Friday, August 25, 2023

Rock Garden / ରକ ଗାର୍ଡେନ

 

#ବ୍ରହ୍ମପୁର ସହରର ଚିତ୍ତ-ବିନୋଦନ ସ୍ଥଳୀ ତାଲିକାରେ ରକ ଗାର୍ଡେନ ଯୋଡ଼ି ହୋଇଛି । ବ୍ରହ୍ମପୁର ମହାନଗର ନିଗମ ପରିସୀମାରେ ରାମଲିଙ୍ଗ ବନ୍ଧ, ବିଜୁ ପଟ୍ଟନାୟକ ପାର୍କ ପରକୁ ରକ ଗାର୍ଡେନ ତୃତୀୟ ଆକର୍ଷଣ । ସହରର ଉତ୍ତର-ଉପକଣ୍ଠ ଆମ୍ୱପୁଆ ୪୦ ନମ୍ୱର ୱାର୍ଡରେ ନଅ ଏକର ସରକାରୀ ଜମିରେ ରକ ଗାର୍ଡେନ ନିର୍ମିତ ହୋଇଛି । ଏହା ଏକ ପାର୍କ-ସାର୍ବଜନୀନ ମିଳନ ସ୍ଥଳୀ – ମ୍ୟୁଜିୟମର ସମିଶ୍ରଣଏଠାରେ ସୌଖୀନ ବୃକ୍ଷଲତା, ପାଦ ଚଲା ରାସ୍ତା, ବାଇସାଇକଲ ଟ୍ରାକ, କୃତ୍ରିମ ଝରଣା, ପଥର କାରୁକାର୍ଯ୍ୟ, ବିଜ୍ଞାନ ପ୍ରଦର୍ଶନୀ ସାଇନ୍ସ ଗ୍ୟାଲେରି, କୁହୁକ ଆଇନା ମିରର ଇମେଜ, ମୁକ୍ତ ମଞ୍ଚ ଆମ୍ପି-ଥିଏଟର ଓ ଜଳଖିଆ ବଜାର ଫୁଡ଼ କୋର୍ଟ ବ୍ୟବସ୍ଥା ରହିବ । ପ୍ରତ୍ୟେହ ନିର୍ଦ୍ଧାରିତ ସମୟ ସୀମାରେ ଖୋଲିବ ଏବଂ ଦର୍ଶକମାନେ ଦେୟ ଦେଇ ରକ ଗାର୍ଡେନ ମଧ୍ୟକୁ ପ୍ରବେଶ କରିବେ ।

 

ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ବିଡ଼ିଏ ପକ୍ଷରୁ ବ୍ରହ୍ମପୁର ରକ ଗାର୍ଡେନ ନିର୍ମାଣ ଯୋଜନା ୨୦୧୫ରେ ଘୋଷିତ ହୋଇଥିଲା । ଭାରତରେ ଚଣ୍ଡିଗଡ଼ ରକ ଗାର୍ଡେନ ପ୍ରସିଦ୍ଧ । ତେବେ ବ୍ରହ୍ମପୁର ରକ ଗାର୍ଡେନ ପରିକଳ୍ପନା ଚଣ୍ଡିଗଡ଼ ଉଦାହରଣରୁ ଭିନ୍ନ । ଚଣ୍ଡିଗଡ଼ ରକ ଗାର୍ଡେନ ଓ କୋଲକତାର ସାଇନ୍ସ ସିଟିର ସମିଶ୍ରଣରେ କିଛି ସ୍ୱତନ୍ତ୍ର ବିଭବ ଯୋଗ କରି ନିର୍ମାଣ କରାଯାଇଥିବା ଅନୁଭୂତ ହୁଏ । ବ୍ରହ୍ମପୁର ରକ ଗାର୍ଡେନର ବିସ୍ତୃତ ବିବରଣୀ ଡ଼ିଟେଲ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତି ନିମନ୍ତେ ଚାରି ବର୍ଷ ଲାଗି ଯାଇଥିଲା । ଏହାର ନିର୍ମାଣ କାର୍ଯ୍ୟ ୨୦୧୯ରେ ଆରମ୍ଭ ହୋଇ ୨୦୨୧ରେ ସଂପୂର୍ଣ୍ଣ ହେବା ଲକ୍ଷ୍ୟ ରଖାଯାଇଥିଲେ ସୁଦ୍ଧା ୨୦୨୦ ଓ ୨୦୨୧ରେ କରୋନା-ଭୂତାଣୁ-ଜନିତ ଜନପଦ ବନ୍ଦ କାରଣରୁ ନିର୍ମାଣ କାର୍ଯ୍ୟ ଧିମେଇ ଯାଇ ୨୦୨୩ ମଧ୍ୟ ଭାଗ ସୁଦ୍ଧା ସଂପୃର୍ଣ୍ଣ ହେଲା । ମୁଖ୍ୟମନ୍ତ୍ରୀ ୨୦୨୩ ମାର୍ଚ୍ଚ ୨୬ ତାରିଖରେ ଛତ୍ରପୁରଠାରେ ଆୟୋଜିତ ଏକ ସଭାରେ ବ୍ରହ୍ମପୁର ରକ ଗାର୍ଡେନ ଉଦଘାଟନ ଘୋଷଣା କରିଥିଲେ, କିନ୍ତୁ ଅଧାପନ୍ତରିଆ କେତେକ କାମ ସାରି ଦର୍ଶକଙ୍କୁ ପାର୍କରେ ପ୍ରବେଶ ନିମନ୍ତେ ଅଧିକ କିଛି ଦିନ ଅପେକ୍ଷା କରିବାକୁ ପଡ଼ିଥିଲା । ଏହି ପ୍ରକଳ୍ପ ନିର୍ମାଣ ନିମନ୍ତେ ୮ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା । କିନ୍ତୁ ଖର୍ଚ୍ଚ ୧୪ କୋଟି ଯାଏଁ ବୃଦ୍ଧି ପାଇଥିବା କୁହାଯାଉଛି । ଏଠାରେ ସ୍ଥାପିତ କେତେକ ସାମଗ୍ରୀ ଜର୍ମାନୀ ଓ ମାଲେସିଆରୁ ଆମଦାନୀ ହୋଇଥିବା ପ୍ରକାଶ ।

 

ବ୍ରହ୍ମପୁର ରକ ଗାଡ଼େନ ଏକ ଅଭିନବ ପ୍ରକଳ୍ପ, ଏଥିରେ ସନ୍ଦେହ ନାହିଁ । ଆଧୁନିକ ଜନଜୀବନରେ ଚିତ୍ତ-ବିନୋଦନକୁ ପ୍ରାଧାନ୍ୟ ଦିଆଯାଉଛି ଏବଂ ଏଦିଗରେ ଏକ ନୂତନ ସୁଯୋଗ ସୃଷ୍ଟି ଅଭିନନ୍ଦନୀୟ । ଏକ କୌତୁହଳ ଉଦ୍ଦୀପକ ବିଷୟ ଏହି ଯେ ଚଣ୍ଡିଗଡ଼ର ରକ ଗାର୍ଡେନ ସହ ବ୍ରହ୍ମପୁର ରକ ଗାର୍ଡେନର ଖୁବ କମ ସାମଞ୍ଜସ୍ୟ ରହିଛି । ଚଣ୍ଡିଗଡ଼ ରକ ଗାର୍ଡେନ ନେକ ଚାନ୍ଦ ସିଆନୀ ନାମକ ଜଣେ ସୌଖୀନ ସ୍ଥପତିଙ୍କ ଦ୍ୱାରା ୧୯୫୭ରେ ୪୦ ଏକର ପରିମିତ ହ୍ରଦ-ସମୀପ ଜଙ୍ଗଲରେ ବ୍ୟକ୍ତିଗତ ଉଦ୍ୟମରେ ଆରମ୍ଭ ହୋଇଥିଲା । ନେକ ଚାନ୍ଦ ସ୍ଥାନୀୟ ପୂର୍ତ୍ତ ବିଭାଗରେ ରୋଡ ଇନିସପେକ୍ଟର ପଦବୀରେ ନିଯୁକ୍ତ ଥିଲେ । ସେ ଚ଼ଣ୍ଡିଗଡ଼ ସହରରୁ ଗୃହନିର୍ମାଣ ବର୍ଜ୍ୟବସ୍ତୁ ସଂଗ୍ରହ କରି ବିଭିନ୍ନ ମୂର୍ତ୍ତୀ ନିର୍ମାଣ କରି ଜଙ୍ଗଲିଆ ଅଞ୍ଚଳରେ ସ୍ଥାପନ କରିବା ଆରମ୍ଭ କରିଥିଲେ । ନେକ ଚାନ୍ଦ ନିଜ କାର୍ଯ୍ୟକୁ ସଂପୂର୍ଣ୍ଣ ଗୋପନ ରଖୁଥିଲେ । ଦିନ ବେଳା ସହରର ଇଟା, ପଥର, କାଚ଼, ସିରାମିକ, ପ୍ଳାଷ୍ଟିକ, ରବର ଭଳି ବର୍ଜ୍ୟବସ୍ତୁ ଚ଼ିହ୍ନଟ କରି ରାତାରାତି ସଂଗ୍ରହ କରି ଭାସ୍କର୍ଯ୍ୟ ଗଢୁଥିଲେ । ଚଣ୍ଡିଗଡ଼ ଉପକଣ୍ଠ ସୁଖାନା ହ୍ରଦ ତୀରରେ ସରକାରୀ ଜଙ୍ଗଲ ଜମିରେ ନେକ ଚାନ୍ଦ ୨୦ ବର୍ଷ ଧରି କ୍ରମାଗତ କଳାକୃତି ସ୍ଥାପନ କରିଆସୁଥିଲେ ହେଁ କେହି କିଛି ଜାଣିପାରିନଥିଲେ । ପ୍ରାୟ ଦୁଇ ହଜାର ଭାସ୍କର୍ଯ୍ୟ ପ୍ରତିଷ୍ଠିତ ହେବା ପରେ ଏହା ଲୋକଲୋଚନକୁ ଆସିଥିଲା । ସରକାରୀ ବାବୁମାନେ ରକ ଗାର୍ଡେନକୁ ଅନଧିକାର ଅଧିଗ୍ରହଣ ଆଖ୍ୟା ଦେଇ ଉଚ୍ଛେଦ କରିବାକୁ ଉଦ୍ୟମ କଲେ । ତେବେ ସ୍ଥାନୀୟ ଜନସାଧାରଣ ଅତୀବ ମନୋରମ ରକ ଗାର୍ଡେନ ଉଚ୍ଛେଦର ପ୍ରତିବାଦ କଲେ । ଶେଷରେ ସରକାର ଚଣ୍ଡିଗଡ଼ ରକ ଗାର୍ଡେନର ତତ୍ତ୍ୱାବଧାନ ଭାର ଗ୍ରହଣ କଲେ । ସରକାରଙ୍କ ପକ୍ଷରୁ ନେକ ଚାନ୍ଦଙ୍କୁ ସ୍ଥପତି ରୂପେ ନିଯୁକ୍ତ କରାଯାଇ ୫୦ ଜଣ ଶ୍ରମିକଙ୍କ ଜରିଆରେ ପାର୍କଟିକୁ ପୂର୍ଣ୍ଣାଙ୍ଗ କରିବା ଉଦ୍ୟମ ହୋଇଥିଲା । ନେକ ଚାନ୍ଦଙ୍କ କଳ୍ପନା-ପ୍ରସୂତ ସୃଜନ ପାର୍କଟିର ବୈଶିଷ୍ଟ୍ୟ । ଚଣ୍ଡିଗଡ଼ ରକ ଗାର୍ଡେନ ୧୯୭୬ରେ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ କରାଯାଇଥିଲା । ବର୍ତ୍ତମାନ ପ୍ରତ୍ୟେହ ପ୍ରାୟ ପାଞ୍ଚ ହଜାର ଦର୍ଶକ ଉପଭୋଗ କରିଥାନ୍ତି । ସେଠାକାର ରକ ଗାର୍ଡନରେ ନେକ ଚାନ୍ଦଙ୍କ ମୌଳିକ ସୃଜନ ଆନ୍ତର୍ଜାତିକସ୍ତରରେ ସ୍ୱୀକୃତି ଲାଭ କରିଛି । ନେକ ଚାନ୍ଦଙ୍କୁ ୧୯୮୪ରେ ପଦ୍ମଶ୍ରୀ ଉପାଧିରେ ଭୂଷିତ କରାଯାଇଥିଲା ଏବଂ ୨୦୧୫ରେ ସେ ଚଣ୍ଡିଗଡ଼ରେ ମୃତ୍ୟୁ ବରଣ କରିଥିଲେ । ଚଣ୍ଡିଗଡ ରକ ଗାର୍ଡେନ ଯେ ବ୍ରହ୍ମପୁର ରକ ଗାର୍ଡେନ ନିର୍ମାଣ ନିମନ୍ତେ ପ୍ରେରଣା ଯୋଗାଇଛି, ସେଥିରେ ଦ୍ୱିମତ ନାହିଁ ।



Photo from BeDA Brahmapur Official Website


Friday, August 18, 2023

Highway Robbery / ରାଜପଥ ରାହାଜାନି

 

#ବ୍ରହ୍ମପୁର ସହର ସହ ଭୁବନେଶ୍ୱର, କୋଲକତା ସଂଯୋଗ କରୁଥିବା ୧୬ ନମ୍ୱର ଜାତୀୟ ରାଜପଥରେ ରାହାଜାନିର ଉଦାହରଣ ଏକ ଉଲ୍ଲେଖଯୋଗ୍ୟ ସମ୍ୱାଦ । ଭାଷାକୋଷରେ ରାହାଜାନିକୁ ପ୍ରକାଶ୍ୟ ରାସ୍ତାରେ ଡ଼କାୟତି ବର୍ଣ୍ଣନା କରାଯାଇଥାଏଦେଶରେ ୭୭ତମ ସ୍ୱାଧୀନତା ଦିବସ ପାଳନ ପୂର୍ବଦିନ ୧୪ ଅଗଷ୍ଟ ୨୦୨୩ ସ୍ପଷ୍ଟ ଦିବାଲୋକରେ ଜାତୀୟ ରାଜପଥରେ ଏକ ମଟରଗାଡ଼ି ଅଟକାଇ ଡ଼କାୟତି ଘଟିଥିଲା । ଘଟଣାସ୍ଥଳ ବ୍ରହ୍ମପୁର ଓ ଛତ୍ରପୁର ସଂଲଗ୍ନ ଗଞ୍ଜାମ ଥାନା ଅନ୍ତର୍ଗତ ତେଲୁଗୁ ନୂଆଗାଁ ।
 
ବିବରଣୀରୁ ପ୍ରକାଶ ଯେ ତାମିଲନାଡୁ ବାସିନ୍ଦା ତିନିଜଣ ଯୁବକ ଏକ କାରରେ ପୁରୀ ପର୍ଯ୍ୟଟନରେ ଯାଉଥିଲେ । ଗଞ୍ଜାମ ସହର ଉପାନ୍ତରେ ଏକ ଢ଼ାବାରେ ମଧ୍ୟାହ୍ନ ଭୋଜନ ସାରି ୧୬ ନମ୍ୱର ରାଜପଥରେ ଗନ୍ତବ୍ୟ ପଥରେ ଅଗ୍ରସର ହେଉଥିବା ବେଳେ ଅଷ୍ଟମ ବାଟାଲିଆନ ଛକ ଓ ସନ୍ତୋଷୀ ମାଁ ମନ୍ଦିର ନିକଟରେ ଦୁଇଜଣ ଦୁର୍ବୃତ୍ତ ଏକ ମଟର ସାଇକଲ ଯୋଗେ ଆସି ଚଳନ୍ତା କାର ସମ୍ମୁଖରେ ଅଟକାଇ ଲିଫଟ ମାଗିଥିଲେ । କାର ଅଟକିବା ପରେ ପଛପଟୁ ଅନ୍ୟ ଏକ କାରରେ ଆଉ ତିନିଜଣ ଦୁର୍ବୃତ୍ତ ଘଟଣାସ୍ଥଳରେ ପହଞ୍ଚି ତାମିଲ ପର୍ଯ୍ୟଟକଙ୍କୁ ହତ୍ୟା ଧମକ ଦେଇ ୫୦ ହଜାର ଟଙ୍କା ସହ କାରର ଚାବି ନେଇ ଚମ୍ପଟ ମାରିଥିଲେ । ଗଲାବେଳେ ମଟର ସାଇକଲଟି ଛାଡ଼ି ଚାଲିଯାଇଥିଲେ ।
 
ଖବର ପାଇ ଗଞ୍ଜାମ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ତଦନ୍ତ ଆରମ୍ଭ କରିଥିବା ପ୍ରକାଶ । ପ୍ରାଥମିକ ଭାବେ ଡ଼କାୟତିଟି ଏକ ସୁପରିକଳ୍ପିତ ଯୋଜନା ଏବଂ ଡ଼କାୟତ ଗ୍ୟାଙ୍ଗର କାର୍ଯ୍ୟ ଅନୁମାନ କରାଯାଇଥିଲା । ବାଇକ ଓ କାର ଉପଯୋଗରେ ରାଜପଥରେ ଚଳାଚଳ କରୁଥିବା ଯାନବାହାନ ଅଟକାଇ ଅର୍ଥ ଓ ମୂଲ୍ୟବାନ ସାମଗ୍ରୀ ଝାମ୍ପି ନେବା ପଛରେ ପେଷାଦାର ଡ଼କାୟତଙ୍କ ସଂପୃକ୍ତି ସୂଚ଼ିତ କରିଥାଏ । ଘଟଣାଟି ଗଞ୍ଜାମ, ଛତ୍ରପୁର ଓ ରମ୍ଭା ଥାନା ଅଞ୍ଚଳରେ ଜନସାଧାରଣରେ ଆଲୋଚ଼ନାର ବିଷୟବସ୍ତୁ ପାଲଟିଥିଲା । ସ୍ଥାନୀୟ ବାସିନ୍ଦା ଦୈନନ୍ଦିନ ଚଳପ୍ରଚଳ ନିମନ୍ତେ ଜାତୀୟ ରାଜପଥ ଉପରେ ନିର୍ଭରଶୀଳ ଥିବା ଅବସରରେ ବିଳମ୍ୱିତ ମଧ୍ୟାହ୍ନରେ ଗହଳଚହଳ ଲାଗି ରହିଥିବା ରାସ୍ତାରେ ଡ଼କାୟତିକୁ ସହଜରେ ଗ୍ରହଣ କରିପାରିନଥିଲେ ।
 
ତେଲୁଗୁ ନୂଆଗାଁ ରାହାଜାନି ଘଟଣା ବିଶ୍ଳେଷଣରେ କେତେଗୋଟି ଦିଗ ଚର୍ଚ୍ଚାର ପରିସରକୁ ଆସିଥାଏ । ପ୍ରଥମତଃ, ଡ଼କାୟତି ଶୀକାର ହୋଇଥିବା କାରର ଯାତ୍ରୀମାନେ ଢାବାରେ ମଧ୍ୟାହ୍ନ ଭୋଜନ କରିବା ଅବସରରେ ଡ଼କାୟତମାନେ ସେମାନଙ୍କ ଗତିବିଧି ନିରୀକ୍ଷଣ କରିଥିବା ସନ୍ଦେହ କରାଯାଇପାରେ । ଦ୍ୱିତୀୟତଃ, ଡ଼କାୟତମାନେ ହୁଏତ ଜାଣି ପାରିଥିବେ ଯେ ଟାର୍ଗେଟ କରାଯାଉଥିବା ଯାତ୍ରୀ ବାହାର ରାଜ୍ୟର ବାସିନ୍ଦା । ତେଣୁ ଅନ୍ୟତ୍ର ସେମାନେ ସ୍ୱାଭାବିକ ଭାବେ ବିଭିନ୍ନ ଦିଗରୁ ଦୁର୍ବଳ । ତୃତୀୟତଃ, ଯାତ୍ରୀମାନଙ୍କଠାରୁ ମୋବାଇଲ ଫୋନ ଲୁଟି ନଥିଲେ । ମୋବାଇଲ ଫୋନକୁ ଟ୍ରାକ କରି ଚୋର ପାଖେ ପହଞ୍ଚିବାରେ ପୋଲିସର ଦକ୍ଷତା ସଂପର୍କରେ ସେମାନେ ପୂର୍ଣ୍ଣ ଅବଗତ ଥିବା ବିଶ୍ୱାସ କରାଯାଇପାରେ । ଚ଼ତୁର୍ଥତଃ, ଡ଼କାୟତି ପରେ କାରର ଚାବି ନେଇ ଚମ୍ପଟ ମାରିବାର ପ୍ରଧାନ କାରଣ ସେମାନଙ୍କୁ ପିଛା କରିବାକୁ ଏଡ଼ାଇଯିବା । ପଞ୍ଚମତଃ, କାରଟି ଯାତ୍ରୀମାନଙ୍କ ମଧ୍ୟରୁ ଜଣେ ଚଳାଉଥିବା ହେତୁ ଏଥିରେ କାର ଡ୍ରାଇଭର ଭଳି ତୃତୀୟପକ୍ଷର ସଂପୃକ୍ତି ନଥାଇପାରେ । ପୋଲିସ ଘଟଣାସ୍ଥଳରୁ ଜବତ କରିଥିବା ଦୁର୍ବୃତ୍ତମାନେ ଛାଡ଼ି ଯାଇଥିବା ମଟର ସାଇକଲ ଏବଂ ମଧ୍ୟାହ୍ନ ଭୋଜନ କରିଥିବା ଢାବାରେ ଅନୁସନ୍ଧାନ କରି କିଛି ସୂତ୍ର ହାସଲ କରିପାରନ୍ତି ।
 
ସମସାମୟିକ ଅପରାଧ ଡ଼ାଏରୀରେ ୧୪ ଅଗଷ୍ଟ ଗଞ୍ଜାମ ରାଜପଥ ରାହାଜାନି ଏକ ପୃଷ୍ଠା ରୂପେ ପରିଗଣିତ ହେଲେହେଁ ବ୍ରହ୍ମପୁରବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଉଦାହରଣରୂପେ ଗ୍ରହଣ କରାଯାଇପାରେ । ସାଧାରଣ ହିସାବରେ ବ୍ରହ୍ମପୁରରୁ ପ୍ରତିଦିନ ଅନ୍ୟୂନ ଶହେରୁ ଦେଢ଼ ଶହ ସରକାରୀ ଓ ବେସରକାରୀ ଗାଡ଼ି ଏବଂ ଶହେରୁ ଦେଢ଼ ଶହ ଟ୍ୟାକ୍ସି ଯୋଗେ ସହର ବାସିନ୍ଦା ୧୬ ନମ୍ୱର ଜାତୀୟ ରାଜପଥ ଦେଇ ଭୁବନେଶ୍ୱର ଯାଇଥାନ୍ତି ଓ ଆସିଥାନ୍ତି । ୱାନ-ୱେ ଟାକ୍ସି ଫେୟାର ସିଷ୍ଟମ ଲୋକପ୍ରିୟ ହେବା ପରେ ବିମାନଯାତ୍ରୀଙ୍କ ସଂଖ୍ୟା ସର୍ବାଧିକ । ଏହି ପାଞ୍ଚରୁ ଛଅ ଶହ କାର ଭଳି ଛୋଟ ଯାନବାହାନରେ ଯାତ୍ରାକୁ ରାହାଜାନି ଭଳି ଅପରାଧ ବିପଦସଂକୁଳ ଗଢ଼ି ତୋଳୁଛିଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ସାଙ୍ଗକୁ ଏଣିକି ରାହାଜାନି ଭୟ ଯୋଡ଼ି ହୋଇଛି । ପୋଲିସ ପକ୍ଷରୁ ପେଟ୍ରୋଲିଂ ଓ କ୍ଳୋଜ-ସର୍କିଟ-କ୍ୟାମରା ସ୍ଥାପନ ପ୍ରତିଷେଧାତ୍ମକ ବ୍ୟବସ୍ଥା ରୂପେ ଗ୍ରହଣ କରାଗଲେ ସୁଦ୍ଧା ଅପରାଧକୁ ଏଡ଼ାଇ ଦେବା ଏତେଟା ସହଜ ନୁହ । ଏହି ଦିଗରେ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ସହାୟତା ନେବା ଆବଶ୍ୟକ ମନେହୁଏ । ଆଲୋଚ଼୍ୟ ଘଟଣାରେ ଯଦି ତିନି ଜଣ ଯୁବକ ଡ଼କାୟତିରେ କିଛି କରିପାରିଲେ ନାହିଁ, ତେବେ ବରିଷ୍ଠ ନାଗରିକ, ମହିଳା ବା ଏକାକୀ ଯାତ୍ରୀର ଅସହାୟତା ସହଜରେ ଅନୁମେୟ !

Photo by Darpan on Unsplash 


Friday, August 11, 2023

On City Sanitation / ସଫେଇ ଚ଼ିନ୍ତା

 

#ବ୍ରହ୍ମପୁର ସହରରୁ ଆବର୍ଜନା ନିଷ୍କାସନରେ ବିଫଳତାର ବିଭିନ୍ନ କାରଣ ମଧ୍ୟରେ ସହର ମଧ୍ୟସ୍ଥଳୀରେ ଜନାକୀର୍ଣ୍ଣ ଧାଡ଼ି ସାହିଗୁଡ଼ିକ ପଛପଟ ଗଳି ରାସ୍ତା ସ୍କାଭେଞ୍ଜର୍ସ ଲେନଏବଂ ନୂତନ ଭାବେ ଗଢ଼ିଉଠୁଥିବା ସହରତଳି ଅଞ୍ଚଳରେ ଘର ଡ଼ିହ ବା ଗୃହନିର୍ମାଣ ହୋଇନଥିବା ଖୋଲା ସ୍ଥାନ ସଫେଇରେ ଅବହେଳା ଦୁଇ ମୁଖ୍ୟ ପ୍ରତିବନ୍ଧକ ।
 
ସାହି ପଛପଟ ଗଳି ରାସ୍ତାଗୁଡ଼ିକରେ ବିଗତ ଚାରି ଦଶକରୁ ପର୍ଯ୍ୟାୟକ୍ରମେ ପୌରପାଳିକାର ସଫେଇ କାର୍ଯ୍ୟକ୍ରମ ହଟାଇ ଦିଆଯାଇଛି । ବ୍ରହ୍ମପୁର ସହର ଗଢ଼ି ଉଠୁଥିବା ସମୟରେ ବାସଗୃହଗୁଡ଼ିକରେ ଉଠା ପାଇଖାନା ବ୍ୟବସ୍ଥା ରହିଥିଲା । ମଇଳା ବୋହିନେବା ନିମନ୍ତେ ଧାଡ଼ି ସାହି ପଛପଟ ଗଳି ରାସ୍ତାର ବ୍ୟବହାର ହେଉଥିଲା । ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ଉଠା ପାଇଖାନା ବ୍ୟବସ୍ଥା ବନ୍ଦ ହୋଇ ଜଳମୁଦ ସେପଟିକ ପାଇଖାନା ନିର୍ମିତ ହେଲା । ଫଳରେ ଗଳି ରାସ୍ତାର ଅତ୍ୟାବଶ୍ୟକୀୟ ବ୍ୟବହାର ବନ୍ଦ ହୋଇଗଲା ସତ, କିନ୍ତୁ ପୁରୁଣା ବ୍ରହ୍ମପୁରର ଧାଡ଼ି ସାହିଗୁଡ଼ିକ ପଛଗଳି ରାସ୍ତା ବହୁ କିଲୋମିଟର ବ୍ୟାପୀ ରହିଛି ।
 
ପୌରପାଳିକା ପକ୍ଷରୁ ସାହିଗୁଡ଼ିକର ସମ୍ମୁଖ ଭାଗ ରାସ୍ତା ଭଳି ପଛପଟ ରାସ୍ତାଗୁଡ଼ିକର ମଧ୍ୟ ସଫେଇ ନିମନ୍ତେ ନିୟମିତ କର୍ମଚାରୀ ନିଯୁକ୍ତି ହେଉଥିଲେ । ଗଳିରାସ୍ତାର ସଫେଇରେ ଅନିୟମିତତା ଦେଖାଦେଲେ ସାହିବାସୀ ସଫେଇ କ୍ଷେତ୍ର ପରିଦର୍ଶକ ସାନିଟାରୀ ସୁପରିଭାଇଜରଙ୍କ ଅଭିଯୋଗ ପୁସ୍ତିକାରେ ଟିପ୍ପଣୀ ଲେଖୁଥିଲେ । ଗତ ଶତାଦ୍ଦୀର ଅଷ୍ଟମ ଦଶକରୁ ଏହି ବ୍ୟବସ୍ଥା କ୍ରମଶଃ ପୌରପାଳିକା ହଟାଇ ଦେଲେ । ନା ଧାଡ଼ି ସାହିଗୁଡ଼ିକର ଗଳି ରାସ୍ତା ସଫେଇ ନିମନ୍ତେ ନିୟମିତ କର୍ମଚାରୀ ନିଯୁକ୍ତ ହେଲେ, ନା ସଫେଇ ହେଲା, ନା ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଦାଖଲ ନିମନ୍ତେ ସୁବିଧାଜନକ ବାଟ ରହିଲା ।
 
ନବମ ଦଶକରେ ଅଧିକାଂଶ ସାହିରେ ପଛପଟ ଗଳି ରାସ୍ତାରେ ଦୁଇ ପାର୍ଶ୍ୱରେ ନିର୍ମିତ ଅଣଓସାରିଆ ନର୍ଦ୍ଦମା ରକ୍ଷଣାବେକ୍ଷଣ ପରିବର୍ତ୍ତେ ସେଗୁଡ଼ିକୁ ଭାଙ୍ଗି ଦେଇ ମଝି ରାସ୍ତାରେ ଅପେକ୍ଷାକୃତ ବଡ଼ କଂକ୍ରିଟ ନର୍ଦ୍ଦମା ଗଢ଼ିବା ଆରମ୍ଭ କଲେ । ଫଳରେ ଧାଡ଼ି ସାହି ପଛପଟ ରାସ୍ତା ଦେଇ ଯିବା ଆସିବା ସଂଭବ ହେଲାନାହିଁ । ପୂର୍ବରୁ ତ ସଫେଇ କର୍ମଚାରୀ ନିଯୁକ୍ତି ଓ ନିୟମିତ ସଫେଇ ବନ୍ଦ ହୋଇଯାଇଥିଲା । ଏଣିକି ଘରର ଯାବତୀୟ ଆବର୍ଜନା ସ୍ଥାନୀୟ ବାସିନ୍ଦା ପଛପଟ ଗଳି ରାସ୍ତାରେ ଗଦେଇବା ଆରମ୍ଭ କଲେ ।
 
ଗଳିରାସ୍ତାଗୁଡ଼ିକ ଆବର୍ଜନାପୂର୍ଣ୍ଣ ଅବସ୍ଥାରେ ପହଞ୍ଚିବା ପରେ ବର୍ଷରେ ଦୁଇ ଚାରିଥର ସ୍ୱତନ୍ତ୍ର ଅଭିଯାନରେ ଚାରି ଛଅ ଜଣ ଲେଖା ସଫେଇ କର୍ମଚାରୀଙ୍କୁ ନିୟୋଜିତ କରି ସଫେଇ ବ୍ୟବସ୍ଥା କରାଯାଉଥିଲା । ତାହା କୋଭିଡ଼-୧୯ ମହାମାରୀ ସମୟରୁ ବନ୍ଦ ରହିଲା । ଏକ ପକ୍ଷରେ ମହାମାରୀଜନିତ ଜରୁରୀ ପରିସ୍ଥିତି ହେତୁ ସରକାରୀ କାର୍ଯ୍ୟକଳାପ ସଂପର୍କରେ ସାର୍ବଜନୀନ ଆଲୋଚ଼ନା ବନ୍ଦ ରହିଲା, ସେଥିରେ ସହରର ସଫେଇ କାର୍ଯ୍ୟ ସମୀକ୍ଷା ମଧ୍ୟ ଅନ୍ତର୍ଭୁକ୍ତ ହେଲା । ପୌର କର୍ମଚାରୀ କୋଭିଡ଼ ଲକ-ଡ଼ାଉନ ସଫଳ କରିବା କାମରେ ଲାଗିପଡ଼ିଲେ । ସଫେଇ କାମ ସ୍ୱୟଂକ୍ରିୟ ଆଟୋ-ପାଇଲଟ ମୋଡ଼କୁ ଆସିଗଲା । ଦୁଃଖର କଥା ସଫେଇ କାର୍ଯ୍ୟକ୍ରମ ଏଯାଏଁ ଚଳଚଞ୍ଚଳ ହୋଇପାରିନାହିଁ ।
 
ଅପରପକ୍ଷେ ଅତୀତରେ ପୌରପାଳିକା ପକ୍ଷରୁ ସଫେଇ କର୍ମଚାରୀ ନିଯୁକ୍ତ ହେଉଥିବା ହେତୁ ସ୍ଥାନୀୟ କ୍ଷେତ୍ର ପରିଦର୍ଶକମାନେ ଆବଶ୍ୟକମତେ ଅନ୍ତତଃ ସାଂଧ୍ୟ ହାଜିରାରେ ସଫେଇ କର୍ମଚାରୀଙ୍କୁ ଏକତ୍ରୀତ କରି ପର୍ଯ୍ୟାୟକ୍ରମେ ନିର୍ଦ୍ଦିଷ୍ଟ ଅଞ୍ଚଳ ସଫା କରିପାରୁଥିଲେ । ବହୁ ୱାର୍ଡର ସଫେଇ କାମ ଘରୋଇକରଣ ହେବାପରେ ଚୁକ୍ତି ବର୍ହିଭୂତ ସଫେଇ କାମ ତଳୁଆସ୍ତରରେ ଆୟୋଜନ ସଂଭବ ହୋଇପାରୁ ନାହିଁ । ଏଥିପାଇଁ ପ୍ରଶାସନିକ ନିଷ୍ପତ୍ତି, ଆର୍ଥିକ ଅନୁମୋଦନ ନାନାଦି ଅମଳାତାନ୍ତ୍ରିକ କାଇଦା କଟକଣା ପ୍ରତିବନ୍ଧକ ସାଜିଛି ।
 
ସହରର ପ୍ରାୟ ସମସ୍ତ ଜନାକୀର୍ଣ୍ଣ ଅଞ୍ଚଳରେ ଅନ୍ତତଃପକ୍ଷେ ମୌସୁମୀ ବର୍ଷା ଆରମ୍ଭରୁ ଧାଡ଼ି ସାହି ପଛପଟ ଗଳି ରାସ୍ତାଗୁଡ଼ିକ ସଫା ହେଉଥିଲା ଏବଂ ଖୋଲା ନର୍ଦ୍ଦମାରୁ ମାଟି ଉଠାଯାଉଥିଲା । ମହାମାରୀ ସମୟରୁ ସେହି କାର୍ଯ୍ୟ ବନ୍ଦ ହୋଇଯାଇଛି । ଘଞ୍ଚ ଜନବସତିରେ ଆବର୍ଜନା ପଡ଼ିରହିବା କାରଣରୁ ଜୁଲାଇ ମାସରୁ ମଶା ଉପଦ୍ରବ ଆରମ୍ଭ ହୋଇଯାଇଛି । ଗଞ୍ଜାମର ଦୁଇ ପଡ଼ୋଶୀ ଜିଲ୍ଲା ଗଜପତି ଓ ଖୋର୍ଦ୍ଦାରେ ମଶାବାହିତ ଡ଼େଙ୍ଗୁ ଜ୍ୱରର ପ୍ରଭାବ ସେଠାକାର ଜନଜୀବନକୁ ବ୍ୟଥିତ କରୁଥିବା ସ୍ଥଳେ ବ୍ରହ୍ମପୁର ପୌରପାଳିକାଙ୍କ ପକ୍ଷରୁ ସମୁଚ଼ିତ ପଦକ୍ଷେପ ଜରୁରି ମନେ କରାଯାଏ ।
 
ସହରର ନିର୍ଦ୍ଦିଷ୍ଟ କେଉଁ ସ୍ଥାନଗୁଡ଼ିକରେ ଆବର୍ଜନା ପଡ଼ି ରହିଛି ତାହାର ଏକ ତାଲିକା ପ୍ରସ୍ତୁତ କରାଯାଇ ସମୟଭିତ୍ତିକ ଧାରାରେ ସେଗୁଡ଼ିକ କିପରି ନିଷ୍କାସନ କରାଯାଇପାରିବ ଲକ୍ଷ୍ୟବଦ୍ଧ ଯୋଜନା କଲେ ସୁଫଳ ମିଳିବ । ସ୍ଥାନୀୟ ଜନସାଧାରଣଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବା ନିମନ୍ତେ ପୌରପାଳିକା ଯଦି ସୋସିଆଲ ମିଡ଼ିଆ ମାଧ୍ୟମରେ ଅଭିଯୋଗ ଆହ୍ୱାନ କରିବେ, ତେବେ ସହରର ସ୍ୱଚ୍ଛଚ଼ିତ୍ର ସପ୍ତାହକ ମଧ୍ୟରେ ଏକତ୍ରୀତ ହୋଇପାରିବ । ଘଞ୍ଚ ଜନବସତିରେ ଅବସ୍ଥିତ ବିଚ୍ଛୁରିତ ଗଳି ରାସ୍ତାଗୁଡ଼ିକର ନିୟମିତ ସଫେଇକୁ ବାଦ ଦେଇ ସହରର ପରିମଳ ସଂଭବପର ନୁହ ।

Friday, August 4, 2023

Eye Donation / ଚ଼କ୍ଷୁଦାନ

 

ଓଡ଼ିଶା ରାଜ୍ୟସ୍ତରରେ ମୃତ୍ୟୁ ପରେ ଚ଼କ୍ଷୁଦାନ ସଂଗ୍ରହ କ୍ଷେତ୍ରରେ #ବ୍ରହ୍ମପୁର ଆଗୁଆ ରହୁଥିବା ଉଲ୍ଲେଖନୀୟ ଘଟଣାକ୍ରମ । ସହରର ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ, ଭାସବୀ କ୍ଳବ, ମାରୱାଡ଼ି ଯୁବ ମଞ୍ଚ ଭଳି କେତେକ ସ୍ୱେଚ୍ଛାସେବୀ ସଂଗଠନର ଉଦ୍ୟମରେ ବାର୍ଷିକ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ମୃତ୍ୟୁପର ଚ଼କ୍ଷୁଦାନ ଆୟୋଜନ ସଂଭବ ହୋଇପାରୁଛି । ସ୍ଥାନୀୟ ମେଡ଼ିକାଲ କଲେଜର ବରିଷ୍ଠ ଅଧ୍ୟାପକଙ୍କ ତତ୍ୱାବଧାନରେ ଅଧ୍ୟୟନରତ ଚକ୍ଷୁ ବିଭାଗର ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ସହାୟତାରେ ମୃତ ଶରୀରରୁ ଅସ୍ତ୍ରୋପଚାର ମାଧ୍ୟମରେ ଚକ୍ଷୁ ସଂଗ୍ରହ କରାଯାଇ ଚକ୍ଷୁ ବ୍ୟାଙ୍କରେ ଗଚ୍ଛିତ ରଖାଯାଏ । ତୃଟିପୂର୍ଣ୍ଣ କାର୍ଣ୍ଣିଆ କାରଣରୁ ଦୃଷ୍ଟିବାଧିତଙ୍କ ଠାରେ ୭୨ ଘଣ୍ଟା ମଧ୍ୟରେ ତାହା ପ୍ରତ୍ୟାରୋପଣ କରାଯାଇଥାଏ । ଜଣେ ମୃତକଙ୍କଠାରୁ ଦୁଇଗୋଟି ଚକ୍ଷୁ ସଂଗୃହୀତ ହେଉଥିବା ସ୍ଥଳେ ତାହା ଦ୍ୱାରା ଦୁଇ ଜଣ ଦୃଷ୍ଟିବାଧିତ ଉପକୃତ ହୋଇଥାନ୍ତି ।
 
ଭାରତରେ ଏକ କୋଟି କୋଡ଼ିଏ ଲକ୍ଷ ଦୃଷ୍ଟିବାଧିତ ହିସାବ କରାଯାଉଥିବା ସ୍ଥଳେ ସେମାନଙ୍କ ମଧ୍ୟରୁ ଚାଳିଶି ଲକ୍ଷ ତୃଟିପୂର୍ଣ୍ଣ କାର୍ଣ୍ଣିଆ କାରଣରୁ ଦେଖିବାରେ ଅସମର୍ଥ । ମୃତ ଶରୀରରୁ କାର୍ଣ୍ଣିଆ ସଂଗ୍ରହ କରାଯାଇ ଚକ୍ଷୁରେ ରୋପଣ କରାଯାଇପାରିଲେ ସେମାନେ ଦେଖିପାରନ୍ତିଚକ୍ଷୁର ସମ୍ମୁଖଭାଗରେ ଥିବା ସ୍ୱଚ୍ଛ ସ୍ତରଟି କାର୍ଣ୍ଣିଆ । କେହି ମୃତ୍ୟୁମୁଖରେ ପଡ଼ିବା ଚାରିରୁ ଛଅ ଘଣ୍ଟା ମଧ୍ୟରେ କାର୍ଣ୍ଣିଆ ସଂଗ୍ରହକରି ଶୀତତାପ ନିୟନ୍ତ୍ରିତ ଚକ୍ଷୁ ବ୍ୟାଙ୍କରେ ପ୍ରତ୍ୟାରୋପଣ ଯାଏଁ ସାଇତି ରଖିବାକୁ ପଡ଼ିଥାଏ । ଆମ ଦେଶରେ ସରକାରୀ ଓ ବେସରକାରୀ ସ୍ତରରେ ପ୍ରାୟ ୪୦୦ ଚକ୍ଷୁ ବ୍ୟାଙ୍କ ରହିଛି । ଏଗୁଡ଼ିକ ମାଧ୍ୟମରେ ବର୍ଷରେ ପ୍ରାୟ ୨୦ ହଜାର ଚକ୍ଷୁ ମୃତକଙ୍କଠାରୁ ଦାନ ସୂତ୍ରରେ ସଂଗୃହୀତ ହୁଏ । ଚ଼ିନ୍ତାର ବିଷୟ ଏହି ଯେ କାର୍ଣ୍ଣିଆ କାରଣରୁ ଦେଶରେ ପ୍ରତି ବର୍ଷ ପ୍ରାୟ ୨୫ ହଜାର ନୂଆ ରୋଗୀ ଚ଼ିହ୍ନଟ ହୋଇଥାନ୍ତି । ଫଳରେ ଚକ୍ଷୁ ରୋପଣ କ୍ଷେତ୍ରରେ ଅଭାବ ଲାଗି ରହିଥାଏ ।
 
ବ୍ରହ୍ମପୁରରେ ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ଚକ୍ଷୁଦାନ ଆୟୋଜନ କ୍ଷେତ୍ରରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ । ପ୍ରାଥମିକ ପର୍ଯ୍ୟାୟରେ ୧୯୭୦ରେ ପ୍ରତିଷ୍ଠିତ ଏହି ସଂଗଠନର ସଭ୍ୟମାନେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ପୁସ୍ତକ ବ୍ୟାଙ୍କ ସ୍ଥାପନ କରିଥିଲେ । ପାଠ୍ୟ ପୁସ୍ତକ ମୂଲ୍ୟର ୧୦ ପ୍ରତିଶତ ବିନିମୟରେ ଶିକ୍ଷା ବର୍ଷକ ପାଇଁ ଗରିବ ଛାତ୍ରଛାତ୍ରୀଙ୍କୁ ପୁସ୍ତକ ଯୋଗାଇବା ବ୍ୟବସ୍ଥା ଆରମ୍ଭ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସଂଗଠନର କାର୍ଯ୍ୟକ୍ରମ ପ୍ରପୀଡ଼ିତ ଅଞ୍ଚଳରେ ରିଲିଫ ଯୋଗାଣ ଓ ପ୍ରତିଷେଧାତ୍ମକ ଟୀକାକରଣ ଦିଗରେ ସଂପ୍ରସାରିତ ହୋଇଥିଲା । ଘଟଣାକ୍ରମେ ସଂଗଠନର ଜଣେ ପୂର୍ବତନ ସଭାପତି ୨୦୦୧ ମସିହାରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ମୁଖରେ ପଡ଼ିଲେ । ସେ ଜୀବିତାବସ୍ଥାରେ ଚକ୍ଷୁଦାନ ନିମନ୍ତେ ଘୋଷଣାପତ୍ର ସ୍ୱାକ୍ଷର କରିଥିଲେ । ତାଙ୍କରି ଚକ୍ଷୁଦାନ କାର୍ଯ୍ୟ କ୍ଳବ ସଦସ୍ୟମାନଙ୍କ ଦ୍ୱାରା ଆୟୋଜନ ହୋଇଥିଲା । ସେହି ଦିନୁ ମୃତ ବ୍ୟକ୍ତିଙ୍କଠାରୁ ଚକ୍ଷୁ ସଂଗ୍ରହ କାର୍ଯ୍ୟରେ କ୍ଳବର ସଦସ୍ୟମାନେ ସ୍ଥାନୀୟ ଚକ୍ଷୁ ଚ଼ିକିତ୍ସକଙ୍କୁ ସହଯୋଗ କଲେ । ବ୍ରହ୍ମପୁର ମେଡ଼ିକାଲ କଲେଜରେ ୨୦୦୧ରେ ମାତ୍ର ତିନିଗୋଟି ଚକ୍ଷୁ ରୋପଣ ହୋଇଥିବା ସ୍ଥଳେ ୨୦୨୩ ବେଳକୁ ତାହା ଦଶ ଗୁଣକୁ ବୃଦ୍ଧି ପାଇଛି ।
 
କ୍ଳବର ପ୍ରମୁଖ ସଦସ୍ୟ ଜାମୁଲା ସୁରେଶ (ମୋବାଇଲ : ୯୪୩୭୨ ୬୧୮୫୫) କହିବା ଅନୁଯାୟୀ ଚକ୍ଷୁଦାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରୁ ଅଧିକାଂଶ ବ୍ରହ୍ମପୁରର ପ୍ରମୁଖ ବ୍ୟବସାୟୀ ବର୍ଗ ବୈଶ୍ୟ କୁମୁଟି ସଂପ୍ରଦାୟର ଅନ୍ତର୍ଭୁକ୍ତ । କ୍ଳବ ସହଯୋଗରେ ମୃତକଙ୍କଠାରୁ ସଂଗୃହୀତ ଚକ୍ଷୁଦାନରେ ନବେ ପ୍ରତିଶତ ବୈଶ୍ୟ ସଂପ୍ରଦାୟ ଓ ଅନ୍ୟ ଦଶ ପ୍ରତିଶତ ଅନ୍ୟାନ୍ୟ ସଂପ୍ରଦାୟ ବ୍ୟକ୍ତିବିଶେଷ । କ୍ଳବ ପକ୍ଷରୁ ୨୦୨୩ ବର୍ଷ ଆରମ୍ଭରୁ ଜୁଲାଇ ମାସ ଶେଷ ସୁଦ୍ଧା ସଂଗୃହୀତ ୧୩ ଗୋଟି ଚକ୍ଷୁଦାନ ମଧ୍ୟରୁ ୧୨ ଗୋଟି ବୈଶ୍ୟ ସଂପ୍ରଦାୟର ଅନ୍ତର୍ଭୁକ୍ତ । ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଚକ୍ଷୁଦାନ ଲାଗି ଅଳ୍ପ ସଂଖ୍ୟକ ପୂର୍ବରୁ ଘୋଷଣାନାମା ସ୍ୱାକ୍ଷର କରିଥାନ୍ତି । କିନ୍ତୁ ବହୁ କ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁପରେ ପରିବାରବର୍ଗଙ୍କ ସହମତିରେ ଚକ୍ଷୁଦାନ ଆୟୋଜନ କରାଯାଇଥାଏ । ମୃତ୍ୟୁ ପରେ କ୍ଳବ ସଦସ୍ୟଙ୍କୁ ଟେଲିଫୋନ କଲେ ସେମାନେ ତୁରନ୍ତ ମୃତକଙ୍କ ପରିବାରରେ ପହଞ୍ଚି ମେଡ଼ିକାଲ କଲେଜରୁ ଚ଼ିକିତ୍ସକମାନେ ଆସି କିପରି ଚକ୍ଷୁ ସଂଗ୍ରହ କରିବେ ତାହାର ବନ୍ଦୋବସ୍ତ କରିଥାନ୍ତି । ସୀମିତ ସମୟ ସୀମାରେ ଚକ୍ଷୁ ସଂଗ୍ରହ କରାଯିବା ଆବଶ୍ୟକ ଥିବା ହେତୁ ସଂପୂର୍ଣ୍ଣ କାର୍ଯ୍ୟକ୍ରମ ଜରୁରି ଧାରାରେ ସମାପନ ହୋଇଥାଏ
 
ଚକ୍ଷୁଦାନ ଅବସରରେ ମୃତବ୍ୟକ୍ତିଙ୍କ ମୁଣ୍ଡ ତଳେ ଏକ ତକିଆ ଦେଇ ଶରୀରଠାରୁ ସାମାନ୍ୟ ଉଚ୍ଚରେ ରଖିବା ଆବଶ୍ୟକ । ଆଖିପତା ବନ୍ଦ କରି ପାଣି ଭିଜା ତୁଳା ରଖି ଓଦା ରଖିଲେ ଭଲ । କଠୋରୀରେ ତୁରନ୍ତ ବିଜୁଳି ପଙ୍ଖା ବନ୍ଦ କରିଦେବା ଉଚ଼ିତ । ଚକ୍ଷୁ ସଂଗ୍ରହଲାଗି ଚ଼ିକିତ୍ସକମାନେ ମୃତକଙ୍କ ବାସଗୃହ ବା ଚ଼ିକିତ୍ସାଳୟରେ ପହଞ୍ଚି ପ୍ରଥମେ ଚ଼ିକିତ୍ସା କାଗଜପତ୍ର ତନଖି କରିଥାନ୍ତି । ଜଣେ ଚଷମା ପିନ୍ଧୁଥିଲେ, ପରଳ ଅସ୍ତ୍ରୋପଚାର କରିଥିଲେ, ମଧୁମେହ, ଉଚ୍ଚ ରକ୍ତଚାପ ବା ଶ୍ୱାସ ରୋଗାକ୍ରାନ୍ତ ଥିଲେ ମଧ୍ୟ ଚକ୍ଷୁଦାନ କରିପାରିବେ । କର୍କଟ, ଏଡ଼ସ ଓ ଅନ୍ୟ କେତେକ ସଂକ୍ରାମକ ରୋଗାକ୍ରାନ୍ତଙ୍କ ଚକ୍ଷୁଦାନ ବାରଣଚକ୍ଷୁଦାନ ଅସ୍ତ୍ରୋପଚାର ୨୦ ରୁ ୩୦ ମିନଟ ସମୟ ଲାଗିଥାଏ । ଏତଦ୍ୱାରା କୌଣସି ଅଂଶହାନୀ ପ୍ରଦର୍ଶିତ ହୁଏ ନାହିଁ । ମୃତକଙ୍କ ଅନ୍ତ୍ୟୋଷ୍ଠିକ୍ରିୟାରେ ପ୍ରଭାବ ପଡ଼େ ନାହିଁ । ଚକ୍ଷୁଦାନ ସଂଗ୍ରହ ଅବସରରେ ପରିବାର ସଦସ୍ୟଙ୍କ ଲିଖିତ ସମ୍ମତ୍ତି ସହ ଦୁଇଜଣ ସାକ୍ଷୀଙ୍କ ଦସ୍ତଖତ ଆବଶ୍ୟକ ପଡ଼େ ।
 
ମୃତ ଶରୀରରୁ କାର୍ଣ୍ଣିଆ ସଂଗ୍ରହ କରାଯାଇ ତୃଟିପୂର୍ଣ୍ଣ କାର୍ଣ୍ଣିଆ କାରଣରୁ ଦୃଷ୍ଟିବାଧିତଙ୍କ ଚକ୍ଷୁରେ ପ୍ରତ୍ୟାରୋପଣ କରାଗଲେ ସେ ଯେ ସଂପୂର୍ଣ୍ଣଭାବେ ଦେଖିପାରିବେ ତାହା ଭାବିବା ଭୂଲ । ଅନେକ କ୍ଷେତ୍ରରେ ପୁରା ଦେଖିପାରୁ ନଥିବା ବ୍ୟକ୍ତି ସାମାନ୍ୟ ଦେଖିପାରନ୍ତିଫଳରେ ଦୈନନ୍ଦିନ ଜୀବନ ଯାପନରେ ବ୍ୟାପକ ଉନ୍ନତି ଆସିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶନାମା ଅନୁଯାୟୀ କାର୍ଣ୍ଣିଆ ଗ୍ରହଣ କରୁଥିବା ବ୍ୟକ୍ତିମାନଙ୍କ ପରିଚୟ ଗୋପନ ରଖାଯାଏ । ତେଣୁ ଅମକ ମୃତ ବ୍ୟକ୍ତିଙ୍କ କାର୍ଣ୍ଣିଆ ଦ୍ୱାରା ସମକ ଚକ୍ଷୁବାଧିତ ଉପକୃତ ହେଲେ ବୋଲି ଜାଣିବାର ଅବକାଶ ନଥାଏ । କାର୍ଣ୍ଣିଆ କିଣାବିକା ନିଷେଧ । ଚକ୍ଷୁ ବ୍ୟାଙ୍କ ପ୍ରତିଷ୍ଠିତ ହୋଇଥିବା ଚକ୍ଷୁ ଚ଼ିକିତ୍ସାଳୟଗୁଡ଼ିକରେ ପ୍ରତ୍ୟାରୋପଣ ନିମନ୍ତେ ଅପେକ୍ଷାରତଙ୍କ ତାଲିକା ପ୍ରସ୍ତୁତ ହୋଇଥାଏ ଏବଂ ସେହିକ୍ରମରେ କାର୍ଣ୍ଣିଆ ପ୍ରତ୍ୟାରୋପଣ କରାଯାଇଥାଏ । ପ୍ରତିବର୍ଷ ଅଗଷ୍ଟ ୨୫ରୁ ସେପ୍ଟେମ୍ୱର ୮ ଯାଏଁ ଚକ୍ଷୁଦାନ ସଂପର୍କରେ ଜନସାଧାରଣରେ ଆଗ୍ରହ ସୃଷ୍ଟି ଲାଗି ଜାତୀୟସ୍ତରରେ ପ୍ରଚାର ଅଭିଯାନପକ୍ଷ ପାଳନ ହୋଇଥାଏ ।

Photo by Ion Fet on Unsplash 


Friday, July 28, 2023

Cuttack Journalist / କଟକ ସାମ୍ୱାଦିକ

 

#ବ୍ରହ୍ମପୁର ସହରରେ ୧୯୩୯ରୁ ୧୯୮୨ ଯାଏଁ କୌଣସି ଦୈନିକ ସମ୍ୱାଦପତ୍ର ପ୍ରକାଶ ପାଉନଥିଲା । ଏଠାରୁ ୧୯୨୮ରୁ ପ୍ରକାଶିତ ଦୈନିକ ଆଶାର ପ୍ରକାଶନ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ରାଜଧାନୀ କଟକକୁ ୧୯୩୯ରେ ସ୍ଥାନାନ୍ତରିତ ହେବା ପରେ ଦୀର୍ଘ ୪୩ ବର୍ଷ ଧରି ସ୍ଥାନୀୟ ସମ୍ୱାଦ ଓ ଅଭିମତ ପ୍ରକାଶନ ନିମନ୍ତେ ମଞ୍ଚ ଅଭାବ ଲାଗି ରହିଥିଲା । ୧୯୮୨ରେ ନୂତନ ମାଲିକାନାରେ ଦୈନିକ ଆଶା ପ୍ରକାଶ ଆରମ୍ଭ ହେବା ଯାଏଁ ବ୍ରହ୍ମପୁରବାସୀ ମୁଖ୍ୟତଃ କଟକ ଓ କୋଲକତାରୁ ପ୍ରକାଶିତ ସମ୍ୱାଦପତ୍ରଗୁଡ଼ିକ ଉପରେ ନିର୍ଭର କରୁଥିଲେ । କଟକରୁ ସାଂଧ୍ୟ ସଂସ୍କରଣ ରୂପେ ପ୍ରକାଶିତ ସମାଜ, ପ୍ରଜାତନ୍ତ୍ର ଓ ମାତୃଭୂମି ହାୱାଡ଼ା-ଚ଼େନ୍ନାଇ ମେଲ ଯୋଗେ ସକାଳୁ ସକାଳୁ ବ୍ରହ୍ମପୁର ପହଞ୍ଚିବାପରେ ସହରରେ ବିତରିତ ହେଉଥିଲା ।
 
କଟକରୁ ପ୍ରକାଶିତ ସମ୍ୱାଦପତ୍ରଗୁଡ଼ିକ ପକ୍ଷରୁ ବ୍ରହ୍ମପୁରରେ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲାଯାଇନଥିଲା । ସହରରେ ଅବସ୍ଥାପିତ ସାମ୍ୱାଦିକମାନେ ମୁଖ୍ୟତଃ ଡ଼ାକ ଯୋଗେ ସମ୍ୱାଦ ପ୍ରେରଣ କରୁଥିଲେ । ବଡ଼ ଖବର ଗୁଡ଼ିକ ଟେଲିଫୋନ ଯୋଗେ ଡ଼ାକି ଦିଆଯାଉଥିଲା । ଟେଲିଗ୍ରାମ ଯୋଗେ ସମ୍ୱାଦ କ୍ୱଚ଼ିତ ବ୍ୟବହୃତ ହେଉଥିଲା । ଷଷ୍ଠ ଦଶକରେ କଳିଙ୍ଗ ଓ ସପ୍ତମ ଦଶକରୁ ଧରିତ୍ରୀ ଯୋଗ ଦେଇଥିଲେ । ସ୍ୱରାଜ ଓ ଧରିତ୍ରୀ କଟକ ବଦଳରେ ଭୁବନେଶ୍ୱରରୁ ପ୍ରକାଶ ପାଇବାକୁ ଲାଗିଥିଲା । ମୋଟାମୋଟି ଭାବେ ୧୯୭୫ରେ ଜରୁରୀକାଳୀନ ପରିସ୍ଥିତି ଜାରୀ ହେବା ପୂର୍ବରୁ ମୋଟ ସମ୍ୱାଦପତ୍ର ସଂଖ୍ୟା ଏକ ଅଙ୍କ ମଧ୍ୟରେ ସୀମିତ ରହୁଥିଲା ।
 
କଟକ ସମ୍ୱାଦପତ୍ରଗୁଡ଼ିକ ପକ୍ଷରୁ ବ୍ରହ୍ମପୁରରେ ଅବସ୍ଥାପିତ ସାମ୍ୱାଦିକମାନେ ସ୍ଥାନୀୟ ବାସିନ୍ଦା । ତେବେ ଗଞ୍ଜାମ ଜିଲ୍ଲାରୁ ଆଙ୍ଗୁଠିଗଣିତ ସାମ୍ୱାଦିକ କଟକର ସମ୍ୱାଦପତ୍ର ସମ୍ପାଦକୀୟ ବିଭାଗରେ ଅବସ୍ଥାପିତ ହୋଇଥିଲେ । ସମାଜରେ ରାମଚ଼ନ୍ଦ୍ର ଦାସ ଓ ଶ୍ରୀହର୍ଷ ମିଶ୍ର ସହ-ସମ୍ପାଦକ ଓ ସମ୍ପାଦକ ରୂପେ କାର୍ଯ୍ୟ କରିଥିଲେ । ପିତ୍ତଳର ରାମଚନ୍ଦ୍ର ଦାସ ଯୁବକ ଅବସ୍ଥାରେ ରେଙ୍ଗୁନରେ ହାତଲେଖା ସମ୍ୱାଦପତ୍ର ପ୍ରକାଶ କରୁଥିଲେ । ସେଠାରୁ ଫେରି ଶଶିଭୂଷଣ ରଥଙ୍କ ନିଉ ଓଡ଼ିଶାରେ କିଛି ଦିନ କାର୍ଯ୍ୟକରି ସମାଜରେ ଅବସ୍ଥାପିତ ହୋଇଥିଲେ । ସେହିପରି ହିଞ୍ଜିଳିକାଟୁର ଶ୍ରୀହର୍ଷ ମିଶ୍ର ପାରଳାଖେମୁଣ୍ଡିରେ ହାଇସ୍କୁଲ ଛାତ୍ର ଥିବା ସମୟରେ ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରି ଗିରଫ ହୋଇ ରାଜ୍ୟ ବାହାରେ ଜେଲ ଦଣ୍ଡ ଭୋଗିଥିଲେ ସେଠାରୁ ଖଲାସ ହେବା ପରେ ସମାଜରେ ସାମ୍ୱାଦିକ ଜୀବନ ଆରମ୍ଭ କରିଥିଲେ । ରାଧାନାଥ ରଥ ସମାଜର ସମ୍ପାଦକ ଥାନ୍ତି । ସେ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି ଜେଲ ଯିବା ଓ ସ୍ୱାଧୀନୋତ୍ତର ଓଡ଼ିଶାରେ ମନ୍ତ୍ରୀ ପଦାସୀନ ହେବା ଅବସରରେ ଗଞ୍ଜାମର ଦୁଇଜଣ ସାମ୍ୱାଦିକ ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ । ବରଗଡ଼ର ରଘୁନାଥ ପାଠୀ ଶାସ୍ତ୍ରୀ ଓ ଭଞ୍ଜନଗରର ପ୍ରଫୁଲ ଚନ୍ଦ୍ର ପଟ୍ଟନାୟକ ମଧ୍ୟ ସମାଜର ସମ୍ପାଦନା ବିଭାଗରେ କାର୍ଯ୍ୟକରିଥିଲେ ।
 
ସମାଜରେ ସହ-ସମ୍ପାଦକ ଓ ବାର୍ତ୍ତା-ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରିଥିବା ପ୍ରଫୁଲ ଚନ୍ଦ୍ର ପଟ୍ଟନାୟକଙ୍କ ୯୦ ବର୍ଷ ବୟସରେ ୨୨ ଜୁଲାଇ ୨୦୨୩ରେ କଟକରେ ପରଲୋକ ଘଟିଥିଲା । ସେ ଗୋବରାର ସ୍ୱାଧୀନତା ସଂଗ୍ରାମୀ ବାଞ୍ଛାନିଧି ପଟ୍ଟନାୟକଙ୍କ ପୁତ୍ର । କଲେଜ ଶିକ୍ଷା ପରେ ୧୯୬୧ରେ ସମାଜରେ ସମ୍ପାଦନା ବିଭାଗରେ ଯୋଗ ଦେଇ ବାର୍ତ୍ତା ସମ୍ପାଦକ ଭାବେ ଅବସର ଗ୍ରହଣ କରିବାପରେ ସମ୍ୱାଦରେ ମଧ୍ୟ କାର୍ଯ୍ୟ କରିଥିଲେ । ସେ କଟକର ମକରବାଗ ସାହିରେ ବାସ କରୁଥିଲେ । ପ୍ରଫୁଲ ଚନ୍ଦ୍ର ପଟ୍ଟନାୟକ ସଂଭବତଃ ଗଞ୍ଜାମ ଜିଲ୍ଲାର ପ୍ରଥମ ଉଚ୍ଚଶିକ୍ଷିତ ବୃତ୍ତିଧାରୀ ସାମ୍ୱାଦିକ ।
 
ସ୍ୱାଧୀନୋତ୍ତର ଓଡ଼ିଶାରେ ଦୈନିକ ସମ୍ୱାଦପତ୍ରରେ ସମାଜର ଗୁରୁତ୍ୱ ରହି ଆସିଥିଲା । ପ୍ରତ୍ୟେହ ଏକ ମାତ୍ର ସଂସ୍କରଣ, ଅର୍ଥାତ ସମଗ୍ର ଓଡ଼ିଶାର ପାଠକଙ୍କ ନିମନ୍ତେ ହାରାହାରି ଆଠ ପୃଷ୍ଠା ମୁଦ୍ରିତ ସମ୍ୱାଦପତ୍ର ବିତରିତ ହେଉଥିଲା । ଫଳତଃ ଏଥିରେ ପ୍ରକାଶିତ ସମ୍ୱାଦଗୁଡ଼ିକ ରାଜ୍ୟର ସର୍ବତ୍ର ପାଠକଙ୍କ ନିକଟରେ ପହଞ୍ଚିପାରୁଥିଲା । ସମଗ୍ର ରାଜ୍ୟର ଖବରର ଭିଡ଼ରେ ବ୍ରହ୍ମପୁର ଭଳି ଉପାନ୍ତ ସହରର ସ୍ଥାନୀୟ ସମ୍ୱାଦ ପ୍ରକାଶ ଦୁରୁହ ବ୍ୟାପାର ବୋଧ ହେଉଥିଲା । ସାମ୍ୱାଦିକମାନେ ସମ୍ୱାଦ ପ୍ରେରଣ କଲେ ସୁଦ୍ଧା ଅନେକ ସମୟରେ ସ୍ଥାନ ଅଭାବରୁ ପ୍ରକାଶିତ ହୋଇପାରୁ ନଥିଲା । ପ୍ରଫୁଲ ବାବୁ ସମ୍ପାଦନା ଡ଼େସ୍କରେ ବରିଷ୍ଠ ସହ-ସମ୍ପାଦକ ଥିବା ହେତୁ ବ୍ରହ୍ମପୁରର ସାଂସ୍କୃତିକ ସଂଗଠକମାନେ ସମ୍ୱାଦ ଦେଲେ ପ୍ରକାଶନର ବ୍ୟବସ୍ଥା କରୁଥିଲେ । ପ୍ରଫୁଲ ବାବୁଙ୍କ ଅବଦାନ ବ୍ରହ୍ମପୁରରେ ସପ୍ତମ ଓ ଅଷ୍ଟମ ଦଶକରେ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଚାରରେ ଉଲ୍ଲେଖନୀୟ । ଏତଦ୍ୱାରା ବହୁ ସ୍ଥାନୀୟ ସାହିତ୍ୟିକ ଓ କଳାକାର ରାଜ୍ୟସ୍ତରୀୟ ସ୍ୱୀକୃତି ପାଇପାରିଥିଲେ ।
 
କଟକ ସାମ୍ୱାଦିକ ବର୍ଗରେ ଚିକିଟିର ଗୌରଚନ୍ଦ୍ର ରାଉତ ମାତୃଭୂମିର ସମ୍ପାଦକ ଦାୟିତ୍ୱରେ ଥିଲେ । ସେହିପରି ଗୋରାଚାନ୍ଦ ମିଶ୍ର ପ୍ରଜାତନ୍ତ୍ର, ରାମକୃଷ୍ଣ ବେହେରା ପିଟିଆଇ ଓ ଏନ-କେ-ସ୍ୱାମୀ ୟୁଏନଆଇ, ଟାଇମ୍ସ ଅଫ ଇଣ୍ଡିଆରେ ଅବସ୍ଥାପିତ ଥିଲେ । ବ୍ରହ୍ମପୁରର ଗିରିରୋଡ଼ ନିବାସୀ ଆଇନଜୀବୀ ରାମକୃଷ୍ଣ ରଥଙ୍କ କନ୍ୟା ପଦ୍ମାଳୟା ଦାସ କୋଲକତାରୁ ପ୍ରକାଶିତ ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡ ଇଂଲିଶ ସମ୍ୱାଦପତ୍ରରେ କଟକ ନୋଟବୁକ ଶୀର୍ଷକ ସାପ୍ତାହିକ ସ୍ତମ୍ଭ ଲେଖୁ ଥିଲେ । ସେ ବିବାହ ପରେ କଟକରେ ଅବସ୍ଥାନ କରୁଥିଲେ । ଏମାନଙ୍କ ବ୍ୟତୀତ ଅନ୍ୟ କେତେକ ପ୍ରତିଭା ମଧ୍ୟ ଅନାଲୋଚ଼ିତ ରହିଯାଇଛନ୍ତି ।

Friday, July 21, 2023

National  Highway 16 & 59 / ଜାତୀୟ ରାଜପଥ ୧୬ ଓ ୫୯

 

#ବ୍ରହ୍ମପୁର ସହର ଦେଇ ଦୁଇଗୋଟି ଜାତୀୟ ରାଜପଥ ୧୬ ଓ ୫୯ ଗତି କରିଛି । ବ୍ରହ୍ମପୁର ଜାତୀୟ ରାଜପଥ ୧୬ ମାଧ୍ୟମରେ ଦୁଇ ପ୍ରମୁଖ ସହର ବିଶାଖପାଟଣା ଓ ଭୁବନେଶ୍ୱର ତଥା ଚ଼େନ୍ନାଇ ଓ କୋଲକତା ସହ ସଂଯୁକ୍ତ । ସେହିପରି ଜାତୀୟ ରାଜପଥ ୫୯ ଆଭ୍ୟନ୍ତରୀଣ ଗଞ୍ଜାମ ଜିଲ୍ଲା ଓ ଆଭ୍ୟନ୍ତରୀଣ ଓଡ଼ିଶା ରାଜ୍ୟ ସହ ଯୋଗାଯୋଗ ସ୍ଥାପନ କରିଥାଏ । ବ୍ରହ୍ମପୁରକୁ ମୌଳିକଭାବେ ଏକ ବ୍ୟାବସାୟିକ ପେଣ୍ଠ ଭାବେ ଗଢ଼ି ତୋଳିବାରେ ଦକ୍ଷିଣ, ଉତ୍ତର ଓ ପଶ୍ଚିମାଞ୍ଚଳ ସହ ସଡ଼କପଥ ସଂଯୋଗ ପ୍ରମୁଖ ଭୂମିକା ନିର୍ବାହ କରିଅଛି । ଏଥି ସହ ରେଳପଥ ଓ ଗୋପାଳପୁର ବନ୍ଦର ସ୍ଥାନୀୟ ବାଣିଜ୍ୟ ବିକାଶରେ ସହାୟକ ହୋଇଛି । ରଙ୍ଗେଇଲୁଣ୍ଡାରେ ବିମାନ ବନ୍ଦର ବିକାଶ ନିମନ୍ତେ ପଦକ୍ଷେପ ସ୍ଥାନୀୟ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବା ଆଶା କରାଯାଏ ।


ଜାତୀୟ ରାଜପଥ ୧୬ ଚ଼େନ୍ନାଇରୁ କୋଲକତା ସଂଲଗ୍ନ ତାଙ୍କୁଣୀ ଯାଏଁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ପଶ୍ଚିମ ବଙ୍ଗ ଉପକୂଳରେ ପରିବ୍ୟାପ୍ତ । ଏହି ରାଜପଥର ମୋଟ ଦୂରତ୍ୱ ୧୭୬୪ କିଲୋମିଟର ଏବଂ ଓଡ଼ିଶା ରାଜ୍ୟରେ ୫୨୯ କିଲୋମିଟର । ଏହା କୋଲକତା, ବାଲେଶ୍ୱର, ଭଦ୍ରକ, ଭୁବନେଶ୍ୱର, ବ୍ରହ୍ମପୁର, ଶ୍ରୀକାକୁଲମ, ବିଶାଖାପାଟଣା, ରାଜମହେନ୍ଦ୍ରୀ, ଏଲୁରୁ, ବିଜୟୱାଡ଼ା, ଗୁଣ୍ଟୁରୁ, ଓଙ୍ଗଲ, ନେଲୋର ଓ ଚ଼େନ୍ନାଇ ସହରକୁ ଯୋଡ଼ିଥାଏ । ଅତୀତରେ ଏହା ରାଜପଥ ୫ ନାମିତ ହୋଇଥିଲା ।


ଅପରପକ୍ଷେ ରାଜପଥ ୫୯ କେବଳ ଓଡ଼ିଶା ରାଜ୍ୟ ମଧ୍ୟରେ ସୀମିତ । କଳାହାଣ୍ଡି ଜିଲ୍ଲା ଖରିଆରରୁ ବ୍ରହ୍ମପୁର ଯାଏଁ ଲମ୍ୱିଥିବା ଏହି ରାଜପଥର ଦୈର୍ଘ୍ୟ ମାତ୍ର ୩୫୨ କିଲୋମିଟର । ଏହା ଖରିଆର, ଟିଟିଲାଗଡ଼, ଲଙ୍କାଗଡ଼, ବାଲିଗୁଡ଼ା, ସୋରଡ଼ା, ଆସିକା, ହିଞ୍ଜିଳିକାଟୁ ଦେଇ ବ୍ରହ୍ମପୁରରେ ପହଞ୍ଚିଥାଏ । ପୂର୍ବରୁ ଜାତୀୟ ରାଜପଥ ୨୧୭ର ଜାତୀୟ ରାଜପଥ ୫୯ ଅଂଶବିଶେଷ ରୂପେ ପରିଗଣିତ ହେଉଥିଲା ।


ସ୍ୱାଧୀନୋତ୍ତର ଭାରତରେ ଭାରତ ସରକାରଙ୍କ ପକ୍ଷରୁ ‘ଜାତୀୟ ରାଜପଥ ଆଇନ ୧୯୫୯’ ପ୍ରଣୀତ ହୋଇଥିଲା । ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅଧୀନରେ ରାଜପଥ ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ପରିଚାଳନା କରାଯାଇଥାଏ । ଓଡ଼ିଶା ରାଜ୍ୟରେ ୫,୭୬୨ କିଲୋମିଟର ଜାତୀୟ ରଜପଥ ରହିଛି । ପଡ଼ୋଶୀ ଆନ୍ଧ୍ର ପ୍ରଦେଶରେ ୬,୯୧୨ କିଲୋମିଟର ଓ ପଶ୍ଚିମ ବଙ୍ଗରେ ୩,୬୬୪ କିଲୋମିଟର ରାଜପଥ ହିସାବ କରାଯାଏ । ଜାତୀୟସ୍ତରରେ ମହାରାଷ୍ଟ୍ରରେ ସର୍ବାଧିକ ୧୭,୭୫୭ କିଲୋମିଟର ଜାତୀୟ ରାଜପଥ ଉପଲବ୍ଧ । ଦେଶର ସର୍ବପ୍ରାଚ଼ୀନ ଜାତୀୟ ରାଜପଥ ୧ ନୂଆଦିଲ୍ଲୀରୁ ପଞ୍ଜାବର ଭାରତ-ପାକିସ୍ଥାନ ସୀମାରେ ଅବସ୍ଥିତ ଅଟାରି ଯାଏଁ ୪୫୬ କିଲୋମିଟର ପରିବ୍ୟାପ୍ତ । ଏହା ବ୍ରିଟିଶ ଅମଳରେ ଗ୍ରାଣ୍ଡ ଟ୍ରଙ୍କ ରୋଡ଼ର ଅଂଶ ବିଶେଷ ପରିଗଣିତ ହେଉଥିଲା । 


ଜାତୀୟ ରାଜପଥର ଉପାଦେୟତା ସଂପର୍କରେ ବ୍ରହ୍ମପୁରବାସୀ ଅବଗତ । ଅତୀତରେ ରାଜପଥ ୫ ହଳଦିଆପଦର ରେଳ ଜଙ୍କସନରୁ ବ୍ରହ୍ମପୁର ସହର ମଧ୍ୟରେ ପ୍ରବେଶ କରି ଗୋସାଇଁ ନୂଆଗାଁ, ବିଜିପୁର, ଗିରିରୋଡ଼, କମାପଲ୍ଲୀ, ଖୋଡ଼ାସିଙ୍ଗି ଓ ଆମ୍ୱପୁଆ ଦେଇ ଜଗନ୍ନାଥପୁର ରେଳ ଜଙ୍କସନରେ ଛାଡୁଥିଲା । ତେବେ ହଳଦିଆପଦରରୁ ଜଗନ୍ନାଥପୁର ଯାଏଁ ବାଇପାସ ରୋଡ଼ ନିର୍ମାଣପରେ ଜାତୀୟ ରାଜପଥ ୧୬ ଆଉ ସହରର ଘଞ୍ଚ ଜନବସତି ମଧ୍ୟ ଦେଇ ଗତି କରୁନାହିଁ । ସହରାଞ୍ଚଳରେ ରାସ୍ତାଘାଟ ନିର୍ମାଣ ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ପୌରପାଳିକା ହସ୍ତରେ ନ୍ୟସ୍ତ । କିଛି ରାଜ୍ୟସ୍ତରୀୟ ସଡ଼କପଥ ଥିଲେ ତାହା ପୂର୍ତ୍ତବିଭାଗ ଅଧୀନକୁ ଆସେ । ତେବେ ପୌରପାଳିକା ଓ ପୂର୍ତ୍ତବିଭାଗ ତୁଳନାରେ ଜାତୀୟ ରାଜପଥର ରକ୍ଷଣାବେକ୍ଷଣ କାର୍ଯ୍ୟ ଉଚ୍ଚସ୍ତରର ହୋଇଥିବା ହେତୁ ବ୍ରହ୍ମପୁରବାସୀ ଜାତୀୟ ରାଜପଥ ବ୍ୟବହାରକୁ ପସନ୍ଦ କରିଥାନ୍ତି ।


ସେହିପରି ଗୋପାଳପୁରରୁ ରାୟପୁର ସଂଯୋଗ କରୁଥିବା ଜାତୀୟ ରାଜପଥ ୨୧୭ ଜଗନ୍ନାଥପୁର ରେଳ ଜଙ୍କସନରୁ ଆସିକାରୋଡ଼ ରତ୍ନପୁର ଯାଏଁ ବ୍ରହ୍ମପୁର ସହରବାସୀଙ୍କ ଲାଗି ଅତୀତରେ ସର୍ବାପେକ୍ଷା ବ୍ୟବହୃତ ରାସ୍ତା କୁହାଯାଇପାରେ । ଏହି ରାଜପଥ ସହରବାସୀଙ୍କୁ ଗୁଣାତ୍ମକ ସେବା ଯୋଗାଇବାରେ ସାଂସଦ ଚନ୍ଦ୍ରଶେଖର ସାହୁ ଓ ଆଇନଜୀବୀ ମନୋଜ ପଟ୍ଟନାୟକଙ୍କ ଭୂମିକା ଉଲ୍ଲେଖଯୋଗ୍ୟ । ଚନ୍ଦ୍ରଶେଖର ସାହୁ କଂଗ୍ରେସ ଦଳରୁ ୨୦୦୬ରୁ ୨୦୦୯ କେନ୍ଦ୍ରମନ୍ତ୍ରୀମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ସେ ଦୀର୍ଘ ଦିନ ଧରି ବ୍ରହ୍ମପୁର ପୌରପାଳିକା କାର୍ଯ୍ୟଧାରା ସହ ପରିଚ଼ିତ ଥିବା ହେତୁ ସହରରେ ରାସ୍ତାଘାଟ ରକ୍ଷଣାବେକ୍ଷଣରେ ବାସ୍ତବ ଅସୁବିଧା ସଂପର୍କରେ ବେଶ ବୁଝିଥିଲେ । କୁହାଯାଏ ଯେ ସେ ତତ୍କାଳୀନ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ କେ.ଏଚ଼. ମୁନିଆପ୍ପାଙ୍କୁ ମନାଇ ତତ୍କାଳୀନ ରାଜପଥ ୨୧୭କୁ ବ୍ରହ୍ମପୁର ସହରାଞ୍ଚଳରେ ଦୁଇଥାକିଆ ରାସ୍ତାରେ ପରିବର୍ତ୍ତନ କରିବାରେ ସଫଳ ହୋଇଥିଲେ । ତେବେ ରାଜରାସ୍ତାଟି ଚ଼ଉଡ଼ା ହୋଇଯିବା ପରେ ଅନ୍ତଃ-ସହର ଭାରୀଯାନ ଚଳାଚଳ ସାଙ୍ଗକୁ ସହରର ସାଇକେଲ, ରିକ୍ସା, ମଟର ସାଇକେଲ ଓ ପଥଚାରୀଙ୍କ ଭିଡ଼ ଲାଗି ରହିଲା । ଫଳରେ ଦୁର୍ଘଟଣା ଓ ମୃତାହତଙ୍କ ସଂଖ୍ୟା ବଢ଼ି ଚାଲିଲା । ଏହି ଅବସରରେ ଆଇନଜୀବୀ ମନୋଜ ପଟ୍ଟନାୟକ ସ୍ଥାନୀୟ ଉପ-ଜିଲ୍ଲାପାଳଙ୍କ ଅଦାଲତରେ ଜାତୀୟ ରାଜପଥରେ ଅବ୍ୟବସ୍ଥିତ ଟ୍ରାଫିକ ପରିଚାଳନା ବିରୋଧରେ ସିଆର.ପିସି ଧାରା ୧୩୩ ‘ପବ୍ଳିକ ନ୍ୟୂସେନ୍ସ’ ମକଦ୍ଦମା ଦାୟର କରି ସଫଳତା ହାସଲ କରିଥିଲେ । ଅଜିତ କୁମାର ମିଶ୍ର ସେ ସମୟରେ ବ୍ରହ୍ମପୁରର ଉପ-ଜିଲ୍ଲାପାଳ ଥିଲେ । ଜାତୀୟ ରାଜପଥ ରକ୍ଷଣାବେକ୍ଷଣ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାୟ ଆଠ କୋଟି ଟଙ୍କା ବ୍ୟୟରେ ଜଗନ୍ନାଥପୁରରୁ ଆସିକାରୋଡ଼ ଫାଷ୍ଟଗେଟ ଯାଏଁ ଲୁହାବାଡ଼ ଦେଇ ଦୁଇ ଲେନ ବିଶିଷ୍ଟ ରାସ୍ତା ନିର୍ମିତ ହେଲା । ଏହା ଫଳରେ ଦୁର୍ଘଟଣା ଓ ମୃତାହତଙ୍କ ସଂଖ୍ୟା ବେଶ କମିଯାଇଥିଲା ।


ରାଜ୍ୟ ସରକାରଙ୍କ ପକ୍ଷରୁ ଜଗନ୍ନାଥପୁରରୁ ରତ୍ନପୁର ବ୍ରହ୍ମପୁର ବାଇପାସ ରୋଡ଼ ନିର୍ମାଣ ସଂପର୍କରେ ଘୋଷଣା ପରଠାରୁ ଜାତୀୟ ରାଜପଥ ୫୯ ସହର ମଧ୍ୟରୁ ଘୁଞ୍ଚିଯିବା ନିଶ୍ଚିତ ଥିବା ହେତୁ ରାଜପଥ ପ୍ରାଧୀକରଣ ପକ୍ଷରୁ ଏହି ରାସ୍ତାର ଦାୟିତ୍ୱ ରାଜ୍ୟ ସରକାରଙ୍କ ପୂର୍ତ୍ତବିଭାଗକୁ ହସ୍ତାନ୍ତର କରିବା ଅବଶ୍ୟମ୍ଭାବୀ । ଏହି କାରଣରୁ ଜାତୀୟ ରାଜପଥ ୫୯ର ରକ୍ଷଣାବେକ୍ଷଣ ନିମନ୍ତେ ଆବଶ୍ୟକୀୟ ଆଗ୍ରହ ପ୍ରକାଶ କରୁନଥିବା ଅଭିଯୋଗ ହୁଏ । ଫଳରେ ବ୍ରହ୍ମପୁରବାସୀ ଗୋଟିଏ ରାଜପଥ ଉପଭୋଗର ସୁବିଧା ହରାଇଥିଲେ ଏବଂ ଅନ୍ୟ ଗୋଟିକ ମଧ୍ୟ ହରାଇବେ ! ଯାତାୟତରେ ବ୍ରହ୍ମପୁରବାସୀଙ୍କ ଦୁର୍ଦ୍ଦଶା ବଢ଼ିବ !!


Photo by Nick Fewings on Unsplash 


Friday, July 14, 2023

Fear of Mosquitos / ମଶା ଭୟ

 

ବର୍ଷାଋତୁ ଆରମ୍ଭରୁ #ବ୍ରହ୍ମପୁର ସହର ଜନଜୀବନରେ ମଶା ଭୟ ମାଡ଼ି ବସେ ଓ ଶୀତଋତୁ ଶେଷ ଯାଏଁ ବଳବତ୍ତର ରହେ । ଏଠାରେ ମାର୍ଚ୍ଚ, ଏପ୍ରିଲ, ମେ, ଜୁନ, ଜୁଲାଇ ଓ ଅଗଷ୍ଟ ଛଅ ମାସ ଗ୍ରୀଷ୍ମ ଅନୁଭୂତ ହେବା ଭଳି ଅଗଷ୍ଟ, ସେପ୍ଟେମ୍ୱର, ଅକ୍ଟୋବର, ନଭେମ୍ୱର, ଡ଼ିସେମ୍ୱର ଓ ଜାନୁୟାରୀ ଛଅ ମାସ ମଶା ଭୟ ଲାଗି ରହେ । ମଶା ବଂଶ ବୃଦ୍ଧି ରୋକିବା ସ୍ଥାନୀୟ ପୌରପ୍ରଶାସନର ଦାୟିତ୍ୱ । ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏଥିରେ ଯୋଗ ଦେଇଥାଏ ।

 

ଆମ ରାଜ୍ୟରେ କେବଳ ବ୍ରହ୍ମପୁର କାହିଁକି ଅନ୍ୟାନ୍ୟ ସହରାଞ୍ଚଳରେ ମଧ୍ୟ ମଶା ପ୍ରାଦୁର୍ଭାବ ଏକ ଅଣାୟତ୍ତ ସମସ୍ୟା । ପ୍ରତିବର୍ଷ ଡ଼ିସେମ୍ୱର ମାସରେ ପ୍ରବଳ ମଶା ଦ୍ୱାରା ସହରବାସୀ ଅତିଷ୍ଠ ହୋଇପଡ଼ିବା ପରେ ମଶା ଗଣମାଧ୍ୟମରେ ଶିରୋନାମା ପାଲଟେ । ବିରୋଧି ରାଜନୀତିକ ଦଳଗୁଡ଼ିକପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୁଏ । ପୌର ପ୍ରଶାସନ ପକ୍ଷରୁ ମଶାବଂଶ ନିପାତ ନିମନ୍ତେ ଆଶ୍ୱସନା ପ୍ରଦାନ କରାଯାଏ । ପ୍ରାକୃତିକ ଋତୁଚ଼କ୍ର ପ୍ରଭାବରେ ମଶାଙ୍କ ସଂଖ୍ୟା କମି ଆସିଲେ ଆଲୋଚ଼ନା ସମାଲୋଚନା ଉଭେଇ ଯାଏ ।

 

ତେବେ ମଶା ରାଜ୍ୟର ସହରୀ ଜୀବନଯାତ୍ରାରେ ଏକ କଳଙ୍କ ଏବଂ ମଶାବାହିତ ରୋଗ ଦ୍ୱାରା ଧନଜୀବନ ହାନୀ ଘଟେ । ଏକବିଂଶ ଶତାଦ୍ଦୀ ତୃତୀୟଦଶକ ଚ଼ନ୍ଦ୍ରାୟନ ଓ କୃତ୍ରିମ ବୁଦ୍ଧିମତ୍ତାର ଯୁଗରେ ମଶା ନିୟନ୍ତ୍ରଣରେ ବିଫଳତା ସଭ୍ୟସମାଜରେ ଗ୍ରହଣଯୋଗ୍ୟ ନୁହେଁ । ଆଞ୍ଚଳିକସ୍ତରରେ ବାରମ୍ୱାର ବିଫଳତା ପ୍ରମାଣିତ ହେଉଥିବା ହେତୁ ରାଜ୍ୟସ୍ତରରେ ଅଭିଯାନ ଆୟୋଜନର ଆବଶ୍ୟକତା ଅନୁଭୂତ ହେଉଛି ।

 

ମଶାର ଜୀବନଚ଼କ୍ର ପୁରୁଷ ମଶାଙ୍କ କ୍ଷେତ୍ରରେ ସପ୍ତାହେ ଓ ମାଈ ମଶାଙ୍କ କ୍ଷେତ୍ରରେ ୧୦୦ ଦିନରୁ ପାଞ୍ଚ-ଛଅ ମାସ ଯାଏଁ ପରିବ୍ୟାପ୍ତ । ସହରାଞ୍ଚଳ ଜନବସତିରେ ଉପଲବ୍ଧ ଆବଦ୍ଧ ଜଳରେ ମଶା ଜନ୍ମ ନିଅନ୍ତି ଓ ମାଈ ମଶା ପୁରୁଷ ମଶା ସହ ସଂଗମପରେ ପ୍ରାଣୀ ରକ୍ତ ଖୋଜି ବୁଲେ । ମାଈ ମଶା ମନୁଷ୍ୟଙ୍କୁ କାମୁଡ଼ି ରକ୍ତ ଶୋଷି ସେହି ରକ୍ତରେ ଅଣ୍ଡାଗୁଡ଼ିକୁ ପରିପକ୍ୱ କରି ପୁଣି ଆବଦ୍ଧ ଜଳରେ ଅଣ୍ଡା ଦିଏ । ଅଣ୍ଡାରୁ ଲାର୍ଭା ଓ ପୂର୍ଣ୍ଣାଙ୍ଗ ମଶା ସୃଷ୍ଟି ହୋଇଥାନ୍ତି ।

 

ମଶା ନିୟନ୍ତ୍ରଣ ନିମନ୍ତେ ସହରାଞ୍ଚଳ ଜନବସତି ଘରେ ବାହାରେ ଆବଦ୍ଧ ଜଳ ନିରାକରଣ ନିମନ୍ତେ ପରିଷ୍କାର ପରିଷ୍କୃତ ରଖିବାକୁ ପଡ଼ିଥାଏ । ଏହା ପୌର ପ୍ରଶାସନର କାର୍ଯ୍ୟ । ଏଦିଗରେ ଗୁରୁତ୍ୱ ନ ଦିଆଯାଇପାରୁଥିବା ହେତୁ ସମସ୍ୟାର ସମାଧାନ ହୋଇପାରେ ନାହିଁ । ନିକଟ ଅତୀତର ଅନୁଭୂତିରୁ ଜଣାଯାଏ ଯେ କୋଭିଡ଼-୧୯ ମହାମାରୀ ଅବସରରେ ବ୍ରହ୍ମପୁର ପୌର ପ୍ରଶାସନ କୋଭିଡ଼ ସଂକ୍ରମଣ ନିୟନ୍ତ୍ରଣ କାର୍ଯ୍ୟରେ ବ୍ୟସ୍ତ ରହିବା ଫଳରେ ପାରିପାର୍ଶ୍ୱିକ ପରିବେଶ ସଫାସୁତୁରା ରଖିବା ନିମନ୍ତେ ଯାହା କିଛି କାମ ହେଉଥିଲା ତାହା ବି ଦୁଇ ବର୍ଷ ପାଇଁ ବନ୍ଦ ହୋଇଗଲା । ଫଳରେ ୨୦୨୨-୨୩ ବର୍ଷା ଓ ଶୀତ ଋତୁରେ ମଶା ଉପଦ୍ରବ ଅଣାୟତ୍ତ ପରିସ୍ଥିତିରେ ପହଞ୍ଚିଥିଲା ।

 

ଜନବସତିର ପରିବେଷ୍ଟନୀ ସଫା ସୁତୁରା ରଖା ନଯାଇ ପାରିଲେ ଆବଦ୍ଧ ଜଳରେ ମଶାବଂଶ ବୃଦ୍ଧି ପାଏ । ପ୍ରଥମ ପଦକ୍ଷେପ ଗ୍ରହଣରେ ବିଫଳତା ପରେ ଦ୍ୱିତୀୟ ପଦକ୍ଷେପରେ ମଶାଙ୍କୁ ମାରିବା ପାଇଁ ମଶା ନିପାତ ଧୂଆଁ ଫଗିଂର ସାହାଯ୍ୟ ନିଆଯାଏ । କିରୋସିନିରେ ମାଲାଥିଆନ ଓ ପାଇରୋଥନ ନାମକ ରସାୟନ ସମିଶ୍ରଣରେ ପଂଗିଂ କରାଯାଏ । ଏଥି ନିମନ୍ତେ ୧୯୯୦ରେ ବ୍ରହ୍ମପୁର ପୌର ପ୍ରଶାସନ ପକ୍ଷରୁ ଏକ ଟିଫା ମେସିନ କିଣାଯାଇଥିଲା । ଏହା ଗଟରଗାଡ଼ିରେ ବୁଲେ । ପରବର୍ତ୍ତୀ ପର୍ଯ୍ୟାୟରେ ୪୦ ଗୋଟି ହ୍ୟାଣ୍ଡ ହିଟ ଫଗିଂ ମେସିନ ଓ ପାଞ୍ଚ ଗୋଟି ମିନି ଫଗିଂ ମେସିନ କିଣାଯାଇଛି । ଫଗିଂ ପାଇଁ ବ୍ୟବହୃତ ରସାୟନ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୌର ସଂସ୍ଥାକୁ ଯୋଗାଇ ଦିଆଯାଉଥିଲା । ଗତ ୨୦୨୨-୨୩ରେ ଜନସ୍ୱାସ୍ଥ୍ୟ ବିଭାଗ ନିକଟରେ ରସାୟନ ନଥିବା ହେତୁ ପୌର ସଂସ୍ଥା ଡ଼ିସେମ୍ୱର ଯାଏଁ ଫଗିଂ କାର୍ଯ୍ୟକ୍ରମ ଆୟୋଜନ କରିପାରିନଥିଲା । ଜନସାଧାରଣରେ ତୀବ୍ର ଅସନ୍ତୋଷ ପରେ ୪୨ ଗୋଟି ୱାର୍ଡ ପାଇଁ ଖୋଲା ବଜାରରୁ ୫୦ ଲିଟର ରସାୟନ କିଣି ନାମକୁ ମାତ୍ର ଫଗିଂର ବ୍ୟବସ୍ଥା କରିଥିଲେ ।

 

ବର୍ତ୍ତମାନ ବ୍ରହ୍ମପୁରରେ ଅଗଷ୍ଟ ୨୩ରୁ ଜାନୁୟାରୀ ୨୪ ଛଅ ମାସ ମଶା ଉପଦ୍ରବ ସମ୍ମୁଖୀନ ହେବା ନିମନ୍ତେ ଯୋଜନା ପ୍ରସ୍ତୁତିର ସମୟ ଉପନୀତ । ଅଳିଆ ଆବର୍ଜନା ନିଷ୍କାସନ ନିମନ୍ତେ ସ୍ୱତନ୍ତ୍ର ଅଭିଯାନ ସହ ବର୍ଷା ପରେ ପରେ ମଶା ବଂଶ ମୂଳରୁ ନିପାତ ନିମନ୍ତେ ଫଗିଂର ସହାୟତା ନିଆଗଲେ କେତେକାଂଶରେ ମଶା ନିୟନ୍ତ୍ରଣ ସଂଭବ ହେବା ଆଶା କରାଯାଇପାରେ । ଫଗିଂ ମେସିନ ଚଳାଇବା ନିମନ୍ତେ କର୍ମଚାରୀଙ୍କୁ ତାଲିମ ଦେବା ଅପରିହାର୍ଯ୍ୟ । ଏ ଦିଗରେ ସତର୍କତା ଗ୍ରହଣ ନ କରାଗଲେ ଅସଲ ସମୟରେ ଫଗିଂ ହୋଇପାରିବ ନାହିଁ ।

 

ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ରହ୍ମପୁର ସହରାଞ୍ଚଳରେ ଅବସ୍ଥିତ ଜଳାଶୟଗୁଡ଼ିକରେ ଗପି ଓ ଗୁମ୍ୱସିଆ ମାଛ ଜୁନ ମାସରେ ଛଡ଼ା ଯାଇଥିବା କୁହାଯାଉଛି । ଏହି ମାଛ ମଶା ଲାର୍ଭାଗୁଡ଼ିକୁ ଖାଇଯାଆନ୍ତି । ତେବେ ମାଛର ଜୀବନକାଳ ମାତ୍ର ଦୁଇ ମାସ । ତେଣୁ ଅଗଷ୍ଟ ମାସ ସୁଦ୍ଧା ପ୍ରାଥମିକ ପଦକ୍ଷେପରେ ସଫଳତା ମିଳିଲେ ପୁନରାବୃତ୍ତି ଆବଶ୍ୟକ ପଡ଼ିବ ।

 

ବ୍ରହ୍ମପୁର ପୌରଞ୍ଚଳରେ ମଶା ନିୟନ୍ତ୍ରଣ ନିମନ୍ତେ ଆଗୁଆ ପଦକ୍ଷେପ ଜରୁରୀ । ଏହି ଦିଗରେ ଜନସାଧାରଣ, ନାଗରିକ ସମାଜ ଓ ପୌର ପ୍ରଶାସନ ତତ୍ପରତା ପ୍ରକାଶ କରିବା ବିଧେୟ ।

 

ମଶାଙ୍କ ଜୀବନଚକ୍ର ବର୍ଣ୍ଣିତ ୟୁଟ୍ୟୁବ ଭିଡ଼ିଓ (୪.୩୫ ମିନଟ)

 

https://youtu.be/-IifzvIqGSM


Photo by Nathan Cima on Unsplash