Friday, January 26, 2024

Night Market / ରାତ୍ରୀ ବଜାର

 

#ବ୍ରହ୍ମପୁର ୧୯୮୪ରେ ଏକ ସ୍ୱତନ୍ତ୍ର ପୋଲିସ ଜିଲ୍ଲାରେ ପରିଣତ ହେବା ପୂର୍ବରୁ ସହରର ଜନଜୀବନରେ ରାତ୍ରୀ ବଜାରର କାଟତି ଥିଲା । କେତେକ ଗହଳିଆ ଛକ, ମୁଖ୍ୟତଃ ବଡ଼ ବଜାର ଛକରେ ବିଳମ୍ୱିତ ରାତି ଯାଏଁ ଜଳଖିଆ ବଜାରରେ ଭିଡ଼ ଜମୁଥିଲା । ସହରରେ ୧୯୬୪ ଛାତ୍ର ଆନ୍ଦୋଳନ ପରଠାରୁ କ୍ରମଶଃ ସୃଷ୍ଟି ହୋଇଥିବା ଅଶାନ୍ତ ପରିବେଶ ସଂଭାଳିବା ପାଇଁ ଗଞ୍ଜାମ ପୋଲିସ ଜିଲ୍ଲା ପ୍ରଶାସନକୁ ଦୁଇ ଭାଗ କରି ସ୍ୱତନ୍ତ୍ର ବ୍ରହ୍ମପୁର ପୋଲିସ ଜିଲ୍ଲା ଗଠନପରେ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରାଯାଇଥିଲା ସେଥି ମଧ୍ୟରେ ରାତି ଦଶ ସୁଦ୍ଧା ଦୋକାନ ବଜାର ବନ୍ଦ ଓ ସାର୍ବଜନୀନ ସ୍ଥାନଗୁଡ଼ିକରେ ଜନ ସମାଗମ ବାରଣ କରାଗଲା । ଫଳରେ ବ୍ରହ୍ମପୁରର ରାତ୍ରୀ ବଜାର କ୍ରମଶଃ ସାଂଧ୍ୟ ବଜାରରେ ପରିବର୍ତ୍ତିତ ହୋଇଥିଲା ।

 

ଦେଶ ବିଦେଶରେ ରାତ୍ରୀ ବଜାର କେତେକ ସହରର ଆକର୍ଷଣ । ବ୍ରହ୍ମପୁର ପ୍ରାୟ ନଅ ଦଶକ ଧରି ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଶାସିତ ହୋଇଥିବା ହେତୁ ମାଡ୍ରାସ ନଗରୀର ଜୀବନଶୈଳୀରେ ପ୍ରଭାବିତ ହେବା ସ୍ୱାଭାବିକ । ମାଡ୍ରାସର ଟି-ନଗର ରାତ୍ରୀ ବଜାର ଦୀର୍ଘ ଅତୀତରୁ ଖ୍ୟାତ । ଏଠାରେ ଖାଦ୍ୟପେୟ ସାଙ୍ଗକୁ କପଡ଼ା ଓ ଗହଣା ମଧ୍ୟ ବିକ୍ରୀ ହୁଏ । ଦେଶରେ ଅନ୍ୟାନ୍ୟ ରାତ୍ରୀ ବଜାର ମଧ୍ୟରେ ମୁମ୍ୱାଇର ଗିରଗାଓଁ ଚୌପାଟୀ ଓ କ୍ରାଫୋର୍ଡ ମାର୍କେଟ, ଗୋଆର ଅଞ୍ଜୁନା ଫ୍ଳିଆ ମାର୍କେଟ, ହାଇଦରାବାଦର ଚାରମିନାର ବଜାର ତଥା ଦିଲ୍ଲୀର ସରୋଜିନୀ ନଗର ମାର୍କେଟ ଉଲ୍ଲେଖନୀୟ । ତେବେ ବ୍ରହ୍ମପୁରରେ ରାତ୍ରୀ ବଜାର କେବଳ ଅସ୍ଥାୟୀ ଜଳଖିଆ ଦୋକାନ ଦେଖିବାକୁ ମିଳୁଥିଲା ।

 

ବ୍ରହ୍ମପୁରର ପାଣିପାଗ  ସହରବାସୀଙ୍କ ଗଭୀର ରାତ୍ରୀ ଯାଏଁ ଉଜାଗର ଅଭ୍ୟାସ ସୃଷ୍ଟି କରିଥିଲା । ସହରରେ ମାର୍ଚ୍ଚରୁ ଅକ୍ଟୋବର ଆଠ ମାସ ଗରମ ଅନୁଭୂତ ହୁଏ । ବାୟୁମଣ୍ଡଳରେ ଆଦ୍ରତା ହେତୁ ଝାଳ ବହେ । ତେଣୁ ଗଭୀର ରାତ୍ରୀ ପୂର୍ବରୁ ନିଦ୍ରା ଯିବା ସଂଭବ ହୁଏ ନାହିଁ । ଏଥି ସହ ସାଧାରଣ ନାଗରିକ ବସବାସ କରୁଥିବା ଘରକୁ ଘର ଲାଗି ରହିଥିବା ଧାଡ଼ି ସାହିରେ ଚ଼ର୍ତୁଦିଗରୁ କବାଟ ଝରକାର ସୁବିଧା ନଥିବା ହେତୁ ବାୟୁ ଚଳାଚଳରେ ସମସ୍ୟା କାରଣରୁ ଅଧିକ ଗରମ ଅନୁଭୂତ ହୁଏ । ବୟସ୍କମାନେ ବାରଣ୍ଡାରେ ବସିବା ସହ ଯୁବକୁଳ ଆଖପାଖ ଅଞ୍ଚଳ ବୁଲାଚଲା କରିବାରେ ରାତିରେ କିଛି ସମୟ ଅତିବାହିତ କରନ୍ତି । କେବଳ ଛାତ୍ରଛାତ୍ରୀ ଅଧ୍ୟୟନରତ ଥାନ୍ତି ।

 

ବ୍ରହ୍ମପୁରରେ ୧୯୨୮ରୁ ସ୍ଥାୟୀ ପ୍ରେକ୍ଷାଳୟରେ ଚଳଚ଼ିତ୍ର ପ୍ରଦର୍ଶନ ଆରମ୍ଭ ହୋଇଥିଲା । ଦୈନିକ ଅନ୍ତତଃପକ୍ଷେ ତିନିଗୋଟି ଶୋ ହୁଏ । ମ୍ୟାଟନୀ, ଫାଷ୍ଟ ଶୋ ଓ ସେକଣ୍ଡ ଶୋଅତୀତରେ ଚଳଚ଼ିତ୍ରଗୁଡ଼ିକର ଅବଧି ତିନି ଘଣ୍ଟା ରହୁଥିବା ହେତୁ ଅପରାହ୍ନ ୩ରୁ ମ୍ୟାଟନୀ, ସଂଧ୍ୟା ୬ରୁ ଫାଷ୍ଟ ଶୋ ଓ ରାତ୍ରି ୯ରୁ ସେକେଣ୍ଡ ଶୋର ବ୍ୟବସ୍ଥା ରହୁଥିଲା । ସେକେଣ୍ଡ ଶୋ ମଧ୍ୟରାତ୍ରୀରେ ସରୁଥିଲା । ସହରର ଜନାକୀର୍ଣ୍ଣ ଅଞ୍ଚଳରେ ସେକେଣ୍ଡ ଶୋ ସରିବା ଯାଏଁ ରାସ୍ତାଘାଟରେ ଗହଳଚ଼ହଳ ଲାଗି ରହୁଥିଲା । ଛକ ଗୁଡ଼ିକରେ ସାଧାରଣ ପରିବହନ ସାଇକଲ ରିକ୍ସା ମିଳିଯାଉଥିଲା । ସେକେଣ୍ଡ ଶୋ ସରିବା ପରେ ରାତ୍ରୀ ବଜାର ବନ୍ଦ ହେଉଥିଲା ।

 

ବ୍ରହ୍ମପୁର ରାତ୍ରୀ ବଜାରରେ ଦକ୍ଷିଣ ଭାରତୀୟ ଜଳଖିଆ ଇଡ଼ଲି, ଉପମା, ଚକୁଳି, ଗାରି, ଭାଜି, ହାଲୁଆ ଇତ୍ୟାଦିର କାଟତି ଥିଲା । ଅଷ୍ଟମ ଦଶକ ଶେଷରେ ରାସ୍ତାକଡ଼ ଖାଦ୍ୟ ବଜାରରେ ଆମିଷ ଓ ଚାଇନିଜ ଅନ୍ତର୍ଭୁକ୍ତ ହେଲା । ସ୍ଥାନୀୟ ବାସିନ୍ଦାଙ୍କ ସହ ପର୍ଯ୍ୟଟକ କମ ଖର୍ଚ୍ଚରେ ସୁସ୍ୱାଦୁ ଭଳି-କି-ଭଳି ଗରମ ଖାଦ୍ୟ ପାଇଁ ରାତ୍ରୀ ବଜାରକୁ ପସନ୍ଦ କରୁଥିଲେ । ଚର୍ତୁଦ୍ଦିଗରୁ କାଚ଼ ବାଡ଼ରେ ଆବଦ୍ଧ ଟ୍ରଲି ରାତ୍ରୀ ବଜାରର ଦୃଷ୍ଟି ଆକର୍ଷଣକାରୀ ବିପ୍ପଣୀ । ଏଥିରେ ମୁଖ୍ୟତଃ ଖାରମପୁଷା (ସେଉ), ନରମ ଓ ଟାଣ ପକୋଡ଼ି, ଉଲ୍ଲିଗାରି (ପିଆଜ ବରା), ମସଲା ଗାରି (ମସଲା ବରା), ଶୁଖୁଲା ଆଳୁଦମ, ଭଜା ଆପଡାଲୁ (ପାମ୍ପଡ଼), ବୁନ୍ଦି, ହାଲୁଆ ଇତ୍ୟାଦି ବିକ୍ରୀ ହୁଏ । ଦୋକାନୀ ଟ୍ରଲି ଛାତରେ ଏକ ପିତ୍ତଳ ଘଣ୍ଟି ରଖିଥାଏ । ଗରାଖ ନିମନ୍ତ୍ରଣ ଲାଗି ବେଳେ ବେଳେ ଘଣ୍ଟି ବଜାଏ । କେହି କେହି ଏହାକୁ ମିଶା ପେଡ଼ି ନାମିତ କରିଥିଲେ । ମିଶା ପେଡ଼ିରେ ବିକ୍ରୀ ଖାଦ୍ୟ ପଦାର୍ଥ ପ୍ରତିଦିନ ତିଆରି ହୁଏ । ମିଶା ପେଡ଼ି ଭିତରେ ଏକ ପେଟ୍ରୋମାକ୍ସ ଲଣ୍ଠନ ଜଳୁଥିବା ହେତୁ ଖାଦ୍ୟ ସାମଗ୍ରୀ ସାମାନ୍ୟ ଗରମ ମଧ୍ୟ ରହେଦୋକାନୀ କାହାଳି ପତ୍ର (ଜଙ୍ଗଲରୁ ସଂଗୃହୀତ ହଳଦିଆ-ପାଉଁଶିଆ ରଙ୍ଗର ଏକ ଟାଣ ଶୁଖିଲା ପତ୍ର) କିମ୍ୱା କଞ୍ଚା ଶିଆଳିପତ୍ରରେ ଖାଦ୍ୟ ପରଷେ । କେତେକ କାଚ଼ ପେଡ଼ି ବିଭିନ୍ନ ସାହି ସନ୍ଧ୍ୟାରେ ବୁଲି ବିକେ । ଉତ୍କଳ, ଏସଏସଭିଟି, ବିଜୟା ଓ ଜ୍ୟୋତି ସିନେମା ସମ୍ମୁଖରେ ମଧ୍ୟ କାଚ଼ ପେଡ଼ି ଦେଖିବାକୁ ମିଳୁଥିଲା । ଜଳଖିଆ ପାଇଁ ସ୍ଥାୟୀ ଦୋକାନ ସଂଖ୍ୟା ବଢି ଯିବାରୁ ଅସ୍ଥାୟୀ ଦୋକାନ ସଂଖ୍ୟା କମି ଆସିଲା ।  ବିଗତ ଚାରି ଦଶକ ଧରି ବ୍ରହ୍ମପୁର ରାତ୍ରୀ ବଜାର କ୍ରମଶଃ ସାଂଧ୍ୟ ବଜାରରେ ପରିଣତ ହୋଇଛି ।

Image by Sharon Ang from Pixabay


Friday, January 19, 2024

Palm-beach Hotel / ପାମ ବିଚ଼ ହୋଟେଲ

 

#ବ୍ରହ୍ମପୁର ସହରବାସୀଙ୍କ ଚର୍ଚ୍ଚାରେ ବିଗତ ଶହେ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଗୋପାଳପୁର ପାମ ବିଚ଼ ହୋଟେଲ ଏକ ସଂଭ୍ରାନ୍ତ ଠିକଣା । ପୁରାତନ ଗୋପାଳପୁର ସାମୁଦ୍ରିକ ବନ୍ଦର ପୂର୍ଣ୍ଣ କାର୍ଯ୍ୟକ୍ଷମ ଥିବା ଅବସରରେ ପ୍ରଥମ ବିଶ୍ୱଯୁଦ୍ଧ କାଳରେ ପାମ ବିଚ଼ ହୋଟେଲ ଆରମ୍ଭ ହୋଇଥିଲା । ମୁଖ୍ୟତଃ ରେଙ୍ଗୁନ ଯାତ୍ରୀ ଓ ରେଙ୍ଗୁନରୁ ରପ୍ତାନୀ ଓ ଆମଦାନୀରେ ସଂପୃକ୍ତ ବ୍ୟବସାୟୀଙ୍କ ସାମୟିକ ରହଣୀ ସ୍ଥଳୀ ପାଲଟିଥିଲା । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ସ୍ନିଗ୍ନୋର ମାଗଲିଓନି ନାମକ ଜଣେ ଇଟାଲୀ ନାଗରିକ ପାମ ବିଚ଼ ହୋଟେଲ ନିର୍ମାଣ ଓ ପରିଚାଳନା କରୁଥିଲେ । କୁହାଯାଏ ଓଡ଼ିଶାରେ ଏହା ସର୍ବପୁରାତନ ହୋଟେଲ ଏବଂ ସାରା ଦେଶରେ ପ୍ରଥମ ବିଚ଼ ରିସୋର୍ଟ ।
 
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ରେଙ୍ଗୁନରେ ରାଜନୀତିକ ଅସ୍ଥିରତା କାରଣରୁ ଆମଦାନୀ-ରପ୍ତାନୀ ତଥା ଦେଶାନ୍ତର ଶ୍ରମିକ ପ୍ରଥା ବାଧାପ୍ରାପ୍ତ ହେବା ପରେ ଜାହାଜ ଚଳାଚଳ ବନ୍ଦ ହୋଇ ଯାଇଥିଲା । ଫଳରେ ଗୋପାଳପୁର ବନ୍ଦର ଶୂନଶାନ ହୋଇ ପଡ଼ିଲା । ପାମ ବିଚ଼ ହୋଟେଲକୁ ମାଲିକ ବିକ୍ରୀ କରିଦେବା ନିମନ୍ତେ ମନସ୍ଥ ହୋଇଥିଲେ । ସିମଲା ଓ କୋଲକତାରେ ହୋଟେଲ ଚଳାଉଥିବା ଇଷ୍ଟ ଇଣ୍ଡିଆ ହୋଟେଲସର ମାଲିକ ଏମ୍.ଏସ୍. ଓବରାଇ ତିନି ଲକ୍ଷ ଟଙ୍କାରେ ୧୯୪୭ରେ ସିଗ୍ନୋର ମାଗଲିଓନିଙ୍କଠାରୁ କିଣି ନେଲେ । ଓବରାଇଙ୍କ ମାଲିକାନାରେ ପାମ ବିଚ଼ ହୋଟେଲର ପ୍ରତିପତ୍ତି ବଢ଼ିଥିଲା । କୋଲକତାର ସଂଭ୍ରାନ୍ତ ପରିବାରବର୍ଗ, ମୁଖ୍ୟତଃ ନବବିବାହିତମାନେ ମଧୁଚ଼ନ୍ଦ୍ରିକା ଯାପନ ନିମନ୍ତେ ହୋଟେଲର ଅତିଥି ହେବାକୁ ଲାଗିଲେ । ସୋଭିଏତ ୟୁନିୟନ ବିଭାଜିତ ହେବା ପୂର୍ବରୁ ବହୁ ଋଷୀୟ ପର୍ଯ୍ୟଟକ ମଧ୍ୟ ଆସୁଥିଲେ । ତେବେ ୧୯୯୯ର ମହାବାତ୍ୟାରେ ସମୁଦ୍ରତଟ ହୋଟେଲଟିର ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଓବରାଇ ଗୃପ ୨୦୦୨ରୁ ପାମବିଚ଼ ହୋଟେଲ ବନ୍ଦ କରିଦେବାକୁ ନିଷ୍ପତ୍ତି ନେଇଥିଲେ । ଦିନ କେତେ ହୋଟେଲ ଲିଜରେ ଚଳାଇବା ନିମନ୍ତେ ଉଦ୍ୟମ ହୋଇଥିଲା, କିନ୍ତୁ ତାହା ସଫଳ ହେଲା ନାହିଁ । ଶେଷରେ ୨୦୧୧ରେ ଓଡ଼ିଶାର ଅନ୍ୟତମ ବୃହତ ହୋଟେଲ ବର୍ଗ ମେ-ଫେୟାର ଗୃପ ଦଶ କୋଟି ଟଙ୍କାରେ ଇଷ୍ଟ ଇଣ୍ଡିଆ ହୋଟେଲଠାରୁ କିଣି ନେଇଥିଲେ ।
 
ଇଟାଲୀର ସିସିଲି ଅଧିବାସୀ ସିଗ୍ନୋର ମାଗଲିଓନି ଗୋପାଳପୁରଠାରେ ପାମ ବିଚ ହୋଟେଲ ସ୍ଥାପନ କରିଥିବା ସ୍ଥଳେ କିଛି ବର୍ଷ ପୂର୍ବରୁ ଦୁଇଜଣ ଇଟାଲୀ ହୋଟେଲ ବ୍ୟବସାୟୀ ସିମଲାରେ ସିସିଲଗ୍ରାଣ୍ଡ ନାମରେ ଦୁଇଗୋଟି ହୋଟେଲ ଆରମ୍ଭ କରିଥିଲେ । ଓବରାଇ ସିମଲା ଓ କୋଲକତା ପରେ ଗୋପାଳପୁରରେ ହୋଟେଲ କିଣିଥିଲେ । ପାମବିଚ଼ ହୋଟେଲ ୧୨ ଏକର ପରିମିତ ଜମିରେ ଅବସ୍ଥିତ । ଏହାର ମୌଳିକ ସ୍ଥାପତ୍ୟ ଭୂ-ମଧ୍ୟସାଗରୀୟ ଛାପ ବହନ କରେ । ଅତୀତରେ ପାମ ବିଚ଼ ହୋଟେଲର ପରିବେଶ, ଧଳା ଆସବାବପତ୍ର, ଶାନ୍ତ ବିସ୍ତୀର୍ଣ୍ଣ ପ୍ରାଙ୍ଗଣ ବିଦେଶର ଭ୍ରମ ସୃଷ୍ଟି କରୁଥିଲା । ହୋଟେଲର ମାଲିକନା ଦୁଇ ଥର ପରିବର୍ତ୍ତିତ ହୋଇଥିଲେହେଁ ମୌଳିକ ଆଙ୍ଗିକକୁ ସୁରକ୍ଷିତ ରଖିବା ନିମନ୍ତେ ଉଦ୍ୟମ କରାଯାଇଥିବା କୁହାଯାଏ ।
 
ପାମ ବିଚ଼ ହୋଟେଲ ମେ-ଫେୟାର ପାମ ବିଚ଼ ରିସର୍ଟରେ ପରିବର୍ତ୍ତିତ ହେବା ପରେ ବ୍ୟାପକ ସଂପ୍ରସାରଣ ସଂଭବ ହୋଇଛି । ମୋଟ ୧୪୧ ଗୋଟି କଠୋରୀ ବିଶିଷ୍ଟ ହୋଟେଲରେ ପର୍ଯ୍ୟଟନ ଋତୁରେ ଭଡ଼ା ହାରାହାରି ଦୈନିକ ୧୨ରୁ ୧୬ ହଜାର ହିସାବ କରାଯାଏ । ପର୍ଯ୍ୟଟନ ଅଭିବୃଦ୍ଧିରେ ହୋଟେଲ କଠୋରୀ ସଂଖ୍ୟା ବୃଦ୍ଧି ମୁଖ୍ୟ ଭିତ୍ତିଭୂମି । କଠୋରୀ ନିର୍ମିତ ହେବାପରେ ପର୍ଯ୍ୟଟକ ଖୋଜାରେ ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦିଆଯାଏ । ପାରିପାର୍ଶ୍ୱିକ ପରିବେଶ ପର୍ଯ୍ୟଟନ ଉପଯୋଗୀ ସୁବିଧା ସୁଯୋଗ ସୃଷ୍ଟି ନିମନ୍ତେ ଯତ୍ନ ନିଆଯାଏ । ଗୋପାଳପୁରକୁ ଉଚ୍ଚବର୍ଗର ପର୍ଯ୍ୟଟକ ଆଗମନରେ ଗୋପାଳପୁର ସମେତ ବ୍ରହ୍ମପୁରରେ ବ୍ୟାବସାୟିକ ଉନ୍ନତି ଆଶା କରାଯାଇପାରେ । ଗୋପାଳପୁର ବନ୍ଦର ସହରରୁ ପର୍ଯ୍ୟଟନ ସହର ରୂପାନ୍ତରଣରେ ପାମ ବିଚ଼ ହୋଟେଲପ୍ରମୁଖ ଭୂମିକା ଗ୍ରହଣ କରିଆସିଛି ।

Image by Quang Nguyen vinh from Pixabay


Friday, January 12, 2024

Swachh Survekshan 2023 / ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩

 

ଜାତୀୟସ୍ତରରେ ସ୍ୱଚ୍ଛ ସର୍ବେକ୍ଷଣ ବିବରଣୀ ୨୦୨୩ରେ #ବ୍ରହ୍ମପୁର ପୌର ନିଗମର ସ୍ଥିତି ପଛୁଆ ରହିଥିବା ହେତୁ ଗଣମାଧ୍ୟମରେ ସମାଲୋଚ଼ିତ ହୋଇଥିଲା । କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ୨୦୧୬ରୁ ଦେଶବ୍ୟାପୀ ବାର୍ଷିକ ସହରାଞ୍ଚଳ ସ୍ୱଚ୍ଛ ସର୍ବେକ୍ଷଣ ଆୟୋଜିତ ହୋଇଥାଏ । ପ୍ରକାଶିତ ୨୦୨୩ ବିବରଣୀରେ ଏକ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ବର୍ଗରେ ସ୍ୱଚ୍ଛତା ସମୀକ୍ଷାରେ ବ୍ରହ୍ମପୁରର ସ୍ଥାନ ୧୧୧ ନିର୍ଦ୍ଧାରିତ ହୋଇଛି । ରାଜ୍ୟସ୍ତରରେ ଚ଼ତୁର୍ଥ ସ୍ଥାନ ଅଧିକାର କରିଛି । ସମାଲୋଚକମାନଙ୍କ ଯୁକ୍ତି ହେଲା ୨୦୧୯ରେ ସ୍ୱଚ୍ଛ ସର୍ବେକ୍ଷଣ ରିପୋର୍ଟରେ ରାଜ୍ୟସ୍ତରରେ ବ୍ରହ୍ମପୁର ପ୍ରଥମ ସ୍ଥାନ ଅଧିକାର କରିଥିଲା । ୨୦୨୦ ଓ ୨୦୨୧ରେ ମଧ୍ୟ ପ୍ରଥମ ସ୍ଥାନ ବଜାୟ ରହିଥିଲା । ଜାତୀୟସ୍ତରରେ ବ୍ରହ୍ମପୁର ୨୦୨୦ରେ ୮୯ତମ ସ୍ଥାନ ଓ ୨୦୨୧ରେ ୫୬ ତମ ସ୍ଥାନରେ ପହଞ୍ଚିଥିଲା । କିନ୍ତୁ ୨୦୨୨ରେ ରାଜ୍ୟସ୍ତରରେ ଚ଼ତୁର୍ଥ ସ୍ଥାନକୁ ଖସି ଆସିଥିଲା । ତେଣୁ ସହରର ପରିମଳ ବ୍ୟବସ୍ଥା ସୁଚାରୁରୂପେ ପରିଚାଳନା ହୋଇପାରୁ ନାହିଁ ।
 
ସମାଜତତ୍ତ୍ୱବିତମାନେ ସହରାଞ୍ଚଳ ସ୍ୱଚ୍ଛ ସର୍ବେକ୍ଷଣ ପଦ୍ଧତି ତୃଟିପୂର୍ଣ୍ଣ ବିବେଚ଼ନା କରିଥାନ୍ତି । ସେମାନଙ୍କ ମତରେ ସ୍ୱଚ୍ଛତା ପରିମାପରେ ଉପଭୋକ୍ତାଙ୍କ ସନ୍ତୁଷ୍ଟି ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ । ପୌର ନିଗମର ମୂଳ ଉଦ୍ଦେଶ୍ୟ ନାଗରିକଙ୍କୁ ସେବା ଯୋଗାଇବା । ପ୍ରତ୍ୟେକ ପୌର ନିଗମର ସେବା କ୍ଷେତ୍ରରେ ସଂପୃକ୍ତ ସହରାଞ୍ଚଳର ନାଗରିକଗଣ କେତେଦୂର ଉପକୃତ ହେଉଛନ୍ତି ବା ସନ୍ତୋଷ ପ୍ରକଟ କରୁଛନ୍ତି ତାହା ହିଁ ସ୍ୱଚ୍ଛତାର ପରିମାପ । ତେବେ ପୌର ନିଗମର ସ୍ୱଚ୍ଛତା କାର୍ଯ୍ୟକ୍ରମ କେତେଦୂର ଉପଭୋକ୍ତା-କେନ୍ଦ୍ରୀକ ହୋଇପାରୁଛି, ତାହା ମପା ଯାଇ ନପାରିଲେ ଆଳଙ୍କରିକ ପରିସଂଖ୍ୟାନରେ ପ୍ରତିଫଳିତ ହୋଇନଥାଏ । ସହରର ସାଧାରଣ ନାଗରିକଟିଏ ଯଦି ପରିମଳ ସଂକ୍ରାନ୍ତୀୟ କୌଣସି ସମସ୍ୟା ବା ଅବହେଳାର ଶୀକାର ହେଉଛି, ତାହା ସର୍ବସାଧାରଣରେ ପ୍ରକାଶ କରିବାର ସୁଯୋଗ ପାଇବା ଏବଂ ପୌର ନିଗମ କର୍ତ୍ତୃପକ୍ଷ କଣ ସମାଧାନ କରିପାରୁଛନ୍ତି ତାହା ସାର୍ବଜନୀନସ୍ତରରେ ଘୋଷିତ ହେଲେ ସହରର ସ୍ୱଚ୍ଛତା କ୍ଷେତ୍ରରେ ଗୁଣାତ୍ମକ ବିକାଶ ସଂଭବ । ଆଧୁନିକ ପ୍ରଯୁକ୍ତି କୌଶଳ ପ୍ରୟୋଗରେ ସାଧାରଣ ସୋସିଆଲ ମିଡ଼ିଆ ଉପଯୋଗରେ ଏହି ଭଳି ଦ୍ୱିପାକ୍ଷିକ ମଞ୍ଚ ପ୍ରସ୍ତୁତି ସଂଭବ ଥିବା ସ୍ଥଳେ ଅଣଦେଖା କରାଯାଇଥାଏ । ପୌର ନିଗମ ୱେବସାଇଟରେ ନାଗରିକ ଅଭିଯୋଗ ଦରଜ କଲେ ତାହା ସାର୍ବଜନୀନ ଦୃଶ୍ୟମାନ ହୋଇପାରି ନଥାଏ କିମ୍ୱା ସମାଧାନର ପ୍ରତ୍ୟୁତ୍ତର ମିଳିନଥାଏ ।
 
କେତେକ ଗଣମାଧ୍ୟମ ରିପୋର୍ଟରେ ବ୍ରହ୍ମପୁର ପୌର ନିଗମର ସ୍ୱଚ୍ଛତା ପରିମାପରେ ର୍ୟାଙ୍କ ହ୍ରାସ ନିମନ୍ତେ ପରିମଳ ସଜାଡ଼ିବା ଲାଗି ଠିକା ଘରୋଇ ସଂସ୍ଥା ପଦ୍ଧତିକୁ ତୃଟିପୂର୍ଣ୍ଣ ଦର୍ଶାଇଥିଲେ । ଦେଶବ୍ୟାପୀ ପୌର ସେବା ଘରୋଇକରଣ ଜାରୀ ରହିଛି ଏବଂ ବିଭିନ୍ନ କାରଣରୁ ଭବିଷ୍ୟତରେ ମଧ୍ୟ ସଂପ୍ରସାରିତ ହେବ । ପ୍ରଶ୍ନ ଉଠେ, ସହରର ପରିମଳ ବ୍ୟବସ୍ଥା ଘରୋଇକରଣପରେ ଆବର୍ଜନା ନିଷ୍କାସନ ଓ ପ୍ରକ୍ରିୟାକରଣ ଦିଗରେ କାର୍ଯ୍ୟଦକ୍ଷତାରେ କିପରି ଗୁଣାତ୍ମକ ଅଭିବୃଦ୍ଧି ସଂଭବପର । ସାଧାରଣ ବିଚାରରେ ଉପଭୋକ୍ତାଙ୍କ ସମୀକ୍ଷା ପ୍ରତି ପୌର ନିଗମ କର୍ତ୍ତୃପକ୍ଷ ପ୍ରାଥମିକତା ଦେବାକୁ ପଡ଼ିବ । ଉଦାହରଣରେ କୌଣସି ଅଞ୍ଚଳରେ ଆବର୍ଜନା ଠୁଳ କରିବା ପରେ ତାହା ପ୍ରକ୍ରିୟାକରଣ ସ୍ଥଳୀକୁ ସ୍ଥାନାନ୍ତରିତ କରିବା ପରିବର୍ତ୍ତେ ନିଆଁ ଲଗାଇ ଦିଆଯାଉଛି । ଏକଥା ସଂପୃକ୍ତ ଅଞ୍ଚଳର ଜନସାଧାରଣ ଜାଣନ୍ତି । ସେମାନେ ପୌରନିଗମକୁ ଜଣାଇଲେ ଯଦି ସଙ୍ଗେ ସଙ୍ଗେ ସରଜମିନ ତଦନ୍ତ କରି ଦୋଷୀକୁ ଖୋଜା ଯାଆନ୍ତା, ତେବେ ଦିନ କେତେଟାରେ ସମସ୍ୟାର ସ୍ଥାୟୀ ସମାଧାନ ସଂଭବପର ହୁଅନ୍ତା । ତଥ୍ୟ ସାର୍ବଜନୀନ ମଞ୍ଚରେ ସ୍ଥାନୀତ ହେଲେ ଅସାଧୁ ଠିକାଦାର ବା କର୍ମଚାରୀ କେହି ଖସିଯାଇପାରନ୍ତେ ନାହିଁ । ଏହି ଭଳି ବହୁ ନାଗରିକ ସମସ୍ୟା ଉପଲବ୍ଧ ପ୍ରଯୁକ୍ତି କୌଶଳ ଉପଯୋଗରେ ସଂଭବ । କିନ୍ତୁ ଏ ଦିଗରେ କିଏ ଦୃଷ୍ଟି ଦେଉଛି ?
 
ବଡ଼ ସହରଗୁଡ଼ିକରେ ସ୍ଥାନୀୟ ସ୍ୱଚ୍ଛତା ପ୍ରତି ନାଗରିକ ସମାଜ ଗୁଡ଼ିକ ତତ୍ପର । ରାଜ୍ୟସ୍ତରୀୟ ଓ ଜାତୀୟ ସ୍ୱଚ୍ଛ ସର୍ବେକ୍ଷଣ ଭଳି ଉତ୍ସାହୀ ସହରବାସୀ ସାମୟିକଭାବେ ଲିଖିତ ଆକାରରେ ବେସରକାରୀ ସ୍ୱଚ୍ଛତା ରିପୋର୍ଟ ପ୍ରସ୍ତୁତ କରନ୍ତି । ସ୍ଥାନୀୟ ଗଣମାଧ୍ୟମରେ ତାହା ଚର୍ଚ୍ଚା ହୁଏ । ଅବଶ୍ୟକସ୍ଥଳେ ନ୍ୟାୟିକ ପଦକ୍ଷେପ ମଧ୍ୟ ନିଆଯାଏ । ହୁଏତ ବ୍ରହ୍ମପୁର ସେହି ସ୍ତରର ନାଗରିକ ସଂପୃକ୍ତି ସିଟିଜେନ ଏଙ୍ଗେଜମେଣ୍ଟରେ ପହଞ୍ଚିବା ନିମନ୍ତେ ଆହୁରି ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବ !


Image by Andreas Lischka from Pixabay


Friday, January 5, 2024

Early Guests in Chilika / ଚିଲିକାରେ ଆଗୁଆ ଅତିଥି

 

#ବ୍ରହ୍ମପୁର ନିକଟବର୍ତ୍ତୀ ଚ଼ିଲିକା ହ୍ରଦରେ ପ୍ରତିବର୍ଷ ଜାନୁୟାରୀ ପ୍ରଥମ ସପ୍ତାହରେ ପକ୍ଷୀଗଣନା କାର୍ଯ୍ୟକ୍ରମ ସରକାରୀସ୍ତରରେ ଆୟୋଜିତ ହୁଏ । ଚଳିତ ୨୦୨୪ର ବାର୍ଷିକ ପକ୍ଷୀଗଣନା ୪ ଜାନୁୟାରୀରେ ସମ୍ପନ୍ନ ହୋଇଥିଲା । ଏଥିଲାଗି ୨୧ ଗୋଟି ଦଳରେ ୧୩୦ ଜଣ ଗଣନାକାରୀଙ୍କୁ ସାମିଲ କରାଯାଇଥିଲା । ବଡ଼ି ସକାଳ ୬ରୁ ମଧ୍ୟାହ୍ନ ୧୨ ଯାଏଁ ପରିବ୍ୟାପ୍ତ ପକ୍ଷୀଗଣନାରେ ପ୍ରାୟ ୧୧ ଲକ୍ଷ ୩୮ ହଜାର ପକ୍ଷୀଙ୍କୁ ଠାବ କରାଯାଇଥିଲା । ଏମାନଙ୍କ ମଧ୍ୟରେ ସ୍ଥାନୀୟ ବାସିନ୍ଦା ଓ ବିଦେଶାଗତ ପକ୍ଷୀ ସାମିଲ । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ସ୍ଥାନୀୟ ବାସିନ୍ଦା ପକ୍ଷୀଙ୍କ ସଂଖ୍ୟା ୭୯ ପ୍ରଜାତିର ପ୍ରାୟ ୩୯ ହଜାର ଥିବା ସ୍ଥଳେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ୧୦୮ ପ୍ରଜାତିର ପ୍ରାୟ ଏଗାର ଲକ୍ଷ । ଶୀତ ଋତୁରେ ଚିଲିକାକୁ ସୁଦୂର ସାଇବେରିଆ, କାଜଗିସ୍ଥାନ, ବୈକାଲ ହ୍ରଦ, କାସ୍ପିଆନ ସାଗର, ଉତ୍ତର ୟୁରୋସିଆ ତଥା ରୁଷର ଆଭ୍ୟନ୍ତରୀଣ ଅଞ୍ଚଳରୁ ଦେଶାନ୍ତରୀ ପକ୍ଷୀ ଚିଲିକା ଆସିଥାନ୍ତି । କୁହାଯାଏ ଯେ ଉତ୍ତର ଗୋଲାର୍ଦ୍ଧରେ ପ୍ରବଳ ଶୀତ ଓ ଆହାର ଅଭାବରୁ ପକ୍ଷୀମାନେ ହଜାର ହଜାର କିଲୋମିଟର ଅତିକ୍ରମ କରି ଅପେକ୍ଷାକୃତ ଉଷ୍ମ ଓ ମତ୍ସ୍ୟ ସମ୍ପଦ ଭରପୁର ଚିଲିକା ହ୍ରଦରେ ଋତୁଭିତ୍ତିକ ଅତିଥି ସାଜିଥାନ୍ତି ।
 
ଚିଲିକାରେ ଏକ, ଦୁଇ, ତିନି ହିସାବ କରି ପକ୍ଷୀ ଗଣନା ହୁଏନି । ସ୍ୱତନ୍ତ୍ର ଦୂରବୀକ୍ଷଣ ଯନ୍ତ୍ର ବାଇନାକୂଲରଭଳି ଯନ୍ତ୍ରର ପରିଧିରେ ଯେତିକି ସଂଖ୍ୟକ ପକ୍ଷୀ ଦେଖିବାକୁ ମିଳନ୍ତି ତାହାର ଗଣନା ସଂପ୍ରସାରିତ ଅଞ୍ଚଳ ହିସାବକୁ ନେଇ ସଂଖ୍ୟା ନିର୍ଦ୍ଧାରଣ କରାଯାଇଥାଏ । ଏହା ପକ୍ଷୀ ସଂଖ୍ୟା ଆକଳନ ନିମନ୍ତେ ସ୍ୱୀକୃତି ପ୍ରାପ୍ତ ବୈଜ୍ଞାନିକ ଧାରା । ଏହି ଯନ୍ତ୍ର ବ୍ୟବହାର ସଂପର୍କରେ ପକ୍ଷୀଗଣନାକାରୀଙ୍କୁ ପୂର୍ବରୁ ତାଲିମ ପ୍ରଦାନ କରାଯାଏ ।
 
ଚିଲିକା ପକ୍ଷୀ ଗଣନାରେ ୨୦୨୩ ତୁଳନାରେ ୨୦୨୪ରେ ପ୍ରାୟ ପାଞ୍ଚ ହଜାର ୮୦୦ ବଢ଼ିଥିବା ଜଣାଯାଇଛି । ଅନ୍ୟ ଏକ ଉଲ୍ଲେଖଯୋଗ୍ୟ ବିଷୟ ଏହିଯେ ବିଗତ କିଛି ବର୍ଷ ଧରି ବିଦେଶାଗତ ପକ୍ଷୀମାନେ ଅତୀତ ତୁଳନାରେ ସଅଳ ଆସି ଚିଲିକାରେ ପହଞ୍ଚୁଛନ୍ତି । ଉଦାହରଣରେ ୭ ଅକ୍ଟୋବର ୨୦୨୩ରେ ଚିଲିକାର ନଳବଣ ଅଞ୍ଚଳରେ ପ୍ରାୟ ୫୦ ଗୋଟି ଦେଶାନ୍ତରୀ ପକ୍ଷୀ ଠାବ କରାଯାଇଥିଲା । ପୂର୍ବ ବର୍ଷ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ବିଦେଶୀ ପକ୍ଷୀ ଆସିଥିଲେ । ବିଶେଷଜ୍ଞମାନେ ଏହି ପରିବର୍ତ୍ତନ ପଛରେ ଉତ୍ତର ଗୋଲାର୍ଦ୍ଧରେ ସଅଳ ଶୀତ ପଡୁଥିବା, ଖାଦ୍ୟ ଅଭାବ ଦେଖାଦେଉଥିବା ତଥା ଚଳିତ ବର୍ଷ ଉତ୍ତରାଖଣ୍ଡ ଓ ସିକିମରେ ବନ୍ୟା ବିତ୍ପାତ ଭଳି କାରଣକୁ ଦାୟୀ କରିଥାନ୍ତି । ଆଶ୍ଚର୍ଯ୍ୟର ବିଷୟ ଦେଶାନ୍ତରୀ ପକ୍ଷୀଙ୍କ ପ୍ରଥମ ଦଳ ଚିଲିକା ପହଞ୍ଚିଲା ବେଳକୁ ଏଠାକାର ତାପମାତ୍ରା ୩୩ରୁ ୩୫ ଡ଼ିଗ୍ରୀ ସେଣ୍ଟିଗ୍ରେଡ଼ ମାପ କରାଯାଉଥିଲା । ସାଧାରଣରେ ମାର୍ଚ୍ଚ ମାସ ସୁଦ୍ଧା ହ୍ରଦର ତାପମାତ୍ରା ୪୦ ଡ଼ିଗ୍ରୀ ସେଣ୍ଟିଗ୍ରେଡ଼ରେ ଛୁଇଁବା ବେଳକୁ ଦେଶାନ୍ତରୀ ପକ୍ଷୀମାନେ ଚିଲିକାରୁ ନିଜ ବାସସ୍ଥଳ ଅଭିମୁଖେ ଫେରିଯାଇଥାନ୍ତି । ବିଦେଶାଗତ ପକ୍ଷୀ ଗରମ ସହି ପାରନ୍ତି ନାହିଁ ।
 
ଶୀତଋତୁରେ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ମଧ୍ୟରୁ ପଲେ ଦି ପଲ ଋଷିକୂଲ୍ୟା ମୁହାଣ, ସୁରଳ, ସୁମାଣ୍ଡି ଓ ସୋନପୁର ବେଳାଭୂମିରେ ପହଞ୍ଚନ୍ତି । ଚଳିତ ବର୍ଷ ୧୦ ଜାନୁୟାରୀ ୨୦୨୪ରୁ ତିନି ଦିନ ବ୍ୟାପୀ ବ୍ରହ୍ମପୁର ବନଖଣ୍ଡରେ ପକ୍ଷୀ ଗଣନା କରାଯିବ ।
 
ଚିଲିକା ହ୍ରଦରେ ଅକ୍ଟୋବରରୁ ମାର୍ଚ୍ଚ ଯାଏଁ ଛଅ ମାସ ପ୍ରାୟ ଏଗାର ଲକ୍ଷ ବିଦେଶାଗତ ପକ୍ଷୀ ଅବସ୍ଥାନ କରୁଥିବା ଘଟଣାକ୍ରମକୁ ଏକ ଲୋଭନୀୟ ପର୍ଯ୍ୟଟନ ବିଭବ ଭାବେ ଗ୍ରହଣ କରାଯାଇପାରେ । ତେବେ ତଦ୍ଅନୁରୂପ ପର୍ଯ୍ୟଟକଙ୍କ ଭିଡ଼ ଜମି ପାରୁନଥିବା କ୍ଷୋଭର ବିଷୟ । ହୁଏତ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସଂପର୍କରେ ଆବଶ୍ୟକୀୟ ପ୍ରଚାରପ୍ରସାର ହୋଇପାରୁନାହିଁ, ପର୍ଯ୍ୟଟନ ବିକାଶଲାଗି ସମକାଳରେ ଆଦୃତ ପନ୍ଥା ପ୍ରଯୋଜନା କରାଯାଇପାରୁ ନାହିଁ କିମ୍ୱା ପର୍ଯ୍ୟଟନର ଉନ୍ନତି ଲାଗି ସ୍ଥାନୀୟ ବ୍ୟବସାୟୀ ଓ ଜନସାଧାରଣଙ୍କ ଉଚ଼ିତ ଭାଗିଦାରୀ ଆୟୋଜନ କରାଯାଇ ପାରୁନାହିଁ । ପ୍ରାୟ ଏଗାର ଶହ ବର୍ଗ କିଲୋମିଟର ପ୍ରସାରିତ ଚିଲିକା ହ୍ରଦ ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଅଂଶବିଶେଷ । ତେବେ ପୁରୀ ଓ ଭୁବନେଶ୍ୱର ବାଦେ ବ୍ରହ୍ମପୁର ନିକଟତମ ବଡ଼ ସହର ହୋଇଥିବା ହେତୁ ଚିଲିକା ପର୍ଯ୍ୟଟନରେ ବ୍ରହ୍ମପୁରର ଯୋଗଦାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।


Image by Bishnu Sarangi from Pixabay


Friday, December 29, 2023

1st January 2024 / ଜାନୁୟାରୀ ପହିଲା, ୨୦୨୪

 


ଅତୀତ #ବ୍ରହ୍ମପୁର ସହରର ପ୍ରଭାବଶାଳୀ ଜନନାୟକଙ୍କ ମଧ୍ୟରେ ଶଶିଭୂଷଣ ରଥ ଅନ୍ୟତମ । ସେ ବ୍ରହ୍ମପୁରରୁ ୧୯୧୩ରେ ସାପ୍ତାହିକ ଆଶା ପତ୍ରିକା ପ୍ରକାଶନ ଆରମ୍ଭ କରିବା ଅବସରରେ ସହରର ରାଜନୀତିକ, ସାଂସ୍କୃତିକ ଓ ସାମାଜିକ ଜୀବନରେ ଅଙ୍ଗାଙ୍ଗୀଭାବେ ଜଡ଼ିତ ହୋଇଥିଲେ । ଇଂଲିଶ ଶାସନରେ ୧୯୩୬ ଯାଏଁ ବ୍ରହ୍ମପୁର ମାଡ୍ରାସ ପ୍ରେସିଡ଼େନ୍ସି ଅଧୀନସ୍ଥ ଥିବା ହେତୁ ସହରରେ ଦାକ୍ଷିଣାତ୍ୟ ପ୍ରଶାସକ ଓ ବ୍ୟବସାୟୀଙ୍କ ଅଧିପତ୍ୟ ଜାହିର ଥିଲା । ଶଶିଭୂଷଣ ମୂଳତଃ ଓଡ଼ିଆ ଭାଷାଭାଷୀଙ୍କୁ ଏକତ୍ରୀତକରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଦକ୍ଷିଣାଞ୍ଚଳ ଓଡ଼ିଆ ଭାଷାଭାଷୀଙ୍କ ସ୍ୱାର୍ଥ ସଂରକ୍ଷଣ ଓ ବ୍ରହ୍ମପୁର ସହରର ବହୁମୁଖୀ ଉନ୍ନୟନ ଦିଗରେ ନେତୃତ୍ୱ ନେଇଥିଲେ ।
 
ପ୍ରାକୃତିକ ଓଡ଼ିଶାରେ ବ୍ରହ୍ମପୁରରେ ସର୍ବପ୍ରଥମ ପୌରପାଳିକା ରୂପେ ୧୮୬୭ରେ ସ୍ଥାପିତ ହୋଇଥିଲା । ତେବେ ସେ ସମୟରେ ପୌରସଭା ବା କାଉନସିଲକୁ ସଦସ୍ୟ ନିର୍ବାଚନ ବଦଳରେ ସରକାରଙ୍କ ଦ୍ୱାରା ମନୋନୀତ ହେଉଥିଲେ । ସେହି ଅବସ୍ଥାରେ ଓଡ଼ିଆମାନଙ୍କ ପ୍ରତିନିଧିତ୍ୱ ପ୍ରାୟ ରହୁନଥିଲା । ସାପ୍ତାହିକ ଆଶା ପ୍ରକାଶନ ଆରମ୍ଭ ପରେ ୧୯୧୪ ପୌର ସଦସ୍ୟ ମନୋନୟନରେ ସ୍ଥାନୀୟ ଓକିଲ ସାର ପର୍ଶୁରାମ ପାତ୍ର ନଗରପାଳ ଓ ଶଶିଭୂଷଣ ରଥ ଉପ-ନଗରପାଳ ପଦବୀରେ ଅଧିଷ୍ଠିତ ହୋଇଥିଲେ । ଦୁଇଜଣ ଓଡ଼ିଆ ବ୍ୟକ୍ତି ସହରର ଉନ୍ନୟନ ଦାୟିତ୍ୱ ଗ୍ରହଣ କରିଥିବା ହେତୁ ସ୍ଥାନୀୟ ଓଡ଼ିଆ ଭାଷାଭାଷୀଙ୍କ ମଧ୍ୟରେ ଉଦ୍ଦୀପନା ଖେଳି ଯାଇଥିଲା ।
 
କୁହାଯାଏ ଯେ ପଡ଼ୋଶୀ ମଞ୍ଜୁଷାର ରାଜା ଶଶିଭୂଷଣ ରଥଙ୍କୁ ବ୍ରହ୍ମପୁର ପୌରପାଳିକା ପଦବୀ ଗ୍ରହଣ ପରେ ଏକ ଘୋଡ଼ାଗାଡ଼ି ଉପହାର ଦେଇଥିଲେ । ସେ ଘୋଡ଼ାଗାଡ଼ି ଚଢ଼ି ସହରର ଗଳିକନ୍ଦି ବୁଲି ପରିମଳ ଓ ଉନ୍ନୟନ କାର୍ଯ୍ୟାବଳୀ ତଦାରଖ କରୁଥିଲେ । ଘୋଡ଼ାଗାଡ଼ିରେ ଏକ ଘଣ୍ଟି ଲଗାଯାଇଥିଲା ଏବଂ ଘୋଡ଼ାଗାଡ଼ିଟି ଚାଲିବା ସମୟରେ ଜଣେ ବ୍ୟକ୍ତି ଅନବରତ ଘଣ୍ଟି ବଜାଉଥିଲେ । ଏତଦ୍ୱାରା ଉପ-ନଗରପାଳଙ୍କ ପରିଦର୍ଶନ ସଂପର୍କରେ ଜନସାଧାରଣ ଅବଗତ ହେଉଥିଲେ । ବିଭିନ୍ନ ସାହିରେ ଦଳ ଦଳ ଲୋକ ଘୋଡ଼ାଗାଡ଼ି ଅଟକାଇ ନିଜ ଅଞ୍ଚଳର ସମସ୍ୟା ସଂପର୍କରେ ଅଭିଯୋଗ ବର୍ଣ୍ଣନା କରୁଥିଲେ । ଦୀର୍ଘ ୧୧୦ ବର୍ଷ ପରେ ଘଟଣାଟି ଚଳଚ଼ିତ୍ର ଦୃଶ୍ୟ ପ୍ରତୀୟମାନ ହେଉଥିଲେହେଁ, ବାସ୍ତବ ଥିଲା ।
 
ସାର ପର୍ଶୁରାମ ପାତ୍ର ଓ ଶଶିଭୂଷଣ ରଥଙ୍କ ପୌରପାଳିକା ଦାୟିତ୍ୱ ନିର୍ବାହ କାଳରେ ସହରକୁ ପ୍ରଥମ ଥର ପାଇଁ ପାଇପ ଜଳ ଯୋଗାଣ ଆରମ୍ଭ ହୋଇଥିଲା । ପ୍ରତି ସାହି ମୁଣ୍ଡରେ ସାର୍ବଜନୀନ ପାଇପ ପାଣି ଷ୍ଟାଣ୍ଡପୋଷ୍ଟ ନିର୍ମାଣ ଓ ଯାନବାହାନରେ ନିୟୋଜିତ ଘୋଡ଼ା, ବୁଲା ଗାଈଗୋରୁଙ୍କ ତୃଷ୍ଣା ନିବାରଣ ନିମନ୍ତେ ପଥର ନିର୍ମିତ କୁଣ୍ଡରେ ଜଳ ଗଚ୍ଛିତ ରଖିବା ଧାରା ବ୍ରହ୍ମପୁର ସହର ଜୀବନରେ ସ୍ୱାତନ୍ତ୍ର୍ୟ ପ୍ରତିପାଦନ କରୁଥିଲା । ଏହି ସମୟରେ ରାସ୍ତାର ଉଭୟକଡ଼ରେ ପକ୍କା ନର୍ଦ୍ଦମା ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଥିଲା । ସହରରେ ଅନଧିକାର ନିର୍ମାଣ କାର୍ଯ୍ୟର ଶଶିଭୂଷଣ ବିରୋଧ କରିଥିଲେ । ତାଙ୍କରି ତତ୍ତ୍ୱାବଧାନରେ ଗିରି ମାର୍କେଟ ଗଜପତି ଛକରୁ ବଡ଼ବଜାର ଛକ ଯାଏଁ ସିଧାସଳଖ ରାସ୍ତା ପୁନଃନିର୍ମାଣ ସମ୍ଭବ ହୋଇଥିଲା ।
 
ସେ ସମୟରେ ବ୍ରହ୍ମପୁରରେ ଏକମାତ୍ର ଖଲ୍ଲିକୋଟ କଲେଜରେ ସପ୍ତମ ଶ୍ରେଣୀଠାରୁ ଇଣ୍ଟରମିଡ଼ିଏଡ଼ ଯାଏଁ ଶିକ୍ଷାଦାନର ବ୍ୟବସ୍ଥା ଥିଲା । ତେବେ ସେଠାରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ନଥିଲେ । ଓଡ଼ିଶା ଶିକ୍ଷକ ନିଯୁକ୍ତ କରି ଶଶିଭୂଷଣ ବ୍ୟକ୍ତିଗତ ଉଦ୍ୟମରେ ସ୍ଥାନୀୟ ଧନାଢ଼୍ୟ ବ୍ୟକ୍ତିଙ୍କଠାରୁ ଚାନ୍ଦା ସଂଗ୍ରହ କରି ଆସିକା ରୋଡ଼ଠାରେ ଏକ ଉଚ୍ଚବିଦ୍ୟାଳୟ ଆରମ୍ଭ କରିଥିଲେ । ପରବର୍ତ୍ତୀ କାଳରେ ତାହାର ପରିଚାଳନାଭାର ବ୍ରହ୍ମପୁର ପୌରପାଳିକା ଗ୍ରହଣ କରିଥିଲା ଏବଂ ସେଠାରେ ଅନ୍ୟ ଏକ ବାଳିକା ଉଚ୍ଚବିଦ୍ୟାଳୟ ମଧ୍ୟ ସ୍ଥାପିତ ହୋଇଥିଲା ।
 
ସାପ୍ତାହିକ ଆଶା ପତ୍ରିକା ୧୯୧୩ରୁ ପନ୍ଦର ବର୍ଷ ନିରବଚ୍ଛିନ୍ନ ପ୍ରକାଶିତ ହେବା ପରେ ୧୯୨୮ରେ ଦୈନିକ ସମ୍ୱାଦପତ୍ରରେ ରୂପାନ୍ତରିତ ହୋଇଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ୧୯୩୬ରେ ଗଠିତ ହେବା ପରେ ୧୯୩୯ରେ ଦୈନିକ ଆଶା ପ୍ରକାଶନ ଶିଶିଭୂଷଣ ରାଜଧାନୀ କଟକକୁ ସ୍ଥାନାନ୍ତରିତ କରିଥିଲେ । ଫଳତଃ ବ୍ରହ୍ମପୁରରେ ତାଙ୍କରି କର୍ମମୟ ଜୀବନର ଏକରକମ ଅନ୍ତ ଘଟିଥିଲା । ଚାରିବର୍ଷ ମଧ୍ୟରେ ୧୯୪୩ରେ ପରଲୋକ ଘଟିଲା । ମୃତ୍ୟୁ ବେଳକୁ ଶିଶିଭୂଷଣଙ୍କ ବୟସ ମାତ୍ର ୫୮ ବର୍ଷ ଥିଲା ।
 
ଶଶିଭୂଷଣ ଜାନୁୟାରୀ ପହିଲା ୧୮୮୫ରେ ଗଞ୍ଜାମ ଜିଲ୍ଲା ସୋରଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କରି ୧୪୦ତମ ଜୟନ୍ତୀ ଜାନୁୟାରୀ ପହିଲା ୨୦୨୪ରେ ପାଳିତ ହେବ । ବ୍ରହ୍ମପୁର ସହରରେ ଓଡ଼ିଆ ଅସ୍ମିତା ପ୍ରତିଷ୍ଠାରେ ଶଶିଭୂଷଣ ରଥଙ୍କ ଅବଦାନ ଅବିସ୍ମରଣୀୟ ।

Image by Gerd Altmann from Pixabay


Friday, December 22, 2023

Development Projects in Slow Pace / କଚ୍ଛପ ଗତିରେ ଉନ୍ନୟନ ପ୍ରକଳ୍ପ

 

#ବ୍ରହ୍ମପୁର ସହରରେ ନିର୍ମାଣଧୀନ ତିନିଗୋଟି ପ୍ରକଳ୍ପ-ଗଞ୍ଜାମ ହାଟ, ଜଗନ୍ନାଥପୁର-ରତନପୁର ୫୯ ନମ୍ୱର ଜାତୀୟ ରାଜପଥ ବାଇପାସ ଓ ରଙ୍ଗେଇଲୁଣ୍ଡା ବିମାନ ବନ୍ଦର ସଂପୂର୍ଣ୍ଣ ହେବା ତାରିଖ ଘୁଞ୍ଚି ଘୁଞ୍ଚି ଚାଲିଛି । ବିଭିନ୍ନ କାରଣରୁ ନିର୍ମାଣ କାମ କଚ୍ଛପ ଗତିରେ ଚାଲିଥିବାରୁ ସମାଲୋଚନା ଶୁଣିବାକୁ ମିଳେତେବେ ପ୍ରକଳ୍ପ ଆରମ୍ଭ ହୋଇଛି ଯେତେବେଳେ ନିଶ୍ଚୟ ଯେ ଦିନେ ସଂପୂର୍ଣ୍ଣ ହେବ, ସେହି ଆଶ୍ୱସନାରେ ସହରବାସୀ ଆଶ୍ୱସ୍ତ !
 
ଆସିକା ରୋଡ଼-କର୍ପୋରେସନ ରୋଡ଼ ସମ୍ମୁଖରେ ଗଞ୍ଜାମ ହାଟ ନାମିତ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ବିଡ଼ିଏ ପକ୍ଷରୁ ଏକ ମାର୍କଟ କମ୍ପ୍ଳେକ୍ସ ନିର୍ମାଣ କରାଯାଉଛି । ବିଂଶ ଶତାଦ୍ଦୀର ଷଷ୍ଠ ଦଶକ ସୁଦ୍ଧା ସେଠାରେ ଛତର ବନ୍ଧ ନାମରେ ଏକ ବୃହତ ଜଳାଶୟ ଥିଲା । ହୁଏତ ୧୮୬୫ ନଅଙ୍କ ଦୁର୍ଭିକ୍ଷ କାଳରେ ଏହି ବନ୍ଧ ହୁଡାରେ ମରୁଡ଼ି ପ୍ରପୀଡ଼ିତଙ୍କ ପାଇଁ ଦାତବ୍ୟ ଖାଦ୍ୟ ବିତରଣ ଛତ୍ର ଖୋଲା ଯାଇଥିଲା । ନଚ଼େତ କାମ ପାଇଁ ଖାଦ୍ୟ ଯୋଜନାରେ ବନ୍ଧ ଖନନ ହୋଇଥିଲା । ଛତର ବନ୍ଧ ସାମନାରେ ହାଟପଦାରେ ତାମେୟା ବନ୍ଧ ଅନ୍ୟ ଏକ ବୃହତ ଜଳାଶୟ । ବ୍ରହ୍ମପୁର ଉନ୍ନୟନ ପ୍ରଥମ ପାଦରେ ବିଡିଏ ଦୁଇ ଜଳାଶୟ ପୋତି ପାର୍କ ଓ ତା ସାମନାରେ ମାର୍କେଟ କମ୍ପ୍ଳେକ୍ସ ନିର୍ମାଣ କରୁଛି । କିଛି ଦିନ ମଧ୍ୟରେ ଏହି ଅଞ୍ଚଳ ସହରର ଅନ୍ୟତମ ଆକର୍ଷଣର କେନ୍ଦ୍ର ପାଲଟିବ । ବ୍ରହ୍ମପୁର ଯେହେତୁ ଏକ ବାଣିଜ୍ୟ ପେଣ୍ଠ ଭାବେ ଗଢ଼ି ଉଠିଥିଲା, ବିଡ଼ିଏ ହୁଏତ ସହରର ମାର୍ମିକ ମୂଲ୍ୟବୋଧ ପ୍ରତି ସମ୍ନାନ ପ୍ରଦାନ କରିଛି !
 
ଗଞ୍ଜାମ ହାଟ ଛଅ ଏକର ପୋତା ଯାଇଥିବା ଜଳାଶୟ ଜମିରେ ୭୦ ହଜାର ବର୍ଗଫୁଟରେ ୧୧୭ ଗୋଟି ଦୋକାନ ଗୃହ ନିର୍ମାଣ କରୁଛି । ଏଗୁଡ଼ିକ ପ୍ରତ୍ୟେକ ୨୫ ଲକ୍ଷରୁ ୭୦ ଲକ୍ଷ ଟଙ୍କା ନିଲାମରେ ମାର୍କେଟ କମ୍ପ୍ଳେକ୍ସ ନିର୍ମାଣ କାମ ଆରମ୍ଭ ପୂର୍ବରୁ ବିକ୍ରୀ ସରିଛି । ନିର୍ମାଣ ବ୍ୟୟ ୩୬ କୋଟି ଟଙ୍କା ଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ୪୩ କୋଟିକୁ ବୃଦ୍ଧି ପାଇଛି । ଦୀର୍ଘ ଦିନର ବାଦପ୍ରତିବାଦରେ ନିର୍ମିତ ଏହି ମାର୍କେଟ କମ୍ପ୍ଳେକ୍ସ ମାର୍ଚ୍ଚ ୨୦୨୪ରେ ଆରମ୍ଭ ହେବ ବୋଲି କୁହାଯାଉଛି ।
 
ବ୍ରହ୍ମପୁର ଦେଇ ରାୟପୁର-ଗୋପାଳପୁର ୫୯ ନମ୍ୱର ରାଜପଥ ୧୬ କିଲୋମିଟର ଲମ୍ୱିଛି । ହିଞ୍ଜିଳିକାଟୁ ପଟୁ ବ୍ରହ୍ମପୁର ପ୍ରବେଶ ପୂର୍ବରୁ ରତନପୁରଠାରୁ ବ୍ରହ୍ମପୁର ସୀମା ଶେଷରେ ଜଗନ୍ନାଥପୁରରେ ଚ଼େନ୍ନାଇ-କୋଲକତା ୧୬ ନମ୍ୱର ରାଜପଥକୁ ସଂଯୋଗ କରି ଏକ ବାଇପାସ ନିର୍ମାଣ ନିମନ୍ତେ ୨୦୨୧ରେ ୧୯୬ କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ବିଭାଗ ପକ୍ଷରୁ ମଞ୍ଜୁର କରାଯାଇଥିଲା । ଟେଣ୍ଡର ନେଇଥିବା ସଂସ୍ଥା ୧୦୭ କୋଟି ଟଙ୍କାରେ ରାସ୍ତା ନିର୍ମାଣ କରୁଛି । ଏହି କାମ ମାର୍ଚ୍ଚ ୨୦୨୪ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ବିଭିନ୍ନ କାରଣରୁ କାମ ଆଶାନୁରୂପ ଅଗ୍ରଗତି କରିପାରିନଥିବା ହେତୁ ଅଧିକା ବର୍ଷେ ମାର୍ଚ୍ଚ ୨୦୨୫ ଯାଏଁ ଅପେକ୍ଷା କରିବାକୁ ପଡ଼ିବ ବୋଲି କୁହାଯାଉଛି । ଡ଼ିସେମ୍ୱର ୨୦୨୩ ସୁଦ୍ଧା ଛଅ କିଲୋମିଟର ମାଟି ରାସ୍ତା କାମ ସରିଥିବା ଶୁଣିବାକୁ ମିଳୁଛି । ବାଇପାସ ପାଇଁ ନରେନ୍ଦ୍ରପୁର ଓ ଟାଟା କଲୋନୀ ନିକଟରେ ଦୁଇଗୋଟି ରେଳୱେ ଓଭରବ୍ରିଜ ନିର୍ମାଣ କରାଯିବ । କିନ୍ତୁ ଏହି କାମ ଆରମ୍ଭ ହୋଇନି ।
 
ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ସଂପ୍ରସାରଣ ନିମନ୍ତେ ୩୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି ନିର୍ମାଣ କାର୍ଯ୍ୟ ପାଇଁ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ତିନିଥର ଟେଣ୍ଡର ପ୍ରକାଶିତ ହେବା ପରେ ଜଣେ ମାତ୍ର ଠିକା ସଂସ୍ଥା ଆଗ୍ରହ ପ୍ରକାଶ କରିଥିଲେ । ତେବେ ବିଭିନ୍ନ କାରଣରୁ କାମ ଆରମ୍ଭ ହୋଇପାରୁ ନାହିଁ । ମାର୍ଚ୍ଚ ୨୦୨୩ରୁ ଇଣ୍ଡିଆ ୱାନ ବିମାନ ପରିବହନ ସଂସ୍ଥା ପକ୍ଷରୁ ସପ୍ତାହରେ ଦୁଇ ଦିନ ବୁଧବାର ଓ ରବିବାର ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡା ଓ ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ଏକ ନଅ ସିଟ ବିଶିଷ୍ଟ ବିମାନ ଯାତ୍ରା କରୁଛି । ବିମାନ ଯାତ୍ରା ଭଡ଼ା ଡ଼ିସେମ୍ୱର ମାସରେ ୧୦୫୦ ଟଙ୍କା ନିର୍ଦ୍ଧାରିତ ହୋଇଥିଲା । ତେବେ ଅଧିକାଂଶ ଦିନ ପୂର୍ଣ୍ଣ ସଂଖ୍ୟକ ଯାତ୍ରୀ ହେଉନଥିବା କୁହାଯାଉଛି । ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ସଂପ୍ରସାରଣପରେ ଏଠାରେ ଏକ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ଏୟାରପୋର୍ଟ ସ୍ଥାପନ ଲକ୍ଷ୍ୟ ରହିଛି । ମୁଖ୍ୟତଃ ଗୋପାଳପୁର ଶିଳ୍ପ ପାର୍କରେ ଗଢ଼ି ଉଠୁଥିବା କଳକାରଖାନା କର୍ମକର୍ତ୍ତା ଓ ବେଳାଭୂମି ପର୍ଯ୍ୟଟକ ବିମାନ ସେବା ଗ୍ରହଣ କରିବା ଆଶା କରାଯାଉଥିବା ସ୍ଥଳେ ବାସ୍ତବତାରେ ପ୍ରତିଫଳିତ ହୋଇପାରୁ ନାହିଁ । ଉଲ୍ଲେଖଯୋଗ୍ୟ ବିଷୟ ଏହିଯେ ବ୍ରହ୍ମପୁରଠାରୁ ଭୁବନେଶ୍ୱର ୧୬ ନମ୍ୱର ଜାତୀୟ ରାଜପଥରେ ୧୬୫ କିଲୋମିଟର ରାସ୍ତା ତିନି ଘଣ୍ଟାରେ ପହଞ୍ଚି ହେଉଛି । ଏହି ପରିପ୍ରେକ୍ଷୀରେ ଇଣ୍ଡିଆ ୱାନ ବିମାନ ସେବା କେତେଦିନ ବଳବତ୍ତର ରହିବ ତାହବି ଏକ ପ୍ରଶ୍ନବାଚ଼ୀ !

Image by Dimitris Vetsikas from Pixabay


Friday, December 15, 2023

BeMC - Tata Power / ବିଇଏମସି-ଟାଟା ପାୱାର


 


#ବ୍ରହ୍ମପୁର ସମେତ ଦକ୍ଷିଣ ଓଡ଼ିଶାର ଆସିକା, ଭଞ୍ଜନଗର, ଜୟପୁର, ରାୟଗଡ଼ା ସହର ଏବଂ ଛଅ ଗୋଟି ବିଦ୍ୟୁତ ସର୍କଲରେ ବିଦ୍ୟୁତ ବିତରଣ ଭାର ରାଜ୍ୟ ସରକାର ଓ ଟାଟା ପାୱାର ଯୌଥ ଉଦ୍ୟୋଗ ଟାଟା ପାୱାର ସଦର୍ଣ୍ଣ ଓଡ଼ିଶା ଡ଼ିଷ୍ଟ୍ରିବ୍ୟୁସନ ଲିମିଟେଡ଼ ଜାନୁୟାରୀ ୨୦୨୧ରୁ ଗ୍ରହଣ କରିଛି । ବ୍ରହ୍ମପୁର ସହରାଞ୍ଚଳରେ ୩୧୮ ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ବିଦ୍ୟୁତ ସରବରାହ ନିମନ୍ତେ ୪୦ ରୁ ଉର୍ଦ୍ଧ୍ୱ ୧୧ କେଭି ଫିଡ଼ର ଓ ୧୪୦୦ରୁ ଉର୍ଦ୍ଧ୍ୱ ଟ୍ରାନ୍ସଫରମର ସ୍ଥାପିତ ହୋଇଥିବା ଜଣାଯାଏ । ସହରସାରା ଲମ୍ୱିଥିବା ରାସ୍ତାଗୁଡ଼ିକର ପାର୍ଶ୍ୱରେ ବିଦ୍ୟୁତ ଖୁଣ୍ଟ ସ୍ଥାପିତ ଏବଂ ସେଠାରୁ ଏକ ଲକ୍ଷ ୧୮ ହଜାର ଉପଭୋକ୍ତାଙ୍କୁ ତାର ଟାଣି ବିଦ୍ୟୁତ ସଂଯୋଗ ଦିଆଯାଇଥାଏ । ବ୍ରହ୍ମପୁରରେ ବିଦ୍ୟୁତ ଖୁଣ୍ଟ, ଟ୍ରାନ୍ସଫରମର ଓ ବିଦ୍ୟୁତ ଖୁଣ୍ଟରୁ ଉପଭୋକ୍ତାଙ୍କ ବାସଗୃହ ବା ପ୍ରତିଷ୍ଠାନକୁ ଟଣା ଯାଇଥିବା ତାର ଅବ୍ୟବସ୍ଥିତ ଅବସ୍ଥାରେ ପଡ଼ିରହିଆସିଛି । ଏହି ସମସ୍ୟାର ଦୁଇଗୋଟି କାରଣ ଚ଼ିହ୍ନଟ କରାଯାଇପାରେ । ପ୍ରଥମତଃ, ବିଦ୍ୟୁତ ବିତରଣ ଦାୟିତ୍ୱ ନିର୍ବାହରେ ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ଅତୀତରେ ଗଠିତ ସଂସ୍ଥାଗୁଡ଼ିକର ଖାମଖିଆଲି ଦାୟିତ୍ୱହୀନ ମନୋଭାବ ଏବ ଦ୍ୱିତୀୟରେ ବାତ୍ୟାପ୍ରବଣ ବ୍ରହ୍ମପୁର ପ୍ରତିଟି ତୋଫାନରେ ବିଦ୍ୟୁତ ବିତରଣ ଭିତ୍ତିଭୂମିର କ୍ରମାଗତ କ୍ଷତି । ରାଜ୍ୟ ସରକାର ବିଦ୍ୟୁତ ବିତରଣ ପ୍ରକ୍ରିୟାରେ ଅସହାୟ ବୋଧକରି ୨୦୨୦ ଡ଼ିସେମ୍ୱର ମାସରେ ଟାଟା ପାୱାର ଭଳି ଏକ ଘରୋଇ କମ୍ପାନୀକୁ ସମସ୍ତ ଭିତ୍ତିଭୂମି ପରିଚାଳନା ଭାର ହସ୍ତାନ୍ତର କଲେ । ବ୍ରହ୍ମପୁରବାସୀ ଭାବିଥିଲେ ଜାତୀୟସ୍ତରର ଏକ ବଡ଼ କମ୍ପାନୀ ଦାୟିତ୍ୱ ଗ୍ରହଣ ପରେ ଅବସ୍ଥାରେ ସୁଧାର ଆସିବ । ତେବେ ଦୁଇ ବର୍ଷ ବିତି ଗଲାଣି ବର୍ଷସାରା ସବୁ ଋତୁରେ ବାରମ୍ୱାର ବିଦ୍ୟୁତ କାଟ କଥା କୁହନ୍ତୁ ବା ରାସ୍ତାଘାଟରେ ଅସଜଡ଼ା ବିଦ୍ୟୁତ ଖୁଣ୍ଟ, ଟ୍ରାନ୍ସଫରମର ଓ ତାରମୟ ଆକାଶ କୌଣସିଟିରେ ପରିବର୍ତ୍ତନ ଆସିପାରି ନାହିଁ ।
 
କୁହାଯାଉଛି ଭିତ୍ତିଭୂମି ସଜଡ଼ା ଚାଲିଛି । ସହରାଞ୍ଚଳରେ ପୂର୍ବରୁ ସ୍ଥାପିତ ରାସ୍ତା ଅବରୋଧ କରୁଥିବା ବିଦ୍ୟୁତ ଖୁଣ୍ଟ ଓ ଟ୍ରାନ୍ସଫରମରଗୁଡ଼ିକୁ ଅପେକ୍ଷାକୃତ ସୁରକ୍ଷିତ ସ୍ଥାନକୁ ବଦଳାଇବା ନିମନ୍ତେ ଖର୍ଚ୍ଚ ସ୍ଥାନୀୟ ପୌରନିଗମ ବହନ କରିବା ନିୟମ ରହିଛି । ତେବେ ବ୍ରହ୍ମପୁର ପୌର ନିଗମ ପାଖେ ଅର୍ଥ ଅଭାବ । ସ୍ଥାନୀୟ ବିଧାୟକ ଏହି ସମସ୍ୟା ନେଇ ବିଧାନସଭାରେ ପ୍ରଶ୍ନ ପଚାରିଥିଲେ । ନିକଟରେ ଶକ୍ତି ମନ୍ତ୍ରୀଙ୍କୁ ଏକ ପ୍ରତିନିଧି ଦଳ ସହ ସାକ୍ଷାତ କରି ନଅ କୋଟି ଟଙ୍କା ଏହି କାର୍ଯ୍ୟଲାଗି ବ୍ରହ୍ମପୁର ପୌର ନିଗମକୁ ମଞ୍ଜୁର ପ୍ରତିଶୃତି ପାଇ ଫେରିଛନ୍ତି । ସେହି ଅର୍ଥ ଆସିଲେ ଟାଟା ପାୱାର ରାସ୍ତାଘାଟରେ ବିଦ୍ୟୁତ ତାର ସଜାଡ଼ିବା ଆଶା କରାଯାଇପାରେ ।
 
ବ୍ରହ୍ମପୁର ପୌର ନିଗମ ବିଇଏମସି ଓ ଟାଟା ପାୱାର ସହରରେ ବିଦ୍ୟୁତ ଭିତ୍ତିଭୂମି ସଜାଡ଼ିବା ବିଚାର ବିମର୍ଷ କରିବା ଲାଗି ୭ ନଭେମ୍ୱର ୨୦୨୩ରେ ପୌର ନିଗମ ପ୍ରାଙ୍ଗଣ ସମ୍ମିଳନୀ କକ୍ଷରେ ଏକ ସମନ୍ୱୟ ବୈଠକରେ ଏକତ୍ରୀତ ହୋଇଥିଲେ । ଟାଟା ପାୱାର ସିଇଓ କହିଲେ ଯେ ସହରାଞ୍ଚଳରେ ବିଦ୍ୟୁତ ଭିତ୍ତିଭୂମି ସଜାଡ଼ିବାଲାଗି ୬୯ କୋଟି ଟଙ୍କା ଆବଶ୍ୟକ । ଏ ସଂପର୍କରେ ରାଜ୍ୟ ଶକ୍ତି ବିଭାଗଠାରେ ବିସ୍ତୃତ ବିବରଣୀ ଉପସ୍ଥାପିତ କରାଯାଇଛି । ବାସ, କଥା ସେଠି ଅଟକିଲା । ଟଙ୍କା ଆସିଲେ କାମ ହେବ ।
 
ବିଇଏମସି-ଟାଟା ପାୱାର ସମନ୍ୱୟ ବୈଠକରେ ବିନା ଖର୍ଚ୍ଚରେ ରକ୍ଷଣାବେକ୍ଷଣ କର୍ମଚାରୀଙ୍କ ଦ୍ୱାରା ସମ୍ଭବ ହେବା ଗୋଟିଏ ପ୍ରସ୍ତାବ ବିଚାର କରାଯାଇପାରିଥାନ୍ତା । ବ୍ରହ୍ମପୁର ସହର ସାରା ବିଦ୍ୟୁତ ଖୁଣ୍ଟଗୁଡ଼ିକରେ କେବଲ ଟେଲିଭିଜନ ଓ ଇଣ୍ଟରନେଟ ସେବା ଲାଗି ଘରୋଇ ପ୍ରତିଷ୍ଠାନ ମାଳମାଳ ତାର ଟାଣିଥିଲେ । ପରିବର୍ତ୍ତିତ ପରିବେଶରେ ସେଭଳି ତିନି ଚ଼ତୁର୍ଥାଂଶ ବ୍ୟବସାୟ ବନ୍ଦ ହୋଇଗଲାଣି । ଫଳରେ ଅଲୋଡ଼ା ତାରଗୁଡ଼ିକ ଇତଃସ୍ତତଃ ପଡ଼ି ରହିଛି । ମାଙ୍କଡ଼ ପଲ ପହଞ୍ଚି ସେହି ଅବ୍ୟବସ୍ଥାକୁ ଆହୁରି ବିଗାଡି ଦେଉଛନ୍ତି । ସ୍ଥାନୀୟ ସମ୍ୱାଦପତ୍ର ଓ ସୋସିଆଲ ମିଡ଼ିଆରେ ୧୨ ନଭେମ୍ୱର ଓ ୧୯ ନଭେମ୍ୱର ୨୦୨୨ ତଥା ୧୩ ଫେବୃୟାରୀ ୨୦୨୧ରେ ଏହି ସମସ୍ୟା ଉପସ୍ଥାପନ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ଗଣମାଧ୍ୟମରେ ରର୍ଚ୍ଚା ହୋଇଛି । ନିୟମ ଅନୁଯାୟୀ ସହରାଞ୍ଚଳରେ ବିଦ୍ୟୁତ ଖୁଣ୍ଟ ସ୍ଥାପନଲାଗି ବିଦ୍ୟୁତ ବିତରଣ ସଂସ୍ଥା ପୌରନିଗମର ଅନୁମତି ନେଇ ଧାର୍ଯ୍ୟ ଭଡ଼ା ଦେବା କଥା । ସେହିପରି ବିଦ୍ୟୁତ ଖୁଣ୍ଟରେ ତୃତୀୟ ପକ୍ଷ ତାର ଟାଣିବା ଲାଗି ଉଭୟଙ୍କ ଅନୁମତି ଓ ଦେୟ ଦେବା କଥା । ବ୍ରହ୍ମପୁର ସହରର ରାସ୍ତାଘାଟ ସୌନ୍ଦର୍ଯ୍ୟ ହାନୀରେ ଅସଜଡ଼ା ଅଲୋଡା ତାର ହଟାଇବା ଉଭୟ ବିଇଏମସି ଓ ଟାଟା ପାୱାରର କାର୍ଯ୍ୟ ପରିସରଭୁକ୍ତ ଥିବା ସ୍ଥଳେ ଜନସାଧାରଣଙ୍କ ଦାବୀ ସତ୍ତ୍ୱେ ସମନ୍ୱୟ ବୈଠକରେ ଆଲୋଚ଼ନା ଯୋଗ୍ୟ ନୁହେଁ କି ?


Image by Angelo Esslinger from Pixabay