Friday, July 29, 2022

‘Nabeen’ at 93 Years / ‘ନବୀନ’ ୯୩ ବର୍ଷରେ

 

#ବ୍ରହ୍ମପୁର ସହର ସଂପର୍କୀତ ବିଭିନ୍ନ ଉଲ୍ଲେଖଯୋଗ୍ୟ ଘଟଣାକ୍ରମ ମଧ୍ୟରେ ୯୩ ବର୍ଷ ଧରି ଏକ ସାପ୍ତାହିକ ସମ୍ୱାଦପତ୍ର ପ୍ରକାଶନ ଅନ୍ୟତମ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେବା ଛଅ ବର୍ଷ ଏବଂ ଭାରତ ସ୍ୱାଧୀନତା ଲାଭ କରିବା ୧୭ ବର୍ଷ ପୂର୍ବେ ୧୯୩୦ରେ ମହୁରି ରାଜପରିବାର ପୃଷ୍ଠପୋଷକତାରେ ନବୀନ ନାମକ ଏକ ସାପ୍ତାହିକ ସମ୍ୱାଦପତ୍ର ପ୍ରକାଶନ ଆରମ୍ଭ ହୋଇଥିଲା । ମହୁରି ରାଜା କୃପାସିନ୍ଧୁ ନରେନ୍ଦ୍ର ଦେବ ମୃତ୍ୟୁ ଯାଏଁ ନବୀନର ସମ୍ପାଦକ ରହିଥିଲେ । ତାଙ୍କରି ପୁତ୍ର ଶିଶିର କୁମାର ନରେନ୍ଦ୍ର ଦେବ କିଛିକାଳ ସମ୍ପାଦନା କଲାପରେ ପତ୍ରିକାଟି ସମ୍ପାଦନା ଓ ପ୍ରକାଶନରେ ସହଯୋଗିତା କରୁଥିବା ରାଜକର୍ମଚାରୀ ସିଂହାଦ୍ରୀ ପଣ୍ଡାଙ୍କ ସମ୍ପାଦନାରେ ପ୍ରକାଶିତ ହୋଇଥିଲା । ସିଂହାଦ୍ରୀ ପଣ୍ଡାଙ୍କ ମୃତ୍ୟୁପରେ ତାଙ୍କରି ପରିବାରବର୍ଗ କିମ୍ୱା ରାଜପରିବାର ପକ୍ଷରୁ ନବୀନ ପ୍ରକାଶନ ନିମନ୍ତେ ଉଦ୍ୟମ କରାଯାଇପାରିଲା ନାହିଁ । ଏହି ଅବସରରେ ବ୍ରହ୍ମପୁରର ତରୁଣ ସାମ୍ୱାଦିକ ରବି ରଥ ୧୯୮୯ରେ ନବୀନର ସତ୍ତ୍ୱ କ୍ରୟ କରି ପ୍ରକାଶନ ଦାୟିତ୍ୱ ଗ୍ରହଣ କରିଥିଲେ । ସାପ୍ତାହିକ ସମ୍ୱାଦପତ୍ରଟି ୧୯୩୦ରେ ଆତ୍ମପ୍ରକାଶ କରିବା ପରଠୁ ନିରବଚ୍ଛିନ୍ନ ଭାବେ ପ୍ରକାଶିତ ହୋଇଚାଲିଛି ଏବଂ ସାତବର୍ଷପରେ ୨୦୩୦ରେ ଶତବାର୍ଷକୀ ପାଳନ କରିବା ଆଶା କରାଯାଏ ।
 
ନବୀନ ଜନ୍ମକାଳରେ ବ୍ରହ୍ମପୁର ଓଡ଼ିଆ ଭାଷାଭାଷୀ ଏକତ୍ରୀକରଣ ଓ ସାମ୍ୱାଦିକତା କ୍ଷେତ୍ରରେ ନେତୃତ୍ୱ ଗ୍ରହଣ କରୁଥିଲା । ପାରମ୍ପରିକଭାବେ ମହୁରି ରାଜପରିବାର ସଂସ୍କୃତି ପ୍ରିୟ । କିମ୍ୱଦନ୍ତୀ ଅନୁଯାୟୀ ପଞ୍ଚଦଶ ଶତାଦ୍ଦୀରେ ଗଜପତି ରାଜା ପୁରୁଷୋତ୍ତମ ଦେବ ମହୁରି ରାଜ୍ୟ ପ୍ରତିଷ୍ଠା କରିଥିଲେ । ମହୁରି ରାଜପରିବାର ସଂପର୍କରେ ଗବେଷଣା କରି ସନ୍ଦର୍ଭ ରଚନା କରିଥିବା ଡ଼କ୍ଟର ବିଚ଼ିତ୍ରାନନ୍ଦ ଦାଶଙ୍କ ଭାଷାରେ, ଗଜପତି ପୁରୁଷୋତ୍ତମ ଦେବ ତାଙ୍କର ଦକ୍ଷିଣାତ୍ୟ ଅଭିଯାନ ବେଳେ ସୋମରାଜା ଏବଂ ଭୀମରାଜା ନାମକ ଦୁଇ ଭାଇଙ୍କୁ ନିଜର ସାଥି-ସର୍ଦ୍ଦାର ଋୂପେ ନେଇଥିଲେ । ଦାକ୍ଷିଣାତ୍ୟ ଯୁଦ୍ଧରେ ବିଜୟ ଲାଭ କରି ପ୍ରତ୍ୟାବର୍ତ୍ତନ କଲାବେଳେ ଏମାନଙ୍କ ଉପରେ ପ୍ରୀତ ହୋଇ ପୁରୁଷୋତ୍ତମ ଦେବ ଋଷିକୂଲ୍ୟା ଓ ବାହୁଦା ନଦୀର ମଧ୍ୟବର୍ତ୍ତୀ ଅଞ୍ଚଳକୁ ବଡ଼ଭାଇ ସୋମରାଜାଙ୍କୁ ପ୍ରଦାନ କଲେ । ସୋମରାଜା ଜଣେ ବିଖ୍ୟାତ ମହୁରି ବାଦକ ଥିଲେ । ସେହି ଅନୁସାରେ ଉକ୍ତ ଅଞ୍ଚଳ ମହୁରି ରାଜ୍ୟ ଭାବରେ ଖ୍ୟାତ ହେଲା ।
 
କୃପାସିନ୍ଧୁ ନରେନ୍ଦ୍ର ଦେବ ସଙ୍ଗୀତ, ସାହିତ୍ୟ ଓ ସଂସ୍କୃତିରେ ରୁଚି ରଖୁଥିଲେ । ବିଂଶ ଶତାଦ୍ଦୀ ଆରମ୍ଭରେ ବ୍ରହ୍ମପୁର ସହରରେ ଓଡ଼ିଆ ଭାଷାର ସ୍ଥିତି ବିପଦଜନକ ଅବସ୍ଥାରେ ଥିବା ହେତୁ ସାମ୍ୱାଦିକତା ସାଙ୍ଗକୁ ସାହିତ୍ୟ ସୃଜନକୁ ଉତ୍ସାହିତ କରିବା ନିମନ୍ତେ ନବୀନ ପ୍ରକାଶନରେ ମନୋନିବେଶ କରିଥିଲେ । ସେ ସମୟରେ ବ୍ରହ୍ମପୁରରୁ ପ୍ରକାଶିତ ସାପ୍ତାହିକ ଆଶା ଦୈନିକ ସମ୍ୱାଦପତ୍ରରେ ରୂପାନ୍ତରିତ ହୋଇଥାଏ । ଅତଏବ ସମୃଦ୍ଧ ସାମ୍ୱାଦିକତା ପରିବେଶରେ ଏକ ବିକଳ୍ପ ସାମ୍ୱାଦିକତା ଧାରା ପ୍ରବର୍ତ୍ତନ ଲାଗି ଉଦ୍ୟମ କରିଥିବା ସୁସ୍ପଷ୍ଟ ।
 
ନବୀନ ମୁଦ୍ରଣ ନିମନ୍ତେ ମହୁରି ରାଜବାଟୀରେ ରୟାଲ ପ୍ରେସ ନାମକ ଏକ ଛାପାଖାନା ସ୍ଥାପିତ ହୋଇଥିଲା । ଅଧୂନା ସାନବଜାରରୁ ବଡ଼ବଜାର ଯିବା ମୁଖ୍ୟରାସ୍ତାରେ ଖାସ୍ପାସାହୀ ଛକରେ ପହଞ୍ଚିବା ପୂର୍ବରୁ ଡ଼ାହାଣ କଡ଼ ରାସ୍ତାରେ ଦେଶୀବେହରା ସାହୀକୁ ପ୍ରବେଶ କରିବାକୁ ପଡ଼େ । ସେହି ରାସ୍ତାରେ ବାମ ମୋଡ଼ ନେବା ପୂର୍ବରୁ ଡାହାଣ ପଟେ ମହୁରି ରାଜପ୍ରସାଦ ବିଦ୍ୟମାନ ଥିଲା । ପ୍ରବେଶ ପଥର ଡ଼ାହାଣ ପଟେ, ଅର୍ଥାତ ବର୍ତ୍ତମାନ ଠାକୁରାଣୀଯାତ୍ରା ସମୟରେ ମହୁରି ରାଜା ହାଣ୍ଡି ପରିକ୍ରମାବେଳେ ପୂଜାର୍ଚ୍ଚନା କରୁଥିବା କଠୋରୀର ସାମନାରେ ରୟାଲ ପ୍ରେସ ଦୁଇ ବଖୁରିଆ ଗୃହରେ ସ୍ଥାପିତ ହୋଇଥିଲା ।  ପ୍ରଥମ ବଖରାରେ ସିଂହାଦ୍ରୀ ପଣ୍ଡା ଏକ ବଡ଼ କାଠ ଟେବୁଲ ସାମନାରେ ବସୁଥାନ୍ତି । ଆଗନ୍ତୁକଙ୍କ ପାଇଁ ଦୁଇଗୋଟି କାଠ ଚୌକୀ ପଡ଼ିଥାଏ । ସେ ରୀତିମତ ସକାଳ ୧୦ରୁ ରାତି ୮ ଯାଏଁ ସମ୍ପାଦନା, ସଂଶୋଧନ, ବିଜ୍ଞାପକଙ୍କ ସହ ପତ୍ରାଳାପ ଓ ଅତିଥି ସତ୍କାରରେ ବ୍ୟସ୍ତ ରହୁଥାନ୍ତି । ଏକ ଛୋଟିଆ ଟାଇପ ରାଇଟର ଟେବୁଲ ଉପରେ ଥୋଇ ଇଂଲିଶ ଚିଠିପତ୍ର ପ୍ରସ୍ତୁତ କରୁଥାନ୍ତି । ସିଂହାଦ୍ରୀ ପଣ୍ଡା ସମସ୍ତଙ୍କୁ ସ୍ୱାଗତ କରନ୍ତି, କିନ୍ତୁ କାହା ସହ ଦୀର୍ଘ ସମୟ ଆଳାପ କରନ୍ତି ନାହିଁ । ନିଜ ଅଫିସ କାମକୁ ତୁରନ୍ତ ଫେରି ଯାଆନ୍ତି । ପଛ ବଖରାରେ କମ୍ପୋଜିଟ ଟେବୁଲ ଏବଂ ଟ୍ରେଡ଼ଲ ମେସିନ ଥାଏ । ସେଠି ପତ୍ରିକା ଛାପା ହୁଏ ।
 
ବଡ଼ ବଜାରରେ ନବୀନର ସ୍ୱତନ୍ତ୍ର ପରିଚ଼ୟ ରହିଥାଏ । ଅତୀତରେ ଡ଼ାକଘର ଜନଜୀବନରେ ପ୍ରଭାବଶାଳୀ ବିବେଚିତ ହେଉଥିଲାନବୀନ କାର୍ଯ୍ୟାଳୟ ସାମ୍ନାରେ ନବୀନ ଡ଼ାକଘର କାର୍ଯ୍ୟକରୁଥାଏ । ମହୁରି ରାଜପରିବାରଙ୍କ ପକ୍ଷରୁ ମହୁରି ରାଜବାଟୀ ଗତ ଶତାଦ୍ଦୀ ସପ୍ତମ ଓ ଅଷ୍ଟମ ଦଶକରେ ଖଣ୍ଡ ଖଣ୍ଡକରି ବିକ୍ରୀ କରିଦିଆଗଲା । ରୟାଲ ପ୍ରେସର ଜମି ବିକ୍ରୀ ଅବସରରେ ସିଂହାଦ୍ରୀ ପଣ୍ଡା ନିଜ ରଙ୍ଗୁଣୀବନ୍ଧ ସାହୀ ବାସଭବନକୁ ଛାପାଖାନାଟି ଉଠାଇ ନେଇ କିଛି କାଳ ନବୀନ ମୁଦ୍ରଣ ଓ ପ୍ରକାଶନ ଜାରୀ ରଖିଥିଲେ । ରବି ରଥ ନବୀନ ପ୍ରକାଶନ ସତ୍ତ୍ୱ ହାସଲ ପରେ ନିଜେ ଛାପାଖାନା ସ୍ଥାପନ କଲେ ନାହିଁ । ଏଯାଏଁ ପତ୍ରିକାଟି ଅନ୍ୟ ଘରୋଇ ମୁଦ୍ରଣାଳୟରେ ମୁଦ୍ରିତ ହେଉଛି ।
 
ନବୀନ ସମ୍ୱାଦପତ୍ର ରୂପେ ପ୍ରକାଶିତ ହେଉଥିଲେ ହେଁ ସାହିତ୍ୟ ସୃଜନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଥିଲା । ସ୍ୱାଧୀନତା-ପୂର୍ବ ଦୁଇ ଦଶନ୍ଧି ଏବଂ ସ୍ୱାଧୀନତା-ପର ଦୁଇ ଦଶନ୍ଧି ପ୍ରାୟ ଚାଳିଶି ବର୍ଷ ଧରି ସମଗ୍ର ଓଡ଼ିଶାର ଅଧିକାଂଶ ସାହିତ୍ୟିକଙ୍କ ପ୍ରଥମ ରଚନା ସମୂହ ନବୀନରେ ହିଁ ପ୍ରକାଶିତ ହୋଇଥିବା ଗୌରବର ଅଧିକାରୀ । ବ୍ରହ୍ମପୁରର ବହୁ ସାହିତ୍ୟିକ ନବୀନ ପୃଷ୍ଠାରେ ନିଜ ରଚ଼ନା ପ୍ରକାଶନର ଶିହରଣ ଅନୁଭବ କରି ଆସିଛନ୍ତି । ସହରର ସାଂସ୍କୃତିକ ଇତିହାସରେ ନବୀନର ଯୋଗଦାନର ପଟାନ୍ତର ନାହିଁ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୩୦ ଜୁଲାଇ ୨୦୨୨/ ପୃଷ୍ଠା : ୨)

Friday, July 22, 2022

Traffic Rules Violation / ଟ୍ରାଫିକ ଆଇନ ଉଲ୍ଲଙ୍ଘନ


 #ବ୍ରହ୍ମପୁର ସହରରେ ୨୦୨୨ ମଧ୍ୟଭାଗ ସୁଦ୍ଧା ପୋଲିସ ପକ୍ଷରୁ ଟ୍ରାଫିକ ଆଇନ ଉଲ୍ଲଙ୍ଘନକାରୀଙ୍କଠାରୁ ଦୈନିକ ଦେଢ଼ ଲକ୍ଷ ଟଙ୍କା ଯାଏଁ ଜରିମାନା ଆଦାୟ କରାଯାଉଥିବା ଏକ ଉଲ୍ଲେଖଯୋଗ୍ୟ ପରିସଂଖ୍ୟାନ । ଏହିଭଳି ତଥ୍ୟର ବିଶ୍ଳେଷଣ ସହର ଜନଜୀବନରେ କେତେଗୋଟି ଗୁରୁତ୍ୱପୂର୍ଣ୍ଣ ଦିଗକୁ ସୂଚ଼ିତ କରିଥାଏ । ପ୍ରଥମତଃ, ସହରରେ ବ୍ୟାପକ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ପ୍ରମାଣିତ ହେଉଥିବା ହେତୁ ରାସ୍ତାଘାଟରେ ଚଳାଚଳ ଅସୁରକ୍ଷିତ । ମୁଖ୍ୟତଃ ବରିଷ୍ଠ ନାଗରିକ ଓ ଶିଶୁମାନଙ୍କ ଚଳାଚଳ କ୍ଷେତ୍ରରେ ଏହା ଏକ ବଡ଼ ସମସ୍ୟା । ଦ୍ୱିତୀୟତଃ, ହିସାବରୁ ଜଣାଯାଏ ଯେ ପୋଲିସ ହାତରେ ଧରାପଡୁଥିବା ବହୁ ଯାନବାହନ ଚାଳକ ଅଭ୍ୟାସଗତ ଟ୍ରାଫିକ ଉଲ୍ଲଙ୍ଘନକାରୀ ରିପିଟ ଅଫେଣ୍ଡର୍ସସେମାନଙ୍କ ମାନସିକତାକୁ କିପରି ସୁଧାରାଯାଇପାରିବ ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ସମାଜଶାସ୍ତ୍ର ଗବେଷଣାରତ ବିଦ୍ୱାନମାନେ ଖୋଜି ବାହାର କରିବା ଦରକାର ଯେଉଁମାନେ ବାରମ୍ୱାର ଟ୍ରାଫିକ ଆଇନ ଉଲ୍ଲଙ୍ଘନ କରୁଛନ୍ତି ସେମାନେ ଅପରାଧପ୍ରବଣ କି ? ଅନ୍ୟାନ୍ୟ ଅପରାଧ ସହ ସଂପୃକ୍ତ ରହୁଛନ୍ତି କି ? ତୃତୀୟତଃ, ଓଡ଼ିଶା ରାଜ୍ୟରେ ଜାତୀୟ ହାରଠାରୁ ଅଧିକା ସଡ଼କ ଦୁର୍ଘଟଣା ପରିଦୃଷ୍ଟ ହେଉଥିବା ଏବଂ ଗଞ୍ଜାମ ଜିଲ୍ଲାରେ ବହୁ ଲୋକ ମୃତାହତ ହିସାବ କରାଯାଉଥିବା କାରଣରୁ ଦୁର୍ଘଟଣାକେନ୍ଦ୍ରୀକ ଚ଼ିକିତ୍ସା ପାଇଁ ସିଟି ହସପିଟାଲରେ ସ୍ୱତନ୍ତ୍ର ଟ୍ରମା କେୟାର ୟୁନିଟ ଆରମ୍ଭ କରାଯିବା ଉଦ୍ୟମ ହେବା ଆବଶ୍ୟକ ।

 

ପ୍ରକାଶିତ ବିବରଣୀ ଅନୁଯାୟୀ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ୨୦୨୧ ଜାନୁୟାରୀରୁ ଡ଼ିସେମ୍ୱର ବର୍ଷକ ମଧ୍ୟରେ ଟ୍ରାଫିକ ଆଇନ ଉଲ୍ଲଙ୍ଘନକାରୀଙ୍କଠାରୁ ମୋଟ ତିନି କୋଟି ୬୦ ଲକ୍ଷରୁ ଉର୍ଦ୍ଧ୍ୱ ଜରିମାନା ଆଦାୟ ହୋଇଥିଲା । ପ୍ରାୟ ଅଢ଼େଇ ହଜାର ଦୁଇ ଓ ଚାରିଚକିଆ ଯାନ ଚାଳକଙ୍କ ଲାଇସେନ୍ସ ରଦ୍ଦ ନିମନ୍ତେ ରୋଡ଼ ଟ୍ରାନ୍ସପୋର୍ଟ ଅଫିସର ଆରଟିଓଙ୍କୁ ସୁପାରିଶ କରାଯାଇଥିଲା । ସେହିପରି ୨୦୨୨ ଜାନୁୟାରୀରୁ ମେ ପାଞ୍ଚ ମାସ ମଧ୍ୟରେ ପ୍ରାୟ ଦୁଇ କୋଟି ୩୦ ଲକ୍ଷ ଜରିମାନା ଓ ପ୍ରାୟ ଆଠ ଶହ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ନିମନ୍ତେ ସୁପାରିଶ ହୋଇଥିବା ଜଣାଯାଏ । ଜୁନ ୨୦୨୨ ମାସରେ ମଧ୍ୟ ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଜରିମାନା ଓ ଦୁଇଶହ ଲାଇସେନ୍ସ ରଦ୍ଦ ସୁପାରିସ ହିସାବ କରାଯାଇଥିଲା ।

 

କୁହାଯାଉଛି ଯେ ସହରର ପୂର୍ବ ଉପକଣ୍ଠ ଇଞ୍ଜିନିୟରିଂ ସ୍କୁଲ ଛକ, ପଶ୍ଚିମ ଉପକଣ୍ଠ ଫାଷ୍ଟ ଗେଟ, ଦକ୍ଷିଣ-ପୂର୍ବ ଲାଞ୍ଜିପଲ୍ଲୀ ଓ ଦକ୍ଷିଣ-ପଶ୍ଚିମ ଅନ୍ଧପସରା ରାସ୍ତାରେ ଟ୍ରାଫିକ ପୋଲିସ ପକ୍ଷରୁ ନିୟମିତ ଯାଞ୍ଚ ବ୍ୟବସ୍ଥା କରାଯାଇଥାଏ । ଏହାର ଅର୍ଥ ପଡ଼ୋଶୀ ଗ୍ରାମାଞ୍ଚଳରୁ କାର୍ଯ୍ୟ ଉପଲକ୍ଷେ ସହରରେ ପହଞ୍ଚୁଥିବା ଅଗନ୍ତୁକମାନେ ଟ୍ରାଫିକ ଉଲ୍ଲଙ୍ଘନକାରୀଙ୍କ ମଧ୍ୟରେ ସଂଖ୍ୟାଧିକ କି ? ଏକପକ୍ଷରେ ପୋଲିସ ପକ୍ଷରୁ ଗ୍ରାମାଞ୍ଚଳର ଆଗନ୍ତୁକ ଯାନବାହାନ ବାହକମାନଙ୍କୁ ତାଗିଦ କରିବା ଯଥାର୍ଥ । କାରଣ ସେମାନେ ସହରର ରାସ୍ତାଘାଟରେ ପହଞ୍ଚି ଦୁର୍ଘଟଣା ଘଟାଇବା ଏବଂ ସହରବାସୀ ପ୍ରଭାବିତ ହେବା ସ୍ୱାଭାବିକ । କିନ୍ତୁ ଅପରପକ୍ଷରେ ଟ୍ରାଫିକ ଆଇନ ଚ଼େତନା ସହରର ପରିସୀମା ଡ଼େଇଁ କିପରି ଗ୍ରାମାଞ୍ଚଳରେ ପହଞ୍ଚିବ ସେଥିପ୍ରତି ଧ୍ୟାନ ଦେବା ବିଧେୟସାଧାରଣ ପରିସଂଖ୍ୟାନ ଅନୁଯାୟୀ ସମସ୍ତ ଗ୍ରାମାଞ୍ଚଳରେ ଦୁଇ ଓ ତିନି ଚକିଆ ଯାନବାହାନ ପରିବହନ ପକ୍କା ରାସ୍ତା ଉପଲବ୍ଧ ଏବଂ ଅର୍ଦ୍ଧେକ ପରିବାର ଦୁଇ ଚକିଆ ଗାଡ଼ିର ମାଲିକ । ଯାନବାହାନ ଉତ୍ପାଦକ ବିକ୍ରୀ ବୃଦ୍ଧି ଏବଂ ବ୍ୟାବସାୟିକ ବ୍ୟାଙ୍କ ସୁଧ ସଂଗ୍ରହ ଉଦ୍ଦେଶ୍ୟରେ ସହଜରେ ଋଣ ଉପଲବ୍ଧ କରାଉଥିବା ହେତୁ ବହୁ ଉପଭୋକ୍ତାଙ୍କ ହାତରେ ଦୁଇଚକିଆ ଯାନ ପହଞ୍ଚି ପାରୁଛି । କିନ୍ତୁ ସେହି ଯାନବାହାନ ଚଳାଇବା ନିମନ୍ତେ ତାଲିମର କୌଣସି ବ୍ୟବସ୍ଥା ନଥାଏ । ଏହି ଅବ୍ୟବସ୍ଥା ହିଁ ଟ୍ରାଫିକ ଆଇନ ଉଲଙ୍ଘନ ପରିବେଶ ସୃଷ୍ଟି କରିଥାଏ ।

 

ସଡ଼କ ଦୁର୍ଘଟଣା ଆଧୁନିକ ଜନଜୀବନରେ ଏକ ଅମୀମାଂସିତ ସମସ୍ୟା । ଗଞ୍ଜାମ ଜିଲ୍ଲାରେ ୨୦୧୯ରେ ୭୩୩ ଦୁର୍ଘଟଣାରେ ୩୮୫ ଜଣ ମୃତ୍ୟୁମୁଖରେ ପଡ଼ିଥିଲେ ଓ ୪୬୫ ଜଣ ଗୁରୁତର ଆହତ ହୋଇଥିଲେ । ୨୦୨୦ରେ ୬୧୬ ଦୁର୍ଘଟଣାରେ ୩୬୩ ଜଣ ମୃତ୍ୟୁମୁଖରେ ପଡ଼ିଥିଲେ ଓ ୩୫୫ ଜଣ ଗୁରୁତର ଆହତ ହୋଇଥିଲେ । ସେହିପରି ୨୦୨୧ରେ ୭୦୪ ଦୁର୍ଘଟଣାରେ ୩୨୮ ଜଣ ମୃତ୍ୟୁମୁଖରେ ପଡ଼ିଥିଲେ ଓ ୪୦୦ ଜଣ ଗୁରୁତର ଆହତ ହୋଇଥିଲେ । ୨୦୨୨ ମେମାସ ସୁଦ୍ଧା ୩୫୪ ଦୁର୍ଘଟଣାରେ ୧୭୫ ଜଣ ମୃତ୍ୟୁମୁଖରେ ପଡ଼ିଥିବା ଓ ୧୪୪ ଜଣ ଗୁରୁତର ଆହତ ହୋଇଥିବା ପ୍ରକାଶ । ଆମ ଅଞ୍ଚଳରେ ସଡ଼କ ଦୁର୍ଘଟଣା ହାର ଗୁରୁତ୍ୱ ଉପଲବ୍ଧି କରି ସୁପ୍ରିମକୋର୍ଟ ପକ୍ଷରୁ ଏକ ପ୍ରତିନିଧି ଦଳ ଜୁନ ୨୦୨୨ରେ ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ପରିଦର୍ଶନରେ ପରିସ୍ଥିତି ଅନୁଧ୍ୟାନ କରି ଫେରିଥିଲେ । ସଡ଼କ ଦୁର୍ଘଟଣା ନିରାକରଣ ନିମନ୍ତେ ସାର୍ବଜନୀନ ବିଚାରବିମର୍ଷ ଅପରିହାର୍ଯ୍ୟ ବିଚାର କରାଯାଏ ।

 

ସଭ୍ୟତାର ବିକାଶ ସହ ପରିବହନ ଏବଂ ତଦଜନିତ ଯାନବାହାନ ଚଳାଚଳ ଓ ଦୁର୍ଘଟଣା ଯୋଡ଼ିହୋଇ ରହିଥାଏ ବିକଶିତ ରାଷ୍ଟ୍ରଗୁଡ଼ିକରେ ସଡ଼କ ଦୁର୍ଘଟଣା ସେଠାକାର ପୋଲିସ ପ୍ରଶାସନର ମୁଣ୍ଡବ୍ୟଥାର କାରଣ । ଆମ ଦେଶ, ରାଜ୍ୟ, ଜିଲ୍ଲା ତଥା ସହରରେ ସଡ଼କ ଦୁର୍ଘଟଣା ହାର କମାଇବା ନିମନ୍ତେ ସମାଜତାତ୍ତ୍ୱିକ ଦୃଷ୍ଟିରୁ ଅଧ୍ୟୟନ ଏବଂ ଚ଼େତନା ପ୍ରସାର ମୁଖ୍ୟ ଆୟୁଧ । ଟ୍ରାଫିକ ପୋଲିସର ଉଦ୍ୟମ ସହ ଅନ୍ୟମାନେ କିପରି ଯୋଡ଼ିହେବେ ସେ ଦିଗରେ ଦୃଷ୍ଟି ଦେବା ସମୟ ଉପନୀତ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୩ ଜୁଲାଇ ୨୦୨୨/ ପୃଷ୍ଠା : ୨)


Photo by bady abbas on Unsplash 

Friday, July 15, 2022

Rain and Mosquito / ବର୍ଷା ଓ ମଶା


 #ବ୍ରହ୍ମପୁର ଡ଼ାଏରୀ ସ୍ତମ୍ଭରେ ସାଧାରଣତଃ ସହରବାସୀ ମଶା ଉପଦ୍ରବରେ ଅତିଷ୍ଠ ହୋଇପଡ଼ିବା ଅବସରରେ ଶୀତ ଋତୁରେ ମଶା ନିବାରଣ ସଂପର୍କରେ ଆଲୋଚ଼ନା ହୋଇଥାଏ । ବିଗତ ୨୦୨୦ ଡ଼ିସେମ୍ୱର ୧୧ ତାରିଖରେ ମଶାଙ୍କ ପ୍ରାଦୁର୍ଭାବ ଶୀର୍ଷକ ରଚନାରେ ଯୁକ୍ତରାଷ୍ଟ୍ର ଆମେରିକାର ବୈଜ୍ଞାନିକମାନଙ୍କ ମଶାକାମୁଡ଼ା ଗବେଷଣା ସଂପର୍କରେ ତଥ୍ୟାବଳୀ ପ୍ରଦାନ କରାଯାଇଥିଲା । ମଶାମାନେ ମନୁଷ୍ୟର ନିଶ୍ୱାସ ପ୍ରଶ୍ୱାସରେ ନିର୍ଗତ ଅଙ୍ଗରାକାମ୍ଳ ବାୟୁ ଗନ୍ଧ ଓ ଶରୀରର ଉତ୍ତାପ ତଥା ସେମାନଙ୍କ ଶକ୍ତିଶାଳୀ ଚକ୍ଷୁଯୁଗଳରେ ୧୬ ରୁ ୩୨ ଫୁଟ ଦୂରରୁ ଦେଖିପାରିବା ଶକ୍ତି ଅବଲମ୍ୱନରେ ଶୀକାର ପାଖରେ ପହଞ୍ଚିଥାନ୍ତି । ଜାପାନର ବୈଜ୍ଞାନିକଙ୍କ ଉଦ୍ଭାବନରେ ବର୍ଗ ରକ୍ତଧାରୀ ବ୍ୟକ୍ତିବିଶେଷ ତଥା ଶରୀରରେ ୟୁରିକ ଏସିଡ଼, ଲେକ୍ସିକ ଏସିଡ଼ ଓ ଆମୋନିଆ ପରିମାଣ ଅଧିକ ରହୁଥିବା ବ୍ୟକ୍ତିବିଶେଷଆଡ଼କୁ ମଶା ଆକର୍ଷିତ ହୋଇଥାନ୍ତି । ଅନ୍ୟ ଏକ ବୈଦେଶିକ ଅନୁସନ୍ଧାନରୁ ଜଣାଯାଇଥିଲା ଯେ ମଶାମାନେ କଳା, ଗାଢ଼ନୀଳ ଓ ନାଲିରଙ୍ଗକୁ ପସନ୍ଦ କରନ୍ତି ।

 

ସେହିପରି ୨୦୨୧ ଡ଼ିସେମ୍ୱର ୩ ତାରିଖରେ ପ୍ରକାଶିତ ମଶା ନିୟନ୍ତ୍ରଣ ରଚନାରେ ମଶାର ଜୀବନଚ଼କ୍ର ବର୍ଣ୍ଣନା କରାଯାଇଥିଲା । ମଶା ଜୀବନରେ ଚାରିଗୋଟି ଅବସ୍ଥା ଦେଇ ଗତି କରିଥାଏ – ଡିମ୍ୱ, ଲାର୍ଭା, ପ୍ୟୁପା ଓ ପ୍ରାପ୍ତ-ବୟସ୍କ ମଶା । ଡ଼ିମ୍ୱ, ଲାର୍ଭା ଓ ପ୍ୟୁପା ଆବଦ୍ଧ ଜଳ ମଧ୍ୟରେ କଟିବା ପରେ ପ୍ରାପ୍ତ-ବୟସ୍କ ମଶା ଉଡ଼ି ବୁଲେ । ମାଈ ମଶା ସକାଳ ଓ ସନ୍ଧ୍ୟାରେ କାମୁଡ଼େ । ଦିନର ଗରମ ସମୟରେ ଥଣ୍ଡା ଅନ୍ଧାରୁଆ ସ୍ଥାନ ଖୋଜି ବିଶ୍ରାମ ନିଏ । କିନ୍ତୁ କେତେକ ପ୍ରଜାତିର ମଶା ଦିନ ତମାମ କାମୁଡ଼ନ୍ତି । ବିଶ୍ୱବ୍ୟାପୀ ପ୍ରାୟ ତିନି ହଜାର ପ୍ରଜାତିର ମଶା ଦେଖାଯାଆନ୍ତି ।

 

କୁହାଯାଏ ଯେ ମଶାମାନେ ଜନ୍ମ ନେବା ପରେ ଅଣ୍ଡିରା ମଶା ୫ ରୁ ୭ ଦିନ ଏବଂ ମାଈ ମଶା ତିନି ସପ୍ତାହ ଯାଏଁ ବଞ୍ଚନ୍ତି । ମାଈ ମଶା ମନୁଷ୍ୟ ଓ ଅନ୍ୟାନ୍ୟ ପ୍ରାଣୀଙ୍କୁ କାମୁଡ଼ି ରକ୍ତ ଶୋଷେ । ଏହାପରେ ସେ ଦୁଇ ତିନି ଦିନ ବିଶ୍ରାମ ନିଏ । ଏହି ଅବସରରେ ରକ୍ତ ହଜମ ହୋଇ ଅଣ୍ଡା ପ୍ରସ୍ତୁତ ହୁଏ ଏବଂ ମଶା ସ୍ଥିର ଜଳରେ ଅଣ୍ଡା ଦିଏ । ଅଣ୍ଡା ଦେବା ପରେ ପୁଣି ଶୀକାର ସନ୍ଧାନରେ ବାହାରିପଡ଼େମାଈ ମଶା ଜୀବନ କାଳ ମଧ୍ୟରେ ପ୍ରାୟ ପାଞ୍ଚ ଥର ଅଣ୍ଡା ଦିଏ ଏବଂ ପ୍ରତ୍ୟେକଥର ପ୍ରାୟ ଶହେ ଅଣ୍ଡା ହିସାବ କରାଯାଏ । ଅତଏବ ପ୍ରତ୍ୟେକ ମାଈ ମଶା ସୌଜନ୍ୟରେ ପାଞ୍ଚ ଶହ ସନ୍ତାନ ଏବଂ ସେମାନଙ୍କ ବଂଶବୃଦ୍ଧିରେ ପାଞ୍ଚ ଶହ ଗୁଣନ ପାଞ୍ଚ ଶହ ଗଣନା କରାଯାଇପାରେ ।

 

ଏହିଭଳି ପରିସଂଖ୍ୟାନରୁ ମଶାବଂଶକୁ ମୂଳରୁ ନିପାତ କରିବା ସର୍ବୋତ୍ତମ ପନ୍ଥା ବିଚାର କରାଯାଏ । ବିଗତ ଦୁଇ ବର୍ଷ ଡ଼ିସେମ୍ୱର ମାସରେ ଏହି ସ୍ତମ୍ଭରେ ମଶା ଉପଦ୍ରବ ଆଲୋଚ଼ନା ବଦଳରେ ଛଅମାସ ଆଗରୁ ୨୦୨୨ ଜୁଲାଇରେ ଚର୍ଚ୍ଚାର ଗୁରୁତ୍ୱ ବର୍ଷା ଋତୁ ଆରମ୍ଭରୁ ମଶା ନିବାରଣ ପାଇଁ ଯୋଜନାବଦ୍ଧ ଉଦ୍ୟମ ଆବଶ୍ୟକତା ସଂପର୍କରେ ସହରବାସୀଙ୍କ ଦୃଷ୍ଟି ଆକର୍ଷଣରେ ଅଭିପ୍ରେତ ।

 

ମଶା ବଂଶ ବୃଦ୍ଧିକୁ ରୋକିବାକୁ ହେଲେ ବର୍ଷା ପରେ ପରେ ଘର ବାହାରେ ଅଳିଆ ଆବର୍ଜନା, ଯଥା : ଫୋପଡ଼ା ଯାଇଥିବା ପ୍ଳାଷ୍ଟିକ ପାତ୍ର, ପଇଡ଼, ଭଙ୍ଗା ଆସବାବପତ୍ରରେ କିପରି ବର୍ଷା ପାଣି ଜମି ରହିବ ନାହିଁ ସେ ଦିଗରେ ଉଦ୍ୟମ ଆବଶ୍ୟକ । ସହରରେ ଅଳିଆ ଆବର୍ଜନା ନିଷ୍କାସନ ପୌରନିଗମର କାର୍ଯ୍ୟ । କିନ୍ତୁ ଅନେକ ସମୟରେ ତାହା ସଂଭବ ହୋଇପାରେ ନାହିଁ ।

 

ରାଜ୍ୟରେ ମୌସୁମୀ ବର୍ଷା ପ୍ରବେଶ ସମୟରେ ବ୍ରହ୍ମପୁରରେ ଜୁନ ଦ୍ୱିତୀୟ ସପ୍ତାହରେ ଅସରାଏ ବର୍ଷା ହେତୁ ସମଗ୍ର ସହର ଜଳାର୍ଣ୍ଣବ ହୋଇ ପଡ଼ିଥିଲା । ସେହି ବର୍ଷା ପାଣି ଜମି ରହିବା ହେତୁ ଜୁଲାଇ ପ୍ରଥମ ସପ୍ତାହରୁ ଋତୁକେନ୍ଦ୍ରୀକ ପ୍ରଥମ ପୀଢ଼ିର ମଶା ଦେଖା ଦେଇଛନ୍ତି । ଏମାନଙ୍କୁ ବଂଶବିସ୍ତାର କରିବାକୁ ନଦେବା ଅଭିଯାନରେ ପୌରନିଗମ ପକ୍ଷରୁ ରାସ୍ତାଘାଟ, ଖୋଲାସ୍ଥାନ ପରିଷ୍କାର ରଖିବା ସହ ମଶାମରା ଧୂଆଁ ଛାଡ଼ିବା ଆବଶ୍ୟକ । ମଶା ଉପଦ୍ରବ ଡ଼ିସେମ୍ୱର ମାସରେ ଚ଼ରମ ସୀମାରେ ପହଞ୍ଚିବା ଆଗରୁ ମୂଳରୁ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଫଳବତୀ ହେବା ଆଶା କରାଯାଏ ।

 

ବିକଳ୍ପ ବ୍ୟବସ୍ଥାରେ ନାଗରିକ ସମାଜ, ଯଥା : ସାହୀ ବାସିନ୍ଦା, କିଶୋର-ଯୁବକ-ମହିଳା ଗୋଷ୍ଠୀ ନିଜେ ବସବାସ କରୁଥିବା ଅଞ୍ଚଳରେ କିପରି ଅଳିଆ ଆବର୍ଜନାରେ ସ୍ଥିର ଜଳ ଗଚ୍ଛିତ ରହିବ ନାହିଁ ସେ ଦିଗରେ ଉଦ୍ୟମ କରିପାରିବେ । ସପ୍ତାହରେ ଥରେ ରବିବାର ସକାଳ ବେଳା ଘଣ୍ଟାଏ ଦୁଇ ଘଣ୍ଟାର ଶ୍ରମଦାନରେ ଆଖପାଖ ଅଞ୍ଚଳରେ ଇତଃସ୍ତତଃ ଭାବେ ପଡ଼ିଥିବା ପ୍ଳାଷ୍ଟିକ ଗ୍ଳାସରେ ଜମିଥିବା ପାଣିକୁ ଗୋଟିଏ ବାଡ଼ିରେ ଓଲଟାଇ ଦେଲେ ସ୍ଥିର ଜଳ ଖଲାସ ହୋଇଯିବ । ଖାଲଗୁଡ଼ିକରେ ପାଣି ଜମି ଥିଲେ ଓ ତାହା ପୋତିବା ସଂଭବ ନଥିଲେ ସାମାନ୍ୟ ଫିନାଇଲ ପକାଇ ପାରିଲେ ସୁଫଳ ମିଳିପାରେ । ଏହି କାର୍ଯ୍ୟକ୍ରମ କ୍ରମାଗତଭାବେ ଚାଲିବା ଆବଶ୍ୟକ ।

 

ଏହିଭଳି ପ୍ରସ୍ତାବ ଅସହଜ, ଅସଙ୍ଗତ ଓ ଅବାସ୍ତବ ମନେହେଲେହେଁ ମହାମାରୀ-ପର ପରିବର୍ତ୍ତିତ ପରିବେଶ ନ୍ୟୂ-ନରମାଲରେ ପ୍ରାସଙ୍ଗିକ । ପ୍ରଦୂଷଣ ଓ ସଂକ୍ରମଣ ନାଗରିକଙ୍କ ଜୀବନ ଓ ଅର୍ଥନୀତିକୁ ପ୍ରଭାବିତ କରୁଥିବା ହେତୁ ସ୍ଥିତାବସ୍ଥାକୁ ବିଚାରକୁ ନେଇ ପ୍ରତ୍ୟେକ ନାଗରିକଙ୍କ ଅବଦାନ ତଥା ପଦକ୍ଷେପ ଗ୍ରହଣ ଜରୁରୀ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୬ ଜୁଲାଇ ୨୦୨୨/ ପୃଷ୍ଠା : ୨)

Photo by reza shayestehpour on Unsplash 

Friday, July 8, 2022

Palur Bangala / ପାଲୁର ବଙ୍ଗଳା

 

#ବ୍ରହ୍ମପୁର ସହରର ପରିସୀମା ଓ ଜନସଂଖ୍ୟା ସ୍ୱାଧୀନୋତ୍ତର ଅବସ୍ଥାରେ ଦୃତ ଗତିରେ ବୃଦ୍ଧିପ୍ରାପ୍ତ ହୋଇଛି । ବିଗତ ୫୦ ରୁ ୭୦ ବର୍ଷ ମଧ୍ୟରେ କ୍ରମବିକଶିତ ଜନବସତି ମଧ୍ୟରେ ବ୍ରିଟିଶ ଅମଳର ଜମିଦାରୀ ମାଲିକାନାରେ ଥିବା ଭୂସମ୍ପତ୍ତି ପ୍ରମୁଖ ସ୍ଥାନ ଅଧିକାର କରିଥାଏ । ପାଲୁର ଜମିଦାରଙ୍କ ଗୋଟିଏ ବଙ୍ଗଳା ବ୍ରହ୍ମପୁରରେ ଥିଲା । ଏକ ସାଧାରଣ କୋଠା ସଂଲଗ୍ନ ବିସ୍ତୀର୍ଣ୍ଣ ପ୍ରାଙ୍ଗଣ । ସ୍ୱାଧୀନୋତ୍ତର ଅବସ୍ଥାରେ ତାହା ଘରବାଡ଼ି ପ୍ଲଟ କରି ବିକ୍ରୀ କରିଦିଆଯାଇଥିଲା । ଗଞ୍ଜାମ ଓ ପଡ଼ୋଶୀ ଜିଲ୍ଲାଗୁଡ଼ିକରୁ ବ୍ରହ୍ମପୁରରେ ସ୍ଥାୟୀଭାବେ ବସବାସ କରିବା ପାଇଁ ଗ୍ରାମାଞ୍ଚଳରୁ ପହଞ୍ଚୁଥିବା ପରିବାରବର୍ଗ ସେଠି ଘରଦ୍ୱାର ନିର୍ମାଣ କରି ବସବାସ କରିବାକୁ ଲାଗିଲେ । ପାଲୁର ବଙ୍ଗଳା ପଶ୍ଚିମ ସୀମାରେ ଚିକିଟି ରାଜପରିବାର ଜମିରେ ଚନ୍ଦ୍ରପ୍ରଭା ସାହୀ ଏବଂ ସେଠାରୁ ଗୋଲାପଲ୍ଲୀ ସାହୀ ଯାଏଁ ବିସ୍ତୀର୍ଣ୍ଣ ଇଲାକାରେ ବଡ଼ଖେମୁଣ୍ଡି ରାଜପରିବାରଙ୍କ ସତ୍ତ୍ୱାଧୀନ ଅଞ୍ଚଳ ବିକ୍ରୀ ହୋଇ ଘରବାଡ଼ି ନିର୍ମାଣ ପରେ ବଡ଼ଖେମୁଣ୍ଡି ସାହୀ ଗଢ଼ିଉଠିଥିଲା । ପାଲୁର ବଙ୍ଗଳା ଓ ବଡ଼ଖେମୁଣ୍ଡି ସାହୀ ଏବଂ ତତ୍ ସଂଲଗ୍ନ ଅଞ୍ଚଳ ଅଧୂନା ସହରର ଅନ୍ୟତମ ଘଞ୍ଚ ଜନବସତି ।
 
କୁହାଯାଏ ଯେ ପୁରୀ ଗଜପତି ପୁରୁଷୋତ୍ତମ ଦେବ ୧୪୭୯ ରୁ ୧୫୦୪ ମଧ୍ୟରେ ରାଜତ୍ୱ କରୁଥିଲେ । ତାଙ୍କରି ଶାସନକାଳରେ ଗଞ୍ଜାମର ଜମିଦାରମାନେ ସତ୍ତ୍ୱ ହାସଲ କରିଥିଲେ । ବିଂଶ ଶତାଦ୍ଦୀ ଆରମ୍ଭ ବେଳକୁ ବ୍ରିଟିଶ ଶାସିତ ଗଞ୍ଜାମ ସବ୍ଡ଼ିଭିଜନରେ ଅଠରଗୋଟି ଜମିଦାରୀ ରହିଥିଲା । ସେଥିମଧ୍ୟରୁ ନଅଗୋଟିରୁ ଉର୍ଦ୍ଧ୍ୱ ଜମିଦାରଙ୍କ ପକ୍ଷରୁ ବ୍ରହ୍ମପୁରରେ ବାସସ୍ଥାନ ବଙ୍ଗଳାମାନ ନିର୍ମିତ ହୋଇଥିଲା । ପାଲୁର, ବଡ଼ଖେମୁଣ୍ଡି ସାଙ୍ଗକୁ ଖଲ୍ଲିକୋଟ-ଆଠଗଡ଼, ବଡ଼ଗଡ଼, ଶେରଗଡ଼, ଚିକିଟି, ସୁରଙ୍ଗୀ, ଜରଡ଼ା ଓ ଧରାକୋଟ ଜମିଦାର ଶାସକ ପରିବାରବର୍ଗ ଅସ୍ଥାୟୀ ଭାବେ ବ୍ରହ୍ମପୁରରେ ବସବାସ କରିବା ଆରମ୍ଭ କରିଦେଇଥିଲେ ।
 
ମହୁରିର ରାଜଧାନୀ ବ୍ରହ୍ମପୁରର ଅଧୂନା ବଡ଼ବଜାର ଅଞ୍ଚଳରେ ପଞ୍ଚଦଶ ଶତାଦ୍ଦୀର ଶେଷାର୍ଦ୍ଧରେ ନବନିର୍ମିତ ରାଜପ୍ରସାଦକୁ ନେଇ ଗଢ଼ି ଉଠିଥିଲାମହୁରି ଶାସକ ଧାର୍ଯ୍ୟ ରାଜସ୍ୱ ନଦେଇପାରିବା ହେତୁ ୧୮୫୧ରେ ବ୍ରିଟିଶ ସରକାର ବ୍ରହ୍ମପୁର ସମେତ ସମଗ୍ର ମହୁରି ଅଞ୍ଚଳକୁ ଅକ୍ତିଆରକୁ ନେଇଯାଇଥିଲେ । କ୍ରମଶଃ ବ୍ରହ୍ମପୁରରେ ସରକାରଙ୍କ ପକ୍ଷରୁ କୋର୍ଟକଚ଼େରୀ ସ୍ଥାପନ, ପଡ଼ୋଶୀ ଅଞ୍ଚଳ ସହ ରାସ୍ତା ସଂଯୋଗ, ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ସ୍ଥାପନ ତଥା ସର୍ବୋପରି ବାଣିଜ୍ୟ ବ୍ୟବସାୟ ପେଣ୍ଠରେ ପରିଣତ ହେବାପରେ ପଡ଼ୋଶୀ ଜମିଦାରୀର ଶାସକଗଣ ବ୍ରହ୍ମପୁରରେ ଆବାସ ନିର୍ମାଣ ନିମନ୍ତେ ଯତ୍ନବାନ ହୋଇଥିଲେ । ବ୍ରିଟିଶ ଶାସନ ପ୍ରାକକାଳରେ ଭୂ-ବନ୍ଦୋବସ୍ତ ଆୟୋଜନ ଏଥିଲାଗି ସହାୟକ ହୋଇଥିଲା ।
 
ବିଂଶ ଶତାଦ୍ଦୀ ଆରମ୍ଭ ସୁଦ୍ଧା ବ୍ୟାବସାୟିକ-ବ୍ରହ୍ମପୁର ବଡ଼ବଜାର, ସାନବଜାର ଠାରୁ ଭାପୁର ବଜାରକୁ ସଂପ୍ରସାରିତ ହୋଇଥିଲା । ମିଲଟାରୀ ଲାଇନ୍ସରେ ସେନାକର୍ମଚାରୀଙ୍କ ବାସସ୍ଥଳୀପରେ ଗେଟବଜାର ଅଞ୍ଚଳରେ ସରକାରୀ କାର୍ଯ୍ୟାଳୟ ଏବଂ ବିଜିପୁର ନିକଟରେ ଚ଼ିକିତ୍ସାଳୟ ଓ ବୈଦ୍ୟନାଥପୁରରେ କୋର୍ଟକଚ଼େରୀ କାର୍ଯ୍ୟ କରୁଥିଲା । ଗେଟବଜାରରୁ କୋର୍ଟପେଟା ଅଞ୍ଚଳରେ ଗଞ୍ଜାମ ଜମିଦାରମାନଙ୍କ ବଙ୍ଗଳାମାନ ସ୍ଥାପିତ ହୋଇଥିଲା । ମୁଖ୍ୟତଃ ଊନବିଂଶ ଶତାଦ୍ଦୀର ଶେଷ ଓ ବିଂଶ ଶତାଦ୍ଦୀର ପ୍ରଥମ ଭାଗରେ ଜମିଦାରୀ ବଙ୍ଗଳାଗୁଡ଼ିକର କୋଠାବାଡ଼ି ନିର୍ମାଣ ହୋଇଥିବା ଅନୁମାନ କରାଯାଏ ।
 
ବ୍ରହ୍ମପୁର ସହରର କ୍ରମବିକାଶରେ ଗଞ୍ଜାମ ଜମିଦାରୀ ବଙ୍ଗଳାସମୂହର ପ୍ରମୁଖ ଯୋଗଦାନ ରହିଆସିଛି । ପ୍ରଥମ ପର୍ଯ୍ୟାୟରେ ବ୍ରିଟିଶ ଶାସନାଧୀନ ଅବସ୍ଥାରେ ବଙ୍ଗଳାଗୁଡ଼ିକ ସ୍ଥାପନ ଫଳରେ ସହରର ବସବାସଯୋଗ୍ୟ ପରିସୀମା ବଢ଼ିଥିବା ସ୍ଥଳେ ସ୍ୱାଧୀନୋତ୍ତର ଅବସ୍ଥାରେ ବଙ୍ଗଳାର ଜମି ସର୍ବସାଧାରଣଙ୍କୁ ଘରବାଡ଼ି ନିର୍ମାଣ ନିମନ୍ତେ ସୁଯୋଗ ପ୍ରଦାନ ସହରର ଜନସଂଖ୍ୟା ବୃଦ୍ଧିରେ ସହାୟକ ହୋଇଥିଲା । ଅପରପକ୍ଷେ ବ୍ରହ୍ମପୁରର ସହରୀ ସଂସ୍କୃତି ଗଞ୍ଜାମର ଗ୍ରାମାଞ୍ଚଳରେ ପ୍ରସାରରେ ଜମିଦାରୀ ବଙ୍ଗଳାଗୁଡ଼ିକରେ ପହଞ୍ଚୁଥିବା ଅତିଥି ଗ୍ରାମବାସୀଙ୍କ ଅନୁଭୂତି ସଂଗ୍ରହ ମଧ୍ୟ ଅନ୍ୟ ଏକ ଉଲ୍ଲେଖଯୋଗ୍ୟ ବିଭବ ବିଚାର କରାଯାଇପାରେ !

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୯ ଜୁଲାଇ ୨୦୨୨/ ପୃଷ୍ଠା : ୨)

Friday, July 1, 2022

Shri Bada Jagannath / ଶ୍ରୀ ବଡ଼ ଜଗନ୍ନାଥ

 



#ବ୍ରହ୍ମପୁର ସହରରେ ଏକାଧିକ ଜଗନ୍ନାଥ ମନ୍ଦିର ବିଦ୍ୟମାନ । ସେଗୁଡିକ ମଧ୍ୟରେ ବଡ଼ବଜାର ସଂଲଗ୍ନ ଖାସ୍ପା ସାହୀର ଜଗନ୍ନାଥ ମନ୍ଦିର ସର୍ବ ପୁରାତନ । ଏହି ମନ୍ଦିରର ଅନ୍ୟତମ ପୂଜକ ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ବାଣିଜ୍ୟ ପ୍ରଫେସର ଜଗନ୍ନାଥ ପଣ୍ଡାଙ୍କ ଭାଷାରେ ବ୍ରହ୍ମପୁରରେ ଯେଉଁ କେତୋଟି ଜଗନ୍ନାଥ ମନ୍ଦିର ଦେଖିବାକୁ ମିଳେ ତନ୍ମଧ୍ୟରୁ ଖାସ୍ପା ସାହୀରେ ଅଧିଷ୍ଠିତ ଥିବା ବଡ଼ ଜଗନ୍ନାଥ ମନ୍ଦିର ହେଉଛି ପ୍ରାଚ଼ୀନତମ ।

 

ଏହି ମନ୍ଦିର ଅଷ୍ଟାଦଶ ଶତାଦ୍ଦୀର ପ୍ରଥମ ଭାଗରେ ନାଇନା ନାମଧ୍ୟେୟ ଜଣେ ତେଲୁଗୁ ବିତ୍ତଶାଳୀ ବ୍ୟବସାୟୀଙ୍କ ଦ୍ୱାରା ନିର୍ମିତ ହୋଇଥିବା କଥା ଲୋକଙ୍କ ମୁଖରୁ ଶୁଣିବାକୁ ମିଳିଥାଏ । ପୂର୍ବେ ବ୍ରହ୍ମପୁରରେ ଆଇନା ଓ  ନାଇନା ନାମଧ୍ୟେୟ ଲବ୍ଧପ୍ରତିଷ୍ଠିତ ବ୍ୟବସାୟୀ ଦୁଇଭାଇ ଥିଲେ । ବ୍ରହ୍ମପୁର ଜନସାଧାରଣଙ୍କ ସୁବିଧା ପାଇଁ ପୁରୁଣା ବ୍ରହ୍ମପୁରରେ ଆଇନା ବନ୍ଧ ପୋଖରୀ ଆଇନା ନାମକ ଭାଇ ଖୋଳାଇଥିଲେ । ନାଇନା ନାମକ ବିଷ୍ଣୁଭକ୍ତ ଭାଇ ସର୍ବସାଧାରଣଙ୍କ ପୂଜାର୍ଚ୍ଚନା ପାଇଁ ଖାସ୍ପା ସାହୀରେ ବଡ଼ ଜଗନ୍ନାଥ ମନ୍ଦିର ନିର୍ମାଣ କରାଇଥିବା ପ୍ରବାଦ ଆଜି ପର୍ଯ୍ୟନ୍ତ ପ୍ରଚଳିତ ହୋଇ ରହିଛି । ମହୁରି ରାଜବଂଶର ତତ୍ କାଳୀନ ରାଜାମାନଙ୍କ ଦାନ ଖଇରାତ ଓ ସର୍ବସାଧାରଣଙ୍କ ସହଯୋଗରେ ପ୍ରାୟ ବାର ଏକର ଜମିରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତି, ଯାନିଯାତ୍ରା ଓ ପର୍ବପର୍ବାଣୀ ସୁରୁଖୁରରେ ଚଳି ଆସୁଛି ।

 

ବ୍ରହ୍ମପୁର ସହରର ଐତିହାସିକ ଭିତ୍ତିଭୂମି ଶୀର୍ଷକ ଗ୍ରନ୍ଥରେ ସଂକଳିତ ପ୍ରଫେସର ପଣ୍ଡାଙ୍କ ରଚନାରେ ଉଲ୍ଲେଖ ଥିଲା, ମନ୍ଦିରର ଅଧିଷ୍ଠିତ ଦେବତା ହେଉଛନ୍ତି ସ୍ୱୟଂ ଶ୍ରୀ ଜଗନ୍ନାଥଏଠାରେ ଶ୍ରୀ ଜଗନ୍ନାଥଙ୍କ ଗୋଟିଏ ମାତ୍ର ମୂର୍ତ୍ତି ପୂଜିତ ହୁଅନ୍ତି । କେତେକ ଏହାକୁ ଦଧିବାମନ ଓ ପତିତପାବନ ବୋଲି ମଧ୍ୟ କହନ୍ତି । ବିଗ୍ରହ ମଧ୍ୟରେ ନିର୍ମାଣବେଳେ ଶାଳଗ୍ରାମ ଶିଳା ରଖାଯାଇଥିବା କଥା ଶୁଣିବାକୁ ମିଳେ । ଏହିପରି ଲାବଣ୍ୟମୟ ବିଗ୍ରହ ଗଞ୍ଜାମରେ କ୍ୱଚ଼ିତ ମନ୍ଦିରରେ ଦେଖିବାକୁ ମିଳନ୍ତି । ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ଦଧିବାମନଙ୍କୁ ଶାଳଗ୍ରାମଙ୍କ ମୂର୍ତ୍ତିବିଶେଷ ବୋଲି କୁହାଯାଏ । ସେ ହୋଇପାରନ୍ତି ଭକ୍ତ ଓ ପତିତଙ୍କ ପତିତପାବନ ଓ ତର୍କକାରଙ୍କ ଦଧିବାମନ । କିନ୍ତୁ ସେ ଜଗନ୍ନାଥ ବୋଲି ବ୍ରହ୍ମପୁରରେ ସାର୍ବଜନବିଦିତ ଓ ପୂଜିତ । ଏହାହିଁ ଲୋକ ବିଶ୍ୱାସ । ଶ୍ରୀ ଜଗନ୍ନାଥଙ୍କ ବ୍ୟତୀତ ମହାଲକ୍ଷ୍ମୀ, ଗଣେଶ, ରଘୁନାଥ ଓ ମଦନମୋହନଙ୍କ ମୂର୍ତ୍ତି ଜଗନ୍ନାଥଙ୍କ ସିଂହାସନରେ ଏକତ୍ର ପୂଜିତ ହେଉଥିବା ଦେଖିବାକୁ ମିଳେ ।

ଶ୍ରୀ ବଡ଼ ଜଗନ୍ନାଥଙ୍କ ରଥଯାତ୍ରା ଜାକଜମକରେ ପାଳନ କରାଯାଏ । ଶ୍ରୀ ଜଗନ୍ନାଥ ରଥରେ ବିଜେ କରି ଖାସ୍ପା ସାହୀର ଶ୍ରୀ ମନ୍ଦିରରୁ ବାହାରି ବ୍ରହ୍ମପୁର ହନୁମାନ ବଜାରସ୍ଥ ହନୁମାନ ମନ୍ଦିର ନିକଟସ୍ଥ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ଏବଂ ନବ ଦିନ ଯାତ୍ରା ପରେ ମନ୍ଦିରକୁ ଫେରି ଆସନ୍ତି । ... ରଥଯାତ୍ରାର ପ୍ରଥମ ଦିନରେ ମହୁରି ରାଜବାଟୀରୁ ରାଜାଙ୍କ ବିଜେ ପରେ ଶ୍ରୀ ଜୀଉଙ୍କ ପହଣ୍ଡି ବିଜେ ହୁଏ । ରାଜା ହେଉଛନ୍ତି ପ୍ରଭୁଙ୍କ ପ୍ରଥମ ସେବକ । ସେ ରଥର ଛେରା ପହଁରା କାର୍ଯ୍ୟ ସଂପାଦନା କଲାପରେ ରଥଟଣା କାମ ଆରମ୍ଭ ହୋଇଥାଏ । ... ରଥଯାତ୍ରାର ଅଂଶ ବିଶେଷ ହେଉଛି ହେରା ପଞ୍ଚମୀ ଏହି ହେରା ପଞ୍ଚମୀ ଦିନ ମନ୍ଦିର ନିକଟସ୍ଥ ଗୌଡ଼ ସାହୀରେ ବସବାସ କରୁଥିବା ଗୌଡ଼ ସଂପ୍ରଦାୟର ଭକ୍ତବୃନ୍ଦ ଶ୍ରୀମନ୍ଦିରରୁ ମହାଲକ୍ଷ୍ମୀଙ୍କୁ ବିମାନରେ ବିଜେ କରାଇ, ବାଣ ଫୁଟାଇ, ଘଣ୍ଟା ବଜାଇ, କୀର୍ତ୍ତନ ସହ ଗୁଣ୍ଡିଚା ମନ୍ଦିରକୁ ବିଜେ କରାନ୍ତି । ଗୁଣ୍ଡିଚା ମନ୍ଦିରରେ ବଚ଼ନିକା ପରେ ବାଟରେ ରଥ ଭାଙ୍ଗି ମହାଲକ୍ଷ୍ମୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି । ଏହି ଦେବନୀତି ବହୁବର୍ଷ ଧରି ପାଳିତ ହୋଇଆସୁଛି ।

 

ବ୍ରହ୍ମପୁର ୧୬୬୨ ରୁ ୧୬୭୨ ମଧ୍ୟରେ ଅଧୂନା ବଡ଼ବଜାରସ୍ଥିତ ମହୁରି ରାଜପ୍ରସାଦ ନିର୍ମାଣପରେ ଜନବସତିକୁ ନେଇ ଗଢ଼ିଉଠିଥିଲା । ମହୁରି ରାଜ୍ୟ ୧୪୬୮ ରୁ ୧୪୯୭ ମଧ୍ୟରେ ପୁରୀ ଗଜପତି ରାଜା ପୁରୁଷୋତ୍ତମ ଦେବଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ଆଖପାଖରେ ବହୁସଂଖ୍ୟକ ମନ୍ଦିର, ମଠକୁ କେନ୍ଦ୍ର କରି ଜନବସତିର ନାମକରଣ ବ୍ରହ୍ମପୁର କରାଯାଇଥିବା ଯୁକ୍ତି ବଢ଼ା ଯାଏ । ତେବେ ପଞ୍ଚଦଶ ଶତାଦ୍ଦୀରୁ ଅଷ୍ଟାଦଶ ଶତାଦ୍ଦୀ ଯାଏଁ ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ୱ ସମୟଧରି ବ୍ରହ୍ମପୁରରେ ଜଗନ୍ନାଥ ମନ୍ଦିର ନିର୍ମିତ ହୋଇନଥିବା ତଥ୍ୟ ବିସ୍ମୟ ସୃଷ୍ଟି କରିଥାଏ କାରଣ ଶ୍ରୀ ବଡ଼ ଜଗନ୍ନାଥଙ୍କ ରଥରେ ମହୁରି ରାଜା ଛେରା ପହଁରା କରିବା ପ୍ରଥା ବର୍ତ୍ତମାନ ଯାଏଁ ପ୍ରଚଳିତ ଥିବା ହେତୁ ବ୍ରହ୍ମପୁରରେ ତାହାକୁ ହିଁ ସର୍ବପ୍ରଚ଼ୀନ ଜଗନ୍ନାଥ ମନ୍ଦିର ବିଶ୍ୱାସ କରିବା ଯୁକ୍ତିଯୁକ୍ତ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨ ଜୁଲାଇ ୨୦୨୨/ ପୃଷ୍ଠା : ୨)