Friday, July 24, 2020

Life in Pandemic / ମହାମାରୀରେ ବିପନ୍ନ ଜୀବନ



ମହାମାରୀରେ ଜୀବନ, ଜୀବନଯାତ୍ରା ଓ ଜୀବିକା ବିଶ୍ୱବ୍ୟାପୀ ବିପନ୍ନ ହୋଇପଡ଼ିଛି । ସେଥିରୁ #ବ୍ରହ୍ମପୁର ବି ବାଦ ପଡ଼ିନାହିଁ । ବୈଜ୍ଞାନିକ ଅନୁସନ୍ଧାନରୁ ଜଣାଯାଏ ଯେ ସାର୍ସ-କରୋନା-୨ ଭୂତାଣୁ ଖୁବ କମ ସମୟ ମଧ୍ୟରେ ବହୁ ଲୋକଙ୍କୁ ସଂକ୍ରମିତ କରିପାରେ ଏବଂ ଖୁବ ଶୀଘ୍ର ସ୍ୱାସ୍ଥ୍ୟାବସ୍ଥାରେ ବ୍ୟାପକ ଅବନତି ଘଟାଇ ପାରେ । ଆମ ରାଜ୍ୟରେ ରୋଗାକ୍ରାନ୍ତଙ୍କ ମଧ୍ୟରେ ମୃତ୍ୟୁହାର ପ୍ରାୟ ଏକ ପ୍ରତିଶତରେ ସୀମିତ ରହୁଥିଲେ ହେଁ ଚ଼ିକିତ୍ସା ନିମନ୍ତେ ନିର୍ଦ୍ଦିଷ୍ଟ ଔଷଧ ଓ ପ୍ରତିଷେଧକ ଅଭାବ ଜନସମାଜରେ ଆତଙ୍କ ଖେଳାଇ ଦେଇଛି ।

ଭୂତାଣୁ ସଂକ୍ରମଣ ଭୟରେ ଜୀବନ ବିପନ୍ନ ହୋଇପଡ଼ିଥିବା ସ୍ଥଳେ ଭୂତାଣୁ ପ୍ରସାର ରୋକିବା ନିମନ୍ତେ ଜନପଦ ବନ୍ଦ ଲକଡ଼ାଉନ-ସଟଡ଼ାଉନ ମାସ ମାସ ଧରି ବଳବତ୍ତର ରହିବା ହେତୁ ଜୀବିକାର୍ଜନ ଏବଂ ତାହାରି ପ୍ରଭାବରେ ଜୀବନଯାତ୍ରା ମଧ୍ୟ ବିପନ୍ନ ହୋଇପଡୁଛି । ଜୁଲାଇ ମାସ ମଧ୍ୟଭାଗ ସୁଦ୍ଧା ରାଜ୍ୟର ମୋଟ ସଂକ୍ରମିତଙ୍କ ମଧ୍ୟରୁ ଏକ ତୃତୀୟାଂଶ ଗଞ୍ଜାମ ଜିଲ୍ଲା ଭାଗରେ ପଡୁଥିବା ସ୍ଥଳେ ୬୦ ପ୍ରତିଶତ ରୋଗାକ୍ରାନ୍ତ ସୁସ୍ଥ ହୋଇଥିବା, ୩୯ ପ୍ରତିଶତ ଚିକିତ୍ସାଧୀନ ତଥା ଏକ ପ୍ରତିଶତ ମୃତ ହିସାବ କରାଯାଇଥିଲା । ବ୍ରହ୍ମପୁର ସହରରେ ବିଚ୍ଛୁରିତ ଭାବେ ବିଭିନ୍ନ ସାହୀରୁ ହଜାରେ ପଜିଟିଉଭ ଚ଼ିହ୍ନଟ ହୋଇଥିଲେ । ଏହି ପରିବେଶରେ କେହି ସଂକ୍ରମିତ ହେଲେ ଚିକିତ୍ସା ନିମନ୍ତେ ସୁବିଧା ସୁଯୋଗର ବିଶଦ ବିବରଣୀ ଗୁରୁତ୍ୱ ବହନ କରିଥାଏ ।

ମହାମାରୀରେ ସାଧାରଣ ରୋଗ ଚିକିତ୍ସା ନିମନ୍ତେ ହସପିଟାଲକୁ ଯିବା ପାଇଁ ବାରଣ କରାଯାଇ ଆସୁଛି । ତେବେ ଦୀର୍ଘ ଦିନ ଧରି ଜରୁରୀ ପରିସ୍ଥିତିରେ ସୁଧାର ନ ଆସିଥିବା ସ୍ଥଳେ ହସପିଟାଲଗୁଡ଼ିକ ପକ୍ଷରୁ ଟେଲି ମେଡ଼ିସିନ ସେବା ଆରମ୍ଭ କରାଯାଇଛି । ଏହି ପଦ୍ଧତିରେ ରୋଗୀମାନେ ଡ଼ାକ୍ତରଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା ହୋଇ ଚ଼ିକିତ୍ସା ସଂପର୍କୀତ ପରାମର୍ଶ ଗ୍ରହଣ କରିପାରିବେ । ବ୍ରହ୍ମପୁର ମେଡ଼ିକାଲ କଲେଜ ପକ୍ଷରୁ ଏହି ସେବା ନିମନ୍ତେ ଛଅ ଗୋଟି ଟେଲିଫୋନ ନମ୍ୱର ଜାରୀ କରାଯାଇଛି : ୭୦୬୪୫ ୮୮୦୭୦, ୮୨୬୦୭ ୨୭୧୭୧, ୭୮୧୫୦ ୭୦୦୯୮, ୭୮୧୫୦ ୭୪୧୪୪, ୭୮୧୫୦ ୬୩୪୩୬ ଓ ୭୮୧୫୦ ୭୬୬୧୩ । ଏହି ସେବା ସକାଳ ୯ ରୁ ସନ୍ଧ୍ୟା ୫ ଯାଏଁ ଉପଲବ୍ଧ ।

ଭୁବନେଶ୍ୱର ଏମସ ପକ୍ଷରୁ ବିଭିନ୍ନ ବିଭାଗରେ ଡ଼ାକ୍ତରମାନଙ୍କ ସହ ଟେଲିଫୋନରେ ଯୋଗାଯୋଗ କରିବା ନିମନ୍ତେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ମେଡ଼ିସନ : ୮୨୮୦୩ ୪୬୬୨୧, ସର୍ଜରୀ : ୮୨୮୦୩ ୪୬୬୨୬, ସ୍ତ୍ରୀରୋଗ : ୮୨୮୦୩ ୪୬୬୪୨, ଶିଶୁରୋଗ : ୮୨୮୦୩ ୪୬୬୫୭, ଚର୍ମ : ୮୨୮୦୩ ୪୬୬୦୮, ନାସା-ଗଳା-କର୍ଣ୍ଣ : ୮୨୮୦୩ ୪୬୬୧୩, ହୃଦରୋଗ : ୮୨୮୦୩ ୪୬୬୮୬, ଅସ୍ଥିଶଲ୍ୟ : ୮୨୮୦୩ ୪୬୬୪୮, ଶ୍ୱାସ : ୮୨୮୦୩ ୪୬୬୬୩, ମୁତ୍ରରୋଗ : ୮୨୮୦୩ ୪୬୬୭୫, ମାନସିକ ରୋଗ : ୮୨୮୦୩ ୪୬୬୬୦ ଓ କୋଭିଡ଼-୧୯ ସଂପର୍କରେ ୮୨୮୦୩ ୪୬୬୧୬ ନମ୍ୱର କାର୍ଯ୍ୟକ୍ଷମ ଥିବା ଜଣାଯାଏ ।

କୋଭିଡ଼-୧୯ ପରିଚାଳନା ସଂପର୍କୀତ ଗଞ୍ଜାମ ଜିଲ୍ଲା ସ୍ତରରେ ହେଲପ ଲାଇନ ୯୪୩୭୫ ୬୩୮୦୦ ଏବଂ ଉପଖଣ୍ଡ ସବ-ଡିଭିଜନାଲସ୍ତରରେ ହେଲପଲାଇନ ୮୨୬୦୬ ୬୫୭୫୫ ସମର୍ପିତ । ବ୍ରହ୍ମପୁର ପୌର ନିଗମର ହେଲପଲାଇନ ୦୬୮୦-୨୨୫୦୨୯୦ । ବ୍ରହ୍ମପୁର ପୋଲିସ ଏସ.ପି.ଙ୍କୁ ୯୪୩୮୯ ୧୬୬୭୦, ଟାଉନ ଥାନା ପୋଲିସ ୯୪୩୮୯ ୧୬୬୮୨ ଓ ଟ୍ରାଫିକ ପୋଲିସ ୯୪୩୮୯ ୧୬୬୮୪ ଟେଲିଫୋନ ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରାଯାଇପାରିବ । ସହର ସୀମା ଅତିକ୍ରମ କରି ଅନ୍ୟତ୍ର ଯିବା ଆସିବା ନିମନ୍ତେ ଇ-ପାସ ନିମନ୍ତେ ପୋଲିସ ସହ ୧୦୦ ନମ୍ୱରରେ ଯୋଗାଯୋଗ ସ୍ଥାପନ ଆବଶ୍ୟକସେହିପରି ଚ଼ିକିତ୍ସା ସଂପର୍କୀତ ଘରୋଇ ଚ଼ିକିତ୍ସାଳୟ ବିରୋଧରେ ଅଭିଯୋଗ ମଧ୍ୟ ୧୦୦ ମାଧ୍ୟମରେ ପୋଲିସର ଦୃଷ୍ଟିକୁ ଆଣିବାଲାଗି ସରକାରୀଭାବେ କୁହାଯାଇଛି ।

କୋଭିଡ଼-୧୯ ଚ଼ିକିତ୍ସା ସଂପର୍କରେ ରାଜ୍ୟସ୍ତରୀୟ କଲସେଣ୍ଟର ୧୦୪, ଜାତୀୟସ୍ତରୀୟ କଲସେଣ୍ଟର ୧୦୭୫, ସିଟି ହସପିଟାଲ ୮୨୬୦୯ ୩୪୫୦୪, ଶୀତଳାପଲ୍ଲୀ ସ୍ଥିତ ଟାଟା ମେଡ଼ିକାଲ ହସପିଟାଲ ୭୦୦୮୩ ୦୧୯୯୫, ୯୪୩୭୨ ୫୯୮୧୩ ଏବଂ ଗଞ୍ଜାମ ଜିଲ୍ଲାସ୍ତରୀୟ କଲସେଣ୍ଟର ୮୧୧୮୦ ୬୬୩୭୦ କାର୍ଯ୍ୟ କରୁଥିବା ଜଣାଯାଏ । କୌଣସି ବ୍ୟକ୍ତି କରୋନା ଭୂତାଣୁ ସଂକ୍ରମିତ ହେବା ଅନୁଭବ କଲେ କିମ୍ୱା ଲକ୍ଷଣ ପ୍ରକାଶ ପାଇଲେ ଏହି ଟେଲିଫୋନ ନମ୍ୱରଗୁଡ଼ିକ ସହ ସଂପର୍କ ସ୍ଥାପନ କରି ଚ଼ିକିତ୍ସାର ବ୍ୟବସ୍ଥା କରିପାରିବେ ।

ଉପର ଲିଖିତ ଟେଲିଫୋନ ନମ୍ୱରଗୁଡ଼ିକ ମୁଖ୍ୟତଃ ସୋସିଆଲ ମିଡ଼ିଆରୁ ସଂକଳିତ ହୋଇଥିବା ସ୍ଥଳେ ତୃଟି ରହି ଯାଇଥାଇପାରେ କିମ୍ୱା ପରବର୍ତ୍ତୀ କାଳରେ ନମ୍ୱର ବଦଳି ଯାଇଥାଇପାରେ । ଆବଶ୍ୟକସ୍ଥଳେ ପାଠକମାନେ ସଂଶୋଧନ କରିନେବା ଉଚିତ । ଏହି ଭଳି ଟେଲିଫୋନ ନମ୍ୱରଗୁଡ଼ିକ ଜରୁରୀ ପରିସ୍ଥିତିରେ ବ୍ୟବହାର ସଂଭାବନା ଥିବା ହେତୁ ପୂର୍ବରୁ ସଜାଡ଼ି ରଖିଲେ ଠିକ୍ ସମୟରେ କାର୍ଯ୍ୟରେ ଆସିପାରେ ।

ବ୍ରହ୍ମପୁରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିର ବହୁ କାରଣ ଚ଼ିହ୍ନଟ କରାଯାଇପାରେ । ପ୍ରଥମତଃ, ସାର୍ସ-କରୋନା-୨ ଭୂତାଣୁ ସଂକ୍ରମଣର ପ୍ରତିରୋଧ କରିବା ନିମନ୍ତେ ଯେଉଁ ମାତ୍ରାରେ ସାବଧାନତା ଆବଶ୍ୟକ ତାହା ହୁଏତ ନଗରବାସୀଙ୍କ ପକ୍ଷେ ସଂଭବପର ହୋଇପାରିଲା ନାହିଁ । ସମସ୍ତେ କରୋନା ସଂପର୍କରେ ଅବଗତ, କିନ୍ତୁ ଗୁରୁତ୍ୱ ଉପଲବ୍ଧି କରିପାରିଲେ ନାହିଁ । ମନୁଷ୍ୟ କେଶର ୧/୮୦ ପରିମିତ ଏହି ଭୂତାଣୁ ଅଦୃଶ୍ୟ ଏବଂ ଶ୍ୱାସ, କଥାବାର୍ତ୍ତାରେ ଯେ ବ୍ୟାପିପାରେ ତାହା ଅବୁଝା ରହିଗଲା । ଭିଡ଼କୁ ନଯିବା, ବ୍ୟକ୍ତିବ୍ୟକ୍ତିଙ୍କ ମଧ୍ୟରେ ଶାରୀରିକ ଦୂରତ୍ୱରକ୍ଷା ଓ ମାସ୍କ ପିନ୍ଧିବା ଭଳି ଅଭ୍ୟାସ ଏଯାଏଁ ଦୈନନ୍ଦିନ ଜୀବନରେ ପ୍ରତିଫଳିତ ହୋଇପାରିନି । ବର୍ଷେ ଦେଢ଼ ବର୍ଷ ଯାଏଁ ଗୃହାବଦ୍ଧ ଅବସ୍ଥାରେ ଚଳିବାକୁ ଅନେକେ କଳ୍ପନା ହିଁ କରିପାରୁ ନାହାନ୍ତି ।

ଦ୍ୱିତୀୟତଃ, ବ୍ରହ୍ମପୁର ଏକ ଜନାକୀର୍ଣ୍ଣ ସହର । ଏଠାକାର ବାସଗୃହ ଗୁଡ଼ିକ ସଂକୀର୍ଣ୍ଣ ଏବଂ ବ୍ୟକ୍ତିପିଛା ଆୟତନ ଅଧିକାଂଶ କ୍ଷେତ୍ରରେ ଦୂରାବସ୍ଥାନ ଲାଗି ଅନୁପଯୁକ୍ତ । ଏହି କାରଣରୁ ଶୋଇବା, ନିତ୍ୟକର୍ମ ଓ ଖାଇବା ସମୟତକ ବାଦେ ଅଧିକାଂଶ ପରିବାରର ପୁରୁଷ ସଦସ୍ୟମାନେ ଅନ୍ୟ ସମୟ ବାହାରେ କଟାଇଥାନ୍ତି । ହଠାତ ଏହି ଅଭ୍ୟାସ ବଦଳାଇବା କିମ୍ୱା ବାସଗୃହର ଆୟତନ ବୃଦ୍ଧି କରିବା ସଂଭବପର ହୋଇପାରୁ ନାହିଁ ।

ତୃତୀୟତଃ, ଗ୍ରାମାଞ୍ଚଳରୁ ପରିବାରବର୍ଗ ସହରରେ ପହଞ୍ଚି ସ୍ଥାୟୀଭାବେ ବସବାସ କରିବା ଫଳରେ ବ୍ରହ୍ମପୁର ଗଢ଼ି ଉଠିଛି । ବିଶେଷ କରି ସହରର ଦୁଇ ତୃତୀୟାଂଶ ଅଞ୍ଚଳ ସ୍ୱାଧୀନୋତ୍ତର ଅବସ୍ଥାରେ ଗ୍ରାମାଞ୍ଚଳର ଆଗନ୍ତୁକ ସମୃଦ୍ଧ । ସହରବାସୀଙ୍କ ଗଞ୍ଜାମ ଗ୍ରାମାଞ୍ଚଳ ସହ ଘନିଷ୍ଠ ସଂପର୍କ ରହି ଆସିଛି । ପ୍ରବାସୀ ଶ୍ରମିକମାନେ ଗଞ୍ଜାମ ଗ୍ରାମାଞ୍ଚଳକୁ ଫେରିବା ପରେ ସହରବାସୀ ବହୁ ସଂଖ୍ୟାରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଆଶଙ୍କା କରାଯାଉଛି ।

ଚ଼ତୁର୍ଥତଃ, ଲକ ଡ଼ାଉନ-ସଟଡ଼ାଉନ ଅବ୍ୟବହିତ ପୂର୍ବରୁ ଜିନିଷପତ୍ର କିଣାବିକା ପାଇଁ ଦୋକାନ ବଜାରରେ ଭିଡ଼ ଅନେକଙ୍କ ପାଇଁ ସଂକ୍ରମଣର କ୍ଷେତ୍ର ପ୍ରସ୍ତୁତ କରିଥିଲା । ଲକଡାଉନ-ସଟଡାଉନରେ ସ୍ୱାଭାବିକ ଜୀବନଯାତ୍ରା ନିମନ୍ତେ ସମସ୍ତ ସୁବିଧାସୁଯୋଗ ଉପଲବ୍ଧ ଥିଲେ ହେଁ ଅପରିଣାମଦର୍ଶୀ ମାନସିକତା ବିପଦର କାରଣ ପାଲଟିଗଲାଦୁଇ ତିନିମାସ ଗୃହାବଦ୍ଧ ରହିବାପରେ ଦଶକୋଡ଼ିଏ ମିନଟ ଭିଡ଼ରେ ପହଞ୍ଚିଲେ ସଂକ୍ରମଣର ଆଶଙ୍କା ଟାଳି ହୁଏ ନାହିଁ ।

ପଞ୍ଚମତଃ, ଦୀର୍ଘକାଳ ଲକଡାଉନ-ସଟଡାଉନରେ ଗୃହାବଦ୍ଧ ରହିବା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ନିଜକୁ ସୁହାଇଲା ଭଳି ସ୍ୱତନ୍ତ୍ର ଦୈନିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଅପରିହାର୍ଯ୍ୟ । କିଛି ପଢ଼ାଲେଖା, ନୂଆ କାମ ଶିଖିବା ଭର୍ଚୁଆଲ ସାଧନ ଉପଯୋଗରେ ସଂଭବପର ଏବଂ ସେହିଭଳି ସୁବିଧାସୁଯୋଗ ବହୁ ସହରବାସୀଙ୍କ ହାତପାଆନ୍ତାରେ ଉପଲବ୍ଧ । ଅବସର ସମୟର ସଦବିନିଯୋଗ ନ ହୋଇପାରିଲେ ବ୍ୟକ୍ତି ମାନସିକସ୍ତରରେ ଭରାକ୍ରାନ୍ତ ହୋଇପଡ଼େ । ବିରକ୍ତିରୁ ବିରତି ପାଇଁ ଘରବାହାରକୁ ଯାଇ ସ୍ଥଳ ବିଶେଷରେ ଭୂତାଣକୁ ଘରକୁ ନେଇ ଆସିବା ସାର ହୁଏ ।

ମହାମାରୀରେ ବିପନ୍ନଙ୍କ ତାଲିକାରେ ବରିଷ୍ଠ ନାଗରିକମାନେ ସର୍ବାଗ୍ରେ ସ୍ଥାନିତ । ଜୁଲାଇ ୨୧ ତାରିଖର ପରିସଂଖ୍ୟାନ ଅନୁଯାୟୀ ଓଡ଼ିଶାରେ କୋଭିଡ଼ଜନିତ ମୃତକଙ୍କ ହାରାହାରି ବୟସ ୬୦ ବର୍ଷ ରହିଥିଲା । ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ଛଅ ହଜାର ଛୁଉଁଥିବା ସ୍ଥଳେ ସେମାନଙ୍କ ମଧ୍ୟରେ ୬୦ ବର୍ଷରୁ ଉର୍ଦ୍ଧ୍ୱଙ୍କ ସଂଖ୍ୟା ପ୍ରାୟ ଏକ ହଜାର । ଏହି ପରିବେଶରେ ବ୍ରହ୍ମପୁରରେ ଭେକ୍ସିନ ନ ପହଞ୍ଚିବା ଯାଏଁ ବରିଷ୍ଠ ନାଗରିକମାନେ ଘରେ ରହିବା, ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିବା ବେଳେ ମାସ୍କ ପିନ୍ଧିବା, ଯେଉଁମାନେ ମାସ୍କ ପିନ୍ଧି ନଥାନ୍ତି ସେମାନଙ୍କ ସହ ସଂପର୍କ ନ ରଖିବା, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଛଅ ଫୁଟ ବ୍ୟବଧାନ ଏବଂ ପରିବାରର ଯେଉଁମାନେ ବାହାରକୁ ଯାଉଛନ୍ତି ସେମାନଙ୍କ ସହ ଚଳପ୍ରଚ଼ଳ ବେଳେ ମଧ୍ୟ ମାସ୍କ ପରିଧାନକୁ ଗୁରୁତ୍ୱ ଦେବା ଭଳି କେତେକ ଅଭ୍ୟାସ ହିଁ ଏକ ମାତ୍ର ବିକଳ୍ପ ବିଚାର କରାଯାଏ ।

Sunday, July 19, 2020

Epidemic experience / ମହାମାରୀ ଅନୁଭୂତି




#ବ୍ରହ୍ମପୁର ସହର ଇତିହାସ ପୃଷ୍ଠାରେ ମହାମାରୀ ଅନୁଭୂତି ଖୋଜି ପାଇହୁଏନା । ଶହେ ବର୍ଷ ପୂର୍ବେ ୧୯୧୮-୧୯ରେ ସ୍ପାନିଶ ଫ୍ଳୁ ବିଶ୍ୱ ମହାମାରୀ ରୂପ ନେଇଥିଲେ ହେଁ ଏଠାରେ ରୋଗର ପ୍ରଭାବ ସଂପର୍କରେ ବିବରଣୀ ବିରଳ । ଗଞ୍ଜାମ ଜିଲ୍ଲା ସଂପର୍କରେ ଉପଲବ୍ଧ ପୁରାତନ ମୁଦ୍ରିତ ଦଲିଲ ଦି ଗଞ୍ଜାମ ଡ଼ିଷ୍ଟିକ୍ଟ ମ୍ୟାନୁଏଲ ୧୯୧୮ରେ ପ୍ରକାଶିତ ହୋଇଥିଲା । ଏଣୁ ଏଥିରେ ମହାମାରୀ ସଂପର୍କରେ ଉଲ୍ଲେଖ ନରହିବା ସ୍ୱାଭାବିକ । ମାଡ୍ରାସ ପ୍ରେସିଡ଼େନ୍ସିରେ ଅବସ୍ଥାପିତ ସରକାରୀ କର୍ମଚ଼ାରୀ ଟି.ଜେ. ମାଲଟବୀ ମାନୁଏଲଟି ପ୍ରସ୍ତୁତ କରିଥିଲେ ।

ପ୍ରଥମ ବିଶ୍ୱଯୁଦ୍ଧ ଶେଷ ଅବସ୍ଥାରେ ସଂଘଟିତ ସ୍ପାନିଶ ଫ୍ଳୁ ସଂପର୍କରେ ସଠିକ ତଥ୍ୟାବଳୀ ଅଭାବ । କାରଣ ସେହି ସମୟରେ ଆନ୍ତର୍ଜାତିକସ୍ତରରେ ଘଟଣାବଳୀ ନିୟନ୍ତ୍ରଣ ନିମନ୍ତେ ସୁବିଧାସୁଯୋଗ ସୃଷ୍ଟି ହୋଇପାରିନଥିଲା । ତେବେ ବିଭିନ୍ନ ବିବରଣୀ ଅନୁଯାୟୀ ସ୍ପାନିଶ ଫ୍ଲୁରେ ସମଗ୍ର ବିଶ୍ୱର ପ୍ରାୟ ୫୦ କୋଟି ଆକ୍ରାନ୍ତ ହୋଇ ପାଞ୍ଚରୁ ଦଶ କୋଟି ପ୍ରାଣ ହରାଇଥିଲେ । ଭାରତରେ ମୁଖ୍ୟତଃ ବମ୍ୱେ, ମାଡ୍ରାସ ବନ୍ଦରସହରଗୁଡ଼ିକରୁ ସଂକ୍ରମଣ ବ୍ୟାପୀ ଦେଢ଼ କୋଟିରୁ ଦୁଇ କୋଟି ଯାଏଁ ମୃତ୍ୟୁମୁଖରେ ପଡ଼ିଥିଲେ ।

ମାଲଟବୀଙ୍କ ମ୍ୟାନୁଏଲରେ ଗଞ୍ଜାମ ମହାମାରୀ ଉଲ୍ଲେଖ ରହିଛି । ଇଂରେଜମାନେ ୧୭୬୮ରେ ଗଞ୍ଜାମଠାରେ ଦୁର୍ଗ ନିର୍ମାଣ କରିଥିଲେ । ଋଷିକୂଲ୍ୟା ନଦୀ ମୁହାଣରେ ଏହାର ଧ୍ୱଂସାବଶେଷ ବର୍ତ୍ତମାନ ସୁଦ୍ଧା ପୋତାଗଡ଼ ନାମରେ ଖ୍ୟାତ । ଗଞ୍ଜାମ ସହର ଗଞ୍ଜାମ ଜିଲ୍ଲାର ସଦର ମହକୁମାରେ ପରିଣତ ହୋଇଥିଲା । ୧୮୧୫ରେ ଗଞ୍ଜାମ ସହରରେ ଜ୍ୱର ଓ ତରଳ ଝାଡ଼ା ମହାମାରୀ ଆକାର ଧାରଣ କରିବାପରେ ଜୀବନରକ୍ଷା ନିମନ୍ତେ ସେଠାକାର ବାସିନ୍ଦାମାନେ ସହର ପରିତ୍ୟାଗ କରିଥିଲେ । ଏହି ଅବସରରେ ଇଂରେଜ ପ୍ରଶାସନ ମଧ୍ୟ ସଦର ମହକୁମାକୁ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରିଥିଲେ । ଗଞ୍ଜାମରେ ୧୮୧୫ ବେଳକୁ ୩୦ ହଜାର ବସବାସ କରୁଥିବା ସ୍ଥଳେ ୧୮୧୮ରେ ଛଅ ହଜାରକୁ ହ୍ରାସ ପାଇଥିଲା ।

ମାଡ୍ରାସ ପ୍ରେସିଡ଼େନ୍ସିରେ ଗଞ୍ଜାମ ଏକ ପରିଷ୍କାର ଓ ସୁନ୍ଦର ସହର ଥିଲା । ସେଠାରେ ମହାମାରୀ ବ୍ୟାପିବାର କାରଣ ସଂପର୍କରେ ସବିଶେଷ ତଥ୍ୟ ଉଦ୍ ଘାଟିତ ନ ହୋଇପାରିଥିଲେ ହେଁ ୧୮୦୨ରୁ ସହରର ପରିମଳ ବ୍ୟବସ୍ଥା, ବିଶେଷ କରି ଜଳଯୋଗାଣ ଓ ବର୍ଜ୍ୟଜଳ ନିଷ୍କାସନ କ୍ଷେତ୍ରରେ କ୍ରମାଗତ ଅବନତିକୁ ଦାୟୀ କରାଯାଇଥାଏ । ମହାମାରୀ-ପର ଅବସ୍ଥାରେ ଲୋକାଲ ଫଣ୍ଡ ବୋର୍ଡ଼ ଆନୁକୂଲ୍ୟରେ ଗଞ୍ଜାମ ସହରରେ ନାଳ ନର୍ଦ୍ଦମା ନିର୍ମାଣ ନିମନ୍ତେ ପ୍ରାଥମିକତା ଦିଆଯାଇଥିବା ମାଲଟବୀ ଉଲ୍ଲେଖ କରିଛନ୍ତି ।

ଐତିହାସିକ ଡ଼କ୍ଟର ଦଣ୍ଡପାଣି ବେହରାଙ୍କ ବିବରଣୀ ଅନୁଯାୟୀ ଗଞ୍ଜାମ ସହରରେ ମହାମାରୀ ବ୍ୟାପିବାବେଳକୁ ବ୍ରହ୍ମପୁରରେ ମହୁରିରାଜ୍ୟ ଶାସନକୁ ନେଇ ଅରାଜକତା ଲାଗି ରହିଥିଲା । ୧୭୯୧ରୁ ବ୍ରହ୍ମପୁର ସମେତ ମହୁରି ରାଜ୍ୟକୁ ଗଞ୍ଜାମ ପ୍ରଶାସନ ଅଧୀନରେ ରଖାଯାଇଥିଲା । ୧୭୯୧ ରୁ ୧୮୧୦ ଯାଏଁ ମହୁରି ରାଣୀ ଏବଂ ୧୮୧୦ ରୁ ୧୮୧୬ ଯାଏଁ ଜଣେ ଦକ୍ଷିଣ ଭାରତୀୟଙ୍କୁ ରାଜସ୍ୱ ଆଦାୟ ନିମନ୍ତେ ଇଂରେଜ ପ୍ରଶାସନ ନିଯୁକ୍ତି ଦେଇଥିଲେ । ସରକାରୀ ନିଷ୍ପତିକୁ ବିରୋଧ କରି ସୁରସିଂ ମାର୍ଥାଙ୍କ ନେତୃତ୍ୱରେ ବିଦ୍ରୋହ ଆରମ୍ଭ ହୋଇଥିଲା । ବିଶୃଙ୍ଖଳା ଦମନ କରିବା ନିମନ୍ତେ ୧୮୧୬ ନଭେମ୍ୱରରେ ମହୁରି ରାଜ୍ୟ ପରିଚାଳନା ଭାର ଜଣେ କଲେକ୍ଟର ଗ୍ରହଣ କରିଥିଲେ । ଏହି ସମୟରେ ଗଞ୍ଜାମ ସହର ମହାମାରୀ ଆକ୍ରାନ୍ତ ହେବା ପରେ ଇଂରେଜ ପ୍ରଶାସନିକ କାର୍ଯ୍ୟାଳୟ ଓ ସୈନ୍ୟମାନଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରିବା ଅବସରରେ ବହୁ ସଂଖ୍ୟକ ଗଞ୍ଜାମ ସହରବାସୀ ମଧ୍ୟ ବ୍ରହ୍ମପୁରରେ ପହଞ୍ଚି ସ୍ଥାୟୀଭାବେ ବସବାସ ଆରମ୍ଭ କରିଥିଲେ । ଗଞ୍ଜାମ ମହାମାରୀ ବେଳର ବ୍ରହ୍ମପୁରର ମୂକସାକ୍ଷୀଭାବେ ସୁରସିଂ ମାର୍ଥାଙ୍କ ସ୍ମୃତିରେ ଆଜିକାର ମାର୍ଥା ପେଟା, ସୈନ୍ୟ ଛାଉଣୀ ବାରକ୍ସ ଓ ବାସସ୍ଥଳୀ ମିଲଟରୀ ଲାଇନ୍ସ, କଣ୍ଟେନମେଣ୍ଟ ରୋଡ଼କୁ ଚ଼ିହ୍ନଟ କରାଯାଇପାରେ

ଗଞ୍ଜାମ ମହାମାରୀର ପ୍ରାୟ ଶହେ ବର୍ଷ ପରେ ସଂଘଟିତ ୧୯୧୮-୧୯ରେ ସ୍ପାନିଶ ଫ୍ଳୁ ବ୍ରହ୍ମପୁରକୁ ବ୍ୟାପୀଥିଲା କି ନାହିଁ ତାହାର ବିବରଣୀ ଅସ୍ପଷ୍ଟ । ସେତେବେଳକୁ ଅନ୍ୟାନ୍ୟ ପତ୍ରପତ୍ରିକାଗୁଡ଼ିକ ମଧ୍ୟରେ ବ୍ରହ୍ମପୁରରୁ ସପ୍ତାହିକ ଆଶା ଓ କଟକରୁ ଉତ୍କଳ ଦୀପିକା ନିୟମିତ ପ୍ରକାଶିତ ହେଉଥିଲା । ସେଥିରେ କଣ ଉଲ୍ଲେଖ ରହିଛି ତାହା ଗବେଷଣାସାପେକ୍ଷ । ଉତ୍କଳ ଦୀପିକାର ପୁରାତନ ସଂଖ୍ୟାଗୁଡ଼ିକ ଭୁବନେଶ୍ୱର ଅଭିଲେଖାଗାର, ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରନ୍ଥାଗାର ଓ କଟକ ଶ୍ରୀରାମଚ଼ନ୍ଦ୍ର ଭବନ ଗ୍ରନ୍ଥାଗାରରେ ଉପଲବ୍ଧ ।

ନିକଟ ଅତୀତରେ ୨୦୦୩ର ସାର୍ସ ଓ ୨୦୦୯ର ସ୍ୱାଇନ ଫ୍ଳୁର ପ୍ରଭାବ ବ୍ରହ୍ମପୁରରେ ଅନୁଭୂତ ହୋଇନଥିଲା । ୧୯୯୫ରେ ସୁରତରେ ମହାମାରୀ ଦେଖା ଦେବା ପରେ ବହୁ ସଂଖ୍ୟକ ପ୍ରବାସୀ ଶ୍ରମିକ ଗଞ୍ଜାମ ଜିଲ୍ଲାକୁ ଫେରିବା ଅବସରରେ ସଂକ୍ରମଣ ଆଶଙ୍କା କରାଯାଇଥିଲା । ତେବେ ସେଭଳି ଅଘଟଣ ଘଟିନଥିଲା । ଏପରିକି ଏଡ଼ସ ସଂକ୍ରମଣ ମଧ୍ୟ ବ୍ରହ୍ମପୁରରେ ପ୍ରତିଫଳିତ ହୋଇପାରି ନଥିଲା । ମାଳ ଅଞ୍ଚଳ ସହ ସଂପର୍କ ହେତୁ ବ୍ରହ୍ମପୁରବାସୀଙ୍କୁ ବ୍ରେନ ମ୍ୟାଲେରିଆ ସଂକ୍ରମଣର ଭୟ ଲାଗି ରହିଥାଏ । ବିଂଶ ଶତାଦ୍ଦୀର ଶେଷ ଦୁଇ ଦଶକରେ ଏହାର ବହୁଳ ପ୍ରଭାବ ଅନୁଭୂତ ହୋଇଥିଲା ।

ମୋଟାମୋଟି ଭାବେ କୋଭିଡ଼-୧୯ ମହାମାରୀ ବ୍ରହ୍ମପୁର ପାଇଁ ଏକ ନୂଆ ଅନୁଭୂତି । ସହରବାସୀ ମାସ୍କ, ପିପିଇ ସୁଟ, ଲକଡ଼ାଉନର ଚ଼ିତ୍ର ପତ୍ରପତ୍ରିକା ପୃଷ୍ଠା ଓ ଟେଲିଭିଜନ ପର୍ଦ୍ଦାରେ ଦେଖୁଥିଲେ । ସେଭଳି ଅନୁଭୂତି ଯେ ଦିନେ ସେମାନଙ୍କ ଜୀବନର ଅଂଶବିଶେଷ ପାଲଟିଯିବ କେବେ ସ୍ୱପ୍ନରେ ସୁଦ୍ଧା କଳ୍ପନା କରିନଥିଲେ !

(ଅନୁପମ ଭାରତ / ୧୧ ଜୁଲାଇ ୨୦୨୦/ ପୃଷ୍ଠା : ୨)




Friday, July 17, 2020

Blurred future in the pandemic / ମହାମାରୀରେ ଅସ୍ପଷ୍ଟ ଭବିଷ୍ୟତ




କୋଭିଡ଼-୧୯ ସଂକ୍ରମଣରୁ ରକ୍ଷାପାଇବା ପାଇଁ ପ୍ରତିଷେଧକ ଟୀକା ଭେକ୍ସିନହିଁ ଏକମାତ୍ର ସ୍ଥାୟୀ ବିକଳ୍ପ ବୋଲି ଚିକିତ୍ସକମାନେ ଧରିନେଇଥିବାସ୍ଥଳେ ତାହାର ପ୍ରତୀକ୍ଷାରେ ସମଗ୍ର ବିଶ୍ୱବାସୀ । ପୂର୍ବରୁ କୌଣସି ଭୂତାଣୁ ପ୍ରତିରୋଧକ ଭେକ୍ସିନ ଉଦ୍ଭାବନ ଓ ସଫଳ ପରୀକ୍ଷଣ ପାଇଁ ଦଶରୁ କୋଡ଼ିଏ ବର୍ଷ ଯାଏଁ ଲାଗି ଯାଉଥିଲା । ଏକବିଂଶ ଶତାଦ୍ଦୀ ସୁଦ୍ଧା ଗବେଷଣା କ୍ଷେତ୍ରରେ ବ୍ୟାପକ ଉନ୍ନତି ଓ ବହୁସଂଖ୍ୟକ ଗବେଷକଙ୍କ ସଂପୃକ୍ତି ହେତୁ ଅତିକମରେ ଦୁଇବର୍ଷ ମଧ୍ୟରେ ସାର୍ସ-କରୋନା -୨ ଭୂତାଣୁ ସଂକ୍ରମଣ ପ୍ରତିଷେଧକ ଭେକ୍ସିନ ଉତ୍ପାଦନ ସମ୍ଭବପର ବୋଲି ମୂଳରୁ ବୈଜ୍ଞାନିକମାନେ ଆଶ୍ୱସନା ଦେଇ ଆସିଥିଲେ । କୋଭିଡ଼-୧୯ ସଂକ୍ରମଣ ଆରମ୍ଭରୁ ଗତ ଛଅ ମାସ ମଧ୍ୟରେ ଭେକ୍ସିନ ଉଦ୍ଭାବନ ନେଇ ଆମେ ବହୁ ଚାଞ୍ଚଲ୍ୟକର ସମ୍ୱାଦ ଶୁଣି ଆସିଛେ । କିନ୍ତୁ ପରେ ସବୁ ଗୁଜବ ପ୍ରମାଣିତ ହୋଇଛି ।

ସମ୍ୱାଦପତ୍ରରେ ପ୍ରକାଶିତ ବିବରଣୀ ଅନୁଯାୟୀ ୧୦ ଜୁଲାଇ ୨୦୨୦ରେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ବୈଠକରେ ବିଜ୍ଞାନ ଓ କାରିଗରୀବିଦ୍ୟା ପାର୍ଲାମେଣ୍ଟରୀ ପ୍ୟାନେଲ ସମ୍ମୁଖରେ ଦେଶର ସର୍ବୋଚ୍ଚ ବୈଜ୍ଞାନିକ ପ୍ରତିଷ୍ଠାନଗୁଡ଼ିକର କର୍ମକର୍ତ୍ତାଗଣ ସାର୍ସ-କରୋନା-୨ ଭୂତାଣୁର ପ୍ରତିଷେଧକ ଭେକ୍ସିନ ଦେଶବାସୀଙ୍କ ପାଇଁ ଅତିକମରେ ୧୨ ମାସ ପରେ ଉପଲବ୍ଧ ସଂଭବପର ବୋଲି ତଥ୍ୟ ଉପସ୍ଥାପନ କରିଥିଲେ । ଅବଶ୍ୟ ଏହି ସମୟସୀମା ସୁଚ଼ାଋରୂପେ ଗବେଷଣା ସମାହିତ ହେବା ଉପରେ ନିର୍ଭରଶୀଳ । ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆଙ୍କ ପକ୍ଷରୁ ପାଞ୍ଚଗୋଟି ଭାରତୀୟ ଔଷଧ ନିର୍ମାତାଙ୍କୁ ପରୀକ୍ଷାଗାରରେ ସଫଳତା ଯାଞ୍ଚ ପରେ ଭେକ୍ସିନ ମନୁଷ୍ୟ ଶରୀରରେ ପରୀକ୍ଷଣ ନିମନ୍ତେ ଅନୁମତି ପ୍ରଦାନ କରାଯାଇଛି ।

ସାଧାରଣ ଜ୍ଞାନରେ ଭୂତାଣୁ ପ୍ରତିଷେଧକ ଭେକ୍ସିନଗୁଡ଼ିକ ମନୁଷ୍ୟ ଶରୀରରେ ପରୀକ୍ଷା ତିନିଗୋଟି ପର୍ଯ୍ୟାୟରେ କରାଯାଇଥାଏ । ଭାରତରେ ଜୁଲାଇ ପ୍ରଥମାର୍ଦ୍ଧରେ ଦୁଇଗୋଟି ଭେକ୍ସିନର ମନୁଷ୍ୟ ଶରୀରରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇଛି । ଅପରପକ୍ଷେ ଋଷ ପରୀକ୍ଷା ସାରିଥିବା ଦାବୀ କରୁଥିବା ସ୍ଥଳେ ଚୀନ, ଜର୍ମାନୀ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଔଷଧ ନିର୍ମାତାମାନେ କରୋନା ଭୂତାଣୁ ପ୍ରତିଷେଧକ ଭେକ୍ସିନର ତୃତୀୟ ପର୍ଯ୍ୟାୟ ମନୁଷ୍ୟ ଶରୀରରେ ପରୀକ୍ଷା ଜୁଲାଇରୁ ଆରମ୍ଭ କରୁଛନ୍ତି । ସେମାନଙ୍କ ଟୀକା ୨୦୨୦ ବର୍ଷ ଶେଷ କିମ୍ୱା ୨୦୨୧ ବର୍ଷ ଆରମ୍ଭରେ ସର୍ବସାଧାରଣ ବ୍ୟବହାରଯୋଗ୍ୟ ହେବା ଆଶା କରାଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ହିସାବରେ ଆନ୍ତର୍ଜାତିକସ୍ତରରେ ୨୧ଗୋଟି ଭେକ୍ସିନ ମନୁଷ୍ୟ ଶରୀରରେ ପରୀକ୍ଷଣ ନିମନ୍ତେ ଆଗୁଆ ରହିଛି ।

ଭାରତୀୟ ବଜାରରେ ଭେକ୍ସିନ ପାଇଁ ଯଦି ପାର୍ଲାମେଣ୍ଟରୀ ପ୍ୟାନେଲ ସମ୍ମୁଖରେ ଉପସ୍ଥାପିତ ତଥ୍ୟକୁ ଆପାତତଃ ଗ୍ରହଣ କରିନେବା, ତେବେ ଆଗାମୀ ବର୍ଷ ବର୍ଷା ଋତୁ ଜୁଲାଇ ୨୦୨୧ ଯାଏଁ ଅପେକ୍ଷା କରିବାକୁ ପଡ଼ିବ । ପ୍ୟାନେଲକୁ ଆହୁରି କୁହାଯାଇଛି ଯେ ଭେକ୍ସିନର ବ୍ୟାବସାୟିକ ଉତ୍ପାଦନ ଆରମ୍ଭ ପରେ ପ୍ରଥମେ ସମ୍ୱେଦନଶୀଳ ଗୋଷ୍ଠୀ ଭନରେବଲ ଗୃପ ସଦସ୍ୟମାନଙ୍କଠାରେ ପ୍ରୟୋଗ କରାଯିବ । ଅର୍ଥାତ ବୟସ୍କ, ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ବ୍ୟାଧିଗ୍ରସ୍ତ ପ୍ରଥମେ ଭେକ୍ସିନ ପାଇବେ । ତତ୍ପରେ ଦୁଇ ତିନିମାସ ପରେ ୨୦୨୧ ଦଶହରା ବେଳକୁ ସର୍ବସାଧାରଣଙ୍କ ବ୍ୟବହାରଲାଗି ହୁଏତ ଉପଲବ୍ଧ ହେବ ।

ବିଶ୍ୱବ୍ୟାପୀ କୋଭିଡ଼-୧୯ ସଂକ୍ରମଣ ବିଗତ ଛଅ ମାସର ଇତିହାସରୁ ଜଣାଯାଏ ଯେ ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଭୂତାଣୁ ସଂକ୍ରମଣ ଦେଖା ଦେବାମାତ୍ରେ ସାମୂହିକସ୍ତରରେ ଜନପଦ ବନ୍ଦ ଲକଡ଼ାଉନସଟଡ଼ାଉନ ଜାରୀ କରାଯାଇ ଭୂତାଣୁର ବସ୍ତି-ଗ୍ରାମ-ସହର-ପାର ଗତିକୁ ନିୟନ୍ତ୍ରଣ କରାଯାଏ । ତତ୍ ସଙ୍ଗେ ଆକ୍ରାନ୍ତକୁ ଖୋଜି ବାହାର କରିବା, ପୃଥକବାସରେ ରଖିବା ତଥା ଚ଼ିକିତ୍ସା କରି ସଂକ୍ରମଣ ରୋକିବା ନିମନ୍ତେ ଉଦ୍ୟମ ଅବ୍ୟାହତ ରହେ । ଫଳରେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଭୂତାଣୁ ସଂକ୍ରମଣ ଶିଖର ସ୍ଥଳରେ ପହଞ୍ଚିବା ପରେ ହଠାତ ହ୍ରାସ ପାଏ ।

ଏହି ତତ୍ତ୍ୱକୁ ବିଚାରକୁ ନେଲେ ଦିଲ୍ଲୀ, ମୁମ୍ୱାଇ, ଚ଼େନ୍ନାଇ ଭଳି ବ୍ରହ୍ମପୁରରେ ମଧ୍ୟ ଜୁଲାଇ ମାସ ସାରା ସଂକ୍ରମଣ ବଢ଼ି ଚାଲିଥିବାରୁ ନିକଟ ଭବିଷ୍ୟତରେ ଆୟତ୍ତାଧୀନ ହେବା ଆଶା କରାଯାଇପାରେ । ଅବଶ୍ୟ ମହାମାରୀରେ ଭବିଷ୍ୟତ ସଦାସର୍ବଦା ଅସ୍ପଷ୍ଟ । କେଉଁ ଘଟଣାକ୍ରମ ହେତୁ କେଉଁ ଦିଗରେ ସଂକ୍ରମଣ ଗତି କରିବ ତାହାର ସଠିକ ଆକଳନ ଅସଂଭବ । ଉଦାହରଣରେ ମେ ଶେଷ ଜୁନ ଆରମ୍ଭରେ ପ୍ରବାସୀ ଶ୍ରମିକ ଘରମୁହାଁ ନ ହୋଇଥିଲେ #ବ୍ରହ୍ମପୁର ସହରରେ ସଂକ୍ରମଣର ହାର ହୁଏତ ଆଜିର ସୀମାରେ ପହଞ୍ଚି ନଥାନ୍ତା । ସେହିପରି ଚ଼ିହ୍ନଟ ହୋଇଥିବା କରୋନା ପଜିଟିଭଙ୍କ ତୁଳନାରେ ଚ଼ିହ୍ନଟ ନ ହୋଇଥିବାଙ୍କ ସଂଖ୍ୟା ଯଦି ଅଧିକ ରହିଥିବ ତେବେ ବି ହିସାବ ଗୋଳମାଳ ହୋଇଯିବା ସମ୍ଭବ ।

ଭାରତର ବିସ୍ତୃତ ଭୌଗଳିକ ପରିସୀମାରେ ଭୂତାଣୁ ସଂକ୍ରମଣ ହାର ଶୀର୍ଷରେ ଏକ ସମୟରେ ନ ପହଞ୍ଚି ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ସମୟରେ ପହଞ୍ଚିବା ସଂଭବପର ବୋଲି କୁହାଯାଉଛି । ଜୁଲାଇ ମାସରେ ପ୍ରକାଶିତ ବିଭିନ୍ନ ମଡ଼େଲ ମଧ୍ୟରେ ଟାଇମ୍ସ ଫେକ୍ଟ – ଇଣ୍ଡିଆ ଆଉଟବ୍ରେକ ପକ୍ଷରୁ ପ୍ରସ୍ତୁତ ପରିସଂଖ୍ୟାନ ମଡ଼େଲରେ ଦର୍ଶାଯାଇଛି ଯେ ସର୍ବଭାରତୀୟସ୍ତରରେ ଅଗଷ୍ଟ ତୃତୀୟ ସପ୍ତାହରେ ସଂକ୍ରମଣ ଶୀର୍ଷସ୍ଥାନରେ ପହଞ୍ଚି ଅକ୍ଟୋବର ମଧ୍ୟଭାଗ ବେଳକୁ ପରିସ୍ଥିତିରେ ସୁଧାର ଆସିବ । ଅବଶ୍ୟ ବିଶେଷଜ୍ଞମାନେ ମଡ଼େଲଗୁଡ଼ିକୁ ମାର୍ଗଦର୍ଶକ ଭାବେ ଗ୍ରହଣ କରୁଥିବା ସ୍ଥଳେ କୌଣସିଟିକୁ ପୂର୍ଣ୍ଣବିଶ୍ୱାସକୁ ନେଇନଥାନ୍ତି ।

ସାର୍ସ-କରୋନା-୨ ଭୂତାଣୁ ପ୍ରତିଷେଧକ ଭେକ୍ସିନ ଉଦ୍ଭାବନ ପରେ ବ୍ରହ୍ମପୁରବାସୀ ଅନେକ ପ୍ରଶ୍ନର ସମ୍ମୁଖୀନ ହେବେ । ଭାରତ ଆଗରୁ ବିଦେଶରେ ଭେକ୍ସିନ ଉପଲବ୍ଧ ହେଲେ ଏଠାକାର ଲୋକେ ତାହା ପାଇପାରିବେ କି ? ଦେଶରେ ଭେକ୍ସିନ ପ୍ରଦାନ କେବଳ ସରକାରୀ ଚ଼ିକିତ୍ସାଳୟରେ ସୀମିତ ରହିବ ନା ବ୍ୟାବସାୟିକସ୍ତରରେ ସମସ୍ତଙ୍କ ପାଇଁ ଘରୋଇ କ୍ଳିନକ, ଔଷଧ ଦୋକାନଗୁଡ଼ିକରେ ମିଳିବ ? ଭେକ୍ସିନ ନୂତନଭାବେ ପ୍ରସ୍ତୁତ ହେଉଥିବା ହେତୁ ଯଦି କିଛି ପାର୍ଶ୍ୱପ୍ରତିକ୍ରିୟା ହୁଏ ସେହି ଅବସରରେ ଉପଭୋକ୍ତାଙ୍କ ଅବସ୍ଥା କିଏ ବୁଝିବ ? ଇତ୍ୟାଦି ।

କୋଭିଡ଼-୧୯ ଭେକ୍ସିନକୁ ନେଇ ଅନ୍ୟ ଦୁଇଗୋଟି ପ୍ରଶ୍ନ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିଥାଏ । ପ୍ରଥମତଃ, ଏକ ବୃହତ ଜନସଂଖ୍ୟା କୌଣସି ଭେକ୍ସିନ ଗ୍ରହଣ କରିବା ଏବଂ ଏତଦ୍ୱାରା ସେମାନଙ୍କ ଶରୀରରେ ସଂକ୍ରମଣ ପ୍ରତିରୋଧକ କ୍ଷମତା ବଢ଼ିବା ପ୍ରମାଣିତ ନ ହେବା ଯାଏଁ କୌଣସି ଉତ୍ପାଦ ବିଶ୍ୱାସଯୋଗ୍ୟ ହୋଇପାରି ନଥାଏ । ଏଡ଼ସ୍, ସାର୍ସ, ଇବୋଲାର ଭେକ୍ସିନ ତ ଏଯାଏଁ ପ୍ରସ୍ତୁତ ହୋଇପାରି ନାହିଁ । ଅନ୍ୟାନ୍ୟ କାରଣ ମଧ୍ୟରେ କୁହାଯାଉଛି ଯେ କେତେକ କ୍ଷେତ୍ରରେ ଭୂତାଣୁଗୁଡ଼ିକ କ୍ରମାଗତଭାବେ ନିଜ ଆଙ୍ଗିକ ପରିବର୍ତ୍ତନ କରି ଚାଲିଥିବା ହେତୁ ପ୍ରତିଷେଧକ ଉଦ୍ଭାବନ ସମ୍ଭବପର ହୋଇପାରୁ ନାହିଁ ।

ଦ୍ୱିତୀୟତଃ, ଭେକ୍ସିନକୁ ନେଇ ସର୍ବସାଧାରଣରେ ଉତ୍ସୁକତା ଲାଗି ରହିଥିବା ସ୍ଥଳେ ଯଦି ଦେଢ଼ବର୍ଷ ପରେ ବ୍ରହ୍ମପୁରରେ ଏହି ସୁବିଧା ସୁଯୋଗ ପହଞ୍ଚିବା ସମୟ ବେଳକୁ ମହାମାରୀର ପ୍ରକୋପ ହ୍ରାସ ପାଇ ଆସିଥାଏ ତେବେ ଏହାର ଗୁରୁତ୍ୱ କେତେ ରହିବ ତାହା ସମୟ କହିବ । ଶହେ ବର୍ଷ ପୂର୍ବେ ୧୯୧୮-୧୯ରେ ସ୍ୱାନିଶ ଫ୍ଲୁ ସଂକ୍ରମଣରେ ସମଗ୍ର ବିଶ୍ୱର ପାଞ୍ଚରୁ ଦଶ କୋଟି ଓ ଭାରତରେ ଦେଢ଼ରୁ ଦୁଇ କୋଟି ଲୋକ ପ୍ରାଣ ହରାଇଥିଲେ । ସଂକ୍ରମଣ ସମୟରେ ଭେକ୍ସିନ ପ୍ରସ୍ତୁତ ହୋଇପାରି ନଥିଲା । ପରେ ମିଳିଲା । ବର୍ତ୍ତମାନ ସୁଦ୍ଧା ଫ୍ଲୁ ସମ୍ୱନ୍ଧୀୟ ରୋଗରେ ଭାରତରେ ବାର୍ଷିକ ଲକ୍ଷାଧିକ ଆକ୍ରାନ୍ତ ହେଉଛନ୍ତି । କିନ୍ତୁ କେତେ ଜଣ ଫ୍ଲୁ ଭେକ୍ସିନ ନେଉଛନ୍ତି ? କିଛି କାଳ ପରେ କୋଭିଡ଼-୧୯ ଏକ ସାଧାରଣ ରୋଗ ରୂପେ ଧରି ନିଆଯିବା ଏବଂ ଏହାର ଭେକ୍ସିନ ପ୍ରତି ଜନସାଧାରଣ ଯତ୍ନବାନ ନ ହେବା ଆଶଙ୍କାକୁ ତ ଏଡ଼ାଇ ଦେଇ ହେବ ନାହିଁ !



(‘ଅନୁପମ ଭାରତ / ୧୮ ଜୁଲାଇ ୨୦୨୦/ ପୃଷ୍ଠା :)


Wednesday, July 8, 2020

Home work for MLA / ବିଧାୟକଙ୍କ ପାଇଁ ହୋମୱାର୍କ



ଦେଶରେ ଚଳିତ ଜୁଲାଇ ପହିଲା ବାହୁଡ଼ା ତିଥିରେ ଅନଲକ ୨.୦ ଲାଗୁ ହେବା ଅବସରରେ #ବ୍ରହ୍ମପୁର ଚାରିଦିନିଆ ସଟଡ଼ାଉନରୁ ମୁକୁଳି ସପ୍ତାହରେ ପାଞ୍ଚ ଦିନ ୧୪ ଘଣ୍ଟା ଓ ଦୁଇ ଦିନ ୨୪ ଘଣ୍ଟା ସଟଡ଼ାଉନ ସରକାରୀ କଟକଣାରେ ପ୍ରବେଶ କଲା । ସେତେବେଳକୁ ସହରର ୩୦ ରୁ ଉର୍ଦ୍ଧ୍ୱ ସାହୀରେ ପ୍ରାୟ ୮୪ ଜଣ ନୂତନ କରୋନା - ୨ ଭୂତାଣୁ ସଂକ୍ରମିତ ଚ଼ିହ୍ନଟ ହୋଇସାରିଥିଲେମହାମାରୀରେ ରାଷ୍ଟ୍ରୀୟସ୍ତରରେ ଛଅ ଲକ୍ଷ ଆକ୍ରାନ୍ତ ହୋଇ ଅଠର ହଜାର ପାଖାପାଖି ମୃତ୍ୟୁବରଣ କରିଥିଲେ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ପନ୍ଦର ଶହ ଛୁଉଁଥିବା ସ୍ଥଳେ ପନ୍ଦର ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଥିଲା । ସେହିଦିନ ଯୁକ୍ତରାଷ୍ଟ୍ର ଆମେରିକାରେ ବାବନ ହଜାର ପଜିଟିଉଭ ଚ଼ିହ୍ନଟ ହୋଇଥିଲେ ।

କୁହାଯାଏ ଯେ ମହାମାରୀ ନିୟନ୍ତ୍ରଣରେ ସରକାରୀ ନୀତିନିୟମ ପଚାଶ ପ୍ରତିଶତ ପ୍ରଭାବ ପକାଏ । ଅତଏବ ଅନ୍ତଃରଷ୍ଟ୍ରୀୟ, ଜାତୀୟ ଓ ଜିଲ୍ଲାସ୍ତରରେ କୋଭିଡ଼-୧୯ର ପ୍ରାଦୁର୍ଭାବ ବିଚାରକୁ ନେଇ ସହରରେ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ ନିମନ୍ତେ ଉଦ୍ୟମ କରାଯାଉଛି । ତେବେ ବଳକା ପଚାଶ ପ୍ରତିଶତ ପ୍ରତିରୋଧ ଜନସାଧାରଣଙ୍କ ଉଦ୍ୟମ ଉପରେ ନିର୍ଭରଶୀଳ । ଏହି ପରିପ୍ରେକ୍ଷୀରେ ସହରରେ ବେସରକାରୀ ସ୍ୱେଚ୍ଛାସେବୀଙ୍କ ଉଦ୍ୟମରେ ସଂକ୍ରମଣ ରୋକିବା ନିମନ୍ତେ କିଛି ନରମ ପଦକ୍ଷେପମାନ ଗ୍ରହଣ କରାଯିବା ଉଚିତ ମନେକରାଯାଏ ।

କରୋନା ଭୂତାଣୁ ମୁଖ୍ୟତଃ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଟିରୁ କାଶ, ଛିଙ୍କ ଏପରିକି କଥାବାର୍ତ୍ତାବେଳେ ହଜାର ହଜାର ସଂଖ୍ୟାରେ ବାହାରକୁ ଆସିଥାଏ ଏବଂ ଏହାର ସଂସ୍ପର୍ଶରେ ଆସିଲେ ସୁସ୍ଥ ବ୍ୟକ୍ତି ସଂକ୍ରମିତ ହୁଏ । ଭଗବାନଙ୍କ ଦୟାରୁ ଭୂତାଣୁ ପବନରେ ବେଶୀ ଦୂର ଯାଇପାରେ ନାହିଁ ଏବଂ ତଳେ ପଡ଼ିଯାଏ । ଜଣେ ବ୍ୟକ୍ତି ସଂକ୍ରମିତ ହେବାର ତିନିଦିନ ଯାଏଁ ହୁଏତ ଜ୍ୱର, ଶୁଖିଲା କାଶ, ଛିଙ୍କ ଭଳି ଲକ୍ଷଣ ପ୍ରକାଶ ପାଇନପାରେ, କିନ୍ତୁ ତା ପାଟିରୁ ଅନବରତ ଭୂତାଣୁ ବାହାରକୁ ଆସିଥାନ୍ତି । ସେହିପରି ଆମ ଅଞ୍ଚଳରେ ବହୁ ବ୍ୟକ୍ତି ସଂକ୍ରମିତ ହେଲେ ସୁଦ୍ଧା ସେମାନଙ୍କଠାରେ କୌଣସି ଉଲ୍ଲେଖନୀୟ ଲକ୍ଷଣ ପ୍ରକାଶ ପାଇ ନ  ଥାଏ । ଏହି କାରଣରୁ ମହାମାରୀ ବିଶେଷଜ୍ଞମାନେ ସମସ୍ତଙ୍କୁ ଅନ୍ତତଃପକ୍ଷେ ଘରବାହାରକୁ ଆସିବାବେଳେ ମୁହଁରେ ମାସ୍କ ଲଗାଇବା ନିମନ୍ତେ ପରାମର୍ଶ ଦେଇଥାନ୍ତି । ସମସ୍ତେ ମାସ୍କ ପିନ୍ଧିଲେ ଆକ୍ରାନ୍ତଙ୍କ ପାଟିରୁ ଭୂତାଣୁ ବହୁ ସଂଖ୍ୟାରେ ବାହାରକୁ ଆସିପାରିବେ ନାହିଁ ଏବଂ ସୁସ୍ଥବ୍ୟକ୍ତି ନାକ ଦେଇ ଭୂତାଣୁ ପ୍ରବେଶ କରିପାରିବେ ନାହିଁ ।  ସରକାରୀସ୍ତରରେ ମାସ୍କ ନ ପିନ୍ଧି ଘର ବାହାରେ ବୁଲାବୁଲି କଲେ ଦଣ୍ଡିତ କରାଯାଉଥିବା ସ୍ଥଳେ ବେସରକାରୀସ୍ତରରେ ସହର ମଧ୍ୟରେ ଉପଲବ୍ଧ ମାସ୍କ ସଂଖ୍ୟା ବୃଦ୍ଧି କରାଇ ସମସ୍ତଙ୍କୁ ମାସ୍କ ପିନ୍ଧିବା ନିମନ୍ତେ ପ୍ରୋତ୍ସାହିତ କରାଯାଇପାରେ ।

ଜୁଲାଇ ପହିଲାରେ ଟାଉନ, ବଡ଼ ବଜାର, ବୈଦ୍ୟନାଥପୁର ଓ ଗୋସାଇଁ ନୂଆଗାଁ ଥାନା ଗିରି ମାର୍କେଟ, ଗେଟ ବଜାର, ଫାଷ୍ଟ ଗେଟ, ସିଟି ବସଷ୍ଟାଣ୍ଡ, ଟାଟା ବେଞ୍ଜ, ଖୋଡ଼ାସିଙ୍ଗ, ଅନ୍ଧପସରା ରୋଡ଼ ଓ ଗୋସାଇଁ ନୂଆଗାଁରେ ଧରପଗଡ଼ କରି ମାସ୍କ ନପିନ୍ଧିଥିବା ୧୩୭ ଜଣଙ୍କ ଠାରୁ ୨୭,୪୦୦ ଟଙ୍କା ଜରିମାନା ଆଦାୟ କରିଥିଲେ । ସଂକ୍ରମଣର ଭୟାବହତା ସଂପର୍କରେ ସଚ଼େତନ ନଥିବା, ଅନଭ୍ୟସ୍ତ ଓ ଉଦାସୀନତା କାରଣରୁ ସହରର ମୁଖ୍ୟ ଛକ ଗୁଡ଼ିକରେ ମାସ୍କ ନିପିନ୍ଧି ଚଳପ୍ରଚଳ ହେଉଥିବା ବ୍ୟକ୍ତିମାନଙ୍କୁ ପୋଲିସ ବାନ୍ଧିପାରେ, ତେବେ ସହରର ଗଳିକନ୍ଦିରେ ଆତଯାତ ହେଉଥିବା ବହୁ ସଂଖ୍ୟକ ମାସ୍କ ବ୍ୟବହାର ନ କଲେ ସଂକ୍ରମଣ ବ୍ୟାପ୍ତି ଜାରୀ ରହିପାରେ । ଅଧିକ ସଂଖ୍ୟକ ମାସ୍କ ନ ବ୍ୟବହାର କରିବାର ଅନ୍ୟତମ କାରଣ ରୂପେ ପର୍ଯ୍ୟାପ୍ତ ସଂଖ୍ୟକ ମାସ୍କ ଅଭାବକୁ ଚ଼ିହ୍ନଟ କରାଯାଇପାରେ ।

ବିଚାର କରାଯାଉ ସହରର ପାଞ୍ଚଲକ୍ଷ ବାସିନ୍ଦାଙ୍କ ପାଇଁ ଜଣକ ପିଚ୍ଛା ତିନି ଖଣ୍ଡ ହିସାବରେ ଯଦି ଅଧିକା ପନ୍ଦର ଲକ୍ଷ ମାସ୍କ ଉପଲବ୍ଧ କରାଯିବାର ସୁଯୋଗ ସୃଷ୍ଟି କରାଯାଇ ପାରେ ତେବେ ହୁଏତ ଲୋକଙ୍କ ମାସ୍କ ନ ପିନ୍ଧିବା ଅଭ୍ୟାସ ପରିବର୍ତ୍ତନ ହୋଇପାରେ । ଉନ୍ନତମାନର ସୁଦୃଶ୍ୟ ମାସ୍କ ଅନେକଙ୍କୁ ମାସ୍କ ପିନ୍ଧିବା ନିମନ୍ତେ ପ୍ରୋତ୍ସାହିତ କରିପାରେ ।

ବ୍ରହ୍ମପୁରରେ ବଜାରରେ ସୁନ୍ଦର ମାସ୍କଖଣ୍ଡକର ଖୁଚୁରା ମୂଲ୍ୟ ପଚାଶ ଟଙ୍କା । ପାଇକାରୀରେ ଉତ୍ପନ୍ନସ୍ଥଳୀ ତିରିପୁରଠାରେ ହୁଏତ ଦଶରୁ ପନ୍ଦର ଟଙ୍କାରେ ଉପଲବ୍ଧ । ବେସରକାରୀ ଉଦ୍ୟମରେ ପର୍ଯ୍ୟାୟକ୍ରମେ ସୁନ୍ଦରିଆ ଭଲ ମାସ୍କ ଆଣି ବିଭିନ୍ନ ସାହୀରୁ ସ୍ୱେଚ୍ଛାସେବୀଙ୍କୁ ଠାବ କରି ସେମାନଙ୍କ ଜରିଆରେ ସ୍ୱଚ୍ଛଳବର୍ଗଙ୍କଠାରୁ ଖଣ୍ଡ ପିଚ୍ଛା ୫୦ ଟଙ୍କା ଏବଂ ଆର୍ଥିକ ଦିଗରୁ ଅନଗ୍ରସରଙ୍କଠାରୁ ଖଣ୍ଡ ପିଚ୍ଛା ପାଞ୍ଚ ଟଙ୍କାରେ ପ୍ରତ୍ୟେକଙ୍କ ପାଇଁ ତିନିଖଣ୍ଡ ଲେଖା ଯଦି ଘର ଦୁଆରେ ପହୁଞ୍ଚାଇ ଦିଆଯାଇପାରନ୍ତା ତେବେ ସହରବାସୀଙ୍କ ମାସ୍କ ପିନ୍ଧା ଅଭ୍ୟାସ ବଢ଼ିଯାଆନ୍ତା ଓ ସ୍ଥାନୀୟ ସଂକ୍ରମଣକୁ ଅନ୍ତତଃପକ୍ଷେ ୪୦ ପ୍ରତିଶତ ଯାଏଁ ଏଡ଼ାଇ ଦିଆଯାଇପାରନ୍ତା ବୋଲି ବିଶ୍ୱାସ କରାଯାଇପାରେ ଏଭଳି ଏକ ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ସହରରେ ଜଣେ ଦକ୍ଷ ସଂଗଠକଙ୍କ ଉଦ୍ୟମ ଆବଶ୍ୟକ ।

ବାହୁଡ଼ା ଦିନ ମୁଖ୍ୟମନ୍ତ୍ରୀ ନିଜ ଦଳର ବିଧାୟକମାନଙ୍କ ସହ ଭିଡ଼ିଓ କନଫରେନ୍ସରେ ଆଲୋଚ଼ନା କରିଥିଲେ । ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ଭୂତାଣୁ ସଂକ୍ରମଣ ରୋକିବା ନିମନ୍ତେ ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ସ୍ଥାନୀୟ ବିଧାୟକମାନଙ୍କୁ ମାସ୍କ ବ୍ୟବହାର ବୃଦ୍ଧି ନିମନ୍ତେ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ । ମହାମାରୀ ସଂକ୍ରମଣ ରୋକିବା ଲାଗି ସରାକାରୀ କାର୍ଯ୍ୟକ୍ରମରେ ଜନପ୍ରତିନିଧିମାନଙ୍କୁ ଉପେକ୍ଷା କରାଯାଉଛି ବୋଲି ପୂର୍ବରୁ ଅଭିଯୋଗ ହୋଇଥିଲା । ମୁଖ୍ୟମନ୍ତ୍ରୀ ବିଧାୟକମାନଙ୍କୁ କହିଲେ ଆପଣ ନେତୃତ୍ୱ ନେଉଥିବା ଅଞ୍ଚଳରେ ଆପଣଙ୍କ ବିଶେଷ ଖ୍ୟାତି ରହିଛି । ଲୋକମାନେ ଆପଣଙ୍କଠାରୁ ଅନେକ କିଛି ଆଶା କରନ୍ତି । ଏହି ପରିପ୍ରେକ୍ଷୀରେ ଆମ ବିଧାୟକଙ୍କ ଉଦ୍ୟମରେ ଜୁଲାଇ ମାସରେ ସହରରେ ପନ୍ଦର ଲକ୍ଷ ମାସ୍କ ଆମେ ଆଶା କରିପାରିବା କି ?


(ଅନୁପମ ଭାରତ / ୪ ଜୁଲାଇ ୨୦୨୦ / ପୃ. ୨)

Photo by Jess Bailey on Unsplash


Sunday, July 5, 2020

How much time more / ଆଉ କେତେ ଦିନ ?

କୋଭିଡ଼-୧୯ ସଂକ୍ରମଣ ରୋକିବା ପ୍ରୟାସରେ ତିନିମାସ ଧରି ଲକଡ଼ାଉନ-ସଟଡ଼ାଉନ ଜାଲରେ ଛନ୍ଦି ହୋଇଯିବାପରେ ଏହି ମହାମାରୀର ଦିନକାଳ ଆଉ କେତେ ଦିନ ସେ ସଂପର୍କରେ ଜାଣିବା ନିମନ୍ତେ ବ୍ରହ୍ମପୁରବାସୀଙ୍କ ମନ ବ୍ୟଗ୍ର । ଅର୍ଦ୍ଧାଧିକଙ୍କ ହାତ ପାଆନ୍ତାରେ ଇଣ୍ଟରନେଟଯୁକ୍ତ ମୋବାଇଲ ଫୋନ, ୯୫ ପ୍ରତିଶତଙ୍କ ଘରେ ଟେଲିଭିଜନ ଏବଂ ୩୬ ପ୍ରତିଶତ ଯାଏଁ ସମ୍ୱାଦପତ୍ର ପାଠକ ଥିବା ତଥା ସୁଇଚ ଟିପିଲେ, ପୃଷ୍ଠା ଓଲଟାଇଲେ ଅବିରତ ମହାମାରୀ ତଥ୍ୟ ପ୍ରବାହିତ ହେଉଥିବା ସ୍ଥଳେ ଆଉ କେତେଦିନ ଭୂତାଣୁ ସକ୍ରିୟ ରହିବ ଏବଂ ସାଧାରଣ ଜନଜୀବନ ପ୍ରଭାବିତ ହୋଇଚାଲିଥିବ ତାହାର ସଠିକ ଉତ୍ତର ଖୋଜି ପାଇ ହୁଏନା ।

ଏଠାରେ ଗୋଟିଏ କଥା ମନେ ରଖିବାକୁ ପଡ଼ିବ ଯେ ମହାମାରୀ ଆରମ୍ଭ ହେବା ସମୟରେ ବୈଜ୍ଞାନିକମାନେ ଚ଼େତାବନୀ ଦେଇ ନୂତନ କରୋନା ଭୂତାଣୁ ଏନ-କୋଭ-୨ ଏକ ସଂପୂର୍ଣ୍ଣ ନୂତନ ଭୂତାଣୁ ଏବଂ ଚିକିତ୍ସା ବିଜ୍ଞାନୀମାନେ ଏହାର ସଂକ୍ରମଣର ଗତିବିଧି କିମ୍ୱା ଉପଚାର ସଂପର୍କରେ ଅଜ୍ଞ ଥିବା ଘୋଷଣା କରିଥିଲେ । ଭୂତାଣୁ ଚ଼ିହ୍ନଟର ଛଅମାସ ବିତିଯାଇଥିଲେ ସୁଦ୍ଧା ଏହାର ପ୍ରତିଷେଧକ କିମ୍ୱା ଚ଼ିକିତ୍ସା ଲାଗି ନିର୍ଦ୍ଧିଷ୍ଟ ଔଷଧ ଉଦ୍ଭାବିତ ହୋଇପାରି ନାହିଁ । ଦେଶବିଦେଶରେ ବହୁ ସଂଖ୍ୟକ ବୈଜ୍ଞାନିକ ଭୂତାଣୁ ସଂପର୍କରେ ଗବେଷଣା ଜାରୀ ରଖିଛନ୍ତି । ଅତଏବ ଏହି ମହାମାରୀରୁ କେବେ ନିସ୍ତାର ମିଳିବ ତାହାର ସଠିକ ଆକଳନ ସଂଭବପର ନୁହଁ ।

ତେବେ ମହାମାରୀର ସମୟସୀମା ନିର୍ଦ୍ଧାରଣ ଲାଗି ବିଜ୍ଞାନସମ୍ମତ୍ତ ଧାରାରେ ପରିସଂଖ୍ୟାନ ଗଣିତ ଷ୍ଟାଟିଷ୍ଟିକ୍ସ, ସଂକ୍ରମଣ ବିଜ୍ଞାନ ଏପିଡ଼େମିଲୋଜି ଓ ଜନସ୍ୱାସ୍ଥ୍ୟ ପବ୍ଳିକ ହେଲଥ ବିଶେଷଜ୍ଞମାନେ ପୂର୍ବାନୁମାନ କରିଥାନ୍ତି । ଭୂତାଣୁର ଚଳନ୍ତି ଗତିବିଧି ସଂକ୍ରାନ୍ତୀୟ ତଥ୍ୟ ଆଧାରରେ ପରିସଂଖ୍ୟାନବିତମାନେ ସମ୍ଭାବ୍ୟ ସଂକ୍ରମଣର ମଡ଼େଲ ପ୍ରସ୍ତୁତ କରୁଥିବା ସ୍ଥଳେ ସଂକ୍ରମଣ ବିଜ୍ଞାନୀମାନେ ବିଗତ ମହାମାରୀଗୁଡ଼ିକର ଇତିହାସ ତର୍ଜମା କରି ପରାମର୍ଶ ପ୍ରଦାନ କରିଥାନ୍ତି । ପରିସଂଖ୍ୟାନଭିତ୍ତିକ ମଡ଼େଲଗୁଡ଼ିକ ବାସ୍ତବକ୍ଷେତ୍ରରୁ ସଂଗୃହୀତ ତଥ୍ୟ ଉପରେ ନିର୍ଭିରଶୀଳ ହେଉଥିବା ହେତୁ ତାହା ସମୟାନ୍ତେ ପରିବର୍ତ୍ତିତ ହୋଇଥାଏ । ଉଦାହରଣରେ ଗଞ୍ଜାମକୁ ପ୍ରବାସୀ ଶ୍ରମିକ ଫେରିବା ପୂର୍ବରୁ ଯେଉଁ ପରିସ୍ଥିତି ଥିଲା ବା ତଥ୍ୟଭିତ୍ତିକ ମଡ଼େଲ ପ୍ରସ୍ତୁତ କରାଯାଇଥିଲା ତାହା ପ୍ରବାସୀ ଶ୍ରମିକ ଫେରିବା ପରବର୍ତ୍ତୀ ଅବସ୍ଥାରେ ଗ୍ରହଣଯୋଗ୍ୟ ହୋଇପାରିଲା ନାହିଁ ।


ଅନଲାଇନ ସମ୍ୱାଦ ପୋର୍ଟାଲ ଦି ୱାଇର ନିମନ୍ତେ ବର୍ଷୀଆନ ସାମ୍ୱାଦିକ କରନ ଥାପର ମହାମାରୀ ସଂକ୍ରମଣ ସଂପର୍କରେ କେତେକ ଖ୍ୟାତନାମା ବିଶେଷଜ୍ଞଙ୍କ ସହ ସାକ୍ଷାତକାର ଆୟୋଜନ କରିଥିଲେ । ସେଗୁଡ଼ିକର ଭିଡ଼ିଓ ୟୁ-ଟ୍ୟୁବରେ ଉପଲବ୍ଧ । ଯୁକ୍ତରାଷ୍ଟ୍ର ଆମେରିକାର ହାର୍ଭାଡ଼ ବିଶ୍ୱବିଦ୍ୟାଳୟର ଭାରତୀୟ ବଂଶୋଦ୍ଭବ ପ୍ରଫେସର ଆଶିଷ ଝା କହିଛନ୍ତି ଯେ ଅଗଷ୍ଟ ମାସ ବେଳକୁ ଭାରତରେ ଦୈନିକ ନୂତନ ସଂକ୍ରମଣ ସଂଖ୍ୟା ଦୁଇ ଲକ୍ଷ ଛୁଇଁପାରେ । ସେହିପରି ୱାଶିଂଟନସ୍ଥିତ ସେଣ୍ଟର ଫର ଡିଜିଜ ଡ଼ାଏନାମିକ୍ସର ନିର୍ଦ୍ଦେଶକ ରାମନାନ ଲକ୍ଷ୍ମୀନାରାୟଣନ କହିଛନ୍ତି ସେ ସେପ୍ଟେମ୍ୱର ମାସ ବେଳକୁ ଭାରତରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା କୋଡ଼ିଏ କୋଟିରେ ପହଞ୍ଚିପାରେ । ଏଭଳି ଆକଳନଗୁଡ଼ିକ ଯେ ବାସ୍ତବ କ୍ଷେତ୍ରରେ ପ୍ରତିଫଳିତ ହେବ ତାହା ପୂର୍ଣ୍ଣ ବିଶ୍ୱାସଯୋଗ୍ୟ ମନେ ନହେଲେ ହେଁ ମହାମାରୀର ପ୍ରଭାବ ଯେ ଦୀର୍ଘକାଳ ବଳବତ୍ତର ରହିବ ଏହା ବିଶେଷଜ୍ଞମାନଙ୍କ ମତ ବୋଲି ଧରିନେବାକୁ ହେବ ।

ଡ଼ାକ୍ତର ଜୟପ୍ରକାଶ ମୁଲିଏଲ ଭେଲୋର ଖ୍ରୀଷ୍ଟିଆନ ମେଡ଼ିକାଲ କଲେଜର ଭୂତପୂର୍ବ ଅଧ୍ୟକ୍ଷ ଏବଂ ନିଜେ ଜଣେ ସଂକ୍ରାମକ ରୋଗ ବିଶେଷଜ୍ଞ । ବ୍ରହ୍ମପୁରବାସୀ ବିଶାଖପାଟଣା, ଭୁବନେଶ୍ୱରରେ ଘରୋଇ ହସପିଟାଲ ସୁବିଧା ମିଳିବା ପୂର୍ବରୁ ଜଟିଳ ରୋଗ ଚିକିତ୍ସା ପାଇଁ ଅଧିକାଂଶ ଭେଲୋର ଉପରେ ନିର୍ଭରଶୀଳ ଥିଲେ । ତେଣୁ ଭେଲୋର ଡ଼ାକ୍ତରଙ୍କ ପରାମର୍ଶ ବୟସ୍କ ସହରବାସୀଙ୍କ ନିମନ୍ତେ ରୋଚକ ହୋଇପାରେ । ସେ କହିଛନ୍ତି ଯେ ଭାରତରେ ଆମେ ପ୍ରଥମେ ଭୂତାଣୁକୁ ବନ୍ଦ ବ୍ଳକ କରିଦେବା ଓ ଦ୍ୱିତୀୟ ପର୍ଯ୍ୟାୟରେ ମୂଳପୋଛ ଏଲିମିନେଟ କରିଦେବା ନିମନ୍ତେ ପ୍ରଚେଷ୍ଟା କରିଥିଲେ । ତେବେ ତାହା ସଂଭବ ହେଲା ନାହିଁ । ଯେକୌଣସି କାରଣରୁ ହେଉନା କାହିଁକି ତୃତୀୟ ପର୍ଯ୍ୟାୟରେ ଭୂତାଣୁ ଦେଶ ସାରା ବ୍ୟାପି ଯାଇଛି । ବହୁ ଲୋକ ସଂକ୍ରମିତ ହେଉଛନ୍ତି । କିନ୍ତୁ ଏଥିରେ ଡ଼ରିବାର କିଛି ନାହିଁ । ମହାମାରୀରେ ସଂକ୍ରମିତଙ୍କ ସଂଖ୍ୟା ଶିଖରରେ ପହଞ୍ଚିବା ପରେ ନରମିଥାଏ । ତାହାହିଁ ମହାମାରୀର ଲକ୍ଷଣ । ତେଣୁ ଆମକୁ ଶିଖରରେ ପହଞ୍ଚିବା ଯାଏଁ ସାବଧାନତା ଅବଲମ୍ୱନ କରିବାକୁ ପଡ଼ିବ ।

ଡ଼ାକ୍ତର ମୁଲିଏଲ ଭୂତାଣୁ ମୁକାବିଲା ନିମନ୍ତେ ସାମୂହିକ ପ୍ରତିରୋଧ ହେର୍ଡ ଇମ୍ୟୁନିଟିକୁ ଗୁରୁତ୍ୱ ଦିଅନ୍ତି । ତାଙ୍କରି ମତରେ ସାରା ଭାରତରେ ସଂକ୍ରମଣ ଶିଖରରେ ଗୋଟିଏ ସମୟରେ ପହଞ୍ଚିବ ନାହିଁ । ପାରିପାର୍ଶ୍ୱିତ ତଥ୍ୟାବଳୀକୁ ବିଚାରକୁ ନେଲେ ହୁଏତ ମୁମ୍ୱାଇ ଓ ଦିଲ୍ଲୀରେ ଜୁଲାଇ ତଥା ଚ଼େନ୍ନାଇରେ ଅଗଷ୍ଟ ମାସ ସୁଦ୍ଧା ସଂକ୍ରମଣ ଶୀର୍ଷରେ ପହଞ୍ଚିବା ଆଶା କରାଯାଇପାରେ ।

ବ୍ରହ୍ମପୁରବାସୀଙ୍କ ଗଞ୍ଜାମ ଜିଲ୍ଲାକୁ ପ୍ରାୟ ଦୁଇ ଲକ୍ଷ ୧୬ ହଜାର ପ୍ରବାସୀ ଶ୍ରମିକ ଫେରିଥିବା ଏବଂ ସେମାନଙ୍କ ଦ୍ୱାରା ଗ୍ରାମାଞ୍ଚଳରେ ସଂକ୍ରମଣ ବ୍ୟାପିଲେ ପରୋକ୍ଷରେ ସମଗ୍ର ଜିଲ୍ଲା ପ୍ରଭାବିତ ହେବା ଆଶଙ୍କାକୁ ଡ଼ାକ୍ତର ମୁଲିଏଲଙ୍କ ପରାମର୍ଶ ଟାଳି ଦେଇଥାଏ । ସେ କହୁଛନ୍ତି ଯେ କୋଭିଡ଼-୧୯ ଏକ ସହରୀ ରୋଗ, ଗ୍ରାମାଞ୍ଚଳରେ ଏହା ବ୍ୟାପିବାର ସମ୍ଭାବନା କମ, ସାମାନ୍ୟ କେତେକ ସଂକ୍ରମିତ ହେଲେ ହେଁ ସେମାନେ ସାଧାରଣ ଚିକିତ୍ସାରେ ଆରୋଗ୍ୟ ଲାଭ କରିପାରିବେ ।

ମହାମାରୀର ପ୍ରାଦୁର୍ଭାବ ହ୍ରାସ ନିମନ୍ତେ ପ୍ରତିଷେଧକ ଓ ଚ଼ିକିତ୍ସା ନିମନ୍ତେ ଔଷଧ ଗୁରୁତ୍ୱପୂର୍ଣ୍ଣ ଏଗୁଡ଼ିକ ଉପଲବ୍ଧ ହେଲେ ସମସ୍ତ ପରିସଂଖ୍ୟାନଗତ ଆକଳନ ଓଲଟ ପାଲଟ ହୋଇଯିବ । ଏହି କ୍ଷେତ୍ରରେ ସୁସମ୍ୱାଦ ଏହି ଯେ, ଚୀନ ସରକାରଙ୍କ ସମର୍ଥିତ ଏକ ଔଷଧ ନିର୍ମାତା ଏନ-କୋଭ-୨ର ପ୍ରତିଷେଧକ ୟୁନାଇଟେଡ଼ ଆରବ ଏମରିଟେସରେ ମନୁଷ୍ୟମାନଙ୍କ ଉପରେ ତୃତୀୟ ପର୍ଯ୍ୟାୟରେ ପରୀକ୍ଷା ଆରମ୍ଭ କରିଛି । ଅର୍ଥାତ ଦୁଇ ତିନି ମାସ ମଧ୍ୟରେ ସଫଳତା ମିଳିପାରେ । ସେହିପରି ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ ସଂକ୍ରମକରୋଗ ବିଶେଷଜ୍ଞ ସେଠାକାର ବ୍ୟବସ୍ଥାପକମାନଙ୍କୁ କହିଛନ୍ତି ଯେ ଚଳିତ ବର୍ଷ ଶେଷ କିମ୍ୱା ଆଗାମୀ ବର୍ଷ ଆରମ୍ଭରେ ପ୍ରଥମ ମାର୍କିନ ପ୍ରତିଷେଧକ ଆସିଯିବ । ମଡ଼େନା ନାମକ ଔଷଧ ନିର୍ମାତା ପ୍ରତିଷେଧକର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଜୁଲାଇରେ କରିବେ । ବିଶ୍ୱର ପ୍ରାୟ ଡ଼ଜନେ ଗବେଷଣା କିଛି ମାସ ବ୍ୟବଧାନରେ ତୃତୀୟ ପର୍ଯ୍ୟାୟ ଅର୍ଥାତ ପ୍ରତିଷେଧକ ଶେଷ ପରୀକ୍ଷା ସାରିବେ ।

ସେହିପରି ଅନ୍ୟ ଘଟଣାକ୍ରମରେ କୋଭିଡ଼-୧୯ ଚ଼ିକିତ୍ସା ନିମନ୍ତେ ଫଳପ୍ରଦ ପ୍ରମାଣିତ ହେବାପରେ ଭୂତାଣୁ ବିରୋଧି ଆଣ୍ଟି-ଭାଇରାଲ ଔଷଧ ରେମଡ଼େସିଭର ଭାରତରେ ପ୍ରସ୍ତୁତ ହୋଇ ବିକ୍ରୀ ଆରମ୍ଭ ହୋଇଛି । ହାଇଦରାବାଦର ହେଟେରୋ ଦ୍ୱାରା ପ୍ରସ୍ତୁତ ୧୦୦ ମିଲି ଇଞ୍ଜେକସନର ଦାମ ୫,୫୦୦ ଟଙ୍କା ଏବଂ ଗୋଟିଏ କୋର୍ସ ପାଇଁ ଛଅଗୋଟି ଭାଏଲ ଉପଯୋଗ କରାଯିବ । ଅନ୍ୟତମ ପ୍ରମୁଖ ଔଷଧ ନିର୍ମାତା ସିପଲା ପକ୍ଷରୁ ପ୍ରସ୍ତୁତ ଔଷଧ ସାମାନ୍ୟ ଶସ୍ତା ହେବ ବୋଲି କୁହାଯାଉଛି ।

ଏକ ପକ୍ଷରେ ସଂକ୍ରମଣର ଭୟ ଓ ଅପର ପକ୍ଷରେ ଉପଶମର ଆଶ୍ୱାସନା #ବ୍ରହ୍ମପୁରବାସୀଙ୍କୁ ଆଗାମୀ କିଛି ମାସ ସତର୍କତା ସହ ଜୀବନଚ଼ର୍ଯ୍ୟା ନିମନ୍ତେ ପ୍ରୋତ୍ସାହିତ କରିବା ଆଶା କରାଯାଇପାରେ । ମାସ୍କ ପିନ୍ଧିବା, ବାରମ୍ୱାର ହାତ ଧୋଇବା, ବ୍ୟକ୍ତି-ବ୍ୟକ୍ତି ମଧ୍ୟରେ ଶାରିରୀକ ଦୂରତ୍ୱ ବଜାୟ ରଖିବା, ଭିଡ଼ରୁ ଦୂରେଇ ରହିବା ଏବଂ ବିଶେଷଜ୍ଞଙ୍କ ପରାମର୍ଶ ଗ୍ରହଣ କରିବା ଆବାଳ-ବୃଦ୍ଧା-ବନିତା, ଶିକ୍ଷିତ-ଅଶିକ୍ଷିତ, ଧନୀ-ଗରିବ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ।

(ଅନୁପମ ଭାରତ ତା ୨୭/୦୬/୨୦୨୦ ପୃ. ୨)