Friday, April 22, 2016

Neglecting the culture of water bodies / ଅବହେଳାରେ ପୁଷ୍କରଣୀ ସଂସ୍କୃତି

ପ୍ତଦଶ ଶତାଦ୍ଦୀ ମଧ୍ୟଭାଗରୁ କ୍ରମବର୍ଦ୍ଧିଷ୍ଣୁ #ବ୍ରହ୍ମପୁର ସହର ମଠ, ମନ୍ଦିର ଓ ପୁଷ୍କରଣୀମୟ ଜନବସତି ରୂପେ ଗଢ଼ି ଉଠିଥିଲା | ଐତିହାସିକମାନଙ୍କ ମତରେ ୧୬୭୨ ଖ୍ରୀଷ୍ଟାଦ୍ଦରେ ହରିଡ଼ାଖଣ୍ଡିଠାରେ ଲକ୍ଷ୍ମୀନୃସିଂହ ସ୍ୱାମୀ ମନ୍ଦିର ଓ ତାହାର କିଛି ସମୟ ପୂର୍ବରୁ ବର୍ତ୍ତମାନର ବଡ଼ବଜାରଠାରେ ମହୁରି ରାଜବାଟୀ ପ୍ରତିଷ୍ଠା ପରେ ପରେ ସେହି ଅଞ୍ଚଳ ପରିସୀମାରେ ବହୁଳ ପରିମାଣରେ ମଠ ମନ୍ଦିରର ଉପସ୍ଥିତି କାରଣରୁ ଏହାକୁ ଦେବତାଙ୍କପୁର ବା ବ୍ରହ୍ମପୁର ନାମିତ କରାଯାଇଥିଲା | ଘନ ସବୁଜିମାର ଆସ୍ତରଣ ଓ ଜଳାଶୟ ସଂଗକୁ ପ୍ରଶସ୍ତ ରାସ୍ତାଘାଟ ଓ ପରିଚ୍ଛନ୍ନତା ବ୍ରହ୍ମପୁରକୁ ପରବର୍ତ୍ତୀ ଅବସ୍ଥାରେ ସମଗ୍ର ମାଡ୍ରାସ ପ୍ରେସିଡ଼େନ୍ସିରେ ସୁନାମ ଅର୍ଜନଲାଗି ସମର୍ଥ କରାଇପାରିଥିଲା |
          ମଠ ମନ୍ଦିର ସଂଲଗ୍ନ ପୁଷ୍କରଣୀ ଖନନ ଭାରତୀୟ ସଂସ୍କୃତିର ଏକ ଅଂଶ ବିଶେଷ | ଅତଏବ ଅଧିକ ସଂଖ୍ୟାରେ ମଠମନ୍ଦିରର ଅର୍ଥ ଅଧିକ ସଂଖ୍ୟାରେ ପୁଷ୍କରଣୀର ଉପସ୍ଥିତି ସ୍ୱାଭାବିକ | ବିଭିନ୍ନ ଧାର୍ମିକ ବିଧିବିଧାନ ପୁଷ୍କରଣୀରେ ସମାହିତ ହୋଇଥାଏ ଏବଂ ପୁଷ୍କରଣୀର ରକ୍ଷଣାବେକ୍ଷଣ ସ୍ଥାନୀୟ ନାଗରିକଙ୍କ କର୍ତ୍ତବ୍ୟରୂପେ ପରିଗଣିତ ହୋଇ ଆସିଛି |
          ତେବେ ସ୍ୱାଧୀନୋତ୍ତର ଅବସ୍ଥାରେ ବ୍ରହ୍ମପୁରରେ ଏହି ପରମ୍ପରାରେ ବିଚ୍ୟୁତି ଦେଖିବାକୁ ମିଳିଲା | ପ୍ରଥମତଃ ପୁଷ୍କରଣୀଗୁଡ଼ିକ ରକ୍ଷଣାବେକ୍ଷଣ ଲାଗି ସାମାଜିକ ତଥା ପ୍ରଶାସନିକସ୍ତରରେ ଅବହେଳା ପ୍ରଦର୍ଶନ କରାଗଲା, ଦ୍ୱିତୀୟତଃ ବ୍ୟକ୍ତିଗତ ମାଲିକନାରେ ଥିବା ବହୁ ପୁଷ୍କରଣୀଗୁଡ଼ିକୁ ପୋତି ଦିଆଯାଇ ଗୃହନିର୍ମାଣ ଲାଗି ଡ଼ିହ ପ୍ରସ୍ତୁତ କରାଗଲା ଓ ତୃତୀୟତଃ ସରକାରୀ ମାଲିକାନାରେଥିବା ଅନ୍ୟ କେତେକ ବୃହତ ପୁଷ୍କରଣୀକୁ ପୋତି ବିଭିନ୍ନ ସାର୍ବଜନୀନ କାର୍ଯ୍ୟରେ ଲଗାଗଲା | ଫଳରେ ବ୍ରହ୍ମପୁରରୁ ପୁଷ୍କରଣୀ ସଂସ୍କୃତି କ୍ରମଶଃ ଲୋପ ପାଇବାରେ ଲାଗିଲା | ତା ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ସହରରେ ୪୨ ଗୋଟି ପୋଖରୀ ବଞ୍ଚରହିଛି |
          ଜନପଦରେ ଜନସାଧାରଣଙ୍କ ପାଇଁ ଜଳଉତ୍ସରୂପେ କାର୍ଯ୍ୟକରିବା ସାଙ୍ଗକୁ ଭୂଗର୍ଭରେ ଜଳସ୍ତର ନିୟନ୍ତ୍ରଣ ତଥା ପାରିପାର୍ଶ୍ୱିକ ବାୟୁମଣ୍ଡଳରେ ଆଦ୍ରତା ବଜାୟ ରଖିବାରେ ପୁଷ୍କରଣୀଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ | ବର୍ତ୍ତମାନ ପୁଷ୍କରଣୀ ଅଭାବରେ ବ୍ରହ୍ମପୁର ସହରବାସୀ ତତ୍ ଜନିତ ପ୍ରତିକୂଳ ଅବସ୍ଥାର ସମ୍ମୁଖୀନ ହେଉଛନ୍ତି | ଚଳିତ ଗ୍ରୀଷ୍ମଋତୁରେ ସହରରେ ତାପମାତ୍ରା ବୃଦ୍ଧିର ଏହା ଅନ୍ୟତମ କାରଣ |
          ବ୍ରହ୍ମପୁର ପୌରପାଳିକାଙ୍କ ପକ୍ଷରୁ ସହରର ବିକାଶଲାଗି ଆନ୍ତର୍ଜାତିକ ସହାୟତା ଆବେଦନ କରାଯିବା ଅବସରରେ ଏଠାକାର ଜୀର୍ଣ୍ଣ ଅବସ୍ଥାରେ ଥିବା ପୁଷ୍କରଣୀଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଅନୁଦାନକାରୀ ସଂସ୍ଥା ଗୁରୁତ୍ୱ ଆରୋପ କରିଥିଲେ | ଚ଼ବିଶି ଗୋଟି ପୁଷ୍କରଣୀର ପୁନରୁଦ୍ଧାର ପାଇଁ ପ୍ରାୟ ଷୋହଳ କୋଟି ଟଙ୍କା ମଂଜୁର ହୋଇଥିଲା | ୨୦୦୭ ମସିହାରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ୧୭ ଗୋଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଗୋଟି ପୁଷ୍କରଣୀର ପୁନରୁଦ୍ଧାର କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା | ତେବେ ସେଥିରେ ଟେଣ୍ଡର ଫିକ୍ସିଂ ଓ ନିମ୍ନମାନର କାର୍ଯ୍ୟ ସଂପର୍କରେ ଅଭିଯୋଗ ବର୍ତ୍ତମାନ ସମ୍ୱାଦପତ୍ରର ପୃଷ୍ଠା ମଣ୍ଡନ କରୁଛି |
          ସହରାଞ୍ଚଳରେ ପାରିପାର୍ଶ୍ୱିକ ପରିବେଶ ସନ୍ତୁଳନରେ ପୁଷ୍କରଣୀର ଭୂମିକା ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ଉଦାହରଣମାନ ସମୟକ୍ରମେ ଚର୍ଚ୍ଚାର ପରିସରକୁ ଆସିବାରେ ଲାଗିଛି | ଗତବର୍ଷ ବର୍ଷାଦିନେ ଚ଼େନ୍ନାଇରେ ଓ ପୂର୍ବବର୍ଷ ମୁମ୍ୱାଇରେ ଜଳାଶୟ ଅଭାବ କାରଣରୁ ରାସ୍ତାଘାଟର ବନ୍ୟାଜଳ ବାସଗୃହ ମଧ୍ୟକୁ ପ୍ରବେଶ ଜନିତ ସହରବାସୀଙ୍କ ଦୁର୍ଦ୍ଦଶା ଅନ୍ୟାନ୍ୟ ସହରପ୍ରତି ଚ଼େତାବନୀ ସାଜିଛି | ବ୍ରହ୍ମପୁରରେ ଆସିକାରୋଡ଼ରେ ଏକ ବିରାଟ ଜଳାଶୟ ପୋତି ସେଥିରେ ମାର୍କେଟ କମ୍ପ୍ଳେକ୍ସ  ନିର୍ମାଣଲାଗି ପ୍ରସ୍ତାବ ଦୀର୍ଘଦିନରୁ ଲଟକି ରହିଛି | ଠିକ୍ ତାହାର ସାମ୍ନାରେ ଅନ୍ୟଏକ ଜଳାଶୟ ତାମେୟା ବନ୍ଧ ପୋତି ଗୋଟିଏ ପାର୍କ ଗଢ଼ାଗଲା | ସହରର ଅନ୍ୟାନ୍ୟ ଅଞ୍ଚଳରେ ଛୋଟ ବଡ଼ ବହୁ ପୁଷ୍କରଣୀ ପୋତିବା ଯୋଜନା ଚାଲିଥିବା ଖବର ପ୍ରକାଶ ପାଉଛି | ଅନ୍ତତଃ ପକ୍ଷେ ଏଣିକି ପୁଷ୍କରଣୀ ପୋତା ସଂସ୍କୃତିକୁ ସାଧାରଣସ୍ତରରେ ପ୍ରତିବାଦ କରିବା ସମୟ ଆସିପହଞ୍ଚିଛି | ଏବର୍ଷ ପ୍ରଚ଼ଣ୍ଡ ରୌଦ୍ରତାପରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଗୃହ ମଧ୍ୟରେ କଠୋରୀଗୁଡ଼ିକରେ ଖୋଲାପାତ୍ରରେ ପାଣି ରଖିବା ପାଇଁ ବୈଜ୍ଞାନିକମାନେ ପରାମର୍ଶ ଦେଉଛନ୍ତି | ଏହାଦ୍ୱାରା କଠୋରୀରେ ଆଦ୍ରତା ବଢ଼ିବା କୁହାଯାଉଛି | ତେବେ ଜନପଦରେ ଆଦ୍ରତା ବୃଦ୍ଧି କରି ପାଣିପାଗରେ ସନ୍ତୁଳନ ରକ୍ଷା ପାଇଁ ପୁଷ୍କରଣୀ କଥା ଆମେ କିପରି ଭୂଲି ଯିବା ?


ସଂବାଦ (ବ୍ରହ୍ମପୁର ସଂସ୍କରଣ) ୨୦ ଏପ୍ରିଲ ୨୦୧୬ ରେ ପ୍ରକାଶିତ

Friday, April 15, 2016

Proposal on multi-stored parking lot / ବହୁତଳ ବିଶିଷ୍ଟ ‘ପାର୍କିଂ – ଲଟ’ ପ୍ରସ୍ତାବ

କ୍ରମବର୍ଦ୍ଧିଷ୍ଣୁ #ବ୍ରହ୍ମପୁର ସହରରେ ଟ୍ରାଫିକ ସମସ୍ୟା ସମାଧାନ ନିମନ୍ତେ ଗତ ଏପ୍ରିଲ ପ୍ରଥମ ସପ୍ତାହରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟତଃ କମାପଲ୍ଲୀ ଓ ବଡ଼ବଜାରରେ ପାର୍କିଂ ଓ ଜବରଦଖଲଜନିତ କାରଣରୁ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟା ସଜାଡ଼ିବାଲାଗି କେତେକ ନୀତିଗତ ନିଷ୍ପତ୍ତି ନିଆ ଯାଇଛି | କମାପଲ୍ଲୀ ଛକ ଅଞ୍ଚଳରେ ଓଭରବ୍ରିଜ ତଳେ ତଥା ବଡ଼ବଜାର ଅଞ୍ଚଳରେ କମଳାବାରୀ ସାହୀ ଓ ଧାନମେରା ସାହୀଠାରେ ପାର୍କିଂ ଜୋନ ଚ଼ିହ୍ନଟ କରିବା ଉଦ୍ୟମ ସେଥିମଧ୍ୟରୁ ଅନ୍ୟତମ | ଏହାଛଡ଼ା ସହରର ଅନ୍ୟାନ୍ୟ ଅଞ୍ଚଳରେ ପାର୍କିଂ ପାଇଁ ଖାଲିସ୍ଥାନ ଚ଼ିହ୍ନଟ ଲାଗି ମଧ୍ୟ ସମୟସୀମା ଧାର୍ଯ୍ୟ ହୋଇଛି |
          ଯଦିଓ ପ୍ରଶାସନିକସ୍ତରରେ ଏହା ଏକ ଧରାବନ୍ଧା ରୁଟିନ କାର୍ଯ୍ୟସୂଚ଼ୀ, ତଥାପି ସହରର ଅସଜଡ଼ା ଟ୍ରାଫିକ ବ୍ୟବସ୍ଥାକୁ ଗୁରୁତ୍ୱର ସହ ବିଚ଼ାର କରିବା ସମୟ ଆସି ପହଞ୍ଚିଛି | ବ୍ରହ୍ମପୁରର ପରିସୀମା ପରିବ୍ୟାପ୍ତ ହୋଇ ଚାଲିଥିବା ତଥା ଦୂରଦୂରାନ୍ତରେ ବସବାସ କରୁଥିବା ସହରବାସୀ ମୁଖ୍ୟତଃ ଦୁଇଚକିଆ ଯାନରେ ସହରର କେନ୍ଦ୍ରାଞ୍ଚଳରେ ବିଭିନ୍ନ କାର୍ଯ୍ୟ ଉଦ୍ଦେଶ୍ୟରେ ପହଞ୍ଚୁଥିବା ବେଳେ ଯାନବାହାନ ପାର୍କିଂ ପାଇଁ ସ୍ଥାନ ଅଭାବ କ୍ରମଶଃ ଉତ୍କଟ ହେବାରେ ଲାଗିଛି | ତେବେ ଜନଗହଳିପୂର୍ଣ୍ଣ ବଜାରଅଞ୍ଚଳଗୁଡ଼ିକରେ ସ୍ଥାନ ଅଭାବ କାରଣରୁ ପାର୍କିଂ ଜୋନ ସ୍ଥାପନ ହୋଇ ପାରୁନାହିଁ | ଆଜକୁ ଛଅ ବର୍ଷ ପୂର୍ବେ ଜୁଲାଇ ୨୦୧୦ରେ ତତ୍ କାଳୀନ ବ୍ରହ୍ମପୁରର ପୋଲିସ ଏସପି ରାମଲିଙ୍ଗ ବନ୍ଧ ପାର୍ଶ୍ୱ ଗୌତମ ସିନେମା ହଲ ରାସ୍ତା, ରୁକ୍ମିଣୀ ସିନେମା ହଲ ପାର୍ଶ୍ୱର ଧର୍ମନଗର ରାସ୍ତା ଓ କରପୋରେସନ ରୋଡ଼ସ୍ଥିତ ବିଜୁ ପଟ୍ଟନାୟକ ପାର୍କ ପାର୍ଶ୍ୱ ରାସ୍ତାକଡ଼ରେ ପାର୍କିଂ ଜୋନ ଗଠନ ପାଇଁ ପ୍ରସ୍ତାବ ବିଚ଼ାରକୁ ଆଣିଥିଲେ | ସେଥି ମଧ୍ୟରୁ ଧର୍ମନଗର ରାସ୍ତାକଡ଼ରେ ଚାରି ଚକିଆ ଯାନବାହାନ ପାର୍କିଂ କରାଯିବା ବେଳେ ଗୌତମ ସିନେମା ହଲ ରାସ୍ତା ଓ ବିଜୁ ପଟ୍ଟନାୟକ ପାର୍କ ପାର୍ଶ୍ୱରାସ୍ତା କଡ଼ରେ ଦୁଇ ଚକିଆ ଯାନବାହାନ ପାର୍କିଂ ବ୍ୟବସ୍ଥା ହେବ ବୋଲି କୁହାଯାଉଥିଲା | କିନ୍ତୁ ସମୟକ୍ରମେ ସେଭଳି ପ୍ରସ୍ତାବ କାର୍ଯ୍ୟକାରୀ ହୋଇ ପାରିନଥିଲା |

          ବ୍ରହ୍ମପୁରରେ ବହୁତଳ ବିଶିଷ୍ଟ ପାର୍କିଂ ଲଟ ନିର୍ମାଣ ପ୍ରସ୍ତାବକୁ ବିକଳ୍ପଭାବେ ଅନୁଧ୍ୟାନ କରାଯାଇପାରେ | ବିଦେଶରେ ସବୁ ବଡ଼ ସହର ସାଙ୍ଗକୁ ଆମ ଦେଶରେ ମୁମ୍ୱାଇ, ଚ଼େନ୍ନାଇରେ ମଧ୍ୟ ଏଭଳି ବ୍ୟବସ୍ଥା ଆରମ୍ଭ ହୋଇସାରିଛି | ଭୁବନେଶ୍ୱରଠାରେ ବହୁତଳ ବିଶିଷ୍ଟ ପାର୍କିଂ ଲଟ ନିର୍ମାଣ ପ୍ରସ୍ତାବ ନୀତିଗତଭାବେ ଗୃହୀତ ହୋଇଛି | ଏଭଳି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଉଦାହରଣ ସ୍ୱରୂପ ବ୍ରହ୍ମପୁର ପୌର ନିଗମ ମାଲିକାନାରେ ଥିବା ପୁରୁଣା ବସଷ୍ଟାଣ୍ଡ କଥା ବିଚ଼ାରକୁ ନିଆଯାଉ | ଏଠାରେ ଏକ ଚ଼ାରିତଳ ବିଶିଷ୍ଟ ପାର୍କିଂ ଲଟ ନିର୍ମାଣ କରାଯାଇପାରେ | ସବା ତଳେ ଅଟୋ ରିକ୍ସା ଓ ଟ୍ୟାକ୍ସି, ପ୍ରଥମ ମହଲାରେ ଟାଉନବସ, ଦ୍ୱିତୀୟ ମହଲରେ ଦୁଇ ଚ଼କିଆ, ତୃତୀୟ ମହଲାରେ ଚ଼ାରି ଚକିଆ ଯାନବାହାନ ଓ ଚ଼ତୁର୍ଥ ମହଲାରେ ରୁଫ ଟପ ପାର୍କ ଫାଉଣ୍ଟେନ ଫୁଡ଼ ପାର୍କ ଗଢ଼ାଯାଇ ପାରେ | ଏଭଳି ଏକ ପାର୍କିଂ ଲଟର ସୁବିଧା ମିଳିଲେ ଖଲ୍ଲିକୋଟ କ୍ଳଷ୍ଟର ବିଶ୍ୱବିଦ୍ୟାଳୟଠାରୁ ଗିରିଜା ଛକ ଯାଏଁ ଅଞ୍ଚଳର ପାର୍କିଂ ସମସ୍ୟା ସମାଧାନ ହୋଇପାରିବ, ରାସ୍ତାକଡ଼ର ଠିଆ କ୍ୟାଣ୍ଟିନଗୁଡ଼ିକୁ ଉଚ୍ଛେଦ କରି ଥଇଥାନର ବ୍ୟବସ୍ଥା ସମ୍ଭବପର ହେବ ଏବଂ ସର୍ବୋପରି ସହରର ମଧ୍ୟସ୍ଥଳରୁ ପବ୍ଳିକ ଟ୍ରାନ୍ସପୋର୍ଟର ସୁବିଧା ଦେଇହେବ | ‘ବ୍ରହ୍ମପୁର ଡ଼େଭଲାପମେଣ୍ଟ ଅଥାରିଟି ମାଲିକାନାରେ ଥିବା ବିବାଦମାନ ଗଜପତି ପ୍ଳାଜା ଚ଼ିହ୍ନଟ ଜମିକୁ ମଧ୍ୟ ଅନ୍ୟଏକ ବହୁତଳ ବିଶିଷ୍ଟ ପାର୍କିଂ ଲଟରେ ପରିଣତ କରାଯାଇ ପାରିଲେ ତଥା ରାମଲିଙ୍ଗ ବନ୍ଧ କଡ଼ରେ ପ୍ରସ୍ତାବିତ ସ୍କାଇ-ୱାକ ଓ ପାର୍କିଂ ଜୋନ ନିର୍ମାଣ କାର୍ଯ୍ୟ ସରିଲେ ସହରର ଜନାକୀର୍ଣ୍ଣ ମଧ୍ୟଭାଗରେ ତିନି ଗୋଟି ପାର୍କିଂ ଲଟ ଦୀର୍ଘ ଭବିଷ୍ୟତ ପାଇଁ ବ୍ରହ୍ମପୁରର ଟ୍ରାଫିକ ସମସ୍ୟା ସମାଧାନରେ ସହାୟକ ହୋଇପାରିବ ବୋଲି ଆଶା କରାଯାଇପାରେ | ପୁରୁଣା ବସଷ୍ଟାଣ୍ଡ ଓ ଗଜପତି ପ୍ଳାଜା ଜମିରେ ପାର୍କିଂ ଲଟ ନିର୍ମାଣ ପାଇଁ ପ୍ରାଇଭେଟ ପବ୍ଳିକ ପାର୍ଟନରସିପ ଧାରାରେ ଘରୋଇ ପୁଞ୍ଜି ବିନିଯୋଗ କରାଯାଇ ଉପଭୋକ୍ତା ଜନସାଧାରଣଙ୍କଠାରୁ ଭଡ଼ା ଆଦାୟରେ ନିର୍ମାଣ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ଭରଣା ସମ୍ଭବପର

Friday, April 8, 2016

What is Rahagiri / ‘ରାହଗିରି’ ...କ’ଣ ? କେବେଠୁ ? କେଉଁଠୁ ? କାହିଁକି ?...

ବ୍ରହ୍ମପୁରରେ ରାହଗିରି ଦିବସ 10 ଏପ୍ରିଲ 2016 ରବିବାରଠୁଁ ପାଳନ କରିବା ନିମନ୍ତେ ନିଷ୍ପତ୍ତି ଗୃହୀତ ହୋଇଛି | ଭୁବନେଶ୍ୱରରେ 17 ଜାନୁୟାରୀ 2016 ଠାରୁ ରାହଗିରି ଆରମ୍ଭ ହେବାପରେ ପୁରୀ ପରକୁ ଏହି ଦିବସ ପାଳନରେ #ବ୍ରହ୍ମପୁର ହେବ ରାଜ୍ୟର ତୃତୀୟ ସହର |
          ରାହଗିରି ଏକ ହିନ୍ଦୀ ଶଦ୍ଦ | ‘ରାହର ଅର୍ଥ ରାସ୍ତା ଓ ଗିରି ଆଦର୍ଶ ଅର୍ଥରେ ବ୍ୟବହୃତ ହୋଇଥାଏ .... ଯେପରି କି ଗାନ୍ଧିଗିରି, ଚାମଚାଗିରି ଇତ୍ୟାଦି | ‘ରାହଗିରିର ଓଡ଼ିଆ ଅନୁବାଦ ପଥଚ଼ାରୀ ଦିବସ’ | ରାଷ୍ଟ୍ରୀୟସ୍ତରରେ ରାହଗିରି ଫାଉଣ୍ଡେସନ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ରାହଗିରିର ଟ୍ରେଡ଼ମାର୍କ ରେଜିଷ୍ଟ୍ରେସନ କରିଛି | ଅର୍ଥାତ ରାହଗିରି ଶଦ୍ଦ ସେମାନଙ୍କ ବିନାଅନୁମତିରେ ବ୍ୟବହୃତ ହୋଇପାରିବ ନାହିଁ କିମ୍ୱା ଅଞ୍ଚଳିକ ଭାଷା ସମୂହରେ ଅନୁବାଦିତ ହୋଇପାରିବ ନାହିଁ  |
          ଭାରତରେ ରାହଗିରି 17 ନଭେମ୍ୱର 2013ରେ ହରିଆନାର ଗୁରୁଗାଁଓରେ ଆରମ୍ଭ ହୋଇଥିଲା | ପରବର୍ତ୍ତୀ କାଳରେ ଦିଲ୍ଲୀ, ଲୁଧିଆନା, ନଭି ମୁମ୍ୱାଇ, ବାଙ୍ଗାଲୁର ଇତ୍ୟାଦି ସହରରେ ମଧ୍ୟ ଏହି ଉତ୍ସବ ପାଳନ ସଂପ୍ରସାରିତ ହେବାରେ ଲାଗିଲା |
          ରାହଗିରି ଦିବସ ପାଳନର ଉତ୍ପତି ଦକ୍ଷିଣ ଆମେରେକୀୟ ରାଷ୍ଟ୍ର କଲମ୍ୱିଆର ବୋଗୋଟା ସହରରେ 1976ରୁ ପାଳିତ ସାପ୍ତାହିକ ସିସ୍ଳୋଭିଆ ଦିବସକୁ ଚ଼ିହ୍ନଟ କରାଯାଇଥାଏ | ସ୍ପାନିସ ଭାଷାରେ ସିସ୍ଳୋଭିଆର ଅର୍ଥ ସାଇକଲ ଚ଼ାଳନା ପାଇଁ ରାସ୍ତା ଅବରୋଧକୁ ବୁଝାଇଥାଏ | ପ୍ରତି ସପ୍ତାହରେ ଏକ ନିର୍ଦ୍ଧିଷ୍ଟ ଦିବସର ନିର୍ଦ୍ଧିଷ୍ଟ ସମୟସୀମାରେ ରାଜରାସ୍ତା ମଟରଗାଡ଼ି ଚଳାଚଳଲାଗି ନିଷିଦ୍ଧ କରି ପଥଚ଼ାରୀ ତଥା ସାଇକଲ ଚ଼ାଳନା ପାଇଁ ରାସ୍ତା ଉନ୍ମୁକ୍ତ କରାଯାଉଥିବା କଲମ୍ୱିଆର ଏହି ପ୍ରଥା କାଳକ୍ରମେ ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ, ବ୍ରାଜିଲ, ମେକ୍ସିକୋ, ବେଲଜିୟମ ଓ ଇସ୍ରାଏଲ ପ୍ରଭୃତି ରାଷ୍ଟ୍ରକୁ ବ୍ୟାପିଥିଲା | ଏହି ଉତ୍ସବକୁ ଦେଶ ବିଦେଶରେ ଲୋକପ୍ରିୟ କରାଇବା ପାଇଁ କେତେକ ଅନ୍ତଃରାଷ୍ଟ୍ରୀୟ ସ୍ୱେଚ୍ଛାସେବୀ ସଂଗଠନ ନିୟୋଜିତ ହୋଇଛନ୍ତି | ଆମ ଦେଶରେ ଗରିବ ଓ ଅବହେଳିତ ବର୍ଗଙ୍କ ଉନ୍ନୟନ ପାଇଁ ବିଗତ ଚ଼ାରି ପାଞ୍ଚ ଦଶନ୍ଧୀଧରି ସ୍ୱେଚ୍ଛାସେବୀ ସଂଗଠନମାନ କାମ କରୁଥିବା ଭଳି ବଡ଼ବଡ଼ ଦେଶରେ ସହରାଞ୍ଚଳରେ ବିଭିନ୍ନ ସୁବିଧାସୁଯୋଗ ସୃଷ୍ଟିପାଇଁ ମଧ୍ୟ ସ୍ୱେଚ୍ଛାସେବୀ ସଂଗଠନମାନ ତତ୍ପର ଅଛନ୍ତି | ବିଶେଷକରି ଜଗତୀକରଣପରେପରେ ସହରାଞ୍ଚଳ ବିକାଶ ନିମନ୍ତେ ବିଭିନ୍ନ ପ୍ରାୟୋଜିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି | ଗାଡ଼ିମଟରଜନିତ ପ୍ରଦୂଷଣ, ସୁସ୍ଥ ଶରୀର ନିମନ୍ତେ ବ୍ୟାୟାମ, ଗୋଷ୍ଠୀଗତ ଜୀବନରେ ଭାଗିଦାରୀ ଇତ୍ୟାଦି ତତ୍ତ୍ୱର ପ୍ରଚ଼ାର ନିମନ୍ତେ ରାହଗିରିଧରଣର ଉତ୍ସବମାନ ସୃଷ୍ଟି ହୋଇଛି | ଏଥିଲାଗି ସେଲ ଭଳି ଆନ୍ତର୍ଜାତିକ କମ୍ପାନୀମାନେ ଆର୍ଥିକ ସହାୟତା ଦେଉଛନ୍ତି ଏବଂ ଆଧୁନିକ ପରିଚ଼ାଳନା ବିଧି ଉପଯୋଗରେ ଏହିରକମର ପ୍ରଥା ବିଜ୍ଞାପିତ ହୋଇ ବହୁଳ ଜନସଂଖ୍ୟାର ଚର୍ଚ୍ଚାର ପରିସରକୁ ଆସିପାରୁଛି |

          କଲମ୍ୱିଆର ସିସ୍ଳୋଭିଆ ବ୍ରହ୍ମପୁରକୁ ରାହଗିରିରେ ସଂପ୍ରସାରିତ ହେବା ଅବସରରେ ଏଭଳି ଏକ ଗଣଉତ୍ସବ ପାଳନର ଉଦ୍ଦେଶ୍ୟ ବହୁମାତ୍ରାରେ ପରିବର୍ତ୍ତିତ ହୋଇଛି | ବ୍ରହ୍ମପୁର ସହରସାରା ଏକ ଅଗ୍ରଣୀ ବ୍ୟାଙ୍କ ସହଯୋଗରେ ଟଣା ହୋଇଥିବା ଫ୍ଳେକ୍ସ ବ୍ୟାନର ଦେଖି ମଟରସାଇକଲରେ ତ୍ରିବଲ-ଲୋଡ଼ରେ ସହରବାସୀ ଟାଉନହଲ-କଲ୍ୟାଣ ମଣ୍ଡପ କିମ୍ୱା ଷ୍ଟେସନରୋଡ଼ଠାରେ ପହଞ୍ଚିବେ | ସେଠି ମଟରସାଇକଲ ପାର୍କିଂ କରି ଖଲ୍ଲିକୋଟ କଲେଜ ଛକଠାରୁ ବିଜିପୁର ଛକରାସ୍ତା କଡ଼େ କବିତା ପାଠୋତ୍ସବ ଠାରୁ ଆରମ୍ଭ କରି ମେହେନ୍ଦୀ ଚିତା କୁଟା ଦେଖି ଘରକୁ ଫେରିବେ | ତେବେ ଏହା ବି ଏକ ଆନନ୍ଦ...... ନିତିଦିନିଆ ରୁଟିନର ଧରାବନ୍ଧା ବନ୍ଧନୀରୁ ସାମୟିକ ମୁକ୍ତିଲାଗି ଏକ ପ୍ରୟାସ .... | ଅନ୍ୟ ରାଜ୍ୟରେ ଖୁସି ପାଇଁ ମନ୍ତ୍ରଣାଳୟ ସୃଷ୍ଟି କରାଯାଉଥିବା ଅବସରରେ ଓଡ଼ିଶାର ସହରଗୁଡ଼ିକରେ ରାହଗିରି ପାଳନର ପ୍ରାସଙ୍ଗିକତା ଆମେ କାହିଁକି ଖୋଜିବା..... ? ଅନ୍ତତଃ ବର୍ତ୍ତମାନ ପାଇଁ ଆମେ ଏଭଳି ଉତ୍ସବ ପାଳନର ରାଜନୀତିକ ଦିଗପ୍ରତି ଦୃଷ୍ଟି ଦେବାନି ..... | ତେବେ ଦଣ୍ଡନାଚ଼, ଠାକୁରାଣୀ ଯାତ୍ରାର ସହରରେ ରାହଗିରିହୁଏତ ଯୋଡ଼ିବ ମନୋରଞ୍ଜନର ଏକ ନୂଆ ଫର୍ଦ୍ଦ ..... |


ସଂବାଦ (ବ୍ରହ୍ମପୁର ସଂସ୍କରଣ) ୧ ଏପ୍ରିଲ୍ ୨୦୧୬ ରେ ପ୍ରକାଶିତ