Friday, May 10, 2024

First Elections Experience / ପ୍ରଥମ ନିର୍ବାଚନ ଅନୁଭୂତି

 

#ବ୍ରହ୍ମପୁର ସହରବାସୀ ପ୍ରଥମ ଥର ନିମନ୍ତେ ୧୯୨୦ ନିର୍ବାଚନରେ ଅଂଶଗ୍ରହଣ କରି ଜନପ୍ରତିନିଧି ମନୋନୀତ କରିବା ସୁଯୋଗ ପାଇଥିଲେ । ବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକରେ ଦେଶବ୍ୟାପୀ ବ୍ରିଟିଶ ସରକାର ବିରୋଧୀ ଆନ୍ଦୋଳନ ଦାନା ବାନ୍ଧିବା ପରେ ଜନସାଧାରଣଙ୍କ ଆସ୍ଥାଭାଜନ ହେବା ନିମନ୍ତେ ୧୯୧୯ରେ ପ୍ରାଦେଶିକ ବ୍ୟବସ୍ଥା ସଭା ନିର୍ବାଚନ ଆୟୋଜନ ଆଇନ ପ୍ରଣୟନ କରିଥିଲେ । ସେହି ସମୟରେ ବ୍ରହ୍ମପୁର ମାନ୍ଦ୍ରାଜ ବିଧାନ ପରିଷଦ ଅନ୍ତର୍ଭୁକ୍ତ ଥିଲା । ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ବରୁ ୧୯୨୦, ୧୯୨୩, ୧୯୨୬ ଓ ୧୯୩୦ରେ ଚାରି ଥର ମାନ୍ଦ୍ରାଜ ବିଧାନ ପରିଷଦ ନିର୍ବାଚନ ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଥିଲା ।

 

ଭାରତୀୟ ଜାତୀୟ କଂଗ୍ରେସ ବ୍ରିଟିଶ ସରକାରଙ୍କ ଦ୍ୱାରା ୧୯୨୦ରେ ଆୟୋଜିତ ପ୍ରଦେଶିକ ବ୍ୟବସ୍ଥା ସଭା ନିର୍ବାଚନ ବିରୋଧ କରିଥିଲେ । କଂଗ୍ରେସ କର୍ମୀଙ୍କ ଅସହଯୋଗ ଫଳରେ ଦେଶର କେତେକ ଅଞ୍ଚଳରେ ନିର୍ବାଚନ ବର୍ଜନ ହୋଇଥିବା ସ୍ଥଳେ ବ୍ରହ୍ମପୁର ଭଳି କେତେକ ଅଞ୍ଚଳରେ ଅନୁଷ୍ଠିତ ନିର୍ବାଚନରେ ସ୍ଥାନୀୟ ପ୍ରତିନିଧିମାନେ ନିର୍ବାଚିତ ହୋଇଥିଲେ । ୧୯୨୦ରେ ଅନୁଷ୍ଠିତ ମାନ୍ଦ୍ରାଜ ବିଧାନ ପରିଷଦ ନିର୍ବାଚନରେ ଶଶିଭୂଷଣ ରଥ, ବିଶ୍ୱନାଥ ଦାସ ଓ ଏ. ପର୍ଶୁରାମ ପାତ୍ର ତିନି ଜଣ ନିର୍ବାଚିତ ହୋଇ ତିନି ବର୍ଷ ପାଇଁ କାର୍ଯ୍ୟଭାର ତୁଲାଇଥିଲେ । ୧୯୨୩ ନିର୍ବାଚନରେ ପୁନର୍ବାର ଶଶିଭୂଷଣ ରଥ ଓ ବିଶ୍ୱନାଥ ଦାସ ଏବଂ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ନିର୍ବାଚିତ ହୋଇଥିଲେ । ୧୯୨୬ ନିର୍ବାଚନରେ ପୁନର୍ବାର ବିଶ୍ୱନାଥ ଦାସ ଓ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ସହ ଶ୍ରୀନିବାସ ରାଜମଣି ନିର୍ବାଚିତ ହୋଇଥିଲେ । ୧୯୩୦ରେ ଅନୁଷ୍ଠିତ ଚତୁର୍ଥ ମାନ୍ଦ୍ରାଜ ବିଧାନ ପରିଷଦ ନିର୍ବାଚନରେ ବ୍ରହ୍ମପୁରରୁ ଏ. ପର୍ଶୁରାମ ପାତ୍ର, କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଓ ମାନ୍ଧାତା ଗୋରାଚାନ୍ଦ ପଟ୍ଟନାୟକ ପ୍ରତିନିଧିତ୍ୱ କରିଥିଲେ ।

 

୧୯୨୩ରେ ମାନ୍ଦ୍ରାଜ ବିଧାନ ପରିଷଦ ନିର୍ବାଚନରେ ବ୍ରହ୍ମପୁର ଆସନ ନିମନ୍ତେ ଶଶିଭୂଷଣ ରଥଙ୍କ ସହ ପି.ଭେଙ୍କେଟସ୍ୱରଲୁ ପ୍ରତିଦ୍ୱନ୍ଦିତା କରୁଥିଲେ । ପି. ଭେଙ୍କେଟସ୍ୱରଲୁ ବ୍ରହ୍ମପୁରର ଜଣେ ଖ୍ୟାତାନାମା ଓକିଲ ରୂପେ ପରିଚ଼ିତ ଥିଲେ । କୁହାଯାଏ ଯେ ସେ ବିଜୟ ଲାଭ କରିବା ଏକ ରକମ ନିଶ୍ଚିତ ଥିଲା । ତେବେ ନିର୍ବାଚନ ନିମନ୍ତେ ଭୋଟଗ୍ରହଣ ପୂର୍ବ ରାତ୍ରିରେ ତାଙ୍କର ପରଲୋକ ଘଟିଲା । ଫଳରେ ନିର୍ବାଚନ ବନ୍ଦ ରହିଲା ଏବଂ କିଛି ଦିନ ଅନ୍ତେ ପୁନର୍ବାର ଆୟୋଜିତ ହେଲା । ଏହି ନିର୍ବାଚନରେ ଶଶିଭୂଷଣ ରଥ ବିଜୟ ଲାଭ କରିଥିଲେ ।

 

ବିଂଶ ଶତାଦ୍ଦୀ ଆଦ୍ୟଭାଗରେ ବ୍ରହ୍ମପୁର ଜନସଂଖ୍ୟାର ଅର୍ଦ୍ଧେକ ଓଡ଼ିଆ ଓ ଅର୍ଦ୍ଧେକ ତେଲୁଗୁ ଭଷାଭାଷୀ ଅନ୍ତର୍ଭୁକ୍ତ ଥିବା ହେତୁ ନିର୍ବାଚନରେ ଭାଷାଗତ ବିରୋଧ ବେଶ ଉଲ୍ଲେଖନୀୟ ସ୍ତରରେ ରହୁଥିଲା । ମହାତ୍ମା ଗାନ୍ଧୀ ୧୯୨୧ରେ ପ୍ରଥମ ଥର ନିମନ୍ତେ ବ୍ରହ୍ମପୁର ଆଗମନ କାଳରେ ଓଡ଼ିଆ ଓ ତେଲୁଗୁ ଭାଷାଭାଷୀଙ୍କ ମଧ୍ୟରେ ବିବାଦ ସଂପର୍କରେ ଅବଗତ ହୋଇ ଉଭୟ ଗୋଷ୍ଠୀର ନେତୃବର୍ଗଙ୍କୁ ସ୍ୱାଧୀନତା ଆନ୍ଦୋଳନରେ ଏକତ୍ର କାର୍ଯ୍ୟ କରିବା ନିମନ୍ତେ ନିବେଦନ କରିଥିଲେ ।

 

ବିଶ୍ୱନାଥ ଦାସ କଲିକତାରେ ଆଇନ ଅଧ୍ୟୟନ ପରେ ଉପାଧିଲାଭ କରି କଟକରେ ବାରିଷ୍ଟର ମଧୁସୂଦନ ଦାସଙ୍କ ଜୁନିୟର ଭାବେ କିଛି କାଳ କାର୍ଯ୍ୟ କରି ୧୯୧୮ରେ ବ୍ରହ୍ମପୁର ପହଞ୍ଚି ଓକିଲାତି ଆରମ୍ଭ କରିଥିଲେ । ସେହି ସମୟରେ ଦେଶବ୍ୟାପୀ କୃଷକ ଜାଗରଣ ଦେଖାଯାଇଥିଲା ଏବଂ ବିଶ୍ୱନାଥ ଦାସ ଗଞ୍ଜାମ ଜିଲ୍ଲାରେ ଚାଷୀମାନଙ୍କୁ ସଂଗଠିତ କରିଥିଲେ । ସେ ନିଜେ ରୟତ ସଂଘର ସଭାପତି ଏବଂ ସେହି ସମୟରେ ବ୍ରହ୍ମପୁରରେ ଓକିଲାତି କରୁଥିବା ଭି.ଭି.ଗିରିଙ୍କୁ ସଂପାଦକ ମନୋନୀତ କରିଥିଲେ । ଚାଷୀ ଆନ୍ଦୋଳନରେ ରାଜା ଓ ଜମିଦାରମାନଙ୍କୁ ବିରୋଧ କରାଯାଉଥିଲା । ଖଲ୍ଲିକୋଟ ଜମିଦାରୀ ଅଞ୍ଚଳରେ ରୟତ ସଂଗଠନ ପକ୍ଷରୁ ଆନ୍ଦୋଳନକୁ ସର୍ବଭାରତୀୟ ସ୍ତରରେ ପ୍ରଥମ କୃଷକ ଆନ୍ଦୋଳନ କୁହାଯାଏ । ବିଶ୍ୱନାଥ ଦାସ ରୟତ ସଂଗଠନର ନେତୃତ୍ୱ ନେଉଥିବା ହେତୁ ସ୍ୱାଭାବିକ ଭାବେ ଖଲ୍ଲିକୋଟ ଜମିଦାରୀ ବିରୋଧି ଥିଲେ । ତେବେ ୧୯୨୩ ଓ ୧୯୨୭ରେ ଅନୁଷ୍ଠିତ ମାନ୍ଦ୍ରାଜ ବିଧାନ ପରିଷଦ ନିର୍ବାଚନରେ ଉଭୟ ବିଶ୍ୱନାଥ ଦାସ ଓ ରାମଚନ୍ଦ୍ର ମର୍ଦ୍ଦରାଜ ନିର୍ବାଚିତ ହୋଇ ଏକତ୍ର କାର୍ଯ୍ୟ କରିଥିଲେ । ପ୍ରାବନ୍ଧିକ ପଦ୍ମଚରଣ ସାହୁ ନିଜ ବ୍ରହ୍ମପୁର ରାଜନୈତିକ ଧାରା ଓ ଲୋକ ପ୍ରତିନିଧିରଚନାରେ ଏହି ବିଷୟ ବର୍ଣ୍ଣନା କରିଛନ୍ତି ।

 

୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ୧୯୩୭ରେ ଅନୁଷ୍ଠିତ ଓଡ଼ିଶା ବିଧାନସଭାକୁ ବ୍ରହ୍ମପୁରର ପ୍ରତିନିଧି ଭାବେ ଦିବାକର ପଟ୍ଟନାୟକ, ରାମଚନ୍ଦ୍ର ଦେବ, କାଶୀ ବିଶ୍ୱନାଥ ରାଜୁ (ସମସ୍ତେ ସାଧାରଣ), ଭି. ଲକ୍ଷ୍ମୀବାଈ (ମହିଳା ସଂରକ୍ଷିତ) ଓ ଲତିଫୁର ରହମାନ (ମୁସଲମାନ ସଂରକ୍ଷିତ) ନିର୍ବାଚିତ ହୋଇଥିଲେ । ସେହିପରି ୧୯୪୬ ନିର୍ବାଚନରେ ଉମାଚ଼ରଣ ପଟ୍ଟନାୟକ, ସୋମନାଥ ପଣ୍ଡା, ଗାଦି ନାରାୟଣ ମୂର୍ତ୍ତି (ସମସ୍ତେ ସାଧାରଣ), ଭି. ଲକ୍ଷ୍ମୀ ବାଈ (ମହିଳା ସଂରକ୍ଷିତ) ଓ ଲାଲମୋହନ ପଟ୍ଟନାୟକ (ଖ୍ରୀଷ୍ଟିୟାନ ସଂରକ୍ଷିତ) ନିର୍ବାଚିତ ହୋଇଥିଲେ ।

 

୧୯୪୭ରେ ଭାରତ ସ୍ୱାଧୀନତା ଲାଭ ପରେ ୧୯୫୨ ଲୋକସଭା ସାଧାରଣ ନିର୍ବାଚନରେ ଉମାଚ଼ରଣ ପଟ୍ଟନାୟକ ଏବଂ ବିଧାନସଭା ସାଧାରଣ ନିର୍ବାଚନରେ ରାମଚନ୍ଦ୍ର ମିଶ୍ର ଓ ଦଣ୍ଡପାଣି ଦାସ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ବ୍ରହ୍ମପୁରର ସମସ୍ତ ତିନିଜଣ ନିର୍ବାଚିତ ପ୍ରତିନିଧି ସ୍ୱାଧୀନଭାବେ ନିର୍ବାଚନ ଲଢ଼ି କଂଗ୍ରେସ ପ୍ରାର୍ଥୀଙ୍କୁ ପରାଜିତ କରିଥିଲେ ।


Image by starline on Freepik

Friday, May 3, 2024

Elections 2024 / ନିର୍ବାଚନ ୨୦୨୪

 

#ବ୍ରହ୍ମପୁର ଲୋକସଭା ଆସନ ନିମନ୍ତେ ୧୧ ଜଣ ପ୍ରାର୍ଥୀ ଏବଂ ବ୍ରହ୍ମପୁର ବିଧାନସଭା ନିମନ୍ତେ ୧୭ ଜଣ ପ୍ରାର୍ଥୀ ୨୦୨୪ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି । ବ୍ରହ୍ମପୁର ଲୋକସଭା ଅଧୀନରେ ବ୍ରହ୍ମପୁର, ଗୋପାଳପୁର, ଛତ୍ରପୁର, ଦିଗପହଣ୍ଡି, ଚିକିଟି, ମୋହନା ଓ ପାରଳାଖେମୁଣ୍ଡି ସାତଗୋଟି ବିଧାନସଭା କ୍ଷେତ୍ର ଅନ୍ତର୍ଭୁକ୍ତ । ଓଡ଼ିଶାରେ ଚାରିଗୋଟି ପର୍ଯ୍ୟାୟରେ ମତଦାନ ଆୟୋଜନ କରାଯାଉଥିବା ସ୍ଥଳେ ବ୍ରହ୍ମପୁର ସମେତ ଗୋପାଳପୁର, ଛତ୍ରପୁର, ଦିଗପହଣ୍ଡି ଓ ଚିକିଟି ପାଞ୍ଚଗୋଟି ବିଧାନସଭା କ୍ଷେତ୍ରରେ ମେ ୧୩ ତାରିଖ ସୋମବାର ଦିନ ଭୋଟ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

 

ବ୍ରହ୍ମପୁର ବିଧାନସଭା ଆସନ ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ୧୭ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଆଠ ଜଣ ସ୍ୱାଧୀନ ପ୍ରାର୍ଥୀ ଅନ୍ତର୍ଭୁକ୍ତ । ଏତଦ୍ ବ୍ୟତୀତ ବିଜେଡ଼ି, ବିଜେପି, କଂଗ୍ରେସ, ଆମ ଆଦମୀ ପାର୍ଟି, ବହୁଜନ ସମାଜ ପାର୍ଟି, ଭାରତୀୟ ବିକାଶ ପରିଷଦ, ଫରୱାର୍ଡ ବ୍ଳକ, ଏସୟୁସିଆଇ (କମ୍ୟୁନିଷ୍ଟ) ଓ ନବ ଭାରତ ନିର୍ମାଣ ସେବା ଦଳ ରାଜନୀତିକ ଦଳ ପକ୍ଷରୁ ପ୍ରାର୍ଥୀ ଅବତୀର୍ଣ୍ଣ ।

 

ବ୍ରହ୍ମପୁର ଲୋକସଭା ଆସନ ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ୧୧ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ତିନି ଜଣ ସ୍ୱାଧୀନ ପ୍ରାର୍ଥୀ ଅନ୍ତର୍ଭୁକ୍ତ । ଏତଦ୍ ବ୍ୟତୀତ ବିଜେଡ଼ି, ବିଜେପି, କଂଗ୍ରେସ, ବହୁଜନ ସମାଜ ପାର୍ଟି, ନବ ଭାରତ ନିର୍ମାଣ ସେବା ଦଳ, ଭାରତୀୟ ବିକାଶ ପରିଷଦ, ଫରୱାର୍ଡ ବ୍ଳକ ଓ ଏସୟୁସିଆଇ (କମ୍ୟୁନିଷ୍ଟ) ରାଜନୀତିକ ଦଳ ପକ୍ଷରୁ ପ୍ରାର୍ଥୀ ଅବତୀର୍ଣ୍ଣ ।

 

ବ୍ରହ୍ମପୁର ସହର ଦକ୍ଷିଣ ଓଡ଼ିଶାର ବ୍ୟାବସାୟିକ, ପ୍ରଶାସନିକ, ସାଂସ୍କୃତିକ, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ପ୍ରାଣକେନ୍ଦ୍ର ହୋଇଥିଲେ ହେଁ ସ୍ୱାଧୀନୋତ୍ତର ଅବସ୍ଥାରେ ରାଜନୀତିକସ୍ତରରେ କର୍ତ୍ତୃତ୍ୱ ଜାହିର କରିପାରେ ନାହିଁ । ଦୀର୍ଘ ୪୪ ବର୍ଷ ପୂର୍ବେ ୧୯୮୦ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ କୃଷ୍ଣ ଚରଣ ପଟ୍ଟନାୟକ ବିଧାୟକ ଭାବେ ନିର୍ବାଚିତ ହୋଇ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ । ଏଥି ପୂର୍ବରୁ ୧୯୭୪ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବିନାୟକ ଆଚାର୍ଯ୍ୟ ବିଧାୟକଭାବେ ନିର୍ବାଚିତ ହୋଇ ମନ୍ତ୍ରୀମଣ୍ଡଳରେ ସାମିଲହୋଇଥିଲେ । ତାହାପରଠାରୁ ବ୍ରହ୍ମପୁର ବିଧାନସଭା କ୍ଷେତ୍ରରୁ ନିର୍ବାଚିତ କେହି ବିଧାୟକ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇପାରି ନାହାନ୍ତି ।

 

ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ୨୦୦୪ ନିର୍ବାଚନରେ ସାଂସଦ ଭାବେ ନିର୍ବାଚିତ ହୋଇ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ର ଶେଖର ସାହୁ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିଲେ । ଇତି ମଧ୍ୟରେ ୨୦ ବର୍ଷରେ ଅନ୍ୟ କେହି ବ୍ରହ୍ମପୁର ସାଂସଦ କେନ୍ଦ୍ରରେ ମନ୍ତ୍ରୀ ପଦ ପାଇପାରି ନାହାନ୍ତି ।

 

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନରେ ବ୍ରହ୍ମପୁର ଓଡ଼ିଆ ଭାଷାଭାଷୀଙ୍କ ରାଜନୀତିକ ନେତୃତ୍ୱରେ ଆଗ୍ରଣୀ ରହିଥିଲା । ଉତ୍କଳ ସମ୍ମିଳନୀର ପରିକଳ୍ପନା ୧୯୦୩ରେ ବ୍ରହ୍ମପୁରରୁ ହିଁ ସୂତ୍ରପାତ ହୋଇଥିଲା । କିନ୍ତୁ ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ରାଜ୍ୟ ରାଜନୀତିକ ନେତୃତ୍ୱ କ୍ରମଶଃ କଟକ ଓ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହେଲା । ବ୍ରହ୍ମପୁର ତଥା ଦକ୍ଷିଣ ଓଡ଼ିଶାର ରାଜନୀତିକ ନିଷ୍ପତି କେନ୍ଦ୍ରୀୟ ସ୍ତରରୁ ହିଁ ନିର୍ଦ୍ଧାରିତ ହୋଇଥାଏ । ଏହି ଦୁଃଭାର୍ଗ୍ୟପୂର୍ଣ୍ଣ ପରିସ୍ଥିତି ନିମନ୍ତେ କେତେଗୋଟି କାରଣ ଚ଼ିହ୍ନଟ କରାଯାଇପାରେ ।

 

ପ୍ରଥମତଃ, ସ୍ୱାଧୀନୋତ୍ତର ଅବସ୍ଥାରେ ଜାତୀୟ ତଥା ରାଜ୍ୟ ସ୍ତରରେ ରାଜନୀତିକ ଦଳଗୁଡ଼ିକରେ ଗଣତାନ୍ତ୍ରିକ ପ୍ରକ୍ରିୟାର ମୂଳ-ଉତ୍ପାଟନ ଘଟିଛି । ରାଜନୀତିକ ନେତୃତ୍ୱ ବ୍ୟକ୍ତି-କେନ୍ଦ୍ରୀକ ହେବା ଫଳରେ ଶୀର୍ଷ ନେତୃବର୍ଗଙ୍କ ଇଚ୍ଛା ଅନୁଯାୟୀ ଦଳ ପରିଚାଳିତ ଏବଂ ରାଜଧାନୀ ବ୍ୟତିତ ଅନ୍ୟାନ୍ୟ ଅଞ୍ଚଳର ରାଜନୀତିକ ନେତୃତ୍ୱ ପ୍ରଭାବହୀନ । ବ୍ରହ୍ମପୁରର ରାଜନୀତିକ ଅପଭ୍ରଂଶର ଏହା ମୁଖ୍ୟ କାରଣ । କେନ୍ଦ୍ରୀୟ ଚାପରେ ସ୍ଥାନୀୟ ନେତୃତ୍ୱ ମୌଳିକ ଭାବେ ପ୍ରସ୍ପୁଟିତ ହୋଇପାରେ ନାହିଁ ।

 

ଦ୍ୱିତୀୟତଃ, ବିଗତ ୬୦ ବର୍ଷର ଇତିହାସ ଅନୁଧ୍ୟାନ କଲେ ୧୯୬୪ ଛାତ୍ର ଆନ୍ଦୋଳନରେ ବ୍ରହ୍ମପୁରର ଯେଉଁ ଛାତ୍ରନେତାମାନେ ଜନମାନସରେ ପ୍ରତିଷ୍ଠା ଲାଭ କରିଥିଲେ ପରବର୍ତ୍ତୀ ଅବସ୍ଥାରେ ମଉଳି ଗଲେ । ୧୯୭୫-୭୭ ଜରୁରିକାଳୀନ ପରିସ୍ଥିତିରେ ସୃଷ୍ଟ ନେତୃବର୍ଗ ସ୍ଥାନୀୟ ରାଜନୀତିରେ ଅସ୍ତିତ୍ୱ ସ୍ଥାପନ କରିପାରିଲେ ନାହିଁ । ଶେଷରେ ୧୯୯୮ ଗୋପାଳପୁର ଇସ୍ପାତ ପ୍ରକଳ୍ପ ବିରୋଧୀ ଆନ୍ଦୋଳନରେ ବ୍ରହ୍ମପୁରର ନେତୃବର୍ଗଙ୍କ ପ୍ରତିନିଧିତ୍ୱ ହିଁ ରହିଲା ନାହିଁ । ୧୯୬୬ରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆନ୍ଦୋଳନ ପରଠାରୁ ସହରରେ କୌଣସି ବଡ଼ ଧରଣ ଜନଜାଗରଣ ସଂଭବ ହୋଇପାରିନାହିଁ । ବିବାହ, ଶୁଦ୍ଧିକ୍ରିୟା ଭଳି ପାରିବାରିକ ମେଳନରେ ସମବେତ ଜନତାଙ୍କୁ କୁଶଳ ଜିଜ୍ଞାଷାକୁ ହିଁ  ଲୋକସଂପର୍କ ବୋଲି ଧରି ନିଆଗଲା !

 

ତୃତୀୟତଃ, ପରିବର୍ତ୍ତିତ ସାମାଜିକ ବ୍ୟବସ୍ଥାରେ ନାର୍ଯ୍ୟ ଦାବୀ ଉପସ୍ଥାପନ ବଦଳରେ ତୋଷାମଦ କାର୍ଯ୍ୟସାଧନର ମନ୍ତ୍ର ରୂପେ ଗୃହୀତ ହେବା ପରଠୁ ନେତୃତ୍ୱର ପରିଭାଷା ବଦଳି ଯାଇଛି । ଗଣତାନ୍ତ୍ରିକ ଶାସନ ପଦ୍ଧତିରେ ସାଂସଦ ଓ ବିଧାୟକଙ୍କ ଗରିମା କ୍ଷୟ ହୋଇ ଚାଲିଛି । ବ୍ରହ୍ମପୁରରେ ଏହି ଅବକ୍ଷୟର ଧାରା କେଉଁଠି ଅଟକିବ, ତାହା ସମୟ ହିଁ ନିର୍ଦ୍ଧାରଣ କରିବ !

Image by Satheesh Sankaran from Pixabay

Friday, April 26, 2024

Potatoes Price / ଆଳୁ ଦର

 

#ବ୍ରହ୍ମପୁର ବଜାରରେ ବିଭିନ୍ନ ସମୟରେ ବିଭିନ୍ନ କାରଣରୁ ଆଳୁ ଦର ହଠାତ ବଢିଥାଏ । ଉଦାହରଣରେ ଏପ୍ରିଲ ୨୦୨୪ ମଧ୍ୟ ଭାଗରେ ଖୁଚୁରା ବଜାରରେ ଆଳୁ ଦର କିଲୋଗ୍ରାମ ପିଛା ୨୦ ଟଙ୍କାରୁ ବଢ଼ି ୩୦ ଟଙ୍କାରେ ପହଞ୍ଚିଥିଲା । ମହଙ୍ଗା ଆଳୁ ଦର ସାଧାରଣ ଖାଉଟୀଙ୍କୁ ବାଧେ । ସହର ସାରା ଚର୍ଚ୍ଚା ହୁଏ । ବ୍ରହ୍ମପୁରବାସୀଙ୍କ ଭୋଜନ ଥାଳିରେ ଆଳୁ ଏକ ଅତ୍ୟାବଶ୍ୟକୀୟ ପରିବା । ଆଳୁ-ବାଇଗଣ ଓ ଆଳୁ-କଞ୍ଚାକଦଳୀରେ ଗୁଣ୍ଡ-ଗରମମସଲା ଦିଆ ତରକାରୀ ଏଠାକାର ସ୍ୱାତନ୍ତ୍ର୍ୟ । ଜଳଖିଆରେ ଆଳୁ-ପିଆଜ ତରକାରୀ ଇଡ଼ଲି, ଉପମା, ପୁରି, ଗାରି ସହ ପରଷା ଯାଏ । ଆଳୁ ଚକଟା ମସଲା ଦୋଷାର ଅବିଚ୍ଛେଦ୍ୟ ଅଂଶ । ବ୍ରହ୍ମପୁରୀ ବ୍ୟଞ୍ଜନରୁ ଆଳୁକୁ ବାଦ ଦେଇ ହୁଏନା । କିନ୍ତୁ ଆଳୁ ଦର ବଢ଼ିଗଲେ କମ ଆଳୁ ରନ୍ଧାବଢାକୁ ପ୍ରଭାବିତ କରେ ।
 
ବିଂଶ ଶତାଦ୍ଦୀ ତୃତୀୟ ଦଶକରେ ଆଳୁ, ଟମାଟ ଭଳି ପରିବା ବ୍ରହ୍ମପୁର ଖାଦ୍ୟ ସାମଗ୍ରୀ ତାଲିକାରେ ଯୋଡ଼ି ହୋଇଥିଲା । ଆଳୁକୁ ବିଲାତି ଆଳୁ ଓ ଟମାଟକୁ ବିଲାତି ବାଇଗଣ କୁହାଯାଉଥିଲା । ସେହି ସମୟରୁ ଆଳୁ ଆମଦାନୀ ନିମନ୍ତେ ବ୍ରହ୍ମପୁର ବଜାର ପଶ୍ଚିମ-ବଙ୍ଗ ଉପରେ ନିର୍ଭର କରି ଆସିଛି । ଆଳୁ ଅମଳରେ ପ୍ରସିଦ୍ଧ ଦେଶର ତିନିଗୋଟି ରାଜ୍ୟ ମଧ୍ୟରେ ପଶ୍ଚିମ-ବଙ୍ଗ ଅନ୍ତର୍ଭୁକ୍ତ । ଦୈନିକ ଆଠ ଗୋଟି ଟ୍ରକରେ ପ୍ରାୟ ଦୁଇ ଶହ ଟନ ଆଳୁ ୨୦୨୪ ସୁଦ୍ଧା ବ୍ରହ୍ମପୁରକୁ ଆମଦାନୀ ହୁଏ । ସ୍ଥାନୀୟ ବଡ଼-ବଜାର ଆଳୁ ଗୋଦାମରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବଜାରକୁ ଆଳୁ ବିତରଣ କରାଯାଏ । ଆଳୁ ଦର ପାଇକାରୀ ହୋଲ ସେଲ ଦର ସହ ପାଞ୍ଚ ଟଙ୍କା ଯାଏଁ ଯୋଗ କରି ଖୁଚୁରା ରିଟେଲ ଦର ଧାର୍ଯ୍ୟ ହୋଇଥାଏ ।
 
ପଶ୍ଚିମ-ବଙ୍ଗର ହୁଗୁଳି, ପୂର୍ବ-ବର୍ଦ୍ଧମାନ ଓ ପଶ୍ଚିମ-ମେଦିନାପୁର ଅଞ୍ଚଳରେ ଆଳୁ ଚାଷ କରାଯାଏ । ସେଠାରେ ମୁଖ୍ୟତଃ ନଭେମ୍ୱର-ଡ଼ିସେମ୍ୱରରେ ଆଳୁ ଚାରା ରୋପଣ ଏବଂ ଫେବୃୟାରୀ-ମାର୍ଚ୍ଚ ସୁଦ୍ଧା ଫସଲ ଅମଳ ହୁଏ । ଗଛ ବଢ଼ିବା ପାଇଁ ଥଣ୍ଡା ପାଗ ଅନୁକୂଳ । ତେବେ ୨୦୨୪ରେ ଅଦିନିଆ ବର୍ଷା ଲାଗି ରହିବା ଯୋଗୁଁ ପଶ୍ଚିମ-ବଙ୍ଗର ଆଳୁ କ୍ଷେତଗୁଡ଼ିକରେ ପାଣି ଜମି ରହିଲା ଏବଂ ଫସଲ ଉତ୍ପାଦନ ପରିମାଣ କମିଗଲା ଫଳରେ ଆଳୁ ଅଭାବ ଆକଳନ କରି ପଶ୍ଚିମ-ବଙ୍ଗ ବ୍ୟବସାୟୀମାନେ ଦର ବଢ଼ାଇ ଦେଇଥିବା କୋଲକତାର ବଜାର ବିଶେଷଜ୍ଞମାନେ କହିଥିଲେ । ସାଧାରଣରେ ଆଳୁ ଅମଳ ପରେ ଶୀତଳ ଭଣ୍ଡାରରେ ଗଚ୍ଛିତ ରହିବା ନିମନ୍ତେ ଚାଲିଯାଏ । ମାର୍ଚ୍ଚ–ଏପ୍ରିଲରେ ଚାଷୀମାନଙ୍କଠାରୁ ଉଦବୃତ୍ତ ଆଳୁ ବଜାରକୁ ଆସେ । ଯୋଗାଣ ପରିମାଣ କମ ଥିବା ହେତୁ ଦର ବୃଦ୍ଧିର କାରଣ ରୂପେ ଚ଼ିହ୍ନଟ କରାଯାଇଥିଲା । ଶୀତଳ ଭଣ୍ଡାରରୁ ମେ ମାସ ସୁଦ୍ଧା ଆଳୁ ବିକ୍ରୀ ପାଇଁ ବଜାରକୁ ଛଡ଼ା ଯିବା ପରେ ଆଳୁ ଦର ସୁଧୁରି ଯିବା ଅତୀତ ଅଭିଜ୍ଞତାରୁ ଜଣାଯାଏ ।
 
କୋଲକତାବାସୀଙ୍କ ଚ଼ନ୍ଦ୍ରମୁଖୀ ଆଳୁ ପସନ୍ଦ । ଏହାର ଦାମ ସେଠାକାର ଖୁଚୁରା ବଜାରରେ ୨୦୨୪ ଏପ୍ରିଲ ମଧ୍ୟଭାଗ ସୁଦ୍ଧା କିଲୋ ପିଛା ୩୫ ଟଙ୍କା ରହିଥିଲା । ଅନ୍ୟପକ୍ଷରେ ଜ୍ୟୋତି କିସମର ଆଳୁ ଦର କିଲୋପିଛା ୨୫ ଟଙ୍କାରେ ମିଳୁଥିଲା । ବ୍ରହ୍ମପୁରକୁ ପ୍ରାୟତଃ ଜ୍ୟୋତି କିସମର ଆଳୁ ଆମଦାନୀ ହୁଏ । ପଶ୍ଚିମ-ବଙ୍ଗର ସମଗ୍ର ଆଳୁ ଅମଳରେ ଚ଼ନ୍ଦ୍ରମୁଖୀ କିସମର ପରିମାଣ ମାତ୍ର ଦଶ ପ୍ରତିଶତରେ ସୀମିତ । ଅନ୍ୟାନ୍ୟ କିସମ ମଧ୍ୟରେ ପୋଖରାଜ, ଏସ-୧ ଇତ୍ୟାଦି ଉଲ୍ଲେଖଯୋଗ୍ୟ । ପଶ୍ଚିମ-ବଙ୍ଗରେ ମାସିକ ପ୍ରାୟ ପାଞ୍ଚ ଲକ୍ଷ ଟନ ଆଳୁ ସ୍ଥାନୀୟ ବଜାରରେ ବିକ୍ରୀ ହେଉଥିବା ସ୍ଥଳେ ଏକ ଲକ୍ଷ ଟନ ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ଆସାମ ଓ ଆନ୍ଧ୍ରପ୍ରଦେଶକୁ ରପ୍ତାନୀ କରିଥାଏ । ଅତୀତରେ ପଶ୍ଚିମ-ବଙ୍ଗ ବଜାରରେ ଆଳୁ ଦର ବଢ଼ି ଗଲେ ରାଜ୍ୟ ସରକାର ବାହାର ରାଜ୍ୟଗୁଡ଼ିକୁ ତୁରନ୍ତ ରପ୍ତାନୀ ବନ୍ଦ କରିଦେଉଥିଲେ । କିନ୍ତୁ କେନ୍ଦ୍ର ସରକାର ଏସେନସିଆଲ କମେଡ଼ିଟିସ (ଏମେଣ୍ଡମେଣ୍ଟ) ଏକ୍ଟ ୨୦୨୦ ଅଡିନାନ୍ସ ବଳରେ ଲାଗୁ କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଳୁ ରପ୍ତାନୀ ବନ୍ଦ ଆଦେଶ ସଂଭବ ହୋଇପାରୁ ନାହିଁ । ପଶ୍ଚିମ-ବଙ୍ଗରେ ବାର୍ଷିକ ପ୍ରାୟ ୯୦ ଲକ୍ଷ ଟନ ଆଳୁ ଅମଳ ହେଉଥିବା ସ୍ଥଳେ ୭୦ ଲକ୍ଷ ଟନ ଶୀତଳ ଭଣ୍ଡାରରେ ଗଚ୍ଛିତ ରଖାଯାଇ ବର୍ଷ ସାରା ବଜାରକୁ ଛଡାଯାଏ ।
 
ଓଡ଼ିଶା ବଜାରରେ ଆଳୁ ଦର ବୃଦ୍ଧି ସମସ୍ୟାର ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୪-୧୫ରେ ଷ୍ଟେଟ ପଟାଟୋ ମିସନ ଆରମ୍ଭ କରାଯାଇଥିଲା । ଆଳୁ ଅମଳ, ସାଇତି ରଖିବା ଓ ବିତରଣ କ୍ଷେତ୍ରରେ ୨୦୧୭-୧୮ ସୁଦ୍ଧା ଆତ୍ମ-ନିର୍ଭର ହେବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଚାଷୀମାନଙ୍କୁ ସବସିଡି ମାଧ୍ୟମରେ ଚାରା ଯୋଗାଣ ଭଳି ପଦକ୍ଷେପ ହେତୁ ଆଳୁ ଉତ୍ପାଦନ ମଧ୍ୟ ବଢ଼ିଥିଲା । ତେବେ ଠିକ ବର୍ଷକ ପୂର୍ବେ ୨୦୨୩ ମାର୍ଚ୍ଚ ମାସରେ ଆଳୁ ଅମଳ ବେଳକୁ ଖୁଚୁରା ବଜାରରେ ଆଳୁ ଦର କିଲୋ ପ୍ରତି ଦଶ ଟଙ୍କାକୁ ଖସି ଯିବାରୁ ଚାଷୀଙ୍କଠାରୁ ମାତ୍ର ପାଞ୍ଚ ଟଙ୍କାରେ ଆଳୁ ନେବା ପାଇଁ ପାଇକାରୀ ବ୍ୟବସାୟୀମାନେ ଅଡ଼ି ବସିଲେ । ଆଳୁ ଚାଷ କରିଥିବା ଚାଷୀ ହନ୍ତସନ୍ତ ହେଲେ । ସେହି ଅଭିଜ୍ଞତାର ଫଳାଫଳ ପରବର୍ଷ ୨୦୨୪ ବଜାରରେ ଆଳୁ ଦରରେ ପ୍ରତିଫଳିତ । ଅପରପକ୍ଷେ ବ୍ରହ୍ମପୁର ପରିବା ବଜାରରେ ଗ୍ରୀଷ୍ମଋତୁରେ ପନିପରିବା ଆମଦାନୀ କମିଯିବା କାରଣରୁ ଦର ବଢ଼ିଯାଏ । ସହରବାସୀ ତଟକା ପନିପରିବା ନ ପାଇପାରିବା ହେତୁ ଆଳୁ ଉପରେ ନିର୍ଭର କରନ୍ତି । ଆଳୁ ବ୍ୟବହାର ପରିମାଣ ମଧ୍ୟ ସାମାନ୍ୟ ବଢ଼ିଯାଏ । ତେଣୁ ଆଳୁ ଦର ବୃଦ୍ଧି ହେଲେ ସହରବାସୀ ଛାନିଆ ହେବା ସ୍ୱାଭାବିକ !

Image by Alexa from Pixabay



Friday, April 19, 2024

Brahmapur North City / ବ୍ରହ୍ମପୁର ନର୍ଥ ସିଟି

 

#ବ୍ରହ୍ମପୁର ସହରର ପରିସୀମା ସଂପ୍ରସାରଣ ଶୀଥିଳ ରହିଆସିଛି । ଭାରତର ସ୍ୱାଧୀନତା ପ୍ରାପ୍ତି ସମୟରେ ଦେଶର ବିଭିନ୍ନ ପ୍ରାନ୍ତରେ ବ୍ରହ୍ମପୁର ସମସ୍କନ୍ଦ ସହରଗୁଡ଼ିକ ବିଗତ ୭୫ ବର୍ଷ ମଧ୍ୟରେ ଯେଉଁ ମାତ୍ରାରେ ବୃଦ୍ଧି ପ୍ରାପ୍ତ ହୋଇଛି, ସେହି ତୁଳନାରେ ପଛରେ ପଡ଼ିରହିଛି ନିଶ୍ଚୟ । ବ୍ରହ୍ମପୁରର ଅବୟବ ବୃଦ୍ଧି ଲାଗି କାଁ ଭାଁ ଚର୍ଚ୍ଚା ହୁଏ, କିନ୍ତୁ ପରିକଳ୍ପନା ବେଶୀ ଦୂର ଆଗେଇ ପାରେନା । ବ୍ରହ୍ମପୁର ଉନ୍ନୟନ ପ୍ରାଧୀକରଣ ବିଡ଼ିଏ ପକ୍ଷରୁ ୨୦୧୫-୧୬ରେ ଏକ ସାଟେଲାଇଟ ସିଟି ବିକାଶ ନିମନ୍ତେ ପ୍ରାରମ୍ଭିକ ପର୍ଯ୍ୟାଲୋଚନା ସମୟର ସ୍ରୋତରେ ହଜିଯାଇଥିବା ସେହି ଭଳି ଏକ ପ୍ରସ୍ତାବ ।

 

ବିଡ଼ିଏ ଆନୁକୂଲ୍ୟରେ ପବ୍ଳିକ-ପ୍ରାଇଭେଟ ପାର୍ଟନରସିପରେ ବ୍ରହ୍ମପୁର-ଜଗନ୍ନାଥପୁର ମଧ୍ୟସ୍ଥ ଶୀତଳପଲ୍ଲୀ ଅଞ୍ଚଳରେ ୧୦୧ ଏକର ଜମିରେ ଦଶ ହଜାର ବାସଗୃହ ସହ ସପିଂ ମଲ, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧାସୁଯୋଗ ନିର୍ମାଣ ନିମନ୍ତେ ଏକ ପରିକଳ୍ପନା କରାଯାଇଥିଲା । ଗଞ୍ଜାମ ଜିଲ୍ଲା କନିଷି ତହସିଲ ଅଧୀନରେ ଥିବା ସରକାରୀ ଜମି ବ୍ୟବହାର ନିମନ୍ତେ ପ୍ରସ୍ତାବ ରହିଥିଲା । ନିର୍ମାଣ ଖର୍ଚ୍ଚ ବାବଦରେ ୧୧୩ କୋଟି ଟଙ୍କା ବ୍ୟୟ ହିସାବ କରାଯାଇଥିଲା । ବିଡ଼ିଏର ଏହି ପ୍ରସ୍ତାବ ତତ୍କାଳୀନ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ତର୍ଜମା କରି ସମ୍ମତ୍ତି ପ୍ରଦାନ କରିଥିବା ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । କିନ୍ତୁ ଦଶ ବର୍ଷ ପୁରିବାକୁ ଯାଉଥିବା ଅବସରରେ ଏହି ପ୍ରକଳ୍ପର ଅଗ୍ରଗତି ସଂପର୍କରେ କିଛି ଶୁଣିବାକୁ ମିଳେ ନାହିଁ ।

 

ବିଂଶ ଶତାଦ୍ଦୀ ଆରମ୍ଭରେ ରେଳ ସଂଯୋଗ ଓ ଚତୁର୍ଥ ଦଶକ ମଧ୍ୟଭାଗରେ ସ୍ୱତନ୍ତ୍ର ଓଡ଼ିଆ ପ୍ରଦେଶ ଗଠନ ଦୁଇ କାରଣରୁ ସ୍ୱାଧୀନୋତ୍ତର ଅବସ୍ଥାରେ ବ୍ରହ୍ମପୁରର ଜନସଂଖ୍ୟା ବଢ଼ି ଚାଲିଲା । ସଡ଼କ ପରିବହନ ବିକାଶ ପରେ ୧୬ ନମ୍ୱର ଜାତୀୟ ରାଜପଥ ଏଥିରେ ସହାୟକ ହେଲା । ତେବେ ବିଗତ ଶହେ ବର୍ଷ ଧରି ସହରର ଅନିୟନ୍ତ୍ରିତ କଳେବର ବୃଦ୍ଧି ସହରବାସୀ, ମୁଖ୍ୟତଃ ନୂଆ କରି ଘରବାଡ଼ି ନିର୍ମାଣ କରି ବସବାସ କରୁଥିବା ସ୍ଥାୟୀ ବାସିନ୍ଦାଙ୍କ ନିମନ୍ତେ ଯନ୍ତ୍ରଣାମୟ । ସହରର ପରିସୀମା ବୃଦ୍ଧି ପରେ ନୂଆ ଅଞ୍ଚଳଗୁଡ଼ିକରେ ରାସ୍ତାଘାଟ, ପରିମଳ, ଜଳ ଯୋଗାଣ, ଆଲୋକ ଓ ସୁରକ୍ଷା ସୁବିଧା ସୁଯୋଗ ପାଇଁ ୨୦ ରୁ ୩୦ ବର୍ଷ ଅପେକ୍ଷା କରିବାକୁ ପଡୁଛି । ସହରର ବହୁ ଅଞ୍ଚଳ ଗ୍ରାମପଞ୍ଚାୟତ ଅଧୀନରେ ରହିଆସିଛି । ସେଗୁଡ଼ିକୁ ସହରାଞ୍ଚଳ ଘୋଷଣା ପରିବର୍ତ୍ତେ ନବପ୍ରବର୍ତ୍ତିତ ସରକାରୀ ନୀତି ଅନୁଯାୟୀ ଗ୍ରାମାପଞ୍ଚାୟତର ସହାୟତାରେ ବିକାଶ କରାଯିବା କଥା କୁହାଯାଉଛି । ଏହି ପରିପ୍ରେକ୍ଷୀରେ ବିଡିଏ ପକ୍ଷରୁ ଯଦି ଆନୁସଙ୍ଗିକ ସୁବିଧାସୁଯୋଗ ସମ୍ପନ୍ନ ବସତି ସ୍ଥାପନ ନିମନ୍ତେ ଉଦ୍ୟମ ଫଳବତୀ ହୁଅନ୍ତା, ତେବେ ବହୁ ପରିବାର ପ୍ରଶାସନିକ ପ୍ରତିବନ୍ଧକ ଅତିକ୍ରମ କରି ବାସଗୃହ ଖରିଦ କରି ଉପକୃତ ହୋଇପାରନ୍ତେ ଏବଂ ସହରର ଜନସଂଖ୍ୟା, ପରିସୀମା ବୃଦ୍ଧିପ୍ରାପ୍ତ ହୁଅନ୍ତା ।

 

ବିଡିଏ ପ୍ରସ୍ତାବିତ ସାଟେଲାଇଟ ସିଟିର ନାମକରଣ ବ୍ରହ୍ମପୁର ନର୍ଥ ସିଟି ରଖାଯାଇଥିଲା । ଶୀତଳାପଲ୍ଲୀରେ ଏକ ଘରୋଇ କର୍ପୋରେଟ ହସପିଟାଲ ଖୋଲିବା ପରେ ସେହି ଅଞ୍ଚଳର ଗୁରୁତ୍ୱ ବଢିବା ସ୍ୱାଭାବିକ । ଅପର ପାର୍ଶ୍ୱରେ ଟାଟା ଇଣ୍ଡଷ୍ଟ୍ରିଆଲ ପାର୍କରେ କେତେକ କଳକାରଖାନା ପ୍ରତିଷ୍ଠା ଓ ଗୋପାଳପୁର ବନ୍ଦରକୁ ଅନ୍ୟତମ ବୃହତ ଶିଳ୍ପପୁଞ୍ଜ ଆଦାନୀ ଗୃପ ଅଧିଗ୍ରହଣ ପରେ ଜନବସତିର ଅବଶ୍ୟକତା ବଢ଼ିବ । ଏହି ଅବସରରେ ବିଡ଼ିଏ ପକ୍ଷରୁ ବସତି ପ୍ରକଳ୍ପ ରୂପାୟନ କରାଯାଇପାରିଲେ ଏକ ପକ୍ଷରେ କ୍ରେତାଙ୍କ ଅଭାବ ରହିବ ନାହିଁ ଏବଂ ଅପରପକ୍ଷରେ ସହରାଞ୍ଚଳରେ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବା ପ୍ରଶାସନିକ ଦୃଷ୍ଟିରୁ ସହଜ ହେବ ।

 

ବିଡ଼ିଏ ପକ୍ଷରୁ ଏହି ଅଞ୍ଚଳରେ ବିବେକ ବିହାର ଫେଜ-୧ ଓ ଫେଜ-୨ ଦୁଇ ପର୍ଯ୍ୟାୟରେ ବିକଶିତ ହୋଇଥିଲେ ମଧ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି । ବ୍ରହ୍ମପୁର ନର୍ଥ ସିଟି ଯୋଜନା କାର୍ଯ୍ୟକାରୀ ହୋଇପାରିଲେ ବିବେକ ବିହାର ଅଞ୍ଚଳ ମଧ୍ୟ ସଜଡ଼ା ଯାଇପାରିବ । ବ୍ରହ୍ମପୁର ନର୍ଥ ସିଟି ପ୍ରସଙ୍ଗ ସର୍ବସାଧାରଣଙ୍କ ଚର୍ଚ୍ଚାର ପରିସରକୁ ଆଣିବାକୁ ପଡ଼ିବ !


Image by Ilona S from Pixabay


Friday, April 12, 2024

New Police Officer / ନୂତନ ପୋଲିସ ଅଧିକାରୀ

 

#ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଅଧିକାରୀ ବଦଳ ହୋଇଛନ୍ତିସହରର ଆଇନ ଶୃଙ୍ଖଳା ପରିଚାଳନା କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା । ମେ୧୯ରେ ନିର୍ବାଚନ ଅବ୍ୟବହିତ ମାସକ ପୂର୍ବରୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ପୁରାତନ ଆରକ୍ଷୀ ଅଧୀକ୍ଷକ ଏସପିଙ୍କୁ ବଦଳି କରାଯାଇ ଡ଼ିଆଇଜି ପାହ୍ୟାର ଜଣେ ବରିଷ୍ଠ ଅଧିକାରୀଙ୍କୁ ସ୍ଥାନିତ କରାଯାଇଛି । ନୂତନ ଅଧିକାରୀ ଦଶବର୍ଷ ପୂର୍ବେ ୨୦୧୪ ସେପ୍ଟେମ୍ୱରରୁ ୨୦୧୬ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଦୁଇ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବ୍ରହ୍ମପୁର ପୋଲିସ ଜିଲ୍ଲାର ଏସପି ଦାୟିତ୍ୱ ସମ୍ଭାଳିଛନ୍ତି । ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ପ୍ରକାରେ ପୁରାତନ ଅଧିକାରୀଙ୍କୁ ବିଦା ଦେବା ତଥା ଉଚ୍ଚ ପଦବୀରେ ପହଞ୍ଚିଥିବା ଅନ୍ୟ ଜଣେ ଅଧିକାରୀଙ୍କୁ ନିଯୁକ୍ତି ଦେବା ଘଟଣାକ୍ରମ ଜନମାନସରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉପୁଜାଇଛି ଯେ ସତରେ କଣ ସହରର ଆଇନଶୃଙ୍ଖଳା ପରିସ୍ଥିତି ଉଜୁଡ଼ି ଯିବାକୁ ବସିଥିଲା କି ?
 
ନୂତନ ଅଧିକାରୀ ଏପ୍ରିଲ ୯ରେ କାର୍ଯ୍ୟଭାର ଗ୍ରହଣ ପରେ ସାମ୍ୱାଦିକମାନଙ୍କ ସହ ଆଲୋଚ଼ନାରେ ତିନିଗୋଟି ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛନ୍ତି । ପ୍ରଥମତଃ ପୋଲିସ ଲୋକାଭିମୁଖୀ ନୀତି ଗ୍ରହଣ କରିବ, ଦ୍ୱିତୀୟତଃ ପୋଲିସ ପେଟ୍ରୋଲିଂକୁ କ୍ରିୟାଶୀଳ କରିବା ନିମନ୍ତେ ଦୁଇଗୋଟି କୁଇକ ରେସପନ୍ସ ଟିମ ଗଠିତ ହେବ ଏବଂ ତୃତୀୟତଃ କ୍ରମବର୍ଦ୍ଧିଷ୍ଣୁ ସାଇବର ଅପରାଧ ରୋକିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ । ନିକଟ ଅତୀତର ବ୍ରହ୍ମପୁରରେ ଅପରାଧ ରେକର୍ଡ ଅନୁଧ୍ୟାନ କଲେ ଆଲୋଚ୍ୟ ତିନିଗୋଟି ଆଭିମୁଖ୍ୟ ବେଶ ଉପାଦେୟ ମନେହୁଏ । ଆଧୁନିକ ପୋଲିସିଂ ବ୍ୟବସ୍ଥାରେ ଅପରାଧ ନିୟନ୍ତ୍ରଣରେ ସ୍ଥାନୀୟ ଜନସାଧାରଣଙ୍କ ଯୋଗଦାନକୁ ଉତ୍ସାହିତ କରାଯାଏ । ପୋଲିସ ଲୋକଙ୍କ ଯେତେ ନିକଟତର ହୋଇପାରିବ, ସେତେ ଅଧିକ ମାତ୍ରାରେ ଅପରାଧିକ ସୂତ୍ରଗୁଡ଼ିକ ପାଖରେ ପହଞ୍ଚିବା ସଂଭବ । ଏଥି ସଙ୍ଗେ ଅପରାଧ ତତ୍ତ୍ୱମାନଙ୍କ ସଂପର୍କରେ ପର୍ଯ୍ୟାପ୍ତ ତଥ୍ୟ ସଂଗ୍ରହ କରାଯାଇ ଡ଼ାଟାବେସ ପ୍ରସ୍ତୁତ କରାଯାଇପାରିଲେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଭଳି ପ୍ରଯୁକ୍ତି କୌଶଳ ଉପଯୋଗରେ ଅପରାଧିଙ୍କୁ ଖୋଜି ବାହାର କରିବାରେ ସଫଳତାର ହାର ବେଶ ବଢ଼ିଯିବ ।
 
ସଂଯୋଗବଶତଃ ନୂତନ ପୋଲିସ ଅଧିକାରୀ ଦାୟିତ୍ୱ ନେବା ଦିନ ସ୍ଥାନୀୟ ବଡ଼ବଜାର ଥାନାରେ ଜଣେ ୬୪ ବର୍ଷିୟା ବୃଦ୍ଧା ସ୍ୱଗୃହରେ ଲୁଟର ଶୀକାର ହୋଇଥିବା ଲିଖିତ ଅଭିଯୋଗ ଦାୟର କରିଥିଲେ । ଗଣମାଧ୍ୟମରେ ପ୍ରସାରିତ ବିବରଣୀ ଅନୁଯାୟୀ ପୂର୍ବ ଦିନ ୮ ଏପ୍ରିଲ ଦିନ ଦ୍ୱିପ୍ରହରରେ ହରିଡ଼ାଖଣ୍ଡି ରୋଡ଼ରେ ବସବାସ କରୁଥିବା ମହିଳା ଜଣକ ଏକୁଟିଆ ଘରେ ଥିବା ବେଳେ ତିନିଜଣ ଯୁବକ ମୋଟର ସାଇକଲରେ ପହଞ୍ଚି ପିଇବା ପାଣି ମାଗିଥିଲେ । ମହିଳା ପାଣି ଆଣିବା ପାଇଁ ଘର ଭିତରକୁ ଯିବା ଅବସରରେ ଆଗନ୍ତୁକ ତିନି ଯୁବକ ଜୋରଜବରଦସ୍ତ ଘରେ ପଶି ମହିଳାଙ୍କୁ ଛୁରି ଦେଖାଇ ଭୟଭୀତ କରି ସାତ ଭରି ଅଳଙ୍କାର, ଦୁଇଗୋଟି ରୂପା ଥାଳି ଓ ନଗଦ ଏକ ଲକ୍ଷ ଟଙ୍କା ଲୁଟି ନେଇଥିବା ପୋଲିସ ନିକଟରେ ଦାଖଲ ହୋଇଥିବା ଅଭିଯୋଗରେ ଉଲ୍ଲେଖ ରହିଥିଲା । ଦୁର୍ବୃତ୍ତମାନେ ମହିଳାଙ୍କ ହାତ ଗୋଡ଼କୁ ପ୍ଳାଷ୍ଟରରେ ବାନ୍ଧି ଦେଇ ଲୁଟ କରିଥିବା କୁହାଯାଉଛି ।
 
ପୋଲିସ ତୁରନ୍ତ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିବା ପ୍ରକାଶ । ଏହି ଦୁର୍ଘଟଣାର ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକ ହେଲା (କ) ଜଣେ ବରିଷ୍ଠ ନାଗରିକ (ଖ) ମହିଳାଙ୍କୁ (ଗ) ଦିନ ଦ୍ୱିପ୍ରହରରେ ନିଜ ବାସଗୃହରେ ବାନ୍ଧି ସୁନା-ଟଙ୍କା ଲୁଟ କରିନେବାରେ ଦୁର୍ବୃତ୍ତଙ୍କ ସାହସ । ବ୍ରହ୍ମପୁରରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅଧିକାଂଶ ସମୟରେ ସେମାନେ ଏକୁଟିଆ । ସହରର ସାଢ଼େ ଚାରି ଲକ୍ଷ ଜନସଂଖ୍ୟାରେ ୬୦ ବର୍ଷୋତ୍ତରଙ୍କ ସଂଖ୍ୟା ପ୍ରାୟ ପଚାଶ ହଜାର । ପୋଲିସ ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପ୍ରତି ଅପରାଧ ନିୟନ୍ତ୍ରଣ ତଥା ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଜଣେ ପୁରୁଷ ଓ ଜଣେ ମହିଳା କର୍ମଚାରୀଙ୍କୁ ନୋଡ଼ାଲ ଅଫିସରଭାବେ ଚ଼ିହ୍ନଟ କରିବା ଜରୁରି ହୋଇପଡ଼ିଛି । ପରବର୍ତ୍ତୀ ଅବସ୍ଥାରେ ବରିଷ୍ଠ ନାଗରିକଙ୍କ ସମସ୍ୟା ବୁଝିବା ସକାଶେ ଏକ ସ୍ୱତନ୍ତ୍ର ଡ଼େସ୍କ ଗଠନ କରାଯାଇପାରେ । ବ୍ରହ୍ମପୁର ପୋଲିସ ଜିଲ୍ଲା ଅଧିକାରୀଙ୍କ ଅବଗତ ନିମନ୍ତେ ବ୍ରହ୍ମପୁର ଡ଼ାଏରୀ ସ୍ତମ୍ଭରେ ୧୩ ଜାନୁୟାରୀ ୨୦୨୩ରେ ଏହି ପ୍ରସ୍ତାବ ପ୍ରଦାନ କରାଯାଇଥିଲା । ଏତଦ୍ ବ୍ୟତୀତ ଅପରାଧ ନିୟନ୍ତ୍ରଣ ବ୍ୟବସ୍ଥାରେ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ଆୟୋଜନ ପିପୁଲ ଫ୍ରେଣ୍ଡଲି ପୋଲିସିଂ ସଂପର୍କରେ ୭ ମେ ୨୦୨୧ରେ ଆଲୋଚ଼ିତ ହୋଇଥିଲା । ନୂତନ ଅଧିକାରୀ ଏଦିଗରେ ଦୃଷ୍ଟି ଦେବା ଆଶା କରାଯାଇପାରେ ।

Image by Keith Davis from Pixabay


Friday, April 5, 2024

Migratory Labour / ଦେଶାନ୍ତରୀ ଶ୍ରମିକ

 

#ବ୍ରହ୍ମପୁର ରେଳଷ୍ଟେସନ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ଦେଶାନ୍ତରୀ ଶ୍ରମିକଙ୍କ ଗନ୍ତବ୍ୟ ପଥ । କେବଳ ଗଞ୍ଜାମର ଦେଶାନ୍ତରୀ ଶ୍ରମିକଙ୍କ ସଂଖ୍ୟା ସାତ ଲକ୍ଷ ହିସାବ କରାଯାଏ । ଏମାନଙ୍କ ମଧ୍ୟରୁ ତିନି ଚ଼ତୁର୍ଥାଂଶ ଗୁଜରାଟର ସୁରତ ଓ ମହାରାଷ୍ଟ୍ରର ମୁମ୍ୱାଇରେ ଶ୍ରମ-ନିୟୋଜିତ । ଅଳ୍ପ ସଂଖ୍ୟକ ସପରିବାରେ ପ୍ରବାସରେ ବସବାସ କରନ୍ତି । ଅଧିକାଂଶଙ୍କ ପରିବାର ସ୍ଥାନୀୟ ଗ୍ରାମାଞ୍ଚଳ ବାସିନ୍ଦା । ଗ୍ରୀଷ୍ମଋତୁରେ ଦୁଇରୁ ଚାରି ସପ୍ତାହ ଯାଏଁ ଦେଶାନ୍ତରୀ ଶ୍ରମିକମାନେ ଛୁଟି କଟାଇବା ପାଇଁ ଗଞ୍ଜାମ ଫେରନ୍ତି । କିସ୍ତି ୱାରି ଏହି ପ୍ରକ୍ରିୟା ଦୀପାବଳୀ ଯାଏଁ ଲାଗିରହେ । ସୁରତ ଓ ମୁମ୍ୱାଇରେ ଓଡ଼ିଆଙ୍କ ସହ ଦେଶର ବିଭିନ୍ନ ପ୍ରାନ୍ତରୁ ଆଗତ ଦେଶାନ୍ତରୀ ଶ୍ରମିକ କାର୍ଯ୍ୟରତ । ଗ୍ରୀଷ୍ମଋତୁରେ ଅଧିକାଂଶ ଛୁଟିରେ ଯାଆନ୍ତି । ସାଧାରଣରେ ଦେଶର ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଲମ୍ୱା ଗ୍ରୀଷ୍ମ ଅବକାଶ ସପରିବାରେ ବାହାରେ ବସବାସ କରୁଥିବା ପରିବାରବର୍ଗଙ୍କୁ ନିଜ ଗ୍ରାମକୁ ଫେରିବାକୁ ସୁହାଏ । ଗଞ୍ଜାମରେ ତାରାତାରିଣୀ ପୀଠରେ ଚୈତ୍ର ଯାତ୍ରା, ଦଣ୍ଡ ଯାତ୍ରା, ପ୍ରତି ବର୍ଷକ ଅନ୍ତରରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା, ଅନ୍ୟାନ୍ୟ ଧାର୍ମିକ ପୀଠରେ ପୂଜାର୍ଚ୍ଚନା ତଥା ଗ୍ରୀଷ୍ମରେ ବିବାହ ଭଳି ପାରିବାରିକ ଉତ୍ସବାନୁଷ୍ଠାନରେ ଯୋଗଦେବା ନିମନ୍ତେ ସାମୟିକ ଘରବାହୁଡ଼ା ଦେଶାନ୍ତରୀ ଶ୍ରମିକଙ୍କୁ ଆକର୍ଷିତ କରିଥାଏ ।
 
ବିଭିନ୍ନ ଅଞ୍ଚଳରେ ବିଭିନ୍ନ କାରଣରୁ ଦେଶାନ୍ତରୀ ଶ୍ରମିକ ପ୍ରଥା ପ୍ରଚଳିତ । ଗୋଟିଏ ଦୃଷ୍ଟିରୁ କେବଳ ନିଜ ବାସସ୍ଥଳୀରେ କାମଧନ୍ଦା ଅଭାବରୁ ଗଞ୍ଜାମ ଶ୍ରମିକ ଦେଶାନ୍ତର ଗମନ କରୁଥିବା କୁହାଯାଇ ପାରିବ ନାହିଁ । ବହୁ ଦେଶାନ୍ତରୀ ଶ୍ରମିକ ପରିବାରଙ୍କ ପର୍ଯ୍ୟାପ୍ତ ଜମିବାଡ଼ି ଅଛି । ହୁଏତ ଅଧିକ ଉପାର୍ଜନ ଆଶାରେ ସେମାନେ ଶିଳ୍ପାଞ୍ଚଳ ମୁହାଁ ହୋଇଥାନ୍ତି । ଗଞ୍ଜାମରେ ଅଢ଼େଇ ଶହ ବର୍ଷ ଧରି ଦେଶାନ୍ତର ପ୍ରଥା ପ୍ରଚଳିତ । ଗଞ୍ଜାମ ଡ଼ିଷ୍ଟ୍ରିକ୍ଟ ମାନ୍ୟୁଅଲରେ ମାଲଟବୀଙ୍କ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ୧୭୫୯ରେ ଫରାସୀ ଶାସନ ମହୁରି ରାଜ୍ୟରୁ ଓହରିଯିବା ଏବଂ ୧୭୬୭ରେ ବ୍ରିଟିଶ ଶାସନ ଲାଗୁ ହେବା ସନ୍ଧିକ୍ଷଣରେ ବିଜୟନଗରମର ସୀତାରାମ ରାଜୁଙ୍କ ଶାସନାଧୀନ ରହିଥିଲା । ଏହି ସମୟ ମଧ୍ୟରେ ମହୁରି ରାଜ୍ୟ ଦୁଇଗୋଟି ମରୁଡ଼ି ସମ୍ମୁଖୀନ ହୋଇଥିଲା । ତେବେ ସୀତାରାମ ରାଜୁଙ୍କ କର୍ମଚାରୀମାନେ ଜବରଦସ୍ତ ଜମି ଟିକସ ଆଦାୟ କରିବାରୁ ଅତିଷ୍ଠ ହୋଇ ସ୍ଥାନୀୟ ପରିବାର ଦେଶାନ୍ତର ଗମନ କରିବାକୁ ବାଧ୍ୟ ହୋଇଥିଲେ । ପଡ଼ୋଶୀ କୋରାପୁଟ, କନ୍ଧମାଳ ଓ କଳାହାଣ୍ଡିରେ ଗଞ୍ଜାମର ବହୁ ପରିବାର ଏହି ସମୟ ସୀମାରେ ଅବସ୍ଥାପିତ ହୋଇଥିବା ଜଣାଯାଏ । ପରବର୍ତ୍ତୀ ଅବସ୍ଥାରେ ଊନବିଂଶ ଶତାଦ୍ଦୀ ମଧ୍ୟଭାଗରେ ନଅଙ୍କ ଦୁର୍ଭିକ୍ଷ ପରେ ଗଞ୍ଜାମର ଶ୍ରମିକମାନେ ଚାଷ କାର୍ଯ୍ୟ ଲାଗି ରେଙ୍ଗୁନ ଯିବା ବେଶ ଲୋକପ୍ରିୟ ହୋଇଥିଲା । ବିଂଶ ଶତାଦ୍ଦୀ ଆରମ୍ଭରୁ ନିୟମିତ ରେଳ ଯୋଗାଯୋଗ ସ୍ଥାନୀୟ ଶ୍ରମ-ନିଯୁକ୍ତି ଅନ୍ୱେଷୀଙ୍କୁ ଅହମ୍ମଦାବାଦ ଓ ମୁମ୍ୱାଇ ଯିବା ସୁଯୋଗ ଆଣିଦେଇଥିଲା ।
 
ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ଗ୍ରାମ ବିକାଶଆନୁକୂଲ୍ୟରେ ଦକ୍ଷିଣ ଓଡ଼ିଶାର ଦେଶାନ୍ତରୀ ଶ୍ରମିକଙ୍କ ସଂପର୍କରେ ୨୦୨୨ରେ ଏକ ଗବେଷଣା ଆୟୋଜନ କରାଯାଇଥିଲା । ଗଞ୍ଜାମ ସମେତ ଦକ୍ଷିଣାଞ୍ଚଳ ଜିଲ୍ଲାଗୁଡ଼ିକରେ ଗ୍ରାମାଞ୍ଚଳରେ ଶତକଡ଼ା ୧୮ ପ୍ରତିଶତରୁ ଉର୍ଦ୍ଧ୍ୱ ପରିବାରରୁ ଅନ୍ତତଃପକ୍ଷେ ଜଣେ ସଦସ୍ୟ ଦେଶାନ୍ତରୀ ଶ୍ରମିକ ଭାବେ ରାଜ୍ୟ ବାହାରକୁ ଯାଇଥିବା ଜଣା ଯାଇଥିଲା । ସେମାନଙ୍କ ମଧ୍ୟରେ ୮୦ ପ୍ରତିଶତ ଦୀର୍ଘ ସମୟ ପାଇଁ ଶ୍ରମନିଯୁକ୍ତିରେ ପ୍ରବାସରେ ବସବାସ କରୁଥିବା ସ୍ଥଳେ ମାତ୍ର ୨୦ ପ୍ରତିଶତ ଋତୁକାଳୀନ ଭିତ୍ତିରେ ଛଅ ମାସରୁ କମ ସମୟଲାଗି ଦେଶାନ୍ତର ଗମନ କରିଥାନ୍ତି । ଅତୀତରେ କେବଳ ଗ୍ରାମାଞ୍ଚଳର ପଛୁଆବର୍ଗ ଦେଶାନ୍ତରୀ ଶ୍ରମିକ ସାଜୁଥିବା ବେଳେ ବିଂଶ ଶତାଦ୍ଦୀର ଶେଷ ଦଶକରେ ଗଞ୍ଜାମ, ଗଜପତି ଓ କନ୍ଧମାଳର ଆଦିବାସୀମାନେ ଶ୍ରମ ସଂସ୍ଥାନ ଲାଗି ଦେଶାନ୍ତର ଯିବା ପ୍ରଥା ଆରମ୍ଭ ହୋଇଥିଲା । ବିଗତ ୨୫ ବର୍ଷରେ ଆଦିବାସୀ ବହୁଳ ଅଞ୍ଚଳରୁ ବହୁ ଶ୍ରମିକ ନିର୍ମାଣ ଓ ଆତିଥ୍ୟ ହସପିଟାଲିଟିଶିଳ୍ପରେ କେରଳ ଓ ତାମିଲନାଡୁରେ ନିଯୁକ୍ତି ପାଇଥିବା ଜଣାଯାଏ ।
 
ଦକ୍ଷିଣ ଓଡ଼ିଶାର ଦେଶାନ୍ତରୀ ଶ୍ରମିକ ବନ୍ଦର ଓ ରେଳ ଷ୍ଟେସନ ସୁବିଧା ନିମନ୍ତେ ବ୍ରହ୍ମପୁର ଉପରେ ନିର୍ଭର କରି ଆସିଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବବର୍ତ୍ତୀ ଅବସ୍ଥାରେ ରେଙ୍ଗୁନ ଯାତ୍ରା ନିମନ୍ତେ ବିଭିନ୍ନ ଅଞ୍ଚଳରେ ଯାତ୍ରୀଙ୍କୁ ବ୍ରହ୍ମପୁରରେ କିଛି ଦିନ ଅପେକ୍ଷା କରିବାକୁ ପଡୁଥିଲା । କାରଣ ମାସରେ ଥରେ ଦୁଇ ଥର ହିଁ ଯାତ୍ରୀବାହୀ ଜାହାଜ ରେଙ୍ଗୁନ ଯାତ୍ରା କରୁଥିଲା । ବର୍ତ୍ତମାନ ମୁମ୍ୱାଇକୁ ଦୈନିକ ରେଳ ସୁବିଧା ଥିବା ସ୍ଥଳେ ବ୍ରହ୍ମପୁରରୁ ସୁରତ ଯାତ୍ରା ପାଇଁ ସପ୍ତାହରେ ତିନି ଗୋଟି ଟ୍ରେନ ପାଞ୍ଚଦିନ ଯାତ୍ରା କରିଥାଏ ।


Image by 652234 from Pixabay


Friday, March 29, 2024

Change in ownership of the Port / ବନ୍ଦରର ନୂଆ ମାଲିକାନା

 

କର୍ପୋରେଟ ସଂସ୍ଥା ଟାଟା ଗୃପ’ #ବ୍ରହ୍ମପୁର ସହରର ବିଦ୍ୟୁତ ବିତରଣ ଭାର ଗ୍ରହଣ କରିବା ତଥା ସହରତଳି ଅଞ୍ଚଳରେ ଶିଳ୍ପ ପାର୍କ ପ୍ରତିଷ୍ଠା କରିବା ପରେ ଦେଶର ଅନ୍ୟତମ ପ୍ରମୁଖ କର୍ପୋରେଟ ସଂସ୍ଥା ଆଦାନି ଗୃପ ଗୋପାଳପୁର ବନ୍ଦର ଅଧିଗ୍ରହଣ ନିମନ୍ତେ ୨୦୨୪ ମାର୍ଚ୍ଚ ଶେଷ ସପ୍ତାହରେ ଚୁକ୍ତି କରିଥିବା ପ୍ରକାଶ ପାଇଛି । ବ୍ରିଟିଶ ଶାସନ କାଳରେ ଊନବିଂଶ ଶତାଦ୍ଦୀରୁ କାର୍ଯ୍ୟକ୍ଷମ ଗୋପାଳପୁର ବନ୍ଦର ଦ୍ୱିତୀୟ ବିଶ୍ୱଯୁଦ୍ଧ ଅବସରରେ ବନ୍ଦ ହୋଇଯାଇଥିଲା । ଓଡ଼ିଶା ରାଜ୍ୟ ସରକାର ଗୋପାଳପୁର ସହର ସମୁଦ୍ର ତଟରେ ଅବସ୍ଥିତ ପୁରାତନ ବନ୍ଦରଠାରୁ ପ୍ରାୟ ଦଶ କିଲୋମିଟର ଦୂରବର୍ତ୍ତୀ ଛତ୍ରପୁର ତଟ ଆର୍ଯ୍ୟପଲ୍ଲୀଠାରେ ୧୯୮୬-୮୭ ଆର୍ଥିକ ବର୍ଷରେ ଏକ ଋତୁକାଳୀନ ଫେୟାର ୱେଦରବନ୍ଦର ଆରମ୍ଭ କରିଥିଲେ । ଏହି ବନ୍ଦର ନିର୍ମାଣ ନିମନ୍ତେ ପର୍ଯ୍ୟାପ୍ତ ପରିମାଣରେ କେନ୍ଦ୍ର ସରକାରଙ୍କ ଅନୁଦାନ ବିନିଯୋଗ ହୋଇଥିଲା ।
 
ନୂତନ ଗୋପାଳପୁର ବନ୍ଦର ନିର୍ମାଣର ଇତିହାସ କୌତୁହଳ ଉଦ୍ଦୀପକ । ଓଡ଼ିଶା ରାଜ୍ୟ ସରକାରଙ୍କ ଅଧୀନରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଦୁର୍ଗା ପ୍ରସାଦ ପତି ଉଚ୍ଚଶିକ୍ଷା ନିମନ୍ତେ ମୁମ୍ୱାଇ ଆଇଆଇଟିରେ ନାମ ଲେଖାଇ ସାମୁଦ୍ରିକ ପରିବହନରେ ସ୍ନାତକୋତ୍ତର ଉପାଧି ହାସଲ କରି ଫେରିଥିଲେ । ସାମୁଦ୍ରିକ ପରିବହନ ବ୍ୟବସ୍ଥା ସୁଦୃଢ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନ ନୀତି ସଂପର୍କରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ପ୍ରଭାବିତ କରାଇ ଗୋପାଳପୁର ବନ୍ଦରର ମୂଳଦୁଆ ସ୍ଥାପନ କରିଥିଲେ । ତାଙ୍କରି ଅନୁଭୂତି ରୋମାଞ୍ଚକର । ଗୋପାଳପୁରରେ ବନ୍ଦର ଗଢ଼ିବା ପାଇଁ ପ୍ରଥମ କର୍ମଚାରୀଭାବେ ସରକାରଙ୍କ ନିର୍ଦ୍ଦେଶ ପାଇବାପରେ କିପରି ବ୍ରହ୍ମପୁର ଗିରି ମାର୍କେଟ ଛକରୁ ଏକ ବାଉଁଶ ପାତି ଖଟ ନେଇ ଗୋପାଳପୁର ବନ୍ଦର କାର୍ଯ୍ୟାଳୟରେ ରାତି କାଟିଥିଲେ ଅତୀତ ସ୍ମୃତି ସହରର ବୁଦ୍ଧିଜୀବୀଙ୍କ ଗହଣରେ ବର୍ଣ୍ଣନା କରୁଥିଲେ । (ବାଉଁଶ ଏକ ସଂରକ୍ଷିତ ବନଜାତ ଦ୍ରବ୍ୟ ରୂପେ ଘୋଷିତ ହେବା ପୂର୍ବରୁ ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳରେ ବାଉଁଶ ପାତି ଖଟର ଆଦର ଥିଲା । ମୁଖ୍ୟତଃ, ଗଞ୍ଜାମ ଓ କନ୍ଧମାଳ ବନାଞ୍ଚଳରେ ନିର୍ମିତ ଏହି ଖଟର ଦାମ ମଧ୍ୟ ଶସ୍ତା ରହୁଥିଲା । ବାଉଁଶ ପାତି ଖଟର ଆରାମ ଓ ବାସ୍ନା ଅନନ୍ୟ !) ବିଂଶ ଶତାଦ୍ଦୀ ଶେଷ ଦଶକରେ ବ୍ରହ୍ମପୁର ସାମାଜିକ ଓ ସାଂସ୍କୃତିକ ପରିଧିରେ ଦୁର୍ଗା ପତି ବେଶ ସକ୍ରିୟ ଥିଲେ । ତାଙ୍କରି କାର୍ଯ୍ୟକାଳ ବିବାଦପୂର୍ଣ୍ଣ ହେଲେ ହେଁ ଦୀର୍ଘକାଳ ଧରି ଗୋପାଳପୁର ବନ୍ଦରର ପ୍ରମୁଖ କର୍ମକର୍ତ୍ତାଭାବେ ଅବସ୍ଥାପିତ ହୋଇ ବନ୍ଦର ନିର୍ମାଣ କାର୍ଯ୍ୟଭାର ସମ୍ଭାଳିଥିଲେ ।
 
ଗୋପାଳପୁର ବନ୍ଦର ବିଭିନ୍ନ କାରଣରୁ ସଫଳତା ପାଇ ପାରି ନଥିଲା ଏବଂ ସେହି ଧାରା ୨୦୨୪ ସୁଦ୍ଧା ବଳବତ୍ତର ରହିଛି । ସରକାର ୨୦୦୬ରେ ଏହାକୁ ସବୁଦିନିଆ ବନ୍ଦରକୁ ଉନ୍ନୀତ କରି ଘରୋଇ କମ୍ପାନୀ ଗୋପାଳପୁର ପୋର୍ଟ ଲିମିଟେଡ଼କୁ ପରିଚାଳନାଭାର ହସ୍ତାନ୍ତର କରିଥିଲେ । ସାତ ବର୍ଷ ପରେ ୨୦୧୩ ମାର୍ଚ୍ଚରେ ବନ୍ଦରରେ ବ୍ୟାବସାୟିକ କାର୍ଯ୍ୟ ଆରମ୍ଭ ହେବାପରେ ୨୦୧୩ ଅକ୍ଟୋବରରେ ଫାଇଲିନ ବାତ୍ୟା ଯୋଗୁଁ ବନ୍ଦରରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା କୁହାଗଲା । ବନ୍ଦର ଦୁଇ ବର୍ଷ ପାଇଁ ବନ୍ଦ ରହି ୨୦୧୫ ଅକ୍ଟୋବରରେ ପୁଣି କାର୍ଯ୍ୟକ୍ଷମ ହୋଇଥିଲା ।
 
ଗୋପାଳପୁର ବନ୍ଦର ଓଡ଼ିଶା ସରକାରଙ୍କଠାରୁ ଲିଜ ସୂତ୍ରରେ ୫୦୦ ଏକର ଜମି ପାଇଛି । ଏହି ବନ୍ଦର ୧୬ ନମ୍ୱର ଜାତୀୟ ରାଜପଥ ଓ ଚ଼େନ୍ନାଇ-କୋଲକତା ରେଳପଥ ସହ ସଂଯୁକ୍ତ । ବନ୍ଦର ଦେଇ ଲୁହା, କୋଇଲା, ଚୁନପଥର, ଆଲୁମିନା, ବିରଳ ମୃତ୍ତିକା ଇତ୍ୟାଦି ରପ୍ତାନୀ ହୁଏ ।
 
ଗୋପାଳପୁର ବନ୍ଦରର ମାଲିକାନା ୨୦୦୬ରେ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ଼, ସାରା ଇଣ୍ଟରନ୍ୟାସନାଲ ଓ ହଂକଂର ନବଲ ଗୃପ ମିଳିତ ଭାବେ ଆରମ୍ଭ କରିଥିଲେ । ତେବେ ୨୦୧୦ରେ ନବଲ ଗୃପ ପ୍ରକଳ୍ପରୁ ଓହରି ଯାଇଥିଲା । ଏହି ଅବସରରେ ୨୦୧୬ରେ ସାପୁରାଜୀ ପାଲୋନଜୀ ଗୃପ ବନ୍ଦରର ୫୧ ପ୍ରତିଶତ ଅଂଶଧନ କିଣିଥିଲା । ବର୍ତ୍ତମାନ ଆଦାନି ଗୃପର ଆଦାନି ପୋର୍ଟସ ଆଣ୍ଡ ସ୍ପେସିଆଲ ଇକନୋମିକ ଜୋନ ଓଡିଶା ଷ୍ଟିଭେଡର୍ସ ଲିମିଟେଡ଼ର ୩୯ ପ୍ରତିଶତ ଓ ସାପୁରାଜୀ ପାଲୋନଜୀ ପୋର୍ଟ ମେଣ୍ଟେନାନ୍ସ ପ୍ରାଭିଭେଟ ଲିମିଟେଡ଼ର ୫୬ ପ୍ରତିଶତ ଅଂଶଧନ ୩୦୮୦ କୋଟି ଟଙ୍କା ନିବେଶରେ କିଣିବା ସ୍ଥିର ହୋଇଥିବା ପ୍ରକାଶ ପାଇଛି । ଆବଶ୍ୟକୀୟ ଆଇନଗତ ସମ୍ମତ୍ତି ପରେ ଅଧିଗ୍ରହଣ କାର୍ଯ୍ୟକାରୀ ହେଲେ ଆଦାନି ଗୃପ ଗୋପାଳପୁର ବନ୍ଦରର ୯୫ ପ୍ରତିଶତ ଅଂଶଧନ ଅକ୍ତିଆର କରିବ । ଅର୍ଥାତ, ଗୋପାଳପୁର ବନ୍ଦରର ମାଲିକାନା ବଦଳିବ ।

Image by PublicDomainPictures from Pixabay