Friday, December 31, 2021

Devraj Sahu / ଦେବରାଜ ସାହୁ

 

#ବ୍ରହ୍ମପୁର ସହରରେ ବିଗତ ବିଂଶ ଶତାଦ୍ଦୀ ଷଷ୍ଠ ଦଶକ ଶେଷରେ ଓଡ଼ିଆ ଯୁବ ଲେଖକ ସମ୍ମିଳନୀ ଆୟୋଜନ ପରେ ସ୍ଥାନୀୟ ସାହିତ୍ୟିକ ବାତାବରଣରେ ଉଷ୍ମତା ପ୍ରକାଶ ପାଇଥିଲା । ଷଷ୍ଠ ଦଶକ ଶେଷ ଓ ସପ୍ତମ ଦଶକ ପ୍ରଥମ ଭାଗରେ ବହୁ ସାହିତ୍ୟ ଅନୁଷ୍ଠାନ ଗଠିତ ଏବଂ ବହୁ ସାମୟିକ ସାହିତ୍ୟ ପତ୍ରିକା ପ୍ରକାଶିତ ହୋଇଥିଲା । ସାହିତ୍ୟ ଅନୁଷ୍ଠାନଭାବେ କଳିଙ୍ଗ ସାହିତ୍ୟ ସମାଜ କେବଳ ତିଷ୍ଠି ରହିଛି । କିନ୍ତୁ କୌଣସିଟି ସାହିତ୍ୟ ପତ୍ରିକା ବଞ୍ଚି ପାରିଲା ନାହିଁ ।
 
ଯୁବ ଲେଖକ ସମ୍ମିଳନୀ ଏକ ରାଜ୍ୟସ୍ତରୀୟ ସାହିତ୍ୟ ଅନୁଷ୍ଠାନ ରୂପେ ଗଢ଼ି ଉଠିଥିଲା । ଏହାର ବାର୍ଷିକ ଅଧିବେଶନମାନ ରାଜ୍ୟର ବିଭିନ୍ନ ସହରରେ ବେଶ ଜାକଜମକରେ ଅନୁଷ୍ଠିତ ହେଉଥିଲା । ଏହାର ପ୍ରଭାବରେ ସଂପୃକ୍ତ ଭୌଗଳିକ ପରିବେଶରେ ସାହିତ୍ୟଭିତ୍ତିକ କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରତିଭା ସଂଶ୍ଳିଷ୍ଟ ହେଉଥିଲେ । ବ୍ରହ୍ମପୁରରେ ୧୯୭୦ ଓ ତତ୍ ପରବର୍ତ୍ତୀ ସମୟରେ ପ୍ରକାଶିତ ପତ୍ରିକାର ଲମ୍ୱା ତାଲିକା ମଧ୍ୟରେ ପ୍ରତିଭା ବିକାଶ, ଆଶା, ସଂବିତ, ଆମ କାହାଣୀ, ଚ଼େତନା, କଳା ଓ କଳଙ୍କ, ଶାଶ୍ୱତୀ, ତରଙ୍ଗ, ଶ୍ଳେଷ, ଚକ୍ର, ଚରକ, ଉବାଚ଼ ଓ ପ୍ରୋଏଟ୍ରି ଟାଇମ ଇତ୍ୟାଦିର ହିସାବ ମିଳେ । ଚରକ ସ୍ୱାସ୍ଥ୍ୟଭିତ୍ତିକ, ଶ୍ଳେଷ ହାସ୍ୟରସମୂଳକ ଓ ପ୍ରୋଏଟ୍ରି, ଟାଇମ ଇଂଲିଶ କବିତା ସଂକଳନ ଆକାରରେ ପ୍ରକାଶ ପାଉଥିଲା ।
 
ସାମୟିକ ପତ୍ରିକାଗୁଡ଼ିକ ଅନିୟମିତ ଭାବେ ପ୍ରକାଶ ପାଇଥାଏ । ଏଗୁଡ଼ିକ ଲଘୁ ପତ୍ରିକା ଆନ୍ଦୋଳନ ପର୍ଯ୍ୟାୟଭୁକ୍ତ । ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ଲିଟିଲ ମ୍ୟାଗାଜିନ ମୁଭମେଣ୍ଟ ପଶ୍ଚିମ ଭୂଖଣ୍ଡରେ ଦୀର୍ଘ ସମୟ ଧରି ପ୍ରଭାବ ବିସ୍ତାର କରିବା ପରେ ବଙ୍ଗଳା ସାହିତ୍ୟ ଦେଇ ଓଡ଼ିଶାରେ ପ୍ରବେଶ କରିଥିଲା । ପ୍ରତିଷ୍ଠିତ ସାହିତ୍ୟ ପତ୍ରିକାଗୁଡ଼ିକରେ ନବାଗତମାନଙ୍କ ରଚନା ପ୍ରକାଶର ସୁଯୋଗ ନଥିବା ହେତୁ ଲିଟିଲ ମ୍ୟାଗାଜିନ ସୃଷ୍ଟି ହୋଇଥିଲା । ନବପ୍ରତିଭାଙ୍କ ରଚନା ଶୈଳୀଠାରୁ ଆରମ୍ଭକରି ମୁଦ୍ରଣ ପରିପାଟୀ ସମସ୍ତ କ୍ଷେତ୍ରରେ ପରୀକ୍ଷା ନିରୀକ୍ଷାକୁ ଏହି ଆନ୍ଦୋଳନ ଉତ୍ସାହିତ କରୁଥିଲା । ମୋଟ ଉପରେ ଯୁବ ସାହିତ୍ୟିକମାନଙ୍କୁ ସାହିତ୍ୟ ରଚ଼ନା ଓ ପ୍ରକାଶନ କ୍ଷେତ୍ରରେ ଆଦ୍ୟ ଅଭିଜ୍ଞତା ଯୋଗାଇବାରେ ସାମୟିକ ପତ୍ରିକା ପ୍ରକାଶନ ସହାୟକ ହେଉଥିଲା ।
 
ବ୍ରହ୍ମପୁର ପୌରପାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ରୂପେ ଅବସ୍ଥାପିତ ଦେବରାଜ ସାହୁ ସେହି ସମୟରେ ଚ଼େତନା ନାମକ ଏକ ସାମୟିକ ପତ୍ରିକା ପ୍ରକାଶ କରୁଥିଲେ । ଏଥିରେ ସହରର ପ୍ରତିଷ୍ଠିତ ସାହିତ୍ୟିକଙ୍କ ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ସାହିତ୍ୟ ସୃଜନ ଦୁନିଆରେ ପାଦ ଥୋଉଥିବା ନୂତନ ଲେଖକ ଲେଖିକାମାନଙ୍କ ରଚ଼ନା ସ୍ଥାନିତ ହେଉଥିଲା । ଚ଼େତନାର ମାତ୍ର କେତେଗୋଟି ସଂଖ୍ୟା ପ୍ରକାଶ ପାଇ ବନ୍ଦ ହୋଇଯାଇଥିଲା ।
 
ଦେବରାଜ ସାହୁ ପୁରୁଣା ବ୍ରହ୍ମପୁର ବାସିନ୍ଦା । ସେ ଖଲ୍ଲିକୋଟ ମହାବିଦ୍ୟାଳୟର ଛାତ୍ର । ଗାଳ୍ପିକ ପ୍ରଫେସର ହରିହର ଦାସ ଓ ପ୍ରାବନ୍ଧିକ ପ୍ରଫେସର ସୁଦର୍ଶନ ଆଚ଼ାର୍ଯ୍ୟଙ୍କ ସହପାଠୀ । ଚ଼େତନା ସଂପାଦନାର ବହୁ ପୂର୍ବରୁ କ୍ଷୁଦ୍ରଗଳ୍ପ ରଚନାରେ ଦକ୍ଷତା ହାସଲ କରିଥିଲେ ଏବଂ ପରେ ମଧ୍ୟ ଲେଖକ ଜୀବନ ଜାରୀ ରଖିଥିଲେ । ସେ ନବମ ଦଶକରେ ଦୀର୍ଘ ଦିନ କଳିଙ୍ଗ ସାହିତ୍ୟ ସମାଜର ସମ୍ପାଦକଭାବେ ମଧ୍ୟ ସାହିତ୍ୟ ସଂଗଠନ କାର୍ଯ୍ୟରେ ସଂପୃକ୍ତ ହୋଇଥିଲେ ।
 
ଦେବରାଜ ସାହୁ ସୃଜନ ଶିଳ୍ପୀଭାବେ ଆତ୍ମଅଭିମାନୀ ତ ନିଶ୍ଚୟ, ଓଡ଼ିଆ ଭାଷା ଓ ସାହିତ୍ୟପ୍ରେମୀ । ବାର୍ଦ୍ଧକ୍ୟରେ ଦୃଷ୍ଟିଶକ୍ତି ହ୍ରାସ ପରେ ଜଣେ ସହାୟକଙ୍କୁ ନିଯୁକ୍ତ କରି ସାହିତ୍ୟ ସାଧନାରେ ଶେଷ ଜୀବନ ପର୍ଯ୍ୟନ୍ତ ଚଳଚଞ୍ଚଳ ଥିଲେ । ସର୍ବଶେଷ ଯୋଜନାରେ ପ୍ରାକ୍ତନ ପୌର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ବିନାୟକ ଆଚ଼ାର୍ଯ୍ୟଙ୍କ ପୂର୍ଣ୍ଣାଙ୍ଗ ଜୀବନୀ ଓ ଗଞ୍ଜାମ କଥିତ ଭାଷା ଶବ୍ଦକୋଷ ସଂକଳନ କାର୍ଯ୍ୟରେ ସଂପୃକ୍ତ ଥିଲେ ।
 
ବିଂଶ ଶତାଦ୍ଦୀର ଚ଼ତୁର୍ଥ ଦଶକରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ତଥା ସେଥିରେ ବ୍ରହ୍ମପୁର ସହର ଅନ୍ତର୍ଭୁକ୍ତ ହୋଇଥିଲେ ସୁଦ୍ଧା ସପ୍ତମ ଦଶକ ଶେଷ ଯାଏଁ ତିନି ଦଶନ୍ଧି ଧରି ସହରର ଓଡ଼ିଆ ନେତୃବର୍ଗଙ୍କୁ ଓଡ଼ିଆ ଭାଷାର ସୁରକ୍ଷାଲାଗି ବରାବର କାର୍ଯ୍ୟ କରିବାକୁ ପଡୁଥିଲା । ଦେବରାଜ ସାହୁ ସେହି ସ୍ୱେଚ୍ଛାସେବୀଙ୍କ ମଧ୍ୟରୁ ଜଣେ । ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନରେ ସେ ବହୁ ଦୁଃସାହାସିକ ପଦକ୍ଷେପରେ ସାମିଲ ହୋଇଥିଲେ ।
 
ଦେବରାଜ ସାହୁ ବନ୍ଧୁବତ୍ସଳ । ପରିଣତ ବୟସରେ ଦୀର୍ଘକାଳ ସେ ଗୃହାବଦ୍ଧ ଜୀବନ ଯାପନ କରୁଥିଲେ ହେଁ ଟେଲିଫୋନ ମାଧ୍ୟମରେ ପରିଚ଼ିତବର୍ଗଙ୍କ ସହ ବରାବର ସଂପର୍କ ରଖୁଥିଲେ । ୨୯ ଡ଼ିସେମ୍ୱର ୨୦୨୧ରେ ହୃଦଘାତର ଶୀକାର ହୋଇ ୮୭ ବର୍ଷ ବୟସରେ ସେ ପରଲୋକ ଗମନ କଲେ । ସହର ଏକ ଉତ୍ସର୍ଗୀକୃତ ବ୍ରହ୍ମପୁରପ୍ରେମୀଙ୍କୁ ହରାଇଲା ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧ ଜାନୁୟାରୀ ୨୦୨୨ / ପୃଷ୍ଠା : ୮)

Photo by Jason Blackeye on Unsplash 


Friday, December 24, 2021

Viral Video / ଭାଇରାଲ ଭିଡ଼ିଓ

 


#ବ୍ରହ୍ମପୁର ବାସିନ୍ଦା ୨୦୨୧ ଶେଷ ଦୁଇମାସରେ ନିଜ ସହରର ଏକ ଘଟଣାକ୍ରମ ସଂପର୍କରେ ପ୍ରଥମ ଥର ପାଇଁ ଭାଇରାଲ ଭିଡ଼ିଓ ଅନୁଭୂତି ସାମ୍ନା କରିଥିଲେ । ଇଣ୍ଟରନେଟ ମାଧ୍ୟମରେ ଭିଡ଼ିଓ ସେୟାରିଂ ଏକ ପ୍ରକ୍ରିୟା, ତେବେ ଭିଡ଼ିଓଟି ଯେତେବେଳେ ବ୍ୟାପକ ମାତ୍ରାରେ ସେୟାର ହୁଏ ତଥା ଗ୍ରହୀତାମାନେ ପୁନର୍ବାର ସେୟାରିଂ କରନ୍ତି ସେତେବେଳେ ସଂପୃକ୍ତ ଭିଡ଼ିଓକୁ ଭାଇରାଲ ଚ଼ିହ୍ନିତ ହୋଇଥାଏ । ଆନ୍ତର୍ଜାତିକସ୍ତରରେ ଗୋଟିଏ ଭିଡ଼ିଓ ଦଶ ଲକ୍ଷ ଦର୍ଶକ ଦେଖିବା ଭିଉ ସୀମାରେ ପହଞ୍ଚିଲେ ଭାଇରାଲ ମାନ୍ୟତା ଦିଆଯିବା ପ୍ରଥା ପ୍ରଚଳିତ । ତେବେ, ଓଡ଼ିଶା ବା ବ୍ରହ୍ମପୁରରେ ତାହା ଠାରୁ ଢ଼େର କମ ସଂଖ୍ୟକ ଦର୍ଶକଙ୍କୁ ନେଇ ଭାଇରାଲ ଭିଡ଼ିଓର ଗଣିତ ହିସାବ କରାଯାଇଥାଏ ।

 

ଭାରତରେ ୧୯୮୨ରେ ଉପଗ୍ରହଭିତ୍ତିକ ଟେଲିଭିଜନ ପ୍ରସାରଣ ବିସ୍ତୃତି ପରେ ପରେ ବ୍ରହ୍ମପୁରରେ ଭିଡ଼ିଓ ପ୍ଳେୟାର ବ୍ୟବହାର ଆରମ୍ଭ ହୋଇଥିଲା । ୧୯୮୩-୮୪ ବେଳକୁ ଭିଡ଼ିଓ ପ୍ରଦର୍ଶନ ଏକ ସମାନ୍ତରାଳ ଚଳଚ଼ିତ୍ର ପ୍ରେକ୍ଷାଳୟ ସଂସ୍କୃତି ପ୍ରତିଷ୍ଠା କରିଥିଲା । ପ୍ରଥମେ ବଡ଼ବଜାର ଓ ଭାପୁର ବଜାର ଆଖପାଖରେ ଭିଡ଼ିଓ ପାର୍ଲରମାନ ଛତୁ ଫୁଟିଲା ଭଳି ଖୋଲିଥିଲା । ପ୍ରତିଦିନ ମଧ୍ୟାହ୍ନରୁ ଗଭୀର ରାତ୍ରୀ ଯାଏଁ ଭିଡ଼ିଓ ମାଧ୍ୟମରେ ଚଳଚ଼ିତ୍ରମାନ ପ୍ରଦର୍ଶନର ବ୍ୟବସ୍ଥା କରାଯାଉଥିଲା । ଏଥି ପାଇଁ ରୀତିମତ ଟିକଟ ପଇସା ଦେଇ ପ୍ରତ୍ୟେକ ସୋରେ ୨୦ ରୁ ୫୦ ଜଣ ଯାଏଁ ଦର୍ଶକ ଏକତ୍ରୀତ ହେଉଥିଲେ । ମୌଳିକଭାବେ ଏହା ବେନିୟମ । ସେହି ସମୟରେ ଏକ ରାଜନୀତିକ ହତ୍ୟାକାଣ୍ଡ ଏବଂ ୧୯୮୪ରେ ବ୍ରହ୍ମପୁର ସହରକୁ ନେଇ ସ୍ୱତନ୍ତ୍ର ପୋଲିସ ଜିଲ୍ଲା ଗଠନପରେ ଭିଡ଼ିଓ ପାର୍ଲର ବ୍ୟବସାୟରେ ହଠାତ ପୂର୍ଣ୍ଣଛେଦ ପଡ଼ିଥିଲା । ଏହାପରେ ଗଞ୍ଜାମ ଓ ପଡ଼ୋଶୀ ଜିଲ୍ଲାଗୁଡ଼ିକର ଗ୍ରାମାଞ୍ଚଳରେ ଭିଡ଼ିଓ ପାର୍ଲର କିଛି ଦିନ ଚାଲିଥିଲା ।

 

ମୁଖ୍ୟତଃ ସହରରେ ୨୦୧୦ରୁ ସ୍ମାର୍ଟଫୋନ ପ୍ରଚଳନ ଏବଂ କ୍ରମଶଃ ବିଭିନ୍ନ ଆପ୍ଳିକେସନ ବ୍ୟବହାରପରେ ସୋସିଆଲ ମିଡ଼ିଆ ମାଧ୍ୟମରେ ଭିଡ଼ିଓ ସେୟାରିଂ ଧାରା ଆରମ୍ଭ ହୋଇଥିଲା । ଭାରତରେ ୨୦୦୬ରେ ଫେସବୁକ ଓ ୨୦୦୮ରେ ୟୁଟ୍ୟୁବ ପ୍ରବେଶ କରିଥିଲେ । ପଡ଼ୋଶୀ ସହରମାନଙ୍କ ସହ ତାଳ ଦେଇ ବ୍ରହ୍ମପୁରରେ ମଧ୍ୟ ଭିଡ଼ିଓର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଥିଲା । ୨୦୧୫ ବେଳକୁ ସ୍ମାର୍ଟଫୋନ ଯୋଗେ ଭିଡ଼ିଓ ସୁଟିଂ ଏବଂ ନନ-ପ୍ରଫେସନାଲ ଏଡ଼ିଟିଂ କଳା କୌଶଳର ପ୍ରସାର ପରେ ସ୍ଥାନୀୟ ଘଟଣାବଳୀକୁ ନେଇ କ୍ରମଶଃ ସୋସିଆଲ ମିଡ଼ିଆରେ ଭିଡ଼ିଓ ଆପଲୋଡ଼ ଧାରା ଜୋର ଧରିଲା । ୨୦୨୦ ବେଳକୁ ମହାମାରୀରେ ସ୍ମାର୍ଟଫୋନ ଓ ସୋସିଆଲ ମିଡ଼ିଆ ବ୍ୟବହାର ବୃଦ୍ଧି ଭିଡ଼ିଓ ଆପଲୋଡ଼, ସେୟାରିଂ ପ୍ରସାରରେ ସହାୟକ ହେବାରେ ଲାଗିଲା ।

 

ଆନ୍ତର୍ଜାତିକସ୍ତରରେ ସାଧାରଣତଃ କୌତୁହଳୋଦ୍ଦୀପକ ଭିଡ଼ିଓ ଭାଇରାଲ ହୋଇଥାଏ, ଅର୍ଥାତ ଅଧିକ ମାତ୍ରାରେ ସେୟାର ହୋଇଥାଏ । ତେବେ ମାନବିକ ଆବେଗଧର୍ମୀ ଘଟଣା ହ୍ୟୁମାନ-ଇଣ୍ଚରେଷ୍ଟ- ଷ୍ଟୋରିଜ, ବିବାଦ ଓ ରାଜନୀତିକ ଘଟଣାବଳୀ ସମ୍ୱଳିତ ଭିଡ଼ିଓ ମଧ୍ୟ ଭାଇରାଲ ହୁଏ । ଗଣମାଧ୍ୟମରେ ମୁଦ୍ରଣ, ରେଡ଼ିଓ, ଟେଲିଭିଜନ ଓ ଚଳଚ଼ିତ୍ର ତୁଳନାରେ ସୋସିଆଲ ମିଡ଼ିଆରେ ଭାଇରାଲ ଭିଡ଼ିଓ ଅଧିକ ପ୍ରଭାବଶାଳୀ । କାରଣ ଆମ ଅଲକ୍ଷ୍ୟରେ ସୋସିଆଲ ମିଡ଼ିଆ ଆମକୁ ପ୍ରଭାବିତ କରିବା ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ । ଏସଂପର୍କରେ ସମ୍ୟକ ଧାରଣା ଅନେକଙ୍କୁ ବିସ୍ମିତ କରିବ ।

 

ପ୍ରଥମତଃ, ସୋସିଆଲ ମିଡ଼ିଆରେ ଭିଡ଼ିଓ ପ୍ରଦର୍ଶନ ଆଗ୍ରହ ଉଦ୍ଦୀପକ, ରୋମାଞ୍ଚକର ଏବଂ ମାଦକତା ପୂର୍ଣ୍ଣ । ଉପଭୋକ୍ତା ବ୍ୟକ୍ତିଗତ ଭାବେ ନିଜ ପସନ୍ଦ ବିଷୟରେ ଭିଡ଼ିଓ ଦେଖିବା, ଆବଶ୍ୟକ ସ୍ଥଳେ ବାରମ୍ୱାର ଦେଖିବା ଏବଂ ଯେକୌଣସି ସମୟ ଓ ପରିବେଶରେ ଭିଡ଼ିଓ ଉପଭୋଗର ସୁବିଧା ସୁଯୋଗ ଅନ୍ୟ କୌଣସି ଗଣମାଧ୍ୟମରେ ଦୁର୍ଲଭ । ସେହି କାରଣରୁ ବ୍ରହ୍ମପୁରର ଇଣ୍ଟରନେଟ ବା ସ୍ମାର୍ଟଫୋନ ଉପଭୋକ୍ତାମାନେ ଦୈନିକ ହାରାହାରି ପାଞ୍ଚଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଅନଲାଇନରେ ଅତିବାହିତ କରନ୍ତି ଏବଂ ସେଥିମଧ୍ୟରୁ ଅଧିକାଂଶ ସମୟ ଭିଡ଼ିଓ ଦେଖାରେ କଟେ ।

 

ଦ୍ୱିତୀୟତଃ, ଉପଭୋକ୍ତାଙ୍କ ଆଗ୍ରହ ଅନୁଯାୟୀ ସୋସିଆଲ ମିଡ଼ିଆର ଭିଡ଼ିଓ ପ୍ରଦର୍ଶିତ ହୁଏ । ଅର୍ଥାତ ଜଣେ ବ୍ୟକ୍ତି ଯଦି କାର ରେସ ସଂପର୍କରେ ଗୋଟିଏ ଭିଡ଼ିଓ ଦେଖେ, ତେବେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ତାହା ପାଇଁ ଆଉ ଦଶଗୋଟି କାର ରେସର ଭିଡ଼ିଓ ଦେଖିବାଲାଗି ସଜେଇ ରଖେ । ଏହି ଅବସରରେ ମାତ୍ର ଗୋଟିଏ ଭିଡ଼ିଓ ଦେଖି ବନ୍ଦ କରିଦେବା ଅନେକଙ୍କ କ୍ଷେତ୍ରରେ ପ୍ରାୟତଃ ଅସଂଭବ । ସହରର ଏକ ନିର୍ଦ୍ଦିଷ୍ଟ ଘଟଣାକ୍ରମ ସଂପର୍କରେ ଉପଭୋକ୍ତା ଦଶ ମିନଟର ଭିଡ଼ିଓଟିଏ ଦେଖିଲେ, ଅତି କମରେ ଆଉ ଶହେ ମିନଟର ଦଶ ଗୋଟି ଭିଡ଼ିଓ ଦେଖିବା ପାଇଁ ସୋସିଆଲ ମିଡ଼ିଆ ଦର୍ଶକଙ୍କୁ ପ୍ରବର୍ତ୍ତାଏ ଏବଂ ଉପଭୋକ୍ତା ମଧ୍ୟ ଦେଖିଚାଲେ ବାରମ୍ୱାର ଗୋଟିଏ ଘଟଣା ସଂପର୍କରେ କାର୍ଯ୍ୟକ୍ରମମାନ ଦେଖିବାପରେ ଭିଡ଼ିଓ ପ୍ରଯୋଜକଙ୍କ ମତଧାରାରେ ପ୍ରାୟତଃ ଦୀକ୍ଷିତ ହୋଇପଡ଼େ । ଗଣମାଧ୍ୟମ ଭାଷାରେ ଏହାକୁ ଇକୋ-ଚେମ୍ୱର-ଇଫେକ୍ଟ କୁହାଯାଏ ।

 

ତୃତୀୟତଃ, ଭିଡ଼ିଓ ଦେଖାରେ ଦର୍ଶକ ପ୍ରଭାବିତ ହୋଇ ତାହା ସେୟାର କରେ । ଫଳରେ ସୋସିଆଲ ମିଡ଼ିଆରେ ଉପସ୍ଥିତ ତାହାର ପରିଚ଼ିତ ବର୍ଗ ମଧ୍ୟ ପ୍ରଭାବିତ ହେବା ତଥା ପୁନଃ ସେୟାରିଂ ପ୍ରକ୍ରିୟାରେ ଏକ ବିସ୍ତୃତ ଦର୍ଶକବର୍ଗକୁ ପ୍ରଭାବିତ କରିବା ସମ୍ଭାବନା ରହିଥାଏ ।

 

ଚ଼ତୁର୍ଥତଃ, ମନେ ରଖିବାକୁ ହେବ ଭାଇରାଲ ଭିଡ଼ିଓ ଅଧିକାଂଶ କ୍ଷେତ୍ରରେ ପକ୍ଷଭୁକ୍ତ ଓ ଉଦ୍ଦେଶ୍ୟ ପ୍ରଣୋଦିତ । ଫଳରେ ସ୍ଥଳବିଶେଷରେ ସତ୍ୟ ବଦଳରେ ଅସତ୍ୟ ଓ ଅର୍ଦ୍ଧସତ୍ୟ ଅନେକଙ୍କୁ ପ୍ରଭାବିତ କରିବାରେ ସମର୍ଥ ହୋଇଥାଏ । ଏହାର ଜ୍ୱଳନ୍ତ ଉଦାହରଣ ଆମେରିକାରେ ସଂଘଟିତ ସଂସଦ ଭବନ ଅଧିଗ୍ରହଣଠାରୁ ଆରମ୍ଭ କରି ଭାରତରେ ବିଭିନ୍ନ ରାଜ୍ୟରେ ସାଂପ୍ରଦାୟିକ ଦଙ୍ଗା ଇତ୍ୟାଦିକୁ ଗ୍ରହଣ କରାଯାଇପାରେ । ମୁଦ୍ରଣ ତୁଳନାରେ ଚଳଚ଼ିତ୍ର ବା ଭିଡ଼ିଓ ବହୁ ସଂଖ୍ୟକଙ୍କୁ ଆକୃଷ୍ଟ କରିପାରେ ଏବଂ ଅପେକ୍ଷାକୃତ ଭାବେ ସହଜରେ ପ୍ରଭାବିତ କରିପାରେ । କିନ୍ତୁ ଭିଡ଼ିଓ ପ୍ରାକୃତିକ ନୁହେଁ । ଏହାର ପ୍ରଯୋଜକ ଯାହା ଭିଡିଓରେ ସନ୍ନିବଶିତ କରନ୍ତି ସେହି ଦୃଶ୍ୟଗୁଡ଼ିକୁ ଆମେ ଦେଖୁ ଓ ଶୁଣୁ । ତେଣୁ ଭାଇରାଲ ଭିଡ଼ିଓ ଯୋଗେ ଅସତ୍ୟ ତଥ୍ୟ ପ୍ରସାରିତ ହେଲେ ସମାଜରେ ବିଶୃଙ୍ଖଳା ବ୍ୟାପିବାର ସମ୍ଭାବନା ଭରପୁର ରହିଥାଏ ।

 

ପଞ୍ଚମତଃ, ମନୋରଞ୍ଜନ ଦୁନିଆରେ କାଳ୍ପନିକ କାହାଣୀ ଛାଡ଼ି, ବାସ୍ତବିକତା ସଂପର୍କରେ କାର୍ଯ୍ୟକ୍ରମ ଲୋକପ୍ରିୟ ହେବାରେ ଲାଗିଛି । ଅବଶ୍ୟ ଏହି ଶୈଳୀ ଦୀର୍ଘଦିନରୁ ଚଳିଆସିଛି । ଫ୍ରେଞ୍ଚ ପ୍ରାମାଣିକ ଚଳଚ଼ିତ୍ର ଜଗତରେ ୧୯୬୦ରୁ ପ୍ରବର୍ତ୍ତିତ ସିନେମା ଭେରିଟେ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା । ଏଥିରେ ବାସ୍ତବ ଜୀବନର ଘଟଣାବଳୀ ଚ଼ିତ୍ରିତ ହୋଇଥାଏ । ପରବର୍ତ୍ତୀକାଳରେ ବାସ୍ତବ ଜୀବନର ନାଟକୀୟ ଘଟଣାବଳୀ ଭାଇରାଲ ଭିଡ଼ିଓ ଫର୍ମାଟରେ ଦର୍ଶକଙ୍କ ଆକାଂକ୍ଷିତ ବିଷୟବସ୍ତୁ ପାଲଟିଛି । ମିଡ଼ିଆ ଟ୍ରାଏଲ ଏହି ବର୍ଗରେ ଅନ୍ୟତମ ଉତ୍ପାଦ ।

 

ବ୍ରହ୍ମପୁରର ସ୍ଥାୟୀ ଜନସଂଖ୍ୟା ଯଦି ଚାରି ଲକ୍ଷ ଧରି ନିଆଯାଏ, ତେବେ ୬୦ ପ୍ରତିଶତ ଅର୍ଥାତ ପ୍ରାୟ ଅଢ଼େଇ ଲକ୍ଷ ନାଗରିକ ଇଣ୍ଟରନେଟ ଉପଭୋକ୍ତା ବା ସ୍ମାର୍ଟଫୋନ ବ୍ୟବହାର କରୁଥିବା ହିସାବ କରାଯାଇପାରେ । ସହରର କୌଣସି ଏକ ଘଟଣାକ୍ରମ ସଂପର୍କରେ ଏମାନେ ଯଦି ମାସାଧିକାଳ ହାରାହାରିଭାବେ ଦୈନିକ ଅତି କମରେ ଅଧ ଘଣ୍ଟାରୁ ଘଣ୍ଟାଏ ଭାଇରାଲ ଭିଡ଼ିଓରେ ସଂପୃକ୍ତ ରହିଥାନ୍ତି, ତେବେ ବିପୁଳ ସମୟ କେବଳ ଏଥିରେ ବିନିଯୋଗ ହୋଇନାହିଁ, ବରଂ ଜନମାନସକୁ ଆନ୍ଦୋଳିତ କରିଛି ବୋଲି କହିବାକୁ ହେବ । ଏଦିଗରେ ପାରମ୍ପରିକ ସମ୍ୱାଦ ସରବରାହ ମାଧ୍ୟମ ସମ୍ୱାଦପତ୍ର ଓ ଟେଲିଭିଜନର ପ୍ରଭାବ ହ୍ରାସ ପାଇ ଆସୁଥିବା ମନେହୁଏ । ଆଗାମୀ ଭବିଷ୍ୟତରେ ଜନମତକୁ ପ୍ରଭାବିତ କରିବାରେ ଭିଡିଓ ଓ ଅଡ଼ିଓ ଯେ ପ୍ରଭାବଶାଳୀ ତାହା ସୁସ୍ପଷ୍ଟ !


(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୫ ଡ଼ିସେମ୍ୱର ୨୦୨୧ / ପୃଷ୍ଠା : ୮)


Photo by Gian Cescon on Unsplash


Friday, December 17, 2021

Greeting Card,Calendar & Diary / ଗ୍ରୀଟିଂ, କ୍ୟାଲେଣ୍ଡର, ଡ଼ାଏରୀ

 


ସ୍ୱାଧୀନୋତ୍ତର #ବ୍ରହ୍ମପୁର ସହରରେ ଗତ ଶତାଦ୍ଦୀର ଅଷ୍ଟମ, ନବମ ଓ ଶେଷ ଦଶକ, ପ୍ରାୟ ୩୦ ବର୍ଷ ଧରି ପ୍ରତି ଡ଼ିସେମ୍ୱର-ଜାନୁୟାରୀ ଦୁଇ ମାସ ଗ୍ରୀଟିଂ, କ୍ୟାଲେଣ୍ଡର ଓ ଡ଼ାଏରୀ ବ୍ୟବସାୟ ଜୋର ଧରୁଥିଲା । ଖ୍ରୀଷ୍ଟମାସ ଅବସରରେ ଦୂରଦୂରାନ୍ତରେ ଅବସ୍ଥାପିତ ପରିଚ଼ିତ ବର୍ଗଙ୍କ ମଧ୍ୟରେ ଗ୍ରୀଟିଂ ଆଦାନପ୍ରଦାନ ଖ୍ରୀଷ୍ଟିୟାନ ସମାଜ ମଧ୍ୟରେ ତଥା ନବବର୍ଷ ଅଭିନନ୍ଦନ ବଡ଼ ସହରଗୁଡ଼ିକ ସୀମିତ ଥିବା ସ୍ଥଳେ ସପ୍ତମ ଦଶକ ବେଳକୁ ବ୍ରହ୍ମପୁରରରେ ଲୋକପ୍ରିୟତା ହାସଲ କରିଥିଲା । ଗତ ଶତାଦ୍ଦୀର ଶେଷ ଆଡ଼କୁ ଫୋନ ଓ ମୋବାଇଲ ଫୋନର ବ୍ୟବହାର ଆରମ୍ଭ ଯାଏଁ ନବବର୍ଷ ଅଭିନନ୍ଦନ ଜ୍ଞାପନ ଲାଗି ମୁଦ୍ରିତ କାର୍ଡ଼ ହିଁ ବ୍ୟବହୃତ ହେଉଥିଲା ।
 
ବ୍ୟକ୍ତିଗତ, ପାରିବାରିକ ଓ ଆନୁଷ୍ଠାନିକ ବିଭିନ୍ନସ୍ତରରେ ବ୍ୟବହାର ଲାଗି ରଙ୍ଗବେରଙ୍ଗୀ ଚ଼ିତ୍ରିତ ଗ୍ରୀଟିଂ କାର୍ଡ଼ ବ୍ରହ୍ମପୁରରେ ସର୍ବେପ୍ରଥମେ କେତେଗୋଟି ମନୋହରୀ ତଥା ବାରାକ୍ସର ପୁସ୍ତକ ବିକ୍ରେତାଙ୍କ ଦୋକାନରେ ଉପଲବ୍ଧ ହେଉଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ବିକ୍ରୀ ବୃଦ୍ଧି ପାଇବାରୁ ବାରାକ୍ସ ଅଞ୍ଚଳର ଫୁଟପାଥରେ ଅସ୍ଥାୟୀ ଦୋକାନମାନ ଖୋଲିଲା । କ୍ରମଶଃ ସହରର ବହୁ ମୁଖ୍ୟ ରାସ୍ତାକଡ଼କୁ ବ୍ୟାପିଥିଲା । ରାକ୍ଷୀ ପରି ଗ୍ରୀଟିଂ ଏକ ଋତୁକାଳୀନ ବ୍ୟବସାୟରେ ପରିଣତ ହୋଇଥିଲା । ବିଭିନ୍ନ ବୟସବର୍ଗ ଓ ବିଭିନ୍ନ ଅର୍ଥନୀତିକ ଶ୍ରେଣୀର ପରିବାର ମଧ୍ୟରେ ଏହି ସଂସ୍କୃତି କ୍ରମଶଃ ବ୍ୟାପିଥିଲା । ତେବେ ଶେଷ ଦଶକ ଆରମ୍ଭରୁ ଟେଲିଫୋନର ପ୍ରସାରପରେ ଗ୍ରୀଟିଂ ବଦଳରେ ଡ଼ିସେମ୍ୱର ୩୧ ରାତି କିମ୍ୱା ଜାନୁୟାରୀ ପହିଲାରେ ଟେଲିଫୋନ ଯୋଗେ ବାର୍ତ୍ତାଳାପରେ ଅଭିନନ୍ଦନ ଜଣାଇବା ଧାରା ଆରମ୍ଭ ହେଲା । ସବସ୍କ୍ରାଇବର ଟ୍ରଙ୍କ ଡ଼ାଏଲିଂ ବା ଏସଟିଡ଼ି ସୁବିଧା ବ୍ୟବହାରରେ ବିଭିନ୍ନ ଭୌଗଳିକ ପରିବେଶରେ ଅବସ୍ଥିତି ଆଳାପଆଲୋଚ଼ନା ପାଇଁ ବାଧକ ସାଜିଲା ନାହିଁ । ଏକବିଂଶ ଶତାଦ୍ଦୀ ଆରମ୍ଭରୁ ମୋବାଇଲ ଫୋନ ବ୍ୟବହାର ବୃଦ୍ଧି ଏହି ସୁବିଧା ସୁଯୋଗକୁ ଆହୁରି ଆକର୍ଷଣୀୟ କରିଥିଲାମହାମାରୀ ଆଗ ପଛ ସମୟ ସୀମାରେ ଭିଡିଓ କଲର ବ୍ୟାପ୍ତି ଯୋଗାଯୋଗର ସବୁ ଗଣିତକୁ ଓଲଟପାଲଟ କରିବସିଲା ।
 
ନବବର୍ଷ ଗ୍ରୀଟିଂ ଡ଼ାକଯୋଗେ ପ୍ରେରିତ ହେଉଥିଲା । ଗ୍ରୀଟିଂ ଋତୁରେ ଡ଼ାକଘରେ କାର୍ଯ୍ୟଚାପ ବଢ଼ିଯାଉଥିଲା । ବ୍ରହ୍ମପୁର ବଡ଼ ଡ଼ାକଘରେ ଗ୍ରୀଟିଂ ପୋଷ୍ଟ କରିବା ନିମନ୍ତେ ସ୍ୱତନ୍ତ୍ର ଡ଼ାକବକ୍ସ ସ୍ଥାପିତ ହେଉଥିଲା । ସ୍କୁଲପିଲାଏ ଗ୍ରୀଟିଂ କାର୍ଡ ନିଜେ ବନାଇ ପରସ୍ପର ମଧ୍ୟରେ ବାଣ୍ଟୁ ଥିଲେ । ବ୍ରହ୍ମପୁରର ତେଲୁଗୁ ଭାଷାଭାଷୀ ଅଞ୍ଚଳରେ ଗୃହଦ୍ୱାରରେ ଝୋଟି ଦିଆଯାଏ । ମୁଖ୍ୟତଃ ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ଯାଏଁ ରଂଗ ବେରଙ୍ଗୀ ଚ଼ିତା ଅଙ୍କନର ପରମ୍ପରା ରହି ଆସିଥିଲା । ନୂଆବର୍ଷ ଏହି ସମୟ ସୀମାରେ ପଡୁଥିବା ହେତୁ ଝୋଟିରେ ନବବର୍ଷକୁ ମଧ୍ୟ ସ୍ୱାଗତ କରାଯାଉଥିଲା ।
 
ମୋବାଇଲ ଫୋନ ପହଞ୍ଚିବା ପୂର୍ବରୁ ଘଣ୍ଟା ଓ କ୍ୟାଲେଣ୍ଡର ଢ଼େର ବ୍ୟବହାର ଥିଲା । ପ୍ରତ୍ୟେକ ପରିବାର ହିନ୍ଦୁତିଥି, ପର୍ବପର୍ବାଣୀ ଓ ସରକାରୀ ଛୁଟି ଦିନ ସଂବଳିତ କାନ୍ଥ ଟଙ୍ଗା ପାଞ୍ଜି କ୍ୟାଲେଣ୍ଡର ଲୋଡୁଥିଲେ । କଟକରେ ଓଡ଼ିଆ ପାଞ୍ଜି ମୁଦ୍ରିତ ହେଉଥିବା ବେଳେ ବ୍ରହ୍ମପୁର ସ୍ୱାଧୀନତା ପୂର୍ବରୁ ପାଞ୍ଜି କ୍ୟାଲେଣ୍ଡର ମୁଦ୍ରଣର ପେଣ୍ଠସ୍ଥଳୀ ରୂପେ ବିବେଚିତ ହେଉଥିଲା । ବ୍ରହ୍ମପୁରର କେତେକ ମୁଦ୍ରଣାଳୟ ବର୍ଷରେ ଛଅ ମାସ କେବଳ ପାଞ୍ଜି କ୍ୟାଲେଣ୍ଡର ପ୍ରସ୍ତୁତିରେ ନିୟୋଜିତ ରହୁଥିଲେ । ତେବେ କ୍ରମଶଃ ଦୈନିକ ସମ୍ୱାଦପତ୍ରଗୁଡ଼ିକ ଗ୍ରାହକମାନଙ୍କୁ ମାଗଣାରେ ପାଞ୍ଜି କ୍ୟାଲେଣ୍ଡର ବାଣ୍ଟିବା ଆରମ୍ଭ କରିବା ତଥା ସ୍ମାର୍ଟଫୋନର ପ୍ରଚଳନ ପରେ ଲୋକଙ୍କ ଅଭ୍ୟାସରେ ପରିବର୍ତ୍ତନ ଆସିଲା ।
 
ସେହିପରି ଡ଼ାଏରୀ ବିକ୍ରୀ ଓ ଉପହାର ପ୍ରଥା ମଧ୍ୟ ଧୀମେଇ ଯାଇଛି । ସ୍ମାର୍ଟଫୋନରେ ନୋଟ ଲେଖିବା ତଥା ଦୈନିକଭିତ୍ତିରେ ଡ଼ାଏରୀ ଲେଖିବା ନିମନ୍ତେ ସ୍ମାର୍ଟଫୋନ ଆପ୍ଲିକେସନ୍ସ ଆପ ଉପଲବ୍ଧ ଥିଲେ ହେଁ ପ୍ରାୟତଃ ଏଯାଏଁ ବ୍ରହ୍ମପୁରରେ ଲୋକପ୍ରିୟ ହୋଇପାରି ନାହିଁ । କାଁ ଭାଁ ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନରେ କାର୍ଯ୍ୟରତ କର୍ମଚାରୀ ମୋବାଇଲ, ଟେବଲେଟରେ ଡ଼ାଏରୀ ଲେଖନ୍ତି । ତେବେ ପରିବର୍ତ୍ତନର ସ୍ରୋତ ପ୍ରଖର । ଇଣ୍ଟରନେଟ କନେକ୍ଟିଭିଟିରେ ୫ଜି ବୈଷୟିକ କୌଶଳ ପ୍ରୟୋଗ ଏବଂ ଫେସବୁକ ଭଳି ସୋସିଆଲ ମିଡ଼ିଆ ମଞ୍ଚ ମେଟାଭର୍ସ ପରିବେଶକୁ ଉନ୍ନୀତ ହେଉଥିବା ଅବସରରେ ଯୋଗାଯୋଗ କ୍ଷେତ୍ରରେ ଅଡ଼ିଓ ଓ ଭିଡ଼ିଓର ବ୍ୟାପକ ପ୍ରସାର ଆକଳନ କରାଯାଏ । ଏହି କ୍ରମବିକାଶ ଭବିଷ୍ୟତରେ ଗ୍ରୀଟିଂ, କ୍ୟାଲେଣ୍ଡର ଓ ଡ଼ାଏରୀ ପରମ୍ପରାକୁ ମଧ୍ୟ ପ୍ରଭାବିତ କରିବା ସୁନିଶ୍ଚିତ !

ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୮ ଡ଼ିସେମ୍ୱର ୨୦୨୧ / ପୃଷ୍ଠା : ୮)

Friday, December 10, 2021

Berhampur Model of City Sanitation / ପରିମଳ ରକ୍ଷାରେ ବ୍ରହ୍ମପୁର ମଡ଼େଲ

 


#ବ୍ରହ୍ମପୁର ପୌରପାଳିକା ୧୮୬୭ ଖ୍ରୀଷ୍ଟାଦ୍ଦରେ ଗଠିତ ହୋଇଥିଲା । ୧୯୩୬ ଖ୍ରୀଷ୍ଟାଦ୍ଦରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ବରୁ ଗଞ୍ଜାମ ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶା ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ବ୍ରିଟିଶ ଶାସନାଧୀନ ରହିଥିଲା । ପୌରପାଳିକା ଗଠନ ପରବର୍ତ୍ତୀ ଜନଗଣନା ୧୮୭୧ରେ ସହରର ଜନସଂଖ୍ୟା ୨୨ ହଜାର ହିସାବ କରାଯାଇଥିଲା । ମାଡ୍ରାସ ପ୍ରେସିଡ଼େନସିରେ ବ୍ରହ୍ମପୁର ଏକ ପୁରାତନ ପୌରପାଳିକା ।
 
ବ୍ରହ୍ମପୁର ପାରମ୍ପରିକଭାବେ ଏକ ସ୍ୱଚ୍ଛ ସହରରୂପେ ପରିଗଣିତ ହେଉଥିଲା । କେତେକ ଦାକ୍ଷିଣାତ୍ୟ ପରିବ୍ରାଜକଙ୍କ ଭ୍ରମଣ ବୃତ୍ତାନ୍ତରୁ ଏହାର ପ୍ରମାଣ ମିଳେ । ତେବେ ପୁରୀ ରଥଯାତ୍ରା ଫେରନ୍ତା ବ୍ରହ୍ମପୁର ଓ ଆଖପାଖ ଗ୍ରାମାଞ୍ଚଳର ତୀର୍ଥଯାତ୍ରୀଙ୍କ ଦ୍ୱାରା ପ୍ରାୟତଃ ପ୍ରତିବର୍ଷ ହଇଜା ସଂକ୍ରମଣ ଦେଖା ଦେଉଥାଏ । ସହରର ଇତିହାସ ସଂପର୍କରେ ସର୍ବପ୍ରାଚ଼ୀନ ପ୍ରାମାଣିକ ଗ୍ରନ୍ଥ ଗଞ୍ଜାମ ଡିଷ୍ଟ୍ରିକ୍ଟ ମାନୁଆଲର ପ୍ରଣେତା ଟି.ଜେ. ମାଲଟବୀଙ୍କ ବିବରଣୀରେ ଏହା ଉଲ୍ଲେଖ ରହିଛି । ପରିମଳ ରକ୍ଷା ଉଦ୍ଦେଶ୍ୟରେ ବ୍ରହ୍ମପୁରରେ ନାଳ ନର୍ଦ୍ଦମା ନିର୍ମାଣ ନିମନ୍ତେ ଊନବିଂଶ ଶତାଦ୍ଦୀ ମଧ୍ୟଭାଗରୁ ସରକାର ଗୁରୁତ୍ୱ ଦେଇଥିଲେ । ମାଲଟବୀ ଲେଖିଛନ୍ତି ଯେ ଭାପୁର ଅଞ୍ଚଳର ମିଲଟାରୀ ଲାଇନ୍ସ ରାସ୍ତାର ଦୁଇ କଡ଼ରେ ପଥର ନିର୍ମିତ ଇଂଲିଶ ଅକ୍ଷର ଭିଆକୃତିର ନର୍ଦ୍ଦମା ଆଦର୍ଶ ମଡ଼େଲ ସାଜିଥିଲା । ଏହି ଧରଣର ଖୋଲା ନର୍ଦ୍ଦମା ସହରର ଅନ୍ୟତ୍ର ମଧ୍ୟ ନିର୍ମିତ ହୋଇଥିଲା ।
 
ବର୍ତ୍ତମାନ ସୁଦ୍ଧା ମିଲଟାରୀ ଲାଇନ୍ସର ପ୍ରଶସ୍ତ ରାସ୍ତା ଓ ପରବର୍ତ୍ତୀ ପର୍ଯ୍ୟାୟରେ ଗଠିତ ଦ୍ୱିତୀୟ ଲାଇନର ତତସମ ରାସ୍ତା ସାଙ୍ଗକୁ ଧାଡ଼ିଏ ଘର ପରେ ଦଶ ଫୁଟର ସ୍କାଭେଞ୍ଜର ଲେନ ଓ ନର୍ଦ୍ଦମା ଦୃଷ୍ଟି ଆକର୍ଷଣ କରିଥାଏ । ମିଲଟାରୀ ଲାଇନ୍ସ ଓ ଆସିକା ରୋଡ଼ ମଧ୍ୟରେ ପଶୁ ଚ଼ିକିତ୍ସାଳୟ ସାମ୍ନାରେ ଭୀମାରାଓ ପେଟା ୧୯୩୦ରେ ଗଢ଼ି ଉଠିଥିଲା । ଭୀମାରାଓ ପଟ୍ଟନାୟକ ନାମକ ଜଣେ ଓକିଲ ଏହି ବସତିରେ ପାଞ୍ଚଗୋଟି ଦୁଇ ବଖରିଆ ବାସଗୃହ ମୁଖ୍ୟତଃ ଓକିଲ ଗୁମସ୍ତାମାନଙ୍କ ପାଇଁ ନିର୍ମାଣ କରିଥିଲେ ।
 
ଭୀମାରାଓ ପେଟା ଲେ-ଆଉଟରେ ଆଠ ଯୋଡା ବାସଗୃହ ଧାଡ଼ି ଏକ ପ୍ରଶସ୍ତ ଖୋଲା ପଡ଼ିଆକୁ ଘେରି ରହିଥିଲା । ଦୁଇ ଧାଡ଼ି ଘର ମଧ୍ୟରେ ଆଠ ଫୁଟର ସ୍କେଭେଞ୍ଜର ଲେନ ଓ ମଧ୍ୟଭାଗର ଖୋଲା ପଡ଼ିଆ  ସହ ଛଅ ଗୋଟି ଯୋଗସୂତ୍ରକାରୀ ରାସ୍ତାର ସୁବିଧା ଥିଲା । ମୂଳ ସାହୀର ରାସ୍ତା କଡ଼େ ମିଲଟାରୀ ଲାଇନ୍ସରୁ ପୋଲିସ ଲାଇନ୍ସ ଦେଇ ଆସିକା ରୋଡ଼ ଯାଏଁ ଲମ୍ୱିଥିବା ଏକ ବଡ଼ ନର୍ଦ୍ଦମା ସାଙ୍ଗକୁ ଧାଡ଼ି ଧାଡ଼ି ଘର ପଛପଟେ ସ୍କେଭେଞ୍ଜର ଲେନଗୁଡ଼ିକର ଦୁଇ ପାର୍ଶ୍ୱରେ ଛୋଟ ନର୍ଦ୍ଦମାର ବ୍ୟବସ୍ଥା ରହିଥିଲା । ପୌରପାଳିକା ପକ୍ଷରୁ ମୁଖ୍ୟରାସ୍ତା ଓ ସ୍କେଭେଞ୍ଜର ଲେନ ଉଭୟ ରାସ୍ତାଘାଟ ଓ ନର୍ଦ୍ଦମା ପ୍ରତିଦିନ ସଫେଇ ହେଉଥିଲା ।
 
କାଳକ୍ରମେ ସହରର ପରିସୀମା ବୃଦ୍ଧି ଏବଂ ବିଂଶ ଶତାଦ୍ଦୀର ଅଷ୍ଟମ, ନବମ ଦଶକ ବେଳକୁ ଆର୍ଥିକ ଅନାଟନ ହେତୁ ରାଜ୍ୟ ସରକାରଙ୍କ ଅନୁଦାନ ହ୍ରାସ କାରଣରୁ ପୌରପାଳିକାରେ ସଫେଇ କର୍ମଚାରୀ ଅଭାବ ଫଳରେ ସ୍କେଭେଞ୍ଜର ଲେନଗୁଡ଼ିକର ଦୈନନ୍ଦିନ ସଫେଇ କାର୍ଯ୍ୟ ବନ୍ଦ କରିଦିଆଗଲା । ନାଳନର୍ଦ୍ଦମା ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଯିବା ଅବସ୍ଥାରେ ପହଞ୍ଚିବା ପରେ ୧୯୯୩ରେ ମିଲଟାରୀ ଲାଇନ୍ସ ଓ ଭୀମାରାଓ ପେଟା ମୁଖ୍ୟ ରାସ୍ତାର ସ୍କେଭେଞ୍ଜର ଲେନର ଦୁଇ ନର୍ଦ୍ଦମା ଭାଙ୍ଗି ଗୋଟିଏ ଲେଖା ନର୍ଦ୍ଦମା ନିର୍ମାଣ କରାଗଲା । ପୌରପାଳିକାର ଏହି ଅପରିଣାମଦର୍ଶୀ ମନୋଭାବ ସ୍ୱଚ୍ଛାତାଲାଗି ଚର୍ଚ୍ଚିତ ଦୁଇ ସାହୀର ସ୍କେଭେଞ୍ଜର ଲେନକୁ ଅଳିଆ ଗଦାରେ ପରିଣତ କରିଦେଲା । ବର୍ଷକରେ ଥରେ ଅଧେ ସଫା ହେବା ଯୋଗୁଁ ମଶା, ବିଚ୍ଛା, ସରୀସୃପଙ୍କ ଚରାଭୂଇଁ ପାଲଟିଲା ।
 
ଦୀର୍ଘ ଦୁଇ ଦଶନ୍ଧି ଧରି ଏହି ଅଞ୍ଚଳରେ ପରିମଳ ସଜାଡ଼ିବା ସଂଭବପର ହେଲା ନାହିଁ । ପୌରପାଳିକା ପ୍ରଶାସନରେ ଦୁର୍ବଳ ନେତୃତ୍ୱ ଏଥି ପ୍ରତି ଦୃଷ୍ଟି ଦେଲେ ନାହିଁ । ଦୀର୍ଘଦିନ ପରେ ମିଲଟାରୀ ଲାଇନ୍ସ ସ୍କେଭେଞ୍ଜର ଲେନରେ ପୂର୍ବବତ୍ ଦୁଇ ଧାଡ଼ି ଗୃହର ଉଦ୍ ବୃତ୍ତ ଜଳ ନିଷ୍କାସନ ପାଇଁ ଦୁଇଗୋଟି ନର୍ଦ୍ଦମା ସହ ପକ୍କା ରାସ୍ତା ନିର୍ମିତ ହୋଇଛି । ତେବେ କ୍ଷୋଭର ବିଷୟ ଭୀମାରାଓ ପେଟା ମୁଖ୍ୟ ରାସ୍ତା ସ୍କେଭେଞ୍ଜର ଲେନରେ ପୂର୍ବବତ ଗୋଟିଏ ନର୍ଦ୍ଦମାର ପୁନଃ-ନିର୍ମାଣ କାମ ୨୦୨୧ ଡ଼ିସେମ୍ୱରରେ ହାତକୁ ନିଆଯାଇଛିମିଲଟାରୀ ଲାଇନ୍ସ ଓ ଭୀମାରାଓ ପେଟା ସ୍କାଭେଞ୍ଜର ଲେନରେ ଦୁଇ ବଦଳରେ ଗୋଟିଏ ନର୍ଦ୍ଦମାର ତିକ୍ତ ଅଭିଜ୍ଞତାକୁ ବିଚାରକୁ ନିଆଯାଇନାହିଁ ।
 
ସହରରେ ପରିମଳ ରକ୍ଷା ନିମନ୍ତେ ସ୍ଥାନୀୟ ଅବସ୍ଥା ବିଚାରକୁ ନେଇ ଯୋଜନା ପ୍ରଣୟନ ଅପରିହାର୍ଯ୍ୟ । କିନ୍ତୁ ଦୀର୍ଘ ପରୀକ୍ଷିତ ବ୍ରହ୍ମପୁର ମଡ଼େଲକୁ ଅଣଦେଖା କରି ଆମେ ପଡ଼ୋଶୀ ରାଜ୍ୟର ମଡ଼େଲ କଥା ଚ଼ିନ୍ତା କରିବା ଉଦବେଗର କାରଣ । ରାସ୍ତାର ଦୁଇ କଡ଼ରେ ନର୍ଦ୍ଦମା ନିର୍ମାଣ ଓ ନିୟମିତ ସଫେଇ ପରିମଳ ରକ୍ଷାର ମୂଳତତ୍ତ୍ୱ । ସହରରେ ସ୍ୱେରେଜ ବ୍ୟବସ୍ଥା ନାହିଁ । ସ୍ୱେରେଜ ବ୍ୟବସ୍ଥାର ଭିତ୍ତିଭୂମି ପ୍ରସ୍ତୁତି ନିମନ୍ତେ ପର୍ଯ୍ୟାପ୍ତ ଆର୍ଥିକ ନିବେଶ ଯୋଗାଡ଼ ସମ୍ଭବ ହେବା ଯାଏଁ ଖୋଲା ନର୍ଦ୍ଦମା କିପରି ରୀତିମତ ସଫା ହୋଇପାରିବ, ବିଭିନ୍ନ ଆଧୁନିକ ଯାନ୍ତ୍ରିକ ବ୍ୟବସ୍ଥା ଓ ଉପକରଣ ସଫେଇ କାମରେ ଉପଯୋଗ କରାଯାଇ ପାରିବ ଏବଂ ବାର୍ଷିକଭିତ୍ତିରେ ପ୍ରତ୍ୟେକ ନାଳନର୍ଦ୍ଦମାର ରକ୍ଷାଣବେକ୍ଷଣ କରାଯାଇପାରିବ ତାହା ଆମର ଲକ୍ଷ୍ୟ ହେଲେ ଯାଇ ବ୍ରହ୍ମପୁର ସହର ସତରେ ସ୍ୱଚ୍ଛ ହୋଇପାରିବ !

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୧ ଡ଼ିସେମ୍ୱର ୨୦୨୧ / ପୃଷ୍ଠା : ୮)


Friday, December 3, 2021

Mosquito Control / ମଶା ନିୟନ୍ତ୍ରଣ

 




ମୂଷଳ ଧାରାରେ ବର୍ଷାର ମାସକ ପରେ #ବ୍ରହ୍ମପୁରରେ ମଶା ଉପଦ୍ରବ ଏକ ଚିରାଚରିତ ସମସ୍ୟା । ଏ ବର୍ଷ  ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶ ଉପକୂଳରେ ଲଘୁଚାପ ପ୍ରଭାବରେ ଅକ୍ଟୋବର ଶେଷ ନଭେମ୍ୱର ଆରମ୍ଭରେ ବ୍ରହ୍ମପୁରରେ ବର୍ଷା ପରେ ନଭେମ୍ୱର ଶେଷ ସପ୍ତାହରୁ ପ୍ରବଳ ମଶା । ଦିନ ସାରା ମଶା ଧୂପ, ରସାୟନ ଜାଳିଲେ ସୁଦ୍ଧା ମଶାଙ୍କ କବଳରୁ ମୁକ୍ତି ନାହିଁ । ରାତିରେ ମଶାରୀ ଢାଙ୍କି ଶୋଇଲେ ମଧ୍ୟ ମଶାରୀ କଡ଼ରେ ଶରୀର ପହଞ୍ଚିବା ସଙ୍ଗେ ସଙ୍ଗେ ମଶା ଦଂଶନରେ ବାରମ୍ୱାର ନିଦ୍ରାହାନୀ । ମଶା ନିୟନ୍ତ୍ରଣ ପାଇଁ ଅଧିକ କିଛି ବ୍ୟକ୍ତିଗତ ବା ପାରିବାରିକ କ୍ଷମତା ନଥିବା ହେତୁ ପୌରପାଳିକାଙ୍କ ଦୟାକୁ ଅପେକ୍ଷା କରିବାକୁ ପଡ଼େ ।

 

ସହର ସାରା ରାସ୍ତାଘାଟ ବିଶେଷ କରି ଖୋଲା ସ୍ଥାନମାନଙ୍କରେ ଅଳିଆ ଆବର୍ଜନା ଏବଂ ଖୋଲା ନର୍ଦ୍ଦମା କାରଣରୁ ବର୍ଷା ହେବା ପରେ ପାଣି ଜମି ରହେ । ସେଠି ମଶା ଡ଼ିମ୍ୱ ଦିଏ ଏବଂ ସପ୍ତାହରୁ ଦୁଇ ସପ୍ତାହ ମଧ୍ୟରେ ମଶା ଘରେ ପଶି ଆକ୍ରମଣ ଜାରି ରଖେ । ଏହା ଏକ ସ୍ୱାଭାବିକ ପ୍ରକ୍ରିୟା ।

 

ଅଳିଆ ଆବର୍ଜନା ନାଳନର୍ଦ୍ଦମା ତ ନିୟମିତ ସଫା ହେବା କଥା । ତେବେ ବର୍ଷା ଋତୁ ଆଗରୁ ତତ୍ପରତା ସହ ସଫେଇ ଆୟୋଜନ କଲେ ବର୍ଷା ପରେ ଆବଦ୍ଧ ଜଳର ପରିସୀମା କମିଯାଆନ୍ତା । ବ୍ରହ୍ମପୁର ପୌରପାଳିକା ପକ୍ଷରୁ ଏହି କାର୍ଯ୍ୟକ୍ରମ ନିୟମିତ ହେବା କଥା । ତେବେ ସେଥିରେ ଅବହେଳା ହେଲେ ସଂପୃକ୍ତ ଅଞ୍ଚଳରେ ମଶାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଏ ।

 

ସହରର ବହୁ ଅଞ୍ଚଳରେ ନିୟମିତ ସଫେଇ ବ୍ୟବସ୍ଥା ନଥାଏ । ଉଦାହରଣରେ ବହୁ ଜନାକୀର୍ଣ୍ଣ ସାହୀର ପଛପଟ ରାସ୍ତା ସ୍କେଭେଞ୍ଜର୍ସ ଲେନ କିମ୍ୱା ପୌରାଞ୍ଚଳକୁ ଘେରି ରହିଥିବା ସହରତଳି ଜନବସତି ଇତ୍ୟାଦି । ଏହି ସବୁ ଅଞ୍ଚଳରେ ସ୍ୱତନ୍ତ୍ର ଅଭିଯାନ ବିନା ସଫେଇ କାର୍ଯ୍ୟ ସଂଭବ ହୋଇନଥାଏ ।

 

ବର୍ଷା ପରେ ପରେ ସଫେଇ, ମଶାବଂଶ ନାଶ ତେଲ ସ୍ପ୍ରେ କରିବା ଏବଂ ମଶା ଉପଦ୍ରବ ଆରମ୍ଭ ହେବା ସଙ୍ଗେ ସଙ୍ଗେ ମଶା ମରା ଧୂଆଁ ଛାଡ଼ିବା ଦ୍ୱାରା ମଶା ବଂଶ ବୃଦ୍ଧିକୁ ଆୟତ୍ତ କରିବା ସଂଭବ । କିନ୍ତୁ ଏହି କାର୍ଯ୍ୟକ୍ରମ ଠିକ ସମୟରେ ଆୟୋଜନ ନ ହୋଇ ପାରିଲେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼େ ।

 

କୁହାଯାଏ ମଶାର ଜୀବନଚକ୍ର ଚାରିଗୋଟି ଅବସ୍ଥା ଦେଇ ଗତି କରିଥାଏ – ଡିମ୍ୱ, ଲାର୍ଭା, ପ୍ୟୁପା ଓ ପ୍ରାପ୍ତ ବୟସ୍କ ମଶା । ଡ଼ିମ୍ୱ, ଲାର୍ଭା ଓ ପ୍ୟୁପା ଆବଦ୍ଧ ଜଳ ମଧ୍ୟରେ କଟିବା ପରେ ପ୍ରାପ୍ତ ବୟସ୍କ ମଶା ଉଡ଼ି ବୁଲେ । ମଶା ନିପାତ କରିବା ନିମନ୍ତେ ଅଳିଆ ଆବର୍ଜନା ପରିଷ୍କାର ଓ ଆବଦ୍ଧ ଜଳ ନିୟନ୍ତ୍ରଣ କରାଯାଇ ପାରିଲେ ମଶା ବଂଶବୃଦ୍ଧି ପ୍ରାଥମିକ ପର୍ଯ୍ୟାୟରେ ନିୟନ୍ତ୍ରଣ ସମ୍ଭବ । କିନ୍ତୁ ତାହା ନ ହୋଇପାରିଲେ ମଶା ଧୂଆଁ ଦ୍ୱାରା ନିପାତ କରିବା ବ୍ୟତୀତ ଅନ୍ୟ ଉପାୟ ନଥାଏ ।

 

ଅଣ୍ଡିରା ମଶାଙ୍କ ଜୀବଦ୍ଦଶା ପ୍ରାପ୍ତ ବୟସ୍କ ପର୍ଯ୍ୟାୟରେ ପହଞ୍ଚିବା ପରେ ୫ ରୁ ୭ ଦିନ ମଧ୍ୟରେ ସୀମିତ ରହୁଥିବା ସ୍ଥଳେ ମାଈ ମଶା ଦୁଇ ସପ୍ତାହରୁ ଚାରି ସପ୍ତାହ ଯାଏଁ  ବଞ୍ଚେଅଣ୍ଡିରା ମଶା ଗଛ ପତ୍ର ରସ ଆହାର ରୂପେ ଗ୍ରହଣ କରୁଥିବା ବେଳେ ମାଈ ମଶାର ଖାଦ୍ୟ ଗଛପତ୍ର ରସ ସହ ମନୁଷ୍ୟ ତଥା ଅନ୍ୟାନ୍ୟ ପ୍ରାଣୀଙ୍କ ରକ୍ତ ଅନ୍ତର୍ଭୁକ୍ତ । ମାଈ ମଶା ରକ୍ତ ପାନ ପରେ ଦୁଇ ତିନି ଦିନ ବିଶ୍ରାମ ନିଏ । ଏହି ଅବସରରେ ରକ୍ତ ହଜମ ହୋଇ ଅଣ୍ଡା ପ୍ରସ୍ତୁତ ହୋଇଥାଏ । ସ୍ଥିର ଜଳରେ ଅଣ୍ଡା ଦେବା ପରେ ମାଈ ମଶା ପୁଣି ରକ୍ତ ଆହାର ପାଇଁ ଶୀକାର ସନ୍ଧାନରେ ବାହାରିପଡ଼େ । ମଶାଙ୍କ ଜୀବନଚକ୍ର ଅବଧି ମୁଖ୍ୟତଃ ସ୍ଥାନୀୟ ପାଣିପାଗ ଉପରେ ନିର୍ଭରଶୀଳ ।

 

ବିଶ୍ୱବ୍ୟାପୀ ପ୍ରାୟ ତିନି ହଜାର ପ୍ରଜାତିର ମଶା ଦେଖାଯାଆନ୍ତି । ମାଈ ମଶା ସକାଳ ଓ ସନ୍ଧ୍ୟାରେ କାମୁଡ଼େ । ଦିନର ଗରମ ସମୟରେ ଥଣ୍ଡା ଅନ୍ଧାରୁଆ ସ୍ଥାନ ଖୋଜି ବିଶ୍ରାମ ନିଏ । କିନ୍ତୁ କେତେକ ପ୍ରଜାତିର ମଶା ଦିନ ତମାମ କାମୁଡ଼ନ୍ତି । ହୁଏତ ବ୍ରହ୍ମପୁରର ମଶା ସେହି ଭଳି ପ୍ରଜାତି ଅନ୍ତର୍ଗତ !

 

ମଶା କାମୁଡ଼ା ବାଧେ । ଏତଦ୍ୱାରା ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପେ । ବିଶ୍ୱରେ ମଶା ହେତୁ ପ୍ରତି ବର୍ଷ ସାତ ଲକ୍ଷ ମନୁଷ୍ୟ ଜୀବନହାନୀ ହୁଏ ହିସାବ ଦେଖିଲେ ମଶା ନିୟନ୍ତ୍ରଣ ଏକ ବଡ଼ ଜନସ୍ୱାସ୍ଥ୍ୟ ସମସ୍ୟା । ଏଦିଗରେ ଜନସାଧାରଣ ଓ ପୌର ପ୍ରଶାସନ ସଜାଗ ରହି ପରିସ୍ଥିତି ଉପଯୋଗୀ ପଦକ୍ଷେପ ଗ୍ରହଣ କରିବା ବିଧେୟ । ଏହି ଡ଼ିସେମ୍ୱରରେ ମଶା ଧୂଆଁ ଛାଡ଼ିବା ଦରକାର ।


Friday, November 26, 2021

Municipal Corporation Boarders / ପୌର ନିଗମ ସୀମା ନିର୍ଦ୍ଧାରଣ

 


#ବ୍ରହ୍ମପୁର ପୌର ନିଗମ ସୀମା ନିର୍ଦ୍ଧାରଣ ୨୦୦୮ରେ ନିଗମ ଘୋଷଣା ପରଠାରୁ ବିବାଦରେ ଛନ୍ଦି ହୋଇଆସିଛି । ରାଜ୍ୟ ସରକାରଙ୍କ ଦ୍ୱାରା ୩୦ ଡ଼ିସେମ୍ୱର ୨୦୦୮ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ବ୍ରହ୍ମପୁର ପୌର ପରିଷଦ ପୌର ନିଗମରେ ପରିଣତ ହୋଇଥିଲା । ନଗର ଉନ୍ନୟନ ବିଭାଗ କମିଶନର ତଥା ସଚ଼ିବ ଡ଼କ୍ଟର ଅରୁଣ ପଣ୍ଡା ରାଜ୍ୟପାଳଙ୍କ ଆଦେଶ ମୁତାବକ ଓଡ଼ିଶା ମ୍ୟୁନିସିପାଲ କର୍ପୋରେସନ ଆଇନ ୨୦୦୩ ଉପଧାରା (୨) ଧାରା ୩ ଅନୁଯାୟୀ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚ଼ିତ କରିଥିଲେ ।
 
ଡ଼କ୍ଟର ଅରୁଣ ପଣ୍ଡା ନଗର ଉନ୍ନୟନ ସଚ଼ିବ ପଦରେ ଅଧିଷ୍ଠିତ ହେବା ଆଗରୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଭାବେ ବ୍ରହ୍ମପୁରରେ କିଛି କାଳ କାର୍ଯ୍ୟ କରିଥିଲେ । ପୌର ନିଗମ ଘୋଷଣା ବେଳକୁ ଶିବ ଶଙ୍କର ଦାସ ପୌର ପରିଷଦ ଅଧ୍ୟକ୍ଷ ଓ ଭୀମ ମାନସେଠ ପୌର ନିର୍ବାହୀ ଅଧିକାରୀଭାବେ ଦାୟିତ୍ୱ ତୁଲାଉଥିଲେ । ସେହିପରି ଡ଼ାକ୍ତର ରମେଶ ଚ଼ନ୍ଦ୍ର ଚ୍ୟାଉପଟ୍ଟନାୟକ ବ୍ରହ୍ମପୁର ବିଧାୟକ, ଭି. କାର୍ତ୍ତିକେୟ ପାଣ୍ଡିୟାନ ଗଞ୍ଜାମ ଜିଲ୍ଲାପାଳ ଏବଂ ବିଡ଼ିଏ ଅଧ୍ୟକ୍ଷ ଭାବେ ଶରତ ପଟ୍ଟନାୟକ ଅଧିଷ୍ଠିତ ଥିଲେ ।
 
ବିଜ୍ଞପ୍ତି ଅନୁଯାୟୀ ମହାନଗର ସୀମାରେ ୧୫ ଗୋଟି ପଞ୍ଚାୟତର ୨୪ ଗୋଟି ଗ୍ରାମ ଥିବା କୁହାଯାଇଥିଲା । ଉତ୍ତରରେ ଆମ୍ୱପୁଆ, ରତ୍ନପୁର, ଜଗଦଳପୁର, ନିମଖଣ୍ଡି, ଲୋଚାପଡ଼ା, ଭାବିନୀପୁର, ବଡ଼ଗୁମୁଳା, ପଲ୍ଲୀଗୁମୁଳା, ସାନ କୁଶସ୍ଥଳୀ ଓ ନରେନ୍ଦ୍ରପୁର; ଦକ୍ଷିଣରେ ଆରୁଆପଲ୍ଲୀ, ଗଉଞ୍ଜୁ, ବ୍ରହ୍ମାପଲ୍ଲୀ, ଖଜୁରିଆ, ଫୁଲଟା ଓ ହଳଦିଆପଦର; ପୂର୍ବରେ ରଘୁନାଥପୁର, ପଥରା, ଡୁରା, ମାଣ୍ଡିଆପଲ୍ଲୀ ଓ ଆରୁଆପଲ୍ଲୀ ଏବଂ ପଶ୍ଚିମ ଦିଗରେ ଦେନ୍ଦାଳିଆ, ଲାଠି, ସୁକୁଣ୍ଡା, ଚନ୍ଦନିଆ ପାହାଡ଼ ଓ ଆମ୍ୱଗଡ଼ ଇତ୍ୟାଦି ଥିବା ସୂଚ଼ିତ ହୋଇଥିଲା
 
ବିଜ୍ଞପ୍ତି ପ୍ରକାଶପରେ ଏହି ସବୁ ଗ୍ରାମଗୁଡ଼ିକ ପ୍ରଥମେ ଅନ୍ତଃସୀମା ବୋଲି ଧରି ନିଆଯାଇଥିଲା । କିନ୍ତୁ ତୁରନ୍ତ ତାହା ବର୍ହିସୀମା ବୋଲି ସ୍ପଷ୍ଟୀକରଣ ମିଳିଥିଲା । ଏହି ସଂପର୍କରେ ଅନୁପମ ଭାରତ ୨୦୦୯ ଜାନୁୟାରୀ ପହିଲା ସଂସ୍କରଣରେ ନିମ୍ନମତେ ସମ୍ୱାଦ ପ୍ରକାଶ ପାଇଥିଲା :
 
ଏହି ବିବାଦୀୟ ପରିସ୍ଥିତି ସଂପର୍କରେ ବିଧାୟକ ଡ଼ାକ୍ତର ରମେଶ ଚ଼ନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ବର୍ତ୍ତମାନ କେବଳ ବ୍ରହ୍ମପୁର ପୌରାଞ୍ଚଳକୁ ନେଇ ମହାନଗର ନିଗମ ଗଠିତ ହୋଇଛି ବୋଲି ସେ କହିଥିଲେ । ଏହା ସରକାରୀ ବିଜ୍ଞପ୍ତିରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି । ବିଜ୍ଞପ୍ତିରେ ଯେଉଁ ନୂତନ ଗ୍ରାମଗୁଡ଼ିକ ଉଲ୍ଲେଖ କରାଯାଇଛି ତାହା ମିଶ୍ରିତ ଗ୍ରାମ ନୁହେଁ ବରଂ ମହାନଗର ନିଗମର ଚ଼ତୁଃପାର୍ଶ୍ୱ ସୀମା ବୋଲି ଡ଼ାକ୍ତର ପଟ୍ଟନାୟକ କହିଛନ୍ତି ।
 
ବ୍ରହ୍ମପୁର ସହରର ଜନସଂଖ୍ୟା ୨୦୦୧ ଜନଗଣନା ଅନୁଯାୟୀ ୩ ଲକ୍ଷ ୭ ହଜାର ୭୯୨ ହିସାବ କରାଯାଇଥିଲା । ଓଡ଼ିଶା ମ୍ୟୁନସିପାଲ କର୍ପୋରେସନ ଆଇନ ୨୦୦୩ ଉପଧାରା (୧) ଧାରା ୩ ଅନୁଯାୟୀ ଯେକୌଣସି ସହରର ଜନସଂଖ୍ୟା ତିନି ଲକ୍ଷରୁ ଅଧିକ ହେଲେ ତାହାକୁ ମହାନଗର ନିଗମ ଭାବେ ଘୋଷଣା କରାଯିବା ପ୍ରାବଧାନ ରହିଲାଏଥିପୂର୍ବରୁ ୨୦୦୧ ପୌର ପରିଷଦ ବୈଠକରେ ବ୍ରହ୍ମପୁରକୁ ପୌର ନିଗମରେ ରୂପାନ୍ତରିତ କରିବା ନିମନ୍ତେ ବିଧିବଦ୍ଧ ପ୍ରସ୍ତାବ ଗ୍ରହଣ କରାଯାଇ ରାଜ୍ୟ ସରକାରଙ୍କୁ ପ୍ରେରଣ କରାଯାଇଥିବା ଅନୁପମ ଭାରତ ତା ୧୫.୦୨.୨୦୦୫ ସଂସ୍କରଣରେ ପ୍ରକାଶ ପାଇଥିଲା ।
 
ବ୍ରହ୍ମପୁର ପୌର ନିଗମ ଗଠନ ବେଳକୁ ସହରର ୱାର୍ଡ଼ ସଂଖ୍ୟା ୩୭ ଥିଲା । ସାଧାରଣତଃ ପୌର ନିର୍ବାଚନ ପୂର୍ବରୁ ୱାର୍ଡ଼ଗୁଡ଼ିକର ଭୋଟର ସଂଖ୍ୟା ବିଚାରକୁ ନେଇ ସୀମା ପୁନଃନିର୍ଦ୍ଧାରଣ କରାଯାଇଥାଏ । ୨୦୨୨ରେ ପ୍ରସ୍ତାବିତ ପୌର ନିର୍ବାଚନ ପୂର୍ବରୁ ଏଥିନେଇ ପୂର୍ବପ୍ରସ୍ତୁତିରେ ୱାର୍ଡ଼ ସଂଖ୍ୟା ୨୦୧୩ ନିର୍ବାଚନ ବେଳେ ନିର୍ଦ୍ଧାରିତ ୪୦ରୁ ଦୁଇ ବଢ଼ି ମାତ୍ର ୪୨ରେ ସୀମାବଦ୍ଧ ରହିବା ସ୍ପଷ୍ଟ ହୋଇଥିବା ୨୦୨୧ ନଭେମ୍ୱର ଶେଷ ସୁଦ୍ଧା ସୂଚ଼ନା ମିଳିଥିଲା ।
 
୨୦୧୧ର ଜନଗଣନା ଅନୁଯାୟୀ ବ୍ରହ୍ମପୁରରେ ଭୋଟରସଂଖ୍ୟା ୩ ଲକ୍ଷ ୫୬ ହଜାର ୫୯୮ ରହିଥିଲା ଅର୍ଥାତ ୨୦୦୧ରୁ ୨୦୧୧ ଦଶ ବର୍ଷ ମଧ୍ୟରେ ସହରର ଭୋଟର ସଂଖ୍ୟା ମାତ୍ର ୫୦ ହଜାର ବଢ଼ିଥିଲା । ୨୦୨୧ରେ ତ ଜନଗଣନା ମହାମାରୀ ହେତୁ ସଂଭବ ହୋଇପାରିନାହିଁ । ଏହି ଦଶ ବର୍ଷ ମଧ୍ୟରେ ଯଦି ଆଉ ୫୦ରୁ ୭୦ ହଜାର ବଢ଼ିଥାଏ, ତେବେ ବ୍ରହ୍ମପୁରର ମୋଟ ଭୋଟର ସଂଖ୍ୟା ଚାରି ଲକ୍ଷରୁ କିଛି ଅଧିକ ହୋଇଥିବା ଆକଳନ କରାଯାଇପାରେ । କିନ୍ତୁ ପୌର ନିଗମର ସୀମା ଯଦି ବଢ଼ି ସହରତଳି ଅଞ୍ଚଳ ସାମିଲ ହୋଇଥାନ୍ତା, ତେବେ ଭୋଟର ସଂଖ୍ୟା ଆଉ ଲକ୍ଷେରୁ ଦୁଇ ଲକ୍ଷ ବଢ଼ିବା ସଂଭବ ହୋଇପାରନ୍ତା ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ନଭେମ୍ୱର ୨୦୨୧ / ପୃଷ୍ଠା : ୮)

Friday, November 19, 2021

Memories of Football Tournaments / ସ୍ମୃତିରେ ଫୁଟବଲ ଟୁର୍ଣ୍ଣାମେଣ୍ଟ


 

ଏକଦା #ବ୍ରହ୍ମପୁର ଫୁଟବଲ ଟୁର୍ଣ୍ଣାମେଣ୍ଟ ନିମନ୍ତେ ପ୍ରସିଦ୍ଧି ଲାଭ କରିଥିଲା । ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ବିଗତ ଶତାଦ୍ଦୀର ଷଷ୍ଠ, ସପ୍ତମ ଓ ଅଷ୍ଟମ ଦଶକରେ ସହରରେ ନିୟମିତ ବାର୍ଷିକଭିତ୍ତିରେ ଫୁଟବଲ ମ୍ୟାଚ଼ମାନ ଆୟୋଜିତ ହୋଇଆସିଥିଲା । ଏଥିରେ ରାଜ୍ୟର ବିଭିନ୍ନ ସହର ସମେତ ପଡ଼ୋଶୀ ପଶ୍ଚିମବଙ୍ଗ, ବିହାର ଓ ଆନ୍ଧ୍ରପ୍ରଦେଶର ଫୁଟବଲ ଟିମ ଅଂଶଗ୍ରହଣ କରୁଥିଲେ । ଅଷ୍ଟମ ଦଶକରେ ଅନିୟମିତଭାବେ ୧୯୮୩, ୮୪, ୮୫ ଓ ୮୭ରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ପରେ କ୍ରମଶଃ ଏହି ପରମ୍ପରାର ଅନ୍ତ ଘଟିଥିଲା ।

 

ଦୈନିକ ଆଶାରେ ୨୭ ନଭେମ୍ୱର ୧୯୯୦ରେ ପ୍ରକାଶିତ ବ୍ରହ୍ମପୁର ଡ଼ାଏରୀରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ନିମ୍ନମତେ ବର୍ଣ୍ଣନା କରାଯାଇଥିଲା :

 

ବ୍ରହ୍ମପୁରବାସୀଙ୍କ ପାଇଁ ଫୟାଜ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଏକ ବିଶିଷ୍ଟ ଅନୁଭୂତି । ଦିନଥିଲା ପ୍ରାୟତଃ ପ୍ରତିବର୍ଷ ବସନ୍ତ ଋତୁରେ ଖଲ୍ଲିକୋଟ କଲେଜ ଖେଳ ପଡ଼ିଆରେ ମାସେ କାଳ ଚାଲୁଥିଲା ଫୁଟବଲ ମ୍ୟାଚ଼ । କଲେଜ ରୋଡ଼ ରାସ୍ତା କଡ଼େ କଡ଼େ କୃଷ୍ଣଚୂଡ଼ା ଗଛରେ ଯେତେବେଳେ ନାଲି ନାଲି ଫୁଲ ଫୁଟି ଉଠୁଥିଲା, ସ୍କୁଲ ପିଲାଏ ଧରିନେଉଥିଲେ ଯେ ଫୁଟବଲ ମ୍ୟାଚ଼ର ସମୟ ଆସି ପହଞ୍ଚିଗଲା ।

 

ପଡ଼ିଆର ପଶ୍ଚିମ ଭାଗର ଫୁଟବଲ କୋର୍ଟକୁ ଧରି ଆୟତନରେ ପ୍ରାୟ ଅର୍ଦ୍ଧେକ ଅଞ୍ଚଳରେ ଟିଣ ଘେରା ଯାଉଥିଲା । କୋର୍ଟ ଚ଼ର୍ତୁଦ୍ଦିଗରେ ଝାଉଁକାଠରେ ତିଆରି ହେଉଥିଲା ଏକ ଅଦଭୁତ ଧରଣର ଧାଡ଼ିକିଆ ଗ୍ୟାଲେରୀ । ଯାହାକି ଦେଶର ଅନ୍ୟ କେଉଁ ଖେଳ ପଡ଼ିଆରେ ଦେଖିବାକୁ ମିଳେନା । କିଛି ଦର୍ଶକ ସେଠି ବସୁଥିଲେ ଏବଂ ପଛରେ ଆଉ କେତେକ ଛିଡ଼ା ହୋଇ ଖେଳ ଉପଭୋଗ କରୁଥିଲେ । ନାଁ ତାର ଥିଲା ଗ୍ରୀନ ଷ୍ଟାଣ୍ଡ

 

କଲେଜର ଅର୍ଦ୍ଧନିର୍ମିତ ଗ୍ୟାଲେରୀ ବ୍ୟବହୃତ ହେଉଥିଲା ଏବଂ ଚେୟାର ବ୍ୟବସ୍ଥା ବି ହେଉଥିଲା । ଗ୍ରୀନଷ୍ଟାଣ୍ଡ, ଗ୍ୟାଲେରୀ ଓ ଚେୟାର ପାଇଁ ଟିକଟ ପଇସା ଦେଇ ଫୁଟବଲ ଖେଳ ଦେଖିବାରେ ଯେତିକି ଆନନ୍ଦ, ତାଠାରୁ ଅଧିକ ରୋମାଞ୍ଚକର ଥିଲା ଗ୍ରାଉଣ୍ଡ ଚାରିପଟର ବଡ଼ ବଡ଼ ଗଛରେ ଚଢ଼ି ଘଣ୍ଟାକର ଖେଳ ଉପଭୋଗ କରିବାର ଅନୁଭୂତି ।

 

ବ୍ରହ୍ମପୁର ଫୁଟବଲ ଟୁର୍ଣ୍ଣାମେଣ୍ଟ ଘେନି ଆସୁଥିଲା ଏକ ଉତ୍ସବମୁଖର ପରିବେଶ । ସହରର ଓକିଲ, ଅଧ୍ୟାପକଙ୍କଠାରୁ ଆରମ୍ଭ କରି ମାଂସବାଲା, ରିକ୍ସାବାଲା ଯାଏଁ ସଭିଏଁ ଏହି ମୌଳିକ ସାଂସ୍କୃତିକ ମହୋତ୍ସବରେ ସାମିଲ ହେଉଥିଲେ । ପୁରୁଣା ବନ୍ଧୁଙ୍କ ସହ ଦେଖା ହେଉଥିଲା । ନୂଆ ଅମଳକରା ସିଝା ଭଜା ଚିନାବାଦାମ ପୁଡ଼ିଆ ସହ ଜମି ଉଠୁଥିଲା ଆନ୍ତରିକତାର ଆଳାପ ଆଲୋଚ଼ନା ।

 

XX ‘ଫୟାଜ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ’ ‘ଗଞ୍ଜାମ ଜିଲ୍ଲା ଏଥେଲେଟିକ ଏସୋସିଏସନ ଆନୁକୂଲ୍ୟରେ ଆୟୋଜିତ ହୋଇଥାଏ । ଦେଶ ସ୍ୱାଧୀନ ହେବାପରେ ୧୯୪୯ ମସିହାରେ ଗଞ୍ଜାମ ଜିଲ୍ଲା ଏଥେଲେଟିକ ଏସୋସିଏସନ ଗଠିତ ହୋଇଥିଲା । ସେହି ସମୟରେ ସହରର ବିଶିଷ୍ଟ ଚ଼ିକିତ୍ସକ ଡ଼ାକ୍ତର ଫିରୋଜ ଅଲ୍ଲୀ ଏହି ସଂଘ ଗଠନରେ ଅନ୍ୟତମ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଡ଼ାକ୍ତର ଅଲ୍ଲୀଙ୍କ ଉଦ୍ୟମ ଓ ପୃଷ୍ଠପୋଷକତାରେ ତାଙ୍କରି ପିତାଙ୍କ ସ୍ମୃତିରେ ୧୯୫୦ ମସିହାରେ ଆରମ୍ଭ ହୁଏ ଅଲ-ଇଣ୍ଡିଆ ଫୟାଜ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ

 

ବ୍ରହ୍ମପୁରରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କେବଳ ସହର କାହିଁକି ଆଖପାଖ ଅଞ୍ଚଳରେ ମଧ୍ୟ କ୍ରୀଡ଼ା ସଂସ୍କୃତି ପ୍ରସାରରେ ସହାୟକ ହେଉଥିଲା । ସହରରେ ବିଛୁରିତ ଖେଳପଡ଼ିଆଗୁଡ଼ିକରେ ତ ବର୍ଷସାରା ପିଲାଏ ଫୁଟବଲ ଖେଳୁଥିଲେ । ସାହୀ ସାହୀ ମଧ୍ୟରେ ମ୍ୟାଚ଼ ଆୟୋଜନ, ଫୁଟବଲ ଚର୍ଚ୍ଚାରେ କିଶୋର ଓ ଯୁବ ପୀଢ଼ି ନିମଜ୍ଜି ଯାଉଥିଲେ ।

 

ଏଠାକାର ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ବନ୍ଦର ମୁଖ୍ୟକାରଣ ଆର୍ଥିକ ଦୁରାବସ୍ଥା । ଆୟୋଜକମାନଙ୍କ ମତରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ନିମନ୍ତେ ଆବଶ୍ୟକ ଅର୍ଥ ଟିକଟ ବିକ୍ରୀରୁ ଭରଣା ହୋଇପାରୁ ନଥିଲା । ଖଲ୍ଲିକୋଟ କଲେଜ ଗ୍ରାଉଣ୍ଡର ଅର୍ଦ୍ଧେକ ଅଞ୍ଚଳକୁ ଟିଣ ଘେରାଇବାରେ ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା । ତେବେ ୧୯୮୮ରୁ ବ୍ରହ୍ମପୁର ଷ୍ଟାଡ଼ିଏମ ଉଦଘାଟିତ ହେବା ପରେ ପୁରୁଣା ସମସ୍ୟାକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା ! କିନ୍ତୁ ଆଗ୍ରହ ଅଭାବରୁ ଟୁର୍ଣ୍ଣାମେଣ୍ଟ ଆୟୋଜନ ସମ୍ଭବ ହୋଇପାରୁ ନାହିଁ ।

 

ଫିରୋଜ ଅଲ୍ଲୀ କହୁଥିଲେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ବେଳେ ଆୟୋଜନରେ ମୋଟ ପାଞ୍ଚ ହଜାର ଟଙ୍କା ଖର୍ଚ୍ଚ ହେଉଥିଲା । ବର୍ତ୍ତମାନ ତାହା  ପନ୍ଦରରୁ ପଚ଼ିଶି ଲକ୍ଷକୁ ବୃଦ୍ଧି ପାଇପାରେ । ତେବେ ଆଜିକାଲି ବଡ଼ ଉତ୍ସବାନୁଷ୍ଠାନ ଆୟୋଜନ ଲାଗି ବୃତ୍ତିଭିତ୍ତିକ ବ୍ୟାବସାୟିକ ସଂସ୍ଥା ଇଭେଣ୍ଟ ମେନେଜର୍ସଙ୍କ ସୁବିଧା ମିଳିଲାଣି । ଫୁଟବଲ ଭଳି ଖେଳ ବିପୁଳ ଦର୍ଶକଙ୍କୁ ଆକର୍ଷିତ କରୁଥିବା ହେତୁ ବିଜ୍ଞାପକମାନେ ଉତ୍ସବଗୁଡ଼ିକର ପ୍ରାୟୋଜକ ହେବାକୁ ଆଗେଇ ଆସୁଛନ୍ତି । ପୁଣି ଥରେ ବ୍ରହ୍ମପୁରରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରାଯାଇ ପାରିବକି ? ଏଦିଗରେ ବିଚାରବିମର୍ଷ ହେଲେ କେମିତି ହୁଅନ୍ତା ?


ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୦ ନଭେମ୍ୱର ୨୦୨୧ / ପୃଷ୍ଠା : ୮)


Photo by Wesley Tingey on Unsplash