Friday, April 28, 2023

Development of Temple / ଠାକୁରାଣୀ ମନ୍ଦିର ଉନ୍ନୟନ

 

#ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଭିଡ଼ରେ ବଡ଼ ଠାକୁରାଣୀ ମନ୍ଦିର ପରିସର ଉନ୍ନୟନ ପ୍ରକଳ୍ପ ଚର୍ଚ୍ଚା ହଜିଯାଇଥିବା ମନେହୁଏ ! ଉତ୍ସବ ଋତୁରେ ଯାତ୍ରାର କିମ୍ୱଦନ୍ତୀ, ଇତିହାସ, ରୀତିନୀତି, ରଥ, କଳାକୁଞ୍ଜ ଓ ବେଶ ଗଣମାଧ୍ୟମରେ ପ୍ରମୁଖ ପ୍ରସଙ୍ଗ । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୧୪ରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରାକୁ ରାଜ୍ୟସ୍ତରୀୟ ମହୋତ୍ସବ ମାନ୍ୟତା ଦିଆଯାଇଥିଲା । ପୂର୍ବରୁ କଟକର ବାଲିଯାତ୍ରା, ଭୁବନେଶ୍ୱରର ମୁକ୍ତେଶ୍ୱର ମହୋତ୍ସବ, କୋଣାର୍କ ମହୋତ୍ସବ, ବରଗଡ଼ର ଧନୁଯାତ୍ରା ଓ କୋରାପୁଟର ପରବ ରାଜ୍ୟସ୍ତରୀୟ ମହୋତ୍ସବ ମାନ୍ୟତା ପାଇଥିବା ସ୍ଥଳେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଷଷ୍ଠ ମହୋତ୍ସବଭାବେ ସେହି ତାଲିକାରେ ଯୋଡ଼ି ହୋଇଥିଲା । ଏହି ଅବସରରେ ବଡ଼ ଠାକୁରାଣୀ ମନ୍ଦିର ସୌନ୍ଦର୍ଯ୍ୟକରଣ ବାବଦରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ କୋଟି ପନ୍ଦର ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା । ଏଥି ନିମନ୍ତେ ପ୍ରସ୍ତୁତ ଏକ ଯୋଜନା କାର୍ଯ୍ୟକାରୀ କରିବା ଦାୟିତ୍ୱ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ ଓଟିଡ଼ିସି ଗ୍ରହଣ କରିଥିଲା । ତେବେ ବିଭିନ୍ନ କାରଣରୁ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ

 

କୁହାଯାଏ ଯେ ବଡ଼ ଠାକୁରାଣୀ ମନ୍ଦିର ସଂଲଗ୍ନ ୫୫୪ ଡେସିମିଲି ଜମିରେ ଏକ ଫୁଲ ବଗିଚା ରହିଛି । ବ୍ରହ୍ମପୁରର ସମସ୍ତ ଠାକୁରାଣୀ ମନ୍ଦିର ବେଢାରେ ଅନ୍ତତଃପକ୍ଷେ ମନ୍ଦାର ଓ ଟଗର ଗଛ ଦେଖିବାକୁ ମିଳେ । ଏଠାକାର ଫୁଲ ବର୍ଷତମାମ ପୂଜା ଅର୍ଚ୍ଚନାରେ ବ୍ୟବହୃତ ହୁଏ । ଏହି ବଗିଚାରେ ଏକ ଜନ ସେବା କେନ୍ଦ୍ର ନିର୍ମାଣ କରାଯିବା ବିଚାର କରାଯାଉଛି । ସେଠାରେ ଏକ ଗଭୀର ନଳକୂପ, ଶୌଚାଳୟ ଇତ୍ୟାଦି ସଂଲଗ୍ନ ହେବ । ଏତଦ୍ ବ୍ୟତୀତ ସୁଦୃଶ୍ୟ ପ୍ରବେଶଦ୍ୱାର, ଯାନବାହାନ ରଖିବା ପାଇଁ ପାର୍କିଂ ୟାର୍ଡ, ବିଦ୍ୟୁତ ଆଲୋକ ସଜ୍ଜା ଇତ୍ୟାଦି କାର୍ଯ୍ୟ ହାତକୁ ନିଆଯିବ ।

 

ବଡ଼ ଠାକୁରାଣୀ ମନ୍ଦିର ପରିସର ଉନ୍ନୟନ ପ୍ରକଳ୍ପ ନିମନ୍ତେ ଏକ ପୂର୍ଣ୍ଣାଙ୍ଗ ବିବରଣୀ ଡ଼ିଟେଲ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ ହୋଇଥିଲା । ମନ୍ଦିରନ୍ୟାସ ଟେମ୍ପଲ ଟ୍ରଷ୍ଟି ଓ ଦେବୋତ୍ତର ବିଭାଗ ଏଣ୍ଡୋମେଣ୍ଟ ଡ଼ିପାର୍ଟମେଣ୍ଟ ପକ୍ଷରୁ ମନ୍ଦିର ପ୍ରାଙ୍ଗଣ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମକୁ ୨୦୧୬ରେ ହସ୍ତାନ୍ତର କରାଯାଇଥିଲା । ତେବେ ଜାଗା ଖାଲି କରିବାରେ ବିବାଦ ଓ ମାଲିମକଦ୍ଦମା ହେତୁ ନିର୍ମାଣ କାମ ଆରମ୍ଭ ହୋଇପାରିନଥିଲା । ଶେଷରେ ୨୦୨୦ରେ ସାମୟିକଭାବେ ଏହି ପ୍ରକଳ୍ପ ସ୍ଥଗିତ ରଖାଯିବା ଘୋଷିତ ହୋଇଥିଲା ।

 

ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଥାନୀୟ ପ୍ରଶାସନ ବ୍ରହ୍ମପୁର ପୌର ନିଗମ ବିଇଏମସି ଓ ବ୍ରହ୍ମପୁର ଉନ୍ନୟନ ପ୍ରାଧିକରଣ ବିଡ଼ିଏ ସହାୟତାରେ ବଡ଼ ଠାକୁରାଣୀ ମନ୍ଦିର ଉନ୍ନୟନ ନିମନ୍ତେ ଅଣ୍ଟା ଭିଡ଼ିଲା । ଏଥିନିମନ୍ତେ ୨୦୨୨ ଜୁନ ଓ ଡ଼ିସେମ୍ୱର ମାସରେ ଦୁଇଗୋଟି ବୈଠକ ଆୟୋଜିତ ହୋଇଥିଲା । ପୌର ନିଗମ ଉନ୍ନୟନ ରୂପରେଖ ପ୍ରସ୍ତୁତି ନିମନ୍ତେ ଭୁବନେଶ୍ୱରର ଏକ ସ୍ଥପତିଙ୍କୁ ନିଯୁକ୍ତି କରିଥିବା ଏବଂ ଉନ୍ନୟନ କାର୍ଯ୍ୟ ପର୍ଯ୍ୟାୟକ୍ରମେ ରୂପାୟନ ନିମନ୍ତେ ସ୍ଥରୀକୃତ ହୋଇଥିବା କୁହାଯାଏ । ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ତାରାତାରିଣୀ ମନ୍ଦିର ନିର୍ମାଣ ଦାୟିତ୍ୱ ବହନ କରିଥିବା ଶିଳ୍ପୀମାନେ ଅଂଶଗ୍ରହଣ କରିବା ଶୁଣିବାକୁ ମିଳେ ।

 

ବ୍ରହ୍ମପୁର ବଡ଼ ଠାକୁରାଣୀ ମନ୍ଦିରର କେତେକ ପୁନଃ ନିର୍ମାଣ କାର୍ଯ୍ୟ ବିଗତ ଶତାଦ୍ଦୀ ଅଷ୍ଟମ-ନବମ ଦଶକରେ ମନ୍ଦିର ନ୍ୟାସ ଉଦ୍ୟମରେ ସମାହିତ ହୋଇଥିଲା । ଏଥି ମଧ୍ୟରେ ମନ୍ଦିର ଓ ବେଢ଼ାରେ ମାର୍ବଲ ଚଟାଣ ଓ ମଣ୍ଡପ ଅନ୍ତର୍ଭୁକ୍ତ । ଏହି ସମସ୍ତ ପୁନଃନିର୍ମାଣ କାର୍ଯ୍ୟ ମନ୍ଦିର ପରିସର ମଧ୍ୟରେ ଆବଦ୍ଧ ରହିଥିଲା । ପୂର୍ବରୁ ମନ୍ଦିର ମଧ୍ୟରେ ଭକ୍ତମାନେ ଦୀପ ପ୍ରଜ୍ୱଳନ କରୁଥିଲେ । ପରେ ଏହି ବ୍ୟବସ୍ଥା ମନ୍ଦିର ସମ୍ମୁଖ ଭାଗକୁ ସ୍ଥାନାନ୍ତରିତ କରାଯାଇଥିଲା । ପୁରୁଷ ଓ ମହିଳା ଭକ୍ତଙ୍କ ଦର୍ଶନ ନିମନ୍ତେ ବାଡ଼ ଷ୍ଟିଲ ରେଲିଂ ବ୍ୟବସ୍ଥା ମଧ୍ୟ ସେହି ଅବସରରେ ଆରମ୍ଭ ହୋଇଥିଲା ।

 

କିମ୍ୱଦନ୍ତୀ ଅନୁଯାୟୀ ମହୁରି ରାଜବାଟୀର ଚ଼ର୍ତୁଦିଗରେ ଜନବସତି ଗଢ଼ି ଉଠିବା ଏବଂ ଅଷ୍ଟାଦଶ ଶତାଦ୍ଦୀ ଶେଷଭାଗରେ ଦାକ୍ଷିଣାତ୍ୟରୁ ବୁଣାକାର ସଂପ୍ରଦାୟ ସ୍ଥାୟୀଭାବେ ବସବାସ ଆରମ୍ଭ କରିବା ବେଳକୁ ବ୍ରହ୍ମପୁରର ସୀମା ହୁଏତ ବଡ଼ ଠାକୁରାଣୀ ମନ୍ଦିର ଯାଏଁ ସୀମିତ ରହିଥିଲା । ମହୁରି ରାଜବାଟୀ ସଂଲଗ୍ନ ଇଲାକାରେ ଗଢ଼ିଉଠିଥିବା ବସ୍ତି ବାସିନ୍ଦାଙ୍କୁ ଏକ ଜଙ୍ଗଲିଆ ରାସ୍ତା ଦେଇ ଗାଁ ମୁଣ୍ଡ ବଡ଼ ଠାକୁରାଣୀଙ୍କ ପୀଠରେ ପହଞ୍ଚିବାକୁ ପଡୁଥିଲା । ଦେବାଙ୍ଗ ସମ୍ପ୍ରଦାୟ ବ୍ରହ୍ମପୁରରେ ପହଞ୍ଚିବା ପୂର୍ବରୁ ଠାକୁରାଣୀ ନିଶ୍ଚିତ ଭାବେ ପୂଜିତ ହେଉଥିଲେକିନ୍ତୁ ସେମାନଙ୍କ ନେତୃତ୍ୱରେ ମନ୍ଦିର ନିର୍ମିତ ହୋଇଥିଲା କି ତାହାର ପ୍ରାମାଣିକ ତଥ୍ୟ ଖୋଜି ବାହାର କରାଯାଇ ପାରି ନାହିଁ । ତେବେ ଡ଼େରା ବା ପାଟରାମାନେ ବ୍ରହ୍ମପୁରରେ ପହଞ୍ଚିବା ପରେ ପାଟବସ୍ତ୍ର ବ୍ୟବସାୟରେ ବେଶ ଲାଭବାନ ହୋଇଥିଲେ ଏବଂ ବୁଣାକାର ପରିବାର ସଂଖ୍ୟା ବୃଦ୍ଧି ପାଇ ୧୮ ଗୋଟି ସାହିକୁ ସଂପ୍ରସାରିତ ହୋଇଥିଲା । ସେହିମାନେ ହିଁ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଠାକୁରାଣୀ ଯାତ୍ରା ଆରମ୍ଭ କରିଥିଲେ । ତେଣୁ ବଡ଼ ଠାକୁରାଣୀ ମନ୍ଦିର ସାର୍ବଜନୀନ ଉଦ୍ୟମରେ ବିକଶିତ ହୋଇଥିବା ଯୁକ୍ତିଯୁକ୍ତ ବିଚାର କରାଯାଇପାରେ ।


Photo by : Laxmi Bej





Friday, April 21, 2023

Some other aspects of Yatra / ଠାକୁରାଣୀ ଯାତ୍ରାର କେତେକ ଦିଗ

 

#ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ଧାର୍ମିକ ରୀତିନୀତି ସହ ସାଂସ୍କୃତିକ, ସାମାଜିକ ଓ ଅର୍ଥନୀତିକ ଦିଗଗୁଡ଼ିକ ଯୋଡ଼ିହୋଇ ରହିଥାଏ । କିମ୍ୱଦନ୍ତୀ ପ୍ରକାରେ ଯଦି ମହୁରି ରାଜା ନାରାୟଣ ଦେବଙ୍କ ପୁତ୍ର ହରିହର ନରେନ୍ଦ୍ର ଦେବଙ୍କ ରାଜତ୍ୱ ସମୟରେ ଦାକ୍ଷିଣାତ୍ୟ ରାଜମହେନ୍ଦ୍ରୀରୁ ବୁଣାକାର ଦେବାଙ୍ଗ ସଂପ୍ରଦାୟ ବ୍ରହ୍ମପୁର ପହଞ୍ଚି ବସତି ସ୍ଥାପନ କରିଥିଲେ ଏବଂ ସେମାନଙ୍କ ଉଦ୍ୟମରେ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଥିଲା, ତେବେ ଊନବିଂଶ ଶତାଦ୍ଦୀରେ ଶହେ ବର୍ଷ ଧରି ସୀମିତ ସଂଖ୍ୟକ ବ୍ରହ୍ମପୁର ନିବାସୀ ଯାତ୍ରାରେ ସାମିଲ ହେଉଥିଲେ ବୋଲି କହିବାକୁ ହେବ । ସହରର ଜନସଂଖ୍ୟା ଓ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ସହ ସମତାଳରେ ଠାକୁରାଣୀ ଯାତ୍ରା ଯାକଜମକରେ ପାଳିତ ହୋଇଥିବା ସୁସ୍ପଷ୍ଟ

 

ଅଷ୍ଟାଦଶ ଶତାଦ୍ଦୀ ଶେଷଭାଗରେ ରାଜମହେନ୍ଦ୍ରୀରୁ ଆଗନ୍ତୁକ ବୁଣାକାରମାନେ ବ୍ରହ୍ମପୁରରେ ଡ଼େରା ଓ ପାଟରା ନାମରେ ମଧ୍ୟ ପରିଚ଼ିତ । ସେମାନେ ବ୍ରହ୍ମପୁରରେ ପହଞ୍ଚିବା ବେଳକୁ ମହୁରି ରାଜଧାନୀ ଶହେ ବର୍ଷର ଜନପଦ । ଅଧୁନା ବଡ଼ ବଜାର କେନ୍ଦ୍ରସ୍ଥଳରେ ରାଜବାଟୀ ଏବଂ ଏହାକୁ ଘେରି ବସତି ସ୍ଥାପନ ହୋଇଥିବା ସ୍ଥଳେ ବଡ଼ ଠାକୁରାଣୀ ମନ୍ଦିର ଗ୍ରାମ ଶେଷରେ ବିଦ୍ୟମାନ ଥିଲା ବୋଲି ଅନୁମାନ କରାଯାଇପାରେ । ହୁଏତ ସେଠାରେ ସ୍ଥାୟୀ ପୂଜକ ନିଯୁକ୍ତ ହୋଇନଥିଲେ । କିମ୍ୱଦନ୍ତୀ କହେ ଯେ ଦେଶୀବେହେରା ଠାକୁରାଣୀଙ୍କୁ ପୂଜା-ଅର୍ଚ୍ଚନା ଅବସରରେ ଦିବ୍ୟ-ଅନୁଭବ ପରେ ରାସ୍ତାରେ ଯାହାକୁ ପ୍ରଥମେ ଦେଖିବେ ସେ ପୂଜକ ହେବ ବୋଲି ଶୂନ୍ୟବାଣୀ ଶୁଣିଥିଲେ ଦେଶୀବେହେରା ଠାକୁରାଣୀ ପୀଠରୁ ବାହାରିବା ପରେ ପ୍ରଥମେ ଜଣେ ଭଣ୍ଡାରୀ ସଂପ୍ରଦାୟର ବ୍ୟକ୍ତିଙ୍କୁ ଦେଖିଥିଲେ । ସେହିଦିନୁ ବ୍ରହ୍ମପୁର ଠାକୁରାଣୀ ମନ୍ଦିରରେ ଭଣ୍ଡାରୀ ସଂପ୍ରଦାୟର ପୂଜକ ନିଯୁକ୍ତ ହୋଇ ଆସିଛନ୍ତି । ଏହି ପ୍ରଥା ଗଞ୍ଜାମର ବିଭିନ୍ନ ଗ୍ରାମାଞ୍ଚଳରେ ମଧ୍ୟ ପ୍ରଚଳିତ । ପ୍ରଶ୍ନ ଉଠେ, ଏହି ପ୍ରଥା ପୂର୍ବରୁ ପ୍ରଚଳିତ ଥିଲା ନା ପାଟରା ସଂପ୍ରଦାୟଙ୍କ ପୂଜକ ନିଯୁକ୍ତି ପରେ ଅନ୍ୟତ୍ର ଅନୁକରଣ କରାଗଲା ?

 

ବ୍ରହ୍ମପୁର ସହର ପଡ଼ୋଶୀ ଗଞ୍ଜାମ ଓ ଶ୍ରୀକାକୁଲମ ଜିଲ୍ଲାର ବହୁ ଗ୍ରାମରେ ଠାକୁରାଣୀ ମନ୍ଦିର ରହିଛି । ଅଧିକାଂଶ ମନ୍ଦିରରେ ବର୍ଷକରେ ଥରେ ଯାତ୍ରା ଅନୁଷ୍ଠିତ ହେଉଥିବା ସ୍ଥଳେ କେତେକ ମନ୍ଦିରରେ କିଛି ବର୍ଷ ଅନ୍ତରରେ ଯାତ୍ରା ପାଳିତ ହୁଏ । ଉଦାହରଣରେ ଇଚ୍ଛାପୁରରେ ପ୍ରତି ଦଶ ବର୍ଷରେ ଥରେ ଠାକୁରାଣୀ ଯାତ୍ରା ଆୟୋଜିତ ହୁଏ । ଚଳିତ ୨୦୨୩ ଏପ୍ରିଲ ମାସରେ ଠାକୁରାଣୀ ଯାତ୍ରା ପାଳିତ ହୋଇଥିଲା । ତେବେ ପ୍ରଶ୍ନ ଉଠେ, ଦେବାଙ୍ଗ ସଂପ୍ରଦାୟ ଦ୍ୱାରା ବ୍ରହ୍ମପୁରରେ ଠାକୁରାଣୀ ଯାତ୍ରା ପ୍ରଚଳନ ସ୍ଥାନୀୟ ସଂସ୍କୃତିର ପରିପ୍ରକାଶ ନା ଦାକ୍ଷିଣାତ୍ୟ ବିଧିବିଧାନ ପାଳନ ?

 

ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଆଡ଼ମ୍ୱର ସହ ରଥ ଓ କଳାକୁଞ୍ଜ ସଂପର୍କ ନିବିଡ଼ଠାକୁରାଣୀ ଯାତ୍ରାର ଅନ୍ୟାନ୍ୟ ପୁରାତନ ରଥ ମଧ୍ୟରେ ଶଙ୍କରପୁର ସାହିର ରାମଚ଼ନ୍ଦ୍ର ରଥ ଅନ୍ୟତମ । ପୂର୍ବେ ଏହି ରଥରେ ଚକ ଲାଗୁଥିଲା ଏବଂ ରଥ ଟଣା ହୋଇ ବଡ଼ବଜାରକୁ ଅଣାଯାଉଥିଲା । କିନ୍ତୁ ବର୍ତ୍ତମାନ ଶଙ୍କରପୁର ସାହିରେ ହିଁ ପ୍ରଦର୍ଶିତ ହେଉଛି । ଅପରପକ୍ଷେ ଜେନାସାହିର ବୀର ଲକ୍ଷ୍ମଣ ରଥ ଆଜି ଯାଏଁ ବଡ଼ ବଜାରରେ ପ୍ରଦର୍ଶିତ ହେବା ପାଇଁ ଅଣାଯାଉଛି । ଏହି ରଥଟି ୧୯୦୫ ମସିହାରୁ ନିୟମିତ ଭାବେ ପ୍ରସ୍ତୁତ ହେଉଥିବା ଜଣାଯାଇଥାଏ । ବୀର ଲକ୍ଷ୍ମଣ ରଥର ମୂର୍ତ୍ତି ସାମଗ୍ରୀ ସବୁ ଜେନା ସାହିର ଶ୍ରୀ ବୃନ୍ଦାବନ ଚ଼ନ୍ଦ୍ର ଯୁଗଳ ମହାପ୍ରଭୁଙ୍କ ମନ୍ଦିରରେ ସାଇତି ରଖାଯାଇ ପ୍ରତିଥର ଯାତ୍ରାରେ ପ୍ରଦର୍ଶିତ ହୋଇଥାଏ । ଏହାକୁ ମରାମତ କରି ପ୍ରଦର୍ଶନଯୋଗ୍ୟ କରିବା ପାଇଁ ୧୦ରୁ ୧୨ ଦିନ ସମୟ ଲାଗିଥାଏ ।

 

କଳାକୁଞ୍ଜ ନିର୍ମାଣ ପରମ୍ପରା ୧୯୬୩ ଓ ୧୯୬୫ ଠାକୁରାଣୀ ଯାତ୍ରାରେ ପ୍ରସାରିତ ହୋଇଥିବା ଲକ୍ଷ୍ୟ କରାଯାଏ । ୧୯୬୭ ମସିହା ଠାକୁରାଣୀ ଯାତ୍ରାରେ ବହୁ ସଂଖ୍ୟକ କଳାକୁଞ୍ଜ ନିର୍ମିତ ହୋଇଥିଲା । ଏହି କଳାକୁଞ୍ଜ ନିର୍ମାଣ ପାଇଁ କଟକରୁ ଶିଳ୍ପୀ ଆସୁଥିଲେ । ବର୍ତ୍ତମାନ କଳାକୁଞ୍ଜଗୁଡ଼ିକ ସ୍ଥାନୀୟ ଶିଳ୍ପୀ ନିର୍ମାଣ କରୁଥିବା ବେଳେ କିଛି ସଂଖ୍ୟକ ବାହାର ସହରର ଶିଳ୍ପୀଙ୍କୁ ମଧ୍ୟ ନିମନ୍ତ୍ରିତ କରାଯାଇଥାଏ ।

 

ବ୍ରହ୍ମପୁରରେ ୧୯୩୪ରେ ପ୍ରତିଷ୍ଠିତ ବ୍ରହ୍ମପୁର ଇଲେକ୍ଟ୍ରିକ ସପ୍ଳାଇ କରପୋରେସନ ଲିମିଟେଡ଼ ଦ୍ୱାରା ବିଦ୍ୟୁତ ଆଲୋକ ବ୍ୟବସ୍ଥା ଏବଂ ଆଞ୍ଚଳିକ ଗଣମାଧ୍ୟମର ପ୍ରଚଳନ ମଧ୍ୟ ଠାକୁରାଣୀ ଯାତ୍ରାର ଆଡ଼ମ୍ୱର ପରିପ୍ରକାଶରେ ସହାୟକ ହୋଇଛି । ବିଦ୍ୟୁତ ଆଲୋକର ସୁବିଧା ମିଳିବା ପରେ ପ୍ରତ୍ୟେହ ସନ୍ଧ୍ୟାରେ ଘଟ ପରିକ୍ରମା ଓ ମଧ୍ୟ ରାତ୍ରୀ ଯାଏଁ ଜନସାଧାରଣଙ୍କ ଯାତ୍ରାରେ ଯୋଗଦାନ ସୁଗମ ହୋଇପାରିଥିଲା । ରଥ ଓ ରାସ୍ତାଘାଟରେ ରଙ୍ଗବେରଙ୍ଗୀ ଆଲୋକ ସଜ୍ଜା ଉତ୍ସବମୁଖର ପରିବେଶ ସୃଷ୍ଟିରେ ସହାୟତା ଦେଇଥିଲା । ସେହିପରି ବିଂଶ ଶତାଦ୍ଦୀର ନବମ ଦଶକରୁ ବ୍ରହ୍ମପୁରରୁ ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନ ଏବଂ ଶେଷ ଦଶକରୁ ଆଞ୍ଚଳିକ ଟେଲିଭିଜନ ପ୍ରସାରଣ ସେବା ଠାକୁରାଣୀ ଯାତ୍ରା ସଂପର୍କରେ ବ୍ୟାପକ ଚର୍ଚ୍ଚା ତଥା ପ୍ରଚାର ପ୍ରସାରର ସୁଯୋଗ ସୃଷ୍ଟି କରିଥିଲା ।

 

ବ୍ରହ୍ମପୁରର ଜନସଂଖ୍ୟା ୨୦୨୩ ସୁଦ୍ଧା ପ୍ରାୟ ପାଞ୍ଚ ଲକ୍ଷ ଆକଳନ କରାଯାଉଥିବା ଏବଂ ପଡ଼ୋଶୀ ଅଞ୍ଚଳଗୁଡ଼ିକ ସହ ସଡ଼କପଥରେ ଯାନବାହନ ଚଳାଚଳ ସଂଯୁକ୍ତ ହେବା ପରିବେଶ ମଧ୍ୟ ଯାତ୍ରାରେ ଯୋଗଦେବା ଲାଗି ବହୁ ସଂଖ୍ୟକ ଜନସାଧାରଣଙ୍କୁ ଉତ୍ସାହିତ କରୁଥିବା ବିଚାର କରାଯାଇପାରେ । ଆରମ୍ଭରୁ ଯାତ୍ରା ଆୟୋଜନକୁ ସ୍ଥାନୀୟ ବ୍ୟବସାୟୀମାନେ ପ୍ରୋତ୍ସାହନ ଯୋଗାଇ ଆସିଛନ୍ତି । ଅତୀତରେ ଦକ୍ଷିଣ ଓଡ଼ିଶାର ମୁଖ୍ୟ ଫସଲ ଧାନ ଅମଳ ଓ ବିକ୍ରୀବଟା ପରେ ଗ୍ରୀଷ୍ମ ଋତୁରେ ବ୍ରହ୍ମପୁର ବଡ଼ ବଜାରରେ ଗ୍ରାମାଞ୍ଚଳବାସୀ ପହଞ୍ଚି ଜିନିସପତ୍ର କିଣାବିକା କରୁଥିଲେ । ବର୍ତ୍ତମାନ ସୁଦ୍ଧା ସର୍ବତ୍ର ଉତ୍ସବ ଆୟୋଜନ ସହ ସାମଗ୍ରୀ ବିକ୍ରୟ ପରମ୍ପରା ସଂପୃକ୍ତସ୍ୱର୍ଣ୍ଣ, ବସ୍ତ୍ର ଓ ସୌଖିନ ଘରକରଣା ବଜାର ଭାବେ ଦକ୍ଷିଣ ଓଡ଼ିଶାରେ ବ୍ରହ୍ମପୁରର ଗୁରୁତ୍ୱ ବଜାୟ ରହିଆସିଛି । ବ୍ରହ୍ମପୁରରେ ଆଡ଼ମ୍ୱରପୂର୍ଣ୍ଣ ଠାକୁରାଣୀ ଯାତ୍ରା ଆୟୋଜନରେ ସାଂସ୍କୃତିକ ଓ ସାମାଜିକ ଦିଗଗୁଡ଼ିକ ସହ ଅର୍ଥନୀତିକ ଦିଗଟି ମଧ୍ୟ ଗୁରୁତ୍ୱ ବହନ କରେ ।


Photo by Paulo Infante on Unsplash 


Friday, April 14, 2023

Bada Bazar Mahuri Royal Palace / ବଡ଼ବଜାର ମହୁରି ରାଜବାଟୀ

 

#ବ୍ରହ୍ମପୁର ସହରର ଉତ୍ପତ୍ତି ଓ କ୍ରମବିକାଶ ସଂପର୍କରେ ବ୍ରିଟିଶ ଶାସନରେ ଗଞ୍ଜାମର ତତ୍କାଳୀନ ଉପ-ଜିଲ୍ଲାପାଳ ଆର.ବାୟାର୍ଡଙ୍କ ୧୮୨୩ରେ ବର୍ଣ୍ଣିତ ବିବରଣୀ ଗଞ୍ଜାମ ଡ଼ିଷ୍ଟ୍ରିକ୍ଟ ରେକର୍ଡସ, ଭାଗ ୩୮୯୭ ପୃ. ୪୧୧ରେ ଉପଲବ୍ଧ । ଡବ୍ଳ୍ୟୁ. ଡବ୍ଳ୍ୟୁ. ହଣ୍ଟର ୧୮୮୫ରେ ଲଣ୍ଡନରୁ ପ୍ରକାଶିତ ଇମ୍ପରିଆଲ ଗେଜେଟିୟର ଅଫ ଇଣ୍ଡିଆ, ପଞ୍ଚମ ଭାଗ, ପୃଷ୍ଠା ୧୯୯ ଏବଂ ଟି.ଜେ. ମାଲଟବୀ ୧୯୧୮ରେ ମାଡ୍ରାସରୁ ପ୍ରକାଶିତ ଗଞ୍ଜାମ ଡ଼ିଷ୍ଟ୍ରିକ୍ଟ ମାନ୍ୟୁଆଲରେ ତଥ୍ୟ ରହିଛି । ସେହିପରି ୧୯୩୨ରେ ବ୍ରହ୍ମପୁରରୁ ପ୍ରକାଶିତ ଏମ.ଭି.ଆପ୍ପାରାଓଙ୍କ ହିଷ୍ଟରି ଅଫ ହରିଡ଼ାଖଣ୍ଡି : ମଠ ଏଣ୍ଡ ମହନ୍ତସ ପୁସ୍ତକରେ ମଧ୍ୟ ବର୍ଣ୍ଣିତ । ବ୍ରହ୍ମପୁରରୁ ୧୯୯୪ରେ ପ୍ରକାଶିତ ବ୍ରହ୍ମପୁର ସହରର ଐତିହାସିକ ଭିତ୍ତିଭୂମି ସଂକଳନରେ ଡ଼କ୍ଟର ଦଣ୍ଡପାଣି ବେହେରା ବ୍ରହ୍ମପୁରର ଐତିହାସିକ ପୃଷ୍ଠଭୂମି ଶୀର୍ଷକ ରଚନାରେ ଉପରୋକ୍ତ ଗ୍ରନ୍ଥ ତାଲିକା ଉଲ୍ଲେଖ କରିଥିଲେ । ଡ଼କ୍ଟର ବେହେରା ଜଣେ ଇତିହାସ ଅଧ୍ୟାପକ । ସେ ଭଞ୍ଜନଗର, ବଡ଼ଖେମୁଣ୍ଡି ଇତ୍ୟାଦି ମହାବିଦ୍ୟାଳୟରେ ଅଧ୍ୟାପନା କରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରଶାସକ ଭାବେ ଅବସର ଗ୍ରହଣ କରିଥିଲେ । ଗଞ୍ଜାମର ଆଞ୍ଚଳିକ ଇତିହାସ ସଂକଳନରେ ଆଗ୍ରହ ପ୍ରକାଶ କରୁଥିଲେ । ସେ ଲେଖିଥିଲେ :
 
ଓଡ଼ିଶାର ଗଜପତି ରାଜା ପୁରୁଷୋତ୍ତମ ଦେବଙ୍କ ଅନୁମତିକ୍ରମେ ଜଣେ ସ୍ଥାନୀୟ ମୁଖିଆ ପଞ୍ଚଦଶ ଶତାଦ୍ଦୀରେ ମହୁରି ରାଜ୍ୟ ସ୍ଥାପନ କରିଥିଲେ । ଗଞ୍ଜାମ ସବକଲେକ୍ଟର ବାୟାର୍ଡ ସାହେବଙ୍କ ଦ୍ୱାରା ନଭେମ୍ୱର ୧୦ ତାରିଖ ୧୮୨୩ ଖ୍ରୀଷ୍ଟାଦ୍ଦରେ ଲିପିବଦ୍ଧ ଗଞ୍ଜାମ ଜିଲ୍ଲା ରେକର୍ଡସ ବିବରଣୀ ଅନୁକ୍ରମେ ମହୁରି ରାଜ୍ୟ ୧୪୬୮ରୁ ୧୪୯୭ ଖ୍ରୀଷ୍ଟାଦ୍ଧର ମଧ୍ୟରେ ସ୍ଥାପିତ ହେଲା । ପରେ ପରେ ଷଷ୍ଠଦଶ ଶତାଦ୍ଦୀ ପ୍ରାରମ୍ଭରେ ହିଁ ମହୁରି ରାଜବାଟୀର ଚ଼ତୁଃପାର୍ଶ୍ୱରେ ଜନବସତି ପ୍ରତିଷ୍ଠା ଆରମ୍ଭ ହେଲା (ପୃ. ୨୪୭)
 
ମହୁରି ଥିଲା ଏକ ପୁରାତନ ରାଜ୍ୟ । ପାରଳାଖେମୁଣ୍ଡି ଓ ଘୁମୁସର ସହ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଜମିଦାରୀ ରାଜ୍ୟ ଥିଲା । ଆକାରରେ ଏହା ଥିଲା ୩୦୦ ବର୍ଗ ମାଇଲ । ଏହାର ମଧ୍ୟଭାଗରେ ଠିଆ  ହୋଇଥିବା ମହୁରି ଅବା କେରାଣ୍ଡିମାଳ ପର୍ବତର ବିସ୍ତୃତି ଥିଲା ୨୦ ବର୍ଗ ମାଇଲ । ... ଏହାର ପ୍ରଥମ ରାଜ୍ୟ ମହକୁମା ଥିଲା କେରାଣ୍ଡିମାଳ ପାଦ ଦେଶସ୍ଥ ମହୁରି ଗଡ଼ ଅବା ଅଧୁନା ମହୁଡ଼ା ଗ୍ରାମ । ସେଠାରେ ଏକ ପ୍ରସ୍ତର ଦୁର୍ଗ ଥିଲା । ସେଠାରେ ରାଜପରିବାର ଅବସ୍ଥାନ କରୁଥିଲେ । ତାର ସମୀପରେ ଶିରକୁଟ ଦୁର୍ଗ ଥାଏ । ସେଠାରେ ରାଜା ବେଳେବେଳେ ଆଶ୍ରୟ ନେଉଥାନ୍ତି ପରେ ରାଜ୍ୟ ମହକୁମା ସେଠାରୁ ଆଠ ମାଇଲ ଦୂରରେ ସମତଳ ଭାଗରେ ନୂତନ ନିର୍ମିତ ହୋଇଥିବା ବ୍ରହ୍ମପୁରକୁ ୧୬୬୨ରୁ ୧୬୭୨ ସାଲ ମଧ୍ୟରେ ଘୁଞ୍ଚାଇ ଅଣାଗଲା । ତତ୍ ପରେ ବ୍ରହ୍ମପୁର ଏହାର ରାଜଧାନୀ ଭାବେ କାର୍ଯ୍ୟକଲା । (ପୃ. ୨୫୦-୨୫୧)
 
ରାଜନୈତିକ ଦୃଷ୍ଟିରୁ ବ୍ରହ୍ମପୁର ବହୁ ଶାସନାଧୀନ ଥିଲା । ଏହି ସହର ତଥା ସମଗ୍ର ଦକ୍ଷିଣ ଓଡ଼ିଶା ୧୫୭୧ରୁ ୧୬୬୭ ଖ୍ରୀଷ୍ଟାଦ୍ଦ ପର୍ଯ୍ୟନ୍ତ ଗୋଲକୋଣ୍ଡି ମୁସଲମାନ ଶାସନାଧୀନରେ, ୧୬୬୭ରୁ ୧୭୫୩ ପର୍ଯ୍ୟନ୍ତ ମୋଗଲ ଅବା ହାଇଦରାବାଦ ନିଜାମଙ୍କର ଶାସନ ଅଧୀନରେ, ୧୭୫୩ରୁ ସ୍ୱଳ୍ପ ସମୟ ନିମନ୍ତେ ଫରାସୀ ଶାସନ ଅଧୀନରେ ଏବଂ ୧୭୭୬ରୁ ୧୯୩୬ ପର୍ଯ୍ୟନ୍ତ ବ୍ରିଟିଶ ଶାସନାଧୀନ ମାନ୍ଦ୍ରାଜ ପ୍ରେସିଡ଼େନ୍ସି ଅଧୀନରେ ରହିଆସିଥିଲା । (ପୃ. ୨୪୮)
 
ଅତଏବ, ମହୁରି ରାଜ୍ୟ ପଞ୍ଚଦଶ ଶତାଦ୍ଦୀ ଦ୍ୱିତୀୟାର୍ଦ୍ଧରେ ପ୍ରତିଷ୍ଠିତ ହେବା ଦୁଇ ଶହ ବର୍ଷ ପରେ ସପ୍ତଦଶ ଶତାଦ୍ଦୀ ଦ୍ୱିତୀୟାର୍ଦ୍ଧରେ ବ୍ରହ୍ମପୁରକୁ ମହୁରି ରାଜବାଟୀ ସ୍ଥାନାନ୍ତରିତ ହୋଇଥିଲା । ନୂତନ ରାଜବାଟୀ ପ୍ରତିଷ୍ଠାର ଶହେ ବର୍ଷ ପରେ ହରିହର ନରେନ୍ଦ୍ର ଦେବ ୧୭୭୦ ମସିହାରେ ମାତ୍ର ୧୨ ବର୍ଷ ବୟସରେ ରାଜସିଂହାସନ ଆରୋହଣ କରିଥିଲେ ଏବଂ ୧୭୮୨ ଡ଼ିସେମ୍ୱର ୧୦ ତାରିଖରେ ହତ୍ୟାର ଶୀକାର ହୋଇଥିଲେ । ହରିହର ନରେନ୍ଦ୍ର ଦେବଙ୍କ ରାଜତ୍ୱ ସମୟରେ ସେ ଦାକ୍ଷିଣାତ୍ୟ ରାଜମହେନ୍ଦ୍ରୀ ଭ୍ରମଣରେ ଯାଇଥିବା ଏବଂ ରାଜକୃପା ଲାଭ କରି ସେଠାକାର ପାଟ ବୁଣାକାରମାନେ ବ୍ରହ୍ମପୁର ପହଞ୍ଚି ମହୁରି ରାଜବାଟୀ ଆଖପାଖ ଅଞ୍ଚଳରେ ବସତି ସ୍ଥାପନ କରିଥିବା କିମ୍ୱଦନ୍ତୀ ପ୍ରଚଳିତ । ବ୍ରହ୍ମପୁରରେ ବୁଣାକାର ଦେବାଙ୍ଗ ସମ୍ପ୍ରଦାୟର ବହୁ ସଂଖ୍ୟକ ପରିବାର ବସବାସ କରି ୧୮ ଗୋଟି ସାହିକୁ ସଂପ୍ରସାରିତ ହୋଇଥିଲେସେମାନଙ୍କ ଦ୍ୱାରା ଉତ୍ପାଦିତ ପାଟବସ୍ତ୍ର କ୍ରମଶଃ ବ୍ରହ୍ମପୁରର ପରିଚିତି ହାସଲ କରିଥିଲାମହୁରି ରାଜବାଟୀ ସଂଲଗ୍ନ ଅଞ୍ଚଳରେ ବଜାର ଗଢ଼ି ଉଠିଥିଲା ଏବଂ ପାଟବସ୍ତ୍ର ଉତ୍ପାଦନ ଓ ବିକ୍ରୀର କେନ୍ଦ୍ରସ୍ଥଳ ବିବେଚିତ ହୋଇଥିଲା । ଏହିକ୍ରମରେ ଅଷ୍ଟାଦଶ ଶତାଦ୍ଦୀ ଶେଷଭାଗରେ ଦେବାଙ୍ଗ ସମ୍ପ୍ରଦାୟର ଆଗମନ ପରେ ସେମାନଙ୍କ ଦ୍ୱାରା ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଧାର୍ମିକ ନୀତି ପ୍ରଚଳିତ ହୋଇଥିବା ଅନୁମାନ କରାଯାଏ ।


Photo by Saj Shafique on Unsplash 


Friday, April 7, 2023

Brahmapur Thakurani Yatra 2023 / ବ୍ରହ୍ମପୁର ଠାକୁରାଣୀ ଯାତ୍ରା ୨୦୨୩

 


#ବ୍ରହ୍ମପୁର ଦ୍ୱି-ବାର୍ଷିକ ଠାକୁରାଣୀ ଯାତ୍ରା ୨୦୨୩ ଏପ୍ରିଲ ୪ ତାରିଖ ସୋମବାର ମଧ୍ୟରାତ୍ରୀ-ଏପ୍ରିଲ ୫ ତାରିଖ ମଙ୍ଗଳବାର ପ୍ରତ୍ୟୁଷରେ ବିଧିବଦ୍ଧଭାବେ ଆରମ୍ଭ ହୋଇଛି । ଏହି ଉତ୍ସବ ମେ ପହିଲା ସୋମବାର ଯାଏଁ ପାଳିତ ହୋଇ ମେ ୨ ତାରିଖ ମଙ୍ଗଳବାର ପ୍ରଭାତରେ ଉଦଯାପିତ ହେବା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଚଳିତ ବର୍ଷ ୨୮ ଦିନ ଯାତ୍ରା ଆୟୋଜିତ ହେବ । ପାରମ୍ପରିକ ଯାତ୍ରାସ୍ଥଳୀ ବଡ଼ବଜାର ଦେଶୀବେହେରା ସାହିରେ ମାର୍ଚ୍ଚ ୧୭ ତାରିଖ ରାତିରେ ଅନୁଷ୍ଠିତ ବୈଠକରେ ଯାତ୍ରା ଆୟୋଜକ ଦେଶୀବେହେରାଙ୍କ କୁଳ-ପୁରୋହିତ ଯାତ୍ରା ଆୟୋଜନ ତିଥି ଘୋଷଣା କରିଥିଲେ । ତଦ୍ ଅନୁଯାୟୀ କାର୍ଯ୍ୟକ୍ରମ ଅଗାଇଛି ।
 
ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଅବଧି ପାରମ୍ପରିକଭାବେ ପ୍ରଶାସନିକ ନିଷ୍ପତ୍ତି ଉପରେ ନିର୍ଭର କରିଥାଏ । ସାଧାରଣତଃ ଯାତ୍ରା ତିନି ସପ୍ତାହ ବା ତଦୂର୍ଦ୍ଧ ଦିବସ ଧରି ଚାଲିଥାଏ । ଦେଖାଯାଇଛି ଯେ ଯାତ୍ରା ଆୟୋଜନ ତିଥି ନିର୍ଦ୍ଧାରଣପରେ ଆୟୋଜକ ଦେଶୀବେହେରାଙ୍କ ପକ୍ଷରୁ ପ୍ରଶାସନ ନିକଟରେ ଅନୁମୋଦନ ନିମନ୍ତେ ଦରଖାସ୍ତ କରାଯାଏ । ଅଧିକାଂଶ କ୍ଷେତ୍ରରେ ପ୍ରଶାସନ ସୀମିତ ସମୟରେ ଯାତ୍ରା ପାଳନ ନିମନ୍ତେ ଅନୁମତି ପ୍ରଦାନ କରିଥାନ୍ତି ଏବଂ ଯାତ୍ରାର ଅବଧି ବୃଦ୍ଧି ନିମନ୍ତେ ପୁନଃ ଦରଖାସ୍ତ କରାଯିବାପରେ ଅଧିକା କିଛି ଦିନ ଲାଗି ଅନୁମତି ମିଳିଥାଏ ।
 
ବ୍ରହ୍ମପୁର ଠାକୁରାଣୀଯାତ୍ରାର ବିଗତ ଦଶ ବର୍ଷର ଇତିହାସ ଅନୁଧ୍ୟାନ କଲେ ୨୦୧୧ ମସିହାରେ ଯାତ୍ରା ୨୯ ଦିନ ଅନୁଷ୍ଠିତ ହୋଇଥିଲା । ୨୦୧୩ ମସିହାରେ ଯାତ୍ରା ୫ ଏପ୍ରିଲରୁ ୨୯ ଏପ୍ରିଲ, ୨୫ ଦିନ ଅନୁଷ୍ଠିତ ହୋଇଥିଲା । ପ୍ରଶାସନ ପକ୍ଷରୁ ପ୍ରଥମେ ୧୫ ଦିନ ଯାତ୍ରା ଆୟୋଜନ ଲାଗି ଅନୁମତି ଦେଇଥିଲେ ଏବଂ ପରେ ପୁଣି ୯ ଦିନ ଯାତ୍ରାର ଅବଧି ବଢ଼ାଇଥିଲେ । ସେହିପରି ୨୦୧୫ରେ ଦୁଇଗୋଟି କିସ୍ତିରେ ୩୧ ଦିନ ଯାତ୍ରା ଆୟୋଜନ ଲାଗି ଅନୁମତି ପ୍ରଦାନ କରିଥିଲେ । କିନ୍ତୁ ୨୦୧୭ ମସିହାରେ ଦୁଇ କିସ୍ତିରେ ଯାତ୍ରାର ଅବଧି ନିର୍ଦ୍ଧାରଣ ବଦଳରେ ଏକା ଥରକେ ୩୦ ଦିନ ଯାତ୍ରା ଆୟୋଜନ ଅନୁମତି ପ୍ରଦାନ କରିଥିଲେ । ଏପ୍ରିଲ ୨ରୁ ମେ ପହିଲା ଯାଏଁ ଯାତ୍ରା ଅନୁଷ୍ଠିତ ହୋଇଥିଲା । ୨୦୧୯ରେ ମାର୍ଚ୍ଚ ୨୯ରୁ ଏପ୍ରିଲ ୨୯ ଏକ ମାସ ବ୍ୟାପୀ ଯାତ୍ରା ପାଳିତ ହୋଇଥିଲା । ତେବେ ୨୦୨୧ରେ କୋଭିଡ଼-୧୯ ମହାମାରୀ କାରଣରୁ ପ୍ରଶାସନିକ କଟକଣା ହେତୁ ଯାତ୍ରା ପାଳନ କେବଳ ଔପଚାରିକତାରେ ଆବଦ୍ଧ ରହିଥିଲା ।
 
ଲୋକମୁଖରୁ ଜଣାଯାଏ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବାବସ୍ଥାରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଦୁଇ ମାସ ଯାଏଁ ଅନୁଷ୍ଠିତ ହେଉଥିଲା । ଯାତ୍ରାରେ ଧାର୍ମିକ ରୀତି-ନୀତି ସହ ରଥ, କଳାକୁଞ୍ଜ ଓ ବେଶଧାରଣ ସମୟକ୍ରମେ ଯୋଡ଼ି ହୋଇଆସିଛି । ଯାତ୍ରାର ଏହି ସାମାଜିକ ବିଭବଗୁଡ଼ିକ ଯାତ୍ରୀ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାଏ । ଜନସମାଗମ ହେତୁ ଆଇନ ଶୃଙ୍ଖଳା ଓ ପରିମଳ ରକ୍ଷା, ଜଳଯୋଗାଣ, ଜନସ୍ୱାସ୍ଥ୍ୟ ଇତ୍ୟାଦି ବିଭିନ୍ନ ଦିଗକୁ ବିଚାରକୁ ନେଇ ସ୍ଥାନୀୟ ପ୍ରଶାସନ ଯାତ୍ରାର ଅବଧି ଅନୁମୋଦନ କରିଥାନ୍ତି । ଅତୀତରେ ଗଣମାଧ୍ୟମ ଓ ଯୋଗାଯୋଗ ସୁବିଧା ସୁଯୋଗ ଅବହେଳିତ ଅବସ୍ଥାରେ ରହିଥିଲା । ଯାତ୍ରା ଆୟୋଜନ ମୁଖ୍ୟତଃ ଲୋକମୁଖରେ ପ୍ରଚାରିତ ହେଉଥିଲା ଏବଂ ପଡ଼ୋଶୀ ଗ୍ରାମାଞ୍ଚଳରୁ ଦର୍ଶନାର୍ଥୀ ସପରିବାରେ ଶଗଡ଼ରେ ବ୍ରହ୍ମପୁର ବଡ଼ବଜାର ପହଞ୍ଚୁଥିଲେ । ଏକବିଂଶ ଶତାଦ୍ଦୀ ଆରମ୍ଭରୁ ଅଞ୍ଚଳିକ ଟେଲିଭିଜନ ଚ୍ୟାନେଲ ଠାକୁରାଣୀଯାତ୍ରାର ଧାରା ବିବରଣୀ ରାଜ୍ୟବ୍ୟାପୀ ପହୁଞ୍ଚାଇ ଦେଇଥିବା ସ୍ଥଳେ ଦ୍ୱିତୀୟ ଦଶକରେ ସାମାଜିକ ଗଣମାଧ୍ୟମର ପ୍ରସାର ସୂଚ଼ନା-ପ୍ରାଚ଼ର୍ଯ୍ୟ ପରିବେଶ ସୃଷ୍ଟି କରିଛି । ଗ୍ରାମାଞ୍ଚଳରେ ପ୍ରତି ଦୁଇଗୋଟି ପରିବାର ମଧ୍ୟରୁ ଗୋଟିଏ ପରିବାରରେ ଦୁଇ ଚକିଆ ମଟର ସାଇକେଲ ଏବଂ ପ୍ରତି ଗ୍ରାମକୁ ପକ୍କା ରାସ୍ତା ଯୋଗାଯୋଗ କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିଛି । ଏହି କାରଣରୁ ଯାତ୍ରା ପାଳନର ନିର୍ଦ୍ଧିଷ୍ଟ କାର୍ଯ୍ୟସୂଚ଼ୀ ଅଗ୍ରୀମ ନିର୍ଦ୍ଧାରଣ ଯୁଗ ଉପଯୋଗୀ ମନେହୁଏ ।
 
ବ୍ରହ୍ମପୁର ଠାକୁରାଣୀ ଯାତ୍ରା କେବଠୁ ଆଡ଼ମ୍ୱର ସହକାରେ ପାଳିତ ହେଲା ଭଳି ପ୍ରଶ୍ନର ଉତ୍ତର ଖୋଜିବା ବେଳେ ରଥ, କଳାକୁଞ୍ଜ ଓ ବିଦ୍ୟୁତ ଆଲୋକ ବ୍ୟବସ୍ଥା ମନକୁ ଆସିଥାଏ । ଗତ ୨୦୧୩ ମସିହା ଯାତ୍ରାରେ କାଳୁପାତ୍ର ସାହିର ଜ୍ୱାଳାମୁଖୀ ରଥ ଆରମ୍ଭର ୭୫ ବାର୍ଷିକୀ ପ୍ଳାଟିନମ ଜୁବୁଲି ପାଳନ କରାଯାଇଥିଲା । ଅର୍ଥାତ, ରଥ ୧୯୩୯ରେ ଆରମ୍ଭ ହୋଇଥିଲା । ପୂର୍ବେ ରଥଗୁଡ଼ିକରେ ଚକ ଲାଗୁଥିଲା । ବିଭିନ୍ନ ସାହିରେ ସ୍ଥାନୀୟ ବାସିନ୍ଦାଙ୍କ ଉଦ୍ୟମରେ ରଥ ନିର୍ମିତ ହେବା ପରେ ବଡ଼ ବଜାର ଛକକୁ ଟାଣି ଟାଣି ଅଣାଯାଉଥିଲା । ବର୍ତ୍ତମାନ ସେହି ପରମ୍ପରାର ବିଲୋପ ଘଟିଛି । ରଥଗୁଡ଼ିକ ବଡ଼ ବଜାର ପଡ଼ୋଶୀ ବିଭିନ୍ନ ସାହିରେ ପ୍ରଦର୍ଶିତ ହେଉଛି । ଏକପକ୍ଷରେ ଯାତ୍ରା ଆରମ୍ଭ ହେବାପରେ ରଥ ନିର୍ମାଣ ନିମନ୍ତେ ଉଦ୍ୟମ ହୁଏ ଏବଂ ଯାତ୍ରାର ଶେଷ ସପ୍ତାହକ ଲାଗି ପ୍ରଦର୍ଶନର ବ୍ୟବସ୍ଥା କରାଯାଏ । ଏହା ବ୍ୟୟବହୁଳ ଓ ସଂପୃକ୍ତ ରଥ ଉଦ୍ୟୋକ୍ତାଙ୍କୁ ଖର୍ଚ୍ଚ ବହନ କରିବାକୁ ପଡ଼ିଥାଏ । ଅପରପକ୍ଷରେ ଯାତ୍ରାରେ ରଥ ପ୍ରଦର୍ଶିତ ହେଲେ ହେଁ ଯାତ୍ରୀଙ୍କ ଭିଡ଼ ଜମିଥାଏ । ଏହି କାରଣରୁ ଯାତ୍ରାର ଅବଧି ବୃଦ୍ଧି ଏକ ଆବଶ୍ୟକତାରେ ପରିଣତ ହେଉଥିଲା । କିନ୍ତୁ ସମକାଳରେ ସେହି ଧାରାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା କୁହାଯାଇପାରେ । ତେଣୁ ଯାତ୍ରାର ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଆଧାରରେ ରଥ ଓ କଳାକୁଞ୍ଜ ନିର୍ମାଣ ଭଳି ବିଭିନ୍ନ ଆୟୋଜନ ଆଶା କରାଯାଇପାରେ ।

Photo by Oscar Ivan Esquivel Arteaga on Unsplash