Friday, November 26, 2021

Municipal Corporation Boarders / ପୌର ନିଗମ ସୀମା ନିର୍ଦ୍ଧାରଣ

 


#ବ୍ରହ୍ମପୁର ପୌର ନିଗମ ସୀମା ନିର୍ଦ୍ଧାରଣ ୨୦୦୮ରେ ନିଗମ ଘୋଷଣା ପରଠାରୁ ବିବାଦରେ ଛନ୍ଦି ହୋଇଆସିଛି । ରାଜ୍ୟ ସରକାରଙ୍କ ଦ୍ୱାରା ୩୦ ଡ଼ିସେମ୍ୱର ୨୦୦୮ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ବ୍ରହ୍ମପୁର ପୌର ପରିଷଦ ପୌର ନିଗମରେ ପରିଣତ ହୋଇଥିଲା । ନଗର ଉନ୍ନୟନ ବିଭାଗ କମିଶନର ତଥା ସଚ଼ିବ ଡ଼କ୍ଟର ଅରୁଣ ପଣ୍ଡା ରାଜ୍ୟପାଳଙ୍କ ଆଦେଶ ମୁତାବକ ଓଡ଼ିଶା ମ୍ୟୁନିସିପାଲ କର୍ପୋରେସନ ଆଇନ ୨୦୦୩ ଉପଧାରା (୨) ଧାରା ୩ ଅନୁଯାୟୀ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚ଼ିତ କରିଥିଲେ ।
 
ଡ଼କ୍ଟର ଅରୁଣ ପଣ୍ଡା ନଗର ଉନ୍ନୟନ ସଚ଼ିବ ପଦରେ ଅଧିଷ୍ଠିତ ହେବା ଆଗରୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଭାବେ ବ୍ରହ୍ମପୁରରେ କିଛି କାଳ କାର୍ଯ୍ୟ କରିଥିଲେ । ପୌର ନିଗମ ଘୋଷଣା ବେଳକୁ ଶିବ ଶଙ୍କର ଦାସ ପୌର ପରିଷଦ ଅଧ୍ୟକ୍ଷ ଓ ଭୀମ ମାନସେଠ ପୌର ନିର୍ବାହୀ ଅଧିକାରୀଭାବେ ଦାୟିତ୍ୱ ତୁଲାଉଥିଲେ । ସେହିପରି ଡ଼ାକ୍ତର ରମେଶ ଚ଼ନ୍ଦ୍ର ଚ୍ୟାଉପଟ୍ଟନାୟକ ବ୍ରହ୍ମପୁର ବିଧାୟକ, ଭି. କାର୍ତ୍ତିକେୟ ପାଣ୍ଡିୟାନ ଗଞ୍ଜାମ ଜିଲ୍ଲାପାଳ ଏବଂ ବିଡ଼ିଏ ଅଧ୍ୟକ୍ଷ ଭାବେ ଶରତ ପଟ୍ଟନାୟକ ଅଧିଷ୍ଠିତ ଥିଲେ ।
 
ବିଜ୍ଞପ୍ତି ଅନୁଯାୟୀ ମହାନଗର ସୀମାରେ ୧୫ ଗୋଟି ପଞ୍ଚାୟତର ୨୪ ଗୋଟି ଗ୍ରାମ ଥିବା କୁହାଯାଇଥିଲା । ଉତ୍ତରରେ ଆମ୍ୱପୁଆ, ରତ୍ନପୁର, ଜଗଦଳପୁର, ନିମଖଣ୍ଡି, ଲୋଚାପଡ଼ା, ଭାବିନୀପୁର, ବଡ଼ଗୁମୁଳା, ପଲ୍ଲୀଗୁମୁଳା, ସାନ କୁଶସ୍ଥଳୀ ଓ ନରେନ୍ଦ୍ରପୁର; ଦକ୍ଷିଣରେ ଆରୁଆପଲ୍ଲୀ, ଗଉଞ୍ଜୁ, ବ୍ରହ୍ମାପଲ୍ଲୀ, ଖଜୁରିଆ, ଫୁଲଟା ଓ ହଳଦିଆପଦର; ପୂର୍ବରେ ରଘୁନାଥପୁର, ପଥରା, ଡୁରା, ମାଣ୍ଡିଆପଲ୍ଲୀ ଓ ଆରୁଆପଲ୍ଲୀ ଏବଂ ପଶ୍ଚିମ ଦିଗରେ ଦେନ୍ଦାଳିଆ, ଲାଠି, ସୁକୁଣ୍ଡା, ଚନ୍ଦନିଆ ପାହାଡ଼ ଓ ଆମ୍ୱଗଡ଼ ଇତ୍ୟାଦି ଥିବା ସୂଚ଼ିତ ହୋଇଥିଲା
 
ବିଜ୍ଞପ୍ତି ପ୍ରକାଶପରେ ଏହି ସବୁ ଗ୍ରାମଗୁଡ଼ିକ ପ୍ରଥମେ ଅନ୍ତଃସୀମା ବୋଲି ଧରି ନିଆଯାଇଥିଲା । କିନ୍ତୁ ତୁରନ୍ତ ତାହା ବର୍ହିସୀମା ବୋଲି ସ୍ପଷ୍ଟୀକରଣ ମିଳିଥିଲା । ଏହି ସଂପର୍କରେ ଅନୁପମ ଭାରତ ୨୦୦୯ ଜାନୁୟାରୀ ପହିଲା ସଂସ୍କରଣରେ ନିମ୍ନମତେ ସମ୍ୱାଦ ପ୍ରକାଶ ପାଇଥିଲା :
 
ଏହି ବିବାଦୀୟ ପରିସ୍ଥିତି ସଂପର୍କରେ ବିଧାୟକ ଡ଼ାକ୍ତର ରମେଶ ଚ଼ନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ବର୍ତ୍ତମାନ କେବଳ ବ୍ରହ୍ମପୁର ପୌରାଞ୍ଚଳକୁ ନେଇ ମହାନଗର ନିଗମ ଗଠିତ ହୋଇଛି ବୋଲି ସେ କହିଥିଲେ । ଏହା ସରକାରୀ ବିଜ୍ଞପ୍ତିରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି । ବିଜ୍ଞପ୍ତିରେ ଯେଉଁ ନୂତନ ଗ୍ରାମଗୁଡ଼ିକ ଉଲ୍ଲେଖ କରାଯାଇଛି ତାହା ମିଶ୍ରିତ ଗ୍ରାମ ନୁହେଁ ବରଂ ମହାନଗର ନିଗମର ଚ଼ତୁଃପାର୍ଶ୍ୱ ସୀମା ବୋଲି ଡ଼ାକ୍ତର ପଟ୍ଟନାୟକ କହିଛନ୍ତି ।
 
ବ୍ରହ୍ମପୁର ସହରର ଜନସଂଖ୍ୟା ୨୦୦୧ ଜନଗଣନା ଅନୁଯାୟୀ ୩ ଲକ୍ଷ ୭ ହଜାର ୭୯୨ ହିସାବ କରାଯାଇଥିଲା । ଓଡ଼ିଶା ମ୍ୟୁନସିପାଲ କର୍ପୋରେସନ ଆଇନ ୨୦୦୩ ଉପଧାରା (୧) ଧାରା ୩ ଅନୁଯାୟୀ ଯେକୌଣସି ସହରର ଜନସଂଖ୍ୟା ତିନି ଲକ୍ଷରୁ ଅଧିକ ହେଲେ ତାହାକୁ ମହାନଗର ନିଗମ ଭାବେ ଘୋଷଣା କରାଯିବା ପ୍ରାବଧାନ ରହିଲାଏଥିପୂର୍ବରୁ ୨୦୦୧ ପୌର ପରିଷଦ ବୈଠକରେ ବ୍ରହ୍ମପୁରକୁ ପୌର ନିଗମରେ ରୂପାନ୍ତରିତ କରିବା ନିମନ୍ତେ ବିଧିବଦ୍ଧ ପ୍ରସ୍ତାବ ଗ୍ରହଣ କରାଯାଇ ରାଜ୍ୟ ସରକାରଙ୍କୁ ପ୍ରେରଣ କରାଯାଇଥିବା ଅନୁପମ ଭାରତ ତା ୧୫.୦୨.୨୦୦୫ ସଂସ୍କରଣରେ ପ୍ରକାଶ ପାଇଥିଲା ।
 
ବ୍ରହ୍ମପୁର ପୌର ନିଗମ ଗଠନ ବେଳକୁ ସହରର ୱାର୍ଡ଼ ସଂଖ୍ୟା ୩୭ ଥିଲା । ସାଧାରଣତଃ ପୌର ନିର୍ବାଚନ ପୂର୍ବରୁ ୱାର୍ଡ଼ଗୁଡ଼ିକର ଭୋଟର ସଂଖ୍ୟା ବିଚାରକୁ ନେଇ ସୀମା ପୁନଃନିର୍ଦ୍ଧାରଣ କରାଯାଇଥାଏ । ୨୦୨୨ରେ ପ୍ରସ୍ତାବିତ ପୌର ନିର୍ବାଚନ ପୂର୍ବରୁ ଏଥିନେଇ ପୂର୍ବପ୍ରସ୍ତୁତିରେ ୱାର୍ଡ଼ ସଂଖ୍ୟା ୨୦୧୩ ନିର୍ବାଚନ ବେଳେ ନିର୍ଦ୍ଧାରିତ ୪୦ରୁ ଦୁଇ ବଢ଼ି ମାତ୍ର ୪୨ରେ ସୀମାବଦ୍ଧ ରହିବା ସ୍ପଷ୍ଟ ହୋଇଥିବା ୨୦୨୧ ନଭେମ୍ୱର ଶେଷ ସୁଦ୍ଧା ସୂଚ଼ନା ମିଳିଥିଲା ।
 
୨୦୧୧ର ଜନଗଣନା ଅନୁଯାୟୀ ବ୍ରହ୍ମପୁରରେ ଭୋଟରସଂଖ୍ୟା ୩ ଲକ୍ଷ ୫୬ ହଜାର ୫୯୮ ରହିଥିଲା ଅର୍ଥାତ ୨୦୦୧ରୁ ୨୦୧୧ ଦଶ ବର୍ଷ ମଧ୍ୟରେ ସହରର ଭୋଟର ସଂଖ୍ୟା ମାତ୍ର ୫୦ ହଜାର ବଢ଼ିଥିଲା । ୨୦୨୧ରେ ତ ଜନଗଣନା ମହାମାରୀ ହେତୁ ସଂଭବ ହୋଇପାରିନାହିଁ । ଏହି ଦଶ ବର୍ଷ ମଧ୍ୟରେ ଯଦି ଆଉ ୫୦ରୁ ୭୦ ହଜାର ବଢ଼ିଥାଏ, ତେବେ ବ୍ରହ୍ମପୁରର ମୋଟ ଭୋଟର ସଂଖ୍ୟା ଚାରି ଲକ୍ଷରୁ କିଛି ଅଧିକ ହୋଇଥିବା ଆକଳନ କରାଯାଇପାରେ । କିନ୍ତୁ ପୌର ନିଗମର ସୀମା ଯଦି ବଢ଼ି ସହରତଳି ଅଞ୍ଚଳ ସାମିଲ ହୋଇଥାନ୍ତା, ତେବେ ଭୋଟର ସଂଖ୍ୟା ଆଉ ଲକ୍ଷେରୁ ଦୁଇ ଲକ୍ଷ ବଢ଼ିବା ସଂଭବ ହୋଇପାରନ୍ତା ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ନଭେମ୍ୱର ୨୦୨୧ / ପୃଷ୍ଠା : ୮)

Friday, November 19, 2021

Memories of Football Tournaments / ସ୍ମୃତିରେ ଫୁଟବଲ ଟୁର୍ଣ୍ଣାମେଣ୍ଟ


 

ଏକଦା #ବ୍ରହ୍ମପୁର ଫୁଟବଲ ଟୁର୍ଣ୍ଣାମେଣ୍ଟ ନିମନ୍ତେ ପ୍ରସିଦ୍ଧି ଲାଭ କରିଥିଲା । ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ବିଗତ ଶତାଦ୍ଦୀର ଷଷ୍ଠ, ସପ୍ତମ ଓ ଅଷ୍ଟମ ଦଶକରେ ସହରରେ ନିୟମିତ ବାର୍ଷିକଭିତ୍ତିରେ ଫୁଟବଲ ମ୍ୟାଚ଼ମାନ ଆୟୋଜିତ ହୋଇଆସିଥିଲା । ଏଥିରେ ରାଜ୍ୟର ବିଭିନ୍ନ ସହର ସମେତ ପଡ଼ୋଶୀ ପଶ୍ଚିମବଙ୍ଗ, ବିହାର ଓ ଆନ୍ଧ୍ରପ୍ରଦେଶର ଫୁଟବଲ ଟିମ ଅଂଶଗ୍ରହଣ କରୁଥିଲେ । ଅଷ୍ଟମ ଦଶକରେ ଅନିୟମିତଭାବେ ୧୯୮୩, ୮୪, ୮୫ ଓ ୮୭ରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ପରେ କ୍ରମଶଃ ଏହି ପରମ୍ପରାର ଅନ୍ତ ଘଟିଥିଲା ।

 

ଦୈନିକ ଆଶାରେ ୨୭ ନଭେମ୍ୱର ୧୯୯୦ରେ ପ୍ରକାଶିତ ବ୍ରହ୍ମପୁର ଡ଼ାଏରୀରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ନିମ୍ନମତେ ବର୍ଣ୍ଣନା କରାଯାଇଥିଲା :

 

ବ୍ରହ୍ମପୁରବାସୀଙ୍କ ପାଇଁ ଫୟାଜ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଏକ ବିଶିଷ୍ଟ ଅନୁଭୂତି । ଦିନଥିଲା ପ୍ରାୟତଃ ପ୍ରତିବର୍ଷ ବସନ୍ତ ଋତୁରେ ଖଲ୍ଲିକୋଟ କଲେଜ ଖେଳ ପଡ଼ିଆରେ ମାସେ କାଳ ଚାଲୁଥିଲା ଫୁଟବଲ ମ୍ୟାଚ଼ । କଲେଜ ରୋଡ଼ ରାସ୍ତା କଡ଼େ କଡ଼େ କୃଷ୍ଣଚୂଡ଼ା ଗଛରେ ଯେତେବେଳେ ନାଲି ନାଲି ଫୁଲ ଫୁଟି ଉଠୁଥିଲା, ସ୍କୁଲ ପିଲାଏ ଧରିନେଉଥିଲେ ଯେ ଫୁଟବଲ ମ୍ୟାଚ଼ର ସମୟ ଆସି ପହଞ୍ଚିଗଲା ।

 

ପଡ଼ିଆର ପଶ୍ଚିମ ଭାଗର ଫୁଟବଲ କୋର୍ଟକୁ ଧରି ଆୟତନରେ ପ୍ରାୟ ଅର୍ଦ୍ଧେକ ଅଞ୍ଚଳରେ ଟିଣ ଘେରା ଯାଉଥିଲା । କୋର୍ଟ ଚ଼ର୍ତୁଦ୍ଦିଗରେ ଝାଉଁକାଠରେ ତିଆରି ହେଉଥିଲା ଏକ ଅଦଭୁତ ଧରଣର ଧାଡ଼ିକିଆ ଗ୍ୟାଲେରୀ । ଯାହାକି ଦେଶର ଅନ୍ୟ କେଉଁ ଖେଳ ପଡ଼ିଆରେ ଦେଖିବାକୁ ମିଳେନା । କିଛି ଦର୍ଶକ ସେଠି ବସୁଥିଲେ ଏବଂ ପଛରେ ଆଉ କେତେକ ଛିଡ଼ା ହୋଇ ଖେଳ ଉପଭୋଗ କରୁଥିଲେ । ନାଁ ତାର ଥିଲା ଗ୍ରୀନ ଷ୍ଟାଣ୍ଡ

 

କଲେଜର ଅର୍ଦ୍ଧନିର୍ମିତ ଗ୍ୟାଲେରୀ ବ୍ୟବହୃତ ହେଉଥିଲା ଏବଂ ଚେୟାର ବ୍ୟବସ୍ଥା ବି ହେଉଥିଲା । ଗ୍ରୀନଷ୍ଟାଣ୍ଡ, ଗ୍ୟାଲେରୀ ଓ ଚେୟାର ପାଇଁ ଟିକଟ ପଇସା ଦେଇ ଫୁଟବଲ ଖେଳ ଦେଖିବାରେ ଯେତିକି ଆନନ୍ଦ, ତାଠାରୁ ଅଧିକ ରୋମାଞ୍ଚକର ଥିଲା ଗ୍ରାଉଣ୍ଡ ଚାରିପଟର ବଡ଼ ବଡ଼ ଗଛରେ ଚଢ଼ି ଘଣ୍ଟାକର ଖେଳ ଉପଭୋଗ କରିବାର ଅନୁଭୂତି ।

 

ବ୍ରହ୍ମପୁର ଫୁଟବଲ ଟୁର୍ଣ୍ଣାମେଣ୍ଟ ଘେନି ଆସୁଥିଲା ଏକ ଉତ୍ସବମୁଖର ପରିବେଶ । ସହରର ଓକିଲ, ଅଧ୍ୟାପକଙ୍କଠାରୁ ଆରମ୍ଭ କରି ମାଂସବାଲା, ରିକ୍ସାବାଲା ଯାଏଁ ସଭିଏଁ ଏହି ମୌଳିକ ସାଂସ୍କୃତିକ ମହୋତ୍ସବରେ ସାମିଲ ହେଉଥିଲେ । ପୁରୁଣା ବନ୍ଧୁଙ୍କ ସହ ଦେଖା ହେଉଥିଲା । ନୂଆ ଅମଳକରା ସିଝା ଭଜା ଚିନାବାଦାମ ପୁଡ଼ିଆ ସହ ଜମି ଉଠୁଥିଲା ଆନ୍ତରିକତାର ଆଳାପ ଆଲୋଚ଼ନା ।

 

XX ‘ଫୟାଜ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ’ ‘ଗଞ୍ଜାମ ଜିଲ୍ଲା ଏଥେଲେଟିକ ଏସୋସିଏସନ ଆନୁକୂଲ୍ୟରେ ଆୟୋଜିତ ହୋଇଥାଏ । ଦେଶ ସ୍ୱାଧୀନ ହେବାପରେ ୧୯୪୯ ମସିହାରେ ଗଞ୍ଜାମ ଜିଲ୍ଲା ଏଥେଲେଟିକ ଏସୋସିଏସନ ଗଠିତ ହୋଇଥିଲା । ସେହି ସମୟରେ ସହରର ବିଶିଷ୍ଟ ଚ଼ିକିତ୍ସକ ଡ଼ାକ୍ତର ଫିରୋଜ ଅଲ୍ଲୀ ଏହି ସଂଘ ଗଠନରେ ଅନ୍ୟତମ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଡ଼ାକ୍ତର ଅଲ୍ଲୀଙ୍କ ଉଦ୍ୟମ ଓ ପୃଷ୍ଠପୋଷକତାରେ ତାଙ୍କରି ପିତାଙ୍କ ସ୍ମୃତିରେ ୧୯୫୦ ମସିହାରେ ଆରମ୍ଭ ହୁଏ ଅଲ-ଇଣ୍ଡିଆ ଫୟାଜ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ

 

ବ୍ରହ୍ମପୁରରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କେବଳ ସହର କାହିଁକି ଆଖପାଖ ଅଞ୍ଚଳରେ ମଧ୍ୟ କ୍ରୀଡ଼ା ସଂସ୍କୃତି ପ୍ରସାରରେ ସହାୟକ ହେଉଥିଲା । ସହରରେ ବିଛୁରିତ ଖେଳପଡ଼ିଆଗୁଡ଼ିକରେ ତ ବର୍ଷସାରା ପିଲାଏ ଫୁଟବଲ ଖେଳୁଥିଲେ । ସାହୀ ସାହୀ ମଧ୍ୟରେ ମ୍ୟାଚ଼ ଆୟୋଜନ, ଫୁଟବଲ ଚର୍ଚ୍ଚାରେ କିଶୋର ଓ ଯୁବ ପୀଢ଼ି ନିମଜ୍ଜି ଯାଉଥିଲେ ।

 

ଏଠାକାର ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ବନ୍ଦର ମୁଖ୍ୟକାରଣ ଆର୍ଥିକ ଦୁରାବସ୍ଥା । ଆୟୋଜକମାନଙ୍କ ମତରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ନିମନ୍ତେ ଆବଶ୍ୟକ ଅର୍ଥ ଟିକଟ ବିକ୍ରୀରୁ ଭରଣା ହୋଇପାରୁ ନଥିଲା । ଖଲ୍ଲିକୋଟ କଲେଜ ଗ୍ରାଉଣ୍ଡର ଅର୍ଦ୍ଧେକ ଅଞ୍ଚଳକୁ ଟିଣ ଘେରାଇବାରେ ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା । ତେବେ ୧୯୮୮ରୁ ବ୍ରହ୍ମପୁର ଷ୍ଟାଡ଼ିଏମ ଉଦଘାଟିତ ହେବା ପରେ ପୁରୁଣା ସମସ୍ୟାକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା ! କିନ୍ତୁ ଆଗ୍ରହ ଅଭାବରୁ ଟୁର୍ଣ୍ଣାମେଣ୍ଟ ଆୟୋଜନ ସମ୍ଭବ ହୋଇପାରୁ ନାହିଁ ।

 

ଫିରୋଜ ଅଲ୍ଲୀ କହୁଥିଲେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ବେଳେ ଆୟୋଜନରେ ମୋଟ ପାଞ୍ଚ ହଜାର ଟଙ୍କା ଖର୍ଚ୍ଚ ହେଉଥିଲା । ବର୍ତ୍ତମାନ ତାହା  ପନ୍ଦରରୁ ପଚ଼ିଶି ଲକ୍ଷକୁ ବୃଦ୍ଧି ପାଇପାରେ । ତେବେ ଆଜିକାଲି ବଡ଼ ଉତ୍ସବାନୁଷ୍ଠାନ ଆୟୋଜନ ଲାଗି ବୃତ୍ତିଭିତ୍ତିକ ବ୍ୟାବସାୟିକ ସଂସ୍ଥା ଇଭେଣ୍ଟ ମେନେଜର୍ସଙ୍କ ସୁବିଧା ମିଳିଲାଣି । ଫୁଟବଲ ଭଳି ଖେଳ ବିପୁଳ ଦର୍ଶକଙ୍କୁ ଆକର୍ଷିତ କରୁଥିବା ହେତୁ ବିଜ୍ଞାପକମାନେ ଉତ୍ସବଗୁଡ଼ିକର ପ୍ରାୟୋଜକ ହେବାକୁ ଆଗେଇ ଆସୁଛନ୍ତି । ପୁଣି ଥରେ ବ୍ରହ୍ମପୁରରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରାଯାଇ ପାରିବକି ? ଏଦିଗରେ ବିଚାରବିମର୍ଷ ହେଲେ କେମିତି ହୁଅନ୍ତା ?


ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୦ ନଭେମ୍ୱର ୨୦୨୧ / ପୃଷ୍ଠା : ୮)


Photo by Wesley Tingey on Unsplash

Sunday, November 14, 2021

Horse-drawn Carriage / ଘୋଡ଼ାଗାଡ଼ି ‘ଝାଟକା’

 


#ବ୍ରହ୍ମପୁର ସହରର ରାସ୍ତାଘାଟରେ ସ୍ୱାଧୀନୋତ୍ତର ଅବସ୍ଥାରେ ସାଇକଲ ରିକ୍ସାର ପ୍ରଚଳନ ପୂର୍ବରୁ ଘୋଡ଼ାଟଣା ଝାଟକା ସାଧାରଣ ପରିବହନ ରୂପେ ବ୍ୟବହୃତ ହୋଇଆସିଥିଲା । ଷଷ୍ଠ ଓ ସପ୍ତମ ଦଶକରେ ସହରରେ ଉଭୟ ଝାଟକା ଓ ରିକ୍ସା ଯାତ୍ରୀ ଓ ମାଲ ପରିବହନରେ ନିୟୋଜିତ ଥିଲେଏହି କୋଡ଼ିଏ ବର୍ଷ ମଧ୍ୟରେ ବ୍ରହ୍ମପୁରରେ ଜନସଂଖ୍ୟା ଓ ଆୟତନ ବୃଦ୍ଧି ସଙ୍ଗେ ଝାଟକା ସଂଖ୍ୟା କମିଲା ଓ ରିକ୍ସା ସଂଖ୍ୟା ବଢ଼ିଚାଲିଲା । ଅଷ୍ଟମ ଦଶକରୁ ଝାଟକାର ଅସ୍ତିତ୍ୱ ପ୍ରାୟ ହଜି ଯାଇଥିଲା ।

 

ପୂର୍ବ-ଏସୀୟ ରାଷ୍ଟ୍ରଗୁଡ଼ିକରେ ସାଇକଲ ରିକ୍ସା ପ୍ରଚଳନ ପରେ ପରେ କୋଲକତାରେ ଏହି ଯାନ ୧୯୩୦ରେ ଆସି ପହଞ୍ଚି କ୍ରମଶଃ ସାରା ଭାରତକୁ ବ୍ୟାପିଥିଲା । ଏଥିପୂର୍ବରୁ ସର୍ବତ୍ର ଘୋଡ଼ାଗାଡ଼ି ସାଧାରଣ ପରିବହନର ସ୍ଥାନ ଅଧିକାର କରିଥିଲାଉତ୍ତର ଭାରତରେ ଏହାକୁ ଟାଙ୍ଗା କୁହାଯାଉଥିବା ସ୍ଥଳେ ଦକ୍ଷିଣ ଭାରତରେ ଝାଟକା ନାମିତ । କର୍ଣ୍ଣାଟକ, ତେଲଙ୍ଗନା, ଆନ୍ଧ୍ର ପ୍ରଦେଶରେ ଘୋଡ଼ାଗାଡ଼ିର ଆକାର ପ୍ରକାର ସମାନ ବ୍ରହ୍ମପୁରରେ ଦାକ୍ଷିଣାତ୍ୟ ଝାଟକାର ଆକାର ପ୍ରଭାବିତ ହୋଇଥିଲେହେଁ ଦେଖିବାକୁ ଅପେକ୍ଷାକୃତ ସୁନ୍ଦର ଓ ପ୍ରଶସ୍ତ । ଏଠାକାର ସାଇକଲ ରିକ୍ସାର ଆକାର ଯେପରି ପୁରୀ, କଟକ ବା ବିଶାଖପାଟଣା, ହାଇଦରାବାଦ ରିକ୍ସା ତୁଳନାରେ ସୁନ୍ଦର ଓ ଫର୍ଚ୍ଚା, ତାହା ଝାଟକାର ଆକାରରେ ମଧ୍ୟ ପ୍ରତିଫଳିତ ହେଉଥିଲା । ସଂଭବତଃ ବ୍ରହ୍ମପୁର ସମତଳ ଅଞ୍ଚଳରେ ଗଢ଼ି ଉଠିଥିବା ହେତୁ ରାସ୍ତାଘାଟରେ ଯାନବାହାନ ସ୍ୱଚ୍ଛନ୍ଦରେ ଚଳାଚଳ ନିମନ୍ତେ ଅସୁବିଧା ନଥାଏ ।

 

ଝାଟକା ଗୋଟିଏ ଘୋଡ଼ା ଟାଣେ । ଏହାର ଚକଗୁଡ଼ିକ ବଡ଼ । ଘୋଡ଼ା ପଛପଟେ ଚାଳକ ବସେ ଏବଂ ତାପଛରେ ଯାତ୍ରୀ ବା ମାଲ ପରିବହନ ପାଇଁ ସ୍ଥାନ ଥାଏ । ଯାତ୍ରୀମାନେ ଝାଟକାର ପଛପଟୁ ଗାଡ଼ିରେ ଚଢ଼ନ୍ତି । ଝାଟକାରେ ସାଧାରଣତଃ ନଡ଼ା ଉପରେ ପଟି ପଡିଥାଏ । ତାହା ଉପରେ ଯାତ୍ରୀ ବସନ୍ତି । ଦୁଇ ଚକ ମଧ୍ୟରେ ଝାଟକାର ନିମ୍ନଭାଗରେ ଘୋଡ଼ାର ଆହାର ଘାସ ରଖିବା ନିମନ୍ତେ ସୁବିଧା ଥାଏ । ଝାଟକାରେ ତିନି ଜଣ ଯାତ୍ରୀ ସ୍ୱଚ୍ଛଳରେ ବସି ଯାତ୍ରା କରିପାରନ୍ତି । ମାଲପରିବହନ କ୍ଷମତା ପ୍ରାୟ ୭୫ କିଲୋଗ୍ରାମରୁ କୁଇଣ୍ଟାଲ ଯାଏଁ ବଢ଼େ ।

 

ବ୍ରହ୍ମପୁର ସହର ଜନ୍ମକାଳରୁ ଦକ୍ଷିଣ ଭାରତ ସହ ରାଜନୀତିକ, ବ୍ୟାବସାୟିକ ଓ ସାମାଜିକସ୍ତରରେ ଅଙ୍ଗାଙ୍ଗୀଭାବେ ଜଡ଼ିତ ହୋଇ ରହିଥିବା ହେତୁ ଏଠାରେ ଝାଟକାର ପ୍ରଚଳନ ଜନବସତି ସ୍ଥାପନ ପରେ ପରେ ଆରମ୍ଭ ହୋଇଯାଇଥିବା ଅନୁମାନ କରାଯାଏ । ପ୍ରାଥମିକ ଅବସ୍ଥାରେ ହାଇଦରାବାଦ ନିଜାମଙ୍କ ଶାସନକାଳରୁ  ଆନ୍ଧ୍ରଭାଷାଭାଷୀ  ସାହୁକାରମାନେ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ଚାଷଜମି ଅଧିଗ୍ରହଣ କରି ବ୍ରହ୍ମପୁରରେ ବସବାସ ଆରମ୍ଭ କରିଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜର ବ୍ୟକ୍ତିଗତ ଝାଟକା ରଖୁଥିଲେ । ଏହାକୁ ବ୍ୟବହାର କରି ନିଜ ସମ୍ପତ୍ତି ପରିଦର୍ଶନ କରୁଥିଲେ । ପରବର୍ତ୍ତୀ ଅବସ୍ଥାରେ ଗୋପାଳପୁର ବନ୍ଦର ଗଢ଼ି ଉଠିବା ପରେ ରପ୍ତାନୀ ଓ ଆମଦାନୀରେ ସଂପୃକ୍ତ ବ୍ୟବସାୟୀଗଣ ବଡ଼ବଜାରରେ ସ୍ଥାପିତ ଦୋକାନରୁ ଗୋପାଳପୁର ନିୟମିତ ଝାଟକା ଯୋଗେ ଯାଆସ କରୁଥିଲେ । ଶେଷ ଅବସ୍ଥାରେ ଊନବିଂଶ ଶତାଦ୍ଦୀ ଶେଷାର୍ଦ୍ଧରେ ବ୍ୟକ୍ତିଗତ ପ୍ରାଇଭେଟ ସହ ସାର୍ବଜନୀନ ପବ୍ଲିକ ଝାଟକା ପ୍ରଚଳିତ ହୋଇଥିଲା ।

 

ରେଳଷ୍ଟେସନ ଓ ବସଷ୍ଟାଣ୍ଡରେ ଦୁଇଗୋଟି ବଡ଼ ଝାଟକା ଷ୍ଟାଣ୍ଡ ଥିଲା । ଏଥିରେ ବହୁ ସଂଖ୍ୟାରେ ଝାଟକା ରହେ । ଗ୍ରାହକ ବରାଦ କଲେ ଝାଟକା ଭଡ଼ାରେ ଯାଏ । ବଡ଼ବଜାର, ସାନବଜାର, ଭିକ୍ଟୋରିଆ ମାର୍କେଟ, ଭାପୁର ବଜାର, କୋର୍ଟପେଟା କଚ଼େରୀ ଭଳି ଛକ ସ୍ଥାନଗୁଡ଼ିକରେ ମଧ୍ୟ ଝାଟକା ଷ୍ଟାଣ୍ଡ ରହିଥିଲା । ବ୍ରହ୍ମପୁରରେ ପାଇପଯୋଗେ ଜଳଯୋଗାଣ ଆରମ୍ଭ ପରେ ପୌର ପାଳିକା ପକ୍ଷରୁ ନିର୍ମିତ ସର୍ବସାଧାରଣ ବ୍ୟବହାରଯୋଗ୍ୟ ଷ୍ଟାଣ୍ଡପୋଷ୍ଟଗୁଡ଼ିକ ପାର୍ଶ୍ୱରେ ଝାଟକା ଘୋଡ଼ା ଓ ଅନ୍ୟାନ୍ୟ ପଶୁଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ବଡ଼ ବଡ଼ ପାଣିକୁଣ୍ଡର ବ୍ୟବସ୍ଥା କରାଯାଇଥିଲା । ଭାପୁର ବଜାର ଓ ବଡ଼ ବଜାର ଦେଶୀ ବେହେରା ସାହୀଠାରେ ଅଧୂନା ତ୍ରିନାଥ ମନ୍ଦିର ଗଢ଼ି ଉଠିଥିବା ସ୍ଥାନରେ ଚୂନ ନିର୍ମିତ ପାଣିକୁଣ୍ଡ ଅଷ୍ଟମ ଦଶକ ଯାଏଁ ରହିଥିଲା ।

 

ଝାଟକା ଚାଳନା ଏକ କୌଳିକ ବୃତ୍ତିରୂପେ ପରିଗଣିତ ହେଉଥିଲା । ସହରର ଓକିଲମାନେ ପ୍ରାୟତଃ କୋର୍ଟ କଚ଼େରୀରୁ ଦୂରରେ ବସବାସ କରୁଥିବା ହେତୁ ଝାଟକାରେ ଯିବା ଆସିବା କରୁଥିଲେ । ଘରୋଇ ଡ଼ାକ୍ତରମାନେ ଝାଟକାରେ ରୋଗୀଙ୍କ ଘରକୁ ପରିଦର୍ଶନରେ ଆସିବା ପ୍ରଚଳିତ ଥିଲା । ସର୍ବସାଧାରଣ ବ୍ୟବହାରଯୋଗ୍ୟ ଝାଟକା ଦର ମୂଲଚାଲରେ ସ୍ଥିର କରାଯାଉଥିଲା । ବହୁ ସମୟରେ ଦରକୁ ନେଇ ଉପଭୋକ୍ତାମାନେ ଅସନ୍ତୋଷ ପ୍ରକାଶ କରୁଥିଲେ । ସାଇକଲ ରିକ୍ସାର ପ୍ରଚଳନପରେ ଏହାର ଭଡ଼ା ଝାଟକାଠାରୁ କମ ରହିବା ହେତୁ ଉପଭୋକ୍ତା ରିକ୍ସାକୁ ପସନ୍ଦ କଲେ । ଗ୍ରାମାଞ୍ଚଳରୁ ବହୁ ସଂଖ୍ୟକ ସହରରେ କର୍ମ ନିଯୁକ୍ତି ପାଇଁ ପହଞ୍ଚୁଥିବା ହେତୁ ରିକ୍ସା ଚାଳନା ଏକ ସହଜ କର୍ମନିଯୁକ୍ତି ରୂପେ ପ୍ରବର୍ତ୍ତିତ ହେଲା । ଫଳରେ ରିକ୍ସା ସଂଖ୍ୟା ବଢ଼ିଲା ଏବଂ ଝାଟକା ଲୋକପ୍ରିୟତା ହରାଇ ବସିଲା । ରିକ୍ସାଠାରୁ ଝାଟକା ଅଧିକ ମାଲ ପରିବହନ କରିପାରୁଥିବା କାରଣରୁ ଝାଟକା ଦିନକେତେ ବ୍ରହ୍ମପୁରରେ ମାଲ ପରିବହନରେ ନିୟୋଜିତ ହେଲା । କିନ୍ତୁ ପଟ୍ଟାରିକ୍ସାର ପ୍ରଚଳନପରେ ମାଲ ପରିବହନ କ୍ଷେତ୍ରରେ ମଧ୍ୟ ପ୍ରତିଯୋଗିତାର ସାମ୍ନା କରିପାରିଲା ନାହିଁ । ବ୍ରହ୍ମପୁରରେ ଝାଟକା ଇତିହାସ ପାଲଟିଗଲା ।


Photo by Kelly Forrister on Unsplash



Friday, November 5, 2021

Andhra Mahila Samiti / ଆନ୍ଧ୍ର ମହିଳା ସମିତି

 


#ବ୍ରହ୍ମପୁର ଗିରି ମାର୍କେଟ ସଂଲଗ୍ନ ଆନ୍ଧ୍ର ମହିଳା ସମିତିର ପୁରାତନ କୋଠାଟି ୨୦୨୧ ବର୍ଷା ଋତୁରେ ଭୁଷୁଡ଼ି ଭାଙ୍ଗିରୁଜି ଯାଇଥିଲା । ପ୍ରକାଶମ ହଲ ପଛପଟେ ଅବସ୍ଥିତ ଆନ୍ଧ୍ର ମହିଳା ସମାଜ ପ୍ରାଙ୍ଗଣରେ ଦୁଇଗୋଟି କୋଠା ଥିଲା । ପୁରୁଣା କୋଠାଟିର ନିର୍ମାଣ କାର୍ଯ୍ୟ ୧୯୧୫ରେ ସରି ଉଦଘାଟିତ ହୋଇଥିଲା । ଅର୍ଥାତ ଭୁଷୁଡ଼ି ଯାଇଥିବା କୋଠାଟି ୧୦୬ ବର୍ଷର ଐତିହ୍ୟ ବହନ କରୁଥିଲା । ଅବଶ୍ୟ ମହିଳା ସମିତି ପାଇଁ ନୂଆ କୋଠା ନିର୍ମାଣ ସରିବା ପରେ ପୁରୁଣା କୋଠାଟି ପ୍ରାୟତଃ ଅବ୍ୟବହୃତ ଅବସ୍ଥାକୁ ଆସିଯାଇଥିଲା ।
 
କୁହାଯାଏ ଯେ ଆନ୍ଧ୍ର ମହିଳା ସମିତି ଗଠନ ପରେ ସ୍ଥାୟୀ କାର୍ଯ୍ୟାଳୟ ସ୍ଥାପନ ଉଦ୍ଦେଶ୍ୟରେ ୧୯୦୯ରୁ ଉଦ୍ୟମ ଆରମ୍ଭ ହୋଇଥିଲା । ବ୍ରହ୍ମପୁର ପୌରପାଳିକାଠାରୁ ଜମି ଅଧିଗ୍ରହଣ ପରେ ସ୍ଥାନୀୟ ତେଲୁଗୁ ମହିଳା ନେତ୍ରୀମାନେ ଦାନ ସଂଗ୍ରହ କରି ନିର୍ମାଣ କାର୍ଯ୍ୟକୁ ଆଗାଇଥିଲେ ଏବଂ ଏହି ପ୍ରକ୍ରିୟା ପ୍ରାୟ ପାଞ୍ଚ ଛଅ ବର୍ଷ ଧରି ଚାଲିଥିଲା
 
ପ୍ରକାଶମ ହଲ ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜର ପ୍ରେକ୍ଷାଳୟ । ବ୍ରହ୍ମପୁରରେ ଆନ୍ଧ୍ର ଭାଷା, ସାହିତ୍ୟ ଓ ସଂସ୍କୃତିର ସଂରକ୍ଷଣ ଉଦ୍ଦେଶ୍ୟରେ ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜ ୧୯୦୯ରେ ସଂଗଠିତ ହୋଇଥିଲା । ଠିକ ସେହି ସମୟରେ ହିଁ ଆନ୍ଧ୍ର ମହିଳା ସମାଜ ଅନୁରୂପ ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିଲା । ଏଠାରେ ସପ୍ତାହରେ ଥରେ ସଦସ୍ୟାମାନେ ବୈଠକରେ ଏକତ୍ରୀତ ହୋଇ ଆଲୋଚ଼ନା କରିଥାନ୍ତି । ଆନ୍ଧ୍ର ମହିଳା ସମାଜ ଆନୁକୂଲ୍ୟରେ ଏକ ପାଠାଗାର ଚାଲୁଥିଲା ଏବଂ ସପ୍ତାହରେ ଦୁଇଦିନ ପ୍ରତି ମଙ୍ଗଳ ଓ ଗୁରୁବାର ଦିନ ବ୍ୟବହାର ପାଇଁ ଖୋଲାଯାଉଥିଲା ।
 
ବ୍ରହ୍ମପୁରରେ ୧୯୮୨ରେ ଦୂରଦର୍ଶନ ଏବଂ ୧୯୯୨ରେ ଘରୋଇ କେବଲ ଟେଲିଭିଜନ ସଂସ୍କୃତି ପ୍ରବେଶ ପୂର୍ବାବସ୍ଥା ଯାଏଁ ଆନ୍ଧ୍ର ମହିଳା ସମାଜର କାର୍ଯ୍ୟକ୍ରମ ଚଳଚଞ୍ଚଳ ରହିଆସିଥିଲା । ସହରରେ ଆନ୍ଧ୍ର ଭାଷାଭାଷୀ ମହିଳାଙ୍କ ନିମନ୍ତେ ମୁଖ୍ୟତଃ ଏସ.ଏସ.ଭି.ଟି ଟକିଜରେ ଆନ୍ଧ୍ର ଚଳଚ଼ିତ୍ର ପ୍ରଦର୍ଶନ ବ୍ୟତୀତ ମନୋରଞ୍ଜନର ଅନ୍ୟ କୌଣସି ସୁବିଧା ନଥିବା ହେତୁ ଶିକ୍ଷିତାମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂପୃକ୍ତ ରହୁଥିଲେ । ବିଗତ ଶତାଦ୍ଦୀର ଷଷ୍ଠ, ସପ୍ତମ ଓ ଅଷ୍ଟମ ଦଶକରେ ଆନ୍ଧ୍ର ସମ୍ୱାଦପତ୍ର ଓ ପତ୍ରପତ୍ରିକା ସର୍ବାପେକ୍ଷା ଲୋକପ୍ରିୟତା ହାସଲ କରିଥିଲା । ଆନ୍ଧ୍ର ଭାଷାଭାଷୀମାନଙ୍କ  ମଧ୍ୟରେ ଆନ୍ଧ୍ର ସାହିତ୍ୟର ବ୍ୟାପକ ପ୍ରଭାବ ଅନୁଭୂତ ହେଉଥିଲା । ଏହି ଅବସରରେ ଆନ୍ଧ୍ର ମହିଳା ସମାଜର ପାଠାଗାର ଏବଂ ଏଥିସଂଲଗ୍ନ ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜର ଗ୍ରନ୍ଥାଗାରର ଗୁରୁତ୍ୱ ବୃଦ୍ଧି ପାଇଥିଲା । ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜର ପାଠାଗାର ପ୍ରତିଦିନ ସଂଧ୍ୟାରେ ଖୋଲାଯାଉଥିଲେହେଁ ସେଠାକୁ ମହିଳାମାନେ ପ୍ରବେଶ କରୁନଥିଲେ । କିନ୍ତୁ ଗ୍ରନ୍ଥାଗାରରୁ ପୁସ୍ତକ ସଂଗ୍ରହରେ ବାରଣ ନଥିଲା ।
 
ଆନ୍ଧ୍ର ମହିଳା ସମାଜ ପକ୍ଷରୁ ଉତ୍ସାବାନୁଷ୍ଠାନରେ ଆନ୍ଧ୍ର ପ୍ରଦେଶରୁ ଖ୍ୟାତନାମା ବକ୍ତାମାନେ ଯୋଗ ଦେଉଥିଲେ । ଏହାର ରୌପ୍ୟ ଜୟନ୍ତୀ ୧୯୩୧, ସୁବର୍ଣ୍ଣ ଜୟନ୍ତୀ ୧୯୫୯ ଏବଂ ପ୍ଳାଟିନମ ଜୁବୁଲୀ ୧୯୭୨ରେ ପାଳିତ ହୋଇଥିଲା । ସମାଜ ପକ୍ଷରୁ ନାଟକ ମଞ୍ଚସ୍ଥ ଏବଂ କବି ସମ୍ମିଳନୀ ଆୟୋଜନ ପରମ୍ପରା ରହିଥିଲା । ଶ୍ରୀକୃଷ୍ଣ ତୁଳାଭରମ ନାମକ ଏକ ନାଟକ ପ୍ରଦର୍ଶନ ସହରର ଆନ୍ଧ୍ରଭାଷାଭାଷୀଙ୍କ ମଧ୍ୟରେ ଏକ ଗୌରବଜ୍ଜଳ ଅନୁଭୂତି । ଏଥିଲାଗି ସମାଜ ପ୍ରାଙ୍ଗଣରେ ଏକ ମୁକ୍ତାକାଶ ରଙ୍ଗମଞ୍ଚ ନିର୍ମିତ ହୋଇଥିଲା । ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ସମାଜ ପକ୍ଷରୁ ଟେଇଲରିଂ, ଏମ୍ୱ୍ରଡ଼ରି ଓ ସଙ୍ଗୀତ ଶିକ୍ଷାର ବ୍ୟବସ୍ଥା କରାଯାଉଥିଲା ।
 
ବ୍ରହ୍ମପୁରରେ ଟେଲିଭିଜନ ସଂସ୍କୃତି ପ୍ରବେଶପରେ ଓଡ଼ିଆ ଭଳି ଆନ୍ଧ୍ର ଭାଷାଭାଷୀଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଶୀଥିଳ ପଡ଼ିଯାଇଥିବା ଲକ୍ଷ୍ୟ କରାଯାଏ । ମହାମାରୀ-ପର ଅବସ୍ଥାରେ ସହରବାସୀଙ୍କ ମଧ୍ୟରୁ ଅର୍ଦ୍ଧେକ ଦୈନିକ ହାରାହାରି ପାଞ୍ଚ ଘଣ୍ଟା ଯାଏଁ ମୋବାଇଲ ଫୋନରେ ସମୟ ବିତାଉଥିବା ହେତୁ କ୍ରମଶଃ ପାରସ୍ପରିକ ଯୋଗାଯୋଗଠାରୁ ଆରମ୍ଭ କରି ସାମାଜିକ ଓ ସାଂସ୍କୃତିକ ସଂପୃକ୍ତି ମୋବାଇଲ ଫୋନ ପରଦାରୁ ସ୍ଥାନାନ୍ତରିତ ହେବାରେ ଲାଗିଛି । ମୋବାଇଲ ଇଣ୍ଟରନେଟ ପରକୁ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ, ଆଗୁମେଣ୍ଟଡ଼ ରିଆଲିଟି ଓ ଇମେରସିଉଭ ଟେକନୋଲଜି ସମୃଦ୍ଧ ମେଟାଭର୍ସ ପହଞ୍ଚୁଥିବା ଅବସରରେ ଭର୍ଚୁଆଲ ପରିବେଶ ଜନସମାଜରେ ଆଦୃତ ହେବା ସୁନିଶ୍ଚିତ । ଏହି ପରିପେକ୍ଷୀରେ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ନିଜ ସ୍ଥାନ ଭର୍ଚୁଆଲ ଜଗତରେ ଖୋଜିବାହାର କରିବା ସମୟ ଉପନୀତ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୬ ନଭେମ୍ୱର ୨୦୨୧ / ପୃଷ୍ଠା : ୮)

Photograph : odishabytes.com