Sunday, September 1, 2019

Community Ganesh Puja / ସାର୍ବଜନୀନ ଗଣେଶ ପୂଜା


ସହରର ବାର୍ଷିକ ଶାରଦୀୟ ଉତ୍ସାବାନୁଷ୍ଠାନଗୁଡ଼ିକ ଗଣେଶ ପୂଜାଠାରୁ ଆରମ୍ଭ ହୋଇଥାଏ । ଗ୍ରୀଷ୍ମଋତୁରେ ଦ୍ୱିବାର୍ଷିକଭିତ୍ତିରେ ଠାକୁରାଣୀ ଯାତ୍ରା, ବର୍ଷା ଋତୁରେ ରଥଯାତ୍ରା ଓ ଗହ୍ମା ପୂର୍ଣ୍ଣିମା ପରକୁ ଶରତ ଋତୁ ଆରମ୍ଭରେ ଗଣେଶ ପୂଜା । ପରବର୍ତ୍ତୀ ପର୍ଯ୍ୟାୟରେ ଦୁର୍ଗା ପୂଜା, କୁମାର ପୂର୍ଣ୍ଣିମାରେ ଗୋସାଇଁ ନୂଆଗାଁ କାଳୁଆ ଯାତ୍ରା ଓ ଦୀପାବଳୀରେ କାଳୀ ପୂଜା ଅନ୍ୟାନ୍ୟ ମୁଖ୍ୟ ପର୍ବପର୍ବାଣୀ ।

ବ୍ରହ୍ମପୁରରେ ସାର୍ବଜନୀନ ଗଣେଶ ପୂଜା ଆୟୋଜନ ନିକଟ ଅତୀତର ପରମ୍ପରା । ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ଦକ୍ଷିଣ ଓଡ଼ିଶାର ଶିକ୍ଷାକେନ୍ଦ୍ର ଏଜୁକେସନାଲ ହବ ରୂପେ ମୁଣ୍ଡଟେକିବା ଅବସରରେ ସହରର ଶିକ୍ଷାନୁଷ୍ଠାନଗୁଡ଼ିକ ପରିସରରେ ଗଣେଶ ପୂଜା ପ୍ରଚଳିତ ଥିଲା । ଗତ ଶତାଦ୍ଦୀର ସପ୍ତମ ଦଶକରେ ବିଭିନ୍ନ ସାହୀରେ ସ୍ଥାନୀୟ ଯୁବକମାନଙ୍କ ଉଦ୍ୟମରେ ଗଣେଶ ପୂଜା ମେଢ଼ ନିର୍ମାଣ ଓ ଏକାଧିକ ଦିନ ଧରି ପୂଜା ପରେ ବିସର୍ଜନ ଶୋଭାଯାତ୍ରା ଲୋକପ୍ରିୟତା ହାସଲ କଲା । କ୍ରମାଗତଭାବେ ସହରର ପରିସୀମା ବଢ଼ି ଚାଲିଥିବା ହେତୁ ଗଣେଶ ପୂଜା ମଣ୍ଡପ ସଂଖ୍ୟା ମଧ୍ୟ ବଢୁଥିବା ଲକ୍ଷ୍ୟ କରାଯାଏ ।

ଦେଶର ଅନ୍ୟାନ୍ୟ ସହରଭଳି ବ୍ରହ୍ମପୁରରେ ଗଣେଶ ପୂଜା ଊଣାଅଧିକେ ମୁମ୍ୱାଇ ପରମ୍ପରାରେ ପ୍ରଭାବିତ । ଜରୁରୀକାଳୀନ ପରିସ୍ଥିତି ପୂର୍ବାବସ୍ଥାରେ ଟେଲିଭିଜନ ପ୍ରସାରଣ ଆରମ୍ଭ ହୋଇ ନଥିଲେ ହେଁ ହିନ୍ଦୀ ଚଳଚ଼ିତ୍ରରେ ରୂପାୟିତ ମୁମ୍ୱାଇର ସାର୍ବଜନୀନ ଗଣେଶ ପୂଜା ମଣ୍ଡପ ଓ ବିସର୍ଜନ ଶୋଭାଯାତ୍ରା ସ୍ଥାନୀୟ ଯୁବଗୋଷ୍ଠୀଙ୍କୁ ପ୍ରଭାବିତ କରିଥିବା ଅନୁମାନ କରାଯାଇପାରେ । ଅପରପକ୍ଷେ ଅପେକ୍ଷାକୃତଭାବେ ପୂର୍ବରୁ କଟକ ଓ ଭୁବନେଶ୍ୱରରେ ସାର୍ବଜନୀନ ଗଣେଶ ପୂଜା ଆୟୋଜିତ ହେଉଥିବା ହେତୁ ତାହାର ଅନୁକରଣ କରାଯାଇଥିବା ମଧ୍ୟ ଯୁକ୍ତିଯୁକ୍ତ ।

ଜାକଜମକରେ ଗଣେଶ ପୂଜା ଆୟୋଜନ ନିମନ୍ତେ ମୃଣ୍ମୟ ମୂର୍ତ୍ତି ଖରିଦ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକର ଛାତ୍ରମାନେ କଟକ ପହଞ୍ଚୁଥିଲେ । ଗୋଷ୍ଠୀଗତଭାବେ ରେଳଯାତ୍ରା ଓ ମୂର୍ତ୍ତି ପରିବହନ ନିଆରା ଅନୁଭୂତି ପାଲଟୁଥିଲା । ତେବେ ୧୯୬୩ରୁ ୧୯୬୭ ମଧ୍ୟରେ ଠାକୁରାଣୀ ଯାତ୍ରାରେ ନୂତନଭାବେ କଳାକୁଞ୍ଜ ପ୍ରଦର୍ଶନ ଆରମ୍ଭ ହେବା ଏବଂ କଟକ, କଲିକତାର କାରିଗରମାନେ ଅସ୍ଥାୟୀଭାବେ ବ୍ରହ୍ମପୁରରେ ଅବସ୍ଥାନ କାଳରେ ଗଣେଶ ପୂଜା ଆୟୋଜକମାନଙ୍କ ସହ ପରିଚିତ ହୋଇ ଅନୁରୂପ ଢ଼ଙ୍ଗରେ ଗଣେଶ ମୂର୍ତ୍ତି ଗଠନ ନିମନ୍ତେ ବରାଦ ଦେବା ଆରମ୍ଭ କରିଥିଲେ । ସ୍ଥାନୀୟ କାରିଗରଙ୍କ ମୂର୍ତ୍ତି ପାଇଁ ଆଇନାବନ୍ଧ ସାହୀ ଯିବାକୁ ପଡୁଥିଲା ।

ଗଣେଶ ଚତୁର୍ଥୀ ପରବର୍ତ୍ତୀ ସଂଧ୍ୟାଗୁଡ଼ିକରେ ସାହୀରୁ ସାହୀ ବୁଲି ମେଢ଼ ସାଜସଜ୍ଜା ଉପଭୋଗ, ମେଲୋଡ଼ି ଓ ଟ୍ରକରେ ଆଲୋକ ସଜ୍ଜା ସହ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସହରରେ ଏକ ନୂତନ ସଂସ୍କୃତି ଆରମ୍ଭ କଲା । ୧୯୬୪ରେ ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନ ଅବସରରେ ସାମାଜିକ ଆଙ୍ଗୀକରେ ବର୍ଦ୍ଧିତ ଜନସଂଖ୍ୟା ସମୃଦ୍ଧ ଯୁବଶକ୍ତିର ଅଭ୍ୟୁଦୟ ସାର୍ବଜନୀନ ଗଣେଶ ପୂଜା ଆୟୋଜନର ଅନ୍ୟତମ ସାକ୍ଷୀ । ପରାଧୀନ ଭାରତରେ ଜାତିଭେଦ ଦୂରୀକରଣ ଓ ଦେଶାତ୍ମବୋଧ ଉଦ୍ରେକ ନିମନ୍ତେ ଲୋକମାନ୍ୟ ବାଳ ଗଙ୍ଗାଧର ତିଳକ ଊନବିଂଶ ଶତାଦ୍ଦୀର ଶେଷ ୧୮୯୩ରେ ମହାରାଷ୍ଟ୍ରରେ ସାର୍ବଜନୀନ ଗଣେଶ ପୂଜା ପ୍ରଥା ଆରମ୍ଭ କରିଥିଲେ । ବିଗତ ଶହେବର୍ଷ ମଧ୍ୟରେ ସେହି ପରମ୍ପରା ସାରା ଭାରତବର୍ଷର ପର୍ବପର୍ବାଣୀରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । #ବ୍ରହ୍ମପୁର ସହର ସେଥିରୁ ବାଦ ଯାଇନାହିଁ ।
---