Thursday, January 23, 2020

Academia centered Berhampur / ଶିକ୍ଷାୟତନକେନ୍ଦ୍ରୀକ ବ୍ରହ୍ମପୁର

#ବ୍ରହ୍ମପୁର ସହର ସପ୍ତଦଶ ଶତାଦ୍ଦୀ ମଧ୍ୟଭାଗରେ ମହୁରି ରାଜପ୍ରସାଦ ପ୍ରତିଷ୍ଠାକୁ କେନ୍ଦ୍ରକରି ଗଢ଼ିଉଠିଥିବା ପ୍ରମାଣ ମିଳେ । ଏଥିପୂର୍ବରୁ ସହରର ଉପକଣ୍ଠ ହରିଡ଼ାଖଣ୍ଡିଠାରେ ଲକ୍ଷ୍ମୀନୃସିଂହ ମନ୍ଦିର ତଥା ଆଖପାଖ ଅଞ୍ଚଳରେ ବହୁସଂଖ୍ୟକ ମଠ ମନ୍ଦିର ନିର୍ମାଣ କାରଣରୁ ଜନପଦଟିକୁ ଦେବତାମାନଙ୍କ ବିଚ଼ରଣ ସ୍ଥଳ ବ୍ରହ୍ମପୁର ନାମିତ ହୋଇଥିବା କେତେକ ଐତିହାସିକ ମତ ପୋଷଣ କରିଥାନ୍ତି । ମହୁରି ଶାସନ ଅବସରରେ ଅଧୁନା ପୁରୁଣା ବ୍ରହ୍ମପୁର ଓ ହରିଡ଼ାଖଣ୍ଡି ଅଞ୍ଚଳରେ ଜନବସତି ସ୍ଥାପିତ ହୋଇଥିଲା । ପରେ ବଡ଼ବଜାର, ସାନବଜାର ଓ ହନୁମାନ ବଜାର ଅଞ୍ଚଳରେ ବ୍ୟବସାୟ ପ୍ରତିଷ୍ଠାନମାନ ଗଢ଼ି ଉଠିଲା । ତେବେ ୧୮୫୦ ମସିହାରେ ମହୁରି ରାଜ୍ୟର ଶାସନ ଭାର ବ୍ରିଟିଶ ସରକାର ବହନ କରିବା ପରେ ଭାପୁର, ଗେଟବଜାର ଓ କୋର୍ଟପେଟା ଅଞ୍ଚଳରେ ସରକାରୀ କାର୍ଯ୍ୟାଳୟମାନ ସ୍ଥାପିତ ହେଲା ଏବଂ ସହରର ସୀମା ବଢ଼ି ଚାଲିଲା ।

ଊନବିଂଶ ଶତାଦ୍ଦୀର ମଧ୍ୟଭାଗରେ ନଅଙ୍କ ଦୁର୍ଭିକ୍ଷ ପରବର୍ତ୍ତୀ ଅବସ୍ଥାରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ବ୍ରିଟିଶ ପ୍ରଶାସନ ବିଦ୍ୟାଳୟଭିତ୍ତିକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ପ୍ରତି ଗୁରୁତ୍ୱ ଆରୋପ କରିଥିଲେ ଏବଂ ସେହି ଧାରାରେ କ୍ରମବର୍ଦ୍ଧମାନ ବ୍ରହ୍ମପୁର ସାମିଲ ହୋଇଥିଲା । ବିଂଶ ଶତାଦ୍ଦୀର ଷଷ୍ଠ ଦଶକ ଯାଏଁ ଗଞ୍ଜାମ ଜିଲ୍ଲା କାହିଁକି ସମଗ୍ର ଦକ୍ଷିଣ ଓଡ଼ିଶାରେ ଉଚ୍ଚଶିକ୍ଷାର ପ୍ରସାର ହାତଗଣତି ଅନୁଷ୍ଠାନ ମଧ୍ୟରେ ସୀମିତ ରହିଥିଲା । କଲେଜ ଶିକ୍ଷା ନିମନ୍ତେ ଅଭିଭକ୍ତ ଗଞ୍ଜାମ, କୋରାପୁଟ, ଫୁଲବାଣୀ ଓ କଳାହାଣ୍ଡି ଜିଲ୍ଲାରୁ ଛାତ୍ରମାନେ ବ୍ରହ୍ମପୁରରେ ପହଞ୍ଚୁଥିଲେ । ନାରୀ ଶିକ୍ଷା ମଙ୍ଗ ଧରିନଥିଲା । ସମସ୍ତଙ୍କ ଭାଗ୍ୟରେ ଛାତ୍ରାବାସରେ ସୁବିଧା ଯୁଟୁନଥିଲା । ସାଧାରଣତଃ ବାହାରୁ ଆସିଥିବା ଛାତ୍ରମାନେ ଖଲ୍ଲିକୋଟ କଲେଜ ସନ୍ନିକଟସ୍ଥ ସାହୀଗୁଡ଼ିକରେ ମେସ କରି ରହୁଥିଲେ ।

ମେସର ଅର୍ଥ ଏକ ଭଡ଼ାଘରେ ଏକାଧିକ ଛାତ୍ର ଏକତ୍ର ବସବାସ କରିବା ତଥା ସ୍ଥଳବିଶେଷରେ ନିଜେ କିମ୍ୱା ରୋଷେୟା ନିଯୁକ୍ତ କରି ଖାଇବା ପିଇବା ବ୍ୟବସ୍ଥାକୁ ବୁଝାଉଥିଲା । ଖଲ୍ଲିକୋଟ କଲେଜ ସାଙ୍ଗକୁ ଇଞ୍ଜିନିୟରିଂ ସ୍କୁଲରେ ଅଧ୍ୟୟନରତ ଅଧିକାଂଶ ଗ୍ରାମାଞ୍ଚଳ ଛାତ୍ରଙ୍କ ମଧ୍ୟରେ ଏଭଳି ବନ୍ଦୋବସ୍ତ ତତ୍ କାଳୀନ ସହରର ଅନ୍ୟତମ ପରିଚିତିରେ ସାମିଲ ହୋଇଥିଲା । ବ୍ରହ୍ମପୁରର ସାମାଜିକ ଓ ସାଂସ୍କୃତିକ ପରିଧିରେ କଲେଜ ଷ୍ଟୁଡ଼େଣ୍ଟ ଗୁରୁତ୍ୱ ବହନ କରୁଥିଲେ ।

୧୯୬୪ରେ ସଂଘଟିତ ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନ ସ୍ଥାନୀୟ ଉଚ୍ଚଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନର ସୂତ୍ରଧର ସାଜିଥିଲା । ପରବର୍ତ୍ତୀ ଅବସ୍ଥାରେ ଗ୍ରାମାଞ୍ଚଳରେ ବେସରକାରୀ କଲେଜମାନ ଆରମ୍ଭ ପରେ ଦୂରଦୂରାନ୍ତରୁ ଉଚ୍ଚଶିକ୍ଷା ନିମନ୍ତେ ବ୍ରହ୍ମପୁର ଆଗମନ ଧାରାକୁ କ୍ରମଶଃ ବନ୍ଦ କରିଦେଇଥିଲା । ନିଜ ଅଞ୍ଚଳରେ କଲେଜ ଶିକ୍ଷା ଉପଲବ୍ଧ ହେବାପରେ ପିଲାଏ ସେଠି ନାମ ଲେଖାଇଲେ ।

୧୯୬୪ ଛାତ୍ର ଆନ୍ଦୋଳନରେ ପ୍ରଭାବିତ ବ୍ରହ୍ମପୁରର ଛାତ୍ରଗୋଷ୍ଠୀ ୧୯୬୭ରେ ଦକ୍ଷିଣାଞ୍ଚଳରେ ଏକ ବିଶ୍ୱବିଦ୍ୟାଳୟ ସ୍ଥାପନ ଦାବୀ କରି ପୁଣି ଆନ୍ଦୋଳନ କଲେ । ସେତେବେଳ ଯାଏଁ ସାରା ଓଡ଼ିଶାର ଉଚ୍ଚଶିକ୍ଷା ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନରେ ପରିଚାଳିତ ହେଉଥିଲା । ପଶ୍ଚିମାଞ୍ଚଳ ସମ୍ୱଲପୁରରେ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇ ସାରିଥିବା ହେତୁ ଦକ୍ଷିଣାଞ୍ଚଳ ଛାତ୍ରମାନଙ୍କ ଦାବୀ ମାନିବାକୁ ବାଧ୍ୟ ହେଲେ । ତିନିଗୋଟି ଅବିଭକ୍ତ ଜିଲ୍ଲାର ମାତ୍ର ୧୮ ଗୋଟି ମହାବିଦ୍ୟାଳୟ ଅନୁବନ୍ଧନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ୨ ଜାନୁୟାରୀ ୧୯୬୮ରେ ପ୍ରତିଷ୍ଠା ହେଲା । ଆଜି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ୫୪ ତମ ବାର୍ଷିକୀ ପାଳିତ ହେଉଛି ।

୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନପରେ ରାଜଧାନୀ ପ୍ରତିଷ୍ଠା ନିମନ୍ତେ ପ୍ରସ୍ତାବରେ ବ୍ରହ୍ମପୁର ଗୋପାଳପୁର ମଧ୍ୟସ୍ଥ ରଙ୍ଗେଇଲୁଣ୍ଡା ବିଚାର ପରିସରକୁ ଆସିଥିଲା । ତିନି ଦଶନ୍ଧି ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କାଳରେ ରଙ୍ଗେଇଲୁଣ୍ଡାରେ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣ କ୍ୟାମ୍ପସ ନିରୂପିତ ହେଲା ।

ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଥମେ କଟକରୁ କାର୍ଯ୍ୟ କରୁଥିଲା । ଭୁବନେଶ୍ୱରରେ ରାଜଧାନୀ ସ୍ଥାପନ ପରେ ବାଣୀବିହାରକୁ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଉଠି ଆସିଥିଲା । ସେହି ଅଭିଜ୍ଞତାରେ ପ୍ରଭାବିତ ହୋଇ ରଙ୍ଗେଇଲୁଣ୍ଡାରେ ଭଞ୍ଜବିହାର ପ୍ରତିଷ୍ଠାରେ ସ୍ଥାନୀୟ ନେତୃବର୍ଗ ବିରୋଧ କଲେନି । କିନ୍ତୁ ବ୍ରହ୍ମପୁରରେ ଭୁବନେଶ୍ୱର ଭଳି ବିକାଶର ଚିତ୍ର ଦେଖିବାକୁ ମିଳିଲାନାହିଁ । ଫଳତଃ ସହରଠାରୁ ଦଶ କିଲୋମିଟର ଦୂରବର୍ତ୍ତୀ ଭଞ୍ଜବିହାର ବ୍ରହ୍ମପୁର ସହରର ସାମାଜିକ ଓ ସାସ୍କୃତିକ ପରିଧିରେ ଆଶାନୁପୂରକଭାବେ ସାମିଲ ହୋଇପାରିଲାନି ।

ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆଗରୁ ମେଡ଼ିକାଲ କଲେଜ ସହର ମଧ୍ୟରେ ସ୍ଥାପିତ ହୋଇସାରିଥିଲା । କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ଓ ଆଇଜର କ୍ୟାମ୍ପସ ଚୟନ କ୍ଷେତ୍ରରେ ତାହା ସମ୍ଭବପର ହେଲାନାହିଁ । ଘରୋଇ ମାଲିକାନାରେ ପ୍ରତିଷ୍ଠିତ ଇଂଞ୍ଜିନିୟରିଂ କଲେଜଗୁଡ଼ିକରେ ଛାତ୍ରଛାତ୍ରୀ ସଂଖ୍ୟା କମିଯିବା ଅବସରରେ ସହରଠାରୁ ଦୂରଦୂରାନ୍ତରେ ଅବସ୍ଥିତି କାରଣରୁ ସେଗୁଡ଼ିକର କୋଠାବାଡ଼ି ଅବ୍ୟବହୃତ ଅବସ୍ଥାରେ ଆସି ପହଞ୍ଚିଲାଣି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପ୍ରତିଷ୍ଠାରେ ସହରଠାରୁ ଦୂରତ୍ୱର ତୃଟି ବର୍ତ୍ତମାନ ଏଠାରେ ପ୍ରତିଷ୍ଠିତ ଦ୍ୱିତୀୟ ବିଶ୍ୱବିଦ୍ୟାଳୟ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ପୁନରାବୃତ୍ତି ଘଟିଛି ।

ସହର ମଧ୍ୟରେ କ୍ୟାମ୍ପସ କାର୍ଯ୍ୟକଲେ ଶିକ୍ଷାୟତନ ଓ ସହରବାସୀଙ୍କ ମଧ୍ୟରେ ଗଭୀର ସଂପୃକ୍ତି ସୃଷ୍ଟି ହୁଏ । ତାହା ଆନୁଷ୍ଠାନିକ ଶୈକ୍ଷିକ ପରିବେଶ ସମୃଦ୍ଧିରେ ସହାୟତା କରେ । କିନ୍ତୁ ଶିକ୍ଷାନୁଷ୍ଠାନଗୁଡ଼ିକର ଅବସ୍ଥିତିରେ ଦୂରତ୍ୱ କାରଣରୁ ସହରରେ ଛାତ୍ର ସମାଜର କୋଳାହଳ କ୍ରମଶଃ ହଜି ଆସିଲାଣି । ମହୁରି ଶାସନ କାଳରେ ମଠ-ମନ୍ଦିର-ପୁଷ୍କରଣୀକୁ ନେଇ ଗଢ଼ି ଉଠିଥିବା ବ୍ରହ୍ମପୁର ସ୍ୱାଧୀନୋତ୍ତର ଅବସ୍ଥାରେ ଶିକ୍ଷାୟତନକେନ୍ଦ୍ରୀକ ସହରରେ ପରିଣତ ହୋଇଥିବା ଅବସରରେ ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକ ଶେଷବେଳକୁ ଉଭୟ ବିଭବ ଗୁରୁତ୍ୱ ହରାଇବା ଉଦ୍ ବେଗର ବିଷୟ ।
(ଅନୁପମ ଭାରତ / ୨ ଜାନୁୟାରୀ ୨୦୨୦ / ପୃ. ୨)
---