Monday, June 13, 2016

Forecast of monsoon at Berhampur / ବ୍ରହ୍ମପୁରରେ ମୌସୁମୀ ବର୍ଷା ପୂର୍ବାନୁମାନ

ଭାରତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହରେ ବର୍ଷାଋତୁ ଆରମ୍ଭ ହୋଇଥାଏ | ପାରମ୍ପରିକ ଭାବେ ଜୁନ ପହିଲା ତାରିଖରେ ଏହା କେରଳ ଛୁଉଁଥିବା ବେଳେ ଚଳିତ ବର୍ଷ ସପ୍ତାହକ ବିଳମ୍ୱରେ ଜୁନ 8 ତାରିଖରେ କେରଳ ଉପକୂଳରେ ବର୍ଷା ଆରମ୍ଭ ହୋଇଛି | ମୌସୁମୀ କେରଳ ପହଞ୍ଚିବାର 8 ରୁ 10 ଦିନ ମଧ୍ୟରେ ଓଡ଼ିଶା ଆସିଥାଏ | ସେହି ହିସାବରେ ଜୁନ 16ରୁ 18 ତାରିଖ ବେଳକୁ ଓଡ଼ିଶାରେ ବର୍ଷା ହେବା କଥା |
          ସାଧାରଣତଃ ଓଡ଼ିଶାରେ ମୌସୁମୀ ବର୍ଷାର ଆଗମନ ସଙ୍ଗେ ବ୍ରହ୍ମପୁରରେ ବର୍ଷା ଆରମ୍ଭ ହୁଏନି | ମୌସୁମୀ ବାୟୁ କେରଳ ପହଞ୍ଚିଥିବା ମଙ୍ଗଳବାର ଦିନ ଅପରାହ୍ନରେ ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳରେ ପ୍ରାକ୍-ମୌସୁମୀ ବର୍ଷା ହୋଇଥିଲା | #ବ୍ରହ୍ମପୁର ତୁଳନାରେ ଗୋପାଳପୁର ଅଞ୍ଚଳରେ ଘଡ଼ଘଡ଼ି, ବିଜୁଳି ଓ ବର୍ଷାର ପରିମାଣ ଅଧିକ ଥିଲା | ଅପରାହ୍ନ 2 ଟାରୁ 4 ଟା ମଧ୍ୟରେ ସେଠାରେ 52 ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା | ସାପ୍ତାହକ ପରେ 13 ଜୁନ ସୋମବାର ଦିନ ମଧ୍ୟ ଅପରାହ୍ନ 4ଟା ବେଳେ ଅଧଘଣ୍ଟାଏ ବର୍ଷା ହୋଇଥିଲା | ପାରମ୍ପରିକ ଭାବେ ରଜସଂକ୍ରାନ୍ତି ବେଳକୁ ବ୍ରହ୍ମପୁରର ପାଗ ମେଘୁଆ ରହେ | କାଁ ଭାଁ ଅସରାଏ ବର୍ଷା ହୁଏ | ଗୁଳଗୁଳି ହୁଏ |
          ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ସାମୁଦ୍ରିକ ବିଜ୍ଞାନ ଅଧ୍ୟାପକ ଡ଼କ୍ଟର ଏ.ଏସ୍.ଏନ୍. ମୂର୍ତ୍ତିଙ୍କ ବିଶ୍ଳେଷଣ ଅନୁଯାୟୀ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ ଦ୍ୱିତୀୟ ସପ୍ତାହ ବେଳକୁ ବ୍ରହ୍ମପୁର ପହଞ୍ଚୁଥିଲେ ମଧ୍ୟ ଜୁନ ମାସରେ ଆଶାନୁରୂପ ବର୍ଷା ହୁଏ ନାହିଁ | ଜୁଲାଇ ମାସରେ ବୃଷ୍ଟିପାତର ପ୍ରାବଲ୍ୟ ବୃଦ୍ଧି ପାଏ | ଜୁଲାଇ ଓ ଅଗଷ୍ଟ ମାସରେ ବର୍ଷା ପ୍ରାଚୁର୍ଯ୍ୟ ଦିନଗୁଡିକରେ ଦୈନିକ ହାରାହାରି 30 ରୁ 40 ମିଲିମିଟର ଯାଏଁ ବର୍ଷା ହୋଇଥାଏ |
          ବ୍ରହ୍ମପୁରରେ ବାର୍ଷିକ ପ୍ରାୟ 200 ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଥାଏ ଅଗଷ୍ଟ-ସେପ୍ଟେମ୍ୱର ମାସରେ ମୌସୁମୀକାଳୀନ ଲଘୁଚ଼ାପ ଓ ନଭେମ୍ୱର-ଡ଼ିସେମ୍ୱର ମାସରେ କ୍ରାନ୍ତୀୟ ଲଘୁଚ଼ାପ ଯୋଗୁଁ ସହରରେ ଲଗାଣ ବର୍ଷା ଦେଖିବାକୁ ମିଳିଥାଏ | ଜୁନରୁ ସେପ୍ଟେମ୍ୱର ମାସ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓ ଅକ୍ଟୋବରରୁ ଡ଼ିସେମ୍ୱର ମାସ ମଧ୍ୟରେ ଉତ୍ତର-ପୂର୍ବ ମୌସୁମୀବାୟୁ ପ୍ରଭାବରେ ବର୍ଷା ହୋଇଥାଏ |
          ପାଣିପାଗ ପୂର୍ବାନୁମାନ ଏକ ବୈଜ୍ଞାନକ ଧାରା | ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଚଳାଚଳ ମୁଖ୍ୟତଃ ତିନିଗୋଟି ସୂତ୍ରରେ ପୂର୍ବାନୁମାନ କରାଯାଇଥାଏ | ପ୍ରଥମତଃ ଆନ୍ତର୍ଜାତିକ କ୍ଷେତ୍ରରେ ବାୟୁ ଚଳାଚଳର ପରିସଂଖ୍ୟାନ, ଦ୍ୱିତୀୟତଃ ଅତୀତରେ ବୃଷ୍ଟିପାତ ଜନିତ ତଥ୍ୟାବଳୀ ଓ ତୃତୀୟତଃ ସମକାଳୀନ ଭୁପୃଷ୍ଠ ତଥା ସାମୁଦ୍ରିକ ଅଞ୍ଚଳରେ ବାୟୁ ଚଳାଚଳ ଧାରା ବିଶ୍ଳେଷଣ ଦ୍ୱାରା ମୌସୁମୀ ବର୍ଷାର ପୂର୍ବାନୁମାନ ହୋଇଥାଏ | ଗତ କିଛି ବର୍ଷ ଧରି ପାଣିପାଗ ନିରୀକ୍ଷଣ ଦିଗରେ ଅତ୍ୟାଧୁନିକ ଭିତ୍ତିଭୂମି ସୃଷ୍ଟି କରାଯିବା ପରେ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ପ୍ରାୟତଃ ସଠିକ ଘଟୁଥିବା ଦେଖିବାକୁ ମିଳୁଛି | ତେବେ ବି ପାଣିପାଗର ପୂର୍ବାନୁମାନରେ ଶତକଡ଼ା ଶତ ପ୍ରତିଶତ ସତ୍ୟତା କେବେ ହେଁ ସମ୍ଭବପର ନୁହେଁ ବୋଲି ବୈଜ୍ଞାନିକମାନେ ସ୍ୱୀକାର କରିଥାନ୍ତି |

ସମ୍ୱାଦ (ବ୍ରହ୍ମପୁର ସଂସ୍କରଣ) 14 ଜୁନ 2016