Friday, December 29, 2023

1st January 2024 / ଜାନୁୟାରୀ ପହିଲା, ୨୦୨୪

 


ଅତୀତ #ବ୍ରହ୍ମପୁର ସହରର ପ୍ରଭାବଶାଳୀ ଜନନାୟକଙ୍କ ମଧ୍ୟରେ ଶଶିଭୂଷଣ ରଥ ଅନ୍ୟତମ । ସେ ବ୍ରହ୍ମପୁରରୁ ୧୯୧୩ରେ ସାପ୍ତାହିକ ଆଶା ପତ୍ରିକା ପ୍ରକାଶନ ଆରମ୍ଭ କରିବା ଅବସରରେ ସହରର ରାଜନୀତିକ, ସାଂସ୍କୃତିକ ଓ ସାମାଜିକ ଜୀବନରେ ଅଙ୍ଗାଙ୍ଗୀଭାବେ ଜଡ଼ିତ ହୋଇଥିଲେ । ଇଂଲିଶ ଶାସନରେ ୧୯୩୬ ଯାଏଁ ବ୍ରହ୍ମପୁର ମାଡ୍ରାସ ପ୍ରେସିଡ଼େନ୍ସି ଅଧୀନସ୍ଥ ଥିବା ହେତୁ ସହରରେ ଦାକ୍ଷିଣାତ୍ୟ ପ୍ରଶାସକ ଓ ବ୍ୟବସାୟୀଙ୍କ ଅଧିପତ୍ୟ ଜାହିର ଥିଲା । ଶଶିଭୂଷଣ ମୂଳତଃ ଓଡ଼ିଆ ଭାଷାଭାଷୀଙ୍କୁ ଏକତ୍ରୀତକରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଦକ୍ଷିଣାଞ୍ଚଳ ଓଡ଼ିଆ ଭାଷାଭାଷୀଙ୍କ ସ୍ୱାର୍ଥ ସଂରକ୍ଷଣ ଓ ବ୍ରହ୍ମପୁର ସହରର ବହୁମୁଖୀ ଉନ୍ନୟନ ଦିଗରେ ନେତୃତ୍ୱ ନେଇଥିଲେ ।
 
ପ୍ରାକୃତିକ ଓଡ଼ିଶାରେ ବ୍ରହ୍ମପୁରରେ ସର୍ବପ୍ରଥମ ପୌରପାଳିକା ରୂପେ ୧୮୬୭ରେ ସ୍ଥାପିତ ହୋଇଥିଲା । ତେବେ ସେ ସମୟରେ ପୌରସଭା ବା କାଉନସିଲକୁ ସଦସ୍ୟ ନିର୍ବାଚନ ବଦଳରେ ସରକାରଙ୍କ ଦ୍ୱାରା ମନୋନୀତ ହେଉଥିଲେ । ସେହି ଅବସ୍ଥାରେ ଓଡ଼ିଆମାନଙ୍କ ପ୍ରତିନିଧିତ୍ୱ ପ୍ରାୟ ରହୁନଥିଲା । ସାପ୍ତାହିକ ଆଶା ପ୍ରକାଶନ ଆରମ୍ଭ ପରେ ୧୯୧୪ ପୌର ସଦସ୍ୟ ମନୋନୟନରେ ସ୍ଥାନୀୟ ଓକିଲ ସାର ପର୍ଶୁରାମ ପାତ୍ର ନଗରପାଳ ଓ ଶଶିଭୂଷଣ ରଥ ଉପ-ନଗରପାଳ ପଦବୀରେ ଅଧିଷ୍ଠିତ ହୋଇଥିଲେ । ଦୁଇଜଣ ଓଡ଼ିଆ ବ୍ୟକ୍ତି ସହରର ଉନ୍ନୟନ ଦାୟିତ୍ୱ ଗ୍ରହଣ କରିଥିବା ହେତୁ ସ୍ଥାନୀୟ ଓଡ଼ିଆ ଭାଷାଭାଷୀଙ୍କ ମଧ୍ୟରେ ଉଦ୍ଦୀପନା ଖେଳି ଯାଇଥିଲା ।
 
କୁହାଯାଏ ଯେ ପଡ଼ୋଶୀ ମଞ୍ଜୁଷାର ରାଜା ଶଶିଭୂଷଣ ରଥଙ୍କୁ ବ୍ରହ୍ମପୁର ପୌରପାଳିକା ପଦବୀ ଗ୍ରହଣ ପରେ ଏକ ଘୋଡ଼ାଗାଡ଼ି ଉପହାର ଦେଇଥିଲେ । ସେ ଘୋଡ଼ାଗାଡ଼ି ଚଢ଼ି ସହରର ଗଳିକନ୍ଦି ବୁଲି ପରିମଳ ଓ ଉନ୍ନୟନ କାର୍ଯ୍ୟାବଳୀ ତଦାରଖ କରୁଥିଲେ । ଘୋଡ଼ାଗାଡ଼ିରେ ଏକ ଘଣ୍ଟି ଲଗାଯାଇଥିଲା ଏବଂ ଘୋଡ଼ାଗାଡ଼ିଟି ଚାଲିବା ସମୟରେ ଜଣେ ବ୍ୟକ୍ତି ଅନବରତ ଘଣ୍ଟି ବଜାଉଥିଲେ । ଏତଦ୍ୱାରା ଉପ-ନଗରପାଳଙ୍କ ପରିଦର୍ଶନ ସଂପର୍କରେ ଜନସାଧାରଣ ଅବଗତ ହେଉଥିଲେ । ବିଭିନ୍ନ ସାହିରେ ଦଳ ଦଳ ଲୋକ ଘୋଡ଼ାଗାଡ଼ି ଅଟକାଇ ନିଜ ଅଞ୍ଚଳର ସମସ୍ୟା ସଂପର୍କରେ ଅଭିଯୋଗ ବର୍ଣ୍ଣନା କରୁଥିଲେ । ଦୀର୍ଘ ୧୧୦ ବର୍ଷ ପରେ ଘଟଣାଟି ଚଳଚ଼ିତ୍ର ଦୃଶ୍ୟ ପ୍ରତୀୟମାନ ହେଉଥିଲେହେଁ, ବାସ୍ତବ ଥିଲା ।
 
ସାର ପର୍ଶୁରାମ ପାତ୍ର ଓ ଶଶିଭୂଷଣ ରଥଙ୍କ ପୌରପାଳିକା ଦାୟିତ୍ୱ ନିର୍ବାହ କାଳରେ ସହରକୁ ପ୍ରଥମ ଥର ପାଇଁ ପାଇପ ଜଳ ଯୋଗାଣ ଆରମ୍ଭ ହୋଇଥିଲା । ପ୍ରତି ସାହି ମୁଣ୍ଡରେ ସାର୍ବଜନୀନ ପାଇପ ପାଣି ଷ୍ଟାଣ୍ଡପୋଷ୍ଟ ନିର୍ମାଣ ଓ ଯାନବାହାନରେ ନିୟୋଜିତ ଘୋଡ଼ା, ବୁଲା ଗାଈଗୋରୁଙ୍କ ତୃଷ୍ଣା ନିବାରଣ ନିମନ୍ତେ ପଥର ନିର୍ମିତ କୁଣ୍ଡରେ ଜଳ ଗଚ୍ଛିତ ରଖିବା ଧାରା ବ୍ରହ୍ମପୁର ସହର ଜୀବନରେ ସ୍ୱାତନ୍ତ୍ର୍ୟ ପ୍ରତିପାଦନ କରୁଥିଲା । ଏହି ସମୟରେ ରାସ୍ତାର ଉଭୟକଡ଼ରେ ପକ୍କା ନର୍ଦ୍ଦମା ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଥିଲା । ସହରରେ ଅନଧିକାର ନିର୍ମାଣ କାର୍ଯ୍ୟର ଶଶିଭୂଷଣ ବିରୋଧ କରିଥିଲେ । ତାଙ୍କରି ତତ୍ତ୍ୱାବଧାନରେ ଗିରି ମାର୍କେଟ ଗଜପତି ଛକରୁ ବଡ଼ବଜାର ଛକ ଯାଏଁ ସିଧାସଳଖ ରାସ୍ତା ପୁନଃନିର୍ମାଣ ସମ୍ଭବ ହୋଇଥିଲା ।
 
ସେ ସମୟରେ ବ୍ରହ୍ମପୁରରେ ଏକମାତ୍ର ଖଲ୍ଲିକୋଟ କଲେଜରେ ସପ୍ତମ ଶ୍ରେଣୀଠାରୁ ଇଣ୍ଟରମିଡ଼ିଏଡ଼ ଯାଏଁ ଶିକ୍ଷାଦାନର ବ୍ୟବସ୍ଥା ଥିଲା । ତେବେ ସେଠାରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ନଥିଲେ । ଓଡ଼ିଶା ଶିକ୍ଷକ ନିଯୁକ୍ତ କରି ଶଶିଭୂଷଣ ବ୍ୟକ୍ତିଗତ ଉଦ୍ୟମରେ ସ୍ଥାନୀୟ ଧନାଢ଼୍ୟ ବ୍ୟକ୍ତିଙ୍କଠାରୁ ଚାନ୍ଦା ସଂଗ୍ରହ କରି ଆସିକା ରୋଡ଼ଠାରେ ଏକ ଉଚ୍ଚବିଦ୍ୟାଳୟ ଆରମ୍ଭ କରିଥିଲେ । ପରବର୍ତ୍ତୀ କାଳରେ ତାହାର ପରିଚାଳନାଭାର ବ୍ରହ୍ମପୁର ପୌରପାଳିକା ଗ୍ରହଣ କରିଥିଲା ଏବଂ ସେଠାରେ ଅନ୍ୟ ଏକ ବାଳିକା ଉଚ୍ଚବିଦ୍ୟାଳୟ ମଧ୍ୟ ସ୍ଥାପିତ ହୋଇଥିଲା ।
 
ସାପ୍ତାହିକ ଆଶା ପତ୍ରିକା ୧୯୧୩ରୁ ପନ୍ଦର ବର୍ଷ ନିରବଚ୍ଛିନ୍ନ ପ୍ରକାଶିତ ହେବା ପରେ ୧୯୨୮ରେ ଦୈନିକ ସମ୍ୱାଦପତ୍ରରେ ରୂପାନ୍ତରିତ ହୋଇଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ୧୯୩୬ରେ ଗଠିତ ହେବା ପରେ ୧୯୩୯ରେ ଦୈନିକ ଆଶା ପ୍ରକାଶନ ଶିଶିଭୂଷଣ ରାଜଧାନୀ କଟକକୁ ସ୍ଥାନାନ୍ତରିତ କରିଥିଲେ । ଫଳତଃ ବ୍ରହ୍ମପୁରରେ ତାଙ୍କରି କର୍ମମୟ ଜୀବନର ଏକରକମ ଅନ୍ତ ଘଟିଥିଲା । ଚାରିବର୍ଷ ମଧ୍ୟରେ ୧୯୪୩ରେ ପରଲୋକ ଘଟିଲା । ମୃତ୍ୟୁ ବେଳକୁ ଶିଶିଭୂଷଣଙ୍କ ବୟସ ମାତ୍ର ୫୮ ବର୍ଷ ଥିଲା ।
 
ଶଶିଭୂଷଣ ଜାନୁୟାରୀ ପହିଲା ୧୮୮୫ରେ ଗଞ୍ଜାମ ଜିଲ୍ଲା ସୋରଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କରି ୧୪୦ତମ ଜୟନ୍ତୀ ଜାନୁୟାରୀ ପହିଲା ୨୦୨୪ରେ ପାଳିତ ହେବ । ବ୍ରହ୍ମପୁର ସହରରେ ଓଡ଼ିଆ ଅସ୍ମିତା ପ୍ରତିଷ୍ଠାରେ ଶଶିଭୂଷଣ ରଥଙ୍କ ଅବଦାନ ଅବିସ୍ମରଣୀୟ ।

Image by Gerd Altmann from Pixabay


Friday, December 22, 2023

Development Projects in Slow Pace / କଚ୍ଛପ ଗତିରେ ଉନ୍ନୟନ ପ୍ରକଳ୍ପ

 

#ବ୍ରହ୍ମପୁର ସହରରେ ନିର୍ମାଣଧୀନ ତିନିଗୋଟି ପ୍ରକଳ୍ପ-ଗଞ୍ଜାମ ହାଟ, ଜଗନ୍ନାଥପୁର-ରତନପୁର ୫୯ ନମ୍ୱର ଜାତୀୟ ରାଜପଥ ବାଇପାସ ଓ ରଙ୍ଗେଇଲୁଣ୍ଡା ବିମାନ ବନ୍ଦର ସଂପୂର୍ଣ୍ଣ ହେବା ତାରିଖ ଘୁଞ୍ଚି ଘୁଞ୍ଚି ଚାଲିଛି । ବିଭିନ୍ନ କାରଣରୁ ନିର୍ମାଣ କାମ କଚ୍ଛପ ଗତିରେ ଚାଲିଥିବାରୁ ସମାଲୋଚନା ଶୁଣିବାକୁ ମିଳେତେବେ ପ୍ରକଳ୍ପ ଆରମ୍ଭ ହୋଇଛି ଯେତେବେଳେ ନିଶ୍ଚୟ ଯେ ଦିନେ ସଂପୂର୍ଣ୍ଣ ହେବ, ସେହି ଆଶ୍ୱସନାରେ ସହରବାସୀ ଆଶ୍ୱସ୍ତ !
 
ଆସିକା ରୋଡ଼-କର୍ପୋରେସନ ରୋଡ଼ ସମ୍ମୁଖରେ ଗଞ୍ଜାମ ହାଟ ନାମିତ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ବିଡ଼ିଏ ପକ୍ଷରୁ ଏକ ମାର୍କଟ କମ୍ପ୍ଳେକ୍ସ ନିର୍ମାଣ କରାଯାଉଛି । ବିଂଶ ଶତାଦ୍ଦୀର ଷଷ୍ଠ ଦଶକ ସୁଦ୍ଧା ସେଠାରେ ଛତର ବନ୍ଧ ନାମରେ ଏକ ବୃହତ ଜଳାଶୟ ଥିଲା । ହୁଏତ ୧୮୬୫ ନଅଙ୍କ ଦୁର୍ଭିକ୍ଷ କାଳରେ ଏହି ବନ୍ଧ ହୁଡାରେ ମରୁଡ଼ି ପ୍ରପୀଡ଼ିତଙ୍କ ପାଇଁ ଦାତବ୍ୟ ଖାଦ୍ୟ ବିତରଣ ଛତ୍ର ଖୋଲା ଯାଇଥିଲା । ନଚ଼େତ କାମ ପାଇଁ ଖାଦ୍ୟ ଯୋଜନାରେ ବନ୍ଧ ଖନନ ହୋଇଥିଲା । ଛତର ବନ୍ଧ ସାମନାରେ ହାଟପଦାରେ ତାମେୟା ବନ୍ଧ ଅନ୍ୟ ଏକ ବୃହତ ଜଳାଶୟ । ବ୍ରହ୍ମପୁର ଉନ୍ନୟନ ପ୍ରଥମ ପାଦରେ ବିଡିଏ ଦୁଇ ଜଳାଶୟ ପୋତି ପାର୍କ ଓ ତା ସାମନାରେ ମାର୍କେଟ କମ୍ପ୍ଳେକ୍ସ ନିର୍ମାଣ କରୁଛି । କିଛି ଦିନ ମଧ୍ୟରେ ଏହି ଅଞ୍ଚଳ ସହରର ଅନ୍ୟତମ ଆକର୍ଷଣର କେନ୍ଦ୍ର ପାଲଟିବ । ବ୍ରହ୍ମପୁର ଯେହେତୁ ଏକ ବାଣିଜ୍ୟ ପେଣ୍ଠ ଭାବେ ଗଢ଼ି ଉଠିଥିଲା, ବିଡ଼ିଏ ହୁଏତ ସହରର ମାର୍ମିକ ମୂଲ୍ୟବୋଧ ପ୍ରତି ସମ୍ନାନ ପ୍ରଦାନ କରିଛି !
 
ଗଞ୍ଜାମ ହାଟ ଛଅ ଏକର ପୋତା ଯାଇଥିବା ଜଳାଶୟ ଜମିରେ ୭୦ ହଜାର ବର୍ଗଫୁଟରେ ୧୧୭ ଗୋଟି ଦୋକାନ ଗୃହ ନିର୍ମାଣ କରୁଛି । ଏଗୁଡ଼ିକ ପ୍ରତ୍ୟେକ ୨୫ ଲକ୍ଷରୁ ୭୦ ଲକ୍ଷ ଟଙ୍କା ନିଲାମରେ ମାର୍କେଟ କମ୍ପ୍ଳେକ୍ସ ନିର୍ମାଣ କାମ ଆରମ୍ଭ ପୂର୍ବରୁ ବିକ୍ରୀ ସରିଛି । ନିର୍ମାଣ ବ୍ୟୟ ୩୬ କୋଟି ଟଙ୍କା ଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ୪୩ କୋଟିକୁ ବୃଦ୍ଧି ପାଇଛି । ଦୀର୍ଘ ଦିନର ବାଦପ୍ରତିବାଦରେ ନିର୍ମିତ ଏହି ମାର୍କେଟ କମ୍ପ୍ଳେକ୍ସ ମାର୍ଚ୍ଚ ୨୦୨୪ରେ ଆରମ୍ଭ ହେବ ବୋଲି କୁହାଯାଉଛି ।
 
ବ୍ରହ୍ମପୁର ଦେଇ ରାୟପୁର-ଗୋପାଳପୁର ୫୯ ନମ୍ୱର ରାଜପଥ ୧୬ କିଲୋମିଟର ଲମ୍ୱିଛି । ହିଞ୍ଜିଳିକାଟୁ ପଟୁ ବ୍ରହ୍ମପୁର ପ୍ରବେଶ ପୂର୍ବରୁ ରତନପୁରଠାରୁ ବ୍ରହ୍ମପୁର ସୀମା ଶେଷରେ ଜଗନ୍ନାଥପୁରରେ ଚ଼େନ୍ନାଇ-କୋଲକତା ୧୬ ନମ୍ୱର ରାଜପଥକୁ ସଂଯୋଗ କରି ଏକ ବାଇପାସ ନିର୍ମାଣ ନିମନ୍ତେ ୨୦୨୧ରେ ୧୯୬ କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ବିଭାଗ ପକ୍ଷରୁ ମଞ୍ଜୁର କରାଯାଇଥିଲା । ଟେଣ୍ଡର ନେଇଥିବା ସଂସ୍ଥା ୧୦୭ କୋଟି ଟଙ୍କାରେ ରାସ୍ତା ନିର୍ମାଣ କରୁଛି । ଏହି କାମ ମାର୍ଚ୍ଚ ୨୦୨୪ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ବିଭିନ୍ନ କାରଣରୁ କାମ ଆଶାନୁରୂପ ଅଗ୍ରଗତି କରିପାରିନଥିବା ହେତୁ ଅଧିକା ବର୍ଷେ ମାର୍ଚ୍ଚ ୨୦୨୫ ଯାଏଁ ଅପେକ୍ଷା କରିବାକୁ ପଡ଼ିବ ବୋଲି କୁହାଯାଉଛି । ଡ଼ିସେମ୍ୱର ୨୦୨୩ ସୁଦ୍ଧା ଛଅ କିଲୋମିଟର ମାଟି ରାସ୍ତା କାମ ସରିଥିବା ଶୁଣିବାକୁ ମିଳୁଛି । ବାଇପାସ ପାଇଁ ନରେନ୍ଦ୍ରପୁର ଓ ଟାଟା କଲୋନୀ ନିକଟରେ ଦୁଇଗୋଟି ରେଳୱେ ଓଭରବ୍ରିଜ ନିର୍ମାଣ କରାଯିବ । କିନ୍ତୁ ଏହି କାମ ଆରମ୍ଭ ହୋଇନି ।
 
ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ସଂପ୍ରସାରଣ ନିମନ୍ତେ ୩୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି ନିର୍ମାଣ କାର୍ଯ୍ୟ ପାଇଁ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ତିନିଥର ଟେଣ୍ଡର ପ୍ରକାଶିତ ହେବା ପରେ ଜଣେ ମାତ୍ର ଠିକା ସଂସ୍ଥା ଆଗ୍ରହ ପ୍ରକାଶ କରିଥିଲେ । ତେବେ ବିଭିନ୍ନ କାରଣରୁ କାମ ଆରମ୍ଭ ହୋଇପାରୁ ନାହିଁ । ମାର୍ଚ୍ଚ ୨୦୨୩ରୁ ଇଣ୍ଡିଆ ୱାନ ବିମାନ ପରିବହନ ସଂସ୍ଥା ପକ୍ଷରୁ ସପ୍ତାହରେ ଦୁଇ ଦିନ ବୁଧବାର ଓ ରବିବାର ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡା ଓ ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ଏକ ନଅ ସିଟ ବିଶିଷ୍ଟ ବିମାନ ଯାତ୍ରା କରୁଛି । ବିମାନ ଯାତ୍ରା ଭଡ଼ା ଡ଼ିସେମ୍ୱର ମାସରେ ୧୦୫୦ ଟଙ୍କା ନିର୍ଦ୍ଧାରିତ ହୋଇଥିଲା । ତେବେ ଅଧିକାଂଶ ଦିନ ପୂର୍ଣ୍ଣ ସଂଖ୍ୟକ ଯାତ୍ରୀ ହେଉନଥିବା କୁହାଯାଉଛି । ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ସଂପ୍ରସାରଣପରେ ଏଠାରେ ଏକ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ଏୟାରପୋର୍ଟ ସ୍ଥାପନ ଲକ୍ଷ୍ୟ ରହିଛି । ମୁଖ୍ୟତଃ ଗୋପାଳପୁର ଶିଳ୍ପ ପାର୍କରେ ଗଢ଼ି ଉଠୁଥିବା କଳକାରଖାନା କର୍ମକର୍ତ୍ତା ଓ ବେଳାଭୂମି ପର୍ଯ୍ୟଟକ ବିମାନ ସେବା ଗ୍ରହଣ କରିବା ଆଶା କରାଯାଉଥିବା ସ୍ଥଳେ ବାସ୍ତବତାରେ ପ୍ରତିଫଳିତ ହୋଇପାରୁ ନାହିଁ । ଉଲ୍ଲେଖଯୋଗ୍ୟ ବିଷୟ ଏହିଯେ ବ୍ରହ୍ମପୁରଠାରୁ ଭୁବନେଶ୍ୱର ୧୬ ନମ୍ୱର ଜାତୀୟ ରାଜପଥରେ ୧୬୫ କିଲୋମିଟର ରାସ୍ତା ତିନି ଘଣ୍ଟାରେ ପହଞ୍ଚି ହେଉଛି । ଏହି ପରିପ୍ରେକ୍ଷୀରେ ଇଣ୍ଡିଆ ୱାନ ବିମାନ ସେବା କେତେଦିନ ବଳବତ୍ତର ରହିବ ତାହବି ଏକ ପ୍ରଶ୍ନବାଚ଼ୀ !

Image by Dimitris Vetsikas from Pixabay


Friday, December 15, 2023

BeMC - Tata Power / ବିଇଏମସି-ଟାଟା ପାୱାର


 


#ବ୍ରହ୍ମପୁର ସମେତ ଦକ୍ଷିଣ ଓଡ଼ିଶାର ଆସିକା, ଭଞ୍ଜନଗର, ଜୟପୁର, ରାୟଗଡ଼ା ସହର ଏବଂ ଛଅ ଗୋଟି ବିଦ୍ୟୁତ ସର୍କଲରେ ବିଦ୍ୟୁତ ବିତରଣ ଭାର ରାଜ୍ୟ ସରକାର ଓ ଟାଟା ପାୱାର ଯୌଥ ଉଦ୍ୟୋଗ ଟାଟା ପାୱାର ସଦର୍ଣ୍ଣ ଓଡ଼ିଶା ଡ଼ିଷ୍ଟ୍ରିବ୍ୟୁସନ ଲିମିଟେଡ଼ ଜାନୁୟାରୀ ୨୦୨୧ରୁ ଗ୍ରହଣ କରିଛି । ବ୍ରହ୍ମପୁର ସହରାଞ୍ଚଳରେ ୩୧୮ ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ବିଦ୍ୟୁତ ସରବରାହ ନିମନ୍ତେ ୪୦ ରୁ ଉର୍ଦ୍ଧ୍ୱ ୧୧ କେଭି ଫିଡ଼ର ଓ ୧୪୦୦ରୁ ଉର୍ଦ୍ଧ୍ୱ ଟ୍ରାନ୍ସଫରମର ସ୍ଥାପିତ ହୋଇଥିବା ଜଣାଯାଏ । ସହରସାରା ଲମ୍ୱିଥିବା ରାସ୍ତାଗୁଡ଼ିକର ପାର୍ଶ୍ୱରେ ବିଦ୍ୟୁତ ଖୁଣ୍ଟ ସ୍ଥାପିତ ଏବଂ ସେଠାରୁ ଏକ ଲକ୍ଷ ୧୮ ହଜାର ଉପଭୋକ୍ତାଙ୍କୁ ତାର ଟାଣି ବିଦ୍ୟୁତ ସଂଯୋଗ ଦିଆଯାଇଥାଏ । ବ୍ରହ୍ମପୁରରେ ବିଦ୍ୟୁତ ଖୁଣ୍ଟ, ଟ୍ରାନ୍ସଫରମର ଓ ବିଦ୍ୟୁତ ଖୁଣ୍ଟରୁ ଉପଭୋକ୍ତାଙ୍କ ବାସଗୃହ ବା ପ୍ରତିଷ୍ଠାନକୁ ଟଣା ଯାଇଥିବା ତାର ଅବ୍ୟବସ୍ଥିତ ଅବସ୍ଥାରେ ପଡ଼ିରହିଆସିଛି । ଏହି ସମସ୍ୟାର ଦୁଇଗୋଟି କାରଣ ଚ଼ିହ୍ନଟ କରାଯାଇପାରେ । ପ୍ରଥମତଃ, ବିଦ୍ୟୁତ ବିତରଣ ଦାୟିତ୍ୱ ନିର୍ବାହରେ ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ଅତୀତରେ ଗଠିତ ସଂସ୍ଥାଗୁଡ଼ିକର ଖାମଖିଆଲି ଦାୟିତ୍ୱହୀନ ମନୋଭାବ ଏବ ଦ୍ୱିତୀୟରେ ବାତ୍ୟାପ୍ରବଣ ବ୍ରହ୍ମପୁର ପ୍ରତିଟି ତୋଫାନରେ ବିଦ୍ୟୁତ ବିତରଣ ଭିତ୍ତିଭୂମିର କ୍ରମାଗତ କ୍ଷତି । ରାଜ୍ୟ ସରକାର ବିଦ୍ୟୁତ ବିତରଣ ପ୍ରକ୍ରିୟାରେ ଅସହାୟ ବୋଧକରି ୨୦୨୦ ଡ଼ିସେମ୍ୱର ମାସରେ ଟାଟା ପାୱାର ଭଳି ଏକ ଘରୋଇ କମ୍ପାନୀକୁ ସମସ୍ତ ଭିତ୍ତିଭୂମି ପରିଚାଳନା ଭାର ହସ୍ତାନ୍ତର କଲେ । ବ୍ରହ୍ମପୁରବାସୀ ଭାବିଥିଲେ ଜାତୀୟସ୍ତରର ଏକ ବଡ଼ କମ୍ପାନୀ ଦାୟିତ୍ୱ ଗ୍ରହଣ ପରେ ଅବସ୍ଥାରେ ସୁଧାର ଆସିବ । ତେବେ ଦୁଇ ବର୍ଷ ବିତି ଗଲାଣି ବର୍ଷସାରା ସବୁ ଋତୁରେ ବାରମ୍ୱାର ବିଦ୍ୟୁତ କାଟ କଥା କୁହନ୍ତୁ ବା ରାସ୍ତାଘାଟରେ ଅସଜଡ଼ା ବିଦ୍ୟୁତ ଖୁଣ୍ଟ, ଟ୍ରାନ୍ସଫରମର ଓ ତାରମୟ ଆକାଶ କୌଣସିଟିରେ ପରିବର୍ତ୍ତନ ଆସିପାରି ନାହିଁ ।
 
କୁହାଯାଉଛି ଭିତ୍ତିଭୂମି ସଜଡ଼ା ଚାଲିଛି । ସହରାଞ୍ଚଳରେ ପୂର୍ବରୁ ସ୍ଥାପିତ ରାସ୍ତା ଅବରୋଧ କରୁଥିବା ବିଦ୍ୟୁତ ଖୁଣ୍ଟ ଓ ଟ୍ରାନ୍ସଫରମରଗୁଡ଼ିକୁ ଅପେକ୍ଷାକୃତ ସୁରକ୍ଷିତ ସ୍ଥାନକୁ ବଦଳାଇବା ନିମନ୍ତେ ଖର୍ଚ୍ଚ ସ୍ଥାନୀୟ ପୌରନିଗମ ବହନ କରିବା ନିୟମ ରହିଛି । ତେବେ ବ୍ରହ୍ମପୁର ପୌର ନିଗମ ପାଖେ ଅର୍ଥ ଅଭାବ । ସ୍ଥାନୀୟ ବିଧାୟକ ଏହି ସମସ୍ୟା ନେଇ ବିଧାନସଭାରେ ପ୍ରଶ୍ନ ପଚାରିଥିଲେ । ନିକଟରେ ଶକ୍ତି ମନ୍ତ୍ରୀଙ୍କୁ ଏକ ପ୍ରତିନିଧି ଦଳ ସହ ସାକ୍ଷାତ କରି ନଅ କୋଟି ଟଙ୍କା ଏହି କାର୍ଯ୍ୟଲାଗି ବ୍ରହ୍ମପୁର ପୌର ନିଗମକୁ ମଞ୍ଜୁର ପ୍ରତିଶୃତି ପାଇ ଫେରିଛନ୍ତି । ସେହି ଅର୍ଥ ଆସିଲେ ଟାଟା ପାୱାର ରାସ୍ତାଘାଟରେ ବିଦ୍ୟୁତ ତାର ସଜାଡ଼ିବା ଆଶା କରାଯାଇପାରେ ।
 
ବ୍ରହ୍ମପୁର ପୌର ନିଗମ ବିଇଏମସି ଓ ଟାଟା ପାୱାର ସହରରେ ବିଦ୍ୟୁତ ଭିତ୍ତିଭୂମି ସଜାଡ଼ିବା ବିଚାର ବିମର୍ଷ କରିବା ଲାଗି ୭ ନଭେମ୍ୱର ୨୦୨୩ରେ ପୌର ନିଗମ ପ୍ରାଙ୍ଗଣ ସମ୍ମିଳନୀ କକ୍ଷରେ ଏକ ସମନ୍ୱୟ ବୈଠକରେ ଏକତ୍ରୀତ ହୋଇଥିଲେ । ଟାଟା ପାୱାର ସିଇଓ କହିଲେ ଯେ ସହରାଞ୍ଚଳରେ ବିଦ୍ୟୁତ ଭିତ୍ତିଭୂମି ସଜାଡ଼ିବାଲାଗି ୬୯ କୋଟି ଟଙ୍କା ଆବଶ୍ୟକ । ଏ ସଂପର୍କରେ ରାଜ୍ୟ ଶକ୍ତି ବିଭାଗଠାରେ ବିସ୍ତୃତ ବିବରଣୀ ଉପସ୍ଥାପିତ କରାଯାଇଛି । ବାସ, କଥା ସେଠି ଅଟକିଲା । ଟଙ୍କା ଆସିଲେ କାମ ହେବ ।
 
ବିଇଏମସି-ଟାଟା ପାୱାର ସମନ୍ୱୟ ବୈଠକରେ ବିନା ଖର୍ଚ୍ଚରେ ରକ୍ଷଣାବେକ୍ଷଣ କର୍ମଚାରୀଙ୍କ ଦ୍ୱାରା ସମ୍ଭବ ହେବା ଗୋଟିଏ ପ୍ରସ୍ତାବ ବିଚାର କରାଯାଇପାରିଥାନ୍ତା । ବ୍ରହ୍ମପୁର ସହର ସାରା ବିଦ୍ୟୁତ ଖୁଣ୍ଟଗୁଡ଼ିକରେ କେବଲ ଟେଲିଭିଜନ ଓ ଇଣ୍ଟରନେଟ ସେବା ଲାଗି ଘରୋଇ ପ୍ରତିଷ୍ଠାନ ମାଳମାଳ ତାର ଟାଣିଥିଲେ । ପରିବର୍ତ୍ତିତ ପରିବେଶରେ ସେଭଳି ତିନି ଚ଼ତୁର୍ଥାଂଶ ବ୍ୟବସାୟ ବନ୍ଦ ହୋଇଗଲାଣି । ଫଳରେ ଅଲୋଡ଼ା ତାରଗୁଡ଼ିକ ଇତଃସ୍ତତଃ ପଡ଼ି ରହିଛି । ମାଙ୍କଡ଼ ପଲ ପହଞ୍ଚି ସେହି ଅବ୍ୟବସ୍ଥାକୁ ଆହୁରି ବିଗାଡି ଦେଉଛନ୍ତି । ସ୍ଥାନୀୟ ସମ୍ୱାଦପତ୍ର ଓ ସୋସିଆଲ ମିଡ଼ିଆରେ ୧୨ ନଭେମ୍ୱର ଓ ୧୯ ନଭେମ୍ୱର ୨୦୨୨ ତଥା ୧୩ ଫେବୃୟାରୀ ୨୦୨୧ରେ ଏହି ସମସ୍ୟା ଉପସ୍ଥାପନ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ଗଣମାଧ୍ୟମରେ ରର୍ଚ୍ଚା ହୋଇଛି । ନିୟମ ଅନୁଯାୟୀ ସହରାଞ୍ଚଳରେ ବିଦ୍ୟୁତ ଖୁଣ୍ଟ ସ୍ଥାପନଲାଗି ବିଦ୍ୟୁତ ବିତରଣ ସଂସ୍ଥା ପୌରନିଗମର ଅନୁମତି ନେଇ ଧାର୍ଯ୍ୟ ଭଡ଼ା ଦେବା କଥା । ସେହିପରି ବିଦ୍ୟୁତ ଖୁଣ୍ଟରେ ତୃତୀୟ ପକ୍ଷ ତାର ଟାଣିବା ଲାଗି ଉଭୟଙ୍କ ଅନୁମତି ଓ ଦେୟ ଦେବା କଥା । ବ୍ରହ୍ମପୁର ସହରର ରାସ୍ତାଘାଟ ସୌନ୍ଦର୍ଯ୍ୟ ହାନୀରେ ଅସଜଡ଼ା ଅଲୋଡା ତାର ହଟାଇବା ଉଭୟ ବିଇଏମସି ଓ ଟାଟା ପାୱାରର କାର୍ଯ୍ୟ ପରିସରଭୁକ୍ତ ଥିବା ସ୍ଥଳେ ଜନସାଧାରଣଙ୍କ ଦାବୀ ସତ୍ତ୍ୱେ ସମନ୍ୱୟ ବୈଠକରେ ଆଲୋଚ଼ନା ଯୋଗ୍ୟ ନୁହେଁ କି ?


Image by Angelo Esslinger from Pixabay


Friday, December 8, 2023

Gopalpur Beach Festival / ଗୋପାଳପୁର ବେଳାଭୂମି ମହୋତ୍ସବ

 

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ବରୁ ବାଣିଜ୍ୟ ପେଣ୍ଠଭାବେ ପ୍ରସିଦ୍ଧି ଲାଭ କରିଥିବା #ବ୍ରହ୍ମପୁର ୧୯୩୬ରେ ଓଡ଼ିଶା ପ୍ରଦେଶରେ ସାମିଲ ହେବା ପରେ ଦକ୍ଷିଣାଞ୍ଚଳ ପ୍ରଶାସନିକ କେନ୍ଦ୍ର ରୂପେ ଗୁରୁତ୍ୱଲାଭ କଲା । ପାରମ୍ପରିକଭାବେ ଦ୍ୱି-ବାର୍ଷିକ ଠାକୁରାଣୀ ଯାତ୍ରା ଓ ସହରରେ ବିଛୁରିତ ମଠ ମନ୍ଦିରଗୁଡ଼ିକରେ ଆୟୋଜିତ ଧାର୍ମିକ ଉତ୍ସବରେ ଯୋଗଦେବା ନିମନ୍ତେ ଗଞ୍ଜାମ ଓ ପଡ଼ୋଶୀ ଜିଲ୍ଲାରୁ ପର୍ଯ୍ୟଟକ ବ୍ରହ୍ମପୁର ଆସୁଥିଲେ । କିନ୍ତୁ ସରକାରୀ ଦପ୍ତରମାନ ସ୍ଥାପିତ ହେବା ପରେ କ୍ରମବିକଶିତ ପ୍ରଶାସନିକ, ଶିକ୍ଷା, ସ୍ୱାସ୍ଥ୍ୟ ଓ ମନୋରଞ୍ଜନ ବିଭିନ୍ନ ସେବା ଗ୍ରହଣ ଲାଗି ସମଗ୍ର ଦକ୍ଷିଣ ଓଡ଼ିଶାବାସୀଙ୍କ ବ୍ରହ୍ମପୁର ଯିବା ଆସିବା ଲାଗି ରହିଲା । ଏହା ଆଭ୍ୟନ୍ତରୀଣ ପର୍ଯ୍ୟଟନ ବିକାଶରେ ସହାୟକ ହେଲା ଏବଂ ସହରରେ ଆନୁସଙ୍ଗିକ ବ୍ୟବସ୍ଥାମାନ ଗଢ଼ି ଉଠିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ଅବସରରେ ବନ୍ଦର ବନ୍ଦ ହୋଇଯିବାପରେ ଗୋପାଳପୁର ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇଥିଲା । ବିଂଶ ଶତାଦ୍ଦୀର ଶେଷ ଦଶକରେ ଜଗତୀକରଣ ପ୍ରଭାବରେ ପର୍ଯ୍ୟଟନକୁ ସରକାରୀ ସ୍ତରରେ ପ୍ରୋତ୍ସାହିତ କରିବା ଅବସରରେ ୨୨ ଗୋଟି ବ୍ଳକ ବିଶିଷ୍ଟ ଗଞ୍ଜାମ ଜିଲ୍ଲାରେ ୨୨ ଗୋଟି ପର୍ଯ୍ୟଟନସ୍ଥଳୀ ଚ଼ିହ୍ନଟ କରାଯାଇଥିଲା । ଫଳରେ ବିଗତ ତିନି ଦଶକ ଧରି ଦେଶ ଓ ରାଜ୍ୟରେ ପର୍ଯ୍ୟଟନ ବିକାଶ ସହ ସ୍ଥାନୀୟ ପର୍ଯ୍ୟଟନ ମଧ୍ୟ ସାମିଲ ହୋଇଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ପର୍ଯ୍ୟଟକ ଆଗମନ କାଳରେ ଊଣାଅଧିକେ ବ୍ରହ୍ମପୁର ସହର ଉପରେ ନିର୍ଭର କରିଥାନ୍ତି ।
 
ସାଧାରଣରେ ଗୋପାଳପୁରରେ ଡ଼ିସେମ୍ୱର-ଜାନୁୟାରୀରେ ପର୍ଯ୍ୟଟକଙ୍କ ଭିଡ଼ ଜମେ । ଅତୀତରେ ଭାରତର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକଙ୍କ ସହ ବିଦେଶୀ ମଧ୍ୟ ଯୋଡ଼ି ହେଉଥିଲେ । ତେବେ କୋଭିଡ଼ ମହାମାରୀରେ ବିଦେଶୀ ପର୍ଯ୍ୟଟକ ସଂଖ୍ୟା ନଗଣ୍ୟ ହୋଇପଡ଼ିଥିଲା । ସରକାରୀ ହିସାବ ଅନୁଯାୟୀ ୨୦୨୦ରୁ ୨୨ ଅର୍ଥାତ କୋଭିଡ଼ କଟକଣା ସମୟରେ ଜିଲ୍ଲାକୁ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ ଆସିଥିଲେ । ସେମାନଙ୍କ ମଧ୍ୟରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୨୦୨୦ରେ ୩୧୬ ଥିବା ସ୍ଥଳେ ୨୦୨୧ରେ ୧୦ ଏବଂ ୨୦୨୨ରେ ପାଞ୍ଚକୁ ଖସି ଆସିଥିଲା । ବିଦେଶୀ ପର୍ଯ୍ୟଟକମାନେ ମୁଖ୍ୟତଃ ଗୋପାଳପୁର, ରମ୍ଭା, ତପ୍ତପାଣି ଓ ବ୍ରହ୍ମପୁର ପରିଦର୍ଶନ କରିଥାନ୍ତି ।
 
ଅବଶ୍ୟ ୨୦୨୩ରେ ଓଡ଼ିଶାକୁ ରାଜ୍ୟସ୍ତରରେ ବିଦେଶୀ ପର୍ଯ୍ୟଟକ ବୃଦ୍ଧି ପାଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ସୂତ୍ରକୁ ଉଦ୍ଧାର କରି କୁହାଯାଇଛି ଯେ ୨୦୨୧ରେ ରାଜ୍ୟକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୭୮୮ ଓ ୨୦୨୨ରେ ୧୦,୩୪୬ ଥିବା ସ୍ଥଳେ ୨୦୨୩ରେ ଜାନୁୟାରୀରୁ ସେପ୍ଟେମ୍ୱର ନଅ ମାସରେ ପ୍ରାୟ ତିରିଶି ହଜାର ପହଞ୍ଚିଥିଲା । ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ ବ୍ରିଟେନ, ଆମେରିକା, ଫ୍ରାନ୍ସ, ଇଟାଲୀ, ଜାପାନ, ଜର୍ମାନୀ, ଆଷ୍ଟ୍ରେଲିଆ, ନେଦରଲ୍ୟାଣ୍ଡସ, ସ୍ୱିଜରଲ୍ୟାଣ୍ଡ ଓ ଦକ୍ଷିଣ କୋରିଆର ପର୍ଯ୍ୟଟକ ସାମିଲ ଥିବା କୁହାଯାଉଛି । ଏହି ଅଭିବୃଦ୍ଧିରେ ଗୋପାଳପୁର ଓ ବ୍ରହ୍ମପୁରର ତଥ୍ୟ ଉଲ୍ଲେଖ କରାଯାଇନଥିଲା ।
 
ଆଧୁନିକ ପରିବେଶରେ ପର୍ଯ୍ୟଟନ ବିକାଶ ନିମନ୍ତେ ଲକ୍ଷ୍ୟଭିତ୍ତିକ ଦୀର୍ଘସୂତ୍ରୀ ଯୋଜନା କାର୍ଯ୍ୟକାରୀ କରିବା ଆବଶ୍ୟକ । ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ସାମଗ୍ରିକଭାବେ ରାଜ୍ୟସ୍ତରରେ ପର୍ଯ୍ୟଟନ ବିକାଶ ନିମନ୍ତେ ଉଦ୍ୟମ କରିବେ । ତେବେ ବ୍ରହ୍ମପୁର, ଗୋପାଳପୁରକୁ ରାଷ୍ଟ୍ରୀୟ ତଥା ଆନ୍ତର୍ଜାତିକସ୍ତରରେ ପରିଚ଼ିତ କରିବା ଦାୟିତ୍ୱ କିଏ ବହନ କରିବ ତାହା ଏକ ବଡ଼ ପ୍ରଶ୍ନ । ବିଦେଶରେ ସ୍ଥାନୀୟ ପୌରପାଳିକା ଓ ପର୍ଯ୍ୟଟନକେନ୍ଦ୍ରୀକ ବ୍ୟାବସାୟିକ ସଂଗଠନଗୁଡ଼ିକ ଏ ଦିଗରେ ତତ୍ପରତା ପ୍ରକାଶ କରିଥାନ୍ତି । ପର୍ଯ୍ୟଟନ ବିକାଶରେ ସ୍ଥାନୀୟ ଜନସାଧାରଣ ଲାଭବାନ ହୁଅନ୍ତି । ପର୍ଯ୍ୟଟନ ବିକାଶକୁ ଜନକଲ୍ୟାଣ କାର୍ଯ୍ୟ ବିଚାର କରି ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକ ମଧ୍ୟ କାର୍ଯ୍ୟ କରନ୍ତି । ବ୍ରହ୍ମପୁରର ବହୁ ଉଦୀୟମାନ ଯୁବକ ଯୁବତୀ ସାମୟିକ ଭାବେ ସ୍ୱେଚ୍ଛାସେବୀରୂପେ ନିଜକୁ ଗଢ଼ିତୋଳିବାକୁ ଉଦ୍ୟମରତ । ଏମାନଙ୍କ ମଧ୍ୟରୁ ପର୍ଯ୍ୟଟନରେ ଋଚି ରଖୁଥିବା କେତେ ଜଣ ଏଦିଗରେ ଯୋଜନାବଦ୍ଧ ଉଦ୍ୟମ କଲେ ଆଶାନୁରୂପ ଫଳ ମିଳିପାରିବ ।
 
ଗଞ୍ଜାମ ପର୍ଯ୍ୟଟନ ବିକାଶ ନିମନ୍ତେ ଦୀର୍ଘସୂତ୍ରୀ ଯୋଜନା ଅଭାବ ମୁଖ୍ୟ ସମସ୍ୟା । ଉଦାହରଣରେ ଗୋପାଳପୁର ବେଳାଭୂମି ମହୋତ୍ସବ ଗୋପାଳପୁର ବିଚ଼ ଫେଷ୍ଟିଭାଲବିଚାର୍ଯ୍ୟ । ବିଂଶ ଶତାଦ୍ଦୀର ଶେଷ ପାଦରେ ଗୋପାଳପୁରରେ ଏକ ଇସ୍ପାତ କାରଖାନା ପ୍ରତିଷ୍ଠା ନିମନ୍ତେ ଜମି ଅଧିଗ୍ରହଣ କରାଯାଇଥିଲା । ସ୍ଥାନୀୟ ବାସିନ୍ଦା ଏହାର ପ୍ରତିରୋଧ କରିଥିଲେ ଏବଂ ଦୀର୍ଘ ସମୟ ଧରି ଅଶାନ୍ତ ପରିବେଶ ଲାଗି ରହିଥିଲା । ଜନ-ଆକ୍ରୋଶ ପ୍ରଶମିତ କରିବା ଉଦ୍ଦେଶ୍ୟରେ ଇସ୍ପାତ ପ୍ରକଳ୍ପର ଲୋକସଂପର୍କ ବିଭାଗ ପକ୍ଷରୁ ଡ଼ିସେମ୍ୱର ଶେଷ ସପ୍ତାହରେ ବିଚ଼ ଫେଷ୍ଟିଭାଲ ଆୟୋଜନ କରାଯାଇଥିଲା । ଜନି ଲିଭରଙ୍କ ଭଳି ବଲିଉଡ଼ କଳାକାର ଏଥିରେ ଯୋଗ ଦେଇ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ । ତେବେ ବିଭିନ୍ନ କାରଣରୁ ଇସ୍ପାତ ପ୍ରକଳ୍ପ ବନ୍ଦ ହୋଇଯିବା ଯୋଗୁଁ ବିଚ଼ ଫେଷ୍ଟିଭାଲ ମଧ୍ୟ ବନ୍ଦ ରହିଲା  । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ବାର୍ଷିକ ସାଂସ୍କୃତିକ ଉତ୍ସବ ଆୟୋଜନ କରାଯାଉଥିଲା । ଗଞ୍ଜାମର ସାଂସ୍କୃତିକ ଉତ୍ସବ ସୁରଭିଛତ୍ରପୁର ଓ ବ୍ରହ୍ମପୁରରେ ଥରେ ଅଧେ ଅନୁଷ୍ଠିତ ହୋଇ ବନ୍ଦ ହୋଇଯାଇଥିଲା । ବ୍ରହ୍ମପୁର ପୁସ୍ତକ ମେଳା ସମିତିରେ କେତେକ ସଦସ୍ୟ ତତ୍କାଳୀନ ଜିଲ୍ଲାପାଳଙ୍କୁ ଜିଲ୍ଲାସ୍ତରୀୟ ଉତ୍ସବଟି ଗୋପାଳପୁରରେ ଆୟୋଜନ ନିମନ୍ତେ ପ୍ରସ୍ତାବ ଦେଲେ । ତାହା ବେଳାଭୂମି ଉତ୍ସବ ଆକାରରେ କାର୍ଯ୍ୟକାରୀ ହେଲା । ଫଳତଃ ଇସ୍ପାତ ପ୍ରକଳ୍ପ ହାତରୁ ଉତ୍ସବ ଆୟୋଜନ ଭାର ଜିଲ୍ଲା ପ୍ରଶାସନ ନିକଟକୁ ଗଲା । ଗତ ବର୍ଷ ୨୦୨୨ରେ ଡ଼ିସେମ୍ୱର ୨୪ରୁ ୨୮ ପାଞ୍ଚ ଦିନ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ବେଳାଭୂମି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଦୁଇ ବର୍ଷ କୋଭିଡ଼ କାରଣରୁ ବନ୍ଦ ରହିବା ପୂର୍ବରୁ ୨୦୧୯ରେ ମଧ୍ୟ ଅନୁରୂପ ପାଞ୍ଚ ଦିବସୀୟ ଉତ୍ସବ ସ୍ଥାନୀୟ ବିଧାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଗୋପାଳପୁର ବେଳାଭୂମି ମହୋତ୍ସବ ଏକ ମେଳାର ଭ୍ରମ ସୃଷ୍ଟି କରିଥାଏ । ଏଥିସହ ପର୍ଯ୍ୟଟନ ବିକାଶର ସୂତ୍ର ଖୋଜି ପାଇହୁଏନା । ଏହି ଅବ୍ୟବସ୍ଥାକୁ ସଜାଡ଼ିବା ସମୟ ଉପନୀତ ନୁହେଁ କି ?

Image by PublicDomainPictures from Pixabay


Friday, December 1, 2023

Padmashree Sanjukta Panigrahy / ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀ

 

ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀ #ବ୍ରହ୍ମପୁର ସହରରେ ୧୪ ଅଗଷ୍ଟ ୧୯୪୪ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କରି ପିତା ବିଦ୍ୟୁତ ବିଭାଗରେ ଜଣେ ସରକାରୀ କର୍ମଚାରୀ ଭାବେ ଅବସ୍ଥାପିତ ଥିଲେ । ମାତା ଗୃହିଣୀ । ସଂଯୁକ୍ତା ଚାରି ଭାଇ ଓ ଜଣେ ସାନ ଭଉଣୀଙ୍କ ଗହଣରେ ଶୈଶବ ବିତାଇ ଥିଲେ । ପିଲାଟି ଦିନୁ ନୃତ୍ୟ ପ୍ରତି ସଂଯୁକ୍ତା ଆଗ୍ରହ ପ୍ରକାଶ କରିଥିଲେ ଏବଂ ନୃତ୍ୟ ଶିକ୍ଷା ଓ ପ୍ରଦର୍ଶନରେ ସଂପୃକ୍ତ ହୋଇପଡ଼ିଥିଲେ । ସ୍ୱାଧୀନତା ଲାଭ ବେଳର ଗଞ୍ଜାମ ଜିଲ୍ଲାରେ ସଂଭ୍ରାନ୍ତ  ସରକାରୀ କର୍ମଚାରୀଙ୍କ ପରିବାରରେ ନାରୀ ଶିକ୍ଷା ପ୍ରବେଶ ଲାଭ କରିନଥିବା ସ୍ଥଳେ ପାରମ୍ପରିକ ଓଡ଼ିଆ ବ୍ରାହ୍ମଣ ସଂପ୍ରଦାୟରେ ନୃତ୍ୟ ଏକ ଅଜଣା ଇଲାକା ଅନ୍ତର୍ଭୁକ୍ତ ଥିଲା । ଅବଶ୍ୟ ଦାକ୍ଷିଣାତ୍ୟ ସଂସ୍କୃତି ପ୍ରଭାବରେ ଶାସ୍ତ୍ରୀୟ ସଙ୍ଗୀତ ଚର୍ଚ୍ଚା ତେଲୁଗୁ ଭାଷାଭାଷୀଙ୍କ ମଧ୍ୟରେ ଉଚ୍ଚକୋଟିର ସଉକ ବିବେଚ଼ିତ ହେଉଥିଲା । ବ୍ରହ୍ମପୁର ସହରରେ ୧୯୨୮ରୁ ସ୍ଥାନୀୟ ପ୍ରେକ୍ଷାଳୟରେ ଚଳଚ଼ିତ୍ର ପ୍ରଦର୍ଶନ ସଙ୍ଗୀତ ଓ ନୃତ୍ୟଭିତ୍ତିକ ସହରୀ ସଭ୍ୟତା ରୁଚି ପ୍ରସାର କରୁଥିଲା ।
 
ସଂଯୁକ୍ତାଙ୍କ ନୃତ୍ୟ ପ୍ରୀତିକୁ ତାଙ୍କରି ମାଆ ଶକୁନ୍ତଳା ଦେବୀ ପ୍ରୋତ୍ସାହିତ କରୁଥିଲେ । ସେ ଚାରିବର୍ଷ ବୟସରୁ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ପାରିବାରିକ କଟକଣା ସତ୍ତ୍ୱେ ସଂଯୁକ୍ତା ସାତ ବର୍ଷ ବୟସରେ କଲିକତା (ବର୍ତ୍ତମାନର କୋଲକତା)ଠାରେ ନ୍ୟୂ ଏମ୍ପାୟାର ଥିଏଟର ମଞ୍ଚରେ ୧୯୫୧ରେ ନୃତ୍ୟ ପ୍ରଦର୍ଶନ କରିବା ସୁଯୋଗ ଲାଭ କରିଥିଲେ । ଗବେଷକଙ୍କ ହିସାବରେ ସଂଯୁକ୍ତା ଛଅ ବର୍ଷରୁ ନଅ ବର୍ଷ ବୟସ ତିନି ବର୍ଷ ମଧ୍ୟରେ ୫୦ରୁ ଉର୍ଦ୍ଧ୍ୱ ନୃତ୍ୟ ପ୍ରଦର୍ଶନରେ ସାମିଲ ହୋଇଥିଲେ । ସଂଯୁକ୍ତା କଟକ, ମାଡ୍ରାସ (ବର୍ତ୍ତମାନର ଚ଼େନ୍ନାଇ) ଓ ବମ୍ୱେ (ବର୍ତ୍ତମାନର ମୁମ୍ୱାଇ)ରେ ନୃତ୍ୟ ଶିକ୍ଷା କରିଥିଲେ । କଟକର କଳା ବିକାଶ କେନ୍ଦ୍ରରେ ଗୁରୁ କେଳୁ ଚ଼ରଣ ମହାପାତ୍ରଙ୍କ ଅଧୀନରେ ଓଡ଼ିଶୀ, ମାଡ୍ରାସର କଳା କ୍ଷେତ୍ରରେ ରୁକ୍ମିଣୀ ଦେବୀ ଆରୁଣ୍ଡେଲଙ୍କ ଅଧୀନରେ ଭାରତନାଟ୍ୟମ ଓ କଥାକଳି ଏବଂ ବମ୍ୱେରେ ଗୁରୁ ହଜାରିଲାଲଙ୍କ ଅଧୀନରେ କଥକ ନୃତ୍ୟ ଶିକ୍ଷା ଲାଭ ସୁଯୋଗ ମିଳିଥିଲା ।
 
ମୁମ୍ୱାଇରେ କଥକ ନୃତ୍ୟ ଶିକ୍ଷା କାଳରେ ଓଡ଼ିଆ ଗାୟକ ରଘୁନାଥ ପାଣିଗ୍ରାହୀଙ୍କ ସାନ୍ନିଧ୍ୟରେ ଆସିଥିଲେ । ସେହି ସମୟରେ ରଘୁନାଥ ମାଡ୍ରାସ ଚଳଚ଼ିତ୍ର ଜଗତରେ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ସୁନାମ ଅର୍ଜନ କରିସାରିଥିଲେ । ଦିହେଁ ପ୍ରଣୟସୂତ୍ରରେ ଆବଦ୍ଧ ହୋଇ ୧୯୬୦ରେ ମୁମ୍ୱାଇଠାରେ ବିବାହ କରିଥିଲେ । ସେତେବେଳକୁ ସଂଯୁକ୍ତାଙ୍କ ବୟସ ପନ୍ଦର ଓ ରଘୁନାଥଙ୍କ ବୟସ ପଚ଼ିଶି ।
 
ବିବାହପରେ କିଛି କାଳ ଶ୍ୱଶୁରାଳୟ ଗୁଣପୁରରେ ଅତିବାହିତ କରି ସଂଯୁକ୍ତା ଓ ରଘୁନାଥ ବମ୍ୱେ ଓ ମାଡ୍ରାସରେ ବୃତ୍ତିଗତ ଜୀବନ ପ୍ରତିଷ୍ଠା ଉଦ୍ୟମ କରିବା ପରେ ଭୁବେଶ୍ୱରଠାରେ ନୂତନଭାବେ ପ୍ରତିଷ୍ଠିତ ସଙ୍ଗୀତ ବିଦ୍ୟାଳୟରେ ସଂଯୁକ୍ତା ଅଧ୍ୟାପିକା ଭାବେ ଯୋଗଦେଲେ । ଏଣିକି ସଂଯୁକ୍ତା ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ ଓ ରଘୁନାଥ ଓଡ଼ିଶୀ ସଙ୍ଗୀତ ଗାୟନରେ ମନୋନିବେଶ କଲେ । ମୋଟାମୋଟିଭାବେ ୧୯୬୬ରୁ ୧୯୯୬ ଯାଏଁ ତିନି ଦଶନ୍ଧି ଧରି ଓଡ଼ିଶୀ ନୃତ୍ୟ ଓ ସଂଗୀତରେ ସାଧନା ସଂଯୁକ୍ତା ଓ ରଘୁନାଥଙ୍କୁ ଦେଶ ବିଦେଶରେ ପ୍ରତିଷ୍ଠିତ କରାଇପାରିଥିଲା । ସଂଯୁକ୍ତାଙ୍କ ଉଦାହରଣ ଓଡ଼ିଆ ପରିବାରର କନ୍ୟାମାନଙ୍କୁ ଓଡ଼ିଶୀ ନୃତ୍ୟ ଅଭ୍ୟାସ ଦିଗରେ ପ୍ରୋତ୍ସାହିତ କରିଥିଲା ଏବଂ ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ଓଡ଼ିଆ ସଂସ୍କୃତିର ଏକ ପରିଚ଼ିତି ଭାବେ ଉପସ୍ଥାପନରେ ସହାୟକ ହୋଇଥିଲା । ସଂଯୁକ୍ତା ୧୯୯୬ରେ ଆଣ୍ଠୁବିନ୍ଧା ବାତ, କର୍କଟ ଭଳି ଅସାଧ୍ୟ ରୋଗାକ୍ରାନ୍ତ ହୋଇ ବର୍ଷକ ମଧ୍ୟରେ ୧୯୯୭ରେ ମାତ୍ର ୫୩ ବର୍ଷରେ ପ୍ରାଣତ୍ୟାଗ କରିଥିଲେ । ବୃତ୍ତିଗତ ଜୀବନରେ ସଂଯୁକ୍ତାଙ୍କ ବ୍ରହ୍ମପୁର ସହରର ସହ ସେପରି କିଛି ସଂପର୍କ ନଥିଲେ ସୁଦ୍ଧା ସେ ଯେ ଏଠି ଜନ୍ମ ନେଇଥିଲେ ଏବଂ ଏଠାକାର ସାମାଜିକ ପରିବେଶ ତାଙ୍କୁ ଶୈଶବରେ ନୃତ୍ୟ ଶିକ୍ଷା ଦିଗରେ ପ୍ରୋତ୍ସାହିତ କରିଥିଲା, ଏହା ସ୍ୱୀକାର୍ଯ୍ୟ ।

Image by Erika Varga from Pixabay


Friday, November 24, 2023

Dream of Corporate Hospital / କର୍ପୋରେଟ ହସପିଟାଲ ସ୍ୱପ୍ନ

 

#ବ୍ରହ୍ମପୁର ସହରରେ ପ୍ରଥମ କର୍ପୋରେଟ ସୁପର ସ୍ପେଶାଲିଟି ହସପିଟାଲ ପ୍ରତିଷ୍ଠା ସ୍ୱପ୍ନ ଦଶ ବର୍ଷ ପରେ ପୁଣି ଉଜ୍ଜୀବିତ ହୋଇଛି । ସହର ଉପକଣ୍ଠ ଶୀତଳାପଲ୍ଲୀଠାରେ ଟାଟା ଅଧିଗୃହୀତ ଶିଳ୍ପାଞ୍ଚଳ ଓ ପ୍ରସ୍ତାବିତ ଇସ୍ପାତ କାରଖାନା ପାଇଁ ବିସ୍ଥାପିତଙ୍କ କଲୋନୀ ନିକଟରେ ଏକ ହସପିଟାଲ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ଟାଟା କର୍ତ୍ତୃପକ୍ଷଙ୍କୁ ୪୪ ଏକର ଜମି ପ୍ରଦାନ କରିଥିଲେ । ଟାଟା ଷ୍ଟିଲ-ମେଡ଼ିକା ହସପିଟାଲ ନାମରେ ଏକ ୨୦୦ ଶଯ୍ୟା ବିଶିଷ୍ଟ ହସପିଟାଲ ନିର୍ମାଣ ନିମନ୍ତେ ୨୦୧୪ରେ ଭୂମିପୂଜା ହୋଇଥିଲା । ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାବାସୀ ଏକ ଉଚ୍ଚମାନର ଘରୋଇ ହସପିଟାଲର ଯେଉଁ ସ୍ୱପ୍ନ ଦେଖିଥିଲେ ପରବର୍ତ୍ତୀ ନଅ ବର୍ଷ ଯାଏଁ ସାକାର ହୋଇପାରିନାହିଁ । ତେବେ ଦଶମ ବର୍ଷରେ ଭୁବନେଶ୍ୱର-କେନ୍ଦ୍ରୀକ ସମ ହସପିଟାଲ ପକ୍ଷରୁ ଏକ କର୍ପୋରେଟ ହସପିଟାଲ ଆରମ୍ଭ ହେବା ଆଶା କରାଯାଉଛି । ସମ ହସପିଟାଲ ପକ୍ଷରୁ ଭୁବନେଶ୍ୱରରେ ଦୁଇଗୋଟି ହସପିଟାଲ କାର୍ଯ୍ୟକ୍ଷମ ଥିବା ସ୍ଥଳେ ତୃତୀୟ ହସପିଟାଲ ରୂପେ ସମ-ଗୋପାଳପୁରରେ ଚ଼ିକିତ୍ସକ ଓ କର୍ମଚାରୀ ନିଯୁକ୍ତି ପାଇଁ ନଭେମ୍ୱର ୨୦୨୩ରେ ବିଜ୍ଞାପନ ପ୍ରକାଶ ପାଇଛି ।
 
ବ୍ରହ୍ମପୁରରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ୧୯୬୨ରୁ କାର୍ଯ୍ୟ ଆରମ୍ଭ କରିବା ପରେ ନର୍ସିଂ ହୋମ ପର୍ଯ୍ୟାୟର ବହୁ ଛୋଟ ଚ଼ିକିତ୍ସାଳୟ ଗଢ଼ି ଉଠିଥିଲା । ତେବେ ଆଧୁନିକ ଚିକିତ୍ସା ବ୍ୟବସ୍ଥା ଖଚିତ ବଡ଼ ଘରୋଇ ହସପିଟାଲ ଅଭାବ ହେତୁ ସ୍ଥାନୀୟ ଜନସାଧାରଣ ପ୍ରଥମେ ବିଶାଖପାଟଣା ଓ ପରେ ଭୁବନେଶ୍ୱର ଉପରେ ନିର୍ଭର କରି ଆସୁଛନ୍ତି । ବ୍ରହ୍ମପୁରରେ ଏକ କର୍ପୋରେଟ ମଲଟି-ସ୍ପେଶାଲିଟି ହସପିଟାଲର ଜରୁରି ଆବଶ୍ୟକତା ଅନୁଭୂତ ହେଉଥିଲେହେଁ କୌଣସି ଉଦ୍ୟୋଗୀ ନିବେଶ ନିମନ୍ତେ ଅଗଭର ହୋଇପାରିନଥିଲେ । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଭିଜ୍ଞ ଟାଟା ଭଳି ପ୍ରସିଦ୍ଧି ବ୍ରାଣ୍ଡ ଏକ ସୁପର-ସ୍ପେଶାଲିଟି ହସପିଟାଲ ପ୍ରତିଷ୍ଠା ନିମନ୍ତେ ଅଗଭର ହୋଇଥିବା ଏବଂ କୋଠାବାଡ଼ି ନିର୍ମାଣ ଆରମ୍ଭ କରିଦେଇଥିବା ହେତୁ ୨୦୧୪ରୁ ୨୦୨୩ ନଅ ବର୍ଷ ଧରି ଏଦିଗରେ ଆଗ୍ରହ ପ୍ରକାଶ କରିଥିବା ଉଦ୍ୟୋଗୀମାନେ ପଛେଇ ଯାଇଥିଲେ । ଟାଟା ହସପିଟାଲ ଚାଲୁ ହେବାପରେ ପରିସ୍ଥିତି ବିଚାର କରି ପଦକ୍ଷେପ ନେବା ପାଇଁ ଅପେକ୍ଷା କରି ବସିଥିଲେ ।
 
ପ୍ରସ୍ତାବିତ ଟାଟା ଷ୍ଟିଲ-ମେଡ଼ିକା ହସପିଟାଲର ଅଗ୍ରଗତି ଆଶା ଅନୁରୂପ ନଥିଲା । କୋଠାବାଡ଼ି ନିର୍ମାଣ ଲାଗି ପାଞ୍ଚ ବର୍ଷ ଲାଗିଗଲା । ନିର୍ମାଣ କାମ ୨୦୧୯ରେ ସରିବା ପରେ ୨୦୨୦ରେ କାର୍ଯ୍ୟକ୍ଷମ ପାଇଁ ଯୋଜନା କରାଯିବା ବେଳେ କୋଭିଡ଼ ମହାମାରୀ ଆସିଗଲା । ଅବଶ୍ୟ ନବନିର୍ମିତ କୋଠାବାଡ଼ି କୋଭିଡ଼ ହସପିଟାଲ ରୂପେ କାର୍ଯ୍ୟରେ ଆସିଲା । ତାହା ସ୍ଥାନୀୟ ଅଧିବାସୀଙ୍କ ନିମନ୍ତେ ବରଦାନ ସାଜିଥିଲା । ତେବେ ମହାମାରୀ ପରେ ହସପିଟାଲ କାର୍ଯ୍ୟକାରୀ ନିମନ୍ତେ ତତ୍ପରତା ପ୍ରକାଶ ପାଇଲା ନାହିଁ ପ୍ରକଳ୍ପରୁ ମେଡ଼ିକା ଅପସରି ଗଲାଟାଟା କର୍ତ୍ତୃପକ୍ଷ ହସପିଟାଲ ସ୍ଥାପନ ନିମନ୍ତେ ନୂଆ ଉଦ୍ୟୋଗୀ ଖୋଜିଲେ । ଶୁଣା ଯାଉଥିଲା ଯେ ବିଶାଖପାଟଣା ଓ ଭୁବନେଶ୍ୱରର କେତେକ ପ୍ରତିଷ୍ଠିତ ହସପିଟାଲ ଏଥିଲାଗି ଅନୁସନ୍ଧାନ କରିଥିଲେ । ଶେଷରେ ସମ ହସପିଟାଲ ପକ୍ଷରୁ କର୍ମଚାରୀ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପରେ ଆପାତତଃ ସମ ହସପିଟାଲ ଗୋପାଳପୁରକୁ ଆସୁଥିବା ସୁସ୍ପଷ୍ଟ ।
 
ସମ-ଗୋପାଳପୁରରେ ନ୍ୟୂରୋ ସର୍ଜରୀ, ୟୁରୋଲଜି, ସର୍ଜିକାଲ ଅଙ୍କୋଲଜି, ମେଡ଼ିକାଲ ଗ୍ୟାଷ୍ଟ୍ରୋଏଣ୍ଟୋରଲଜି, ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟୋରଲଜି, ନେଫ୍ରୋଲଜି, କାର୍ଡିଓଲୋଜି, ଏଣ୍ଡ୍ରୋକ୍ରୋନୋଲଜି, ନ୍ୟୂରୋଲଜି, ରୁମାଟୋଲଜି, କ୍ଳିନିକାଲ ହେମାଟୋଲଜି, ମେଡିକାଲ ଅଙ୍କୋଲଜି, ପେଡ଼ିଆଟିକ ଅଙ୍କୋଲଜି, ନିଓନେଟୋଲଜି ଏବଂ କ୍ରିଟିକାଲ କେୟାର ମେଡିସିନ ଇତ୍ୟାଦି ସୁପସ୍ପେଶାଲିଟି ବିଭାଗ କାର୍ଯ୍ୟକାରୀ ନିମନ୍ତେ ସ୍ଥିର କରାଯାଇଥିବା ପ୍ରକାଶ । ତେବେ ସଂଭବତଃ ପ୍ରାଥମିକସ୍ତରରେ ମାତ୍ର କେତେ ଗୋଟି ବିଭାଗରେ ଚ଼ିକିତ୍ସା ଆରମ୍ଭ ହୋଇ ପର୍ଯ୍ୟାୟକ୍ରମେ ବୃଦ୍ଧି ହେବ ।
 
ପ୍ରଥମତଃ, ସମ-ଗୋପାଳପୁର ହସପିଟାଲ କାର୍ଯ୍ୟକ୍ଷମ ହେବାରେ ତତ୍ପରତା ଆଶା କରାଯାଇପାରେ । ବିଜ୍ଞପିତ ଚିକିତ୍ସକ ଓ କର୍ମଚାରୀଙ୍କ ଆବେଦନ ଶେଷ ତାରିଖ ଡ଼ିସେମ୍ୱର ୨୦୨୩ ସୀମାଧାର୍ଯ୍ୟ ହୋଇଥିବାରୁ ଜାନୁୟାରୀରେ ନିଯୁକ୍ତି ଆଦେଶ ଦିଆଗଲେ ୨୦୨୪ ମଧ୍ୟଭାଗ ସୁଦ୍ଧା ହସପିଟାଲ କାର୍ଯ୍ୟକ୍ଷମ ହୋଇପାରିବ । ରାଜ୍ୟ ବିଧାନସଭା ନିର୍ବାଚନ ଆଗରୁ ହସପିଟାଲ ଆରମ୍ଭ ଏକରକମ ସୁସ୍ପଷ୍ଟ ବିଚାର କରାଯାଇପାରେ । ସମ ହସପିଟାଲ ଅଧୀନରେ ଭୁବନେଶ୍ୱରରେ ଦୁଇଗୋଟି ହସପିଟାଲ କାର୍ଯ୍ୟକ୍ଷମ ଥିବା ହେତୁ ଜରୁରି ଭିତ୍ତିରେ ଚ଼ିକିତ୍ସକ ଓ କର୍ମଚାରୀ ଅଭାବ ସମସ୍ୟାକୁ ସହଜରେ ଏଡ଼ାଇ ଦିଆଯାଇ ପାରିବ । ଦ୍ୱିତୀୟତଃ, ବ୍ରହ୍ମପୁର ଜନ୍ମିତ ବହୁ ଡ଼ାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ଦେଶ ବିଦେଶରେ ଅବସ୍ଥାପିତ । ସେମାନଙ୍କ ମଧ୍ୟରୁ କାର୍ଯ୍ୟରତ କିମ୍ୱା ଅବସରପ୍ରାପ୍ତ କେତେଜଣ ସୁବିଧା ସୁଯୋଗ ପାଇଲେ ହୁଏତ ବ୍ରହ୍ମପୁର ମାଟିକୁ ଫେରିବାକୁ ଆଗ୍ରହ ପ୍ରକାଶ କରିପାରନ୍ତି । ଏଦିଗରେ ହସପିଟାଲ କର୍ତ୍ତୃପକ୍ଷ ଅନୁସନ୍ଧାନ ଓ ଯୋଗାଯୋଗ କରିବାକୁ ଚେଷ୍ଟା କରିବେ ବୋଲି ବିଶ୍ୱାସ କରାଯାଇପାରେ । ସେ ଯାହା ହେଉ, ଦଶ ବର୍ଷର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି  ବ୍ରହ୍ମପୁରବାସୀଙ୍କ ପାଇଁ ତାହା ଏକ ଆଶ୍ୱସ୍ତି !!

Image by 1662222 from Pixabay


Friday, November 17, 2023

Ring Road & Janibili Barrage / ରିଂ-ରୋଡ଼ ଓ ଜାନିବିଲି ଜଳଭଣ୍ଡାର

 



#ବ୍ରହ୍ମପୁର ରିଂ-ରୋଡ଼ ସ୍ୱପ୍ନ ଦୁଇ ଜାତୀୟ ରାଜପଥ ବାଇପାସକୁ ୧୨ କିଲୋମିଟର ସଂଯୋଗ ରାସ୍ତା ନିର୍ମାଣରେ ତ୍ରି-କୋଣ ବଳୟ ସୃଷ୍ଟିରେ ପର୍ଯ୍ୟବଶିତ । ବ୍ରହ୍ମପୁର ସହର ଦେଇ ମାଡ୍ରାସ-କଲିକତା ପାଞ୍ଚ ନମ୍ୱର ଜାତୀୟ ରାଜପଥ ହଳଦିଆପଦରରୁ ଗୋସାଣି ନୂଆଗାଁ, ବିଜିପୁର, ହିଲପାଟଣା, କମାପଲ୍ଲୀ, ଲାଞ୍ଜିପଲ୍ଲୀ ଦେଇ ଜଗନାଥପୁରରେ ପହଞ୍ଚୁଥିଲା । ଏହି ରାସ୍ତାରେ ଗୋଷାଣୀ ନୂଆଁଗାଁ ଓ ଜଗନ୍ନାଥପୁରଠାରେ ଦୁଇ ବାର ରେଳପଥ ଅତିକ୍ରମ କରିବାକୁ ପଡୁଥିଲା । ହଳଦିଆପଦରରୁ ଜଗନ୍ନାଥପୁର ବାଇପାସ ରାସ୍ତା ନିର୍ମିତ ହେବାପରେ ସହର ମଧ୍ୟକୁ ଭାରୀ ଯାନବାହନ ଭିଡ଼ ଓ ରେଳ ଲେଭଲକ୍ରସିଂ ଝମେଲା ତୁଟିଲା । ପାଞ୍ଚ ନମ୍ୱର ଜାତୀୟ ରାଜପଥ ୧୬ ନମ୍ୱର ଜାତୀୟ ରାଜପଥରେ ପୁନଃନାମିତ ହୋଇଛି ଏବଂ ବ୍ରହ୍ମପୁର ସହରାଞ୍ଚଳରେ ବାସଉପଯୋଗୀ ଜମିବାଡ଼ି ସୀମାକୁ ରାଜପଥ ଯାଏଁ ବଢ଼ାଇ ଦେଇଛି ।
 
ପରବର୍ତ୍ତୀ ପର୍ଯ୍ୟାୟରେ ସହରର ଦ୍ୱିତୀୟ ରାଜପଥ ଭାବେ ୨୧୭ ନମ୍ୱର ଗୋପାଳପୁର-ରାୟପୁର ରାଜପଥ ଆତ୍ମପ୍ରକାଶ କରିବା ଫଳରେ ଜଗନ୍ନାଥପୁର, ଲାଞ୍ଜିପଲ୍ଲୀ, କମାପଲ୍ଲୀ, ଗିରିରୋଡ଼, ଗେଟବଜାରରୁ ଫାଷ୍ଟ ଗେଟ ଯାଏଁ ଆସିକା ରୋଡ଼ ଦେଇ ଗତି କରିଥିଲାଏହା ୫୯ ନମ୍ୱର ରାଜପଥ ରୂପେ ପୁନଃନାମିତ ହୋଇଛି । ସହରାଞ୍ଚଳରେ ଭିଡ଼ କମାଇବା ଉଦ୍ଦେଶ୍ୟରେ ଜାତୀୟ ରାଜପଥ ପ୍ରାଧୀକରଣ ପ୍ରଚ଼େଷ୍ଟାରେ ପ୍ରାୟ ୧୪ କିଲୋମିଟର ଜଗନ୍ନାଥପୁର ସଂଲଗ୍ନ ରଘୁନାଥପରୁ-ରତ୍ନପୁର ବାଇପାସ ରାସ୍ତା ନିର୍ମାଣ ନିମନ୍ତେ ୨୦୨୧ ଏପ୍ରିଲ ମାସରେ ୧୯୭ କୋଟି ଟଙ୍କା ଅର୍ଥ ମଞ୍ଜୁର ହୋଇଥିଲା ।
 
ହଳଦିଆପଦରରୁ ଜଗନ୍ନାଥପୁର ଜାତୀୟ ରାଜପଥ କାର୍ଯ୍ୟକ୍ଷମ ଥିବା ଓ ଜଗନ୍ନାଥପୁରରୁ ରତ୍ନପୁର ରାଜପଥ ନିର୍ମାଣଧୀନ ଥିବା ଅବସ୍ଥାରେ ଓଡ଼ିଶା ରାଜ୍ୟ ସରକାରଙ୍କ ଉଦ୍ୟମରେ ରତ୍ନପୁରରୁ ହଳଦିଆପଦର ସଂଯୋଗ ରାସ୍ତା ନିର୍ମାଣ ନିମନ୍ତେ ନଭେମ୍ୱର ୨୦୨୩ରେ ୧୫୬ କୋଟି ଟଙ୍କା ମଞ୍ଜୁର ଲାଗି କ୍ୟାବିନେଟ ନିଷ୍ପତ୍ତି ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ଏହି ତିନିଗୋଟି ରାସ୍ତା ସଂଯୋଗରେ ବ୍ରହ୍ମପୁର ରିଂ-ରୋଡ଼ ସୃଷ୍ଟି ହେବପରବର୍ତ୍ତୀ ପର୍ଯ୍ୟାୟରେ ହଳଦିଆପଦରଠାରୁ ରଙ୍ଗିପୁର, ଗଉଞ୍ଜୁ, ମାଣ୍ଡିଆପଲ୍ଲୀ ଦେଇ ୧୭ କିଲୋମିଟର ରାସ୍ତା ନିର୍ମାଣ ପ୍ରସ୍ତାବ ରହିଛି । ପୂର୍ଣ୍ଣାଙ୍ଗ ରିଂ-ରୋଡ଼ର ଦୈର୍ଘ୍ୟ ୪୬ କିଲୋମିଟର ଯାଏଁ ଲମ୍ୱିବ । ଏହି ରିଂ-ରୋଡ଼ ନିର୍ମାଣ ପ୍ରକଳ୍ପ ୨୦୧୩ରେ ଶୁଭ ଦିଆଯାଇଥିଲା ।
 
ବ୍ରହ୍ମପୁର ସହରକୁ ଜଳଯୋଗାଣ ସହ ସଂଲଗ୍ନ ଗ୍ରାମାଞ୍ଚଳରେ ଚାଷ ଜମି ଜଳସେଚ଼ନ ନିମନ୍ତେ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ଜାନିବିଲିଠାରେ ଋଷିକୂଲ୍ୟା ନଦୀ ଶଯ୍ୟାରେ ବ୍ୟାରେଜ ନିର୍ମାଣ ନିମନ୍ତେ ନଭେମ୍ୱର ୨୦୨୩ ଓଡ଼ିଶା ରାଜ୍ୟ ସରକାରଙ୍କ ମନ୍ତ୍ରୀମଣ୍ଡଳ ବୈଠକରେ କ୍ୟାବିନେଟ ମଞ୍ଜୁରି ମଧ୍ୟ ଦିଆଯାଇଥିବା ପ୍ରକାଶ । ଏଥିଲାଗି ୮୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବ୍ରହ୍ମପୁର ମହାନଗର ନିଗମରେ ଦୈନିକ ଅଧିକ ୬ କୋଟି ୭୫ ଲକ୍ଷ ଲିଟର ପିଇବା ପାଣି ଉପଲବ୍ଧ ହେବ । ଉଲ୍ଲେଖଯୋଗ୍ୟ ବିଷୟ ଏହିଯେ ଋଷିକୂଲ୍ୟା ନଦୀର ୮୦ ପ୍ରତିଶତ ଜଳ ସମୁଦ୍ରରେ ବିଲୀନ ହେଉଥିବା ହେତୁ ତାହାର ସଦ୍ ଉପଯୋଗ ନିମନ୍ତେ ସୋରଡ଼ା ବ୍ଳକର ପିପଳପଙ୍କାରେ ଏକ ଡ୍ୟାମ ଓ କଂସାରିଗଣ୍ଡରେ ଅନ୍ୟ ଏକ ବ୍ୟାରେଜ ନିର୍ମାଣ ନିମନ୍ତେ ପ୍ରଶାସନିକ ଅନୁମତି ମିଳିଛି ।
 
ରିଂ-ରୋଡ଼ ଓ ଜଳଭଣ୍ଡାର ନିର୍ମାଣ ନିମନ୍ତେ କ୍ୟାବିନେଟ ମଞ୍ଜୁରୀ ମିଳିବାପରେ ଏହି ଦୁଇ କାର୍ଯ୍ୟ ଦୁଇ ବର୍ଷ ମଧ୍ୟରେ ସମାପ୍ତ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ରିଂ-ରୋଡ଼ ନିର୍ମାଣ ଲାଗି ଜମି ଅଧିଗ୍ରହଣ ନଭେମ୍ୱର ୨୦୨୩ ସୁଦ୍ଧା ୭୦ ଭାଗ ସରିଥିବା ଏବଂ ଦୁଇ ଗୋଟି ଇଞ୍ଜିନିୟରିଂ ସଂସ୍ଥାର ଟେଣ୍ଡର ଗୃହୀତ ହୋଇଥିବା କୁହାଯାଉଛି । ଜାନିବିଲି ବ୍ୟାରେଜ ନିର୍ମାଣ ପରେ ପରବର୍ତ୍ତୀ ପାଞ୍ଚ ବର୍ଷ ତାହାର ରକ୍ଷଣାବେକ୍ଷଣ ଖର୍ଚ୍ଚ ପାଇଁ ମଧ୍ୟ କ୍ୟାବିନେଟ ଅନୁମୋଦିତ ହୋଇଥିବା ପ୍ରକାଶ ।


ମାନଚ଼ିତ୍ର ଫୋଟ : ଦି ନ୍ୟୂ-ଇଣ୍ଡିଆନ ଏକ୍ସପ୍ରେସ (ଓଡ଼ିଶା ସଂସ୍କରଣ) ତା ୧୯.୦୧.୨୦୧୮


Friday, November 10, 2023

Gopalpur Planetarium / ଗୋପାଳପୁର ପ୍ଳାନେଟାରିୟମ

 

#ବ୍ରହ୍ମପୁର ପର୍ଯ୍ୟଟନ ମାନଚ଼ିତ୍ରରେ ଗୋପାଳପୁର ପ୍ରମୁଖ ସ୍ଥାନ ଅଧିକାର କରିଥାଏ । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ବ୍ରିଟିଶ ଶାସନ କାଳରେ ଗୋପାଳପୁର ବନ୍ଦର ଓ ବାଣିଜ୍ୟ ପେଣ୍ଠ ଭାବେ ଗଢ଼ି ଉଠିଥିବା ସ୍ଥଳେ ସ୍ୱାଧୀନୋତ୍ତର ଅବସ୍ଥାରେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଲା । ଗୋପାଳପୁର ବନ୍ଦର ମୁଖ୍ୟତଃ ଆଧୁନିକ ମିଆଁମାର ବା ରେଙ୍ଗୁନ ବନ୍ଦର ସହ ଜଳପଥରେ ସଂଯୋଗ ସ୍ଥାପିତ ହୋଇଥିଲା । ଗୋପାଳପୁର ଓ ରେଙ୍ଗୁନ ଉଭୟ ବ୍ରିଟିଶ ଉପନିବେଶ ଥିବା ହେତୁ ବାଣିଜ୍ୟ ବ୍ୟବସାୟ ତଥା ଶ୍ରମ ନିଯୁକ୍ତି ଲାଗି ଦେଶାନ୍ତର ଯାତ୍ରାରେ କୌଣସି କଟକଣା ନଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ଅବସରରେ ପ୍ରତିପକ୍ଷ ଜାପାନ ବିମାନ ବାହିନୀ ପକ୍ଷରୁ ବ୍ରିଟିଶ ଶାସନାଧୀନ ରେଙ୍ଗୁନ ବନ୍ଦରରେ ବୋମାମାଡ଼ ହେବାପରେ ଗୋପାଳପୁରକୁ ଜାହାଜ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ସପ୍ତାହକ ମଧ୍ୟରେ ରେଙ୍ଗୁନରୁ ଗୋପାଳପୁରକୁ ଆସୁଥିବା ଏକ ଜାହାଜକୁ ଲକ୍ଷ୍ୟ କରି ମଧ୍ୟ ବୋମା କ୍ଷେପଣ କରାଯାଇଥିଲା । ଏହି ଘଟଣା ୧୯୪୧ ଡ଼ିସେମ୍ୱର ମାସର କଥା ।
 
ଗୋପାଳପୁର ବନ୍ଦର ବନ୍ଦ ହୋଇଯିବାପରେ ସହରଟି ଏକରକମ ଶୂନଶାନ ପରିବେଶକୁ ଚାଲିଯାଇଥିଲା । ବିଂଶ ଶତାଦ୍ଦୀ ଆରମ୍ଭରୁ ଓଡ଼ିଶା ଉପକୂଳରେ ବେଙ୍ଗାଲ ନାଗପୁର ରେଳୱେ କାର୍ଯ୍ୟକ୍ଷମ ହେବାପରେ ରେଳ ଚଳାଚଳ କାର୍ଯ୍ୟରେ ନିଯୁକ୍ତ ଏଙ୍ଗ୍ଳୋ-ଇଣ୍ଡିଆନ ସଂପ୍ରଦାୟର ବହୁ ବ୍ୟକ୍ତି ଖୋର୍ଦ୍ଧାରୋଡ଼ ରେଳ ଡ଼ିଭିଜନରେ ଅବସ୍ଥାପିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ କେତେକ ପରିବାର କର୍ମନିଯୁକ୍ତିରୁ ଅବସର ଗ୍ରହଣପରେ ଗୋପାଳପୁର ସମୁଦ୍ର ବେଳାରେ ସ୍ଥାୟୀଭାବେ ବସବାସ କରିବା ନିମନ୍ତେ ବାଛି ନେଇଥିଲେ । ବ୍ରିଟିଶ ଶାସନ ଆରମ୍ଭକାଳରୁ ଖ୍ରୀଷ୍ଟ ଧର୍ମ ପ୍ରଚାରକମାନେ, ମୁଖ୍ୟତଃ ରୋମାନ କ୍ୟାଥଲିକ ସଂପ୍ରଦାୟ ଗୋପାଳପୁରରେ ଆସ୍ଥାନ ଜମାଇଥିଲେ । ବନ୍ଦର ଯାତ୍ରୀଙ୍କ ବ୍ୟବହାର ନିମନ୍ତେ ନିର୍ମିତ ଏକ ହୋଟେଲ ବନ୍ଦର ବନ୍ଦ ହେବା ପରେ ଗୋପାଳପୁର ପରିଦର୍ଶକଙ୍କ ରହେଣୀ ନିମନ୍ତେ ବ୍ୟବହୃତ ହେଲା । ଏହି ଅବସରରେ ଓବରାଇ ଗୃପ ପକ୍ଷରୁ ପାମବିଚ ହୋଟେଲ ପ୍ରତିଷ୍ଠା ପରେ ଗୋପାଳପୁର ଏକ ପର୍ଯ୍ୟଟନସ୍ଥଳୀ ରୂପେ ବିକଶିତ ହେବାରେ ଲାଗିଲା । ଓବରାଇ ଗୃପର ଅନ୍ୟତମ ହୋଟେଲ କୋଲକତା ଗ୍ରାଣ୍ଡ ଲୋକପ୍ରିୟତା ହାସଲ କରିଥିବା ହେତୁ ମହାନଗର କୋଲକତାବାସୀ ଶାନ୍ତ-ସମୁଦ୍ର-ସୈକତ ଗୋପାଳପୁରରେ ଛୁଟି କଟାଇବାକୁ ପସନ୍ଦ କଲେ । ହାବଡ଼ା ସହ ବ୍ରହ୍ମପୁର ରେଳ ସଂଯୋଗ ଓ ଦୃତ ଗତି ଟ୍ରେନ ଚଳାଚଳ ପର୍ଯ୍ୟଟନ ବିକାଶରେ ସହାୟକ ହୋଇଥିଲା ।
 
ଜଗତୀକରଣ ଓ ଅର୍ଥନୀତିକ ଉଦାରୀକରଣ ପ୍ରଭାବରେ ଏକବିଂଶ ଶତାଦ୍ଦୀ ଆରମ୍ଭରୁ ପର୍ଯ୍ୟଟନ ଶିଳ୍ପର ଉନ୍ନତି ନିମନ୍ତେ ସରକାରୀସ୍ତରରେ ନୀତି ନିର୍ଦ୍ଧାରିତ ହେବା ପରେ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀ ଭଳି ଗୋପାଳପୁର ପର୍ଯ୍ୟଟନ ବିକାଶ ନିମନ୍ତେ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି । ତେବେ ସମସ୍ୟା ହେଲା ଗୋପାଳପୁରକୁ ଏକ ମନୋମୁଗ୍ଧକର ପର୍ଯ୍ୟଟନ ସ୍ଥଳୀ ରୂପେ ଗଢ଼ି ତୋଳିବା ନିମନ୍ତେ ବହୁ ଉପାଦାନ ଥିଲେହେଁ ଏଦିଗରେ କୌଣସି ସାମଗ୍ରିକ ରୂପରେଖ ପ୍ରସ୍ତୁତ ହୋଇପାରିନାହିଁ । ଅର୍ଥାତ, ବିଗତ କୋଡ଼ିଏ ପଚିଶି ବର୍ଷରେ ଗୋପାଳପୁରକୁ ପର୍ଯ୍ୟଟନ ଉପଯୋଗୀ ସହରରୂପେ ଗଠନ ନିମନ୍ତେ ଅର୍ଥ ନିବେଶ ହୋଇଥିଲେହେଁ ପୂର୍ଣ୍ଣାଙ୍ଗ ଉନ୍ନୟନ ବିବରଣୀ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପ୍ରସ୍ତୁତ ହୋଇ ନପାରିଥିବା ହେତୁ ବିଭିନ୍ନ ସମୟରେ ବିଭିନ୍ନ ସରକାରୀ ଅଧିକାରୀଙ୍କ ମନମୁତାବକ ଗୁଡ଼ାଏ ସିମେଣ୍ଟ-କଂକ୍ରିଟ ନିର୍ମାଣରେ ଅର୍ଥଶ୍ରାଦ୍ଧ ହେଉଛି । ସ୍ୱାବଲମ୍ୱୀ ବ୍ୟବସ୍ଥା ଅଭାବରୁ ବିଚ୍ଛୁରିତ ଭାବେ ଗଢ଼ି ଉଠୁଥିବା ଭିତ୍ତିଭୂମିଗୁଡ଼ିକର ରକ୍ଷଣାବେକ୍ଷଣ ମଧ୍ୟ ହୋଇପାରୁ ନାହିଁ । ପର୍ଯ୍ୟଟନ ବିକାଶ ଏକ ସୃଜନ ପ୍ରକ୍ରିୟା ଏବଂ ଏଦିଗରେ ସଫଳତା ପାଇବା ନିମନ୍ତେ ଦୀର୍ଘ ସୂତ୍ରୀ ଯୋଜନା ପ୍ରଣୟନ ଆବଶ୍ୟକ, ଏକଥା ବୁଝିବାକୁ ଆହୁରି ବହୁଦିନ ଲାଗିଯିବ ।
 
ଗୋପାଳପୁର ପର୍ଯ୍ୟଟନକୁ ଆକର୍ଷଣୀୟ କରିବା ଉଦ୍ଦେଶ୍ୟରେ ଏକ ପ୍ଳାନେଟାରିୟମ ନିର୍ମାଣ ନିମନ୍ତେ ୨୦୦୭ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ଗୋପାଳପୁର ଉପକଣ୍ଠ ବିକ୍ରମପୁରଠାରେ ୧୦ ଏକର ଜମିରେ ୧୨ କୋଟି ଟଙ୍କା ବ୍ୟୟରେ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ରାଜ୍ୟ ସରକାରଙ୍କ କର୍ତ୍ତୃତ୍ୱାଧୀନ ଇଡ଼କୋ ଏହାର ନିର୍ମାଣ କାର୍ଯ୍ୟ ତଦାରଖ କରୁଛି ଏବଂ ଭୁବନେଶ୍ୱରସ୍ଥିତ ଏକ ଠିକା ସଂସ୍ଥା ଦାୟିତ୍ୱ ନେଇଛି । ତେବେ ୧୯ ବର୍ଷ ଧରି ପ୍ରକଳ୍ପଟି ନିର୍ମାଣାଧୀନ ଅବସ୍ଥାରେ ରହିଥିବା ହେତୁ ସମାଲୋଚ଼ନାର ପ୍ରସଙ୍ଗ ପାଲଟିଛି । କୁହାଯାଏ ଯେ ଓଡ଼ିଶାର ପ୍ରଥମ ପ୍ଳାନେଟାରିୟମ ଭୁବନେଶ୍ୱରଠାରେ ୧୯୮୦ରେ ଆରମ୍ଭ ହୋଇଥିଲା । ଇତି ମଧ୍ୟରେ ୨୦୧୭ରେ ସମ୍ୱଲପୁରଠାରେ ରାଜ୍ୟର ଦ୍ୱିତୀୟ ପ୍ଳାନେଟାରିୟମ ଉଦଘାଟିତ ହୋଇସାରିଛି । ଗୋପାଳପୁର ପ୍ଳାନେଟାରିୟମ ପରିସରରେ ଛଅ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ଏକ ସାଇନ୍ସ ପାର୍କ ନିର୍ମାଣ ନିମନ୍ତେ ମଧ୍ୟ ଘୋଷଣା କରାଯାଇଛି । ତେବେ ଏସବୁ କାମ ସରିବାକୁ କେତେ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ତାହା ସ୍ପଷ୍ଟ ହୋଇପାରୁନାହିଁ !

Image by rajta from Pixabay


Friday, November 3, 2023

Influenza Vaccine / ଇନଫ୍ଳୁଏଞ୍ଜା ଭାକସିନ

 

#ବ୍ରହ୍ମପୁର ସମେତ ଓଡ଼ିଶା ଓ ପଶ୍ଚିମବଙ୍ଗର ଉପକୂଳ ଅଞ୍ଚଳରେ ବର୍ଷରେ ଆଠମାସ ଇନଫ୍ଳୁଏଞ୍ଜାର ପ୍ରାଦୁର୍ଭାବ ଲାଗି ରହେ । ମୌସୁମୀ ବର୍ଷା ଆଗମନରେ ଜୁଲାଇ ମାସରୁ ଶୀତ ଶେଷ ଫେବୃୟାରୀ ମାସ ଯାଏଁ ଏକାଧିକ ଲହରରେ ଜନସାଧାରଣ ଜ୍ୱରକାଶରେ ସଂକ୍ରମିତ ହୋଇଥାନ୍ତି । କେବଳ ଗ୍ରୀଷ୍ମଋତୁରେ ଚାରିମାସ ଇନଫ୍ଳୁଏଞ୍ଜା ଦେଖା ଦେଲେ ହେଁ ଅପେକ୍ଷାକୃତଭାବେ କମ ପ୍ରଭାବଶାଳୀ ଅନୁଭୂତ ହୁଏ । ଜ୍ୱରକାଶରେ ଶିଶୁଙ୍କଠାରୁ ଆରମ୍ଭ କରି ବାର୍ଦ୍ଧକ୍ୟଗ୍ରସ୍ତଙ୍କ ଯାଏଁ ସମସ୍ତେ ଆକ୍ରାନ୍ତ ହୁଅନ୍ତି । ଏଥିରୁ ସହଜରେ ନିସ୍ତାର ମିଳେ ନାହିଁ । କମ ରୋଗ ପ୍ରତିରୋଧକ ଶକ୍ତି ସମ୍ପନ୍ନ ବ୍ୟକ୍ତିବିଶେଷ ବର୍ଷକ ମଧ୍ୟରେ ବାରମ୍ୱାର ପୀଡ଼ିତ ହୋଇଥାନ୍ତି ।
 
ଇନଫ୍ଳୁଏଞ୍ଜା ଭୂତାଣୁ କ୍ରମାଗତଭାବେ ରୂପାନ୍ତରିତ ମ୍ୟୁଟେସନହୋଇଥାଏ । ତେଣୁ ରୋଗର ଲକ୍ଷଣ ସମୟାନ୍ତେ ଭିନ୍ନ ଦେଖାଯାଏ । ଓଡ଼ିଶା ବିଶେଷଜ୍ଞମାନଙ୍କ ମତରେ ୨୦୨୩ରେ ଇନଫ୍ଳୁଏଞ୍ଜା ଏ ଓ ବି ଭୂତାଣୁରେ ପରିବର୍ତ୍ତନ ଆସିଛି । ଫଳରେ ଜ୍ୱର ଛାଡ଼ି ଯିବା ପରେ କାଶ ଦୀର୍ଘ ଦିନ ଧରି ଲାଗି ରହୁଛି । କୁହାଯାଉଛି ଯେ କେତେକ ବ୍ୟକ୍ତି ଭାଇରସ ଆକ୍ରାନ୍ତ ହେବାପରେ ବ୍ୟାକ୍ଟେରିଆ ସଂକ୍ରମିତ ହୋଇଥାନ୍ତି । ସେମାନଙ୍କ କ୍ଷେତ୍ରରେ ଦୀର୍ଘକାଳୀନ ପ୍ରଭାବ ଲକ୍ଷ୍ୟ କରାଯାଇଥାଏ ।
 
ଇନଫ୍ଳୁଏଞ୍ଜା ସଂକ୍ରମଣ ଶହେ ବର୍ଷର ପୁରାତନ ଜଣାଶୁଣା ରୋଗ । ଏହାର ଉପଚାର ଲାଗି ଔଷଧ ସାଙ୍ଗକୁ ପ୍ରତିଷେଧକ ଟୀକା ମଧ୍ୟ ଉପଲବ୍ଧ । ତେବେ ଆମ ବ୍ରହ୍ମପୁରରେ ଇନଫ୍ଳୁଏଞ୍ଜା ଭାକସିନ ଜନାଦୃତି ଲାଭ କରିପାରି ନାହିଁ । ବିକଶିତ ରାଷ୍ଟ୍ରଗୁଡିକରେ କୋଭିଡ଼ ମହାମାରୀ ପୂର୍ବରୁ ଇନଫ୍ଳୁଏଞ୍ଜା ଭାକସିନ ମୁଖ୍ୟତଃ ଚ଼ିକିତ୍ସକ, ଚିକିତ୍ସାକର୍ମୀ ଓ ବାର୍ଦ୍ଧକ୍ୟଗ୍ରସ୍ତ ଗ୍ରହଣ କରୁଥିଲେ । ମହାମାରୀ-ପର ଅବସ୍ଥାରେ ଭାରତର ବଡ଼ ସହରଗୁଡ଼ିକରେ ଇନଫ୍ଳୁଏଞ୍ଜା ଭାକସିନର ଆଦର ବଢ଼ିଛି । କୁହାଯାଉଛି ଯେ ମହାମାରୀପରେ ଜ୍ୱରକାଶ ପ୍ରତି ଜନସାଧାରଣରେ ଭୟ ସୃଷ୍ଟି ହୋଇଛି, ଇନଫ୍ଳୁଏଞ୍ଜା ସଂପର୍କରେ ସଚ଼େତନ ହୋଇଛନ୍ତି ଓ ଭାକସିନ ଗ୍ରହଣକୁ ସ୍ୱାସ୍ଥ୍ୟରକ୍ଷାର ଏକ ଅଙ୍ଗ ରୂପେ ଗ୍ରହଣ କରିନେଇଛନ୍ତି । ପୂର୍ବରୁ ବିଭିନ୍ନ ପ୍ରତିଷେଧକ ଟୀକାର କାର୍ଯ୍ୟକାରିତା ଓ ପାର୍ଶ୍ୱ–ପ୍ରତିକ୍ରିୟା ସଂପର୍କରେ ପ୍ରଶ୍ନ ଉଠୁଥିଲା, କିନ୍ତୁ କ୍ରମଶଃ ସକାରାତ୍ମକ ମନୋଭାବ ପ୍ରସାରିତ ହୋଇଛି ।
 
ଇନଫ୍ଳୁଏଞ୍ଜା ଭାକସିନ ବର୍ଷକରେ ଥରେ ନେବାକୁ ପଡ଼େ । ଇନଫ୍ଳୁଏଞ୍ଜା ଭାକସିନ ସହ ନିମୋନିଆ ଭାକସିନ ମଧ୍ୟ ଲୋକପ୍ରିୟ । ନିମୋନିଆ ଭାକସିନ ପାଞ୍ଚ ବର୍ଷରେ ଥରେ ନିଆଯାଏ । ଓଡ଼ିଶାରେ ୨୦୨୩ ବର୍ଷରେ ଇନଫ୍ଳୁଏଞ୍ଜା ବ୍ୟାପିଥିଲେ ହେଁ ନିମୋନିଆ ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଛି ବୋଲି ଚ଼ିକିତ୍ସକମାନେ କହନ୍ତି । ଆମ ଦେଶରେ ଶିଶୁ ରୋଗ ପ୍ରତିଷେଧକ ବ୍ୟବସ୍ଥା କଡ଼ାକଡ଼ି ପାଳନ କରାଯାଉଥିଲେହେଁ ପ୍ରାପ୍ତ ବୟସ୍କଙ୍କ ପ୍ରତିଷେଧକ ବ୍ୟବସ୍ଥା ପ୍ରସାର ଲାଭ କରିପାରି ନାହିଁ ।
 
ମହାମାରୀ-ପର ଅବସ୍ଥାରେ ବଡ଼ ସହରଗୁଡ଼ିକରେ ଇନଫ୍ଳୁଏଞ୍ଜା, ନିମୋନିଆ ସାଙ୍ଗକୁ ହେପାଟାଇଟିସ ଓ ଟାଇଫଏଡ଼ ଭାକସିନ ପ୍ରତି ସ୍ୱଚ୍ଛଳ ପରିବାରବର୍ଗରେ ଆଗ୍ରହ ବଢୁଥିବା ପରିଲକ୍ଷିତ । ପ୍ରଥମେ ୬୦ ବର୍ଷରୁ ଉର୍ଦ୍ଧ୍ୱ ଓ ଜଟିଳ ରୋଗାକ୍ରାନ୍ତଙ୍କ ଭାକସିନ ପ୍ରଦାନ କରାଯାଉଥିବା ସ୍ଥଳେ କ୍ରମଶଃ ସୁସ୍ଥ ଓ ଯୁବବର୍ଗ ଭାକସିନ ନେବା ନିମନ୍ତେ ଆଗେଇ ଆସୁଛନ୍ତି । ଏଣିକି ସୁଧୀମଣ୍ଡଳୀରେ ଜ୍ୱରକାଶ ଆକ୍ରାନ୍ତଙ୍କ ଚଳପ୍ରଚଳ ଶିଷ୍ଟାଚାର ବିରୋଧୀ ରୂପେ ପରିଗଣିତ । ଥରେ ଇନଫ୍ଳୁଏଞ୍ଜା ଆକ୍ରାନ୍ତ ହେଲେ ଅନ୍ତତଃପକ୍ଷେ ସପ୍ତାହେ କାର୍ଯ୍ୟକ୍ଷେତ୍ରରେ ସ୍ୱାଭାବିକ ଅଂଶଗ୍ରହଣ କରିପାରୁନଥିବା ହେତୁ ବର୍ଷରେ ଇନଫ୍ଳୁଏଞ୍ଜା ପାଇଁ ସପ୍ତାହେ-ଦୁଇ ସପ୍ତାହ ସ୍ୱାଭାବିକ ଜନଜୀବନରୁ ଦୂରେଇ ରହିବା ଲାଗି ଅଧିକାଂଶ ଅମଙ୍ଗ । ଏହି କାରଣରୁ ପ୍ରତିଷେଧକ ବ୍ୟବସ୍ଥା ଗୁରୁତ୍ୱ ଲାଭ କରୁଛି । କୋଲକତାର ଚ଼ିକିତ୍ସକମାନେ କହୁଛନ୍ତି ଡ଼େଙ୍ଗୁ ଜ୍ୱରର ଭାକସିନ ସଂପର୍କରେ ବହୁ ବ୍ୟକ୍ତି ପଚରାଉଚୁରା କରୁଛନ୍ତି । କିନ୍ତୁ ଡ଼େଙ୍ଗୁ ପ୍ରତିଷେଧକ ଏଯାଏଁ ପ୍ରସ୍ତୁତ ହୋଇପାରିନାହିଁ । ବଡ଼ ସହରର ଭାକସିନ ଧାରା କ୍ରମଶଃ ବ୍ରହ୍ମପୁରରେ ମଧ୍ୟ ପ୍ରତିଫଳିତ ହେବା ସ୍ୱାଭାବିକ ବିଚାର କରାଯାଇପାରେ ।

Image by MasterTux from Pixabay


Friday, October 27, 2023

Sustainable Cities / ସହର ବିକାଶରେ କୃତ୍ରିମ ବୁଦ୍ଧିମତ୍ତା

 

ଦେଶରେ ଜନସଂଖ୍ୟା ଦୃଷ୍ଟିରୁ #ବ୍ରହ୍ମପୁର ଭଳି ତୃତୀୟସ୍ତରର ଟାୟର-୩ ସହରଗୁଡ଼ିକରେ ବିଭିନ୍ନ ପୌରସେବା ଯୋଗାଇ ଦେବା ନିମନ୍ତେ ସୂଚନା ପ୍ରଦ୍ୟୋଗୀକି ବୈଷୟିକ କୌଶଳ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବା ବିଶେଷଜ୍ଞମାନେ ଆଶା କରନ୍ତି । ଉଦାହରଣରେ ସହର ସଫାସୁତୁରା ରଖିବାରେ ସଫେଇ କର୍ମଚାରୀମାନଙ୍କୁ ନିୟନ୍ତ୍ରିତ କରିବା ଓ ସର୍ବସାଧାରଣ ସ୍ଥାନଗୁଡ଼ିକରେ ଆବର୍ଜନା ଫିଙ୍ଗାଫୋପଡ଼ାକୁ ଆକଟ କରିବାଠାରୁ ଆରମ୍ଭ କରି ଆବର୍ଜନା ପ୍ରକ୍ରିୟାକରଣ ଭଳି ଯାବତୀୟ କାର୍ଯ୍ୟ କୃତ୍ରିମ ବୁଦ୍ଧିମତ୍ତା ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଉପଯୋଗରେ ଗୁଣାତ୍ମକ ପରିବର୍ତ୍ତନ ଆଣିଦେଇପାରିବ । ଅନ୍ୟ ଏକ ଉଦାହରଣରେ ସହରର ବହୁ ଅଞ୍ଚଳରେ ପୌରପ୍ରଶାସନ ପକ୍ଷରୁ ସଫେଇ ନିମନ୍ତେ କର୍ମଚାରୀ ନିଯୁକ୍ତ ହୋଇନଥାନ୍ତି ଏବଂ ସମୟନ୍ତେ ସେହି ଅଞ୍ଚଳଗୁଡ଼ିକ ସଫେଇ ନିମନ୍ତେ ମଧ୍ୟ ବିଧିବଦ୍ଧ ଉଦ୍ୟମ ହୋଇନଥାଏ । ଫଳରେ ସହରର ସାମଗ୍ରିକ ପରିଛନ୍ନତା ବ୍ୟାହତ ହୁଏଦୂଷିତ ପରିବେଶରେ ରୋଗ ବ୍ୟାପୀ ଜନସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟିକରେଏହିଭଳି ଅଞ୍ଚଳଗୁଡ଼ିକ ଚ଼ିହ୍ନଟ କରିବା ଏବଂ ସଫେଇ ସ୍ଥିତି ପରଖିବାରେ ସ୍ୱଚ୍ଛତା ଅବଲମ୍ୱନ ନିମନ୍ତେ ବୈଷୟିକ କୌଶଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

 

କେନ୍ଦ୍ର ସରକାରଙ୍କ ଅର୍ଥମନ୍ତ୍ରୀ ୨୦୨୩ ବଜେଟ ଅଭିଭାଷଣରେ କୃତ୍ରିମ ବୁଦ୍ଧିମତ୍ତା ଦିଗରେ ଗବେଷଣା ନିମନ୍ତେ ଦେଶରେ ତିନିଗୋଟି ପ୍ରମୁଖ ଶିକ୍ଷାନୁଷ୍ଠାନ ଚ଼ିହ୍ନଟ କରିବା ଘୋଷଣା କରିଥିଲେ । ଏଠାରେ ସ୍ୱାସ୍ଥ୍ୟ, କୃଷି ଓ ସ୍ୱାବଲମ୍ୱୀ ସହର ଉନ୍ନୟନ ଦିଗରେ କୃତ୍ରିମ ବୁଦ୍ଧିମତ୍ତା ଉପଯୋଗ ନିମନ୍ତେ ଗବେଷଣା କରାଯିବା ସ୍ଥିରୀକୃତ ହୋଇଥିଲା । ଦେଶବ୍ୟାପୀ ସହରାଞ୍ଚଳରେ ପୌରସେବାରେ ଜନସାଧାରଣ ସନ୍ତୁଷ୍ଟ ନଥାନ୍ତି । ବିକଶିତ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତରେ ନାଗରିକ ସେବା ଯୋଗାଇ ଦେବାରେ ଆମେ ପଛରେ ରହିଛୁ । ଏହାର ଦୁଇ ମୁଖ୍ୟ କାରଣ ହେଲା ପୌରସେବା ପରିଚାଳନାରେ ସ୍ୱଚ୍ଛତା ଅଭାବ ଓ ପୁରୁଣା କାଳିଆ ପରିଚାଳନା ପଦ୍ଧତି । ପର୍ଯ୍ୟାପ୍ତ ଅନୁଦାନ ବିନିଯୋଗ ସତ୍ତ୍ୱେ ପାରମ୍ପରିକ ରୀତିରେ ସହରାଞ୍ଚଳ ବିକାଶରେ ସଫଳତା ମିଳିପାରୁ ନଥିବା ହେତୁ ସେ ଦିଗରେ ପ୍ରଦ୍ୟୋଗୀକି ଜ୍ଞାନକୌଶଳ ଉପଯୋଗ ଅପରିହାର୍ଯ୍ୟ ହୋଇପଡ଼ିଛି ।

 

କେନ୍ଦ୍ର ସରକାରଙ୍କ ପକ୍ଷରୁ ଡ଼ିଜିଟାଲ ଇଣ୍ଡିଆ ଯୋଜନାରେ ୧୪,୯୦୦ କୋଟି ଟଙ୍କା ନିବେଶ ନିମନ୍ତେ ଗତ ଅଗଷ୍ଟ ୨୦୨୩ରେ କ୍ୟାବିନେଟ ମଞ୍ଜୁର କରାଯାଇଥିଲା ।  ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ସମେତ ଇନଫରମେସନ ଟେକନୋଲୋଜି ସିକ୍ୟୁରିଟି ଏଣ୍ଡ ଏଜୁକେସନ ଏୱାରନେସ, ଇଣ୍ଡିଆନ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ  ଓ ବହୁମୁଖୀ ଭାରତୀୟ ଭାଷା ଅନୁବାଦ ପ୍ରକଳ୍ପ ଭାଷୀନି ଭଳି ଯୋଜନାରେ ଏହି ଅର୍ଥ ବ୍ୟୟ ହେବ । ଭାରତରେ ବର୍ତ୍ତମାନ ୧୦ ଗୋଟି ଭାଷାରେ କମ୍ପ୍ୟୁଟରଭିତ୍ତିକ ଅନୁବାଦ ସୁବିଧା ଉପଲବ୍ଧ । ତାହା ୨୨ ଗୋଟି ଭାରତୀୟ ଭାଷାକୁ ସଂପ୍ରସାରିତ ହେବ । ଏହାର ଅର୍ଥ କମ୍ପ୍ୟୁଟରଭିତ୍ତିକ କୌଣସି କାର୍ଯ୍ୟ ନିମନ୍ତେ ଇଂରାଜୀ ଭାଷା ଜ୍ଞାନ ଆବଶ୍ୟକ ପଡ଼ିବ ନାହିଁ, ଓଡ଼ିଆ ଭାଷାରେ ମଧ୍ୟ ସମସ୍ତ କାର୍ଯ୍ୟ ତୁଲାଇ ହେବ । ସର୍ବୋପରି ଓଡ଼ିଆ ଲେଖିବା ବଦଳରେ ଓଡ଼ିଆ ଭାଷା କହି ମଧ୍ୟ ବିଭିନ୍ନ କାର୍ଯ୍ୟ ସାଧନ ସଂଭବ ।

 

ବ୍ରହ୍ମପୁର ଭଳି ସହରରେ କୃତ୍ରିମ ବୁଦ୍ଧିମତ୍ତା ଉପଯୋଗରେ ପୌରସେବା ଆୟୋଜନ କଠିନ ବିଜ୍ଞାନ ପ୍ରତୀୟମାନ ହେଉଥିଲେହେଁ ବହୁ କାରିଗରୀ କୌଶଳ ୨୦୨୩ ସୁଦ୍ଧା ଉପଲବ୍ଧ । ଏଦିଗରେ କର୍ତ୍ତୃପକ୍ଷ କିମ୍ୱା ନିର୍ବାଚିତ ପ୍ରତିନିଧି ଆଗ୍ରହ ପ୍ରକାଶ କରୁନଥିବା ହେତୁ ଉପଯୋଗ ହୋଇପାରୁନାହିଁ ।

 

ଅତ୍ୟାଧୁନିକ ପ୍ରଦ୍ୟୋଗୀକି ବିକାଶ ଅବସରରେ ଜନସାଧାରଣ ଅସାଧୁ ବ୍ୟକ୍ତିଙ୍କ ଦ୍ୱାରା ଠକାମୀର ଶୀକାର ହେଉଥିବା ମଧ୍ୟ ଏକ କ୍ରମବିକଶିତ ସମସ୍ୟା । ରାଜ୍ୟ ପୋଲିସ ପକ୍ଷରୁ ଏଦିଗରେ ଜନସଚ଼େତନ ସୃଷ୍ଟି ନିମନ୍ତେ ୨୦୨୩ ଶାରଦୀୟ ପୂଜା ପୂର୍ବରୁ ଏକ ପ୍ରଚାର ଅଭିଯାନ ଆୟୋଜନ କରାଯାଇଥିଲା । ତେବେ ବ୍ରହ୍ମପୁରରେ ସାଇବର ଠକାମୀର ଶୀକାର ହେଉଥିବା ପୀଡ଼ିତଙ୍କ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇପାରିନାହିଁ । ଅବଶ୍ୟ ଏହି ସ୍ଥିତି ସର୍ବତ୍ର ସମାନ । କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ ଦୁଇ ଲକ୍ଷ ୬୫ ହଜାର ନାଗରିକଙ୍କୁ ଇନଫରମେସନ ଟେକନୋଲଜି ସୁରକ୍ଷା କର୍ମୀ ଭାବେ ତାଲିମ ଦେବା ନିମନ୍ତେ ଅର୍ଥ ବରାଦ ହୋଇଛି । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ସେହିପରି ଇନଫରମେସନ ଟେକନୋଲୋଜି ଜରୁରୀ ପରିସ୍ଥିତିକୁ ମୁକାବିଲା କରିବା ନିମନ୍ତେ ଇଣ୍ଡିଆନ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ ଗଠନ ମଧ୍ୟ ବିଭିନ୍ନ ବଡ଼ଧରଣର ବିପଦର ମୁକାବିଲା କରିବା ନିମନ୍ତେ ଭିତ୍ତିଭୂମି ସୃଷ୍ଟି କରିପାରିବ ।

 

ବ୍ରହ୍ମପୁର ଭଳି ସହରରେ ସ୍ଥାନୀୟ ନାଗରିକ ଦୈନିକ ଅନ୍ୟୂନ ଅଢ଼େଇ ଘଣ୍ଟା ସୋସିଆଲ ମିଡ଼ିଆରେ ୨୦୨୩ ସୁଦ୍ଧା ବିତାଇଥାନ୍ତି । ଏଣିକି ପ୍ରାୟ ସମସ୍ତେ ସ୍ମାର୍ଟଫୋନ ଯୋଗେ ଇଣ୍ଟରନେଟ ମଞ୍ଚଗୁଡ଼ିକରେ ପହଞ୍ଚୁଛନ୍ତି ପାରସ୍ପରିକ ଯୋଗାଯୋଗ, ଇ-ବାଣିଜ୍ୟ, ମନୋରଞ୍ଜନ, ସମ୍ୱାଦ ଆହରଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ପରେ ପୌରସେବାରେ ଇନଫରମେସନ ଟେକନୋଲୋଜିର ବ୍ୟବହାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ଏହି କ୍ଷେତ୍ରରେ ସହରବାସୀଙ୍କ ଆଗ୍ରହ ବହୁ ପୌର ସମସ୍ୟା ସମାଧାନରେ ସହାୟକ ହୋଇପାରିବ ।


Image by Gerd Altmann from Pixabay