Friday, February 24, 2023

Summer of 2023 Ahead / ଗ୍ରୀଷ୍ମଋତୁ ୨୦୨୩ ଆକଳନ

 

ପାରମ୍ପରିକଭାବେ #ବ୍ରହ୍ମପୁର ସହରରେ ଶିବରାତ୍ରୀଠାରୁ ଗ୍ରୀଷ୍ମର ପ୍ରକୋପ ଅନୁଭୂତ ହୁଏ ଏବଂ ଶାରଦୀୟ ଉତ୍ସବ କୁମାର ପୂର୍ଣ୍ଣିମା ଯାଏଁ ବଳବତ୍ତର ରହେ । ସ୍ୱାଭାବିକଭାବେ ଫେବୃୟାରୀ ୨୦୨୩ ମଧ୍ୟ ଭାଗରୁ ରାଜ୍ୟବ୍ୟାପୀ ଦିନ ଓ ରାତି ଉଭୟ ତାପମାତ୍ରା ବୃଦ୍ଧି ଲକ୍ଷ୍ୟ କରାଯାଇଥିଲା । ଗ୍ରୀଷ୍ମର ପ୍ରଥମ ଅନୁଭବ ଜନଜୀବନରେ ଚର୍ଚ୍ଚିତ ହୋଇଥାଏ । ଗଣମାଧ୍ୟମରେ ସମ୍ୱାଦ ପାଲଟେ । ଆଗକୁ ଗ୍ରୀଷ୍ମ ଋତୁ କିପରି ରହିବ ତାହା ଜାଣିବା ନିମନ୍ତେ ଉତ୍ସୁକତା ପ୍ରକାଶ ପାଇଥାଏ ।

 

ମକର ସଂକ୍ରାନ୍ତି ଜାନୁୟାରୀ ମଧ୍ୟଭାଗରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ହେତୁ ତାପମାତ୍ରା ବୃଦ୍ଧି ପାଏ । ବ୍ରହ୍ମପୁର ପୂର୍ବଦିଗରେ ସମୁଦ୍ର ପତ୍ତନଠାରୁ ସିଧା ସଳଖ ଦଶ କିଲୋମିଟରରୁ କମ ଦୂରତ୍ୱ ଏବଂ ପଶ୍ଚିମ ଦିଗରେ କେରାଣ୍ଡିମାଳ ପାର୍ବତ୍ୟାଞ୍ଚଳ ପାଦଦେଶରେ ଅବସ୍ଥିତ ଥିବା ହେତୁ ଏଠାକାର ଗ୍ରୀଷ୍ମକାଳୀନ ପାଣିପାଗ ଅନ୍ୟ ସହରଗୁଡ଼ିକଠାରୁ ଭିନ୍ନ । ସହରବାସୀ ପ୍ରାୟତଃ ଦ୍ୱୀପାଞ୍ଚଳ ଜଳବାୟୁ ‘ଆଇଲ୍ୟାଣ୍ଡ ୱେଦର’ ଅନୁଭବ କରିଥାନ୍ତି । ଗ୍ରୀଷ୍ମଋତୁରେ ପ୍ରଭାତରୁ ମଧ୍ୟାହ୍ନ ଯାଏଁ ପ୍ରବଳ ଖରା ସାଙ୍ଗକୁ ସମୟାନ୍ତେ ଅପରାହ୍ନରେ ଅଧ ଘଣ୍ଟାରୁ ଘଣ୍ଟାଏ ଯାଏଁ ମୂଷଳ ଧାରାରେ ବୃଷ୍ଟି ହୁଏ । ଉଭୟ ସମୁଦ୍ର ତରଙ୍ଗ ଓ ବର୍ଷା କାରଣରୁ ବାୟୁମଣ୍ଡଳରେ ଜଳକଣା ବୃଦ୍ଧି ପାଇ ଆଦ୍ରତା ବଢ଼େ ଏବଂ ଗରମ ସାଙ୍ଗକୁ ଶରୀରରୁ ଝାଳ ବହେ । ଗୁଳଗୁଳି ଲାଗି ରହେ ।

 

ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନ ‘କ୍ଳାଇମେଟ ଚେଞ୍ଜ’ ପ୍ରଭାବରେ ୨୦୨୨ ଗ୍ରୀଷ୍ମଋତୁରେ ୟୁରୋପ, ବ୍ରିଟେନ ଓ ଉତ୍ତର-ଆମେରିକାରେ ସର୍ବକାଳୀନ ତାପମାତ୍ରା ବୃଦ୍ଧି ଉଦବେଗର କାରଣ ପାଲଟିଥିଲା । ଏଯାଏଁ ଜଳବାୟୁ ପରିବର୍ତ୍ତନଜନିତ ଆଚ଼ରଣ ଆକସ୍ମିକ ଘଟଣାସ୍ତରରେ ରହିଛି । ବୈଜ୍ଞାନିକମାନେ ଦୀର୍ଘ ଅବଧି ପୂର୍ବାନୁମାନ କରିବା ସାମର୍ଥ୍ୟ ହାସଲ କରିପାରି ନାହାନ୍ତି । ଅତଏବ, ଗ୍ରୀଷ୍ମ ଋତୁର ପାରମ୍ପରିକ ପ୍ରଭାବ ବ୍ରହ୍ମପୁର କାହିଁକି, ଯେ କୌଣସି ସହରରେ କେଉଁ ରୂପରେ ଅନୁଭୂତ ହେବ ସେଥିନେଇ ଆଶଙ୍କା ଲାଗି ରହୁଛି ।

 

ଦ୍ୱିତୀୟତଃ, ଗ୍ରୀଷ୍ମ ବ୍ରହ୍ମପୁରବାସୀଙ୍କ ପାଇଁ ଆମ୍ୱଋତୁ । ସହରରେ ଦୋଳ ପୂର୍ଣ୍ଣିମାରୁ କଞ୍ଚା ଆମ୍ୱ ଏବଂ ବିଷୁବ ସଂକ୍ରାନ୍ତିଠାରୁ ପାଚ଼ିଲା ଆମ୍ୱ ପସରା ଖୋଲିଯାଏ । ବ୍ରହ୍ମପୁରକୁ ଘେରି ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ଆମ୍ୱ ତୋଟା ବା ବଗିଚା ସାଙ୍ଗକୁ ପଡ଼ୋଶୀ ଗଜପତି, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ବ୍ୟାପକ ଆମ୍ୱଚାଷ ହୁଏ । ବ୍ରହ୍ମପୁର ଆମ୍ୱ କିଣାବିକା ପାଇଁ ଏକ ବଡ଼ ବଜାର । ଆନ୍ଧ୍ରପ୍ରଦେଶ ସମେତ ଅନ୍ୟାନ୍ୟ ଦାକ୍ଷିଣାତ୍ୟ ରାଜ୍ୟଗୁଡ଼ିକରୁ ବ୍ରହ୍ମପୁର ବଜାରକୁ ଆମ୍ୱ ଆମଦାନୀ ହୁଏ ଏବଂ ରାଜ୍ୟର ବିଭିନ୍ନ ସହରକୁ ରପ୍ତାନୀ ହୁଏ ।

 

ପ୍ରାକ୍ ଓ ପୂର୍ବ ଗ୍ରୀଷ୍ମଋତୁର ପାଣିପାଗ ସହ ଆମ୍ୱ ଅମଳ ଅଙ୍ଗାଙ୍ଗୀଭାବେ ଜଡ଼ିତ । ପାଣିପାଗ ବିଜ୍ଞାନୀଙ୍କ ସୂଚ଼ନା ଅନୁଯାୟୀ ସମଗ୍ର ଓଡ଼ିଶାରେ ୨୦୨୩ର ପାଣିପାଗ ଆମ୍ୱ ଫସଲ ନିମନ୍ତେ ଅନୁକୂଳ ରହିଥିଲା । ମୁଖ୍ୟତଃ ବର୍ଷା ନହେବା ଏବଂ କମ ସଂଖ୍ୟକ ସକାଳରେ କୁହୁଡ଼ି ପଡ଼ିବା ଯୋଗୁଁ ଆମ୍ୱବଉଳ ମଉଳି ଯିବାରୁ ବର୍ତ୍ତିଯାଇଥିଲା । ଫଳରେ ସାଧାରଣ ତୁଳନାରେ ୨୦୨୩ରେ ଦୁଇ ଗୁଣ ଆମ୍ୱ ଫସଲ ଆଶା କରାଯାଇପାରେ । ହିସାବ ଅନୁଯାୟୀ ରାଜ୍ୟରେ ପ୍ରାୟ ଦୁଇ ଲକ୍ଷ ହେକ୍ଟର ଜମିରେ ଆମ୍ୱ ଚାଷ ହୁଏ । ହେକ୍ଟର ପିଛା ୪ ରୁ ୫ ଟନ ଅମଳ ହେଉଥିବା ସ୍ଥଳେ ୨୦୨୩ରେ ୫ ରୁ ୧୦ ଟନ ଯାଏଁ ଅମଳ ଆକଳନ କରାଯାଉଛି । କୁହାଯାଏ ଯେ ଗୋଟିଏ ବର୍ଷ ବ୍ୟବଧାନରେ ଆମ୍ୱ ଅମଳ ଭଲ ହୁଏ । ୨୦୨୦ ଓ ୨୦୨୨ରେ ଆମ୍ୱ ଅମଳ ଆଶାନୁରୂପକ ହୋଇନଥିଲା । ୨୦୨୧ରେ ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଥିଲା । ତେଣୁ ୨୦୧୯ ପରକୁ ୨୦୨୩ରେ ପ୍ରଚୁର ଆମ୍ୱ ଅମଳ ଆଶା କରାଯାଇପାରେ ।

 

ତୃତୀୟତଃ, ବର୍ଷକ ବ୍ୟବଧାନରେ ବ୍ରହ୍ମପୁରରେ ଠାକୁରାଣୀ ଯାତ୍ରା ଆୟୋଜିତ ହୁଏ । ଅତଏବ ପ୍ରଚୁର ଆମ୍ୱ ସହ ଯାକଜମକରେ ଠାକୁରାଣୀ ଯାତ୍ରା ସହରବାସୀକୁ ଆମୋଦିତ କରିବ । ଗତ ପାଳି ୨୦୨୧ରେ କୋଭିଡ଼-୧୯ ମହାମାରୀଜନିତ କଟକଣା ଯୋଗୁଁ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ନିରାଡ଼ମ୍ୱର ଭାବେ ପାଳିତ ହୋଇଥିଲା । ପରମ୍ପରାକ୍ରମେ ଶିବରାତ୍ରୀ ପାଳନର ଦୁଇ ସପ୍ତାହରେ ଯାତ୍ରା ଆୟୋଜନ ନିମନ୍ତେ ତିଥି ନିର୍ଦ୍ଧାରିତ ହୋଇଥାଏ । ବ୍ରହ୍ମପୁରରେ ବସତି ସ୍ଥାପନ କରିଥିବା ଅନ୍ୟତମ ପୁରାତନ ଦେବାଙ୍ଗ ସଂପ୍ରଦାୟ ବୁଣାକାରଙ୍କ ପକ୍ଷରୁ ଯାତ୍ରା ଆୟୋଜନ କରାଯାଇଥାଏ । ସଂପ୍ରଦାୟର ମୁଖ୍ୟ କୁଳ-ପୁରୋହିତଙ୍କ ପରାମର୍ଶକ୍ରମେ ତିଥି ନିର୍ଦ୍ଧାରଣ କରି ବିଭିନ୍ନ ବସ୍ତିରେ ବସବାସ କରୁଥିବା ଦେବାଙ୍ଗ ସଂପ୍ରଦାୟ ପରିବାରବର୍ଗଙ୍କ ପ୍ରତିନିଧି ଓ ସହରର ମାନ୍ୟଗଣ୍ୟଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଯାତ୍ରା ତିଥି ଘୋଷଣା କରିଥାନ୍ତି । ଗ୍ରୀଷ୍ମଋତୁ ୨୦୨୩ରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ଅଧିକ ଡ଼ିଜିଟାଲ ବିଭବ ସଂଯୋଗ ଓ ପାଚ଼ିଲା ଆମ୍ୱର ଅନ-ଲାଇନ କିଣାବିକା ବିକଶିତ ହେବା ଆକଳନ କରାଯାଇପାରେ ।


Photo by Anton Zaharchenko on Unsplash 

Friday, February 17, 2023

Four Decades of PREM / ଚାଳିଶି ବର୍ଷରେ ‘ପ୍ରେମ୍’

 

#ବ୍ରହ୍ମପୁର ସହର-କେନ୍ଦ୍ରୀକ ଦୁଇଗୋଟି ଗ୍ରାମ୍ୟ ଉନ୍ନୟନ ସଂଗଠନ ‘ପ୍ରେମ୍’ ଓ ‘ଗ୍ରାମ ବିକାଶ’ ଓଡ଼ିଶାରେ ବିଂଶ ଶତାଦ୍ଦୀର ଶେଷ ଦୁଇ ଦଶକ ଓ ଏକବିଂଶ ଶତାଦ୍ଦୀର ପ୍ରଥମ ଦଶକରେ ଆୟୋଜିତ ସ୍ୱେଚ୍ଛାସେବୀ ଆନ୍ଦୋଳନରେ ନେତୃତ୍ୱ ଗ୍ରହଣ କରିଥିଲେ । ସହରର ପଶ୍ଚିମ-ଉପକଣ୍ଠ ମହୁଡ଼ାରେ ସ୍ଥାପିତ ‘ଗ୍ରାମ ବିକାଶ’ ୧୯୭୬ରେ ସାଂଗଠିନକ ପଞ୍ଜୀକୃତ ହୋଇଥିବା ସ୍ଥଳେ ‘ପ୍ରେମ୍’ ୧୯୮୨ରେ ପଞ୍ଜୀକୃତ ହୋଇଥିଲା । ‘ପ୍ରେମ୍’ର କାର୍ଯ୍ୟାଳୟ ଗୋସାଇଁ ନୂଆଗାଁ, ଗିରିରୋଡ଼, ଅଯୋଧ୍ୟା ନଗରରେ କିଛି କାଳ ସ୍ଥାପିତ ହୋଇ ବ୍ରହ୍ମପୁରର ପୂର୍ବ-ଉପକଣ୍ଠ ଜଗନ୍ନାଥପୁର ଓ ଭଞ୍ଜବିହାର ସଂଲଗ୍ନ ମାଣ୍ଡିଆପଲ୍ଲୀ ସ୍ଥାୟୀ କାର୍ଯ୍ୟାଳୟ ୧୯୯୨ରେ ନିର୍ମାଣ ପରେ ସ୍ଥାନାନ୍ତରିତ ହୋଇଥିଲା । ‘ଗ୍ରାମ ବିକାଶ’ର କାର୍ଯ୍ୟାଳୟ ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ୱରକୁ ଘୁଞ୍ଚି ଯାଇଛି ।

 

ବିଂଶ ଶତାଦ୍ଦୀର ସପ୍ତମ ଦଶକରେ ସାମାଜିକ ପରିବର୍ତ୍ତନ ଲକ୍ଷ୍ୟରେ ପୂର୍ବ-ଭାରତରେ ନକସଲପନ୍ଥୀ, ଉତ୍ତର-ଭାରତରେ ଜୟପ୍ରକାଶ ନାରାୟଣ ସମେତ ଦକ୍ଷିଣ ଭାରତରେ ସ୍ୱେଚ୍ଛାସେବୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା । ଦଶକର ମଧ୍ୟଭାଗରେ ଦୁଇ ବର୍ଷ ଧରି ରାଷ୍ଟ୍ରବ୍ୟାପୀ ଜରୁରୀ ପରିସ୍ଥିତି ଜାରି ରାଜନୈତିକ ପୃଷ୍ଟଭୂମିକୁ ଦୋହଲାଇ ଦେଇଥିଲା । ଏହି ସମସ୍ତ ପ୍ରଚ଼େଷ୍ଟାରେ ମୁଖ୍ୟତଃ ‘ଗରିବୀ ହଟାଓ’ ସ୍ଳୋଗାନ କାର୍ଯ୍ୟକାରୀ କରିବା ନିମନ୍ତେ ଭିନ୍ନ ଭିନ୍ନ ପନ୍ଥା ଅନୁସରଣ କରାଯାଇଥିଲା । ନକସଲପନ୍ଥୀ ଓ ଜୟପ୍ରକାଶ ନାରାୟଣ ଆନ୍ଦୋଳନରେ ରାଜନୀତିକ ପଟ୍ଟପରିବର୍ତ୍ତନ ଓ ପ୍ରଶାସନିକ ସଂସ୍କାରକୁ ଗୁରୁତ୍ୱ ଦିଆଯାଇଥିବା ସ୍ଥଳେ ସ୍ୱେଚ୍ଛାସେବୀ ଆନ୍ଦୋଳନରେ ତୃଣମୂଳସ୍ତରରେ ଅପେକ୍ଷାକୃତ ଅବହେଳିତ ଅଞ୍ଚଳଗୁଡ଼ିକରେ ବିକାଶ କାର୍ଯ୍ୟକ୍ରମ ରୂପାୟନକୁ ପ୍ରାଥମିକତା ଦିଆଯାଇଥିଲା । ସ୍ୱେଚ୍ଛାସେବୀ ବିକାଶ ମଡ଼େଲରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ପର୍ଯ୍ୟାୟରେ ଆନ୍ତର୍ଜାତିକସ୍ତରରେ ଗଢ଼ିଉଠିଥିବା ବଦାନ୍ୟ ସଂସ୍ଥାଗୁଡ଼ିକରୁ ଅନୁଦାନ ସଂଗ୍ରହ କରାଯାଇ ସ୍ୱାଧୀନ ଓ ସୃଜନଶୀଳ ଶୈଳୀରେ ଭାରତର ଗ୍ରାମାଞ୍ଚଳରେ ଅତ୍ୟାଧୁନିକ ବିକାଶ କାର୍ଯ୍ୟକ୍ରମ ପରୀକ୍ଷାମୂଳକଭାବେ ଉପଯୋଗ କରାଯାଉଥିଲା ।

 

‘ପ୍ରେମ୍’ ବା ‘ପିଉପଲସ ରୁରାଲ ଏଜୁକେସନ ମୁଭମେଣ୍ଟ’ର ଉଦ୍ୟୋକ୍ତା ଜାକୋବ ଥୁଣ୍ଡିଲ ଓ ଚାକୋ ପାରଭାନୀ ଏବଂ ‘ଗ୍ରାମ ବିକାଶ’ର ଜୋ’ମାଡ଼ିଏଥ ଓ ଆନ୍ଥିଆ ମାଡ଼ିଏଥ ସପ୍ତମ ଦଶକର ଶେଷଭାଗରେ ବ୍ରହ୍ମପୁର ସହରରୁ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟ ଆରମ୍ଭ କରିଥିଲେ । ଏମାନେ ସମସ୍ତେ କେରଳ ନିବାସୀ । ଜାକୋବ ଓ ଚାକୋ ଖ୍ରୀଷ୍ଟିଆନ ପାଦ୍ରୀଭାବେ କିଛି କାଳ କାର୍ଯ୍ୟକରି ସେଥିରୁ ଅବ୍ୟାହତି ନେଇ ସ୍ୱାଧୀନଭାବେ ସ୍ୱେଚ୍ଛାସେବୀ ସଂଗଠନ ଗଠନ କରିଥିଲେ । ଜୋ’ ଚ଼େନ୍ନାଇର ଲଏଲା କଲେଜର ଛାତ୍ର ନେତାଭାବେ ଓଡ଼ିଶାର ରାଜନଗର ବାତ୍ୟା-ପ୍ରପୀଡ଼ିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ବୃତ୍ତିଗତ ସ୍ୱେଚ୍ଛାସେବୀ ଭାବେ ତତ୍କାଳୀନ ସମବାୟ ନେତା ରାମନାଥ ଦାସଙ୍କ ପ୍ରେରଣାରେ ଗ୍ରାମ୍ୟ ଅର୍ଥନୀତି ସୁଦୃଢ ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ପ୍ରଣୟନ ଲାଗି ବ୍ରହ୍ମପୁରରେ ପହଞ୍ଚିଥିଲେ । ଆନ୍ଥିଆ ଜୋ’ଙ୍କ ଧର୍ମପତ୍ନୀ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନୁଭୂତି ସମ୍ପନ୍ନ ।

 

ବ୍ରହ୍ମପୁରରେ ପ୍ରାୟୋଜିତ ସ୍ୱେଚ୍ଛାସେବୀ ସଂଗଠନର କାର୍ଯ୍ୟଧାରା ଏହି ଅଞ୍ଚଳରେ ଏକ ନୂତନ ପରମ୍ପରା ଆରମ୍ଭ କରିଥିଲା । ସଂଯୋଗବଶତଃ ‘ପ୍ରେମ୍’ ଓ ‘ଗ୍ରାମ ବିକାଶ’ ପରବର୍ତ୍ତୀ ତିନି ଦଶକ ଧରି ସମଗ୍ର ରାଜ୍ୟରେ ଦୁଇ ବୃହତ ସ୍ୱେଚ୍ଛାସେବୀ ସଂଗଠନର ମାନ୍ୟତା ପାଇଥିଲେ । ଏକବିଂଶ ଶତାଦ୍ଦୀର ପ୍ରଥମ ଦଶକ ଶେଷଭାଗରେ ଯୁକ୍ତରାଷ୍ଟ୍ର ଆମେରିକାରେ ସୃଷ୍ଟି ହୋଇଥିବା ଆର୍ଥିକ ମାନ୍ଦାବସ୍ଥା ଏବଂ ଭାରତ କ୍ରମଶଃ ଏକ ବିକଶିତ ରାଷ୍ଟ୍ର ରୂପେ ମୁଣ୍ଡ ଟେକିବା ଅବସରରେ ଦ୍ୱିତୀୟ ଦଶକ ଆରମ୍ଭରୁ ବୈଦେଶିକ ସହାୟତା ହଠାତ ବନ୍ଦ ହୋଇଗଲା । ମଧ୍ୟଭାଗରେ କେନ୍ଦ୍ର ସରକାର ପରିବର୍ତ୍ତନ ପରେ ବୈଦେଶିକ ଅନୁଦାନ ସଂଗ୍ରହକୁ ନିରୁତ୍ସାହିତ କରାଗଲା ଏବଂ ସ୍ୱଦେଶୀ ନୀତି ଅନୁସୃତ ହେଲା । ଏହି ଅବସରରେ ଉଭୟ ‘ପ୍ରେମ୍’ ଓ ‘ଗ୍ରାମ ବିକାଶ’ର କାର୍ଯ୍ୟଧାରା ଅନୁଦାନ ଅଭାବରୁ ପ୍ରଭାବିତ ହୋଇଥିଲା ।

 

‘ପ୍ରେମ୍’ ମୁଖ୍ୟତଃ ଅନଗ୍ରସରବର୍ଗଙ୍କ ବହୁମୁଖୀ ବିକାଶ ନିମନ୍ତେ ଶିକ୍ଷାର ପ୍ରସାରକୁ ପ୍ରାଥମିକତା ଦେଇଥାଏ । ବିଂଶ ଶତାଦ୍ଦୀ ସପ୍ତମ ଦଶକ ଶେଷଭାଗରେ ତତ୍କାଳୀନ ଅବିଭକ୍ତ ଗଞ୍ଜାମ ଜିଲ୍ଲାର ମୋହନା ଅଞ୍ଚଳରେ ମାତ୍ର ୧୫ ଗୋଟି ଗ୍ରାମରେ ୧୪ ରୁ ୪୦ ବର୍ଷ ବୟସ୍କଙ୍କ ମଧ୍ୟରେ ପ୍ରୌଢ଼ଶିକ୍ଷାରୁ ଆରମ୍ଭ ହୋଇଥିବା ବିକାଶର ଯାତ୍ରା ୨୦୨୩ ବେଳକୁ ଆଦିବାସୀ ଛାତ୍ରଛାତ୍ରୀଙ୍କ ଇଂଲିଶ ମାଧ୍ୟମ ମାଧ୍ୟମିକ ଶିକ୍ଷା, ନର୍ସିଂ, ହସପିଟାଲିଟି ଭଳି ବୈଷୟିକ ତାଲିମ ଓ ସ୍ୱାବଲମ୍ୱୀ ଆଦର୍ଶ ଗ୍ରାମ ପରିକଳ୍ପନାରେ ପ୍ରବର୍ତ୍ତିତ । ‘ପ୍ରେମ୍’ ପକ୍ଷରୁ ମୋହନାରେ ଆରମ୍ଭ ହୋଇଥିବା ବିକାଶ ପର୍ବର ଚାରି ଦଶନ୍ଧିର ସ୍ମୃତି ଚାରଣ ନିମନ୍ତେ ୧୯ ଫେବୃୟାରୀ ୨୦୨୩ରେ ଏକ ଉତ୍ସବ ଆୟୋଜନ କରାଯାଉଛି ।

 

‘ପ୍ରେମ୍’ ଓ ‘ଗ୍ରାମ ବିକାଶ’ର ବିକାଶ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସହର ତଥା ଗଞ୍ଜାମ ଜିଲ୍ଲାର ବହୁସଂଖ୍ୟକ ଯୁବକ ଯୁବତୀ ସାମିଲ ହୋଇଥିଲେ । ଏହା ସ୍ଥାନୀୟ ସାମାଜିକ, ରାଜନୀତିକ ଓ ସାଂସ୍କୃତିକ ପରିବେଶକୁ ନିଶ୍ଚିତଭାବେ ପ୍ରଭାବିତ କରିଛି । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ପ୍ରାୟୋଜିତ ବିକାଶ ପ୍ରକ୍ରିୟାରେ କିପରି ସାମାଜିକ ପରିବର୍ତ୍ତନ ସମ୍ଭବପର ତାହାର ପ୍ରତ୍ୟକ୍ଷ ଅନୁଭୂତି ବିକାଶକର୍ମୀମାନେ ସାଉଁଟି ପାରିଛନ୍ତି । ବିକଳ୍ପ ସାମାଜିକ ବିକାଶଧାରାରେ ସ୍ୱେଚ୍ଛାସେବୀ ଆନ୍ଦୋଳନ ଯେ ଦୀର୍ଘକାଳ ଯାଏଁ ଏହି ଅଞ୍ଚଳରେ ଜନମାନସକୁ ପ୍ରଭାବିତ କରିବ ସେଥିରେ ସନ୍ଦେହ ନାହିଁ ।


‘ପ୍ରେମ’ ପକ୍ଷରୁ କନ୍ଧମାଳରେ ୨୦୧୭-୧୮ରେ ରୂପାୟିତ ପ୍ରୌଢ଼ଶିକ୍ଷା କାର୍ଯ୍ୟକ୍ରମ ବର୍ଣ୍ଣିତ ୫ ମିନଟର ୟୁଟ୍ୟୁବ ଭିଡ଼ିଓ ଦେଖିବା ନିମନ୍ତେ ନିମ୍ନ ଲିଙ୍କରେ କ୍ଳିକ କରନ୍ତୁ :

 

https://www.youtube.com/watch?v=DBAI5obB-_w



Photo by Aaron Burden on Unsplash 


Friday, February 10, 2023

Virtual High Court  / ଭର୍ଚୁଆଲ ହାଇକୋର୍ଟ

 

#ବ୍ରହ୍ମପୁର ମହାମାରୀ-ପୂର୍ବାବସ୍ଥାରୁ ସମଗ୍ର ଦେଶରେ ପ୍ରବର୍ତ୍ତିତ ଇଣ୍ଟରନେଟଭିତ୍ତିକ ଟେଲି-ଯୋଗାଯୋଗ ଅଗ୍ରଗତିରେ ସାମିଲ ହୋଇଥିବା ସ୍ଥଳେ ମହାମାରୀ କାଳରେ ଭର୍ଚୁଆଲ ସାଧନଗୁଡ଼ିକର ବ୍ୟବହାର ସହରବାସୀଙ୍କ ଜନଜୀବନରେ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା । ମନୋରଞ୍ଜନଠାରୁ ଆରମ୍ଭ କରି ଦୂରଦୂରାନ୍ତରେ ଅବସ୍ଥାନ କରୁଥିବା ପରିବାରବର୍ଗ, ବନ୍ଧୁ-ପରିଜନ, ବ୍ୟବସାୟ-ସହଯୋଗୀଙ୍କ ସହ ଆଳାପ, ଶିକ୍ଷା, ସ୍ୱାସ୍ଥ୍ୟ ପରାମର୍ଶଠାରୁ ଆରମ୍ଭ କରି ଆର୍ଥିକ ଦେଣନେଣ, ବଜାର ପ୍ରତ୍ୟେକ କ୍ଷେତ୍ରରେ ଡ଼ିଜିଟାଲ ମଞ୍ଚ ଗୁଡ଼ିକରେ ସର୍ବସାଧାରଣଙ୍କ ପ୍ରବେଶ ସୁଗମ ହୋଇପାରିଥିଲା । ମହାମାରୀ-ପର ଅବସ୍ଥାରେ ୪ଜି ଓ ୫ଜି ଟେଲି-ଯୋଗାଯୋଗ ବ୍ୟବସ୍ଥାର ପ୍ରସାର ବିଭିନ୍ନ କ୍ଷେତ୍ରରେ ଭର୍ଚୁଆଲ କର୍ମ ସମ୍ପାଦନର ଧାରା ଅବ୍ୟାହତ ରହିଛି ।
 
ବ୍ରହ୍ମପୁର ସହରର କ୍ରମବିକାଶରେ ଏଠାରେ ଗଞ୍ଜାମ ଜିଲ୍ଲା ଅଦାଲତ ସ୍ଥାପନ ଗୁରୁତ୍ୱପୂର୍ଣ୍ଣ । ଇଂଲିଶ ପ୍ରଶାସନ ବ୍ରହ୍ମପୁର ସମେତ ମହୁରି ରାଜ୍ୟର ପ୍ରତ୍ୟକ୍ଷ ଶାସନ ଭାର ଗ୍ରହଣ କରିବା ୧୫ ବର୍ଷ ପରେ ୧୮୬୫ ମସିହାରେ ବ୍ରହ୍ମପୁରରେ ଗଞ୍ଜାମ ଜିଲ୍ଲା ଅଦାଲତ ପ୍ରତିଷ୍ଠିତ ହୋଇଥିଲା । ସହରରେ ଦୌରା ଅଦାଲତ କାର୍ଯ୍ୟକ୍ଷମ ଥିବା କାରଣରୁ ଏଠାରେ ଓକିଲ ଓ ଓକିଲ-ଗୁମସ୍ତାମାନେ ସ୍ଥାୟୀଭାବେ ବସବାସ କରିବାକୁ ଲାଗିଥିଲେ । ବ୍ରହ୍ମପୁରର ପୁରାତନ ବାସିନ୍ଦାଙ୍କ ମଧ୍ୟରେ ଏହି ଦୁଇ ବର୍ଗ ସ୍ଥାନୀୟ ସାମାଜିକ ଇତିହାସରେ ପ୍ରମୁଖ ଭୂମିକା ନିର୍ବାହ କରି ଆସିଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ସଦର ମହକୁମାଭାବେ ଚ଼ିହ୍ନିତ ହୋଇ ସରକାରୀ ଦପ୍ତରମାନ କ୍ରମଶଃ ସ୍ଥାପିତ ହୋଇଥିଲା । ଅପରପକ୍ଷେ ୧୮୬୫ ରୁ ୧୯୩୬ ସାତ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ସହରଟି ବାଣିଜ୍ୟ ପେଣ୍ଠ ସାଙ୍ଗକୁ ଆଇନ-ଅଦାଲତ ନିମନ୍ତେ ଚଳଚଞ୍ଚଳ ରହିଥିଲା ।
 
ବ୍ରହ୍ମପୁର ମାଡ୍ରାସ ପ୍ରେସିଡ଼େନ୍ସି ଅଧୀନରେ ଶାସିତ ହେଉଥିବା ଏବଂ ଆଇନ ଶିକ୍ଷା ମୁଖ୍ୟତଃ ମାଡ୍ରାସ ନଗର କେନ୍ଦ୍ରୀକ ହୋଇଥିବା ହେତୁ ପ୍ରାଥମିକ ପର୍ଯ୍ୟାୟରେ ସହରରେ ତେଲୁଗୁ ଓ ତାମିଲ ଓକିଲଙ୍କ ଭିଡ଼ ଜମିଥିଲା । ସେମାନେ ମୁଖ୍ୟତଃ ଭାପୁର ଅଞ୍ଚଳରେ ବସବାସ କରୁଥିଲେ । ବିଂଶ ଶତାଦ୍ଦୀ ଆରମ୍ଭରୁ ସ୍ଥାନୀୟ ଉଚ୍ଚ ଶିକ୍ଷିତ ଓଡ଼ିଆ ଯୁବକଗଣ ମାଡ୍ରାସ, କଲିକତା ଓ ପାଟଣା ବିଶ୍ୱବିଦ୍ୟାଳୟରୁ ଆଇନ ଶିକ୍ଷା ସାରି ବ୍ରହ୍ମପୁରରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ସହରର ସମସ୍ତ ବିକାଶମୂଳକ କାର୍ଯ୍ୟକ୍ରମ, ଏପରିକି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଓ ଭାରତର ସ୍ୱାଧୀନତା ଆନ୍ଦୋଳନରେ ସ୍ଥାନୀୟ ଆଇନଜୀବୀମାନେ ହିଁ ନେତୃତ୍ୱ ନେଇଥିଲେ ।
 
ଗଞ୍ଜାମ ଜିଲ୍ଲା ଅଦାଲତରେ ବିଚାରଣା ପରେ କଟକସ୍ଥିତ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଅପିଲ କରିବା ବ୍ୟବସ୍ଥା ରହିଆସିଥିଲା । ୨୦୨୩ ପ୍ରାରମ୍ଭର ହିସାବ ଅନୁଯାୟୀ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୦,୫୦୦ ମାମଲା ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ବିଚାରଧୀନ ଥିବା ସ୍ଥଳେ ପୁରୀର ୮,୨୦୦, ଭଦ୍ରକର ୫,୩୦୦, ସମ୍ୱଲପୁର ୪,୦୦୦, ବଲାଙ୍ଗୀରର ୩,୮୦୦, କଳାହାଣ୍ଡିର ୩,୪୦୦, ସୁନ୍ଦରଗଡ଼ର ୩,୨୭୮ ଏବଂ କୋରାପୁଟର ୩,୨୦୦ ମାମଲା ବିଚାରଧୀନ ଥିଲା ।
 
ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଦାୟର ହେଉଥିବା ଗଞ୍ଜାମ ଜିଲ୍ଲାର ମାମଲା ବିଚାରଣା ନିମନ୍ତେ ସ୍ଥାନୀୟ ଓକିଲ ଓ ମହକିଲ କଟକ ଯିବା ଆସିବାରେ ଅସୁବିଧା ସମ୍ମୁଖୀନ ହେଉଥିବା ତଥା ଏହି ଜିଲ୍ଲାରୁ ସର୍ବାଧିକ ସଂଖ୍ୟକ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବା ଯୁକ୍ତିକୁ ଆଧାର କରି ବ୍ରହ୍ମପୁରରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ ଲାଗି ଦୀର୍ଘ ଦିନରୁ ସ୍ଥାନୀୟ ଓକିଲ ସଂଘ ଆନୁକୂଲ୍ୟରେ ଆନ୍ଦୋଳନ ଚାଲିଆସିଥିଲା । ଏପରିକି ପ୍ରତିମାସ ଶେଷରେ ଓକିଲମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରୁଥିବା ହେତୁ ବିଚାର ପ୍ରକ୍ରିୟା କ୍ରମାଗତ ବ୍ୟାହତ ହେଉଥିଲା ।
 
ଏହି ପରିବେଶରେ ୨୦୨୩ ଫେବୃୟାରୀ ୩ ତାରିଖ ଦିନ ବ୍ରହ୍ମପୁରସ୍ଥିତ ଗଞ୍ଜାମ ଜିଲ୍ଲା ଅଦାଲତ ପରିସରରେ ‘ଭର୍ଚୁଆଲ ହାଇକୋର୍ଟ’ ବ୍ୟବସ୍ଥା ଉଦଘାଟିତ ହୋଇଥିଲା । ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତିଙ୍କ ଉପସ୍ଥିତିରେ ଭର୍ଚୁଆଲ ମାଧ୍ୟମରେ ବ୍ରହ୍ମପୁର ସମେତ ରାଜ୍ୟର ୧୦ ଗୋଟି ଜିଲ୍ଲା: ପୁରୀ, ଭଦ୍ରକ, ସମ୍ୱଲପୁର, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ଼, କୋରାପୁଟ ଓ ଖୋର୍ଦ୍ଧା ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟର ବ୍ୟବସ୍ଥା କରାଯାଇଛି । ଏହି ସୁବିଧା ସୁଯୋଗ ମାଧ୍ୟମରେ ମାମଲାର ସମୀକ୍ଷା ‘ସ୍କୃଟିନି’, ନମ୍ୱରିଂ, ଲିଷ୍ଟିଂ ଏବଂ ମାମଲା ଓ ରାୟର ସାର୍ଟିଫାଏଡ଼ କପି ମିଳିପାରିବ । ଏହି ସବୁ କାର୍ଯ୍ୟ ଲାଗି ଓକିଲ କିମ୍ୱା ମହକିଲମାନଙ୍କୁ କଟକ ଦୌଡ଼ିବାକୁ ପଡ଼ିବ ନାହିଁ । କ୍ରମଶଃ ଭର୍ଚୁଆଲ ମାଧ୍ୟମରେ ଅନ୍ୟାନ୍ୟ ସୁବିଧା ସୁଯୋଗର ବ୍ୟବସ୍ଥା କରାଯିବା କାର୍ଯ୍ୟକ୍ରମ ରହିଛି ।
 
କୁହାଯାଏ ଯେ ଅତ୍ୟାଧୁନିକ ବୈଜ୍ଞାନିକ ଉଦ୍ଭାବନମାନ ବିକଶିତ ତୁଳନାରେ ବିକାଶଶୀଳ ପରିବେଶରେ ସର୍ବାଧିକ ଲାଭ ପହୁଞ୍ଚାଇଥାଏ । କୋଭିଡ଼-୧୯ ମହାମାରୀ ସମୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଭର୍ଚୁଆଲ ମାଧ୍ୟମରେ ନ୍ୟାୟ ପ୍ରଦାନ ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ପ୍ରଶଂସିତ ହୋଇଥିଲା । ‘ଭାର୍ଚୁଆଲ ହାଇକୋର୍ଟ’ ମଧ୍ୟ ସମଗ୍ର ଦେଶରେ ପ୍ରଥମ । କୃତ୍ରିମ ବୁଦ୍ଧିମତ୍ତା ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ପ୍ରୟୋଗରେ ନ୍ୟାୟିକ ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ ଆଶା କରାଯାଉଛି । ‘ଓପନ-ଏଆଇ’ର ‘ଚାଟ-ଜିପିଟି’ ଓ ଗୁଗୁଲର ‘ବାର୍ଡ’ ଭଳି ‘ଚାଟ-ବଟ’ ମୂହୁର୍ତ୍ତକ ମଧ୍ୟରେ ଜଟିଳ ନ୍ୟାୟିକ ସମସ୍ୟା ସମାଧାନ କରିପାରିବା କଳା-କୌଶଳ ବର୍ତ୍ତମାନ ଜନସାଧାରଣଙ୍କ ହାତପାଆନ୍ତାରେ ଉପଲବ୍ଧ । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁରସ୍ଥିତ ଜିଲ୍ଲା ଅଦାଲତ ଭର୍ଚୁଆଲ ମାଧ୍ୟମରେ ବିଧିବଦ୍ଧ ଭାବେ ଉଚ୍ଚ ନ୍ୟାୟାଳୟ ସହ ସଂଯୋଗ ସ୍ଥାପନ ଏକ ଯୁଗାନ୍ତକାରୀ ଘଟଣା କହିଲେ ଭୂଲ ହେବ ନାହିଁ ।

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୧ ଫେବୃୟାରୀ ୨୦୨୩ / ପୃଷ୍ଠା : ୨)

Photo by Tingey Injury Law Firm on Unsplash 


Sunday, February 5, 2023

150 Years Ago / ଦେଢ଼ଶହ ବର୍ଷ ତଳର କଥା


#ବ୍ରହ୍ମପୁର ସହରର ଶାସନଭାର ୧୮୫୦ରେ ଇଂଲିଶ ପ୍ରଶାସକମାନେ ଗ୍ରହଣ କରିବାପରେ ଏହା ମାଡ୍ରାସ ପ୍ରେସିଡ଼େନ୍ସି ଅଧୀନରେ ଶାସିତ ହୋଇଥିଲା । ପ୍ରାଥମିକ ଅବସ୍ଥାରେ ସରକାରୀସ୍ତରରେ ସମସ୍ତ ଶାସନ କାର୍ଯ୍ୟ ତେଲୁଗୁ ଭାଷାରେ ସମ୍ପାଦିତ ହେବା ବ୍ୟବସ୍ଥା ପ୍ରଚଳିତ ଥିଲା । ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ୧୮୭୨ରେ ଓଡ଼ିଆ ଭାଷା ପ୍ରଚଳନ କରାଯାଇଥିଲା । ଏହି ଐତିହାସିକ ପଦକ୍ଷେପର ବିବରଣୀ କଟକରୁ ପ୍ରକାଶିତ ସାପ୍ତାହିକ ସମ୍ୱାଦପତ୍ର ‘ଉତ୍କଳ ଦୀପିକା’ର ୭ମ ଭାଗ, ସଂଖ୍ୟା ୩୧, ତା ୦୩.୦୮.୧୮୭୨ରେ ନିମ୍ନମତେ ପ୍ରକାଶିତ ହୋଇଥିଲା :-

 

“ଗଞ୍ଜାମ ଜିଲ୍ଲା

 

ଆମ୍ଭେମାନେ ଅତ୍ୟନ୍ତ ଆନନ୍ଦର ସହିତ ପାଠକମାନଙ୍କୁ ଜଣାଉ ଅଛୁଁ ଯେ ଏତେକାଳରେ ମାନ୍ଦ୍ରାଜ ଗବର୍ଣ୍ଣମେଣ୍ଟ ଗଞ୍ଜାମ ଜିଲ୍ଲା ଓଡ଼ିଶାର ଅଂଶ ବୋଲି ଜ୍ଞାନ କରି ସେ ସ୍ଥାନର ଗବର୍ଣ୍ଣମେଣ୍ଟ କାର୍ଯ୍ୟାଳୟ ସମସ୍ତର ପ୍ରଚଳିତ ଭାଷା ଓଡ଼ିୟା ହେବାର ଆଜ୍ଞା ଦେଲେ । ପୂର୍ବେ ଏ ମହକୁମା ସମସ୍ତରେ ତୈଳଙ୍ଗ ଭାଷା ଚଳୁଥିବାରୁ ତେଲଙ୍ଗା ଲୋକେ ଏକା ଗବର୍ଣ୍ଣମେଣ୍ଟ କାର୍ଯ୍ୟ ପାଉଥିଲେ ଓ ଗଞ୍ଜାମ ନିବାସିମାନଙ୍କର କୌଣସି ଉନ୍ନତି ହେଉନଥିଲା । ଏ ବିଷୟରେ ଯେ ଗଞ୍ଜାମବାସୀ ଅତ୍ୟନ୍ତ ଦୁଃଖିତ ଥିଲେ ତାହା ଆମ୍ଭେମାନେ କେତେଥର ଏ ପତ୍ରିକାରେ ଜଣାଇ ଅଛୁଁ । ଯାହାହେଉ ଏଥର ସେମାନଙ୍କର ମନସ୍କାମନା ପୂର୍ଣ୍ଣ ହେଲା ଓ ତହିଁସଙ୍ଗେ ଓଡ଼ିୟା ଭାଷାର ଉନ୍ନତି ମଧ୍ୟ ହେବାର ବିଶେଷ ଆଶା ହେଲା । ଓଡ଼ିୟା ଭାଷାରେ ଯେତେ ପୁରାତନ ପୁସ୍ତକ ବର୍ତ୍ତମାନ ଦେଖିବାରେ ଆସୁଅଛି ତହିଁର ଅଧିକାଂଶ ପ୍ରାୟ ଗଞ୍ଜାମ ଜିଲ୍ଲା କିମ୍ୱା ତନ୍ନିକଟ ବାସୀ ରଚନା କରିଥିଲେ ଓ ବର୍ତ୍ତମାନ ମଧ୍ୟ ଖଲ୍ଲିକୋଟ ପାରଳାଖେମୁଣ୍ଡିରେ ଦୁଇଜଣ ଅସାଧାରଣ ଶ୍ରୁତିଧର ଓ ଉତ୍ତମ କବି ଅଛନ୍ତି । ଏପର ଶୋରଧା । ଏ ଉତ୍ତାରୁ ଖୋରଧାଠାରୁ ଦକ୍ଷିଣକୁ କ୍ରମଶଃ ବିଶେଷ ଗୀତାର୍ଥୀ ଓ ଗୀତାନୁରାଗୀ ପ୍ରାପ୍ତ ହୁଅନ୍ତି । ଓଡ଼ିୟା ଭାଷା ପ୍ରତି ସେ ଅଞ୍ଚଳରେ ଗବର୍ଣ୍ଣମେଣ୍ଟଙ୍କର ଆସ୍ଥା ନଥିଲାରୁ ଏମାନଙ୍କ ପରିଶ୍ରମ ଓ ବୁଦ୍ଧି ବିଫଳ ହେଉଥିଲା । ଏବେ ସେସବୁ କାର୍ଯ୍ୟରେ ଲାଗିବାର ସମ୍ଭାବନା । କିନ୍ତୁ ଏଲୋକମାନେ ଆଧୁନିକ ପ୍ରଣାଳୀରୁ ଅବଗତ ନୁହନ୍ତି ଓ ଏମାନଙ୍କୁ ବାଟ ଦେଖାଇବା ପାଇଁ ଆବଶ୍ୟକ ଯେ ଏ ସ୍ଥାନରେ ଜ୍ଞାନାଲୋକ ଓ ଶିକ୍ଷା ସଂକ୍ରାନ୍ତ କର୍ମଚାରୀ ଓ ସେ ସ୍ଥାନର ଉକ୍ତ ପ୍ରକାର ଲୋକଙ୍କ ମଧ୍ୟରେ ମନୋଭାବ ବିନିମୟ କରିବାର ଗୋଟିଏ ଉପାୟ ସ୍ଥାପନ ହେଉ ଓ ତାହା କେବଳ ସଭା ଓ ସଂବାଦପତ୍ର ଅଥବା ଏ ଦୁଇରୁ ଏତଦ୍ୱାରା ହୋଇପାରେ ।“

 

ଦେଢ଼ଶହ ବର୍ଷ ତଳର ମୁଦ୍ରିତ ‘ଓଡ଼ିୟା’ ଭାଷା ଅନେକଙ୍କ ବୋଧଗମ୍ୟ ନହେବା ସନ୍ଦେହରେ ସମକାଳୀନ ସରଳ ଓଡ଼ିଆରେ ବୁଝାଇ କହିଲେ, (୧) ଇଂଲିଶ ଶାସନର ପ୍ରଥମ କିଛି ବର୍ଷ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାରେ ତେଲୁଗୁ ଭାଷାଭାଷୀ ସରକାରୀ କାର୍ଯ୍ୟରେ ନିଯୁକ୍ତି ପାଉଥିଲେ । ମାନ୍ଦ୍ରାଜ ପ୍ରେସିଡ଼େନ୍ସି ୧୮୭୨ରୁ ଗଞ୍ଜାମ ଜିଲ୍ଲାରେ ସରକାରୀ କାର୍ଯ୍ୟାଳୟମାନଙ୍କରେ ଓଡ଼ିଆ ଭାଷା ପ୍ରଚଳନ ନିମନ୍ତେ ନିର୍ଦ୍ଦେଶ ଜାରୀ କରିବା ପରେ ଓଡ଼ିଆ ଭାଷାଭାଷୀ ଜନସାଧାରଣ ଉପକୃତ ହେବା ଆଶା କରାଯାଇଥିଲା । (୨) ଓଡ଼ିଆ ଭାଷାରେ ମୁଦ୍ରିତ ପୁସ୍ତକ ୧୮୩୯ ପରଠାରୁ ପ୍ରକାଶିତ ହେବା ପରେ୧୮୭୨ ଯାଏଁ ପ୍ରାୟ ସମସ୍ତ ମୁଦ୍ରିତ ପୁସ୍ତକର ଲେଖକ ଗଞ୍ଜାମ କିମ୍ୱା ଏହାର ପଡ଼ୋଶୀ ଅଞ୍ଚଳବାସୀ । ଏହି ଦୃଷ୍ଟିରୁ ଓଡ଼ିଆ ଭାଷାର ପରମ୍ପରା ଉଚ୍ଚକୋଟୀର ଥିବା ଜଣାଯାଏ । (୩) ସରକାରୀସ୍ତରରେ ଓଡ଼ିଆ ଭାଷା ପ୍ରଚଳନ ସଙ୍ଗେ ଓଡ଼ିଆ ଭାଷାରେ ବିଦ୍ୟାଳୟମାନଙ୍କରେ ଆଧୁନିକ ଶିକ୍ଷା ପ୍ରଦାନ, ସଭାସମିତି ଆୟୋଜନ ତଥା ସମ୍ୱାଦପତ୍ର ପ୍ରକାଶନ ଦ୍ୱାରା ସ୍ଥାନୀୟ ଅଧିବାସୀଙ୍କ ଜୀବନଧାରଣର ମାନ ବୃଦ୍ଧି ପାଇବ ବୋଲି ‘ଉତ୍କଳ ଦୀପିକା’ ସମ୍ୱାଦପତ୍ର ବିବରଣୀରେ ଅଭିମତ ପ୍ରକାଶ ପାଇଥିଲା ।

 

ଏହି ସମ୍ୱାଦ ପ୍ରକାଶନ ପରେ ବିଗତ ଦେଢ଼ଶହ ବର୍ଷ ମଧ୍ୟରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇ ଶତବାର୍ଷିକୀ ପାଳନ ନିମନ୍ତେ ପ୍ରସ୍ତୁତ ହେଉଛି, ଭାରତ ସ୍ୱାଧୀନତା ଲାଭ କରି ୭୫ ବର୍ଷରେ ଅମୃତ ମହୋତ୍ସବ ପାଳନ କରୁଛି । ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ପ୍ରଚଳନ ଦେଢ଼ଶହ ବର୍ଷ ଧରି ଝୁଣ୍ଟି ଝୁଣ୍ଟି ଚାଲିଛି । ସହର ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ଗଞ୍ଜାମ ଜିଲ୍ଲାର ଅପହଞ୍ଚ ପାର୍ବତ୍ୟାଞ୍ଚଳରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟମାନ ଖୋଲିଛି । କିନ୍ତୁ ଆମ ସମାଜର ସ୍ୱଚ୍ଛଳବର୍ଗ ନିଜ ସନ୍ତାନ ସନ୍ତତିଙ୍କୁ ଓଡ଼ିଆ ପରିବର୍ତ୍ତେ ଦେଢ଼ଶହ ବର୍ଷ ତଳର ଇଂଲିଶ ପାଠ୍ୟ ଖସଡ଼ାରେ ପାଠ ପଢ଼ାଇବା ନିମନ୍ତେ ଆଗ୍ରହୀ । ବ୍ରହ୍ମପୁରରେ ଟାଉନ ହଲ, ସଂସ୍କୃତି ଭବନ, କବିସୂର୍ଯ୍ୟ ରଙ୍ଗମଞ୍ଚ ନାମରେ ତିନିଗୋଟି ସୁଦୃଶ୍ୟ ପ୍ରେକ୍ଷାଳୟ ନିର୍ମିତ ହୋଇଛି । ତେବେ ଭାଷା ଓ ଜାତି ସଂପର୍କରେ ଆଲୋଚ଼ନା କରିବା ନିମନ୍ତେ ବର୍ଷରେ କେତେ ଥର ଦ୍ୱାର ଖୋଲୁଛି ? ଦଶଗୋଟି ଓଡ଼ିଆ ଦୈନିକ ସମ୍ୱାଦପତ୍ର ପକ୍ଷରୁ ବ୍ରହ୍ମପୁର ସଂସ୍କରଣ ପ୍ରକାଶ ପାଉଛି । କିନ୍ତୁ ଦେଢ଼ଶହ ବର୍ଷ ତଳର ଜନୈକ ଅନାମ ସାମ୍ୱାଦିକ (କିମ୍ୱା ଗୌରୀଶଙ୍କର ରାୟ)ଙ୍କ ଭାଷାଭିତ୍ତିକ ବିକାଶ ଦୂରଦୃଷ୍ଟି କେତେଦୂର ଚ଼ରିତାର୍ଥ ହୋଇପାରିଛି ?

 

ଗୋଟିଏ ଭାଷା ବା ଜାତିର ଇତିହାସରେ ଦେଢ଼ଶହ ବର୍ଷ ଏକ ବିସ୍ତୃତ ସମୟସୀମା କହିହେବ ନାହିଁ । ତେବେ ଏତେ ବର୍ଷ ଧରି ଆମେ ଯେ ଗୋଟିଏ ସ୍ଥାନରେ ଅଟକି ଯାଇଛୁ, ତାହା ଚ଼ିନ୍ତାଜନକ ନୁହେଁ କି ?

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୪ ଫେବୃୟାରୀ ୨୦୨୩ / ପୃଷ୍ଠା : ୨)

Photo by Eduardo Olszewski on Unsplash 

Friday, January 27, 2023

Festival Season / ଉତ୍ସବର ଋତୁ


 #ବ୍ରହ୍ମପୁର ସହରବାସୀଙ୍କ ନିମନ୍ତେ ୨୦୨୨ ଡ଼ିସେମ୍ୱର-୨୦୨୩ ଜାନୁୟାରୀ ଏକ ଉତ୍ସବର ଋତୁ ଅନୁଭବ ହୋଇଥିଲା । କୋଭିଡ଼-୧୯ଜନିତ ମହାମାରୀରେ ୨୦୨୦, ୨୦୨୧ ଓ ୨୦୨୨ ତିନିବର୍ଷ ଧରି ଉତ୍ସବାନୁଷ୍ଠାନ ଆୟୋଜନରେ ଊଣା-ଅଧିକେ କଟକଣା ଜାରୀ ରହିବା ପରେ ସରକାରୀସ୍ତରରେ ୨୦୨୨ ଡ଼ିସେମ୍ୱର ଶେଷ ସପ୍ତାହରେ ‘ଗୋପାଳପୁର ବେଳାଭୂମି ଉତ୍ସବ’ ଓ ୨୦୨୩ ଜାନୁୟାରୀରେ ‘ସିଲକ ସିଟି ଫେଷ୍ଟ’ ସାଙ୍ଗକୁ ପାରିବାରିକସ୍ତରରେ ଯାକଜମକରେ ବିବାହ-ବ୍ରତଘର ଆୟୋଜନ ସହରକୁ ଉତ୍ସବମୁଖର ଗଢ଼ି ତୋଳିଥିଲା । ଦୀର୍ଘଦିନ ଧରି ସାର୍ବଜନୀନ କାର୍ଯ୍ୟକ୍ରମରୁ ସମଗ୍ର ସହରବାସୀ ଦୂରେଇ ରହିବାପରେ ପୁଣି ଥରେ ଉତ୍ସବାନୁଷ୍ଠାନରେ ସାମିଲ ହେବା ସୁଯୋଗ ପାଇଥିଲେ ।

 

ମହାମାରୀର ପ୍ରଥମ ଦୁଇ ତରଙ୍ଗ ପରେ ୨୦୨୧ ଦ୍ୱିତୀୟାର୍ଦ୍ଧ ସୁଦ୍ଧା ଜନଜୀବନ ସ୍ୱାଭାବିକସ୍ତରକୁ ଫେରୁଥିବା କାଳରେ ୨୦୨୨ ଜାନୁୟାରୀରେ ତୃତୀୟ ତରଙ୍ଗ ଉଦବେଗର କାରଣ ପାଲଟିଥିଲା । କିନ୍ତୁ ୨୦୨୨ ଡ଼ିସେମ୍ୱରରେ ପଡ଼ୋଶୀ ଚ଼ୀନରେ ସଂକ୍ରମଣ ବଢ଼ିବାପରେ ସମ୍ଭାବ୍ୟ ଚ଼ତୁର୍ଥ ତରଙ୍ଗ ଆଶଙ୍କା ବାସ୍ତବତାରେ ରୂପ ଗ୍ରହଣ କରିନଥିଲା । ଫଳରେ ବିଭିନ୍ନ ଉତ୍ସବାନୁଷ୍ଠାନ ଆୟୋଜନ, ପର୍ଯ୍ୟଟନ ଇତ୍ୟାଦି ମହାମାରୀ-ପୂର୍ବାବସ୍ଥାକୁ ଫେରି ଯାଉଥିବା ଅନୁମାନ କରାଯାଇଥିଲା । ଅବଶ୍ୟ ମହାମାରୀ-ପୂର୍ବ ଓ ମହାମାରୀ-ପର ଅବସ୍ଥା ମାତ୍ର ତିନିବର୍ଷର ବ୍ୟବଧାନରେ ଆୟୋଜନ ବ୍ୟୟ ସମସ୍ତ କ୍ଷେତ୍ରରେ ଅନ୍ତତଃପକ୍ଷେ ୫୦ ପ୍ରତିଶତ ବୃଦ୍ଧି ଅନେକଙ୍କୁ ଚ଼ିନ୍ତିତ କରିଥିଲା ।

 

ସହରରେ ସରକାରୀସ୍ତରରେ ବୃହତ ଆୟୋଜନ ହେଉ ଅଥବା ପାରିବାରିକସ୍ତରରେ ବିବାହ-ବ୍ରତ ଆୟୋଜନ, ସବୁଠାରେ ଦାୟିତ୍ୱ କ୍ରମଶଃ ବୃତ୍ତିଧାରୀ ‘ପ୍ରଫେସନାଲ’ଙ୍କ ହାତକୁ ଚାଲି ଯାଉଛି । ଅତୀତରେ ଉତ୍ସବାନୁଷ୍ଠାନ ଆୟୋଜନରେ ଜନସାଧାରଣ ବା ପରିବାରବର୍ଗଙ୍କ ଅଂଶଗ୍ରହଣ ମୁଖ୍ୟ ଆକର୍ଷଣ ଥିବା ସ୍ଥଳେ ବର୍ତ୍ତମାନ ଠିକା ସଂସ୍ଥାମାନେ ଦାୟିତ୍ୱ ଗ୍ରହଣ କରୁଛନ୍ତି । ଏହି କାରଣରୁ ଆୟୋଜନ ଖର୍ଚ୍ଚ ବୃଦ୍ଧି ପାଉଛି । କିନ୍ତୁ ଆୟୋଜନଜନିତ ଜଞ୍ଜାଳରୁ ମୁକ୍ତି ପାଇବା ନିମନ୍ତେ ମଧ୍ୟବିତ୍ତ ପରିବାରବର୍ଗ ବିବାହ-ବ୍ରତ ଭଳି ପାରିବାରିକ ଉତ୍ସବ ନିମନ୍ତେ କଲ୍ୟାଣ ମଣ୍ଡପ ବା ହୋଟେଲମୁହାଁ ହେଉଛନ୍ତି । ଏକ ହିସାବ ଅନୁଯାୟୀ ୨୦୨୩ରେ ସ୍ୱଚ୍ଛଳ ଓଡ଼ିଆ ମଧ୍ୟବିତ୍ତ ପରିବାରର  ବିବାହ ଉତ୍ସବରେ ବ୍ୟୟ ହାରାହାରି ୨୭ ଲକ୍ଷ ଟଙ୍କାରେ ପହଞ୍ଚିଥିବା ଜଣାଯାଏ ।

 

ଅପରପକ୍ଷେ ଉଭୟ ସରକାରୀ ଓ ପାରିବାରିକସ୍ତରରେ ମହାମାରୀ-ପର ଅବସ୍ଥାରେ ଆୟ-ବ୍ୟୟରେ ସମତୁଲ ରକ୍ଷା ସମ୍ଭବ ହୋଇପାରୁନଥିବା ହେତୁ ଆର୍ଥିକ ପରିବେଶ କ୍ରମଶଃ ଉତ୍କଟ ଅବସ୍ଥାରେ ପହଞ୍ଚୁଥିବା ଆଶଙ୍କା କରାଯାଏ । ଏକ ସର୍ବେକ୍ଷଣରୁ ଜଣାଯାଇଛି ଯେ ସଂଗଠିତ କ୍ଷେତ୍ରରେ ନିଯୁକ୍ତ କର୍ମଚାରୀଙ୍କ ମଧ୍ୟରୁ ୨୦୨୩ ଆରମ୍ଭରେ ୨୫ ପ୍ରତିଶତ ଛଟେଇ ନେଇ ଭୟଭୀତ ହୋଇପଡ଼ିଥିଲେ । ସେହିପରି କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟରେ ଆୟ ଗତ ତିନିବର୍ଷ ମଧ୍ୟରେ ହାରାହାରି ୫୦ ପ୍ରତିଶତ ଯାଏଁ କମିଥିବା କୁହାଯାଉଛି । ଉତ୍ସବାନୁଷ୍ଠାନରେ ବ୍ୟୟବୃଦ୍ଧି ସାଙ୍ଗକୁ ଆୟହାନୀର ଦୀର୍ଘକାଳୀନ ପ୍ରଭାବ ନକାରାତ୍ମକ ହେବା ସୁସ୍ପଷ୍ଟ । ଆନ୍ତର୍ଜାତିକସ୍ତରରେ ୨୦୨୩ରେ ଆର୍ଥିକ ମାନ୍ଦାବସ୍ଥା ସଂପର୍କରେ ଅର୍ଥନୀତିଜ୍ଞମାନେ ପୂର୍ବାନୁମାନ କରୁଥିବା ଅବସରରେ ସର୍ବତ୍ର ଉଦବେଗ ପ୍ରକାଶ ପାଉଛି ।

 

ଶାସ୍ତ୍ରୀୟ ନୀତି ଅନୁଯାୟୀ ମହାମାରୀ ପରେ ସମାଜ ଆର୍ଥିକ ଦୁର୍ଗତିର ଶୀକାର ହୋଇଥାଏ । କିନ୍ତୁ ଶାସନ ଓ ବ୍ୟବସାୟ କ୍ଷେତ୍ରର ଅବସ୍ଥାପିତ ନେତୃବର୍ଗ ଆମ ଦେଶ ଆର୍ଥିକ ମାନ୍ଦାବସ୍ଥାରୁ ଦୂରେଇ ରହିବା ଅଭୟବାଣୀ ଦେଇ ଆସିଛନ୍ତି । ଏହି ଆଶ୍ୱାସନା କେତେଦୂର ଗ୍ରହଣୀୟ ତାହା ଏକ ପ୍ରଶ୍ନ । ଗଣମାଧ୍ୟମ ବିଶେଷଜ୍ଞଙ୍କ ମତରେ ବିଶ୍ୱବ୍ୟାପୀ ଅସତ୍ୟ ‘ଫେକ ନିଉଜ’ର ଯୁଗ ଚାଲିଛି । ସାଧାରଣ ବ୍ୟକ୍ତି ପକ୍ଷେ ଚଳନ୍ତି ସମ୍ୱାଦ ପ୍ରବାହରେ କେଉଁଟି ଠିକ, କେଉଁଟି ଭୂଲ, ତାହା ମୂଲ୍ୟାୟନ କରିବା ଅସଂଭବ । ୨୦୨୨-୨୩ ଶୀତଋତୁରେ ବ୍ରହ୍ମପୁରବାସୀ ଉତ୍ସବ-ମହୋତ୍ସବ ଉନ୍ମାଦନାରେ ମଜ୍ଜି ରହିଲେ ସତ କଥା, କିନ୍ତୁ ଅନେକ ଆଗାମୀ ଅନିଶ୍ଚିତ ଭବିଷ୍ୟତ ନେଇ ଅବଶ୍ୟ ଆଶଙ୍କିତ !

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୮ ଜାନୁୟାରୀ ୨୦୨୩/ ପୃଷ୍ଠା : ୨)

Friday, January 20, 2023

Bharatmala Pariyojana / ଭାରତମାଳା ପରିଯୋଜନା



#ବ୍ରହ୍ମପୁର ସହରର ବୁଦ୍ଧିଜୀବୀ ମହଲରେ ଗଞ୍ଜାମ ଜିଲ୍ଲା ଉପକୂଳ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଭାରତମାଳା ପରିଯୋଜନା ପ୍ରଯୋଜିତ ଉପକୂଳ ରାଜପଥ ‘କୋଷ୍ଟାଲ ହାଇୱେ’ରୁ ବାଦ ପଡ଼ିଥିବା ନେଇ ଚ଼ିନ୍ତା ପ୍ରକଟ କରାଯାଇଛି । ଭାରତମାଳା ପରିଯୋଜନାରେ ସାରା ଦେଶରେ ସଡ଼କପଥରେ ଯୋଗାଯୋଗ ବିକାଶ ନିମନ୍ତେ ଅତିରିକ୍ତ ରାଜପଥ ନିର୍ମାଣ ହାତକୁ ନିଆଯାଇଛି । ଏହିକ୍ରମରେ ଗୋପାଳପୁରଠାରୁ ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟନ୍ତ ଏକ କୋଷ୍ଟାଲ ହାଇୱେ ନିର୍ମାଣ ନିମନ୍ତେ ୨୦୧୫ ମସିହାରେ ପ୍ରସ୍ତାବ ଘୋଷିତ ହୋଇଥିଲା । ଏଥିଲାଗି ଆଠ ହଜାର କୋଟି ଟଙ୍କା ବ୍ୟୟ ବରାଦ ସାଙ୍ଗକୁ ୪୫୧ କିଲୋମିଟର ହାଇୱେ ନିର୍ମାଣ ନିମନ୍ତେ ଯୋଜନା ରହିଥିଲା ।

 

କିନ୍ତୁ ୨୦୨୨ ଶେଷ ପର୍ଯ୍ୟାୟରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ନିମନ୍ତେ ଡ଼ିଟେଲ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତିରେ ପୂର୍ବ-ନିର୍ଦ୍ଧାରିତ ପ୍ରସ୍ତାବରେ କେତେକ ପରିବର୍ତ୍ତନ କରାଯାଇ ଗୋପାଳପୁରଠାରୁ ଦୀଘା ପରିବର୍ତ୍ତେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀଠାରୁ ପଶ୍ଚିମବଙ୍ଗର ଦୀଘା ଯାଏଁ ହାଇୱେ ନିର୍ମାଣ ନିମନ୍ତେ ସ୍ଥିରୀକୃତ ହୋଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ପ୍ରସ୍ତାବିତ କୋଷ୍ଟାଲ ହାଇୱେ ନିର୍ମାଣରେ ଗଞ୍ଜାମ ଜିଲ୍ଲା ଉପକୂଳକୁ ବାଦ ଦେଇ ଟାଙ୍ଗୀଠାରୁ ଆରମ୍ଭ ହୋଇ ବ୍ରହ୍ମଗିରି, ପୁରୀ, କୋଣାର୍କ, ଅସ୍ତରଙ୍ଗ,ପାରାଦ୍ୱୀପ ଓ ଧାମରା ବନ୍ଦର, ରତ୍ନପୁର ଦେଇ ଦୀଘାକୁ ସଂଯୋଗ କରିବା ନିମନ୍ତେ କୋଷ୍ଟାଲ ହାଇୱେର ଦୂରତ୍ୱ ୩୮୨ କିଲୋମିଟରକୁ କମାଇ ଦିଆଯାଇଛି ।

 

କୁହାଯାଉଛି ଯେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଏକ୍ସପର୍ଟ କମିଟି ଚ଼ିଲିକା ହ୍ରଦର ପରିବେଶ ଓ ଋଷିକୂଲ୍ୟା ମୁହାଣରେ ଅଲିଭ ରିଡ଼ଲେ କଇଁଛଙ୍କ ସମୂହ-ଅଣ୍ଡାଦାନର ସୁରକ୍ଷା ନିମନ୍ତେ ଏହି ଅଞ୍ଚଳରେ ହାଇୱେ ନିର୍ମାଣ ବାରଣ କରିଛନ୍ତି ।

 

ବ୍ରହ୍ମପୁର ସହରର ବିକାଶ ଚ଼େନ୍ନାଇ କୋଲକତା ରେଳପଥ ଓ ରାଜପଥ ସଂଯୋଗ ସହ ଅଙ୍ଗାଙ୍ଗୀଭାବେ ଜଡ଼ିତ । ଭାରତମାଳା ପରିଯୋଜନାରେ ପୁରୀ, କୋଣାର୍କ ଭଳି ପର୍ଯ୍ୟଟନ ସ୍ଥଳୀ ଓ ପାରାଦ୍ୱୀପ, ଧାମରା ଭଳି ବନ୍ଦର ସହ ସଡ଼କପଥରେ ସିଧାସଳଖ ଯୋଡ଼ି ହେଲେ ବ୍ରହ୍ମପୁରର ଅର୍ଥନୀତି, ଶ୍ରମନିଯୁକ୍ତି, ଗମନାଗମନ, ପରିବହନ ଓ ପର୍ଯ୍ୟଟନ ଭଳି ବିଭିନ୍ନ କ୍ଷେତ୍ରରେ ଉନ୍ନତି ଆଶା କରାଯାଉଥିଲା । ବ୍ରହ୍ମପୁର ସନ୍ନିକଟରେ ଦୁଇ ବେଳାଭୂମି ଗୋପାଳପୁର ଓ ସୁନପୁର, ଛତ୍ରପୁର ତାମ୍ପରା ଓ ଚ଼ିଲିକାରେ ପର୍ଯ୍ୟଟନର ବିକାଶ ସହରର ଅର୍ଥନୀତିରେ ଅନୁକୂଳ ପ୍ରଭାବ ପକାଇପାରିବ । ତେବେ ଏହି ସବୁ ଅଞ୍ଚଳ ପ୍ରସ୍ତାବିତ କୋଷ୍ଟାଲ ହାଇୱେ ପ୍ରକଳ୍ପରୁ ବାଦ ପଡୁଥିବା ଅବସରରେ ଜନମାନସରେ ହତାଶଭାବ ସୃଷ୍ଟି କରିବା ସ୍ୱାଭାବିକ ।

 

କେତେକ ସୂତ୍ରରୁ ପ୍ରକାଶ ଯେ ଗୋପାଳପୁର-ଦୀଘା ଭାୟା ଚିଲିକା କୋଷ୍ଟାଲ ହାଇୱେ ନିର୍ମାଣ ଅବସରରେ ଚ଼ିଲିକା ହ୍ରଦରେ ପାଞ୍ଚ କିଲୋମିଟର ବ୍ୟାପୀ ସେତୁ ନିର୍ମାଣ ନିମନ୍ତେ ପ୍ରସ୍ତାବ ରହିଥିଲା । ଏହା ଜହ୍ନିକୁଦାକୁ ସାତପଡ଼ା ସହ ସଂଯୋଗ କରିଥାନ୍ତା । ତେବେ ଚିଲିକା ବକ୍ଷରେ ସେତୁ ନିର୍ମାଣକୁ ସଂଭବତଃ ପରିବେଶବିତମାନେ ପସନ୍ଦ କରିନାହାନ୍ତି ।

 

ବ୍ରହ୍ମପୁରର ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ଭାରତମାଳା ପରିଯୋଜନାର ମୂଳଲକ୍ଷ୍ୟ ସଡ଼କପଥର ବିସ୍ତାର ଦ୍ୱାରା ରାଜପଥ ସଂଯୋଗରେ ଦୂରତ୍ୱ କମାଇବା । ଏଥି ନିମନ୍ତେ ସେତୁ, ସୁଡ଼ଙ୍ଗ, ଫ୍ଳାଇ ଓଭର, ଓଭରପାସ, ରିଙ୍ଗରୋଡ଼ ଇତ୍ୟାଦି ନିର୍ମାଣ ପ୍ରତି ପ୍ରାଥମିକତା ଦିଆଯାଇଥାଏ । ଗୋପାଳପୁର-ଦୀଘା ଉପକୂଳ ଜାତୀୟ ରାଜପଥ ପରିଯୋଜନାରେ ଚ଼ିଲିକାରେ ସେତୁ ନିର୍ମାଣ ହୋଇଥିଲେ ବ୍ରହ୍ମପୁରଠାରୁ ପୁରୀ ମଧ୍ୟରେ ୬୦ କିଲୋମିଟର ଯାଏଁ ସଡ଼କପଥରେ ଦୂରତ୍ୱ କମିଯାଇଥାନ୍ତା ।

 

ପ୍ରଶ୍ନ ଉଠେ, ଭାରତମାଳା ପରିଯୋଜନାର ମୂଳ ଲକ୍ଷ୍ୟ ଯଦି ଅତିରିକ୍ତ ସଡ଼କପଥ ନିର୍ମାଣ ଓ ସଂଯୋଗ ସ୍ଥାପନ, ତେବେ ଗୋପାଳପୁର ସମେତ ଗଞ୍ଜାମ ଜିଲ୍ଲାକୁ ପ୍ରସ୍ତାବିତ ଉପକୂଳ ରାଜପଥ ଯୋଜନାରୁ ବାଦ ଦେବା ବଦଳରେ ପରିବେଶ ଅନୁକୂଳ ବିକଳ୍ପ ବ୍ୟବସ୍ଥା ପ୍ରତି କାହିଁକି ଧ୍ୟାନ ଦିଆଯାଉନାହିଁ । ବିକଳ୍ପ କ’ଣ ହେବ ସେ ସଂପର୍କରେ ବିଶେଷଜ୍ଞମାନେ ପରାମର୍ଶ ଦେବେ । କିନ୍ତୁ ଏହି ସମସ୍ୟା ସେମାନଙ୍କ ବିଚାର ପରିସରଭୁକ୍ତ କରିବା ଦିଗରେ ଉଦ୍ୟମ ସ୍ଥାନୀୟ ନାଗରିକ ସମାଜ ଓ ରାଜନୀତିକ ନେତୃବର୍ଗଙ୍କ କାର୍ଯ୍ୟ ନୁହେଁ କି ?



(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୧ ଜାନୁୟାରୀ ୨୦୨୩/ ପୃଷ୍ଠା : ୨)

Photo by Mystery Cat on Unsplash 

Friday, January 13, 2023

Story of a theft / ଏକ ଚ଼ୋରି କାହାଣୀ

 

ଅନ୍ୟତ୍ର ଭଳି #ବ୍ରହ୍ମପୁର ସହରରେ ଚୋରିହାରି ଲାଗିରହିଥାଏ । ବେଳେ ବେଳେ କେତେକ ଚ଼ୋରି ଘଟଣା ସହରବାସୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟେ । ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଜନାକୀର୍ଣ୍ଣ ବାବାଜୀ ତୋଟା ସାହିରେ ୨୦୨୨ ଡ଼ିସେମ୍ୱର ଶେଷ ସପ୍ତାହରେ ଭୋର ସମୟରେ ଜଣେ ବୟସ୍କ ମହିଳାଙ୍କ ଘରେ ପଶି ଚ଼ୋର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେବା ସେହି ଭଳି ଏକ ଉଦାହରଣ ।

 

ବିବରଣୀରୁ  ପ୍ରକାଶ ଯେ ଜଣେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ନିଜ ଘରେ ଶୋଇଥିଲେ । ତାଙ୍କ ପତି ସକାଳୁ ସକାଳୁ ପ୍ରାତଃ ଭ୍ରମଣ ସହ ଫୁଲ ତୋଳିବାକୁ ଚାଲିଯାଇଥିଲେ । ବୟସ୍କ ମହିଳା ଏକାକୀ ଥିବା ସୁଯୋଗ ଉଣ୍ଡି ଚ଼ୋରମାନେ ଘରେ ପଶିଲେ । ତେବେ ଛାଇ ନିଦରୁ ଶିକ୍ଷୟତ୍ରୀଜଣକ ଉଠିପଡ଼ି ଆକଟ କରିଥିଲେ । ଦୁର୍ବୃତ୍ତମାନେ ମହିଳାଙ୍କ ମୁହଁରେ କିଛି ରାସାୟନିକ ପଦାର୍ଥ ଛିଞ୍ଚି ଦେବା ଫଳରେ ସେ ବେହସ ହୋଇ ପଡ଼ିଲେ । ଚ଼ୋରମାନେ ଶିକ୍ଷୟତ୍ରୀ ପିନ୍ଧିଥିବା ସୁନା ଚ଼େନ, ଚାରିଗୋଟି ସୁନା ଚୁଡ଼ି, ଦୁଇ ଗୋଟି ମୁଦି ଓ ହଳେ କାନଫୁଲ ଖୋଲି ନେଇଯାଇଥିଲେ । ଭ୍ୟାନିଟି-ବ୍ୟାଗରେ ଥିବା ନଗଦ ଆଠ ହଜାର ଟଙ୍କା ମଧ୍ୟ ଧରି ଚମ୍ପଟ ମାରିଥିଲେ । ସମଗ୍ର ଘଟଣା ମାତ୍ର କେଇ ମିନଟରେ ସରିଥିଲା ।

 

ପୂଜାଫୁଲ ସଂଗ୍ରହକରି ପତି ଫେରିଲା ବେଳକୁ ପତ୍ନୀ ବେହସ ଅବସ୍ଥାରେ ପଡ଼ିଥାନ୍ତି । ଶରୀରରେ ଅଳଙ୍କାର ଲୁଟ ହୋଇସାରିଥିଲା । କିଛି ସମୟ ଡ଼କାହକା ପରେ ମହିଳାଙ୍କ ଚ଼େତା ଫେରିଲା । ସେ ସମଗ୍ର ଘଟଣା ବର୍ଣ୍ଣନା କଲେ । ସାମାନ୍ୟ ସୁସ୍ଥ ଅନୁଭବ କରିବାପରେ ପତିପତ୍ନୀ ବୈଦ୍ୟନାଥପୁର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ତୁରନ୍ତ ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

 

ଘଟଣାଟି ସାଧାରଣ ପ୍ରତୀୟମାନ ହୁଏ । ପ୍ରଥମତଃ, ଭୋରରୁ ପତ୍ନୀ ଶୋଇଥିବା ଅବସ୍ଥାରେ ପତି ହୁଏତ ସୁରକ୍ଷିତ ଭାବେ କବାଟ ଦୁଆର ବନ୍ଦ କରିବାରେ ଅବହେଳା କରିଥିଲେ । ତେଣୁ ପତି ଭୋରରୁ ଫୁଲ ତୋଳିବାକୁ ଯିବାପରେ ଚ଼ୋରମାନେ ଅନାୟସରେ ଘରେ ପଶି ପତ୍ନୀଙ୍କୁ ନିଶା ଔଷଧ ଶୁଙ୍ଘାଇ ସୁନା ଟଙ୍କା ଲୁଟ କରିବାରେ ସକ୍ଷମ ହେଲେ । ଦ୍ୱିତୀୟତଃ, ସଂପୃକ୍ତ ଗୃହରେ ଏକ ବୃଦ୍ଧ ଦମ୍ପତ୍ତି ବସବାସ କରୁଥିବା ଏବଂ ସେମାନଙ୍କ ଦୈନନ୍ଦିନ କାର୍ଯ୍ୟସୂଚ଼ୀ ସଂପର୍କରେ ଚ଼ୋର ଦଳ ଆଗୁଆ ତଥ୍ୟ ସଂଗ୍ରହ କରି ଚ଼ୋରି ସୁଯୋଗ ସୃଷ୍ଟି କରିଥିଲେ । ତୃତୀୟତଃ, ବୃଦ୍ଧ ଦମ୍ପତ୍ତି ନିଜ ସୁରକ୍ଷା କ୍ଷେତ୍ରରେ ଯେତିକି ତତ୍ପରତା ପ୍ରକାଶ କରିବା କଥା ସେଥିରେ ଅବହେଳା କରିଛନ୍ତି । ମୁଖ୍ୟତଃ, ମହାମାରୀ-ପର ଅବସ୍ଥାରେ ସୃଷ୍ଟ ଆର୍ଥିକ ମାନ୍ଦାବସ୍ଥା କାରଣରୁ ଚ଼ୋରିହାରି ଓ ଅପରାଧିକ କାର୍ଯ୍ୟର ମାତ୍ରା ବୃଦ୍ଧି ପାଇବା ବିଶେଷଜ୍ଞଙ୍କ ଆକଳନକୁ ଅଣଦେଖା କରିବା ଫଳରେ ଦୁର୍ଦ୍ଦଶାଗ୍ରସ୍ତ ହେଲେ । ଏଦିଗରେ ସାମାଜିକସ୍ତରରେ ବରିଷ୍ଠ ନାଗରିକଙ୍କୁ ସଚ଼େତନ କରିବା ନିମନ୍ତେ ଉଦ୍ୟମ ଅଭାବ ଅନୁଭୂତ ହୁଏ ।

 

ଏହିଭଳି ଏକ ଚ଼ୋରି କାହାଣୀରେ ପୋଲିସକୁ ଟାଣି-ଓଟାରି ସଂପୃକ୍ତ କରିବା ଅନ୍ୟାୟ ହେବ । ଚ଼ୋରି ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା, ଉପଲବ୍ଧ ଆଧୁନିକ ପଦ୍ଧତି ଉପଯୋଗ କରିଥିଲା । କ୍ଳୋଜ-ସର୍କିଟ ଭିଡ଼ିଓ ଫୁଟେଜ ଯାଞ୍ଚ କରିଥିବ, ସେହି ଅଞ୍ଚଳର ପୁରୁଣା ଦାଗୀଙ୍କୁ ପଚ଼ରା ଉଚ଼ରା କରିଥିବ, ତେବେ ଚ଼ୋର ଧରାପଡ଼ିବ ନା ନାହିଁ ତାହା ଭିନ୍ନ କଥା । କିନ୍ତୁ ପ୍ରଶ୍ନ ଉଠେ, ଏଭଳି ଘଟଣାକୁ କିପରି ଏଡ଼ାଇ ଦେଇ ହେବ ଏବଂ ଏହି ଦିଗରେ କେଉଁମାନେ ତତ୍ପରତା ପ୍ରକାଶ କରିବା ଉଚ଼ିତ ?

 

ବ୍ରହ୍ମପୁରରେ ବହୁ ସଂଖ୍ୟକ ନାଗରିକ ସମାଜ ଓ ସ୍ୱେଚ୍ଛାସେବୀ ସଂଗଠନ କାର୍ଯ୍ୟ କରୁଛନ୍ତି । ଖୋଦ ବରିଷ୍ଠ ନାଗରିକଙ୍କ ନିମନ୍ତେ ଏକାଧିକ ସଂସ୍ଥା ରହିଛି । ତେବେ ଏ ସମସ୍ତେ ଔପଚାରିକ ଉତ୍ସବାନୁଷ୍ଠାନ ଆୟୋଜନର ପରିସୀମା ଡ଼େଇଁ ସମାଜର ଅବହେଳିତ ବର୍ଗଙ୍କ ପାଇଁ ରଚ଼ନାତ୍ମକ କାର୍ଯ୍ୟକ୍ରମ ଆୟୋଜନରେ ମନୋନିବେଶ କଲେ ସମାଜର ମଙ୍ଗଳ ସମ୍ଭବ । ରାଜ୍ୟର ଜନସଂଖ୍ୟାର ୯.୫ ପ୍ରତିଶତ ୬୦ ବର୍ଷୋତ୍ତର ବରିଷ୍ଠ ନାଗରିକ ଥିବା ସ୍ଥଳେ ପ୍ରତି ଦଶ ଜଣରେ ଜଣେ ବାର୍ଦ୍ଧକ୍ୟଗ୍ରସ୍ତ । ବ୍ରହ୍ମପୁରର ସାଢ଼େ-ଚାରି ଲକ୍ଷ ଜନ ସଂଖ୍ୟାରେ ୪୫ ହଜାରରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ବସବାସ କରୁଛନ୍ତି । ଶାରିରୀକ, ମାନସିକ ଓ ସାମାଜିକସ୍ତରରେ ଏମାନେ ଶୀଥିଳ । ଏହି ବର୍ଗର ସୁରକ୍ଷା ତଥା ଆଧୁନିକ ଜନଜୀବନ ସଂପର୍କରେ ବାର୍ଦ୍ଧକ୍ୟଗ୍ରସ୍ତଙ୍କୁ ସଚ଼େତନ କରାଇବା ଦିଗରେ ସାମାଜିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ସୁଚ଼ିନ୍ତିତ ପ୍ରକଳ୍ପମାନ ହାତକୁ ନିଆଯାଇପାରେ । ଫଳରେ ପରିବର୍ତ୍ତିତ ପରିସ୍ଥିତିର ସେମାନେ ମୁକାବିଲା କରିପାରିବେ । ଯଥା : ଗୋଷ୍ଠୀବଦ୍ଧ ଜୀବନ, ଡ଼ିଜିଟାଲ ସାକ୍ଷରତା, ପରସ୍ପରକୁ ସହାୟତା ଇତ୍ୟାଦି କାର୍ଯ୍ୟ ପ୍ରୋତ୍ସାହିତ ହେବ ।

 

ପୋଲିସ ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଏକ ସ୍ୱତନ୍ତ୍ର ବର୍ଗ ରୂପେ ଚ଼ିହ୍ନଟ କରାଯାଇ ସେମାନଙ୍କ ସୁରକ୍ଷାଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ସୃଷ୍ଟି କରିବା ନିମନ୍ତେ ନୀତିଗତ ନିଷ୍ପତି ଗ୍ରହଣ କରାଯାଇଛି । ଓଡ଼ିଶା ପୋଲିସ ପକ୍ଷରୁ ୨୦୧୬ ମସିହାରେ ପ୍ରତି ଥାନାରେ ‘ବରିଷ୍ଠ ନାଗରିକ ସେଲ’ ଖୋଲିବା ନିମନ୍ତେ ସମସ୍ତ ପୋଲିସ ଜିଲ୍ଲା ଏସପି ଓ ଡ଼ିଏସପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଏ । ଅବଶ୍ୟ ଆବଶ୍ୟକୀୟ ପୋଲିସ କର୍ମଚାରୀ ଅଭାବ କାରଣରୁ ଏହି ଭଳି ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁ ନଥିବା କୈଫିୟତ ମିଳେ । ତେବେ ପ୍ରତି ଥାନାରେ ନହେଲେ ମଧ୍ୟ ବ୍ରହ୍ମପୁର ପୋଲିସ ଜିଲ୍ଲା ଏସପି ଅଫିସ ସ୍ତରରେ ଏକ ‘ବରିଷ୍ଠ ନାଗରିକ ସୁରକ୍ଷା ସେଲ’ ଖୋଲାଯିବା, ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦେବା ଏବଂ ‘ସେଲ’ ସହ ଯୋଗାଯୋଗ ନିମନ୍ତେ ଏକ ନିର୍ଦ୍ଦିଷ୍ଟ ମୋବାଇଲ ଟେଲିଫୋନ ନମ୍ୱର ସର୍ବସାଧାରଣରେ ବିଜ୍ଞପିତ କରାଇବା ଜରୁରି ମନେହୁଏ ।


Photo by iMattSmart on Unsplash