Friday, March 29, 2024

Change in ownership of the Port / ବନ୍ଦରର ନୂଆ ମାଲିକାନା

 

କର୍ପୋରେଟ ସଂସ୍ଥା ଟାଟା ଗୃପ’ #ବ୍ରହ୍ମପୁର ସହରର ବିଦ୍ୟୁତ ବିତରଣ ଭାର ଗ୍ରହଣ କରିବା ତଥା ସହରତଳି ଅଞ୍ଚଳରେ ଶିଳ୍ପ ପାର୍କ ପ୍ରତିଷ୍ଠା କରିବା ପରେ ଦେଶର ଅନ୍ୟତମ ପ୍ରମୁଖ କର୍ପୋରେଟ ସଂସ୍ଥା ଆଦାନି ଗୃପ ଗୋପାଳପୁର ବନ୍ଦର ଅଧିଗ୍ରହଣ ନିମନ୍ତେ ୨୦୨୪ ମାର୍ଚ୍ଚ ଶେଷ ସପ୍ତାହରେ ଚୁକ୍ତି କରିଥିବା ପ୍ରକାଶ ପାଇଛି । ବ୍ରିଟିଶ ଶାସନ କାଳରେ ଊନବିଂଶ ଶତାଦ୍ଦୀରୁ କାର୍ଯ୍ୟକ୍ଷମ ଗୋପାଳପୁର ବନ୍ଦର ଦ୍ୱିତୀୟ ବିଶ୍ୱଯୁଦ୍ଧ ଅବସରରେ ବନ୍ଦ ହୋଇଯାଇଥିଲା । ଓଡ଼ିଶା ରାଜ୍ୟ ସରକାର ଗୋପାଳପୁର ସହର ସମୁଦ୍ର ତଟରେ ଅବସ୍ଥିତ ପୁରାତନ ବନ୍ଦରଠାରୁ ପ୍ରାୟ ଦଶ କିଲୋମିଟର ଦୂରବର୍ତ୍ତୀ ଛତ୍ରପୁର ତଟ ଆର୍ଯ୍ୟପଲ୍ଲୀଠାରେ ୧୯୮୬-୮୭ ଆର୍ଥିକ ବର୍ଷରେ ଏକ ଋତୁକାଳୀନ ଫେୟାର ୱେଦରବନ୍ଦର ଆରମ୍ଭ କରିଥିଲେ । ଏହି ବନ୍ଦର ନିର୍ମାଣ ନିମନ୍ତେ ପର୍ଯ୍ୟାପ୍ତ ପରିମାଣରେ କେନ୍ଦ୍ର ସରକାରଙ୍କ ଅନୁଦାନ ବିନିଯୋଗ ହୋଇଥିଲା ।
 
ନୂତନ ଗୋପାଳପୁର ବନ୍ଦର ନିର୍ମାଣର ଇତିହାସ କୌତୁହଳ ଉଦ୍ଦୀପକ । ଓଡ଼ିଶା ରାଜ୍ୟ ସରକାରଙ୍କ ଅଧୀନରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଦୁର୍ଗା ପ୍ରସାଦ ପତି ଉଚ୍ଚଶିକ୍ଷା ନିମନ୍ତେ ମୁମ୍ୱାଇ ଆଇଆଇଟିରେ ନାମ ଲେଖାଇ ସାମୁଦ୍ରିକ ପରିବହନରେ ସ୍ନାତକୋତ୍ତର ଉପାଧି ହାସଲ କରି ଫେରିଥିଲେ । ସାମୁଦ୍ରିକ ପରିବହନ ବ୍ୟବସ୍ଥା ସୁଦୃଢ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନ ନୀତି ସଂପର୍କରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ପ୍ରଭାବିତ କରାଇ ଗୋପାଳପୁର ବନ୍ଦରର ମୂଳଦୁଆ ସ୍ଥାପନ କରିଥିଲେ । ତାଙ୍କରି ଅନୁଭୂତି ରୋମାଞ୍ଚକର । ଗୋପାଳପୁରରେ ବନ୍ଦର ଗଢ଼ିବା ପାଇଁ ପ୍ରଥମ କର୍ମଚାରୀଭାବେ ସରକାରଙ୍କ ନିର୍ଦ୍ଦେଶ ପାଇବାପରେ କିପରି ବ୍ରହ୍ମପୁର ଗିରି ମାର୍କେଟ ଛକରୁ ଏକ ବାଉଁଶ ପାତି ଖଟ ନେଇ ଗୋପାଳପୁର ବନ୍ଦର କାର୍ଯ୍ୟାଳୟରେ ରାତି କାଟିଥିଲେ ଅତୀତ ସ୍ମୃତି ସହରର ବୁଦ୍ଧିଜୀବୀଙ୍କ ଗହଣରେ ବର୍ଣ୍ଣନା କରୁଥିଲେ । (ବାଉଁଶ ଏକ ସଂରକ୍ଷିତ ବନଜାତ ଦ୍ରବ୍ୟ ରୂପେ ଘୋଷିତ ହେବା ପୂର୍ବରୁ ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳରେ ବାଉଁଶ ପାତି ଖଟର ଆଦର ଥିଲା । ମୁଖ୍ୟତଃ, ଗଞ୍ଜାମ ଓ କନ୍ଧମାଳ ବନାଞ୍ଚଳରେ ନିର୍ମିତ ଏହି ଖଟର ଦାମ ମଧ୍ୟ ଶସ୍ତା ରହୁଥିଲା । ବାଉଁଶ ପାତି ଖଟର ଆରାମ ଓ ବାସ୍ନା ଅନନ୍ୟ !) ବିଂଶ ଶତାଦ୍ଦୀ ଶେଷ ଦଶକରେ ବ୍ରହ୍ମପୁର ସାମାଜିକ ଓ ସାଂସ୍କୃତିକ ପରିଧିରେ ଦୁର୍ଗା ପତି ବେଶ ସକ୍ରିୟ ଥିଲେ । ତାଙ୍କରି କାର୍ଯ୍ୟକାଳ ବିବାଦପୂର୍ଣ୍ଣ ହେଲେ ହେଁ ଦୀର୍ଘକାଳ ଧରି ଗୋପାଳପୁର ବନ୍ଦରର ପ୍ରମୁଖ କର୍ମକର୍ତ୍ତାଭାବେ ଅବସ୍ଥାପିତ ହୋଇ ବନ୍ଦର ନିର୍ମାଣ କାର୍ଯ୍ୟଭାର ସମ୍ଭାଳିଥିଲେ ।
 
ଗୋପାଳପୁର ବନ୍ଦର ବିଭିନ୍ନ କାରଣରୁ ସଫଳତା ପାଇ ପାରି ନଥିଲା ଏବଂ ସେହି ଧାରା ୨୦୨୪ ସୁଦ୍ଧା ବଳବତ୍ତର ରହିଛି । ସରକାର ୨୦୦୬ରେ ଏହାକୁ ସବୁଦିନିଆ ବନ୍ଦରକୁ ଉନ୍ନୀତ କରି ଘରୋଇ କମ୍ପାନୀ ଗୋପାଳପୁର ପୋର୍ଟ ଲିମିଟେଡ଼କୁ ପରିଚାଳନାଭାର ହସ୍ତାନ୍ତର କରିଥିଲେ । ସାତ ବର୍ଷ ପରେ ୨୦୧୩ ମାର୍ଚ୍ଚରେ ବନ୍ଦରରେ ବ୍ୟାବସାୟିକ କାର୍ଯ୍ୟ ଆରମ୍ଭ ହେବାପରେ ୨୦୧୩ ଅକ୍ଟୋବରରେ ଫାଇଲିନ ବାତ୍ୟା ଯୋଗୁଁ ବନ୍ଦରରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା କୁହାଗଲା । ବନ୍ଦର ଦୁଇ ବର୍ଷ ପାଇଁ ବନ୍ଦ ରହି ୨୦୧୫ ଅକ୍ଟୋବରରେ ପୁଣି କାର୍ଯ୍ୟକ୍ଷମ ହୋଇଥିଲା ।
 
ଗୋପାଳପୁର ବନ୍ଦର ଓଡ଼ିଶା ସରକାରଙ୍କଠାରୁ ଲିଜ ସୂତ୍ରରେ ୫୦୦ ଏକର ଜମି ପାଇଛି । ଏହି ବନ୍ଦର ୧୬ ନମ୍ୱର ଜାତୀୟ ରାଜପଥ ଓ ଚ଼େନ୍ନାଇ-କୋଲକତା ରେଳପଥ ସହ ସଂଯୁକ୍ତ । ବନ୍ଦର ଦେଇ ଲୁହା, କୋଇଲା, ଚୁନପଥର, ଆଲୁମିନା, ବିରଳ ମୃତ୍ତିକା ଇତ୍ୟାଦି ରପ୍ତାନୀ ହୁଏ ।
 
ଗୋପାଳପୁର ବନ୍ଦରର ମାଲିକାନା ୨୦୦୬ରେ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ଼, ସାରା ଇଣ୍ଟରନ୍ୟାସନାଲ ଓ ହଂକଂର ନବଲ ଗୃପ ମିଳିତ ଭାବେ ଆରମ୍ଭ କରିଥିଲେ । ତେବେ ୨୦୧୦ରେ ନବଲ ଗୃପ ପ୍ରକଳ୍ପରୁ ଓହରି ଯାଇଥିଲା । ଏହି ଅବସରରେ ୨୦୧୬ରେ ସାପୁରାଜୀ ପାଲୋନଜୀ ଗୃପ ବନ୍ଦରର ୫୧ ପ୍ରତିଶତ ଅଂଶଧନ କିଣିଥିଲା । ବର୍ତ୍ତମାନ ଆଦାନି ଗୃପର ଆଦାନି ପୋର୍ଟସ ଆଣ୍ଡ ସ୍ପେସିଆଲ ଇକନୋମିକ ଜୋନ ଓଡିଶା ଷ୍ଟିଭେଡର୍ସ ଲିମିଟେଡ଼ର ୩୯ ପ୍ରତିଶତ ଓ ସାପୁରାଜୀ ପାଲୋନଜୀ ପୋର୍ଟ ମେଣ୍ଟେନାନ୍ସ ପ୍ରାଭିଭେଟ ଲିମିଟେଡ଼ର ୫୬ ପ୍ରତିଶତ ଅଂଶଧନ ୩୦୮୦ କୋଟି ଟଙ୍କା ନିବେଶରେ କିଣିବା ସ୍ଥିର ହୋଇଥିବା ପ୍ରକାଶ ପାଇଛି । ଆବଶ୍ୟକୀୟ ଆଇନଗତ ସମ୍ମତ୍ତି ପରେ ଅଧିଗ୍ରହଣ କାର୍ଯ୍ୟକାରୀ ହେଲେ ଆଦାନି ଗୃପ ଗୋପାଳପୁର ବନ୍ଦରର ୯୫ ପ୍ରତିଶତ ଅଂଶଧନ ଅକ୍ତିଆର କରିବ । ଅର୍ଥାତ, ଗୋପାଳପୁର ବନ୍ଦରର ମାଲିକାନା ବଦଳିବ ।

Image by PublicDomainPictures from Pixabay


Friday, March 22, 2024

Radisson Hotel at Gopalpur / ଗୋପାଳପୁର ରାଡିସନ ହୋଟେଲ

 

#ବ୍ରହ୍ମପୁର ସନ୍ନିକଟ ଗୋପାଳପୁର ବେଳାଭୂମିରେ ରାଡ଼ିସନ ହୋଟେଲ ଗୃପ ୨୦୨୪ ମଧ୍ୟଭାଗ ସୁଦ୍ଧା ହୋଟେଲ ବ୍ୟବସାୟ ଆରମ୍ଭ କରୁଥିବା ପ୍ରକାଶ ପାଇଛି । ରାଡ଼ିସନ ହୋଟେଲ ଗୃପ ଏକ ଯୁକ୍ତରାଷ୍ଟ୍ର ଆମେରିକା-କେନ୍ଦ୍ରୀକ ହସପିଟାଲିଟି କମ୍ପାନୀ । କାର୍ଲସନସ ନାମରେ ୧୯୬୨ରେ ଆରମ୍ଭ ହୋଇଥିବା ଏହି ହୋଟେଲ ଚେନ ଆନ୍ତର୍ଜାତିକସ୍ତରରେ ୧୨୦ରୁ ଉର୍ଦ୍ଧ୍ୱ ରାଷ୍ଟ୍ରରେ ୧୪୦୦ ହୋଟେଲକୁ ପରିବ୍ୟାପ୍ତ । ଭାରତରେ ବିଗତ ୨୫ ବର୍ଷ ବ୍ୟବସାୟରେ ବିଭିନ୍ନ ପ୍ରାନ୍ତରେ ପ୍ରାୟ ୧୬୫ ଗୋଟି ହୋଟେଲ ସହବନ୍ଧିତ ହୋଇଛନ୍ତି । ଗୋପାଳପୁରରେ ରାଡିସନ ହୋଟେଲ ବ୍ରାଣ୍ଡ ଉପସ୍ଥିତି ଆନ୍ତର୍ଜାତିକ ପର୍ଯ୍ୟଟକଙ୍କ ସାଙ୍ଗକୁ ଦେଶୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଅଧିକା ସୁଯୋଗ ସୃଷ୍ଟି କରିବା ଆଶା କରାଯାଇପାରେ
 
ରାଡ଼ିସନ ହୋଟେଲ ମୁଖ୍ୟତଃ ଏକ ଫ୍ରାଞ୍ଚାଇଜ କମ୍ପାନୀ ଭାବେ ପରିଚ଼ିତ । ଅର୍ଥାତ, ସ୍ଥାନୀୟ ନିବେଶକଙ୍କ ଦ୍ୱାରା ନିର୍ମିତ ହୋଟେଲଗୁଡ଼ିକର ପରିଚାଳନା ଓ ମାର୍କେଟିଂ ଦାୟିତ୍ୱ ଗ୍ରହଣ କରିଥାଏ । ଗୋପାଳପୁରରେ ଏକ ଓଡ଼ିଆ ଶିଳ୍ପ ଉଦ୍ୟୋଗୀ ପଦ୍ମା ଇଷ୍ଟର୍ଣ୍ଣ ହୋଟେଲସ ପ୍ରାଇଭେଟ ଲିମିଟେଡ଼ ଦ୍ୱାରା ଶହେ କଠୋରୀ ବିଶିଷ୍ଟ ହୋଟେଲ ନିର୍ମିତ ହୋଇଛି । ଏହି ସମ୍ପତ୍ତି ରାଡ଼ିସନ ବ୍ରାଣ୍ଡରେ କାର୍ଯ୍ୟକରିବ । ପ୍ରମୋଦ ଲେଣ୍ଡସ ଏଣ୍ଡ ରିସର୍ଟ ନାମିତ ଗୋପାଳପୁର ରାଡ଼ିସନ ସମୁଦ୍ର କୂଳରେ ଅବସ୍ଥିତ । ଏହା ରାଡ଼ିସନ ଇଣ୍ଡିଭିଜୁଆଲସବର୍ଗରେ ଓଡ଼ିଶାର ପ୍ରଥମ ହୋଟେଲର ମାନ୍ୟତା ପାଇବ । ଏଠାରେ ପର୍ଯ୍ୟଟକମାନଙ୍କ ରହେଣୀ ପାଇଁ ସୁଟ ଓ ଭିଲାର ବ୍ୟବସ୍ଥା ରହିଛି । ଏତଦ୍ ବ୍ୟତୀତ ଘରୋଇ ସ୍ମିମିଂପୁଲ, ରେଷ୍ଟୁରାଣ୍ଟ, ବାର, ଫିଟନେସ ସେଣ୍ଟର, ସ୍ପା ଇତ୍ୟାଦିର ସୁବିଧା ଉପଲବ୍ଧ ।
 
ଗୋପାଳପୁର ସମୁଦ୍ରବେଳାର ଦକ୍ଷିଣ ପାର୍ଶ୍ୱରେ ପ୍ରମୋଦ ଲେଣ୍ଡସ ଏଣ୍ଡ ରିସର୍ଟ ଗଢ଼ି ଉଠିଛି । ପାର୍ଶ୍ୱରେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗୋପାଳପୁର ଇକୋ-ରିଟ୍ରେଟ ନାମରେ ଅନ୍ୟ ଏକ ପର୍ଯ୍ୟଟକ ଆବାସ ନିର୍ମାଣ ସରିଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ କରିପାରି ନାହିଁ । ଏହି ଅଞ୍ଚଳ ବକ୍ସିପଲ୍ଲୀ ଅନ୍ତର୍ଭୁକ୍ତ । ପ୍ରମୋଦ ଲେଣ୍ଡସ ଏଣ୍ଡ ରିସର୍ଟ କଠୋରୀ ଭଡ଼ା ବୁକ ମାଇ ଟ୍ରିପରେ ୨୧ ମାର୍ଚ୍ଚ ୨୦୨୪ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଟିକସ ବ୍ୟତୀତ ପ୍ରାୟ ସାତ ହଜାର ଟଙ୍କା । ଗୋପାଳପୁରର ଅନ୍ୟାନ୍ୟ ଉଚ୍ଚ ବର୍ଗର ହୋଟେଲ ମଧ୍ୟରେ ମେଫେୟାର ପାମବିଚ଼ କଠୋରୀ ଭଡ଼ା ପ୍ରାୟ ଏଗାର ହଜାର ଓ ସ୍ୱସ୍ତି ପାମ ରିସର୍ଟ କଠୋରୀ ଭଡ଼ା ପ୍ରାୟ ତିନି ହଜାର ଟଙ୍କା । ଗୋପାଳପୁରରେ ଜୋନ ବାଇ ଦି ପାର୍କ, ପିପଲ ସି ଭ୍ୟୁ, ସି-ମେରିଡ଼, ପାମ-ରିଗଲ, ସିନେରିଆ ଭଳି ରିସର୍ଟ ବିଗତ କିଛି ବର୍ଷି ମଧ୍ୟରେ ଆରମ୍ଭ ହୋଇଛି ।
 
ଗୋପାଳପୁର ସମୁଦ୍ର ବେଳାଭୂମିରେ ଉଚ୍ଚମାନର ରିସର୍ଟ ଓ ହୋଟେଲମାନ ଗଢ଼ି ଉଠିବା ସ୍ୱାଗତଯୋଗ୍ୟ । ଏତଦ୍ୱାରା ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ । ତେବେ ନିକଟ ଅତୀତ ଅଭିଜ୍ଞତାରୁ ଗୋପାଳପୁର ସହରକୁ ଆକର୍ଷଣୀୟ କରିବା ଦିଗରେ ସରକାରୀସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ବିଫଳ ହେଉଥିବା ଅବସରରେ ସ୍ଥାନୀୟ ବଡ଼ ହୋଟେଲଗୁଡ଼ିକ ପକ୍ଷରୁ ସମ୍ମିଳିତ ପ୍ରଚେଷ୍ଟାରେ ରମଣୀୟ ଗଢ଼ିତୋଳିବା ଉଦ୍ୟମ କରାଯିବା ଉଚ଼ିତ । ଉଦାହରଣରେ ଦୁଇଗୋଟି ଯୋଜନା ବିଚାର କରାଯାଇପାରେ ।
 
ପ୍ରଥମତଃ, ଦୀର୍ଘ ଦେଢ଼ ଶହ ବର୍ଷ ଧରି ଗୋପାଳପୁରର ଶାନ୍ତ ବେଳାଭୂମି ସାଙ୍ଗକୁ ଝାଉଁବଣ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଆସିଥିଲା । କୁହାଯାଏ ଯେ ଆସିକା ଚ଼ିନି କାରଖାନାର ମାଲିକ ଫେଡ୍ରେରିକ ମିଂଚନ ଗୋପାଳପୁରରେ ଝାଉଁବଣ ସୃଷ୍ଟି କରିବା ନିମନ୍ତେ ପ୍ରଥମେ ଉଦ୍ୟମ କରିଥିଲେ । ୧୮୬୫-୬୬ରେ ନଅଙ୍କ ଦୁର୍ଭିକ୍ଷ କାଳରେ ଅନାବୃଷ୍ଟି ଯୋଗୁଁ ପାରମ୍ପରିକ ଶସ୍ୟ ଉତ୍ପାଦନ ସଂଭବ ନହେବା କାରଣରୁ ବେଳାଭୂମିରେ ଝାଉଁବଣ ଉପକୂଳବାସୀଙ୍କୁ ସାମାନ୍ୟ ରୋଜଗାର ଯୋଗାଇବାରେ ସମର୍ଥ ହୋଇଥିଲା । ଝାଉଁ ଆଷ୍ଟ୍ରେଲିଆର ଗଛ । ଝାଉଁ ଗଛ ବିଶେଷ ପାଣି କିମ୍ୱା ରକ୍ଷଣାବେକ୍ଷଣ ଆବଶ୍ୟକ କରେ ନାହିଁ ଏବଂ ଗୋପାଳପୁର ଜଳବାୟୁ ଅନୁକୂଳ ଥିବା ପ୍ରମାଣିତ । ହୋଟେଲଗୁଡ଼ିକ ପକ୍ଷରୁ ବ୍ୟାପକ ଝାଉଁବଣ ଦ୍ୱାରା ସବୁଜିମା ସୃଷ୍ଟି କରାଯାଇପାରିଲେ ତାହା ପରିବେଶ ଅନୁକୂଳ ହେବା ସାଙ୍ଗକୁ ପର୍ଯ୍ୟଟକଙ୍କୁ ମଧ୍ୟ ଆକର୍ଷିତ କରିବ ।
 
ଦ୍ୱିତୀୟତଃ, ଗୋପାଳପୁର ବେଳାଭୂମି ଛାଡ଼ି ଦେଲେ ଛୋଟିଆ ସହରର ବଜାର-ଘାଟରେ ପର୍ଯ୍ୟଟକ ପହଞ୍ଚନ୍ତି । ପୁରୁଣା ବସଷ୍ଟାଣ୍ଡରୁ ବେଳାଭୂମିକୁ ଗଡ଼ାଣିଆ ରାସ୍ତା ଦୁଇ ପାର୍ଶ୍ୱରେ ଘରଦ୍ୱାର ରହିଛି । ସେଗୁଡ଼ିକୁ ଯଦି ରଙ୍ଗ-ବେରଙ୍ଗ କରିବା ଲାଗି ଉଦ୍ୟମ କରାଯାଇଥାନ୍ତା, ତେବେ ଛୋଟିଆ ସହରଟି ବେଶ ମନୋରମ ରୂପ ଧାରଣ କରନ୍ତା । ୟୁରୋପ ଓ ଅନ୍ୟାନ୍ୟ ଅଞ୍ଚଳରେ କେତେକ ପର୍ଯ୍ୟଟନ ସହରରେ ଗୃହ କାନ୍ଥବାଡ଼ଗୁଡ଼ିକୁ ଏଭଳି ରଂଗାୟିତ କରାଯାଇଥିବା ଇଣ୍ଟରନେଟରେ ଦେଖିବାକୁ ମିଳେ । ଏ ଦିଗରେ  ମନୋନିବେଶ ଭବିଷ୍ୟତ ପର୍ଯ୍ୟଟନ ବିକାଶ ନିମନ୍ତେ ଗୁରୁତ୍ୱ ବହନ କରିବ ନିଶ୍ଚୟ !

Image from : https://maps.app.goo.gl/3KsRAKBM7M3rmEbL8


Friday, March 15, 2024

Visakhapatnam-Bhubaneswar Vande Bharat / ବିଶାଖାପାଟଣା-ଭୁବନେଶ୍ୱର ବନ୍ଦେ-ଭାରତ

 


#ବ୍ରହ୍ମପୁର ଷ୍ଟେସନରୁ ରେଳଯାତ୍ରା ସୁପରଫାଷ୍ଟ ଯାଏଁ ହିଁ ସମ୍ଭବ ଥିଲା । ବ୍ରହ୍ମପୁର ଷ୍ଟେସନ ଦେଇ ଶତାଦ୍ଦୀ ଯାଉ ନଥିଲା ଏବଂ ହାୱାଡା-ବାଙ୍ଗାଲୁର ଦୂରନ୍ତ-ଏକ୍ସପ୍ରେସ ଯାଉଥିଲେ ବି ଅଟକୁନଥିଲା । ପ୍ରଥମ ଥର ପାଇଁ ସହରବାସୀ ୧୭ ଫେବୃୟାରୀ ୨୦୨୪ରୁ ଭୁବନେଶ୍ୱର କିମ୍ୱା ବିଶାଖାପାଟଣା ଯାତ୍ରା ନିମନ୍ତେ ବନ୍ଦେ-ଭାରତ ଏକ୍ସପ୍ରେସ ଯାତ୍ରା କରିବା ସୁଯୋଗ ପାଇବେ । ବିଶାଖାପାଟଣା – ଭୁବନେଶ୍ୱର ବନ୍ଦେ-ଭାରତ ଏକ୍ସପ୍ରେସ ସାତଗୋଟି ଷ୍ଟେସନରେ ଅଟକିବ ବିଶାଖାପାଟଣା ଛାଡ଼ିବା ପରେ ବିଜୟନଗରମ, ଶ୍ରୀକାକୁଲମ, ପାଲାସା, ଇଛାପୁରମ, ବ୍ରହ୍ମପୁର, ବାଲୁଗାଁ, ଖୋର୍ଦ୍ଦା ରୋଡ଼ରେ ଅଟକି ଭୁବନେଶ୍ୱର ପହଞ୍ଚିବ । ଏଥି ମଧ୍ୟରେ ବ୍ରହ୍ମପୁରଠାରୁ ଛୋଟ ଏକାଧିକ ଷ୍ଟେସନ ରହିଛି । ବନ୍ଦେ-ଭାରତରେ ବ୍ରହ୍ମପୁର ଯାତ୍ରୀ ଭୁବନେଶ୍ୱର ପଟେ ତିନିଗୋଟି ଏବଂ ବିଶାଖାପାଟଣା ପଟେ ତିନିଗୋଟି ଷ୍ଟେସନରେ ଓହ୍ଲାଇ ପାରିବେ ।
 
ଭାରତୀୟ ରେଳପଥ ପକ୍ଷରୁ ଜାତୀୟସ୍ତରରେ ଫେବୃୟାରୀ ୨୦୧୯ରେ ପ୍ରଥମ ବନ୍ଦେ-ଭାରତ ଏକ୍ସପ୍ରେସ ଆରମ୍ଭ ହୋଇଥିଲା । ଓଡ଼ିଶାରେ ପ୍ରଥମ ବନ୍ଦେ-ଭାରତ ପୁରୀ-ହାୱାଡା ମେ ୨୦୨୩ ଓ ଦ୍ୱିତୀୟ ବନ୍ଦେ-ଭାରତ ପୁରୀ-ରାଉରକେଲା ସେପ୍ଟେମ୍ୱର ୨୦୨୩ରେ ଚାଲୁ କରାଯାଇଥିଲା । ଉଭୟ ଟ୍ରେନ ଭୁବନେଶ୍ୱର ଦେଇ ଯାତାୟତ କରୁଥିଲା । ଅତ୍ୟାଧୁନିକ ବନ୍ଦେ-ଭାରତ ଏକ୍ସପ୍ରେସ ଟ୍ରେନ ଗୁଡ଼ିକ ୮୦୦ କିଲୋମିଟର ଦୂର କିମ୍ୱା ସାଧାରଣ ଟ୍ରେନରେ ଦଶ ଘଣ୍ଟାରୁ କମ ଯାତ୍ରା ସମୟ ଲାଗୁଥିବା ଷ୍ଟେସନ ଗୁଡ଼ିକ ମଧ୍ୟରେ ଚଳାଯାଇଥାଏ । ଏଥିରେ ଆଠରୁ ୧୬ ଯାଏଁ ଶୀତତାପ ନିୟନ୍ତ୍ରିତ ବଗି ସନ୍ନିବଶିତ ଏବଂ ଚ଼େନ୍ନାଇ ରେଳ କାରଖାନାରେ ନିର୍ମିତ । ପୂର୍ଣ୍ଣ ୧୬ ଗୋଟି ବଗି ବିଶିଷ୍ଟ ଗୋଟିଏ ବନ୍ଦେ-ଭାରତ ଟ୍ରେନ ନିର୍ମାଣ ଲାଗି ୧୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ ।
 
ବିଶାଖାପାଟଣାରୁ ଭୁବନେଶ୍ୱରଗାମୀ ବନ୍ଦେ-ଭାରତ ସୁପରଫାଷ୍ଟ ଏକ୍ସପ୍ରେସ ବ୍ରହ୍ମପୁରରେ ସନ୍ଧ୍ୟା ସାତଟାରେ ଲାଗି ଭୁବନେଶ୍ୱରରେ ରାତି ୯.୩୦ରେ ପହଞ୍ଚିବ । ଭୁବନେଶ୍ୱରରୁ ବିଶାଖାପାଟଣାଗାମୀ ଟ୍ରେନଟି ବ୍ରହ୍ମପୁରରେ ସକାଳ ସାତଟାରେ ଲାଗି ବିଶାଖାପାଟଣାରେ ମଧ୍ୟାହ୍ନ ୧୧ଟାରେ ପହଞ୍ଚିବ । ବିଶାଖାପାଟଣାରୁ ବନ୍ଦେ-ଭାରତ ଅପରାହ୍ନ ୩.୩୦ ଓ ଭୁବନେଶ୍ୱରରୁ ସକାଳ ୫.୧୫ରେ ଛାଡ଼ିବ ।
 
ଗେରୁଆ-ଧୂସର ରଙ୍ଗର ବିଶାଖାପଟଣା-ଭୁବନେଶ୍ୱର ବନ୍ଦେ-ଭାରତରେ ଆଠଗୋଟି ବଗି ରହିବ । ଏଥିରେ ଏକଜୁକ୍ୟୁଟିଭ ଓ ଏସି ଚ଼େୟାର କାର ଦୁଇ ଭିନ୍ନ ଶ୍ରେଣୀର ବଗି ଅନ୍ତର୍ଭୁକ୍ତ । ଏକଜୁକ୍ୟୁଟିଭ କ୍ଳାସ ପ୍ରତ୍ୟେକ ବଗିରେ ୫୨ ଗୋଟି ସିଟ ବିଶିଷ୍ଟ । ପ୍ରତି ଧାଡ଼ିରେ ଦୁଇଗୋଟି ଲେଖା ଚାରିଗୋଟି ସିଟ ରହିବ । ଏସି ଚେୟାର କାର ବଗି ୭୮ ଗୋଟି ସିଟ ବିଶିଷ୍ଟ । ପ୍ରତ୍ୟେକ ଧାଡ଼ିରେ ଦୁଇ ଓ ତିନି ମୋଟ ପାଞ୍ଚଗୋଟି ସିଟ ରହିବ । ସର୍ବ ପ୍ରଥମ ଓ ଶେଷ ଏସି ଚେୟାର କାର ସିଟ ସଂଖ୍ୟା ୪୪ରେ ସୀମିତ ।
 
ବିଶାଖାପାଟଣା-ଭୁବନେଶ୍ୱର ବନ୍ଦେ-ଭାରତ ଏକ୍ସପ୍ରେସ ୪୪୪ କିଲୋମିଟର ଅତିକ୍ରମ କରିବାକୁ ୫ ଘଣ୍ଟା ୪୫ ମିନଟ ନେବ । ଟ୍ରେନର ହାରାହାରି ଗତି ୮୧ କିଲୋମିଟର ରହିବା ବେଳେ ସର୍ବାଧିକ ୧୩୦ କିଲୋମିଟର ଯାଏଁ ବୃଦ୍ଧି ପାଇପାରିବ । ଟ୍ରେନଟି ଛୋଟବଡ଼ ମୋଟ ୬୬ ଗୋଟି ଷ୍ଟେସନ ଦେଇ ଗତି କରିବ । ଏହା ସପ୍ତାହରେ ୬ ଦିନ ଚାଲିବ । ସୋମବାର ଦିନ ବିଶାଖାପାଟଣା-ଭୁବନେଶ୍ୱର କିମ୍ୱା ଭୁବନେଶ୍ୱର-ବିଶାଖାପାଟଣା ବନ୍ଦେ-ଭାରତ ଚଳାଚଳ କରିବ ନାହିଁ । ବ୍ରହ୍ମପୁରରୁ ଭୁବନେଶ୍ୱର ପାଇଁ ଟିକଟ ଦର ଏସି ଚ଼େୟାର କାର ୭୭୦ ଟଙ୍କା ଓ ଏକଜୁକ୍ୟୁଟିଭ କ୍ଳାସ ୧୩୨୦ ଟଙ୍କା ତଥା ବ୍ରହ୍ମପୁରରୁ ବିଶାଖାପାଟଣା ପାଇଁ ଏସି ଚ଼େୟାର କାର ୮୬୦ ଟଙ୍କା ଓ ଏକଜୁକ୍ୟୁଟିଭ କ୍ଳାସ ୧୬୦୦ ଟଙ୍କା ରହିବ ।
 
ବ୍ରହ୍ମପୁରରୁ ଭୁବନେଶ୍ୱର ଓ ବିଶାଖାପାଟଣାକୁ ଶୀତତାପ ନିୟନ୍ତ୍ରିତ ବଗି ଚଳାଇବା ନିମନ୍ତେ ତିନି ଦଶକ ଧରି ଦାବୀ ରହିଥିଲା । ସହରବାସୀ ଉଭୟ ସହରକୁ ବୃତ୍ତିଗତ, ବ୍ୟାବସାୟିକ, ସ୍ୱାସ୍ଥ୍ୟ ସେବା, ବିମାନ ଯାତ୍ରା ଓ ପାରିବାରିକ କାର୍ଯ୍ୟରେ ବାରମ୍ୱାର ଯିବା-ଆସିବା କରୁଥିବା ହେତୁ ଆରାମଦାୟକ ଯାତ୍ରାର ସୁଯୋଗ ଆବଶ୍ୟକତା ରହି ଆସିଥିଲା । ଏକଦା ଇଣ୍ଟରସିଟି ଏକ୍ସପ୍ରେସରେ ଶୀତତାପ ନିୟନ୍ତ୍ରିତ ବଗି ଲାଗି ଥିଲେହେଁ ବ୍ରହ୍ମପୁରରୁ ଭୁବନେଶ୍ୱର ଯାତ୍ରା ଅବେଳରେ ନିର୍ଦ୍ଧାରିତ ହୋଇଥିବା ହେତୁ ଆବଶ୍ୟକୀୟ ଯାତ୍ରୀ ସଂଖ୍ୟା କାରଣରୁ ବନ୍ଦ ହୋଇଯାଇଥିଲା । ବନ୍ଦେ-ଭାରତ କ୍ଷେତ୍ରରେ ମଧ୍ୟ ସନ୍ଧ୍ୟା ସାତରେ ବ୍ରହ୍ମପୁରରୁ ବାହାରି ରାତି ସାଢ଼େ ନଅରେ ଭୁବନେଶ୍ୱର ପହଞ୍ଚିବା ଭୁବନେଶ୍ୱର ବାସିନ୍ଦାଙ୍କୁ ସୁହାଇପାରେ, କିନ୍ତୁ ବ୍ରହ୍ମପୁର ବାସିନ୍ଦାଙ୍କୁ ହୋଟେଲରେ ଭଡ଼ା ଦେଇ ଶୋଇବା ହିଁ ସାର ହେବ । ତେଣୁ ଟ୍ରେନ ଯାତ୍ରା ବଦଳରେ ଦୁଇଜଣ ଯାତ୍ରୀ ଏକାଠି ହେଲେ ସକାଳୁଆ ଦୁଇ ହଜାର ଟଙ୍କିଆ ୱାନ-ୱେ ଟାକ୍ସି ଫେରକୁ ପସନ୍ଦ କରିବେ । ସେହିପରି ବ୍ରହ୍ମପୁର ବାସିନ୍ଦାମାନେ ବଡ଼ି ସକାଳୁ ସାଢ଼େ ଚାରିରେ ଭୁବନେଶ୍ୱର ଷ୍ଟେସନ ପହଞ୍ଚିବା କଠିନ ବୋଧ ହୋଇପାରେ । ମୋଟାମୋଟି ଭାବେ ଅଧିକାଂଶ ବ୍ରହ୍ମପୁର ବାସିନ୍ଦାଙ୍କ ପାଇଁ ବନ୍ଦେ-ଭାରତ ସମୟ ନିର୍ଘଣ୍ଟ ପସନ୍ଦଯୋଗ୍ୟ ହୋଇନପାରେ !

Image from : https://commons.wikimedia.org/wiki/File:Bramhapur_Railway_Station


Friday, March 8, 2024

Town Bus Service / ଟାଉନ ବସ ସେବା

 


#ବ୍ରହ୍ମପୁର ସହରରେ ସଂଭବତଃ ପଞ୍ଚମ ଥର ପାଇଁ ଟାଉନବସ ସେବା ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ମୋ ବସ ଯୋଜନାରେ କ୍ୟାପିଟାଲ ରିଜନ ଆର୍ବାନ ଟ୍ରାନ୍ସପୋର୍ଟ କ୍ରୁଟ ପରିଚାଳନାରେ ପ୍ରାଥମିକ ପର୍ଯ୍ୟାୟରେ ସହରରେ ଚାରିଗୋଟି ରୁଟରେ ନିୟମିତ ବ୍ୟବଧାନରେ ଟାଉନବସ ସେବା ଉପଲବ୍ଧ ହେବ । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ବ୍ରହ୍ମପୁରରେ ୨୦୧୪ରୁ ସିଟିବସ ସେବା ଗଞ୍ଜାମ ଆର୍ବାନ ଟ୍ରାନ୍ସପୋର୍ଟ ସର୍ଭିସ ଲିମିଟେଡ଼ ଗଟସଲ ପକ୍ଷରୁ ବଳବତ୍ତର ରହିଛି । ତେବେ ଏହି ଯୋଜନାରେ ବ୍ୟବହୃତ ବସଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଯିବା ପରେ ଅଳ୍ପ କିଛି ବସ ଚଳାଚଳ କରୁଛି । ପ୍ରଚଳିତ ଢ଼ାଞ୍ଚାରେ କେବଳ ସହର ମଧ୍ୟରେ ବସ ଚଳାଚଳ ବ୍ୟବସ୍ଥା ନାହିଁ । ମୁଖ୍ୟତଃ ବ୍ରହ୍ମପୁର ସହର ଉପକଣ୍ଠରେ ଥିବା ଅଞ୍ଚଳକୁ ସଂଯୋଗ ସବ-ଆର୍ବାନ ଟ୍ରାନ୍ସପୋର୍ଟ ହିସାବରେ କାର୍ଯ୍ୟ କରୁଛି । ବସଗୁଡ଼ିକ ସହର ମଧ୍ୟ ଦେଇ ଯିବା ଆସିବା ଅବସରରେ ଆସିକା ରୋଡ଼ ଫାଷ୍ଟଗେଟରୁ ନୂଆ ବସଷ୍ଟାଣ୍ଡ ଓ ପୁରୁଣା ବସଷ୍ଟାଣ୍ଡରୁ ଗୋପାଳପୁର ଜଙ୍କସନ ରୁଟରେ ସହରବାସୀ ଗମନାଗମନ ସୁବିଧା ପାଆନ୍ତି । ପ୍ରସ୍ତାବିତ ମୋ ବସ ଯୋଜନାରେ ୧୫ ଗୋଟି ବସ କେବଳ ବ୍ରହ୍ମପୁର ସହର ମଧ୍ୟରେ ଚାରିଗୋଟି ରୁଟରେ ଚଳାଚଳ କରିବ । ବସ୍ତୁତଃ ମୋ ବସଯୋଗେ ବ୍ରହ୍ମପୁରବାସୀ ଟାଉନବସ ସେବା ପାଇପାରିବା ନେଇ ଆଶାବାଦୀ ।
 
ସ୍ୱାଧୀନୋତ୍ତର ଅବସ୍ଥାରେ ବସ ପରିବହନ କ୍ଷେତ୍ରରେ ବ୍ରହ୍ମପୁର ନେତୃତ୍ୱ ନେଇ ଆସିଛି । ରାଜ୍ୟର ସର୍ବ ବୃହତ ସଡ଼କ ଯାତ୍ରୀ ପରିବହନ ସଂସ୍ଥା ଓଡ଼ିଶା ରୋଡ଼ ଟ୍ରାନ୍ସପୋର୍ଟ ଓଆରଟି ବ୍ରହ୍ମପୁରରୁ ଆରମ୍ଭ ହୋଇଥିଲା । ବସ ଚଳାଚଳ ଆଦ୍ୟପର୍ବରୁ ଘରୋଇ ଉଦ୍ୟୋଗୀ ଯାତ୍ରୀ ପରିବହନରେ ସାମିଲ ହୋଇଥିବା ସ୍ଥଳେ ଦୁଇ ଥର ଟାଉନବସ ପ୍ରଚଳନ ନିମନ୍ତେ ଉଦ୍ୟମ କରି ବିଫଳ ହୋଇଥିଲେ । ବ୍ରହ୍ମପୁର ପୌରପାଳିକା ପକ୍ଷରୁ ଦୁଇ-ତିନିଗୋଟି ବସ କିଣାଯାଇ ୧୯୯୪-୯୫ର ଆରମ୍ଭ ହୋଇଥିବା ଟାଉନବସ ସେବା ଅଳ୍ପ ସମୟ ମଧ୍ୟରେ ବନ୍ଦ ହୋଇଯାଇଥିଲା ।
 
ତିନି ଥର ଉଦ୍ୟମ ବିଫଳ ହେବା ପରେ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପ୍ରୋତ୍ସାହନରେ ଗଞ୍ଜାମ ଆର୍ବନ ଟ୍ରାନ୍ସପୋର୍ଟ ସର୍ଭିସ ଲିମିଟେଡ଼ ଗଟସଲ ଗଠିତ ହୋଇ ଫେବୃୟାରୀ ୨୦୧୪ରେ ସିଟିବସ ସେବା ଆରମ୍ଭ ହୋଇଥିଲା । ତେବେ ଏହାର ଆୟୋଜନ ନିମନ୍ତେ ସ୍ଥାନୀୟ ପ୍ରଶାସନକୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ୩୨ ଗୋଟି ବସ ପହଞ୍ଚିବା ପରେ ଏହାକୁ ଚଳାଇବା ପାଇଁ ସରକାରୀ ନୀତିନିୟମରେ ଅସନ୍ତୁଷ୍ଟ ହୋଇ କେହି ଘରୋଇ ବସ ଅପରେଟର ରାଜି ହେଲେ ନାହିଁ । ପ୍ରଶାସନ ନିର୍ଦ୍ଦେଶରେ ଓଡ଼ିଶା ଷ୍ଟେଟ ରୋଡ଼ ଟ୍ରାନ୍ସପୋର୍ଟ କରପୋରେସନ ଓଏସଆରଟିସି ୨୬ ଗୋଟି ବସ ପ୍ରଥମେ ବର୍ଷେ ପରେ ଅଧିକା ଛଅ ମାସ ମୋଟ ୧୮ ମାସ ଚଳାଇ କ୍ଷତି କାରଣରୁ ସିଟି ବସ ଚଳାଚଳ ଦାୟିତ୍ୱରୁ ଓହରି ଯାଇଥିଲା । ତତ୍ ପରବର୍ତ୍ତୀ ଅବସ୍ଥାରେ ଅଗଷ୍ଟ ୨୦୧୫ରେ ଜଣେ ଘରୋଇ ଟ୍ରାନ୍ସପୋର୍ଟ ଅପରେଟର ବ୍ରହ୍ମପୁର ସିଟି ବସ ଚଳାଚଳ ଦାୟିତ୍ୱ ଗ୍ରହଣ କରିଥିଲେ । କୋଭିଡ଼ ମହାମାରୀ ସମୟରେ ଦୀର୍ଘ ସମୟ ଲକଡ଼ାଉନ କାରଣରୁ ପରିବହନ ସେବା ଭାଙ୍ଗି ପଡ଼ିଥିବା ସ୍ଥଳେ ସିଟି ବସ ସେବା ଅବ୍ୟବସ୍ଥିତ ଭାବେ ଲଟକି ରହିଛି ।
 
ମୋ ବସ ଯୋଜନାରେ ପ୍ରାଥମିକ ପର୍ଯ୍ୟାୟରେ ବ୍ରହ୍ମପୁରରେ ଟାଉନବସ ସେବା ପ୍ରଚଳନ ନିମନ୍ତେ ୧୫ ଗୋଟି ବସ ଯୋଗାଇ ଦିଆଯାଇଛି । ଏଥି ମଧ୍ୟରୁ ୧୦ ଗୋଟି ପାରମ୍ପରିକ ଡିଜେଲ ଚାଳିତ ଓ ପାଞ୍ଚଗୋଟି ଇ-ବସ । ଇ-ବସଗୁଡ଼ିକ ଶୀତତାପ ନିୟନ୍ତ୍ରିତ । ସମସ୍ତ ବସ ଦୀର୍ଘ ଅତୀତରୁ ନିର୍ମିତ ହୋଇ ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଥିବା ହଳଦିଆ ପଦର ବସ ଟର୍ମିନାସରେ ରହୁଛି । ମୋ ବସଗୁଡ଼ିକ କେବଳ ସହର ମଧ୍ୟରେ ଚଳାଚଳ କରିବା ନିମନ୍ତେ ସ୍ଥିର କରାଯାଇଥିବା ଏବଂ ଚାରିଗୋଟି ରୁଟ ପାଇଁ ୧୫ ଗୋଟି ବସ ନିୟୋଜନ କରାଯାଉଥିବା ହେତୁ ବ୍ରହ୍ମପୁରରେ ଟାଉନବସ ସେବା କ୍ଷେତ୍ରରେ ଗତ ଚାରିଗୋଟି ଉଦ୍ୟମରେ ଦେଖା ଦେଇଥିବା ଭୂଲଭଟକା ସଜଡ଼ା ଯାଇ ପାରିବା ଆଶା କରାଯାଇପାରେ । ଅତୀତରେ ମୁଖ୍ୟତଃ ଯାତ୍ରୀ ଅଭାବରୁ ବସ ସେବା କ୍ଷତିଗ୍ରସ୍ତ ହୋଇଥିଲା । କୁହାଯାଏ ଯେ ଓଏସଆରଟିସି ୧୮ ମାସ ବ୍ରହ୍ମପୁରରେ ସିଟିବସ ଚଳାଇବା ଲାଗି ୧୪ ଲକ୍ଷ ଟଙ୍କା କ୍ଷତି ସହିଥିଲା । ଟାଉନବସ ଲାଗି ଯାତ୍ରୀଙ୍କ ଅଭାବ ନାହିଁ । ତେବେ ଟାଉନବସ ସେବା ନିଶ୍ଚିତ ହେଲେ ଏବଂ ନିର୍ଦ୍ଧାରିତ ସମୟରେ ବସ ଚଳାଚଳ କଲେ ଯାତ୍ରୀ ଆକୃଷ୍ଟ ହେବେ । ଏହି ସମସ୍ୟାର ସମାଧାନ ନିମନ୍ତେ ପର୍ଯ୍ୟାପ୍ତ ପରିମାଣରେ ବସ ଚଳାଚଳ କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ ।
 
ତେବେ ବ୍ରହ୍ମପୁରର ଅଣଓସାରିଆ ରାସ୍ତାଘାଟରେ ମୋ ବସ ଯୋଜନାରେ ପହଞ୍ଚିଥିବା ବଡ଼ ଆକାରର ବସଗୁଡ଼ିକ ଚଳାଚଳରେ ସମସ୍ୟା ଉପୁଜିବ ନାହିଁ ତ ! ଟ୍ରାଏଲ ରନରେ ହଳଦିଆପଦର ଠାରୁ ଅନ୍ଧପସରା ରୋଡ଼ ଦେଇ ଫାଷ୍ଟ ଗେଟ ଯାଏଁ ଅଣଓସାରିଆ ରାସ୍ତା ସାଙ୍ଗକୁ ରାସ୍ତାକଡ଼ର ଗଛଗୁଡ଼ିକ ସମସ୍ୟା ଉପୁଜାଇଥିବା ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଗଟସଲ ଉଦ୍ୟମରେ ବ୍ରହ୍ମପୁରରେ ଟାଉନବସ ସେବା ଆୟୋଜନ କାଳରେ ୨୦୧୬ରେ ସହର ମଧ୍ୟରେ ଅଧିକ ବସ ଚଳାଚଳ ନିମନ୍ତେ ମିନିବସ ଯୋଗାଣ ନିମନ୍ତେ ସରକାରଙ୍କୁ ଅନୁରୋଧ କରାଯାଇଥିବା ପ୍ରସ୍ତାବ ଚର୍ଚ୍ଚିତ ହୋଇଥିଲା । ମୋ ବସ ସେବା ସହରର ମଧ୍ୟଭାଗକୁ ସଂପ୍ରସାରିତ କରିବା ଅବସରରେ ଅପେକ୍ଷାକୃତ ଛୋଟ ଇ-ବସ ଚଳାଚଳକୁ ପ୍ରାଥମିକତା ଦେବା ଆବଶ୍ୟକ । ଫଳରେ ବ୍ରହ୍ମପୁରରେ ଟାଉନସ ସେବା ସ୍ୱାବଲମ୍ୱୀ ସ୍ତରରେ ପହଞ୍ଚି ପାରିବ ।

Image by lukaszfenisz from Pixabay


Friday, March 1, 2024

Mahatma Gandhi Stadium / ମହାତ୍ମା ଗାନ୍ଧୀ ଷ୍ଟାଡ଼ିୟମ

 


#ବ୍ରହ୍ମପୁର ସହର କେନ୍ଦ୍ରସ୍ଥଳରେ ଅବସ୍ଥିତ ବାରାକ୍ସ ଗ୍ରାଉଣ୍ଡରେ ବ୍ରହ୍ମପୁର ଷ୍ଟାଡ଼ିୟମ ନିର୍ମିତ ହୋଇଥିଲା । ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଷ୍ଟାଡ଼ିୟମର ନବୀକରଣ ୨୦୧୯ରୁ ଆରମ୍ଭ ହୋଇ ୨୦୨୪ରେ ଶେଷ ହୋଇଛି । ୨୭ ଫେବୃୟାରୀ ୨୦୨୪ରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରି ବ୍ରହ୍ମପୁର ଷ୍ଟାଡ଼ିୟମକୁ ମହାତ୍ମା ଗାନ୍ଧୀ ଷ୍ଟାଡ଼ିୟମ ନାମିତ କରାଗଲା ବୋଲି ଘୋଷଣା କରିଥିଲେ ।

 

ଇଂଲିଶ ଶାସନ ଅବସରରେ କିଛି କାଳ ସେନା ଛାଉଣୀ ବାରାକ୍ସ ତଥା ପରେ ସ୍ଥାନୀୟ ସେନାବାହିନୀର ଅଭ୍ୟାସ କାର୍ଯ୍ୟରେ ବ୍ୟବହୃତ ପ୍ରାୟ ୫୦ ଏକର ପରିମିତ ଅଞ୍ଚଳ ବାରାକ୍ସ ଗ୍ରାଉଣ୍ଡ ରୂପେ ଖ୍ୟାତ ଥିଲା । ସହର ମଧ୍ୟରେ ଏକ ବଡ଼ ଖୋଲା ପଡ଼ିଆ ଥିବା ହେତୁ ବଡ଼ ନେତାମାନେ ଆସିଲେ ସଭାସମିତି ତଥା ପ୍ରଦର୍ଶନୀ, ସର୍କସ ଭଳି କାର୍ଯ୍ୟରେ ବ୍ୟବହୃତ ହେଉଥିଲା ।

 

ସ୍ୱାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀ ୧୯୨୧ ଓ ୧୯୭୭ରେ ଦୁଇଥର ବ୍ରହ୍ମପୁର ଆସିଥିଲେ । ପ୍ରଥମ ଥର ୧୯୨୧ରେ ବାରାକ୍ସ ଗ୍ରାଉଣ୍ଡରେ ଏକ ବିଶାଳ ଜନସଭାରେ ଉଦବୋଧନ ଦେଇଥିଲେ । ମହାତ୍ମା ଗାନ୍ଧୀଙ୍କ ପରିଦର୍ଶନ ସ୍ମୃତିରେ ବାରାକ୍ସ ଗ୍ରାଉଣ୍ଡରେ ନିର୍ମିତ ବ୍ରହ୍ମପୁର ଷ୍ଟାଡ଼ିୟମକୁ ସରକାର ମହାତ୍ମା ଗାନ୍ଧୀ ଷ୍ଟାଡ଼ିୟମ ନାମକରଣ କରିଛନ୍ତି ।

 

ବ୍ରହ୍ମପୁର ବାରାକ୍ସ ଗ୍ରାଉଣ୍ଡ ଓ ସଂଲଗ୍ନ ଅଞ୍ଚଳରେ କଂଗ୍ରେସ ଦଳର ଜାତୀୟ ଅଧିବେଶନ ଆୟୋଜନ କରାଯାଇଥିଲା । ଜବହାରଲାଲ ନେହୁରୁ ୧୯୩୬ରେ ବ୍ରହ୍ମପୁର ଗସ୍ତ କାଳରେ ବାରାକ୍ସ ଗ୍ରାଉଣ୍ଡରେ ଜନସଭାରେ ଉଦବୋଧନ ଦେଇଥିଲେ । ବିଜୁ ପଟ୍ଟନାୟକଙ୍କ ସମେତ ବହୁ ନେତୃବର୍ଗ ବାରାକ୍ସ ଗ୍ରାଉଣ୍ଡରେ ଆୟୋଜିତ ଜନସଭାଗୁଡ଼ିକରେ ବିଭିନ୍ନ ସମୟରେ ଯୋଗ ଦେଇଛନ୍ତି ।

 

ବାରାକ୍ସ ଗ୍ରାଉଣ୍ଡ ସରକାରୀ ଜମି ହୋଇଥିବା ହେତୁ ୨୦୧୭ରେ କ୍ରୀଡ଼ା ବିଭାଗ ଅଧୀନକୁ ଆସିଥିଲା । ଏଥି ପୂର୍ବରୁ ସ୍ଥାନୀୟ ପ୍ରଶାସନ ତଦାରଖ କରୁଥିବା ସ୍ଥଳେ ଏନସିସି ବା ସମର ଶିକ୍ଷାର୍ଥୀ ବାହିନୀ ଅଭ୍ୟାସ ନିମନ୍ତେ ବ୍ୟବହୃତ ହେଉଥିଲା । ଏନସିସି କର୍ତ୍ତୃପକ୍ଷ ବାରାକ୍ସ ଗ୍ରାଉଣ୍ଡ ଚର୍ତୁଦିଗରେ ସୁଉଚ୍ଚ ତାରବାଡ଼ ଦେଇ ବୋମା ପ୍ରତିରୋଧକ ଏକ ଗୋଲାକାର ଘରରେ ତାଲିମ ବନ୍ଧୁକ ରଖୁଥିଲେ । ଏନସିସି କ୍ୟାଡ଼େଟମାନଙ୍କୁ ଏଠାରେ ବନ୍ଧୁକ ଚାଳନା ଅଭ୍ୟାସ କରାଯାଉଥିଲା । ସ୍ୱାଧୀନତା ଓ ଗଣତନ୍ତ୍ର ଦିବସ ପ୍ୟାରେଡ଼ ନିୟମିତ ଅନୁଷ୍ଠିତ ହେଉଥିଲା । ଦୈନନ୍ଦିନ ସଂଧ୍ୟାରେ ଦଳ ଦଳ କିଶୋର ଓ ଯୁବକ ଖେଳକୁଦ କରୁଥିଲେ । ବୟସ୍କମାନେ ପ୍ରାତଃ ଓ ସନ୍ଧ୍ୟା ଭ୍ରମଣରେ ଏକତ୍ରୀତ ହେଉଥିଲେ । ଏନସିସି ପକ୍ଷରୁ ବାରାକ୍ସ ଗ୍ରାଉଣ୍ଡରେ ତାହାର କର୍ମଚାରୀଙ୍କ ପାଇଁ କିଛି କ୍ୱାର୍ଟର୍ସ ମଧ୍ୟ ନିର୍ମାଣ କରିଥିଲା । ଏହାର ଉଛେଦ ନିମନ୍ତେ ରାଜ୍ୟ ସରକାର ଓ ଏନସିସି କର୍ତ୍ତୃପକ୍ଷଙ୍କ ମଧ୍ୟରେ ଦୀର୍ଘ ଦିନ ବିବାଦ ଲାଗି ରହିଥିଲା । ଶେଷରେ ୨୦୧୪ରେ ଏନସିସିକୁ ଅନ୍ୟତ୍ର ଜମି ଦେଇ ବାରାକ୍ସ ଗ୍ରାଉଣ୍ଡରୁ ବିଦା କରାଯାଇଥିଲା ।

 

ବ୍ରହ୍ମପୁର ଷ୍ଟାଡ଼ିୟମ ନବୀକରଣ ଯୋଜନାରେ ଏକ ନୂଆ ଭାରୋତ୍ତୋଳନ ଏକାଡ଼େମୀ ଓ ସନ୍ତରଣାଗାର ନିର୍ମାଣ ସହ ଗ୍ୟାଲେରି ଓ ବାସ୍କେଟବଲ କୋର୍ଟ ମରାମତ କରାଯାଇଛି । ମୂଳ ଷ୍ଟାଡ଼ିୟମ ଗ୍ରାଉଣ୍ଡରେ କ୍ରିକେଟ ଉପଯୋଗୀ ଟର୍ଫ ପିଚ଼ ନିର୍ମିତ ହୋଇଛି । ଖେଳାଳୀମାନେ ରହିବା ପାଇଁ ୨୦୦ ଶଯ୍ୟା ବିଶିଷ୍ଟ ଏକ ସ୍ପୋର୍ଟ୍ସ ହଷ୍ଟେଲ ମଧ୍ୟ ସନ୍ନିବଶିତ ହୋଇଛି ।

 

ବ୍ରହ୍ମପୁର ବିଂଶ ଶତାଦ୍ଦୀର ଷଷ୍ଠ ଦଶକରୁ ରାଜ୍ୟରେ ଭାରୋତ୍ତୋଳନ କ୍ଷେତ୍ରରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ଏଠାରୁ ବିଜୟ ଶତପଥୀ ଓ ରବି କୁମାରଙ୍କ ଭଳି ଭାରୋତ୍ତୋଳନକାରୀ ଜାତୀୟସ୍ତରରେ ଅର୍ଜ୍ଜୁନ ପୁରସ୍କାର ବିଜେତା ଭାବେ ପ୍ରସିଦ୍ଧ । କୁହାଯାଉଛି ଯେ ମହାତ୍ମା ଗାନ୍ଧୀ ଷ୍ଟାଡ଼ିୟମ ସଂଲଗ୍ନ ସ୍ପୋର୍ଟସ କମ୍ପ୍ଳେକ୍ସ ପରିସରରେ ନିର୍ମିତ ଭାରୋତ୍ତୋଳନ ପ୍ରଶିକ୍ଷଣ କେନ୍ଦ୍ର ଦେଶର ସର୍ବବୃହତ । ଏଠାରେ ୩୦ ଗୋଟି ଭାରୋତ୍ତୋଳନ ପ୍ଳାଟଫର୍ମ ରହିଛି । ଏଥି ମଧ୍ୟରୁ ୨୯ ଗୋଟି ପ୍ଲାଟଫର୍ମରେ ଖେଳାଳିମାନେ ଅଭ୍ୟାସ କରିବେ ଏବଂ ଗୋଟିଏ ପ୍ଳାଟଫର୍ମ ପ୍ରତିଯୋଗିତା ପାଇଁ ବ୍ୟବହୃତ ହେବ । ଶିକ୍ଷାର୍ଥୀମାନଙ୍କୁ ତାଲିମ ଦେବା ନିମନ୍ତେ ଦଶ ଜଣ କୋଚ଼ ନିଯୁକ୍ତ ହେବେ ।

 

ଏଣିକି ନବୀକରଣ ପରେ ମହାତ୍ମା ଗାନ୍ଧୀ ଷ୍ଟଡ଼ିୟମ, ବ୍ରହ୍ମପୁର ୭୬୦୦୦୧ ଏକ ନୂଆ ଠିକଣା ।

Image by Stuart cardy from Pixabay