Friday, September 24, 2021

Khallikote University / ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ

 


ଶିକ୍ଷାନୁଷ୍ଠାନ ଖବରଅନ୍ତର ରଖୁଥିବା #ବ୍ରହ୍ମପୁର ସହରବାସୀଙ୍କ ମଧ୍ୟରୁ ଅନେକ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ସାଂଗଠନିକ ସ୍ଥିତି ସଂପର୍କରେ ଅସ୍ପଷ୍ଟ । କିଛି ବର୍ଷପୂର୍ବେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଗଠନ ହେବା ପରେ ପୁରୁଣା ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଚାଲୁଥିଲା । ଦିନ କେତେପରେ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟ ସହରର ଉପାନ୍ତ କନିଷିକୁ ସ୍ଥାନାନ୍ତରିତ ହେଲା । ଅଗଷ୍ଟ ୨୦୨୧ରୁ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟ ପାହ୍ୟା ମିଳିଲା ଏବଂ ପୂର୍ବରୁ ଆରମ୍ଭ ହୋଇଥିବା କନିଷିର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ସମସ୍ତ କର୍ମଚାରୀ, ଅସ୍ଥାବର ସମ୍ପତ୍ତି ଓ ଛାତ୍ରଛାତ୍ରୀ ଅକ୍ଟୋବର ୨୦୨୧ରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ମିଶିଯିବ, ଏସବୁ ଘଟଣାକ୍ରମ ସହଜରେ ବୁଝି ହୁଏନାହିଁ ।

 

ସହରବାସୀଙ୍କ ଅତିପରିଚ଼ିତ ଖଲ୍ଲିକୋଟ କଲେଜ ୧୮୫୬ରେ ଏକ ବିଦ୍ୟାଳୟ ରୂପେ ଆରମ୍ଭ ହୋଇଥିଲା । ଏହା ୧୮୭୮ରେ ଇଣ୍ଟରମିଡ଼ିଏଟ କଲେଜସ୍ତରକୁ ଉନ୍ନୀତ ହେଲା । ପ୍ରଥମ ପର୍ଯ୍ୟାୟରେ ଏହି ଶିକ୍ଷାନୁଷ୍ଠାନର ନାମ ଖଲ୍ଲିକୋଟ ସହ ଯୋଡ଼ି ହୋଇନଥିଲା । ଖଲ୍ଲିକୋଟ ଇଷ୍ଟେଟର ରାଜା ହରିହର ମର୍ଦ୍ଦରାଜ ଶିକ୍ଷାନୁଷ୍ଠାନ ପରିଚାଳନା ନିମନ୍ତେ ବେଶ କିଛି ଦାନ ଦେବାପରେ ୧୮୯୩ରେ ଏହା ଖଲ୍ଲିକୋଟ କଲେଜ ନାମିତ ହୋଇଥିବା ଜଣାଯାଏ । ସେହିପରି ଧରାକୋଟ ଇଷ୍ଟେଟ ରାଜା ମଦନ ମୋହନ ସିଂହ ୧୯୧୦ରେ ଦଶ ହଜାର ଟଙ୍କା ଦାନ ଦେବା ଫଳରେ ବିଜ୍ଞାନ ପରୀକ୍ଷାଗାର ନିମନ୍ତେ ଏକ ଦୁଇ ମହଲା କୋଠା ନିର୍ମାଣ କରାଯାଇଥିଲା । ଏହା ବିପଦଶଙ୍କୁଳ ଘୋଷିତ ହେବାପରେ ୨୦୨୧ରେ ହିଁ ତାହାକୁ ଭାଙ୍ଗି ଦିଆଯାଇଛି । ସେଠି ନୂଆ କୋଠା ନିର୍ମାଣ ହେବ ।

 

ସ୍ୱାଧୀନୋତ୍ତର ଅବସ୍ଥାରେ ଖଲ୍ଲିକୋଟ କଲେଜ ଘରୋଇ ପରିଚାଳନାଧୀନ ଥିବା ଅବସରରେ ଅଧ୍ୟାପନା କ୍ଷେତ୍ରରେ ଯେପରି ନାମ କମାଇଥିଲା, ଶିକ୍ଷାନୁଷ୍ଠାନ ପରିଚାଳନା ନିମନ୍ତେ ସମ୍ୱଳ ସୃଷ୍ଟିରେ ମଧ୍ୟ ସେହିପରି ସଫଳତା ହାସଲ କରିଥିଲା । ଖଲ୍ଲିକୋଟ କଲେଜ ପରିଚାଳନା ସମିତି ସୌଜନ୍ୟରେ ଲଟେରୀ ବ୍ୟବସାୟରୁ ବିପୁଳ ଅନୁଦାନ ସଂଗୃହୀତ ହୋଇପାରୁଥିଲା । ସେହି ଆୟରେ ତିନିଗୋଟି ଦୁଇ ମହଲା କୋଠା ସାଙ୍ଗକୁ ଦୁଇଗୋଟି ହଷ୍ଟେଲ ଓ ଷ୍ଟାଡ଼ିଏମରେ ଗ୍ୟାଲେରୀ ନିର୍ମିତ ହୋଇଥିଲା । ଖଲ୍ଲିକୋଟ ମହାବିଦ୍ୟାଳୟ ସରକାରୀ ପରିଚାଳନଧୀନ ହେବା ପରେ ୧୯୭୯ରେ ତିନିମହଲା ବିଶିଷ୍ଟ ମୁଖ୍ୟ କୋଠା ଏବଂ ୧୯୮୨ରେ ଶତବାର୍ଷକୀ ପାଳନ ଅବସରରେ ବିଜ୍ଞାନ କୋଠା ସହ ପ୍ରେକ୍ଷାଳୟ ନିର୍ମିତ ହୋଇଥିଲା ।

 

ଖଲ୍ଲିକୋଟ ମହାବିଦ୍ୟାଳୟ ୧୯୦୦ ମସିହାରେ ସ୍ୱୟଂଶାସିତ ହେବାପରେ ୨୦୧୫ରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ନାମରେ ଏକ ନୂତନ ବିଶ୍ୱବିଦ୍ୟାଳୟ ଆତ୍ମପ୍ରକାଶ କଲା । ଖଲ୍ଲିକୋଟ କ୍ଳଷ୍ଟର ବିଶ୍ୱବିଦ୍ୟାଳୟ ଅଧୀନରେ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ ସାଙ୍ଗକୁ ଅନ୍ୟ ଚାରିଗୋଟି ଶିଶିଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟ, ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ, ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ଓ ଗୋପାଳପୁର ଡ଼ିଗ୍ରୀ ମହାବିଦ୍ୟାଳୟ ସହବନ୍ଧିତ ହେଲା । ଏହାର କାର୍ଯ୍ୟାଳୟ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେହିଁ ଚାଲିଲା । ତେବେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଛଅଗୋଟି ସ୍ୱତନ୍ତ୍ର ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ ଓ ଅଧ୍ୟାପକ ନିଯୁକ୍ତି ପରେ ସ୍ଥାନ ଅଭାବ ଦୃଷ୍ଟିରେ ରଖି କନିଷିରେ ଏକ ଘରୋଇ ରିସର୍ଟକୁ ସ୍ଥାନାନ୍ତରିତ ହୋଇଥିଲା । କନିଷିରେ ସରକାରଙ୍କ ପକ୍ଷରୁ ବିଶ୍ୱବିଦ୍ୟାଳୟର କୋଠାବାଡ଼ି ନିର୍ମାଣ ନିମନ୍ତେ ଜମି ଦିଆଗଲା, କିନ୍ତୁ ବିଭିନ୍ନ କାରଣରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିଲା ନାହିଁ ।

 

ଓଡ଼ିଶାର ତିନିଗୋଟି ପ୍ରମୁଖ ମହାବିଦ୍ୟାଳୟ କଟକର ରେଭେନ୍ସା, ସମ୍ୱଲପୁରର ଗଙ୍ଗାଧର ମେହର ଓ ବ୍ରହ୍ମପୁରର ଖଲ୍ଲିକୋଟ ମହାବିଦ୍ୟାଳୟ ଦୀର୍ଘକାଳ ସ୍ୱୟଂଶାସିତ ହେବାପରେ ବିଶ୍ୱବିଦ୍ୟାଳୟରେ ପରିଣତ କରିବାପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । କଟକ ଓ ସମ୍ୱଲପୁର ଏକକ ବିଶ୍ୱବିଦ୍ୟାଳୟରେ, ଅର୍ଥାତ କୌଣସି ମହାବିଦ୍ୟାଳୟ ସହ ସହବନ୍ଧିତ ନହୋଇ କାର୍ଯ୍ୟ ଆରମ୍ଭ କରିଥିବା ସ୍ଥଳେ ବ୍ରହ୍ମପୁରରେ ପାଞ୍ଚଗୋଟି ମହାବିଦ୍ୟାଳୟ ସହ ସହବନ୍ଧିତ କରି କ୍ଳଷ୍ଟର ବିଶ୍ୱବିଦ୍ୟାଳୟ ରୂପେ ପରୀକ୍ଷା ନିରୀକ୍ଷା କରିଥିଲେ । ଆଶାଥିଲା କେନ୍ଦ୍ର ସରକାରଙ୍କଠାରୁ ସ୍ୱତନ୍ତ୍ର ଅନୁଦାନ ମିଳିବ । କିନ୍ତୁ ତାହା ସମ୍ଭବପର ନହୋଇପାରିବା କାରଣରୁ ପର୍ଯ୍ୟାପ୍ତ ସଂଖ୍ୟକ କର୍ମଚାରୀ ନିଯୁକ୍ତି ଅଭାବରୁ ପରୀକ୍ଷା ପରିଚାଳନାରେ ବିଭ୍ରାଟ ଘଟିଲା । ଅପରପକ୍ଷେ ସ୍ନାତକୋତ୍ତର ପାଠ୍ୟକ୍ରମ ନିମନ୍ତେ ଫିସ ଅତ୍ୟାଧିକ ଧାର୍ଯ୍ୟ ହେବା ଯୋଗୁଁ ପିଲାଏ ନାମ ଲେଖାଇଲେ ନାହିଁ । ପରିଚାଳନାଗତ ଅସୁବିଧା ଏଡ଼ାଇବା ପାଇଁ ଜୁନ ୨୦୨୦ରୁ ସହବନ୍ଧିତ ମହାବିଦ୍ୟାଳୟଗୁଡ଼ିକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଫେରାଇ ନିଆଯାଇ ଖଲ୍ଲିକୋଟ ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟରେ ପରିବର୍ତ୍ତିତ କରାଯାଇଥିଲା ।

 

ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ ୩୦ ସେପ୍ଟେମ୍ୱର ୨୦୨୧ରୁ ଆଗରୁ ପ୍ରତିଷ୍ଠିତ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଲୋପ ପାଇବ । ଏଠାରେ ନିଯୁକ୍ତ ୨୭ ଜଣ ଅଧ୍ୟାପକଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନିୟମିତ କର୍ମଚାରୀରୂପେ ୧ ଅକ୍ଟୋବର ୨୦୨୧ରୁ କାର୍ଯ୍ୟକରିବେ । ଅଧ୍ୟୟନରତ ୯୬ ଜଣ ଛାତ୍ରଛାତ୍ରୀ ଦୁଇ ବର୍ଷିଆ ସ୍ନାତକୋତ୍ତର ଶିକ୍ଷାକ୍ରମର ଶେଷ ବର୍ଷକ ଭଞ୍ଜବିହାରରେ ପଢ଼ିବେ । ଅପରପକ୍ଷେ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ ଏକକ ବିଶ୍ୱବିଦ୍ୟାଳୟସ୍ତରକୁ ଉନ୍ନୀତ ହୋଇ ଅଗଷ୍ଟ ମାସରୁ କାର୍ଯ୍ୟାରମ୍ଭ କରିଛି ।

 

ମୋଟ ଉପରେ କହିବାକୁ ଗଲେ ବ୍ରହ୍ମପୁର ଖଲ୍ଲିକୋଟ ମହାବିଦ୍ୟାଳୟ କଟକର ରେଭେନ୍ସା, ସମ୍ୱଲପୁର ଗଙ୍ଗାଧର ମେହର ମହାବିଦ୍ୟାଳୟ ଭଳି ଏକକ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଛି । ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଛାଡ଼ି ୨୦୧୫ରୁ ଗଢ଼ିଉଠିଥିବା ଖଲ୍ଲିକୋଟ କ୍ଳଷ୍ଟର ବିଶ୍ୱବିଦ୍ୟାଳୟ ସରକାରୀ ନିଷ୍ପତ୍ତି ଅନୁଯାୟୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ବିଲୀନ ହୋଇଯାଇଛି । ଉପସଂହାରରେ ଏହି ସମସ୍ତ ଘଟଣାକ୍ରମରୁ ଜଣାଯାଏ ଯେ ଉଚ୍ଚଶିକ୍ଷା ପରିଚାଳନା କ୍ଷେତ୍ରରେ ଏକ ପରୀକ୍ଷାମୂଳକ ଉଦ୍ୟମ କରାଯାଇଥିଲା ଏବଂ ତାହା ସଫଳ ହେଲା ନାହିଁ !


(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୫ ସେପ୍ଟେମ୍ୱର ୨୦୨୧ / ପୃଷ୍ଠା : ୮)


(Photo by : Abha S Pradhan is licensed under CC BY-SA 4.0)

Friday, September 17, 2021

Ring Road / ରିଂ-ରୋଡ଼

 


#ବ୍ରହ୍ମପୁର ସହର ଏକ ବ୍ୟାବସାୟିକ କେନ୍ଦ୍ରଭାବେ ଗଢ଼ି ଉଠିବାରେ ଜାତୀୟ ରାଜପଥ, ରେଳପଥ ଓ ଗୋପାଳପୁର ବନ୍ଦର ମାଧ୍ୟମରେ ଜଳପଥ ସଂଯୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସହରର ଏକ ପାର୍ଶ୍ୱରେ ଚ଼େନ୍ନାଇ-କୋଲକତା ୧୬ ନମ୍ୱର ଜାତୀୟ ରାଜପଥ ଏବଂ ଅପର ପାର୍ଶ୍ୱରେ ଗୋପାଳପୁର-ରାୟପୁର ୫୯ ନମ୍ୱର ଜାତୀୟ ରାଜପଥ ଲମ୍ୱିଛି । ଭାରତରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ ପ୍ରବର୍ତ୍ତିତ ହେବା ପରେ ୧୮୩୦ ମସିହା ପରେ ପକ୍କା ରାସ୍ତା ନିର୍ମାଣ କାମ ଆରମ୍ଭ କରିଥିଲେ । ୧୮୫୦ ସୁଦ୍ଧା ପ୍ରାୟ ଅଢ଼େଇ ହଜାର କିଲୋମିଟର ପକ୍କା ରାସ୍ତା ନିର୍ମିତ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ସେହି ସଂଯୋଗଗୁଡ଼ିକ ପ୍ରଥମ ଜାତୀୟ ରାଜପଥର ମାନ୍ୟତା ଲାଭ କଲା । ୧୮୬୫ରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ନଅଙ୍କ ଦୁର୍ଭିକ୍ଷ ସୁଦ୍ଧା ତତ୍କାଳୀନ ମାଡ୍ରାସ ସହ ରାଜଧାନୀ କଲିକତା ଯୋଗକାରୀ ପକ୍କା ସଡ଼କ ପଥ ନିର୍ମିତ ହୋଇପାରିନଥିଲା । ସେହି କାରଣରୁ ବିଳମ୍ୱରେ ଦୁର୍ଭିକ୍ଷ ପରିସ୍ଥିତି ସଂପର୍କରେ ଇଂଲିଶ ପ୍ରଶାସକମାନେ ଅବଗତ ହେବା ପରେ ସବୁଦିନିଆ ରାସ୍ତାଘାଟ ଅଭାବରୁ ପଡ଼ୋଶୀ ଅଞ୍ଚଳରୁ ଖାଦ୍ୟଶସ୍ୟ ଆମଦାନୀ କରିପାରିଲେ ନାହିଁ । ଫଳରେ ଏକତୃତୀୟାଂଶ ଓଡ଼ିଆ ଅନାହାର ଓ ଅପପୃଷ୍ଟିରେ ମୃତ୍ୟୁମୁଖରେ ପଡ଼ିଥିଲେ । ତତ୍ ପରବର୍ତ୍ତୀ ଅବସ୍ଥାରେ ଏହି ଅଞ୍ଚଳରେ ରାସ୍ତାଘାଟର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିଲା ।
 
ଚ଼େନ୍ନାଇ-କୋଲକତା ୧୬ ନମ୍ୱର ଜାତୀୟ ରାଜପଥ ବ୍ରହ୍ମପୁର ସହର ଦେଇ ଯାଉଥିଲା । ଆନ୍ଧ୍ର ପଟୁ ଗୋସାଇଁନୂଆଗାଁ ରେଳ ଲେଭଲ କ୍ରସିଂ ଦେଇ ଯାନବାହାନ ବିଜିପୁର, ଗିରି ରୋଡ଼, କମାପଲ୍ଲୀ ଦେଇ ଜଗନ୍ନାଥପୁର ଲେଭଲ କ୍ରସିଂରେ ବ୍ରହ୍ମପୁର ଛାଡୁଥିଲେ । ହଳଦିଆପଦରଠାରୁ ଜଗନ୍ନାଥପୁର ସନ୍ନିକଟ ରଘୁନାଥପୁର ଯାଏଁ ବାଇପାସ ରୋଡ଼ ନିର୍ମିତ ହେବା ପରେ ସହର ମଧ୍ୟ ଦେଇ ଯାନବାହାନ ଚଳାଚଳ ଭିଡ କମିଥିଲା । ରଘୁନାଥପୁରରୁ ଆସିକା ରୋଡ଼ ଦେଇ ବ୍ରହ୍ମପୁର ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳ ସହ ସଂଯୋଗ ସ୍ଥାପିତ ହୋଇଥିଲେ ହେଁ ମୂଳରୁ ତାହା ଜାତୀୟ ରାଜ୍ୟପଥରେ ଅନ୍ତର୍ଭୁକ୍ତ ନଥିଲା । ପରେ ଗୋପାଳପୁର-ରାୟପୁର ୫୯ ନମ୍ୱର ଜାତୀୟ ରାଜ୍ୟପଥର ମାନ୍ୟତା ପାଇଲା । ଏଯାଏଁ ଏହି ଜାତୀୟ ରାଜପଥ ନିମନ୍ତେ ବାଇପାସ ନିର୍ମିତ ହୋଇନଥିବା ହେତୁ ଜଗନ୍ନାଥପୁର ରେଳ ଲେଭଲ କ୍ରସିଂରୁ କମାପଲ୍ଲୀ, ଗିରିରୋଡ଼, ଖଲ୍ଲିକୋଟ କଲେଜ, ଷ୍ଟେଟ ବ୍ୟାଙ୍କ, ସିଟି ହସପିଟାଲ, ଗେଟବଜାର ଓ ଆସିକା ରୋଡ଼ ଦେଇ ରତ୍ନପୁର ଯାଏଁ ପରିବ୍ୟାପ୍ତ ।
 
ଚ଼େନ୍ନାଇ-କୋଲକତା ୧୬ ନମ୍ୱର ଜାତୀୟ ରାଜପଥ ପୂର୍ବରୁ ୫ ନମ୍ୱର ଜାତୀୟ ରାଜପଥ ଏବଂ ୫୯ ନମ୍ୱର ଗୋପାଳପୁର-ରାୟପୁର ଜାତୀୟ ରାଜପଥ ପୂର୍ବରୁ ୨୧୭ ନମ୍ୱର ଜାତୀୟ ରାଜପଥ ରୂପେ ପରିଚ଼ିତ ଥିଲା । ନ୍ୟାସନାଲ ହାଇୱେ ଅଥାରିଟି ଅଫ ଇଣ୍ଡିଆ ପକ୍ଷରୁ ୨୦୧୦ରେ ଦେଶର ସମସ୍ତ ଜାତୀୟ ରାଜପଥଗୁଡ଼ିକୁ ନୂତନ ନମ୍ୱର ପ୍ରଦତ୍ତ ହୋଇଥିଲା । ହଳଦିଆପଦର- ରଘୁନାଥପୁର ବାଇପାସ ସୁବିଧା ହେତୁ ୧୬ ନମ୍ୱର ଜାତୀୟ ରାଜପଥଜନିତ ଯାନବାହାନ ଭିଡ଼ରୁ ବ୍ରହ୍ମପୁର ମୁକୁଳି ପାରିଥିବା ସ୍ଥଳେ ୫୯ ନମ୍ୱର ରାଜପଥ ସହର ମଧ୍ୟ ଦେଇ ପ୍ରାୟ ୧୨କିଲୋମିଟର ଗତି କରୁଥିବା ହେତୁ ଟ୍ରାଫିକ ଭିଡ଼ ଲାଗି ରହୁଛିଏହି ସମସ୍ୟାର ସମାଧାନ ନିମନ୍ତେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ରଘୁନାଥପୁରଠାରୁ ରତ୍ନପୁର ଯାଏଁ ପ୍ରାୟ ୧୪ କିଲୋମିଟର ବାଇପାସ ରାସ୍ତା ନିର୍ମାଣ ପାଇଁ ୨୦୨୧ ଏପ୍ରିଲ ମାସରେ ୧୯୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି ଏବଂ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ଜଣାଯାଏ ।
 
ବ୍ରହ୍ମପୁର ସହର ଚ଼ତୁର୍ଦ୍ଦିଗରେ ଏକ ରିଂ-ରୋଡ଼ର ପରିବେଶ ସୃଷ୍ଟି କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ରତ୍ନପୁରରୁ ହଳଦିଆ ପଦର ଯାଏଁ ୧୭ କିଲୋମିଟର ରାସ୍ତା ନିର୍ମାଣ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି । ହଳଦିଆ ପଦରରୁ ରଘୁନାଥପୁର ସଂଯୋଗ କରୁଥିବା ୧୬ ନମ୍ୱର ଜାତୀୟ ରାଜପଥ ବାଇପାସ, ରଘୁନାଥପୁରରୁ ରତ୍ନପୁର ସଂଯୋଗ କରୁଥିବା ୫୯ ନମ୍ୱର ରାଜପଥ ବାଇପାସ ସହ ରତ୍ନପୁରରୁ ହଳଦିଆପଦର ସଂଯୋଗ କରୁଥିବା ରାସ୍ତା ସାମଗ୍ରିକଭାବେ ପ୍ରାୟ ୪୭ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ରିଂ-ରୋଡ଼ର ସୁବିଧା ପ୍ରଦାନ କରିବ ବୋଲି ହିସାବ କରାଯାଉଛି । ଏହି ସମନ୍ୱିତ ପ୍ରକଳ୍ପର ଭିତ୍ତିପ୍ରସ୍ତର ନଭେମ୍ୱର ୨୦୧୬ରେ ସ୍ଥାପିତ ହୋଇଥିଲା । ପ୍ରାୟ ଏକତୃତୀୟାଂଶ ପୂର୍ବ ନିର୍ମିତ ରାଜପଥ ବାଇପାସ ସହ ଦ୍ୱିତୀୟ ତୃତୀୟଂଶର ରାଜପଥ ବାଇପାସ ନିର୍ମାଣ କାମ ନିମନ୍ତେ ସଜବାଜ ଚାଲିଥିବା ସ୍ଥଳେ ଶେଷ ତୃତୀୟଂଶ ନିମନ୍ତେ ଜମି ଆଧିଗ୍ରହଣ ସରି ନାହିଁ । ତେବେ ବ୍ରହ୍ମପୁର ପାଇଁ ରିଂ-ରୋଡ଼ ନିର୍ମାଣ ନିଷ୍ପତ୍ତି ୨୦୧୩ରେ ଘୋଷିତ ହେବା ଢ଼େର ଆଗରୁ ପ୍ରସ୍ତାବିତ ରାସ୍ତାର ଦୁଇ ପାର୍ଶ୍ୱରେ ଜମିଜମା କିଣାବିକା ଚାଲି ଆସିଛି !

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୮ ସେପ୍ଟେମ୍ୱର ୨୦୨୧ / ପୃଷ୍ଠା : ୮)

Friday, September 10, 2021

Air Pollution / ବାୟୁ ପ୍ରଦୂଷଣ

 


#ବ୍ରହ୍ମପୁର ସହରରେ ବାୟୁ ପ୍ରଦୂଷଣ ସଂପର୍କରେ ଆଲୋଚ଼ନା ପ୍ରାୟ ଶୁଣିବାକୁ ମିଳେ ନାହିଁ । ସଚ଼େତନ ବର୍ଗ ଏହି ସମସ୍ୟା ଦିଲ୍ଲୀ ନହେଲେ କୋଲକତା, ମୁମ୍ୱାଇ, ଚ଼େନ୍ନାଇର ଦୁଃଖ ବୋଲି ବିଚାର କରିଥାନ୍ତି । ହରିଆନା, ପଞ୍ଜାବରେ ଗହମ ଫସଲ ଅମଳ ପରେ ଆଗାମୀ ଚାଷ ପାଇଁ କ୍ଷେତ ସଫା କରିବାକୁ ନଡ଼ା ପୋଡ଼ାଗଲେ ସୃଷ୍ଟ ଧୁଆଁ ବର୍ଷକରେ କିଛି ସମୟ ଦିଲ୍ଲୀ ବାୟୁମଣ୍ଡଳକୁ ଆଚ୍ଛାଦିତ କରି ରଖୁଥିବା ଚ଼ିତ୍ର ଟେଲିଭିଜନରେ ଦେଖୁ । ଅନ୍ୟାନ୍ୟ ବଡ଼ ସହରଗୁଡ଼ିକରେ ସଂଖ୍ୟାଧିକ ମଟରଗାଡ଼ି ଚଳପ୍ରଚଳ ହେବା ଫଳରେ ରାସ୍ତାଘାଟରେ କିପରି ଧୂଆଁର ଆସ୍ତରଣ ସୃଷ୍ଟି ହୁଏ ଏବଂ ଜରୁରି ପରିସ୍ଥିତି ଏଡ଼ାଇବା ନିମନ୍ତେ ଯୁଗ୍ମ-ଅଯୁଗ୍ମ ଗାଡ଼ି ରେଜିଷ୍ଟ୍ରେସନ ନମ୍ୱର ଆଧାରରେ ଡ୍ରାଇଭିଂ ପାଇଁ ନିୟମ ଧାର୍ଯ୍ୟ ହୁଏ ସେ ସଂପର୍କରେ ଶୁଣୁ । ଗୋପାଳପୁର ଇସ୍ପାତ କାରଖାନା ପ୍ରତିଷ୍ଠିତ ହୋଇଥିଲେ ବ୍ରହ୍ମପୁର ଏକ ପ୍ରଦୂଷିତ ସହର ପାଲଟିଥାନ୍ତା ଏବଂ ଯେକୌଣସି କାରଣରୁ ହେଉ ପ୍ରକଳ୍ପ କାର୍ଯ୍ୟକାରୀ ନହୋଇପାରିଥିବା ହେତୁ ବ୍ରହ୍ମପୁରବାସୀଙ୍କୁ ଅନ୍ତତଃପକ୍ଷେ ପ୍ରଦୂଷଣରୁ ଯେ ମୁକ୍ତି ପାଇଗଲେ ନିଜକୁ ଭାଗ୍ୟବାନ ମନେକରୁ । ତେବେ, ସହରର ରାସ୍ତାଘାଟ ସଫେଇ ପରେ ଆବର୍ଜନା ନିଷ୍କାସନ ପରିବର୍ତ୍ତେ କୁଢ଼ରେ ନିଆଁ ଲଗାଇ ଦିଆଯାଏ - ଏହି ସମସ୍ୟାଟିକୁ ହାଲକାଭାବେ ଗ୍ରହଣ କରିନେଉ ।
 
ବାୟୁ ପ୍ରଦୂଷଣ ଏକ ଆନ୍ତର୍ଜାତିକ ସମସ୍ୟା । ବିଭିନ୍ନ କିସମର ପୋଡ଼ିରୁ ଉତ୍ପନ୍ନ ଧୂଆଁଜନିତ ପ୍ରଦୂଷଣ କାରଣରୁ ଜଳବାୟୁ ପରିବର୍ତ୍ତନ ଏବଂ ଫଳ ସୂରୁପ ବହୁଳ ବୃଷ୍ଟି ଓ ଅନାବୃଷ୍ଟି ବିଶ୍ୱବ୍ୟାପୀ ସମସ୍ୟା ସୃଷ୍ଟି କରିଛି । ପରିସ୍ଥିତି ଏପରି ହେଲାଣି ଯେ ଜଣେ ବ୍ୟକ୍ତି ପାରମ୍ପରିକ ଇନ୍ଧନ ବ୍ୟବହାରରୁ କ୍ଷାନ୍ତ ରହିଲେ ତାହା ସମଗ୍ର ମାନବ ଜାତିର କଲ୍ୟାଣକାରୀ ହେବ ବୋଲି ପରିସଂଖ୍ୟାନ ପ୍ରଚାରିତ ହେଲାଣି । ପ୍ରଦୂଷଣ ରୋକିବା ନିମନ୍ତେ ଜାତିସଂଘର ଆହ୍ୱାନକୁ ଭାରତ ସଦାସର୍ବଦା ସମର୍ଥନ କରିଆସିଛି । କିନ୍ତୁ ତୃଣମୂଳସ୍ତରରେ ତତ୍ପରତା ଅଭାବରୁ ଦେଶରେ ସମସ୍ୟା ସୁଧୁରି ପାରୁନାହିଁ ।
 
ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋ ବିଶ୍ୱବିଦ୍ୟାଳୟସ୍ଥିତ ଏନାର୍ଜୀ ପଲିସି ଇନଷ୍ଟିଟ୍ୟୁଟ ଆନୁକୂଲ୍ୟରେ ଆନ୍ତର୍ଜାତିକସ୍ତରରେ ବିଭିନ୍ନ ଭୌଗଳିକ ପରିବେଶରେ ବାୟୁ ପ୍ରଦୂଷଣ କାରଣରୁ ଜୀବଦ୍ଦଶା ହାନୀ ଗଣତି କରାଯାଇ ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ପ୍ରକାଶିତ ହୋଇଥାଏ । ସଦ୍ୟତମ ରିପୋର୍ଟରେ ଦର୍ଶାଯାଇଛି ଯେ ଜାତିସଂଘ ପକ୍ଷରୁ ହାରାହାରି ବାୟୁ ପ୍ରଦୂଷଣ ଏଭେରେଜ ପାର୍ଟିକୁଲେଟ ମେଟର କନସେଣ୍ଟ୍ରେସନ ବର୍ଗ ମିଟର ପିଛା ୧୦ ମାଇକ୍ରୋ-ଗ୍ରାମ ନିର୍ଦ୍ଧାରିତ ହୋଇଥିବା ସ୍ଥଳେ ଭାରତରେ ଜାତୀୟସ୍ତରରେ ୨୦୧୯ ପରୀକ୍ଷଣରେ ବାୟୁ ପ୍ରଦୂଷଣ ହାର ବର୍ଗ ମିଟର ପିଛା ୭୦ ମାଇକ୍ରୋ-ଗ୍ରାମ ହିସାବ କରାଯାଏ । ଏହା ବିଶ୍ୱରେ ସର୍ବାଧିକ ପ୍ରଦୂଷଣ ମାତ୍ରା ବୋଲି କୁହାଯାଏ ।
 
ରିପୋର୍ଟରେ ଆହୁରି ଉଲ୍ଲେଖ କରାଯାଇଛି ଯେ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ବାୟୁ ପ୍ରଦୂଷଣ ହେତୁ ସେଠାକାର ରାଜ୍ୟବାସୀଙ୍କ ହାରାହାରି ପରମାୟୁ ୨୦୦୦ ତୁଳନାରେ ୨୦୧୯ରେ ଜଣକ ପିଛା ଦୁଇ ବର୍ଷ ଛଅ ମାସରୁ ଦୁଇ ବର୍ଷ ଆଠ ମାସ ଯାଏଁ କମିଯାଇଛିଏହି ଜଟିଳ ପରିସଂଖ୍ୟାନରେ ବ୍ରହ୍ମପୁରର ସ୍ଥାନ ନିର୍ଦ୍ଧାରଣ କରିବା ବିଶେଷଜ୍ଞ ବୈଜ୍ଞାନିକଙ୍କ କାମ । କିନ୍ତୁ ସହରରେ ରାସ୍ତାକଡ଼େ ଅଳିଆ ଗଦା, ଟାୟର ପୋଡ଼ା କେତେ ମାରାତ୍ମକ ଏବଂ ସିଧାସଳଖ ଅତି ଯତ୍ନରେ ସମ୍ଭାଳୁଥିବା ପ୍ରତ୍ୟେକଙ୍କ ଜୀବନପାଇଁ କେତେ ବିପଦଜନକ ଏସଂପର୍କରେ ସଚ଼େତନ ହେବା ସମୟ ଉପନୀତ ।
 
ବାୟୁ ପ୍ରଦୂଷଣ ବ୍ୟକ୍ତିଗତ, ଭୌଗଳିକ ଓ ବିଶ୍ୱବ୍ୟାପୀ ପ୍ରଭାବ ପକାଇଥାଏ । ପ୍ରଦୂଷିତ ବାୟୁ ଗ୍ରହଣରେ ମନୁଷ୍ୟ ଶ୍ୱାସରୋଗାକ୍ରାନ୍ତ ହୁଏ, ଆଜମା ଭଳି ପୂର୍ବରୁ ରୋଗାକ୍ରାନ୍ତ ପୁନଃ ପୀଡ଼ିତ ହୁଅନ୍ତି ଏବଂ ଏତଦ୍ୱାରା ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ବିପନ୍ନ ହେବା ସଙ୍ଗେ ଆନ୍ତର୍ଜାତିକ ପ୍ରଦୂଷଣ ପ୍ରବାହରେ ସହର ଭାଗୀଦାର ହୋଇଥାଏ । ତେବେ ପ୍ରଶ୍ନ ଉଠେ ବ୍ରହ୍ମପୁରରେ ବାୟୁ ପ୍ରଦୂଷଣ ସୃଷ୍ଟିକାରୀ ଘଟଣା ସଂପର୍କରେ ସାଧାରଣ ନାଗରିକଟିଏ ଅବଗତ ହେବା ପରେ କଣ କରିପାରିବ ? କାହାକୁ କହିବ ? ନିର୍ଦ୍ଦିଷ୍ଟ ପୋଡ଼ା ଧୂଆଁ ରୋକିବା ନିମନ୍ତେ ତ୍ୱରିତ ପଦକ୍ଷେପ ଗ୍ରହଣ ନିମନ୍ତେ ବିଧିବଦ୍ଧ ବ୍ୟବସ୍ଥା ରହିଛି କି ? କ୍ରମାଗତ ପ୍ରଦୂଷଣ ନୀତି ଉଲଂଘନ ହୋଇଚାଲିଲେ ଏହି ସମସ୍ୟା ଉଚ୍ଚସ୍ତରରେ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ନାଗରିକ ସମାଜ ସଚ଼େତନ କି ?
 
ସହରର ଅନେକ ଅସମାହିତ ନାଗରିକ ସମସ୍ୟା ମଧ୍ୟରେ ବାୟୁ ପ୍ରଦୂଷଣ ହଜିଯାଏ । କାରଣ ସାମାନ୍ୟ ଅଳିଆ ଗଦାର କୁହୁଳା ନିଆଁରୁ କେହି ତତ୍ କ୍ଷଣାତ ଶ୍ୱାସରୋଗରେ ଆକ୍ରାନ୍ତ ହେବା ଆମେ ଦେଖିନାହୁଁ କିମ୍ୱା ୨୦୧୬ରେ ଶ୍ୱାସରୋଗ କାରଣରୁ ସମଗ୍ର ବିଶ୍ୱରେ ୩୦ ଲକ୍ଷ ଯାଏଁ ମୃତ୍ୟୁବରଣ କରିଥିବା ହିସାବ ଆମ ପାଖରେ ନଥାଏ । ଶ୍ୱାସରୋଗ ଉପରକୁ ହୃଦଘାତ ଓ ହୃଦରୋଗ ଯଥାକ୍ରମେ ଆନ୍ତର୍ଜାତିକସ୍ତରରେ ମୃତ୍ୟୁର ଦ୍ୱିତୀୟ ଓ ପ୍ରଥମ କାରଣ । ସଚ଼େତନ ବର୍ଗ ପ୍ରଥମ ଓ ଦ୍ୱିତୀୟ ନିରାକରଣ ପାଇଁ ବେଶ ତତ୍ପର । ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରି ଡ଼ାକ୍ତରଙ୍କ ପରାମର୍ଶକ୍ରମେ ଔଷଧ, ପଥ୍ୟ ଓ ବ୍ୟାୟାମ ପାଇଁ ମର୍ଣ୍ଣିଂ ୱାକରେ ଯାଆନ୍ତି । କିନ୍ତୁ ଆଶ୍ଚର୍ଯ୍ୟଜନକଭାବେ ମୃତ୍ୟୁର ତୃତୀୟ ମୁଖ୍ୟ କାରଣ ଶ୍ୱାସରୋଗକୁ ଭୁଲିଯାଉ !

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୧ ସେପ୍ଟେମ୍ୱର ୨୦୨୧ / ପୃଷ୍ଠା : ୯)

(Photo by Patrick Hendry on Unsplash)


Friday, September 3, 2021

Panchama Sidhi Vinayak / ପଞ୍ଚମା ସିଦ୍ଧି ବିନାୟକ

 


#ବ୍ରହ୍ମପୁର  ସହରତଳି ୧୨ କିଲୋମିଟର ଦୂରବର୍ତ୍ତୀ ଦକ୍ଷିଣ ପାର୍ଶ୍ୱ ବିଶାଖପାଟଣାମୁଖୀ ୧୬ ନମ୍ୱର ଜାତୀୟ ରାଜପଥରୁ ତିନି କିଲୋମିଟର ଆଭ୍ୟନ୍ତରୀଣ ଅଞ୍ଚଳରେ ଅବସ୍ଥିତ ପଞ୍ଚମା ଗ୍ରାମରେ ସିଦ୍ଧି ବିନାୟକ ମନ୍ଦିର ଅବସ୍ଥିତଅନ୍ୟାନ୍ୟ ବିଶେଷତ୍ୱ ମଧ୍ୟରେ ମନ୍ଦିରଟି ଏକ ବିଶାଳକାୟ ଅଶ୍ୱତ୍ଥ ବୃକ୍ଷକୁ ପରିବେଷ୍ଟିତ ହୋଇ ନିର୍ମିତ । ଏହି ଅଶ୍ୱତ୍ଥ ବୃକ୍ଷସହ ଅତୀତରେ ଅନ୍ୟ ଏକ ବଟ ବୃକ୍ଷ ରହିଥିବା ଶୁଣାଯାଏ । କିନ୍ତୁ ବର୍ତ୍ତମାନ ବଟ ବୃକ୍ଷଟି ପ୍ରାୟ ନଷ୍ଟ ହୋଇ ଯାଇଛି । ବୃକ୍ଷ କ୍ରୋଡ଼ରେ ଦୁଇ ଫୁଟ ଉଚ୍ଚ ସିଦ୍ଧି ବିନାୟକଙ୍କ ବିଗ୍ରହ ବିରଜମାନ । ଏହା ଉତ୍ତର-ପୂର୍ବ ମୁଖ । ପାର୍ଶ୍ୱ ଦେବଦେବୀ ଭାବେ ଭାସ୍କର, ଶିବ, ଦୁର୍ଗା ଓ ନାରାୟଣ ପୂଜିତ । ଅଶ୍ୱତ୍ଥ ବୃକ୍ଷ କ୍ରୋଡ଼ରେ ଗଣେଶଙ୍କ ଅନ୍ୟ କେତେକ କ୍ଷୁଦ୍ର ବିଗ୍ରହ ମଧ୍ୟ ସଂରକ୍ଷିତ ।
 
ପଞ୍ଚମା ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ନେଇ ଚାରିଗୋଟି କିମ୍ୱଦନ୍ତୀ ପ୍ରଚଳିତ । ପ୍ରଥମଟି ମହାଭାରତ, ଦ୍ୱିତୀୟଟି ଖ୍ରୀଷ୍ଟପୂର୍ବ ତୃତୀୟ ଶତାଦ୍ଦୀରେ ମଗଧ ସମ୍ରାଟ ଅଶୋକଙ୍କ କଳିଙ୍ଗ ଆକ୍ରମଣ, ତୃତୀୟଟି ପୁରୀ ଗଜପତି ପୁରୁଷୋତ୍ତମ ଦେବଙ୍କ କାଞ୍ଚି ଯାତ୍ରା ଏବଂ ଚ଼ତୁର୍ଥଟି ପୁରୁଷୋତ୍ତମ ଦେବଙ୍କ କାଞ୍ଚି ବିଜୟ ପରେ ବାହୁଡ଼ା ଯାତ୍ରା ଉପରେ ଆଧାରିତ ।
 
କୁହାଯାଏ ଯେ ପଞ୍ଚମାଠାରେ ପଞ୍ଚ ପାଣ୍ଡବ ବନବାସ କାଳରେ ସିଦ୍ଧି ବିନାୟକଙ୍କୁ ପୂଜାର୍ଚ୍ଚନା କରି ବରପ୍ରାପ୍ତ ହୋଇଥିଲେ । ଦ୍ୱିତୀୟତଃ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ବିଭାଗର ପ୍ରଫେସର ବେଣୀମାଧବ ପାଢ଼ୀ କୃଷ୍ଟି ଓ ଦୃଷ୍ଟି ପୁସ୍ତକର ୭୦-୭୧ ପୃଷ୍ଠାରେ ଉଲ୍ଲେଖ କରିଛନ୍ତି ଯେ ସିଦ୍ଧି ବିନାୟକ ପ୍ରାଚ଼ୀନ କଳିଙ୍ଗରେ ପୂଜିତ ହେଉଥିଲେ । ଅଶୋକଙ୍କ ଆକ୍ରମଣ ଫଳରେ କଳିଙ୍ଗ ଧ୍ୱସ୍ତବିଧ୍ୱସ୍ତ ହେବାପରେ ପ୍ରତିମା ରକ୍ଷଣାବେକ୍ଷଣ ଅଭାବରେ ଉଇ ହୁଙ୍କାରେ ଆଚ୍ଛାଦିତ ହୋଇପଡ଼ିଥିଲା ।
 
ତୃତୀୟତଃ, ପଞ୍ଚଦଶ ଶତାଦ୍ଦୀରେ ପୁରୀ ଗଜପତି ପୁରୁଷୋତ୍ତମ ଦେବ କାଞ୍ଚି ଯୁଦ୍ଧ ଯାତ୍ରା ଅବସରରେ ଭୈରବୀଠାରେ ସୈନ୍ୟସାମନ୍ତ ସହ ରାତ୍ରୀ ଯାପନ କରିଥିଲେସେଠାରେ ତାଙ୍କୁ ସ୍ୱପ୍ନାଦେଶ ହେଲା ଯେ ପ୍ରସ୍ଥାନ ପୂର୍ବରୁ ନିକଟସ୍ଥ ଜଙ୍ଗଲରେ ଦେବତାଙ୍କୁ ପୂଜା କରନ୍ତୁ । ପରଦିନ ପ୍ରଭାତରୁ ରାଜା ସୈନ୍ୟସାମନ୍ତଙ୍କ ସହ ଜଙ୍ଗଲରେ ଦେବତାଙ୍କୁ ଖୋଜିବା ପାଇଁ ବାହାରି ପଡ଼ିଲେ । କିନ୍ତୁ କେଉଁଠି ପାଇଲେ ନାହିଁ । ବିଫଳ ମନୋରଥ ରାଜାଙ୍କୁ ସ୍ଥାନୀୟ ଜଣେ ବୃଦ୍ଧ ସୂଚ଼ନା ଦେଲେ ଯେ ଜଙ୍ଗଲରେ ଦେବତା ଅଛନ୍ତି । କିନ୍ତୁ ସେମାନେ ଦେବତାଙ୍କୁ ଦେଖି ନାହାନ୍ତି । କେବଳ ଦେବତାଙ୍କ ଉଦ୍ଦେଶ୍ୟରେ ଦୂରରୁ ପ୍ରଣାମ କରିଥାନ୍ତି । ପୁନଃ ଉଦ୍ୟମରେ ଦୁଇ ଅଶ୍ୱତ୍ଥ ଓ ବଟ ବୃକ୍ଷ ମଧ୍ୟରେ ଏକ ବଡ଼ ଉଚ୍ଚ ହୁଙ୍କା ଦେଖିବାକୁ ପାଇଲେ । ଯତ୍ନ ସହକାରେ ଉଚ୍ଚ ହୁଙ୍କାରେ ଜଳ ଢାଳି ସଫା କରିବାପରେ ସିଦ୍ଧି ବିନାୟକଙ୍କ ବିଗ୍ରହ ପ୍ରକାଶିତ ହୋଇଥିଲା । ରାଜା ଯତ୍ନ ନେଲେ ।
 
ଚ଼ତୁର୍ଥ କିମ୍ୱଦନ୍ତୀରେ ପୁରୁଷୋତ୍ତମ ଦେବ କାଞ୍ଚି ବିଜୟ ପରେ ବହୁ ଗଣେଶ ମୂର୍ତ୍ତି ସାଥିରେ ନେଇ ବାହୁଡ଼ିଥିଲେ । ସେଥି ମଧ୍ୟରୁ ଗୋଟିଏ ମୂର୍ତ୍ତି ପଞ୍ଚମାଠାରେ ପ୍ରତିଷ୍ଠା କରିଥିଲେ  ପୁରୁଷୋତ୍ତମ ଦେବଙ୍କ କାଞ୍ଚି ଯୁଦ୍ଧ ଅଭିଯାନ କାଳରେ ହେଉ କିମ୍ୱା ବାହୁଡ଼ା କାଳରେ ସିଦ୍ଧି ବିନାୟକଙ୍କ ବିଗ୍ରହ ପ୍ରତିଷ୍ଠା ଲାଗି ମନ୍ଦିର ନିର୍ମାଣ ଏବଂ ପାଞ୍ଚଗୋଟି ପରିବାରଙ୍କୁ ଥଇଥାନ କରି ଗ୍ରାମ ନିର୍ମାଣ ତଦାରଖ କାର୍ଯ୍ୟ ପାଞ୍ଚ ଦିନ ମଧ୍ୟରେ ସମାପ୍ତ ହୋଇଥିବା ହେତୁ ପୀଠସ୍ଥଳୀକୁ ପଞ୍ଚମା ନାମିତ କରାଯାଇଥିବା ଯୁକ୍ତି ରଖାଯାଇଥାଏ । ଏତଦ୍ ବ୍ୟତୀତ ମନ୍ଦିରରେ ସିଦ୍ଧି ବିନାୟକଙ୍କ ସହ ଭାସ୍କର, ଶିବ, ଦୁର୍ଗା ଓ ନାରାୟଣ ପଞ୍ଚ ଦେବତା ପୂଜିତ ହେଉଥିବା ହେତୁ ପୀଠର ପଞ୍ଚମା ନାମକରଣ ମଧ୍ୟ ଯଥାର୍ଥ ମନେହୁଏ ।
 
ବ୍ରହ୍ମପୁର ସମେତ ଗଞ୍ଜାମ ଓ ପଡ଼ୋଶୀ ଶ୍ରୀକାକୁଲମ ଜିଲ୍ଲାବାସୀଙ୍କ ନିମନ୍ତେ ପଞ୍ଚମା ଏକ ଆକର୍ଷଣୀୟ ଧର୍ମସ୍ଥଳୀ । ସହରରେ ଆଗନ୍ତୁକ ଅତିଥିମାନଙ୍କୁ ପଞ୍ଚମା ଦର୍ଶନରେ ନିଆଯିବା ପ୍ରଥା ପ୍ରଚଳିତ । ପ୍ରତ୍ୟେହ ସକାଳ ଓ ସନ୍ଧ୍ୟାରେ ମନ୍ଦିର ଭକ୍ତଙ୍କ ପାଇଁ ଉନ୍ମୁକ୍ତ ରହେ । ମଧ୍ୟାହ୍ନରେ କିଛି ସମୟ ଦର୍ଶନ ଓ ପୂଜା ଆରାଧନା ବନ୍ଦ ହୋଇଥାଏ । ଗଣେଶ ଚ଼ତୁର୍ଥୀ ସିଦ୍ଧି ବିନାୟକଙ୍କ ମୁଖ୍ୟ ପର୍ବ ହେଲେହେଁ ଶିବରାତ୍ରୀ, ପ୍ରତି ମାସର ସଂକ୍ରାନ୍ତି ତିଥି ଓ ଅନ୍ୟାନ୍ୟ ପୁଣ୍ୟପର୍ବରେ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ମନ୍ଦିର ପ୍ରାଙ୍ଗଣରେ ସମାଗମ ହୋଇଥାଏ । ପ୍ରତି ବାରବର୍ଷରେ ଯୋଡ଼ା ଜ୍ୟୋଷ୍ଠ ମାସ ପଡ଼ିଲେ ସିଦ୍ଧି ବିନାୟକ ବିଗ୍ରହର ନବକଳେବର ପ୍ରଥା ପ୍ରଚଳିତ ।

Photo by Supriya Samanta on Unsplash