Friday, April 29, 2022

Town Hall / ଟାଉନ ହଲ

 


#ବ୍ରହ୍ମପୁର ଡ଼ାଇମଣ୍ଡ ଜୁବୁଲୀ ଟାଉନହଲ ଖଲ୍ଲିକୋଟ ଓ ଆଠଗଡ଼ ମହାରାଜାଙ୍କ ଦ୍ୱାରା ସମର୍ପିତ ପୁରାତନ କୋଠାରେ ସ୍ଥାପିତ ଫଳକ ଅନୁଯାୟୀ ଏହା ୨୭ ଫେବୃୟାରୀ ୧୯୦୫ରେ ମାଡ୍ରାସ ଗଭର୍ଣ୍ଣରଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା ଏବଂ ୨୫ ଫେବୃୟାରୀ ୧୮୯୮ରେ ତତକାଳୀନ ମାଡ୍ରାସ ଗଭର୍ଣ୍ଣର ନିର୍ମାଣକାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଅନ୍ୟ ଏକ ଫଳକରେ ଟାଉନହଲର ନବୀକରଣ, ମୁଖ୍ୟତଃ ବାଲକୋନୀ ଭାଙ୍ଗି ପ୍ରେକ୍ଷାଳୟରେ ଦର୍ଶକ ଆସନ ବଦଳାଇବା କାର୍ଯ୍ୟ ୩୦ ଏପ୍ରିଲ ୧୯୮୫ରେ ସରିଥିବା ଉଲ୍ଲେଖ କରାଯାଇଥାଏ । ପରବର୍ତ୍ତୀ ପର୍ଯ୍ୟାୟରେ ଶହେ ବର୍ଷ ପୁରୁଣା କୋଠାଟିକୁ ସଂପୂର୍ଣ୍ଣ ଭାଙ୍ଗି ଦେଇ ନୂଆ କୋଠାଟିଏ ନିର୍ମିତ ହୋଇଛି ।
 
ନବନିର୍ମିତ ଟାଉନହଲର ଭଡ଼ା ଅଧିକ ଥିବା ହେତୁ ବର୍ଷସାରା ଅବ୍ୟବହୃତ ହୋଇପଡ଼ିରହିଥାଏ । ବ୍ରହ୍ମପୁର ସହରରେ ସାଂସ୍କୃତିକ ଜାଗରଣ ନିମନ୍ତେ ଖଲ୍ଲିକୋଟ ରାଜପରିବାର ଯେଉଁ ମହତ ଆକାଂକ୍ଷା ନେଇ ସହରର କେନ୍ଦ୍ର ସ୍ଥଳରେ ଅବସ୍ଥିତ ମୂଲ୍ୟବାନ ଜମି ସାଙ୍ଗକୁ କୋଠା ନିର୍ମାଣକରି ପୌରପାଳିକାଙ୍କୁ ପରିଚାଳନା ନିମନ୍ତେ ପ୍ରଦାନ କରିଥିଲେ, ତାହା ସାଧିତ ହୋଇପାରି ନାହିଁ । ଟାଉନ ହଲର ଚାରିକଡ଼େ ପୌରପାଳିକା ପକ୍ଷରୁ ଦୋକାନ ଗୃହ ନିର୍ମାଣ କରାଯାଇ ଜନହିତରେ ଉତ୍ସର୍ଗୀକୃତ ଦାନର ଅପବ୍ୟବହାର କରାଯାଉଛି । ଅତୀତରେ ଖଲ୍ଲିକୋଟ କଲେଜଠାରୁ କଲ୍ୟାଣମଣ୍ଡପ, ଗେଷ୍ଟହାଉସ ଓ ଟାଉନହଲକୁ ଲାଗି ମୁକ୍ତ ପ୍ରାଙ୍ଗଣରେ ଝାଉଁଗଛ ସଜ୍ଜିତ ଏକ ପାର୍କ ବିଦ୍ୟମାନ ଥିଲା । ସମଗ୍ର ଅଞ୍ଚଳ ବର୍ତ୍ତମାନ କଂକ୍ରିଟ ଜଙ୍ଗଲ ।
 
ଗଣତାନ୍ତ୍ରିକ ଶାସନ ପଦ୍ଧତିରେ ଟାଉନହଲର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଜନସାଧାରଣଙ୍କ ସ୍ୱାର୍ଥରକ୍ଷା ଲାଗି ସରକାରୀ ଓ ପ୍ରଶାସନିକ ତୃଟିବିଚ୍ୟୁତି ସର୍ବସାଧାରଣରେ ସମାଲୋଚ଼ନା, ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ମାଧ୍ୟମରେ ଜନଜୀବନରେ ବୌଦ୍ଧିକ ବିକାଶ ଓ ମନୋରଞ୍ଜନ ତଥା ଜରୁରି ପରିସ୍ଥିତିରେ ସ୍ଥାନୀୟ ବାସିନ୍ଦାଙ୍କ ନିମନ୍ତେ ସହାୟତା କେନ୍ଦ୍ର ରୂପେ ଟାଉନହଲ ପ୍ରାଙ୍ଗଣ କାର୍ଯ୍ୟ କରିଥାଏ । ବ୍ରହ୍ମପୁରରେ ଟାଉନହଲରେ ସେଭଳି କାର୍ଯ୍ୟକ୍ରମ ସଂଭବ ହୋଇପାରୁ ନାହିଁ । ହାତଗଣତି ସରକାରୀ ଓ ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନର ଉତ୍ସବାନୁଷ୍ଠାନ ଆୟୋଜନରେ ସୀମିତ ରହୁଛି ।
 
ବ୍ରହ୍ମପୁର ଡ଼ାଏମଣ୍ଡ ଜୁବୁଲୀ ଟାଉନ ହଲ ୧୯୦୫ ମସିହାରୁ ଉପଲବ୍ଧ । ତେବେ ଆଶ୍ଚର୍ଯ୍ୟଜନକଭାବେ ସେ ସମୟରେ ମଧ୍ୟ ବହୁଳଭାବେ ବ୍ୟବହୃତ ନହୋଇପାରିଥିବା ପ୍ରମାଣ ଇତିହାସ ପୃଷ୍ଠାରୁ ମିଳେ । ଡ଼କ୍ଟର ସୀତାରାମ ମହାପାତ୍ର ଖଲ୍ଲିକୋଟ ମହାବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପନା କରିଥିଲେ । ସେ ସହରର ସାଂସ୍କୃତିକ ଆନ୍ଦୋଳନରେ ବିଗତ ଶତାଦ୍ଦୀର ଷଷ୍ଠ ଦଶକରୁ ଚାଳିଶି ବର୍ଷ ଧରି ସଂପୃକ୍ତ ରହିଆସିଥିଲେ । ଓଡ଼ିଆ ଜାତୀୟ ଆନ୍ଦୋଳନର ଐତିହାସିକ ପୀଠ : ଉତ୍କଳ ଆଶ୍ରମ ଶୀର୍ଷକ ପ୍ରବନ୍ଧରେ ସେ ଲେଖିଥିଲେ :
 
୧୯୧୬ ସାଲ ପର୍ଯ୍ୟନ୍ତ ଗଞ୍ଜାମର ଓଡ଼ିଆମାନେ ଏକାଠି ବସି କୌଣସି ଜାତୀୟ ବିଷୟ ଆଲୋଚ଼ନା କରିବା ସକାଶେ ବ୍ରହ୍ମପୁର ସହରରେ ଖଣ୍ଡେ ସାଧାରଣ ସ୍ଥାନର ଅଭାବ ଅନୁଭବ କରିଥିଲେ । କେବଳ ଅସ୍ଥାୟୀ ବ୍ୟବସ୍ଥା କରାଯାଉଥିଲା କେତେବେଳେ ପଞ୍ଚୁ ଦେଉଳ ଆଗରେ ଥିବା ସେତେବେଳର ପାୱଲସ ସାହେବଙ୍କ ବଙ୍ଗଳା ତ ଅନ୍ୟ କେତେବେଳେ ଟାଉନ ହଲ ସାମନାରେ ଥିବା ସେହି ସମୟର ସୁରଙ୍ଗୀ ରାଜାଙ୍କ ବଙ୍ଗଳା ଏବଂ ବଡ଼ଖେମୁଣ୍ଡି ରାଜାଙ୍କ ବଙ୍ଗଳା । ଏହିଭଳି ବିଭିନ୍ନ ସ୍ଥାନରେ ଓଡ଼ିଆମାନେ ଆଲୋଚ଼ନା ସଭା ଏବଂ ବନ୍ଧୁମିଳନ ଆୟୋଜନ କରୁଥିଲେ । କିନ୍ତୁ ୧୯୧୬ ସାଲରେ ବ୍ରହ୍ମପୁରର କେତେଜଣ ଉତ୍ସାହୀ ଓଡ଼ିଆ ଯୁବକ ଗଞ୍ଜାମର ତତକାଳୀନ କେତେକ ରାଜାଙ୍କ ସହିତ ମଶି ଏକ ସ୍ଥାୟୀ ଗୃହ ନିର୍ମାଣ ସକାଶେ ଉଦ୍ୟମ କଲେ । ସୁଖର କଥା ସ୍ଥାୟୀ ଗୃହ ନିର୍ମାଣ ନିମନ୍ତେ ଶେରଗଡ଼ ରାଜା କ୍ରୟସୂତ୍ରରେ କିଛି ଜମି ଦେଲେ ଏବଂ ବଡ଼ଖେମୁଣ୍ଡି ରାଜା କୃପାମୟ ଅନଙ୍ଗଭୀମ କେଶରୀ ଦେବଙ୍କ ଆର୍ଥିକ ସାହାଯ୍ୟ ବଳରେ ତା ୨୬-୨-୧୯୨୦ ସାଲରେ ତତକାଳୀନ ଗଞ୍ଜାମ କଲେକ୍ଟର ସି.ଭି. କାଟରାଲଙ୍କ ଦ୍ୱାରା ସ୍ଥାୟୀ ଗୃହର ଭିତ୍ତିପ୍ରସ୍ତର ସ୍ଥାପିତ ହେଲା ଏବଂ ତା ୨୨-୧-୧୯୨୫ ସାଲରେ ମାନ୍ଦ୍ରାଜ ଗଭର୍ଣ୍ଣର ଭି. ଗେଶ୍ଚେନଙ୍କ ଦ୍ୱାରା ସ୍ଥାୟୀ ଗୃହ ଉତ୍କଳ ଆଶ୍ରମ ଉନ୍ମୋଚିତ ହୋଇଥିଲା
 
ପ୍ରଶ୍ନଉଠେ, ୧୯୦୫ ମସିହାରୁ ଟାଉନହଲର ସୁବିଧା ମିଳିବା ଦଶବର୍ଷ ପରେ ସହରର ନେତୃସ୍ଥାନୀୟ ଓଡ଼ିଆଙ୍କ ଉଦ୍ୟମରେ ଚାନ୍ଦା ଭେଦା ସଂଗୃହୀତ ହୋଇ କୋଡ଼ିଏ ବର୍ଷ ପରେ ଅନ୍ୟ ଏକ ସଭାଗୃହ ନିର୍ମାଣରେ କାହିଁକି ତତ୍ପରତା ପ୍ରକାଶ ପାଇଥିଲା ? ଶହେ ବର୍ଷ ପରେ ଉତ୍କଳ ଆଶ୍ରମ ମଧ୍ୟ ଟାଉନ ହଲର ଦୁଃସ୍ଥିତିର ପରିସରଭୁକ୍ତ ହେବାରେ ଲାଗିଛି କି ?

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୩୦ ଏପ୍ରିଲ ୨୦୨୨/ ପୃଷ୍ଠା : )

Tuesday, April 26, 2022

Ganjam Kala Parisad / ଗଞ୍ଜାମ କଳା ପରିଷଦ

 




ଗଞ୍ଜାମ କଳା ପରିଷଦ #ବ୍ରହ୍ମପୁର ସହରର ଅନ୍ୟତମ ପୁରାତନ ସାଂସ୍କୃତିକ ଅନୁଷ୍ଠାନ । ଏହାର ବାର୍ଷିକ ଉତ୍ସବ ବିଷୁବ ସଂକ୍ରାନ୍ତି ଅବସରରେ ଏକାଧିକ ଦିବସ ଧରି ନୃତ୍ୟ, ସଂଗୀତ, ନାଟକାଦି କାର୍ଯ୍ୟକ୍ରମ ମାଧ୍ୟମରେ ଆୟୋଜିତ ହୋଇଥାଏ ।  ଅନୁଷ୍ଠାନର ସଭାପତି କୃଷ୍ଣ ଚ଼ରଣ ସିଂହଙ୍କ ଅଧ୍ୟକ୍ଷତାରେ ତିନି ସଂଧ୍ୟା ବ୍ୟାପୀ ୬୫ ତମ ବାର୍ଷିକ ଉତ୍ସବ ବିଷୁବ ସଂକ୍ରାନ୍ତି ୨୦୨୨ରେ ଅନୁଷ୍ଠିତ ହୋଇଥିଲା ।

 

ମହାମାରୀଜନିତ ନିୟମାବଳୀ ପାଳନରେ ଦୁଇ ବର୍ଷ ଧରି ସହରରେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ ବାରଣ ସାଙ୍ଗକୁ ଦୈନନ୍ଦିନ କାର୍ଯ୍ୟଧାରା ବନ୍ଦ ରହି ଆସିଥିଲା । ଏହି କାରଣରୁ ଗଞ୍ଜାମ କଳା ପରିଷଦର କାର୍ଯ୍ୟସୂଚ଼ୀ ପ୍ରଭାବିତ ହେବା ସ୍ୱାଭାବିକ ତେବେ ଏଥି ପୂର୍ବରୁ ବହୁ ବର୍ଷ ଧରି ଏହାର ପରିଚାଳନାଧିନ କବିସୂର୍ଯ୍ୟ ରଙ୍ଗମଞ୍ଚ ପୁନଃନିର୍ମାଣ ହେତୁ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ କରିବା ପ୍ରାୟତଃ ସଂଭବ ହୋଇପାରୁନଥିଲା । ଫଳରେ ଅନୁଷ୍ଠାନର କାର୍ଯ୍ୟଧାରା ଶିଥିଳ ହୋଇପଡିଆସିଥିଲା । ମଞ୍ଚର ନିର୍ମାଣ କାର୍ଯ୍ୟ ୨୦୨୨ ସୁଦ୍ଧା ସରିଥିଲେ ସୁଦ୍ଧା ସେଥିରେ ଆବଶ୍ୟକୀୟ ସୁବିଧାସୁଯୋଗ ସଂଲଗ୍ନ ନହୋଇଥିବା ହେତୁ କର୍ମକର୍ତ୍ତା ଓ କଳାକାରମାନେ ଅସନ୍ତୁଷ୍ଟ । ପରିବର୍ତ୍ତିତ ପରିବେଶରେ ଏହି ସମସ୍ୟାର ସମାଧାନର ରାସ୍ତା ଅସ୍ପଷ୍ଟ ।

 

ଗଞ୍ଜାମ କଳା ପରିଷଦ ୧୯୫୮ରେ ଆତ୍ମପ୍ରକାଶ କରିଥିଲା । ସ୍ୱର୍ଗତ ବସନ୍ତ କୁମାର ପାଣିଗ୍ରାହୀ ଏହି ଅନୁଷ୍ଠାନର ୧୯୫୮ରୁ ୧୯୮୩ ଯାଏଁ ସମ୍ପାଦକ ଓ ୧୯୮୪ରୁ ମୃତ୍ୟୁର କିଛି ସମୟ ପୂର୍ବ ଯାଏଁ ସଭାପତି ରହି ଆସିଥିଲେ । ସେ ନିଜ ଆତ୍ମଜୀବନୀ ବିସ୍ମୃତିର ସ୍ମୃତିପୁସ୍ତକରେ ଗଞ୍ଜାମ କଳା ପରିଷଦ ଗଠନର ଇତିହାସ ବର୍ଣ୍ଣନା କରିଛନ୍ତି ।

 

ରାଜ୍ୟସ୍ତରରେ ୧୯୫୨ରେ ଓଡ଼ିଶା ସଙ୍ଗୀତ ନାଟକ ନୃତ୍ୟ କଳା ପରିଷଦ ଗଠିତ ହେବାପରେ ବ୍ରହ୍ମପୁରଠାରେ ଗଞ୍ଜାମ ଜିଲ୍ଲା ଶାଖା ଆରମ୍ଭ ହୋଇଥିଲା । ସେ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ରୁଚ଼ି ରଖୁଥିବା କେତେକ ନେତୃସ୍ଥାନୀୟ ବ୍ୟକ୍ତି ଏକତ୍ରୀତ ହୋଇ ପ୍ରାୟ ଅବ୍ୟବହୃତ ଅବସ୍ଥାରେ ପଡିରହିଥିବା ଉତ୍କଳ ଆଶ୍ରମ କୋଠାରେ କାର୍ଯ୍ୟାଳୟ ସ୍ଥାପନ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କ ପୃଷ୍ଠପୋଷକତାରେ ୧୯୫୮ରେ ଗଞ୍ଜାମ କଳା ପରିଷଦ ସଂଗଠିତ ହୋଇଥିଲା । ନୃତ୍ୟ, ସଂଗୀତ ଓ ଅଭିନୟରେ ରୁଚି ରଖୁଥିବା ବର୍ହିଆଗତ କେତେକ ସରକାରୀ କର୍ମଚାରୀଙ୍କ ପରିବାରର ସନ୍ତାନମାନଙ୍କୁ ନେଇ ୧୯୫୪ରୁ ନେତାଜୀ ଷ୍ଟୁଡ଼େଣ୍ଟସ କ୍ଳବ ନାମରେ ଏକ ସୌଖୀନ ସାଂସ୍କୃତିକ ସଂଗଠନ ସହ ସଂପୃକ୍ତ ନବପ୍ରତିଭା ଗଞ୍ଜାମ କଳା ପରିଷଦରେ ଯୋଗ ଦେଇଥିଲେ । କ୍ରମଶଃ ଦୈନନ୍ଦିନଭିତ୍ତିରେ ନୃତ୍ୟ-ସଂଗୀତ ଅଭ୍ୟାସ ସାଙ୍ଗକୁ ସାମୟିକ ଭାବେ ନାଟକ ମଞ୍ଚସ୍ଥ ଅନୁଷ୍ଠାନର କାର୍ଯ୍ୟପରିସରଭୁକ୍ତ ହୋଇଥିଲା । ଦୀର୍ଘକାଳ ଧରି ସନ୍ଧ୍ୟା ଚାରିରୁ ଛଅ ଯାଏଁ ବାଳିକାମାନଙ୍କ ନୃତ୍ୟଶିକ୍ଷା, ସାତରୁ ନଅ ଯାଏଁ ଯୁବ କଳାକାରଙ୍କ ସଂଗୀତ ଚର୍ଚ୍ଚା ଏବଂ ଆବଶ୍ୟକମତେ ରାତି ଆଠରୁ ଦଶ ଯାଏଁ ନାଟକ ପୂର୍ବାଭିନୟ ଚାଲିଥିଲା । ୧୯୭୨ରୁ କଳିଙ୍ଗ ସାହିତ୍ୟ ସମାଜ ସୌଜନ୍ୟରେ ଏକ ପାଠାଗାର କାର୍ଯ୍ୟ ଆରମ୍ଭ ଓ ବୌଦ୍ଧିକ ସମାବେଶମାନ ଆୟୋଜନ ପରେ ଉତ୍କଳ ଆଶ୍ରମ ପ୍ରାଙ୍ଗଣ ସହରର ସଂସ୍କୃତି-ମନସ୍କଙ୍କ ବିଚରଣସ୍ଥଳୀ ରୂପେ ପରିଣତ ହୋଇପାରିଥିଲା । ଦିନ କେତେ ଚାଋକଳାର ବିକାଶକଳ୍ପେ କୋମଳମତିଙ୍କ ନିମନ୍ତେ ଚ଼ିତ୍ରାଙ୍କନ ଶିକ୍ଷା ଓ ଚ଼ିତ୍ର ପ୍ରଦର୍ଶନୀ ଭଳି କାର୍ଯ୍ୟକ୍ରମମାନ ମଧ୍ୟ ହାତକୁ ନିଆଯାଇଥିଲା ।

 

ଗଞ୍ଜାମ କଳା ପରିଷଦ ପକ୍ଷରୁ କବିସୂର୍ଯ୍ୟ ରଙ୍ଗମଞ୍ଚନିର୍ମାଣ ଏକ ନାଟକୀୟ ଘଟଣାକ୍ରମରେ ମୂଳଦୁଆ ପଡ଼ିଥିଲା । ଗଞ୍ଜାମ ଜିଲ୍ଲା ରେଡ଼କ୍ରସ ପକ୍ଷରୁ ଅର୍ଥ ସଂଗ୍ରହ ନିମନ୍ତେ ୧୯୬୦ରେ ଏକ ବଡ଼ଧରଣର ସଂଗୀତ-ନୃତ୍ୟ ଉତ୍ସବ ଆୟୋଜନ କରାଯାଇଥିଲା । ମୁମ୍ୱାଇ ଚଳଚ଼ିତ୍ର ଜଗତରୁ ସଂଗୀତଜ୍ଞ ଶ୍ୟାମଲ ମିତ୍ର, ଗାୟକ ମାନ୍ନା ଦେ ଓ ନବଗତା ନୃତ୍ୟଶିଳ୍ପୀ ୱାହିଦା ରେହମାନ ଅଂଶଗ୍ରହଣ କରିଥିଲେ । ଖଲ୍ଲିକୋଟ କଲେଜ ଖେଳ ପଡ଼ିଆରେ ଏକ ଅସ୍ଥାୟୀ ମୁକ୍ତ ମଞ୍ଚ ନିର୍ମାଣ କରାଯାଇ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଖଲ୍ଲିକୋଟ କଲେଜ କର୍ତ୍ତୃପକ୍ଷଙ୍କ ସହ ଚୁକ୍ତି ପ୍ରକାରେ ଉତ୍ସବ ସରିବାପରେ ମଞ୍ଚକୁ ଭାଙ୍ଗି ଦେଇ ଖେଳପଡ଼ିଆ ସଫା କରିବା ସର୍ତ୍ତ ରହିଥିଲା । ମଞ୍ଚ ଭଙ୍ଗା ବେଳେ ପ୍ରଶ୍ନ ଉଠିଲା ଏଥିରେ ବ୍ୟବହୃତ ଇଟାପଥରକୁ କଣ କରାଯିବ ବା କେଉଁଠି ଫୋପଡ଼ା ଯିବ । ଏହାକୁ ଏକ ସୁଯୋଗ ରୂପେ ଗ୍ରହଣ କରି ଗଞ୍ଜାମ କଳା ପରିଷଦ ପକ୍ଷରୁ ଉତ୍କଳ ଆଶ୍ରମ କର୍ମକର୍ତ୍ତାଙ୍କ ଅନୁମତିକ୍ରମେ ଉତ୍କଳ ଆଶ୍ରମ କୋଠା ପାର୍ଶ୍ୱର ଖୋଲା ଅବ୍ୟବହୃତ ଜମିରେ ଏକ ମୁକ୍ତ ରଙ୍ଗମଞ୍ଚ ନିର୍ମାଣ କରାଗଲା । ଏଥିଲାଗି ସହରବାସୀଙ୍କଠାରୁ ପଚ଼ିଶି ହଜାର ଟଙ୍କା ଦାନ ସଂଗୃହୀତ ହୋଇଥିବା ସ୍ଥଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଦଶ ହଜାର ଟଙ୍କା ଅନୁଦାନ ମିଳିଥିଲା । ମୋଟ ପଞ୍ଚତିରିଶି ହଜାର ଟଙ୍କା ବ୍ୟୟରେ କବିସୂର୍ଯ୍ୟ ରଙ୍ଗମଞ୍ଚ ନିର୍ମିତ ହୋଇଥିଲା । ସେହି କୋଠାହିଁ  ଆଜି ଗଞ୍ଜାମ କଳା ପରିଷଦର ପରିଚ଼ିତି ।


(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୩ ଏପ୍ରିଲ ୨୦୨୨/ ପୃଷ୍ଠା :)


Photo by Ricky Singh on Unsplash 



Friday, April 15, 2022

Cycle-Rickshaw / ସାଇକଲ ରିକ୍ସା

 

#ବ୍ରହ୍ମପୁର ସହରୀ-ଜୀବନରେ କୋଭିଡ଼-୧୯ ମହାମାରୀ-ପର ଅବସ୍ଥାରେ କେତେକ ଉଲ୍ଲେଖନୀୟ ପରିବର୍ତ୍ତନରେ ରାସ୍ତାଘାଟରେ ସାଇକଲ ରିକ୍ସା ଚଳପ୍ରଚଳ କମି ଯାଇଥିବା ଦେଖିବାକୁ ମିଳୁଥିବା ଅନ୍ୟତମ ।
 
ବ୍ରହ୍ମପୁର ସହର ବିକଶିତ ହେବା ଆରମ୍ଭରୁ ଯାତ୍ରୀ ଓ ମାଲ ପରିବହନ ନିମନ୍ତେ ବଳଦଟଣା ଶଗଡ଼ ଓ ଘୋଡ଼ାଗାଡ଼ି ଝାଟକାର ପ୍ରଚଳନ ରହି ଆସିଥିଲା । ସାଧାରଣରେ ଉଭୟ ଯାନର ମାଲିକ ଓ ସେମାନଙ୍କ ପରିବାରବର୍ଗ ସେସବୁ ବ୍ୟବହାର କରିଆସୁଥିଲେ । ବିଂଶ ଶତାଦ୍ଦୀ ଆରମ୍ଭରୁ ରେଳଗାଡ଼ି ଓ ମଧ୍ୟଭାଗରୁ ମଟରଗାଡ଼ି ବସ ଚଳାଚଳ ଅବସରରେ ଝାଟକା ଭଡ଼ାରେ ମିଳିବା ପରେ ସର୍ବସାଧାରଣ ପରିବହନ ଯାନ ମାନ୍ୟତା ପାଇଥିଲା । ସ୍ୱାଧୀନତା ପୂର୍ବବର୍ତ୍ତୀ ଅବସ୍ଥାରେ ସାଇକଲ ରିକ୍ସାର ବ୍ୟବହାର ବ୍ରହ୍ମପୁରରେ ଆରମ୍ଭ ହୋଇଥିଲେ ହେଁ ସ୍ୱାଧୀନୋତ୍ତର ପରିବେଶରେ ହିଁ ପ୍ରସାର ଲାଭ କରିଥିଲା । ସହରର ପରିସୀମା ଓ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ବାଣିଜ୍ୟ ବ୍ୟବସାୟ, ପ୍ରଶାସନିକ କାର୍ଯ୍ୟ, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ମନୋରଞ୍ଜନ ଇତ୍ୟାଦି ସୁବିଧାସୁଯୋଗ ଗ୍ରହଣ କରିବାକୁ ଗଞ୍ଜାମ ତଥା ପଡ଼ୋଶୀ ଜିଲ୍ଲାରୁ ବହୁସଂଖ୍ୟକ ଲୋକ ଦୈନନ୍ଦିନ ଯିବାଆସିବା କରିବାରୁ ସହର ମଧ୍ୟରେ ସାଧାରଣ ପରିବହନ ବ୍ୟବସ୍ଥାର ଗୁରୁତ୍ୱ ବଢ଼ିଥିଲା ।
 
ସାଇକଲ ରିକ୍ସା ପ୍ରଥମ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଅବସ୍ଥାରେ ଦକ୍ଷିଣ-ପୂର୍ବ ରାଷ୍ଟ୍ରଗୁଡ଼ିକରେ ଲୋକପ୍ରିୟତା ହାସଲ କରିଥିଲା । ଏହି ଯାନର ବ୍ୟବହାର କୋଲକତାରେ ୧୯୩୦ରେ ଆରମ୍ଭ ହୋଇଥିବା ଇତିହାସ ପୃଷ୍ଠାରେ ଲିପିବଦ୍ଧ । ସାଇକଲ ରିକ୍ସା ଚାଳନା ସରଳ ଓ ଯାନର ମୂଲ୍ୟ ବ୍ୟୟବହୁଳ ନଥିବା ହେତୁ କୋଲକତା-ପ୍ରଭାବିତ ପୂର୍ବଭାରତର ବିଭିନ୍ନ ସହରକୁ ଖୁବ କମ ସମୟ ମଧ୍ୟରେ ସଂପ୍ରସାରିତ ହୋଇଥିଲା । ସାଇକଲ ରିକ୍ସା ପ୍ରଚଳନ କୋଲକତାରୁ କଟକ ଦେଇ ବ୍ରହ୍ମପୁରରେ ପହଞ୍ଚିଥିଲା ।
 
ଅକ୍ଟୋବର ୨୦୦୬ରେ ସମ୍ୱାଦପତ୍ରରେ ପ୍ରକାଶିତ ଏକ ବିବରଣୀରେ ଉଲ୍ଲେଖ ଥିଲା, ବ୍ରହ୍ମପୁର ସହରରେ ଏବେ ପ୍ରାୟ ୧୨ ହଜାର ରିକ୍ସା ଚାଳକ ଥିବା ଜଣା ପଡ଼ିଛି । ବ୍ରହ୍ମପୁରରେ ଅଟୋ ଦ୍ୱାରା ଲୋକମାନେ ଯାତାୟାତ କରୁଥିଲେ ମଧ୍ୟ ବିଭିନ୍ନ ଛକ ସ୍ଥାନକୁ ହିଁ ପହଞ୍ଚିପାରିଥାନ୍ତି । ତେଣୁ ନିର୍ଦ୍ଦିଷ୍ଟ ଗନ୍ତବ୍ୟସ୍ଥଳ ଓ ସାହୀ ମଧ୍ୟରୁ ଯିବା ପାଇଁ ଆଜି ବି ଲୋକମାନଙ୍କ ପ୍ରଥମ ପସନ୍ଦ ରିକ୍ସା ରହିଥିବା ବହୁ ଲୋକ ପ୍ରକାଶ କରିଛନ୍ତି ।” (ସମ୍ୱାଦ, ବ୍ରହ୍ମପୁର ସଂସ୍କରଣ / ୨୧ ଅକ୍ଟୋବର ୨୦୦୬)
 
ବ୍ରହ୍ମପୁରରେ ୨୦୦୫ରୁ ୨୦୧୫ ମଧ୍ୟରେ ଅଟୋରିକ୍ସା ଚଳାଚଳ ପ୍ରସାର ଲାଭ କରିବା ପରେ ୨୦୧୫ ବେଳକୁ ରିକ୍ସା ସଂଖ୍ୟା କମି ଆସିଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ୨୦୧୫ରୁ ୨୦୨୦ ପାଞ୍ଚ ବର୍ଷ ମଧ୍ୟରେ ଅଲୋଡ଼ା ହୋଇପଡୁଥିବା ଏହି ପରିବହନ ବ୍ୟବସ୍ଥା ୨୦୨୦ ଓ ୨୦୨୧ ଦୁଇ ବର୍ଷ ମଧ୍ୟରେ ମହାମାରୀଜନିତ ଦୀର୍ଘ ଜନପଦ ବନ୍ଦ ଲକଡ଼ାଉନ ପ୍ରଭାବରେ ଉଭେଇ ଗଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଅନୁଧ୍ୟାନରୁ ୨୦୨୨ ଆରମ୍ଭ ସୁଦ୍ଧା ସହରରେ ମାତ୍ର ପାଞ୍ଚ ଶହରୁ କମ ରିକ୍ସା ଚଳାଚଳ କରୁଥିବା ହିସାବ କରାଯାଏ ।
 
ଉଦାହରଣରେ ସହରର ଜଣେ ବଡ଼ ରିକ୍ସା ମାଲିକଙ୍କ ୯୦ ଗୋଟି ରିକ୍ସା ଅଛି । ମହାମାରୀ ପୂର୍ବରୁ ରାତି ଓ ଦିନ ଦୁଇ ବେଳାର ଭଡ଼ାରେ ଅଶୀରୁ ନବେ ପ୍ରତିଶତ ରିକ୍ସା ଭଡ଼ାରେ ଚାଳକମାନେ ନେଉଥିଲେ । ଏପ୍ରିଲ ୨୦୨୨ ସୁଦ୍ଧା କେବଳ ଦିନବେଳା ୪୦ ରୁ ୫୦ ରିକ୍ସା ଭଡ଼ାରେ ଯାଉଛି । ରାତିବେଳା ପ୍ରାୟ ଶୂନ । ଗୁରୁବାର, ସଂକ୍ରାନ୍ତି ବିଭିନ୍ନ ପର୍ବପର୍ବାଣୀରେ ଭଡ଼ା ସଂଖ୍ୟା ଆହୁରି କମିଯାଏ । ଭଡ଼ା ବାବଦରେ ଦିନ ବେଳା ୩୦ ଓ ରାତିବେଳା ୩୦ ଟଙ୍କା ଭଡ଼ା ପାଆନ୍ତି । ରିକ୍ସା ରକ୍ଷଣାବେକ୍ଷଣ ପାଇଁ ଚାରିଜଣ ନିୟୋଜିତ ଅଛନ୍ତି । ଭଡ଼ା ପଇସା କର୍ମଚାରୀଙ୍କ ପାଉଣାରେ ଯାଏ । ମାଲିକଙ୍କ ପାଇଁ ଏହା କ୍ଷତିର ବ୍ୟବସାୟ । ସହରରେ ପ୍ରାୟ ଦଶରୁ ଅଧିକ ଛୋଟ ବଡ଼ ରିକ୍ସା ମାଲିକଙ୍କ ବ୍ୟବସାୟ ଚାଲିଥିବା ଜଣାଯାଏ ।
 
ରିକ୍ସା ଚାଳନା ନିମନ୍ତେ ରିକ୍ସା ଚାଳକ ଆବଶ୍ୟକ ପଡ଼ିଥାନ୍ତି । ୨୦୦୫ ବେଳକୁ ବ୍ରହ୍ମପୁର ସହରତଳି ଗ୍ରାମାଞ୍ଚଳରୁ ରିକ୍ସା ଚାଳକମାନେ ଏହି ବୃତ୍ତିରେ ନିୟୋଜିତ ହେଉଥିଲେ । ସେହି ସମୟରେ ଭୁବନେଶ୍ୱରରେ ଅଟୋରିକ୍ସା ସଂଖ୍ୟା ବଢ଼ିବା ଏବଂ ସହର ସଂପ୍ରସାରିତ ହେବା ହେତୁ ସାଇକଲ ରିକ୍ସାର ପ୍ରଚଳନ ବନ୍ଦ ହୋଇଯାଇଥିଲା । ସେଠାକାର ରିକ୍ସା ଚାଳନାକୁ ବୃତ୍ତି କରିଥିବା ସ୍ଥାନୀୟ ଝମ୍ପୁଡ଼ି ବାସିନ୍ଦାଙ୍କ ବ୍ୟତୀତ ନୟାଗଡ଼ ଭଳି ପଡ଼ୋଶୀ ଅଞ୍ଚଳର ବହୁ ଗ୍ରାମବାସୀ ସଂପୃକ୍ତ ଥିଲେ । ଭୁବନେଶ୍ୱରରେ ନିଯୁକ୍ତି ହରାଇବା ପରେ କେତେକ ବ୍ରହ୍ମପୁର ଆସିଥିଲେକଟକ ଓ ପୁରୀରେ ରିକ୍ସା ଚାଳକମାନେ ସଂଗଠିତ ଥିବା ଏବଂ ବାହାର ଅଞ୍ଚଳର ନୂଆ ଚାଳକଙ୍କ ପ୍ରବେଶକୁ ବାରଣ କରୁଥିବା ହେତୁ ସେମାନେ ବ୍ରହ୍ମପୁର ମୁହାଁ ହୋଇଥିବା ପ୍ରକାଶିତ ବିବରଣୀରେ ଉଲ୍ଲେଖ କରାଯାଇଥିଲା ।
 
ଆନ୍ତର୍ଜାତିକସ୍ତରରେ ସାଇକଲର ଆଦର ବଢ଼ିଛି; କିନ୍ତୁ ସାଇକଲ ରିକ୍ସାର ପ୍ରଚଳନ ଲୋପ ପାଇ ଆସିଛି । ସାଇକଲ ରିକ୍ସା ଚାଳନା ମନୁଷ୍ୟର ଶ୍ରମଶକ୍ତି ଆବଶ୍ୟକ ପଡୁଥିବା ହେତୁ ଅନ୍ୟଜଣକୁ ବୋହିନେବା ଅମାନବୀୟ ବିବେଚନା କରାଯାଉଛି । ଅପରପକ୍ଷେ ପେଟ୍ରୋଲ ଇନ୍ଧନ ବ୍ୟବହାରରେ ଅଟୋରିକ୍ସା ଚଳାଚଳ ଦ୍ୱାରା ପ୍ରଦୂଷଣ ବଢୁଥିବା ତଥା ତୈଳଦର କ୍ରମାଗତଭାବେ ବୃଦ୍ଧି ପାଇ ଚାଲିଥିବା ହେତୁ ଇ-ରିକ୍ସା ବା ଇଲେକ୍ଟ୍ରିକ-ରିକ୍ସା ପ୍ରଚଳନ ଦେଶରେ ସହରାଞ୍ଚଳରେ ଲୋକପ୍ରିୟତା ହାସଲ କରିବା ଆଶା କରାଯାଏ । ବ୍ରହ୍ମପୁରରେ ଇ-ରିକ୍ସା ପରୀକ୍ଷାମୂଳକଭାବେ ବ୍ୟବହୃତ ହୋଇଥିଲେ ହେଁ ପ୍ରସାର ଲାଭ କରିପାରିନାହିଁ । ଅଗ୍ରଣୀ ବିଦ୍ୟୁତଚାଳିତ ତିନିଚକିଆ ଯାନ ନିର୍ମାତା ମହେନ୍ଦ୍ରା ଇଲେକ୍ଟିକର ପ୍ରମୁଖ କର୍ମକର୍ତ୍ତା ଚାରିବର୍ଷ ମଧ୍ୟରେ ୨୦୨୬ ସୁଦ୍ଧା ଦେଶର ୪୦ ପ୍ରତିଶତ ତିନିଚକିଆ ଇ-ରିକ୍ସା ପର୍ଯ୍ୟାୟଭୁକ୍ତ ହେବ ବୋଲି ଆକଳନ କରିଥିବା ଜଣାଯାଏ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୬ ଏପ୍ରିଲ ୨୦୨୨/ ପୃଷ୍ଠା :୮)

Photo by P.M. Digital Documentation



Friday, April 8, 2022

Multiplex / ମଲଟିପ୍ଳେକ୍ସ

 

#ବ୍ରହ୍ମପୁର ମଲ ଓ ମଲଟିପ୍ଳେକ୍ସ ସଂସ୍କୃତି ପ୍ରସାରରେ ପଛୁଆ ରହିଆସିଛି । ଜନସଂଖ୍ୟା ଆଧାରରେ ତୃତୀୟ ସ୍ତର ତ୍ରି-ଟାୟର ସହର ରୂପେ ପରିଗଣିତ ହେଉଥିବା ହେତୁ ନବ-ବିକଶିତ ବ୍ୟାବସାୟିକ ପ୍ରବାହ ପ୍ରଥମ ଓ ଦ୍ୱିତୀୟ ସ୍ତରର ସହର ତୁଳନାରେ ବିଳମ୍ୱରେ ପହଞ୍ଚେସାଧାରଣରେ ମଲ ଗଢ଼ିଉଠିବାପରେ ସେଥିରେ ମଲଟିପ୍ଳେକ୍ସ ଯୋଡ଼ି ହୋଇଥାଏ । ପାରମ୍ପରିକ ରୀତିରେ ବିକ୍ଷିପ୍ତ ଭାବେ ପ୍ରସାରିତ ଦୋକାନ-ବଜାର ମଲରେ ବହୁତଳ ପ୍ରାସାଦରେ ସଜ୍ଜିତ । ଗ୍ରାହକ ଶୀତତାପ-ନିୟନ୍ତ୍ରିତ ପରିବେଶରେ କିଣାବିକା ସହ ସଂଲଗ୍ନ ଭୋଜନାୟମାଳା ଫୁଡ଼କୋର୍ଟରେ ପରିବେଷିତ କିସମ କିସମର ଆହାର, ବିଦ୍ୟୁତଚାଳିତ ଶିଶୁଙ୍କ କ୍ରୀଡ଼ା ଉପକରଣ ଉଦ୍ୟାନ ପାର୍କ ସାଙ୍ଗକୁ ଏକାଧିକ ରୂପେଲି ପରଦା ମଲଟିପ୍ଳେକ୍ସରେ ଚଳଚ଼ିତ୍ର ଉପଭୋଗର ସୁବିଧା ସୁଯୋଗ ପାଇଥାନ୍ତି ।

 

ବ୍ରହ୍ମପୁରରେ ୨୦୨୨ ଆରମ୍ଭ ସୁଦ୍ଧା ଗୋଟିଏ ମଲ ଓ କେତେଗୋଟି ମେଗା ଷ୍ଟୋର ପ୍ରତିଷ୍ଠିତ । ମଲ ବହୁବିଧ ଦୋକାନର ସମାହାର ଥିବା ସ୍ଥଳେ ମେଗା ଷ୍ଟୋରରେ ଜଣେ ବିକ୍ରେତା ବିଭିନ୍ନ ସମଗ୍ରୀର ବିପ୍ପଣୀ ଖୋଲିଥାନ୍ତିପୁରୁଣା ବସଷ୍ଟାଣ୍ଡସ୍ଥିତ ସିଟି ମଲ ସଂଲଗ୍ନରେ ତିନି ରୂପେଲି ପରଦା ଅର୍ଥାତ ତିନିଗୋଟି ପ୍ରେକ୍ଷାଳୟ ସମ୍ପନ୍ନ ଏକ ମଲଟିପ୍ଳେକ୍ସର ନିର୍ମାଣ କାର୍ଯ୍ୟ ପ୍ରାୟ ସରି ଆସିଛି । ସେହିପରି ଗାନ୍ଧିନଗର ଛକରେ ନିର୍ମାଣଧୀନ ଅନ୍ୟ ଏକ ମଲରେ ଚାରିଗୋଟି ପ୍ରେକ୍ଷାଳୟ ବିଶିଷ୍ଟ ଏକ ମାଲଟିପ୍ଳେକ୍ସ ୨୦୨୩ ଆରମ୍ଭ ସୁଦ୍ଧା ଖୋଲିବା ନିମନ୍ତେ ତତ୍ପରତା ପ୍ରକାଶ ପାଇଥିବା ଜଣାଯାଏ । ବ୍ରହ୍ମପୁରରେ ପୂର୍ବରୁ କେବଳ ଶକ୍ତି ଓ ଶିବା ଦୁଇ ପ୍ରେକ୍ଷାଳୟ ଏକ ପ୍ରାଙ୍ଗଣରେ ପ୍ରତିଷ୍ଠିତ ହୋଇଥିବା ସ୍ଥଳେ ଗୌତମ, ରୁକ୍ମିଣୀ ଓ ପାୟଲ ଏକକ ସ୍କ୍ରୀନରେ ଚଳଚ଼ିତ୍ର ପ୍ରଦର୍ଶନ କରିଥାନ୍ତି । ମହାମାରୀ-ପର ଅବସ୍ଥାରେ ସମସ୍ତ ପାଞ୍ଚଗୋଟି ପ୍ରେକ୍ଷାଳୟ ଖୋଲିଛି ।

 

ଓଡ଼ିଶାରେ ଚଳଚ଼ିତ୍ର ପ୍ରେକ୍ଷାଳୟ ବ୍ୟବସାୟ ୨୦୨୨ ଆରମ୍ଭ ସୁଦ୍ଧା ସ୍ୱାଧୀନତା-ପୂର୍ବ ପରିବେଶକୁ ଫେରିଯାଇଛି । ବିଂଶ ଶତାଦ୍ଦୀ ଶେଷରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଏକାଦିକ୍ରମେ ଦୁଇଗୋଟି ମହାବାତ୍ୟା ପରେ ବହୁ ଚଳଚ଼ିତ୍ର ପ୍ରେକ୍ଷାଳୟ ଭାଙ୍ଗିରୁଜି ଯାଇଥିଲା । ଟେଲିଭିଜନ ପ୍ରସାରଣର ୨୦ ବର୍ଷ ଓ ଘରୋଇ ସାଟେଲାଇଟ ଚ୍ୟାନେଲ ପ୍ରଚଳନର ୧୦ ବର୍ଷ ମଧ୍ୟରେ ସାଧାରଣ ଲୋକେ ନିଜ ଘରେ ୨୪ ଘଣ୍ଟିଆ ସମ୍ୱାଦ, ଧାରାବାହିକ ଓ ଚଳଚ଼ିତ୍ର ଉପଭୋଗର ସୁଯୋଗ ପାଇବାପରେ ଅଧିକା ଅର୍ଥ ବ୍ୟୟକରି ଚଳଚ଼ିତ୍ର ପ୍ରେକ୍ଷାଳୟକୁ ଯିବା ଅଭ୍ୟାସ କ୍ରମେ ଭାଙ୍ଗି ଆସିଥିଲା । ବ୍ୟବସାୟ ଅଭାବରୁ କେତେକ ପ୍ରେକ୍ଷାଳୟ ମାଲିକ ବାତ୍ୟା-ବିଧ୍ୱଂସ୍ତ କୋଠାବାଡ଼ି ସଜାଡିବା ପାଇଁ ଆଗ୍ରହ ପ୍ରକାଶ କଲେ ନାହିଁ । ବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକରେ ଇଣ୍ଟରନେଟର ବ୍ୟାପ୍ତି, ସ୍ମାର୍ଟଫୋନର ପ୍ରବେଶ ଓ ଷ୍ଟ୍ରୀମିଂ ପ୍ଳାଟଫରମଗୁଡ଼ିକର ପ୍ରସାର ପ୍ରେକ୍ଷାଳୟ ବ୍ୟବସାୟକୁ ପୁଣି କ୍ଷତି ପହୁଞ୍ଚାଇଥିଲା । ତେବେ ଓଡ଼ିଶାରେ ମହାମାରୀ-ପୂର୍ବ ଅବସ୍ଥାରେ ପ୍ରାୟ ୧୦୦ ଗୋଟି ପ୍ରେକ୍ଷାଳୟ କେନ୍ଦ୍ର କାର୍ଯ୍ୟକ୍ଷମ ଥିବା ସ୍ଥଳେ ମହାମାରୀ ସଂକ୍ରମଣ ଭୟରେ ଦେଢ଼ ବର୍ଷ ବନ୍ଦ ରହିବାପରେ ୫୫କୁ ଆସିଯାଇଥିବା କୁହାଯାଉଛି । ଏଗୁଡ଼ିକରେ ପ୍ରାୟ ୧୨୦ଗୋଟି ସ୍କ୍ରୀନ ସଂଲଗ୍ନ ହୋଇଛି ।

 

ବିଶେଷଜ୍ଞଙ୍କ ବିଚାରରେ ମହାମାରୀ-ପର ପରିବେଶ ନ୍ୟୂ-ନରମାଲରେ ଏକକ ରୂପେଲି ପରଦା ବିଶିଷ୍ଟ ଚଳଚ଼ିତ୍ର ପ୍ରେକ୍ଷାଳୟ ବ୍ୟାବସାୟିକ ଦୃଷ୍ଟିରୁ ତିଷ୍ଠି ରହିବା ସଂଭାବନା କମ । ଆନ୍ତର୍ଜାତିକ ପ୍ରବାହ ଅନୁକରଣରେ ମଲଟିପ୍ଳେକ୍ସ-ଥିଏଟର-ଚ଼େନ ଅର୍ଥାତ ଅନ୍ତଃରାଜ୍ୟ ବା ଜାତୀୟସ୍ତରରେ ବହୁ ସହରରେ ବହୁ ଚଳଚ଼ିତ୍ର ପ୍ରେକ୍ଷାଳୟ-ଶୃଙ୍ଖଳ ବ୍ୟାବସାୟିକ ଆର୍ଥିକ ନିବେଶ ଓ ପରିଚାଳନାରେ ପର୍ଯ୍ୟବସିତ ହେବ । ଆମ ଦେଶରେ ପିଭିଆର ଓ ଆଇନକ୍ସ ଦୁଇଗୋଟି ବୃହତ ଥିଏଟର-ଚେନ । ପିଭିଆର ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଭାରତରେ ୭୩ଗୋଟି ସହରରେ ୧୮୧ଗୋଟି ପ୍ରେକ୍ଷାଳୟରେ ୮୭୧ଗୋଟି ରୂପେଲିପରଦା ଏବଂ ଆଇନକ୍ସ ପୂର୍ବାଞ୍ଚଳରେ ୭୨ଗୋଟି ସହରରେ ୧୬୦ଗୋଟି ପ୍ରେକ୍ଷାଳୟରେ ୬୭୫ ଗୋଟି ରୂପେଲି ପରଦାରେ କାର୍ଯ୍ୟକ୍ଷମ । ଏହି ଦୁଇଗୋଟି ଚ଼େନ ମିଶ୍ରଣ ହେଉଥିବା ମାର୍ଚ୍ଚ ୨୦୨୨ରେ ଘୋଷିତ ହୋଇଛି । ନୂଆ କମ୍ପାନୀ ପିଭିଆର-ଆଇନାକ୍ସ ପରବର୍ତ୍ତୀ ସାତବର୍ଷ ମଧ୍ୟରେ ଚାରି ହଜାର କୋଟି ଟଙ୍କା ବ୍ୟୟରେ ଉପଲବ୍ଧ ବ୍ୟବସ୍ଥାର ଆଧୁନୀକରଣ ସହ ବାର୍ଷିକ ଦୁଇଶହ ନୂଆ ସ୍କ୍ରୀନ ଟାୟାର-୩, ଟାୟାର-୪ ଓ ଟାୟାର-୫ ସହରରେ ନିର୍ମାଣ କରିବପ୍ରତି ସ୍କ୍ରୀନ ପିଛା ଅଢ଼େଇ କୋଟି ଟଙ୍କା ବ୍ୟୟ ହେବ ।

 

ଭାରତର ପୂର୍ବାଞ୍ଚଳରେ ଆଇନକ୍ସ ପ୍ରଭାବ ବିସ୍ତାର କରିଥିବା ହେତୁ ପ୍ରସ୍ତାବିତ ପିଭିଆର-ଆଇନକ୍ସ ସଂପ୍ରସାରଣରେ ବ୍ରହ୍ମପୁରରେ ମଲଟିପ୍ଳେକ୍ସ ନିର୍ମାଣ ନିଶ୍ଚିତ ବୋଲି ବିଶ୍ୱାସ କରାଯାଇପାରେ । ଅବଶ୍ୟ ମଲଟିପ୍ଳେକ୍ସ ମଲ ସହ ଯୋଡ଼ି ହୋଇ ରହୁଥିବା ହେତୁ ସହରରେ ବଡ଼ ମଲ ନିର୍ମାଣ ଉପରେ ମଲଟିପ୍ଳେକ୍ସ ପ୍ରତିଷ୍ଠା ନିର୍ଭର କରିବ । ଅପରପକ୍ଷରେ ମହାମାରୀ-ପର ଅବସ୍ଥାରେ ଉଭୟ ମଲ ଓ ମଲଟିପ୍ଳେକ୍ସ କ୍ଷତିର ବ୍ୟବସାୟରୂପେ ପରିଗଣିତ ହେଉଥିବା ହେତୁ ଏଦିଗରେ ନିବେଶ ବହୁ ଅଙ୍କ କଷା ଲୋଡ଼ିବ !


(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୯ ଏପ୍ରିଲ ୨୦୨୨/ ପୃଷ୍ଠା :୮)


Photo by Lennart Schneider on Unsplash 


Sunday, April 3, 2022

Remembering Godfather / ‘ଗଡ଼ଫାଦର’ ସ୍ମୃତି

 

#ବ୍ରହ୍ମପୁର କାହିଁକି ଯେକୌଣସି ସହରର ପଚାଶବର୍ଷ ପୂର୍ବର ସ୍ମୃତି ରୋମନ୍ଥନ ରୋମାଞ୍ଚକର ଅନୂଭୂତି । ବ୍ରହ୍ମପୁର ୨୦୨୨ରେ ବ୍ରହ୍ମପୁର ୧୯୭୨ର ସାମାଜିକ ଚଳେଣୀର କେତେକ ଝାପସା ଦୃଶ୍ୟାବଳୀ ସେ ସମୟରେ ଯୁବାବସ୍ଥା ବିତାଇଥିବା ସହରବାସୀଙ୍କ ମନଗହନର ଗଭୀରତମ ପ୍ରଦେଶରୁ ଉଙ୍କି ମାରିଥାଏ ।
 
ବହୁ ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ବାଦ ଦେଲେ ୧୯୭୨ରେ ବ୍ରହ୍ମପୁର ପ୍ରେକ୍ଷାଳୟରେ ହଲିଉଡ଼ ଚଳଚ଼ିତ୍ର ଗଡ଼ଫାଦର ପ୍ରଦର୍ଶିତ ହୋଇଥିଲା । ସେହି ସମୟରେ ସ୍ଥାନୀୟ ସାଂସ୍କୃତିକ ପ୍ରବାହରେ ଏକ ଇଂଲିଶ ଚଳଚ଼ିତ୍ରପ୍ରେମୀ ଗୋଷ୍ଠୀ ଅନ୍ୟତମ ବୈଶିଷ୍ଟ୍ୟସହରର ଚାରିଗୋଟି ଚଳଚ଼ିତ୍ର ପ୍ରେକ୍ଷାଳୟ ମଧ୍ୟରୁ ତିନିଗୋଟି ଏସଏସଭିଟି, ଉତ୍କଳ ଓ ବିଜୟାରେ ବରାବର ହଲିଉଡ଼ ଚଳଚ଼ିତ୍ର ପ୍ରଦର୍ଶିତ ହେଉଥାଏ । ଏସଏସଭିଟିରେ କେବଳ ଶନି ଓ ରବିବାର ମର୍ଣ୍ଣିଂ ସୋ, ବିଜୟାରେ ଶନି ଓ ରବିବାର ମର୍ଣ୍ଣିଂ ସୋ ସାଙ୍ଗକୁ ସୋମବାରରୁ ଗୁରୁବାର ଅପରାହ୍ନ ଚାରିଟାରେ ମେଟିନୀ ଏବଂ ଉତ୍କଳରେ ମର୍ଣ୍ଣିଂ ସୋରେ ଇଂଲିଶ ଚଳଚ଼ିତ୍ର ଚାଲେ । ହଲିଉଡ଼ର ହିଟ ଇଂଲିଶ ଚଳଚ଼ିତ୍ରଗୁଡ଼ିକ ସାମୟିକ ଭାବେ ଉତ୍କଳ ଓ ବିଜୟା ରେଗୁଲାର ତିନିଗୋଟି ସୋ ମେଟିନୀ, ଫାଷ୍ଟ ସୋ ଓ ସେକଣ୍ଡ ସୋରେ ଚଳାନ୍ତି । ଗଡ଼ଫାଦର ସଂଭବତଃ ଉତ୍କଳ ସିନେମାରେ ୧୯୭୨ର ମଧ୍ୟଭାଗରେ ତିନି ସୋରେ ପ୍ରଦର୍ଶିତ ହୋଇଥିଲା ।
 
ଗଡ଼ଫାଦର ସ୍ମୃତି ରୋମନ୍ଥନର ଦୁଇଗୋଟି କାରଣ ରହିଛି । ପ୍ରଥମତଃ, ଏହି ଚଳଚ଼ିତ୍ର ପ୍ରଦର୍ଶନର ପଚାଶ ବର୍ଷ ପୁରିଛି ଏବଂ ଦ୍ୱିତୀୟତଃ, ସେହି ଚଳଚ଼ିତ୍ରର କାହାଣୀ କିପରି ତତ୍ କାଳୀନ ବ୍ରହ୍ମପୁର ସାମାଜିକ ଜୀବନ ଲାଗି ପ୍ରଯୁଜ୍ୟ ଥିଲା ସେଥିପ୍ରତି ସମ୍ୟକ ଆଲୋକପାତ ।
 
ଲୋକପ୍ରିୟ ଲେଖକ ମାରିଆ ପୋଜୋଙ୍କ ୧୯୬୯ରେ ପ୍ରକାଶିତ ଗଡ଼ଫାଦର ଉପନ୍ୟାସ ଆଧାରରେ ନିର୍ମିତ ଫ୍ରାନ୍ସିସ ଫୋର୍ଡ କୋପୋଲା ନିର୍ଦ୍ଦେଶିତ ଚଳଚ଼ିତ୍ରରେ ମାରଲିନ ବ୍ରାଣ୍ଡୋ ଓ ଆଲ ପାସିନୋ ଅଭିନୟ କରିଥିଲେ । ଚଳଚ଼ିତ୍ରଟି ୨୪ ମାର୍ଚ୍ଚ ୧୯୭୨ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଶୁଭମୁକ୍ତି ପାଇବା ସପ୍ତାହକ ଆଗରୁ ୧୫ ମାର୍ଚ୍ଚ ୧୯୭୨ରେ ଭାରତରେ ମୁକ୍ତି ଲାଭ କରିଥିଲା । ପଚାଶ ବର୍ଷ ପୂର୍ବେ ହିନ୍ଦି କିମ୍ୱା ଇଂଲିଶ ଚଳଚ଼ିତ୍ର ଭାରତରେ ବଡ଼ ବଡ଼ ସହରରେ ମୁକ୍ତିଲାଭ କରିବା କିଛି ମାସ ପରେ ବ୍ରହ୍ମପୁର ଚଳଚ଼ିତ୍ର ପ୍ରେକ୍ଷାଳୟକୁ ଆସୁଥିଲା । ଚଳଚ଼ିତ୍ର ପ୍ରଦର୍ଶନ ଲାଗି ପ୍ରସ୍ତୁତ ପ୍ରିଣ୍ଟ ସଂଖ୍ୟା କମ ଥିବା ହେତୁ ବକ୍ସ ଅଫିସ ଲୋକପ୍ରିୟତା ଅନୁଯାୟୀ ବଡ଼ ସହରପରେ ଛୋଟ ସହରର ପାଳି ଆସେ । ସେହି ସମୟରେ ପୂର୍ବାଞ୍ଚଳରେ ଇଂଲିଶ ଚଳଚ଼ିତ୍ର ପ୍ରଦର୍ଶନଲାଗି କୋଲକତା ଓ କଟକ ପରକୁ ବ୍ରହ୍ମପୁରର ସ୍ଥାନ । ଗଡ଼ଫାଦର ନାମୀ ଚଳଚ଼ିତ୍ର ହୋଇଥିବା ହେତୁ କଟକରେ ପ୍ରଦର୍ଶନ କାଳରେ ଦୈନିକ ଓଡ଼ିଆ ସମ୍ୱାଦପତ୍ରରେ ବିଜ୍ଞପିତ ହୋଇଥିବା ମନେପଡ଼େ ।
 
ଗଡ଼ଫାଦର ଚଳଚ଼ିତ୍ର ବାର୍ଷିକ ଓସ୍କାର ପ୍ରତିଯୋଗିତାରେ ଶ୍ରେଷ୍ଠ ଚଳଚ଼ିତ୍ର, ଶ୍ରେଷ୍ଠ ଚ଼ିତ୍ରନାଟ୍ୟ ଓ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇ ପ୍ରଶଂସିତ ହେବାପରେ ଅତିରିକ୍ତି ଦୁଇଗୋଟି ପୂର୍ଣ୍ଣାଙ୍ଗ ଚଳଚ଼ିତ୍ର ପାର୍ଟ-୨ ଓ ପାର୍ଟ-୩ ପ୍ରସ୍ତୁତ ହୋଇଥିଲା । ଗଡ଼ଫାଦରର କାହାଣୀରେ ଅନୁପ୍ରାଣିତ ହୋଇ ବିଶ୍ୱବ୍ୟାପୀ ପ୍ରାୟ ଚାରିଶହଗୋଟି ଚଳଚ଼ିତ୍ର ନିର୍ମିତ ହୋଇଥିବା କୁହାଯାଏ । ଭାରତରେ ଫିରୋଜ ଖାନଙ୍କ ଧର୍ମାତ୍ମା ଓ ଅମିତାଭ ବଚ୍ଚନ ଅଭିନୀତ ସରକାର ସେଥି ମଧ୍ୟରେ ଅନ୍ତର୍ଭୁକ୍ତ ।
 
ଗଡ଼ଫାଦରର କାହାଣୀ ୧୯୪୦ ସମୟର ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୂୟର୍କରେ ଅବସ୍ଥାପିତ ଏକ କାଳ୍ପନିକ ଗ୍ୟାଙ୍ଗଷ୍ଟାର ଭିଟୋ କାରଲେନ୍ସର ଜୀବନ ବୃତ୍ତାନ୍ତ । ଏହି ଚଳଚ଼ିତ୍ରଟି ୧୯୭୨ରେ ବ୍ରହ୍ମପୁରରେ ପ୍ରଦର୍ଶିତ ହେବା ବେଳକୁ ସହରର ଯୁବ ସମ୍ପ୍ରଦାୟରେ ଗ୍ୟାଙ୍ଗଷ୍ଟାର ସଂସ୍କୃତି ଚର୍ଚ୍ଚିତ ବିଷୟବସ୍ତୁ । ସେତେବେଳକାର ଯୁବକୁଳର ପ୍ରାଣକେନ୍ଦ୍ର ଖଲ୍ଲିକୋଟ ମହାବିଦ୍ୟାଳୟ ବିଶୃଙ୍ଖଳିତ । ପଶ୍ଚିମବଙ୍ଗର ନକ୍ସଲବାଡ଼ି ଆନ୍ଦୋଳନ ପ୍ରଭାବରେ ସହରର କାନ୍ଥବାଡ଼ ବାମପନ୍ଥୀ ସ୍ଳୋଗାନରେ ଭର୍ତ୍ତି । ବାଂଲାଦେଶ ମୁକ୍ତି ସଂଗ୍ରାମ ଏହି ମାତ୍ର ସରିଥାଏ ଅଧ୍ୟୟନପରେ ନିଯୁକ୍ତି ଅଭାବ ସହରର ଯୁବକମାନେ ପ୍ରଥମଥର ପାଇଁ ସାମ୍ନା କରୁଥାନ୍ତି । ଅଜଣା ଭୟ ଓ ଅନିଶ୍ଚିତ ଭବିଷ୍ୟତ ସହ ଅପରିଚ଼ିତ ଯୁବପ୍ରାଣକୁ ଗଡ଼ଫାଦର ଭଳି ଚଳଚ଼ିତ୍ର ପ୍ରଭାବିତ କରିବାର ଭରପୁର ଉପାଦାନ ରହିଥିଲା । ମାରଲିନ ବ୍ରାଣ୍ଡୋଙ୍କ ସଂଳାପ ଆଇ ଏମ ଗୋଇଂ ଟୁ ମେକ ହିମ ଏନ ଅଫର ହି କେନାଟ ରିଫ୍ୟୁଜ”; ଜୀବନସହ ସାଲିସ କରିବା ନିମନ୍ତେ ଏକ ନିଆରା ମନ୍ତ୍ର ପ୍ରଦାନ କରିଥିଲା ବୋଲି କୁହାଯାଇପାରେ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୦୨ ଏପ୍ରିଲ ୨୦୨୨/ ପୃଷ୍ଠା :୮)

Photo by Jeremy Yap on Unsplash


Friday, April 1, 2022

Neelakantha Bhawan / ନୀଳକଣ୍ଠ ଭବନ

 

ଅତୀତରେ ସିନେମା ସାଙ୍ଗକୁ ସାମୟିକଭାବେ ଥିଏଟର ମଧ୍ୟ #ବ୍ରହ୍ମପୁର ସାନ୍ଧ୍ୟ ମନୋରଞ୍ଜନରେ ସାମିଲ ହେଉଥିଲା । ଅଧୂନା ପୁରୁଣାବସଷ୍ଟାଣ୍ଡ ସଂଲଗ୍ନ ସିଟି ମଲ ସାମ୍ନାରେ ନୀଳକଣ୍ଠ ଭବନ ନାମିତ ଏକ ଛୋଟ ପ୍ରେକ୍ଷାଳୟ ଚାଲୁଥିଲା । ଏଥିରେ ଦେଢ଼ରୁ ଅଢ଼େଇ ଶହ ଦର୍ଶକଙ୍କ ବସିବା ବ୍ୟବସ୍ଥା ଥିଲା । ଓଡ଼ିଶାରେ ଅନ୍ନପୂର୍ଣ୍ଣା ଥିଏଟର ଗୃପ ଖ୍ୟାତି ଲାଭ କରିଥାଏ । ସମୟକ୍ରମେ ତାହା ଦୁଇଭାଗରେ ବିଭକ୍ତ ହୋଇ ଗୋଟିଏ ଗୃପ ସ୍ଥାୟୀଭାବେ ପୁରୀ ବଡ଼ଦାଣ୍ଡରେ ବର୍ଷସାରା ନାଟକ ପରିବେଷଣ କରୁଥିବା ସ୍ଥଳେ ଅନ୍ୟ ଏକ ଗୃପ ରାଜ୍ୟର ବିଭିନ୍ନ ସହରକୁ ଯାତ୍ରାକରି ନାଟକ ପରିବେଷଣ କରୁଥିଲେ । ବିଗତ ଶତାଦ୍ଦୀର ଷଷ୍ଠ ଓ ସପ୍ତମ ଦଶକରେ ଅନ୍ନପୂର୍ଣ୍ଣା ବି ଗୃପ ବ୍ରହ୍ମପୁର ନୀଳକଣ୍ଠ ଭବନରେ ବର୍ଷର କିଛି ସମୟ ପାଇଁ ଆସୁଥିଲେରାତି ସାଢ଼େ ସାତରୁ ସାଢ଼େ ଦଶ ଯାଏଁ ନାଟକ ଚାଲେ । ସନ୍ଧ୍ୟାରୁ ନରମ ସ୍ୱରରେ ଲାଉଡ଼ସ୍ପିକରରେ ସିନେମା ଗୀତ ବଜାଯାଏ । ଟାଉନହଲରୁ ବସଷ୍ଟାଣ୍ଡ ରାସ୍ତାରେ ଯିବା ଆସିବା ବେଳେ ନୀଳକଣ୍ଠ ଭବନରେ ଥିଏଟର ଉପସ୍ଥିତି ସନ୍ଧ୍ୟାରେ ଗୀତବାଜଣାରୁ ସ୍ପଷ୍ଟ ବାରିହୁଏ ।
 
ନୀଳକଣ୍ଠ ଭବନ ସଂଲଗ୍ନ ଦୁଇ ମହଲା ବିଶିଷ୍ଟ କୋଠାରେ ଭାରତୀ ବିଳାସ ବୋଡିଂ ଓ ଲର୍ଜିଂ ହାଉସ । ଏହା ବ୍ରହ୍ମପୁର ଏକ ପୁରାତନ ହୋଟେଲ । ଉପରମହଲା ଲର୍ଜିଂରେ ଥିଏଟର କଳାକାରମାନେ ରହନ୍ତି, ତଳ ମହଲାରେ ଖିଆପିଆ କରନ୍ତି । ସେଠାରେ ଜଣେ ସ୍ଥାନୀୟ ହକର ଏକ ଛୋଟିଆ ପତ୍ରିକା ଦୋକାନ ୟୁଅର ବୁକ ସପ ସଂନ୍ଧ୍ୟାରେ ଖୋଲନ୍ତି । ବାମପନ୍ଥୀ ସାହିତ୍ୟ, ବିଶେଷକରି ସୋଭିଏତ ରୁଷର ପ୍ରପଗଣ୍ଡା ଲିଟ୍ରେଚର ମିଳୁଥିଲାସେହି ସମୟରେ କଲେଜ ପଢୁଆ ଯୁବକମାନେ ବାମପନ୍ଥୀ ଆଦର୍ଶ ପ୍ରତି ଆଗ୍ରହ ପ୍ରକାଶ କରିବା ଟ୍ରେଣ୍ଡ ଚାଲୁଥିବା ହେତୁ କେତେକ ଅନିସିନ୍ଧୁତ୍ସୁ ପତ୍ରପତ୍ରିକା କିଣିବାକୁ ସେଠି ପହଞ୍ଚନ୍ତି ଓ ଛୋଟକାଟର ଆସର ଜମେ ।
 
ନୀଳକଣ୍ଠ ଭବନରେ ଅନ୍ନପୂର୍ଣ୍ଣା ବି ଗୃପ ସାଙ୍ଗକୁ ଜନତା ଓ କଳିଙ୍ଗ ରଙ୍ଗମଞ୍ଚ, ଦିନକେତେ ସ୍ଥାନୀୟ ଉଦ୍ୟମରେ ଗଠିତ ଅନୁରୂପ ନାଟ୍ୟ ଦଳଙ୍କ ପକ୍ଷରୁ ନାଟକ ପରିବେଷିତ ହେଉଥିଲା । ସେ ସମୟରେ ଓଡ଼ିଆ ନାଟକର ଏକ ସ୍ୱତନ୍ତ୍ର ଦର୍ଶକବର୍ଗ ଥିଲେଓଡ଼ିଆ ସିନେମା ବର୍ଷରେ ଥରେ ଅଧେ ଚାଲୁଥିଲା ଏବଂ ଦକ୍ଷିଣ ଓଡ଼ିଶାର ଗାଁଗହଳିରେ ବଙ୍ଗପ୍ରଦେଶରୁ ଆଗତ ଯାତ୍ରା ସଂସ୍କୃତି ବିକଶିତ ହୋଇନଥିଲା । ଗ୍ରାମାଞ୍ଚଳରୁ ସହରରେ କାର୍ଯ୍ୟୋପଲକ୍ଷେ ପହଞ୍ଚୁଥିବା ପର୍ଯ୍ୟଟକମାନେ ବିଳମ୍ୱିତ ସଂନ୍ଧ୍ୟାରେ ପରିବେଷିତ ନାଟକ ଉପଭୋଗକୁ ପସନ୍ଦ କରୁଥିଲେ ।
 
ନୀଳକଣ୍ଠ ଭବନ ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଥିଲେ ହେଁ ମୂଳ ପ୍ରେକ୍ଷାଳୟରେ ପହଞ୍ଚିବା ପାଇଁ ଏକ ଗଳିରେ କିଛି ବାଟ ଯିବାକୁ ପଡୁଥିଲା । ପ୍ରେକ୍ଷାଳୟ ସାମନାରେ ରୁଚିପୂର୍ଣ୍ଣଭାବେ ପ୍ରଶସ୍ତ ପ୍ରାଙ୍ଗଣଟିଏ ଥିଲା । ପ୍ରେକ୍ଷାଳୟର ଛାତ ଟିଣର ଚଦର ଏବଂ କେବଳ ମଞ୍ଚଟି ସିମେଣ୍ଟ ଚଟାଣ ଦର୍ଶକଙ୍କ ପାଇଁ ଫୋଲଡ଼ିଂ ଟିଣ ଚେୟାର ପଡ଼େ । ନାଟକ ପରିବେଷଣରୁ ଆୟ ସୀମତ ଥିବା ହେତୁ ଚାକଚକ୍ୟ ପ୍ରତି ଧ୍ୟାନ ନଦିଆଯାଇ ଅଭିନୟରେ ପରାକାଷ୍ଠା ପ୍ରତିପାଦନ ପାଇଁ ଚେଷ୍ଟା କରାଯାଉଥିଲା । ପ୍ରତି ଆଠ ଦଶବର୍ଷରେ ବ୍ରହ୍ମପୁରରେ ବାତ୍ୟାର ପ୍ରକୋପହେତୁ ନୀଳକଣ୍ଠ ଭବନ ଭାଙ୍ଗିଗଲେ ପୁଣି ସଜାଡ଼ିବା କଷ୍ଟସାଧ୍ୟ ହେଉଥିଲା । ଆକର୍ଷଣୀୟ ବ୍ୟବସାୟ ଅଭାବରୁ ଅନ୍ନପୂର୍ଣ୍ଣା ଭଳି ପେଷାଦାର ନାଟକ ଦଳ ଆଉ ବ୍ରହ୍ମପୁର ଆସିଲେ ନାହିଁ । କ୍ରମଶଃ ସ୍ଥାନୀୟ ଉଦ୍ୟମରେ ପ୍ରଯୋଜିତ ନାଟକ ପରିବେଷଣ ପ୍ରକାଶମ ହଲ ଓ ଟାଉନ ହଲକୁ ଘୁଞ୍ଚିଗଲା ।
 
ଗଞ୍ଜାମ କଳା ପରିଷଦର କବିସୂର୍ଯ୍ୟ ରଙ୍ଗମଞ୍ଚ ନାଟ୍ୟକଳା ବିକାଶ ପାଇଁ ଗଢ଼ି ଉଠିଥିଲେ ହେଁ ମୂଳରୁ ସେଠି ଲୋକପ୍ରିୟ ନାଟକ ପରିବେଷିତ ହୋଇ ପାରୁ ନଥିଲା । ନିର୍ମାଣଗତ ତୃଟି ଏହାର ପ୍ରମୁଖ କାରଣ । ପ୍ରେକ୍ଷାଳୟଟି ଅତି ବଡ଼ ଶବ୍ଦ ପରିଚାଳନା ଅସଂଭବ ଅତୀତରେ ଉତ୍କଳ ଆଶ୍ରମ ବ୍ୟସ୍ତବହୁଳ ଅଞ୍ଚଳରୂପେ ପରିଗଣିତ ନହେବା ଇତ୍ୟାଦି କାରଣ ମଧ୍ୟ ବାଧକ ସାଜି ଆସିଥିଲା । ନାଟକର ଦର୍ଶକ ସୀମିତ । ଆଜି କୋଲକତା, ମୁମ୍ୱାଇରେ ନିୟମିତ ପରିବେଷିତ ନାଟକଗୁଡ଼ିକର ଦର୍ଶକ ସଂଖ୍ୟା ଦେଢ଼ରୁ ଅଢ଼େଇ ଶହ ହଜାରେ ଦର୍ଶକଙ୍କ ପ୍ରସ୍ତୁତ ପ୍ରେକ୍ଷାୟଳରେ ଦେଢ଼ ଶହ ଦର୍ଶକଙ୍କୁ ନେଇ ନାଟକ ମଞ୍ଚସ୍ଥ କରିବା ଆଶ୍ୱସ୍ତିକର
 
ବ୍ରହ୍ମପୁରରେ ନାଟକ ପରିବେଷଣର ମୁଖ୍ୟ ପ୍ରତିବନ୍ଧକ ଯୁଗୋପଯୋଗୀ ମଞ୍ଚ ଅଭାବ । ନିକଟ ଅତୀତରେ ସଂସ୍କୃତି ଭବନ ନିର୍ମାଣ ତଥା ଟାଉନ ହଲ ଓ କବିସୂର୍ଯ୍ୟ ରଙ୍ଗମଞ୍ଚର ପୂନଃନିର୍ମାଣ କରାଯାଇଛି । କିନ୍ତୁ ସେଠି ଆକାଶଛୁଆଁ ଭଡ଼ା ହେତୁ ନାଟକ ପରିବେଷଣ କେବେହେଁ ସଂଭବପର ହୋଇପାରିବ ନାହିଁ । ନୀତି ନିର୍ଦ୍ଧାରକମାନଙ୍କ ସୀମିତ ଦୃଷ୍ଟିକୋଣ ସହରକୁ ଏହି ବିପର୍ଯ୍ୟୟ ମଧ୍ୟକୁ ଠେଲି ଦେଇଛି ।

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୬ ମାର୍ଚ୍ଚ ୨୦୨୨/ ପୃଷ୍ଠା :୮)

Photo by Rob Laughter on Unsplash