Friday, February 26, 2021

Stray Animals / ବୁଲା ପଶୁ ସମସ୍ୟା




#ବ୍ରହ୍ମପୁର ରାସ୍ତାଘାଟରେ ବୁଲା ଗାଈଗୋରୁ, କୁକୁର ଓ ଘୁଷୁରିଙ୍କ ଅବାଧ ବିଚରଣ ସହରର ରାସ୍ତାଘାଟ ସୌନ୍ଦର୍ଯ୍ୟହାନୀର ଅନ୍ୟତମ କାରଣ । ପଶୁଙ୍କ ଖାଦ୍ୟ ସଂଗ୍ରହ ଅଭ୍ୟାସରେ ଜନଜୀବନ ପ୍ରଭାବିତ ହେଉଥିବା ସ୍ଥଳେ ମଳତ୍ୟାଗ ହେତୁ ପରିବେଶ ଦୂଷିତ ହୋଇଥାଏ । ସେମାନଙ୍କ ଆକ୍ରମଣରେ ମୁଖ୍ୟତଃ ଶିଶୁ ଓ ବୁଢ଼ାବୁଢୀ ଆହତ ହେବା ଉଦାହରଣର ମଧ୍ୟ ଅଭାବ ନଥାଏ । ଏହାର ନିରାକରଣ ପୌରପାଳିକାର ଦାୟିତ୍ୱ ।

 

ରାସ୍ତାଘାଟରେ ଚଳପ୍ରଚଳ ହେଉଥିବା ଗାଈଗୋରୁଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ପୂର୍ବରୁ ସହରବାସୀଙ୍କ ପରିବାରରେ ଗୃହପାଳିତ ପଶୁ ଥିଲେ । ବୟସାଧିକ ବା ଅନ୍ୟାନ୍ୟ କାରଣରୁ ସେମାନଙ୍କ ମାଲିକମାନେ ଆଉ ତତ୍ତ୍ୱାବଧାନ ନେଉନାହାନ୍ତି । ଅତଏବ ବାକୀତକ ଜୀବନ ରାସ୍ତାଘାଟରେ ହିଁ କଟିଥାଏବଳକା ଏକ ତୃତୀୟାଂଶ ଗୃହପାଳିତ ପଶୁ ହୋଇଥିଲେ ହେଁ ମାଲିକମାନେ କିଛି ସମୟପାଇଁ ସେମାନଙ୍କୁ ରାସ୍ତାଘାଟରେ ଛାଡ଼ି ଦେବାରେ ଅଭ୍ୟସ୍ତ । ଉଭୟ ବର୍ଗର ଗାଈଗୋରୁ ସହରର ଦୈନନ୍ଦିନ ଜୀବନଯାତ୍ରାରେ ସମସ୍ୟା ସୃଷ୍ଟି କରିଥାନ୍ତି ।

 

ମଇଁଷି ଓ ଘୁଷୁରି ଗୃହପାଳିତ ପଶୁ । ସହରର କେତେକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ସେମାନଙ୍କୁ ଦେଖିବାକୁ ମିଳିଥାଏ । ସହର ମଧ୍ୟରେ ମଇଁଷି ପାଳନ ଓ ଦୁଗ୍ଧ ଉତ୍ପାଦନରେ ସଂପୃକ୍ତ ବ୍ୟବସାୟୀମାନେ ମଇଁଷି ପଲକୁ ସକାଳେ-ସନ୍ଧ୍ୟାରେ ଚରାଇବା ନିମନ୍ତେ ସହରତଳି ଅଞ୍ଚଳକୁ ନେବା ଆଣିବା ଫଳରେ କେତେକ ରାସ୍ତାଘାଟରେ ଟ୍ରାଫିକ ପ୍ରଭାବିତ ହୋଇଥାଏ । ଅପରପକ୍ଷେ ମାଳମାଳ ବୁଲା କୁକୁର, ମାଙ୍କଡ଼ ସେମାନଙ୍କ ଉଗ୍ର ଆକ୍ରମଣାତ୍ମକ ସ୍ୱଭାବ ଯୋଗୁଁ ସାହୀବସ୍ତିରେ ଅସୁରକ୍ଷିତ ଅବସ୍ଥା ସୃଷ୍ଟି କରିଥାନ୍ତି

 

ବ୍ରହ୍ମପୁର କେରାଣ୍ଡିମାଳ ପର୍ବତ ପାଦ ଦେଶରେ ଅବସ୍ଥିତ ଥିବା ତଥା ପାଞ୍ଚରୁ ଦଶ କିଲୋମିଟର ଦୂରରେ ବନାଞ୍ଚଳର ଉପସ୍ଥିତି ହେତୁ ଦୀର୍ଘ ଅତୀତରୁ ମାଙ୍କଡ଼ଙ୍କ ପ୍ରାଦୁର୍ଭାବ ଲାଗି ରହିଛି । ପୂର୍ବେ ଜଙ୍ଗଲରେ ଖାଦ୍ୟାଭାବ ଘଟିଲେ ସମୟେ ସମୟେ ଜନବସତିକୁ ପଶିଆସୁଥିଲେ; କିନ୍ତୁ ବହୁଦିନରୁ ସେମାନେ ସହର ବାସିନ୍ଦା ପାଲଟି ଗଲେଣି । ଆଉ ଜଙ୍ଗଲ ଆଡ଼େ ଯାଉନାହାନ୍ତି । ମାଙ୍କଡ଼ପଲ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପରିକ୍ରମା କରିଥାନ୍ତି । ଏଣିକି ସେମାନଙ୍କ ଖାଦ୍ୟାଭ୍ୟାସରେ ତୃଣ କମ ସହରବାସୀଙ୍କ ବଜ୍ୟବସ୍ତୁ ଅଧିକ । ଖାଦ୍ୟ ଝାମ୍ପିନେବାରେ ସେମାନଙ୍କ କୌଶଳକୁ ତାରିଫ ନକରି ରହିହୁଏ ନାହିଁ !

 

ବୁଲା କୁକୁରଙ୍କ ବାର୍ଷିକଭିତ୍ତିରେ ବ୍ୟାପକ ବଂଶବୃଦ୍ଧି ଲାଗି ରହିଥାଏ । ସେମାନଙ୍କ ମଧ୍ୟରୁ ପୂର୍ବରୁ କେତେକ ପୋଷ୍ୟ ଜୀବନର ସୌଭାଗ୍ୟ ଲାଭ କରିଥିବା ସ୍ଥଳେ ଅନେକ ରାସ୍ତାଘାଟରେ ଜନ୍ମ ନେଇ ରାସ୍ତାକଡ଼ରେ ହିଁ ଜୀବନ ହାରନ୍ତି । ସଦ୍ୟ ଜନ୍ମିତ କୁକୁର ଶାବକଙ୍କୁ ଆଦରରେ କେହି କେହି ଘରକୁ ନେଉଥିବା ସ୍ଥଳେ ଦିନ କେତେଟାରେ ସେମାନେ ପୁଣି ଥରେ ରାସ୍ତାକୁ ଫେରିବାକୁ ପସନ୍ଦ କରିଥାନ୍ତି । ହୁଏତ ଏହା ଏକ ଜିନଗତ ସମସ୍ୟା !

 

ବୁଲା ପଶୁଙ୍କୁ ଆୟତ୍ତ କରିବାରେ ପୌରପାଳିକା ଉଦାସୀନ । ପୌରସେବା ନିମନ୍ତେ ପରୀକ୍ଷଣ, ରାଙ୍କିଙ୍ଗ ଦୌଡ଼ କିମ୍ୱା କୌଣସି ଅଭିଯାନ ଅବସରରେ ସହରରେ ବୁଲା ପଶୁଙ୍କୁ ଆୟତ୍ତ କରିବା ନିମନ୍ତେ ଥରେ ଅଧେ ଉଦ୍ୟମ ହୁଏ । ତେବେ ସମସ୍ୟାଟି ଦୈନନ୍ଦିନ ଲାଗି ରହୁଥିବା ସ୍ଥଳେ ଏଦିଗରେ କୌଣସି ନିୟମିତ ପଦକ୍ଷେପ ଦେଖିବାକୁ ମିଳିନଥାଏ । ପଶୁପକ୍ଷୀଙ୍କୁ ଆୟତ୍ତ କରିବା ନିମନ୍ତେ ଉଦ୍ୟମ ବେଳେ ପଶୁ ସୁରକ୍ଷା ଆଇନାବଳୀ ମଧ୍ୟ ସ୍ଥଳ ବିଶେଷରେ ଅନ୍ତରାୟ ସୃଷ୍ଟି କରେ

 

ସହରାଞ୍ଚଳରେ ବ୍ୟାବସାୟିକଭିତ୍ତିରେ ପଶୁପାଳନ ଗ୍ରହଣୀୟ ନୁହ । ଏତଦ୍ୱାରା ଘଞ୍ଚ ଜନବସତିରେ ପରିବେଶ ପ୍ରଦୂଷିତ ହୋଇଥାଏ କିନ୍ତୁ ଏ ଦିଗରେ ନିୟମ କଡ଼ାକଡ଼ି ପାଳିତ ହୋଇପାରୁ ନାହିଁ । ପଶୁପାଳନ ଗ୍ରାମାଞ୍ଚଳଭିତ୍ତିକ ଜୀବିକା । ସହରାଞ୍ଚଳରେ ପଶୁପାଳନ ଅନେକ ସମୟରେ ପଶୁ କୃରତାରେ ପରିଣତ ହୋଇଥାଏ ।

 

ବ୍ରହ୍ମପୁର ପୌରପାଳିକା ପକ୍ଷରୁ ସହରର ଗାଈଗୋରୁଙ୍କ କାନରେ ଟ୍ୟାଗ ଲଗାଯାଇ ସେମାନେ ଏଣେତେଣେ ବୁଲାଚଲା କଲେ ଟ୍ୟାଗରୁ ତଥ୍ୟ ସଂଗ୍ରହ କରାଯାଇ ମାଲିକଙ୍କୁ ତାଗିଦ କରିବା ତଥା କାଞ୍ଜିଆହୁଦାରେ ଅଟକ ରଖିବା ପ୍ରଥା ଆରମ୍ଭ ହୋଇଥିଲା । ତେବେ ସେଥିରେ ବିଶେଷ ସଫଳତା ନମିଳିବାରୁ ବୁଲା ଗାଈଗୋରୁଙ୍କୁ ଜବତ କରି ସହରତଳି ଅଞ୍ଚଳରେ ଗୋପାଳକମାନଙ୍କ ଜିମାରେ ଛାଡ଼ିବା ବ୍ୟବସ୍ଥା ଆୟୋଜନ କରାଯାଇଥିବା ଜଣାଯାଏ । ଏହି ବ୍ୟବସ୍ଥାରେ ୫୦ରୁ ଉର୍ଦ୍ଧ୍ୱ ଗାଈଗୋରୁ କୁକୁଡ଼ାଖଣ୍ଡି, ହିଞ୍ଜିଳିକାଟୁ ଓ ରଙ୍ଗେଇଲୁଣ୍ଡା ବ୍ଳକକୁ ସ୍ଥାନାନ୍ତରିତ କରାଯାଇଥିବା ପ୍ରକାଶ । ତେବେ ବୁଲାକୁକୁର, ମାଙ୍କଡ଼ଙ୍କ ଉପଦ୍ରବ ରୋକିବା ନିମନ୍ତେ ନିୟମିତ ଅଭିଯାନ ଆବଶ୍ୟକ । ଏଦିଗରେ ବାହ୍ୟ ଠିକା ସଂସ୍ଥାକୁ ଦାୟିତ୍ୱ ଅର୍ପଣ କରିବା ପ୍ରସ୍ତାବ ବିଚାରଯୋଗ୍ୟ । ଏତଦ୍ୱାରା ସହରର ବିଭିନ୍ନ ଅଞ୍ଚଳରେ ନିୟମିତ ଅଭିଯାନ ଚାଲୁ ରଖାଯାଇପାରିବା ବିଚାର କରାଯାଇପାରେ ।

 

ପରିବର୍ତ୍ତିତ ପରିବେଶରେ ପଶୁ ଓ ମନୁଷ୍ୟର ଏକତ୍ର ବସବାସ କାରଣରୁ ପଶୁବାହୀ ଭୂତାଣୁ ମନୁଷ୍ୟ ଶରୀରକୁ ସଂକ୍ରମିତ ସମସ୍ୟା ସମଗ୍ର ବିଶ୍ୱକୁ ଆତଙ୍କିତ କରିଛି । ସେହି ଦୃଷ୍ଟିରୁ ପୋଷା କୁକୁଡ଼ା, ପାରା ଓ ବିରାଡ଼ିଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ମଧ୍ୟ ତୀକ୍ଷଣ ଦୃଷ୍ଟି ଆବଶ୍ୟକ ପଡ଼େ ।  ଏଦିଗରେ ସତର୍କତା ଜନସ୍ୱାସ୍ଥ୍ୟ ସୁରକ୍ଷାର ଅଂଶବିଶେଷ ।

(ଅନୁପମ ଭାରତ ବ୍ରହ୍ମପୁର ସଂସ୍କରଣ / ୨୭ ଫେବୃୟାରୀ ୨୦୨୧/ ପୃଷ୍ଠା : ୮)

Illustration : P.M. Digital Documentation

Friday, February 19, 2021

100 years ago / ଶହେ ବର୍ଷ ପୂର୍ବେ




ଶହେ ବର୍ଷ ପୂର୍ବେ ଇତିହାସ ପୃଷ୍ଠାରେ #ବ୍ରହ୍ମପୁର ସହରର ୧୯୨୧ରେ ଚ଼ିତ୍ର ୨୦୨୧ରେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ବିସ୍ମୟକର । ବିଶେଷକରି ୨୦ ବର୍ଷରୁ ୫୦ ବର୍ଷ ବୟସ୍କ, ଅର୍ଥାତ ୧୯୭୦ରୁ ୨୦୦୦ ମଧ୍ୟରେ ଜନ୍ମିତ ଯୁବ ଓ ପ୍ରାପ୍ତ-ବୟସ୍କଙ୍କ ଅନୁଭୂତି ବର୍ହିଭୂତ ।

 

ଭାରତରେ ସର୍ବପ୍ରଥମେ ୧୮୭୧ରେ ଜନଗଣନା ଆରମ୍ଭ ହୋଇଥିଲା । ତତପର ପ୍ରତି ଦଶ ବର୍ଷରେ ଜନଗଣନା ଆୟୋଜନ କରାଯାଇ ତଥ୍ୟ ଲିପିବଦ୍ଧ ହୁଏ । ୧୯୨୧ରେ ଜନଗଣନା ଅନୁଯାୟୀ ଗଞ୍ଜାମରେ ପ୍ରତି ଦଶ ହଜାର ଲୋକସଂଖ୍ୟାରେ ଓଡ଼ିଆଙ୍କ ସଂଖ୍ୟା ୫,୦୭୬ ଏବଂ ତେଲୁଗୁଙ୍କ ସଂଖ୍ୟା ୪,୫୪୮ । ଅର୍ଥାତ ବ୍ରହ୍ମପୁରରେ ପ୍ରାୟ ଅର୍ଦ୍ଧେକ ତେଲୁଗୁ ଭାଷାଭାଷୀ ବସବାସ କରୁଥିଲେ । ବିଗତ ଶହେ ବର୍ଷ ମଧ୍ୟରେ ଓଡ଼ିଆ ଭାଷାଭାଷୀ ଜନସଂଖ୍ୟା ବିପୁଳ ବଢ଼ିଛି । ଭାଷାର କୋଳାହଳରେ ସହରର ଜନଜୀବନ ପ୍ରଭାବିତ ହୋଇଥାଏ । ଅତଏବ ଶହେ ବର୍ଷ ପୂର୍ବେ ବ୍ରହ୍ମପୁର ସହରର ପରିବେଶ ବହୁଦୃଷ୍ଟିରୁ ଭିନ୍ନ ଥିବା ସ୍ୱତଃସିଦ୍ଧ ।

 

ଅବଶ୍ୟ ୧୯୧୧, ୧୯୨୧ ଓ ୧୯୩୧ ଜନଗଣନାରେ ଅବିଭକ୍ତ ଗଞ୍ଜାମ ଓ କୋରାପୁଟ ଜିଲ୍ଲା ମାଡ୍ରାସ ପ୍ରଦେଶ ଶାସନାଧୀନ ଥିବା ହେତୁ ଓଡ଼ିଆ ଭାଷାଭାଷାଙ୍କ ସଂଖ୍ୟା ଜନଗଣନାରେ ତୃଟିପୂର୍ଣ୍ଣ ଥିବା ଦର୍ଶାଇ ଓଡ଼ିଆ ନେତୃବର୍ଗ ଅଭିଯୋଗ ଆଣିଥିଲେ । ଏହାର ସତ୍ୟାସତ୍ୟ ଯାଞ୍ଚ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଫିଲିପ-ଡଫ-କମିଟି ଗଠିତ ହୋଇ ୧୯୨୪ରେ ଦୁଇଟି ଜିଲ୍ଲାରେ ସରଜମିନ ତଦନ୍ତ କରାଯାଇଥିଲା ।

 

ଶହେ ବର୍ଷ ପୂର୍ବେ ୧୯୨୧ ବେଳକୁ ଗଞ୍ଜାମର ବ୍ରାହ୍ମଣ ଜାତିର ପୁରୁଷମାନେ ମୁଣ୍ଡରେ କେଶ ନକାଟି ଲମ୍ୱା ରଖି ଖୋସା ପକାଉଥିଲେ । ଶହେ ବର୍ଷ ପରେ ୨୦୨୧ ସୁଦ୍ଧା ବ୍ରହ୍ମପୁରରେ ଆଙ୍ଗୁଠି ଗଣତି ତେଲୁଗୁ ସଂପ୍ରଦାୟର ବୟସ୍କ ପୁରୋହିତଙ୍କଠାରେ ସେହି ପରିପାଟୀ ଦେଖିବାକୁ ମିଳେ ।

 

ସେହିପରି ବ୍ରାହ୍ମଣ, କ୍ଷତ୍ରିୟ, କରଣ ଓ ବୈଶ୍ୟ ବ୍ୟତୀତ ଅନ୍ୟାନ୍ୟ ଜାତିର ସଧବା ମହିଳାମାନଙ୍କ ମଧ୍ୟରୁ ଅନେକ ପିତଳ ଧାତୁ ନିର୍ମିତ ଖଡୁ, ପାହୁଡ଼, ଦଣ୍ଡି, ନୋଥ, ଗୁଣା, ନାକଚ଼ଣା ଇତ୍ୟାଦି ଅଳଙ୍କାର ପରିଧାନ କରୁଥିଲେ । ବ୍ରହ୍ମପୁରରେ ବିଗତ ଶତାଦ୍ଦୀର ଷଷ୍ଠ, ସପ୍ତମ ଦଶକ ଯାଏଁ ଗ୍ରାମାଞ୍ଚଳରୁ ସହର ଆଗତ ବୟସ୍କ ମହିଳାଙ୍କ ଆଭୂଷଣରେ ଏହି ପରମ୍ପରା ଦେଖିବାକୁ ମିଳୁଥିଲା ।

 

ଉଭୟ, ମୁଣ୍ଡରେ ଲମ୍ୱା କେଶ ରଖିବା ଓ ପିତଳ ଧାତୁ ପରିଧାନ ବିରୋଧରେ ଶ୍ରୀବତ୍ସ ପଣ୍ଡା ସ୍ୱର ଉତ୍ତୋଳନ କରିଥିଲେ । ସେ ୧୯୨୦ରୁ ୧୯୪୩ ଯାଏଁ ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲାରେ ବହୁ ସଂସ୍କାର ମୂଳକ କାର୍ଯ୍ୟକ୍ରମ ତଥା ଦେଶ ମିଶ୍ରଣ ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ । ସେ ମଧ୍ୟ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର ପ୍ରଥମ ସଭାପତିରୂପେ ଦାୟିତ୍ୱ ନିର୍ବାହ କରିଥିଲେ । ଅକ୍ଟୋବର ପହିଲା ୨୦୨୦ରୁ ଅକ୍ଟୋବର ପହିଲା ୨୦୨୧ ଯାଏଁ ଶ୍ରୀବତ୍ସ ପଣ୍ଡାଙ୍କ ୧୫୦ତମ ଜନ୍ମବର୍ଷକୀ ପାଳିତ ହେଉଛି ।

 

୧୯୨୧ ବେଳକୁ ପ୍ରଥମ ବିଶ୍ୱଯୁଦ୍ଧ ସରିଆସିଥାଏ । ଚଳଚଞ୍ଚଳ ଗୋପାଳପୁର ବନ୍ଦର ଯୋଗେ ରପ୍ତାନୀ ଆମଦାନୀ ବ୍ୟବସାୟରେ ବ୍ରହ୍ମପୁର ବଡ଼ବଜାର ବ୍ୟବସାୟୀମାନେ ସଂପୃକ୍ତ ରହିଥାନ୍ତି । ରେଙ୍ଗୁନକୁ ନିୟମିତ ଜାହାଜ ଚଳାଚଳ କରୁଥିବା ହେତୁ ବହୁ ସଂଖ୍ୟକ ଗଞ୍ଜାମର ଶ୍ରମିକ ଯାତ୍ରା କରୁଥିଲେ । ବର୍ମା ୧୯୪୮ ଯାଏଁ ବ୍ରିଟିଶ ଶାସନାଧିନ ଥିଲା । ଆଧୁନିକ ମିଆଁମାର ଔପନିବେଶ ଶାସନରୁ ମୁକ୍ତି ପାଇବା ପରେ ସ୍ଥାନୀୟ ସରକାରଙ୍କ ଜାତୀୟବାଦୀ ନୀତି ହେତୁ ସେଠାରେ ଅବସ୍ଥାପିତ ଭାରତୀୟମାନେ ସ୍ୱଦେଶ ବାହୁଡ଼ିଥିଲେ । ସେଥିମଧ୍ୟରେ ବର୍ମା ଫେରନ୍ତା ଗଞ୍ଜାମ ଶ୍ରମିକମାନେ ମଧ୍ୟ ସାମିଲ ହୋଇଥିଲେ । ଶହେ ବର୍ଷ ପରେ ଗଞ୍ଜାମରେ ଦେଶାନ୍ତରୀ ଶ୍ରମିକ ଧାରା ଅକ୍ଷୁର୍ଣ୍ଣ ରହିଛି । ତେବେ ନିଯୁକ୍ତି ସ୍ଥଳ ସୁରତ, ମୁମ୍ୱାଇ, ଚ଼େନ୍ନାଇ, କେରଳ ଇତ୍ୟାଦି ଅଞ୍ଚଳକୁ ବଦଳି ଯାଇଛି ।


(ଅନୁପମ ଭାରତ ବ୍ରହ୍ମପୁର ସଂସ୍କରଣ / ୨୦ ଫେବୃୟାରୀ ୨୦୨୧/ ପୃଷ୍ଠା : ୮)


Illustration : "Old lamppost" by allyhook is licensed under CC BY-NC-ND 2.0

Friday, February 12, 2021

Electricity meter in front entrance / ଗୃହଦ୍ୱାରରେ ବିଦ୍ୟୁତ ମିଟର




#ବ୍ରହ୍ମପୁର ସହରର କେତେକ ଅନାଲୋଚିତ ସମସ୍ୟା ମଧ୍ୟରେ ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟକରଣ ଅନ୍ୟତମ । ପାରମ୍ପରିକଭାବେ ବ୍ରହ୍ମପୁର ଏକ ସ୍ୱଚ୍ଛ, ସୁନ୍ଦର ସହରରୂପେ ଗଢ଼ି ଉଠିଥିଲା । ଅତୀତରେ ମାଡ୍ରାସ ପ୍ରେସିଡ଼େନ୍ସି ଅଧୀନରେ ବ୍ରହ୍ମପୁର ପୌରପାଳିକା ସ୍ୱଚ୍ଛତାଲାଗି ସୁନାମ ଅର୍ଜନ କରିଥିବା ଇତିହାସ ପୃଷ୍ଠାରେ ଲିପିବଦ୍ଧ । ତେବେ ସ୍ୱାଧୀନୋତ୍ତର ଅବସ୍ଥାରେ ସହର ନିଜର ମୌଳିକ ସତ୍ତା ହରାଇ ବସୁଥିବା ଦେଖିବାକୁ ମିଳେବହୁବିଧ ସମସ୍ୟା ମଧ୍ୟରେ ସହରର ପ୍ରତି ବାସଗୃହ ପ୍ରବେଶଦ୍ୱାର କାନ୍ଥରେ କଦାକାର ବିଦ୍ୟୁତ ମିଟର ସ୍ଥାପନ ଏକ ଉଦାହରଣ ।

 

ବ୍ରହ୍ମପୁର ବିଦ୍ୟୁତ ଯୋଗାଣ ଓ ବଣ୍ଟନ ପରିଚାଳନାଭାର ୨୦୨୧ ଜାନୁୟାରୀ ମାସରୁ ଟାଟା ପାୱାର ଗ୍ରହଣ କରିବା ମାତ୍ରେ ଖାଉଟିମାନଙ୍କ ଘରେ ଲାଗିଥିବା ମିଟରଗୁଡ଼ିକ ତୃଟିପୂର୍ଣ୍ଣ ଦର୍ଶାଇ ବଦଳାଇବାକୁ ବାଧ୍ୟ କରାଯିବା ଅଭିଯାନ ଆରମ୍ଭ ହୋଇଛି । କର୍ତ୍ତୃପକ୍ଷ ଅତ୍ୟନ୍ତ ବେପରୁୱାଭାବେ ଖାଉଟିଙ୍କ ଦାଣ୍ଡ ଦ୍ୱାର କାନ୍ଥରେ ମିଟର ବସାଉଥିବା ହେତୁ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ପ୍ରବେଶ ଦ୍ୱାରରେ ଜୀବନ୍ତ ବିଦ୍ୟୁତ ତାର ଓ ସାମଗ୍ରୀ ବିପଦପୂର୍ଣ୍ଣ ପରିବେଶ ସୃଷ୍ଟି କରୁଥିବା ସ୍ଥଳେ ଅତୀତରେ ଶିଶୁମାନେ ଦୁର୍ଘଟଣା ଶୀକାର ହେବା ଉଦାହରଣର ଅଭାବ ନାହିଁ ବ୍ରହ୍ମପୁର ଏକ ବାତ୍ୟାପ୍ରବଣ ସହରରେ ସାମିଲ ହେଉଥିବା ଅନ୍ୟ ସମ୍ଭାବ୍ୟ ବିପଦ ସର୍ବୋପରି ବାସଗୃହଦ୍ୱାରରେ ଅସଜଡ଼ା ତାର ବାସଗୃହର ସୌନ୍ଦର୍ଯ୍ୟହାନୀର କାରଣ ପାଲଟୁଛି ।

 

କମ୍ପାନୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଯୁକ୍ତ ତୃତୀୟପକ୍ଷ ଠିକା ସଂସ୍ଥାଦ୍ୱାରା ମିଟର ବଦଳ କାର୍ଯ୍ୟକାରୀ କରାଯାଏ । ଏହି ଅବସରରେ ଉପଭୋକ୍ତା ଦୁଃବ୍ୟବହାର ଶୀକାର ହେଉଥିବା ଅଭିଯୋଗ ହୁଏ । ମଧ୍ୟାହ୍ନ ସମୟରେ ଗୃହକର୍ତ୍ତାଙ୍କ ଅନୁପସ୍ଥିତିରେ ମିଟର ବଦଳ ଦଳ ଘରେ ଘରେ ପହଞ୍ଚି ଜବରଦସ୍ତି ଅଜାଗାରେ ନୂଆ ମିଟର ବସାନ୍ତି । ସାଧାରଣତଃ ଏହି ଅବସରରେ କୌଣସି ଇଞ୍ଜିନିୟର ଉପସ୍ଥିତ ନଥାନ୍ତି ।

 

ମିଟର ବଦଳାଇବା ଠିକା କାମ ଏତେ ଲୋଭନୀୟ ସାଜିଛି ଯେ ଟାଟା ପାୱାର ଦାୟିତ୍ୱ ଗ୍ରହଣ କରିବା ଦୁଇ ସପ୍ତାହ ମଧ୍ୟରେ ଟାଟା ପାୱାର ସ୍ୱୀକୃତ ଦାବୀ କରି ବିଭିନ୍ନ ଅଞ୍ଚଳରେ ଏଜେଣ୍ଟ ନିଯୁକ୍ତ କରିବାଲାଗି ଠକେଇ ଅଭିଯୋଗରେ ପୋଲିସ ବ୍ରହ୍ମପୁରରୁ ଜଣକୁ ଗିରଫ କରିଥିଲା । ଗ୍ରାମପଞ୍ଚାୟତ ପାଇଁ ୩୦ ହଜାର, ବ୍ଳକ ପାଇଁ ୫୦ ହଜାର ଓ ଏନଏସସି- ମ୍ୟୁନିସିପାଲଟି ପାଇଁ ଏକ ଲକ୍ଷ ହିସାବରେ ସେ ୫୫ ଲକ୍ଷ ଟଙ୍କା ଅମାନତ ସଂଗ୍ରହ କରିଥିବା କୁହାଯାଉଛି ।

 

ଓଡ଼ିଶା ଇଲେକ୍ଟ୍ରିସିଟି କମିସନ ପକ୍ଷରୁ ଓଡ଼ିଶା ଗେଜେଟରେ ୨୭ ଅଗଷ୍ଟ ୨୦୧୯ରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଓଡ଼ିଶା ରେଗୁଲେଟରି କମିସନ ଡ଼ିଷ୍ଟ୍ରିବ୍ୟୁସନ (କଣ୍ଡିସନ୍ସ ଅଫ ସପ୍ଲାଇ) କୋଡ଼ ୨୦୧୯ର ପଞ୍ଚମ ଅଧ୍ୟାୟ ଧାରା ୯୭ରେ ସ୍ପଷ୍ଟଭାବେ ଉଲ୍ଲେଖ କରାଯାଇଛି ଯେ ବିଦ୍ୟୁତ ଯୋଗାଣ ନିମନ୍ତେ ବାସଗୃହରେ ମିଟର ବସାଇବାରେ ଗୃହସ୍ୱାମୀ ସ୍ଥାନ ଚ଼ିହ୍ନଟ କରିବେ । ସପ୍ଲାଇ କମ୍ପାନୀ ବୈଷୟିକ ଅସୁବିଧା ଥିଲେ ବିକଳ୍ପ ପ୍ରସ୍ତାବ ଦେବେଖାଉଟି ଓ କମ୍ପାନୀ ଇଞ୍ଜିନିୟରଙ୍କ ସହମତିକ୍ରମେ ନୂଆମିଟର ବସାଯିବା କିମ୍ୱା ବଦଳ କରାଯିବା ପ୍ରାବଧାନ ରହିଛି ।

 

ତେବେ ବ୍ରହ୍ମପୁରରେ ଏହି ନିୟମ ପାଳନ ହେଉନଥିବା ଦେଖିବାକୁ ମିଳେ । ମିଟର ବଦଳ ପୂର୍ବରୁ ଉପଭୋକ୍ତାଙ୍କ ଲିଖିତ ମତାମତ ନିଆ ଯାଏ ନାହିଁ । ବଦଳ ସ୍ଥାନ ବିରୁଦ୍ଧରେ ଆପତ୍ତି ଶୁଣିବା ନିମନ୍ତେ ଉଚ୍ଚ କର୍ତ୍ତୃପକ୍ଷ ଆଗ୍ରହ ପ୍ରକାଶ କରନ୍ତି ନାହିଁ । ସାଧାରଣ ଖାଉଟି ପକ୍ଷେ ଉପଭୋକ୍ତା ଅଦାଲତ ଏବଂ ପରେ ଉଚ୍ଚ ନ୍ୟାୟାଳୟଠାରେ ମାମଲା ଦାୟର କରିବା ନିମନ୍ତେ ଧୈର୍ଯ୍ୟ, ସମୟ ଓ ସାଧନ ନଥାଏ । ଫଳରେ ସହରର ବିଦ୍ୟୁତ ଉପଭୋକ୍ତା ନୀରବରେ ଜୁଲମ ସହିବାକୁ ବାଧ୍ୟ ହୋଇଥାନ୍ତି ।

 

ମୁଖ୍ୟତଃ, ବିଦ୍ୟୁତ ରାଜସ୍ୱ ବୃଦ୍ଧି ଉଦ୍ଦେଶ୍ୟରେ ପୂର୍ବରୁ ବାସଗୃହ ବାରଣ୍ଡାରେ ସ୍ଥାପିତ ମିଟରଗୁଡ଼ିକୁ ପ୍ରବେଶଦ୍ୱାର କାନ୍ଥକୁ ଆଣିବାକୁ ବିଦ୍ୟୁତ କର୍ତ୍ତୃପକ୍ଷ ୨୦୧୩ରେ ନିଷ୍ପତ୍ତି ଗ୍ରହଣ କରିଥିଲେ । ତେବେ ୨୦୧୩ରେ ସାଉଥକୋ ୟୁଟିଲିଟି ଗଠିତ ହେବାପରେ ସାତବର୍ଷ ପରେ ମଧ୍ୟ  ୩୫.୨୯ ପ୍ରତିଶତ କ୍ଷତି କାରଣରୁ ନିଲାମରେ ୨୦୨୦ ଡ଼ିସେମ୍ୱର ଶେଷ ସପ୍ତାହରେ ଟାଟା ପାୱାର କମ୍ପାନୀକୁ ଟେକି ଦିଆଗଲା । ଏଥିରୁ ସାଧାରଣ ଉପଭୋକ୍ତାଙ୍କ ବାସଗୃହ ପ୍ରବେଶଦ୍ୱାର କାନ୍ଥରେ ମିଟର ସ୍ଥାପନ ଦ୍ୱାରା ବିଦ୍ୟୁତ ଆୟ ବଢ଼ିନଥିବା ପ୍ରମାଣିତ । ପ୍ରଚଳିତ ପଦ୍ଧତିର ଆଳ ଦେଖାଇ ନବଗଠିତ ଟାଟା ପାୱାର ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ଼ ପକ୍ଷରୁ ଖାଉଟିମାରଣ ନୀତି ଅବଲମ୍ୱନ ଆଦୌ ସ୍ପୃହଣୀୟ ନୁହେଁ ।

 

ପୁରୁଣା ମିଟରକୁ ତୃଟିପୂର୍ଣ୍ଣ ଦର୍ଶାଇ ସଂଖ୍ୟା ଗଣତିରେ ବିଦ୍ୟୁତ କର୍ତ୍ତୃପକ୍ଷ ବାହାବା ନେବାକୁ ଚେଷ୍ଟା କରନ୍ତି । ମିଟର ପ୍ରବେଶଦ୍ୱାର କାନ୍ଥରେ ଲଗାଇଲେ ବିଦ୍ୟୁତ ଚୋରି ରୋକାଯାଇପାରିବ ବୋଲି ଧାରଣା ଦିଆଯାଏ । ବେକରେ ଫଳକ ଓହଳାଇବା ଭଳି ଖାଉଟିଙ୍କ ଘର ଦାଣ୍ଡକାନ୍ଥରେ ମିଟର ବସାଯିବା ଲଜ୍ଜାଜନକ । ତେବେ ସାତବର୍ଷର ତଥାକଥିତ ସାବଧାନତା ସତ୍ତ୍ୱେ ବାର୍ଷିକ କ୍ଷତି ପରିମାଣ କାହିଁକି ବୃଦ୍ଧି ପାଇଲା ? ଉଲ୍ଲେଖ ଅନାବଶ୍ୟକ ଯେ ସଲାସୁତୁରାର ବିଦ୍ୟୁତ ବାଟମାରଣା ହେଉଛି । ପ୍ରିପେଡ଼ ସ୍ମାର୍ଟ ମିଟର ଲଗାଇଲେ ସ୍ୱଚ୍ଛତା ସମ୍ଭବ ।

 

ଦେଶବ୍ୟାପୀ ବିଦ୍ୟୁତ ବିତରଣମାନ ବୃଦ୍ଧି ସକାଶେ ଉପଭୋକ୍ତାଙ୍କ ଗୃହରେ ପ୍ରିପେଡ଼ ସ୍ମାର୍ଟମିଟର ସ୍ଥାପନ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ତିନିବର୍ଷ ତଳୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବିତରଣ ସଂସ୍ଥା ଓ ଖାଉଟି ଉଭୟଙ୍କ ମଧ୍ୟରେ ବିଦ୍ୟୁତ ଯୋଗାଣରେ ସ୍ୱଚ୍ଛତା ସ୍ଥାପନ ନିମନ୍ତେ ପ୍ରି-ପେଡ଼ ସ୍ମାର୍ଟ ମିଟର ସ୍ଥାପନ ନିମନ୍ତେ ଗୁରୁତ୍ୱ ଦିଆଯାଉଛି । ଅର୍ଥମନ୍ତ୍ରୀ କେନ୍ଦ୍ର ବଜେଟ ୨୦୨୧-୨୨ରେ ପ୍ରିପେଡ଼ ସ୍ମାର୍ଟମିଟର ବଦଳ ତଥା ଆନୁସଙ୍ଗିକ କାର୍ଯ୍ୟକ୍ରମ ନିମନ୍ତେ ତିନି ଲକ୍ଷ କୋଟି ଟଙ୍କାର ପାଞ୍ଚ ବର୍ଷିଆ ଯୋଜନା ଘୋଷଣା କରିଛନ୍ତି । ଓଡ଼ିଶା ରେଗୁଲେଟରି କମିସନ ୨୦୧୯ରେ ପ୍ରକାଶିତ କୋଡ଼ ପଞ୍ଚମ ଅଧ୍ୟାୟ ଧାରା ୯୭ (ଚାରି-ତିନି)ରେ ୨୦୨୨ ସୁଦ୍ଧା ଖାଉଟିଙ୍କ ଘରେ ପ୍ରିପେଡ଼ ସ୍ମାର୍ଟମିଟର ସ୍ଥାପନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ।

 

ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ରୁ ବିଦ୍ୟୁତ ଉପଭୋକ୍ତାଙ୍କ ଘରେ ପ୍ରିପେଡ଼ ସ୍ମାର୍ଟ ମିଟର ସ୍ଥାପନ ନିମନ୍ତେ ନୀତିଗତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଭୁବନେଶ୍ୱର, କଟକ ଇତ୍ୟାଦିକୁ ନେଇ ଗଠିତ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ ପକ୍ଷରୁ ଏହାର ପରିଚାଳନାଧୀନ ଅଞ୍ଚଳରେ ଏପ୍ରିଲ ୨୦୨୧ରୁ ସ୍ମାର୍ଟମିଟର ଲଗାଇବା କାର୍ଯ୍ୟ ଆରମ୍ଭ କରାଯିବା ସ୍ଥିର କରାଯାଇଥିବା ଫେବୃୟାରୀ ପ୍ରଥମ ସପ୍ତାହରେ ସାମ୍ୱାଦିକ ସମ୍ମିଳନୀରେ କୁହାଯାଇଛି । ପ୍ରଥମେ ହାଇ-ଏଣ୍ଡ ଗ୍ରାହକ ଯେଉଁମାନେ ୩୦୦ ୟୁନିଟରୁ ଅଧିକ ବିଦ୍ୟୁତ ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ସ୍ମାର୍ଟମିଟର ବ୍ୟବହାର କରାଯିବ । ପରବର୍ତ୍ତୀ ସମୟରେ ଅନ୍ୟ ବର୍ଗର ଗ୍ରାହକଙ୍କ ପାଖରେ ତାହା ପହଞ୍ଚିବ । ଏଠାରେ ସାଉଥକୋ ପକ୍ଷରୁ ୨୦୨୦ ଫେବୃୟାରୀ ସୁଦ୍ଧା ୧୫୦ ଗୋଟି ସ୍ମାର୍ଟମିଟର ପରୀକ୍ଷାମୂଳକଭାବେ ଲଗାଯାଇଥିବା ସୂଚନା ଦିଆଯାଇଥିଲା ।

 

ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁରରେ ନବଗଠିତ ଟାଟା ପାୱାର ସଦର୍ଣ୍ଣ ଓଡ଼ିଶା ଡ଼ିଷ୍ଟ୍ରବ୍ୟୁସନ ଲିମିଟେଡ଼ ପକ୍ଷରୁ ଯଦି ତୃଟିପୂର୍ଣ୍ଣ ମିଟର ବଦଳ ଅଭିଯାନ ହୁଏ, ତେବେ ପ୍ରିପେଡ଼ ସ୍ମାର୍ଟମିଟର ସ୍ଥାପନ ପାଇଁ କାହିଁକି ପଦକ୍ଷେପ ନିଆଯାଉନାହିଁ  ତାହା ଜଣାପଡୁ ନାହିଁ । ଏପରିକି ଉପଭୋକ୍ତାମାନେ ନିଜ ପକ୍ଷରୁ ଅନୁରୋଧ ଜଣାଇଲେ ମଧ୍ୟ କର୍ତ୍ତୃପକ୍ଷ ଧ୍ୟାନ ଦେଉ ନାହାନ୍ତି । ପ୍ରିପେଡ଼ ସ୍ମାର୍ଟମିଟର ବଦଳାଗଲେ ଏକ ପକ୍ଷରେ ବିଦ୍ୟୁତ ଯୋଗାଣରେ ସ୍ୱଚ୍ଛତା ସୁଯୋଗ ସୃଷ୍ଟି ସାଙ୍ଗକୁ ଅପରପକ୍ଷରେ ଉପଭୋକ୍ତାଙ୍କ ଗୃହ ପ୍ରବେଶ ଦ୍ୱାର କାନ୍ଥରେ ମିଟର ସ୍ଥାପନ ସମସ୍ୟା ହଟିବ । କାରଣ ମିଟରରୁ ବିଦ୍ୟୁତ ବ୍ୟବହାର ତଥ୍ୟ ସଂଗ୍ରହ ଆବଶ୍ୟକ ନପଡିଲେ ଘର ଭିତରେ ଦାଣ୍ଡବାରଣ୍ଡାରେ ମିଟର ସ୍ଥାପନରେ ଯୋଗାଣ କର୍ତ୍ତୃପକ୍ଷଙ୍କ କୌଣସି ଅସୁବିଧା ରହିବ ନାହିଁ । ଅଧିକନ୍ତୁ ବାହାର କାନ୍ଥରେ ସ୍ମାର୍ଟମିଟର ସ୍ଥାପନ ପରେ ନିକଟ ଭବିଷ୍ୟତରେ ସେଥି ସହ ସଂଯୁକ୍ତ କରି ପ୍ରି-ପେଡ଼ ଯନ୍ତ୍ରପାତି ଖଞ୍ଜିବା ଉପଯୋଗୀ ସାବ୍ୟସ୍ତ ନ ହୋଇପାରେ ଏବଂ ପୁଣି ମିଟରକୁ ଘର ବାରଣ୍ଡାକୁ ସ୍ଥାନାନ୍ତରିତ କରିବାକୁ ପଡ଼ିପାରେ ।

 

ମିଟର ବଦଳ ସହ ବ୍ରହ୍ମପୁର ନାଗରିକ ଅନ୍ୟାନ୍ୟ ବିଦ୍ୟୁତ ବିତରଣଜନିତ ସମସ୍ୟାର ମଧ୍ୟ ସମ୍ମୁଖୀନ ହେଉଛନ୍ତି । ସହରର ଜନାକୀର୍ଣ୍ଣ ଅଞ୍ଚଳରେ ବିଦ୍ୟୁତ ଟ୍ରାନ୍ସଫରମରଗୁଡ଼ିକ ଖୋଲାରେ ଛାଡ଼ିବା ତଥା ସମୟେ ସମୟେ ସେଥିରୁ ବିଦ୍ୟୁତ ଲିକ ହେଉଥିବା ଏକ ଦୈନନ୍ଦିନ ଘଟଣା । ସେହିପରି ବିଦ୍ୟୁତ ପୋଲଗୁଡ଼ିକରେ ତାର ଅସଜଡ଼ା ଅବସ୍ଥାରେ ବର୍ଷ ବର୍ଷ ଧରି ପଡ଼ି ରହିଛି । ପୂର୍ବ ୨୦୧୩ରେ ଫାଇଲିନ ଓ ୨୦୧୮ରେ ତିତିଲି ବାତ୍ୟା ପରେ ପରେ ଜରୁରିଭିତ୍ତିରେ ରାସ୍ତାଘାଟର ପୋଲରେ ଯେଉଁ ବିଦ୍ୟୁତ ତାର ଟଣାଯାଇଥିଲା ତାହାର ଉପଯୁକ୍ତ ରକ୍ଷଣାବେକ୍ଷଣ ହୋଇନାହିଁ । ଦୀର୍ଘକାଳ ଧରି ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ ବିତରଣ ତାର ପଡ଼ି ରହିବା ଜନଜୀବନ ପ୍ରତି ଉଦବେଗର ବିଷୟ ।

 

ସାଉଥକୋ ୟୁଟିଲିଟି ନିଜର ଅପରାଗତା ହେତୁ କ୍ଷତି ସହୁଥିବା କାରଣରୁ ସହରର ବିଦ୍ୟୁତ ବିତରଣ ପ୍ରକ୍ରିୟା ସଜାଡ଼ିବାରେ ସମର୍ଥ ହୋଇପାରି ନଥିଲା ବୋଲି କୈଫିୟତ ଦିଆଯାଏ । ତେବେ ବର୍ତ୍ତମାନ ଟାଟା ପାୱାର ଭଳି ଏକ ଜାତୀୟସ୍ତରର ବିତରଣ ସଂସ୍ଥା ସହରର ବିଦ୍ୟୁତ ବଣ୍ଟନରେ ସାମିଲ ହୋଇଥିବା ତଥା କେନ୍ଦ୍ରୀୟ ବଜେଟରେ ଐତିହାସିକ ପରିମାଣରେ ଅର୍ଥମଞ୍ଜୁର କରାଯାଇଥିବା ହେତୁ ବ୍ରହ୍ମପୁରବାସୀ ବିଦ୍ୟୁତ ବିତରଣରେ ସଂସ୍କାର ଆଶା କରିବା ସ୍ୱାଭାବିକ ।

 

ଟାଟା ପାୱାର ସଦର୍ଣ୍ଣ ଓଡ଼ିଶା ଡ଼ିଷ୍ଟ୍ରିବ୍ୟୁସନ ଲିମିଟେଡ଼ ବ୍ରହ୍ମପୁର ଆସିକା, ଭଞ୍ଜନଗର, ଜୟପୁର ଓ ରାୟଗଡ଼ା ସହର ସମେତ ସାଉଥକୋର ଛଅଗୋଟି ସର୍କଲର ବିଦ୍ୟୁତ ଯୋଗାଣ ଓ ବଣ୍ଟନ ଦାୟିତ୍ୱ ଚଳିତ ୨୦୨୧ ଜାନୁୟାରୀ ପ୍ରଥମ ସପ୍ତାହରୁ ପଚ଼ିଶି ବର୍ଷ ପାଇଁ ଗ୍ରହଣ କରିଛି । ଏହାର ୱେବସାଇଟରେ ଦୃଷ୍ଟିକୋଣ ଭିଜନରେ ଉଲ୍ଲେଖ ଅନୁଯାୟୀ ପାଞ୍ଚଗୋଟି ଦିଗ ମଧ୍ୟରୁ ତିନିଗୋଟି ଉପଭୋକ୍ତାଙ୍କ ସ୍ୱାର୍ଥ ସଂରକ୍ଷଣ ଓ ସନ୍ତୋଷ ପ୍ରଦାନ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା କୁହାଯାଉଛି । ଏଦିଗରେ କମ୍ପାନୀର ଭୂମିକା ସର୍ବସାଧାରଣରେ ଚର୍ଚ୍ଚିତ ହେବ

(ଅନୁପମ ଭାରତ ବ୍ରହ୍ମପୁର ସଂସ୍କରଣ / ୧୩ ଫେବୃୟାରୀ ୨୦୨୧/ ପୃଷ୍ଠା : ୮)

Illustration : P.M.Digital Documentation

Friday, February 5, 2021

The impact of the central budget / କେନ୍ଦ୍ର ବଜେଟର ପ୍ରଭାବ



ପ୍ରଚଳିତ ସରକାରୀ ଆର୍ଥିକ ବ୍ୟବସ୍ଥାରେ #ବ୍ରହ୍ମପୁର ଭଳି ମଧ୍ୟମ ଧରଣର ସହରାଞ୍ଚଳରେ ବିଭିନ୍ନ ସାର୍ବଜନୀନ ଯୋଜନା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନ ଦ୍ୱାରା ପରିଚାଳିତ । ଏହି କାରଣରୁ ଉଭୟସ୍ତରରେ ଗୃହୀତ ବାର୍ଷିକ ବଜେଟରେ ପ୍ରଦତ୍ତ ଆର୍ଥିକ ନୀତି ଏଠାକାର ଜନଜୀବନକୁ ପ୍ରଭାବିତ କରେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ବଜେଟ ଫେବୃୟାରୀ ପହିଲାରେ ପାର୍ଲାମେଣ୍ଟରେ ଉପସ୍ଥାପନ କରାଯାଇଛି । ସେଥି ଅନୁଯାୟୀ ସହରରେ କେତେକ ପରିବର୍ତ୍ତନ, ତୁରନ୍ତ ନହେଲେ ସୁଦ୍ଧା ଦୀର୍ଘ ମିଆଦୀ ସୂତ୍ରରେ ଆଶା କରାଯାଇପାରେ ।

 

ପ୍ରଥମତଃ, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବ ବର୍ଷ ତୁଳନାରେ ୧୧୮ ପ୍ରତିଶତ ଅଧିକ ବ୍ୟୟ ବରାଦ କରାଯାଇଛି । ସେଥିମଧ୍ୟରେ କୋଭିଡ଼-୧୯ ପ୍ରତିଷେଧକ ଟିକାକରଣ ନିମନ୍ତେ ୩୫ ହଜାର କୋଟି ଟଙ୍କା ଅନ୍ତର୍ଭୁକ୍ତ । ପୂର୍ବ ବର୍ଷ ୨୦୨୦ରେ ଭୂତାଣୁ ସଂକ୍ରମଣ ଏବଂ ୨୦୨୧ ଫେବୃୟାରୀ ସୁଦ୍ଧା ସଂକ୍ରମଣ ଭୟ ହଟି ନଥିବା ତଥା ରୋଗର ପ୍ରଭାବ ଦୀର୍ଘକାଳ ଯାଏଁ ବଳବତ୍ତର ରହିବା ଆକଳନ କରାଯାଉଥିବା ହେତୁ ଜନସାଧାରଣଙ୍କ ମଧ୍ୟରେ ଟିକାକରଣ ନିମନ୍ତେ ବଜେଟରେ ବ୍ୟବସ୍ଥା ସ୍ୱାଗତଯୋଗ୍ୟ ।

 

ବିଶେଷଜ୍ଞମାନେ କହୁଛନ୍ତି ଏହି ଅର୍ଥ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିବା ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ୨୭ କୋଟି ନାଗରିକଙ୍କ ପାଇଁ ପର୍ଯ୍ୟାପ୍ତ ନହୋଇପାରେ । ତେବେ ଟିକାକରଣର ଗତିପ୍ରକୃତି ଓ ସମୟକ୍ରମେ ଟିକାର ଦର ହ୍ରାସ ଭଳି ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆ ନଯାଇପାରେ । ଅର୍ଥମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ଯେ ଟିକାକରଣ ନିମନ୍ତେ ଅଧିକ ଖର୍ଚ୍ଚ ଆବଶ୍ୟକ ପଡ଼ିଲେ ଅର୍ଥ ମଂଜୁର କରାଯିବ । ମୋଟାମୋଟି ଭାବେ ନିଶ୍ଚିତ ଟିକାକରଣରେ ସହରବାସୀଙ୍କ ନିମନ୍ତେ ସୁସମ୍ୱାଦ ।

 

ସ୍ୱାସ୍ଥ୍ୟ ସେବାରେ କେନ୍ଦ୍ର ସରକାର ଏକ ତୃତୀୟାଂଶ ଅନୁଦାନ ଦେଉଥିବା ସ୍ଥଳେ ରାଜ୍ୟ ସରକାର ଦୁଇ ତୃତୀୟାଂଶ ଖର୍ଚ୍ଚ କରିଥାନ୍ତି । ଅତଏବ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟସେବାରେ ବର୍ଦ୍ଧିତ ବଜେଟ ଅଟକଳର ବ୍ରହ୍ମପୁରରେ କାର୍ଯ୍ୟକାରିତା ରାଜ୍ୟ ସରକାରଙ୍କ ଫେବୃୟାରୀ ୨୨ ତାରିଖରେ ଉପସ୍ଥାପନ ହେବାକୁ ଥିବା ବଜେଟ ଉପରେ ନିର୍ଭର କରିବ । କେନ୍ଦ୍ର ବଜେଟ ସହ ୧୫ଶ ଆର୍ଥିକ କମିସନଙ୍କ ରିପୋର୍ଟ ମଧ୍ୟ ପାର୍ଲାମେଣ୍ଟରେ ଉପସ୍ଥାପିତ ହୋଇଛି । ସେଥିରେ ସ୍ୱାସ୍ଥ୍ୟକର୍ମୀ ପ୍ରଶିକ୍ଷଣକୁ ଗୁରୁତ୍ୱ ଦିଆଯାଇଥିବା କୁହାଯାଉଛି । ଅତଏବ ବ୍ରହ୍ମପୁରରେ ଆଗାମୀ ପାଞ୍ଚ ବର୍ଷରେ ଜାତୀୟ ସ୍ୱାସ୍ଥ୍ୟ ମିସନ ଅନୁଦାନରେ ପରିଚାଳିତ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମିରେ ଉନ୍ନତି ତଥା ସ୍ୱାସ୍ଥ୍ୟସେବା ତାଲିମ କ୍ଷେତ୍ରରେ ସଂପ୍ରସାରଣ ସମ୍ଭବ

 

ଦ୍ୱିତୀୟତଃ, କେନ୍ଦ୍ର ସରକାରଙ୍କ ପ୍ରଣୀତ ନୀତି ଅନୁଯାୟୀ ଜନସାଧାରଣଙ୍କୁ ସାଧାରଣ ପରିବହନ ସେବା ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର ନିମନ୍ତେ ପ୍ରୋତ୍ସାହିତ କରିବା ସାଙ୍ଗକୁ ବ୍ୟକ୍ତିଗତସ୍ତରରେ ମଟରଗାଡ଼ି ବ୍ୟବହାରକୁ ନିରୁତ୍ସାହିତ କରାଯିବ । ପର୍ଯ୍ୟାୟକ୍ରମେ ପୁରୁଣା ମଟରଗାଡ଼ିଗୁଡ଼ିକ ହଟାଇ ଦେଇ ବିଦ୍ୟୁତ ଚାଳିତ ଯାନବାହାନ ପ୍ରଚଳନ ଫଳରେ ପ୍ରଦୂଷଣ ରୋକିବା ଦିଗରେ ବଡ଼ ସଫଳତା ମିଳିବ । ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ନିମନ୍ତେ ଅଭିଯାନରେ ଭାରତର ସାମିଲ ଥିବା ହେତୁ ଏହି ଧରଣର ପଦକ୍ଷେପମାନ ବଳବତ୍ତର ରହିବ ।

 

କେନ୍ଦ୍ର ବଜେଟ ଅନୁଯାୟୀ ଦେଶରେ ଅଧିକ କୋଡ଼ିଏ ହଜାର ସିଟିବସ ସେବା ସରକାରୀ-ଘରୋଇ ସହଭାଗିତାରେ ଆୟୋଜନ ନିମନ୍ତେ ପ୍ରାବଧାନ ରହିଛି । ଫଳରେ ବ୍ରହ୍ମପୁରକୁ ଅଧିକା ସିଟିବସ ମିଳିପାରେ । ସେହିପରି ୧୫ ବର୍ଷରୁ ପୁରୁଣା ବ୍ୟାବସାୟିକ ଓ ୨୦ ବର୍ଷରୁ ପୁରୁଣା ବ୍ୟକ୍ତିଗତ ମଟରଗାଡ଼ିଗୁଡ଼ିକୁ ଏଣିକି ଫିଟନେସ ସାର୍ଟିଫିକେଟ ହାସଲ କରିବା ନିମନ୍ତେ ଏକ ସ୍ୱୟଂକ୍ରିୟ ଯାନ୍ତ୍ରିକ କେନ୍ଦ୍ରଗୁଡ଼ିକରେ ଉପସ୍ଥାପିତ କରିବାକୁ ପଡ଼ିବ । ପ୍ରତ୍ୟେକ ଯାନର ପ୍ରଦୂଷଣ ମାତ୍ରା ବିଚାରକୁ ନେଇ ଚଳାଚଳ ଲାଗି ଅନୁମତି ଦିଆଯିବ । ଏହି ନୀତି ଲାଗୁ ହେଲେ ବ୍ରହ୍ମପୁରର ପ୍ରାୟ ଏକ ଚତୁର୍ଥାଂଶ ଯାଏଁ ମଟରଗାଡ଼ି ରାସ୍ତାରୁ ହଟିବା ଆକଳନ କରାଯାଏ

 

ତୃତୀୟତଃ, ଦେଶବ୍ୟାପୀ ବିଦ୍ୟୁତ ପରିବହନ ଓ ବିତରଣ କ୍ଷେତ୍ରରେ ସୁଧାର ଆଣିବା ଲାଗି ଚଳିତ ବଜେଟରେ ତିନି ଲକ୍ଷ କୋଟି ଟଙ୍କାର ପାଞ୍ଚ ବର୍ଷିଆ ପୁନଃବିନ୍ୟାସ ଯୋଜନା ଘୋଷଣା କରାଯାଇଛି ଏହି ଅନୁଦାନରେ ଭିତ୍ତିଭୂମି ବିକାଶ ସହ ଗ୍ରାହକଙ୍କ ଘରେ ଘରେ ସ୍ମାର୍ଟମିଟର ସ୍ଥାପନ ଭଳି କାର୍ଯ୍ୟକ୍ରମ ହାତକୁ ନିଆଯିବ । ଶକ୍ତି ମନ୍ତ୍ରଣାଳୟ ୨୦୨୧-୨୨ ଆର୍ଥିକ ବର୍ଷରେ ଏହି ବାବଦରେ ଏକ ଲକ୍ଷ କୋଟି ଟଙ୍କା ଚିହ୍ନଟ କରିଥିବା ଜଣାଯାଏ ବ୍ରହ୍ମପୁରର ବିଦ୍ୟୁତ ଯୋଗାଣ ପରିଚାଳନାଭାର ଜାନୁୟାରୀ ପ୍ରଥମ ସପ୍ତାହରୁ ଟାଟା ପାୱାର ଗ୍ରହଣ କରିଛି । କେନ୍ଦ୍ର ସରକାରଙ୍କ ବିଦ୍ୟୁତ ବଣ୍ଟନ ସଂସ୍କାର ଯୋଜନାରେ ବ୍ରହ୍ମପୁରରେ ଜନାକୀର୍ଣ୍ଣ ରାସ୍ତାଘାଟରେ ମୁକୁଳା ଟ୍ରାନ୍ସମିଟର, ଅସଜଡା ପୋଲ ୱାଏରିଂ ଓ ପ୍ରତି ଘରଦ୍ୱାରରେ ମିଟର-ଜୀବନ୍ତ ବିଦ୍ୟୁତବାହୀ ତାରର ବିକୃତ ଓ ବିପଦଜନକ ଚ଼ିତ୍ରରେ କିଛିଟା ପରିବର୍ତ୍ତନ ଆଶା କରାଯାଇପାରେ ।

(ଅନୁପମ ଭାରତ / ୬ ଫେବୃୟାରୀ ୨୦୨୧/ ପୃଷ୍ଠା : ୮)

Illustration : "Budget" by Got Credit is licensed under CC BY 2.0