Friday, September 25, 2020

Lost Rain / ନିରୁଦ୍ଦିଷ୍ଟ ବର୍ଷା



ଚଳିତ ସପ୍ତାହ ଶେଷରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଭାରତରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିବା ଖବର ଶୁଣି ବ୍ରହ୍ମପୁରବାସୀ ଚମକି ପଡ଼ିବା ସ୍ୱାଭାବିକ । କାରଣ ଏବର୍ଷ ବର୍ଷାର ଅନୁଭୂତି ପ୍ରାୟ ସହରରେ ଅନୁଭୂତ ହୋଇ ନାହିଁ କହିଲେ ଚଳେ । ଯଦି ଦେଶରୁ ମୌସୁମୀ ବାୟୁ ଫେରୁଛି ତେବେ କ#ବ୍ରହ୍ମପୁର ବର୍ଷା ଅଭାବଗ୍ରସ୍ତ ହୋଇ ରହିଯିବ ?

 

ପାଣିପାଗ କ୍ୟାଲେଣ୍ଡରରେ ପ୍ରତିବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ ପହିଲାରେ କେରଳ ଦେଇ ୭ ରୁ ୧୪ ସୁଦ୍ଧା ଓଡ଼ିଶା ପହଞ୍ଚୁଥିବା ସ୍ଥଳେ ସେପ୍ଟେମ୍ୱର ୧୭ ରୁ ରାଜସ୍ଥାନରୁ ପ୍ରଥମେ ଅପସାରିତ ହେବା ପରେ ଅକ୍ଟୋବର ୧୪ରେ ଓଡ଼ିଶା ଛାଡ଼ିଥାଏ । ପାଣିପାଗ ବିଜ୍ଞାନୀମାନଙ୍କ ମତରେ ବଙ୍ଗୋପସାଗରରେ ବାରମ୍ୱାର ଲଘୁଚାପ ସୃଷ୍ଟି କାରଣରୁ ଚଳିତ ବର୍ଷ ମୌସୁମୀ ଅପସାରଣ ପ୍ରକ୍ରିୟାରେ ସାମାନ୍ୟ ବିଳମ୍ୱ ଘଟିଛି । ଓଡ଼ିଶାରୁ ମୌସୁମୀ ଅପସାରଣ ସଂପର୍କରେ କୌଣସି ଆକଳନ କରାଯାଇନଥିଲେହେଁ ଅକ୍ଟୋବର ଦ୍ୱିତୀୟ ସପ୍ତାହ ଯାଏଁ କାଁ ଭାଁ ବର୍ଷା ଜାରୀ ରହିବା ଆଶା କରାଯାଏ ।

 

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ହିସାବ ଅନୁଯାୟୀ ଜୁନ ପହିଲାରୁ ସେପ୍ଟେମ୍ୱର ୨୩ ତାରିଖ ମଧ୍ୟରେ ଓଡ଼ିଶାରେ ୧୧୨୧.୫ ମିଲିମିଟର ବର୍ଷା ହୋଇଛି । ଏହାକୁ ସ୍ୱାଭାବିକ ପରିମାଣ କୁହାଯାଇପାରେ । ତେଣେ ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଦେଶରେ ୭ ପ୍ରତିଶତ ଅଧିକ ବର୍ଷା ହୋଇଛି । ତେବେ ବ୍ରହ୍ମପୁରବାସୀଙ୍କ ପାଇଁ ଏଯାଏଁ ବର୍ଷା ଟେଲିଭିଜନ ପର୍ଦ୍ଦାରେ ଉତ୍ତର ଓଡ଼ିଶା, ଆସାମ ବା ମୁମ୍ୱାଇରେ ବନ୍ୟାର ଭର୍ଚୁଆଲ ଅନୁଭୂତିରେ ହିଁ ସୀମାବଦ୍ଧ ।

 

ବ୍ରହ୍ମପୁରରେ ପାଣିପାଗ ଇତିହାସକୁ ଅନୁଧ୍ୟାନ କଲେ ପ୍ରତିବର୍ଷ ଜୁନରୁ ସେପ୍ଟେମ୍ୱର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓ ଅକ୍ଟୋବରରୁ ଡ଼ିସେମ୍ୱର ଉତ୍ତର-ପୂର୍ବ ମୌସୁମୀ ବାୟୁ ପ୍ରବାହରେ ସହରରେ ବର୍ଷା ହୋଇଥାଏ । ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁନ ୭ ତାରିଖ ସୁଦ୍ଧା ବ୍ରହ୍ମପୁର ପହଞ୍ଚୁଥିବା କୁହାଯାଉଥିଲେହେଁ ଜୁନ ମାସରେ ଏଠାରେ ବର୍ଷା ହୁଏ ନାହିଁ । ଜୁଲାଇ ଓ ଅଗଷ୍ଟ ମାସରେ ବର୍ଷା ହୁଏ । ସମୟେ ସମୟେ ବର୍ଷଣମୁଖର ଦିବସ ଗୁଡ଼ିକରେ ୩୦ ରୁ ୪୦ ମିଲିମିଟର ଯାଏଁ ବର୍ଷା ରେକର୍ଡ଼ କରାଯାଏ ।

 

ବ୍ରହ୍ମପୁରରେ ମୌସୁମୀ ଋତୁ ଜୁନ ଠାରୁ ସେପ୍ଟେମ୍ୱର ମଧ୍ୟରେ ବର୍ଷାରହିତ ସମୟରେ ଆକାଶ ମେଘାଚ୍ଛନ୍ନ ହୋଇପଡୁଥିବା କାରଣରୁ ଭୂମିସ୍ଥ ଉତ୍ତାପ ପୁନଃ-ବିକୀରଣ ହେତୁ ଦିନସାରା ଗୁଳଗୁଳି ଅନୁଭୂତ ହୁଏ । ଫଳରେ ସହରବାସୀ ବର୍ଷାଋତୁ ଥଣ୍ଡାର ମଜା ନେଇପାରନ୍ତି ନାହିଁ । ସାଧାରଣତଃ କୁମାର ପୂର୍ଣ୍ଣିମା ଯାଏଁ ଏତାଦୃଶ ପାଣିପାଗ ଲାଗି ରହେ ଏବଂ କୁମାର ପୂର୍ଣ୍ଣିମାଠାରୁ ଶିବରାତ୍ରୀ ଯାଏଁ ଚାରିମାସ ଏକ ରକମ ଗରମରୁ ଆଶ୍ୱସ୍ତି ମିଳେ ।

 

ବ୍ରହ୍ମପୁରରେ ଲଘୁଚାପଜନିତ ବର୍ଷା ହିଁ ସହରକୁ ଜଳାର୍ଣ୍ଣବ କରିଥାଏ । ମୁଖ୍ୟତଃ ଆନ୍ଧ୍ର ପ୍ରଦେଶର ଉତ୍ତର ଉପକୂଳ ବିଶାଖପାଟଣା-ଶ୍ରୀକାକୁଲମ ଲଘୁଚାପ ଆକ୍ରାନ୍ତ ହେଲେ ବ୍ରହ୍ମପୁରରେ ବର୍ଷାର ପ୍ରକୋପ ବଢ଼ିଥାଏ । ଏତଦ୍ ବ୍ୟତୀତ ଗ୍ରୀଷ୍ମଋତୁର ପ୍ରାକ-ମୌସୁମୀକାଳୀନ ଏପ୍ରିଲ ଓ ମେ ମାସରେ କାଳବୈଶାଖୀ ପ୍ରଭାବରେ ମଧ୍ୟ କେତେକ ଅପରାହ୍ନରେ ଅଧଘଣ୍ଟାରୁ ଘଣ୍ଟାଏ ଲେଖାଁ ବର୍ଷା ମିଳିଥାଏ । ଉତ୍ତର-ପୂର୍ବ ମୌସୁମୀ ମୁଖ୍ୟତଃ ଚ଼େନ୍ନାଇର କରମଣ୍ଡଳ ଉପକୂଳରେ ବର୍ଷା କରାଉଥିବା ସ୍ଥଳେ ବ୍ରହ୍ମପୁରର ଭାଗରେ ମଧ୍ୟ କିଛି ବର୍ଷା ପଡ଼େ ।

 

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ସମୟ ପାଖେଇ ଆସୁଥିବା ହେତୁ ବର୍ଷା ପାଇଁ ଚଳିତବର୍ଷ ବ୍ରହ୍ମପୁରକୁ ଉତ୍ତର-ପୂର୍ବ ମୌସୁମୀ ପ୍ରବାହ ଓ ଲଘୁଚାପକୁ ହିଁ ଅପେକ୍ଷା କରିବାକୁ ପଡ଼ିବ । ସହରର ବର୍ଷାର ଇତିହାସ ସେୟା କହେ !

(ଅନୁପମ ଭାରତ / ୨୬ ସେପ୍ଟେମ୍ୱର ୨୦୨୦/ ପୃଷ୍ଠା : ୨)

Photo by : Fernando X. Sanchez is licensed under CC BY-NC-ND 2.0

Friday, September 18, 2020

Ganjam Haat / ଗଞ୍ଜାମ ହାଟ



ସହରର କର୍ପୋରେସନ ରୋଡ଼ ଓ ଆସିକା ରୋଡ଼ ସନ୍ନିକଟ #ବ୍ରହ୍ମପୁର ଡ଼େଭଲାପମେଣ୍ଟ ଅଥରିଟି ଆୟତ୍ତାଧୀନ ପଡ଼ିଆରେ ଗଞ୍ଜାମ ହାଟ ନିର୍ମାଣ ନିମନ୍ତେ ଗତ ୩୧ ଅଗଷ୍ଟ ୨୦୨୦ରେ ଭୂମିପୂଜା ଅନୁଷ୍ଠିତ ହୋଇଥିଲା । ସମୁଦାୟ ୫.୫ ଏକର ପରିମିତ ଅଞ୍ଚଳରୁ ୪ ଏକର ଜମିରେ ଗଞ୍ଜାମ ହାଟ ଓ ୧.୫ ଏକର ଜମିରେ ସିଟି କମରସିଆଲ କମ୍ପ୍ଳେକ୍ସ ନିର୍ମାଣର ଯୋଜନା ରହିଛି । ପ୍ରକାଶିତ ବିବରଣୀ ଅନୁଯାୟୀ ଗତ ଜୁନ ୧୯ ତାରିଖରେ ଏହାର ନିର୍ମାଣଭାର ବହନ ଲାଗି ଏକ ଘରୋଇ ସଂସ୍ଥା ସହ ବିଡ଼ିଏ ଚୁକ୍ତିପତ୍ର ସ୍ୱାକ୍ଷର କରିଛି ଏବଂ ୧୮ ମାସ ମଧ୍ୟରେ କୋଠାବାଡ଼ି ନିର୍ମାଣ କାର୍ଯ୍ୟ ସାରିବା ଲାଗି ସମୟ ଧାର୍ଯ୍ୟ ହୋଇଛି । ଅର୍ଥାତ ୨୦୨୧ ଡ଼ିସେମ୍ୱର ସୁଦ୍ଧା ପ୍ରକଳ୍ପଟି ପ୍ରସ୍ତୁତ ହେଲେ ୨୦୨୨ ପ୍ରଥମ ଭାଗରେ କାର୍ଯ୍ୟକ୍ଷମ ହେବା ଆଶା କରାଯାଏ ।

 

ପ୍ରସ୍ତାବିତ ଗଞ୍ଜାମ ହାଟ ଜମିଟି ପଚାଶ ବର୍ଷ ପୂର୍ବେ ଏକ ଜଳାଶୟ ଥିଲା । ଏହାର ସମ୍ମୁଖ ଭାଗରେ ମଧ୍ୟ ଅନ୍ୟ ଏକ ଜଳାଶୟ ତାମିଆ ବନ୍ଧଅବସ୍ଥିତ ଥିଲା । ସ୍ୱାଧୀନୋତ୍ତର ଅବସ୍ଥାରେ ଏହି ଦୁଇ ଜଳାଶୟକୁ ବ୍ରହ୍ମପୁର ପୌରପାଳିକା ତଦାରଖ କିମ୍ୱା ଉଦ୍ଧାର କରିବା ପରିବର୍ତ୍ତେ ଆଳିଆଆବର୍ଜନା ଢାଳି ପୋତିଦେବା ଉଚିତ ମନେ କରିଥିଲେ । ଗିରିମାର୍କେଟ ସନ୍ନିକଟ ଜଳାଶୟ ଜମିରେ ନିକଟ ଅତୀତରେ ବିଜୁ ପଟ୍ଟନାୟକ ପାର୍କ ଗଢ଼ି ଉଠିଥିବା ସ୍ଥଳେ ଆସିକା ରୋଡ଼ ସନ୍ନିକଟ ଜଳାଶୟ ଜମିରେ ବର୍ତ୍ତମାନ ଗଞ୍ଜାମ ହାଟ ସହ ସିଟି କମର୍ସିଆଲ ସେଣ୍ଟର ନିର୍ମାଣ ହେବାକୁ ଯାଉଛି ।

 

ବ୍ରହ୍ମପୁର ଇତିହାସ ଅନୁଧ୍ୟାନ କଲେ ଊନବିଂଶ ଶତାଦ୍ଦୀର ଶେଷ ଭାଗରେ ପୌରପାଳିକା ଗଠିତ ହେବା ପରଠୁ ସହରରେ ବଜାର ହାଟ ନିର୍ମାଣ ଲାଗି ମୂଳରୁ ଆଗ୍ରହ ପ୍ରକାଶ କରିଆସିଛି । ୧୮୬୭ରେ ବ୍ରହ୍ମପୁର ପୌରପାଳିକା କାର୍ଯ୍ୟ ଆରମ୍ଭ କରିବା ସମୟରେ ଜନସଂଖ୍ୟା ୨୭ ହଜାରରୁ ସାମାନ୍ୟ ଉର୍ଦ୍ଧ୍ୱ ହିସାବ କରାଯାଏ । ସହରର ପ୍ରାଣକେନ୍ଦ୍ର ବଡ଼ବଜାର, ସାନବଜାର ଓ ହନୁମାନ ବଜାର ପରେ ସହରରେ କେତେଗୁଡ଼ିଏ ସାପ୍ତାହିକ ହାଟ ବସୁଥିଲା । ଅଧୁନା ଗିରିମାର୍କେଟ ମୁଖ୍ୟତଃ ଶନିବାର ଦିନ ସାପ୍ତାହିକ ହାଟରୁ ଆରମ୍ଭ ହୋଇଥିଲା । ଏହାର ନାମ ହାଟପଦାରୁ ଭିକ୍ଟୋରିଆ ମାର୍କେଟ ଏବଂ ପରେ ଗିରି ମାର୍କେଟରେ ପରିଣତ ହୋଇଛି ।

 

ବ୍ରହ୍ମପୁର ପୌରପାଳିକା ନିଜର ଆଦ୍ୟ ଜନହିତକର କାର୍ଯ୍ୟାବଳୀରେ ଭାପୁର ବଜାର ସ୍ଥାପନକୁ ଆଗ୍ରାଧୀକାର ଦେଇଥିଲା । ବିଗତ ଦେଢ଼ ଶହ ବର୍ଷ ଧରି ଦୋକାନ ବଜାର ନିର୍ମାଣ କାର୍ଯ୍ୟ ଜାରୀ ରହିଛି । ସେହିପରି ସ୍ୱାଧୀନୋତ୍ତର ଅବସ୍ଥାରେ ବ୍ରହ୍ମପୁର ଡ଼େଭଲାପମେଣ୍ଟ ଅଥରଟି ଗଠନ ପରେ ନିଜ କାର୍ଯ୍ୟାଳୟ ନିର୍ମାଣ ସମୟରେ ସେଥିରୁ ଅର୍ଦ୍ଧେକ ଦୋକାନ ଘର ଖୋଲାଠାରୁ ଆରମ୍ଭ କରି ସିଟି ବସଷ୍ଟାଣ୍ଡରେ ଦୋକାନ ବଜାର ନିର୍ମାଣକୁ ଗୁରୁତ୍ୱ ଦେଇ ଆସିଛି । ସିଟି କମରସିଆଲ ସେଣ୍ଟର ନିର୍ମାଣ ଉଦ୍ୟମ ସଦ୍ୟତମ ଉଦାହରଣ ।

 

ଗଞ୍ଜାମ ହାଟ ଓ ସଂଲଗ୍ନ ସିଟି କମରସିଆଲ ସେଣ୍ଟର ନିର୍ମାଣ ବାବଦରେ ୨୨.୪୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ବ୍ରହ୍ମପୁର ଡେଭଲାପମେଣ୍ଟ ଅଥରିଟି ଗଠନ ପରେ କର୍ପୋନେସନ ରୋଡ଼-ଆସ୍କା ରୋଡ଼ ଜଳାଶୟ ଜମି ହସ୍ତାନ୍ତର ପରେ ଦଶ ବର୍ଷ ପୂର୍ବେ ସେଠାରେ ଗଜପତି ପ୍ଳାଜା ନାମରେ ଘରୋଇ ମାଲିକାନାରେ ଏକ ମଲ ନିର୍ମାଣ ନିମନ୍ତେ ସମସ୍ତ ପ୍ରସ୍ତୁତି ସରିଥିଲା । କିନ୍ତୁ ବିଭିନ୍ନସ୍ତରରେ ବିରୋଧ ଯୋଗୁଁ ତାହା ସାକାର ହୋଇପାରିନଥିଲା । ସେଠାରେ ବିଡ଼ିଏ ପରିଚାଳନାରେ ଭୁବନେଶ୍ୱରର ଏକମ୍ର ହାଟ ଅନୁକରଣରେ ଗଞ୍ଜାମ ହାଟ ନିର୍ମାଣ ନିମନ୍ତେ ୨୦୧୫ରେ ନିଷ୍ପତ୍ତି ନିଆଯାଇଥିଲା । ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତି ସରିବା ପରେ ଗଞ୍ଜାମ ହାଟ ସହ କମରସିଆଲ ସେଣ୍ଟର ଯୋଡ଼ା ଯାଇଥିବା ପ୍ରକାଶ । ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକଳ୍ପ ଅନୁମୋଦନ ପରେ କାର୍ଯ୍ୟାରମ୍ଭ ହୋଇଥିବା ଜଣାଯାଏ ।

 

କୁହାଯାଉଛି ଗଞ୍ଜାମ ହାଟରେ ପ୍ରଦର୍ଶନୀ ପଡ଼ିଆ, କମର୍ସିଆଲ ହବ ସାଙ୍ଗକୁ ମୁକ୍ତାକାଶ ମଞ୍ଚ, ଆର୍ଟ ଗ୍ୟାଲେରି ଓ ପାର୍କ ଇତ୍ୟାଦି ସନ୍ନିବଶିତ ହେବ । ଏଥିସହ ୭୦ ହଜାର ବର୍ଗଫୁଟରେ ତିନି ମହଲା ବିଶିଷ୍ଟ ମଲ୍ଟିପୁଲ ମାର୍କେଟ କମ୍ପ୍ଳେକ୍ସ ନିର୍ମାଣର ଯୋଜନା ରହିଛି ।

 ବ୍ରହ୍ମପୁର ସମେତ ସମଗ୍ର ଗଞ୍ଜାମ ଜିଲ୍ଲାରେ କୋଭିଡ଼ ମହାମାରୀ କାୟା ମେଲାଇ ଥିବା ଅବସରରେ ବିଡ଼ିଏ ପକ୍ଷରୁ ଗଞ୍ଜାମ ହାଟସିଟି କମରସିଆଲ ସେଣ୍ଟର ନିର୍ମାଣ ପ୍ରତି ତତ୍ପରତା ବୁଦ୍ଧିଜୀବୀମାନଙ୍କୁ ବିସ୍ମିତ କରିଥାଏ । ଅବଶ୍ୟ ଏହି ପ୍ରକଳ୍ପ ରୂପାୟନ ଲାଗି ଦୀର୍ଘ ଅତୀତରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଏବଂ ଅମଳାତାନ୍ତ୍ରିକ ପଦ୍ଧତିରେ କାର୍ଯ୍ୟ ଆଗାଇ ଚାଲିଥିଲା । ତେବେ ମହାମାରୀରେ ସହରରେ ସ୍ୱାସ୍ଥ୍ୟସେବା ନିମନ୍ତେ ଭିତ୍ତିଭୂମିର ଅଭାବ ସଂପର୍କରେ ଯେଉଁ ଅଭିଜ୍ଞତା ଆଣିଛି ସେହି ଦିଗରେ ମଧ୍ୟ ଉଭୟ ବ୍ରହ୍ମପୁର ନଗର ନିଗମ ଓ ବ୍ରହ୍ମପୁର ଡ଼େଭଲାପମେଣ୍ଟ ଅଥାରିଟି ନିଜର ମୌଳିକ କାର୍ଯ୍ୟସୂଚ଼ୀରେ ଜନସ୍ୱାସ୍ଥ୍ୟ ସେବାକୁ ସ୍ଥାନ ଦେବା ଜରୁରୀ ।

 

ପାଞ୍ଚ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ତଥା ସମଗ୍ର ଦକ୍ଷିଣ ଓଡ଼ିଶା ସ୍ୱାସ୍ଥ୍ୟ ସେବା ନିମନ୍ତେ ନିର୍ଭର କରୁଥିବା ବ୍ରହ୍ମପୁରରେ କେବଳ ଗୋଟିଏ ମେଡ଼ିକାଲ କଲେଜ ଓ ଗୋଟିଏ ଜିଲ୍ଲାସ୍ତରୀୟ ହସପିଟାଲ ପର୍ଯ୍ୟାପ୍ତ ବିଚାର କରାଯାଇନପାରେ । ପୌର ସଂସ୍ଥାଗୁଡ଼ିକ ଉଦ୍ୟମରେ ପରିଚାଳିତ ନର୍ସିଂହୋମ ଓ କ୍ରମବର୍ଦ୍ଧିଷ୍ଣୁ ବରିଷ୍ଠ ନାଗରିକଙ୍କ ପାଇଁ କେର-ହୋମକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ । ଏଥିଲାଗି କେନ୍ଦ୍ରୀୟ ଅନୁଦାନର ସୁବିଧାଥିବା ସ୍ଥଳେ ସ୍ଥାନୀୟ ପୌର ପ୍ରଶାସନ ଓ ବିଡ଼ିଏ ସେଦିଗରେ ତତ୍ପରତା ପ୍ରକାଶକଲେ ସହରବାସୀ ଉପକୃତ ହୋଇପାରିବେ । ସହରର ମଧ୍ୟଭାଗରେ ଉକ୍ତ ଦୁଇ ସଂସ୍ଥା ଆୟତ୍ତରେ ଜମିବାଡ଼ି ଥିବା ହେତୁ ସରକାରୀସ୍ତରରେ ଭିତ୍ତିଭୂମି ନିର୍ମାଣର ସୁବିଧା ସୁଯୋଗ ଘରୋଇ ନିବେଶରେ ସଂଭବ ନୁହ । ଦୋକାନବଜାର ତ ଢ଼େର ଅଛି, ଲୋକେ କିଣାବିକା ପାଇଁ ଏଣିକି ଡ଼ିଜିଟାଲ ମଞ୍ଚ ମୁହାଁ ହେଲେଣି । ଜନସ୍ୱାସ୍ଥ୍ୟ ସେବାକୁ ପ୍ରାଥମିକତା ଦିଆଯିବା ସମୟ ଉପନୀତ ।

Photo by : psd is licensed under CC BY 2.0

Friday, September 11, 2020

Corporate Hospital in the City / ସହରରେ କର୍ପୋରେଟ ହସପିଟାଲ



ମହାମାରୀ-ପର ଅବସ୍ଥାରେ ଆନ୍ତର୍ଜାତିକସ୍ତରରେ ଜନସ୍ୱାସ୍ଥ୍ୟ ବିକାଶ ନିମନ୍ତେ ସ୍ୱାସ୍ଥ୍ୟସେବା ପ୍ରତି ଗୁରୁତ୍ୱ ଦିଆଯିବା ଏବଂ ସେଥିରେ ଭାରତ, ଓଡ଼ିଶା ତଥା #ବ୍ରହ୍ମପୁର ମଧ୍ୟ ସାମିଲ ହେବା ସ୍ୱାଭାବିକ । ଏକ ପକ୍ଷରେ ସରକାରୀସ୍ତରରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ପ୍ରସାର ଲାଗି ଯୋଜନାମାନ ପ୍ରଣୟନ ସ୍ଥଳେ ଘରୋଇସ୍ତରରେ ହସପିଟାଲ, ନର୍ସିଂହୋମ, ଡ଼ାଇଗ୍ନୋଷ୍ଟିକ ସେଣ୍ଟର ସ୍ଥାପନ ଓ ସ୍ୱାସ୍ଥ୍ୟକର୍ମୀ ସଂଖ୍ୟା ବୃଦ୍ଧି ନିମନ୍ତେ ନିବେଶ ବଢ଼ିବ ।

କୋଭିଡ଼-୧୯ ସଂକ୍ରମଣ ପ୍ରଥମ ତରଙ୍ଗରେ ୨୦୨୦ ମାର୍ଚ୍ଚରୁ ଅଗଷ୍ଟ ଛଅମାସ ମଧ୍ୟରେ ବ୍ରହ୍ମପୁର ସହରରେ ତିନି ହଜାରରୁ ଉର୍ଦ୍ଧ୍ୱ ପଜିଟିଭ ଚ଼ିହ୍ନଟ ହୋଇଥିବା ବେଳେ ୫୬ ଜଣଙ୍କ ପ୍ରାଣହାନୀ ଘଟିଥିଲା । ଗଞ୍ଜାମ ଜିଲ୍ଲାରେ ରୋଗାକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ଅଠର ହଜାର ପହଞ୍ଚିଥିଲା । ସାରା ରାଜ୍ୟରେ କୋଭିଡ଼-୧୯ର ଚ଼ିକିତ୍ସା ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ବିନା ଦେୟରେ ଯୋଗାଇ ଦିଆଯାଉଥିବା ସ୍ଥଳେ ଜିଲ୍ଲା ତଥା ସହରର ସ୍ୱଚ୍ଛଳବର୍ଗ ଘରୋଇ ଚ଼ିକିତ୍ସା ବ୍ରହ୍ମପୁରରେ ନପାଇପାରି ଭୁବନେଶ୍ୱର କିମ୍ୱା ବିଶାଖପାଟଣା ଅଭିମୁଖେ ଯାତ୍ରା କରିବାକୁ ବାଧ୍ୟ ହୋଇଥିଲେ ।

ବ୍ରହ୍ମପୁରରେ କର୍ପୋରେଟ ହସପିଟାଲ ଅଭାବ ସ୍ୱାଭିମାନୀମାନଙ୍କୁ ବ୍ୟଥିତ କରିଛି । ସହରରେ ଘରୋଇସ୍ତରରେ ଗୁଣାତ୍ମକ ଚ଼ିକିତ୍ସା ବ୍ୟବସ୍ଥାର ଆବଶ୍ୟକତା ଦୀର୍ଘ ଦିନରୁ ଅନୁଭୂତ ହେଉଥିଲେହେଁ ଏହି ଦିଗରେ ଉଦ୍ୟମ ଫଳପ୍ରଦ ହୋଇ ନପାରିଥିବା ଅନେକଙ୍କୁ ନିରାଶ କରିଛି । ମହାମାରୀକାଳରେ ସରଳ ଓ ସୁଲଭ ଘରୋଇ ଚ଼ିକିତ୍ସା ଅଭାବରୁ ଜରୁରୀ ଚ଼ିକିତ୍ସା ଭିନ୍ନ ସାଧାରଣ ରୋଗୀଙ୍କ ନିଦାନ ଓ ଚ଼ିକିତ୍ସା ଦୀର୍ଘକାଳ ଲାଗି ଏଡ଼ାଇ ଦିଆଯିବା ବାଧ୍ୟବାଧକତା ଭବିଷ୍ୟତ ସ୍ୱାସ୍ଥ୍ୟସେବା ପାଇଁ ଆଶଙ୍କା ସୃଷ୍ଟି କରିଛି ।

ସପ୍ତଦଶ ଶତାଦ୍ଦୀର ଶେଷ ଭାଗରେ ବ୍ରହ୍ମପୁର ସହର ସ୍ଥାପନ ପରଠାରୁ ଊନବିଂଶ ଶତାଦ୍ଦୀର ଶେଷ ଭାଗ ଯାଏଁ ପାରମ୍ପରିକ କବିରାଜୀ ଚ଼ିକିତ୍ସା ହିଁ ଚାଲି ଆସିଥିଲା । ବିଂଶ ଶତାଦ୍ଦୀ ମଧ୍ୟଭାଗରେ ସ୍ୱାଧିନତା ଲାଭ କଲା ବେଳକୁ ଦେଶରେ ହାରାହାରି ଜୀବଦ୍ଦଶା ୩୨ ବର୍ଷ ଥିବା ସ୍ଥଳେ ତତ୍ ପୂର୍ବ ଶହେବର୍ଷ ତଳେ ସାଧାରଣ ନାଗରିକଙ୍କ ଆୟୁ କେତେ ଥିବ ତାହା ସହଜରେ ଅନୁମେୟ । ନଅଙ୍କ ଦୁର୍ଭିକ୍ଷ ପରବର୍ତ୍ତୀ ଅବସ୍ଥାରେ ଇଂଲିଶ ଶାସନ ପ୍ରବର୍ତ୍ତନରେ ୧୮୬୭ରେ ନଗରପାଳିକା ପ୍ରତିଷ୍ଠାପରଠାରୁ ଜନସ୍ୱାସ୍ଥ୍ୟ ସେବା ପ୍ରତି ବିଧିବଦ୍ଧ ଉଦ୍ୟମ ଆରମ୍ଭ ହୋଇଥିଲା ।

ମାଲଟବୀଙ୍କ ଦ୍ୱାରା ପ୍ରସ୍ତୁତ ଗଞ୍ଜାମ ଡ଼ିଷ୍ଟ୍ରିକଟ ମାନୁଆଲ (୧୯୧୮)ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ପୁରୀ ଫେରନ୍ତା ବ୍ରହ୍ମପୁରର ତୀର୍ଥଯାତ୍ରୀମାନଙ୍କ ଦ୍ୱାରା ସଂକ୍ରମିତ କଲେରା ରୋଗର ପ୍ରାଦୁର୍ଭାବ ବାରମ୍ୱାର ଅନୁଭୂତ ହେଉଥିଲା । ଏହାର ପ୍ରତିକାର ନିମନ୍ତେ ଆଧୁନିକ ଡ଼ାକ୍ତରୀ ଚିକିତ୍ସା ବ୍ୟବସ୍ଥାର ଭିତ୍ତିଭୂମି ଗଢ଼ି ତୋଳିବା ଉଦ୍ଦେଶ୍ୟରେ ସହର ବାହାରେ, ଅର୍ଥାତ ଅଧୁନା ସିଟି ହସପିଟାଲ ପରିସରରେ ଏକ ଚ଼ିକିତ୍ସାଳୟ ପ୍ରତିଷ୍ଠିତ ହୋଇଥିଲା । ଏହାର ପରିଚାଳନା ନିମନ୍ତେ ପୌରପାଳିକାଙ୍କ ବଜେଟରୁ ଅନୁଦାନ ବ୍ୟବସ୍ଥା କରାଯାଇଥିଲା । ସମୟକ୍ରମେ ଚ଼ିକିତ୍ସାଳୟଟି ଜିଲ୍ଲାସ୍ତରୀୟ ହସପିଟାଲରେ ପରିଣତ ହୋଇଥିଲା ।

ବ୍ରହ୍ମପୁର ମେଡ଼ିକାଲ କଲେଜ ୧୯୬୨ରୁ ସହରରେ କାର୍ଯ୍ୟ ଆରମ୍ଭ କରିଥିଲା । ବର୍ଷକ ଆଗରୁ ୧୯୬୧ରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଏକ ସଂପ୍ରସାରିତ ଅଂଶ ରୂପେ ଏହା ପ୍ରତିଷ୍ଠା ହୋଇଥିଲା । ବ୍ରହ୍ମପୁର ମେଡ଼ିକାଲ କଲେଜର ହସପିଟାଲ ସିଟି ହସପିଟାଲ କୋଠାରେ ହିଁ ଚାଲୁଥିଲା । କୋର୍ଟପେଟା ଅଞ୍ଚଳରେ ମେଡ଼ିକାଲ କଲେଜର ନିଜସ୍ୱ କୋଠାବାଡ଼ି ୧୯୬୯ରେ ଉଦଘାଟିତ ହୋଇଥିବାବେଳେ ହସପିଟାଲ ୧୯୭୩ରେ ସ୍ଥାନାନ୍ତରିତ ହେଲା । ପରବର୍ତ୍ତୀ ଅବସ୍ଥାରେ ଜିଲ୍ଲାସ୍ତରୀୟ ହସପିଟାଲଟି ସିଟି ହସପିଟାଲ ନାମିତ ହୋଇଥିଲା । ତିନି ଏକର ପରିମିତ ଅଞ୍ଚଳରେ କାର୍ଯ୍ୟକ୍ଷମ ଏହି ହସପିଟାଲରେ ବାର୍ଷିକ ପ୍ରାୟ ଅଢ଼େଇ ଲକ୍ଷରୁ ତିନି ଲକ୍ଷ ରୋଗୀ ଚ଼ିକିତ୍ସିତ ହୋଇଥାନ୍ତି ।

ସ୍ୱାଧୀନୋତ୍ତର ଭାରତରେ କ୍ରମାଗତଭାବେ ଜନସଂଖ୍ୟା ଓ ସ୍ୱାସ୍ଥ୍ୟରକ୍ଷା ସଚ଼େତନତା ସାଙ୍ଗକୁ ଅର୍ଥନୀତିକ ସାମର୍ଥ୍ୟ ବୃଦ୍ଧିକୁ ଆଧାର କରି ବିଂଶ ଶତାଦ୍ଦୀର ଶେଷ ପର୍ଯ୍ୟାୟରେ ଦେଶର ବଡ଼ ବଡ଼ ସହରରେ କର୍ପୋରେଟ ହସପିଟାଲ ବିକଶିତ ହୋଇଥିଲା । ଏହି ସୁବିଧା ସୁଯୋଗ କ୍ରମଶଃ ବିଶାଖପାଟଣା ଓ ଭୁବନେଶ୍ୱରରେ ଉପଲବ୍ଧ ହେବା ପରେ ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲାର ସ୍ୱଚ୍ଛଳବର୍ଗ ସରଳ ଓ ସୁଲଭ ଗୁଣାତ୍ମକ ଘରୋଇ ଚ଼ିକିତ୍ସା ଲାଗି ବ୍ରହ୍ମପୁରରୁ ପଡ଼ୋଶୀ ସହର ମୁହାଁ ହେବାରେ ଲାଗିଲେ ।

ବ୍ରହ୍ମପୁରରେ କର୍ପୋରେଟ ହସପିଟାଲ ବିକଶିତ ନହୋଇ ପାରିବାର ବିଭିନ୍ନ କାରଣ ମଧ୍ୟରେ ସହରର ପାଞ୍ଚଲକ୍ଷ ସୀମିତ ଜନସଂଖ୍ୟା, ଦେଢ଼ ଶହରୁ ଅଢ଼େଇ ଶହ କିଲୋମିଟର ଦୂରରେ ବହୁ ସଂଖ୍ୟକ ନାମୀଦାମୀ କର୍ପୋରେଟ ହସପିଟାଲର ସୁବିଧା ତଥା ସ୍ଥାନୀୟ ଉଦ୍ୟୋଗୀଙ୍କ ଦ୍ୱାରା ନିବେଶ ଅଭାବ ମୁଖ୍ୟ କାରଣ ରୂପେ ଚ଼ିହ୍ନଟ କରାଯାଇପାରେ । ତେବେ ମହାମାରୀରେ ସ୍ୱାସ୍ଥ୍ୟସେବା ଲାଗି ଭିତ୍ତିଭୂମିର ଜରୁରୀ ଆବଶ୍ୟକତା ଏବଂ ସ୍ଥାନୀୟ ଉପଭୋକ୍ତାଙ୍କ ଦ୍ୱାରା ପଡ଼ୋଶୀ ସହର ଦୁଇଗୋଟିରେ ପର୍ଯ୍ୟାପ୍ତ ଖର୍ଚ୍ଚ ପାରମ୍ପରିକ ଦୃଷ୍ଟିକୋଣକୁ ବଦଳାଇଦେବାରେ ସମର୍ଥ ହେବା ଆଶା କରାଯାଇପାରେ ।

ମହାମାରୀ କାଳରେ ସରକାରୀ କୋଭିଡ଼ ଚିକିତ୍ସାଳୟ ସ୍ଥାପନ ଲାଗି ବ୍ରହ୍ମପୁରର ଘରୋଇ ହସପିଟାଲ ଅମିତ ପକ୍ଷରୁ କନିଷିଠାରେ ନବନିର୍ମିତ କୋଠା ଯୋଗାଣପରେ କଟକର ଅଶ୍ୱିନୀ ଓ ନିର୍ମାଣଧୀନ ଶୀତଳାପଲ୍ଲୀ ଟାଟା ହସପିଟାଲରେ ଭୁବନେଶ୍ୱରର ହାଇଟେକ ପକ୍ଷରୁ ଚିକିତ୍ସା ବ୍ୟବସ୍ଥା ତତ୍ତ୍ୱାବଧାନ ନିମନ୍ତେ ସୁଯୋଗ ସୃଷ୍ଟି ଅନ୍ତତଃପକ୍ଷେ ଏହି ତିନିଗୋଟି କର୍ପୋରେଟ ହସପିଟାଲ କର୍ତ୍ତୃପକ୍ଷଙ୍କୁ ବ୍ରହ୍ମପୁର ସହରରେ ସ୍ୱାସ୍ଥ୍ୟସେବା ପରିଚାଳନାର ବାସ୍ତବ ସ୍ଥିତି ସଂପର୍କରେ ପରିଚ଼ିତ କରାଇଦେଇପାରିଥିବା ବିଶ୍ୱାସ କରାଯାଇପାରେ । ସେମାନଙ୍କ ଅଭିଜ୍ଞତା ଓ ପଡ଼ୋଶୀ ସହରଗୁଡ଼ିକରେ ସ୍ଥାନୀୟ ଉପଭୋକ୍ତାଙ୍କ ଭିଡ଼ ସଂପର୍କୀତ ତଥ୍ୟାବଳୀ ବ୍ରହ୍ମପୁରରେ କର୍ପୋରେଟ ହସପିଟାଲ ବ୍ୟାବସାୟିକ ମଡ଼େଲ ଗଢ଼ି ତୋଳିବାରେ ସହାୟକ ହୋଇପାରେ ।

ଅତଏବ ମହାମାରୀ-ପର ଅବସ୍ଥାରେ ବ୍ରହ୍ମପୁରରେ କର୍ପୋରେଟ ହସପିଟାଲ ପ୍ରତିଷ୍ଠାର ସମ୍ଭାବନା ଗୁରୁତ୍ୱ ବହନ କରେ । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ଅମିତ, ଅଶ୍ୱିନୀ ଓ ହାଇଟେକ ହସପିଟାଲର ଉଦ୍ୟୋକ୍ତାମାନଙ୍କ ଦକ୍ଷିଣ ଓଡ଼ିଶା ସହ ସଂପର୍କ ରହି ଆସିଛି । ସହର ଉପକଣ୍ଠ ଶୀତଳାପଲ୍ଲୀରେ ଟାଟା ହସପିଟାଲ ମଧ୍ୟ ନିକଟ ଭବିଷ୍ୟତରେ କାର୍ଯ୍ୟକ୍ଷମ ଅବସ୍ଥାକୁ ଆସିଯିବା ନିଶ୍ଚିତ । ଘରୋଇ ଉଦ୍ୟମରେ ଏହି ସବୁ ସମ୍ଭାବନା ସହରର ବିକଳ୍ପ ଜନସ୍ୱାସ୍ଥ୍ୟ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଯେ ନିର୍ବାହ କରିବ ଏଥିରେ ସନ୍ଦେହ ନାହିଁ ।


Photo by : Tareq Salahuddin is licensed under CC BY 2.0

Friday, September 4, 2020

Education, Educational Institutions & The Teacher / ଶିକ୍ଷା, ଶିକ୍ଷାୟତନ ଓ ଶିକ୍ଷକ



ମହୁରି ରାଜପ୍ରସାଦ ୧୬୬୨ରୁ ୧୬୭୨ ମଧ୍ୟରେ ଅଧୁନା ବଡ଼ ବଜାରଠାରେ ସ୍ଥାପିତ ହେବା ପରେ ଏହାର ଆଖପାଖ ଅଞ୍ଚଳରେ ବହୁ ମଠ, ମନ୍ଦିର ଓ ପୁଷ୍କରଣୀ ଗଢ଼ି ଉଠିଥିଲା ଏବଂ କ୍ରମବିକଶିତ ଜନପଦଟି ଦେବତାମାନଙ୍କ ବାସସ୍ଥଳୀ #ବ୍ରହ୍ମପୁର ନାମିତ ହୋଇଥିବା ସ୍ଥାନୀୟ କେତେକ ଐତିହାସିକ ବିଶ୍ୱାସ କରିଥାନ୍ତି । ବ୍ରହ୍ମପୁର ସମେତ ସମଗ୍ର ମହୁରି ରାଜ୍ୟର ଶାସନଭାର ଇଂଲିଶ ସରକାର ୧୮୫୦ରେ ଗ୍ରହଣ କରିଥିଲେ । ନଅଙ୍କ ଦୁର୍ଭିକ୍ଷ ପରବର୍ତ୍ତୀ ଅବସ୍ଥାରେ ୧୮୭୦ ବେଳକୁ ଓଡ଼ିଶାରେ ଇଂଲିଶ ଶିକ୍ଷା ପ୍ରସାର ଅବସରରେ ବ୍ରହ୍ମପୁର ଏକ ରେଭିନ୍ୟୁ ତାଲୁକର ମାନ୍ୟତା ପାଇଥିବା କାରଣରୁ ଏଠାରେ ବିଦ୍ୟାଳୟମାନ ସ୍ଥାପନର ସୁଯୋଗ ସୃଷ୍ଟି ହୋଇଥିଲା । ପାରମ୍ପରିକଭାବେ ମଠରେ ବିଦ୍ୟାର୍ଥୀମାନେ ଅବସ୍ଥାନ କରି ଶିକ୍ଷାର୍ଜନର ପ୍ରଥା ପ୍ରଚଳିତ ଥିବା ହେତୁ ନବ ପ୍ରତିଷ୍ଠିତ ଇଂଲିଶ ବିଦ୍ୟାଳୟଗୁଡ଼ିକରେ ଭର୍ତ୍ତି ହୋଇଥିବା ଆଖପାଖ ଅଞ୍ଚଳର ବିଦ୍ୟାର୍ଥୀମାନଙ୍କ ପାଇଁ ମଠ ଗୁଡ଼ିକ ଆଶ୍ରୟସ୍ଥଳୀ ରୂପେ ବ୍ୟବହୃତ ହେଉଥିଲା ।
 
ରାଜପ୍ରସାଦ ସ୍ଥାପନ କାଳରୁ ବ୍ରହ୍ମପୁର ଏକ ବ୍ୟାବସାୟିକ ପେଣ୍ଠ ରୂପେ ଗଢ଼ି ଉଠୁଥିବା ସ୍ଥଳେ ପ୍ରଥମେ ପ୍ରଶାସନିକ ଓ ଦ୍ୱିତୀୟରେ ଶିକ୍ଷା ଅନୁଷ୍ଠାନର ସୁଯୋଗ ସୃଷ୍ଟି ହୋଇଥିଲା । ତୃତୀୟରେ ୧୮୬୭ରେ ବ୍ରହ୍ମପୁର ନଗରପାଳିକା ପ୍ରତିଷ୍ଠିତ ହେବାପରେ ଜନସ୍ୱାସ୍ଥ୍ୟର ବିକାଶ ନିମନ୍ତେ ତତ୍ କାଳୀନ ସହର ବାହାରେ ଅର୍ଥାତ ଅଧୁନା ସିଟି ହସପିଟାଲ ପ୍ରାଙ୍ଗଣରେ ଚ଼ିକିତ୍ସାଳୟ ନିର୍ମିତ ହୋଇଥିଲା ।
 
ଊନବିଂଶ ଶତାଦ୍ଦୀର ଶେଷରେ ବ୍ରହ୍ମପୁରରେ ଦେୱାନୀ ଓ ଦୌରାଜଜ୍ କୋର୍ଟ ତଥା ଜେଲ ପ୍ରତିଷ୍ଠିତ ହେବାପରେ ସହରରେ ବ୍ୟବସାୟୀଙ୍କ ଭିନ୍ନ ପ୍ରଶାସନିକ କର୍ମଚାରୀ, ଓକିଲ ଏବଂ ସେମାନଙ୍କ ଗୁମସ୍ତା ତଥା ଶିକ୍ଷକମାନେ ସହରର ଆଭିଜାତ୍ୟ ଶ୍ରେଣୀରେ ଗଣ୍ୟ ହେଉଥିଲେ । ଶିକ୍ଷାୟତନ ଓ ଶିକ୍ଷକମାନଙ୍କ ଗୁରୁତ୍ୱ ବ୍ରହ୍ମପୁର ବିକାଶ ସହ ଅଙ୍ଗାଙ୍ଗୀଭାବେ ଜଡ଼ିତ ରହି ଆସିଥିଲା । ୧୯୦୧ର ଜନଗଣନା ଅନୁଯାୟୀ ସହରର ଜନସଂଖ୍ୟା ୨୫ ହଜାର ଥିବା ସ୍ଥଳେ ୧୯୦୩-୦୪ ଶିକ୍ଷାବର୍ଷରେ ଖଲ୍ଲିକୋଟ ମହାବିଦ୍ୟାଳୟରେ ୩୪୨ ଜଣ ଉଚ୍ଚଶିକ୍ଷା ପାଉଥିବା ସରକାରୀ ହିସାବରୁ ଜଣାଯାଏ । ସ୍ଥାନୀୟ ପୌରପାଳିକା ପକ୍ଷରୁ ବିଂଶ ଶତାଦ୍ଦୀର ପ୍ରଥମାର୍ଦ୍ଧରେ ସହର ଓ ସହର ତଳି ଅଞ୍ଚଳଗୁଡ଼ିକରେ ପ୍ରାଥମିକ ବିଦ୍ୟାଳୟମାନ ସ୍ଥାପନ ଫଳରେ ସହରରେ ଶିକ୍ଷକଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା ।
 
୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଏପରିକି ୧୯୪୭ ଭାରତ ସ୍ୱାଧୀନ ହେବା ଯାଏଁ ବ୍ରହ୍ମପୁର ମୁଖ୍ୟତଃ ଏକ ଦ୍ୱି-ଭାଷୀ ସହରରୂପେ ବିକଶିତ ହୋଇଥିଲା । ୧୯୦୧, ୧୯୧୧ ଓ ୧୯୨୧ ଜନସୁମାରୀ ଅଧ୍ୟୟନ କଲେ ବ୍ରହ୍ମପୁରରେ ଓଡ଼ିଆ ଭାଷାଭାଷୀ ବାସିନ୍ଦାଙ୍କ ତୁଳନାରେ ତେଲୁଗୁ ଭାଷାଭାଷୀ ବାସିନ୍ଦାଙ୍କ ସଂଖ୍ୟା କ୍ରମାଗତ ବଢ଼ି ଚାଲିଥିବା ଜଣାଯାଏ । ୧୯୧୧ ଜନସୁମାରୀରେ ସହରର ପ୍ରତି ହଜାରେ ଜନସଂଖ୍ୟାରେ ୫୧୨ ଜଣ ଓଡ଼ିଆ ଓ ୪୫୩ ଜଣ ତେଲୁଗୁ ଭାଷାଭାଷୀଙ୍କୁ ଚ଼ିହ୍ନଟ କରାଯାଇଥିଲା । ଫଳତଃ ବିଂଶ ଶତାଦ୍ଦୀର ପ୍ରଥମ ତିନି ଦଶନ୍ଧିରେ ଓଡ଼ିଆ ମାଧ୍ୟମ ଶିକ୍ଷା ସହ ତେଲୁଗୁ ମାଧ୍ୟମ ଶିକ୍ଷା ଏବଂ ତଦ୍ ଅନୁରୂପ ଶିକ୍ଷକଙ୍କ ସଂଖ୍ୟା ନିର୍ଦ୍ଧାରିତ ହେଉଥିଲା ।
 
ବ୍ରହ୍ମପୁର ସହରୀ ସଂସ୍କୃତିରେ ଶିକ୍ଷକମାନେ ସ୍ୱତନ୍ତ୍ର ସମ୍ମାନର ହକଦାର ଥିଲେ । ପ୍ରଶାସନିକ କର୍ମଚାରୀ, ଓକିଲ ଓ ସେମାନଙ୍କ ଗୁମସ୍ତା ଏବଂ ଶିକ୍ଷକ ପରିବାର ସନ୍ତାନସନ୍ତତିଙ୍କ ଭବିଷ୍ୟତ ଶିକ୍ଷାକୁ ଭିତ୍ତିକରି ଗଢ଼ି ଉଠୁଥିବା ହେତୁ ମଧ୍ୟବିତ୍ତ ପରିବାରବର୍ଗଙ୍କ ଗହଣରେ ଶିକ୍ଷା, ଶିକ୍ଷାୟତନ ଓ ଶିକ୍ଷକଙ୍କ ଗୁରୁତ୍ୱ ସ୍ୱଷ୍ଟ ବାରି ହେଉଥିଲା । ସ୍ଥାନୀୟ ବ୍ୟବସାୟୀମାନେ ମଧ୍ୟ ନିଜ ସନ୍ତାନସନ୍ତତିଙ୍କ ଶିକ୍ଷା ପ୍ରତି ଧ୍ୟାନ ଦେଉଥିଲେ । ଫଳରେ ସହରରେ ଏକ ଶିକ୍ଷାକେନ୍ଦ୍ରୀକ ସଂସ୍କୃତି ମୁଣ୍ଡ ଟେକିଥିଲା
 
ଅତୀତ ବ୍ରହ୍ମପୁରରେ ଶିକ୍ଷାର ପ୍ରସାର ନିମନ୍ତେ ଶିକ୍ଷକମାନଙ୍କ ସମର୍ପିତ ଜୀବନର ବହୁ ଉଦାହରଣ ଚର୍ଚ୍ଚିତ । ଅବଶ୍ୟ ସ୍ୱାଧୀନୋତ୍ତର ଅବସ୍ଥାରେ ଶିକ୍ଷାୟତନଗୁଡ଼ିକ ସଂଖ୍ୟାବୃଦ୍ଧି ଓ ୧୯୭୫-୭୭ ଜରୁରୀକାଳୀନ ପରିସ୍ଥିତି ପର ଅବସ୍ଥାରୁ ଘରୋଇ ଶିକ୍ଷାୟତନର ପ୍ରସାର ଦେଶର ଅନ୍ୟତ୍ର ଭଳି ବ୍ରହ୍ମପୁରରରେ ଶିକ୍ଷା, ଶିକ୍ଷାୟତନ ଓ ଶିକ୍ଷକଙ୍କ ଗୁଣାତ୍ମକ ଅଭିବୃଦ୍ଧିରେ ପ୍ରତିବନ୍ଧକ ସାଜିଥିବା ଦେଖିବାକୁ ମିଳେ । ତେବେ ୨୦୨୦-୨୧ ମହାମାରୀ-ପର ଅବସ୍ଥାରେ ଜାତୀୟ ଶିକ୍ଷାନୀତିରେ ପୁନଃବିନ୍ୟାସ ଓ ଶିକ୍ଷାଦାନରେ ପ୍ରାଦ୍ୟୋଗିକୀ କାରିଗରୀ କୌଶଳ ପ୍ରୟୋଗ ଦେଶର ଶିକ୍ଷା ପରିବେଶରେ ବ୍ୟାପକ ପରିବର୍ତ୍ତନ ଆଶା କରାଯାଉଛି ।
 
ଏହି ପରିବର୍ତ୍ତନରେ ବ୍ରହ୍ମପୁର କେତେଦୂର ସାମିଲ ହେବ ତାହା ସମୟ କହିବ । ଭର୍ଚୁଆଲ ମଞ୍ଚରେ ଶିକ୍ଷା ଗ୍ରହଣ, ବ୍ୟକ୍ତିଗତ ଋଚି ଅନୁଯାୟୀ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ନିର୍ଦ୍ଧାରଣ, କୃତ୍ରିମ ବୁଦ୍ଧିମତ୍ତା ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ସହାୟତାରେ ଶିକ୍ଷାଗତ ଦକ୍ଷତା ମୂଲ୍ୟାୟନ ସ୍ଥାନୀୟ ପରିବେଶରେ ଶିକ୍ଷକମାନଙ୍କୁ ଶିକ୍ଷା ସହାୟକ କର୍ତ୍ତବ୍ୟ ନିର୍ବାହ ସ୍ତରକୁ ଅବନତି କରାଇ ଦେବା ଭୟ ଦୃଢ଼ୀଭୂତ ହେଉ ନାହିଁ କି ? ହୁଏତ ସହରର ପାରମ୍ପରିକ କୋଳାହଳରେ ମାଷ୍ଟ୍ରେ ସମ୍ୱୋଧନଟି କ୍ରମଶଃ ଉଭେଇ ଯିବ !
Photo by : readerwalker is licensed under CC BY-NC-SA 2.0