Friday, November 25, 2022

Brahmapur Travelog  / ବ୍ରହ୍ମପୁର ଭ୍ରମଣ ବୃତ୍ତାନ୍ତ


#ବ୍ରହ୍ମପୁର ସହରର ଅତୀତ ବର୍ଣ୍ଣନା ସମ୍ୱଳିତ ଆଙ୍ଗୁଠିଗଣତି ପ୍ରକାଶିତ ନଥିପତ୍ର ଉପଲବ୍ଧ । ସୋନପୁର ଗଡ଼ଜାତର ମହାରାଜା ୧୪ ଅଗଷ୍ଟ ୧୯୦୮ରେ ବ୍ରହ୍ମପୁରଗସ୍ତରେ ଆସିଥିଲେ । ତାଙ୍କରି ଗସ୍ତ ବିବରଣୀ ତତ୍କାଳୀନ ସୋନପୁରର ପ୍ରଥମଶ୍ରେଣୀ ମାଜିଷ୍ଟ୍ରେଟ ଗୋପୀନାଥ ପାଣିଗ୍ରାହୀଙ୍କ ଦ୍ୱାରା ଲିଖିତ ୧୯୧୫ ଖ୍ରୀଷ୍ଟାଦ୍ଦରେ ପ୍ରକାଶିତ ବ୍ରତଚରିତ ନାମକ ପୁସ୍ତକରେ ଲିପିବଦ୍ଧ । ବ୍ରହ୍ମପୁର ସ୍ମାଇଲ ପଏଣ୍ଟ ନିବାସୀ ପ୍ରତାପ ଚନ୍ଦ୍ର ପାଢ଼ୀ ସେହି ପ୍ରକାଶିତ ଗସ୍ତ ବିବରଣୀ ଉଦ୍ଧାର କରି ୨୦୦୫ ମେ ମାସରେ ଅନୁପମ ଭାରତରେ ପ୍ରକାଶ କରିଥିଲେ । ବ୍ରତଚ଼ରିତ ପୁସ୍ତକରେ ସୂଚ଼ିତ ତଥ୍ୟ ଅନୁଯାୟୀ ସୋନପୁର ମହାରାଜା ୧୩ ତାରିଖରେ ଶ୍ରୀକ୍ଷେତ୍ରରୁ ଫେରି କଟକରେ ପହଞ୍ଚିଥିଲେ ଏବଂ ସେଠାରୁ ବ୍ରହ୍ମପୁର ଯାତ୍ରା କରିଥିଲେ । ବ୍ରତଚ଼ରିତ ପୁସ୍ତକରେ ୩୧ ପୃଷ୍ଠାରେ ପ୍ରକାଶ ପାଇଥିଲା :

 

ଚ଼ଉଦ ତାରିଖରେ ବ୍ରହ୍ମପୁରରେ ପ୍ରବେଶ ହେଲେ । ଏହି ସ୍ଥାନ ଗଞ୍ଜାମ ଜିଲ୍ଲାର ପ୍ରଧାନ ସହର ଓ ବାଣିଜ୍ୟ ନିମନ୍ତେ ଖ୍ୟାତ । ଏଠାରେ ଡ଼େରା ଜାତୀୟ ଅନେକ ତନ୍ତୁବାୟ ବାସ କରନ୍ତି । ଏ ଦେଶର ଅଧିକାଂଶ ସ୍ତ୍ରୀ ଓ ପୁରୁଷ ସୁନ୍ଦର । ବେଶଭୂଷା ଓ ଅଳଙ୍କାର ଧାରଣ କରିବାର ପ୍ରକାର ଅଧିକ । ଦାକ୍ଷିଣାତ୍ୟ ପ୍ରଦେଶ ସଙ୍ଗୀତ ଚର୍ଚ୍ଚା ନିମନ୍ତେ ପ୍ରସିଦ୍ଧ । ବ୍ରହ୍ମପୁରରେ ଅମର ସୁନ୍ଦରୀ ତୁଲ୍ୟ ଅନେକ ବାର (ବାରଙ୍ଗନା) ବାସ କରନ୍ତି । ସେମାନେ ପ୍ରାୟ ସଙ୍ଗୀତ ବିଦ୍ୟାରେ କୁଶଳୀ ଅଟନ୍ତି । ଦାକ୍ଷିଣାତ୍ୟର ସମସ୍ତ ପ୍ରକାର ଗୃହ ଅନ୍ୟ ସ୍ଥାନ ଅପେକ୍ଷା ବିଶେଷ ପ୍ରଣାଳୀରେ ଗଠିତ । ପକ୍କାଘରଗୁଡ଼ିକ ଦ୍ୱିତଳ ଅବା ତ୍ରିତଳ ହେଲେ ମଧ୍ୟ ଉପରିଭାଗ ଝିକର ଦ୍ୱାରା ଆଚ୍ଛାଦିତ ହୋଇଥାଏ ।

 

ସହର ମଧ୍ୟଭାଗରେ ଧରାକୋଟ ଅଧିପତିଙ୍କ ଗୋଟିଏ ରମଣୀୟ ପୁଷ୍ପୋଦ୍ୟାନ ଅଛି । ସେଥି ମଧ୍ୟରେ ସୁନ୍ଦର ଅଟ୍ଟାଳିକା ସହିତ ବସାଘର । ଆମ୍ଭେମାନେ ମହାରାଜାଙ୍କ ସହିତ ଉକ୍ତ ଗୃହରେ ବସା କଲୁଁ । ଅନରବଲ କାମେଶ୍ୱର ନାଇଡୁ ପ୍ରତ୍ୟେକ ବିଷୟରେ ସାହାଯ୍ୟ ଦାନ କରିଥିଲେ । ଅତଏବ ଆମ୍ଭେମାନେ କଷ୍ଟ ଓ ଅଭାବ କଣ ଜାଣିପାରିଲୁ ନାହିଁ ।

 

ମହାରାଜା ନଗରୀର ସମସ୍ତ ଅଂଶ ପରିଭ୍ରମଣ କଲେ । ଧାନରୁ ଚାଉଳ ପ୍ରସ୍ତୁତ କରିବା, ବସ୍ତ୍ର ବୁଣିବା, ଚିନି ପ୍ରସ୍ତୁତ କରିବା ଯନ୍ତ୍ରମାନ ଦେଖିଲେ । ପରେ ଅନରବଲ କାମେଶ୍ୱର ନାଇଡୁ ଓ କଲେଜ ପ୍ରିନ୍ସପାଲଙ୍କ ଅଭ୍ୟର୍ଥନାକ୍ରମେ ତତ୍ରତ୍ୟ କଲେଜ ପର୍ଯ୍ୟବେକ୍ଷଣ କଲେ । କଲେଜ ଗୃହ ପରିଷ୍କୃତ ଓ ସୁସଜ୍ଜିତ ଥିଲା । ଦେଖିବାକୁ ମନୋହର । ଛାତ୍ରଗଣ ନିଜ ନିଜ ଶ୍ରେମୀମାନଙ୍କରେ ଅଧ୍ୟୟନ କରୁଥିଲେ । ପ୍ରିନ୍ସିପାଲ ମହାଶୟ ଛାତ୍ରମାନଙ୍କ ମଧ୍ୟରେ ପରସ୍ପର କଥୋପକଥନ (ଡ଼ାଇଲଗ) କରାଇ ମହାରାଜାଙ୍କ କୌତୁକ ବର୍ଦ୍ଧନ କଲେ । ଆଉ କଲେଜର ପ୍ରତି ବିଭାଗର କାର୍ଯ୍ୟାବଳୀ ଦେଖାଇ ଦେଲେ । ମହାରାଜା ସେଠାରେ ଛାତ୍ରମାନଙ୍କୁ ଏକଶତ ଟଙ୍କା ପୁରସ୍କାର ଦେଇଥିଲେ ।

 

ଏହି ଭ୍ରମଣ ବୃତ୍ତାନ୍ତରେ ବ୍ରହ୍ମପୁରର ତତ୍କାଳୀନ ଗୃହନିର୍ମାଣ ଶୈଳୀ, ଉଦ୍ୟାନ ସୁସଜ୍ଜିତ ଜମିଦାରମାନଙ୍କ ବଙ୍ଗଳା, ଉଦ୍ୟୋଗ, ଶିକ୍ଷାନୁଷ୍ଠାନ ବର୍ଣ୍ଣନା ସାଙ୍ଗକୁ ସହରବାସୀଙ୍କ ଚ଼ରିତ୍ର ସଂପର୍କରେ ଟୀପ୍ପଣି ଉପଲବ୍ଧ । ବ୍ରହ୍ମପୁରରେ ବାସଗୃହଗୁଡ଼ିକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ହେଉଥିଲା । ସହରଟି ସମୁଦ୍ରତଟବର୍ତ୍ତୀ ଅଞ୍ଚଳରେ ପର୍ବତାମାଳା ପାଦ ଦେଶରେ ଅବସ୍ଥିତ ଥିବା ହେତୁ ବର୍ଷରେ ପ୍ରାୟ ଆଠ ମାସ ଉତ୍ତପ୍ତ ରହେ । ଏହାର ମୁକାବିଲା କରିବା ନିମନ୍ତେ ପ୍ରଶସ୍ତ ବାରଣ୍ଡା, ଅଗଣା, ଝରକା ଓ ମୃତ୍ତିକା ନିର୍ମିତ ଝିକର ଗୃହ ଛାତ ପ୍ରତି ଧ୍ୟାନ ଦିଆଯାଉଥିଲା । ସାଧାରଣ ପରିବାରଗୁଡ଼ିକ ସାହୀ ବସ୍ତିରେ ବସବାସ କରୁଥିଲେ ମଧ୍ୟ ବାସିନ୍ଦାଙ୍କ ପରିଚ୍ଛନ୍ନତା ଓ ସ୍ଥାନୀୟ ପୌରପାଳିକାର ଯତ୍ନ ହେତୁ ପରିଷ୍କାର ବୋଧ ହେଉଥିଲା । ଧନୀକ ବ୍ୟକ୍ତିମାନେ ବଙ୍ଗଳାରେ ବସବାସ କରୁଥିଲେ ଏବଂ ସେଗୁଡ଼ିକ ବାଡ଼ି ବଗିଚାରେ ସଜ୍ଜିତ ରହୁଥିଲାମହୁରି ରାଜ୍ୟର ପଡ଼ୋଶୀ ଅଞ୍ଚଳର ଜମିଦାରମାନେ ବ୍ରହ୍ମପୁରରେ ବସା ଘର ବା ସାମୟିକ ବସବାସଯୋଗ୍ୟ ବାସଗୃହ ନିର୍ମାଣ କରିଥିଲେ । ଚାଉଳ ମିଲ, ପାଟ ବସ୍ତ୍ର, ପିତ୍ତଳ ପାତ୍ର ଇତ୍ୟାଦି ଉଦ୍ୟୋଗ ବାଣିଜ୍ୟ ବ୍ୟବସାୟରେ ସହାୟକ ହେଉଥିଲା । ଖଲ୍ଲିକୋଟ ମହାବିଦ୍ୟାଳୟରେ ଶିକ୍ଷାଦାନର ମାନ ଉଚ୍ଚରେ ରହୁଥିଲା । କେବଳ ଛାତ୍ରମାନେ ଅଧ୍ୟୟନ କରୁଥିଲେ । ସେମାନେ ଇଂଲିଶ ଭାଷାରେ କଥୋପକଥନରେ ଦକ୍ଷତା ହାସଲ କରୁଥିଲେ । ସହରବାସୀଙ୍କ ବେଶଭୂଷା, ଅଳଙ୍କାର ପରିଧାନ ଓ ଆଚାର ବ୍ୟବହାରରେ ଆଗନ୍ତୁକ ମୁଗ୍ଧ ହେଉଥିଲେ । ପ୍ରକାଶିତ ବିବରଣୀରେ ବ୍ରହ୍ମପୁରକୁ ନଗର ମାନ୍ୟତା ଦିଆଯାଇଥିଲା । ଏହି ନଗରସଭ୍ୟତା ସ୍ଥାନୀୟ ନାଗରିକଙ୍କ ସହରୀ ଦୃଷ୍ଟିକୋଣ କସମୋପଲିଟିଜିମକୁ ସୂଚ଼ିତ କରିଥାଏ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୬ ନଭେମ୍ୱର ୨୦୨୨/ ପୃଷ୍ଠା : ୨)

Friday, November 18, 2022

Wired Doorsteps / ତାରମୟ ଗୃହଦ୍ୱାର

 

#ବ୍ରହ୍ମପୁର ସହରରେ ବସବାସ କରୁଥିବା ମଧ୍ୟବିତ୍ତ ଓ ନିମ୍ନ-ମଧ୍ୟବିତ୍ତ ପରିବାରଙ୍କ ସଂଖ୍ୟା ଅଧିକ । ପାରମ୍ପରିକଭାବେ ଦୁଇ ବର୍ଗଙ୍କ ବାସଗୃହ ସାହୀମାନଙ୍କରେ ଅବସ୍ଥିତ । ଏହି ଧରଣର ଗୃହ-କୁ-ଗୃହ ପଡ଼ୋଶୀ ଭିତ୍ତିରେ ଧାଡ଼ି-ଧାଡ଼ି ହୋଇ ନିର୍ମିତ ହୋଇଥାଏ ଏବଂ କମ୍ପାଉଣ୍ଡ ନଥାଏ । ସର୍ବସାଧାରଣ ରାସ୍ତା ସହ ଗୃହ ବାରଣ୍ଡା ସଂଯୁକ୍ତ ରହେ । ତେଣୁ ଗୃହଦ୍ୱାର ବ୍ୟାବହାରିକ ଦୃଷ୍ଟିରୁ ଯେତିକି ଗୁରୁତ୍ୱପୂର୍ଣ୍ଣ, ବାସଗୃହର ସୌନ୍ଦର୍ଯ୍ୟବର୍ଦ୍ଧନରେ ସେତିକି ସହାୟକ ।
 
ବିଗତ ଦଶବର୍ଷ ଧରି ସ୍ଥାନୀୟ ବିଦ୍ୟୁତ ଯୋଗାଣ ସଂସ୍ଥାର ଅଯୌକ୍ତିକ ପଦକ୍ଷେପରେ ସହରର ବାସଗୃହଗୁଡ଼ିକର ପ୍ରବେଶ ଦ୍ୱାରଗୁଡ଼ିକରେ ବିଦ୍ୟୁତ ମିଟର ସ୍ଥାପନ ଦ୍ୱାରା କଦାକାର ପରିବେଶ ସୃଷ୍ଟି ହୋଇଛି । ରାଜ୍ୟରେ ବିଦ୍ୟୁତ ବାଟମାରଣା ଯୋଗୁଁ ବିଦ୍ୟୁତ ବଣ୍ଟନରେ କ୍ଷତି ଲାଗି ରହିଥିଲା । ବ୍ୟାପକ ଦୁର୍ନୀତି ଏହି ସମସ୍ୟାର ମୂଳ ଉତ୍ସ ଥିବା ସଂପର୍କରେ ସମସ୍ତେ ଅବଗତ ଥିଲେ । ତେବେ ସାଧାରଣ ଘରୋଇ ବିଦ୍ୟୁତ ଗ୍ରାହକଙ୍କୁ ବିଦ୍ୟୁତ ଚୋରି ପାଇଁ ଦାୟୀ କରି ୨୦୧୩ରେ ନୂତନ ବିଦ୍ୟୁତ ବିତରଣ ପ୍ରକଳ୍ପ ସାଉଥକୋ ଗଠନ ଅବସରରେ ପ୍ରତ୍ୟେକ ବାସଗୃହ ଦ୍ୱାରରେ ବିଦ୍ୟୁତ ମିଟର ସ୍ଥାପନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଗଲା ।
 
ବିଦ୍ୟୁତ ବିତରଣ ନିୟମାନୁଯାୟୀ ଖାଉଟିଙ୍କ ଗୃହରେ ସେମାନଙ୍କ ସମ୍ମତ୍ତି ଅନୁଯାୟୀ ମିଟର ସ୍ଥାପନ ଏବଂ ସ୍ଥାପିତ ମିଟରର ସୁରକ୍ଷା ବିଦ୍ୟୁତ ଗ୍ରାହକଙ୍କ ଦାୟିତ୍ୱ ଥିବା ସ୍ଥଳେ ସେଦିଗରେ ମୋଟରୁ ଦୃଷ୍ଟି ଦିଆଗଲା ନାହିଁ । ବିତରଣ ସଂସ୍ଥାପକ୍ଷରୁ ତୃତୀୟ ପକ୍ଷ ଠିକାଦାର ନିଯୁକ୍ତି କରାଯାଇ ଅସମୟରେ ଘର ଘର ବୁଲି ବାରଣ୍ଡାରେ ଥିବା ପୁରୁଣା ମିଟରକୁ ତୃଟିପୂର୍ଣ୍ଣ ଦର୍ଶାଇ ନୂଆ ମିଟର ଗୃହଦ୍ୱାରରେ ସ୍ଥାପନ କରାଗଲା । ଅଧିକାଂଶ କ୍ଷେତ୍ରରେ ମିଟର ପରିବର୍ତ୍ତନ ବେଳେ ଗୃହସ୍ୱାମୀ ଅନୁପସ୍ଥିତ ଥାଆନ୍ତି ଏବଂ ସେମାନଙ୍କୁ ପ୍ରତିବାଦ କରିବା ନିମନ୍ତେ ସୁଯୋଗ ହିଁ ମିଳିଲା ନାହିଁ । ଖାଉଟି ଅଦାଲତରେ ଅଭିଯୋଗ ପରେ ମିଟର ସ୍ଥାପନ ସାମୟିକ ବନ୍ଦ ରଖି ପୁନର୍ବାର ଅଭିଯାନ ଜାରି ରଖାଗଲା । ଫଳରେ ଦିନ କେତେଟା ମଧ୍ୟରେ ସହରର ପ୍ରାୟ ସମସ୍ତ ବାସଗୃହ ଗୁଡ଼ିକର ଦ୍ୱାରଦେଶରେ ମିଟର ସ୍ଥାପନ କାର୍ଯ୍ୟକ୍ରମ ସରିଲା ।
 
ତେବେ ଆଇନକାନୁନ କିମ୍ୱା ସଚ଼େତନ ବିଦ୍ୟୁତ ଗ୍ରାହକଙ୍କ ପ୍ରତିବାଦକୁ ଭୃକ୍ଷେପ ନକରି ଗ୍ରହଣ କରାଯାଇଥିବା ପଦକ୍ଷେପରୁ ବିଦ୍ୟୁତ ରାଜସ୍ୱ ବୃଦ୍ଧି କ୍ଷେତ୍ରରେ କୌଣସି ସୁଫଳ ମିଳିଲା ନାହିଁ । ୨୦୧୩ରେ ସାଉଥକୋ ୟୁଟିଲିଟି ଗଠିତ ହେବା ସାତବର୍ଷ ପରେ ମଧ୍ୟ ୩୫.୨୯ ପ୍ରତିଶତ କ୍ଷତି କାରଣରୁ ସ୍ଥାନୀୟ ବିଦ୍ୟୁତ ଯୋଗାଣ ଦାୟିତ୍ୱ ନିଲାମରେ ୨୦୨୦ ଡ଼ିସେମ୍ୱର ମାସରେ ଟାଟା ପାୱାର କମ୍ପାନୀକୁ ଟେକି ଦିଆଗଲା । ବିଦ୍ୟୁତ ବାଟମାରଣା ନିମନ୍ତେ ଯଦି ଘରୋଇ ଉପଭୋକ୍ତାମାନଙ୍କୁ ଦାୟୀ କରାଯାଉଥିଲା, ତେବେ ପ୍ରତ୍ୟେକ ପରିବାରଙ୍କ ଘରଦ୍ୱାରରେ ବିଦ୍ୟୁତ ମିଟର ସ୍ଥାପନ କରି ତତ୍ତ୍ୱାବଧାନପରେ ବିତରଣ କ୍ଷତିର ପରିମାଣ କାହିଁକି କମିଲା ନାହିଁ ? କେବଳ ସାଧାରଣ ନାଗରିକଙ୍କୁ ଅପରାଧି ସଜାଇ ସେମାନଙ୍କ ବେକରେ ଚୋର ଫଳକ ଟାଙ୍ଗିଲାଭଳି ବାସଗୃହ ଦ୍ୱାରରେ ବିଦ୍ୟୁତ ମିଟର ସ୍ଥାପନ ସାର ହେଲା !
 
ପରିତାପର ବିଷୟ ଏହିଯେ ଟାଟା ପାୱାର ଭଳି ଏକ ଜାତୀୟସ୍ତରର କମ୍ପାନୀ ବ୍ରହ୍ମପୁର ସହରରେ ବିଦ୍ୟୁତ ବିତରଣ ଦାୟିତ୍ୱ ଗ୍ରହଣ ପରେ ମଧ୍ୟ ଖାଉଟିଙ୍କ ବାସଗୃହ ଦ୍ୱାର ଦେଶରେ ମିଟର ସ୍ଥାପନ ନୀତି ବଳବତ୍ତର ରଖିଛି । ଏତଦ୍ୱାରା ଯେ ବାସଗୃହ ସମେତ ସହରର ସୌନ୍ଦର୍ଯ୍ୟ ହାନୀ ଘଟୁଛି, ଯାତାୟତ ପଥରେ ଓହଳି ରହୁଥିବା ଜୀବନ୍ତ ବିଦ୍ୟୁତ ତାର ଦୁର୍ଘଟଣାର କାରଣ ହୋଇପାରେ, ଏହି ବିଷୟଗୁଡ଼ିକୁ ପୂର୍ବ-ବ୍ୟବସ୍ଥାର ଦ୍ୱାହି ଦେଇ ଚତୁରତାର ସହ ଏଡ଼ାଇ ଦେଉଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ବର୍ତ୍ତମାନ ଟାଟା ପାୱାର ପକ୍ଷରୁ ଡ଼ିଜିଟାଲ ମିଟର ବଦଳ କରାଯାଉଛି । ଡିଜିଟାଲ ମିଟର ସ୍ଥାପନ ପରେ ତାହା ପ୍ରି-ପେଡ଼ ପ୍ରଣାଳୀକୁ ପରିବର୍ତ୍ତିତ ହେବ । ଅର୍ଥାତ, ମୋବାଇଲ ଫୋନ ଭଳି ପୂର୍ବରୁ ଅର୍ଥ ପ୍ରଦାନ କଲେ ସେହି ମୂଲ୍ୟରେ ସୀମିତ ଅବଧି ପାଇଁ ବିଦ୍ୟୁତ ଯୋଗାଣ ସେବା ଗ୍ରହଣ କରିହେବ । ପ୍ରଶ୍ନ ଉଠେ, ଡ଼ିଜିଟାଲ ମିଟର ଯଦି ପ୍ରି-ପେଡ଼ ହେବ, ତେବେ ତ ବିଦ୍ୟୁତ ବାଟମାରଣାର ଅବକାଶ ରହିବ ନାହିଁ ଏବଂ ବିତରଣ କମ୍ପାନୀର ମିଟର ରିଡ଼ର ମାସକୁ ମାସ ଉପଭୋକ୍ତାଙ୍କ ଘରେ ପହଞ୍ଚି ଖର୍ଚ୍ଚ ପରିମାଣ ରେକର୍ଡ କରିବେ ନାହିଁ; ତେବେ ବର୍ତ୍ତମାନ କାହିଁକି ନୂଆ ଡ଼ିଜିଟାଲ ମିଟରଗୁଡ଼ିକ ଗୃହଦ୍ୱାରରେ ବସାଯାଉଛି ?
 
ସହର ଓ ସହରବାସୀଙ୍କ ସ୍ୱାର୍ଥ ସୁରକ୍ଷା ନିମନ୍ତେ ବିଭିନ୍ନ ଅତ୍ୟାବଶ୍ୟକ ସେବା ପ୍ରତି ଯେପରି ଧ୍ୟାନ ଦିଆଯିବା ଉଚ଼ିତ, ସେହିକ୍ରମରେ ସହରର ଭୌଗଳିକ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମଧ୍ୟ ନାଗରିକଙ୍କୁ ସଚ଼େତନ କରିବା ଆବଶ୍ୟକ । ଏହା ଏକ ସ୍ୱତନ୍ତ୍ର କାର୍ଯ୍ୟଧାରା ଏବଂ କିଛି ନାଗରିକ ସମାଜ ସହରର ସୌନ୍ଦର୍ଯ୍ୟ ସୁରକ୍ଷା ଓ ବୃଦ୍ଧି ଦିଗରେ କାର୍ଯ୍ୟ କରିବା ନଗର-ମାନସିକତା ମେଟ୍ରୋପଲିଟିଆନ ଆଉଟଲୁକର ପରିଚାୟକ । ସହରରେ ଉପଭୋକ୍ତାଙ୍କ ବାସଗୃହରେ, ମୁଖ୍ୟତଃ କମ୍ପାଉଣ୍ଡ ନଥିବା ଗୃହଗୁଡ଼ିକରେ ଗୃହଦ୍ୱାର ପରିବର୍ତ୍ତେ ବାରଣ୍ଡାରେ ଡ଼ିଜିଟାଲ ମିଟର ସ୍ଥାପନ ନିମନ୍ତେ ପଦକ୍ଷେପ ନିଆଯିବା ଜରୁରୀ । ଏହା ଫଳରେ ଦୃଶ୍ୟଗତ ପ୍ରଦୂଷଣ ସାଇଟ ପଲ୍ୟୁସନ ହ୍ରାସ ପାଇବା ଆଶା କରାଯାଇପାରେ ।
 
ଟାଟା ପାୱାର ପକ୍ଷରୁ ମିଟର ପରିବର୍ତ୍ତନ କ୍ଷେତ୍ରରେ ଓଇଆରସି କୋଡ଼ ୨୦୦୪ର ଧାରା ୫୯(୪) ଉଲଂଘନ ଅଭିଯୋଗରେ ବ୍ରହ୍ମପୁର ଖାଉଟି ଅଦାଲତରେ ସେପ୍ଟେମ୍ୱର ୨୦୨୨ ପ୍ରଥମାର୍ଦ୍ଧରେ ଏକ ମାମଲା ଦାୟର ହୋଇଛି । ଓଡ଼ିଶା ଇଲେକ୍ଟ୍ରିସିଟି କମିସନ ପକ୍ଷରୁ ଓଡ଼ିଶା ଗେଜେଟରେ ୨୭ ଅଗଷ୍ଟ ୨୦୧୯ରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଓଡ଼ିଶା ରେଗୁଲେଟରି କମିଶନ ଡ଼ିଷ୍ଟ୍ରିବ୍ୟୁସନ (କଣ୍ଡିସନ ଅଫ ସପ୍ଳାଇ) କୋଡ଼ ୨୦୧୯ର ପଞ୍ଚମ ଅଧ୍ୟାୟ ଧାରା ୯୭ରେ ସ୍ପଷ୍ଟଭାବେ ଉଲ୍ଲେଖ କରାଯାଇଛି ଯେ ବିଦ୍ୟୁତ ଯୋଗାଣ ନିମନ୍ତେ ବାସଗୃହରେ ମିଟର ବସାଇବାରେ ଗୃହସ୍ୱାମୀ ସ୍ଥାନ ଚ଼ିହ୍ନଟ କରିବେ । ସପ୍ଲାଇ କମ୍ପାନୀ ବୈଷୟିକ ଅସୁବିଧା ଥିଲେ ବିକଳ୍ପ ପ୍ରସ୍ତାବ ଦେବେ । ଖାଉଟି ଓ କମ୍ପାନୀ ଇଞ୍ଜିନିୟରଙ୍କ ସହମତିକ୍ରମେ ନୂଆମିଟର ବସାଯିବା କିମ୍ୱା ବଦଳ ପ୍ରାବଧାନ ରହିଛି । ଏଦିଗରେ ମଧ୍ୟ ନ୍ୟାୟିକ ଲଢ଼େଇର ସମୟ ଉପନୀତ ବୋଲି କୁହାଯାଇପାରେ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୯ ନଭେମ୍ୱର ୨୦୨୨/ ପୃଷ୍ଠା : ୨)

Friday, November 11, 2022

The Wired Sky / ତାରମୟ ଆକାଶ

 

#ବ୍ରହ୍ମପୁର ସହରରେ ତାରମୟ ଆକାଶ ୱାୟାରଡ଼ ସ୍କାଇଜନପଦର ସୌନ୍ଦର୍ଯ୍ୟ ପ୍ରସ୍ପୁଟନରେ ଅନ୍ୟତମ ପ୍ରତିବନ୍ଧକ ସାଜିଥାଏ । ସହରର ରାଜରାସ୍ତାଠାରୁ ଆରମ୍ଭ କରି ଗଳିକନ୍ଦି ବିଦ୍ୟୁତ ଖୁଣ୍ଟ ଦେଇ ଅସଂଖ୍ୟ ତାର ସମାହାର । ରାସ୍ତାରେ ପାଦ ଦେବା ମାତ୍ରେ ଏହି କଦର୍ଯ୍ୟ ଦୃଶ୍ୟ ପ୍ରଥମେ ଆଖିରେ ପଡ଼େ । ଏକ ପକ୍ଷରେ ବାତ୍ୟା ପ୍ରକୋପରେ ଧ୍ୱଂସ୍ତ ଭିତ୍ତିଭୂମିକୁ ଜରୁରିକାଳୀନ ଚେଷ୍ଟାରେ ଅସ୍ଥାୟୀ ଭାବେ ସଜଡ଼ା ଯାଇଥିବା ବିଦ୍ୟୁତ ସରବରାହ ତାର ଅବ୍ୟବସ୍ଥିତ ହୋଇ ଦୀର୍ଘକାଳରୁ ପଡ଼ିରହିଛି । କାମଚ଼ଳା ଢଙ୍ଗରେ ଚାଲିଛି । ଅପରପକ୍ଷେ ବିଂଶ ଶତାଦ୍ଦୀ ଶେଷ ଦଶକରେ କେବଲ ଟେଲିଭିଜନ ସେବା ଏବଂ ଏକବିଂଶ ଶତାଦ୍ଦୀ ଆରମ୍ଭରୁ ଇଣ୍ଟରନେଟ ସେବା ଯୋଗାଇବା ନିମନ୍ତେ ଶତାଧିକ ଛୋଟବଡ଼ ସଂସ୍ଥା ବିଦ୍ୟୁତ ଖୁଣ୍ଟରେ ତାରଟାଣି ସହରର ଆକାଶ ସ୍କାଇ ଲାଇନକୁ ପ୍ରଦୂଷିତ କରିଚାଲିଛନ୍ତିଆଶ୍ଚର୍ଯ୍ୟର ବିଷୟ ଏହି ଯେ ଏସଂପର୍କରେ ସଂପୃକ୍ତ କର୍ତ୍ତୃପକ୍ଷ ନା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି, ନା ନାଗରିକ ସମାଜ ପକ୍ଷରୁ କେବେ ଅଭିଯୋଗ ଉଠେ । ବୋଧହୁଏ ଏହା ଏକ ସମସ୍ୟା ନୁହ !

 

ଆଇନାନୁଯାୟୀ ଯେ କୌଣସି ସହରରେ ବିଦ୍ୟୁତ ବିତରଣ ସଂସ୍ଥା ସ୍ଥାନୀୟ ପୌରପାଳିକାଙ୍କ ଅନୁମତି ନେଇ ବିଦ୍ୟୁତ ସରବରାହ ନିମନ୍ତେ ତାର ଟାଣିବା ପାଇଁ ଖୁଣ୍ଟ ପୋତିଥାଏ । ସର୍ବସାଧାରଣ ବ୍ୟବହାରଯୋଗ୍ୟ ରାସ୍ତାଘାଟ ପୌରପାଳିକାର ସମ୍ପତ୍ତି । ଖୁଣ୍ଟ ପୋତିବା ନିମନ୍ତେ ସ୍ଥାନ ବ୍ୟବହାର ଲାଗି ବିଦ୍ୟୁତ ବିତରଣ ସଂସ୍ଥା ପୌରପାଳିକାକୁ ବାର୍ଷିକ ଭିତ୍ତିରେ ଭଡ଼ା ନେଇଥାଏ । ଅର୍ଥାତ, ସହରରେ ଅବସ୍ଥିତ ବିଦ୍ୟୁତ ଖୁଣ୍ଟ ନିମନ୍ତେ ପୌରପାଳିକା ଓ ବିଦ୍ୟୁତ ବିତରଣ ସଂସ୍ଥା ମିଳିତ ଭାବେ ଦାୟୀ ।

 

ପୌରପାଳିକାଠାରୁ ଅନୁମତି ନେଇ, ଭଡ଼ା ଦେଇ ବିଦ୍ୟୁତ ବିତରଣ ସଂସ୍ଥାର ଖୁଣ୍ଟରେ କେବଲ ଟେଲିଭିଜନ ଓ ଇଣ୍ଟରନେଟ ସେବା ଯୋଗାଣ ସଂସ୍ଥାଗୁଡ଼ିକ ନିଜ ତାର ଟାଣିବା ନିମନ୍ତେ ବ୍ୟବହାର କରୁଛନ୍ତି । ଏଥି ନିମନ୍ତେ ନା ପୌରପାଳିକା, ନା ବିଦ୍ୟୁତ ବିତରଣ ସଂସ୍ଥାଠାରୁ ଅନୁମତି ନେଉଛନ୍ତି । ଏହି ଭଳି ଛୋଟ ସଂସ୍ଥାଗୁଡ଼ିକ ବ୍ୟବସାୟରେ ତିଷ୍ଠି ନରହି ପାରିବା ଯୋଗୁଁ ସେବା ଆରମ୍ଭ କରିଥିବା ସଂଖ୍ୟାରୁ ତିନି ଚ଼ତୁର୍ଥାଂଶ ବନ୍ଦ ହୋଇଯାଇଛି । କିନ୍ତୁ ବିଦ୍ୟୁତ ଖୁଣ୍ଟରେ ସେମାନେ ଟାଣିଥିବା ତାର ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଛି । ଏ ସଂପର୍କରେ ପୌରପାଳିକା, ବିଦ୍ୟୁତ ବିତରଣ ସଂସ୍ଥା, ନା କୌଣସି ତୃତୀୟ ପକ୍ଷ ନିକଟରେ କୌଣସି ତଥ୍ୟ ଉପଲବ୍ଧ ନଥାଏ

 

ପ୍ରଶ୍ନ ଉଠେ, ବିଦ୍ୟୁତ ଖୁଣ୍ଟରେ ଝୁଲି ରହିଥିବା କେବଲ ଟେଲିଭିଜନ ଓ ଇଣ୍ଟରନେଟ ତାର ଅବରୋଧ କଲେ ସାଧାରଣ ନାଗରିକ ଅଭିଯୋଗ କରିବେ କାହାଠାରେ ? ଅଧିକାଂଶ ତାର ରକ୍ଷଣାବେକ୍ଷଣ ଅଭାବରୁ ସମସ୍ୟା ସୃଷ୍ଟି କରୁଥିବା ସ୍ଥଳେ ସହରର ନିର୍ଦ୍ଦିଷ୍ଟ ଅଞ୍ଚଳରେ ଘୁରିବୁଲୁଥିବା ମାଙ୍କଡ଼ ପଲଙ୍କ ଟଣା ଓଟରା ଯୋଗୁଁ ତାର ରାସ୍ତାରେ ପଡ଼ିରହେ । ଏହି ସମସ୍ୟାର ସମାଧାନ କାହା ଦାୟିତ୍ୱ ?

 

ସହରାଞ୍ଚଳ ବିକାଶରେ ସୌନ୍ଦର୍ଯ୍ୟକରଣ ଅନ୍ୟତମ ବିଶିଷ୍ଟ ଅଙ୍ଗ । ଉପଲବ୍ଧ ବ୍ୟବସ୍ଥାର ରକ୍ଷାଣବେକ୍ଷଣ ପୌରପାଳିକାର ପ୍ରାଥମିକ କର୍ତ୍ତବ୍ୟ । ସହରର ରାସ୍ତାଘାଟରେ ପେଭର ବ୍ଳକ ପକାଇବା ଆଗରୁ ନଜର ଟିକିଏ ଉପରକୁ ପକାଇବା ଆବଶ୍ୟକ । ଉଭୟ ପୌରପାଳିକା ଏବଂ ଆଇନ ଅନୁମୋଦିତ ବିଦ୍ୟୁତ ସେବା ଯୋଗାଣ ସଂସ୍ଥା ବିଦ୍ୟୁତ ଖୁଣ୍ଟର ବ୍ୟବହାର ସଂପର୍କରେ ସର୍ବପ୍ରଥମେ ନୀତିଗତ ନିଷ୍ପତ୍ତି ନେବା ଜରୁରୀ । ଏକ ସ୍ୱତନ୍ତ୍ର ଅଭିଯାନରେ ଅନ୍ତତଃ ପକ୍ଷେ ଅବ୍ୟବହୃତ କେବେଲ ଟେଲିଭିଜନ ଓ ଇଣ୍ଟରନେଟ ତାରଗୁଡ଼ିକ ହଟାଇଦେଲେ ସମସ୍ୟା କେତେକାଂଶରେ ଲାଘବ ହୋଇପାରିବା ବିଶ୍ୱାସ କରାଯାଏ ।


(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୨ ନଭେମ୍ୱର ୨୦୨୨/ ପୃଷ୍ଠା : ୨)

Friday, November 4, 2022

‘Berhampur’ To ‘Brahmapur’ / ‘ବେରହମପୁର’ ରୁ ‘ବ୍ରହ୍ମପୁର’

 

ସରକାରୀ ନଥିପତ୍ରରେ #ବ୍ରହ୍ମପୁର ସହରର ଇଂଲିଶ ବନାନ ବ୍ରହ୍ମପୁର ବଦଳରେ ମୁଖ୍ୟତଃ ବେରହମପୁର ରହି ଆସିଥିବା ସ୍ଥଳେ ଶୁଦ୍ଧ ବନାନ ପରିବର୍ତ୍ତନ ନିମନ୍ତେ ବିଭିନ୍ନ ସ୍ତରରେ ବିଭିନ୍ନ ସମୟରେ ଉଦ୍ୟମ ହୋଇଛି । ସେହିକ୍ରମରେ ୧୯୯୬ରେ ସହରରେ ତତକାଳରେ ତତ୍ପରଥିବା ନାଗରିକ ସମାଜ ଓଡ଼ିଶା ଇଣ୍ଟରନ୍ୟାସନାଲ ସୋସାଇଟିର ଏକ ସ୍ୱଳ୍ପ ଅବଧିର ଅଭିଯାନରେ ବ୍ରହ୍ମପୁର ରେଳଷ୍ଟେସନର ନାମ ବେରହମପୁର ରୁ ବ୍ରହ୍ମପୁରକୁ ପରିବର୍ତ୍ତିତ ହୋଇଥିଲା । ଏହି ଉଦ୍ୟମର ବିସ୍ତୃତ ବିବରଣୀ ଦୈନିକ ସମାଜରେ ସଂଭବତଃ ଏପ୍ରିଲ-ମେ ୧୯୯୬ରେ ପ୍ରାପ୍ତପତ୍ର ସ୍ତମ୍ୱରେ ପ୍ରକାଶିତ ତାହାର ଅବିକଳ ନକଲ ନିମ୍ନରେ ପ୍ରଦତ୍ତ ହେଲା :

 

ବ୍ରହ୍ମପୁର ପଥ ଦେଖାଉ

 

ମହାଶୟ, ବ୍ରିଟିଶ ଶାସନ ଅମଳରୁ ସରକାରୀ ନଥି-ପତ୍ରରେ ବ୍ରହ୍ମପୁର ସହରର ନାମ ଇଂରାଜୀ ଭାଷାର ଅଶୁଦ୍ଧ ବନାନ ବ୍ୟବହୃତ ହୋଇଆସୁଛି । କେତେକ ସ୍ଥଳରେ ଏହାକୁ ବେରହମପୁର – ଅନ୍ୟତ୍ର ବରହମପୁର, ବରହମପୋର ବୋଲି ଲେଖାଯାଉଛି । ଗତ କିଛି ବର୍ଷ ଧରି ଆନ୍ତର୍ଜାତିକ ତଥା ରାଷ୍ଟ୍ରୀୟସ୍ତରରେ ଉପନିବେଶକାରୀଙ୍କ ଦ୍ୱାରା ବିକୃତ କରାଯାଇଥିବା ସହରଗୁଡ଼ିକର ଦେଶୀୟ ନାମ ପୁନଃ ପରିବର୍ତ୍ତନ କରାଯାଉଥିବା ଅବସରରେ ଏଠାକାର ଓଡ଼ିଶା ଇଣ୍ଟରନ୍ୟାସନାଲ ସୋସାଇଟି ଆନୁକୂଲ୍ୟରେ ବ୍ରହ୍ମପୁର ସହରର ନାମ ଇଂରାଜୀ ଭାଷାରେ ଶୁଦ୍ଧ ବନାନ ବ୍ୟବହାର ଲାଗି ଆମେ ଉଦ୍ୟମ କରିଥିଲୁ । ଗତ ଜାନୁୟାରୀ ପହିଲାରେ ଓଡ଼ିଶାର ପ୍ରଥମ ଦୈନିକ ସମ୍ୱାଦପତ୍ର ଦୈନିକ ଆଶାର ସଂସ୍ଥାପକ ତଥା ନୂତନ ବ୍ରହ୍ମପୁର ସହରର ଅନ୍ୟତମ ନିର୍ମାତା ଶଶିଭୂଷଣଙ୍କ ଜୟନ୍ତୀ ଅବସରରେ ସ୍ଥାନୀୟ ଟାଉନହଲଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା ଏବଂ ୫୦ ଜଣ ବିଶିଷ୍ଟ ନାଗରିକଙ୍କ ସ୍ୱାକ୍ଷର ସମ୍ୱଳିତ ଏକ ସ୍ମାରକପତ୍ର ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ପୌରପାଳିକା, ଦକ୍ଷିଣାଞ୍ଚଳ ପୋଷ୍ଟମାଷ୍ଟର ଜେନେରାଲ, ରେଳବିଭାଗ ତଥା ଷ୍ଟେଟ ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ, ଇଣ୍ଡିଆନ ଓଭରସିସ ବ୍ୟାଙ୍କ, ଋଷିକୂଲ୍ୟା ଗ୍ରାମ୍ୟ ବ୍ୟାଙ୍କ କର୍ମକର୍ତ୍ତାଙ୍କୁ ବ୍ରହ୍ମପୁର ସହରର ନାମ ଶୁଦ୍ଧ ଇଂରାଜୀ ଭାଷାରେ ବ୍ୟବହାର କରିବାଲାଗି ଅନୁରୋଧ କରିଥିଲୁ ।

 

ଆନନ୍ଦର ବିଷୟ ଇତି ମଧ୍ୟରେ ଭାରତୀୟ ରେଳ ବିଭାଗର ଉଚ୍ଚତମ କର୍ମକର୍ତ୍ତାଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ରେଳଷ୍ଟେସନର ନାମ ଇଂରାଜୀ ଭାଷାରେ ଶୁଦ୍ଧ ବନାନ ବ୍ୟବହାର ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି । ନୂଆଦିଲ୍ଲୀସ୍ଥ ଆଇଆରସିଏ ସାଧାରଣ ସଂପାଦକଙ୍କ ସୁପାରିଶକ୍ରମେ ଖୋର୍ଦ୍ଧାରୋଡ଼ସ୍ଥ ଦକ୍ଷିଣ-ପୂର୍ବ ରେଳପଥ ସିନିୟର ଡ଼ିଭିଜିନାଲ କମରସିଆଲ ମ୍ୟାନେଜରଙ୍କ ଗତ ଏପ୍ରିଲ ୧୨ ତାରିଖରେ ସର୍କୁଲାର ଅନୁଯାୟୀ ରେଳପଥ ସମ୍ୱନ୍ଧୀୟ ଯାବତୀୟ କାଗଜପତ୍ରରେ ତୁରନ୍ତ ଇଂରାଜୀଭାଷାରେ ଶୁଦ୍ଧଭାବରେ ବ୍ରହ୍ମପୁର ରେଳଷ୍ଟେସନର ନାମ ବ୍ୟବହାର କରାଯିବ ।

 

ଭାରତୀୟ ରେଳ ବିଭାଗର ଏହି ଐତିହାସିକ ପଦକ୍ଷେପରେ ଅନୁପ୍ରାଣିତ ହୋଇ ରାଜ୍ୟ ସରକାର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ବ୍ରହ୍ମପୁର ସହରର ନାମ ଇଂରାଜୀ ଭାଷାରେ ଶୁଦ୍ଧ ବନାନ ବ୍ୟବହାର କରିବା ଭଳି ପଦକ୍ଷେପ ନେବା ବାଞ୍ଛନୀୟ । କେରଳ ରାଜ୍ୟ ସରକାର ଏକାଥରକେ ରାଜ୍ୟର ଅଶୁଦ୍ଧ ବନାନ ଓ ଉଚ୍ଚାରଣ କରାଯାଉଥିବା ସହରଗୁଡ଼ିକର ନାମ ପରିବର୍ତ୍ତନ କରିପାରିଥିଲେ । ଆମ ରାଜ୍ୟ ସରକାର ବ୍ରହ୍ମପୁର ସମେତ ଅନ୍ୟ ସହରଗୁଡ଼ିକର ତଥା ଖୋଦ ଓଡ଼ିଶାର ଶୁଦ୍ଧ ବନାନ ବ୍ୟବହାର ଲାଗି ତୁରନ୍ତ ଉଦ୍ୟମ କରନ୍ତୁ ।

 

ପ୍ରଦୀପ ମହାପାତ୍ର, ସାମ୍ୱାଦିକତା ଓ

ଗଣଯୋଗାଯୋଗ ବିଭାଗ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ,

ଓଡ଼ିଶା ଇଣ୍ଟରନ୍ୟାସନାଲ ସୋସାଇଟି, ବ୍ରହ୍ମପୁର

 

ଉପଲବ୍ଧ ୨୭ ବର୍ଷ ପୁରାତନ ନିଉଜପେପର କ୍ଳିପିଂରେ ପ୍ରକାଶନ ତାରିଖ ନାହିଁ । ଅବଶ୍ୟ ଏ ସଂପର୍କରେ ତଥ୍ୟ କଟକସ୍ଥିତ ଦୈନିକ ସମାଜର ଲାଇବ୍ରେରୀରେ ସାଇତି ରଖାଯାଇଥିବା ବାର୍ଷିକ ସଂକଳନଗୁଡ଼ିକରେ ତନଖି କରାଯାଇପାରିବ ।

 

ଓଡ଼ିଶା ଇଣ୍ଟରନ୍ୟାସନାଲ ସୋସାଇଟି ପକ୍ଷରୁ ଆରମ୍ଭ କରାଯାଇଥିବା ଅଭିଯାନ କେଉଁ କାରଣରୁ ହଠାତ ବନ୍ଦ ହୋଇଯାଇଥିଲା ତାହା କୌଣସି ପରବର୍ତ୍ତୀ ସଂସ୍କରଣ ବ୍ରହ୍ମପୁର ଡ଼ାଏରୀରେ ଆଲୋଚ଼ନା କରାଯିବ । ତେବେ ୧୮୫୦ରେ ମହୁରି ରାଜ୍ୟ ରାଜଧାନୀ ବ୍ରହ୍ମପୁର ବ୍ରିଟିଶ ଶାସନାଧୀନ ହେବା ପରଠାରୁ ସହରର ଇଂଲିଶ ବନାନ ଅଶୁଦ୍ଧ ହୋଇଆସିଥିବା ସ୍ଥଳେ ଊନବିଂଶ ଶତାଦ୍ଦୀ ଶେଷଭାଗ, ବିଂଶ ଶତାଦ୍ଦୀର ପ୍ରଥମ ଭାଗରେ ବ୍ରହ୍ମପୁରକୁ ନେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନରେ ସାମିଲ ହୋଇଥିବା ସାମାଜିକ ଓ ସାଂସ୍କୃତିକ କର୍ମୀଗଣ ଉଦ୍ୟମ କରିଥିଲେ କି ଏବଂ ଯଦି କରିଥିଲେ କାହିଁକି ସଫଳ ହୋଇପାରିନଥିଲା ସେ ସଂପର୍କରେ ତଥ୍ୟ ଅଭାବ । ସର୍ବୋପରି ଦୁଃଖର ବିଷୟ ସମକାଳୀନ ଯୁବ-ସାଂସ୍କୃତିକ ଓ ରାଜନୀତିକ ନେତୃତ୍ୱ ସହର ସଂପର୍କୀତ ଅର୍ଥହୀନ ଦାବୀ ଉପସ୍ଥାପନରେ ସମୟ ଅପଚ଼ୟ କରୁଥିବା ସ୍ଥଳେ ସହରର ନାମ ଶୁଦ୍ଧ ବନାନ ପ୍ରବର୍ତ୍ତନ ଭଳି ସଂବେଦନଶୀଳ ପ୍ରସଙ୍ଗକୁ କିପରି ଭୂଲିଯାଉଛନ୍ତି ଆଶ୍ଚାର୍ଯ୍ୟାନ୍ୱିତ କରେ ।


(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୫ ନଭେମ୍ୱର ୨୦୨୨/ ପୃଷ୍ଠା : ୨)