Friday, July 30, 2021

Mahuri Paika Mutiny / ମହୁରି ପାଇକ ବିଦ୍ରୋହ

 

ଅଗଷ୍ଟ ମାସରେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ସ୍ମୃତି ସାଉଁଟାଯାଏ । #ବ୍ରହ୍ମପୁର ସହରରେ ବ୍ରିଟିଶ ବିରୋଧୀ ସ୍ୱାଧୀନତା ସଂଗ୍ରାମକୁ ଦୁଇ ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ । ପ୍ରଥମ ପର୍ଯ୍ୟାୟରେ ଅଷ୍ଟାଦଶ ଓ ଊନବିଂଶ ଶତାଦ୍ଦୀରେ ମହୁରି ରାଜତ୍ୱକାଳରେ ସ୍ଥାନୀୟ ପାଇକ ବିଦ୍ରୋହ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ବିଂଶ ଶତାଦ୍ଦୀର ଜାତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ । ଦେଶ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ହୀରକ ଜୟନ୍ତୀ ପାଳନ ଦିଗକୁ ମୁହାଁଉଥିବା ବେଳେ ସହରରେ ସ୍ୱାଧୀନତା ସଂଗ୍ରାମର ପ୍ରତ୍ୟକ୍ଷ ଅଭିଜ୍ଞତା ହାତଗଣତି ବରିଷ୍ଠ ନାଗରିକଙ୍କ ମଧ୍ୟରେ ସୀମିତ । ଏହି ପରିବେଶରେ ଇତିହାସର ପୁନଃଆଲୋଚ଼ନା ଗୁରୁତ୍ୱ ବହନ କରେ ।
 
ମହୁରି ରାଜ୍ୟ ୧୭୬୭ରେ ଇଣ୍ଟ ଇଣ୍ଡିଆ କମ୍ପାନୀ ଶାସନକୁ ଆସିବା ପୂର୍ବରୁ ୧୭୫୩ରୁ ୧୭୫୯ ଛଅବର୍ଷ ଫରାସୀ ଶାସନାଧୀନ ରହିଥିଲା । ଫରାସୀ ସୈନ୍ୟ ଦଳ ମହୁରି ରାଜ୍ୟରେ ପହଞ୍ଚିବା ପରେ ସେମାନଙ୍କ ଥଇଥାନ ମହୁରି ରାଜା କରିପାରିଲେ ନାହିଁ । ଫଳରେ ସେମାନେ ବ୍ରହ୍ମପୁରରେ ବ୍ୟାପକ ଲୁଟତରାଜ କରିଥିଲେ । ସ୍ଥାନୀୟ ବାସିନ୍ଦା ଏହାର ପ୍ରତିରୋଧ କରି ଫରାସୀ ଶାସନର ବିରୋଧ କରିଥିଲେ । ବ୍ରିଟିଶ ଶାସକ ମହୁରି ରାଜ୍ୟରେ ପହଞ୍ଚିବା ପରେ ବିଭିନ୍ନ କାରଣରୁ ବିରୋଧର ନେତୃତ୍ୱ ମହୁରି ପାଇକମାନଙ୍କ ଦ୍ୱାରା ୧୮୬୬ରେ ସଂଘଠିତ ନଅଙ୍କ ଦୁର୍ଭିକ୍ଷ ଯାଏଁ ଦୀର୍ଘ ଶହେ ବର୍ଷ ଧରି ଜାରୀ ରହିଥିଲା । ବ୍ରହ୍ମପୁରରେ ବ୍ରିଟିଶ ବିରୋଧୀ ଏହି ଅଭିଯାନକୁ ସ୍ୱାଧୀନତା ସଂଗ୍ରାମର ଆଦି ପର୍ବ ଭାବେ ଗ୍ରହଣ କରାଯାଇପାରେ ।
 
ମହୁରି ରାଜ୍ୟରେ ବ୍ରିଟିଶ ଶାସନ ପ୍ରବର୍ତ୍ତିତ ହେବା ବେଳକୁ ମହୁରି ରାଜାଙ୍କ ନିକଟରେ ୨,୮୫୦ ଜଣ ପାଇକ ପଞ୍ଜୀକୃତ ଥିଲେ । ଏମାନଙ୍କୁ ଆବଶ୍ୟକମତେ ରାଜା ଦୈନିକ ମଜୁରୀ ଦେଇ ନିୟୋଜିତ କରୁଥିଲେ । ପଡ଼ୋଶୀ ରାଜ୍ୟମାନଙ୍କରୁ ମଧ୍ୟ ପାଇକ ସଂଗ୍ରହ ବିଧି ପ୍ରଚଳିତ ଥିଲା । ମହୁରି ରାଜ୍ୟରେ ବ୍ରିଟିଶ ଶାସନ ଲାଗୁ ପରଠୁ ଅଶାନ୍ତ ପରିବେଶ ଲାଗି ରହିଥିଲା ଇଣ୍ଟ ଇଣ୍ଡିଆ କମ୍ପାନୀ ପକ୍ଷରୁ ଧାର୍ଯ୍ୟ କର ରାଜା ଠିକ ସମୟରେ ଦଖଲ କରିପାରୁ ନଥିଲେ, ରାଜ ପରିବାରରେ ଶାସନ କ୍ଷମତା ଅକ୍ତିଆର କରିବାକୁ ନେଇ ଦ୍ୱନ୍ଦ ଲାଗି ରହିଥିଲା ଏବଂ ଜନସାଧାରଣ ବ୍ରିଟିଶ ପ୍ରଶାସନଙ୍କ ନୀତି ଉପରେ ଅସନ୍ତୁଷ୍ଟ ଥିଲେ । ଫଳରେ ବାରମ୍ୱାର ଛୋଟବଡ଼ ବିଶୃଙ୍ଖଳା ସୃଷ୍ଟି ହେଉଥିଲା ଏବଂ ମୁଖ୍ୟତଃ ପାଇକ ସର୍ଦ୍ଦାରମାନେ ଏହାର ନେତୃତ୍ୱ ନେଉଥିଲେ ।
 
ମହୁରି ରାଜାଙ୍କ ପକ୍ଷରୁ ଗୋପୀ ମାର୍ଥାଙ୍କୁ ୧୭୮୧ରେ ଦିୱାନ ନିଯୁକ୍ତି ଦିଆଯାଇଥିଲା । ତେବେ ସେ କର ଆଦାୟରେ ବିଫଳ ରହିବାରୁ ବର୍ଷକ ପରେ ବ୍ରିଟିଶ ପ୍ରଶାସନ ନିର୍ଦ୍ଦେଶରେ ବରଖାସ୍ତ କରିଥିବାରୁ ସେ ସରକାରଙ୍କ ବିରୋଧରେ ବିଦ୍ରୋହ କରିଥିଲେ । ଏହି ସମୟରେ କର ଆଦାୟକୁ କେନ୍ଦ୍ର କରି ବ୍ରହ୍ମପୁର ରାଜପ୍ରସାଦକୁ କିଛି ଦିନ ବ୍ରିଟିଶ ପ୍ରଶାସନ ପକ୍ଷରୁ ଦଖଲ ଏବଂ ସମଗ୍ର ରାଜ୍ୟରେ ଫଳନ୍ତା ଫସଲକୁ ବାଜ୍ୟାପ୍ତ କରିଦେଇଥିଲେ । କର ଆଦାୟ ନିମନ୍ତେ କରସୁଜିଲାଲା ନାମକ ଜଣେ ରାଜପରିବାର ବାହାର ବ୍ୟକ୍ତିଙ୍କୁ ବ୍ରିଟିଶ ପ୍ରଶାସନ ଦାୟିତ୍ୱ ଅର୍ପଣ କରିଥିଲେ । ଏଥିରେ ରାଜପରିବାର ସଦସ୍ୟ ଓ ପାଇକମାନେ ଉତକ୍ଷିପ୍ତ ହୋଇ ବିଦ୍ରୋହ କରିଥିଲେ । ସୁରସିଂ ମାର୍ଥା ୧୭୮୯ରେ କରସୁଜଲାଲାଙ୍କୁ ହତ୍ୟା କରିଥିଲେ ।
 
ବ୍ରିଟିଶ ପ୍ରଶାସନ ମହୁରି ରାଜ୍ୟ ଦଖଲ ପରେ ମହୁରି ରାଜା ନାରାୟଣ ଦେବ ଓ ହରିହର ନରେନ୍ଦ୍ର ଦେବଙ୍କ ଶାସନ ସୀମା ଅଳ୍ପ କାଳ । ସେମାନଙ୍କ ମୃତ୍ୟୁ ପରେ ନରେନ୍ଦ୍ର ଦେବ ନିଃସନ୍ତାନ ଥିବା ହେତୁ ସାବତ ଭାଇମାନେ ରାଜଗାଦୀ ଦାବୀ କରିଥିଲେ । କିନ୍ତୁ ବ୍ରିଟିଶ ପ୍ରଶାସନ ରାଣୀ କୃଷ୍ଣପ୍ରିୟା ଦେବୀଙ୍କୁ ଶାସନଭାର ଅର୍ପଣ କରିବା ଫଳରେ ସାବତ ଭାଇ ସାନ ଦେଓ ଓ ମଝିଆ ଦେଓ ପାଇକମାନଙ୍କ ସହାୟତାରେ ବିଦ୍ରୋହ ଦୀର୍ଘ ସମୟ ଧରି ଚାଲିଥିଲା । କରସୁଜିଲାଲାଙ୍କ ମୃତ୍ୟୁ ପରେ ତାଙ୍କରି କନିଷ୍ଠ ଭ୍ରାତା ନସରଭାନଜୀ ଏବଂ ପରେ ବଦାମ ଚ଼େଲମାୟାଙ୍କୁ ବ୍ରିଟିଶ ପ୍ରଶାସନ ରାଜ୍ୟରୁ କର ଆଦାୟ ନିମନ୍ତେ ନିଯୁକ୍ତ କରିଥିବାରୁ ଜନଅସନ୍ତୋଷ ବ୍ୟାପିଥିଲା । ସୁରସିଂ ମାର୍ଥାଙ୍କ ମୃତ୍ୟୁପରେ ତାଙ୍କରି ପୁତୁରା ଲକ୍ଷ୍ମଣ ବିଷୋୟୀ ଘୁମୁସର ରାଜାଙ୍କ ସହଯୋଗରେ ଦୀର୍ଘ ୧୫ ବର୍ଷ ଧରି ବିଦ୍ରୋହ ଚଳାଇଥିଲେ । ଶେଷରେ ତାଙ୍କୁ ଆଜୀବନ ଦ୍ୱୀପାନ୍ତର ଦଣ୍ଡିତ କରାଯାଇଥିଲା
 
ଏତାଦୃଶଭାବେ ୧୮୫୦ ଅକ୍ଟୋବର ୭ ତାରିଖ ଦିନ ବ୍ରହ୍ମପୁର ସମେତ ସମଗ୍ର ମହୁରି ରାଜ୍ୟକୁ ବ୍ରିଟିଶ ପ୍ରଶାସନ ବାଜ୍ୟାପ୍ତ କରି ମାତ୍ର ୧୦୦ ଟଙ୍କାରେ କ୍ରୟ କରିଥିବା ଘୋଷଣା କରିଥିଲେ । ମହୁରି ରାଜ୍ୟ ମାଡ୍ରାସ ପ୍ରେସିଡ଼େନ୍ସି ଅଧୀନରେ ବ୍ରହ୍ମପୁର ରେଭନ୍ୟୁ ତାଲୁକଭାବେ ଘୋଷିତ ହେବା ପରବର୍ତ୍ତୀ ପ୍ରାୟ ୫୦ ବର୍ଷ ବିଦ୍ରୋହ ପ୍ରଶମିତ ହୋଇ ବିଂଶ ଶତାଦ୍ଦୀ ଆରମ୍ଭରେ ପୁଣି ସ୍ୱାଧୀନତା ସଂଗ୍ରାମରୂପେ ଉଜ୍ୱୀବିତ ହୋଇଥିଲା ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୩୧ ଜୁଲାଇ ୨୦୨୧ / ପୃଷ୍ଠା :୮)

Photo by Lou Levit on Unsplash

Friday, July 23, 2021

Berhampur Silk / ବ୍ରହ୍ମପୁରୀ ପାଟ

 


#ବ୍ରହ୍ମପୁର ପାଟବସ୍ତ୍ର ନିମନ୍ତେ ଖ୍ୟାତ । ସପ୍ତଦଶ ଶତାଦ୍ଦୀର ଦ୍ୱିତୀୟାର୍ଦ୍ଧରେ ମହୁରି ରାଜ୍ୟର ରାଜଧାନୀ ରୂପେ ବ୍ରହ୍ମପୁର ବିକଶିତ ହେବା ପ୍ରାୟ ଶହେ ବର୍ଷ ପରେ ଅଷ୍ଟାଦଶ ଶତାଦ୍ଦୀ ଶେଷ ଭାଗରେ ପାଟବୁଣା କାର୍ଯ୍ୟ ଆରମ୍ଭ ହୋଇଥିବା ଇତିହାସ ପୃଷ୍ଠାରୁ ପ୍ରମାଣ ମିଳେ । ଏହି ଘଟଣାକ୍ରମ ନାଟକୀୟ ।
 
କୁହାଯାଏ ଯେ ମହୁରି ରାଜସିଂହାସନ ହରିହର ନରେନ୍ଦ୍ର ଦେବ ପିତା ନାରାୟଣ ଦେବଙ୍କ ମୃତ୍ୟୁପରେ ୧୭୭୦ ଫେବୃୟାରୀ ମାସରେ ଆରୋହଣ କରିଥିଲେ । ସେତେବେଳକୁ ତାଙ୍କରି ବୟସ ମାତ୍ର ୧୨ ବର୍ଷ । ସେହି ସମୟରେ ମହୁରି ରାଜପରିବାରରେ କନ୍ଦଳ ଲାଗି ରହିଥିଲା ଏବଂ ୨୪ ବର୍ଷ ବୟସରେ ୧୭୮୨ ଡ଼ିସେମ୍ୱର ମାସରେ ନରେନ୍ଦ୍ର ଦେବଙ୍କୁ ହତ୍ୟା କରାଯାଇଥିଲା ।
 
ବାରବର୍ଷ ରାଜତ୍ୱ ସମୟସୀମାରେ ନରେନ୍ଦ୍ର ଦେବ ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀ ଭ୍ରମଣରେ ଯାଇଥିଲେ । ସେଠାରେ ସ୍ଥାନୀୟ ଦେବାଙ୍ଗ ସମ୍ପ୍ରଦାୟର ବୁଣାକାରମାନେ ରାଜାଙ୍କୁ ସାକ୍ଷାତ କରି ସାଢ଼େ ପାଞ୍ଚ ମିଟର ଦୀର୍ଘ ଏକ ପାଟବସ୍ତ୍ର ଉପହାର ଦେଇଥିଲେ । ଉକ୍ତ ବସ୍ତ୍ରଟି ରାଜାଙ୍କ ହାତମୁଠାରେ ରହିଗଲା । ମହୁରି ରାଜା ଏଥିରେ ପ୍ରଭାବିତ ହୋଇ କିଛି ବୁଣାକାର ପରିବାରକୁ ନିଜ ରାଜ୍ୟରେ ଥଇଥାନ କରିବାର ପ୍ରତିଶୃତି ଦେଇଥିଲେ ।
 
ଦେବାଙ୍ଗ ସମ୍ପ୍ରଦାୟର ବୁଣାକାରମାନେ ଆନ୍ଧ୍ରପ୍ରଦେଶ ଗୋଦାବରୀ ଅବବାହିକାର ମୂଳ ବାସିନ୍ଦା । ସେମାନେ ଆନ୍ଧ୍ରପ୍ରଦେଶର ଅନ୍ୟାନ୍ୟ ଅଞ୍ଚଳ ସମେତ ତାମିଲନାଡୁ ଓ କର୍ଣ୍ଣାଟକରେ ମଧ୍ୟ ବସବାସ କରନ୍ତିମୁଖ୍ୟତଃ ପାଟବସ୍ତ୍ର ବୟନରେ ପାରଙ୍ଗମ ଥିଲେ । ଦେବଙ୍କ ଅଙ୍ଗବସ୍ତ୍ର ବୟନ କରୁଥିବା ହେତୁ ଦେବାଙ୍ଗ ନାମିତ କରାଯାଇଥିବା ବିଚାର କରାଯାଏ ।
 
ରାଜକୃପା ଲାଭ କରି ବେଶ କିଛି ସଂଖ୍ୟକ ଦେବାଙ୍ଗ ପରିବାର ବ୍ରହ୍ମପୁର ପହଞ୍ଚିବାପରେ ଅଧୂନା ବଡ଼ବଜାରରେ ପୂର୍ବରୁ ପ୍ରତିଷ୍ଠିତ ରାଜଉଆସ ସଂଲଗ୍ନ ଅଞ୍ଚଳରେ ବସବାସ ଆରମ୍ଭ କରିଥିଲେ । ସଙ୍ଗେ ସଙ୍ଗେ ଗୃହ ନିର୍ମାଣ ସଂଭବପର ନହୋଇ ପାରିବା ହେତୁ କିଛି କାଳ ସେମାନେ ଡ଼େରା ବା ତମ୍ୱୁ ଟାଣି ରହିବାରୁ ସେମାନଙ୍କୁ ସ୍ଥାନୀୟ ଲୋକେ ଡ଼େରା ନାମିତ କରିଥିବା ଅନୁମାନ କରାଯାଏ । ଅନ୍ୟପକ୍ଷରେ ଡ଼ୋର ବା ସୂତା ବୟନରେ ସଂପୃକ୍ତ ଥିବା ହେତୁ ସେମାନଙ୍କୁ ଡ଼େରା ନାମିତ କରିବା ମଧ୍ୟ ଯଥାର୍ଥ ।
 
ଅଷ୍ଟାଦଶ ଶତାଦ୍ଦୀ ଶେଷ ଭାଗରୁ ବିଂଶ ଶତାଦ୍ଦୀ ପ୍ରଥମ ଭାଗ ଯାଏଁ ସମଗ୍ର ଦକ୍ଷିଣ ଓଡ଼ିଶାରେ ବ୍ରହ୍ମପୁର ପାଟ ବସ୍ତ୍ର ପ୍ରସିଦ୍ଧି ଲାଭ କରିଥିଲା । ମହୁରି ରାଜଉଆସ ସମୀପରେ ବସ୍ତିମାନ ଗଢ଼ି ଡ଼େରା ପରିବାରବର୍ଗ ତନ୍ତ ଚାଳନା ସାଙ୍ଗକୁ ପାଟବସ୍ତ୍ର ବିକ୍ରୀବଟା ମଧ୍ୟ ଆରମ୍ଭ କରିଥିଲେ । ଫଳରେ ଏକ ବଜାର ଅଞ୍ଚଳ ସୃଷ୍ଟି ହୋଇଥିଲା । ବଡ଼ବଜାରର କେନ୍ଦ୍ର ଦେଶୀ ବେହେରା ସାହୀ ଡ଼େରାମାନଙ୍କ ମୁଖ୍ୟ ବସ୍ତି । ବଡ଼ବଜାର ଓ ସାନବଜାରରେ ଡ଼େରା ପରିବାର ସଂଖ୍ୟା ବୃଦ୍ଧି ଫଳରେ ପ୍ରାୟ ୧୮ ଗୋଟି ବସ୍ତି ସୃଷ୍ଟି ହୋଇ ପ୍ରତ୍ୟେକ ବସ୍ତିରେ ଜଣେ ସେନାପତି ନିଯୁକ୍ତ ହୋଇଥିବା ପ୍ରମାଣ ମିଳେ ।
 
ବ୍ରହ୍ମପୁରରେ ପାଟବସ୍ତ୍ର ବୟନ ନିମନ୍ତେ କଞ୍ଚାମାଲ ପାଟସୂତା ଆଖପାଖ ଅଞ୍ଚଳରେ ମିଳେ ନାହିଁ । ପାଟସୂତା ପାଟପୋକର ଖୋସାରୁ ସଂଗୃହୀତ ହୁଏ । ପାଟପୋକ ତୁତଗଛ ଖାଇ ବଞ୍ଚେ ଏବଂ ତୁତ ଫସଲ ଥଣ୍ଡା ଓ ଶୁଷ୍କ ଜଳବାୟୁରେ ଚାଷ କରାଯାଏ । ବ୍ରହ୍ମପୁରର ଡ଼େରାମାନେ ପାଟସୂତା ବେଙ୍ଗାଲୁରୁ-ମହୀଶୂରରୁ ଆମଦାନୀ କରନ୍ତି । ମୂଳ ସୂତାକୁ ଏଠାରେ ରଙ୍ଗ କରାଯାଇ ପାଟ ବସ୍ତ୍ର ବୁଣାଯାଏ । ସାଧାରଣତଃ ମହିଳାମାନଙ୍କ ଶାଢ଼ୀ ଏବଂ ପୁରୁଷମାନଙ୍କ ବ୍ୟବହାର ନିମନ୍ତେ ଜଥା ଓ ଉତ୍ତରୀୟ ବ୍ରହ୍ମପୁରୀପାଟ ବୟନ ଶିଳ୍ପର ମୁଖ୍ୟ ଉତ୍ପାଦ । ଏଠାକାର କୁମ୍ଭ ଡ଼ିଜାଇନ ରାଜ୍ୟର କଟକୀ ଓ ସମ୍ୱଲପୁରୀ ପାଟବସ୍ତ୍ରଠାରୁ ସ୍ୱତନ୍ତ୍ରତା ଦାବୀ କରିଥାଏ ।
 
ବଡ଼ବଜାର ଓ ସାନବଜାର ଅଞ୍ଚଳରେ ପାଟତନ୍ତ ଓ ବଜାର ସୃଷ୍ଟିପରେ କ୍ରମଶଃ କଂସା ପିତ୍ତଳ ବାସନ ଏବଂ ସୁନା ବ୍ୟବସାୟୀ ଯୋଗ ଦେଇଥିଲେ । ଉନବିଂଶ ଶତାଦ୍ଦୀ ଶେଷଭାଗରୁ ଗୋପାଳପୁର ବନ୍ଦର ଯୋଗେ କଳତନ୍ତ ବସ୍ତ୍ର ସମେତ ଅନ୍ୟାନ୍ୟ ଦ୍ରବ୍ୟ ଆମଦାନୀ-ରପ୍ତାନୀ ପରେ ବଡ଼ବଜାର ସମଗ୍ର ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ନିମନ୍ତେ ବ୍ୟବସାୟ ପେଣ୍ଠରେ ପରିଣତ ହୋଇଥିଲା । ତେବେ ପାଟ ବୟନଶିଳ୍ପ ହିଁ ବ୍ରହ୍ମପୁର ବ୍ୟାବସାୟିକ ପରିବେଶର ମୂଳଦୁଆ ପକାଇଥିବା ସୁସ୍ପଷ୍ଟ ।
 
ପାରମ୍ପରିକ ଭାବେ ପାଟ ବା ସିଲକ ସୌଖୀନ ବସ୍ତ୍ର ଭାବେ ପରିଚ଼ିତ । ଧାର୍ମିକ, ରାଜନୀତିକ ଓ ସାମାଜିକ କ୍ଷେତ୍ରରେ ଏହାର ଗୁରୁତ୍ୱ ଦୀର୍ଘ ଅତୀତରୁ ବଳବତ୍ତର ରହିଆସିଛି । ଚୀନରେ ଖ୍ରୀଷ୍ଟପୂର୍ବ ଅଢ଼େଇ ହଜାର ବର୍ଷ ପୂର୍ବରୁ ପାଟ ବସ୍ତ୍ର ବ୍ୟବହାର ଆରମ୍ଭ ହୋଇଥିବା ପ୍ରମାଣ ମିଳେଚୀନ ଓ ଭାରତରେ ପ୍ରଚଳିତ ପାଟବସ୍ତ୍ର ବୟନ କଳା କ୍ରମଶଃ ପଶ୍ଚିମ ଭୂଖଣ୍ଡକୁ ସଂପ୍ରସାରିତ ହୋଇଥିଲା । କିମ୍ୱଦନ୍ତୀ ଅନୁଯାୟୀ ଗ୍ରୀକ ବୀର ଆଲକଜେଣ୍ଡାର ଭାରତ ଆକ୍ରମଣ କାଳରେ କିଛି ପାଟ ବୁଣାକାରଙ୍କୁ ବନ୍ଦୀକରି ଗ୍ରୀସ ନେଇ ୟୁରୋପରେ ପାଟବୁଣା ଆରମ୍ଭ କରିଥିଲେ । ସମକାଳରେ ଫ୍ରାନ୍ସ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ସର୍ବାଧିକ ପ୍ରାୟ ୪୦ ପ୍ରତିଶତ ପାଟବସ୍ତ୍ର ବ୍ୟବହାର ହୋଇଥାଏ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୪ ଜୁଲାଇ ୨୦୨୧ / ପୃଷ୍ଠା :୮)

Photo by Odd Fellow on Unsplash

Friday, July 16, 2021

Ganjam and Berhampur Town / ଗଞ୍ଜାମ ଓ ବ୍ରହ୍ମପୁର ସହର

 


ମହୁରି ରାଜବାଟୀକୁ କେନ୍ଦ୍ରକରି ଗଢ଼ି ଉଠିଥିବା ଜନବସତି #ବ୍ରହ୍ମପୁର ନାମିତ ହେବା ସମୟରେ ମହୁରି ରାଜ୍ୟ ମୋଗଲ ଅଧୀନରେ ହାଇଦରାବାଦ ନିଜାମଙ୍କ ଶାସନାଧୀନ ଥିଲା । ଐତିହାସିକ ତଥ୍ୟ ଅନୁଯାୟୀ ମହୁରି ରାଜ୍ୟ ୧୬୬୭ରୁ ୧୭୫୩ ପର୍ଯ୍ୟନ୍ତ ମୋଗଲ, ୧୭୫୩ ରୁ ସ୍ୱଳ୍ପକାଳ ଫରାସୀ ଏବଂ ପରେ ବ୍ରିଟିସ ଶାସନାଧୀନ ହୋଇଥିଲା । ମହୁରି ରାଜ୍ୟ ରାଜଧାନୀଭାବେ ବ୍ରହ୍ମପୁର ସହର କ୍ରମବିକଶିତ ହୋଇଥିବା ସ୍ଥଳେ ଏହା ଗଞ୍ଜାମ ଜିଲ୍ଲାର ସଦର ମହକୁମା ନ ହୋଇପାରିବା ପଛରେ ଏକ ବିଶିଷ୍ଟ ଘଟଣା ରହିଛି ।
 
ଦକ୍ଷିଣ ଓଡ଼ିଶାକୁ ଇଷ୍ଟଇଣ୍ଡିଆ କମ୍ପାନୀର ପ୍ରବେଶ ପରେ ୧୭୬୭ରେ ଗଞ୍ଜାମ ବନ୍ଦରରେ ପ୍ରଥମ ରେସିଡ଼ାଣ୍ଟ ଏଡ଼ୱାର୍ଡ କୋଟସ ଫୋର୍ଡ ନାମକ ଜଣେ ଇଂଲିଶ ଇଞ୍ଜିନିୟରଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା କାର୍ଯ୍ୟ ଆରମ୍ଭ କରିଥିଲା । ବ୍ରହ୍ମପୁର ମହୁରି ରାଜ୍ୟର ରାଜଧାନୀ ଥିବା ହେତୁ ବ୍ରହ୍ମପୁର ବଦଳରେ ଗଞ୍ଜାମରେ ମହୁରି ରାଜ୍ୟ ବଦଳରେ ନୂତନ ପ୍ରଶାସନିକ ଢ଼ାଞ୍ଚାରେ ଗଞ୍ଜାମ ଜିଲ୍ଲାର ମାନଚ଼ିତ୍ର ଅଙ୍କନ କରି ସଦର ମହକୁମା ସ୍ଥାପନ ଯୁକ୍ତିଯୁକ୍ତ ମନେହୁଏ । ମହୁରି ରାଜପରିବାର ବ୍ରିଟିସ ଶାସନାଧୀନ ହୋଇଥିଲେହେଁ ବରାବର ପ୍ରତିରୋଧ କରୁଥାନ୍ତି । ଫଳରେ ଦୁଇ ସହର ମଧ୍ୟରେ ଏକରକମ ଛକାପଞ୍ଜା ପରିସ୍ଥିତି ଲାଗି ରହିଥାଏ ।
 
ନୌବାଣିଜ୍ୟ ସମୃଦ୍ଧ ଗଞ୍ଜାମ ସହର ନବ ପ୍ରତିଷ୍ଠିତ ଗଞ୍ଜାମ ଜିଲ୍ଲାର ସଦର ମହକୁମା ରୂପେ ବିକଶିତ ହେବା ଅବସରରେ ବାଣିଜ୍ୟ କାରବାର ସାଙ୍ଗକୁ ପ୍ରଶାସନିକ ଦପ୍ତର, ସୈନ୍ୟ ଛାଉଣୀ ଇତ୍ୟାଦି ଉପସ୍ଥିତିରେ ଜନସଂଖ୍ୟା ଦୃତଗତିରେ ବୃଦ୍ଧି ପାଇବାକୁ ଲାଗିଲା । ଦୁଃଭାଗ୍ୟକ୍ରମେ ଜନସଂଖ୍ୟା ବୃଦ୍ଧି ସଙ୍ଗେ ସେଠାକାର ପରିମଳ ବ୍ୟବସ୍ଥାରେ ସୁଧାର ସଂଭବ ନ ହୋଇପାରିବା ହେତୁ ୧୮୧୫ରେ ମହାମାରୀ ବ୍ୟାପିଲା ଏବଂ ବହୁ ସଂଖ୍ୟକ ମୃତ୍ୟୁ ବରଣ କଲେ । ଫଳରେ ବ୍ରିଟିସ ପ୍ରଶାସନ ବାଧ୍ୟବାଧକତାରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ବଦଳାଇ ସେନାବାହିନୀ ପୁର୍ନବାସ ଆୟୋଜନରେ ଲାଗି ପଡ଼ିଥିଲେ ।
 
ଗଞ୍ଜାମ ସହର ପରେ ଜିଲ୍ଲାରେ ବ୍ରହ୍ମପୁର ଦ୍ୱିତୀୟ ବୃହତ ସହର ରୂପେ ଗଢ଼ି ଉଠିଥିବା ହେତୁ ସ୍ୱାଭାବିକଭାବେ ବ୍ରିଟିସ ପ୍ରଶାସନ ଗଞ୍ଜାମ ଜିଲ୍ଲାର ସଦର ମହକୁମା ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରିବା ନିମନ୍ତେ ଯୋଜନା କରିଥିଲେ । କିନ୍ତୁ ବ୍ରହ୍ମପୁରରେ ବ୍ରିଟିସ ଶାସକଙ୍କ ଉପସ୍ଥିତି ସେମାନଙ୍କ ଉତ୍ପାତର କାରଣ ସାଜିବା ଆଶଙ୍କାରେ ମହୁରି ରାଜା ଆପତ୍ତି ଉଠାଇଥିଲେ । ବ୍ରହ୍ମପୁରକୁ ସେ ନିଜର ବ୍ୟକ୍ତିଗତ ସମ୍ପତ୍ତି ଦାବୀ କରିଥିଲେ । ଅନ୍ୟ ଉପାୟ ନପାଇ ଗଞ୍ଜାମ ସହରରୁ କିଛି ଦୂରରେ ଅବସ୍ଥିତ ସୀତାରାମପଲ୍ଲୀକୁ ଜିଲ୍ଲା ସଦର ମହକୁମା ଘୁଞ୍ଚାଇ ଅଣାଯାଇଥିଲାପରବର୍ତ୍ତୀ କାଳରେ ଏହା ଛତ୍ରପୁର ନାମିତ ହେଲା ।
 
ବ୍ରିଟିସ ଶାସନାଧୀନ ମହୁରି ରାଜାଙ୍କ କର ପ୍ରଦାନ ସଂପର୍କୀତ ବିବାଦ ଲାଗି ରହିଥାଏ । ଗଞ୍ଜାମ ଜିଲ୍ଲା ସଦର ମହକୁମା ସ୍ଥାନାନ୍ତର ଘଟଣାର ମାତ୍ର ୨୦ ବର୍ଷପରେ ୧୮୩୫ରେ ବକେୟା କର ବାବଦରେ ଅର୍ଥ ପ୍ରଦାନ ନକରିପାରିବା ହେତୁ ବ୍ରହ୍ମପୁର ସହରକୁ ବ୍ରିଟିସ ପ୍ରଶାସନ କ୍ରୟ କରିନେଲେ । ଫଳରେ ବ୍ରହ୍ମପୁରରେ ସେମାନଙ୍କ ପକ୍ଷରୁ ପ୍ରଶାସନିକ ଦପ୍ତରମାନ ସ୍ଥାପନ କରିବାରେ ଆଉ ପ୍ରତିରୋଧ ରହିଲା ନାହିଁ । କାଳକ୍ରମେ କେତେକ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ବ୍ରହ୍ମପୁରକୁ ସ୍ଥାନାନ୍ତରିତ ହେଲା ।
 
ବ୍ରହ୍ମପୁର ପୌରପାଳିକା ୧୮୬୭ରେ ପ୍ରତିଷ୍ଠିତ ହୋଇଥିଲା । ୧୮୭୧ରେ ଜନଗଣନା ଅନୁଯାୟୀ ସହରର ଜନସଂଖ୍ୟା ପ୍ରାୟ ୨୨ ହଜାର ଥିଲା । କିନ୍ତୁ ଷାଠିଏ ବର୍ଷ ପୂର୍ବେ ୧୮୧୫ରେ ଗଞ୍ଜାମ ସହରରେ ମହାମାରୀ ବେଳେ ଜନସଂଖ୍ୟା ତିରିଶି ହଜାର ଥିବା କୁହାଯାଏ । ଐତିହାସିକଙ୍କ ମତରେ ଗଞ୍ଜାମ ମହାମାରୀରେ ଚ଼ବିଶି ହଜାର ଯାଏଁ ଜନସଂଖ୍ୟା ପରବର୍ତ୍ତୀ ତିନି ବର୍ଷ ମଧ୍ୟରେ ଗଞ୍ଜାମ ସହର ଛାଡ଼ିଥିଲେ । ରେକର୍ଡ଼ ଅନୁଯାୟୀ ୧୯୧୮ ସୁଦ୍ଧା ଗଞ୍ଜାମ ସହରର ଜନସଂଖ୍ୟା ଛଅ ହଜାରକୁ ହ୍ରାସ ପାଇଥିଲା ।
 
ବ୍ରିଟିସ ପ୍ରଶାସକ ଟି.ଜେ.ମାଲଟବୀଙ୍କ ଦ୍ୱାରା ପ୍ରସ୍ତୁତ ତଥା ୧୯୧୮ରେ ପ୍ରକାଶିତ ଗଞ୍ଜାମ ଡ଼ିଷ୍ଟ୍ରୀକ୍ଟ ମାନୁଏଲରେ ଉଲ୍ଲେଖ ରହିଛି ଯେ ୧୮୧୫ ଗଞ୍ଜାମ ମହାମାରୀର ପ୍ରକୃତ କାରଣ ଓ ବିବରଣୀ ରହସ୍ୟାବୃତ । ମହାମାରୀ ପରେ ପ୍ରଶାସନ ପକ୍ଷରୁ ଏକ କମିଟି ଗଠନ ହୋଇ ତଦନ୍ତ କରାଯାଇଥିଲା ଏବଂ କମିଟିଙ୍କ ପରାମର୍ଶକ୍ରମେ ଲୋକାଲ ଫଣ୍ଡ ଅର୍ଥରେ ନାଳନର୍ଦ୍ଦମା ନିର୍ମାଣ ଓ ଜଳଉତ୍ସର ଉନ୍ନତି ଲାଗି ପଦକ୍ଷେପମାନ ଗ୍ରହଣ କରାଯାଇଥିଲା । ପରିମଳ କାରଣରୁ ଗଞ୍ଜାମ ସହରର ପତନ ହୋଇଥିବା ହେତୁ ବ୍ରହ୍ମପୁରରେ ପୌରପାଳିକା ପ୍ରତିଷ୍ଠା ପରେ ପରିମଳ ଓ ଜଳଉତ୍ସ ଦିଗରେ ବିହିତ ଧ୍ୟାନ ଦିଆ ଯାଇଥିଲା ଏବଂ ଏହି ପ୍ରକ୍ରିୟା ସ୍ୱାଧୀନୋତ୍ତର ଅବସ୍ଥାଯାଏଁ ବଳବତ୍ତର ରହିଥିବା ଲକ୍ଷ୍ୟ କରାଯାଏ । ଏପରିକି ମାଡ୍ରାସ ପ୍ରେସିଡ଼େନ୍ସିରେ ପରିମଳ ଦୃଷ୍ଟିରୁ ବ୍ରହ୍ମପୁର ପୌରପାଳିକା ଉତ୍କର୍ଷ ମାନ୍ୟତା ପାଇଥିବା ଜଣାଯାଏ ।

(Photo by Raimond Klavins on Unsplash)

Friday, July 9, 2021

Dilip Kumar / ଦିଲ୍ଲୀପ କୁମାର

 

ଦିଲ୍ଲୀପ କୁମାର ୯୮ ବର୍ଷ ବୟସରେ ୭ ଜୁଲାଇ ୨୦୨୧ରେ ମୃତ୍ୟୁ ବରଣ କଲେ । ସେହି ସମୟ ବେଳକୁ #ବ୍ରହ୍ମପୁର ସହରରେ ତାଙ୍କରି ପ୍ରଶଂସକଙ୍କ ମଧ୍ୟରୁ ବହୁ ସଂଖ୍ୟକ ଆରପାରିକୁ ଚାଲିଯାଇଛନ୍ତି । ବଲିଉଡ଼ ଚଳଚ଼ିତ୍ର ଜଗତରେ ଦିଲ୍ଲୀପ କୁମାରଙ୍କ ଗତ ଶତାଦ୍ଦୀର ଷଷ୍ଠ ଓ ସପ୍ତମ ଦଶକରେ ଆଧିପତ୍ୟ ଜାହିର କାଳରେ ତତ୍ କାଳୀନ ଚଳଚ଼ିତ୍ର ଦର୍ଶକଙ୍କ ବୟସ ହାରାହାରି ୨୦ ବର୍ଷ ଧରିନେଲେ ସେମାନଙ୍କ ଜନ୍ମକାଳ ୧୯୩୫ ରୁ ୧୯୫୫ ମସିହା । ଅର୍ଥାତ ସହରବାସୀଙ୍କ ମଧ୍ୟରେ ୬୫ ରୁ ୮୫ ବର୍ଷ ବୟସ୍କଙ୍କ ମଧ୍ୟରୁ ଏକାଂଶ ରୂପେଲି ପରଦାରେ ଏକଦା ସେହି ଲୋକପ୍ରିୟ ନାୟକଙ୍କ ଯାଦୁକାରୀ ଅଭିନୟରେ ମୁଗ୍ଧ ହେବା ଅଭିଜ୍ଞତାର ଅଧିକାରୀ ।
 
ସ୍ୱାଧୀନୋତ୍ତର ବ୍ରହ୍ମପୁରରେ ୧୯୪୭ ରୁ ୧୯୮୨ ଯାଏଁ ୩୫ ବର୍ଷ ଧରି ବମ୍ୱେ ଓ ମାଡ୍ରାସର ଚଳଚ଼ିତ୍ର ପ୍ରଦର୍ଶନ ମନୋରଞ୍ଜନର ପ୍ରମୁଖ ମଞ୍ଚ ପାଲଟିଥିଲା । କ୍ରମାନ୍ୱୟରେ ପ୍ରତିଷ୍ଠିତ ଏସଏସଭିଟି, ଜ୍ୟୋତି, ବିଜୟା ଓ ଉତ୍କଳ ସପ୍ତାହର ପ୍ରତିଦିନ ତିନିଗୋଟି ସୋ ଏବଂ ଶନି ଓ ରବିବାର ଦିନ ୧୦ଟାରେ ମର୍ଣ୍ଣିଂ ସୋ ସାଙ୍ଗକୁ ସ୍ଥଳବିଶେଷରେ ମଧ୍ୟାହ୍ନ ୧୨ଟାରେ ନୁନ ସୋ ମଧ୍ୟ ଆୟୋଜନ କରୁଥିଲେ । ମୂଳସ୍ରୋତର ହିନ୍ଦି ଓ ତେଲୁଗୁ ଚଳଚ଼ିତ୍ରଗୁଡ଼ିକ ମ୍ୟାଟିନି, ସାନ୍ଧ୍ୟ ଓ ରାତି ସୋରେ ଖେଳୁଥିବା ସ୍ଥଳେ ହଲିଉଡ଼ ଇଂଲିଶ ଚଳଚ଼ିତ୍ର ମର୍ଣ୍ଣିଂ ସୋରେ ଚାଲୁଥିଲା । ଅଷ୍ଟମ ଓ ନବମ ଦଶକରେ ଦ୍ୱିତୀୟ ଶ୍ରେଣୀର ହିନ୍ଦି ଚଳଚ଼ିତ୍ର ନୁନ ସୋରେ ପ୍ରଦର୍ଶିତ ହେଉଥିଲା । ବ୍ରହ୍ମପୁରରେ ଚଳଚ଼ିତ୍ର ଦେଖାର ମୋହରେ କେବଳ ସହର କାହିଁକି ସମଗ୍ର ଗଞ୍ଜାମ ଜିଲ୍ଲା ତଥା ପଡ଼ୋଶୀ ଜିଲ୍ଲାର ଯୁବ ଦର୍ଶକବର୍ଗ ଆକୃଷ୍ଟ ହୋଇ ପଡୁଥିଲେ ।
 
ଦିଲ୍ଲୀପ କୁମାରଙ୍କ ଜନ୍ମ ୧୯୨୨ରେ ଏବଂ ସେ ୨୨ ବର୍ଷ ବୟସରେ ୧୯୪୪ରେ ଜୁଆର ଭଟ୍ଟା ନାମକ ହିନ୍ଦି ଚଳଚ଼ିତ୍ରରେ ଅଭିନୟ ଜଗତରେ ପାଦ ଥୋଇଥିଲେ । ତେବେ ୧୯୫୩ରେ ନୟା ଦୌର, ୧୯୫୫ରେ ଦେବଦାସ ଓ ୧୯୫୮ରେ ମଧୁମତୀ ଭଳି ଚଳଚ଼ିତ୍ରରେ ସୁପରଷ୍ଟାର ସ୍ତରକୁ ଉନ୍ନୀତ ହୋଇଥିଲେ । ୧୯୬୦ରେ ମୋଗଲ-ଇ-ଆଜାମ ଓ ୧୯୬୧ରେ ଗଙ୍ଗା ଯମୁନା ତାଙ୍କରି ଲୋକପ୍ରିୟତାକୁ ପରିବ୍ୟାପ୍ତ କରିଥିଲା । ଏସବୁ ଚଳଚ଼ିତ୍ର ବ୍ରହ୍ମପୁରରେ ବେଶ ଆଦୃତ ହୋଇଥିଲା । ସେ ସମୟରେ ଗୋଟିଏ ହିଟ ଚଳଚ଼ିତ୍ର ତିନି ରୁ ଚାରି ସପ୍ତାହ ଯାଏଁ ଚାଲେ । ମୁମ୍ୱାଇ ଭଳି ବଡ଼ ସହରରେ ତ ଅଧିକାଂଶ ୨୫ ସପ୍ତାହ ସିଲଭର ଜୁବୁଲି ପାଳନ କରୁଥିଲା । ଅନ୍ୟତ୍ର ଭଳି ବ୍ରହ୍ମପୁରରେ ମଧ୍ୟ ପ୍ରଶଂସକମାନେ ଗୋଟିଏ ଚଳଚ଼ିତ୍ରକୁ ବାରମ୍ୱାର ଦେଖିବାରେ ପଛଘୁଞ୍ଜା ଦେଉନଥିଲେ ।
 
ଦିଲ୍ଲୀପ କୁମାରଙ୍କ ଅଭିନୟର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୁଏ ୧୯୬୪ରେ ନିର୍ମିତ ଲିଡ଼ର ଚଳଚ଼ିତ୍ରରୁ । ଏହା ପରକୁ ୧୯୬୬ରେ ଦିଲ ଦିୟା ଦର୍ଦ ଲିଆ, ୧୯୬୭ରେ ରାମ ଔର ଶ୍ୟାମ, ୧୯୬୮ରେ ଆଦମୀ ଓ ୧୯୭୦ରେ ଗୋପୀ ମୁକ୍ତିଲାଭ କରିଥିଲାଅଷ୍ଟମ ଦଶକରେ ରୋମାଣ୍ଟିକ ରାଜେଶ ଖାନ୍ନା ଓ ଏଙ୍ଗ୍ରି-ୟଙ୍ଗ-ମ୍ୟାନ ଅମିତାଭ ବଚ୍ଚନଙ୍କ ଆବିର୍ଭାବପରେ ଟ୍ରାଜେଡ଼ି-କିଙ୍ଗ ଦିଲ୍ଲୀପ କୁମାରଙ୍କ ଯୁଗର ଅବସାନ ଘଟିଥିଲା । ତୃତୀୟ ପର୍ଯ୍ୟାୟରେ ସେ ଚ଼ରିତ୍ର ଅଭିନେତା ଭାବେ ୧୯୮୧ରେ କ୍ରାନ୍ତି, ୧୯୮୨ରେ ବିଧାତାଶକ୍ତି, ୧୯୮୪ରେ ମଶାଲ, ୧୯୯୧ରେ ସୌଦାଗର ଓ ୧୯୯୮ରେ କିଲା ପ୍ରଭୃତି ଚଳଚ଼ିତ୍ରରେ ଅଭିନୟ କରିଥିଲେ ।
 
ଦିଲ୍ଲୀପ କୁମାରଙ୍କ ବଲିଉଡ଼ରେ ପ୍ରାୟ ୬୫ ଗୋଟି ଚଳଚ଼ିତ୍ର ମଧ୍ୟରୁ ଅଧିକାଂଶ ବ୍ରହ୍ମପୁର ରୁପେଲି ପରଦାରେ ଦୀର୍ଘ ୫୦ ବର୍ଷ ଧରି ପ୍ରଦର୍ଶିତ ହୋଇ ଆସିଥିଲା । ପରବର୍ତ୍ତୀକାଳରେ ଟେଲିଭିଜନ, ଭିଡ଼ିଓ ଓ ଓଭର-ଦି-ଟପ ମଞ୍ଚରେ ମଧ୍ୟ ତାଙ୍କରି ଅଭିନୟ ଜୀବନ୍ତ ରହିଛି । ଏହି ପରିପ୍ରେକ୍ଷୀରେ ସମଗ୍ର ଭାରତ ସମେତ ବ୍ରହ୍ମପୁର ଚଳଚ଼ିତ୍ର ଦର୍ଶକ ପୀଢ଼ି ପର ପୀଢ଼ି ପ୍ରଭାବିତ ହେବା ସ୍ୱାଭାବିକ । ଦିଲ୍ଲୀପ କୁମାରଙ୍କ ଅଭିନୟରେ ସ୍ୱତନ୍ତ୍ରତା ରହିଥିଲା । ତାଙ୍କରି ସଂଳାପ ଉଚ୍ଚାରଣ ପ୍ରଶଂସକଙ୍କ ମଧ୍ୟରେ କରତାଳିରେ ପ୍ରତିଧ୍ୱନିତ ହେଉଥିଲା । ବ୍ରହ୍ମପୁରରେ ବିଜୟା ଟକିଜ ଓ ଉତ୍କଳ ସିନେମାରେ ବଡ଼ ପରଦାରେ କଳାଧଳାଠାରୁ ଆରମ୍ଭ କରି ରଂଗୀନ ପର୍ଦ୍ଦାରେ ପଚାଶ ବର୍ଷ ପୂର୍ବର ଦିଲ୍ଲୀପ କୁମାରଙ୍କ ସ୍ମୃତି କ୍ରମଶଃ ଇତିହାସ ପାଲଟି ଗଲାଣି । ବର୍ତ୍ତମାନ ତାଙ୍କରି ଅଭିନୀତ ଡ଼ଜନେରୁ ଉର୍ଦ୍ଧ୍ୱ ଚଳଚ଼ିତ୍ର ୟୁଟ୍ୟୁବରେ ଉପଲବ୍ଧ ।
 
ଅଧିକାଂଶ ଚଳଚ଼ିତ୍ରରେ ଦିଲ୍ଲୀପ କୁମାରଙ୍କ ଚ଼ରିତ୍ର ଦେଶର ସାଧାରଣ ସଚ୍ଚୋଟ ନାଗରିକର ନ୍ୟାର୍ଯ୍ୟ ଦାବୀ ହାସଲ ନିମନ୍ତେ ଅହରହ ସଂଘର୍ଷର କାହାଣୀ ଉପସ୍ଥାପିତ କରୁଥିଲା । ଗୋପୀ ଚଳଚ଼ିତ୍ରରେ ତାଙ୍କରି ଗୋଟିଏ ସଂଳାପ ଥିଲା, ଐସା କଳିକାଳ ଆୟେଗା, ଧରମ-ଭି-ହୋଗା, କରମ-ଭି-ହୋଗା, ଲେକିନ ଶରମ-ନାହିଁ-ହୋଗା !”

( ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୦ ଜୁଲାଇ ୨୦୨୧ / ପୃଷ୍ଠା :୮)

Friday, July 2, 2021

Berhampur Big Bazar / ବଡ଼ ବଜାର

 


#ବ୍ରହ୍ମପୁର ବଡ଼ ବଜାରରେ ପାରମ୍ପରିକଭାବେ ପାଟ, ସୁନାଗହଣା ସାଙ୍ଗକୁ ପାଇକାରୀ ଖାଦ୍ୟସାମଗ୍ରୀ ଓ ପନିପରିବା କାରବାର ହୋଇଥାଏ । କେରାଣ୍ଡିମାଳ ପାଦ ଦେଶରେ ପ୍ରତିଷ୍ଠିତ କଙ୍କିଆ ମହୁରିଗଡ଼ ପରିତ୍ୟାଗ କରି ଅଧୂନା ବଡ଼ ବଜାରଠାରେ ନବ ନିର୍ମିତ ରାଜପ୍ରସାଦରେ ସପ୍ତଦଶ ଶତାଦ୍ଦୀ ଦ୍ୱିତୀୟାର୍ଦ୍ଧରୁ ରାଜପରିବାର ବସବାସ କରିବାପରେ ଉଆସକୁ ଘେରି ଜନବସତି ଗଢ଼ି ଉଠିଥିଲା । ରାଜପ୍ରସାଦ ନିର୍ମାଣର ଅଳ୍ପ ସମୟ ମଧ୍ୟରେ ରାଜକୃପା ଲାଭକରି ଆନ୍ଧ୍ରପ୍ରଦେଶ ରାଜମହେନ୍ଦ୍ରୀ ଅଞ୍ଚଳରୁ ଦେବାଙ୍ଗ ସଂପ୍ରଦାୟର ବୁଣାକାର ପରିବାରବର୍ଗ ଏହା ସମୀପରେ ବସବାସ ଆରମ୍ଭ କରିଥିଲେ । ଜନଶୃତି ଅନୁଯାୟୀ ବର୍ହିଃଆଗତ ଦେବାଙ୍ଗମାନେ ପ୍ରଥମେ ଡ଼େରା ପକାଇ ବା ତମ୍ୱୁ ଟାଣି କିଛି କାଳ ବସବାସ କରିଥିବା ହେତୁ ସେମାନଙ୍କୁ ଡ଼େରା ସଂପ୍ରଦାୟ ନାମିତ କରାଯାଇଥାଏ । ବର୍ତ୍ତମାନ ସୁଦ୍ଧା ନିଶ୍ଚିହ୍ନ ରାଜପ୍ରସାଦର ସମୀପବର୍ତ୍ତୀ ବସ୍ତି ଦେଶୀବେହରା ସାହୀ ନାମିତ । ସେଠାରେ ଡ଼େରା ସଂପ୍ରଦାୟ ମୁଖ୍ୟ ସେନାପତିଙ୍କ ବାସଗୃହ ରହିଛି ଏବଂ ପ୍ରତି ବର୍ଷକ ଅନ୍ତରରେ ତାଙ୍କରି ବାସଗୃହ ସାମ୍ନାରେ ପ୍ରସିଦ୍ଧ ଠାକୁରାଣୀ ଯାତ୍ରାର ଅସ୍ଥାୟୀ ମନ୍ଦିର ନିର୍ମିତ ହୁଏ ।
 
ଦେବାଙ୍ଗ ସଂପ୍ରଦାୟର ବୁଣାକାରମାନେ ପାଟବସ୍ତ୍ର ବୟନକରି ବିକ୍ରୀବଟା ଆୟୋଜନ କରୁଥିଲେ । ପାଟବସ୍ତ୍ର ଉପକୂଳ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଆଦୃତ ହେବା ହେତୁ କ୍ରମଶଃ ସେମାନଙ୍କ ବାସସ୍ଥଳୀ ଛୋଟମୋଟ ବଜାରରେ ପରିଣତ ହେବାରେ ଲାଗିଲା । ରାଜପରିବାରଙ୍କ ସ୍ଥାନାନ୍ତର ସହ ସେମାନଙ୍କ ସେନାବାହିନୀ ମଧ୍ୟ ନୂତନ ଉଆସର କିଛି ଦୂରରେ ବସତି ସ୍ଥାପନ କରି ଆଖପାଖ ଜମିରେ ଚାଷ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସେହି ଅଞ୍ଚଳ ବର୍ତ୍ତମାନ ପୁରୁଣା ବ୍ରହ୍ମପୁର ନାମିତ । କ୍ରମଶଃ ପଡ଼ୋଶୀ ଗ୍ରାମାଞ୍ଚଳରୁ ପିତ୍ତଳ କଂସାବାସନ ନିର୍ମାତାଙ୍କ ସହ କ୍ରମବର୍ଦ୍ଧିଷ୍ଣୁ ଜନବସତି ଓ ବଜାରଘାଟର ଚାହିଦା ମେଣ୍ଟାଇବା ନିମନ୍ତେ ଅନ୍ୟାନ୍ୟ ବର୍ଗର କାରିଗର ପହଞ୍ଚିଲେ । ବଡ଼ ବଜାର ପାଟ ଦୋକାନ ସାଙ୍ଗକୁ ପିତ୍ତଳ କଂସାବାସନ ବଜାରରେ ପରିଣତ ହେଲା । ପରବର୍ତ୍ତୀ ପର୍ଯ୍ୟାୟରେ ଖାଦ୍ୟ, ପରିବା ଓ ଆମିଷ ବଜାର ମଧ୍ୟ ଗଢ଼ି ଉଠିଲା । ଏଥିରେ ବହୁ ବ୍ୟବସାୟୀ ନିୟୋଜିତ ହୋଇ ଗୁଜୁରାଣ ମେଣ୍ଟାଇଲେ ।
 
ପରବର୍ତ୍ତୀ ପର୍ଯ୍ୟାୟରେ ଊନବିଂଶ ଶତାଦ୍ଦୀରେ ଗୋପାଳପୁର ବନ୍ଦର କାରବାର ବୃଦ୍ଧି ଫଳରେ ବଡ଼ ବଜାର ଗୁରୁତ୍ୱ ବଢ଼ିଗଲା । ଦକ୍ଷିଣ ଓଡ଼ିଶା ମାଳାଞ୍ଚଳର ଜଙ୍ଗଲଜାତ ଦ୍ରବ୍ୟ ରପ୍ତାନୀ ଓ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଆମଦାନୀ ଲାଗି ବଡ଼ ବଜାରରେ ରାଜ୍ୟବାହାରର ବଡ଼ ବ୍ୟବସାୟୀମାନେ ଆସ୍ଥାନ ଜମାଇଲେ । ସ୍ଥାନୀୟ ଚାହିଦାକୁ ହୃଦୟଙ୍ଗମ କରି ଦକ୍ଷିଣଭାରତୀୟ ବ୍ୟବସାୟୀମାନେ ସୁନାରୂପା ଓ ବସ୍ତ୍ର ବଜାର ଆରମ୍ଭ କଲେ । ବିଂଶ ଶତାଦ୍ଦୀ ଆରମ୍ଭରୁ ରେଳପଥ ସହ ସଂଯୋଗ ପରେ ବ୍ରହ୍ମପୁର ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶର ଅନ୍ୟତମ ବ୍ୟବସାୟ କେନ୍ଦ୍ର ରୂପେ ଗଢ଼ି ଉଠିଲା । ବ୍ରହ୍ମପୁରରୁ ବିଶାଖାପାଟଣା ୨୮୦, ରାୟପୁର ୫୬୦ ଓ କଟକ ବଜାର ୧୯୦ କିଲୋମିଟର ପରିଧିରେ ବଡ଼ ବଜାର ମୁଖ୍ୟତଃ ପାଇକାରୀ ବଜାରର ଖ୍ୟାତି ଅର୍ଜନ କଲା ।
 
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନପରେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ପ୍ରଶାସନିକ କେନ୍ଦ୍ରରୂପେ ଚ଼ିହ୍ନିତ ହେବା ଏବଂ ସ୍ୱାଧୀନୋତ୍ତର ଅବସ୍ଥାରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ସୁବିଧା ହେତୁ ଗ୍ରାମାଞ୍ଚଳରୁ ପରିବାରବର୍ଗ ସହରରେ ସ୍ଥାୟୀଭାବେ ବସବାସ ଫଳରେ ଜନସଂଖ୍ୟା ବୃଦ୍ଧି ବଡ଼ ବଜାରର ଆକାର ଓ କାରବାର ବୃଦ୍ଧିରେ ପର୍ଯ୍ୟବସିତ ହେଲା । ଏକବିଂଶ ଶତାଦ୍ଦୀ ଆରମ୍ଭ ସୁଦ୍ଧା ବଡ଼ ବଜାର କଟକର ମାଲଗୋଦାମ ପରେ ଅନ୍ୟତମ ସର୍ବାପେକ୍ଷା ଜନାକୀର୍ଣ୍ଣ ବଜାର । ପ୍ରବଳ ଜନଗହଳି ହେତୁ ଦୀର୍ଘ ଦିନରୁ ବ୍ରହ୍ମପୁର ବଡ଼ ବଜାରରେ ଦିନବେଳା ସାମଗ୍ରୀ ପରିବହନ ଯାନବାହାନର ପ୍ରବେଶ ନିଷିଦ୍ଧ କରାଯାଇଛି । ଫଳରେ ରାତିବେଳା ସାମଗ୍ରୀ ବୋଝାଇବା ଓ ଓହ୍ଲାଇବା ପାଇକାରୀ ବ୍ୟବସାୟୀଙ୍କ ନିମନ୍ତେ ଏକ ଅସମାହିତ ସମସ୍ୟାରେ ପରିଣତ ହୋଇ ରହିଛି । ବର୍ତ୍ତମାନ ମହାମାରୀପରେ ଦୁରବସ୍ଥାନ ନୀତି ପାଳନ ମୋଟରୁ ସଂଭବ ହୋଇପାରୁ ନାହିଁ ।
 
ଏହି ପରିପ୍ରେକ୍ଷୀରେ ସହରାଞ୍ଚଳର ଭିତ୍ତିଭୂମି ପ୍ରସ୍ତୁତି, ଟ୍ରାଫିକ ନିୟନ୍ତ୍ରଣ ଓ ଜନସ୍ୱାସ୍ଥ୍ୟ ସମସ୍ୟା ସମାଧାନରେ ପ୍ରାଥମିକ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର, ସମ୍ୱଲପୁର ଓ ବ୍ରହ୍ମପୁର ଭଳି ବଡ଼ ସହରମାନଙ୍କରେ ସହର ଉପାନ୍ତରେ ପ୍ରଶସ୍ତ ମଣ୍ଡି ନିର୍ମାଣଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏହି ଘଟଣାକ୍ରମରେ କୋଭିଡ଼-୧୯ ଦ୍ୱିତୀୟ ତରଙ୍ଗ ଆରମ୍ଭ ପୂର୍ବରୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ବ୍ୟବସାୟୀଙ୍କ ସହ ଏକ ବୈଠକ ଆୟୋଜନ ହୋଇଥିଲା । ଦ୍ୱିତୀୟ ତରଙ୍ଗ ନରମି ଯିବାପରେ ସେଦିଗରେ ପୁନଃତତ୍ପରତା ଆଶା କରାଯାଉଛି ।
 
ବ୍ରହ୍ମପୁର ବଡ଼ ବଜାରରୁ ପାଇକାରୀ ବ୍ୟବସାୟ ଉଠାଇ ନିଆଯାଇ ନବ ପ୍ରତିଷ୍ଠିତ ହଳଦିଆପଦର ବସଷ୍ଟାଣ୍ଡରୁ ୨/୩ କିଲୋମିଟର ଦୂରବର୍ତ୍ତୀ ଏକ ଖୋଲା ସରକାରୀ ଜମିରେ ମଣ୍ଡି ନିର୍ମାଣଲାଗି ବିଚାର କରାଯାଉଥିବା ପ୍ରକାଶ । ସ୍ଥାନୀୟ ବ୍ୟବସାୟୀ ସଂଘର ପ୍ରତିନିଧିମାନେ ପ୍ରସ୍ତାବିତ ସ୍ଥାନ ପରିଦର୍ଶନର କାର୍ଯ୍ୟକ୍ରମ ମହାମାରୀ କାରଣରୁ ସ୍ଥଗିତ ରଖାଯାଇଥିବା ସ୍ଥଳେ ନିକଟ ଭବିଷ୍ୟତରେ କାର୍ଯ୍ୟକାରୀ ହେବା ସଂଭବ ।
 
ସହର ମଧ୍ୟରୁ ପାଇକାରୀ ବଜାର ସହରତଳି ଅଞ୍ଚଳରୁ ଉଠାଇ ନେବା ଏବଂ ଆବଶ୍ୟକୀୟ ସୁବିଧାସୁଯୋଗ ସହ ନୂତନ ଢଙ୍ଗରେ ବଜାର ଗଢ଼ି ତୋଳିବା କାର୍ଯ୍ୟ ଦେଶର ବଡ଼ ବଡ଼ ସହରରେ କାର୍ଯ୍ୟକାରୀ ହୋଇଛି । ବ୍ରହ୍ମପୁର ଆଜି ନହେଲେ କାଲି ଯେ ସେହି ରାସ୍ତାରେ ଯିବ, ଏଥିରେ ସନ୍ଦେହ ନାହିଁ । ତେବେ ଏଭଳି ପ୍ରସ୍ତାବକୁ ସ୍ଥାନୀୟ ବ୍ୟବସାୟୀମାନେ କେତେଦୂର ଗ୍ରହଣ କରିବେ ତାହା ଏକ ବଡ଼ ପ୍ରଶ୍ନ ପାରମ୍ପରିକ ବ୍ରହ୍ମପୁର ବଜାର ବ୍ୟବସାୟୀଗଣ ଅତୀତରେ ସ୍ଥାନାନ୍ତରଣକୁ ବିରୋଧ କରିଆସିଛନ୍ତି । ପୁରୁଣା ବସଷ୍ଟାଣ୍ଡ ବହୁ ଦିନର ଚେଷ୍ଟାରେ ନୂଆ ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ ହେଲା; କିନ୍ତୁ ହଳଦିଆପଦର ବସଷ୍ଟାଣ୍ଡ ପ୍ରସ୍ତୁତ ହୋଇସାରିଥିବା ସତ୍ତ୍ୱେ ପୂର୍ଣ୍ଣ କାର୍ଯ୍ୟକ୍ଷମ ଅବସ୍ଥାକୁ ଆସିପାରୁ ନାହିଁ । ଏହି ଅଭିଜ୍ଞତା ବଡ଼ ବଜାର ପାଇକାରୀ ଖାଦ୍ୟ ସାମଗ୍ରୀ ଓ ପରିବା ବଜାର  ସ୍ଥାନାନ୍ତରଣକ୍ଷେତ୍ରରେ କିଭଳି ପ୍ରଭାବ ପକାଇବ ତାହା ସମୟ କହିବ !

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୩ ଜୁଲାଇ ୨୦୨୧ / ପୃଷ୍ଠା :୮)

Photo by Jason Leung on Unsplash