Friday, December 30, 2022

Berhampur Dibas / ବ୍ରହ୍ମପୁର ଦିବସ

 


ରାଜ୍ୟରେ ବିଭିନ୍ନ ଅଞ୍ଚଳ ଓ ସହରକେନ୍ଦ୍ରୀକ ଉତ୍ସବମାନ ଅନୁଷ୍ଠିତ ହେଉଥିବା ସ୍ଥଳେ #ବ୍ରହ୍ମପୁର ଉତ୍ସବ ଆୟୋଜନ ଲାଗି ଉପଯୁକ୍ତ ତିଥି ନିର୍ଦ୍ଧାରଣ ସଂପର୍କରେ ପ୍ରଶ୍ନ ଉଠେ । ପ୍ରଥମତଃ, ମହୁରିଗଡ଼ରୁ ରାଜବାଟୀ ସ୍ଥାନାନ୍ତର ପରେ ତାହାକୁ କେନ୍ଦ୍ରକରି ଗଢ଼ି ଉଠିଥିବା ଜନପଦ ବ୍ରହ୍ମପୁର ନାମିତ ହୋଇଥିଲା । କିନ୍ତୁ ମହୁରି ରାଜବାଟୀ ପ୍ରତିଷ୍ଠାର ଲିପିବଦ୍ଧ ଇତିହାସ ଅଭାବ । ଦ୍ୱିତୀୟତଃ, ବ୍ରହ୍ମପୁର ସହର ଗଠନରେ ବହୁ ଜନନାୟକଙ୍କ ଯୋଗଦାନ ରହିଛି । କୌଣସି ବ୍ୟକ୍ତିବିଶେଷଙ୍କ ଅବଦାନର ତୁଳନାତ୍ମକ ନିଷ୍ପତି ଅସଂଗତ । ତେବେ ବ୍ରହ୍ମପୁର ସହରକୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶରେ ସାମିଲ କରାଇବା ଆନ୍ଦୋଳନ, ସହରରେ ଓଡ଼ିଆମାନଙ୍କ ସ୍ୱାଭିମାନ ପ୍ରତିଷ୍ଠା ଲାଗି ଉଦ୍ୟମ ତଥା ସ୍ଥାନୀୟ ସମାଜ, ସଂସ୍କୃତି ଓ ରାଜନୀତିକୁ ପରିପୁଷ୍ଟ କରିବା ନିମନ୍ତେ ଆଧୁନିକ ଯୁଗର ସର୍ବୋତ୍ତମ ମାଧ୍ୟମ ସମ୍ୱାଦପତ୍ର ପ୍ରକାଶନରେ ବ୍ରହ୍ମପୁରବାସୀ ଶଶିଭୂଷଣ ରଥ ଜୀବନବ୍ୟାପୀ ସଂଗ୍ରାମ କରିଥିଲେ ।

 

ଗଞ୍ଜାମ ଜିଲ୍ଲାର ସୋରଡ଼ାରେ ଜନ୍ମିତ ଶଶିଭୂଷଣ ଯୁବାବସ୍ଥାରେ କିଛି କାଳ ମୁମ୍ୱାଇ, କଟକ ଓ କୋଲକତାରେ କଟାଇ ବ୍ରହ୍ମପୁରରେ ୧୯୧୩ ମସିହାରୁ ସାପ୍ତାହିକ ଆଶା ଏବଂ ୧୯୨୮ ମସିହାରୁ ଦୈନିକ ଆଶା ପ୍ରକାଶ କରିଥିଲେ । ବିଂଶ ଶତାଦ୍ଦୀ ଆରମ୍ଭରେ ବ୍ରହ୍ମପୁର ଏକ ଦ୍ୱି-ଭାଷୀ ସହର ଥିଲା ଏବଂ ସୁଦୂର ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଶାସିତ ହେଉଥିଲା । ବ୍ରହ୍ମପୁର ଭଳି ଏକ ଉପାନ୍ତ ସହର ଯଦି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶରେ ସାମିଲ ହୋଇନଥାନ୍ତା କିମ୍ୱା ଭାଷାଭିତ୍ତିରେ ଯଦି ଓଡ଼ିଶା ପ୍ରଦେଶ ଗଠିତ ହୋଇନଥାନ୍ତା, ତେବେ ବ୍ରହ୍ମପୁର ଏକ ଛୋଟ ସହର ଓ ବାଣିଜ୍ୟ ପେଣ୍ଠରେ ହିଁ ସୀମିତ ରହିଯାଇଥାନ୍ତା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଲାଗି ବହୁ ନେତୃସ୍ଥାନୀୟ ବ୍ୟକ୍ତି କଠିନ ପରିଶ୍ରମ କରିଛନ୍ତି, ବ୍ରହ୍ମପୁରକୁ ସ୍ୱତନ୍ତ୍ର ପ୍ରଦେଶରେ ସାମିଲ କରିବା ଲାଗି ବହୁ ଲୋକଙ୍କ ଅବଦାନ ରହିଛି ସତ । କିନ୍ତୁ ଶଶିଭୂଷଣଙ୍କ କର୍ମମୟ ଜୀବନ ଓଡ଼ିଆ, ବ୍ରହ୍ମପୁର ଓ ଓଡ଼ିଶା ବ୍ୟତୀତ ଅନ୍ୟ କୌଣସି ବିଷୟରେ ସଂପୃକ୍ତ ନଥିଲା । ସେ କଂଗ୍ରେସ କର୍ମୀ ଥିଲେ, କିନ୍ତୁ ଦେଶର ସ୍ୱାଧୀନତାକୁ ଦ୍ୱିତୀୟ ସ୍ଥାନରେ ରଖି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ  ଓ ସେଥିରେ ବ୍ରହ୍ମପୁରକୁ ସାମିଲ କରିବାକୁ ପ୍ରଥମ ସ୍ଥାନ ଦେଇଥିଲେ ।

 

ତେଣୁ ବ୍ରହ୍ମପୁର ଦିବସ ପାଳନ ଲାଗି କୌଣସି ବରପୁତ୍ରଙ୍କ ଜନ୍ମଦିନ ଯଦି ବିଚାରକୁ ନିଆଯାଏ, ତେବେ ଶଶିଭୂଷଣ ରଥଙ୍କ ଜନ୍ମଦିନ ଜାନୁୟାରୀ ପହିଲା ଚୟନ କରାଯାଇପାରେ । ଏହି ପ୍ରସ୍ତାବ ଅନ୍ୟମାନଙ୍କ ପ୍ରତି ଅପମାନ ନୁହେଁ, ଜଣେ ଆଜୀବନ କର୍ମୀଙ୍କ ପାଇଁ ସମ୍ମାନ ମାତ୍ର ।

 

ସମ୍ୱାଦପତ୍ର ପ୍ରକାଶନ ଏକ ବଡ଼ ଶିଳ୍ପ ନୁହେଁ, ତେବେ ଲୋକହିତରେ ସମର୍ପିତ । ସ୍ଥାନୀୟ ଜନସାଧାରଣଙ୍କ ଆଶା-ଆକାଂକ୍ଷା ଚ଼ରିତାର୍ଥ କରିବା ନିମନ୍ତେ ଶଶିଭୂଷଣଙ୍କ ଆଶା, ଦୈନିକ ଆଶା, ଇଷ୍ଟକୋଷ୍ଟ ସମ୍ୱାଦପତ୍ର ଓ ପ୍ରଦୀପ ପତ୍ରିକା କାର୍ଯ୍ୟ କରୁଥିଲା । ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ, ଦେଶର ସ୍ୱାଧୀନତା ତଥା ବିଭିନ୍ନ ସମାଜ ସଂସ୍କାର କାର୍ଯ୍ୟରେ ସମ୍ୱାଦପତ୍ର ଜନସାଧାରଣ ଓ ପ୍ରଶାସନ ମଧ୍ୟରେ ସୂତ୍ରଧର ସାଜିଥିଲା । ତାରାତାରିଣୀ ମନ୍ଦିରରେ ବଳିପ୍ରଥା ବନ୍ଦଠାରୁ ଆରମ୍ଭ କରି ବିଧବା ବିବାହ, ନାରୀ ଶିକ୍ଷା, ନିଶା ନିବାରଣ ବିଭିନ୍ନ କୁସଂସ୍କାର ରୋକିବା ନିମନ୍ତେ ଅଭିଯାନରେ ଶଶିଭୂଷଣ ଓ ତାଙ୍କରି ସମ୍ୱାଦପତ୍ର ନେତୃତ୍ୱ ନେଇଥିଲା ।

 

ଓଡ଼ିଆ ସମ୍ୱାଦପତ୍ର ପ୍ରକାଶନ ୨୦୨୨ ସୁଦ୍ଧା କ୍ଷତିର ବ୍ୟବସାୟ ପରିଗଣିତ ହେଉଥିବା ସ୍ଥଳେ ଶହେ ବର୍ଷ ପୂର୍ବେ ଯେ କେତେ କଷ୍ଟସାଧ୍ୟ ଥିଲା, ତାହା ସହଜରେ ଅନୁମେୟ । ସାରା ଜୀବନ ସମ୍ୱାଦପତ୍ର ପ୍ରକାଶନ ନିମନ୍ତେ ଆର୍ଥିକ ସଂକଟ ମଧ୍ୟରେ ଗତି କରି ପରିଣତ ବୟସରେ ପ୍ରକାଶନ ସତ୍ତ୍ୱ ଜଣେ ବ୍ୟବସାୟୀଙ୍କୁ ବିକ୍ରୀ କରିଦେଇଥିଲେ । ସେହି ମନୀଷିଙ୍କ ସ୍ମୃତିରେ ପୁରୁଣା ବସଷ୍ଟାଣ୍ଡରେ ଏକ ଆବକ୍ଷ ପ୍ରତିମୂର୍ତ୍ତି ଓ ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ନାମିତ ହୋଇଛି । ଦୈନିକ ଆଶା’  ୧୯୮୨ ମସିହାରେ ପୁନଃ-ସଂସ୍ଥାପିତ ହେବା ପରେ ପ୍ରକାଶନରେ ଅନିୟମିତତା ଲାଗି ରହିଛି । ଶଶିଭୂଷଣଙ୍କ ବ୍ରହ୍ମପୁର ସହରପ୍ରତି ଅବଦାନ ସ୍ମରଣ କରିବା ନିମନ୍ତେ ବିଗତ ଅର୍ଦ୍ଧଶତାଦ୍ଦୀରେ ବହୁ ସାମାଜିକ ସଂଗଠନ ଭିନ୍ନ ଭିନ୍ନ ସମୟରେ ଜୟନ୍ତୀ ଉତ୍ସବ ଆୟୋଜନ କରି ଆସିଛନ୍ତି ।

 

ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ସଂଯୋଗବଶତଃ ୧୯୯୭ ମସିହାରେ ତତ୍ କାଳୀନ ବ୍ରହ୍ମପୁରର ସ୍ୱାର୍ଥରକ୍ଷା ଲାଗି ସକ୍ରିୟ ଥିବା ଓଡ଼ିଶା ଇଣ୍ଟରନ୍ୟାସନାଲ ସୋସାଇଟି ଆନୁକୂଲ୍ୟରେ ଟାଉନ ହାଲଠାରେ ଆୟୋଜିତ ଶଶିଭୂଷଣ ଜୟନ୍ତୀ ସଭାରେ ଗୃହୀତ ପ୍ରସ୍ତାବ ଅନୁଯାୟୀ ଭାରତୀୟ ରେଳପଥ ପକ୍ଷରୁ ସହରର ଇଂଲିଶ ବନାନ ବେରହମପୁରରୁ ବ୍ରହ୍ମପୁରକୁ ପରିବର୍ତ୍ତିତ ହୋଇଛି । ଏହି ଅଭିଯାନ ଭଣ୍ଡୁର କରିବା ନିମନ୍ତେ କେତେକ କୁଚ଼କ୍ରୀଙ୍କ ଉଦ୍ୟମହେତୁ ସହରର ଇଂଲିଶ ବନାନ ସଂଶୋଧନ ଉଦ୍ୟୋକ୍ତାମାନେ ହତୋତ୍ସାହ ହୋଇ କ୍ଷାନ୍ତ ରହିଥିଲେ । ବର୍ତ୍ତମାନ ୨୦୨୩ ଜାନୁୟାରୀ ପହିଲାରୁ ସହରର ଇଂଲିଶ ବନାନ ସଂଶୋଧନ ନିମନ୍ତେ ବିଧିବଦ୍ଧ ସାର୍ବଜନୀନ ଅଭିଯାନ ଆରମ୍ଭ କରାଯାଇପାରେ । ଏହି ଉଦ୍ୟମ ଶଶିଭୂଷଣଙ୍କ ୧୩୯ତମ ଜୟନ୍ତୀ ବ୍ରହ୍ମପୁର ଉତ୍ସବରେ ସଂକଳ୍ପ ରୂପେ ଗୃହୀତ ହେଉ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୩୧ ଡ଼ିସେମ୍ୱର ୨୦୨୨/ ପୃଷ୍ଠା : ୨)

Photo by Anja Bauermann on Unsplash 


Friday, December 23, 2022

Golden Jubilee of 'Bikasham' / ‘ବିକାଶମ’ର ସୁବର୍ଣ୍ଣ ଜୟନ୍ତୀ


 #ବ୍ରହ୍ମପୁର ସହରର ଅନ୍ୟତମ ତେଲୁଗୁ ସାହିତ୍ୟ ଅନୁଷ୍ଠାନ ବିକାଶମର ସୁବର୍ଣ୍ଣ ଜୟନ୍ତୀ ୨୦୨୨ ଡ଼ିସେମ୍ୱର ଶେଷ ସପ୍ତାହରେ ପାଳନ ସ୍ଥାନୀୟ ସାଂସ୍କୃତିକ ପରିଧିରେ ଏକ ଉଲ୍ଲେଖନୀୟ ଘଟଣା । ପ୍ରକୃତରେ ବିକାଶମ ୨୦୨୦ରେ ପ୍ରତିଷ୍ଠାର ୫୦ ବର୍ଷ ଅତିକ୍ରମ କରିଥିଲା । ତେବେ କୋଭିଡ଼ ମହାମାରୀ ନିଷେଧାଦେଶ କାରଣରୁ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ନିମନ୍ତେ ଦୁଇ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା ।

 

ବ୍ରହ୍ମପୁରରେ ଆଧୁନିକ ସାହିତ୍ୟ ଜାଗରଣରେ ସହରରେ ୧୯୬୯ରେ ଆୟୋଜିତ ଓଡ଼ିଆ ଯୁବ ଲେଖକ ସମ୍ମେଳନ ଅଧିବେଶନର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଯୁବଲେଖକ ସମ୍ମେଳନ ଏକ ରାଜ୍ୟସ୍ତରୀୟ ସାହିତ୍ୟ ଉତ୍ସବ ରୂପେ ବିଗତ ଶତାଦ୍ଦୀର ସପ୍ତମ ଓ ଅଷ୍ଟମ ଦଶକ ସନ୍ଧିକାଳରେ ପ୍ରତିବର୍ଷ ବିଭିନ୍ନ ସହରରେ ଅନୁଷ୍ଠିତ ହେଉଥିଲା । ସାଧାରଣତଃ ଡ଼ିସେମ୍ୱର ମାସ ଶେଷ ସପ୍ତାହରେ ଦୁଇ-ତିନି ଦିନ ବ୍ୟାପୀ ଉତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାହିତ୍ୟିକଗଣ ଯୋଗ ଦେଉଥିଲେ । ପ୍ରତି ଅଧିବେଶନରେ ପରବର୍ତ୍ତୀ ବର୍ଷ ଲାଗି କର୍ମକର୍ତ୍ତା ନିର୍ବାଚ଼ିତ ହୁଅନ୍ତି । ବିପ୍ଳବୀ କବିରୁ ରାଜନୀତିଜ୍ଞ ପାଲଟିଥିବା ପ୍ରସନ୍ନ କୁମାର ପାଟ୍ଟଶାଣୀ ଯୁବଲେଖକ ସମ୍ମେଳନର ଅନ୍ୟତମ ଉତ୍ସାହୀ ସଂଗଠକ । କିନ୍ତୁ କ୍ରମାଗତ ଭାବେ ଦୀର୍ଘକାଳ ଧରି ସେ ସାଂଗଠନିକ ପଦବୀରେ ରହିଯିବା ଏବଂ ଅବସ୍ଥାଚକ୍ରରେ ନକସଲପନ୍ଥୀ ଆନ୍ଦୋଳନ ଅବସରରେ ପଳାତକ ସାଜିବାରୁ ଅନୁଷ୍ଠାନର ସାଂଗଠନିକ ସ୍ଥିତି ବିଶୃଙ୍ଖଳିତ ହୋଇ କ୍ରମଶଃ ବିଲୟ ଘଟିଥିଲା ।

 

ବ୍ରହ୍ମପୁରରେ ଓଡ଼ିଆ ଯୁବଲେଖକ ସମ୍ମେଳନ ଅଧିବେଶନ ଆୟୋଜନରେ ସୃଷ୍ଟ ସାହିତ୍ୟିକ ପରିବେଶ ପ୍ରଭାବରେ ଓଡ଼ିଆ ସାହିତ୍ୟ ଅନୁଷ୍ଠାନ କଳିଙ୍ଗ ସାହିତ୍ୟ ସମାଜ ଓ ତେଲୁଗୁ ସାହିତ୍ୟ ଅନୁଷ୍ଠାନ ବିକାଶମ ଗଠନ ସ୍ପଷ୍ଟ ବାରି ହୁଏ । କଳିଙ୍ଗ ସାହିତ୍ୟ ସମାଜର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ହୋଇସାରିଛି ।

 

ବିକାଶମର ଜନ୍ମକାଳ ବିଂଶ ଶତାଦ୍ଦୀ ସପ୍ତମ ଓ ଅଷ୍ଟମ ଦଶକରେ ତେଲୁଗୁ ଭାଷାଭାଷୀଙ୍କ ମଧ୍ୟରେ ସାହିତ୍ୟ ପ୍ରୀତି ଶୀର୍ଷ ସ୍ତରରେ ପହଞ୍ଚିଥିଲା । ଏଥିରେ ମୁଦ୍ରିତ ପତ୍ରପତ୍ରିକା ମାଧ୍ୟମ ସାଜିଥିଲା । ବିଜୟୱାଡ଼ାରୁ ପ୍ରକାଶିତ ସାପ୍ତାହିକ ଆନ୍ଧ୍ର ପତ୍ରିକା, ଆନ୍ଧ୍ରପ୍ରଭାଆନ୍ଧ୍ରଜ୍ୟୋତି ସାଙ୍ଗକୁ ହାଇଦରାବାଦ ଓ ବିଶାଖପାଟଣାରୁ ପ୍ରତିମାସରେ ପ୍ରାୟ ଡ଼ଜନେରୁ ଉର୍ଦ୍ଧ୍ୱ ପେପରବ୍ୟାକ ଉପନ୍ୟାସ ପୁସ୍ତକ ପ୍ରକାଶ ପାଉଥିଲା । ସୁବିସ୍ତୃତ ପାଠକଗୋଷ୍ଠୀ ଏହି ଲୋକପ୍ରିୟ ପ୍ରକାଶନଗୁଡ଼ିକର ପୃଷ୍ଠପୋଷକତା କରୁଥିଲେ । ବ୍ରହ୍ମପୁରର ତେଲୁଗୁ ଭାଷାଭାଷୀ ପାଠକଶ୍ରେଣୀ ମଧ୍ୟ ଏଥିରେ ସାମିଲ ହେଉଥିଲେ ।

 

ସ୍ଥାନୀୟ ଖଲ୍ଲିକୋଟ ମହାବିଦ୍ୟାଳୟରେ ଏ.ରାମକୃଷ୍ଣ ରାଓ ଇଂଲିଶ ଅଧ୍ୟାପକଭାବେ ଅବସ୍ଥାପିତ ହୋଇଥିଲେ । ସେ ୨୦ରୁ ଉର୍ଦ୍ଧ୍ୱ ତେଲୁଗୁ ଉପନ୍ୟାସ ଓ ବହୁସଂଖ୍ୟକ କ୍ଷୁଦ୍ରଗଳ୍ପ ଲେଖକ । ତାଙ୍କରି ଉପନ୍ୟାସରେ ସ୍ୱାଧୀନୋତ୍ତର ଅବସ୍ଥାରେ କ୍ରମବର୍ଦ୍ଧିଷ୍ଣୁ ସହରୀ ସଭ୍ୟତା ଏବଂ ପରିବର୍ତ୍ତିତ ସାମାଜିକ ବ୍ୟବସ୍ଥାରେ ପାରିବାରିକ ସ୍ଥିତି ବର୍ଣ୍ଣନା ଗୁରୁତ୍ୱଲାଭ କରୁଥିଲା । ରାମକୃଷ୍ଣ ରାଓ ଜଣେ ଧୀରସ୍ଥିର, କମ ଉଚ୍ଚତା ବିଶିଷ୍ଟ ଚଷମାଧାରୀ ଭଦ୍ରବ୍ୟକ୍ତି । ଫୁଲ-ସ୍ଳିଭ ହାଫ-ଫୋଲଡ଼ ସହ ଇନସାର୍ଟରେ ବାହାରନ୍ତି । ସେ ସପରିବାରେ ଭୀମାରାଓ ପେଟାରେ ରହୁଥିଲେ । ଏକ ନୂଆ ବାଇ-ସାଇକଲ ଧରି କଲେଜ ଯାଆନ୍ତି । ତେଲୁଗୁ ଲେଖକ ଭାବେ ତାଙ୍କରି ପ୍ରତିପତ୍ତି ଥାଏ ଏବଂ ସ୍ଥାନୀୟ ତେଲୁଗୁ ସାହିତ୍ୟିକମାନେ ତାଙ୍କ ବାସଭବନକୁ ଯାଆସ କରୁଥିଲେ ରାମକୃଷ୍ଣଙ୍କ ଉଦ୍ୟମରେ ୧୫ ନଭେମ୍ୱର ୧୯୭୦ରେ ତାଙ୍କରି ଭଡ଼ାଘରେ ଦଶଜଣ ସାହିତ୍ୟପ୍ରେମୀଙ୍କ ଗହଣରେ ବିକାଶମ ଜନ୍ମ ନେଇଥିଲା । ସେମାନେ ସାପ୍ତାହିକଭିତ୍ତିରେ ପ୍ରତି ରବିବାର ସକାଳେ ଏକତ୍ରୀତ ହୋଇ ସାହିତ୍ୟ ଚର୍ଚ୍ଚାରେ କିଛି କିଛି ସମୟ କଟାଉଥିଲେ । ସଂଭବତଃ ସାମୟିକଭାବେ ଏକ ହାତଲେଖା ପତ୍ରିକା ମଧ୍ୟ ପ୍ରକାଶ କରୁଥିଲେ ।

 

ସଂଯୋଗବଶତଃ କଳିଙ୍ଗ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ ପୁରୀ ଗଜପତିଙ୍କ ଶାସନର ନବବର୍ଷ ସୁନିଆଁରେ ଉତ୍କଳ ଆଶ୍ରମଠାରେ ପାଳିତ ହେଉଥିବା ସ୍ଥଳେ ବିକାଶମର ବାର୍ଷିକ ଉତ୍ସବ ତେଲୁଗୁ ନବବର୍ଷ ଉଗାଦିରେ ପ୍ରକାଶମ ହଲରେ ପାଳିତ ହେଉଥିଲା । ତତ୍କାଳୀନ ଖ୍ୟାତନାମା ଉପାନ୍ତ ତେଲୁଗୁ ସାହିତ୍ୟିକ ପୁରୀପଣ୍ଡା ଆପଲାସ୍ୱାମୀ ଓ ବିପ୍ଳବୀ କବି ଶ୍ରୀ ଶ୍ରୀଙ୍କ ଭଳି ପ୍ରତିଷ୍ଠିତ ସାହିତ୍ୟିକଗଣ ବିକାଶମ କାର୍ଯ୍ୟକ୍ରମରେ ଯୋଗଦେଇ ସଂଗଠକମାନଙ୍କୁ ଉତ୍ସାହିତ କରିଥିଲେ । ପରବର୍ତ୍ତୀ କାଳରେ ସହରର କେତେକ ଉର୍ତ୍ସଗୀକୃତ ତେଲୁଗୁ ସାହିତ୍ୟିକ ବିକାଶମ ସହ ସଂପର୍କ ରଖିଆସିଥିଲେ ।

 

ଖଲ୍ଲିକୋଟ ମହାବିଦ୍ୟାଳୟ ସରକାରୀ ପରିଚାଳନାଧୀନ ହେବାପରେ ବିକାଶମ ଜନ୍ମର ବର୍ଷକ ମଧ୍ୟରେ ପ୍ରତିଷ୍ଠାତା ରାମକୃଷ୍ଣ ରାଓ ଅନ୍ୟତ୍ର ବଦଳି ହୋଇ ସହର ଛାଡ଼ିଥିଲେ । ପରବର୍ତ୍ତୀ ସଭାପତି ଭାବେ ଭି.ଭି.ଗିରିଙ୍କ ସଂପର୍କୀୟ ଡ଼କ୍ଟର ଉପାଲା ଲକ୍ଷ୍ମଣ ରାଓ ୧୯୭୧ ରୁ ୧୯୮୫ ଯାଏଁ ଦୀର୍ଘ ସମୟ ବିକାଶମର ସଭାପତି ପଦବୀ ଅଳଂକୃତ କରିଥିଲେ ।

 

ସ୍ୱାଧୀନୋତ୍ତର ଭାରତରେ ଆଞ୍ଚଳିକ ସାହିତ୍ୟ ବିକାଶରେ ମୁଦ୍ରିତ ସାପ୍ତାହିକ ପତ୍ରିକାଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲାଧାରାବାହିକ ଭାବେ ପ୍ରକାଶିତ ଉପନ୍ୟାସ ବୃହତ ପାଠକଗୋଷ୍ଠୀଙ୍କୁ ସ୍ଥାନୀୟ ସାହିତ୍ୟ, ସଂସ୍କୃତି ଓ ପରମ୍ପରା ପ୍ରତି ଆକର୍ଷିତ କରୁଥିଲା । ତେଲୁଗୁ ଭାଷାରେ ପ୍ରଚଳିତ ଏହି ଧାରା ଊଣାଅଧିକେ ବ୍ରହ୍ମପୁର ତେଲୁଗୁ ସମ୍ଭ୍ରାନ୍ତ ପରିବାରବର୍ଗରେ ପ୍ରତିଫଳିତ ହେଉଥିଲା । ତେବେ ବିଂଶ ଶତାଦ୍ଦୀର ଶେଷ ଦୁଇ ଦଶକରେ ଟେଲିଭିଜନ ଓ ଏକବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକରେ ଇଣ୍ଟରନେଟ, ସୋସିଆଲ ମିଡ଼ିଆ ଓ ସ୍ମାର୍ଟଫୋନରେ ଭିଡ଼ିଓ ପ୍ରଦର୍ଶନ ଆଞ୍ଚଳିକ ଭାଷା ସାହିତ୍ୟର ପରିଭାଷା ବଦଳାଇ ଦେଇଛି । ଉପଭୋକ୍ତାମାନେ ଅନଲାଇନରେ ଦୀର୍ଘ ସମୟ ଅତିବାହିତ କରୁଥିବା ହେତୁ ରାଜନୀତି ଭଳି ସାଂସ୍କୃତିକ ସଂଗଠନଗୁଡ଼ିକ ନିମନ୍ତେ ମଧ୍ୟ ମଞ୍ଚ ପରିବର୍ତ୍ତନ ସମୟ ଉପନୀତ । ଅର୍ଥାତ, ଏଣିକି ସାହିତ୍ୟ ସଂଗଠନ ସୋସିଆଲ ମିଡ଼ିଆ ମାଧ୍ୟମରେ ସମାହିତ ହେବା ସୁସ୍ପଷ୍ଟ । ତେବେ ଏହି ପରିବର୍ତ୍ତନର ଭଉଁରିରେ ବିକାଶମ ଭଳି ସାହିତ୍ୟ ଅନୁଷ୍ଠାନଗୁଡ଼ିକ ଭର୍ଚୁଆଲ ପରିବେଶକୁ ଉନ୍ନୀତ ହୋଇପାରିବେ କି ଏକ ବଡ଼ ପ୍ରଶ୍ନ !

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୪ ଡ଼ିସେମ୍ୱର ୨୦୨୨/ ପୃଷ୍ଠା : ୨)

Photo by Aleza van der Werff on Unsplash 

Monday, December 19, 2022

Street Names - 2 / ସାହି ନାମକରଣ - ୨


 #ବ୍ରହ୍ମପୁର ସହରରେ ଭୌଗଳିକ ଅବସ୍ଥିତି ଓ ଐତିହାସିକ ସଂପୃକ୍ତିକୁ କେନ୍ଦ୍ରକରି କେତେକ ସାହିର ନାମକରଣ ହୋଇଛି । ସହରର ଦକ୍ଷିଣ-ପୂର୍ବାଂଶରେ ଆଙ୍କୁଲି, ଖଜୁରିଆ ଗ୍ରାମ ରହିଥିଲା । ସେଗୁଡ଼ିକ କ୍ରମଶଃ ବ୍ରହ୍ମପୁରର ଅଂଶବିଶେଷଭାବେ ପରିଗଣିତ ହେଲା । ବହୁ ସଂଖ୍ୟକ ଖଜୁରି ଗଛ ଉପସ୍ଥିତିରେ ଖଜୁରିଆ ଏବଂ ଅଙ୍କୁଲ ଗଛ ଉପସ୍ଥିତିରେ ଆଙ୍କୁଲି ନାମକରଣ ହୋଇଥିବା କୁହାଯାଏ । ସେହିପରି ଫୁଲ ଟାହ୍ୟାରୁ ଫୁଲଟା ନାମର ଉତ୍ପତ୍ତି ।

 

ଅତୀତ ବ୍ରହ୍ମପୁରର ଉତ୍ତର-ପଶ୍ଚିମ ପ୍ରବେଶପଥରେ କାଠ ବେପାରୀମାନେ ଜଙ୍ଗଲଜାତ କାଠଗଣ୍ଡି ଶଗଡ଼ରେ ବୋହି ଆଣି ହରିଡ଼ାଖଣ୍ଡି ଓ ଧୋବା ବନ୍ଧ ମଧ୍ୟସ୍ଥ ଆମ୍ୱତୋଟା ମାନଙ୍କରେ ଗ୍ରାହକ ଅପେକ୍ଷାରେ ରହୁଥିଲେ । କାଳକ୍ରମେ ସେଠାରେ କରତକଳ ଓ ସ୍ଥାୟୀ କାଠଗୋଲାମାନ ସ୍ଥାପିତ ହେଲା । ପୌରପାଳିକା ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସହରକୁ ପ୍ରବେଶ କରୁଥିବା ପଣ୍ୟଦ୍ରବ୍ୟ ତନଖି ଓ ଟିକସ ଆଦାୟ ନିମନ୍ତେ ସେଠାରେ ଚେକ ଗେଟ ସ୍ଥାପିତ ହେଲା । ଫଳରେ ଅଞ୍ଚଳଟି କାଠ ମେଣ୍ଟୁଫାଷ୍ଟ ଗେଟ ନାମିତ ହୋଇଥିଲା । ସେହିପରି ରମ୍ପାସାହି ନିକଟରେ ସ୍ଥାପିତ ଗେଟକୁ ନେଇ ଗେଟ ବଜାର ନାମକରଣର ଯଥାର୍ଥତା ଉପଲବ୍ଧି କରିହୁଏ ।

 

ବ୍ରହ୍ମପୁର ରେଳପଥ ଦ୍ୱାରା ଊନବିଂଶ ଶତାଦ୍ଦୀର ଶେଷପାଦରେ ଯୋଡ଼ି ହେବାପରେ ବିଂଶ ଶତାଦ୍ଦୀ ଆରମ୍ଭରୁ ଗଞ୍ଜାମ, ଗଜପତି, କନ୍ଧମାଳରୁ କୃଷିଜାତ ଓ ବନଜାତ ଦ୍ରବ୍ୟ ରପ୍ତାନୀର ପେଣ୍ଠ ପାଲଟିଥିଲା । ସେହିପରି ଶିଳ୍ପଜାତ ଦ୍ରବ୍ୟର ଆମଦାନୀ ଗୋପାଳପୁର ବନ୍ଦର ସହ ବ୍ରହ୍ମପୁର ରେଳଷ୍ଟେସନ ସାମିଲ ହୋଇଥିଲା । ଏହି ଅବସରରେ ରେଳଷ୍ଟେସନର ଅପରପାର୍ଶ୍ୱରେ ରପ୍ତାନୀ ଓ ଆମଦାନୀ ଦ୍ରବ୍ୟ ଗଚ୍ଛିତ ରଖିବା ନିମନ୍ତେ ଗୋଦାମ ଘରମାନ ନିର୍ମିତ ହୋଇଥିଲା । ଏହା ଗୁଡ଼ସସେଡ଼ ରୋଡ଼ ନାମରେ ଖ୍ୟାତ ହେଲା । ରେଳ ଜଙ୍କସନରେ ସିଗନାଲ ଗୁଡ଼ିକରେ କିରୋସିନି ଦୀପ ଲଗାଯାଉଥିବା ହେତୁ ସେହି ଅଞ୍ଚଳ ଦୀପ ସାହି ନାମିତ ହୋଇଥିଲା ।

 

ବ୍ରିଟିଶ ପ୍ରଶାସନର ପ୍ରଥମ ଅବସ୍ଥାରେ ମହୁରି ରାଜ୍ୟରେ ବିଦ୍ରୋହର ମୁକାବିଲା କରିବା ନିମନ୍ତେ ସ୍ଥାୟୀ ସେନା ଛାଉଣୀ ସ୍ଥାପିତ ହୋଇଥିଲା । ସୈନ୍ୟମାନେ ବାରାକ୍ସରେ କିଛି କାଳ ଅସ୍ଥାୟୀ ଭାବେ ତମ୍ୱୁଟାଣି ରହିବା ପରେ ପ୍ରଥମ ଓ ଦ୍ୱିତୀୟ ମିଲଟରୀ ଲାଇନ୍ସରେ ଅବସ୍ଥାପିତ ହୋଇଥିଲେ । ମିଲଟାରୀ ଲାଇନ୍ସ ସନ୍ନିକଟରେ ପୋଲିସ ଲାଇନ୍ସ ଗଢ଼ି ଉଠିଥିଲା । ମିଲଟାରୀ ଲାଇନ୍ସରୁ ବାରକ୍ସ ରାସ୍ତାକୁ କଣ୍ଟେନମେଣ୍ଟ ରୋଡ଼ କୁହାଗଲା ।

 

ସହରର ପୂର୍ବାଞ୍ଚଳରେ କୋର୍ଟ କୋଠାବାଡ଼ି କାର୍ଯ୍ୟକରି ଆସିଥିଲା । ସେହି ଅଞ୍ଚଳରେ କ୍ରମଶଃ ସରକାରୀ କାର୍ଯ୍ୟାଳୟମାନ ଗଢ଼ି ଉଠିଲା ଏବଂ କୋର୍ଟପେଟା ନାମରେ ପରିଚ଼ିତ ହେଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ୧୯୩୬ରେ ଗଠିତ ହେବା ଯାଏଁ ବ୍ରହ୍ମପୁର ମାଡ୍ରସ ପ୍ରେସିଡ଼େନସି ଅଧୀନରେ ଶାସିତ ହେଉଥିବା ଏବଂ ଦକ୍ଷିଣାଞ୍ଚଳର ସରକାରୀ କର୍ମାଚାରୀ, ଓକିଲ ଓ ଶିକ୍ଷକମାନେ ବହୁ ସଂଖ୍ୟାରେ ଏଠାରେ ବସବାସ କରୁଥିବା ହେତୁ ଦାକ୍ଷିଣାତ୍ୟ ପ୍ରଭାବ ସ୍ପଷ୍ଟ ବାରି ହେଉଥିଲା । ତେଲୁଗୁ ଭାଷାରେ ପେଟାର ଅର୍ଥ ସାହିକୋର୍ଟପେଟା ଭଳି ଭୀମାରାଓ ପେଟା, ପାତ୍ରପେଟା, ମଙ୍ଗଳବାର ପେଟା ନାମକରଣରୁ ଦାକ୍ଷିଣାତ୍ୟ ପ୍ରଭାବ ସ୍ପଷ୍ଟ ବାରି ହୁଏ ।

 

ଖଳା ସାହି, କଦଳୀ ବାଡ଼ ସାହି, ଗାଈଗୋଠ ସାହି ଭୌଗଳିକ ଅବସ୍ଥିତିର ପ୍ରମାଣ ଦିଏ । ଆଇନା ବନ୍ଧ ସାହି, ରଙ୍ଗୁଣୀ ବନ୍ଧ ସାହି, ଜଳସରଖଣ୍ଡି ଇତ୍ୟାଦି ପୁଷ୍କରଣୀ ଉପସ୍ଥିତିକୁ ବୁଝାଇଥାଏ ।

 

ଐତିହାସିକ ସଂପୃକ୍ତି ଦୃଷ୍ଟିକୋଣରୁ ବିଚାର କଲେ ମହୁରି ରାଜପ୍ରସାଦ ମହୁରି ଗଡ଼ରେ ଅବସ୍ଥିତ ଥିଲା ଏବଂ ସେହି ଅଞ୍ଚଳ ମହୁରିଗଡ଼ ତଥା ମହୁଡ଼ାରେ ରୂପାନ୍ତରିତ ହୋଇଛି । ସେହିପରି ଗଞ୍ଜାମରୁ ଆଗତ ପରିବାରବର୍ଗ ଗଉଁଞ୍ଜୁରେ ଅବସ୍ଥାପିତ ହୋଇଥିବା କେତେକ ଅନୁମାନ କରନ୍ତି । ଗୋଲକଣ୍ଡା ଅଞ୍ଚଳରୁ ସ୍ଥାନାନ୍ତରିତ ହୋଇଥିବା ଗୋଲା ସଂପ୍ରଦାୟର ପରିବାରବର୍ଗ ଗୋଲାପଲ୍ଲୀ, ଗୋଇଲୁଣ୍ଡି, ରାଉତପେଟା ସାହି ଗୋଲ୍ଲା ସାହି ଓ ଲାଞ୍ଜିପଲ୍ଲୀ ଅଞ୍ଚଳରେ ଅବସ୍ଥାପିତ ହୋଇଥିଲେ । ସ୍ୱାଧୀନତା ପ୍ରାପ୍ତି ପରେ ବର୍ମାରୁ ଫେରିଥିବା ଶାରଣାର୍ଥୀମାନେ ବର୍ମା କଲୋନୀରେ ଥାଇଥାନ କରାଯାଇଥିଲା । ପ୍ରଥମେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ପରିବାର ବର୍ଗ ଖ୍ରୀଷ୍ଟିଆନ ସାହିରୁ ହିଲପାଟଣା ସ୍ଥାନାନ୍ତରିତ ହେବାପରେ ପୁରୁଣା ଖ୍ରୀଷ୍ଟିଆନ ସାହି ରୂପେ ପରିଚ଼ିତ ହେଲା । ଥାଇଥାନ କରାଯାଇଥିବା କେତେକ ଖ୍ରୀଷ୍ଟିଆନ ପରିବାର ପାଦ୍ରୀପଲ୍ଲୀରେ ରହିଲେ । ବଡ଼ ବଜାର ଆଦମସ ଷ୍ଟ୍ରୀଟ ଏକ ଇଂଲିଶ ନାମ ଏବଂ ଆଗା ସାହି ଏକ ଆରବୀୟ ନାମ । ପଦ୍ମଶ୍ରୀ ମୋହନ ନାୟକଙ୍କ ସଂପାଦକତ୍ୱରେ ବ୍ରହ୍ମପୁରରୁ ଦୀର୍ଘକାଳ ଧରି ପ୍ରକାଶିତ ସେବକପତ୍ରିକାର ନାମ ଅନୁଯାୟୀ ସେବକ ନଗର ନାମକରଣ ଉଲ୍ଲେଖନୀୟ ।

 

ବ୍ରହ୍ମପୁର ସହରର ବିଭିନ୍ନ ସାହିର ନାମକରଣ ଓ ତତ୍ ସଂପର୍କୀତ ଲୁକ୍କାୟିତ ଇତିହାସ ଉନ୍ମୋଚନ ପାଇଁ ସ୍ଥାନୀୟ ବାସିନ୍ଦାମାନଙ୍କ ସହଯୋଗ ଆବଶ୍ୟକ । ଅନ୍ତତଃପକ୍ଷେ ଫେସବୁକଭଳି ବହୁଳ ପ୍ରସାରିତ ସୋସିଆଲ ମିଡ଼ିଆ ମଞ୍ଚରେ ବିକ୍ଷିପ୍ତ ସୂଚ଼ନା କମେଣ୍ଟ ଆକାରରେ ଲିପିବଦ୍ଧ କରାଯାଇପାରିଲେ ଏଦିଗରେ ଗବେଷଣା ନିମନ୍ତେ ପଥ ଉନ୍ମୁକ୍ତ ହୋଇପାରିବା ଆଶା କରାଯାଇପାରେ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୭ ଡ଼ିସେମ୍ୱର ୨୦୨୨/ ପୃଷ୍ଠା : ୨)

Photo by Nadiia Ploshchenko 🇺🇦 on Unsplash 

Sunday, December 18, 2022

Street Names - 1 / ସାହି ନାମକରଣ - ୧


 #ବ୍ରହ୍ମପୁର ସହର ବହୁ ସଂଖ୍ୟକ ସାହି ଓ ବସ୍ତିର ସମାହାର । ଶବ୍ଦକୋଷ ଅର୍ଥରେ ସାହି ସହରବାସୀଙ୍କ ଗୃହାବଳି ଓ ବସ୍ତି ଅପେକ୍ଷାକୃତ ଗରିବ ପରିବାରଙ୍କ ବସତିକୁ ବୁଝାଏ । ବୃହତ ସାହି ତଥା କେତେ ଧାଡ଼ି ଗୃହ ଖଣ୍ଡି (କ୍ଷୁଦ୍ରଖଣ୍ଡ) ବା ପଲ୍ଲୀ (କ୍ଷୁଦ୍ରଗ୍ରାମ) ରୂପେ ଚ଼ିହ୍ନିତ । ବ୍ରହ୍ମପୁର ମହୁରି ରାଜ୍ୟର ରାଜଧାନୀ ରୂପେ ଗଢ଼ି ଉଠିଥିଲା । କେତେକ ମହୁରି (ପେଁକାଳି ବା ତୁରୀ ଜାତୀୟ ବାଦ୍ୟ)କୁ ମହୁରୀ ବନାନ ଲେଖିଥାନ୍ତି । ଶବ୍ଦକୋଷ ଅନୁଯାୟୀ ମହୁରି ବନାନ ଶୁଦ୍ଧ ।

 

ବ୍ରହ୍ମପୁରର ସାହିଗୁଡ଼ିକର ନାମକରଣ ବର୍ଗୀକୃତ କଲେ ଦେବାଳୟ, ସଂପ୍ରଦାୟ, ସାଜ୍ଞା, ବ୍ୟକ୍ତିବିଶେଷ, ଭୌଗଳିକ ଅବସ୍ଥିତି ଓ ଐତିହାସିକ ସଂପୃକ୍ତି ଗୁରୁତ୍ୱଲାଭ କରିଥିବା ପରିଲକ୍ଷିତ ହୋଇଥାଏ ।

 

ବ୍ରହ୍ମପୁର ଜନପଦ ଜନ୍ମକାଳରେ ମନ୍ଦିର ଓ ପୁଷ୍କରଣୀମୟ, ସବୁଜିମା ଆଚ୍ଛାଦିତ ଥିବା ଐତିହାସିକ ପ୍ରମାଣ ମିଳେ । ବିଭିନ୍ନ ମନ୍ଦିରକୁ କେନ୍ଦ୍ରକରି ଗଢ଼ି ଉଠିଥିବା ଜନବସତିଗୁଡ଼ିକ ସେହି ମନ୍ଦିର କିମ୍ୱା ଦେବାଦେବୀଙ୍କ ନାମ ଅନୁଯାୟୀ ନାମିତ ହୋଇଥିଲା । ବଡ଼ ଠାକୁରାଣୀ ମନ୍ଦିର ସଂଲଗ୍ନ ବଡ଼ ଠାକୁରାଣୀ ମନ୍ଦିର ସାହି, କାଳିକା ମନ୍ଦିର ସଂଲଗ୍ନ କାଳିକା ମନ୍ଦିର ସାହି, କୁଠାରୀ ମନ୍ଦିର ସଂଲଗ୍ନ କୁଠାରୀ ମନ୍ଦିର ସାହି, ଚଣ୍ଡୀ ମନ୍ଦିର ସଂଲଗ୍ନ ଚଣ୍ଡୀ ମନ୍ଦିର ସାହି, କାଞ୍ଜି ଆମ୍ମା ମନ୍ଦିର ସଂଲଗ୍ନ ଲାଞ୍ଜିପଲ୍ଲୀ, ବୈଦ୍ୟନାଥ ମନ୍ଦିର ସଂଲଗ୍ନ ବୈଦ୍ୟନାଥପୁର, ନୀଳକଣ୍ଠ ମନ୍ଦିର ସଂଲଗ୍ନ ନୀଳକଣ୍ଠ ନଗର ବ୍ରିଟ କଲୋନୀ, ଚନ୍ଦ୍ରଶେଖର ଦେବାଳୟ ସଂଲଗ୍ନ ଚନ୍ଦ୍ରଶେଖର ଦେବାଳୟ ସାହୀ, ସଂକଳେଶ୍ୱରଙ୍କ ଠାରେ ସଂକଳ୍ପ ନେଲେ ଭାବନା ପୂର୍ଣ୍ଣ ହେଉଥିବା ବିଶ୍ୱାସରେ ସଂଲଗ୍ନ ଅଞ୍ଚଳ ଭାବନୀପୁର, ହରିହର ଭେଟ ମନ୍ଦିର ସଂଲଗ୍ନ ହରିହର ନଗର, ପାଞ୍ଚ ଗୋଟି ଦେବାଳୟ ପରିଧିରେ ପଞ୍ଜୁ ଦେବାଳୟ ସାହି, ରଘୁନାଥ ମନ୍ଦିର ସଂଲଗ୍ନ ରଘୁନାଥ ନଗର, ସତ୍ୟନାରାୟଣ ମନ୍ଦିର ସଂଲଗ୍ନ ସତ୍ୟନାରାୟଣପୁର ଓ ହନୁମାନ ମନ୍ଦିର ସଂଲଗ୍ନ ହନୁମାନ ବଜାର କେତେଗୋଟି ଉଦାହରଣ ।

 

ଅତୀତରେ ବିଭିନ୍ନ ସଂପ୍ରଦାୟର ପରିବାରବର୍ଗ ଏକକ ଅଞ୍ଚଳରେ ବସବାସ କରୁଥିଲେ । ସଂପ୍ରଦାୟର କୌଳିକ ବୃତ୍ତି ଅନୁଯାୟୀ ସାହିଗୁଡ଼ିକର ନାମକରଣ ହେଉଥିଲା । ମହୁରି ରାଜ ପରିବାର କେରାଣ୍ଡିମାଳ ପର୍ବତପାଦଦେଶରେ ମହୁଡ଼ା ଦୁର୍ଗ ପରିତ୍ୟାଗ କରି ବଡ଼ ବଜାରସ୍ଥିତ ରାଜପ୍ରସାଦରେ ବସବାସ କରିବା ଅବସରରେ ତାଙ୍କରି ସେନାବାହିନୀ କ୍ରମଶଃ ବ୍ରହ୍ମପୁରକୁ ସ୍ଥାନାନ୍ତରିତ ହୋଇଥିଲାସେହି ଖଣ୍ଡାୟତ ସଂପ୍ରଦାୟ ମହୁରି ରାଜ୍ୟରେ ଦଳପତି ବା ଦଳୁଆ ନାମଧାରୀ । ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳରେ ସେମାନଙ୍କ ବସତି ଦଳୁଆ ସାହି, ଜେନା ସାହି, ପାତ୍ରପେଟା ନାମରେ ଖ୍ୟାତ । ସେହିପରି ମୋଗଲ ଶାସନ କାଳରେ ହାଇଦରାବାଦ ନିଜାମ ଓ ପରେ ବ୍ରିଟିଶ ପ୍ରଶାସନ ମହୁରି ରାଜ୍ୟ ଦଖଲକୁ ନେବା ଅବସରରେ ଦକ୍ଷିଣ ରାଜ୍ୟରୁ ବହୁ ସଂଖ୍ୟକ ପରିବାର ବ୍ରହ୍ମପୁର ପହଞ୍ଚି ସ୍ଥାୟୀଭାବେ ବସବାସ ଆରମ୍ଭ କରିଥିଲେ । ରେଡ଼ିକା ସଂପ୍ରଦାୟ ବଡ଼ ବଜାର, ପୁରୁଣା ବ୍ରହ୍ମପୁର, ଆଙ୍କୁଲି ଓ ଲାଞ୍ଜିପଲ୍ଲୀରେ ବସବାସ କରିବା ଫଳରେ ରେଡ଼ିକା ସାହି ତଥା କାମ୍ପ ସଂପ୍ରଦାୟ କାପୁ ସାହି ନାମକରଣରେ ପ୍ରତିଫଳିତ । ସେହିପରି ବାଉରି ସାହି, ମାଳି ସାହି, କୁମ୍ଭାର ସାହି ଓ ଶଙ୍ଖାରି ସାହି ନିର୍ଦ୍ଦିଷ୍ଟ ସଂପ୍ରଦାୟର ବସତିକୁ ବୁଝାଉଥିଲା ।

 

ସହରର କେତେକ ନେତୃ ସ୍ଥାନୀୟ ବ୍ୟକ୍ତି ବସବାସ କରୁଥିବା ହେତୁ ସେମାନଙ୍କ ସାଜ୍ଞା ଅନୁଯାୟୀ ସାହିର ନାମକରଣ ହୋଇଥିବା ଦେଖିବାକୁ ମିଳେ । ଯଥା : କାର୍ଯୀ ସାହି, ପ୍ରଧାନ ସାହି, ରଥ ସାହି, ପଣ୍ଡା କଲୋନୀ ଓ ପାତ୍ରପେଟା ଇତ୍ୟାଦି । ମହୁରି ରାଜ୍ୟରେ ବିଦେଶୀ ପ୍ରଶାସନ ବିରୋଧ ବିଦ୍ରୋହରେ ନେତୃତ୍ୱ ଗ୍ରହଣ କରିଥିବା ଗୋପୀନାଥ ମହାରଥା ଓ ସୁରସିଂହ ମହାରଥାଙ୍କ ସ୍ମୃତିରେ ମାର୍ଥା ସାହି, ଖଲ୍ଲିକୋଟ ଜମିଦାରଙ୍କ ଅଧୀନରେ ଥିବା ଜମିଜମା ବିକ୍ରୀପରେ ସେମାନଙ୍କ ପୂର୍ବଜଙ୍କ ନାମରେ ଶ୍ରୀକୃଷ୍ଣ ନଗର, ରାମ ନଗର, ହରିଜନ କର୍ମୀ ଜୟମଙ୍ଗଲ ରଥଙ୍କ ନାମରେ ଜୟମଙ୍ଗଳ ନଗର ଓ ମାଷ୍ଟର ସାନ୍ମେୟାଙ୍କ ସ୍ମୃତିରେ ସାନ୍ମେୟାପଲ୍ଲୀ ନାମିତ ହୋଇଥିଲା । ସେହିପରି ଓକିଲ ଭୀମାରାଓ ପଟ୍ଟନାୟକ ଦ୍ୱାରା ବିକଶିତ ଭୀମାରାଓ ପେଟା ଓ ରାଧା ଚ଼ରଣ ଦାସଙ୍କ ନିବାସକୁ ଘେରି ଆର.ସି.ଦାସ ଲେନ ଭଳି କେତକ ସାହି ନାମକରଣ ହୋଇଥିବା ଦେଖିବାକୁ ମିଳେ । କାରଗିଲ ଯୁଦ୍ଧରେ ଶହୀଦ ଶ୍ରୀନିବାସ ପାତ୍ରଙ୍କ ସ୍ମୃତିରେ ଗେଟ ବଜାରରୁ ଲୋଚ଼ାପଡ଼ା ୧୯୯୯ରେ ଶହୀଦ ଶ୍ରୀନିବାସ ମାର୍ଗ ନାମିତ ହୋଇଥଲା ।

 

ବ୍ରହ୍ମପୁର ସହରର ଶତାଧିକ ସାହିର ନାମକରଣ ଅନ୍ତରାଳେ ଥିବା ଐତିହାସିକ ତଥ୍ୟ ସଂକଳନ ନିମନ୍ତେ ପ୍ରତାପ ଚ଼ନ୍ଦ୍ର ପାଢ଼ୀ ତିନି ଅଧ୍ୟାୟ ବିଶିଷ୍ଟ ଏକ ଦୀର୍ଘ ପ୍ରବନ୍ଧ ୨୦୦୫ରେ ଅନୁପମ ଭାରତରେ ପ୍ରକାଶ କରିଥିଲେ । ବ୍ରହ୍ମପୁର ସହରର ଐତିହାସିକ ଭିତ୍ତିଭୂମି ସଂକଳନରେ ରଞ୍ଜିତା ମିଶ୍ର ବ୍ରହ୍ମପୁରର କିମ୍ୱଦନ୍ତୀ ନାମରେ ଏକ ପ୍ରବନ୍ଧ ରଚନା କରିଥିଲେ ଏବଂ ସ୍ୱର୍ଗତ ସଂଯୁକ୍ତା ମହାପାତ୍ରଙ୍କ ଏକ ଅପ୍ରକାଶିତ ପାଣ୍ଡୁଲିପିର ସୂଚନା ମିଳେ । ଏହି ଦିଗରେ ବିଧିବଦ୍ଧ ସ୍ୱୟଂସଂପୂର୍ଣ୍ଣ ଗବେଷଣା ଅଭାବ ରହିଯାଇଛି । ସାହି ନାମକରଣର ଦ୍ୱିତୀୟ ଅଧ୍ୟାୟରେ ଭୌଗଳିକ ଅବସ୍ଥିତି ଓ ଐତିହାସିକ ସଂପୃକ୍ତିକୁ ନେଇ ନାମକରଣ ଚର୍ଚ୍ଚା କରାଯିବ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୩ ଡ଼ିସେମ୍ୱର ୨୦୨୨/ ପୃଷ୍ଠା : ୨)

Photo by Keiron Crasktellanos on Unsplash 

Saturday, December 10, 2022

Prof. Sudarshan Acharya / ପ୍ରଫେସର ସୁଦର୍ଶନ ଆଚ଼ାର୍ଯ୍ୟ

 

ସ୍ୱର୍ଗତ ସୁଦର୍ଶନ ଆଚ଼ାର୍ଯ୍ୟ ଆତ୍ମ-ଜୀବନୀ ଲେଖି ପ୍ରକାଶ କରିନଥିଲେ । #ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ୨୦୧୯ରେ ପ୍ରକାଶିତ ସ୍ମରଣିକାରେ ତିରିଶି ବର୍ଷର ତିରିଶିଟି ବସନ୍ତ ଶୀର୍ଷକ ୧୨-୧୩ ପୃଷ୍ଠାର ଏକ ରଚନା ଲେଖିଥିଲେ । ସେଥିରେ ବିଶ୍ୱବିଦ୍ୟାଳୟରେ ତାଙ୍କରି କର୍ମନିଯୁକ୍ତିର ଏକାଂଶ ବର୍ଣ୍ଣିତ । ଆତ୍ମଜୀବନୀରେ ବହୁ ସୁଖଦ ଅନୁଭୂତି ସାଙ୍ଗକୁ କେତେକ ଦୁଃଖଦ ଅଭିଜ୍ଞତା ମଧ୍ୟ ଲିପିବଦ୍ଧ କରିବାକୁ ପଡ଼ିଥାଏ । ସଂଭବତଃ ପ୍ରଫେସର ଆଚ଼ାର୍ଯ୍ୟ କୌଣସି ନକାରାତ୍ମକ ଚ଼ିନ୍ତା ସର୍ବସାଧାରଣରେ ଆଲୋଚ଼ନା କରିବାକୁ ଚାହୁଁନଥିଲେ । ତାହା ପ୍ରଫେସର ଆଚ଼ାର୍ଯ୍ୟଙ୍କ ପ୍ରକୃତି ବିରୁଦ୍ଧ । ନଚ଼େତ ୧୯୯୯ରେ ୬୦ ବର୍ଷରେ ଅଧ୍ୟାପନାରୁ ଅବସର ଗ୍ରହଣ ପରେ ୨୦୨୨ରେ ୮୪ ବର୍ଷ ବୟସରେ ପରଲୋକ ଗମନ କରିବା ମଧ୍ୟରେ ଦୀର୍ଘ ୨୩ ବର୍ଷରେ ଆତ୍ମ-ଜୀବନୀ ଖଣ୍ଡେ କଣ ଲେଖିପାରି ନଥାନ୍ତେ ? ଜୀବନର ଶେଷ ଯାଏଁ ସେ ଲେଖାପଢ଼ା ଜାରୀ ରଖିଥିଲେ । ପୁରାତନ ଛାତ୍ରଛାତ୍ରୀମାନେ ବାସଭବନରେ ସାକ୍ଷାତ କରିବାକୁ ପହଞ୍ଚୁଥିବା ଅବସରରେ ନିଜର ନୂଆ ଗବେଷଣା ପ୍ରକଳ୍ପ ସଂପର୍କରେ ସୂଚ଼ନା ଦେଉଥିଲେ । ଚାରିଗୋଟି ସମାଲୋଚ଼ନା ସନ୍ଦର୍ଭ ସମେତ ୨୦ ଗୋଟି ପୁସ୍ତକ, ନଅ ଗୋଟି ଗ୍ରନ୍ଥାବଳୀ ସମ୍ପାଦନା ଓ ୨୫ ଗୋଟି ଅନୁବାଦର ଲେଖକ ଆତ୍ମଜୀବନୀ ଲେଖାକୁ ଏଡ଼ାଇ ଦେଇଥିଲେ ।
 
ଫଳରେ ପ୍ରଫେସର ଆଚ଼ାର୍ଯ୍ୟଙ୍କ ପକ୍ଷରୁ କୌଣସି ସ୍ୱୀକୃତିପ୍ରାପ୍ତ ଜୀବନୀ ଅଥରାଇଜଡ଼ ବାୟୋଗ୍ରାଫି ଦୁର୍ଲଭ । ତାଙ୍କରି ସଂସ୍ପର୍ଶରେ ଆସିଥିବା ଛାତ୍ରଛାତ୍ରୀ, ସହକର୍ମ୍ମୀ, ସତୀର୍ଥ ସାହିତ୍ୟପ୍ରେମୀ ଓ ଗୁଣଗ୍ରାଣୀ ପ୍ରତ୍ୟେକଙ୍କ ଦୃଷ୍ଟିକୋଣ ମଧ୍ୟରେ ବିବିଧତା ରହିବା ସ୍ୱାଭାବିକ । ପ୍ରଫେସର ଆଚ଼ାର୍ଯ୍ୟ ୧୯୫୪ରେ ନୂଆପଡ଼ା ଉଚ୍ଚ ବିଦ୍ୟାଳୟରୁ ମାଧ୍ୟମିକ ଶିକ୍ଷା ସମାପ୍ତ କରି ବ୍ରହ୍ମପୁର ଖଲ୍ଲିକୋଟ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ । ସେହି ଦିନୁ ହିସାବ କଲେ ବ୍ରହ୍ମପୁର ସହ ୬୮ ବର୍ଷ ଧରି ତାଙ୍କରି ସଂପର୍କ । ଏହି ସମୟସୀମାରେ ସ୍ନାତକୋତ୍ତର ଶ୍ରେଣୀରେ ଅଧ୍ୟୟନ ଲାଗି କଟକରେ ଦୁଇ ବର୍ଷ ଏବଂ ଶିକ୍ଷାଶେଷରେ ଶ୍ରୀକାକୁଲମ ମହାବିଦ୍ୟାଳୟରେ ଦୁଇ ବର୍ଷ ଅଧ୍ୟାପନା, ମୋଟ ଚାରି ବର୍ଷ ବାଦ ଦେଲେ, ୬୪ ବର୍ଷ ବ୍ରହ୍ମପୁରରେ କଟାଇଥିଲେ । ପ୍ରଫେସର ଆଚ଼ାର୍ଯ୍ୟ ମାଧ୍ୟମିକ ଶ୍ରେଣୀରେ ପଢ଼ିବାଦିନୁ ସାହିତ୍ୟ ଅଧ୍ୟୟନ ଓ ରଚ଼ନାରେ ସଂପୃକ୍ତ ହୋଇଥିଲେ । ଅତଏବ, ବ୍ରହ୍ମପୁରରେ ଛଅ-ସାତ ଦଶନ୍ଧି ଧରି ସ୍ଥାନୀୟ ସାହିତ୍ୟିକ ମହଲରେ ତାଙ୍କର ଚଳପ୍ରଚଳ ଜାରୀ ରହିଥିଲା ।
 
ବ୍ରିଟିଶ ପ୍ରଶାସନ ୧୮୫୦ରେ ମହୁରି ରାଜ୍ୟର ପ୍ରତ୍ୟକ୍ଷ ଶାସନଭାର ଗ୍ରହଣ କରିବାପରେ ରାଜଧାନୀ ବ୍ରହ୍ମପୁରରେ ସରକାରୀ ଦପ୍ତରମାନ ସ୍ଥାପିତ ହୋଇଥିଲା । ଶିକ୍ଷାନୁଷ୍ଠାନ, ଚ଼ିକିତ୍ସାଳୟ ଓ ବାଣିଜ୍ୟ ପ୍ରତିଷ୍ଠାନଗୁଡ଼ିକରେ ନିଯୁକ୍ତି ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରୁ ପରିବାରବର୍ଗ କ୍ରମଶଃ ବ୍ରହ୍ମପୁର ସହରରେ ପ୍ରଥମେ ଅସ୍ଥାୟୀ ଭାବେ ବସବାସ କରି ସ୍ଥାୟୀ ବାସିନ୍ଦା ପାଲଟିଯାଇଥିଲେ । ଏହି ପ୍ରକ୍ରିୟା ଦୀର୍ଘ ଶହେ ବର୍ଷ ମନ୍ଥର ଗତିରେ ଚାଲିବାପରେ ୧୮୯୬ରେ ରେଳପଥ ସଂଯୋଗ, ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଓ ୧୯୪୭ରେ ସ୍ୱାଧୀନତା ପ୍ରାପ୍ତିପରେ ସହରର ଜନସଂଖ୍ୟା ଦୃତ ଗତିରେ ବଢ଼ିଚାଲିଥିଲା । ପ୍ରଫେସର ଆଚାର୍ଯ୍ୟ ଏହିଭଳି ଏକ ଅଭିବୃଦ୍ଧି କାଳରେ ୧୯୫୪ରେ ଛାତ୍ର ଓ ୧୯୬୨ରେ ଶିକ୍ଷକ ଭାବେ ବ୍ରହ୍ମପୁରରେ ପହଞ୍ଚିଥିଲେ ।
 
ବ୍ରହ୍ମପୁର ସହରରେ ବିଗତ ଶତାଦ୍ଦୀରେ ଷଷ୍ଠ ଓ ସପ୍ତମ ଦଶକରେ ବର୍ହିଗତ ପରିବାରବର୍ଗଙ୍କ ପାଇଁ ବଡ଼ଖେମୁଣ୍ଡି ସାହି, ଚନ୍ଦ୍ରପ୍ରଭା ସାହି, ପାଲୁର ବଙ୍ଗଳା, ହାତୀବନ୍ଧ ସାହି ଭଡ଼ାଘରରେ ଭରପୁର ଥିଲା । ପ୍ରଫେସର ଆଚ଼ାର୍ଯ୍ୟ ଦୀର୍ଘକାଳ ହାତୀବନ୍ଧ ସାହିରେ ରହିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ନିର୍ମାଣନ୍ମୁଖୀ ଅଶୋକନଗରରେ ନିଜ ଘର ତୋଳି ଯାଇଥିଲେ । ତେବେ ନିଜ ଗ୍ରାମ ଗଞ୍ଜାମ ଜିଲ୍ଲା ଜରଡ଼ା ନିକଟସ୍ଥ ସୁବର୍ଣ୍ଣପୁର ସହ ଅନବରତ ସଂପର୍କ ରହିଆସିଥିଲା । ଗ୍ରାମ୍ୟ ଓ ସହରୀ ସଭ୍ୟତାର ସୁଦୃଢ଼ ସେତୁ ଗଢ଼ିବାରେ ସମର୍ଥ ହୋଇଥିଲେ । ସେହି ସମୟରେ ଖଲ୍ଲିକୋଟ ମହାବିଦ୍ୟାଳୟ ଓ ଉତ୍କଳ ଆଶ୍ରମ ବ୍ରହ୍ମପୁର ସାହିତ୍ୟ ଓ ସାହିତ୍ୟିକଙ୍କ ଆଶ୍ରୟସ୍ଥଳୀ । ତତ୍ ସନ୍ନିକଟ ହାତୀବନ୍ଧ ସାହି ତଥା ପଡ଼ୋଶୀ ଅଞ୍ଚଳରେ ବହୁସଂଖ୍ୟକ ସାହିତ୍ୟିକ ଭଡ଼ାଘରେ ବସବାସ କରୁଥିଲେ । ଏହି ଭୌଗଳିକ ପରିବେଶ ପ୍ରଫେସର ଆଚ଼ାର୍ଯ୍ୟଙ୍କୁ ସାହିତ୍ୟ ଚର୍ଚ୍ଚା ନିମନ୍ତେ ସୁଯୋଗ ସୃଷ୍ଟି କରିଥିଲା ।
 
ବ୍ରହ୍ମପୁରର ପୁରୁଣା ବସଷ୍ଟାଣ୍ଡ କଟକର ବାଲୁ ବଜାର, ବିନୋଦ ବିହାରୀ । ଅର୍ଥାତ, ପୁସ୍ତକ ବିକ୍ରୟ ଦୋକାନ ଓ ପ୍ରକାଶକଙ୍କ ଠିକଣା । ଅତୀତରେ ସନ୍ଧ୍ୟାରେ ସେଠାରେ ସାହିତ୍ୟିକଙ୍କ ମେଳନ ଦେଖିବାକୁ ମିଳୁଥିଲା । ପ୍ରଫେସର ଆଚ଼ାର୍ଯ୍ୟଙ୍କ ପ୍ରଥମ ଦୁଇଗୋଟି ପୁସ୍ତକ ନବ ପ୍ରତିଷ୍ଠିତ ବିଜୟ ବୁକ ଷ୍ଟୋର ପ୍ରକାଶ କରିଥିଲେ । ସେ ଛାତ୍ର ଜୀବନର ସ୍ମୃତି ବଖାଣି କହୁଥିଲେ, ସହରରେ ରେଡ଼ିଓ ବ୍ୟବହାର ଲୋକପ୍ରିୟ ହେବା ପୂର୍ବରୁ ବିଜୟା ଟକିଜ ସାମ୍ନା ବର୍ତ୍ତମାନ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମୂର୍ତ୍ତି ସ୍ଥାପିତ ତ୍ରିକୋଣ ଖୋଲା ସ୍ଥାନରେ ସହରର କଲେଜ ପଢୁଆ ଛାତ୍ରମାନେ ସନ୍ଧ୍ୟାର ସାଇକଲମାରି ପହଞ୍ଚି ଏକତ୍ରୀତ ହେଉଥିଲେ । ବିଜୟା ଟକିଜ ପକ୍ଷରୁ ଫାଷ୍ଟସୋ ସିନେମା ଆରମ୍ଭ ପୂର୍ବରୁ ଏବଂ ପରେ ଢ଼େର ସମୟ ଯାଏଁ ଲାଉଡ଼ସ୍ପିକର ଯୋଗେ ହିନ୍ଦି ସିନେମା ଗୀତ ବଜାଯାଉଥିଲା । ସହରର ଯୁବକଙ୍କ ମଧ୍ୟରୁ କେତେକଙ୍କ ପାଇଁ ଏହା ଏକ ସାନ୍ଧ୍ୟ ଖଟିରେ ପରିଣତ ହେଉଥିଲା ।
 
ଖଲ୍ଲିକୋଟ ମହାବିଦ୍ୟାଳୟରେ ୧୯୬୨ରୁ ୧୯୬୮ ଛଅ ବର୍ଷ ଧରି ପ୍ରଫେସର ଆଚ଼ାର୍ଯ୍ୟ ବେଶ ଛାତ୍ରପ୍ରିୟ ଅଧ୍ୟାପକ ରୂପେ ପରିଚ଼ିତ ଥିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ବର୍ଷକ ପରେ ସ୍ନାତକୋତ୍ତର ଓଡ଼ିଆ ବିଭାଗ ସ୍ଥାପନ ଉତ୍ତାରେ ସେ ୧୯୬୯ରେ ଅଧ୍ୟାପକ ରୂପେ ଯୋଗ ଦେଇଥିଲେ । ବ୍ରହ୍ମପୁର ସହରରେ ବସବାସ କରି ଷ୍ଟାଫ ବସ ଯୋଗେ ଦୈନନ୍ଦିନ ଭଞ୍ଜବିହାର ଯାଆସ କରୁଥିଲେ । ବସକୁ ଅପେକ୍ଷା ଓ ବସଯାତ୍ରା କାଳରେ ପ୍ରଫେସର ଆଚ଼ାର୍ଯ୍ୟ ସହକର୍ମ୍ମୀଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ଆଳାପ ଆଲୋଚ଼ନାରେ ଅଂଶ ଗ୍ରହଣ କରୁଥିଲେ । ତାଙ୍କରି ସାନ୍ନିଧ୍ୟର ବିଶେଷତ୍ୱ ହେଲା ସେ ଶୁଣନ୍ତି ଅଧିକ, କହନ୍ତି କମ । କିନ୍ତୁ କଥା ପଦକ ଅଧିକାଂଶ ସମୟରେ ତାତ୍ପର୍ଯ୍ୟପୂର୍ଣ୍ଣ ଓ ମର୍ମଭେଦୀ ।
 
ପ୍ରଫେସର ଆଚ଼ାର୍ଯ୍ୟ ତାଳପତ୍ର ପୋଥି ସଂଗ୍ରାହକ ଓ ପ୍ରାଚ଼ୀନ ସାହିତ୍ୟ ସମ୍ପାଦକ ରୂପେ ଖ୍ୟାତ । ତେବେ ଅଷ୍ଟମ ଦଶକରେ କମ୍ପ୍ୟୁଟରରେ ଓଡ଼ିଆ ଭାଷା ବ୍ୟବହାର ଓ ଅଫସେଟ ମୁଦ୍ରଣ ପ୍ରଚଳନ ତଥା ଅବସରପରେ ଅନ-ଲାଇନ ସାହିତ୍ୟ ପ୍ରସାରକୁ ସର୍ବଦା ସ୍ୱାଗତ କରିଆସିଥିଲେ । ଭାଷା, ସାହିତ୍ୟ ଓ ସଂସ୍କୃତିର ଅଭିବୃଦ୍ଧି ନିମନ୍ତେ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ବ୍ୟବହାରକୁ ସେ ବିରୋଧ କରୁନଥିଲେ । ଅକ୍ସଫୋର୍ଡ ୟୁନିଭରସିଟି ପ୍ରେସ ଦ୍ୱାରା ୨୦୦୪ରେ ପ୍ରକାଶିତ ଇଂରାଜୀ-ଇଂରାଜୀ-ଓଡ଼ିଆ ଶବ୍ଦକୋଷ ପ୍ରସ୍ତୁତିରେ ପ୍ରଫେସର ବିୟତକେଶ ତ୍ରିପାଠୀ ଓ ସମ୍ୱାଦ ସାହିତ୍ୟ କୋଷ ସଂକଳନରେ ଡ଼କ୍ଟର ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପ୍ରଫେସର ଆଚାର୍ଯ୍ୟଙ୍କ ସହଯୋଗ ଓଡ଼ିଆ ଭାଷା ଓ ସାହିତ୍ୟ ଅଭିବୃଦ୍ଧି ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଅବଦାନ ।
 
ପ୍ରଫେସର ଆଚ଼ାର୍ଯ୍ୟଙ୍କ ହସହସ ମୁହଁ ସାଙ୍ଗକୁ ସଂଜତ ଆଚ଼ରଣ ଓ ଛାତ୍ର ବତ୍ସଳତା ତିନିଗୋଟି ଡି.ଲିଟ, ୩୦ ଗୋଟି ପିଏଚ଼.ଡ଼ି. ତଥା ଶତାଧିକ ଏମ.ଫିଲ. ବିଦ୍ୟାର୍ଥୀଙ୍କୁ ଦିଗଦର୍ଶନ ନିମନ୍ତେ ଆକର୍ଷିତ କରିଥିଲା । ପ୍ରଫେସର ଆଚାର୍ଯ୍ୟ ୨୦୧୮ରେ ମହାମାରୀ ପୂର୍ବରୁ ଲେଖିଥିଲେ, ୧୯୬୯ ରୁ ୧୯୯୯ ଦୀର୍ଘ ୩୦ ବର୍ଷ । ବହୁ ତିକ୍ତ ଓ ମଧୁର ଅନୁଭୂତିରେ ଭରା । ତିକ୍ତଗୁଡ଼ିକ ପ୍ରାୟ ବିସ୍ମୃତ ଗର୍ଭକୁ ଚାଲିଗଲାଣି । ପୁରାତନ ଗବେଷକ, ଛାତ୍ର ପ୍ରାୟ ଆସନ୍ତି କିମ୍ୱା ଫୋନ ଯୋଗେ କଥାବାର୍ତ୍ତା ହୁଅନ୍ତି । ମଧୁର ସ୍ମୃତିଗୁଡ଼ିକ ଜାଗ୍ରତ ହୁଏ । ସହକର୍ମ୍ମୀ ଓ ଛାତ୍ରଛାତ୍ରୀଙ୍କ ଭିତରୁ କେତେ କୁଆଡ଼େ ମରିହଜି ଗଲେଣି । କେତେକ ଅବସର ନେଇ ନିଜ ନିଜ ଜଞ୍ଜାଳରେ ବ୍ୟସ୍ତ । ପ୍ରାୟ ସମସ୍ତେ ମନ ପଡ଼ନ୍ତି । ପ୍ରଫେସର ଆଚାର୍ଯ୍ୟ ଆତ୍ମ-ଜୀବନୀ ଲେଖିଲେନି । ହୁଏତ ଜୀବନବ୍ୟାପୀ ଅନୁଭୂତିଗୁଡ଼ିକୁ ନିଜ ବ୍ୟକ୍ତିଗତ ସ୍ମୃତିଚାରଣର ପରିଧିରୁ ସେ ଏଡ଼ାଇ ଦେବାକୁ ଚାହୁଁ ନଥିଲେ !

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୦ ଡ଼ିସେମ୍ୱର ୨୦୨୨/ ପୃଷ୍ଠା : ୨)

Photo by Raul Popadineți on Unsplash