Monday, June 28, 2021

Rest of the Pandemic / ମହାମାରୀର ଅବଶିଷ୍ଟାଂଶ


#ବ୍ରହ୍ମପୁର ସହରରେ କୋଭିଡ଼-୧୯ ମହାମାରୀ ଦ୍ୱିତୀୟ ତରଙ୍ଗର ପ୍ରାଦୁର୍ଭାବ ୨୦୨୧ ଜୁଲାଇ ମଧ୍ୟଭାଗ ସୁଦ୍ଧା ଅପସରି ଯିବା ସୁସ୍ପଷ୍ଟ । ପୂର୍ବବର୍ତ୍ତୀ ଚାରି ସପ୍ତାହ ଧରି କ୍ରମାଗତଭାବେ ସଂକ୍ରମଣ ହାର ହ୍ରାସଜନିତ ତଥ୍ୟ ଏବଂ ଗାଣତିକ ମଡ଼େଲ ତାହାହିଁ ସୂଚ଼ିତ କରିଥାଏ । ଏହି ପରିବେଶରେ ଜନସାଧାରଣଙ୍କ ମନରେ ମହାମାରୀର ପରବର୍ତ୍ତୀ ଗତିପ୍ରକୃତି ସଂପର୍କରେ ପ୍ରଶ୍ନ ଉଠିବା ସ୍ୱାଭାବିକ ।

 

ଚିକିତ୍ସା ଶାସ୍ତ୍ର ଅନୁଯାୟୀ ଭୂତାଣୁ ସଂକ୍ରମଣ ପ୍ରତିହତ କରିବା ନିମନ୍ତେ ଦୁଇଗୋଟି ଦିଗପ୍ରତି ଗୁରୁତ୍ୱ ପ୍ରଦାନ କରାଯାଇଥାଏ । ଏକରେ ସଂକ୍ରମିତଙ୍କ ଶରୀରରେ ଭୂତାଣୁ ପ୍ରତିରୋଧକ ଆଣ୍ଟିବଡ଼ି ସୃଷ୍ଟି ଏବଂ ଦୁଇରେ ଟିକାକରଣ ଦ୍ୱାରା ଶରୀରରେ ଭୂତାଣୁ ପ୍ରତିରୋଧକ ଅଣ୍ଟିବଡ଼ି ସୃଷ୍ଟି ଫଳରେ ସାମୂହିକ ପ୍ରତିରୋଧ ହାର୍ଡ-ଇମ୍ୟୁନିଟି ସଂଭବ କୋଭିଡ଼-୧୯ ସଂକ୍ରମଣ ରୋକିବା ନିମନ୍ତେ ଆମେ ଟିକାକରଣକୁ ଆଦରି ନେଇଛୁ । ଭାରତ ସରକାରଙ୍କ ପକ୍ଷରୁ ଦୃଢୋକ୍ତି ପ୍ରକାଶ ପାଉଛି ଯେ ୨୦୨୧ ଶେଷ ସୁଦ୍ଧା ଦେଶର ୧୩୭ କୋଟି ଜନସଂଖ୍ୟାର ୬୩ ପ୍ରତିଶତ ପ୍ରାପ୍ତ ବୟସ୍କ ନାଗରିକଙ୍କୁ ଟିକାକରଣ ସଂଭବ । ଏହି ସମୟସୀମା ବିଶ୍ୱାସକୁ ନେଲେ କିମ୍ୱା ଅଧିକ ତିନିରୁ ଛଅ ମାସ ଯୋଗକଲେ ଦ୍ୱିତୀୟ ତରଙ୍ଗ ଶେଷ ପରେ ପ୍ରାୟ ବର୍ଷକ ଯାଏଁ ଆଂଶିକ ଜନସଂଖ୍ୟା ଟିକାକରଣରେ ସମସ୍ତଙ୍କୁ ମହାମାରୀ ସହ ସଂଘର୍ଷ କରିବାକୁ ପଡ଼ିବା ନିଶ୍ଚିତ ।

 

ବ୍ୟକ୍ତିବିଶେଷସ୍ତରରେ ଟିକାକରଣ ସଂପର୍କରେ କୁହାଯାଉଛି ଯେ ପ୍ରଥମ ଡ଼ୋଜ ଟିକା ନେବା ତିନି ସପ୍ତାହ ପରେ ଶରୀରରେ ୭୦ ପ୍ରତିଶତ ଭୂତାଣୁ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ । ଦ୍ୱିତୀୟ ଡ଼ୋଜ ଟିକା ନେବାର ଦୁଇ ସପ୍ତାହ ପରେ ଶରୀରରେ ପ୍ରାୟ ୯୦ ପ୍ରତିଶତ ଯାଏଁ ପ୍ରତିରୋଧକ ଶକ୍ତି ଆଶା କରାଯାଇପାରେ । ତେବେ କେତେକଙ୍କ ଶରୀରରେ ଆବଶ୍ୟକମତେ ଆଣ୍ଟିବଡ଼ି ସୃଷ୍ଟି ହୋଇନପାରେ । ଦ୍ୱିତୀୟତଃ, ଟିକା ନେବା ଦ୍ୱାରା ସଂକ୍ରମିତ ହେବାକୁ ଏଡ଼ାଇ ଦେଇ ହୁଏନା । ଦ୍ୱିତୀୟ ତରଙ୍ଗ କାଳରେ ବିଭିନ୍ନ ଅନୁଧ୍ୟାନରୁ ଜଣାଯାଇଛି ଯେ ଦୁଇ ଡ଼ୋଜ ଟିକା ନେଇଥିବା ବ୍ୟକ୍ତି ସଂକ୍ରମିତ ହେଲେ ଗୁରୁତରଭାବେ ଅସୁସ୍ଥତା ଏବଂ ମୃତ୍ୟୁହାର କମିଯାଉଛି । ତୃତୀୟତଃ, ଭବିଷ୍ୟତରେ ଭୂତାଣୁ ରୂପାନ୍ତରିତ ହୋଇ ବ୍ୟାପିବା ଅବସରରେ ମୌଳିକ ଭୂତାଣୁ ନିମନ୍ତେ ବିକଶିତ ଟିକା କେତେଦୂର ପ୍ରଭାବଶାଳୀ ହୋଇପାରିବ ସେ ସଂପର୍କରେ ମଧ୍ୟ ସନ୍ଦେହ ଉପୁଜିଛି ।

 

ଅତୀତ ଅଭିଜ୍ଞତାରୁ ଜଣାଯାଇଛି ଯେ ଭୂତାଣୁ ସଂକ୍ରମଣ ମହାମାରୀ ଅର୍ଥାତ ବିଶ୍ୱବ୍ୟାପୀ ପ୍ରଭାବ ବିସ୍ତାର କରିବାପରେ କ୍ରମଶଃ ତାହାର ପ୍ରାଦୁର୍ଭାବ ନରମିଯାଇ ଆଞ୍ଚଳିକସ୍ତରରେ ଅନୁଭୂତ ହେବ । ପାଣ୍ଡାମିକରୁ ଏଣ୍ଡାମିକରେ ରୂପାନ୍ତରିତ ହେବ । ଅର୍ଥାତ ଯେଉଁ ଅଞ୍ଚଳରେ ଯେକୌଣସି କାରଣରୁ ବହୁ ସଂଖ୍ୟକଙ୍କୁ ଟିକାକରଣ ହୋଇପାରିବ ନାହିଁ କିମ୍ୱା ଜନସାଧାରଣଙ୍କ ଜୀବନଚର୍ଯ୍ୟାରେ ଦୁରାବସ୍ଥାନ ନୀତି ପାଳିତ ହେବ ନାହିଁ ସେଠାରେ ସଂକ୍ରମଣ ବୃଦ୍ଧି ପାଇବ । ଏଭଳି ସଂକ୍ରମଣ ଅନ୍ୟତ୍ର ମଧ୍ୟ ବ୍ୟାପି ପାରେ । କେଉଁଠି କୋଭିଡ଼-୧୯ ମହାମାରୀର କେତୋଟି ତରଙ୍ଗ ଅନୁଭୂତ ହେବ ତାହା ପାରିପାର୍ଶ୍ୱିକ ପରିସ୍ଥିତି ଉପରେ ନିର୍ଭରଶୀଳ । ଭାରତରେ ଦ୍ୱିତୀୟ ତରଙ୍ଗ ସରିବା ବେଳକୁ ବ୍ରିଟେନ, ଯୁକ୍ତରାଷ୍ଟ୍ର ଆମେରିକା, ଜର୍ମାନ ଇତ୍ୟାଦି ରାଷ୍ଟ୍ରରେ ପୁନଃସଂକ୍ରମଣ ଆଶଙ୍କାକୁ ନେଇ ସେଠାକାର ଜନସାଧାରଣ ବିବ୍ରତ ଥିବା ସମ୍ୱାଦମାନ ପ୍ରକାଶ ପାଉଛି ।

 

ବିଶେଷଜ୍ଞମାନଙ୍କ ମତରେ ଟିକାକରଣ ସଂଖ୍ୟା, ଭୂତାଣୁର ଭବିଷ୍ୟତ ରୂପାନ୍ତର ଓ ଜନସାଧାରଣଙ୍କ ଆଚ଼ରଣ ଉପରେ ସଂକ୍ରମଣ ବୃଦ୍ଧି ବା ହ୍ରାସ ନିର୍ଭର କରିବ । ଟିକାକରଣ ନିମନ୍ତେ ସରକାରୀସ୍ତରରେ ଉଦ୍ୟମ ଅବ୍ୟାହତ ଥିବା, ଭୂତାଣୁର ରୂପାନ୍ତରିକରଣ ତୁରନ୍ତ ଚ଼ିହ୍ନଟ କରି ପ୍ରତିରୋଧାତ୍ମକ ପଦକ୍ଷେପ ପ୍ରଯୋଜନା ନିମନ୍ତେ ବୈଜ୍ଞାନିକମାନେ ଗବେଷଣାରେ ସଂପୃକ୍ତ ଥିବା ଅବସରରେ ବ୍ୟକ୍ତିଗତସ୍ତରରେ ପ୍ରତ୍ୟେକ ନାଗରିକ କିପରି କୋଭିଡ଼ ପ୍ରତିରୋଧ ଆଚ଼ରଣ କୋଭିଡ଼ ଏପ୍ରୋପ୍ରିଏଟ ବିହେଭିଅର ଅଭ୍ୟାସ ବଜାୟ ରଖିବେ ତାହା ନିଜକୁ ସଂକ୍ରମଣମୁକ୍ତ ରଖିବା ସହ ନିଜ ପରିବାର ଓ ସମାଜକୁ ସୁରକ୍ଷିତ କରିବାରେ ସହାୟକ ହେବ ବୋଲି ପରାମର୍ଶ ଦିଆଯାଉଛି ।

 

ମହାମାରୀର ପ୍ରଥମ ତରଙ୍ଗ ପରେ ଟିକାକରଣ ସଂଭବ ହୋଇ ନପାରିବା, ଭୂତାଣୁର ରୂପାନ୍ତର ଓ ଜନସାଧାରଣ କୋଭିଡ଼ ପ୍ରତିରୋଧାତ୍ମକ ଆଚ଼ରଣରୁ ଦୂରେଇଯିବା ଫଳରେ ଦ୍ୱିତୀୟ ତରଙ୍ଗ ବ୍ୟାପିଥିବା କାରଣ ରୂପେ ଚ଼ିହ୍ନଟ କରାଯାଏ । ପ୍ରଥମ ତରଙ୍ଗ ୨୦୨୦ ସେପ୍ଟେମ୍ୱର ଆଡ଼କୁ ଶେଷ ହେବା ତିନିମାସ ପରେ ଟିକା ଉଦ୍ଭାବିତ ହେଲା । ଟିକାକରଣ ତୁରନ୍ତ ଲାଗୁ କରାଗଲେ ସୁଦ୍ଧା ପର୍ଯ୍ୟାପ୍ତ ସଂଖ୍ୟକ ଟିକା ସଂଗ୍ରହ ଓ ଟିକାକରଣର ଉପାଦେୟତା ସଂପର୍କରେ ବିବାଦରେ ତିନିମାସ ବିତିଯିବାପରେ ମାର୍ଚ୍ଚ ୨୦୨୧ରୁ ୬୦ ବର୍ଷରୁ ଉର୍ଦ୍ଧ୍ୱଙ୍କୁ ଟିକାକରଣ ଆରମ୍ଭ ବେଳକୁ ଛଅମାସ ଗଡ଼ିଗଲା । ସାଧାରଣ ନାଗରିକ ଛଅମାସର ମୁକ୍ତ ପରିବେଶରେ ହୁଏତ ଅତୀତ ଅଭିଜ୍ଞତାକୁ ଏକ ଦୁଃସ୍ୱପ୍ନ ଭାବି ଟାଳି ଦେଇଥିଲେ । ତିନିଦିଗରୁ ଢ଼ିଲାପଣ ପୁନଃସଂକ୍ରମଣର କାରଣ ସାଜିଲା । ବ୍ରହ୍ମପୁରରେ ଦ୍ୱିତୀୟ ତରଙ୍ଗ ବ୍ୟାପକ ନହେଲେ ସୁଦ୍ଧା ତୀବ୍ରତାରେ ସହରବାସୀଙ୍କୁ ଆବାକ କରିଦେଲା । ଅତଏବ ପ୍ରଥମ ତରଙ୍ଗ ଶେଷ ବେଳର ପରିସ୍ଥିତି ଦ୍ୱିତୀୟ ତରଙ୍ଗ ଶେଷବେଳୁ ସଂପୂର୍ଣ୍ଣ ପରିବର୍ତ୍ତିତ ହୋଇ ସାରିଥିବା ଅନୁଭବ କରାଯାଇପାରେ । ଜନସାଧାରଣ ସଂକ୍ରମଣ ସଂପର୍କରେ ସଚ଼େତନ ଓ ନିଜ ତଥା ପରିବାରକୁ ସଂକ୍ରମଣରୁ ରକ୍ଷା କରିବା ନିମନ୍ତେ ଯଥାସାଧ୍ୟ ଉଦ୍ୟମ ନିମନ୍ତେ ବଦ୍ଧପରିକର ବୋଲି କହିବାକୁ ହେବ ।

 

ଦ୍ୱିତୀୟ ତରଙ୍ଗ ପ୍ରକୋପ ହ୍ରାସପରେ ବିଭିନ୍ନ ସରକାରୀ କଟକଣା ପର୍ଯ୍ୟାୟକ୍ରମେ ହଟିଯିବାପରେ ନିଜକୁ ସଂକ୍ରମଣମୁକ୍ତ ରଖିବା ପାଇଁ ସହରର ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ବଢ଼ିଯିବ । ଘରବାହାରକୁ ଯିବା ବେଳେ ବା ବସବାସ କରୁଥିବା ପରିବାର ସଦସ୍ୟଙ୍କ ବ୍ୟତୀତ ଅନ୍ୟମାନଙ୍କୁ ସାକ୍ଷାତ ଅବସରରେ ମାସ୍କ ପିନ୍ଧିବା, ମାସ୍କକୁ ନିୟମିତ ସଫା କରିବା, ବାରମ୍ୱାର ହାତ ଧୋଇବା, ଗହଳିକୁ ଏଡ଼ାଇବା, ଗହଳିରେ ବାଧ୍ୟବାଧକତାରେ ପହଞ୍ଚିଲେ ଖୁବ କମ ସମୟ ମଧ୍ୟରେ କାମସାରି ଫେରିବା, ଘର ଭିତର ବଦଳରେ ଘର ବାହାର ପରିବେଶରେ ଦେଖାସାକ୍ଷାତକୁ ଅଗ୍ରାଧିକାର ଦେବା ଓ ପନ୍ଦର ମିନଟ ଯାଏଁ ଅନ୍ୟର ନିକଟତର ନହେବା ଇତ୍ୟାଦି ଆଚ଼ରଣକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ । ମହାମାରୀର ଅବଶିଷ୍ଟାଂଶ ଅତିକମରେ ୨୦୨୩ ଶେଷଯାଏଁ ଆଶଙ୍କା, ଆକଳନ ଓ ସାବଧାନତାରେ ଯେ କଟିବ ଏଥିରେ ସନ୍ଦେହ ନାହିଁ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୬ ଜୁନ ୨୦୨୧ / ପୃଷ୍ଠା :୮)


Photo by Thula Na on Unsplash

Friday, June 18, 2021

Snake-bite scare / ସର୍ପାଘାତ ଭୟ


 

ବର୍ଷାଋତୁ ଆରମ୍ଭରୁ ଗ୍ରାମୀଣ ପରିବେଶରେ ସାଧାରଣ କଥୋପକଥନରେ ସର୍ପାଘାତ ଚର୍ଚ୍ଚା ଲାଗିରହେ । #ବ୍ରହ୍ମପୁର ୩୫୦ ବର୍ଷ ଧରି ଜନପଦ ରୂପେ ପ୍ରତିଷ୍ଠିତ ହୋଇଥିବା ତଥା ଦେଢ଼ ଶହ ବର୍ଷରୁ ସହରାଞ୍ଚଳ ମାନ୍ୟତା ପାଇଥିବା ସତ୍ତ୍ୱେ ସହରବାସୀ ସର୍ପାଘାତ ଭୟରୁ ନିଜକୁ ଦୂରେଇ ପାରନ୍ତି ନାହିଁ ।

 

ପ୍ରଥମତଃ, ବ୍ରହ୍ମପୁରର ସଂଖ୍ୟାଧିକ ପରିବାର ଗଞ୍ଜାମ ଓ ପଡ଼ୋଶୀ ଜିଲ୍ଲାଗୁଡ଼ିକର ଗ୍ରାମାଞ୍ଚଳରୁ ଆସି ସହରରେ ସ୍ଥାୟୀଭାବେ ବସବାସ କରିଥାନ୍ତି । ବହୁ ସଂଖ୍ୟକଙ୍କ ସଂପ୍ରସାରିତ ପରିବାର, ଅର୍ଥାତ ଜ୍ଞାତି କୁଟୁମ୍ୱ ଗ୍ରାମାଞ୍ଚଳ ବାସିନ୍ଦା । ସେମାନଙ୍କ ପ୍ରତି ଆପଦବିପଦ ସମଭାବେ ଏଠାକାର ପରିବାରବର୍ଗଙ୍କୁ ପ୍ରଭାବିତ କରେ ।

 

ଦ୍ୱିତୀୟତଃ, ବ୍ରହ୍ମପୁରର କ୍ରମବର୍ଦ୍ଧିତ ପରିସୀମା ଜଗନ୍ନାଥପୁର, ଗୁରୁଣ୍ଡି, କୁକୁଡ଼ାଖଣ୍ଡି ଓ ହଳଦିଆପଦର ଆଡ଼କୁ ସଂପ୍ରସାରିତ ହେଉଥିବା ଅବସରରେ ପାରମ୍ପରିକ ଚାଷଜମିଗୁଡ଼ିକ ସାହୀବସ୍ତିରେ ପରିଣତ ହେବାରେ ଲାଗିଛି । ଜନଶୂନ୍ୟ ଅଞ୍ଚଳ ଜନାକୀର୍ଣ୍ଣ ହେବା ସନ୍ଧି ସମୟରେ ସରିସୃପଙ୍କ ଆତଯାତ ଲାଗିରହେ । ତୃତୀୟତଃ, ସହର ମଧ୍ୟସ୍ଥ ଘଞ୍ଚ ଜନବସତିରେ ମଧ୍ୟ କିଛି ସାର୍ବଜନୀନ ଓ କିଛି ଘରୋଇ ଜମି ଅବ୍ୟବହୃତ ହୋଇ ପଡ଼ିରହିଥିବା ହେତୁ ସାପ, ବିଚ୍ଛା, ମୂଷାଙ୍କ ଆଶ୍ରୟସ୍ଥଳୀ ପାଲଟେ । ସହରର ସମଗ୍ର ଭୌଗଳିକ ପରିସୀମାକୁ ପରିଷ୍କାର ପରିଚ୍ଛନ୍ନ ଦାୟିତ୍ୱ ନେବାରେ ପୌର ନିଗମର ତୃଟିପୂର୍ଣ୍ଣ ନୀତି ନିର୍ଦ୍ଧାରଣ ଅବସ୍ଥାର ଅଧୋଗତି ପାଇଁ ଦାୟୀ ।

 

ଗଞ୍ଜାମ ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ ଗତ ୨୦୨୦ ଜାନୁୟାରୀରୁ ଡ଼ିସେମ୍ୱର ମାସ ବର୍ଷକ ମଧ୍ୟରେ ଜିଲ୍ଲାରେ ସର୍ପାଘାତରେ ୫୬ ଜଣ ପ୍ରାଣ ହରାଇଥିଲେ । ବିଶେଷଜ୍ଞଙ୍କ ମତରେ ସର୍ପାଘାତ ପରେ ତୁରନ୍ତ ବିଜ୍ଞାନସମ୍ମତ୍ତ ଚ଼ିକିତ୍ସା ଗ୍ରହଣ ନକରିବା ହେତୁ ମୃତ୍ୟୁହାର ଉଚ୍ଚ ସୀମାରେ ରହୁଛି । ସରକାରଙ୍କ ପକ୍ଷରୁ ଜିଲ୍ଲାର ସମସ୍ତ ପ୍ରାଥମିକ, ଗୋଷ୍ଠୀ, ଉପଖଣ୍ଡ ଓ ଅନ୍ୟାନ୍ୟ ଡ଼ାକ୍ତରଖାନାରେ ୨୦୨୧ ବର୍ଷାଋତୁ ଆରମ୍ଭରେ ତିନି ହଜାରରୁ ଅଧିକ ସାପ-କାମୁଡ଼ା ବିଷ-ହରଣ ଇଞ୍ଜେକସନ ମହଜୁଦ ରଖାଯାଇଥିବା ଜଣାଯାଏ । ସାପ କାମୁଡ଼ାରେ ଘରୋଇ ତୁଟୁକା ଚ଼ିକିତ୍ସାରେ ଅଟକିଯିବା ବା ଗୁଣିଗାରେଡ଼ିର ଆଶ୍ରୟ ନେବା ବିପଦ ସୃଷ୍ଟି କରୁଥିବା କୁହାଯାଏ ।

 

ସର୍ପାଘାତ ଭୟ ସମଗ୍ର ଦେଶରେ ଲାଗି ରହିଥିବା ବେଳେ କ୍ରମଶଃ କୁକୁର, ମାଙ୍କଡ଼ ଓ ବିରାଡ଼ି କାମୁଡ଼ା ତଥା ତତଜନିତ ଚ଼ିକିତ୍ସା ହାର ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଏ । ଉଦାହରଣରେ କେରଳ ରାଜ୍ୟରେ କୁକୁର କାମୁଡ଼ାର ଦୌରାତ୍ମ୍ୟ ସଂପର୍କରେ କିଛି ବର୍ଷ ପୂର୍ବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିଲା । ସରକାରଙ୍କ ପକ୍ଷରୁ ବୁଲା କୁକୁରଙ୍କୁ ନିୟନ୍ତ୍ରଣ କରିବା ନିମନ୍ତେ ମଧ୍ୟ ସ୍ୱତନ୍ତ୍ର ଅଭିଯାନ ଆୟୋଜନ କରାଯାଇଥିଲା । ତେବେ ନିକଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ କେରଳ ରାଜ୍ୟରେ ୨୦୨୦ରେ କୁକୁର କାମୁଡ଼ା ପାଇଁ ଏକ ଲକ୍ଷ ୬୦ ହଜାର ବ୍ୟକ୍ତି ଚ଼ିକିତ୍ସିତ ହୋଇଥିଲେ । ଆଶ୍ଚର୍ଯ୍ୟର ବିଷୟ ଏହିଯେ ୨୦୨୦ରେ ବିରାଡ଼ି କାମୁଡ଼ା-ଆଞ୍ଚୁଡ଼ା ପାଇଁ ମଧ୍ୟ ଦୁଇ ଲକ୍ଷ ୧୬ ହଜାର ବ୍ୟକ୍ତି ଚ଼ିକିତ୍ସିତ ହୋଇଥିଲେ । କୁକୁର କାମୁଡ଼ା ସଂପର୍କରେ ସମସ୍ତେ ଜାଣନ୍ତି ; କିନ୍ତୁ ବିରାଡ଼ି ସାଧାରଣରେ କାମୁଡ଼ି ନଥାଏ । ବିରାଡ଼ି ଆଞ୍ଚୁଡ଼ା ଜଳାତଙ୍କ ଭଳି ରୋଗ ସୃଷ୍ଟି କରିବା ସଂଭାବନା ଥିବା ହେତୁ ଲୋକେ ସଚ଼େତନ ହୋଇ ଆଣ୍ଟି-ରାବି ଇଞ୍ଜେକସନ ନେବା ପାଇଁ ଆଗଭର ହେଉଥିବା ପ୍ରକାଶ ।

 

ବ୍ରହ୍ମପୁରରେ ସାପ, ବିଚ୍ଛା, ମୂଷାଙ୍କ ବାସସ୍ଥଳୀ ବିଲୋପ କରିବା ନିମନ୍ତେ ସାର୍ବଜନୀନ ଖୋଲାସ୍ଥାନଗୁଡ଼ିକରୁ ଅଳିଆବର୍ଜନା ଉଠାଇବା ନିମନ୍ତେ ପୌରପାଳିକା ପକ୍ଷରୁ ପ୍ରାଥମିକତା ଦିଆଯିବା ଆବଶ୍ୟକ । ବିଷାକ୍ତ ଜୀବଜନ୍ତୁ କାମୁଡ଼ାରୁ ଜନସାଧାରଣଙ୍କୁ ବଞ୍ଚାଇବା ନିମନ୍ତେ ପ୍ରତିଷେଧାତ୍ମକ ପଦକ୍ଷେପ ଓ ଚ଼ିକିତ୍ସାର ସୁବିଧା ସୁଯୋଗ ସଂପର୍କରେ ଅବଗତ କରାଇବାରେ ସହରର ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ଚ଼େତନା ପ୍ରସାର ଲାଗି ସୋସିଆଲ ମିଡ଼ିଆ ଉପଯୋଗରେ ଅଭିଯାନମାନ ଆୟୋଜନ କରିବା ସମୟର ଆହ୍ୱାନ ।


(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୯ ଜୁନ ୨୦୨୧ / ପୃଷ୍ଠା :୮)


Photo by Diana Polekhina on Unsplash

Friday, June 11, 2021

Pre-Monsoon Sanitation / ପ୍ରାକ୍ ମୌସୁମୀ ପରିମଳ

 


ପ୍ରାକ୍-ମୌସୁମୀ ପରିମଳ ପ୍ରସ୍ତୁତି ବର୍ଷା ଋତୁରେ ସମ୍ଭାବ୍ୟ ଜଳାର୍ଣ୍ଣବ ପରିବେଶରେ ପ୍ରଦୂଷଣ ନିରାକରଣ ପଦକ୍ଷେପଗୁଡ଼ିକୁ ବୁଝାଇଥାଏ । #ବ୍ରହ୍ମପୁର ସହରାଞ୍ଚଳରେ ଘଞ୍ଚ ଜନବସତି ହେତୁ ସାମାନ୍ୟ ବର୍ଷାରେ ଜଳ ନିଷ୍କାସନ ନହୋଇପାରିଲେ ରାସ୍ତାଘାଟ ଜଳମଗ୍ନ ହେବା ସ୍ୱାଭାବିକ । ଏହା ପ୍ରଦୂଷଣର କାରଣ ପାଲଟେ । ଏଭଳି ପରିସ୍ଥିତିକୁ କେତେକାଂଶରେ ପ୍ରତିରୋଧ କରିବା ନିମନ୍ତେ ନାଳନର୍ଦ୍ଦମା ତଥା ଗଳିରାସ୍ତାରେ ଜମୁଥିବା ଅଳିଆଆବର୍ଜନା ସଫେଇ ପ୍ରତି ଗୁରୁତ୍ୱ ଦିଆଯାଇଥାଏ । ମୌସୁମୀବର୍ଷା ଆସିବା ପୂର୍ବରୁ ଏଥିପ୍ରତି ପୌରପାଳିକା ଧ୍ୟାନ ଦେଲେ ସେହି ବର୍ଷ ସହରରେ ବର୍ଷା ଋତୁରେ ଅପେକ୍ଷାକୃତ ପରିଷ୍କାର ପରିବେଶ ଆଶା କରାଯାଇପାରେ ।

 

ସାଧାରଣତଃ ଓଡ଼ିଶାକୁ ରଜ ସଂକ୍ରାନ୍ତି ଠିକ ପୂର୍ବରୁ ମୌସୁମୀ ବର୍ଷା ପ୍ରବେଶ କରୁଥିବା ସ୍ଥଳେ ବ୍ରହ୍ମପୁରରେ ପ୍ରାୟତଃ ଜୁନ ମଧ୍ୟଭାଗରୁ ଜୁଲାଇ ମଧ୍ୟଭାଗ ଯାଏଁ ଲଘୁଚାପ ସୃଷ୍ଟି ନହେଲେ ବର୍ଷା ହୁଏନି । ଜୁଲାଇ ମଧ୍ୟଭାଗରୁ ସେପ୍ଟେମ୍ୱର ମଧ୍ୟଭାଗ ସହରରେ ବର୍ଷା ଦିନ । ବର୍ଷାଜଳ ନିଷ୍କାସନ ଅଭାବ କାରଣରୁ ବର୍ଷଣମୁଖର ଦିବସଗୁଡ଼ିକରେ ସହରବାସୀ ନାନା ଅସୁବିଧା ଭୋଗ କରିଥାନ୍ତି । ଖାଲୁଆ ଅଞ୍ଚଳଗୁଡ଼ିକରେ ବର୍ଷା ପାଣି ଜମି ରହିବା ଫଳରେ ଅଗଷ୍ଟ ମଧ୍ୟଭାଗରୁ ମଶାଙ୍କ ଉତ୍ପାତ ଆରମ୍ଭ ହୋଇଯାଏ । ସହରବାସୀ ମାସାଧିକକାଳ ବ୍ୟତିବ୍ୟସ୍ତ ହେବାପରେ ସେପ୍ଟେମ୍ୱର ଶେଷଭାଗରେ ଟିଫା ମେସିନ ଚାଲେ । ସେତେବେଳକୁ ତିନି ସପ୍ତାହ ଜୀବନଚକ୍ରରେ ପ୍ରଥମ ପାଳିର ମଶା ଅପସରିଯାଇ ଦ୍ୱିତୀୟ, ତୃତୀୟ ପାଳିର ରାଜତ୍ୱ ଚାଲିଥାଏ । ପୌରପାଳିକା ପକ୍ଷରୁ ବର୍ଷା ଆରମ୍ଭ ହେବା ପୂର୍ବରୁ ଖାଲୁଆ ଅଞ୍ଚଳଗୁଡ଼ିକ ସଫାସୁତୁରା କରିବା ଏବଂ ବର୍ଷା ଆରମ୍ଭ ମାତ୍ରେ ମଶା ଲାର୍ଭା ନଷ୍ଟ କରିବା ପାଇଁ ଔଷଧ ସିଞ୍ଚନ ତଥା ଟିଫା ମେସିନରେ ଫଗିଙ୍ଗ ଯୋଗେ ପ୍ରଥମପାଳିରୁ ମଶା ନିପାତ ଅଭିଯାନ ଆରମ୍ଭ କଲେ ସାମଗ୍ରୀକଭାବେ ପରିସ୍ଥିତି ସୁଧାରିବାରେ ସହାୟକ ହୋଇପାରନ୍ତା ।

 

ବ୍ରହ୍ମପୁରରେ ମଶାବାହିତ ମ୍ୟାଲେରିଆ, ଡ଼େଙ୍ଗୁ, ମସ୍ତିସ୍କ ଜ୍ୱର ପ୍ରତିବର୍ଷ ବର୍ଷା ଓ ଶୀତ ଋତୁରେ ଲାଗି ରହିଥାଏ । ଏହାର ଆପେକ୍ଷିକ ପ୍ରଭାବ ସହରର ପରିବେଶଗତ ପରିଚ୍ଛନ୍ନତା ଉପରେ ନିର୍ଭରଶୀଳଦେଢ଼ବର୍ଷ ଧରି ମହାମାରୀ ପରିଚାଳନାରେ ପୌର କର୍ମକର୍ତ୍ତାଗଣ ସଂପୃକ୍ତ ରହିବା ଫଳରେ ଜନସ୍ୱାସ୍ଥ୍ୟରକ୍ଷାର ମୌଳିକ ଉପାଦାନ ପରିବେଶ ପରିଚ୍ଛନତାର ଗୁରୁତ୍ୱ ହ୍ରାସ ପାଇଥିବା ପରିଲକ୍ଷିତ । କୋଭିଡ଼-୧୯ର ଦ୍ୱିତୀୟ ତରଙ୍ଗ ଜୁନ ମାସ ପ୍ରଥମ ସପ୍ତାହରୁ ଅପସରି ଯାଇଥିବା ସ୍ଥଳେ ପୌରପାଳିକା ପ୍ରାକ୍-ମୌସୁମୀ ପରିବେଶ ସୁରକ୍ଷାରେ ସମୟ ଓ ସାମର୍ଥ୍ୟ ବିନିଯୋଗ କରିବା ଏକ ଉଚ଼ିତ ପଦକ୍ଷେପ ବିଚାର କରାଯାଇପାରେ ।

 

ବ୍ରହ୍ମପୁରର ବିଭିନ୍ନ ସାହୀବସ୍ତିରେ ଦୀର୍ଘଦିନଧରି ଅଳିଆ ଜମି ରହୁଥିବା ଏକ ଅସମାହିତ ସମସ୍ୟା । ଗଦାଗଦା ପଡ଼ିରହିଥିବା ଆବର୍ଜନାରେ ବର୍ଷାପାଣି ପଡ଼ିବା ଦ୍ୱାରା ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୁଏ । ମଶା ଓ ଅନ୍ୟାନ୍ୟ କୀଟପତଙ୍ଗଙ୍କ ଆଶ୍ରୟ ସ୍ଥଳୀରେ ରୂପାନ୍ତରିତ ହୁଏ ଏବଂ ସେମାନେ ସଂକ୍ରାମକ ରୋଗର ବାହକ ପାଲଟିଥାନ୍ତି । ପ୍ରାକ୍-ମୌସୁମୀ ପରିମଳ ପ୍ରସ୍ତୁତିରେ ସହରର ଜନାକୀର୍ଣ୍ଣ ଅଞ୍ଚଳରେ ପଡ଼ିରହିଥିବା ଅଳିଆ ଉଠାଇବା ନିମନ୍ତେ ସ୍ୱତନ୍ତ୍ର ଅଭିଯାନ ଆବଶ୍ୟକ । ଏଦିଗରେ ପୌରପାଳିକା ନୀତିଗତ ନିଷ୍ପତ୍ତି ଗ୍ରହଣ କରି ଲକ୍ଷ୍ୟଭିତ୍ତିକ କାର୍ଯ୍ୟକ୍ରମ ତୁରନ୍ତ ପ୍ରଯୋଜନା କଲେ ଜୁଲାଇ ମଧ୍ୟଭାଗରେ ସହରକୁ ବର୍ଷା ଆସିବା ପୂର୍ବରୁ ପରିଚ୍ଛନତାରେ ଅନ୍ତତଃପକ୍ଷେ ତିରିଶି ପ୍ରତିଶତ ଯାଏଁ ଉନ୍ନତି ସମ୍ଭବପର ହୁଅନ୍ତା ।

 

ପୁରୁଣା ସହରର ବହୁ ଗୋର୍ଜୀରାସ୍ତା ବା ବାସଗୃହ ପଛପଟ ରାସ୍ତାଗୁଡ଼ିକର ସଫେଇ ନିମନ୍ତେ ବିଧିବଦ୍ଧ ସଫେଇ କର୍ମଚାରୀ ନିଯୁକ୍ତ ହୋଇନାହାନ୍ତି । ଅତୀତରେ ଏହି ଅଣ-ଓସାରିଆ ରାସ୍ତାଗୁଡ଼ିକ ଉଠା ପାଇଖାନା ସଫେଇ କର୍ମଚାରୀଙ୍କ ଚଳପ୍ରଚଳ ଲାଗି ସ୍କେଭେଞ୍ଜର ଲେନ ନିର୍ମିତ ହୋଇଥିଲା । ସହରବାସୀ ଅଭ୍ୟାସବଶତଃ ଘର ପାଚ଼େରୀ ବାହାରକୁ ଅଳିଆ ଫୋପାଡ଼ିଥାନ୍ତି । ଏହା ଦୀର୍ଘକାଳ ଧରି ଜମି ରହେ । ନିୟମିତ ସମୟ ବ୍ୟବଧାନରେ ସଫା ନକରାଗଲେ ପ୍ରଦୂଷଣ ମାତ୍ରା ବଢ଼ିଚାଲେ । ଏହାକୁ ରୋକିବା ନିମନ୍ତେ ସହରବାସୀ ଘରର ଅଳିଆ କିପରି ଆବର୍ଜନା ସଂଗ୍ରହକାରୀ ଗାଡ଼ିରେ ନିୟମିତ ଦେବେ ସେ ଦିଗରେ ମଧ୍ୟ ଚ଼େତନା ଜାଗ୍ରତ ଅନ୍ୟତମ ସ୍ଥାୟୀ ସମାଧାନର ରାସ୍ତା । ପୌରପାଳିକା ପକ୍ଷରୁ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ସହାୟତାରେ ଘରର ଅଳିଆ ଆବର୍ଜନା ସହରର ପ୍ରତ୍ୟେକ ପରିବାର ସଂଗ୍ରହକାରୀ ଗାଡ଼ିରେ କିପରି ଦେବା ଅଭ୍ୟାସ କରିବେ ସେ ଦିଗରେ ଅଭିଯାନ ପ୍ରଯୋଜନା ମଧ୍ୟ ସମୟର ଆହ୍ୱାନ । ବଡ଼ ବଡ଼ ସହରରେ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ପକ୍ଷରୁ ଆବର୍ଜନା ନିୟନ୍ତ୍ରଣ କ୍ଷେତ୍ରରେ ବହୁବିଧ କାର୍ଯ୍ୟକ୍ରମ ଗ୍ରହଣ କରୁଥିବା ଲକ୍ଷ୍ୟ କରାଯାଏ । ବ୍ରହ୍ମପୁର ମଧ୍ୟ ସେଥିରେ ସାମିଲ ହେଉ !


(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୨ ଜୁନ ୨୦୨୧ / ପୃଷ୍ଠା :୮)


Photo by Sandeep Vattapparambil on Unsplash

Friday, June 4, 2021

Dr (Professor) Sukumar Das / ଡ଼ାକ୍ତର (ପ୍ରଫେସର) ସୁକୁମାର ଦାସ

 

#ବ୍ରହ୍ମପୁର ମେଡ଼ିକାଲ କଲେଜର ପ୍ରଥମ ଅଧ୍ୟକ୍ଷ ଡ଼ାକ୍ତର (ପ୍ରଫେସର) ସୁକୁମାର ଦାସ ମେ୨୦୨୧ରେ ପରିଣତ ବୟସରେ ପରଲୋକ ଗମନ କଲେ । ସେ ୧୯୬୩ ରୁ ୧୯୭୩ ଦଶ ବର୍ଷ ଧରି ଅଧ୍ୟକ୍ଷ ପଦରେ ନିଯୁକ୍ତ ଥିଲେ । ପ୍ରଫେସର ଦାସ କଟକ ସହର ବାସିନ୍ଦା, ଖ୍ରୀଷ୍ଟିଆନ ଧର୍ମାବଲମ୍ୱୀ । ଶଲ୍ୟ ଚ଼ିକିତ୍ସକ ସର୍ଜନ ଭାବେ ତାଙ୍କରି ଖ୍ୟାତି ରହିଥିଲା । ମେଡ଼ିକାଲ କଲେଜକୁ ଶୈଶବାବସ୍ଥାରେ ଯତ୍ନ ନେବାରେ ପ୍ରଫେସର ଦାସଙ୍କ ଅବଦାନ ବ୍ରହ୍ମପୁର ପାଇଁ ଅନନ୍ୟସାଧାରଣ ।

 

ପତଳା ଶରୀର, ଆଭିଜାତ୍ୟପୂର୍ଣ୍ଣ ଠାଣି, ଶାନ୍ତ ଚେହରାରେ କାର୍ଯ୍ୟବ୍ୟସ୍ତତାର ଛାପ; ପ୍ରଫେସର ଦାସଙ୍କୁ ବ୍ରହ୍ମପୁରବାସୀ ନିଆରା ମଣିଷ ଭାବେ ଗ୍ରହଣ କରିନେଇଥିଲେ । ମେଡ଼ିକାଲ କଲେଜର ଅଧ୍ୟକ୍ଷ ଅର୍ଥ ସେ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆବଦ୍ଧ । ଅକାଳେ ସକାଳେ ମେଡ଼ିକାଲ କଲେଜର ସଭାସମିତିରେ ଯୋଗ ଦେଇ ଛୋଟିଆ ବକ୍ତବ୍ୟଟିଏ ରଖନ୍ତି । ଅତୀତରେ ପଦପଦବୀରେ ଅଧିଷ୍ଠିତ ବ୍ୟକ୍ତିମାନେ ପ୍ରାୟତଃ ସମାଜଠାରୁ ନିଜକୁ ଦୂରେଇ ରଖୁଥିଲେତେବେ ସେମାନଙ୍କ ନିକଟକୁ ଗୁହାରି ନେଇ ଗଲେ, କାହାରିକୁ ଫେରାଇ ଦିଅନ୍ତି ନାହିଁ । ଊଣାଅଧିକେ ସାଧ୍ୟମତେ ସମସ୍ତଙ୍କ କଥା ବୁଝନ୍ତି । ସର୍ବୋଚ୍ଚ ଅଧିକାରୀଙ୍କ ନିକଟରେ ସମସ୍ୟା ଉପସ୍ଥାପନ କଲେ ତାହାର ନିଷ୍ପତ୍ତି ତୁରନ୍ତ ମିଳି ଯାଉଥିଲା । ଆଜିକା ଭଳି ଅଧସ୍ତନ କର୍ମଚାରୀଙ୍କ ନିକଟକୁ ପୁଣି ଠେଲି ଦିଆଯାଉ ନଥିଲା !

 

ପ୍ରଫେସର ଦାସ ଥିଲେ ଉଚ୍ଚମନା । ବ୍ରହ୍ମପୁର ମେଡ଼ିକାଲ କଲେଜ ପ୍ରଶସ୍ତ ପ୍ରାଙ୍ଗଣ ତାଙ୍କରି ଦୂରଦୃଷ୍ଟିର ପରିଚ଼ୟ ଦିଏ । ନିକଟ ଅତୀତରେ କ୍ୟାମ୍ପସ ପ୍ରତିଷ୍ଠାର ପଚାଶ ବର୍ଷପରେ ପୁରାତନ କୋଠାରାଜି ନିକଟରେ ନୂତନ କୋଠା ନିର୍ମାଣ ନିମନ୍ତେ ସ୍ଥାନର ଅଭାବ ପରିଲକ୍ଷିତ ହୋଇନଥିଲା । କୁହାଯାଏ ଯେ କଲେଜର କୋଠାବାଡ଼ି ନିର୍ମାଣ ପୂର୍ବରୁ ପ୍ରଫେସର ଦାସଙ୍କ ସମେତ ଏକ ଉଚ୍ଚକ୍ଷମତାସମ୍ପନ୍ନ ପ୍ରତିନିଧି ଦଳ ଦେଶର ବିଭିନ୍ନ ମେଡ଼ିକାଲ କଲେଜ ଓ ହସପିଟାଲ ଭ୍ରମଣକରି ଅଭିଜ୍ଞତା ସଂଗ୍ରହ କରିଥିଲେ ଏବଂ ସେହି ଜ୍ଞାନ ଏଠାକାର କ୍ୟାମ୍ପସ ପ୍ରଯୋଜନାରେ ନିୟୋଜିତ ହୋଇଥିଲା ।

 

ପ୍ରଫେସର ଦାସ ୧୯୬୩ ନଭେମ୍ୱର ୧୩ ତାରିଖ ଦିନ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ୩୦ ତାରିଖ ଦିନ ତତ୍ କାଳୀନ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବ୍ରହ୍ମପୁର ବାସିନ୍ଦା ଡ଼ାକ୍ତର ପି.ଭି. ଜଗନ୍ନାଥ ରାଓ ମେଡ଼ିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସରକାରଙ୍କ ପକ୍ଷରୁ ଅଧିଗ୍ରହଣ କରାଯାଇଥିବା ୧୬୭ ଏକର ପରିମିତ ଜମିରେ କୋଠାବାଡ଼ି ନିର୍ମାଣ କାମ ୧୯୬୬ ରୁ ଆରମ୍ଭ ହୋଇ ତିନି ବର୍ଷ ପରେ ପ୍ରଥମେ ମେଡ଼ିକାଲ କଲେଜ କୋଠାଟି ୧୯୬୯ରେ ଉଦ୍ ଘାଟିତ ହୋଇଥିଲା । ପ୍ରକାଣ୍ଡ କୋଠାକୁ ଦେଖି ବ୍ରହ୍ମପୁରବାସୀଙ୍କ ଆଖି ଝଲସି ଯାଇଥିଲା । ଏ ଯାଏଁ ସହରରେ ତାହାଠାରୁ ବଡ଼ କୋଠା ନିର୍ମିତ ହୋଇପାରି ନାହିଁ ।

 

ବ୍ରହ୍ମପୁର ମେଡ଼ିକାଲ କଲେଜ କଟକର ଶ୍ରୀରାମଚ଼ନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ୧୯୬୧ରେ ଆରମ୍ଭ ହୋଇଥିଲା । ପ୍ରଥମ ବର୍ଷ ମାତ୍ର ୪୦ ଜଣ ଛାତ୍ରଛାତ୍ରୀ ଭର୍ତ୍ତି ହୋଇଥିଲେ । ବ୍ରହ୍ମପୁରସ୍ଥିତ ଅଧୁନା ସିଟି ହସପିଟାଲ ସାମ୍ନା ପୁରାତନ ରାଜସ୍ୱ ବିଭାଗ କୋଠାକୁ ୧୯୬୨ରେ କଲେଜ ଆସିଥିଲା । କଲେଜର କାର୍ଯ୍ୟାଳୟ ବର୍ତ୍ତମାନ କ୍ୟାମ୍ପସର ସମ୍ମୁଖଭାଗରେ ଚକ୍ଷୁ ପ୍ରତିଷ୍ଠାନ କାର୍ଯ୍ୟକରୁଥିବା ଦକ୍ଷିଣାଞ୍ଚଳ ରାଜସ୍ୱ ବିଭାଗ କମିଶନରଙ୍କ ପୁରାତନ କାର୍ଯ୍ୟାଳୟ କୋଠା କିଛିକାଳ ବ୍ୟବହୃତ ହୋଇଥିଲା । ପ୍ରଫେସର ଦାସଙ୍କ ସମୟରେ ୧୯୬୬-୬୭ରେ ବ୍ରହ୍ମପୁର ମେଡ଼ିକାଲ କଲେଜର ନାମ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରେ ପୁନଃନାମିତ ହୋଇଥିଲା ।

 

ବ୍ରହ୍ମପୁର ସହରରେ ଷଷ୍ଠ ଦଶକରେ ଖଲ୍ଲିକୋଟ କଲେଜ ଓ ଇଂଜିନିୟରିଂ ସ୍କୁଲ ସାଙ୍ଗକୁ ମେଡ଼ିକାଲ କଲେଜ ଛାତ୍ରଙ୍କ ଆଧିପତ୍ୟ ରହିଥିଲା । ପ୍ରଫେସର ଦାସ ଅଧ୍ୟକ୍ଷ ପଦବୀ ସମ୍ଭାଳିବା ସମୟକାଳରେ ୧୯୬୪ରେ ପୋଲିସ ବିରୋଧି ଏବଂ ୧୯୬୭ରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ର ଆନ୍ଦୋଳନରେ ମେଡ଼ିକାଲ କଲେଜର ଛାତ୍ରମାନେ ଅଂଶଗ୍ରହଣ କରିଥିଲେ । ତେବେ କଲେଜ କ୍ୟାମ୍ପସରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପ୍ରଫେସର ଦାସଙ୍କ ଛାତ୍ରବତ୍ସଳତାର ପରିଚ଼ୟ ଦେଇଥିଲା ।

 

ବ୍ରହ୍ମପୁର ରୋଟାରୀ କ୍ଳବରେ ପ୍ରଫେସର ଦାସ ସକ୍ରିୟ ରହି ଆସିଥିଲେ ସେତେବେଳକୁ ଏଠାରେ କ୍ଳବର ମାତ୍ର ଗୋଟିଏ ଶାଖା ଥାଏ । ବ୍ରହ୍ମପୁରରୁ ବିଦାୟ ନେବାପରେ କଟକ ରୋଟାରୀ କ୍ଳବ ତଥା ରୋଟାରୀ ଜିଲ୍ଲାର ସାଂଗଠନିକ କାର୍ଯ୍ୟକଳାପରେ ସେ ବରାବର ସଂଶ୍ଳିଷ୍ଟ ରହୁଥିଲେ ।

 

ଡ଼ାକ୍ତର (ପ୍ରଫେସର) ସୁକୁମାର ଦାସ ଆମ ଗହଣରୁ ଚାଲିଯାଇଛନ୍ତି ସତ, ତେବେ ତାଙ୍କରି ହାତଗଢ଼ା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ତାଙ୍କରି ସ୍ମୃତି ବହନ କରିଚାଲିଥିବ ।


Photo by Markus Frieauff on Unsplash