘ ସମୟ, ତଳ ମହଲା ଲାଗି ପାଞ୍ଚ ବର୍ଷ ଓ ଉପର ମହଲା ଲାଗି ତିନି ବର୍ଷ ବିତି ଯାଇଥିବା ଇତିହାସ ରହିଛି । ବର୍ତ୍ତମାନ ପୁନଃ ନିର୍ମାଣ ନିମନ୍ତେ କେତେ ସମୟ ଆବଶ୍ୟକ ପଡ଼ିବ ତାହା ମଧ୍ୟ ପ୍ରଶ୍ନବାଚୀ । ମାର୍କେଟ କମ୍ପ୍ଳେକ୍ସ ନିର୍ମାଣ କାଳରେ ପନିପରିବା, ଆମିଷ ଓ ଫଳ ଦୋକାନ ପସରା ଯେପରି ପ୍ରଭାବିତ ନହେବ ସେଦିଗରେ ଦୃଷ୍ଟି ଦିଆଯିବା ଆବଶ୍ୟକ ।
 
ତୃତୀୟତଃ, ସହରର କେନ୍ଦ୍ରସ୍ଥଳୀରେ ଅବସ୍ଥିତ ଏକ ଜନବହୁଳ ଅଞ୍ଚଳ ତଥା ସହରବାସୀ ଦୈନନ୍ଦିନ ସଉଦା ନିମନ୍ତେ ଏକତ୍ରୀତ ହେଉଥିବା ବଜାର ଭଙ୍ଗା ଓ ପୁନଃ ନିର୍ମାଣ ଅବସରରେ ଜନସାଧାରଣ କିପରି ଅସୁବିଧାରେ ନପଡ଼ିବେ ସେଦିଗରେ ଆଗୁଆ ଯୋଜନାବଦ୍ଧ ପଦକ୍ଷେପ ନିଆଯିବା ଉଚ଼ିତ । ଚ଼ତୁର୍ଥତଃ, କଥା ରହିଲା ବ୍ରହ୍ମପୁର ସହରରେ ନିୟନ୍ତ୍ରିତ ବଜାର ବ୍ୟବସ୍ଥା ନଥିବା ସମୟରେ ପୌରପାଳିକା ପକ୍ଷରୁ ଶନିବାର ହାଟକୁ ଭିକ୍ଟୋରିଆ ମାର୍କେଟ ଏବଂ ସହରର ପ୍ରଥମ ସପିଂ କମ୍ପେକ୍ସଭାବେ ଗିରି ମାର୍କେଟ କୋଠା ନିର୍ମାଣ କରାଯାଇଥିଲା । ବର୍ତ୍ତମାନ ସହର ଆରମ୍ଭରୁ ଶେଷ ଯାଏଁ ମାଳ ମାଳ ଦୋକାନ ବଜାର ଗଢ଼ି ଉଠିଥିବା ସମୟରେ ଜନସାଧାରଣଙ୍କ ଟିକସ ପଇସାରେ ପୁଣି ଥରେ ସପିଂ କମ୍ପ୍ଳେକ୍ସ ନିର୍ମାଣ କେତେଦୂର ଯଥାର୍ଥ ତାହା ମଧ୍ୟ ବିଚାର କରିବା ସମୟ ଉପନୀତ । ପଞ୍ଚମତଃ, ମହାମାରୀ ପରଠାରୁ ଅନଲାଇନ ରିଟେଲ ବଜାର ଆସ୍ଥାନ ଜମାଉଥିବା ଅବସରରେ ପୁରୁଣାକାଳିଆ ମାର୍କେଟ କମ୍ପ୍ଳେକ୍ସରେ ବ୍ୟବସାୟ କେତେଦିନ ବଞ୍ଚିରହିବ ତାହା ବି ବିଚାର୍ଯ୍ୟ !

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୦ ଅଗଷ୍ଟ ୨୦୨୨/ ପୃଷ୍ଠା : ୨)

Photography by : P.M.Digital Documentation

Friday, August 12, 2022

Resistance to British Rule / ବ୍ରିଟିଶ ଶାସନ ପ୍ରତିରୋଧ

 

ମହୁରି ରାଜ୍ୟର ନୂତନ ରାଜଧାନୀଭାବେ ୧୬୭୨ ପରଠୁ #ବ୍ରହ୍ମପୁର ବିକଶିତ ହେବା ପ୍ରାୟ ଶହେ ବର୍ଷ ପରେ ୧୭୬୫ରେ ବ୍ରିଟିଶ ଶାସନାଧୀନ ହୋଇଥିଲା । ଏଥିପୂର୍ବରୁ କିଛି ସମୟ ଫରାସୀ ଅଧିକୃତ ରହିଥିଲା । ମହୁରି ରାଜ୍ୟବାସୀ ଫରାସୀ ସୈନ୍ୟଙ୍କ ଉତ୍ପୀଡ଼ନରେ ଅତିଷ୍ଠ ହୋଇ ବିରୋଧ କରିଥିଲେ । ମହୁରି ରାଜବଂଶ ଗବେଷକ ଡ଼କ୍ଟର ବିଚ଼ିତ୍ରାନନ୍ଦ ଦାଶଙ୍କ ଭାଷାରେ, “ମହୁରି ଫରାସୀମାନଙ୍କୁ ଯେଭଳି ପ୍ରତିରୋଧ କରିଥିଲା, ଇଂରେଜ ଅଧିକାର ପରେ ପରେ ସେମାନଙ୍କୁ ମଧ୍ୟ ସେହିଭଳି ବାଧାଦାନ ଜାରି ରଖିଲା । ଏହା କ୍ରମେ ରାଜନୈତିକ ପ୍ରତିରୋଧରେ ରୂପାନ୍ତରିତ ହେଲା । ଏଥିରେ ଉଭୟ ରାଜପରିବାର ଓ ଜନତାଙ୍କ ସମର୍ଥନ ରହିଥିଲା । ... ୧୭୬୬ଠାରୁ ୧୮୫୦ ପର୍ଯ୍ୟନ୍ତ ଇଂରେଜ ଶାସନ ପ୍ରତି ମହୁରି ପ୍ରତିକୂଳ ମନୋଭାବ ପ୍ରଦର୍ଶନ କରି ଆସିଛି । ସାଧାରଣ ପ୍ରଶାସନ କିମ୍ୱା ରାଜସ୍ୱ ଆଦାୟ କ୍ଷେତ୍ରରେ ସେମାନେ ବିଦେଶୀ ଶାସକମାନଙ୍କୁ କୌଣସି ପ୍ରକାର ସହଯୋଗ କରିନଥିଲେ ।”
 
ଭାରତରେ ବ୍ରିଟିଶ ଶାସନକୁ ପ୍ରତିରୋଧ କରି ସ୍ୱାଧୀନତା ସଂଗ୍ରାମର ମାନାଙ୍କ ନିର୍ଦ୍ଧାରଣକୁ ନେଇ ବିବାଦ ଉପୁଜିଥାଏ । ଜାତୀୟସ୍ତରରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ୧୮୫୭ର ସିପାହୀ ବିଦ୍ରୋହକୁ ମାନ୍ୟତା ମିଳୁଥିବା ସ୍ଥଳେ ଓଡ଼ିଶାରେ ସଂଗଠିତ ୧୮୧୭ର ପାଇକ ବିଦ୍ରୋହ ପ୍ରାଥମିକତା ଲାଭ କରିବା ଯୁକ୍ତିଯୁକ୍ତ ବୋଲି ଦାବୀ ହୋଇଥାଏ । ଇତି ମଧ୍ୟରେ ‘ପାରଳାର ଲଲାମ: ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ’ ଶୀର୍ଷକ ଏକ ପୁସ୍ତକ ପାରଳାଖେମୁଣ୍ଡି ବାସିନ୍ଦା ତଥା ଓଡ଼ିଆ ଭାଷା ସଂଗଠକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି । ସେ ପାରଳାଖେମୁଣ୍ଡିରେ ଦୀର୍ଘକାଳ ରାଜ୍ୟ ସରକାରଙ୍କ ପ୍ରଶାସନିକ ଅଧିକାରୀ ଭାବେ ନିୟୋଜିତ ହୋଇ ଅବସର ଗ୍ରହଣ ପରେ ସ୍ଥାୟୀ ଭାବେ ବସବାସ କରୁଛନ୍ତି । ବ୍ରିଟିଶ ଅମଳର ବିଭିନ୍ନ ସରକାରୀ ନଥିପତ୍ର ଅନୁଧ୍ୟାନ କରି କହିଛନ୍ତି ଯେ ପାରଳାଖେମୁଣ୍ଡିର ରାଜା ଜଗନ୍ନାଥ ନାରାୟଣ ଦେବ (୧୭୩୬-୧୭୭୦) ବ୍ରିଟିଶ ଶାସକଙ୍କ ବିରୋଧରେ ୧୭୬୭ରୁ ସଶସ୍ତ୍ର ସଂଗ୍ରାମ ଆରମ୍ଭ କରିଥିଲେ । ରାଜ୍ୟର ସେନାବାହିନୀଙ୍କ ସଙ୍ଗେ ଜନଜାତି ଶବର ସଂପ୍ରଦାୟ ଏଥିରେ ସାମିଲ ହୋଇଥିଲେ । ଏହି ସଂଗ୍ରାମ ୧୮୩୪ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥିବା ପ୍ରମାଣ ମିଳେ । ମୁକ୍ତିଯୋଦ୍ଧାମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ ଫାଶୀ ଦଣ୍ଡ, ୨୫ ଜଣଙ୍କୁ କଳାପାଣି ଆଣ୍ଡାମାନ ଦ୍ୱୀପାନ୍ତର ଓ ୧୦୩ ଜଣଙ୍କୁ ରାଜବନ୍ଦୀ କରାଯାଇଥିଲା । ଏହି ସଂଗ୍ରାମ କାଳରେ ବ୍ରିଟିଶ ରାଜକର୍ମଚାରୀଙ୍କୁ ବନ୍ଦୀ କରିବା, କୋଷାଗାର ଲୁଟ ଏବଂ ଶାସନ ବ୍ୟବସ୍ଥାକୁ ପାରଳାଖେମୁଣ୍ଡିରେ ଅଚଳ କରିଦିଆଯାଇଥିବା ପ୍ରମାଣ ଉପସ୍ଥାପନ କରିଛନ୍ତି ।
 
ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଲେଖିଛନ୍ତି, “୧୭୬୭ ସମ୍ଭବତଃ ଜାନୁୟାରୀ ମାସରେ କଟସଫୋର୍ଡ ସାହେବ ଗଞ୍ଜାମ ଅଭିମୁଖେ ଯାଆନ୍ତେ ଜଣାଗଲା ଯେ, ପାରଳାଖେମୁଣ୍ଡି ରାଜା ଜଗନ୍ନାଥ ନାରାୟଣ ଦେବ ସମଗ୍ର ଇଲାକାକୁ ନିଜ ଦଖଲରେ ରଖି ଇଂରେଜ ଅଧିକାରକୁ ଅସ୍ୱୀକାର ପୂର୍ବକ ବଙ୍ଗଳାଠାରୁ ମାନ୍ଦ୍ରାଜକୁ ଥିବା ସମସ୍ତ ଗମନାଗମନ ପଥକୁ ସଂମ୍ପୂର୍ଣ୍ଣ ରୂପେ ଅବରୋଧ କରିଦେଇ ସେଠାରେ ଜଗି ରହିଛନ୍ତି । ତେଣୁ, ସେ ଆଉ ଆଗକୁ ବଢ଼ି ନପାରି ମାନ୍ଦ୍ରାଜ ଫେରିଗଲେ ।.... ଗଞ୍ଜାମ ମାନୁଆଲ ଅନୁଯାୟୀ ଇଂରେଜମାନେ ପାରଳାଖେମୁଣ୍ଡିରେ ୧୭୬୭ରେ ପ୍ରଥମ ପ୍ରତିରୋଧର ସମ୍ମୁଖୀନ ହୋଇ ଗଞ୍ଜାମ ଅଭିମୁଖେ ଅଗ୍ରସର ନହୋଇ ମାନ୍ଦ୍ରାଜ ଫେରିଯାଇଥିଲେ । ତେଣୁ, ଏହା ହିଁ ଥିଲା ଇଂରେଜମାନଙ୍କୁ ପ୍ରଥମ ପ୍ରତିରୋଧ ।”
 
ପାରଳାଖେମୁଣ୍ଡି ଅବିଭକ୍ତ ଗଞ୍ଜାମ ଜିଲ୍ଲାର ପ୍ରମୁଖ ଅଂଶ ରହିଆସିଥିଲା । ସେଠାକାର ଆନ୍ଦୋଳନ ବ୍ରହ୍ମପୁରକୁ ପ୍ରଭାବିତ କରିବା ସ୍ୱାଭାବିକ । ପାରଳାଖେମୁଣ୍ଡିରେ ୧୭୬୩ରୁ ସଶସ୍ତ୍ର ସଂଗ୍ରାମ ଆରମ୍ଭ ହେବା ସମୟରେ ପୂର୍ବ ପ୍ରଦତ୍ତ ତଥ୍ୟ ଅନୁଯାୟୀ ବ୍ରହ୍ମପୁରରେ ମଧ୍ୟ ମହୁରି ରାଜପରିବାର ଓ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ବିରୋଧ ଜାରି ରହିଥିବା ଇତିହାସ ପୃଷ୍ଠାରେ ଲିପିବଦ୍ଧ । ମୋଟାମୋଟି ଭାବେ କହିବାକୁ ଗଲେ ବ୍ରିଟିଶ ଶାସକ ବ୍ରହ୍ମପୁର ସହରରେ ପ୍ରବେଶ କରିବା ସମୟରୁ ଆରମ୍ଭ ହୋଇଥିବା ପ୍ରତିରୋଧ ୧୯୪୭ରେ ଭାରତ ସ୍ୱାଧୀନତା ଲାଭ ଯାଏଁ ପରିବ୍ୟାପ୍ତ ରହିଥିଲା ।
 
ବ୍ରହ୍ମପୁର ବ୍ରିଟିଶ ଶାସନାଧୀନ ହେବା ସମୟରେ ନାରାୟଣ ଦେବ ମହୁରି ରାଜା ଭାବେ ଅଭିଷିକ୍ତ ଥିଲେ । ସେ ୧୭୭୦ରେ ମୃତ୍ୟୁ ବରଣ କଲେ । ସେତେବେଳକୁ ରାଜକୁମାର ହରିହର ନରେନ୍ଦ୍ର ଦେବଙ୍କ ବୟସ ମାତ୍ର ବାର ବର୍ଷ । ବିବାଦମାନ ପରିବେଶରେ ସେ ରାଜସିଂହାସନ ଆରୋହଣ କରି ୧୭୮୨ରେ ହତ୍ୟାର ଶୀକାର ହୋଇଥିଲେ । ଏହି ସମୟରେ ଦୁର୍ଭିକ୍ଷ ହେତୁ ମହୁରିର ଆର୍ଥିକ ସ୍ଥିତି ଦୁର୍ଦ୍ଦିନ ଦେଇ ଗତି କରୁଥିବା କୁହାଯାଏ । ତେବେ ହରିହର ନରେନ୍ଦ୍ର ଦେବଙ୍କ ରାଜତ୍ୱ ସମୟରେ ହିଁ ଦାକ୍ଷିଣାତ୍ୟରୁ ପାଟବସ୍ତ୍ର ବୁଣାକାର ଦେବାଙ୍ଗ ସଂପ୍ରଦାୟ ବ୍ରହ୍ମପୁରରେ ସ୍ଥାୟୀଭାବେ ବସବାସ କରିବା ନିମନ୍ତେ ପହଞ୍ଚିଥିବା ଏବଂ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଥିବା କିମ୍ୱଦନ୍ତୀରୁ ଜଣାଯାଏ ।

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୩ ଅଗଷ୍ଟ ୨୦୨୨/ ପୃଷ୍ଠା : ୨)

Friday, August 5, 2022

Women Leaders in Independence Movement / ସ୍ୱାଧୀନତା ସଂଗ୍ରାମରେ ନାରୀନେତ୍ରୀ

 

#ବ୍ରହ୍ମପୁର ରାଜନୀତିକ ଇତିହାସରେ ନାରୀନେତ୍ରୀମାନଙ୍କ ଯୋଗଦାନ ମହୁରି ରାଜପରିବାରକୁ ସୂଚ଼ିତ କରିଥାଏ । ମହୁରି ରାଜ୍ୟ ୧୭୭୬ରେ ବ୍ରିଟିଶ ଶାସନାଧୀନ ହେବାପରେ ୧୭୮୨ରେ ରାଜା ହରିହର ନରେନ୍ଦ୍ର ଦେବ ହତ୍ୟାର ଶୀକାର ହୋଇଥିଲେ । ସେ ନିଃସନ୍ତାନ ଥିବା ହେତୁ ଶାସନଜନିତ ଗଣ୍ଡଗୋଳିଆ ପରିସ୍ଥିତିରେ ୧୭୮୮ରେ ବ୍ରିଟିଶ ପ୍ରଶାସନ ପକ୍ଷରୁ ବିଧବା ରାଣୀ କୃଷ୍ଣପ୍ରିୟା ଦେବୀଙ୍କୁ ରାଜ୍ୟ ପରିଚାଳନା ଭାର ପ୍ରଦାନ କରାଯାଇଥିଲା । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଇତିହାସ ପ୍ରଫେସର ବୀଣା କୁମାରୀ ଶର୍ମା କୃଷ୍ଣପ୍ରିୟା ଦେବୀଙ୍କୁ ସହରର ପ୍ରଥମ ନାରୀ ସ୍ୱାଧୀନତା ସଂଗ୍ରାମୀ ମାନ୍ୟତା ଦେଇଥାନ୍ତି । ତାଙ୍କରି ଭାଷାରେ, “ଊନବିଂଶ ଶତାଦ୍ଦୀ ପ୍ରାରମ୍ଭରେ ବ୍ରହ୍ମପୁରରେ ମହୁରି ରାଣୀଙ୍କ ନେତୃତ୍ୱରେ ସଂଗଠିତ ହୋଇଥିବା ସ୍ୱାଧୀନତା ଆନ୍ଦୋଳନ ବ୍ରହ୍ମପୁର ମହିଳାମାନଙ୍କୁ ପ୍ରେରଣା ଦେଇଥିଲା । ସେମାନେ ବାପୁଜୀଙ୍କ ଆହ୍ୱାନକ୍ରମେ ଜାତୀୟ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ଏବଂ ଅନେକ ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ମଧ୍ୟ ନେଇଥିଲେ ।”
 
ମହାତ୍ମାଗାନ୍ଧୀ ୧୯୨୧ରେ ପ୍ରଥମଥର ସ୍ୱାଧୀନତା ସଂଗ୍ରାମ ବାର୍ତ୍ତା ପ୍ରଚାର ଉଦ୍ଦେଶ୍ୟରେ ବ୍ରହ୍ମପୁରରେ ପହଞ୍ଚିଥିଲେ । ସେହି ସମୟରୁ ସ୍ୱାଧୀନତା ସଂଗ୍ରାମ କାର୍ଯ୍ୟକ୍ରମଗୁଡ଼ିକରେ ବ୍ରହ୍ମପୁର ସହର ଓ ଗଞ୍ଜାମ ଜିଲ୍ଲାର ନାରୀ ନେତ୍ରୀମାନେ ଯୋଗ ଦେବା ଆରମ୍ଭ କରିଥିଲେ । ବ୍ରହ୍ମପୁରର ସ୍ୱରାଜ ଆଶ୍ରମଠାରେ ‘ଉତ୍କଳ ମହିଳା ସମ୍ମିଳନୀ’ ୧୯୨୪ରେ ଅନୁଷ୍ଠିତ ହୋଇଥିଲା । ଏହା ସହରରେ ନାରୀଜାଗରଣର ଅନ୍ୟତମ ମାଇଲଖୁଣ୍ଟ ବିବେଚ଼ିତ । ନାରୀନେତ୍ରୀ କୁନ୍ତଳା କୁମାରୀ ସାବତ ୧୯୨୬ରେ ବ୍ରହ୍ମପୁରରେ ‘ସଂସ୍କାର ଓ ସେବାସଂଘ’ ଦ୍ୱାରା ଆୟୋଜିତ ଏକ ସଭାରେ ଯୋଗ ଦେଇ ସହରର ମହିଳାମାନଙ୍କୁ ଉଦବୋଧନ ଦେଇଥିଲେ । “କୁନ୍ତଳାକୁମାରୀଙ୍କ ଏହି ବ୍ରହ୍ମପୁର ଗସ୍ତ ଓ ଭାଷଣ ପ୍ରଭାବ ବ୍ରହ୍ମପୁର ମହିଳାମାନଙ୍କ ଉପରେ ଯଥେଷ୍ଟ ପଡ଼ିଥିଲା ଏବଂ ସେମାନଙ୍କ ମଧ୍ୟରେ ଏକ ନୂତନ ଜାଗରଣ ଦେଖାଦେଇଥିଲା ।“
 
ପରବର୍ତ୍ତୀ ପର୍ଯ୍ୟାୟରେ ୧୯୩୦ ମସିହାରେ ଆୟୋଜିତ ଲବଣ ସତ୍ୟାଗ୍ରହରେ ସ୍ଥାନୀୟ ମହିଳାମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ କିଶୋରମଣି ଦେବୀ ଓ କୁନ୍ଦଲତା ଦେବୀଙ୍କ ଉଦ୍ୟମରେ ସତ୍ୟାଗ୍ରହୀ ଶିବିର ‘ଉଦ୍ୟୋଗ ମନ୍ଦିର’ ପରିଚାଳନା ଏକ ଉଲ୍ଲେଖଯୋଗ୍ୟ ଘଟଣା । କିଶୋରମଣି ଦେବୀ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଶାଶୁ ତଥା ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ମାତା । “ଗାନ୍ଧିଜୀଙ୍କ ପ୍ରେରଣାରେ କୁନ୍ଦଲତା ଦେବୀ ଏତେଦୂର ଅନୁପ୍ରାଣିତ ହୋଇଥିଲେ ଯେ ଉତ୍କଳର ନାରୀନେତ୍ରୀ ସରଳା ଦେବୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଗୋବରା ସଭାରେ ନିଜର ସମସ୍ତ ଅଳଙ୍କାର ସତ୍ୟାଗ୍ରହୀ ପାଣ୍ଠିକୁ ଦାନ କରିଦେଇଥିଲେ । ଓଡ଼ିଶା କଂଗ୍ରେସ ଅଧିବେଶନ ବେଳେ ମହିଳା ସ୍ୱେଚ୍ଛାସେବିକା ବାହିନୀରେ ଯୋଗଦେଇ ସେବାଦଳ ପ୍ରଶିକ୍ଷଣ ଲାଭ କରିବାରେ ସେ ହେଉଛନ୍ତି ବ୍ରହ୍ମପୁର ଅନ୍ୟତମ ମହିଳା ।”
 
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ୧୯୩୬ରେ ଗଠିତ ହେବାପରେ ଭି. ଲକ୍ଷ୍ମୀବାଈ ୧୯୩୬ରେ ଓଡ଼ିଶା ବିଧାନସଭାକୁ ବ୍ରହ୍ମପୁରରୁ ପ୍ରତିନିଧି ଭାବେ ମହିଳା ସଂରକ୍ଷିତ ଆସନରୁ ନିର୍ବାଚ଼ିତ ହୋଇଥିଲେ । ପରେ ୧୯୪୬ ନିର୍ବାଚ଼ନରେ ମଧ୍ୟ ସେ ନିଜ ଆସନ ବଳବତ୍ତର ରଖି ଉପ-ବାଚ଼ସ୍ପତି ପଦବୀରେ ଅଧିଷ୍ଠିତ ହୋଇଥିଲେ । କଂଗ୍ରେସର ‘ଭାରତ ଛାଡ଼’ ଆହ୍ୱାନରେ ‘କର ବା ମର’ ମନ୍ତ୍ରରେ ବ୍ରହ୍ମପୁରରେ ଅନେକ ମହିଳା ଭି. ଲକ୍ଷ୍ମୀବାଈଙ୍କ ନେତୃତ୍ୱରେ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ ।
 
ପ୍ରଫେସର ଶର୍ମା ଲେଖିଥିଲେ, “ବ୍ରହ୍ମପୁର ଅଞ୍ଚଳର ସ୍ୱାଧୀନତା ସଂଗ୍ରାମର ଇତିହାସରେ ତେଲୁଗୁ ମହିଳାମାନଙ୍କ ଅବଦାନ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ । ସେତେବେଳେ ବ୍ରହ୍ମପୁର ସହରରେ ତେଲୁଗୁଭାଷୀମାନେ ବହୁଳଭାବେ ବାସ କରୁଥିଲେ ଏବଂ କଂଗ୍ରେସ କର୍ମ୍ମୀ ତଥା ନେତାମାନଙ୍କ ମଧ୍ୟରେ ଅନେକ ତେଲୁଗୁ ଥିଲେ । ଏହି ତେଲୁଗୁ ସଂଗ୍ରାମୀମାନେ ମଧ୍ୟ ନିଜ ପତ୍ନୀମାନଙ୍କୁ ସଚ଼େତନ କରାଇ ଦେଶମାତୃକା  ସେବାରେ ଯୋଗଦେବା ପାଇଁ ଉତ୍ସାହ ପ୍ରଦାନ କରିଥିଲେ ।”
 
ସ୍ୱାଧୀନତା ଆନ୍ଦୋଳନ ତୀବ୍ର ଆକାର ଧାରଣ କରିଥିବା ବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଘନଘଟା ଦେଖା ଦେଇଥିଲା । ବ୍ରିଟିଶ ସେନା ବାହିନୀରେ ବହୁ ସଂଖ୍ୟକ ଭାରତୀୟ ଅନ୍ତର୍ଭୁକ୍ତ ଥିବା ହେତୁ “ଏହି ଆହତ ସୈନ୍ୟମାନଙ୍କୁ ରଣକ୍ଷେତ୍ରରେ ସାହାଯ୍ୟ କରିବା ପାଇଁ ବ୍ରହ୍ମପୁରର ମହିଳାମାନେ ତତ୍ପରତା ପ୍ରକାଶ କରି ରେଡ଼କ୍ରସ ମାଧ୍ୟମରେ ସମସ୍ତ ପ୍ରକାର ସହଯୋଗ କରିଥିଲେ । ସେତେବେଳେ ବ୍ରହ୍ମପୁରର କୃଷ୍ଣପ୍ରିୟା ରଥ ସାହସର ସହ ମଣିପୁର ଇମ୍ପାଲ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ସେ ତିନିମାସ ରହି ରେଡ଼କ୍ରସର ଅନ୍ୟାନ୍ୟ ସ୍ୱେଚ୍ଛାସେବୀଙ୍କ ସହ ମଣିପୁର ଜଙ୍ଗଲରେ ବୁଲି ବୁଲି କ୍ଷତବିକ୍ଷତ ସୈନ୍ୟଙ୍କୁ ରେଡ଼କ୍ରସ ଶିବିରକୁ ଆଣି ସେମାନଙ୍କ ସେବା କରିଥିଲେ ।”

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୬ ଅଗଷ୍ଟ ୨୦୨୨/ ପୃଷ୍ଠା : ୨)

Photo by Miltiadis Fragkidis on Unsplash

Friday, July 29, 2022

‘Nabeen’ at 93 Years / ‘ନବୀନ’ ୯୩ ବର୍ଷରେ

 

#ବ୍ରହ୍ମପୁର ସହର ସଂପର୍କୀତ ବିଭିନ୍ନ ଉଲ୍ଲେଖଯୋଗ୍ୟ ଘଟଣାକ୍ରମ ମଧ୍ୟରେ ୯୩ ବର୍ଷ ଧରି ଏକ ସାପ୍ତାହିକ ସମ୍ୱାଦପତ୍ର ପ୍ରକାଶନ ଅନ୍ୟତମ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେବା ଛଅ ବର୍ଷ ଏବଂ ଭାରତ ସ୍ୱାଧୀନତା ଲାଭ କରିବା ୧୭ ବର୍ଷ ପୂର୍ବେ ୧୯୩୦ରେ ମହୁରି ରାଜପରିବାର ପୃଷ୍ଠପୋଷକତାରେ ‘ନବୀନ’ ନାମକ ଏକ ସାପ୍ତାହିକ ସମ୍ୱାଦପତ୍ର ପ୍ରକାଶନ ଆରମ୍ଭ ହୋଇଥିଲା । ମହୁରି ରାଜା କୃପାସିନ୍ଧୁ ନରେନ୍ଦ୍ର ଦେବ ମୃତ୍ୟୁ ଯାଏଁ ‘ନବୀନ’ର ସମ୍ପାଦକ ରହିଥିଲେ । ତାଙ୍କରି ପୁତ୍ର ଶିଶିର କୁମାର ନରେନ୍ଦ୍ର ଦେବ କିଛିକାଳ ସମ୍ପାଦନା କଲାପରେ ପତ୍ରିକାଟି ସମ୍ପାଦନା ଓ ପ୍ରକାଶନରେ ସହଯୋଗିତା କରୁଥିବା ରାଜକର୍ମଚାରୀ ସିଂହାଦ୍ରୀ ପଣ୍ଡାଙ୍କ ସମ୍ପାଦନାରେ ପ୍ରକାଶିତ ହୋଇଥିଲା । ସିଂହାଦ୍ରୀ ପଣ୍ଡାଙ୍କ ମୃତ୍ୟୁପରେ ତାଙ୍କରି ପରିବାରବର୍ଗ କିମ୍ୱା ରାଜପରିବାର ପକ୍ଷରୁ ‘ନବୀନ’ ପ୍ରକାଶନ ନିମନ୍ତେ ଉଦ୍ୟମ କରାଯାଇପାରିଲା ନାହିଁ । ଏହି ଅବସରରେ ବ୍ରହ୍ମପୁରର ତରୁଣ ସାମ୍ୱାଦିକ ରବି ରଥ ୧୯୮୯ରେ ‘ନବୀନ’ର ସତ୍ତ୍ୱ କ୍ରୟ କରି ପ୍ରକାଶନ ଦାୟିତ୍ୱ ଗ୍ରହଣ କରିଥିଲେ । ସାପ୍ତାହିକ ସମ୍ୱାଦପତ୍ରଟି ୧୯୩୦ରେ ଆତ୍ମପ୍ରକାଶ କରିବା ପରଠୁ ନିରବଚ୍ଛିନ୍ନ ଭାବେ ପ୍ରକାଶିତ ହୋଇଚାଲିଛି ଏବଂ ସାତବର୍ଷପରେ ୨୦୩୦ରେ ଶତବାର୍ଷକୀ ପାଳନ କରିବା ଆଶା କରାଯାଏ ।
 
‘ନବୀନ’ ଜନ୍ମକାଳରେ ବ୍ରହ୍ମପୁର ଓଡ଼ିଆ ଭାଷାଭାଷୀ ଏକତ୍ରୀକରଣ ଓ ସାମ୍ୱାଦିକତା କ୍ଷେତ୍ରରେ ନେତୃତ୍ୱ ଗ୍ରହଣ କରୁଥିଲା । ପାରମ୍ପରିକଭାବେ ମହୁରି ରାଜପରିବାର ସଂସ୍କୃତି ପ୍ରିୟ । କିମ୍ୱଦନ୍ତୀ ଅନୁଯାୟୀ ପଞ୍ଚଦଶ ଶତାଦ୍ଦୀରେ ଗଜପତି ରାଜା ପୁରୁଷୋତ୍ତମ ଦେବ ମହୁରି ରାଜ୍ୟ ପ୍ରତିଷ୍ଠା କରିଥିଲେ । ମହୁରି ରାଜପରିବାର ସଂପର୍କରେ ଗବେଷଣା କରି ସନ୍ଦର୍ଭ ରଚନା କରିଥିବା ଡ଼କ୍ଟର ବିଚ଼ିତ୍ରାନନ୍ଦ ଦାଶଙ୍କ ଭାଷାରେ, “ଗଜପତି ପୁରୁଷୋତ୍ତମ ଦେବ ତାଙ୍କର ଦକ୍ଷିଣାତ୍ୟ ଅଭିଯାନ ବେଳେ ସୋମରାଜା ଏବଂ ଭୀମରାଜା ନାମକ ଦୁଇ ଭାଇଙ୍କୁ ନିଜର ସାଥି-ସର୍ଦ୍ଦାର ଋୂପେ ନେଇଥିଲେ । ଦାକ୍ଷିଣାତ୍ୟ ଯୁଦ୍ଧରେ ବିଜୟ ଲାଭ କରି ପ୍ରତ୍ୟାବର୍ତ୍ତନ କଲାବେଳେ ଏମାନଙ୍କ ଉପରେ ପ୍ରୀତ ହୋଇ ପୁରୁଷୋତ୍ତମ ଦେବ ଋଷିକୂଲ୍ୟା ଓ ବାହୁଦା ନଦୀର ମଧ୍ୟବର୍ତ୍ତୀ ଅଞ୍ଚଳକୁ ବଡ଼ଭାଇ ସୋମରାଜାଙ୍କୁ ପ୍ରଦାନ କଲେ । ସୋମରାଜା ଜଣେ ବିଖ୍ୟାତ ମହୁରି ବାଦକ ଥିଲେ । ସେହି ଅନୁସାରେ ଉକ୍ତ ଅଞ୍ଚଳ ‘ମହୁରି’ ରାଜ୍ୟ ଭାବରେ ଖ୍ୟାତ ହେଲା ।”
 
କୃପାସିନ୍ଧୁ ନରେନ୍ଦ୍ର ଦେବ ସଙ୍ଗୀତ, ସାହିତ୍ୟ ଓ ସଂସ୍କୃତିରେ ରୁଚି ରଖୁଥିଲେ । ବିଂଶ ଶତାଦ୍ଦୀ ଆରମ୍ଭରେ ବ୍ରହ୍ମପୁର ସହରରେ ଓଡ଼ିଆ ଭାଷାର ସ୍ଥିତି ବିପଦଜନକ ଅବସ୍ଥାରେ ଥିବା ହେତୁ ସାମ୍ୱାଦିକତା ସାଙ୍ଗକୁ ସାହିତ୍ୟ ସୃଜନକୁ ଉତ୍ସାହିତ କରିବା ନିମନ୍ତେ ‘ନବୀନ’ ପ୍ରକାଶନରେ ମନୋନିବେଶ କରିଥିଲେ । ସେ ସମୟରେ ବ୍ରହ୍ମପୁରରୁ ପ୍ରକାଶିତ ସାପ୍ତାହିକ ‘ଆଶା’ ଦୈନିକ ସମ୍ୱାଦପତ୍ରରେ ରୂପାନ୍ତରିତ ହୋଇଥାଏ । ଅତଏବ ସମୃଦ୍ଧ ସାମ୍ୱାଦିକତା ପରିବେଶରେ ଏକ ବିକଳ୍ପ ସାମ୍ୱାଦିକତା ଧାରା ପ୍ରବର୍ତ୍ତନ ଲାଗି ଉଦ୍ୟମ କରିଥିବା ସୁସ୍ପଷ୍ଟ ।
 
‘ନବୀନ’ ମୁଦ୍ରଣ ନିମନ୍ତେ ମହୁରି ରାଜବାଟୀରେ ‘ରୟାଲ ପ୍ରେସ’ ନାମକ ଏକ ଛାପାଖାନା ସ୍ଥାପିତ ହୋଇଥିଲା । ଅଧୂନା ସାନବଜାରରୁ ବଡ଼ବଜାର ଯିବା ମୁଖ୍ୟରାସ୍ତାରେ ଖାସ୍ପାସାହୀ ଛକରେ ପହଞ୍ଚିବା ପୂର୍ବରୁ ଡ଼ାହାଣ କଡ଼ ରାସ୍ତାରେ ଦେଶୀବେହରା ସାହୀକୁ ପ୍ରବେଶ କରିବାକୁ ପଡ଼େ । ସେହି ରାସ୍ତାରେ ବାମ ମୋଡ଼ ନେବା ପୂର୍ବରୁ ଡାହାଣ ପଟେ ମହୁରି ରାଜପ୍ରସାଦ ବିଦ୍ୟମାନ ଥିଲା । ପ୍ରବେଶ ପଥର ଡ଼ାହାଣ ପଟେ, ଅର୍ଥାତ ବର୍ତ୍ତମାନ ଠାକୁରାଣୀଯାତ୍ରା ସମୟରେ ମହୁରି ରାଜା ହାଣ୍ଡି ପରିକ୍ରମାବେଳେ ପୂଜାର୍ଚ୍ଚନା କରୁଥିବା କଠୋରୀର ସାମନାରେ ‘ରୟାଲ ପ୍ରେସ’ ଦୁଇ ବଖୁରିଆ ଗୃହରେ ସ୍ଥାପିତ ହୋଇଥିଲା ।  ପ୍ରଥମ ବଖରାରେ ସିଂହାଦ୍ରୀ ପଣ୍ଡା ଏକ ବଡ଼ କାଠ ଟେବୁଲ ସାମନାରେ ବସୁଥାନ୍ତି । ଆଗନ୍ତୁକଙ୍କ ପାଇଁ ଦୁଇଗୋଟି କାଠ ଚୌକୀ ପଡ଼ିଥାଏ । ସେ ରୀତିମତ ସକାଳ ୧୦ରୁ ରାତି ୮ ଯାଏଁ ସମ୍ପାଦନା, ସଂଶୋଧନ, ବିଜ୍ଞାପକଙ୍କ ସହ ପତ୍ରାଳାପ ଓ ଅତିଥି ସତ୍କାରରେ ବ୍ୟସ୍ତ ରହୁଥାନ୍ତି । ଏକ ଛୋଟିଆ ଟାଇପ ରାଇଟର ଟେବୁଲ ଉପରେ ଥୋଇ ଇଂଲିଶ ଚିଠିପତ୍ର ପ୍ରସ୍ତୁତ କରୁଥାନ୍ତି । ସିଂହାଦ୍ରୀ ପଣ୍ଡା ସମସ୍ତଙ୍କୁ ସ୍ୱାଗତ କରନ୍ତି, କିନ୍ତୁ କାହା ସହ ଦୀର୍ଘ ସମୟ ଆଳାପ କରନ୍ତି ନାହିଁ । ନିଜ ଅଫିସ କାମକୁ ତୁରନ୍ତ ଫେରି ଯାଆନ୍ତି । ପଛ ବଖରାରେ କମ୍ପୋଜିଟ ଟେବୁଲ ଏବଂ ଟ୍ରେଡ଼ଲ ମେସିନ ଥାଏ । ସେଠି ପତ୍ରିକା ଛାପା ହୁଏ ।
 
ବଡ଼ ବଜାରରେ ‘ନବୀନ’ର ସ୍ୱତନ୍ତ୍ର ପରିଚ଼ୟ ରହିଥାଏ । ଅତୀତରେ ଡ଼ାକଘର ଜନଜୀବନରେ ପ୍ରଭାବଶାଳୀ ବିବେଚିତ ହେଉଥିଲା । ‘ନବୀନ’ କାର୍ଯ୍ୟାଳୟ ସାମ୍ନାରେ ‘ନବୀନ’ ଡ଼ାକଘର କାର୍ଯ୍ୟକରୁଥାଏ । ମହୁରି ରାଜପରିବାରଙ୍କ ପକ୍ଷରୁ ମହୁରି ରାଜବାଟୀ ଗତ ଶତାଦ୍ଦୀ ସପ୍ତମ ଓ ଅଷ୍ଟମ ଦଶକରେ ଖଣ୍ଡ ଖଣ୍ଡକରି ବିକ୍ରୀ କରିଦିଆଗଲା । ‘ରୟାଲ ପ୍ରେସ’ର ଜମି ବିକ୍ରୀ ଅବସରରେ ସିଂହାଦ୍ରୀ ପଣ୍ଡା ନିଜ ରଙ୍ଗୁଣୀବନ୍ଧ ସାହୀ ବାସଭବନକୁ ଛାପାଖାନାଟି ଉଠାଇ ନେଇ କିଛି କାଳ ‘ନବୀନ’ ମୁଦ୍ରଣ ଓ ପ୍ରକାଶନ ଜାରୀ ରଖିଥିଲେ । ରବି ରଥ ‘ନବୀନ’ ପ୍ରକାଶନ ସତ୍ତ୍ୱ ହାସଲ ପରେ ନିଜେ ଛାପାଖାନା ସ୍ଥାପନ କଲେ ନାହିଁ । ଏଯାଏଁ ପତ୍ରିକାଟି ଅନ୍ୟ ଘରୋଇ ମୁଦ୍ରଣାଳୟରେ ମୁଦ୍ରିତ ହେଉଛି ।
 
‘ନବୀନ’ ସମ୍ୱାଦପତ୍ର ରୂପେ ପ୍ରକାଶିତ ହେଉଥିଲେ ହେଁ ସାହିତ୍ୟ ସୃଜନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଥିଲା । ସ୍ୱାଧୀନତା-ପୂର୍ବ ଦୁଇ ଦଶନ୍ଧି ଏବଂ ସ୍ୱାଧୀନତା-ପର ଦୁଇ ଦଶନ୍ଧି ପ୍ରାୟ ଚାଳିଶି ବର୍ଷ ଧରି ସମଗ୍ର ଓଡ଼ିଶାର ଅଧିକାଂଶ ସାହିତ୍ୟିକଙ୍କ ପ୍ରଥମ ରଚନା ସମୂହ ‘ନବୀନ’ରେ ହିଁ ପ୍ରକାଶିତ ହୋଇଥିବା ଗୌରବର ଅଧିକାରୀ । ବ୍ରହ୍ମପୁରର ବହୁ ସାହିତ୍ୟିକ ‘ନବୀନ’ ପୃଷ୍ଠାରେ ନିଜ ରଚ଼ନା ପ୍ରକାଶନର ଶିହରଣ ଅନୁଭବ କରି ଆସିଛନ୍ତି । ସହରର ସାଂସ୍କୃତିକ ଇତିହାସରେ ‘ନବୀନ’ର ଯୋଗଦାନର ପଟାନ୍ତର ନାହିଁ ।

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୩୦ ଜୁଲାଇ ୨୦୨୨/ ପୃଷ୍ଠା : ୨)

Friday, July 22, 2022

Traffic Rules Violation / ଟ୍ରାଫିକ ଆଇନ ଉଲ୍ଲଙ୍ଘନ


 #ବ୍ରହ୍ମପୁର ସହରରେ ୨୦୨୨ ମଧ୍ୟଭାଗ ସୁଦ୍ଧା ପୋଲିସ ପକ୍ଷରୁ ଟ୍ରାଫିକ ଆଇନ ଉଲ୍ଲଙ୍ଘନକାରୀଙ୍କଠାରୁ ଦୈନିକ ଦେଢ଼ ଲକ୍ଷ ଟଙ୍କା ଯାଏଁ ଜରିମାନା ଆଦାୟ କରାଯାଉଥିବା ଏକ ଉଲ୍ଲେଖଯୋଗ୍ୟ ପରିସଂଖ୍ୟାନ । ଏହିଭଳି ତଥ୍ୟର ବିଶ୍ଳେଷଣ ସହର ଜନଜୀବନରେ କେତେଗୋଟି ଗୁରୁତ୍ୱପୂର୍ଣ୍ଣ ଦିଗକୁ ସୂଚ଼ିତ କରିଥାଏ । ପ୍ରଥମତଃ, ସହରରେ ବ୍ୟାପକ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ପ୍ରମାଣିତ ହେଉଥିବା ହେତୁ ରାସ୍ତାଘାଟରେ ଚଳାଚଳ ଅସୁରକ୍ଷିତ । ମୁଖ୍ୟତଃ ବରିଷ୍ଠ ନାଗରିକ ଓ ଶିଶୁମାନଙ୍କ ଚଳାଚଳ କ୍ଷେତ୍ରରେ ଏହା ଏକ ବଡ଼ ସମସ୍ୟା । ଦ୍ୱିତୀୟତଃ, ହିସାବରୁ ଜଣାଯାଏ ଯେ ପୋଲିସ ହାତରେ ଧରାପଡୁଥିବା ବହୁ ଯାନବାହନ ଚାଳକ ଅଭ୍ୟାସଗତ ଟ୍ରାଫିକ ଉଲ୍ଲଙ୍ଘନକାରୀ ‘ରିପିଟ ଅଫେଣ୍ଡର୍ସ’ । ସେମାନଙ୍କ ମାନସିକତାକୁ କିପରି ସୁଧାରାଯାଇପାରିବ ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ସମାଜଶାସ୍ତ୍ର ଗବେଷଣାରତ ବିଦ୍ୱାନମାନେ ଖୋଜି ବାହାର କରିବା ଦରକାର ଯେଉଁମାନେ ବାରମ୍ୱାର ଟ୍ରାଫିକ ଆଇନ ଉଲ୍ଲଙ୍ଘନ କରୁଛନ୍ତି ସେମାନେ ଅପରାଧପ୍ରବଣ କି ? ଅନ୍ୟାନ୍ୟ ଅପରାଧ ସହ ସଂପୃକ୍ତ ରହୁଛନ୍ତି କି ? ତୃତୀୟତଃ, ଓଡ଼ିଶା ରାଜ୍ୟରେ ଜାତୀୟ ହାରଠାରୁ ଅଧିକା ସଡ଼କ ଦୁର୍ଘଟଣା ପରିଦୃଷ୍ଟ ହେଉଥିବା ଏବଂ ଗଞ୍ଜାମ ଜିଲ୍ଲାରେ ବହୁ ଲୋକ ମୃତାହତ ହିସାବ କରାଯାଉଥିବା କାରଣରୁ ଦୁର୍ଘଟଣାକେନ୍ଦ୍ରୀକ ଚ଼ିକିତ୍ସା ପାଇଁ ସିଟି ହସପିଟାଲରେ ସ୍ୱତନ୍ତ୍ର ‘ଟ୍ରମା କେୟାର ୟୁନିଟ’ ଆରମ୍ଭ କରାଯିବା ଉଦ୍ୟମ ହେବା ଆବଶ୍ୟକ ।

 

ପ୍ରକାଶିତ ବିବରଣୀ ଅନୁଯାୟୀ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ୨୦୨୧ ଜାନୁୟାରୀରୁ ଡ଼ିସେମ୍ୱର ବର୍ଷକ ମଧ୍ୟରେ ଟ୍ରାଫିକ ଆଇନ ଉଲ୍ଲଙ୍ଘନକାରୀଙ୍କଠାରୁ ମୋଟ ତିନି କୋଟି ୬୦ ଲକ୍ଷରୁ ଉର୍ଦ୍ଧ୍ୱ ଜରିମାନା ଆଦାୟ ହୋଇଥିଲା । ପ୍ରାୟ ଅଢ଼େଇ ହଜାର ଦୁଇ ଓ ଚାରିଚକିଆ ଯାନ ଚାଳକଙ୍କ ଲାଇସେନ୍ସ ରଦ୍ଦ ନିମନ୍ତେ ରୋଡ଼ ଟ୍ରାନ୍ସପୋର୍ଟ ଅଫିସର ‘ଆରଟିଓ’ଙ୍କୁ ସୁପାରିଶ କରାଯାଇଥିଲା । ସେହିପରି ୨୦୨୨ ଜାନୁୟାରୀରୁ ମେ’ ପାଞ୍ଚ ମାସ ମଧ୍ୟରେ ପ୍ରାୟ ଦୁଇ କୋଟି ୩୦ ଲକ୍ଷ ଜରିମାନା ଓ ପ୍ରାୟ ଆଠ ଶହ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ନିମନ୍ତେ ସୁପାରିଶ ହୋଇଥିବା ଜଣାଯାଏ । ଜୁନ ୨୦୨୨ ମାସରେ ମଧ୍ୟ ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଜରିମାନା ଓ ଦୁଇଶହ ଲାଇସେନ୍ସ ରଦ୍ଦ ସୁପାରିସ ହିସାବ କରାଯାଇଥିଲା ।

 

କୁହାଯାଉଛି ଯେ ସହରର ପୂର୍ବ ଉପକଣ୍ଠ ଇଞ୍ଜିନିୟରିଂ ସ୍କୁଲ ଛକ, ପଶ୍ଚିମ ଉପକଣ୍ଠ ଫାଷ୍ଟ ଗେଟ, ଦକ୍ଷିଣ-ପୂର୍ବ ଲାଞ୍ଜିପଲ୍ଲୀ ଓ ଦକ୍ଷିଣ-ପଶ୍ଚିମ ଅନ୍ଧପସରା ରାସ୍ତାରେ ଟ୍ରାଫିକ ପୋଲିସ ପକ୍ଷରୁ ନିୟମିତ ଯାଞ୍ଚ ବ୍ୟବସ୍ଥା କରାଯାଇଥାଏ । ଏହାର ଅର୍ଥ ପଡ଼ୋଶୀ ଗ୍ରାମାଞ୍ଚଳରୁ କାର୍ଯ୍ୟ ଉପଲକ୍ଷେ ସହରରେ ପହଞ୍ଚୁଥିବା ଅଗନ୍ତୁକମାନେ ଟ୍ରାଫିକ ଉଲ୍ଲଙ୍ଘନକାରୀଙ୍କ ମଧ୍ୟରେ ସଂଖ୍ୟାଧିକ କି ? ଏକପକ୍ଷରେ ପୋଲିସ ପକ୍ଷରୁ ଗ୍ରାମାଞ୍ଚଳର ଆଗନ୍ତୁକ ଯାନବାହାନ ବାହକମାନଙ୍କୁ ତାଗିଦ କରିବା ଯଥାର୍ଥ । କାରଣ ସେମାନେ ସହରର ରାସ୍ତାଘାଟରେ ପହଞ୍ଚି ଦୁର୍ଘଟଣା ଘଟାଇବା ଏବଂ ସହରବାସୀ ପ୍ରଭାବିତ ହେବା ସ୍ୱାଭାବିକ । କିନ୍ତୁ ଅପରପକ୍ଷରେ ଟ୍ରାଫିକ ଆଇନ ଚ଼େତନା ସହରର ପରିସୀମା ଡ଼େଇଁ କିପରି ଗ୍ରାମାଞ୍ଚଳରେ ପହଞ୍ଚିବ ସେଥିପ୍ରତି ଧ୍ୟାନ ଦେବା ବିଧେୟ । ସାଧାରଣ ପରିସଂଖ୍ୟାନ ଅନୁଯାୟୀ ସମସ୍ତ ଗ୍ରାମାଞ୍ଚଳରେ ଦୁଇ ଓ ତିନି ଚକିଆ ଯାନବାହାନ ପରିବହନ ପକ୍କା ରାସ୍ତା ଉପଲବ୍ଧ ଏବଂ ଅର୍ଦ୍ଧେକ ପରିବାର ଦୁଇ ଚକିଆ ଗାଡ଼ିର ମାଲିକ । ଯାନବାହାନ ଉତ୍ପାଦକ ବିକ୍ରୀ ବୃଦ୍ଧି ଏବଂ ବ୍ୟାବସାୟିକ ବ୍ୟାଙ୍କ ସୁଧ ସଂଗ୍ରହ ଉଦ୍ଦେଶ୍ୟରେ ସହଜରେ ଋଣ ଉପଲବ୍ଧ କରାଉଥିବା ହେତୁ ବହୁ ଉପଭୋକ୍ତାଙ୍କ ହାତରେ ଦୁଇଚକିଆ ଯାନ ପହଞ୍ଚି ପାରୁଛି । କିନ୍ତୁ ସେହି ଯାନବାହାନ ଚଳାଇବା ନିମନ୍ତେ ତାଲିମର କୌଣସି ବ୍ୟବସ୍ଥା ନଥାଏ । ଏହି ଅବ୍ୟବସ୍ଥା ହିଁ ଟ୍ରାଫିକ ଆଇନ ଉଲଙ୍ଘନ ପରିବେଶ ସୃଷ୍ଟି କରିଥାଏ ।

 

ସଡ଼କ ଦୁର୍ଘଟଣା ଆଧୁନିକ ଜନଜୀବନରେ ଏକ ଅମୀମାଂସିତ ସମସ୍ୟା । ଗଞ୍ଜାମ ଜିଲ୍ଲାରେ ୨୦୧୯ରେ ୭୩୩ ଦୁର୍ଘଟଣାରେ ୩୮୫ ଜଣ ମୃତ୍ୟୁମୁଖରେ ପଡ଼ିଥିଲେ ଓ ୪୬୫ ଜଣ ଗୁରୁତର ଆହତ ହୋଇଥିଲେ । ୨୦୨୦ରେ ୬୧୬ ଦୁର୍ଘଟଣାରେ ୩୬୩ ଜଣ ମୃତ୍ୟୁମୁଖରେ ପଡ଼ିଥିଲେ ଓ ୩୫୫ ଜଣ ଗୁରୁତର ଆହତ ହୋଇଥିଲେ । ସେହିପରି ୨୦୨୧ରେ ୭୦୪ ଦୁର୍ଘଟଣାରେ ୩୨୮ ଜଣ ମୃତ୍ୟୁମୁଖରେ ପଡ଼ିଥିଲେ ଓ ୪୦୦ ଜଣ ଗୁରୁତର ଆହତ ହୋଇଥିଲେ । ୨୦୨୨ ମେ’ମାସ ସୁଦ୍ଧା ୩୫୪ ଦୁର୍ଘଟଣାରେ ୧୭୫ ଜଣ ମୃତ୍ୟୁମୁଖରେ ପଡ଼ିଥିବା ଓ ୧୪୪ ଜଣ ଗୁରୁତର ଆହତ ହୋଇଥିବା ପ୍ରକାଶ । ଆମ ଅଞ୍ଚଳରେ ସଡ଼କ ଦୁର୍ଘଟଣା ହାର ଗୁରୁତ୍ୱ ଉପଲବ୍ଧି କରି ସୁପ୍ରିମକୋର୍ଟ ପକ୍ଷରୁ ଏକ ପ୍ରତିନିଧି ଦଳ ଜୁନ ୨୦୨୨ରେ ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ପରିଦର୍ଶନରେ ପରିସ୍ଥିତି ଅନୁଧ୍ୟାନ କରି ଫେରିଥିଲେ । ସଡ଼କ ଦୁର୍ଘଟଣା ନିରାକରଣ ନିମନ୍ତେ ସାର୍ବଜନୀନ ବିଚାରବିମର୍ଷ ଅପରିହାର୍ଯ୍ୟ ବିଚାର କରାଯାଏ ।

 

ସଭ୍ୟତାର ବିକାଶ ସହ ପରିବହନ ଏବଂ ତଦଜନିତ ଯାନବାହାନ ଚଳାଚଳ ଓ ଦୁର୍ଘଟଣା ଯୋଡ଼ିହୋଇ ରହିଥାଏ । ବିକଶିତ ରାଷ୍ଟ୍ରଗୁଡ଼ିକରେ ସଡ଼କ ଦୁର୍ଘଟଣା ସେଠାକାର ପୋଲିସ ପ୍ରଶାସନର ମୁଣ୍ଡବ୍ୟଥାର କାରଣ । ଆମ ଦେଶ, ରାଜ୍ୟ, ଜିଲ୍ଲା ତଥା ସହରରେ ସଡ଼କ ଦୁର୍ଘଟଣା ହାର କମାଇବା ନିମନ୍ତେ ସମାଜତାତ୍ତ୍ୱିକ ଦୃଷ୍ଟିରୁ ଅଧ୍ୟୟନ ଏବଂ ଚ଼େତନା ପ୍ରସାର ମୁଖ୍ୟ ଆୟୁଧ । ଟ୍ରାଫିକ ପୋଲିସର ଉଦ୍ୟମ ସହ ଅନ୍ୟମାନେ କିପରି ଯୋଡ଼ିହେବେ ସେ ଦିଗରେ ଦୃଷ୍ଟି ଦେବା ସମୟ ଉପନୀତ ।

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୩ ଜୁଲାଇ ୨୦୨୨/ ପୃଷ୍ଠା : ୨)


Photo by bady abbas on Unsplash 

Friday, July 15, 2022

Rain and Mosquito / ବର୍ଷା ଓ ମଶା


 #ବ୍ରହ୍ମପୁର ଡ଼ାଏରୀ ସ୍ତମ୍ଭରେ ସାଧାରଣତଃ ସହରବାସୀ ମଶା ଉପଦ୍ରବରେ ଅତିଷ୍ଠ ହୋଇପଡ଼ିବା ଅବସରରେ ଶୀତ ଋତୁରେ ମଶା ନିବାରଣ ସଂପର୍କରେ ଆଲୋଚ଼ନା ହୋଇଥାଏ । ବିଗତ ୨୦୨୦ ଡ଼ିସେମ୍ୱର ୧୧ ତାରିଖରେ ‘ମଶାଙ୍କ ପ୍ରାଦୁର୍ଭାବ’ ଶୀର୍ଷକ ରଚନାରେ ଯୁକ୍ତରାଷ୍ଟ୍ର ଆମେରିକାର ବୈଜ୍ଞାନିକମାନଙ୍କ ମଶାକାମୁଡ଼ା ଗବେଷଣା ସଂପର୍କରେ ତଥ୍ୟାବଳୀ ପ୍ରଦାନ କରାଯାଇଥିଲା । ମଶାମାନେ ମନୁଷ୍ୟର ନିଶ୍ୱାସ ପ୍ରଶ୍ୱାସରେ ନିର୍ଗତ ଅଙ୍ଗରାକାମ୍ଳ ବାୟୁ ଗନ୍ଧ ଓ ଶରୀରର ଉତ୍ତାପ ତଥା ସେମାନଙ୍କ ଶକ୍ତିଶାଳୀ ଚକ୍ଷୁଯୁଗଳରେ ୧୬ ରୁ ୩୨ ଫୁଟ ଦୂରରୁ ଦେଖିପାରିବା ଶକ୍ତି ଅବଲମ୍ୱନରେ ଶୀକାର ପାଖରେ ପହଞ୍ଚିଥାନ୍ତି । ଜାପାନର ବୈଜ୍ଞାନିକଙ୍କ ଉଦ୍ଭାବନରେ ‘ଓ’ ବର୍ଗ ରକ୍ତଧାରୀ ବ୍ୟକ୍ତିବିଶେଷ ତଥା ଶରୀରରେ ୟୁରିକ ଏସିଡ଼, ଲେକ୍ସିକ ଏସିଡ଼ ଓ ଆମୋନିଆ ପରିମାଣ ଅଧିକ ରହୁଥିବା ବ୍ୟକ୍ତିବିଶେଷଆଡ଼କୁ ମଶା ଆକର୍ଷିତ ହୋଇଥାନ୍ତି । ଅନ୍ୟ ଏକ ବୈଦେଶିକ ଅନୁସନ୍ଧାନରୁ ଜଣାଯାଇଥିଲା ଯେ ମଶାମାନେ କଳା, ଗାଢ଼ନୀଳ ଓ ନାଲିରଙ୍ଗକୁ ପସନ୍ଦ କରନ୍ତି ।

 

ସେହିପରି ୨୦୨୧ ଡ଼ିସେମ୍ୱର ୩ ତାରିଖରେ ପ୍ରକାଶିତ ‘ମଶା ନିୟନ୍ତ୍ରଣ’ ରଚନାରେ ମଶାର ଜୀବନଚ଼କ୍ର ବର୍ଣ୍ଣନା କରାଯାଇଥିଲା । ମଶା ଜୀବନରେ ଚାରିଗୋଟି ଅବସ୍ଥା ଦେଇ ଗତି କରିଥାଏ – ଡିମ୍ୱ, ଲାର୍ଭା, ପ୍ୟୁପା ଓ ପ୍ରାପ୍ତ-ବୟସ୍କ ମଶା । ଡ଼ିମ୍ୱ, ଲାର୍ଭା ଓ ପ୍ୟୁପା ଆବଦ୍ଧ ଜଳ ମଧ୍ୟରେ କଟିବା ପରେ ପ୍ରାପ୍ତ-ବୟସ୍କ ମଶା ଉଡ଼ି ବୁଲେ । ମାଈ ମଶା ସକାଳ ଓ ସନ୍ଧ୍ୟାରେ କାମୁଡ଼େ । ଦିନର ଗରମ ସମୟରେ ଥଣ୍ଡା ଅନ୍ଧାରୁଆ ସ୍ଥାନ ଖୋଜି ବିଶ୍ରାମ ନିଏ । କିନ୍ତୁ କେତେକ ପ୍ରଜାତିର ମଶା ଦିନ ତମାମ କାମୁଡ଼ନ୍ତି । ବିଶ୍ୱବ୍ୟାପୀ ପ୍ରାୟ ତିନି ହଜାର ପ୍ରଜାତିର ମଶା ଦେଖାଯାଆନ୍ତି ।

 

କୁହାଯାଏ ଯେ ମଶାମାନେ ଜନ୍ମ ନେବା ପରେ ଅଣ୍ଡିରା ମଶା ୫ ରୁ ୭ ଦିନ ଏବଂ ମାଈ ମଶା ତିନି ସପ୍ତାହ ଯାଏଁ ବଞ୍ଚନ୍ତି । ମାଈ ମଶା ମନୁଷ୍ୟ ଓ ଅନ୍ୟାନ୍ୟ ପ୍ରାଣୀଙ୍କୁ କାମୁଡ଼ି ରକ୍ତ ଶୋଷେ । ଏହାପରେ ସେ ଦୁଇ ତିନି ଦିନ ବିଶ୍ରାମ ନିଏ । ଏହି ଅବସରରେ ରକ୍ତ ହଜମ ହୋଇ ଅଣ୍ଡା ପ୍ରସ୍ତୁତ ହୁଏ ଏବଂ ମଶା ସ୍ଥିର ଜଳରେ ଅଣ୍ଡା ଦିଏ । ଅଣ୍ଡା ଦେବା ପରେ ପୁଣି ଶୀକାର ସନ୍ଧାନରେ ବାହାରିପଡ଼େ । ମାଈ ମଶା ଜୀବନ କାଳ ମଧ୍ୟରେ ପ୍ରାୟ ପାଞ୍ଚ ଥର ଅଣ୍ଡା ଦିଏ ଏବଂ ପ୍ରତ୍ୟେକଥର ପ୍ରାୟ ଶହେ ଅଣ୍ଡା ହିସାବ କରାଯାଏ । ଅତଏବ ପ୍ରତ୍ୟେକ ମାଈ ମଶା ସୌଜନ୍ୟରେ ପାଞ୍ଚ ଶହ ସନ୍ତାନ ଏବଂ ସେମାନଙ୍କ ବଂଶବୃଦ୍ଧିରେ ପାଞ୍ଚ ଶହ ଗୁଣନ ପାଞ୍ଚ ଶହ ଗଣନା କରାଯାଇପାରେ ।

 

ଏହିଭଳି ପରିସଂଖ୍ୟାନରୁ ମଶାବଂଶକୁ ମୂଳରୁ ନିପାତ କରିବା ସର୍ବୋତ୍ତମ ପନ୍ଥା ବିଚାର କରାଯାଏ । ବିଗତ ଦୁଇ ବର୍ଷ ଡ଼ିସେମ୍ୱର ମାସରେ ଏହି ସ୍ତମ୍ଭରେ ମଶା ଉପଦ୍ରବ ଆଲୋଚ଼ନା ବଦଳରେ ଛଅମାସ ଆଗରୁ ୨୦୨୨ ଜୁଲାଇରେ ଚର୍ଚ୍ଚାର ଗୁରୁତ୍ୱ ବର୍ଷା ଋତୁ ଆରମ୍ଭରୁ ମଶା ନିବାରଣ ପାଇଁ ଯୋଜନାବଦ୍ଧ ଉଦ୍ୟମ ଆବଶ୍ୟକତା ସଂପର୍କରେ ସହରବାସୀଙ୍କ ଦୃଷ୍ଟି ଆକର୍ଷଣରେ ଅଭିପ୍ରେତ ।

 

ମଶା ବଂଶ ବୃଦ୍ଧିକୁ ରୋକିବାକୁ ହେଲେ ବର୍ଷା ପରେ ପରେ ଘର ବାହାରେ ଅଳିଆ ଆବର୍ଜନା, ଯଥା : ଫୋପଡ଼ା ଯାଇଥିବା ପ୍ଳାଷ୍ଟିକ ପାତ୍ର, ପଇଡ଼, ଭଙ୍ଗା ଆସବାବପତ୍ରରେ କିପରି ବର୍ଷା ପାଣି ଜମି ରହିବ ନାହିଁ ସେ ଦିଗରେ ଉଦ୍ୟମ ଆବଶ୍ୟକ । ସହରରେ ଅଳିଆ ଆବର୍ଜନା ନିଷ୍କାସନ ପୌରନିଗମର କାର୍ଯ୍ୟ । କିନ୍ତୁ ଅନେକ ସମୟରେ ତାହା ସଂଭବ ହୋଇପାରେ ନାହିଁ ।

 

ରାଜ୍ୟରେ ମୌସୁମୀ ବର୍ଷା ପ୍ରବେଶ ସମୟରେ ବ୍ରହ୍ମପୁରରେ ଜୁନ ଦ୍ୱିତୀୟ ସପ୍ତାହରେ ଅସରାଏ ବର୍ଷା ହେତୁ ସମଗ୍ର ସହର ଜଳାର୍ଣ୍ଣବ ହୋଇ ପଡ଼ିଥିଲା । ସେହି ବର୍ଷା ପାଣି ଜମି ରହିବା ହେତୁ ଜୁଲାଇ ପ୍ରଥମ ସପ୍ତାହରୁ ଋତୁକେନ୍ଦ୍ରୀକ ପ୍ରଥମ ପୀଢ଼ିର ମଶା ଦେଖା ଦେଇଛନ୍ତି । ଏମାନଙ୍କୁ ବଂଶବିସ୍ତାର କରିବାକୁ ନଦେବା ଅଭିଯାନରେ ପୌରନିଗମ ପକ୍ଷରୁ ରାସ୍ତାଘାଟ, ଖୋଲାସ୍ଥାନ ପରିଷ୍କାର ରଖିବା ସହ ମଶାମରା ଧୂଆଁ ଛାଡ଼ିବା ଆବଶ୍ୟକ । ମଶା ଉପଦ୍ରବ ଡ଼ିସେମ୍ୱର ମାସରେ ଚ଼ରମ ସୀମାରେ ପହଞ୍ଚିବା ଆଗରୁ ମୂଳରୁ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଫଳବତୀ ହେବା ଆଶା କରାଯାଏ ।

 

ବିକଳ୍ପ ବ୍ୟବସ୍ଥାରେ ନାଗରିକ ସମାଜ, ଯଥା : ସାହୀ ବାସିନ୍ଦା, କିଶୋର-ଯୁବକ-ମହିଳା ଗୋଷ୍ଠୀ ନିଜେ ବସବାସ କରୁଥିବା ଅଞ୍ଚଳରେ କିପରି ଅଳିଆ ଆବର୍ଜନାରେ ସ୍ଥିର ଜଳ ଗଚ୍ଛିତ ରହିବ ନାହିଁ ସେ ଦିଗରେ ଉଦ୍ୟମ କରିପାରିବେ । ସପ୍ତାହରେ ଥରେ ରବିବାର ସକାଳ ବେଳା ଘଣ୍ଟାଏ ଦୁଇ ଘଣ୍ଟାର ଶ୍ରମଦାନରେ ଆଖପାଖ ଅଞ୍ଚଳରେ ଇତଃସ୍ତତଃ ଭାବେ ପଡ଼ିଥିବା ପ୍ଳାଷ୍ଟିକ ଗ୍ଳାସରେ ଜମିଥିବା ପାଣିକୁ ଗୋଟିଏ ବାଡ଼ିରେ ଓଲଟାଇ ଦେଲେ ସ୍ଥିର ଜଳ ଖଲାସ ହୋଇଯିବ । ଖାଲଗୁଡ଼ିକରେ ପାଣି ଜମି ଥିଲେ ଓ ତାହା ପୋତିବା ସଂଭବ ନଥିଲେ ସାମାନ୍ୟ ଫିନାଇଲ ପକାଇ ପାରିଲେ ସୁଫଳ ମିଳିପାରେ । ଏହି କାର୍ଯ୍ୟକ୍ରମ କ୍ରମାଗତଭାବେ ଚାଲିବା ଆବଶ୍ୟକ ।

 

ଏହିଭଳି ପ୍ରସ୍ତାବ ଅସହଜ, ଅସଙ୍ଗତ ଓ ଅବାସ୍ତବ ମନେହେଲେହେଁ ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମାଲ’ରେ ପ୍ରାସଙ୍ଗିକ । ପ୍ରଦୂଷଣ ଓ ସଂକ୍ରମଣ ନାଗରିକଙ୍କ ଜୀବନ ଓ ଅର୍ଥନୀତିକୁ ପ୍ରଭାବିତ କରୁଥିବା ହେତୁ ସ୍ଥିତାବସ୍ଥାକୁ ବିଚାରକୁ ନେଇ ପ୍ରତ୍ୟେକ ନାଗରିକଙ୍କ ଅବଦାନ ତଥା ପଦକ୍ଷେପ ଗ୍ରହଣ ଜରୁରୀ ।

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୬ ଜୁଲାଇ ୨୦୨୨/ ପୃଷ୍ଠା : ୨)

Photo by reza shayestehpour on Unsplash