Friday, October 27, 2023

Sustainable Cities / ସହର ବିକାଶରେ କୃତ୍ରିମ ବୁଦ୍ଧିମତ୍ତା

 

ଦେଶରେ ଜନସଂଖ୍ୟା ଦୃଷ୍ଟିରୁ #ବ୍ରହ୍ମପୁର ଭଳି ତୃତୀୟସ୍ତରର ଟାୟର-୩ ସହରଗୁଡ଼ିକରେ ବିଭିନ୍ନ ପୌରସେବା ଯୋଗାଇ ଦେବା ନିମନ୍ତେ ସୂଚନା ପ୍ରଦ୍ୟୋଗୀକି ବୈଷୟିକ କୌଶଳ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବା ବିଶେଷଜ୍ଞମାନେ ଆଶା କରନ୍ତି । ଉଦାହରଣରେ ସହର ସଫାସୁତୁରା ରଖିବାରେ ସଫେଇ କର୍ମଚାରୀମାନଙ୍କୁ ନିୟନ୍ତ୍ରିତ କରିବା ଓ ସର୍ବସାଧାରଣ ସ୍ଥାନଗୁଡ଼ିକରେ ଆବର୍ଜନା ଫିଙ୍ଗାଫୋପଡ଼ାକୁ ଆକଟ କରିବାଠାରୁ ଆରମ୍ଭ କରି ଆବର୍ଜନା ପ୍ରକ୍ରିୟାକରଣ ଭଳି ଯାବତୀୟ କାର୍ଯ୍ୟ କୃତ୍ରିମ ବୁଦ୍ଧିମତ୍ତା ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଉପଯୋଗରେ ଗୁଣାତ୍ମକ ପରିବର୍ତ୍ତନ ଆଣିଦେଇପାରିବ । ଅନ୍ୟ ଏକ ଉଦାହରଣରେ ସହରର ବହୁ ଅଞ୍ଚଳରେ ପୌରପ୍ରଶାସନ ପକ୍ଷରୁ ସଫେଇ ନିମନ୍ତେ କର୍ମଚାରୀ ନିଯୁକ୍ତ ହୋଇନଥାନ୍ତି ଏବଂ ସମୟନ୍ତେ ସେହି ଅଞ୍ଚଳଗୁଡ଼ିକ ସଫେଇ ନିମନ୍ତେ ମଧ୍ୟ ବିଧିବଦ୍ଧ ଉଦ୍ୟମ ହୋଇନଥାଏ । ଫଳରେ ସହରର ସାମଗ୍ରିକ ପରିଛନ୍ନତା ବ୍ୟାହତ ହୁଏଦୂଷିତ ପରିବେଶରେ ରୋଗ ବ୍ୟାପୀ ଜନସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟିକରେଏହିଭଳି ଅଞ୍ଚଳଗୁଡ଼ିକ ଚ଼ିହ୍ନଟ କରିବା ଏବଂ ସଫେଇ ସ୍ଥିତି ପରଖିବାରେ ସ୍ୱଚ୍ଛତା ଅବଲମ୍ୱନ ନିମନ୍ତେ ବୈଷୟିକ କୌଶଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

 

କେନ୍ଦ୍ର ସରକାରଙ୍କ ଅର୍ଥମନ୍ତ୍ରୀ ୨୦୨୩ ବଜେଟ ଅଭିଭାଷଣରେ କୃତ୍ରିମ ବୁଦ୍ଧିମତ୍ତା ଦିଗରେ ଗବେଷଣା ନିମନ୍ତେ ଦେଶରେ ତିନିଗୋଟି ପ୍ରମୁଖ ଶିକ୍ଷାନୁଷ୍ଠାନ ଚ଼ିହ୍ନଟ କରିବା ଘୋଷଣା କରିଥିଲେ । ଏଠାରେ ସ୍ୱାସ୍ଥ୍ୟ, କୃଷି ଓ ସ୍ୱାବଲମ୍ୱୀ ସହର ଉନ୍ନୟନ ଦିଗରେ କୃତ୍ରିମ ବୁଦ୍ଧିମତ୍ତା ଉପଯୋଗ ନିମନ୍ତେ ଗବେଷଣା କରାଯିବା ସ୍ଥିରୀକୃତ ହୋଇଥିଲା । ଦେଶବ୍ୟାପୀ ସହରାଞ୍ଚଳରେ ପୌରସେବାରେ ଜନସାଧାରଣ ସନ୍ତୁଷ୍ଟ ନଥାନ୍ତି । ବିକଶିତ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତରେ ନାଗରିକ ସେବା ଯୋଗାଇ ଦେବାରେ ଆମେ ପଛରେ ରହିଛୁ । ଏହାର ଦୁଇ ମୁଖ୍ୟ କାରଣ ହେଲା ପୌରସେବା ପରିଚାଳନାରେ ସ୍ୱଚ୍ଛତା ଅଭାବ ଓ ପୁରୁଣା କାଳିଆ ପରିଚାଳନା ପଦ୍ଧତି । ପର୍ଯ୍ୟାପ୍ତ ଅନୁଦାନ ବିନିଯୋଗ ସତ୍ତ୍ୱେ ପାରମ୍ପରିକ ରୀତିରେ ସହରାଞ୍ଚଳ ବିକାଶରେ ସଫଳତା ମିଳିପାରୁ ନଥିବା ହେତୁ ସେ ଦିଗରେ ପ୍ରଦ୍ୟୋଗୀକି ଜ୍ଞାନକୌଶଳ ଉପଯୋଗ ଅପରିହାର୍ଯ୍ୟ ହୋଇପଡ଼ିଛି ।

 

କେନ୍ଦ୍ର ସରକାରଙ୍କ ପକ୍ଷରୁ ଡ଼ିଜିଟାଲ ଇଣ୍ଡିଆ ଯୋଜନାରେ ୧୪,୯୦୦ କୋଟି ଟଙ୍କା ନିବେଶ ନିମନ୍ତେ ଗତ ଅଗଷ୍ଟ ୨୦୨୩ରେ କ୍ୟାବିନେଟ ମଞ୍ଜୁର କରାଯାଇଥିଲା ।  ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ସମେତ ଇନଫରମେସନ ଟେକନୋଲୋଜି ସିକ୍ୟୁରିଟି ଏଣ୍ଡ ଏଜୁକେସନ ଏୱାରନେସ, ଇଣ୍ଡିଆନ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ  ଓ ବହୁମୁଖୀ ଭାରତୀୟ ଭାଷା ଅନୁବାଦ ପ୍ରକଳ୍ପ ଭାଷୀନି ଭଳି ଯୋଜନାରେ ଏହି ଅର୍ଥ ବ୍ୟୟ ହେବ । ଭାରତରେ ବର୍ତ୍ତମାନ ୧୦ ଗୋଟି ଭାଷାରେ କମ୍ପ୍ୟୁଟରଭିତ୍ତିକ ଅନୁବାଦ ସୁବିଧା ଉପଲବ୍ଧ । ତାହା ୨୨ ଗୋଟି ଭାରତୀୟ ଭାଷାକୁ ସଂପ୍ରସାରିତ ହେବ । ଏହାର ଅର୍ଥ କମ୍ପ୍ୟୁଟରଭିତ୍ତିକ କୌଣସି କାର୍ଯ୍ୟ ନିମନ୍ତେ ଇଂରାଜୀ ଭାଷା ଜ୍ଞାନ ଆବଶ୍ୟକ ପଡ଼ିବ ନାହିଁ, ଓଡ଼ିଆ ଭାଷାରେ ମଧ୍ୟ ସମସ୍ତ କାର୍ଯ୍ୟ ତୁଲାଇ ହେବ । ସର୍ବୋପରି ଓଡ଼ିଆ ଲେଖିବା ବଦଳରେ ଓଡ଼ିଆ ଭାଷା କହି ମଧ୍ୟ ବିଭିନ୍ନ କାର୍ଯ୍ୟ ସାଧନ ସଂଭବ ।

 

ବ୍ରହ୍ମପୁର ଭଳି ସହରରେ କୃତ୍ରିମ ବୁଦ୍ଧିମତ୍ତା ଉପଯୋଗରେ ପୌରସେବା ଆୟୋଜନ କଠିନ ବିଜ୍ଞାନ ପ୍ରତୀୟମାନ ହେଉଥିଲେହେଁ ବହୁ କାରିଗରୀ କୌଶଳ ୨୦୨୩ ସୁଦ୍ଧା ଉପଲବ୍ଧ । ଏଦିଗରେ କର୍ତ୍ତୃପକ୍ଷ କିମ୍ୱା ନିର୍ବାଚିତ ପ୍ରତିନିଧି ଆଗ୍ରହ ପ୍ରକାଶ କରୁନଥିବା ହେତୁ ଉପଯୋଗ ହୋଇପାରୁନାହିଁ ।

 

ଅତ୍ୟାଧୁନିକ ପ୍ରଦ୍ୟୋଗୀକି ବିକାଶ ଅବସରରେ ଜନସାଧାରଣ ଅସାଧୁ ବ୍ୟକ୍ତିଙ୍କ ଦ୍ୱାରା ଠକାମୀର ଶୀକାର ହେଉଥିବା ମଧ୍ୟ ଏକ କ୍ରମବିକଶିତ ସମସ୍ୟା । ରାଜ୍ୟ ପୋଲିସ ପକ୍ଷରୁ ଏଦିଗରେ ଜନସଚ଼େତନ ସୃଷ୍ଟି ନିମନ୍ତେ ୨୦୨୩ ଶାରଦୀୟ ପୂଜା ପୂର୍ବରୁ ଏକ ପ୍ରଚାର ଅଭିଯାନ ଆୟୋଜନ କରାଯାଇଥିଲା । ତେବେ ବ୍ରହ୍ମପୁରରେ ସାଇବର ଠକାମୀର ଶୀକାର ହେଉଥିବା ପୀଡ଼ିତଙ୍କ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇପାରିନାହିଁ । ଅବଶ୍ୟ ଏହି ସ୍ଥିତି ସର୍ବତ୍ର ସମାନ । କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ ଦୁଇ ଲକ୍ଷ ୬୫ ହଜାର ନାଗରିକଙ୍କୁ ଇନଫରମେସନ ଟେକନୋଲଜି ସୁରକ୍ଷା କର୍ମୀ ଭାବେ ତାଲିମ ଦେବା ନିମନ୍ତେ ଅର୍ଥ ବରାଦ ହୋଇଛି । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ସେହିପରି ଇନଫରମେସନ ଟେକନୋଲୋଜି ଜରୁରୀ ପରିସ୍ଥିତିକୁ ମୁକାବିଲା କରିବା ନିମନ୍ତେ ଇଣ୍ଡିଆନ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ ଗଠନ ମଧ୍ୟ ବିଭିନ୍ନ ବଡ଼ଧରଣର ବିପଦର ମୁକାବିଲା କରିବା ନିମନ୍ତେ ଭିତ୍ତିଭୂମି ସୃଷ୍ଟି କରିପାରିବ ।

 

ବ୍ରହ୍ମପୁର ଭଳି ସହରରେ ସ୍ଥାନୀୟ ନାଗରିକ ଦୈନିକ ଅନ୍ୟୂନ ଅଢ଼େଇ ଘଣ୍ଟା ସୋସିଆଲ ମିଡ଼ିଆରେ ୨୦୨୩ ସୁଦ୍ଧା ବିତାଇଥାନ୍ତି । ଏଣିକି ପ୍ରାୟ ସମସ୍ତେ ସ୍ମାର୍ଟଫୋନ ଯୋଗେ ଇଣ୍ଟରନେଟ ମଞ୍ଚଗୁଡ଼ିକରେ ପହଞ୍ଚୁଛନ୍ତି ପାରସ୍ପରିକ ଯୋଗାଯୋଗ, ଇ-ବାଣିଜ୍ୟ, ମନୋରଞ୍ଜନ, ସମ୍ୱାଦ ଆହରଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ପରେ ପୌରସେବାରେ ଇନଫରମେସନ ଟେକନୋଲୋଜିର ବ୍ୟବହାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ଏହି କ୍ଷେତ୍ରରେ ସହରବାସୀଙ୍କ ଆଗ୍ରହ ବହୁ ପୌର ସମସ୍ୟା ସମାଧାନରେ ସହାୟକ ହୋଇପାରିବ ।


Image by Gerd Altmann from Pixabay


Friday, October 20, 2023

Gate Bazar Flyover / ଗେଟ ବଜାର ଫ୍ଳାଇ-ଓଭର

 

#ବ୍ରହ୍ମପୁର ସହରରେ ପ୍ରଥମ ଫ୍ଳାଇ-ଓଭର ଗେଟ ବଜାର ଛକରେ ନିର୍ମାଣ ନିମନ୍ତେ ପ୍ରସ୍ତାବ ସର୍ବେକ୍ଷଣ ବା ସର୍ଭେ ସ୍ତରରେ ରହିଥିବା ଚର୍ଚ୍ଚିତ । ଅକ୍ଟୋବର ୨୦୨୩ ସୁଦ୍ଧା ଓଡ଼ିଶା ବ୍ରିଜ କନଷ୍ଟ୍ରକସନ କର୍ପୋରେସନପକ୍ଷରୁ ଦୁଇଗୋଟି ଆଲାନମେଣ୍ଟ ସର୍ଭେ ସରିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ପ୍ରାଥମିକ ତଥ୍ୟ ଅନୁଯାୟୀ ଫ୍ଳାଇ-ଓଭର ଆସିକା ରୋଡ଼ ନୀଳାଦ୍ରି ବିହାର ଛକରୁ ଆରମ୍ଭ ହୋଇ ସିଟି ହସପିଟାଲ ଛକରେ ଶେଷ ହେବ । ଅର୍ଥାତ, ସହରର ମଧ୍ୟକୁ ଆସିକା ରୋଡ଼ ଦେଇ ହିଞ୍ଜିଳିକାଟୁ, ଆସିକା, ଭଂଜନଗର, ଦିଗପହଣ୍ଡି, ଫୁଲବାଣୀ ଇତ୍ୟାଦି ଅଞ୍ଚଳରୁ ପହଞ୍ଚୁଥିବା ଭାରୀ ଯାନବାହାନ ତୁଳସୀ ନଗର, ରମ୍ପା ସାହି, ଗେଟ ବଜାର ଛକ ଓ ସିଟି ହସପିଟାଲ ରାସ୍ତାରେ ଭିଡ଼ ନଜମାଇ ଫ୍ଳାଇ-ଓଭର ଯୋଗେ ଷ୍ଟେଟବ୍ୟାଙ୍କ ମେନ ବ୍ରାଞ୍ଚ ଛକରେ ପହଞ୍ଚି ପାରିବେ । ମୁଖ୍ୟତଃ ଗେଟ ବଜାର ଛକରେ ପାଞ୍ଚ ଗୋଟି ରାସ୍ତା ମିଳିତ ହେଉଥିବା ଓ ଦୋକାନ ବଜାର କାରଣରୁ ଦିନ ସାରା ଟ୍ରାଫିକ ସମସ୍ୟା ଲାଗି ରହିଥାଏ । ଗହଳ ଚହଳ ଅଞ୍ଚଳରେ ଭାରୀଯାନ ପ୍ରବେଶ ହେତୁ ଟ୍ରାଫିକ ଚଳାଚଳରେ ବିଳମ୍ୱ ଓ ଦୁର୍ଘଟଣା ଘଟେ । ଗେଟ ବଜାର ଫ୍ଳାଇ-ଓଭର ନିର୍ମିତ ହେଲେ ଏହି ଦୁଇ ସମସ୍ୟାରୁ ନିସ୍ତାର ମିଳିବା ଆଶା କରାଯାଉଛି ।
 
ଗେଟ ବଜାର ଛକ ବ୍ରହ୍ମପୁରର ଅନ୍ୟତମ ପୁରାତନ ଅଞ୍ଚଳ । ବିଂଶ ଶତାଦ୍ଦୀ ପ୍ରଥମାର୍ଦ୍ଧରେ ଅଧୂନା ସିଟି ହସପିଟାଲ ରାସ୍ତାର ଦୁଇ ପାର୍ଶ୍ୱରେ କେତେକ ସରକାରୀ କୋଠା ନିର୍ମାଣ ଓ କାର୍ଯ୍ୟାଳୟ ପ୍ରତିଷ୍ଠା ପରେ ଗେଟ ବଜାର ଗଢ଼ି ଉଠିଥିଲା। ଗେଟ ବଜାରରୁ ଆଭ୍ୟନ୍ତରୀଣ ଗଞ୍ଜାମ, ଫୁଲବାଣୀ, କୋରାପୁଟ ଓ କଳାହାଣ୍ଡିକୁ ସଡ଼କ ପଥ ଲମ୍ୱି ଥିବା ସ୍ଥଳେ ଲୋଚ଼ାପଡ଼ା, ନିମଖଣ୍ଡି, ଜଗଦଳପୁର ଓ ଭାବିନୀପୁର ପ୍ରଭୃତି ଅଞ୍ଚଳକୁ ସଂଯୋଗ ରାସ୍ତା ଯୋଡ଼ି ହୋଇଥିଲା । ଫଳରେ ଜନସମାଗମ ସାଙ୍ଗକୁ ମାଲ ପରିବହନରେ ଗୁରୁତ୍ୱ ବହନ କରୁଥିଲା । ସ୍ୱାଧୀନୋତ୍ତର ଅବସ୍ଥା ଯାଏଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଟ୍ରେଜେରୀ ଓ ଜିଲ୍ଲା ଚ଼ିକିତ୍ସାଳୟ ସିଟି ହସପିଟାଲ ରୋଡ଼ରେ ହିଁ ଚାଲୁଥିଲାପରବର୍ତ୍ତୀ ପର୍ଯ୍ୟାୟରେ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ ଓ ଟ୍ରେଜେରୀ କୋର୍ଟପେଟାକୁ ସ୍ଥାନାନ୍ତରିତ ହୋଇଥିଲା ।
 
ଷ୍ଟେଟ ବ୍ୟାଙ୍କ ମେନ ବ୍ରାଞ୍ଚ ଛକରୁ ଗେଟ ବଜାର ଦେଇ ଆସିକାରୋଡ଼ ରାସ୍ତା ମୂଳତଃ ପ୍ରଶସ୍ତ ରହିଥିଲେ ହେଁ କାଳକ୍ରମେ ଦୋକାନ ବଜାର ଗଢ଼ି ଉଠିବାରୁ ସଂକୀର୍ଣ୍ଣ ହୋଇଯାଇଥିବା ଦେଖିବାକୁ ମିଳେ । ଫ୍ଲାଇ-ଓଭର ସର୍ଭେ ବେଳେ ଜଣାଯାଇଥିଲା ଯେ ଏହି ରାସ୍ତାର ପ୍ରସ୍ଥ ୧୪ ମିଟରରୁ ୧୮ ମିଟର ଯାଏଁ ରହିଛି । ଫ୍ଳାଇ-ଓଭର ନିମନ୍ତେ ୨୨ ମିଟର ଚଉଡ଼ା ବିଶିଷ୍ଟ ବ୍ରିଜ ଓ ଏପ୍ରୋଚ଼ ରୋଡ଼ ନିର୍ମାଣ କରାଗଲେ ପ୍ରାୟ ୪ ରୁ ୮ ମିଟର ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ଆବଶ୍ୟକ ପଡ଼ିପାରେ । ଅର୍ଥାତ, ରାସ୍ତାର ଦୁଇ ପାର୍ଶ୍ୱରୁ ଜବର ଦଖଲ ହଟାଇ ଅଧିକ କିଛି ଜମି ଉଚ୍ଛେଦ ହେବ । ନୀଳାଦ୍ରି ବିହାରରୁ ଆରମ୍ଭ ହେବାକୁ ଥିବା ଗେଟ ବଜାର ଫ୍ଳାଇ-ଓଭର ସିଟି ହସପିଟାଲ ଛକ ଶେଷ ଯାଏଁ  ୯୨୦ ମିଟର ବା ପ୍ରାୟ ଏକ କିଲୋମିଟର ଦୀର୍ଘ ହେବା ପ୍ରସ୍ତାବ ବିଚାରାଧୀନ ରହିଛି ।
 
ପରିବର୍ତ୍ତିତ ପରିବେଶରେ ସଡ଼କ ପଥରେ ଚଳାଚଳ ବଢ଼ି ଚାଲିଛି । ଏକ ପକ୍ଷରେ ଗ୍ରାମାଞ୍ଚଳରେ ପ୍ରତି ଦୁଇ ପରିବାର ମଧ୍ୟରୁ ଗୋଟିଏ ପରିବାର କୌଣସି ଯାନବାହନର ମାଲିକ ଥିବା ସ୍ଥଳେ ବ୍ୟବସାୟ, ଶିକ୍ଷା, ସ୍ୱାସ୍ଥ୍ୟ ତଥା ଅନ୍ୟାନ୍ୟ ସାମାଜିକ କାରଣରୁ ସହରାଞ୍ଚଳକୁ ବାରମ୍ୱାର ଆତଯାତ କରୁଛନ୍ତି । ଅପରପକ୍ଷରେ ଯାତ୍ରୀ ଓ ମାଲ ପରିବହନ ନିମନ୍ତେ ବଡ଼ ପରିବର୍ତ୍ତେ ବହୁ ସଂଖ୍ୟକ ଛୋଟ ଯାନବାହାନ ଚଳାଚଳ କରୁଛି । ଫଳରେ ଟ୍ରାଫିକ ଭାର ଅସଂଭାଳ ଅବସ୍ଥାରେ ପହଞ୍ଚୁଛି । ସହରାଞ୍ଚଳରେ ଭିଡ଼ ନିୟନ୍ତ୍ରଣ ନିମନ୍ତେ ଫ୍ଳାଇ-ଓଭର ନିର୍ମାଣ ଏକ ଦୀର୍ଘ ମିଆଦୀ ସମାଧାନ । ତେଣୁ ଫ୍ଳାଇ-ଓଭର ନିର୍ମାଣକୁ ସମସ୍ତେ ସ୍ୱାଗତ କରିବେ । ତେବେ ଫ୍ଳାଇ-ଓଭର ନିର୍ମାଣ କେତେ ସମୟ ଲାଗିବ ଓ ନିର୍ମାଣର ମାନ କଣ ରହିବ ତାହା ବିତର୍କର ବିଷୟ । ଫ୍ଳାଇ-ଓଭର ବର୍ଷ ବର୍ଷ ଧରି ନିର୍ମାଣଧୀନ ଅବସ୍ଥାରେ ରହିବା ଫଳରେ ସେହି ରାସ୍ତା ବ୍ୟବହାରକାରୀ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବା ଊଦାହରଣର ଅଭାବ ନଥାଏ ।
 
ଆସିକା ରୋଡ଼ରେ ରମ୍ପାସାହି ଓ ସିଟି ହସପିଟାଲ ରାସ୍ତାକଡ଼େ ଅନଧିକାର ବସ ରହେଣୀ ଓ ଟ୍ରାଫିକ ନିୟମକାନୁନର ଖୋଲା ଉଲଂଘନ ଲାଗି ରହିଥାଏ । ପୋଲିସ ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆକଟ କାମ କରିନଥାଏ । ସହରର ଉପକଣ୍ଠ ହଳଦିଆପଦରଠାରେ ୧୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ବସଷ୍ଟାଣ୍ଡ ୨୦୧୬ରୁ ପ୍ରସ୍ତୁତି ହୋଇ ରହିଥିଲେ ହେଁ ବ୍ୟବହୃତ ହୋଇପାରୁ ନାହିଁ । ଗେଟ ବଜାର ଫ୍ଳାଇ-ଓଭର କାମ ଆରମ୍ଭରେ ଆସିକା ରୋଡ଼ ଓ ସିଟି ହସପିଟାଲ ରୋଡ଼ରେ ଯାନବାହାନ ଚଳାଚଳ ବାରଣ ହେଲେ ଅନ୍ତତଃପକ୍ଷେ ହଳଦିଆପଦର ବସ ଟର୍ମିନାଲ ବାଧ୍ୟବାଧକତାରେ କାର୍ଯ୍ୟକାରୀ ହେବା ଆଶା କରାଯାଇପାରେ ! କିନ୍ତୁ ଯଦି ଫ୍ଳାଇ-ଓଭର ନିର୍ମାଣ କାମ ଆରମ୍ଭ ହୁଏ, ତେବେ ତାହା ୨୦୨୪ ନିର୍ବାଚନ ପର କଥା ନୁହେଁ କି !!


Image by domi yanto from Pixabay

Friday, October 13, 2023

Jaugada Fort / ଜଉଗଡ଼

 

#ବ୍ରହ୍ମପୁର ସହର ନିକଟବର୍ତ୍ତୀ ପୁରାତନ କୀର୍ତ୍ତିରାଜି ରୂପେ ଜଉଗଡ଼ ସୁବିଖ୍ୟାତ । ବ୍ରହ୍ମପୁରଠାରୁ ୩୫ କିଲୋମିଟର ତଥା ପୁରୁଷୋତ୍ତମପୁରଠାରୁ ପାଞ୍ଚ କିଲୋମିଟର ଦୂରରେ ଜଉଗଡ଼ ଅବସ୍ଥିତ । ଋଷିକୂଲ୍ୟା ନଦୀର ଉତ୍ତର ଦିଗ ତଥା ପୁରୁଷୋତ୍ତମପୁରର ପଶ୍ଚିମ ଦିଗରେ ପାଣ୍ଡିଆ ଗ୍ରାମ ନିକଟରେ ଖପିଙ୍ଗଳ ପର୍ବତରେ ଏକ ପ୍ରଚ଼ୀନ ଦୁର୍ଗ ଦେଖିବାକୁ ମିଳେ । ସେଠାରେ ତିନିଗୋଟି ଫଳକରେ ମଗଧ ସମ୍ରାଟ ଅଶୋକଙ୍କ ଅନୁଶାସନ ଲିପିବଦ୍ଧ ।
 
ଅଶୋକ ଖ୍ରୀଷ୍ଟପୂର୍ବ ତୃତୀୟ ଶତାଦ୍ଦୀରେ ରାଜତ୍ୱ କରୁଥିଲେ । ସେ ଓଡ଼ିଶା, ତତ୍କାଳୀନ କଳିଙ୍ଗ ସହ ଯୁଦ୍ଧରେ ଜୟଲାଭ କରି ଶାସନଭାର ଗ୍ରହଣ କରିଥିଲେ । କଳିଙ୍ଗ ଯୁଦ୍ଧ ଅଶୋକଙ୍କୁ ଯୁଦ୍ଧଖୋରରୁ ଶାନ୍ତିପ୍ରିୟରେ ପରିବର୍ତ୍ତିତ କରିଥିବା ଇତିହାସ ପୃଷ୍ଠାରେ ବର୍ଣ୍ଣିତ । କଳିଙ୍ଗ ଯୁଦ୍ଧ ପରବର୍ତ୍ତୀ ଅବସ୍ଥାରେ ଅଶୋକ ପ୍ରଜାମାନଙ୍କ ମଙ୍ଗଳ ସକାଶେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ । ସେ ନିଜର ଉଦାରବାଦୀ ଶାସନ ନୀତି କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ସମ୍ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଶିଳା ଗାତ୍ରରେ ଅନୁଜ୍ଞା ଖୋଦିତ କରି ପ୍ରଚାର ବ୍ୟବସ୍ଥା କରିଥିବା ଓଡ଼ିଶା ସମେତ ଉତ୍ତରପ୍ରଦେଶ, ଗୁଜରାଟ, ପାକିସ୍ତାନ, ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶରେ ବିଦ୍ୟମାନ ।
 
ଅଶୋକଙ୍କ ଶାସନକାଳରେ କଳିଙ୍ଗର ରାଜଧାନୀ ତୋଷାଳୀ ଥିଲା । ଢେଙ୍କାନାଳର ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ମତରେ ତୋଷାଳୀ ବର୍ତ୍ତମାନର ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ଅବସ୍ଥିତ ଥିଲା । ଜଉଗଡ଼ ଶିଳାଲେଖାରେ ସମାପାର ନାମ ଉଲ୍ଲେଖ ରହିଛି । ଜଉଗଡ଼ ସମୀପବର୍ତ୍ତୀ ସମା ଗ୍ରାମ କଳିଙ୍ଗର ଦ୍ୱିତୀୟ ରାଜଧାନୀ ଥିବା ସେ ଉଲ୍ଲେଖ କରିଛନ୍ତି ।
 
ଅଶୋକ ନିଜ ଧର୍ମାନୁଶାସନ ପ୍ରଚାର କରିବା ନିମନ୍ତେ ଧର୍ମ ମହାମାତ୍ର ନାମରେ ସ୍ୱତନ୍ତ୍ର ରାଜକର୍ମଚାରୀ ନିଯୁକ୍ତ କରିଥିଲେ । ସେମାନେ ଜନବସତିଗୁଡିକରେ ପ୍ରତି ଚାରିମାସରେ ଥରେ ଅନୁଶାସନଗୁଡ଼ିକୁ ଜନସାଧାରଣଙ୍କୁ ପଢ଼ି ବୁଝାଉଥିଲେ । ସମାପା ଅର୍ଥାତ ଜଉଗଡ଼ ଅଞ୍ଚଳରେ ଏହି ପ୍ରଚାର କାର୍ଯ୍ୟ ଲାଗି ଦକ୍ଷିଣାଞ୍ଚଳ ମହାମାତ୍ର କାର୍ଯ୍ୟରତ ରହିଥିବା ଜଣାଯାଏ ।
 
ଓଡ଼ିଶାରେ ଅଶୋକଙ୍କ ଶିଳାଲେଖ ଭୁବନେଶ୍ୱର ନିକଟବର୍ତ୍ତୀ ଧଉଳି ଓ ବ୍ରହ୍ମପୁର ନିକଟବର୍ତ୍ତୀ ଜଉଗଡ଼ରେ ଦେଖିବାକୁ ମିଳେ । ଏଥିରେ ୧୪ ଗୋଟି ଅନୁଜ୍ଞା ଖୋଦିତ । ଧଉଳି ଓ ଜଉଗଡ଼ର ଅନୁଜ୍ଞା ମଧ୍ୟରେ ମେଳ ଖାଏ । ତେବେ ଜଉଗଡ଼ର ୧୧ଶ, ୧୨ଶ ଓ ୧୩ଶ ଅନୁଜ୍ଞା ବଦଳରେ ଦୁଇଗୋଟି ସ୍ୱତନ୍ତ୍ର ଅନୁଜ୍ଞା ରହିଛି । ଏଥିରେ ଦକ୍ଷିଣାଞ୍ଚଳ କଳିଙ୍ଗବାସୀ ରାଜାଙ୍କୁ ଭୟ ନକରି ଧର୍ମ ଆଚ଼ରଣ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ ଯେ ସୀମାନ୍ତବାସୀ କଳିଙ୍ଗ ଯୁଦ୍ଧରେ ଅଂଶଗ୍ରହଣ କରିନଥିବା ହେତୁ ଅପରାଜିତ ରହିଥିଲେ
 
ଜଉଗଡ଼ ଶିଳାଲେଖର ଭାଷା ପାଲି ଓ ଲିପି ବ୍ରାହ୍ମୀ ବୋଲି ସମ୍ୱଲପୁରର ଇତିହାସ ଅଧ୍ୟାପକ ସ୍ୱର୍ଗତ ଡ଼କ୍ଟର ନବୀନ କୁମାର ସାହୁ ମତ ପୋଷଣ କରିଥିଲେ । କିନ୍ତୁ ବ୍ରହ୍ମପୁରର ଓଡ଼ିଆ ଭାଷାସାହିତ୍ୟ ଅଧ୍ୟାପକ ସ୍ୱର୍ଗତ ଡ଼କ୍ଟର ବେଣୀମାଧବ ପାଢ଼ୀ ଏହି ଶିଳାଲେଖର ଭାଷା ଓଡ୍ର ମାଗଧୀ ବୋଲି ସୂଚାଇ ଥିଲେ । ଲିପିରେ ଖୋଦିତ କେତେକ ଶବ୍ଦ ପ୍ରାଚ଼ୀନ ଓଡ଼ିଆ ଭାଷା ବୋଲି ଅନୁଭୂତ ହୋଇଥାଏ । ଜନସାଧାରଣଙ୍କ ମଧ୍ୟରେ ପ୍ରଚାର ଉଦ୍ଦେଶ୍ୟରେ ରଚ଼ିତ ରାଜାଦେଶ ଦେଶୀୟ ଭାଷାରେ ଲିଖିତ ଥିବା ସେ ଯୁକ୍ତି ବାଢ଼ିଥିଲେ ।
 
କେତେକ ଐତିହାସିକଙ୍କ ମତରେ ଜଉଗଡ଼ର ପ୍ରାଚ଼ୀନ ନାମ ଜଗତ ଥିଲା । ତାହା ଅପଭ୍ରଂଶରେ ଜଉଗଡ଼ରେ ପରିଣତ ହୋଇଛି । ଜଉଗଡ଼ସ୍ଥିତ ପ୍ରାଚୀନ ଦୁର୍ଗର ଚ଼ର୍ତୁଦ୍ଦିଗରେ ଆଠଗୋଟି ପ୍ରବେଶ ଦ୍ୱାର ଥିବା କୁହାଯାଏ । ନିକଟ ଅତୀତରେ ଭାରତ ସରକାରଙ୍କ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ବିଭାଗ ଦ୍ୱାରା ପରୀକ୍ଷାମୂଳକ ଖନନ କରାଯାଇଥିଲା । ସେଥିରୁ ନୂତନ ପ୍ରସ୍ତର ଯୁଗରେ ବ୍ୟବହୃତ କେତେକ ସାମଗ୍ରୀ ମିଳିଥିଲା । କଟକର ବାରବାଟୀ ଦୁର୍ଗ ଅଞ୍ଚଳରେ ୨୦୨୩ ଅକ୍ଟୋବର ମାସରୁ ପ୍ରତ୍ନତାତ୍ତ୍ୱିକ ଖନନ ଆରମ୍ଭ ହୋଇଥିବା ଗଣମାଧ୍ୟମରେ ପ୍ରକାଶିତ । ଜଉଗଡ଼ ମଧ୍ୟ ଅଧିକ ପ୍ରତ୍ନତାତ୍ତ୍ୱିକ ଅଧ୍ୟୟନ ଆବଶ୍ୟକ କରେ । ଐତିହାସିକ ତଥ୍ୟ ଅନୁଯାୟୀ ପ୍ରାଚ଼ୀନକାଳରେ ଉତ୍ତର ଭାରତରୁ ଦକ୍ଷିଣ ଭାରତ ଯାତ୍ରା କରିବା ନିମନ୍ତେ ଏକ ସୁପ୍ରଶସ୍ତ ରାସ୍ତା ଧଉଳିଗିରି ଓ ଜଉଗଡ଼ ଦେଇ ଗତି କରିଥିଲା । ଉଭୟ ଧଉଳିଗିରି ଓ ଜଉଗଡ଼ରେ ଘଞ୍ଚ ଜନବସତି ଥିଲା । ଏହି କାରଣରୁ ସମ୍ରାଟ ଅଶୋକ ଏହି ଦୁଇ ସ୍ଥାନରେ ଶିଳାଲେଖରେ ଅନୁଶାସନ ଖୋଦନ କରାଇଥିବା ଅନୁମାନ କରାଯାଇପାରେ ।

Image by DenisPet from Pixabay


Friday, October 6, 2023

Lighthouse / ବତୀଘର

 

#ବ୍ରହ୍ମପୁର ସହରବାସୀ ବତୀଘର ସହ ବେଶ ପରିଚ଼ିତ । ଊନବିଂଶ ଶତାଦ୍ଦୀ ଶେଷଭାଗ ଓ ବିଂଶ ଶତାଦ୍ଦୀ ପ୍ରଥମଭାଗରେ ବ୍ରହ୍ମପୁର ସହରଠାରୁ ପନ୍ଦର କିଲୋମିଟର ଦୂରବର୍ତ୍ତୀ ଗୋପାଳପୁରରେ ସାମୁଦ୍ରିକ ବନ୍ଦର କାର୍ଯ୍ୟକ୍ଷମ ଥିଲା । ସେହି ସମୟରୁ ସାଗରବେଳାରେ ନିର୍ମିତ ବତୀଘର ବ୍ରହ୍ମପୁର ଜନ୍ମିତଙ୍କୁ ଦେଢ଼ ଶହ ବର୍ଷ ଧରି ଶୈଶବ ଅବସ୍ଥାରୁ ପରିଚ଼ିତ କରାଇଆସିଛି । ଅନେକଙ୍କ କ୍ଷେତ୍ରରେ ଜୀବନର ପ୍ରଥମ ପର୍ଯ୍ୟଟନ ଅବସରରେ ଘନନୀଳ ସୁବିସ୍ତୀର୍ଣ୍ଣ ଜଳରାଶିର ଉତ୍ତାଙ୍ଗ ତରଙ୍ଗରୁ ଦୃଷ୍ଟି ଅପସାରିତ ହୋଇ ନାଲି ଓ ଧଳା ରଙ୍ଗର ସୁଉଚ୍ଚ ବତୀଘର ଆଡ଼କୁ ଆକର୍ଷିତ ହୋଇଥାଏ । ବ୍ରହ୍ମପୁରବାସୀଙ୍କ ବ୍ୟକ୍ତିଗତ ଜୀବନରେ ଆନନ୍ଦ ଓ ଅବସାଦର ମୂକସାକ୍ଷୀ ଗୋପାଳପୁର ବତୀଘର !
 
ନିକଟ ଇତିହାସରେ ଓଡ଼ିଶା ରାଜ୍ୟରେ ଗୋପାଳପୁରହିଁ ଏକ ମାତ୍ର ଯାତ୍ରୀବାହୀ ବନ୍ଦର ରୂପେ କାର୍ଯ୍ୟ କରୁଥିଲା । ମାସେ ଦୁଇ ମାସରେ ଥରେ ଯାତ୍ରୀମାନଙ୍କୁ ଘେନି ଜାହାଜ ତତକାଳୀନ ରେଙ୍ଗୁନ ବା ବର୍ମା, ମିଆଁମାରକୁ ଯାଉଥିଲା । ଗଞ୍ଜାମ ଜିଲ୍ଲାର ଆଭ୍ୟନ୍ତର ଅଞ୍ଚଳରୁ ଯୁବାବସ୍ଥାରେ ଘେରାଏ ରେଙ୍ଗୁନ ବୁଲିଆସିବା ଏକ ସଉକରେ ପରିଣତ ହୋଇଥିଲା । ଚାଷୀ ପରିବାରର ଯୁବକମାନେ କିଛି ଦିନ ସେଠାକାର କୃଷି କ୍ଷେତ୍ରରେ ଶ୍ରମିକଭାବେ ଅବସ୍ଥାପିତ ହୋଇ ବର୍ଷେ ଦୁଇ ବର୍ଷ ପରେ ନିଜ ଗ୍ରାମକୁ ଫେରି ଆସୁଥିଲେ । ତେବେ ଜୀବନବ୍ୟାପୀ ଗୋପାଳପୁର ବନ୍ଦରରୁ ଜାହାଜରେ ଯାତ୍ରା ଓ ରେଙ୍ଗୁନ ଅନୁଭୂତି ବସାବାନ୍ଧି ରହୁଥିଲା ।
 
ପୁରାତନ ବନ୍ଦର ଗୋପାଳପୁର ସହରରେ ଅବସ୍ଥିତ ଥିଲା । ଗୋପାଳପୁର ବେଳାଭୂମିରେ ଭଙ୍ଗା ଗୋଦାମ ଓ ବତୀଘର ବନ୍ଦରର ସ୍ମୃତି ବହନକରେ । ଜାହାଜ ଯାତ୍ରୀଙ୍କ ରହେଣୀ ଉଦ୍ଦେଶ୍ୟରେ ଜଣେ ବିଦେଶୀ ବ୍ୟବସାୟୀଙ୍କ ଦ୍ୱାରା ନିର୍ମିତ ହୋଟେଲ ପ୍ରଥମେ ଓବରାଇ ଓ ପରେ ମେ ଫେୟାର ଗୃପ କିଣିନେଇ ପୁନଃନିର୍ମାଣ କରିଛନ୍ତି । ନୂଆ ଗୋପାଳପୁର ବନ୍ଦର ୧୮ କିଲୋମିଟର ଦୂରବର୍ତ୍ତୀ ଆର୍ଯ୍ୟପଲ୍ଲୀ ବେଳାଭୂମିରେ ଗଢ଼ି ଉଠିଛି । ତେବେ ପୂର୍ବବତ ନୂତନ ଗୋପାଳପୁର ବନ୍ଦରରୁ ଯାତ୍ରୀବାହୀ ଜାହାଜ ଚଳାଚଳ କରୁନାହିଁ ।
 
ପୁରାତନ ଗୋପାଳପୁର ବନ୍ଦର ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଗୁରୁତ୍ୱ ଲାଭ କରିଥିଲା । କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବର୍ମାରୁ ଚାଉଳ ଆମଦାନୀ ବ୍ୟବସାୟ ବନ୍ଦ ଏବଂ ରାଜନୀତିକ ଅସ୍ଥିରତା ହେତୁ ଗୋପାଳପୁର ବନ୍ଦର ବନ୍ଦ ହୋଇଯାଇଥିଲା । ଉପକୂଳ ଓଡ଼ିଶାରେ ରେଳପଥ ଓ ସଡ଼କପଥର ବିକାଶ ମଧ୍ୟ ଅନ୍ୟତମ କାରଣ । ଗୋପାଳପୁର ବନ୍ଦର ଦେଇ ଆମଦାନୀ ଓ ରପ୍ତାନୀ କାରବାର ମୁଖ୍ୟତଃ ବିଶାଖାପାଟଣା ବନ୍ଦରକୁ ସ୍ଥାନାନ୍ତରିତ ହୋଇଥିଲା ।
 
ଗୋପାଳପୁର ବତୀଘରର ମୂଳ ମଞ୍ଚ ୧୮୭୧ରେ ନିର୍ମିତ ହୋଇ ୧୯୨୫ରେ ଉନ୍ନତି କରାଯାଇଥିଲା । ତେବେ ପକ୍କା ବତୀଘର ୧୯୬୭ରେ ବର୍ତ୍ତମାନର ରୂପ ଧାରଣ କରିଥିଲା । ଗୋପାଳପୁର ବ୍ୟତୀତ ଗଞ୍ଜାମ ଜିଲ୍ଲାରେ ଗଞ୍ଜାମ ବ୍ଳକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତର ପ୍ରୟାଗି ଗ୍ରାମ ନିକଟରେ ଅନ୍ୟ ଏକ ବତୀଘର ରହିଛି । ଗୋପାଳପୁର ବତୀଘରକୁ ପର୍ଯ୍ୟଟକମାନେ ଆଗ୍ରହ ସହକାରେ ପରିଦର୍ଶନ କରିଥାନ୍ତି । ସାଧାରଣତଃ ଅପରାହ୍ନରେ ପର୍ଯ୍ୟଟକମାନଙ୍କୁ ବତୀଘର ସିଡ଼ି ଚଢ଼ି ଶୀର୍ଷ ସ୍ଥଳୀ ଯିବା ପାଇଁ ଅନୁମତି ମିଳିଥାଏ । ପ୍ରତ୍ୟେହ ସନ୍ଧ୍ୟା ୫.୩୦ ଯାଏଁ ବତୀଘର ଦର୍ଶକଙ୍କ ଲାଗି ଉନ୍ମୁକ୍ତ ରହେ । ବତୀଘର ଶୀର୍ଷରୁ ଗୋପାଳପୁର ସଂଲଗ୍ନ ସମୁଦ୍ର ଓ ସ୍ଥଳଭାଗର ଶୋଭାରାଜି ସ୍ମରଣୀୟ ଅନୁଭୂତି ।
 
ଗୋପାଳପୁର ବତୀଘର କେନ୍ଦ୍ର ସରକାରଙ୍କ ଜାହାଜ ପରିବହନ ମନ୍ତ୍ରଣାଳୟ ଅଧୀନସ୍ଥ । ଗୋପାଳପୁର ସମେତ ଓଡ଼ିଶା ଉପକୂଳରେ ଅବସ୍ଥିତ ପୁରୀ, ଚନ୍ଦ୍ରଭାଗା, କେନ୍ଦ୍ରପଡ଼ା ଓ ପାରାଦ୍ୱୀପ ପାଞ୍ଚଗୋଟି ବତୀଘର ପ୍ରାଙ୍ଗଣରେ ପର୍ଯ୍ୟଟକଙ୍କ ରହିବା ନିମନ୍ତେ ସୁବିଧା ସୁଯୋଗ ସୃଷ୍ଟି ନିମନ୍ତେ ଏକ ଯୋଜନା ପ୍ରଣୟନ କରାଯାଇଛି । ଏହା ସରକାରୀ ଓ ଘରୋଇ ଉଦ୍ୟୋଗ ସହଭାଗିତା ପବ୍ଳିକ-ପ୍ରାଇଭେଟ-ପାର୍ଟନରସିପ ଢାଞ୍ଚାରେ ପରିଚାଳିତ ହେବା ସ୍ଥିରୀକୃତ ହୋଇଛି । ଏଥିଲାଗି ସ୍ଥାନୀୟ ପ୍ରଶାସନ ଓ ଉପକୂଳ ନିୟନ୍ତ୍ରଣ ଅଧିକାରୀଙ୍କଠାରୁ ଅନୁମତି ଅଣାଯାଇ ସରିଥିବା ଜଣାଯାଏ । ରାଜ୍ୟ ବତୀଘରଗୁଡିକ ମଧ୍ୟରୁ ୧୮୩୬ରେ ନିର୍ମିତ କେନ୍ଦ୍ରପଡ଼ାର ଫଲସ ପଏଣ୍ଟ ବତୀଘର ସର୍ବପ୍ରାଚୀନ କୁହାଯାଏ ।
 
ଗୋପାଳପୁର ବତୀଘର ନିକଟ ଅତୀତରେ ୧୯୯୯ର ମହାବାତ୍ୟା ଓ ୨୦୧୩ର ଫାଇଲିନ ବାତ୍ୟାର ସମ୍ମୁଖୀନ ହୋଇଥିଲା । ତେବେ ବିଶେଷ କ୍ଷୟକ୍ଷତି ଘଟିନଥିଲା । ଗୋପାଳପୁର ବତୀଘର ପୃଷ୍ଠଭୂମିରେ ଓଡ଼ିଆ ଓ ବଙ୍ଗଳାରେ ୧୯୭୫ରେ ବତୀଘରନାମକ ଏକ ଚଳଚ଼ିତ୍ର ନିର୍ମିତ ହୋଇଥିଲା । ବଙ୍ଗଳା ନିର୍ଦ୍ଦେଶକ ତପନ ସିହ୍ନାଙ୍କ ଅଦାଲତେ ଏକଟା ମେ ଚଳଚ଼ିତ୍ରରେ ମଧ୍ୟ ଗୋପାଳପୁର ବତୀଘରର ବର୍ଣ୍ଣନା ରହିଛି । ବଙ୍ଗଳା ଓ ହିନ୍ଦି ଚଳଚ଼ିତ୍ର ଅଭିନେତ୍ରୀ ତନୁଜା ୧୯୮୧ରେ ନିର୍ମିତ ଚଳଚ଼ିତ୍ରଟିରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ଚଳଚ଼ିତ୍ରଟି ୟୁଟ୍ୟୁବ ଷ୍ଟ୍ରୀମିଂ ମଞ୍ଚରେ ଉପଲବ୍ଧ ।


Image by Evgeni Tcherkasski from Pixabay