Friday, December 25, 2020

First Day, Matinee Show / ଫାଷ୍ଟ-ଡ଼େ, ମାଟିନୀ-ସୋ



ଆଜକୁ ପଚାଶ ବର୍ଷ ପୂର୍ବେ ଦେଶ ସାରା ନୂଆ ସିନେମା ରିଲିଜରେ ଶୁକ୍ରବାର ଫାଷ୍ଟ-ଡ଼େ, ଫାଷ୍ଟ-ସୋ ଗୁରୁତ୍ୱ ବହନ କରୁଥିବା ସ୍ଥଳେ #ବ୍ରହ୍ମପୁର ଫାଷ୍ଟ-ଡ଼େ, ମାଟିନୀ-ସୋ ଲାଗି ପ୍ରସିଦ୍ଧି ଲାଭ କରିଥିଲା । ସହରରେ ଚଳଚ୍ଚିତ୍ର ପ୍ରଦର୍ଶନ ବିଂଶ ଶତାଦ୍ଦୀର ତୃତୀୟ ଦଶକ ଶେଷରୁ ଆରମ୍ଭ ହୋଇଥିଲେ ସୁଦ୍ଧା ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରୁ ନବମ ଦଶକ ଯାଏଁ ଦୀର୍ଘ ୪୦ ବର୍ଷ ଧରି ଆଧିପତ୍ୟ ବଜାୟ ରଖିଥିଲା । ଅଷ୍ଟମ ଦଶକ ଆରମ୍ଭରୁ ଦୂରଦର୍ଶନ ଓ ନବମ ଦଶକ ଆରମ୍ଭରୁ କେବଲ ଟେଲିଭିଜନ ପ୍ରସାରଣ ଆରମ୍ଭ ହେବା ପରେ କ୍ରମଶଃ ଦର୍ଶକଙ୍କ ସିନେମା ଦେଖା ଅଭ୍ୟାସ ପରିବର୍ତ୍ତିତ ହେବାରେ ଲାଗିଲା ଶତାଦ୍ଦୀ ଶେଷରେ ମହାବାତ୍ୟାରେ ଚଳଚ୍ଚିତ୍ର ପ୍ରେକ୍ଷାଳୟଗୁଡ଼ିକ ଭାଙ୍ଗିରୁଜି ଦୀର୍ଘକାଳ ବନ୍ଦ ରହିବା ପରେ ପୁଣି ଥରେ ସଚଳ ହେବା ବେଳକୁ ରୂପେଲୀ ପରଦାକୁ ଦର୍ଶକ ପୂର୍ବବତ୍ ଫେରିଲେ ନାହିଁ ।

 

ବ୍ରହ୍ମପୁରରେ ନୂଆ ଚଳଚ୍ଚିତ୍ର ଲାଗି ଫାଷ୍ଟ-ଡ଼େ, ଫାଷ୍ଟ-ସୋ ବଦଳରେ ମାଟିନୀ-ସୋ  ଲୋକପ୍ରିୟତା ଏଠାକାର ଦର୍ଶକଙ୍କ ମାଟିନୀ-ସୋ ଠାରୁ ଫାଷ୍ଟ-ସୋ ଯାଏଁ ଆଉ ତିନି ଘଣ୍ଟା ଅପେକ୍ଷାରେ ଆବେଗ ନିୟନ୍ତ୍ରଣ ଅଭାବକୁ ମୁଖ୍ୟ କାରଣ ରୂପେ ଚ଼ିହ୍ନଟ କରାଯାଇପାରେ । ଦେଶର ବିଭିନ୍ନ ପ୍ରାନ୍ତରେ ଚଳଚ୍ଚିତ୍ର ପ୍ରେକ୍ଷାଳୟଗୁଡ଼ିକରେ ମୁଖ୍ୟତଃ ଦୁଇଗୋଟି ସୋ ସନ୍ଧ୍ୟା ୬ଟା ଓ ରାତି ୯ଟାରେ ସୀମିତ ରହୁଥିବା ସ୍ଥଳେ ବ୍ରହ୍ମପୁରରେ ଅପରାହ୍ନ ୩ଟା ମାଟିନୀ-ସୋ ମୁଖ୍ୟତଃ ଯୁବବର୍ଗର ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଥିଲା । ଏହାର ତିନିଗୋଟି କାରଣ ଚ଼ିହ୍ନଟ କରାଯାଇପାରେ ।

 

ପ୍ରଥମତଃ, ସହରର କିଶୋର ଓ ଯୁବବର୍ଗ କଳେ-ବଳେ-କୌଶଳେ ସିନେମା ହଲରେ ପହଞ୍ଚିବାକୁ ସକ୍ଷମ ହେଉଥିଲେ । ସେ କାଳରେ ସିନେମା ଦେଖାକୁ ପାରବାରିକସ୍ତରରେ ନାପସନ୍ଦ କରାଯାଉଥିବା ହେତୁ ମାଟିନୀ-ସୋ ଦେଖାର ଖୋଜଖବର ସହଜରେ ଅଭିଭାବକଙ୍କ ନିକଟରେ ପହଞ୍ଚି ପାରୁନଥିଲା । ଦ୍ୱିତୀୟତଃ, ବ୍ରହ୍ମପୁରରେ ବହୁ ସଂଖ୍ୟକ ଯୁବଶ୍ରମିକ ଆତ୍ମନିଯୁକ୍ତ ଥିବା ହେତୁ ସମୟ ନିଜ ଆୟତ୍ତରେ ରଖିପାରୁଥିଲେ । ସିନେମା ଦେଖା ପାଇଁ ଟାଇମଟେବୁଲ ବନାଇବାରେ ଅସୁବିଧା ନଥିଲା । ତୃତୀୟତଃ, ବ୍ରହ୍ମପୁରର ପଡ଼ୋଶୀ ଗ୍ରାମାଞ୍ଚଳରୁ ଯୁବ ଓ ବ୍ୟବସାୟୀବର୍ଗ ମାଟିନୀ-ସୋ ସାରି ବସ ଯୋଗେ ସନ୍ଧ୍ୟାରେ ଘରକୁ ଫେରିବା ସେମାନଙ୍କ ଟାଉନ ଟୁରକୁ ବେଶ ସୁହାଉଥିଲା ।

 

ସ୍ୱାଧୀନୋତ୍ତର ବ୍ରହ୍ମପୁରରେ ଦୂରଦର୍ଶନ ପ୍ରସାରଣ ପହଞ୍ଚିବା ଯାଏଁ ଦୀର୍ଘ ତିନି ଦଶକ ସ୍ଥାନୀୟ ଯୁବବର୍ଗଙ୍କୁ ଦେଶବିଦେଶର ଜନଜୀବନ ସଂପର୍କରେ ପରିଚିତ ହେବାପାଇଁ ସମ୍ୱାଦପତ୍ର, ପତ୍ରପତ୍ରିକା, ପୁସ୍ତକ ପରକୁ ସିନେମା ହିଁ ଏକମାତ୍ର ମଧ୍ୟମ ଥିଲା । ଇଣ୍ଟେରନେଟ, ଗୁଗୁଲ, ୟୁ-ଟ୍ୟୁବ ଓ ଏସଭିଓଡ଼ିସବସ୍କ୍ରିପସନ-ଭିଡ଼ିଓ-ଅନ-ଡ଼ିମାଣ୍ଡରେ ଅଭ୍ୟସ୍ତ ୨୦୨୦ରେ ଯୁବବର୍ଗ ସେମାନଙ୍କ ଜେଜେବାପାମା-ଅଜାଆଈମାନେ କିପରି ସିନେମାଟିଏ ଦେଖିବା ପାଇଁ ଅଗ୍ରହ ସହକାରେ ଦିନ ଦିନ ଅପେକ୍ଷା କରୁଥିଲେ କଳ୍ପନା ହିଁ କରିପାରିବେ ନାହିଁ । ଭଲ ହିନ୍ଦି ସିନେମାଟିଏ ବମ୍ୱେରେ ରିଲିଜ ହେବାର ତିନିରୁ ଛଅ ମାସ ପରେ ବ୍ରହ୍ମପୁରରେ ପ୍ରଦର୍ଶିତ ହେଉଥିଲା । ଚଳଚ୍ଚିତ୍ରପ୍ରେମୀମାନେ ପିକଚ଼ର ପୋଷ୍ଟ, ଫିଲ୍ମଫେୟାର, ସ୍କ୍ରିନ ତଥା ସେହିଭଳି ଅସଂଖ୍ୟ ପତ୍ରପତ୍ରିକାର ମୁଦ୍ରିତ ପୃଷ୍ଠାରେ ଚଳଚ୍ଚିତ୍ରର ସମୀକ୍ଷା, ଚ଼ିତ୍ରତାରକାଙ୍କ ଜୀବନଚର୍ଯ୍ୟା ପଢ଼ି ପଢ଼ି ଦୀର୍ଘକାଳ ଅପେକ୍ଷାରେ ବିତାଇବାକୁ ପଡୁଥିଲା । ଥରେ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇ ଚାଲିଯିବାପରେ ପୁଣି ଥରେ ଦେଖିବାର ସୁଯୋଗ ପ୍ରାୟ ନଥିଲା ।

 

ମାଟିନୀ-ସୋ ସାଙ୍ଗକୁ ବ୍ରହ୍ମପୁରରେ ମର୍ଣ୍ଣିଂ-ସୋ ସୀମିତ ସଂଖ୍ୟକ ଦର୍ଶକଙ୍କୁ ନେଇ ଚାଲୁଥିଲା । ଏସଏସଭିଟି, ବିଜୟା ଓ ଉତ୍କଳରେ ହଲିଉଡ଼ ସିନେମା ମର୍ଣ୍ଣିଂ-ସୋ ରେ ପ୍ରଦର୍ଶିତ ହେଉଥିଲା । ଏଠାକାର ଉଚ୍ଚଶିକ୍ଷିତ ଯୁବବର୍ଗ ଇଲଷ୍ଟ୍ରେଡ଼ ଉଇକ୍ଳି ସାଙ୍ଗକୁ ଆଙ୍ଗୁଠିଗଣତି କପି ଲାଇଫ, ଟାଇମ ଓ ନ୍ୟାସନାଲ ଜିଓଗ୍ରାଫି ପତ୍ରିକାରେ ଦେଖିଥିବା ବିଦେଶର ଚ଼ିତ୍ର ମର୍ଣ୍ଣି-ସୋ ଇଂଲିଶ ସିନେମାରେ ପ୍ରାୟ ପ୍ରାଣବନ୍ତ ଅବସ୍ଥାରେ ପାଉଥିଲେ । ମର୍ଣ୍ଣିଂ-ସୋ ସାଙ୍ଗକୁ ସପ୍ତମ ଦଶକ ମଧ୍ୟ ଭାଗରୁ ଅଷ୍ଟମ ଦଶକ ମଧ୍ୟଭାଗ ଯାଏଁ ନୁନ-ସୋ ମଧ୍ୟ ଆୟୋଜିତ ହେଉଥିଲା ।

 

ମହାବାତ୍ୟା ପୂର୍ବରୁ ଓ ପରେ ବ୍ରହ୍ମପୁରର ଅର୍ଦ୍ଧାଧିକ ଚଳଚ୍ଚିତ୍ର ପ୍ରେକ୍ଷାଳୟ ଏସଏସଭିଟି, ବିଜୟା, ଉତ୍କଳ, ଲିଙ୍ଗରାଜ, ପଦ୍ମାଳୟା, ଜ୍ୟୋତି, ପରମଜ୍ୟୋତି ବିଭିନ୍ନ କାରଣରୁ ବନ୍ଦ ହୋଇଯାଇଥିବା ସ୍ଥଳେ ମହାମାରୀ କଟକଣା ହେତୁ ଅନ୍ୟ ଅର୍ଦ୍ଧେକ ଶକ୍ତି, ଶିବା, ଗୌତମ, ରୁକ୍ମୁଣୀ, ପାୟଲ ଦୀର୍ଘ ଦିନ ଧରି ୨୦୨୦ ମାର୍ଚ୍ଚ ୧୫ ରୁ ବନ୍ଦ ରହିଛି । ଏଠାକାର ଚଳଚ୍ଚିତ୍ର ପ୍ରେକ୍ଷାଳୟ କେବେ ଖୋଲିବ ତାହା ନିର୍ଦ୍ଧିଷ୍ଟ ନଥିବା ସ୍ଥଳେ ଦେଶବିଦେଶରେ ଖୋଲିବାପରେ ଆଶାନୁରୂପ ବ୍ୟବସାୟ ନ ହୋଇପାରିବା ହେତୁ ପୁଣି ବନ୍ଦ ଅବସ୍ଥାକୁ ଆସିଯାଇଥିବା ଜଣାଯାଏ । ବୋଷ୍ଟନ କନସଲଟିଂ ଗୃପ ପକ୍ଷରୁ ୨୦୨୦ ଡ଼ିସେମ୍ୱର ମଧ୍ୟଭାଗରେ ପ୍ରକାଶିତ ବିବରଣୀ ଅନୁଯାୟୀ ଦେଶରେ ଓଭର-ଦି-ଟପ (ଓଟିଟି) ମଞ୍ଚ ଦର୍ଶକ ସଂଖ୍ୟା ବିଗତ ତିନି ବର୍ଷରେ ୬୦ ପ୍ରତିଶତ, ଅର୍ଥାତ ପ୍ରାୟ ପାଞ୍ଚ କୋଟିରୁ ତେର କୋଟିକୁ ବୃଦ୍ଧି ପାଇଛି । ପରିବର୍ତ୍ତିତ ପରିବେଶରେ ସିନେମା ପ୍ରଦର୍ଶନ ଯଦି ଓଟିଟି ମଞ୍ଚକୁ ସ୍ଥାନାନ୍ତରିତ ପ୍ରକ୍ରିୟା ଜାରୀ ରହେ ତେବେ ବ୍ରହ୍ମପୁର ପ୍ରେକ୍ଷାଳୟରେ ମାଟିନୀ ସିନେମା ଦେଖା ହୁଏତ ଇତିହାସ ପୃଷ୍ଠାରେ ଏକ ସ୍ମୃତି ହୋଇ ରହିଯିବ !

Photo by : Carbon Arc is licensed under CC BY-NC-SA 2.0

Friday, December 18, 2020

Cake, Pastry O Muaa-ra Dina / କେକ, ପେଷ୍ଟ୍ରି ଓ ମୁଆଁର ଦିନ



ଡ଼ିସେମ୍ୱର ମାସରେ ଖ୍ରୀଷ୍ଟମାସ ପାଖେଇଆସିଲେ #ବ୍ରହ୍ମପୁର ସହରରେ ଖ୍ରୀଷ୍ଟ ଧର୍ମବଲମ୍ୱୀମାନଙ୍କ ଜନଜୀବନ ସାଧାରଣ ଚର୍ଚ୍ଚା ପରିସରକୁ ଆସିଥାଏ ।

 

ମହୁରି ରାଜ୍ୟର ନୂତନ ରାଜଧାନୀ ରୂପେ ବ୍ରହ୍ମପୁର ପଞ୍ଚଦଶ ଶତାଦ୍ଦୀର ଶେଷାର୍ଦ୍ଧରେ ବିକଶିତ ହୋଇଥିଲା ଏବଂ ୧୮୫୦ ଅକ୍ଟୋବର ୭ ତାରିଖ ଦିନ ଇଂଲିଶ ସରକାର ମହୁରି ରାଜ୍ୟକୁ ବାଜ୍ୟାପ୍ତ କରିବା ପରେ ଆପାତତଃ ବ୍ରହ୍ମପୁର ବ୍ରିଟିଶ ଶାସନାଧୀନ ହେଲା । ମାଡ୍ରାସ ପ୍ରେସିଡ଼େନ୍ସିରେ ସମଗ୍ର ମହୁରି ରାଜ୍ୟ ବ୍ରହ୍ମପୁର ରେଭିନ୍ୟୁ ତାଲୁକାଭାବେ ଘୋଷଣା କରାଯାଇଥିଲା । ଏହି ଘଟଣାର ୨୫ ବର୍ଷ ପୂର୍ବରୁ ଖ୍ରୀଷ୍ଟିୟ ମିସନାରୀ ଆମୋଷ ସଟନ ୧୮୨୫ରେ ବ୍ରହ୍ମପୁରରେ ଖ୍ରୀଷ୍ଟଧର୍ମ ପ୍ରଚାର କରିଥିବା ତଥା ୧୮୨୭ ଡ଼ିସେମ୍ୱର ଖ୍ରୀଷ୍ଟମାସ ଦିନ ରାମଲିଙ୍ଗମ ବନ୍ଧ କୂଳରେ ଜଣେ ସ୍ଥାନୀୟ ତେଲୁଗୁ ଭଦ୍ରବ୍ୟକ୍ତି ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଇତିହାସ ପୃଷ୍ଠାରେ ଲିପିବଦ୍ଧ । ବିଗତ ଦିନର ପ୍ରବନ୍ଧିକ ସିମସନ ବେହରାଙ୍କ ବିବରଣୀ ଅନୁଯାୟୀ ୧୮୩୬ରେ ଏକ ପୁରାତନ ଗୃହ କ୍ରୟ କରାଯାଇ ଖ୍ରୀଷ୍ଟିୟ ଉପାସନା ଆରମ୍ଭ ହୋଇଥିଲା ଏବଂ ସେଠାରେ ୧୮୪୪ରେ ନୂତନ ଗୀର୍ଜା ପ୍ରତିଷ୍ଠା କରାଯାଇଥିଲା ।

 

୧୯୦୧ ମସିହାର ଜନଗଣନା ଅନୁଯାୟୀ ବ୍ରହ୍ମପୁର ମୋଟ ଜନସଂଖ୍ୟା ୨୫,୭୨୯ ଥିବା ସ୍ଥଳେ ହିନ୍ଦୁ ୨୩,୮୫୭, ମୁସଲମାନ ୧,୨୨୪ ଓ ଖ୍ରୀଷ୍ଟିଆନ ୬୪୧ ଜଣ ଅନ୍ତର୍ଭୁକ୍ତ ଥିଲେ । ସହରର ଖ୍ରୀଷ୍ଟିଆନ ଧର୍ମାବଲମ୍ୱୀମାନେ ମୁଖ୍ୟତଃ ଦୁଇଗୋଟି ସାହୀରେ ବସବାସ କରୁଥିଲେ । ବାପଟିଷ୍ଟ ଚର୍ଚ୍ଚ ସଂଲଗ୍ନ ପୁରୁଣା ଖ୍ରୀଷ୍ଟିଆନ ସାହୀ ଏବଂ ହିଲପାଟଣାର ନୂତନ ଖ୍ରୀଷ୍ଟିଆନ ସାହୀ । ହିଲ ନାମକ ଜଣେ ସାହେବଙ୍କ ଦ୍ୱାରା ନୂତନ ଖ୍ରୀଷ୍ଟିଆନ ସାହୀ ୧୮୫୪ରେ ସ୍ଥାପିତ ହୋଇଥିବା ସ୍ଥଳେ ତାଙ୍କରି ନାମ ଅନୁଯାୟୀ ହିଲପଟଣା ନାମକରଣ କରାଯାଇଥିବା ଜଣାଯାଏ ।

 

ଖ୍ରୀଷ୍ଟଧର୍ମର ଅନ୍ୟ ବୃହତ ଗୋଷ୍ଠୀ ରୋମାନ କ୍ୟାଥଲିକମାନେ ଏକ କନଭେଣ୍ଟ ପ୍ରତିଷ୍ଠା କରିଥିଲେ । କିଛି କାଳପରେ ଏହାର ମୁଖ୍ୟ କାର୍ଯ୍ୟାଳୟ ସୋରଡ଼ାକୁ ସ୍ଥାନାନ୍ତରିତ ହୋଇଥିଲା । ସହରରେ ବାପଟିଷ୍ଟ ଜନସଂଖ୍ୟା ତୁଳନାରେ ଅନ୍ୟ ମତବାଦୀଙ୍କ ସଂଖ୍ୟା କମ । ଗିରି ରୋଡ଼ରେ ଓଡ଼ିଆ ବାପ୍ଟିଷ୍ଟ ଚର୍ଚ୍ଚ ସାଙ୍ଗକୁ ଟାଉନହଲ ରୋଡ଼ରେ ସେଣ୍ଟ ଷ୍ଟିଫେନ୍ସ, ପୁରୁଣା ବସଷ୍ଟାଣ୍ଡରେ କ୍ୟାଥଲିକ ଓ ଗିରିମାର୍କେଟରେ ତେଲୁଗୁ ୟୁନିୟନ ବାପ୍ଟିଷ୍ଟ ଚର୍ଚ୍ଚ ପ୍ରତିଷ୍ଠିତ ।

 

ଖ୍ରୀଷ୍ଟ ଧର୍ମାବଲମ୍ୱୀମାନଙ୍କ ପକ୍ଷରୁ ଖ୍ରୀଷ୍ଟମାସ, ଗୁଡ ଫ୍ରାଇଡ଼େ ଓ ଇଷ୍ଟର ଇତ୍ୟାଦି ପର୍ବ ପାଳନ ଅବସରରେ ସହରବାସୀ ସାମିଲ ହୋଇଥାନ୍ତି । ଖ୍ରୀଷ୍ଟମାସ ଓ ନିଉ-ଇୟର ଅବକାଶରେ କେକ, ପେଷ୍ଟ୍ରି ଇତ୍ୟାଦି ମିଷ୍ଟାନ୍ନ ବିକ୍ରୀ ନିମନ୍ତେ ସ୍ଥାନୀୟ ଦୋକାନ ବଜାରରେ ସ୍ୱତନ୍ତ୍ର ଆୟୋଜନ କରାଯାଏ । ଗତ ଶତାଦ୍ଦୀ ସପ୍ତମ ଦଶକ ଯାଏଁ ଭାପୁର ବଜାର ମଧ୍ୟଭାଗ ପାନବିକା ସାହୀ ଛକରେ ଦୁଇଗୋଟି ଏବଂ ହିଲପାଟଣାରେ ଗୋଟିଏ ବେକରୀ ଦୋକାନ ସୀମିତ ଥିବା ସ୍ଥଳେ ଶେଷ ତିନି ଶତାଦ୍ଦୀରେ ସହରର ପରିସୀମା ବୃଦ୍ଧି ତଥା ନୂତନ ଜନବସତି ସ୍ଥାପନ କାରଣରୁ ବିଭିନ୍ନ ପ୍ରାନ୍ତରେ ନୂତନ ଦୋକାନମାନ ଖୋଲିଲାଚଳିତ ଶତାଦ୍ଦୀ ଦ୍ୱିତୀୟ ଦଶନ୍ଧି ଆରମ୍ଭରୁ ଭୁବନେଶ୍ୱରରୁ ବ୍ରାଣ୍ଡେଡ଼ ବେକେରୀ ଉତ୍ପାଦ ବ୍ରହ୍ମପୁରରେ ବିକ୍ରୀ ପାଇଁ ଆଭିଜାତ୍ୟପୂର୍ଣ୍ଣ ଦୋକାନମାନ ଆରମ୍ଭ ହେଲା । ପୂର୍ବେ କେବଳ ଖ୍ରୀଷ୍ଟମାସ ଓ ନିଉ-ଇୟର ପାଳନ ବେଳେ କେକ, ପେଷ୍ଟ୍ରିର ଚାହିଦା ରହୁଥିବା ସ୍ଥଳେ ବିଗତ ଚାରି ଦଶନ୍ଧି ଧରି ଟେଲିଭିଜନ ସଂସ୍କୃତି ପ୍ରବେଶ ପରେ ଜନ୍ମଦିନ ଓ ବିବାହ ବାର୍ଷକୀରେ କେକ କାଟିବା ସହରବାସୀଙ୍କ ଜନଜୀବନରେ ଅବିଚ୍ଛେଦ୍ୟ ଅଂଗ ପାଲଟିଯାଇଛି ।

 

ସଂଯୋଗବଶତଃ ଖ୍ରୀଷ୍ଟମାସ ଓ ନିଉ-ଇୟର ପୂର୍ବରୁ ହିନ୍ଦୁ ପର୍ବ ଧନୁ ସଂକ୍ରାନ୍ତି ପାଳିତ ହୋଇଥାଏ । ବ୍ରହ୍ମପୁରରେ ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ଯାଏଁ ମାସେ ଧନୁ ମୁଆଁର ରାଜୁତି । ମୁଆଁ ଦେବଦେବୀଙ୍କ ଭୋଗରେ ଲାଗେ । ସ୍ଥାନୀୟ ମିଷ୍ଟାନ୍ନ କାରିଗରମାନେ କିସମ କିସମର ମୁଆଁ ପ୍ରସ୍ତୁତ କରି ବଜାରରେ ବିକ୍ରୀ କରନ୍ତି ।

 

ବ୍ରହ୍ମପୁରରେ ଧନୁ ମୁଆଁ ଲୋକପ୍ରିୟତାର ବିଭିନ୍ନ କାରଣ ମଧ୍ୟରେ ମାର୍ଗଶୀର ମାସରେ ନୂଆ ଧାନ ଅମଳ ଓ ପଡ଼ୋଶୀ ଆସିକା ଅଞ୍ଚଳରେ ବ୍ୟାପକ ଆଖୁଚାଷ ହେତୁ ଧାନରୁ ଲିଆ, ଆଖୁରୁ ଗୁଡ଼ ଓ ଗୋପାଳପୁରରୁ ନଡ଼ିଆ ମୁଆଁ ପ୍ରସ୍ତୁତିରେ ସହାୟକ ହୋଇଥିବା ବିଶ୍ୱାସ କରାଯାଇପାରେ । ଅତଏବ ଧନୁ ମୁଆଁ ଫସଲ ଅମଳପର ପୋଷ୍ଟ-ହାରଭେଷ୍ଟ ମିଷ୍ଠାନ୍ନ । ଅନ୍ୟପକ୍ଷରେ ବ୍ରହ୍ମପୁର ତଥା ସହରତଳି ଅଞ୍ଚଳରେ ବହୁ ସଂଖ୍ୟକ ଠାକୁରାଣୀ, ଗ୍ରାମଦେବତୀ ମନ୍ଦିର ଏବଂ ଦେବୀଙ୍କଠାରେ ଭୋଗରେ ନଡ଼ିଆ କଦଳୀ ସହ ମୁଆଁ ଏକ ମୁଖ୍ୟ ସାମଗ୍ରୀ ରୂପେ ବ୍ୟବହୃତ ହେଉଥିବା ହେତୁ ବର୍ଷ ତମାମ ମୁଆଁ ପ୍ରସ୍ତୁତି ଏବଂ ପୌଷ ମାସରେ ଅଧିକ ଗୁରୁତ୍ୱ ପାଉଥିବା ଲକ୍ଷ୍ୟ କରାଯାଇପାରେ ।

 

ମୁଆଁ ବ୍ରହ୍ମପୁର ସଂସ୍କୃତିର ଅନ୍ୟତମ ବିଭବ । ବ୍ରହ୍ମପୁରବାସୀ ଅନ୍ୟତ୍ର ବସବାସ କରୁଥିବା ବନ୍ଧୁବାନ୍ଧବଙ୍କୁ ଏଠାକାର ମୁଆଁ ଉପହାର ଦେବାକୁ ଭୁଲି ନଥାନ୍ତି ।

Photo by : damien_thorne is licensed under CC BY-NC-ND 2.0

Friday, December 11, 2020

Mosquito Menace / ମଶାଙ୍କ ପ୍ରାଦୁର୍ଭାବ


 

ମଶାଙ୍କ ପ୍ରାଦୁର୍ଭାବରେ #ବ୍ରହ୍ମପୁର ବାସିନ୍ଦା ଅତିଷ୍ଠ । ସେପ୍ଟେମ୍ୱର ୨୦୨୦ ଶେଷ ସପ୍ତାହରେ ଆମେ ବ୍ରହ୍ମପୁର ଡ଼ାଏରୀ ପୃଷ୍ଠାରେ ନିରୁଦ୍ଦିଷ୍ଟ ବର୍ଷା ସଂପର୍କରେ ଆଲୋଚନା କରିବା ପରେ ସହରକୁ ବର୍ଷା ଆସିଯାଇଥିଲା । ଚିରାଚରିତ ଢାଞ୍ଚାରେ ଜନବସତିର ବହୁ ଛୋଟବଡ଼ ଖାଲୁଆ ସ୍ଥାନରେ ପାଣି ଭର୍ତ୍ତି ହୋଇ ରହିବା ଫଳରେ ମଶାମାନେ ଅଣ୍ଡା ଦେବା ପାଇଁ ପରିବେଶ ସୃଷ୍ଟି ହୋଇଥିଲା । ଅଣ୍ଡା ଫୁଟି ମଶା ଲାର୍ଭା ଜନ୍ମନେଲେ ଅକ୍ଟୋବର ମଧ୍ୟଭାଗରୁ ଚଳିତ ବର୍ଷର ନୂଆ ପ୍ରାପ୍ତବୟସ୍କ ମାଈ ମଶା ନିଜ ଛୁଆଙ୍କଲାଗି ଆହାର ଖୋଜିବା ଉଦ୍ଦେଶ୍ୟରେ ଆମମାନଙ୍କର ଘର ବାରଣ୍ଡା, ଅଗଣାଠାରୁ ଆରମ୍ଭ କରି ବୈଠକଖାନା, ଶୟନକକ୍ଷ, ରୋଷେଇଶାଳ, ପାଇଖାନା ଯାଏଁ ସବୁଠି ଦିନରାତି ମନୁଷ୍ୟ ରକ୍ତ ସଂଗ୍ରହରେ ଲାଗି ପଡ଼ିଲେ । ଘରେ ଘରେ ବଜାରରୁ ମଶା ନିବାରକ ଧୂପ ଓ ବିଦ୍ୟୁତ ଚାଳିତ ତରଳ ପ୍ରତିରୋଧକ କିଣି ଆଣି ଜଳାଗଲା । ତେବେ ଏ ବର୍ଷର ମଶା ଏଡ଼ିକି ଅମାନିଆ ଯେ ନିବାରକ ଚ଼ର୍ତୁଦ୍ଦିଗରେ ଚକର କାଟିବାକୁ ପଛାଉ ନାହାନ୍ତି !

 

ମଶାଙ୍କ ବ୍ୟବହାର ସଂପର୍କରେ ବୈଜ୍ଞାନିକମାନେ ଗବେଷଣା କରିଥାନ୍ତି । କାଲିଫର୍ଣ୍ଣିଆ ଇନଷ୍ଟିଟିଉଟ ଅଫ ଟେକନୋଲଜିର ମାର୍କିନ ଗବେଷକମାନଙ୍କ ମତରେ ମଶାମାନେ ମୁଖ୍ୟତଃ ତିନିଗୋଟି ସୂତ୍ର ଆୟୁଧ କରି ମନୁଷ୍ୟ ଶରୀର ନିକଟରେ ପହଞ୍ଚନ୍ତି । ପ୍ରଥମତଃ, ମନୁଷ୍ୟର ନିଶ୍ୱାସ ପ୍ରଶ୍ୱାସରେ ନିର୍ଗତ ଅଙ୍ଗାରକାମ୍ଳ ବାୟୁ ଗନ୍ଧରୁ ମଶା ଶୀକାର ଠାବ କରନ୍ତି । ସେମାନେ ୧୫୦ ଫୁଟ ଦୂରରୁ ଗନ୍ଧ ବାରି ପାରନ୍ତି । ଦ୍ୱିତୀୟତଃ, ମଶାମାନଙ୍କ ଦୃଷ୍ଟିଶକ୍ତି ତୀକ୍ଷଣ । ସେମାନେ ୧୬ ରୁ ୩୨ ଫୁଟ ଦୂରରୁ ଦେଖିପାରନ୍ତି । ମଶା ମୁଣ୍ଡରେ ଦୁଇଟି ଚକ୍ଷୁପୁଞ୍ଜ ଥାଏ ଏବଂ ପ୍ରତ୍ୟେକ ପୁଞ୍ଜରେ ସନ୍ନିବଶିତ ଅସଂଖ୍ୟ ଚକ୍ଷୁରେ ଖଚିତ ପ୍ରତ୍ୟେକ ଲେନସରେ ସେ ଚ଼ତୁର୍ଦ୍ଦିଗ ନିରୀକ୍ଷଣ କରିପାରେ । ଯେଉଁମାନଙ୍କ ଫୋଟୋଗ୍ରାଫିରେ ଧାରଣା ଅଛି, ସେମାନେ ବୁଝିନେବା ଉଚ଼ିତ ଯେ ମଶାର ଚକ୍ଷୁପୁଞ୍ଜ ଗୁଡ଼ାଏ ୩୬୦ ଡ଼ିଗ୍ରୀ କ୍ୟାମରାର କାମ କରେ । ତୃତୀୟତଃ, ମନୁଷ୍ୟର ଶରୀରର ଉତ୍ତାପ ମାପି ମଶା ମନୁଷ୍ୟ ପାଖେ ଆସି ପହଞ୍ଚିଯାଏ । ଅବଶ୍ୟ ମଶା ତିନିଫୁଟରୁ କମ ଦୂରରୁ ହିଁ ଉତ୍ତାପ ମାପିପାରେ । ତାପ ମାପିବା ଲାଗି ମଶାର ମୁଣ୍ଡରେ ଏକ ଏଣ୍ଟିନା ଥାଏ ।

 

ଜାପାନର ବୈଜ୍ଞାନିକମାନେ କହିଥାନ୍ତି ଯେ କେତେକ ବର୍ଗର ରକ୍ତବିଶିଷ୍ଟ ମନୁଷ୍ୟ ଶରୀରପ୍ରତି ମଶାମାନେ ଅଧିକ ଆକର୍ଷିତ ହୋଇଥାନ୍ତି । ରକ୍ତବର୍ଗ ତୁଳନାରେ ବର୍ଗର ଶରୀର ନିକଟରେ ଅଧିକ ମଶା ପହଞ୍ଚନ୍ତି । ମନୁଷ୍ୟର ଶ୍ୱାସପ୍ରଶ୍ୱାସ ସମେତ ଝାଳ ମଧ୍ୟ ମଶାକୁ ଆକର୍ଷିତ କରେ । ଯେଉଁମାନଙ୍କ ଶରୀରରେ ୟୁରିକ ଏସିଡ଼, ଲେକ୍ଟିକ ଏସିଡ଼ ଓ ଆମୋନିଆର ପରିମାଣ ଅଧିକ ସେମାନଙ୍କ ଝାଳରେ ଏହି ସବୁ ରସାୟନ ଅଂଶବିଶେଷ ଉପସ୍ଥିତ ଥିବା ହେତୁ ଅଧିକ ସଂଖ୍ୟାରେ ମଶାଙ୍କୁ ଆକର୍ଷିତ କରିଥାଏ

 

ମଶାମାନେ ଆଲୋକ ବଦଳରେ ଅନ୍ଧାରକୁ ପସନ୍ଦ କରନ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡ଼ା ବିଶ୍ୱବିଦ୍ୟାଳୟରେ ଏକ ପରୀକ୍ଷଣରୁ ଜଣାଯାଇଥିଲା ଯେ ମଶାମାନେ କଳା, ଗାଢ଼ ନୀଳ ଓ ନାଲି ଭଳି ରଂଗ ପ୍ରତି ଅଧିକ ମାତ୍ରାରେ ଆକର୍ଷିତ । ମଶାମାନଙ୍କ ଚକ୍ଷୁ ଉଚ୍ଚଶକ୍ତି ସମ୍ପନ୍ନ ଓ ଦୃଷ୍ଟିଶକ୍ତି ତୀକ୍ଷଣ ହୋଇଥିବା ହେତୁ ମଶାଙ୍କ ଦାଉରୁ ବର୍ତ୍ତିବା ଲାଗି ଧଳା ବା ହାଲକା ରଙ୍ଗର ପୋଷାକ ପିନ୍ଧିବା ଉଚିତ । ତେବେ ଡ଼ିସେମ୍ୱର-ଜାନୁୟାରୀର ଶୀତରେ ସମସ୍ତଙ୍କ ସୁଇଟର ଓ ଶାଲର ରଙ୍ଗ ଗାଢ଼ ହେବା ତ ନିଶ୍ଚିତ !

 

ମଶା ଦଂଶନରେ ଦୈନନ୍ଦିନ ଜୀବନ ଅସ୍ତବ୍ୟସ୍ତ ହେବା ସହ ସ୍ଥଳବିଶେଷରେ ମ୍ୟାଲେରିଆ, ଡେଙ୍ଗୁ, ପଶ୍ଚିମ ନୀଳ ଓ ଜାଇକା ଭୂତାଣୁ ସଂକ୍ରମଣ ହୋଇଥାଏଏହି ସମସ୍ତ ରୋଗ ପୀଡ଼ାଦାୟକ ଓ ଘାତକ । ମଶାମାନେ ଜନ୍ମ ନେବା ପରେ ଅନ୍ତତଃପକ୍ଷେ ତିନି ସପ୍ତାହ ଯାଏଁ ବଞ୍ଚିଥାନ୍ତି । ଏହି ସମୟସୀମାରେ ମାଈ ମଶାମାନେ ପାଞ୍ଚ ଥର ଅଣ୍ଡା ଦିଅନ୍ତି ଏବଂ ପ୍ରତ୍ୟେକ ଥର ପ୍ରାୟ ଶହେ ଅଣ୍ଡା ହିସାବ କରାଯାଏ । ଅର୍ଥାତ ଗୋଟିଏ ପୀଢ଼ିର ମଶାଙ୍କ ଦୌରାତ୍ମ୍ୟ ତିନି ସପ୍ତାହ ସହ୍ୟ କରିବାପରେ ପ୍ରତ୍ୟେକ ମଈ ମଶା ସୌଜନ୍ୟରେ ଆଉ ପାଞ୍ଚ ଶହ ଏବଂ ପରବର୍ତ୍ତୀ ଅବସ୍ଥାରେ ପାଞ୍ଚଶହ ଗୁଣନ ପାଞ୍ଚ ଶହ ଏଭଳି ପରିସଂଖ୍ୟାନ ଆଶା କରାଯାଇପାରେ ।

 

ମଶାଙ୍କ ପ୍ରାଦୁର୍ଭାବରୁ ରକ୍ଷା ପାଇବା ପାଇଁ ମହାମାରୀ କାଳରେ ଜାରୀ ରାତି କର୍ଫ୍ୟୁ ଭଳି ମଶାରିରେ ଶୋଇ ଆଠ ଘଣ୍ଟା ବର୍ତ୍ତିଯିବା ବ୍ୟତୀତ ଅନ୍ୟ ଷୋହଳ ଘଣ୍ଟା ପାଇଁ ନିଶ୍ଚିତ ପ୍ରତିକାର ନାହିଁ । ଘରକୁ ସଫା ସୁତୁରା ରଖାଯାଇପାରେ, ତେବେ ଘର ପାଚେରିକୁ ଘେରି ସାହୀପଡ଼ିଶା କିମ୍ୱା ସାମୂହିକ ପରିବେଶକୁ ସଫା ରଖିବା କାହା ଆୟତ୍ତରେ ଅଛି ? ଧୂପ, ଔଷଧ ସଜାଡ଼ିବା ପରେ ମଶାମରା ବ୍ୟାଟ ଧରି ମଶାଙ୍କ ପଛରେ ଘୁରି ବୁଲିଲେ ମଶାମରା ସାଙ୍ଗକୁ ସାମାନ୍ୟ ବ୍ୟାୟମ ମଧ୍ୟ ସଂଭବ ହୋଇପାରୁଛି ବୋଲି ପ୍ରବୋଧନା ଦିଆଯାଇପାରେ । କିନ୍ତୁ ମଶାଙ୍କ ପ୍ରାଦୁର୍ଭାବ ବଳବତ୍ତର ରହେ !

ତଥ୍ୟ:

https://www.futurity.org/mosquitoes-senses-961632


(ଅନୁପମ ଭାରତ / ୧୨ ଡିସେମ୍ୱର ୨୦୨୦/ ପୃଷ୍ଠା : ୮)

Photo by : CDC Global Health is licensed under CC BY 2.0

Friday, December 4, 2020

Winter Dates / ଶୀତର ଠିକଣା


 

#ବ୍ରହ୍ମପୁର ପାଣିପାଗ ପଞ୍ଜିକାରେ ଶୀତର ଠିକଣା ଜାନୁୟାରୀ ମାସରେ ଲାଖି ରହେ । ସାରା ଦେଶରେ ସାଧାରଣତଃ ନଭେମ୍ୱରରୁ ଫେବୃୟାରୀ ଶୀତ ଋତୁ ଅନୁଭୂତ ହେଉଥିବା ସ୍ଥଳେ ସ୍ଥାନୀୟ ପାଣିପାଗରେ ଶୀତର ପ୍ରକୋପ ଡିସେମ୍ୱର ଶେଷ ଖ୍ରୀଷ୍ଟୀୟ ବଡ଼ଦିନ ପୂର୍ବରୁ ଆରମ୍ଭ ହୋଇ ଜାନୁୟାରୀ ଶେଷ ବା ଫେବୃୟାରୀ ଆରମ୍ଭ ସ୍ୱରସ୍ୱତୀ ପୂଜା ଯାଏଁ ଜାରୀ ରହୁଥିବା ଦେଖିବାକୁ ମିଳେ ।

 

ପାଣିପାଗ ଗବେଷକଙ୍କ ମତରେ ବ୍ରହ୍ମପୁରରେ ବର୍ଷକ ମଧ୍ୟରେ ପ୍ରାକ୍-ମୌସୁମୀ, ମୌସୁମୀକାଳୀନ ଓ ମୌସୁମୀ-ପରବର୍ତ୍ତୀ ତିନିଗୋଟି ମୁଖ୍ୟ ଋତୁ ଅନୁଭୂତ ହୋଇଥାଏ । ମୌସୁମୀକାଳୀନ ସ୍ଥିତି ଜୁଲାଇ, ଅଗଷ୍ଟ, ସେପ୍ଟେମ୍ୱର ଓ ଅକ୍ଟୋବର ଚାରିମାସ ବଳବତ୍ତର ରହେ । ଏହି ସମୟସୀମାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସହରରେ ବୃଷ୍ଟିପାତ କରାଏ । ବ୍ରହ୍ମପୁରରେ ଜୁନ ୧୦ ତାରିଖ ସୁଦ୍ଧା ମୌସୁମୀ ପ୍ରବେଶ କରିବା କୁହାଯାଉଥିଲେହେଁ ଖାସ ସହରର ପରିସୀମାରେ କ୍ୱଚିତ ବର୍ଷା ହେଉଥିବା ଅଭିଜ୍ଞତାରୁ ଜଣାଯାଏ । ଏଠାରେ ସାଧାରଣତଃ ଜୁନ ଶେଷ ଓ ଜୁଲାଇ ମାସ ଆରମ୍ଭରୁ ମୌସୁମୀ ବର୍ଷା ଦେଖାଦିଏ ।

 

ଜୁଲାଇ ପୂର୍ବରୁ ମାର୍ଚ୍ଚ, ଏପ୍ରିଲ, ମେ ଓ ଜୁନ ଚାରିମାସକୁ ପ୍ରାକ୍-ମୌସୁମୀ ଗ୍ରୀଷ୍ମଋତୁ ରୂପେ ଗ୍ରହଣ କରାଗଲେ ଅକ୍ଟୋବର ପର ନଭେମ୍ୱର, ଡିସେମ୍ୱର, ଜାନୁୟାରୀ ଓ ଫେବୃୟାରୀ ଚାରିମାସ ମୌସୁମୀ ପରବର୍ତ୍ତୀ ଶୀତ ଋତୁକୁ ବୁଝାଏ ।

 

ବ୍ରହ୍ମପୁରରେ ମୌସୁମୀ ପରବର୍ତ୍ତୀ ଋତୁ ପାଣିପାଗ ଦୃଷ୍ଟିରୁ ଉପଭୋଗ୍ୟ । ଗ୍ରୀଷ୍ମଋତୁରେ ଗରମ ଓ ମୌସୁମୀକାଳୀନ ବର୍ଷାଋତୁରେ ଗୁଳଗୁଳି ଲାଗି ରହୁଥିବା ସ୍ଥଳେ କୁମାର ପୂର୍ଣ୍ଣିମା ପରଠାରୁ ଉଭୟ ଗରମ ଓ ଗୁଳଗୁଳିରୁ ମୁକ୍ତି ମିଳେ । ଏହି ପରିବେଶ ଶିବରାତ୍ରୀ ଯାଏଁ ବଳବତ୍ତର ରହେ ।

 

ମୌସୁମୀ ପରବର୍ତ୍ତୀ ଅକ୍ଟୋବର, ନଭେମ୍ୱର ଓ ଡିସେମ୍ୱର ମାସରେ ବ୍ରହ୍ମପୁରରେ ଉତ୍ତର-ପୂର୍ବ ବାୟୁ ପ୍ରବାହିତ ହୁଏ । ଦେଶରେ ଜୁନରୁ ସେପ୍ଟେମ୍ୱର ଚାରିମାସ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁଜନିତ ବର୍ଷାଋତୁ ସାଙ୍ଗକୁ ଅକ୍ଟୋବରରୁ ଡ଼ିସେମ୍ୱର ତିନିମାସ ଉତ୍ତର-ପୂର୍ବ ମୌସୁମୀ ଦ୍ୱାରା ଦକ୍ଷିଣାଞ୍ଚଳ ତାମିଲନାଡୁ ଭଳି ଅଞ୍ଚଳରେ ବର୍ଷା ହୋଇଥାଏ । ବ୍ରହ୍ମପୁରରେ ୯୦ ପ୍ରତିଶତ ବର୍ଷା ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହରୁ ହେଉଥିବା ସ୍ଥଳେ ସ୍ୱଳ୍ପ ମାତ୍ରାରେ ଉତ୍ତର-ପୂର୍ବ ମୌସୁମୀ ପ୍ରବାହରେ ମଧ୍ୟ ବର୍ଷା ହୋଇଥାଏ । ତେଣୁ ସହରରେ ନଭେମ୍ୱର ଓ ଡ଼ିସେମ୍ୱରରେ ସମୟେ ସମୟେ ବର୍ଷା ଦେଖା ଦେଇଥାଏ ।

 

ଶୀତଋତୁରେ ବ୍ରହ୍ମପୁରର ପାଣିପାଗକୁ ନାତିଶୀତୋଷ୍ଣ ପର୍ଯ୍ୟାୟଭୁକ୍ତ କରାଯାଏ । ସହରଟି ବଙ୍ଗୋପସାଗରଠାରୁ ଅନତିଦୂରରେ ଅବସ୍ଥିତ ଥିବା ହେତୁ ଶୀତ ଦିନରେ ଏଠାକାର ଜଳବାୟୁ ଶୁଷ୍କ ହୋଇନଥାଏ । ବାୟୁମଣ୍ଡଳରେ ଆଦ୍ରତା ହ୍ୟୁମୁଡିଟି ୬୦ ପ୍ରତିଶତ ଯାଏଁ ରହେ । ବିଶେଷଜ୍ଞମାନଙ୍କ ବିଶ୍ଳେଷଣ ଅନୁଯାୟୀ ବାୟୁମଣ୍ଡଳରେ ପର୍ଯ୍ୟାପ୍ତ ମାତ୍ରାରେ ଜଳକଣା ଉପସ୍ଥିତ ରହୁଥିବା ହେତୁ ସେଗୁଡ଼ିକର ଅନ୍ତର୍ନିହିତ ଉତ୍ତାପ ପ୍ରଭାବ ସହରରେ ଥଣ୍ଡାର ପ୍ରକୋପ ହ୍ରାସର ମୁଖ୍ୟ କାରଣ । ଫଳରେ ବ୍ରହ୍ମପୁରବାସୀ ସମୁଦ୍ରକୂଳଠାରୁ ଦୂରବର୍ତ୍ତୀ ଅଞ୍ଚଳ, ଉଦାହରଣରେ ଭୁବନେଶ୍ୱର ତୁଳନାରେ କମ ଶୀତ ଅନୁଭବ କରିଥାନ୍ତି ।

 

କିନ୍ତୁ ଜାନୁୟାରୀ ଓ ଫେବୃୟାରୀ ମାସରେ ବର୍ଷା ଅଭାବ ଓ ଆପେକ୍ଷିକ ଆଦ୍ରତା କମିଯିବା ଫଳରେ ବ୍ରହ୍ମପୁରରେ ଥଣ୍ଡା ଅନୁଭୂତ ହୋଇଥାଏ । ଏତଦ୍ ବ୍ୟତୀତ ଏହି ଦୁଇମାସରେ ଉତ୍ତର-ଭାରତରୁ ପ୍ରବାହିତ ଶୀତ ଲହରି ମଧ୍ୟ ସହରରେ ତାପମାତ୍ରା ହ୍ରାସର ଅନ୍ୟତମ କାରଣ । ଶୀତ ଲହରି ହେତୁ ଭୂମି ଥଣ୍ଡା ହୋଇଯାଏ । ଡ଼ିସେମ୍ୱର ମାସରେ ବ୍ରହ୍ମପୁରର ହାରାହାରି ଉତ୍ତାପ ୨୪ ଡ଼ିଗ୍ରୀ ସେଣ୍ଟିଗ୍ରେଡ଼ ରହୁଥିବା ସ୍ଥଳେ ଜାନୁୟାରୀମାସରେ ୨୩ ଡ଼ିଗ୍ରୀ ସେଣ୍ଟିଗ୍ରେଡ଼ ଗଣନା କରାଯାଏ ।

 

ବ୍ରହ୍ମପୁରରେ ଶୀତ ଅନୁଭବ ଦୁଇମାସ ମଧ୍ୟରେ ସୀମିତ । ଏହି ସମୟସୀମାରେ ସହରବାସୀ ହାଲକା ଶୀତ ବସ୍ତ୍ର ପରିଧାନ କରନ୍ତି ତଥା ରାତିବେଳା ମୋଟା ଚାଦର ବା ଶାଲ ଖୋଜନ୍ତି । ସହରରେ ଉଲବସ୍ତ୍ର ସ୍ୱାଧୀନୋତ୍ତର ଅବସ୍ଥାରୁ ତିବ୍ଦତରୁ ଆଗତ ତଥା ଚନ୍ଦ୍ରଗିରିରେ ଅବସ୍ଥାପିତ ଶାରଣାର୍ଥୀମାନେ ବିକ୍ରୀ କରିଥାନ୍ତି । ପୂର୍ବେ ପୁରୁଣା ବସଷ୍ଟାଣ୍ଡ ଅଞ୍ଚଳର ଫୁଟପାଥରେ ପସରା ମେଲାଉଥିବା ବେଳେ ଦୀର୍ଘ ଅତୀତରୁ ସେଣ୍ଟ ଷ୍ଟିଫେନ୍ସ ଚର୍ଚ୍ଚ ପରିସରରେ ସ୍ୱତନ୍ତ୍ର ହାଟ ଆୟୋଜନ କରି କାରବାର କରନ୍ତି । ମହାମାରୀ ହେତୁ ୨୦୨୦-୨୧ରେ ତିବ୍ଦତ ଶାରଣାର୍ଥୀଙ୍କ ଶୀତବସ୍ତ୍ର ବିକ୍ରୀବଟା ବନ୍ଦ ରହିଛି ।

(ଅନୁପମ ଭାରତ / ୫ ଡିସେମ୍ୱର ୨୦୨୦/ ପୃଷ୍ଠା :)

Photo by : by Twistin is licensed under CC BY 2.0

Tuesday, December 1, 2020

Maritime Memory / ସ୍ମୃତିରେ ନୌ-ବାଣିଜ୍ୟ




କାର୍ତ୍ତିକ ପୂର୍ଣ୍ଣିମା ପାଖେଇ ଆସିଲେ କଳିଙ୍ଗ ସାଧବ ପୁଅଙ୍କ ନୌବାଣିଜ୍ୟର ସ୍ମୃତି ଉପକୂଳ ଓଡ଼ିଶା ଜନମାନସରେ ଉଜ୍ଜୀବିତ ହୁଏ । ଇଂଲିଶ ଶାସନ ପ୍ରବର୍ତ୍ତିତ ହେବା କିଛି କାଳ ପୂର୍ବରୁ #ବ୍ରହ୍ମପୁର ସହର ଏକ ବାଣିଜ୍ୟ କେନ୍ଦ୍ର ଭାବେ କ୍ରମବିକଶିତ ହୋଇଥିବା ଅବସରରେ ପ୍ରାଥମିକ ପର୍ଯ୍ୟାୟରେ ଗଞ୍ଜାମ ଓ ପରବର୍ତ୍ତୀ ପର୍ଯ୍ୟାୟରେ ମନସୁରକୋଟା ବା ଗୋପାଳପୁର ବନ୍ଦର ସହ ଯୋଡ଼ି ହୋଇ ରହିଆସିଥିଲା । ବ୍ରହ୍ମପୁର ଚ଼େନ୍ନାଇ-କୋଲକତା ଜାତୀୟ ରାଜପଥ ଓ ରେଳପଥରେ ସଂଯୁକ୍ତ ହେବା ପୂର୍ବରୁ ଦକ୍ଷିଣ ଓଡ଼ିଶା ଉପକୂଳରେ ଜଳପଥ ହିଁ ପରିବହନର ଏକମାତ୍ର ସୂତ୍ର ବିବେଚ଼ିତ ହେଉଥିଲା । ସମକାଳରେ ବ୍ରହ୍ମପୁରର ଉତ୍ତର ପାର୍ଶ୍ୱରେହୁମା ଓ ରମ୍ଭା ମଧ୍ୟରେ ଅବସ୍ଥିତ ପାଲୁର ସମେତ ଦକ୍ଷିଣରେ ସୋନପୁର, ବାରୁଆ ବନ୍ଦର ନୌ-ପରିବହନ କେନ୍ଦ୍ରରୂପେ କାର୍ଯ୍ୟ କରୁଥିଲା । ଇଂଲିଶ ଶାସନର ପ୍ରାକକାଳରେ ଗଞ୍ଜାମ ସହରରେ ମହାମାରୀ ବ୍ୟାପିବା ହେତୁ ସେଠାକାର ବନ୍ଦରର କାରବାର ପ୍ରଭାବିତ ହେଲା ଏବଂ ଗୋପାଳପୁର ଊନବିଂଶ ଶତାବ୍ଦୀର ଶେଷ ଓ ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଗୁରୁତ୍ୱଲାଭ କରିଥିଲା ।

 

ଗୋପାଳପୁର ବନ୍ଦର ଦେଇ ଉଭୟ ମାଲ ଓ ଯାତ୍ରୀ ପରିବହନ ଚାଲୁଥିଲା । ମୁଖ୍ୟତଃ ଦକ୍ଷିଣ ଓଡ଼ିଶାରମାଳାଞ୍ଚଳର ବନଜାତ ଦ୍ରବ୍ୟ ରପ୍ତାନୀ ହେଉଥିବା ସ୍ଥଳେ ଚିନି, ବସ୍ତ୍ର ଭଳି ଶିଳ୍ପଜାତ ଦ୍ରବ୍ୟ ଆମଦାନୀ ହେଉଥିଲା । ବ୍ରହ୍ମପୁର ବଡ଼ବଜାରର ବ୍ୟବସାୟୀମାନେ ବାଣିଜ୍ୟ ପରିଚାଳନା କରୁଥିଲେ । ଗୋପାଳପୁର ବନ୍ଦରରୁ ରେଙ୍ଗୁନକୁ ଯାତ୍ରୀ ପରିବହନର ବ୍ୟବସ୍ଥା ଥିଲା । ଦେଶାନ୍ତରୀ ଶ୍ରମିକମାନେ ବର୍ମା କୃଷିକ୍ଷେତ୍ରରେ ଶ୍ରମ ନିଯୁକ୍ତି ପାଇଁ ଯାଉଥିଲେ । ୧୮୬୫ରେ ସଂଘଟିତ ନଅଙ୍କ ଦୁର୍ଭିକ୍ଷ ପରବର୍ତ୍ତୀ ଅବସ୍ଥାରେ ଗଞ୍ଜାମର ଶ୍ରମିକମାନେ ବନ୍ଦର ସୁବିଧା ଥିବା ହେତୁ ଦେଶାନ୍ତର ଯାତ୍ରା କରିବା ପ୍ରଥା ଆରମ୍ଭ ହୋଇଥିବା ଅନୁମାନ କରାଯାଇପାରେ । ପରବର୍ତ୍ତୀ ଅବସ୍ଥାରେ ରେଳପଥ ସଂଯୋଗ ପରେ ଶ୍ରମିକ ଚାଲାଣ ପ୍ରକ୍ରିୟା ଜାରୀ ରହିଲା ଏବଂ ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାରେଦେଶାନ୍ତର ଶ୍ରମ ନିଯୁକ୍ତି ଏକ ମୁଖ୍ୟ ଗ୍ରାମୀଣ ରୋଜଗାର ପନ୍ଥା ।

 

ଗୋପାଳପୁର ବନ୍ଦରରୁ ରେଙ୍ଗୁନ ଯାତ୍ରୀ ପରିବହନ ନିମନ୍ତେ ଏଜେଣ୍ଟ ବା ମଧ୍ୟସ୍ଥି ବ୍ରହ୍ମପୁରରେ ଅବସ୍ଥାପିତ ଥିଲେଆଶାଦୈନିକ ଆଶାର ପ୍ରକାଶକ ସମ୍ପାଦକ ତଥା ବିଂଶ ଶତାବ୍ଦୀର ଦ୍ୱିତୀୟରୁଚ଼ତୁର୍ଥତିନି ଦଶନ୍ଧିର ଲୋକପ୍ରିୟ ନେତା ଶଶିଭୂଷଣ ରଥ ଜାହାଜ ଯାତ୍ରୀ ଏଜେଣ୍ଟ ରୂପେ କିଛି କାଳ ନିଯୁକ୍ତ ହୋଇଥିଲେ । ଗଞ୍ଜାମ ଓ ପଡ଼ୋଶୀଜିଲ୍ଲାଗୁଡ଼ିକରୁ ଗ୍ରାମୀଣ ଶ୍ରମିକମାନେ ରଥ ଏବଂ ତାଙ୍କରି ସହକର୍ମୀମାନଙ୍କ ଜରିଆରେ ରେଙ୍ଗୁନ ଯାତ୍ରା ନିମନ୍ତେ ଟିକଟ ଖରିଦ କରୁଥିଲେ । ଶଶିଭୂଷଣ ଯାତ୍ରୀମାନଙ୍କ ଭଲମନ୍ଦ ବୁଝିବା ନିମନ୍ତେ ବନ୍ଦରରେ ଜାହାଜ ଲାଗିବା ଅବସରରେ ବ୍ରହ୍ମପୁରରୁ ଗୋପାଳପୁରକୁ ଘୋଡ଼ାଟଣାଝାଟକାରେ ଯାତ୍ରା କରୁଥିଲେ । ଏଠାକାର ଦ୍ୱି-ବାର୍ଷିକ ଠାକୁରାଣୀ ଯାତ୍ରାରେ ବୋଇତ ରଥ ନିର୍ମାଣ ଗୋପାଳପୁର ବନ୍ଦର ସହ ବ୍ରହ୍ମପୁର ବଣିକ ସଂପ୍ରଦାୟର ସଂପୃକ୍ତିର ସ୍ମୃତି ବହନ କରିଥାଏ ।

 

ଗୋପାଳପୁର ବନ୍ଦର ଦେଇ ନୌ-ବାଣିଜ୍ୟ ବ୍ରହ୍ମପୁରର ବାଣିଜ୍ୟ ବ୍ୟବସାୟକୁ ସମୃଦ୍ଧ କରିବାରେ ସହାୟକ ହୋଇଥିଲା । ପରବର୍ତ୍ତୀ ଅବସ୍ଥାରେ ରେଳପଥ ଓ ସଡ଼କପଥ ପରିବହନ ନୌ-ପରିବହନର ସ୍ଥାନ ଅଧିଗ୍ରହଣ କରିଥିଲା । ଗୋପାଳପୁରରେ ବୃହତ ଗୋଦାମ ମାନ ନିର୍ମିତ ହୋଇ ମାଲ ମହଜୁଦ ରଖାଯାଉଥିବା ସ୍ଥଳେ ବ୍ୟବସାୟୀମାନେ ବ୍ରହ୍ମପୁରରେ ଅବସ୍ଥାନ କରୁଥିଲେ । ବ୍ରହ୍ମପୁରରୁ ଗୋପାଳପୁରକୁ ଯିବା ଆସିବା ଲାଗି ରହୁଥିଲା । ଗୋପାଳପୁର ବନ୍ଦର ଦେଇ ଉଚ୍ଚବର୍ଗର ଯାତ୍ରୀଙ୍କ ସାମାୟିକ ରହେଣୀ ପାଇଁ ଏକ ବଡ଼ ହୋଟେଲ ଚାଲୁଥିଲା । ବନ୍ଦର ଶୀଥିଳହୋଇପଡ଼ିବା ପରେ ତାହା ଓବରାଇଗୃପ କିଣି ନେଇଥିଲେ । ବର୍ତ୍ତମାନ ହୋଟେଲଟିଓଡ଼ିଶାଭିତ୍ତିକ ମେଫେୟାରଗୃପ ଅଧୀନକୁ ଆସିଛି ।

 

ଓଡ଼ିଶାର ପାଣିପାଗ ପଞ୍ଜିକାରେ କାର୍ତ୍ତିକ ପୂର୍ଣ୍ଣିମା ପରେ ବଙ୍ଗୋପସାଗରରେ ଏକପକ୍ଷରେ ମୌସୁମୀ ବର୍ଷା ପ୍ରତ୍ୟାବର୍ତ୍ତନ କରିବା ସାଙ୍ଗକୁ ଅପରପକ୍ଷରେ ଲଘୁଚାପଜନିତଝଡ଼ବାତ୍ୟାର ପ୍ରକୋପ କମିଯାଏ । ଫଳରେ ଡ଼ିସେମ୍ୱରରୁ ମେ ଯାଏଁ ଛଅମାସ ବ୍ୟାପୀ ସମୁଦ୍ର ବକ୍ଷରେ ନୌ-ଚାଳନାର ପଥ ସୁଗମ ହୋଇଥାଏ । ଏହି କାରଣରୁ କାର୍ତ୍ତିକ ପୂର୍ଣ୍ଣିମାରୁଓଡ଼ିଶା ଉପକୂଳର ବ୍ୟବସାୟୀମାନେ ନୌ-ବାଣିଜ୍ୟ କାରବାର ଆରମ୍ଭ କରୁଥିଲେ ।

 

ଅତୀତରେ ଗୋପାଳପୁର ବନ୍ଦର ବର୍ତ୍ତମାନର ବିଚ଼ ଅଞ୍ଚଳରେ ସ୍ଥାପିତ ହୋଇଥିବା ସ୍ଥଳେ ଏହି ବନ୍ଦର ବନ୍ଦ ହୋଇଯିବା ପରେ ମାଲଗୋଦାମଗୁଡ଼ିକ ଅବ୍ୟବହୃତ ଅବସ୍ଥାରେ ଦୀର୍ଘକାଳ ପଡ଼ିରହିଭାଙ୍ଗିରୁଜି ଯାଇଥିଲା । ଆଖପାଖର କୋଠାବାଡ଼ିବେଙ୍ଗାଲ-ନାଗପୁର ରେଳୱେରେସେବାନିବୃତ୍ତଆଙ୍ଗ୍ଳୋ-ଇଣ୍ଡିଆନମାନେ କିଣି ଅବସର ଜୀବନ ଯାପନ କରିବା ଆରମ୍ଭ କରିଥିଲେ । ସ୍ୱାଧୀନୋତ୍ତର ଅବସ୍ଥାରେ ନୂତନ ବନ୍ଦର ଗୋପାଳପୁରଠାରୁ କିଛି ଦୂରରେ ଛତ୍ରପୁର ନିକଟରେ ନିର୍ମିତ ହେଲା । ଗୋପାଳପୁର ବନ୍ଦରର ମୁଖ୍ୟକର୍ମକର୍ତ୍ତାଭାବେ ଦୀର୍ଘକାଳ ଧରି ଇଞ୍ଜିନିୟରଦୁର୍ଗାଚରଣ ପତି ଅବସ୍ଥାପିତ ହୋଇଥିଲେ । ତାଙ୍କରି ପୃଷ୍ଠପୋଷକତାରେ କଳିଙ୍ଗ ସାଧବ ପୁଅଙ୍କ ନୌ-ବାଣିଜ୍ୟ ସ୍ମୃତି ଚାରଣ ନିମନ୍ତେ ୧୯୯୪ ବେଳକୁ ଥରେ ଦୁଇ ଥର ତଅପୋଇ ନାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦର ପ୍ରାଙ୍ଗଣରେ ଆୟୋଜିତ ହୋଇଥିଲା ।

 

ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳରେ କାର୍ତ୍ତିକ ପୂର୍ଣ୍ଣିମା ପ୍ରଭାତରେ ବୋଇତ ଭସାଣ ପରମ୍ପରା ଅତୀତର ନୌ-ବାଣିଜ୍ୟର ସ୍ମୃତି ବହନ କରେ । କେତେକ ପରିବାରରେ ଏହା ଖୁବ ନିଷ୍ଠାର ସହ ପାଳିତ ହୋଇଥାଏ । ସଂଭବତଃ ସେହି ପରିବାରର ପୂର୍ବଜମାନେ ନୌବାଣିଜ୍ୟ ସହ ସଂପୃକ୍ତ ଥିଲେ ମହାମାରୀରେ ଭିଡ଼ଏଡ଼ାଇବାଲାଗି କଟକଣା ହେତୁ ୨୦୨୦ରେ ବୋଇତ ଭସାଣ ବନ୍ଦ କରାଯାଇଛି । ସ୍ମୃତିଚାରଣ କେବଳ ଭର୍ଚୁଆଲ ପରିବେଶରେ ଆବଦ୍ଧ ରହିବ ।


(ଅନୁପମ ଭାରତ / ୨୮ ନଭେମ୍ୱର ୨୦୨୦ /ପୃ. ୮)