Friday, February 24, 2023

Summer of 2023 Ahead / ଗ୍ରୀଷ୍ମଋତୁ ୨୦୨୩ ଆକଳନ

 

ପାରମ୍ପରିକଭାବେ #ବ୍ରହ୍ମପୁର ସହରରେ ଶିବରାତ୍ରୀଠାରୁ ଗ୍ରୀଷ୍ମର ପ୍ରକୋପ ଅନୁଭୂତ ହୁଏ ଏବଂ ଶାରଦୀୟ ଉତ୍ସବ କୁମାର ପୂର୍ଣ୍ଣିମା ଯାଏଁ ବଳବତ୍ତର ରହେ । ସ୍ୱାଭାବିକଭାବେ ଫେବୃୟାରୀ ୨୦୨୩ ମଧ୍ୟ ଭାଗରୁ ରାଜ୍ୟବ୍ୟାପୀ ଦିନ ଓ ରାତି ଉଭୟ ତାପମାତ୍ରା ବୃଦ୍ଧି ଲକ୍ଷ୍ୟ କରାଯାଇଥିଲା । ଗ୍ରୀଷ୍ମର ପ୍ରଥମ ଅନୁଭବ ଜନଜୀବନରେ ଚର୍ଚ୍ଚିତ ହୋଇଥାଏ । ଗଣମାଧ୍ୟମରେ ସମ୍ୱାଦ ପାଲଟେ । ଆଗକୁ ଗ୍ରୀଷ୍ମ ଋତୁ କିପରି ରହିବ ତାହା ଜାଣିବା ନିମନ୍ତେ ଉତ୍ସୁକତା ପ୍ରକାଶ ପାଇଥାଏ ।

 

ମକର ସଂକ୍ରାନ୍ତି ଜାନୁୟାରୀ ମଧ୍ୟଭାଗରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ହେତୁ ତାପମାତ୍ରା ବୃଦ୍ଧି ପାଏ । ବ୍ରହ୍ମପୁର ପୂର୍ବଦିଗରେ ସମୁଦ୍ର ପତ୍ତନଠାରୁ ସିଧା ସଳଖ ଦଶ କିଲୋମିଟରରୁ କମ ଦୂରତ୍ୱ ଏବଂ ପଶ୍ଚିମ ଦିଗରେ କେରାଣ୍ଡିମାଳ ପାର୍ବତ୍ୟାଞ୍ଚଳ ପାଦଦେଶରେ ଅବସ୍ଥିତ ଥିବା ହେତୁ ଏଠାକାର ଗ୍ରୀଷ୍ମକାଳୀନ ପାଣିପାଗ ଅନ୍ୟ ସହରଗୁଡ଼ିକଠାରୁ ଭିନ୍ନ । ସହରବାସୀ ପ୍ରାୟତଃ ଦ୍ୱୀପାଞ୍ଚଳ ଜଳବାୟୁ ଆଇଲ୍ୟାଣ୍ଡ ୱେଦର ଅନୁଭବ କରିଥାନ୍ତି । ଗ୍ରୀଷ୍ମଋତୁରେ ପ୍ରଭାତରୁ ମଧ୍ୟାହ୍ନ ଯାଏଁ ପ୍ରବଳ ଖରା ସାଙ୍ଗକୁ ସମୟାନ୍ତେ ଅପରାହ୍ନରେ ଅଧ ଘଣ୍ଟାରୁ ଘଣ୍ଟାଏ ଯାଏଁ ମୂଷଳ ଧାରାରେ ବୃଷ୍ଟି ହୁଏ । ଉଭୟ ସମୁଦ୍ର ତରଙ୍ଗ ଓ ବର୍ଷା କାରଣରୁ ବାୟୁମଣ୍ଡଳରେ ଜଳକଣା ବୃଦ୍ଧି ପାଇ ଆଦ୍ରତା ବଢ଼େ ଏବଂ ଗରମ ସାଙ୍ଗକୁ ଶରୀରରୁ ଝାଳ ବହେ । ଗୁଳଗୁଳି ଲାଗି ରହେ ।

 

ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନ କ୍ଳାଇମେଟ ଚେଞ୍ଜ ପ୍ରଭାବରେ ୨୦୨୨ ଗ୍ରୀଷ୍ମଋତୁରେ ୟୁରୋପ, ବ୍ରିଟେନ ଓ ଉତ୍ତର-ଆମେରିକାରେ ସର୍ବକାଳୀନ ତାପମାତ୍ରା ବୃଦ୍ଧି ଉଦବେଗର କାରଣ ପାଲଟିଥିଲା । ଏଯାଏଁ ଜଳବାୟୁ ପରିବର୍ତ୍ତନଜନିତ ଆଚ଼ରଣ ଆକସ୍ମିକ ଘଟଣାସ୍ତରରେ ରହିଛି । ବୈଜ୍ଞାନିକମାନେ ଦୀର୍ଘ ଅବଧି ପୂର୍ବାନୁମାନ କରିବା ସାମର୍ଥ୍ୟ ହାସଲ କରିପାରି ନାହାନ୍ତି । ଅତଏବ, ଗ୍ରୀଷ୍ମ ଋତୁର ପାରମ୍ପରିକ ପ୍ରଭାବ ବ୍ରହ୍ମପୁର କାହିଁକି, ଯେ କୌଣସି ସହରରେ କେଉଁ ରୂପରେ ଅନୁଭୂତ ହେବ ସେଥିନେଇ ଆଶଙ୍କା ଲାଗି ରହୁଛି ।

 

ଦ୍ୱିତୀୟତଃ, ଗ୍ରୀଷ୍ମ ବ୍ରହ୍ମପୁରବାସୀଙ୍କ ପାଇଁ ଆମ୍ୱଋତୁ । ସହରରେ ଦୋଳ ପୂର୍ଣ୍ଣିମାରୁ କଞ୍ଚା ଆମ୍ୱ ଏବଂ ବିଷୁବ ସଂକ୍ରାନ୍ତିଠାରୁ ପାଚ଼ିଲା ଆମ୍ୱ ପସରା ଖୋଲିଯାଏ । ବ୍ରହ୍ମପୁରକୁ ଘେରି ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ଆମ୍ୱ ତୋଟା ବା ବଗିଚା ସାଙ୍ଗକୁ ପଡ଼ୋଶୀ ଗଜପତି, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ବ୍ୟାପକ ଆମ୍ୱଚାଷ ହୁଏ । ବ୍ରହ୍ମପୁର ଆମ୍ୱ କିଣାବିକା ପାଇଁ ଏକ ବଡ଼ ବଜାର । ଆନ୍ଧ୍ରପ୍ରଦେଶ ସମେତ ଅନ୍ୟାନ୍ୟ ଦାକ୍ଷିଣାତ୍ୟ ରାଜ୍ୟଗୁଡ଼ିକରୁ ବ୍ରହ୍ମପୁର ବଜାରକୁ ଆମ୍ୱ ଆମଦାନୀ ହୁଏ ଏବଂ ରାଜ୍ୟର ବିଭିନ୍ନ ସହରକୁ ରପ୍ତାନୀ ହୁଏ ।

 

ପ୍ରାକ୍ ଓ ପୂର୍ବ ଗ୍ରୀଷ୍ମଋତୁର ପାଣିପାଗ ସହ ଆମ୍ୱ ଅମଳ ଅଙ୍ଗାଙ୍ଗୀଭାବେ ଜଡ଼ିତ । ପାଣିପାଗ ବିଜ୍ଞାନୀଙ୍କ ସୂଚ଼ନା ଅନୁଯାୟୀ ସମଗ୍ର ଓଡ଼ିଶାରେ ୨୦୨୩ର ପାଣିପାଗ ଆମ୍ୱ ଫସଲ ନିମନ୍ତେ ଅନୁକୂଳ ରହିଥିଲା । ମୁଖ୍ୟତଃ ବର୍ଷା ନହେବା ଏବଂ କମ ସଂଖ୍ୟକ ସକାଳରେ କୁହୁଡ଼ି ପଡ଼ିବା ଯୋଗୁଁ ଆମ୍ୱବଉଳ ମଉଳି ଯିବାରୁ ବର୍ତ୍ତିଯାଇଥିଲା । ଫଳରେ ସାଧାରଣ ତୁଳନାରେ ୨୦୨୩ରେ ଦୁଇ ଗୁଣ ଆମ୍ୱ ଫସଲ ଆଶା କରାଯାଇପାରେ । ହିସାବ ଅନୁଯାୟୀ ରାଜ୍ୟରେ ପ୍ରାୟ ଦୁଇ ଲକ୍ଷ ହେକ୍ଟର ଜମିରେ ଆମ୍ୱ ଚାଷ ହୁଏ । ହେକ୍ଟର ପିଛା ୪ ରୁ ୫ ଟନ ଅମଳ ହେଉଥିବା ସ୍ଥଳେ ୨୦୨୩ରେ ୫ ରୁ ୧୦ ଟନ ଯାଏଁ ଅମଳ ଆକଳନ କରାଯାଉଛି । କୁହାଯାଏ ଯେ ଗୋଟିଏ ବର୍ଷ ବ୍ୟବଧାନରେ ଆମ୍ୱ ଅମଳ ଭଲ ହୁଏ । ୨୦୨୦ ଓ ୨୦୨୨ରେ ଆମ୍ୱ ଅମଳ ଆଶାନୁରୂପକ ହୋଇନଥିଲା । ୨୦୨୧ରେ ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଥିଲା । ତେଣୁ ୨୦୧୯ ପରକୁ ୨୦୨୩ରେ ପ୍ରଚୁର ଆମ୍ୱ ଅମଳ ଆଶା କରାଯାଇପାରେ ।

 

ତୃତୀୟତଃ, ବର୍ଷକ ବ୍ୟବଧାନରେ ବ୍ରହ୍ମପୁରରେ ଠାକୁରାଣୀ ଯାତ୍ରା ଆୟୋଜିତ ହୁଏ । ଅତଏବ ପ୍ରଚୁର ଆମ୍ୱ ସହ ଯାକଜମକରେ ଠାକୁରାଣୀ ଯାତ୍ରା ସହରବାସୀକୁ ଆମୋଦିତ କରିବ । ଗତ ପାଳି ୨୦୨୧ରେ କୋଭିଡ଼-୧୯ ମହାମାରୀଜନିତ କଟକଣା ଯୋଗୁଁ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ନିରାଡ଼ମ୍ୱର ଭାବେ ପାଳିତ ହୋଇଥିଲା । ପରମ୍ପରାକ୍ରମେ ଶିବରାତ୍ରୀ ପାଳନର ଦୁଇ ସପ୍ତାହରେ ଯାତ୍ରା ଆୟୋଜନ ନିମନ୍ତେ ତିଥି ନିର୍ଦ୍ଧାରିତ ହୋଇଥାଏ । ବ୍ରହ୍ମପୁରରେ ବସତି ସ୍ଥାପନ କରିଥିବା ଅନ୍ୟତମ ପୁରାତନ ଦେବାଙ୍ଗ ସଂପ୍ରଦାୟ ବୁଣାକାରଙ୍କ ପକ୍ଷରୁ ଯାତ୍ରା ଆୟୋଜନ କରାଯାଇଥାଏ । ସଂପ୍ରଦାୟର ମୁଖ୍ୟ କୁଳ-ପୁରୋହିତଙ୍କ ପରାମର୍ଶକ୍ରମେ ତିଥି ନିର୍ଦ୍ଧାରଣ କରି ବିଭିନ୍ନ ବସ୍ତିରେ ବସବାସ କରୁଥିବା ଦେବାଙ୍ଗ ସଂପ୍ରଦାୟ ପରିବାରବର୍ଗଙ୍କ ପ୍ରତିନିଧି ଓ ସହରର ମାନ୍ୟଗଣ୍ୟଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଯାତ୍ରା ତିଥି ଘୋଷଣା କରିଥାନ୍ତି । ଗ୍ରୀଷ୍ମଋତୁ ୨୦୨୩ରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ଅଧିକ ଡ଼ିଜିଟାଲ ବିଭବ ସଂଯୋଗ ଓ ପାଚ଼ିଲା ଆମ୍ୱର ଅନ-ଲାଇନ କିଣାବିକା ବିକଶିତ ହେବା ଆକଳନ କରାଯାଇପାରେ ।


Photo by Anton Zaharchenko on Unsplash 

Friday, February 17, 2023

Four Decades of PREM / ଚାଳିଶି ବର୍ଷରେ ‘ପ୍ରେମ୍’

 

#ବ୍ରହ୍ମପୁର ସହର-କେନ୍ଦ୍ରୀକ ଦୁଇଗୋଟି ଗ୍ରାମ୍ୟ ଉନ୍ନୟନ ସଂଗଠନ ପ୍ରେମ୍ଗ୍ରାମ ବିକାଶ ଓଡ଼ିଶାରେ ବିଂଶ ଶତାଦ୍ଦୀର ଶେଷ ଦୁଇ ଦଶକ ଓ ଏକବିଂଶ ଶତାଦ୍ଦୀର ପ୍ରଥମ ଦଶକରେ ଆୟୋଜିତ ସ୍ୱେଚ୍ଛାସେବୀ ଆନ୍ଦୋଳନରେ ନେତୃତ୍ୱ ଗ୍ରହଣ କରିଥିଲେ । ସହରର ପଶ୍ଚିମ-ଉପକଣ୍ଠ ମହୁଡ଼ାରେ ସ୍ଥାପିତ ଗ୍ରାମ ବିକାଶ ୧୯୭୬ରେ ସାଂଗଠିନକ ପଞ୍ଜୀକୃତ ହୋଇଥିବା ସ୍ଥଳେ ପ୍ରେମ୍ ୧୯୮୨ରେ ପଞ୍ଜୀକୃତ ହୋଇଥିଲାପ୍ରେମ୍ର କାର୍ଯ୍ୟାଳୟ ଗୋସାଇଁ ନୂଆଗାଁ, ଗିରିରୋଡ଼, ଅଯୋଧ୍ୟା ନଗରରେ କିଛି କାଳ ସ୍ଥାପିତ ହୋଇ ବ୍ରହ୍ମପୁରର ପୂର୍ବ-ଉପକଣ୍ଠ ଜଗନ୍ନାଥପୁର ଓ ଭଞ୍ଜବିହାର ସଂଲଗ୍ନ ମାଣ୍ଡିଆପଲ୍ଲୀ ସ୍ଥାୟୀ କାର୍ଯ୍ୟାଳୟ ୧୯୯୨ରେ ନିର୍ମାଣ ପରେ ସ୍ଥାନାନ୍ତରିତ ହୋଇଥିଲା । ଗ୍ରାମ ବିକାଶର କାର୍ଯ୍ୟାଳୟ ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ୱରକୁ ଘୁଞ୍ଚି ଯାଇଛି ।

 

ବିଂଶ ଶତାଦ୍ଦୀର ସପ୍ତମ ଦଶକରେ ସାମାଜିକ ପରିବର୍ତ୍ତନ ଲକ୍ଷ୍ୟରେ ପୂର୍ବ-ଭାରତରେ ନକସଲପନ୍ଥୀ, ଉତ୍ତର-ଭାରତରେ ଜୟପ୍ରକାଶ ନାରାୟଣ ସମେତ ଦକ୍ଷିଣ ଭାରତରେ ସ୍ୱେଚ୍ଛାସେବୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା । ଦଶକର ମଧ୍ୟଭାଗରେ ଦୁଇ ବର୍ଷ ଧରି ରାଷ୍ଟ୍ରବ୍ୟାପୀ ଜରୁରୀ ପରିସ୍ଥିତି ଜାରି ରାଜନୈତିକ ପୃଷ୍ଟଭୂମିକୁ ଦୋହଲାଇ ଦେଇଥିଲା । ଏହି ସମସ୍ତ ପ୍ରଚ଼େଷ୍ଟାରେ ମୁଖ୍ୟତଃ ଗରିବୀ ହଟାଓ ସ୍ଳୋଗାନ କାର୍ଯ୍ୟକାରୀ କରିବା ନିମନ୍ତେ ଭିନ୍ନ ଭିନ୍ନ ପନ୍ଥା ଅନୁସରଣ କରାଯାଇଥିଲା । ନକସଲପନ୍ଥୀ ଓ ଜୟପ୍ରକାଶ ନାରାୟଣ ଆନ୍ଦୋଳନରେ ରାଜନୀତିକ ପଟ୍ଟପରିବର୍ତ୍ତନ ଓ ପ୍ରଶାସନିକ ସଂସ୍କାରକୁ ଗୁରୁତ୍ୱ ଦିଆଯାଇଥିବା ସ୍ଥଳେ ସ୍ୱେଚ୍ଛାସେବୀ ଆନ୍ଦୋଳନରେ ତୃଣମୂଳସ୍ତରରେ ଅପେକ୍ଷାକୃତ ଅବହେଳିତ ଅଞ୍ଚଳଗୁଡ଼ିକରେ ବିକାଶ କାର୍ଯ୍ୟକ୍ରମ ରୂପାୟନକୁ ପ୍ରାଥମିକତା ଦିଆଯାଇଥିଲା । ସ୍ୱେଚ୍ଛାସେବୀ ବିକାଶ ମଡ଼େଲରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ପର୍ଯ୍ୟାୟରେ ଆନ୍ତର୍ଜାତିକସ୍ତରରେ ଗଢ଼ିଉଠିଥିବା ବଦାନ୍ୟ ସଂସ୍ଥାଗୁଡ଼ିକରୁ ଅନୁଦାନ ସଂଗ୍ରହ କରାଯାଇ ସ୍ୱାଧୀନ ଓ ସୃଜନଶୀଳ ଶୈଳୀରେ ଭାରତର ଗ୍ରାମାଞ୍ଚଳରେ ଅତ୍ୟାଧୁନିକ ବିକାଶ କାର୍ଯ୍ୟକ୍ରମ ପରୀକ୍ଷାମୂଳକଭାବେ ଉପଯୋଗ କରାଯାଉଥିଲା ।

 

ପ୍ରେମ୍ ବା ପିଉପଲସ ରୁରାଲ ଏଜୁକେସନ ମୁଭମେଣ୍ଟର ଉଦ୍ୟୋକ୍ତା ଜାକୋବ ଥୁଣ୍ଡିଲ ଓ ଚାକୋ ପାରଭାନୀ ଏବଂ ଗ୍ରାମ ବିକାଶର ଜୋମାଡ଼ିଏଥ ଓ ଆନ୍ଥିଆ ମାଡ଼ିଏଥ ସପ୍ତମ ଦଶକର ଶେଷଭାଗରେ ବ୍ରହ୍ମପୁର ସହରରୁ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟ ଆରମ୍ଭ କରିଥିଲେ । ଏମାନେ ସମସ୍ତେ କେରଳ ନିବାସୀ । ଜାକୋବ ଓ ଚାକୋ ଖ୍ରୀଷ୍ଟିଆନ ପାଦ୍ରୀଭାବେ କିଛି କାଳ କାର୍ଯ୍ୟକରି ସେଥିରୁ ଅବ୍ୟାହତି ନେଇ ସ୍ୱାଧୀନଭାବେ ସ୍ୱେଚ୍ଛାସେବୀ ସଂଗଠନ ଗଠନ କରିଥିଲେ । ଜୋଚ଼େନ୍ନାଇର ଲଏଲା କଲେଜର ଛାତ୍ର ନେତାଭାବେ ଓଡ଼ିଶାର ରାଜନଗର ବାତ୍ୟା-ପ୍ରପୀଡ଼ିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ବୃତ୍ତିଗତ ସ୍ୱେଚ୍ଛାସେବୀ ଭାବେ ତତ୍କାଳୀନ ସମବାୟ ନେତା ରାମନାଥ ଦାସଙ୍କ ପ୍ରେରଣାରେ ଗ୍ରାମ୍ୟ ଅର୍ଥନୀତି ସୁଦୃଢ ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ପ୍ରଣୟନ ଲାଗି ବ୍ରହ୍ମପୁରରେ ପହଞ୍ଚିଥିଲେ । ଆନ୍ଥିଆ ଜୋଙ୍କ ଧର୍ମପତ୍ନୀ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନୁଭୂତି ସମ୍ପନ୍ନ ।

 

ବ୍ରହ୍ମପୁରରେ ପ୍ରାୟୋଜିତ ସ୍ୱେଚ୍ଛାସେବୀ ସଂଗଠନର କାର୍ଯ୍ୟଧାରା ଏହି ଅଞ୍ଚଳରେ ଏକ ନୂତନ ପରମ୍ପରା ଆରମ୍ଭ କରିଥିଲାସଂଯୋଗବଶତଃ ପ୍ରେମ୍ଗ୍ରାମ ବିକାଶ ପରବର୍ତ୍ତୀ ତିନି ଦଶକ ଧରି ସମଗ୍ର ରାଜ୍ୟରେ ଦୁଇ ବୃହତ ସ୍ୱେଚ୍ଛାସେବୀ ସଂଗଠନର ମାନ୍ୟତା ପାଇଥିଲେଏକବିଂଶ ଶତାଦ୍ଦୀର ପ୍ରଥମ ଦଶକ ଶେଷଭାଗରେ ଯୁକ୍ତରାଷ୍ଟ୍ର ଆମେରିକାରେ ସୃଷ୍ଟି ହୋଇଥିବା ଆର୍ଥିକ ମାନ୍ଦାବସ୍ଥା ଏବଂ ଭାରତ କ୍ରମଶଃ ଏକ ବିକଶିତ ରାଷ୍ଟ୍ର ରୂପେ ମୁଣ୍ଡ ଟେକିବା ଅବସରରେ ଦ୍ୱିତୀୟ ଦଶକ ଆରମ୍ଭରୁ ବୈଦେଶିକ ସହାୟତା ହଠାତ ବନ୍ଦ ହୋଇଗଲା । ମଧ୍ୟଭାଗରେ କେନ୍ଦ୍ର ସରକାର ପରିବର୍ତ୍ତନ ପରେ ବୈଦେଶିକ ଅନୁଦାନ ସଂଗ୍ରହକୁ ନିରୁତ୍ସାହିତ କରାଗଲା ଏବଂ ସ୍ୱଦେଶୀ ନୀତି ଅନୁସୃତ ହେଲା । ଏହି ଅବସରରେ ଉଭୟ ପ୍ରେମ୍ଗ୍ରାମ ବିକାଶର କାର୍ଯ୍ୟଧାରା ଅନୁଦାନ ଅଭାବରୁ ପ୍ରଭାବିତ ହୋଇଥିଲା ।

 

ପ୍ରେମ୍ ମୁଖ୍ୟତଃ ଅନଗ୍ରସରବର୍ଗଙ୍କ ବହୁମୁଖୀ ବିକାଶ ନିମନ୍ତେ ଶିକ୍ଷାର ପ୍ରସାରକୁ ପ୍ରାଥମିକତା ଦେଇଥାଏ । ବିଂଶ ଶତାଦ୍ଦୀ ସପ୍ତମ ଦଶକ ଶେଷଭାଗରେ ତତ୍କାଳୀନ ଅବିଭକ୍ତ ଗଞ୍ଜାମ ଜିଲ୍ଲାର ମୋହନା ଅଞ୍ଚଳରେ ମାତ୍ର ୧୫ ଗୋଟି ଗ୍ରାମରେ ୧୪ ରୁ ୪୦ ବର୍ଷ ବୟସ୍କଙ୍କ ମଧ୍ୟରେ ପ୍ରୌଢ଼ଶିକ୍ଷାରୁ ଆରମ୍ଭ ହୋଇଥିବା ବିକାଶର ଯାତ୍ରା ୨୦୨୩ ବେଳକୁ ଆଦିବାସୀ ଛାତ୍ରଛାତ୍ରୀଙ୍କ ଇଂଲିଶ ମାଧ୍ୟମ ମାଧ୍ୟମିକ ଶିକ୍ଷା, ନର୍ସିଂ, ହସପିଟାଲିଟି ଭଳି ବୈଷୟିକ ତାଲିମ ଓ ସ୍ୱାବଲମ୍ୱୀ ଆଦର୍ଶ ଗ୍ରାମ ପରିକଳ୍ପନାରେ ପ୍ରବର୍ତ୍ତିତ ପ୍ରେମ୍ ପକ୍ଷରୁ ମୋହନାରେ ଆରମ୍ଭ ହୋଇଥିବା ବିକାଶ ପର୍ବର ଚାରି ଦଶନ୍ଧିର ସ୍ମୃତି ଚାରଣ ନିମନ୍ତେ ୧୯ ଫେବୃୟାରୀ ୨୦୨୩ରେ ଏକ ଉତ୍ସବ ଆୟୋଜନ କରାଯାଉଛି ।

 

ପ୍ରେମ୍ଗ୍ରାମ ବିକାଶର ବିକାଶ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସହର ତଥା ଗଞ୍ଜାମ ଜିଲ୍ଲାର ବହୁସଂଖ୍ୟକ ଯୁବକ ଯୁବତୀ ସାମିଲ ହୋଇଥିଲେ । ଏହା ସ୍ଥାନୀୟ ସାମାଜିକ, ରାଜନୀତିକ ଓ ସାଂସ୍କୃତିକ ପରିବେଶକୁ ନିଶ୍ଚିତଭାବେ ପ୍ରଭାବିତ କରିଛି । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ପ୍ରାୟୋଜିତ ବିକାଶ ପ୍ରକ୍ରିୟାରେ କିପରି ସାମାଜିକ ପରିବର୍ତ୍ତନ ସମ୍ଭବପର ତାହାର ପ୍ରତ୍ୟକ୍ଷ ଅନୁଭୂତି ବିକାଶକର୍ମୀମାନେ ସାଉଁଟି ପାରିଛନ୍ତି । ବିକଳ୍ପ ସାମାଜିକ ବିକାଶଧାରାରେ ସ୍ୱେଚ୍ଛାସେବୀ ଆନ୍ଦୋଳନ ଯେ ଦୀର୍ଘକାଳ ଯାଏଁ ଏହି ଅଞ୍ଚଳରେ ଜନମାନସକୁ ପ୍ରଭାବିତ କରିବ ସେଥିରେ ସନ୍ଦେହ ନାହିଁ ।


ପ୍ରେମ ପକ୍ଷରୁ କନ୍ଧମାଳରେ ୨୦୧୭-୧୮ରେ ରୂପାୟିତ ପ୍ରୌଢ଼ଶିକ୍ଷା କାର୍ଯ୍ୟକ୍ରମ ବର୍ଣ୍ଣିତ ୫ ମିନଟର ୟୁଟ୍ୟୁବ ଭିଡ଼ିଓ ଦେଖିବା ନିମନ୍ତେ ନିମ୍ନ ଲିଙ୍କରେ କ୍ଳିକ କରନ୍ତୁ :

 

https://www.youtube.com/watch?v=DBAI5obB-_w



Photo by Aaron Burden on Unsplash 


Friday, February 10, 2023

Virtual High Court  / ଭର୍ଚୁଆଲ ହାଇକୋର୍ଟ

 

#ବ୍ରହ୍ମପୁର ମହାମାରୀ-ପୂର୍ବାବସ୍ଥାରୁ ସମଗ୍ର ଦେଶରେ ପ୍ରବର୍ତ୍ତିତ ଇଣ୍ଟରନେଟଭିତ୍ତିକ ଟେଲି-ଯୋଗାଯୋଗ ଅଗ୍ରଗତିରେ ସାମିଲ ହୋଇଥିବା ସ୍ଥଳେ ମହାମାରୀ କାଳରେ ଭର୍ଚୁଆଲ ସାଧନଗୁଡ଼ିକର ବ୍ୟବହାର ସହରବାସୀଙ୍କ ଜନଜୀବନରେ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା । ମନୋରଞ୍ଜନଠାରୁ ଆରମ୍ଭ କରି ଦୂରଦୂରାନ୍ତରେ ଅବସ୍ଥାନ କରୁଥିବା ପରିବାରବର୍ଗ, ବନ୍ଧୁ-ପରିଜନ, ବ୍ୟବସାୟ-ସହଯୋଗୀଙ୍କ ସହ ଆଳାପ, ଶିକ୍ଷା, ସ୍ୱାସ୍ଥ୍ୟ ପରାମର୍ଶଠାରୁ ଆରମ୍ଭ କରି ଆର୍ଥିକ ଦେଣନେଣ, ବଜାର ପ୍ରତ୍ୟେକ କ୍ଷେତ୍ରରେ ଡ଼ିଜିଟାଲ ମଞ୍ଚ ଗୁଡ଼ିକରେ ସର୍ବସାଧାରଣଙ୍କ ପ୍ରବେଶ ସୁଗମ ହୋଇପାରିଥିଲା । ମହାମାରୀ-ପର ଅବସ୍ଥାରେ ୪ଜି ଓ ୫ଜି ଟେଲି-ଯୋଗାଯୋଗ ବ୍ୟବସ୍ଥାର ପ୍ରସାର ବିଭିନ୍ନ କ୍ଷେତ୍ରରେ ଭର୍ଚୁଆଲ କର୍ମ ସମ୍ପାଦନର ଧାରା ଅବ୍ୟାହତ ରହିଛି ।
 
ବ୍ରହ୍ମପୁର ସହରର କ୍ରମବିକାଶରେ ଏଠାରେ ଗଞ୍ଜାମ ଜିଲ୍ଲା ଅଦାଲତ ସ୍ଥାପନ ଗୁରୁତ୍ୱପୂର୍ଣ୍ଣ । ଇଂଲିଶ ପ୍ରଶାସନ ବ୍ରହ୍ମପୁର ସମେତ ମହୁରି ରାଜ୍ୟର ପ୍ରତ୍ୟକ୍ଷ ଶାସନ ଭାର ଗ୍ରହଣ କରିବା ୧୫ ବର୍ଷ ପରେ ୧୮୬୫ ମସିହାରେ ବ୍ରହ୍ମପୁରରେ ଗଞ୍ଜାମ ଜିଲ୍ଲା ଅଦାଲତ ପ୍ରତିଷ୍ଠିତ ହୋଇଥିଲା । ସହରରେ ଦୌରା ଅଦାଲତ କାର୍ଯ୍ୟକ୍ଷମ ଥିବା କାରଣରୁ ଏଠାରେ ଓକିଲ ଓ ଓକିଲ-ଗୁମସ୍ତାମାନେ ସ୍ଥାୟୀଭାବେ ବସବାସ କରିବାକୁ ଲାଗିଥିଲେ । ବ୍ରହ୍ମପୁରର ପୁରାତନ ବାସିନ୍ଦାଙ୍କ ମଧ୍ୟରେ ଏହି ଦୁଇ ବର୍ଗ ସ୍ଥାନୀୟ ସାମାଜିକ ଇତିହାସରେ ପ୍ରମୁଖ ଭୂମିକା ନିର୍ବାହ କରି ଆସିଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ସଦର ମହକୁମାଭାବେ ଚ଼ିହ୍ନିତ ହୋଇ ସରକାରୀ ଦପ୍ତରମାନ କ୍ରମଶଃ ସ୍ଥାପିତ ହୋଇଥିଲା । ଅପରପକ୍ଷେ ୧୮୬୫ ରୁ ୧୯୩୬ ସାତ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ସହରଟି ବାଣିଜ୍ୟ ପେଣ୍ଠ ସାଙ୍ଗକୁ ଆଇନ-ଅଦାଲତ ନିମନ୍ତେ ଚଳଚଞ୍ଚଳ ରହିଥିଲା ।
 
ବ୍ରହ୍ମପୁର ମାଡ୍ରାସ ପ୍ରେସିଡ଼େନ୍ସି ଅଧୀନରେ ଶାସିତ ହେଉଥିବା ଏବଂ ଆଇନ ଶିକ୍ଷା ମୁଖ୍ୟତଃ ମାଡ୍ରାସ ନଗର କେନ୍ଦ୍ରୀକ ହୋଇଥିବା ହେତୁ ପ୍ରାଥମିକ ପର୍ଯ୍ୟାୟରେ ସହରରେ ତେଲୁଗୁ ଓ ତାମିଲ ଓକିଲଙ୍କ ଭିଡ଼ ଜମିଥିଲା । ସେମାନେ ମୁଖ୍ୟତଃ ଭାପୁର ଅଞ୍ଚଳରେ ବସବାସ କରୁଥିଲେ । ବିଂଶ ଶତାଦ୍ଦୀ ଆରମ୍ଭରୁ ସ୍ଥାନୀୟ ଉଚ୍ଚ ଶିକ୍ଷିତ ଓଡ଼ିଆ ଯୁବକଗଣ ମାଡ୍ରାସ, କଲିକତା ଓ ପାଟଣା ବିଶ୍ୱବିଦ୍ୟାଳୟରୁ ଆଇନ ଶିକ୍ଷା ସାରି ବ୍ରହ୍ମପୁରରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ସହରର ସମସ୍ତ ବିକାଶମୂଳକ କାର୍ଯ୍ୟକ୍ରମ, ଏପରିକି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଓ ଭାରତର ସ୍ୱାଧୀନତା ଆନ୍ଦୋଳନରେ ସ୍ଥାନୀୟ ଆଇନଜୀବୀମାନେ ହିଁ ନେତୃତ୍ୱ ନେଇଥିଲେ ।
 
ଗଞ୍ଜାମ ଜିଲ୍ଲା ଅଦାଲତରେ ବିଚାରଣା ପରେ କଟକସ୍ଥିତ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଅପିଲ କରିବା ବ୍ୟବସ୍ଥା ରହିଆସିଥିଲା । ୨୦୨୩ ପ୍ରାରମ୍ଭର ହିସାବ ଅନୁଯାୟୀ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୦,୫୦୦ ମାମଲା ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ବିଚାରଧୀନ ଥିବା ସ୍ଥଳେ ପୁରୀର ୮,୨୦୦, ଭଦ୍ରକର ୫,୩୦୦, ସମ୍ୱଲପୁର ୪,୦୦୦, ବଲାଙ୍ଗୀରର ୩,୮୦୦, କଳାହାଣ୍ଡିର ୩,୪୦୦, ସୁନ୍ଦରଗଡ଼ର ୩,୨୭୮ ଏବଂ କୋରାପୁଟର ୩,୨୦୦ ମାମଲା ବିଚାରଧୀନ ଥିଲା ।
 
ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଦାୟର ହେଉଥିବା ଗଞ୍ଜାମ ଜିଲ୍ଲାର ମାମଲା ବିଚାରଣା ନିମନ୍ତେ ସ୍ଥାନୀୟ ଓକିଲ ଓ ମହକିଲ କଟକ ଯିବା ଆସିବାରେ ଅସୁବିଧା ସମ୍ମୁଖୀନ ହେଉଥିବା ତଥା ଏହି ଜିଲ୍ଲାରୁ ସର୍ବାଧିକ ସଂଖ୍ୟକ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବା ଯୁକ୍ତିକୁ ଆଧାର କରି ବ୍ରହ୍ମପୁରରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ ଲାଗି ଦୀର୍ଘ ଦିନରୁ ସ୍ଥାନୀୟ ଓକିଲ ସଂଘ ଆନୁକୂଲ୍ୟରେ ଆନ୍ଦୋଳନ ଚାଲିଆସିଥିଲା । ଏପରିକି ପ୍ରତିମାସ ଶେଷରେ ଓକିଲମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରୁଥିବା ହେତୁ ବିଚାର ପ୍ରକ୍ରିୟା କ୍ରମାଗତ ବ୍ୟାହତ ହେଉଥିଲା ।
 
ଏହି ପରିବେଶରେ ୨୦୨୩ ଫେବୃୟାରୀ ୩ ତାରିଖ ଦିନ ବ୍ରହ୍ମପୁରସ୍ଥିତ ଗଞ୍ଜାମ ଜିଲ୍ଲା ଅଦାଲତ ପରିସରରେ ଭର୍ଚୁଆଲ ହାଇକୋର୍ଟ ବ୍ୟବସ୍ଥା ଉଦଘାଟିତ ହୋଇଥିଲା । ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତିଙ୍କ ଉପସ୍ଥିତିରେ ଭର୍ଚୁଆଲ ମାଧ୍ୟମରେ ବ୍ରହ୍ମପୁର ସମେତ ରାଜ୍ୟର ୧୦ ଗୋଟି ଜିଲ୍ଲା: ପୁରୀ, ଭଦ୍ରକ, ସମ୍ୱଲପୁର, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ଼, କୋରାପୁଟ ଓ ଖୋର୍ଦ୍ଧା ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟର ବ୍ୟବସ୍ଥା କରାଯାଇଛି । ଏହି ସୁବିଧା ସୁଯୋଗ ମାଧ୍ୟମରେ ମାମଲାର ସମୀକ୍ଷା ସ୍କୃଟିନି, ନମ୍ୱରିଂ, ଲିଷ୍ଟିଂ ଏବଂ ମାମଲା ଓ ରାୟର ସାର୍ଟିଫାଏଡ଼ କପି ମିଳିପାରିବ । ଏହି ସବୁ କାର୍ଯ୍ୟ ଲାଗି ଓକିଲ କିମ୍ୱା ମହକିଲମାନଙ୍କୁ କଟକ ଦୌଡ଼ିବାକୁ ପଡ଼ିବ ନାହିଁ । କ୍ରମଶଃ ଭର୍ଚୁଆଲ ମାଧ୍ୟମରେ ଅନ୍ୟାନ୍ୟ ସୁବିଧା ସୁଯୋଗର ବ୍ୟବସ୍ଥା କରାଯିବା କାର୍ଯ୍ୟକ୍ରମ ରହିଛି ।
 
କୁହାଯାଏ ଯେ ଅତ୍ୟାଧୁନିକ ବୈଜ୍ଞାନିକ ଉଦ୍ଭାବନମାନ ବିକଶିତ ତୁଳନାରେ ବିକାଶଶୀଳ ପରିବେଶରେ ସର୍ବାଧିକ ଲାଭ ପହୁଞ୍ଚାଇଥାଏ । କୋଭିଡ଼-୧୯ ମହାମାରୀ ସମୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଭର୍ଚୁଆଲ ମାଧ୍ୟମରେ ନ୍ୟାୟ ପ୍ରଦାନ ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ପ୍ରଶଂସିତ ହୋଇଥିଲା । ଭାର୍ଚୁଆଲ ହାଇକୋର୍ଟ ମଧ୍ୟ ସମଗ୍ର ଦେଶରେ ପ୍ରଥମ କୃତ୍ରିମ ବୁଦ୍ଧିମତ୍ତା ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ପ୍ରୟୋଗରେ ନ୍ୟାୟିକ ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ ଆଶା କରାଯାଉଛି । ଓପନ-ଏଆଇଚାଟ-ଜିପିଟି ଓ ଗୁଗୁଲର ବାର୍ଡ ଭଳି ଚାଟ-ବଟ ମୂହୁର୍ତ୍ତକ ମଧ୍ୟରେ ଜଟିଳ ନ୍ୟାୟିକ ସମସ୍ୟା ସମାଧାନ କରିପାରିବା କଳା-କୌଶଳ ବର୍ତ୍ତମାନ ଜନସାଧାରଣଙ୍କ ହାତପାଆନ୍ତାରେ ଉପଲବ୍ଧ । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁରସ୍ଥିତ ଜିଲ୍ଲା ଅଦାଲତ ଭର୍ଚୁଆଲ ମାଧ୍ୟମରେ ବିଧିବଦ୍ଧ ଭାବେ ଉଚ୍ଚ ନ୍ୟାୟାଳୟ ସହ ସଂଯୋଗ ସ୍ଥାପନ ଏକ ଯୁଗାନ୍ତକାରୀ ଘଟଣା କହିଲେ ଭୂଲ ହେବ ନାହିଁ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୧ ଫେବୃୟାରୀ ୨୦୨୩ / ପୃଷ୍ଠା : ୨)

Photo by Tingey Injury Law Firm on Unsplash 


Sunday, February 5, 2023

150 Years Ago / ଦେଢ଼ଶହ ବର୍ଷ ତଳର କଥା


#ବ୍ରହ୍ମପୁର ସହରର ଶାସନଭାର ୧୮୫୦ରେ ଇଂଲିଶ ପ୍ରଶାସକମାନେ ଗ୍ରହଣ କରିବାପରେ ଏହା ମାଡ୍ରାସ ପ୍ରେସିଡ଼େନ୍ସି ଅଧୀନରେ ଶାସିତ ହୋଇଥିଲା । ପ୍ରାଥମିକ ଅବସ୍ଥାରେ ସରକାରୀସ୍ତରରେ ସମସ୍ତ ଶାସନ କାର୍ଯ୍ୟ ତେଲୁଗୁ ଭାଷାରେ ସମ୍ପାଦିତ ହେବା ବ୍ୟବସ୍ଥା ପ୍ରଚଳିତ ଥିଲା । ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ୧୮୭୨ରେ ଓଡ଼ିଆ ଭାଷା ପ୍ରଚଳନ କରାଯାଇଥିଲା । ଏହି ଐତିହାସିକ ପଦକ୍ଷେପର ବିବରଣୀ କଟକରୁ ପ୍ରକାଶିତ ସାପ୍ତାହିକ ସମ୍ୱାଦପତ୍ର ଉତ୍କଳ ଦୀପିକାର ୭ମ ଭାଗ, ସଂଖ୍ୟା ୩୧, ତା ୦୩.୦୮.୧୮୭୨ରେ ନିମ୍ନମତେ ପ୍ରକାଶିତ ହୋଇଥିଲା :-

 

ଗଞ୍ଜାମ ଜିଲ୍ଲା

 

ଆମ୍ଭେମାନେ ଅତ୍ୟନ୍ତ ଆନନ୍ଦର ସହିତ ପାଠକମାନଙ୍କୁ ଜଣାଉ ଅଛୁଁ ଯେ ଏତେକାଳରେ ମାନ୍ଦ୍ରାଜ ଗବର୍ଣ୍ଣମେଣ୍ଟ ଗଞ୍ଜାମ ଜିଲ୍ଲା ଓଡ଼ିଶାର ଅଂଶ ବୋଲି ଜ୍ଞାନ କରି ସେ ସ୍ଥାନର ଗବର୍ଣ୍ଣମେଣ୍ଟ କାର୍ଯ୍ୟାଳୟ ସମସ୍ତର ପ୍ରଚଳିତ ଭାଷା ଓଡ଼ିୟା ହେବାର ଆଜ୍ଞା ଦେଲେ । ପୂର୍ବେ ଏ ମହକୁମା ସମସ୍ତରେ ତୈଳଙ୍ଗ ଭାଷା ଚଳୁଥିବାରୁ ତେଲଙ୍ଗା ଲୋକେ ଏକା ଗବର୍ଣ୍ଣମେଣ୍ଟ କାର୍ଯ୍ୟ ପାଉଥିଲେ ଓ ଗଞ୍ଜାମ ନିବାସିମାନଙ୍କର କୌଣସି ଉନ୍ନତି ହେଉନଥିଲା । ଏ ବିଷୟରେ ଯେ ଗଞ୍ଜାମବାସୀ ଅତ୍ୟନ୍ତ ଦୁଃଖିତ ଥିଲେ ତାହା ଆମ୍ଭେମାନେ କେତେଥର ଏ ପତ୍ରିକାରେ ଜଣାଇ ଅଛୁଁ । ଯାହାହେଉ ଏଥର ସେମାନଙ୍କର ମନସ୍କାମନା ପୂର୍ଣ୍ଣ ହେଲା ଓ ତହିଁସଙ୍ଗେ ଓଡ଼ିୟା ଭାଷାର ଉନ୍ନତି ମଧ୍ୟ ହେବାର ବିଶେଷ ଆଶା ହେଲା । ଓଡ଼ିୟା ଭାଷାରେ ଯେତେ ପୁରାତନ ପୁସ୍ତକ ବର୍ତ୍ତମାନ ଦେଖିବାରେ ଆସୁଅଛି ତହିଁର ଅଧିକାଂଶ ପ୍ରାୟ ଗଞ୍ଜାମ ଜିଲ୍ଲା କିମ୍ୱା ତନ୍ନିକଟ ବାସୀ ରଚନା କରିଥିଲେ ଓ ବର୍ତ୍ତମାନ ମଧ୍ୟ ଖଲ୍ଲିକୋଟ ପାରଳାଖେମୁଣ୍ଡିରେ ଦୁଇଜଣ ଅସାଧାରଣ ଶ୍ରୁତିଧର ଓ ଉତ୍ତମ କବି ଅଛନ୍ତି । ଏପର ଶୋରଧା । ଏ ଉତ୍ତାରୁ ଖୋରଧାଠାରୁ ଦକ୍ଷିଣକୁ କ୍ରମଶଃ ବିଶେଷ ଗୀତାର୍ଥୀ ଓ ଗୀତାନୁରାଗୀ ପ୍ରାପ୍ତ ହୁଅନ୍ତି । ଓଡ଼ିୟା ଭାଷା ପ୍ରତି ସେ ଅଞ୍ଚଳରେ ଗବର୍ଣ୍ଣମେଣ୍ଟଙ୍କର ଆସ୍ଥା ନଥିଲାରୁ ଏମାନଙ୍କ ପରିଶ୍ରମ ଓ ବୁଦ୍ଧି ବିଫଳ ହେଉଥିଲା । ଏବେ ସେସବୁ କାର୍ଯ୍ୟରେ ଲାଗିବାର ସମ୍ଭାବନା । କିନ୍ତୁ ଏଲୋକମାନେ ଆଧୁନିକ ପ୍ରଣାଳୀରୁ ଅବଗତ ନୁହନ୍ତି ଓ ଏମାନଙ୍କୁ ବାଟ ଦେଖାଇବା ପାଇଁ ଆବଶ୍ୟକ ଯେ ଏ ସ୍ଥାନରେ ଜ୍ଞାନାଲୋକ ଓ ଶିକ୍ଷା ସଂକ୍ରାନ୍ତ କର୍ମଚାରୀ ଓ ସେ ସ୍ଥାନର ଉକ୍ତ ପ୍ରକାର ଲୋକଙ୍କ ମଧ୍ୟରେ ମନୋଭାବ ବିନିମୟ କରିବାର ଗୋଟିଏ ଉପାୟ ସ୍ଥାପନ ହେଉ ଓ ତାହା କେବଳ ସଭା ଓ ସଂବାଦପତ୍ର ଅଥବା ଏ ଦୁଇରୁ ଏତଦ୍ୱାରା ହୋଇପାରେ ।

 

ଦେଢ଼ଶହ ବର୍ଷ ତଳର ମୁଦ୍ରିତ ଓଡ଼ିୟା ଭାଷା ଅନେକଙ୍କ ବୋଧଗମ୍ୟ ନହେବା ସନ୍ଦେହରେ ସମକାଳୀନ ସରଳ ଓଡ଼ିଆରେ ବୁଝାଇ କହିଲେ, (୧) ଇଂଲିଶ ଶାସନର ପ୍ରଥମ କିଛି ବର୍ଷ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାରେ ତେଲୁଗୁ ଭାଷାଭାଷୀ ସରକାରୀ କାର୍ଯ୍ୟରେ ନିଯୁକ୍ତି ପାଉଥିଲେ । ମାନ୍ଦ୍ରାଜ ପ୍ରେସିଡ଼େନ୍ସି ୧୮୭୨ରୁ ଗଞ୍ଜାମ ଜିଲ୍ଲାରେ ସରକାରୀ କାର୍ଯ୍ୟାଳୟମାନଙ୍କରେ ଓଡ଼ିଆ ଭାଷା ପ୍ରଚଳନ ନିମନ୍ତେ ନିର୍ଦ୍ଦେଶ ଜାରୀ କରିବା ପରେ ଓଡ଼ିଆ ଭାଷାଭାଷୀ ଜନସାଧାରଣ ଉପକୃତ ହେବା ଆଶା କରାଯାଇଥିଲା । (୨) ଓଡ଼ିଆ ଭାଷାରେ ମୁଦ୍ରିତ ପୁସ୍ତକ ୧୮୩୯ ପରଠାରୁ ପ୍ରକାଶିତ ହେବା ପରେ୧୮୭୨ ଯାଏଁ ପ୍ରାୟ ସମସ୍ତ ମୁଦ୍ରିତ ପୁସ୍ତକର ଲେଖକ ଗଞ୍ଜାମ କିମ୍ୱା ଏହାର ପଡ଼ୋଶୀ ଅଞ୍ଚଳବାସୀଏହି ଦୃଷ୍ଟିରୁ ଓଡ଼ିଆ ଭାଷାର ପରମ୍ପରା ଉଚ୍ଚକୋଟୀର ଥିବା ଜଣାଯାଏ । (୩) ସରକାରୀସ୍ତରରେ ଓଡ଼ିଆ ଭାଷା ପ୍ରଚଳନ ସଙ୍ଗେ ଓଡ଼ିଆ ଭାଷାରେ ବିଦ୍ୟାଳୟମାନଙ୍କରେ ଆଧୁନିକ ଶିକ୍ଷା ପ୍ରଦାନ, ସଭାସମିତି ଆୟୋଜନ ତଥା ସମ୍ୱାଦପତ୍ର ପ୍ରକାଶନ ଦ୍ୱାରା ସ୍ଥାନୀୟ ଅଧିବାସୀଙ୍କ ଜୀବନଧାରଣର ମାନ ବୃଦ୍ଧି ପାଇବ ବୋଲି ଉତ୍କଳ ଦୀପିକା ସମ୍ୱାଦପତ୍ର ବିବରଣୀରେ ଅଭିମତ ପ୍ରକାଶ ପାଇଥିଲା ।

 

ଏହି ସମ୍ୱାଦ ପ୍ରକାଶନ ପରେ ବିଗତ ଦେଢ଼ଶହ ବର୍ଷ ମଧ୍ୟରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇ ଶତବାର୍ଷିକୀ ପାଳନ ନିମନ୍ତେ ପ୍ରସ୍ତୁତ ହେଉଛି, ଭାରତ ସ୍ୱାଧୀନତା ଲାଭ କରି ୭୫ ବର୍ଷରେ ଅମୃତ ମହୋତ୍ସବ ପାଳନ କରୁଛି । ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ପ୍ରଚଳନ ଦେଢ଼ଶହ ବର୍ଷ ଧରି ଝୁଣ୍ଟି ଝୁଣ୍ଟି ଚାଲିଛି । ସହର ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ଗଞ୍ଜାମ ଜିଲ୍ଲାର ଅପହଞ୍ଚ ପାର୍ବତ୍ୟାଞ୍ଚଳରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟମାନ ଖୋଲିଛି । କିନ୍ତୁ ଆମ ସମାଜର ସ୍ୱଚ୍ଛଳବର୍ଗ ନିଜ ସନ୍ତାନ ସନ୍ତତିଙ୍କୁ ଓଡ଼ିଆ ପରିବର୍ତ୍ତେ ଦେଢ଼ଶହ ବର୍ଷ ତଳର ଇଂଲିଶ ପାଠ୍ୟ ଖସଡ଼ାରେ ପାଠ ପଢ଼ାଇବା ନିମନ୍ତେ ଆଗ୍ରହୀ । ବ୍ରହ୍ମପୁରରେ ଟାଉନ ହଲ, ସଂସ୍କୃତି ଭବନ, କବିସୂର୍ଯ୍ୟ ରଙ୍ଗମଞ୍ଚ ନାମରେ ତିନିଗୋଟି ସୁଦୃଶ୍ୟ ପ୍ରେକ୍ଷାଳୟ ନିର୍ମିତ ହୋଇଛି । ତେବେ ଭାଷା ଓ ଜାତି ସଂପର୍କରେ ଆଲୋଚ଼ନା କରିବା ନିମନ୍ତେ ବର୍ଷରେ କେତେ ଥର ଦ୍ୱାର ଖୋଲୁଛି ? ଦଶଗୋଟି ଓଡ଼ିଆ ଦୈନିକ ସମ୍ୱାଦପତ୍ର ପକ୍ଷରୁ ବ୍ରହ୍ମପୁର ସଂସ୍କରଣ ପ୍ରକାଶ ପାଉଛି । କିନ୍ତୁ ଦେଢ଼ଶହ ବର୍ଷ ତଳର ଜନୈକ ଅନାମ ସାମ୍ୱାଦିକ (କିମ୍ୱା ଗୌରୀଶଙ୍କର ରାୟ)ଙ୍କ ଭାଷାଭିତ୍ତିକ ବିକାଶ ଦୂରଦୃଷ୍ଟି କେତେଦୂର ଚ଼ରିତାର୍ଥ ହୋଇପାରିଛି ?

 

ଗୋଟିଏ ଭାଷା ବା ଜାତିର ଇତିହାସରେ ଦେଢ଼ଶହ ବର୍ଷ ଏକ ବିସ୍ତୃତ ସମୟସୀମା କହିହେବ ନାହିଁ । ତେବେ ଏତେ ବର୍ଷ ଧରି ଆମେ ଯେ ଗୋଟିଏ ସ୍ଥାନରେ ଅଟକି ଯାଇଛୁ, ତାହା ଚ଼ିନ୍ତାଜନକ ନୁହେଁ କି ?

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୪ ଫେବୃୟାରୀ ୨୦୨୩ / ପୃଷ୍ଠା : ୨)

Photo by Eduardo Olszewski on Unsplash