Friday, April 30, 2021

Manoj Das / ମନୋଜ ଦାସ

 


#ବ୍ରହ୍ମପୁର ମନୋଜ ଦାସଙ୍କ ପାଇଁ ଥିଲା ଏକ ଅତିଥ୍ୟର ସହର । ବାଲେଶ୍ୱର ଜିଲ୍ଲାରେ ଜନ୍ମିତ ମନୋଜ ଦାସ ବାଲେଶ୍ୱର, ପୁରୀ ଓ କଟକରେ ଅଧ୍ୟୟନ ସାରି ମାତ୍ର ଚାରିବର୍ଷ କଟକର ଖ୍ରୀଷ୍ଟ କଲେଜରେ ଇଂଲିଶ ଅଧ୍ୟାପନା କରି ପଣ୍ଡିଚେରୀ, ଅଧୁନା ପଡୁଚେରୀ ଶ୍ରୀ ଅରବିନ୍ଦ ଆଶ୍ରମ ପରିଚାଳିତ ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରରେ ଅବଶିଷ୍ଟ ଜୀବନ ଅତିବାହିତ କରିଥିଲେ । ସେ ବ୍ରହ୍ମପୁରକୁ ସଭାସମିତିରେ ଯୋଗଦେବା ନିମନ୍ତେ ଛାତ୍ରାବସ୍ଥାରୁ ବାର୍ଦ୍ଧକ୍ୟରେ ଉପନୀତ ହେବା ଯାଏଁ କମ ହେଲେ ବି ବରାବର ଆସୁଥିଲେ । ତାଙ୍କ ସହ ଦୀର୍ଘ ସାନ୍ନିଧ୍ୟରେ ନ ଆସିପାରିଥିଲେ ସୁଦ୍ଧା ବ୍ରହ୍ମପୁରର ବୁଦ୍ଧିଜୀବୀ, ସାହିତ୍ୟିକ ଓ ଶ୍ରୀଅରବିନ୍ଦ ଦର୍ଶନ ଅନୁରାଗୀଙ୍କ ମଧ୍ୟରୁ ବେଶ କିଛି ସଂଖ୍ୟକ ତାଙ୍କରି ରଚନା, ବକୃତା ଓ ଚିଠିପତ୍ର ମାଧ୍ୟମରେ ଭାବଗତସ୍ତରରେ ବିଗତ ଛଅ ଦଶନ୍ଧି ଧରି ଯୋଡ଼ି ହୋଇ ରହୁଥିଲେ । ଏହି କାରଣରୁ ମନୋଜ ଦାସଙ୍କ ପରିଣତ ବୟସରେ ଶଯ୍ୟାଶାୟୀ ଅବସ୍ଥାରେ ପରଲୋକରେ ସହରର ଏକାଂଶ ମର୍ମାହତ । ଏଦି ଦୁଃଖଦ ମୂହୁର୍ତ୍ତରେ ଜୀବନ ଓ ମୃତ୍ୟୁ ସଂପର୍କରେ ଯାହାଠାରୁ ବ୍ୟାଖ୍ୟା ଶୁଣୁଥିଲେ ତାଙ୍କରି ନିଧନରେ ସାଧାରଣ ଲୋକଟିଏ ବା କେଉଁଠି ଆଶ୍ୱାସନା ଖୋଜିବ ?
 
ବ୍ରହ୍ମପୁର ସହ ମନୋଜ ଦାସ ମୁଖ୍ୟତଃ ତାଙ୍କରି ସାହିତ୍ୟ ଓ ସାମ୍ୱାଦିକତାର ବିମୁଗ୍ଧ ପାଠକ, ଦର୍ଶନ ବକ୍ତୃତାବଳୀର ମୋହାଚ୍ଛନ୍ନ ଶ୍ରୋତା, ବିଶେଷକରି ଶ୍ରୀ ଅରବିନ୍ଦ ପାଠଚକ୍ରଗୁଡ଼ିକର ସଦସ୍ୟ ଏବଂ ସଚୀର୍ଥ ସାହିତ୍ୟିକ ଗୋଷ୍ଠୀ ସହ ଦୀର୍ଘକାଳୀନ ଯୋଗସୂତ୍ର ସ୍ଥାପିତ ହୋଇଥିଲା । ଛାତ୍ରାବସ୍ଥାରେ ସେ ସାମ୍ୟବାଦୀ ଚ଼ିନ୍ତାଧାରାରେ ଉଦବୁଦ୍ଧ ହୋଇ କମ୍ୟୁନିଷ୍ଟ ପାର୍ଟିର କାର୍ଡ ହୋଲଡ଼ର ସାଜିଥିଲେ । ପଞ୍ଚମ ଦଶକ ଶେଷ ଭାଗରେ ବ୍ରହ୍ମପୁରରେ ନିଖିଳ ଉତ୍କଳ ଛାତ୍ର ସଂଘର ସମ୍ମିଳନୀ ଆୟୋଜନ କାଳରେ ସ୍ଥାନୀୟ ବାମପନ୍ଥୀଙ୍କ ସଂସ୍ପର୍ଶରେ ଆସିଥିଲେ । ବକ୍ତାଭାବେ ବ୍ରହ୍ମପୁର ଆଗମନ କାଳରେ କମାପଲ୍ଲୀ ସରକାରୀ ଡ଼ାକବଙ୍ଗଳା, ଟାଉନହଲ ସଂଲଗ୍ନ ପୌରପାଳିକା ଗେଷ୍ଟ ହାଉସ ଏବଂ ଶେଷରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅତିଥି ଭବନରେ ସ୍ୱଳ୍ପକାଳ ଅବସ୍ଥାନ କରୁଥିଲେ୧୯୮୪ରେ କବିସୂର୍ଯ୍ୟ ରଙ୍ଗମଞ୍ଚରେ ସ୍ଥାନୀୟ ଶ୍ରୀ ଅରବିନ୍ଦ ପାଠଚକ୍ର ଦ୍ୱାରା ଆୟୋଜିତ ଗୀତାର ମହତ୍ତ୍ୱ ଶୀର୍ଷକ ତିନି ସନ୍ଧ୍ୟାବ୍ୟାପୀ ଭାଷଣ କାର୍ଯ୍ୟକ୍ରମ ହୁଏତ ମନୋଜ ଦାସଙ୍କ ବ୍ରହ୍ମପୁରରେ ଅନ୍ୟତମ ଦୀର୍ଘ ରହଣୀ । ସହରରେ ଅବସ୍ଥାନ କାଳରେ ସେ ସ୍ଥାନୀୟ ଲେଖକ, ବୁଦ୍ଧିଜୀବୀ ଓ ଶ୍ରୀ ଅରବିନ୍ଦ ଅନୁଗାମୀଙ୍କୁ ଭେଟନ୍ତି ଏବଂ ଏହି ସାଧାରଣ ସାକ୍ଷାତ ପରବର୍ତ୍ତୀକାଳରେ ସାକ୍ଷାତକାରୀ ସହ ତାଙ୍କରି ଦୀର୍ଘକାଳୀନ ସଂପର୍କରେ ପରିଣତ ହୋଇପଡୁଥିଲା
 
ଜଣେ ଶିକ୍ଷକ, ସାହିତ୍ୟିକ, ସାମ୍ୱାଦିକ, ସମ୍ପାଦକ ଓ ଦାର୍ଶନିକ ଭାବେ ମନୋଜ ଦାସଙ୍କ ଜୀବନଚର୍ଯ୍ୟା ପୀଢ଼ି ପରେ ପୀଢ଼ି ଓଡ଼ିଆ ବୁଦ୍ଧିଜୀବୀଙ୍କୁ ଅନୁପ୍ରାଣିତ କରି ଆସିଛି । ମନୋଜ ଦାସ ୧୯୬୩ରୁ ସସ୍ତ୍ରୀକ ପୁଡୁଚେରୀରେ ଅବସ୍ଥାନ କରୁଥିଲେ । ନୂଆକରି ଗଢ଼ି ଉଠିଥିବା ଶ୍ରୀଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରରେ ଅଧ୍ୟାପନା, ଗବେଷଣା ଓ ସୃଜନ ନିମନ୍ତେ ସୁବିଧା ସୁଯୋଗ ଉପଲବ୍ଧ ରହିଥିଲା । ଷଷ୍ଠ ଓ ସପ୍ତମ ଦଶକ ସୁଦ୍ଧା ଫ୍ରେଞ୍ଚ ଉପନିବେଶରୁ ସଦ୍ୟ ମୁକ୍ତ ପୁଡୁଚେରୀରେ ଫ୍ରେଞ୍ଚ ସଂସ୍କୃତିର ଛାପ ଛୋଟିଆ ସହରଟିରେ ପହଞ୍ଚିଗଲେ ବିଦେଶର ଭ୍ରମ ସୃଷ୍ଟି କରୁଥିଲା । ବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମି, ସହରର ମଧ୍ୟଭାଗରେ ସୁବିସ୍ତୃତ ସେଣ୍ଟ୍ରାଲ ପାର୍କ, ଫ୍ରେଞ୍ଚ ବସତିର ଗଳିରାସ୍ତା କଳ୍ପନାବିଳାସୀ ମନୋଜ ଦାସଙ୍କ ଲେଖକ ଜୀବନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥିଲା । ସେ ଯେ ଦୀର୍ଘ କାଳ ସୃଜନରେ ମନୋନିବେଶ କରିବା ସୁଯୋଗ ପାଇଥିଲେ ଏହା ତାଙ୍କ ସୌଭାଗ୍ୟ କଥା । ଶ୍ରୀ ଅରବିନ୍ଦ ଆଶ୍ରମକୁ ବିଦେଶୀ ବୁଦ୍ଧିଜୀବୀ ଓ ପର୍ଯ୍ୟଟକଙ୍କ ଆତଯାତ ଲାଗି ରହିଥାଏ । ସେମାନଙ୍କ ସହଚ଼ର୍ଯ୍ୟରେ ମନୋଜ ଦାସଙ୍କ ସୃଜନ ପରିପୁଷ୍ଟ ଓ ଆନ୍ତର୍ଜାତିକ ଦୃଷ୍ଟିଭଙ୍ଗୀ ସୃଷ୍ଟିରେ ସହାୟକ ହୋଇଥିଲା ।
 
ଓଡ଼ିଆ ସମ୍ୱାଦପତ୍ର ଓ ପତ୍ରପତ୍ରିକା ନିମନ୍ତେ ସ୍ତମ୍ଭ ରଚ଼ନାରେ ମନୋଜ ଦାସ ଅଗ୍ରଗଣ୍ୟ । ଷଷ୍ଠ ଓ ସପ୍ତମ ଦଶକରେ ସମାଜର ରବିବାର ସାହିତ୍ୟ ପୃଷ୍ଠାରେ ପ୍ରକାଶିତ ନିୟମିତ ସ୍ତମ୍ଭ ସନ୍ଧାନ ଓ ସମୀକ୍ଷା ସାଧାରଣ ପାଠକଙ୍କୁ ଝରକା ସେପାଖ ପୃଥିବୀ ସଂପର୍କରେ ପରିଚିତ କରାଇବା ସଙ୍ଗେ ଯୁବଲେଖକମାନଙ୍କୁ ସାମ୍ୱାଦିକତା ନିମନ୍ତେ ପ୍ରୋତ୍ସାହିତ କରିଥିଲା । ଶ୍ରୀ ଅରବିନ୍ଦ ଜନ୍ମ ଶତବାର୍ଷକୀ ପାଳନ ଅବସରରେ ବୃତ୍ତି ପାଇ ସ୍ୱାଧୀନତା ସଂଗ୍ରାମରେ ଶ୍ରୀ ଅରବିନ୍ଦଙ୍କ ଭୂମିକା ଗବେଷଣା ନିମନ୍ତେ ପ୍ରାୟ ବର୍ଷେକାଳ ମନୋଜ ଦାସ ଲଣ୍ଡନରେ ଅବସ୍ଥାନ କରିଥିଲେ । ଲଣ୍ଡନ ରହଣୀର ପ୍ରତିଟି ଉଲ୍ଲେଖଯୋଗ୍ୟ ଘଟଣାର ଧାରାବିବରଣୀ ନିଜ ସ୍ତମ୍ଭରେ ପ୍ରକାଶ କରିଥିଲେ । ଓଡ଼ିଆ ପାଠକ, ମୁଖ୍ୟତଃ ଯୁବଶ୍ରେଣୀଙ୍କୁ ପାଶ୍ଚାତ୍ୟ ସଂସ୍କୃତି ସଂପର୍କରେ ପରିଚ଼ିତ କରାଇବାରେ ମନୋଜ ଦାସଙ୍କ ଭ୍ରମଣ କାହାଣୀର ପ୍ରଭାବ ବହୁ ପାଠକ ଜୀବନବ୍ୟାପୀ ଭୁଲି ପାରିନାହାନ୍ତି । ଏହି ବର୍ଗରେ କେତେ ଦିଗନ୍ତ, ଦୂର ଦୂରାନ୍ତର, ଅଦୂର ବିଦେଶ, ଅନ୍ତରଙ୍ଗ ଭାରତ ଇତ୍ୟାଦି ସ୍ତମ୍ଭ ପ୍ରଧାନ ।
 
ମନୋଜ ଦାସ ଉତ୍ତର ପୀଢ଼ି ସାହିତ୍ୟିକ ସାମ୍ୱାଦିକମାନଙ୍କୁ ନିଜ ସୃଜନ ଚାତୁରୀ ସଂପର୍କରେ ଉଦାର ଚିତ୍ତରେ ପରାମର୍ଶ ଦେଉଥିଲେ । ସେ କହୁଥିଲେ କୌଣସି ବିଷୟରେ ଚ଼ିନ୍ତା ପ୍ରକଟମାତ୍ରେ ପ୍ରଥମେ ପ୍ରଗଳଭ ଭାବେ ସେ ଲେଖି ପକାନ୍ତି । କିଛି ସମୟ ବ୍ୟବଧାନରେ, ଏପରିକି ପରଦିନ ବା ବହୁଦିନ ପରେ, ସେହି ରଚ଼ନାଗୁଡ଼ିକୁ ସଂଶୋଧନ, ପୁନଃଲିଖନରେ ମନୋନିବେଶ କରନ୍ତି । ବ୍ରହ୍ମପୁର କମାପଲ୍ଲୀ ସରକାରୀ ଡ଼ାକବଙ୍ଗଳାରେ ୧୯୮୪ର ଏକ ଶୀତୁଆ ସକାଳରେ ଅନୁଷ୍ଠିତ ଏକ ସାକ୍ଷାତକାରରେ ଏହି ପ୍ରକ୍ରିୟାକୁ ସେ ଗୋ-ମହିଷାଦି ପଶୁଙ୍କ ଖାଦ୍ୟ ଗ୍ରହଣଜନିତ
ରୋମନ୍ଥନ ସହ ତୁଳନା କରିଥିଲେ । ପରବର୍ତ୍ତୀ କାଳରେ ବହୁ ସ୍ଥାନରେ ଏହି ବିଷୟ ଉଲ୍ଲେଖ କରିଥିଲେ । ମନୋଜ ଦାସଙ୍କ ଏହି ତତ୍ତ୍ୱ ଯେଉଁ ସାହିତ୍ୟିକ, ସାମ୍ୱାଦିକ ତଥା ଅନ୍ୟ ସର୍ଜନଶୀଳମାନେ ବୁଝିପାରିଥାନ୍ତି ସେମାନଙ୍କ ସୃଜନର ଉତ୍କର୍ଷ ପରିମାପ ଅନ୍ତତଃପକ୍ଷେ ୫୦ ପ୍ରତିଶତ ବଢ଼ିଥାଏ । ମନୋଜ ଦାସଙ୍କ ପରଲୋକ ଘଟିଛି ସତ, ପୁଣି ଥରେ ତାଙ୍କ ସହ ଦେଖା-ସାକ୍ଷାତ ଆଳାପ-ଆଲୋଚନା ଅସମ୍ଭବ । ତେବେ ନିଜସ୍ୱ ରଚନାର ରୋମନ୍ଥନ ପ୍ରକ୍ରିୟାରେ ସଂଶୋଧନ, ପୁନଃଲିଖନ କାଳରେ ଆକସ୍ମିକ ତାଙ୍କରି ସ୍ମୃତିଯେ ମନେପଡ଼ିଯିବ ଏଥିରେ ସନ୍ଦେହ ନାହିଁ ।


(ଅନୁପମ ଭାରତ ବ୍ରହ୍ମପୁର ସଂସ୍କରଣ / ୦୧ ମେ  ୨୦୨୧/ ପୃଷ୍ଠା : ୮)

Photo : "incense sticks" by whitecat sg is licensed under CC BY-NC 2.0

Friday, April 23, 2021

Mango Market / ଆମ୍ୱ ବଜାର

 


#ବ୍ରହ୍ମପୁର ସହରବାସୀଙ୍କ ପାଇଁ ଗ୍ରୀଷ୍ମ ଋତୁରେ ଆମ୍ୱ ଏକ ସୁସ୍ୱାଦୁ ଫଳ ଆହାର । ସାଧାରଣତଃ ଦୋଳପୂର୍ଣ୍ଣିମାରେ ଠାକୁରଙ୍କଠାରେ କଞ୍ଚା ଆମ୍ୱ ଭୋଗ ଦେଇ ଦୈନନ୍ଦିନ ଖାଦ୍ୟରେ ଚଟଣି, ଖଟା, ଝୋଳ, ବେସର ଇତ୍ୟାଦି ବ୍ୟଞ୍ଜନରେ ବ୍ୟବହୃତ ହୋଇଥାଏ । ଆମ୍ୱୁଲ ଓ ଆଚାର ପ୍ରସ୍ତୁତିରେ ଲାଗେ । ବିଷୁବସଂକ୍ରାନ୍ତି ବେଳକୁ ବଜାରକୁ ଆଗୁଆ ପାଚିଲା ଆମ୍ୱ ଆସିଯାଏ । ଓଡ଼ିଆ ନବବର୍ଷରେ ପଣା ସହ ପାଚିଲା ଆମ୍ୱ ନୈବେଦ୍ୟ ବଢାଯାଏ । ତେବେ ବୈଶାଖ ମାସ ଆରମ୍ଭ ବେଳକୁ ବଜାରରେ କିସମ କିସମ ଆମ୍ୱ ପହଞ୍ଚିବା ପରେ ସାଧାରଣ ପରିବାରର ଦୈନନ୍ଦିନ ସଉଦାରେ ସାମିଲ ହୁଏ ।
 
ପାରମ୍ପରିକଭାବେ ବ୍ରହ୍ମପୁରକୁ ତିନିଗୋଟି ସୂତ୍ରରୁ ଆମ୍ୱ ଆମଦାନୀ ହୋଇଥାଏ । ପ୍ରଥମତଃ, ସହରକୁ ଘେରି ଗ୍ରାମାଞ୍ଚଳରେ ପର୍ଯ୍ୟାପ୍ତ ପରିମାଣରେ ଆମ୍ୱ ତୋଟା ଥିବା ହେତୁ ସେଠାକାର ଆମ୍ୱ ଫସଲ ପାଇଁ ପ୍ରାଥମିକ ବଜାର । ଦ୍ୱିତୀୟତଃ, ଗଞ୍ଜାମ, ଗଜପତି ଓ କନ୍ଧମାଳର ଜଙ୍ଗଲଜାତ ସାମଗ୍ରୀଭାବେ ଉଭୟ କଞ୍ଚା ଓ ପାଚିଲା ଆମ୍ୱ ଏଠାକାର ବଜାରରେ ପହଞ୍ଚେ । ତୃତୀୟତଃ, ପଡ଼ୋଶୀ ଆନ୍ଧ୍ର ପ୍ରଦେଶରେ ସ୍ୱାଧୀନୋତ୍ତର ଅବସ୍ଥାରୁ ବ୍ୟାବସାୟିକଭିତ୍ତିରେ ବ୍ୟାପକ ଆମ୍ୱଚାଷ ହେଉଥିବା ହେତୁ ସୀମାନ୍ତ ବଜାର ଭାବେ ବ୍ରହ୍ମପୁରର ଗୁରୁତ୍ୱ ରହେ ।
 
ବ୍ରହ୍ମପୁର ଆମ୍ୱବଜାର ପାଇକାରୀ ବ୍ୟବସାୟ ସାରା ରାଜ୍ୟରେ ପ୍ରସିଦ୍ଧ । ଏଠାରୁ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳ ସମେତ ଛତିଶଗଡ଼ ଓ ପଶ୍ଚିମବଙ୍ଗକୁ ମଧ୍ୟ ରପ୍ତାନୀ ହୁଏ । ସହରରେ ଆମ୍ୱବଜାର ପୁରାତନ ଭିକ୍ଟୋରିଆ ମାର୍କେଟ ବା ଅଧୁନା ଗିରି ମାର୍କେଟର ସମ୍ମୁଖଭାଗରେ ଋତୁକାଳୀନ ଅସ୍ଥାୟୀ ଦୋକାନ ଖୋଲାଯାଉଥିଲା ।
 
ଏହାର ନିର୍ମାଣ ଶୈଳୀରେ ସ୍ୱତନ୍ତ୍ରତା ରହିଥିଲା । ଚାବୁକ ଅର୍ଥାତ ଝାଉଁ ଗଛର କାଠ ଫ୍ରେମରେ ବାଉଁଶ ତାଟି କାନ୍ଥ ଓ ନଡ଼ା ଛପରରେ ଦୋକାନ ଘରଗୁଡ଼ିକ ଗଢ଼ି ଉଠୁଥିଲା । ଚଟାଣରେ ପାଳ ବିଛାଇ ହୁଏ । ଝାଉଁ କାଠ ଗୋପାଳପୁର, ଛତ୍ରପୁର ସମୁଦ୍ରବେଳା, ବାଉଁଶ କେରାଣ୍ଡିମାଳ ପାର୍ବତ୍ୟାଞ୍ଚଳ ଓ ନଡ଼ାପାଳ ଆଖପାଖ କ୍ଷେତରୁ ମିଳିଯାଏ । ଖରାଦିନେ ଚାରିମାସ ଆମ୍ୱ ବେପାର ସରିଲେ ଆମ୍ୱ ବଜାର ଦୋକାନଘରଗୁଡ଼ିକୁ ଖୋଲି ଦିଆଯାଏ ।
 
ସ୍ଥାନୀୟ ପୌରପାଳିକା ମାଲିକାନାରେ ପରିଚାଳିତ ଭିକ୍ଟୋରିଆ ମାର୍କେଟ ନବୀକରଣରେ ଗିରି ମାର୍କେଟ କୋଠାବାଡ଼ିର ନିର୍ମାଣକାଳରେ ସପ୍ତମ ଦଶକ ଶେଷଭାଗରେ ଆମ୍ୱ ବଜାର କର୍ପୋରେସନ ରୋଡ଼କୁ କିଛି ବର୍ଷ ଘୁଞ୍ଚି ଯାଇଥିଲା । ସେଠାରୁ ପୁଣି ଟାଉନ ହଲ ରୋଡ଼ର ସେଣ୍ଟ ଷ୍ଟିଫନ୍ସ ଚର୍ଚ୍ଚ ଗ୍ରାଉଣ୍ଡକୁ ସ୍ଥାନାନ୍ତରିତ ହୋଇଥିଲା । ତେବେ ଉଭୟ ଅଞ୍ଚଳ ସହରର କାର୍ଯ୍ୟବ୍ୟସ୍ତ ରାସ୍ତା ପାର୍ଶ୍ୱରେ ଅବସ୍ଥିତଥିବା ହେତୁ ଟ୍ରାଫିକ ସମସ୍ୟା କାରଣରୁ ତତ୍କାଳୀନ ସହରତଳି ଅନ୍ଧପସରା ରୋଡ଼ସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିର ନିକଟରେ ବ୍ୟବସାୟୀଗଣ ପକ୍କା ଦୋକାନ ଘର ନିର୍ମାଣକରି ୮୪ ଗୋଟି ଗୋଦାମରେ ଶ୍ରୀ ନୀଳକଣ୍ଠେଶ୍ୱର ଆମ୍ୱ ବଜାର ଆରମ୍ଭ କରିଥିଲେ ।
 
ବ୍ରହ୍ମପୁରରେ ଆମ୍ୱବଜାର ମୁଖ୍ୟତଃ ମାର୍ଚ୍ଚରୁ ଅଗଷ୍ଟ ମାସ ଯାଏଁ ଚାଲୁ ରହେ । ଗଞ୍ଜାମ ଆମ୍ୱ ତୋଟାର ସ୍ଥାନୀୟ ପ୍ରଜାତି ସାଙ୍ଗକୁ ଗଜପତି ଓ କନ୍ଧମାଳର ଠୁରି ଆମ୍ୱ ଏବଂ ଆମଦାନୀ ହେଉଥିବା ବାଇଗଣପଲ୍ଲି, ସୁବର୍ଣ୍ଣରେଖା, ଆଖୁରସ ଓ କଲମୀ ଆମ୍ୱର ଚାହିଦା ଅଧିକ । ଏଗୁଡ଼ିକର ଦର ନିମ୍ନ ଓ ମଧ୍ୟମ ବର୍ଗରେ ରହେ । ଉଚ୍ଚବର୍ଗର ବିଭିନ୍ନ ସୁବାସିତ ଆମ୍ୱର ଦର ଅଧିକା । ଜୁନମାସରେ ତାମିଲନାଡୁ ଓ ଜୁଲାଇରେ ଉତ୍ତରପ୍ରଦେଶ ଆମ୍ୱ ମଧ୍ୟ ଏଠାକାର ବଜାରରେ ପହଞ୍ଚେ ।
 
ମହାମାରୀରେ ବ୍ରହ୍ମପୁର ଆମ୍ୱବଜାର ବ୍ୟବସାୟ ୨୦୨୦ରେ ପ୍ରଭାବିତ ହୋଇଥିଲା । ସହରରେ ସଂକ୍ରମଣ ବ୍ୟାପିବା ଆରମ୍ଭ ଅବସରରେ ଶ୍ରୀ ନୀଳକଣ୍ଠେଶ୍ୱର ଆମ୍ୱ ବଜାରରୁ ଜଣେ ସଂକ୍ରମିତ ଚ଼ିହ୍ନଟ ହେବା ପରେ ଅବରୋଧ କଣ୍ଟେନମେଣ୍ଟ ଘୋଷିତ ହୋଇଥିଲା । ବ୍ୟବସାୟୀଗଣ ଅଗତ୍ୟା ଓଭରବ୍ରିଜ ତଳକୁ ଯାଇ ମହଜୁଦ ଷ୍ଟକ ବିକ୍ରୀ କରିଥିଲେଅଧିକ ପରିମାଣ ଓ ଉଚ୍ଚମାନର ଆମ୍ୱ ଆମଦାନୀ ବାଧାପ୍ରାପ୍ତ ହୋଇଥିଲା ।
 
ଦେଶରେ ମହାମାରୀର ଦ୍ୱିତୀୟ ତରଙ୍ଗ ୨୦୨୧ ଫେବୃୟାରୀ ମାସ ମଧ୍ୟଭାଗରୁ ଆରମ୍ଭ ହୋଇଥିବା ଏବଂ କେତେକ ବିଶେଷଜ୍ଞ ଜୁଲାଇ ଶେଷ ଯାଏଁ ବଳବତ୍ତର ରହିବା ପୂର୍ବାନୁମାନ କରୁଥିବା ହେତୁ ବ୍ରହ୍ମପୁର ଆମ୍ୱବଜାରର ବ୍ୟବସାୟ ପ୍ରଭାବିତ ହେବା ଆଶଙ୍କା କରାଯାଇପାରେ । ଏପ୍ରିଲ ମଧ୍ୟଭାଗରୁ ବ୍ରହ୍ମପୁର ଜନସାଧାରଣଙ୍କୁ ଭିଡ଼ରୁ ଦୂରେଇ ରହିବାକୁ ସତର୍କ କରିଦିଆଯାଉଛି । ନାଇଟ କର୍ଫ୍ୟୁ ଓ ସପ୍ତାହାନ୍ତ ସଟଡାଉନ ଲାଗୁ କରାଯାଇଛି । ଏହି ଅବସରରେ ଗ୍ରାହକଙ୍କ ଘରଦ୍ୱାରରେ ଅନଲାଇନ ପାଚିଲା ଆମ୍ୱ ଯୋଗାଣରେ କିଛି ସ୍ଥାନୀୟ ଉଦ୍ୟୋଗୀ ମନୋନିବେଶ କରିବା ଯୁକ୍ତିଯୁକ୍ତ ମନେ ହୁଏ ଫଳରେ ସହରର ଆମ୍ୱ ବ୍ୟବସାୟ ଗୁରୁତ୍ୱ ହରାନ୍ତାନି ଏବଂ ସହରବାସୀ ନିଜ ମନପସନ୍ଦ ଉଚ୍ଚମାନର ଆମ୍ୱ ଘରେ ବସି ପାଇପାରନ୍ତେ । ଏପ୍ରିଲ ତୃତୀୟ ସପ୍ତାହରେ ସ୍ଥାନୀୟ ଆମ୍ୱ ବଜାରରେ ସାଧାରଣ ଆମ୍ୱର ପାଇକାରୀ ଦର କିଲୋଗ୍ରାମ ପିଛା ୨୦ରୁ ୩୦ ଟଙ୍କା ହିସାବ କରାଯାଉଥିବା ସ୍ଥଳେ ଖୁଚୁରାରେ ଠେଲା ବେପାରୀମାନେ ଗଳିକନ୍ଦିରେ ୪୦ରୁ ୫୦ ଟଙ୍କାରେ ବିକ୍ରୀ କରୁଛନ୍ତି । ଏହି ପରିବେଶରେ ଅନଲାଇନ ବ୍ୟବସାୟ ଅବଶ୍ୟ ଲାଭଦାୟକ ହେବ ବୋଲି ବିଶ୍ୱାସ କରାଯାଇପାରେ ।

(ଅନୁପମ ଭାରତ ବ୍ରହ୍ମପୁର ସଂସ୍କରଣ / ୨୪ ଏପ୍ରିଲ ୨୦୨୧/ ପୃଷ୍ଠା : ୮)

Friday, April 16, 2021

'Thakurani Yatra' Experience / ଠାକୁରାଣୀ ଯାତ୍ରା ଅନୁଭୂତି

 


ଅନିଶ୍ଚିତତା ମଧ୍ୟରେ #ବ୍ରହ୍ମପୁର ଠାକୁରାଣୀ ଯାତ୍ରା ୨୦୨୧ ପାଳିତ ହେଲା । ସହରର ପୁରାତନ ବାସିନ୍ଦାଗଣ ସାମୂହିକ ମନୋରଞ୍ଜନରେ ଭରପୁର ଦ୍ୱି-ବାର୍ଷିକ ଯାତ୍ରା ପାଳନକୁ ଦୀର୍ଘ ଦିନରୁ ଅପେକ୍ଷାରେ ରହିଥାନ୍ତି । କୋଭିଡ଼-୧୯ ମହାମାରୀ ଭୟ ୨୦୨୦ ମାର୍ଚ୍ଚ ମଧ୍ୟଭାଗରୁ ଅନୁଭୂତ ହେବା ପୂର୍ବବର୍ଷ ୨୦୧୯ରେ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଥିଲା । ସହରବାସୀ ଭାବିଥିଲେ ମହାମାରୀ ମାସେ ଦୁଇମାସ, ଅତି ବେଶୀରେ ଛଅମାସରେ ସରିଯିବ । ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ କଟକଣା ପାଳନ କରି ତିନି ମାସ କଟାଇବା ପରେ ଜୁଲାଇରେ ମହାମାରୀ ପ୍ରକୋପ ଶୀର୍ଷରେ ପହଞ୍ଚିଥିଲା । ଅଗଷ୍ଟରୁ-ଡ଼ିସେମ୍ୱର ଯାଏଁ ସଂକ୍ରମଣ ନିମ୍ନମୁଖୀ ହୋଇ ନବବର୍ଷ ଜାନୁୟାରୀରୁ ସହର ଜନଜୀବନ ସ୍ୱାଭାବିକ ଅବସ୍ଥାକୁ ଫେରିଥିଲା । ସରକାରୀ କଟକଣା ହଟିଥିଲା । ସହରବାସୀ ଠିକ କରିନେଇଥିଲେ ଏପ୍ରିଲରେ ଠାକୁରାଣୀ ଯାତ୍ରା ପୂର୍ବବତ ସ୍ୱାଭାବିକ ନହେଲେ ସୁଦ୍ଧା ଅନ୍ତତଃପକ୍ଷେ କିଛିଟା ଉତ୍ସବ ଆୟୋଜନର ମାହୋଲ ସୃଷ୍ଟି କରିବ ।
 
ଅବଶ୍ୟ ଯାତ୍ରା କହିଲେ ଭିଡ଼, ଭିଡ଼ର ଅର୍ଥ ସଂକ୍ରମଣ ବୃଦ୍ଧି ଏବଂ ଟିକାକରଣ ଦ୍ୱାରା ସାମୂହିକ ପ୍ରତିରୋଧକ ଶକ୍ତି ସୃଷ୍ଟି ଯାଏଁ ଭୂତାଣୁ ସଂକ୍ରମଣ ଭୟକୁ ଯେ ଏଡ଼ାଇ ଦେଇ ହେବ ନାହିଁ, ଏକଥା ତଥ୍ୟାଭିଜ୍ଞମାନେ ବୁଝିଥିଲେ । ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଭିଡ଼ର ପରିଭାଷା ଯାତ୍ରା ପାଳନର ଶେଷ ସପ୍ତାହକ ପ୍ରତ୍ୟେହ ସନ୍ଧ୍ୟାରୁ ଗଭୀର ରାତି ଯାଏଁ ବଡ଼ବଜାର ଓ ସଂଲଗ୍ନ ଇଲାକାରେ ସହର ଓ ସହରତଳି ଅଞ୍ଚଳରୁ ପଚାଶ ହଜାରରୁ ଲକ୍ଷେ ଲୋକ ସମବେତ ହୁଅନ୍ତି । ଦେବୀ ଦର୍ଶନ ସହ ରଥ-କଳାକୁଞ୍ଜ-ଆଲୋକସଜ୍ଜା ବନ୍ଧୁପରିଜନଙ୍କସହ ଉପଭୋଗ କରନ୍ତି । ଭଳିକି ଭଳି ଖାଦ୍ୟ ଚାଖନ୍ତି, ପ୍ରଦର୍ଶନୀ-ସର୍କସ-ସିନେମା ହଲରେ ପହଞ୍ଚନ୍ତି । ଦିନସାରା ଛୋଡ଼-ଗାଜିଆ ଠାରୁ ବାଘନାଚ଼ ଯାଏଁ ବେଶଧାରୀଙ୍କ ଗହଳଚହଳ ସହରସାରା ଗଳିକନ୍ଦିରେ ଲାଗି ରହିଥାଏ ବାପଘରକୁ ବିବାହିତା ଝିଅ ସପରିବାରେ ଫେରେ, ଆଖପାଖ ଗ୍ରାମାଞ୍ଚଳରୁ ସଂପର୍କୀୟ ଯାତ୍ରା ଦେଖିବା ପାଇଁ କୁଣିଆ ହୁଅନ୍ତି । କିନ୍ତୁ ସମ୍ଭାବ୍ୟ ମହାମାରୀ-ପର ଅବସ୍ଥାରେ ଏହି ରୀତିନୀତି କେତେଦୂର ପାଳନୀୟ ହେବ ତାହା ଅସ୍ପଷ୍ଟ ରହିଥିଲା ।
 
ମହାମାରୀର ଗତିପ୍ରକୃତି ଅନିଶ୍ଚିତ । କୋଭିଡ଼-୧୯ ସୃଷ୍ଟିକାରୀ ସାର୍ସ-କୋଭ-୨ ଭୂତାଣୁ ନୂତନ ପ୍ରଜାତିର ହୋଇଥିବା ହେତୁ ବିଶ୍ୱବ୍ୟାପୀ ବୈଜ୍ଞାନିକ ଓ ଚ଼ିକିତ୍ସକମାନେ ଅନଭିଜ୍ଞ ଥିଲେ ଏବଂ ପର୍ଯ୍ୟାୟକ୍ରମେ ରୋଗର ପ୍ରଭାବ ସଂପର୍କରେ ନୂଆ ନୂଆ ତଥ୍ୟ ଉଦ୍ଭାବନ କରି ଚାଲିଛନ୍ତି । ଜନସ୍ୱାସ୍ଥ୍ୟ ଓ ପରିସଂଖ୍ୟାନ ବିଶେଷଜ୍ଞମାନଙ୍କ ମହାମାରୀର ସମ୍ଭାବ୍ୟ ରୂପରେଖ ଗୋଟିଏ ସହ ଅନ୍ୟଟିର ମେଳ ଖାଏନି । ଏତାଦୃଶ ସଂକ୍ରମଣ କ୍ରମବର୍ଦ୍ଧମାନ ବିଜ୍ଞାନ ଇଭଲଭିଂ ସାଇନ୍ସ ପର୍ଯ୍ୟାୟଭୁକ୍ତ ହେଉଥିବା ହେତୁ ଏହାର ମୁକାବିଲା ନିମନ୍ତେ ଅବସ୍ଥାକୁ ଦେଖି ବ୍ୟବସ୍ଥା ପ୍ରସ୍ତୁତ ହୋଇ ଚାଲିଛି ।
 
ମହାମାରୀ କାଳରେ ସର୍ବସାଧାରଣରେ ନବେ ପ୍ରତିଶତ ଗୁଜବ ତ ଉଡିବୁଲେ, ତେବେ ଦଶ ପ୍ରତିଶତ ନିର୍ଭରଯୋଗ୍ୟ ତଥ୍ୟ ମଧ୍ୟ ସର୍ବୋତ୍ତଭାବେ ଗ୍ରହଣଯୋଗ୍ୟ ହୋଇପାରେନା । ମାଧ୍ୟମିକ ଶ୍ରେଣୀରେ ବୀଜଗଣିତରେ ମନେକର ଏକ୍ସର ଭେଲ୍ୱୁ ଜିରୋ ହେଲା ତ ୱାଇର ଭେଲ୍ୱୁ କ ନୀତିରେ ସଂକ୍ରମଣକୁ ସାମ୍ନା କରିବାକୁ ପଡ଼େ । ମହାରାଷ୍ଟ୍ର, କେରଳ ଓ ଦିଲ୍ଲୀ ସାଙ୍ଗକୁ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ଓ ୟୁରେପୀୟ ରାଷ୍ଟ୍ରପୁଞ୍ଜରେ କୋଭିଡ଼-୧୯ର ପ୍ରାଦୁର୍ଭାବ ଜାରୀ ରହିଥିବା ସତ୍ତ୍ୱେ ବିଗତ କିଛି ମାସରୁ ବ୍ରହ୍ମପୁରରେ ସଂକ୍ରମଣର ଖବର ଗୁରୁତ୍ୱ ଲାଭ ନକରିବା କାରଣରୁ ଏଠାରେ ପ୍ରାକୃତିକ ସାମୂହିକ ପ୍ରତିରୋଧକ ଶକ୍ତି ହେର୍ଡ ଇମ୍ୟୁନିଟି ସୃଷ୍ଟି ହୋଇସାରିଲାଣି ବୋଲି ଏକରକମ ଧାରଣା ସହରବାସୀଙ୍କ ମନରେ ବସାବାନ୍ଧି ସାରିଥିଲା ।
 
ଟିକାକୁ ନେଇ ଅନିଶ୍ଚିତତା ଡ଼ିସେମ୍ୱର ଶେଷ ସପ୍ତାହରେ ଦୂର ହୋଇଥିଲା । ଜାନୁୟାରୀ ମଧ୍ୟଭାଗରୁ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ଓ ସୁରକ୍ଷାକର୍ମୀ, ମାର୍ଚ୍ଚ ପହିଲାରୁ ବୟଜ୍ୟୋଷ୍ଠ ଓ ଏପ୍ରିଲ ପହିଲାରୁ ୪୫ ବର୍ଷୋତ୍ତରଙ୍କ ଟିକାକରଣ ଭୂତାଣୁ ପ୍ରତିରୋଧର ଆଶା ସଞ୍ଚାର କଲା । ତେବେ ଦେଶବାସୀଙ୍କୁ ଟିକାକରଣ ସରିବା ନିମନ୍ତେ ୨୦୨୨ ଶେଷ ଯାଏଁ ଅପେକ୍ଷା ଏବଂ ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ସାଙ୍ଗକୁ ମହାରାଷ୍ଟ୍ରର ତଥାକଥିତ ଡବଲ-ମ୍ୟୁଟେଣ୍ଟ ଭୂତାଣୁ ଭୟ ତଥା ଦେଶବ୍ୟାପୀ ଦ୍ୱିତୀୟ ତରଙ୍ଗର ବିବରଣୀ ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଠାକୁରାଣୀଯାତ୍ରା ଆୟୋଜନକୁ ନେଇ ସଂଶୟ ସୃଷ୍ଟି ଦୂର କରିପାରିନଥିଲା ।
 
ଠାକୁରାଣୀ ଯାତ୍ରା ପାଳନବେଳକୁ କୋଭିଡ଼-୧୯ ମହାମାରୀ ବିପଦପୂର୍ଣ୍ଣ ଅବସ୍ଥା କ୍ରିଟିକାଲ ପଏଣ୍ଟରେ ପହଞ୍ଚିଥିବା ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚ଼ିତ କରାଯାଇଥିଲା । ଦୈନିକ ବିଶ୍ୱବ୍ୟାପୀ ୪୪ ଲକ୍ଷ ନୂତନ ସଂକ୍ରମଣ ସାଙ୍ଗକୁ ଭାରତରେ ଦେଢ଼-ଲକ୍ଷରୁ ଦୁଇ ଲକ୍ଷ, ଓଡ଼ିଶାରେ ଦୁଇରୁ ତିନି ହଜାର, ବ୍ରହ୍ମପୁରରେ କୋଡ଼ିଏରୁ ପଚିଶି ସଂକ୍ରମଣ ତଥା ନାଇଟ କର୍ଫୁଜାରୀ ଏବଂ ସମ୍ଭାବ୍ୟ ଭୟାବହତା ବିଚାରକୁ ନେଇ ବିନା ଭିଡ଼ରେ ଯେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ୨୦୨୧ ପାଳିତ ହେଲା ତାହା ସହରର ଇତିହାସରେ ଏକ ଉଲ୍ଲେଖନୀୟ ଫର୍ଦ୍ଦ ।

(ଅନୁପମ ଭାରତ ବ୍ରହ୍ମପୁର ସଂସ୍କରଣ / ୧୭ ଏପ୍ରିଲ ୨୦୨୧/ ପୃଷ୍ଠା : ୮)

Friday, April 9, 2021

'Asha' and 'Dainik Asha' / 'ଆଶା' ଓ 'ଦୈନିକ ଆଶା'


#ବ୍ରହ୍ମପୁର ସହରର ଇତିହାସରେ ବିଷୁବ ସଂକ୍ରାନ୍ତି ତିଥିରେ ଆଶା ସମ୍ୱାଦପତ୍ର ପ୍ରକାଶନ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଦୈନିକ ଆଶା ଓଡ଼ିଆ ଭାଷାରେ ପ୍ରଥମ ଦୈନିକ ସମ୍ୱାଦପତ୍ର । ୧୯୧୩ ମସିହାରେ ଆତ୍ମପ୍ରକାଶ କରିଥିବା ସାପ୍ତାହିକ ଆଶା ପନ୍ଦର ବର୍ଷ ପରେ ୧୯୨୮ରେ ଦୈନିକ ସମ୍ୱାଦପତ୍ରରେ ରୂପାନ୍ତରିତ ହୋଇ ୧୯୫୨ ଯାଏଁ ପ୍ରକାଶନ ଜାରୀ ରଖିଥିଲା । ମୂଳ ଆଶାଦୈନିକ ଆଶାର ପ୍ରତିଷ୍ଠାତା ସମ୍ପାଦକ ଶଶିଭୂଷଣ ରଥ ।

ସ୍ୱାଧୀନୋତ୍ତର ଗଞ୍ଜାମର ଅନ୍ୟତମ ରାଜନୀତିଜ୍ଞ ବୃନ୍ଦାବନ ନାୟକଙ୍କ ଉଦ୍ୟମରେ ୧୯୮୨ରେ ଦୈନିକ ଆଶା ପୁନଃସଂସ୍ଥାପିତ ହୋଇଥିଲା । ଗଞ୍ଜାମ ଜନ୍ମିତ ବର୍ଷିଆନ ସାମ୍ୱାଦିକ ଶ୍ରୀହର୍ଷ ମିଶ୍ର ଏହାର ସମ୍ପାଦନା ଦାୟିତ୍ୱ ଗ୍ରହଣ କରିଥିଲେ ।

ଶ୍ରୀହର୍ଷ ମିଶ୍ର ଛାତ୍ରାବସ୍ଥାରେ ପାରଳାଖେମୁଣ୍ଡି ମହାରାଜା ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କାଳରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ଜେଲ ଦଣ୍ଡ ଆଦେଶ ପାଇଥିଲେବାଳବନ୍ଦୀ ହିସାବରେ ତାଙ୍କୁ ରାଜ୍ୟବାହାର ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଯୁବାବସ୍ଥାରେ ସେ ଜେଲରୁ ମୁକୁଳିବା ବେଳକୁ ଓଡ଼ିଶା ଫେରିବା ପାଇଁ ବାଟଖର୍ଚ୍ଚ ବାବଦରେ କିଛି ଟଙ୍କା ତତ୍ କାଳୀନ ସମାଜର ସମ୍ପାଦକ ରାଧାନାଥ ରଥ ଶ୍ରୀହର୍ଷ ମିଶ୍ରଙ୍କ ନିକଟକୁ ଜେଲ ଠିକଣାରେ ପଠାଇଥିଲେ । ଶ୍ରୀହର୍ଷ ମିଶ୍ର ଗଞ୍ଜାମ ଫେରିବାପରେ ରାଧାନାଥ ରଥଙ୍କୁ ଦେଖା କରିବା ନିମନ୍ତେ କଟକ ଯାଇଥିଲେ । ରାଧାନାଥ ରଥ ଶ୍ରୀହର୍ଷ ମିଶ୍ରଙ୍କୁ ସମାଜରେ ସହ-ସମ୍ପାଦକଭାବେ ଯୋଗ ଦେବାକୁ କହିଥିଲେ । ଶ୍ରୀହର୍ଷ ମିଶ୍ରଙ୍କ ପାଠ ପଢ଼ାରେ ତ ଡ଼ୋର ବନ୍ଧା ସରିଥିଲା, ସ୍ୱାଧୀନତା ସଂଗ୍ରାମ ଛଡ଼ା ଅନ୍ୟ କୌଣସି ସଂପୃକ୍ତି ନଥିବା ହେତୁ ସେ ସମାଜରେ ରହିଗଲେ । ଦୀର୍ଘକାଳ ଧରି କଟକରେ ସାମ୍ୱାଦିକତା ଅବସରରେ ସମାଜପ୍ରଜାତନ୍ତ୍ରର ସମ୍ପାଦକ ରୂପେ କାର୍ଯ୍ୟକରି ବୃନ୍ଦାବନ ନାୟକଙ୍କ ନିମନ୍ତ୍ରଣକ୍ରମେ ବ୍ରହ୍ମପୁରରେ ନବପ୍ରତିଷ୍ଠିତ ଦୈନିକ ଆଶାର ସମ୍ପାଦକ ଭାବେ ଯୋଗ ଦେଇଥିଲେ ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ତତ୍ କାଳୀନ ସିଣ୍ଡିକେଟ ସଦସ୍ୟ ତଥା ରାଜନୀତିଜ୍ଞ ରାମ ଚନ୍ଦ୍ର ରଥଙ୍କ ଉଦ୍ୟମକ୍ରମେ ଓଡ଼ିଶାରେ ପ୍ରଥମ କରି ସାମ୍ୱାଦିକତା ଶିକ୍ଷା ନିମନ୍ତେ ବର୍ଷିକିଆ ଡ଼ିଗ୍ରୀ କୋର୍ସ ୧୯୭୪ରେ ପ୍ରବର୍ତ୍ତିତ ହୋଇଥିଲା । ସାମ୍ୱାଦିକତା ଅଧ୍ୟୟନ କରି ଉର୍ତ୍ତୀର୍ଣ୍ଣ ହୋଇଥିବା ଦଳେ ସ୍ଥାନୀୟ ଯୁବକ ଦୈନିକ ଆଶା ସମ୍ପାଦନା ବିଭାଗରେ ଯୋଗ ଦେଇଥିଲେ । ପ୍ରତିଷ୍ଠିତ ସାମ୍ୱାଦିକ ଶ୍ରୀନିବାସ ଆୟଙ୍ଗାର ଓ ଅଭିଜ୍ଞ ମୁଦ୍ରଣଶିଳ୍ପ ପରାମର୍ଶଦାତା ତାରା ପ୍ରସାଦ ପାଢ଼ୀଙ୍କ ଦିଗଦର୍ଶନରେ ପ୍ରଶିକ୍ଷିତ ଯୁବ ସାମ୍ୱାଦିକମାନଙ୍କ ଉଦ୍ୟମରେ ସ୍ଥାନୀୟ ସମ୍ୱାଦ ପରିବେଷଣ କ୍ଷେତ୍ରରେ ଦୈନିକ ଆଶା ଓଡ଼ିଆ ସାମ୍ୱାଦିକତାରେ ଏକ ନୂତନ ଯୁଗର ଅୟମାରମ୍ଭ କରିଥିଲା ।

ସେତେବେଳକୁ କଟକରୁ ସମାଜ, ପ୍ରଜାତନ୍ତ୍ର, ମାତୃଭୂମି ତଥା ଭୁବନେଶ୍ୱରରୁ ଧରିତ୍ରୀ, ସ୍ୱରାଜ୍ୟ, ପ୍ରଗତିବାଦୀ ସହ ଅନ୍ୟ କେତେକ ଦୈନିକ ସମ୍ୱାଦପତ୍ର ପ୍ରକାଶିତ ହେଉଥାଏ କଟକରେ କଟକ ସହରର ଖବର ପ୍ରତିଦିନ ସନ୍ଧ୍ୟାରେ ସମ୍ୱାଦପତ୍ରରୁ ପଢ଼ିବାର ଅନୁଭୂତି ବ୍ରହ୍ମପୁରରେ ମିଳିବାପରେ ସ୍ଥାନୀୟ ପାଠକ ଉତ୍ସାହିତ ହୋଇପଡ଼ିଥିଲେ । ଗଞ୍ଜାମର ଅନ୍ୟାନ୍ୟ ସହରରେ ତତ୍ ପରବର୍ତ୍ତୀ ପ୍ରଭାତରେ ପହଞ୍ଚୁଥିବା ଦୈନିକ ଆଶା ପୃଷ୍ଠାରେ ସ୍ଥାନୀୟ ସମ୍ୱାଦ ପ୍ରକାଶନ ସାମାଜିକ, ସାଂସ୍କୃତିକ ଓ ରାଜନୀତିକ ଜନଜୀବନରେ ଏକ ନୂତନ ସମୀକରଣ ସୃଷ୍ଟି କରିଥିଲା । ସୁଦୂର କଟକ, ଭୁବନେଶ୍ୱର, କୋଲକତାରୁ ପ୍ରକାଶିତ ସମ୍ୱାଦପତ୍ରରେ ନିଜ ଗ୍ରାମର ନାମ କେବେ ଦେଖିନଥିବା ଜନସାଧାରଣଙ୍କ ପାଇଁ ସ୍ଥାନୀୟ ସମ୍ୱାଦ ପ୍ରକାଶନର ପାଠକୀୟ ଅନୁଭୂତି ଦୈନିକ ଆଶାର ଲୋକପ୍ରିୟତାର ମୂଳ ପୁଞ୍ଜି ପାଲଟିଥିଲା ।

ତେବେ ସମୟର ଗତି ବିଚ଼ିତ୍ର । ଦୈନିକ ଆଶା ପୁନଃସଂସ୍ଥାପନାର ଦୁଇ ବର୍ଷ ପୁରୁ ପୁରୁ ବୃନ୍ଦାବନ ନାୟକ ଓ ଶ୍ରୀହର୍ଷ ମିଶ୍ରଙ୍କ ଅକସ୍ମାତ ପରଲୋକ ଘଟିଲା । ସମ୍ୱାଦପତ୍ର ପରିଚାଳନା ସହ ସଂପୃକ୍ତ ଅନ୍ୟ ନେତୃସ୍ଥାନୀୟ ବ୍ୟକ୍ତିମାନେ ମଧ୍ୟ ବିଭିନ୍ନ କାରଣରୁ ଦାୟିତ୍ୱରୁ ଅପସରିଗଲେ । ଦୈନିକ ଆଶାର ସ୍ଥାନୀୟ ସାମ୍ୱାଦିକତାର ସଫଳତାରେ ଉଦବୁଦ୍ଧ ସମ୍ୱାଦ ୧୯୮୯ରେ ବ୍ରହ୍ମପୁର ସଂସ୍କରଣ ଆରମ୍ଭ ହେଲା । ବ୍ରହ୍ମପୁର ଭାପୁର ବଜାର ପ୍ରଥମ ମିଲଟରୀ ଲାଇନ୍ସ ମୂଳ ଅଧିବାସୀ ପ୍ରସାଦ ରାଓଙ୍କ ନେତୃତ୍ୱରେ ସ୍ଥାନୀୟ ମୁଦ୍ରାକର କାଳିଚ଼ରଣ ପଣ୍ଡାଙ୍କ ଲକି ଅଫସେଟରେ ମୁଦ୍ରିତ ସମ୍ୱାଦକୁ କ୍ରମଶଃ ଦୈନିକ ଆଶାର ଲୋକପ୍ରିୟତା ଅପସାରିତ ହୋଇଥିଲା । ୧୯୯୮ର ମହାବାତ୍ୟାରେ ଦୈନିକ ଆଶାର ମୁଦ୍ରଣଶାଳା ବ୍ୟାପକ କ୍ଷୟକ୍ଷତି ସମ୍ମୁଖୀନ ହେବାପରେ ଏହାର ପ୍ରକାଶନ ଅନିୟମିତ ହୋଇପଡ଼ିଥିଲା ।

ବିଂଶ ଶତାଦ୍ଦୀ ଶେଷ ଦଶକ ଦ୍ୱିତୀୟର୍ଦ୍ଧରେ ଅନୁପମ ଭାରତ ପ୍ରକାଶନ ପରେ ଏକବିଂଶ ଶତାଦ୍ଦୀ ଆରମ୍ଭରୁ ଧରିତ୍ରୀ, ସମାଜ, ଓଡ଼ିଶା ଭାସ୍କର, ପ୍ରତିଦିନ, ପ୍ରମେୟ, ନିତିଦିନସକାଳ ଭଳି ଦଶଗୋଟି ଦୈନିକ ଓଡ଼ିଆ ସମ୍ୱାଦପତ୍ରର ବ୍ରହ୍ମପୁର ସଂସ୍କରଣ ପ୍ରକାଶିତ ହେଉଛି । ତେବେ ଏତେ ସମ୍ୱାଦପତ୍ରର ଭିଡ଼ରେ ସାଧାରଣ ନାଗରିକଟିଏ ଯେ ଚ଼ଳନ୍ତି ଘଟଣା ପ୍ରବାହ ଜାଣିବା ପାଇଁ ମୋବାଇଲ ଫୋନ ପରଦାରେ ଫେସବୁକ ବା ଟେଲିଭିଜନ ଆପକୁ ଖୋଜୁଛି, ତାପର ଦିନ ସକାଳ ଯାଏଁ ଅପେକ୍ଷା କରିବାକୁ ତର ସହୁ ନାହିଁ ଏବଂ ନିଜର ବ୍ୟକ୍ତିଗତ ଅଭାବ ଅଭିଯୋଗ ଦରଜ କରିବା ନିମନ୍ତେ ସମ୍ୱାଦପତ୍ରର ଦଶରୁ କୋଡ଼ିଏ ପୃଷ୍ଠାରେ ସ୍ଥାନ ଖଣ୍ଡେ ପାଇପାରୁ ନାହିଁ – ୨୦୨୧ରେ ବିଷୁବ ସଂକ୍ରାନ୍ତି ପାଳନ ବେଳକୁ ଏହିଭଳି ଘଟଣାକ୍ରମ ହୁଏତ ସ୍ଥାନୀୟ ସାମ୍ୱାଦିକତାରେ ଏକ ବଡ଼ ଧରଣର ପରିବର୍ତ୍ତନର ଆଭାସ ଦିଏ !

Friday, April 2, 2021

Jalal Adeni / ଜଲାଲ ଆଦେନୀ

 



#ବ୍ରହ୍ମପୁର ସହର ଚଳଚ଼ିତ୍ର ମାୟାରେ ଦୀର୍ଘଦିନରୁ ଆବଦ୍ଧ । ଏଠାରେ ରାଜ୍ୟର ପ୍ରଥମ ସ୍ଥାୟୀ ପ୍ରେକ୍ଷାଳୟ ଶ୍ରୀ ସୀତାରାମ ବିଳାସ ଟକିଜ ୧୯୨୮ରେ ପ୍ରତିଷ୍ଠିତ ହୋଇଥିଲା । ଏଥିପୂର୍ବରୁ ତମ୍ୱୁ ଟାଣି ଚଳଚ଼ିତ୍ର ପ୍ରଦର୍ଶନର ବ୍ୟବସ୍ଥା କରାଯାଉଥିଲା । ଏସଏସଭିଟିରେ ପ୍ରଥମେ ମୂକ ଚଳଚ଼ିତ୍ର ପ୍ରଦର୍ଶିତ ହେଉଥିଲା । ରୂପେଲି ପରଦା ପାର୍ଶ୍ୱରେ ଏକ ବ୍ୟାଣ୍ଡ ବାଦକ ଦଳ ଆବହ ସଂଗୀତ ପରିବେଷଣ କରୁଥାନ୍ତି । ଜଣେ ସ୍ଥାନୀୟ ଭାଷ୍ୟକାର ଲାଉଡ଼ସ୍କିକର ଯୋଗେ ମୂକ ଚଳଚ଼ିତ୍ରରେ ପ୍ରଦର୍ଶିତ ଦୃଶ୍ୟାବଳୀ ସଂପର୍କରେ ଟୀପ୍ପଣି ପ୍ରଦାନର ବ୍ୟବସ୍ଥା ରହିଥାଏ । କ୍ରମେ ମୂକ ଚଳଚ଼ିତ୍ର ପ୍ରଦର୍ଶନରୁ ସବାକ ଚଳଚ଼ିତ୍ର ପ୍ରଦର୍ଶନ ଏବଂ ପରେ ସିନେମାସ୍କୋପ ସ୍କ୍ରିନର ବ୍ୟବସ୍ଥା ହେଲା । ତେବେ ତ୍ରି-ଡ଼ି, ଆଇ-ମାସ୍କ ସ୍କ୍ରିନ ଆଡ଼କୁ ଯାଇପାରି ନାହିଁ ।
 
ବ୍ରହ୍ମପୁରରେ ଚଳଚ଼ିତ୍ର ପ୍ରଦର୍ଶନରେ ଅନୁପ୍ରାଣିତ ହୋଇ କେତେକ ସ୍ଥାନୀୟ ଯୁବକ ଚଳଚ଼ିତ୍ର ନିର୍ମାଣ ଓ ନିର୍ଦ୍ଦେଶନା ପ୍ରତି ଆଗ୍ରହ ପ୍ରକାଶ କରିଆସିଛନ୍ତି । ସେମାନଙ୍କ ମଧ୍ୟରେ ଗଣେଶ ମହାପାତ୍ର, ଶିଶିର ମିଶ୍ର, ଜଲାଲ ଆଦେନୀ ଓ ରଘୁ ମିଶ୍ର ପ୍ରମୁଖ ଚଳଚ଼ିତ୍ର ନିର୍ଦ୍ଦେଶକ ଭାବେ ଖ୍ୟାତ । ଗଣେଶ ମହାପାତ୍ର ଓ ଶିଶିର ମିଶ୍ର ମୁମ୍ୱାଇରେ ଅବସ୍ଥାପିତ ହୋଇଥିବା ସ୍ଥଳେ ଜଲାଲ ଆଦେନୀ କିଛି କାଳ ମୁମ୍ୱାଇ ଓ କଟକ ବାସିନ୍ଦା । କେବଳ ରଘୁ ମିଶ୍ର ବ୍ରହ୍ମପୁର ଭାପୁର ବଜାର ପାନବିକା ସାହୀରେ ବସବାସ କରୁଥିଲେ । ସଂଯୋଗବଶତଃ ଗଣେଶ ମହାପାତ୍ର ଓ ଜଲାଲ ଆଦେନୀ ତାଲିମପ୍ରାପ୍ତ ଟେକ୍ସଟାଇଲ ଓ ଇଲେକ୍ଟ୍ରକାଲ ଇଞ୍ଜିନିୟର ଥିଲେ ଏବଂ ଶିଶିର ମିଶ୍ର ରାସାୟନ ଶାସ୍ତ୍ର ଅଧ୍ୟାପକ ଓ ରଘୁ ମିଶ୍ର ଚିକିତ୍ସକ ଭାବେ କାର୍ଯ୍ୟ କରିଥିଲେ । ଗଣେଶ ମହାପାତ୍ର ଓ ରଘୁ ମିଶ୍ରଙ୍କ ବିୟୋଗ ଘଟିଥିବା ସ୍ଥଳେ ଜଲାଲ ଆଦେନୀ ୮୫ ବର୍ଷ ବୟସରେ ୨୦୨୧ ମାର୍ଚ୍ଚ ୨୯ ତାରିଖ ହୋଲି ଦିନ ଭୋରରେ ହୃଦଘାତରେ କଟକ ବାସଭବନରେ ପରଲୋକ ଗମନ କରିଛନ୍ତି ।
 
ଜଲାଲ ଆଦେନୀଙ୍କ ପରିବାର ଭଞ୍ଜନଗର ସ୍ଥାୟୀ ବାସିନ୍ଦା । ବ୍ରହ୍ମପୁର ଭୀମାରାଓ ପେଟାରେ କିଛିକାଳ ବସବାସ କରିଥିଲେ । ଜଲାଲ କୁଇନ ମିସନ ହାଇସ୍କୁଲ ଓ ଖଲ୍ଲିକୋଟ କଲେଜରେ ଶିକ୍ଷାସାରି କୋଲକତାର ଯାଦବପୁର ଇଂଜିନିୟରିଂ କଲେଜରୁ ଶିକ୍ଷାର୍ଜନ କରିଥିଲେ ସେ କିଛି କାଳ ରେଳବିଭାଗରେ ନିଯୁକ୍ତି ପାଇ ଚାକିରୀ କରିବାପରେ ଚାକିରୀ ଛାଡ଼ି ବିଦ୍ୟୁତ ଠିକାଦାର ଭାବେ କାର୍ଯ୍ୟ କରିଥିଲେ ।
 
ସେ ବ୍ରହ୍ମପୁରରେ ସପ୍ତମ ଦଶକ ଆରମ୍ଭ ବେଳକୁ କିଏ ବୁଝିବ ଶୀର୍ଷକ ଏକ ଓଡ଼ିଆ ଚଳଚ଼ିତ୍ର ନିର୍ମାଣ ନିମନ୍ତେ ପ୍ରାଥମିକ କାର୍ଯ୍ୟ ଆରମ୍ଭ କରିଥିଲେ । କମାପଲ୍ଲୀ ଛକରେ ଏକ ଦୁଇ ମହଲା କୋଠାରେ ତାଙ୍କରି ଚଳଚ଼ିତ୍ର କମ୍ପାନୀ କାର୍ଯ୍ୟାଳୟ ଖୋଲିଥିଲା । ତେବେ ଚଳଚ଼ିତ୍ର ନିର୍ମାଣ କାମ ବିଶେଷ ଅଗ୍ରଗତି ନ କରିପାରିବାରୁ ଏକ ଥିଏଟର ଦଳ ଗଢ଼ି ନାଟକ ପରିବେଷଣ କରିଥିଲେ । ଗୋଟିଏ ମଞ୍ଚରେ ଦୁଇଗୋଟି ଦୃଶ୍ୟ ଉପସ୍ଥାପନ ଭଳି ପରୀକ୍ଷାନିରୀକ୍ଷା ସେ ସମୟରେ ବେଶ ଚହଳ ସୃଷ୍ଟି କରିଥିଲା ।
 
ଚଳଚ଼ିତ୍ର କିମ୍ୱା ନାଟକ କେଉଁଥିରେ ସଫଳତା ନମିଳିପାରିବାରୁ ସେ ବ୍ରହ୍ମପୁରରୁ କଟକ ସ୍ଥାନାନ୍ତରିତ ହୋଇଥିଲେ । ସେଠାରେ ବକ୍ସି ବଜାର ପେନସେନ ଲେନରେ ଘରକରି ରହିଥିଲେ । ୧୯୭୭ରେ ତାଙ୍କରି ପ୍ରଯୋଜନା ଓ ନିର୍ଦ୍ଦେଶନାରେ ଅନୁତାପ ନିର୍ମିତ ହୋଇଥିଲା । ପରେ ହୀରା-ମୋତି-ମାଣିକବାସନ୍ତୀ ଅପା ନାମକ ଦୁଇଗୋଟି ଚଳଚ଼ିତ୍ର ରିଲିଜ ହୋଇଥିଲା । ତେବେ ପୂଜାରିଣୀ ଚଳଚ଼ିତ୍ର ନିର୍ମାଣ ସଂପୂର୍ଣ୍ଣ ହୋଇ ରିଲିଜ ହୋଇପାରି ନଥିଲା ।
 
ଅଷ୍ଟମ ଦଶକ ଆରମ୍ଭରୁ ସେ ମୁମ୍ୱାଇକୁ ନିଜର କର୍ମକ୍ଷେତ୍ର ରୂପେ ବାଛିଥିଲେ । ବଲିଉଡ଼ରେ ପ୍ରାୟ ପନ୍ଦର ବର୍ଷ ରହେଣୀ କାଳରେ ଜମାନା-କ୍ୟା-କହେଗା (୧୯୮୨), ହମନେ-ପ୍ୟାର-କିୟା (୧୯୯୨), ପ୍ରେମ ଉପହାରପ୍ରେମ କୁମାର (୧୯୯୪) ଭଳି ହିନ୍ଦି ଚଳଚ଼ିତ୍ର ନିର୍ଦ୍ଦେଶନା ଦେଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ପୁଣି କଟକ ଫେରି ଆସି ମୁଖ୍ୟତଃ ସଂଗୀତ ଚର୍ଚ୍ଚାରେ ବାକୀତକ ଜୀବନ କଟାଇଥିଲେ । ତାଙ୍କରି ଝିଅ ଜଣେ କଣ୍ଠ ଶିଳ୍ପୀ ଓ ପୁଅ ତବଲା ବାଦକ । ସ୍କୁଲରେ ପଢ଼ିଲା ବେଳେ ନାରୀ ଭୂମିକାରେ ନାଟକରେ ଅଭିନୟଠାରୁ ଆରମ୍ଭ କରି ଶେଷ ଜୀବନ ଯାଏଁ ମ୍ୟୁଜିକ ଆଲବମ, ଇଭେଣ୍ଟ ଓ ସୋସିଆଲ ମିଡ଼ିଆରେ ଉପସ୍ଥିତି ଭଳି ସଦାସର୍ବଦା କଳାସଂସ୍କୃତି ସହ ସଂଯୁକ୍ତ ରହିଆସିଥିଲେ ... ବିଫଳତା ତାଙ୍କରି ବାଟ ଓଗାଳି ପାରିନଥିଲା ।
 
ଜଲାଲ ଆଦେନୀଙ୍କ ହାଇସ୍କୁଲ, କଲେଜ ଓ ସିନେମା-ଥିଏଟର ଜୀବନର ଆଦ୍ୟଭାଗ ବ୍ରହ୍ମପୁରରେ କଟିଥିଲା । ସହରର ସାଂସ୍କୃତିକ ମାହୋଲ ତାଙ୍କୁ ବିମୋହିତ କରିଥିଲା । ଘରେ ବଡ଼ପୁଅ ହିସାବରେ ବାପା ମାଆ ଜଲାଲ ଇଞ୍ଜିନିୟର ହେଉ ବୋଲି ଚାହୁଁଥିଲେ । ସେ ଇଂଜିନିୟରିଂ ଶିକ୍ଷାଲାଭ କରି ନିଯୁକ୍ତି ଏବଂ ଠିକାଦାର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ତେବେ ସିନେମା ଓ ସଙ୍ଗୀତର ମାୟା କେବଳ ତାଙ୍କୁ କାହିଁକି ତାଙ୍କରି ପରିବାରକୁ ସୃଜନ କ୍ଷେତ୍ରକୁ ଟାଣି ଆଣିଥିଲା । ଜଲାଲଙ୍କ ସଂଘର୍ଷର କାହାଣୀ ପ୍ରତିକୂଳ ପରିବେଶରେ କଳାକାରଭାବେ ନିଜକୁ ପ୍ରତିଷ୍ଠିତ କରିବାଲାଗି ଉଦ୍ୟମରତ ବ୍ରହ୍ମପୁରର ସଂସ୍କୃତିପ୍ରେମୀଙ୍କୁ ସବୁବେଳେ ଉଦବୁଦ୍ଧ କରିବ ।
 
ୟୁ-ଟ୍ୟୁବରେ ଉପଲବ୍ଧ ଜଲାଲ ଆଦେନୀଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ଼ିତ୍ର ଅନୁତାପର ଲୋକପ୍ରିୟ ଗୀତ ନିଦ ଭରା ରାତି... ଭିଡ଼ିଓ ଦେଖିବା ପାଇଁ ନିମ୍ନ ଲିଙ୍କରେ କ୍ଳିକ କରନ୍ତୁ :
 

(ଅନୁପମ ଭାରତ ବ୍ରହ୍ମପୁର ସଂସ୍କରଣ / ୩ ଏପ୍ରିଲ ୨୦୨୧/ ପୃଷ୍ଠା : ୮)

Illustration : "cinema seats" by mark lorch is licensed under CC BY-NC 2.0