Friday, October 28, 2022

Odia cinema in Brahmapur / ବ୍ରହ୍ମପୁରରେ ଓଡ଼ିଆ ଚଳଚ଼ିତ୍ର

 



#ବ୍ରହ୍ମପୁର ସହରରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ୧୯୩୬ରେ ଗଠିତ ହେବା ପୂର୍ବରୁ ୧୯୨୮ରୁ ସ୍ଥାୟୀ ଚଳଚ଼ିତ୍ର ପ୍ରେକ୍ଷାଳୟ ସ୍ଥାପିତ ହୋଇଥିଲା । ପ୍ରଥମ ଭାରତୀୟ ଚଳଚ଼ିତ୍ର ଆଲମ ଆରା ୧୯୩୦-୩୧ରେ ନିର୍ମିତ ହୋଇଥିବା ସ୍ଥଳେ ପ୍ରଥମ ଓଡ଼ିଆ ଭାଷାରେ ଚଳଚ଼ିତ୍ର ସୀତା ବିବାହ ୧୯୩୪ରେ ମୁକ୍ତିଲାଭ କରିଥିଲା । ବ୍ରହ୍ମପୁରରେ ଏସଏସଭିଟି ବା ସୀତାରାମ ବିଳାସ ଟକିଜରେ ସୀତା ବିବାହ ପ୍ରଦର୍ଶିତ ହୋଇଥିଲା । ପ୍ରଥମ ଓଡ଼ିଆ ଚଳଚ଼ିତ୍ର ନିର୍ମାଣର ୧୫ ବର୍ଷ ପରେ ଲଳିତା ୧୯୪୯ରେ, ୧୯୫୦ରେ ଶ୍ରୀ ଜଗନ୍ନାଥରୋଲସ ଟୁ-ଏଇଟମୁକ୍ତିଲାଭ କରିଥିଲା । ତେବେ ପରବର୍ତ୍ତୀ ୨୫ ବର୍ଷ ମନ୍ଥର ରହି ୧୯୭୫ରେ ନବ-ଜାଗରଣ ପରଠାରୁ ବର୍ଷକରେ ପ୍ରାୟ ଡ଼ଜନେ ଯାଏଁ ଓଡ଼ିଆ ଚଳଚ଼ିତ୍ର ନିର୍ମାଣ ଧାରା ବିକଶିତ ହୋଇଥିଲା ।
 
କଟକ ଓଡ଼ିଆ ଚଳଚ଼ିତ୍ର ଓଲିଉଡ଼ର କେନ୍ଦ୍ରସ୍ଥଳୀ । ବିଂଶ ଶତାଦ୍ଦୀର ଅଷ୍ଟମ ଦଶକ ଯାଏଁ ଓଡ଼ିଆ ଚଳଚ଼ିତ୍ରଗୁଡ଼ିକ କଟକରେ ମୁକ୍ତିଲାଭ କରୁଥିଲା ଏବଂ ପୁରୀ, ବ୍ରହ୍ମପୁର, ସମ୍ୱଲପୁର ଓ ପରେ ରାଉରକେଲା ପ୍ରଦର୍ଶନର ଦ୍ୱିତୀୟ ସ୍ତର ସହର ରୂପେ ବିବେଚ଼ିତ ହେଉଥିଲା । ସେ ସମୟରେ ବ୍ରହ୍ମପୁରରେ ଏସସସଭିଟି, ଜ୍ୟୋତି, ବିଜୟା ଓ ଉତ୍କଳ ଚାରିଗୋଟି ପ୍ରେକ୍ଷାଳୟ ମଧ୍ୟରୁ ଉତ୍କଳରେ ହିଁ ଅଧିକ ସଂଖ୍ୟକ ଓଡ଼ିଆ ଚଳଚ଼ିତ୍ର ଚାଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟର ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକରେ ଓଡ଼ିଆ ଚଳଚ଼ିତ୍ର ପ୍ରଦର୍ଶନ ବାଧ୍ୟତାମୂଳକ ନୀତି ଲାଗୁ କରିବାପରେ ଜ୍ୟୋତି ଓ ଏସଏସଭିଟିରେ କିଛି ଓଡ଼ିଆ ଚଳଚ଼ିତ୍ର ପ୍ରଦର୍ଶିତ ହେଉଥିଲା । ତେବେ ବିଜୟା ଟକିଜ ରୂପେଲି ପରଦାରେ କାଁ ଭାଁ ଓଡ଼ିଆ ଚଳଚ଼ିତ୍ର ପହଞ୍ଚୁଥିଲା ।
 
ପାରମ୍ପରିକ ଭାବେ ବ୍ରହ୍ମପୁରରେ ଚଳଚ଼ିତ୍ର ଦର୍ଶକ ହିନ୍ଦି, ତେଲୁଗୁ, ଇଂଲିଶ ଚଳଚ଼ିତ୍ରରେ ରୁଚ଼ି ରଖୁଥିଲେହେଁ ଓଡ଼ିଆ ଚଳଚ଼ିତ୍ରକୁ ହତାଦର କରୁନଥିଲେ । ଓଡ଼ିଆ ଚଳଚ଼ିତ୍ର ଏକ ସ୍ୱତନ୍ତ୍ର ଦର୍ଶକ ଗୋଷ୍ଠୀର ଆଦୃତି ଲାଭ କରୁଥିଲା । ସପରିବାରେ ଓଡ଼ିଆ ଦର୍ଶକ ଓଡ଼ିଆ ଚଳଚ଼ିତ୍ର ପ୍ରେକ୍ଷାଳୟରେ ପହଞ୍ଚିବା ଅଭ୍ୟାସରେ ପରିଣତ ହୋଇପାରିଥିଲା । କେତେକ ଓଡ଼ିଆ ଚଳଚ଼ିତ୍ର ଦୈନିକ ତିନିଗୋଟି ସୋରେ ଚାରିରୁ ପାଞ୍ଚ ସପ୍ତାହ ଯାଏଁ ଚାଲୁଥିଲା । ପ୍ରଯୋଜକ ଓ ବିତରକମାନେ ବ୍ରହ୍ମପୁର କେନ୍ଦ୍ରରୁ ଓଡ଼ିଆ ଚଳଚ଼ିତ୍ର ପ୍ରଦର୍ଶନରେ ବେଶ ଲାଭବାନ ହେଉଥିଲେ । କିଏ କାହାରମମତାର ୫୦ ଦିନ ପ୍ରଦର୍ଶନ ପୂର୍ତ୍ତୀ ଅବସରରେ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇଥିଲା । କିଏ କାହାର ଉତ୍ସବ ଉତ୍କଳ ସିନେମାରେ ଏବଂ ମମତା ଉତ୍ସବ ଜୋତି ପିକଚ଼ର ପ୍ୟାଲେସରେ ସଂପୃକ୍ତ ଚଳଚ଼ିତ୍ରର ଅଭିନେତା ଅଭିନେତ୍ରୀମାନେ ଯୋଗ ଦେଇଥିଲେ ।
 
ବ୍ରହ୍ମପୁରରେ ୧୯୮୨ରେ ଦୂରଦର୍ଶନ ଯୋଗେ ଏବଂ ୧୯୯୨ରୁ ଘରୋଇ ଚ୍ୟାନେଲ ମାଧ୍ୟମରେ ଟେଲିଭିଜନ ପ୍ରସାରଣ ଆରମ୍ଭ ହେଲା । ପ୍ରେକ୍ଷାଳୟରେ ଚଳଚ଼ିତ୍ର ଉପଭୋଗର ଅନୁଭୂତି କ୍ରମଶଃ ସହରବାସୀଙ୍କ ପାଇଁ ଟେଲିଭିଜନରେ ଦୈନନ୍ଦିନ ପାରିବାରିକ ମନୋରଞ୍ଜନରେ ରୂପାନ୍ତରିତ ହେଲା । ଧାରାବାହିକୀର ମାଦକତା ଦର୍ଶକଙ୍କୁ ଟେଲିଭିଜନ ପରଦା ସମ୍ମୁଖରୁ ବିରତି ବାରଣ କଲା । ଲୋକପ୍ରିୟ ହିନ୍ଦି ଓ ତେଲୁଗୁ ଧାରାବାହିକ ସମେତ ସମ୍ୱାଦ ପ୍ରାଇମ ଟାଇମ, ଅର୍ଥାତ ରାତି ସାତରୁ ଦଶ ମଧ୍ୟରେ ଟେଲିଭିଜନ ପ୍ରସାରଣରେ ଋଦ୍ଧିମନ୍ତ ହେଉଥିବା ହେତୁ ଚଳଚ଼ିତ୍ର ପ୍ରେକ୍ଷାଳୟର ସର୍ବାପେକ୍ଷା ଦର୍ଶକ ଦାବୀ କରୁଥିବା ସନ୍ଧ୍ୟା ୬ ରୁ ୯ ଫାଷ୍ଟ ସୋ ଓ ରାତି ୯ ରୁ ୧୨ ସେକେଣ୍ଡ ସୋର ଦର୍ଶକହାନୀରେ ପର୍ଯ୍ୟବସିତ ହେଲା । ଏହି ଧାରା ଟ୍ରେଣ୍ଡରେ ଓଡ଼ିଆ ଚଳଚ଼ିତ୍ର ମଧ୍ୟ ଦର୍ଶକ ହରାଇବାକୁ ବାଧ୍ୟ ହେଲା ।
 
ଟେଲିଭିଜନ ଯୋଗୁଁ ଚଳଚ଼ିତ୍ର ଦର୍ଶକହାନୀ ୧୯୮୨ ରୁ ୨୦୧୨ ତିରିଶି ବର୍ଷ ଲାଗିରହିଥିବା ଅବସରରେ ୨୦୧୨ ରୁ ୨୦୨୨ ଦଶ ବର୍ଷ ମଧ୍ୟରେ ସ୍ମାର୍ଟଫୋନ ପରଦାରେ ଭିଡ଼ିଓ ଆହରଣ ଅଭ୍ୟାସ ପରିସ୍ଥିତିକୁ ଦୋହଲାଇ ଦେଇଛି । ସର୍ବଭାରତୀୟସ୍ତରରେ ଅନୁସୃତ ଏହି ଟ୍ରେଣ୍ଡରେ ବ୍ରହ୍ମପୁର ମଧ୍ୟ ସାମିଲ ହୋଇଛି । ଉଲ୍ଲେଖନୀୟ ବିଷୟ ଏହିଯେ ଏହି ଟ୍ରେଣ୍ଡ ଭବିଷ୍ୟତରେ ସମୃଦ୍ଧ ହେବ । ୨୦୨୨ ମଧ୍ୟଭାଗ ସୁଦ୍ଧା ଦେଶରେ ହାରାହାରି ଟେଲି ସାନ୍ଧ୍ରତା ୮୫ ପ୍ରତିଶତ ଥିବା ସ୍ଥଳେ ଓଡ଼ିଶାରେ ୭୫ ପ୍ରତିଶତ । ତେବେ ବ୍ରହ୍ମପୁର ସହରରେ ଶହେ ବ୍ୟକ୍ତିଙ୍କ ମଧ୍ୟରୁ ଷାଠିଏ ଜଣ ଯାଏଁ ସ୍ମାର୍ଟଫୋନ ବ୍ୟବହାର କରୁଥିବା ଆକଳନ କରାଯାଇପାରେ । ଏମାନେ ବୈଷୟିକ ପ୍ରଗତି କାରଣରୁ ସାମଗ୍ରିକ ଭାବେ ପ୍ରେକ୍ଷାଳୟର ଚଳଚ଼ିତ୍ର ତଥା ଓଡ଼ିଆ ଚଳଚ଼ିତ୍ର ଉପଭୋଗରୁ ଦୂରେଇ ରହିବା ସ୍ୱାଭାବିକ । ଏହା ମାଗୁଣିର ଶଗଡ଼ ସମସ୍ୟା ।
 
ଓଡ଼ିଆ ଚଳଚ଼ିତ୍ରର ଦୁରାବସ୍ଥା ନିମନ୍ତେ ରାଜ୍ୟବ୍ୟାପୀ ଉଦବେଗ ପ୍ରକାଶ ପାଉଛି । ବିଭିନ୍ନ କାରଣ ମଧ୍ୟରେ ଚଳଚ଼ିତ୍ର ପ୍ରେକ୍ଷାଳୟ ଅଭାବ, ଗୁଣାତ୍ମକ ଅବନତି, ପ୍ରଚାର ଅଭାବ, ସରକାରୀ ଉଦାସୀନତା ଇତ୍ୟାଦିକୁ ଆକ୍ଷେପ କରାଯାଉଛି । କିନ୍ତୁ ବୈଷୟିକ ଦିଗଟିକୁ ଅନେକ ଭୂଲିଯାଉଛନ୍ତି । ମେଟାଭର୍ସ ପ୍ରବେଶ ଦ୍ୱାରରେ ଉପନୀତ ସାଧାରଣ ଦର୍ଶକ ଯେ ଚଳଚ଼ିତ୍ର ଦେଖିବାକୁ ପୁଣି ଥରେ ପ୍ରେକ୍ଷାଳୟରେ ପହଞ୍ଚିବ ଏଥିରେ ସନ୍ଦେହ ଉପୁଜେ !

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୯ ଅକ୍ଟୋବର ୨୦୨୨/ ପୃଷ୍ଠା : ୨)

Friday, October 21, 2022

Fruit Market / ଫଳ ବଜାର

 

ପାରମ୍ପରିକ ଭାବେ #ବ୍ରହ୍ମପୁର ସହର ଫଳବଜାର ନିମନ୍ତେ ପ୍ରସିଦ୍ଧ  । ସହରର କ୍ରମବିକାଶରେ ମହୁରି ରାଜପ୍ରାସାଦକୁ କେନ୍ଦ୍ରକରି ଜନପଦ ସହ ଗଢ଼ି ଉଠିଥିବା ଦୋକାନ ବଜାର ମଧ୍ୟରେ ନଡ଼ିଆ ଗୋର୍ଜୀର ଅବସ୍ଥିତି ଫଳ ବ୍ୟବସାୟରେ ସ୍ଥାନୀୟ ସଂପୃକ୍ତି ପ୍ରମାଣିତ କରିଥାଏ । ଆଜି ସୁଦ୍ଧା ବଡ଼ ବଜାର ଦେଶୀ ବେହରା ସାହୀ ସଂଲଗ୍ନ ନଡ଼ିଆ ଗୋର୍ଜୀରେ ନଡ଼ିଆ ଓ କଦଳୀର ହୋଲସେଲ ମାର୍କେଟ ବିଦ୍ୟମାନ । ଏଠାରେ ବର୍ଷସାରା ନଡ଼ିଆ ଓ ପାଚ଼ିଲା କଦଳୀ କିଣାବିକା ହୁଏ । ଖୁଚୁରା ବ୍ୟବସାୟୀମାନେ ନଡ଼ିଆ ଗୋର୍ଜୀରୁ ପାଇକାରୀ ଦରରେ କିଣି ନେଇ ସହରରେ ବିସ୍ତାରିତ ବିଭିନ୍ନ ବଜାରରେ ବିକ୍ରୀ କରିଥାନ୍ତି । ସ୍ଥାନୀୟ ଫସଲ ବ୍ୟତୀତ ମୁଖ୍ୟତଃ ଆନ୍ଧ୍ର ପ୍ରଦେଶରୁ ବ୍ରହ୍ମପୁରର ବ୍ୟବସାୟୀମାନେ ନଡ଼ିଆ ଓ କଦଳୀ ଆମଦାନୀ କରି ରାଜ୍ୟର ବିଭିନ୍ନ ଅଞ୍ଚଳକୁ ରପ୍ତାନୀ କାରବାରରେ ଲିପ୍ତରହନ୍ତି ।

 

ବ୍ରହ୍ମପୁରରେ ନଡ଼ିଆ ଓ ପାଚ଼ିଲା କଦଳୀ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ । ନଡ଼ିଆ ତରକାରୀ, ଚ଼ଟଣୀ ଓ ପିଠାପଣାରେ ବହୁଳଭାବେ ବ୍ୟବହାର ହୁଏ । ସାପ୍ତାହିକ ମନ୍ଦିର ଦର୍ଶନରେ ଦେବାଦେବୀଙ୍କ ପୂଜା ଅର୍ଚ୍ଚନା ଲାଗି ନଡ଼ିଆ ଓ ପାଚ଼ିଲା କଦଳୀ ଭୋଗ କରିଥାନ୍ତି । କଞ୍ଚା କଦଳୀ ଅନେକ ପରିବାର ତରକାରୀରେ ବ୍ୟବହାର କରନ୍ତି । ବର୍ଷସାରା କଞ୍ଚା କଦଳୀ ଉପଲବ୍ଧ ହେଉଥିବା ଏବଂ ବଜାର ଦରରେ ଅପେକ୍ଷାକୃତ କମ ରହୁଥିବା ହେତୁ ଗୁଣ୍ଡ ଗରମ ମସଲା ଦେଇ ଆଳୁ-କଞ୍ଚା କଦଳୀ ତରକାରୀ ଘରଣୀଙ୍କ ପ୍ରିୟ । କଞ୍ଚା କଦଳୀ ଖାଦ୍ୟସାରରେ ଭରପୁର । ପୃଥିବୀର କେତେକ ରାଷ୍ଟ୍ରରେ ଆଳୁ ବଦଳରେ କଞ୍ଚା କଦଳୀ ମୁଖ୍ୟ ପରିବାଭାବେ ବ୍ୟବହୃତ ।

 

ଆମ୍ୱ, ପଣସ ଗ୍ରୀଷ୍ମ ଋତୁକାଳୀନ ବଜାର ବ୍ରହ୍ମପୁରର ଅନ୍ୟତମ ଆକର୍ଷଣ । ଅତୀତରେ ଭିକ୍ଟୋରିଆ ମାର୍କେଟ ସମ୍ମୁଖରେ ଅସ୍ଥାୟୀ ଦୋକାନ ଘରେ ଆମ୍ୱ ବଜାର ଚାଲୁଥିଲା । ତାହା ଭିକ୍ଟୋରିଆ ମାର୍କେଟ ପୁନଃନିର୍ମାଣ କାଳରେ କରପୋରେସନ ରୋଡ଼, ସେଣ୍ଟ ଷ୍ଟିଫନ୍ସ ଚର୍ଚ୍ଚ ଗ୍ରାଉଣ୍ଡ ଦେଇ ପ୍ରେମନଗର ସଂଲଗ୍ନ ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣକୁ ସ୍ଥାନାନ୍ତରିତ ହୋଇଛି । ବ୍ରହ୍ମପୁର ବ୍ୟବସାୟୀମାନେ ମୁଖ୍ୟତଃ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରୁ ଆମ୍ୱ ଆମଦାନୀ କରି ରାଜ୍ୟର ବିଭିନ୍ନ ସହରକୁ ରପ୍ତାନୀ କରିଥାନ୍ତି ।

 

ବ୍ରହ୍ମପୁର ଫଳ ବଜାରରେ ୧୯୮୦ ଓ ୨୦୦୦ ମସିହାରେ ବଡ଼ ଧରଣର ପରିବର୍ତ୍ତନ ସୂତ୍ରପାତ ହୋଇଥିଲା । ଅତୀତରେ ନଡ଼ିଆ, କଦଳୀ, ଆମ୍ୱ, ପଣସ ବ୍ୟତୀତ ସୀମିତ ପରିମାଣରେ ଆଖାପାଖ ଅଞ୍ଚଳରେ ଉତ୍ପାଦିତ ତାଳ, ବିଭିନ୍ନ ଧରଣର କୋଳି, ପିଜୁଳି, ସପେଟା, ସୀତାଫଳ, ସାକରକନ୍ଦା ଭଳି ଫଳ ମିଳୁଥିଲା । ତେବେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ରରେ ଉଦ୍ୟାନ କୃଷିର ବ୍ୟାପକ ପ୍ରସାର ପରେ ସେଠାରେ ଉତ୍ପାଦିତ ଅଙ୍ଗୁର, ଡ଼ାଳିମ୍ୱ, କମଳା, ପିଜୁଳି, ସପେଟା ଇତ୍ୟାଦି ୧୯୮୦ ବେଳକୁ ବ୍ରହ୍ମପୁର ବଜାରରେ ପ୍ରବେଶ କରିଥିଲା । ମହାରାଷ୍ଟ୍ରର ନାଗପୁର ଓ ସୋଲାପୁରରୁ ବିପୁଳ ପରିମାଣରେ କମଳା ଓ ଅଙ୍ଗୁର ବ୍ରହ୍ମପୁର ବଜାରରେ ପହଞ୍ଚିଥାଏ । ଏଠାରୁ କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ସମ୍ୱଲପୁର ଓ ରାଉରକେଲାକୁ ରପ୍ତାନୀ ହୋଇଥାଏ ।

 

ଗଞ୍ଜାମ ଓ ଗଜପତିର ପାର୍ବତ୍ୟାଞ୍ଚଳରେ ବିଂଶ ଶତାଦ୍ଦୀର ଶେଷ ଦୁଇ ଦଶକରେ ବ୍ୟାପକ ଉଦ୍ୟାନ କୃଷି ପ୍ରବର୍ତ୍ତିତ ହୋଇଥିଲା । ପ୍ରାଥମିକ ଅବସ୍ଥାରେ ବୈଦେଶିକ ଅନୁଦାନ ବିନିଯୋଗରେ ଦକ୍ଷିଣ ଓଡ଼ିଶାର ଦୁଇ ପ୍ରମୁଖ ସ୍ୱେଚ୍ଛାସେବୀ ସଂଗଠନ ଗ୍ରାମ ବିକାଶପ୍ରେମ ପକ୍ଷରୁ ଉଦ୍ୟାନ କୃଷି ସଂପର୍କରେ ସ୍ଥାନୀୟ ଅଧିବାସୀଙ୍କୁ ତାଲିମ ଓ ପ୍ରୋତ୍ସାହନ ଦେବାପରେ ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜମିଜମା ସଂସ୍କାର କରାଯାଇ ଉଦ୍ୟାନ କୃଷି ପ୍ରସାର ଲାଗି ପଦକ୍ଷେପମାନ ଗ୍ରହଣ କରାଗଲା । ଫଳରେ ୨୦୦୦ ବେଳକୁ ଗଞ୍ଜାମ ଓ ଗଜପତି ମାଳାଞ୍ଚଳରେ ଉତ୍ପାଦିତ ବିଭିନ୍ନ ଫଳ ବ୍ରହ୍ମପୁର ବଜାରରେ ବର୍ଷସାରା ମିଳିଲା । ଉଦାହରଣରେ ସପୁରି ପଣସକୁ ବିଚାରକୁ ନିଆଯାଉ । ଅତୀତରେ କାଁଭାଁ ମିଳୁଥିବା ସପୁରି ପଣସ ଗ୍ରୀଷ୍ମଋତୁ ଶେଷ ଓ ବର୍ଷା ଋତୁ ଆରମ୍ଭରେ ବ୍ରହ୍ମପୁର ରାସ୍ତାକଡ଼ ବଜାରରେ ବିପୁଳ ପରିମାଣରେ ଉପଲବ୍ଧ ହୁଏ ।

 

ଅତୀତରେ ବ୍ରହ୍ମପୁର ଫଳ ବଜାର କହିଲେ ନଡ଼ିଆ, କଦଳୀ, ଆମ୍ୱ, ପଣସକୁ ହିଁ ବୁଝାଉଥିଲା । ପୁରୁଣା ବସଷ୍ଟାଣ୍ଡ, ଭିକ୍ଟୋରିଆ ମାର୍କେଟ ଓ ବଡ଼ ବଜାରରେ ଆଙ୍ଗୁଠି ଗଣତି ଫଳ ଦୋକାନ ଥିଲା । ଅନେକ ପରିବାରରେ ଜ୍ୱରାକ୍ରାନ୍ତଙ୍କୁ ସ୍ୱାଦ ପରିବର୍ତ୍ତନ ପାଇଁ ସମାନ୍ୟ ଅଙ୍ଗୁର କୋଳି ଦିଆଯାଉଥିଲା । ଅଙ୍ଗୁର, କମଳା, ପିଜୁଳି, ସପେଟା, ସୀତାଫଳ, ଅମୃତଭଣ୍ଡା ଫଳାହାର ଅଭ୍ୟାସ ଧନୀକ ପରିବାରବର୍ଗଙ୍କ ମଧ୍ୟରେ ଆକସ୍ମିକ ବିବେଚ଼ିତ ହେଉଥିଲା । ବିଂଶ ଶତାଦ୍ଦୀର ଶେଷ ଦୁଇ ଦଶକ ଓ ଏକ ବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକରେ ସହରବାସୀଙ୍କ ଖାଦ୍ୟାଭ୍ୟାସରେ ଫଳାହାର ଅନ୍ୟତମ ମୁଖ୍ୟସ୍ଥାନ ଅଧିକାର କରୁଛି । ଅବଶ୍ୟ ଏହି ପରିବର୍ତ୍ତନ ସର୍ବଭାରତୀୟସ୍ତରରେ ପ୍ରବର୍ତ୍ତିତ ଏବଂ ବ୍ରହ୍ମପୁର ସେଥିରେ ସାମିଲ ହୋଇଛି ।


(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୨ ଅକ୍ଟୋବର ୨୦୨୨/ ପୃଷ୍ଠା : ୨)


Photo by Akshay Nanavati on Unsplash 



Friday, October 14, 2022

Water Bodies / ଇତିହାସ ପୃଷ୍ଠାରେ ଜଳାଶୟ

 

ଅନ୍ୟାନ୍ୟ ସହରତୁଲ୍ୟ #ବ୍ରହ୍ମପୁର ସାମାନ୍ୟ ବର୍ଷାରେ ରାସ୍ତାଘାଟ ଜଳପୂର୍ଣ୍ଣ ହୋଇପଡୁଥିବା ସମସ୍ୟାର ସମାଧାନ ଖୋଜିଲା ବେଳେ ଏଠାକାର ପୁରାତନ ଜଳାଶୟଗୁଡ଼ିକର ପୁନରୁଦ୍ଧାର ବିଷୟଟି ଗୁରୁତ୍ୱ ବହନ କରିଥାଏ । ସପ୍ତଦଶ ଶତାଦ୍ଦୀ ଦ୍ୱିତୀୟାର୍ଦ୍ଧରେ ଅଧୂନା ବଡ଼ ବଜାରଠାରେ ନୂତନ ମହୁରି ରାଜବାଟୀ ପ୍ରତିଷ୍ଠାପରେ ଏହାର ଚ଼ର୍ତୁଦିଗରେ ଜନବସତି ଗଢ଼ି ଉଠିବା ଅବସରରେ ପୁଷ୍କରଣୀ ଖନନକୁ ପ୍ରାଥମିକତା ଦିଆଯାଇଆସିଥିଲା । ବ୍ରହ୍ମପୁର ଦେଇ କୌଣସି ନଦୀ ପ୍ରବାହିତ ନହେଉଥିବା ହେତୁ ଏଠାକାର ଜନସାଧାରଣ ପାରମ୍ପରିକଭାବେ ପୁଷ୍କରଣୀ ଓ କୂପ ଉପରେ ନିର୍ଭର କରିଆସିଥିଲେ । ପାଇପ ଯୋଗେ ଜଳଯୋଗାଣ ବ୍ୟବସ୍ଥା ବିଂଶ ଶତାଦ୍ଦୀରେ ପ୍ରସାରିତ ହୋଇଥିଲା । ସହରରେ ପର୍ଯ୍ୟାପ୍ତ ଜଳାଶୟ ଉପଲବ୍ଧଥିବା ହେତୁ ସହରରୁ ବର୍ଷାପାଣି ଅନାୟସରେ ଖଲାସ ହୋଇପାରୁଥିଲା । ବିଂଶ ଶତାଦ୍ଦୀର ଷଷ୍ଠ, ସପ୍ତମ ଦଶକ ଯାଏଁ ବ୍ରହ୍ମପୁରରେ କୌଣସି ଅଞ୍ଚଳ ଜଳବନ୍ଦୀର ଶୀକାର ହେବା ନଜିର ନଥିଲା ।
 
ସାମ୍ୱାଦିକ ଅମ୍ୱିକା ପ୍ରସାଦ ଦାଶ, ଏପ୍ରିଲ ୨୦୦୫ରେ ପ୍ରକାଶିତ ଏକ ବିବରଣୀରେ ଉଲ୍ଲେଖ କରିଥିଲେ, ୩୩.୫୨ ବର୍ଗ କିଲୋମିଟର କ୍ଷେତ୍ରଫଳ ବିଶିଷ୍ଟ ବ୍ରହ୍ମପୁର ସହରରେ ଅତି ଊଣାରେ ୨ ଶହ ଏକର ପରିମିତ ୭୦ ଗୋଟି ଜଳାଶୟ ରହୁଛି । ଆଙ୍କୁଲିର ଗୁଡ଼ିଆ ବନ୍ଧ, ବଡ଼ ଗୁଡ଼ିଆ ବନ୍ଧ, ବଡ଼ ବନ୍ଧ ଓ ବୋଇତରା ବନ୍ଧ । ଖୋଡ଼ାସିଙ୍ଗି ମୌଜାର ରାଉତ ବନ୍ଧ, ଗୋଷାଣୀ ବନ୍ଧ । ପାନକେଲାପଲ୍ଲୀର ନୂଆ ବନ୍ଧ, ନିଜଗାଁ ବନ୍ଧ । ମର୍ଦ୍ଦରାଜପୁରର ବାଳି ଗାଙ୍ଗୁଲି ବନ୍ଧ, ବାରି ବନ୍ଧ । ସୁନ୍ଦରାଜପୁରର ରଜା ବନ୍ଧ, ଦେଉଳ ବନ୍ଧ, ସିଙ୍ଗି ବନ୍ଧ, ବଢ଼େଇ ବନ୍ଧ । ବୈଦ୍ୟନାଥପୁର ମୌଜାର ଏକାଲ ବନ୍ଧ, ହନୁମାନ ବନ୍ଧ । ଗୋଇଲୁଣ୍ଡି ମୌଜାର ଗୋଲାପଲ୍ଲୀ ବନ୍ଧ, ଘାଇମା ବନ୍ଧ, ସାନ ବନ୍ଧ, ବଉଳ ବନ୍ଧ । ବିଜିପୁର ମୌଜାର ସୁନାରି ବନ୍ଧ, ନୂଆ ବନ୍ଧ । ଗୋଷାଣୀ ନୂଆଗାଁର ନୂଆ ବନ୍ଧ । ନୀଳକଣ୍ଠପୁର ମୌଜାର ନୀଳକଣ୍ଠେଶ୍ୱର ବନ୍ଧ, ସାଗର ବନ୍ଧ । ଭାପୁର ମୌଜାର ମୁକ୍ତେଶ୍ୱର ବନ୍ଧ । ବଡ଼ ବଜାରର ନେଳିଆ ବନ୍ଧ, ବାଲୁଙ୍କେଶ୍ୱର ବନ୍ଧ । ଶଙ୍କରପୁରର ଶ୍ମଶାନ ବନ୍ଧ, କାଲ ବନ୍ଧ, ଧୋବା ବନ୍ଧ । ପୁରୁଣା ବ୍ରହ୍ମପୁର ମୌଜାର ଧୋବା ବନ୍ଧ, ସାଳିଆ ବନ୍ଧ, ସାନ୍ତରା ବନ୍ଧ । ମାଧପୁରର ତାମେୟା ବନ୍ଧ । ଶଶିଭୂଷଣପୁରର ନିଜଗାଁ ବନ୍ଧ, ତେଲଙ୍ଗା ବନ୍ଧ । ମଧୁସୂଦନପୁରର ଆଇନା ବନ୍ଧ, ଜଗା ବନ୍ଧ, ଧୋବା ବନ୍ଧ । ହରିଡ଼ାଖଣ୍ଡିର ମାଣ୍ଡିଆ ବନ୍ଧ, ନାଟଳା ବନ୍ଧ, ଦାସ ବନ୍ଧ ।
 
ଗୋରାଚାନ୍ଦପୁରର ଗୁଡ଼ି ବନ୍ଧ, ରଜା ବନ୍ଧ, ଆଖଡ଼ା ବନ୍ଧ । ଉମାପୁରୀର ମେରା ବନ୍ଧ, ସାନଗୋଦରା ବନ୍ଧ, ବଡ଼ ଗୋଦରା ବନ୍ଧ, ସାଳିଆ ବନ୍ଧ । ସୁବାସପୁରର ବନା ବନ୍ଧ, ନୂଆ ବନ୍ଧ, ଗୌଡ଼ ବନ୍ଧ । ଗୋପବନ୍ଧୁ ନଗରର ଆଗୁଳା ବନ୍ଧ, ବେଡ଼ା ବନ୍ଧ । ମହାମାୟୀପୁର ଦୟା ମହାନ୍ତି ବନ୍ଧ । ନରସିଂହପୁରର କରା  ବନ୍ଧ । ଉକ୍ତ ବିବରଣୀରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟରୁ ତଥ୍ୟ ଉଦ୍ଧାର କରି କୁହାଯାଇଥିଲା ଯେ ଉପରୋକ୍ତ ଜଳାଶୟଗୁଡ଼ିକର କ୍ଷେତ୍ରଫଳ ପ୍ରାୟ ଦୁଇ ଶହ ଏକରରୁ ଅଧିକ ହେବ ।
 
ସହରାଞ୍ଚଳ ବିକାଶ କାଳରେ ଜଳାଶୟ ଓ ପ୍ରାକୃତିକ ତଳିଆ ଅଞ୍ଚଳଗୁଡ଼ିକୁ ପୋତି କୋଠାବାଡ଼ି, ରାସ୍ତାଘାଟ ନିର୍ମାଣ କରାଯାଇଥାଏ । ସ୍ଥାନୀୟ ପ୍ରଶାସନର ଅବହେଳା ଓ ଦୂରଦୃଷ୍ଟି ଅଭାବ ହେତୁ ଅନିୟନ୍ତ୍ରିତ ଭାବେ ଜନବସତି ଗଢ଼ି ଉଠିବା ପରେ ପରବର୍ତ୍ତୀ ପିଢ଼ି ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ସେହିକ୍ରମରେ ବ୍ରହ୍ମପୁର ଏକବିଂଶ ଶତାଦ୍ଦୀ ତୃତୀୟ ଦଶକ ଆରମ୍ଭବେଳକୁ ଦୁର୍ଦ୍ଦଶାଗ୍ରସ୍ତ । ପୁରାତନ ଜନବସତିରେ ଦୀର୍ଘ ଅତୀତରୁ ରହି ଆସିଥିବା ଜଳାଶୟଗୁଡ଼ିକୁ ପୋତି ଦେବା ଏବଂ ନୂତନ ଜନବସତି ଗଠନ କାଳରେ ଜଳାଶୟ ଖନନ ପ୍ରତି ଦୃଷ୍ଟି ନଦେବା ଫଳରେ ସହରାଞ୍ଚଳରେ ଭୂମିତଳ ଜଳସ୍ତର କମି ଆସିବା ସାଙ୍ଗକୁ ବୃଷ୍ଟି ଜଳ ଖଲାସରେ ମଧ୍ୟ ସମସ୍ୟା ଉପୁଜିଥାଏ ।
 
ଏଥିପୂର୍ବରୁ ଅନୁପମ ଭାରତରେ ମାର୍ଚ୍ଚ ୨୦୦୦ରେ ତତ୍ କାଳୀନ ସ୍ଥିତାବସ୍ଥା ବିଶ୍ଳେଷଣକରି ଏକ ବିବରଣୀ ପ୍ରକାଶ ପାଇଥିଲା । ରାଜ୍ୟରେ ସର୍ବାଧିକ ପୋଖରୀ ବ୍ରହ୍ମପୁର ସହରରେ ରହିଥିବା ରାଜସ୍ୱ ରେକର୍ଡରୁ ଜଣାଯାଇଥିବା ବେଳେ ୧୯୬୪ ମସିହାରୁ (ମାର୍ଚ୍ଚ ୨୦୦୦ ସୁଦ୍ଧା) ପ୍ରାୟ ୪୮ ଏକର ପୋଖରୀ ଜମି ହସ୍ତାନ୍ତର ଫଳରେ ବ୍ରହ୍ମପୁର ପୋଖରୀ ଶୂନ୍ୟ ହେବା ସହ ଜଳସଙ୍କଟ ବେଳକୁ ବେଳ ତୀବ୍ରତର ହେବା ଆଶଙ୍କା ପ୍ରକାଶ ପାଇଛି । ବିଗତ ୨୨ ବର୍ଷ ମଧ୍ୟରେ ୨୦୨୨ ସୁଦ୍ଧା ସହରର ତିନିଗୋଟି ବଡ଼ ପୋଖରୀ ମଧ୍ୟରୁ ଗିରି ମାର୍କେଟ ସମ୍ମୁଖସ୍ଥିତ ତାମେୟା ବନ୍ଧ ପୋତି ବିଜୁ ପଟ୍ଟନାୟକ ପାର୍କ, କରପୋରେସନ ରୋଡ଼ର ଛତରା ବନ୍ଧ ପୋତି ଗଞ୍ଜାମ ହାଟ ଓ ହିଲପାଟଣାର ହନୁମାନ ବନ୍ଧ ପୋତି ସଂସ୍କୃତି ଭବନ ନିର୍ମିତ ହୋଇଛି । ତେଣୁ ନୂତନ ପିଢ଼ି ପାଇଁ ତାମେୟା ବନ୍ଧ, ଛତରା ବନ୍ଧ ଓ ହନୁମାନ ବନ୍ଧ ଇତିହାସ ।
 
ସେହି ପ୍ରକାଶିତ ବିବରଣୀରେ ସହରରେ କେନାଳ ଯୋଗେ କିପରି ଜଳାଶୟଗୁଡ଼ିକ ସଂଯୁକ୍ତ ହୋଇଥିଲା ତାହା ବିଶଦ ଭାବେ ବର୍ଣ୍ଣନା କରାଯାଇଥିଲା । ସହରକୁ ପାଇପ ଯୋଗେ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କାଳରେ ଋଷିକୂଲ୍ୟା ନଦୀର ଜଳ ଦକ୍ଷିଣପୁର ଜଳଭଣ୍ଡାରରେ ଗଚ୍ଛିତ ରଖିବା ବ୍ୟବସ୍ଥା ହୋଇଥିଲା । ଦକ୍ଷିଣପୁରରୁ ଏକ କେନାଳ ସହରର ଉପକଣ୍ଠ ଆସିକା ରୋଡ଼ ଫାଷ୍ଟଗେଟରେ ପହଞ୍ଚି ଗୋଟିଏ ଭାଗ ହରିଡ଼ାଖଣ୍ଡି ଓ ଅନ୍ୟ ଏକ ଭାଗ ଆସିକା ରୋଡ଼ ଦେଇ ଛତରା ବନ୍ଧ, ତାମେୟା ବନ୍ଧ, ସତ୍ୟନାରାୟଣ ମନ୍ଦିର ରାସ୍ତା, ରାମଲିଙ୍ଗେଶ୍ୱର ବନ୍ଧ ଦେଇ ଗାନ୍ଧିନଗର, ବିଜିପୁର, ଗୋଷାଣୀ ନୂଆଗାଁ ଅତିକ୍ରମ କରି ସାପୁଆ ନଦୀକୁ ନିଷ୍କାସନର ବ୍ୟବସ୍ଥା ହୋଇଥିଲା । ଛତରା ବନ୍ଧରୁ ବାହାରିଥିବା କେନାଳ ଗେଟ ବଜାର, ଲୋଚାପଡ଼ା ରୋଡ଼, ଗୋଲାପଲ୍ଲୀ, କମାପଲ୍ଲୀ ଦେଇ ଗୋପାଳପୁର ଛକରେ ବଡ଼ନାଳକୁ ଯୋଗ କରୁଥିଲା । ତାମେୟା ବନ୍ଧ ଓ ଛତରା ବନ୍ଧ ପୌରପାଳିକା ପକ୍ଷରୁ ଆବର୍ଜନା ଭର୍ତ୍ତିକରି ପୋତି ଦେବା ପରେ ଏହି କେନାଳ ବ୍ୟବସ୍ଥା ସତ୍ତା ହରାଇଛି । ତେଣୁ ବ୍ରହ୍ମପୁରର ପୁରାତନ କେନାଳ ଯୋଗେ ଜଳାଶୟଗୁଡ଼ିକୁ ସଂଯୋଗ ବ୍ୟବସ୍ଥା ଇତିହାସ ପୃଷ୍ଠାକୁ ସ୍ଥାନାନ୍ତରିତ ହୋଇପଡ଼ିଛି !

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୫ ଅକ୍ଟୋବର ୨୦୨୨/ ପୃଷ୍ଠା : ୨)

Photo by bady abbas on Unsplash 


Friday, October 7, 2022

Online Gaming / ଅନଲାଇନ ଗେମିଂ

 

ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଶାରଦୀୟ ଉତ୍ସବ କୁମାର ପୂର୍ଣ୍ଣିମା ପାଳନ ଅବସରରେ ଜୁଆ ଖେଳ #ବ୍ରହ୍ମପୁର ସହରରେ ଲୋକପ୍ରିୟତା ହାସଲର ବିଭିନ୍ନ କାରଣ ମଧ୍ୟରେ ଦେଶାନ୍ତର ଗମନ ଓ ଆଗମନ ଅନ୍ୟତମ । ଇତିହାସ ପୃଷ୍ଠାରୁ ଜାଣିବାକୁ ମିଳେ ଯେ ମହୁରି ରାଜବାଟୀକୁ ଘେରି ବ୍ରହ୍ମପୁର ଜନପଦ କ୍ରମବିକଶିତ ଅବସ୍ଥାରେ ପଡ଼ୋଶୀ ରାଜ୍ୟରୁ ବୁଣାକାର ସଂପ୍ରଦାୟଙ୍କୁ ଏଠାରେ ସ୍ଥାୟୀଭାବେ ବସବାସ ତଥା ବ୍ୟବସାୟ କରିବା ନିମନ୍ତେ ରାଜ ପରିବାର ପ୍ରୋତ୍ସାହିତ କରିଥିଲେ । ମହୁରି ରାଜ୍ୟ ହାଇଦରାବାଦ ନିଜାମଙ୍କ ଅଧୀନ ଥିବା ଅବସରରେ ଦାକ୍ଷିଣତ୍ୟ ସଂଯୋଗ ରହିଆସିଥିଲା । ଫରାସୀ ଶାସନ ଶେଷ ଓ ଇଂଲିଶ ଶାସନ ଆରମ୍ଭ ସନ୍ଧିକାଳରେ ବିଜୟନଗର ଜମିଦାରଙ୍କ କରଭାର ଓ ଅନାବୃଷ୍ଟିରେ ପ୍ରପୀଡ଼ିତ ଗଞ୍ଜାମ ଜିଲ୍ଲାର ବହୁ ପରିବାର କୋରାପୁଟ, କଳାହାଣ୍ଡି, ଫୁଲବାଣୀ ମାଳଅଞ୍ଚଳ ଚାଲିଯିବାପରେ ସ୍ଥାନୀୟ ଜମିବାଡ଼ି ଅଣଚାଷିତ ଅବସ୍ଥାରେ ପଡ଼ି ରହିଥିଲା । ବ୍ରିଟିଶ ପ୍ରଶାସକଗଣ ଶ୍ରୀକାକୁଲମ ଓ ପଡ଼ୋଶୀ ଅଞ୍ଚଳରୁ ଚାଷୀଙ୍କୁ ଆଣି ସହର ତଥା ସହରତଳି ଅଞ୍ଚଳରେ ଅବସ୍ଥାପିତ କରାଇଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଯାଏଁ ବ୍ରହ୍ମପୁର ମାଡ୍ରାସ ପ୍ରେସିଡ଼େନ୍ସି ଅଧୀନସ୍ଥ ଥିବା ହେତୁ ପ୍ରଶାସନ, ବ୍ୟବସାୟ, ଶିକ୍ଷା, ସ୍ୱାସ୍ଥ୍ୟ ଓ ସାଂସ୍କୃତିକ ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ମାଡ୍ରାସ ସହ ସଂପୃକ୍ତ ରହିଆସିଥିଲା । ଫଳରେ ଲୋକଙ୍କ ଯିବାଆସିବା ଲାଗି ରହିଥିଲା ।
 
ଊନବିଂଶ ଶତାଦ୍ଦୀ ଦ୍ୱିତୀୟାର୍ଦ୍ଧରେ ଗୋପାଳପୁର ବନ୍ଦର, ବିଂଶ ଶତାଦ୍ଦୀ ଆରମ୍ଭରୁ ରେଳପଥ ଓ ମଧ୍ୟଭାଗରୁ ଜାତୀୟ ରାଜପଥ ସଂଯୋଗ କାଳରେ କେବଳ ଗଞ୍ଜାମ ଜିଲ୍ଲା କାହିଁକି ସମଗ୍ର ଦକ୍ଷିଣ ଓଡ଼ିଶାବାସୀ ବ୍ରହ୍ମପୁର ସହର ଦେଇ ଅନ୍ୟ ରାଜ୍ୟକୁ ଚଳପ୍ରଚଳ ହେଲେ । ଫଳରେ ସହରରେ କ୍ରମାଗତ ବୈଦେଶିକ ସାଂସ୍କୃତିକ ପ୍ରଭାବ ଜାରୀ ରହିଲାବ୍ରହ୍ମପୁର ମୂଳରୁ ଏକ ନଗରସଭ୍ୟତା କେନ୍ଦ୍ରୀକ ମାନସିକତା କସମୋପଲିଟିଆନ ଆଉଟଲୁକ ନେଇ ବିକଶିତ ହୋଇଆସିଛି । ବ୍ୟାପକ ଦେଶାନ୍ତର ଗମନ ଓ ଆଗମନ ଦ୍ୱାରା ସ୍ଥାନୀୟ ଅର୍ଥନୀତି ସୁଦୃଢ ହୋଇପାରିଥିବା ବେଳେ ଜୁଆ ଭଳି କେତେକ ମନୋରଞ୍ଜକ ଅବସର ବିନୋଦନକୁ ମଧ୍ୟ ଏଡ଼ାଇଦେଇ ପାରିନାହିଁ ।
 
ଏକବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକ, ବିଶେଷକରି ଦ୍ୱିତୀୟ ଦଶକର ମଧ୍ୟଭାଗରୁ ୪ଜି ଟେଲିଯୋଗାଯୋଗ ପରିବ୍ୟାପ୍ତି ପରେ ଜନସାଧାରଣଙ୍କ ଭର୍ଚୁଆଲ ଉପସ୍ଥିତି ବଢ଼ିବା ପରେ ସମଗ୍ର ଭାରତରେ ଅନଲାଇନ ଗେମିଂ ଶିଳ୍ପର ବ୍ୟାପକ ଅଭିବୃଦ୍ଧି ଘଟିଛି । ବିଶେଷଜ୍ଞଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟ ଅନୁଯାୟୀ ଭାରତରେ ପଚାଶ କୋଟି ଯାଏଁ ନାଗରିକ ଅନଲାଇନ ଗେମ ଖେଳନ୍ତି । ଅବଶ୍ୟ ଏଥି ମଧ୍ୟରେ କେତେକାଂଶ ହିଁ ଖେଳରେ ବେଟିଂ କରିଥାନ୍ତି । ଦେଶର କେବଳ ତିନିଗୋଟି ରାଜ୍ୟ ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁରେ ଅନଲାଇନ ଗେମରେ ବେଟିଂ ଆଇନତଃ ଅପରାଧ ଘୋଷିତ ହୋଇଛି । ଅନଲାଇନ ଗେମ ଆୟୋଜକ କମ୍ପାନୀମାନେ ସରକାରଙ୍କୁ ସର୍ଭିସ ଟିକସ ଓ ପ୍ରଚଳିତ ଜିଏସଟି ପ୍ରଦାନ କରିଥାନ୍ତି । ତାମିଲନାଡୁ ସମେତ କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଦିଲ୍ଲୀ ଏନସିଆର ରାଜ୍ୟରୁ ସର୍ବାଧିକ ଟିକସ ସଂଗୃହୀତ ହୋଇଥାଏ ।
 
କୁହାଯାଉଛି ଯେ ବ୍ରହ୍ମପୁରରେ ଅନଲାଇନ ବେଟିଂର ଲୋକପ୍ରିୟତା ବଢୁଛି । ସହରାଞ୍ଚଳରେ ଏହି ଧାରା ପ୍ରସାର ଲାଭ କରିବା ସ୍ୱାଭାବିକ । କିନ୍ତୁ ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଦିଲ୍ଲୀ ଏନସିଆର ଭଳି ରାଜ୍ୟରେ ଗଞ୍ଜାମର ଦେଶାନ୍ତରୀ ଶ୍ରମିକମାନେ ପହଞ୍ଚୁଥିବା ହେତୁ ସେଠାକାର ଲୋକପ୍ରିୟ ଅନଲାଇନ ବେଟିଂରେ ପ୍ରଭାବିତ ହେଉଥିବା ଆଶଙ୍କାକୁ ଏଡ଼ାଇ ଦେଇହୁଏ ନାହିଁ । ଓଡ଼ିଶାରେ ଅନଲାଇନ ବେଟିଂ ନିଷିଦ୍ଧ ହୋଇଥିବା ହେତୁ ଖବରୀଙ୍କ ସୂଚ଼ନାପ୍ରକାରେ ପୋଲିସ ପକ୍ଷରୁ ଆଡ୍ଡାଗୁଡ଼ିକରେ ଚ଼ଢାଉ ହୁଏ । କୁମାର ପୂର୍ଣ୍ଣିମା ଆଗପଛ ଦୁଇ ମାସରେ ଏହାର ପରିମାଣ ବଢ଼େ । ତେବେ ଖେଳାଳୀମାନେ ଅନଲାଇନ ଗେମ ପାଇଁ ଟଙ୍କାପଇସା ବ୍ୟବହାର ନକରିବା ଧାରା ଆରମ୍ଭ ହୋଇଥିବା ଚର୍ଚ୍ଚା କରାଯାଏ । ଧରପଗଡ଼ରେ ନଗଦ ଟଙ୍କା ଜବତ ନହୋଇପାରିଲେ ଗିରଫ ଜୁଆଡ଼ିମାନେ ତୁରନ୍ତ ଜାମିନ ପାଇଯିବା ସଂଭବଥିବା ହେତୁ ସେଥିପ୍ରତି ଆକର୍ଷିତ ହେଉଥିବା ଜଣାଯାଏ । ତେବେ ଜୁଆରେ ତତ୍ କ୍ଷଣାତ ଅର୍ଥ ହାତବଦଳ ନହେଲେ ଠକାମୀ ଓ ପ୍ରତାରଣାର ମଧ୍ୟ ଭୟ ରହିଥାଏ ।
 
ଜୁଆ ମନୋରଞ୍ଜକ ଅବସର ବିନୋଦନ ବିବେଚ଼ିତ ହେଲେହେଁ  ଜୁଆର ମାଦକତା ସ୍ଥଳବିଶେଷରେ ବ୍ୟକ୍ତିବିଶେଷଙ୍କୁ ଆର୍ଥିକ ଦୁରାବସ୍ଥା ମଧ୍ୟକୁ ଠେଲି ଦେଇଥାଏ । ଏକ ବିବରଣୀ ଅନୁଯାୟୀ ଅନଲାଇନ ବେଟିଂରେ ଅର୍ଥ ହରାଇ ତାମିଲନାଡୁରେ ୨୦୨୦ରୁ ୨୦୨୨ ମଧ୍ୟରେ ପ୍ରାୟ କୋଡ଼ିଏ ଜଣ ଆତ୍ମହତ୍ୟା କରିଥିଲେତାମିଲନାଡୁରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବର୍ତ୍ତିତ ଅନଲାଇନ ବେଟିଂ ନିଷିଦ୍ଧ ଆଇନକୁ ମାଡ୍ରାସ ହାଇକୋର୍ଟ ୨୦୨୧ରେ ଖାରଜ କରିଦେବାପରେ ୨୦୨୨ ସେପ୍ଟେମ୍ୱର ଶେଷ ସପ୍ତାହରେ ଅନୁରୂପ ଏକ ଅର୍ଡିନାନ୍ସ ଜାରୀ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଅପରପକ୍ଷେ ଅନଲାଇନ ଗେମିଂରେ ଦ୍ରବ୍ୟ-ସେବା-କର ଜିଏସଟି ନିର୍ଦ୍ଧାରଣ ନିମନ୍ତେ କେନ୍ଦ୍ର ସରକାର ଏକ ମନ୍ତ୍ରୀସ୍ତରୀୟ କମିଟି ଗଠିତ ହୋଇଛି । ଅକ୍ଟୋବର ୨୦୨୨ରେ ସେମାନେ ରିପୋର୍ଟ ଉପସ୍ଥାପନ କରିବା ଆଶା କରାଯାଉଛି । ଅନଲାଇନ ବେଟିଂ ଆଇନାନୁମୋଦିତ ହେଲେ ସରକାର ୨୮ ପ୍ରତିଶତ ଜିଏସଟି ସାଙ୍ଗକୁ ଜୁଆ ଆୟ ଉପରେ ୨୦ ରୁ ୩୦ ପ୍ରତିଶତ ଯାଏଁ ଆୟକର ପାଇପାରିବା ହିସାବ କରାଯାଏ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନଲାଇନ ଗେମିଂ ନିୟନ୍ତ୍ରଣ କରିବା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ ନିମନ୍ତେ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଥିବା ଜଣାଯାଏ । ଏହି ପରିବେଶରେ ଭାରତରେ ଅନଲାଇନ ଗେମିଂ ଶିଳ୍ପର ବାର୍ଷିକ କାରବାର ପ୍ରାୟ ଷୋହଳ ହଜାର କୋଟି ଟଙ୍କା ଦର୍ଶାଯାଉଥିବା ସ୍ଥଳେ ବାର୍ଷିକ ୩୫ ପ୍ରତିଶତ ହାରରେ ଅଭିବୃଦ୍ଧି ଘଟୁଥିବା ହିସାବ କରାଯାଇଥାଏ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୮ ଅକ୍ଟୋବର ୨୦୨୨/ ପୃଷ୍ଠା : ୨)