Friday, March 26, 2021

Memories of Gandhi Birth Centenary / ଗାନ୍ଧୀ ଜନ୍ମଶତବାର୍ଷକୀ ସ୍ମୃତି




ମହାତ୍ମା ଗାନ୍ଧୀଙ୍କ ପ୍ରଥମ #ବ୍ରହ୍ମପୁର ଗସ୍ତର ଶତବାର୍ଷକୀ ୨୯ ମାର୍ଚ୍ଚ ୨୦୨୧ରେ ଆୟୋଜନ ଅବସରରେ ସହରରେ ଗାନ୍ଧୀଙ୍କ ଜନ୍ମଶତବାର୍ଷକୀ ପାଳନର ସ୍ମୃତି ମନେ ପଡ଼ିଥାଏ । ବିଂଶ ଶତାଦ୍ଦୀର ଷଷ୍ଠ ଓ ସପ୍ତମ ଦଶକରେ ବ୍ରହ୍ମପୁରରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଏକ ଶାଖା କାର୍ଯ୍ୟାଳୟ ସକ୍ରିୟ ଥିଲା । ସରକାରୀସ୍ତରରେ ୧୯୬୮-୬୯ ଗାନ୍ଧୀ ଶତବାର୍ଷିକୀ ପାଳନ ନିମନ୍ତେ ବ୍ୟାପକ କାର୍ଯ୍ୟକ୍ରମ ତଥା ଶିକ୍ଷାନୁଷ୍ଠାନ, ସାଂସ୍କୃତିକ ଓ ସାମାଜିକ ସଂଗଠନମାନଙ୍କ ଦ୍ୱାରା ବର୍ଷବ୍ୟାପୀ ଉତ୍ସବାନୁଷ୍ଠାନ ଅନୁଷ୍ଠିତ ହୋଇଥିଲେ ହେଁ ସବୁସ୍ତରରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ସାମିଲ ହୋଇଥିଲା ।

 

ବ୍ରହ୍ମପୁରର ଦଳୁଆ ସାହୀର ଏକ ଦୁଇ ମହଲା କୋଠା ଭଡ଼ା ଘରରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ କାର୍ଯ୍ୟକରୁଥାଏ । ଜନ୍ମ ଶତବାର୍ଷକୀ ପାଳନର କିଛି କାଳ ପରେ କାର୍ଯ୍ୟାଳୟଟି ଖ୍ରୀଷ୍ଟିଆନ ହସପିଟାଲ ଛକସ୍ଥିତ ଅନ୍ୟ ଏକ ଦୁଇ ମହଲା କୋଠାର ଉପର ମହଲାକୁ ସ୍ଥାନାନ୍ତରିତ ହୋଇଥିଲା । ଉଭୟ ସ୍ଥାନରେ ଅନ୍ୟୂନ କୋଡ଼ିଏ ଜଣ ବସିବା ଭଳି ପାଠନାଗାରର ବ୍ୟବସ୍ଥା ଥିଲା । କେତେକ ସମ୍ୱାଦପତ୍ର, ପତ୍ରପତ୍ରିକା ସାଙ୍ଗକୁ ଗାନ୍ଧୀ ସାହିତ୍ୟ ପାଠର ସୁବିଧା ମିଳୁଥିଲା । ବିଭିନ୍ନ ମହାପୁରୁଷଙ୍କ ଜୟନ୍ତୀ, ଶ୍ରାଦ୍ଧୋତ୍ସବ ଏବଂ ଯୁବନେତୃତ୍ୱ ଶିବିରମାନ ପଠନାଗାର କକ୍ଷରେ ଅନୁଷ୍ଠିତ ହେଉଥିଲା । ସେହି ସମୟ ବେଳକୁ ବ୍ରହ୍ମପୁରରେ ଅନ୍ୟତ୍ର ଏଭଳି ଉତ୍ସବାନୁଷ୍ଠାନ ଆୟୋଜନର ସୁବିଧା ନଥାଏ । ବ୍ରହ୍ମପୁର ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନରେ ସଭାସମିତିର ବିବରଣୀ ସମାଜପ୍ରଜାତନ୍ତ୍ରରେ ନିୟମିତ ପ୍ରକାଶ ପାଏ । ସେତେବେଳକୁ ଦୈନିକ ସମ୍ୱାଦପତ୍ରଗୁଡ଼ିକର ଆଞ୍ଚଳିକ ସଂସ୍କରଣ ନଥାଏ । ଅର୍ଥାତ ଆଠ ପୃଷ୍ଠାର ସମ୍ୱାଦପତ୍ରରେ ଯେଉଁ ସମ୍ୱାଦ ପ୍ରକାଶ ପାଏ ତାହା ସାରା ଓଡ଼ିଶାର ପାଠକ ପଢୁଥିଲେ । ଏହି କାରଣରୁ ରାଜ୍ୟସ୍ତରରେ ବ୍ରହ୍ମପୁର ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ବେଶ ସୁନାମ ଅର୍ଜନ କରିଥାଏ ।

 

ବ୍ରହ୍ମପୁର କାର୍ଯ୍ୟାଳୟରେ ଶ୍ରୀବତ୍ସ ନାୟକ ସଂଯୋଜକଭାବେ ଦାୟିତ୍ୱ ନିର୍ବାହ କରୁଥାନ୍ତି । ସେତେବେଳକୁ ତାଙ୍କରି ବୟସ ୪୦ ରୁ ୫୦ । ଖାଦୀ ଧୋତି କୁର୍ତ୍ତା ପରିହିତ ବଳିଷ୍ଠ ଚେହରା, ଆଖିରେ ଚ଼ଷମା ଓ ପଟେ ମୋଟା ନିଶ, ବେଶ୍ ଗାନ୍ଧୀବାଦୀର ପରିଚୟ । ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସଭାସମିତିରେ ସମାଜର ପ୍ରତିନିଧି କୃପାସିନ୍ଧୁ ଦାସ ଓ ପ୍ରଜାତନ୍ତ୍ରର ପ୍ରତିନିଧି ରାମାନୁଜ ପଟ୍ଟନାୟକଙ୍କୁ ବରାବର ଦେଖିବାକୁ ମିଳେ । ଦିହେଁ ମଧ୍ୟ ଖଦଡ଼ ଧୋତି, କୁର୍ତ୍ତା ପରିହିତ । କୃପାସିନ୍ଧୁ ଦାସ ସାଇକଲ ଚଢ଼ନ୍ତି, ରାମାନୁଜ ପଟ୍ଟନାୟକ ପାଦରେ ଚାଲି ବୁଲନ୍ତି । ଶ୍ରୀନିବାସ ଆୟଙ୍ଗାର ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆ, ଅମୃତ ବଜାର ପତ୍ରିକାକଳିଙ୍ଗର ପ୍ରତିନିଧି । ସେ ଚିକିଟି ରାଜପୁରୋହିତ ଦକ୍ଷିଣ ଭାରତୀୟ ବଂଶଜ । ପେଣ୍ଟ ସାର୍ଟ ପିନ୍ଧି ଲାମ୍ୱ୍ରେଟା ସ୍କୁଟରରେ ବୁଲୁଥିଲେ

 

ଶ୍ରୀବତ୍ସ ନାୟକ ଢ଼େଙ୍କାନାଳ ଜିଲ୍ଲା ବାସିନ୍ଦା । ସପ୍ତମ ଦଶକ ଶେଷ ବେଳକୁ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ବ୍ରହ୍ମପୁର ଶାଖା ବନ୍ଦ ହୋଇଯିବା ପରେ ସେ ଢେଙ୍କାନାଳ ଫେରି ସକ୍ରିୟ ରାଜନୀତିରେ ଯୋଗ ଦେଇ କିଛି କାଳ ବିଧାୟକ ହୋଇଥିଲେ । ସେ ଭାରୀ ମେଳାପୀ ଓ ସ୍ନେହୀ ଚରିତ୍ର । ବ୍ରହ୍ମପୁରରେ ୧୯୬୪ ରୁ ୧୯୭୨ ଯାଏଁ ଆଠ ବର୍ଷ ଛାତ୍ର ରାଜନୀତି ବାରମ୍ୱାର ବିସ୍ପୋରକ ପରିବେଶ ସୃଷ୍ଟି କରିଥିବା ଅବସରରେ ଶ୍ରୀବତ୍ସ ନାୟକ ଛାତ୍ରନେତାମାନଙ୍କ ସହ ଯୋଗସୂତ୍ର ସ୍ଥାପନ କରି ଯଥାସଂଭବ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଉଦ୍ୟମ କରୁଥିଲେ ।

 

ଗାନ୍ଧୀ ଜନ୍ମ ଶତବାର୍ଷକୀରେ କେନ୍ଦ୍ର ସରକାରଙ୍କ ପବ୍ଳିକେସନ ଡିଭିଜନ ପକ୍ଷରୁ ସମଗ୍ର ଗାନ୍ଧୀ ରଚନାବଳୀ ଶହେ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଥିଲା, ଫିଲ୍ମସ ଡ଼ିଭିଜନ ଆନୁକୁଲ୍ୟରେ ବହୁ ପ୍ରାମାଣିକ ଚ଼ିତ୍ର ପ୍ରସ୍ତୁତ ହୋଇ ଚଳଚ଼ିତ୍ର ପ୍ରେକ୍ଷାଳୟମାନଙ୍କରେ ପ୍ରଦର୍ଶିତ ହୋଇଥିଲା ଏବଂ ଫିଲଡ଼ ପବ୍ଳିସିଟି ପକ୍ଷରୁ ଗାନ୍ଧୀଙ୍କ ଫୋଟୋଚିତ୍ର ସମ୍ୱଳିତ ପ୍ରଦର୍ଶନୀମାନ ବିଭିନ୍ନ ପ୍ରାନ୍ତରେ ଆୟୋଜିତ ହୋଇଥିଲା । ଅସ୍ପୃଶ୍ୟତା ନିବାରଣ, ସାଂପ୍ରଦାୟିକ ସଦଭାବ, ନାରୀ ଶିକ୍ଷା, ନିଶା ନିବାରଣ ଓ ଖଦୀ-ଗ୍ରାମଦ୍ୟୋଗ ପ୍ରସାର ଭଳି ପ୍ରସଙ୍ଗମାନ ବିଭିନ୍ନସ୍ତରରେ ଗୁରୁତ୍ୱ ଆରୋପ କରାଯାଇଥିଲା ।

 

ବିଡ଼ମ୍ୱନାର ବିଷୟ ଏହିଯେ ଗାନ୍ଧୀ ଶତବାର୍ଷିକୀ ପାଳନ-ପର ତିନି ବର୍ଷ ୧୯୬୯ ରୁ ୭୨ ବ୍ରହ୍ମପୁରର ଯୁବମାନସ ଅଶାନ୍ତ ହୋଇପଡ଼ିଥିଲା । ଅଗ୍ରଣୀ ଖଲ୍ଲିକୋଟ ମହାବିଦ୍ୟାଳୟରେ ଅନବରତ ଛାତ୍ର ଅଶାନ୍ତି, ପରୀକ୍ଷାରେ ଅସତଉପାୟ ଅବଲମ୍ୱନ ଅଭିଯୋଗ ସାଙ୍ଗକୁ ନବପ୍ରତିଷ୍ଠିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପରୀକ୍ଷା ପରିଚାଳନାରେ ବିଶୃଙ୍ଖଳା ଆଞ୍ଚଳିକ ଶିକ୍ଷା ପରିବେଶକୁ କଳୁଷିତ କରିପକାଇଥିଲା । ସେହି ସମୟରେ ପଡ଼ୋଶୀ ପଶ୍ଚିମବଙ୍ଗରେ ନକ୍ସଲ ଆନ୍ଦୋଳନ ସାଙ୍ଗକୁ ଉତ୍କଟ ବେକାରୀ ଓ ଯୁବ ଅଶାନ୍ତି ଦେଖା ଦେଇଥାଏ । ଓଡ଼ିଶା ରାଜ୍ୟ ରାଜନୀତିରେ ଅସ୍ଥିରତା ଲାଗି ରହିଥାଏ ଗାନ୍ଧୀ ଐତିହ୍ୟ ଏ ଧରଣର ବିଶୃଙ୍ଖଳାକୁ କେତେଦୂର ଆୟତ୍ତ କରିଥିଲା ନା ସମକାଳୀନ ଯୁବମାନସକୁ ପ୍ରଭାବିତ କରିବାରେ ବିଫଳ ହୋଇଥିଲା, ତାହା ବିତର୍କର ବିଷୟ !


(ଅନୁପମ ଭାରତ ବ୍ରହ୍ମପୁର ସଂସ୍କରଣ / ୨୭ ମାର୍ଚ୍ଚ ୨୦୨୧/ ପୃଷ୍ଠା : ୮)

Illustration : "gandhiji in honolulu" by Brian Glanz is licensed under CC BY 2.0

Friday, March 19, 2021

Organising the Yatra / ଯାତ୍ରା ଆୟୋଜନ ଚର୍ଚ୍ଚା


 


#ବ୍ରହ୍ମପୁର ଦ୍ୱି-ବାର୍ଷିକ ଠାକୁରାଣୀ ଯାତ୍ରା ୨୦୨୧ ଆୟୋଜନ ନିମନ୍ତେ ମାର୍ଚ୍ଚ ୧୯ ଶୁକ୍ରବାର ରାତ୍ରୀ ପ୍ରଥମ ପ୍ରହରରେ ଦେବାଙ୍ଗ କୁଳ ଓ ଜନପଦ ସଭାରେ କାର୍ଯ୍ୟକ୍ରମ ଚୁଡ଼ାନ୍ତ କରି ଦ୍ୱିତୀୟ ପ୍ରହରରେ ବଡ଼ ଠାକୁରାଣୀ ମନ୍ଦିରକୁ ଶୋଭାଯାତ୍ରା ଏବଂ ଆଜ୍ଞାମାଳ ପ୍ରାପ୍ତି ତଥା ଶନିବାର ପ୍ରଥମ ପ୍ରହରରେ ଶୁଭଖୁଣ୍ଟ ସ୍ଥାପନ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଥିଲା । ଏ ସଂପର୍କରେ ବଡ଼ ବଜାର ସଂଲଗ୍ନ ସାହୀଗୁଡ଼ିକରେ ପୂର୍ବାହ୍ନରୁ ଡ଼େଣ୍ଡୁରା ଦିଆଯାଇ ସମସ୍ତ ପୂର୍ବପ୍ରସ୍ତୁତି ମଧ୍ୟ ସରିଥିଲା ।

ତେବେ ଦେଶବ୍ୟାପୀ ‘କୋଭିଡ଼-୧୯’ର ଦ୍ୱିତୀୟ ତରଙ୍ଗ ସଂକ୍ରମଣ ଆଶଙ୍କାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସତର୍କ କରାଇଦିଆଯିବା ପରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିସନର ଅନୁରୂପ ନିର୍ଦ୍ଦେଶନାମା ଜାରି କଲେ । ଶନିବାର ଦିନ ରାଜ୍ୟରେ ୧୧୦ ଜଣ ୨୨ ଗୋଟି ଜିଲ୍ଲାରୁ ସଂକ୍ରମିତ ହୋଇଥିବା ହିସାବ ଜଣାପଡ଼ିବା ପରେ ରିଲିଫ କମିସନରଙ୍କ ପକ୍ଷରୁ ରାଜ୍ୟବ୍ୟାପୀ ଦୋଳ ଓ ହୋଲି ଉତ୍ସବ ସର୍ବସାଧାରଣରେ ପାଳନ ନିମନ୍ତେ ବାରଣ କରାଯାଇଛି । ମନ୍ଦିର ଭିତରେ କୋଭିଡ଼ ଗାଇଡ଼ଲାଇନ ମାନି ଧାର୍ମିକ ରୀତିନୀତି ପାଳିତ ହେବ । ଏହି ନିର୍ଦ୍ଦେଶନାମାକୁ କଡ଼ାକଡ଼ି ପାଳନ କରାଯିବା ନିମନ୍ତେ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରମାନଙ୍କୁ ମୁଖ୍ୟ ଶାସନ ସଚ଼ିବ ପତ୍ର ଲେଖିଥିବା ଗଣମାଧ୍ୟମରେ ପ୍ରକାଶିତ ହୋଇଛି ।
ଏହି ପରିସ୍ଥିତିରେ ବ୍ରହ୍ମପୁର ଠାକୁରାଣୀଯାତ୍ରା ୨୦୨୧ ପାଳନ ନିମନ୍ତେ ନିଷ୍ପତ୍ତି ଗ୍ରହଣ ଲାଗି କୁଳ ଓ ଜନପଦ ସଭା ଆୟୋଜନ ପୂର୍ବରୁ ଆୟୋଜକଙ୍କ ସହ ମହାନଗର ନିଗମ କମିସନର ଓ ଉପଜିଲ୍ଲାପାଳଙ୍କ ଆଲୋଚ଼ନା ହୋଇଥିଲା । ସଂଭବତଃ ପରିସ୍ଥିତି ଅନୁଧ୍ୟାନ କରି କାର୍ଯ୍ୟକ୍ରମ ଚୂଡ଼ାନ୍ତ କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ୧୯ ଶୁକ୍ରବାର ରାତିରେ ଶୁଭଖୁଣ୍ଟ ସ୍ଥାପନ ଆପାତତଃ ସ୍ଥଗିତ ରଖାଗଲା ବୋଲି ଆୟୋଜକ ଘୋଷଣା କରିଛନ୍ତି ।
ବ୍ରହ୍ମପୁର ଠାକୁରାଣୀ ଯାତ୍ରା ୨୦୨୧ ଯେ କୋଭିଡ଼ କଟକଣା ମାନି ଆୟୋଜନ କରିବାକୁ ପଡ଼ିବ ଏଥିରେ ସନ୍ଦେହ ନାହିଁ, ତେବେ ଯାତ୍ରା ଅନୁଷ୍ଠିତ ହେବ ନା ନାହିଁ, ଯଦି ହେବ କେତେଦିନ ହେବ ଏବଂ କେଉଁ ପଦ୍ଧତି ଅନୁସରଣ କରାଯିବ ତାହା ସମୟକ୍ରମେ ନିର୍ଦ୍ଧାରିତ ହେବ । ଏଠାରେ କେତେଗୋଟି ବିଷୟ ଚର୍ଚ୍ଚାର ପରିସରକୁ ଆସେ ।
ଆଇନତଃ ମହାମାରୀ କାଳରେ ଧାର୍ମିକ, ସାଂସ୍କୃତିକ, ରାଜନୀତିକ କାହିଁକି ବିବାହ, ଶୁଦ୍ଧିକ୍ରିୟା ଭଳି ସାମାଜିକ କାର୍ଯ୍ୟ ଆୟୋଜନ ପାଇଁ ମଧ୍ୟ ପ୍ରଶାସନର ଅନୁମତି ପ୍ରଯୁଜ୍ୟ । ଏହି ମେଳନଗୁଡ଼ିକରେ କୋଭିଡ଼ ଗାଇଡ଼ଲାଇନର ଉଲଂଘନ ହେଲେ ଅନୁମତି ପ୍ରାପ୍ତ ଆୟୋଜକ ଦାୟୀ ରହିବେ ।
ପ୍ରଚଳିତ ନୀତି ଅନୁଯାୟୀ ଧାର୍ମିକ ରୀତିନୀତି ପାଳନରେ ବାରଣ ନାହିଁ । କିନ୍ତୁ ଜନସମାଗମ ନିଷେଧ । ଠାକୁରାଣୀ ଯାତ୍ରାର ଦୁଇଗୋଟି ଦିଗ ରହିଛି । ଏକ ପକ୍ଷରେ ନୀତିକାନ୍ତି ପାଳନ ଓ ଅପରପକ୍ଷରେ ଆନନ୍ଦ ଉଲ୍ଲାସରେ ନଗରବାସୀଙ୍କ ପୂଜାର୍ଚ୍ଚନା, ଶୋଭାଯାତ୍ରାରେ ଅଂଶଗ୍ରହଣ, ବେଶଧାରଣ, ରଥ-କଳାକୁଞ୍ଜ-ଆଲୋକସଜ୍ଜା ଉପଭୋଗ, ଅତିଥି ସତ୍କାରରେ ଅଂଶଗ୍ରହଣ ରହିଥାଏ । କୋଭିଡ଼ କଟକଣାରେ ରୀତିନୀତି ପାଳିତ ହୋଇପାରିବ, ତେବେ ଜନସାଧାରଣଙ୍କ ଅଂଶଗ୍ରହଣ ସଂଭବପର ନୁହ । ତେଣୁ ଯାତ୍ରା ଆୟୋଜନ ଲାଗି ବିକଳ୍ପ ନୀତିନିର୍ଦ୍ଧାରଣ ଆବଶ୍ୟକ ।
ଭର୍ଚୁଆଲ ପରିବେଶ ଯାତ୍ରା ପାଳନର ଏକ ବିକଳ୍ପ । ଠାକୁରାଣୀ ଯାତ୍ରା ସହ ସହରବାସୀଙ୍କ ଗଭୀର ଭାବାବେଗ ସଂପର୍କ ରହିଛି । ପାରମ୍ପରିକ ଯାତ୍ରା ବନ୍ଦ କରିଦେବା ଅପେକ୍ଷା ଗତବର୍ଷର ପୁରୀ ରଥଯାତ୍ରା ବା ଗୋସାଇଁନୂଆଗାଁର କାଳୁଆ ଯାତ୍ରା ଭଳି ରୀତିନୀତିରେ ଉତ୍ସବ ପାଳନକୁ ସୀମିତ ରଖି ସୋସିଆଲ ମିଡ଼ିଆ, ଓଭର-ଦି-ଟପ ଓ ଟେଲିଭିଜନ ମଞ୍ଚର ବ୍ୟାପକ ଉପଯୋଗରେ ସର୍ବସାଧାରଣରେ ଯାତ୍ରାର ମାହୋଲ ସୃଷ୍ଟି ସର୍ଜନଶୀଳ କାର୍ଯ୍ୟକ୍ରମ ଆୟୋଜନରେ ଦକ୍ଷତା ଆବଶ୍ୟକ କରେ । ବ୍ରହ୍ମପୁରର ଅର୍ଦ୍ଧାଧିକ ଜନସାଧାରଣ ଇଣ୍ଟରନେଟ ସଂଯୁକ୍ତ ଓ ସ୍ମାର୍ଟଫୋନ ଜରିଆରେ ସୋସିଆଲ ମିଡ଼ିଆରେ ପହଞ୍ଚି ସାରିଥିବା ତଥା ଦୈନିକଭତ୍ତିରେ ହାରାହାରି ଚାରିଘଣ୍ଟା ଯାଏଁ ଫୋନ ପରଦାରେ ବିତାଉଥିବା ହେତୁ ଜନଜୀବନରେ ବୈଷୟିକ ପ୍ରଗତିର ପ୍ରଭାବକୁ ଅଣଦେଖା କରାଯାଇ ପାରେନା ।

Illustration : Bandita Panda

Friday, March 12, 2021

Berhampur Thakurari Yatra 2021 / ଠାକୁରାଣୀ ଯାତ୍ରା ୨୦୨୧



ମହାମାରୀଜନିତ ଅନିଶ୍ଚିତତା ମଧ୍ୟରେ #ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପାଳନ ନିମନ୍ତେ ନୀତିଗତଭାବେ ସ୍ଥିର ହୋଇଥିବା ସମ୍ୱାଦ ସହରବାସୀଙ୍କ ମଧ୍ୟରେ ଆଶ୍ୱସ୍ତି ଆଣିଦେଇଛି । ଯାତ୍ରା ଆୟୋଜକଙ୍କ ପକ୍ଷରୁ ସ୍ଥାନୀୟ ପ୍ରଶାସନ ନିକଟରେ ଅନୁମତି ଆବେଦନ ପରେ ବ୍ରହ୍ମପୁର ମହାନଗର ନିଗମ ତତ୍ତ୍ୱାବଧାନରେ କୋଭିଡ଼ କଟକଣା ମାନି ଯାତ୍ରା ପାଳନ ନିମନ୍ତେ ସବୁଜ ସଙ୍କେତ ଦିଆ ଯାଇଥିବା ପ୍ରକାଶ ।

 

ଯାତ୍ରା ଆୟୋଜନ ସଂପର୍କରେ ଆଲୋଚନା ଲାଗି ମହାନଗର ନିଗମ ପ୍ରଶାସକଙ୍କ ସହ ଆୟୋଜକ ଫେବୃୟାରୀ ୧୦ ତାରିଖରେ ଏକତ୍ରୀତ ହୋଇଥିଲେ । ଏହି ଅବସରରେ ସାତଗୋଟି ମୁଖ୍ୟ ବିଷୟପ୍ରତି ଗୁରୁତ୍ୱ ଆରୋପ କରାଯାଇଥିବା ଜଣାଯାଏ । ପ୍ରଥମତଃ, ଠାକୁରାଣୀ ଯାତ୍ରା ଅବସରରେ ଅସ୍ଥାୟୀ ମନ୍ଦିରରେ ଘଟ ସ୍ଥାପନ ନିମନ୍ତେ ନିର୍ମିତ ପିଣ୍ଡି ଉପରକୁ ଭକ୍ତ କିମ୍ୱା ପୂଜକ ଉଭୟଙ୍କୁ ପ୍ରବେଶ ବାରଣ କରାଯିବ । ପିଣ୍ଡିଠାରୁ ଦୂରତ୍ୱ ଅବଲମ୍ୱନ କରି ଦର୍ଶନ ଓ ପୂଜାପାଠ କରାଯାଇପାରିବ । ଏହା ଦ୍ୱାରା ଅସ୍ଥାୟୀ ମନ୍ଦିରରରେ ଜନଗହଳି ନିୟନ୍ତ୍ରଣ କରାଯିବ ।

 

ଦ୍ୱିତୀୟତଃ, ଯାତ୍ରା ଅବଧିରେ ପ୍ରତ୍ୟେହ ସନ୍ଧ୍ୟାରେ ଘଟ ପରିକ୍ରମାରେ କେତେକ କଟକଣା ଲାଗୁ ହେବ । ପୂର୍ବ ତୁଳନାରେ ଚଳିତ ବର୍ଷ ସାହୀ ସଂଖ୍ୟା କମାଇ ଦିଆଯିବ । ଘଟଧାରୀଙ୍କ ପାଦ ଧୋଇ ପୂଜାଅର୍ଚ୍ଚନା ନିମନ୍ତେ ମହିଳାମାନଙ୍କୁ ଅନୁମତି ମିଳିବ ନାହିଁ ।

 

ତୃତୀୟତଃ, ଘଟ ଶୋଭାଯାତ୍ରାରେ ଦୁଇ ଶହ ବ୍ୟକ୍ତି ଯୋଗ ଦେଇ ପାରିବେ । ଯେକୌଣସି ଆଗ୍ରହୀ ଜନସାଧାରଣଙ୍କ ବ୍ୟତିରେକେ କେବଳ ମନୋନୀତ ସ୍ୱେଚ୍ଛାସେବୀଙ୍କୁ ନେଇ ଘଟ ପରିକ୍ରମା ଆୟୋଜିତ ହେବ । ଯାତ୍ରାପାଳନର ରୀତିନୀତିରେ ପାରମ୍ପରିକ ଭାବେ ଡ଼େରା ଦେବାଙ୍ଗ ସଂପ୍ରଦାୟର ସଂପୃକ୍ତି ହେତୁ ସେଇମାନେ ହିଁ ଅଧିକ ସଂଖ୍ୟକ ସାମିଲ ହେବା ସ୍ୱାଭାବିକ ।

 

ଚ଼ତୁର୍ଥତଃ, ମାନସିକ କରିଥିବା ବ୍ୟକ୍ତିବିଶେଷଙ୍କୁ ବେଶ ଧାରଣ ନିମନ୍ତେ ସୁଯୋଗ ପ୍ରଦାନ କରାଯିବ ନାହିଁ । ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ବେଶ ଧାରଣ ଯାତ୍ରାର ଉପସ୍ଥିତି ବଡ଼ବଜାରରୁ ସମଗ୍ର ସହର ଓ ସହରତଳି ଅଞ୍ଚଳକୁ ପରିବ୍ୟାପ୍ତ କରିଥାଏ । ଏତଦ୍ୱାରା ଜନସାଧାରଣଙ୍କୁ ଯାତ୍ରାରେ ସାମିଲ ହେବା ସୁଯୋଗ ମିଳିଥାଏ । କିନ୍ତୁ ବେଶ ପଟୁଆରରେ ଶାରିରୀକ ଦୂରତ୍ୱ ବଜାୟ ରଖିବା ସଂଭବ ନଥିବା ହେତୁ କୋଭିଡ଼ କଟକଣାରେ ବେଶଧାରଣକୁ ଅନୁମତି ଦିଆନଯିବା ସ୍ଥିରୀକୃତ ହୋଇଥିବା ଜଣାଯାଏ ।

 

ପଞ୍ଚମତଃ, ରଥ ଓ କଳାକୁ୍ଞ୍ଜ ସାଙ୍ଗକୁ ସାହୀଗୁ଼ଡ଼ିକରେ ସନ୍ଧ୍ୟାରେ ଆଲୋକସଜ୍ଜା ବନ୍ଦ ରହିବ । ଏତଦ୍ୱାରା ଏକପକ୍ଷରେ ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ଭିଡ଼ କମାଇବା ସଂଭବପର ହେବା ସ୍ଥଳେ ଅପରପକ୍ଷରେ ଯାତ୍ରାର ଆଡ଼ମ୍ୱର ପ୍ରଭାବିତ ହେବ । ରଥ ଓ କଳାକୁଞ୍ଜ ବିଭିନ୍ନ ସାହୀ ବାସିନ୍ଦାଙ୍କଠାରୁ ଚାନ୍ଦାଭେଦା କରି ଆୟୋଜିତ ହୋଇଥାଏ । ଯାତ୍ରାର ଶେଷ ସପ୍ତାହରେ ୫୦ ସରିକି ରଥ ଓ କଳାକୁଞ୍ଜ ବାହାରେ । ମହାମାରୀରେ ଦୀର୍ଘ ବର୍ଷକ ଧରି ମାନ୍ଦା ଅର୍ଥନୀତିକ ଅବସ୍ଥା ହେତୁ ହୁଏତ ଚଳିତବର୍ଷ ଜାକଜମକରେ ଆୟୋଜନ ସଂଭବପର ହୋଇପାରି ନଥାନ୍ତା ।

 

ଷଷ୍ଠତଃ, ଯାତ୍ରା ଅବସରରେ ଅସ୍ଥାୟୀ ମନ୍ଦିରରେ ଶୁଖିଲା ଓ ଅନ୍ନଭୋଗ ବଣ୍ଟନଠାରୁ ଆରମ୍ଭ କରି ଯାତ୍ରା ଦେଖଣାହାରୀଙ୍କ ମଧ୍ୟରେ ଜଳପାନ ବ୍ୟବସ୍ଥା ବିଗତ କିଛି ବର୍ଷରୁ ଜମିଥିଲା । ଚଳିତ ବର୍ଷ ସମସ୍ତ ରକମ ଭୋଗ ଓ ଖାଦ୍ୟପାନୀୟ ବିତରଣ ବନ୍ଦ ରହିବ ।

 

ସପ୍ତମତଃ, ପରମ୍ପରା ଅନୁଯାୟୀ ବ୍ରହ୍ମପୁର ଠାକୁରାଣୀଯାତ୍ରାରେ ଠାକୁରାଣୀ ବାପଘର ଆସୁଥିବା ବିଧି ହେତୁ ଠାକୁରାଣୀମନ୍ଦିର ସନ୍ନିକଟ ବିଭିନ୍ନ ସାହୀବସ୍ତିରେ ସ୍ଥାୟୀ ବସବାସ କରୁଥିବା ପରିବାରବର୍ଗଙ୍କ ପକ୍ଷରୁ ବିବାହିତା ଝିଅମାନଙ୍କୁ ଯାତ୍ରା ଦେଖିବା ପାଇଁ ନିମନ୍ତ୍ରଣ କରାଯାଇଥାଏ । ଯାତ୍ରା ପାଳନ ଅବସରରେ ପାରିବାରିକ ସୌହାଦ୍ଦ୍ୟ ବୃଦ୍ଧି ନିମନ୍ତେ ପ୍ରଚଳିତ ଏହି ଧାରା ଚଳିତବର୍ଷ ପାଇଁ ବନ୍ଦ ରଖିବାକୁ କୁହାଯାଇଛି । ବାହାର ଜିଲ୍ଲାର ଆତ୍ମୀୟଙ୍କୁ ସହର ଆସିବାକୁ ମନା କରାଯିବ ।

 

ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ଯାତ୍ରା ଆୟୋଜକ ଏହିଭଳି କେତେକ ସର୍ତ୍ତାବଳୀ ପାଳନ କରିବା ନିମନ୍ତେ ବିଧିବଦ୍ଧ ସତ୍ୟପାଠ ପ୍ରସ୍ତୁତ କରି ଦାଖଲ କରିବେ । ଉଲଂଘନ ନିମନ୍ତେ ଆୟୋଜକ ଦାୟୀ ରହିବେ ।

 

ଯାତ୍ରା ତିଥି ନିର୍ଦ୍ଧାରିତ ହେବା ପରେ ଘଟ ସ୍ଥାପନ ନିମନ୍ତେ ଦେଶୀବେହରା ସାହୀରେ ଅସ୍ଥାୟୀ ମନ୍ଦିର ପୌର ପ୍ରଶାସନ ପକ୍ଷରୁ ନିର୍ମାଣ ଲାଗି ସହାୟତା ଯୋଗାଇ ଦିଆଯାଇଥାଏ । ଅସ୍ଥାୟୀ ମନ୍ଦିର ସଂଲଗ୍ନ ସୁଉଚ୍ଚ ଛାମୁଣ୍ଡିଆ ଦେଶୀବେହରା ସାହୀର ବ୍ୟବସାୟୀ ଓ ପରିବହନ ଶ୍ରମିକଙ୍କ ତତ୍ତ୍ୱାବଧାନରେ ନିର୍ମିତ ହୁଏ । ଏଥି ନିମନ୍ତେ ନିୟମିତ ବର୍ହିଆଗତ ମାଲବାହୀ ଯାନବାହାନରୁ ଚାନ୍ଦା ସଂଗ୍ରହ ହୋଇ ଗଚ୍ଛିତ ରହିଥାଏ । ଯାତ୍ରା ତିଥି ନିର୍ଦ୍ଧାରିତ ହେବା ମାତ୍ରେ ଅସ୍ଥାୟୀ ମନ୍ଦିର ଓ ସଂଲଗ୍ନ ଛାମୁଣ୍ଡିଆ ନିର୍ମିତ ହୋଇଥାଏ ।

 

ମହାମାରୀରେ ୨୦୨୧ ଦ୍ୱି-ବାର୍ଷିକ ଯାତ୍ରା ଆୟୋଜିତ ହେଉଥିବା ହେତୁ ଶାରିରୀକ ଦୂରତ୍ୱ କଟକଣାରେ ଯାତ୍ରା କାର୍ଣ୍ଣିଭଲର ସ୍ୱାଦ ଉଭେଇ ଯିବ । କିନ୍ତୁ ସହରର ଅନ୍ୟୂନ ୪୨ ପ୍ରତିଶତ ଯାଏଁ ପରିବାର ଇଣ୍ଟରନେଟ ଏବଂ ୯୫ ପ୍ରତିଶତରୁ ଅଧିକ ଟେଲିଭିଜନ ଯୋଗେ ସଂଯୁକ୍ତ ଥିବା ହେତୁ କ୍ରମଶଃ ଯାତ୍ରା ଉପଭୋଗ କିପରି ଭର୍ଚୁଆଲ ପରିବେଶକୁ ଉତ୍ତୀର୍ଣ୍ଣ ହେବ ତାହା ଦେଖିବାକୁ ରହିଲା ।

(‘ଅନୁପମ ଭାରତ ବ୍ରହ୍ମପୁର ସଂସ୍କରଣ / ୧୩ ମାର୍ଚ୍ଚ ୨୦୨୧/ ପୃଷ୍ଠା : ୫)


Illustration : Laxmi Bej