Friday, September 29, 2023

Single Screen - Multiplex / ସିଙ୍ଗଲ ସ୍କ୍ରୀନ – ମଲଟିପ୍ଳେକ୍ସ

 


#ବ୍ରହ୍ମପୁର ସହରରେ ପ୍ରଥମ ମଲଟିପ୍ଳେକ୍ସ ଆତ୍ମପ୍ରକାଶ ପରେ ଦୁଇଗୋଟି ସିଙ୍ଗଲ ସ୍କ୍ରୀନ ବନ୍ଦ ହୋଇଗଲା । ବାରାକ୍ସ ଟେଲିଫୋନ ଭବନ ରୋଡ଼ ସ୍ଥିତ ଜନତା ସିଟି ସେଣ୍ଟରରେ ୨୦୨୩ ପୂର୍ବାର୍ଦ୍ଧରେ ପିଏସଆର ସିନେମାସ ମଲଟିପ୍ଳେକ୍ସ ଚଳଚ଼ିତ୍ର ପ୍ରଦର୍ଶନ ଆରମ୍ଭ କରିବା ବେଳେ ପ୍ରେମନଗର ରୋଡ଼ ସ୍ଥିତ ଶକ୍ତି ଓ ଶିବା ଦୁଇଗୋଟି ସିଙ୍ଗଲ ସ୍କ୍ରୀନ ସିନେମା ହଲରେ ମାର୍ଚ୍ଚ ପହିଲାରୁ ଚଳଚ଼ିତ୍ର ପ୍ରଦର୍ଶନ ବନ୍ଦ ରହିଲା । ପିଏସଆର ସିନେମାସରେ ତିନିଗୋଟି ସ୍କ୍ରୀନ ଯୋଡ଼ି ହୋଇଥିବା ସ୍ଥଳେ ଶିବା ଓ ଶକ୍ତିର ଦୁଇଗୋଟି ସ୍କ୍ରୀନ ଉଭେଇଗଲା । ଫଳରେ କୋଭିଡ଼ ମହାମାରୀ-ପର ଅବସ୍ଥାରେ ବ୍ରହ୍ମପୁରରେ ପାଞ୍ଚଗୋଟି ସିଙ୍ଗଲ ସ୍କ୍ରୀନ ସିନେମା ହଲରେ ପାଞ୍ଚଗୋଟି ସ୍କ୍ରୀନ ଚାଲୁଥିବା ସ୍ଥଳେ ୨୦୨୩ ମଧ୍ୟଭାଗରେ ଗୌତମ, ରୁକ୍ମିଣୀ ଓ ପାୟଲରେ ତିନିଗୋଟି ସ୍କ୍ରୀନ ସାଙ୍ଗକୁ ପିଏସଆର ସିନେମାସରେ ତିନିଗୋଟି ସ୍କ୍ରୀନ ମୋଟ ଛଅଗୋଟି ସ୍କ୍ରୀନକୁ ବୃଦ୍ଧି ପାଇଛି ।
 
ପାରମ୍ପରିକଭାବେ ବ୍ରହ୍ମପୁର ଦକ୍ଷିଣ ଓଡ଼ିଶାର ମୁଖ୍ୟ ଚଳଚ଼ିତ୍ର ପ୍ରଦର୍ଶନ କେନ୍ଦ୍ରର ମାନ୍ୟତା ପାଇ ଆସିଛି । ଏଠାରେ ରାଜ୍ୟର ପ୍ରଥମ ଚଳଚ଼ିତ୍ର ପ୍ରେକ୍ଷାଳୟ ସ୍ଥାପିତ ହୋଇଥିଲା ଏବଂ ସହରବାସୀ ଚଳଚ଼ିତ୍ର ପ୍ରେମୀଭାବେ ପରିଚ଼ିତ । ପ୍ରଥମ ଦୁଇ ଚଳଚ଼ିତ୍ର ପ୍ରେକ୍ଷାଳୟ ଶ୍ରୀ ସୀତାରାମ ବିଳାସ ଟକିଜଜ୍ୟୋତି ପିକଚ଼ର ପ୍ୟାଲେସ ଭ୍ରାମ୍ୟମାଣ ଚଳଚ଼ିତ୍ର ପ୍ରଦର୍ଶନ, ଅର୍ଥାତ ସର୍କସ ଭଳି ତମ୍ୱୁ ଟାଣି ସିଙ୍ଗଲ ପ୍ରୋଜେକ୍ଟରରେ ଚଳଚ଼ିତ୍ର ପ୍ରଦର୍ଶନ ଆରମ୍ଭ କରି ସ୍ଥାୟୀ ଚଳଚ଼ିତ୍ର ପ୍ରେକ୍ଷାଳୟ ସ୍ଥାପନ କରିଥିଲେ । ସ୍ୱାଧୀନୋତ୍ତର ଅବସ୍ଥାରେ ବିଜୟା, ଉତ୍କଳ, ପରମ ଜ୍ୟୋତି, ଲିଙ୍ଗରାଜ, ପଦ୍ମଶ୍ରୀ, ପାୟଲ, ରୁକ୍ମିଣୀ, ଗୌତମ, ଶକ୍ତି ଓ ଶିବା ମୋଟ ୧୨ ଗୋଟି ଚଳଚ଼ିତ୍ର ପ୍ରେକ୍ଷାଳୟ କାର୍ଯ୍ୟକ୍ଷମ ହୋଇଥିଲା । ଏଥି ମଧ୍ୟରୁ ସାତ ଗୋଟି ପର୍ଯ୍ୟାୟକ୍ରମେ ବନ୍ଦ ହୋଇଯାଇଥିବା ବେଳେ ଦୁଇ ଗୋଟି ଶକ୍ତି ଓ ଶିବା ୨୦୨୩ରେ ବନ୍ଦ ହେଲା ।
 
ପ୍ରେମ ନଗର ରୋଡ଼ରେ ୧୯୮୨ରେ ଶକ୍ତି ସିନେମା ପ୍ରତିଷ୍ଠା ହୋଇଥିଲା । ପରବର୍ତ୍ତୀ ଅବସ୍ଥାରେ ଏହାର ବିସ୍ତୃତ ପ୍ରାଙ୍ଗଣରେ ଶିବା ସିନେମା ନିର୍ମାଣ କରାଗଲା । ଗୋଟିଏ ପ୍ରାଙ୍ଗଣରେ ଦୁଇଗୋଟି ସିନେମା ହଲ ଦର୍ଶକମାନଙ୍କ ଲାଗି ଏକ ନୂତନ ଅନୁଭୂତି ଆଣିଥିଲା । ତେବେ ଠିକ ସେହି ସମୟ ବେଳକୁ ବ୍ରହ୍ମପୁରରେ ଦୂରଦର୍ଶନ ସେବା ଆରମ୍ଭ ହେବା ପରେ କ୍ରମଶଃ ସହରବାସୀଙ୍କ ଚଳଚ଼ିତ୍ର ପ୍ରେକ୍ଷାଳୟ ପରିଦର୍ଶନ ଅଭ୍ୟାସରେ ପରିବର୍ତ୍ତନ ଆସିଲା । ଦଶ ବର୍ଷ ପରେ ବିଂଶ ଶତାଦ୍ଦୀ ଶେଷ ଦଶକ ଆରମ୍ଭରୁ ଉପଗ୍ରହଭିତ୍ତିକ ଘରୋଇ ଚ୍ୟାନେଲ କେବଲ ଟେଲିଭିଜନ ମାଧ୍ୟମରେ ପ୍ରସାର ଲାଭ କରିବାପରେ ପ୍ରେକ୍ଷାଳୟରେ ଚଳଚ଼ିତ୍ର ଉପଭୋଗ ପରମ୍ପରା ମାଳିନ ପଡ଼ିଯାଇଥିଲା । ତେବେ ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଆରମ୍ଭରୁ ସହରରେ ସ୍ମାର୍ଟଫୋନ ବ୍ୟବହାର ଓ ମଧ୍ୟଭାଗରୁ ଆପ ମାଧ୍ୟମରେ ପାଞ୍ଚ ଶହ ଯାଏଁ ଟେଲିଭିଜନ ଚ୍ୟାନେଲ, ଷ୍ଟ୍ରୀମିଂ ପ୍ଲାଟଫରମ ସାଙ୍ଗକୁ ଶସ୍ତା ଇଣ୍ଟରନେଟ ଡ଼ାଟା ସୁବିଧା ଚଳଚ଼ିତ୍ର ପ୍ରଦର୍ଶନର ପରିଭାଷା ବଦଳାଇ ଦେଲା । କୋଭିଡ଼ ମହାମାରୀ-ପର ଅବସ୍ଥାରେ ସହରବାସୀଙ୍କ ମଧ୍ୟରୁ ଅଧିକାଂଶ ଦୈନିକ ଅଢ଼େଇ ଘଣ୍ଟା ଯାଏଁ ସୋସିଆଲ ମିଡ଼ିଆରେ ବିତାଉଥିବା ପରିସଂଖ୍ୟାନ ଜନଜୀବନରେ ମନୋରଞ୍ଜନର ସଂଜ୍ଞାରେ ନୂତନ ଫର୍ଦ୍ଦ ଯୋଡ଼ିଛି ।
 
ରାଷ୍ଟ୍ରୀୟସ୍ତରରେ ଚଳଚ଼ିତ୍ର ପ୍ରେକ୍ଷାଳୟ ପ୍ରଦର୍ଶନ ୨୦୨୩ ମଧ୍ୟଭାଗ ସୁଦ୍ଧା ସଂପୂର୍ଣ୍ଣ ସକ୍ଷମ ହୋଇପାରିନଥିବା ଜଣାଯାଏ । ଅବଶ୍ୟ ବର୍ଷେ, ଦୁଇ ବର୍ଷ ମଧ୍ୟରେ ମହାମାରୀ-ପୂର୍ବ ଅବସ୍ଥାକୁ ଫେରିବା ଆକଳନ କରାଯାଏ । ତେବେ ସର୍ବତ୍ର ସିଙ୍ଗଲ ସ୍କ୍ରୀନ ବା ଏକକ ରୂପେଲି ପରଦା ବିଶିଷ୍ଟ ପ୍ରେକ୍ଷାଳୟର ସ୍ଥିତି ନୈରାଶ୍ୟଜନକ ରହିଆସିଛି । ମଲଟିପ୍ଳେକ୍ସରେ ଚଢ଼ା ଟିକଟ ଦର ସତ୍ତ୍ୱେ ଉନ୍ନତ ପରିବେଶ, ଖାଦ୍ୟପେୟ ଓ ଆଲୋକ-ଶବ୍ଦର ଯାଦୁକାରୀ ପ୍ରଭାବ ଦର୍ଶକଙ୍କୁ ବିମୋହିତ କରୁଛି । ବ୍ରହ୍ମପୁର ପିଏସଆର ସିନେମାସରେ ସକାଳ ୧୦ରୁ ରାତି ୯.୩୦ ଯାଏଁ ସିନେମା ସୋ ଟାଇମ ଉପଲବ୍ଧ । ଏହି ବିସ୍ତୃତ ସମୟ ସୀମା ସହରର ଯୁବବର୍ଗ ଓ ସହର ବାହାର ଆଗନ୍ତୁକଙ୍କ ପାଇଁ ଅନୁକୂଳ । ପରିବର୍ତ୍ତିତ ପରିବେଶରେ ପକେଟରେ ଗଚ୍ଛିତ ସ୍ମାର୍ଟଫୋନରେ ଅଗଣିତ ଚଳଚ଼ିତ୍ର ଉପଭୋଗର ସୁଯୋଗ ସତ୍ତ୍ୱେ ଚଳଚ଼ିତ୍ର ପ୍ରେକ୍ଷାଳୟ ପରିଦର୍ଶନ କେବଳ ଚଳଚ଼ିତ୍ର ପ୍ରଦର୍ଶନକୁ ଆଉ ବୁଝାଉ ନାହିଁ !

Image by Sabine Lange from Pixabay

Friday, September 22, 2023

Gita Mehta (Patnaik) / ଗୀତା ମେହେଟ୍ଟା (ପଟ୍ଟନାୟକ)

 


#ବ୍ରହ୍ମପୁର ସହ ପରଲୋକଗତ ଲେଖିକା ଓ ପ୍ରାମାଣିକ ଚଳଚ଼ିତ୍ର ନିର୍ମାତା ଗୀତା ମେହେଟ୍ଟା (ପଟ୍ଟନାୟକ)ଙ୍କ ସଂପର୍କ ଖୋଜି ପାଇହୁଏବ୍ରହ୍ମପୁରକେନ୍ଦ୍ରିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରେମ ଆନୁକୂଲ୍ୟରେ ମୁଖ୍ୟତଃ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ଜନଜାତି ଓ ତଫସିଲଭୁକ୍ତ ଜାତିର ଯୁବକଯୁବତୀଙ୍କୁ ବୃତ୍ତିଭିତ୍ତିକ ଓ ଧନ୍ଦାମୂଳକ ଶିକ୍ଷା ସୁଯୋଗ ସୃଷ୍ଟି ନିମନ୍ତେ ଗୀତା ମେହେଟ୍ଟାଙ୍କ ଉଦ୍ୟମରେ ଅନୁଦାନ ବ୍ୟବସ୍ଥା ୨୦୧୯ରୁ ଆରମ୍ଭ କରାଯାଇଛି । ଅନୁଷ୍ଠାନର ୨୦୨୧-୨୨ ବାର୍ଷିକ ବିବରଣୀ ଅନୁଯାୟୀ ନର୍ସିଂରେ ସ୍ନାତକ ଉପାଧି, ଜେନେରାଲ ନର୍ସିଂ ମିଡ଼-ୱାଇଫ ଏବଂ ହୋଟେଲ ମ୍ୟାନେଜମଣ୍ଟରେ ଜ୍ଞାନ ଦେବୀ ଫାଉଣ୍ଡେସନ ସହାୟତାରେ ୪୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସେମାନେ ବ୍ରହ୍ମପୁର, ବିଶାଖପାଟଣା, ବିଜୟୱାଡା, ଗୁଣ୍ଟୁର, ହାଇଦରାବାଦ ଓ ବାଙ୍ଗାଲୁରର ବିଭିନ୍ନ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରେ ନାମ ଲେଖାଇଛନ୍ତି । ଅବହେଳିତ ବର୍ଗର ଯୁବକଯୁବତୀଙ୍କୁ ତାଲିମ ଦେଇ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ଗୀତା ମେହେଟ୍ଟାଙ୍କ ବ୍ରହ୍ମପୁରର ଏକ ସ୍ୱେଚ୍ଛାସେବୀ ସଂଗଠନକୁ ଚୟନ ଓ ସ୍ଥାୟୀଜମା ଆୟୋଜନ ଯେ ଏକ ଦୀର୍ଘସୂତ୍ରୀ ସାମାଜିକ କଲ୍ୟାଣମୂଳକ ଯୋଜନା ଏଥିରେ କେହି ଦ୍ୱିମତ ହେବେ ନାହିଁ ।
 
ଗୀତା ମେହେଟ୍ଟାଙ୍କ ପିତା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ କନିଷ୍ଠ ଭ୍ରାତା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ପଟ୍ଟନାୟକଙ୍କ ପୂର୍ବ-ପୁରୁଷ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର (ରସଲକୋଣ୍ଡା)ରେ ବସବାସ କରୁଥିଲେ । ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବିଧାନସଭା ମଣ୍ଡଳୀରୁ ଲଗାତାର ନିର୍ବାଚିତ ହୋଇଆସିଛନ୍ତି । ଗୀତା ମେହେଟ୍ଟା ଦିଲ୍ଲୀରେ ଶିକ୍ଷା ସାରି ବ୍ରିଟେନର କେମ୍ୱ୍ରିଜ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ସେଠାରେ ଭାବୀ ସ୍ୱାମୀ ସୋନୀ ମେହେଟ୍ଟାଙ୍କ ସହ ସାକ୍ଷାତ ହୋଇଥିଲା । ସୋନୀ ମେହେଟ୍ଟା ପ୍ରଖ୍ୟାତ ମାର୍କିନ ପୁସ୍ତକ ପ୍ରକାଶକ ଆଲଫର୍ଡ ଏ. କୁମ୍ପ ପବ୍ଳିକେସନ ଗୃପର ମୁଖ୍ୟ ସଂପାଦକ ଭାବେ କାର୍ଯ୍ୟ କରିଥିଲେ । ଗୀତା ମେହେଟ୍ଟାଙ୍କ ନନ୍-ଫିକସନ ପୁସ୍ତକ କର୍ମ କୋଲା ୧୯୭୯ରେ ପ୍ରକାଶିତ ହେବାପରେ ଆନ୍ତର୍ଜାତିକସ୍ତରରେ ଲୋକପ୍ରିୟ ଲେଖିକାଭାବେ ଉପସ୍ଥାପିତ ହୋଇଥିଲେ । ସେ ଡଜନେରୁ ଉର୍ଦ୍ଧ୍ୱ ପ୍ରାମାଣିକ ଚଳଚିତ୍ର ବ୍ରିଟେନ, ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପର ଟେଲିଭିଜନ ନେଟୱାର୍କଗୁଡ଼ିକ ପାଇଁ ପ୍ରସ୍ତୁତ କରିଥିଲେ ।
 
କର୍ମ କୋଲାର ବିଷୟବସ୍ତୁ ମୂଳତଃ ଭାରତୀୟ ଦର୍ଶନ ଓ ସାମାଜିକ ବ୍ୟବସ୍ଥା ପ୍ରତି ବୈଦେଶିକ ଦୃଷ୍ଟିକୋଣ ଅନୁଶୀଳନରେ ପର୍ଯ୍ୟବଶିତ । ବିଂଶ ଶତାଦ୍ଦୀର ଷଷ୍ଠ ଦଶକରେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ଓ ୟୁରୋପୀୟ ଦେଶପୁଞ୍ଜରୁ ବହୁ ସଂଖ୍ୟକ ପରିବ୍ରାଜକ ପ୍ରାଚ୍ୟ ଆଧ୍ୟାତ୍ମିକତାରେ ପ୍ରଭାବିତ ହୋଇ ଭାରତରେ ପହଞ୍ଚିଥିଲେ । ଗୀତା ମେହେଟ୍ଟା ସେମାନଙ୍କ ସାକ୍ଷାତକାର ମାଧ୍ୟମରେ ସଂଗୃହୀତ ଅନୁଭୂତିକୁ କର୍ମ କୋଲା ପୁସ୍ତକରେ ବର୍ଣ୍ଣନା କରିଥିଲେ । ପୁସ୍ତକଟି ପେଙ୍ଗୁଇନ, ଭିନଟେଜ, ରେଣ୍ଡମ ହାଉସ ଭଳି ବଡ଼ ପ୍ରକାଶନ ସଂସ୍ଥା ଦ୍ୱାରା ୧୯୭୯ରୁ ୨୦୧୦ ମଧ୍ୟରେ ଆଠଗୋଟି ସଂସ୍କରଣ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଥିଲା । ସେ ରିଭର ସୂତ୍ର, ଏଟରନାଲ ଗଣେଷ, ରାଜ ଓ ସ୍ନେକସ ଏଣ୍ଡ ଲେଡର୍ସ ଅନ୍ୟ ଚାରିଗୋଟି ପୁସ୍ତକ ମଧ୍ୟ ରଚନା କରିଥିଲେ । ଏହି ପୁସ୍ତକଗୁଡ଼ିକ ୨୧ ଗୋଟି ଭାଷାରେ ଅନୁବାଦିତ ହୋଇଥିବା କୁହାଯାଏ ।
 
ସୋନୀ ମେହେଟ୍ଟା ଓ ଗୀତା ମେହେଟ୍ଟା ମୁଖ୍ୟତଃ ନ୍ୟୂୟର୍କ ବାସିନ୍ଦା । ସୋନୀ ମେହେଟ୍ଟା ୨୦୧୯ରେ ପରଲୋକ ଗମନ କଲେ । ଏହା ପରେ ପରେ ଗୀତା ମେହେଟ୍ଟା ମଧ୍ୟ ଅସୁସ୍ଥ ହୋଇପଡିଥିଲେ । ଚାରିବର୍ଷ ପରେ ୨୦୨୩ ସେପ୍ଟେମ୍ୱରରେ ତାଙ୍କରି ଦେହାନ୍ତ ଘଟିଥିଲା ।
 
ପରିଣତ ବୟସରେ ପୈତୃକ ସମ୍ପତ୍ତିର ସଦଉପଯୋଗ କଳ୍ପେ ଜନହିତକର କାର୍ଯ୍ୟ ପ୍ରଯୋଜନାରେ ତାଙ୍କରି ତତ୍ତ୍ୱାବଧାନରେ ମାତା ଜ୍ଞାନ ଦେବୀଙ୍କ ସ୍ମୃତିରେ ଜ୍ଞାନ ଦେବୀ ଫାଉଣ୍ଡେସନ ଗଠିତ ହୋଇଥିଲା । ବ୍ରହ୍ମପୁର କେନ୍ଦ୍ରୀକ ସ୍ୱେଚ୍ଛାସେବୀ ସଂଗଠନ ପ୍ରେମଦୀର୍ଘ ଚାରି ଦଶନ୍ଧି ଧରି ଜନଜାତି,  ତଫସିଲଭୁକ୍ତ ଜାତି ଓ ମତ୍ସ୍ୟଜୀବୀ ସନ୍ତାନସନ୍ତତିଙ୍କ ଶିକ୍ଷା ଲାଗି ଉଦ୍ୟମ କରି ଆସିଛି । ଅନୁଷ୍ଠାନ ଜର୍ମାନୀ, ସ୍ପେନ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ଅନୁଦାନ ଗ୍ରହଣ କରି ନିଜ କାର୍ଯ୍ୟକ୍ରମ ପରିଚାଳିତ କରୁଛିଗୀତା ମେହେଟ୍ଟାଙ୍କ ପ୍ରଚ଼େଷ୍ଟାରେ ଏଭଳି ଏକ ଅନୁଷ୍ଠାନ ଜ୍ଞାନ ଦେବୀ ଫାଉଣ୍ଡେସନରୁ ଆର୍ଥିକ ସହଯୋଗ ଅବହେଳିତ ବର୍ଗର ଭବିଷ୍ୟତ ବଂଶଧରଙ୍କୁ ଉଚ୍ଚଶିକ୍ଷା ଯୋଗାଇବାଲାଗି ସାମର୍ଥ୍ୟ ଯୋଗାଇପାରିଛି

Friday, September 15, 2023

Three Amonia Plants / ତିନିଗୋଟି ଆମୋନିଆ କାରଖାନା

 

#ବ୍ରହ୍ମପୁର ଉପକଣ୍ଠ ଚମାଖଣ୍ଡିସ୍ଥିତ ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କରେ ତିନିଗୋଟି ଆମୋନିଆ କାରଖାନା ନିର୍ମାଣ ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଛି । ବିଂଶ ଶତାଦ୍ଦୀ ଶେଷ ପାଦରେ ଛତ୍ରପୁର-ଗୋପାଳପୁର ଅଞ୍ଚଳରେ ଏକ ଇସ୍ପାତ କାରଖାନା ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ବସାଧାରଣ ଜମି ଅଧିଗ୍ରହଣ କରାଯାଇ ଟାଟା ଷ୍ଟିଲକୁ ପ୍ରଦାନ କରାଯାଇଥିଲା । ତେବେ ଆନ୍ତର୍ଜାତିକ ବଜାରରେ ଇସ୍ପାତ ଚାହିଦା ହଠାତ କମିଯାଇଥିବା ଏବଂ ବିଭିନ୍ନ ଆନୁସଙ୍ଗିକ କାରଣରୁ ଟାଟା ପକ୍ଷରୁ ଇସ୍ପାତ କାରଖାନା ନିର୍ମାଣ ପ୍ରସ୍ତାବ ପ୍ରତ୍ୟାହାର କରିନିଆଗଲା । ଅଧିଗୃହିତ ଜମିରେ ଟାଟା ଷ୍ଟିଲ ସ୍ପେଶାଲ ଇକନୋମିକ ଜୋନ ଗଠନଲାଗି ସରକାର ଅନୁମତି ଦେଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେଠାରେ ଏକ ଇଣ୍ଡଷ୍ଟ୍ରିଆଲ ପାର୍କ ଗଠନ କରାଯାଇ ଟାଟା ଷ୍ଟିଲ ଭିନ୍ନ ଅନ୍ୟ ଉଦ୍ୟୋଗୀମାନଙ୍କୁ ମଧ୍ୟ କଳକାରଖାନା ସ୍ଥାପନ ଲାଗି ସୁଯୋଗ ସୃଷ୍ଟି କରାଗଲା ।

 

ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କରେ ୨୦୨୩ ମଧ୍ୟଭାଗ ସୁଦ୍ଧା ପାଞ୍ଚଗୋଟି କାରଖାନା ଚାଲୁ ହୋଇଥିବା ସ୍ଥଳେ ଦୁଇଗୋଟି ନିର୍ମାଣଧୀନ ଅବସ୍ଥାରେ ରହିଛି । ଏଥି ମଧ୍ୟରୁ ଟାଟା କମ୍ପାନୀ ମାଲିକାନାରେ ଦୁଇଗୋଟି ଶିଳ୍ପ ଅନ୍ତର୍ଭୁକ୍ତ । ନିର୍ମାଣଧୀନ କାରଖାନା ମଧ୍ୟରେ ଦୀପକ ଫର୍ଟିଲାଇଜରସ ଏଣ୍ଡ ପେଟ୍ରୋକେମିକାଲ୍ସ କର୍ପୋରେସନ ଲିମିଟେଡଟେକନିକାଲ ଆମୋନିୟମ-ନାଇଟ୍ରେଟ ଅନ୍ୟତମ । ଅଗଷ୍ଟ-ସେପ୍ଟେମ୍ୱର ୨୦୨୩ରେ ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କରେ ଅଧିକା ଦୁଇଗୋଟି ଆମୋନିଆ କାରଖାନା ସ୍ଥାପନ ନିମନ୍ତେ ଦୁଇ ଘରୋଇ କମ୍ପାନୀ ସହ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିବା ସମ୍ୱାଦ ଗଣମାଧ୍ୟମରେ ପ୍ରକାଶ ପାଇଛି । ଅତଏବ, ନିର୍ମାଣଧୀନ ଓ ପ୍ରସ୍ତାବିତ ତିନିଗୋଟି ଆମୋନିଆ କାରଖାନା ଗୋପାଳପୁରରେ ଗଢ଼ି ଉଠିବା ନିଶ୍ଚିତ ।

 

ଆନ୍ତର୍ଜାତିକସ୍ତରରେ ଆମୋନିଆର ଚାହିଦା ରହିଛି । ଭାରତରେ ବିଶ୍ୱ ଉତ୍ପାଦନର ଆଠ ପ୍ରତିଶତ ହିସାବ କରାଯାଉଥିବା ସ୍ଥଳେ ବୈଦେଶିକ ବଜାରରୁ ମଧ୍ୟ ଆମଦାନୀ ହୋଇଥାଏ । ଆମ ଦେଶରେ ୮୦ ପ୍ରତିଶତ ଆମୋନିଆ ୟୁରିଆ ସାର ଉତ୍ପାଦନରେ ବ୍ୟବହୃତ ହୁଏ । ଏତଦ୍ ବ୍ୟତୀତ ପ୍ଳାଷ୍ଟିକ, ପରିଧାନ, କୀଟନାଶକ, ବିସ୍ପୋରକ ଉତ୍ପାଦନ ଓ ରେଫ୍ରିଜେସନ, ଜଳ ବିଶୋଧନ ଭଳି ବିଭିନ୍ନ କ୍ଷେତ୍ରରେ ମଧ୍ୟ କାର୍ଯ୍ୟରେ ଲାଗେ ।

 

ପ୍ରସ୍ତାବିତ ଦୁଇଗୋଟି ନୂତନ ଆମୋନିଆ କାରଖାନା ମଧ୍ୟରୁ ପ୍ରଥମଟି ଗୁରୁଗ୍ରାମଭିତ୍ତିକ ଏସିଏମଇ କ୍ଲିନ୍ ଏନାର୍ଜୀ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ଭୁବନେଶ୍ୱରଠାରେ ରାଜ୍ୟସରକାରଙ୍କ ପଦସ୍ଥ କର୍ମଚାରୀଙ୍କ ଉପସ୍ଥିତିରେ ଟାଟା କର୍ତ୍ତୃପକ୍ଷଙ୍କ ସହ ୨୬ ଅଗଷ୍ଟ ୨୦୨୩ରେ ବୁଝାମଣା-ପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି ଶିଳ୍ପଦ୍ୟୋଗୀ ଓଡ଼ିଶାର ପାରାଦୀପରେ ମଧ୍ୟ ଅନ୍ୟଏକ ଆମୋନିଆ କାରଖାନା ନିର୍ମାଣ ନିମନ୍ତେ ଡ଼ିସେମ୍ୱର ୨୦୨୨ରେ ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲେ । କମ୍ପାନୀର ତାମିଲନାଡୁ, କର୍ଣ୍ଣାଟକ, ଓମାନ ଓ ଇଜିପ୍ଟରେ ଆମୋନିଆ କାରଖାନା ଥିବା କୁହାଯାଉଛି । ବର୍ତ୍ତମାନ ଗୋପଳପୁର ଇଣ୍ଡଷ୍ଟ୍ରିଆଲ ପାର୍କରେ ୩୪ ଏକର ଜମିରେ ୨୭ ହଜାର କୋଟି ଟଙ୍କା ବ୍ୟୟରେ କାରଖାନା ନିର୍ମାଣ କରିବେ ।

 

ପ୍ରସ୍ତାବିତ ଦ୍ୱିତୀୟ ଆମୋନିଆ କାରଖାନା ନିମନ୍ତେ ବିକଳ୍ପ ଶକ୍ତି ଉତ୍ପାଦକ ଅଭେଦା ଗୃପ ପକ୍ଷରୁ ଭୁବନେଶ୍ୱରଠାରେ ୮ ସେପ୍ଟେମ୍ୱର ୨୦୨୩ରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କରେ ୧୨୦ ଏକର ଜମିରେ କମ୍ପାନୀ ଆମୋନିଆ କାରଖାନା ନିର୍ମାଣ କରିବ ।

 

ପ୍ରସ୍ତାବିତ ଦୁଇଗୋଟି କମ୍ପାନୀ ଗ୍ରୀନ ଆମୋନିଆ ଉତ୍ପାଦନ ବିଷୟରେ ଉଲ୍ଲେଖ କରୁଛନ୍ତି । ଏଠାରେ ଗ୍ରୀନର ଅର୍ଥ କାରଖାନା ଚଳାଇବା ନିମନ୍ତେ ପାରମ୍ପରିକ ତାପଜ ବିଦ୍ୟୁତ ବ୍ୟବହାର ବଦଳରେ ସୌର ଓ ବାୟୁ ଯୋଗେ ଉତ୍ପାଦିତ ଶକ୍ତି ବ୍ୟବହାର କରିବେ ସୋଲାର ପ୍ୟାନେଲ, ୱିଣ୍ଡ ଟରବାଇନ ଭଳି ଉତ୍ସରୁ ଶକ୍ତି ସଂଗୃହୀତ ହେବ । ପ୍ରଥମେ ବିକଳ୍ପ ଶକ୍ତି ଉତ୍ସ ଯୋଗେ ଗ୍ରୀନ ହାଇଡ୍ରୋଜନ ଉତ୍ପାଦନ ହେବ ଏବଂ ସେଥିରୁ ଗ୍ରୀନ ଆମୋନିଆ ଉତ୍ପାଦିତ ହେବ । ଏତଦ୍ୱାରା ପ୍ରଦୂଷଣ ମାତ୍ରା ହ୍ରାସ ପାଇବ ବୋଲି କୁହାଯାଉଛି ।


Image by Hands off my tags! Michael Gaida from Pixabay


Friday, September 8, 2023

Surya Narayan Patra / ସୂର୍ଯ୍ୟ ନାରାୟଣ ପାତ୍ର

 

#ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ-ଗାନ୍ଧୀନଗର ଛକ ସଂଯୋଗକାରୀ ନ୍ୟୂ-ବାରାକ୍ସ ରୋଡରେ ରାଜନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୈତୃକ ବାସଗୃହ । ତାଙ୍କରି ପିତା କାଶୀନାଥ ପାତ୍ର ଦେଶ ସ୍ୱାଧୀନତା ହାସଲ କରିବା କିଛି ବର୍ଷ ପୂର୍ବରୁ ଦିଗପହଣ୍ଡିରୁ ଆସି ସେଠାରେ ସ୍ଥାୟୀ ଭାବେ ବସବାସ ଆରମ୍ଭ କରିଥିଲେ । ବାରାକ୍ସ ଗ୍ରାଉଣ୍ଡ ସଂଲଗ୍ନ ଏହି ଏକ ପାଖିଆ ସାହିରେ ପୁରୁଣା ବସଷ୍ଟାଣ୍ଡ ପଟେ ଜ୍ୟୋତି ସିନେମା ହଲ ଓ ତାକୁ ଲାଗି ପଣ୍ଡା ଇଂଜିନିୟରିଂ ୱାର୍କ୍ସ ଥିଲା । ସିନେମା ହଲ ବର୍ତ୍ତମାନ ଏକ ହୋଟେଲରେ ପରିବର୍ତ୍ତିତ ହୋଇଛି । ଗାନ୍ଧି ନଗର ସଂପ୍ରସାରିତ ହେବା ପୂର୍ବରୁ ନ୍ୟୂ-ବାରାକ୍ସ ରୋଡ଼ଟି ଅପେକ୍ଷାକୃତ ଭାବେ କମ ଗହଳଚହଳ ଅନୁଭୂତ ହେଉଥିଲା ।
 
କାଶୀ ପାତ୍ର କଂଗ୍ରସ କର୍ମୀ । ଖଦୀ ହାଫ ସାର୍ଟ, ଧୋତି ପିନ୍ଧି ସାଇକଲରେ ବୁଲୁଥାନ୍ତି । ଫାୟାର ଷ୍ଟେସନ ରୋଡ଼ରେ ବ୍ରହ୍ମପୁର ପୌରପାଳିକା ପକ୍ଷରୁ ଦୋକାନ ଗୃହ ନିର୍ମାଣ କରି ଭଡ଼ା ଦିଆଯିବା ବେଳେ ସେଥିରୁ ଗୋଟିଏ ନେଇ ଖଦୀ ଦୋକାନ ଓ ସମାଜ ସମ୍ୱାଦପତ୍ର ଏଜେନ୍ସି ଚଳାଉଥିଲେ । ବ୍ରହ୍ମପୁରରେ ଖଦୀ ଓ ସମ୍ୱାଦପତ୍ର ପ୍ରସାର ଜୀବନବ୍ୟାପୀ ବୃତ୍ତି ପାଲଟିଥିଲା । ଦେଶ ସ୍ୱାଧୀନତା ହାସଲ କଲାବେଳେ ସମ୍ୱାଦପତ୍ର ସଂଖ୍ୟା ଓ ପ୍ରସାର କମ । ସେହି କାରଣରୁ ଅନ୍ୟାନ୍ୟ ଓଡ଼ିଆ ଓ ଇଂଲିଶ ସମ୍ୱାଦପତ୍ର ତଥା ପତ୍ରପତ୍ରିକା ମଧ୍ୟ ତାଙ୍କୁହିଁ ବ୍ରହ୍ମପୁରରେ ବିତରଣ ଦାୟିତ୍ୱ ଦେଉଥିଲେକାଶୀ ପାତ୍ର ଶାନ୍ତ ଓ ଅମାୟିକ ସ୍ୱଭାବର ବ୍ୟକ୍ତି । ସୂର୍ଯ୍ୟ ପାତ୍ର ତାଙ୍କରି ଏକ ମାତ୍ର ପୁତ୍ର ।
 
ସୂର୍ଯ୍ୟ ପାତ୍ରଙ୍କ ଶୈଶବ, କିଶୋର ଓ ଯୁବାବସ୍ଥା ବ୍ରହ୍ମପୁରରେ କଟିଥିଲା । ୧୯୯୦ରେ ମୋହନା ନିର୍ବାଚନ ମଣ୍ଡଳୀରୁ ଜନତା ଦଳ ଟିକଟରେ ବିଧାୟକଭାବେ ନିର୍ବାଚିତ ହୋଇ ବିଜୁ ପଟ୍ଟନାୟକ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିଲେ । ସେହି ସମୟରୁ ଭୁବନେଶ୍ୱରରେ ସରକାରୀ ବାସଭବନରେ ବସବାସ ଆରମ୍ଭ କରିଥିଲେ । ଲଗାତାର ସାତ ଥର ବିଧାୟକ ନିର୍ବାଚିତ ହୋଇ ୧୫ ବର୍ଷ କାଳ ମନ୍ତ୍ରୀ ପଦବୀରେ ଅବସ୍ଥାପିତ ହେବା ଅବସରରେ ବ୍ରହ୍ମପୁର ସହର ଜୀବନରୁ ଅପସରି ଯାଇଥିଲେ । କିଛି ସମୟ ମଧ୍ୟରେ ନ୍ୟୂ-ବାରାକ୍ସ ରୋଡ଼ ବାସଭବନରେ ବସବାସ କରୁଥିବା ପିତାମାତାଙ୍କୁ ମଧ୍ୟ ଭୁବନେଶ୍ୱର ନେଇ ଯାଇଥିଲେ । ନ୍ୟୂ-ବାରାକ୍ସ ରୋଡ଼ ବାସଭବନ ସୂର୍ଯ୍ୟ ପାତ୍ରଙ୍କ ଦଳୀୟ ରାଜନୀତିକ କାର୍ଯ୍ୟରେ ବ୍ୟବହୃତ ହୋଇଚାଲିଥିଲା
 
ସୂର୍ଯ୍ୟ ପାତ୍ର ୧୯୮୪ରେ ଜନତା ପାର୍ଟି ଓ ୧୯୮୯ରେ ଜନତା ଦଳ ପକ୍ଷରୁ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳରୁ ପ୍ରାର୍ଥୀ ହୋଇଥିଲେ । ସେଠୁ ହିଁ ତାଙ୍କରି ସକ୍ରିୟ ରାଜନୀତିକ ଜୀବନ ଆରମ୍ଭ ଲୋକସଭା ନିର୍ବାଚନ ନ୍ୟୂ-ବାରାକ୍ସ ରୋଡ଼ ବାସଭବନରୁ ପରିଚାଳିତ ହୋଇଥିଲା । କିନ୍ତୁ ୧୯୯୦ରେ ମୋହନା ବିଧାନସଭା ନିର୍ବାଚନରେ ବିଧାୟକ ଭାବେ ନିର୍ବାଚ଼ିତ ହେବା ପରେ ତାଙ୍କରି ରାଜନୀତିକ କାର୍ଯ୍ୟକଳାପ ମୋହନା ଓ ଦିଗପହଣ୍ଡିକୁ ସ୍ଥାନାନ୍ତରିତ ହେଲା ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ମୋହନା ଏକ ବିଧାନସଭା ମଣ୍ଡଳୀ ଏବଂ ୨୦୦୯ ଯାଏଁ ଦିଗପହଣ୍ଡି ମୋହନା ବିଧାନସଭା ମଣ୍ଡଳୀର ଅଂଶବିଶେଷ ପରିଗଣିତ ହେଉଥିଲା । ଦିଗପହଣ୍ଡି ୨୦୦୯ ବିଧାନସଭା ନିର୍ବାଚନ ଅବସରରେ ଏକ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀରୂପେ ଗଢି ଉଠିବା ଅବସରରେ ସୂର୍ଯ୍ୟ ପାତ୍ର ମୋହନା ବଦଳରେ ଦିଗପହଣ୍ଡିକୁ ରାଜନୀତିକ କର୍ମଭୂମି ଭାବେ ବାଛି ନେଇଥିଲେ ।
 
ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବା ପୂର୍ବରୁ ୧୯୭୯ରେ ବ୍ରହ୍ମପୁର ପୌରପାଳିକାର କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ଏଥି ପୂର୍ବରୁ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟ ଭାବେ ଚର୍ଚ୍ଚାରେ ରହିଥିଲେ । ଖଲ୍ଲିକୋଟ କଲେଜରେ ବିଜ୍ଞାନ ସ୍ନାତକ ଶ୍ରେଣୀର ଛାତ୍ରାବସ୍ଥାରେ ନାଟ୍ୟ ସଂସଦର ସଂପାଦକ ଭାବେ ନିର୍ବାଚିତ ହୋଇଥିଲେ । ଖଲ୍ଲିକୋଟ କଲେଜ ଛାତ୍ର ଜୀବନରେ ବ୍ରହ୍ମପୁରରେ ଛାତ୍ର ଆନ୍ଦୋଳନ ଲାଗି ରହୁଥିଲା । ଦରଦାମ ବିରୋଧି ଆନ୍ଦୋଳନ, ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆନ୍ଦୋଳନରେ ସେ ସକ୍ରିୟ ଥିଲେ । ଖଲ୍ଲିକୋଟ କଲେଜରୁ ବିଜ୍ଞାନ ଓ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରୁ ଆଇନ ସ୍ନାତକ ଉପାଧି ହାସଲ ପରେ ବ୍ରହ୍ମପୁର ଅଦାଲତରେ ଆଇନଜୀବୀ ହିସାବରେ ଜୀବନ ଆରମ୍ଭ କରିଥିଲେହେଁ ବାପାଙ୍କ ସମ୍ୱାଦପତ୍ର ଏଜେନ୍ସି ଓ ନିଜ ଗଭୀର ନଳକୂପ ଖନନକୁ ବ୍ୟବସାୟ ଭାବେ ଗ୍ରହଣ କରିଥିଲେ । କିଛି ସମୟ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ରାଜନୀତି ବିଜ୍ଞାନ ଶ୍ରେଣୀରେ ନାମ ଲେଖାଇଥିଲେ ।
 
ସୂର୍ଯ୍ୟ ପାତ୍ର ୧୯୬୫ରୁ ୧୯୯୦ ଯାଏଁ ୨୫ ବର୍ଷ ଧରି ବ୍ରହ୍ମପୁର ସାମାଜିକ ଓ ସାଂସ୍କୃତିକ ଜୀବନରେ ଏକ ଲୋକପ୍ରିୟ ଚେହରା । ବଡ଼ି ସକାଳୁ ହକରମାନଙ୍କ ମଧ୍ୟରେ ସମ୍ୱାଦପତ୍ର ବଣ୍ଟନ ତଦାରଖ କରିବା ପାଇଁ ରେଳ ଷ୍ଟେସନରେ ପହଞ୍ଚିବାଠୁ ସନ୍ଧ୍ୟାରେ ଅଦାଲତରୁ ଫେରିବା ପରେ ଗିରିଜା ହୋଟେଲରେ ଦୋସା ଖାଇ ସାମନା ଟ୍ରାଫିକ ଆଇଲ୍ୟାଣ୍ଡ କଡ଼େ ସହୋଦରଙ୍କ ସହ ଆଳାପ ଆଲୋଚନା ଏବଂ ସପତ୍ନୀକ ସେକେଣ୍ଡ ସୋ ସିନେମା ଦେଖା ବ୍ରହ୍ମପୁରୀ ମୌଳିକ ସହରୀ ଜୀବନରେ ମସଗୁଲ ଥିବା ଦେଖିବାକୁ ମିଳୁଥିଲା । ଗଭୀର କୂପ ଖନନ ବ୍ୟବସାୟ ଅବସରରେ ଏକ ନାଲି ରଙ୍ଗର ମାରୁତି ୮୦୦ ବ୍ୟବହାର ଆରମ୍ଭ କରିବା ଯାଏଁ ସ୍କୁଟର ମାରି ସହର ବୁଲୁଥିଲେ । ସମସାମୟିକ ରାଜନୀତିକ କର୍ମୀଙ୍କ ମଧ୍ୟରେ ସେ ପଦପଦବୀ ଅଧିଗ୍ରହଣ ଓ ଅର୍ଥ ଉପାର୍ଜନରେ ଅଗ୍ରଣୀ ରହି ଆସିଥିଲେ । ସୌହାଦ୍ଦ୍ୟପୂର୍ଣ୍ଣ ସମୀକରଣ ତାଙ୍କ ଜୀବନରେ ସଫଳତାର ରହସ୍ୟ ମନେହୁଏ ।
 
ପରିବର୍ତ୍ତିତ ପରିବେଶରେ ବର୍ଦ୍ଧିତ ଜୀବଦ୍ଦଶାରେ ସୂର୍ଯ୍ୟ ପାତ୍ର ଅପେକ୍ଷାକୃତ କମ ବୟସରେ ପରଲୋକ ଗମନ କଲେ । ତାଙ୍କରି ସମୟର ସହରର ବହୁ ସହଧ୍ୟାୟୀ, ରାଜନୀତିକ, ବ୍ୟାବସାୟିକ ଓ ସାମାଜିକ ସହଯୋଗୀଙ୍କ ପାଇଁ ସ୍ମୃତିପଟରେ ରହିଗଲେ ।

Image by 41330 from Pixabay


Friday, September 1, 2023

Efficiency in Civic Services / ମହାନଗର ନିଗମ କାର୍ଯ୍ୟ ଦକ୍ଷତା

 

#ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟଦକ୍ଷତାକୁ ନେଇ ସହରବାସୀ ଅସନ୍ତୁଷ୍ଟ । ଜନଜୀବନରେ ପରିବାର ଓ ବୃତ୍ତି ପରକୁ ପାରିପାର୍ଶ୍ୱିକ ପରିବେଷ୍ଟନୀ ପ୍ରଭାବଶାଳୀ । ବାସଗୃହ ସଂଲଗ୍ନ ରାସ୍ତା, ନାଳନର୍ଦ୍ଦମା, ଆବର୍ଜନା ନିଷ୍କାସନଠାରୁ ଆରମ୍ଭ କରି ବିଭିନ୍ନ ପୌରସେବା ନିମନ୍ତେ ମହାନଗର ନିଗମ ଉପରେ ନିର୍ଭର କରିବାକୁ ପଡ଼ିଥାଏ । ତେଣୁ ସୁବିଧା ସୁଯୋଗରେ ତୃଟି ପରିଲକ୍ଷିତ ହେଲେ ମହାନଗର ନିଗମ କର୍ମକର୍ତ୍ତା ସମାଲୋଚ଼ିତ ହୋଇଥାନ୍ତି । ଭାରତ ଭଳି ବିକାଶଶୀଳ, ଜନବହୁଳ ରାଷ୍ଟ୍ରରେ ସ୍ଥାନୀୟ ପୌର ପ୍ରଶାସନ ବିରୋଧରେ ଅସନ୍ତୋଷ ସର୍ବତ୍ର ଲାଗି ରହିଥାଏ ଏବଂ ବ୍ରହ୍ମପୁର ସେଥିରୁ ବାଦ ଯାଏ ନାହିଁ ।
 
ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟଦକ୍ଷତାକୁ ନେଇ ସହରବାସୀ ଅସନ୍ତୁଷ୍ଟ ହେବାର ବିଭିନ୍ନ କାରଣ ଚର୍ଚ୍ଚିତ । ସମାଲୋଚ଼ନା ସାଧାରଣ କଥୋପକଥନଠାରୁ ଆରମ୍ଭ କରି ଗଣମାଧ୍ୟମ ପରିସର ଯାଏଁ ଲମ୍ୱି ଥାଏ । ଏହି ଭିଡ଼ରେ ପୌର ସେବା ସମୀକ୍ଷାର ବୈଧୀକରଣ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଲୁଚି ଯାଏ । ଅର୍ଥାତ, ପୌରସେବାର ଗୁଣବତ୍ତାକୁ ନେଇ ଗଠନମୂଳକ ସମୀକ୍ଷାର ଅଭାବ । ସହରରେ କେଉଁ ନାଳ ନର୍ଦ୍ଦମା ନିୟମିତ ସଫା ହେଉ ନାହିଁ, ସେ ସଂପର୍କରେ ଅଭିଯୋଗ କଲେ ପୌର ପ୍ରଶାସନ ପକ୍ଷରୁ କିଭଳି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉଛି ଏବଂ ଏହି ସମସ୍ୟା ପାଇଁ କିଏ ଉତ୍ତରଦାୟୀ ସେ ସଂପର୍କରେ ସାର୍ବଜନୀନ ବିଜ୍ଞପ୍ତି ଅଭାବ । ଅଧିକାଂଶ କ୍ଷେତ୍ରରେ ସହରବାସୀ ଅସନ୍ତୋଷ ପ୍ରକାଶ କରନ୍ତି, ସ୍ଥଳବିଶେଷରେ ଉଚ୍ଚବାଚ ବା ବିକ୍ଷୋଭ ପ୍ରଦର୍ଶନ ହୁଏ ଏବଂ ତାହା ଖୁବ କମ ସମୟରେ ସ୍ୱାଭାବିକଭାବେ ଶାନ୍ତ ପଡ଼ିଥାଏ । ଅଭିଯୋଗ, ବିକ୍ଷୋଭ ଓ କାର୍ଯ୍ୟାନୁଷ୍ଠାନର ବିବରଣୀ ଦପ୍ତର ଦଲିଲ ପୃଷ୍ଠାକୁ ଯାଏ ନାହିଁଫଳରେ ଏଭଳି ଅଭିଯୋଗ ମୀମାଂସାରେ ଦୀର୍ଘକାଳୀନ ପ୍ରଭାବ ଅଭାବ ପରିଲକ୍ଷିତ ।
 
ବ୍ରହ୍ମପୁର ପୌରପାଳିକା ୧୮୬୭ରେ ଗଠିତ ହୋଇ ୨୦୦୮ରେ ମହାନଗର ନିଗମର ମାନ୍ୟତା ପାଇଥିଲା । କୁହାଯାଏ ଯେ ରାଜ୍ୟ ସରକାରଙ୍କ କର୍ମଚାରୀ ନିଯୁକ୍ତି ମାନଦଣ୍ଡ ଅନୁଯାୟୀ ମହାନଗର ନିଗମରେ ୧୩୨ ଜଣ କର୍ମଚାରୀ ନିଯୁକ୍ତ ହେବା କଥା । କିନ୍ତୁ ବାସ୍ତବକ୍ଷେତ୍ରରେ ମାତ୍ର ୪୨ ଜଣ କର୍ମଚାରୀ କାର୍ଯ୍ୟରତ । ପ୍ରତିବର୍ଷ ବୟସାଧିକ କାରଣରୁ ଦୁଇରୁ ତିନି ଜଣ କର୍ମଚାରୀ ଅବସର ନେଉଛନ୍ତି । ଫଳରେ ନିୟମିତ କର୍ମଚାରୀ ସଂଖ୍ୟା କମି କମି ଚାଲିଛି । ପୌର ପ୍ରଶାସନର ବହୁ କାର୍ଯ୍ୟ ଘରୋଇ ସଂସ୍ଥା ଦ୍ୱାରା ମନୋନୀତ ଠିକା କର୍ମଚାରୀଙ୍କ ମାର୍ଫତରେ ଚାଲିଛି । ସରକାରଙ୍କ ଆର୍ଥିକ ସ୍ଥିତି ଓ ନିଯୁକ୍ତି ନୀତି କାରଣରୁ ନିୟମିତ କର୍ମଚାରୀ ନିଯୁକ୍ତ ହୋଇପାରୁ ନାହାନ୍ତି ଏବଂ ଠିକା କର୍ମଚାରୀ ପୌରସେବା କାର୍ଯ୍ୟଭାର ସଂଭାଳୁଛନ୍ତି । ଏହି ପ୍ରସଙ୍ଗରେ ଆପତ୍ତି ମୂଲ୍ୟହୀନ । କିନ୍ତୁ ଏତାଦୃଶ ପରିବେଶରେ ଉପୁଜୁଥିବା ସମସ୍ୟା ସମାଧାନ ନିମନ୍ତେ ବିଚାରବିମର୍ଷ ଉପଯୋଗୀ ।
 
ପ୍ରଥମତଃ, ଠିକା କର୍ମଚାରୀମାନେ ସ୍ଥାୟୀତ୍ୱ ଅଭାବରୁ ନିୟୋଜିତ କାର୍ଯ୍ୟରେ ଦକ୍ଷତା ହାସଲରେ ପଛୁଆ ରହିବେ । ଉପରିସ୍ଥ ନିୟମିତ ନିଯୁକ୍ତ କର୍ମଚାରୀମାନେ ଠିକା କର୍ମଚାରୀଙ୍କ କାର୍ଯ୍ୟାବଳୀ ତତ୍ତ୍ୱାବଧାନ କରିଥାନ୍ତି । କିନ୍ତୁ ବାସ୍ତବ କାର୍ଯ୍ୟକ୍ଷେତ୍ରରେ ସେବା କିପରି ଯୋଗାଇ ଦିଆଯାଉଛି, ତାହା ନାଗରିକଙ୍କ ପକ୍ଷରୁ ପ୍ରତିକ୍ରିୟା ସ୍ୱଚ୍ଛ ପ୍ରଣାଳୀରେ ସାର୍ବଜନୀନସ୍ତରରେ ପ୍ରକାଶିତ ହୋଇପାରିଲେ ପ୍ରକୃତ ଗଣସମୀକ୍ଷା ସଂଭବପର ହୋଇପାରନ୍ତା । ପ୍ରଚଳିତ ବ୍ୟବସ୍ଥାରେ ଜନସାଧାରଣ ମହାନଗର ନିଗମ ୱେବସାଇଟରେ ଅଭିଯୋଗ ଦାଖଲ କରିପାରିବେ, କିନ୍ତୁ ତାହା ଦୃଶ୍ୟମାନ ହେବ ନାହିଁ କିମ୍ୱା କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ତାହା ଅଭିଯୋଗକାରୀ କିମ୍ୱା ସର୍ବସାଧାରଣଙ୍କୁ ଜାଣିବାକୁ ମିଳିବ ନାହିଁ । ଏହି ବ୍ୟବସ୍ଥା ଗଣସମୀକ୍ଷା ବିରୋଧୀ ଏବଂ ଏଥିରେ ନାଗରିକମାନେ ଆଗ୍ରହ ପ୍ରକାଶ କରନ୍ତି ନାହିଁ ।
 
ସେହିପରି ବହୁ ୱାର୍ଡର ସଫେଇ କାର୍ଯ୍ୟ ଘରୋଇକରଣ ହୋଇଛି । ସଫେଇ କ୍ଷେତ୍ରରେ ଭୂଲଭଟ୍ଟକା ଅଭିଯୋଗ ସାର୍ବଜନୀନ ହୋଇପାରିଲେ କର୍ତ୍ତୃପକ୍ଷଙ୍କ ପକ୍ଷେ ତୃଟି ସମାଧାନ ସହଜ ହୋଇପାରନ୍ତା । କିନ୍ତୁ ଏଦିଗରେ ମଧ୍ୟ ପୂର୍ବୋକ୍ତ ଢଙ୍ଗରେ ବ୍ୟବସ୍ଥା ଅଭାବ ।
 
ସମ୍ୱାଦପତ୍ରରେ ପ୍ରକାଶିତ ବିବରଣୀ ଅନୁଯାୟୀ ବ୍ରହ୍ମପୁର ପୌର ନିଗମରେ ତିନିଜଣ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଜଣେ ଉପ-କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଦୁଇ ଜଣ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଦୁଇ ଜଣ ସରକାରୀ ଯନ୍ତ୍ରୀ ଓ ସାତ ଜଣ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟରତ । ସହରସାରା ନିର୍ମାଣ କାର୍ଯ୍ୟ ଅଧାପନ୍ତରାରେ ପଡ଼ିଥିବା  ହେତୁ ବିନାକାରଣରେ ଜନଜୀବନରେ ଅସୁବିଧା ଲାଗି ରହୁଛି । କେଉଁ ନିର୍ମାଣ କାର୍ଯ୍ୟ କେଉଁ ଯନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ହେଉଛି ଏବଂ ବିଳମ୍ୱ ପାଇଁ ସେ କେଉଁ କାରଣ ଦର୍ଶାଉଛନ୍ତି ତାହା ଅନଲାଇନରେ ସାର୍ବଜନୀନ ହେଲେ ଅସୁବିଧା କ? ସ୍ୱଚ୍ଛତା ହିଁ କାର୍ଯ୍ୟଦକ୍ଷତା ବଢ଼ାଇବ ।
 
ପୌର ସେବାର ସମୀକ୍ଷା ନାଗରିକ ସମାଜ କରିବା ଉଚ଼ିତ । ରାଜନୀତିକ ଦଳଙ୍କ ସ୍ୱରରେ ଆନ୍ତରିକତା ରହେ ନାହିଁ ଏବଂ ସଭା, ଶୋଭାଯାତ୍ରା ଓ ବିକ୍ଷୋଭ ପରେ ମୂଳ ସମସ୍ୟାକୁ ଭୁଲିଯାଆନ୍ତି । ନାଗରିକ ସମାଜ ଅର୍ଥ ପ୍ରତି ସାହିରେ ବସବାସ କରୁଥିବା କିଛି ଆଗ୍ରହୀ ବାସିନ୍ଦାଙ୍କ ମିଳିତ ଉଦ୍ୟମକୁ  ବୁଝାଇପାରେ । ସେମାନଙ୍କ ଲିଖିତ ଅଭିଯୋଗ ଓ ସୋସିଆଲ ମିଡ଼ିଆ ପୋଷ୍ଟ ପୌରସେବାର ଦକ୍ଷତା ବୃଦ୍ଧିରେ ସହାୟକ ହେବା ବିଶ୍ୱାସଯୋଗ୍ୟ ।

Image by Gerd Altmann from Pixabay